ପୃଷ୍ଠା:Odisha Rajanitira Itihasa.pdf/୧୪୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପଞ୍ଚଦଶ ପରିଚ୍ଛେଦ
ଯୁବ ନେତୃତ୍ୱରେ ୧୯୬୧ ମସିହା
କଂଗ୍ରେସ ମନ୍ତ୍ରିମଣ୍ଡଳ

୧୯୬୧ ମସିହା ଜୁନ୍‍ ମାସ ୨୩ ତାରିଖ ଦିନ ବିଜୟାନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ମନ୍ତ୍ରିମଣ୍ଡଳ ଗଠନ କରାଗଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ୭ଜଣ କ୍ୟାବିନେଟ୍‍ ପାହ୍ୟାର ମନ୍ତ୍ରୀ ଓ ୮ ଜଣ ଉପମନ୍ତ୍ରୀ ଏହି ମନ୍ତ୍ରିମଣ୍ଡଳରେ ସାମିଲ ହେଲେ । ଡକ୍ଟର ହରେକୃଷ୍ଣ ମହତାବ ଏଥର କୌଣସି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ । ବୀରେନ ମିତ୍ର ପୂର୍ବରୁ ବହୁଚେଷ୍ଟା କରି ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିଲେ । ଏଥର ସେ ଏହି ମନ୍ତ୍ରିମଣ୍ଡଳରେ ହେଲେ ଉପମୁଖ୍ୟମନ୍ତ୍ରୀ । ସେତେବେଳେ ଓଡ଼ିଶା କଂଗ୍ରେସ ମହତାବ ଗୋଷ୍ଠୀ ଓ ବିଜୁ ପଟ୍ଟନାୟକ ଗୋଷ୍ଠୀରେ ଦୁଇଭାଗ ହୋଇଯାଇଥାଏ । ଏକଥା ଦିଲ୍ଲୀ ଦରବାରରେ ସମସ୍ତେ ଜାଣିଥାଆନ୍ତି । ଏଣୁ ଦୁଇ ଗୋଷ୍ଠୀ ଭିତରେ ସନ୍ତୁଳନ ରକ୍ଷା କରିବା ପାଇଁ ଦିଲ୍ଲୀ ଦରବାର ଥାଏ ସଦା ଆଗ୍ରହୀ । ଉଭୟ ଗୋଷ୍ଠୀର ନେତାମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଆନ୍ତୁ- ଏଥିପାଇଁ ଦିଲ୍ଲୀ କର୍ତ୍ତୃପକ୍ଷ କଡ଼ା ନଜର ରଖିଥାଆନ୍ତି ।

ପବିତ୍ର ମୋହନ ପ୍ରଧାନ ପ୍ରକୃତରେ ମହତାବ ଗୋଷ୍ଠୀର । ସେ ହେଲେ ଏହି ମନ୍ତ୍ରିମଣ୍ଡଳରେ ଶିକ୍ଷା, କୃଷି, ଆଦିବାସୀ ଓ ଗ୍ରାମମଙ୍ଗଳ ବିଭାଗର ମନ୍ତ୍ରୀ । ସେ କହନ୍ତି "ମୋତେ କେହି କେହି ମହତାବଙ୍କ ଲୋକ ବୋଲି ଭାବନ୍ତି । ମୁଁ କିନ୍ତୁ କାହାରି ଲୋକ ନୁହେଁ- କଂଗ୍ରେସ ଲୋକ । ମୁଁ କାହାରି ପକ୍ଷ ନୁହେଁ, ନ୍ୟାୟ ଓ ଧର୍ମର ପକ୍ଷ । ମୁଁ ଏକ ସଙ୍ଗେ ଦୁଇଜଣ ଦୁର୍ଦ୍ଦାନ୍ତ ରାଜାଙ୍କୁ ପରାଜିତ କରି ଆସିିଥିବାରୁ ମନ୍ତ୍ରିମଣ୍ଡଳରେ ମୋତେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଦିଆଗଲା ।" (ମୁକ୍ତି ପଥରେ ସୈନିକ) ।

୧୪୪ . ଓଡ଼ିଶା ରାଜନୀତିର ଇତିହାସ