ପୃଷ୍ଠା:Chha mana atha guntha.pdf/୧୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଖରେ ବସି ରୋଜିନା ଡାଏରୀ କଲମ ବନ୍ଦ କରୁଥିବା ହାଲତ - ବରକନ୍ଦାଜ ଗୋଲାମ କାଦର ଓ ହରି ସିଂହ ଆପଣା ପହରାରେ ମୁତୟନ ଥିବା ହାଲତ - ଅତ୍ର ଥାନା ଏଲାକା ଫତେପୁର ସରଷଣ୍ଢ ମୌଜା ଗୋବିନ୍ଦପୁର ଛାଟିଆ ଗୋବରା ଜେନା ହାଜର ଆସି ଜାହେର କଲା କି, ତାଲୁକା ମଜକୁର ମୌଜା ମଜକୁର ରହିସ ସାରିଆ ନାମକ ତନ୍ତୀଆଣୀକୁ ଖୁଣ କରିଥିବା । ବନ୍ଦା ଏହି ରିପୋର୍ଟ ପାଇବାମାତ୍ର ଲେହମାକ ଗୁଦସ୍ତ ନ କରି ହଜୁରର ପ୍ରଥମ ଏତଲାଇ କାଟି ଆସାମୀ ଜଣେ ଜମିଦାର ଥିବା ଏବଂ ସେ ଜଣେ ମସୁର ବଦମାଏସ ଏବଂ ଜାଲିମା ବାଜ ଥିବା ହାଲତ ଏବଂ ମାମଲା ଭାରି ସଙ୍ଗିନ ଥିବା ଲିହାଜ ବନ୍ଦା ତଡେଦମ୍ ଉକ୍ତ ସ୍ଥାନରୁ ରମାନା ହୋଇ ସରଜମିନରେ ପହ୍ଞ୍ଚି ବସ୍ତୁର ମୁତାବକ ଆସାମୀ ଘର ମହାସଗ ଖାନତଲାସ ବହୁତ ହୁସିଆରିରେ ଆସାମୀକୁ ଗ୍ରେପ୍ତାର କଲା ବାଦ - ମହିଲୁକିଆ ସାରିଆର ଲାଶ୍ ଏବଂ ତାହାର ଘରର ମାଲ ଆସବାବ ଏବଂ ମହିଲୁକିଆର ନେତ ନାମକ ଏକରାଶ ସଫେଦା ଗାଈ ଆସାମୀ ଜିମାରୁ ବରାବଦ୍ କରିଅଛି - ଆସାମୀ ଯେଉଁ ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଅଛି, ସେ ବାଡ଼ି ମଧ୍ୟ ବରାମଦ ହେବା ହାଲତ - ଆସାମୀ ରାମଚନ୍ଦ୍ର ମଙ୍ଗରାଜ ଆପେ ଏକଗୋଟି ବାଉଁଶ ବାଡ଼ିରେ ସାରିଆକୁ ଖୁଣ କରିଥିବା ଚାରିଜଣ ଗୁହାଙ୍କ ଜବାନ ବନ୍ଦୀରୁ ସାଫ ସାବିତ୍ । ଏମାନେ ରୁଇତଗୁହା ଥିବା ସାଫ ସାବିତ । ଆସାମୀ ଯେ ଜଣେ ଜାଲିମବାଜ, ଜଣେ ଇମାନଦାର ମୁସଲମାନର ଜମିଦାରୀ ଜୁଆଚୋରୀ କରି ନେଇଅଛି, ତାହା ଚାରି ନମ୍ବର ଗୁହା ଜମାନବନ୍ଦିରୁ ସାଫ ସାବିତ । ଏହିସବୁ ଜାଲ ଲିହାଜରେ ଆସାମୀ ଉପରେ ଖୁଣ ସାବିତ ହେବାରୁ ହଜୁରକୁ ଚାଲଣ ଦେଲି, ହଜୁର ଖୋଦାବନ୍ଦ ମାବାପ, ଦୁନିଆର ବାଦସା, ରିପୋର୍ଟ କସୋର ମାଫ ହେବ, ନୌସନାରୀ ତଜ୍‌ବିଜ୍ ହେବ ।
୧୦ ତାରିଖ ଅକ୍ଟୋବର ସନ ୧୮୩୧
ଦାରୋଗା ଇନାଏତ ହୋସେନ
ଥାନେ କେନ୍ଦ୍ରାପଡ଼ା ।