ପୃଷ୍ଠା:Hada bagicha.pdf/୧୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

"ସ୍କୁଲ ଲାଇବ୍ରେରୀର ଏକ ପ୍ରଦର୍ଶନୀର ଆୟୋଜନ କରାଯାଉ । ପିଲାଏ ବହି ଦେଖିବେ ଛୁଇଁବେ ଆଉଁଶିବେ ଆଘ୍ରାଣ କରିବେ ।’ - "ବହି ଚୋରି ହେବ ।’ - "ନିଜ ଶ୍ରେଣୀ କୋଠରିର କାନ୍ଥରେ ପିଲାଙ୍କୁ ଲେଖାଲେଖି କରିବାର ସ୍ୱାଧୀନତା ଦିଆଯାଉ ।’ - "ପୁଣି ରଙ୍ଗ କରାଇବାରେ ଖର୍ଚ ହେବ । ପଇସା କୁଆଡୁ ଆସିବ?’ - "ସ୍କୁଲରେ ଗୋଟେ ପ୍ରଶ୍ନ ବାକ୍ସ ରଖାଯାଉ ।’ - "ନା, ନା, ନା, ନା,.... ଯାହାତାହା ଲେଖି ପିଲା ଗଳାଇବେ । ସେଦିନ ସେ ଝିଟିପିଟିଲାଗି ମୁଁ ଯାହା ହଇରାଣହୋଇଛି, ତମେ ଭାବିପାରିବ ନାଇଁ । ରାତିସାରା ମୋ ବ୍ଲାଉଜଭିତରେ ସେ ରହିଯାଇଥିଲା । ମୁଁ କେମିତି ଶୋଇଥିବି ତମେ ଭାବିପାରୁଛ?’ କ୍ଳୀବ ପୁରୁଷ ହଠାତ୍ ଛିଡ଼ା ହୋଇପଡ଼ିଲା । କହିଲା, ସେ ଯାଉଛି ଝିପିଝିଟିର ସନ୍ଧାନରେ ଏବଂ ଚାଲିଗଲା । କ୍ଳୀବତ୍ୱର ଦଉଡ଼ିଟି ତାକୁ ବାନ୍ଧିରଖିଛି ପାଦରୁ ମୁଣ୍ଡଯାଏ ଏବଂ ସେ ବହୁଦିନରୁ ଶବ ହୋଇ ପିରାମିଡ଼ ଭିତରେ ଥିବା ମମ୍ମିପରି ହୋଇଯାଇଛି । ସ୍କୁଲ କେମ୍ପସ୍ରେ ତା ପ୍ରେମାସ୍ପଦର ଦୃଷ୍ଟି ତାକୁ ଇଶ୍ୱରଙ୍କ ତୃତୀୟ ଚକ୍ଷୁର ଦୃଷ୍ଟିପରି ଲାଗେ । ସତେକି ଏବେ ଭସ୍ମ ହୋଇଯିବ! ସେ ବାରଣ୍ଡାରେ ବୁଲାବୁଲି କରୁଥିଲେ, କର୍କଟ ରୋଗୀସାଙ୍ଗରେ କଥା ହେଉଥିଲେ, ବା କାହାକୁ ଆଦେଶ ଦେଉଥିଲେ କ୍ଳୀବ ପୁରୁଷର ତାଳୁରୁ ତଳିପା ଜଳାଇଯାଏ । ଛାତି ଥରିଯାଇ ବି.ପି. ବଢ଼ିଯାଏ । ଦେହରୁ ଗମ୍ଗମ୍ ଝାଳ ବାହାରେ । ତାକୁ ଯାଇ ଛୁରିଟିଏ ଭୁଷି ଦେବ କି ବୋଲି ଭାବେ । ସେ ଜାଗା ଛାଡ଼ି ଘରକୁ ଚାଲିଆସେ ଓ ଶୋଇପଡ଼େ । ଦିନେ ପ୍ରେମାସ୍ପଦ ତା ଲେସନ୍ ନୋଟ ଦେଖାଇଲା । କ୍ଳୀବପୁରୁଷ ଦେଖିଲା ପୌନଃପୁନିକ କଥାସବୁ ଲେଖାହୋଇଛି । ଗତକାଲି ଗଲା ସପ୍ତାହରେ ଗଲା ମାସରେ ଗଲା ବର୍ଷ ଯେଉଁଠି ଯେମିତି ଗାର ଅକ୍ଷର ସଂଖ୍ୟା ବିନ୍ଦୁ ବିରାମ ଚିହ୍ନ ସବୁ ଥିଲା ଆଜି ବି ସେମିତି । ଠିକ୍ ତାରି ମେନଷ୍ଟ୍ରୁଆଲ୍ ଫ୍ଲୋ ପରି । ଗଲା ମାସରେ ଯେମିତି, ଏ ମାସରେ ସେମିତି । ରଙ୍ଗ ସ୍ୱାଦ ପରିମାଣରେ କିଛି ଫରକ ନାହିଁ । ଗଲା ଦଶବର୍ଷ ହେଲା ତା’ମେନ୍ଷ୍ଟ୍ରୁଆଲ୍ ଫ୍ଲୋ ଠିକ୍ ଲେସନ୍ ନୋଟ ପରି । ଏହା ବନ୍ଦ ହେଲେ ଯାଇ କିଛି ସୃଜନ କାର୍ଯ୍ୟ ହୋଇପାରେ ଅନ୍ୟଥା ନୁହେଁ, ଏ ଧାରଣା ତାର ନାହିଁ । ପ୍ରେମାସ୍ପଦ କହିଲା, "ଅଧ୍ୟକ୍ଷ ମାଗୁଛନ୍ତି ତ, ସମସ୍ତଙ୍କୁ ।’ ଯେଉଁମାନେ ତାଙ୍କ ଜୀବନରେ କେବେହେଲେ ଲେସନ୍ ନୋଟ ଲେଖି ନଥାନ୍ତି ସେମାନେ ହିଁ ଅନ୍ୟମାନଙ୍କୁ ଲେଖିବା ପାଇଁ ବାଧ୍ୟ କରାନ୍ତି । କ୍ଳୀବପୁରୁଷ କଣ କରିବ ଭାବିଲା ଓ ଆଉ ଦଶଦିନ ପରେ ତା ଲେସନ୍ ନୋଟରେ କୋଡ଼ିଏ ବର୍ଷ ତଳର ଶବ୍ଦ ମୈଥୁନ କଥା ଲେଖି ଦେଖାଇଲା । କର୍କଟ ରୋଗୀ ଖୁସିରେ ତା ଉପରେ ଟିପଚିହ୍ନ ମାରିଲା । ନିଃସଙ୍ଗତା କ୍ଳୀବପୁରୁଷ ତା ନିଃସଙ୍ଗତାକୁ ଦୃଢ଼ କରିବାକୁ ଯାଇ ପ୍ରେମାସ୍ପଦ ଉପହାର ଦେଇଥିବା ଗୋଟିଏ ସାର୍ଟକୁ ବ୍ଲେଡ଼ରେ କୋଡ଼ିଏଖଣ୍ଡ କରି କାଟି ସ୍କୁଲର ଗେଟ୍ରୁ କମନ୍ରୁମର ଦ୍ୱାରଯାଏ ପକାଇଥିଲା, ତା ପ୍ରେମାସ୍ପଦ ଚାଲୁଥିବା ରାସ୍ତାରେ । ଗଲା ତିନିବର୍ଷ ଭିତରେ ସେ ଅଠରଟି ପେନ୍କୁ ଟିକିଟିକି କରି ଭାଙ୍ଗି ପ୍ରେମାସ୍ପଦକୁ ଦେଖାଇ ଫିଙ୍ଗି ଦେଇଛି । କାରଣ, ସ୍କୁଲର କୌଣସି କୌଣସି ଖାତାରେ ତା ପ୍ରେମାସ୍ପଦର ଟିପଚିହ୍ନ ଥାଇ ତାକୁ ଟିପଚିହ୍ନ ଦେବାକୁପଡ଼ିଛି । ତା ପ୍ରେମାସ୍ପଦକୁ ନିଜଠାରୁ ସିନିୟର ବୋଲି ସେ ଘୃଣାକ୍ଷରେ ସୁଦ୍ଧା ସ୍ୱୀକାର କରେନା । ସ୍କୁଲର ପ୍ରତ୍ୟେକ ପରୀକ୍ଷାବେଳେ ସେ ଛୁଟିନେଇ ଘରେ ରହିଯାଏ । ଗତ ଚାରିବର୍ଷ ଭିତରେ ଦିନେମାତ୍ର କରିଥିବା ପରୀକ୍ଷା ଡ୍ୟୁଟିର ଅନୁଭୁତି ସେ ପାଷୋରି ପାରିନାଇଁ । ସେକଥା ମନେ ପଡ଼ିଲେ ଅନ୍ଧାର ରାତିରେ ଶହେଟି ଭୟଙ୍କର ଭୂତ ଦେଖିଲାପରି ଏବେବି ଚମକିପଡ଼େ । ସେଦିନ ପରୀକ୍ଷା ହଲ୍ରୁ ଆସି ପ୍ରେମାସ୍ପଦକୁ ଖାତା ଫେରାଇଲା କ୍ଲୀବପୁରୁଷ । ହଠାତ୍ ତା ହାତଗୋଡ଼ କାମକଲା ନାହିଁ । ବସିପଡ଼ିଲା ସେଠି । ଦେହରୁ ଝାଳ ବାହାରିଲା । ଆଖିରୁ ଲୁହ ବାହାରିଲା । ମୁଣ୍ଡରୁ ପାଣି ବାହରିଲା । ପାଟିରୁ ଲାଳ ବାହାରିଲା । ମୂତ୍ର ନଳୀରୁ ମୂତ୍ର ବାହାରିଲା ଏବଂ ବନ୍ଦ ହେଲାନାଇଁ । ତା ଦେହର ସତୁରିଭାଗ ଜଳ ବାହାରିଲା ପରେ, ରକ୍ତ ବି ପାଣିଫାଟି ବାହାରିଲା । ସିମେନ୍ ଓ ଚର୍ବି ସବୁ ପାଣିହୋଇ ବାହାରିଲା । ପରେ ତା ହାଡ଼ ଓ ଚର୍ମ ବି ପାଣି ହୋଇଗଲା । ଶେଷରେ କ୍ଲୀବପୁରୁଷ ସଦ୍ୟଜନ୍ମିତ ମୂଷାଛୁଆପରି ମାଂସପିଣ୍ଡୁଳାଟିଏ