ଦୀନବନ୍ଧୁ ଦଇତାରୀ

ଉଇକିପାଠାଗାର‌ରୁ
ଲେଖକ/କବି: ବନମାଳୀ ଦାସ
ଦୀନବନ୍ଧୁ ଦଇତାରୀ

ଦୀନବନ୍ଧୁ ଦଇତାରୀ

ଦୀନବନ୍ଧୁ ଦଇତାରୀ ଦୁଃଖ ନଗଲା ମୋହରି ।
ହେଲ କି ନିଷ୍ଠୁର ଚିତ୍ତ ନୀଳାଚଳେ ବିଜେ କରି ।।

ଲକ୍ଷେ ଯୋଜନରେ ଗଜ ଡାକିଲା ହେ ଦେବରାଜ ।
ତା ଡାକକୁ ଚତୁର୍ଭୁଜ ଶୁଣିଛ ଶ୍ରବଣ ଡେରି ।।

କୁରୁପତି ସଭାସ୍ଥଳେ ଦ୍ରୌପଦୀ ଆତଙ୍ଗ କାଳେ ।
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାରୁ କରିଛ ପାରି ।।

ବଳବନ୍ତ ପ୍ରଭୁ ବୋଲି ବେଳେ ମୁଁ ଯେ ଆଶ୍ରା କଲି ।
ଦେଖୁ ଦେଖୁ ଭାସିଗଲି କେ ଏଥୁ କରିବ ପାରି ।।

ରଖ ବା ନ ରଖ ମୋତେ ଶରଣ ତୋ ପାଦଗତେ ।
କହେ ବନମାଳୀ ଗୀତେ ବସିଅଛି ଧ୍ୟାନ କରି ।।