ଜୟ ଜଗନ୍ନାଥ ହେ ଯଶୋଦା କୁମର

ଉଇକିପାଠାଗାର‌ରୁ
ଲେଖକ/କବି: ବନମାଳୀ ଦାସ
ଜୟ ଜଗନ୍ନାଥ ହେ ଯଶୋଦା କୁମର

ଜୟ ଜଗନ୍ନାଥ ହେ ଯଶୋଦା କୁମର

ଜୟ ଜଗନ୍ନାଥ ହେ ଯଶୋଦା କୁମର ।
ଶ୍ରୀମତି ଚିତ୍ତ-ଚାତକ ନୂତନ ଜଳଧର ।।

ଶିରେ ଶିଖିପୁଚ୍ଛ ଚୂଡା ଗୁଚ୍ଛ କିଆପତ୍ର ବେଢା
ସତୀଙ୍କ ବରତ ଛଡା ମୂରଲୀ ନଟବର ।

ନିତ୍ୟ ସତ୍ୟ ପୂର୍ଣ୍ଣାନନ୍ଦ ଗୋକୁଳ ରକ୍ଷଗୋବିନ୍ଦ
ପାଦ ଅରବିନ୍ଦେ ଭକ୍ତ ଭ୍ରମର ନିକର ।

ଶେଷ ଯା ମହିମା ଲେଶ ନ କରି ପାରନ୍ତି ଶେଷ
ଯା ନାମ ଜପି ମହେଶ ମୃତ୍ୟୁକୁ କଲେ ଦୂର ।

ଲବଣ ଜଳଧି ତଟ ନୀଳାଦ୍ରୀ ନାମ ପ୍ରକଟ
କଳପ ବଟ ମୂଳେ କି ଲାଗିବ ନାବ ମୋର ।

କହେ ବନମାଳୀ ଦାସ ଶ୍ରୀଗୁରୁ ଚରଣେ ଆଶ
ସତେ କ୍ଷେତ୍ରବାସେ ଶେଷ ଜୀବନ ଯିବ ମୋର ।