କେଉଁଠିକି ଯିବ ? ସରୋଜର ଚେତା ବୁଡ଼ି ଗଲା । ମାତ୍ର ମଣି ମୁଣ୍ଡରେ ପାଣି ମାରି ପୁଣି ଚେତା କଲା । ସରୋଜ ଆଖି ମେଲାଇ ଦେଖିଲା, ସେହି ଅପରୂପ କାନ୍ତିଟି, ଯାହାର ତୁଳନା ସେ ମଧ୍ୟ କେଉଁଠି ଥରେ ମାତ୍ର ଦେଖି ନାହିଁ । ନିଜକୁ ଧୈର୍ଯ୍ୟବାନ୍ କରି ଭାବିଲା- "ଏଇ ବାଳିକା- ସେ ମୋତେ ଆଶ୍ୱାସନା ଦେଉଛି, ମୁଁ ଏପରି ହୋଇ ଯାଉଚି ।" ମାତ୍ର କଣ ହେବ ସେ ତାର ବାପାଙ୍କ କଥା ଭାବିବା ମାତ୍ରେ କଣ ହୋଇ ଯାଉଥିଲା ।
ଚନ୍ଦ୍ରପକ୍ଷ ରାତି ସାତଟା ସମୟରେ ହଠାତ୍ ଟିକିଏ ମେଘ ଝୁପୁ ଝୁପୁ କରିଦେଲା । ଦାସିଆ ଅନୁଭବୀ, ତାର ପ୍ରାଣରେ ବଡ଼ ଆସିଲା । ଶ୍ୟାମବାବୁଙ୍କର ସଂଜ୍ଞା ଆସ୍ତେ ଲୋପ ହୋଇ ଆସିଲା । ସରୋଜ ଆଉ ମଣି ହାତକୁ କେଜାଣି କାହିଁକି ସେ ଏକାଠି ଚିପି ଧରି "ମଣି- ସରୋଜ- ସରୋଜ !" କହି ଆଖି ବୁଜିଦେଲେ । ସରୋଜ ଆଉ ମଣି ଦାସିଆର ଶିକ୍ଷା ଅନୁସାରେ ଟିକିଏ ଟିକିଏ ଗଙ୍ଗାପାଣି ପାଟିରେ ଦେଇ ଦେଲେ । ମୃତ ଘରେ ଚାକର ପୂଜାରି ବନ୍ଧୁ ବାନ୍ଧବ ହୋଇ କମ୍ ନ ଥିଲେ- ସମସ୍ତେ ହା ହା କରି ପଳାଇ ଗଲେ, କେବଳ ପାଦ ଧରି କାନ୍ଦିବାକୁ ରହିଲେ ତିନିଜଣ- ସେ ସରୋଜ- ମଣି- ଦାସିଆ ।
ଯେତେ କାନ୍ଦିଲେ କଣ ହେବ- ଆଉ ବାପା କେଉଁଠୁ ଆସିବେ ? କାନ୍ଦଣା ଭିତରେ ସାଇର ଠୁକାମିଶ୍ରଙ୍କ ପାଟି ଶୁଭିଲା । ସେ ବିପଦ ଆପଦରେ ବଡ଼ ଉପୁଆରିଲୋକ । ଯେମିତି ଦି' ପଇସା ପାଆନ୍ତି, ସେମିତି କାମ କରନ୍ତି । ଦୁଆର ମୁହଁରେ ଛିଡ଼ାହୋଇ ଗୋଟାଏ ଧମକ ଦେଲେ- ଅହହହ- ସରୋଜ- ସରୋଜ ଏମିତି ହେଲେ ଚଳିବ ? ଆସ ଉଠି ଆସ । କେତେବେଳ ହେଲାଣି । ମାଇକିନା ଭଳି ଗୁଡ଼ାଏ କାନ୍ଦୁଚ କଣ ? ଜନ୍ମ ହୋଇଲେ ନିଶ୍ଚେ ମରି, ତାକୁ କିଏ ଅଟକିବ ବାପା ? ଆସ ଭାରି !