କ୍ଳୀବପୁରୁଷ ଉତ୍ତର ଦେଲା, "ଆଜି ମୁଁ ମିଟିଂକୁ କେନ୍ସେଲ୍ କରିଦେଲି ଏବଂ ଶୋଇପଡ଼ିଲି । ନାରୀଟି ତାକୁ ପାଗଳଟାଏ କି ବୋଲି ପଚାରିଲା । ଆୟୋଜନକୁ ବନ୍ଦକରିବା କଣ ଦରକାର ଥିଲା? କ୍ଳୀବ ପୁରୁଷ କହିଥିଲା, "ଆୟୋଜନ ହିଁ ମୋର ଲକ୍ଷ୍ୟ ଥିଲା ।' ସେ ଆଉଥରେ ପାଗଳ ବୋଲି କହି ଚୁପ୍ ରହିଥିଲା । କ୍ଳୀବ ପୁରୁଷ ଭାବେ ପୃଥିବୀରେ ସମସ୍ତେ ଏପରି ପାଗଳ ହୁଅନ୍ତେ କି! କ୍ଳୀବ ପୁରୁଷର କ୍ୱୀବତ୍ୱ କେଉଁଠୁ ଆସିଲା କେବେ ଆସିଲା କିପରି ଆସିଲା କେମିତି ଆସିଲା- ଏସବୁ ପ୍ରଶ୍ନର ଉତ୍ତର ସେ ଖୁବ୍ ସହଜ ଓ ପ୍ରାଞ୍ଜଳ ଭାବରେ ଦିଏ । ସେ କୁହେ ନିଜ ବ୍ୟାକରଣ ନିଜେ ଖୋଜି ପାଇଛି । ପାଞ୍ଚଟି ବିଶେଷ୍ୟ ମିଶିଲେ କ୍ୱୀବତ୍ୱର ଅନୁଭବ ଆସେ । ଯଥା- ଅକ୍ଷମତା ଅସହାୟତା ନିରର୍ଥକତା ମୂଲ୍ୟହୀନତା ଓ ନିଃସଙ୍ଗତା । ଏସବୁ ବିରୁଦ୍ଧରେ ସେ ଲଢ଼ାଇ କରେନା । ବରଂ ସେ ଏସବୁକୁ ଅନ୍ତରଙ୍ଗ ଭାବରେ ସେ ସ୍ୱୀକାର କରିନେଇଛି । ଏସବୁ ବିଶେଷ୍ୟର ବିଶେଷଣକୁ କ୍ରୀୟାକୁ ସନ୍ଧି କାରକକୁ ଏହାର ସଜ୍ଞା ଜାତି ବସ୍ତୁ ଗୁଣ ବାଚକକୁ ନିଜ ରକ୍ତ- ଅସ୍ଥି ମଜ୍ଜାଗତ କରିପାରିଛି । ତେଣୁ ତାର କ୍ୱୀବତ୍ୱ ପ୍ରାପ୍ତି ହୋଇଛି । ଅକ୍ଷମତା ଯେମିତି ଏଇ ଧରାଯାଉ "ଅକ୍ଷମତା' । ଏହା କେମିତି ତା ରକ୍ତ ମାଂସରେ ଶୀରା ପ୍ରଶୀରାରେ ଚରି ଯାଇଛି ତାର କାହାଣୀ ଅତି ସରଳ ଓ ସହଜ । କର୍କଟ ଅଧ୍ୟକ୍ଷ ପିଲାଙ୍କ ପାଖରୁ ଫାଇନ ଦଶପଇସା ନିଏ । ଦଶପଇସା ଏବେ ଚଳୁନାହିଁ, ତେଣୁ ତା ସ୍ଥାନରେ ଏକଟଙ୍କା ନିଏ । ପ୍ରତି ମାସରେ ଧରାଯାଉ ତିନିଶହ ପିଲାଙ୍କଠାରୁ ତିନିଶହ ଟଙ୍କା ନିଆଯାଏ । ମାତ୍ର ତିରିଶ ଟଙ୍କା ଦର୍ଶାଯାଏ । କ୍ଳୀବପୁରୁଷର ଅକ୍ଷମତା ଯୋଗୁ ସେ କିଛି କରିପାରେନା । ମାଗାଜିନର ଉନ୍ନତି ନାଚ ଗୀତର ଉନ୍ନତି ଆତିଥ୍ୟତାର ଉନ୍ନତି ସୌନ୍ଦର୍ଯ୍ୟର ଉନ୍ନତି ଖେଳର ଉନ୍ନତି ହେବ କହି ହଜାରେପିଲାଙ୍କ ହଜାରେ ମା ବାପାଙ୍କଠାରୁ ବର୍ଷକୁ ଶହେ ଟଙ୍କା ଲେଖାଏଁ ଚାରିବର୍ଷହେଲା ନିଆହେଉଛି । ଜଳଭଉଁରୀ ଭିତରେ ସବୁ ବୁଡ଼ିଯାଉଛି । କ୍ଳୀବପୁରୁଷର ଅକ୍ଷମତା ଯୋଗୁ ସେ କିଛି କରିପାରେନା । ଜଳଭଉଁରୀ ଭିତରେ ପଡ଼ିବା ସାରହୁଏ । ବଡ଼ କଷ୍ଟରେ ମୁକୁଳେ । ରାତାରାତି ସ୍କୁଲର ଗାଲିଚା ବାର୍ଲାଇଟ ଫିଲ୍ଟର୍ ଉଭେଇ ଯାଏ, ହସ ଉଭେଇ ଯାଏ କ୍ଳୀବପୁରୁଷ କିଛି କରିପାରେନା । ତା’ ହସର ଅଭାବରେ ଏବେ ଅପନ୍ତରା ସ୍କୁଲଟି କାନ୍ତାରରେ ପଡ଼ିଛି । ଏଠି ପାଠପଢ଼ା ଖେଳ ପ୍ରଦର୍ଶନୀ ତର୍କ ବକ୍ତୃତା ଗଳ୍ପ କବିତା ପ୍ରାର୍ଥନା ଭୋଜି ପିକ୍ନିକ୍ ନାଚ ଗୀତ ଶୃଙ୍ଖଳା ଆତିଥେୟତା ସମ୍ମାନବୋଧ ଗୌରବବୋଧରେ ଲାଗିଛି ତା ଘା’ର ଲସି ପୂଜ ଆଉ ରକ୍ତ । ଶବ୍ଦ କହିଲେ ଏଠି କେବଳ ଅନୁଚ୍ଚାରିତ ସଂସ୍କୃତ ଶବ୍ଦାବଳୀ । ଗୀତ କହିଲେ ଏଠି ସଙ୍କୁଚିତ ରିଂଟୋନ । କ୍ଳୀବପୁରୁଷ କିଛି କରି ପାରେନା । ସ୍କୁଲରେ କୌଣସି ମହାପୁରୁଷଙ୍କ ଜନ୍ମଦିବସ ପାଳନବେଳେ ମି. ସନୋଫେବିଚ ଆସନ୍ତିନାହିଁ । ତାଙ୍କ ସମ୍ପର୍କୀୟ ଜଣେ ସେଦିନ ନିଶ୍ଚୟ ମରିଯାଇଥାନ୍ତି । ତାଙ୍କ ଅନୁପସ୍ଥିତିରେ ପ୍ରେମାସ୍ପଦକୁ "ମାନନୀୟ ସଭାପତି ମହୋଦୟ' କହିବାର ଲଜ୍ଜା ହେତୁ କୌଣସି ସଭା ହୁଏନାହିଁ । ପ୍ରେମାସ୍ପଦର ଅଧୀନରେ କୌଣସି ପାର୍ଟି, ପିକ୍ନିକ୍, କୌଣସି ଘରୋଇ ଉତ୍ସବକୁ ବି ଯିବାବେଳକୁ ଅନେକଙ୍କର "ଜରୁରୀ' କାମ ବାହାରିପଡ଼େ । ଦିନେ ଷ୍ଟାଫ୍ ଫଟୋ ଉଠାଇବ ବୋଲି ଫଟୋଗ୍ରାଫରଟିଏ ସ୍କୁଲକୁ ଆସିଲା । ମଣ୍ଡପ ସଜ କରା ହୋଇଥିଲା । ମି. ସନୋଫେବିଚ ଓ ପ୍ରେମାସ୍ପଦ ପାଖରେ ପାଖରେ ବସିଲେ ଓ ହସିଲେ । ଅନ୍ୟମାନେ ବି ବସିଲେ, ଠିଆହେଲେ, ମାତ୍ର ହସିଲେନାଇଁ । ଫଟୋ ଉଠା ସରିଲା । ତା ପରଦିନ ଫଟୋ ଦେଖିଲା ବେଳକୁ ସମସ୍ତେ ମୁଣ୍ଡପୋତି ବସିଥିଲେ । ଅଧ୍ୟକ୍ଷ୍ୟ ଓ ପ୍ରେମାସ୍ପଦଙ୍କ ବ୍ୟତୀତ ଆଉ କାହାରି ମୁହଁ ଦେଖାଯାଉ ନ ଥିଲା । କ୍ଳୀବପୁରୁଷ ଆଦୌ ଦେଖାଯାଉ ନ ଥିଲା । ସେ ଠିଆ ହୋଇଥିବା ଶିକ୍ଷକମାନଙ୍କ ପଛପଟେ ବସିଥିଲା ବୋଲି କହିଲା । ଦିନେ ସବୁ କ୍ଲୀବପୁରୁଷ ଶୋଇଥିବାବେଳେ ପିଲାଏ ଜଣେ ଜଣେ କରି ନିଃଶବ୍ଦରେ ଖସିପଳାଇ ପରେ ଧରାପଡ଼ିଥିଲେ । ପ୍ରାୟ ଆଠଶହ ପିଲା । ଅଧ୍ୟକ୍ଷଙ୍କ ପାଖକୁ ପ୍ରେମାସ୍ପଦ ଖବରଦେଲା । କ’ଣକହିଲା ଗୁଣୁଗୁଣୁହୋଇ କେହି ଜାଣିପାରିଲେ ନାଇଁ । ମି. ସନୋଫେବିଚ୍ କିନ୍ତୁ ସବୁ ଠଉରାଇ ପାରିଲେ । ପିଲାଙ୍କୁ ଠିଆ କରାଇ ପଚାରିଲେ ଠାରରେ । ପ୍ରେମାସ୍ପଦ ତାକୁ ଓଡ଼ିଆରେ ଅନୁବାଦ କଲା । ପିଲାଏ ହସିଲେ । ଜାଣିଲେ ଅନୁବାଦ ଠିକ୍ ହେଲା ନାଇଁ, ପିଲାଏ ଯାହା ବୁଝିଲେ ତହିଁରେ ସମସ୍ତେ ନିଜନିଜ କାଣି ଆଙ୍ଗୁଠିକୁ ଉପରକୁ ଟେକିଲେ । ତା’ଅର୍ଥ ହେଲା ସମସ୍ତେ ଏକ କରିବାକୁ ଯାଇଥିଲେ । ଅଧ୍ୟକ୍ଷ ନିଜ ଆଖିକୁ ବଡ଼ବଡ଼ କଲେ, ଠାରିଲେ ଓ ନିଜ କୋଠରିକୁ ପଳାଇଲେ । ଅନୁବାଦକ ପ୍ରେମାସ୍ପଦ ଆସି ଘୋଷଣା କଲା, ‘କାଲିଠୁ ସ୍କୁଲରେ ଏକ କରିବା ମନା । ଯିଏ ଏକ କରିବାକୁ ଯିବ ପ୍ରଥମେ ଅଧ୍ୟକ୍ଷଙ୍କ ଠାରୁ ନିଜନିଜ ନୁନୁରେ ଟିପଚିହ୍ନର ମୋହରମାରି ଅନୁମତି ନେବାକୁପଡ଼ିବ ।’ ପିଲାଏ ମୁହଁରେ ହାତଦେଇ ହସିଲେ । କ୍ଲୀବପୁରୁଷ ସବୁ ମୁହଁଶୁଖାଇ ଠିଆ ହୋଇଥିଲେ ।
ପୃଷ୍ଠା:Hada bagicha.pdf/୧୬୮
ଦେଖଣା