ପୃଷ୍ଠା:Odisha Rajanitira Itihasa.pdf/୧୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାଙ୍କର ଜନ୍ମ । ବାଲ୍ୟକାଳରେ ପିତା ମାତାଙ୍କୁ ହରାଇ ବହୁ କଷ୍ଟ ସ୍ୱୀକାର କରି ସେ କଟକ ରେଭେନ୍‌ସା କଲେଜରୁ ବି.ଏ ପାସ୍‍ କଲେ । ତା'ପରେ କଟକ ଟ୍ରେନିଂ କଲେଜରୁ ଡି.ଏଡ୍‍ ପାସ୍‍କରି ତାଳଚେର ହାଇସ୍କୁଲରେ ଶିକ୍ଷକତା କଲେ । ସ୍କଲାରସିପ୍‍ ଓ ଷ୍ଟାଇପେଣ୍ଡ୍‍ ପାଇ ପାଇ ସେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୩୯ ମସିହାରେ ଶିକ୍ଷକତାରୁ ଇସ୍ତଫା ଦେଇ ଗଡ଼ଜାତ ଆନ୍ଦୋଳନରେ ଝାସ ଦେଲେ । ଏଥିପାଇଁ ସେ ତାଳଚେର ଦରବାର ପ୍ରଶାସନ ଦ୍ୱାରା ବହୁବାର ଜେଲଦଣ୍ଡରେ ଦଣ୍ଡିତ ହେଲେ । ସେ ହେଲେ ତାଳଚେର ପ୍ରଜାମଣ୍ଡଳର ସଭାପତି । ରାଜାର କୁଶାସନ ବିରୁଦ୍ଧରେ ଦୃଢ଼ ଭାବରେ ସ୍ୱର ଉତ୍ତୋଳନ କରି ୬୦,୦୦୦ ଲୋକଙ୍କୁ ଧରି ସେ ପଡୋଶୀ ବ୍ରିଟିଶ ଶାସିତ ଅଞ୍ଚଳ ଅନୁଗୁଳ ଇଲାକାକୁ ପଳାଇ ଆସିଲେ । ୧୯୪୨ ମସିହା ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବରେ ଯୋଗଦାନ କରି ତାଳଚେର ଜେଲରେ ରହିଲେ । ୧୯୪୨ ମସିହା ଅଗଷ୍ଟ ୧୨ତାରିଖ ଦିନ ଜେଲ ପାଚେରି ଡେଇଁ ପଳାଇ ଆସିଲେ ବାହାରକୁ । ବିରାଟ ଜନ ଆନ୍ଦୋଳନ ଓ ଲୋକ ସଂଗଠନ ଜରିଆରେ ଏକ ସମାନ୍ତରାଳ ସରକାର ଗଠନ କଲେ । ତା'ପରେ ସେ ଓଡ଼ିଶା ତ୍ୟାଗ କରି ଛଦ୍ମବେଶରେ କଲିକତା ଚାଲିଗଲେ । ସେଠାରେ ଜଣେ ବଙ୍ଗାଳୀ ଭଦ୍ରଲୋକଙ୍କ ଘରେ ମାସିକ ଛ'ଟଙ୍କା ଦରମାରେ ପୂଜାରୀ କାମ କଲେ । ଏହି ସମୟରେ ସେ ସୁଭାଷ ଚନ୍ଦ୍ର ବୋଷଙ୍କ ଯୁଗାନ୍ତର ଦଳ ସହିତ ସମ୍ପର୍କ ସ୍ଥାପନ କଲେ । ଯୁଗାନ୍ତର ଦଳର ଆତ୍ମଘାତୀ ଦୂତ ଭାବରେ (as a suicide squad) ମିଲିଟାରୀ ଲାଇନ ଅତିକ୍ରମ କରି ରାତ୍ରିର ଘୋର ଅନ୍ଧକାର ମଧ୍ୟରେ ବ୍ରହ୍ମପୁତ୍ର ନଦୀ ପହଁରି ସୁଭାଷଙ୍କ କ୍ୟାମ୍ପରେ ଖବର ପ୍ରଦାନ କରିବାରେ ଲାଗିଲେ । ଏହି ସମୟରେ ବ୍ରିଟିଶ ସରକାର ଓ ତାଳଚେର ରାଜା ତାଙ୍କୁ ପଳାତକ ଘୋଷଣା କରି ତାଙ୍କ ମୁଣ୍ଡ ଉପରେ ଦଶହଜାର ଟଙ୍କାର ପୁରସ୍କାର ଘୋଷଣା କଲେ । କିନ୍ତୁ ତାଙ୍କୁ କେହି ଧରି ପାରିଲେ ନାହିଁ । ଏହି ସମୟରେ ମଧ୍ୟ ସେ ଜୟ ପ୍ରକାଶ ନାରାୟଣଙ୍କ ସହ ସମ୍ପର୍କ ସ୍ଥାପନ କଲେ । ଦେଶ ସ୍ୱାଧୀନ ହେଲା । ସେ ମୁକ୍ତି ପାଇଲେ । ଛଦ୍ମବେଶ ତ୍ୟାଗ କଲେ । ସ୍ୱାଧୀନତା ପରେ ଗଡ଼ଜାତ ସମୂହର ପୂର୍ଣ୍ଣ ମୁକ୍ତି ଆନ୍ଦୋଳନ ନିମନ୍ତେ ମୁକ୍ତି ବାହିନୀ ଗଠନ କରି ଗଡ଼ଜାତ ମିଶ୍ରଣକୁ ସୁଗମ କଲେ । ଗଡ଼ଜାତ ମିଶଣ୍ର ପରେ ଏଗୁଡିକର ଶାସନ ପରିଚାଳନା ନିମନ୍ତେ ତାଙ୍କୁ ଏକ୍‍ଜିକ୍ୟୁଟିଭ୍‍ କାଉନ୍‍ସିଲର କରାଗଲା । ତିନିଜଣ ସଭ୍ୟଙ୍କୁ ନେଇ ଏହି କାଉନ୍‍ସିଲ ଗଠନ କରାଯାଇଥିଲା । ପବିତ୍ର ବାବୁ ସେମାନଙ୍କ ଭିତରୁ ଜଣେ । ୧୯୫୨ ଓ ୧୯୫୭ ନିର୍ବାଚନରେ ତାଳଚେର ନିର୍ବାଚନ ମଣ୍ଡଳୀରୁ ବିଧାନ ସଭାକୁ ସଭ୍ୟ ଭାବରେ ନିର୍ବାଚିତ ହୋଇ ଆସିଲେ । ୧୯୫୭ରେ ସେ ମନ୍ତ୍ରୀ ହେଲେ । କିନ୍ତୁ ମିଳିତ ମନ୍ତ୍ରିମଣ୍ଡଳରେ ତାଙ୍କୁ ମନ୍ତ୍ରୀ ଭାବରେ ଗ୍ରହଣ କରାଗଲା ନାହିଁ । ୧୯୬୧ (ମଧ୍ୟବର୍ତ୍ତୀ) ସାଧାରଣ ନିର୍ବାଚନରେ ତାଳଚେର ଓ ପାଲ୍‌ଲହଡ଼ା ଦୁଇଟି ଆସନରୁ ବିଜୟ ଲାଭ କଲେ । ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା, କୃଷି, ଆଦିବାସୀ ଓ ଗ୍ରାମ ମଙ୍ଗଳ ବିଭାଗରେ ମନ୍ତ୍ରୀପଦ ଲାଭ କଲେ । ଏହିପରି ଜଣେ ସଂଗ୍ରାମୀ ଯୋଦ୍ଧା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ଗର୍ବ ଓ ଗୌରବର କଥା ।

* * *

ଓଡ଼ିଶା ରାଜନୀତିର ଇତିହାସ . ୧୪୩