ମଣିମା ହେ ଏତିକି ମାଗୁଣି ମୋର

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଲେଖକ/କବି: ବନମାଳୀ ଦାସ
ମଣିମା ହେ ଏତିକି ମାଗୁଣି ମୋର

ମଣିମା ହେ ଏତିକି ମାଗୁଣି ମୋର ।
ମରଣ କାଳରେ ଦରଶନ ଦେବ କଳାମୁଖ କଳାକାର ।।

ମଥାରେ ଥିବ ମୋ ତୁମ୍ଭ ଛଡାମାଳ, ମୁଖରେ ଥିବ ତୁଳସି ।
ମନେ ମନେ ଭାଳି ସୁଖି ହେଉଥିବି ନିଳାଦ୍ରୀଶିଖର ବାସୀ ।।

ମହାବାହୁ ଟେକା ଶ୍ୱେତ ପଦ୍ମ ଚକା ନୟନକୁ ନିତି ଚାହିଁ ।
ମଜ୍ଜାରେ ପୁଲକ ପୂରୁଥାଉ ରଙ୍କନିଧି ଦୁଃଖିଜନ ସାଇଁ ।।

ମଙ୍ଗଳ ଆଳତି ଅବକାଶ କାଳେ ଗରୁଡ ପଛରେ ଥାଇ ।
ମୋହି ହେଉଥିବି ପ୍ରତି ନିଶାନ୍ତରେ ତୁମ୍ଭ ଗୁଣ ଗାଥା ଗାଇ ।।

ମଞ୍ଜୁଳ ବଡସିଂହାର ବେଶ ଦେଖି ମାରୁଥିବି କକ୍ଷତାଳି ।
ମରୁଆ ଦୟଣା ମାଳିଆଙ୍କୁ ଏତେ ଅଳି କରେ ବନମାଳୀ ।।