ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଠିକଣା
ସେ କିପରି ଦିନ ଥିଲା
ସମ୍ଭାବନାହୀନ ଆକାଶରେ
ମେଘର ବିବର୍ଣ୍ଣ ଶବ
ନଦୀମାନେ ପ୍ରତିଶ୍ରୁତିହୀନ
ସମୁଦ୍ରରେ ଭାସମାନ ଦୁଃସ୍ୱପ୍ନର ଭଙ୍ଗା ଭଙ୍ଗା ଛାଇ
ବ୍ୟକ୍ତିଗତ ରାତି ସବୁ ନିର୍ଜନ ଓ ନିଦ୍ରାହୀନ
ଅଧିଷ୍ଠାତ୍ରୀ ଦେବୀଙ୍କର କୁଣ୍ଠିତ କାମନାମାନ
ହଜିଗଲେ ଭୟାର୍ତ୍ତ ସ୍ୱପ୍ନରେ
ଛୋଟ ଛୋଟ ଅସହାୟ ମୁହଁ ଆସି
ଭାସି ଭାସି ସକାଳର ସଜ ଆକାଶରେ
କ୍ରମଶଃ ନିଶ୍ଚିହ୍ନ ହେଲେ
ବଞ୍ଚିବାର ବ୍ୟର୍ଥ ପ୍ରୟାସରେ
ନିଃସଙ୍ଗ ପକ୍ଷୀଟି ଏକା
ଉଡି ବୁଲେ ଖାଲି ଦୋତାଲାରେ
ଏଠାରେ ବସନ୍ତ ନାହିଁ ଏ ଏକ ନିର୍ଜନ ଦ୍ୱୀପ
ନିର୍ବାସିତ ଲୋକଙ୍କର ଏ ସବୁ ଇଲାକା
ଏଠାରେ ଏ ଘର ଖାଲି ଆୟତନ ଚାରିଟି କାନ୍ଥର
ବିଛଣାରେ ମଲା ଦେହ
ଅବସନ୍ନ ଇନ୍ଦ୍ରିୟରେ ବିକୃତ ଆକାଂକ୍ଷା
ଅସଂଗତ କୃତ୍ରିମ ରତିର
କିମ୍ବା ସ୍ୱପ୍ନ ଭଳି
ପ୍ରଥମ ପୁରୁଷ । ୫୫