Jump to content

ପୃଷ୍ଠା:Hada bagicha.pdf/୧୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରେଫ୍ରିଜରେଟର୍ ଭିତରେ ହଜାରେ ଦିନ ଆଜି ମୁଁ ତୁମକୁ ଏସ୍କିମୋମାନଙ୍କ କାହାଣୀ ଶୁଣାଇବି ଲାରା । ପରିବାରରେ ଜଣେ ବୁଢ଼ା ହେଲେ ଏସ୍କିମୋମାନେ କ’ଣ କରୁଥିଲେ ତମେ ଜାଣ? ଘରେ ଗୋଟିଏ ବିଦାୟକାଳୀନ ପର୍ବ ପାଳନ କରୁଥିଲେ । ଏମିତି ଦେଖିଲେ ବୁଢ଼ା ହେବାର ବୟସ କିଛି ନାହିଁ । ନିଜ କାୟିକ ଓ ମାନସିକ ସନ୍ତୁଳନ ଉପରେ ଏହା ନିର୍ଭର କରେ । ଚାଳିଶ ବର୍ଷରୁ ଷାଠିଏ ବର୍ଷ ମଧ୍ୟରେ ଜଣେ ଯେ କୌଣସି ସମୟରେ ବୁଢ଼ା ହୋଇପାରେ । ପରିବାରର ଲୋକେ ବୁଢ଼ାକୁ ଦେଉଥିଲେ ପଶମର ଟୋପି, ପଶମର ସ୍ୱେଟର, ପେଣ୍ଟ, ପଶମର ସ୍କାର୍ଫ । ପୁରୁଣା ଏକ ଓଭର୍କୋଟ ବି ପିନ୍ଧାଉଥିଲେ । ପ୍ରଚୁର ତିମିମାଛର ଚର୍ବି ଓ ମାଂସ ଖାଇବାକୁ ଦେଉଥିଲେ । ଆଣ୍ଠୁ ଯାଏ ଉଚ୍ଚଜୋତା, ହାତ ପାଇଁ ଗ୍ଲୋଭସ୍ ଦେଉଥିଲେ । ଗରମ ଚା ଓ ସୁପ ପିଇବା ପାଇଁ ଦେଉଥିଲେ ଏବଂ କହୁଥିଲେ, "ବାପା, ତୁମେ ଭଲରେ ଭଲରେ ଯାଅ ଆର ପାରିକି । ଆମେ ବି ବୁଢ଼ା ହେଲେ ଯିବୁ, ତୁମ ଅନନ୍ତ ଯାତ୍ରା ଶୁଭ ହେଉ’ ଏବଂ କାନ୍ଦୁଥିଲେ । ବୁଢ଼ା ସମସ୍ତଙ୍କୁ ଆଶିର୍ବାଦ ଦେଉଥିଲା । ତା’ ପାଟି ଫିଟୁ ନ ଥିବା ସତ୍ୱେ ଖନି ମାରି ଦୁଇ ଚାରୋଟି ଶବ୍ଦ କହୁଥିଲା । ଟର୍ଚ ଲାଇଟ୍କୁ ସଜାଡ଼ି ରଖିବା କଥା, ଲୁଣ କଥା, ବନ୍ଧୁକ କଥା, ବରଫ ହୁଂକାର ଗତି ଓ ପ୍ରକୃତି, ସୂର୍ଯ୍ୟ କିରଣର ଗତି ଓ ପ୍ରକୃତି, ମେଘ, ବରଫ ଝଡ଼, ଅନ୍ଧାର ରାତିରେ ତାରା ଓ ମହମବତି ଏବଂ ସ୍ତ୍ରୀଲୋକଙ୍କୁ କହୁଥିଲା ପଶମର ମୋଜା ବୁଣିବା କଥା । ଶେଷରେ ତା’ ପାଟି ନ ଫିଟିଲେ ହାତରେ ଠାରି ନ କାନ୍ଦିବା ପାଇଁ କହୁଥିଲା ଏବଂ ପୁଅ ଓ ପଡ଼ୋଶୀଙ୍କ କାନ୍ଧରେ ନିଜ ହାତଛନ୍ଦି ବାହାରି ପଡୁଥିଲା ମୃତ୍ୟୁ ଯାତ୍ରାରେ । ବରଫ, ବରଫର ଗାତ, ଖାତ, ଫାଟ, ଢିପ ପାରିହୋଇ, ବରଫର ହ୍ରଦ, ବରଫର ପାହାଡ଼ ପାରିହୋଇ ସେମାନେ ପାଞ୍ଚ ସାତଜଣ ଯାଆନ୍ତି ଏକ ଅନନ୍ତ ଯାତ୍ରାରେ । ସ୍ତ୍ରୀ-ଝିଅ-ବୋହୂମାନେ ବାଟୋଇ ଦେବାକୁ ଆସନ୍ତି ପ୍ରାୟ ଏକ କିଲୋମିଟର ଯାଏ ଏବଂ ଠିଆ ହୋଇ ଦେଖୁଥାଆନ୍ତି ଏମାନେ ସବୁ ବରଫ ଭିତରେ ଲେପି ହୋଇ ହଜିଯିବା ଯାଏ । ପୁଅମାନେ ବାପାଙ୍କୁ କଳା ଅନ୍ଧାର ଏକ ବରଫ ଗୁମ୍ଫାର ଦ୍ୱାର ଦେଶରେ ବସାଇ ଦେଉଥିଲେ । କାନ୍ଦୁଥିଲେ । ଆଣ୍ଠୁମାଡ଼ି ବସୁଥିଲେ ପ୍ରାର୍ଥନା ମୁଦ୍ରାରେ ଏବଂ ଆହୁରି କାନ୍ଦୁଥିଲେ । ତା’ପରେ ଏକ ମୁହାଁ ହୋଇ ଘରକୁ ଫେରୁଥିଲେ । ପଛକୁ ଲେଉଟି ଦେଖିବା ତାଙ୍କ ପରମ୍ପରାରେ ନିଷେଧ । ବହୁଦୂର ଫେରିବା ପରେ କଦବା କ୍ୱଚିତ କୌଣସି ପ୍ରତିବେଶୀ କୌତୁହଳରେ ପଛକୁ ଲେଉଟି ପଡୁଥିଲା, ଝାପ୍ସା ଦେଖୁଥିଲା ପ୍ରକାଣ୍ଡ ଧଳାଭାଲୁ ପରି ଦେଖାଯାଉଥିବା କୌଣସି ଏକ ପ୍ରାଣୀ ବା ଦେବଦୂତ ବୁଢ଼ାର ବେକକୁ କାମୁଡ଼ି ଘୋଷାରି ନେଉଥିଲା ଗୁମ୍ଫା ଭିତରକୁ । ଲୋକଟି ଭୟଙ୍କର ଭାବେ ଡରି ଯାଉଥିଲା ଏବଂ ପାଟି ଖନିମାରି ଧୀରେ ଧୀରେ କହୁଥିଲା, "ମୁଁ ଏନ୍ଜେଲ୍ସ୍ ଦେଖିଲି ।’ ଗାଁରେ ଯେତେଲୋକ ତାକୁ ଭିଡ଼କରି ପଚାରିଲେ ବି ସେଇ ଗୋଟିଏ ଧାଡ଼ି ଛଡ଼ା ସେ ଆଉ କିଛି କହିପାରୁ ନ ଥିଲା । ଲାରା ଶୋଇଛି, ଦେଖୁଛି । ତା’ ଶୋଇବାର ଆଜି ହଜାରେ ଦିନ ହେଲା । ଦେଖୁଛି ଦେଖୁନାଇଁ । ଶୋଇଛି ଶୋଇନାହିଁ । ଶୁଣୁଛି ଶୁଣୁନାହିଁ । କାହାକୁ ଦେଖୁଛି, କ’ଣ ଦେଖୁଛି-ଶୂନ୍ୟକୁ, ନା ଛାତକୁ, କିଛି ଜଣାପଡୁ ନାହିଁ । ପାଟି ତା’ର ଆଁ ହୋଇଛି ସାମାନ୍ୟ । ଉପରେ ଦାନ୍ତ ପୁରା ଗୋଟିଏ ଧାଡ଼ି ଚକ୍ଚକ୍ ଦେଖାଯାଉଛି । ନାକର ଉଭୟ ପୁଡ଼ାରେ ଟ୍ୟୁବ ଲାଗିଛି । ମୁଣ୍ଡରେ ଲାଗିଛି ପାଞ୍ଚଟି ଟ୍ୟୁବ । ଛାତିରେ ଲାଗିଛି ଦୁଇଟି । ଡାହାଣ ହାତରେ ଗୋଟିଏ, ଅଣ୍ଟାରେ ଦୁଇଟି । ସମୁଦାୟ ବାରଟି ଟ୍ୟୁବ । ଲାରା ହଜାରେ ଦିନ ହେଲା ଶବମୁଦ୍ରାରେ ଶୋଇଛି । ଶୋଇଛି ରେଫ୍ରିଜରେଟର ଭିତରେ । ସେ ଜାଣିପାରୁଥିବା ପରିଧିଭିତରେ କିଛିନାହିଁ । ନର୍ସମାନଙ୍କର ସ୍ପର୍ଶ, ଡାକ୍ତରଙ୍କ ତାଗିଦ୍, ପଡ଼ୋଶୀ ପ୍ରତିବେଶୀଙ୍କ କାତର ବା କର୍ତୃତ୍ୱ ଝରକାବାହାରେ ଉଙ୍କି ମାରୁଥିବା ଜହ୍ନ, ଜ୍ୟୋସ୍ନା