ପୃଷ୍ଠା:Hada bagicha.pdf/୬୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକଙ୍କ ପାଖରେ ପହଞ୍ଚିବ ବୋଲି ସାହିତ୍ୟ ଲୋକଙ୍କ ଭାଷା କହିବ କି? ବୋଧହୁଏ ନା । ଲୋକେ ତ ଉଲଗ୍ନ, ଅଶ୍ଳୀଳ ଶବ୍ଦ କହନ୍ତି, ମଇଳା ଓ କର୍ଦମାକ୍ତ ଶବ୍ଦ କହନ୍ତି । ସେଇ ଶବ୍ଦମାନଙ୍କୁ ଆବିଷ୍କାର କରିବା ବଡ଼କଥା ନୁହେଁ । ବଂର ଭାଷାର ଆବରଣ ଦେଇ ମାର୍ଜିତ କରିବା ବଡ଼କଥା । ଲୋକଙ୍କୁ ସାହିତ୍ୟ ପାଖକୁ ପହଞ୍ଚିବାକୁ ପଡ଼େ । ସାହିତ୍ୟର ଭାଷା ସାଙ୍ଗରେ ସମ୍ପର୍କ ଯୋଡିବାକୁ ହୁଏ । ରାଜନୀତି ଅର୍ଥନୀତି ଶିକ୍ଷା ଜ୍ଞାନ ସଂସ୍କୃତି ପରଂପରା ସ୍ନେହ ମମତା ମୋରାଲିଟି ଏଥିକ୍ସର ମାଧ୍ୟମ ଦେଇ, ଏସବୁର ସୀମା ସରହଦ୍ ଡେଇଁ ସୂକ୍ଷ୍ମ ସୌନ୍ଦର୍ଯ୍ୟବୋଧର ଭାବବୋଧରେ ପହଞ୍ଚିବାକୁ ପଡ଼େ । ସେଠି ସବୁ ଆବେଗ ମିଳେଇଯାଏ । ସବୁ ଶବ୍ଦ ତାର ଆଭିଧାନିକ ଅର୍ଥ ହରାଇବସେ । ମଣିଷ ତାର ବ୍ୟକ୍ତିକୁ ବ୍ୟାପ୍ତିକୁ ନିରାକାର କରିଦିଏ । ଏହା ତାର ଅନ୍ତର୍ନିହିତ ଗୁଣ । କିନ୍ତୁ ମଣିଷ ସୌନ୍ଦର୍ଯ୍ୟବୋଧ ସୃଷ୍ଟିକରେ ଓ ତା ଭିତରେ ହଜିଯାଏ ବୋଲି ବୋଲି କେହି ଯେମିତି ଭୁଲ ନ ବୁଝଂତି । ବରଂ ଏହାର ଓଲଟା ହିଁ ସତ୍ୟର ପାଖାପାଖି । ସୌନ୍ଦର୍ଯ୍ୟବୋଧ ହିଁ ମଣିଷ ସୃଷ୍ଟିକରେ । ଜଣେ ଉଗ୍ରବାଦୀର ସୌନ୍ଦର୍ଯ୍ୟବୋଧ ଆସିଗଲେ ସେ ଆଉ ଉଗ୍ରବାଦୀ ହୋଇ ରହି ପାରିବ ନାହିଁ । ସମାଜ ଭିତରେ ରହୁଥିଲେ ବି ସବୁ ମଣିଷ ସବୁ ସମୟରେ ଏକ, ନିର୍ଦିଷ୍ଟ ଓ ଏକଲା । ମଣିଷ ସବୁ ସମୟରେ ଦଳବଦ୍ଧ ବି । ଏହା ବିରୋଧାଭାଷ ହେଲେ ହେଁ ସତ୍ୟ । ନିଜ ପାଖରେ ଜଣାଶୁଣା ବା ଅଜଣା ଅଶୁଣା ଯେ କେହିଥିଲେ ବି ମଣିଷ କଥାବାର୍ତା ନକରି ରହିପାରେ ନାହିଁ । କେବଳ ସେତିକି ନୁହେଁ ମଣିଷ ବି କଥା ହୁଏ ଜନ୍ମ ପୂର୍ବର ଶିଶୁସାଙ୍ଗରେ, ଜନ୍ମିତ ଶିଶୁସାଙ୍ଗରେ, ମରିବାକୁ ଯାଉଥିବା ଲୋକ ସାଙ୍ଗରେ, ମଲାଲୋକ ସାଙ୍ଗରେ, ବହୁପୂର୍ବରୁ ମରିଥିବା ଲୋକ ସାଙ୍ଗରେ । ସିଏ ବି କଥାହୁଏ ପୁରାଣ, କିମ୍ବଦନ୍ତି ଓ ଇତିହାସର ଚରିତ୍ରମାନଙ୍କ ସାଙ୍ଗରେ । ସିଏ ବି କଥାହୁଏ ପଶୁ ପକ୍ଷୀମାନଙ୍କ ସାଙ୍ଗରେ । ଏପରିକି ସମସ୍ତ ବିଙ୍ଗ୍ ଓ ନନ୍-ବିଙ୍ଗ୍ମାନଙ୍କ ସାଙ୍ଗରେ କଥା ସରିଲେ ନିଜ ବିଙ୍ଗ୍ ସାଙ୍ଗରେ ବି ସେ କଥା ହୁଏ । ଏଇ କାରଣ ପାଇଁ ଦୂରଦେଶରେ ଥିବା ଜଣେ ବ୍ୟକ୍ତି ବା ଜଣେ ଐତିହାସିକ ଚରତ୍ର ସାଙ୍ଗରେ ବି ନିଜର ବହୁ ପୂର୍ବରୁ ଚିହ୍ନା ପରିଚୟ ଅଛି ପରି ଲାଗେ । ଦକ୍ଷିଣ ଆଫ୍ରିକାର କବି ଡେନିସ୍ ବ୍ରୁଟସ୍ ଯେମିତି କହନ୍ତି ଭାରତ ସାଙ୍ଗରେ ତାଙ୍କ ସମ୍ପର୍କ କଥା । ୧୯୯୪ ମସିହାର ଦିଲ୍ଲୀ ପୁସ୍ତକମେଳାରେ ସେ ଥିଲେ ଅତିଥୀ । ତାହା ଥିଲା ଭାରତକୁ ତାଙ୍କର ପ୍ରଥମ ଗସ୍ତ । ଅଥଚ ସେ କହନ୍ତି ଭାରତ ସାଙ୍ଗରେ ତାଙ୍କର ସମ୍ପର୍କ ଅତି ପୁରାତନ । କାରଣ, କୌଣସି କାରଣ ପାଇଁ ସେ ଯେତେବେଳେ ଜୋହାନସ୍ବର୍ଗ ଜେଲର ଏକ କୋଠରିରେ ବନ୍ଦୀ ଥିଲେ, ସେ କୋଠରିରେ ବହୁବର୍ଷ ପୂର୍ବରୁ ମହାତ୍ମାଗାଂଧୀ ମଧ୍ୟ ବନ୍ଦୀଥିଲେ । ତାହାହିଁ ତାଙ୍କ ଭାରତ ସାଙ୍ଗରେ ଆବେଗପୂର୍ଣ ସମ୍ପର୍କ । ଉକ୍ତ କୋଠରିରେ ସେ ମହାତ୍ମାଗାଂଧୀଂକ ସହ ବସବାସ କରୁଛନ୍ତି ପରି ତାଙ୍କୁ ଲାଗୁଥିଲା । ମହାତ୍ମାଗାଂଧୀଂକ ଚାଲିଚଳଣି ସବୁ ନିରବରେ ଲକ୍ଷ୍ୟ କରୁଛନ୍ତି ପରି ଲାଗୁଥିଲା ଏବଂ ସମୁଦାୟ ଭାରତବର୍ଷକୁ ଆଘ୍ରାଣ କରୁଛନ୍ତି ପରି ଲାଗୁଥିଲା । ଡେନିସ୍ ବ୍ରୁଟସ୍ ମାନଙ୍କ ପରି ଚରିତ୍ର ସବୁ ତେଣୁ ଆମ ଗପ ଭିତରକୁ ଧସେଇ ଆସିବା ସ୍ୱାଭାବିକ । ଏକ ନିର୍ଦିଷ୍ଟ ମୁହୂର୍ତରେ ସେମାନେ ଏକଲା ଓ ଦଳବଦ୍ଧ ଉଭୟ । ମଣିଷ ନିଜ ବିଙ୍ଗ୍ ସହିତ, ପଶୁପକ୍ଷୀ ସହିତ, ଏପରିକି କୌଣସି ବସ୍ତୁ ସହିତ ବି ଭାବର ଆଦାନ ପ୍ରଦାନ ପାଇଁ ଆଂତରିକ ଭାବେ ଆଗ୍ରହୀ । ଅଥଚ ସେମାନଙ୍କୁ ତଡ଼ି ଦେଇ ବା ନିଜେ ତଡ଼ା ଖାଇ ମଧ୍ୟ ବଞ୍ଚିବାରେ ଆଗ୍ରହୀ । କେହି କଣ ସେମାନଙ୍କୁ ଡିଷ୍ଟର୍ବ କରନ୍ତି ନାହିଁ? ସୌନ୍ଦର୍ଯ୍ୟକୁ ଛାଣି ଧରିପାରିବାର କ୍ଷମତା ଆସିଗଲେ କେହିହେଲେ ନିଜକୁ ବଞ୍ଚିବାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି ପରି ଲାଗେ ନାହିଁ । ସେମାନେ ଆସିବାରୁ ଆମକୁ ଡିଷ୍ଟର୍ବ ହେଉଛି ବୋଲି କେହି ଯଦି ଭଦ୍ରାମୀ ଖାତିରରେ କହେ ତାଙ୍କପ୍ରତି ଆମର ଉତ୍ତର ହେବ ଭିନ୍ନ । ସେମାନେ ଏ ପୃଥିବୀରେ ଅଛନ୍ତି ବୋଲି ଆମେ ସବୁବେଳେ ଡିଷ୍ଟର୍ବ । କିଏ ଆମକୁ ଡିଷ୍ଟର୍ବ ନକରେ ଯେ? ମଶା ମାଛି ମୁଶା ପିମ୍ପୁଡ଼ିଠୁ ଆରମ୍ଭକରି ଟିଭି ଟେପ୍ରେକର୍ଡର ଖବରକାଗଜ ଭୋକଶୋଷ ଖରାବର୍ଷା ଅନ୍ଧାର ଆଲୁଅ ମନ୍ତ୍ରୀ ବ୍ୟୁରୋକ୍ରାଟ ସଦ୍ୟ ଜନ୍ମିତ ଶିଶୁ ଓ ସଦ୍ୟମୃତ ଶବ ବି ଆମକୁ ଡିଷ୍ଟର୍ବ କରେ । ଏଥିରେ ବିଚଳିତ ହେବାର କଣ ଅଛି? ବରଂ ସେମାନଙ୍କର ଉପସ୍ଥିତିକୁ ଗର୍ବର ସହ, ସମ୍ମାନର ସହ ମାନିନେବା ହିଁ ଆମର କାମ୍ୟ । ସେମାନେ ଆମର ବଞ୍ଚିବାର ପ୍ରଣାଳୀକୁ ଆହୁରି ତ୍ୱରାନ୍ୱିତ କରାନ୍ତି । ଅନ୍ତରଙ୍ଗ କରାନ୍ତି । ଫରାସୀ କବି ପଲ୍ ଭାଲେରୀ ଯେମିତି କହନ୍ତି, "ମଣିଷ ଏକ ଈଶ୍ୱରୀୟ ଅନୁପସ୍ଥିତି' । ସେ ସବୁଠି ଥାଏ, ଅଥଚ ସବୁଠୁ ଖସି ଯାଇ ଥାଏ । ଯେଉଁଠି ଥାଏ ସେଠି "ନଥିବା ପରି ଥାଏ' । ଅନିର୍ଦିଷ୍ଟ ସମୟ ପାଇଁ ମଣିଷ ଏକ ସମ୍ଭାବନା । ସେ ନିଜକୁ ଗଢ଼ିସାରି ନଥାଏ । ମୃତ୍ୟୁଯାଏ ନିଜକୁ ଗଢ଼ିବାର ପ୍ରକ୍ରିୟା ଚାଲୁ ରଖିଥାଏ । ପ୍ରତିନିୟତ ସେ ବଦଳୁଥିବାବସ୍ଥାରେ ଥାଏ । ତା ବୁଦ୍ଧି, ତା ଶିକ୍ଷା, ତା ମତାମତ, ତା ଦୃଷ୍ଟିକୋଣ, ତା ଦିଗ୍‌ବଳୟର ପ୍ରତିଟି ଦିଗ ସବୁବେଳେ ବିସ୍ତାରିତ ହେଉଥାଏ । ତେଣୁ