ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଅବକାଶ-ଚିନ୍ତା
ସତେ କି ନୃମଣି ଉତ୍କଳ-ଧରଣୀ
ଥିଲା ଏଡେ ତେଜସ୍ୱିନୀ ,
ସତ୍ୟ କି ସକଳ ଅତୀତ ଉଜ୍ଜ୍ୱଳ
ଓଡ଼ିଆ ଗର୍ବକାହାଣୀ ।
ଏକଛତ୍ର ତଳେ ଏକତାର ବଳେ
ଜିଣିଲା ଦିନେ ଯେ ଦେଶ,
ସ୍ୱାର୍ଥ ଅଭିମାନେ ଆଜି ତା ସନ୍ତାନେ
କରନ୍ତି ସୋଦର-ଦ୍ୱେଷ ।
ଦେଖି ଏ ଦୁର୍ଗତି ହୁଏ କି ପ୍ରତୀତି
ଉଡାଇ ବିଜୟ ଧ୍ୱଜା,
ଉତ୍କଳ କୁମରେ ଦେଶ ଦେଶାନ୍ତରେ
କମ୍ପାଇଲେ ଶତ୍ରୁ-ମଜ୍ଜା ।
କୃଷ୍ଣା ଗୋଦାବରୀ ଉତ୍ତୁଙ୍ଗ ଲହରି
ଉଛୁଳିଥିଲା ଯେ ନାଦେ,
ସେ ଶଙ୍ଖ ମହୁରୀ ଶିଙ୍ଗା ଭେରୀ ତୁରୀ
ନିଃଶଦ୍ଦ କି ଅବସାଦେ ?
ନ ରହିବ କେହି ଚିର ଦୁଃଖ ସହି
ବିଧିର ସୃଷ୍ଟି-ବିଧାନ ,
ବାଜୁ ତେବେ ଢକ୍କା ତୁଟୁ ହୁଦୁଁ ଦକା
ଜାଗୁ ଉତ୍କଳ-ପରାଣ ।।