ପୃଷ୍ଠା:Galpa swalpa.djvu/୭୯

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ଗଳ୍ପସ୍ୱଳ୍ପ

ଦିନେ ଅନୀ ଆଈ ନାତୁଣୀକୁ ପଚାରିଲା, "କି ଲୋ ଚମ୍ପି ! ତୁ ତ ବୋହୂକୁ ଏତେ ବୁଝାଉଛୁ, ଏଣିକି ଉଠି କାମ ପାଇଟି କଲାଣି ନା ?"

ଚମ୍ପା କହିଲା, "ନାହିଁ ଲୋ ଆଈ, ତୁ ଯେତେ ମାଠିବୁ ମାଠ, ସେ ତ ସେଇ ଦରପୋଡ଼ା କାଠ !"

ରନ୍ଧା ବଢ଼ାରେ ଟକିଏ ଉଛୁର ହେଲେ ବା ଆଉ କିଛି କଥାରେ ବୋହୂଟା ଶାଶୁ ସଙ୍ଗରେ ଭଟ୍ ଭଟ୍ ଲଗାଇଲାଣି । ହେଲେ, ବୋହୂ ତା ମା କଥା ଭୁଲି ନାହିଁ । ଶାଶୁ ମୁହଁକୁ ଚାହିଁ ଗାଳି ଦିଏ ନାହିଁ; ଓଢ଼ଣା ପଡ଼ିଥାଏ, ପଛ କରି ବରବର କରି ବକିଯାଏ ।

ବୋହୂର ଯେ ଏତେ ଗୁଣ, ଶିବୁ ବାବୁ ସବୁ ଜାଣନ୍ତି ନାହିଁ । ମା ତ କିଛି କହିବେ ନାହିଁ, ଚମ୍ପା ବି କିଛି କହେ ନାହିଁ । ହେଲେ ଘର କଥା ବାବୁ କଣ ବୁଝି ପାରିବେ ନାହିଁ ? ସବୁ ନ ଶୁଣନ୍ତୁ, କେତେ କେତେ କଥା ବୁଝିଲେଣି । ଏଣିକି ଚମ୍ପାକୁ ବଳେଇଲାଣି । ଭାଇଙ୍କୁ ସବୁ କଥା ନ କହିଲେ ନୁହେ । ଘରେ ଯେବେ କହେ, ମା ଧାଇଁ ଆସି ପାଟି ବନ୍ଦ କରାଇବ, ସବୁ କଥା କୁହାଇ ଦେବ ନାହିଁ ।

ଦିନେ ସଞ୍ଜବେଳେ ଅନୀ ଆଈ ଦୁଆରେ ନାତି ନାତୁଣୀ ଆଈ ତିନିହେଁ ବସି ଢେର ବେଳ ଯାଏ କଣ ପରାମର୍ଶ କଲେ । ଅର୍ଥାତ୍ ସାଧୁ ଭାଷାରେ ଲେଖା ଯିବ, କମିଟି ବସିଲା । ଏତେ ତୁନି ତୁନି କଥା ହେଲେ ଯେ, କେହି କିଛି ଜାଣି ପାରିଲେ ନାହିଁ । ଶେଷରେ ଶିବୁ ବାବୁ କହିଲେ, ଅର୍ଥାତ୍ ରିଜଲ୍ୟୁଶନ୍ ପାସ ହେଲା - "ଦେଖ ଚମ୍ପା ! ଆସନ୍ତା ଶୁକ୍ରବାର କତିରୁ ସୋମ ବାର ଯାଏ ଗୁଡଫ୍ରାଇଡେ, ଚାରିଦିନ କଚେରି ବନ୍ଦ ହେବ, ସେହି ସମୟରେ ସବୁ କଥା ଠିକ ଠିକଣା କରିବା ।"

ଆଜି ଶୁକ୍ରବାର । ଜୁଆଇଁ ଦିବୁବାବୁ ସକାଳୁ ଉଠି କାକଟପୁର ଜମିଦାର ଘରକୁ ଗଲେଣି, ଦୁଇ ଦିନ ଆସିବେ ନାହିଁ । ଚମ୍ପା ଦୁଆରେ କଞ୍ଚି ଲଗାଇ ଦେଇ ମା ଘରକୁ ଅଇଲା । ଭାଇ ପିଣ୍ଡାରେ ବସିଥିଲେ, ଚମ୍ପାକୁ ଦେଖି ଟକିଏ ହସିଦେଇ ଦାଣ୍ଡ ପଟକୁ ଚାଲିଗଲେ ! ଚମ୍ପା ଏକାବେଳକେ ବୋହୂ ବିଛଣା ପାଖକୁ ଚାଲିଗଲା | ବୋହୂର ନିଦ ଭାଙ୍ଗିଲାଣି, ତୁଚ୍ଛାଟାରେ ବିଛଣାରେ ପଡ଼ି ଏକଡ଼ ସେକଡ଼ ଗଡ଼େଇ ପଡ଼େଇ ହେଉଛି । ଚମ୍ପା ଭାରି ଖପା ହେଲାପରି ଗର୍ଜନ କରି କହିଲା, "କି ଲୋ ବୋହୂ ! କିମ୍ଭୀରଟା ପରି ପେଟେ ଖାଇ ବିଛଣାରେ ପଡ଼ି ଗଡ଼େଇ ହେଉଛୁ, ଘରେ ପାଇଟି କରିବ କିଏ ଲୋ ? ତୁ ସାଙ୍ଗରେ କଣ ଗୋଟାଏ ପୋଇଲୀ ଆଣିଛୁ କି ଲୋ ।" ଆଉ କଣ ସମ୍ଭଳା ଯାଏ ? ବୋହୂଟା ତ ସହଜରେ ଥିଲା ବଦରାଗୀ; ପୁଣି ତାର ବିଶ୍ୱାସ, ସେ ହେଲା ଘରେ ସାନ୍ତାଣୀ, ଏମାନେ କେହି ନୁହନ୍ତି । ଏଇଟା ପୁଣି ଆସି ଗାଳି ଦେବ ? କୋପରେ ଧଡ଼ପଡ଼ ହୋଇ ଉଠିଲା, ଲୁଗାଖଣ୍ଡ ସଜାଡ଼ି ପିନ୍ଧିବାକୁ ବେଳ ନାହିଁ, ମୁଣ୍ଡ ମୁକୁଳା, ଗର୍ଜନ କରି ଏକାବେଳକେ ଆରମ୍ଭ କରିଦେଲା, "ପୋଇଲି ! ନିଆଁଲାଗି, ଦୂର ହୋ ! ମୋ ଘରୁ ଦୂର ହୋ ! ମୁଁ ତ ସାନ୍ତାଣୀ, ତୁ କିଏ ଲୋ ?" ଗାଳି ଦେଉଛି ତ ଦେଉଛି, ସେଇ କଥା ସେଇ କଥା ବାରବାର କହୁଛି ! ଏଣେ ଚମ୍ପା ହସି ହସି ଯାଇ ମା ହାତରୁ ଛାଞ୍ଚୁଣିଟା ଛଡ଼ାଇ ନେଇ ଘର ପହଁରି ବସିଲା ।

ବିମଳା ଦେଈଙ୍କୁ କିଛି ଜଣା ନାହିଁ । କଳି ଶୁଣି ଅଥୟ ହେଲେ । କଳିକୁ ସେ ବଡ଼ ଡରନ୍ତି, କଳି ଜାଗାରୁ ପଳାନ୍ତି । ଦାଣ୍ଡରେ କେହି କଳି କଲେ କବାଟ କିଳି ପକାନ୍ତି । ବୋହୂକୁ ତୁନି କରାଇବାକୁ ଆସୁଥିଲେ, ଚମ୍ପା ହାତ ଧରି ଭିଡ଼ି ଘେନିଗଲା ।