ପୃଷ୍ଠା:Hada bagicha.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୁଣି ଝିଅମାନେ କବାଟ ଠକ୍ ଠକ୍ କଲେ । ଡାକିଲେ ‘ଆଂଟି ଆଂଟି ।’ ବୁଦ୍ଧଦେବ ଡାକିଲେ, ‘ଗୋପା ଗୋପା ।’ କିଛି ଶୋର ଶବ୍ଦ ନାଇଁ । ସଭିଏଁ ଟିକେ ଡରିଗଲେ । କଂଢେଇ ପେକିଂକୁ କାନ୍ଥରେ ଆଉଜାଇ ଦେଇ ତଳକୁ ଦୌଡ଼ିଗଲେ ବୁଦ୍ଧଦେବ । ଘର ମାଲିକଙ୍କ ବାରିପଟକୁ ଯାଇ ଶିଡ଼ିଟିଏ ଆଣି ବାଲ୍କୋନି ଉପରକୁ ଚଢ଼ି ଦେଖିଲେ, ଗୋପା ଶୋଇଛନ୍ତି । ଡାକିଲେ, ହଲାଇଦେଲେ, କପାଳରେ ହାତ ଦେଇ ତାତି ମାପିଲେ । ସବୁ ନର୍ମାଲ୍ । ତଥାପି ଉଁ ଚୁଁ କିଛି ନାଇଁ । ଭିତରପଟୁ କବାଟ ଖୋଲି ଦେଲେ ଭୟରେ । ଅନ୍ୟମାନଙ୍କ ସହ ତଳେ ରହୁଥିବା ଡାକ୍ତର ବନ୍ଧୁ ବି ଆସିଲେ । ଗୋପାଙ୍କ ମୁହଁରେ ପାଣି ସିଂଚା ହେଲା ପେକିଂ କେଶ୍ ଖୋଲିଦେଲେ, ‘ଦେଖ ଗୋପା, ତୁମ କଂଢେଇ ଆସି ଯାଇଛି । ଶାଢ଼ି, ବିଂଦି ଓ ଆର୍ମଲେଟ୍ ସହିତ । ଗୋପା, ଗୋପା ।’ ସେ ଆଦୌ ଶୁଣୁ ନାହାନ୍ତି । ଶବମୁଦ୍ରାରେ ପଡ଼ିଛନ୍ତି । ଶାଗ କଟା ନ ହୋଇ ପଡ଼ିଛି । ଜଳୁ ନ ଥିବା ଗେସ୍ରେ ଭାତ ଡାଲି ବସିଛି । ଲାଇଫ୍ ସାଇଜ୍ର ମୂର୍ତ୍ତି, ମଣିଷ, ଅତି ମଣିଷ ଓ ଖେଳନା ସବୁ ହସୁଛନ୍ତି । ଡାକ୍ତର ‘ଗୋପାଙ୍କୁ କିଛି ହୋଇ ନାହିଁ’ କହି ପଚାରିଲେ, “ଏ କଂଢେଇ କେଉଁଠୁ ଆଣିଲେ? ଚମତ୍କାର ହୋଇଛି । ଆପଣଙ୍କ ସ୍ତ୍ରୀଙ୍କ ପରି ଦେଖାଯାଉଛି । ୱଂଡରଫୁଲ ।’’ କଂଢେଇର ଆଖି ଦୁଇଟି ହଲଚଲ ହୋଇ ସବୁ ଦେଖୁଥିଲା । ଗୋପା ଉଠିଲେ । ବଡ଼ ବଡ଼ ଆଖିରେ ସିଧା ଛାତ ଉପରକୁ ଅନାଇ କହିଲେ ‘ମୁଁ ସେ କଂଢେଇର ଶବ, କଂଢେଇଟି ମୋ ଶରୀର ।’ ଲକ୍ଷେ ଫୁଲ ଫୁଟିବାର ଖୁସିରେ ବୁଦ୍ଧଦେବ ଡାକିଲେ, ‘ଗୋପା, ଗୋପା’, ପିଲାଏ ଡାକିଲେ ‘ଆଂଟି ଆଂଟି ।’ କଂଢେଇକୁ ଅଂଗୁଳି ନିର୍ଦେଶ କରି ଗୋପା କହିଲେ, ‘ସେଇ ତମର ଗୋପା, ସେଇ ତମର ଆଂଟି । ମୁଁ ଶବ, ମୁଁ ମୃତ ।’ ଡାକ୍ତର କେମ୍ପୋଜ୍ ଦେଲେ ଓ ଡିଷ୍ଟର୍ବ ନ କରିବା ପାଇଁ କହି ଚାଲିଗଲେ । ବୁଦ୍ଧଦେବ ବାବୁ ରନ୍ଧା କାମରେ ଲାଗିଲେ ତିନିଘଣ୍ଟା । ଆଉ ଘଣ୍ଟାଏ ଅପେକ୍ଷା କଲା ପରେ ଗୋପା ଉଠିଲେ । ଦୁହେଁ ଏକାଠି ଖାଇଲେ । କାନ୍ଥରେ ତିନୋଟି ପକ୍ଷୀ ଉଡୁଥିଲେ, ଗୋଟେ ମହୁଫେଣା ଥିଲା, ଦୁଇଟି ଝିଟିପିଟି ଥିଲେ, ଛୋଟ ଝିଅଟେ ପାଠ ପଢୁଥିବାର ଛବି ଓ ଫକୀରମୋହନ ସେନାପତିଂକ ଲମ୍ବା ବେକର ଛବି । ସେ ଶିଡ଼ିଟା କାହିଁକି ପଡ଼ିଛି? ଗୋପା ପଚାରିଲେ । ବୁଦ୍ଧଦେବ କିଛି ଉତ୍ତର ନ ଦେଇ ଚକ୍ ଡବାରେ ତିଆରି ହୋଇଥିବା ପକ୍ଷୀବସାରେ ଘରଚଟିଆ ଅଣ୍ଡା ଦେଇଥିବାର ଖବର ଦେଲେ । ଗୋପା ଏବେ ରିଲେକ୍ସଡ୍ । କଂଢେଇ କଥା ଆଦୌ ହେଲେ ନାଇଁ । ରାତି ଅଧରେ ଏକ ପାଇଁ ଉଠିଲା ବେଳକୁ ବୁଦ୍ଧଦେବ ଦେଖିଲେ କଂଢେଇଟି ଯଥା ସ୍ଥାନରେ ନ ଥାଇ ପେକିଂ କେଶ୍ ଭିତରେ ଶୋଇଛି, ଆହୁରି ଆଶ୍ଚର୍ଯ୍ୟ ହେଲେ କଂଢେଇ ଛାତିରେ ଛୋଟ ଖେଳନା ଛୁରୀଟିଏ ଭୁଷା ହୋଇଥିବାର ଦେଖି । ତାପର ରବିବାର ତ ଗୋଟେ ପର୍ବର ଦିନ । ଗୋପାଙ୍କ ଘୋଡ଼ା ପିଠିରେ ବସି ଫଟୋ ଉଠାଇବାର ଅଛି । ବଡ଼ି ଭୋର୍ରୁ ଗାଧୁଆ ସାରି ଗୁଡ଼ାଏ ଶାଢ଼ି ବାହାରକରି କେଉଁଟା ଲଗାଇବେ ଚିନ୍ତା କଲେ । ବୁଦ୍ଧଦେବ କହିଲେ, ‘ଯେ କୌଣସି ଗୋଟେ ସ୍ପଟେଡ୍ ଶାଢି ଲଗାଅ, ଫଟୋ ଭଲ ଉଠିବ ।’ ନିଜେ ତାଙ୍କ ଶାଢ଼ିର କୁଞ୍ଚ ସଜାଡ଼ି ଦେଲେ । କେମେରା ଧରି ବାହାରିଲେ । ଗଲାବେଳକୁ ଦେଖିଲେ ଗୋପାଙ୍କ ଡାହାଣ ହାତରେ କଂଢେଇରେ ଲାଗିଥିବା ଆର୍ମଲେଟ୍ ଅଛି । କିଛି କହିଲେ ନାଇଁ । ସେଇ ଛକରେ ଗୋଟେ ଚା’ ଦୋକାନୀ ଏଇ ମାତ୍ର ଦୋକାନ ଖୋଲୁଥିଲା । ତାକୁ ଶୀଘ୍ର ଶୀଘ୍ର ଚା ଦି କପ ତିଆରି କରିବା ପାଇଁ କହି ଅପେକ୍ଷା କଲେ । ଘୋଡ଼ା ମୂର୍ତ୍ତିକୁ ପୁଣି ନିରୀକ୍ଷଣ କଲେ । ସୂର୍ଯ୍ୟୋଦୟ ହୋଇ ନାହିଁ । ଘୋଡ଼ାଟି କଳା ଦେଖାଯାଉଛି ଯେମିତି ସେ ହିଁ ଅନ୍ଧାରର ଉତ୍ସ । ଗୋପା ଏକା ଏକା ଘୋଡ଼ା ପାଖକୁ ଯାଇ ପାଖରୁ ଛୁଇଁକି ଦେଖିଲେ । ତାର ଦାନ୍ତ, ଆଖି, କାନ, ନାକପୁଡ଼ା ସବୁ କିଛି କାର୍ଯ୍ୟରତ ପରି ଜଣାଗଲା । ସତେ ଯେପରି ଘୋଡ଼ାଟି ହିନ୍ ହିନେଇ ହେଉଛି, ସଁ ସଁ ନିଃଶ୍ୱାସ ଛାଡୁଛି, ବେକ ଉପର ବାଳ ପବନରେ ଦୋହଳୁଛି, ଲାଞ୍ଜ ବି ତଦୃପ ଭୟଙ୍କର ଭାବେ ଛାଟି ହେଉଛି । ଖୁବ୍ ଜୋର୍ରେ ଧୂଳି ଉଡ଼ାଇ ଝଡ଼ ପରି ଦୌଡୁଛି । ଗୋପାଙ୍କ ମସ୍ତିଷ୍କରେ ଏବେ ହଜାରେ ଘୋଡ଼ାର ଟାପୁଶବ୍ଦ । ସେ ଉଚ୍ଛନ୍ନ, ବ୍ୟଗ୍ର ଓ ବିଚଳିତ । ବୁଦ୍ଧଦେବ ଚା ଖାଇବା ପାଇଁ ଡାକିବାରୁ ତାଙ୍କ ଭାବନାରେ ପୂର୍ଣଚ୍ଛେଦ ପଡ଼ିଲା । ପାଖକୁ ଆସି କହିଲେ, ‘ଉପରକୁ ଚଢ଼ି ହେବନାଇଁ ତ । ଖୁବ୍ ଉଚ୍ଚ ଅଛି ।’ ଦୋକାନୀ କହିଲା, ‘ଘୋଡ଼ା ଉପରକୁ ଚଢ଼ିବା ମନା ସାର୍ । ମ୍ୟୁନିସିପାଲିଟି ଲୋକେ ଦେଖିଲେ ମନା କରିବେ । ସେଠି ବୀର ସୁରେଂଦ୍ର ସାଏଂକ ମୂର୍ତ୍ତି ରଖା ହେବ ।’