ପୃଷ୍ଠା:Hada bagicha.pdf/୧୯୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟସ୍ତ ଥାଏଁ ସେ ମୋ ମୁହଁକୁ ଦେଖି ମୁଁ ଖୁବ୍- "ଦୟନୀୟ' ଦେଖାଯାଉଛି ବୋଲି କୁହନ୍ତି । ଲେଖାଲେଖି ନକଲେ କାଳେ ମୋତେ କିଏ "ପିଟିବ ମାରିବ' ପରି ଦେଖାଯାଉଛି । ମୋ ମୁହଁ କାଳେ ଉଗ୍ରବାଦୀଙ୍କ ବନ୍ଧୁକ ମୂନରେ ପଣବନ୍ଦୀ ଥିବା ବ୍ୟକ୍ତିର ମୁହଁପରି ଦେଖାଯାଉଛି । "ଥାଉଥାଉ ଆମର ଲେଖାଲେଖି କରିବା ଦରକାର ନାଇଁ', ସେ କୁହନ୍ତି । ତା ଛଡ଼ା ଲେଖିବାରେ ବ୍ୟସ୍ତ ଥିବାବେଳେ ମୁଁ କାଳେ ତାଙ୍କୁ ଘରୁ ତଡ଼ି ଦେବାପରି ବ୍ୟବହାର କରୁଥାଏଁ । ଏଇଟା ବି ତାଙ୍କର ଅଭିଯୋଗ । ପ୍ରକୃତରେ ମୁଁ ମୋ ପଢ଼ା କୋଠରିରେ ଥାଇ ଲେଖାଲେଖି କଲାବେଳକୁ ବହି ଭିତରୁ ଅଭିଧାନ ଭିତରୁ ପୁରାଣ ଭିତରୁ ସଂସ୍କୃତି ଭିତରୁ ଶବ୍ଦମାନେ ଧାଡ଼ି ବାନ୍ଧି ବାହାରି ଆସନ୍ତି । ଉଗ୍ର ସାପପରି ଫଁ ଫଁ ହେଉଥାଆନ୍ତି । ଉଗ୍ର କଦାକାର ବିକଟାଳ ଓ ଅମାନ୍ୟ । କୋଠରିସାରା ଚୌକି ଟେବୁଲ ଫେନ ଲାଇଟ ବହି, ବହିଥାକ ସବୁ ତରଳି ଯାଉ ଥାଆନ୍ତି ସାପପରି, ବିଷାକ୍ତ କୀଟପରି । ଘୋଡ଼ାଟାପୁ ଶବ୍ଦ ଶୁଭୁଥାଏ । ପଥର କଚାଡ଼ିହେବା ଶବ୍ଦ ଶୁଭୁଥାଏ, ଝଡ଼ ତୋଫାନ ଆସୁଥାଏ, ଘୂର୍ଣିବାତ୍ୟା ଆସୁଥାଏ, ଭୂମିକମ୍ପ ଆଗ୍ନେୟଗିରି ଆସୁଥାଏ, ଶବ୍ଦମାନେ ଦୁଲ୍‌‌ଦାଲ୍ ଧୁମ୍‌‌ଧାମ୍ ଧଡ଼ାସ୍ ଧଡ଼ାସ୍ କଚାଡ଼ି ହେଉଥାଆନ୍ତି । ଅଶାନ୍ତ ସମୁଦ୍ରପରି ଗର୍ଜନ କରୁଥାଏ କୋଠରିଟି । କୋଠରିସାରା ବହିମାନେ, ଶବ୍ଦ ବିନ୍ଦୁ ଗାର ସଂଖ୍ୟା ବ୍ୟାକରଣ ଅଭିଧାନସବୁ ଚକ୍ରାକାରରେ ଶୂନ୍ୟରେ ଘୂରୁଥାଆନ୍ତି ଓ ମୋ ଦେହସାରା କଚାଡ଼ି ହେଉଥାଆନ୍ତି । ମୁଁ ସମ୍ଭାଳି ନିଏଁ, ଦୀପା ଅସମ୍ଭାଳି ଯାଇ ବାନ୍ତି କରିପକାନ୍ତି । ଯେତେବେଳେ ସେମାନେ ଶାନ୍ତପଡ଼ନ୍ତି ମୋତେ ଅର୍ଗାଜମ୍ ପାଇଲାପରି ଅନୁଭୂତ ହୁଏ ।’ ଜଜ୍ ତାଙ୍କ ମୁହଁକୁ ରୁମାଲରେ ପୋଛି ଏବଂ ଫେନ ଚାଲୁଛି କି ନାଇଁ ଉପରକୁ ଟିକିଏ ଦେଖି ପୁଣି ପଚାରିଲେ, "ତୁମ ସ୍ୱପ୍ନ, ତୁମ ପ୍ରବୃତ୍ତି ବିଷୟରେ ତାଙ୍କର ଅଭିଯୋଗ କଣ?’ "ତାଙ୍କର ଅନେକ ଅଭିଯୋଗ ଅଛି । ଥରେ ଥରେ ମୁଁ କାହିଁକି ଦି’ଦିନ ତିନିଦିନ କାଳ ଘରବାହାରେ ତାଲା ଝୁଲାଇ ଭିତରେ ରହି ଯାଇଥାଏଁ? ମୁଁ କାହିଁକି ବାଥରୁମ୍ର ପାଣିଟାଙ୍କିରେ ଶୋଇରହି ଗପ ବହି ପଢ଼େଁ? ମୁଁ କାହିଁକି ଶୀତରାତିରେ ଖୋଲା ପଡ଼ିଆରେ ଅଧରାତି ଯାଏ ଶୋଇରହେଁ? ମୁଁ କାହିଁକି ଗନ୍ଧମାର୍ଦନ ପାହାଡ଼ ଉପରେ ଥିବା ବଂଲୋରେ ସାତଦିନ ରହିଥିଲି ଏକାକୀ? ମୁଁ କାହିଁକି ଥରେ ପାର୍କଭିତରେ ଶୋଇ ପଡ଼ିଥିଲି ରାତିସାରା? ମୁଁ କାହିଁକି ତାଙ୍କ ବାପାଙ୍କ ଶୁଦ୍ଧିକ୍ରୀୟାକୁ ଯାଇ କାହାକୁ ନଜଣାଇ ଫେରିଆସିଲି? ମୁଁ କାହିଁକି ସ୍କୁଲ ଲେବୋରଟାରିରୁ ମଣିଷ କଙ୍କାଳ ମାଗିଆଣି ଦି ଦିନକାଳ ଘରେ ସଜାଇ ରଖିଲି? ଉକ୍ତ ଦୁଇଦିନ ଓ ତା ପରେ ଆଉ ସପ୍ତାହେକାଳ ସେ ଭୟରେ ଶୋଇପାରି ନଥିଲେ । ମୁଁ କାହିଁକି ତାଙ୍କୁ ଅନେକଥର ସହରଭିତରେ ଭୂଲକ୍ରମେ ଛାଡ଼ିଦେଇ ଆସିଛି, ସ୍କୁଟରର ପଛସିଟ୍ରେ ବସିଛନ୍ତି ଭାବି? ଏବଂ ଆଜି ପୁଣି ସେ ନିଶ୍ଚୟ ଅଭିଯୋଗ କରିବେ ଏ ତିରିଷଦିନ ମୁଁ କେଉଁଠି ରହିଲି? କାହିଁକି ରହିଲି? କଣ ଖାଇଲି? କଣ କଲି? କାହିଁକି? କାହିଁକି? କାହିଁକି? ଗୁଡ଼ାଏ କାହିଁକି?’ ଜଜ୍ ଦୀପାଙ୍କୁ ପଚାରିଲେ, "କିଛି କହିବାର ଅଛି?’ ଦୀପା ମନା କଲେ । ଜଜ୍ ମହାଶୟ ନଚିକେତାକୁ କହିଲେ, "ଏତେ କଥା ଲେଖିବା ଓ କହିବା ସତ୍ୱେ ଆପଣ ଛାଡ଼ପତ୍ର କାହିଁକି ନେବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ନିର୍ଦିଷ୍ଟ ଭାବରେ କିଛି କହିନାହାନ୍ତି । ଗୋଟିଏ ହେଲେ ଯୁକ୍ତି ବାଢ଼ିନାହାନ୍ତି । କାହିଁକି ଛାଡ଼ପତ୍ର ନେବାକୁ ଚାହୁଛନ୍ତି ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ ତଳକୁତଳ ଲେଖି ପୁଣିଥରେ କୋର୍ଟକୁ ଜଣାଇବାକୁ ଆପଣଙ୍କୁ ଆଉ ତିରିଷଦିନ ସମୟ ଦିଆଗଲା । ଗପଟିଏ ଶୁଣନ୍ତୁ । ଥରେ ଗୋଟିଏ ମୂଷା ବିଲେଇ ଭୟରେ ଦୌଡ଼ି ପଳାଇଲା ବେଳକୁ ଯାଦୁଗରଟିଏ ତାକୁ ବିଲେଇରେ ରୂପାନ୍ତରିତ କରିଦେଲା । କିଛିଦିନ ପରେ ସେ କୁକୁରକୁ ଡରିବାରୁ ତାକୁ ପୁଣି କୁକୁରରେ ରୂପାନ୍ତରିତ କରିଦେଲା । କୁକୁର ପୁଣି ସିଂହକୁ ଡରିବାରୁ ତାକୁ ପୁଣି ସିଂହ କରାଗଲା । ସିଂହ ପୁଣି ଶିକାରୀକୁ ଭୟ କରିବାରୁ ଯାଦୁଗର କହିଲା "ତୋତେ ଏଡ଼େ ଦୁର୍ଦାନ୍ତ କରାଗଲା ଅଥଚ ତୋ ହୃଦୟଟା ତଥାପି ମୂଷାଛୁଆ ପରି ରହିଗଲା । ଯା’ ତୁ ପୁଣି ମୂଷା ହୋଇ ରହ ।’ ଏହା କହି ସଙ୍ଗେସଙ୍ଗେ ସିଂହକୁ ମୂଷା କରିଦେଲା । ନଚିକେତାବାବୁ, ଆପଣ ଯେଡ଼େ ଦୁର୍ଦାନ୍ତ ଯୁକ୍ତି ସବୁ ଉପସ୍ଥାପନ କରିଛନ୍ତି ବୋଲି ଭାବୁଛନ୍ତି, ସେ ସବୁ ପ୍ରକୃତରେ ମୂଷିକର ହୃଦୟପରି ଅତି ଛୋଟଛୋଟ କଥା ଗୁଡ଼ାକ । ସମାଜରେ ଓ ପରିବାରରେ ଥିଲେ ସେମିତିହୁଏ । ଜଣାପଡୁଛି ଆପଣଙ୍କ ହନିମୁନ୍ ସମୟ ଏ ଯାଏଁ କଟିନାହିଁ, ଅଥଚ ଛାଡ଼ପତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି । ଆଗାମୀ ତିରିଷ ଦିନ ଆପଣ ହନିମୁନ୍‌‌ରେ ଯାଆନ୍ତୁ । ତାପରେ ଛାଡ଼ପତ୍ର କଥା ଚିନ୍ତାକରିବେ । ଖିଆଲ ଜୀବନ ହୋଇପାରେ କେବେକେବେ, ମାତ୍ର କେବେହେଲେ ଯୁକ୍ତି ହୋଇପାରେନା ।’