Jump to content

ଓଡ଼ିଶା ଇତିହାସ/ଓଡ଼ିଶାରେ ଆଫଗାନ ଓ ମୋଗଲ ଶାସନ

ଉଇକିପାଠାଗାର‌ରୁ
ଓଡ଼ିଶା ଇତିହାସ  (୨୦୧୧)  ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ
ଓଡ଼ିଶାରେ ଆଫଗାନ ଓ ମୋଗଲ ଶାସନ

ଓଡ଼ିଶାରେ ଆଫଗାନ ଓ
ମୋଗଲ ଶାସନ

୧୫୬୮ରେ ମୁକୁନ୍ଦଦେବ ବଙ୍ଗର ଆଫଗାନ ଶାସକ ସୁଲେମାନ କର୍‍ରାନୀଙ୍କ ହସ୍ତରେ ପରାଜିତ ହେବା ପରେ ଓଡ଼ିଶା ପ୍ରଥମେ ଆଫଗାନ ଓ ପରେ ମୋଗଲ କର୍ତ୍ତୃତ୍ୱକୁ ଚାଲିଗଲା । ତେଣିକି ପ୍ରାୟ ଦୁଇ ଶତାବ୍ଦୀ ଧରି (୧୫୬୮-୧୭୫୧) ଓଡ଼ିଶାରେ ଆଫ୍‍ଗାନ ଓ ମୋଗଲ ଶାସନ ଚାଲିଲା । ଇତିହାସର ଏହି କାଳଖଣ୍ତରେ ଏକ ପ୍ରକ୍ରିୟା ଭାବରେ ମଧ୍ୟଯୁଗର ପ୍ରାରମ୍ଭରୁ ଚଳି ଆସୁଥିବା ଓଡ଼ିଶାର ଏକୀକରଣ ଏହି ସମୟରେ ସଂପୂର୍ଣ୍ଣ ହେଲା । ପରବର୍ତ୍ତୀ ସମୟରେ ତାହା ହିଁ ମୋଟାମୋଟି ଭାବେ ପ୍ରାକୃତିକ ଓଡ଼ିଶାର ମୋଟ ପରିଧି ହେଲା । ଅର୍ଥାତ୍‍ ମୋଗଲ ସମୟରେ ଓଡ଼ିଶା ବୋଲି ଯାହା ସ୍ଥିରୀକୃତ ହେଲା, ତାହା ପରବର୍ତ୍ତୀ କାଳରେ ମଧ୍ୟ ଓଡ଼ିଶାର ସ୍ଥୂଳ ସ୍ୱରୂପ ହେଲା ।

ସୁଲେମାନ କର୍‍ରାନୀଙ୍କ ନେତୃତ୍ୱରେ ଆଫଗାନମାନେ ଓଡ଼ିଶା ଅଧିକାର କରିବା ବେଳକୁ ଭାରତରେ ଆଫଗାନ ଶକ୍ତି ଅସ୍ତପ୍ରାୟ ସ୍ଥିତିରେ । ମୋଗଲମାନେ ପୁନର୍ବାର ଦିଲ୍ଲୀ ଅଧିକାର କଲା ପରେ ମୋଗଲ ସାମ୍ରାଜ୍ୟର ବିସ୍ତାର ଓ ଆଫଗାନ ଶକ୍ତିର ପତନ ସମାନ୍ତରାଳ ଗତିରେ ଚାଲିଲା । ଓଡ଼ିଶାପାଇଁ ଏହାର ତାତ୍ପର୍ଯ୍ୟ ହେଲା, ଓଡ଼ିଶା ଅଧିକାରପାଇଁ ଉଭୟ ଶକ୍ତି ମଧ୍ୟରେ କଳହ ବୃଦ୍ଧି ପାଇଲା ଏବଂ ଶେଷରେ ମୋଗଲମାନଙ୍କ ହାତକୁ ଓଡ଼ିଶା ଗଲା । ତେଣୁ ପ୍ରାୟ ଦୁଇ ଶହ ବର୍ଷର ମୋଟ ଆଫଗାନ-ମୋଗଲ ଶାସନକାଳରୁ ଆଫଗାନ ରାଜତ୍ୱ ମାତ୍ର ୧୪ ବର୍ଷରୁ ଅଧିକ ନୁହେଁ (୧୫୬୮ରୁ୧୫୯୨) । ଏହି ୧୪ ବର୍ଷ ମଧ୍ୟ ଆଫଗାନମାନେ କ୍ରମାଗତ ଭାବେ ଶାସନ କରି ନାହାନ୍ତି ।

କର୍‍ରାନୀ ଓଡ଼ିଶା ଆକ୍ରମଣ କରିବା ବେଳକୁ ଗଜପତି ରାଜା ମୋଗଲମାନଙ୍କ ସଙ୍ଗେ ସଂପର୍କ ସ୍ଥାପନ କରିସାରିଥିଲେ । ସେହି ଆଧାରରେ କର୍‍ରାନୀଙ୍କ ବିରୁଦ୍ଧରେ ଗଜପତି ସେନାକୁ ମୋଗଲ ସହାୟତା ମିଳିବା କଥା । ଏମିତିରେ ଆଫଗାନମାନେ ମୋଗଲମାନଙ୍କର ଶତ୍ରୁ । ମାତ୍ର କର୍‍ରାନୀ ମୋଗଲ ସମ୍ରାଟ ଆକବରଙ୍କ ବଶ୍ୟତା ସ୍ୱୀକାର କରି ତଥା ମୋଗଲ ଦରବାରକୁ ଉପହାର ପ୍ରେରଣ କରି ମୋଗଲମାନଙ୍କର କୃପାଭିକ୍ଷା କଲେ । ମୋଗଲମାନଙ୍କର ଏକ ପ୍ରଧାନ ଶତ୍ରୁ ଆଫଗାନ୍‍ ସର୍ଦ୍ଦାର୍‍ ଆଲି କ୍ୟୁଲି ଖାନ୍‍ ସେତେବେଳେ ସାହାଯ୍ୟପାଇଁ ବଙ୍ଗର ଦ୍ୱାରସ୍ଥ ହେଲେ । ମାତ୍ର କର୍‍ରାନୀ ମୋଗଲମାନଙ୍କୁ ତୁଷ୍ଟ କରିବାପାଇଁ ଆଲି କ୍ୟୁଲିଙ୍କୁ ନା ଆଶ୍ରୟ ଦେଲେ ନା ସାହାଯ୍ୟ । ଏହି କାରଣରୁ ଓଡ଼ିଶା ଆକ୍ରମଣ ବେଳେ କର୍‍ରାନୀଙ୍କୁ କୌଣସି ମୋଗଲ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ । ଏହା ତାଙ୍କ ଓଡ଼ିଶା ବିଜୟକୁ ସହଜ, ସରଳ କଲା । ଅନ୍ୟ ପକ୍ଷରେ ଓଡ଼ିଶାକୁ ଆଫଗାନ ଶକ୍ତି ଜିଣିଲେ ସତ, କିନ୍ତୁ ସୁଲେମାନ କର୍‍ରାନୀ ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ୱୀକାର କରିଥିବାରୁ ପ୍ରକାରାନ୍ତରେ ଏହା ମୋଗଲ ସାମ୍ରାଜ୍ୟର ଅଂଶ ହେଲା- ଯଦିଓ ପ୍ରକୃତ ଶାସନ ରହିଲା ଆଫଗାନ ଶକ୍ତି ହାତରେ । ୧୫୭୨ରେ ସୁଲେମାନ କର୍‍ରାନୀଙ୍କ ମୃତ୍ୟୁ ପରେ ଓଡ଼ିଶା ଅଧିକାରରେ ପ୍ରମୁଖ ଭୂମିକା ନେଇଥିବା ତାଙ୍କ ଜ୍ୟେଷ୍ଠ ପୁତ୍ର ବୟାଜିଦ ବଙ୍ଗର ଶାସକ ହେଲେ । ଅଳ୍ପ ଦିନ ପରେ ବୟାଜିଦ ନିହତ ହେବାଯୋଗୁଁ ୧୫୭୩ରେ ସୁଲେମାନଙ୍କ ଦ୍ୱିତୀୟ ପୁତ୍ର ଦାଉଦ ଶାସକ ହେଲେ । ଦାଉଦ ମୋଗଲମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ଘୋଷଣା କରିବାରୁ ଆକବର ପ୍ରଥମେ ସେନାପତି ମୁନିମ ଖାଁ ଓ ରାଜସ୍ୱ ମନ୍ତ୍ରୀ ତୋଡ଼ରମଲ୍ଲଙ୍କୁ ବିଦ୍ରୋହ ଦମନ କରିବାକୁ ପ୍ରେରଣ କଲେ । ଏହା ସତ୍ତ୍ୱେ ଆଫଗାନ ଶାସକଙ୍କ ବିଦ୍ରୋହ ଦମନ ନହେବାରୁ ଆକବର ବଙ୍ଗ ଅଭିମୁଖେ ସେନା ପରିଚାଳନା କଲେ । ବଙ୍ଗ ଓ ବିହାରକୁ ମୋଗଲମାନଙ୍କ ହାତରେ ଛାଡ଼ିଦେଇ ଦାଉଦ ଓଡିଶା ଅଭିମୁଖେ ପଳାୟନ କଲେ । ୧୫୭୫ରେ ତାଙ୍କୁ ବାଲେଶ୍ୱର ନିକଟସ୍ଥ ଜଳେଶ୍ୱରଠାରେ ମୋଗଲ ସେନା ପରାଜିତ କଲେ । ଏହି ଯୁଦ୍ଧସ୍ଥଳୀଟି ଆଜି ମଧ୍ୟ 'ମୋଗଲମାରି' ନାମରେ ପରିଚିତ । ଯୁଦ୍ଧ ପରେ ଶାନ୍ତି ଚୁକ୍ତି ଅନୁଯାୟୀ ବଙ୍ଗ ମୋଗଲ ଅଧିକାରକୁ ଗଲା ଏବଂ ଦାଉଦ ଓଡ଼ିଶାର ସ୍ୱାଧୀନ ଶାସକ ହେଲେ । ଦାଉଦ ମୋଗଲ ସେନାପତି ମୁନିମ ଖାଁଙ୍କୁ ଅନେକ ହସ୍ତୀ ଉପହାର ଦେଲେ ଏବଂ ନିଜ ପୁତୁରା ଶେଖ ମହମ୍ମଦଙ୍କୁ ମୋଗଲ ଦରବାରକୁ ପ୍ରେରଣ କରିବାକୁ ସମ୍ମତ ହେଲେ । ମୁନିମ ଖାଁ ବଙ୍ଗର ମୋଗଲ ଗଭର୍ଣ୍ଣର ନିଯୁକ୍ତ ହେଲେ ।

୧୫୭୬ରେ ମୁନିମ ଖାଁଙ୍କର ମୃତ୍ୟୁ ହେଲା । ଏହାର ସୁଯୋଗ ନେଇ ଦାଉଦ ପୁଣି ଥରେ ବିଦ୍ରୋହ କଲେ ଓ ରାଜମହଲ (ବଂଗ)ଠାରେ ମୋଗଲ ସେନା ହାତରେ ପରାଜିତ ହେଲେ । ଓଡ଼ିଶା ବଙ୍ଗର ମୋଗଲ ସୁବେଦାରଙ୍କ ଅଧୀନସ୍ଥ ହେଲା । କିୟା ଖାଁ ଓଡ଼ିଶାର ଗଭର୍ଣ୍ଣର ରୂପେ ମୋଗଲମାନଙ୍କଦ୍ୱାରା ନିଯୁକ୍ତ ହେଲେ । ୧୫୭୯ରେ କିୟା ଖାଁ ହତ୍ୟାର ଶିକାର ହେବା ପୂର୍ବରୁ ନିରନ୍ତର ଆଫଗାନ ବିଦ୍ରୋହର ସମ୍ମୁଖୀନ ହେଲେ । ଯଦିଓ ତାଙ୍କ ସମୟରେ ଓଡ଼ିଶାରେ ମୋଗଲ ଶାସନ ରହିଥିଲା, ଆଫଗାନ ବିଦ୍ରୋହଯୋଗୁଁ ଅରାଜକତା ଲାଗି ରହିଲା । ଏହାର ସ୍ଥାୟୀ ସମାଧାନ ଲାଗି ଆକବର ମାସୁମ ଖାଁ ନାମକ ଜଣେ ଆଫଗାନ ସର୍ଦ୍ଦାରଙ୍କୁ କିୟା ଖାଁଙ୍କ ପରେ ଓଡ଼ିଶାର ଗଭର୍ଣ୍ଣର ନିଯୁକ୍ତ କଲେ । ୧୫୮୨ରେ ତୋଡ଼ରମଲ୍ଲଙ୍କ ଜମିଜମା ବନ୍ଦୋବସ୍ତ ବ୍ୟବସ୍ଥା ଓଡ଼ିଶାରେ କାର୍ଯ୍ୟକାରୀ ହେଲା । ବନ୍ଦୋବସ୍ତ ଅନୁସାରେ ଓଡ଼ିଶାକୁ ପାଞ୍ଚଟି ସରକାରରେ ବିଭକ୍ତ କରାଗଲା । ସେଗୁଡ଼ିକ ହେଲା:- ରୂପନାରାୟଣ, ବଳଙ୍ଗା ନଦୀ ଉପକୂଳ ମଧ୍ୟବର୍ତ୍ତୀ ଜଳେଶ୍ୱର ସରକାର, ବଳଙ୍ଗା ଓ ବ୍ରାହ୍ମଣୀ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳକୁ ନେଇ ଭଦ୍ରକ ସରକାର, ବ୍ରାହ୍ମଣୀ ନଦୀ ଓ ଚିଲିକା ହ୍ରଦ ମଧ୍ୟବର୍ତ୍ତୀ ଅଞ୍ଚଳକୁ ନେଇ କଟକ ସରକାର, ଦକ୍ଷିଣ ଓଡ଼ିଶାକୁ ନେଇ କଳିଙ୍ଗ ଦଣ୍ତପାଟ ଏବଂ ଉତ୍ତର ଆନ୍ଧ୍ର କ୍ଷେତ୍ରକୁ ନେଇ ରାଜମହେନ୍ଦ୍ରୀ ସରକାର । ଏହି ପାଞ୍ଚଟି ମଧ୍ୟରୁ ଶେଷ ଦୁଇଟି ସରକାର ନାମକୁ ମାତ୍ର ମୋଗଲ ସାମ୍ରାଜ୍ୟର ଅଂଶ ହୋଇ ରହିଲେ । କାରଣ ୧୫୭୧ରେ ଉକ୍ତ ଅଞ୍ଚଳକୁ ଗୋଲକୋଣ୍ତା ସୁଲତାନ ଇବ୍ରାହିମ୍‍ କୁତବ ନିଜ ରାଜ୍ୟରେ ମିଶାଇ ସାରିଥିଲେ । ଅର୍ଥାତ୍‍ ଆକବରଙ୍କ ସମୟରେ ଦକ୍ଷିଣରେ ଓଡ଼ିଶା ଚିଲିକା ପର୍ଯ୍ୟନ୍ତ ସୀମିତ ହୋଇ ରହିଥିଲା ।

ମୋଗଲ ସମ୍ରାଟ ଓଡ଼ିଶା ଶାସନ ସମୟରେ ଅନୁଭବ କଲେ ଯେ, ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ମାଳ ଓ ଜଙ୍ଗଲରେ ପରିପୂର୍ଣ୍ଣ । ତେଣୁ ପ୍ରତ୍ୟକ୍ଷ ପ୍ରାଶାସନିକ ନିୟନ୍ତ୍ରଣ ଦୁରୂହ ବ୍ୟାପାର । ସେଥିଯୋଗୁଁ ପ୍ରାଶାସନିକ ସୁବିଧାପାଇଁ ସମଗ୍ର ଓଡ଼ିଶା କ୍ଷେତ୍ରକୁ ଦୁଇ ଭାଗରେ ବିଭକ୍ତ କରାଗଲା । ପ୍ରତ୍ୟକ୍ଷ ଶାସିତ ଅଞ୍ଚଳକୁ ମୋଗଲବନ୍ଦି ଓ ସାମନ୍ତ ଶାସିତ ମାଳ ଓ ଜଙ୍ଗଲପୂର୍ଣ୍ଣ ଅଞ୍ଚଳକୁ ଗଡ଼ଜାତ ବୋଲି କୁହାଗଲା । ଗଡ଼ଜାତର ରାଜାମାନେ କିଛି ବାର୍ଷିକ ଦେୟ ମୋଗଲମାନଙ୍କୁ ଦେଉଥିଲେ ଏବଂ ସେମାନଙ୍କ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ମୋଗଲ ପ୍ରାଶାସନିକ ନିୟନ୍ତ୍ରଣ ରହିଲା ନାହିଁ । ଗଡ଼ଜାତ ରାଜାମାନେ ଏକ ପ୍ରକାର ସ୍ୱାଧୀନ ଭାବେ ରାଜତ୍ୱ କଲେ । ଏହି ସମୟର ଅନ୍ୟ ଏକ ବିଶିଷ୍ଟ ଘଟଣା ହେଲା, ଖୋର୍ଦ୍ଧା ଭୋଇ ବଂଶର ଉତ୍ତରାଧିକାରୀ ରମାଇ ରାଉତରାୟଙ୍କୁ ଗଜପତି ଅର୍ଥାତ୍‍ ଓଡ଼ିଶାର ରାଜା (ପୁରୀର ରାଜା) ଘୋଷଣା କରାଗଲା । ରମାଇ ରାମଚନ୍ଦ୍ରଦେବ ନାମ ଧାରଣ କରି ଖୋର୍ଦ୍ଧାରେ ରାଜତ୍ୱ କଲେ । ପୁରୀ ଓ ଜଗନ୍ନାଥ ତାଙ୍କ ଶାସନ କ୍ଷେତ୍ର ମଧ୍ୟରେ ରହିଥିବାରୁ ସେ ଓଡ଼ିଶାର ରାଜା ଭାବରେ ସ୍ୱୀକୃତି ପାଇଲେ । ଆଫଗାନ୍‍ ସର୍ଦ୍ଦାରମାନଙ୍କ ବିଦ୍ରୋହରୁ ନିସ୍ତାର ପାଇବାଲାଗି ସମ୍ଭବତଃ ଆକବର ଓ ଓଡ଼ିଶା କଥା ବୁଝୁଥିବା ତାଙ୍କ ମନ୍ତ୍ରୀ ତୋଡ଼ରମଲ୍ଲ ଓଡ଼ିଶାର ପାରମ୍ପରିକ ରାଜ ଶକ୍ତିକୁ ପ୍ରାଧାନ୍ୟ ଦେଇଥିଲେ ।

୧୫୮୩-୮୪ରେ ପୁଣି ଥରେ ଓଡ଼ିଶାରେ ଆଫଗାନ ଶକ୍ତି ଏକତ୍ର ହୋଇ ମୋଗଲମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ସେମାନଙ୍କ ସର୍ଦ୍ଦାର ଥିଲେ କୁତୁଲ ଖାଁ ଲୋହାନୀ । କୁତୁଲ୍‍ ଖାଁ ରାମଚନ୍ଦ୍ର ଦେବଙ୍କୁ ପରାସ୍ତ କରି ପୁରୀ ଅଧିକାର କରିନେଲେ । ଏହି ସମୟରେ ମୋଗଲ ସମ୍ରାଟଙ୍କ ଦ୍ୱାରା ଓଡ଼ିଶାର ଗଭର୍ଣ୍ଣର ନିଯୁକ୍ତ ହୋଇ କଟକରେ ଅବସ୍ଥାପିତ ଥିବା ଆଫଗାନ ସର୍ଦ୍ଦାର ମାସୁମ୍‍ ଖାଁ ମଧ୍ୟ ଆଫଗାନ ବିଦ୍ରୋହୀଙ୍କ ସଙ୍ଗେ ମିଶିଗଲେ । ସେମାନଙ୍କୁ ବଙ୍ଗର ମୋଗଲ ସୁବେଦାର ଶାହବାଜ ଖାଁ ପରାସ୍ତ କଲେ । ଶାନ୍ତିଚୁକ୍ତି ଅନୁଯାୟୀ କୁତୁଲ ଖାଁଙ୍କୁ ଓଡ଼ିଶାର ଶାସକ ଭାବରେ ସ୍ୱୀକୃତି ମିଳିଲା । ପ୍ରତିବଦଳରେ ସେ ଭବିଷ୍ୟତରେ ବଙ୍ଗ ଆକ୍ରମଣ ନକରିବାକୁ ପ୍ରତିଶ୍ରୁତି ଦେଲେ । ମୋଗଲମାନେ ଓଡ଼ିଶାରୁ ଷାଠିଏଟି ହସ୍ତୀ ଉପହାର ନେଇ ତଥା କୁତୁଲ ଖାଁଙ୍କ ପୁତୁରାକୁ ପଣବନ୍ଦୀ ଭାବରେ ନେଇ ଚୁପ୍‍ ରହିଲେ । ପୁଣି ଥରେ ଓଡ଼ିଶା ଆଫଗାନ ଶକ୍ତି ହାତକୁ ଗଲା । ଏହି ସନ୍ଧିରେ ଆକବର ସନ୍ତୁଷ୍ଟ ନଥିଲେ । ଦିଲ୍ଲୀ ଓ ଉତ୍ତର ଭାରତରେ ନିଜ ସ୍ଥିତିକୁ ସୁଦୃଢ଼ କରିବା ପରେ ସେ ନୂଆ ନୂଆ ଅଞ୍ଚଳକୁ ନିଜ ସାମ୍ରାଜ୍ୟରେ ଯୋଡ଼ିବାକୁ ଚାହୁଁଥିଲେ । ତେଣୁ ରାଜା ମାନସିଂହଙ୍କୁ ଓଡ଼ିଶା ଜୟକରିବାକୁ ସେ ପ୍ରେରଣ କଲେ । ୧୫୯୦ରେ ମାନସିଂହ ପୁଣି ଥରେ ଓଡ଼ିଶାକୁ ଜିଣିନେଲେ ଓ ତାକୁ ମୋଗଲ ସାମ୍ରାଜ୍ୟଭୁକ୍ତ କଲେ । ଏହା ପରେ ଓଡ଼ିଶାରେ ଆଫଗାନ ଶକ୍ତି ପୂର୍ଣ୍ଣତଃ ମୋଗଲ ସାମ୍ରାଜ୍ୟର ପ୍ରଭୁତ୍ୱ ସ୍ୱୀକାର କଲା । ପୁରୀ ଓ ଖୋର୍ଦ୍ଧା ମୋଗଲର ପ୍ରତ୍ୟକ୍ଷ ଶାସନାଧୀନ ହେଲା । ତୀର୍ଥଯାତ୍ରୀଙ୍କଠାରୁ ଆଦାୟ ହେଉଥିବା କରଯୋଗୁଁ ତଥା ଓଡ଼ିଶା ରାଜ୍ୟର ପ୍ରତୀକ ଭାବେ ଖ୍ୟାତି ପାଇଥିବା ଜଗନ୍ନାଥଙ୍କ ସାମାଜିକ ପ୍ରଭାବଯୋଗୁଁ ପୁରୀ ସର୍ବଦା ରାଜ ଆକର୍ଷଣର କେନ୍ଦ୍ର ଥିଲା । ତାକୁ ନିଜ ନିୟନ୍ତ୍ରଣକୁ ଆଣି ବସ୍ତୁତଃ ଓଡ଼ିଶାକୁ ମୋଗଲ କର୍ତ୍ତୃତ୍ୱକୁ ଅଣାଗଲା । ଅନ୍ୟ ପକ୍ଷରେ ଆଫଗାନ ସର୍ଦ୍ଦାର ଖ୍ୱାଜା ଇସା ମୋଗଲ ରୀତିନୀତି ମାନି କଟକରେ ଶାସନ କାର୍ଯ୍ୟ କଲେ ।

୧୫୯୨ରେ ଖ୍ୱାଜା ଇସାଙ୍କ ମୃତ୍ୟୁ ପରେ ପୁଣି ଥରେ ଆଫଗାନମାନେ ମୋଗଲମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଏଥିରେ କୁତୁଲ୍‍ ଖାଁଙ୍କ ପୁତ୍ରମାନେ ନେତୃତ୍ୱ ନେଇଥିଲେ । ସେମାନେ ଜଗନ୍ନାଥ ମନ୍ଦିର ଲୁଟ୍‍ କରି ଅନେକ ଧନ ସମ୍ପତ୍ତି ମଧ୍ୟ ନେଇଗଲେ । ମାନସିଂହଙ୍କୁ ମୋଗଲ ସେନା ସହିତ ପୁଣି ଥରେ ଓଡ଼ିଶା ଅଭିଯାନରେ ଆସିବାକୁ ପଡ଼ିଲା । ବାଲେଶ୍ୱର ନିକଟରେ ଆଫଗାନମାନେ ପରାସ୍ତ ହୋଇ ପଳାୟନ କଲେ । ମାନସିଂହ ଏଥର ଜଳେଶ୍ୱର ଓ ଭଦ୍ରକ ବାଟ ଦେଇ କଟକ ମଧ୍ୟ ଆସିଥିଲେ । ବିଦ୍ରୋହୀମାନଙ୍କର ମୂଳୋତ୍ପାଟନ କରିବାଲାଗି ସେ ଚୌଦ୍ୱାର ନିକଟସ୍ଥ ସାରଙ୍ଗଗଡ଼ ଆକ୍ରମଣ କଲେ । ରାମଚନ୍ଦ୍ର ଦେବ ଆଫଗାନମାନଙ୍କୁ ଶରଣ ଦେଇଥିବାରୁ ସେ ମୋଗଲମାନଙ୍କ ରୋଷର ଶିକାର ହେଲେ । ଯୁଦ୍ଧରେ ପରାସ୍ତ ରାମଚନ୍ଦ୍ର ଶେଷରେ ଆକବରଙ୍କ ପ୍ରଭୁତ୍ୱ ଶିକାର କଲେ ଏବଂ ଖୋର୍ଦ୍ଧାର ରାଜା ଭାବରେ ତାଙ୍କୁ ମୋଗଲ ସ୍ୱୀକୃତି ମିଳିଲା । ଏହାପରେ ରାମଚନ୍ଦ୍ର ଦେବଙ୍କୁ 'ଗଜପତି' ଉପାଧି ଓ ଜଗନ୍ନାଥ ମନ୍ଦିର ଉପରେ କର୍ତ୍ତୃତ୍ୱ ପ୍ରାପ୍ତ ହେଲା । ତାଙ୍କୁ ଆକବର ମାନସବଦାର ପଦ ମଧ୍ୟ ଦେଇଥିଲେ । ତେଣିକି ଓଡ଼ିଶା ଦେଢ଼ ଶହ ବର୍ଷରୁ ଊର୍ଦ୍ଧ୍ୱ କାଳ (୧୫୯୨-୧୭୫୧) ମୋଗଲ ଶାସନାଧୀନ ରହିଲା ।

କଟକ ଥିଲା ମୋଗଲ ଶାସନର ମୁଖ୍ୟ କେନ୍ଦ୍ର । ମୋଗଲ ପ୍ରତିିନିଧି କଟକର ବାରବାଟୀ ଦୁର୍ଗରେ ଅବସ୍ଥାପିତ ହୋଇ ଓଡ଼ିଶାର ପ୍ରଶାସନ ଓ ରାଜସ୍ୱ ଆଦାୟ କଥା ବୁଝିଲେ । ଆରମ୍ଭରୁ (୧୫୯୨-୧୬୦୭) ସେ ବଙ୍ଗରେ ଅବସ୍ଥାପିତ ବଙ୍ଗ, ବିହାର ଓ ଓଡ଼ିଶାର ମୋଗଲ ଗଭର୍ଣ୍ଣରଙ୍କ ଠାରେ ଉତ୍ତରଦାୟୀ ରହିଲେ । ପରେ (୧୬୦୭) ଓଡ଼ିଶା ଏକ ସ୍ୱତନ୍ତ୍ର ସୁବାର ମାନ୍ୟତା ପାଇଲା ଏବଂ ତା'ର ମୋଗଲ ପ୍ରଶାସକଙ୍କୁ ସୁବାଦାର କୁହାଗଲା । ୧୫୯୨ରୁ ୧୬୦୭ ପର୍ଯ୍ୟନ୍ତ ମଝିରେ ଅଳ୍ପ ସମୟକୁ ବାଦ ଦେଲେ ରାଜା ମାନସିଂହ ବଙ୍ଗର ଗଭର୍ଣ୍ଣର ଭାବରେ ଓଡ଼ିଶାର ପ୍ରଶାସନ କଥା ବୁଝୁଥିଲେ । ୧୬୦୭ରେ ସ୍ୱତନ୍ତ୍ର ଓଡ଼ିଶା ସୁବାର ପ୍ରଥମ ସୁବାଦାର ଭାବରେ ହାସିମ୍‍ ଖାଁ ନିଯୁକ୍ତି ପାଇଲେ । ଯଦିଓ ଓଡ଼ିଶା ମୋଗଲ ସାମ୍ରାଜ୍ୟାଧୀନ ହେଲା, ତହିଁରେ ଅନେକ ଛୋଟ ଛୋଟ ରାଜ୍ୟ ସ୍ୱାଧୀନ ଓ ଅର୍ଦ୍ଧ ସ୍ୱାଧୀନ ଭାବରେ ପ୍ରତିଷ୍ଠିତ ହୋଇଥିଲେ । ମୋଗଲ ପ୍ରାଶାସନିକ କର୍ତ୍ତୃତ୍ୱ ଏହି ରାଜ୍ୟଗୁଡ଼ିକରେ ପୂର୍ଣ୍ଣ ମାତ୍ରାରେ ଅନୁଭୂତ ହେଉ ନଥିଲା । ଏହିଭଳି ଏକ ରାଜ୍ୟ ଥିଲା ଖୋର୍ଦ୍ଧା । ସେଠାରେ ଭୋଇ ବଂଶର ରାଜାମାନେ ରାଜତ୍ୱ କରୁଥିଲେ । ପୁରୀ ଓ ଜଗନ୍ନାଥ ମନ୍ଦିର ଖୋର୍ଦ୍ଧା ରାଜାଙ୍କ ନିୟନ୍ତ୍ରଣରେ ରହିଥିଲା । ସେ ଗଜପତି ଉପାଧି ବହନ କରିଥିବାରୁ ଏବଂ ତାଙ୍କ ନିୟନ୍ତ୍ରଣରେ ଜଗନ୍ନାଥ ମନ୍ଦିର ରହିଥିବାରୁ ତାଙ୍କୁ ଓଡ଼ିଶାର ରାଜା ଭାବରେ ସମ୍ମାନ ମିଳୁଥିଲା । ଧାର୍ମିକ ଓ ସାମାଜିକ କାରଣରୁ ଏବଂ ତାହା ସାଙ୍ଗକୁ ଆର୍ଥନୀତିକ କାରଣରୁ ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିରର ଖୁବ୍‍ ମହତ୍ତ୍ୱ ରହିଥିଲା । ତୀର୍ଥଯାତ୍ରୀମାନଙ୍କଠାରୁ ଆଦାୟ ହେଉଥିବା କର ରାଜ୍ୟ ରାଜସ୍ୱର ଏକ ମୁଖ୍ୟ ଭାଗ ଥିଲା । ଜଗନ୍ନାଥଙ୍କର ପୂଜା ବିଧି-ବ୍ୟବସ୍ଥା ଉପରେ ମନ୍ଦିରର ପ୍ରତିଷ୍ଠା ନିର୍ଭର କରୁଥିଲା । ପୁରୀ ଓ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଗଜପତିଙ୍କ ଭିନ୍ନ ଅନ୍ୟ କେଉଁ ଶାସକ ହାତରେ ରହିଲେ, ସୂଚାରୁ ରୂପେ ପୂଜା ବିଧି ବ୍ୟବସ୍ଥା ଓ ମନ୍ଦିର ପରିଚାଳନା ହୋଇ ନପାରିବାର ଆଶଙ୍କା ଥିଲା । ମୋଟ କଥା ହେଲା, ଉଭୟ ଗଜପତି ଓ ମୋଗଲ ଶାସକମାନଙ୍କପାଇଁ ପୁରୀ ଅଧିକାର ଏକ ଆବଶ୍ୟକତା ଥିଲା । ଫଳରେ ପୁରୀକୁ ନେଇ ଗଜପତି ଓ ମୋଗଲମାନଙ୍କ ମଧ୍ୟରେ କଳହ ଲାଗି ରହିଲା । ସାମରିକ ଦୃଷ୍ଟିରୁ ଗଜପତି ମୋଗଲମାନଙ୍କ ସହ ତୁଳନୀୟ ନଥିଲେ ସୁଦ୍ଧା ତାଙ୍କ ପଛରେ ବିଭିନ୍ନ ସାମାଜିକ ବର୍ଗର ସମର୍ଥନ ରହିଥିଲା । ତେଣୁ ସମଗ୍ର ମୋଗଲ ଶାସନ କାଳରେ ସେ କ୍ଷମତାର ଏକ କେନ୍ଦ୍ର ହେଲେ । ମନ୍ଦିର ଉପରେ ନିଜ ନିୟନ୍ତ୍ରଣ ବଜାୟ ରଖିବାଲାଗି ସେ ଯେଉଁ ପଦକ୍ଷେପମାନ ନେଉଥିଲେ, ତାକୁ ଓଡ଼ିଶାର ସ୍ୱାଭିମାନ ରକ୍ଷା ନିମନ୍ତେ ଉଦ୍ୟମ ବୋଲି ଚିହ୍ନିତ କରାଗଲା । ଅପରପକ୍ଷରେ, ମୋଗଲମାନଙ୍କ ପଦକ୍ଷେପକୁ ଆକ୍ରମଣ ବୋଲି କୁହାଗଲା । ଏହି ପ୍ରକ୍ରିୟାରେ ଖୋର୍ଦ୍ଧା ଗଜପତି ମୋଗଲ ସାମ୍ରାଜ୍ୟାଧୀନ ହେବା ସତ୍ତ୍ୱେ, ଓଡ଼ିଶାରେ ପ୍ରଥମେ ଆଫଗାନ ଓ ପରେ ମୋଗଲ ଶକ୍ତିର ପ୍ରତିଦ୍ୱନ୍ଦ୍ୱୀ ରୂପେ ଗଣା ହେଲେ । ଯେହେତୁ ତାଙ୍କର ସାମାଜିକ ଶକ୍ତି ବ୍ରାହ୍ମଣମାନଙ୍କର ସହଯୋଗ ଓ ସମର୍ଥନ ଉପରେ ନିର୍ଭର କରୁଥିଲା, ସେ ବ୍ରାହ୍ମଣ ଶାସନ ଆଦି ପ୍ରତିଷ୍ଠା କରି ବ୍ରାହ୍ମଣମାନଙ୍କୁ ଯଥେଷ୍ଟ ପୃଷ୍ଠପୋଷକତା ପ୍ରଦାନ କରୁଥିଲେ । ଅର୍ଥାତ୍‍ ଖୋର୍ଦ୍ଧା ଗଜପତି ମୋଗଲ ଶାସନାଧୀନ ଓଡ଼ିଶାରେ ମୋଗଲର ପ୍ରତିଦ୍ୱନ୍ଦ୍ୱୀ ହେବା ସହିତ ଅନ୍ୟ ପଡୋଶୀ ରାଜ୍ୟମାନଙ୍କ ଅପେକ୍ଷା ଉଚ୍ଚସ୍ଥାନ ଲାଭ କରିଥିଲେ ।

ହାସିମ୍‍ ଖାଁଙ୍କ ସମୟରେ (୧୬୦୭-୧୬୧୧) ଥରେ ଜଗନ୍ନାଥ ମନ୍ଦିର ଉପରେ ମୋଗଲ ଆକ୍ରମଣ ହୋଇଥିଲା । ରାଜପୁତ ଜାଗିରଦାର କେଶୋଦାସ ମାରୁଙ୍କ ନେତୃତ୍ୱରେ ହୋଇଥିବା ଏହି ଆକ୍ରମଣରେ ତିିନିଟିଯାକ ରଥକୁ ପୋଡ଼ି ଦିଆଯାଇଥିବା କୁହାଯାଏ । ପ୍ରତିରକ୍ଷାପାଇଁ ଗଜପତି ପୁରୁଷୋତ୍ତମ ଦେବ (୧୬୦୫-୧୬୨୧) ଉଦ୍ୟମ କରିଥିଲେ । ମାତ୍ର ସୁବାଦାର ହାସିମ୍‍ ଖାଁଙ୍କଠାରୁ (କଟକରୁ) ଅଧିକ ସୈନ୍ୟ ସାହାଯ୍ୟ ପାଇ କେଶୋଦାସ ମନ୍ଦିର ଉପରେ କବ୍‍ଜା କରିବାପାଇଁ ସକ୍ଷମ ହେଲେ । ବାଧ୍ୟ ହୋଇ ଗଜପତି ମୋଗଲ ସମ୍ରାଟଙ୍କୁ ତିିନି ଲକ୍ଷ ଟଙ୍କା ଓ ନିଜ କନ୍ୟାକୁ ପ୍ରଦାନ କରିବାକୁ ରାଜି ହେଲେ । କେଶୋଦାସ ନିଜେ ମଧ୍ୟ ଗଜପତିଙ୍କ ଭଉଣୀଙ୍କୁ ବିବାହ କଲେ ଏବଂ ଏକ ଲକ୍ଷ ଟଙ୍କା ଗଜପତିଙ୍କଠାରୁ ନେଲେ । ଏହି ବିଜୟ ପରେ ଜାହାଙ୍ଗୀର କେଶୋଦାସଙ୍କୁ ସମ୍ମାନିତ କଲେ । ହାସିମ୍‍ ଖାଁଙ୍କ ପରେ ରାଜା ତୋଡ଼ରମଲ୍ଲଙ୍କ ପୁତ୍ର କଲ୍ୟାଣ ମଲ୍ଲ ଓଡ଼ିଶାର ସୁବାଦାର ଭାବରେ ନିଯୁକ୍ତି ପାଇଲେ । ସେ ୧୬୧୧ରୁ ୧୬୧୭ ପର୍ଯ୍ୟନ୍ତ ସୁବାଦାର ରହିଲେ । ପୂର୍ବ ସର୍ତ୍ତ ଅନୁସାରେ ଗଜପତି ପୁରୁଷୋତ୍ତମ ଦେବ ପେଶ୍‍କସ୍‍ ଟଙ୍କା ମୋଗଲ ଦରବାରକୁ ନ ପଠାଇବାରୁ କଲ୍ୟାଣମଲ୍ଲ ଖୋର୍ଦ୍ଧା ଆକ୍ରମଣ କଲେ । ଏଥିରେ ଗଜପତି ବାଧ୍ୟ ହୋଇ ଲକ୍ଷେ ଟଙ୍କା ପେଶ୍‍କସ୍‍ ଦେଲେ । ଅନ୍ୟ ପକ୍ଷରେ ମୋଗଲ ସେନାର ଖୋର୍ଦ୍ଧା ଆକ୍ରମଣରେ ଭୟଭୀତ ହୋଇ ପୁରୀର ପଣ୍ତାମାନେ ଜଗନ୍ନାଥ ପ୍ରତିମାଙ୍କୁ ନେଇ ଚିଲିକା ଚାଲିଗଲେ । ଫଳରେ ଅନେକ ବର୍ଷ ଧରି ମନ୍ଦିରରେ ପ୍ରତିମା ନଥିଲେ ।

୧୬୧୭ରେ ମକରମ ଖାଁ ଓଡ଼ିଶାର ନୂଆ ସୁବାଦାର ରୂପେ ଅବସ୍ଥାପିତ ହେଲେ । ସେ ମଧ୍ୟ ଥରେ ଖୋର୍ଦ୍ଧା ଆକ୍ରମଣ କଲେ ଏବଂ ତାହାକୁ ନିଜର ପ୍ରତ୍ୟକ୍ଷ ଶାସନଭୁକ୍ତ କଲେ । ଗଜପତି ଜଗନ୍ନାଥ ମନ୍ଦିରର ପୂଜକମାନଙ୍କୁ ନେଇ ଗଡ଼ମାଣିତ୍ରୀରେ ଲୁଚି ରହିଲେ । ୧୬୨୧ରେ ଗାଦିଚ୍ୟୁତ ହେବାପରେ ୧୬୨୨ରେ ସେଠାରେ ଭଗ୍ନ ହୃଦୟରେ ସେ ଦେହତ୍ୟାଗ କଲେ । ଗଜପତି ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ଓ ପୁରୀ ଉପରେ ନିଜ ନିୟନ୍ତ୍ରଣ ଜାହିର୍‍ କରିବା ପ୍ରୟାସରେ ନିଜ ନାଁରେ ତିନୋଟି ବ୍ରାହ୍ମଣ ଶାସନ ପୁରୀ ନିକଟରେ ପ୍ରତିଷ୍ଠା କରିଥିଲେ । ସେଗୁଡ଼ିକ ହେଲା, ଶ୍ରୀପୁରୁଷୋତ୍ତମପୁର, ବୀର ପୁରୁଷୋତ୍ତମପୁର ଓ ପ୍ରତାପ ପୁରୁଷୋତ୍ତମପୁର । ବ୍ରାହ୍ମଣମାନଙ୍କର ଅକୁଣ୍ଠ ସାହାଯ୍ୟ ସତ୍ତ୍ୱେ ସେ ପୁରୀ କ୍ଷେତ୍ରରେ ଜଗନ୍ନାଥଙ୍କୁ ପୁନଃ ପ୍ରତିଷ୍ଠା କରି ପାରି ନଥିଲେ ।

ପୁରୁଷୋତ୍ତମ ଦେବଙ୍କ ପରେ ତାଙ୍କ ପୁତ୍ର ନରସିଂହ ଦେବ (୧୬୨୧-୧୬୪୮) ଖୋର୍ଦ୍ଧାର ଗଜପତି ହେଲେ । ଏହି ସମୟରେ (୧୬୨୨-୧୬୨୫) ଜାହାଙ୍ଗୀରଙ୍କ ପୁତ୍ର ଖୁରମ୍‍, ଯିଏ ପରେ ଶାହାଜାହାନ ନାମ ଧାରଣ କରି ମୋଗଲ ସମ୍ରାଟ ହେଲେ, ପିତାଙ୍କ ବିରୁଦ୍ଧରେ ଦାକ୍ଷିଣାତ୍ୟରେ ବିଦ୍ରୋହ ଘୋଷଣା କଲେ । ଗୋଲକୋଣ୍ତା ସୁଲତାନଙ୍କ ସହାୟତା ପାଇ ସେ ଖୋର୍ଦ୍ଧା ମଧ୍ୟ ଆସିଥିଲେ । ନରସିଂହଦେବ ବିଦ୍ରୋହୀ କୁମାରଙ୍କ ବଶ୍ୟତା ସ୍ୱୀକାର କରି ଖୋର୍ଦ୍ଧାକୁ କେବଳ ଖୁରମ୍‍ଙ୍କ ଆକ୍ରମଣରୁ ରକ୍ଷା କଲେ ନାହିଁ, ତା' ସହିତ ଖୋର୍ଦ୍ଧା ଉପରେ ପୂର୍ଣ୍ଣ ଅଧିକାର ମଧ୍ୟ ପ୍ରାପ୍ତ ହେଲେ । କାରଣ ଖୁରମ୍‍ଙ୍କ ଭୟରେ ମୋଗଲ ସୁବାଦାର ଅହମଦ ବେଗ୍‍ ପ୍ରାଣ ଭୟରେ ପଳାୟନ କଲେ । ଖୁରମ୍‍ଙ୍କ ସମ୍ମତି ନେଇ ନରସିଂହଦେବ ପୁରୀ ମନ୍ଦିରରେ ଜଗନ୍ନାଥ ପ୍ରତିମାଙ୍କୁ ମଧ୍ୟ ପୁନଃସ୍ଥାପନ କଲେ । ଗଜପତିଙ୍କପାଇଁ ଏହା ଏକ ବଡ଼ ଉପଲବ୍ଧି ଥିଲା ।

ଶାହାଜାହାନଙ୍କ ଶାସନରେ ପୁରୀ ମନ୍ଦିର ଉପରେ କୌଣସି ମୋଗଲ ଆକ୍ରମଣ ହୋଇ ନଥିଲା । ରାଜକୋଷ ପୂର୍ଣ୍ଣ କରିବା ସକାଶେ ମୋଗଲ ସୁବାଦାର ବଖାର ଖାଁ ଭୂ-ରାଜସ୍ୱ ଆଦାୟ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ସେ ଓଡ଼ିଶାର ରାଜା ଓ ଜମିଦାରମାନଙ୍କ ଉପରେ ଖୁବ୍‍ ଅତ୍ୟାଚାର କରିଥିବାର ଶୁଣାଯାଏ । ଆଦାୟ ଭୂ-ରାଜସ୍ୱରୁ କିଛି ଅଂଶ ସେ ରାଜକୋଷରେ ଜମା ଦେଇ ବାକିତକ ନିଜେ ନେଇ ଯାଉଥିଲେ । ଦକ୍ଷିଣ ଓଡ଼ିଶାର ଚିକାକୋଲ ସେତେବେଳେ ଗୋଲକୋଣ୍ତା ସୁଲତାନଙ୍କ ଅଧିକାରକୁ ଚାଲିଯାଇଥିଲା । ତା'ପାଇଁ ସୁଲତାନ ମୋଗଲମାନଙ୍କୁ ବାର୍ଷିକ ୨୦,୦୦୦ଟଙ୍କା କର ଦେଉଥିଲେ । ଏହି କାରଣରୁ ଚିକାକୋଲକୁ ଓଡ଼ିଶାରେ ମିଶାଇ ଦେବାପାଇଁ ମୋଗଲମାନଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇ ନଥିଲା । ମାତ୍ର ବଖାର ଖାଁଙ୍କ ସମୟରେ ଖୁରମ୍‍ଙ୍କ ବିଦ୍ରୋହଜନିତ ମୋଗଲ ଗୃହ ବିବାଦର ସୁଯୋଗ ନେଇ ଗୋଲକୋଣ୍ତା ସୁଲତାନ ଧାର୍ଯ୍ୟ କର ଜମା କଲେ ନାହିଁ । ତା'ଛଡ଼ା ସେନାପତି ମନ୍‍ସୁରଙ୍କୁ ଓଡ଼ିଶା ଆକ୍ରମଣ କରିବାପାଇଁ ପ୍ରେରଣ କଲେ । ବରହମପୁର ନିକଟରେ ମନ୍‍ସୁର୍‍ଗଡ଼ ନାମରେ ମନ୍‍ସୁର ଏକ ଦୁର୍ଗ ନିର୍ମାଣ କଲେ, ଯାହା ମୋଗଲ ଶାସିତ ଖୋର୍ଦ୍ଧା ଓ ମଞ୍ଜୁଷା ରାଜ୍ୟ ପ୍ରତି ବିପଦ ସୃଷ୍ଟି କଲା । ଏହି କାରଣରୁ ୧୬୨୯ରେ ବଖାର ଖାଁ ମନ୍‍ସୁରଗଡ଼ ଲୁଣ୍ଠନ କରି ତାକୁ ଅଧିକାର କରିନେଲେ ଏବଂ ଗୋଲକୋଣ୍ତା ସୁଲତାନଙ୍କୁ ଚିକାକୋଲର ବାର୍ଷିକ କର ଦେବାକୁ ବାଧ୍ୟ କଲେ ।

୧୬୨୭ରୁ ୧୬୩୨ ପର୍ଯ୍ୟନ୍ତ ସୁବାଦାର ରହି ବଖାର ଖାଁ ଓଡ଼ିଶାରୁ ସ୍ଥାନାନ୍ତରିତ ହେଲେ । ବଖାରଙ୍କ ପ୍ରଜାପୀଡ଼ନ ଓ ଦୁର୍ନୀତିର ଅଭିଯୋଗ ପାଇ ଶାହାଜାହାନ ଓଡ଼ିଶାର ସୁବାଦାର ରୂପେ ମୁତାକ୍ୱଦ ଖାଁଙ୍କୁ ନିଯୁକ୍ତ କଲେ । ମୁତାକ୍ୱଦଙ୍କ ଶାସନ(୧୬୩୨-୧୬୪୧)ରେ ଓଡ଼ିଶା ଶାନ୍ତିରେ ଥିଲା । ୧୬୪୨ରୁ ୧୬୬୦ ମଧ୍ୟରେ ଶାହଜାହାନଙ୍କ ପୁତ୍ର ସୁଜା ବଙ୍ଗର ଗଭର୍ଣ୍ଣର ହେଲେ । ତାଙ୍କ ସମୟରେ ବିହାର ପରି ଓଡ଼ିଶା ମଧ୍ୟ ବଙ୍ଗ ସୁବାର ଅଂଶ ହୋଇ ରହିଲା ।

୧୬୫୮ରେ ଶାହଜାହାନଙ୍କୁ ବନ୍ଦୀ କରି ତଥା ଅନ୍ୟ ଭାଇମାନଙ୍କୁ ପରାସ୍ତ କରି ଆଉରଙ୍ଗଜେବ ମୋଗଲ ସମ୍ରାଟ ହେଲେ । ୧୬୬୦ରେ ସେ ଖାନ୍‍ ଇ ଦୌରାନ୍‍ଙ୍କୁ ଓଡ଼ିଶାର ସୁବାଦାର ନିଯୁକ୍ତ କଲେ । ଦୀର୍ଘ ସାତ ବର୍ଷର (୧୬୬୦-୬୭) ସୁବାଦାରୀ ମଧ୍ୟରେ ଖାନ୍‍ ଇ ଦୌରାନ୍‍ ଓଡ଼ିଶାରେ ମୋଗଲ ଶାସନକୁ ସୁଦୃଢ଼ କରିବାନିମିତ୍ତ ତଥା ରାଜସ୍ୱ ବୃଦ୍ଧି କରିବା ସକାଶେ ଅନେକ ପ୍ରୟାସ କଲେ । ତାଙ୍କ ଉଦ୍ୟମରେ ଓଡ଼ିଶାର ବାର୍ଷିକ ରାଜସ୍ୱ ୩୬ ଲକ୍ଷ ଟଙ୍କାରୁ ୭୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଲା ।

୧୬୬୦ରେ ଖାନ୍‍ ଇ ଦୌରାନ୍‍ ସୁବାଦାର ପଦ ସମ୍ଭାଳିବାପାଇଁ ଆସିବା ବେଳକୁ ଓଡ଼ିଶାରେ ମୋଗଲ ଦରବାରର ପ୍ରତିଷ୍ଠା ଯଥେଷ୍ଟ ହ୍ରାସ ପାଇଥିଲା । ମୋଗଲ ଗୃହ ବିବାଦର ସୁଯୋଗ ନେଇ ଓଡ଼ିଶାରେ ଅନେକ ଜମିଦାର ଓ ରାଜା ଏକ ପ୍ରକାର ସ୍ୱାଧୀନତା ଘୋଷଣା କରିଥିଲେ । ବଙ୍ଗର ମୋଗଲ ଗଭର୍ଣ୍ଣର ପଦବୀରେ ଥିବା ସୁଜା ନିଜେ ବିଦ୍ରୋହ କରି ବିଦ୍ରୋହୀମାନଙ୍କୁ ସାହସ ଦେଇଥିଲେ । ଏହାର ସୁଯୋଗ ନେଇ ନରସିଂହଦେବଙ୍କ ପରେ ଖୋର୍ଦ୍ଧାର ଗଜପତି ରାଜା ହୋଇଥିବା ମୁକୁନ୍ଦଦେବ ବାର୍ଷିକ ଦେୟ ଦେବାକୁ ମନା କରିଦେଲେ । ରଣପୁର, ସାରଙ୍ଗଗଡ଼, ଡମପଡ଼ା ଓ ଖଲିକୋଟ ଆଦି ରାଜ୍ୟର ରାଜା ଓ ଜମିଦାରମାନେ ବାର୍ଷିକ କର ନଦେଇ ସେମାନେ ଗଜପତିଙ୍କ ନେତୃତ୍ୱରେ ପରିଚାଳିତ ବୋଲି ଧାରଣା ସୃଷ୍ଟି କରିଥିଲେ । ମୋଗଲ ସୁବାଦାର ଏହି ରାଜା ଓ ଜମିଦାରମାନଙ୍କୁ ନିୟନ୍ତ୍ରଣ କଲେ । ଏହି ପ୍ରକ୍ରିୟାରେ ହରିହରପୁର (ମୟୂରଭଞ୍ଜ) ରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କୁ ହତ୍ୟା ମଧ୍ୟ କଲେ । ୧୬୬୧ ଫେବ୍ରୁଆରିରେ ସେ ଖୋର୍ଦ୍ଧା ଆକ୍ରମଣ କଲେ । ରାଜା ମୁକୁନ୍ଦଦେବ ପ୍ରଥମେ ପ୍ରାଣ ବିକଳରେ ପଳାୟନ କଲେ ଏବଂ କିଛିଦିନ ଉତ୍ତାରୁ ମୋଗଲ ସୁବାଦାରଙ୍କ ନିକଟରେ ଆତ୍ମ ସମର୍ପଣ କଲେ । ଗଜପତିଙ୍କ ଦୁରବସ୍ଥା ଦେଖି ଅନ୍ୟ ରାଜା ଓ ଜମିଦାରମାନେ ମଧ୍ୟ ସୁବାଦାରଙ୍କ କର୍ତ୍ତୃତ୍ୱକୁ ସ୍ୱୀକାର କରିନେଲେ । ସୁବାଦାର କେନ୍ଦୁଝର ରାଜ୍ୟ ଲୁଣ୍ଠନ କଲେ । ଖାନ୍‍ ଇ ଦୌରାନ୍‍ଙ୍କ ଉଦ୍ୟମରେ ଓଡ଼ିଶାରେ ମୋଗଲ ଶାସନ ଦୃଢ଼ ହେଲା । ତା' ସାଙ୍ଗକୁ ରାଜକୋଷ ମଧ୍ୟ ଭର୍ତ୍ତିି ହେଲା । ଖାନ୍‍ ଇ ଦୌରାନ୍‍ ଖୋର୍ଦ୍ଧା ଆକ୍ରମଣ କରିଥିଲେ । କିନ୍ତୁ କିଛି ଦିନ ପରେ ଗଜପତି ମୁକୁନ୍ଦ ଦେବ ଆତ୍ମ ସମର୍ପଣ କରିବାରୁ ଏବଂ ତାଙ୍କ ପରେ ପରେ ଅନ୍ୟ ବିଦ୍ରୋହୀମାନେ ନିୟନ୍ତ୍ରଣକୁ ଆସିବାରୁ ସେ ପୁରୀ ଆକ୍ରମଣ କରି ନଥିଲେ । ସେ କେନ୍ଦ୍ରାପଡ଼ାର ବଳଦେବ ଜୀଉ ମନ୍ଦିର ଲୁଣ୍ଠନ କରିଥିଲେ । ସୁବାଦାର ଶାୟସ୍ତା ଖାଁ (୧୬୮୦-୮୮) ଝଙ୍କଡ଼ର ଶାରଳା ମନ୍ଦିର ଓ ଯାଜପୁର ଆଖପାଖର କେତୋଟି ମନ୍ଦିର ଲୁଣ୍ଠନ କରିଥିଲେ । ଶାୟସ୍ତ ଖାଁଙ୍କ ପରେ ତାଙ୍କ ପୁତ୍ର ଆବୁ ନାସେର୍‍ ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ । ତାଙ୍କ ସମୟରେ ପୁରୀ ଜଗନ୍ନାଥ ମନ୍ଦିର ଆକ୍ରମଣ ପାଇଁ ସେନା ଚାଳନା ହୋଇଥିଲା । ମାତ୍ର ଝଡ଼ ତୋଫାନଯୋଗୁଁ ମୋଗଲ ସେନା ପିପିଲିଠାରୁ କଟକ ପ୍ରତ୍ୟାବର୍ତ୍ତନ କଲେ । ସଂଭବତଃ ମୁକୁନ୍ଦଦେବ କିଛି ପେଶ୍‍କସ୍‍ ଦେଇ ମୋଗଲ ସେନାଙ୍କୁ ଜଗନ୍ନାଥ ମନ୍ଦିର ଆକ୍ରମଣରୁ ନିବୃତ୍ତ କରିଥିଲେ ।

ଏହି ସବୁ ମନ୍ଦିର ଆକ୍ରମଣରୁ ମନେହୁଏ, ଆକ୍ରମଣର ଏକ ପ୍ରଧାନ କାରଣ ଥିଲା ଧନରତ୍ନ ଲୁଣ୍ଠନ । ଅନେକ ସମୟରେ ଜଗନ୍ନାଥ ମନ୍ଦିର ଆକ୍ରମଣର ଧମକ ଦେଇ ସୁବାଦାରମାନେ ଖୋର୍ଦ୍ଧା ରାଜାଙ୍କଠାରୁ ଅର୍ଥ ଆଦାୟ କରିଛନ୍ତି । ପୁଣି କେବେ କେବେ ଅର୍ଥ ଲାଭ ପରେ ମନ୍ଦିର ଆକ୍ରମଣ ଯୋଜନାରୁ ନିବୃତ୍ତ ରହିଛନ୍ତି । ମନ୍ଦିର ଆକ୍ରମଣ ପଛରେ ବିଧର୍ମୀ ଭାବନା ଯେ ଏକ କାରଣ ଥିଲା ଏହା ଅସ୍ୱୀକାର କରିହେବ ନାହିଁ । ମୁସଲିମ ଧର୍ମରେ ମୂର୍ତ୍ତିି ପୂଜା ନିଷେଧ । ତେଣୁ ମନ୍ଦିର ଉପରେ ଆକ୍ରମଣ କରି ମୂର୍ତ୍ତିିକୁ ଭାଙ୍ଗିରୁଜି ଦେବା ସେମାନଙ୍କ ମଧ୍ୟଯୁଗୀୟ ଧାର୍ମିକ ପରଂପରା ଅନୁଯାୟୀ ଯୁକ୍ତିସଂଗତ ଥିଲା । ଏ କ୍ଷେତ୍ରରେ ଆଉରଙ୍ଗଜେବଙ୍କର ଏକ ଦୃଷ୍ଟାନ୍ତ ନିଆଯାଇପାରେ । ୧୬୯୨ରେ ସେ କଟକରେ ନବନିଯୁକ୍ତ ସୁବାଦାର ନବାବ ଏକରାମ ଖାଁଙ୍କୁ ପୁରୀ ମନ୍ଦିର ଧ୍ୱଂସ କରିବାପାଇଁ ନିର୍ଦ୍ଦେଶ ଦେଲେ । ମାତ୍ର ମୋଗଲ ସେନା ପୁରୀ ଆକ୍ରମଣପାଇଁ କଟକରୁ ପ୍ରସ୍ଥାନ କରିବା ପୂର୍ବରୁ ଗଜପତି ଦିବ୍ୟସିଂହଦେବ (୧୬୮୮-୧୭୧୬) ସୁବାଦାରଙ୍କୁ ଜଣାଇଲେ ଯେ, ଆଦେଶ ମିଳିଲେ ସେ (ଗଜପତି) ନିଜେ ମନ୍ଦିର ଧ୍ୱଂସ କରିଦେବେ । ସୁବାଦାର ଏଥିରେ ସମ୍ମତ ହେବାରୁ ଗଜପତି ଉପରଠାଉରିଆ ଭାବେ ମନ୍ଦିରରୁ କିଛି ଭାଙ୍ଗିଦେଲେ ଏବଂ ଦେବପ୍ରତିମାଙ୍କର ଏକ ନକଲି ମୂର୍ତ୍ତିି ସୁବାଦାରଙ୍କ ମାଧ୍ୟମରେ ଆଉରଙ୍ଗଜେବଙ୍କ ପାଖକୁ ପ୍ରେରଣ କଲେ । ଅନ୍ୟ ପକ୍ଷରେ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ହେଲା, ପୂଜାବିଧି ମଧ୍ୟ ବନ୍ଦ ରହିଲା । ମନ୍ଦିରରେ ପାଳିତ ଅନ୍ୟାନ୍ୟ ପୂଜା ପାର୍ବଣକୁ ମଧ୍ୟ ବନ୍ଦ କରିଦିଆଗଲା । ଏହି ଉପାୟରେ ଆଉରଙ୍ଗଜେବଙ୍କ ସମୟରେ ଜଗନ୍ନାଥ ମନ୍ଦିର ଧ୍ୱଂସ ହେବାରୁ ରକ୍ଷା ପାଇଥିଲା । ସମ୍ରାଟଙ୍କର ହିନ୍ଦୁବିଦ୍ୱେଷ ନୀତି ମଧ୍ୟ ଏ କ୍ଷେତ୍ରରେ କାର୍ଯ୍ୟକାରୀ ହେଲା । ମୋଟ ଉପରେ କହିଲେ, ମଧ୍ୟଯୁଗର ରୀତି ଅନୁଯାୟୀ କେତେକ ମୁସଲିମ୍‍ ଶାସକ ମନ୍ଦିର ଆକ୍ରମଣ କରିଥିଲେ । ଏହାଦ୍ୱାରା ସେମାନଙ୍କର ଧନଲାଭ ହେଉଥିଲା, ଧର୍ମଲାଭ ମଧ୍ୟ ହେଉଥିଲା ! ଧନ ଲାଭ ଆଶାରେ କେତେକ କ୍ଷେତ୍ରରେ ମୋଗଲ ସମ୍ରାଟଙ୍କ ହିନ୍ଦୁ ପ୍ରଶାସକ ମଧ୍ୟ ମନ୍ଦିର ଲୁଣ୍ଠନ କରିବାକୁ ହେଳା କରି ନଥିଲେ । ଅନ୍ୟ ପକ୍ଷରେ ଖୋର୍ଦ୍ଧାର ଗଜପତି ରାଜା ମନ୍ଦିର ଉପରେ ନିଜ ନିୟନ୍ତ୍ରଣ ଜାରି ରଖିବାପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ । ମନ୍ଦିରର ନିୟନ୍ତ୍ରଣ ଉପରେ ତାଙ୍କର ସାମାଜିକ ପ୍ରତିଷ୍ଠା ନିର୍ଭର କରୁଥିଲା । ହିନ୍ଦୁରୀତି ଅନୁଯାୟୀ ମନ୍ଦିର ଧ୍ୱଂସ ହେବା କିମ୍ବା ପ୍ରତିଷ୍ଠା ପାଇଥିବା ପ୍ରତିମାଙ୍କର ଅପମାନ ହେବା ଅଥବା ପୂଜାବିଧି ସଂପାଦିତ ନହେବା ଏକ ଜଘନ୍ୟ କାର୍ଯ୍ୟ। ତେଣୁ ଗଜପତିଙ୍କୁ ସ୍ଥାନୀୟ ସମାଜର ସମର୍ଥନ ମିଳିବା ସ୍ୱାଭାବିକ ଥିଲା । ଗଜପତି ହିନ୍ଦୁ ରୀତିରେ ବିଖ୍ୟାତ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି ନିଜ ପ୍ରତି ସମର୍ଥନକୁ ବହୁଗୁଣିତ କରୁଥିଲେ । ନରସିଂହଦେବଙ୍କଦ୍ୱାରା ପୁରୀ ନିକଟରେ ବୀର ନରସିଂହପୁର ବ୍ରାହ୍ମଣ ଶାସନ ଓ ମୁକୁନ୍ଦଦେବଙ୍କ ସମୟରେ ଦାଣ୍ତମୁକୁନ୍ଦପୁର ଶାସନ ପ୍ରତିଷ୍ଠା ଉକ୍ତ ପୃଷ୍ଠପୋଷକତାର ଗୋଟିଏ ଲେଖାଏଁ ଉଦାହରଣ ମାତ୍ର ।

୧୭୦୭ରେ ଆଉରଙ୍ଗଜେବଙ୍କର ମୃତ୍ୟୁ ହେଲା । ତା' ପୂର୍ବରୁ ୧୭୦୪ରେ ମୁର୍ସିଦ୍‍ କୁଲି ଖାଁ ଓଡ଼ିଶାର ସୁବାଦାର ହୋଇ ଆସିଥିଲେ । ତାଙ୍କ ସମୟରେ ଶାନ୍ତି ପ୍ରତିଷ୍ଠା ହେଲା । ଜଗନ୍ନାଥ ମନ୍ଦିରରେ ପୁଣି ଥରେ ପ୍ରତିମା ପୂଜାପାଇଁ ପୂଜାବିଧି ସୁଚାରୁ ରୂପେ ସଂପାଦିତ ହେଲା । ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ମୁର୍ସିଦ୍‍ କୁଲି ୧୭୧୩ରେ ନିଜକୁ ବଙ୍ଗ, ବିହାର ଓ ଓଡ଼ିଶାର ନଜିମ ଘୋଷଣା କଲେ । ଅର୍ଥାତ୍‍, ସେ ନାମକୁ ମାତ୍ର ମୋଗଲଙ୍କ ଅଧୀନରେ ରହି ସ୍ୱାଧୀନ ଭାବରେ ଶାସନ ପରିଚାଳନା କରିବାକୁ ଲାଗିଲେ । ଦିଲ୍ଲୀର ମୋଗଲ ବଦଳରେ ଏଣିକି ବଙ୍ଗର ନଜିମଙ୍କ ନିକଟରେ ଓଡ଼ିଶାର ପ୍ରଶାସକ ଉତ୍ତରଦାୟୀ ରହିଲେ । ବଙ୍ଗର ନଜିମଙ୍କଦ୍ୱାରା ନିଯୁକ୍ତ ଓଡ଼ିଶାର ପ୍ରଶାସକଙ୍କୁ ନାଏବ ନଜିମ କୁହାଗଲା । ମୁର୍ସିଦ୍‍ କୁଲିଙ୍କ ଜାମାତା ସୁଜାଉଦ୍ଦିନ୍ ଓଡ଼ିଶାର ପ୍ରଥମ ନାଏବ ନଜିମ ନିଯୁକ୍ତ ହେଲେ ।

ମୁର୍ସିଦ୍‍ କୁଲି ଓ ସୁଜାଉଦ୍ଦିନ୍‌ଙ୍କ ସମୟରେ (୧୭୦୪-୧୭୨୭) ଓଡ଼ିଶା ଉପରେ କୌଣସି ଆକ୍ରମଣ ହୋଇ ନଥିଲା । ବରଂ ହିନ୍ଦୁ-ମୁସଲିମ୍‍ ଏକତାପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା । ସୁଜାଉଦ୍ଦିନ୍ କଦମ୍‍ ରସୁଲ୍‍ ମସଜିଦ୍‍ ନିର୍ମାଣ କରିଥିଲେ । ସେଠାରେ ଉଭୟ ହିନ୍ଦୁ ଓ ମୁସଲମାନ ପ୍ରାର୍ଥନାପାଇଁ ଏକତ୍ର ହେଉଥିଲେ । ଆଜି ମଧ୍ୟ ତାହା ହିନ୍ଦୁ-ମୁସଲିମ୍‍ ଏକତାର ପ୍ରତୀକ ହୋଇ ରହିଛି । କାଇପଦରର ବୁଖାରୀ ସାହେବ ପୀଠ ମଧ୍ୟ ତାଙ୍କ ସମୟର ସୃଷ୍ଟି । ଏହି ସମୟରେ ଓଡ଼ିଶା ଓ ବଙ୍ଗରେ ସତ୍ୟନାରାୟଣ ପୂଜାର ପ୍ରଚଳନ ହେଲା, ଯାହା ଉଭୟ ସଂପ୍ରଦାୟର ଏକତାର ନିଦର୍ଶନ । ଭଦ୍ରକର ମୋଗଲ ତାମସାର ପ୍ରସାର ମଧ୍ୟ ଏହି ସମୟରେ ହେଲା । ଉଭୟ ଧର୍ମ ସଂପ୍ରଦାୟ ଏଥିରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରୁଥିଲେ ।

୧୭୨୭ରେ ମୁର୍ସିଦ୍‍ କୁଲିଙ୍କର ଦେହାନ୍ତ ହେବା ପରେ ସୁଜାଉଦ୍ଦିନ୍ ବଙ୍ଗ ସାମ୍ରାଜ୍ୟର ନଜିମ୍‍ ହେଲେ ଏବଂ ତାଙ୍କ ସ୍ଥାନରେ ଓଡ଼ିଶାର ନାଏବ ନଜିମ ପଦରେ ତକି ଖାଁ ନିଯୁକ୍ତ ହେଲେ । ତକି ଖାଁ ସୁଜାଉଦ୍ଦିନ୍‌ଙ୍କ ପୁତ୍ର ଥିଲେ । ନଜିମ୍‍ ଭାବରେ ସୁଜାଉଦ୍ଦିନ୍ ଧାର୍ମିକ ଉଦାରତାପାଇଁ ପ୍ରସିଦ୍ଧ ଥିଲେ । ମାତ୍ର ତକି ଖାଁଙ୍କ ସମୟରେ ପୁଣି ଥରେ ଓଡ଼ିଶା ଏବଂ ବିଶେଷକରି ଖୋର୍ଦ୍ଧା ଓ ପୁରୀରେ ଘୋର ଅରାଜକତା ଦେଖାଗଲା । ଏହା ପଛରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପରେ ନାଏବ ନଜିମଙ୍କର ହାତ ରହିଥିଲା । ଯେଉଁ ବର୍ଷ (୧୭୨୭) ତକି ଖାଁ ଓଡ଼ିଶାର ନାଏବ ନଜିମ୍‍ ପଦରେ ନିଯୁକ୍ତ ହେଲେ ଠିକ୍‍ ସେହି ବର୍ଷ ରାମଚନ୍ଦ୍ର ଦେବ ଖୋର୍ଦ୍ଧାରେ ଗଜପତି ପଦରେ ଅଭିଷିକ୍ତ ହେଲେ । ତକି ଖାଁଙ୍କ ଶାସନକାଳ (୧୭୨୭-୩୫) ଓ ରାମଚନ୍ଦ୍ରଦେବଙ୍କ ଶାସନକାଳ (୧୭୨୭-୧୭୩୬) କେବଳ ଏକା ସମୟରେ ଆରମ୍ଭ ହୋଇ ନଥିଲା, ମୋଟାମୋଟି ଏକା ସମୟରେ ଶେଷ ମଧ୍ୟ ହୋଇଥିଲା । ଦ୍ୱିତୀୟତଃ, ସମଗ୍ର ଶାସନକାଳ ମଧ୍ୟରେ ଉଭୟଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣକୁ ନେଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଳହ ଲାଗି ରହିଥିଲା ।

ତକି ଖାଁଙ୍କ ସମୟରେ ହାଇଦ୍ରାବାଦର ନିଜାମ ଦକ୍ଷିଣ ଓଡ଼ିଶା ଆକ୍ରମଣ କଲେ ଏବଂ ଗଞ୍ଜାମ ଜିଲ୍ଲା ଓ ଚିଲିକା ହ୍ରଦର ଦକ୍ଷିଣ କ୍ଷେତ୍ର ଅଧିକାର କରିନେଲେ । ପୂର୍ବରୁ ଏହି କ୍ଷେତ୍ର ଖୋର୍ଦ୍ଧା ରାଜାଙ୍କ କର୍ତ୍ତୃତ୍ୱରେ ରହିଥିଲା । ମୋଗଲ ସାମ୍ରାଜ୍ୟର ପତନ ପରେ ବଙ୍ଗ ପରି ହାଇଦ୍ରାବାଦକୁ ଏକ ସ୍ୱାଧୀନ ରାଜ୍ୟ ରୂପେ ନିଜାମ୍‍ ଉଲମୁଳ୍କ ଆସଫ୍‍ ଝା ଗଢ଼ିଥିଲେ ଏବଂ ରାଜ୍ୟ ବିସ୍ତାରପାଇଁ ଓଡ଼ିଶା ପ୍ରତି ଲକ୍ଷ୍ୟ ରଖିଥିଲେ । ଖୋର୍ଦ୍ଧା ରାଜା ନିଜାମ୍‍ଙ୍କ ବିରୁଦ୍ଧରେ ନିଜର ସୀମିତ ପାଇକ ସୈନ୍ୟବଳ ଚାଳନା କରି ପରାଜିତ ହେଲେ । ତାଙ୍କୁ ତକି ଖାଁଙ୍କ ପକ୍ଷରୁ କୌଣସି ସେନା ସହାୟତା ମିଳିଲା ନାହିଁ, ଯଦିଓ ଖୋର୍ଦ୍ଧା ଥିଲା ବଙ୍ଗର ସାମନ୍ତ ରାଜ୍ୟ । ପରାଜୟଯୋଗୁଁ ପ୍ରତିଷ୍ଠା ହରାଇଥିବା ରାମଚନ୍ଦ୍ର ଦେବ ମୋଗଲବନ୍ଦି ଓଡ଼ିଶାର କିଛି ଅଂଶ ଅଧିକାର କରିନେଇ କ୍ଷତି ପୂରଣ କରିବାକୁ ଚେଷ୍ଟା କଲେ । ମାତ୍ର ଏଥିରେ ମଧ୍ୟ ସେ ସଫଳ ହେଲେ ନାହିଁ । ଅର୍ଥାତ୍‍ ତକି ଖାଁଙ୍କ ସହିତ ତାଙ୍କର ଶତ୍ରୁତା ବୃଦ୍ଧି ପାଇଲା । ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି ତକି ଖାଁ କଟକ ଦୁର୍ଗରେ ରଖିଲେ । କଟକରେ ବନ୍ଦୀ ଜୀବନ କାଳରେ ରାମଚନ୍ଦ୍ରଦେବ ଇସଲାମ ଧର୍ମରେ ଦୀକ୍ଷିତ ହେଲେ ।

ରାମଚନ୍ଦ୍ରଦେବଙ୍କ ଇସ୍‍ଲାମ୍‍ ଧର୍ମ ଗ୍ରହଣ ସମ୍ବନ୍ଧରେ ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ଯେ ମୁସଲିମ୍‍ ରାଜକନ୍ୟାଙ୍କ ପ୍ରେମରେ ପଡ଼ି ଖୋର୍ଦ୍ଧା ରାଜା ଧର୍ମ ପରିବର୍ତ୍ତନ କରିଥିଲେ । ମାତ୍ର ଧର୍ମ ପରିବର୍ତ୍ତନ ପରେ ମଧ୍ୟ ସେ ନାମ ପରିବର୍ତ୍ତନ କରି ନଥିଲେ ଏବଂ ଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ପରେ ମନ୍ଦିରରେ ତାଙ୍କ ପ୍ରବେଶକୁ ପଣ୍ତାମାନେ ମଧ୍ୟ ସ୍ୱାଗତ କରିଥିଲେ । ଏହି ଆଧାରରେ କୁହାଯାଏ ଯେ, ସେ ବାଧ୍ୟହୋଇ ଇସ୍‍ଲାମ ଧର୍ମରେ ଦୀକ୍ଷିତ ହୋଇଥିଲେ ଏବଂ ତାଙ୍କ ଧର୍ମ ପରିବର୍ତ୍ତନ ଦ୍ୱାରା ନାଏବ ନଜିମ୍‍ଙ୍କୁ ତୁଷ୍ଟ କରିପାରିଲେ ଜଗନ୍ନାଥ ମନ୍ଦିର ପୁନର୍ବାର ମୁସଲମାନ ଅଧିକାରଭୁକ୍ତ ହେବାରୁ ରକ୍ଷା ପାଇବ ବୋଲି ସେ ହୁଏତ ଆଶା ରଖିଥିଲେ । ମନ୍ଦିର ଉପରେ ତାଙ୍କ ଅଧିକାରକୁ ଏହା ପ୍ରକାରାନ୍ତରେ ସାବ୍ୟସ୍ତ କରିବ ବୋଲି ସେ ମନେ କରିଥିଲେ । ରାମଚନ୍ଦ୍ର ଦେବ କଟକରେ ବନ୍ଦୀ ଥିବା ସମୟରେ ଖୋର୍ଦ୍ଧାରେ ତକି ଖାଁଙ୍କ ବିରୁଦ୍ଧରେ ବିଦ୍ରୋହ ହେଲା । ରାମଚନ୍ଦ୍ରଦେବଙ୍କ ପୁତ୍ରମାନଙ୍କ ସହିତ ଆଠଗଡ଼ (ଗଞ୍ଜାମ) ରାଜା ଏହାର ନେତୃତ୍ୱ ନେଇଥିଲେ । ମାତ୍ର ତକି ଖାଁ ବିଦ୍ରୋହୀମାନଙ୍କୁ ପରାଜିତ କଲେ । ଏହା ପରେ ତକି ଖାଁ ରାମଚନ୍ଦ୍ରଦେବଙ୍କୁ କଟକରୁ ମୁକ୍ତ କରି ଖୋର୍ଦ୍ଧାରେ ରହିବାକୁ ଅନୁମତି ଦେଲେ ।

ଏହି ସମୟରେ ପୁରୀ ଉପରେ ତକି ଖାଁଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଥିଲା । କାଳେ ସେ ମନ୍ଦିର ଆକ୍ରମଣ କରି ବିଗ୍ରହମାନଙ୍କୁ ନଷ୍ଟ କରିବେ, ସେହି ଆଶଙ୍କାରେ ରାମଚନ୍ଦ୍ରଦେବ ଜଗନ୍ନାଥ ବିଗ୍ରହଙ୍କୁ ନେଇ ବାଣପୁର ପଳାୟନ କଲେ ।ଏଥିରେ ତକି ଖାଁ କ୍ଷୁବ୍ଧ ହେଲେ । କାରଣ ବିଗ୍ରହ ବିନା ମନ୍ଦିର ତୀର୍ଥଯାତ୍ରୀ ହରାଇଲା ଏବଂ ନାଏବ ନଜିମ୍‍ ପୁରୀରୁ ଆଶା ଅନୁରୂପ ତୀର୍ଥଯାତ୍ରୀ କର ଅସୁଲ କରି ପାରିଲେ ନାହିଁ । ସେ ଖୋର୍ଦ୍ଧା ଆକ୍ରମଣ କଲେ । ଉଦ୍ଦେଶ୍ୟ ଥିଲା, ରାମଚନ୍ଦ୍ରଦେବଙ୍କର କ୍ଷତିସାଧନ କରିବା । ଭୟରେ ରାମଚନ୍ଦ୍ରଦେବ ପ୍ରଥମେ ନୟାଗଡ଼ ଓ ଖଣ୍ତାପଡ଼ା ଏବଂ ଶେଷରେ ବୋଲଗଡ଼ରେ ଯାଇ ଲୁଚି ରହିଲେ । ଜଗନ୍ନାଥଙ୍କ ବିଗ୍ରହ ବାଣପୁରରୁ ଟିକିଲି ଏବଂ ସେଠାରୁ ଖଲିକୋଟରେ ଲୁଚା ହୋଇ ରହିଲେ । ଯେହେତୁ ଦକ୍ଷିଣ ଓଡ଼ିଶାରେ ଖଲିକୋଟ ଉପରୁ ତକି ଖାଁଙ୍କ ଅଧିକାର ଲୋପ ପାଇଥିଲା, ବିଗ୍ରହକୁ ତାଙ୍କ ଆକ୍ରମଣରୁ ରକ୍ଷା କରିବାପାଇଁ ତାହା ଉପଯୁକ୍ତ ସ୍ଥାନ ବିବେଚିତ ହେଲା । ମନ୍ଦିରରେ ବିଗ୍ରହ ନଥିବାରୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ହ୍ରାସପାଇଲା ଏବଂ ତକି ଖାଁ ମନ୍ଦିରର ଆୟବୃଦ୍ଧି କରିବାପାଇଁ ଶେଷରେ ବିଗ୍ରହ ପ୍ରତିଷ୍ଠାରେ ବାଧା ଦେଲେ ନାହିଁ । ତକି ଖାଁଙ୍କ ମୃତ୍ୟୁ (ମେ ୧୭୩୫) ପୂର୍ବରୁ ଜଗନ୍ନାଥ ମନ୍ଦିରରେ ବିଗ୍ରହଙ୍କୁ ପୁନଃପ୍ରତିଷ୍ଠା କରାଗଲା । ଯଥା ସମୟରେ ନବକଳେବର ମଧ୍ୟ ସମାପନ ହେଲା । ସର୍ବମୋଟ ୨୮ ମାସ ଧରି ମନ୍ଦିରରେ ବିଗ୍ରହ ନଥିଲେ । ମନ୍ଦିର ବନ୍ଦ ରହିଥିଲା ।

ତକି ଖାଁ ଶେଷରେ ଅନୁଭବ କଲେ ଯେ, ଖୋର୍ଦ୍ଧା ରାଜାଙ୍କ ନିୟନ୍ତ୍ରଣରେ ମନ୍ଦିରର ପରିଚାଳନା ରହିବାରେ ହିଁ ଆଶାମତେ ପୁରୀରେ ତୀର୍ଥଯାତ୍ରୀ ସମାଗମ ହେବେ । ଫଳରେ ରାଜ୍ୟ ଆଶାନୁରୂପ ତୀର୍ଥଯାତ୍ରୀ କର ଅସୁଲ କରିପାରିବ । ଗଜପତି, ମନ୍ଦିର ପଣ୍ତା ଓ ବ୍ରାହ୍ମଣମାନେ ମନ୍ଦିରରେ ବହିଃଶକ୍ତିର ଅନୁପ୍ରବେଶକୁ ନିରନ୍ତର ବିରୋଧ କରି ମନ୍ଦିରର ପାରମ୍ପରିକ ସାର୍ବଭୌମତ୍ୱ ପ୍ରତିପାଦନ କଲେ । ଆଜି ଏକବିଂଶ ଶତାବ୍ଦୀର ଆରମ୍ଭରେ ମଧ୍ୟ ପରମ୍ପରାରୁ ପ୍ରାପ୍ତ ମନ୍ଦିରର ସାର୍ବଭୌମତ୍ୱ ଅକ୍ଷୁଣ୍ଣ ରହିଛି ।

୧୭୩୫ରେ ତକି ଖାଁଙ୍କ ମୃତ୍ୟୁ ପରେ ଦ୍ୱିତୀୟ ମୁର୍ସିଦ୍‍ କୁଲି ଖାଁ ଓଡ଼ିଶାର ନାଏବ ନଜିମ୍‍ ନିଯୁକ୍ତ ହେଲେ । ମୀର୍‍ ହବିବ୍‍ ନାମରେ ଜଣେ ସୁଦକ୍ଷ ଅଧିକାରୀ ଥିଲେ ତାଙ୍କର ଏକାନ୍ତ ସହଯୋଗୀ । ଉଭୟ ନାଏବ ନଜିମ୍‍ ଓ ମୀର୍‍ ହବିବ୍‍ ଦୃଢ଼ ଭାବେ ଅନୁଭବ କଲେ ଯେ ମନ୍ଦିର ଗଜପତିଙ୍କ ପରିଚାଳନାରେ ରହିଲେ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଲାଭହେବ । ଏଣିକି ପୁରୀରେ ବିଗ୍ରହ ଶାନ୍ତିରେ ରହିଲେ । ମାତ୍ର ମୀର୍‍ ହବିବ୍‍ ରାଜା ରାମଚନ୍ଦ୍ରଦେବଙ୍କ ଖୋର୍ଦ୍ଧା ସିଂହାସନ ଦାବିକୁ ପ୍ରତ୍ୟାଖ୍ୟାନ କଲେ ଏବଂ ପଦ୍ମନାଭ ଦେବଙ୍କୁ ୧୭୩୬ରେ ଖୋର୍ଦ୍ଧାର ରାଜା ଘୋଷଣା କଲେ । ରାମଚନ୍ଦ୍ରଦେବ ଭଗ୍ନ ମନୋରଥ ହୋଇ ନରସିଂହପୁର ରାଜାଙ୍କ ପାଖରେ ଯାଇ ଆଶ୍ରୟ ନେଲେ । ଅଗଷ୍ଟ ୧୭୩୭ରେ ତାଙ୍କର ସେଠାରେ ମୃତ୍ୟୁ ହେଲା । ମନ୍ଦିରର ଓ ବିଗ୍ରହଙ୍କର ସୁରକ୍ଷାପାଇଁ ସେ ଏପରିକି ଧର୍ମତ୍ୟାଗ କରିଥିଲେ ବୋଲି ଓଡ଼ିଶା ଇତିହାସରେ ତଥା ସାହିତ୍ୟରେ ତାଙ୍କୁ ନେଇ ଖୁବ୍‍ ଚର୍ଚ୍ଚା ଦେଖିବାକୁ ମିଳେ । ପଦ୍ମନାଭ ଦେବ (୧୭୩୬-୧୭୩୯) ଭୁବନେଶ୍ୱର ନିକଟସ୍ଥ ପଟିଆର ରାଜା ଥିଲେ । ଖୋର୍ଦ୍ଧା ରାଜବଂଶଜ ନହେବା ସତ୍ତ୍ୱେ ମୀର୍‍ ହବିବ୍‍ଙ୍କ ସହାୟତାରେ ସେ ଖୋର୍ଦ୍ଧାର ରାଜା ଏବଂ ଓଡ଼ିଶାର ଗଜପତି ପଦବୀ ଧାରଣ କରିଥିଲେ । ଏଥିପାଇଁ ତାଙ୍କୁ ଖୋର୍ଦ୍ଧା ରାଜକୁମାର ବୀରକିଶୋର ଦେବଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ପଣ୍ତା ଓ ବ୍ରାହ୍ମଣମାନଙ୍କର ମଧ୍ୟ ତାଙ୍କ ପ୍ରତି ସମର୍ଥନ ନଥିଲା । ତାଙ୍କର ଗଜପତି ପଦବୀ ଧାରଣକୁ ଲୋକେ ସହଜରେ ଗ୍ରହଣ କରି ପାରିଲେ ନାହିଁ । ଅନ୍ୟ ପକ୍ଷରେ ବୀରକିଶୋର ନାଏବ ନଜିମ୍‍ ଦ୍ୱିତୀୟ ମୁର୍ସିଦ୍‍ କୁଲି ଖାଁଙ୍କୁ ସମସ୍ତ ବକେୟା ତୀର୍ଥଯାତ୍ରୀ କର ପୈଠ କରିବାକୁ ପ୍ରତିଶ୍ରୁତି ଦେଲେ । ଏହି ଆଧାରରେ ତାଙ୍କୁ ୧୭୩୯ରେ ଖୋର୍ଦ୍ଧା ରାଜା ଘୋଷଣା କରାଗଲା । ଦୀର୍ଘ ୪୨ବର୍ଷ ଧରି (୧୭୩୯- ୧୭୮୧) ସେ ଗଜପତି ରହିଲେ । ତାଙ୍କ ସମୟରେ ହିଁ ୧୭୫୧ରେ ବଙ୍ଗର ନଜିମ୍‍ଙ୍କ ଅଧୀନରୁ ଯାଇ ଓଡ଼ିଶା ମରାଠାମାନଙ୍କ ଅଧିକାରଭୁକ୍ତ ହେଲା ।

୧୫୬୮ରୁ ୧୭୫୧ ପର୍ଯ୍ୟନ୍ତ କାଳାଂଶକୁ ଓଡ଼ିଶା ଇତିହାସରେ ମୋଗଲ ଶାସନର ସମୟ ବୋଲି କୁହାଯାଏ । ମାତ୍ର ପ୍ରକୃତରେ ମୋଗଲମାନଙ୍କ ବ୍ୟତୀତ ଏହି ସମୟରେ ଆଫଗାନ୍‍ ଓ ବଙ୍ଗର ନଜିମ୍‍ମାନେ ମଧ୍ୟ ଓଡ଼ିଶାକୁ ଶାସନ କରିଥିଲେ । ଦ୍ୱିତୀୟତଃ, ମୋଗଲ ସମୟରେ ପ୍ରବର୍ତ୍ତିିତ ପ୍ରାଶାସନିକ ଓ ରାଜସ୍ୱ ବ୍ୟବସ୍ଥା ନଜିମ୍‍ଙ୍କ ସମୟରେ ମଧ୍ୟ ଅପରିବର୍ତ୍ତିିତ ରହିଥିଲା । ତେଣୁ ମୋଗଲ ସାମ୍ରାଜ୍ୟର ପତନ ପରେ ସୁଦ୍ଧା ନଜିମ୍‍ଙ୍କ ମାଧ୍ୟମରେ ବଙ୍ଗରେ ଓ ଓଡ଼ିଶାରେ ମୋଗଲ ଶାସନ ଅବ୍ୟାହତ ରହିଥିଲା । ମୋଗଲ ଶାସନ ବେଳେ ଖୋର୍ଦ୍ଧା ଏକ ପ୍ରମୁଖ ରାଜନୈତିକ କେନ୍ଦ୍ର ହେଲା । କାରଣ ତା'ର ରାଜା ଗଜପତି ବା ଓଡ଼ିଶାର ରାଜା ଭାବରେ ସମ୍ମାନ ପାଇଥିଲେ । ଗଜପତି ରୂପେ ପୁରୀ ଓ ଜଗନ୍ନାଥ ମନ୍ଦିର ଉପରେ ତାଙ୍କର ନିୟନ୍ତ୍ରଣ ଥିଲା । ଆଫଗାନ, ମୋଗଲ ଓ ନଜିମ୍‍ ବାରମ୍ବାର ଜଗନ୍ନାଥ ମନ୍ଦିର ଆକ୍ରମଣ କରି ଅଧିକରୁ ଅଧିକ ରାଜସ୍ୱ ଆଦାୟ କରିବାକୁ ପ୍ରୟାସ କରୁଥିଲେ । ସେମାନେ ଅଧିକ ଆର୍ଥିକ ଆୟ ଲୋଭରେ ମନ୍ଦିର ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ରଖିବାକୁ ମଧ୍ୟ ବାରମ୍ବାର ପ୍ରୟାସ କରୁଥିଲେ । ମାତ୍ର ଏହା ଫଳରେ ମନ୍ଦିରରେ ଅରାଜକତା ସୃଷ୍ଟି ହୋଇ ତୀର୍ଥଯାତ୍ରୀ ସଂଖ୍ୟା ହ୍ରାସ ପାଉଥିଲା । କର ଅସୁଲି ମଧ୍ୟ ଊଣା ହେବାରେ ଲାଗିଥିଲା । ବିଗ୍ରହଙ୍କ ବିନା ଜଗନ୍ନାଥ ମନ୍ଦିର ଆକର୍ଷଣ ଓ ରାଜସ୍ୱ ହରାଉଥିବାରୁ ଅଧିକାଂଶ ମୁସଲିମ ଶାସକ ବିଗ୍ରହ ଧ୍ୱଂସକୁ ପ୍ରମୁଖତା ଦେଉ ନଥିଲେ । ଅନ୍ୟ ଶବ୍ଦରେ କହିଲେ, ମନ୍ଦିରରୁ ନିୟମିତ କର ପାଇବାପାଇଁ ଗଜପତିଙ୍କ ହାତରେ ନିୟନ୍ତ୍ରଣ ରହିବା ଆବଶ୍ୟକ ଥିଲା । ଏହା ସାମରିକ ଦୃଷ୍ଟିରୁ ହୀନବଳ ଗଜପତିଙ୍କୁ କ୍ଷମତାର ଏକ ପ୍ରମୁଖ କେନ୍ଦ୍ର ହେବାରେ ସାହାଯ୍ୟ କରୁଥିଲା । ଗଜପତି ମନ୍ଦିର ଉପରେ ନିଜ ଅଧିକାର ଜାହିର କରିବାକୁ ପ୍ରୟାସ କରି କଟକଠାରେ ଅବସ୍ଥାପିତ ମୋଗଲ ଶକ୍ତିର ଶତ୍ରୁ ସାଜୁଥିଲେ । କଟକ ମୋଗଲ ଶାସନର ରାଜଧାନୀ ଥିଲା ଏବଂ ଖୋର୍ଦ୍ଧା ଥିଲା ଗଜପତି ରାଜାଙ୍କର ରାଜଧାନୀ । ଦୁହେଁ ଦୁହିଁଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ । ଫଳରେ ଅନେକ ଥର ଖୋର୍ଦ୍ଧା ଓ କଟକ ମଧ୍ୟରେ ଏହି ସମୟରେ କଳହ ହୋଇଥିଲା । ଓଡ଼ିଶାର ଅନ୍ୟ ରାଜ୍ୟମାନେ ଯଥା ମୟୂରଭଞ୍ଜ, କେନ୍ଦୁଝର, କନିକା ଓ ଖଲିକୋଟ ରାଜା ମଧ୍ୟ ମୋଗଲଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି । ଅନେକ ସମୟରେ ସେମାନେ ବିଦ୍ରୋହୀ ଖୋର୍ଦ୍ଧା ରାଜାଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି । ମୋଗଲ ଶାସନ ସମୟରେ ଓଡ଼ିଶାର ଅନେକ ରାଜା, ବିଶେଷକରି ଗଡ଼ଜାତ ରାଜାମାନେ ଅର୍ଦ୍ଧ-ସ୍ୱାଧୀନ ଭାବରେ ପ୍ରଶାସନ ପରିଚାଳନା କରୁଥିଲେ । ବାର୍ଷିକ ଦେୟ ମୋଗଲ ରାଜକୋଷରେ ଜମା କରିବା ପରେ ସେମାନଙ୍କ ମୋଗଲ ଶାସନ ସହ ଅନ୍ୟ କୌଣସି ବିଶେଷ ସମ୍ବନ୍ଧ ରହୁ ନଥିଲା । ଏହି କାରଣରୁ କଟକରେ ମୋଗଲ ଶାସନ ରହିବା ସତ୍ତ୍ୱେ, ଅଭ୍ୟନ୍ତରରେ ସ୍ଥାନୀୟ ରାଜାମାନଙ୍କର ପୂର୍ବବତ୍‍ ପ୍ରଭୁତ୍ୱ ରହିଥିଲା । ଏହି ଦୃଷ୍ଟିରୁ ଓଡ଼ିଶାର ମୋଗଲ ଶାସନକୁ ମୁସଲମାନ ଯୁଗ ଓ ପରାଧୀନତାର ଯୁଗ ଭାବେ ଆଖ୍ୟାୟିତ କରିବାର କୌଣସି ଯଥାର୍ଥତା ନାହିଁ । ଅନେକଥର ମୋଗଲମାନଙ୍କ ହିନ୍ଦୁ ଅଧିକାରୀମାନେ ମଧ୍ୟ ଜଗନ୍ନାଥ ମନ୍ଦିର ଆକମ୍ରଣ କରିଛନ୍ତି ଅଥବା ଆକ୍ରମଣ କରିବାପାଇଁ ଧମକ ଦେଇଛନ୍ତି । ବିଧର୍ମୀଙ୍କ ପରି ଲୁଟତରାଜ ମଧ୍ୟ କରିଛନ୍ତି ।

ମୋଗଲ ଶାସନ ସମୟରେ ଓଡ଼ିଶା ଯଥେଷ୍ଟ ମାତ୍ରାରେ ବାଣିଜ୍ୟ କାରବାରରେ ଲିପ୍ତ ରହିଥିଲା । ଓଡ଼ିଶାର ବଣିକମାନେ ପୂର୍ବରୁ ଚଳି ଆସୁଥିବା ବାଣିଜ୍ୟ କାରବାରର ବିକାଶ କରିଥିଲେ । ଏଥିପାଇଁ ଓଡ଼ିଶାର ବିସ୍ତୃତ ଉପକୂଳ ସହାୟକ ହେଉଥିଲା । ଏହି କାରଣରୁ ୟୁରୋପୀୟମାନେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଭାରତରେ ପ୍ରବେଶ କରିବା ପରେ ଓଡ଼ିଶାରେ ନିଜ ନିଜର ବାଣିଜ୍ୟ କେନ୍ଦ୍ର ଖୋଲିଥିଲେ । କେବଳ ବାଲେଶ୍ୱର ସହରରେ ଫରାସୀ, ଇଂରେଜ, ପର୍ତ୍ତୁଗୀଜ, ଦିନାମାର୍‍ ଆଦି ସମସ୍ତ ୟୁରୋପୀୟଙ୍କ ବାଣିଜ୍ୟ କେନ୍ଦ୍ର ରହିଥିଲା । ବାଲେଶ୍ୱର ବ୍ୟତୀତ ପିପିଲି, ଚାନ୍ଦବାଲି, ପୁରୀ ଆଦି ସେ ବେଳର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଥିଲା ।

ଦୀର୍ଘ ଦୁଇ ଶତାବ୍ଦୀର ମୋଗଲ ଶାସନ ସମୟରେ ଧର୍ମାନ୍ତରୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ନଥିଲା । ଅନ୍ୟଥା ଦୁଇ ଶତାବ୍ଦୀ ଧରି ମୋଗଲ ରାଜତ୍ୱ ସତ୍ତ୍ୱେ ଓଡ଼ିଶାରେ ଏତେ କମ୍‍ ସଂଖ୍ୟକ ମୁସଲମାନ ନଥାନ୍ତେ । ଯେଉଁ ଅଳ୍ପ କିଛି ଧର୍ମାନ୍ତରୀକରଣ ହୋଇଛି, ତା' ପଛରେ କାରଣ ସର୍ବଦା ବଳପ୍ରୟୋଗ ବୋଲି କୁହାଯାଇ ନପାରେ । ଜାତିଭେଦଯୋଗୁଁ ହିନ୍ଦୁ ସମାଜରେ ରହିଥିବା ବୈଷମ୍ୟ ଅନେକଙ୍କୁ ଧର୍ମାନ୍ତରଣପାଇଁ ପ୍ରୋତ୍ସାହିତ କରିଥିଲା । ଭଦ୍ରକ, କଟକ ଆଦି ଯେଉଁଠି କିଛି ମୁସଲମାନ ଥିଲେ ସେଇଠି ପଡେ଼ାଶୀ ହିନ୍ଦୁମାନଙ୍କ ସହ ସେମାନଙ୍କ ସାମ୍ପ୍ରଦାୟିକ ସଦ୍‍ଭାବ କଦାପି ଊଣା ନଥିଲା । କଦମ ରସୁଲ୍‍, କାଇପଦର ଆଦି ପୀଠର ପ୍ରତିଷ୍ଠାରୁ ମନେହୁଏ ଯେ, ଲୌକିକ ସ୍ତରରେ ଉଭୟ ସଂପ୍ରଦାୟ ମଧ୍ୟରେ ଯଥେଷ୍ଟ ସଂହତି ଓ ସଦ୍‍ଭାବ ରହିଥିଲା । ଅନେକ ଆରବିକ, ପାର୍ସୀ ଓ ଉର୍ଦ୍ଦୁ ଶବ୍ଦର ଓଡ଼ିଆରେ ପ୍ରୟୋଗଯୋଗୁଁ ଓଡ଼ିଆ ଭାଷା ସାହିତ୍ୟ ଏହି ସମୟରେ ଋଦ୍ଧିମନ୍ତ ହୋଇଥିଲା । ପ୍ରାଚୀନ କାଳରେ ମୌର୍ଯ୍ୟ ସାମ୍ରାଜ୍ୟ ପରି ମଧ୍ୟ କାଳରେ ମୋଗଲ ସାମ୍ରାଜ୍ୟ ସମଗ୍ର ଭାରତବର୍ଷର ପ୍ରତିିଧିତ୍ୱ କରୁଥିଲା । ଓଡିଶା ଏହାର କର୍ତ୍ତୃତ୍ୱାଧୀନ ହୋଇ ଭାରତର ସାମଗ୍ରିକ ସମାଜ, ସଂସ୍କୃତି, ରୀତି, ନୀତି, ପରମ୍ପରା ଆଦି ସହିତ ଜଡ଼ିତ ହେଲାା ଏମିତିରେ ବି ଭାରତର ବହୁ ଅଞ୍ଚଳ ମୋଗଲ ସାମ୍ରାଜ୍ୟର ଅଧୀନରେ ରହି ସେହି ପ୍ରଭାବକୁ ଅନୁଭବ କରିଛନ୍ତି ଏବଂ ଏକ ସର୍ବଭାରତୀୟ ପରମ୍ପରା ସହ ସମନ୍ୱିତ ହୋଇଛନ୍ତିା ତା' ସହିତ ସ୍ୱାଧୀନ ଓ ଅର୍ଦ୍ଧ ସ୍ୱାଧୀନ ରାଜ୍ୟଗୁଡ଼ିକର ବିକାଶ ଯୋଗୁଁ ଆଞ୍ଚଳିକ ବୈଶିଷ୍ଟ୍ୟ ଊଣା ହୋଇ ନାହିଁ । ଏହି ଦୃଷ୍ଟିରୁ ଦେଖିଲେ ସ୍ଥାନୀୟ ସ୍ୱାଭିମାନ ରକ୍ଷାଲାଗି ମୋଗଲ ସାମ୍ରାଜ୍ୟର ବିରୁଦ୍ଧାଚରଣ କରିବା ନିଶ୍ଚୟ ଗୌରବାବହ । ତା' ସହିତ ମୋଗଲ ସାମ୍ରାଜ୍ୟ ଭଳି ଏକ ମହାଭାରତୀୟ ଦୃଷ୍ଟିକୋଣ ସହିତ ମଧ୍ୟଯୁଗରେ ପରିଚିତ ହେବା ମଧ୍ୟ ଏକା ମାତ୍ରାରେ ଗୌରବାବହ ।

...