ଅରୁଣାମ୍ବୁଜ ଚରଣା

ଉଇକିପାଠାଗାର‌ରୁ
ଅରୁଣାମ୍ବୁଜ ଚରଣା
ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ

ଅରୁଣାମ୍ବୁଜ ଚରଣା
(ରାଗ ପିଲୁ, ଏକତାଳି)

ଅରୁଣାମ୍ବୁଜ ଚରଣା, ତୁ ରସାରେ ଭରସାରେ
କରୁଣାନିଧି ଶରଣାଗତଠାରେ କି ରୁଷାରେ ॥ପଦ॥
 
ଅସିତ କେଶି ମୁଁ ତୋ ପରିଚାର
ରୁଷିକି ନ କରି କିଛି ବିଚାର
ସ୍ୱଗୁଣ ସରିତ ପତି ତୋ ପରିତ ନାହିଁ ସରସାରେ ॥୧॥

ନ ରହି ସୁଦନ୍ତି ବଦନ ପୋତି
କଳପ ଅଳପ ହସନ ମୋତି
ମୃଦୁଳ-ସରସ-ରସ ହୃଦୟା ତୁ ହୋ ନା ପରୁଷାରେ ॥୨॥

ନନେ ଉନ୍ମାଦ ଧୃତିକି ଛାଣି
ଗରଳ ଗିଳିବଟି ପିକବାଣି
ତରକି ହୃଦୟ କର କିଶଳୟ ଗଣ୍ଡେ ତ ରସାରେ ॥୩॥

ନକର ମୁକୁରମୁଖୀ ନିରାଶ
ବିଷମ ବଡ଼ କୁସୁମ ଶରାସ
ସହଜରେ ମିତ ବଚନ ଅମୃତ ଧାରା ବରଷାରେ ॥୪॥

ଅତିରତି ପରି ଚିନ୍ତି ସୁଧୀର
ନୀତି ପୁଣି ମୁରମଥ ନ ଗୀର
ଅଷ୍ଟଦୁର୍ଗ ପତି କହେ ସ୍ମିତବତୀ ହେଲେ ତରସାରେ ॥୫॥