ପ୍ରଶ୍ନର ଉତ୍ତର ଦେଇ ଦେଇ ଅବସର ମାତ୍ର ପାଇ ନ ଥିଲା । ବିନୋଦ ମଣିର ପରିଚୟ ଜାଣେ, ମାତ୍ର ମଣି ବିନୋଦକୁ ଚିହ୍ନିଲା ନାହିଁ ।
କେତେ ଘଣ୍ଟା କଟିଗଲା । ଖାଇବାକୁ ସମସ୍ତେ ଏକାଠି ହେଲେ । ତିନିଙ୍କ ପାଇଁ ରୋଷେଇ ଘରୁ ତିନିଠା ଭାତ ଏକାଠି ବଢ଼ା ହେଲା । ଦାସିଆ ଖାଇବାକୁ ଯିବାକୁ ସମସ୍ତଙ୍କୁ ଅଥୟ କରିଦେଲା । ମାତ୍ର ମଣି ଏକାଠି ବସି ଖାଇବାକୁ ମଙ୍ଗିଲା ନାହିଁ । ତାର ବଡ଼ ଲାଜ । ସେ ଆଉ ଜଣକୁ କିଏ, ଚିହ୍ନେ ନାଇଁ । ସେ ସେଇଠି ବସି ମାଇକିନିଆଁ ଝିଅ ହୋଇ ଗୁଣ୍ଡା ପାଟିକୁ ନେବ କିପରି ? ତାର ବୁଢ଼ୀ ମା' ମରି ଯାଇ ଚନ୍ତି ସତ, ମାତ୍ର ସେ ତାଙ୍କଠୁ ସ୍ତ୍ରୀସୁଲଭ ଯେଉଁ ଲଜ୍ଜା, ବିନୟାଦି କେତୋଟି ସଦ୍ଗୁଣ ଶିକ୍ଷା କରିଥିଲା, ତାହା ମିସନ ଗାର୍ଲସ୍କୁଲରେ ପାଠ ପଢ଼ିଲେହେଁ ଛାଡ଼ି ନାହିଁ, କି ଛାଡ଼ିବ ନାହିଁ- ଏହା ତାର ପ୍ରତ୍ୟେକ ବ୍ୟବହାରରୁ ଜଣା ପଡ଼ୁଥିଲା ।
ସରୋଜ ପ୍ରଥମେ ଏହି କଥାଟା ଜାଣିପାରି ମଣି ପାଖକୁ ଆସି ପଚାରିଲା- "ଅଲଗା ଖାଇ ବସିବୁ କିଆଁ ? କିଏ ଅଛି କି ?"
ମଣି କିଛି ଉତ୍ତର କରି ନ ଥିଲା । ଏଣେ ସରୋଜର ହେତୁ ନ ଥିଲା- ବିନୋଦକୁ ମଣି ଏପର୍ଯ୍ୟନ୍ତ ଚିହ୍ନି ନାହିଁ ବୋଲି । ତେଣୁ ସେ ତାକୁ ତୁହାଇ ତୁହାଇ ପଚାରିଲା- "କହୁ ନାଉଁ ?" ମଣି କଣ କହିବ ? ତେବେ କହିଲା ଏଥର- ନ କହିଲେ ଚଳିବ ନାହିଁ- ଧୀରେ ଧୀରେ କଣ ଭାବି ଠାରିଲା ସେ-
ବୁଦ୍ଧିମାନ ସରୋଜ ଏଥର ଜାଣିପାରିଲା- ଆଉ ଆର ଘରୁ ବିନୋଦକୁ ଡାକି ଆଣି କହିଲା- "କି ବିନୋଦ ବାବୁ ! ଆପଣଙ୍କର ଏ ଯାଏ ମଣିସହ ସାକ୍ଷାତ ପର୍ଯ୍ୟନ୍ତ ହୋଇ ନାହିଁ ? ବାଃ ବାଃ !"