ଆଜକୁ କେତେ ମାସ ହେଲା ମଣି ସରୋଜକୁ କେଜାଣି କାହିଁକି ଲାଜରେ ଭାଇ ବୋଲି ସମ୍ବୋଧନ କରିପାରୁ ନ ଥିଲା । ଆଜି ଲାଜ ସରମ ଫିଙ୍ଗି ଦେଇ ଡାକିଲା- "ଭାଇ ! କିପରି ଏପରି ଜର ହେଲା ?"
ସରୋଜ କହିଲା- "ଏଇ ତ ଘରେ ପହଞ୍ଚିବା ସଙ୍ଗେ ସଙ୍ଗେ ଏପରି ମାଡ଼ି ଆସିଲା । ମଣି ! ତୁ ମୋ ଉପରେ ଆଉଜି ମାଡ଼ି ବସ ।"
ମଣି ବାଧ୍ୟ ହୋଇ ସେପରି କଲା । ଦାସିଆ ମଲା ପରେ ଗୋଟିଏ ବୁଢ଼ା ଚାକର ସରୋଜ ଖୋଜି ନ ପାଇ ପିଲାଟିଏ ରଖିଦେଇଥିଲା । ତାର ନାମ ମଧ୍ୟ ସେ ଦେଇଥିଲା ଦିବ୍ୟସିଂହ । ତାକୁ ସମସ୍ତେ ଦିବ ଦିବ ବୋଲି ଡାକୁଥିଲେ । ଏହି ସମୟରେ ଦିବଟି ପହଞ୍ଚି ତାର ଦିଦି ସାଙ୍ଗରେ ମିଶି ବାବୁଙ୍କର ଗୋଡ଼ ଘସିଦେଲା ।
ଦିନ ୩ଟା ବେଳେ ସରୋଜର କମ୍ପ ଛାଡ଼ିଲା । ସେ ମଣିର ବିବାହ କଥା ମଣିକୁ କିପରି କହିବ ? ତେବେ ଆଜି ସେ ଗୃହର ନିସ୍ତବ୍ଧତା ଅନୁଭବ କଲା । ଭାବିଲା, ଏ ଘରକୁ ଜଣେ ମଣିଷ ନ ହେଲେ ୧୬ ବର୍ଷର ଯୁବତୀ କୁମାରୀଟିଏ କିପରି ରହିବ ? ମୁଁ ତ ଚାରିଆଡ଼େ ଏପାଖ ସେପାଖ ହେଉଅଛି । ମଣି ତାର ଶେଜ ପାଖରେ ବଡ଼ ସଙ୍କୁଚିତ ଭାବରେ ବସି ଥିଲା । ତାକୁ ଡାକି ପଚାରିଲା-
"ମଣି ! ମୋର ଘରେ ରହିବାର କିଛି ଠିକଣା ନାହିଁ- ତୁ ଏକୁଟିଆ ଏ ଚାକର ଗୁଡ଼ାକୁ ନେଇ ଚଳିବାକୁ ବଡ଼ ତ କଷ୍ଟ ହେଉଥିବ ।"
ଲାଜ ଲାଜ କରି ମଣି କହିଲା- "କଣ କଷ୍ଟ ହେବ- ତମେ ତ ଘରେ ଅଛ ?"