ପୃଷ୍ଠା:Galpa swalpa.djvu/୭୮

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି


କିଏ ମେଣ୍ଟିବ ? କନ୍ୟା ଯେ ଇଶାଣରେ ଚାଉଳ ଦେଇଛି, ଧରି ବାନ୍ଧି ସେଇଠିକି ଯିବ । ଶିବୁ ବାବୁ ଆଖି ଫେରାଇ ଦେଖିଲେ, ଆଉ କେଉଁଠି ଠିକଣା ନାହିଁ । ଏଣେ ମା ହେଲେଣି ଅଥୟ । କଣ କରିବେ, ରାଜି ହୋଇଗଲେ । ବିମଳ ଦେଈଙ୍କ ଆନନ୍ଦ ଦେଖେ କିଏ, ଭୋକିଲା ଲୋକ‌କୁ ପେଜ ମନ୍ଦାକ ବି ଅମୃତ । ବୋହୂ ବୋହୂ ଭଜି ହେଉଥିଲେ, ବୋହୂ ଠିକଣା ହେଲା, ଆଉ କଣ ? ଚମ୍ପା ମନରେ କଲା, 'ପାରିଲା ବୋହୂ ଆସିବ, ଏକାବେଳକେ ହାଣ୍ଡିଶାଳରେ ପଶିଯିବ, ମା ଖଲାସ ପାଇଲେ, ଭଲ ହେଲା ।'

ଦିବୁ ବାବୁ ଖବର ଆଣିଲେ, କନ୍ୟା ଦେହ ବର୍ଣ୍ଣ ଟିକିଏ କଳା, ନାମ - ନିମା । ନାମଟା ବିଚିକିଟିଆ କ୍ୟାଁ, ସେଥିର ମଧ୍ୟ ଖବର ଆସିଲା । କନ୍ୟାର ଉପର ଦୁଇ ଭାଇ ଲାଗ ଲାଗ ବାହୁଡ଼ିବା ବାଦେ କନ୍ୟାଟି ଜନ୍ମ ହେଲା । ମା ଦେଖିଲେ, କନ୍ୟାଟି ବଡ଼ ସୁନ୍ଦର, ଚମକି ପଡ଼ିଲେ, ଉପର ଦିଓଟି ସୁନ୍ଦର ପୁଅଙ୍କୁ ଯମ ନେଇ ଯାଇଛି,ଏ କନ୍ୟାଟିକୁ କାଳେ ଘେନିଯିବ, ନାମ ଦେଲେ ନିମ । ଅର୍ଥାତ୍ ନିମ ଭାରି ପିତା, ଯମକୁ ରୁଚିବ ନାହିଁ ।

ସେ ସବୁ କଥା ଯାଉ, ନିମା ସଙ୍ଗରେ ଶିବୁର ବିଭା ହୋଇଗଲା । ବଡ଼ ପ୍ରେମରେ, ବଡ ଆନନ୍ଦରେ ଶାଶୁ ବୋହୂଟିକୁ ଘରକୁ ନେଲେ ।

ନୂଆବୋହୂଟି ଘରେ ପଶିଛି, ତାକୁ ହଠାତ୍ କିମିତି କିଏ କହିବ, ତୁ ଏ କାମ କର, ସେ କାମ କର । ବୋହୂଟି ଢାଙ୍କିଢୁଙ୍କି ହୋଇ ଘରେ ପଶିଥାଏ । ଚମ୍ପା ଆପଣା ଘର ବାସିପାଇଟି ସାରି ଆସି ବୋହୁକୁ ଉଠାଏ । ସାଙ୍ଗରେ ଘେନି ଯାଇ ଗାଧୁଆପାଧୁଆ କରାଇ ଆଣେ । ବିମଳା ଦେଈ ରନ୍ଧାବଢ଼ା କରି ଭାତ ପରଷି ଦିଅନ୍ତି, ବୋହୂ ଖାଇ ହାତ ଧୋଇ ଶୋଇପଡ଼େ । ବିଦାମା ଆସି ସଙ୍ଖୁଡି ବାସନ ଖଣ୍ଡ ଧୋଇ ପକାଏ ।

ପନ୍ଦର ଦିନ ଗଲା, ଦି ମାସ ବି ଗଲାଣି । କାହିଁ, ବୋହୂ ତ ଗମ୍ଭୀରୀରୁ ବାହାରୁ ନାହିଁ ? କାମ ପାଇଟି କିଛି କରୁ ନାହିଁ ? ଚମ୍ପା ଦିଥର, ଚାରିଥର କହିଲାଣି, "ବୋହୂ ଉଠ, କାମ ପାଇଟିରେ ଲାଗ, ରନ୍ଧାବଢ଼ା କର, ତୁଚ୍ଛାଟା ବିଛଣାରେ ପଡ଼ିଛୁ କ୍ୟାଁ ? ବୋହୂ ଘାଲେଇ ଦିଏ, ଶୁଣି ନ ଶୁଣିଲା ପରି କିଛି କଥା କହେ ନାହିଁ । ମନରେ କଲା, "କଣ ! ମା କହିଛି, ମୋ ଗେରସ୍ତ ରୋଜଗାରିଆ, ମୁଁ ଏ ଘରେ ସାନ୍ତାଣୀ । ଏ ଗୁଡ଼ାକ ମୋ ଘରେ ଖାଇବେ, କାମ ପାଇଟି କରିବେ ସିନା, ମୁଁ କ୍ୟାଁ ଗତର ଖଟାଇବି ?" ମା ଯେତିକି ଉପଦେଶ ଦେଇଥିଲା, ବୋହୁ ଭଲ କରି ମନରେ ରଖିଛି । ମା କହିଛି, ଶାଶୁକୁ ଅନାଇ କଥା କହିବୁ ନାହିଁ, ଠାରି ଠାରି ଦେବୁ । ବୋହୂ ଖାଇ ବସିଥାଏ, ଭାତ ତିଅଣ ଲୋଡ଼ା ହେଲେ କଂସା କି ଗିନାଟା ମାଟିରେ ଠୂକ୍ ଠୂକ୍ ମାରି ଠାରି ଦିଏ । ବୋହୂଟି ଟକିଏ ଭୋକ କାଉଳି, ଭାତ ରନ୍ଧାରେ ଶାଶୁ ଟିକିଏ ଡେରି କଲେ ବୋହୂ ରୋଷେଇ ଘରକୁ ଯାଇ ହୁଁ ହୁଁ କରି ପେଟରେ ହାତ ବୁଲାଇ ଠାରିଦିଏ । ବିମଳା ଦେଈ ବି ବୁଝି ପାରନ୍ତି ବୋହୂଟିକୁ ଭୋକ ଲାଗିଲାଣି ।

ଚମ୍ପା ଆଉ ସହି ପାରିଲା ନାହିଁ । ବୋହୂକୁ ବକାବକି କଲାଣି । ବୋହୂ ବି କେତେ ସହିବ ? କ୍ୟାଁ ସହିବ ? ସେ ଯେ ଘରର ସାନ୍ତାଣୀ । ପହିଲୁ ପହିଲୁ ରାଗରେ ଗୁଇଁ ଗାଇଁ ହେଉଥିଲା, ଏଣିକି ସାଫ ଜବାବ୍ ଦେଲାଣି । ଦିନେ ଚମ୍ପା ଭାରି ରାଗିଯାଇ ବୋହୂକୁ ଗାଳିଦେଲା । ବୋହୂ ବି ଗାଳି ଆରମ୍ଭ କଲା । ବିମଳା ଦେଈ ଧାଇଁ ଆସି କହିଲେ, "ନା ରେ ମା ଚମ୍ପା ! ଛୁଆଟା ମା କୁ ଛାଡ଼ି ଆସି ମନ ଦୁଃଖରେ ଅଛି, ସବୁ କାମ ପାଇଟି ପଛେ କରିବ ଯେ । ଢୋଲ କାନ୍ଧରେ ପଡିଲେ ଆପେ ବଜାଇବ ।" ଚମ୍ପା କହିଲା, "ନାହିଁ ମା ! ଯେ ବୋହୂ ଦେଖୁଛି, ଢୋଲ ତ ଢୋଲ, ଢେଙ୍କି କାନ୍ଧରେ ପଡ଼ିଲେ ବି ହଲଚଲ ହେବାର ନୁହଁ ।"