ପୁରୁଣା-ସାହିତ୍ୟରେ କାଳ୍ପନିକତାର ଅତିରଂଜନ ବା ଅତି-ମାନୁଷିକତାର ଆରୋପ ପରବର୍ତ୍ତୀ କାଳର କାବ୍ୟଯୁଗରେ ଯଥେଷ୍ଟ ମାର୍ଜିତ ହୋଇ କ୍ରମେ ଶୈଶବର ସରଳ ବିଶ୍ୱାସ ବା ସହଜ ବିସ୍ମୟ ଭଙ୍ଗୀ ପରିହାର କରିଥିବାରୁ କାବ୍ୟ-ରାଜ୍ୟରେ କଳ୍ପନାର ବିଳାସ ତଳେ ଅଦ୍ଭୁତ ଚମତ୍କାରିତା ବା ବସ୍ମୟ-ଜଡ଼ିତ ବୈଚିତ୍ର୍ୟର ଅଭାବ ଅନୁଭୂତ ହୁଏ । ଜାତୀୟ ଜୀବନ ପ୍ରଭାତର ଚିନ୍ତାରେ କଳ୍ପନାର ଅତିମାନୁଷିକତା ଏକପ୍ରକାର ଅନିବାର୍ଯ୍ୟ କହିଲେ ଚଳେ । ଅମା ରଜନୀର ନିବିଡ଼ ଅନ୍ଧକାର ପରେ ଆକସ୍ମିକ ଆଲୋକର ବିଳାସ ନବ ନବ ବୈଚିତ୍ର୍ୟର ସୃଷ୍ଟି କରିବା ସ୍ୱାଭାବିକ । ପୁନଶ୍ଚ ପରବର୍ତ୍ତୀକାଳର ଜାତୀୟ ଜାଗରଣ ଦିବସରେ ସେ ଅତିମାନୁଷିକ ଅତିରଞ୍ଜନ ସର୍ବତୋଭାବେ ତିରୋହିତ ହେବା ସମ୍ଭବପର ନୁହେଁ । ସାରଳା ମହାଭାରତରେ ବା ଅନ୍ୟାନ୍ୟ ପୁରାଣ ଇତିହାସମାନଙ୍କରେ ଆମ୍ଭେମାନେ ଯେଉଁ କଳ୍ପନାଚମତ୍କାରିତା ଦେଖିବାକୁ ପାଉ, ପରବର୍ତ୍ତୀ କାଳର କାବ୍ୟ ଯୁଗରେ ତାହାର ଏକ ଅସ୍ପଷ୍ଟ ଆଭାସ ମାର୍ଜିତ ରୁଚିର ବହିରାବରଣ ଭେଦକରି ଫୁଟି ଉଠିଥିବାର ଦେଖା ହୁଏ । ବିଦଗ୍ଧ-ଚିନ୍ତାମଣିରେ ଯୋଗମାୟାର ଅବତାରଣା ଏବଂ ଲାବଣ୍ୟବତୀରେ ଐନ୍ଦ୍ରଜାଲିକର ପ୍ରସ୍ତାବନା ଆମ୍ଭମାନଙ୍କ ଏହି ଉକ୍ତିର ଜ୍ୱଳନ୍ତ ସାକ୍ଷୀ । ଏପରି ହେଲେହେଁ ଏତକ ସ୍ମରଣ ରଖିବା କର୍ତ୍ତବ୍ୟ ଯେ, ଜାତୀୟ ସାହିତ୍ୟରେ କାବ୍ୟଯୁଗର ମାର୍ଜିତରୁଚି ପ୍ରବର୍ତ୍ତିତ ହେବା ନିମିତ୍ତ ଯୁଗ ଯୁଗ ବ୍ୟାପୀ ସାଧନା ଆବ
ପୃଷ୍ଠା:Sashi Sena.pdf/୩
ଦେଖଣା