ପୃଷ୍ଠା:Hada bagicha.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦେଲା । ବହି ବନ୍ଦ କରି ଟେପ୍କୁ ସାମାନ୍ୟ ଘୁଂଚାଇ ଯୋତା କାଢ଼ି ପିନ୍ଧିଲା । ତା ଯୋତାର ନାଁ ବ୍ଲାକ୍ହୋଲ୍ । ବ୍ଲାକ୍ହୋଲ ଭିତରେ ପାଦ ଦୁଇଟି ହଜିଯାଏ । ପାଣିଛିଟା, ଧୂଳିଝଡ଼, ଗୋଡ଼ିବାଲି କିଛି ତାକୁ ଆଘାତ ଦିଏନା । ପାଦ ଦୁଇଟି ସ୍ୱଚ୍ଛ ଥାଏ ଏବଂ ଯୁଆଡ଼େ ଇଚ୍ଛା ସେଇଆଡ଼େ ସଙ୍ଗେ ସଙ୍ଗେ ଯାଇପାରେ । ବ୍ଲାକ୍ହୋଲ୍ ଫିତା ବାନ୍ଧିଲା । ବାମ ପରେ ଡାହାଣଟି ବାନ୍ଧୁଥିବା ବେଳେ ଫିତା ଛିଣ୍ଡି ଯିବାରୁ ଉଭୟ ଫିତା ଖୋଲି ଫିଙ୍ଗି ଦେଇ ବାହାରି ଆସିଲା କୋଠରିରୁ । ଅନୁ ପଛରୁ କହିଲା, ‘ଭାଇ ଶୀଘ୍ର ଆସିବ’ । ମୁଣ୍ଡ ହଲାଇ ଚାଲିଗଲା ଅବକାଶ । ସାମାନ୍ୟ ଦୂରରେ ପାଞ୍ଚଫୁଟ୍ ଦୁଇ ଇଞ୍ଚର ଛୋଟ ଝିଅଟେ, ତାର କ୍ଲାସ୍ମେଟ୍, ପ୍ରତିଦିନ ତାକୁ ଦେଖି ହସେ । ସ୍ୱଚ୍ଛ ହସ । କିନ୍ତୁ ବହୁତ ଦିନ ହେଲା ଏମ.ଏ. ପରେ ବି ଚାକିରି ଅଭାବରୁ ଘରେ ବସି ବସି ଏବଂ ଘରେ ଅଯଥାରେ ଗୁଡ଼ାଏ କାମ କରି ତା ହସ ଏବେ ମଳିନ ପଡ଼ିଗଲାଣି । ଦୋଷୀ ଦୋଷୀ ଭାବଟିଏ ସ୍ପଷ୍ଟ ବାରି ହୋଇଗଲାଣି । ଆଜିକାଲି ଅବକାଶକୁ ଦୂରରୁ ଦେଖି ଘର ଭିତରୁ ବାହାରି ଆସୁନାଇଁ । ବରଂ ଲୁଚି ରହୁଛି । ହସ ଅଭାବରୁ । ଯନ୍ତ୍ରଣାର ଯାଂତ୍ରିକ ହସ ଆଉ କେତେଦିନ ଓଠର ଡାଳରେ ଓହଳାଇ ପାରିବ? କିଛି ଅଙ୍କା ବଂକା ରାସ୍ତାରେ ଗଲାପରେ ପ୍ରଥମ ଛକରେ ରାଓ ସେଲୁନ୍ ପାଖରେ ଛିଡ଼ା ହେଲା ଅବକାଶ । ଏଠି ସେ ପ୍ରତି ଦୁଇତିନି ମାସରେ ବାଳ କାଟେ । ନିଜକୁ ଶିଶୁ କରି ଘରକୁ ଯାଏ । କେବେ ବି ବାହାରେ ଦାଢ଼ି କାଟେନା । ତଥାପି ‘ରାଓ’ ପଚାରିଲା ‘ଆଜ୍ଞା ଦାଢ଼ି?’ ‘ନାଁ’ । ଦେଖିଲା ଟ୍ରକଟିଏ ଦୂରରୁ ଡ୍ରାଗନ ପରି ମାଡ଼ି ଆସିଛି । ଏଇ ଡ୍ରାଗନ୍ ମାଡ଼ି ଆସୁଥିବାବେଳେ ପୃଥିବୀ ସମ୍ଭାଳେ କିପରି? ପ୍ରତିବାଦ କରେ ନାଇଁ କେମିତି? ରାସ୍ତା ମଝିରେ ଛିଡ଼ା ହୋଇ ଗସିପ୍ କରୁଥିବା ଦଳେ ଦ୍ୱିତୀୟ ତୃତୀୟ ବାର୍ଷିକ ଛାତ୍ର ଏପଟ ସେପଟ ହୋଇ ଛିଟିକି ପଡ଼ିଲେ । ସାମନା ହୋଟେଲରୁ ଆସୁଥିବା ଗୀତ ଡ୍ରାଗନ୍ର ଗର୍ଜନ ଓ ଧୂଳିଝଡ଼ରେ ପୂରାପୂରି ମିଳାଇ ଯାଇଥିଲା । ଚା ଖାଉଥିବା ତିନିଜଣ ଭଦ୍ରବ୍ୟକ୍ତି ହାତ ପାପୁଲିରେ ଚା ଗ୍ଲାସ୍କୁ ଘୋଡ଼ାଇ ରଖିଲେ କିଛି ସମୟ । ଆଚ୍ଛା ଏ ପିଲା ଗୁଡ଼ିକ ରାସତା ମଝିରୁ ଅଲଗି ଗଲେ କାହିଁକି ଯେ? ଖୁବ୍ ଜୋର୍ରେ ଆସୁଥିବା ଗୋଟେ ଟ୍ରକ୍ର କ୍ଲୋଜ ଅପ୍ର ସୌନ୍ଦର୍ଯ୍ୟ ନିଜ କେମେରାରେ ଧରି ରଖିବାର ଅବକାଶର ଅନେକ ଇଚ୍ଛା । ସେ ଯଦି କେମେରାଟିଏ ଧରି ଏମିତି ଅପେକ୍ଷା କରିଥିବ ଆଉ ଟ୍ରକ୍ ଆସିବା ବେଳେ ଲୋକଙ୍କର ହାଁ ହାଁ ହାଁ କୁ ନ ଶୁଣି ମଝି ରାସ୍ତାକୁ ଡେଇଁ ପଡ଼ିବ ଏବଂ ସଙ୍ଗେ ସଙ୍ଗେ କ୍ଲିକ୍ କରିବ । ତାପରେ? ତାପରେ ହୁଏତ ଲୋକଭିଡ଼ ରକ୍ତ ହସପିଟାଲ୍, ହଇଚଇ ହେବ । ପିଲାଟି ମରିଗଲା- ଟ୍ରକ୍ ମାଡ଼ିଗଲା- ନାଇଁ ନାଇଁ ସେ ଆତ୍ମହତ୍ୟା କଲା- ନାଇଁ ନାଇଁ ତମେ କିଛି ଜାଣିନ, ସେ ଡ୍ରାଇଭରର ଦୋଷ, ମଦପିଇ ଗାଡ଼ି ଚଳାଉଥିଲା । ଅବକାଶ କିନ୍ତୁ ମରିବ ନାଇଁ । ସେ କ୍ରଚ୍ ଧରି କିଛିଦିନ ଚଲାବୁଲା କରିବ । ପାଞ୍ଚ ଦଶ ମାସ ବା ପନ୍ଦର-ଅଠର ମାସ ଏବଂ ଶେଷରେ ସେ ଡ୍ରାଗନର ଛବି ଦେଖିବ । ଦେଖିବ ହିଁ ଦେଖିବ । ଅବକାଶ ସବୁବେଳେ କ୍ଲୋଜ୍ ଅପ୍ ଛବି ଦେଖେ । ପେଣ୍ଟରୁ କଟାବାଳ କେତୋଟି ଝାଡ଼ିଦେଇ, ସାର୍ଟର କଲରକୁ ସଜାଡ଼ି ସେଲୁନରୁ ଉଠି ବାହାରି ଆସିଲା । ରାଓର ସ୍ପ୍ରେରୁ ପାଣିବୁନ୍ଦା ଆସି ତା ବେକମୂଳେ ଲାଗିଥାଏ ତାକୁ ରୁମାଲରେ ପୋଛି ଆଣିଲା । କିଛି ଦୂରରେ କଚେରି କାନ୍ଥବାଡ଼ ତଳେ ଅଖା ଦୁଇଟି ଖେଳାଇ ତା ଉପରେ ଯୋତା ପାଲିସ୍ କରା ସାମାନ ଓ ପାଦରଖା ଜ୍ୟାମିତିକ ଲୌହପିଣ୍ଡଟି ଥୋଇ କ୍ଳାନ୍ତ ଅବସନ୍ନ ଲକ୍ଷ୍ମଣ ଚମାର ବସି ଢୁଳାଉ ଥାଏ । ଯେମିତି ଆଗରେ ତା ପୋଷା କୁକୁର ଓ ଅନତି ଦୂରରେ ବୁଲା କୁକୁରଟିଏ । ମୁହଁଟା ଶୁଖି ସିଝି ଯାଇଥାଏ, ପାଖରେ ଚକଡ଼ାଏ ଗୋବର ସିଝି ପଡ଼ିଥିବା ପରି । ଅତିରିକ୍ତ ଲକ୍ଷ୍ମଣ ଚମାର । ଯେମିତି ଖରା, ଯେମିତି ପୋଷାକୁକୁର, ଯେମିତି ଗୋବର ପ୍ରତ୍ୟେକ ଛକର ସହରରେ, ସେମିତି ଲକ୍ଷ୍ମଣ ଚମାର । “ଲକ୍ଷ୍ମଣ ୟାକୁ ଅଠା ଲଗାଇଲ । ଭିତରକୁ ଧୂଳିବାଲି ପଶୁଛି । ତୁମ ପାଖରେ ଫିତା ତ ନ ଥିବ? ତୁମ ବେଂକ୍ ଲୋନ୍ଟା ଟିକେ ଡେରି ହେବ । ସେ ଫିଲ୍ଡ ଅଫିସର୍ଟା ବାହା ହେଉଛି ଯେ ଛୁଟିରେ ଯାଇଛି । ସାତଦିନ ପରେ ଫେରିବ । ଆଜି ସକାଳୁ କିଛି କିଛି ଲାଭ ହୋଇଛି ନା ନାଇଁ? ତୁମ ଦେହଟା ଆଜିକାଲି କିପରି ରହୁଛି? ସେ ଔଷଧ ଖାଉଛ ନା ନାଇଁ?’’ “କାଣା ଆଉ ଭଲ ଆଜ୍ଞା, ହାରାମ୍ଜାଦା ଦୁଇଟା ଆସି ଯୁତା ସଫା କଲେ, ପଇସା ନାଇ ଦେଇ, ପଲାଲେ । ସକାଳୁ ଦୁଇଟଙ୍କା ହେଇଛେ ।’’ ଏହା ହିଁ ତାର ଆପାତତଃ ଚିରାଚରିତ ଉତ୍ତର । ପୁଣି ଆଗକୁ ଚାଲିଲା ଅବକାଶ । ଲକ୍ଷ୍ମଣକୁ ଦୁଇ ଟଙ୍କା ଦେଲା । ଚିଲିକା ଏବେ ଥିବ ନା ନାଇଁ? କେତେଦିନ ପାଇଁ ଆସିଛି କେଜାଣି? ଚିଲିକା ଘରଟା ଆଜି କେମିତି ଘୁଞ୍ଚି ଘୁଞ୍ଚି ଯାଉଛି ବୋଧହୁଏ । ରାସ୍ତା ଗୁଡ଼ାକ ରିନ୍ ସାବୁନ୍ର ବାର୍ ଭଳି ଲମ୍ବ ହୋଇଯାଉଛି । ଜଣେ ସାଙ୍ଗ ସାଇକେଲ୍ରେ ଆସୁଥିଲେ । ଆଖିମିଟିକା ମାରି ଭ୍ରୁଲତା ନଚାଇ ସାମାନ୍ୟ ହସି ଚାଲିଗଲେ । ଅବକାଶ ଯେ କାହିଁକି ହସିବ ଭାବି ପାରିଲା ନାହିଁ । ତେଣୁ ସେ ଚୁପ୍ ଚାପ୍ ହିଁ ଆସୁଥିଲା । ଚୁପଚାପ ଏବଂ ଏକା । ଅଥଚ ବେଳେବେଳେ