ପୃଷ୍ଠା:Hada bagicha.pdf/୧୧୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରୁବେନ ଓ ଏକ ଅତିଭୌତିକ ବାତ୍ୟାର ସୌନ୍ଦର୍ଯ୍ୟବୋଧ ରୁବେନ ଏବେ କାଳଫାଶରୁ ମୁକ୍ତ ହୋଇଯାଇଛି । ଧରାବନ୍ଧା ନିୟମରୁ ନିସ୍ତାରି ଯାଇଛି । ଏତେ ପରିମାଣର ସ୍ୱାଧୀନତା ଭିତରେ ନିଜକୁ ପ୍ରଥମ ଥର ଲାଗି ଆବିଷ୍କାର କରିଛି । ଯେଉଁ ଆଡେ ଦେଖିଲେ ସେ ନିଜକୁ ହିଁ ଦେଖୁଛି । ସାଧାରଣ ମଣିଷଟେ ହୋଇଥିଲେ ସେ ହୁଏତ ଅସମ୍ଭାଳ ସ୍ୱାଧୀନତା ଭିତରେ ଚାପି ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାନ୍ତା । ମାତ୍ର ସେ ଅସାଧାରଣ ମଣିଷଟେ ହୋଇଯାଇଛି । ସମୁଦ୍ରଜଳ ସେ ପିଇ ପାରୁଛି । ପୁତି ଗନ୍ଧମୟ ବାଷ୍ପ ସେ ଆଘ୍ରାଣ କରି ପାରୁଛି । ତାକୁ ଆଉ ଭୋକ ଲାଗୁନାହିଁ । କୌଣସି ପ୍ରକାରର ସ୍ୱାଦ ବି ସେ ଆଉ ବାରି ପାରୁନାହିଁ । ତା' ଜିଭର ସ୍ୱାଦ ବଟିକାସବୁ ଆଉ ନାହିଁ । ତା' ପାକସ୍ଥଳୀ ବି ପ୍ରକୃତରେ ଅଛି ନା ନାହିଁ ସନ୍ଦେହ । ଏବେ ସେ ନିର୍ଲିପ୍ତ, ନିରାକାର ହୋଇଯାଇଛି । ରୁବେନ ଏବେ ମହାକାଳରେ ଅବସ୍ଥାନ କରି ନିଜକୁ ଓ ତାର ସମସାମୟିକ ଯୁଗକୁ ଦୂରରୁ ଦେଖିପାରୁଛି । ବାତ୍ୟା ଆସିବା ପୂର୍ବରୁ ସେ ଯେମିତି ଜୀବନଟେ ଯାପନ କରୁଥିଲା ଭାବିଲେ ତାକୁ ଏବେ ଲାଜ ଲାଗୁଛି । ସେ ଜୀବନକୁ ଏବେ ସେ ଫିଙ୍ଗି ଦେଇଛି ଏବଂ ତା' ବଦଳରେ ପାଇଛି ନୂଆ, ସଂଶୋଧିତ ଓ ସଜଡା ଜୀବନଟେ । ଅବଶ୍ୟ ଏହା ପୂର୍ବରୁ ସେ ଜାଣିନ ଥିଲା ଯେ ନିଜ ଜୀବନକୁ ନେଇ ଲୁଚକାଳି ଖେଳାଯାଇ ପାରେ ବୋଲି । ଘସରା ଜୀବନଟେ ଜିଇଁବ ବୋଲି ସେ ସ୍ଥିର କରି ନେଇଥିଲା । ତା'ର ହୀନମନ୍ୟତା, ତା ଅଗ୍ୟଁତା, ତାର ଅଭାବବୋଧ ସାଂଗେ ସେ ସାଲିସ୍ କରି ନେଇଥିଲା । ଏବେ କିନ୍ତୁ ସେ ଏକ ପରିପୂର୍ଣ ମଣିଷରେ ରୁପାନ୍ତରି ଯାଇଛି । ସେ ଏବେ ଇଶ୍ୱରଙ୍କ ସପକ୍ଷରେ । ଇଶ୍ୱରଙ୍କ ଠାରେ ସେ ଏବେ କୃତଗ୍ୟଁ । ବିଷାଦ ଓ ତଦ୍ଜନିତ ଯନ୍ତ୍ରଣାର ମୂଲ୍ୟ ବିନିମୟରେ ଈଶ୍ୱର ତାକୁ ବୌଦ୍ଧିକ ଶକ୍ତି ପ୍ରଦାନ କରିଛନ୍ତି । ତାର ରସାନୁଭୁତି, ସୌନ୍ଦର୍ଯ୍ୟ ଆହରଣ ଶକ୍ତିକୁ ଉଜ୍ଜୀବିତ କରିଛନ୍ତି । ଜୀବନ ବିଗ୍ୟାନାଗାରରେ ଈଶ୍ୱର ତାକୁ ଛୋଟ ଠେକୁଆଟିଏ କରିଛନ୍ତି । ତାକୁ ଚିରି ଫାଡି ଉପାଡ଼ି ଯେମିତି ପରୀକ୍ଷା ନିରୀକ୍ଷା କରିବାକୁ ଚାହିୁଁ ଛନ୍ତି କରନ୍ତୁ । ତାର ଏବେ ଏତେ ଆକସ୍ମିକ ପରିବର୍ତନ ଆସିଛି, ଏତେ ଶକ୍ତି ସେ ପାଇଯାଇଛି, ଏତେ ବିତ୍ତଶାଳୀ ହୋଇଯାଇଛି, ଏତେ ପରିପୂର୍ଣତା ପାଇଛି ଯେ ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି । ପୂର୍ବରୁ ଜିଉଁଥିବା ଜୀବନକୁ ତଦାରଖ କଲେ ତାର ଅପମାନବୋଧଟିଏ ଆସୁଛି । ତା' ଭିତରେ ଏତେ ଶକ୍ତି, ଏତେ ଉଚ୍ଛ୍ୱାସ ଥିଲା ସେ ଜାଣି ନ ଥିଲା । ରୁବେନର ସ୍ପଷ୍ଟ ମନେ ଅଛି ବାତ୍ୟା କେମିତି ଆସିଲା । ଟିଭି ପରଦାରେ ରାକ୍ଷାସର ପାଟିରୁ ଯେମିତି ଝଡ଼ ଆସେ ସେମିତି । ଉତ୍ତାଳ ତରଙ୍ଗଟିଏ ଖୁବ୍ ଉଚ୍ଚରୁ ତା ଘର ଆଡକୁ ମାଡି ଆସୁଥିବାର ସେ ଦେଖିଛି ଝରକା ଫାଙ୍କରୁ । ପ୍ରଥମେ ଭାବିଲା ସେ ରାସ୍ତାକାଟି ଅନ୍ୟ ଆଡେ ଚାଲିଯିବ ନିଶ୍ଚୟ । କାରଣ ସେ ତ କିଛି ଭୂଲ କରିନାହିଁ । କିମ୍ବା ତା ମା କିମ୍ବା ରୁବି କେହିହେଲେ କିଛି ଭୁଲ କରିନାହାନ୍ତି । ଅଥଚ ଚକ୍ରବତ୍ ଝଡ ଆସିଲା । ଚକ୍ରବତ୍ ତରଙ୍ଗ ଆସିଲା । ଚକ୍ରବତ୍ ନିଜ ଘରର କାନ୍ଥ, ଝରକା, ମା, ରୁବି, ଗମଲାରେ ସାଇତା ଫୁଲ, ଆଲବମରେ ସାଇତା ଖୁସି, ତା ବହିଥାକରେ ସାଇତା ଚୁମ୍କିର ପ୍ରେମପତ୍ର ସଭିଏ ଘୁରିଘୁରି ଆକାଶ ମୁହାଁ ହେଲେ । ରୁବେନ ସେତେବେଳେ ଆଖିବନ୍ଦ କରିଦେଲା ଖୁବ୍ବେଳ ଯାଏ । ଅଥଚ ସେ ସ୍ପଷ୍ଟ ଅନୁଭବ କରିପାରୁ ଥିଲା ନିଜେ ଘୁରୁନାହିଁ ଓ ତରଙ୍ଗ ସବୁ ତା ଶରୀର ଭିତରୁ ପାରହୋଇ ଅନ୍ୟପଟେ ବାହାରି ଯାଉଛି । ତା ନିଜ ଶରୀର ହଠାତ କେମିତି ଝାଉଁଳିଆ ହେଇଗଲା । ଝଡ଼ବତାସ ତା ଭିତରଦେଇ ଗଳି ବାହାରିଗଲା । ତା ଅସ୍ଥିମଜ୍ଜା, ତା ଫୁସଫୁସ, କଲିଜା, ତା ପାକସ୍ଥଳୀ, ତା ଅନ୍ତନାଳୀ ସବୁକୁ ଧୋଇ ସଫାକରି ଚାଲିଗଲା । ରୁବେନ ଏବେ ସଲଖ ଓ ପ୍ରାଞ୍ଜଳ ଦେଖାଯାଉଛି, ସ୍ୱଚ୍ଛ ଓ ସଫେଦ୍ ଦେଖାଯାଉଛି । ତା ଭିତରେ ଆଉ କିଛି ଆବିଳତା ନାହିଁ । ଉତ୍ତାରାଧିକୃତ ଭାବରେ ପାଇଥିବା କୌଣସି ଗଠନତାଂତ୍ରିକ ଉପାଦାନ ନାହିଁ । ଇନ୍ଦ୍ରିୟବୋଧ ନାହିଁ, ମୋହ ନାହିଁ । ଯାହା ଅଛି ତାହା ହେଉଛି ଖାଲି ଏକ ଶାଶ୍ୱତ ପ୍ରଗଳ୍ଭତା । ଏକ ଉଦ୍ଧାମ ସ୍ୱାଧୀନତା । ଏହାକୁ ସମ୍ଭାଲିବା