ପୃଷ୍ଠା:Hada bagicha.pdf/୧୬୭

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନିଦରୁ ଉଠିବା ପରେ ମୋଟର ସାଇକେଲ କାଢ଼ି ତା’ ଅତି ପରିଚିତ ଶତ୍ରୁ ଘର ଆଡ଼େ ମୁହାଁଇଲା କ୍ଳୀବ ପୁରୁଷ । ତା’ ଘର ପାଖ ପାନଦୋକାନ ପାଖରେ ଠିଆହୋଇ ଫୋନକଲା । କହିଲା ସେ ତାଙ୍କ ଘରପାଖରେ ଅଛି । ବହି ଓ ଫଟୋ ଆଣି ଆସିଛି । ନାରୀଟି କହିଲା, "ଆସୁନ ଶୀଘ୍ର ଆସ ମୁଁ ଗାଉନ୍ ପିନ୍ଧିଛି ତ, ଶାଢ଼ିଟା ବଦଳାଇ ଦେଉଛି । ନହେଲେ ପୁଅ କ’ଣ ଭାବିବ! ତିନିମିନିଟ ଛାଡ଼ି ଆସ ।’ କ୍ଳୀବ ପୁରୁଷ କିଛି ନକହି ଫୋନ୍ ସୁଇଚ୍ ଅଫ୍ କରିଦେଲା ଏବଂ ଚକ୍ଲେଟ ଦୁଇଟି କାଢ଼ି ରାସ୍ତାରେ ଯାଉଥିବା ଦୁଇଜଣ ଅଜଣା ଶିଶୁଙ୍କୁ ଡାକି ଦେଲା । ରୁମାଲକୁ କାଢ଼ି ଦିଖଣ୍ଡକରି ଚିରି ଫୋପାଡ଼ିଦେଲା । ନିଜ ବହିକୁ କାଢ଼ି ଟିକିଟିକି କରି ଚିରିବାରେ କିଛି ସମୟ ନେଲା ଏବଂ ଗଙ୍ଗାରେ ଅସ୍ଥି ବିସର୍ଜନ କଲାପରି ପାଖ ଡ୍ରେନରେ ଭସାଇଦେଲା । ଦେଖିଲା ଦଶମିନିଟ ହୋଇଯାଇଛି । ତେଣୁ ସେ ମୋଟର ସାଇକେଲ ମୋଡ଼ି ନିଜ ଘରକୁ ଫେରିଆସି ପୁଣି ଶୋଇପଡ଼ିଲା । ସାଉଁଳା ସାଉଁଳା ଏମିବା ପରି ନାରୀଟିଏ ତା ପ୍ରେମାସ୍ପଦ । ତା’ ରକ୍ତର ରଙ୍ଗ କିପରି ସେ ଜାଣେନା । ଜହ୍ନ ପାଇଁ ତା’ ରକ୍ତରେ କେବେ ଜୁଆର ଆସେନା । କ୍ଳୀବ ପୁରୁଷର କ୍ଳୀବତ୍ୱର ଏହା ଅନ୍ୟ ଏକ ପାହାଚ । କ୍ଳୀବ ପୁରୁଷ ଦିନେ କହିଲା, "ତୁମ ଅଧ୍ୟକ୍ଷଙ୍କୁ କୁହ, ଏଥର ଆମେ ପିଲାଙ୍କୁ ନେଇ ଥର୍ ମରୁଭୂମିକୁ ବୁଲିଯିବା ।’ ସେ କହିଲା, "ସେଠି ପାଣି ମିଳିବ ତ?’

- "ନଚେତ୍ ଗୋଟେ ଶୃଙ୍ଗର ଶିଖରକୁ ଯିବା’

- "ଗୋଡ଼ ଖସିଯିବ ଯଦି? ପିଲାଏ ବି ଖସିପଡ଼ିବେ ।’

- "ତେବେ ଗୋଟେ ଇଗଲୁ ଭିତରେ କିଛିଦିନ କଟେଇବା ।’

- "ସେଇଟା ତରଳିଯିବ ଯଦି? ପୁଣି ଏତେ ଶୀତ, ପିଲାଙ୍କୁ ବି ଥଣ୍ଡା ଧରିବ ।’

- "ତାହେଲେ ଗୋଟେ ଗୁମ୍ଫା ଭିତରେ ରାତିଟିଏ ରହିବା । ପିକ୍ନିକ୍ କରିବା ।’

- "ପଥର ମାଡ଼ି ବସିବ ଯଦି?’

- "ତାହେଲେ ରେଗୋବେଟା ମେଞ୍ଚୁଙ୍କୁ ଭେଟିବା ।’

- "ସେଇଟା କେଉଁ ଦେଶର ନଦୀ କି? ଭୂଗୋଳରେ ଅଛି?’

- "ତା’ ହେଲେ ୱିନି ମାଣ୍ଡେଲାଙ୍କୁ ଦେଖିଯିବା?’

- "ସେ ମେଡାଲ କିଏ ଜିଣିଛି?’

- "ଦେଖୁଛି, ମୋତେ ସନ୍ନ୍ୟାସୀହୋଇ ହୁଂକାଭିତରେ ରହିବାକୁ ପଡ଼ିବ ।'

- "ଛି...ଛି...ଛି, ଦେହସାରା ଉଇ ଚରିଯିବେ ।’

- "ଆଚ୍ଛା, ନନ୍ଦନକାନନକୁ ବୁଲିଯିବା?’

- "ହଁ, ମଜା ହେବ । ସେଠି ଧଳାବାଘ, କଳାବାଘ ଥିବେ ।’

- "ନା ସାଗୁଆ ବାଘ ଥିବେ । ନନ୍ସେନ୍ସ ।’

କ୍ଳୀବ ପୁରୁଷ ସେଠୁ ଉଠିଆସିଲା ସଙ୍ଗେସଙ୍ଗେ । ହାତରୁ ଚକ୍ ବା ପେନ୍ ଯେମିତି ଖସିପଡ଼େ କେବେକେବେ, ହୃଦୟରୁ ସ୍ନେହ ସରାଗ ବି ଖସିପଡ଼େ ବେଳେବେଳେ । ଯଦି ନ ଖସେ, ତେବେ ବିଡ଼ମ୍ବନାରେ ଖସାଇବାକୁ ପଡ଼େ ଓ ଗୋଟାଇବାକୁ ବି ପଡ଼େ, ଅବସୋସରେ । ଧୂଳି ଝାଡ଼ି ଗେଲ କରିବାକୁ ପଡ଼େ । ମୁହଁରେ ନାଚାର ଭାବ ଫୁଟାଇବାକୁ ପଡ଼େ । କିଛିଦିନ ତଳେ ତା ପୁସ୍ତକ ଉନ୍ମୋଚନ ଉତ୍ସବକୁ ଆସିବାକୁ ତା ପ୍ରେମାସ୍ପଦକୁ ମନା କରିଥିଲା । କହିଥିଲା ସେ ଆସିଲେ ଉତ୍ସବର ସବୁ ଆୟୋଜନକୁ ଯେକୌଣସି ମୁହୂର୍ତରେ ସେ ବାତିଲ କରିଦେବ । ସେ ଜାଣେ କ୍ଳୀବପୁରୁଷ ଯାହା କୁହେ ପରିଣାମକୁ ଖାତିର ନ କରି କରିପାରେ । ତାର ମନେଅଛି ଥରେ କୌଣସି କାରଣବସତଃ ତାର ତିନିଶହ ଟଙ୍କା କ୍ଳୀବ ପୁରୁଷକୁ ଫେରାଇବାର ଥିଲା । ଛ'ମାସ ପରେ ଯେଉଁଦିନ ହଠାତ ମନେପକାଇ ଫେରାଇଲା କ୍ଳୀବପୁରୁଷ ତିନୋଟି ଶହେ ଟଙ୍କିଆ ନୋଟକୁ ତା ସାମନାରେ ଟିକଟିକି କରି ଚିରି ଡ୍ରେନ୍ରେ ଫିଙ୍ଗି ଦେଇଥିଲା । ନାରୀଟି ରାଗ ଓ ଅପମାନରେ କାନ୍ଦି ପକାଇଥିଲା । ଫୋନରେ ଗାଳି କରିଥିଲା ପ୍ରଚୁର ଓ କଥା ବି ହୋଇ ନଥିଲା ଦଶଦିନ ଯାଏ । ଆଉଦିନେ ଆଲ୍ବେୟର୍ କାମ୍ୟୁଙ୍କ ଜନ୍ମଦିନରେ କ୍ଳୀବ ପୁରୁଷ ଆୟୋଜନ କରିଥିଲା ନିଜଘରେ ଏକ ବୈଠକୀ । ପ୍ରାୟ ପନ୍ଦର ଜଣ କାମ୍ୟୁଙ୍କ ପାଠକ ପାଠିକାଙ୍କୁ ଡାକିଥିଲା । ରବିବାର ସକାଳ ନ'ଟାରେ ଆରମ୍ଭ ହେବା କଥା । ଆଠଟାରେ ନାରୀଟି ଫୋନ କଲା ସେ ଆସିପାରିବ ନାଇଁ, ନରିଆଣୀ ଆସି ନାଇଁ, କେତେ କାମ । ପୁଣି ସଞ୍ଜବେଳେ ପଚାରିଲା, "ଆଜି ମିଟିଂ କେମିତି ହେଲା?'