ମଣିକୁ କହିଲା- ମଣି, ଏ ମୋର ସାଙ୍ଗ ପଢ଼ୁଆ- ବିନୋଦ । ଆମେ ଦିହେଁ ଆଜକୁ ପିଲାଦିନୁଁ ସାଙ୍ଗହୋଇ ପାଠ ପଢ଼ିଲୁଣି । ପ୍ରତି କ୍ଲାସରେ ସମାନ ଭାବରେ ପଢ଼ି ପଢ଼ି ଯାଉ ଅଛୁଁ । ଏ ଆମଘରକୁ ବହୁତ ଥର ଆସିଚି । ବାପା ଏକୁ ବଡ଼ଭଲ ପାଆନ୍ତି, ମୁଁ ଯାହା ସେ ତାହା- ତାଠି ତୋର ଲାଜ କଣ ?"
ବିନୋଦ ତୁନି ହୋଇ ରହିଥାଏ । ଯେପରି ସୁନା ପ୍ରତିମାଟି । ସେଦିନ କଷ୍ଟେ ମଷ୍ଟେ ଏକାଠି ଖାଇ ବସିଲା; ମାତ୍ର ମଣି ସେଦିନ ବିନୋଦ ସାଙ୍ଗରେ ମିଶିପାରିଲା ନାହିଁ । ଦୁଇ ଚାରିଦିନରେ ଆସ୍ତେ ଆସ୍ତେ ମିଳାମିଶା ହୋଇଗଲା ।
ପିଲାଯାକ ଏକାଠି ବସି ନାନା ଆଲୋଚନା କରନ୍ତି । ସୁଖରେ ଦିନ ଦିନ ହୋଇ ଛୁଟି କଟିବାକୁ ଲାଗିଲା । ଦିନେ ମଣି କେତେ ଗୁଡ଼ିଏ ମାଳତୀ ଫୁଲ ତାଙ୍କ ବଗିଚାରୁ ବଡ଼ କଷ୍ଟରେ ତୋଳି ଆଣି କେତେଗୁଡ଼ିଏ ମାଳ ତିଆରି କରିଥିଲା । ସେ ଘରେ ରହି ମିଛର ବସି ରହି ନ ଥାଏ । ଘର ଦୁଆରଟିକିଏ ଅସଫା ଦେଖିଲେ ସବୁ ସଫା କରେ- ପୁଣି ରୋଷେଇ ବାସ ଘର ରୀତିମତ ଦେଖେ । ପିଲା ଦିନରୁ କଷ୍ଟ ସହି ସହି ମଣି ଘର କାମ ବିଷୟରେ ବଡ଼ ପଟୁ ଥିଲା । ଏତେବଡ଼ ପରିବାରରେ ଧନି ଘରେ ରହି ସୁଦ୍ଧା ଏଠି ତାର ଟିକିଏ ଉପୁଡଙ୍ଗରିଆ ପଣ କେହି କେବେ ଦେଖି ନଥିଲା । ଦାସଦାସୀ ପୋଇଲୀ ପରିବାରୀ ତାକୁ ଏତେ ଭଲ ପାଉଥିଲେ ଯେ, ସମସ୍ତେ ତାକୁ ଦେଖିବାକୁ ସୁଦ୍ଧା ଭଲ ପାଉଥିଲେ ।
ମାଳତୀ ଫୁଲଗୁଡ଼ିକ ମାଳ ତିଆରି କରି କେତେଗୁଡ଼ିଏ ମହାପ୍ରଭୁଙ୍କୁ ଦେଇ ବାକି ଦୁଇଟି ମାଳ ସେ ସାଇତି ରଖିଦେଇ ଦିନେ ଭାଇମାନଙ୍କ ଅପେକ୍ଷାରେ ବସିଥିଲା । ସେ ଦିନ ସରୋଜ ଆଉ ବିନୋଦ ନଈବଢ଼ି ଦେଖି ଯାଇଥିଲେ । ଫେରିଲା ପରେ ମଣି ମାଳ ଦୁଇଟି