ବି ବାଘ କଚ୍ କଚ୍ କରି ଖାଉରେ ବାଘମାରୁ, ତୋର ଜୀବନେ କେବେ ବାଘ ମାରିଛୁ କି ନାଇଁ, ତୋ ବଂଶଯାକ ସମ୍କୁ ବାଘ ଖାଉରେ ଅଳପେଇଶା' । ସରକାରଙ୍କୁ ବି ଗାଳି କରୁଥାଏ, "ଇ ସରକାରର ବି ବଂଶ ବୁଡୁ, ୟେ ତ ମୁନୁଷ୍ମରା ସରକାର, କାମ୍ବେଲ୍କେ ସଭେ ଲେଞ୍ଜ୍ ଯାକିକରି ଉଭାନ୍, ଆରୁ ଭୋଟ ବେଲକେ ଯେତେସବୁ ଚିକନ୍ ଚାକନ୍ କଥା, ତମେ ସବୁ ମୁର୍ଦାରମାନେରେ ସରକାର' । ଗାଁ ଲୋକେ ଶବକୁ ପଛରେ ପକାଇ ଧୂଳି ଉଡ଼ାଇ ଦୌଡ଼ିଲେ ଜଙ୍ଗଲ ଭିତରକୁ । ହାତରେ ଟାଙ୍ଗିଆ, ଶାବଳ, ରଫା, ବାଡ଼ି, ଲାଠି, ପଖନ । ଏପରିକି କେହି କେହି ମୋଟା ଦଉଡ଼ି ବି ଧରିଥିବାର ଦେଖାଗଲା । ସେମାନେ ବୋଧହୁଏ ଭାବୁଥିଲେ ବାଘକୁ ବାନ୍ଧି ଆଣିବେ । ପ୍ରାୟ ଦୁଇ ଘଣ୍ଟା ଯାଏ ଦଳବଦ୍ଧ ଭାବରେ ଜଙ୍ଗଲ ଭିତରେ ଘାଁଟି ସାଉଁଟି ହୋଇ ଦୌଡ଼ା ଦୌଡ଼ି କରି, ବାଘର କେବଳ ପାଦଚିହ୍ନ ଦୁଇଟି ସ୍ଥାନରେ ଠାବ କରି, କ୍ଳାନ୍ତ ହୋଇ ଫେରି ଆସିଲେ ଶବ ପଡ଼ିଥିବା ଜାଗାକୁ ଏବଂ କୁହାକୁହି ହେଲେ ଯଦି ଆଜି ସେମାନଙ୍କ ହାବୁଡ଼ରେ ବାଘ ପଡିଥାନ୍ତା କିଏ କିଏ ସବୁ କଣ କଣ କରିଥାନ୍ତେ । ଜଣେ ଟାଙ୍ଗିଆରେ ତା ଲାଞ୍ଜକୁ କାଟି ଦେଇଥାନ୍ତା । ଆଉ ଜଣେ ରଫାରେ ତା ପେଟକୁ କଷିକରି ଚୋଟଟିଏ ବର୍ଷାଇ ଥାନ୍ତା । ଆଉ ଜଣେ ଠେଙ୍ଗାରେ ତା ପିଠି ଫଟାଇ ଦେଇଥାନ୍ତା । ଅନ୍ୟ କେହି ଦାଆରେ ତା ନିଶ କାଟି ଛାଲ ଉତାରି ଦେଇଥାନ୍ତା । କେହି ଅବା ଦଉଡ଼ିରେ ବାନ୍ଧି ଘୋଷାଡ଼ି ଆଣିଥାନ୍ତା । ପନ୍ଦର ବର୍ଷର ଜୁଆନ ପିଲା ଲୁଚନମାଝି ପଡ଼ିଛି ଉଲଗ୍ନ ହୋଇ । ରକ୍ତାକ୍ତ ଶବଟିର ବେକ ଓ ପେଟରୁ ପୁଳାଏ ପୁଳାଏ ମାଂସ ଟାଣିନେଇଛି ବାଘ । ଶବଟିର ଚାରିପଟେ ଘେରିରହିଛନ୍ତି ତା ବାପା ଓ ଉତ୍ତ୍ୟକ୍ତ ଗାଁ ଲୋକେ । ଚାରିକୋଶ ଦୂରରୁ ପୋଲିସ ବି ଆସି ସାରିଛି । ତା ପଚରା ଉଚୁରା ଲେଖାପଢ଼ା ଚାଲିଛି । ବନବିଭାଗର ବଡ଼ବାବୁମାନେ ବି ଆସିଛନ୍ତି । ସେମାନେ ବାଘଟିର ପାଦଚିହ୍ନ ମାପୁଛନ୍ତି ଓ ଦାନ୍ତରେ କେତେ ପରିମାଣର କ୍ଷତ ଚିହ୍ନ ଶବଦେହରେ ଆଣିଛି ତାକୁ ମାପୁଛନ୍ତି । ପିଲାଟି କେଉଁ ଦିଗକୁ ମୁହଁ କରିଥିଲା, ବସିଥିଲା ନା ଠିଆ ହୋଇଥିଲା, ବାଘଟି କେତେ ଦୂରକୁ କୁଦା ମାରିଲା, ପିଲାଟି କେମିତି ଦେଖି ପାରିଲା ନାହିଁ, ଗନ୍ଧ କେମିତି ବାରି ପାରିଲା ନାହିଁ, ଗାଈଗୋରୁଂକ ଦୌଡ଼ିବା ଢଙ୍ଗରୁ କେମିତି ଜାଣି ପାରିଲା ନାହିଁ, ପିଲାଟି ଖାଲି ବାଡ଼ିଟିଏ ଧରି କାହିଁକି ଆସିଥିଲା, ଟାଙ୍ଗିଆ କାହିଁକି ସାଙ୍ଗରେ ଆଣି ନ ଥିଲା, ପିଲାଟି ଟିକେ ଭକୁଆଟା କି?- ଏମିତି ଯୁକ୍ତିତର୍କ କରି ଚାରିଘଣ୍ଟା ପରେ ପୋଲିସ ଓ ବନବିଭାଗ କର୍ମଚାରୀମାନେ ଶବଟିକୁ ପଚିଶ କିଲୋ ମିଟର ଦୂରରେ ଥିବା ବଡ଼ ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ନେବା ଲାଗି ତାଗିଦ୍ କରି ଫେରିଗଲେ । ସୂର୍ୟ୍ୟାସ୍ତ ହୋଇ ଅନ୍ଧାର ଘନେଇ ଆସୁଥିବାରୁ ଶବକୁ ପରଦିନ ସକାଳେ ହିଁ ଡାକ୍ତରଖାନାକୁ ନେବା ପାଇଁ ସ୍ଥିର କରାଗଲା । ଗାଁର ମୁରବି ପଣିଆ ଥିବା କିଛି ଲୋକ ଗୁଡ଼ାଏ ଲାଠି, ପାଞ୍ଚଟି ଲଣ୍ଠନ, କିଛି ମାରଣାସ୍ତ୍ର, ଯଥା ଦୁଇଟି ଖଂଡା, ଦୁଇଟି ଭୁଜାଲି, ଦଶଟି ଶାବଳ, ଚାରିଟି ଦାଆ, ଗୋଟିଏ ଫାର୍ସା, ଗୋଟିଏ ବେଲ୍ଚା ବ୍ୟତୀତ ଟାଙ୍ଗିଆ, ଗଇଁତି ଓ ରଫା ମଧ୍ୟ ଗୁଡ଼ାଏ ନେଇ ସାରାରାତି ଶବକୁ ଜଗି ରହିଲେ । ଚାରିଟି ଖାଲି ଟିଣଡବା ମଧ୍ୟ ନିଆ ହୋଇଥିଲା । କିଛି ବନ୍ୟଜନ୍ତୁ ଯଦି ପାଖକୁ ଆସନ୍ତି ତେବେ ଟିଣଡବା ଉପରେ ଢୋ ଢା କରି ବଜାଇଲେ ସେମାନେ ଭୟରେ ପଳାଇବେ । ଦୁଇଟି ଛୋଟ ଟର୍ଚ ଲାଇଟ ମଧ୍ୟ ଅଣା ହୋଇଥିଲା । କେହି ଜଣେ ତାସ୍ ପୁଡ଼ାଏ ନେଇଥିଲା । ଆଉ ଜଣେ ମୁଁଗ୍ଫଲି ନେଇଥିଲା ପାଞ୍ଚ ଅଡ଼ା । ସେମାନେ କିନ୍ତୁ ରାତିରେ ତାସ୍ ଖେଳି ପାରିଲେ ନାହିଁ । ବନ୍ୟଜନ୍ତୁମାନଙ୍କୁ ଡରାଇବା ପାଇଁ ଟିଣଡବା ବଜାଇବାରେ ରାତିସାରା ତାଙ୍କର ଫୁରସତ୍ ନ ଥିଲା । ରାତିରେ ଦି'ଥର ହେଡ୍ଲାଇଟ୍ ଜଳାଇ ପୋଲିସ ଜିପ ମଧ୍ୟ ଆସିଥିଲା । ଯେଉଁମାନେ ପ୍ରଚୁର ମଦ ପିଇ ଆସିଥିଲେ ସେମାନେ ପ୍ରଚୁର ଟିଣଡବା ବଜାଇଥିଲେ । ଥରେ ଦି'ଥର ସେମାନେ ଅକାରଣେ ଜଙ୍ଗଲର ଅନ୍ଧାର ଭିତରକୁ ଦୌଡ଼ି ଯାଉଥିଲେ । ବାଘକୁ ଅଭଦ୍ର ଭାଷାରେ ଗାଳି ଦେଉ ଥିଲେ ଏବଂ ତାଙ୍କୁ ପୁଣି ଟାଣି ଆଣିବାରେ ଆଉ ଚାରିଜଣ ନାକେଦମ୍ ହେଇ ଯାଉଥିଲେ । ସେଇ ଅନ୍ଧାର ରାତିରେ ବି ସେଠି କଥା ପଡ଼ିଲା ସେମାନେ କେମିତି ଲାସ୍କୁ ଡାକ୍ତରଖାନାକୁ ନେବେ । ଜିପ୍ବାଲା ତ ନିଶ୍ଚୟ ପାଞ୍ଚଶହ ଟଙ୍କା ମାଗିବ । ହିରନ ମାଝି ଏତେ ପଇସା ସଙ୍ଗେ ସଙ୍ଗେ ଯୋଗାଡ଼କରି ପାରିବନାହିଁ ବୋଲି ତାର ମତାମତ ଜଣାଇଲା । ଗାଁ ଲୋକେ ପାଞ୍ଚଟଙ୍କା ଲେଖାଏଁ ଚାନ୍ଦା କରି ଜିପ୍ ଗାଡି ଠିକ୍ କରିବେ ବୋଲି କହିଲେ । ସେଦିନ ସିନ୍ଦୂରା ଫାଟିଲା ବେଳକୁ ବିରିପାଲି ଗାଁଟି ଗୋଟିଏ ହାଟ ଦିନ ପରି ଜଣାଗଲା । ପାଖ ଗାଁରୁ ଅନେକ ଲୋକ ସାଇକେଲ୍ ନେଇ ଶବ ଦେଖିବାକୁ ଆସୁଥିଲେ । ପ୍ରାୟ ଦେଢ଼ ଶହ-ଦୁଇ ଶହ ଲୋକଙ୍କ ଭିଡ ଲାଗିରହିଥିଲା । ସୂର୍ଯ୍ୟୋଦୟ ପରେ ଶବ ଉପରୁ ଚାଦର ଟାଣି ଦିଆଗଲା । ସମସ୍ତେ ମୁହଁନାକରେ ଗାମୁଛା ଯାକି ଠେଲାପେଲା ହୋଇ ଦେଖିଲେ । ଶବଟିର କ୍ଷତ ସ୍ଥାନରେ କଳା ରକ୍ତ ଓ ସାଲୁବାଲୁ ପୋକ । ସେ ଦିନ ପାଞ୍ଚଟଙ୍କା ଲେଖାଏଁ ଚାନ୍ଦା କରିବାରେ ଓ ଜିପ୍ ଗାଡ଼ିଟିଏ ଠିକ୍ କରିବା ମଧ୍ୟରେ ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠି ପଶ୍ଚିମାଭିମୁଖୀ ବି ହୋଇ ସାରିଥିଲା । ଗାଡିଟି ଦଶଜଣକୁ ନେଇ ଡାକ୍ତରଖାନା ଯାଇ ଫେରିବା ମଧ୍ୟରେ ମଧ୍ୟରାତ୍ର ହୋଇ ସାରିଥିଲା ।ଏ ଭିତରେ ଗାଁ
ପୃଷ୍ଠା:Hada bagicha.pdf/୮୯
ଦେଖଣା