ସେ ଯହୁଁ କରିଣ ଥିଲେ ସତ୍ୟ ଦୃଢ଼ବ୍ରତ ।
କୃଷ୍ଣ ବିନୁ ଆନ ଥାନେ ନ ବଳଇ ଚିତ୍ତ । ୨୭ ।
ଲକ୍ଷେ ନୃପତିଙ୍କ ଆଗେ କୁଳ ନ ବିଚାରି ।
ବୋଲ ପ୍ରତିପାଳି ହରି ହରିଲେ ସୁନ୍ଦରୀ । ୨୮ ।
ତୁ ଯେ ପ୍ରିୟେ! ସତ୍ୟ କରି ନିସତ ଆଚରି ।
ମଉନ ହୋଇଲୁ କୁଳେ କଳଙ୍କ ବିଚାରି ।୨୯।
ସତ କରି ସୁତ ମାରି କର୍ଣ୍ଣ ଅନ୍ନ ଦେଲା ।
ବତ୍ସ ଦ୍ରୋହ କଲା ବୋଲି କେ ତାଙ୍କୁ ବୋଇଲା । ୩୦ ।
ସତ୍ୟେ ହରିଚନ୍ଦନ ପୃଥିବୀ ଦାନ ଦେଲା ।
ଚାଣ୍ତାଳ ଘରରେ ଯାଇ ବିକି ସେ ହୋଇଲା । ୩୧ ।
ସତ ଥିଲେ ଧର୍ମ ଅଛି ଧର୍ମ ଥିଲେ ଜୟେ ।
ନାନା ପାପ କଳଙ୍କ ସତ୍ୟରେ ହୋୟେ କ୍ଷୟେ । ୩୨ ।
ସତ୍ୟ ହାନି ହୋଇଲେ ହୋଅନ୍ତି ନର୍କଗତି ।
ଶତେ ଜନ୍ମ ପରିଯନ୍ତେ ଅମୋକ୍ଷ ହୋଅନ୍ତି । ୩୩ ।
ଯାହା ସେ କହିଲି ଏହା ପୁରାଣର କଥା ।
ତାହା କି ନ ଜାଣ ତୁମ୍ଭେ ପିତା-ପ୍ରଭୁ-ସୂତା । ୩୪ ।
କୁମର ବଚନ ଶୁଣି ସନ୍ତୋଷ ତରୁଣୀ ।
ସ୍ତିରୀ ସିନା ଚିତ୍ତକୁ ଖଟିଲା ବୋଧ ବାଣୀ । ୩୫ ।
ହସିଣ ବୋଲଇ ବାମା ଶୁଣ ମନ୍ତ୍ରସୁତ ।
ହୋଇଲି ତୁମ୍ଭର ମୁହିଁ କଲି ଯେବେ ସତ୍ୟ । ୩୬ ।
୩୦। ସୂତ-ପୁଅ ।
୩୪। ପିତାପ୍ରଭୁ ସୂତା-ବାପାଙ୍କ ମୁନିବର ଝିଅ ଅର୍ଥାତ୍ ରଜାଙ୍କ ଝିଅ ।