ପୃଷ୍ଠା:Hada bagicha.pdf/୧୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାପା କହିଥିଲେ, "ହଁ, ନିଶ୍ଚୟ ଯିବା । ଆଜିଠୁ ପେକିଂ କରିବା ଆରମ୍ଭ କରୁଥା । ତୁ ଜାଣୁ ଛ ମାସ ଯେବେ ଦିନହୁଏ ସୂର୍ଯ୍ୟ କେଉଁଠିଥାଏ? ଦିଗ୍ବଳୟରେ ଯେମିତି ଇନ୍ଦ୍ରଧନୁ ଥାଏ ଗୋଟିଏ କୋଣରୁ ଆଉ ଗୋଟିଏ କୋଣ ଯାଏ, ଠିକ୍ ସେପରି ରାସ୍ତାରେ ସୂର୍ଯ୍ୟ ଯାଉଥାଏ ଓ ଫେରୁଥାଏ । ଛ ମାସ କାଳ । ସକାଳ ଛ’ଟାରେ ସୂର୍ଯ୍ୟ ଦିଗ୍ବଳୟର ଗୋଟିଏ କୋଣରୁ ଥରେ ମାତ୍ର ଆବିର୍ଭାବ ହୁଏ- ଛ’ ମାସ ରାତ୍ରିର ଅବସାନ ପରେ, ଏବଂ ତା’ ପରବର୍ତି ବାରଘଣ୍ଟାରେ ଇନ୍ଦ୍ରଧନୁପରି ରାସ୍ତାରେ ଯାଉଥାଏ ଓ ଫେରୁଥାଏ । ସକାଳ ଛ’ଟାରୁ ବାରଘଣ୍ଟା ପରେ ପୁଣି ସକାଳ ଛ’ । ସେଠି ସଞ୍ଜ ଛ କେତେବେଳେ ହେଲେ ହୁଏ ନାହିଁ । ଦିନକୁ ଦୁଇଟି ସକାଳ । ଦିନକୁ ଦୁଇଟି ସୂର୍ଯ୍ୟୋଦୟ । କି ଅନନ୍ୟ ଅପରୂପ ନୈଶର୍ଗିକ ସୌନ୍ଦର୍ଯ୍ୟ! ସୂର୍ଯ୍ୟ ସେଠି ଖୁବ ସୁନ୍ଦର, ଖୁବ୍ ବିନମ୍ର, ଖୁବ ନରମ । ସେଠି ସୂର୍ଯ୍ୟ ନମସ୍କାର ପାଇଁ ସବୁବେଳେ ଇଚ୍ଛା ହେବ । ଏଠି ଖାଲି ଗାଳିଦେବାକୁ ଇଚ୍ଛା ହେଉଛି ।’ ଋଷୀ କହିଲା, "ସେଠି ଆମେ ବରଫଘର ତିଆରିକରିବା । ଉତ୍ତାପ ସବୁବେଳେ ସେଠି ଜିରୋ ଡିଗ୍ରୀ ସେଲ୍ସିଅସ୍‌‌ରୁ ମାଇନସ୍ ତିରିଷ ଡିଗ୍ରୀ ସେଲ୍ସିଅସ୍ ଯାଏ ଥାଏ । ସେଠି ବରଫର ଚୌକି, ବରଫର ଟେବୁଲ, ବରଫର ଗ୍ଲାସ, ବରଫର କପ୍ପ୍ଲେଟ, ବରଫର ବାସନ ବ୍ୟବହାର କରାଯାଇ ପାରିବ । ସବୁକିଛି ଥଣ୍ଡା । ସବୁକିଛି ନମ୍ର । ସେଠି ସୂର୍ଯ୍ୟକିରଣକୁ ଅଂଶୁ କୁହାଯାଏ ନାଇଁ, ପ୍ରିୟାଂଶୁ କୁହାଯାଏ । ସେ ଖୁବ୍ ପ୍ରିୟ, ଖୁବ ନିଜର । ସେଠି ଅଂଶୁଘାତ ହୁଏନା, ବରଂ ପ୍ରିୟାଂଶୁ ଘାତରେ ବିମୋହିତ ହେବାକୁ ହୁଏ । ଆମେ ଯିବା ବାପା, ମେରୁବଳୟ ମଧ୍ୟରେ ଖରାଛୁଟି କଟେଇବା । ଏ ସୂର୍ଯ୍ୟ ଆମକୁ କଣ କରିପାରିବ? ଏ ସୂର୍ଯ୍ୟ ସେ ସୂର୍ଯ୍ୟ ନୁହେଁ ।’ ଏତେ କଥା ହେବା ଭିତରେ ପଇଁଚାଳିଶରୁ ଛୟାଳିଶ, ସତଚାଳିଶ ଓ ଅଟଚାଳିଶ ଡିଗ୍ରୀ ସେଲ୍ସିଅସ୍‌‌ର ଉତ୍ତାପ ବଢ଼ି ଓ ଏବେ ପୁଣି ଏକଚାଳିଶ ଡିଗ୍ରୀ କେବେହେଲା ଓ କେବେ ଖରାଛୁଟି ସରିବାର ସମୟହେଲା ଜଣାପଡିଲାନାଇଁ । ବିପର୍ଯ୍ୟୟ ଆଣୁଥିବା ସୂର୍ଯ୍ୟ ଆଉ ମନେ ପଡିଲାନାଇଁ । ଅନ୍ୟ ଏକ ଖରାଛୁଟିରେ ଯେଉଁଦିନ ଉତ୍ତାପ ଚଉରାଳିଶ ଡିଗ୍ରୀ ସେଲ୍ସିଅସ୍ ଥିଲା ସେଦିନ ମା’ କହିଲେ, "ଋଷୀ ଏ ସାବୁନଖୋଳ ଦେଖ, ତା ଭିତରେ ଲେଖା ହୋଇଛି ଆମ ଘରକୁ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ ଆସିବେ । ଏ ଲଟେରି ଆମକୁ ମିଳିଛି ।’ କଥାଟି ବିଦ୍ୟୁତ ଗତିରେ ଚହଲିଗଲା ପାଖପଡ଼ୋଶୀ ଓ ଦୂର ଦୂରାନ୍ତରକୁ । ଫୋନ ସବୁବେଳେ ବାଜିଲା । କବାଟରେ ସବୁବେଳେ କରାଘାତ ହେଲା । ହୃଦୟରେ ସବୁବେଳେ ଛନକା ପଶିଲା । କୁକୁରମାନେ ବି ସବୁବେଳେ ଭୁକିଲେ । ବରଂ କୁକୁରମାନେ ସବୁବେଳେ ହସିଲେ ବୋଲି କୁହାଯାଉ । ଏତେ ଉତ୍ତାପରେ ବି ଗଛ ପତ୍ରମାନେ ରଙ୍ଗିନ ଦେଖାଗଲେ । କୁକୁର ବିଲେଇ ପାରା ଚଟିଆ ଓ ମିଟୁମାନେ ଉେତ୍ତଜିତ ଦେଖାଗଲେ, ଚଳଚଞ୍ଚଳ ଦେଖାଗଲେ । ଗୋଟିଏ ସୁନାମି ଆସିଲା । ସମୁଦ୍ରରେ ପ୍ରକାଣ୍ଡ ଢେଉ ସବୁ ଉଠପଡ଼୍ ହେଲା । ଥଣ୍ଡାପବନ ବହୁଛିପରି ଜଣାଗଲା । ବାଲି ମାଟି ଆଉ ତାତିଲା ନାଇଁ । ଘରଅଗଣା ସବୁ ବରଫିଗଲେ । ସୂର୍ଯ୍ୟର ପ୍ରାଦୁର୍ଭାବ ଆଉ ରହିଲାନାଇଁ । ଦହି କାକୁଡ଼ିର ସାଲାଡ ଆଉ କାହାକୁ ଦରକାର ପଡିଲାନାଇଁ । କଳା କାଚର ଚଷମା କାହାକୁ ଦରକାର ପଡିଲାନାଇଁ । ସୂର୍ଯ୍ୟକୁ କେହି ମନେ ପକାଇଲେନାଇଁ । ସ୍କୁଲର ବାଡ଼ ଡେଇଁ ପଳାଉଥିବା ବଦମାସ୍ ପିଲାଙ୍କପରି ସୂର୍ଯ୍ୟ କୁଆଡ଼େ ପଳାଇଲା । ଋଷୀ ଓ ତା ମା’ ବାପା ଅଜା ଆଇ ଏବଂ ସମସ୍ତ ପାଖପଡ଼ୋଶୀ ନିଜ ନିଜ ଘର ଅଗଣା ଝାଡୁକଲେ । ପରଦା ଚାଦର ସବୁ ବଦଳାଇଲେ । ଘରକୁ ଫିନାଇଲ୍ ପାଣିରେ ପ୍ରତିଦିନ ପୋଛିଲେ । କାନ୍ଥ କବାଟକୁ ସର୍ଫ ପାଣିରେ ଧୋଇଲେ । ମୂଖ ଗହ୍ୱରରୁ ପାକସ୍ଥଳୀ ଦେଇ ପୌଷ୍ଟିକ ନଳୀର ନିମ୍ନାଂଶ ଯାଏ ହଜାର ଲିଟର ଲେମ୍ବୁପାଣିରେ ଧୋଇଲେ । ଲେମ୍ବୁ ଓ ଲୁଣର ଦାମ୍ ବଢ଼ିଲାପରେ ବି କେହି ଜାଣିପାରିଲେ ନାଇଁ । ଋଷୀ ତା ସାଙ୍ଗମାନଙ୍କୁ ଡାକି ଆଣି ତା ବାପାଙ୍କୁ କହିଲା, "ବାପା ଭଲ ସୋଫାସେଟ୍ ଗୋଟିଏ କିଣିବା । ସେମାନେ ନଚେତ କେଉଁଠି ବସିବେ? ଆମ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବା ପରି ସୋଫା କିଣିବା । ମୁଁ ଡ୍ରେସ୍ କିଣିବି । ମୋ ସାଙ୍ଗମାନେ ସମସ୍ତେ ଡ୍ରେସ୍ କିଣି ସାରିଲେଣି । ସେମାନେ କଣ ଖାଇବେ? କଣ ପିଇବେ? ଚା କଫି ସରବତ୍ ଜୁସ୍ କଣ ଦେବା?’ ବାପା କହିଲେ, "ସେମାନେ ଷ୍ଟାର । ଷ୍ଟାରମାନେ ଆମପରି ରୁଟି ଭାତ ଲେମ୍ବୁ ଲୁଣ ଝୁରି କିମ୍ବା ଆଚାର ଖାଆନ୍ତି ନାଇଁ । ସେମାନେ ଦେଶ କାଳ ପାତ୍ର ନଈ ନାଳ ପାହାଡ଼ ଜଙ୍ଗଲ ଖାଆନ୍ତି । ଜହ୍ନ ଓ ଜ୍ୟୋତ୍ସ୍ନା ପିଅନ୍ତି । ସମୁଦ୍ର ପିଅନ୍ତି । ସେମାନେ ଘୁଂଘୁଡ଼ି ମାରିଲେ ପାହାଡ଼ ଫାଟେ । ହାଇ ମାରିଲେ ସୌର ମଣ୍ଡଳରେ ବିସ୍ପୋରଣ ହୁଏ । ସେମାନେ ଚାଲିଲେ ଅର୍ଥନୀତିରେ ଓ ଦଲାଲ ଷ୍ଟ୍ରୀଟରେ ଉତ୍ଥାନ ପତନ ହୁଏ ।’ ଋଷୀ ପୁଣି କହିଲା, "ବାପା, ମୋ ସାଙ୍ଗ କହିଛି ତାଙ୍କଘରେ ଲାଗିଥିବା ଏ.ସି. ଆମକୁ ଦିନକପାଇଁ ଦେବ । ଆଣିବା ବାପା, ମଜା ହେବ, ଥଣ୍ଡା ଲାଗିବ । ମୋ ସାଙ୍ଗମାନେ ବି ଆସିବେ ।’