ବେଙ୍ଗୁଲୀ ନାନୀ

ଉଇକିପାଠାଗାର‌ରୁ
ବେଙ୍ଗୁଲୀ ନାନୀ
ଲେଖକ/କବି: ଗୋପାଳ ପ୍ରହରାଜ

ବେଙ୍ଗୁଲୀ ନାନୀ

ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେଉଁ
ନଇ ବଢି କରି ଭସେଇ ଦେଉଁ ।
ବେଙ୍ଗୁଲୀ ଅଟୁ ତୁ ଇନ୍ଦ୍ରଘରଣୀ
ଡେଇଁ ଡେଇଁ କରି କାଢୁ ତୁ ପାଣି ।

ବେଙ୍ଗୁଲୀ ନାନୀର ଦେହରେ ଆବୁ
ହଳଦୀ ମାଲପା ଲଗାଉଥିବୁ ।
ଖଉରିଆ ଦେହେ ବେଙ୍ଗୁଲୀ ତୋର
ହଳଦୀ ମାଲପା ନାହିଁକି ତୋର ?

ସାରୁ ଗଛ ମୂଳେ ବେଙ୍ଗୁଲୀ ନାନୀ
ବାହା ହେଉଅଛି ବରଷେ ପାଣି ।
ବେଙ୍ଗୁଲି ନାନୀଟି ଉଞ୍ଚପାଠେଇ
ତଣ୍ଟି ବସିଗଲା ପଖାଳ ଖାଇ ।

ପିଲାଦିନେ ହେଲୁ ଗେଲବସର
ସେଥିପାଇଁ ଫରକଟା ତୋ' ଗୋଡ ।
ବେଙ୍ଗୁଲୀ ନାନୀ ଲୋ ଛାଡୁ ବରଷା
ନଇବଢି କରି ଆଉ ନ ଭସା ।