Jump to content

ପୃଷ୍ଠା:Galpa swalpa.djvu/୮୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଫକୀରମୋହ‌ନ ଗ୍ରନ୍ଥାବଳୀ

ବୋହୂଟା ଗର୍ଜି ଗର୍ଜି ଥକି ଯାଇ ଦୁଲକରି ବିଛଣାରେ ପଡିଗଲା । ତେତିକି ବେଳେ ଚମ୍ପା ପାଇଟି ଛାଡ଼ି ହସି ହସି ଆସି ଖୁବ୍ ଗୋଟାଏ କ୍ରୋଧ କଲାପରି କହିଲା, "କାହିଁ ଗଲା ସେ ସେ ପୋଇଲୀ ନିଆଁଲଗୀ ? ଛାଞ୍ଚୁଣିରେ ତା ମୁଣ୍ଡରେ ଦଶ ପାହାର ପିଟିବି ! ଅଳପାଇସିଆ ନିଆଁଲଗା ତା ଭାଇକୁ ଧରି ଆଣି ଗୋଟ ଗୋଟି ଗଣି ଗଣି ତା ମୁଣ୍ଡରେ ବୋଡ଼ିଏ ଛାଞ୍ଚୁଣି ପିଟିବି  !" ପୁଣି ବୋହୂ ରାଗି ଉଠିଲା, ଚମ୍ପାକୁ ଗାଳି ଦେବାକୁ ଲାଗିଲା । ବିମଳା ଦେଈ ଧାଇଁ ଆସି କହିଲେ, "ନାହିଁ ରେ ମା, ନାହିଁ ରେ ତାକୁ ଗାଳି ଦେ ନା ରେ ମା, ତା ମା କତିରେ ନାହିଁରେ , ଶୁଣିଲେ କାନ୍ଦିବ ରେ ।" ଚମ୍ପା କହିଲା, "ତା ମା କାନ୍ଦୁ, ଏ ନିଆଁ ଝିଅକୁ କ୍ୟାଁ ମାରି ନ ପକାଇ ଏଠିକି ପଠାଇଛି ? ଏଇ ଛାଞ୍ଚୁଣିରେ ଏ ପୋଇଲୀଟାକୁ ମାରି ପକାଇବି । ଗୋଟିଏ ବଡ଼ ସୁନ୍ଦର ବୋହୂ ଠିକ୍ ହେଲାଣି, ଆଜି ବାହାଘରର ସବୁ ଠିକ ହୋଇଯିବ ।"

ଶିବୁ ବାବୁ ଦାଣ୍ଡ ପଟରେ ଥିଲେ, ଧାଇଁ ଆସି ଚମ୍ପା ହାତ ଧରି ଭିଡ଼ି ଭିଡ଼ି ନେଇ ଚାଲିଗଲେ, "ଆ ଚମ୍ପା ଆ, ମା ତାଙ୍କ ସୁନାବୋହୂକୁ ନେଇ ଘରେ ଥାନ୍ତୁ, ଆମେ ଦୁଇ ଜଣ ଘରୁ ବାହାରିଯିବା ।" ଦୁଇ ଜଣ ମୁହଁରେ ଲୁଗା ଦେଇ ଟିକିଏ ହସି ହସି ଦାଣ୍ଡକୁ ଚାଲି ଅଇଲେ । ବୁଢ଼ୀ ନସରପସର ହୋଇ ପଛରେ ଧାଇଁଛନ୍ତି, "ଆରେ ତୁମ୍ଭେମାନେ ଯାଅ ନାହିଁ ରେ, ଆରେ ଶିବୁ, ଢ଼େର ବେଳ ହେଲାଣି ରେ, ଚମ୍ପା ଭାତ ବସାଇଛି, ଦିଟା ମୁହଁରେ ଦେଇ ଯା ରେ ।"

ଶିବୁ - ଆଚ୍ଛା, ତୁ ଏଇ ଝିଅ ରାଣ ପକା, କିଛି କହିବୁ ନାହିଁ । ନୋହିଲେ ଆମେ ଦୁହେଁ ଖାଇବା ପିଇବା ନାହିଁ, ଘରୁ ବାହାରିଯିବା ।

ବିମଳା ଦେଈ - ମୋ ମା ରାଣ ପକାଉଛି, ଆଖି ଛୁଉଁଛି, କିଛି କହିବି ନାହିଁ ।

ଏଣିକି ପୁଅ ଝିଅ ଡରରେ ବିମଳା ଦେଈ କିଛି କହି ପାରୁନାହାନ୍ତି, ଖାଲି ବାଡ଼ି ଘର ହେଉଛନ୍ତି । ପୁଅ ଝିଅ ନ ଥିବା ବେଳେ ଟିକିଏ ବୋହୂ ଦୁଆରକୁ ଚାହିଁ ଦେଉଛନ୍ତି ।

ଚମ୍ପା ଭାତ ଗାଳି ପକାଇ ଫେର ବୋହୂ ଦୁଆରକୁ ଗଲା । ପୁଣି ଗାଳି ଆରମ୍ଭ କଲା । ଦେଖିଲା, ବୋହୂର ଆଉ ଉଠିବାର ଶକ୍ତି ନାହିଁ । ବାଛୁରୀ ତତଲା ଲୁହା ଦାଗ ଦେବାବେଳେ ଯିମିତି ଗଁ, ଗଁ ଗର୍ଜେ, ସେହିପରି ଗର୍ଜୁଛି ।

ବୋହୂ ବିଛଣାରେ ପଡ଼ି ପଡ଼ି ମନରେ କଲାଣି, "ମୁଁ ଆଉ କଣ ସାନ୍ତାଣୀ ? ନଣନ୍ଦଟା ଏତେ ଗାଳି ଦେଉଛି, ମୋ ଲାଗି କେହି ପଦେ କହୁ ନାହିଁ । ପୁଣି ଭାଇ ଭଉଣୀ ମିଳି ଗଲେଣି ! କଣ, ସେ ପୁଣି ଆଉ ଗୋଟାଏ ବିଭା ହେବେ ? ମୋ ଦଶା କଣ ହେବ ? ଶାଶୁ ତ ପାଖ ପଶୁ ନାହାନ୍ତି । ମୁଁ କଣ କରିବି ?" ତୁନି ହୋଇ ବିଛଣାରେ ପଡ଼ିଥାଏ, ବାହାରେ କଣ କଥା ହେଉଛି, କାମ ଡେରି ଶୁଣୁଥାଏ ।

ତେତିକିବେଳେ ଚମ୍ପା ଭୋଁ, ଭୋଁ କରି ଶଙ୍ଖଟାଏ ବଜାଇ ଦେଲା । ଆଲୋ ବାରିକାଣି ! ଯା, ଦୂବ ବରକୋଳିପତ୍ର ଚନ୍ଦନ ସିନ୍ଦୂର ଆଉ ଆଉ ଚିଜ ସବୁ ସଜିଲ କରି ରଖି ଦେ । ଏ ବାରିକପୁଅ, ବଡ଼ ଘର ଝାଡ଼ିଝୁଡ଼ି ଆସନ ପକାଇ ରଖ, ପାଣିପଣା ସବୁ ଠିକ କର, ଆଉ କଣ ବେଳ ଆସୁଛି ? ସେତେବେଳକୁ ସାନ୍ତମାନେ ଆସିଲେ କଣ କରିବୁ ? (ଭୋଁ,ଭୋଁ,ଭୋଁ ଶଙ୍ଖ ବାଜିଲା) ଆରେ ଶାମା ! ମିଠାଇ ଥଳିଟା ଭିତରେ ରଖିଦେ । କଣ କହିଲୁ ରାଧିକା ? ଦହି ସର ବିଲେଇ ଖାଇଗଲା ? ମଲା ଯା ! ସାନ୍ତମାନେ ଜଳଖିଆ କରିବେ କଣ ?