ମାତ, ପିତା ଓ ମିତ୍ର ଏ ତିନି ଜଣେ ସ୍ୱଭାବରେ ହିତକାରୀ ହୁଅନ୍ତି, ଆଉ ଅନ୍ୟ ଲୋକସୁଦ୍ଧା କାର୍ଯ୍ୟକାରଣପ୍ରଯୁକ୍ତ ହିତକାରୀ ହୁଏ । ଅତଏବ ଆମ୍ଭମାନଙ୍କ ମିତ୍ର ହିରଣ୍ୟକ ନାମରେ ମୂଷିକରାଜ ଚିତ୍ରବନରେ ଗଣ୍ତକୀ ନଦୀ ତୀରରେ ବାସ କରି ଅଛନ୍ତି, ସେ ଆମ୍ଭମାନଙ୍କ ପାଶ ଛେଦନ କରିବେ । ଇହା ବିବେଚନା କରି ସମସ୍ତେ ହିରଣ୍ୟକ ଗର୍ତ୍ତ ନିକଟକୁ ଗଲେ ।
ହିରଣ୍ୟକ ସର୍ବଦା ଉପଦ୍ରବ ଶଙ୍କାରେ ଶରଦ୍ୱାର ଗର୍ତ୍ତ କରି ବାସ କରିଥାଏ । ସେଠାଋ ହିରଣ୍ୟକ କପୋତମାନଙ୍କ ପତନ ଶବ୍ଦ ଭୟରେ ଭୀତ ହୋଇ ତୂଷ୍ଣୀଭାବରେ ରହିଲା । ଅନନ୍ତର ଚିତ୍ରଗ୍ରୀବ କହିଲା, ହେ ମିତ୍ର ହିରଣ୍ୟକ, କାହିଁକି ଆମ୍ଭମାନଙ୍କୁ କଥା କହୁ ନାହଁ ? ତେତେବେଳେ ହିରଣ୍ୟକ ମିତ୍ରର ବାକ୍ୟ ବୁଝି ଶୀଘ୍ର ବାହାର ହୋଇ କହିଲା, ଆଃ ଆମ୍ଭେ କି ପୁଣ୍ୟବାନ୍ ଆମ୍ଭର ପରମ ସୁହୃତ୍ ଚିତ୍ରଗ୍ରୀବ ଆସିଛନ୍ତି ।
ଯସ୍ୟ ମିତ୍ରେଣ ସମ୍ଭାଷୋ ଯସ୍ୟ ମିତ୍ରେଣ ସଂସ୍ଥିତିଃ । ଯସ୍ୟ ମିତ୍ରେଣ ସଂଳାପସ୍ତତୋ ନାସ୍ତୀହ ପୁଣ୍ୟବାନ ।।
ମିତ୍ର ସହିତ ଯାହାର କଥୋପକଥନ ଓ ମିତ୍ର ସହିତ ଯାହାର ବାସ ଏବଂ ମିତ୍ର ସହିତ ଯାହାର ଆଳାପ ହୁଏ, ପୃଥିବୀରେ ତାହାଠାଋ ପୁଣ୍ୟବାନ୍ ଆଉ କେହି ନାହିଁ । ତାହାବାଦ ସେ କପୋତମାନଙ୍କୁ ଜାଲରେ ବଦ୍ଧ ଦେଖି ବିସ୍ମୟାପନ୍ନ ହୋଇ କିଞ୍ଚିତ୍କାଳ ରହି କହିଲା, ସଖେ ଏ କି? ଚିତ୍ରଗ୍ରୀବ କହିଲା, ହେ ମିତ୍ର, ଆମ୍ଭମାନଙ୍କର ପୂର୍ବଜନ୍ମକୃତ କର୍ମର ଫଳ ଏହି,
ଯସ୍ମାଚ୍ଚ ଯେନ ଚ ଯଥା ଚ ଯଦା ଚ ଯଚ୍ଚ, ଯାବଚ୍ଚ ଯତ୍ର ଚ ଶୁଭାଶୁଭମାତ୍ମକର୍ମ । ତସ୍ମାଚ୍ଚ ତେନ ଚ ତଥାଚ ତଦା ଚ ତଚ୍ଚ, ତାବଚ୍ଚ ତତ୍ର ଚ ବିଧାତୃବଶାଦୁପୈତି ।
ଯାହାଠାଋ, ଯତ୍କରଣକ, ଯେଉଁ ପ୍ରକାରରେ, ଯେଉଁ କାଳରେ, ଯେଉଁ ସ୍ଥାନରେ, ଯେତେ ଶୁଭ କିମ୍ବା ଅଶୁଭ ଆତ୍ମକୃତ କର୍ମ, ସେ ସବୁ ତାହାଠାଋ, ତକୃତଣକ, ସେହି ପ୍ରକାରରେ, ତେତିକିବେଳେ, ସେହି ସ୍ଥାନରେ ଈଶ୍ୱରେଚ୍ଛାପ୍ରଯୁକ୍ତ ଜୀବକୁ ପ୍ରାପ୍ତ ହୁଏ ।