ଅବକାଶ ଏବେ ଅବସାଦ । ଦେହ ହାତରେ କ୍ଳାନ୍ତି ଅନୁଭବ କରୁଛି । ଆଖିବୁଜି ନିଜ ଭିତରେ ଶୂନ୍ୟତା ଖୋଜିଲା । ଆଖି ଖୋଲି ଶୂନ୍ୟକୁ ଚାହିଁଲା । ପୁଣି ବନ୍ଦ କଲା ଦୁଇମିନିଟ୍ ତିନିମିନିଟ୍ ଚାରିପାଞ୍ଚମିନିଟ୍ । ନିଜ ଭିତରକୁ ତଦାରଖ କଲା । ଛାତିଟା ଧୀରେ ଧୀରେ ପଂପଭରା ତକିଆପରି ଫୁଲୁଥାଏ ଏବଂ ହାଲୁକା ହେଉଥାଏ । ଶୋଇଥିବା ଅବସ୍ଥାରେ ଟେପ୍ ଖୋଲିଲା । ଓସ୍ତାଦ ବିଶ୍ମିଲ୍ଲା ଖାଁଂକୁ ଭର୍ତି କଲା । ଦଶ ପନ୍ଦର କୋଡ଼ିଏ ମିନିଟ୍ । ତଥାପି କ୍ଳାନ୍ତି ମେଣ୍ଟିଲାନାଇଁ । ଟେପ୍ଟି ଖଟ୍ କରି ବନ୍ଦ ହେବା ପରେ ଜାଣିଲା କେତୋଟି ମୁହୂର୍ତ ଭିତରେ ପଇଁଚାଳିଶ ମିନିଟ୍ ଚାଲିଯାଇଛି । ଟେପ୍କୁ ସାମାନ୍ୟ ଠେଲିଦେଇ ପୁଣି ଛାତକୁ ଚାହିଁଲା । ଛାତ ସେଠି ନ ଥିଲା । ଥିଲା ଶୂନ୍ୟତା । ଅବସାଦ ତ ଏ ଯାଏଁ ଯାଇନାଇଁ । ଓଃ... । କେକ୍ଟସ୍ର ରଙ୍ଗହୀନ ଡାଳକୁ ଚାହିଁଲା ଏବଂ ଆଖିବୁଜି ଶୋଇ ପଡ଼ିଲା ଏକାଦଶ ଅବତାରର ମୁଦ୍ରାରେ । ନଟା ତିରିଶ । ଦଶଟା ଦଶରେ ବି ସେ ଶୋଇଥିଲା ଶବମୁଦ୍ରା ପରି । ଏଗାରଟା ଏଗାରରେ ମଧ୍ୟ ସେ ଶୋଇଥିଲା ଏବଂ ଆଖି ଖୋଲୁଥିଲା ଧୀରେ ଧୀରେ । କିଛି ସ୍ୱପ୍ନ ଦେଖିଲା କି? ନା, ଆଖିପତାରେ ସ୍ୱପ୍ନ ନ ଥିଲା । ମୃତ ଶହନାଇର ସ୍ୱରକୁ ମନେପକାଇବାକୁ ଚେଷ୍ଟା କଲା । କର ଲେଉଟାଇଲା । ଅକ୍ଟୋପସ୍ ମଝିରେ ଝିଟିପିଟିଟା ଆଉ ନାହିଁ । ତା ପାଖକୁ ଉଠିଗଲା । ତଳଥାକ କେସେଟ୍ ଆଲବମ୍ରେ ହାତଟା ବୁଲାଇ ଆଣିଲା । ‘ଲା ବିଓଂଡା’- ଫରାସୀ କନସାର୍ଟର କ୍ୟାସେଟ ଆଣି ଭାବିଲା କିଛି ସମୟ ଏବଂ ଥୋଇଦେଲା । ପୁଣି ଫୋନେଟିକ୍ କେସେଟ୍ କାଢ଼ି ଟେପ୍ରେ ଭର୍ତିକଲା । ମଝିଥାକରୁ ଟରନରଙ୍କ ସ୍ଟାଇଲିସ୍ଟିକ୍ସ୍ ବହିଟା ଆଣି ଚୌକିରେ ବସି ପଡ଼ିଲା । ପୃଷ୍ଠାମାନଙ୍କ ସହ ଖେଳି ଖେଳି ଟେପ୍ ଶୁଣିଲା ଏକ ଘଣ୍ଟା । ଚୁପ ଚାପ୍ । ଟେବୁଲ ଘଣ୍ଟା ଉପରେ ନଜର ପଡ଼ିଲା କିନ୍ତୁ ସମୟ ଉପରେ ଦୃଷ୍ଟି ଦେଲାନାଇଁ । ଆଖି ବି ଫେରାଇ ଆଣି ପାରିଲା ନାଇଁ । ବାହାରୁ ଶୁଭିଲା ‘ଅବି ଆ ଖାଇବୁ’ । କାହାର ଡାକ ଏ କି? କିଏ ଡାକୁଛି ତାକୁ? ସେ ତ ଗର୍ଭାଶୟ ଭିତରେ ଅଛି । ତା ଲାଇବ୍ରେରୀର ନାଁ ଦେଇଛି ‘ଗର୍ଭାଶୟ’ । ପୃଥିବୀରୁ ଡାକି ତାର ନିଦ ଭାଙ୍ଗୁଛି କିଏ? କିଏ ତାକୁ ଜଗାଇ ମାରି ଦେଉଛି? ଏମିତି ଡାକିବାର ଅର୍ଥ କଣ? ସ୍ୱର ଓ ଉଚ୍ଚାରଣରେ ପାର୍ଥକ୍ୟରେ ଏହାର ଅର୍ଥ କେତେ ଭିନ୍ନ । ଅବି ଆ ଖାଇବୁ ଅବି ଆ ଖାଇବୁ ଅବି ଆ ଖାଇବୁ ଅବି ଆ ଖାଇବୁ? ଅବି! ଆ ଖାଇବୁ! ଅ-ବି-ଆ-ଖା-ଇ-ବୁ- ଅବି ଅବି ଅବି ଆ ଆ ଆ ଖାଇବୁ ଖାଇବୁ ଖାଇବୁ କେତେ ହଜାର ଉଚ୍ଚାରଣ । କେତେ ହଜାର ସ୍ୱର । ଆକାଶ ମାଟି ପବନ ଦ୍ୱାର ଝରକା କାନ୍ଥ କେକଟସ୍ ଅକ୍ଟୋପସ୍ ସମସ୍ତେ ସହସ୍ର ସ୍ୱରରେ ହାତୁଡ଼ି ପିଟୁଛନ୍ତି ଆଆଆ ବ୍ଳଡି ବ୍ଳଡି ବ୍ଳଡି... । ଶୀତ ସକାଳର ନିସ୍ତେଜ ରୋଗୀଣା ଖରାପରି ଧୀରେ ଧୀରେ ଉଠିଲା ତା ଚୌକିରୁ । ଚୌକିତ ନୁହେଁ ଯେମିତି ଏକ ଷ୍ଟ୍ରେଚର । ହଠାତ୍ ତାର ବର୍ତମାନ ହିଁ ଚିଲିକା ପାଖକୁ ଯିବାର ଇଚ୍ଛା ହେଲା । ଖାଇ ଦେଇ ଯିବ କି? ଭୀଷଣ ଭୋକ ହେଲାଣି । ଭାବିଲା ଖାଇବ ନାଇଁ, କଫି ପିଇବ । କଫି କପେ ପାଇଁ ଅନୁକୁ କହି ପୁଣି ବସି ପଡ଼ିଲା । ପୁଣି ଝରକା ପାଖକୁ ଗଲା । ବାହାରେ କେଲଜ କ୍ୱାଟରସ୍ ସବୁ ହଲିଯାଇଥିବା ଷ୍ଟିଲ୍ ଫଟୋଗ୍ରାଫ୍ ପରି ଦେଖାଯାଉଛି । ଝରକାର ରେଲିଂରେ ଘରଚଟିଆଟିଏ ହଗି ଦେଇଛି ବୋଧହୁଏ । କେତେବେଳୁ କେଜାଣି । ପରଦାକୁ ସାମାନ୍ୟ ଟାଣିନେଇ ପୋଛିଦେଲା । ପୃଥିବୀକୁ ପଛ କରି କେକ୍ଟସ୍ର ଅରଣ୍ୟକୁ ଅନାଇଲା । କେକ୍ଟସ୍ ଶାଖାର ପ୍ରତ୍ୟେକ କଣ୍ଟାରେ ପୀତବର୍ଣର ପଲିଥିନ୍ କାଗଜ ଟିକି ଟିକି କରି ଲଗାଇ କୋଠରିର ଚାରିକୋଣରେ ଚାରୋଟି ଶାଖା ଥୋଇଛି । ସେଥିପାଇଁ ଏ କୋଠରିରୁ ଚିଲିକା ନାଁ ଦେଇଛି ‘କେକ୍ଟସ୍ର ଅରଣ୍ୟ’ । କେକ୍ଟସ୍ର ମିଛିମିଛିକା ଛାଇ ଜଣ୍ଡିସ୍ ରୋଗୀର ଆଖି ପରି ଦେଖାଯାଏ ବେଳେବେଳେ । ଅନୁ କଫି ନେଇ ଆସିଲା । ତାକୁ ଦେଖି ହସିଦେଲା ଅବକାଶ । ଅନୁ ବି ହସି କହିଲା ଖାଇଥାଂତ ନାଇଁ । ବାରଟା ତିରିଶ ହେଲାଣି’ । ‘ପରେ ଖାଇବି’ କହି କଫି କପ୍ରେ ପ୍ରଥମ ଚୁମ୍ବକ ଦେଲା । ଓଦା ଓଠ ତଳେ ଜିଭ ତାଳୁ ଖାଦ୍ୟ ନଳୀ ତରଳାଇ କଫି ହଠାତ୍ ଗଡ଼ିଗଲା ପେଟ ଭିତରେ ଥିବା ଶୂନ୍ୟସ୍ଥାନକୁ ଏବଂ ଗରମ ନିଶ୍ୱାସର ଧାରଟିଏ ବି ବାହାରି ଆସିଲା ଗମ୍ଭୀରି ଗୁମ୍ଫାରୁ । ତା ସଙ୍ଗେ ସଙ୍ଗେ ଅବକାଶ ହୋଇଗଲା ହାଲୁକା । ବ୍ଲଡର ପରି । ଏବେ ସେ ନିଜକୁ ଖେଳିପାରିବ । ଉଡ଼ି ପାରିବ । ସଙ୍ଗେ ସଙ୍ଗେ ଅବଶିଷ୍ଟାଂଶ କଫି ପିଇ ଶେଷାଂଶ ଟିକେ ଛାଡ଼ିଯାଇ ଟିପାଇ ଉପରେ କପ୍ଟିକୁ ଏକ ରକମ କଚାଡ଼ି
ପୃଷ୍ଠା:Hada bagicha.pdf/୧୮
ଦେଖଣା