ପୃଷ୍ଠା:Hada bagicha.pdf/୧୮୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପେଟ୍ରୋଲ ମିଳିଯାଏ, ବଜାରରେ ଯାହାକିଛି ଅଭାବଥାଉ ତାଙ୍କୁ ଅକ୍ଳେଶରେ ମିଳେ, ଅଥଚ ମୋତେ ମିଳେନା । ଇଲେକଟ୍ରିସିଆନ୍ ପ୍ଲମ୍ବର ରାଜମିସ୍ତ୍ରୀ ଗେସ୍‌‌ବାଲା ସଭିଏ ମୋତେ ଠକନ୍ତି, ଅଥଚ ତାଙ୍କୁ ସଭିଏଁ ଧରାଦିଅନ୍ତି । ମୋତେ ବସ୍ରେ ସିଟ୍ ମିଳେନା, ରାସ୍ତାରେ ଲିଫ୍ଟ ମିଳେନା । ତାଙ୍କୁ ସବୁ ସହଜରେ ମିଳେ । ଏ ସବୁ ମୋର ଅପାରଗତା ବୋଲି ତାଙ୍କର ସବୁବେଳେ ଅଭିଯୋଗ ।' ଦୀପା କହିଲେ, "ମୁଁ କେତେ ହଇରାଣ ହୁଏଁ କି?’ ନଚିକେତା କହିଲା, "ରାତିରେ ଘରକୁ ଫେରିଲାବେଳକୁ ପଡ଼ାର ଦଶଟି କୁକୁର ବିଶ୍ୱାମିତ୍ରଙ୍କୁ ଭୁକନ୍ତି । ଅଥଚ ମୁଁ ରାତିରେ ଆସିଲେ ସବୁ କୁକୁର କୁଁ କୁଁ କୁଁ କୁଁ କରି ଲାଙ୍ଗୁଡ଼ ହଲାଇ ପାଖକୁ ଆସନ୍ତି । ସେମାନେ ଜାଣିଯାଇଛନ୍ତି ଯେ ମୋ ଡିକିରେ ବିସ୍କୁଟ ପେକେଟ ନିଶ୍ଚୟଥିବ । ଆଙ୍ଗୁଠି ଟିପରେ ପୋକଟିଏ ଧରି କାନ୍ଥକୁ ଛୁଇଁଦେଲେ ଚାରିଟା ଝିଟିପିଟି ଚାରିଦିଗରୁ ଦୌଡ଼ି ଆସନ୍ତି । ଯେ ପ୍ରଥମେ ଆସେ ସେ ଖାଇଦିଏ, ଅନ୍ୟ ତିନୋଟି ମୋ ମୁହଁକୁ ଚାହାନ୍ତି ପ୍ରଶ୍ନିଳ ଦୃଷ୍ଟିରେ, "ଆଉ ଆମ ଭାଗ?’ ଜଜ୍ କହିଲେ, "ତୁମ ସାମାଜିକ ସ୍ଥିତି ବିଷୟରେ ତାଙ୍କର ଅଭିଯୋଗ କଣ?’ ନଚିକେତା କହିଲା, "ଦୀପା ସବୁବେଳେ ବଶିଷ୍ଠବାବୁଙ୍କ ଉଦାହରଣ ଦେଇ କହନ୍ତି, ତାଙ୍କର କେମିତି ସହରରେ ପ୍ରେଷ୍ଟିଜ ଅଛି । ଯେ କୌଣସି ଦୋକାନରେ ଯାହା କିଛି ଧାରରେ ମାଗନ୍ତୁ ତାଙ୍କୁ ମିଳିଯାଏ । ଟିଭି ଫ୍ରିଜ୍ କୁଲର୍ ଏ.ସି. ମୋଟରସାଇକେଲ ଶାଢ଼ି ସୋଫା ଅଳଙ୍କାର, ଯାହାକିଛି । ଏପରିକି ଇଟା ସିମେଣ୍ଟ ବାଲି କୁକୁଡ଼ାମାଂସ ମାଗୁରମାଛ । ଏପରିକି ଅପେରାବାଲାଙ୍କ ପାସ୍, ସଭାସମିତିର ଚୌକି ସବୁକିଛି ଧାରରେ ମିଳିଯାଏ । ମୋତେ କିଛି ମିଳେନା । ସବୁଠାରେ ଧାଡ଼ିରେ ରହିବାପାଇଁ ପଡ଼େ ଓ ନଗଦ ପଇସା ଦରକାର ହୁଏ । ମୋର ସାମାଜିକ ସ୍ଥିତି ପ୍ରତି ତାଙ୍କର ଅଭିଯୋଗ ଏମିତି ।’ "ବେଳେବେଳେ କେତେ ଅସୁବିଧା ହୁଏ କି?’ ଦୀପା କହିଲେ । ନଚିକେତା କହିଲା, "ଆମ ଘର ବଗିଚାରେ ମୋର ବହୁତ ପ୍ରେଷ୍ଟିଜ ଥାଏ । ମୁଁ ଯେତେବେଳେ ଯାଏଁ, ମୋ ସାମନାରେ ଫୁଲଟିଏ ନିଶ୍ଚୟ ଫୁଟେ । ପତ୍ରଟିଏ ନିଶ୍ଚୟ ତା ରଙ୍ଗ ବଦଳାଏ । ବାଇନୋକୁଲର୍ ମାଧ୍ୟମରେ ଦେଖିଲେ ଝିଣ୍ଟିକାଟିଏ ନିଶ୍ଚୟ ସନ୍ୟାସୀ ପରି ଘଞ୍ଚ ଅରଣ୍ୟ ମଝିରେ ଯୋଗମୂଦ୍ରାରେ ଥାଏ । ବାୟା ଚଢ଼େଇଟିଏ ନିଶ୍ଚୟ ଜୁଳୁଜୁଳିଆ ପୋକଙ୍କୁ ନେଇ ତା ଅନ୍ଧାରୁଆ ବସାକୁ ଆଲୋକିତ କରୁଥାଏ । ସକାଳୁ ଚାଲିବା ପାଇଁ ଯିବାବେଳକୁ କିଛି ଶେଫାଳୀ ଫୁଲ ମୋ ହାତରେ ଝଡ଼ିବେବୋଲି ଅପେକ୍ଷା କରିଥାଆନ୍ତି । ଆଞ୍ଜୁଳା ଦେଖାଇ ଦେଲେ ଝଡ଼ି ପଡ଼ନ୍ତି ସଙ୍ଗେସଙ୍ଗେ ଓ ହସନ୍ତି । "ତୁମ ସ୍ୱାସ୍ଥ୍ୟ ବିଷୟରେ ତାଙ୍କର ଅଭିଯୋଗ କଣ?’ ଜଜ୍ ପଚାରିଲେ । ନଚିକେତା କହିଲା, "ଦୀପା ସବୁବେଳେ ମୋର ବନ୍ଧୁ ସନ୍ଦିପନୀବାବୁଙ୍କ ଉଦାହରଣ ଦେଇ କହନ୍ତି, ସେ କେତେ ସ୍ୱାସ୍ଥ୍ୟବାନ୍, କେତେ ଡେଙ୍ଗା, ତାଙ୍କ ମୁଣ୍ଡରେ କେତେ ବାଳ, ତାଙ୍କ ଗାଲ ହାତ କେମିତି ଗୋଲଗୋଲ । ଅନ୍ୟପକ୍ଷରେ ମୋ ଦେହ କେଉଁଠି ବୃତ୍ତାକାର, କେଉଁଠି ବର୍ଗାକାର, କେଉଁଠି ତ୍ରିଭୁଜାକାର । ଠିକ୍ ତାଙ୍କ ଗାଁର ହଳିଆମାନଙ୍କ ପରି । ସେ କେମିତି ତାଙ୍କ ସ୍ୱାସ୍ଥ୍ୟକୁ ଜଗି ଚଳନ୍ତି । ବର୍ଷାରେ ଘରୁ ବାହାରନ୍ତି ନାଇଁ । ଖରାରେ ଘରେ ଶୋଇରୁହନ୍ତି । ଶୀତଦିନରେ ମୁଣ୍ଡରେ ମଫ୍ଲର୍ ବାନ୍ଧି, ନାକରେ ଫିଲ୍ଟର୍ ମାସ୍କ୍ ବାନ୍ଧି, ଛାତିରେ ସ୍ୱେଟର ବାନ୍ଧି ଘରୁ ବାହାରନ୍ତି । ଆଉ ମୁଁ ବାରମ୍ବାର ତାଗିଦ୍ କରିବାସତ୍ୱେ କିଛିକରେନା । କଥାହେଉଛି ବର୍ଷା ଝଡ଼ ଘଡ଼ଘଡ଼ି ବିଜୁଳି କିମ୍ବା ଖରାତାତି ଶୀତରାତି ଅନ୍ଧାରରାତି କାହାରିଦ୍ୱାରା ମୁଁ ନିୟନ୍ତ୍ରିତ ନୁହେଁ । ମୋ ଦ୍ୱାରା ବି ସେମାନେ ନିୟନ୍ତ୍ରିତ ନୁହନ୍ତି । ସେମାନେ ନରମ ଚରମ ପ୍ରଚଣ୍ଡ ପ୍ରଖର, ମୁଁ ନିର୍ବିକାର ।’ ଦୀପା କାନ୍ଦୁଥିଲେ ବୋଧହୁଏ । ଧୀରେ ଧୀରେ ଆଖି ପୋଛୁଥିଲେ । ଜଜ୍ ତାଙ୍କୁ "କିଛି କହିବେକି?’ ବୋଲି ପଚାରିଲେ । ସେ ମୁଣ୍ଡ ହଲାଇ ମନାକଲେ । ଜଜ୍ ପୁଣି ପଚାରିଲେ, "ତୁମର ବୁଦ୍ଧି ବିବେକ ମେଧା ଧୀଶକ୍ତି ପ୍ରତି ତାଙ୍କର ଅଭିଯୋଗ କଣ?’ ନଚିକେତା କହିଲା, "ଦୀପା ସବୁବେଳେ ବ୍ୟାସଦେବ ବାବୁ ଓ ବାଲ୍ମୀକିବାବୁଙ୍କ ଉଦାହରଣ ଦେଇ କୁହନ୍ତି ସେମାନେ କେମିତି ସରଳ ତରଳ ସାବଲୀଳ ଭାଷାରେ ଲେଖାଲେଖି କରନ୍ତି । ତାଙ୍କ କଥାସବୁ ବୁଝିହୁଏ । ମୁଁ କୁଆଡ଼େ ଜଟିଳ ଗରଳ କଥା ଲେଖାଲେଖି କରେଁ । ମୁଁ ଖାଲି ମୃତ୍ୟୁ ବାନ୍ତି ବୁଢ଼ା ହଡ଼ା ପୋକ ମାଛିଙ୍କ ବିଷୟରେ ଲେଖାଲେଖି କରେଁ । କିଏ ପଢ଼ିବ ସେ ସବୁ? କିଛିଦିନ ମୁଁ ଲେଖାଲେଖି ନକରି ବ୍ୟାସଦେବ ଓ ବାଲ୍ମୀକିବାବୁଙ୍କ ସହ ଭୋଜି ଭାତ କୁକୁଡ଼ା ଭାଲୁଂକୁ ନେଇ ସମୟ ବିତାଇଲେ ଦୀପା ଅଭିଯୋଗ କରନ୍ତି, "ଆଜିକାଲି ଆଉ ଲେଖାଲେଖି କରୁନ?’ ଯେବେ ମୁଁ ଲେଖାଲେଖିରେ