ମଣିକୁ କୋଡ଼ରେ ପୁରାଇ ଘେନିଯାଇ ତାଙ୍କ ଶୋଇବା ଘରକୁ ଚାଲିଗଲେ । ଏଣେ ଶବଦାହ ପ୍ରଭୃତିର ବନ୍ଦୋବସ୍ତ କରିବାକୁ ଶ୍ରୀ ଚନ୍ଦନଙ୍କୁ ଡକାଇ ପଠାଇଲେ ।
ଯଥାସମୟରେ ଶ୍ରୀଚନ୍ଦନେ ସାଙ୍ଗ ଭାଇଙ୍କୁ ଧରି ଶବ ଦାହ ପ୍ରଭୃତି କରି ଶୁଦ୍ଧକ୍ରିୟା କରିବାକୁ ଶ୍ୟାମ ବାବୁଙ୍କଠାରୁ ବିସ୍ତାର ଟଙ୍କା ପାଇଁ ଭଲେ ଭଲେ କାମଟି ଚଳାଇଲେ । ବୁଢ଼ୀଙ୍କର ସୁଧକାର୍ଯ୍ୟପାଇଁ ଶ୍ୟାମବାବୁ ପ୍ରାୟ ୧୦୦୦୦ ହଜାର ସରିକି ଟଙ୍କା ଖର୍ଚ୍ଚ କରି ଥିଲେ । ସମସ୍ତେ ଏଥିପାଇଁ ଧନ୍ୟ ଧନ୍ୟ କଲେ ସତ୍ୟ, ତାଙ୍କ ମନ ଏ ପ୍ରଶଂସାରେ ତୃପ୍ତ ନ ଥିଲା । ସେ ଯାହାକୁ ସୁଖୀ କରିବାକୁ ଏତେ କଳ୍ପନା କରିଥିଲେ, ସେ ତ ଚାଲିଗଲା । ତେବେ ତାଙ୍କର ଧୈର୍ଯ୍ୟ ଗୁଣରେ ସେ ସମସ୍ତ ସହିଲେ । ଦୁର୍ଗା ମଣି ପରି ସ୍ତ୍ରୀ, ମନ୍ଦାକିନୀପରି ଝିଅ ତ ସେ ଦିନେ ହରେଇ ସହିଲେ- ଆଉ ଏହି କ୍ଷଣି ପରିଚିତା ପାଛଲା ପତ୍ରକୁ ଝଡ଼ି ପଡ଼ିବାର ଦେଖି ସହିବେ ନାହିଁ ଆଉ କଣ ?
ଗ୍ରୀଷ୍ମ ଛୁଟିରେ ସରୋଜ ଗାଁକୁ ଆସିଲା ନାହିଁ- ସେ ଆସିଥିଲେ ହେଲେ ମଣିର ମନବ୍ୟଥା ଟିକିଏ ଊଣା ହୋଇଥାନ୍ତା- କାରଣ ସସେ ମା' ମଲା ଦିନୁଁ 'ସରୋଜ' ଭାଇ- ସରୋଜ ଭାଇ ହେବାକୁ ଲାଗିଲା । ତାର କାନ୍ଦ ପ୍ରାୟ ମାସକ ପରେ ଆସ୍ତେ ଆସ୍ତେ କମିଲା । ତିନିମାସ ପର୍ଯ୍ୟନ୍ତ ଶ୍ୟାମବାବୁ ଛୁଟି ନେଇ ଘରେ ରହି ମଣିର ଯତ୍ନ ନେବାକୁ ଲାଗିଲେ । ତାଙ୍କ ଘରେ ଦାସ ଦାସୀ ଛଡ଼ା ଅନ୍ୟ କେହି ନ ଥିଲେ । ସେମାନେ ହଠାତ୍ ଅପରିଚିତା ବାଳିକାକୁ ପୁଣି ଏପରି ଜୀର୍ଣ୍ଣଶୀର୍ଣ୍ଣା କୁମାରୀକୁ କିଛି ଅଯତ୍ନ କରନ୍ତି ଏଥିପାଇଁ ତାଙ୍କର ମନ ଘରୁ ଦଣ୍ଡେ ଛାଡ଼ିବାକୁ ଇଚ୍ଛା କଲା ନାହିଁ ।