ରାତି ପାଇଲେ ଗଣେଶ ଚତୁର୍ଥୀ । କି ଦୁର୍ଯୋଗରେ ସରୋଜର ରାତି ପାଇଥିଲା ତାର ମୁଣ୍ଡ ଭାରି ବ୍ୟଥା କଲା । ଅମୃତାଞ୍ଜନ ବୋଳିଲା କେତେ କଥା କଲା, ମାତ୍ର ତାର ମୁଣ୍ଡବ୍ୟଥା କାହିଁରେ ବନ୍ଦ ହେଲା ନାହିଁ; ବରଂ ବେଳୁ ବେଳ ବଢ଼ିଲା । ପାଖରେ କେହି ନଥିଲା- ଯାହାକୁ ସେ ତାର କଷ୍ଟ କଥା ଖୋଲି କହନ୍ତା । କୋଠରୀର ଅନ୍ୟାନ୍ୟ ପିଲାମାନେ ୪ର୍ଥ ଶ୍ରେଣୀ ପଢ଼ୁଆ । ସେମାନେ ସେଦିନ ଡିଭେଟିଙ୍ଗ୍ କ୍ଲବର ସାଜ ସଜ୍ଜା ନେଇ କମନ୍ ରୁମକୁ ଚାଲି ଗଲେ । ସେ ପଡ଼ି ରହିଲା ଏକା । ଆସ୍ତେ ଆସ୍ତେ ଦିନ ୧୦ଟା ବେଳକୁ ତାର ଏପରି ଜ୍ୱର ହେଲା, ସେ ଜାଣେ ନାହିଁ ତା ପରେ କଣ ଘଟନା ଘଟି ଥିଲା ।
ସେ ବର୍ତ୍ତମାନ କଲେଜରେ ଆଏ, ଏସ୍. ସି. କ୍ଲାସରେ ପଢ଼େ । କଲେଜର ଛାତ୍ରମାନଙ୍କ ମଧ୍ୟରେ ତାର ଅନେକ ସାଥୀ । ତେବେ ବିନୋଦ ଭଳି ଅନ୍ତରଙ୍ଗ ବନ୍ଧୁ ତାର ସେତେବେଳେ ଅଳ୍ପ ଥିଲେ । ଯଦି ସେ କାହାକୁ ତାର ହୃଦୟର ଗୋପନ ବ୍ୟଥା କହିପାରେ, ତେବେ ସେ ବିନୋଦ; ଯଦି ସେ କାହାକୁ ତାର ପ୍ରାଣର ଗଭୀର ବେଦନା କହିପାରେ, ତେବେ ସେ ବିନୋଦ । ବିନୋଦ ଗରିବ ପିଲା; ମାତ୍ର ସରୋଜ ଡିପୋଟି ବାବୁଙ୍କ ଏକମାତ୍ର ମାତୃଶୂନ୍ୟ କୁଳାଙ୍କୁର । ଦୁହେଁ ଏକା ବିଷୟ ନେଇ ଏକା କ୍ସାସରେ ପଢ଼ନ୍ତି- ଏକା ମେସ୍ରେ ଖାଆନ୍ତି ମାତ୍ର ବିନୋଦର ରୁମ୍ ନମ୍ବର ୩୭, ସେ ତଳେ ଥାଏ- ଆଉ ସରୋଜର ରୁମ୍- ନମ୍ବର ୮୬, ସେ ଉପରେ ଥାଏ । ଗଭର୍ଣ୍ଣମେଣ୍ଟ ହାଇସ୍କୁଲରେ ପଢ଼ିଲା ଦିନୁଁ ସେ ଦୁହେଁ ଏକାସାଙ୍ଗରେ ପଢ଼ି ଆସୁଛନ୍ତି । ଉଭୟଙ୍କ ମଧ୍ୟରେ ଏପରି ଗୋଟିଏ ପ୍ରୀତି ଅଛି, ଯାହା ଛାତ୍ର ସମାଜରେ ସୁଲଭ ହେଲେହେଁ ଅଳ୍ପ । କାରଣ ଭଲପାଇବା ଅନେକ ଛାତ୍ରମାନଙ୍କ ମଧ୍ୟରେ ଅଢ଼େଇଦିନ ପାଇଁ ରହି କେଉଁଆଡ଼େ ଲୁପ୍ତ ହୋଇଯାଏ । ମାତ୍ର ବିନୋଦ ସରୋଜର