ପୃଷ୍ଠା:Hada bagicha.pdf/୧୮୮

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପୋଷ୍ଟଅଫିସରୁ । ଗୋଟିଏ ଠିକଣାରେ ଚିଠିଯିବ ବୋଲି କହୁଥିଲା । ଦିନକୁ ଗୋଟିଏ । ତିରିଷଦିନଯାଏ ସମ୍ଭାବ୍ୟ ଠିକଣା ଖୋଜି କେହି ପାଇ ନଥିଲେ । ନଚିକେତାର ସ୍ତ୍ରୀ ଦୀପା ଟୁଟିର ମୋବାଇଲ ନମ୍ବର ଖୋଜିବାରେ ଦି'ଦିନ ସମୟ ନେଲେ ଏବଂ ପାଇଲାପରେ ତାକୁ ନଚିକେତାର କଥା ପଚାରିଲେ । ଟୁଟି ନଚିକେତାର ଜଣେ ପୂର୍ବତନ ପ୍ରେମିକା । ବହୁଦିନ ପୂର୍ବେ ଦୀପା ତା ସାଙ୍ଗରେ କଥା କଟାକଟି ହୋଇ ଝଗଡ଼ା ଲାଗିଥିଲେ । ଟୁଟି ଆଶ୍ଚର୍ଯ୍ୟ ହେଲା ଓ ନଚିକେତା ବିଷୟରେ କିଛି ହେଲେ ଜାଣି ନଥିବାର ଜଣାଇଲା । ଅତି ବିନୟରେ ଭୟରେ ସଙ୍କୋଚରେ ଏବଂ ବିଶ୍ୱାସରେ । ତଥାପି ଦୀପାଙ୍କର ସନ୍ଦେହ କିଛିମାତ୍ରାରେ ରହିଗଲା । କିଛିଲୋକ ଟୁଟି କିଏ ବୋଲି ଦୀପାଙ୍କୁ ପଚାରିଲେ । ଦୀପା କାହାକୁ କିଛି ନ କହି ଓଠ କାମୁଡ଼ି ଚୁପ ରହିଲେ । ଦୀପା ପାଖକୁ ଦିନେ ଜିଲ୍ଲା ଜଜ୍ କୋର୍ଟରୁ ସମନ୍ ଆସିଲା । ଏବେ ଜାଣିଲେ ଠିକଣାଟି ଥିଲା ଜିଲ୍ଲା ଜଜଙ୍କର । ନିର୍ଧାରିତ ତାରିଖରେ ଦୁଇଟି କାଠଗଡ଼ାରେ ସାମନାସାମନି ଠିଆହେଲେ ନଚିକେତା ଓ ଦୀପା । ତିରିଷଟି ଚିଠି ପାଇବାପରେ ଜଜ୍ ମହାଶୟଙ୍କ ଗତ୍ୟନ୍ତର ନଥିଲା । ବୋଧହୁଏ କିଛି ଖୁସୀ କିଛି ବିରକ୍ତି କିଛି କୌତୁହଳ କିଛି ଅନିସନ୍ଧିତ୍ସୁ ହୋଇ ସମନ୍ କରାଇବାକୁ ବାଧ୍ୟ ହୋଇଥିଲେ । ଦୀପା ପରିଚ୍ଛନ୍ନ ଦେଖାଯାଉଥିଲେ ସାମ୍ପୁକରା ମୁଣ୍ଡରେ ଟପ୍ନଟ୍ କରି । ଛୋଟ ଧଡ଼ିଥିବା ଓ ଦେହସାରା ବୁଟି ବୁଟି ହୋଇଥିବା କଫି ରଙ୍ଗର ଶାଢ଼ିର କୁଞ୍ଚସବୁ ତାଙ୍କୁ ସଯତ୍ନେ ଘୋଡ଼ାଇ ରଖିଥିଲା । ନଚିକେତା ହସିଥିଲା ବି ସାମାନ୍ୟ ଦୀପାକୁ ଦେଖି । ନଚିକେତାର କିନ୍ତୁ ଦାଢ଼ି ଓ ନଖ ବଢ଼ି ଯାଇଥିଲା ଓ ସେ ଅପରିଷ୍କାର ଦେଖାଯାଉଥିଲା । କୋର୍ଟରୁମକୁ ଜଜ୍ ଆସିଲେ । ସଭିଏ ଛିଡ଼ାହୋଇ ବସିବାପରେ ନଚିକେତାର ମୁହଁକୁ ଦେଖି ସିଧାସଳଖ ଆରମ୍ଭ କଲେ, "ତୁମର ଯାହା କହିବାର ଅଛି ତୁମ ସ୍ତ୍ରୀଙ୍କୁ କୁହ ।’ ନଚିକେତା କହିଲା, "ମୁଁ ଯାହା କହିବାକଥା ଚିଠିରେ କହି ସାରିଛି ।’ ଜଜ୍ କହିଲେ, "ନା, ସେ ସବୁ ତୁମ ସ୍ତ୍ରୀ କିଛି ଶୁଣିନାହାନ୍ତି । ମୁଁ କେତେ ଗୁଡ଼ିଏ ପଏଣ୍ଟ ନୋଟ୍‌‌କରିଛି ସେ ସମ୍ପର୍କରେ ଏ କୋର୍ଟ ସାମନାରେ କୁହ । ପ୍ରଥମେ ତୁମ ବିଶୃଙ୍ଖଳତା ବିଷୟରେ ତୁମ ସ୍ତ୍ରୀଙ୍କ ଅଭିଯୋଗ କଣ ସେ ବାବଦରେ କୁହ ।’ ନଚିକେତା ଆରମ୍ଭ କଲା, "ୟୋର ଅନର୍, ଦୀପା ସବୁବେଳେ ଆମ ପଡ଼ୋଶୀ ବିଶ୍ୱବସୁଙ୍କ ଉଦାହରଣ ଦେଇ କହନ୍ତି ସେ କେମିତି ଘଣ୍ଟାକଣ୍ଟା ମିନିଟକଣ୍ଟା ସାଙ୍ଗରେ ତାଳମିଳାଇ ଯାଆନ୍ତି ଆସନ୍ତି କାମକରନ୍ତି । ସକାଳ ନ’ଟାରେ ଉଠନ୍ତି, ନ’ଟା ପାଞ୍ଚରେ ଚା ଖାଆନ୍ତି, ନ’ଟା ପନ୍ଦରରେ ଆଳୁ ଉଲି ଶାଗ କିଣିଯାଆନ୍ତି, ନ’ଟା ତିରିଶରେ ଗାଧୋଇ ନ’ଟା ଚାଳିଶରେ ଗେଞ୍ଜି ଅଣ୍ଡରୱାୟାର ଲଗାନ୍ତି, ନ’ଟା ପଇଁଚାଳିଶରେ ପେଣ୍ଟସାର୍ଟ, ନ’ଟା ପଚାଶରେ ଉପମା ଖାଆନ୍ତି ଓ ନ’ଟା ପଞ୍ଚାବନରେ ସ୍କୁଟର କାଢ଼ନ୍ତି, ନ’ଟା ଶତାବନରେ କେବଳ ନିଜେବସୁଥିବା ସିଟକୁ ପୋଛିଦିଅନ୍ତି ଏବଂ ତା ପର ମିନିଟରେ ବେଙ୍କ ଚାଲିଯାଆନ୍ତି । ତାଙ୍କ କାମକୁନେଇ ଜଣେ ନିଜ ଘଡ଼ି ମିଳାଇପାରିବ । ମୁଁ ଏତେ ଶୃଙ୍ଖଳାବଦ୍ଧ କାହିଁକି ହୋଇ ପାରୁନାଇଁ, ଏହା ହିଁ ତାଙ୍କର ଅଭିଯୋଗ । ଅହରହ ।' "ଆପଣଙ୍କ କିଛି କହିବାର ଅଛି?’ ଜଜ୍ ପଚାରିଲେ ଦୀପାକୁ । "ମୋର ପ୍ରଥମ ଅଭିଯୋଗର ଉତ୍ତର ସେ ଦିଅନ୍ତୁ ।’ ନଚିକେତା କହିଲା, "ବିଶ୍ୱବସୁ ଯଦି ଏତେ ଶୃଙ୍ଖଳିତ, ତେବେ ତାଙ୍କର କାଶ ହେବା ଛିଙ୍କହେବା ହାଇମାରିବା ସମୟ ବି ଘଡ଼ି ସହିତ ତାଳ ଦିଏ କି? କେଉଁ ସମୟରେ ଓ କେତେବେଳଯାଏ ସେ ହାଇମାରନ୍ତି? କେଉଁ ସମୟରେ ସେ ଜହ୍ନ ରାତିରେ ରୋମାଞ୍ଚିତ ହୁଅନ୍ତି? ଘରଚଟିଆଟିଏ ଗାଡ଼ିଆରେ ଗାଧୋଉ ଥିବାର ଦୃଶ୍ୟ କେତେବେଳେ ଦେଖନ୍ତି? ପକ୍ଷୀଟିଏ ବସା ତିଆରିକରୁଥିବା ଦୃଶ୍ୟ କେତେବେଳେ ଦେଖନ୍ତି? ରାତିରେ କେତେ ସମୟରୁ କେତେସମୟ ଯାଏଁ ତାରା ଗଣନ୍ତି? କୁମ୍ଭଟୁଆଟିଏ ଗେଣ୍ଡାକୁ ଖୁମ୍ପି ଖୁମ୍ପି ଖାଉଥିବାର ଦୃଶ୍ୟ କେତେବେଳେ ଦେଖନ୍ତି? ତାଙ୍କ ଗମଲାରେ କେତେବେଳେ ଫୁଲ ଫୁଟେ? ଦିନ ଚାରିଟାରେ କି ରାତି ଦୁଇଟାରେ? କଥା ହେଉଛି ଘଡ଼ିଟା ସମୟ ନୁହେଁ ଏବଂ ସମୟଟା ଘଡ଼ି ନୁହେଁ । ଦୁହେଁ ଅଲଗା ଅଲଗା ଜିନିଷ ।’ ଜଜ୍ ପୁଣି ପଚାରିଲେ, "ତୁମ ଅପାରଗତା ବିଷୟରେ ତାଙ୍କର ଅଭିଯୋଗ କଣ?’ ନଚିକେତା କହିଲା, "ୟୋର ଅନର୍, ମୋର ବନ୍ଧୁ ବିଶ୍ୱାମିତ୍ରଙ୍କ ଉଦାହରଣ ଦେଇ ସେ କହନ୍ତି, ତାଙ୍କୁ କେମିତି କେତେ ସହଜରେ ଗେସ୍ ମିଳିଯାଏ, ଚିନି, ଗହମ,