ଓଡ଼ିଶା ଇତିହାସ

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଶା ଇତିହାସ
ଲେଖକ/କବି: ପ୍ରୀତୀଶ ଆଚାର୍ଯ୍ୟ


ଓଡ଼ିଶା ଇତିହାସ


ଲେଖକମଣ୍ଡଳୀ :

ଅତୁଳଚନ୍ଦ୍ର ପ୍ରଧାନ
ସଦାଶିବ ପ୍ରଧାନ
ପ୍ରୀତୀଶ ଆଚାର୍ଯ୍ୟ
ଶିଶିର କୁମାର ପଣ୍ଡା
ବସନ୍ତ କୁମାର ମଲ୍ଲିକ
ଚଣ୍ଡୀପ୍ରସାଦ ନନ୍ଦ
ପ୍ରମୋଦ କୁମାର ମହାନ୍ତି
ସୂର୍ଯ୍ୟକାନ୍ତ ନାଥ


ପୁନର୍ଲିିଖନ ଓ ସଂପାଦନା :

ପ୍ରୀତୀଶ ଆଚାର୍ଯ୍ୟ


Odisha Itihasa.pdf
ଓଡ଼ିଶା ଇତିହାସ

ପ୍ରକାଶକ : ଆମ ଓଡ଼ିଶା
୪ ଆର୍‍ ୧/୨, ଇଉନିଟ୍‍-୩
ଭୁବନେଶ୍ୱର-୭୫୧୦୦୧
ମୁଦ୍ରଣ : ଶ୍ରୀରାମ ସ୍କ୍ରିନ୍‍ ପ୍ରିଣ୍ଟିଂ
ଭୁବନେଶ୍ୱର-୭
ପ୍ରମ ସଂସ୍କରଣ : ଅଗଷ୍ଟ, ୨୦୧୧
ଦ୍ୱିତୀୟ ପୁନର୍ମୁଦ୍ରଣ : ଫେବ୍ରୁଆରି, ୨୦୧୪
© ଆମ ଓଡ଼ିଶା
ପ୍ରଚ୍ଛଦ : ଶଶିକାନ୍ତ ରାଉତ
ମୂଲ୍ୟ : ଟ.୧୭୦/-

ODISHA ITIHASA

Publisher : Aama Odisha
4R 1/2, Unit-3,
Bhubaneswar-751001
e-mail : aamaodisha@gmail.com
Printed at : Sriram Screen Printing
Bhubaneswar-7
1st edition : August, 2011
2nd reprint : February, 2014
© Aama Odisha
Cover : Sashikant Rout
Price : ₹ 170/-

ISBN: 81-89436-12-0

ଦୁଇପଦ

 ଓଡ଼ିଶାର ବିବିଧ ବିଷୟରେ ଓଡ଼ିଆ ପୁସ୍ତକ ସୁଲଭ ମୂଲ୍ୟରେ ସାଧାରଣ ପାଠକଙ୍କ ନିକଟରେ ପହଞ୍ଚାଇବାର ଲକ୍ଷ୍ୟ ନେଇ "ଆମ ଓଡ଼ିଶା'ର ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ଦ୍ୱାରା ଓଡ଼ିଶାର ଭାଷା, ସାହିତ୍ୟର ସୁରକ୍ଷା ସହିତ ଓଡ଼ିଶାକୁ ଚିହ୍ନି ଭଲପାଇବାର ସଂକଳ୍ପ ସଫଳ ହେବ ବୋଲି ଆମର ଆଶା । ଭାଷା ଓ ଜାତିର ପରିଚୟ ପାଇଁ ଯେଉଁ କେତେଗୁଡ଼ିଏ ମୌଳିକ ପୁସ୍ତକର ଆବଶ୍ୟକତା ଅଛି, ସେଗୁଡ଼ିକ ମଧ୍ୟରୁ ଅଭିଧାନ, ବ୍ୟାକରଣ ଓ ଇତିହାସ ପୁସ୍ତକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅତୀତକୁ ନ ଜାଣିଲେ ବର୍ତ୍ତମାନକୁ ବୁଝି ହେବନାହିଁ କି ଭବିଷ୍ୟତ ପାଇଁ ସୁଚିନ୍ତିତ ଯୋଜନା କରିହେବ ନାହିଁ । ମୋର କାହିଁକି ମନେ ହେଉଛି, ଓଡ଼ିଶାର ଯାବତୀୟ ଜାତୀୟ ସମସ୍ୟା ପାଇଁ ଅତୀତ-ସଚେତନତାର ଅଭାବ ଅନେକ ପରିମାଣରେ ଦାୟୀ । ଏହା ଆମ ସମସ୍ତଙ୍କ ପାଇଁ ଏକ ବିଡ଼ମ୍ୱନା । କାରଣ ଓଡ଼ିଶାର ଅତୀତକୁ ନେଇ ଆମେ ସାଧାରଣତଃ ଗର୍ବ କରିଥାଉ, ଅଥଚ ସାଧାରଣରେ ଆମର ଆବଶ୍ୟକ ଅତୀତ-ସଚେତନତା ନାହିଁ । ଏହାର ମୂଳ କାରଣ ହେଲା, ସ୍କୁଲ୍ ପାଠ୍ୟକ୍ରମରେ ଓଡ଼ିଶାର ଇତିହାସ ସଂପର୍କରେ ପିଲାମାନଙ୍କୁ ବିଶେଷ କିଛି ପଢ଼ିବାପାଇଁ ଦିଆଯାଉ ନାହିଁ । ନିଜସ୍ୱ ଉଦ୍ୟମରେ ଜଣେ କିଛି ଜାଣିବାକୁ ଚାହିଁଲେ ମଧ୍ୟ ଏକ ସଂକ୍ଷିପ୍ତ ଇତିହାସ ବହି ସହଜରେ ଓ ସୁଲଭ ମୂଲ୍ୟରେ ମିଳୁ ନ ଥିବାରୁ ତାହା ସମ୍ଭବ ହେଉ ନାହିଁ ।

 ଓଡ଼ିଶାର ଅତୀତକୁ ସହଜରେ ଜାଣିବାପାଇଁ ଏକ ସଂକ୍ଷିପ୍ତ ଅଥଚ ପୂର୍ଣ୍ଣାଙ୍ଗ ଇତିହାସ ପୁସ୍ତକ ପ୍ରକାଶ କରିବାର ଯୋଜନା ଆମର ବହୁ ଦିନରୁ ଥିଲା । ଏଥିପାଇଁ ଓଡ଼ିଶାର ବିଶିଷ୍ଟ ଐତିହାସିକମାନଙ୍କୁ ନେଇ ଏକ ଲେଖକମଣ୍ତଳୀ ଗଠନକରି ସେମାନଙ୍କୁ ଏହି ଦାୟିତ୍ୱ

ଦିଆଯାଇଥିଲା । ଏହି ଲେଖକମଣ୍ତଳୀରେ ଅତୁଳ ଚନ୍ଦ୍ର ପ୍ରଧାନ, ସଦାଶିବ ପ୍ରଧାନ, ଶିଶିର କୁମାର ପଣ୍ତା, ପ୍ରୀତୀଶ ଆଚାର୍ଯ୍ୟ, ବସନ୍ତ କୁମାର ମଲ୍ଲିକ, ଚଣ୍ତୀପ୍ରସାଦ ନନ୍ଦ, ପ୍ରମୋଦ କୁମାର ମହାନ୍ତି ଓ ସୂର୍ଯ୍ୟକାନ୍ତ ନାଥ ରହିଥିଲେ । ଏମାନେ ସମସ୍ତେ ଇତିହାସ ଅଧ୍ୟାପନା ଓ ଗବେଷଣା କ୍ଷେତ୍ରରେ ଓଡ଼ିଶାରେ ସୁପରିଚିତ ।

ମାତ୍ର ସେମାନଙ୍କ ଦ୍ୱାରା ଲିଖିତ ବିଭିନ୍ନ କାଳଖଣ୍ତର ଇତିହାସକୁ ଏକାଠି କରି ପାଣ୍ତୁଲିପି ପ୍ରସ୍ତୁତ କଲା ପରେ ମୋର କାହିଁକି ମନେହେଲା ଯେ ଏହା ସାଧାରଣରେ ବ୍ୟବହାର ଉପଯୋଗୀ ହେବ ନାହିଁ । ଏହାର ପ୍ରଧାନ କାରଣ ହେଲା, ଏହା ଭିନ୍ନ ଭିନ୍ନ ଲେଖକଙ୍କ ନିଜସ୍ୱ ଭାଷା ଶୈଳୀରେ ଲେଖାଯାଇଛି ଏବଂ ପାଣ୍ତୁଲିପିଟି ଓଡ଼ିଶାର ଏକ ପୂର୍ଣ୍ଣାଙ୍ଗ ଓ ଏକକ ଇତିହାସ ନ ହୋଇ ଏକ ପ୍ରବନ୍ଧ ସଂକଳନ ପରି ମନେହେଉଛି । ଏଣୁ ଏହି ପାଣ୍ତୁଲିପିର ପୁନର୍ଲିିଖନ ପାଇଁ ମୁଁ ଶ୍ରୀ ପ୍ରୀତୀଶ ଆଚାର୍ଯ୍ୟଙ୍କୁ ଅନୁରୋଧ କରିଥିଲି । ଶ୍ରୀ ଆଚାର୍ଯ୍ୟ ବହୁ ଶ୍ରମ ସ୍ୱୀକାର କରି ଏହାକୁ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ମୁଁ ତାଙ୍କୁ ମୋ ତରଫରୁ ଓ ଲେଖକମଣ୍ତଳୀ ତରଫରୁ ଆନ୍ତରିକ କୃତଜ୍ଞତା ଜଣାଉଛି । ଏହି ସାଧୁ ଉଦ୍ୟମ ପାଇଁ ଓଡ଼ିଶାର ଇତିହାସପ୍ରେମୀ ପାଠକମାନେ ତାଙ୍କୁ ସବୁଦିନେ ମନେ ରଖିବେ ବୋଲି ମୋର ବିଶ୍ୱାସ ।

ତେବେ ଇତିହାସ ନିର୍ଦ୍ଦିଷ୍ଟ ଓ ସୀମିତ କାଳଖଣ୍ତର ବର୍ଣ୍ଣନା ହୋଇଥିଲେ ମଧ୍ୟ ଇତିହାସ ଲେଖାର ଅନ୍ତ ନାହିଁ । ପରିବର୍ତ୍ତିତ ପରିସ୍ଥିତିକୁ ନେଇ ଅତୀତକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିବାର ଅଭ୍ୟାସ ସବୁବେଳେ ଆମ ବୌଦ୍ଧିକ ସମାଜର ରହି ଆସିଛି । ସେ ଦୃଷ୍ଟିରୁ ଏହି ଇତିହାସ ପୁସ୍ତକ ପୂର୍ଣ୍ଣାଙ୍ଗ କି ଚୂଡ଼ାନ୍ତ ନୁହେଁ । ଏହାର ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ । ଓଡ଼ିଶାର ଇତିହାସ ସଂପର୍କରେ ପାଠକମାନଙ୍କୁ ସଚେତନ କରାଇବା ପାଇଁ ଏହା ଏକ କ୍ଷୁଦ୍ର ପ୍ରୟାସ ମାତ୍ର । ଏହି ଉଦ୍ଦେଶ୍ୟ ସଫଳ ହେଲେ ଆମ ଉଦ୍ୟମ ସାର୍ଥକ ହେବ । ଏହାକୁ ଅଧିକ ଉପାଦେୟ କରିବାପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ବା ପରାମର୍ଶ ଦେବାପାଇଁ ମୁଁ ଓଡ଼ିଶାର ଇତିହାସପ୍ରେମୀ ସୁଧୀବୃନ୍ଦଙ୍କୁ ଅନୁରୋଧ କରୁଛି ।

-- ସୌମ୍ୟରଂଜନ ପଟ୍ଟନାୟକ

ପ୍ରାକ୍‌କଥନ

 ଏମିତିରେ ଏହି ପୁସ୍ତକକୁ ଓଡ଼ିଶାର ସଂପୂର୍ଣ୍ଣ ଇତିହାସ ବୋଲି କହିବା ଅସମୀଚୀନ ହେବ । ଇତିହାସର ବିଷୟବସ୍ତୁ ଆଜି ଖୁବ୍ ବ୍ୟାପକ । ରାଜନୀତି ବାହାରେ ସମାଜ, ଅର୍ଥନୀତି, ସଂସ୍କୃତି, ବିଜ୍ଞାନ, ଗଣିତ, ଭୂଗୋଳ, ରସାୟନ ଆଦି ସବୁ କିଛି ଇତିହାସର ବିଷୟବସ୍ତୁ । ପୁଣି, ମଣିଷ ବ୍ୟତୀତ ଗଛଲତା, ପଶୁପକ୍ଷୀ, ନଦୀନାଳ ବି ଇତିହାସର ପ୍ରସଙ୍ଗ । ସମସ୍ତଙ୍କୁ ନେଇ ଏହି ବିଶ୍ୱ, ଏହି ସମାଜ । ସଭିଙ୍କର ଅତୀତ ଅଛି ଏବଂ ସେହି ଅତୀତର ମୋଟ ଅଧ୍ୟୟନ ହେବ ଇତିହାସ । ଦ୍ୱିତୀୟ କଥା, ସଭିଙ୍କ ମଧ୍ୟରେ ଏକ ପାରସ୍ପରିକ ସଂପର୍କ ଅଛି । ସଂସ୍କୃତି ଓ ଅର୍ଥନୀତି ମଧ୍ୟରେ ଯେମିତି ସଂପର୍କ, ମଣିଷ ଓ ଗଛଲତା ମଧ୍ୟରେ ବି ସେମିତି ସଂପର୍କ । ଏତେ ବ୍ୟାପକ ପରିଧିର ଇତିହାସଟିଏ ରଚନାପାଇଁ ଦୃଷ୍ଟି ରହିବା କଥା, ଯଦିଓ ତା'ର ସୃଷ୍ଟି କଷ୍ଟକର ! ଏହା ଆପୋସ ସମ୍ୱନ୍ଧକୁ ଦର୍ଶାଏ; ପରିପୂରକତାକୁ ସୁସ୍ପଷ୍ଟ କରେ । ଏହି ଦୃଷ୍ଟିରୁ ଦେଖିଲେ ଜଣାଯିବ ଯେ ଏ ପର୍ଯ୍ୟନ୍ତ ଯେଉଁଠି ଇତିହାସ ଲେଖା ଯାଇଛି, ସେସବୁ ମନୋନୀତ ପ୍ରସଙ୍ଗ କେତୋଟିର ସମଷ୍ଟି ମାତ୍ର । ଏ ସବୁ ସତ୍ତ୍ୱେ ଓଡ଼ିଶାର ଇତିହାସ କଥା ପଡ଼ିଲେ ଆଖିଦୃଶିଆ ପ୍ରସଙ୍ଗଗୁଡ଼ିକୁ ବାଦ୍ ଦିଆଯାଇ ନପାରେ । ସାଧାରଣ ଛାତ୍ର, ଶିକ୍ଷକ ଓ ପାଠକ ମନରେ ଓଡ଼ିଶାର ଇତିହାସ ପଢ଼ିବା ଆଗରୁ କେତୋଟି ସ୍ୱାଭାବିକ ପ୍ରଶ୍ନ ଥାଏ । ଗହନକୁ ଯାଇ ନପାରିଲେ ସୁଦ୍ଧା ଅନ୍ତତଃ ସେହି କେତୋଟି ପ୍ରଶ୍ନର ଉତ୍ତର ଖୋଜିବା ବେଳେ ତ ପୁସ୍ତକଟି ଉପଯୋଗୀ ହେବା କଥା ।

 ଇତିହାସ ଲେଖନ ଏକ ପ୍ରକ୍ରିୟା । କେବେ ତାହା ଶେଷ ହେବାର ନୁହେଁ । ପାଠକ ମନରେ ଅତୀତକୁ ନେଇ ଯେତେଦିନ ପର୍ଯ୍ୟନ୍ତ ନୂଆ ନୂଆ ପ୍ରଶ୍ନ ଆସୁଥିବ ସେତେଦିନ ପର୍ଯ୍ୟନ୍ତ ଅତୀତକୁ ପୁନର୍ନିରୀକ୍ଷଣ କରିବାର ଆବଶ୍ୟକତା ପଡ଼ୁଥିବ । ନୂଆକରି ଇତିହାସ ଲେଖା ହେଉଥିବ । ଅତୀତରେ ଅନେକ ଓଡ଼ିଶା ଇତିହାସ ଲେଖାଯାଇଛି । ଭବିଷ୍ୟତରେ ବି ଅନେକ ଲେଖାହେବ । ଏହି ପୁସ୍ତକଟି ସେହି ବିସ୍ତୃତ ପ୍ରକ୍ରିୟା ମଧ୍ୟରୁ ଅନ୍ୟତମ । ଏହାର ମହତ୍ତ୍ୱ ଓଡ଼ିଶା ସମ୍ୱନ୍ଧରେ ଲିଖିତ ଅନ୍ୟ ଇତିହାସ ପୁସ୍ତକ ତୁଳନାରେ ନା କମ୍, ନା ବେଶି । ଏହି ପୁସ୍ତକ ପାଠ କଲା ପରେ ଯଦି ଛାତ୍ର, ଶିକ୍ଷକ ଓ ସାଧାରଣ ପାଠକ ଓଡ଼ିଶା ଇତିହାସ ସମ୍ୱନ୍ଧରେ ଅଧିକ ଜାଣିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ଏବଂ ଭବିଷ୍ୟତର ଇତିହାସ ଗବେଷକଙ୍କ ପାଇଁ ଏହା ଯଦି କିଛି ଆଧାର ଯୋଗାଏ, ତେବେ ଆମର ଶ୍ରମ ସାର୍ଥକ ହେବ । ଇତିହାସ ପଠନ-ପାଠନ ବେଳେ କେତୋଟି ସ୍ୱାଭାବିକ ପ୍ରଶ୍ନ ମନରେ ଥାଏ: "କିଏ',"କେଉଁଠି' ଓ "କେବେ' ଏବଂ ତା' ସହିତ "କାହିଁକି' ଓ "କେମିତି' । ଏହି ପ୍ରଶ୍ନଗୁଡ଼ିକ ନ ପଚାରିଲେ ଅତୀତର ଜଟିଳତା ବୋଧଗମ୍ୟ ହୁଏ ନାହିଁ । ଇତିହାସ ବୋଧଗମ୍ୟ ହେଲେ ଘୋଷାପାଠ ହୋଇ ରହେନା, ଆମୋଦଦାୟୀ ହୁଏ ।

ଇତିହାସ ହେଲା ଅତୀତର ଏକ ବସ୍ତୁନିଷ୍ଠ ଆଲୋଚନା । ଏହା ବର୍ତ୍ତମାନକୁ ବୁଝିବାରେ ତଥା ତାକୁ ଆଧାର କରି ଭବିଷ୍ୟତ ପାଇଁ ବିକଳ୍ପ ଖୋଜିବାରେ ସାହାଯ୍ୟ କରେ । ଇତିହାସ ଆଲୋଚନା ବେଳେ ଐତିହାସିକ ଯଦି ବିଚାରକ ଭଳି ଅଯଥା ଭାବପ୍ରବଣତାରୁ ଊର୍ଦ୍ଧ୍ୱରେ ନ ରହନ୍ତି, ଅନାସକ୍ତ ନ ହୁଅନ୍ତି, ଇତିହାସ ବସ୍ତୁନିଷ୍ଠ ହୋଇ ପାରେନା । ବୃଥା ଆସ୍ଫାଳନ ଇତିହାସର ପାଠକୁ ମୁତଫରକା କରିଦିଏ । ଅତୀତକୁ ନେଇ ଲଜ୍ଜିତ ହେବା ଅଯୌକ୍ତିକ ନିଶ୍ଚୟ । ଠିକ୍ ସେମିତି ଅତୀତର କେବଳ ରୋମନ୍ଥନ କରି କିମ୍ୱା ବାହାସ୍ଫୋଟ ମାରି ଇତିହାସ ମାଧ୍ୟମରେ କଦାଚିତ୍ ଜାତି ପରିଚୟ ଖୋଜା ଯାଇ ପାରେନା । ସତ୍ୟାନ୍ୱେଷୀ ହେବା ଇତିହାସପାଇଁ ଏକ ବଡ଼ ଆବଶ୍ୟକତା । ଦ୍ୱିତୀୟତଃ, ଆଞ୍ଚଳିକ ଇତିହାସ କୌଣସି କାଳେ ରାଷ୍ଟ୍ର ବା ବିଶ୍ୱ ଇତିହାସର ପ୍ରତିଯୋଗୀ ହୋଇପାରେନା । ଆଞ୍ଚଳିକ ଇତିହାସର ଖୁବ୍ ଆବଶ୍ୟକତା ରହିଛି । ମାତ୍ର ତାକୁ ରାଷ୍ଟ୍ର ଓ ବିଶ୍ୱ ଇତିହାସର ପରିପ୍ରେକ୍ଷୀରେ ଦେଖିବାକୁ ପଡ଼ିବ । ଅନ୍ୟଥା ଆଞ୍ଚଳିକ ଇତିହାସ ଆମୋଦଦାୟୀ ଓ ସୁଖପାଠ୍ୟ ହୋଇ ପାରିବ ନାହିଁ କି ବିଶ୍ୱଦୃଷ୍ଟି ଦେଇ ପାରିବ ନାହିଁ । ଅନ୍ୟ ଶବ୍ଦରେ କହିଲେ, ବିଶ୍ୱ, ରାଷ୍ଟ୍ର ଓ ଅଞ୍ଚଳ ମଧ୍ୟରେ ରହିଥିବା ପରିପୂରକତାକୁ ଉପେକ୍ଷା କରି କେବେ ଆଞ୍ଚଳିକ ଇତିହାସର ଘଟଣାବଳୀକୁ ପର୍ଯ୍ୟାଲୋଚନା କରାଯାଇ ନ ପାରେ । 'ଓଡ଼ିଶା ଇତିହାସ' ସେହି ପରିପୂରକତାକୁ ଚିହ୍ନିବା ଓ ଚିହ୍ନେଇବା ଦିଗରେ ଯତ୍କିଞ୍ଚିତ୍ ଉପଯୋଗୀ ହେବ ବୋଲି ଆମର ଆଶା । ପୁସ୍ତକରେ ବ୍ୟାବହାରିକ ଭାଷାର ପ୍ରୟୋଗ ରହିଛି । ବର୍ତ୍ତମାନ ସମୟରେ ଐତିହାସିକମାନେ ଖ୍ରୀଷ୍ଟାବ୍ଦ ସ୍ଥାନରେ ସାଧାରଣାବ୍ଦ (Common Era ବା CE) ଓ ଖ୍ରୀଷ୍ଟପୂର୍ବ ସ୍ଥାନରେ ପ୍ରାକ୍-ସାଧାରଣାବ୍ଦ (Before Common Era ବା BCE)ର ବ୍ୟବହାର କରୁଛନ୍ତି । କିନ୍ତୁ ବୋଧଗମ୍ୟତା ଦୃଷ୍ଟିରୁ ଏଠାରେ ଖ୍ରୀଷ୍ଟାବ୍ଦ ଓ ଖ୍ରୀଷ୍ଟପୂର୍ବର ବ୍ୟବହାରକୁ ଆମେ ଏଡ଼ାଇ ପାରିନାହୁଁ ।

ପୁସ୍ତକଟିର ପ୍ରସ୍ତୁତି ଓ ପ୍ରକାଶନ ମୂଳରେ "ଆମ ଓଡ଼ିଶା'ର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅକୁଣ୍ଠ ପ୍ରେରଣା ଭୁଲିବାର ନୁହେଁ । ସେ ପାଦଟିଏ ପଛକୁ ଘୁଞ୍ଚିଯାଇଥିଲେ ଏହା ଆଗକୁ ବଢ଼ିପାରିନଥାନ୍ତା । "ଓଡ଼ିଶା ଇତିହାସ'ର ପ୍ରକାଶନ ମୂଳରେ ତାଙ୍କର ସାମାଜିକ ପ୍ରତିବଦ୍ଧତା ସ୍ପଷ୍ଟରୂପେ ଦେଖି ହୁଏ । ବନ୍ଧୁ ଗୌରହରି ଦାସ, ଦାଶ ବେନହୁର, ଯଶୋବନ୍ତ ନାରାୟଣ ଧର ଓ ସିଦ୍ଧାର୍ଥ ମହାପାତ୍ରଙ୍କ ସହଯୋଗ ବି ଭୁଲିବାର ନୁହେଁ । ଏହି ପୁସ୍ତକ ପ୍ରସ୍ତୁତିରେ "ଆମ ଓଡ଼ିଶା'ର ସଂପାଦକ (ପ୍ରକାଶନ) ଅସିତ ମହାନ୍ତିଙ୍କ ପ୍ରତ୍ୟକ୍ଷ ସହଯୋଗ ରହିଛି । ଶ୍ରୀ ପଟ୍ଟନାୟକଙ୍କ ସମେତସଂପୃକ୍ତ ସମସ୍ତଙ୍କୁ ଏବଂ "ଆମ ଓଡ଼ିଶା'ର ସମସ୍ତ ସହଯୋଗୀଙ୍କୁ ମଧ୍ୟ ମୁଁ ଏହି ଅବସରରେ ବିଶେଷ ଧନ୍ୟବାଦ ଜଣାଉଛି ।

--ପ୍ରୀତୀଶ ଆଚାର୍ଯ୍ୟ

ସୂଚିପତ୍ର
ଓଡ଼ିଶା ଇତିହାସ ୧୧-୧୮
ଐତିହାସିକ ଭୂଗୋଳ ୧୯-୨୩
ମଗଧ ଓ କଳିଙ୍ଗ ୨୪-୩୦
ଖାରବେଳଙ୍କ ଶାସନ ୩୧-୩୫
ଖାରବେଳ ପରବର୍ତ୍ତୀ ଓଡ଼ିଶା ୩୬-୪୭
ସାତ ବାହ‌ନ-ମୁରୁଣ୍ଡ ବଂଶ-ଗୁପ୍ତକାଳୀନ ଓଡ଼ିଶା-ମଠର ବଂଶ-
ଚଳ ରାଜବଂଶ-ମାଣ ବଂଶ-ବିଗ୍ରହ ବଂଶ-ଶରଭପୁରୀୟ ବଂଶ
ପୂର୍ବ ଗଙ୍ଗବଂଶ-
ଶୈଳୋଦ୍ଭବ ରାଜବଂଶ
ଭୌମକର ଶାସନ ୪୮-୫୩
ମଣ୍ଡଳ ରାଜ୍ୟ ଓ ଶାସନ ୫୪-୬୧
ଭଞ୍ଜବଂଶଶାସିତ ଖିଞ୍ଜଳି ମଣ୍ଡଳ-ଭଞ୍ଜବଂଶଶାସିତ ଖିଜ୍ଜିଙ୍ଗ ମଣ୍ଡଳ-
ଶୁଳ୍‌କିବଂଶଶାସିତ କୋଦାଳକ ମଣ୍ଡଳ-ତୁଙ୍ଗବଂଶଶାସିତ ଯମଗର୍ତ ମଣ୍ଡଳ-
ଚନ୍ଦବଂଶଶାସିତ ଐରାବତ ମଣ୍ଡଳ-ବରାହବଂଶଶାସିତ ବଣାଇ ମଣ୍ଡଳ-
ଗଙ୍ଗଶାସିତ ଶ୍ୱେତକ ମଣ୍ଡଳ-ଉପସଂହାର
ସୋମ‌ବଂଶ ୬୨-୬୭
ପ୍ରଥମ ଜନ୍ମେଜୟ
ଉତ୍ତର ଗଙ୍ଗବଂଶ ଓ ଗଙ୍ଗ ସାମ୍ରାଜ୍ୟ ୬୮-୮୫
ଉତ୍ତର ଗଙ୍ଗ ବଂଶାବଳୀ - ଅନନ୍ତବର୍ମା ଚୋଡ଼ଗଙ୍ଗ (୧୦୭୬-୧୧୪୭) -
ଗଙ୍ଗକାଳୀନ ମନ୍ଦିରକଳା ଓ ସ୍ଥାପତ୍ୟ
ସୂର୍ଯ୍ୟବଂଶୀ ଗଜପତି ଶାସନ ୮୬-୯୭
କପିଳେନ୍ଦ୍ର ଦେବ (୧୪୩୫-୧୪୬୭) - ତେଲେଙ୍ଗାନା ଅଧିକାର -
ବିଜୟନଗର ଅଭିଯାନ - ବଙ୍ଗ ବିଜୟ - ପୁରୁଷୋତ୍ତମ ଦେବ (୧୪୬୭-
୧୪୯୭) - ପ୍ରତାପରୁଦ୍ର ଦେବ (୧୪୯୭-୧୫୩୮)
ଭୋଇ ବଂଶ ୯୮-୧୦୪
ଗଜପତିଙ୍କ ସମୟର ପ୍ରାଶାସନିକ ବ୍ୟବସ୍ଥା
ମଧ୍ୟଯୁଗୀୟ ଓଡ଼ିଶାରେ ସାଂସ୍କୃତିକ ବିକାଶ ୧୦୫-୧୧୫
ଭାଷା ଓ ସାହିତ୍ୟ
ଓଡ଼ିଶାରେ ଆଫଗାନ ଓ ମୋଗଲ ଶାସନ ୧୧୬-୧୨୯
ଓଡ଼ିଶାରେ ମରହଟ୍ଟା ଶାସନ ୧୩୦-୧୪୭
ମରହଟ୍ଟା ପ୍ରାଶାସନିକ ବ୍ୟବସ୍ଥା - ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ସମାଜ ଓ
ସଂସ୍କୃତି - ମରହଟ୍ଟା ଶାସନର ଇତିକଥା
ଇଂରେଜମାନଙ୍କ ଓଡ଼ିଶା ଦଖଲ ୧୪୮-୧୭୭
ଦକ୍ଷିଣ ଓଡ଼ିଶା ଦଖଲ - ଉତ୍ତର ଓଡ଼ିଶା ଦଖଲ - ସମ୍ୱଲପୁର ଦଖଲ -
ଇଂରେଜ ପ୍ରାଶାସନିକ ବ୍ୟବସ୍ଥା - ରାଜସ୍ୱ ନୀତି - ଲବଣ ନୀତି -
ଅବକାରୀ ଓ ବାଣିଜ୍ୟ ନୀତି - ମୁଦ୍ରା ନୀତି - ଜଗନ୍ନାଥ ମନ୍ଦିର ପରିଚାଳନା -
ଗଡ଼ଜାତ ନୀତି - ଶିକ୍ଷା ନୀତି - ପୋଲିସ ଓ ନ୍ୟାୟିକ ବ୍ୟବସ୍ଥା
ଔପନିବେଶିକ ଶାସନ ବିରୋଧରେ ଅସନ୍ତୋଷ ଓ ବିଦ୍ରୋହ ୧୭୮-୨୦୮
ଦକ୍ଷିଣ ଓଡ଼ିଶା-ପାରଳାଖେମୁଣ୍ଡି‌-ଘୁମୁସର-ଖୋର୍ଦ୍ଧା, କନିକା ଓ କୁଜଙ୍ଗରେ
ବିଦ୍ରୋହ-ଖୋର୍ଦ୍ଧା ବିଦ୍ରୋହ: ୧୮୧୭- ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ:
୧୮୨୭-୧୮୬୪ - ଅନୁଗୁଳ ବିଦ୍ରୋହ: ୧୮୪୮-୧୭୫୭ର
ଗଣସଂଗ୍ରାମ ଓ ଓଡ଼ିଶା- ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସଂଘଟିତ
ଗଡ଼ଜାତ ବିଦ୍ରୋହ- ବାମନଘାଟି ବିଦ୍ରୋହ: ୧୮୬୬- କେନ୍ଦୁଝର ମେଳି:
୧୮୬୭-୬୮ ଓ ୧୮୯୧-୯୩- ନୟାଗଡ଼ ବିଦ୍ରୋହ: ୧୮୯୩-
ରଣପୁର ବିଦ୍ରୋହ: ୧୮୯୩- ଅନ୍ୟାନ୍ୟ ରାଜ୍ୟରେ ବିଦ୍ରୋହ
ଜାତୀୟତାର ଉନ୍ମେଷ ୨୦୯-୨୪
ଜାତୀୟତାର ଅବଧାରଣା - ଶିକ୍ଷା - ପତ୍ରପତ୍ରିକା - ସମ୍ୱଲପୁରରେ ଭାଷା
ଆନ୍ଦୋଳନ - ଓଡ଼ିଶାରେ ଜାତୀୟତାର ଦୁଇ କାଳାଂଶ
ଅସହଯୋଗ ଆନ୍ଦୋଳନ: ୧୯୨୦-୨୨ ୨୪୨-୨୬୮
କଟକରେ ଆନ୍ଦୋଳନ - ଗାନ୍ଧୀଙ୍କ ଓଡ଼ିଶା ଗସ୍ତ - ପୋଲିସର ଦମନଲୀଳା
ଚୌରିଚୌରା ଘଟଣା
୧୯୩୦ ଦଶକର ରାଜନୀତି :
ଆଇନ ଅମାନ୍ୟ ଓ ପ୍ରଜାମଣ୍ତଳ ଆନ୍ଦୋଳନ ୨୬୯-୨୯୮
ଆଇନ ଅମାନ୍ୟ ଆନ୍ଦୋଳନ - ସ୍ୱତନ୍ତ୍ର ପ୍ରଦେଶ ଗଠନ:୧୯୩୬ -
ପ୍ରଜାମଣ୍ତଳ ଆନ୍ଦୋଳନ - ଢେଙ୍କାନାଳ - ରଣପୁର - ନୀଳଗିରି -
ତାଳଚେର - ମୟୂରଭଞ୍ଜ - ଅନ୍ୟାନ୍ୟ ଗଡ଼ଜାତ - ସ୍ୱତନ୍ତ୍ର ପ୍ରଦେଶର ଶାସନ
ଅଗଷ୍ଟ ବିପ୍ଳବ ୨୯୯-୩୨୪
ରେଭେନ୍ସା ମହାବିଦ୍ୟାଳୟରେ ଧର୍ମଘଟ - କୋରାପୁଟ ଆନ୍ଦୋଳନ -
କଟକ ଜିଲ୍ଲାରେ ଆନ୍ଦୋଳନ - ବାଲେଶ୍ୱର ଆନ୍ଦୋଳନ - ଛତ୍ର ଗାଁର
ସମାନ୍ତରାଳ ସରକାର - ଇରମ ହତ୍ୟାକାଣ୍ତ - ନିମାପଡ଼ା ଗୁଳିକାଣ୍ତ -
ସମ୍ୱଲପୁର ଜିଲ୍ଲାରେ ଆନ୍ଦୋଳନ - ଗଞ୍ଜାମରେ ଆନ୍ଦୋଳନ - ଗଡ଼ଜାତରେ
ଆନ୍ଦୋଳନ - ତାଳଚେରରେ ଆନ୍ଦୋଳନ - ଢେଙ୍କାନାଳରେ ଆନ୍ଦୋଳନ -
ନୟାଗଡ଼ରେ ଆନ୍ଦୋଳନ - ନୀଳଗିରି ଆନ୍ଦୋଳନ - ଅନ୍ୟାନ୍ୟ ଆନ୍ଦୋଳନ
ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ତଳ, ସ୍ୱାଧୀନତା ପ୍ରାପ୍ତି
ଓ ଗଡ଼ଜାତର ସମ୍ମିଶ୍ରଣ ୩୨୫-୩୩୭
ମିଳିତ ମନ୍ତ୍ରିମଣ୍ତଳ - ଦ୍ୱିତୀୟ କଂଗ୍ରେସ ମନ୍ତ୍ରିମଣ୍ତଳ - ଗଡ଼ଜାତ ମିଶ୍ରଣ

...

ଓଡ଼ିଶା ଇତିହାସ

  ଇତିହାସ ଅତୀତର ଘଟଣାବଳୀକୁ ଲିପି ମାଧ୍ୟମରେ ଅଭିବ୍ୟକ୍ତ କରେ । ଯେହେତୁ ଲିପିର ଆରମ୍ଭ ସର୍ବତ୍ର ଏକା ସମୟରେ ହୋଇନାହିଁ, ତେଣୁ ଭିନ୍ନ ଭିନ୍ନ ସ୍ଥାନର ଇତିହାସ ଲେଖା ଅଲଗା ଅଲଗା ସମୟରେ ଆରମ୍ଭ ହୋଇଛି । ମାତ୍ର ଲିପି ଉଦ୍ଭାବନର ବହୁ ପୂର୍ବରୁ ପୃଥିବୀରେ ମାନବର ଅବତରଣ ହୋଇଛି, କାର୍ଯ୍ୟକଳାପ ଲାଗି ରହିଛି । ଚାର୍ଲ୍‌ସ ଡାରଉଇନ୍‌ଙ୍କ ବିବର୍ତ୍ତନବାଦ ଅନୁସାରେ ସୃଷ୍ଟି ବା ବିବର୍ତ୍ତନର ମୋଟ ଅବଧି ଯଦି ୪ ଘଣ୍ଟା, ତହିଁରୁ ମାତ୍ର ଶେଷ ସାତ ମିନିଟ୍‌ରେ ମାନବ ଧରାପୃଷ୍ଠରେ ରହିଛି । ଅର୍ଥାତ୍ ମାନବର ବହୁ ପୂର୍ବରୁ ଅନ୍ୟ ପ୍ରାଣୀ ଓ ବୃକ୍ଷଲତା ରହିବା ଆରମ୍ଭ କରିଛନ୍ତି । ପୁଣି, ଡାରଉଇନ୍ କହନ୍ତି ଯେ, ଏହି ଶେଷ ସାତ ମିନିଟ୍ର ପ୍ରକୃତ ଅବଧି ହେବ ପାଖାପାଖି ୧୮ ଲକ୍ଷ ବର୍ଷ । ଏଥିରୁ ମାତ୍ର ଶେଷ ପାଞ୍ଚ ହଜାର ବର୍ଷରେ ହିଁ ଲିପିର ଉଦ୍ଭାବନ ହୋଇଛି, ସଭ୍ୟତାର ଇତିହାସକୁ ଲିପିବଦ୍ଧ କରିବାକୁ ପ୍ରୟାସ କରାଯାଇଛି । ବିଶ୍ୱର ସମସ୍ତ ବୃହତ୍ ସଭ୍ୟତା, ଯଥା ମିଶରର ନୀଳନଦୀ ସଭ୍ୟତା, ମେସୋପୋଟାମିଆ ସଭ୍ୟତା, ଚୀନ୍ ଓ ହରପ୍ପା ସଭ୍ୟତା ଆଦି ଉକ୍ତ ୨୪ ଘଣ୍ଟାର ଶେଷ କିଛି ମୁହୂର୍ତ୍ତରେ ଜନ୍ମ ନେଇଛନ୍ତି, ବିକଶିତ ହୋଇଛନ୍ତି ଏବଂ ବିଲୟ ମଧ୍ୟ ହୋଇଛନ୍ତି । ମାନବ କାର୍ଯ୍ୟକଳାପର ପ୍ରାୟ ସବୁତକ କାଳାଂଶ ଲିପି ଉଦ୍ଭାବନର ପୂର୍ବ ଖଣ୍ତରେ ରହିଯାଇଛି ।

ଲିଖିତ ଇତିହାସର ଅଭାବଯୋଗୁଁ ଇତିହାସର ଯେଉଁ କାଳାଂଶ ଆବୃତ ରହେ, ତାକୁ ପ୍ରାକ୍- ଐତିହାସିକ ଯୁଗ ବୋଲି କୁହାଯାଏ । ମୋଟ ଇତିହାସର ୯୯ ପ୍ରତିଶତରୁ ଅଧିକ ଭାଗ ଏହି ପ୍ରାକ୍- ଐତିହାସିକ ଯୁଗରେ ସନ୍ନିବିଷ୍ଟ । ପ୍ରତ୍ନତତ୍ତ୍ୱବିତ୍‌ମାନେ ପ୍ରାକ୍- ଐତିହାସିକ ପ୍ରସ୍ତର ଖଣ୍ତ, ପଶୁହାଡ଼ନିର୍ମିତ ଅସ୍ତ୍ରଶସ୍ତ୍ର, ଆଦିମାନବଦ୍ୱାରା ନିର୍ମିତ ଓ ବ୍ୟବହୃତ ଅନ୍ୟ ଉପକରଣ ସବୁକୁ ଅଧ୍ୟୟନ କରି ସେହି ଆଧାରରେ ତତ୍କାଳୀନ ମଣିଷର ଜୀବନ ଯାତ୍ରା କହିବାକୁ ପ୍ରୟାସ କରନ୍ତି । ଉପଲବ୍ଧ ଉପକରଣକୁ ଭିତ୍ତି କରି ପ୍ରାକ୍- ଇତିହାସ କାଳର ଇତିବୃତ୍ତ ରଚନା ଅଗ୍ରଗତି କରେ । ମାତ୍ର ଏହି ସମୟରେ ସଂଘଟିତ ଘଟଣାବଳୀର ସତ୍ୟାସତ୍ୟ ସମ୍ୱନ୍ଧରେ ଐତିହାସିକମାନେ ନିଶ୍ଚିତ ହୋଇ ପାରନ୍ତି ନାହିଁ ।   ପ୍ରାକ୍-ଐତିହାସିକ ଅଧ୍ୟୟନରୁ ପ୍ରତିପାଦିତ ହୁଏ ଯେ, ଆଦିମାନବ ମୁଖ୍ୟତଃ ପ୍ରସ୍ତରନିର୍ମିତ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ପଶୁ ଶିକାର ସାଙ୍ଗକୁ ଜଙ୍ଗଲରୁ ଫଳ ମୂଳ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିଲା ଏବଂ ସମ୍ପୂର୍ଣ୍ଣ ଭାବେ ପ୍ରକୃତି ଉପରେ ନିର୍ଭରଶୀଳ ଥିଲା । ବିବର୍ତ୍ତନର ମୋଟ ଅବଧିରୁ ଯେଉଁ କିଛି ସମୟ ମଣିଷ ଧରା ପୃଷ୍ଠରେ ଅବସ୍ଥାନ କରିଛି ତହିଁରୁ ଅଧିକାଂଶ କାଳ ଅତିବାହିତ ହୋଇଛି ଆଦିମାନବ ରୂପରେ । ସମୟକ୍ରମେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିଛି । ମଣିଷ ତା'ଚାରିପଟର ପରିବର୍ତ୍ତନକୁ ଅନୁଧ୍ୟାନ କରି ଜଙ୍ଗଲର ପଶୁ ଓ ବୃକ୍ଷଲତାଙ୍କୁ ବ୍ୟବହାର ଉପଯୋଗୀ କରିଛି । ସମୟକ୍ରମେ ସେ ନିଆଁର ବ୍ୟବହାର ଶିଖିଛି ଓ କୃଷିକାର୍ଯ୍ୟ ଆରମ୍ଭ କରିଛି । ଏହା ତାକୁ ସ୍ଥାୟୀ ବସତି ସ୍ଥାପନ କରିବାକୁ ଅବସର ପ୍ରଦାନ କରିଛି ଏବଂ ସଭ୍ୟତା ଓ ସଂସ୍କୃତି ନିର୍ମାଣ କରିବାକୁ ସୁଯୋଗ ଦେଇଛି ।

ପ୍ରାକ୍-ଐତିହାସିକ ବିବିଧ ସାମଗ୍ରୀ ପୃଥିବୀର ବିଭିନ୍ନ ସ୍ଥାନରେ ମିଳିସାରିଛି । ଏହାର ଅର୍ଥ ହେଲା ବିବର୍ତ୍ତନର ପ୍ରକ୍ରିୟା କୌଣସି ଗୋଟିଏ ସ୍ଥାନରେ ସୀମିତ ହୋଇନାହିଁଁ । ସାମଗ୍ରୀଗୁଡ଼ିକର ବିଜ୍ଞାନସମ୍ମତ ପ୍ରଣାଳୀ ମାଧ୍ୟମରେ ସମୟ ନିରୂପଣ କରାଯାଏ । କେଉଁ ସାମଗ୍ରୀ କେତେ ପ୍ରାଚୀନ, ସେ ନେଇ ପ୍ରତ୍ନତତ୍ତ୍ୱବିଦ୍‌ମାନେ ଏକ ସହମତିରେ ଉପସ୍ଥିତ ହୁଅନ୍ତି । ଅର୍ଥାତ୍ ସାମଗ୍ରୀଗୁଡ଼ିକର ପ୍ରାଚୀନତା ଆଧାରରେ ଘଟଣାବଳୀଗୁଡିକୁ କାଳ କ୍ରମାନୁସାରେ ବିଭାଗୀକରଣ କରାଯାଏ । ସମଗ୍ର ପୃଥିବୀରେ ପ୍ରତ୍ନତାତ୍ତ୍ୱିକ ଅଧ୍ୟୟନ ବେଳେ ଏହି ବିଭାଗୀକରଣକୁ ମାନ୍ୟତା ଦିଆଯାଏ ।

ପୃଥିବୀର ଆନୁମାନିକ ବୟସ ହେବ ୪୦,୦୦୦ ଲକ୍ଷ ବର୍ଷ । ଏହି ସମୟସୀମାକୁ ଚାରିଖଣ୍ତରେ ବିଭକ୍ତ କରାଯାଏ । ଶେଷ ଖଣ୍ତଟିକୁ ପୁଣି ଦୁଇ ଭାଗରେ ବିଭକ୍ତ କରି ପ୍ଲିଷ୍ଟୋସିନ୍ (Pleistocene) ଓ ହଲୋସିନ୍(Holocene) ଯୁଗ ବୋଲି କୁହାଯାଏ । ପ୍ଲିଷ୍ଟୋସିନ୍ ଯୁଗ ହେଲା ଖ୍ରୀଷ୍ଟପୂର୍ବ ୨୦,୦୦,୦୦୦ରୁ ଖ୍ରୀଷ୍ଟପୂର୍ବ ୧୦,୦୦୦ ମଧ୍ୟବର୍ତ୍ତୀ କାଳଖଣ୍ତ । ହଲୋସିନ୍ ଯୁଗ ହେଲା ଖ୍ରୀଷ୍ଟପୂର୍ବ ୧୦,୦୦୦ ଏବଂ ବର୍ତ୍ତମାନ ଅବ୍ଦ ମଧ୍ୟବର୍ତ୍ତୀ ଅବଧି । ପ୍ରଥମେ ମାନବ ପ୍ଲିଷ୍ଟୋସିନ୍ ଯୁଗର ଆଦ୍ୟ କାଳରେ ଦେଖାଯାଇଥିଲା ବୋଲି ଅନୁମାନ କରାଯାଏ । ପ୍ରାଚୀନ ପ୍ରସ୍ତର ଯୁଗର ଆରମ୍ଭ ପ୍ଲିଷ୍ଟୋସିନ୍ ଯୁଗରେ । ତାକୁ ଗ୍ଲାସିଏସନ ଯୁଗ (Glaciation) ବୋଲି ମଧ୍ୟ କୁହାଯାଏ ।

ଆଦିମାନବ ଥିଲା ଅନେକାଂଶରେ ବାନରାକୃତି ଓ ତା'ର ଚରିତ୍ର ଥିଲା ବାନର ସୁଲଭ ।ପରବର୍ତ୍ତୀକାଳରେ ବିବର୍ତ୍ତିିତ ହୋଇ ସେ ଆଧୁନିକମାନବର ସାଦୃଶ୍ୟ ଅବସ୍ଥାରେ ପହଞ୍ଚିଲା । ଆଦିକାଳରେ ତା'ର କୌଣସି ନିର୍ଦ୍ଦିଷ୍ଟ ବାସସ୍ଥାନ ନଥିଲା; ଖାଦ୍ୟ ଅନ୍ୱେଷଣରେ ସେ ଯାଯାବର ଜୀବନଯାପନ କରୁଥିଲା । ବିଶାଳକାୟ ହିଂସ୍ର ଜନ୍ତୁମାନଙ୍କ ସହ ବସବାସ କରୁଥିଲା । ବିବର୍ତ୍ତିିତ ଅବସ୍ଥାରେ ଶରୀର ଗଠନ ଓ ସାମର୍ଥ୍ୟ ଦୃଷ୍ଟିରୁ ସେ ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ଦୁର୍ବଳ ଓ ଅସହାୟ ଥିଲା । ହେଲେ, ତା'ର ମାନସିକ ଶକ୍ତି ଅନ୍ୟ ପ୍ରାଣୀମାନଙ୍କ ଅପେକ୍ଷା ଅଧିକ ରହିଥିଲା ବୋଲି ସେ ଅଧିକ ବଳୀୟାନ ବିବେଚିତ ହେଲା । ଏପରିକି କେତେକ ବନ୍ୟ ପଶୁଙ୍କୁ ସେ ବଶ କରି ସେମାନଙ୍କୁ ନିଜ ସ୍ୱାର୍ଥରେ ବିନିଯୋଗ କରିବା ମଧ୍ୟ ଆରମ୍ଭ କଲା । ସେହିଭଳି ବୁଦ୍ଧି ପ୍ରୟୋଗ କରି ସେ ପ୍ରସ୍ତରନିର୍ମିତ ଉପକରଣ ନିର୍ମାଣ କଲା। ପଥର ବ୍ୟତୀତ ହାଡ଼, ପଶୁ ଶିଙ୍ଘ, ମୃତ ପ୍ରାଣୀର ଚମଡାକୁ ବ୍ୟବହାର କରି ସେ ନିଜ ଆବଶ୍ୟକତା ଅନୁଯାୟୀ କୁରାଢ଼ି, ଛୁରୀ, ନିହଣ, ତୀର, ବର୍ଚ୍ଛା, ଫଳା, ଶାବଳ ଆଦି ମଧ୍ୟ ତିଆରି କଲା।

 ହାତହତିଆର ଓ କାରିଗରି କୌଶଳ ଆଧାରରେ ମଧ୍ୟ ପ୍ରତ୍ନତତ୍ତ୍ୱବିତ୍‌ମାନେ ପ୍ରସ୍ତର ଯୁଗକୁ ତିନି ଭାଗରେ ବିଭକ୍ତ କରନ୍ତି। ତାହା ହେଲା: ପ୍ରାଚୀନ ପ୍ରସ୍ତର ଯୁଗ(ପ୍ରା.ସା ୯୦୦୦ ପୂର୍ବାବସ୍ଥା), ମଧ୍ୟ ପ୍ରସ୍ତର ଯୁଗ (ପ୍ରା.ସା. ୯୦୦୦ ଓ ପ୍ରା.ସା. ୪୦୦୦ ମଧ୍ୟବର୍ତ୍ତୀକାଳ) ଓ ନୂତନ ପ୍ରସ୍ତର ଯୁଗ। ହିଂସ୍ର ପଶୁକୁ ଶିକାର କରିବା ଯୋଗ୍ୟ ଉପକରଣ ଓ ଜଙ୍ଗଲ ହାଣି, ମାଟିକୁ କର୍ଷଣ କରି କୃଷି କର୍ମ କରିପାରିବା ପରି ଉପକରଣ ଆଦି ନୂତନ ବା ଶେଷ ପ୍ରସ୍ତର ଯୁଗରେ ହିଁ ମଣିଷ ନିର୍ମାଣ କରିବାକୁ ସକ୍ଷମ ହେଲା।

୧୮୫୯ ରେ ଡାରଓ୍ୱିନ୍‌ଙ୍କ 'ଅରିଜିନ ଅଫ୍ ସ୍ପେସିସ୍' ପୁସ୍ତକ ପ୍ରକାଶିତ ହେଲା। ଏହା ବିବର୍ତ୍ତନବାଦ ସମ୍ୱନ୍ଧରେ ନୂଆ ତଥ୍ୟ ଦେଲା। ଅନ୍ୟମାନେ ମଧ୍ୟ ଆଦିମାନବ ସମ୍ୱନ୍ଧିତ ଡାରଓ୍ୱିନଙ୍କ ଯୁକ୍ତିକୁ ଗ୍ରହଣ କଲେ। ସେହି ବର୍ଷ ଫରାସୀ ପ୍ରତ୍ନତତ୍ତ୍ୱବିତ୍ ବାଉଚର ଡି ପର୍ଥସ୍ (Boucher de Perthes) ଆବିଷ୍କାର କରିଥବା ପ୍ରସ୍ତର ସାମଗ୍ରୀ ପ୍ରସ୍ତର ଯୁଗୀୟ ଓ ମଣିଷନିର୍ମିତ ବୋଲି ଏକ ସନ୍ଦର୍ଭରେ ଉପସ୍ଥାପନ କଲେ। ଏହାର ଚାରି ବର୍ଷ ପରେ ୧୮୬୩ରେ ଲୁବକ୍ (Lubbock) ନାମକ ଜଣେ ଜର୍ମାନ ପ୍ରତ୍ନତତ୍ତ୍ୱବିତ୍ ସମଗ୍ର ପ୍ରାକ୍-ଇତିହାସ ଯୁଗକୁ ଦୁଇଟି ପୃଥକ୍ ସାଂସ୍କୃତିକ ପର୍ଯ୍ୟାୟରେ ବିଭକ୍ତ କରି ପ୍ରାଚୀନ ପ୍ରସ୍ତର ଯୁଗ (Palaeolithic) ଓ ନୂତନ ପ୍ରସ୍ତର ଯୁଗ (Neolithic) ଭାବରେ ନାମିତ କଲେ। ଫଳରେ, ଆଦିମାନବ ସମ୍ୱନ୍ଧୀୟ ଅବଧାରଣାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଲା।

୧୮୬୩ରେ ଭାରତର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ରବର୍ଟ ବୃଶ୍ ଫୁଟ୍ (Robert Bruce Foot) ମାଡ୍ରାସ ସହର ଉପକଣ୍ଠସ୍ଥିତ ପଲ୍ଲଭରମ୍‌ଠାରୁ ପ୍ରଥମ କରି ଭାରତରେ ପ୍ରାଚୀନ ପ୍ରସ୍ତର ଯୁଗୀୟ ଉପକରଣମାନ ଆବିଷ୍କାର କରିଥିଲେ। ଏହା ପରେ ସେ ତାଙ୍କର ଜଣେ ସହକର୍ମୀ ଓ୍ୱିଲିଅମ୍ କିଙ୍ଗ (William King)ଙ୍କ ସହ ମିଶି ମାଡ୍ରାସ ନିକଟସ୍ଥ କୋର୍ଟାଲାୟର ଓ ନର୍ଣ୍ଣାଭରମ ନଦୀ ଶଯ୍ୟାରୁ ଆହୁରି କିଛି ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କାର କଲେ। ଏଥିରୁ ପ୍ରତିପାଦିତ ହେଲା ଯେ, ଆଜି ଭାରତବର୍ଷ ନାମରେ ପରିଚିତ ଏହି ଭୂଖଣ୍ତରେ ମଧ୍ୟ ପ୍ରସ୍ତର ଯୁଗରେ ଆଦିମାନବ ଅବସ୍ଥାନ କରୁଥିଲା।

ଊନବିଂଶ ଶତାବ୍ଦୀର ଶେଷ ଆଡ଼କୁ ପ୍ରତ୍ନତାତ୍ତ୍ୱିକ ଖନନର ପରଂପରା ଓଡ଼ିଶାକୁ ମଧ୍ୟ ବିସ୍ତାରିତ ହେଲା। ପ୍ରଥମେ ୧୮୭୫ରେ ଭାଲେଣ୍ଟାଇନ୍ ବଲ୍ ନାମକ ଜଣେ ବ୍ରିଟିଶ୍ ଭୂତତ୍ତ୍ୱବିତ୍ ଓଡ଼ିଶାର ଚାରିଟି ସ୍ଥାନରୁ ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କାର କଲେ। ଉକ୍ତ ସ୍ଥାନଗୁଡ଼ିକ ହେଲା: ସମ୍ୱଲପୁର ଜିଲ୍ଲାର ବୁର୍ସାପାଲି, ଅନୁଗୁଳ ଜିଲ୍ଲାର କାଳିଆ କଟା, ହରିଚନ୍ଦନପୁର ଓ ଢେଙ୍କାନାଳ। ମୋଟ କଥା ହେଲା ଯେ, ପାଖାପାଖି ପ୍ରାୟ ଏକ ସମୟରେ ସମଗ୍ର ପୃଥିବୀରେ ପ୍ରାକ୍-ଐତିହାସିକ ପ୍ରତ୍ନତାତ୍ତ୍ୱିକ ଖନନ ଓ ଗବେଷଣା ଆରମ୍ଭ ହୋଇଥିଲା।  ୧୮୭୫ରେ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଗବେଷଣା ପରବର୍ତ୍ତୀ କାଳରେ ବହୁଦିନ ଧରି ଅବହେଳିତ ହୋଇ ରହିଥିଲା। ପରେ ୧୯୨୩ରେ ପରମାନନ୍ଦ ଆଚାର୍ଯ୍ୟ ଏହାର ପୁନରାରମ୍ଭ କରି ନିଜ ଗାଁ ମୟୂରଭଞ୍ଜ ଜିଲ୍ଲାସ୍ଥିତ ବଇଦିପୁରଠାରେ ନୂତନ ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କାର କଲେ। ପରେ ଆର.ଡି. ବାନାର୍ଜୀ "ଓଡ଼ିଶା ଇତିହାସ' (History of Odisha) ପୁସ୍ତକରେ ଓଡ଼ିଶାରେ ପ୍ରାକ୍-ଐତିହାସିକ ପ୍ରସ୍ତର ସଂସ୍କୃତି ରହିଥିବା କଥା ଉଲ୍ଲେଖ କଲେ। ପରମାନନ୍ଦ ଆଚାର୍ଯ୍ୟ ଓ ହାର୍ଭାଡ଼ ବିଶ୍ୱବିଦ୍ୟାଳୟର ଗବେଷକ ଡବ୍ଲ୍ୟୁ.ସି. ଓରମ୍ୟାନଙ୍କ ମିଳିତ ଉଦ୍ୟମରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରୁ ମଧ୍ୟ ପ୍ରାଚୀନ ପ୍ରସ୍ତର ଯୁଗୀୟ ଉପକରଣ ଆବିଷ୍କୃତ ହେଲା। ୧୯୪୮ରେ କଲିକତା ବିଶ୍ୱବିଦ୍ୟାଳୟର ନିର୍ମଳ କୁମାର ବୋଷ ଓ ଧରଣୀ ସେନ୍‌ଙ୍କ ସହଯୋଗରେ ମଧ୍ୟ କୁଳିଅଣାଠାରେ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ ହେଲା। ଏହାକୁ ଭାରତର ପ୍ରାକ୍-ଐତିହାସିକ ଗବେଷଣାର ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧି ବୋଲି ମନେ କରାଯାଏ। ଏଠାରୁ ମାଟିପାତ୍ର ଓ ଧାନ ମଧ୍ୟ ଆବିଷ୍କୃତ ହୋଇଛି।

ପରବର୍ତ୍ତୀ କାଳରେ ଓଡ଼ିଶାର ବହୁ ସ୍ଥାନରୁ ପ୍ରସ୍ତର ଯୁଗୀୟ ଉପକରଣମାନ ଆବିଷ୍କୃତ ହୋଇଛି। ପୁନା ଡେକାନ୍ କଲେଜର ପ୍ରତ୍ନତତ୍ତ୍ୱବିଦ୍ ଗୋପାଳଚନ୍ଦ୍ର ମହାପାତ୍ର ଉକ୍ତ ସ୍ଥାନଗୁଡ଼ିକର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିଛନ୍ତି। ସେହି ତାଲିକା ଅନୁଯାୟୀ ସ୍ଥାନଗୁଡ଼ିକ ହେଲା:

ମୟୂରଭଞ୍ଜ ଜିଲ୍ଲା: ବାରିପଦା, ବାଙ୍ଗିରିପୋଷି, କୁଳିଅଣା, କୁଚାଇ, ପ୍ରତାପପୁର, ସିର୍ସା, ବଇଦିପୁର, ଚିତ୍ରଡା, ହରିପୁର, କପ୍ତିପଦା, ଖିଚିଙ୍ଗ ଏବଂ ମଣ୍ତା।

ଅବିଭକ୍ତ ଢେଙ୍କାନାଳ ଜିଲ୍ଲା: ଢେଙ୍କାନାଳ, ଭୀମକୁଣ୍ତ, ହିନ୍ଦୋଳ ରୋଡ୍, ତାଳଚେର, ହରିଚନ୍ଦନପୁର ଓ ଡୁଁରିଆ।

  ସୁନ୍ଦରଗଡ଼ ଜିଲ୍ଲା: ଜଙ୍ଗ୍ରା, ସାତକୁଟା, ବଣାଇଗଡ଼, ବିସ୍ରା, ଖଡ଼ିଆକୁଦର ଓ ଖୁଣ୍ଟାଗାଁ।
କେନ୍ଦୁଝର ଜିଲ୍ଲା: ଚମ୍ପୁଆ, ଜଗନ୍ନାଥପୁର, ରମଲା ଓ ପାଟଣା।
ଅବିଭକ୍ତ ପୁରୀ ଜିଲ୍ଲା: ଭୁବନେଶ୍ୱର, ଉଦୟଗିରି, ରଣପୁର ଓ ଶିଶୁପାଳଗଡ଼।
କଟକ ଜିଲ୍ଲା: ମଥୁରାପୁର (ଆଠଗଡ଼)।
ଗଞ୍ଜାମ ଜିଲ୍ଲା: ଜଉଗଡ଼।
ସମ୍ୱଲପୁର ଜିଲ୍ଲା: ବୁର୍ସାପାଲି, କୁଡ଼ା ବଗା ଓ ଲସା (କୁଚିଣ୍ତା)

 ଏହା ବାହାରେ ମଧ୍ୟ ବଲାଙ୍ଗୀର, ଫୁଲବାଣୀ ଆଦି ଜିଲ୍ଲାରେ ପ୍ରସ୍ତର ଯୁଗୀୟ ଅବଶେଷର ସନ୍ଧାନ ମିଳିଛି।

ନୂତନ ପ୍ରସ୍ତର ଯୁଗ ହେଉଛି ପ୍ରାକ୍-ଐତିହାସିକ ସାଂସ୍କୃତିକ ବିବର୍ତ୍ତନର ଏକ ବୈପ୍ଳବିକ କାଳଖଣ୍ତ। ପ୍ରାଚୀନ ପ୍ରସ୍ତର ଯୁଗୀୟ ମଣିଷ ମୁଖ୍ୟତଃ ଶିକାର ଓ ଫଳମୂଳ ସଂଗ୍ରହକୁ ଜୀବିକା ନିର୍ବାହର ମାଧ୍ୟମ ରୂପେ ଗ୍ରହଣ କରିଥିଲା। ମଧ୍ୟ-ପ୍ରସ୍ତର ଯୁଗରେ ଶିକାରନିମିତ୍ତ ବ୍ୟବହୃତ ପ୍ରସ୍ତର ଉପକରଣରେ ଉନ୍ନତି ଦେଖାଗଲା, ମାତ୍ର ସେ ଆଗ ଭଳି କେବଳ ଶିକାରୀ ଓ ଫଳ ସଂଗ୍ରହକାରୀ ହୋଇ ରହିଲା। ନୂତନ ପ୍ରସ୍ତର ଯୁଗରେ ଶିକାର ଓ ଫଳମୂଳ ସଂଗ୍ରହ ବ୍ୟତୀତ ମଣିଷ ଉନ୍ନତ ଅସ୍ତ୍ରଶସ୍ତ୍ର ଓ ଉପକରଣ ନିର୍ମାଣ କରି କୃଷି ଉତ୍ପାଦନ ମଧ୍ୟ ଆରମ୍ଭ କଲା। ଏହା ତାକୁ କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାୟୀ ଭାବରେ ରହିବାକୁ ଅବସର ପ୍ରଦାନ କଲା। ଏହି ସମୟରେ ମଣିଷ ତା'ର ପାରିପାର୍ଶ୍ୱିକ ପରିବେଶ, ବୃକ୍ଷଲତା ଓ ଜୀବଜନ୍ତୁଙ୍କ ଉପରେ ଅଧିକ ପ୍ରଭାବ ବିସ୍ତାର କଲା। ଅନ୍ୟ ଶବ୍ଦରେ କହିଲେ, ନୂତନ ପ୍ରସ୍ତର ଯୁଗରେ ମଣିଷର ଜୀବନଶୈଳୀରେ ଏକ ଅଭୂତପୂର୍ବ ଭୌତିକ ଓ ସାମାଜିକ ପରିବର୍ତ୍ତନ ଦେଖାଗଲା।

 ଓଡ଼ିଶାରୁ ମିଳିଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷଗୁଡିକରୁ ଅଧିକାଂଶ ନୂତନ ପ୍ରସ୍ତରଯୁଗୀୟ ବୋଲି ଅନୁମାନ କରାଯାଏ। ଉଦାହରଣ ସ୍ୱରୂପ, ମୟୂରଭଞ୍ଜ ଜିଲ୍ଲା ବଇଦିପୁରଠାରେ ମାଟିପାତ୍ର ଓ ଧାନର ନମୁନା ମିଳିଛି। ୧୯୬୧-୬୨ରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ବି.କେ. ଥାପରଙ୍କ ଉଦ୍ୟମରେ ବାରିପଦା ନିକଟସ୍ଥ କୁଚାଇଠାରେ ଖନନ କାର୍ଯ୍ୟ କରାଯାଇଥିଲା ଏବଂ ତହିଁରୁ ଲାଲମାଟି ପାତ୍ର ଓ କେତୋଟି ଚିକ୍କଣ ପ୍ରସ୍ତର ନିର୍ମିତ ଅସ୍ତ୍ରଶସ୍ତ୍ର ଆବିଷ୍କୃତ ହୋଇଥିଲା। ଏଗୁଡ଼ିକ ନୂତନ ପ୍ରସ୍ତର ଯୁଗୀୟ ସଂସ୍କୃତିର ବୋଲି ଧାରଣା ସୃଷ୍ଟି ହୁଏ।

 ଓଡ଼ିଶାରେ ଆବିଷ୍କୃତ ନୂତନ ପ୍ରସ୍ତର ଯୁଗୀୟ ବିଭିନ୍ନ ଉପକରଣର ପ୍ରକାରଭେଦ, ଅବସ୍ଥିତି ଏବଂ ତହିଁରେ ବ୍ୟବହୃତ ପ୍ରସ୍ତରକୁ ଭିତ୍ତିକରି ଗବେଷକ ରବିନାରାୟଣ ଦାସ ସେଗୁଡିକୁ ପାଞ୍ଚଟି ପର୍ଯ୍ୟାୟରେ ବିଭକ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆୟତାକାର କୁରାଢ଼ି; ଦ୍ୱିତୀୟ ପର୍ଯ୍ୟାୟରେ ଲମ୍ୱାକୃତି ଖଣତି; ତୃତୀୟ ପର୍ଯ୍ୟାୟରେ ତ୍ରି‌ଭୁଜାକାର ଓ ଗୋଲାକୃତି ଖଣତି; ଚତୁର୍ଥ ପର୍ଯ୍ୟାୟରେ ଧାରବିହୀନ ଚତୁଷ୍କୋଣୀ ଖଣତି ଏବଂ ଶେଷ ପର୍ଯ୍ୟାୟରେ ସିଧା ଜ୍ୟାମିତିକ ତୀକ୍ଷ୍‌ଣ ଧାରଯୁକ୍ତ ଖଣତିର ତିଆରି ଓ ପ୍ରୟୋଗ ହେଉଥିଲା ବୋଲି ସେ କହିଛନ୍ତି।

 ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ନିକଟସ୍ଥ ସୁଲଭଡିହଠାରେ ନୂତନ ପ୍ରସ୍ତର ଯୁଗର କିଛି ଅସ୍ତ୍ରଶସ୍ତ୍ର ଆବିଷ୍କୃତ ହୋଇଛି। ଏହି ପ୍ରତ୍ନତାତ୍ତ୍ୱିକ ଖନନ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ଗବେଷକ ପ୍ରଦୀପ କୁମାର ବେହେରାଙ୍କ ଉଦ୍ୟମରେ ସଂଘଟିତ ହୋଇଛି। ଆବିଷ୍କୃତ ଅସ୍ତ୍ରଶସ୍ତ୍ରଗୁଡିକ ମଧ୍ୟରେ ମୁଖ୍ୟ ହେଲା- କୁରାଢ଼ି, ନିହଣ ଓ ହାତୁଡ଼ି; ସେଗୁଡିକ କୃଷ୍ଣବର୍ଣ୍ଣର ଆଗ୍ନେୟଶିଳାରେ ନିର୍ମିତ। କୁରାଢ଼ିର ତୀକ୍ଷ୍‌ଣତାରୁ ଅନୁମାନ କରିହୁଏ ଯେ ଜମିକୁ ଚାଷୋପଯୋଗୀ କରିବାପାଇଁ ବା ଜଙ୍ଗଲ ସଫା କରିବା ପାଇଁ ଏହାର ବ୍ୟବହାର କରାଯାଉଥିଲା। ନୂତନ ପ୍ରସ୍ତର ଯୁଗୀୟ ସଂସ୍କୃତି ଓଡ଼ିଶାରେ ବିଶେଷ କରି ନଦୀ ଉପତ୍ୟକାଗୁଡ଼ିକରେ ଦେଖାଯାଏ।

 ନୂତନ ପ୍ରସ୍ତର ଯୁଗ ପରବର୍ତ୍ତୀ କାଳରେ ମଣିଷ ତାମ୍ର-ପ୍ରସ୍ତର ଯୁଗରେ ଅବତୀର୍ଣ୍ଣ ହେଲା। ଏହି ଯୁଗର ବିଶେଷତ୍ୱ ହେଲା, ପାରମ୍ପରିକ ପ୍ରସ୍ତର ଉପକରଣ ବ୍ୟତୀତ ମଣିଷ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ନିର୍ମାଣପାଇଁ ଧାତୁର ବ୍ୟବହାର ଆରମ୍ଭ କଲା। ଆବିଷ୍କୃତ ଧାତୁ ମଧ୍ୟରେ ପ୍ରଧାନ ଥିଲା ତମ୍ୱା। ଧାତୁ ବ୍ୟତୀତ ଚିତ୍ରିତ ମାଟି ପାତ୍ରର ବ୍ୟବହାର ମଧ୍ୟ ଏହି ସମୟରେ ଆରମ୍ଭ ହୋଇଥିଲା।

 ୧୯୫୦ରେ ଗବେଷକ ଏଚ୍.ଡି. ସଙ୍ଖାଲିଆ ପଶ୍ଚିମ ମହାରାଷ୍ଟ୍ରର ଜୋରେଓ୍ୱଠାରେ ତାମ୍ର-ପ୍ରସ୍ତର ଯୁଗୀୟ ଅବଶେଷମାନ ପ୍ରତ୍ନତାତ୍ତ୍ୱିକ ଖନନ ପ୍ରକ୍ରିୟାରେ ଆବିଷ୍କାର କରିଥିଲେ। କାର୍ବନ ଡେଟିଂ ପଦ୍ଧତିଦ୍ୱାରା ଏହି ସଂସ୍କୃତିର ସମୟକାଳ ପ୍ରାୟ ଖ୍ରୀ.ପୂ.୨୦୦୦ରୁ ଖ୍ରୀ.ପୂ. ୭୦୦ ବୋଲି ନିର୍ଦ୍ଧାରଣ କରାଯାଇଛି । ଜୋରୱେକୁ ବାଦଦେଲେ ମହାରାଷ୍ଟ୍ରର ନେଭାସା, ଦାଇମାବାଦ, ଚନ୍ଦୋଲି, ସୋନଗାଁଓ, ଇନାମଗାଁଓ, ପ୍ରକାଶ ଓ ନାସିକଠାରେ ମଧ୍ୟ ତାମ୍ର-ପ୍ରସ୍ତର ଯୁଗୀୟ ଅସ୍ତ୍ରଶସ୍ତ୍ର ଏବଂ ସଂସ୍କୃତି ଆବିଷ୍କୃତ ହୋଇଛି । ସର୍ବପ୍ରଥମେ ଲେକଲୋଚନକୁ ଆସିଥିବା 'ଜୋରୱେ ସଂସ୍କୃତି' ସହିତ ଏଗୁଡ଼ିକର ଅନେକ ସାମଞ୍ଜସ୍ୟ ରହିଥିବାରୁ ଏ ସମସ୍ତ ସଂସ୍କୃତିକୁ 'ଜୋରୱେ ସଂସ୍କୃତି' ନାମରେ ନାମିତ କରାଯାଏ । ଭାରତର ଆହୁରି ଅନେକ ସ୍ଥାନରୁ ମଧ୍ୟ ତାମ୍ର-ପ୍ରସ୍ତର ଯୁଗୀୟ ଅବଶେଷମାନ ଆବିଷ୍କୃତ ହୋଇଛି ।   ତନ୍ମଧ୍ୟରେ ରହିଛି : ରାଜସ୍ଥାନର ଆହର (Ahar), ଗିଲୁନ୍ଦ (Gilund); ମଧ୍ୟପ୍ରଦେଶର କାୟଥା (Kayatha), ନାଭଦାଟୋଲି (Navadtoli), ମହେଶ୍ୱର (Maheswar), ଏରାନ (Eran); ଉତ୍ତର ପ୍ରଦେଶର କାକୁରିଆ (Kakuria), କୋଲଡିହା (Koldiha),ଖଜୁରିଆ (Khajuria); ବିହାରର ସୋନପୁର (Sonepur), ଚିରାନ୍ଦ (Chirand); ପଶ୍ଚିମବଙ୍ଗର ମହିଶ ଦାଲ (Mahisdal), ମଙ୍ଗଲକୋଟ (Mangalkot)ଏବଂ ପଣ୍ତୁରାଜାର ଡିବି (Pandu Rajar Dhibi) ।

୧୯୯୧-୯୨ରେ ଓଡ଼ିଶାରେ ପ୍ରଥମ କରି ଖୋର୍ଦ୍ଧା ଜିଲ୍ଲାର ଗୋଳବାଇଠାରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ବି.କେ. ସିହ୍ନାଙ୍କ ନେତୃତ୍ୱରେ ହୋଇଥିବା ଖନନରୁ ତାମ୍ର-ପ୍ରସ୍ତର ଯୁଗୀୟ ସଂସ୍କୃତିର ଅବସ୍ଥିତି କଥା ସ୍ପଷ୍ଟ ହୁଏ । ଏହା ନୂତନ ପ୍ରସ୍ତର ଯୁଗ ଓ ଲୌହଯୁଗ ମଧ୍ୟବର୍ତ୍ତୀ କାଳଖଣ୍ତରେ ଘଟିତ ବିବର୍ତ୍ତନକୁ ଇଙ୍ଗିତ କରେ । ଓଡ଼ିଶା ତଥା ଓଡ଼ିଶା ବାହାରେ ହୋଇଥିବା ଖନନରୁ ଜଣାଯାଏ ଯେ, ଏହି ଯୁଗରେ ମଣିଷ ପଥର ବ୍ୟତୀତ ହାଡ, ତମ୍ୱା ଓ ମାଟିକୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ଉପକରଣ ନିର୍ମାଣ ଲାଗି ବ୍ୟବହାର କରୁଥିଲା । ଆବିଷ୍କୃତ ପ୍ରସ୍ତର ଉପରକଣଗୁଡ଼ିକ ମଧ୍ୟରେ ରହିଛି କୁରାଢ଼ି, କ୍ଷୁଦ୍ରମୁନଯୁକ୍ତ ଛୁରୀ, ଜ୍ୟାମିତିକ ଆକାରର ଏକ ପ୍ରକାରର ଅର୍ଦ୍ଧ ଉପକରଣ- ଯାହାକୁ ଇଂରାଜୀରେ କୁହାଯାଏ Lunate, ଛିଦ୍ର କରିବାପାଇଁ ଉଦ୍ଦିଷ୍ଟ ଏକ ପ୍ରକାରର ଉପକରଣ ଏବଂ ଚାପ ପ୍ରୟୋଗ କରି ବିଭିନ୍ନ ଫଳର ଚୋପା ଛଡାଇବା ଲାଗି ଉଦ୍ଦିଷ୍ଟ ଉପକରଣ, ସୁଦୀର୍ଘ ବର୍ଚ୍ଛା, ଧନୁତୀର, ଛିଦ୍ର କରିବାପାଇଁ ଉଦ୍ଦିଷ୍ଟ ଏକ ଉପକରଣ (Borer) ଇତ୍ୟାଦି । ଏହା ବ୍ୟତୀତ ଖୋଦନପାଇଁ ଉଦ୍ଦିଷ୍ଟ ଏକ ପ୍ରକାର ଉପକରଣ, ଚମଡ଼ା ଉତାରିବାପାଇଁ ଉଦ୍ଦିଷ୍ଟ ଉପକରଣ, କାଟିବାପାଇଁ ବ୍ଲେଡ୍, ଫୋଡ଼ଣୀ, ଛୁରୀ, ନିହଣ, ଗଇଁତି ଏବଂ ଫସଲ କାଟିବା ଲାଗି ବ୍ୟବହାର ହେଉଥିବା ଦାଆ ପରି ଏକ ଉପକରଣ ମଧ୍ୟ ଅସ୍ଥି ନିର୍ମିତ ଥିଲା । ଖନନରୁ ଆବିଷ୍କୃତ ହୋଇଥିବା ତାମ୍ର ନିର୍ମିତ ଉପକରଣ ମଧ୍ୟରେ ଅଛି କାନ ଗହଣା, ନିହଣ ଓ ମାଛ କଣ୍ଟା । କୃଷି ଜାତ ଉତ୍ପାଦ ମଧ୍ୟରେ ପ୍ରଧାନ ଥିଲା ଧାନ ଓ କୋଳଥ । ଏହି ଯୁଗରେ ମଣିଷ ବିଭିନ୍ନ ରଂଗର ମାଟି ପାତ୍ର ମଧ୍ୟ ବ୍ୟବହାର କରୁଥିଲା । ସେଗୁଡ଼ିକ ମଧ୍ୟରେ ସରା, ବେଲା, ଥାଳି, ପଲମ, ହାଣ୍ତି, ସୁରେଇ, ଗିନା, ଗ୍ଲାସ, ବଇଠି ଏବଂ ବୃହତ ଆକାରର ଶସ୍ୟ ସଂରକ୍ଷଣ ପାତ୍ର ଆଦି ପ୍ରଧାନ ।   ଖୋର୍ଦ୍ଧାର ଗୋଳବାଇକୁ ବାଦ ଦେଲେ ଢେଙ୍କାନାଳ ଜିଲ୍ଲାର ସାଙ୍କେରଜଙ୍ଗ ଓ ଦୁନିରିଆ, ସୋନପୁର ଜିଲ୍ଲାର ଖମ୍ୱେଶ୍ୱରୀପାଲି, ଓ ମୟୂରଭଞ୍ଜ ଜିଲ୍ଲାର ଖିଚିଙ୍ଗ୍, କ୍ଷେତ୍ରା ତଥା ବାହାଡ଼ାଠାରେ ତାମ୍ର ପ୍ରସ୍ତରଯୁଗୀୟ ଉପକରଣମାନ ମିଳିଛି । ୧୯୯୮ରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ସଦାଶିବ ପ୍ରଧାନ ଓ ପ୍ରଦୀପ କୁମାର ବେହେରା ଖମ୍ୱେଶ୍ୱରୀପାଲିରେ କେତେକ ତାମ୍ର ଅସ୍ତ୍ରଶସ୍ତ୍ର, ତଥା ଲୋହିତ ଓ କୃଷ୍ଣବର୍ଣ୍ଣର ବିଭିନ୍ନ ମାଟି ପାତ୍ର ଖନନ ବେଳେ ଆବିଷ୍କାର କରିଥିଲେ । ମାଟିପାତ୍ରଗୁଡିକ ମଧ୍ୟରେ ରହିଥିଲା ସରା, ବେଲା, ଥାଳି, ପଲମ ଓ ହାଣ୍ତି ଭଳି ଉପାଦେୟ ସଂରକ୍ଷଣ ପାତ୍ର । ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାର ଖନନ ସ୍ଥଳୀରୁ ଆବିଷ୍କୃତ ବଡ଼ ଆକାରର ତାମ୍ର କୁରାଢ଼ିରୁ ମନେହୁଏ, ଏହାକୁ ହୁଏତ ଗଛ ହାଣିବା ତଥା ଅନ୍ୟାନ୍ୟ ବସ୍ତୁକୁ କାଟିବା କାମରେ ବ୍ୟବହାର କରା ହେଉଥିଲା । କାର୍ବନ ଡେଟିଂ ପଦ୍ଧତି ଆଧାରରେ ଓଡ଼ିଶାରେ ଏହି ସଂସ୍କୃତିର ସମୟକାଳ ଖ୍ରୀ.ପୂ. ୨୧୦୦ରୁ ଖ୍ରୀ.ପୂ. ୧୫୦୦ ମଧ୍ୟରେ ବୋଲି ଅନୁମାନ କରାଯାଏ ।

ଶୈଳଚିତ୍ର ହେଲା ପ୍ରାକ୍-ଐତିହାସିକ ଯୁଗର ଏକ ପ୍ରମୁଖ ବିଶେଷତ୍ୱ । ଏହି ଚିତ୍ରଗୁଡ଼ିକ ମୁଖ୍ୟତଃ ଶୈଳାଶ୍ରୟ ଓ ଗୁମ୍ଫାମାନଙ୍କରେ ଖୋଦିତ ଓ ରଙ୍ଗଦ୍ୱାରା ଚିତ୍ରିତ ହୋଇଥିବାର ଦେଖାଯାଏ । ଏଥିରୁ ମନେହୁଏ ଯେ ଆଦିମାନବ ଗୁମ୍ଫା ଓ ଶୈଳାଶ୍ରୟରେ ମୁଖ୍ୟତଃ ବସବାସ କରୁଥିଲା । ଚିରସ୍ରୋତା ଝରଣା ନିକଟରେ ସେ ଅଧିକ ସମୟ ଅବସ୍ଥାନ କରୁଥିବାରୁ ସେଠାରେ ମଧ୍ୟ ଶୈଳଚିତ୍ର ଦେଖିବାକୁ ମିଳେ । ଶୈଳଚିତ୍ରରୁ ଆଦିମାନବର ସୃଜନଶୀଳତା, କଳ୍ପନା, ଧର୍ମବିଶ୍ୱାସ, ଜୀବନଧାରଣ ପ୍ରଣାଳୀ ତଥା ପ୍ରକୃତି ସହ ନିବିଡ଼ ସମ୍ୱନ୍ଧର ଅବଧାରଣା କରିହୁଏ ।

ଶୈଳଚିତ୍ର ମୁଖ୍ୟତଃ ଦୁଇ ପ୍ରକାରର : ବିଭିନ୍ନ ମାଟି ରଂଗଦ୍ୱାରା ଅଙ୍କିତ ଚିତ୍ର (Paintings or Pictographs) ଏବଂ ଖୋଦିତ ଚିତ୍ର (Engravings or Petroglyphs) । ପ୍ରସ୍ତର ଗାତ୍ରରେ (Rock Canvas) ଗେରୁ ରଂଗରେ ଏହି ଚିତ୍ରକଳା ଅଙ୍କିତ ହୋଇଥିବାରୁ ଦୀର୍ଘକାଳ ଧରି ସୁରକ୍ଷିତ ରହିଅଛି । କ୍ରାନ୍ତିବଳୟ, ମେରୁ ଅଞ୍ଚଳ ତଥା ବରଫାବୃତ୍ତ ଅଞ୍ଚଳରେ ମଧ୍ୟ ଶୈଳଚିତ୍ର ଦେଖାଯାଏ । ଏଥିରୁ ଅନୁମାନ କରାଯାଇପାରେ ଯେ ଆଦିମାନବ ଏକଦା ଏସବୁ ଅଞ୍ଚଳରେ ବସବାସ କରୁଥିଲା ।

ଭାରତରେ ପଶ୍ଚିମବଙ୍ଗ ଓ ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳକୁ ବାଦ୍‌ଦେଲେ ପ୍ରାୟ ସବୁ ରାଜ୍ୟରେ ଶୈଳଚିତ୍ର ଦେଖିବାକୁ ମିଳିଥାଏ । ଉତ୍ତର ଓ ଦକ୍ଷିଣ ଭାରତରେ ସାଧାରଣତଃ ଖୋଦିତ ଶୈଳଚିତ୍ର ଦେଖିବାକୁ ମିଳିଥାଏ । ଅନ୍ୟ ପକ୍ଷରେ ଅବିଭକ୍ତ ମଧ୍ୟପ୍ରଦେଶରେ ବହୁଳ ମାତ୍ରାରେ ଉଭୟ ଖୋଦିତ ଓ ଚିତ୍ରିତ ଶୈଳଚିତ୍ର ଦେଖିବାକୁ ମିଳିଥାଏ । ୧୯୩୩ରେ ପାଟନା ସଂଗ୍ରହାଳୟର ଗବେଷକ କେ.ପି. ଜୟସ୍ୱାଲ ସର୍ବପ୍ରଥମେ ଓଡ଼ିଶାର ବିକ୍ରମଖୋଲଠାରେ (ବର୍ତ୍ତମାନର ଝାରସୁଗୁଡ଼ା ଜିଲ୍ଲା) ଶୈଳଚିତ୍ର ଆବିଷ୍କାର କରିଥିଲେ । ପରେ ସତ୍ୟନାରାୟଣ ରାଜଗୁରୁ ଓ ଜିତାମିତ୍ର ପ୍ରସାଦ ସିଂହଦେଓ ଯଥାକ୍ରମେ କଳାହାଣ୍ତିର ଗୁଡ଼ହାଣ୍ତି ଓ ନୂଆପଡ଼ା ଜିଲ୍ଲାର ଯୋଗୀମଠଠାରେ ଶୈଳଚିତ୍ରମାନ ଆବିଷ୍କାର କରିଛନ୍ତି । କେବଳ ସଦାଶିବ ପ୍ରଧାନ ରାଜ୍ୟର ୧୧ଟି ଜିଲ୍ଲାରୁ ମୋଟ ୧୦୪ଟି ଶୈଳଚିତ୍ର ଆବିଷ୍କାର କରିଛନ୍ତି ।   ସାଧାରଣତଃ ଶୈଳଚିତ୍ର ଥିବା ସ୍ଥାନକୁ ଓଡ଼ିଶାରେ ଉଷାକୋଠି ବା ଲେଖାମୋଡ଼ା ବୋଲି କୁହାଯାଏ । ଖୋଦିତ ଓ ଅଙ୍କିତ ଚିତ୍ର ବ୍ୟତୀତ ଓଡ଼ିଶାରେ ଆଉ ଏକ କିସମର ଶୈଳଚିତ୍ର ଦେଖାଯାଏ । ଏଥିରେ ଲୋହିତ, ହଳଦିଆ ଓ ଧଳା ଆଦି ରଂଗର ବ୍ୟବହାର ରହିଛି । ଚିତ୍ରରେ ଅନେକ କିସମର ଜୀବଜନ୍ତୁ ରହିଛନ୍ତି । ଯଥା: ହରିଣ, ବାରଶିଂଗା, ବାରହା, ଅରଣାମଇଁଷି, ଛେଳି, କୁବ୍‌ଜବିଶିଷ୍ଟ ଧେନୁ, ଛେଳି, ଗଣ୍ତା, ଝିଟିପିଟି, କଇଁଛ ଓ ସାପ ଇତ୍ୟାଦି । ତା'ଛଡ଼ା ଅନେକ ଜ୍ୟାମିତିକ ଓ ଆଳଙ୍କାରିକ ଚିତ୍ର ମଧ୍ୟ ରହିଛି । ବିଭିନ୍ନ ସଂକେତ ଓ ଆଳଙ୍କାରିକ ଚିତ୍ରର ମଧ୍ୟଭାଗରେ ରହିଥିବା ବିଭାଜିତ ତ୍ରିଭୁଜ ନାରୀର ପ୍ରଜନନାଙ୍ଗ ପରି ଦେଖାଯାଏ । ଗବେଷକମାନଙ୍କ ମତରେ ଏଥିରୁ ସାବ୍ୟସ୍ତ ହୁଏ ଯେ, ପ୍ରାକ୍-ଐତିହାସିକ ଯୁଗରେ ଓଡ଼ିଶାରେ ପ୍ରଜନନ ସଂସ୍କୃତି ର ପ୍ରତୀକ ମାତୃପୂଜା ପରମ୍ପରାର ବ୍ୟାପକ ପ୍ରଚଳନ ରହିଥିଲା ।

...

ଐତିହାସିକ ଭୂଗୋଳ

  ପ୍ରାଚୀନ କାଳରେ 'ଓଡ଼ିଶା' ନାମର ପ୍ରଚଳନ ନଥିଲା । ୧୯୩୬ ଏପ୍ରିଲ ୧ ତାରିଖ ପରଠାରୁ ଯେଉଁ କ୍ଷେତ୍ର ଓଡ଼ିଶା ନାମରେ ପରିଚିତ, ସେହି କ୍ଷେତ୍ରରେ ଇତିହାସର ଭିନ୍ନ ଭିନ୍ନ କାଳଖଣ୍ତରେ 'କଳିଙ୍ଗ','ଉତ୍କଳ','ଉଡ୍ର','କୋଶଳ','ତ୍ରିକଳିଙ୍ଗ', ତଥା 'ତୋଷଳ' ଆଦି ନାମରେ ରାଜ୍ୟମାନ ରହିଥିଲେ । ଏ ମଧ୍ୟରୁ କୌଣସି ରାଜ୍ୟର ମୋଟ ଆୟତନ ବର୍ତ୍ତମାନର ଓଡ଼ିଶାର ମୋଟ ଆୟତନ ସହ ପୂରାପୂରି ସମାନ ବୋଲି କହିହେବ ନାହିଁ । ଆଧୁନିକ ଓଡ଼ିଶାର ଗଠନ ଭାଷାଭିତ୍ତିରେ କରାଯାଇଛି ଯଦିଓ କେତେକ ଓଡ଼ିଆଭାଷୀ କ୍ଷେତ୍ର ଏବେ ମଧ୍ୟ ଓଡ଼ିଶା ପ୍ରଦେଶ ବାହାରେ ରହିଛି । ଏସବୁ ସତ୍ତ୍ୱେ 'କଳିଙ୍ଗ', 'ଉତ୍କଳ', 'ଉଡ୍ର' ନାମକୁ ଓଡ଼ିଶାର ସମାର୍ଥବୋଧକ ପ୍ରତିଶବ୍ଦ ଭାବରେ ଲୌକିକ ସ୍ତରରେ ବ୍ୟବହାର କରାଯାଏ । ଅର୍ଥାତ୍‍ ପ୍ରାଚୀନ 'କଳିଙ୍ଗ' ବା 'ଉତ୍କଳ' ହେଉଛି ଆଧୁ‌ନିକ ଓଡ଼ିଶାର ଅନ୍ୟନାମ । ସେହିପରି 'କୋଶଳ'କୁ ମଧ୍ୟ ପଶ୍ଚିମ ଓଡ଼ିଶାର ପ୍ରାଚୀନ ନାମ ଭାବରେ ଆଞ୍ଚଳିକ ସ୍ତରରେ ବ୍ୟବହାର କରାଯାଏ ।

କେତେକ ଐତିହାସିକ 'ଓଡ଼ିଶା'କୁ 'ଓରିଟିସ୍‍' (Orites), ଉର୍ସି‌ନ (Urshin) ତଥା ଉର୍ସଫିନ (Ursfin) ଇତ୍ୟାଦି ନାମର ଅପଭ୍ରଂଶ ବୋଲି ମତ ଦେଇଥାନ୍ତି । ପ୍ରଥମ ଶତାବ୍ଦୀରେ ପ୍ରକାଶିତ ଗ୍ରୀକ୍‍ ପରିବ୍ରାଜକ ପ୍ଲିି‌ନିଙ୍କ 'ପ୍ରାକୃତିକ ଇତିହାସ' (Natural History) ପୁସ୍ତକରେ 'ଓରିଟିସ୍'କୁ ଏକ ଭାରତୀୟ ଜାତି ବୋଲି ଉଲ୍ଲେଖ କରାଯାଇଛି । ପ୍ଲି‌ନଙ୍କ ବର୍ଣ୍ଣନା ଅନୁଯାୟୀ 'ଓରିଟିସ୍‍' ଜାତିର ଲୋକେ ମେଲିଅସ (Maleus) ପାହାଡ଼ କ୍ଷେତ୍ରରେ 'ମନେଡସ୍‍' (Manedes) ଓ 'ସୁଆରିସ୍‍' (Suaris) ଜାତିର ଲୋକଙ୍କ ମଧ୍ୟରେ ଅବସ୍ଥାନ କରନ୍ତି । ଗବେଷକମାନେ 'ଓରିଟିସ୍‍'କୁ 'ଓଡ଼ିଆ', 'ମେଲିଅସ'କୁ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ମାଲ୍ୟବଣ, 'ମନେଡସ୍‍'କୁ 'ମୁଣ୍ତା' ଓ 'ସୁଆରିସ'କୁ 'ସଉରା'ର ଅପଭ୍ରଂଶ ବୋଲି ମତ ଦିଅନ୍ତି । ସଂସ୍କୃତର 'ଓଡ୍ର' ଶବ୍ଦ, ଯାହା 'ଓଡ଼ିଆ'ର ମୂଳ ବୋଲି ଅନୁମାନ କରାଯାଏ, ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ପ୍ରଚଳନକୁ ଆସିଛି, ଯଦିଓ ମହାଭାରତ ଯୁଦ୍ଧ ସମୟରେ ମଧ୍ୟ ଏହାର ପ୍ରଚଳନ ଥିଲା ବୋଲି ବିଶ୍ୱାସ କରାଯାଏ । ଉଭୟ ଗ୍ରୀକ୍‍ 'ଓରିଟିସ୍‍' ଓ ସଂସ୍କୃତ 'ଓଡ୍ର'ର ମୂଳ ଶବ୍ଦ ହେଲା 'ଓର' ବା 'ଓରୁଆ' ବୋଲି କୁହାଯାଏ । 'ଓରୁଆ'କୁ ଓଡ଼ିଆ 'ଅରୁଆ' ଶବ୍ଦରୁ ନିଆଯାଇଛି ବୋଲି ମଧ୍ୟ ଦାବି କରାଯାଏ । ଗ୍ରୀକ୍‍ରେ 'ଓରୁଜା'ର ଅର୍ଥ ଚାଉଳ ଏବଂ ଗ୍ରୀକ୍‍ ଭାଷାକୁ ଏହା ପ୍ରାଚ୍ୟରୁ ଯାଇଛି ବୋଲି ପ୍ରମାଣ ରହିଛି । ସେହି ସୂତ୍ରରେ ଗ୍ରୀକ୍‍ରେ 'ଓରିଟିସ୍‍' ବା 'ଓର' ହେଲା ଚାଉଳ ଉତ୍ପାଦନକାରୀ ବା ଭାତକୁ ମୁଖ୍ୟ ଭୋଜନ ଭାବରେ ଗ୍ରହଣ କରିଥିବା ଜାତିର ଲୋକ ସମୂହ । ଏଥିରୁ ଅନୁମାନ କରାଯାଏ ଯେ, ଓଡ଼ିଆପାଇଁ ନିର୍ଦ୍ଦିଷ୍ଟ ଭାବେ ଓରିଟିସ୍‍ ଶବ୍ଦ ବ୍ୟବହାର କରାଯାଇଛି ।   ନବମ ଓ ଦଶମ ଶତାବ୍ଦୀର ଦୁଇଜଣ ମଧ୍ୟଏସିଆର ଭୌଗୋଳିକ ଇବନ୍‍ ଖୁର୍ଦ୍ଦାଦଭି ଓ ହାଦୁଦ୍‍ ଅଲ୍‍ ଆଲାନ ଓଡ଼ିଶାକୁ 'ଉର୍ସିନ' ବା 'ଉର୍ସଫିନ' ବୋଲି ଉଲ୍ଲେଖ କରିଛନ୍ତି । ଏକାଦଶ ଶତାବ୍ଦୀରେ ଆଲବେରୁନି ତାଙ୍କ ପ୍ରସିଦ୍ଧ ପୁସ୍ତକ 'ଇଣ୍ତିଆ'ରେ ଓଡ଼ିଶାକୁ 'ଉର୍ଦ୍ଦାବିଶାଉ'(Urdavisau) ବୋଲି ଲେଖିଛନ୍ତି, ଯାହାକୁ ସଂସ୍କୃତ 'ଓଡ୍ର ବିଷୟ' ବା ଓଡ୍ର ପ୍ରଦେଶର ଅପଭ୍ରଂଶ ଭାବରେ ଗ୍ରହଣ କରାଯାଏ । ପ୍ରଥମ ଥରପାଇଁ ସ୍ପଷ୍ଟ ଶବ୍ଦରେ ଚତୁର୍ଦ୍ଦଶ ଶତାବ୍ଦୀରେ ସାମ୍‍ସଇ ସିରାଜ ଅଫିପ ନାମକ ଜଣେ ମୁସଲିମ୍‍ ଲେଖକ ଯାଜନଗର ଉଡ଼ିଶା କ୍ଷେତ୍ରର ନାମୋଲ୍ଲେଖ କରିଛନ୍ତି । ସେହି ସମୟରେ ସୀମାଚଳମର ଏକ ଶିଳାଲେଖରେ "ଓଡ୍ୟାଦେଶ' ନାମର ଉଲ୍ଲେଖ ରହିଛି । 'ଓଡିଶା', 'ଓଡ଼ିଶା ରାଷ୍ଟ୍ର', ତଥା 'ଓଡ଼ିଶା ରାଜ୍ୟ' ଆଦି ନାମର ବ୍ୟବହାର ଗଜପତି ରାଜା କପିଳେନ୍ଦ୍ରଦେବ ପଞ୍ଚଦଶ ଶତାବ୍ଦୀର ଆଦ୍ୟ ଭାଗରେ କରିଛନ୍ତି । ଏହା ପରେ ଉଭୟ ସରକାରୀ ନଥିପତ୍ରରେ ତଥା ଲୌକିକ ସ୍ତରରେ 'ଓଡ଼ିଶା' ନାମ ଲୋକପ୍ରିୟ ହୋଇଛି । ଓଡ଼ିଆ ମହାଭାରତର ରଚୟିତା ସାରଳା ଦାସ ମଧ୍ୟ ତାଙ୍କ ରଚନାରେ ଓଡ଼ିଶା ରାଷ୍ଟ୍ର ବା 'ଓଡ଼ରାଷ୍ଟ୍ର'ର ଉଲ୍ଲେଖ କରିଛନ୍ତି । ଏଥିରୁ ଗୋଟିଏ କଥା ସାବ୍ୟସ୍ତ ହୁଏ ଯେ, ଅନ୍ତତଃ ମଧ୍ୟକାଳରୁ ବା ହୋଇପାରେ ପ୍ରାଚୀନ କାଳରୁ, ଆଜି ଓଡ଼ିଶା ନାମରେ ଖ୍ୟାତ ଅଞ୍ଚଳକୁ ତଥା ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ 'ଉଡ୍ର', 'ଓର' ଆଦି ନାମରେ ଲୋକ ଜାଣୁଥିଲେ । ସମୟ କ୍ରମେ ଅର୍ଥାତ୍‍ ଆଧୁନିକ କାଳରେ ଏହି ନାମକୁ ମହତ୍ତ୍ୱ ମିଳିଲା, କାରଣ ଏହାର ମୁଖ୍ୟ ଆଧାର ହେଲା ଭାଷା- ଯାହା 'କଳିଙ୍ଗ' ବା 'ଉତ୍କଳ' ନାମରେ ନଥିଲା ।

ସାଧାରଣତଃ ଆଧୁନିକ ଓଡ଼ିଶାର ଅଧିକାଂଶ ଭାଗ ପ୍ରାଚୀନ କାଳରେ କଳିଙ୍ଗ ରାଜ୍ୟର ଅଂଶ ହୋଇ ରହିଥିଲା । ସେହି ଆଧାରରେ ଆଧୁନିକ ସମୟରେ ମଧ୍ୟ କଳିଙ୍ଗକୁ ଓଡ଼ିଶାର ଅନ୍ୟ ଏକ ନାମ ବୋଲି ବିବେଚନା କରାଯାଏ । ଏହି କାରଣରୁ ଓଡ଼ିଶାର ଐତିହାସିକ ଭୂଗୋଳକୁ ନେଇ ବିଚାର କଲାବେଳେ କଳିଙ୍ଗର ଅବତାରଣା ଅପ୍ରାସଙ୍ଗିକ ନୁହେଁ ।

ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟରେ କଳିଙ୍ଗକୁ ନେଇ ଅନେକ ଉଲ୍ଲେଖ ଦେଖିବାକୁ ମିଳେ । ମହାଭାରତରେ ଅଙ୍ଗ, ବଙ୍ଗ, କଳିଙ୍ଗ, ପୁଣ୍ତ୍ର ଓ ସୁମହର ଏକାଧିକ ସ୍ଥାନରେ ସୂଚନା ରହିଛି । 'ବନ ପର୍ବ'ରେ ଲୋମଶ ଋଷି କଳିଙ୍ଗ ରାଜ୍ୟରେ ବୈତରଣୀ ନଦୀ ପ୍ରବାହିତ ବୋଲି କହିଛନ୍ତି । ଯଦିଓ ଏହି ସୂଚନାରୁ କଳିଙ୍ଗ ରାଜ୍ୟର ମୋଟ ଆୟତନ ସମ୍ୱନ୍ଧରେ ବିଶେଷ କିଛି ଧାରଣା କରିହୁଏ ନାହିଁ, ତଥାପି ମହାଭାରତ ରଚନା ସମୟରେ କଳିଙ୍ଗ ରାଜ୍ୟ ରହିଥିଲା ବୋଲି ଧାରଣା କରିହୁଏ । ଏହାର ରାଜଧାନୀ ଥିଲା ଦନ୍ତକୁରା ବା ଦନ୍ତପୁର, ଯାହାକୁ ପ୍ଳିିନି ଦଂଡଗୁଲ ବୋଲି ନାମିତ କରିଛନ୍ତି । ଗଙ୍ଗାନଦୀର ଦକ୍ଷିଣ ଦିଗରେ ୫୭୦ ମାଇଲ ଦୂରରେ ଦନ୍ତପୁର ଅବସ୍ଥିତ ବୋଲି ବର୍ଣ୍ଣନା ରହିଛି । କଳିଙ୍ଗର ଲୋକମାନଙ୍କୁ କଳିଙ୍ଗା, ମାକୋଳିଙ୍ଗ ଓ ଗଙ୍ଗାକଳିଙ୍ଗା ଆଦି ତିନି ଭାଗରେ ବିଭକ୍ତ କରାଯାଏ । ଏଥିରୁ ଐତିହାସିକମାନେ ଅନୁମାନ କରନ୍ତି ଯେ, କଳିଙ୍ଗ ସାମ୍ରାଜ୍ୟ ପ୍ରଥମ ଶତାବ୍ଦୀ ବେଳକୁ ଉତ୍ତରରେ ଗଙ୍ଗାନଦୀର ମୁହାଣଠାରୁ ଦକ୍ଷିଣରେ ଗୋଦାବରୀ ସୀମା ଯାଏଁ ବିସ୍ତୃତ ଥିଲା ।
  ଅଶୋକଙ୍କ ଶିଳାଲେଖରେ କଳିଙ୍ଗକୁ 'ଆଟବିକ୍‍' ରାଜ୍ୟ ଓ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ 'ବିଦ୍ୟାଧର' ରାଜ୍ୟ ବୋଲି କୁହାଯାଇଛି । ଷଷ୍ଠ ଶତାବ୍ଦୀର ଲୋକ ବିଗ୍ରହଙ୍କ କଣାସ ତାମ୍ରଲେଖରେ ଏହି ଅଞ୍ଚଳକୁ ଅଷ୍ଟାଦଶ ଆଟବିକ୍‍ ରାଜ୍ୟ ବୋଲି ବର୍ଣ୍ଣନା କରାଯାଇଛି । ତାମ୍ର ଲେଖ ଅନୁଯାୟୀ ଏହି ରାଜ୍ୟ ବୁନ୍ଦେଲଖଣ୍ତ ଓ ପୂର୍ବ ସମୁଦ୍ର ଉପକୂଳର ମଧ୍ୟବର୍ତ୍ତୀ କ୍ଷେତ୍ରରେ ଅବସ୍ଥିତ ଥିଲା ।
  ହାତୀଗୁମ୍ଫା ଶିଳାଲେଖରୁ ଜଣାଯାଏ ଯେ, ମଗଧର ନନ୍ଦରାଜା ମହାପଦ୍ମନନ୍ଦ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ କଳିଙ୍ଗ ରାଜ୍ୟର ସମଗ୍ର ତଟବର୍ତ୍ତୀ ଅଞ୍ଚଳକୁ ନିଜ ଅଧିକାରଭୁକ୍ତ କରିଥିଲେ । ଶିଳାଲେଖରେ କଳିଙ୍ଗର ରାଜଧାନୀ ପିଥୁଣ୍ତ ବୋଲି କୁହାଯାଇଛି । ମନେହୁଏ, ଏହା ଏକ ବନ୍ଦର ନଗରୀ ଥିଲା, ଯାହାକୁ ନନ୍ଦରାଜା ଯୁଦ୍ଧ ବେଳେ ଧ୍ୱଂସ କରି ଜନମାନବଶୂନ୍ୟ କରି ଦେଇଥିଲେ । ଖ୍ରୀଷ୍ଟପୂର୍ବ ୨୬୧ରେ ଇତିହାସ ପ୍ରସିଦ୍ଧ 'କଳିଙ୍ଗ ଯୁଦ୍ଧ' ପରେ ଏହି ରାଜ୍ୟ ମୌର୍ଯ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ହେଲା । ସମ୍ରାଟ ଅଶୋକ ଏହାକୁ ନିଜ ସାମ୍ରାଜ୍ୟର ଏକ ପ୍ରଦେଶରେ ପରିଣତ କଲେ । ମନେହୁଏ, ପ୍ରାଶାସନିକ ସୁବିଧା ନିମନ୍ତେ ଅଶୋକ କଳିଙ୍ଗରେ ଦୁଇଟି ରାଜଧାନୀ କରିଥିଲେ । ଗୋଟିଏ ହେଲା ତୋଷାଳୀ ଏବଂ ଅନ୍ୟଟି ସମାପା ।ତୋଷାଳୀକୁ ଭୁବନେଶ୍ୱର ନିକଟବର୍ତ୍ତୀ ଶିଶୁପାଳଗଡ଼ ସହିତ ଏବଂ ସମାପାକୁ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ନିକଟସ୍ଥ ଜଉଗଡ଼ ସହିତ ଚିହ୍ନିତ କରାଯାଏ । ଏଥିରୁ ଅନୁମାନ କରାଯାଏ ଯେ, ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ କଳିଙ୍ଗ ଆଧୁନିକ ପୁରୀ, କଟକ, ଭୁବନେଶ୍ୱର ଓ ଗଞ୍ଜାମ ସୀମା ଯାଏ ପରିବ୍ୟାପ୍ତ ଥିଲା ।
  ଚତୁର୍ଥ ଶତାବ୍ଦୀରେ ଲିଖିତ ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ସ୍ତମ୍ଭାଭିଲେଖରେ କଳିଙ୍ଗର କୌଣସି ଉଲ୍ଲେଖ ଦେଖିବାକୁ ମିଳେ ନାହିଁ । ବୋଧହୁଏ ସମସାମୟିକ ମାଠର ରାଜତ୍ୱ ବେଳକୁ କଳିଙ୍ଗ ଅନେକ ଗୁଡ଼ିଏ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇସାରିଥିଲା । ସ୍ତମ୍ଭାଭିଲେଖରେ ନାମ ଉଲ୍ଲିଖିତ ହେବା ଭଳି ମହତ୍ତ୍ୱ ତା'ର ଆଉ ରହିନଥିଲା । ମାଠରମାନଙ୍କ ପରେ ଷଷ୍ଠ ଶତାବ୍ଦୀର ଆରମ୍ଭ ବେଳକୁ ପୂର୍ବ ଗଙ୍ଗମାନେ କଳିଙ୍ଗ ଅଞ୍ଚଳକୁ ଅଧିକାର କଲେ । ଏହି ସମୟରେ କଳିଙ୍ଗର ସୀମା ଆହୁରି ସଂକୀର୍ଣ୍ଣ ହୋଇ ପଡିଲା । ଆଧୁନିକ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପର୍ଯ୍ୟନ୍ତ ଏହାର କ୍ଷେତ୍ର ସୀମିତ ରହିଥିଲା । ଏହାର ରାଜଧାନୀର ନାମ ଥିଲା କଳିଙ୍ଗନଗର, ଯାହାକୁ ଶ୍ରୀକାକୁଲମ୍‍ ନିକଟସ୍ଥ ମୁଖଲିଙ୍ଗମ୍‍ ସହିତ ଚିହ୍ନିତ କରାଯାଏ । ଏମିତିରେ କଳିଙ୍ଗାଧିପତି ନାମରେ ପରିଚିତ ଖାରବେଳ (ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ବା ପ୍ରଥମ ଶତାବ୍ଦୀ) ମଧ୍ୟ ତାଙ୍କ ରାଜଧାନୀକୁ 'କଳିଙ୍ଗନଗର' ବୋଲି ଉଲ୍ଲେଖ କରିଛନ୍ତି । ଖାରବେଳଙ୍କ କଳିଙ୍ଗନଗରକୁ ଆଧୁନିକ ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ ସହ ଚିହ୍ନିତ କରାଯାଏ ।   ସପ୍ତମ ଶତାବ୍ଦୀରେ ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂ କଳିଙ୍ଗ ଭ୍ରମଣ କରିଥିବାର ପ୍ରମାଣ ରହିଛି । ତାଙ୍କ ବର୍ଣ୍ଣନା ଅନୁଯାୟୀ, କଙ୍ଗୋଦର ଦକ୍ଷିଣ ପଶ୍ଚିମ ଦିଗରେ ପ୍ରାୟ ୧୪୦୦ରୁ ୧୫୦୦ ମାଇଲ ଦୂରରେ କଳିଙ୍ଗ ରାଜ୍ୟ ଅବସ୍ଥିତ । ସେତେବେଳେ କଳିଙ୍ଗର କ୍ଷେତ୍ରଫଳ ଥିଲା ପ୍ରାୟ ୫୦୦ବର୍ଗମାଇଲ । ପୁରୀ, ଗଞ୍ଜାମର ଉତ୍ତରାଞ୍ଚଳ ଓ ଆଧୁନିକ ବୌଦ୍ଧ ଜିଲ୍ଲାକୁ ମିଶାଇ କଳିଙ୍ଗ ରାଜ୍ୟ ଗଠିତ ହୋଇଥିଲା ।

ପରବର୍ତ୍ତୀ ସମୟରେ ଗଙ୍ଗସାମ୍ରାଜ୍ୟର ଖୁବ୍‍ ବିସ୍ତୃତି ଘଟିଥିଲା । ଦ୍ୱାଦଶ ଶତାବ୍ଦୀର ଆରମ୍ଭରେ ଚୋଡ଼ଗଙ୍ଗଦେବ (୧୧୧୦ରେ) କଳିଙ୍ଗକୁ ଅଧିକାର କରି ନିଜ ସାମ୍ରାଜ୍ୟଭୁକ୍ତ କଲେ । ତେଣିକି କଳିଙ୍ଗ ଦଣ୍ତପାଟ ନାମରେ ଏହା ଗଙ୍ଗସାମ୍ରାଜ୍ୟର ଏକ କେନ୍ଦ୍ର ରାଜ୍ୟ ରୂପେ ପରିଚୟ ପାଇଲା । ଚୋଡ଼ଗଙ୍ଗ ଦେବ ନିଜ ସାମ୍ରାଜ୍ୟର ସୀମାକୁ ଉତ୍ତରରେ ହୁଗୁଳି ନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତାରିତ କରିବାରେ ସକ୍ଷମ ହୋଇଥିଲେ । ତାଙ୍କ ସମୟରେ କଳିଙ୍ଗନଗର ବଦଳରେ କଟକ ନଗରୀ ରାଜ୍ୟର ରାଜଧାନୀ ହେଲା । ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ନରପତିମାନଙ୍କ ଅମଳରେ ମଧ୍ୟ କଳିଙ୍ଗକୁ ଏକ ରାଜ୍ୟ ବା ପ୍ରଦେଶର ମାନ୍ୟତା ଦିଆଯାଇଥିଲା । ଅନ୍ୟ ଶବ୍ଦରେ କହିଲେ, କାଳକ୍ରମେ ମୋଟାମୋଟି ଓଡ଼ିଶା କ୍ଷେତ୍ରକୁ ନେଇ ଯେଉଁ ବିଶାଳ ରାଜ୍ୟ ବା ସାମ୍ରାଜ୍ୟର ଭିତ୍ତି ପଡ଼ିଲା, ତା'ର ଏକ ସଂଭାଗ ମାତ୍ର ହେଲା କଳିଙ୍ଗ । ମୋଟ ଓଡ଼ିଶା କ୍ଷେତ୍ରଠାରୁ ଯଥେଷ୍ଟ କମ୍‍ ଥିଲା ଏହାର ଆୟତନ ।

କଳିଙ୍ଗପରି 'ଉତ୍କଳ'କୁ ମଧ୍ୟ ଆଧୁନିକ ଓଡ଼ିଶାର ଅନ୍ୟ ଏକ ନାମ ଭାବରେ ସାଧାରଣତଃ ନିଆଯାଇଥାଏ । ଯଦି ଇତିହାସରୁ ଦେଖାଯାଏ, ସର୍ବପ୍ରଥମେ ମହାଭାରତରେ ଓଡ୍ର, ମେକଳ, କଳିଙ୍ଗ ଓ ଆନ୍ଧ୍ର ସହିତ 'ଉତ୍କଳ'ର ନାମୋଲ୍ଲେଖ କରାଯାଇଥିଲା । ଗୌତମବୁଦ୍ଧଙ୍କ ପରବର୍ତ୍ତୀ ସମୟରେ ରଚିତ ବିନୟ ପିଟକ ଓ ଜାତକ ଗଳ୍ପରେ ତପସ୍‍ସୁ ଓ ଭଲ୍ଲିକ ନାମକ ଦୁଇଜଣ ବୈଶ୍ୟ ଉତ୍କଳ ଜନପଦରୁ ବାଣିଜ୍ୟ କାରବାରପାଇଁ ଯାଇଥିବା କଥା ଉଲ୍ଲେଖ ରହିଛି । ଦଶମ ଶତାବ୍ଦୀରେ ପାଳବଂଶର ରାମପାଳଙ୍କ ସମୟରେ ତଥା ପରେ ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶର ଚୋଡ଼ଗଙ୍ଗ ଦେବଙ୍କ ସମୟରେ 'ଉତ୍କଳ'ର ଉଲ୍ଲେଖ ଏକ ବିଶାଳ ସାମ୍ରାଜ୍ୟ ଭାବରେ ହେବାକୁ ଲାଗିଲା । ଆଜି ଯାହା ପ୍ରାକୃତିକ ଓଡ଼ିଶା ବୋଲି ପରିଚୟ ପାଏ, ମୋଟାମୋଟି ଭାବେ ସେହି ସମଗ୍ର ଅଞ୍ଚଳକୁ 'ଉତ୍କଳ' କୁହାଗଲା ।

ଅଷ୍ଟମ ଓ ନବମ ଶତାବ୍ଦୀରେ ଉତ୍ତର ଓ ଦକ୍ଷିଣ ତୋଷାଳୀରେ ଭୌମକର ବଂଶର ରାଜତ୍ୱ ରହିଥିଲା । ଏହି ଶାସକମାନେ ନିଜକୁ 'ଉତ୍କଳକୁଳ' ତଥା 'ଉତ୍କଳେନ୍ଦ୍ର' ରୂପେ ପରିଚୟ ଦେଉଥିଲେ । ଐତିହାସିକମାନଙ୍କର ଅନୁମାନ ଯେ, ସୋମବଂଶୀ ରାଜାମାନଙ୍କ ହାତରେ ପରାଜିତ ହୋଇ ଭୌମକର ଶାସକ ଉତ୍କଳରୁ କର୍ତ୍ତୃତ୍ୱ ହରାଇଥିଲେ ଏବଂ 'ଉତ୍କଳକୁଳ' ତଥା 'ଉତ୍କଳେନ୍ଦ୍ର' ରୂପେ ପରିଚୟ ଦେଇ ସେହି ସ୍ମୃତିକୁ ସତେଜ କରିବାକୁ ପ୍ରୟାସ କରିଥିଲେ । ଏହି ଦୃଷ୍ଟିରୁ ଦେଖିଲେ ଅଷ୍ଟମ-ନବମ ଶତାବ୍ଦୀ ବେଳକୁ ଉତ୍କଳ ଏକ ପ୍ରସିଦ୍ଧ ଓ ଗୌରବଶାଳୀ ରାଜ୍ୟର ନାମ ଭାବରେ ପରିଚୟ ପାଇଥିଲା । ଉତ୍କଳ ବଂଶର ବୋଲି ନିଜକୁ କହି ରାଜାମାନେ ମଧ୍ୟ ଗୌରବାନ୍ୱିତ ହେଉଥିଲେ ।   ଗଙ୍ଗରାଜବଂଶର ପତନ ପରେ ପଞ୍ଚଦଶ ଶତାବ୍ଦୀରେ ଯେତବେଳେ ସୂର୍ଯ୍ୟବଂଶୀ ଗଜପତି ଶାସକଙ୍କର ଉତ୍‍ଥାନ ହେଲା, ସେତେବେଳେ ଓଡ୍ର ଦେଶର ଉଲ୍ଲେଖ ଦେଖିବାକୁ ମିଳିଲା । ଗଜପତି ରାଜ୍ୟ ଅର୍ଥାତ୍‍ ଓଡ୍ର ଦେଶ । କଳିଙ୍ଗ ଓ ଉତ୍କଳ ଭଳି ସାହିତ୍ୟ ଓ ଅଭିଲେଖମାନଙ୍କରେ ମଧ୍ୟ ଓଡ୍ର ନାମକୁ ମାନ୍ୟତା ମିଳିଲା । କେତେକ ଗବେଷକଙ୍କ ମତରେ ଉତ୍କଳର ଅନ୍ୟ ନାମ ହେଲା ଓଡ୍ର । ମାତ୍ର ଅନ୍ୟ କେତେକ ଗବେଷକ ଓଡ୍ର ଓ ଉତ୍କଳ ଦୁଇଟି ଭିନ୍ନ ଭିନ୍ନ ରାଜ୍ୟ ବୋଲି ଯୁକ୍ତି କରିଥାନ୍ତି । ବିଭିନ୍ନ ରାଜାଙ୍କ ସମୟରେ ରାଜ୍ୟର ସୀମା ବିଶେଷ କରି ଯୁଦ୍ଧଯୋଗୁଁ ବାରମ୍ୱାର ପରିବର୍ତ୍ତିିତ ହେଉଥିବାରୁ ଓଡ୍ର ରାଜ୍ୟର ଏକ ନିର୍ଦ୍ଦିଷ୍ଟ ସୀମା ନିଶ୍ଚିତ କରିବା ସହଜ ନୁହେଁ । ମହାଭାରତରେ ଓଡ୍ରର ନାମୋଲ୍ଲେଖ ରହିଛି, ମାତ୍ର ରାଜ୍ୟର ଅବସ୍ଥିତିକୁ ନେଇ ନିର୍ଦ୍ଦିଷ୍ଟ ସୂଚନା ନାହିଁ । 'ବାୟୁପୁରାଣ' ଅନୁଯାୟୀ 'ପୁରୁଷୋତ୍ତମ କ୍ଷେତ୍ର', 'ଅର୍କକ୍ଷେତ୍ର' ଓ 'ବିରଜାକ୍ଷେତ୍ର' ହେଲେ ଓଡ୍ର ରାଜ୍ୟର ତିନୋଟି ପ୍ରମୁଖ ପୁଣ୍ୟ ସ୍ଥଳୀ । ସପ୍ତମ ଶତାବ୍ଦୀରେ ହୁଏନ୍‍ସାଂ ତାଙ୍କ ଭ୍ରମଣ ବୃତ୍ତାନ୍ତରେ ଓଡ୍ରର ଅବସ୍ଥିତି ସମ୍ପର୍କରେ ଯେଉଁ ସୂଚନା ଦେଇଛନ୍ତି, ତାକୁ ଆଧାର କରି ଗବେଷକମାନେ ରାଜ୍ୟର ସୀମା ନିର୍ଦ୍ଧାରଣ କରିଛନ୍ତି । ତାହା ଅନୁଯାୟୀ, ମହାନଦୀ ଉପତ୍ୟକା, ସୁବର୍ଣ୍ଣରେଖା ନଦୀର ନିମ୍ନ ଭାଗ, କଟକ ଜିଲ୍ଲା, ସମ୍ୱଲପୁର ଏବଂ ଆଧୁନିକ ବଙ୍ଗର ମେଦିିନିପୁର ଓଡ୍ର ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ରାଜ୍ୟର ପଶ୍ଚିମ ସୀମାରେ ଗଣ୍ତଓ୍ୱାନା, ଉତ୍ତରରେ ଯଶପୁର ଓ ସିଂହଭୂମର ପାର୍ବତ୍ୟାଞ୍ଚଳ ଏବଂ ଦକ୍ଷିଣରେ ଗଞ୍ଜାମ ଅବସ୍ଥିତ ବୋଲି ଅନୁମାନ କରାଯାଏ । ଏଥିରୁ ମନେହୁଏ ଯେ, କୋଶଳ ଓ ଉତ୍କଳ ପରି ଓଡ୍ରର ନାମୋଲ୍ଲେଖ ମଧ୍ୟ ପ୍ରାଚୀନ କାଳରୁ ରହି ଆସିଛି । ଦ୍ୱିତୀୟତଃ ଆଧୁନିକ ଓଡ଼ିଶା ନାମ ହିଁ ସିଧା ଓଡ୍ର ନାମର ଅପଭ୍ରଂଶ । ଉଭୟ ଓଡ୍ର ଓ ଓଡ଼ିଶା ନାମ ସେହି କ୍ଷେତ୍ରରେ ବାସକରୁଥିବା ଲୋକସମୂହର ପ୍ରତିନିଧିତ୍ୱ କରେ । ମଧ୍ୟଯୁଗରେ ଯେତେବେଳେ ଆଞ୍ଚଳିକ ଭାଷାଗୁଡ଼ିକର ବିକାଶ ହେଲା, ସେତେବେଳେ ଏହି କ୍ଷେତ୍ରର ଭାଷା-ସାହିତ୍ୟ 'ଓଡିଶା' ବୋଲି ପରିଚିତି ପାଇଲା । ଓଡିଶା ଏକ କ୍ଷେତ୍ର ବିଶେଷର ନାମ ଭାବରେ ଉକ୍ତ କ୍ଷେତ୍ରର ଭାଷା-ସଂସ୍କୃତି ଓ ଲୋକସମୂହର ପ୍ରତିିନିଧିତ୍ୱ କରିବାର ସାମର୍ଥ୍ୟ ରଖିଲା । ତେଣୁ କାଳକ୍ରମେ ଏହା ଅନ୍ୟ ନାମଗୁଡ଼ିକ ତୁଳନାରେ କେବଳ ଜନସ୍ୱୀକୃତି ନୁହେଁ, ଅଧିକ ଶାସକୀୟ ମହତ୍ତ୍ୱ ମଧ୍ୟ ଲାଭ କଲା ।

ଉତ୍କଳ ଓ ଓଡ୍ର ବ୍ୟତୀତ ଆଧୁନିକ ଓଡ଼ିଶା କ୍ଷେତ୍ରରେ ଅତୀତରେ ତ୍ରିକଳିଙ୍ଗ, ତୋଷାଳୀ ଓ କୋଶଳ ଆଦି ରାଜ୍ୟମାନ ମଧ୍ୟ ରହିଥିଲେ । ମାତ୍ର ଏହି ରାଜ୍ୟଗୁଡ଼ିକର ଆୟତନ ଅତ୍ୟନ୍ତ କ୍ଷୁଦ୍ର ଥିବାରୁ ଆଧୁନିକ ଓଡ଼ିଶାର ଅନ୍ୟ ନାମ ଭାବରେ ସେଗୁଡ଼ିକୁ ଗ୍ରହଣ କରାଯାଏ ନାହିଁ । କୋଶଳ, ଉତ୍କଳ ଓ ଓଡ୍ର ନାମ ଯଦି ଓଡ଼ିଶାର ବିଶାଳତାକୁ ଦର୍ଶାନ୍ତି, ଶେଷୋକ୍ତ ନାମଗୁଡ଼ିକ ଅନ୍ତତଃ ଆୟତନ ଦୃଷ୍ଟିରୁ ପ୍ରଦେଶର କ୍ଷୁଦ୍ରତା ବା କ୍ରମ- ସଂକୀର୍ଣ୍ଣତାକୁ ଇଙ୍ଗିତ କରନ୍ତି । ଏହି କାରଣରୁ ସାଂପ୍ରତିକ ଯୁଗରେ ଏହି ନାମଗୁଡିକ ଅତିବେଶି ହେଲେ ଓଡ଼ିଶାର ଅଂଶବିଶେଷ ହୋଇ ପାରନ୍ତି, ମାତ୍ର ପ୍ରଦେଶର ପୂର୍ଣ୍ଣରୂପ ଭାବେ ଗ୍ରହଣୀୟ ହେବେ ନାହିଁ । ତେଣୁ ଓଡ଼ିଶାର ଐତିହାସିକ ପରିସୀମା ନିର୍ଦ୍ଧାରଣ କଲାବେଳେ ତ୍ରିକଳିଙ୍ଗ, ତୋଷାଳୀ, ଦକ୍ଷିଣ କୋଶଳ, କୋଶଳ ଆଦି ନାମ ଅପେକ୍ଷା 'ଓଡ୍ର', 'ଉତ୍କଳ' ଓ 'କଳିଙ୍ଗ' ନାମର ଯେ ଅଧିକ ମହତ୍ତ୍ୱ ରହିବ- ଏଥିରେ ସନ୍ଦେହ ନାହିଁ ।

...

ମଗଧ ଓ କଳିଙ୍ଗ

  ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ପୂର୍ବରୁ ଓଡ଼ିଶାର କୌଣସି କାଳାନୁକ୍ରମିକ ଲିଖିତ ଇତିହାସ (Dated History) ଏ ପର୍ଯ୍ୟନ୍ତ ମିଳିନାହିଁ । କଳିଙ୍ଗକୁ ଯେହେତୁ ଓଡ଼ିଶାର ପୂର୍ବ ନାମ ଭାବରେ ଗ୍ରହଣ କରାଯାଏ, ଖ୍ରୀଷ୍ଟପୂର୍ବ ୨୬୧ରେ ସଂଘଟିତ କଳିଙ୍ଗଯୁଦ୍ଧ ସମୟରୁ ଓଡ଼ିଶାର ଇତିହାସକୁ କାଳର କ୍ରମ ଅନୁସାରେ ବର୍ଣ୍ଣନା କରିହୁଏ । ମଗଧର ସମ୍ରାଟ ଅଶୋକ ଏହି ସମୟରେ କଳିଙ୍ଗ ଆକ୍ରମଣ କରି ତାକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ । ଯୁଦ୍ଧ ପରେ ଅଶୋକ ଯେଉଁ ଅନୁଶାସନଗୁଡ଼ିକ ଲିପିବଦ୍ଧ କରି ଯାଇଥିଲେ, ତାକୁ ଆଧାର କରି ତତ୍‍କାଳୀନ ଓଡ଼ିଶା ବା କଳିଙ୍ଗର ଇତିହାସ ରଚନା କରାଯାଏ । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଖାରବେଳଙ୍କ ସମୟରେ ଲିଖିତ ହାତୀଗୁମ୍ଫା ଶିଳାଲେଖରୁ ଜଣାଯାଏ ଯେ, ଅଶୋକଙ୍କ ପୂର୍ବରୁ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ହିଁ କଳିଙ୍ଗ ସହ ମଗଧର ଯୁଦ୍ଧ ମାଧ୍ୟମରେ ସମ୍ୱନ୍ଧ ସ୍ଥାପିତ ହୋଇସାରିଥିଲା । ଖ୍ରୀଷ୍ଟପୂର୍ବ ୩୬୭ରୁ ୩୨୪ ମଧ୍ୟରେ ମଗଧରେ ନନ୍ଦବଂଶର ଶାସନ ଥିଲା ଏବଂ ଏହି ବଂଶର ମହାପଦ୍ମନନ୍ଦ ନାମରେ ଜଣେ ଶାସକ କଳିଙ୍ଗ ବିଜୟ କରିଥିଲେ । ଅଭିଲେଖ ଅନୁଯାୟୀ ସେ ଯୁଦ୍ଧ ଜୟ ପରେ କଳିଙ୍ଗରୁ ନେଇ ଯାଇଥିବା ଜୀନ ପ୍ରତିମାକୁ ଖାରବେଳ ପୁନରୁଦ୍ଧାର କରିଥିଲେ । ଶିଳାଲେଖରେ ଏକଥା ମଧ୍ୟ ଉଲ୍ଲେଖ ଅଛି ଯେ, ନନ୍ଦରାଜା କଳିଙ୍ଗରେ ଏକ କେନାଲ୍‍ ଖୋଦନ କରିଥିଲେ, ଯାହାକୁ ଖାରବେଳ ନିଜ ରାଜତ୍ୱ କାଳରେ ସଂପ୍ରସାରିତ କରିଥିଲେ । ଏହି ଅଭିଲେଖର ତଥ୍ୟ ଆଧାରରେ ଯୁକ୍ତି କରିହେବ ଯେ ନନ୍ଦ ରାଜା କଳିଙ୍ଗ ବିଜୟ ପରେ କୃଷିର ଉନ୍ନତି ପ୍ରତି ଦୃଷ୍ଟି ଦେଇଥିଲେ । ଅଶୋକଙ୍କ ପୂର୍ବରୁ ମଧ୍ୟ ଥରେ କଳିଙ୍ଗରାଜ୍ୟ ମଗଧର କର୍ତ୍ତୃତ୍ୱାଧୀନ ହୋଇଥିବା କଥା ହାତୀଗୁମ୍ଫା ଶିଳାଲେଖ ବ୍ୟତୀତ ଅନ୍ୟ କୌଣସି ଐତିହାସିକ ଦସ୍ତାବିଜରେ ନାହିଁ । ତେଣୁ କେତେକ ଐତିହାସିକ (ଯଥା - ବି.ଏମ୍‍.ବରୁଆ) ହାତୀଗୁମ୍ଫା ଶିଳାଲେଖବର୍ଣ୍ଣିିତ ନନ୍ଦରାଜାଙ୍କୁ ସମ୍ରାଟ ଅଶୋକ ବୋଲି ଚିହ୍ନିତ କରନ୍ତି । ମାତ୍ର ଅନ୍ୟ କେତେକ ଐତିହାସିକ (ଯଥା- ନବୀନ କୁମାର ସାହୁ) ଯୁକ୍ତି ବାଢ଼ନ୍ତି ଯେ ଅଶୋକଙ୍କ ପୂର୍ବରୁ ନନ୍ଦ ଶାସନ ସମୟରେ କଳିଙ୍ଗ ଥରେ ମଗଧର କର୍ତ୍ତୃତ୍ୱାଧୀନ ହୋଇଥିଲା । କଳିଙ୍ଗଯୁଦ୍ଧ ପରେ ଅଶୋକ ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହେଲେ ଏବଂ ଯୁଦ୍ଧ, ଲୁଣ୍ଠନ ଆଦିରୁ ଦୂରେଇ ରହିଲେ । ତେଣୁ, କଳିଙ୍ଗରୁ ସେ ଜୀନ ମୂର୍ତ୍ତି ଲୁଣ୍ଠନ କରିବା କଥା ଗ୍ରହଣଯୋଗ୍ୟ ମନେହୁଏ ନାହିଁ । ଅନ୍ୟ ପକ୍ଷରେ ଅଶୋକଙ୍କ ପୂର୍ବକାଳୀନ ନନ୍ଦ ବଂଶର ଶାସକମାନେ ଜୈନ ଧର୍ମାବଲମ୍ୱୀ ଥିଲେ ବୋଲି ପ୍ରମାଣ ରହିଛି । ତେଣୁ, ନନ୍ଦ ରାଜାଙ୍କଦ୍ୱାରା ଜୀନ ମୂର୍ତ୍ତି କଳିଙ୍ଗରୁ ଲୁଣ୍ଠିତ ହେବା କଥା ଅସଂଭବ ପ୍ରତୀତ ହୁଏ ନାହିଁ । ନିଜେ ଖାରବେଳ ଯେହେତୁ ଜୈନଧର୍ମ ପ୍ରତି ଆକୃଷ୍ଟ ଥିଲେ, ସେହି ଲୁଣ୍ଠିତ ଜୀନ ମୂର୍ତ୍ତିକୁ ଫେରାଇ ଆଣିବା କଥା ଯୁକ୍ତିିନିଷ୍ଠ ଲାଗେ । ସେ ଯାହାହେଉ, କଳିଙ୍ଗରେ ନନ୍ଦଶାସନ ସମ୍ୱନ୍ଧରେ ଅନ୍ୟ କୌଣସି ଐତିହାସିକ ତଥ୍ୟ ନାହିଁ । ତେଣୁ, ତା'ର ମହତ୍ତ୍ୱକୁ ନେଇ ବିଶେଷ ଆଲୋଚନାର କୌଣସି ଅବସର ନଥିବା ମନେହୁଏ । ଯଦିବା ନନ୍ଦରାଜା କଳିଙ୍ଗ ଅଧିକାର କରିଥିଲେ, ତା'ର ଅବଧି ବିଶେଷ ନଥିଲା ଏବଂ ଅଶୋକଙ୍କ ରାଜତ୍ୱ ଆରମ୍ଭ ହେବା ବେଳକୁ କଳିଙ୍ଗ ରାଜ୍ୟ ମଗଧ କର୍ତ୍ତୃତ୍ୱରୁ ସ୍ୱାଧୀନ ହୋଇ ସାରିଥିଲା । ଅନ୍ୟଥା, ଅଶୋକଙ୍କ ସମୟରେ କଳିଙ୍ଗ ଆକ୍ରମଣର ଆବଶ୍ୟକତା ପଡ଼ି ନଥାନ୍ତା ।   ସିଂହାସନ ଆରୋହଣ କରିବାର ଅଷ୍ଟମ ବର୍ଷରେ ଅର୍ଥାତ୍‍ ଖ୍ରୀଷ୍ଟପୂର୍ବ ୨୬୧ରେ ଅଶୋକ କଳିଙ୍ଗ ଆକ୍ରମଣ କଲେ । ସେତେବେଳେ ରାଜାମାନଙ୍କର ରାଜ୍ୟଜୟ କରିବା ଏକ ପ୍ରମୁଖ କାର୍ଯ୍ୟ ଥିଲା । ଏହା ସେମାନଙ୍କପାଇଁ ଗୌରବ ଆଣିବା ସହିତ ଏକକାଳୀନ ଧନସମ୍ପତ୍ତି ପାଇବାରେ ମଧ୍ୟ ସାହାଯ୍ୟ କରୁଥିଲା । ପ୍ରାୟ କ୍ଷେତ୍ରରେ ବିଜିତ ରାଜ୍ୟର ରାଜା ବିଜୟୀ ରାଜ୍ୟର ବଶ୍ୟତା ସ୍ୱୀକାର କରି ଏବଂ ଏକକାଳୀନ ମୂଲ୍ୟବାନ ଭେଟି, ଉପହାର ଓ କର ଆଦି ପ୍ରଦାନ କରି ପୁନର୍ବାର ରାଜ୍ୟ ଶାସନ କରୁଥିଲେ । ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସମୟରୁ ମୌର୍ଯ୍ୟ ସେନା ଖୁବ୍‍ ବିଶାଳ ଥିଲା । ପ୍ଳିନିଙ୍କ ମତାନୁସାରେ ଚନ୍ଦ୍ରଗୁପ୍ତଙ୍କ ସେନାବାହିନୀରେ ଛଅ ଲକ୍ଷ ପଦାତିକ ସୈନ୍ୟ, ତିରିଶ ହଜାର ଅଶ୍ୱାରୋହୀ ଓ ତିନି ହଜାର ହସ୍ତୀ ରହିଥିଲେ । ଏତେ ବିଶାଳ ସେନାକୁ ବିନିଯୋଗ କରିବା ସକାଶେ ତଥା ସେନାର ଖର୍ଚ୍ଚ ଭରଣା କରିବାଲାଗି ମୌର୍ଯ୍ୟ ସମ୍ରାଟଙ୍କ ପାଇଁ ଯୁଦ୍ଧ ଓ ରାଜ୍ୟ ଜୟ ଅବଶ୍ୟମ୍ଭାବୀ ହୋଇପଡ଼ିଥିଲା । ଦ୍ୱିତୀୟତଃ, ମୌର୍ଯ୍ୟ ଶାସନ ତା'ର ବ୍ୟାପକ ପ୍ରାଶାସନିକ ବ୍ୟବସ୍ଥାପାଇଁ ମଧ୍ୟ ପ୍ରସିଦ୍ଧ ଥିଲା । ଅନେକ ସଂଖ୍ୟକ କର୍ମଚାରୀଙ୍କ ଖର୍ଚ୍ଚ ଭରଣା ସକାଶେ ଅର୍ଥର ନିରନ୍ତର ଆବଶ୍ୟକତା ରହୁଥିଲା । ଅର୍ଥାତ୍‍ ରାଜ୍ୟଜୟ ଜରୁରି ହୋଇଥିଲା । ସେତେବେଳକୁ ଭାରତର ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଗଧ ସାମ୍ରାଜ୍ୟରେ ସାମିଲ ହୋଇ ସାରିଥିବା ବେଳେ କଳିଙ୍ଗ ସ୍ୱାଧୀନ ରହିବା ସମ୍ରାଟ ଅଶୋକଙ୍କପାଇଁ ଅସହ୍ୟ ହେବା ସ୍ୱାଭାବିକ । ଏତଦ୍‍ବ୍ୟତୀତ ସମୁଦ୍ର ପଥରେ ବାଣିଜ୍ୟ ସକାଶେ ଆବଶ୍ୟକ ଅନେକ ପୋତାଶ୍ରୟ କଳିଙ୍ଗର ଅଧିକାରରେ ଥିଲା, ଯାହା ମଗଧପାଇଁ ଈର୍ଷାର କାରଣ ହେଲା । ମନେହୁଏ, ସ୍ଥଳ ପଥରେ ଉତ୍ତର ଭାରତ ଓ ଦକ୍ଷିଣ ଭାରତ ମଧ୍ୟରେ କଳିଙ୍ଗର ଅବସ୍ଥିତି ମଧ୍ୟ କଳିଙ୍ଗ ଯୁଦ୍ଧର ଅନ୍ୟ ଏକ ପ୍ରମୁଖ କାରଣ ଥିଲା । କଳିଙ୍ଗ ଅଧିକାର କଲେ ମଗଧରୁ ଦକ୍ଷିଣ ଭାରତ ସହିତ ଅବାଧରେ ବାଣିଜ୍ୟ କାରବାରର ସମ୍ଭାବନା ରହିଥିଲା ।   ଅଶୋକଙ୍କ କଳିଙ୍ଗ ଆକ୍ରମଣକୁ ନେଇ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଧୀବରକୁଳ ମଧ୍ୟରେ ଏକ କିମ୍ୱଦନ୍ତୀ ପ୍ରଚଳିତ ଅଛି । କିମ୍ୱଦନ୍ତୀ ଅନୁଯାୟୀ ଅଶୋକ ଜଣେ ଧୀବର କନ୍ୟା କାରୁବାକୀକୁ ବିବାହ କରିବାକୁ ଚାହୁଁଥିଲେ; ମାତ୍ର କଳିଙ୍ଗର ରାଜକୁମାରଙ୍କ ସହିତ କାରୁବାକୀଙ୍କ ବିବାହ ହେବାରୁ କଳିଙ୍ଗ ଓ ମଗଧ ମଧ୍ୟରେ ଶତ୍ରୁତା ଜନ୍ମିଲା, ଯାହାର ପରିଣତି ହେଲା କଳିଙ୍ଗ ଯୁଦ୍ଧ । କିନ୍ତୁ ବ୍ୟାପକ ଅର୍ଥନୈତିକ ଓ ସାମାଜିକ କାରଣ ବିନା ଏତେ ବିଶାଳ ସୈନ୍ୟବାହିନୀ ନେଇ କୌଣସି ରାଜା ଯୁଦ୍ଧ ଡାକରା ଦେଇ ନପାରନ୍ତି । ଯୁଦ୍ଧ ପରେ ହୁଏତ ସେତେବେଳର ପରମ୍ପରା ଅନୁଯାୟୀ ରାଜା କଳିଙ୍ଗରୁ କାରୁବାକୀଙ୍କୁ ନେଇ ବିବାହ କରିଥାଇ ପାରନ୍ତି । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ କାରୁବାକୀ କିମ୍ୱଦନ୍ତୀ ଅଶୋକଙ୍କ ବହୁତ ପରେ ଆରମ୍ଭ ହୋଇଛି ଏବଂ ଏହାର ସତ୍ୟାସତ୍ୟକୁ ନେଇ ସନ୍ଦେହ କରିବାର ଯଥେଷ୍ଟ ଅବକାଶ ରହିଛି । ଅନେକ ସମୟରେ ଜାତିର ଗୌରବ ବୃଦ୍ଧି ଆଶାରେ କିମ୍ୱଦନ୍ତୀମାନ ସୃଷ୍ଟି ହୋଇଥାଏ । ଏ କ୍ଷେତ୍ରରେ ମଧ୍ୟ ବିଶାଳ ମଗଧ ରାଜପରିବାର ଓ ମହାନ ସମ୍ରାଟ ଅଶୋକଙ୍କ ସହ ଧୀବରକୁଳର ବୈବାହିକ ବନ୍ଧନ ସ୍ଥାପନ କରି କିମ୍ୱଦନ୍ତୀଟି ସେଭଳି ଏକ ଉଦ୍ଦେଶ୍ୟ ପୂରଣ କରୁଛି ବୋଲି ମନେ କରିବା ଅସ୍ୱାଭାବିକ ନୁହେଁ ।

ଅଶୋକଙ୍କ ତ୍ରୟୋଦଶ ଅନୁଶାସନରେ କଳିଙ୍ଗ ଯୁଦ୍ଧର ପରିଣତି ସମ୍ୱନ୍ଧରେ ଉଲ୍ଲେଖ ରହିଛି । ଏହା ଅନୁଯାୟୀ, ଯୁଦ୍ଧରେ ଏକଲକ୍ଷ କଳିଙ୍ଗ ଲୋକଙ୍କର ମୃତ୍ୟୁ ହେଲା ଓ ଦେଢ଼ ଲକ୍ଷ ଲୋକଙ୍କୁ ଆହତ ଅବସ୍ଥାରେ ଯୁଦ୍ଧ ବନ୍ଦୀ ରୂପେ ନିଆଗଲା । ଏହି ସଂଖ୍ୟାରେ ଅନେକ ଅତିରଞ୍ଜନ ରହିଛି ବୋଲି କେତେକ ଐତିହାସିକ କହିଥାନ୍ତି । ଯୁଦ୍ଧରେ ବହୁ ସଂଖ୍ୟାରେ ଲୋକଙ୍କର ହତାହତ ହେବା ହୁଏତ ସତ୍ୟ, ମାତ୍ର ମୃତାହତଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟ କରି ଲକ୍ଷେ ଓ ଦେଢ଼ ଲକ୍ଷ ବୋଲି କହିବା ଅତିରଞ୍ଜନ ମନେହୁଏ । ଏକ ରୂଢ଼ି ଭାବରେ ଅନୁଶାସନରେ ହୁଏତ 'ଲକ୍ଷ' ଶବ୍ଦକୁ ବ୍ୟବହାର କରାଯାଇଛି ।

ଏକଥା ଅନସ୍ୱୀକାର୍ଯ୍ୟ ଯେ କଳିଙ୍ଗ ଯୁଦ୍ଧର ଭୟାବହତା ଅଶୋକଙ୍କୁ ଚଣ୍ତାଶୋକରୁ ଧର୍ମାଶୋକରେ ପରିଣତ କଲା । ଏଣିକି ରଣଭେରୀ ବଦଳରେ ଅଶୋକଙ୍କ ନେତୃତ୍ୱରେ ଧର୍ମଭେରୀ ବାଜିଲା । ଯୁଦ୍ଧ ପରେ ମଗଧ ହିଂସା ଓ ଆକ୍ରମଣାତ୍ମକ ନୀତି ପରିହାର କଲା ଏବଂ ଅଶୋକ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଶାନ୍ତି, ଅହିଂସା, ପ୍ରେମ, କରୁଣା ଓ ମାନବିକତା ମାଧ୍ୟମରେ ହୃଦୟ ଜୟ କରିବାପାଇଁ ସମସ୍ତ ପ୍ରକାର ଉଦ୍ୟମ କଲେ । କଳିଙ୍ଗଯୁଦ୍ଧ ଅଶୋକଙ୍କ ଜୀବନର ପ୍ରଥମ ଓ ଶେଷ ଯୁଦ୍ଧ ଥିଲା । ଯୁଦ୍ଧରେ ବ୍ରାହ୍ମଣ, ଶ୍ରମଣ ତଥା ନିରୀହ ନାଗରିକମାନେ ଯେଉଁ ପରି ଭାବରେ ମୃତାହତ ହେଲେ, ତାହା ଅଶୋକଙ୍କୁ ଦାରୁଣ ଭାବରେ ବ୍ୟଥିତ କଲା । ପ୍ରଜାମାନଙ୍କର ନୈତିକ ଓ ସାମାଜିକ କଲ୍ୟାଣ ନିମନ୍ତେ ସେ ଧର୍ମର ପ୍ରସାର କଲେ, ଯାହା ଅଶୋକଙ୍କ ଧର୍ମ୍ମ(ଧର୍ମ) ବୋଲି ଇତିହାସରେ ପରିଚିତ । ତାଙ୍କରି ପୃଷ୍ଠପୋଷକତାରେ ବୌଦ୍ଧଧର୍ମ ଦକ୍ଷିଣ-ପୂର୍ବ ଏସିଆ, ମିଶର, ଗ୍ରୀସ୍‍ ପ୍ରଭୃତି ଦେଶରେ ବହୁଳ ଭାବେ ପ୍ରସାରଲାଭ କଲା । ସେ କଳିଙ୍ଗର ପ୍ରଜାମାନଙ୍କୁ ପୁତ୍ର ତୁଲ୍ୟ ବ୍ୟବହାର କରିବାକୁ ପ୍ରତିଶ୍ରୁତି ଦେଲେ । ମଗଧର ପ୍ରତ୍ୟକ୍ଷ ଶାସନ ବାହାରେ ରହିଥିବା ପାର୍ବତ୍ୟ ଅଞ୍ଚଳର ଆଦିବାସୀମାନଙ୍କୁ ସେ 'ଧମ୍ମ' (ଧର୍ମ) ପାଳନ କରିବାକୁ ପରାମର୍ଶ ଦେଲେ । ପ୍ରଶାସନରେ ଧର୍ମ ମହାମାତ୍ର (ଅଧିକାରୀ) ନିଯୁକ୍ତ କରି ସେମାନଙ୍କୁ ଶାନ୍ତିର ଆଦର୍ଶ ପ୍ରଚାର କରିବାକୁ ବିଭିନ୍ନ ଦେଶକୁ ପ୍ରେରଣ କଲେ । ସେ ପ୍ରଜାଙ୍କୁ ପିତୃ ତୁଲ୍ୟ ବ୍ୟବହାର କରିବାକୁ ପ୍ରତିଶ୍ରୁତି ଦେବା ସହିତ ଅନ୍ୟ ପ୍ରାଣୀମାନଙ୍କ ପ୍ରତି ମଣିଷ ଦୟାପରବଶ ହେବାପାଇଁ ନିଜ ଅନୁଶାସନରେ ପରାମର୍ଶ ଦେଲେ । ଏହି ପ୍ରକାରେ ଅଶୋକ କଳିଙ୍ଗ ଯୁଦ୍ଧ ଉତ୍ତାରୁ ଯୁଦ୍ଧ ପରିବର୍ତ୍ତେ ଧର୍ମ ପ୍ରଚାରକୁ ମାଧ୍ୟମ କରି ମଗଧର ରାଜନୈତିକ କର୍ତ୍ତୃତ୍ୱ ବିସ୍ତାର କରିବାକୁ ପ୍ରୟାସ କରିଥିଲେ ଏବଂ ତହିଁରେ ଅନେକ ମାତ୍ରାରେ ସଫଳ ହୋଇଥିଲେ । କଳିଙ୍ଗ ଯୁଦ୍ଧ ପୂର୍ବରୁ ଅର୍ଥାତ୍‍ ଅଶୋକ ସିଂହାସନ ଆରୋହଣ କରିବା ସମୟରେ ବୌଦ୍ଧଧର୍ମ ମଗଧ ଏବଂ ତା'ର ପାଖାପାଖି ରାଜ୍ୟ ପର୍ଯ୍ୟନ୍ତ ସୀମିତ ରହିଥିଲା । ଯୁଦ୍ଧ ପୂର୍ବରୁ ଅଶୋକ କିମ୍ୱା ତାଙ୍କ ପୂର୍ବପୁରୁଷ ଯଥା ଚନ୍ଦ୍ରଗୁପ୍ତ ଓ ବିନ୍ଦୁସାର ମଧ୍ୟ ବୌଦ୍ଧଧର୍ମ ଗ୍ରହଣ କରିନଥିଲେ । ଚନ୍ଦ୍ରଗୁପ୍ତଙ୍କର ଜୈନଧର୍ମ ପ୍ରତି ଆକର୍ଷଣ ଥିଲା । ଗୌତମ ବୁଦ୍ଧଙ୍କ ସମୟରେ ମଗଧ ତଥା ଅନ୍ୟ କେତେକ ମହାଜନପଦରେ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ବୌଦ୍ଧଧର୍ମ ରାଜଅନୁଗ୍ରହ ପ୍ରାପ୍ତ ହୋଇଥିଲା । ସେହି ଅନୁସାରେ ଦେଖିଲେ, ଅଶୋକଙ୍କ ସମୟରେ ଅତିବେଶି ହେଲେ ବୌଦ୍ଧଧର୍ମ ଲୋକସ୍ତରରେ ରହିଥିଲା ବୋଲି କୁହାଯାଇ ପାରିବ । ମାତ୍ର ତାଙ୍କ ଉଦ୍ୟମରେ ଏହା ଭାରତର ବିଭିନ୍ନ ଅଞ୍ଚଳକୁ ତଥା ବିଦେଶକୁ ପ୍ରସାରିତ ହେଲା । ଅର୍ଥାତ୍‍ କଳିଙ୍ଗଯୁଦ୍ଧଯୋଗୁଁ ବୌଦ୍ଧଧର୍ମ ଏକ ବିଶ୍ୱସ୍ତରର ଧର୍ମ ଭାବରେ ଖ୍ୟାତି ପାଇଲା । ଏହା କଳିଙ୍ଗ ଯୁଦ୍ଧ, ଅଶୋକ, ବୌଦ୍ଧଧର୍ମ ଓ ମଗଧର ଐତିହାସିକ ମହତ୍ତ୍ୱ ପ୍ରତିପାଦନ କରେ ।   କଳିଙ୍ଗ ଯୁଦ୍ଧ ପରେ ଏବଂ ବୌଦ୍ଧଧର୍ମରେ ଦୀକ୍ଷିତ ହେବା ପରେ ଅଶୋକ ସମ୍ପୂର୍ଣ୍ଣ ରୂପେ ସଂସାର ବିମୁଖ ହୋଇଥିଲେ ବୋଲି କୁହାଯାଇ ପାରିବ ନାହିଁ । ଯୁଦ୍ଧର ମାର୍ଗ ପରିହାର କରି ଧର୍ମ ଓ ଆଦର୍ଶ ମାଧ୍ୟମରେ ସେ ମଗଧ ସାମ୍ରାଜ୍ୟର କର୍ତ୍ତୃତ୍ୱ ବଜାୟ ରଖିବାକୁ ତଥା ତାକୁ ପାରୁପର୍ଯ୍ୟନ୍ତ ବିସ୍ତାର କରିବାକୁ ପ୍ରୟାସ କରିଥିଲେ । ଯୁଦ୍ଧ ପରେ ସେ ସେନାବାହିନୀକୁ ଭଙ୍ଗ କରିନଥିଲେ । କଳିଙ୍ଗକୁ ମଧ୍ୟ ତ୍ୟାଗ ନକରି ମଗଧ ସାମ୍ରାଜ୍ୟର ପ୍ରତ୍ୟକ୍ଷ ଶାସନାଧୀନ କରିଥିଲେ ବୋଲି ପ୍ରମାଣ ରହିଛି । ପରାଜୟ ପରେ କଳିଙ୍ଗ ମଗଧର ପଞ୍ଚମ ପ୍ରଦେଶ ଭାବେ ଶାସିତ ହେଲା । ତୋଷାଳୀ ଥିଲା ଏହାର ମୁଖ୍ୟ ରାଜଧାନୀ ଏବଂ ସମାପା ଥିଲା ଦ୍ୱିତୀୟ ରାଜଧାନୀ । ଯୁଦ୍ଧର କ୍ଷୟକ୍ଷତି ପରେ ରାଜ୍ୟବାସୀଙ୍କ ଆସ୍ଥାଭାଜନ ହେବା ଉଦ୍ଦେଶ୍ୟରେ ସେ ଉଦାର ନୀତି ଗ୍ରହଣ କରିଥିଲେ । ସେ ସ୍ୱତନ୍ତ୍ର କଳିଙ୍ଗ ଅନୁଶାସନରେ ଘୋଷଣା କରିଥିଲେ ଯେ, "ସମସ୍ତ ପ୍ରଜା ହେଲେ ମୋର ସନ୍ତାନ । ଯେପରି ମୁଁ ମୋର ସନ୍ତାନମାନଙ୍କର ଇହକାଳ ଓ ପରକାଳର ସୁଖ କାମନା କରେ, ସେହିପରି ସମସ୍ତ ମନୁଷ୍ୟଙ୍କ ନିମନ୍ତେ ତାହା ହିଁ ମୋର କାମ୍ୟ ।"

ଆରମ୍ଭରେ କଳିଙ୍ଗ ଅଶୋକଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ଚାଲିଥିଲା । ଫଳରେ ମଗଧର ଅନ୍ୟାନ୍ୟ ପ୍ରାଦେଶିକ ରାଜଧାନୀ ତକ୍ଷଶିଳା, ଉଜ୍ଜୟିନୀ ଓ ସୁବର୍ଣ୍ଣଗିରି ପରି କଳିଙ୍ଗର ମୁଖ୍ୟ ରାଜଧାନୀ ତୋଷାଳୀ ମଧ୍ୟ ମହତ୍ତ୍ୱ ପାଇଲା । ମାତ୍ର ପରବର୍ତ୍ତୀ ସମୟରେ କଳିଙ୍ଗକୁ ଅଶୋକଙ୍କର ପ୍ରତିିନିଧି ରୂପେ ଜଣେ ମଗଧ ରାଜକୁମାର ଶାସନ କଲେ । ତାଙ୍କର ନାମ କୁମାରମନ୍ୟ ଥିଲା ବୋଲି କୁହାଯାଏ । ସେ ତୋଷାଳୀରେ ଅବସ୍ଥାପିତ ଥିଲେ । ମୌର୍ଯ୍ୟ ଶାସନର ଏକ ବଡ଼ ସ୍ୱାତନ୍ତ୍ର୍ୟ ଥିଲା ଅମଲାତନ୍ତ୍ର । ରାଜ୍ୟରେ ଅବସ୍ଥାପିତ ରାଜପ୍ରତିିନିଧିଙ୍କୁ ପ୍ରାଶାସନିକ ସହାୟତା ଦେବାପାଇଁ ଏକ ମନ୍ତ୍ରିପରିଷଦ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତ ଥିଲେ । ଉଚ୍ଚ ଶ୍ରେଣୀର ପ୍ରାଶାସନିକ ଅଧିକାରୀଙ୍କୁ ମହାମାତ୍ର କୁହାଯାଉଥିଲା । ଆଇନ ଶୃଙ୍ଖଳା ରକ୍ଷାପାଇଁ ତଥା ରାଜସ୍ୱ ଆଦାୟପାଇଁ ମଧ୍ୟ ଅଧିକାରୀମାନେ ନିଯୁକ୍ତ ଥିଲେ । ମଗଧରେ ପ୍ରତିଷ୍ଠିତ ଏହି ଅମଲାତନ୍ତ୍ର କଳିଙ୍ଗର ପ୍ରଶାସନରେ ମଧ୍ୟ ଲାଗୁ ହୋଇଥିବାର କୌଣସି ସ୍ପଷ୍ଟ ପ୍ରମାଣ ମିଳେନାହିଁ । ହୁଏତ କଳିଙ୍ଗ ଅଧିକାର କଲା ପରେ ଆରମ୍ଭରେ କିଛି ସମୟ ନିଜ ପ୍ରତ୍ୟକ୍ଷ କର୍ତ୍ତୃତ୍ୱରେ ତାକୁ ରଖିବା ପରେ ଅଶୋକ କଳିଙ୍ଗକୁ ଜଣେ ମଗଧ ରାଜକୁମାରଙ୍କ ପ୍ରତ୍ୟକ୍ଷ ଶାସନରେ ଛାଡ଼ି ଯାଇଥିଲେ । ତୋଷାଳୀ ଓ ସମାପାଠାରେ ରାଜଧାନୀ ସ୍ଥାପନ କରି ନିୟମିତ ରାଜସ୍ୱ ଆଦାୟପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ । ରାଜକର୍ମଚାରୀମାନେ ପ୍ରତ୍ୟକ୍ଷ ଭାବେ ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟ କରୁଥିବାର ମଧ୍ୟ କୌଣସି ପ୍ରମାଣ ନାହିଁ । ସମ୍ଭବତଃ ସ୍ଥାନୀୟ ରାଜାମାନଙ୍କ ଦାୟିତ୍ୱରେ ପୂର୍ବଭଳି ଶାସନ ରହିଥିଲା ଏବଂ ରାଜଧାନୀରେ ସେମାନେ ନିୟମିତ ରୂପେ ନିଜ ନିଜର ଦେୟ ଜମା କରୁଥିଲେ । ଅର୍ଥାତ୍‍ କଳିଙ୍ଗ ବିଜୟ ପରେ ସୁଦ୍ଧା ଅଶୋକ ସ୍ଥାନୀୟ ରାଜାମାନଙ୍କ ହାତରେ କଳିଙ୍ଗର ଶାସନ ଭାର ଛାଡ଼ି ଯାଇଥିଲେ । ମୌର୍ଯ୍ୟ ପ୍ରାଶାସନିକ ବ୍ୟବସ୍ଥା ସିଧାସଳଖ ଭାବେ କଳିଙ୍ଗରେ ଲାଗୁ ହୋଇ ନଥିଲା । ପ୍ରାଦେଶିକ ସ୍ୱାୟତ୍ତତା ବିନା ଆଜିଠୁଁ ୨୫୦୦ ବର୍ଷ ପୂର୍ବେ ମଗଧ ଭଳି ଏକ ବିଶାଳ ସାମ୍ରାଜ୍ୟ ତିଷ୍ଠି ରହିବା ସମ୍ଭବ ନଥିଲା । ପ୍ରକୃତରେ ଦେଖିବାକୁ ଗଲେ, ଅଶୋକଙ୍କ ଅହିଂସା, ଶାନ୍ତି ଓ ଧର୍ମନୀତି ପ୍ରବର୍ତ୍ତନ ପଛରେ ମଧ୍ୟ କେନ୍ଦ୍ରୀୟ ବ୍ୟବସ୍ଥା ବଦଳରେ ଏକ ସଂଘୀୟ ବ୍ୟବସ୍ଥାର ବ୍ୟାବହାରିକ ଆଧାରକୁ ଅନୁଭବ କରିହୁଏ ।   ଭୁବନେଶ୍ୱର ନିକଟସ୍ଥ ଧଉଳିରୁ ପ୍ରାପ୍ତ ଅଶୋକଙ୍କ ସ୍ୱତନ୍ତ୍ର ଅନୁଶାସନ କଳିଙ୍ଗରେ ଅବସ୍ଥାପିତ ରାଜ ପ୍ରତିିନିଧିଙ୍କୁ ସମ୍ୱୋଧନ କରି ଜାରି କରାଯାଇଥିଲା । ଏଥିରୁ ଅଶୋକଙ୍କ ମାନବିକତା ଓ ପ୍ରଜାବତ୍ସଳତା ତଥା ନିରପେକ୍ଷତା ସୁସ୍ପଷ୍ଟ ହୁଏ । ରାଜପ୍ରତିିନିଧି କେତେ ମାତ୍ରାରେ ଏହି ଅନୁଶାସନକୁ କାର୍ଯ୍ୟକାରୀ କରିଥିଲେ ଜଣାପଡ଼େ ନାହିଁ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଇଂରାଜୀରେ ଅନୁଶାସନକୁ ଯେପରି ଲିପିବଦ୍ଧ କରିଛନ୍ତି, ତାହା ନିମ୍ନରେ ଅବିକଳ ଭାବରେ ଦିଆଗଲା :

In affairs of Administration, there might be persons who would suffer imprisonment or coercion. In that also might occur accidental death in prison and many might also heavily suffer for that. In that case you must strive to deal with all of them impartially, the attributes which are not conducive to impartial dealings are malignity, irascibility, harshness, hastiness, lack of practice, indolence and weariness. You all must strive so that these attributes may not be in you. At the root of all impartial dealings lie the absence of anger and avoidance of hurry. The judicial officer of the capital [Toshali] must strive at all times for this and they should not inflict sudden imprisonment or sudden coercion on people. For this purpose I would be sending on quinquennial tours the Mahamatras who would not be harsh and irascible and would be soft and gentle in dealings.
  କଳିଙ୍ଗ ଯୁଦ୍ଧ ଓ ତା'ର ଐତିହାସିକ ମହତ୍ତ୍ୱ ଆଲୋଚନା ବେଳେ କେତୋଟି ସ୍ୱାଭାବିକ ପ୍ରଶ୍ନ ମନକୁ ଆସେ । ଯୁଦ୍ଧ ସମୟରେ କଳିଙ୍ଗର ରାଜା କିଏ ଥିଲେ ? କେଉଁ ବଂଶ ସେତେବେଳେ କଳିଙ୍ଗରେ ଶାସନ କରୁଥିଲେ ? କେଉଁ ଧରଣର ଶାସନ କଳିଙ୍ଗରେ ପ୍ରଚଳିତ ଥିଲା ? ବିନା ରାଜା କିମ୍ୱା ବିନା ଲୋକପ୍ରିୟ ଶାସନରେ ଲକ୍ଷ ଲକ୍ଷ ଲୋକ କଳିଙ୍ଗ ପକ୍ଷରେ ଯୁଦ୍ଧରେ ଯୋଗଦେବା ସମ୍ଭବ ନୁହେଁ । ଯୁଦ୍ଧରେ ହତାହତ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ କେଉଁ ଅନୁପାତରେ ସୈନିକ ଥିଲେ ? ଯଦି ମୃତାହତଙ୍କ ମଧ୍ୟରେ ଅଧିକାଂଶ ବେସାମରିକ ନାଗରିକ, ତେବେ କଳିଙ୍ଗର ସେନାବାହିନୀର ବିଶାଳତାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ । ଏସବୁ ପ୍ରଶ୍ନର ସିଧାସଳଖ ଉତ୍ତର ଆଜି ପର୍ଯ୍ୟନ୍ତ ଐତିହାସିକମାନଙ୍କର ହସ୍ତଗତ ହୋଇନାହିଁ । କଳିଙ୍ଗ ଯୁଦ୍ଧ ଓ ମଗଧ ଶାସକ ଅଶୋକଙ୍କ କଳିଙ୍ଗ ଅଧିକାର ସମ୍ୱନ୍ଧରେ ଜାଣିବା ଲାଗି ଏକମାତ୍ର ନିର୍ଭରଯୋଗ୍ୟ ଐତିହାସିକ ତଥ୍ୟ ହେଲା ଅଶୋକଙ୍କଦ୍ୱାରା ଲିଖିତ ଅନୁଶାସନ । ଏସବୁ ଅନୁଶାସନର ସ୍ୱରୂପ ହେଲା ରାଜାଦେଶ । ଉଭୟ ପ୍ରଜା ଓ ରାଜପ୍ରତିିନିଧି ତଥା ରାଜକର୍ମଚାରୀଙ୍କ ସୂଚନାର୍ଥେ ଅନୁଶାସନଗୁଡ଼ିକୁ ଜାରି କରାଯାଇଥିଲା । ଆଜି ଅନୁଶାସନ ଜାରି ହେବାର ପ୍ରାୟ ୨୫୦୦ ବର୍ଷ ପରେ ଐତିହାସିକମାନଙ୍କ ମନରେ ଉଠୁଥିବା ନୂଆ ନୂଆ ପ୍ରଶ୍ନଗୁଡ଼ିକୁ ଦୃଷ୍ଟିରେ ରଖି ତାକୁ ବିଶ୍ଳେଷଣ କରାଯାଉଛି । ସେ କ୍ଷେତ୍ରରେ ତହିଁରୁ ସିଧାସଳଖ ବର୍ତ୍ତମାନର ପ୍ରଶ୍ନଗୁଡିକର ଉତ୍ତର ଆଶା କରିବା ଯୁକ୍ତିଯୁକ୍ତ ମନେହୁଏ ନାହିଁ । ତେଣୁ ଏ ନେଇ ନୂଆ ତଥ୍ୟ ପ୍ରମାଣ ଓ ଐତିହାସିକ ନିଦର୍ଶନ ଆବିଷ୍କୃତ ନ ହେବା ପର୍ଯ୍ୟନ୍ତ ଆମକୁ ଯୁକ୍ତିନିଷ୍ଠ ଅନୁମାନକୁ ହିଁ ଆଧାର କରି ଇତିହାସ ରଚନା କରିବାକୁ ପଡ଼ିବ ।

ଅଶୋକ ତାଙ୍କ ଅନୁଶାସନଗୁଡ଼ିକରେ ସର୍ବଦା କଳିଙ୍ଗ ଦେଶକୁ କଳିଙ୍ଗମାନେ ବହୁବଚନରେ (Kalingas) ବୋଲି ସମ୍ୱୋଧନ କରିଛନ୍ତି । ତାହାର ଅର୍ଥ ହେବ କଳିଙ୍ଗର ଲୋକମାନେ ବା କଳିଙ୍ଗର ରାଜ୍ୟମାନେ । ହୁଏତ ସେତେବେଳେ କଳିଙ୍ଗ ନାମରେ କୌଣସି ଗୋଟିଏ ରାଜ୍ୟ ନଥିଲା । 'କଳିଙ୍ଗମାନେ' (ଯେମିତି ଓଡ଼ିଆମାନେ) ବସବାସ କରୁଥିବା ସମଗ୍ର କ୍ଷେତ୍ରକୁ ବାହାରେ ଲୋକ କଳିଙ୍ଗ ନାମରେ ଜାଣୁଥିଲେ । (ଯେମିତି ପ୍ରାଚୀନ ଓ ମଧ୍ୟଯୁଗରେ ସମଗ୍ର ଭାରତବର୍ଷ ଏକ ଶାସନାଧୀନ ନ ହେବା ସତ୍ତ୍ୱେ ବିଦେଶରେ ଏହି କ୍ଷେତ୍ରକୁ ଭାରତ ବା ଇଣ୍ତିଆ ଏବଂ ଲୋକମାନଙ୍କୁ 'ଭାରତର ଲୋକମାନେ' ବା 'ଭାରତୀୟ' ବୋଲି କୁହାଯାଉଥିଲା । ଭାରତ ଭିତରେ ଅନେକ ରାଜ୍ୟ ଥିଲେ ଏବଂ ସେଗୁଡିକ ପରସ୍ପରଠାରୁ ଭିନ୍ନ ଥିଲେ । ମାତ୍ର ଭାରତ ବାହାରେ ସେମାନଙ୍କର ଗୋଟିଏ ପରିଚୟ ଥିଲା ।) ତେଣୁ କଳିଙ୍ଗର ବ୍ୟବସାୟୀମାନେ ଆସୁଥିବା କ୍ଷେତ୍ରକୁ କଳିଙ୍ଗ ନାମରେ ଜାଣିବା ଅସମ୍ଭବ ନୁହେଁ । ପ୍ରଶ୍ନ ଉଠେ, ଯଦି କଳିଙ୍ଗ ଅନେକଗୁଡିଏ ସ୍ଥାନୀୟ ଓ ଛୋଟଛୋଟ ରାଜ୍ୟର ସମୂହ ଥିଲା, ତେବେ ଏତେ ଅଧିକ ସଂଖ୍ୟକ ଲୋକ ଯୁଦ୍ଧରେ ମଗଧ ବିରୁଦ୍ଧରେ ଭାଗ ନେଲେ କେମିତି ? ଏହାର ଗୋଟିଏ ଉତ୍ତର ହେବ ଯେ କଳିଙ୍ଗ ଯୁଦ୍ଧରେ 'ଲକ୍ଷ' ସଂଖ୍ୟାରେ ଲୋକ ନିହତ ହେବା ଏବଂ 'ଦେଢ଼ ଲକ୍ଷ' ସଂଖ୍ୟାରେ ଲୋକ ଆହତ ହେବା ହୁଏତ କିଛିଟା ଅତିରଞ୍ଜନ । 'ଲକ୍ଷ' ଏଠାରେ ନିର୍ଦ୍ଦିଷ୍ଟ ସଂଖ୍ୟା ଭାବରେ ନ ହୋଇ ରୂଢ଼ି ଭାବରେ ହୁଏତ ବ୍ୟବହୃତ ହୋଇଛି । ଦ୍ୱିତୀୟତଃ, ହତାହତଙ୍କ ମଧ୍ୟରେ ସମସ୍ତେ କଳିଙ୍ଗର ସୈନ୍ୟ ଥିଲେ ବୋଲି କେଉଁଠି ଉଲ୍ଲିଖିତ ହୋଇନାହିଁ । ବରଂ ବ୍ରାହ୍ମଣ, ଶ୍ରମଣ ଓ ସାଧାରଣ ଲୋକ ଅନେକ ସଂଖ୍ୟାରେ ମୃତାହତ ହୋଇଛନ୍ତି ବୋଲି ଅଶୋକ ଗ୍ଳାନି ପ୍ରକାଶ କରିଛନ୍ତି । ହୁଏତ ଉଦ୍ଧତ ମଗଧ ସେନା ଯୁଦ୍ଧ ସମୟରେ ଅସଂଖ୍ୟ ନିରୀହ ଲୋକଙ୍କ ଉପରେ ଆକ୍ରମଣ କରିଥାଇ ପାରନ୍ତି । ଏହା ଅଶୋକଙ୍କୁ ସାମରିକ ଅଭିଯାନର ଦୁଷ୍ପରିଣାମକୁ ଅଧିକ ସ୍ପଷ୍ଟ ଭାବେ ଦେଖିବାକୁ ଅବସର ଦେଇଛି । ତୃତୀୟତଃ, କଳିଙ୍ଗ ଯୁଦ୍ଧ ପରେ ମଧ୍ୟ କଳିଙ୍ଗ ନିକଟବର୍ତ୍ତୀ ପାର୍ବତ୍ୟ ଅଞ୍ଚଳ ବା ଆଟବିକ ରାଜ୍ୟଗୁଡିକ ଅଶୋକ ଜୟ କରି ପାରିନଥିଲେ । ଅର୍ଥାତ୍‍ କଳିଙ୍ଗ କୌଣସି ବିଶାଳ ସାମ୍ରାଜ୍ୟ ନଥିଲା ଏବଂ ତାକୁ ଆଧୁନିକ ଓଡ଼ିଶାର ପ୍ରାକୃତିକ ସୀମାଞ୍ଚଳ ସହ ତୁଳନା କରି ହେବ ନାହିଁ । ଅନେକ ସ୍ଥାନୀୟ ରାଜ୍ୟର ସମୂହ, ବିଶାଳ କଳିଙ୍ଗର ଏକ କ୍ଷୁଦ୍ର ଅଂଶବିଶେଷ ମାତ୍ର ଅଶୋକଙ୍କ କର୍ତ୍ତୃତ୍ୱକୁ ଆସିଥିଲା । କେତେକ ସ୍ଥାନୀୟ ରାଜା ଯଦି ମଗଧର ରାଜପ୍ରତିିଧିଙ୍କଠାରେ ବାର୍ଷିକ ଦେୟ ଦେଉଥିଲେ, ଅନ୍ୟ ବହୁତ ପାର୍ବତ୍ୟ ରାଜ୍ୟ ବା ଆଟବିକ ରାଜ୍ୟ ସ୍ୱାଧୀନ ମଧ୍ୟ ରହିଥିଲେ । ଯେଉଁ ସ୍ଥାନୀୟ ରାଜ୍ୟ ମଗଧକୁ ବାର୍ଷିକ ଦେୟ ଦେଇ ଅଶୋକଙ୍କ ବଶ୍ୟତା ସ୍ୱୀକାର କରିଥିଲେ, ସେଗୁଡିକ ମଧ୍ୟ ମଗଧ ପ୍ରଶାସନର ଦୂରରେ ରହି ନିଜ ନିଜର ଶାସନ ପୂର୍ବବତ ଅବ୍ୟାହତ ରଖିଥିଲେ ।   ଅଶୋକଙ୍କ ପରେ କଳିଙ୍ଗରେ ମଗଧ ଶାସନ ଅଧିକ କାଳ ଯାଏଁ ତିଷ୍ଠି ପାରି ନଥିଲା । ମୌର୍ଯ୍ୟ ବଂଶର ଶେଷ ସମ୍ରାଟ ବୃହଦ୍ରଥଙ୍କୁ ତାଙ୍କ ସେନାପତି ପୁଷ୍ୟମିତ୍ର ସୁଙ୍ଗ ହତ୍ୟା କରି ମଗଧ ଅଧିକାର କରିନେଲେ । ଏହାର ବହୁ ପୂର୍ବରୁ ମଗଧରେ ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ କଳିଙ୍ଗର ସ୍ଥାନୀୟ ରାଜାମାନେ ହୁଏତ ବାର୍ଷିକ ଦେୟ ଦେବା ବନ୍ଦ କରି ସାରିଥିଲେ । ଏହା ସାଙ୍ଗରେ ସେମାନେ ସମ୍ପୂର୍ଣ୍ଣ ସ୍ୱାଧୀନତା ମଧ୍ୟ ଲାଭ କଲେ ବୋଲି ଅନୁମାନ କରାଯାଇପାରେ ।

...

ଖାରବେଳଙ୍କ ଶାସନ

  କଳିଙ୍ଗର ଐତିହାସିକ ଘଟଣାବଳୀକୁ ଜାଣିବାପାଇଁ ଅଶୋକଙ୍କ ଶିଳାଲେଖ ଓ ଅନୁଶାସନ ପରେ ଉଦୟଗିରି (ଭୁବନେଶ୍ୱର)ରେ ଖୋଦିତ ହାତୀଗୁମ୍ଫା ଶିଳାଲେଖ ଏକ ମହତ୍ତ୍ୱପୂର୍ଣ୍ଣ ଉପାଦାନ । ଏଥିରୁ ଖାରବେଳ ନାମକ ଜଣେ ପରାକ୍ରମୀ ରାଜାଙ୍କର ଜୀବନ, ରାଜତ୍ୱ ତଥା ତତ୍‍କାଳୀନ ଘଟଣାବଳୀ ସମ୍ୱନ୍ଧରେ ସୂଚନା ମିଳେ । ଶିଳାଲେଖ କାବ୍ୟିକ ଶୈଳୀରେ, ବ୍ରାହ୍ମୀ ଲିପିରେ, ପାଲି ଭାଷା ସହିତ ଖୁବ୍‍ ସାମଞ୍ଜସ୍ୟ ଥିବା ଏକ ଭାଷାରେ ଲିଖିତ । ଅନେକ ସ୍ଥଳରେ ନଷ୍ଟ ହୋଇଯାଇଥିବାଯୋଗୁଁ ଶିଳାଲେଖବିଦ୍‍ମାନେ ଏହାର ପାଠକୁ ପୂର୍ଣ୍ଣଭାବରେ ଉଦ୍ଧାର କରି ପାରିନାହାନ୍ତି । ମାତ୍ର ଲିଖିତ ଭାବରେ ଏହା ଉପଲବ୍ଧ ହୋଇଥିବାରୁ ତଥା ଅନ୍ୟ ଉପାଦାନଗୁଡ଼ିକର ଅଭାବରେ ତତ୍‍କାଳୀନ ଇତିହାସ ରଚନାପାଇଁ ଏହାକୁ ଅନେକ ମହତ୍ତ୍ୱ ଦିଆଯାଏ । ଓଡ଼ିଶା ଇତିହାସରେ ହାତୀଗୁମ୍ଫା ଶିଳାଲେଖକୁ ମହତ୍ତ୍ୱ ମିଳିବାର ଅନ୍ୟ ଏକ କାରଣ ହେଲା ଏହା କଳିଙ୍ଗର ପରାକ୍ରମ, ଗୌରବ ତଥା ସମୃଦ୍ଧିକୁ ଦର୍ଶାଏ । ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଶୋକଙ୍କ ହାତରେ କଳିଙ୍ଗବାସୀ ପରାଜୟ ବରଣ କରି ଯେଉଁ ଗୌରବ ହରାଇଥିଲେ, ତାକୁ ହାତୀଗୁମ୍ଫାର ବର୍ଣ୍ଣନ ଅନେକାଂଶରେ ଭରଣା କରିବାକୁ ସ୍ଥାନୀୟ ଐତିହାସିକମାନଙ୍କୁ ଅବସର ପ୍ରଦାନ କରେ । ପ୍ରତୀକ ଭାବରେ ହେଲେ ମଧ୍ୟ ଭୁବନେଶ୍ୱର ନିକଟସ୍ଥ ଧଉଳିଗିରିର ଅଶୋକଙ୍କ ଅନୁଶାସନ ଯେତେବେଳେ କଳିଙ୍ଗର ପରାଜୟର କାହାଣୀ କହେ, ସେତେବେଳେ ତା'ର ପ୍ରତିକ୍ରିୟା ଭଳି ହାତୀଗୁମ୍ଫାର ଶିଳାଲେଖ କଳିଙ୍ଗର ପରାକ୍ରମକୁ ଲିପିବଦ୍ଧ କରେ । ସେହି ଦୃଷ୍ଟିରୁ ଦେଖିଲେ, ହାତୀଗୁମ୍ଫା ଶିଳାଲେଖ କଳିଙ୍ଗର ହୃତଗୌରବକୁ ଫେରିପାଇବାର ଏକ ପ୍ରତୀକ ରୂପେ ବିବେଚିତ ହୁଏ; ଖାରବେଳ ହୁଅନ୍ତି ଆଦର୍ଶ ନାୟକ, କଳିଙ୍ଗପାଇଁ ଅଶୋକଙ୍କ ବିକଳ୍ପ !

ହାତୀଗୁମ୍ଫା ଶିଳାଲେଖରେ ଖାରବେଳଙ୍କ ୧୩ ବର୍ଷର ଶାସନର ବର୍ଣ୍ଣନା ରହିଛି । ଏହାର ଅର୍ଥ ହେବ ଖାରବେଳଙ୍କ ରାଜତ୍ୱର ତ୍ରୟୋଦଶ ବର୍ଷରେ ଏହା ଲିଖିତ ହୋଇଛି । ତେଣୁ, ରାଜତ୍ୱର ତ୍ରୟୋଦଶ ବର୍ଷର ପରବର୍ତ୍ତୀ ଘଟଣାବଳୀ ସମ୍ୱନ୍ଧରେ ଏଥିରେ କିଛି ତଥ୍ୟ ନାହିଁ । ଏହି ଆଧାରରେ ମନେ କରାଯାଏ, ଖାରବେଳ ଯେ ମାତ୍ର ତେରବର୍ଷ ରାଜତ୍ୱ କରିଥିଲେ, ହୁଏତ ଏହା ସତ୍ୟ ହୋଇ ନ ପାରେ । ଦ୍ୱିତୀୟତଃ, ଶିଳାଲେଖରେ ରହିଥିବା ବର୍ଣ୍ଣନାକୁ ବିଶ୍ଳେଷଣ କଲାବେଳେ ଐତିହାସିକମାନେ ଅନେକ ବିଷୟରେ ଏକମତ ହୋଇପାରନ୍ତି ନାହିଁ । କାରଣ ଶିଳାଲେଖ ସ୍ଥାନେ ସ୍ଥାନେ ଅସ୍ପଷ୍ଟ ରହିଛି, ଲିପି ନଷ୍ଟ ହୋଇଯାଇଛି ଏବଂ ତା'ର ଭାଷା ଆଜିର ଭାଷାଠାରୁ ଯଥେଷ୍ଟ ପୃଥକ୍‍ । ଭିନ୍ନ ଭିନ୍ନ ଅର୍ଥରେ ତାକୁ ବିଶ୍ଳେଷଣ କରାଯାଇପାରେ । ତୃତୀୟତଃ, ଶିଳାଲେଖର ବର୍ଣ୍ଣନାକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ଗ୍ରହଣ କରିବା କେତେଦୂର ଯୁକ୍ତିିନିଷ୍ଠ ତଥା ଇତିହାସସମ୍ମତ ହେବ- ତାହାବି ଏକ ପ୍ରଶ୍ନବାଚୀ । ଖାରବେଳ ଶିଳାଲେଖର ଚାରିପଟେ ବଦ୍ଧମଙ୍ଗଳ ସ୍ୱସ୍ତିକ, ନନ୍ଦିପଦ ଓ ବୃକ୍ଷ, ଚୈତ୍ୟ ଆଦି ଜୈନଧର୍ମର ପ୍ରତୀକମାନ ଖୋଦିତ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେବ ଲିପିବଦ୍ଧ ସୂଚନାକୁ ସତ୍ୟ ଆଧାରିତ ବୋଲି ଲୋକେ ଗ୍ରହଣ କରନ୍ତୁ । ମାତ୍ର, ତାହା ସତ୍ତ୍ୱେ ଆଧୁନିକ ଇତିହାସକାର ଏହାର ତର୍ଜମା କଲାବେଳେ ସତ୍ୟାସତ୍ୟ ପ୍ରତି ଧ୍ୟାନ ଦେବାକୁ ପ୍ରୟାସ କରେ । ଅବସୋସର ବିଷୟ ଯେ ଅନ୍ୟ ଐତିହାସିକ ତଥ୍ୟ ପ୍ରମାଣ ଓ ନିଦର୍ଶନର ଅଭାବରେ ଐତିହାସିକମାନେ ତତ୍‍କାଳୀନ ଇତିହାସ ରଚନାପାଇଁ ଏହି ଶିଳାଲେଖ ଉପରେ ହିଁ ଅଧିକରୁ ଅଧିକ ନିର୍ଭର କରିବାକୁ ବାଧ୍ୟ ।   ଏହି ଶିଳାଲେଖ ଅନୁଯାୟୀ ଚେଦୀ ବଂଶର ମହାମେଘବାହନଙ୍କ ପୌତ୍ର ହେଲେ ଖାରବେଳ । କେତେକଙ୍କ ମତରେ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସେ କଳିଙ୍ଗରେ ଶାସନ କରୁଥିଲେ । ମଗଧର ରାଜା ପୁଷ୍ୟମିତ୍ର ସୁଙ୍ଗ (ପ୍ରାୟ ଖ୍ରୀଷ୍ଟପୂର୍ବ ୧୮୪ରୁ ଖ୍ରୀଷ୍ଟପୂର୍ବ ୧୪୮) ଓ ଦାକ୍ଷିଣାତ୍ୟର ସାତବାହନ ରାଜା ସାତକର୍ଣ୍ଣୀ ଥିଲେ ତାଙ୍କର ସମସାମୟିକ । କଳିଙ୍ଗନଗରୀ, ଯାହାକୁ ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ ସହିତ ଚିହ୍ନିତ କରାଯାଏ, ତାହା ଥିଲା ତାଙ୍କର ରାଜଧାନୀ । ସେ ଜୈନଧର୍ମର ଉପାସକ ଥିଲେ, ମାତ୍ର ଅହିଂସା ମାର୍ଗକୁ ଆପଣାଇ ନଥିଲେ । ମନେହୁଏ ସାମରିକବାହିନୀର ଉପଯୋଗ କରି ସେ ଦିଗ୍‍ବିଜୟ କରିବାରେ ଆନନ୍ଦ ଲାଭ କରୁଥିଲେ । ସମ୍ଭବତଃ ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ସେତେବେଳେ ଅନେକ ସ୍ୱାଧୀନ ରାଜ୍ୟ ମୁଣ୍ତ ଟେକିଥିଲେ । କଳିଙ୍ଗରେ ଖାରବେଳ ବଂଶ ଓ ଦାକ୍ଷିଣାତ୍ୟରେ ସାତବାହନ ବଂଶ ଥିଲେ ସେହି ଧରଣର ଗୋଟିଏ ଗୋଟିଏ ସ୍ୱାଧୀନ ରାଜ୍ୟ ।

ହାତୀଗୁମ୍ଫା ଶିଳାଲେଖରେ ଖାରବେଳଙ୍କୁ କଳିଙ୍ଗାଧିପତି ବୋଲି ବର୍ଣ୍ଣନା କରାଯାଇଛି । କଳିଙ୍ଗ ନାମରେ ଖ୍ୟାତ ସମଗ୍ର ଅଞ୍ଚଳର ଛୋଟ ଛୋଟ ରାଜ୍ୟମାନଙ୍କୁ ପ୍ରଥମେ ସେ ଜୟ କରିଥିଲେ ।

ଶିଳାଲେଖରେ ଖାରବେଳଙ୍କ ବାଲ୍ୟଜୀବନ, ଶିକ୍ଷା, ରୁଚି ଓ ସିଂହାସନ ଆରୋହଣ ସମ୍ୱନ୍ଧରେ ସୂଚନା ରହିଛି । ତାହା ଅନୁଯାୟୀ, ଐତିହାସିକମାନେ ଖାରବେଳଙ୍କ କାଳ ନିରୂପଣ କରିବାକୁ ପ୍ରୟାସ କରନ୍ତି । ଯାହା ପୂର୍ବରୁ ଉଲ୍ଲିଖିତ କେତେକଙ୍କ ମତରେ ଖାରବେଳ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରେ ରାଜ୍ୟଶାସନ କରୁଥିଲେ । ମାତ୍ର ଅନ୍ୟ ଏକ ମତ ଅନୁଯାୟୀ ଖ୍ରୀଷ୍ଟପୂର୍ବ ୬୪ରେ ସମ୍ଭବତଃ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ଚେତରାଜ ଓ ପିତାମହ ଥିଲେ ମହାମେଘବାହନ । କୈଶୋରାବସ୍ଥାରେ ସେ ପାରମ୍ପରିକ ଶିକ୍ଷା, ଅର୍ଥନୀତି, ରାଜନୀତି, ଧର୍ମଶାସ୍ତ୍ର, ସାମରିକ ବିଜ୍ଞାନ, ବିଧି ଆଦି ସହିତ ସଙ୍ଗୀତ ଓ ନୃତ୍ୟକଳାରେ ମଧ୍ୟ ପାରଦର୍ଶିତା ଲାଭ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ସେ ମାତ୍ର ୧୫ ବର୍ଷ ବୟସରେ ଯୁବରାଜ ପଦରେ ଅଭିଷିକ୍ତ ହେଲେ ଏବଂ ଦୀର୍ଘ ନଅ ବର୍ଷ କାଳ ରାଜପ୍ରତିନିଧି ଭାବରେ ଶାସନ ପରିଚାଳନା କଲେ । ୨୬ ବର୍ଷ ବୟସରେ ସେ 'ମହାରାଜ', 'କଳିଙ୍ଗାଧିପତି' ଓ 'ଚକ୍ରବର୍ତ୍ତୀ' ଆଦି ଉପାଧି ଗ୍ରହଣ କରି ରାଜପଦ ସମ୍ଭାଳିଲେ । ଏହି ବର୍ଷରୁ ଆରମ୍ଭ କରି ୧୩ ବର୍ଷ ଯାଏ ତାଙ୍କ ସାମରିକ ଅଭିଯାନ, ରାଜ୍ୟ ଶାସନ ତଥା ଅନ୍ୟାନ୍ୟ ଜନମଙ୍ଗଳକର କାର୍ଯ୍ୟାବଳୀ ଶିଳାଲେଖରେ ବିସ୍ତୃତ ଭାବେ ବର୍ଣ୍ଣିିତ ହୋଇଛି । ଖାରବେଳ ଯୁବରାଜ ପଦରେ ରହିଥିବା ବେଳେ ପ୍ରକୃତ ଶାସନଭାର କାହା ହାତରେ ଥିଲା, ତାଙ୍କୁ ପରାମର୍ଶ ଦେବା ପାଇଁ ମନ୍ତ୍ରିପରିଷଦ ରହିଥିଲା ନା ନାହିଁ- ସେ ସମ୍ପର୍କରେ ଶିଳାଲେଖରୁ କିଛି ତଥ୍ୟ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ । ସମ୍ଭବତଃ ଉକ୍ତ ଅବଧିକୁ ସେ କଳିଙ୍ଗର ଛୋଟ ଛୋଟ ରାଜ୍ୟଗୁଡ଼ିକ ଉପରେ କର୍ତ୍ତୃତ୍ୱ ହାସଲ କରିବାରେ ଅଥବା ସେ ସମସ୍ତଙ୍କୁ ନେଇ ଏକ ମହାମେଣ୍ଟ କରିବାରେ ବିନିଯୋଗ କରିଥିଲେ । କାରଣ ଶିଳାଲେଖରେ ବର୍ଣ୍ଣିିତ ତାଙ୍କର ବିଶାଳ ସାମରିକ ବାହିନୀ; ଯାହାକୁ ଅଶ୍ୱାରୋହୀ, ଗଜାରୋହୀ, ପଦାତିକ ଓ ରଥାରୋହୀ ସୈନ୍ୟ ସମ୍ୱଳିତ ଚତୁରଂଗ ସେନା ବୋଲି କୁହାଯାଇଛି; ଅନ୍ୟ କଳିଙ୍ଗ ରାଜ୍ୟଗୁଡ଼ିକ ବିନା ତାହା ଗଠନ କରିବା ସମ୍ଭବ ନଥିଲା । ଦ୍ୱିତୀୟତଃ, ଖାରବେଳଙ୍କ ପିତା ଓ ପିତାମହ 'କଳିଙ୍ଗାଧିପତି' ଥିବାର ପ୍ରମାଣ ନାହିଁ । କଳିଙ୍ଗ ଅନ୍ତର୍ଗତ ଗୋଟିଏ କ୍ଷୁଦ୍ର ରାଜ୍ୟର ହୁଏତ ସେମାନେ ଶାସକ ଥିଲେ । ପୁଣି, ନିଜ ତ୍ରୟୋଦଶ ବର୍ଷର ରାଜତ୍ୱ କାଳରେ ଖାରବେଳ କଳିଙ୍ଗ ଅନ୍ତର୍ଗତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ବିରୁଦ୍ଧରେ ସାମରିକ ଅଭିଯାନ କରିଥିବା କଥାର ଉଲ୍ଲେଖ ନାହିଁ । ଅନ୍ୟ ଶବ୍ଦରେ କହିଲେ, କଳିଙ୍ଗ ନାମରେ ବାହାରେ ଖ୍ୟାତି ପାଇଥିବା କ୍ଷେତ୍ର ମଧ୍ୟରେ ଅନେକ କ୍ଷୁଦ୍ର ରାଜ୍ୟ ଥିଲେ ଏବଂ ଖାରବେଳଙ୍କ ବିଶାଳ ସେନାବାହିନୀରେ ସେମାନେ ସାମିଲ ଥିଲେ । କଳିଙ୍ଗ ଯୁଦ୍ଧ ସମୟରେ ମଧ୍ୟ କଳିଙ୍ଗ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ଥିଲା । ଏହି ରାଜ୍ୟମାନେ ଏକ ସଂଘୀୟ ରୀତିରେ ସଂଗଠିତ ଓ ପରିଚାଳିତ ହୋଇ ବହିଃ ଶତ୍ରୁର ମୁକାବିଲା କରୁଥିଲେ ବୋଲି ମଧ୍ୟ ଅନୁମାନ କରାଯାଇପାରେ । ଏହା ଉଭୟ କଳିଙ୍ଗ ଯୁଦ୍ଧ ଏବଂ ତା'ର ଦୁଇ ଶତାବ୍ଦୀ ପରେ ଐତିହାସିକ ପ୍ରସିଦ୍ଧି ପାଇଥିବା ଖାରବେଳଙ୍କ ସମୟରେ ପରିଲକ୍ଷିତ ହୁଏ ।   ହାତୀଗୁମ୍ଫା ଶିଳାଲେଖ ଅନୁଯାୟୀ, ଖାରବେଳ ତାଙ୍କ ରାଜତ୍ୱର ପ୍ରଥମ ବର୍ଷରେ, ପୂର୍ବରୁ ବାତ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା କଳିଙ୍ଗନଗରୀ (ରାଜଧାନୀ)ର ଅଟ୍ଟାଳିକା, ଦୁର୍ଗପ୍ରାଚୀର ଆଦିର ପୁନର୍ନିର୍ମାଣ କରିଥିଲେ । ବାତ୍ୟାବିଧ୍ୱସ୍ତ ଉଦ୍ୟାନ ଓ ଜଳାଶୟଗୁଡ଼ିକର ରକ୍ଷଣାବେକ୍ଷଣରେ ମଧ୍ୟ ସେ ବହୁ ଅର୍ଥ ବ୍ୟୟ କରିଥିଲେ । ଏହି ସମସ୍ତ ପରିଯୋଜନାରେ ରାଜକୋଷରୁ ମୋଟ ୩୫ ଲକ୍ଷ ମୁଦ୍ରା ବ୍ୟୟ ହୋଇଥିଲା । ସେହିଭଳି ରାଜତ୍ୱର ତୃତୀୟ ବର୍ଷରେ, ରାଜଧାନୀରେ ଅନେକ ନୃତ୍ୟ, ସଙ୍ଗୀତ, କ୍ରୀଡ଼ା କସରତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ କରି ସେ ନିଜର ରୁଚିସମ୍ପନ୍ନତାର ପ୍ରଦର୍ଶନ କରିଥିଲେ ।   ରାଜ୍ୟଜୟ ଥିଲା ଖାରବେଳଙ୍କର ଅନ୍ୟତମ ପ୍ରମୁଖ ଆଗ୍ରହ । ସେ ରାଜତ୍ୱର ଦ୍ୱିତୀୟ ବର୍ଷରେ ସାମରିକ ବାହିନୀ ନେଇ ଦକ୍ଷିଣରେ କୃଷ୍ଣାନଦୀ ପର୍ଯ୍ୟନ୍ତ ରାଜ୍ୟ ଜୟ କରିଥିଲେ । ସାତବାହନ ରାଜ୍ୟର ରାଜା ସାତକର୍ଣ୍ଣୀ ମଧ୍ୟ ତାଙ୍କ ପରାକ୍ରମରେ ଭୀତତ୍ରସ୍ତ ହୋଇପଡ଼ିଥିଲେ । ରାଜତ୍ୱର ଚତୁର୍ଥ ବର୍ଷରେ ସେ ଦକ୍ଷିଣକୁ ପୁଣି ଥରେ ଦିଗ୍‍ବିଜୟରେ ଯାଇ ସାତବାହନ ରାଜ୍ୟ ଅଧିକାର କଲେ । ଏବଂ ରାଷ୍ଟ୍ରିକ ଓ ଭୋଜକ ନାମକ ଦୁଇଟି ରାଜ୍ୟକୁ ବଶ୍ୟତା ସ୍ୱୀକାର କରିବାକୁ ବାଧ୍ୟ କଲେ । ଏହି ଅଭିଯାନରୁ ଏତେ ମାତ୍ରାରେ ଧନସମ୍ପତ୍ତି ପ୍ରାପ୍ତ ହୋଇଥିଲା ଯେ, ରାଜକୀୟ ଶକ୍ତି ଓ ସମ୍ପଦର ପ୍ରଭାବ ଦେଖାଇ ତଥା ରାଣୀ ବଜିରଘରଙ୍କ କୋଳରେ ପୁତ୍ର ସନ୍ତାନ ଲାଭ ହେବା ଖୁସିରେ ପୌର ଓ ଜନପଦବାସୀଙ୍କ ଉପରୁ ବହୁ ଲକ୍ଷ ମୁଦ୍ରାର ରାଜସ୍ୱ, କର ଓ ଶୁଳ୍କ ଆଦି ଛାଡ଼ କରିଦେଇଥିଲେ । ରାଜତ୍ୱର ପଞ୍ଚମ ବର୍ଷରେ, ତିନିଶତ ବର୍ଷ ପୂର୍ବେ ନନ୍ଦ ଶାସନ ବେଳେ ଖୋଳା ହୋଇଥିବା କେନାଲକୁ ତନସୁଲୀ ତଥା ତୋଷାଳୀ ବାଟ ଦେଇ ସେ କଳିଙ୍ଗ ନଗରୀ ପର୍ଯ୍ୟନ୍ତ ସଂପ୍ରସାରିତ କରିଥିଲେ । ଖୋଦିତ କେନାଲର ପୁନଃ ସଂରକ୍ଷଣ ଓ ସଂପ୍ରସାରଣ କାର୍ଯ୍ୟ ଖାରବେଳଙ୍କ କୃଷିର ବିକାଶ ପ୍ରତି ରହିଥିବା ମାନସିକତା ପ୍ରତିପାଦନ କରେ । କିନ୍ତୁ ତା'ଠାରୁ ବଡ଼ କଥା 'ତିନିଶତ ବର୍ଷ'ର ଉଲ୍ଲେଖକୁ ମୂଳ କରି ଇତିହାସକାରମାନଙ୍କୁ ଏହା ଖାରବେଳଙ୍କ କାଳ ନିରୂପଣରେ ସାହାଯ୍ୟ କରେ, କାରଣ କଳିଙ୍ଗରେ ନନ୍ଦ ଶାସନର କାଳ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ବୋଲି ନିରୂପିତ ହୋଇସାରିଛି । ମାତ୍ର ଶିଳାଲେଖରେ ଉଲ୍ଲିଖିତ ପଦ 'ତି-ବସ-ସତ'କୁ କେତେକ ଐତିହାସିକ '୧୦୩ ବର୍ଷ' ବୋଲି ତର୍ଜମା କରନ୍ତି, ଯାହାର ଅର୍ଥ ହେବ ଉପରୋକ୍ତ 'ନନ୍ଦରାଜା' ଭାବରେ ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ବିଜୟ କରିଥିବା ଅଶୋକଙ୍କୁ ଶିଳାଲେଖ ଚିହ୍ନିତ କରୁଥାଇ ପାରେ । ଏହି ଉଲ୍ଲେଖର ଅନ୍ୟ ଅର୍ଥ ହେଲା ଯେ, ଖାରବେଳଙ୍କ ପରି ନନ୍ଦରାଜା ମଧ୍ୟ ଓଡ଼ିଶା(କଳିଙ୍ଗ) ଅଧିକାର କଲା ପରେ କୃଷିର ବିକାଶପାଇଁ କେନାଲ ଖନନକୁ ଅଗ୍ରାଧିକାର ଦେଇଥିଲେ ।

ରାଜତ୍ୱର ଅଷ୍ଟମ ବର୍ଷରୁ ଦ୍ୱାଦଶ ବର୍ଷ ମଧ୍ୟରେ ଖାରବେଳ ତିିନି ଥର ଉତ୍ତର ଭାରତ ଓ ଥରେ ଦକ୍ଷିଣ ଭାରତ ଅଭିମୁଖେ ଦିଗ୍‍ବିଜୟ କରିଥିଲେ । ଏହି ସାମରିକ ଅଭିଯାନଯୋଗୁଁ ସେ ମଥୁରା, ମଗଧର ରାଜଗୃହ ଓ ପାଟଳିପୁତ୍ର, ଆନ୍ଧ୍ରପ୍ରଦେଶର ପିଥୁଣ୍ତ ନଗରୀ ତଥା ତାମିଲନାଡୁର କେତେକ ରାଜ୍ୟ ଜୟ କରିଥିବାର ଉଲ୍ଲେଖ ରହିଛି । ସାମରିକ ଅଭିଯାନର ବିବରଣୀରୁ ମନେହୁଏ ଯେ, ବିଜିତ ରାଜ୍ୟଗୁଡ଼ିକରୁ ସେ ଧନରତ୍ନ, ପୁଣି ଅନେକ ସମୟରେ ଜୀନମୂର୍ତ୍ତିି (ମଗଧରୁ ପ୍ରାପ୍ତ) ତଥା ଜୈନଧର୍ମର ପବିତ୍ର କଳ୍ପ ବୃକ୍ଷ (ମଥୁରାରୁ ପ୍ରାପ୍ତ) ଲାଭ କରିଥିଲେ । ସେ ଉକ୍ତ ରାଜ୍ୟଗୁଡ଼ିକରେ ସ୍ଥାୟୀ ଭାବେ ରାଜତ୍ୱ ବିସ୍ତାର ପରିବର୍ତ୍ତେ ତାତ୍କାଳିକଲାଭ ଧନରତ୍ନ ପ୍ରାପ୍ତି ପ୍ରତି ଅଧିକ ଧ୍ୟାନ ଦେଉଥିଲେ । ପୁଣି କଦାଚିତ ରାଜାମାନେ (ଯଥା- ମଗଧର ରାଜା ବୃହସ୍ପତି ମିତ୍ର) ଯୁଦ୍ଧ ପୂର୍ବରୁ ବଶ୍ୟତା ସ୍ୱୀକାର କରୁଥିଲେ ଓ ଧନରତ୍ନ ଆଦି ପ୍ରଦାନ କରୁଥିଲେ । ଏହି ଧନରତ୍ନକୁ ଖାରବେଳ ନିଜ ପ୍ରଜାଙ୍କ ମଧ୍ୟରେ ଭୋଜନ ଆଦି ଆୟୋଜନ କରି ବଣ୍ଟନ କରିବାର ଉଦାହରଣ ରହିଛି । ଖାରବେଳଙ୍କ ବିଶେଷତ୍ୱ ହେଲା, ଖୁବ୍‍ ଅଧିକ ଯୁଦ୍ଧପ୍ରିୟ ହେବା ସତ୍ତ୍ୱେ ସେ ଜୈନଧର୍ମର ମଧ୍ୟ ପ୍ରଭୂତ ପୃଷ୍ଠପୋଷକତା କରିଥିଲେ । କୁମାରୀ ପର୍ବତ(ଉଦୟଗିରି)ରେ ସେ ଜୈନ ଅର୍ହତ ଓ ଭିକ୍ଷୁମାନଙ୍କପାଇଁ ଏକଶହ ସତରଟି ଗୁମ୍ଫା ଖୋଦନ କରାଇଥିଲେ ତଥା ସେମାନଙ୍କୁ ରେଶମ ଓ ଶୁକ୍ଳବସ୍ତ୍ର ପ୍ରଦାନ କରିଥଲେ । ଏହା ବ୍ୟତୀତ ଦ୍ୱିତୀୟ ରାଣୀ ସିଂହପଥଙ୍କ ଅନୁରୋଧରେ ସେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଯତି, ଶ୍ରମଣ, ତପସ୍ୱୀ, ଋଷି ଓ ବୌଦ୍ଧ ଭିକ୍ଷୁଙ୍କ ବିଶ୍ରାମ ପାଇଁ ଏକଲକ୍ଷରୁ ଊର୍ଦ୍ଧ୍ୱ ମୁଦ୍ରା ବ୍ୟୟକରି ମନୋରମ ଆଶ୍ରୟସ୍ଥଳୀ ନିର୍ମାଣ କରିଥିଲେ । ଏଥିରୁ ସିଦ୍ଧ ହୁଏ ଯେ, ଖାରବେଳଙ୍କର ଜୈନ ଧର୍ମ ପ୍ରତି ଆକର୍ଷଣ ଥିବା ସତ୍ତ୍ୱେ, ଅନ୍ୟ ଧର୍ମ ପ୍ରତି ଅସହିଷ୍ଣୁ ଭାବ ନଥିଲା ।   ଖାରବେଳଙ୍କ ଜନମଙ୍ଗଳ କାର୍ଯ୍ୟମାନ ରାଜଧାନୀକେନ୍ଦ୍ରିତ ଥିଲା । ରାଜଧାନୀ କଳିଙ୍ଗ ନଗରୀକୁ ବାଦ୍‍ ଦେଇ ଅନ୍ୟ କେଉଁଠି ସେ କେନାଲ ଖନନ ବା ପୁଷ୍କରିଣୀ ସୁଶୋଭନ ଆଦି କାର୍ଯ୍ୟ କରିଥିବାର ଉଲ୍ଲେଖ ତାଙ୍କ ଶିଳାଲେଖରୁ ମିଳେ ନାହିଁ । ଏଥିରୁ ଏକଥା ମଧ୍ୟ ଅନୁମିତ ହୁଏ ଯେ ତାଙ୍କର ପ୍ରତ୍ୟକ୍ଷ ଓ ପ୍ରକୃତ ଶାସନକ୍ଷେତ୍ର କଳିଙ୍ଗ ନଗରୀ ବାହାରେ ହୁଏତ ଖୁବ୍‍ ଅଧିକ ନଥିଲା । ପ୍ରାଚୀନ ଯୁଗର ଶାସନ ରୀତି ଯାହା ଥିଲା, ରାଜ୍ୟ ଜୟ ପରେ ବିଜିତ ରାଜ୍ୟରୁ ଧନସମ୍ପତ୍ତି ଲାଭ କରି ବା ବର୍ଷକୁ ବର୍ଷ ଦେୟ ପାଇବାର ପ୍ରତିଶ୍ରୁତି ପାଇ ବିଜୟୀ ରାଜା ସନ୍ତୁଷ୍ଟ ହେଉଥିଲେ । ଅନେକ ସମୟରେ ଯୁଦ୍ଧ ସଂଘଟିତ ହେବା ପୂର୍ବରୁ କ୍ଷୁଦ୍ର ରାଜ୍ୟମାନେ ଦିଗ୍‍ବିଜୟରେ ଆସିଥିବା ରାଜାଙ୍କ ବଶ୍ୟତା ସ୍ୱୀକାର କରିବାକୁ ମଧ୍ୟ ସମ୍ମତ ହୋଇଯାଉଥିଲେ । ଏହା ଯୁଦ୍ଧର କ୍ଷୟକ୍ଷତିକୁ ଏଡ଼ାଇବାରେ ସହାୟକ ହେଉଥିଲା ।

ହାତୀଗୁମ୍ଫା ଶିଳାଲେଖର ଉପଲବ୍ଧତା ଖାରବେଳଙ୍କୁ କିମ୍ୱଦନ୍ତୀ ବା ଜନଶ୍ରୁତିର ଊର୍ଦ୍ଧ୍ୱରେ ଏକ ଇତିହାସର ପାତ୍ର ରୂପେ ପ୍ରତିପାଦିତ କରେ । ଏହି ଶିଳାଲେଖ ତାଙ୍କୁ ଏକ ମହାବିଜୟୀ ସମ୍ରାଟ ରୂପେ ବର୍ଣ୍ଣନା କରିଛି । ମାତ୍ର ରାଜାଙ୍କ ଆଦେଶରେ ସେତେବେଳେ ଏଭଳି ଶିଳାଲେଖମାନ ଖୋଦିତ ହୋଇଥିବାରୁ ଅର୍ଥାତ୍‍ ଏହା ରାଜପ୍ରଶସ୍ତି ହୋଇଥିବାରୁ ତାହାର ସତ୍ୟାସତ୍ୟ ନିରୀକ୍ଷଣ କରିବାର ଆବଶ୍ୟକତା ମଧ୍ୟ ରହିଛି । ପୁଣି ହାତୀଗୁମ୍ଫା ଶିଳାଲେଖର ଅନେକ ଅଂଶ ନଷ୍ଟ ହୋଇଯାଇଥିବାରୁ ତାହାର ସଂପୂର୍ଣ୍ଣ ପାଠୋଦ୍ଧାର ହୋଇପାରିନାହିଁ । ଯେଉଁ ପାଠୋଦ୍ଧାର ହୋଇଛି, ଭାଷାର ଭିନ୍ନତାଯୋଗୁଁ ସେସବୁର ତର୍ଜମା ମଧ୍ୟ ସର୍ବସମ୍ମତ ନୁହେଁ । ତାହା ସତ୍ତ୍ୱେ, ଓଡ଼ିଶା ଇତିହାସର ଅନ୍ୟତମ ସର୍ବପ୍ରାଚୀନ ଲିଖିତ ଦସ୍ତାବିଜ୍‍ ଭାବରେ ତଥା ଖାରବେଳ ନାମରେ ଜଣେ ଦିଗ୍‍ବିଜୟୀ ବୀରଙ୍କୁ ଲୋକଲୋଚନକୁ ଆଣିଥିବା କାରଣରୁ ଏହି ଶିଳାଲେଖର ଐତିହାସିକ ମହତ୍ତ୍ୱ ଖୁବ୍‍ ଅଧିକ । ତତ୍‍କାଳୀନ ଅନ୍ୟ କୌଣସି ଦସ୍ତାବିଜ୍‍ ହସ୍ତଗତ ନ ହେବାଯାଏ, ହାତୀଗୁମ୍ଫା ଶିଳାଲେଖର ମହତ୍ତ୍ୱ ଯେ ଅବ୍ୟାହତ ରହିବ- ଏହା ସହଜରେ ଅନୁମେୟ ।


...

ଖାରବେଳ ପରବର୍ତ୍ତୀ ଓଡ଼ିଶା

  ଖାରବେଳ ପରବର୍ତ୍ତୀ ଓଡ଼ିଶାର ଇତିହାସ ପ୍ରାୟ ୮୦୦ ବର୍ଷ ଧରି ଖୁବ୍‍ ସ୍ପଷ୍ଟ ନୁହେଁ । ଏହି ଇତିହାସକୁ ଲିପିବଦ୍ଧ କରିବାପାଇଁ ଉପଲବ୍ଧ ଐତିହାସିକ ତଥ୍ୟ ପ୍ରମାଣ ଯଥେଷ୍ଟ ନୁହେଁ । ତେଣୁ, ତା'ର ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ଧାରାବାହିକ ବିଶ୍ଳେଷଣ ଆଜି ପର୍ଯ୍ୟନ୍ତ ସମ୍ଭବପର ହୋଇ ପାରିନାହିଁ । ବିଭିନ୍ନ ସ୍ଥାନରୁ ଆବିଷ୍କୃତ କେତେକ ତାମ୍ରଶାସନ, ମୁଦ୍ରା, ପ୍ରଶସ୍ତି ଓ ଅଭିଲେଖକୁ ଆଧାର କରି ଉକ୍ତ ସମୟର ଇତିହାସ ରଚନା କରିବାକୁ ଐତିହାସିକମାନେ ପ୍ରୟାସ କରିଛନ୍ତି । ଏଥିରୁ ମନେହୁଏ ଯେ, ଖାରବେଳ ପରବର୍ତ୍ତୀ ସମୟରେ ଓଡ଼ିଶା ଏକଶାସନାଧୀନ ନଥିଲା । ଏହା ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ଶାସକଙ୍କ ନିୟନ୍ତ୍ରଣକୁ ଆସିଥିଲା । ଏହି ସମୟରେ ଯେଉଁ ରାଜକୁଳମାନେ ଶାସନ କରିଥିଲେ, ସେମାନଙ୍କ ମଧ୍ୟରେ ରହିଥିଲେ ସାତବାହନ, ମୁରୁଣ୍ତ, ଗୁପ୍ତ, ମାଠର, ନଳ, ମାଣ, ଶରଭପୁରୀୟ ଓ ପୂର୍ବ-ଗଙ୍ଗବଂଶ । ଏହି ରାଜବଂଶମାନେ ପ୍ରାକୃତିକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଶାସନ କରିଥିଲେ ବୋଲି ଯତ୍‍କିଞ୍ଚିତ୍‍ ପ୍ରମାଣ ରହିଛି । କିନ୍ତୁ ସେମାନଙ୍କ ଶାସନ ସମ୍ୱନ୍ଧରେ ସବିଶେଷ ବିବରଣୀ, ତତ୍‍କାଳୀନ ସାମାଜିକ ଓ ଆର୍ଥିକ ଅବସ୍ଥା, ଲୋକ ସଂସ୍କୃତି ଆଦି ସୁସ୍ପଷ୍ଟ ନୁହେଁ ।

ସାତବାହନ   ଖାରବେଳଙ୍କ ଚେଦୀ ବଂଶର ସମସାମୟିକ ହେଲେ ଦକ୍ଷିଣର ସାତବାହନ ବଂଶ । ଖାରବେଳ ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ ବୋଲି ହାତୀଗୁମ୍ଫା ଶିଳାଲେଖରେ ଉଲ୍ଲେଖ ରହିଛି । ଚେଦୀ ବଂଶର ପତନ ପରେ ସାତବାହନମାନେ ଦ୍ୱିତୀୟ ଶତାବ୍ଦୀର ଆଦ୍ୟ ଭାଗରେ କଳିଙ୍ଗ ଓ କୋଶଳ ରାଜ୍ୟ ଜୟ କରିଥିଲେ ବୋଲି ବିଶ୍ୱାସ କରାଯାଏ । ପ୍ରଥମେ ଶିଶୁପାଳଗଡ଼ରେ ଏବଂ ପରେ ଶାଲିହୁଣ୍ତମ, ରାମତୀର୍ଥ ଓ ସଂଘରାମା ଆଦି ସ୍ଥାନରେ କେତେକ ସାତବାହନକାଳୀନ ମୁଦ୍ରା ଆବିଷ୍କୃତ ହୋଇଛି । ଉଦୟଗିରିଠାରେ ସ୍ଥାନିତ ଯକ୍ଷମୂର୍ତ୍ତିି ସହିତ ସାତବାହନକାଳୀନ ସାଞ୍ଚି ମୂର୍ତ୍ତିିକଳାର ସାମଞ୍ଜସ୍ୟ ଦେଖିବାକୁ ମିଳେ । ସାଞ୍ଚି, ସାତବାହନ ରାଜା ଦ୍ୱିତୀୟ ସାତକର୍ଣ୍ଣୀଙ୍କ ଅଧୀନରେ ରହିଥିଲା । ତେଣୁ କଳିଙ୍ଗ ଓ ସାତବାହନ ରାଜ୍ୟ ମଧ୍ୟରେ ରାଜନୈତିକ ଓ ସାଂସ୍କୃତିକ ସମ୍ପର୍କ ରହିଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି । ଏହି ସମ୍ପର୍କ ଦ୍ୱିତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା ବୋଲି ଅନୁମାନ କରାଯାଏ । ଗୌତମୀପୁତ୍ର ସାତକର୍ଣ୍ଣୀ ବୌଦ୍ଧ ଦାର୍ଶନିକ ନାଗାର୍ଜୁନଙ୍କ ଆଗ୍ରହରେ କୋଶଳର ପରିମଳଗିରିଠାରେ (ଆଧୁନିକ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶ) ଏକ ବୌଦ୍ଧ ବିହାର ନିର୍ମାଣ କରାଇଥିଲେ ବୋଲି ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂଙ୍କ ବିବରଣୀରୁ ସୂଚନା ମିଳେ ।

ମୁରୁଣ୍ତ ବଂଶ

  ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ସାତବାହନ ବଂଶର ପତନ ପରେ ମୁରୁଣ୍ତ ବଂଶ କଳିଙ୍ଗ ଅଧିକାର କରିଥିଲେ । ମୁରୁଣ୍ତମାନେ ଭାରତକୁ କୁଶାଣମାନଙ୍କ ସହିତ ମଧ୍ୟଏସିଆରୁ ଆସିଥିଲେ । କୁଶାଣମାନଙ୍କର ପତନ ପରେ ସେମାନେ ପୂର୍ବ ଭାରତରେ ନିଜର ରାଜ୍ୟ ପ୍ରତିଷ୍ଠା କରି ବହୁ ବର୍ଷଧରି ଶାସନ କରିଥିଲେ । ମୁରୁଣ୍ତମାନେ କଳିଙ୍ଗରେ ଶାସନ କରିଥିବା ବିଷୟ ସେମାନଙ୍କ ମୁଦ୍ରାରୁ ସୂଚନା ମିଳେ । କୁଶାଣ ପ୍ରାନ୍ତରେ ସେମାନେ ମୁଦ୍ରା ପ୍ରଚଳନ କରିଥିଲେ ଯାହା ପ୍ରଥମେ ପୁରୀ ଏବଂ ପରେ ଭଦ୍ରକ ଓ ଶିଶୁପାଳଗଡ଼ ଆଦି ସ୍ଥାନରୁ ଆବିଷ୍କୃତ ହୋଇଛି । ମୁରୁଣ୍ତ ରାଜତ୍ୱର ବହୁ ବର୍ଷ ପରେ ଲିଖିତ ମାଦଳାପାଞ୍ଜିରେ ରକ୍ତବାହୁ ନାମକ ଜଣେ ଯବନଙ୍କର ଜଗନ୍ନାଥ ମନ୍ଦିର ଆକ୍ରମଣ କଥା ବର୍ଣ୍ଣିିତ ହୋଇଛି । ଐତିହାସିକ ରାଖାଲ ଦାସ ବାନାର୍ଜୀଙ୍କ ମତରେ ରକ୍ତବାହୁ ଥିଲେ ସମ୍ଭବତଃ ମୁରୁଣ୍ତ ଶାସକ । କୁଶାଣର ସହଯୋଗୀ ସେନା ଭାବରେ ସେମାନେ (ମୁରୁଣ୍ତମାନେ) ଓଡ଼ିଶା ଆକ୍ରମଣ କରିଥିଲେ ଏବଂ କୁଶାଣ ବଂଶର ପତନ ପରେ ନିଜେ ସ୍ୱାଧୀନ ଭାବରେ ରାଜ୍ୟ ଶାସନ କଲେ । ମୁରୁଣ୍ତ ଶାସନ ଓଡ଼ିଶାର ଉପକୂଳ ଅଞ୍ଚଳରେ ରହିଥିଲା, କାରଣ କେବଳ ଏହି ଅଞ୍ଚଳରେ ମୁରୁଣ୍ତ ମୁଦ୍ରା ଆବିଷ୍କୃତ ହୋଇଛି । ଶିଶୁପାଳଗଡ଼ରୁ ଆବିଷ୍କୃତ ମୁଦ୍ରାରେ 'ମହାରାଜାଧିରାଜ ଧର୍ମଦାମୋଦରଙ୍କ ପ୍ରଚଳିତ ମୁଦ୍ରା' ବୋଲି ଉଲ୍ଲେଖ ରହିଛି । ସେତେବେଳେ ରାଜାମାନେ ନିଜର ପ୍ରଭୁତ୍ୱ ପ୍ରତିଷ୍ଠା ନିମନ୍ତେ ନିଜ ନାମରେ ମୁଦ୍ରା ପ୍ରଚଳନ କରୁଥିଲେ । ମାତ୍ର ଏକ ବୃହତ୍‍ ଅଞ୍ଚଳରେ ରାଜାଙ୍କର ସ୍ୱୀକୃତି ନଥିଲେ ଏହି ମୁଦ୍ରା ବାଣିଜ୍ୟ ବ୍ୟବସାୟର ମାଧ୍ୟମ ରୂପେ ବ୍ୟବହାର ହୋଇପାରିବ ନାହିଁ । ତେଣୁ କୁଶାଣମାନଙ୍କର ଦାୟାଦ ରୂପେ ଯେଉଁ ସାମନ୍ତ ଶାସକମାନେ ପ୍ରତିଷ୍ଠା ଲାଭ କରିଥିଲେ, ତନ୍ମଧ୍ୟରେ ମୁରୁଣ୍ତମାନେ ବୋଧହୁଏ ଥିଲେ ଅନ୍ୟତମ । କୁଶାଣ ସାମ୍ରାଜ୍ୟରେ ପ୍ରତିଷ୍ଠିତ ହୋଇଥିବା ଅନ୍ୟ କୁଶାଣ ଦାୟାଦ ବଂଶଗୁଡିକର ରାଜ୍ୟରେ ମଧ୍ୟ ଏହି ମୁଦ୍ରାର ସ୍ୱୀକୃତି ତଥା ପ୍ରଚଳନ ରହିଥିବାର ଅନୁମାନ କରାଯାଏ । ଗୁପ୍ତକାଳୀନ ଓଡ଼ିଶା

  ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ ଉତ୍ତର ଭାରତରେ ଗୁପ୍ତବଂଶର ଉତ୍‍ଥାନ ହେଲା । ଗୁପ୍ତବଂଶର ପରାକ୍ରମୀ ଶାସକ ସମୁଦ୍ରଗୁପ୍ତ ବାରମ୍ୱାର ଯୁଦ୍ଧ ଅଭିଯାନରେ ଯାଇ ଉତ୍ତର ଭାରତର ବହୁ ଅଂଶ ଓ ଦକ୍ଷିଣ ଭାରତର କେତେକ ଅଂଶ ନିଜ କର୍ତ୍ତୃତ୍ୱକୁ ଆଣିଥିଲେ । ଏକ ବୃହତ୍ତର ଗୁପ୍ତ ସାମ୍ରାଜ୍ୟ ସ୍ଥାପନରେ ଏହା ବିଶେଷ ସହାୟକ ହୋଇଥିଲା ।

ଆହ୍ଲାବାଦ ସ୍ତମ୍ଭ ଅଭିଲେଖରେ ସମୁଦ୍ରଗୁପ୍ତଙ୍କ ଦିଗ୍‍ବିଜୟ କଥା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି । ସମୁଦ୍ରଗୁପ୍ତଙ୍କ ସଭାକବି ହରିସେଣଙ୍କ ରଚନା ସେହି ସ୍ତମ୍ଭରେ ରହିଛି, ଯେଉଁଥିରେ ସମ୍ରାଟ ଅଶୋକଙ୍କ ଶିଳାଲେଖ ଅଛି । ସେହି ସ୍ତମ୍ଭ ଅଭିଲେଖ ଅନୁଯାୟୀ ସମୁଦ୍ରଗୁପ୍ତ ଦକ୍ଷିଣପଥ ଅଭିଯାନ ସମୟରେ କୋଶଳ, କଳିଙ୍ଗ ଆଦି ରାଜ୍ୟ ଜୟ କରିଥିଲେ । ସେ ଜିଣିଥିବା କୋଟ୍ଟୁର, ଏରଣ୍ତପଲ୍ଲୀ ଓ କୁବେର ରାଜ୍ୟ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଥିଲା ବୋଲି ଚିହ୍ନିତ କରାଯାଇଛି । ଯୁଦ୍ଧ ଜୟ ପରେ ସମୁଦ୍ରଗୁପ୍ତ ଦକ୍ଷିଣ ପଥର ସେହି ରାଜ୍ୟଗୁଡ଼ିକୁ ନିଜ ସାମ୍ରାଜ୍ୟରେ ସଂଲଗ୍ନ କରି ନଥିଲେ । ଗୁପ୍ତ ବଶ୍ୟତା ସ୍ୱୀକାର କଲା ପରେ ରାଜ୍ୟମାନେ ସ୍ୱତନ୍ତ୍ର ହୋଇ ରହିଥିଲେ । ଏହି କାରଣରୁ ଓଡ଼ିଶାରେ ଗୁପ୍ତ ରାଜତ୍ୱର ବିଶେଷ ପ୍ରଭାବ ଅନୁମିତ ହୋଇନଥିଲା । ରାଜନୈତିକ ନିୟନ୍ତ୍ରଣରେ ରହିନଥିବା ସତ୍ତ୍ୱେ ଓଡ଼ିଶାରେ ଗୁପ୍ତ ପ୍ରଭାବ ସଂସ୍କୃତି, ସ୍ଥାପତ୍ୟ, ବାଣିଜ୍ୟ ଆଦି କ୍ଷେତ୍ରରେ ରହିଥିବା ବିଶ୍ୱାସ କରାଯାଏ । ଓଡ଼ିଶାରେ ମିଳିଥିବା ଅନେକ ତାମ୍ର ଶାସନରେ 'ଗୁପ୍ତ ଯୁଗ'ର ଉଲ୍ଲେଖ ରହିଛି । ଖଲିକୋଟ ନିକଟସ୍ଥ ପଦ୍ମଖୋଲି ନାମକ ଏକ କ୍ଷୁଦ୍ର ରାଜ୍ୟର ଶାସକ ପୃଥ୍ୱୀବିଗ୍ରହ ନିଜକୁ 'ମହାରାଜା ଧର୍ମରାଜା' ଭାବରେ ନାମିତ କରି ଏଭଳି ଏକ ତାମ୍ରଶାସନ ଜାରି କରିଥିଲେ । ତହିଁରେ 'ଗୁପ୍ତାବ୍ଦ ୨୫୦' (ଖ୍ରୀଷ୍ଟାବ୍ଦ ୫୬୯-୫୭୦) ବୋଲି ଉଲ୍ଲେଖ ରହିଛି । ଏହାର ଅର୍ଥ ସମୁଦ୍ରଗୁପ୍ତଙ୍କ ପରେ ଷଷ୍ଠ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ଗୁପ୍ତାବ୍ଦର ପ୍ରଚଳନ ଥିଲା । ରାଜନୈତିକ ଅଧିକାର ନ ଥିବା ସତ୍ତ୍ୱେ ଓଡ଼ିଶାର ଅଭ୍ୟନ୍ତରରେ ଗୁପ୍ତାବ୍ଦର ପ୍ରଚଳନ ତତ୍‍କାଳୀନ ଇତିହାସକୁ ଅଧିକ ରହସ୍ୟାବୃତ କରିଦିଏ ।

ମାଠର ବଂଶ

  ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ମାଠର ନାମକ ଏକ ରାଜ ବଂଶର ଅଭ୍ୟୁତ୍‍ଥାନ ଦେଖିବାକୁ ମିଳେ । ମାଠରମାନେ ଦକ୍ଷିଣ ଓଡ଼ିଶାରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପନ କରି କେତେକ ପଡୋଶୀ ରାଜ୍ୟକୁ ଅଧିକାର କରିଥିବା କୁହାଯାଏ । ମାଠର ବଂଶ ଗୁପ୍ତମାନଙ୍କର ସମସାମୟିକ ଥିଲା । ମାତ୍ର ସମୁଦ୍ରଗୁପ୍ତଙ୍କ ଆହ୍ଲାବାଦ ସ୍ତମ୍ଭଲେଖରେ ଏହି ରାଜବଂଶର ଉଲ୍ଲେଖ ନଥିବାରୁ ଅନୁମିତ ହୁଏ ଯେ ସମ୍ଭବତଃ ସମୁଦ୍ରଗୁପ୍ତଙ୍କ ପରେ ଏହି ବଂଶର ଉଦୟ ହୋଇଥିଲା । କେତେକ ତାମ୍ରଶାସନକୁ ଅଧାର କରି ମାଠର ବଂଶାବଳୀ ନିର୍ଣ୍ଣୟ କରାଯାଏ । ଐତିହାସିକ ନବୀନ କୁମାର ସାହୁଙ୍କଦ୍ୱାରା ପ୍ରସ୍ତୁତ ମାଠର ବଂଶାବଳୀ ନିମ୍ନରେ ଦିଆଗଲା ।

 
 
 
ବିଶାଖା ବର୍ମା (ଖ୍ରୀଷ୍ଟାବ୍ଦ ୩୫୦-୩୬୦)
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
୨. ଉମା ବର୍ମା (୩୬୦-୩୯୫ ଖ୍ରୀଷ୍ଟାବ୍ଦ)୩. ଶଙ୍କର ବର୍ମା (୩୯୫-୪୦୦)
 
 
 
 
 
 
୪. ଶକ୍ତିବର୍ମା (୪୦୦-୪୨୦)
 
 
 
 
 
 
 
 
 
 
 
 
 
 
 
 
 
 
 
 
୫. ଅନନ୍ତ ଶକ୍ତି ବର୍ମା (୪୨୦-୪୫୦)୭. ପ୍ରଭଞ୍ଜନ ବର୍ମା (୪୬୦-୪୮୦)
 
 
 
 
 
 
 
 
୬. ଚନ୍ଦ୍ର ବର୍ମା (୪୫୦-୪୬୦)୮. ନନ୍ଦ ପ୍ରଭଞ୍ଜନ ବର୍ମା (୪୮୦-୪୯୮)
 
 

ଏହି ବଂଶାବଳୀରୁ ଜଣାଯାଏ ଯେ, ମାଠର ବଂଶର ପ୍ରତିଷ୍ଠାତା ଥିଲେ ବିଶାଖା ବର୍ମା । ସେ ୩୫୦ ଖ୍ରୀଷ୍ଟାବ୍ଦରେ ଶ୍ରୀପୁରଠାରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପନ କରିଥିଲେ । ସମ୍ଭବତଃ ସେ ରାଜବଂଶଜ ନଥିଲେ । ଏକ କ୍ଷୁଦ୍ରରାଜ୍ୟର ଅଧିପତି ହୋଇଥିବାରୁ ତାଙ୍କ ତାମ୍ରଶାସନରେ ସେ ନିଜକୁ କଳିଙ୍ଗାଧିପତି ବୋଲି ଉଲ୍ଲେଖ କରି ନାହାନ୍ତି । ବିଶାଖା ବର୍ମାଙ୍କ ପୁତ୍ର ଉମା ବର୍ମାଙ୍କ ସମୟରେ ମାଠର ରାଜ୍ୟ ବିସ୍ତାର ଲାଭ କରିଥିଲା । ସେ ଶ୍ୱେତକ ଅଞ୍ଚଳ (ଗଞ୍ଜାମ ଜିଲ୍ଲାର ଚିକିଟି) ଅଧିକାର କଲା ପରେ ସୁନଗରକୁ (ବଂଶଧାରା ନଦୀକୂଳସ୍ଥ ମୁଖଲିଙ୍ଗମ) ରାଜଧାନୀ ପରିବର୍ତ୍ତନ କରିଥିଲେ । ପରବର୍ତ୍ତୀ ସମୟରେ ଦକ୍ଷିଣ ଦିଗରେ ରାଜ୍ୟ ବିସ୍ତାର ହେବାରୁ ଶାସନର ସୁବିଧାପାଇଁ ବର୍ଦ୍ଧମାନପୁରକୁ ରାଜଧାନୀ ପରିବର୍ତ୍ତକରିଥିଲେ । କ୍ରମାଗତ ରାଜ୍ୟ ବିସ୍ତାର ନୀତି ଅବଲମ୍ୱନ କରି ଉମା ବର୍ମା ରାଜତ୍ୱର ୩୦ ବର୍ଷରେ ନିଜକୁ 'କଳିଙ୍ଗାଧିପତି' ବୋଲି ତାମ୍ରଶାସନରେ ଉଲ୍ଲେଖ କରିଥିଲେ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ନିକଟସ୍ଥ ସିଂହପୁରକୁ ରାଜଧାନୀ ପରିବର୍ତ୍ତନ କରିଥିଲେ । ସେ ପ୍ରଦାନ କରିଥିବା ଚାରିଗୋଟି ତାମ୍ରଶାସନରୁ ତାଙ୍କ କାର୍ଯ୍ୟକଳାପ ସମ୍ୱନ୍ଧରେ ସୂଚନା ମିଳେ । ମାଠର ରାଜାମାନଙ୍କ ମଧ୍ୟରେ ଉମା ବର୍ମା ଅଧିକ କାଳ ରାଜତ୍ୱ କରିଥିଲେ ଏବଂ ଅଧିକ ରାଜ୍ୟ ଜୟ ମଧ୍ୟ କରିଥିଲେ ।

ଏହି ସମୟରେ ଏକାଧିକ ମାଠର ରାଜା ଯଥା: ପ୍ରଭଞ୍ଜନ ବର୍ମା ଓ ଶେଷରାଜା ନନ୍ଦ ପ୍ରଭଞ୍ଜନ ବର୍ମା, ନିଜକୁ 'ସକଳ କଳିଙ୍ଗାଧିପତି' ବୋଲି ତାମ୍ରଶାସନରେ ଉଲ୍ଲେଖ କରିଛନ୍ତି । ବିଶେଷ କରି ନନ୍ଦ ପ୍ରଭଞ୍ଜନ ବର୍ମାଙ୍କ ସମୟରେ ଯେତେବେଳେ ମାଠର ରାଜ୍ୟ ବହିରାକ୍ରମଣର ଶିକାର ହୋଇ ସଂକୁଚିତ ହୋଇ ଆସିଥିଲା ଏବଂ ତା'ର ରାଜଧାନୀ ସିଂହପୁରଠାରୁ ବର୍ଦ୍ଧମାନପୁରକୁ ଫେରାଇ ଅଣାଯାଇଥିଲା, ସେତେବେଳେ ମଧ୍ୟ ଏହି ଉପାଧିର ଉଲ୍ଲେଖ ଏକ ଉପମା ମାତ୍ର ବୋଲି ମନେହୁଏ । ପଞ୍ଚମ ଶତାବ୍ଦୀର ଶେଷଭାଗରେ ପୂର୍ବ ଗଙ୍ଗବଂଶ କଳିଙ୍ଗରେ ଶାସନ ପ୍ରତିଷ୍ଠା କଲା ପରେ ମାଠର ରାଜବଂଶ ଲୋପ ପାଇଲା ।

ନଳ ରାଜବଂଶ

ପଞ୍ଚମ ଶତାବ୍ଦୀରେ ଯେତେବେଳେ ମାଠରମାନେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ ଓ ନିକଟବର୍ତ୍ତୀ ଅଞ୍ଚଳରେ ଶାସନ କରୁଥିଲେ, ସେହି ସମୟରେ ଦକ୍ଷିଣ ଓଡ଼ିଶାର ଅନ୍ୟ ଏକ ଅଞ୍ଚଳ ଅର୍ଥାତ୍‍ ଆଧୁନିକ କୋରାପୁଟ ଓ ଛତିଶଗଡ଼ର ବସ୍ତର ଅଞ୍ଚଳରେ ନଳରାଜବଂଶ ରାଜତ୍ୱ କରୁଥିଲେ । କେତେକ ତାମ୍ର ଶାସନ, ପ୍ରସ୍ତର ଅଭିଲେଖ ଓ ମୁଦ୍ରାରୁ ନଳ ରାଜତ୍ୱ ସମ୍ୱନ୍ଧରେ ଯତ୍‍କିଞ୍ଚିତ୍‍ ଧାରଣା କରିହୁଏ । ଐତିହାସିକ ନବୀନ କୁମାର ସାହୁଙ୍କଦ୍ୱାରା ପ୍ରସ୍ତୁତ ନଳ ରାଜବଂଶାବଳୀ ନିମ୍ନରେ ପ୍ରଦତ୍ତ ହେଲା ।


ନଳ ବଂଶାବଳୀ
 
 
 
ବୃଷଧ୍ୱଜ (ପ୍ରାୟ ୪୦୦ ଖ୍ରୀଷ୍ଟାବ୍ଦ)
 
 
 
ବରାହରାଜ (ପ୍ରାୟ ୪୪୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ)
 
 
 
ଭବଦତ୍ତ ବର୍ମା (ଖ୍ରୀ. ୪୪୦-୪୬୫)
 
 
 
ଅର୍ଥପତିରାଜ (ଖ୍ରୀ. ୪୬୫-୪୭୫)
 
 
 
ସ୍କନ୍ଦ ବର୍ମା (ଖ୍ରୀ. ୪୭୫-୫୦୦)
 
 
 
ପୃଥ୍ୱୀରାଜ
 
 
 
ବିରୂପରାଜ
 
 
 
ବିଳାସତୁଙ୍ଗ (ପ୍ରାୟ ୭୦୦ ଖ୍ରୀଷ୍ଟାବ୍ଦ)
 


  ବସ୍ତରର ନଳ ରାଜ ଭବଦତ୍ତ ବର୍ମାଙ୍କ ରିଠାପୁର ତାମ୍ରଶାସନ ଓ ସ୍କନ୍ଦ ବର୍ମାଙ୍କ କୋରାପୁଟର ପୋଡ଼ାଗଡ଼ ପ୍ରସ୍ତର ଅଭିଲେଖରୁ ନଳମାନଙ୍କ ସମ୍ୱନ୍ଧରେ ସୂଚନା ମିଳେ । ଏହା ବ୍ୟତୀତ ଆହ୍ଲାବାଦ ନିକଟସ୍ଥ ଭିଟା ଗ୍ରାମରୁ ଏକ ସିଲ୍‍ମୋହର ଆବିଷ୍କୃତ ହୋଇଛି । ଏଥିରେ ନଳ ବଂଶର ପ୍ରଥମ ରାଜା ବୃଷଧ୍ୱଜଙ୍କ ସମ୍ୱନ୍ଧରେ ଉଲ୍ଲେଖ ରହିଛି । ପ୍ରୟାଗଠାରେ ତୀର୍ଥଯାତ୍ରା ସମୟରେ ଭବଦତ୍ତ ବର୍ମା ରିଠାପୁର ତାମ୍ରଶାସନ ପ୍ରଦାନ କରିଥିଲେ । ଏଥିରେ ନଳରାଜ୍ୟ କୋରାପୁଟଠାରୁ ବେରାର ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ବୋଲି ଉଲ୍ଲେଖ ରହିଛି । ନଳରାଜାମାନଙ୍କର ବକାଟକ ରାଜ୍ୟ ସହ ଯୁଦ୍ଧ ହୋଇଥିବାର ଜଣାଯାଏ । ସେମାନଙ୍କର ରାଜଧାନୀ ପୁଷ୍କରୀ (ପୋଡ଼ଗଡ଼)ଠାରେ ସ୍ଥାପିତ ହୋଇଥିଲା । ଏକଦା ଶତ୍ରୁମାନେ ଏହା ପୋଡ଼ି ଦେଇଥିଲେ । ନଳରାଜତ୍ୱ ପ୍ରାୟ ଏକ ଶତାବ୍ଦୀ ପର୍ଯ୍ୟନ୍ତ (୪୦୦ରୁ ୫୦୦ ଖ୍ରୀଷ୍ଟାବ୍ଦ) ରହିଥିଲା ବୋଲି ଅନୁମାନ କରାଯାଏ ।

ମାଣ ବଂଶ

 ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀରେ ମାଠର ରାଜ୍ୟର ଉତ୍ତରରେ ଓ ମହାନଦୀର ଅପର ପାର୍ଶ୍ୱରେ ମାଣ ନାମରେ ଏକ ରାଜବଂଶ ଶାସନ କରୁଥିଲେ ବୋଲି ଦୁଇଟି ତାମ୍ରଶାସନରେ ଉଲ୍ଲେଖ ଅଛି । ଶମ୍ଭୁନାଥ ଥିଲେ ଏହି ବଂଶର ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ରାଜା । ସେ ୫୮୦ରୁ ୬୦୩ ଖ୍ରୀଷ୍ଟାବ୍ଦ ମଧ୍ୟରେ ବାଲେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ବ୍ୟାପିଥିବା ଏକ ବିଶାଳ ରାଜ୍ୟରେ ରାଜତ୍ୱ କରୁଥିବା ଜଣାଯାଏ । ସେ 'ପରମ ମାହେଶ୍ୱର ପରମ ଭଟ୍ଟାରକ ପରମଦେବତା ଦୈବତ' ଉପାଧିରେ ନିଜକୁ ଭୂଷିତ କରିଥିଲେ, ଯାହା ତାଙ୍କ ବର୍ଦ୍ଧିତ ରାଜପ୍ରଭାବର ସୂଚନା ଦିଏ । ତାଙ୍କ ଅଧୀନରେ ରହିଥିବା ଜଣେ ସାମନ୍ତ 'ମହାରାଜ ଶିବରାଜ' ତାମ୍ର ଶାସନ ପ୍ରଦାନ କରିଥିଲେ ।

ବିଗ୍ରହ ବଂଶ

 ମାଣବଂଶର ଏକ ସମସାମୟିକ ରାଜବଂଶ ହେଲେ ଆଧୁିନିକ ଗଞ୍ଜାମ ଅଞ୍ଚଳରେ ଶାସନ କରୁଥିବା ବିଗ୍ରହ ବଂଶ । ପୃଥିବୀ ବିଗ୍ରହ ଥିଲେ ଏହି ବଂଶର ପ୍ରଥମରାଜା । ସାମନ୍ତରାଜା ଧର୍ମରାଜଙ୍କ ଦ୍ୱାରା ୫୭୦ ଖ୍ରୀଷ୍ଟାବ୍ଦରେ ପ୍ରଦତ୍ତ ତାମ୍ରଶାସନରେ ପୃଥିବୀ ବିଗ୍ରହଙ୍କର ଉଲ୍ଲେଖ ରହିଛି । ବିଗ୍ରହମାନଙ୍କର ରାଜଧାନୀ ପଦ୍ମଖୋଲି (ଖଲ୍ଲିକୋଟ ନିକଟସ୍ଥ ପଦ୍ମଖୋଲ)ଠାରେ ରହିଥିଲା । ଲୋକବିଗ୍ରହ ଥିଲେ ଏହି ବଂଶର ଅନ୍ୟ ଜଣେ ରାଜା । ତାଙ୍କଦ୍ୱାରା ପ୍ରଦତ୍ତ କଣାସ ତାମ୍ର ଶାସନରୁ ଲୋକ ବିଗ୍ରହଙ୍କ ସମ୍ୱନ୍ଧରେ ସୂଚନା ମିଳେ । ସେହି ତାମ୍ରଶାସନ ଅନୁସାରେ ସେ ଦକ୍ଷିଣ ତୋଷାଳୀ ଓ କେତେକ ପାର୍ବତ୍ୟ ରାଜ୍ୟ (ଆଧୁନିକ ସମୟର ଗଡଜାତ ରାଜ୍ୟ)ରେ ଶାସନ କରୁଥିଲେ ।

ଶରଭପୁରୀୟ ବଂଶ

 ନଳବଂଶର ପତନ ପରେ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ଶେଷ ଭାଗରେ ଦକ୍ଷିଣ କୋଶଳରେ (ଆଧୁନିକ କଳାହାଣ୍ତି, ଖରିଆର ଓ ରାୟପୁର ଅଞ୍ଚଳ) ଶରଭପୁରୀୟ ବଂଶ ରାଜତ୍ୱ କରିବାକୁ ଲାଗିଲେ । ସେମାନେ ସମ୍ଭବତଃ ନଳରାଜାମାନଙ୍କ ଅଧୀନରେ ସ୍ଥାନୀୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ନଳବଂଶର ପତନ ପରେ ଦକ୍ଷିଣ କୋଶଳରେ ନିଜକୁ ରାଜା ଘୋଷଣା କରି ସେମାନେ ଶାସନ ଆରମ୍ଭ କଲେ । ଶରଭପୁର ଥିଲା ସେମାନଙ୍କ ରାଜଧାନୀ । ମନେହୁଏ, ସେମାନେ ଗୁପ୍ତରାଜ୍ୟର ସାମନ୍ତ ଭାବରେ ରାଜତ୍ୱ କରୁଥିଲେ । ଏହି ବଂଶର ପ୍ରଥମ ରାଜା ଶରଭଙ୍କ ପରେ ନରେନ୍ଦ୍ର ଶାସନ ଭାର ଗ୍ରହଣ କଲେ । ତାଙ୍କଦ୍ୱାରା ପ୍ରଦତ୍ତ ପିପର୍ଦୁଲା ଓ କୁରୁଡ଼ ତାମ୍ର ଶାସନରେ ଶରଭପୁରୀୟ ବଂଶ ସମ୍ୱନ୍ଧରେ ଉଲ୍ଲେଖ ରହିଛି । ଏହି ବଂଶର ରାଜା ମହେନ୍ଦ୍ରାଦିତ୍ୟ ଓ ପ୍ରସନ୍ନ ମାତ୍ରଙ୍କଦ୍ୱାରା ପ୍ରଚଳିତ କେତେକ ସ୍ୱର୍ଣ୍ଣମୁଦ୍ରା ଛତିଶଗଡ଼ର ରାୟପୁର, ବିଳାସପୁର ଓ କଳାହାଣ୍ତି ନିକଟସ୍ଥ ଖରିଆର ଓ ମାରାଗୁଡ଼ା ଅଞ୍ଚଳରୁ ଆବିଷ୍କୃତ ହୋଇଛି । ତେଣୁ ଉକ୍ତ ଅଞ୍ଚଳରେ ଶରଭପୁରୀୟ ମୁଦ୍ରାର ବ୍ୟବହାର ଥିବାର ତଥା ସେଠାରେ ଶରଭପୁରୀୟ ଶାସନ ରହିଥିବାର ଅନୁମାନ କରାଯାଏ । ଅନ୍ୟ ଜଣେ ଶରଭପୁରୀୟ ରାଜା ପ୍ରଥମ ସୁଦେବରାଜଙ୍କ ସମୟରେ ପ୍ରଦତ୍ତ ଛଅଗୋଟି ତାମ୍ର ଶାସନରୁ ଜଣାଯାଏ ଯେ, ଉକ୍ତ ରାଜା ଗଭୀର ଭଗବତ୍‍ ବିଶ୍ୱାସୀ ଥିଲେ ଓ ପିତାମାତାଙ୍କୁ ଭକ୍ତି କରୁଥିଲେ । ସେ ଯୋଦ୍ଧା ଥିଲେ । ପଣ୍ତିତମାନଙ୍କୁ ଜମି ପ୍ରଦାନ ଓ ଗୋଦାନ କରିଥିଲେ । ଶରଭପୁରୀୟମାନେ ସଂଶ୍ଳିଷ୍ଟ ଥିବା ଯୁଦ୍ଧ ସମ୍ପର୍କରେ କୌଣସି ତଥ୍ୟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ।

ପୂର୍ବ ଗଙ୍ଗବଂଶ

 ପୂର୍ବ ଗଙ୍ଗବଂଶ ବା ପ୍ରଥମ ଗଙ୍ଗବଂଶ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀର ଶେଷ ଭାଗରେ (୪୯୬ ଖ୍ରୀଷ୍ଟାବ୍ଦ) ମହେନ୍ଦ୍ରଗିରି ଅଞ୍ଚଳରେ ରାଜ୍ୟ ସ୍ଥାପନ କରି କାଳକ୍ରମେ ଏକ ପରାକ୍ରମଶାଳୀ ରାଜବଂଶ ରୂପେ ପରିଚୟ ପାଇଥିଲେ । ଅଷ୍ଟମ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ସେମାନଙ୍କର ପ୍ରଭୁତ୍ୱ ରହିଥିଲା । କଳିଙ୍ଗନଗର ସେମାନଙ୍କର ରାଜଧାନୀ ଥିଲା, ଯାହାକୁ ଶ୍ରୀକାକୁଲମ ଜିଲ୍ଲାର ମୁଖଲିଙ୍ଗମ୍‍ ବୋଲି ଚିହ୍ନିତ କରାଯାଏ । ଏହି ଜିଲ୍ଲାର ଦନ୍ତପୁରଠାରେ ଗଙ୍ଗମାନଙ୍କର ଦ୍ୱିତୀୟ ରାଜଧାନୀ ରହିଥିଲା । ସେମାନେ ନିଜକୁ 'ତ୍ରିକଳିଙ୍ଗାଧିପତି' ବୋଲି ତାମ୍ରଶାସନରେ ଉଲ୍ଲେଖ କରିଛନ୍ତି । ସମଗ୍ର କଳିଙ୍ଗ କ୍ଷେତ୍ରକୁ ଗଙ୍ଗମାନେ ଅଧିକାର କରିଥିବାର ଅନ୍ୟ କୌଣସି ଐତିହାସିକ ପ୍ରମାଣ ନାହିଁ ।

ଗଙ୍ଗମାନେ କର୍ଣ୍ଣାଟକର କୋଲାହଳପୁର (କୋଲାର) ଅଞ୍ଚଳରୁ କଳିଙ୍ଗକୁ ଆସିଥିଲେ ବୋଲି କୁହାଯାଏ । କଳିଙ୍ଗ ଗଙ୍ଗବଂଶର ପ୍ରଥମ ରାଜା ଥିଲେ ପ୍ରଥମ ଇନ୍ଦ୍ର ବର୍ମା । ସାମନ୍ତ ବର୍ମା, ହସ୍ତୀ ବର୍ମା, ଦ୍ୱିତୀୟ ଇନ୍ଦ୍ର ବର୍ମା, ତୃତୀୟ ଇନ୍ଦ୍ର ବର୍ମା ଓ ପ୍ରଥମ ଦେବେନ୍ଦ୍ର ବର୍ମା ଥିଲେ ଏହି ବଂଶର ଅନ୍ୟ କେତେକ ରାଜା । ହସ୍ତୀ ବର୍ମା ୫୭୭ ଖ୍ରୀଷ୍ଟାବ୍ଦରେ ନରସିଂହପଲ୍ଲୀ ତାମ୍ରଶାସନ ଓ ୫୭୮ଖ୍ରୀଷ୍ଟାବ୍ଦରେ ଉର୍ଲାମ ତାମ୍ର ଶାସନ ପ୍ରଦାନ କରିଥିଲେ । ଏଥିରେ ସେ ନିଜକୁ 'ରାଜସିଂହ' ଓ 'ରଣଭୀତ' (ଯାହାଙ୍କ ରଣ ଭୀତିପ୍ରଦାନ କରୁଥିଲା) ବୋଲି ଘୋଷଣା କରିଥିଲେ । ତୃତୀୟ ଇନ୍ଦ୍ର ବର୍ମାଙ୍କ ରାଜତ୍ୱ କାଳରେ ହୁଏନସାଂ କଳିଙ୍ଗ ଭ୍ରମଣରେ ଆସିଥିଲେ । ହୁଏନସାଂଙ୍କ ବିବରଣୀ ଅନୁଯାୟୀ ସେତେବେଳେ ଗଙ୍ଗ ଶାସିତ କଳିଙ୍ଗ ଏକ ସ୍ୱାଧୀନ ରାଜ୍ୟ ଥିଲା ଏବଂ ଏହାର ଉତ୍ତର ଦିଗରେ କଙ୍ଗୋଦ, ଦକ୍ଷିଣରେ ବେଙ୍ଗୀ ଓ ଉତ୍ତର-ପଶ୍ଚିମରେ କୋଶଳ ରାଜ୍ୟ ରହିଥିଲା । ରାଜଧାନୀ କଳିଙ୍ଗନଗରର ପରିଧି ପ୍ରାୟ ଚାରି ମାଇଲ ଥିଲା ଏବଂ ଏହା ଏକ ସମୃଦ୍ଧ ନଗରୀ ରୂପେ ଖ୍ୟାତି ଲାଭ କରିଥିଲା । ପଞ୍ଚମ ଦେବେନ୍ଦ୍ର ବର୍ମା ଥିଲେ ପୂର୍ବ ଗଙ୍ଗବଂଶର ଶେଷ ରାଜା । ତାଙ୍କ ପରେ ଏକାଦଶ ଶତାବ୍ଦୀର ଆଦ୍ୟ ଭାଗରେ ଉତ୍ତର ଗଙ୍ଗବଂଶ ବା ପରବର୍ତ୍ତୀ ଗଙ୍ଗବଂଶର ଉତ୍‍ଥାନ ଘଟିଥିଲା । ଶୈଳୋଦ୍ଭବ ରାଜବଂଶ

 ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ମଧ୍ୟଭାଗରୁ ଶୈଳୋଦ୍ଭବ ରାଜବଂଶ କଙ୍ଗୋଦ ମଣ୍ତଳରେ ଶାସନ କରିଥିଲେ । ଅଷ୍ଟମ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ (୭୨୫ ଖ୍ରୀଷ୍ଟାବ୍ଦ) ସେମାନଙ୍କର ଶାସନ ରହିଥିଲା । ଶୈଳୋଦ୍ଭବ ଶାସନର ଏକ ଐତିହାସିକ ମହତ୍ତ୍ୱ ହେଲା, ପ୍ରୟୋଜନୀୟ ଐତିହାସିକ ତଥ୍ୟ ପ୍ରମାଣ ଉପଲବ୍‍ଧ ହେବା ଯୋଗୁଁ ଏହି ସମୟରୁ ଓଡ଼ିଶାର ଇତିହାସ କ୍ରମଶଃ ସ୍ପଷ୍ଟତର ହେବାକୁ ଲାଗିଲା । ଖାରବେଳଙ୍କ ପରବର୍ତ୍ତୀ ସମୟରୁ ଦୀର୍ଘ ୮୦୦ ବର୍ଷ ଧରି ଇତିହାସ ରଚନା ଯେଉଁ ଅସ୍ପଷ୍ଟତା ମଧ୍ୟରେ ଗତି କରିଥିଲା,ତାହା ଶୈଳୋଦ୍ଭବ ଶାସନ ସମୟରୁ ଆଉ ପରିଲକ୍ଷିତ ହେଲାନାହିଁ । ଶୈଳୋଦ୍ଭବ ଶାସନ ତଥା ସମସାମୟିକ ସମାଜ ଓ ସଂସ୍କୃତିର ଅଧ୍ୟୟନ କରିବା ପାଇଁ ଅନେକ ତାମ୍ରଶାସନ ଉପଲବ୍ଧ ହେଲା । ଏହା ବ୍ୟତୀତ ଏହି ସମୟରେ ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂ ଓଡ଼ିଶା ଭ୍ରମଣ କରିଥିଲେ, ଯାହା ତାଙ୍କ ରଚିତ ବିବରଣୀରେ ବର୍ଣ୍ଣିିତ ହୋଇଛି । ଇତିହାସ ରଚନାପାଇଁ ଏହା ନିର୍ଭରଯୋଗ୍ୟ ପ୍ରାମାଣିକ ନିଦର୍ଶନ ରୂପେ ଗୃହୀତ ହେଲା ।

ଐତିହାସିକ ଡି. କେ. ଗାଙ୍ଗୁଲି ଶୈଳୋଦ୍ଭବ ଶାସନର ବଂଶାବଳୀକୁ ନିମ୍ନକ୍ରମରେ ସ୍ଥାପିତ କରିଛନ୍ତି ।

Odisha Itihasa.pdf
 କଙ୍ଗୋଦମଣ୍ତଳ ରାଜ୍ୟ କଳିଙ୍ଗ ଓ ଓଡ୍ରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଉତ୍ତରରେ ମହାନଦୀଠାରୁ ଦକ୍ଷିଣରେ ମହେନ୍ଦ୍ର ପର୍ବତ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା । କଙ୍ଗୋଦରେ ଶାସନ କରୁଥିବା ଶୈଳୋଦ୍ଭବ ବଂଶ ଉତ୍ତର ଭାରତରେ ଆଧିପତ୍ୟ ବିସ୍ତାର କରିଥିବା ହର୍ଷବର୍ଦ୍ଧନ, ଶଶାଙ୍କ ଓ ପୁଲକେଶୀଙ୍କ ସମସାମୟିକ ଥିଲେ । କଙ୍ଗୋଦ ପ୍ରଥମେ ଶଶାଙ୍କଙ୍କର ସାମନ୍ତ ରାଜ୍ୟ ଥଲା । ତାଙ୍କ ପରାଜୟ ପରେ ତାହା ହର୍ଷବର୍ଦ୍ଧନଙ୍କ ସାମନ୍ତ ରାଜ୍ୟ ହେଲା । ମାତ୍ର ଉତ୍ତର ଭାରତର ଏହି ରାଜାମାନଙ୍କ ମଧ୍ୟରେ ଲାଗିରହିଥିବା କଳହ ଓ ଯୁଦ୍ଧର ସୁଯୋଗ ନେଇ କଙ୍ଗୋଦ ଶୈଳୋଦ୍ଭବ ମାନଙ୍କର ନେତୃତ୍ୱରେ କେବେ କେବେ ସ୍ୱାଧୀନ ରାଜ୍ୟ ରୂପେ ପ୍ରତିଷ୍ଠିତ ହେବାକୁ ମଧ୍ୟ ଅବସର ପାଇଥିଲା ।

 ଶୈଳୋଦ୍ଭବକାଳୀନ ଏକ ତାମ୍ରଶାସନରେ ଏହି ବଂଶର ଉତ୍ପତ୍ତି ପ୍ରସଙ୍ଗ ଏକ କିମ୍ୱଦନ୍ତୀ ଭାବରେ ରହିଛି । କିମ୍ୱଦନ୍ତୀ ଅନୁଯାୟୀ କଳିଙ୍ଗ ରାଜ୍ୟରୁ ଅରାଜକତା ଦୂର କରିବା ନିମନ୍ତେ ଏକଦା ରାଜା ପୁଳିନ୍ଦସେନ ଶିବ ଉପାସନା କଲେ । ଏହାର ଫଳ ସ୍ୱରୂପ ଏକ ବିଶାଳ ଶିଳା ଦ୍ୱିଖଣ୍ତିତ ହୋଇ ତହିଁରୁ ଜଣେ ରାଜପୁରୁଷ ଆବିର୍ଭୂତ ହେଲେ । ଶୈଳୋଦ୍ଭବ ନାମରେ ପରିଚିତ ଏହି ରାଜପୁରୁଷ କଙ୍ଗୋଦ ରାଜ୍ୟ ପ୍ରତିଷ୍ଠା କରି ଅରାଜକତା ଦୂର କଲେ । ଯଦି ଇତିହାସ ଦୃଷ୍ଟିରୁ କିମ୍ୱଦନ୍ତୀଟିର ବିଶ୍ଳେଷଣ କରାଯାଏ, ତେବେ ଶୈଳୋଦ୍ଭବମାନେ ହେବେ ପାର୍ବତ୍ୟ ଅଞ୍ଚଳର ଅଧିବାସୀ । ଐତିହାସିକମାନେ ପୁଳିନ୍ଦ ଓ ଶୈଳଜକୁ ଶବର ପରି ମହେନ୍ଦ୍ରଗିରିର ଏକ ଆଦିବାସୀ ଜାତି ବୋଲି ଚିହ୍ନିତ କରନ୍ତି । ରାଜବଂଶଜ ନ ହେବା ସତ୍ତ୍ୱେ ସେମାନେ ରାଜ୍ୟ ଶାସନ କରିଥିବାରୁ ନିଜକୁ ଲୋକସ୍ୱୀକୃତ ତଥା ଗ୍ରହଣୀୟ କରିବାପାଇଁ ସମ୍ଭବତଃ କିମ୍ୱଦନ୍ତୀର ଆଶ୍ରୟ ନେଇଥିଲେ ।

 ଏହି ବଂଶର ପ୍ରତିଷ୍ଠାତା ଓ ପ୍ରଥମ ରାଜା ଶୈଳୋଦ୍ଭବଙ୍କ ସମ୍ୱନ୍ଧରେ କୌଣସି ବିଶେଷ ସୂଚନା ଏ ପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ । ତେଣୁ ଦ୍ୱିତୀୟ ରାଜା ପ୍ରଥମ ଧର୍ମରାଜ ରଣଭୀତଙ୍କୁ ଶୈଳୋଦ୍ଭବ ବଂଶର ପ୍ରକୃତ ପ୍ରତିଷ୍ଠାତା ରୂପେ ମାନ୍ୟତା ଦିଆଯାଏ । ଗୁପ୍ତାବ୍ଦ ୨୫୦ ବା ୫୬୯ ଖ୍ରୀଷ୍ଟାବ୍ଦରେ ତାଙ୍କଦ୍ୱାରା ପ୍ରଦତ୍ତ ସୁମଣ୍ତଳ ତାମ୍ରଶାସନରୁ ଜଣାଯାଏ ଯେ, ସେ ବିଗ୍ରହ ବଂଶର ରାଜା ପୃଥିବୀ ବିଗ୍ରହଙ୍କର ସାମନ୍ତ ରାଜା ଥିଲେ । ୬୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଶୈଳୋଦ୍ଭବମାନେ ବିଗ୍ରହ ରାଜ୍ୟର ସାମନ୍ତ ଥିବାର ପ୍ରମାଣ ରହିଛି । ବିଗ୍ରହମାନଙ୍କର ପତନର ସୁଯୋଗ ନେଇ ଛରମ୍ପରାଜ ପ୍ରଥମ ଅଯଶୋଭୀତ ଖ୍ରୀଷ୍ଟୀୟ ଷଷ୍ଠ ଶତାବ୍ଦୀର ଶେଷରେ କଙ୍ଗୋଦକୁ ସ୍ୱାଧୀନ ଘୋଷଣା କଲେ । ସେ ପ୍ରଦାନ କରିଥିବା ନୂଆପଲ୍ଲୀ ତାମ୍ରଶାସନରୁ ଜଣାଯାଏ ଯେ, ତାଙ୍କ ସମୟରେ କଙ୍ଗୋଦରେ ପ୍ରଶାସନର ସୁବିଧା ଲାଗି ଅନେକ ସାମନ୍ତ ଓ ରାଜକର୍ମଚାରୀ ରହିଥିଲେ । ରାଜକର୍ମଚାରୀଙ୍କ ମଧ୍ୟରେ ରହିଥିଲେ ଶ୍ରୀସାମନ୍ତ, ମହାସାମନ୍ତ, ଦଣ୍ତନାୟକ, କୁମାରାମାତ୍ୟ, ଉପାରିକ ଓ ଆୟୁକ୍ତଙ୍କ । ବିଜୟ କଙ୍ଗୋଦ ବାସକ ଥିଲା ତାଙ୍କର ରାଜଧାନୀ ।

 ଦ୍ୱିତୀୟ ମାଧବରାଜଙ୍କ ସମୟରେ କଙ୍ଗୋଦ କର୍ଣ୍ଣସୁବର୍ଣ୍ଣର ରାଜା ଶଶାଙ୍କଙ୍କର ସାମନ୍ତ ରାଜ୍ୟ ଥିଲା ବୋଲି ଗଞ୍ଜାମ ତାମ୍ର ଶାସନରୁ ଜଣାପଡେ଼ । ଶଶାଙ୍କ କୌଣସି ଯୁଦ୍ଧ ମାଧ୍ୟମରେ ନୂଆ କରି ଶୈଳୋଦ୍ଭବମାନଙ୍କୁ ପରାସ୍ତ କରିଥିବାର ପ୍ରମାଣ ନାହିଁ । ତେଣୁ ମନେହୁଏ, ବିଗ୍ରହମାନେ ଶଶାଙ୍କ ରାଜାଙ୍କର ସାମନ୍ତ ଥିଲେ ଏବଂ ଶୈଳୋଦ୍ଭବ ରାଜା ବିଗ୍ରହମାନଙ୍କ ନିୟନ୍ତ୍ରଣରୁ ସ୍ୱାଧୀନ ହୋଇ ସିଧାସଳଖ ଶଶାଙ୍କଙ୍କର 'ମହାସାମନ୍ତ' ହେବାର କ୍ଷମତା ହାସଲ କରିଥିଲେ, ଯାହା ଅନେକ କାଳ ପର୍ଯ୍ୟନ୍ତ ଅବ୍ୟାହତ ରହିଥିଲା । ଖ୍ରୀ.୬୨୦ ପୂର୍ବରୁ ଶଶାଙ୍କ ଓଡ୍ର, ଦଣ୍ତଭୁକ୍ତି ଓ ଉତ୍କଳ ଅଧିକାର କରିଥିଲେ । ତାଙ୍କର କଙ୍ଗୋଦ ଆକ୍ରମଣ କଥା କେଉଁଠାରେ ଉଲ୍ଲେଖ ନାହିଁ । ଅନ୍ୟ ପକ୍ଷରେ ଶୈଳୋଦ୍ଭବ ରାଜା ମାଧବରାଜ ୬୨୦ ଖ୍ରୀଷ୍ଟାବ୍ଦରେ ନିଜକୁ ଶଶାଙ୍କଙ୍କର 'ମହାସାମନ୍ତ' ବୋଲି ଘୋଷଣା କରିଛନ୍ତି । ଏହାର ଅର୍ଥ ହେବ, କଙ୍ଗୋଦ ପୂର୍ବରୁ ଶଶାଙ୍କଙ୍କର ଅଧିକାରଭୁକ୍ତ ଥିଲା । ଖ୍ରୀ ୬୨୫ରେ ଶଶାଙ୍କଙ୍କର ମୃତ୍ୟୁ ପରେ ମାଧବରାଜ ନିଜକୁ ସ୍ୱାଧୀନ ଘୋଷଣା କଲେ । ଅଶ୍ୱମେଧ ଯଜ୍ଞ ଆୟୋଜନ କରି ନିଜକୁ ସକଳ କଳିଙ୍ଗାଧିପତି ବୋଲି ନାମିତ କଲେ । ମାତ୍ର ୬୪୨ରେ ହର୍ଷବର୍ଦ୍ଧନ କଙ୍ଗୋଦ ଅଧିକାର କରି ପୁନଶ୍ଚ ଶୈଳୋଦ୍ଭବ ମାନଙ୍କୁ ସାମନ୍ତ ପଦରେ ରଖିଲେ । ୬୪୭ରେ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ପରେ ଶୈଳୋଦ୍ଭବମାନେ ପୁନର୍ବାର ନିଜକୁ ସ୍ୱାଧୀନ ଘୋଷଣା କଲେ ।

 ଶୈଳୋଦ୍ଭବମାନଙ୍କ ସମୟରେ ଜ୍ୟେଷ୍ଠାଧିକାର ନିୟମ ରହିଥିଲା, ମାତ୍ର କନିଷ୍ଠ ମାଧବ ରାଜ ନାମକ ଜଣେ ଶୈଳୋଦ୍ଭବ ରାଜା ତାକୁ ଉଲ୍ଲଙ୍ଘନ କରିଥିବାର ନଜିର ମଧ୍ୟ ରହିଛି । ଶୈଳୋଦ୍ଭବମାନେ ବ୍ରାହ୍ମଣ୍ୟଧର୍ମର ପୃଷ୍ଠପୋଷକ ଥିଲେ, ଯଦିଓ ସେତେବେଳକୁ କଳିଙ୍ଗରେ ବୌଦ୍ଧ ଓ ଜୈନ ଧର୍ମର ପ୍ରସାର ଊଣା ନଥିଲା । ରାଜା ଦ୍ୱିତୀୟ ଧର୍ମରାଜଙ୍କ ରାଣୀ ରାଜାଙ୍କ ବିପରୀତ ଜୈନ ଧର୍ମର ପୃଷ୍ଠପୋଷକତା କରିଥିବାର ଉଲ୍ଲେଖ ରହିଛି । ଏଥିରୁ ମନେହୁଏ ଯେ, ଧର୍ମ ଆଧାରରେ ଲୋକେ ନିଜକୁ ଭାଗ ଭାଗ କରୁ ନଥିଲେ ଏବଂ ଗୋଟିଏ ପରିବାରରେ ମଧ୍ୟ ଏକାଧିକ ଧର୍ମର ପ୍ରବେଶ ରହିଥିଲା । ରାଜ୍ୟ ବିସ୍ତାରପାଇଁ ଶୈଳୋଦ୍ଭବମାନେ ଅଶ୍ୱମେଧ ଓ ବାଜପେୟ ଯଜ୍ଞକୁ ମାଧ୍ୟମ କରିଥିବାର ଉଦାହରଣ ରହିଛି । ଯେଉଁ ରାଜା ବଶ୍ୟତା ସ୍ୱୀକାର କରିବାକୁ ଅନିଚ୍ଛୁକ ଥିଲେ କେବଳ ସେହି ରାଜାଙ୍କ ବିରୁଦ୍ଧରେ ଯଜ୍ଞର ଆୟୋଜକ ବା ରାଜ୍ୟ ବିସ୍ତାରପାଇଁ ଆଗ୍ରହୀ ରାଜା ଯୁଦ୍ଧ କରୁଥିଲେ । ବଶ୍ୟତା ସ୍ୱୀକାର କରି କେତେକ ରାଜା ସାମନ୍ତ ସ୍ତରକୁ ଅବନୀତ ହେଉଥିବା ବେଳେ ଯଜ୍ଞ ଆୟୋଜନ କରି ଅନ୍ୟ କେତେକ ରାଜା ବିଶାଳ ସାମ୍ରାଜ୍ୟର ଅଧିକାରୀ ହେଉଥିଲେ । ସାମନ୍ତ ରାଜା ଉପରିସ୍ଥ ରାଜାକୁ ଉପହାର, ଭେଟି ଆଦି ଦେଇ ନିଜ କ୍ଷେତ୍ରରେ କର୍ତ୍ତୃତ୍ୱ ବଜାୟ ରଖୁଥିଲେ । ଏହିଭଳି ଭାବେ ସ୍ତରକୁ ସ୍ତର ହୋଇ ରାଜାମାନଙ୍କ ମଧ୍ୟରେ ଏକ ସାମନ୍ତୀ ସମ୍ୱନ୍ଧ ଗଢ଼ି ଉଠୁଥିଲା । ଶୈଳୋଦ୍ଭବ ଶାସନ ସମୟର ଓଡ଼୍ର ଓ କଙ୍ଗୋଦରେ ଏହା ପରିଲକ୍ଷିତ ହୁଏ ।

ଶୈଳୋଦ୍ଭବ ଶାସନ କାଳର ଏକ ବଡ଼ ଐତିହାସିକ ଘଟଣା ହେଲା ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂଙ୍କ ଓଡ଼ିଶା ଭ୍ରମଣ । ହୁଏନସାଂ ସମ୍ଭବତଃ ୬୩୯ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଓଡ୍ର, କଳିଙ୍ଗ, କଙ୍ଗୋଦ ଓ କୋଶଳ ରାଜ୍ୟ ଭ୍ରମଣ କରିଥିଲେ । ତାଙ୍କ ବିବରଣୀରେ ଏହାର ଉଲ୍ଲେଖ ରହିଛି । ଓଡ୍ର, ଯାହାକୁ ସେ ୟୁ ଚା ବୋଲି ଲେଖିଛନ୍ତି, ତାହା ସେତେବେଳେ ହର୍ଷବର୍ଦ୍ଧନଙ୍କ ନିୟନ୍ତ୍ରଣରେ ଥିଲା। ହର୍ଷବର୍ଦ୍ଧନଙ୍କଦ୍ୱାରା ନିଯୁକ୍ତ ଜଣେ ସାମରିକ ଅଧିକାରୀ ଏହାର ପ୍ରଶାସନ ଦାୟିତ୍ୱରେ ରହିଥିଲେ। ବର୍ତ୍ତମାନ ବଙ୍ଗର ମେଦିିନିପୁର ଓ ଓଡ଼ିଶାର ଉପକୂଳ ଜିଲ୍ଲା ବାଲେଶ୍ୱର, କଟକ ଓ ପୁରୀର କିଛି ଅଂଶକୁ ନେଇ ଓଡ୍ର ରାଜ୍ୟ ଗଠିତ ହୋଇଥିଲା।

 ହୁଏନ୍‍ସାଂ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଓଡ୍ର ଅଞ୍ଚଳର ଲୋକଙ୍କର ବର୍ଣ୍ଣ ଶ୍ୟାମଳ,ଆକୃତି ଦୀର୍ଘ ଓ ସ୍ୱଭାବ ଉଗ୍ର ଥିଲା। ସେମାନଙ୍କ ଭାଷା ଓ ଭାବ ମଧ୍ୟ-ଭାରତରୁ ଭିନ୍ନ ଥିଲା। ରାଜ୍ୟରେ ମହାଯାନ ବୌଦ୍ଧଙ୍କର ପ୍ରଭାବ ରହିଥିଲା। ପ୍ରାୟ ଶହେଟି ବୌଦ୍ଧ ବିହାରରେ ଅନ୍ୟୂନ ଦଶ ହଜାର ବୌଦ୍ଧ ଭିକ୍ଷୁ ରହିଥିଲେ। ଅନେକ ମନ୍ଦିର ଏହି ରାଜ୍ୟରେ ରହିଥିବାର ହୁଏନ୍‍ସାଂ ଲେଖିଛନ୍ତି। ବିବରଣୀରେ ପୁଷ୍ପଗିରି (ପୁସି ପୋକିଲି)ର ଉଲ୍ଲେଖ ରହିଛି- ଯାହା ବୌଦ୍ଧବିହାର ଭାବରେ ଖୁବ୍‍ ପ୍ରସିଦ୍ଧି ଅର୍ଜନ କରିଥିଲା। ଏହା ବ୍ୟତୀତ ହୁଏନସାଂ ଓଡ୍ର ରାଜ୍ୟର ଦକ୍ଷିଣ-ପଶ୍ଚିମ ଉପକୂଳରେ 'ଚେଲିତାଲୋ' ନାମକ ଏକ ସହର ଥିବାର ବର୍ଣ୍ଣନା କରିଛନ୍ତି। ଏହା ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଥିଲା। ଐତିହାସିକମାନେ ଏହି ସହରକୁ 'ଶ୍ରୀକ୍ଷେତ୍ର' ପୁରୀ ସହ ଚିହ୍ନିତ କରନ୍ତି।

 କଙ୍ଗୋଦକୁ 'କଙ୍ଗୟୋ ତୋ' ବୋଲି ଉଲ୍ଲେଖ କରି ହୁଏନ୍‍ସାଂ ଲେଖିଛନ୍ତି ଏହା ଏକ ପାର୍ବତ୍ୟ ରାଜ୍ୟ ଥିଲା। ଲୋକଙ୍କର ବର୍ଣ୍ଣ ଶ୍ୟାମଳ ଏବଂ ସ୍ୱଭାବ ପରାକ୍ରମୀ ଥିବାର ଉଲ୍ଲେଖ ରହିଛି। କଙ୍ଗୋଦର ଲୋକେ ବ୍ୟବହାର କରୁଥିବା ଲିପି ଓ ମଧ୍ୟ-ଭାରତର ଲିପି ମଧ୍ୟରେ ପାର୍ଥକ୍ୟ ନଥିଲେ ମଧ୍ୟ, ଶୈଳୀରେ ପାର୍ଥକ୍ୟ ରହିଥିଲା। ହୁଏନ୍‍ସାଂଙ୍କ ଅନୁଯାୟୀ କଙ୍ଗୋଦରେ ବୌଦ୍ଧଧର୍ମ ଅବକ୍ଷୟଗାମୀ ଥିଲା। ମାତ୍ର ରାଜ୍ୟରେ ଶତାଧିକ ହିନ୍ଦୁ ଦେବଦେବୀ ମନ୍ଦିର ରହିଥିଲା ଓ ପ୍ରାୟ ଦଶ ହଜାର ଜୈନ ସନ୍ୟାସୀ ରହିଥିଲେ। ବ୍ୟବସାୟୀମାନେ କଉଡ଼ିକୁ ବିିନିମୟର ମାଧ୍ୟମ ରୂପେ ବ୍ୟବହାର କରୁଥିଲେ। କଙ୍ଗୋଦରେ ଉଚ୍ଚକୋଟୀର ହସ୍ତୀ ରହିଥିଲେ - ଯାହାକୁ ବାହାର ରାଜ୍ୟଗୁଡ଼ିକ କଙ୍ଗୋଦରୁ ଆମଦାନୀ କରୁଥଲେ।

 କି ଲିଙ୍ଗ କିଆ (କଳିଙ୍ଗ) ଭ୍ରମଣ କରି ହୁଏନ୍‍ସାଂ ଲେଖିଛନ୍ତି ଯେ କଙ୍ଗୋଦ ପରି କଳିଙ୍ଗ ରାଜ୍ୟର ରାଜାମାନେ ମଧ୍ୟ ଉଚ୍ଚକୋଟୀର ହସ୍ତୀ ରପ୍ତାନି କରୁଥିଲେ। ଲୋକଙ୍କର ଭାଷା ମଧ୍ୟଭାରତରେ ପ୍ରଚଳିତ ଭାଷାଠାରୁ ପୃଥକ ଥିଲା। ଶତାଧିକ ଦେବମନ୍ଦିର ସହିତ କଳିଙ୍ଗରେ ଅନେକ ବୌଦ୍ଧ ବିହାର ରହିଥିବା କଥା ବିବରଣୀରେ ଉଲ୍ଲେଖ ଅଛି।

 କଳିଙ୍ଗରୁ ହୁଏନ୍‍ସାଂ କୋଶଳ ରାଜ୍ୟକୁ ଭ୍ରମଣ କରିଥିଲେ ବୋଲି ବିଶ୍ୱାସ କରାଯାଏ। କୋଶଳରେ ସେତେବେଳେ ଶରଭପୁରୀୟ ବଂଶ ଶାସନ କରୁଥିଲେ। ଆଧୁିନିକ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ରାୟପୁର ଓ ବିଳାସପୁର ଅଞ୍ଚଳ କୋଶଳର ଅନ୍ତର୍ଭୁକ୍ତ ଥିଲା। ମହାଯାନପନ୍ଥୀଙ୍କର ରାଜ୍ୟରେ ପ୍ରଭାବ ରହିଥିଲା। କୋଶଳରେ ଶତାଧିକ ବୌଦ୍ଧ ବିହାର ରହିଥିବା କଥା ହୁଏନ୍‍ସାଂ ଲେଖିଛନ୍ତିି। 'ପୋଲୋମଲୋକିଲି' (ପରିମଳଗିରି)ଠାରେ ଏକ ବୃହତ୍‍ ବୌଦ୍ଧ ବିହାର ରହିଥିବା କଥା ବିବରଣୀରେ କୁହାଯାଇଛି। ଆଧୁନିକ ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତାଞ୍ଚଳକୁ ପରିମଳ ଗିରି ବୋଲି ଐତିହାସିକମାନେ ଚିହ୍ନିତ କରନ୍ତି। ବୌଦ୍ଧ ବିହାର ବ୍ୟତୀତ ଅନେକ ସଂଖ୍ୟାରେ ଦେବମନ୍ଦିର ମଧ୍ୟ ରାଜ୍ୟରେ ରହିଥିବା କଥା ବିବରଣୀରେ କୁହାଯାଇଛି। କୋଶଳରୁ ହୁଏନ୍‍ସାଂ ଆନ୍ଧ୍ର ଅଭିମୁଖେ ଯାତ୍ରା କରିଥିଲେ ବୋଲି ବିଶ୍ୱାସ କରାଯାଏ।

 ହୁଏନ୍‍ସାଂଙ୍କ ବିବରଣୀରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ସେତେବେଳେ ଓଡ଼ିଶାର ବିଭିନ୍ନ ରାଜ୍ୟ ତଥା ଓଡ୍ର, କଳିଙ୍ଗ ଓ କଙ୍ଗୋଦରେ ବ୍ୟବହୃତ ହେଉଥିବା ଭାଷା ମଧ୍ୟ-ଭାରତରୁ ପୃଥକ ଥିଲା। ଯଦିଓ ଏହି ତିିନି ରାଜ୍ୟରେ ବ୍ୟବହୃତ ଭାଷା ମଧ୍ୟରେ କେତେକ ସାମଞ୍ଜସ୍ୟ ରହିଥିଲା, କୌଣସିଠାରେ ତା'ର ଉଲ୍ଲେଖ ନାହିଁ; ଭାଷା ଭିତ୍ତିରେ ଓଡ଼ିଶାର ରାଜ୍ୟଗୁଡ଼ିକ ଏକ ସ୍ୱତନ୍ତ୍ର ପରିଚୟ ରଖୁଥିଲେ। ତେଣୁ, ଅନେକ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିବା ସତ୍ତ୍ୱେ ବାହାର ଅଞ୍ଚଳରେ କଳିଙ୍ଗ ଗୋଟିଏ ଅଞ୍ଚଳ ବୋଲି ପରିଗଣିତ ହେଉଥିଲା। ଏହି ଆଧାରରେ ଶୈଳୋଦ୍ଭବ ରାଜାମାନେ ଏବଂ ତାଙ୍କ ପୂର୍ବରୁ ଅନ୍ୟ ରାଜାମାନେ ନିଜକୁ 'ସକଳ କଳିଙ୍ଗାଧିପତି' ନାମରେ ପରିଚୟ ଦେବାରେ ଗୌରବ ଅନୁଭବ କରୁଥିଲେ।

ଅଷ୍ଟମ ଶତାବ୍ଦୀର ଆରମ୍ଭରେ ଶୈଳୋଦ୍ଭବ ଶାସନର ପତନ ହେଲା। ଭୌମକର ବଂଶର ରାଜା ପ୍ରଥମ ଶିବକର ଦେବ ଉନ୍ମତ୍ତ କେଶରୀ ସେମାନଙ୍କୁ କଙ୍ଗୋଦରୁ ବିତାଡ଼ିତ କଲେ। ରାଜ୍ୟରୁ ବିତାଡ଼ିତ ହେବା ପରେ ଅଲ୍ଲପରାଜ ନାମକ ଜଣେ ଶୈଳୋଦ୍ଭବଙ୍କୁ ନସୁଣ୍ତା ପର୍ବତରେ ଅଭିଷେକ କରାଯାଇଥିଲା। ଅର୍ଥାତ୍‍ ଶୈଳୋଦ୍ଭବମାନେ ଭୌମକର ବଂଶର ଉଦୟ ପରେ ପୁଣି ପାର୍ବତ୍ୟ ଅଞ୍ଚଳକୁ ଚାଲି ଯାଇଥିବାର ଅନୁମାନ କରାଯାଏ।

...

ଭୌମକର ଶାସନ

  ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଆଦ୍ୟ ଭାଗରେ ଶୈଳୋଦ୍ଭବ ରାଜତ୍ୱର ପତନ ସମୟରେ ଓଡ଼ିଶାର ତୋଷାଳୀ କ୍ଷେତ୍ରରେ ଭୌମକରମାନେ ଏକ ରାଜ୍ୟ ପ୍ରତିଷ୍ଠା କରି ରାଜତ୍ୱ ଆରମ୍ଭ କଲେ। ତୋଷାଳୀ ରାଜ୍ୟ ଏହି ସମୟରେ ଉତ୍ତରରେ ଦଣ୍ତଭୁକ୍ତି (ମେଦିନିପୁର)ଠାରୁ ଆରମ୍ଭ କରି ଦକ୍ଷିଣରେ ମହେନ୍ଦ୍ର ପର୍ବତ (ଗଞ୍ଜାମ) ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା। ପ୍ରାୟ ଦୁଇଶହ ବର୍ଷ ଧରି (ଖ୍ରୀ.୭୩୬ ରୁ ଖ୍ରୀ.୯୨୩) ଭୌମକରମାନେ ରାଜ୍ୟ ଶାସନ କରିଥିଲେ। ଉପକୂଳ ଅଞ୍ଚଳ ବ୍ୟତୀତ ସେମାନେ ପଡୋଶୀ କଳିଙ୍ଗ ଓ ଓଡ୍ର ଅଞ୍ଚଳଗୁଡ଼ିକୁ ମଧ୍ୟ ନିଜ ଅଧୀନକୁ ଆଣିବାକୁ ଅନେକ ସମୟରେ ଉଦ୍ୟମ କରୁଥିଲେ ଏବଂ ସେହି ଆଧାରରେ କେତେକ ଭୌମକର ରାଜା ନିଜକୁ 'ସକଳ କଳିଙ୍ଗାଧିପତି' ବୋଲି ଘୋଷଣା କରିଥିଲେ। ସେମାନେ ନିଜକୁ ଉତ୍କଳର ବୋଲି ମଧ୍ୟ କହୁଥିଲେ। ପ୍ରାକୃତିକ ଓଡ଼ିଶା ବାହାରେ ବଙ୍ଗର ରାଢ଼ ରାଜ୍ୟ ସହ ଯୁଦ୍ଧ କରି ସେମାନେ ବିଜୟୀ ହୋଇଥିବାର ପ୍ରମାଣ ରହିଛି। ଗୁହଦେବ ପାଟକ (ଯାଜପୁର କ୍ଷେତ୍ର) ସେମାନଙ୍କର ରାଜଧାନୀ ଥିଲା। ଅନେକ ଭୌମରାଜା ବୌଦ୍ଧ ଉପାସକ ଥିଲେ, ମାତ୍ର ବ୍ରାହ୍ମଣ୍ୟ ଧର୍ମ ଓ ତା'ର ବର୍ଣ୍ଣଭେଦ ନୀତିର ପ୍ରଭାବ ମଧ୍ୟ ସେମାନଙ୍କ ଉପରେ ପ୍ରଭୂତ ମାତ୍ରାରେ ରହିଥିଲା। ବିଶେଷକରି ବୌଦ୍ଧଧର୍ମର ଅହିଂସା ନୀତିର ସେମାନେ ଅନୁଗାମୀ ନଥିଲେ। ଏହି ବଂଶର ଅନ୍ୟୂନ ଛଅ ଜଣ ରାଣୀ ରାଜ୍ୟ ଶାସନ କରିଥିବାର ଦୃଷ୍ଟାନ୍ତ ରହିଛି। ଅଷ୍ଟମ ଓ ନବମ ଶତାବ୍ଦୀର ସାମାଜିକ ପରିବେଶରେ ରାଣୀମାନଙ୍କର ରାଜ୍ୟ ଶାସନର ଦୃଷ୍ଟାନ୍ତ ଭାରତ ଇତିହାସରେ ଅନ୍ୟ କେଉଁଠି ନାହିଁ। ଏହି ଦୃଷ୍ଟିରୁ ଭୌମକର ରାଜବଂଶର ଐତିହାସିକ ମହତ୍ତ୍ୱ ସମକାଳୀନ ଭାରତରେ ଖୁବ୍‍ ଅଧିକ ବୋଲି ମନେ କରାଯାଏ।

ବିଂଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ ଭୌମକର ରାଜବଂଶ ସମ୍ୱନ୍ଧରେ ଐତିହାସିକମାନଙ୍କୁ କିଛି ଜଣାନଥିଲା। ବିଂଶ ଶତାବ୍ଦୀର ଆରମ୍ଭରେ କେତେକ ତାମ୍ରଶାସନ ଓ ଶିଳାଲେଖ ଆବିଷ୍କୃତ ହେଲା ଏବଂ ତହିଁରୁ ତୋଷାଳୀ ରାଜ୍ୟରେ ଦୀର୍ଘ କାଳ ଧରି ରାଜ୍ୟ ଶାସନ କରିଥିବା ଏହି ରାଜବଂଶ ବିଷୟ ଲୋକ ଲୋଚନକୁ ଆସିଲା। ଏପରିିକି ସମକାଳୀନ ମାଦଳାପାଞ୍ଜିରେ ମଧ୍ୟ ଭୌମମାନଙ୍କ ବିଷୟରେ କୌଣସି ସୂଚନା ନାହିଁ। ପଣ୍ତିତ ବିନାୟକ ମିଶ୍ର ନାମକ ଜଣେ ବିଦ୍ୱାନ ଭୌମ ତାମ୍ର ଶାସନଗୁଡ଼ିକୁ ସଂକଳିତ ଓ ବିଶ୍ଳେଷଣ କରି ପୁସ୍ତକ ଆକାରରେ (Orissa Under the Bhauma Kings) ପ୍ରକାଶ କଲା ପରେ ଏହି ରାଜବଂଶ ସଂପର୍କରେ ଇତିହାସ ଛାତ୍ରମାନଙ୍କ ବିଶେଷ ଦୃଷ୍ଟି ଆକର୍ଷିତ ହେଲା। ବିନାୟକ ମିଶ୍ରଙ୍କ ପୁସ୍ତକ ପ୍ରକାଶନ ପରେ ଏ ମଧ୍ୟରେ ଆହୁରି ଅନେକ ଐତିହାସିକ ତଥ୍ୟ ଓ ନିଦର୍ଶନ ପ୍ରାପ୍ତ ହୋଇଛି, ଯାହା ତତ୍‍କାଳୀନ ଓଡ଼ିଶାର ଚିତ୍ର ପ୍ରସ୍ତୁତିରେ ସହାୟକ ହୁଏ। ଭୌମ ପ୍ରଦତ୍ତ ତାମ୍ର ଶାସନଗୁଡ଼ିକରେ 'ଭୌମ ରାଜା' ବୋଲି ଉଲ୍ଲେଖ ରହିଥିବା ବେଳେ ଭୌମବଂଶୀୟ ରାଜାମାନଙ୍କ ନାମରେ ସର୍ବଦା 'କର' ପ୍ରତ୍ୟୟ ଯୋଡ଼ା ହୋଇଥାଏ। ଏହି କାରଣରୁ ଐତିହାସିକମାନେ ସେମାନଙ୍କୁ 'ଭୌମ-କର' ବା 'ଭୌମକର' ବଂଶ ବୋଲି ନାମିତ କରିଥାନ୍ତି। ବର୍ତ୍ତମାନ ଇତିହାସରେ 'ଭୌମକର' ନାମରେ ସେମାନେ ପରିଚିତ।

 ଭୌମବଂଶର ଉତ୍ପତ୍ତି ସମ୍ୱନ୍ଧରେ ମୁଖ୍ୟତଃ ଦୁଇଟି ମତ ଐତିହାସିକମାନେ ରଖିଥାନ୍ତି। ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ଭୌମମାନେ ଆସାମରୁ ଓଡ଼ିଶା ଆସିଥିଲେ। ଅଷ୍ଟମ ଶତାବ୍ଦୀରେ ଆସାମର ହର୍ଷବର୍ମନ ନାମକ ଜଣେ ରାଜା ଓଡ୍ର ଅଧିକାର କରିଥିଲେ ଏବଂ ବିଜିତ ଅଞ୍ଚଳର ପ୍ରଶାସନପାଇଁ ସାଙ୍ଗରେ ଆସିଥିବା ଭୌମମାନଙ୍କୁ ନିଯୁକ୍ତ କରିଥିଲେ। କାଳକ୍ରମେ ଭୌମମାନଙ୍କ ଉପରେ ହର୍ଷବର୍ମନଙ୍କର ନିୟନ୍ତ୍ରଣ ରହିଲା ନାହିଁ, ଯାହା ସେମାନଙ୍କୁ ସ୍ୱାଧୀନ ରାଜ୍ୟ ପ୍ରତିଷ୍ଠା କରିବାରେ ସହାୟକ ହେଲା। ନେପାଳର ପଶୁପତିନାଥ ମନ୍ଦିର ଅଭିଲେଖରେ ହର୍ଷବର୍ମନଙ୍କ କନ୍ୟାଙ୍କୁ ଭବଦତ୍ତ ବଂଶଜା କୁହାଯାଇଛି। ସେହିଭଳି ଭୌମରାଜ ଚତୁର୍ଥ ଶୁଭଙ୍କର ଦେବ ପ୍ରଦତ୍ତ ତାଳଚେର ତାମ୍ରଶାସନରେ ଭୌମରାଜା ଭବଦତ୍ତ ବଂଶର ବୋଲି ଉଲ୍ଲେଖ ରହିଛି। ଏହି ଆଧାରରେ ହର୍ଷବର୍ମନ ଓ ଭୌମମାନେ ଗୋଟିଏ ବଂଶର ବୋଲି ମନେ କରାଯାଏ।

 ଅନ୍ୟ ମତ ଅନୁସାରେ, ଭୌମମାନେ ହେଲେ ଓଡ଼ିଶାର ଭୂୟାଁ ଆଦିବାସୀ ସଂପ୍ରଦାୟର। ତୋଷାଳୀରେ ରାଜ୍ୟ ସ୍ଥାପନ କଲା ପରେ ସେମାନେ ନିଜକୁ ଉଚ୍ଚବଂଶଜ ବୋଲି ପ୍ରତିଷ୍ଠା ଦେବାକୁ 'ଭୌମ' ଭାବରେ ନାମିତ କରିଥିଲେ। ଆଦିବାସୀ ସଂପ୍ରଦାୟରେ ନାରୀକୁ ପୁରୁଷ ପରି ଅଧିକାର ମିଳିଥାଏ। ସେହି କାରଣରୁ ଭୌମରାଣୀମାନଙ୍କୁ ମଧ୍ୟ ସିଂହାସନ ଆରୋହଣ କରିବାକୁ ଅବସର ମିଳିଥିଲା। ସେମାନେ 'ପରମ ଭଟ୍ଟାରକ', 'ପରମେଶ୍ୱର' ଓ 'ମହାରାଜାଧିରାଜ' ଆଦି ଉପାଧି ଗ୍ରହଣ କରି ନିଜ ବଂଶକୁ ପ୍ରତିଷ୍ଠା ଦେବାକୁ ପ୍ରୟାସ କରିଥିଲେ।

 ଭୌମ ରାଜତ୍ୱ କାଳରେ ଯେଉଁ ତାମ୍ରଶାସନମାନ ଆବିଷ୍କୃତ ହୋଇଛି, ତାହାକୁ ଆଧାର କରି ଐତିହାସିକମାନେ କ୍ରମ ଅନୁଯାୟୀ ଭୌମବଂଶାବଳୀ ସ୍ଥିର କରିଛନ୍ତି। ଏହା ନିମ୍ନରେ ପ୍ରଦାନ କରାଗଲା।

Odisha Itihasa.pdf
Odisha Itihasa.pdf

  କ୍ଷେମଙ୍କର ଦେବଙ୍କୁ ପ୍ରଥମ ଭୌମରାଜା ବୋଲି ଗ୍ରହଣ କରାଯାଏ। ସେ ଭୌମ ସମ୍ୱତ ଆରମ୍ଭ କରିଥିଲେ, ଯାହାର କାଳ ନିରୂପଣ କରି ଐତିହାସିକମାନେ ତାକୁ ୭୩୬ ଖ୍ରୀଷ୍ଟାବ୍ଦ ବୋଲି କହିଛନ୍ତି। ପ୍ରଥମ ଶୁଭକର ଦେବ ପ୍ରଦତ୍ତ ନେଉଳପୁର ତାମ୍ର ଶାସନରୁ ଜଣାଯାଏ ଯେ, କ୍ଷେମଙ୍କର ବୌଦ୍ଧ ଉପାସକ ଥିଲେ ଏବଂ ସମାଜରେ ଚତୁର୍ବର୍ଣ୍ଣ ପ୍ରଥା ମଧ୍ୟ ଆରମ୍ଭ କରିଥିଲେ। ଏଥିରୁ ଅନୁମିତ ହୁଏ ଯେ, ଆଦିବାସୀ ସମାଜରେ ଜାତିପ୍ରଥାକୁ ପ୍ରଚଳନ କରି ସେ ସମାଜ ଉପରେ ରାଜନିୟନ୍ତ୍ରଣକୁ ସୁଦୃଢ଼ କରିବାକୁ ତଥା ନିଜକୁ କ୍ଷତ୍ରିୟ ସମତୁଲ କରିବାକୁ ଆବଶ୍ୟକ ପଦକ୍ଷେପ ନେଇଥିଲେ। କ୍ଷେମଙ୍କର ଦେବଙ୍କ ସମ୍ପର୍କରେ ଆଉ ଅଧିକ ତଥ୍ୟ ହସ୍ତଗତ ହୋଇନାହିଁ।

 ଯଦିଓ କ୍ଷେମଙ୍କର ଦେବଙ୍କ ସମୟରୁ ଭୌମବଂଶର ଆରମ୍ଭ ହୋଇଥିଲା, ପ୍ରଥମ ଶିବକର ଦେବ ଥିଲେ ଏହି ରାଜବଂଶର ପ୍ରକୃତ ପ୍ରତିଷ୍ଠାତା। ସେ ବଙ୍ଗର ରାଢ଼ରାଜ୍ୟର ରାଜାଙ୍କୁ ପରାସ୍ତ କରି ରାଜକନ୍ୟା ଜୟାକଲ୍ଲୀଙ୍କୁ ବିବାହ କରିଥିଲେ। ଶ୍ୱେତକ ଗଙ୍ଗବଂଶର ରାଜା ଜୟବର୍ମାଙ୍କୁ ଯୁଦ୍ଧରେ ପରାସ୍ତ କରି ତାଙ୍କୁ ସାମନ୍ତ ରାଜା ରୂପେ ସ୍ଥାପିତ କରିଥିଲେ। କଳିଙ୍ଗ ସହିତ ମଧ୍ୟ ତାଙ୍କର ଯୁଦ୍ଧ ହୋଇଥିଲା। ଜଣେ ବୌଦ୍ଧ ଉପାସକ ଭାବରେ ସେ ଚୀନ ସମ୍ରାଟ ତେ. ସଙ୍ଗଙ୍କ ପାଖକୁ ବୌଦ୍ଧ ଗ୍ରନ୍ଥ 'ଗଣ୍ତବ୍ୟୂହ' ଉପହାର ପଠାଇଥିଲେ। ପ୍ରଥମ ଶୁଭକର ଦେବ ମଧ୍ୟ ପିତା ପ୍ରଥମ ଶିବକର ଦେବଙ୍କ ପରି ବୌଦ୍ଧ ଉପାସକ ପୁଣି ଯୁଦ୍ଧ ପିପାସୁ ଥିଲେ। ମାତ୍ର ପଶ୍ଚିମ ଭାରତର ରାଷ୍ଟ୍ରକୂଟ ରାଜାଙ୍କ ହାତରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା।ଭୌମକରଙ୍କ ତୋଷାଳୀ ରାଜ୍ୟ ସହିତ କଳିଙ୍ଗ, ବଙ୍ଗ, ଡହଳ ଓ ଓଡ୍ର ରାଜ୍ୟ ମଧ୍ୟ ରାଷ୍ଟ୍ରକୂଟ ରାଜାଙ୍କ ହାତରେ ପରାସ୍ତ ହୋଇଥିଲେ। ରାଷ୍ଟ୍ରକୂଟ ସୈନ୍ୟ ପ୍ରତ୍ୟାବର୍ତ୍ତନ ପରେ ଭୌମମାନେ ପ୍ରଥମ ଶୁଭକର ଦେବଙ୍କ ନେତୃତ୍ୱରେ ପୁଣି ଥରେ ନିଜକୁ ସ୍ୱାଧୀନ ଘୋଷଣା କରିଥିଲେ। ବୌଦ୍ଧଧର୍ମର ପୃଷ୍ଠପୋଷକତା କରି ପ୍ରଥମ ଶୁଭକର ବିହାର ନିର୍ମାଣ କରିଥିଲେ ଏବଂ ତହିଁରେ ଅବଲୋକିତେଶ୍ୱରଙ୍କ ମୂର୍ତ୍ତିି ସ୍ଥାପନ କରିଥିଲେ। ଅନ୍ୟ ପକ୍ଷରେ ତାଙ୍କ ରାଣୀ ମାଧବୀ ଦେବୀ ଯାଜପୁର ପାଖରେ ଶିବ ମନ୍ଦିର ନିର୍ମାଣ କରି ପୂଜାର୍ଚ୍ଚନାପାଇଁ ପୂଜକର ବ୍ୟବସ୍ଥା କରିଥିଲେ। ଏଥିରୁ ମନେହୁଏ ଯେ, ଭୌମ ରାଜ ପରିବାରରେ ଉଭୟ ବୌଦ୍ଧ ଓ ଶୈବ ଉପାସନା ଏକା ସାଙ୍ଗରେ ଚାଲିଥିଲା ଏବଂ ଗୋଟିଏ ଅନ୍ୟପାଇଁ ବାଧକ ନ ଥିଲା।  ପ୍ରଥମ ଶୁଭକର ଦେବଙ୍କ ଉତ୍ତରାଧିକାରୀ ଦ୍ୱିତୀୟ ଶିବକର ଦେବଙ୍କ ସମୟରେ ଗୌଡ଼ (ବଂଗ) ରାଜା ଦେବପାଳ କଳିଙ୍ଗ ଆକ୍ରମଣ କରି ତୋଷାଳୀ ସମେତ ଅନ୍ୟାନ୍ୟ ରାଜକୁଳକୁ ପରାଜିତ କରିଥିଲେ ବୋଲି ଏକ ସ୍ତମ୍ଭଲେଖରେ ଉଲ୍ଲେଖ ରହିଛି। ଏହି ପରାଜୟ ପରେ ଭୌମକରମାନେ ଗୌଡ଼ର ଅଧୀନସ୍ଥ ହେଲେ, ଯଦିଓ ସେମାନଙ୍କ ରାଜ୍ୟରେ ପାଳମାନଙ୍କର ପ୍ରତ୍ୟକ୍ଷ ଶାସନ ଲାଗୁ ହୋଇନଥିଲା। ଏଥିରୁ ମନେହୁଏ ଯେ, ଆଞ୍ଚଳିକ ସ୍ତରରେ ଭୌମମାନେ ଶକ୍ତିଶାଳୀ ମନେ ହେଲେ ହେଁ, ବହିରାକ୍ରମଣର ସମ୍ମୁଖୀନ ହେବା ଭଳି ଶକ୍ତି ସେମାନଙ୍କର ନଥିଲା ସମସାମୟିକ ରାଷ୍ଟ୍ରକୂଟ, ପାଳ ଆଦି ଶକ୍ତିଶାଳୀ ରାଜ୍ୟର ଦୃଷ୍ଟିର ଅନ୍ତରାଳରେ ହିଁ ସେମାନେ ନିଜ ପ୍ରଭୁତ୍ୱ ବଜାୟ ରଖି ପାରୁଥିଲେ।

ଭୌମ ରାଜା ତୃତୀୟ ଶୁଭକର ଦେବଙ୍କ ମୃତ୍ୟୁ ପରେ ଯୁବରାଜ ନାବାଳକ ଥିବାରୁ ରାଜମାତା ପ୍ରଥମ ତ୍ରିଭୁବନ ମହାଦେବୀ ୮୪୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କଲେ ଏବଂ ଯୁବରାଜ ସାବାଳକ ହେବା ପର୍ଯ୍ୟନ୍ତ ଦକ୍ଷତାର ସହିତ ରାଜତ୍ୱ କଲେ। ସମ୍ଭବତଃ ସେ ହେବେ ଓଡ଼ିଶା ଇତିହାସର ପ୍ରଥମ ମହିଳା ଶାସକ। ତ୍ରିଭୁବନ ମହାଦେବୀ ବିଷ୍ଣୁ ଭକ୍ତ ଥିଲେ। ତାଙ୍କୁ ଜଣେ ଦକ୍ଷ ଶାସକ ଭାବରେ ସମସାମୟିକ ଆରବୀୟ ଓ ପାରସୀ ଭୂଗୋଳବିତ୍‍ମାନେ ମଧ୍ୟ ଉଲ୍ଲେଖ କରିଛନ୍ତି। ଆରବ ଭୂଗୋଳବିତ୍‍ ଖୁର୍ଦ୍ଧାଧବି ୮୪୬ ଖ୍ରୀଷ୍ଟାବ୍ଦରେ ଲିଖିତ ନିଜ ବିବରଣୀରେ କହିଛନ୍ତି ଯେ 'ଦହମ' (ଭୌମ) ରାଜ୍ୟରେ 'ରାଇନା' (ରାଣୀ) ନାମରେ ପରିଚିତ ଜଣେ ମହିଳା ଶାସନ କରୁଥିଲେ। ତାଙ୍କ ରାଜ୍ୟ ସ୍ୱାଧୀନ ଥିଲା ଏବଂ ରାଜ୍ୟର ପ୍ରଭୂତ ସୈନ୍ୟବଳ ରହିଥିଲା।

ପ୍ରଥମ ତ୍ରିଭୁବନ ଦେବୀ ତାଙ୍କ ନାତି ସାବାଳକ ହେବା ଯାକେ ଶାସନ ଭାର ବହନ କରିଥିଲେ। ତାଙ୍କ ପରେ ଦ୍ୱିତୀୟ ଭୌମକର ରାଣୀ ଥିଲେ ପୃଥ୍ୱୀ ମହାଦେବୀ ବା ଦ୍ୱିତୀୟ ତ୍ରିଭୁବନ ମହାଦେବୀ (୮୯୦-୮୯୬ ଖ୍ରୀଷ୍ଟାବ୍ଦ)। ପୃଥ୍ୱୀ ମହାଦେବୀ ରାଜା ଚତୁର୍ଥ ଶୁଭକରଦେବଙ୍କ ରାଣୀ ଥିଲେ। ରାଜାଙ୍କର ଅକାଳ ମୃତ୍ୟୁ ପରେ ରାଜଭ୍ରାତା ତୃତୀୟ ଶିବକର ୮୮୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ। ମାତ୍ର ଅଳ୍ପକାଳ ପରେ ତାଙ୍କର ମଧ୍ୟ ମୃତ୍ୟୁ ହେବାରୁ ବିଧବା ରାଣୀ ପୃଥ୍ୱୀ ମହାଦେବୀ ରାଜତ୍ୱ କଲେ। କୋଶଳର ସୋମବଂଶୀ ରାଜା ଯଯାତିଙ୍କର ସେ ଭଉଣୀ ଥିଲେ। ତେଣୁ, ତାଙ୍କ (ପୃଥ୍ୱୀ ମହାଦେବୀଙ୍କ) ରାଜତ୍ୱ କାଳରେ ତୋଷାଳୀ ଉପରେ କୋଶଳର ଆଧିପତ୍ୟ ବୃଦ୍ଧି ପାଇଲା। ପଞ୍ଚମ ଶୁଭକର ଦେବଙ୍କ ମୃତ୍ୟୁ ପରେ ଗୌରୀ ମହାଦେବୀ, ଦଣ୍ତୀ ମହାଦେବୀ, ବକୁଳ ମହାଦେବୀ ଓ ଧର୍ମମହାଦେବୀ ନାମରେ ଚାରିଜଣ ରାଣୀ କ୍ରମାଗତ ଭାବେ ଭୌମ ରାଜ୍ୟରେ ରାଜତ୍ୱ କରିଥିଲେ। ଭୌମ ରାଣୀମାନଙ୍କର ସିଂହାସନ ଆରୋହଣ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଜଣାଯିବ ଯେ, ପୁରୁଷ ଉତ୍ତରାଧିକାରୀର ଅଭାବରେ ଅଥବା ପୁରୁଷ ଉତ୍ତରାଧିକାରୀ ସାବାଳକ ହେବା ପର୍ଯ୍ୟନ୍ତ କେବଳ ସେମାନେ ସିଂହାସନ ଆରୋହଣ କରିଥିଲେ। ଉଦାହରଣ ସ୍ୱରୂପ, ପୃଥ୍ୱୀ ମହାଦେବୀ ପତିଙ୍କ ମୃତ୍ୟୁ ପରେ ପତିଙ୍କ ଭ୍ରାତା ତୃତୀୟ ଶିବକରଙ୍କ ସିଂହାସନ ଆରୋହଣକୁ ମଧ୍ୟ ପୂର୍ଣ୍ଣ ସମ୍ମତି ଦେଇଥିଲେ। ତୃତୀୟ ଶିବକରଙ୍କର ମଧ୍ୟ ଅଳ୍ପ ଦିନ ପରେ ମୃତ୍ୟୁ ହେବାରୁ, ସେ ରାଜପଦ ଗ୍ରହଣ କରିବାର ଅବସର ପାଇଲେ। କେବଳ ସେତିକି ନୁହେଁ, ଯଦିଓ ସେ ରାଜପଦ ଗ୍ରହଣ କରିଥିଲେ, ତାଙ୍କ ଭ୍ରାତା ଉତ୍କଳର ସୋମବଂଶୀ ରାଜା ଯଯାତି ତାଙ୍କୁ ପ୍ରଶାସନରେ ନେପଥ୍ୟରୁ ସହଯୋଗ କରୁଥିଲେ। ସେହି ପ୍ରକ୍ରିୟାରେ ଭୌମରାଜ୍ୟ ତୋଷାଳୀ ସୋମବଂଶୀଙ୍କ ରାଜ୍ୟ ଉତ୍କଳର ଏକରକମ ଅଧିକାରଭୁକ୍ତ ବା ସାମନ୍ତରାଜ୍ୟ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏସବୁକୁ ବାଦ୍‍ ଦେଲେ, ଜଣାଯିବ ଯେ, ରାଣୀ ଶାସନ ସମୟ ତଥା ଦଶମ ଶତାବ୍ଦୀର ଆରମ୍ଭରେ ହିଁ ଭୌମକର ବଂଶର ପତନ ହେଲା। ଅନ୍ୟ ଶବ୍ଦରେ କହିଲେ, ଭୌମରାଜ୍ୟରେ ରାଣୀ ଶାସନ ସତ୍ତ୍ୱେ ପୁରୁଷତାନ୍ତ୍ରିକତା ଊଣା ହୋଇ ନଥିଲା। ପୁରୁଷର ଅଭାବରେ କେବଳ ମହିଳାଙ୍କୁ ଶାସନ ଭାର ମିଳିଥିଲା ଏବଂ ଦାୟାଦ ପୁରୁଷ ଉପଲବ୍ଧ ହେଲା ପରେ ରାଣୀ ଶାସନ ଭାରରୁ ଓହରି ଯାଉଥିଲେ। ସେହି ଦୃଷ୍ଟିରୁ ଦେଖିଲେ ଭୌମରାଣୀମାନଙ୍କର ସିଂହାସନ ଆରୋହଣକୁ ଏକ ବଡ଼ ସାମାଜିକ ବିପ୍ଳବ ଭାବରେ ବୋଧହୁଏ ଗ୍ରହଣ କରିହେବ ନାହିଁ। ତା' ସତ୍ତ୍ୱେ ଆଜକୁ ୧୧୦୦ ବର୍ଷ ତଳେ ଯେ ନାରୀ ସିଂହାସନ ଆରୋହଣ କରି ରାଜତ୍ୱ କରୁଥିଲେ- ଏହାକୁ ଏକ ବିଶେଷ ସାମାଜିକ ଘଟଣା କୁହାଯାଇପାରେ। ଏହି ଭୌମ ପରଂପରା ଆଗକୁ ତିଷ୍ଠି ରହିଥିଲେ, ତାହା ନିଶ୍ଚୟ ଏକ ବଡ଼ଧରଣର ସାମାଜିକ ବିପ୍ଳବର ସୂତ୍ରପାତ କରିଥାନ୍ତା- ଏଥିରେ ସନ୍ଦେହ ନାହିଁ।

...

ମଣ୍ତଳ ରାଜ୍ୟ ଓ ଶାସନ

  ଖ୍ରୀଷ୍ଟୀୟ ଅଷ୍ଟମ ଓ ନବମ ଶତାବ୍ଦୀରେ ଓଡ଼ିଶାର ପାର୍ବତ୍ୟ ଅଞ୍ଚଳରେ ଅନେକ ଗୁଡ଼ିଏ ଛୋଟ ଛୋଟ ରାଜବଂଶ ରାଜତ୍ୱ କରୁଥିବାର ଦେଖାଯାଇଛି। ଏହି ଛୋଟ ଛୋଟ ରାଜ୍ୟ ତୋଷାଳୀ ନାମରେ ପରିଚିତ ଉପକୂଳ ଓଡ଼ିଶା କ୍ଷେତ୍ର ଓ ଦକ୍ଷିଣ କୋଶଳ ନାମରେ ପରିଚିତ ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ କ୍ଷେତ୍ରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଥିଲେ। ସେତେବେଳେ ଭୌମକରମାନେ ତୋଷାଳୀ ଓ ସୋମବଂଶୀମାନେ ଦକ୍ଷିଣ କୋଶଳରେ ରାଜତ୍ୱ କରୁଥିଲେ। ଉକ୍ତ କ୍ଷୁଦ୍ର ରାଜ୍ୟଗୁଡ଼ିକ ଭୌମକରମାନଙ୍କ ବଶ୍ୟତା ସ୍ୱୀକାର କରି ସାମନ୍ତ ରାଜ୍ୟର ମର୍ଯ୍ୟାଦା ଲାଭ କରିଥିଲେ। ମାତ୍ର ଯୋଗାଯୋଗ ଓ ଗମନାଗମନର ଅସୁବିଧାଯୋଗୁଁ ସେମାନଙ୍କ ଉପରେ ଭୌମକରମାନେ ପୂର୍ଣ୍ଣ କର୍ତ୍ତୃତ୍ୱ ହାସଲ କରିପାରିନଥିଲେ। ଫଳରେ ବସ୍ତୁତଃ ଏହି କ୍ଷୁଦ୍ର ରାଜ୍ୟମାନେ ସ୍ୱତନ୍ତ୍ର ଥିଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେମାନଙ୍କର ନିଜସ୍ୱ ସେନା ଥିଲେ; କର୍ମଚାରୀ ନିଯୁକ୍ତ ହୋଇ ରହିଥିଲେ; ଏପରିକି ତାମ୍ରଶାସନ ବା ଅନ୍ୟ ଆଦେଶ ଜାରି କଲା ବେଳେ ଉପରିସ୍ଥ ରାଜା ଭୌମକରଙ୍କର ନାମୋଲ୍ଲେଖ କରିବାପାଇଁ ସେମାନେ ବାଧ୍ୟ ନଥିଲେ। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ସୋମବଂଶୀ ଆକ୍ରମଣର ଶିକାର ମଧ୍ୟ ହେବାକୁ ପଡ଼ିଥିଲା।

ଓଡ଼ିଶା ଇତିହାସରେ ଏହି କ୍ଷୁଦ୍ର ରାଜ୍ୟଗୁଡ଼ିକ 'ମଣ୍ତଳ' ଭାବରେ ପରିଚିତ, କାରଣ ରାଜ୍ୟଗୁଡ଼ିକର ନାମ ସହିତ 'ମଣ୍ତଳ' ସଂଜ୍ଞା ଯୋଡ଼ି ହୋଇଥିବାର ଲକ୍ଷ୍ୟ କରାଯାଏ। ଉକ୍ତ ମଣ୍ତଳ ରାଜ୍ୟ ସମୂହ ହେଲେ: ୧- ଭଞ୍ଜଶାସିତ ଖିଞ୍ଜଳି ମଣ୍ତଳ, ୨-ଭଞ୍ଜଶାସିତ ଖିଜ୍ଜିଙ୍ଗ୍‍ ମଣ୍ତଳ,୩- ଶୁଳ୍କିବଂଶ ଶାସିତ କୋଦାଳକ ମଣ୍ତଳ, ୪- ତୁଙ୍ଗବଂଶଶାସିତ ଯମଗର୍ତ ମଣ୍ତଳ, ୫-ନନ୍ଦୋଦ୍ଭବ ଶାସିତ ଐରାବତ ମଣ୍ତଳ, ୬- ମୟୂରବଂଶଶାସିତ ବଣାଇ ମଣ୍ତଳ ଏବଂ ୭-ଗଙ୍ଗଶାସିତ ଶ୍ୱେତକ ମଣ୍ତଳ। ଓଡ଼ିଶା ଇତିହାସକୁ ଜାଣିବାକୁ ହେଲେ ମଣ୍ତଳ ରାଜ୍ୟ ଓ ତହିଁରେ ଚାଲିଥିବା ଶାସନ ଉପରେ ଏକ ଐତିହାସିକ ଆଲୋଚନାର ଆବଶ୍ୟକତା ରହିଛି ବୋଲି ଐତିହାସିକମାନେ ଦୃଢ଼ ଭାବେ ଅନୁଭବ କରନ୍ତି। ଭଞ୍ଜବଂଶଶାସିତ ଖିଞ୍ଜଳି ମଣ୍ତଳ

 ଖିଞ୍ଜଳି ମଣ୍ତଳକୁ ଆଧୁିନିକ ବୌଦ୍ଧ, ସୋନପୁର ଏବଂ ଫୁଲବାଣୀ ଅଞ୍ଚଳ ସହିତ ସାଧାରଣତଃ ଚିହ୍ନିତ କରାଯାଏ। ଧୃତିପୁର (ଆଧୁନିକ ବୌଦ୍ଧ ସହର) ଥିଲା ଏହି ମଣ୍ତଳର ରାଜଧାନୀ।

ଭଞ୍ଜ ତାମ୍ରଶାସନରୁ ଜଣାଯାଏ ଯେ ଶୀଳଭଞ୍ଜଙ୍କୁ ପ୍ରଥମ ଭଞ୍ଜ ରାଜା ବୋଲି ଗଣାଗଲେ ମଧ୍ୟ ତାଙ୍କ ପୂର୍ବରୁ ସେହି ମଣ୍ତଳରେ ଅନେକ ଭଞ୍ଜ ରାଜା ଶାସନ କରି ସାରିଥିଲେ। ସମ୍ଭବତଃ ବଂଶର ପ୍ରାଚୀନତା ସାବ୍ୟସ୍ତ କରିବାପାଇଁ ଏପରି ଦାବି କରାଯାଇଛି। ପୁଣି ଏକ କିମ୍ୱଦନ୍ତୀରେ ଭଞ୍ଜମାନେ ମୟୂରୀ ଅଣ୍ତାରୁ ଜାତ ବୋଲି କୁହାଯାଇଛି। ଏଥିରୁ ଅନୁମିତ ହୁଏ ଯେ ଖିଞ୍ଜଳିର ଭଞ୍ଜମାନେ ଆଦିବାସୀ ସଂପ୍ରଦାୟର ଥିଲେ ଏବଂ ତାଙ୍କ ରାଜତ୍ୱକୁ ସର୍ବମାନ୍ୟ କରିବାଲାଗି ବଂଶର ପ୍ରାଚୀନତା ଉପରେ ଜୋର ଦେଉଥିଲେ। ଭଞ୍ଜମାନେ ବିଷ୍ଣୁ ଓ ଶିବ ଉପାସକ ଥିଲେ। ସେମାନେ ଉପକୂଳ ଅଞ୍ଚଳରୁ ବ୍ରାହ୍ମଣମାନଙ୍କୁ ଅଣାଇ ନିଜ ରାଜ୍ୟରେ ରଖାଇ ଥିଲେ। ଏଥିପାଇଁ ବ୍ରାହ୍ମଣମାନଙ୍କୁ ଭୂମିଦାନ ମଧ୍ୟ କରିଥିଲେ। ଏହା ଫଳରେ ଆଦିବାସୀ ଅଧ୍ୟୁଷିତ ପାର୍ବତ୍ୟ ଅଞ୍ଚଳରେ ବ୍ରାହ୍ମଣ୍ୟ ଧର୍ମର ଆଶୁ ପ୍ରସାର ହେଲା। ଯଦିଓ ଖିଞ୍ଜଳିର ଭଞ୍ଜମାନେ ଭୌମକରଙ୍କ ସାମନ୍ତ ରାଜା ଥିଲେ, ସୋମବଂଶୀ ରାଜା ଜନ୍ମେଜୟଙ୍କ ଖିଞ୍ଜଳି ଆକ୍ରମଣ ସମୟରେ ସେମାନେ ଭୌମ ସାହାଯ୍ୟ ପାଇନଥିଲେ। ସୋମବଂଶୀମାନେ ଯୁଦ୍ଧରେ ବିଜୟ ହାସଲ କଲେ, ଭଞ୍ଜରାଜା ରଣ ଭଞ୍ଜଙ୍କୁ ହତ୍ୟା କଲେ ଏବଂ ଖିଞ୍ଜଳି ଅଧିକାର କରିନେଲେ। ଏହା ପରେ ଭଞ୍ଜମାନେ ଗଞ୍ଜାମର ଘୁମୁସର ଅଞ୍ଚଳକୁ ଚାଲିଯାଇ ସେଠାରେ ଏକ ନୂତନ ରାଜ୍ୟ ପ୍ରତିଷ୍ଠା କଲେ। ଶୀଳ ଭଞ୍ଜଙ୍କ ପରେ କ୍ରମାନ୍ୱୟରେ ଖିଞ୍ଜଳି ମଣ୍ତଳରେ ରାଜତ୍ୱ କରିଥିବା ଅନ୍ୟ ଭଞ୍ଜମାନେ ହେଲେ: ଶତ୍ରୁ ଭଞ୍ଜ, ରଣ ଭଞ୍ଜ, ନେତ୍ତ ଭଞ୍ଜ, ପ୍ରଥମ ଦିଗ ଭଞ୍ଜ, ଦ୍ୱିତୀୟ ଶୀଳ ଭଞ୍ଜ, ବିଦ୍ୟାଧର ଭଞ୍ଜ ଓ ଶେଷ ଭଞ୍ଜ ରାଜା ଦ୍ୱିତୀୟ ନେତ୍ତ ଭଞ୍ଜ। ଦଶମ ଶତାବ୍ଦୀର ଆଦ୍ୟ ଭାଗ (ଖ୍ରୀଷ୍ଟାବ୍ଦ ୯୩୪) ପର୍ଯ୍ୟନ୍ତ ଭଞ୍ଜରାଜବଂଶ ରହିଥିଲା ବୋଲି ଅନୁମାନ କରାଯାଏ।

ଭଞ୍ଜବଂଶଶାସିତ ଖିଜ୍ଜିଙ୍ଗ୍ ମଣ୍ତଳ

 ଦଶମ ଓ ଏକାଦଶ ଶତାବ୍ଦୀରେ ଭଞ୍ଜବଂଶର ଅନ୍ୟ ଏକ ଶାଖା ଉତ୍ତର ଓଡ଼ିଶାର ଖିଜ୍ଜିଙ୍ଗ୍ ମଣ୍ତଳରେ ଶାସନ କରୁଥିଲେ। ଖିଜ୍ଜିଙ୍ଗ୍ ମଣ୍ତଳ ରାଜ୍ୟ ଆଧୁନିକ ମୟୂରଭଞ୍ଜ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା। ଏହାର ରାଜଧାନୀ ଥିଲା ଖିଜ୍ଜିଙ୍ଗ୍‌କୋଟ ଯାହାକୁ ଆଧୁନିକ ଖିଚିଙ୍ଗ୍ ବୋଲି ଚିହ୍ନିତ କରାଯାଇଛି। ଖିଞ୍ଜଳି ମଣ୍ତଳର ଭଞ୍ଜବଂଶ ପରି ଖିଜ୍ଜିଙ୍ଗ ମଣ୍ତଳର ଭଞ୍ଜରାଜାମାନେ ମୟୂରୀ ଅଣ୍ତାରୁ ଜାତ ବୋଲି କିମ୍ୱଦନ୍ତୀ ସୃଷ୍ଟି ହୋଇଛି। ଏଥିରୁ ଅନୁମିତ ହୁଏ ଯେ, ଉଭୟ ଭଞ୍ଜବଂଶ ଆଦିବାସୀ ସଂପ୍ରଦାୟର ଥିଲେ ଏବଂ ଅତୀତରେ ସେମାନେ ଗୋଟିଏ ବଂଶ ଥିଲେ।   କିମ୍ୱଦନ୍ତୀ ଅନୁଯାୟୀ ଖିଞ୍ଜିଙ୍ଗ୍‍ମଣ୍ତଳର ପ୍ରତିଷ୍ଠାତା ବୀରଭଦ୍ର ଭଞ୍ଜ ମୟୂରୀ ଅଣ୍ତାରୁ ଉତ୍ପତ୍ତି ଲାଭ କରିବା ପରେ ବଶିଷ୍ଠ ଋଷିଙ୍କଦ୍ୱାରା ପାଳିତ ହୋଇଥିଲେ । ଏହା ଖିଜ୍ଜିିଙ୍ଗ୍‍ ଭଞ୍ଜବଂଶକୁ ଆର୍ଯ୍ୟ ବା ବ୍ରାହ୍ମଣ୍ୟ ଧର୍ମ ଓ ସଂସ୍କୃତି ସହିତ ସଂଯୋଜିତ କରେ । ଖିଜ୍ଜିଙ୍ଗ୍‍ ମଣ୍ତଳର ତାମ୍ରଶାସନମାନଙ୍କରୁ ଯେଉଁ ଭଞ୍ଜବଂଶାବଳୀ ଐତିହାସିକମାନେ ସ୍ଥାନିତ କରନ୍ତି, ତହିଁରେ କୋଟ୍ଟ ଭଞ୍ଜ ପ୍ରଥମ ଐତିହାସିକ ଚରିତ୍ର । ତାଙ୍କୁ ସୋନପୁର-ବୌଦ୍ଧ ଅଞ୍ଚଳରେ ସ୍ଥାପିତ ଖିଞ୍ଜଳି ଭଞ୍ଜବଂଶ ଓ ମୟୂରଭଞ୍ଜ-କେନ୍ଦୁଝର ଅଞ୍ଚଳରେ ସ୍ଥାପିତ ଖିଜ୍ଜିଙ୍ଗ୍‍ ଭଞ୍ଜବଂଶ ମଧ୍ୟରେ ଯୋଗସୂତ୍ର ଭାବରେ ଦେଖାଯାଏ । ସମ୍ଭବତଃ ନବମ ଶତାବ୍ଦୀର ଶେଷ ଭାଗରେ ସେ ଖିଞ୍ଜଳି ମଣ୍ତଳରୁ ଯାଇ ଖିଜ୍ଜିଙ୍ଗ୍‍ ମଣ୍ତଳ ସ୍ଥାପନ କରିଥିଲେ ।

ଖିଜ୍ଜିଙ୍ଗ୍‍ ଭଞ୍ଜବଂଶ ଶିବଭକ୍ତ ଥିଲେ । ସେମାନେ ବ୍ରାହ୍ମଣମାନଙ୍କୁ ଉଦାର ଭାବରେ ଭୂମିଦାନ କରି ମହତ୍ତ୍ୱପୂର୍ଣ୍ଣ ପଦପଦବୀରେ ନିଯୁକ୍ତ କରିଥିଲେ । ଫଳରେ, ସେମାନଙ୍କ ରାଜତ୍ୱ କାଳରେ ଖିଜ୍ଜିଙ୍ଗ୍‍ ମଣ୍ତଳରେ ଆର୍ଯ୍ୟ ଓ ବ୍ରାହ୍ମଣ ସଂସ୍କୃତିର ଦ୍ରୁତ ପ୍ରସାର ଘଟିଥିଲା । ରାଜ୍ୟରେ ବୌଦ୍ଧ ଓ ଜୈନ ଉପାସନାକୁ ମଧ୍ୟ ସେମାନେ ପ୍ରୋତ୍ସାହନ ଦେଇଥିବାର ଅନେକ ପ୍ରମାଣ ରହିଛି । ରାଜଧାନୀ ଖିଚିଙ୍ଗ୍‍ର ମୁଖ୍ୟ ମନ୍ଦିରର ଅନତି ଦୂରରେ ୧୯୩୮ରେ ଆବିଷ୍କୃତ ହୋଇଥିବା ବୌଦ୍ଧସ୍ତୂପ ସେମାନଙ୍କ ସମୟର ବୋଲି ଜଣାଯାଏ । ଏହାଛଡ଼ା ଖିଚିଙ୍ଗ୍‍ ସଂଗ୍ରହାଳୟରେ ରହିଥିବା ଜୈନ ତୀର୍ଥଙ୍କର ମୂର୍ତ୍ତିି ମଧ୍ୟ ସେହି ସମୟର ବୋଲି ମନେହୁଏ ।

ଖିଜ୍ଜିଙ୍ଗ୍‍ ମଣ୍ତଳରେ ପ୍ରଦତ୍ତ ତାମ୍ର ଶାସନରେ ଭୌମ ଅବ୍ଦର ବ୍ୟବହାର ରହିଛି । ଏଥିରୁ ମନେ ହୁଏ ଯେ ଖିଜ୍ଜିଙ୍ଗ୍‍ ଭଞ୍ଜବଂଶ ତତ୍‍କାଳୀନ ଶକ୍ତିଶାଳୀ ଭୌମ ରାଜ୍ୟର ସାମନ୍ତ ଥିଲେ, ଯଦିଓ ମଣ୍ତଳର ଆଭ୍ୟନ୍ତରୀଣ ପ୍ରଶାସନ ଉପରେ ଭୌମମାନଙ୍କର କୌଣସି ନିୟନ୍ତ୍ରଣ ନଥିଲା । ଭୌମରାଣୀ ବକୁଳ ମହାଦେବୀ ଖିଜ୍ଜିଙ୍ଗ ମଣ୍ତଳର ରାଜା ପ୍ରଥମ ରଣ ଭଞ୍ଜଙ୍କ ଭଉଣୀ ଥିବାର ଅନୁମାନ କରାଯାଏ । ପ୍ରଥମ ରଣ ଭଞ୍ଜଙ୍କ ଉତ୍ତରାଧିକାରୀ ପୃଥ୍ୱୀ ଭଞ୍ଜ 'ମହାମଣ୍ତଳାଧିପତି' ଓ 'ମହାରାଜାଧିରାଜ' ଉପାଧି ଗ୍ରହଣ କରିଥିଲେ । ଏଥିରୁ ବୁଝାଯାଏ ଯେ, ତାଙ୍କ ସମୟରେ ଖିଜ୍ଜିଙ୍ଗ ଭଞ୍ଜମାନଙ୍କର ପ୍ରଭାବ ବୃଦ୍ଧି ପାଇଥିଲା । ସେ ୨୦୦ ଭୌମାବ୍ଦ ବା ୯୩୬ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ । ୧୯୪୯ରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶରେ ସମ୍ମିଶ୍ରଣ ହେବା ପର୍ଯ୍ୟନ୍ତ ଯେଉଁ ଭଞ୍ଜବଂଶ ସେଠାରେ ରାଜତ୍ୱ କରିଥିଲେ ସେମାନେ ଖିଜ୍ଜିଙ୍ଗ୍‍ ଭଞ୍ଜଙ୍କର ଉତ୍ତରପୁରୁଷ ଥିଲେ ବୋଲି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହିଛନ୍ତି ।

ଐତିହାସିକ ଆର.ସି. ମଜୁମଦାର ଦୀର୍ଘ ଗବେଷଣା ପରେ ଖିଜ୍ଜିଙ୍ଗ ଭଞ୍ଜବଂଶର ଯେଉଁ ବଂଶାବଳୀ ପ୍ରସ୍ତୁତ କରିଛନ୍ତି, ତାହା ନିମ୍ନରେ ଦିଆଗଲା ।

Odisha Itihasa.pdf


ଶୁଳ୍କିି (ଶୁଳ୍‍କି) ବଂଶଶାସିତ କୋଦାଳକ ମଣ୍ଡଳ

  ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ଆଧୁନିକ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ତାଳଚେର ଅଞ୍ଚଳକୁ ନେଇ କୋଦାଳକ ମଣ୍ଡଳ ନାମରେ ଏକ କ୍ଷୁଦ୍ର ରାଜ୍ୟ ସ୍ଥାପିତ ହୋଇଥିଲା। ସେଠାରେ ଶୁଳ୍କି ବଂଶର ରାଜାମାନେ ରାଜତ୍ୱ କରୁଥିଲେ। କାଞ୍ଚନସ୍ତମ୍ଭ ଥିଲେ ଶୁଳ୍କିବଂଶର ପ୍ରଥମ ରାଜା। କାଞ୍ଚନ ସ୍ତମ୍ଭଙ୍କର ପୌତ୍ର ରଣସ୍ତମ୍ଭ ଭୌମ ସମ୍ୱତ ୧୦୩ (ଖ୍ରୀଷ୍ଟାବ୍ଦ ୮୩୯)ରେ ପ୍ରଦାନ କରିଥିବା ତାମ୍ର ଶାସନରୁ ଶୁଳ୍କିମାନଙ୍କ ସମ୍ୱନ୍ଧରେ ଅନେକ ତଥ୍ୟ ମିଳିଥାଏ। ଶୁଳ୍କିମାନଙ୍କ ପ୍ରାଚୀନତା,ଶାସନ ଓ ବଂଶାବଳୀକୁ ନେଇ ଐତିହାସିକମାନଙ୍କ ମଧ୍ୟରେ ଏକମତ ନାହିଁ। ସମ୍ଭବତଃ ସେମାନେ ମଧ୍ୟ-ଏସିଆରୁ ଶକ ଓ କୁଶାଣମାନଙ୍କ ଏକ ଯବନ ଜନଜାତି ଭାବରେ ଭାରତକୁ ଆସିଥିଲେ। ଏକ କିମ୍ୱଦନ୍ତୀ ଅନୁଯାୟୀ ସ୍ଥାନୀୟ ଶବର ମୁଖ୍ୟ ଢେକଟାକୁ ପରାସ୍ତ କରି ସେମାନେ ଢେଙ୍କାନାଳ ଅଞ୍ଚଳରେ ମଣ୍ଡଳ ରାଜ୍ୟ ପ୍ରତିଷ୍ଠା କରିଥିଲେ। କୋଦାଳକ ସେମାନଙ୍କ ରାଜଧାନୀ ଥିଲା, ଯାହାକୁ ତାଳଚେର ନିକଟସ୍ଥ କୁଆଳୋ ଗ୍ରାମ ସହିତ ଚିହ୍ନିତ କରାଯାଏ। କୁଆଳୋଠାରେ ବହୁ ମନ୍ଦିର ଓ ପ୍ରାଚୀନ ସ୍ଥାପତ୍ୟର ଅବଶେଷ ଏବେ ମଧ୍ୟ ଦେଖିବାକୁ ମିଳିଥାଏ  କୋଦାଳକ ମଣ୍ଡଳ ଭୌମରାଜ୍ୟର ସାମନ୍ତ ରାଜ୍ୟ ଥିଲା, ଯଦିଓ ମଣ୍ଡଳର ଆଭ୍ୟନ୍ତରୀଣ ପ୍ରଶାସନରେ ଶୁଳ୍କି ରାଜାମାନଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ରହିଥିଲା। ଶୁଳ୍କିମାନେ ଭୌମାବ୍ଦର ବ୍ୟବହାର କରୁିଲେ ଏବଂ ନିଜକୁ 'ମହାସାମନ୍ତାଧିପତି',;ପଞ୍ଚମହାଶବ୍ଦ' ଓ;ପରମଭଟ୍ଟାରକ' ଆଦି ଉପାଧିରେ ଭୂଷିତ କରିଥିଲେ। ସେମାନଙ୍କ ସମୟରେ ଅରଣ୍ୟ ପରିପୂର୍ଣ୍ଣ ଢେଙ୍କାନାଳ ଅଞ୍ଚଳରେ କୃଷିକାର୍ଯ୍ୟ, ଜନବସତି ଓ ଗମନାଗମନର ପ୍ରସାର ନିମିତ୍ତ ଅନୁକୂଳ ପରିବେଶ ସୃଷ୍ଟି ହୋଇଥିଲା। ଐତିହାସିକ ଦୀନେଶ ଚନ୍ଦ୍ର ମଜୁମଦାରଙ୍କ ମତରେ ଶୁଳ୍କିମାନେ ଶୁକ୍ଲାମ୍ୱର ଜୈନ ସମ୍ପ୍ରଦାୟର ଥିଲେ। ମାତ୍ର ନବମ ଶତାବ୍ଦୀରେ କୋଦାଳକ ମଣ୍ଡଳ ନାମରେ ଆଞ୍ଚଳିକ ରାଜ୍ୟ ସ୍ଥାପନ କରିବା ପରେ ସେମାନେ ଶାକ୍ତ ଉପାସକ ଥିବାର ଏବଂ 'ଭଗବତୀ ସ୍ତମ୍ଭେଶ୍ୱରୀ ଭଟ୍ଟାରିକା' ନାମରେ ସ୍ଥାନୀୟ ଦେବତୀ ପ୍ରତିଷ୍ଠା କରିିଥିବାର ଜଣାଯାଏ। ରଣସ୍ତମ୍ଭ ଶୁଳ୍କିବଂଶର ଜଣେ ପରାକ୍ରମୀ ରାଜା ଥିଲେ।

ପଣ୍ଡିତ ବିନାୟକ ମିଶ୍ର ପ୍ରସ୍ତୁତ କରିଥିବା ଶୁଳ୍କି ରାଜବଂଶାବଳୀ ନିମ୍ନରେ ଦିଆଗଲା।

ଶୁଳ୍କି ରାଜବଂଶାବଳୀ

କାଞ୍ଚନସ୍ତମ୍ଭ

କଳହସ୍ତମ୍ଭ

ରଣସ୍ତମ୍ଭ

ଜୟସ୍ତମ୍ଭ

କୁଳସ୍ତମ୍ଭ

ତୁଙ୍ଗବଂଶଶାସିତ ଯମଗର୍ତ ମଣ୍ଡଳ

 ନବମ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଆଧୁନିକ ଅନୁଗୁଳ ଜିଲ୍ଲାର ଉତ୍ତରାଂଶରେ ଯମଗର୍ତ ମଣ୍ଡଳ ନାମରେ ଏକ କ୍ଷୁଦ୍ର ରାଜ୍ୟ ରହିଥିଲା। ତୁଙ୍ଗବଂଶୀ ରାଜାମାନେ ସେଠାରେ ରାଜତ୍ୱ କରୁଥିଲେ। ମଣ୍ଡଳର ରାଜଧାନୀ ଥିଲା ଯମଗର୍ତ, ଯାହାକୁ ପାଲଲହଡ଼ା ନିକଟସ୍ଥ ଯାମରା ସହିତ ଚିହ୍ନିତ କରାଯାଏ। ମିଳିଥିବା ତାମ୍ରଶାସନରୁ ଜଣାଯାଏ ଯେ ତୁଙ୍ଗମାନେ ବିହାରର ରୋହିତଗିରିରୁ (ରୋହତାସଗଡ଼) ଆସିଥିଲେ ଏବଂ ଭୌମମାନଙ୍କର ସାମନ୍ତ ରାଜା ରୂପେ ଯମଗର୍ତ ମଣ୍ଡଳରେ ଶାସନ କରିଥିଲେ। ଏହାର ବଂଶାବଳୀ ପଣ୍ଡିତ ବିନାୟକ ମିଶ୍ର ପ୍ରସ୍ତୁତ କରିଛନ୍ତି, ଯାହା ନିମ୍ନରେ ଦିଆଗଲା।

ତୁଙ୍ଗବଂଶାବଳୀ

ଖଡ୍ଗତୁଙ୍ଗ

ବିନିତତୁଙ୍ଗ

ଜଗତୁଙ୍ଗ

ଶାଳଣତୁଙ୍ଗ

ଗାୟତତୁଙ୍ଗ


  ଯମଗର୍ତ ମଣ୍ଡଳ ଏକ ଆଦିବାସୀ ବହୁଳ ରାଜ୍ୟ ଥିଲା। ମାତ୍ର କେତେକ ତୁଙ୍ଗ ରାଜା ଶୈବ ଥିଲେ। ବ୍ରାହ୍ମଣମାନଙ୍କୁ ନିଜ ରାଜ୍ୟରେ ବସବାସ କରିବାକୁ ସେମାନେ ନିଷ୍କର ଭୂମି ଦାନ କରୁଥିଲେ।

ନନ୍ଦବଂଶଶାସିତ ଐରାବତ ମଣ୍ଡଳ

 ଭୌମକର ରାଜ୍ୟର ଅନ୍ୟ ଏକ ସାମନ୍ତ ରାଜ୍ୟ ଥିଲା ଐରାବତ ମଣ୍ଡଳ। ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ସେଠାରେ ନନ୍ଦବଂଶର ରାଜାମାନେ ରାଜତ୍ୱ କରୁଥିଲେ। ଐରାବତ ମଣ୍ଡଳ ଆଧୁନିକ ନୟାଗଡ଼, ଢେ଼ଙ୍କାନାଳ ଓ କଟକ ଜିଲ୍ଲାର କିଛି କିଛି ଅଂଶକୁ ନେଇ ଗଠିତ ହୋଇିଲା। ଆଧୁନିକ ଜୟପୁର ଗ୍ରାମ (ଢେଙ୍କାନାଳ ଜିଲ୍ଲା) ଥିଲା ଏହାର ରାଜଧାନୀ। ନନ୍ଦ ରାଜବଂଶପ୍ରଦତ୍ତ ତାମ୍ର ଶାସନରୁ ଏହି ବଂଶର ପାଞ୍ଚଜଣ ରାଜାଙ୍କୁ ଚିହ୍ନିତ କରିହୁଏ। ସେମାନେ ହେଲେ ଜୟନନ୍ଦ, ପରମାନନ୍ଦ, ଶିବାନନ୍ଦ ଓ ଦେବାନନ୍ଦ ପ୍ରମ ଓ ଦେବାନନ୍ଦ ଦ୍ୱିତୀୟ। ସୋମବଂଶୀମାନଙ୍କର ଉତ୍‍ଥାନ ପରେ ୯୬୦ ଖ୍ରୀଷ୍ଟାବ୍ଦରେ ଉଦ୍ୟୋତ କେଶରୀ ଐରାବତ ମଣ୍ଡଳକୁ ନିଜ ଓଡ୍ର ରାଜ୍ୟରେ ସମ୍ମିଶ୍ରିତ କରି ଦେଇଥିଲେ।

ବରାହ ବଂଶଶାସିତ ବଣାଇ ମଣ୍ଡଳ

 ବଣାଇ ମଣ୍ଡଳ ଆଧୁନିକ ବଣାଇ ଅଞ୍ଚଳରେ ସ୍ଥାପିତ ହୋଇିଲା। ମୟୂର ରାଜବଂଶ ଏଠାରେ ରାଜତ୍ୱ କରୁିଲେ। ତାମ୍ର ଶାସନରୁ ମିଳିିବା ରାଜାମାନଙ୍କ ନାମର ସାଙ୍ଗିଆ ରୂପେ "ବରାହ' ରହିିବାରୁ ଏହା ବରାହ ବଂଶ ନାମରେ ମଧ୍ୟ ଇତିହାସରେ ପରିଚିତ। ରାଜା ଉଦିତ ବରାହଙ୍କୁ ପ୍ରଥମ ବରାହ ବଂଶୀୟ ରାଜା ବୋଲି ମନେ କରାଯାଏ। ସେ ଚିତ୍ରକୂଟ ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲେ। ସମ୍ଭବତଃ ଏହି ବଂଶର ରାଜା ଧରଣୀ ବରାହ ଦଶମ ଶତାବ୍ଦୀରେ ରାଜ୍ୟ ଶାସନ କରୁଥିଲେ। ବରାହମାନେ ବୌଦ୍ଧଧର୍ମର ଉପାସକ ଥିଲେ ଏବଂ ଐତିହାସିକ ପ୍ରବୋଧ କୁମାର ମିଶ୍ରଙ୍କ ମତରେ ଭୌମ ରାଜ୍ୟର ସାମନ୍ତ ଥିଲେ।

ଗଙ୍ଗଶାସିତ ଶ୍ୱେତକ ମଣ୍ଡଳ  
ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ପୂର୍ବ (ପ୍ରଥମ) ଗଙ୍ଗବଂଶର ଜଣେ କେହି ମହେନ୍ଦ୍ରଗିରି ଅଞ୍ଚଳରେ ଶ୍ୱେତକ ମଣ୍ଡଳ ନାମରେ ଏକ କ୍ଷୁଦ୍ର ରାଜ୍ୟ ପ୍ରତିଷ୍ଠା କରିଥିଲେ। ଆଧୁନିକ ସାନଖେମୁଣ୍ଡି, ବଡ଼ଖେମୁଣ୍ଡି ଓ ଚିକିଟି ଜମିଦାରୀ ଅଞ୍ଚଳକୁ ନେଇ ଏହି ରାଜ୍ୟ ଗଠିତ ହୋଇଥିଲା। ଏହାର ରାଜଧାନୀ ଥିଲା ଶ୍ୱେତକ ବା ବିଜୟ ଶ୍ୱେତକପୁର (ଆଧୁନିକ ଚିକିଟି)। ଶ୍ୱେତକ ରାଜାମାନେ ଭୌମାବ୍ଦ ବ୍ୟବହାର କରୁଥିବାରୁ ସେମାନେ ଭୌମମାନଙ୍କର ସାମନ୍ତ ରାଜା ଥିଲେ ବୋଲି ଜଣାଯାଏ।

ଶ୍ୱେତକ ଗଙ୍ଗବଂଶର ପ୍ରଥମ ରାଜା ଥିଲେ ଜୟବର୍ମାଦେବ। ତାଙ୍କ ପ୍ରଦତ୍ତ ଚାରିଟି ତାମ୍ରଶାସନକୁ ମୁଖ୍ୟ ଆଧାର କରି ଶ୍ୱେତକ ମଣ୍ଡଳର ଇତିହାସ ରଚନା କରାଯାଏ। ଅନ୍ୟ କେତେକ ରାଜା ହେଲେ ଅନନ୍ତ ବର୍ମା, ଗଙ୍ଗକ ବିଳାସ, ଭୂପେନ୍ଦ୍ର ବର୍ମା ଓ ମହେନ୍ଦ୍ର ବର୍ମା। ଶ୍ୱେତକ ଗଙ୍ଗବଂଶର ଶେଷ ର।ଜା ସାମନ୍ତ ବର୍ମା, ଭୌମକର ର।ଣୀ ଦଣ୍ଡୀ ମହାଦେବୀଙ୍କ ସାମନ୍ତ ଥିଲେ। ଭୌମକରମାନଙ୍କର ପତନ ପରେ ଦଶମ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସୋମବଂଶୀମାନେ ଶ୍ୱେତକ ମଣ୍ଡଳକୁ ଅଧିକାର କରି ନେଇଥିଲେ।

ଉପସଂହାର  
ଅଷ୍ଟମ-ନବମ ଶତାବ୍ଦୀରେ ମଣ୍ଡଳ ନାମରେ ପରିଚିତ ଛୋଟ ଛୋଟ ରାଜ୍ୟଗୁଡ଼ିକର ଗଠନ ହୋଇଥିଲା। ଅଧିକାଂଶ ମଣ୍ଡଳ ଭୌମରାଜ୍ୟର ସାମନ୍ତ ରାଜ୍ୟ ଥିଲେ ଏବଂ ପରବର୍ତ୍ତୀ ସମୟରେ ଗଡ଼ଜାତ ନାମରେ ପରିଚୟ ପାଇଥିବା ଅଞ୍ଚଳରେ ରହିଥିଲେ। ମଣ୍ଡଳଗୁଡ଼ିକ ସାମନ୍ତ ରାଜ୍ୟ ହେବା ସତ୍ତ୍ୱେ ଆଭ୍ୟନ୍ତରୀଣ ପ୍ରଶାସନର କର୍ତ୍ତୃତ୍ୱ ସ୍ଥାନୀୟ ରାଜାମାନଙ୍କ ହାତରେ ଥିଲା। ଭୌମ ସମ୍ୱତ ବ୍ୟବହାର କରିବା ବ୍ୟତୀତ ଅନ୍ୟ କେଉଁ ପ୍ରକାରେ ସେଠାରେ ଭୌମ ଶାସନର ପ୍ରତିଫଳନ ରହିିଲା, ତାହା ମିଳିିବା ତାମ୍ର ଶାସନଗୁଡ଼ିକରୁ ସୁସ୍ପଷ୍ଟ ହୁଏ ନାହିଁ। ମଣ୍ଡଳଗୁଡ଼ିକ ମୁଖ୍ୟତଃ ଆଦିବାସୀ ବହୁଳ ରାଜ୍ୟ ଥିଲେ। ଅନେକ ମଣ୍ଡଳରେ ରାଜତ୍ୱ କରୁଥିବା ରାଜବଂଶ ମଧ୍ୟ ଆଦିବାସୀ ଥିଲେ ଏବଂ ରାଜତ୍ୱ ଲାଭ କରିବା ପରେ ବର୍ଣ୍ଣାଶ୍ରମର ପ୍ରସାର କରି ତହିଁରେ ନିଜକୁ କ୍ଷତ୍ରିୟ ବଂଶ ବା ତାହାର ସମତୁଲ ବୋଲି ପରିଚୟ ପ୍ରଦାନ କରିିଲେ। ଅନେକ ମଣ୍ଡଳରେ ବ୍ରାହ୍ମଣମାନଙ୍କୁ ନିଷ୍କର ଭୂମି ପ୍ରଦାନ କରାଯାଇଥିଲା। ଯଦିଓ କେତେକ ମଣ୍ଡଳର ରାଜବଂଶ ବୌଦ୍ଧଧର୍ମର ଉପାସକ ଥିଲେ, ସେମାନେ ମଧ୍ୟ ସ୍ୱ-ମଣ୍ଡଳରେ ବର୍ଣ୍ଣାଶ୍ରମର ପ୍ରସାର କରି ନିଜ ନିଜ ସାମାଜିକ ସ୍ଥିତିକୁ ସୁଦୃଢ଼ କରିବାକୁ ପ୍ରୟାସ କରିିଥିଲେ । ସେହି ଦୃଷ୍ଟିରୁ ବିଚାର କଲେ, ମଣ୍ଡଳ ଶାସନ ସମୟରେ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳ ଗୁଡ଼ିକରେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା କ୍ଷୀପ୍ରତର ହେଲା । ଏହା ବ୍ୟତୀତ ଏହି ସମୟରେ, ପରେ ଗଡ଼ଜାତ ଭାବେ ପରିଚୟ ପାଇଥିବା ମଣ୍ଡଳ ଅଞ୍ଚଳରେ ସ୍ଥାୟୀ କୃଷିର ବିକାଶ ଓ ଯୋଗାଯୋଗ କ୍ଷେତ୍ରରେ ଯତ୍‍କିଞ୍ଚିତ ଉନ୍ନତି ହୋଇିଥିବାର ମଧ୍ୟ ଅନୁମାନ କରାଯାଏ । ଭୌମବଂଶର ପତନ ପରେ ଅଧିକାଂଶ ମଣ୍ଡଳ ସୋମବଂଶୀ ରାଜ୍ୟର ଅଧିକାରଭୁକ୍ତ ହୋଇଥିବାର ଜଣାଯାଏ । ଅନ୍ୟ ଶବ୍ଦରେ କହିଲେ, ମଣ୍ଡଳଗୁଡ଼ିକ ଭୌମକର ଶାସନ ସମୟରେ ଗଠିତ ହୋଇିଥିଲେ ବୋଲି ସୋମବଂଶୀ ରାଜାମାନଙ୍କ ପାଇଁ ପ୍ରାକୃତିକ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ଏକ ସାମ୍ରାଜ୍ୟାଧୀନ କରିବା ଅନେକ ମାତ୍ରାରେ ସହଜ ହେଲା ।

...

ସୋମବଂଶ

 ଅଷ୍ଟମ ଶତାବ୍ଦୀର ଆଦ୍ୟ ଭାଗରେ ଯେତେବେଳେ ଭୌମକର ରାଜବଂଶ ତୋଷାଳୀରେ ରାଜତ୍ୱ କଲେ, ତା'ର କିଛି କାଳ ଆଗରୁ ସପ୍ତମ ଶତାବ୍ଦୀର ଶେଷ ଆଡ଼କୁ ଦକ୍ଷିଣ କୋଶଳରେ ସୋମବଂଶର ଅଭ୍ୟୁତ୍‌ଥାନ ହେଲା। ଆଧୁନିକ ଛତିଶଗଡ଼ର ରାୟପୁର, ବିଳାସପୁର ଓ ରାୟଗଡ଼ର କିଛି ଅଂଶକୁ ନେଇ ସେତେବେଳେ ଦକ୍ଷିଣ କୋଶଳ ରାଜ୍ୟ ଗଠିତ ହୋଇଥିଲା। କାଳକ୍ରମେ ଏହି ବଂଶ ପଶ୍ଚିମ ଓଡ଼ିଶା ଦେଇ ଓଡ଼ିଶାର ଅଭ୍ୟନ୍ତରକୁ ରାଜ୍ୟ ବିସ୍ତାର କଲେ ଏବଂ ଓଡ଼ିଶାରେ ଥିବା କ୍ଷୁଦ୍ର ରାଜ୍ୟଗୁଡ଼ିକୁ ଅଧିକାରଭୁକ୍ତ କଲେ। ଭୌମମାନଙ୍କର ରାଜ୍ୟ ଧୀରେ ଧୀରେ ସୋମବଂଶୀମାନଙ୍କ କର୍ତ୍ତୃତ୍ୱକୁ ଗଲା। ଭୌମ ସାମନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ସୋମବଂଶୀମାନେ ଅଧିକାର କରିନେଇ ପ୍ରାକୃତିକ ଓଡ଼ିଶାର ବହୁ ଅଂଶକୁ ଏକଶାସନାଧୀନ କଲେ। ଦୀର୍ଘ ତିନି ଶତାବ୍ଦୀ ଧରି ସୋମବଂଶୀମାନେ ଓଡ଼ିଶାରେ ରାଜତ୍ୱ କଲେ ଏବଂ ସେଠାରେ ପ୍ରାୟ ଏକ ପ୍ରକାରର ରାଜନୀତି, ଶାସନ ଓ ସଂସ୍କୃତି ନିର୍ମାଣ କଲେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ହାତୀଗୁମ୍ଫା ଶିଳାଲେଖ ଅନୁଯାୟୀ ଖାରବେଳଙ୍କ ସାମ୍ରାଜ୍ୟ ହୁଏତ ପ୍ରାଚୀନ କାଳର ଏକ ବିଶାଳ ରାଜ୍ୟ ଥିଲା। ମାତ୍ର ତା'ପରେ ସୋମବଂଶୀମାନେ ହିଁ ସମଗ୍ର ଓଡ଼ିଶାକୁ ଏକଶାସନାଧୀନ କଲେ ଓ ସେଠାରେ ଏକ ବିଶାଳ ସାମ୍ରାଜ୍ୟ ଗଠନ କଲେ। ସେତିକି ବିଶାଳ ରାଜ୍ୟ ଅତୀତରେ ଓଡ଼ିଶାରେ ଆଉ କେବେ ଗଠିତ ହୋଇ ନଥିଲା। ଏହି ଦୃଷ୍ଟିରୁ ଦେଖିଲେ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ମଧ୍ୟକାଳର ଆରମ୍ଭରେ ଯେଉଁ ଭିତ୍ତି ପଡିିଲା, ତାହାର ମୁଖ୍ୟ ଶ୍ରେୟ ଯିବ ସୋମବଂଶୀମାନଙ୍କୁ।

ପ୍ରଥମେ, ସୋମବଂଶୀମାନେ ଦକ୍ଷିଣ କୋଶଳରେ ସୀମାବଦ୍ଧ ଥିଲେ। ଆଧୁନିକ ଛତିଶଗଡ଼ର ଶିରପୁର ଥିଲା ସେମାନଙ୍କର ରାଜଧାନୀ। ଦକ୍ଷିଣ କୋଶଳରେ ରାଜୁତି କରିବା ପୂର୍ବରୁ ସେମାନେ ପାଣ୍ଡୁବଂଶ ଭାବରେ ପରିଚିତ ଥିଲେ। ଶରଭପୁରୀୟଙ୍କ ଅଧୀନରେ ପ୍ରାଶାସନିକ ଅଧିକାରୀ ରୂପେ ରାଜନୀତି ଆରମ୍ଭ କରି କାଳକ୍ରମେ ସେମାନେ ରାଜପରିବାର ସହ ବିବାହ ସମ୍ୱନ୍ଧ ସ୍ଥାପନ କଲେ। ଏବଂ ସାମାଜିକ ଦୃଷ୍ଟିରୁ ଶରଭପୁରୀୟ ରାଜ ପରିବାର ସ୍ତରକୁ ଉନ୍ନୀତ ହେଲେ। କୁହାଯାଏ, ଶରଭପୁରୀୟ ବଂଶରେ ପୁତ୍ର ସନ୍ତାନ ନହେବାରୁ ପାଣ୍ଡୁବଂଶୀ ତିବରଦେବଙ୍କୁ ଶରଭପୁରୀୟ ରାଜସିଂହାସନ ପ୍ରାପ୍ତ ହେଲା ଏବଂ ଏହି ପ୍ରକ୍ରିୟାରେ ସୋମବଂଶୀମାନେ ରାଜବଂଶର ମର୍ଯ୍ୟାଦା ଲାଭ କଲେ। କାଳାଚୁରୀ ରାଜାମାନଙ୍କ ବାରମ୍ୱାର ଆକ୍ରମଣଯୋଗୁଁ ଏହି ସମୟରେ ପାଣ୍ଡୁବଂଶୀ ନାମରେ ପରିଚିତ ସୋମବଂଶୀମାନେ ଉତ୍କଳ ଆଡ଼କୁ ଅଗ୍ରସର ହେଲେ ଏବଂ କାଳକ୍ରମେ ଓଡ଼ିଶାରେ ସ୍ଥାୟୀ ଭାବେ ରାଜ୍ୟ ପ୍ରତିଷ୍ଠା କଲେ।

  ସୋମବଂଶୀମାନେ ଆରମ୍ଭରେ ଯେତେବେଳେ ପାଣ୍ଡୁବଂଶୀ ଭାବରେ ପରିଚିତ ଥିଲେ, ସେତେବେଳେ ସେମାନଙ୍କ ମୋଟ ଶାସନ କାଳ ୭୦୦ରୁ ୮୧୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ସୀମିତ ଥିଲା ବୋଲି ଅନୁମାନ କରାଯାଏ। ଦକ୍ଷିଣ କୋଶଳରେ ରାଜତ୍ୱ କରି ସେମାନେ ନିରନ୍ତର ଓଡ଼ିଶାର ଅଭ୍ୟନ୍ତରକୁ ରାଜ୍ୟ ବିିସ୍ତାରପାଇଁ ଉଦ୍ୟମ କରୁଥିଲେ। ମାତ୍ର ଏଥିରେ ସେମାନଙ୍କୁ ବିଶେଷ ସଫଳତା ମିଳିନଥିଲା। ତିବରଦେବଙ୍କୁ ପ୍ରମେ ରାଜ୍ୟ ଭାର ମିଳିିଲା ଏବଂ ୭୦୦ରୁ ୭୨୫ ଖ୍ରୀଷ୍ଟାବ୍ଦ ମଧ୍ୟରେ ସେ ଶାସନ କରିବା ପରେ ତାଙ୍କର ଯେଉଁ ଉତ୍ତରାଧିକାରୀମାନେ ଦକ୍ଷିଣ କୋଶଳରେ ରାଜତ୍ୱ କଲେ ସେମାନେ ହେଲେ କ୍ରମାନ୍ୱୟରେ ଚନ୍ଦ୍ରଗୁପ୍ତ, ହର୍ଷଗୁପ୍ତ ଓ ବାଳାର୍ଜୁନ। ପିତା ହର୍ଷଗୁପ୍ତଙ୍କ ମୃତ୍ୟୁ ବେଳକୁ ବାଳାର୍ଜୁନ ନାବାଳକ ଥିବାରୁ ରାଜମାତା ବାସଟା ଦେବୀ କିଛି କାଳ ରାଜକାର୍ଯ୍ୟ ତୁଲାଇଥିଲେ। ରାଜଧାନୀ ଶିରପୁର ପ୍ରସ୍ତର ଅଭିଲେଖରେ ବାସଟା ଦେବୀଙ୍କ ସମୟରେ କୋଶଳରେ କେତେକ ବିଷ୍ଣୁ ମନ୍ଦିର ନିର୍ମିତ ହୋଇଥିବାର ଉଲ୍ଲେଖ ରହିଛି। ବାଳାର୍ଜୁନଙ୍କ ରାଜତ୍ୱ ସମୟରେ ଦକ୍ଷିଣ କୋଶଳ ରାଷ୍ଟ୍ରକୂଟମାନଙ୍କ ହାତରେ ପରାଜିତ ହୋଇ ସାମନ୍ତ ରାଜ୍ୟ ହେବାକୁ ବାଧ୍ୟ ହେଲା। ମାତ୍ର ରାଷ୍ଟ୍ରକୂଟ ରାଜା ତୃତୀୟ ଗୋବିନ୍ଦଙ୍କ ମୃତ୍ୟୁ ପରେ ବାଳାର୍ଜୁନ ପୁଣି ସ୍ୱାଧୀନ ହେଲେ। ବାଳାର୍ଜୁନ ଦୀର୍ଘ ୫୭ ବର୍ଷ ଧରି ରାଜ୍ୟ ଶାସନ କରି ଥିଲେ ଏବଂ ନିଜ ରାଜତ୍ୱ କାଳରେ ଅନେକ ଗୁଡ଼ିଏ ତାମ୍ରଶାସନ ପ୍ରଦାନ କରିଥିଲେ। ପାଣ୍ଡୁବଂଶୀ ସମୟର ଇତିହାସ ରଚନାରେ ଏହି ତାମ୍ରଶାସନ ମୁଖ୍ୟ ଆଧାର ରୂପେ ପରିଗଣିତ ହୁଏ। ବାଳାର୍ଜୁନ ଶୈବଧର୍ମର ଉପାସକ ଥିଲେ ଏବଂ ତା' ସହିତ ବୌଦ୍ଧଧର୍ମର ପୃଷ୍ଠପୋଷକତା କରୁଥିଲେ ବୋଲି ତାମ୍ରଶାସନରୁ ଜଣାଯାଏ। ତାଙ୍କ ସମୟରେ ଶିରପୁରଠାରେ ଲକ୍ଷ୍ମଣେଶ୍ୱର ମନ୍ଦିର ନିର୍ମାଣ ହୋଇଥିଲା।

ବାଳାର୍ଜୁନଙ୍କ ପରବର୍ତ୍ତୀ ପାଣ୍ଡୁବଂଶୀ ରାଜାମାନେ ନିଜକୁ ସୋମବଂଶୀ ବୋଲି ଅଭିହିତ କରିଥିଲେ। ନବମ ଶତାବ୍ଦୀର ମଧ୍ୟ ଭାଗରୁ (୮୫୦ ଖ୍ରୀଷ୍ଟାବ୍ଦରୁ) ଦ୍ୱାଦଶ ଶତାବ୍ଦୀର ଆରମ୍ଭ ପର୍ଯ୍ୟନ୍ତ (୧୧୦୦-୧୧୧୦ ଖ୍ରୀଷ୍ଟାବ୍ଦ) ସେମାନେ ଓଡ଼ିଶାରେ ରାଜତ୍ୱ କରିଥିଲେ। ନିଜ ନାମ ସହିତ ଅଭିଷେକ ନାମ 'ମହାଶିବଗୁପ୍ତ' ଓ 'ମହାଭବଗୁପ୍ତ' ପଦବୀ ଗ୍ରହଣ କରି ସେମାନେ ନିଜ ଗୌରବ ଓ ପରାକ୍ରମର ପରିଚୟ ଦେଇଥିଲେ। ସେମାନେ କାହାରି ସାମନ୍ତରାଜା ନ ଥିଲେ। ସ୍ୱାଧୀନ ଭାବରେ ରାଜତ୍ୱ କରି କ୍ରମାଗତ ରାଜ୍ୟର ପରିସୀମା ବିସ୍ତାର କରିବାରେ ସଫଳ ହୋଇଥିଲେ। ଯାହା ପୂର୍ବରୁ ଉଲ୍ଲିଖିତ, ଅନେକ ମଣ୍ଡଳ ରାଜ୍ୟ ସେମାନଙ୍କ ସମୟରେ ସୋମବଂଶୀ ରାଜ୍ୟର ଅଧିକାରଭୁକ୍ତ ହୋଇଥିଲା।  ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଦ୍ୱାରା ପ୍ରସ୍ତୁତ ସୋମବଂଶୀ ରାଜବଂଶାବଳୀ ନିମ୍ନରେ ଦିଆଗଲା।

Odisha Itihasa.pdf

ପ୍ରଥମ ଜନ୍ମେଜୟ

 ପ୍ରଥମ ଜନ୍ମେଜୟ ସୋମବଂଶର ପ୍ରଥମ ରାଜା। କାଳାଚୁରୀମାନଙ୍କ ଆକ୍ରମଣଯୋଗୁଁ ସେ ଆଧୁିନିକ ଛତିଶଗଡ଼ର ରାୟପୁର-ବିଳାସପୁରସ୍ଥିତ ତାଙ୍କ ରାଜ୍ୟରୁ ସୋମରାଜ୍ୟକୁ ଓଡ଼ିଶା ଆଡକୁ ବିସ୍ତାରିତ କଲେ। ପ୍ରଥମେ ପଶ୍ଚିମ ଓଡ଼ିଶାର ସ୍ଥାନୀୟ ରାଜାମାନଙ୍କୁ ପରାଜିତ କରି ସେ କୋଶଳ ରାଜ୍ୟ ସ୍ଥାପନ କଲେ, ଯାହାକୁ ବର୍ତ୍ତମାନର ସମ୍ୱଲପୁର-ବଲାଙ୍ଗୀର ଅଞ୍ଚଳ ସହ ଚିହ୍ନିତ କରାଯାଏ। ଏହା ପରେ ରାଜା ରଣ ଭଞ୍ଜଙ୍କୁ ଯୁଦ୍ଧରେ ପରାସ୍ତ ଓ ନିହତ କରି ଆଧୁନିକ ବୌଦ-ସୋନପୁର ସହ ଚିହ୍ନିତ ଖିଞ୍ଜଳି ମଣ୍ତଳ ରାଜ୍ୟ ଅଧିକାର କଲେ। ଖିଞ୍ଜଳି ମଣ୍ତଳ ଭୌମମାନଙ୍କର ସାମନ୍ତ ରାଜ୍ୟ ଥିବା ସତ୍ତ୍ୱେ ରଣ ଭଞ୍ଜଙ୍କୁ ଯୁଦ୍ଧ ବେଳେ ଭୌମକରମାନଙ୍କର ସୈନ୍ୟ ସହାୟତା ମିଳିଥିଲା। ହୁଏତ ଏତେବେଳକୁ ଭୌମମାନେ ଦୁର୍ବଳ ହୋଇପଡ଼ିଥିଲେ ଏବଂ ନିଜ ସାମନ୍ତ ରାଜ୍ୟକୁ ପ୍ରତିରକ୍ଷା ପ୍ରଦାନ କରିବାକୁ ଅସମର୍ଥ ଥିଲେ।

ଖିଞ୍ଜଳି ମଣ୍ତଳ ଅଧିକାର କଲା ପରେ ସୋମବଂଶୀମାନେ ଭୌମକର ବଂଶ ସହ ବୈବାହିକ ସମ୍ୱନ୍ଧ ସ୍ଥାପନ କଲେ। ପ୍ରଥମ ଜନ୍ମେଜୟ ନିଜ କନ୍ୟା ପୃଥ୍ୱୀ ମହାଦେବୀଙ୍କୁ ଭୌମରାଜା ଚତୁର୍ଥ ଶୁଭକର ଦେବଙ୍କ ସହିତ ବିବାହ ଦେଲେ। ଏହି ପ୍ରକ୍ରିୟାରେ ଜନ୍ମେଜୟ ଭୌମ ଶାସନରେ ହସ୍ତକ୍ଷେପ କଲେ। ଚତୁର୍ଥ ଶୁଭକରଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ଭାଇ ତୃତୀୟ ଶିବକର ଦେବ ସିଂହାସନ ଆରୋହଣ କଲେ, ପୃଥ୍ୱୀ ମହାଦେବୀ ତା'ର ବିରୋଧ କରିଥିଲେ। ଫଳରେ ଶିବକର ଦେବଙ୍କ ମୃତ୍ୟୁ ପରେ ସେ ଭୌମ ରାଜ୍ୟର ଶାସିକା ହେଲେ। ସମ୍ଭବତଃ ପିତା ପ୍ରଥମ ଜନ୍ମେଜୟଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସେ ଭୌମ ରାଜପଦ ଦାବି କରିଥିଲେ। ତେଣୁ ତାଙ୍କ ଦ୍ୱାରା ପ୍ରଦତ୍ତ ବୌଦ ତାମ୍ରଶାସନରେ ସେ ନିଜକୁ କୋଶଳର ସୋମବଂଶୀ ରାଜାଙ୍କ କନ୍ୟା ବୋଲି ସୁସ୍ପଷ୍ଟ କରିଥିଲେ। ଭୌମରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ପ୍ରଥମ ଜନ୍ମେଜୟଙ୍କ ହସ୍ତକ୍ଷେପ ରହିଥିବା କଥା ନିମ୍ନୋକ୍ତ କେତୋଟି ଘଟଣାରୁ ସାବ୍ୟସ୍ତ ହୁଏ।

ଜନ୍ମେଜୟଙ୍କ ପୁତ୍ର ପ୍ରଥମ ଯଯାତି ଭୌମଶାସିତ ତୋଷାଳୀ ରାଜ୍ୟରେ ରାଜତ୍ୱର ନବମ ବର୍ଷରେ ଏକ ଗ୍ରାମ ଦାନ କରିଥିଲେ। ସୋମବଂଶୀ ରାଜା ଯେତେବେଳେ କାଳାଚୁରୀ ରାଜା ଶଙ୍କରପଣଙ୍କ ସହ ଯୁଦ୍ଧରେ ବ୍ୟସ୍ତ ରହିଲେ, ତାହାର ସୁବିଧା ନେଇ ପୃଥ୍ୱୀମହାଦେବୀଙ୍କୁ ଭୌମ ଅଧିକାରୀମାନେ ରାଜପଦରୁ ଗାଦିଚ୍ୟୁତ କଲେ ଏବଂ ତାଙ୍କ ସ୍ଥାନରେ ତୃତୀୟ ଶିବକରଙ୍କ ବିଧବା ପତ୍ନୀ ତ୍ରିଭୁବନ ମହାଦେବୀଙ୍କୁ ସିଂହାସନରେ ବସାଇଲେ। କାଳାଚୁରୀଙ୍କ ସହିତ ଯୁଦ୍ଧ ସାରି ଯେତେବେଳେ ଯଯାତି ପୁଣି ଥରେ ନିଜ ଭଉଣୀ ପୃଥ୍ୱୀ ମହାଦେବୀଙ୍କୁ ଭୌମ ରାଜଗାଦି ଦେବାକୁ ପ୍ରୟାସ କଲେ, ତାହା ଭୌମ ଅଧିକାରୀଙ୍କ ବିରୋଧଯୋଗୁଁ ସମ୍ଭବ ହେଲା ନାହିଁ। ଏଥିରୁ ମନେହୁଏ ଭୌମ ପ୍ରଶାସନରେ ସୋମବଂଶୀମାନଙ୍କର ହସ୍ତକ୍ଷେପ ରହିଥିଲା ଏବଂ ତାକୁ ଭୌମ ରାଜଅଧିକାରୀ ବର୍ଗ ତୀବ୍ର ବିରୋଧ କରୁଥିଲେ। ସମ୍ଭବତଃ ଓଡ଼ିଶା ବାହାରୁ ଆସି କୋଶଳରେ ରାଜତ୍ୱ କରୁଥିବା ଏବଂ କୋଶଳକୁ କେନ୍ଦ୍ର କରି ବାକି ଓଡ଼ିଶାକୁ ରାଜ୍ୟବିସ୍ତାର କରୁଥିବା ସୋମବଂଶୀମାନଙ୍କୁ ଆରମ୍ଭରେ ସ୍ଥାନୀୟ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ପ୍ରଥମ ଜନ୍ମେଜୟ ଖିଞ୍ଜଳି ମଣ୍ତଳ ଅଧିକାର କଲା ପରେ ସୁବର୍ଣ୍ଣପୁରକୁ (ଆଧୁନିକ ସୋନପୁର) ରାଜଧାନୀ ପରିବର୍ତ୍ତନ କଲେ। ପ୍ରଥମ ଯଯାତି ସୁବର୍ଣ୍ଣପୁରରୁ ପ୍ରଥମେ ବିନୀତପୁର (ବିନିକା) ଓ ରାଜତ୍ୱର ପନ୍ଦର ବର୍ଷରେ ଯଯାତି ନଗରକୁ (ଯାଜପୁର) ରାଜଧାନୀ ସ୍ଥାନାନ୍ତର କରିଥିଲେ। ଏଥିରୁ ଜଣାଯାଏ ଯେ ସେମାନେ କ୍ରମଶଃ ପ୍ରାକୃତିକ ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ନିଜ କର୍ତ୍ତୃତ୍ୱକୁ ଆଣି ପାରିଥିଲେ। ସୋମବଂଶୀ ରାଜା ମହାଶିବଗୁପ୍ତ ଧର୍ମର ଖଣ୍ଡପଡ଼ାରେ ତାମ୍ରଶାସନ ଜାରି କରିଥିଲେ। ଅନ୍ୟ ଜଣେ ରାଜା ଉଦ୍ୟୋତ କେଶରୀ ନରସିଂହପୁରରେ ଏବଂ ଇନ୍ଦ୍ର ରଥ ବାଣପୁରରେ ତାମ୍ରଶାସନ ଜାରି କରିିଥିଲେ। ପୁଣି, ବାଣପୁର ତାମ୍ରଶାସନରୁ ଜଣାଯାଏ ଯେ, ଧର୍ମରଥ କଳିଙ୍ଗ ଓ କଙ୍ଗୋଦ ରାଜ୍ୟ ଅଧିକାର କରି ସେଠାରେ ଭ୍ରାତା ଇନ୍ଦ୍ରରଥଙ୍କୁ ରାଜ୍ୟପାଳ ନିଯୁକ୍ତ କରିଥିଲେ। ଇନ୍ଦ୍ରରଥ ଭୁବନେଶ୍ୱରରେ ରାଜାରାଣୀ ମନ୍ଦିର ଓ ଟିଟିଲାଗଡ଼ ନିକଟସ୍ଥ ରାଣୀପୁର-ଝରିଆଲରେ ଇନ୍ଦ୍ରଲାଠ ମନ୍ଦିର ନିର୍ମାଣ କରିଥିଲେ- ଯାହା ତାଙ୍କ ରାଜ୍ୟର ବ୍ୟାପକତାକୁ ଦର୍ଶାଏ। ଚତୁର୍ଥ ମହାଭବଗୁପ୍ତ ଉଦ୍ୟୋତ କେଶରୀଙ୍କ ରାଜତ୍ୱ ବେଳକୁ ସୋମବଂଶର ରାଜତ୍ୱ କୋଶଳ, ଉତ୍କଳ ଓ ଓଡ୍ର ଦେଶକୁ ବ୍ୟାପି ସାରିଥିଲା।

ସୋମବଂଶୀ ରାଜାମାନେ ଯଦିଓ ଓଡ଼ିଶା ଭିତରେ ଖୁବ୍‍ ପରାକ୍ରମଶାଳୀ ଥିଲେ ଏବଂ ଓଡ୍ର, କୋଶଳ, କଙ୍ଗୋଦ ଓ ଉତ୍କଳ ଆଦି ରାଜ୍ୟ ଜୟ କରିବାକୁ ସମର୍ଥ ହୋଇଥିଲେ, ସେମାନଙ୍କୁ ଅନେକ ବାହାର ରାଜାଙ୍କ ହାତରେ ପରାଜୟ ମଧ୍ୟ ବରଣ କରିବାକୁ ପଡିଥିଲା। କାଳାଚୁରୀମାନେ ଥିଲେ ସୋମବଂଶୀ ରାଜାଙ୍କ ପରମ ଶତ୍ରୁ। ଇନ୍ଦ୍ରରଥଙ୍କ ସମୟରେ କାଳାଚୁରୀମାନେ ସୋମବଂଶୀ ରାଜ୍ୟର ଉତ୍ତର-ପଶ୍ଚିମ ଅଞ୍ଚଳକୁ ଜିଣି ନେଇଥିଲେ। ଦ୍ୱିତୀୟ ଯଯାତି ମଧ୍ୟ କାଳାଚୁରୀମାନଙ୍କ ହାତରେ ପରାସ୍ତ ହୋଇଥିଲେ। ସେହିପରି ଚୋଳମାନେ ସୁବର୍ଣ୍ଣପୁରକୁ ଏବଂ ଉତ୍ତର ଗଙ୍ଗବଂଶୀ ରାଜା ତୃତୀୟ ବଜ୍ରହସ୍ତ ଦେବ ସୋମବଂଶୀମାନଙ୍କ ହାତରୁ କଳିଙ୍ଗ ଓ କଙ୍ଗୋଦକୁ ଜିଣି ନେବାରେ ସକ୍ଷମ ହୋଇଥିଲେ।

ଦ୍ୱିତୀୟ ଯଯାତି କେଶରୀ ଓ ତାଙ୍କ ପୁତ୍ର ଉଦ୍ୟୋତ କେଶରୀଙ୍କୁ ସୋମବଂଶୀ ରାଜାମାନଙ୍କ ମଧ୍ୟରେ ପ୍ରମୁଖତା ଦିଆଯାଏ। ମାଦଳାପାଞ୍ଜିରୁ ଜଣାଯାଏ ଯେ, ଦ୍ୱିତୀୟ ଯଯାତି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ନିର୍ମାଣ କରିଥିଲେ। ଯାଜପୁରରେ କାନ୍ୟକୁବ୍‍ଜରୁ ଦଶହଜାର ବ୍ରାହ୍ମଣଙ୍କୁ ଅଣାଇ ସେ ଦଶାଶ୍ୱମେଧ ଯଜ୍ଞ ମଧ୍ୟ କରିଥିଲେ। ସମ୍ଭବତଃ ଏହି ବ୍ରାହ୍ମଣମାନେ ପରବର୍ତ୍ତୀ ସମୟରେ ଓଡ଼ିଶାରେ ସ୍ଥାୟୀ ଭାବରେ ବସବାସ କରିଥିଲେ। ବ୍ରାହ୍ମଣମାନଙ୍କ ଆଗମନ ପରେ ଓଡ଼ିଶାରେ ବ୍ରାହ୍ମଣ୍ୟ ସଂସ୍କୃତିର ପ୍ରସାର ହେଲା। ପିତାଙ୍କ ପଥ ଅନୁସରଣ କରି ଉଦ୍ୟୋତ କେଶରୀ ବ୍ରାହ୍ମଣ ଓ ପଣ୍ଡିତମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିଥିଲେ। ଏହା ଓଡ଼ିଶାରେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା କୁ ତୀବ୍ରତର କଲା। ସୋମବଂଶୀମାନଙ୍କ ପୃଷ୍ଠପୋଷକତାରେ ନିର୍ମିତ ବ୍ରହ୍ମେଶ୍ୱରୀ ମନ୍ଦିର ଅଭିଲେଖରେ ଉଦ୍ୟୋତ କେଶରୀ ପ୍ରଥମେ ରାଜକୁମାର ଭାବରେ ଏବଂ ପରେ ରାଜା ଭାବରେ କାଳାଚୁରୀ, ଚୋଳ ଓ ଗୌଡ଼ମାନଙ୍କୁ ପ୍ରତିହତ କରିଥିବା କଥା ଉଲ୍ଲେଖ ଅଛି। ତାଙ୍କ ସମୟରେ ବାମଣ୍ଡା ମଣ୍ଡଳ ରାଜ୍ୟ ସ୍ଥାପିତ ହୋଇଥିଲା, ଯାହାର ପ୍ରାଶାସନିକ ଦାୟିତ୍ୱ ଜଣେ ରାଜକୁମାରଙ୍କ ହାତରେ ନ୍ୟସ୍ତ ଥିଲା। ଶିବ ଉପାସକ ଭାବରେ ସେ ଲିଙ୍ଗରାଜ ମନ୍ଦିରର ଜଗମୋହନ ନିର୍ମାଣ ସମ୍ପୂର୍ଣ୍ଣ କରିଥିଲେ ବୋଲି ମାଦଳା ପାଞ୍ଜିରେ ବର୍ଣ୍ଣନା କରାଯାଇଛି। ଏକାଦଶ ଶତାବ୍ଦୀର ଶେଷ ବେଳକୁ ସୋମବଂଶୀ ରାଜ୍ୟ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଲା। କାଳାଚୁରୀ, ଚୋଳ ଓ ଗୌଡ଼ମାନଙ୍କ ଅପେକ୍ଷା ସେମାନଙ୍କର ଅଧିକ ବଡ଼ ଶତ୍ରୁ ଭାବରେ ଉତ୍ତର ଗଙ୍ଗବଂଶ ବା ପରବର୍ତ୍ତୀ ଗଙ୍ଗବଂଶ ରାଜ୍ୟ ସମ୍ମୁଖକୁ ଆସିଲା। ବାହାରର ଅନ୍ୟ ରାଜ୍ୟଗୁଡ଼ିକ ପରି ଗଙ୍ଗମାନେ କେବଳ ଆକ୍ରମଣ କରି ଓ ଧନସମ୍ପତ୍ତି ଲୁଟି ନେଇ ସନ୍ତୁଷ୍ଟ ହୋଇନଥିଲେ। ଅତୀତରେ ଭୌମମାନଙ୍କ ରାଜ୍ୟରେ ସୋମବଂଶୀମାନେ ରାଜ୍ୟ ବିସ୍ତାର କଲା ପରି, ସେମାନେ (ଉତ୍ତର ଗଙ୍ଗମାନେ) ଓଡ଼ିଶାର ଗୋଟାକ ପରେ ଗୋଟାଏ ରାଜ୍ୟ ଅଧିକାର କରିନେଲେ ଏବଂ ନିଜ ରାଜ୍ୟର ବିସ୍ତାର କଲେ। ଦିରଘାସି ଶିଳାଲେଖରୁ ଜଣାଯାଏ ଯେ ଗଙ୍ଗରାଜା ପ୍ରଥମ ରାଜରାଜ ଦେବେନ୍ଦ୍ର ବର୍ମାଙ୍କର ସେନାପତି ଖିମିଡ଼ି, ଓଡ୍ର ଓ କୋଶଳ ଆଦି ରାଜ୍ୟର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ। ସୋମବଂଶର ଶେଷ ରାଜା ଥିଲେ କର୍ଣ୍ଣଦେବ। ରାଜତ୍ୱର ଷଷ୍ଠ ବର୍ଷରେ ସେ ରତ୍ନଗିରି ତାମ୍ର ଶାସନ ରାଜଧାନୀ ଯଯାତିନଗରଠାରୁ ପ୍ରଦାନ କରିଥିଲେ। ସେ ସିଂହାସନ ଆରୋହଣ କଲାବେଳକୁ ସୋମବଂଶୀ ରାଜ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଯାଏ ସୀମିତ ହୋଇ ଆସିିଥିଲା। ତାଙ୍କ ସମୟରେ ପାଳବଂଶର ରାଜା ରାମପାଳ ଉତ୍ତର ଦିଗରୁ ଏବଂ ଗଙ୍ଗରାଜା ଅନନ୍ତ ବର୍ମା ଚୋଡ଼ଗଙ୍ଗଦେବ ଦକ୍ଷିଣ ଦିଗରୁ ସୋମବଂଶୀ ରାଜ୍ୟ ଉପରେ ଆକ୍ରମଣ କଲେ। ସମ୍ଭବତଃ ପାଳମାନେ କର୍ଣ୍ଣଦେବଙ୍କୁୁ ପରାସ୍ତ କରିଥିଲେ, କିନ୍ତୁ ଚୋଡ଼ଗଙ୍ଗଦେବ ତାଙ୍କୁ ସୁରକ୍ଷା ପ୍ରଦାନ କରି ପୁଣି ଥରେ ସିଂହାସନରେ ବସାଇଥିଲେ। ମାତ୍ର ଚୋଡ଼ଗଙ୍ଗଦେବଙ୍କ ଅନୁକମ୍ପା ଲାଭ କରି କର୍ଣ୍ଣଦେବ ଗଙ୍ଗକର୍ତ୍ତୃତ୍ୱାଧୀନ ହୋଇ ପଡ଼ିଲେ। ଶେଷରେ ୧୧୧୨ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗଦେବ ସୋମବଂଶୀ ରାଜ୍ୟକୁ ଅଧିକାର କରିନେଲେ। ଏହିଭଳି ଭାବେ ସୋମବଂଶୀ ଶାସନର ଅନ୍ତ ହେଲା। ରାଜନୈତିକ ଦୃଷ୍ଟିରୁ ଦେଖିଲେ, ଭୈାମମାନଙ୍କ ସମୟରେ ପ୍ରାକୃତିକ ଓଡ଼ିଶା କ୍ଷେତ୍ରକୁ ଯେଉଁ ଏକ ଶାସନ ଏବଂ ସଂସ୍କୃତିର ଅନ୍ତର୍ଭୁକ୍ତ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା, ତାହା ସୋମବଂଶୀମାନଙ୍କ ରାଜତ୍ୱରେ ତ୍ୱରାନ୍ୱିତ ହେଲା। ଉତ୍ତର ଭାରତରୁ ବହୁ ସଂଖ୍ୟାରେ ବ୍ରାହ୍ମଣମାନଙ୍କୁ ଓଡ଼ିଶାରେ ବସତି ସ୍ଥାପନ କରିବାକୁ ସୁବିଧା ସୁଯୋଗ ଦେଇ ସେମାନେ ସାମାଜିକ ବର୍ଗୀକରଣ ପ୍ରକ୍ରିୟା ବୃଦ୍ଧି କଲେ। ସାମାଜିକ ବର୍ଗୀକରଣ, ବ୍ରାହ୍ମଣ୍ୟ ଧର୍ମର ପ୍ରସାର ଓ ସାମ୍ରାଜ୍ୟ ବିସ୍ତାରର ପ୍ରକ୍ରିୟା ମଧ୍ୟରେ ଅନୁପୂରକତା ଦେଖିବାକୁ ମିଳିଲା। ଭୌମମାନଙ୍କ ସମୟରେ ପାର୍ବତ୍ୟାଞ୍ଚଳରେ ସ୍ଥାପିତ ମଣ୍ଡଳ ରାଜ୍ୟଗୁଡ଼ିକରେ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ମିଳିଥିଲା। ସୋମବଂଶୀମାନଙ୍କ ସମୟରେ ବାହାରୁ ସେମାନଙ୍କୁ ଅଣାଗଲା। ଉଭୟ ବିଷୟକୁ ଯୋଡ଼ି ଦେଖିଲେ ଜଣାଯାଏ ଯେ, ଓଡ଼ିଶା ଆନ୍ତରିକ ଭାବରେ ତ‌ଥା ବାହାର କ୍ଷେତ୍ର ସହିତ ଏହି ସମୟରେ ବ୍ରାହ୍ମଣ୍ୟ ଧର୍ମ ମାଧ୍ୟମରେ ସଂଯୋଜିତ ହେବା ଲାଗି ଅଧିକ ମାତ୍ରାରେ ରାଜ ପ୍ରୋତ୍ସାହନ ଲାଭ କଲା। ସେହି ଦୃଷ୍ଟିରୁ ଦେଖିଲେ ସୋମବଂଶୀ ରାଜତ୍ୱ ଯେ ଓଡ଼ିଶା ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ- ଏଥିରେ କୌଣସି ଦ୍ୱିମତ ନାହିଁ।

...

ଉତ୍ତର ଗଙ୍ଗବଂଶ ଓ ଗଙ୍ଗ ସାମ୍ରାଜ୍ୟ

  ଉତ୍ତର ବା ପରବର୍ତ୍ତୀ ଗଙ୍ଗବଂଶ ହେଲେ ପୂର୍ବ ଗଙ୍ଗବଂଶର ଦାୟାଦ। ପଞ୍ଚମ ଶତାବ୍ଦୀର ଶେଷ ଭାଗରୁ (୪୯୬ ଖ୍ରୀଷ୍ଟାବ୍ଦ) ଆରମ୍ଭ କରି ଅଷ୍ଟମ ଶତାବ୍ଦୀର ମଧ୍ୟ ଭାଗ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ କ୍ଷେତ୍ର ଓ ଆନ୍ଧ୍ରର ଶ୍ରୀକାକୁଲମ୍‍ କ୍ଷେତ୍ରରେ ପୂର୍ବ ବା ଆଦ୍ୟ ଗଙ୍ଗବଂଶ କଳିଙ୍ଗ ରାଜ୍ୟ ସ୍ଥାପନ କରିଥିଲେ। କଳିଙ୍ଗନଗର (ମୁଖଲିଙ୍ଗମ) ସେମାନଙ୍କ ରାଜଧାନୀ ଥିଲା। ଅଷ୍ଟମ ଶତାବ୍ଦୀର ଉତ୍ତରାର୍ଦ୍ଧରେ ପୂର୍ବ ଗଙ୍ଗବଂଶର ପତନ ହେଲା। ଗଙ୍ଗମାନେ ଅନେକ ଭାଗରେ ବିଭକ୍ତ ହେଲେ। ଧୀରେ ଧୀରେ ସେମାନଙ୍କର ଓଡ଼ିଶା ସହିତ ସମ୍ୱନ୍ଧ ତୁଟିଲା ଏବଂ ଆନ୍ଧ୍ରରେ ଏକ ଅଖ୍ୟାତ ବଂଶ ଭାବରେ ସେମାନେ ରହିଲେ। ଏକାଦଶ ଶତାବ୍ଦୀର ପ୍ରମାର୍ଦ୍ଧରେ (୧୦୩୮ ଖ୍ରୀଷ୍ଟାବ୍ଦ) ବଜ୍ରହସ୍ତ ଦେବ ସିଂହାସନ ଆରୋହଣ କଲେ। ତାଙ୍କ ସମୟ ପରଠାରୁ ପଞ୍ଚଦଶ ଶତାବ୍ଦୀର ପ୍ରଥମାର୍ଦ୍ଧ ମଧ୍ୟରେ (୧୪୩୪ ଖ୍ରୀ.) ଗଙ୍ଗମାନେ ପୁଣି ଥରେ ଗୌରବ ଅର୍ଜନ କଲେ। ଏହି ସମୟରେ ସେମାନେ ଏକ ବୃହତ୍‍ ରାଜ୍ୟ ଗଠନ କରିବାରେ ସଫଳ ହେଲେ। ସେମାନେ ଆନ୍ଧ୍ର ଅଞ୍ଚଳରୁ ଓଡ଼ିଶାକୁ ଆସିଥିଲେ ହେଁ ଓଡ଼ିଶା-ସଂସ୍କୃତିର ସଂରକ୍ଷକ ରୂପେ ପ୍ରସିଦ୍ଧି ଅର୍ଜନ କଲେ। ସେମାନଙ୍କ ସମୟରେ (ଉତ୍ତର ଗଙ୍ଗବଂଶର ରାଜତ୍ୱ କାଳରେ) ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ତ‌ଥା ଆହୁରି ଅନେକ ମନ୍ଦିର ନିର୍ମିତ ହେଲା। ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି ସେହି ପ୍ରକ୍ରିୟାରେ ଜଗନ୍ନାଥ ସଂସ୍କୃତିକୁ ପ୍ରୋତ୍ସାହନ ଦେବାରେ ମଧ୍ୟ ଉତ୍ତର ଗଙ୍ଗବଂଶ ପ୍ରମୁଖତା ଲାଭ କଲା। ଏହା ସହିତ ଓଡ଼ିଶା ରାଜ୍ୟଗଠନର ଭିତ୍ତି ମଧ୍ୟ ସୁଦୃଢ଼ ହେଲା। ଦୀର୍ଘ ଚାରି ଶହ ବର୍ଷର ଗଙ୍ଗରାଜତ୍ୱ କାଳ ମଧ୍ୟରେ ୧୭ଜଣ ରାଜା ଶାସନ କରିିଲେ। ରାଜ୍ୟର ବିସ୍ତାର ହେବା ସହିତ ରାଜଧାନୀକୁ ସେମାନେ କଳିଙ୍ଗନଗର (ମୁଖଲିଙ୍ଗମ) ଠାରୁ ବାରାଣସୀ କଟକକୁ (ଆଧୁନିକ କଟକ) ସ୍ଥାନାନ୍ତର କରିିଥିଲେ। ଓଡ଼ିଶାରେ ସ୍ଥାୟୀ ଭାବେ ରହିଗଲା ପରେ ଗଙ୍ଗମାନେ ଓଡ଼ିଶାର ଚାଲିଚଳଣି ଓ ଓଡ଼ିଆ ଭାଷାକୁ ଆପଣେଇ ନେଲେ। ସେମାନଙ୍କ ସମୟରେ ଆଞ୍ଚଳିକ ଓଡ଼ିଆ ସାହିତ୍ୟର ଉତ୍‍‌ଥାନ ହେଲା ଏବଂ ଜଗନ୍ନାଥ ଓଡ଼ିଶା ସଂସ୍କୃତିର ପ୍ରତୀକ ହେଲେ। ଏଥିରେ ଗଙ୍ଗମାନଙ୍କ ଅନେକ ଐତିହାସିକ ଭୂମିକା ରହିଥିଲା। ଐତିହାସିକ ଆର. ସୁବ୍ବାରାଓଙ୍କଦ୍ୱାରା ପ୍ରସ୍ତୁତ ଉତ୍ତର ଗଙ୍ଗବଂଶାବଳୀ ନିମ୍ନରେ ଦିଆଗଲା ।

ଉତ୍ତର ଗଙ୍ଗ ବଂଶାବଳୀ

 
 
ଅନନ୍ତ ବର୍ମା ବଜ୍ରହସ୍ତ (୧୦୩୮-୧୦୬୯ ଖ୍ରୀ.)
 
 
 
 
 
 
ଦେବେନ୍ଦ୍ର ବର୍ମା ପ୍ରଥମ ରାଜରାଜ (୧୦୬୯-୧୦୭୬ ଖ୍ରୀ.)
 
 
 
 
 
 
 
 
 
 
 
 
 
 
 
 
 
ଅନନ୍ତ ବର୍ମା ଚୋଡ଼ଗଙ୍ଗ (୧୦୭୬-୧୧୪୭)ଉଦୟଗଣ୍ଡ ପରମାଦ୍ରିଦେବ ବା
ଦ୍ୱିତୀୟ ଚୋଡ଼ଗଙ୍ଗ ବା
ରାଜେନ୍ଦ୍ର ଚୋଡ଼ଗଙ୍ଗ
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
 
ସପ୍ତମ କାମାର୍ଣ୍ଣବ (୧୧୪୭-୫୬)ରାଘବ (୧୧୫୬-୭୦)ଦ୍ୱିତୀୟ ରାଜରାଜ (୧୧୭୦-୯୦)ଦ୍ୱିତୀୟ ଅଙ୍ଗଙ୍ଗଭୀମ (୧୧୯୦-୯୮)
 
 
 
 
 
 
 
 
 
 
 
 
 
 
 
 
 
 
 
ତୃତୀୟ ରାଜରାଜ (୧୧୯୮-୧୨୧୧)
 
 
 
 
 
 
 
 
ତୃତୀୟ ଅନଙ୍ଗଭୀମ (୧୨୧୧-୧୨୩୮)
 
 
 
 
 
 
 
 
ପ୍ରଥମ ନରସିଂହଦେବ (୧୨୩୮-୧୨୬୪)
 
 
 
 
 
 
 
 
ପ୍ରଥମ ଭାନୁଦେବ (୧୨୬୪-୧୨୭୯)
 
 
 
 
 
 
 
 
ଦ୍ୱିତୀୟ ନରସିଂହଦେବ (୧୨୭୯-୧୩୦୬)
 
 
 
 
 
 
 
 
ଦ୍ୱିତୀୟ ଭାନୁଦେବ (୧୩୦୬-୧୩୨୮)
 
 
 
 
 
 
 
 
ତୃତୀୟ ନରସିଂହଦେବ (୧୩୨୮-୧୩୫୨)
 
 
 
 
 
 
 
 
ଚତୁର୍ଥ ନରସିଂହଦେବ (୧୩୭୮-୧୪୧୪)
 
 
 
 
 
 
 
 
ଚତୁର୍ଥ ଭାନୁଦେବ (୧୪୧୪-୧୪୩୪)
 
ଉତ୍ତର ଗଙ୍ଗବଂଶର ପ୍ରଥମ ରାଜା ଥିଲେ ବଜ୍ରହସ୍ତ ଦେବ । ତାଙ୍କ ସମୟରେ ତ‌ଥା ତାଙ୍କ ଉତ୍ତରାଧିକାରୀ ଦେବେନ୍ଦ୍ର ବର୍ମା ପ୍ରଥମ ରାଜରାଜ ଦେବଙ୍କ ସମୟରେ ସୋମମାନଙ୍କର ରାଜ୍ୟକୁ ଗଙ୍ଗମାନେ ଅଧିକାର କରିନେଲେ । ଉତ୍ତର ଗଙ୍ଗ ବଂଶର ମହାରାଜ, ମହାରାଜାଧିରାଜ, ପରମ ମାହେଶ୍ୱର, ପରମ ଭଟ୍ଟାରକ ଏବଂ ତ୍ରିକଳିଙ୍ଗାଧିପତି ଆଦି ପଦବୀରୁ ମନେହୁଏ ଯେ, ସେମାନେ ସ୍ୱାଧୀନ ଥିଲେ, ରାଜ୍ୟଜୟକୁ ପ୍ରମୁଖତା ଦେଉଥିଲେ ତ‌ଥା ଖୁବ୍‍ ଅଧିକ ମାତ୍ରାରେ ଧର୍ମାଶ୍ରିତ ଥିଲେ । ପରବର୍ତ୍ତୀ ସମୟରେ ଯୁଦ୍ଧ ଜୟ ସହିତ ଧର୍ମ ଓ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ଦେଇ ରାଜ୍ୟରେ ଆଭ୍ୟନ୍ତରୀଣ ଶାନ୍ତି ରକ୍ଷା କରିବାରେ ସଫଳ ହୋଇଥିଲେ । ପ୍ରଥମ ରାଜରାଜ ସମ୍ଭବତଃ ଚୋଳ ରାଜା କୁଳୋତ୍ତୁଙ୍ଗ ଚୋଳଙ୍କୁ ପରାସ୍ତ କରି ତାଙ୍କ କନ୍ୟାଙ୍କ ସହିତ ବିବାହ କରିଥିଲେ । ଏହି ବୈବାହିକ ସମ୍ପର୍କ ପରେ ଗଙ୍ଗ ରାଜ୍ୟ ଚୋଳମାନଙ୍କର ସାହାଯ୍ୟ-ସମର୍ଥନ ଲାଭ କଲା । ଚୋଳ ପରିବାର ସହିତ ସମ୍ୱନ୍ଧ ପରେ ରାଜରାଜଙ୍କ ପୁତ୍ର ଅନନ୍ତବର୍ମା "ଚୋଳଗଙ୍ଗ' (ଚୋଡ଼ଗଙ୍ଗ) ନାମ ବହନ କଲେ । ପ୍ରକୃତରେ ଦେଖିଲେ, ସେ ହେଉଛନ୍ତି ଗଙ୍ଗବଂଶର ସର୍ବଶ୍ରେଷ୍ଠ ରାଜା । ତାଙ୍କ ସମୟରୁ ହିଁ ଗଙ୍ଗସାମ୍ରାଜ୍ୟର ପ୍ରକୃତ ଶୁଭାରମ୍ଭ ହେଲା ବୋଲି କହିଲେ ହୁଏତ ଭୁଲ ହେବ ନାହିଁ । ପ୍ରଥମ ରାଜରାଜଙ୍କ ଜନୈକ ପୁତ୍ର କୁହାଯାଉିବା ଉଦୟଗଣ୍ଡ ପରମାଦ୍ରିଦେବଙ୍କ ସଂପର୍କରେ ବିଶେଷ ଐତିହାସିକ ତ‌ଥ୍ୟ ନାହିଁ ।

ଅନନ୍ତବର୍ମା ଚୋଡ଼ଗଙ୍ଗ (୧୦୭୬-୧୧୪୭ ଖ୍ରୀଷ୍ଟାବ୍ଦ)

ଜଣେ ସାମ୍ରାଜ୍ୟ ନିର୍ମାତା ଭାବରେ ଚୋଡ଼ଗଙ୍ଗ ଦେବ ଓଡ଼ିଶା ଇତିହାସରେ ଖୁବ୍‍ ପ୍ରସିଦ୍ଧି ଅର୍ଜନ କରିଛନ୍ତି । ତାଙ୍କ ସମୟରେ ପାଳରାଜା ରାମପାଳ ସୋମବଂଶୀମାନଙ୍କ ଉପରେ ଆକ୍ରମଣ କଲେ । ଏହାକୁ ରାଜ୍ୟ ବିସ୍ତାରପାଇଁ ଏକ ସୁଯୋଗ ମନେ କରି ଚୋଡ଼ଗଙ୍ଗ ପ୍ରଥମେ ସୋମବଂଶୀ ରାଜା କର୍ଣ୍ଣଦେବଙ୍କୁ ସହାୟତା କରି ପାଳମାନଙ୍କ ଦାଉରୁ ରକ୍ଷା କଲେ ଏବଂ ପରେ ସମଗ୍ର ସୋମବଂଶ ରାଜ୍ୟକୁ ନିଜ ଅଧିକାରଭୁକ୍ତ କରିନେଲେ । ଏହା ସମ୍ଭବତଃ ଖ୍ରୀଷ୍ଟାବ୍ଦ ୧୧୧୦ର ଘଟଣା । ପ୍ରକୃତରେ ଦେଖିବାକୁ ଗଲେ, ଏକାଦଶ ଶତାବ୍ଦୀର ଶେଷବେଳକୁ ସୋମବଂଶୀମାନେ ଏତେ ଦୁର୍ବଳ ହୋଇପଡ଼ିଥିଲେ ଯେ, କୌଣସି ନା କୌଣସି ପରାକ୍ରମୀ ରାଜ୍ୟ ସହ ବିଲୟ ହେବା ସେମାନଙ୍କ ନିୟତି ଥିଲା । ଏହା ଉତ୍ତାରୁ ଗଙ୍ଗ ରାଜଧାନୀ କଳିଙ୍ଗନଗର (ମୁଖଲିଙ୍ଗମ୍‍)ରୁ ସ୍ଥାନାନ୍ତରିତ ହୋଇ କଟକରେ ସ୍ଥାପିତ ହେଲା, କାରଣ ଏହା ଥିଲା ବର୍ଦ୍ଧିତ ଗଙ୍ଗରାଜ୍ୟର ମଧ୍ୟବର୍ତ୍ତୀ ସ୍ଥାନ ।

ଚୋଡ଼ଗଙ୍ଗଦେବ ଉପକୂଳ ଓଡ଼ିଶାରେ ନିଜ କର୍ତ୍ତୃତ୍ୱ ସୁଦୃଢ଼ କରିବା ସମୟରେ ପଶ୍ଚିମ ଅଞ୍ଚଳ ଆର୍ଥାତ୍ ସମ୍ୱଲପୁର, ସୋନପୁର ଓ ବଲାଙ୍ଗୀର କ୍ଷେତ୍ରକୁ କାଳାଚୁରୀ ରାଜା ଦ୍ୱିତୀୟ ରତ୍ନଦେବ (୧୧୨୦-୧୧୩୫ ଖ୍ରୀଷ୍ଟାବ୍ଦ) ଅଧିକାର କରିନେଲେ । ଚୋଡ଼ଗଙ୍ଗ ଉକ୍ତ କ୍ଷେତ୍ରକୁ ଫେରି ପାଇବା ସକାଶେ କାଳାଚୁରୀମାନଙ୍କ ସହ ଯୁଦ୍ଧ କଲେ, କିନ୍ତୁ ଶେଷ ପର୍ଯ୍ୟନ୍ତ ଏଥିରେ ତାଙ୍କୁ ସଫଳତା ମିଳିନଥିଲା । ପ୍ରାୟ ଶହେ ବର୍ଷ ଧରି ଏହା କାଳାଚୁରୀମାନଙ୍କ ଅଧିକାରଭୁକ୍ତ ହୋଇ ରହିଲା । ଗଙ୍ଗବଂଶର ଅନ୍ୟତମ ଶ୍ରେଷ୍ଠ ରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ଯାଇ କୋଶଳ କ୍ଷେତ୍ର ପୁଣି ଥରେ ଗଙ୍ଗସାମ୍ରାଜ୍ୟରେ ଅର୍ଥାତ ପ୍ରାକୃତିକ ଓଡ଼ିଶା ରାଜ୍ୟରେ ସଂଯୁକ୍ତ ହେଲା ।   ଚୋଡ଼ଗଙ୍ଗ ଦେବ ଗଙ୍ଗ ରାଜ୍ୟକୁ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଅନେକଗୁଡ଼ିଏ ଦୁର୍ଗ ନିର୍ମାଣ କରିଥିଲେ । ଏହି ଦୁର୍ଗଗୁଡ଼ିକ ଯାଜପୁର, ଅମରାବତୀ (ଛତିଆ) ଚୌଦ୍ୱାର, କଟକ ଓ ସାରଙ୍ଗଗଡ଼ (ବାରଙ୍ଗ)ରେ ଅବସ୍ଥିତ ଥିଲା । ସମ୍ଭବତଃ ଦୁର୍ଗଗୁଡ଼ିକୁ ଗଙ୍ଗରାଜା ଅସ୍ଥାୟୀ ସୈନ୍ୟ ଛାଉଣି ରୂପେ ବ୍ୟବହାର କରୁଥିଲେ । ଯୁଦ୍ଧ ପୂର୍ବରୁ ସାମୟିକ ସୈନ୍ୟ ପ୍ରଶିକ୍ଷଣପାଇଁ ମଧ୍ୟ ଦୁର୍ଗକୁ ବ୍ୟବହାର କରାଯାଉଥିଲା । ଏଥିରୁ ସାବ୍ୟସ୍ତ ହୁଏ ଯେ, ଗଙ୍ଗମାନେ ଚୋଡ଼ଗଙ୍ଗଙ୍କ ସମୟରୁ ହିଁ ଆକ୍ରମଣାତ୍ମକ ନୀତି ଅବଲମ୍ୱନ କରି ରାଜ୍ୟକୁ ପ୍ରତିଷ୍ଠା ଦେବାକୁ ତ‌ଥା ରାଜ୍ୟ ବିିସ୍ତାର କରିବାକୁ ଉଦ୍ୟମ କରିଥିଲେ । ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ନାଗରୀ ତାମ୍ରଶାସନରୁ ଜଣାଯାଏ ଯେ ବେଙ୍ଗୀ, ଉତ୍କଳ, ମନ୍ଦାର ଓ ଦକ୍ଷିଣ କୋଣରୁ ଚୋଡ଼ଗଙ୍ଗ କର ଆଦାୟ କରୁଥିଲେ, ଯାହା ରାଜ୍ୟକୁ ସମୃଦ୍ଧି ପ୍ରଦାନ କରିଥିଲା ।

ପୁରୀର ଚୁଡ଼ଙ୍ଗ ସାହି, ଭୁବନେଶ୍ୱର ନିକଟସ୍ଥ ଧଉଳି ପାର୍ଶ୍ୱରେ କୌଶଲ୍ୟା ଗଙ୍ଗ ହ୍ରଦ ଓ ଗଙ୍ଗେଶ୍ୱରପୁର ଗ୍ରାମ ଚୋଡ଼ଗଙ୍ଗ ଦେବଙ୍କ କୃତି ବୋଲି ବିଶ୍ୱାସ କରାଯାଏ ।

ନିଜ ପୂର୍ବପୁରୁଷଙ୍କ ପରି ଚୋଡ଼ଗଙ୍ଗ ଦେବ ଆରମ୍ଭରେ ଶୈବ ଥିଲେ । ମାତ୍ର ଓଡ଼ିଶା ଅଧିକାର ପରେ ସେ ଜଗନ୍ନାଥଭକ୍ତ ପାଲଟିଗଲେ । ଆଞ୍ଚଳିକ ସ୍ତରରେ ଖୁବ୍‍ ପ୍ରସିଦ୍ଧି ପାଇଥିବା ଜଗନ୍ନାଙ୍କୁ ରାଜ୍ୟର ଆରାଧ୍ୟ ଦେବତା ବା ରାଷ୍ଟ୍ରୀୟ ଦେବତା କରିବାରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ମାଦଳାପାଞ୍ଜି ଅନୁଯାୟୀ, ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ବିଶାଳ ଜଗନ୍ନାଥ ମନ୍ଦିର ପୁରୀଠାରେ ନିର୍ମିତ ହୋଇଥିଲା । ମାତ୍ର ଗଙ୍ଗମାନଙ୍କଦ୍ୱାରା ପ୍ରଦତ୍ତ ତାମ୍ର ଶାସନକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଚୋଡ଼ଗଙ୍ଗଦେବଙ୍କ ସମୟରେ ହିଁ ମନ୍ଦିରର ନିର୍ମାଣ ହୋଇଥିଲା । ସମ୍ଭବତଃ ଚୋଡ଼ଗଙ୍ଗ ହିଁ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ଯାହାହେଉ, ଗଙ୍ଗମାନଙ୍କ ପକ୍ଷରୁ ଜଗନ୍ନାଥଙ୍କୁ ଏତେ ଅଧିକ ପ୍ରାଧାନ୍ୟ ଦେବା ପଛରେ କିଛି ରାଜନୈତିକ କାରଣ ରହିଥିବ ବୋଲି ଅନୁମାନ କରାଯାଏ । ଆନ୍ଧ୍ର ଅଞ୍ଚଳରୁ ଆର୍ଥାତ୍ ଓଡ଼ିଶା ବାହାରୁ ଆସିଥିବା ଗଙ୍ଗମାନେ ଓଡ଼ିଶାରେ ସାମାଜିକ ସ୍ୱୀକୃତି ପାଇବାଲାଗି ଜଗନ୍ନାଥଙ୍କର ଉପଯୋଗ କରୁଥିଲେ । ଜଗନ୍ନାଥଙ୍କ ନାମରେ ଶାସନ କରିବାଦ୍ୱାରା ଗଙ୍ଗମାନଙ୍କୁ ପ୍ରଭୂତ କର୍ତ୍ତୃତ୍ୱ ହାସଲ ହେଲା । ପଡ଼ୋଶୀ ରାଜ୍ୟର ଆକ୍ରମଣର ସମ୍ମୁଖୀନ ହେବାପାଇଁ ଆବଶ୍ୟକ ଜନସର୍ମଥନ ପାଇବା ମଧ୍ୟ ଏହାର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଫଳରେ ଜଗନ୍ନାଥଙ୍କ ନାମକୁ ସେମାନେ ବିଧର୍ମୀ ଓ ବିଜାତୀୟ (ଅଣ-ଓଡ଼ିଆ) ଆକ୍ରମଣ ବିରୁଦ୍ଧରେ ଉପଯୋଗ କରିପାରିଲେ । ଏଥିପାଇଁ ସେମାନେ ଆବଶ୍ୟକ ମାତ୍ରାରେ ବ୍ରାହ୍ମଣମାନଙ୍କର ମଧ୍ୟ ପୃଷ୍ଠପୋଷକତା କଲେ । ବହିରାକ୍ରମଣରୁ ଲବ୍ଧ ଧନସଂପତ୍ତିର ଅନେକାଂଶ ବ୍ରାହ୍ମଣମାନଙ୍କ ହିତ ସାଧନରେ ଏବଂ ମନ୍ଦିର ନିର୍ମାଣରେ ବ୍ୟବହୃତ ହେଲା । ବ୍ୟୟ ବହୁଳ ମନ୍ଦିରମାନ ନିର୍ମାଣ କରି ଗଙ୍ଗମାନେ ସମଗ୍ର ଭାରତରେ ନିଜର ପ୍ରଭୁତ୍ୱ ପ୍ରଦର୍ଶନ କଲେ । ଚୋଡ଼ଗଙ୍ଗଦେବଙ୍କ ପରେ ମଧ୍ୟ ଏହି ନୀତିକୁ ଗଙ୍ଗମାନେ ଅବ୍ୟାହତ ରଖିଥିଲେ ।   ଦୀର୍ଘ ପ୍ରାୟ ସତୁରି ବର୍ଷ (୧୦୭୬-୧୧୪୭) ରାଜତ୍ୱ କରି ଚୋଡ଼ଗଙ୍ଗ ଦେବ ଗଙ୍ଗସାମ୍ରାଜ୍ୟକୁ କେବଳ ରାଜ୍ୟ ବିସ୍ତାର କରି ନୁହେଁ; ବରଂ ଧର୍ମ, କଳା, ସଂସ୍କୃତି ଓ ସ୍ଥାପତ୍ୟ କ୍ଷେତ୍ରରେ ମଧ୍ୟ ଏକ ଦୃଢ଼ ଭିତ୍ତି ପ୍ରଦାନ କଲେ । ଫଳରେ ଓଡ଼ିଶାରେ ପୂର୍ବରୁ ଆରମ୍ଭ ହୋଇଥିବା ରାଷ୍ଟ୍ରଗଠନ ପ୍ରକ୍ରିୟା ଏଣିକି ଦୃଢ଼ରୁ ଦୃଢ଼ତର ହେଲା ।

ଚୋଡ଼ଗଙ୍ଗ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସପ୍ତମ କାମାର୍ଣ୍ଣବ ଦେବ ଗଙ୍ଗବଂଶର ରାଜା ହେଲେ । ସେ ଦଶବର୍ଷ କାଳ (୧୧୪୭-୧୧୫୬) ଶାସନ କରିଥିଲେ । ପିତାଙ୍କ ପରି ସେ ମଧ୍ୟ କୋଶଳ ଫେରି ପାଇବା ସକାଶେ କାଳାଚୁରୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ, ଅଥଚ ସଫଳତା ପାଇନଥିଲେ । ଚୋଳମାନଙ୍କ ଆକ୍ରମଣଯୋଗୁଁ କଳିଙ୍ଗର ଦକ୍ଷିଣାଞ୍ଚଳ ମଧ୍ୟ ତାଙ୍କୁ ହରାଇବାକୁ ପଡ଼ିଥିଲା । ସମ୍ଭବତଃ ଏହି ପରାଜୟଜନିତ ଲୋକଲଜ୍ଜାରୁ ରକ୍ଷା ପାଇବାପାଇଁ ସେ ତୁଳାଭରମ ଯଜ୍ଞର ଆୟୋଜନ କରିଥିଲେ । ଆୟୋଜନ ଅନୁଯାୟୀ ରାଜାଙ୍କ ଓଜନର ଧନରତ୍ନ (ସୁନା) ବ୍ରାହ୍ମଣ ଓ ପାରିଷଦବର୍ଗଙ୍କୁ ଦାନ କରାଯାଇଥିଲା ।

କାମାର୍ଣ୍ଣବ ଦେବ ଅପୁତ୍ରକ ଥିଲେ । ତାଙ୍କ ପରେ ତାଙ୍କ ଭାଇ ରାଘବ (୧୧୫୬-୧୧୭୦) ଗଙ୍ଗ ରାଜା ହେଲେ । ସେ ମଧ୍ୟ ଅପୁତ୍ରକ ଥିବାରୁ ଚୋଡ଼ଗଙ୍ଗଙ୍କ ଅନ୍ୟ ଦୁଇ ପୁତ୍ର ଦ୍ୱିତୀୟ ରାଜରାଜ ଓ ଦ୍ୱିତୀୟ ଅନଙ୍ଗଭୀମଦେବ କ୍ରମାନ୍ୱୟରେ ସିଂହାସନ ଆରୋହଣ କଲେ । ଏହି ସମୟରେ ଗଙ୍ଗସେନାପତି ସ୍ୱପ୍ନେଶ୍ୱର ଭୁବନେଶ୍ୱରରେ ମେଘେଶ୍ୱର ଶିବମନ୍ଦିର ନିର୍ମାଣ କରିଥିବାର ପ୍ରମାଣ ମିଳେ । ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ସମୟରେ ନିଆଳିଠାରେ ଶୋଭନେଶ୍ୱର ଶିବ ମନ୍ଦିରର ନିର୍ମାଣ ହୋଇଥିଲା । ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥା ମଧ୍ୟ ତାଙ୍କ ସମୟରେ ଆରମ୍ଭ ହୋଇଥିଲା ।

ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ଉତ୍ତାରୁ ତାଙ୍କ ପୁତ୍ର ତୃତୀୟ ରାଜରାଜ (୧୧୯୮-୧୨୧୧) ସିଂହାସନ ଆରୋହଣ କଲେ । ରାଜତ୍ୱର ପ୍ରଥମ ବର୍ଷରେ ସେ ଦାସଗୋବା ତାମ୍ର ଶାସନ ପ୍ରଦାନ କରିଥିଲେ । ଏଥିରେ ଚୋଡ଼ଗଙ୍ଗଦେବ ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିିବା କଥା ଉଲ୍ଲେଖ ଅଛି । ଦକ୍ଷିଣ ଭାରତର ଶ୍ରୀକୂର୍ମନାଥ ମନ୍ଦିର ଶିଳାଳେଖରେ ତୃତୀୟ ରାଜରାଜଙ୍କ ବିଷୟରେ କିଛି ସୂଚନା ରହିଛି । ତୃତୀୟ ରାଜରାଜଙ୍କ ରାଜତ୍ୱ ସମୟର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଘଟଣା ହେଲା, ଏହି ସମୟରେ (୧୧୯୨ରେ) ତୁର୍କମାନେ ଦିଲ୍ଲୀ ସିଂହାସନ ଅଧିକାର କରିସାରିିଥିଲେ । ଏହା ପରେ କାଳାଚୁରୀ, ପାଳ ଓ ଚୋଳମାନଙ୍କ ପରି ମୁସଲମାନ ଶାସକମାନେ ମଧ୍ୟ ଓଡ଼ିଶା ଆକ୍ରମଣ କରିବାକୁ ଆରମ୍ଭ କଲେ । ଐତିହାସିକ ମିନ୍‍ହାବୁଦ୍ଦିନଙ୍କଦ୍ୱାରା ଲିଖିତ 'ତବାକତ-ଇ-ନାସିରୀ' ପୁସ୍ତକରୁ ଜଣାଯାଏ ଯେ ୧୨୦୫ ଖ୍ରୀଷ୍ଟାବ୍ଦରେ ବଙ୍ଗର ଶାସକ ମହମ୍ମଦ ବକ୍‍ତିଆର ଖିଲିଜୀ ଓଡ଼ିଶାର ଯାଜନଗର (ଯାଜପୁର) ଆକ୍ରମଣ କରିବାକୁ ସୈନ୍ୟ ପ୍ରେରଣ କରିଥିଲେ । ମାତ୍ର ନିଜେ ବକ୍‍ତିଆର ତାଙ୍କ ସେନାପତି ଅଲିମର୍ଦ୍ଦନଙ୍କ ହାତରେ କାମରୂପ ଓ ତିବ୍ବତ ଯୁଦ୍ଧ ଅଭିଯାନ ସମୟରେ ନିହତ ହେଲେ । ଫଳରେ ଖିଲିଜୀ ସେନା ଓଡ଼ିଶା ଆକ୍ରମଣ ନ କରି ପ୍ରତ୍ୟାବର୍ତ୍ତନ କଲେ । ଯଦିଓ ଖିଲିଜୀମାନଙ୍କର ପ୍ରଥମ ଓଡ଼ିଶା ଆକ୍ରମଣ ଯୋଜନା କାର୍ଯ୍ୟକାରୀ ହୋଇପାରିଲା ନାହିଁ, ପରବର୍ତ୍ତୀ ସମୟରେ ଉଭୟ ଗଙ୍ଗ ଓ ବଙ୍ଗର ଖିଲିଜୀମାନଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଲା ।   ତୃତୀୟ ରାଜରାଜଙ୍କ ପରେ ତୃତୀୟ ଅନଙ୍ଗଭୀମଦେବ (୧୨୧୧-୧୨୩୮) ସିଂହାସନ ଆରୋହଣ କଲେ । ତୃତୀୟ ଅନଙ୍ଗଭୀମଦେବ କାଳାଚୁରୀମାନଙ୍କୁ ପରାସ୍ତ କରି କୋଶଳକୁ ଗଙ୍ଗସାମ୍ରାଜ୍ୟ ଅଧୀନକୁ ଫେରାଇ ଆଣିେଥିଲେ । ସେତେବେଳକୁ କାଳାଚୁରୀମାନେ ଅନେକ ଦୁର୍ବଳ ହୋଇ ସାରିଥିଲେ । ସେମାନଙ୍କର ଗଙ୍ଗମାନଙ୍କ ହାତରେ ପରାସ୍ତ ହେବା ଏବଂ କୋଶଳର ଗଙ୍ଗ ସାମ୍ରାଜ୍ୟରେ ସାମିଲ ହେବା ଅସ୍ୱାଭାବିକ ମନେହୁଏ ନାହିଁ । ମାଦଳା ପାଞ୍ଜି ଅନୁଯାୟୀ କୋଶଳ ପୁନଃ ଅଧିକୃତ ହେବା ପରେ ତୃତୀୟ ଅନଙ୍ଗଭୀମଙ୍କ ରାଜକୋଷ ଅଧିକ ଆୟ କରିବାକୁ ସମର୍ଥ ହେଲା ।

କାଳାଚୁରୀ ରାଜା ତୁମ୍ମାଣଙ୍କୁୁ ଯୁଦ୍ଧରେ ପରାସ୍ତ କଲେ ଗଙ୍ଗ ସେନାପତି ବ୍ରାହ୍ମଣ ବିଷ୍ଣୁ । ଏହା ପରେ ଗଙ୍ଗ ଓ କାଳାଚୁରୀଙ୍କ ମଧ୍ୟରେ ବିବାହ ବନ୍ଧନ ସ୍ଥାପିତ ହେଲା । କାଳାଚୁରୀ ରାଜକୁମାର ପରମାର୍ଦୀଦେବଙ୍କ ସହିତ ତୃତୀୟ ଅନଙ୍ଗଭୀମଦେବଙ୍କ କନ୍ୟା ଚନ୍ଦ୍ରିକାଙ୍କର ବିବାହ ହେଲା । ଏହା ପରେ ପରମାର୍ଦୀଦେବ ଗଙ୍ଗସେନାର ସେନାପତି ଭାବେ କାର୍ଯ୍ୟ ତୁଲାଇଲେ । ସମ୍ଭବତଃ କାଳାଚୁରୀମାନେ ତ୍ରୟୋଦଶ ଶତାବ୍ଦୀର ଆରମ୍ଭ ବେଳକୁ ପତନର ସମ୍ମୁଖୀନ ହୋଇ ରାଜ୍ୟ ହରାଇଥିଲେ, ଯାହା ଫଳରେ ରାଜକୁମାର ପରମାର୍ଦୀଦେବଙ୍କୁ ଗଙ୍ଗ ରାଜାଙ୍କ ଅଧୀନରେ କାମ କରିବାକୁ ପଡ଼ିଥିଲା । ଯେତେବେଳେ ବଙ୍ଗର ନବାବ ଗିୟାସୁଦ୍ଦିନ୍‍ ଇଓ୍ୱାଜ ଓଡ଼ିଶା ଆକ୍ରମଣ କଲେ, ଗଙ୍ଗ ସେନାପତି ପରମାର୍ଦୀଦେବ ସଫଳତାର ସହିତ ସେମାନଙ୍କର ପ୍ରତିରୋଧ କରିଥିଲେ । ଗିୟାସୁଦ୍ଦିନ୍‍ଙ୍କ ସେନାପତି ଯୁଜବେକ୍‍ ପରମାର୍ଦୀଦେବଙ୍କ ହାତରେ ପରାସ୍ତ ହୋଇଥିବା କଥା 'ତବାକତ-ଇ-ନାସିରୀ' ପୁସ୍ତକରେ ଉଲ୍ଳେଖ ଅଛି । ପରମାର୍ଦୀଦେବଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଚନ୍ଦ୍ରିକାଦେବୀ ଭୁବନେଶ୍ୱରରେ ପତିଙ୍କ ସ୍ମୃତିରେ ଅନନ୍ତ ବାସୁଦେବ ମନ୍ଦିର ୧୨୭୮ରେ ନିର୍ମାଣ କରିଥିଲେ ।

ଏହି ସମୟରେ ଚୋଳରାଜ୍ୟରେ ଚାଲିଥିବା ଗୃହବିବାଦର ସୁଯୋଗ ନେଇ ଗଙ୍ଗରାଜା କାଞ୍ଚିପୁରମ ପର୍ଯ୍ୟନ୍ତ କୃଷ୍ଣା ଗୋଦାବରୀର ଉର୍ବର ତ୍ରିକୋଣଭୂମି ଅଞ୍ଚଳ ଅଧିକାର କରିନେଲେ । ଦକ୍ଷିଣ ଅଭିଯାନ ସମୟରେ ତାଙ୍କୁ ଓ୍ୱାରଙ୍ଗଲର କାକତୀୟ ରାଜା ଗଣପତିଙ୍କ ହସ୍ତରେ ପରାସ୍ତ ହେବାକୁ ପଡ଼ିଲା ଏବଂ ପରିଣାମ ସ୍ୱରୂପ ପୂର୍ବ ଗୋଦାବରୀ ଜିଲ୍ଲାର କିଛି ଅଂଶ ହରାଇବାକୁ ପଡିଥିଲା ।

ମାଦଳାପାଞ୍ଜି ଅନୁଯାୟୀ ରାଜଧାନୀ କଟକର ବାରବାଟୀ ଦୁର୍ଗ ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରେ ନିର୍ମିତ ହୋଇଥିଲା । ବଙ୍ଗର ମୁସଲମାନ ଓ ଦକ୍ଷିଣର ଚୋଳ, ବେଙ୍ଗୀ ଆଦି ରାଜ୍ୟରୁ ଓଡ଼ିଶାକୁ ସୁରକ୍ଷା ଦେବାପାଇଁ ସେ ଜଗନ୍ନାଥ ଧର୍ମର ରାଜନୀତିକ ବ୍ୟବହାର କଲେ । ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତାର ମର୍ଯ୍ୟାଦା ଦେଇ ଗଙ୍ଗରାଜା ତାଙ୍କର ପ୍ରତିନିଧି ଭାବରେ ରାଜ୍ୟଶାସନ କରୁଛନ୍ତି ବୋଲି ସେ ଘୋଷଣା କଲେ । ଏହାଦ୍ୱାରା ତାଙ୍କୁ ସାମନ୍ତରାଜା, ମନ୍ଦିରସେବକ, ବ୍ରାହ୍ମଣ, ପ୍ରଶାସନ ଓ ସେନାସାମନ୍ତଙ୍କର ପ୍ରଭୂତ ସହଯୋଗ ମିଳିଲା । ଅନ୍ୟ ପକ୍ଷରେ ରାଜଶକ୍ତିର ଊର୍ଦ୍ଧ୍ୱରେ ଜଗନ୍ନାଥ ଏକ ଶକ୍ତି ରୂପେ ମର୍ଯ୍ୟାଦା ପାଇଲେ । ଏହା ଗଙ୍ଗମାନଙ୍କ ପରେ ମଧ୍ୟ ଅବ୍ୟାହତ ରହିଲା । ଏହାର ସୁଯୋଗ ନେଇ କେତେବେଳେ ରାଜଶକ୍ତି ଜଗନ୍ନାଙ୍କୁ ଆଳ କରି କର୍ତ୍ତୃତ୍ୱ ଜାହିର କଲା ତ ଅନ୍ୟ କେତେବେଳେ ଜଗନ୍ନାଙ୍କୁ କେନ୍ଦ୍ର କରି ଗଢ଼ିଉଠିଥିବା ପୂଜକ, ସାମନ୍ତ ଓ ସେବାକାରୀବର୍ଗ ଜଗନ୍ନାଥଙ୍କ ମାଧ୍ୟମରେ ରାଜଶକ୍ତିକୁ ନିୟନ୍ତ୍ରଣ କଲେ । ଅନ୍ୟ ପକ୍ଷରେ ଶିକ୍ଷା, ସଂସ୍କୃତି, କଳା, ଭାସ୍କର୍ଯ୍ୟ, ସଙ୍ଗୀତ ଓ ସାହିତ୍ୟ ଆଦିର ବିକାଶ ମଧ୍ୟ ଜଗନ୍ନାଥ ଓ ମନ୍ଦିର ମାଧ୍ୟମରେ ଦେଖିବାକୁ ମିଳିଲା । ଅନ୍ୟ ଶବ୍ଦରେ କହିଲେ; ତୃତୀୟ ଅନଙ୍ଗଭୀମଦେବ ତାଙ୍କର ଯୁଦ୍ଧ ଜୟ, ରାଜ୍ୟ ବିସ୍ତାର, ଜଗନ୍ନାଙ୍କର ପୃଷ୍ଠପୋଷକତା ଓ ସ୍ଥାପତ୍ୟ କଳାର ବିକାଶପାଇଁ ଗଙ୍ଗ ଇତିହାସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କଲେ ।   ତୃତୀୟ ଅନଙ୍ଗଭୀମଦେବଙ୍କ ପରେ ତାଙ୍କ ପୁତ୍ର ପ୍ରଥମ ନରସିଂହ ଦେବ (୧୨୩୮- ୧୨୪୧) ଗଙ୍ଗରାଜ୍ୟର ଶାସକ ହେଲେ । ତାଙ୍କ ଶାସନ ସମୟରେ ସାମରିକ ବିଜୟ ତ‌ଥା କଳାଭାସ୍କର୍ଯ୍ୟ କ୍ଷେତ୍ରରେ ଗଙ୍ଗବଂଶର ଗୌରବ ବୃଦ୍ଧି ପାଇଥିଲା । ସେ ବଙ୍ଗ ନବାବଙ୍କ ବିରୁଦ୍ଧରେ ବାରମ୍ୱାର ଯୁଦ୍ଧ କରି ବଙ୍ଗର ଦ୍ୱିତୀୟ ରାଜଧାନୀ ଲକ୍ଷନୋର ଓ ରାଢ଼ ଅଞ୍ଚଳ ଅଧିକାର କଲେ । ସେତେବେଳେ ଦିଲ୍ଲୀରେ ତୁର୍କମାନେ ଶାସନ ପ୍ରତିଷ୍ଠା କରିସାରିଥିଲେ । ବଙ୍ଗ ସେମାନଙ୍କର ପ୍ରଦେଶ ଥିଲା । ମାତ୍ର ଦିଲ୍ଲୀ ଶାସକଙ୍କ ଦୁର୍ବଳତା ଏବଂ ଦିଲ୍ଲୀ ଓ ବଙ୍ଗ ମଧ୍ୟରେ ରହିଥିବା ଦୂରତା ତ‌ଥା ଗମନାଗମନର ଅସୁବିଧା ବଙ୍ଗକୁ ଦିଲ୍ଲୀଠାରୁ ଏକ ରକମର ସ୍ୱାଧୀନତା ଦେବାରେ ସାହାଯ୍ୟ କରିଥିଲା । ଫଳରେ ବଙ୍ଗନବାବ ଦିଲ୍ଲୀର ବିନା ସହାୟତାରେ ଗଙ୍ଗମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ବାଧ୍ୟ ହେଉଥିଲେ । ଅନେକ ଥର ସେ ପରାସ୍ତ ମଧ୍ୟ ହେଉଥିଲେ । ପୁଣି ଯୁଦ୍ଧ ସାହାଯ୍ୟ ପାଇଲା ପରେ କଳିଙ୍ଗ ସେନାକୁ ପରାସ୍ତ ମଧ୍ୟ କରିପାରୁଥିଲେ । ଅନ୍ୟ ପକ୍ଷରେ ପ୍ରଥମ ନରସିଂହଦେବଙ୍କୁ କାଳାଚୁରୀ ରାଜକୁମାର ପରମାର୍ଦୀଦେବଙ୍କ ଅକୁଣ୍ଠ ସହଯୋଗ ମିଳୁଥିଲା । ପରମାର୍ଦୀଦେବ ଗଙ୍ଗ ସାମ୍ରାଜ୍ୟର ସାମନ୍ତ ଥିଲେ ଏବଂ ସେନାପତିର ଦାୟିତ୍ୱ ନିର୍ବାହ କରୁଥିଲେ । ଗଙ୍ଗମାନଙ୍କୁ ତାଙ୍କ ସହଯୋଗ ପଛର ଅନ୍ୟ ଏକ କାରଣ ହେଲା, ସେ ତୃତୀୟ ଅନଙ୍ଗଭୀମଦେବଙ୍କ କନ୍ୟାକୁ ଆର୍ଥାତ୍ ପ୍ରଥମ ନରସିଂହଦେବଙ୍କ ଭଗ୍ନୀକୁ ବିବାହ କରିଥିଲେ । ତେଣୁ ବଙ୍ଗର ମୁସଲମାନ ନବାବଙ୍କ ବିରୁଦ୍ଧରେ ଗଙ୍ଗ ଓ କାଳାଚୁରୀଙ୍କ ମିିଳିତ ସହଯୋଗ ପଛରେ ବିଶେଷ ଧାର୍ମିକ ଆଧାର ରହିଥିଲା ବୋଲି ଅନୁଭବ କରିହୁଏ ନାହିଁ ।

ନରସିଂହଦେବଙ୍କ ଶାସନ କାଳରେ ବଙ୍ଗର ନବାବ ଥିଲେ ତୁଘ୍ରିଲ ଖାଁ । ୧୨୪୩ରେ ଗଙ୍ଗମାନଙ୍କ ସହ ଯୁଦ୍ଧରେ ତାଙ୍କୁ ପରାଜୟ ଭୋଗିବାକୁ ପଡିଥିଲା । ୧୨୪୪ରେ ସଂଘଟିତ ଅନ୍ୟ ଏକ ଯୁଦ୍ଧରେ ନରସିଂହଦେବ ବଙ୍ଗ ନବାବଙ୍କ ଅଧୀନରେ ଥିବା ରାଢ଼ ରାଜ୍ୟ ଅଧିକାର କରିଥିଲେ । ୧୨୪୭ରୁ ୧୨୫୫ ମଧ୍ୟରେ ଆହୁରି ଚାରି ଥର ବଙ୍ଗ ଓ ଓଡ଼ିଶା ମଧ୍ୟରେ ଯୁଦ୍ଧ ହୋଇଥିଲା । ବଙ୍ଗର ନୂତନ ନବାବ ଇଖତୟାରୁଦ୍ଦିନ ଯୁଜବେକ ପ୍ରଥମ ଦୁଇଥର ଯୁଦ୍ଧରେ ବିଜୟୀ ହୋଇଥିଲେ; ମାତ୍ର ତୃତୀୟ ଥର ସେ ପରାସ୍ତ ହୋଇ ଦିଲ୍ଲୀଠାରୁ ସହଯୋଗ ମାଗିଥିଲେ । ୧୨୫୫ରେ ଘଟିଥିବା ଚତୁର୍ଥ ସଂଘର୍ଷରେ ବଙ୍ଗ ଓ ଦିଲ୍ଲୀ ସେନା ମିିଳିତ ଭାବରେ ଗଙ୍ଗ ସେନାଙ୍କୁ ପରାସ୍ତ କଲେ; ଗଙ୍ଗ ସେନାପତି କାଳାଚୁରୀ ରାଜକୁମାର ପରମାର୍ଦୀଦେବ ଯୁଦ୍ଧରେ ନିହତ ହେଲେ । ଏହିଭଳି ଭାବେ ଗଙ୍ଗବଂଶର ପ୍ରଭାବ ନରସିଂହଦେବଙ୍କ ସମୟରେ ବଙ୍ଗର ହୁଗୁଳି ଓ ବାଙ୍କୁଡ଼ା ଜିଲ୍ଲାରେ ପ୍ରଥମେ ରହିିଥିଲା- ଯାହା ଦୀର୍ଘସ୍ଥାୟୀ ହୋଇପାରିଲା ନାହିଁ । ଯୁଜବେକ ୧୨୫୭ରେ କାମରୂପ ଅଭିଯାନ ବେଳେ ହତ୍ୟାର ଶିକାର ହେଲେ । ଫଳରେ ପାଲଟା ଓଡ଼ିଶା ଆକ୍ରମଣପାଇଁ ତାଙ୍କ ସେନାକୁ ସୁବିଧା ମିଳିଲା ନାହିଁ । ଅନ୍ୟ ଶବ୍ଦରେ କହିଲେ, ପ୍ରଥମ ନରସିଂହଦେବଙ୍କ ସମୟରେ ଓଡ଼ିଶା ବଙ୍ଗର ମୁସଲମାନ ଶାସକମାନଙ୍କ ଆକ୍ରମଣରୁ ନିଜକୁ ମୁକ୍ତ ରଖିପାରିିଥିଲା ।   ପ୍ରଥମ ନରସିଂହଦେବ କୋଣାର୍କର ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ । କିମ୍ୱଦନ୍ତୀ ଅନୁଯାୟୀ ଓଡ଼ିଶାର ବାର ବର୍ଷର ରାଜସ୍ୱ କୋଣାର୍କ ନିର୍ମାଣରେ ବ୍ୟୟ ହୋଇଥିଲା । ଏହାର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ ଧରି ଚାଲିଥିଲା ଏବଂ ୧୨ ଶହ ବଢ଼େଇ ନିର୍ମାଣରେ ନିୟୋଜିତ ଥିଲେ । ପୁଣି, ୧୨ ବର୍ଷର ବାଳକ ଧର୍ମପଦ ଏହି ମନ୍ଦିରର ମୁଣ୍ଡି ମାରିିଲା । ସମ୍ଭବତଃ କିମ୍ୱଦନ୍ତୀରେ ୧୨ ଅଙ୍କର ବ୍ୟବହାର ଏକ ପ୍ରତୀକ ମାତ୍ର । ଏହା ବହୁ ଅର୍ଥ ଓ ପରିଶ୍ରମରେ ନିର୍ମିତ କୋଣାର୍କ ମନ୍ଦିରର ମହାନତାକୁ ପ୍ରଦର୍ଶନ କରାଏ । କୋଣାର୍କ ବ୍ୟତୀତ ବାଲେଶ୍ୱରର ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥ ଓ ଲିଙ୍ଗରାଜ ମନ୍ଦିରର ଭୋଗମଣ୍ଡପ ମଧ୍ୟ ପ୍ରଥମ ନରସିଂହଦେବଙ୍କ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା । ତାଙ୍କ ରାଜକବି ବିଦ୍ୟାଧର "ଏକାବଳୀ' ନାମକ କାବ୍ୟ ରଚନା କରିଥିଲେ । ମୋଟ ଉପରେ ଇତିହାସରେ ପ୍ରଥମ ନରସିଂହ ଦେବଙ୍କୁ ଏକା ସାଙ୍ଗରେ ଜଣେ ଯୋଦ୍ଧା, ସାହିତ୍ୟରସିକ ଓ ସ୍ଥାପତ୍ୟର ପୃଷ୍ଠପୋଷକ ଭାବରେ ଗଣନା କରାଯାଏ । ଚୋଡ଼ଗଙ୍ଗଦେବଙ୍କ ପରେ ଗଜପତି ଉପାଧି ଧାରଣ କରିବାରେ ସେ ହେଉଛନ୍ତି ପ୍ରଥମ ଗଙ୍ଗରାଜା । ତାଙ୍କ ପରେ କେବଳ ଗଙ୍ଗରାଜା ନୁହନ୍ତି, ସୂର୍ଯ୍ୟବଂଶର ରାଜାମାନେ ମଧ୍ୟ ଗଜପତି ଉପାଧି ଗ୍ରହଣ କରି ନିଜକୁ ଗୌରବମଣ୍ଡିତ କରୁଥିଲେ ।

ମାଦଳାପାଞ୍ଜିରେ ପ୍ରଥମ ନରସିଂହଦେବଙ୍କ ବଙ୍ଗ ଆକ୍ରମଣ କଥା ଉଲ୍ଲେଖ ନାହିଁ । ଓଡ଼ିଶା ଇତିହାସର ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଘଟଣାକୁ ମାଦଳାପାଞ୍ଜି ଉଲ୍ଲେଖ କରିନଥିବାରୁ ଐତିହାସିକମାନେ ମନେକରନ୍ତି ଯେ, ମାଦଳାପାଞ୍ଜି ଗଙ୍ଗବଂଶର ରାଜତ୍ୱ ପରେ ଲେଖାଯାଇଥିଲା । ଘଟିତ ଘଟଣାଗୁଡ଼ିକୁ ଏଥିରେ ବର୍ଣ୍ଣନା କରାଯାଇଥିବାରୁ, ଐତିହାସିକ ତଥ୍ୟ ପ୍ରମାଣ ଭାବେ ତାହାକୁ ବ୍ୟବହାର କଲାବେଳେ ଗବେଷକମାନଙ୍କୁ ଯୋଥୋଚିତ ଧ୍ୟାନ ଦେବାକୁ ପଡେ । ଏଥିରେ ଉଲ୍ଲିଖିତ 'ସତ୍ୟ' ଯେ ସର୍ବଦା ସତ୍ୟ ହୋଇନପାରେ- ଏହା ବିଚାର କରିବାକୁ ପଡ଼େ । ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ମାଦଳାପାଞ୍ଜି ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଲେଖା ଯାଇଥିଲା । ଭୋଇ ବଂଶର ରାଜା ରାମଚନ୍ଦ୍ର ଦେବ (୧୫୮୦-୧୬୦୯)ଙ୍କୁ ଯେତେବେଳେ ମୋଗଲ ସେନାପତି ମାନସିଂହ ଖୋର୍ଦ୍ଧାରେ ରାଜତ୍ୱ କରିବାପାଇଁ ମନୋନୀତ କଲେ, ସେତେବେଳଠାରୁ ଧାରାବାହିକ ଭାବରେ ମାଦଳାପାଞ୍ଜି ଲେଖା ଆରମ୍ଭ ହେଲା । କୁହାଯାଏ, ଖୋର୍ଦ୍ଧା ଓ ପୁରୀର ରାଜଗାଦିପାଇଁ ନିଜର ଦାବିକୁ ଯୁକ୍ତିସଙ୍ଗତ କରିବା ସକାଶେ ରାମଚନ୍ଦ୍ର ଦେବ ମାଦଳାପାଞ୍ଜିକୁ ଏକ ଦସ୍ତାବିଜ ଭାବେ ମୋଗଲମାନଙ୍କ ଆଗରେ ପ୍ରସ୍ତୁତ କରିଥିଲେ । ଗଙ୍ଗକାଳୀନ ଦସ୍ତାବିଜ ଭାବରେ ଏହାକୁ ଗ୍ରହଣ କରିବା ଉଚିତ୍‍ ହେବ ନାହିଁ । ମାଦଳା ପାଞ୍ଜିରେ ଚୋଡ଼ଗଙ୍ଗଙ୍କୁ ଚୋରଗଙ୍ଗ ଭାବରେ ନାମିତ କରି କୁହାଯାଇଛି ଯେ, ସେ ଜଣେ 'ରାଣ୍ଡୀ'ର ପୁତ୍ର ଥିଲେ ଏବଂ ଗୋକର୍ଣ୍ଣ ଥିଲେ ତାଙ୍କର ଜାରଜ ପିତା । କେଶରୀ ବଂଶର ଅସନ୍ତୁଷ୍ଟ ସେନାପତି ବାସୁଦେବ ବାହିନୀପତି ତାଙ୍କୁ ସାଙ୍ଗମାନଙ୍କ ସହିତ ରାଜା-ରାଜା ଖେଳ ଖେଳୁଥିବାର ଦେଖି 'ଲିଙ୍ଗରାଜ'ଙ୍କ ଆଦେଶ ଶୁଣାଇଲେ ଏବଂ ଏକ ନୂଆ ସାମ୍ରାଜ୍ୟ ଗଠନ କରିବାକୁ ପରାମର୍ଶ ଦେଲେ । ଏହା ପରେ ଚୋଡ଼ଗଙ୍ଗ ଧୋବଣୀ ନିତେଇଠାରୁ 'ଡାଆଣୀ' ଶକ୍ତି ନେଇ ଅଳ୍ପ ଦିନ ଭିତରେ ଓଡ଼ିଶା ଜୟ କଲେ । ସେହିଭଳି ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ର ଦେବଙ୍କ ସମ୍ୱନ୍ଧରେ ମାଦଳାପାଞ୍ଜିରେ କୁହାଯାଇଛି, ସେ ପୂର୍ବରୁ ଜଣେ ଚୋର ଥିଲେ ଏବଂ ରାଜପଦ ପାଇଲା ପରେ ଜଣେ ପୂର୍ବତନ ଚୋର କାଶୀଦାସଙ୍କୁ ରାଜପୁରୋହିତ ଭାବରେ ନିଯୁକ୍ତ କରିଥିଲେ । ଦରିଦ୍ର ଭିକାରି ରୂପରେ କପିଳେନ୍ଦ୍ର ଜଗନ୍ନାଥ ମନ୍ଦିର ବେଢ଼ାରେ ବୁଲୁଥିବା ବେଳେ ଅପୁତ୍ରକ ଗଙ୍ଗରାଜ ମତ୍ତଭାନୁଦେବ ସ୍ୱପ୍ନାଦେଶ ପାଇ ତାଙ୍କର ଲାଳନପାଳନ କଲେ ଏବଂ ତାଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କଲେ ।   ମାଦଳାପାଞ୍ଜିର ଏଭଳି କାହାଣୀ ପଛରେ ଯାହା ଉଦ୍ଦେଶ୍ୟ ଥାଉ ନା କାହିଁକି, ଜଣେ ଜୀବିତ ରାଜାଙ୍କ ରାଜତ୍ୱ କାଳରେ, ଜଗନ୍ନାଥ ମନ୍ଦିରର ଏକ ସାର୍ବଜନୀନ ଦସ୍ତାବିଜ ଭାବରେ ରାଜାଙ୍କୁ ନୀଚ କରି ଏମିତି ଲେଖାଯାଇ ନ ପାରେ । ଗଙ୍ଗ ଓ ସୂର୍ଯ୍ୟ ବଂଶର ଶାସନ ପରେ ଉକ୍ତ ରାଜପରିବାରକୁ ଏମିତି ନୀଚ ଦେଖାଇ ଦସ୍ତାବିଜ ପ୍ରସ୍ତୁତ କରାଯାଇଥାଇପାରେ ! ଏତଦ୍‍ ବ୍ୟତୀତ ମାଦଳା ପାଞ୍ଜିରେ ବ୍ୟବହୃତ ଓଡ଼ିଆ ଭାଷା ମଧ୍ୟ ଗଙ୍ଗକାଳୀନ ହୋଇନପାରେ । ଏହି ସବୁ କାରଣରୁ ମାଦଳାପାଞ୍ଜିକୁ ଯଥେଷ୍ଟ ପରବର୍ତ୍ତୀ ସମୟର ରଚନା ବୋଲି ମନେ କରାଯାଏ ।

୧୨୬୪ ଖ୍ରୀଷ୍ଟାବ୍ଦରେ ପ୍ରଥମ ନରସିଂହଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରଥମ ଭାନୁଦେବ ସିଂହାସନ ଆରୋହଣ କଲେ । ତାଙ୍କ ସମୟରେ ଗଙ୍ଗମାନେ ବହିର୍ଯୁଦ୍ଧରେ ଜଡ଼ିତ ଥିବାର ସୂଚନା ନାହିଁ । ତାଙ୍କ ଉପରେ ନରହରି ତୀର୍ଥ ନାମକ ଜଣେ ଦାର୍ଶନିକଙ୍କର ବିଶେଷ ପ୍ରଭାବ ରହିଥିଲା । ନରହରି ତୀର୍ଥ ୧୨୬୪ରୁ ୧୨୯୩ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ରହି ବୈଷ୍ଣବ ଧର୍ମର ପ୍ରଚାର କଲେ ଏବଂ ଏକ ମହତ୍ତ୍ୱପୂର୍ଣ୍ଣ ରାଜାଧିକାରୀ ପଦରେ ମଧ୍ୟ ନିଯୁକ୍ତ ହୋଇଥିଲେ । ପ୍ରଥମ ଭାନୁଦେବଙ୍କ ମୃତ୍ୟୁ ପରେ ଦ୍ୱିତୀୟ ନରସିଂହ ଦେବଙ୍କ ଅଭିଭାବକ ଭାବରେ କିଛି କାଳ ସେ ଶାସନ ଦାୟିତ୍ୱ ମଧ୍ୟ ନେଇଥିଲେ ।

ସୋନପୁରସ୍ଥିତ ସ୍ତମ୍ଭେଶ୍ୱରୀ ମନ୍ଦିରରୁ ପ୍ରାପ୍ତ ଏକ ତାମ୍ର ଶାସନରୁ ଜଣାପଡେ଼ ଯେ କୋଶଳ କ୍ଷେତ୍ର ପ୍ରଥମ ଭାନୁଦେବଙ୍କ ସମୟରେ ମଧ୍ୟ ଗଙ୍ଗ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ପ୍ରଥମ ଭାନୁଦେବଙ୍କ ବିବାହ ପୂର୍ବ ଚାଲୁକ୍ୟ ରାଜକୁମାରୀ ଜାକଲ୍ଲାଦେବୀଙ୍କ ସହିତ ହୋଇଥିଲା । ଏଥିରୁ ଅନୁମିତ ହୁଏ ଯେ, ତ୍ରୟୋଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ପତନର ଶିକାର ହୋଇ ଚାଲୁକ୍ୟମାନେ ଗଙ୍ଗ ରାଜ୍ୟର ସାମନ୍ତ ସ୍ତରକୁ ଆସି ସାରିଥିଲେ । ମଧ୍ୟଯୁଗର ରୀତି ଅନୁଯାୟୀ ରାଜପରିବାରମାନେ ନିଜ କନ୍ୟାମାନଙ୍କୁ ଉପର ସ୍ତରର ରାଜପରିବାରରେ କେବଳ ବିବାହପାଇଁ ପ୍ରଦାନ କରୁଥିଲେ । ଯୁଦ୍ଧ ପରେ ବିଜୟୀ ରାଜା ପରାଜିତ ରାଜପରିବାରର କନ୍ୟା ସହ ବିବାହ କରିବା ପଛରେ ମଧ୍ୟ ଏହି ସାମାଜିକ ରୀତି କାମ କରୁଥିଲା ।   ପ୍ରଥମ ଭାନୁଦେବଙ୍କ ପରେ ଦ୍ୱିତୀୟ ନରସିଂହ ଦେବ (୧୨୭୯-୧୩୦୬) ଏବଂ ତାଙ୍କ ପରେ ଦ୍ୱିତୀୟ ଭାନୁଦେବ (୧୩୦୬-୧୩୨୮) ରାଜତ୍ୱ କଲେ । ଦ୍ୱିତୀୟ ଭାନୁଦେବଙ୍କ ସମୟରେ ଦିଲ୍ଲୀ ସୁଲତାନ ଗିୟାସୁଦ୍ଦିନ ତୁଘଲକଙ୍କ ପୁତ୍ର ଉଲୁଘ ଖାନ୍‍ ଓ୍ୱାରଙ୍ଗଲ ଯୁଦ୍ଧ ଅଭିଯାନରୁ ଫେରିବା ବାଟରେ ଓଡ଼ିଶା ଆକ୍ରମଣ କରିବାକୁ ପ୍ରସ୍ତୁତି କରୁଥିଲେ । ରାଜମହେନ୍ଦ୍ରୀରୁ ଓଡ଼ିଶା ଅଭିମୁଖେ ତାଙ୍କ ସୈନ୍ୟ ଆସିବା ପୂର୍ବରୁ ଦ୍ୱିତୀୟ ଭାନୁଦେବଙ୍କ ସେନା ତାଙ୍କୁ ପ୍ରତିରୋଧ କଲେ । ସମକାଳୀନ ମୁସଲିମ ଐତିହାସିକମାନଙ୍କ ବିବରଣୀରେ ଉଲୁଘ ଖାନ୍‍ଙ୍କ ଓଡ଼ିଶା ଆକ୍ରମଣକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇ ନଥିବାରୁ ଉଲୁଘ ଖାନ୍‍ଙ୍କ ଏହି ଯୋଜନା ଅସଫଳ ହୋଇଥିବ ବୋଲି ଅନୁମାନ କରାଯାଏ । ଅନ୍ୟ ପକ୍ଷରେ ଗଙ୍ଗବଂଶର ଅନ୍ୟ ଜଣେ ରାଜା ଚତୁର୍ଥ ନରସିଂହଦେବ, ତାଙ୍କ ପୁରୀ ତାମ୍ର ଶାସନରେ ଉଲୁଘ ଖାନ୍‍ଙ୍କ ବିରୁଦ୍ଧରେ ଦ୍ୱିତୀୟ ଭାନୁଦେବଙ୍କ ସଫଳତାକୁ ଦର୍ଶାଇଛନ୍ତି । ଉଲୁଘ ଖାନ୍‍ ଗିୟାସୁଦ୍ଦିନ ତୁଘଲକଙ୍କ ପରେ ମହମ୍ମଦ ବିନ୍ ତୁଘଲକ ନାମ ବହନ କରି ଦିଲ୍ଲୀର ସୁଲତାନ ପଦରେ ଅଭିଷିକ୍ତ ହୋଇଥିଲେ । ଯୁବରାଜ ଉଲୁଘ ଖାନ ଓ ଗଙ୍ଗ ବାହିନୀ ମଧ୍ୟରେ ଘଟିଥିବା ଯୁଦ୍ଧର ବିବରଣୀ ମିଳି ନାହିଁ । ଏଥିରୁ ଏକଥା ମଧ୍ୟ ଅନୁମାନ କରାଯାଇପାରେ ଯେ, ଆରମ୍ଭରେ ଉଲୁଘ ଖାନ୍‍ ଓଡ଼ିଶା ଆକ୍ରମଣପାଇଁ ପ୍ରସ୍ତୁତି କରି ପରେ ତାକୁ କାର୍ଯ୍ୟକାରୀ କରି ନଥିଲେ । ସୁଲତାନ ହେଲା ପରେ ମହମ୍ମଦ ବିନ୍ ତୁଘଲକ୍‍ ତାଙ୍କର ଅନେକ ଯୋଜନାକୁ ଅଧାପନ୍ତରିଆ କରି ରଖିଦେବାର ଉଦାହରଣ ରହିଛି । ସେ ଯାହାହେଉ, ଓଡ଼ିଶା ସୁଲତାନ ଆକ୍ରମଣରୁ ରକ୍ଷା ପାଇଥିବାରୁ ଗଙ୍ଗବଂଶର ଯେ ଅନେକ ପ୍ରତିଷ୍ଠା ବୃଦ୍ଧି ପାଇଲା- ଏଥିରେ ସନ୍ଦେହ ନାହିଁ ।

ଦ୍ୱିତୀୟ ଭାନୁଦେବଙ୍କ ପରେ କ୍ରମାନ୍ୱୟରେ ତୃତୀୟ ନରସିଂହଦେବ(୧୩୨୮-୧୩୫୨) ଏବଂ ତୃତୀୟ ଭାନୁଦେବ (୧୩୫୨-୧୩୭୮) ରାଜତ୍ୱ କଲେ । ଏହି ସମୟରେ ଗଙ୍ଗରାଜ୍ୟ ଉପରେ ବହିରାକ୍ରମଣର ମାତ୍ରା ବୃଦ୍ଧି ପାଇଲା । ଦକ୍ଷିଣରେ ବିଜୟ ନଗର ରାଜ୍ୟ (୧୩୩୬) ଓ ରେଡ୍ଡି ରାଜ୍ୟର ପ୍ରତିଷ୍ଠା ହେଲା । ଦିଲ୍ଲୀରେ ସୁଲତାନମାନେ ମଧ୍ୟ ରାଜ୍ୟବିସ୍ତାରପାଇଁ ଯୋଜନା କଲେ । ଦିଲ୍ଲୀ ସୁଲତାନଙ୍କ ଅଧୀନରେ ଥିବା ବଙ୍ଗର ନବାବମାନେ ଆରମ୍ଭରୁ ଗଙ୍ଗରାଜ୍ୟ ସହ ଶତ୍ରୁତା ଆଚରଣ କରି ଆସୁଥିଲେ । ତୃତୀୟ ନରସିଂହଦେବଙ୍କ ଶ୍ରୀକାକୁଲମକୁ ନେଇ ରେଡ୍ଡି ବଂଶର ରାଜା ଅନପୋ ରେଡ୍ଡିଙ୍କ ସହ ଯୁଦ୍ଧ ହୋଇଥିଲା ଏବଂ ଏହି ଯୁଦ୍ଧରେ କଳିଙ୍ଗ ସେନା ପଞ୍ଚଘୁଞ୍ଚା ଦେଇଥିଲେ । କୃଷ୍ଣା ଗୋଦାବରୀର ଉର୍ବର ତ୍ରିକୋଣଭୂମିକୁ ଅଧିକାର କରିନେବାପାଇଁ ଗଙ୍ଗ ଓ ରେଡ୍ଡିମାନଙ୍କ ମଧ୍ୟରେ ଆଗକୁ ଆହୁରି କଳହ ବୃଦ୍ଧି ପାଇଲା ।

ତୃତୀୟ ଭାନୁଦେବଙ୍କ ରାଜତ୍ୱ କାଳରେ ଦିଲ୍ଲୀର ସୁଲତାନ ଫିରୋଜଶାହ (ଫିରୁଜଶାହ) ତୁଘଲକ ୧୩୬୧ରେ ଓଡ଼ିଶା ଆକ୍ରମଣ କରି ଗଙ୍ଗସେନାକୁ ପରାସ୍ତ କରିଥିଲେ । ଏହା ପୂର୍ବରୁ ବଙ୍ଗର ସ୍ୱାଧୀନ ଶାସକ ହାଜି ଇଜଲାସ ୧୩୫୩ରେ ଯାଜନଗର ଆକ୍ରମଣ କରି ଅନେକ ଧନରତ୍ନ ଓ କେତେକ ହାତୀ ନେଇଯିବାରେ ସକ୍ଷମ ହୋଇଥିଲେ । ଏହା ଗଙ୍ଗରାଜ୍ୟର ଦୁର୍ବଳତାକୁ ସୁସ୍ପଷ୍ଟ କଲା ।   'ତାରିଖ-ଇ-ଫିରୁଜଶାହୀ' ଓ 'ସିରାତ-ଇ-ଫିରୁଜଶାହୀ' ନାମକ ଦୁଇଟି ସମକାଳୀନ ପୁସ୍ତକରେ ଫିରୁଜଶାହଙ୍କ ଓଡ଼ିଶା ଆକ୍ରମଣ କଥା ବିସ୍ତୃତ ଭାବେ ବର୍ଣ୍ଣିିତ ହୋଇଛି । ଏହି ଦୁଇଟି ପୁସ୍ତକ ତଥା ଅନ୍ୟାନ୍ୟ ତଥ୍ୟାବଳୀକୁ ଆଧାର କରି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମାଣ କରିଛନ୍ତି ଯେ, ଦିଲ୍ଲୀ ସୁଲତାନ ବଙ୍ଗ ଅଭିଯାନରୁ ଦିଲ୍ଲୀ ଫେରିବା ବାଟରେ ଓଡ଼ିଶା ଆକ୍ରମଣ କରିବାକୁ ସ୍ଥିର କଲେ । ଆକ୍ରମଣ ପଛରେ ସମ୍ଭବତଃ ବଡ଼ କାରଣ ଥିଲା, ଓଡ଼ିଶାର ଅସଂଖ୍ୟ ମନ୍ଦିରରାଜି ଓ ଧନସମ୍ପଦ । ଜଣେ ନୈଷ୍ଠିକ ମୁସଲମାନ ଭାବରେ ଫିରୁଜଶାହ ସମଗ୍ର ଭାରତରେ ଖ୍ୟାତିଲାଭ କରିଥିବା ହିନ୍ଦୁମନ୍ଦିରଗୁଡ଼ିକୁ ଧ୍ୱଂସ କରିବାକୁ ଚାହୁଁଥିଲେ । 'ତାରିଖ-ଇ-ଫିରୁଜଶାହୀ'ରେ ଯାଜନଗରର ସୁଖ ସମୃଦ୍ଧି କଥା ବିଶଦ ଭାବେ ବର୍ଣ୍ଣିତ ହୋଇଛି । ଉନ୍ନତ କୃଷିଯୋଗୁଁ ଦାରିଦ୍ର୍ୟ ନଥିଲା; ସେନାବାହିୀରେ ବ୍ୟବହୃତ ପଶୁ (ଘୋଡ଼ା ଓ ହାତୀ) ମାନଙ୍କପାଇଁ ମଧ୍ୟ ଭୋଜନର ଅଭାବ ନଥିଲା । ସ୍ଥାନୀୟ ଲୋକେ ଭଲ ଘରେ ରହୁଥିଲେ । ଘର ଆଗରେ ବଗିଚା ଓ ଫଳଗଛ ଲୋକଙ୍କ ସମୃଦ୍ଧିକୁ ସୂଚାଉଥିଲା । ଏହି ସମୃଦ୍ଧିକୁ ମନରେ ରଖି ଫିରୋଜ ଶାହ ଖୁବ୍‍ ଧନ ସମ୍ପତ୍ତି ଲୁଣ୍ଠନ କରିବାର ଯୋଜନା କରି ଓଡ଼ିଶା ଆକ୍ରମଣ କଲେ ।

ଫିରୋଜଶାହଙ୍କ ସେନା ମୟୂରଭଞ୍ଜ ବାଟ ଦେଇ ଓଡ଼ିଶାରେ ପ୍ରବେଶ କରିଥିଲେ । ପ୍ରଥମେ ସେମାନେ ଖିଚିଙ୍ଗର ମନ୍ଦିରଗୁଡ଼ିକୁ ଧ୍ୱଂସ କଲେ । କଟକରେ ପହଞ୍ଚି ସେମାନେ ବାରବାଟୀ ଦୁର୍ଗ ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ଓ ଅନ୍ୟାନ୍ୟ ମନ୍ଦିରଗୁଡ଼ିକୁ ଧ୍ୱଂସ କଲେ । ଏହି କାରଣରୁ ସମ୍ଭବତଃ ଭୁବନେଶ୍ୱରର ଏତେ ନିକଟବର୍ତ୍ତୀ ତଥା ରାଜ୍ୟର ରାଜଧାନୀ ହେବା ସତ୍ତ୍ୱେ କଟକଠାରେ ମଧ୍ୟଯୁଗର କୌଣସି ମନ୍ଦିର ଦୃଷ୍ଟିଗୋଚର ହୁଏ ନାହିଁ । ସୁଲତାନଙ୍କ ଆଦେଶରେ ଅନେକ ନିରୀହ ଲୋକଙ୍କୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି । ଶେଷରେ କେତେକ ହସ୍ତୀ ଓ ଧନରତ୍ନ ସାଙ୍ଗରେ ନେଇ ସୁଲତାନ ଦିଲ୍ଲୀ ଅଭିମୁଖେ ପ୍ରସ୍ଥାନ କଲେ ।

ସୁଲତାନ ଫିରୋଜଶାହଙ୍କ ହସ୍ତରେ ପରାଜୟ ପରେ ଗଙ୍ଗମାନଙ୍କର ଯଥେଷ୍ଟ ସମ୍ମାନହାନି ହେଲା । ଗଙ୍ଗ ବଂଶ ପତନର ଏହା ଏକ ପ୍ରମୁଖ କାରଣ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସୁଲତାନଙ୍କ ଆକ୍ରମଣର ଅଳ୍ପ କେତେ ବର୍ଷ ପୂର୍ବରୁ ୧୩୫୬ରେ ବିଜୟନଗର ସାମ୍ରାଜ୍ୟର ରାଜକୁମାରଙ୍କ ହାତରେ ସେମାନେ ପରାଜୟ ଭୋଗିଥିଲେ । ଏହା ପରେ ଚତୁର୍ଥ ନରସିଂହଦେବଙ୍କ ଶାସନ ସମୟରେ ୧୩୭୮ରେ ଜୌନପୁରରେ ସର୍କି ସୁଲତାନ ଖ୍ୱାଜା-ଇ-ଜାହାନ ଓ ମାଲିକ-ଇସ୍‍-ସର୍କ ଓଡ଼ିଶା ଆକ୍ରମଣ କରି ଅନେକ ଧନରତ୍ନ ଓ ହାତୀ ନେଇ ଚାଲିଗଲେ । ମନେହୁଏ, ମଧ୍ୟଯୁଗରେ ମୋଗଲ ଆଗମନ ପୂର୍ବରୁ ସେନାବାହିୀରେ ହାତୀର ବ୍ୟବହାର ବୃଦ୍ଧି ପାଇବା ଯୋଗୁଁ ଓଡ଼ିଶା ଜଙ୍ଗଲରେ ମିଳୁଥିବା ଉନ୍ନତ ମାନର ହାତୀର ଚାହିଦା ବଢ଼ିଲା ଓ ପରିଣାମ ସ୍ୱରୂପ ବହିଃ ଶତ୍ରୁମାନେ ଓଡ଼ିଶା ଆକ୍ରମଣ କରି ରାଜାଙ୍କ ପାଖରୁ ଦେୟ ରୂପେ ବହୁ ସଂଖ୍ୟାରେ ହସ୍ତୀ ଦାବି କରିବାକୁ ଲାଗିଲେ । ଜୌନପୁର, ବଙ୍ଗ ଓ ଦିଲ୍ଲୀର ମୁସଲମାନ ଶାସକଙ୍କ ବ୍ୟତୀତ ଆନ୍ଧ୍ରର ରେଡ୍ଡିମାନଙ୍କ ଆକ୍ରମଣ ମଧ୍ୟ ଗଙ୍ଗମାନଙ୍କୁ ସହ୍ୟ କରିବାକୁ ପଡ଼ିଥିଲା । ପୂର୍ବରୁ ଗଙ୍ଗ ସାମ୍ରାଜ୍ୟର ସମୃଦ୍ଧିର ଏକ ବଡ଼ କାରଣ ଥିଲା ଦିଗ୍‍ବିଜୟ । ପରାଜିତ ରାଜ୍ୟର ଧନସମ୍ପତ୍ତି ଲୁଣ୍ଠନ କରି ସେମାନେ ଓଡ଼ିଶାରେ ବ୍ରାହ୍ମଣମାନଙ୍କୁ ଉଦାର ଭାବରେ ପୃଷ୍ଠପୋଷକତା ପ୍ରଦାନ କରିବାକୁ ତଥା ବହୁ ଖର୍ଚ୍ଚ କରି ମନ୍ଦିରମାନ ନିର୍ମାଣ କରିବାକୁ ସମର୍ଥ ହୋଇଥିଲେ । ମାତ୍ର ବହିଃ ଶତ୍ରୁ ଆକ୍ରମଣ ପରେ ଆୟର ଉପରୋକ୍ତ ସ୍ରୋତଟି ବନ୍ଦ ହୋଇଗଲା । ଏହା ସହିତ ପରାଜୟ ପରେ ସନ୍ଧିସ୍ଥାପନ କରିବାକୁ ସେମାନଙ୍କୁ (ଗଙ୍ଗମାନଙ୍କୁ) ରାଜକୋଷରୁ ଧନରତ୍ନ ମଧ୍ୟ ଦେବାକୁ ପଡ଼ିଲା । ଏହା ଗଙ୍ଗମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଦେଲା ।   ବାରମ୍ୱାର ଯୁଦ୍ଧରେ ପରାଜୟ ଲଭି ଗଙ୍ଗମାନେ ଲୌକିକ ସ୍ତରରେ ମଧ୍ୟ ଲୋକପ୍ରିୟତା ହରାଇଲେ । ଗଙ୍ଗବଂଶର ଶେଷ ସ୍ୱାଧୀନ ରାଜା ଚତୁର୍ଥ ଭାନୁଦେବ ୧୪୧୪ରେ ସିଂହାସନ ଆରୋହଣ କଲେ । ସେ ଏତେ ମାତ୍ରାରେ ଦୁର୍ବଳ ଥିଲେ ଯେ, ମାଳବର ରାଜା ସୁଲତାନ ହୁସାଙ୍ଗ ୧୪୨୧ରେ ଗଙ୍ଗରାଜାଙ୍କୁ ରାଜଧାନୀରେ ବନ୍ଦୀ କରିଦେଲେ । ଏହି ଲଜ୍ଜାଜନକ ସ୍ଥିତିରୁ ମୁକ୍ତି ପାଇବାପାଇଁ ଗଙ୍ଗରାଜା ମାଳବ ରାଜାଙ୍କୁ ୭୫ଟି ଉତ୍କୃଷ୍ଟ ମାନର ଅଶ୍ୱ ଦେବାକୁ ବାଧ୍ୟ ହେଲେ ।

ରାଜତ୍ୱର ଶେଷ ପର୍ଯ୍ୟାୟରେ ଚତୁର୍ଥ ଭାନୁଦେବ ରେଡ୍ଡି ବଂଶର ଗୃହଯୁଦ୍ଧର ସୁଯୋଗ ନେଇ ରେଡ୍ଡିମାନଙ୍କୁ ପରାସ୍ତ କରିବାକୁ ସମର୍ଥ ହେଲେ । ମାତ୍ର ଏହି ବିଜୟ କ୍ଷଣସ୍ଥାୟୀ ପ୍ରମାଣିତ ହେଲା, କାରଣ ତାଙ୍କୁ ଦକ୍ଷିଣରେ ବିଜୟନଗର ଆକ୍ରମଣର ଶିକାର ହେବାକୁ ପଡ଼ିଲା । ଗଙ୍ଗରାଜା ରାଜଧାନୀ ବାହାରେ ଯୁଦ୍ଧରେ ବ୍ୟସ୍ତ ଥିବାବେଳେ ତାଙ୍କ ମନ୍ତ୍ରିମଣ୍ଡଳ ବିଦ୍ରୋହ ଘୋଷଣା କଲେ । ଚତୁର୍ଥ ଭାନୁଦେବ ଦକ୍ଷିଣରୁ ପ୍ରତ୍ୟାବର୍ତ୍ତ କରି ବିଦ୍ରୋହ ଦମନ କରିବା ପୂର୍ବରୁ କପିଳ ରାଜଗାଦିରେ ବସିଲେ ଏବଂ ନିଜକୁ କପିଳେନ୍ଦ୍ରଦେବ ଭାବରେ ନାମିତ କରି ୧୪୩୫ ଖ୍ରୀଷ୍ଟାବ୍ଦରେ ସୂର୍ଯ୍ୟବଂଶ ନାମରେ ଏକ ରାଜବଂଶ ପ୍ରତିଷ୍ଠା କଲେ । ଏଣିକି ଗଙ୍ଗମାନଙ୍କ ଅଧୀନରେ କାମ କରିଥିବା କପିଳେନ୍ଦ୍ରଦେବ ଗଙ୍ଗରାଜ୍ୟ ଅଧିକାର କରି ଓଡ଼ିଶାକୁ ନୂଆ ନେତୃତ୍ୱ ଦେବାକୁ ଉଦ୍ୟମ କଲେ । ଦୀର୍ଘ ଚାରିଶହ ବର୍ଷର ନିରବଚ୍ଛିନ୍ନ ରାଜତ୍ୱ ପରେ ଗଙ୍ଗବଂଶର ପତନ ହେଲା ।

ଏକାଦଶ ଶତାବ୍ଦୀର ଶେଷଭାଗରେ ଗଙ୍ଗମାନେ ପୂର୍ବଭାରତର ଏକ ପ୍ରମୁଖ ସାମ୍ରାଜ୍ୟ ପ୍ରତିଷ୍ଠା କରିବାର ଗୌରବ ଲାଭ କରିଥିଲେ । ସେମାନଙ୍କ ସମୟରେ ଆଧୁନିକ ଓଡ଼ିଶାର ବିଭିନ୍ନ କ୍ଷେତ୍ର ଏକଶାସନାଧୀନ ହୋଇଥିଲା । ପୂର୍ବରୁ ଚଳିଆସୁଥିବା ବ୍ରାହ୍ମଣମାନଙ୍କ ପୃଷ୍ଠପୋଷକତା ପ୍ରଦାନ କରିବାର ବିଧିକୁ ଗଙ୍ଗମାନେ ଅଧିକ ତେଜୀୟାନ କରିଥିଲେ, ଯାହା ଫଳରେ ସମଗ୍ର ଓଡ଼ିଶାରେ ବ୍ରାହ୍ମଣ୍ୟ ଧର୍ମର ସାମାଜିକ କର୍ତ୍ତୃତ୍ୱ ଅତି ମାତ୍ରାରେ ବୃଦ୍ଧି ପାଇଥିଲା । ଜଗନ୍ନାଥଙ୍କୁ ଓଡ଼ିଶାର ରାଷ୍ଟ୍ରଦେବତା କରି ଗଢ଼ିବାରେ ଗଙ୍ଗମାନେ ପ୍ରମୁଖ ଭୂମିକା ନେଇଥିଲେ । ସେତେବେଳେ ଦକ୍ଷିଣରେ ଏବଂ ମଧ୍ୟ-ଭାରତରେ ମନ୍ଦିରକଳାର ଯେଉଁ ବିକାଶ ସମ୍ଭବ ହୋଇଥିଲା, ତା'ର ଉତ୍କୃଷ୍ଟ ନିଦର୍ଶନ ଓଡ଼ିଶାରେ ଦେଖିବାକୁ ମିଳିଲା । ପୁରୀ ଓ କୋଣାର୍କର ପ୍ରଖ୍ୟାତ ମନ୍ଦିରଗୁଡ଼ିକୁ ବାଦ୍‍ଦେଇ ଆହୁରି ଅନେକ ମନ୍ଦିର ଗଙ୍ଗମାନେ ନିର୍ମାଣ କଲେ । ଅନେକ ଥର ଗଙ୍ଗମାନେ ବିଜୟଲାଭ ମଧ୍ୟ କରିଛନ୍ତି । ରାଜ୍ୟ ଜୟରୁ ଲାଭ ହେଉଥିବା ଧନରତ୍ନକୁ ଗଙ୍ଗମାନେ ନିର୍ମାଣ କାର୍ଯ୍ୟରେ ତଥା ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିବାରେ ବ୍ୟୟ କରୁଥିଲେ । ମୋଟ ଉପରେ କହିଲେ, ଓଡ଼ିଶା ରାଜ୍ୟର ଏକତ୍ରୀକରଣ ପାଇଁ ମଧ୍ୟଯୁଗରେ ଯେଉଁ ରାଜଉଦ୍ୟମ ହୋଇଥିଲା, ତହିଁରେ ଗଙ୍ଗମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଦୃଷ୍ଟିରୁ ମଧ୍ୟକାଳୀନ ଓଡ଼ିଶାର ଏକ ପ୍ରଧାନ ରାଜବଂଶ ଭାବରେ ଗଙ୍ଗମାନଙ୍କୁ ଗ୍ରହଣ କରାଯିବାରେ କିଛି ଅତିଶୟୋକ୍ତି ହେବ ନାହିଁ ।   ଗଙ୍ଗବଂଶର ପତନଲାଗି କେତେକ ଐତିହାସିକ ମୁସଲମାନମାନଙ୍କୁ ଦାୟୀ କରିଥାନ୍ତି । ମାତ୍ର ଏହା ଭୁଲ ଧାରଣା । ଗଙ୍ଗମାନେ ଯେତେ ସଂଖ୍ୟକ ମୁସଲମାନ ଆକ୍ରମଣର ସମ୍ମୁଖୀନ ହୋଇଥିଲେ, ବୋଧହୁଏ ତା'ଠାରୁ ଅଧିକ ମାତ୍ରାରେ ବିଜୟନଗର, ରେଡ୍ଡି, ଚୋଳ ଆଦିଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ । ଦ୍ୱିତୀୟତଃ, ମଧ୍ୟକାଳରେ ରାଜାମାନେ ଧର୍ମ ଆଧାରରେ ଆକ୍ରମଣ କରୁ ନଥିଲେ । ଏକ କୃଷିଭିତ୍ତିକ ସମାଜର ସମୃଦ୍ଧିପାଇଁ ରାଜ୍ୟମାନେ ଯୁଦ୍ଧଜୟ ଏବଂ ଲୁଣ୍ଠନ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । ଗଙ୍ଗମାନଙ୍କ ଆରମ୍ଭକାଳୀନ ରାଜସମୃଦ୍ଧି ପଛରେ ରାଜ୍ୟଜୟ ପ୍ରମୁଖ ଥିଲା । ସେହି ନ୍ୟାୟରେ ମୁସଲିମ୍‍ ଶାସକମାନେ ମଧ୍ୟ ରାଜ୍ୟଜୟକୁ ପ୍ରାଧାନ୍ୟ ଦେଉଥିଲେ । ଗଙ୍ଗମାନେ ଯେଉଁ ମାତ୍ରାରେ ମନ୍ଦିରକଳାକୁ ପ୍ରୋତ୍ସାହନ ଦେଉଥିଲେ, ତାହା ରାଜ୍ୟ ଜୟ ଓ ଧନସମ୍ପତ୍ତି ଲୁଣ୍ଠନ ବିନା ସମ୍ଭବ ହୋଇ ନଥାନ୍ତା । ତୃତୀୟତଃ, ଜଗନ୍ନାଥଙ୍କୁ ରାଷ୍ଟ୍ରଦେବତା ଭାବରେ ସମ୍ମାନ ଦେବା ପଛରେ ମଧ୍ୟ ଗଙ୍ଗମାନଙ୍କ ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼େ । ଜଗନ୍ନାଥଙ୍କୁ ହିନ୍ଦୁ ଧର୍ମପାଇଁ ନୁହେଁ; ବରଂ ଓଡ଼ିଶାର ଆଞ୍ଚଳିକ ସୁରକ୍ଷାପାଇଁ ଆବିଷ୍କାର ଓ ପୁନରାବିଷ୍କାର କରାଯାଇଥିଲା । ଓଡ଼ିଶା ଆକ୍ରମଣ କରୁଥିବା ବଙ୍ଗର ନବାବଙ୍କ ବିରୁଦ୍ଧରେ ଜଗନ୍ନାଥଙ୍କୁ ଯେତେ ମାତ୍ରାରେ ବ୍ୟବହାର କରାଯାଉଥିଲା, ସେତେ ମାତ୍ରାରେ ବିଜୟନଗର ବା ରେଡ୍ଡି ହିନ୍ଦୁ ରାଜାଙ୍କ ବିରୁଦ୍ଧରେ ମଧ୍ୟ ବ୍ୟବହାର କରାଯାଉଥିଲା । ଗଙ୍ଗ ପରବର୍ତ୍ତୀ ସୂର୍ଯ୍ୟବଂଶର ଶାସନ ସମୟରେ ଏହିଭଳି ବ୍ୟବହାରକୁ ଅଧିକ ସ୍ପଷ୍ଟ ଭାବରେ ଦେଖିହୁଏ । ତେଣୁ ହିନ୍ଦୁ, ମୁସଲିମ ଆଦି ସଂକୀର୍ଣ୍ଣ ଧାର୍ମିକ ଆଧାରର ଊର୍ଦ୍ଧ୍ୱରେ ରହି ଏକ ବ୍ୟାପକ ସାମାଜିକ ପୃଷ୍ଠଭୂମିରେ ମଧ୍ୟକାଳୀନ ଇତିହାସକୁ ଦେଖିବାର ଆବଶ୍ୟକତା ରହିଛି । ଅନ୍ୟଥା ଇତିହାସର ବସ୍ତୁନିଷ୍ଠ ଆଲୋଚନା ସମ୍ଭବ ହେବ ନାହିଁ ।

ଗଙ୍ଗକାଳୀନ ମନ୍ଦିରକଳା ଓ ସ୍ଥାପତ୍ୟ   ଏକାଦଶ ଶତାବ୍ଦୀ ପରଠାରୁ ଅର୍ଥାତ୍‍ ଗଙ୍ଗ ରାଜତ୍ୱ ଆରମ୍ଭରୁ ଓଡ଼ିଶାରେ ମନ୍ଦିରକଳା ଓ ସ୍ଥାପତ୍ୟର ପ୍ରଭୂତ ବିକାଶ ଦେଖିବାକୁ ମିଳେ । କୋଣାର୍କର ସୂର୍ଯ୍ୟ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର, ଭୁବନେଶ୍ୱରର ରାଜାରାଣୀ ମନ୍ଦିର ଆଦି ଅନେକ ମନ୍ଦିରର ନିର୍ମାଣ ଏହି ସମୟରେ ହୋଇଥିଲା । ଏହା ପଛରେ ତିିନିଟି ପ୍ରମୁଖ କାରଣ ଅନୁମାନ କରିହୁଏ । ପ୍ରଥମ, ଗଙ୍ଗରାଜାମାନେ ନିଜ ରାଜ୍ୟର ଆୟତନ ବୃଦ୍ଧି କଲା ପରେ ରାଜସ୍ୱର ପରିମାଣ ବୃଦ୍ଧି ପାଇଲା । ରାଜ୍ୟ ଜୟ କରି ଧନସମ୍ପତ୍ତି ମଧ୍ୟ ଲାଭ କଲେ । ଏହି ଧନର ଉପଯୋଗ କେତେକାଂଶରେ ମନ୍ଦିର ନିର୍ମାଣରେ କରାଗଲା । ମନ୍ଦିର ନିର୍ମାଣପାଇଁ ଆବଶ୍ୟକ ଖର୍ଚ୍ଚ ଭରଣା କରିବାକୁ ରାଜାମାନେ ଆର୍ଥିକ ଦୃଷ୍ଟିରୁ ଅସମର୍ଥ ଥିଲେ, ନିର୍ମାଣ ସ୍ଥାପତ୍ୟ ପ୍ରୋତ୍ସାହନ ପାଇ ପାରିନଥାନ୍ତା । ଦ୍ୱିତୀୟତଃ, ମନ୍ଦିର ନିର୍ମାଣ ଦ୍ୱାରା ରାଜା ନିଜପାଇଁ ପ୍ରତିଷ୍ଠା ଅର୍ଜନ କରୁଥିଲେ । ଅନ୍ୟ ରାଜାମାନେ ମନ୍ଦିର ନିର୍ମାତା ରାଜାଙ୍କ ପ୍ରତି ଭୟ ଓ ସମୟ ବିଶେଷରେ ସମ୍ମାନ କରୁଥିଲେ । ଗଙ୍ଗରାଜାମାନଙ୍କପାଇଁ ଏହି ଧରଣର ସାମାଜିକ ଓ ରାଜନୈତିକ କର୍ତ୍ତୃତ୍ୱର ଅଧିକ ଆବଶ୍ୟକତା ରହିଥିଲା, କାରଣ ମୁଖଲିଙ୍ଗମ୍‍ (ଆନ୍ଧ୍ରର ଅଞ୍ଚଳ)ରୁ ସେମାନେ କଟକକୁ ରାଜଧାନୀ ପରିବର୍ତ୍ତନ କରି ଓଡ଼ିଶାରେ ବ୍ୟାପକ ସ୍ୱୀକୃତିପାଇଁ ଆଗ୍ରହୀ ଥିଲେ । ଜଗନ୍ନାଥଙ୍କ 'ରାଉତ' ଭାବରେ ନିଜକୁ ବର୍ଣ୍ଣନା କରି ସେମାନେ ପ୍ରକାରାନ୍ତରେ ରାଜନୈତିକ ଉଦ୍ଦେଶ୍ୟ ପୂରଣପାଇଁ ଉଦ୍ୟମ କରୁଥିଲେ । ଜଗନ୍ନାଥଙ୍କୁ ଓଡ଼ିଶାର ରାଜା ଭାବରେ ସ୍ଥାପନ କରି ଏବଂ ନିଜକୁ ଜଗନ୍ନାଥଙ୍କ ପ୍ରତିିନିଧି ଘୋଷଣା କରି ସେମାନେ ଓଡ଼ିଶାର ଅନ୍ୟ ରାଜାମାନଙ୍କଠାରୁ ସୁରକ୍ଷିତ ରହିପାରିଥିଲେ । ଅନ୍ୟ ରାଜାମାନଙ୍କ ସହ କଳହ ବେଳେ ମଧ୍ୟ ଜଗନ୍ନାଥ ଏକ ଆଞ୍ଚଳିକ ପରିଚିତି ସୃଷ୍ଟି କରିବାରେ ସାହାଯ୍ୟ କଲେ, ଯାହାର ସୁଫଳ ପ୍ରଥମେ ଗଙ୍ଗରାଜାମାନେ ଓ ତାଙ୍କ ପରେ ସୂର୍ଯ୍ୟବଂଶୀ ରାଜାମାନେ ଲାଭ କଲେ । ତୃତୀୟତଃ, ଏହି ସମୟରେ ମନ୍ଦିର ନିର୍ମାଣକଳା ବିକାଶ ଲାଭ କଲା । ଏକାଦଶ/ଦ୍ୱାଦଶ ଶତାବ୍ଦୀର ବହୁ ପୂର୍ବରୁ ହୁଏତ ମନ୍ଦିର ନିର୍ମାଣ ଚାଲିଥିଲା । ମାତ୍ର ନିର୍ମାଣଶୈଳୀରେ ତ୍ରୁଟି ରହିଥିବାରୁ ମନ୍ଦିରର ଉପର ଅଂଶ (ଗମ୍ୱୁଜ ଅଂଶ) ଦୀର୍ଘସ୍ଥାୟୀ ହୋଇ ପାରୁନଥଲା । ଗଙ୍ଗ ସମୟରେ କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ନିର୍ମାଣ ତ୍ରୁଟି ଆଉ ରହିଲା ନାହିଁ । ଫଳରେ ମନ୍ଦିରଗୁଡ଼ିକ (ଏକାଦଶ ଶତାବ୍ଦୀ ପରଠାରୁ) ଦୀର୍ଘସ୍ଥାୟୀ ହେଲେ । ଏକଥା ମଧ୍ୟ ସତ୍ୟ ଯେ, ମନ୍ଦିରକଳା ଓ ସ୍ଥାପତ୍ୟକୁ ତ୍ରୁଟିଶୂନ୍ୟ କରିବାରେ ସାଧାରଣ ଶିଳ୍ପୀମାନଙ୍କର ହିଁ ଯଥେଷ୍ଟ ଯୋଗଦାନ ରହିଥିଲା । ପୈତୃକ ବୃତ୍ତି ଭାବରେ ସେମାନେ ପିଢ଼ି ପିଢ଼ି ଧରି ନିର୍ମାଣଶୈଳୀ ଓ କଳାକୁ କେବଳ ବଞ୍ଚାଇ ନଥିଲେ, ତହିଁରେ ଉତ୍ତରୋତ୍ତର ଅଭିବୃଦ୍ଧି କରିବାକୁ ମଧ୍ୟ ଉଦ୍ୟମ କରୁଥିଲେ । ଭାରତକୁ ତୁର୍କ ଆଗମନ ପରେ ସ୍ଥାନୀୟ ଓ ବିଦେଶୀ ଶିଳ୍ପୀମାନଙ୍କ ସ୍ତରରେ ଭାବ ବିନିମୟ ହେଲା, ଯାହା ନିର୍ମାଣକଳା ଓ କୌଶଳକୁ ଋଦ୍ଧିମନ୍ତ କଲା । ଗଙ୍ଗରାଜାମାନେ ସମୃଦ୍ଧି ଲାଭ କରିବା ପରେ ମନ୍ଦିର ନିର୍ମାଣ କାମ ହାତକୁ ନେଇ ଏହି ଶିଳ୍ପୀମାନଙ୍କୁ ରୋଜଗାର ଦେଇଥିଲେ । ଶିଳ୍ପୀମାନଙ୍କର ତାଲିମ ଓ ପ୍ରଶିକ୍ଷଣରେ ବା ମନ୍ଦିର ନିର୍ମାଣପାଇଁ ଓଡ଼ିଶା ବାହାରୁ ଅଭିଜ୍ଞ ଶିଳ୍ପୀ ଆଣିବାରେ ରାଜାମାନେ ଉଦ୍ୟମ କରିଥିବାର କୌଣସି ଉଲ୍ଲେଖ ମିଳେ ନାହିଁ । ଅର୍ଥାତ୍‍ ଗଙ୍ଗରାଜାମାନେ କେବଳ ମନ୍ଦିର ନିର୍ମାଣ କାର୍ଯ୍ୟ ହାତକୁ ନେଇ ମନ୍ଦିରକଳା ଓ ସ୍ଥାପତ୍ୟକୁ ପ୍ରୋତ୍ସାହନ ଦେଇଥିଲେ ବୋଲି ବୁଝିବାକୁ ହେବ ।   ଓଡ଼ିଶାରେ ପଞ୍ଚମ ଶତାବ୍ଦୀଠାରୁ ମନ୍ଦିରକଳା ଓ ସ୍ଥାପତ୍ୟର ଉଲ୍ଲେଖ ମିଳିଥାଏ । ଈଶ୍ୱରଙ୍କୁ ଦେବମାନବ ରୂପେ କଳ୍ପନା କରି ତାଙ୍କପାଇଁ ବାସଗୃହ ବା ମନ୍ଦିର ନିର୍ମାଣ କରାଗଲା । ଯେଉଁ ଦେବତାଙ୍କ ଯେତେ ଅଧିକ ପ୍ରସିଦ୍ଧି, ତାଙ୍କରି ନାଁରେ ସେତେ ଅଧିକ ମନ୍ଦିର ନିର୍ମାଣ ହେଲା । ଏଥିରୁ ବୌଦ୍ଧ ମୂର୍ତ୍ତିି ଓ ବୌଦ୍ଧ ମନ୍ଦିର ମଧ୍ୟ ବାଦ ପଡ଼ିଲା ନାହିଁ, ଯଦିଓ ଆରମ୍ଭରେ ବୌଦ୍ଧଧର୍ମରେ ମୂର୍ତ୍ତିପୂଜାର କୌଣସି ସ୍ଥାନ ନଥିଲା । ପ୍ରାୟ ଏକାଦଶ ଶତାବ୍ଦୀ ପର୍ଯ୍ୟନ୍ତ ନିର୍ମାଣଶୈଳୀ ଉନ୍ନତ ନଥିଲା ବୋଲି ମନ୍ଦିରଗୁଡ଼ିକ ଦୀର୍ଘସ୍ଥାୟୀ ହୋଇପାରୁ ନଥିଲା । ଦୃଷ୍ଟାନ୍ତ ସ୍ୱରୂପ, କଳାହାଣ୍ଡି ଜିଲ୍ଲାର ମାରାଗୁଡ଼ା ଉପତ୍ୟକାରେ ଓଡ଼ିଶାର ଦୁଇଟି ସର୍ବ ପୁରାତନ ମନ୍ଦିରର ଅବଶେଷ ଦେଖିବାକୁ ମିଳେ । ଏହା ପଞ୍ଚମ ଶତାବ୍ଦୀରେ ନଳରାଜା ଭବଦତ୍ତ ନିର୍ମାଣ କରିଥିବାର ଅନୁମାନ କରାଯାଏ । ମନ୍ଦିର ଦୁଇଟି ଇଟା ଓ ପଥରଦ୍ୱାରା ନିର୍ମିତ ଏବଂ ଛାତର କୌଣସି ଅବଶେଷ ନାହିଁ । ତହିଁରୁ ଗୋଟିଏ ମନ୍ଦିର ଶିବଙ୍କପାଇଁ ଉତ୍ସର୍ଗୀକୃତ ଓ ଅନ୍ୟଟି ସ୍ଥାନୀୟା ଅଧିଷ୍ଠାତ୍ରୀ ଦେବୀ ମାହେଶ୍ୱରୀଙ୍କପାଇଁ ଉଦ୍ଦିଷ୍ଟ ।   ଷଷ୍ଠ ଶତାବ୍ଦୀର ଗୋକର୍ଣ୍ଣେଶ୍ୱର ଶିବମନ୍ଦିର ଅନ୍ୟ ଏକ ପ୍ରାଚୀନ ମନ୍ଦିର । ପୂର୍ବ-ଗଙ୍ଗ ରାଜତ୍ୱ କାଳରେ ମହେନ୍ଦ୍ର ପର୍ବତରେ ଏହାର ପ୍ରତିଷ୍ଠା କରାଯାଇଥିଲା । ଏହା ସାତଟି ପଥରରେ ନିର୍ମିତ ଏବଂ ଏହାର ଶୀର୍ଷରେ ଏକ ଅମଳକ ଶିଳା ରହିଛି । କୋରାପୁଟ ଜିଲ୍ଲାର ପଦ୍ମପୁର ନିକଟସ୍ଥ ଜଗମଣ୍ଡା ପାହାଡ଼ ଉପରେ ଥିବା ନୀଳକଣ୍ଠେଶ୍ୱର ଶିବମନ୍ଦିର ହେଉଛି ଗୋକର୍ଣ୍ଣେଶ୍ୱର ମନ୍ଦିରର ସମସାମୟିକ । ଜଗମଣ୍ଡା ମନ୍ଦିର ନଅଟି ପଥରରେ ନିର୍ମିତ ।

ଏଥିରୁ ଅନୁମିତ ହୁଏ ଯେ, ମନ୍ଦିର ନିର୍ମାଣ କଳା ଓଡ଼ିଶାର ସବୁଆଡେ଼ ବିସ୍ତାରିତ ହୋଇ ରହିଥିଲା । କୋରାପୁଟ ଓ କଳାହାଣ୍ଡି ଭଳି ଅଞ୍ଚଳରେ ମଧ୍ୟ ଏହାର କମ୍‍ ବିସ୍ତାର ନଥିଲା । ନିର୍ମାଣ ଶୈଳୀରେ ତ୍ରୁଟି ରହିଥିବାରୁ ଉପର ଛାତ ଦୀର୍ଘସ୍ଥାୟୀ ହୋଇ ପାରୁନଥିଲା ଏବଂ ମନ୍ଦିର ବିଶାଳ ଆକାରର ହୋଇ ପାରୁନଥିଲା । କାଳକ୍ରମେ ଏକାଦଶ ଶତାବ୍ଦୀ ବେଳକୁ ଏଥିରେ ବିକାଶ ଘଟିଲା । ସମଗ୍ର ଓଡ଼ିଶା ଅଞ୍ଚଳ ଏକଶାସନାଧୀନ ହେବାରୁ ବିଭିନ୍ନ ଅଞ୍ଚଳର ଶିଳ୍ପୀ ଏକ ସ୍ଥାନରେ କାମ କରିବାର ସୁଯୋଗ ପାଇଲେ । ସେମାନଙ୍କର ପାରସ୍ପରିକ ଭାବ ବିିନିମୟ, ଶୈଳୀରେ ରହିଥିବା ତ୍ରୁଟିକୁ ସୁଧାରିବାରେ ସାହାଯ୍ୟ କଲା । ଏହା ଫଳରେ, ବିଶାଳ ଆକାରର ମନ୍ଦିରନିର୍ମାଣ ସମ୍ଭବ ହେଲା ଓ ନିର୍ମାଣ ବେଳେ ବହୁ ସଂଖ୍ୟକ ଶିଳ୍ପୀ ପରସ୍ପର ମଧ୍ୟରେ ଯୋଗାଯୋଗ କରିବାରେ ସମର୍ଥ ହେଲେ । ଏହା ନିର୍ମାଣ ଶୈଳୀକୁ ଅଧିକ ବିକଶିତ କରିବା ତଥା ଶିଳ୍ପୀମାନଙ୍କ ମଧ୍ୟରେ ସାମାଜିକ ସଂପର୍କ ବୃଦ୍ଧି କରିବାରେ ସାହାଯ୍ୟ କଲା । ଅନ୍ୟ ଅର୍ଥରେ କହିଲେ; ରାଜ୍ୟର ସମୃଦ୍ଧି, ବଡ଼ ମନ୍ଦିରର ନିର୍ମାଣ, ବହୁ ସଂଖ୍ୟକ ଶିଳ୍ପୀଙ୍କ ମଧ୍ୟରେ ଯୋଗାଯୋଗ ଓ ଓଡ଼ିଶାର ରାଜନୈତିକ ଏକତ୍ରୀକରଣ ପରସ୍ପରପାଇଁ ଅନୁପୂରକ ହେଲେ । ଏହି କାରଣରୁ ଗଙ୍ଗଶାସନ କାଳରେ ନିର୍ମିତ ମନ୍ଦିରଗୁଡ଼ିକ ପ୍ରସିଦ୍ଧ ହେଲା ।

କଳିଙ୍ଗ ସ୍ଥାପତ୍ୟର ଉତ୍କର୍ଷ ଓ ସ୍ୱତନ୍ତ୍ରତାକୁ ଭାରତରେ ସେତେବେଳେ ବିଶେଷ ମହତ୍ତ୍ୱ ପ୍ରଦାନ କରାଯାଇଥିଲା । କର୍ଣ୍ଣାଟକରୁ ମିଳିଥିବା ତ୍ରୟୋଦଶ ଶତାବ୍ଦୀର (୧୨୩୫ ଖ୍ରୀଷ୍ଟାବ୍ଦ) ଏକ ଶିଳାଲିପିରେ ଚାରି ପ୍ରକାର ମନ୍ଦିର ନିର୍ମାଣ ଶୈଳୀ କଥା କୁହାଯାଇଛି । ସେଗୁଡ଼ିକ ହେଲା: ନାଗର ଶୈଳୀ, ବେସର ଶୈଳୀ, ଦ୍ରାବିଡ଼ ଶୈଳୀ ଓ କଳିଙ୍ଗ ଶୈଳୀ । ଏଥିରୁ ମନେହୁଏ ଓଡ଼ିଶା ବାହାରେ ମଧ୍ୟ କଳିଙ୍ଗ ଶୈଳୀକୁ ପ୍ରସିଦ୍ଧି ମିଳିଥିଲା ।

କଳିଙ୍ଗର ମନ୍ଦିର ମୁଖ୍ୟତଃ ତିିନି ଅଂଶରେ ବିଭକ୍ତ । ସେଗୁଡିକ ହେଲା ରେଖ, ପୀଢ଼ ଓ ଖାକରା । ମନ୍ଦିର ଶିଖରର ଆକାର ଓ ପୂଜା ଅର୍ଚ୍ଚନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବିଭକ୍ତୀକରଣ କରାଯାଇଥାଏ । ରେଖ ଦେଉଳ, ମୁଖ୍ୟ ଦେବତାଙ୍କ ନିମନ୍ତେ ଉଦ୍ଦିଷ୍ଟ ଏବଂ ଗର୍ଭଗୃହ ଉପରେ ନିର୍ମିତ । ପୀଢ଼ ଦେଉଳ ଗର୍ଭଗୃହ ସମ୍ମୁଖରେ ଥିବା ମୁଖଶାଳା । ଏହାରି ଉପରେ ମନ୍ଦିର ନିର୍ମିତ । ପୀଢ଼ ଦେଉଳ ଭକ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । ରେଖ ଓ ପୀଢ଼ ମଧ୍ୟରେ ରହିଥିବା ପରିପୂରକତାକୁ ଦୃଷ୍ଟିରେ ରଖି ଉଭୟ ଦେଉଳର ସଂଯୋଗସ୍ଥଳୀକୁ ଶିଳ୍ପଶାସ୍ତ୍ରରେ ବିବାହ ବନ୍ଧନ ରୂପେ ବର୍ଣ୍ଣନା କରାଯାଇଛି । ଖାକରା ଦେଉଳ ଶାକ୍ତଦେବୀଙ୍କପାଇଁ ଉଦ୍ଦିଷ୍ଟ । ଖାକରା ଦେଉଳର ଶିଖର "ଖ' ଆକାରର ବା ଚୈତ୍ୟଗୃହ ଭଳି ଅର୍ଦ୍ଧସିଲିଣ୍ଡର ଆକୃତିର । ଏହା ଓଲଟି ପଡ଼ିଥିବା ବୋଇତ ପରି ଦେଖାଯାଏ । ଦାକ୍ଷିଣାତ୍ୟର ପ୍ରଭାବ ଏଥିରେ ରହିଛି । ଖାକରା ଦେଉଳ ଓଡ଼ିଶାରେ କ୍ୱଚିତ୍‍ ପରିଦୃଷ୍ଟ ହୁଏ । ଭୁବନେଶ୍ୱରର ବୈତାଳ ଦେଉଳ, ଗୌରୀ ଦେଉଳ, ଚୌରାସିର ବରାହୀ ମନ୍ଦିର ଓ ବୟାଳିଶ ବାଟିର ଗଙ୍ଗେଶ୍ୱରୀ ମନ୍ଦିର ଖାକରା ଶୈଳୀରେ ନିର୍ମିତ ମନ୍ଦିରର ନିଦର୍ଶନ । ରେଖ ଓ ପୀଢ଼ ଦେଉଳର ଭିତ୍ତି ବର୍ଗାକାର । ରେଖ ଦେଉଳର ଶିଖର ଆଲମ୍ୱ ଭାବେ ଏକ ରେଖା ଭଳି ହୋଇ ବେକ ପାଖରେ ବକ୍ରାକାର ହୋଇଥାଏ । ପୀଢ଼ ଦେଉଳ ହେଲା କ୍ରମକ୍ଷୟିଷ୍ଣୁ ଶିଖରସଂପନ୍ନ ଏକ ପିରାମିଡ ସଦୃଶ ।   ରେଖ ଦେଉଳର ପ୍ରକୋଷ୍ଠକୁ ଗର୍ଭଗୃହ ବା ବିମାନ କୁହାଯାଏ । ସେଠାରେ ମନ୍ଦିରର ମୁଖ୍ୟ ଦେବତା ଅଧିଷ୍ଠିତ ହୁଅନ୍ତି । ଷଷ୍ଠରୁ ଏକାଦଶ ଶତାବ୍ଦୀ ମଧ୍ୟରେ ରେଖ ଦେଉଳର ଆକାରରେ କ୍ରମ ବିକାଶ ଦେଖାଗଲା । ଗଙ୍ଗ ଶାସନ କାଳରେ ମନ୍ଦିରକୁ ଅଧିକ ବିଶାଳ, ମାର୍ଜିତ ଓ ସୌଷ୍ଠବପୂର୍ଣ୍ଣ କରିବାପାଇଁ ଭିତ୍ତିସ୍ଥଳକୁ ବୃଦ୍ଧି କରାଗଲା । ଏହାଦ୍ୱାରା ମନ୍ଦିରର ବାହ୍ୟ ଆକାର ଅଧିକ ଗୋଲାକାର ହେବା ସହିତ ଗଠନ ବର୍ତ୍ତୁଳାକାର ଦେଖାଗଲା ।

ପ୍ରାରମ୍ଭିକ ସ୍ତରରେ ପୀଢ଼ ଦେଉଳର ଜଗମୋହନ ବା ମୁଖଶାଳା, ଯାହା ରେଖସ୍ଥିତ ଗର୍ଭଗୃହର ସମ୍ମୁଖରେ ରହିଥାଏ, ଏକ ଆୟତାକାର ପ୍ରକୋଷ୍ଠ ଭଳି ରହିଥିଲା । ଛାତକୁ ଟେକି ଧରିବାପାଇଁ ଦୁଇଟି ଧାଡ଼ିରେ ସ୍ତମ୍ଭମାନ ରହିଥିଲା । ମନ୍ଦିରର ଛାତ ଚାଳଘରର ଛାତ ଭଳି ଦୋଚାଳିଆ ଥିଲା । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର ଏହି ଶ୍ରେଣୀଭୁକ୍ତ; ମାତ୍ର ସୋମବଂଶୀ ରାଜତ୍ୱକାଳୀନ ମନ୍ଦିରରେ ପ୍ରଥମ କରି ବର୍ଗାକାରର ମୁଖଶାଳା ଦେଖିବାକୁ ମିଳିଲା । ଫଳରେ ଛାତ ପିରାମିଡ଼ ଭଳି ହେଲା । ଭୁବନେଶ୍ୱରର ମୁକ୍ତେଶ୍ୱର ମନ୍ଦିର ଏହି ଶ୍ରେଣୀର ମନ୍ଦିର । ପରବର୍ତ୍ତୀ ସମୟରେ ମୁଖଶାଳାରେ ପୂର୍ଣ୍ଣାଙ୍ଗ ପୀଢ଼ ଦେଉଳ ଦେଖିବାକୁ ମିଳିଲା । ଲିଙ୍ଗରାଜ, ବ୍ରହ୍ମେଶ୍ୱର, ପୁରୀ ଜଗନ୍ନାଥ, କୋଣାର୍କର ସୂର୍ଯ୍ୟମନ୍ଦିର ଏହି ଶ୍ରେଣୀର ମନ୍ଦିର । ପୀଢ଼ର ଗଣ୍ଡି ଉପରେ ମସ୍ତକର ରଚନା କରାଯାଇଥାଏ । ଅନ୍ୟ ଉପ-ଅଙ୍ଗ ଗୁଡ଼ିକୁ (ତଳୁ ଉପର ଯାଏ) ବେକି, ଘଣ୍ଟ, ଅଁଳାବେକି, ଅମଳକ, ଖପୁରି ଓ କଳସ କୁହାଯାଏ । କୋଣାର୍କ ସୂର୍ଯ୍ୟ ମନ୍ଦିରର ରେଖ ଦେଉଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ସାରିଛି । କେବଳ ପୀଢ଼ ଦେଉଳର ନିର୍ମାଣ ଶୈଳୀ, ଭାସ୍କର୍ଯ୍ୟ ଓ ସୂକ୍ଷ୍ମ କାରୁକାର୍ଯ୍ୟ ରହିଛି । ତାହା ସତ୍ତ୍ୱେ ଏହା ଆଜି ବିଶ୍ୱ ଐତିହ୍ୟର ମାନ୍ୟତା ପାଇଛି ।

ନିର୍ମାଣଶୈଳୀ ପରି କାରୁକାର୍ଯ୍ୟ ମଧ୍ୟ ମନ୍ଦିରକୁ ସ୍ୱାତନ୍ତ୍ର୍ୟ ପ୍ରଦାନ କରେ । ମନ୍ଦିରରେ ବିଭିନ୍ନ ପ୍ରକାର ମୂର୍ତ୍ତିି, ଡ଼ାଳ, ପୁଷ୍ପଲତା ଖୋଦିତ ହୋଇ ମନ୍ଦିରର ଶୋଭା ବର୍ଦ୍ଧନ କରେ । ମୂର୍ତ୍ତିଗୁଡ଼ିକ ମୁଖ୍ୟତଃ ତୋରଣ, ପ୍ରବେଶଦ୍ୱାର, ସ୍ତମ୍ଭ, ଗବାକ୍ଷ, ପାର୍ଶ୍ୱଦେବତା ତଥା ଛାତ ଇତ୍ୟାଦିରେ ଖୋଦିତ ହୋଇଥାନ୍ତି । ମୂର୍ତ୍ତିିଗୁଡ଼ିକ ମଧ୍ୟରେ ନାଗ-ନାଗୀ, ଗଙ୍ଗା-ଯମୁନା, ପାର୍ଶ୍ୱଦେବ-ପାର୍ଶ୍ୱଦେବୀ, ନବଗ୍ରହ, ମିଥୁନ -ମୈଥୁନ, ନାୟିକା, ଦ୍ୱାରପାଳ-ଦ୍ୱାରପାଳିକା, ଦିଗପାଳ- ଦିଗପାଳିକା, ଗଜସିଂହ, ଭାରବାହକ ଆଦି ଅନ୍ୟତମ । ଓଡ଼ିଶାର ମନ୍ଦିରଗୁଡ଼ିକ ମୂଳରୁ ଚୂଳ ପର୍ଯ୍ୟନ୍ତ କାରୁକାର୍ଯ୍ୟପୂର୍ଣ୍ଣ । ମନ୍ଦିରରେ ବ୍ରହ୍ମାଣ୍ଡର କଳ୍ପନା ରହିଥାଏ । ତେଣୁ କାରୁକାର୍ଯ୍ୟରେ ଦେବ-ଦେବୀ, ଗନ୍ଧର୍ବ, କିନ୍ନର, ନର-ନାରୀ, ପଶୁପକ୍ଷୀ ଓ ଗଛଲତା ରହିଥାନ୍ତି ।   ଏକାଦଶ ଶତାବ୍ଦୀରେ ସୋମବଂଶୀ ରାଜତ୍ୱ କାଳରେ ନିର୍ମିତ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ହେଉଛି ଏକ ମହାନ କୃତି । ମନ୍ଦିରରେ ପାର୍ଶ୍ୱ ଦେବତା ଭାବରେ ଗଣେଶ, କାର୍ତ୍ତିିକେୟ ଓ ପାର୍ବତୀ ଯଥାକ୍ରମେ ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗରେ ଅବସ୍ଥାପିତ । ମୂର୍ତ୍ତିିଗୁଡ଼ିକ କଳା ମୁଗୁନି ପଥରରେ ନିର୍ମିତ । ମନ୍ଦିରରେ ଅନେକଗୁଡ଼ିଏ ଅଙ୍ଗ ଶିଖର ବା ଶିଖର ମନ୍ଦିର ରହିଛି । ମନ୍ଦିରର ଗର୍ଭଗୃହ ଓ ମୁଖଶାାଳାର ବାହ୍ୟକାନ୍ଥ, କାରୁକାର୍ଯ୍ୟ ଓ ମୂର୍ତ୍ତିିକଳାଦ୍ୱାରା ଅଳଙ୍କୃତ । ମନ୍ଦିର ସମ୍ମୁଖରେ ଏକ ବାହନ ସ୍ତମ୍ଭରେ ଉଭୟ ବୃଷଭ ଓ ଗରୁଡ଼ ଅବସ୍ଥାପିତ । ଏଥିରୁ ଅନୁମାନ କରାଯାଏ ଯେ ଲିଙ୍ଗରାଜ ମନ୍ଦିରକୁ ଉଭୟ ଶୈବ ଓ ବୈଷ୍ଣବ ଧର୍ମର ସମନ୍ୱୟ ଭାବରେ କଳ୍ପନା କରାଯାଇଥିଲା । ପୂଜାବିଧିରେ ଉଭୟ ବେଲପତ୍ର (ଶିବଙ୍କ ପ୍ରିୟ) ଓ ତୁଳସୀ ପତ୍ର (ବିଷ୍ଣୁଙ୍କର ପ୍ରିୟ)ର ବ୍ୟବହାରରୁ ମଧ୍ୟ ଏହା ସୁସ୍ପଷ୍ଟ ହୁଏ ।

ଭୁବନେଶ୍ୱରର ଅନ୍ୟ ଏକ ପ୍ରସିଦ୍ଧ ମନ୍ଦିର ହେଲା ରାଜାରାଣୀ ମନ୍ଦିର । ଏହାର ଅଙ୍ଗଶିଖରର ସାଜସଜ୍ଜା ମଧ୍ୟ-ଭାରତର ସ୍ଥାପତ୍ୟ କଳାଦ୍ୱାରା ପ୍ରଭାବିତ ବୋଲି କୁହାଯାଏ । ଫଳରେ ଉଭୟ କଳିଙ୍ଗ ଓ ମଧ୍ୟ-ଭାରତର ସ୍ଥାପତ୍ୟ କଳା ଏଠାରେ ସମନ୍ୱିତ ହୋଇଥିବା ଅନୁମିତ ହୁଏ ।

ପୁରୀସ୍ଥିତ ଜଗନ୍ନାଥ ମନ୍ଦିରରେ ମନ୍ଦିର କଳାର ଉତ୍କର୍ଷ ଦେଖିବାକୁ ମିଳିଥାଏ । ଗଙ୍ଗରାଜା ଚୋଡ଼ଗଙ୍ଗ ଦେବଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀର ମଧ୍ୟ ଭାଗରେ ଏହା ନିର୍ମିତ । ଲିଙ୍ଗରାଜ ମନ୍ଦିର ପରି ଏହା ବିମାନ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପକୁ ନେଇ ଗଠିତ । ମନ୍ଦିରର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ରାହାପାଗରେ ବା ଆଧାରଶିଳାରେ ଯଥାକ୍ରମେ ବରାହ, ନରସିଂହ ଓ ତ୍ରିବିକ୍ରମ ପାର୍ଶ୍ୱଦେବତା ରୂପେ ଅବସ୍ଥାପିତ । ମନ୍ଦିର ପ୍ରାଙ୍ଗଣରେ ଅନେକ ଦେବଦେବୀଙ୍କ ମନ୍ଦିର ବିଦ୍ୟମାନ । ମନ୍ଦିର ଚତୁର୍ପାର୍ଶ୍ୱରେ ଏକ ପ୍ରକାଣ୍ଡ ପ୍ରାଚୀର ରହିଛି- ଯାହା ମେଘନାଦ ପ୍ରାଚୀର ରୂପେ ଅଭିହିତ । ପ୍ରାଚୀରର ଚାରି ପାର୍ଶ୍ୱରେ ଚାରିଟି ପ୍ରବେଶଦ୍ୱାର ରହିଛି । ପୂର୍ବଦିଗର ମୁଖ୍ୟ ଦ୍ୱାରକୁ ସିଂହଦ୍ୱାର ଏବଂ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାରକୁ ଯଥାକ୍ରମେ ହସ୍ତୀଦ୍ୱାର, ଅଶ୍ୱଦ୍ୱାର ଓ ବ୍ୟାଘ୍ରଦ୍ୱାର କୁହାଯାଏ ।

କିମ୍ୱଦନ୍ତୀ ଅନୁସାରେ ରାଜା ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥ ମନ୍ଦିରର ନିର୍ମାଣ କରିଥିଲେ । ମାତ୍ର ତାହା ଅନେକ କାଳଯାଏ ବାଲିରେ ପୋତି ହୋଇ ରହିଥିଲା । ଶେଷରେ ରାଜା ଗାଲମାଧବ ମନ୍ଦିରର ପୁନରୁଦ୍ଧାର କରିଥିଲେ । ମାତ୍ର ମାଦଳାପାଞ୍ଜି ଅନୁସାରେ ସୋମବଂଶୀ ରାଜା ଯଯାତି କେଶରୀ ଏହାର ନିର୍ମାଣ କରିଥିଲେ । ଏହି ସବୁ କିମ୍ୱଦନ୍ତୀ ସମ୍ଭବତଃ ମନ୍ଦିରର ପ୍ରାଚୀନତା ସାବ୍ୟସ୍ତ କରିବାକୁ ସୃଷ୍ଟ । ଅନ୍ୟଥା ଗଙ୍ଗ ରାଜା ଚୋଡ଼ଗଙ୍ଗଦେବଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ବର୍ତ୍ତମାନର ମନ୍ଦିର ନିର୍ମିତ ବୋଲି ଅନେକ ଐତିହାସିକ ପ୍ରମାଣ ରହିଛି ।   ଜଗନ୍ନାଥ ମନ୍ଦିରର ଅନ୍ୟ ଏକ ବିଶେଷତ୍ୱ ହେଲା, ନିର୍ମାଣର ବହୁବର୍ଷ ପରେ ଏଥିରେ ଅରୁଣସ୍ତମ୍ଭକୁ ସଂଯୋଜିତ କରାଯାଇଛି । ମନ୍ଦିରର ପ୍ରସିଦ୍ଧି ବୃଦ୍ଧି ପାଇଥିବାରୁ ତାହାର ପୃଷ୍ଠପୋଷକତା କରିବାକୁ ଯାଇ ଅଷ୍ଟାଦଶ ଶତାବ୍ଦୀରେ ମରାଠାମାନେ କୋଣାର୍କରୁ ଏହି ସ୍ତମ୍ଭକୁ ଆଣି ଜଗନ୍ନାଥ ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ । ସ୍ତମ୍ଭ ଉପରେ ଅରୁଣ ମୂର୍ତ୍ତିି ସ୍ଥାପିତ ହୋଇଥିବାରୁ ଏହାକୁ ଅରୁଣସ୍ତମ୍ଭ ବୋଲି ମଧ୍ୟ କୁହାଯାଏ । ମନ୍ଦିର ବେଢ଼ା ମଧ୍ୟରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି । ମୁକ୍ତିମଣ୍ଡପ ପାର୍ଶ୍ୱରେ ଥିବା ନୃସିଂହ ମନ୍ଦିର ବର୍ତ୍ତମାନର ମନ୍ଦିର ଅପେକ୍ଷା ବହୁ ପ୍ରାଚୀନ ବୋଲି କୁହାଯାଏ । ବିମଳା, ଭୁବନେଶ୍ୱରୀ ଓ ଲକ୍ଷ୍ମୀ ମନ୍ଦିର ବେଢ଼ାର ଅନ୍ୟ ମନ୍ଦିରମାନଙ୍କ ମଧ୍ୟରେ ପ୍ରମୁଖ । କୋଣାର୍କର ସୂର୍ଯ୍ୟ ମନ୍ଦିର ଗଙ୍ଗରାଜତ୍ୱର ସର୍ବଶ୍ରେଷ୍ଠ କୃତି । ତ୍ରୟୋଦଶ ଶତାବ୍ଦୀର ମଧ୍ୟ ଭାଗରେ ପ୍ରଥମ ନରସିଂହଦେବଙ୍କଦ୍ୱାରା ଏହା ନିର୍ମିତ । ମନ୍ଦିରର ବିମାନ ବା ମୁଖ୍ୟ ଦେଉଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି; ମନ୍ଦିର ବେଢ଼ାରେ ନାଟମନ୍ଦିର ଏବଂ ଜଗମୋହନ ଆଂଶିକ ଭଗ୍ନାବସ୍ଥାରେ ଦଣ୍ଡାୟମାନ । କୋଣାର୍କର ନାଟମନ୍ଦିର ଏକ ଉଚ୍ଚ ପୀଠ ଉପରେ ଅବସ୍ଥିତ ଏବଂ ଏହା ଉପରକୁ ଯିବାପାଇଁ ଚାରି ପାର୍ଶ୍ୱରେ ପାହାଚ ରହିଛି । ନାଟମନ୍ଦିରର ଚତୁଃପାର୍ଶ୍ୱରେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବଜାଉଥିବା ତଥା ନୃତ୍ୟ ପରିବେଷଣ କରୁଥିବା ମୂର୍ତ୍ତିି ଖୋଦିତ ।

ନାଟମନ୍ଦିର ପରି କୋର୍ଣାକର ଜଗମୋହନ ବା ମୁଖଶାଳା ମଧ୍ୟ ଏକ ଉଚ୍ଚ ପୀଠ ଉପରେ ନିର୍ମିତ । ଜଗମୋହନକୁ ଅଶ୍ୱଦ୍ୱାରା ଟଣା ଯାଉଥିବା ଏକ ବିଶାଳ ରଥର ସ୍ୱରୂପ ଦିଆଯାଇଛି । ରଥରେ ୨୪ଟି ଚକ ଏବଂ ସମ୍ମୁଖ ଭାଗରେ ସାତଟି ଅଶ୍ୱ ଖଚିତ । ଜଗମୋହନର ଉଚ୍ଚତା ପ୍ରାୟ ୧୨୦ ଫୁଟ ଏବଂ ତିନି ଥାକର ପୀଢ଼କୁ ନେଇ ଏହା ଗଠିତ । ଭଗ୍ନ ବିମାନର ଉତ୍ତର, ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱର ରାହାପାଗରେ ଉଦୀୟମାନ ସୂର୍ଯ୍ୟ, ମଧ୍ୟାହ୍ନ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟ ପାର୍ଶ୍ୱଦେବତା ରୂପେ ଖୋଦିତ ।

ଗଙ୍ଗବଂଶୀ ରାଜାମାନଙ୍କ ପରେ ସୂର୍ଯ୍ୟବଂଶୀଙ୍କ ରାଜତ୍ୱ କାଳରେ ମଧ୍ୟ କେତେକ ମନ୍ଦିର ନିର୍ମିତ ହୋଇଥିଲା । ମାତ୍ର ଗଙ୍ଗକାଳୀନ ମନ୍ଦିରର ବିଶାଳତା ଓ ସୂକ୍ଷ୍ମ କାରୁକାର୍ଯ୍ୟ ତହିଁରେ ଦେଖିବାକୁ ମିଳେ ନାହିଁ । ତେଣୁ ଗଙ୍ଗକାଳୀନ ଶାସନକୁ ମନ୍ଦିରକଳାର ଶିଖର ବୋଲି କୁହାଯାଏ । ଏହା ପରେ କ୍ରମଶଃ ଓଡ଼ିଶାରେ ମନ୍ଦିରକଳାର ଅବକ୍ଷୟ ଘଟିଲା ବୋଲି କହିଲେ ଭୁଲ ହେବନାହିଁ । ଏହି ଅବକ୍ଷୟର ଏକ ପ୍ରମୁଖ କାରଣ ହେଲା, ରାଜ ପୃଷ୍ଠପୋଷକତାର ଅଭାବ । ସୂର୍ଯ୍ୟବଂଶୀ ରାଜତ୍ୱ କାଳରେ ଶିଳ୍ପୀକୁଳ ଧ୍ୱଂସ ପାଇ ନଥିଲେ, ବରଂ ସେମାନେ ଓଡ଼ିଶାର ଅଭ୍ୟନ୍ତରକୁ ବିସ୍ତାରିତ ହୋଇଥିଲେ ଏବଂ ସ୍ଥାନୀୟ ପ୍ରୋତ୍ସାହନରେ ନାନା ସ୍ଥାନରେ ସେମାନେ ମନ୍ଦିର ଶିଳ୍ପକୁ ଜୀବିତ ରଖିଥିଲେ । ପ୍ରୋତ୍ସାହନ ଯେହେତୁ ସ୍ଥାନୀୟ, ମନ୍ଦିର ନିର୍ମାଣ ମଧ୍ୟ ଗଙ୍ଗକାଳୀନ ମନ୍ଦିର ପରି ଭବ୍ୟ ଓ ବିଶାଳ ହୋଇ ପାରି ନଥିଲା ।


...

ସୂର୍ଯ୍ୟବଂଶୀ ଗଜପତି ଶାସନ

  ପଞ୍ଚଦଶ ଶତାବ୍ଦୀର ଆଦ୍ୟ ଭାଗରେ ଗଙ୍ଗ ରାଜବଂଶର ପତନ ହେଲା । ଦୀର୍ଘ ତିିନି ଶତାବ୍ଦୀରୁ ଊର୍ଦ୍ଧ୍ୱ ସମୟ ଧରି (୧୧୧୦-୧୪୩୫ ଖ୍ରୀ.) ଗଙ୍ଗମାନେ ଓଡ଼ିଶାର ରାଜନୈତିକ ଏକତ୍ରୀକରଣ କରି ଓଡ଼ିଶା ସାମ୍ରାଜ୍ୟକୁ ଉତ୍ତରରେ ବଙ୍ଗ ଓ ଦକ୍ଷିଣରେ ରେଡ୍ଡି ଏବଂ ବିଜୟଗର ଆଦି ବହିଃଶତ୍ରୁ ଆକ୍ରମଣରୁ ସୁରକ୍ଷା ପ୍ରଦାନ କରିଥିଲେ । ଏଥିପାଇଁ ସେମାନେ ସେନା ସଂଗଠନ ପ୍ରତି ଗୁରୁତ୍ୱ ଦେଇ ବହିଃଶତ୍ରୁ ବିରୁଦ୍ଧରେ ଆକ୍ରମଣାତ୍ମକ ନୀତି ମଧ୍ୟ ଅବଲମ୍ୱ କରିଥିଲେ । ଯଦିଓ ଗଙ୍ଗମାନେ ଆନ୍ଧ୍ର ଅଞ୍ଚଳରୁ ଆସିଥିଲେ; କଳା, ସ୍ଥାପତ୍ୟ ତଥା ଧର୍ମ ଆଧାରରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ସେମାନଙ୍କ ପୃଷ୍ଠପୋଷକତାରେ ଓଡ଼ିଶାର ଧର୍ମ, ସଂସ୍କୃତି, କଳା, ସ୍ଥାପତ୍ୟ ଏବଂ ସର୍ବୋପରି ରାଜନୀତିର ଏକ ପ୍ରତୀକ ଭାବରେ ଜଗନ୍ନାଥଙ୍କର ଉତ୍‍ଥାନ ହେଲା । ଏକ ସ୍ଥାନୀୟ ସ୍ତରରୁ ରାଜ୍ୟ(ଓଡ଼ିଶା) ସ୍ତରକୁ ଜଗନ୍ନାଥଙ୍କୁ ଉନ୍ନୀତ କରି ଗଙ୍ଗମାନେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କଲେ । ସେମାନଙ୍କ ପତନ ପରେ ସୁଦ୍ଧା ଜଗନ୍ନାଥଙ୍କର ପ୍ରତିଷ୍ଠା ଆଉ ଊଣା ହେଲା ନାହିଁ ।

ଗଙ୍ଗବଂଶର ପତନ ପରେ ଓଡ଼ିଶାରେ ସୂର୍ଯ୍ୟବଂଶୀ ଗଜପତି ନାମରେ ଅନ୍ୟ ଏକ ଗୌରବମୟ ରାଜବଂଶର ଶାସନ ଆରମ୍ଭ ହେଲା । ଗଙ୍ଗ ସାମ୍ରାଜ୍ୟର ଭିତ୍ତି ଉପରେ ପ୍ରତିଷ୍ଠିତ ସୂର୍ଯ୍ୟବଂଶୀ ଶାସନକୁ ଇତିହାସରେ 'ଗଜପତି' ଶାସନ ବୋଲି ମଧ୍ୟ ଉଲ୍ଲେଖ କରାଯାଏ । ପ୍ରଥମେ ଗଙ୍ଗରାଜା ଚୋଡଗଙ୍ଗ ଦେବ 'ଗଜପତି' ଉପାଧି ଗ୍ରହଣ କରିଥିଲେ । ଗଙ୍ଗସେନାରେ ରହିଥିବା ବିଶାଳ ଗଜବାହିନୀକୁ ପରିପୁଷ୍ଟ କରିବା ସକାଶେ ଏହି ଉପାଧି ସହାୟକ ହେଲା । ଯୁଦ୍ଧରେ ବାରୁଦ ଓ କମାଣର ବ୍ୟବହାର ଆରମ୍ଭ ହେବା ପୂର୍ବରୁ ହସ୍ତୀର ବ୍ୟବହାର, ସେନାର ଶକ୍ତି ଓ ପରାକ୍ରମକୁ ପ୍ରଦର୍ଶନ କରୁଥିଲା । ଓଡ଼ିଶାରେ ହସ୍ତୀର ଉପଲବ୍ଧତାଯୋଗୁଁ, ସାମାଜିକ ପ୍ରତିଷ୍ଠାପାଇଁ ରାଜାମାନେ ସେନାରେ ଗଜବାହିନୀ ରଖୁଥିଲେ । ଗଙ୍ଗମାନେ 'ଗଜପତି' ଉପାଧି ଗ୍ରହଣ କରି ନିଜର ଶକ୍ତି ଓ ପ୍ରତିଷ୍ଠାକୁ ପ୍ରଦର୍ଶନ କଲେ । ସେହି ସମୟଠାରୁ ଆରମ୍ଭ ହୋଇଥିବା ଏହି ଉପାଧି ପରବର୍ତ୍ତୀ ସମୟରେ ଅର୍ଥାତ ସୂର୍ଯ୍ୟବଂଶୀ ଶାସନ କାଳରେ ଏବଂ ତା'ପରେ ଏକ ରାଜନୈତିକ ଅର୍ଥରେ ବ୍ୟବହୃତ ହେଲା । ଜଗନ୍ନାଥଙ୍କର ଆସ୍ଥାନ ରୂପେ ପ୍ରତିଷ୍ଠା ଲାଭ କରିଥିବା ପୁରୀ ଉପରେ ଯେଉଁ ରାଜାଙ୍କର ନିୟନ୍ତ୍ରଣ ରହିଲା, କେବଳ ସେହି ରାଜା 'ଗଜପତି' ଉପାଧି ବହନ କଲେ । ଏହାକୁ 'ସମ୍ରାଟ'ର ଏକ ସମାର୍ଥବୋଧକ ଶବ୍ଦ ରୂପେ ରାଜନୈତିକ ସ୍ୱୀକୃତି ମିଳିଲା । ଅନ୍ୟ ଶବ୍ଦରେ କହିଲେ, 'ଗଜପତି' ଉପାଧି ଉକ୍ତ ରାଜାଙ୍କୁ ମୋଟ ଓଡ଼ିଶାର ଶାସକ ତୁଲ୍ୟ ସମ୍ମାନ ପ୍ରଦାନ କଲା । ଯେମିତି ଜଗନ୍ନାଥ ଓଡ଼ିଶାର ରାଷ୍ଟ୍ରଦେବତା ରୂପେ ପ୍ରତିଷ୍ଠା ଲାଭ କରିଥିଲେ, ସେମିତି 'ଗଜପତି' ଓଡ଼ିଶାର ଶାସକ ଭାବରେ ମର୍ଯ୍ୟାଦା ପାଇଲେ । 'ଜଗନ୍ନାଥ' ଓ 'ଗଜପତି' ପରସ୍ପରପାଇଁ ଅନୁପୂରକ ହେବା ସହିତ ଓଡ଼ିଶାକୁ ଏକ ସାମାଜିକ ତଥା ରାଜନୈତିକ ଅସ୍ମିତା ଦେବାରେ ସହାୟକ ହେଲେ ।

କପିଳେନ୍ଦ୍ର ଦେବ (୧୪୩୫-୧୪୬୭)   ଗଜପତି ଶାସନର ପ୍ରତିଷ୍ଠାତା ଥିଲେ କପିଳେନ୍ଦ୍ର ଦେବ । ୧୪୩୫ ଖ୍ରୀଷ୍ଟାବ୍ଦରେ ସେ ଗଙ୍ଗବଂଶର ଚତୁର୍ଥ ଭାନୁଦେବଙ୍କ ପରେ ସିଂହାସନ ଆରୋହଣ କରି ସୂର୍ଯ୍ୟବଂଶର ପ୍ରତିଷ୍ଠା କରିଥିଲେ । ସମ୍ଭବତଃ କପିଳେନ୍ଦ୍ରଦେବ ଏକ ସାଧାରଣ ବଂଶଜ ଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଜାଗେଶ୍ୱର ଓ ମାତାଙ୍କ ନାମ ବେଲମା । ତାଙ୍କ ପୂର୍ବପୁରୁଷ ଦକ୍ଷିଣ ଓଡ଼ିଶାରୁ ଆସିଥିଲେ । ଗଙ୍ଗରାଜାଙ୍କ ସେନାବାହିନୀରେ କପିଳେନ୍ଦ୍ର ପ୍ରଥମେ 'ରାଉତ' ଓ ପରେ 'ନାୟକ' ପଦକୁ ଉନ୍ନୀତ ହୋଇଥିଲେ । ସୂର୍ଯ୍ୟବଂଶ ଶାସନ ପରେ ଲିଖିତ ମାଦଳାପାଞ୍ଜି ଅନୁଯାୟୀ, ଜଗନ୍ନାଥଙ୍କ ସ୍ୱପ୍ନାଦେଶ ପାଇ ଚତୁର୍ଥ ଭାନୁଦେବ ଦରିଦ୍ର ବାଳକ 'କପିଳ ରାଉତ'ଙ୍କୁ ପୋଷ୍ୟ ପୁତ୍ର ରୂପେ ଗ୍ରହଣ କରିଥିଲେ । ଗଙ୍ଗରାଜ ଅପୁତ୍ରକ ଥିବାରୁ ଉତ୍ତରାଧିକାରରେ କପିଳେନ୍ଦ୍ରଙ୍କୁ ରାଜସିଂହାସନ ପ୍ରାପ୍ତ ହେଲା ।

କପିଳେନ୍ଦ୍ରଙ୍କ ସିଂହାସନ ଆରୋହଣକୁ ଜଗନ୍ନାଥସମ୍ମତ ଅର୍ଥାତ୍‍ ଯୁକ୍ତିଯୁକ୍ତ ବୋଲି ଗ୍ରହଣ କରିନେବା ସକାଶେ ମାଦଳାପାଞ୍ଜିରେ କିମ୍ୱଦନ୍ତୀ ସୃଷ୍ଟି ହୋଇଥିବା ମନେହୁଏ । ଭାନୁଦେବ ଦୁର୍ବଳ ଥିଲେ ଏବଂ ବିଭିନ୍ନ ଯୁଦ୍ଧରେ ପରାଜୟ ବରଣ କଲା ପରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଇଥିଲା । ରାଜା ଭାନୁଦେବ ବିଦ୍ରୋହ ଦମନପାଇଁ ରାଜଧାନୀ ବାହାରକୁ ଯାଇଥିବା ଅବସରରେ ସେନାନାୟକ କପିଳେନ୍ଦ୍ର, ପାତ୍ର ମନ୍ତ୍ରୀଙ୍କ ସହଯୋଗରେ ସିଂହାସନ ଆରୋହଣ କଲେ ଏବଂ ରାଜା ହେବା ପରେ ଭାନୁଦେବଙ୍କୁ ରାଜଧାନୀକୁ ଫେରିବାକୁ ଦେଇ ନଥିଲେ । ଫଳରେ ଗଙ୍ଗବଂଶର ଶେଷ ରାଜା ସିଂହାସନରୁ ବଞ୍ଚିତ ହୋଇ ଗୁଡାରି କଟକ ନାମକ ସ୍ଥାନରେ ଶେଷ ସମୟ ଅତିବାହିତ କରିଥିଲେ । ଗଙ୍ଗବଂଶ ବିରୁଦ୍ଧରେ କପିଳେନ୍ଦ୍ରଙ୍କ ଶାନ୍ତିପୂର୍ଣ୍ଣ ବିଦ୍ରୋହର ପୁଷ୍ଟିପାଇଁ ଅନ୍ୟ ଏକ ତଥ୍ୟ ହେଲା ଯେ, ଗଙ୍ଗରାଜାଙ୍କ ପୋଷ୍ୟପୁତ୍ର ହୋଇଥିଲେ ତାଙ୍କୁ ଏକ ନୂତନ ରାଜବଂଶ ପ୍ରତିଷ୍ଠା କରିବାକୁ ପଡ଼ିନଥାନ୍ତା । କପିଳେନ୍ଦ୍ରଙ୍କୁ ସିଂହାସନ ଆରୋହଣରେ ଗଙ୍ଗଶାସନର କେତେକ ପ୍ରମୁଖ ଅଧିକାରୀ ଯଥା ମହାପାତ୍ର ଗୋପୀନାଥ, ଜଳେଶ୍ୱର ସେନା ନରେନ୍ଦ୍ର ଓ କାଶୀ ବିଦ୍ୟାଧର ସହଯୋଗ କରିଥିଲେ । ଏହା ଫଳରେ ଗଙ୍ଗରାଜାଙ୍କୁ ଗାଦିଚ୍ୟୁତ କରିବା କଷ୍ଟକର ହେଲା ନାହିଁ ।   ପଞ୍ଚଦଶ ଶତାବ୍ଦୀ ବେଳକୁ ଜଗନ୍ନାଥଙ୍କୁ ଓଡ଼ିଶାର ପ୍ରକୃତ ରାଜା ଓ ଗଙ୍ଗରାଜାଙ୍କୁ ତାଙ୍କ ଚଳନ୍ତି ସ୍ୱରୂପ ଭାବରେ ସ୍ୱୀକୃତି ମିଳିଥିଲା । କପିଳେନ୍ଦ୍ରଙ୍କ ରାଜତ୍ୱ ମଧ୍ୟ ଜଗନ୍ନାଥସମ୍ମତ ବୋଲି ଦର୍ଶାଇବାକୁ କିମ୍ୱଦନ୍ତୀମାନ ସୃଷ୍ଟି କରାଗଲା । ମାଦଳାପାଞ୍ଜି ହୁଏତ କପିଳେନ୍ଦ୍ରଙ୍କ ବହୁ ପରେ ଲେଖାହୋଇଥିଲା, ମାତ୍ର ତହିଁରେ ରହିଥିବା କିମ୍ୱଦନ୍ତୀଗୁଡ଼ିକ କପିଳେନ୍ଦ୍ରକାଳୀନ ବୋଲି ମନେହୁଏ । କିମ୍ୱଦନ୍ତୀ କପିଳେନ୍ଦ୍ରଙ୍କ ସିଂହାସନ ଆରୋହଣକୁ ଜଗନ୍ନାଥସମ୍ମତ ଭାବରେ ପ୍ରସ୍ତୁତ କରି ସୂର୍ଯ୍ୟବଂଶକୁ ଲୋକସମ୍ମତ କରିଦେଲା । ଏହା ସତ୍ତ୍ୱେ, ଆନ୍ତରିକ ବିରୋଧର ଆଶଙ୍କା ଏଡାଇବା ପାଇଁ ସିଂହାସନ ଆରୋହଣ ପରେ କପିଳେନ୍ଦ୍ର ଲୁଣ ଓ କଉଡି ଉପରୁ ଟିକସ ଛାଡ଼ କରିଥିଲେ । ଏହା ସତ୍ତ୍ୱେ କେତେକ ସାମନ୍ତ ରାଜା, ଯଥା-ଆଧୁନିକ କୋରାପୁଟ ଅଞ୍ଚଳରେ ରହିଥିବା ନନ୍ଦପୁର ରାଜା, ବିଶାଖାପାଟଣା ଅଞ୍ଚଳରେ ରହିଥିବା ପଞ୍ଚଧରିଆ ରାଜା ଏବଂ ମାଳ ଅଞ୍ଚଳର କେତେକ ରାଜା, କପିଳେନ୍ଦ୍ର ଦେବଙ୍କ ସିଂହାସନ ଆରୋହଣକୁ ସ୍ୱୀକାର କରି ନଥିଲେ । ଏହି ବିରୋଧୀମାନଙ୍କୁ ତାଗିଦ କରି ଲିଙ୍ଗରାଜ ମନ୍ଦିରରେ ଏକ ଶିଳାଲେଖରେ କୁହାଯାଇଥିଲା ଯେ, ବିରୋଧୀ ସାମନ୍ତ ରାଜାମାନେ ରାଜ୍ୟ ଶାସନ ପ୍ରତି ଧ୍ୟାନ ନ ଦେଇ ଯଦି ବିରୋଧ ଅବ୍ୟାହତ ରଖନ୍ତି, ସେମାନଙ୍କୁ ଗଜପତି ରାଜା ଗାଦିଚ୍ୟୁତ କରିବାକୁ ବାଧ୍ୟ ହେବେ । କପିଳେନ୍ଦ୍ରଙ୍କ ମନ୍ତ୍ରୀ ଗୋପୀନାଥ ମହାପାତ୍ର ଗୋପୀନାଥପୁର ଶାସନରେ (ଆଧୁନିକ ସାଲେପୁର ନିକଟରେ ଅବସ୍ଥିତ) ଏକ ଶିଳାଲେଖରେ କପିଳେନ୍ଦ୍ରଙ୍କୁ ମହାନ ସୂର୍ଯ୍ୟବଂଶୋଦ୍ଭବ ଓ ତାଙ୍କ ଶାସନକୁ ଜଗନ୍ନାଥସ୍ୱୀକୃତ ବୋଲି ଉଲ୍ଲେଖ କରିଛନ୍ତି । ଏହି ସବୁ ଦୃଷ୍ଟାନ୍ତରୁ ମନେହୁଏ ଯେ, କପିଳେନ୍ଦ୍ର ଗଙ୍ଗବଂଶକୁ ବିରୋଧ କରି ସିଂହାସନ ଆରୋହଣ କରିଥିଲେ, ଯାହା ଫଳରେ ତାଙ୍କୁ ଆନ୍ତରିକ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡିଥିଲା ।

ନିଜର ସ୍ଥିତିକୁ ସୁଦୃଢ଼ କଲା ପରେ କପିଳେନ୍ଦ୍ର ବହିଃଶତ୍ରୁମାନଙ୍କୁ ନିପାତ କରିବାକୁ ଆକ୍ରମଣାତ୍ମକ ନୀତି ଅବଲମ୍ୱନ କରିଥିଲେ । ପ୍ରଥମେ ଦକ୍ଷିଣରେ ସେ ସୀମାଞ୍ଚଳମ୍‍ରୁ ରେଡ୍ଡିମାନଙ୍କୁ ବିତାଡ଼ିତ କରିଥିଲେ । ସେହି ସମୟରେ ରାଜମହେନ୍ଦ୍ରୀର ରାଜନୈତିକ ଅବସ୍ଥା ଅନ୍ତରୀଣ ବିବାଦ ଓ ବାହାମନୀର ସୁଲତାନଙ୍କ ଆକ୍ରମଣ ଆଶଙ୍କାଯୋଗୁଁ ସଂକଟାପନ୍ନ ଥିଲା । ଏହାର ସୁଯୋଗ ନେଇ କପିଳେନ୍ଦ୍ର ବିଜୟନଗରର ରାଜା ଦ୍ୱିତୀୟ ଦେବରାୟଙ୍କୁ ପରାଜିତ କରି ରାଜମହେନ୍ଦ୍ରୀ ଅଧିକାର କଲେ । ୧୪୪୬ରେ ଦ୍ୱିତୀୟ ଦେବରାୟଙ୍କ ମୃତ୍ୟୁ ପରେ ବିଜୟନଗର ଅଧିକ ଦୁର୍ବଳ ହୋଇପଡ଼ିଲା । ବିଜୟନଗର ସାମ୍ରାଜ୍ୟର କର୍ତ୍ତୃତ୍ୱରେ ଥିବା ରାଜମହେନ୍ଦ୍ରୀର ରେଡ୍ଡି ରାଜା କପିଳେନ୍ଦ୍ରଙ୍କ ସହ ବିବାଦ ବେଳେ ବିଜୟନଗରରୁ କୌଣସି ସୈନ୍ୟ ସହାୟତା ପାଇଲେ ନାହିଁ । ଫଳରେ ୧୪୪୮ ପୂର୍ବରୁ ରାଜମହେନ୍ଦ୍ରୀ କପିଳେନ୍ଦ୍ରଙ୍କ ସମ୍ପୂର୍ଣ୍ଣ ଶାସନଭୁକ୍ତ ହେଲା । ଏହି ବିବାଦ ବେଳେ କପିଳେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ପୁତ୍ର ହମ୍ଭିର ଦେବ ସୈନ୍ୟ ପରିଚାଳନା କରିଥିଲେ ।

ସେତେବେଳେ ଦକ୍ଷିଣର ଅନ୍ୟ ଏକ ସାମନ୍ତରାଜ୍ୟ ଥିଲା କୋଣ୍ଡାବିଡୁ । ଏହା ବିଜୟନଗର ସାମ୍ରାଜ୍ୟର କର୍ତ୍ତୃତ୍ୱରେ ରହିଥିଲା । ଦ୍ୱିତୀୟ ଦେବରାଜଙ୍କ ମୃତ୍ୟୁ ପରେ ବିଜୟଗରର କର୍ତ୍ତୃତ୍ୱ କୋଣ୍ଡାବିଡୁ ଉପରୁ ହ୍ରାସ ପାଇଲା । ଏହାର ସୁଯୋଗ ନେଇ କପିଳେନ୍ଦ୍ର କୋଣ୍ଡାବିଡୁ ଅଧିକାର କଲେ । ୧୪୫୪ ମସିହାରେ ଖୋଦିତ ଏକ ଶିଳାଲେଖ ଅନୁଯାୟୀ, କପିଳେନ୍ଦ୍ରଙ୍କଦ୍ୱାରା ନିଯୁକ୍ତ ଗଣଦେବ ନାମକ ଜଣେ ଅଧିକାରୀ ସେଠାରେ ପରୀକ୍ଷ (ରାଜ୍ୟପାଳ) ଭାବରେ ସ୍ଥାପିତ ହୋଇଥିଲେ । କୋଣ୍ଡାବିଡୁକୁ ବାଦଦେଲେ ଆଦାଙ୍କି ଓ ବିନୁକୋଣ୍ଡା ସାମନ୍ତରାଜ୍ୟ ମଧ୍ୟ ତାଙ୍କ ଦାୟିତ୍ୱ ଅନ୍ତର୍ଭୁକ୍ତ ଥିଲା । ଅର୍ଥାତ୍‍ କପିଳେନ୍ଦ୍ରଦେବଙ୍କ ରାଜତ୍ୱ କାଳରେ କୃଷ୍ଣା-ଗୋଦାବରୀ ଉପତ୍ୟକା ଗଜପତି ଶାସନର ଅଧିକାରଭୁକ୍ତ ହେଲା ।

ତେଲେଙ୍ଗାନା ଅଧିକାର   ରାଜମହେନ୍ଦ୍ରୀ ଓ କୋଣ୍ଡାବିଡୁ ଅଧିକାର ପରେ ଗଜପତି ରାଜା ତେଲେଙ୍ଗାନା ପ୍ରତି ଦୃଷ୍ଟି ନିକ୍ଷେପ କଲେ । ସେତେବେଳେ ତେଲେଙ୍ଗାନା ବେଲ୍ଲମା ରାଜାଙ୍କ ଶାସନାଧୀନ ଥିଲା । ପଡ଼ୋଶୀ ବିଜୟନଗର ଓ ବାହାମନୀ ରାଜ୍ୟ ତୁଳନାରେ ଏହା କ୍ଷୁଦ୍ର ଥିବାରୁ ନିଜର ଅସ୍ତିତ୍ୱ ରକ୍ଷାପାଇଁ ବେଲ୍ଲମାମାନଙ୍କୁ କୂଟନୀତି ପ୍ରୟୋଗ କରିବାକୁ ପଡୁଥିଲା । ବିଜୟନଗରର ସାମନ୍ତ ରେଡ୍ଡି ମାନଙ୍କର ରାଜ୍ୟ ସହିତ ତେଲେଙ୍ଗାନାର ବରାବର ଶତ୍ରୁତା ଲାଗି ରହିଥିଲା । ସୁରକ୍ଷାପାଇଁ ବେଲ୍ଲମା ରାଜା ବାହାମନୀ ସୁଲତାନଙ୍କ ସାହାଯ୍ୟ ଲୋଡୁଥିଲେ । ପାରସ୍ପରିକ ରାଜନୈତିକ ସମ୍ୱନ୍ଧ ରକ୍ଷା ବେଳେ ଉଭୟ ରାଜ୍ୟ ମଧ୍ୟରେ ଧର୍ମ କେବେ ବି ବାଧକ ହୋଇନଥିଲା । ମାତ୍ର କିଛିକାଳ ପରେ ଉଭୟ ରାଜ୍ୟ ମଧ୍ୟରେ ବିବାଦ ହେଲା ଏବଂ ତେଲେଙ୍ଗାନା ରାଜା ବିଜୟନଗରର ସହଯୋଗ ନେଲେ । ପ୍ରତିକ୍ରିୟା ସ୍ୱରୂପ, ପ୍ରଥମେ ୧୪୨୫ରେ ଏବଂ ଦ୍ୱିତୀୟ ଥର ୧୪୩୫ରେ ବାହାମନୀ ସୁଲତାନ ସୈନ୍ୟ ଚାଳନା କରି ତେଲେଙ୍ଗାନା ଅଧିକାର କରିନେଲେ ।

ଓଡ଼ିଶାରେ ଗଜପତି ଶାସନର ଉଦୟ ପରେ ତେଲେଙ୍ଗାନା ରାଜା ବେଲମ୍ମା ମୁଖ୍ୟ ମଦୟଲିଙ୍ଗ କପିଳେନ୍ଦ୍ରଦେବଙ୍କ ସହ ସମ୍ୱନ୍ଧ ସ୍ଥାପନ କଲେ । ଏହା ସହିତ ସେ ବାହମନୀ ସୁଲତାନଙ୍କ ଶତ୍ରୁମାନଙ୍କୁ ବିଦ୍ରୋହ କରିବାକୁ ପ୍ରରୋଚିତ କଲେ । ଏଥିରେ ଉତ୍‍କ୍ଷିପ୍ତ ହୋଇ ସୁଲତାନ ମଦୟଲିଙ୍ଗଙ୍କ ଉପରେ ଦେବରକୋଣ୍ଡାଠାରେ ଆକ୍ରମଣ କଲେ । ମାତ୍ର ମଦୟଲିଙ୍ଗଙ୍କ ସମର୍ଥରେ ଗଜପତି ସେନା ପହଞ୍ଚିଯିବାରୁ ୧୪୫୮ରେ ବାହାମନୀ ସୁଲତାନ ଓ ଗଜପତି ସେନା ମଧ୍ୟରେ ଯୁଦ୍ଧହେଲା ଏବଂ ଯୁଦ୍ଧରେ କପିଳେନ୍ଦ୍ରଦେବ ଜୟଯୁକ୍ତ ହେଲେ । କପିଳେନ୍ଦ୍ରଦେବଙ୍କ ଯୁଦ୍ଧ ସଫଳତା ପଛରେ ବଡ଼ କାରଣ ଥିଲା, ତାଙ୍କ ବିଶାଳ ଗଜାରୋହୀ ସେନା । ଗଜପତିଙ୍କ ଜ୍ୟେଷ୍ଠପୁତ୍ର ହମ୍ଭିର ଦେବ ଦକ୍ଷତାର ସହିତ ଏହି ଯୁଦ୍ଧ ପରିଚାଳନା କରିଥିଲେ । ଦେବରକୋଣ୍ଡା ବିଜୟ ପରେ ହମ୍ଭିର ଦେବ ଓ୍ୱାରଙ୍ଗଲ ଦୁର୍ଗ ମଧ୍ୟ ଅଧିକାର କରିନେଲେ । ୧୪୫୮ରେ ଗଜପତି ରାଜା ଗୁଣ୍ଟୁର ଅବସ୍ଥାନ କାଳରେ ବେଲଜାଲାନି ଗ୍ରାମ ବ୍ରାହ୍ମଣମାନଙ୍କୁ ଦାନ କରିଥିଲେ । ଉକ୍ତ ଦାନ ଫଳକରେ ତାଙ୍କୁ 'ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର' ଭାବରେ ଉଲ୍ଲେଖ କରାଯାଇଛି । ଏଥିରୁ ମନେହୁଏ ଯେ, ଗୁଣ୍ଟୁର ବ୍ୟତୀତ ସେ ଆରା, ହାମ୍ପିି, ଦିଲ୍ଲୀ ଓ ଗୁଲବର୍ଗା ରାଜ୍ୟର ରାଜାମାନଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କରିଥିଲେ । ବିଜୟଗର ଅଭିଯାନ

  କପିଳେନ୍ଦ୍ରଦେବ ସିଂହାଚଳ, ରାଜମହେନ୍ଦ୍ରୀ ଓ କୋଣ୍ଡାବିଡୁ଼ ଆଦି କ୍ଷୁଦ୍ର ସାମନ୍ତରାଜ୍ୟଗୁଡ଼ିକୁ ନିଜ କର୍ତ୍ତୃତ୍ୱକୁ ଆଣିବା ପ୍ରକ୍ରିୟାରେ ବିଜୟନଗର ସାମ୍ରାଜ୍ୟର ସମ୍ମୁଖୀନ ହୋଇଥିଲେ । କାରଣ ଏହି ରାଜ୍ୟଗୁଡ଼ିକ ବିଜୟଗରର ସାମନ୍ତ ରାଜ୍ୟ ଥିଲେ । ଦ୍ୱିତୀୟ ଦେବରାୟଙ୍କ ମୃତ୍ୟୁ ପରେ ୧୪୪୬ରେ ମଲ୍ଲିକାର୍ଜ୍ଜୁନ ବିଜୟନଗର ସିଂହାସନ ଅଧିକାର କଲେ । ସେ ଜଣେ ଦୁର୍ବଳ ରାଜା ଥିଲେ । ଏହାର ସୁଯୋଗ ନେଇ କପିଳେନ୍ଦ୍ର ବିଜୟଗରର ଅନ୍ୟ ସାମନ୍ତ ରାଜ୍ୟଗୁଡ଼ିକୁ ମଧ୍ୟ ଜିଣିନେବାକୁ ପ୍ରୟାସ କଲେ । ଏଥିପାଇଁ ସମ୍ଭବତଃ ସେ ହୟପତି ନାମରେ ପରିଚିତ ବାହାମନୀ ସୁଲତାନଙ୍କ ସହ ବନ୍ଧୁତା କରିଥିଲେ । ବିଜୟନଗର ବିରୁଦ୍ଧରେ କପିଳେନ୍ଦ୍ରଙ୍କ ପ୍ରତିିନିଧି ଭାବରେ ତାଙ୍କ ପୁତ୍ର ହମ୍ଭିର ଦେବ ସୈନ୍ୟ ଚାଳନା କରି ବିଜୟ ପ୍ରାପ୍ତ ହେଲେ । ବିଜୟନଗରର ରାଜଧାନୀ ହାମ୍ପି ଅଧିକାର କରି ହମ୍ଭିର ଦେବ ବିଜୟନଗର ରାଜ୍ୟରୁ ଯଥୋଚିତ 'ଦେୟ' ଅସୁଲ କଲେ । ମାତ୍ର, ଗଙ୍ଗାଧର ରଚିତ ତତ୍‍କାଳୀନ କୃତି 'ଗଙ୍ଗାଦାସ ବିଳାସ ଚରିତଂ'ରେ ବିଜୟନଗର ହସ୍ତରୁ ହମ୍ଭିରଦେବ ପରାଜିତ ହୋଇଥିବା କଥା କୁହାଯାଇଛି । ସମ୍ଭବତଃ ହମ୍ଭିରଦେବ ପ୍ରଥମେ ଯୁଦ୍ଧ ଜୟ କଲେ ଓ ପରେ ପରାଜିତ ହେଲେ । କପିଳେନ୍ଦ୍ରଙ୍କ ବିଜୟଗର ଅଭିଯାନପାଇଁ ବାହାମନୀ ସୁଲତାନଙ୍କ ସହ ମେଣ୍ଟରୁ ମନେହୁଏ ଯେ ସେ ସମୟରେ ଧାର୍ମିକ ଆଧାରରେ ସାଧାରଣତଃ ଯୁଦ୍ଧ ସଂଘଟିତ ହେଉନଥିଲା । ଗୌରବ ପାଇବାଲାଗି ତଥା ଧନରତ୍ନ ଆହରଣ କରି ସ୍ୱ-ରାଜ୍ୟକୁ ସମୃଦ୍ଧ କରିବାଲାଗି ରାଜାମାନେ ପରସ୍ପର ମଧ୍ୟରେ ବିବାଦ କରୁଥିଲେ । ତେଣୁ ବାହାମନୀ ସୁଲତାନଙ୍କ ବିଜୟ ଅଭିଯାନକୁ ମୁସଲମାନ ଆକ୍ରମଣ ବା ବିଜୟ ନଗର ଉପରେ ଗଜପତିଙ୍କ ଆକ୍ରମଣକୁ ହିନ୍ଦୁ ଆକ୍ରମଣ ବୋଲି କହିବା ଉଚିତ ହେବ ନାହିଁ । ଗଜପତି ରାଜା ବାହାମନୀ ସୁଲତାନଙ୍କ ସହ ଆବଶ୍ୟକ ସ୍ଥଳେ ବନ୍ଧୁତା କରି ତଥା ରେଡ୍ଡି, ବିଜୟନଗର ଆଦି ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରି ଏହା ପ୍ରମାଣିତ କରିଛନ୍ତି । ଦକ୍ଷିଣ-ପୂର୍ବ ଭାରତରେ ଗଜପତି ଶାସନର ଉତ୍‍ଥାନ ପରେ ଦକ୍ଷିଣରେ ବିଜୟନଗର ଓ ବାହାମନୀ ରାଜ୍ୟ ଓ ଉତ୍ତରରେ ବଙ୍ଗର ଶାସନ ଏକାଧିପତ୍ୟ ଜାରି କରି ପାରିଲେ ନାହିଁ । ଅନ୍ୟପକ୍ଷରେ ଏକ ଶକ୍ତିଶାଳୀ ରାଜ୍ୟ ଭାବରେ ଓଡ଼ିଶାର ଉଦୟଯୋଗୁଁ ଓଡ଼ିଶା ସ୍ତରରେ ଏକ ସାଂସ୍କୃତିକ, ସାମାଜିକ ଓ ରାଜନୈତିକ ପରିଚୟର ବିକାଶ ହେଲା । ଏହି କାଳାଂଶରେ ଏକ ଶକ୍ତିଶାଳୀ ରାଜ୍ୟ ରୂପେ ଓଡ଼ିଶାର ପରିଚୟ ଥିଲା ବୋଲି ପରବର୍ତ୍ତୀ ସମୟରେ ଓଡ଼ିଶାର ଜାତୀୟ ଅସ୍ମିତା ଅନୁସନ୍ଧାନ କଷ୍ଟକର ହେଲା ନାହିଁ ।

ବଙ୍ଗ ବିଜୟ   ୧୪୪୭ର ଏକ ଶିଳାଲେଖରେ କପିଳେନ୍ଦ୍ରଙ୍କୁ 'ଗୌଡେ଼ଶ୍ୱର' ବୋଲି ଉଲ୍ଲେଖ କରାଯାଇଛି । ଏହି ଆଧାରରେ କୁହାଯାଏ ଯେ, ସେ ବଙ୍ଗର ସୁଲତାନଙ୍କୁ ମଧ୍ୟ ଯୁଦ୍ଧରେ ପରାଜିତ କରିଥିଲେ । ବଙ୍ଗରେ ସେତେବେଳେ (୧୪୪୨-୧୪୫୯) ସୁଲତାନ ଥିଲେ ନାସିରୁଦ୍ଦିନ । ଜଗନ୍ନାଥ ମନ୍ଦିରର ଏକ ଶିଳାଲେଖରୁ ଜଣାଯାଏ ସେ 'ମାଲିକା ପାରିସା' ବା 'ମାଲିକା ପରିସା' (ମାଲିକ ପାଦଶାହ) ଅର୍ଥାତ୍‍ ଗୌଡ଼ର ନବାବଙ୍କ ସହିତ ଯୁଦ୍ଧ କରିଥିଲେ । ମାତ୍ର କପିଳେନ୍ଦ୍ରଙ୍କ ବଙ୍ଗ ବିଜୟକୁ ପୁଷ୍ଟ କରିବାପାଇଁ ଅନ୍ୟ କୌଣସି ଐତିହାସିକ ତଥ୍ୟ ପ୍ରମାଣ ଏ ପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ ।   ଯଦିଓ କପିଳେନ୍ଦ୍ର ଦେବ ଏକ ବିଶାଳ ରାଜ୍ୟ ଗଠନ କରିଥିଲେ ଏବଂ ଅନେକ ଯୁଦ୍ଧ ଜୟ କରିଥିଲେ, ବିଜିତ ରାଜ୍ୟଗୁଡ଼ିକୁ ସେ ଅଧିକ କାଳ ନିଜ କର୍ତ୍ତୃତ୍ୱାଧୀନ ରଖି ପାରିନଥିଲେ । ବିଜିତ ରାଜାମାନେ ବାର୍ଷିକ ଦେୟ ମାତ୍ର ଦେଇ ଗଜପତି ରାଜ୍ୟର ବଶ୍ୟତା ସ୍ୱୀକାର କରିଥିଲେ । କପିଳେନ୍ଦ୍ରଙ୍କ ସେନାର ବଡ଼ ଶକ୍ତି ହେଲା ତାଙ୍କ ବିଶାଳ ଗଜାରୋହୀ ସେନା । ସମ୍ମୁଖ ସମରରେ ବିଶାଳ ଗଜବାହିନୀ ଶତ୍ରୁ ପ୍ରାଣରେ ଭୟ ସୃଷ୍ଟି କରୁଥିଲା । କମାଣ ଓ ବାରୁଦର ବ୍ୟବହାର ପୂର୍ବରୁ ଯୁଦ୍ଧରେ ହସ୍ତୀବାହିନୀ ରାଜାଙ୍କର ପରାକ୍ରମକୁ ଦର୍ଶାଉଥିଲା । ସମ୍ଭବତଃ, ଅନେକ ବିଜିତ ରାଜ୍ୟରେ ଗଜପତିଙ୍କ ପ୍ରତ୍ୟକ୍ଷ ଶାସନ ନଥିଲା । ଫଳରେ କପିଳେନ୍ଦ୍ରଙ୍କ ବୃଦ୍ଧାବସ୍ଥାରେ ହିଁ ବହୁ ରାଜ୍ୟ ଗଜପତି ନିୟନ୍ତ୍ରଣରୁ ବାହାରି ଯାଇଥିଲେ । କପିଳେନ୍ଦ୍ରଙ୍କ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ବିଶାଳ ରାଜ୍ୟ ଅତୁଟ ରହି ପାରି ନଥିଲା । ଶେଷରେ, ୧୪୬୬ରେ ସେ ପୁରୀରେ ଅବସ୍ଥାନ କରିବା ସମୟରେ ରାଜ୍ୟର ତେଲଙ୍ଗା ସାମନ୍ତ ରାଜାମାନେ ଗଜପତି ରାଜ୍ୟରୁ ପୃଥକ ହୋଇ ସ୍ୱାଧୀନତା ଘୋଷଣା କଲେ । ଏଥିରେ ବିଚଳିତ ହୋଇ କପିଳେନ୍ଦ୍ର, ସାନପୁଅ ପୁରୁଷୋତ୍ତମ ଦେବଙ୍କୁ ସାଙ୍ଗରେ ନେଇ ଦାକ୍ଷିଣାତ୍ୟ ଅଭିଯାନରେ ବାହାରିଲେ । ପରିଣତ ବୟସରେ ଭଗ୍ନସ୍ୱାସ୍ଥ୍ୟ ଓ ବିଚଳିତ ମନଯୋଗୁଁ ଶେଷରେ ୧୪୬୭ରେ ସେ କୃଷ୍ଣାନଦୀ କୂଳରେ ପୁରୁଷୋତ୍ତମ ଦେବଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରି ପ୍ରାଣତ୍ୟାଗ କଲେ ।

ମଧ୍ୟକାଳୀନ ଓଡ଼ିଶା ଇତିହାସରେ କପିଳେନ୍ଦ୍ରଦେବ ହେଉଛନ୍ତି ସବୁଠାରୁ ଅଧିକ ପରାକ୍ରମଶାଳୀ ରାଜା । ତତ୍‍କାଳୀନ ପୂର୍ବ ଓ ଦକ୍ଷିଣ ଭାରତର ଶକ୍ତିଶାଳୀ ବାହାମନୀ ସୁଲତାନ ନାସିରଉଦ୍ଦିନ୍ ହୁମାୟୁନ ଶାହ, ସାଲୁଭ ବା ସାଲ୍ୱ ନରସିଂହ ଓ ବିଜୟନଗର ସମ୍ରାଟ ମଲ୍ଲିକାର୍ଜୁନଙ୍କ ତୁଳନାରେ ସେ କମ୍‍ ଶକ୍ତିବାନ ନଥିଲେ । ସେମାନଙ୍କ ସହ ଯୁଦ୍ଧ କରି ସେ ଓଡ଼ିଶାକୁ ଏକ ବିଖ୍ୟାତ ରାଜ୍ୟର ସମ୍ମାନ ଦେଇଥିଲେ । ତାଙ୍କ ସମୟରେ ଓଡ଼ିଶା ସାମ୍ରାଜ୍ୟ ଦକ୍ଷିଣରେ କର୍ଣ୍ଣାଟକ ଏବଂ ପୂର୍ବରେ ବଙ୍ଗ ଯାଏ ବ୍ୟାପିଥିଲା । ଏକ ସାଧାରଣ ପରିବାରରେ ଜନ୍ମ ହୋଇ ତୀକ୍ଷ୍‍ଣ ବୁଦ୍ଧି, ସାହସ ଓ ନିଷ୍ଠା ବଳରେ ସେ ଏକ ନୂତନ ସାମ୍ରାଜ୍ୟ ଗଠନ କରିବାରେ ସଫଳ ହୋଇଥିଲେ । ଏହି ଗୌରବ ପାଇଁ ତାଙ୍କୁ ମୌର୍ଯ୍ୟସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସହ ତୁଳନା କରିହେବ । ରାଜ୍ୟ ବିସ୍ତାରପାଇଁ କେତେବେଳେ ସେ ଧର୍ମ ଆଧାରରେ ପଡ଼ୋଶୀ ରାଜ୍ୟ ସହ ମେଣ୍ଟ କରିଥିଲେ ତ ଆଉ କେବେ ଧାର୍ମିକ ଆଧାରକୁ ଅଣଦେଖା କରି ସୁଲତାନଙ୍କ ସହ ବନ୍ଧୁତା କରିଥିଲେ । ସମ୍ଭବତଃ ଧର୍ମ ଅପେକ୍ଷା ଓଡ଼ିଆଜାତି ପରିଚୟ ତାଙ୍କପାଇଁ ଅଧିକ ମହତ୍ତ୍ୱ ରଖୁଥିଲା । ଗଙ୍ଗସମୟରୁ ଆରମ୍ଭ ହୋଇଥିଲେ ସୁଦ୍ଧା କପିଳେନ୍ଦ୍ରଙ୍କ ସମୟରେ 'ଗଜପତି' ଏକ ରାଜନୈତିକ ଉପାଧିର ସମ୍ମାନ ଲାଭ କଲା ଏବଂ ଗଜପତି ଉପାଧିଧାରୀ ରାଜା ଓଡ଼ିଶାର ଅନ୍ୟ ରାଜାମାନଙ୍କଠାରୁ ଶ୍ରେଷ୍ଠ ମାନ୍ୟତା ପାଇଲେ । କପିଳେନ୍ଦ୍ରଦେବଙ୍କ ସମୟରେ ଓଡ଼ିଆ ଭାଷା ଓ ସାହିତ୍ୟରେ ଏକ ନବ ଯୁଗ ଆରମ୍ଭ ହେଲା । ସାରଳା ଦାସଙ୍କ ଓଡ଼ିଆ 'ମହାଭାରତ' ଏହି ସମୟର ସୃଷ୍ଟି । ମଧ୍ୟକାଳୀନ ଓଡ଼ିଶାର ସମାଜ ଓ ସାହିତ୍ୟରେ ଯେଉଁ ଭକ୍ତି ଯୁଗର ପ୍ରବର୍ତ୍ତନ ହେଲା ତଥା ସଂସ୍କୃତ ଭାଷା ବଦଳରେ ଓଡ଼ିଆ ଭାଷାର ବିକାଶ ହେଲା, ତାହାର ଭିତ୍ତି କପିଳେନ୍ଦ୍ରଦେବଙ୍କ ସମୟରେ ପଡିଥିଲା ବୋଲି କହିଲେ ବୋଧହୁଏ ଭୁଲ ହେବନାହିଁ ।

ପୁରୁଷୋତ୍ତମ ଦେବ (୧୪୬୭-୧୪୯୭)   କପିଳେନ୍ଦ୍ରଦେବଙ୍କ ପରେ ସିଂହାସନ ଆରୋହଣ କରିଥିବା ପୁରୁଷାତ୍ତମଦେବ ସମ୍ଭବତଃ ଜ୍ୟେଷ୍ଠ ରାଜକୁମାର ନ ଥିଲେ । ଜ୍ୟେଷ୍ଠପୁତ୍ର ତଥା ଦକ୍ଷିଣ ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ହମ୍ଭିରଦେବଙ୍କ ଦାବିକୁ ଅବହେଳା କରି ସମ୍ଭବତଃ କପିଳେନ୍ଦ୍ରଦେବ ଅନ୍ୟ ପୁତ୍ର ପୁରୁଷୋତ୍ତମଦେବଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରିଥିଲେ । ହମ୍ଭିରଦେବ ଏଥିରେ କ୍ଷୁବ୍ଧ ହୋଇ ବିଦ୍ରୋହ କରିଥିଲେ । ବାମଣ୍ଡା ରାଜ୍ୟରୁ ପ୍ରାପ୍ତ 'ରାଜବଂଶାବଳୀ' ଅନୁଯାୟୀ ପୁରୁଷୋତ୍ତମ ଥିଲେ କପିଳେନ୍ଦ୍ରଦେବଙ୍କ ଜଣେ ରକ୍ଷିତାଙ୍କ ପୁତ୍ର । ପୁରୁଷୋତ୍ତମଦେବଙ୍କ ମାତାଙ୍କ ପ୍ରରୋଚନାରେ କପିଳେନ୍ଦ୍ରଦେବ ରୀତି ଭାଙ୍ଗି ଜ୍ୟେଷ୍ଠ ପୁତ୍ର ହମ୍ଭିରଦେବଙ୍କ ସ୍ଥାନରେ ପୁରୁଷୋତ୍ତମଦେବଙ୍କୁ ଉତ୍ତରାଧିକାରୀ ମନୋନୀତ କରିଥିଲେ । ଏକ କିମ୍ୱଦନ୍ତୀ ଅନୁଯାୟୀ ଜଗନ୍ନାଥ କପିଳେନ୍ଦ୍ରଦେବଙ୍କୁ ସ୍ୱପ୍ନାଦେଶ ଦେଇ ପୁରୁଷୋତ୍ତମଦେବଙ୍କୁ ଉତ୍ତରାଧିକାରୀ ଘୋଷଣା କରିବାକୁ କହିଥିଲେ । ଜ୍ୟେଷ୍ଠପୁତ୍ର ହମ୍ଭିରଦେବଙ୍କ ସ୍ଥାନରେ ପୁରୁଷୋତ୍ତମଦେବଙ୍କ ରାଜପଦ ପ୍ରାପ୍ତିକୁ 'ନ୍ୟାୟ ସଙ୍ଗତ' ବୋଲି ଧାରଣା ଦେବାକୁ କିମ୍ୱଦନ୍ତୀର ସୃଷ୍ଟି ହୋଇଥିବା କୁହାଯାଏ । ରାଜପଦ ଲାଭ କରିବା ପରେ ପୁରୁଷୋତ୍ତମଦେବ ବ୍ରାହ୍ମଣମାନଙ୍କ ଉପରୁ ଚୌକିଦାରୀ କର ଛାଡ କରିଥିଲେ ଏବଂ ପୂର୍ବରୁ ପ୍ରଚଳିତ ଭୂମିଦାନ ବ୍ୟବସ୍ଥାକୁ ବଳବତ୍ତର କରିଥିଲେ । ଏହା ଫଳରେ ତାଙ୍କୁ ବିଶେଷ ଅନ୍ତରୀଣ କଳହର ସମ୍ମୁଖୀନ ହେବାକୁ ପଡ଼ିନଥିଲା । ଏହା ତାଙ୍କୁ ରାଜ୍ୟ ଜୟପାଇଁ ସୁଯୋଗ ପ୍ରଦାନ କରିଥିଲା ।

ସିଂହାସନ ଆରୋହଣ କଲା ପରେ ପୁରୁଷୋତ୍ତମଦେବଙ୍କ ପାଇଁ ସବୁଠାରୁ ଅଧିକ କାଳ ହେଲା ହମ୍ଭିରଦେବଙ୍କ ବିଦ୍ରୋହ । ପ୍ରଥମେ ହମ୍ଭିରଦେବ ଦୀର୍ଘ ଦୁଇ ବର୍ଷ କାଳ ପିତା କପିଳେନ୍ଦ୍ରଦେବଙ୍କ ବିରୁଦ୍ଧରେ ସଂଗ୍ରାମ କରିଥିଲେ । ମାତ୍ର ଏଥିରେ ତାଙ୍କୁ ବିଶେଷ ସଫଳତା ମିଳି ନଥିଲା । ଜଗନ୍ନାଥଙ୍କ ସ୍ୱୀକୃତି ନାଁରେ ପୁରୁଷୋତ୍ତମଦେବ ମଧ୍ୟ ବ୍ରାହ୍ମଣମାନଙ୍କଠାରୁ ନିରନ୍ତର ସହଯୋଗ ଲାଭ କଲେ । ପୁଣି ଗଜପତିମାନଙ୍କ ବିଶାଳ ସେନା ତାଙ୍କ ନିୟନ୍ତ୍ରଣରେ ରହିଥିଲା । ହମ୍ଭିରଦେବ ଶେଷରେ ବାହାମନୀ ସୁଲତାନଙ୍କ ସହଯୋଗ ନେଇ ପୁରୁଷୋତ୍ତମଦେବଙ୍କୁ ପରାସ୍ତ କଲେ । ଫଳରେ ୧୪୭୨ରେ ହମ୍ଭିରଦେବ ରାଜା ହେଲେ । ସୁଲତାନଙ୍କ ସହଯୋଗର ପ୍ରତିଦାନରେ ହମ୍ଭିରଦେବ ବାହାମନୀର ସାମନ୍ତ ପଦବୀ ଗ୍ରହଣ କଲେ ଏବଂ ରାଜମହେନ୍ଦ୍ରୀ ଓ କୋଣ୍ଡାପଲ୍ଲୀ କ୍ଷେତ୍ରକୁ ସୁଲତାନଙ୍କ ହାତରେ ସମର୍ପଣ କଲେ । ସେତେବେଳେ ମାଲିକ ହୁସେନ ଥିଲେ ବାହାମନୀର ସେନାନାୟକ, ଯିଏ ହମ୍ଭିରଙ୍କୁ ଗଜପତି ଆସନରେ ବସାଇବା ଲାଗି ପୁରୁଷୋତ୍ତମଦେବଙ୍କୁ ପରାଜିତ କରିଥିଲେ । ଏହି ଘଟଣାର ଚାରିବର୍ଷ ପରେ ୧୪୭୬ରେ ପୁରୁଷୋତ୍ତମଦେବ ଯୁଦ୍ଧରେ ହମ୍ଭିରଙ୍କୁ ପରାଜିତ କରି ପୁନର୍ବାର ଗଜପତି ସିଂହାସନ ଆରୋହଣ କଲେ । ପୁରୁଷୋତ୍ତମଙ୍କୁ ଏହି ଯୁଦ୍ଧରେ କେତେକ ଓଡ଼ିଶା ରାଜା ସମର୍ଥନ ଦେଇଥିବା ବେଳେ, ହମ୍ଭିରଦେବ ବାହାମନୀର ସମର୍ଥନରୁ ବଞ୍ଚିତ ହେଲେ । ପରାଜୟ ପରେ ହମ୍ଭିରଙ୍କର ପୁରୁଷୋତ୍ତମଦେବଙ୍କ ସହ ବୁଝାମଣା ହେଲା । ଗଞ୍ଜାମର ଖିମଡ଼ିରେ ସାମନ୍ତ ରାଜପଦବୀ ପାଇ ହମ୍ଭିରଦେବ ସନ୍ତୁଷ୍ଟ ରହିଲେ । ଏହି କାରଣରୁ ଖିମଡ଼ି ରାଜାମାନେ ମଧ୍ୟ ଗଜପତି ଉପାଧି ବହନ କରୁଥିଲେ ଏବଂ ପୁରୀ ଅଧିକାରପାଇଁ ପରବର୍ତ୍ତୀ ସମୟରେ ପୁରୀ ଗଜପତିଙ୍କ ସହ କଳହ ମଧ୍ୟ କରିଥିଲେ ।   ପୁରୁଷୋତ୍ତମଙ୍କୁ ଅନ୍ୟ ଯେଉଁ ଏକ ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସେ ଥିଲେ ବିଜୟନଗର ସାମ୍ରାଜ୍ୟର ଶାସକ ସାଲ୍ୱ ନରସିଂହ । କପିଳେନ୍ଦ୍ରଦେବଙ୍କ ମୃତ୍ୟୁ ପରେ ଗଜପତି ଶାସନ ଅନ୍ତର୍ବିବାଦରେ ଲିପ୍ତ ହେବା ଦେଖି ସେ ଦକ୍ଷିଣରୁ ଗଜପତି ଶାସନକୁ ବିତାଡ଼ିତ କରିବାକୁ ଲାଗିଲେ । ତାଙ୍କର ପ୍ରତିଯୋଗିତା ଉଭୟ ଗଜପତି ରାଜା ଓ ବାହାମନୀ ସୁଲତାନଙ୍କ ସହ ଲାଗିଥିଲା । ହମ୍ଭିର ଦେବଙ୍କ ସହ ମେଣ୍ଟ କରି ବାହାମନୀ ସୁଲତାନ ଗଜପତି ସେନାକୁ ପରାଜିତ କଲେ ଏବଂ ରାଜମହେନ୍ଦ୍ରୀ ଅଧିକାର କରିନେଲେ । ସେତେବେଳେ ସାଲ୍ୱ ନରସିଂହ ଗଜପତି ରାଜ୍ୟରୁ କୃଷ୍ଣା-ଗଜପତି କ୍ଷେତ୍ର ଅଧିକାର କରିବାକୁ ଉଦ୍ୟମ କରୁଥିଲେ । ଧର୍ମ ଆଧାରରେ ସେ ଗଜପତି ପୁରୁଷୋତ୍ତମଙ୍କ ସହ ମେଣ୍ଟ କରିଥିଲେ । ଏଥିରୁ ମଧ୍ୟ ମନେହୁଏ ଯେ, ମଧ୍ୟ-ଯୁଗରେ ରାଜନୀତିକ ନିଷ୍ପତ୍ତି ଧର୍ମ ଆଧାରରେ ନିଆଯାଉ ନଥିଲା । ବିଜୟନଗର ରାଜ୍ୟ କ୍ରମାଗତ ଅବକ୍ଷୟର ଶିକାର ହେବାରୁ ସାଲ୍ୱ ନରସିଂହ ନିଜକୁ କର୍ଣ୍ଣାଟକର ସ୍ୱାଧୀନ ରାଜା ଘୋଷଣା କଲେ । ପୁରୁଷୋତ୍ତମ ତାଙ୍କ ବିରୋଧରେ ସେନାପ୍ରେରଣ କରି କର୍ଣ୍ଣାଟକର ଉଦୟଗିରି (କିମ୍ୱଦନ୍ତୀର କାଞ୍ଚି) ଅଧିକାର କରିନେଲେ । ୧୪୯୦ରେ ସାଲ୍ୱ ନରସିଂହଙ୍କ ମୃତ୍ୟୁ ପରେ ଓଡ଼ିଶାର ଦକ୍ଷିଣରେ ବିଜୟନଗର କର୍ତ୍ତୃତ୍ୱରେ ରହିଥିବା ସାମନ୍ତ ରାଜ୍ୟମାନ ଦୁର୍ବଳ ହୋଇପଡ଼ିଲେ । ସେଗୁଡିକୁ ନିଜ ରାଜ୍ୟରେ ଯୋଡ଼ିଦେବାକୁ ପୁରୁଷୋତ୍ତମ ଯଥୋଚିତ ପ୍ରୟାସ କଲେ । କେତେକ ଐତିହାସିକଙ୍କ ମତରେ, ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ମଧ୍ୟ ୧୫୧୩ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଉଦୟଗିରି ରାଜ୍ୟ ଗଜପତି ଶାସନର ଅଧିକାରଭୁକ୍ତ ହୋଇ ରହିଥିଲା ।

ଓଡ଼ିଶାର କିମ୍ୱଦନ୍ତୀରେ ସାଲ୍ୱ ନରସିଂହ କାଞ୍ଚି ରାଜା ରୂପେ ପରିଚିତ । ପୁରୁଷୋତ୍ତମ ଦେବ କାଞ୍ଚି ଅଭିଯାନ କରି ପ୍ରଥମେ ପରାଜିତ ହେବା ଏବଂ ଦ୍ୱିତୀୟଥର ବିଜୟୀ ହେବା କଥା କିମ୍ୱଦନ୍ତୀରେ ଉଲ୍ଲେଖ ଅଛି । ଜନ ସ୍ୱୀକୃତି ପାଇବା ସାଙ୍ଗକୁ ସେନାବାହିନୀକୁ ଯୁଦ୍ଧପାଇଁ ପ୍ରରୋଚିତ କରିବା ଏହି କିମ୍ୱଦନ୍ତୀର ଉଦ୍ଦେଶ୍ୟ । କିମ୍ୱଦନ୍ତୀ ଅନୁଯାୟୀ ଜଗନ୍ନାଥ ଯୁଦ୍ଧରେ ଗଜପତିଙ୍କପାଇଁ ସଂଗ୍ରାମ କରିଥିଲେ । ଏଥିରୁ ମନେହୁଏ ଯେ, ଗଜପତି ଶାସନ ସମୟରେ ଜଗନ୍ନାଥ ଓ ପୁରୀ ଗଜପତିଙ୍କ ମଧ୍ୟରେ ଏକ ଅନୁରୂପକତା ସୃଷ୍ଟି ହୋଇସାରିଥିଲା । ଜଗନ୍ନାଥ ପୁରୀ ରାଜାଙ୍କ ପ୍ରତିରକ୍ଷା ପାଇଁ ହିନ୍ଦୁ ଧର୍ମାବଲମ୍ୱୀ ସମକାଳୀନ ଅନ୍ୟ ଅଣ-ଓଡ଼ିଶା ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ସୁଦ୍ଧା କୁଣ୍ଠିତ ନଥିଲେ । ଏଥିରୁ କିମ୍ୱଦନ୍ତୀ ପଛରେ ରହିଥିବା ରାଜନୈତିକ ଉଦ୍ଦେଶ୍ୟକୁ ବୁଝି ହୁଏ ।   ଉଦୟଗିରି ବା କାଞ୍ଚି ବିଜୟ ପରେ ପୁରୁଷୋତ୍ତମ ସାଲ୍ୱ ନରସିଂହଙ୍କ କନ୍ୟା ପଦ୍ମାବତୀଙ୍କ ସହ ବିବାହ କରିଥିଲେ ବୋଲି ପ୍ରବାଦ ରହିଛି । କୁହାଯାଏ, ପୁରୁଷୋତ୍ତମଙ୍କ ଉତ୍ତରାଧିକାରୀ ପ୍ରତାପରୁଦ୍ର ଦେବ ଥିଲେ ରାଣୀ ପଦ୍ମାବତୀଙ୍କ ପୁତ୍ର ।

ପ୍ରତାପରୁଦ୍ର ଦେବ (୧୪୯୭-୧୫୩୮)   ୧୪୯୭ରେ ଗଜପତି ପୁରୁଷୋତ୍ତମଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ପ୍ରତାପରୁଦ୍ର ଦେବ ସିଂହାସନ ଆରୋହଣ କଲେ । ତାଙ୍କ ସମୟରେ ଓଡ଼ିଶାର ରାଜ୍ୟ ବିସ୍ତାର ହୋଇ ପାରିନଥିଲା । ବରଂ ଉତ୍ତର ବଙ୍ଗର ନବାବ, ଦକ୍ଷିଣରେ ବିଜୟନଗର ଓ ଗୋଲକୁଣ୍ଡା ଶାସକଙ୍କ ଆକ୍ରମଣ ଯୋଗୁଁ ଗଜପତି ରାଜ୍ୟ କ୍ଷୟ ହେବାରେ ଲାଗିଲା । ସେହି ଦୃଷ୍ଟିରୁ ଦେଖିଲେ ପ୍ରତାପରୁଦ୍ରଙ୍କ ସମୟରେ ଓଡ଼ିଶା ବହୁ ବହିରାକ୍ରମଣର ଶିକାର ହୋଇ କ୍ରମଶଃ ଦୁର୍ବଳ ହୋଇପଡିଲା ।

ପ୍ରତାପରୁଦ୍ରଙ୍କ ସିଂହାସନ ଆରୋହଣ ପୂର୍ବରୁ ୧୪୯୦ରେ ସାଲ୍ୱ ନରସିଂହଙ୍କର ଦେହାନ୍ତ ହୋଇ ସାରିଥିଲା । ସାଲ୍ୱ ନରସିଂହଙ୍କ ପରେ ନରସ ନାୟକ, ବିଜୟନଗରର ନାବାଳକ ରାଜା ଇମାଦି ନରସିଂହଙ୍କ ଅଭିଭାବକ ଭାବରେ ରାଜ୍ୟ ପରିଚାଳନା କଲେ । ତାଙ୍କର ଉଦ୍ୟମ ସତ୍ତ୍ୱେ ଅନ୍ତତଃ ୧୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଉଦୟଗିରି ଓ କୋଣ୍ଡାବିଡ଼ୁ ଗଜପତି ଶାସନଭୁକ୍ତ ହୋଇ ରହିଥିଲା । ଅନ୍ୟ ପକ୍ଷରେ ନରସ ନାୟକ ଶକ୍ତିଶାଳୀ ଥିଲେ ବୋଲି ବିଜୟନଗର କୌଣସି କ୍ଷେତ୍ର ହରାଇ ନଥିଲା । ୧୫୦୩ରେ ନରସ ନାୟକଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ବୀର ନରସିଂହ ସାଲ୍ୱ ରାଜା ଇମାଦି ନରସିଂହଙ୍କୁ ହତ୍ୟା କରି ସିଂହାସନ ଆରୋହଣ କଲେ । ତାଙ୍କ ତାଲ୍ୱ ବା ତାଲୁଭ ବଂଶ ଏଣିକି ବିଜୟନଗରର ନୂଆ ରାଜବଂଶ ହେଲା । ବିଜୟନଗର ରାଜ୍ୟରେ ରାଜନୈତିକ କଳହ ଚାଲିଥିବା ବେଳେ ତା'ର ସୁଯୋଗ ନେଇ ପ୍ରତାପରୁଦ୍ର ପୂର୍ବରୁ ହରାଇଥିବା ତାମିଲ କ୍ଷେତ୍ରଗୁଡ଼ିକୁ ୧୫୦୯ରେ ଜୟ କରିବାକୁ ଚେଷ୍ଟା କଲେ । ମାତ୍ର ଏଥିରେ ତାଙ୍କୁ ସଫଳତା ମିଳିପାରିଲା ନାହିଁ ।

ସଫଳତା ନ ମିଳିବା ପଛରେ ଏକ ପ୍ରମୁଖ କାରଣ ହେଲା ବଙ୍ଗର ନବାବ ହୁସେନ ଶାହଙ୍କ ଓଡ଼ିଶା ଆକ୍ରମଣ । ମାଦଳାପାଞ୍ଜି ଅନୁଯାୟୀ ହୁସେନ ଶାହ ପୁରୀ ଜଗନ୍ନାଥ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରି ମୂର୍ତ୍ତିିଗୁଡ଼ିକୁ ଭାଙ୍ଗି ପକାଇଥିଲେ । ବଙ୍ଗର ନବାବଙ୍କ ଆକ୍ରମଣ ଖବର ପାଇ ପ୍ରତାପରୁଦ୍ରଦେବ ଦକ୍ଷିଣରୁ ଓଡ଼ିଶାକୁ ଫେରି ଆସିଲେ ଏବଂ ହୁସେନ୍‍ଙ୍କ ଆକ୍ରମଣକାରୀ ସେନାକୁ ଘଉଡାଇ ଦେଇଥିଲେ । ମାତ୍ର ତାଙ୍କ ସେନାପତି ଗୋବିନ୍ଦ ବିଦ୍ୟାଧରଙ୍କ ବିଶ୍ୱାସଘାତକତାଯୋଗୁଁ ଗଜପତି ସେନା ଆଗକୁ ବଢ଼ି ପାରିଲେ ନାହିଁ ।

ଗଜପତିଙ୍କ ଅନ୍ୟ ପ୍ରମୁଖ ପ୍ରତିଯୋଗୀ ଥିଲେ ବିଜୟନଗରର ରାଜା କୃଷ୍ଣଦେବ ରାୟ । ୧୫୧୦ରେ ସେ ସିଂହାସନ ଆରୋହଣ କଲା ପରେ ବିଜୟନଗର ପୁଣି ଥରେ ଶାନ୍ତିି ଓ ସମୃଦ୍ଧିର ପ୍ରତୀକ ହେଲା । ଫଳରେ ଗଜପତିଙ୍କପାଇଁ ନିଜ ରାଜ୍ୟର ହୃତ ଅଂଶଗୁଡିକୁ ଫେରିପାଇବା କଷ୍ଟକର ହୋଇ ପଡିଲା । ୧୫୧୨-୧୩ରେ ଉଦୟଗିରିକୁ ପୁନର୍ବାର ଅଧିକାର କରିବାନିମିତ୍ତ କୃଷ୍ଣଦେବ ରାୟ ଗଜପତିଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ ଏବଂ ଗଜପତି ସେନାଙ୍କ ତୀବ୍ର ପ୍ରତିରୋଧ ସତ୍ତ୍ୱେ ଉଦୟଗିରି ଜିଣି ନେଲେ । ଏହି ଯୁଦ୍ଧରେ ପ୍ରତାପରୁଦ୍ରଙ୍କ ସମ୍ପର୍କୀୟ ତିରୁମାଲା ରାଉତରାୟ ବିଜୟନଗର ସେନା ହାତରେ ବନ୍ଦୀ ହେଲେ ।   ଏହା ପରେ କୃଷ୍ଣଦେବ ରାୟ ଗୁଣ୍ଟୁର ନିକଟବର୍ତ୍ତୀ କୋଣ୍ଡାବିଡୁ ଦୁର୍ଗ ଅଧିକାର କରିବାଲାଗି ଗଜପତି ସେନାଙ୍କ ସହ ଯୁଦ୍ଧ କଲେ । ଦୁର୍ଗର ସମସ୍ତ ପ୍ରବେଶ ପଥକୁ ବିଜୟନଗର ସେନା ଅବରୁଦ୍ଧ କରିଦେବାରୁ ତହିଁରେ ଥିବା ଅଧିକାଂଶ ଗଜପତି ସେନାଙ୍କର ଅନାହାରରେ ମୃତ୍ୟୁ ହେଲା । ୧୫୧୫ ମସିହା ଜୁନ୍ ମାସ ବେଳକୁ କୋଣ୍ଡାବିଡୁରୁ ଗଜପତି ନିୟନ୍ତ୍ରଣର ଅନ୍ତ ହେଲା । କୋଣ୍ଡାବିଡୁ ଅଭିଯାନ ଚାଲିଥିବା ବେଳେ କୃଷ୍ଣଦେବ ଗଜପତି ଶାସନରେ ଥିବା ଅନ୍ୟାନ୍ୟ ଦୁର୍ଗ ଯଥା ଆଦାଙ୍କି, ବିନୁକୋଣ୍ଡା, ବେଲ୍ଲମକୋଣ୍ଡା, ନାଗାର୍ଜୁନକୋଣ୍ଡା, ଟାଙ୍ଗେଡା ଓ କୋଟଭରମ ଆଦି ଅଧିକାର କରିନେଲେ । ଯେହେତୁ ବଡ଼ ଦୁର୍ଗ କୋଣ୍ଡାବିଡୁର ସୁରକ୍ଷାପାଇଁ ଓଡ଼ିଶା ସେନା ଗୁରୁତ୍ୱ ଦେଉଥିଲେ, ଏହି ଦୁର୍ଗସବୁରେ ବିଜୟନଗର ସେନାକୁ ବିଶେଷ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ି ନଥିଲା ।

କୋଣ୍ଡାବିଡ଼ୁ ଓ ଅନ୍ୟାନ୍ୟ କ୍ଷୁଦ୍ର ଦୁର୍ଗଗୁଡ଼ିକୁ ଗଜପତି ସେନା ହରାଇବା ପରେ ଅନେକ ଉଚ୍ଚ ଅଧିକାରୀ ଓ ରାଜବଂଶଜ ମଧ୍ୟ ବିଜୟନଗର ସେନା ହାତରେ ବନ୍ଦୀ ହେଲେ । ସମକାଳୀନ ପର୍ତ୍ତୁଗୀଜ ଲେଖକ ନ୍ୟୁନିଜଙ୍କ(Nuniz) ବିବରଣୀ ଅନୁଯାୟୀ, ପ୍ରତାପରୁଦ୍ରଙ୍କ ପୁତ୍ର ବୀରଭଦ୍ର, ହମ୍ଭିର ଦେବଙ୍କ ପୁତ୍ର ନରହରି ପାତ୍ର ଏବଂ ଅନ୍ୟ କେତେକ ଉଚ୍ଚ ଅଧିକାରୀ, ଯଥା ମଲ୍ଲୁ ଖାନ୍‍, ଉଗାଣ୍ଡା ଖାନ୍‍ ଓ ବାଳଚନ୍ଦ୍ର ମହାପାତ୍ର ଆଦି ବିଜୟନଗର ହାତରେ ଯୁଦ୍ଧବନ୍ଦୀ ହେଲେ । ମଲ୍ଲୁ ଖାନ୍‍ ଓ ଉଗାଣ୍ଡା ଖାନ୍‍ଙ୍କ ଭଳି ମୁସଲିମ୍‍ ମଧ୍ୟ ଗଜପତିଙ୍କ ସେନାରେ କାର୍ଯ୍ୟ କରୁଥିଲେ ବୋଲି ଏଥିରୁ ପ୍ରମାଣ ମିଳେ । ସେତେବେଳେ ବିଜୟନଗର ସେନାରେ ମଧ୍ୟ ମୁସଲିମ୍‍ ସେନାପତିମାନେ କାର୍ଯ୍ୟ କରୁଥିଲେ । ତୁର୍କମାନଙ୍କର ଦିଲ୍ଲୀ ଅଧିକାର ପରେ ମୁସଲମାନ ସୈନ୍ୟଙ୍କୁ ସେମାନଙ୍କ ସାହସ ଓ ଦକ୍ଷତାଲାଗି ବିଭିନ୍ନ ରାଜା ନିଯୁକ୍ତି ଦେଉଥିଲେ । ଏହାର ଅର୍ଥ ହେବ ଯେ, ମଧ୍ୟକାଳରେ ସେନା ଧାର୍ମିକ ଆଧାରରେ ବିଭକ୍ତ ନଥିଲା । ମୁସଲମାନ ସୈନ୍ୟ ନିଜ ଅନ୍ନଦାତା ରାଜାଙ୍କ ପ୍ରତି ସର୍ବଦା ପ୍ରତିବଦ୍ଧ ରହୁଥିଲେ । ସେମାନଙ୍କର ଏହି ଅନୁରକ୍ତି ପ୍ରତିପକ୍ଷର ଶାସକ ମୁସଲମାନ ହେଲେ ମଧ୍ୟ ଊଣା ହେବାର କୌଣସି କାରଣ ନଥିଲା ।

କୋଣ୍ଡାବିଡୁ ଦୁର୍ଗ ଅଧିକାର କଲା ପରେ କୃଷ୍ଣଦେବଙ୍କ ସେନା କୃଷ୍ଣାନଦୀ ପାରହୋଇ ବିଜୟଓ୍ୱାଡା ନିକଟବର୍ତ୍ତୀ କୋଣ୍ଡାପଲ୍ଲୀ ଓ ଆଖପାଖର ଅନ୍ୟ କେତୋଟି ଦୁର୍ଗ ଯଥା- ଅନନ୍ତଗିରି, ନଲଗୋଣ୍ଡା, କମ୍ୱୁମେଣ୍ଟୁ, କନକଗିରି ଆଦି ଅଧିକାର କରିନେଲେ । ଏହା ସହିତ କପିଳେନ୍ଦ୍ରଙ୍କଦ୍ୱାରା ଅଧିକୃତ ଅଧିକାଂଶ ତେଲେଙ୍ଗାନା ଅଞ୍ଚଳ ଗଜପତି ନିୟନ୍ତ୍ରଣରୁ ବାହାରି ଗଲା ।

କୃଷ୍ଣଦେବ ରାୟ ଉତ୍ତରକୁ ସୈନ୍ୟ ଚାଳନା କରି ବିଶାଖାପାଟଣା ନିକଟସ୍ଥ ସୀମାଞ୍ଚଳଠାରେ ପହଞ୍ଚିଲେ । ଗଜପତିଙ୍କ ଅଧିକାରୀମାନଙ୍କୁ ନିଜ ପକ୍ଷକୁ ନେଇ ଅତି ସହଜରେ ସେ ସୀମାଞ୍ଚଳମ୍‍ ଅଧିକାର କଲେ ଏବଂ ବିଜୟର ସ୍ମାରକୀ ସଦୃଶ ସେଠାରେ ଏକ ବିଜୟ ସ୍ତମ୍ଭ ନିର୍ମାଣ କଲେ । ଏହି ସମୟରେ ବିଜୟନଗର ରାଜ୍ୟ ନିକଟସ୍ଥ ଲକ୍ଷ୍ମୀନୃସିଂହ ମନ୍ଦିରକୁ ମଧ୍ୟ ଅନେକ ଦାନ ଦେଇଥିବାର ପ୍ରମାଣ ରହିଛି । ଅର୍ଥାତ କୃଷ୍ଣଦେବ ସମତାଳରେ ଯୁଦ୍ଧଜୟ ଓ ଧର୍ମକାର୍ଯ୍ୟ କରୁଥିଲେ ବୋଲି ବୁଝିବାକୁ ହେବ ।   ‌ 'ମନୁଚରିତ' ଓ 'ଅମୁକ୍ତମାଲ୍ୟାଦ' ନାମକ ଦୁଇଟି ସମକାଳୀନ ପୋଥି ଅନୁସାରେ ୧୫୧୭ରୁ ୧୫୧୯ ମଧ୍ୟରେ କୃଷ୍ଣଦେବ ରାୟ ଗଜପତିଙ୍କ ରାଜଧାନୀ କଟକ ଆକ୍ରମଣ କରି ବହୁ ଧନସମ୍ପତ୍ତି ଲୁଣ୍ଠନ କରିଥିଲେ ଏବଂ ସେଠାକାର କେତେକ ଗୃହବାଡି଼କୁ ପୋଡ଼ି ଦେଇଥିଲେ । ଏହି ଅଭିଯାନ ପୂର୍ବରୁ ସେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ପ୍ରତାପରୁଦ୍ରଙ୍କ ପରାଜୟ ପରେ ଉଭୟଙ୍କ ମଧ୍ୟରେ ସନ୍ଧି ହୋଇଥିଲା । ସନ୍ଧି ଅନୁଯାୟୀ ଗଜପତି ରାଜ୍ୟର ସୀମା କୃଷ୍ଣା ନଦୀ ପର୍ଯ୍ୟନ୍ତ ରହିବ ବୋଲି ସ୍ଥିର ହେଲା । ପ୍ରତାପରୁଦ୍ର ନିଜ କନ୍ୟା ଜଗନ୍ମୋହିନୀଙ୍କୁ ମଧ୍ୟ କୃଷ୍ଣଦେବ ରାୟଙ୍କ ସହିତ ବିବାହ ଦେବାକୁ ସମ୍ମତ ହୋଇଥିଲେ । ବିଜୟନଗରରେ ତୁକ୍କା ନାମରେ ପରିଚିତ ଜଗନ୍ମୋହିନୀ 'ତୁକ୍କାପଞ୍ଚକମ୍‍' ଶୀର୍ଷକରେ ଏକ ପୁସ୍ତକ ରଚନା କରିଥିବା ଉଲ୍ଲେଖ ରହିଛି । ଏହିପରି ଭାବେ କପିଳେନ୍ଦ୍ରଙ୍କ ସମୟରେ ଅଧିକୃତ ଦକ୍ଷିଣର ପ୍ରାୟ ସମସ୍ତ କ୍ଷେତ୍ର ପ୍ରତାପରୁଦ୍ରଙ୍କ ସମୟରେ ଗଜପତି ନିୟନ୍ତ୍ରଣରୁ ବାହାରି ଯାଇଥିଲା । ଏହା ସତ୍ତ୍ୱେ, ପ୍ରତାପରୁଦ୍ରଙ୍କ ସାମ୍ରାଜ୍ୟ ଯଥେଷ୍ଟ ବଡ଼ ଥିଲା ବୋଲି କୁହାଯିବ, କାରଣ ବର୍ତ୍ତମାନର ଓଡ଼ିଶାରେ ଅନ୍ତର୍ଭୁକ୍ତ ଥିବା ତତ୍କାଳୀନ ସମସ୍ତ ରାଜ୍ୟ ସେତେବେଳେ ଗଜପତିଙ୍କ ପ୍ରଭୁତ୍ୱକୁ ସ୍ୱୀକାର କରିଥିଲେ । ପ୍ରାକୃତିକ ଓଡ଼ିଶାର କେତେକ ସୀମାନ୍ତ ଅଞ୍ଚଳ ମଧ୍ୟ ଗଜପତି ଶାସନାଧୀନ ଥିଲା ।

୧୫୧୯ରେ ବିଜୟନଗର ସହ ଶାନ୍ତି ସ୍ଥାପିତ ହେଲା ପରେ ଗଜପତି ରାଜାଙ୍କୁ ଗୋଲକୁଣ୍ଡାର ସୁଲତାନ କ୍ୟୁଲି କୁତବ ଶାହଙ୍କ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା । କ୍ୟୁଲି କୁତବ ଆରମ୍ଭରେ ବାହାମନୀ ସୁଲତାନ ମେହମୁଦ ଶାହଙ୍କ ସେନାପତି ରୂପେ କାର୍ଯ୍ୟ କରୁଥିଲେ । ମାତ୍ର ବାହାମନୀ ସୁଲତାନଙ୍କ ପତନଯୋଗୁଁ ୧୫୧୨ରେ ସେ ସ୍ୱାଧୀନ ଗୋଲକୁଣ୍ଡା ରାଜ୍ୟ ସ୍ଥାପନ କଲେ । ବାହାମନୀର ଅନ୍ୟ ଜଣେ ସେନାପତି ମଧ୍ୟ ଏହି ସମୟରେ ବିଜାପୁର ରାଜ୍ୟ ସ୍ଥାପନ କଲେ । ବିଜୟନଗର ସହ ଓଡ଼ିଶାର ବିବାଦ ବେଳେ (୧୫୧୨-୧୫୧୯) ଉଭୟ ବିଜାପୁର ଓ ଗୋଲକୁଣ୍ଡା ସୁଲତାନ ପଡୋଶୀର ବିନା ଭୟରେ ନିଜ ନିଜ ରାଜ୍ୟ ଏବଂ ସେନାକୁ ସୁସଂଗଠିତ କଲେ । ୧୫୧୯ରେ ଗଜପତିଙ୍କ ସହ ସନ୍ଧି ପରେ ବିଜୟନଗର ରାଜା (କୃଷ୍ଣଦେବ ରାୟ) ରାୟଚୁର ଦୁର୍ଗ ଦଖଲପାଇଁ ବିଜାପୁର ଆକ୍ରମଣ କଲେ । ଏହାର ସୁଯୋଗ ନେଇ ଗୋଲକୁଣ୍ଡା ସୁଲତାନ ଦକ୍ଷିଣ ଓଡ଼ିଶା ଆକ୍ରମଣ କଲେ । ତାଙ୍କୁ କିଛି ସଫଳତା ମଧ୍ୟ ମିଳିଥିଲା । ମାତ୍ର ପ୍ରତାପରୁଦ୍ରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ଉତ୍ତାରୁ ଗୋଲକୁଣ୍ଡା ସୁଲତାନଙ୍କୁ ନିରାଶ ହେବାକୁ ପଡିଲା । ଏହି ବିଜୟ ପରେ ପ୍ରତାପରୁଦ୍ର କୃଷ୍ଣାନଦୀ ତଟରେ ମଙ୍ଗଳଗିରି ନାମକ ସ୍ଥାନରେ ଏକ ମନ୍ଦିର ନିର୍ମାଣ କରିଥିଲେ । ୧୫୨୯ରେ କୃଷ୍ଣଦେବ ରାୟଙ୍କ ଦେହାନ୍ତ ହେଲା । ଏହା ଫଳରେ ପ୍ରତାପରୁଦ୍ର ଶେଷ ସମୟରେ ପାଇଥିବା ଜଣେ ଅନ୍ତରଙ୍ଗ ମିତ୍ରଙ୍କୁ ହରାଇଲେ । ଏହାର ସୁଯୋଗ ନେଇ ଗୋଲକୁଣ୍ଡା ସୁଲତାନ ବାରମ୍ୱାର ଓଡ଼ିଶା ଆକ୍ରମଣ କଲେ । ୧୫୩୧ର ଶେଷ ଆଡକୁ ପ୍ରତାପରୁଦ୍ରଙ୍କୁ ତାଙ୍କ ହାତରେ ଶୋଚନୀୟ ଭାବେ ପରାସ୍ତ ହେବାକୁ ପଡ଼ିଲା । କୋଣ୍ଡାବିଡୁ ଦୁର୍ଗ ଗୋଲକୁଣ୍ଡା ରାଜ୍ୟର ଅନ୍ତର୍ଭୁକ୍ତ ହେଲା ।   ୧୫୩୧ର ବିଜୟ ପରେ ଗୋଲକୁଣ୍ଡା ସୁଲତାନ କ୍ୟୁଲି କୁତବଙ୍କ ବିଜାପୁର ସୁଲତାନଙ୍କ ସହ ଯୁଦ୍ଧ ହେଲା । ଏହି କାରଣରୁ ଓଡ଼ିଶା ଉପରୁ ଗୋଲକୁଣ୍ଡା ସୁଲତାନଙ୍କର ଧ୍ୟାନ ଊଣା ହେଲା । ପ୍ରତାପରୁଦ୍ରଙ୍କ ମୃତ୍ୟୁ ପରେ ୧୫୪୦ରେ କ୍ୟୁଲି କୁତବ ରାଜମହେନ୍ଦ୍ରୀ ଅଧିକାର କରିନେଲେ । ଗୋଲକୁଣ୍ଡା ସେନାର ପରାକ୍ରମ ଦେଖି ଓଡ଼ିଶାର ତତ୍‍କାଳୀନ ଶାସକ ଗୋବିନ୍ଦ ବିଦ୍ୟାଧର ତାଙ୍କ ସହ ସନ୍ଧି ସ୍ଥାପନ କଲେ । ସନ୍ଧି ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଗୋଦାବରୀ ନଦୀ ସୀମାରେଖା ରୂପେ ଧାର୍ଯ୍ୟ ହେଲା ।

ଦକ୍ଷିଣର ପ୍ରତିଯୋଗୀମାନଙ୍କୁ ବାଦ୍‍ ଦେଲେ ଉତ୍ତରରେ ମଧ୍ୟ ପ୍ରତାପରୁଦ୍ରଙ୍କୁ ଶତ୍ରୁର ସମ୍ମୁଖୀନ ହେବାକୁ ପଡିଥିଲା । ବଙ୍ଗର ନବାବ ଆଲ୍ଲାଉଦ୍ଦିନ ହୁସେନ ଶାହ ଓ ପଶ୍ଚିମ ଉତ୍ତରପ୍ରଦେଶସ୍ଥ ଜୈପୁରର ଶର୍କି ସୁଲତାନ ହୁସାଙ୍ଗଶାହ ଥିଲେ ଉତ୍ତରରେ ଗଜପତିଙ୍କ ପ୍ରତିଦ୍ୱନ୍ଦ୍ୱୀ । ମାତ୍ର ଉଭୟ ଶାସକ ଦିଲ୍ଲୀର ସୁଲତାନ ବାହାଲୁଲ ଲୋଦିଙ୍କ ବିରୁଦ୍ଧରେ ସଂଘର୍ଷ କରିବାରୁ ଗଜପତିଙ୍କ ସହ ସେମାନଙ୍କର ଯୁଦ୍ଧ ହୋଇ ନଥିଲା । ଦିଲ୍ଲୀ ସୁଲତାନ ସେମାନଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ । ତେଣୁ ସେମାନେ ପ୍ରତାପରୁଦ୍ରଙ୍କଠାରୁ ଆଶ୍ରୟ ଓ ସହଯୋଗ ଲୋଡ଼ିଥିଲେ । ପ୍ରତାପରୁଦ୍ରଙ୍କ ଉପାଧି-'ଯମୁନାପୁରାଧୀଶ୍ୱର ଗଜପତି ହୁସାନଶାହୀ ସୁରତନ୍ତ୍ର ଶରଣ ରକ୍ଷଣ'ରୁ ମନେହୁଏ ଯେ ଗଜପତି ସେମାନଙ୍କୁ ଆଶ୍ରୟ ଦେଇଥିଲେ । ଫଳରେ ଓଡ଼ିଶା ଉପରେ ପ୍ରତାପରୁଦ୍ରଙ୍କ ସମୟରେ ଜୌନପୁର ଏବଂ ବଙ୍ଗ ପକ୍ଷରୁ କୌଣସି ଆକ୍ରମଣ ହୋଇନଥିଲା ।

ପ୍ରତାପରୁଦ୍ର ଦେବ ୧୫୩୮ରେ ଦେହତ୍ୟାଗ କଲେ । ମାଦଳାପାଞ୍ଜି ଅନୁଯାୟୀ ତାଙ୍କ ପରେ ତାଙ୍କ ଦୁଇ ପୁତ୍ର କାଳୁଆ ଦେବ ଏବଂ କଖାରୁଆ ଦେବ ସିଂହାସନ ଆରୋହଣ କଲେ । ଉଭୟ ଶାସକ ପ୍ରଭାବଶାଳୀ ନଥିବାରୁ ପ୍ରକୃତ ଶାସନ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧରଙ୍କ ହାତରେ ରହିଥିଲା । ଶେଷରେ ଗୋବିନ୍ଦ ବିଦ୍ୟାଧର ଉଭୟଙ୍କୁ ହତ୍ୟା କରି ନିଜେ ରାଜା ହେଲେ । ଫଳରେ ସୂର୍ଯ୍ୟ ବଂଶ ଶାସନ ଲୋପ ପାଇଲା ଏବଂ ଓଡ଼ିଶା ଇତିହାସରେ ଭୋଇବଂଶ ନାମରେ ଏକ ନୂଆ ରାଜବଂଶର ପ୍ରତିଷ୍ଠା ହେଲା । ଉଭୟ ରାଜକୁମାର ଦୁର୍ବଳ ଓ ପ୍ରଭାବହୀନ ଥିଲେ ବୋଲି ମାଦଳାପାଞ୍ଜି ସେମାନଙ୍କୁ ବ୍ୟଙ୍ଗ କରି ଏହିଭଳି ନାମକରଣ କରିଥିବା ମନେହୁଏ ।

...

ଭୋଇ ବଂଶ

  ୧୫୩୮ରେ ପ୍ରତାପରୁଦ୍ରଙ୍କ ମୃତ୍ୟୁ ପରେ ଏକ ରାଜନୈତିକ ଅସ୍ଥିରତା ମଧ୍ୟରେ ଓଡ଼ିଶାରେ ଗଜପତି ଶାସନ ଗତି କଲା । ପ୍ରତାପରୁଦ୍ରଙ୍କ ଉତ୍ତରାଧିକାରୀ ପୁତ୍ରମାନେ ଦୁର୍ବଳ ଥିବାରୁ ମନ୍ତ୍ରୀ ଗୋବିନ୍ଦ ବିଦ୍ୟାଧର ୧୫୪୦ରେ ପ୍ରତ୍ୟକ୍ଷ ଭାବେ ଶାସନ ଭାର ଗ୍ରହଣ କଲେ । ଏଥିପାଇଁ ସେ ରାଜପୁତ୍ରମାନଙ୍କୁ ହତ୍ୟା ମଧ୍ୟ କରିଥିଲେ । ୧୫୪୦-୪୯ ମଧ୍ୟରେ ସେ ଶାସନ କଲେ ଏବଂ ଏହା ସହିତ ଓଡ଼ିଶାରେ ଭୋଇବଂଶର ପ୍ରତିଷ୍ଠା ହେଲା । ଗୋବିନ୍ଦ କ୍ଷତ୍ରିୟ ବଂଶଜ ନଥିଲେ । ସମ୍ଭବତଃ ସେ ଗଉଡ ଜାତିର ଥିଲେ । ଏଥିପାଇଁ ତାଙ୍କୁ ଓଡ଼ିଶାର ଗଜପତି ଭାବରେ ସାମନ୍ତମାନେ ଆରମ୍ଭରୁ ଗ୍ରହଣ କରୁନଥିଲେ । ଦ୍ୱିତୀୟତଃ, ସେ ଗଜପତି ଶାସକମାନଙ୍କୁ ହତ୍ୟା କରି ରାଜସିଂହାସନ ଲାଭ କରିଥିଲେ । ଏହି ବିରୋଧର ପ୍ରଶମନଲାଗି ଗୋବିନ୍ଦବିଦ୍ୟାଧର ଜଗନ୍ନାଥ ମନ୍ଦିରର ଜଗମୋହନରେ ଏକ ଶିଳାଲିପିରେ ତାଙ୍କ ଶାସନ ଜଗନ୍ନାଥସ୍ୱୀକୃତ ଏବଂ ତାକୁ ବିରୋଧ କରିବା ଅର୍ଥ ଜଗନ୍ନାଥଙ୍କ ବିରୋଧକରିବା ବୋଲି ଉଲ୍ଲେଖ କରିଥିଲେ । ବିରୋଧୀମାନଙ୍କୁ କଠୋର ଦଣ୍ଡ ଦିଆଯିବା କଥା ମଧ୍ୟ ଏଥିରେ କୁହାଯାଇଛି ।

ଗୋବିନ୍ଦ ବିଦ୍ୟାଧର ସିଂହାସନ ଆରୋହଣ କଲା ପରେ ଗୋଲକୁଣ୍ଡାର ସୁଲତାନ ଓଡ଼ିଶାର ଦକ୍ଷିଣ କ୍ଷେତ୍ର ଉପରେ ଆକ୍ରମଣ କଲେ । ପ୍ରତିରକ୍ଷାପାଇଁ ଗୋବିନ୍ଦ ପ୍ରାୟ ଆଠ ମାସ କାଳ ଦକ୍ଷିଣରେ ଅବସ୍ଥାନ କଲେ । ରାଜଧାନୀରେ ତାଙ୍କ ଅନୁପସ୍ଥିତିର ଫାଇଦା ନେଇ ରଘୁଭଞ୍ଜ ଛୋଟରାୟ ବିଦ୍ରୋହ କଲେ । ବିଦ୍ରୋହ ଖବର ପାଇ ଗୋବିନ୍ଦ ଗୋଲକୁଣ୍ଡା ସହିତ ସନ୍ଧି ସ୍ଥାପନ କରି କଟକ ଫେରି ଆସିଲେ ଏବଂ ବିଦ୍ରୋହ ଦମନ କଲେ । ରଘୁଭଞ୍ଜ ଥିଲେ ପ୍ରତାପରୁଦ୍ରଙ୍କ ଭଣଜା ଏବଂ ପ୍ରତାପରୁଦ୍ରଙ୍କ ପୁତ୍ରମାନେ ନିହତ ହେବା ପରେ ଗଜପତି ପଦବୀ ଉପରେ ତାଙ୍କର ଦାବି ନ୍ୟାଯ୍ୟ ବୋଲି ସେ ମନେ କରୁଥିଲେ । ସେ କ୍ଷତ୍ରିୟ ଥିବାରୁ ତାଙ୍କୁ ଯଥେଷ୍ଟ ସମର୍ଥନ ମଧ୍ୟ ମିଳିଥିଲା । ମାତ୍ର ଏହି ବିଦ୍ରୋହ ବିଫଳ ହେବାଯୋଗୁଁ ଗଜପତି ଶାସନ ପୁନର୍ପ୍ରତିଷ୍ଠାର

ସମସ୍ତ ସମ୍ଭାବନା ଲୋପ ପାଇଲା ।

  ଗୋବିନ୍ଦ ବିଦ୍ୟାଧରଙ୍କ ପରେ ତାଙ୍କ ପୁତ୍ର ଚକ୍ରପ୍ରତାପଦେବ ୧୫୪୯ରୁ ୧୫୫୭ ପର୍ଯ୍ୟନ୍ତ ଶାସନ କଲେ। ତାଙ୍କ ସମୟରେ ପ୍ରକୃତ ଶାସନର ଦାୟିତ୍ୱ ମନ୍ତ୍ରୀ ଦନାଇ ବିଦ୍ୟାଧରଙ୍କ ହାତରେ ରହିଥିଲା। ବ୍ରାହ୍ମଣମାନଙ୍କୁ ସେ ଯଥୋଚିତ ପୃଷ୍ଠପୋଷକତା ପ୍ରଦାନ କରି ନ ଥିଲେ। ଏଥିପାଇଁ ତାଙ୍କୁ ବ୍ରାହ୍ମଣମାନଙ୍କର ସମର୍ଥନ ମିଳି ନ ଥିଲା। 'ଆକବରାମା' ଅନୁଯାୟୀ ତାଙ୍କ ପୁତ୍ର ନରସିଂହ ଜେନା ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ।

  ନରସିଂହ ଜେନା ମାତ୍ର ବର୍ଷକପାଇଁ (୧୫୫୭-୧୫୫୮) ଶାସନ କରିଥିଲେ। ମୁକୁନ୍ଦ ହରିଚନ୍ଦନ ତାଙ୍କୁ ହତ୍ୟା କରିବାରୁ ରଘୁରାମ ଛୋଟରାୟ (ଚକ୍ର ପ୍ରତାପଙ୍କ ଅନ୍ୟ ଏକ ପୁତ୍ର) ସିଂହାସନ ଆରୋହଣ କଲେ। ସେ ଦୁଇବର୍ଷ (୧୫୫୮-୧୫୬୦) ଶାସନ କଲା ପରେ ମୁକୁନ୍ଦ ହରିଚନ୍ଦନଙ୍କ ହାତରେ ନିହତ ହେଲେ। ଏହା ପରେ ୧୫୬୦ରୁ ୧୫୬୮ ପର୍ଯ୍ୟନ୍ତ ମୁକୁନ୍ଦଦେବ ଓଡ଼ିଶାର ଗଜପତି ହେଲେ। ୧୫୬୮ରେ ସେ ବଙ୍ଗନବାବ ସୁଲେମାନ କର୍‍ରାନୀଙ୍କ ହାତରେ ପରାଜିତ ହେବା ପରେ ଓଡ଼ିଶା ମୁସଲମାନ ଶାସକଙ୍କ ପ୍ରତ୍ୟକ୍ଷ ଶାସନକୁ ଆସିଲା। ମୁସଲମାନ ଶାସକମାନଙ୍କ ଓଡ଼ିଶା ବିଜୟ ସମୟରେ ନବାବଙ୍କ ସେନାପତି ସିକନ୍ଦର ଉଜବେଗ ଓ କଳାପାହାଡ଼ ଓଡ଼ିଶା ଆକ୍ରମଣ କରି ଅନେକ ମନ୍ଦିର ଲୁଣ୍ଠନ କରିଥିଲେ।

  ବଙ୍ଗ ନବାବଙ୍କ ପକ୍ଷରୁ ଓଡ଼ିଶା ଅଭିଯାନର ନେତୃତ୍ୱ ସୁଲେମାନଙ୍କ ପୁତ୍ର ବୟାଜିଦଙ୍କ ହାତରେ ରହିଥିଲା। ସିକନ୍ଦର ଓ କଳାପାହାଡ଼ ଥିଲେ ବୟାଜିଦଙ୍କ ଦୁଇ ଜଣ ପ୍ରମୁଖ ସେନା ଅଧିକାରୀ। ଯେଉଁ ସମୟରେ ମୁକୁନ୍ଦଦେବଙ୍କୁ ବଙ୍ଗନବାବଙ୍କ ସେନାର ସମ୍ମୁଖୀନ ହେବାକୁ ପଡ଼ିଥିଲା, ସେତେବେଳେ କଟକ ଓ ଆଖପାଖ ଅଞ୍ଚଳରେ କଳାପାହାଡ଼ର ଆକ୍ରମଣ ଜାରି ରହିଥିଲା। ଏହା ସହିତ ଓଡ଼ିଶାର କେତେକ ଜମିଦାର ଓ ସାମନ୍ତ ରାଜା ମଧ୍ୟ ମୁକୁନ୍ଦଦେବଙ୍କର ତୀବ୍ର ବିରୋଧ କରୁଥିଲେ। ଏ ନେଇ ଅନେକ କିମ୍ୱଦନ୍ତୀ ମଧ୍ୟ ରହିଛି। ଏକ କିମ୍ୱଦନ୍ତୀ ଅନୁଯାୟୀ, ବାରଙ୍ଗ ନିକଟସ୍ଥ ସାରଙ୍ଗଗଡ଼ର ଜମିଦାର ରାମଚନ୍ଦ୍ର ଭଞ୍ଜଙ୍କ ବିଦ୍ରୋହ ଏହି ସମୟରେ ଆରମ୍ଭ ହେଲା ଏବଂ ତାକୁ ଦମନ କରିବାକୁ ଯାଇ ମୁକୁନ୍ଦଦେବ ରାମଚନ୍ଦ୍ରଙ୍କୁ ମଧ୍ୟ ହତ୍ୟା କଲେ। ଅନ୍ୟ ଏକ କିମ୍ୱଦନ୍ତୀ ଅନୁଯାୟୀ, ଯାଜପୁର ନିକଟସ୍ଥ ଗୋହିରିଟିକିରାଠାରେ ବଙ୍ଗନବାବ ସେନାଙ୍କ ସହ ସମ୍ମୁଖ ସମରରେ ୧୫୬୮ରେ ମୁକୁନ୍ଦ ଦେବ ନିହତ ହେଲେ। ତାଙ୍କର ଦୁଇଜଣ ସେନାନାୟକ ଶିଖି ଓ ମନାଇ ଆକ୍ରମଣକାରୀ କଳାପାହାଡ଼କୁ ସହଯୋଗ କରିଥିଲେ, ଯାହା ଫଳରେ କଳାପାହାଡ଼ର ଆକ୍ରମଣ ଅଧିକ ପ୍ରାଣାନ୍ତକ ପ୍ରମାଣିତ ହେଲା।

  ମୁକୁନ୍ଦଦେବଙ୍କୁୂ 'ତେଲେଙ୍ଗା' ବୋଲି କୁହାଯାଏ। ରାଜପଦ ପ୍ରାପ୍ତି ପରେ ସେ ନିଜକୁ ଚାଲୁକ୍ୟ ବଂଶର ବୋଲି ଦାବି କରୁଥିଲେ। ସମ୍ଭବତଃ ସେ କ୍ଷତ୍ରିୟ ନଥିଲେ ଏବଂ ଉଚ୍ଚବଂଶର ବୋଲି ଦାବି କରି ସାମାଜିକ ପ୍ରତିଷ୍ଠା ଅର୍ଜନ କରିବାକୁ ପ୍ରୟାସ କରିଥିଲେ। ଗୋଦାବରୀ ଜିଲ୍ଲା ଦ୍ରାକ୍ଷାଶ୍ରମରେ ଥିବା ଭୀମେଶ୍ୱର ମନ୍ଦିରରୁ ମିଳିଥିବା ଏକ ଶିଳାଲେଖ ଅନୁଯାୟୀ ସେ ବିଶାଖାପାଟଣା ଜିଲ୍ଲାରୁ ଆସିଥିଲେ ଏବଂ ତାଙ୍କ ପିତାଙ୍କ ନାମ ଥିଲା ସରଭ ରାଜୁ ଏବଂ ଜେଜେଙ୍କ ନାମ ଥିଲା ସିଙ୍ଗ ରାଜୁ। ଗଜପତିଙ୍କ ସାମନ୍ତ ଭାବରେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ଗୋବିନ୍ଦ ବିଦ୍ୟାଧରଙ୍କ ସମୟରେ

କଟକକୁ ବିଦ୍ରୋହୀ କବଳରୁ ରକ୍ଷା କରି ସେ ପ୍ରସିଦ୍ଧି ଅର୍ଜନ କରିଥିଲେ । ପରେ ଭୋଇ ରାଜାମାନଙ୍କ ଦୁର୍ବଳତାର ସୁଯୋଗ ନେଇ ସେ ନିଜେ ସିଂହାସନ ଆରୋହଣ କରିଥିଲେ ।   ମୁକୁନ୍ଦଦେବ ଦୁର୍ବଳ ନଥିଲେ । ସିଂହାସନ ଆରୋହଣ କଲା ପରେ ଏକ ରାଜନୈତିକ ଅସ୍ଥିରତା ମଧ୍ୟରୁ ଓଡ଼ିଶାକୁ ଫେରାଇ ଆଣିବାକୁ ମଧ୍ୟ ସେ ଯଥୋଚିତ ଉଦ୍ୟମ କରିଥିଲେ । ହିନ୍ଦୁ ତୀର୍ଥଯାତ୍ରୀମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ସେ ହୁଗୁଳି ଜିଲ୍ଲାର ତ୍ରିବେଣୀଠାରେ ଗଙ୍ଗାନଦୀରେ ପାହାଚ ନିର୍ମାଣ କରିଥିଲେ, ଯାହା ମୁକୁନ୍ଦଘାଟ ନାମରେ ପରିଚିତ । ଗୌଡ଼ ରାଜାଙ୍କୁ ପରାଜିତ କରିବାଯୋଗୁଁ ସେ ଅନେକ ଧନରତ୍ନ ପ୍ରାପ୍ତ ହୋଇଥିଲେ । ଏହାର ନିଦର୍ଶନ ସ୍ୱରୂପ ସେ ବିବାହ ଉପରେ କରଛାଡ଼ ଘୋଷଣା କରିଥିଲେ । ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ପ୍ରତିଷ୍ଠାପାଇଁ ମଧ୍ୟ ସେ ଅନେକ ପଦକ୍ଷେପ ନେଇଥିଲେ । ବ୍ରାହ୍ମଣମାନଙ୍କୁ ସନ୍ତୁଷ୍ଟ କରିବାପାଇଁ କେତେକ ବ୍ରାହ୍ମଣ ଶାସନ (ଯଥା: ଦାଣ୍ତମୁକୁନ୍ଦପୁର) ମଧ୍ୟ ପ୍ରତିଷ୍ଠା କରିଥିଲେ ।

ମୁକୁନ୍ଦଦେବଙ୍କପାଇଁ ବଡ଼ ସମସ୍ୟା ହେଲା ତତ୍‍କାଳୀନ ଭାରତର ରାଜନୀତି । ମୋଗଲ ସମ୍ରାଟ ଭାବରେ ଆକବର ନିଜର ସ୍ଥିତିକୁ ସୁଦୃଢ଼ କରିବା ପରେ ରାଜ୍ୟ ବିସ୍ତାରପାଇଁ ସେତେବେଳକୁ ପ୍ରସ୍ତୁତ ହେଉଥିଲେ । ହିମୁଙ୍କ ନେତୃତ୍ୱାଧୀନ ଆଫଗାନ ଶକ୍ତି ଦ୍ୱିତୀୟ ପାନିପଥ ଯୁଦ୍ଧରେ (୧୫୫୬) ମୋଗଲ ସେନା ହାତରେ ପରାଜିତ ହେବା ପରେ ଦେଶର କେତେକ ରାଜ୍ୟକୁ ବିସ୍ତାରିତ ହୋଇଯାଇଥିଲା । ଯଦିଓ ମୋଗଲ ଶକ୍ତିକୁ ପୁଣି ଥରେ ପରାସ୍ତ କରି ଆଫଗାନମାନେ ଦିଲ୍ଲୀ ପୁନରଧିକାର କରିବାକୁ ଅଭିଳାଷ ରଖିଥିଲେ, ସ୍ଥାନୀୟ ରାଜ୍ୟଗୁଡ଼ିକୁ କର୍ତ୍ତୃତ୍ୱରେ ରଖି ରାଜ୍ୟ ବିସ୍ତାର କରିବା ସେମାନଙ୍କର ଲକ୍ଷ୍ୟ ଥିଲା । ସେହିଭଳି ଜଣେ ମହତ୍ତ୍ୱାକାଂକ୍ଷୀ ଆଫଗାନ ଶାସକ ଥିଲେ ବଙ୍ଗର ସୁଲେମାନ କର୍‍ରାନୀ । ଆକବର ଓ ସୁଲେମାନଙ୍କ ମଧ୍ୟରେ ରାଜ୍ୟବିସ୍ତାରଲାଗି ଯେଉଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଲା, ତା'ର ଶିକାର ହେଲା ଓଡ଼ିଶା । ସୁଲେମାନ ଓଡ଼ିଶା ଆକ୍ରମଣ କଲେ । ତାଙ୍କ ସେନାନାୟକ କଳାପାହାଡ଼ ମନ୍ଦିର ଲୁଣ୍ଠନ କରି ଓଡ଼ିଶାପାଇଁ ଖଳନାୟକ ସାଜିଥଲେ ମଧ୍ୟ ମୁସଲମାନଙ୍କପାଇଁ ଏକ ପ୍ରକାରର ଆଦର୍ଶ ପ୍ରତିଷ୍ଠା କରୁଥିଲେ । କାରଣ ମୂର୍ତ୍ତିପୂଜାର ବିଲୋପ କରିବା ତାଙ୍କପାଇଁ ଏକ ଧାର୍ମିକ କାର୍ଯ୍ୟ ଥିଲା । ଶେଷରେ ବଙ୍ଗର ଆଫଗାନ ଶକ୍ତି ସୁଲେମାନଙ୍କ ନେତୃତ୍ୱରେ ଓଡ଼ିଶାକୁ ପରାସ୍ତ କଲେ । ହେଲେ, ଉପସଂହାରରେ ମୋଗଲମାନଙ୍କ ଅଧୀନକୁ ଓଡ଼ିଶା ଆସିଲା । ଆଭ୍ୟନ୍ତରୀଣ ବିଦ୍ରୋହଯୋଗୁଁ ମୁକୁନ୍ଦଦେବ ବଙ୍ଗର ଆଫଗାନ ଶକ୍ତି ଏବଂ ପରେ ମୋଗଲମାନଙ୍କର ପ୍ରତିରୋଧ କରି ପାରିଲେ ନାହିଁ । ତାଙ୍କ ପରାଜୟପାଇଁ ବହିରାକ୍ରମଣ ଯେତିକି ମାତ୍ରାରେ ଦାୟୀ ଥିଲା, ତତୋଽଧିକ ଦାୟୀ ଥିଲା ଆଭ୍ୟନ୍ତରୀଣ ଷଡ଼ଯନ୍ତ୍ର, ବିଶ୍ୱାସଘାତକତା ଓ ହତ୍ୟା । ନିଜେ ମୁକୁନ୍ଦଦେବ ମଧ୍ୟ ଏହି ସବୁ ଉପାୟ ଅବଲମ୍ୱନ କରି ରାଜପଦ ପ୍ରାପ୍ତ ହୋଇଥିଲେ । ଏହା ଥିଲା ତାଙ୍କ ସମୟର ରାଜନୈତିକ ପରମ୍ପରା । ରାଜାମାନେ ରାଜ୍ୟ ବିସ୍ତାରପାଇଁ ଦିଗ୍‍ବିଜୟକୁ ଏକ ପ୍ରଧାନ ମାଧ୍ୟମ ବୋଲି ମନେ କରୁଥିଲେ । ଠିକ୍‍ ସେହିଭଳି ଉଚ୍ଚ ରାଜାଧିକାରୀମାନେ ଏବଂ ରାଜ୍ୟପଦ ପାଇନଥିବା ଅସନ୍ତୁଷ୍ଟ ଅଧିକାରୀ ଓ ରାଜବଂଶଜମାନେ ହତ୍ୟା, ଷଡ଼ଯନ୍ତ୍ର ଓ ବିଶ୍ୱାସଘାତକତାକୁ ମାଧ୍ୟମ କରି ରାଜପଦ ଲାଭ କରିବାକୁ ପ୍ରୟାସ କରୁଥିଲେ । ଏହାକୁ ଭୁଲ ବା ଠିକ୍‍ ବୋଲି ରାୟ ଦେବା ପରିବର୍ତ୍ତେ ଯୁକ୍ତିନିଷ୍ଠ ଭାବେ ବିଶ୍ଳେଷଣ କରିବା ଉଚିତ ହେବ ।   ୧୫୬୮ରେ କଳାପାହାଡର ଓଡ଼ିଶା ଆକ୍ରମଣ ସମ୍ୱନ୍ଧରେ ଅନେକ କିମ୍ୱଦନ୍ତୀ ରହିଛି । ମାଦଳାପାଞ୍ଜି ଅନୁସାରେ, କଳାପାହାଡ଼ ରାଜଧାନୀ କଟକ ଅଧିକାର କରିନେବା ଖବର ପାଇ ଜଗନ୍ନାଥ ମନ୍ଦିରର ସେବାୟତମାନେ ଦିଅଁଙ୍କ ପ୍ରତିମାକୁ ଚିଲିକାରେ ଲୁଚାଇ ରଖିଥିଲେ । ଏହା ଜାଣିପାରି କଳାପାହାଡ଼ ସେଠାରୁ ପ୍ରତିମାଙ୍କୁ ଆଣି ଗଙ୍ଗାନଦୀ କୂଳରେ ବଙ୍ଗରେ ଦାହ କଲା । ବିଶର ମହାନ୍ତି ନାମକ ଜଣେ ବୈଷ୍ଣବ ଉକ୍ତ ପୋଡି ଯାଇଥିବା ସେହି ଦାରୁ ପ୍ରତିମାଙ୍କର ବ୍ରହ୍ମଙ୍କୁ ଏକ ମୃଦଙ୍ଗ ଭିତରେ ଆଣି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଥିଲେ । କେତେକ ବିବରଣୀରେ କଳାପାହାଡ଼ ଜଗନ୍ନାଥ ମନ୍ଦିର ଧ୍ୱଂସ କରିଥିବା କଥା ମଧ୍ୟ ଉଲ୍ଲେଖ ଅଛି । ମାତ୍ର ପ୍ରତ୍ନତାତ୍ତ୍ୱିକ ତଥ୍ୟ ଅନୁସାରେ ଚୋଡ଼ଗଙ୍ଗଦେବଙ୍କ ସମୟରେ ନିର୍ମିତ ଜଗନ୍ନାଥ ମନ୍ଦିର ଉପରେ ନୂତନ କରି ପୁଣି ଥରେ ମନ୍ଦିର ନିର୍ମାଣ ହୋଇଥିବାର କୌଣସି ପ୍ରମାଣ ନାହିଁ । କିମ୍ୱଦନ୍ତୀ ଅନୁସାରେ କଳାପାହାଡ଼ ଜଗନ୍ନାଥ ମନ୍ଦିର ଧ୍ୱଂସ ନ କରି କେବଳ ତହିଁରୁ ପ୍ରତିମାଙ୍କୁ ନେଇ ଯାଇଥିଲା । ସେହି ବିଗ୍ରହଙ୍କ ଦଗ୍ଧାବଶେଷ ଉଦ୍ଧାର କରାଯାଇ ପରବର୍ତ୍ତୀ କାଳରେ ନୂତନ ଭାବେ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ନିଜେ କଳାପାହାଡ଼ ଓଡ଼ିଶାର ଚାରିଆଡେ଼ ଯାଇ ମନ୍ଦିର ଧ୍ୱଂସ କରିଥିବା କଥାକୁ ମଧ୍ୟ ଏକ ଐତିହାସିକ ସତ୍ୟ ଭାବରେ ଗବେଷକମାନେ ସ୍ୱୀକାର କରି ପାରନ୍ତି ନାହିଁ ।

ଅନ୍ୟ ଏକ କିମ୍ୱଦନ୍ତୀ ଅନୁଯାୟୀ, କଳାପାହାଡ଼ ପ୍ରଥମେ ଜଣେ ହିନ୍ଦୁ ଥିଲା ଏବଂ ବଙ୍ଗ ସୁଲତାନଙ୍କ କନ୍ୟାକୁ ବିବାହ କରି ମୁସଲମାନ ହୋଇଥିଲା । ପୁରୀକୁ ଆସି ସେ ପୁଣି ହିନ୍ଦୁ ଧର୍ମରେ ଦୀକ୍ଷିତ ହେବାକୁ ଚାହିଁଥିଲା । ମାତ୍ର ଜଗନ୍ନାଥ ମନ୍ଦିରର ପୂଜକମାନେ ଏହାକୁ ବିରୋଧ କଲେ । ଏଥିରେ ପ୍ରତିହିଂସାପରାୟଣ ହୋଇ ସେ ମନ୍ଦିର ଧ୍ୱଂସ କରିବା ଆରମ୍ଭ କଲା । ମାତ୍ର ମୁସଲିମ ବିବରଣୀ ଅନୁଯାୟୀ, କଳାପାହାଡ଼ ଜଣେ ଆଫଗାନ ଥିଲା । ବଙ୍ଗର ଆଫଗାନ ସୁଲତାନ ସୁଲେମାନ କର୍‍ରାନୀଙ୍କ ଜଣେ ଅନୁଗତ ସେନାନାୟକ ଭାବରେ ସେ କେବଳ ତା' କର୍ତ୍ତବ୍ୟ ପାଳନ କରୁଥିଲା । ରାଜ୍ୟ ବିସ୍ତାର ଓ ଆଫଗାନ ଶକ୍ତିର ପୁନର୍ପ୍ରତିଷ୍ଠା ଯଦିଓ ପ୍ରମୁଖ ଉଦ୍ଦେଶ୍ୟ ଥିଲା, ସୈନିକମାନଙ୍କ ମନରେ ଧାର୍ମିକ ଉତ୍ତେଜନା ସୃଷ୍ଟି କରି ଏହି ଉଦ୍ଦେଶ୍ୟ ସାଧନ କରିବାକୁ ସୁଲତାନ ପ୍ରୟାସ କରୁଥିଲେ । ଏହି କାରଣରୁ ସେତେବେଳେ ମନ୍ଦିର ଧ୍ୱଂସ କରିବା ଏକ ଆବଶ୍ୟକତା ହୋଇ ପଡିଥିଲା । ଦ୍ୱିତୀୟତଃ, ମଧ୍ୟଯୁଗରେ ଶତ୍ରୁ ରାଜ୍ୟ ଉପରେ କର୍ତ୍ତୃତ୍ୱ ଜାହିର କରିବାନିମିତ୍ତ ଆକ୍ରମଣକାରୀମାନେ ରାଜପ୍ରାସାଦ ଓ ରାଜାନୁଦାନରେ ନିର୍ମିତ ମନ୍ଦିର ଲୁଣ୍ଠନ କରିବା ଉପରେ ଗୁରୁତ୍ୱ ଦେଉଥିଲେ । ଯେ କୌଣସି ରାଜ୍ୟରେ ରାଜପ୍ରସାଦ ତୁଳନାରେ ଯେହେତୁ ମନ୍ଦିରଗୁଡିକର ସଂଖ୍ୟା ଅଧିକ ଏବଂ ସେଗୁଡିକ କମ୍‍ ସୁରକ୍ଷିତ, ଆକ୍ରମଣ ମନ୍ଦିର ଉପରେ ହେବା ସ୍ୱାଭାବିକ । ରାଜ୍ୟବାସୀଙ୍କ ଦୃଷ୍ଟିରେ ପରାଜିତ ରାଜାଙ୍କ ପରାକ୍ରମକୁ କ୍ଷୁଣ୍ଣ କରିବାରେ ମଧ୍ୟ ଏହା ସହାୟକ ହେଉଥିଲା । ଗଜପତିଙ୍କ ସମୟର ପ୍ରାଶାସନିକ ବ୍ୟବସ୍ଥା

  ଗଜପତି ବା ସୂର୍ଯ୍ୟବଂଶୀ ପ୍ରାଶାସନିକ ବ୍ୟବସ୍ଥାରେ କାର୍ଯ୍ୟତଃ ରାଜା ବା ଗଜପତି ରାଜ୍ୟର ସର୍ବେସର୍ବା ଥିଲେ । ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ବୋଲି ତାଙ୍କୁ ମନେ କରାଯାଉଥିଲା । ବିଶ୍ୱାସ ଥିଲା ଯେ ତାଙ୍କର (ରାଜାଙ୍କର) ବିରୋଧ କରିବା ଅର୍ଥ ଜଗନ୍ନାଥଙ୍କର ବିରୋଧୀ ହେବା ! ଅନେକ ଥର ପରମ୍ପରା ଓ ରୀତି ବହିର୍ଭୂତ ଆଚରଣ କରି ସୁଦ୍ଧା ରାଜା ଜନବିରୋଧକୁ ଏଡାଇ ଯାଉଥିଲେ,କାରଣ ଜଗନ୍ନାଥଙ୍କ ଆଦେଶରେ ପଦକ୍ଷେପଟି ନିଆଗଲା ବୋଲି ପ୍ରଚାର କରାଯାଉଥିଲା । ବ୍ରାହ୍ମଣମାନେ ଜଗନ୍ନାଥଙ୍କ ତଥାକଥିତ ବାଣୀକୁ ଆବଶ୍ୟକମତେ ବ୍ୟାଖ୍ୟା କରୁଥିଲେ । ତେଣୁ ବ୍ରାହ୍ମଣମାନଙ୍କ ସମର୍ଥନ ଲାଭ କରିବା ସକାଶେ ଗଜପତି ତଥା ଅନ୍ୟ ରାଜାମାନେ ବ୍ରାହ୍ମଣମାନଙ୍କୁ ଆଶାନୁରୂପ ପୃଷ୍ଠପୋଷକତା ପ୍ରଦାନ କରୁଥିଲେ । ରାଜବଂଶଜ ନ ହେବା ସତ୍ତ୍ୱେ, ଗଙ୍ଗରାଜାଙ୍କୁ ବିତାଡ଼ିତ କରି କପିଳେନ୍ଦ୍ରଦେବଙ୍କ ସିଂହାସନ ଆରୋହଣ, ଜ୍ୟେଷ୍ଠ ପୁତ୍ର ନ ହେବା ସତ୍ତ୍ୱେ ପୁରୁଷୋତ୍ତମଦେବଙ୍କ ରାଜତ୍ୱପ୍ରାପ୍ତି ଆଦି ରୀତି ବହିର୍ଭୂତ କାର୍ଯ୍ୟ ଜଗନ୍ନାଥଙ୍କ ନାମରେ ନିଆଯାଇ ଥିବାରୁ ଗୃହୀତ ହୋଇଗଲା । ଅନ୍ୟ ଶବ୍ଦରେ କହିଲେ, ମଧ୍ୟ-ଯୁଗରେ, ରାଜା ଓ ବ୍ରାହ୍ମଣମାନଙ୍କ ମଧ୍ୟରେ ମେଣ୍ଟ ଥିଲା ରାଷ୍ଟ୍ରର ପ୍ରମୁଖ ଆଧାର ।

ଗଜପତିଙ୍କୁ ପ୍ରଶାସନରେ ସାହାଯ୍ୟ କରିବାପାଇଁ ବ୍ରାହ୍ମଣ ବା ପୁରୋହିତବର୍ଗଙ୍କ ବ୍ୟତୀତ ମନ୍ତ୍ରିପରିଷଦ ଓ ଅନ୍ୟ ଅଧିକାରୀମାନେ ମଧ୍ୟ ରହିଥିଲେ । ସେମାନଙ୍କୁ 'ପାତ୍ର', 'ମହାପାତ୍ର', 'ବେହେରା-ମହାପାତ୍ର' ଓ 'ସାମନ୍ତ' କୁହାଯାଉଥିଲା । ଗଜପତି ସାମ୍ରାଜ୍ୟ 'ମହାରାଜ୍ୟ' ନାମରେ ପରିଚିତ ଥିଲା । ତାକୁ କେତେକ ଦଣ୍ତପାଟ ଓ ରାଜ୍ୟରେ ବିଭକ୍ତ କରାଯାଇଥିଲା । ରାଜ୍ୟର ସର୍ବୋଚ୍ଚ ଅଧିକାରୀଙ୍କୁ ରାଜା ବା ପରୀକ୍ଷ କୁହାଯାଉଥିଲା । ସାଧାରଣତଃ ରାଜପରିବାରର ବ୍ୟକ୍ତି ବା ରାଜକୁମାରଙ୍କୁ ରାଜ୍ୟର ପ୍ରାଶାସନିକ ଦାୟିତ୍ୱ ଦିଆଯାଉଥିଲା । ରାଜ୍ୟପାଳ ରାଜସ୍ୱର କିଛି ଅଂଶ ରଖି ବଳକା ଅଂଶକୁ ରାଜକୋଷରେ ଜମା କରୁଥିଲେ । କପିଳେନ୍ଦ୍ରଦେବଙ୍କ ସମୟରେ ମହାରାଜ୍ୟ ଖୁବ୍‍ ବିସ୍ତାର ଲାଭ କରିଥିଲା । ସାମନ୍ତ ରାଜାମାନେ ଗଜପତିଙ୍କୁ ବାର୍ଷିକ ଦେୟ ଓ ଯୁଦ୍ଧ ସମୟରେ ସୈନ୍ୟ ସହାୟତା ପ୍ରଦାନ କରୁଥିଲେ । ଆଭ୍ୟନ୍ତରୀଣ ଶାସନ ସେମାନଙ୍କ ଦାୟିତ୍ୱରେ ଚାଲିଥିଲା । ଗଜପତି ତହିଁରେ ହସ୍ତକ୍ଷେପ କରୁ ନଥିଲେ । ଅନେକ ସମୟରେ ଗଜପତିଙ୍କ ଦୁର୍ବଳତାର ସୁଯୋଗ ନେଇ ସେମାନେ ନିଜକୁ ସ୍ୱାଧୀନ ଘୋଷଣା କରୁଥିଲେ ।

କେତେକ ସ୍ଥାନରେ ଗଜପତିଙ୍କ ପ୍ରତ୍ୟକ୍ଷ କର୍ତ୍ତୃତ୍ୱରେ ଥିବା ରାଜ୍ୟକୁ ଦଣ୍ତପାଟ ମଧ୍ୟ କୁହାଯାଇଛି । ତା'ର ପ୍ରାଶାସନିକ ମୁଖ୍ୟଙ୍କୁ ଦଣ୍ତପରୀକ୍ଷ ବା ଅଧ୍ୟକ୍ଷ ବୋଲି କୁହାଯାଉଥିଲା । ସେମାନଙ୍କୁ ଗଜପତି ନିଯୁକ୍ତି ଦେଉଥିଲେ । ଦଣ୍ତପାଟକୁ କେତୋଟି ବିଶିରେ ବିଭକ୍ତ କରାଯାଉଥିଲା ଏବଂ ତା'ର ଅଧିକାରୀଙ୍କୁ 'ବିଶୋୟୀ' କୁହାଯାଉଥିଲା । ସେହିଭଳି ଗ୍ରାମର ମୁଖ୍ୟ ଥିଲେ 'ଭୋଇ' । କାଳକ୍ରମେ ଏହି ଅଧିକାରୀମାନେ ବଂଶାନୁକ୍ରମିକ ଭାବେ ନିଜ ନିଜ ପଦବୀରେ ରହି ଉକ୍ତ ପଦବୀକୁ ବଂଶର ସାଙ୍ଗିଆ ଭାବରେ ବ୍ୟବହାର କରୁଥିଲେ । ରାଜପ୍ରଦତ୍ତ ଏହି 'ସାଙ୍ଗିଆ' ସେମାନଙ୍କୁ ସାମାଜିକ ପ୍ରତିଷ୍ଠା ଦେଲା ତଥା ଅସ୍ମିତା ପ୍ରଦାନ କରିବାରେ ସାହାଯ୍ୟ କଲା । ଗଜପତି ଶାସନର ଅବସାନ ପରେ ମଧ୍ୟ ସେମାନେ ଉକ୍ତ ସାଙ୍ଗିଆକୁ ବ୍ୟବହାର କଲେ ।   ସୂର୍ଯ୍ୟବଂଶକାଳୀନ କେତେକ ତଥ୍ୟରୁ ତତ୍‍କାଳୀନ ସାମରିକ ବ୍ୟବସ୍ଥା ସମ୍ୱନ୍ଧରେ ମଧ୍ୟ ଅନେକ ତଥ୍ୟ ଜାଣିବାକୁ ମିଳେ । ଗଙ୍ଗ ରାଜତ୍ୱରୁ ଉତ୍ତରାଧିକାରରେ ସୂର୍ଯ୍ୟବଂଶୀମାନଙ୍କୁ ଏକ ବିଶାଳ ସେନା ପ୍ରାପ୍ତ ହୋଇଥିଲା । ଏହାକୁ ସୁସଂଗଠିତ କରି ସେମାନେ ରାଜ୍ୟବିସ୍ତାର ଓ ଦିଗ୍‍ବିଜୟ ପାଇଁ ବ୍ୟବହାର କରୁଥିଲେ । ସେତେବେଳେ ରାଜ୍ୟର ପ୍ରତିଷ୍ଠା ମୁଖ୍ୟତଃ ସେନା ସଂଗଠନ ଉପରେ ନିର୍ଭର କରୁଥିଲା । ପଡ଼ୋଶୀ ରାଜ୍ୟ ଆକ୍ରମଣ କରି ସେନା ଧନରତ୍ନ ଆଣୁଥିଲେ, ଯାହାର ଲାଭ ରାଜ ଅନୁଦାନରେ ରହିଥିବା ଅନେକ ସାମାଜିକ ବର୍ଗକୁ ମିଳୁଥିଲା । ମନ୍ଦିର ନିର୍ମାଣ ଆଦି ବ୍ୟୟ ବହୁଳ କାର୍ଯ୍ୟର ପ୍ରତ୍ୟକ୍ଷ ଲାଭ କାରିଗର, ସ୍ଥପତି ଆଦି ସାମାଜିକବର୍ଗଙ୍କଠାରୁ ଆରମ୍ଭ କରି ପୁରୋହିତବର୍ଗକୁ ମଧ୍ୟ ମିଳୁଥିଲା । ସେନାର ସଫଳତା ଉପରେ ଅନେକାଂଶରେ ଏହା ନିର୍ଭର କରୁଥିଲା । ଯୁଦ୍ଧରେ ରାଜାଙ୍କ ପରାଜୟ, ରାଜବଂଶ ପତନର ମୁଖ୍ୟ କାରଣ ହେଉଥିଲା ।

ରାଜାଙ୍କର ଏକ ନିୟମିତ ସେନା ରହିଥିଲା । ମାତ୍ର ଯୁଦ୍ଧବେଳେ ସହଯୋଗପାଇଁ ସାମନ୍ତ ରାଜାମାନେ ମଧ୍ୟ ସୈନ୍ୟ ପ୍ରେରଣ କରୁଥିଲେ । ରାଜ୍ୟ ତଥା ସମାଜର ବିଭିନ୍ନ ସାମାଜିକବର୍ଗର ସମୃଦ୍ଧି ଯୁଦ୍ଧ ଜୟ ଉପରେ ନିର୍ଭର କରୁଥିବାରୁ ଲୋକଙ୍କୁ ଯୁଦ୍ଧରେ ଯୋଗ ଦେବାକୁ ସବୁ ସ୍ତରରେ ପ୍ରେରଣା ଦିଆଯାଉଥିଲା । କପିଳେନ୍ଦ୍ର ଦେବଙ୍କ ସମୟରେ ଲିଖିତ ସାରଳା ଦାସଙ୍କ ମହାଭାରତରେ ରଣଭୂମିରେ ନିହତ ହେବା ଏକ ଗୌରବମୟ କାର୍ଯ୍ୟ ବୋଲି କୁହାଯାଇଛି । ଯୁଦ୍ଧରେ ଭାଗ ନେଇଥିବା ସୈନିକର ସାମାଜିକ ସମ୍ମାନ ବୃଦ୍ଧି ପାଉଥିଲା । ତେଣୁ ସାମୟିକ ଭାବେ ଯୋଗ ଦେଇଥିବା ଅନିୟମିତ ସୈନିକ ମଧ୍ୟ ଯୁଦ୍ଧ ପରେ ତାଙ୍କ ପଦବୀକୁ ନାଁର ସାଙ୍ଗିଆ ବା ସଂଜ୍ଞା ଭାବରେ ବ୍ୟବହାର କରୁଥିଲେ । ଅନେକ ଛୋଟଚାଷୀ, ରୟତ ଓ ତଥାକଥିତ 'ତଳ' ଜାତିର ଲୋକ ମଧ୍ୟ ଯୁଦ୍ଧରେ ଭାଗ ନେଉଥିଲେ ବୋଲି ସେମାନଙ୍କ ସାଙ୍ଗିଆରୁ ଜଣାପଡେ଼ । 'ସେନାପତି', 'ଚମ୍ପତି' (ଛାମୁପତି), 'ରାଉତରାୟ' (ପଦାତିକ ରାଉତ ସେନାର ଅଧିକାରୀ), 'ସାହାଣୀ' (ଗଜାରୋହୀ), 'ଦଣ୍ତପାଟ', 'ଦଣ୍ତସେନା', 'ପଶ୍ଚିମକବାଟ', 'ଉତ୍ତରକବାଟ', 'ମାନସିଂହ', 'ରାୟସିଂହ', 'ବଳୀୟାରସିଂହ', 'ପାହାଡ଼ସିଂହ', 'ସାମନ୍ତସିଂହାର', 'ବେହେରା', 'ନାୟକ', 'ଜେନା', 'ବଡ଼ଜେନା', 'ପ୍ରଧାନ', 'ଦଣ୍ତପାଣି', 'ଦଳବେହେରା', 'ଗଡ଼ନାୟକ' ଓ 'ଖୁଣ୍ଟିଆ' ଆଦି ଥିଲା ସେନାସମ୍ପର୍କିତ ପଦପଦବୀ । ଯୁଦ୍ଧରେ ଅଂଶଗ୍ରହଣ କରିଥିବାରୁ ଏହି ସଂଜ୍ଞାଧାରୀ ଲୋକ ଶାନ୍ତି ସମୟରେ ମଧ୍ୟ ନିଜ ନିଜ ସ୍ତରରେ ଏବଂ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ପ୍ରାଶାସନିକ ଦାୟିତ୍ୱ ପାଇ ପାରୁଥିଲେ । ସେନାରେ ଧନୁ, ତ୍ରୋଣ, ଶର, ଅସି, ଜଠି, ଗୁରୁଜ, ଶାବେଳି ଆଦି ପାରମ୍ପରିକ ଅସ୍ତ୍ରର ବ୍ୟବହାର ହେଉଥିଲା । ସୈନିକ ଓ ସେନାନାୟକଙ୍କୁ ବାଦଦେଲେ, ସେନାରେ ଧ୍ୱଜାଧାରୀ, ବାଦ୍ୟକାର ଆଦି ମଧ୍ୟ ରହୁଥିଲେ । ସାରଳା ଦାସଙ୍କ ମହାଭାରତରେ ଏ ସବୁର ଉଲ୍ଲେଖ ରହିଛି । ଯଦିଓ ସାରଳା ଦାସ କପିଳେନ୍ଦ୍ର ଦେବଙ୍କର କୌଣସି ଯୁଦ୍ଧ କଥା ବର୍ଣ୍ଣନା କରି ନାହାନ୍ତି, ତାଙ୍କ କୃତିରେ ମହାଭାରତ ଯୁଦ୍ଧର ବର୍ଣ୍ଣନା ରହିଛି । ସେଥିରେ ସମକାଳୀନ ସୈନିକ ଚାଳନା ଓ ସାମରିକ ବ୍ୟବସ୍ଥାର ପ୍ରତିଫଳନ ସ୍ପଷ୍ଟ ଭାବେ ଦେଖିବାକୁ ମିଳେ ।   ଗଜପତିଙ୍କ ସେନା ବାହନୀରେ ପଦାତିକ ସୈନ୍ୟଙ୍କର ସଂଖ୍ୟା ଅଧିକ ଥିଲା ବୋଲି ପର୍ତ୍ତୁଗୀଜ ବ୍ୟାଖ୍ୟାକାର ନ୍ୟୁନିଜ ଉଲ୍ଲେଖ କରିଛନ୍ତି । କପିଳେନ୍ଦ୍ରଦେବଙ୍କ ଗଜବାହିନୀ ଶତ୍ରୁମାନଙ୍କପାଇଁ ଭୟର କାରଣ ହେଉଥିଲା ବୋଲି ଅନେକ ସମକାଳୀନ ବିବରଣୀରେ ଉଲ୍ଲେଖ ରହିଛି । ନ୍ୟୁନିଜଙ୍କ ଅନୁଯାୟୀ, କୃଷ୍ଣଦେବ ରାୟଙ୍କ ସହ ଯୁଦ୍ଧ କଲାବେଳେ ଗଜପତି ସେନାରେ ୧୩୦୦ ହସ୍ତୀ ଥିଲେ । ଜଗନ୍ନାଥଙ୍କ ନାମରେ ଗଜପତି ଯୁଦ୍ଧ କରୁଥିବାରୁ ସାମନ୍ତ ରାଜାମାନେ ଯଥୋଚିତ ସୈନ୍ୟ ସହାୟତା କରିବାରେ ହେଳା କରୁନଥିଲେ । ହସ୍ତୀବାହିନୀ ମଧ୍ୟ ବିଶେଷ କରି ସାମନ୍ତ ରାଜାମାନଙ୍କର ଦାନ ହୋଇଥିବା ବଡ଼ କଥା ନୁହେଁ । ଜଗନ୍ନାଥଙ୍କ ନାମରେ ଗଜପତି ଓଡ଼ିଶାର ସମସ୍ତ ରାଜାଙ୍କୁ ଏକଜୁଟ୍‍ କରିପାରିଥିଲେ । ଦ୍ୱିତୀୟତଃ, ଜଗନ୍ନାଥଙ୍କଯୋଗୁଁ ସେ ରାଜାମାନଙ୍କ ମଧ୍ୟରେ ସର୍ବମାନ୍ୟ ହେବାର ସାମର୍ଥ୍ୟ ରଖୁଥିଲେ । ଏହା ତାଙ୍କୁ ବିଶାଳ ସେନା ଚାଳନା କରିବାରେ ସାହାଯ୍ୟ କରୁଥିଲା । ତାହା ବ୍ୟତୀତ ଓଡ଼ିଶାର ରାଜାମାନଙ୍କ ମଧ୍ୟରେ ଅନ୍ତରୀଣ ବିବାଦର ସମାଧାନ ବେଳେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହୁଥିଲା । ଏହା ତାଙ୍କର ପଦମର୍ଯ୍ୟାଦାକୁ ବୃଦ୍ଧି କରିବାରେ ସାହାଯ୍ୟ କରୁଥିଲା । ସେ ଥିଲେ ବସ୍ତୁତଃ ପ୍ରାକୃତିକ ଓଡ଼ିଶାର ସମ୍ରାଟ ।

ଗଜପତି ପ୍ରାଶାସନିକ ଓ ସାମରିକ ବ୍ୟବସ୍ଥାରେ ଦୁର୍ଗଗୁଡ଼ିକର ଅନେକ ପ୍ରାଧାନ୍ୟ ଥିଲା । ଗଙ୍ଗରାଜତ୍ୱ ସମୟରେ ଅନେକ ଦୁର୍ଗ ନିର୍ମିତ ହୋଇଥିଲା, ଯାହାକୁ ଉତ୍ତରାଧିକାର ସୂତ୍ରରେ ଗଜପତି ଉପଯୋଗ କରୁଥିଲେ । ରାଜ୍ୟ ଜୟବେଳେ ମଧ୍ୟ ଅନେକ ନୂଆ ଦୁର୍ଗ ଗଜପତିଙ୍କ କର୍ତ୍ତୃତ୍ୱକୁ ଆସିଥିଲା । ଏହା ବ୍ୟତୀତ ଗଜପତି ଅନେକ ନୂଆ ଦୁର୍ଗ ନିର୍ମାଣ କରିଥିଲେ । ଦୁର୍ଗରେ ସୈନ୍ୟ ଛାଉଣି ପଡୁଥିଲା; ସ୍ଥାନୀୟ ପ୍ରାଶାସନିକ କେନ୍ଦ୍ର ରୂପେ ତାହା କାର୍ଯ୍ୟ କରୁଥିଲା । ରାଜାଙ୍କ କୋଠଘର ଓ ରାଜସ୍ୱ କେନ୍ଦ୍ର ଭାବରେ ମଧ୍ୟ ଦୁର୍ଗଗୁଡ଼ିକର ବ୍ୟବହାର ହେଉଥିଲା । କେତୋଟି ପ୍ରମୁଖ ଦୁର୍ଗ ମଧ୍ୟରେ ରହିଥିଲା: ମନ୍ଦାରନଦୁର୍ଗ (ହୁଗୁଳି ଜିଲ୍ଲାର ଭିତରଗଡ଼), ଦାମୋଦର ନଦୀ କୂଳସ୍ଥିତ କୋଟାସିନ ଦୁର୍ଗ, ବାଲେଶ୍ୱର ଜିଲ୍ଲାସ୍ଥିତ ଦେଉଳଗଡ଼ ଓ ରାୟବଣିଆ ଦୁର୍ଗ, ଯାଜପୁର କଟକ(ଦୁର୍ଗ), ଛତିଆ ନିକଟସ୍ଥ ଅମରାବତୀ କଟକ, ଚୌଦ୍ୱାର କଟକ, ବାରାଣସୀ କଟକ (ଆଧୁିକ କଟକ ସହର) ଏବଂ ବାରଙ୍ଗ ନିକଟସ୍ଥ ଚୂଡଙ୍ଗ କଟକ । ଏହି ସବୁ ବଡ଼ ଦୁର୍ଗ ବ୍ୟତୀତ ହୁମା, ଖିମିଡି, ଚିକିଟି, ପାଲୁର, ଖଲିକୋଟ ଓ ଆଠଗଡରେ ସାନ ସାନ ଦୁର୍ଗମାନ ରହିଥିଲା । ଦକ୍ଷିଣ ବିଜୟ ପରେ ପ୍ରାପ୍ତ ହୋଇଥିବା ଦେବରକୋଣ୍ତା ଦୁର୍ଗ (ନାଲଗୋଣ୍ତା ଜିଲ୍ଲା), ଓ୍ୱାରଂଗଲ ଦୁର୍ଗ, ନେଲୋର ଜିଲ୍ଲାସ୍ଥିତ ଉଦୟଗିରି ଦୁର୍ଗ ଓ ଗୁଣ୍ଟୁର ନିକଟସ୍ଥ କୋଣ୍ତାବିଡୁ ଦୁର୍ଗକୁ ମଧ୍ୟ ଗଜପତି ରାଜାଙ୍କ ସାମନ୍ତମାନେ ବ୍ୟବହାର କରୁଥିଲେ । ଦୁର୍ଗ ଯେହେତୁ ପ୍ରାଶାସନିକ ଓ ସାମରିକ କ୍ଷମତାର କେନ୍ଦ୍ର ଥିଲା, ତାର ଅଧିକାରପାଇଁ ଯୁଦ୍ଧ ବେଳେ ଶତ୍ରୁରାଜା ଉଦ୍ୟମ କରୁଥିଲେ । ଦୁର୍ଗ ଉପରେ ନିୟନ୍ତ୍ରଣ ଥିବା ଯାଏ ଉକ୍ତ କ୍ଷେତ୍ରରେ ରାଜଶକ୍ତି ପରାଜିତ ହୋଇନଥିବା ସୁସ୍ପଷ୍ଟ ହେଉଥିଲା । ଦିଗ୍‍ବିଜୟବେଳେ ଗଜପତି ସେନା ଶତ୍ରୁ ରାଜ୍ୟର ଦୁର୍ଗଗୁଡିକୁ ଧ୍ୱଂସ ନକରି ନିଜ ଉଦ୍ଦେଶ୍ୟରେ ବ୍ୟବହାର କରୁଥିଲେ । ଏହା ଗଜପତି ରାଜାଙ୍କ ଦୂରଦୃଷ୍ଟିକୁ ଇଙ୍ଗିତ କରେ ।

...

ମଧ୍ୟଯୁଗୀୟ ଓଡ଼ିଶାରେ
ସାଂସ୍କୃତିକ ବିକାଶ

  ମଧ୍ୟଯୁଗୀୟ ଓଡ଼ିଶାରେ ଭାଷା-ସାହିତ୍ୟ, ସ୍ଥାପତ୍ୟ, କାରିଗରି, ଧର୍ମ, ସଂସ୍କୃତି ଆଦି କ୍ଷେତ୍ରରେ ନାନା ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହି ପରିବର୍ତ୍ତନକୁ ଆମେ ସାଂସ୍କୃତିକ ବିକାଶ ନାମରେ ନାମିତ କରିପାରିବା । ସୋମବଂଶୀ ରାଜତ୍ୱ କାଳରେ ଏହି ସାଂସ୍କୃତିକ ବିକାଶର ଆରମ୍ଭ ହୋଇ ପ୍ରଥମେ ଗଙ୍ଗବଂଶ ଓ ପରେ ଗଜପତି ଶାସନ ସମୟରେ ତା'ର ଧାରା ବ୍ୟାପକ ହେଲା । ରାଜନୀତିକ ଦୃଷ୍ଟିରୁ ଅନେକ କ୍ଷୁଦ୍ର ରାଜ୍ୟର ସମଷ୍ଟି ହୋଇଥିବା ସତ୍ତ୍ୱେ ଓଡ଼ିଶା, କଳିଙ୍ଗ ବା ଉତ୍କଳ ନାମରେ ଏକ ବିଶାଳ ରାଜ୍ୟର ଉତ୍‍ଥାନ ଏହି ସମୟରେ ଦେଖିବାକୁ ମିଳିଥିଲା । ରାଜନୈତିକ ଏକତା ଲୋକଙ୍କ ମଧ୍ୟରେ ସାଂସ୍କୃତିକ ଏକତାକୁ ଜନ୍ମଦେଲା ବୋଲି କହିବା ଯଦିଓ ଅତ୍ୟୁକ୍ତି ହେବ, ତଥାପି ପରସ୍ପର ପ୍ରତି ଉଭୟ ଅନୁପୂରକ ହେଲେ ବୋଲି କହିବା ଅସମୀଚୀନ ହେବ ନାହିଁ । ଆଧୁନିକ ଜାତୀୟତାଭାବର ଏକ ପୂର୍ବ ଅବସ୍ଥା ବୋଲି ମଧ୍ୟ ତାହାକୁ କହିହେବ ।

ଭାଷା ଓ ସାହିତ୍ୟ   ସପ୍ତମ ଶତାବ୍ଦୀରୁ ଆରମ୍ଭ କରି ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାରେ ସଂସ୍କୃତ ଭାଷା ଓ ସାହିତ୍ୟର ଖୁବ୍‍ ପ୍ରଭାବ ରହିଥିଲା । ସାଧାରଣ ଲୋକ ଯଦିଓ ସଂସ୍କୃତକୁ ଭାବର ଆଦାନ ପ୍ରଦାନ ପାଇଁ ମାଧ୍ୟମ ରୂପେ ବ୍ୟବହାର କରୁ ନଥିଲେ, ବୌଦ୍ଧିକ ବର୍ଗରେ ଏହାର ଖୁବ୍‍ ଆଦର ରହିଥିଲା । ଲୋକେ ସଂସ୍କୃତକୁ ହିଁ ଶିକ୍ଷା ବୋଲି ବୁଝୁଥିଲେ । ଭୌମ ତାମ୍ରଶାସନରେ ରହିଥିବା ପ୍ରଶସ୍ତିରେ ଉଚ୍ଚମାନର ସଂସ୍କୃତ ଶ୍ଳୋକମାନ ଦେଖିବାକୁ ମିଳେ । ତହିଁରେ ରହିଥିବା ଦ୍ୱିଅର୍ଥବୋଧକ ଶବ୍ଦଗୁଡ଼ିକର ପ୍ରୟୋଗକୁ ଦେଖିଲେ ମନେହୁଏ, ଲେଖକ ନିଶ୍ଚିତ ରୂପେ ସଂସ୍କୃତରେ ଖୁବ୍‍ ଧୁରୀଣ ଥିଲେ । ଭୌମରାଣୀ ଧର୍ମ ମହାଦେବୀ ପ୍ରଦତ୍ତ ତଲତଲି ତାମ୍ରଶାସନର ସମ୍ପାଦନା କରି ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତହିଁରେ ବ୍ୟବହୃତ ଅନେକ ଶବ୍ଦର ଏକାଧିକ ଅର୍ଥ ରହିଥିବା କଥା କହିଛନ୍ତି । ଗଙ୍ଗ ଓ ଗଜପତି ଶାସନ କାଳରେ ଦିଆଯାଇଥିବା ତାମ୍ର ଶାସନରେ ମଧ୍ୟ ଉଚ୍ଚକୋଟୀର ସଂସ୍କୃତ ଭାଷାର ବ୍ୟବହାର ଦେଖିବାକୁ ମିଳିଥାଏ ।   ଅନୁଶାସନ ଓ ତାମ୍ରଶାସନ ବ୍ୟତୀତ ପ୍ରାଚୀନ କାଳରୁ ଅନେକ ସାହିତ୍ୟିକ ରଚନା ମଧ୍ୟ ସଂସ୍କୃତରେ ଓଡ଼ିଶାକୁ ଭିତ୍ତି କରି ଲେଖାଯାଇଛି । ଐତିହାସିକ ଶରତଚନ୍ଦ୍ର ବେହେରାଙ୍କ ମତରେ ପଞ୍ଚମ-ଷଷ୍ଠ ଶତାବ୍ଦୀରେ ଲିଖିତ ଏବଂ ପରବର୍ତ୍ତୀ ସମୟରେ ବହୁଳ ଭାବେ ପ୍ରସାରିତ ପଞ୍ଚତନ୍ତ୍ରର ଲେଖକ ବିଷ୍ଣୁଶର୍ମାଙ୍କ ରଚନାର ପଟ୍ଟଭୂମି ଥିଲା କଳିଙ୍ଗ । ସମୁଦ୍ର ଉପକୂଳରେ ସ୍ଥାପିତ ଏହି ରାଜ୍ୟ ଉତ୍କୃଷ୍ଟ ମାନର ହସ୍ତୀପାଇଁ ପ୍ରସିଦ୍ଧ ଥିଲା, ଯାହା ପଞ୍ଚତନ୍ତ୍ରର ଅନେକ ଗଳ୍ପର ଭିତ୍ତିଭୂମି ସୃଷ୍ଟି କରେ ।

ସୋମବଂଶୀ ରାଜତ୍ୱର ଶେଷ ଭାଗରେ ଅର୍ଥାତ୍‍ ଏକାଦଶ ଶତାବ୍ଦୀରେ ସତାନନ୍ଦ ନାମରେ ଜଣେ ପଣ୍ତିତ ସଂସ୍କୃତରେ ଅନେକ ଜ୍ୟୋତିର୍ବିଜ୍ଞାନ ସମ୍ୱନ୍ଧୀୟ ରଚନା ସୃଷ୍ଟି କରିଥିବାର ଦୃଷ୍ଟାନ୍ତ ରହିଛି । ସେ ପୁରୁଷୋତ୍ତମ ବା ପୁରୀ ନିବାସୀ ଥିଲେ ଏବଂ 'ସ୍ମୃତି'ର ଲେଖକ ଭାବରେ ଖ୍ୟାତ । ସେହିଭଳି ମୁରାରି ମିଶ୍ର ସଂସ୍କୃତରେ 'ଅନର୍ଘ ରାଘବ ନାଟକମ୍‍' ନାମରେ ଏକ ନାଟକ ଲେଖିଥିଲେ, ଯାହା ଜଗନ୍ନାଥ ପ୍ରତିମା ସମ୍ମୁଖରେ ପର୍ବପର୍ବାଣିରେ ମଞ୍ଚସ୍ଥ ହେଉଥିଲା । ମୁରାରି ମିଶ୍ର ନବମ ଶତାବ୍ଦୀର ମଧ୍ୟ ଭାଗରେ ଏହି ନାଟକ ଲେଖିଥିଲେ ବୋଲି କୁହାଯାଏ ।

ଦ୍ୱାଦଶ ଶତାବ୍ଦୀର ଜଣେ ପ୍ରସିଦ୍ଧ କବି ହେଲେ ଜୟଦେବ, ଯିଏ 'ଗୀତଗୋବିନ୍ଦ' ରଚନା କରିଥିଲେ । ଗୀତ ଗୋବିନ୍ଦ ଯଦିଓ ଏକ ବୃହତ୍‍ କାବ୍ୟ ନୁହେଁ, ସାଂଗୀତିକତାପାଇଁ ଏହା ଲୋକସ୍ତରକୁ ପ୍ରସାରିତ ହୋଇ ଆସିଛି । ପୁରୀ ଜଗନ୍ନାଥ ମନ୍ଦିରରେ ଏହାର ଗାୟନ ଓ ପ୍ରଦର୍ଶନ ବହୁ ଦିନରୁ ଚଳି ଆସିଛି । ସେତେବେଳେ ଯେହେତୁ ମୁଦ୍ରଣର ବ୍ୟବସ୍ଥା ନଥିଲା, ପୋଥିଗୁଡିକୁ ତାଳପତ୍ରରେ ଲିପିକାରମାନେ ସୁନ୍ଦର ହସ୍ତାକ୍ଷରରେ ନକଲ କରୁଥିଲେ । କାବ୍ୟର ଲୋକପ୍ରିୟତା ତା'ର ନକଲର କିସମରୁ ଜଣାପଡେ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ଗୀତଗୋବିନ୍ଦର ଅନ୍ୟୂନ ଶହେଟି ନକଲ (କପି) ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିଛି, ଯାହା ତା'ର ଲୋକପ୍ରିୟତାକୁ ସୁସ୍ପଷ୍ଟ କରେ । ଗୀତଗୋବିନ୍ଦରେ ରାଧା ଓ କୃଷ୍ଣଙ୍କର ପ୍ରେମ ବନ୍ଧନକୁ ଏକ ବୈପ୍ଳବିକ ଭାବଦେଇ ଅଭିବ୍ୟକ୍ତ କରାଯାଇଛି । କବି ଜୟଦେବ ପ୍ରେମରେ ରହିଥିବା ଦୈହିକ ଆବେଗକୁ ଉନ୍ମୁକ୍ତ କରି ଭାବ ରାଜ୍ୟରେ ଏକ ବିପ୍ଳବ ଆଣିଛନ୍ତି ।

ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ଅନେକ ବିବାଦ ରହିଛି । କାରଣ କବି ନିଜ ଜନ୍ମସ୍ଥାନ କଥା ସ୍ପଷ୍ଟ ଭାବରେ କାବ୍ୟରେ କେଉଁଠି ଉଲ୍ଲେଖ କରି ନାହାନ୍ତି । ବଙ୍ଗ, ଓଡ଼ିଶା ଓ ମିଥିଳା କ୍ଷେତ୍ରର ଗବେଷକମାନେ ପ୍ରତ୍ୟେକ ତାଙ୍କୁ ନିଜର ବୋଲି ଦାବି କରିଥାନ୍ତି । ଯେଉଁମାନେ ଜୟଦେବ ବଙ୍ଗରେ ଜନ୍ମିତ ବୋଲି କହନ୍ତି, ସେମାନଙ୍କ ଅନୁସାରେ ଗୀତଗୋବିନ୍ଦରେ ଉଲ୍ଲିଖିତ 'ଉମାପତିଧର', 'ସାରଣ', 'ଗୋବର୍ଦ୍ଧନ' ଏବଂ 'ଧୋୟୀ' ବଙ୍ଗରାଜା ଲକ୍ଷ୍ମଣ ସେନ୍‍ଙ୍କ ସମକାଳୀନ ସଭା ପଣ୍ତିତ ଥିଲେ । ତେଣୁ, ଜୟଦେବ ସେହି କ୍ଷେତ୍ରର ହୋଇଥିବେ । 'ଜୟଦେବ ଚରିତ' ନାମରେ ବଙ୍ଗଳାରେ ଏକ କାବ୍ୟ ମିଳିଛି । ତାହାକୁ ଆଧାର କରି ମଧ୍ୟ ଜୟଦେବ ବଙ୍ଗଳାର ବୋଲି ଯୁକ୍ତି କରାଯାଏ । ଜୟଦେବ ତାଙ୍କ ଜନ୍ମମାଟିର ନାମ 'କେନ୍ଦୁବିଲ୍ୱ' ବୋଲି କହିଛନ୍ତି । ଏହି ଗ୍ରାମ ତେନ୍ଦୁଲି ନାମରେ ବୀରଭୂମ ଜିଲ୍ଲାରେ ରହିଥିବା କୁହାଯାଏ ।   ଅନେକ ଗବେଷକ ଜୟଦେବ ଓଡ଼ିଶାର ବୋଲି କହିଥାନ୍ତି । ତାଙ୍କ ଜନ୍ମ ଭୁବନେଶ୍ୱର ନିକଟସ୍ଥ 'କେନ୍ଦୁଲି' ଗ୍ରାମ ବୋଲି ଦାବି କରାଯାଏ । ସେହି ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ମାରକୀ ଓ ସ୍ମୃତିସଂଗ୍ରହାଳୟ ମଧ୍ୟ ପ୍ରତିଷ୍ଠା ହୋଇଛି । ମାତ୍ର କେତେକ ଐତିହାସିକ ଭୁବନେଶ୍ୱର ନିକଟସ୍ଥ ଏହି କେନ୍ଦୁଲି ଗ୍ରାମର ପ୍ରାଚୀନତାକୁ ନେଇ ସନ୍ଦେହ ପ୍ରକାଶ କରନ୍ତି । ଅନ୍ୟ ପକ୍ଷରେ ଓଡ଼ିଶାର ସାହିତ୍ୟିକ ପରମ୍ପରାରେ କବିଙ୍କୁ ଓଡ଼ିଶାର ବୋଲି ଦୃଢ଼ ଭାବରେ ପ୍ରତିପାଦନ କରାଯାଏ । ସେ ଯାହାହେଉ, ଜୟଦେବଙ୍କ ଜନ୍ମସ୍ଥାନକୁ ନେଇ ବୌଦ୍ଧିକ ବିବାଦକୁ ଦେଖିଲେ ମନେହୁଏ ଯେ, ଏକ କାବ୍ୟ ଓ ତା'ର କାବ୍ୟକାର ସମାଜ ନିମନ୍ତେ ମନ୍ଦିର-ମସ୍‍ଜିଦ ବା ମିନାର-ବିହାର ଭଳି ସାଂସ୍କୃତିକ ବିଭବ ହେବାର ସାମର୍ଥ୍ୟ ରଖନ୍ତି । ଏହା କାବ୍ୟର ମହତ୍ତ୍ୱକୁ ହିଁ ଦର୍ଶାଏ ।

ଜୟଦେବଙ୍କ ବ୍ୟତୀତ ମଧ୍ୟଯୁଗର ଅନ୍ୟ ଯେଉଁ କେତେଜଣ ସଂସ୍କୃତ କାବ୍ୟକାରଙ୍କ ନାମ ଆଲୋଚନାକୁ ଆସେ, ତନ୍ମଧ୍ୟରେ ଅଛନ୍ତି : 'ଏକାବଳୀ'ର ଲେଖକ ବିଦ୍ୟାଧର, 'ସ୍ମୃତି'ର ଲେଖକ ଶ୍ରୀଧର ଆଚାର୍ଯ୍ୟ ତଥା ନୀଳାମ୍ୱର ଆଚାର୍ଯ୍ୟ ଓ ଶଙ୍ଖଧର । ବିଦ୍ୟାଧରଙ୍କୁ ଗଙ୍ଗରାଜ ପ୍ରଥମ ନରସିଂହ ଦେବଙ୍କ ସଭାକବି ବୋଲି ଅନୁମାନ କରାଯାଏ । ଏକାବଳୀରେ ସେ ନରସିଂହଦେବଙ୍କର ଯବନ ସେନା ସହିତ ହୋଇଥିବା ଯୁଦ୍ଧର ଉଲ୍ଲେଖ କରିଛନ୍ତି । ଶ୍ରୀଧର, ନୀଳାମ୍ୱର ଓ ଶଙ୍ଖଧରଙ୍କୁ ଦ୍ୱାଦଶ ଶତାବ୍ଦୀର କାବ୍ୟକାର ବୋଲି ମନେ କରାଯାଏ, ଯଦିଓ ଐତିହାସିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ମତରେ ସେମାନେ ପରବର୍ତ୍ତୀକାଳୀନ କାବ୍ୟକାର । ଶ୍ରୀଧର ଘୁମୁସର ଭଞ୍ଜ ରାଜସଭାର ପଣ୍ତିତ ଥିଲେ । ଗଙ୍ଗ ରାଜା ଦ୍ୱିତୀୟ ନରସିଂହ ଦେବଙ୍କ ସମକାଳୀନ ଶମ୍ଭୁକାର ବାଜପେୟୀ ଥିଲେ ମଧ୍ୟକାଳର ଆଉ ଜଣେ ମହତ୍ତ୍ୱପୂର୍ଣ୍ଣ କାବ୍ୟକାର । ସେ ପୁରୀ ଜିଲ୍ଲା ଦାଣ୍ତମୁକୁନ୍ଦପୁରର ନିବାସୀ ଥିଲେ । ପ୍ରସିଦ୍ଧ 'ସାହିତ୍ୟ ଦର୍ପଣ'ର ରଚୟିତା କବି ବିଶ୍ୱନାଥ ଗଙ୍ଗରାଜା ଚତୁର୍ଥ ଭାନୁଦେବଙ୍କ ସମକାଳୀନ ଥିଲେ ବୋଲି ଅନୁମାନ କରାଯାଏ । ଅର୍ଥାତ୍‍ ସେ ପଞ୍ଚଦଶ ଶତାବ୍ଦୀର ସ୍ରଷ୍ଟା । ସଂସ୍କୃତ ବ୍ୟତୀତ ପ୍ରାକୃତ ଭାଷାରେ ସେ 'କୁବଳୟା ଚରିିତ କାବ୍ୟ' ରଚନା କରିଥିଲେ ।

ସୂର୍ଯ୍ୟବଂଶର ତିିନିଜଣ ଯାକ ଶାସକ କପିଳେନ୍ଦ୍ରଦେବ, ପୁରୁଷୋତ୍ତମ ଦେବ ଓ ପ୍ରତାପରୁଦ୍ର ଦେବଙ୍କୁ କାବ୍ୟ-ରଚୟିତା ଭାବରେ ଦର୍ଶାଯାଇଛି । 'ପର୍ଶୁରାମ ବିଜୟ' (କପିଳେନ୍ଦ୍ରଦେବ), ଅଭିନବ ଗୀତଗୋବିନ୍ଦ , 'ଅଭିନବ ବେଣୀ ସଂହାର' ଓ ମୁକ୍ତି ଚିନ୍ତାମଣି (ପୁରୁଷୋତ୍ତମଦେବ) ଏବଂ 'ସରସ୍ୱତୀ ବିଳାସମ୍‍' (ପ୍ରତାପରୁଦ୍ରଦେବ)ଆଦି କାବ୍ୟର ରଚନା ଗଜପତିମାନେ କରିଥିଲେ ବୋଲି ଉଲ୍ଲେଖ କରାଯାଇଛି । ଏହି କାବ୍ୟଗୁଡିକୁ ନିଜେ ଗଜପତି ରଚନା କରିଥିଲେ କି ନାହିଁ, ସେ ନେଇ ଏ ଯାଏ ସନ୍ଦେହ ଦୂରୀଭୂତ ହୋଇନାହିଁ । ମାତ୍ର ଏଥିରୁ ପ୍ରମାଣିତ ହୁଏ ଯେ, ଗଜପତିମାନେ ମଧ୍ୟ କାବ୍ୟକାରର ପରିଚୟ ଖୋଜିଛନ୍ତି, ଯାହା ମଧ୍ୟକାଳୀନ ସମାଜର ସାଂସ୍କୃତିକ ବିକାଶକୁ ଇଙ୍ଗିତ କରେ ।

ମଧ୍ୟକାଳୀନ ଓଡ଼ିଶାରେ ସଂସ୍କୃତ ସହିତ ଓଡ଼ିଆ ଭାଷା ଓ ସାହିତ୍ୟର ମଧ୍ୟ ବିକାଶ ଦେଖିବାକୁ ମିଳିଥାଏ । ଏକ ଲିଖିତ ଭାଷା ଭାବରେ ଓଡ଼ିଆର ଆରମ୍ଭ କେବେ ହୋଇଥିଲା, ତାହା ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର । ସମ୍ଭବତଃ ସଂସ୍କୃତର ଅପଭ୍ରଂଶ ପ୍ରାଚ୍ୟ-ପ୍ରାକୃତ ଓ ସଂସ୍କୃତର ପ୍ରଚଳନ ପ୍ରାଚୀନ କାଳରୁ ଓଡ଼ିଶାରେ ରହିଆସିଥିଲା । ଭଦ୍ରକରୁ ପ୍ରାପ୍ତ ତୃତୀୟ ଶତାବ୍ଦୀର ଏକ ଶିଳାଲିପିରୁ ଜଣାଯାଏ ଯେ, ସେତେବେଳେ ରାଜଭାଷା ରୂପେ ପ୍ରାକୃତର ପ୍ରଚଳନ ଥିଲା । ମାତ୍ର ତହିଁରେ କେତକ ସ୍ଥାନୀୟ ଶବ୍ଦ ମଧ୍ୟ ରହିଥଲା । ଏହି କାରଣରୁ ତତ୍‍କାଳୀନ ରାଜଭାଷାକୁ ପ୍ରାଚ୍ୟ-ପ୍ରାକୃତ ବୋଲି କୁହାଯାଏ । ସପ୍ତମ ଶତାବ୍ଦୀରୁ ଶୈଳୋଦ୍ଭବ, ଭୌମ ଏବଂ ସୋମବଂଶୀ ରାଜତ୍ୱ ସମୟରେ ପ୍ରାଚ୍ୟ-ପ୍ରାକୃତ ସ୍ଥାନରେ ରାଜଭାଷା ରୂପେ ସଂସ୍କୃତର ପ୍ରଚଳନ ଚାଲିଲା । ଏହା ସହିତ ଅନ୍ତତଃ ବୌଦ୍ଧିକ ଓ ପ୍ରାଶାସନିକ ସ୍ତରରେ ଏକ ଭାଷାଭିତ୍ତିକ କେନ୍ଦ୍ରୀକରଣ ଦେଖିବାକୁ ମିଳିଲା । ରାଜଭାଷା ସଂସ୍କୃତ ହେବାରୁ ବ୍ରାହ୍ମଣ୍ୟ ଧର୍ମର ମଧ୍ୟ ସମାଜରେ କର୍ତ୍ତୃତ୍ୱ ବୃଦ୍ଧି ପାଇଲା ।

  ସପ୍ତମ ଶତାବ୍ଦୀରେ ଓଡ଼ିଶା ଭ୍ରମଣରେ ଆସିଥିବା ଚୀନ୍‍ ପରିବ୍ରାଜକ ହୁଏନ୍‍ସାଂ ତାଙ୍କ ବିବରଣୀରେ କହିଛନ୍ତି ଯେ ଓଡ୍ର ଓ କଙ୍ଗୋଦ (ଗଞ୍ଜାମ-ପୁରୀ କ୍ଷେତ୍ର) ଲୋକେ ଉତ୍ତର-ଭାରତୀୟଙ୍କ ଠାରୁ ଭିନ୍ନ ଏକ ଭାଷା କହନ୍ତି । ଯଦିଓ ହୁଏନ୍‍ସାଂ ଉତ୍ତର-ଭାରତ ଓ ଓଡ଼ିଶା ମଧ୍ୟରେ ରହିଥିବା ଉଭୟ ଭାଷାକୁ ବିଶେଷ ଅଧ୍ୟୟନ କରିନାହାନ୍ତି, ତାଙ୍କଠାରୁ ମିଳିଥିବା ତଥ୍ୟ ଭିତ୍ତିରେ କୁହାଯିବ ଯେ ସପ୍ତମ ଶତାବ୍ଦୀରେ ଓଡ଼ିଶାରେ କଥିତ ଭାଷା ତା'ର ସ୍ୱାତନ୍ତ୍ର୍ୟ ରଖିଥିଲା । ହୁଏତ ସେତେବେଳକୁ ଲିଖିତ ଓଡ଼ିଆ ଏକ ପ୍ରାରମ୍ଭିକ ସ୍ତରରେ ରହିଥିଲା । ଦଶମ ଶତାବ୍ଦୀରେ ସୋମବଂଶୀ ରାଜା ପ୍ରଥମ ଯଯାତି କୋଶଳ, ଉତ୍କଳ ଓ କଙ୍ଗୋଦକୁ ଏକଶାସନାଧୀନ କଲେ । ରାଜନୀତିକ ପରିବର୍ତ୍ତନ ଓଡ଼ିଶାରେ ଏକ ସାଧାରଣ ଭାଷାର କ୍ରମବିକାଶକୁ ସହଯୋଗ କଲା । ମାତ୍ର ଓଡ଼ିଆ ଭାଷାର କ୍ରମବିକାଶର ଧାରାକୁ ଦର୍ଶାଇବା ଲାଗି ଆମ ପାଖରେ ତତ୍‍କାଳୀନ ଓଡ଼ିଆ ଲିପି ନାହିଁ । ଦ୍ୱିତୀୟତଃ, ଯଦିଓ ଓଡ଼ିଆକୁ ପ୍ରାକୃତିକ ଓଡ଼ିଶାର ଅଧିବାସୀଙ୍କ ସାଧାରଣ ଭାଷା ବୋଲି କୁହାଯାଉଛି, ତହିଁରେ ମଧ୍ୟ ଆଞ୍ଚଳିକ ସ୍ୱତନ୍ତ୍ରତାମାନ ଯଥେଷ୍ଟ ମାତ୍ରାରେ ରହିଛି । ଉଦାହରଣ ସ୍ୱରୂପ, ପଶ୍ଚିମ ଓଡ଼ିଶା ବା ତତ୍କାଳୀନ କୋଶଳ ଅଞ୍ଚଳରେ କଥିତ ଭାଷା ସହିତ ଉପକୂଳରେ କଥିତ ଓଡ଼ିଆ ଭାଷାର ଯେପରିି ସାମଞ୍ଜସ୍ୟ ଅଛି, ଉତ୍ତର-ଭାରତର ଭୋଜପୁରୀ ଓ ପ୍ରାକୃତ ଆଦି ସହ ସେହିପରିି ସାମଞ୍ଜସ୍ୟ ଅଛି । ସେହିଭଳି ଓଡ଼ିଆର ଉଭୟ ସ୍ୱରୂପ ମଧ୍ୟରେ ପାର୍ଥକ୍ୟ ମଧ୍ୟ ରହିଛି । ଏହି ଆଧାରରେ ଆଧୁନିକ ସମୟରେ ପଶ୍ଚିମ-ଓଡ଼ିଶାରେ ପ୍ରଚଳିତ ଭାଷାକୁ ଏକ ସ୍ୱତନ୍ତ୍ର ଭାଷା ବୋଲି କୁହାଯାଏ ।

 ଗଙ୍ଗରାଜତ୍ୱ ସମୟର କେତେକ ଶିଳାଲିପି ଓ ତାମ୍ରଶାସନରେ ତାମିଲ ଓ ତେଲୁଗୁ ଲିପିରେ ଓଡ଼ିଆ ଶବ୍ଦର ବ୍ୟବହାର ଦେଖିବାକୁ ମିଳିଥାଏ । ଏଥିରୁ ମନେହୁଏ, ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ରାଜନଥିପତ୍ରରେ ସଂସ୍କୃତ ସହିତ ଆଞ୍ଚଳିକ ଭାଷାଗୁଡ଼ିକର ମଧ୍ୟ ବ୍ୟବହାର ଆରମ୍ଭ ହେଲା । ଦ୍ୱିତୀୟତଃ, ଏହି ସମୟ ପର୍ଯ୍ୟନ୍ତ ହୁଏତ ଓଡ଼ିଆ ଲିପିର ପ୍ରଚଳନ ନଥିଲା, ଅଥବା ତାକୁ ପ୍ରାଶାସନିକ ଓ ବୌଦ୍ଧିକ ସ୍ୱୀକୃତି ମିଳିନଥିଲା । କେବଳ କଥିତ ଭାଷା ଭାବରେ ତାହା ରହିଥିଲା ଏବଂ ତା'ର ସାହିତ୍ୟ ମଧ୍ୟ କଥିତ ରୂପରେ ରହିଯାଇଥିଲା ।

ପଞ୍ଚଦଶ ଶତାବ୍ଦୀର ଆରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ଲିପିର ବିକାଶ ହେଲା । ସାରଳା ଦାସଙ୍କ ମହାଭାରତକୁ ଏହି ବିକାଶର ଆରମ୍ଭ ଭାବରେ ନିଆଯାଏ । 'ସାରଳା ମହାଭାରତ'ର 'ଆଦି ପର୍ବ'ରେ ଜଗନ୍ନାଥଙ୍କ ମହିମା ବର୍ଣ୍ଣନା କରାଯାଇଛି ଏବଂ କପିଳେଶ୍ୱରଙ୍କୁ ତାଙ୍କର ପ୍ରଥମ ଦାସ ବୋଲି ଉଲ୍ଲେଖ କରାଯାଇଛି । ଗବେଷକମାନଙ୍କ ମତରେ କପିଳେଶ୍ୱର ତତ୍‍କାଳୀନ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ । ତୃତୀୟ ଅନଙ୍ଗଭୀମଦେବଙ୍କ ସମୟରୁ ବିଭିନ୍ନ ରାଜନୈତିକ ଓ ସାମାଜିକ କାରଣରୁ ଜଗନ୍ନାଥଙ୍କୁ ଓଡ଼ିଶାର ସର୍ବମାନ୍ୟ ରାଜା ଭାବରେ ସମ୍ମାନ ଦେବାର ଯେଉଁ ପରମ୍ପରା ଆରମ୍ଭ ହୋଇଥିଲା, କବି ସାରଳା ଦାସ ତାହାକୁ ଏକ ସାହିତ୍ୟିକ ପ୍ରତିଷ୍ଠା ଦେଲେ ବୋଲି ବୁଝିବାକୁ ହେବ । ଜଗନ୍ନାଥଙ୍କ ପ୍ରତିିନିଧି ଭାବରେ ଏହା ଗଜପତି ରାଜାଙ୍କୁ ସାମାଜିକ ଓ ଲୌକିକ ପ୍ରତିଷ୍ଠା ଦେଲା । ଏହି ଆଧାରରେ କୁହାଯାଏ ଯେ, ସାରଳା ଦାସ ଓ ତାଙ୍କ ମହାଭାରତ କପିଳେନ୍ଦ୍ରଦେବଙ୍କ ସମକାଳୀନ । ଓଡ଼ିଆ ମହାକାବ୍ୟ 'ମହାଭାରତ' ରଚନା କରି ସାରଳା ଦାସ ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କଲେ ।   ସାରଳା ଦାସ ମହାଭାରତ ବ୍ୟତୀତ 'ବିଲଙ୍କା ରାମାୟଣ' ଓ 'ଚଣ୍ତୀପୁରାଣ' ମଧ୍ୟ ରଚନା କରିଥିଲେ । ଓଡ଼ିଆ ମହାଭାରତର ମୂଳ ସଂସ୍କୃତ ମହାଭାରତ ହେଲେ ହେଁ ଏଥିରେ ବହୁ ସ୍ୱାତନ୍ତ୍ର୍ୟ ରହିଛି । ଚଣ୍ତୀପୁରାଣରେ ପୁରାଣବର୍ଣ୍ଣିିତ ଦୁର୍ଗା ଓ ମହିଷାସୁର ଯୁଦ୍ଧ ଉପାଖ୍ୟାନ ଅଛି ଏବଂ ବିଲଙ୍କା ରାମାୟଣରେ ରାମଚନ୍ଦ୍ର ଓ ରାବଣଙ୍କ ମଧ୍ୟରେ ଲାଗିଥିବା ଯୁଦ୍ଧର ଅବତାରଣା ରହିଛି । ମହାଭାରତ ପରି ସାରଳା ଦାସଙ୍କ ଅନ୍ୟ ରଚନାଗୁଡ଼ିକ ମଧ୍ୟ ମହାକାବ୍ୟ ଆଧାରିତ ହେଲେ ହେଁ ତହିଁରେ ଅନେକ ଆଞ୍ଚଳିକ ପ୍ରବାଦ, ଗଳ୍ପ, ଢ଼ଗ ଓ ତତ୍ତ୍ୱ ରହିଛି । ତାହା ଫଳରେ କେବଳ ଲିପି ଦୃଷ୍ଟିରୁ ନୁହେଁ, ଭାଷା ଓ ସାହିତ୍ୟ ଦୃଷ୍ଟିରୁ ମଧ୍ୟ ତାଙ୍କ ରଚନାର ସ୍ୱତନ୍ତ୍ରତା ରହିଛି ।

ସାରଳା ଦାସଙ୍କର ଜନ୍ମତିଥି ନିର୍ଦ୍ଦିଷ୍ଟ ଭାବେ ସ୍ଥିରୀକୃତ ହୋଇପାରିନାହିଁ । ପଞ୍ଚଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ନିର୍ଦ୍ଦିଷ୍ଟ କେଉଁ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ, ତାହା ଆଜି ଯାଏ ସ୍ପଷ୍ଟ ନୁହେଁ । କେତେକ ଗବେଷକଙ୍କ ମତରେ ସାରଳା ଦାସ ଚତୁର୍ଦ୍ଦଶ ଶତାବ୍ଦୀର ସ୍ରଷ୍ଟା । ତାଙ୍କ ଜନ୍ମସ୍ଥାନ ଜଗତସିଂହପୁର ନିକଟସ୍ଥ କନକପୁର ଗ୍ରାମ ବୋଲି କୁହାଯାଏ । ଗ୍ରାମୀଣ ସମାଜରେ ଜନ୍ମିତ ଓ ପରିପାଳିତ ହୋଇଥିବାରୁ ତାଙ୍କ ରଚନାରେ ଗ୍ରାମୀଣ ସମାଜର ଅତି ନିଖୁଣ ଚିତ୍ର ରହିଛି । ସମ୍ଭବତଃ ସେ ଏକ ସାଧାରଣ ପରିବାରରେ ଜନ୍ମିଥିଲେ ଏବଂ ତତ୍‍କାଳୀନ ଶିକ୍ଷା ଓ ଅଧ୍ୟୟନର ପରିଧି ବାହାରେ ସ୍ୱାଧ୍ୟାୟ ବଳରେ ସଂସ୍କୃତ କାବ୍ୟ, ପୁରାଣ କଥା ଜାଣିଥିଲେ ଏବଂ ତାକୁ ଲୋକସ୍ତରରେ ପ୍ରସାରିତ କରିଥିଲେ । ନିଜର ମହାନ କବି ପ୍ରତିଭାକୁ ସେ ନିଜସ୍ୱ ବୋଲି କେଉଁଠି କହିନାହାନ୍ତି; ବରଂ ଦେବୀ ସାରଳାଙ୍କ ଆଶିଷରୁ ପ୍ରାପ୍ତ ବୋଲି ନମ୍ର ଭାବରେ ଉଲ୍ଲେଖ କରିଛନ୍ତି । ତତ୍‍କାଳୀନ ସାମାଜିକ ବ୍ୟବସ୍ଥାରେ ଯେତେବେଳେ ବ୍ରାହ୍ମଣ ଓ ଅନ୍ୟ ଉଚ୍ଚ ଜାତିର ପଣ୍ତିତମାନଙ୍କର ଧର୍ମ, ପୁରାଣ, ଶିକ୍ଷା, ରଚନା ଆଦି କ୍ଷେତ୍ରରେ କର୍ତ୍ତୃତ୍ୱ ଥିଲା, ସେତେବେଳେ ନିଜ ରଚନା ଓ ବିଚାରକୁ ଲୋକସ୍ୱୀକୃତ ତଥା ଲୋକମାନ୍ୟ କରିବାଲାଗି ସମ୍ଭବତଃ ସେ ଦେବୀ ସାରଳାଙ୍କ ପରି ଏକ ଅଲୌକିକ ଶକ୍ତିର ଉଦ୍ଧରଣ କରିଥିଲେ । ଅନ୍ୟଥା ତାଙ୍କ କୃତିକୁ ସାମାଜିକ ସ୍ୱୀକୃତି ମିଳିବା ହୁଏତ କଷ୍ଟକର ହୋଇଥାନ୍ତା । ସାରଳା ଦାସଙ୍କୁ ଶୂଦ୍ରମୁନି ବୋଲି କୁହାଯାଏ । ସମ୍ଭବତଃ ସେ ଶୂଦ୍ର କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତ୍ର ତା'ଠାରୁ ବଡ଼ କଥା ହେଲା ସଂସ୍କୃତ ଭାଷା ଓ ସାହିତ୍ୟ ତଥା ବ୍ରାହ୍ମଣ୍ୟ କର୍ତ୍ତୃତ୍ୱ ବାହାରେ ସେ ଏକ ଆଞ୍ଚଳିକ ସାହିତ୍ୟିକ ଓ ବୌଦ୍ଧିକ ପରମ୍ପରା ସୃଷ୍ଟି କରିଥିଲେ । ଏହା ଓଡ଼ିଶାର ସାଂସ୍କୃତିକ ପରିବେଶରେ ଏକ ନୀରବ ବିପ୍ଳବ ସୃଷ୍ଟି କଲା । ତାହା ଫଳରେ କ୍ରମଶଃ ଆଞ୍ଚଳିକ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ପ୍ରଭାବ ପ୍ରବଳରୁ ପ୍ରବଳତର ହେଲା ।   ଓଡ଼ିଶାରେ ଲିଖିତ ବତ୍ସା ଦାସଙ୍କ 'କଳସା ଚଉତିଶା' ଓ ମାର୍କଣ୍ତ ଦାସଙ୍କ 'କେଶବ କୋଇଲି'କୁ ମହାଭାରତର ପୂର୍ବକାଳୀନ ରଚନା ବୋଲି କେତେକ ଗବେଷକ କହନ୍ତି । ଏହି ଦାବି ଯଦି ସତ୍ୟ, ତେବେ ସାରଳା ଦାସଙ୍କ ପୂର୍ବରୁ ଓଡ଼ିଆ ସାହିତ୍ୟର ବିକାଶ ହୋଇଥିଲା ବୋଲି କୁହାଯାଇ ପାରିବ । ଆକାର ଦୃଷ୍ଟିରୁ ଉଭୟ ରଚନା ମହାଭାରତ ତୁଳନାରେ ଅତ୍ୟନ୍ତ କ୍ଷୁଦ୍ର । ଅଠର ଖଣ୍ତରେ ଲିଖିତ ମହାକାବ୍ୟ ମହାଭାରତ ତୁଳନାରେ ସେଗୁଡିକର ପ୍ରସାର ଓ ପ୍ରଭାବ ମଧ୍ୟ କମ୍‍ । ସାରଳା ଦାସଙ୍କ ସମୟରେ ଯଦି ଉକ୍ତ କାବ୍ୟ ଦୁଇଟିର ବହୁଳ ପ୍ରସାର ଥାଆନ୍ତା, ତାହାର ପ୍ରଭାବ ସାରଳା ଦାସଙ୍କ ସର୍ଜନାରେ ମଧ୍ୟ ଦେଖିବାକୁ ମିଳିଥାନ୍ତା । ଏହି ଆଧାରରେ କୁହାଯାଇପାରେ ଯେ, ବତ୍ସା ଦାସ ଓ ମାର୍କଣ୍ତ ଦାସଙ୍କ କୃତି, ହୁଏତ ପ୍ରାକ୍‍-ମହାଭାରତକାଳୀନ ନୁହେଁ । ହୁଏତ 'ମହାଭାରତ' ସାଙ୍ଗରେ ଏକ ସମାନ୍ତରାଳ ଆଞ୍ଚଳିକ ସାହିତ୍ୟିକ ପରମ୍ପରା ଭାବରେ ମଧ୍ୟ ଉକ୍ତ କୃତିର ପ୍ରସାର ହୋଇଥାଇପାରେ ।

କେତେକ ଗବେଷକ ଦ୍ୱାଦଶ ଶତାବ୍ଦୀର ଉତ୍ତରାର୍ଦ୍ଧ ପୂର୍ବରୁ ଓଡ଼ିଆ ସାହିତ୍ୟର ଉତ୍ପତ୍ତି ହୋଇଥିଲା ବୋଲି ଯୁକ୍ତି ବାଢ଼ନ୍ତି । ସେମାନଙ୍କ ମତରେ, କେବଳ ଓଡ଼ିଶା କାହିଁକି; ବଙ୍ଗ, ମିଥିଳା, ଆସାମ, ମଗଧ ଓ ଭୋଜପୁର ଅଞ୍ଚଳରେ ବୌଦ୍ଧଗାନ, ଦୋହା ଓ ଚର୍ଯ୍ୟାପଦ ରୂପରେ ଆଞ୍ଚଳିକ ସାହିତ୍ୟ ଏକ ସ୍ୱରୂପ ନେବା ଆରମ୍ଭ କରିଥିଲା । ମୁସଲମାନ ଆକ୍ରମଣଯୋଗୁଁ ଅନେକ ବୌଦ୍ଧବିହାର ଧ୍ୱଂସ ପାଇଲା ଏବଂ ବୌଦ୍ଧସନ୍ନ୍ୟାସୀ ନିହତ ହେଲେ । ପରିଣାମ ସ୍ୱରୂପ, ପ୍ରାରମ୍ଭିକକାଳୀନ ସେହି ଆଞ୍ଚଳିକ ସାହିତ୍ୟିକ ପରମ୍ପରା ମଧ୍ୟ ଲୋପ ପାଇଲା । ତତ୍‍କାଳୀନ କେତେକ ପୋଥି ନେପାଳ ଓ ତିବ୍ବତରେ ଉପଲବ୍ଧ ବୋଲି ଗବେଷକମାନେ କହନ୍ତି ।

ସମ୍ଭବତଃ, ଏହି ଯୁକ୍ତି ଆଞ୍ଚଳିକ ଭାଷାର ପ୍ରାଚୀନତା ଦର୍ଶାଇବାଲାଗି ଉଦ୍ଦିଷ୍ଟ ଏବଂ ବିଶେଷ ଆଧାରଯୁକ୍ତ ନୁହେଁ । କାରଣ କୌଣସି ବାହ୍ୟ ଆକ୍ରମଣ ଏକ ଲୋକ ସାହିତ୍ୟର ଧାରାକୁ କଦାଚିତ୍‍ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ନପାରେ । ଆକ୍ରମଣଯୋଗୁଁ ଏକା ସାଙ୍ଗରେ ସମସ୍ତ ପୋଥି ନଷ୍ଟ ହେବା ମଧ୍ୟ ସମ୍ଭବ ନୁହେଁ । ଦ୍ୱିତୀୟତଃ, ପଞ୍ଚଦଶ ଶତାବ୍ଦୀରେ ସାରଳା ଦାସଙ୍କ ମହାଭାରତର ସୃଷ୍ଟି ପୂର୍ବରୁ ସେହି ଆଞ୍ଚଳିକ ସାହିତ୍ୟିକ ପରମ୍ପରାର ଅନ୍ୟାନ୍ୟ ରୂପରେ ଆଭାସମାନ ମିଳିବା କଥା, ଯାହା ଆଜି ପର୍ଯ୍ୟନ୍ତ ମିଳିନାହିଁ । କେବଳ ବାହ୍ୟିକ ଆକ୍ରମଣର ପରିଣାମ ସ୍ୱରୂପ ଲୋକକଥାରେ ସଂପନ୍ନ ଏକ ସୃଷ୍ଟିଶୀଳ ସାହିତ୍ୟିକ ପରମ୍ପରା, ଦୀର୍ଘ ନୀରବତା ଅବଲମ୍ୱ କରି ନପାରେ । ଏହି କାରଣରୁ, ସାରଳା ଦାସଙ୍କ 'ମହାଭାରତ' ଓ ପଞ୍ଚଦଶ ଶତାବ୍ଦୀକୁ ଆଞ୍ଚଳିକ ଓଡ଼ିଆ ସାହିତ୍ୟର ଆଦି ପର୍ବ ଭାବରେ ଗ୍ରହଣ କରାଯାଇପାରେ ।

ସାରଳା ଦାସ ଯେଉଁ ଆଞ୍ଚଳିକ ଓଡ଼ିଆ ସାହିତ୍ୟର ପରମ୍ପରା ଆରମ୍ଭ କଲେ, ତାହା ପରବର୍ତ୍ତୀ କାଳରେ ଅଧିକରୁ ଅଧିକ ବିକାଶ ଲାଭ କଲା । ସାରଳା ଦାସଙ୍କ ପରମ୍ପରାରୁ ଅନ୍ୟ କବିମାନେ ପ୍ରେରଣା ନେଲେ । ସାରଳା ଦାସ ତାଙ୍କ ସାହିତ୍ୟ ରଚନା ସାମାଜିକ ହିତ ନିମନ୍ତେ ଉଦ୍ଦିଷ୍ଟ ବୋଲି କହିଛନ୍ତି । ନିଜକୁ ଜଗନ୍ନାଥଙ୍କର 'ଦାସ' ଓ ଅଧମ, ଅଜ୍ଞାନ ବୋଲି ମଧ୍ୟ ବାରମ୍ୱାର କହିଛନ୍ତି । ଯେଉଁ ସୂତ୍ରରେ ଗଜପତିରାଜାଙ୍କ ବଦଳରେ ଜଗନ୍ନାଥ ଓଡ଼ିଶାର ରାଜନୈତିକ ସତ୍ତାର ସର୍ବୋଚ୍ଚ ଅଧିକାରୀ, ସେହି ସୂତ୍ରରେ ସାରଳା ଦାସଙ୍କ କୃତି, ଜଗନ୍ନାଥଙ୍କ ପରି ଏକ ଅଲୌକିକ ଶକ୍ତିର କୃତି । ଏହି ଧାରା, ସାରଳା ଦାସଙ୍କୁ ପ୍ରେରଣାର ସ୍ରୋତ ଭାବରେ ଗ୍ରହଣ କରି ଗଢ଼ି ଉଠିଥିବା 'ପଞ୍ଚସଖା' ସଂସ୍କୃତିରେ ମଧ୍ୟ ଦେଖିବାକୁ ମିଳେ । ସାରଳା ଦାସଙ୍କ ପରେ ମଧ୍ୟ ମଧ୍ୟ-ଯୁଗୀୟ କବିମାନେ ନିଜକୁ ଜଗନ୍ନାଥଙ୍କ 'ଦାସ' ଘୋଷଣା କରି ନାମ ଶେଷରେ ତାହାକୁ (ଦାସ) ସାଙ୍ଗିଆ ଭାବରେ ଗ୍ରହଣ କଲେ । ସେମାନେ ସାହିତ୍ୟ ରଚନାକୁ ସାମାଜିକ ହିତ ସକାଶେ ବୋଲି ମନେକଲେ ଏବଂ ସାହିତ୍ୟ କୃତିପାଇଁ ଗର୍ବ, ଅହଂକାର ପରିବର୍ତ୍ତେ ନିଜକୁ ଅଜ୍ଞାନ, ଅବୋଧ ବୋଲି ଦର୍ଶାଇଲେ, ଯାହା ସେମାନଙ୍କର ନମ୍ରତାକୁ ଇଙ୍ଗିତ କଲା ।   ସାରଳା ଦାସଙ୍କ ପରେ 'ପଞ୍ଚସଖା' ନାମରେ ଖ୍ୟାତ ଯେଉଁ ପାଞ୍ଚଜଣ କବି ଓଡ଼ିଶାର ସାଂସ୍କୃତିକ ବିକାଶକୁ ବିଶେଷ ଭାବରେ ପ୍ରଭାବିତ କରିଥିଲେ, ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଅନନ୍ତ ଦାସ । ଷୋଡଶ ଓ ଆଦ୍ୟ ସପ୍ତଦଶ ଶତାବ୍ଦୀର ସାମାଜିକ ଓ ଧର୍ମୀୟ ଆନ୍ଦୋଳନରେ ସେମାନେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ସେମାନେ ସମସ୍ତେ ସେ କାଳର ବୌଦ୍ଧିକ ଭାଷା ସଂସ୍କୃତ ବଦଳରେ ଓଡ଼ିଆରେ କାବ୍ୟ କବିତା ରଚନା କରିଥିଲେ । ଯଦିଓ 'ପଞ୍ଚସଖା' ପୌରାଣିକ ପ୍ରସଙ୍ଗ ବାହାରେ ସାମାଜିକ ବିଷୟବସ୍ତୁକୁ ସାହିତ୍ୟ ରଚନାବେଳେ ନେଇ ପାରିନଥିଲେ; ତଥାପି ଜାତିପ୍ରଥା, ବ୍ରାହ୍ମଣ୍ୟବାଦ, ଅସ୍ପୃଶ୍ୟତା, ଲିଙ୍ଗଭେଦ ଆଦି ସାମାଜିକ ସମସ୍ୟା ବିରୁଦ୍ଧରେ ନିଜର ସ୍ପଷ୍ଟ ମତ ରଖିଥିଲେ । ଏକ ସଦ୍‍ଭାବପୂର୍ଣ୍ଣ ସମାଜ ଗଠନ କରିବାର ପ୍ରୟାସରେ ସେମାନେ ଜାତି, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସମାନ ବୋଲି କହିଥିଲେ । ପୁଣି, ଈଶ୍ୱରଙ୍କୁ ହୃଦୟଙ୍ଗମ କରିବାଲାଗି ଶୁଦ୍ଧ ଭକ୍ତିକୁ ମହତ୍ତ୍ୱ ଦେଇ ସେମାନେ ଭକ୍ତ ଓ ଈଶ୍ୱରଙ୍କ ମଧ୍ୟରେ ଏକ ସିଧା ସମ୍ୱନ୍ଧ ସ୍ଥାପନ କଲେ । ଏହା ଈଶ୍ୱର ଓ ଧର୍ମଗ୍ରନ୍ଥଗୁଡ଼ିକୁ ବାଖ୍ୟା କରି ନିଜବର୍ଗର ହିତ ସାଧନ କରୁଥିବା ସାମାଜିକ ଗୋଷ୍ଠୀର (ଯଥା: ପୂଜକ, ପଣ୍ତିତ ଆଦି) ପ୍ରତିଷ୍ଠାକୁ ଊଣା କଲା । ଜ୍ଞାନ ଓ କର୍ମ ପରି ଭକ୍ତିକୁ ଉପାସନାର ଏକ ପ୍ରମୁଖ ମାଧ୍ୟମ ରୂପେ ପ୍ରତିଷ୍ଠା ଦେଉଥିବାରୁ 'ପଞ୍ଚସଖା'ଙ୍କୁ ଭକ୍ତି ଆନ୍ଦୋଳନର ପ୍ରବକ୍ତା ଭାବରେ ଓଡିଶାରେ ଗ୍ରହଣ କରାଯାଏ । ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସେମାନଙ୍କ ରଚନାରେ ପ୍ରତିବାଦର ସ୍ୱର ରହିଥିବାରୁ, ସେମାନଙ୍କ ସମୟକୁ ଏକ ସାମାଜିକ ଆନ୍ଦୋଳନ ରୂପରେ ମଧ୍ୟ ଦେଖାଯାଏ । ସାମାଜିକ ଋଢ଼ିବାଦର କର୍ତ୍ତୃତ୍ୱ ବୃଦ୍ଧି ପାଇ ନଥିଲେ 'ପଞ୍ଚସଖା'ଙ୍କର କାବ୍ୟ କବିତା ଓ ବିଚାର ଯେ ବ୍ୟାପକ ପ୍ରସାର ଲାଭ କରିନଥାନ୍ତା- ଏହା ସହଜରେ ଅନୁମାନ କରିହୁଏ ।

ପଞ୍ଚସଖାଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ଥିଲେ ବଳରାମ ଦାସ । ତାଙ୍କର ଜନ୍ମ ୧୪୮୪ରେ ପୁରୀରେ । ପିତା ସୋମନାଥ ମହାପାତ୍ର ଓ ମାତା ମନମାୟା । ବଳରାମଙ୍କ ପିତା ଶୂଦ୍ର ଜାତିର ହେବା ସତ୍ତ୍ୱେ ଗଜପତିଙ୍କ ମନ୍ତ୍ରିପରିଷଦର ସଦସ୍ୟ ଥିଲେ । ବଳରାମ ମଧ୍ୟ ଇଚ୍ଛା କରିଥିଲେ ଉଚ୍ଚ ରାଜପଦବୀ ପାଇ ପାରିଥାନ୍ତେ । ମାତ୍ର ବୈଷ୍ଣବ ଆନ୍ଦୋଳନର ପ୍ରଭାବରେ ସେ ସନ୍ନ୍ୟାସୀ ହେଲେ ଏବଂ ସରଳ ଓଡ଼ିଆରେ 'ଦାଣ୍ତି ରାମାୟଣ', 'ମୃଗୁଣୀ ସ୍ତୁତି', 'ବେଦାନ୍ତସାର ଗୁପ୍ତଗୀତା' ଓ 'ଭାବସମୁଦ୍ର' ଆଦି କାବ୍ୟ-କବିତା ରଚନା କଲେ । ସେ ବୈଷ୍ଣବ ହେବା ଓ ଓଡ଼ିଆରେ ଲେଖିବା ଘଟଣାରୁ ତାଙ୍କ ଭିତରେ ସାମାଜିକ ପ୍ରତିବାଦର ସ୍ୱରକୁ ଦେଖିହୁଏ । ତାଙ୍କ 'ରାମାୟଣ'କୁ ସେ 'ଜଗମୋହନ ରାମାୟଣ' ଆଖ୍ୟା ଦେଇଥିଲେ, ଯାହାର ଅର୍ଥ ହେଲା ବିଶ୍ୱହିତରେ ଜଗମୋହନ (ଜଗନ୍ନାଥ) ହେଲେ ଏହି ମହାକାବ୍ୟର ରଚୟିତା । ଲୋକମୁଖରେ ଏହାକୁ 'ଦାଣ୍ତି ରାମାୟଣ' ବୋଲି କୁହାଯାଏ । 'ଲକ୍ଷ୍ମୀପୁରାଣ' ତାଙ୍କର ଅନ୍ୟ ଏକ ରଚନା । ସେ ସଂସ୍କୃତ ଭାଷାରେ ମଧ୍ୟ ଜ୍ଞାନ ଅର୍ଜନ କରିଥିଲେ । ସଂସ୍କୃତ ସାହିତ୍ୟରେ ଜ୍ଞାନ ଥିବା ସତ୍ତ୍ୱେ ସେ ଓଡ଼ିଆରେ ଲେଖି ତଥା ରାଜଦରବାରରେ ଉଚ୍ଚପଦବୀ ପାଇବାର ଲୋଭରୁ ନିବୃତ୍ତ ହୋଇ ବୈଷ୍ଣବ ସନ୍ନ୍ୟାସୀ ଭାବରେ ଭକ୍ତି ଆନ୍ଦୋଳନକୁ ଏକ ଦୃଢ଼ ଭିତ୍ତି ଦେଇଥିଲେ ବୋଲି କହିଲେ ଅତ୍ୟୁକ୍ତି ହୋଇନାହିଁ ।   ଜଗନ୍ନାଥ ଦାସ ଥିଲେ ପଞ୍ଚସଖାଙ୍କ ମଧ୍ୟରେ ଏକ ମାତ୍ର ବ୍ରାହ୍ମଣ । ସେ ସରଳ ସହଜ ଓଡ଼ିଆରେ, ନବାକ୍ଷରୀ ଛନ୍ଦରେ 'ଭାଗବତ' ରଚନା କରିଥିଲେ । ସଂସ୍କୃତ ପରିବର୍ତ୍ତେ ଓଡ଼ିଆରେ ଏହା ଲିଖିତ ହୋଇଥିବାରୁ ମନ୍ଦିର ଭିତରକୁ ଭାଗବତର ପ୍ରବେଶ ନଥିଲା; ମନ୍ଦିର ପରମ୍ପରାରେ ଏହାର ସ୍ୱୀକୃତି ନଥିଲା । ମାତ୍ର ଓଡ଼ିଶାର ପୁରପଲ୍ଲୀରେ ଏହାର ପ୍ରସାର ଏତେ ବ୍ୟାପକ ଯେ, ମନ୍ଦିର ବାହାରେ ତା'ର ପଠନପାଇଁ ଗ୍ରାମଗୁଡ଼ିକରେ ଭାଗବତ ଘର ବା ଟୁଙ୍ଗୀ ସ୍ଥାପନା ହେଲା । ଭାଗବତର ଲୋକପ୍ରିୟତାର ଅନ୍ୟ ଏକ ଦୃଷ୍ଟାନ୍ତ ହେଲା, ଏହାର ଅନେକ ପଦ ଲୋକ ମୁଖରେ ନୀତିବାଣୀ ରୂପେ ଉଚ୍ଚାରିତ ହୁଏ । ସଂସ୍କୃତରେ ଲିଖିତ 'ଶ୍ରୀମଦ୍‍ଭାଗବତ'ର ଆଧାରରେ ଏହା ଲିଖିତ ହେଲେ ସୁଦ୍ଧା ଓଡ଼ିଆ ଭାଷା ଓ ଭାବକୁ ଅଭିବ୍ୟକ୍ତ କରିବାରେ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ପୁସ୍ତକ ଏହା ସହିତ ତୁଳନୀୟ ହୋଇ ନପାରନ୍ତି । ଏଥିରେ କୃଷ୍ଣଚରିତର ବର୍ଣ୍ଣନା ରହିଛି ସତ; ମାତ୍ର ଅନେକ ସ୍ଥାନରେ ଜଗନ୍ନାଥଙ୍କୁ ହିଁ କବି କୃଷ୍ଣ ବୋଲି କହିଛନ୍ତି ।

'ଭାଗବତ' ବ୍ୟତୀତ ଜଗନ୍ନାଥ ଦାସଙ୍କର ଅନ୍ୟ କେତୋଟି ରଚନା ହେଲା, 'ବ୍ରହ୍ମଗୀତା', 'ଗଜନିସ୍ତାରଣ', 'ଦୂତିବୋଧ', 'ଗୁଣ୍ତିଚା ବିଜେ' ଓ 'ଅର୍ଥକୋଇଲି' ।

ଜଗନ୍ନାଥଦାସ ପୁରୀନିକଟସ୍ଥ କପିଳେଶ୍ୱର ଶାସନରେ ୧୪୮୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଭଗବାନ ଦାସ ଜଣେ ପୁରାଣ ପଣ୍ତା ଓ ମାତା ପଦ୍ମାବତୀ ଧର୍ମପରାୟଣା ମହିଳା ଥିଲେ । ନିରକ୍ଷରା ମାତା ସଂସ୍କୃତ ଭାଗବତ ବୁଝି ପାରୁ ନଥିବାରୁ ତାଙ୍କୁ ଓଡ଼ିଆରେ ଏହାକୁ ବୁଝାଇବା ପ୍ରକ୍ରିୟାରେ ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ ବୋଲି କୁହାଯାଏ । ଜଗନ୍ନାଥ ଦାସ ପ୍ରତାପରୁଦ୍ରଦେବ ଓ ଚୈତନ୍ୟଙ୍କର ସମସାମୟିକ ଥିଲେ । ତାଙ୍କ ଓଡ଼ିଆ ଭାଗବତ ବ୍ରାହ୍ମଣମାନଙ୍କଦ୍ୱାରା ସ୍ୱୀକୃତ ନ ହେବା ସତ୍ତ୍ୱେ, ତା'ର ଲୋକପ୍ରିୟତା ଯୋଗୁଁ ପ୍ରତାପରୁଦ୍ର ଦେବଙ୍କ ଅପ୍ରତ୍ୟକ୍ଷ ପୃଷ୍ଠପୋଷକତା ଜଗନ୍ନାଥ ଦାସଙ୍କୁ ମିଳିଥିଲା । ଚୈତନ୍ୟ ତାଙ୍କୁ 'ଅତିବଡ଼ୀ' ଉପାଧିରେ ଭୂଷିତ କରିଥିଲେ । ଅନ୍ୟ ଶବ୍ଦରେ କହିଲେ, ବ୍ରାହ୍ମଣମାନଙ୍କ ବିରୋଧ ସତ୍ତ୍ୱେ ଜଗନ୍ନାଥ ଦାସଙ୍କୁ ତାଙ୍କ ଜୀବଦ୍ଦଶାରେ ଉଭୟ ଲୋକସ୍ୱୀକୃତି ଓ ରାଜସ୍ୱୀକୃତି ପ୍ରାପ୍ତ ହୋଇଥିଲା, ଯାହା ଭକ୍ତି ଆନ୍ଦୋଳନର ପ୍ରସାର ଲାଗି ପଥ ପ୍ରଶସ୍ତ କରିଥିଲା ।   ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟ ଜଣେ ପ୍ରସିଦ୍ଧ କବି ଥିଲେ ଅଚ୍ୟୁତାନନ୍ଦ ଦାସ । ସେ ୧୪୯୭ରେ କଟକ ଜିଲ୍ଲାର ତିଳକଣା ଗ୍ରାମରେ ଏକ ଶୂଦ୍ର ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ସେ ନେମାଳଠାରେ ଏକ ମଠ ପ୍ରତିଷ୍ଠା କରି ନିଜର ବିଚାରକୁ ଶିଷ୍ୟମାନଙ୍କ ମାଧ୍ୟମରେ ପ୍ରସାର କରିଥିଲେ । ତାଙ୍କ ରଚନା ମଧ୍ୟରେ 'ଶୂନ୍ୟ ସଂହିତା', 'ମାଳିକା', 'କୈବର୍ତ୍ତ୍ୟ ଗୀତା', 'ଗୋପାଳଙ୍କ ଓଗାଳ', ଓ 'ହରିବଂଶ' ପ୍ରଧାନ । ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ କୈବର୍ତ୍ତ, କମାର ଓ ଗୋପାଳ ସଂପ୍ରଦାୟର । ପଞ୍ଚସଖାଙ୍କ ମଧ୍ୟରେ ଅଚ୍ୟୁତାନନ୍ଦଙ୍କ ରଚନାର ପରିମାଣ ସବୁଠାରୁ ଅଧିକ ।

ପଞ୍ଚସଖାଙ୍କ ମଧ୍ୟରେ ଯଶୋବନ୍ତ ଦାସ ଜଗତ୍‍ସିଂହପୁର ନିକଟସ୍ଥ ଅଢ଼ଙ୍ଗ ଗ୍ରାମରେ ୧୪୮୭ରେ ଜନ୍ମ ଗ୍ରହଣ କରିଥିଲେ । ସେ 'ପ୍ରେମଭକ୍ତି ବ୍ରହ୍ମଗୀତା', 'ଶିବସ୍ୱରୋଦୟ', 'ଆତ୍ମପରଚେ ଗୀତା' ଓ 'ଷଷ୍ଠିମେଳା' ଆଦି ଦାର୍ଶନିକ ପୁସ୍ତକମାନ ରଚନା କରିଥିଲେ । ତାଙ୍କ ରଚନାରେ ନିରାକାର, ଅଣାକାର ଓ ଓଁକାର ବ୍ରହ୍ମର ବ୍ୟାଖ୍ୟା ଦେଖିବାକୁ ମିଳେ । ତହିଁରେ ଜ୍ଞାନ ମିଶ୍ରିତ ଭକ୍ତିକୁ ପ୍ରାଧାନ୍ୟ ଦିଆଯାଇଛି । ତାଙ୍କର ଏକ ପ୍ରମୁଖ ରଚନା 'ଗୋବିନ୍ଦଚନ୍ଦ୍ର' ସାମାଜିକ ବିଷୟବସ୍ତୁ ଉପରେ ଆଧାରିତ । ଜଣେ ରାଜପୁତ୍ର ଅଳ୍ପାୟୁ ବୋଲି ପୂର୍ବାନୁମାନରୁ ଜଣାପଡିଲା । ଫଳରେ ତାକୁ ଏକ ଅସ୍ପୃଶ୍ୟ ପରିବାରରେ ପ୍ରତିପାଳନପାଇଁ ତ୍ୟାଗ କରି ଦିଆଗଲା । ଅସ୍ପୃଶ୍ୟର ଶିଷ୍ୟତ୍ୱ ରାଜପୁତ୍ରକୁ ତ୍ୟାଗୀ ଓ ଦୀର୍ଘାୟୁ କଲା ! ଏହି କାହାଣୀରେ ଯଶୋବନ୍ତ ତଥାକଥିତ ନୀଚ ଜାତିର ମହତ୍ତ୍ୱ ଦର୍ଶାଇ ଜାତିବ୍ୟବସ୍ଥାର ଦୃଢ଼ ପ୍ରତିବାଦ କରିଛନ୍ତି । ତା' ସହିତ ବିଷୟ ବାସନାର ନିରର୍ଥକତାକୁ ଦର୍ଶାଇଛନ୍ତି । ବର୍ଣ୍ଣ ଅପେକ୍ଷା କର୍ମ ଅନୁସାରେ ହିଁ ଜଣେ ମଣିଷକୁ ବଡ଼ ବା ଛୋଟ କୁହାଯିବା ଉଚିତ ବୋଲି ସେ କହିଛନ୍ତି । ଯଶୋବନ୍ତଙ୍କ ଶିଷ୍ୟ ଲିଖିତ 'ଚଉରାଶୀ ଆଜ୍ଞା'ରେ କବିଙ୍କ ଜୀବନୀ ସମ୍ୱନ୍ଧରେ ଅନେକ ବର୍ଣ୍ଣନା ରହିଛି ।

ପଞ୍ଚସଖାଙ୍କ ମଧ୍ୟରେ ପଞ୍ଚମ ସଖା ଥିଲେ ଅନନ୍ତ ଦାସ । ଯଦିଓ ସେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସଙ୍କଠାରୁ ବୟସରେ ବଡ଼, ତାଙ୍କୁ ଶିଶୁ ଅନନ୍ତ ଦାସ ବୋଲି କୁହାଯାଏ । ୧୪୮୬ରେ ଭୁବନେଶ୍ୱର ନିକଟସ୍ଥ ବାଲିପାଟଣା ଗ୍ରାମରେ ତାଙ୍କର ଜନ୍ମ; ପିତା କପିଳ ମହାନ୍ତି ଓ ମାତା ଗୌରୀଦେବୀ । ଅନନ୍ତଙ୍କର ଅନ୍ୟ ଏକ ପରିଚୟ ହେଲା, ସେ ଥିଲେ ଚୈତନ୍ୟଙ୍କର ଜଣେ ଘନିଷ୍ଠ ସହଯୋଗୀ । ତାଙ୍କ ରଚନାଗୁଡ଼ିକ ମଧ୍ୟରେ 'ଆଗତ ଭବିଷ୍ୟ ମାଳିକା', 'ଅର୍ଥ ତାରେଣୀ', 'ପିଣ୍ତ ବ୍ରହ୍ମାଣ୍ତ ଗୀତା' ଓ 'ହେତୁ ଉଦୟ ଭାଗବତ' ଅନ୍ୟତମ । ତାଙ୍କ ରଚନା ଗୁଡ଼ିକରେ ଭକ୍ତି ଓ ଯୋଗର ମାହାତ୍ମ୍ୟ ଦର୍ଶାଯାଇଛି । ଭଗବାନଙ୍କୁ ସେ 'ଅବର୍ଣ୍ଣ' ବୋଲି ବର୍ଣ୍ଣନା କରିଛନ୍ତି । ଈଶ୍ୱରଙ୍କ ସାନ୍ନିଧ୍ୟପାଇଁ ସମର୍ପଣ ଭାବ ଉପରେ ମହତ୍ତ୍ୱ ଦେଇଛନ୍ତି । ତାଙ୍କ ରଚନା ଦର୍ଶନ ଆଧାରିତ ହେଲେ ସୁଦ୍ଧା ଭାଷାର ସରଳତାଯୋଗୁଁ ସାଧାରଣ ସ୍ତରରେ ଆଦୃତ । ଅନନ୍ତ ଦାସଙ୍କ ଶିଷ୍ୟମାନେ ମଧ୍ୟ ନିଜ ନାମରେ 'ଶିଶୁ' ଶବ୍ଦଟିକୁ ଯୋଡ଼ନ୍ତି, ଯଥା- ଶିଶୁ ବନମାଳୀ ଦାସ, ଶିଶୁ ଶଙ୍କର ଦାସ, ଶିଶୁ ଦୟାନିଧି ଦାସ ଆଦି । 'ଶିଶୁ'କୁ ସେମାନେ ଅବୋଧ ଅର୍ଥରେ ବ୍ୟବହାର କରି ନମ୍ରତାର ପରିଚୟ ଦେଇଛନ୍ତି ।   ମଧ୍ୟଯୁଗୀୟ ଓଡ଼ିଶା ଇତିହାସରେ ଭକ୍ତି ଆନ୍ଦୋଳନ ଏକ ଅନନ୍ୟ ଘଟଣା । ଜଗନ୍ନାଥ ଦାସଙ୍କ ବ୍ୟତୀତ ଅନ୍ୟ ପଞ୍ଚସଖାମାନେ ଶୂଦ୍ର ଥିଲେ । ସେମାନେ ଈଶ୍ୱରଙ୍କର ନୂଆ ସଂଜ୍ଞା ଦେଲେ । ପୁରୁଷ-ସ୍ତ୍ରୀ, ଜାତି-ଅଜାତି ସମସ୍ତେ ଈଶ୍ୱରଙ୍କ ସ୍ୱରୂପ ଏବଂ ଭକ୍ତିମାର୍ଗରେ ସମସ୍ତେ ଈଶ୍ୱରଙ୍କଠାରେ ସମାହିତ ହୋଇପାରିବେ ବୋଲି ସେମାନେ ପ୍ରଚାର କଲେ । ପଞ୍ଚସଖାମାନେ ସନ୍ଥଭାବରେ ବହୁସଂଖ୍ୟାରେ ଅନୁଗାମୀମାନଙ୍କୁ ଆକୃଷ୍ଟ କରିଥିଲେ । ଏହି ଅନୁଗାମୀମାନେ ଭକ୍ତିଧର୍ମର ବ୍ୟାପକ ପ୍ରଚାର କଲେ । ତେଣୁ ସାରଳା ଦାସ ଓ ପଞ୍ଚସଖାଙ୍କୁ ଭକ୍ତି ଆନ୍ଦୋଳନର ପ୍ରମୁଖ ଅଙ୍ଗ ରୂପେ ଗ୍ରହଣ କରାଯାଏ । ସେମାନଙ୍କ ବ୍ୟତୀତ ଏହି ସମୟରେ ଆହୁରି ଅନେକ କବି ଆନ୍ଦୋଳନକୁ ସରଳ ଓଡ଼ିଆରେ କାବ୍ୟ-କବିତା ରଚନା କରି ଋଦ୍ଧିମନ୍ତ କରିଥିଲେ । 'ରାମ ବିଭା'ର କବି ଅର୍ଜୁନଦାସ ସେହିପରି ଜଣେ କବି ।

ମଧ୍ୟଯୁଗରେ, ବିଶେଷକରି ଷୋଡଶ ଶତାବ୍ଦୀରେ ଭକ୍ତି ଆନ୍ଦୋଳନର ଯେଉଁ ପ୍ରବାହ ଓଡ଼ିଶାରେ ଦେଖାଦେଲା, ତାହାର ଏକ ପ୍ରମୁଖ ସୂତ୍ରଧର ଥିଲେ ଚୈତନ୍ୟ, ଯିଏ ଶ୍ରୀଚୈତନ୍ୟ ନାମରେ ଖ୍ୟାତ । ସେ କୌଣସି ନୂଆ ଧର୍ମ ପ୍ରତିଷ୍ଠା କରି ନଥିଲେ, ବରଂ ବୈଷ୍ଣବ ଧର୍ମର ପ୍ରଚାର ପ୍ରସାରରେ ସମସ୍ତ ସମୟ ଅତିବାହିତ କରିଥିଲେ । ଚୈତନ୍ୟ କୃଷ୍ଣଙ୍କୁ ନିଜ ଆରାଧ୍ୟ ଦେବତା ରୂପେ ଗ୍ରହଣ କରିଥିଲେ । ବିଷ୍ଣୁ ଓ ଜଗନ୍ନାଥଙ୍କ ମଧ୍ୟରେ ବି ସେ କୃଷ୍ଣଙ୍କୁ ଖୋଜି ପାଉଥିଲେ । ଫଳରେ ତାଙ୍କ ଆନ୍ଦୋଳନରେ ଧାର୍ମିକ ସମନ୍ୱୟକୁ ମହତ୍ତ୍ୱ ମିଳିଥିଲା । ଆରାଧ୍ୟ ଦେବତା କୃଷ୍ଣଙ୍କର ବାଲ୍ୟଲୀଳା, ରାଧାକୃଷ୍ଣ ପ୍ରେମକୁ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରି ବିଭୋର ହେବା ହେଲା ତାଙ୍କ ଭକ୍ତି ଆନ୍ଦୋଳନର ବିଶେଷତ୍ୱ । ଚୈତନ୍ୟ କୃଷ୍ଣପ୍ରେମ ଆଧାରିତ ନୃତ୍ୟ-ଗୀତର ଯେଉଁ ଅପୂର୍ବ ପରମ୍ପରା ଷୋଡ଼ଶ ଶତାବ୍ଦୀରେ ଆରମ୍ଭ କଲେ, ତାକୁ କୀର୍ତ୍ତନ କୁହାଯାଏ । ତାହାର ସାମାଜିକ ମହତ୍ତ୍ୱ ଆଜି ମଧ୍ୟ ଊଣା ହୋଇନାହିଁ ।

ଚୈତନ୍ୟ ବଙ୍ଗ ପ୍ରଦେଶର ନଦିଆଠାରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ନଦିଆ ହେତୁବାଦୀ ବୈଦିକ ଶିକ୍ଷାର ଏକ ପ୍ରମୁଖ କେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିଥିଲା । ଏହାର ବିଶେଷ ପ୍ରଭାବ ଚୈତନ୍ୟଙ୍କ ଉପରେ ପଡିଥିଲା । ୨୨ବର୍ଷ ବୟସରେ ସେ ଯେତେବେଳେ ଗୟା ଦର୍ଶନରେ ଯାଇଥିଲେ, ସେଠାରେ ତାଙ୍କର ବୈଷ୍ଣବ ଧର୍ମ ପ୍ରତି ଆକର୍ଷଣ ସୃଷ୍ଟି ହୋଇଥିଲା । ଏହା ପରେ ଆରାଧ୍ୟ ଦେବତା କୃଷ୍ଣଙ୍କର ନାମ ଅବିରତ ଉଚ୍ଚାରଣ କରି ସେ ନିଜର ଭକ୍ତିଭାବକୁ ପରିପୁଷ୍ଟ କଲେ । ତୀର୍ଥଯାତ୍ରାରେ ଗୟା ଆସିବା ପୂର୍ବରୁ ସେ ପ୍ରଥମା ପତ୍ନୀଙ୍କର ଦେହାନ୍ତ ପରେ ଅନିଚ୍ଛା ସତ୍ତ୍ୱେ ମାଆଙ୍କ କଥା ରକ୍ଷାକରି ଦ୍ୱିତୀୟ ପତ୍ନୀ ଗ୍ରହଣ କରିଥିଲେ । ମାତ୍ର ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ସେ ସଂସାରତ୍ୟାଗୀ ହେଲେ ଏବଂ କୃଷ୍ଣ ନାମ ଗାଇ ଗାଇ ଭାରତର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କଲେ ।

୧୫୧୦-୧୧ରେ ଚୈତନ୍ୟ ପୁରୀ ଆସିଥିଲେ । କିଛିକାଳ ପୁରୀରେ ଅବସ୍ଥାନ କଲା ପରେ ତୀର୍ଥାଟନରେ ପ୍ରଥମେ ଦକ୍ଷିଣ ଭାରତ ଏବଂ ପରେ ବୃନ୍ଦାବନ ଗଲେ । ସେଠାରୁ ପୁଣି ଓଡ଼ିଶା ଫେରି ଆସି ଦୀର୍ଘ ୧୭ ବର୍ଷ କାଳ ପୁରୀରେ ଅତିବାହିତ କଲେ ଏବଂ ୧୫୩୩ରେ ପୁରୀଠାରେ ଦେହତ୍ୟାଗ କଲେ ।   ଚୈତନ୍ୟ ଧାର୍ମିକ ସଂକୀର୍ଣ୍ଣତାର ଊର୍ଦ୍ଧ୍ୱରେ ଥିଲେ । ଅଧିକାଂଶ ଶୂଦ୍ର ଜାତିର ଲୋକ ଓ କେତେକ ମୁସଲିମ ସଂପ୍ରଦାୟର ଲୋକ ମଧ୍ୟ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ । ଗଜପତି ପ୍ରତାପରୁଦ୍ର ଦେବ ଏବଂ ତାଙ୍କର କେତେକ ଉଚ୍ଚପଦାଧିକାରୀ ମଧ୍ୟ ଚୈତନ୍ୟଙ୍କର ଶିଷ୍ୟ ହୋଇଥିଲେ । ଚୈତନ୍ୟଙ୍କର ସମକାଳୀନ ଥିଲେ ପଞ୍ଚସଖା କବିଗଣ । ସେମାନଙ୍କ ରଚନାରେ ଚୈତନ୍ୟଙ୍କର ପ୍ରଶଂସାରୁ ମନେହୁଏ, ସେମାନେ ମଧ୍ୟ ଚୈତନ୍ୟଙ୍କର ସହଯୋଗୀ ଥିଲେ । ଚୈତନ୍ୟଙ୍କ ପରେ ତାଙ୍କ ଶିଷ୍ୟମାନେ ଭାଷା ଆଧାରରେ ଦୁଇ ଗୋଷ୍ଠୀରେ (ବଙ୍ଗାଳୀ ଓ ଓଡ଼ିଆ) ବିଭକ୍ତ ହୋଇଯାଇଥିଲେ । ଯେଉଁ ସାମାଜିକ ଓ ଧାର୍ମିକ ସଦ୍‍ଭାବ ରକ୍ଷାପାଇଁ ଚୈତନ୍ୟ ବୈଷ୍ଣବ ଧର୍ମର ପ୍ରଚାର-ପ୍ରସାର କରିଥିଲେ, ସେହି ସଦ୍‍ଭାବ ତାଙ୍କ ଅନୁଗାମୀଙ୍କ ମଧ୍ୟରେ ସୁଦ୍ଧା ରହିପାରିଲା ନାହିଁ । ଚୈତନ୍ୟ ପ୍ରଚାରିତ ବୈଷ୍ଣବ ଧର୍ମର ପତନର ଏହା କାରଣ ହେଲା ।

ଚୈତନ୍ୟଙ୍କ ପୁରୀ ଅବସ୍ଥାନ ପୂର୍ବରୁ ଓଡ଼ିଶାରେ ବୈଷ୍ଣବ ଧର୍ମର ପ୍ରସାର ଆରମ୍ଭ ହୋଇ ସାରିଥିଲା । ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେବତା ରୂପେ ପ୍ରତିଷ୍ଠା ପାଇଥିଲେ । ଜାତି, ବର୍ଣ୍ଣ ନିର୍ବିଶେଷରେ ଲୋକେ ଜଗନ୍ନାଥଙ୍କର ଆରାଧନା କରୁଥିଲେ । ଜଗନ୍ନାଥଙ୍କ ନାମରେ ପ୍ରଥମେ ଗଙ୍ଗ ରାଜା ଏବଂ ତାଙ୍କ ପରେ ଗଜପତିମାନେ ଶାସନ କରୁଥିଲେ । ସାରଳା ଦାସ ଓ ପଞ୍ଚସଖାମାନେ ଜଗନ୍ନାଥଙ୍କୁ ନିଜ ନିଜ କୃତିର ରଚୟିତା ମନେକରି କାବ୍ୟ ସୃଷ୍ଟି କରୁଥିଲେ । ପ୍ରାରମ୍ଭିକ କାଳରେ ଜଗନ୍ନାଥ ଓ ଜଗନ୍ନାଥ ମନ୍ଦିର ଉପରେ ବ୍ରାହ୍ମଣ ବା ଅନ୍ୟ ଉଚ୍ଚ ଜାତିର କର୍ତ୍ତୃତ୍ୱ ନଥିଲା । ଆଦିବାସୀଙ୍କ ସମେତ ବିଭିନ୍ନ ଜାତିର ଲୋକେ ଜଗନ୍ନାଥଙ୍କ ସେବକର ଦାୟିତ୍ୱ ପାଇଥିଲେ । ସେହି ଦୃଷ୍ଟିରୁ ଜଗନ୍ନାଥଙ୍କୁ ନେଇ ଗଢ଼ି ଉଠିଥିବା ରୀତିନୀତି ଏକ ଅନନ୍ୟ ଧର୍ମ ରୂପରେ ମଧ୍ୟଯୁଗୀୟ ଓଡ଼ିଶାରେ ସ୍ୱୀକୃତି ପାଇଥିଲା । ମାତ୍ର କାଳକ୍ରମେ, ଭାରତର ଅନ୍ୟ ଧର୍ମଗୁଡ଼ିକ ପରି, ଏହା ଜାତି ବ୍ୟବସ୍ଥାର ଶିକାର ହେଲା ଏବଂ ଏଠାରେ ଉଚ୍ଚ ଜାତିର କର୍ତ୍ତୃତ୍ୱ ବୃଦ୍ଧି ପାଇଲା । ପଞ୍ଚସଖା ଓ ଭକ୍ତି ଆନ୍ଦୋଳନକୁ ସେହି ବର୍ଦ୍ଧିଷ୍ଣୁ କର୍ତ୍ତୃତ୍ୱ ବିରୁଦ୍ଧରେ ଏକ ସାମାଜିକ ବିପ୍ଳବ ରୂପେ ଦେଖିହେବ । ମାତ୍ର ସମୟକ୍ରମେ ଏବଂ ବିଶେଷକରି ଚୈତନ୍ୟଙ୍କ ଆଗମନ ପରେ ଜଗନ୍ନାଥ ଧର୍ମରେ କୃଷ୍ଣପ୍ରେମ ମଧ୍ୟ ଦୃଢ଼ଭାବେ ସମାହିତ ହେଲା । ଜଗନ୍ନାଥଙ୍କୁ କୃଷ୍ଣଙ୍କର ଏକ ସ୍ୱରୂପ ଭାବରେ ଗ୍ରହଣ କରାଗଲା । ଏହା ଜଗନ୍ନାଥ ଧର୍ମ ଓ ସଂସ୍କୃତିକୁ ବ୍ରାହ୍ମଣ୍ୟ ଧର୍ମରେ ସଂଲଗ୍ନ କରିଦେଲା । ପରିଣାମ ସ୍ୱରୂପ ବ୍ରାହ୍ମଣ୍ୟ ଧର୍ମର ଦୁଷ୍ପ୍ରଭାବରୁ ଜଗନ୍ନାଥ ସଂସ୍କୃତି ଊର୍ଦ୍ଧ୍ୱକୁ ଉଠିପାରିଲା ନାହିଁ ।


...

ଓଡ଼ିଶାରେ ଆଫଗାନ ଓ
ମୋଗଲ ଶାସନ

  ୧୫୬୮ରେ ମୁକୁନ୍ଦଦେବ ବଙ୍ଗର ଆଫଗାନ ଶାସକ ସୁଲେମାନ କର୍‍ରାନୀଙ୍କ ହସ୍ତରେ ପରାଜିତ ହେବା ପରେ ଓଡ଼ିଶା ପ୍ରଥମେ ଆଫଗାନ ଓ ପରେ ମୋଗଲ କର୍ତ୍ତୃତ୍ୱକୁ ଚାଲିଗଲା । ତେଣିକି ପ୍ରାୟ ଦୁଇ ଶତାବ୍ଦୀ ଧରି (୧୫୬୮-୧୭୫୧) ଓଡ଼ିଶାରେ ଆଫ୍‍ଗାନ ଓ ମୋଗଲ ଶାସନ ଚାଲିଲା । ଇତିହାସର ଏହି କାଳଖଣ୍ତରେ ଏକ ପ୍ରକ୍ରିୟା ଭାବରେ ମଧ୍ୟଯୁଗର ପ୍ରାରମ୍ଭରୁ ଚଳି ଆସୁଥିବା ଓଡ଼ିଶାର ଏକୀକରଣ ଏହି ସମୟରେ ସଂପୂର୍ଣ୍ଣ ହେଲା । ପରବର୍ତ୍ତୀ ସମୟରେ ତାହା ହିଁ ମୋଟାମୋଟି ଭାବେ ପ୍ରାକୃତିକ ଓଡ଼ିଶାର ମୋଟ ପରିଧି ହେଲା । ଅର୍ଥାତ୍‍ ମୋଗଲ ସମୟରେ ଓଡ଼ିଶା ବୋଲି ଯାହା ସ୍ଥିରୀକୃତ ହେଲା, ତାହା ପରବର୍ତ୍ତୀ କାଳରେ ମଧ୍ୟ ଓଡ଼ିଶାର ସ୍ଥୂଳ ସ୍ୱରୂପ ହେଲା ।

ସୁଲେମାନ କର୍‍ରାନୀଙ୍କ ନେତୃତ୍ୱରେ ଆଫଗାନମାନେ ଓଡ଼ିଶା ଅଧିକାର କରିବା ବେଳକୁ ଭାରତରେ ଆଫଗାନ ଶକ୍ତି ଅସ୍ତପ୍ରାୟ ସ୍ଥିତିରେ । ମୋଗଲମାନେ ପୁନର୍ବାର ଦିଲ୍ଲୀ ଅଧିକାର କଲା ପରେ ମୋଗଲ ସାମ୍ରାଜ୍ୟର ବିସ୍ତାର ଓ ଆଫଗାନ ଶକ୍ତିର ପତନ ସମାନ୍ତରାଳ ଗତିରେ ଚାଲିଲା । ଓଡ଼ିଶାପାଇଁ ଏହାର ତାତ୍ପର୍ଯ୍ୟ ହେଲା, ଓଡ଼ିଶା ଅଧିକାରପାଇଁ ଉଭୟ ଶକ୍ତି ମଧ୍ୟରେ କଳହ ବୃଦ୍ଧି ପାଇଲା ଏବଂ ଶେଷରେ ମୋଗଲମାନଙ୍କ ହାତକୁ ଓଡ଼ିଶା ଗଲା । ତେଣୁ ପ୍ରାୟ ଦୁଇ ଶହ ବର୍ଷର ମୋଟ ଆଫଗାନ-ମୋଗଲ ଶାସନକାଳରୁ ଆଫଗାନ ରାଜତ୍ୱ ମାତ୍ର ୧୪ ବର୍ଷରୁ ଅଧିକ ନୁହେଁ (୧୫୬୮ରୁ୧୫୯୨) । ଏହି ୧୪ ବର୍ଷ ମଧ୍ୟ ଆଫଗାନମାନେ କ୍ରମାଗତ ଭାବେ ଶାସନ କରି ନାହାନ୍ତି ।

କର୍‍ରାନୀ ଓଡ଼ିଶା ଆକ୍ରମଣ କରିବା ବେଳକୁ ଗଜପତି ରାଜା ମୋଗଲମାନଙ୍କ ସଙ୍ଗେ ସଂପର୍କ ସ୍ଥାପନ କରିସାରିଥିଲେ । ସେହି ଆଧାରରେ କର୍‍ରାନୀଙ୍କ ବିରୁଦ୍ଧରେ ଗଜପତି ସେନାକୁ ମୋଗଲ ସହାୟତା ମିଳିବା କଥା । ଏମିତିରେ ଆଫଗାନମାନେ ମୋଗଲମାନଙ୍କର ଶତ୍ରୁ । ମାତ୍ର କର୍‍ରାନୀ ମୋଗଲ ସମ୍ରାଟ ଆକବରଙ୍କ ବଶ୍ୟତା ସ୍ୱୀକାର କରି ତଥା ମୋଗଲ ଦରବାରକୁ ଉପହାର ପ୍ରେରଣ କରି ମୋଗଲମାନଙ୍କର କୃପାଭିକ୍ଷା କଲେ । ମୋଗଲମାନଙ୍କର ଏକ ପ୍ରଧାନ ଶତ୍ରୁ ଆଫଗାନ୍‍ ସର୍ଦ୍ଦାର୍‍ ଆଲି କ୍ୟୁଲି ଖାନ୍‍ ସେତେବେଳେ ସାହାଯ୍ୟପାଇଁ ବଙ୍ଗର ଦ୍ୱାରସ୍ଥ ହେଲେ । ମାତ୍ର କର୍‍ରାନୀ ମୋଗଲମାନଙ୍କୁ ତୁଷ୍ଟ କରିବାପାଇଁ ଆଲି କ୍ୟୁଲିଙ୍କୁ ନା ଆଶ୍ରୟ ଦେଲେ ନା ସାହାଯ୍ୟ । ଏହି କାରଣରୁ ଓଡ଼ିଶା ଆକ୍ରମଣ ବେଳେ କର୍‍ରାନୀଙ୍କୁ କୌଣସି ମୋଗଲ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିଲା ନାହିଁ । ଏହା ତାଙ୍କ ଓଡ଼ିଶା ବିଜୟକୁ ସହଜ, ସରଳ କଲା । ଅନ୍ୟ ପକ୍ଷରେ ଓଡ଼ିଶାକୁ ଆଫଗାନ ଶକ୍ତି ଜିଣିଲେ ସତ, କିନ୍ତୁ ସୁଲେମାନ କର୍‍ରାନୀ ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ୱୀକାର କରିଥିବାରୁ ପ୍ରକାରାନ୍ତରେ ଏହା ମୋଗଲ ସାମ୍ରାଜ୍ୟର ଅଂଶ ହେଲା- ଯଦିଓ ପ୍ରକୃତ ଶାସନ ରହିଲା ଆଫଗାନ ଶକ୍ତି ହାତରେ ।   ୧୫୭୨ରେ ସୁଲେମାନ କର୍‍ରାନୀଙ୍କ ମୃତ୍ୟୁ ପରେ ଓଡ଼ିଶା ଅଧିକାରରେ ପ୍ରମୁଖ ଭୂମିକା ନେଇଥିବା ତାଙ୍କ ଜ୍ୟେଷ୍ଠ ପୁତ୍ର ବୟାଜିଦ ବଙ୍ଗର ଶାସକ ହେଲେ । ଅଳ୍ପ ଦିନ ପରେ ବୟାଜିଦ ନିହତ ହେବାଯୋଗୁଁ ୧୫୭୩ରେ ସୁଲେମାନଙ୍କ ଦ୍ୱିତୀୟ ପୁତ୍ର ଦାଉଦ ଶାସକ ହେଲେ । ଦାଉଦ ମୋଗଲମାନଙ୍କ ବିରୁଦ୍ଧରେ ସ୍ୱାଧୀନତା ଘୋଷଣା କରିବାରୁ ଆକବର ପ୍ରଥମେ ସେନାପତି ମୁନିମ ଖାଁ ଓ ରାଜସ୍ୱ ମନ୍ତ୍ରୀ ତୋଡ଼ରମଲ୍ଲଙ୍କୁ ବିଦ୍ରୋହ ଦମନ କରିବାକୁ ପ୍ରେରଣ କଲେ । ଏହା ସତ୍ତ୍ୱେ ଆଫଗାନ ଶାସକଙ୍କ ବିଦ୍ରୋହ ଦମନ ନହେବାରୁ ଆକବର ବଙ୍ଗ ଅଭିମୁଖେ ସେନା ପରିଚାଳନା କଲେ । ବଙ୍ଗ ଓ ବିହାରକୁ ମୋଗଲମାନଙ୍କ ହାତରେ ଛାଡ଼ିଦେଇ ଦାଉଦ ଓଡିଶା ଅଭିମୁଖେ ପଳାୟନ କଲେ । ୧୫୭୫ରେ ତାଙ୍କୁ ବାଲେଶ୍ୱର ନିକଟସ୍ଥ ଜଳେଶ୍ୱରଠାରେ ମୋଗଲ ସେନା ପରାଜିତ କଲେ । ଏହି ଯୁଦ୍ଧସ୍ଥଳୀଟି ଆଜି ମଧ୍ୟ 'ମୋଗଲମାରି' ନାମରେ ପରିଚିତ । ଯୁଦ୍ଧ ପରେ ଶାନ୍ତି ଚୁକ୍ତି ଅନୁଯାୟୀ ବଙ୍ଗ ମୋଗଲ ଅଧିକାରକୁ ଗଲା ଏବଂ ଦାଉଦ ଓଡ଼ିଶାର ସ୍ୱାଧୀନ ଶାସକ ହେଲେ । ଦାଉଦ ମୋଗଲ ସେନାପତି ମୁନିମ ଖାଁଙ୍କୁ ଅନେକ ହସ୍ତୀ ଉପହାର ଦେଲେ ଏବଂ ନିଜ ପୁତୁରା ଶେଖ ମହମ୍ମଦଙ୍କୁ ମୋଗଲ ଦରବାରକୁ ପ୍ରେରଣ କରିବାକୁ ସମ୍ମତ ହେଲେ । ମୁନିମ ଖାଁ ବଙ୍ଗର ମୋଗଲ ଗଭର୍ଣ୍ଣର ନିଯୁକ୍ତ ହେଲେ ।

୧୫୭୬ରେ ମୁନିମ ଖାଁଙ୍କର ମୃତ୍ୟୁ ହେଲା । ଏହାର ସୁଯୋଗ ନେଇ ଦାଉଦ ପୁଣି ଥରେ ବିଦ୍ରୋହ କଲେ ଓ ରାଜମହଲ (ବଂଗ)ଠାରେ ମୋଗଲ ସେନା ହାତରେ ପରାଜିତ ହେଲେ । ଓଡ଼ିଶା ବଙ୍ଗର ମୋଗଲ ସୁବେଦାରଙ୍କ ଅଧୀନସ୍ଥ ହେଲା । କିୟା ଖାଁ ଓଡ଼ିଶାର ଗଭର୍ଣ୍ଣର ରୂପେ ମୋଗଲମାନଙ୍କଦ୍ୱାରା ନିଯୁକ୍ତ ହେଲେ । ୧୫୭୯ରେ କିୟା ଖାଁ ହତ୍ୟାର ଶିକାର ହେବା ପୂର୍ବରୁ ନିରନ୍ତର ଆଫଗାନ ବିଦ୍ରୋହର ସମ୍ମୁଖୀନ ହେଲେ । ଯଦିଓ ତାଙ୍କ ସମୟରେ ଓଡ଼ିଶାରେ ମୋଗଲ ଶାସନ ରହିଥିଲା, ଆଫଗାନ ବିଦ୍ରୋହଯୋଗୁଁ ଅରାଜକତା ଲାଗି ରହିଲା । ଏହାର ସ୍ଥାୟୀ ସମାଧାନ ଲାଗି ଆକବର ମାସୁମ ଖାଁ ନାମକ ଜଣେ ଆଫଗାନ ସର୍ଦ୍ଦାରଙ୍କୁ କିୟା ଖାଁଙ୍କ ପରେ ଓଡ଼ିଶାର ଗଭର୍ଣ୍ଣର ନିଯୁକ୍ତ କଲେ ।   ୧୫୮୨ରେ ତୋଡ଼ରମଲ୍ଲଙ୍କ ଜମିଜମା ବନ୍ଦୋବସ୍ତ ବ୍ୟବସ୍ଥା ଓଡ଼ିଶାରେ କାର୍ଯ୍ୟକାରୀ ହେଲା । ବନ୍ଦୋବସ୍ତ ଅନୁସାରେ ଓଡ଼ିଶାକୁ ପାଞ୍ଚଟି ସରକାରରେ ବିଭକ୍ତ କରାଗଲା । ସେଗୁଡ଼ିକ ହେଲା:- ରୂପନାରାୟଣ, ବଳଙ୍ଗା ନଦୀ ଉପକୂଳ ମଧ୍ୟବର୍ତ୍ତୀ ଜଳେଶ୍ୱର ସରକାର, ବଳଙ୍ଗା ଓ ବ୍ରାହ୍ମଣୀ ନଦୀ ମଧ୍ୟବର୍ତ୍ତୀ ଅଞ୍ଚଳକୁ ନେଇ ଭଦ୍ରକ ସରକାର, ବ୍ରାହ୍ମଣୀ ନଦୀ ଓ ଚିଲିକା ହ୍ରଦ ମଧ୍ୟବର୍ତ୍ତୀ ଅଞ୍ଚଳକୁ ନେଇ କଟକ ସରକାର, ଦକ୍ଷିଣ ଓଡ଼ିଶାକୁ ନେଇ କଳିଙ୍ଗ ଦଣ୍ତପାଟ ଏବଂ ଉତ୍ତର ଆନ୍ଧ୍ର କ୍ଷେତ୍ରକୁ ନେଇ ରାଜମହେନ୍ଦ୍ରୀ ସରକାର । ଏହି ପାଞ୍ଚଟି ମଧ୍ୟରୁ ଶେଷ ଦୁଇଟି ସରକାର ନାମକୁ ମାତ୍ର ମୋଗଲ ସାମ୍ରାଜ୍ୟର ଅଂଶ ହୋଇ ରହିଲେ । କାରଣ ୧୫୭୧ରେ ଉକ୍ତ ଅଞ୍ଚଳକୁ ଗୋଲକୋଣ୍ତା ସୁଲତାନ ଇବ୍ରାହିମ୍‍ କୁତବ ନିଜ ରାଜ୍ୟରେ ମିଶାଇ ସାରିଥିଲେ । ଅର୍ଥାତ୍‍ ଆକବରଙ୍କ ସମୟରେ ଦକ୍ଷିଣରେ ଓଡ଼ିଶା ଚିଲିକା ପର୍ଯ୍ୟନ୍ତ ସୀମିତ ହୋଇ ରହିଥିଲା ।

ମୋଗଲ ସମ୍ରାଟ ଓଡ଼ିଶା ଶାସନ ସମୟରେ ଅନୁଭବ କଲେ ଯେ, ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ମାଳ ଓ ଜଙ୍ଗଲରେ ପରିପୂର୍ଣ୍ଣ । ତେଣୁ ପ୍ରତ୍ୟକ୍ଷ ପ୍ରାଶାସନିକ ନିୟନ୍ତ୍ରଣ ଦୁରୂହ ବ୍ୟାପାର । ସେଥିଯୋଗୁଁ ପ୍ରାଶାସନିକ ସୁବିଧାପାଇଁ ସମଗ୍ର ଓଡ଼ିଶା କ୍ଷେତ୍ରକୁ ଦୁଇ ଭାଗରେ ବିଭକ୍ତ କରାଗଲା । ପ୍ରତ୍ୟକ୍ଷ ଶାସିତ ଅଞ୍ଚଳକୁ ମୋଗଲବନ୍ଦି ଓ ସାମନ୍ତ ଶାସିତ ମାଳ ଓ ଜଙ୍ଗଲପୂର୍ଣ୍ଣ ଅଞ୍ଚଳକୁ ଗଡ଼ଜାତ ବୋଲି କୁହାଗଲା । ଗଡ଼ଜାତର ରାଜାମାନେ କିଛି ବାର୍ଷିକ ଦେୟ ମୋଗଲମାନଙ୍କୁ ଦେଉଥିଲେ ଏବଂ ସେମାନଙ୍କ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ କୌଣସି ମୋଗଲ ପ୍ରାଶାସନିକ ନିୟନ୍ତ୍ରଣ ରହିଲା ନାହିଁ । ଗଡ଼ଜାତ ରାଜାମାନେ ଏକ ପ୍ରକାର ସ୍ୱାଧୀନ ଭାବେ ରାଜତ୍ୱ କଲେ । ଏହି ସମୟର ଅନ୍ୟ ଏକ ବିଶିଷ୍ଟ ଘଟଣା ହେଲା, ଖୋର୍ଦ୍ଧା ଭୋଇ ବଂଶର ଉତ୍ତରାଧିକାରୀ ରମାଇ ରାଉତରାୟଙ୍କୁ ଗଜପତି ଅର୍ଥାତ୍‍ ଓଡ଼ିଶାର ରାଜା (ପୁରୀର ରାଜା) ଘୋଷଣା କରାଗଲା । ରମାଇ ରାମଚନ୍ଦ୍ରଦେବ ନାମ ଧାରଣ କରି ଖୋର୍ଦ୍ଧାରେ ରାଜତ୍ୱ କଲେ । ପୁରୀ ଓ ଜଗନ୍ନାଥ ତାଙ୍କ ଶାସନ କ୍ଷେତ୍ର ମଧ୍ୟରେ ରହିଥିବାରୁ ସେ ଓଡ଼ିଶାର ରାଜା ଭାବରେ ସ୍ୱୀକୃତି ପାଇଲେ । ଆଫଗାନ୍‍ ସର୍ଦ୍ଦାରମାନଙ୍କ ବିଦ୍ରୋହରୁ ନିସ୍ତାର ପାଇବାଲାଗି ସମ୍ଭବତଃ ଆକବର ଓ ଓଡ଼ିଶା କଥା ବୁଝୁଥିବା ତାଙ୍କ ମନ୍ତ୍ରୀ ତୋଡ଼ରମଲ୍ଲ ଓଡ଼ିଶାର ପାରମ୍ପରିକ ରାଜ ଶକ୍ତିକୁ ପ୍ରାଧାନ୍ୟ ଦେଇଥିଲେ ।

୧୫୮୩-୮୪ରେ ପୁଣି ଥରେ ଓଡ଼ିଶାରେ ଆଫଗାନ ଶକ୍ତି ଏକତ୍ର ହୋଇ ମୋଗଲମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ସେମାନଙ୍କ ସର୍ଦ୍ଦାର ଥିଲେ କୁତୁଲ ଖାଁ ଲୋହାନୀ । କୁତୁଲ୍‍ ଖାଁ ରାମଚନ୍ଦ୍ର ଦେବଙ୍କୁ ପରାସ୍ତ କରି ପୁରୀ ଅଧିକାର କରିନେଲେ । ଏହି ସମୟରେ ମୋଗଲ ସମ୍ରାଟଙ୍କ ଦ୍ୱାରା ଓଡ଼ିଶାର ଗଭର୍ଣ୍ଣର ନିଯୁକ୍ତ ହୋଇ କଟକରେ ଅବସ୍ଥାପିତ ଥିବା ଆଫଗାନ ସର୍ଦ୍ଦାର ମାସୁମ୍‍ ଖାଁ ମଧ୍ୟ ଆଫଗାନ ବିଦ୍ରୋହୀଙ୍କ ସଙ୍ଗେ ମିଶିଗଲେ । ସେମାନଙ୍କୁ ବଙ୍ଗର ମୋଗଲ ସୁବେଦାର ଶାହବାଜ ଖାଁ ପରାସ୍ତ କଲେ । ଶାନ୍ତିଚୁକ୍ତି ଅନୁଯାୟୀ କୁତୁଲ ଖାଁଙ୍କୁ ଓଡ଼ିଶାର ଶାସକ ଭାବରେ ସ୍ୱୀକୃତି ମିଳିଲା । ପ୍ରତିବଦଳରେ ସେ ଭବିଷ୍ୟତରେ ବଙ୍ଗ ଆକ୍ରମଣ ନକରିବାକୁ ପ୍ରତିଶ୍ରୁତି ଦେଲେ । ମୋଗଲମାନେ ଓଡ଼ିଶାରୁ ଷାଠିଏଟି ହସ୍ତୀ ଉପହାର ନେଇ ତଥା କୁତୁଲ ଖାଁଙ୍କ ପୁତୁରାକୁ ପଣବନ୍ଦୀ ଭାବରେ ନେଇ ଚୁପ୍‍ ରହିଲେ । ପୁଣି ଥରେ ଓଡ଼ିଶା ଆଫଗାନ ଶକ୍ତି ହାତକୁ ଗଲା ।   ଏହି ସନ୍ଧିରେ ଆକବର ସନ୍ତୁଷ୍ଟ ନଥିଲେ । ଦିଲ୍ଲୀ ଓ ଉତ୍ତର ଭାରତରେ ନିଜ ସ୍ଥିତିକୁ ସୁଦୃଢ଼ କରିବା ପରେ ସେ ନୂଆ ନୂଆ ଅଞ୍ଚଳକୁ ନିଜ ସାମ୍ରାଜ୍ୟରେ ଯୋଡ଼ିବାକୁ ଚାହୁଁଥିଲେ । ତେଣୁ ରାଜା ମାନସିଂହଙ୍କୁ ଓଡ଼ିଶା ଜୟକରିବାକୁ ସେ ପ୍ରେରଣ କଲେ । ୧୫୯୦ରେ ମାନସିଂହ ପୁଣି ଥରେ ଓଡ଼ିଶାକୁ ଜିଣିନେଲେ ଓ ତାକୁ ମୋଗଲ ସାମ୍ରାଜ୍ୟଭୁକ୍ତ କଲେ । ଏହା ପରେ ଓଡ଼ିଶାରେ ଆଫଗାନ ଶକ୍ତି ପୂର୍ଣ୍ଣତଃ ମୋଗଲ ସାମ୍ରାଜ୍ୟର ପ୍ରଭୁତ୍ୱ ସ୍ୱୀକାର କଲା । ପୁରୀ ଓ ଖୋର୍ଦ୍ଧା ମୋଗଲର ପ୍ରତ୍ୟକ୍ଷ ଶାସନାଧୀନ ହେଲା । ତୀର୍ଥଯାତ୍ରୀଙ୍କଠାରୁ ଆଦାୟ ହେଉଥିବା କରଯୋଗୁଁ ତଥା ଓଡ଼ିଶା ରାଜ୍ୟର ପ୍ରତୀକ ଭାବେ ଖ୍ୟାତି ପାଇଥିବା ଜଗନ୍ନାଥଙ୍କ ସାମାଜିକ ପ୍ରଭାବଯୋଗୁଁ ପୁରୀ ସର୍ବଦା ରାଜ ଆକର୍ଷଣର କେନ୍ଦ୍ର ଥିଲା । ତାକୁ ନିଜ ନିୟନ୍ତ୍ରଣକୁ ଆଣି ବସ୍ତୁତଃ ଓଡ଼ିଶାକୁ ମୋଗଲ କର୍ତ୍ତୃତ୍ୱକୁ ଅଣାଗଲା । ଅନ୍ୟ ପକ୍ଷରେ ଆଫଗାନ ସର୍ଦ୍ଦାର ଖ୍ୱାଜା ଇସା ମୋଗଲ ରୀତିନୀତି ମାନି କଟକରେ ଶାସନ କାର୍ଯ୍ୟ କଲେ ।

୧୫୯୨ରେ ଖ୍ୱାଜା ଇସାଙ୍କ ମୃତ୍ୟୁ ପରେ ପୁଣି ଥରେ ଆଫଗାନମାନେ ମୋଗଲମାନଙ୍କ ବିରୁଦ୍ଧରେ ବିଦ୍ରୋହ କଲେ । ଏଥିରେ କୁତୁଲ୍‍ ଖାଁଙ୍କ ପୁତ୍ରମାନେ ନେତୃତ୍ୱ ନେଇଥିଲେ । ସେମାନେ ଜଗନ୍ନାଥ ମନ୍ଦିର ଲୁଟ୍‍ କରି ଅନେକ ଧନ ସମ୍ପତ୍ତି ମଧ୍ୟ ନେଇଗଲେ । ମାନସିଂହଙ୍କୁ ମୋଗଲ ସେନା ସହିତ ପୁଣି ଥରେ ଓଡ଼ିଶା ଅଭିଯାନରେ ଆସିବାକୁ ପଡ଼ିଲା । ବାଲେଶ୍ୱର ନିକଟରେ ଆଫଗାନମାନେ ପରାସ୍ତ ହୋଇ ପଳାୟନ କଲେ । ମାନସିଂହ ଏଥର ଜଳେଶ୍ୱର ଓ ଭଦ୍ରକ ବାଟ ଦେଇ କଟକ ମଧ୍ୟ ଆସିଥିଲେ । ବିଦ୍ରୋହୀମାନଙ୍କର ମୂଳୋତ୍ପାଟନ କରିବାଲାଗି ସେ ଚୌଦ୍ୱାର ନିକଟସ୍ଥ ସାରଙ୍ଗଗଡ଼ ଆକ୍ରମଣ କଲେ । ରାମଚନ୍ଦ୍ର ଦେବ ଆଫଗାନମାନଙ୍କୁ ଶରଣ ଦେଇଥିବାରୁ ସେ ମୋଗଲମାନଙ୍କ ରୋଷର ଶିକାର ହେଲେ । ଯୁଦ୍ଧରେ ପରାସ୍ତ ରାମଚନ୍ଦ୍ର ଶେଷରେ ଆକବରଙ୍କ ପ୍ରଭୁତ୍ୱ ଶିକାର କଲେ ଏବଂ ଖୋର୍ଦ୍ଧାର ରାଜା ଭାବରେ ତାଙ୍କୁ ମୋଗଲ ସ୍ୱୀକୃତି ମିଳିଲା । ଏହାପରେ ରାମଚନ୍ଦ୍ର ଦେବଙ୍କୁ 'ଗଜପତି' ଉପାଧି ଓ ଜଗନ୍ନାଥ ମନ୍ଦିର ଉପରେ କର୍ତ୍ତୃତ୍ୱ ପ୍ରାପ୍ତ ହେଲା । ତାଙ୍କୁ ଆକବର ମାନସବଦାର ପଦ ମଧ୍ୟ ଦେଇଥିଲେ । ତେଣିକି ଓଡ଼ିଶା ଦେଢ଼ ଶହ ବର୍ଷରୁ ଊର୍ଦ୍ଧ୍ୱ କାଳ (୧୫୯୨-୧୭୫୧) ମୋଗଲ ଶାସନାଧୀନ ରହିଲା ।

କଟକ ଥିଲା ମୋଗଲ ଶାସନର ମୁଖ୍ୟ କେନ୍ଦ୍ର । ମୋଗଲ ପ୍ରତିିନିଧି କଟକର ବାରବାଟୀ ଦୁର୍ଗରେ ଅବସ୍ଥାପିତ ହୋଇ ଓଡ଼ିଶାର ପ୍ରଶାସନ ଓ ରାଜସ୍ୱ ଆଦାୟ କଥା ବୁଝିଲେ । ଆରମ୍ଭରୁ (୧୫୯୨-୧୬୦୭) ସେ ବଙ୍ଗରେ ଅବସ୍ଥାପିତ ବଙ୍ଗ, ବିହାର ଓ ଓଡ଼ିଶାର ମୋଗଲ ଗଭର୍ଣ୍ଣରଙ୍କ ଠାରେ ଉତ୍ତରଦାୟୀ ରହିଲେ । ପରେ (୧୬୦୭) ଓଡ଼ିଶା ଏକ ସ୍ୱତନ୍ତ୍ର ସୁବାର ମାନ୍ୟତା ପାଇଲା ଏବଂ ତା'ର ମୋଗଲ ପ୍ରଶାସକଙ୍କୁ ସୁବାଦାର କୁହାଗଲା । ୧୫୯୨ରୁ ୧୬୦୭ ପର୍ଯ୍ୟନ୍ତ ମଝିରେ ଅଳ୍ପ ସମୟକୁ ବାଦ ଦେଲେ ରାଜା ମାନସିଂହ ବଙ୍ଗର ଗଭର୍ଣ୍ଣର ଭାବରେ ଓଡ଼ିଶାର ପ୍ରଶାସନ କଥା ବୁଝୁଥିଲେ । ୧୬୦୭ରେ ସ୍ୱତନ୍ତ୍ର ଓଡ଼ିଶା ସୁବାର ପ୍ରଥମ ସୁବାଦାର ଭାବରେ ହାସିମ୍‍ ଖାଁ ନିଯୁକ୍ତି ପାଇଲେ ।   ଯଦିଓ ଓଡ଼ିଶା ମୋଗଲ ସାମ୍ରାଜ୍ୟାଧୀନ ହେଲା, ତହିଁରେ ଅନେକ ଛୋଟ ଛୋଟ ରାଜ୍ୟ ସ୍ୱାଧୀନ ଓ ଅର୍ଦ୍ଧ ସ୍ୱାଧୀନ ଭାବରେ ପ୍ରତିଷ୍ଠିତ ହୋଇଥିଲେ । ମୋଗଲ ପ୍ରାଶାସନିକ କର୍ତ୍ତୃତ୍ୱ ଏହି ରାଜ୍ୟଗୁଡ଼ିକରେ ପୂର୍ଣ୍ଣ ମାତ୍ରାରେ ଅନୁଭୂତ ହେଉ ନଥିଲା । ଏହିଭଳି ଏକ ରାଜ୍ୟ ଥିଲା ଖୋର୍ଦ୍ଧା । ସେଠାରେ ଭୋଇ ବଂଶର ରାଜାମାନେ ରାଜତ୍ୱ କରୁଥିଲେ । ପୁରୀ ଓ ଜଗନ୍ନାଥ ମନ୍ଦିର ଖୋର୍ଦ୍ଧା ରାଜାଙ୍କ ନିୟନ୍ତ୍ରଣରେ ରହିଥିଲା । ସେ ଗଜପତି ଉପାଧି ବହନ କରିଥିବାରୁ ଏବଂ ତାଙ୍କ ନିୟନ୍ତ୍ରଣରେ ଜଗନ୍ନାଥ ମନ୍ଦିର ରହିଥିବାରୁ ତାଙ୍କୁ ଓଡ଼ିଶାର ରାଜା ଭାବରେ ସମ୍ମାନ ମିଳୁଥିଲା । ଧାର୍ମିକ ଓ ସାମାଜିକ କାରଣରୁ ଏବଂ ତାହା ସାଙ୍ଗକୁ ଆର୍ଥନୀତିକ କାରଣରୁ ଓଡ଼ିଶାରେ ଏବଂ ଓଡ଼ିଶା ବାହାରେ ଜଗନ୍ନାଥ ମନ୍ଦିରର ଖୁବ୍‍ ମହତ୍ତ୍ୱ ରହିଥିଲା । ତୀର୍ଥଯାତ୍ରୀମାନଙ୍କଠାରୁ ଆଦାୟ ହେଉଥିବା କର ରାଜ୍ୟ ରାଜସ୍ୱର ଏକ ମୁଖ୍ୟ ଭାଗ ଥିଲା । ଜଗନ୍ନାଥଙ୍କର ପୂଜା ବିଧି-ବ୍ୟବସ୍ଥା ଉପରେ ମନ୍ଦିରର ପ୍ରତିଷ୍ଠା ନିର୍ଭର କରୁଥିଲା । ପୁରୀ ଓ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଗଜପତିଙ୍କ ଭିନ୍ନ ଅନ୍ୟ କେଉଁ ଶାସକ ହାତରେ ରହିଲେ, ସୂଚାରୁ ରୂପେ ପୂଜା ବିଧି ବ୍ୟବସ୍ଥା ଓ ମନ୍ଦିର ପରିଚାଳନା ହୋଇ ନପାରିବାର ଆଶଙ୍କା ଥିଲା । ମୋଟ କଥା ହେଲା, ଉଭୟ ଗଜପତି ଓ ମୋଗଲ ଶାସକମାନଙ୍କପାଇଁ ପୁରୀ ଅଧିକାର ଏକ ଆବଶ୍ୟକତା ଥିଲା । ଫଳରେ ପୁରୀକୁ ନେଇ ଗଜପତି ଓ ମୋଗଲମାନଙ୍କ ମଧ୍ୟରେ କଳହ ଲାଗି ରହିଲା । ସାମରିକ ଦୃଷ୍ଟିରୁ ଗଜପତି ମୋଗଲମାନଙ୍କ ସହ ତୁଳନୀୟ ନଥିଲେ ସୁଦ୍ଧା ତାଙ୍କ ପଛରେ ବିଭିନ୍ନ ସାମାଜିକ ବର୍ଗର ସମର୍ଥନ ରହିଥିଲା । ତେଣୁ ସମଗ୍ର ମୋଗଲ ଶାସନ କାଳରେ ସେ କ୍ଷମତାର ଏକ କେନ୍ଦ୍ର ହେଲେ । ମନ୍ଦିର ଉପରେ ନିଜ ନିୟନ୍ତ୍ରଣ ବଜାୟ ରଖିବାଲାଗି ସେ ଯେଉଁ ପଦକ୍ଷେପମାନ ନେଉଥିଲେ, ତାକୁ ଓଡ଼ିଶାର ସ୍ୱାଭିମାନ ରକ୍ଷା ନିମନ୍ତେ ଉଦ୍ୟମ ବୋଲି ଚିହ୍ନିତ କରାଗଲା । ଅପରପକ୍ଷରେ, ମୋଗଲମାନଙ୍କ ପଦକ୍ଷେପକୁ ଆକ୍ରମଣ ବୋଲି କୁହାଗଲା । ଏହି ପ୍ରକ୍ରିୟାରେ ଖୋର୍ଦ୍ଧା ଗଜପତି ମୋଗଲ ସାମ୍ରାଜ୍ୟାଧୀନ ହେବା ସତ୍ତ୍ୱେ, ଓଡ଼ିଶାରେ ପ୍ରଥମେ ଆଫଗାନ ଓ ପରେ ମୋଗଲ ଶକ୍ତିର ପ୍ରତିଦ୍ୱନ୍ଦ୍ୱୀ ରୂପେ ଗଣା ହେଲେ । ଯେହେତୁ ତାଙ୍କର ସାମାଜିକ ଶକ୍ତି ବ୍ରାହ୍ମଣମାନଙ୍କର ସହଯୋଗ ଓ ସମର୍ଥନ ଉପରେ ନିର୍ଭର କରୁଥିଲା, ସେ ବ୍ରାହ୍ମଣ ଶାସନ ଆଦି ପ୍ରତିଷ୍ଠା କରି ବ୍ରାହ୍ମଣମାନଙ୍କୁ ଯଥେଷ୍ଟ ପୃଷ୍ଠପୋଷକତା ପ୍ରଦାନ କରୁଥିଲେ । ଅର୍ଥାତ୍‍ ଖୋର୍ଦ୍ଧା ଗଜପତି ମୋଗଲ ଶାସନାଧୀନ ଓଡ଼ିଶାରେ ମୋଗଲର ପ୍ରତିଦ୍ୱନ୍ଦ୍ୱୀ ହେବା ସହିତ ଅନ୍ୟ ପଡୋଶୀ ରାଜ୍ୟମାନଙ୍କ ଅପେକ୍ଷା ଉଚ୍ଚସ୍ଥାନ ଲାଭ କରିଥିଲେ ।

ହାସିମ୍‍ ଖାଁଙ୍କ ସମୟରେ (୧୬୦୭-୧୬୧୧) ଥରେ ଜଗନ୍ନାଥ ମନ୍ଦିର ଉପରେ ମୋଗଲ ଆକ୍ରମଣ ହୋଇଥିଲା । ରାଜପୁତ ଜାଗିରଦାର କେଶୋଦାସ ମାରୁଙ୍କ ନେତୃତ୍ୱରେ ହୋଇଥିବା ଏହି ଆକ୍ରମଣରେ ତିିନିଟିଯାକ ରଥକୁ ପୋଡ଼ି ଦିଆଯାଇଥିବା କୁହାଯାଏ । ପ୍ରତିରକ୍ଷାପାଇଁ ଗଜପତି ପୁରୁଷୋତ୍ତମ ଦେବ (୧୬୦୫-୧୬୨୧) ଉଦ୍ୟମ କରିଥିଲେ । ମାତ୍ର ସୁବାଦାର ହାସିମ୍‍ ଖାଁଙ୍କଠାରୁ (କଟକରୁ) ଅଧିକ ସୈନ୍ୟ ସାହାଯ୍ୟ ପାଇ କେଶୋଦାସ ମନ୍ଦିର ଉପରେ କବ୍‍ଜା କରିବାପାଇଁ ସକ୍ଷମ ହେଲେ । ବାଧ୍ୟ ହୋଇ ଗଜପତି ମୋଗଲ ସମ୍ରାଟଙ୍କୁ ତିିନି ଲକ୍ଷ ଟଙ୍କା ଓ ନିଜ କନ୍ୟାକୁ ପ୍ରଦାନ କରିବାକୁ ରାଜି ହେଲେ । କେଶୋଦାସ ନିଜେ ମଧ୍ୟ ଗଜପତିଙ୍କ ଭଉଣୀଙ୍କୁ ବିବାହ କଲେ ଏବଂ ଏକ ଲକ୍ଷ ଟଙ୍କା ଗଜପତିଙ୍କଠାରୁ ନେଲେ । ଏହି ବିଜୟ ପରେ ଜାହାଙ୍ଗୀର କେଶୋଦାସଙ୍କୁ ସମ୍ମାନିତ କଲେ ।   ହାସିମ୍‍ ଖାଁଙ୍କ ପରେ ରାଜା ତୋଡ଼ରମଲ୍ଲଙ୍କ ପୁତ୍ର କଲ୍ୟାଣ ମଲ୍ଲ ଓଡ଼ିଶାର ସୁବାଦାର ଭାବରେ ନିଯୁକ୍ତି ପାଇଲେ । ସେ ୧୬୧୧ରୁ ୧୬୧୭ ପର୍ଯ୍ୟନ୍ତ ସୁବାଦାର ରହିଲେ । ପୂର୍ବ ସର୍ତ୍ତ ଅନୁସାରେ ଗଜପତି ପୁରୁଷୋତ୍ତମ ଦେବ ପେଶ୍‍କସ୍‍ ଟଙ୍କା ମୋଗଲ ଦରବାରକୁ ନ ପଠାଇବାରୁ କଲ୍ୟାଣମଲ୍ଲ ଖୋର୍ଦ୍ଧା ଆକ୍ରମଣ କଲେ । ଏଥିରେ ଗଜପତି ବାଧ୍ୟ ହୋଇ ଲକ୍ଷେ ଟଙ୍କା ପେଶ୍‍କସ୍‍ ଦେଲେ । ଅନ୍ୟ ପକ୍ଷରେ ମୋଗଲ ସେନାର ଖୋର୍ଦ୍ଧା ଆକ୍ରମଣରେ ଭୟଭୀତ ହୋଇ ପୁରୀର ପଣ୍ତାମାନେ ଜଗନ୍ନାଥ ପ୍ରତିମାଙ୍କୁ ନେଇ ଚିଲିକା ଚାଲିଗଲେ । ଫଳରେ ଅନେକ ବର୍ଷ ଧରି ମନ୍ଦିରରେ ପ୍ରତିମା ନଥିଲେ ।

୧୬୧୭ରେ ମକରମ ଖାଁ ଓଡ଼ିଶାର ନୂଆ ସୁବାଦାର ରୂପେ ଅବସ୍ଥାପିତ ହେଲେ । ସେ ମଧ୍ୟ ଥରେ ଖୋର୍ଦ୍ଧା ଆକ୍ରମଣ କଲେ ଏବଂ ତାହାକୁ ନିଜର ପ୍ରତ୍ୟକ୍ଷ ଶାସନଭୁକ୍ତ କଲେ । ଗଜପତି ଜଗନ୍ନାଥ ମନ୍ଦିରର ପୂଜକମାନଙ୍କୁ ନେଇ ଗଡ଼ମାଣିତ୍ରୀରେ ଲୁଚି ରହିଲେ । ୧୬୨୧ରେ ଗାଦିଚ୍ୟୁତ ହେବାପରେ ୧୬୨୨ରେ ସେଠାରେ ଭଗ୍ନ ହୃଦୟରେ ସେ ଦେହତ୍ୟାଗ କଲେ । ଗଜପତି ପୁରୁଷୋତ୍ତମ ଦେବ ଜଗନ୍ନାଥ ମନ୍ଦିର ଓ ପୁରୀ ଉପରେ ନିଜ ନିୟନ୍ତ୍ରଣ ଜାହିର୍‍ କରିବା ପ୍ରୟାସରେ ନିଜ ନାଁରେ ତିନୋଟି ବ୍ରାହ୍ମଣ ଶାସନ ପୁରୀ ନିକଟରେ ପ୍ରତିଷ୍ଠା କରିଥିଲେ । ସେଗୁଡ଼ିକ ହେଲା, ଶ୍ରୀପୁରୁଷୋତ୍ତମପୁର, ବୀର ପୁରୁଷୋତ୍ତମପୁର ଓ ପ୍ରତାପ ପୁରୁଷୋତ୍ତମପୁର । ବ୍ରାହ୍ମଣମାନଙ୍କର ଅକୁଣ୍ଠ ସାହାଯ୍ୟ ସତ୍ତ୍ୱେ ସେ ପୁରୀ କ୍ଷେତ୍ରରେ ଜଗନ୍ନାଥଙ୍କୁ ପୁନଃ ପ୍ରତିଷ୍ଠା କରି ପାରି ନଥିଲେ ।

ପୁରୁଷୋତ୍ତମ ଦେବଙ୍କ ପରେ ତାଙ୍କ ପୁତ୍ର ନରସିଂହ ଦେବ (୧୬୨୧-୧୬୪୮) ଖୋର୍ଦ୍ଧାର ଗଜପତି ହେଲେ । ଏହି ସମୟରେ (୧୬୨୨-୧୬୨୫) ଜାହାଙ୍ଗୀରଙ୍କ ପୁତ୍ର ଖୁରମ୍‍, ଯିଏ ପରେ ଶାହାଜାହାନ ନାମ ଧାରଣ କରି ମୋଗଲ ସମ୍ରାଟ ହେଲେ, ପିତାଙ୍କ ବିରୁଦ୍ଧରେ ଦାକ୍ଷିଣାତ୍ୟରେ ବିଦ୍ରୋହ ଘୋଷଣା କଲେ । ଗୋଲକୋଣ୍ତା ସୁଲତାନଙ୍କ ସହାୟତା ପାଇ ସେ ଖୋର୍ଦ୍ଧା ମଧ୍ୟ ଆସିଥିଲେ । ନରସିଂହଦେବ ବିଦ୍ରୋହୀ କୁମାରଙ୍କ ବଶ୍ୟତା ସ୍ୱୀକାର କରି ଖୋର୍ଦ୍ଧାକୁ କେବଳ ଖୁରମ୍‍ଙ୍କ ଆକ୍ରମଣରୁ ରକ୍ଷା କଲେ ନାହିଁ, ତା' ସହିତ ଖୋର୍ଦ୍ଧା ଉପରେ ପୂର୍ଣ୍ଣ ଅଧିକାର ମଧ୍ୟ ପ୍ରାପ୍ତ ହେଲେ । କାରଣ ଖୁରମ୍‍ଙ୍କ ଭୟରେ ମୋଗଲ ସୁବାଦାର ଅହମଦ ବେଗ୍‍ ପ୍ରାଣ ଭୟରେ ପଳାୟନ କଲେ । ଖୁରମ୍‍ଙ୍କ ସମ୍ମତି ନେଇ ନରସିଂହଦେବ ପୁରୀ ମନ୍ଦିରରେ ଜଗନ୍ନାଥ ପ୍ରତିମାଙ୍କୁ ମଧ୍ୟ ପୁନଃସ୍ଥାପନ କଲେ । ଗଜପତିଙ୍କପାଇଁ ଏହା ଏକ ବଡ଼ ଉପଲବ୍ଧି ଥିଲା ।

ଶାହାଜାହାନଙ୍କ ଶାସନରେ ପୁରୀ ମନ୍ଦିର ଉପରେ କୌଣସି ମୋଗଲ ଆକ୍ରମଣ ହୋଇ ନଥିଲା । ରାଜକୋଷ ପୂର୍ଣ୍ଣ କରିବା ସକାଶେ ମୋଗଲ ସୁବାଦାର ବଖାର ଖାଁ ଭୂ-ରାଜସ୍ୱ ଆଦାୟ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏଥିପାଇଁ ସେ ଓଡ଼ିଶାର ରାଜା ଓ ଜମିଦାରମାନଙ୍କ ଉପରେ ଖୁବ୍‍ ଅତ୍ୟାଚାର କରିଥିବାର ଶୁଣାଯାଏ । ଆଦାୟ ଭୂ-ରାଜସ୍ୱରୁ କିଛି ଅଂଶ ସେ ରାଜକୋଷରେ ଜମା ଦେଇ ବାକିତକ ନିଜେ ନେଇ ଯାଉଥିଲେ ।   ଦକ୍ଷିଣ ଓଡ଼ିଶାର ଚିକାକୋଲ ସେତେବେଳେ ଗୋଲକୋଣ୍ତା ସୁଲତାନଙ୍କ ଅଧିକାରକୁ ଚାଲିଯାଇଥିଲା । ତା'ପାଇଁ ସୁଲତାନ ମୋଗଲମାନଙ୍କୁ ବାର୍ଷିକ ୨୦,୦୦୦ଟଙ୍କା କର ଦେଉଥିଲେ । ଏହି କାରଣରୁ ଚିକାକୋଲକୁ ଓଡ଼ିଶାରେ ମିଶାଇ ଦେବାପାଇଁ ମୋଗଲମାନଙ୍କ ପକ୍ଷରୁ କୌଣସି ଉଦ୍ୟମ ହୋଇ ନଥିଲା । ମାତ୍ର ବଖାର ଖାଁଙ୍କ ସମୟରେ ଖୁରମ୍‍ଙ୍କ ବିଦ୍ରୋହଜନିତ ମୋଗଲ ଗୃହ ବିବାଦର ସୁଯୋଗ ନେଇ ଗୋଲକୋଣ୍ତା ସୁଲତାନ ଧାର୍ଯ୍ୟ କର ଜମା କଲେ ନାହିଁ । ତା'ଛଡ଼ା ସେନାପତି ମନ୍‍ସୁରଙ୍କୁ ଓଡ଼ିଶା ଆକ୍ରମଣ କରିବାପାଇଁ ପ୍ରେରଣ କଲେ । ବରହମପୁର ନିକଟରେ ମନ୍‍ସୁର୍‍ଗଡ଼ ନାମରେ ମନ୍‍ସୁର ଏକ ଦୁର୍ଗ ନିର୍ମାଣ କଲେ, ଯାହା ମୋଗଲ ଶାସିତ ଖୋର୍ଦ୍ଧା ଓ ମଞ୍ଜୁଷା ରାଜ୍ୟ ପ୍ରତି ବିପଦ ସୃଷ୍ଟି କଲା । ଏହି କାରଣରୁ ୧୬୨୯ରେ ବଖାର ଖାଁ ମନ୍‍ସୁରଗଡ଼ ଲୁଣ୍ଠନ କରି ତାକୁ ଅଧିକାର କରିନେଲେ ଏବଂ ଗୋଲକୋଣ୍ତା ସୁଲତାନଙ୍କୁ ଚିକାକୋଲର ବାର୍ଷିକ କର ଦେବାକୁ ବାଧ୍ୟ କଲେ ।

୧୬୨୭ରୁ ୧୬୩୨ ପର୍ଯ୍ୟନ୍ତ ସୁବାଦାର ରହି ବଖାର ଖାଁ ଓଡ଼ିଶାରୁ ସ୍ଥାନାନ୍ତରିତ ହେଲେ । ବଖାରଙ୍କ ପ୍ରଜାପୀଡ଼ନ ଓ ଦୁର୍ନୀତିର ଅଭିଯୋଗ ପାଇ ଶାହାଜାହାନ ଓଡ଼ିଶାର ସୁବାଦାର ରୂପେ ମୁତାକ୍ୱଦ ଖାଁଙ୍କୁ ନିଯୁକ୍ତ କଲେ । ମୁତାକ୍ୱଦଙ୍କ ଶାସନ(୧୬୩୨-୧୬୪୧)ରେ ଓଡ଼ିଶା ଶାନ୍ତିରେ ଥିଲା । ୧୬୪୨ରୁ ୧୬୬୦ ମଧ୍ୟରେ ଶାହଜାହାନଙ୍କ ପୁତ୍ର ସୁଜା ବଙ୍ଗର ଗଭର୍ଣ୍ଣର ହେଲେ । ତାଙ୍କ ସମୟରେ ବିହାର ପରି ଓଡ଼ିଶା ମଧ୍ୟ ବଙ୍ଗ ସୁବାର ଅଂଶ ହୋଇ ରହିଲା ।

୧୬୫୮ରେ ଶାହଜାହାନଙ୍କୁ ବନ୍ଦୀ କରି ତଥା ଅନ୍ୟ ଭାଇମାନଙ୍କୁ ପରାସ୍ତ କରି ଆଉରଙ୍ଗଜେବ ମୋଗଲ ସମ୍ରାଟ ହେଲେ । ୧୬୬୦ରେ ସେ ଖାନ୍‍ ଇ ଦୌରାନ୍‍ଙ୍କୁ ଓଡ଼ିଶାର ସୁବାଦାର ନିଯୁକ୍ତ କଲେ । ଦୀର୍ଘ ସାତ ବର୍ଷର (୧୬୬୦-୬୭) ସୁବାଦାରୀ ମଧ୍ୟରେ ଖାନ୍‍ ଇ ଦୌରାନ୍‍ ଓଡ଼ିଶାରେ ମୋଗଲ ଶାସନକୁ ସୁଦୃଢ଼ କରିବାନିମିତ୍ତ ତଥା ରାଜସ୍ୱ ବୃଦ୍ଧି କରିବା ସକାଶେ ଅନେକ ପ୍ରୟାସ କଲେ । ତାଙ୍କ ଉଦ୍ୟମରେ ଓଡ଼ିଶାର ବାର୍ଷିକ ରାଜସ୍ୱ ୩୬ ଲକ୍ଷ ଟଙ୍କାରୁ ୭୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଲା ।

୧୬୬୦ରେ ଖାନ୍‍ ଇ ଦୌରାନ୍‍ ସୁବାଦାର ପଦ ସମ୍ଭାଳିବାପାଇଁ ଆସିବା ବେଳକୁ ଓଡ଼ିଶାରେ ମୋଗଲ ଦରବାରର ପ୍ରତିଷ୍ଠା ଯଥେଷ୍ଟ ହ୍ରାସ ପାଇଥିଲା । ମୋଗଲ ଗୃହ ବିବାଦର ସୁଯୋଗ ନେଇ ଓଡ଼ିଶାରେ ଅନେକ ଜମିଦାର ଓ ରାଜା ଏକ ପ୍ରକାର ସ୍ୱାଧୀନତା ଘୋଷଣା କରିଥିଲେ । ବଙ୍ଗର ମୋଗଲ ଗଭର୍ଣ୍ଣର ପଦବୀରେ ଥିବା ସୁଜା ନିଜେ ବିଦ୍ରୋହ କରି ବିଦ୍ରୋହୀମାନଙ୍କୁ ସାହସ ଦେଇଥିଲେ । ଏହାର ସୁଯୋଗ ନେଇ ନରସିଂହଦେବଙ୍କ ପରେ ଖୋର୍ଦ୍ଧାର ଗଜପତି ରାଜା ହୋଇଥିବା ମୁକୁନ୍ଦଦେବ ବାର୍ଷିକ ଦେୟ ଦେବାକୁ ମନା କରିଦେଲେ । ରଣପୁର, ସାରଙ୍ଗଗଡ଼, ଡମପଡ଼ା ଓ ଖଲିକୋଟ ଆଦି ରାଜ୍ୟର ରାଜା ଓ ଜମିଦାରମାନେ ବାର୍ଷିକ କର ନଦେଇ ସେମାନେ ଗଜପତିଙ୍କ ନେତୃତ୍ୱରେ ପରିଚାଳିତ ବୋଲି ଧାରଣା ସୃଷ୍ଟି କରିଥିଲେ । ମୋଗଲ ସୁବାଦାର ଏହି ରାଜା ଓ ଜମିଦାରମାନଙ୍କୁ ନିୟନ୍ତ୍ରଣ କଲେ । ଏହି ପ୍ରକ୍ରିୟାରେ ହରିହରପୁର (ମୟୂରଭଞ୍ଜ) ରାଜା କୃଷ୍ଣଚନ୍ଦ୍ର ଭଞ୍ଜଙ୍କୁ ହତ୍ୟା ମଧ୍ୟ କଲେ । ୧୬୬୧ ଫେବ୍ରୁଆରିରେ ସେ ଖୋର୍ଦ୍ଧା ଆକ୍ରମଣ କଲେ । ରାଜା ମୁକୁନ୍ଦଦେବ ପ୍ରଥମେ ପ୍ରାଣ ବିକଳରେ ପଳାୟନ କଲେ ଏବଂ କିଛିଦିନ ଉତ୍ତାରୁ ମୋଗଲ ସୁବାଦାରଙ୍କ ନିକଟରେ ଆତ୍ମ ସମର୍ପଣ କଲେ । ଗଜପତିଙ୍କ ଦୁରବସ୍ଥା ଦେଖି ଅନ୍ୟ ରାଜା ଓ ଜମିଦାରମାନେ ମଧ୍ୟ ସୁବାଦାରଙ୍କ କର୍ତ୍ତୃତ୍ୱକୁ ସ୍ୱୀକାର କରିନେଲେ । ସୁବାଦାର କେନ୍ଦୁଝର ରାଜ୍ୟ ଲୁଣ୍ଠନ କଲେ । ଖାନ୍‍ ଇ ଦୌରାନ୍‍ଙ୍କ ଉଦ୍ୟମରେ ଓଡ଼ିଶାରେ ମୋଗଲ ଶାସନ ଦୃଢ଼ ହେଲା । ତା' ସାଙ୍ଗକୁ ରାଜକୋଷ ମଧ୍ୟ ଭର୍ତ୍ତିି ହେଲା ।   ଖାନ୍‍ ଇ ଦୌରାନ୍‍ ଖୋର୍ଦ୍ଧା ଆକ୍ରମଣ କରିଥିଲେ । କିନ୍ତୁ କିଛି ଦିନ ପରେ ଗଜପତି ମୁକୁନ୍ଦ ଦେବ ଆତ୍ମ ସମର୍ପଣ କରିବାରୁ ଏବଂ ତାଙ୍କ ପରେ ପରେ ଅନ୍ୟ ବିଦ୍ରୋହୀମାନେ ନିୟନ୍ତ୍ରଣକୁ ଆସିବାରୁ ସେ ପୁରୀ ଆକ୍ରମଣ କରି ନଥିଲେ । ସେ କେନ୍ଦ୍ରାପଡ଼ାର ବଳଦେବ ଜୀଉ ମନ୍ଦିର ଲୁଣ୍ଠନ କରିଥିଲେ । ସୁବାଦାର ଶାୟସ୍ତା ଖାଁ (୧୬୮୦-୮୮) ଝଙ୍କଡ଼ର ଶାରଳା ମନ୍ଦିର ଓ ଯାଜପୁର ଆଖପାଖର କେତୋଟି ମନ୍ଦିର ଲୁଣ୍ଠନ କରିଥିଲେ । ଶାୟସ୍ତ ଖାଁଙ୍କ ପରେ ତାଙ୍କ ପୁତ୍ର ଆବୁ ନାସେର୍‍ ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ । ତାଙ୍କ ସମୟରେ ପୁରୀ ଜଗନ୍ନାଥ ମନ୍ଦିର ଆକ୍ରମଣ ପାଇଁ ସେନା ଚାଳନା ହୋଇଥିଲା । ମାତ୍ର ଝଡ଼ ତୋଫାନଯୋଗୁଁ ମୋଗଲ ସେନା ପିପିଲିଠାରୁ କଟକ ପ୍ରତ୍ୟାବର୍ତ୍ତନ କଲେ । ସଂଭବତଃ ମୁକୁନ୍ଦଦେବ କିଛି ପେଶ୍‍କସ୍‍ ଦେଇ ମୋଗଲ ସେନାଙ୍କୁ ଜଗନ୍ନାଥ ମନ୍ଦିର ଆକ୍ରମଣରୁ ନିବୃତ୍ତ କରିଥିଲେ ।

ଏହି ସବୁ ମନ୍ଦିର ଆକ୍ରମଣରୁ ମନେହୁଏ, ଆକ୍ରମଣର ଏକ ପ୍ରଧାନ କାରଣ ଥିଲା ଧନରତ୍ନ ଲୁଣ୍ଠନ । ଅନେକ ସମୟରେ ଜଗନ୍ନାଥ ମନ୍ଦିର ଆକ୍ରମଣର ଧମକ ଦେଇ ସୁବାଦାରମାନେ ଖୋର୍ଦ୍ଧା ରାଜାଙ୍କଠାରୁ ଅର୍ଥ ଆଦାୟ କରିଛନ୍ତି । ପୁଣି କେବେ କେବେ ଅର୍ଥ ଲାଭ ପରେ ମନ୍ଦିର ଆକ୍ରମଣ ଯୋଜନାରୁ ନିବୃତ୍ତ ରହିଛନ୍ତି । ମନ୍ଦିର ଆକ୍ରମଣ ପଛରେ ବିଧର୍ମୀ ଭାବନା ଯେ ଏକ କାରଣ ଥିଲା ଏହା ଅସ୍ୱୀକାର କରିହେବ ନାହିଁ । ମୁସଲିମ ଧର୍ମରେ ମୂର୍ତ୍ତିି ପୂଜା ନିଷେଧ । ତେଣୁ ମନ୍ଦିର ଉପରେ ଆକ୍ରମଣ କରି ମୂର୍ତ୍ତିିକୁ ଭାଙ୍ଗିରୁଜି ଦେବା ସେମାନଙ୍କ ମଧ୍ୟଯୁଗୀୟ ଧାର୍ମିକ ପରଂପରା ଅନୁଯାୟୀ ଯୁକ୍ତିସଂଗତ ଥିଲା । ଏ କ୍ଷେତ୍ରରେ ଆଉରଙ୍ଗଜେବଙ୍କର ଏକ ଦୃଷ୍ଟାନ୍ତ ନିଆଯାଇପାରେ । ୧୬୯୨ରେ ସେ କଟକରେ ନବନିଯୁକ୍ତ ସୁବାଦାର ନବାବ ଏକରାମ ଖାଁଙ୍କୁ ପୁରୀ ମନ୍ଦିର ଧ୍ୱଂସ କରିବାପାଇଁ ନିର୍ଦ୍ଦେଶ ଦେଲେ । ମାତ୍ର ମୋଗଲ ସେନା ପୁରୀ ଆକ୍ରମଣପାଇଁ କଟକରୁ ପ୍ରସ୍ଥାନ କରିବା ପୂର୍ବରୁ ଗଜପତି ଦିବ୍ୟସିଂହଦେବ (୧୬୮୮-୧୭୧୬) ସୁବାଦାରଙ୍କୁ ଜଣାଇଲେ ଯେ, ଆଦେଶ ମିଳିଲେ ସେ (ଗଜପତି) ନିଜେ ମନ୍ଦିର ଧ୍ୱଂସ କରିଦେବେ । ସୁବାଦାର ଏଥିରେ ସମ୍ମତ ହେବାରୁ ଗଜପତି ଉପରଠାଉରିଆ ଭାବେ ମନ୍ଦିରରୁ କିଛି ଭାଙ୍ଗିଦେଲେ ଏବଂ ଦେବପ୍ରତିମାଙ୍କର ଏକ ନକଲି ମୂର୍ତ୍ତିି ସୁବାଦାରଙ୍କ ମାଧ୍ୟମରେ ଆଉରଙ୍ଗଜେବଙ୍କ ପାଖକୁ ପ୍ରେରଣ କଲେ । ଅନ୍ୟ ପକ୍ଷରେ ମନ୍ଦିରର ମୁଖ୍ୟ ଫାଟକ ବନ୍ଦ ହେଲା, ପୂଜାବିଧି ମଧ୍ୟ ବନ୍ଦ ରହିଲା । ମନ୍ଦିରରେ ପାଳିତ ଅନ୍ୟାନ୍ୟ ପୂଜା ପାର୍ବଣକୁ ମଧ୍ୟ ବନ୍ଦ କରିଦିଆଗଲା । ଏହି ଉପାୟରେ ଆଉରଙ୍ଗଜେବଙ୍କ ସମୟରେ ଜଗନ୍ନାଥ ମନ୍ଦିର ଧ୍ୱଂସ ହେବାରୁ ରକ୍ଷା ପାଇଥିଲା । ସମ୍ରାଟଙ୍କର ହିନ୍ଦୁବିଦ୍ୱେଷ ନୀତି ମଧ୍ୟ ଏ କ୍ଷେତ୍ରରେ କାର୍ଯ୍ୟକାରୀ ହେଲା ।   ମୋଟ ଉପରେ କହିଲେ, ମଧ୍ୟଯୁଗର ରୀତି ଅନୁଯାୟୀ କେତେକ ମୁସଲିମ୍‍ ଶାସକ ମନ୍ଦିର ଆକ୍ରମଣ କରିଥିଲେ । ଏହାଦ୍ୱାରା ସେମାନଙ୍କର ଧନଲାଭ ହେଉଥିଲା, ଧର୍ମଲାଭ ମଧ୍ୟ ହେଉଥିଲା ! ଧନ ଲାଭ ଆଶାରେ କେତେକ କ୍ଷେତ୍ରରେ ମୋଗଲ ସମ୍ରାଟଙ୍କ ହିନ୍ଦୁ ପ୍ରଶାସକ ମଧ୍ୟ ମନ୍ଦିର ଲୁଣ୍ଠନ କରିବାକୁ ହେଳା କରି ନଥିଲେ । ଅନ୍ୟ ପକ୍ଷରେ ଖୋର୍ଦ୍ଧାର ଗଜପତି ରାଜା ମନ୍ଦିର ଉପରେ ନିଜ ନିୟନ୍ତ୍ରଣ ଜାରି ରଖିବାପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ । ମନ୍ଦିରର ନିୟନ୍ତ୍ରଣ ଉପରେ ତାଙ୍କର ସାମାଜିକ ପ୍ରତିଷ୍ଠା ନିର୍ଭର କରୁଥିଲା । ହିନ୍ଦୁରୀତି ଅନୁଯାୟୀ ମନ୍ଦିର ଧ୍ୱଂସ ହେବା କିମ୍ୱା ପ୍ରତିଷ୍ଠା ପାଇଥିବା ପ୍ରତିମାଙ୍କର ଅପମାନ ହେବା ଅଥବା ପୂଜାବିଧି ସଂପାଦିତ ନହେବା ଏକ ଜଘନ୍ୟ କାର୍ଯ୍ୟ। ତେଣୁ ଗଜପତିଙ୍କୁ ସ୍ଥାନୀୟ ସମାଜର ସମର୍ଥନ ମିଳିବା ସ୍ୱାଭାବିକ ଥିଲା । ଗଜପତି ହିନ୍ଦୁ ରୀତିରେ ବିଖ୍ୟାତ ବ୍ରାହ୍ମଣମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି ନିଜ ପ୍ରତି ସମର୍ଥନକୁ ବହୁଗୁଣିତ କରୁଥିଲେ । ନରସିଂହଦେବଙ୍କଦ୍ୱାରା ପୁରୀ ନିକଟରେ ବୀର ନରସିଂହପୁର ବ୍ରାହ୍ମଣ ଶାସନ ଓ ମୁକୁନ୍ଦଦେବଙ୍କ ସମୟରେ ଦାଣ୍ତମୁକୁନ୍ଦପୁର ଶାସନ ପ୍ରତିଷ୍ଠା ଉକ୍ତ ପୃଷ୍ଠପୋଷକତାର ଗୋଟିଏ ଲେଖାଏଁ ଉଦାହରଣ ମାତ୍ର ।

୧୭୦୭ରେ ଆଉରଙ୍ଗଜେବଙ୍କର ମୃତ୍ୟୁ ହେଲା । ତା' ପୂର୍ବରୁ ୧୭୦୪ରେ ମୁର୍ସିଦ୍‍ କୁଲି ଖାଁ ଓଡ଼ିଶାର ସୁବାଦାର ହୋଇ ଆସିଥିଲେ । ତାଙ୍କ ସମୟରେ ଶାନ୍ତି ପ୍ରତିଷ୍ଠା ହେଲା । ଜଗନ୍ନାଥ ମନ୍ଦିରରେ ପୁଣି ଥରେ ପ୍ରତିମା ପୂଜାପାଇଁ ପୂଜାବିଧି ସୁଚାରୁ ରୂପେ ସଂପାଦିତ ହେଲା । ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ମୁର୍ସିଦ୍‍ କୁଲି ୧୭୧୩ରେ ନିଜକୁ ବଙ୍ଗ, ବିହାର ଓ ଓଡ଼ିଶାର ନଜିମ ଘୋଷଣା କଲେ । ଅର୍ଥାତ୍‍, ସେ ନାମକୁ ମାତ୍ର ମୋଗଲଙ୍କ ଅଧୀନରେ ରହି ସ୍ୱାଧୀନ ଭାବରେ ଶାସନ ପରିଚାଳନା କରିବାକୁ ଲାଗିଲେ । ଦିଲ୍ଲୀର ମୋଗଲ ବଦଳରେ ଏଣିକି ବଙ୍ଗର ନଜିମଙ୍କ ନିକଟରେ ଓଡ଼ିଶାର ପ୍ରଶାସକ ଉତ୍ତରଦାୟୀ ରହିଲେ । ବଙ୍ଗର ନଜିମଙ୍କଦ୍ୱାରା ନିଯୁକ୍ତ ଓଡ଼ିଶାର ପ୍ରଶାସକଙ୍କୁ ନାଏବ ନଜିମ କୁହାଗଲା । ମୁର୍ସିଦ୍‍ କୁଲିଙ୍କ ଜାମାତା ସୁଜାଉଦ୍ଦିନ୍ ଓଡ଼ିଶାର ପ୍ରଥମ ନାଏବ ନଜିମ ନିଯୁକ୍ତ ହେଲେ ।

ମୁର୍ସିଦ୍‍ କୁଲି ଓ ସୁଜାଉଦ୍ଦିନ୍‌ଙ୍କ ସମୟରେ (୧୭୦୪-୧୭୨୭) ଓଡ଼ିଶା ଉପରେ କୌଣସି ଆକ୍ରମଣ ହୋଇ ନଥିଲା । ବରଂ ହିନ୍ଦୁ-ମୁସଲିମ୍‍ ଏକତାପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା । ସୁଜାଉଦ୍ଦିନ୍ କଦମ୍‍ ରସୁଲ୍‍ ମସଜିଦ୍‍ ନିର୍ମାଣ କରିଥିଲେ । ସେଠାରେ ଉଭୟ ହିନ୍ଦୁ ଓ ମୁସଲମାନ ପ୍ରାର୍ଥନାପାଇଁ ଏକତ୍ର ହେଉଥିଲେ । ଆଜି ମଧ୍ୟ ତାହା ହିନ୍ଦୁ-ମୁସଲିମ୍‍ ଏକତାର ପ୍ରତୀକ ହୋଇ ରହିଛି । କାଇପଦରର ବୁଖାରୀ ସାହେବ ପୀଠ ମଧ୍ୟ ତାଙ୍କ ସମୟର ସୃଷ୍ଟି । ଏହି ସମୟରେ ଓଡ଼ିଶା ଓ ବଙ୍ଗରେ ସତ୍ୟନାରାୟଣ ପୂଜାର ପ୍ରଚଳନ ହେଲା, ଯାହା ଉଭୟ ସଂପ୍ରଦାୟର ଏକତାର ନିଦର୍ଶନ । ଭଦ୍ରକର ମୋଗଲ ତାମସାର ପ୍ରସାର ମଧ୍ୟ ଏହି ସମୟରେ ହେଲା । ଉଭୟ ଧର୍ମ ସଂପ୍ରଦାୟ ଏଥିରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରୁଥିଲେ ।

୧୭୨୭ରେ ମୁର୍ସିଦ୍‍ କୁଲିଙ୍କର ଦେହାନ୍ତ ହେବା ପରେ ସୁଜାଉଦ୍ଦିନ୍ ବଙ୍ଗ ସାମ୍ରାଜ୍ୟର ନଜିମ୍‍ ହେଲେ ଏବଂ ତାଙ୍କ ସ୍ଥାନରେ ଓଡ଼ିଶାର ନାଏବ ନଜିମ ପଦରେ ତକି ଖାଁ ନିଯୁକ୍ତ ହେଲେ । ତକି ଖାଁ ସୁଜାଉଦ୍ଦିନ୍‌ଙ୍କ ପୁତ୍ର ଥିଲେ । ନଜିମ୍‍ ଭାବରେ ସୁଜାଉଦ୍ଦିନ୍ ଧାର୍ମିକ ଉଦାରତାପାଇଁ ପ୍ରସିଦ୍ଧ ଥିଲେ । ମାତ୍ର ତକି ଖାଁଙ୍କ ସମୟରେ ପୁଣି ଥରେ ଓଡ଼ିଶା ଏବଂ ବିଶେଷକରି ଖୋର୍ଦ୍ଧା ଓ ପୁରୀରେ ଘୋର ଅରାଜକତା ଦେଖାଗଲା । ଏହା ପଛରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ରୂପରେ ନାଏବ ନଜିମଙ୍କର ହାତ ରହିଥିଲା ।   ଯେଉଁ ବର୍ଷ (୧୭୨୭) ତକି ଖାଁ ଓଡ଼ିଶାର ନାଏବ ନଜିମ୍‍ ପଦରେ ନିଯୁକ୍ତ ହେଲେ ଠିକ୍‍ ସେହି ବର୍ଷ ରାମଚନ୍ଦ୍ର ଦେବ ଖୋର୍ଦ୍ଧାରେ ଗଜପତି ପଦରେ ଅଭିଷିକ୍ତ ହେଲେ । ତକି ଖାଁଙ୍କ ଶାସନକାଳ (୧୭୨୭-୩୫) ଓ ରାମଚନ୍ଦ୍ରଦେବଙ୍କ ଶାସନକାଳ (୧୭୨୭-୧୭୩୬) କେବଳ ଏକା ସମୟରେ ଆରମ୍ଭ ହୋଇ ନଥିଲା, ମୋଟାମୋଟି ଏକା ସମୟରେ ଶେଷ ମଧ୍ୟ ହୋଇଥିଲା । ଦ୍ୱିତୀୟତଃ, ସମଗ୍ର ଶାସନକାଳ ମଧ୍ୟରେ ଉଭୟଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ ଓ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣକୁ ନେଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କଳହ ଲାଗି ରହିଥିଲା ।

ତକି ଖାଁଙ୍କ ସମୟରେ ହାଇଦ୍ରାବାଦର ନିଜାମ ଦକ୍ଷିଣ ଓଡ଼ିଶା ଆକ୍ରମଣ କଲେ ଏବଂ ଗଞ୍ଜାମ ଜିଲ୍ଲା ଓ ଚିଲିକା ହ୍ରଦର ଦକ୍ଷିଣ କ୍ଷେତ୍ର ଅଧିକାର କରିନେଲେ । ପୂର୍ବରୁ ଏହି କ୍ଷେତ୍ର ଖୋର୍ଦ୍ଧା ରାଜାଙ୍କ କର୍ତ୍ତୃତ୍ୱରେ ରହିଥିଲା । ମୋଗଲ ସାମ୍ରାଜ୍ୟର ପତନ ପରେ ବଙ୍ଗ ପରି ହାଇଦ୍ରାବାଦକୁ ଏକ ସ୍ୱାଧୀନ ରାଜ୍ୟ ରୂପେ ନିଜାମ୍‍ ଉଲମୁଳ୍କ ଆସଫ୍‍ ଝା ଗଢ଼ିଥିଲେ ଏବଂ ରାଜ୍ୟ ବିସ୍ତାରପାଇଁ ଓଡ଼ିଶା ପ୍ରତି ଲକ୍ଷ୍ୟ ରଖିଥିଲେ । ଖୋର୍ଦ୍ଧା ରାଜା ନିଜାମ୍‍ଙ୍କ ବିରୁଦ୍ଧରେ ନିଜର ସୀମିତ ପାଇକ ସୈନ୍ୟବଳ ଚାଳନା କରି ପରାଜିତ ହେଲେ । ତାଙ୍କୁ ତକି ଖାଁଙ୍କ ପକ୍ଷରୁ କୌଣସି ସେନା ସହାୟତା ମିଳିଲା ନାହିଁ, ଯଦିଓ ଖୋର୍ଦ୍ଧା ଥିଲା ବଙ୍ଗର ସାମନ୍ତ ରାଜ୍ୟ । ପରାଜୟଯୋଗୁଁ ପ୍ରତିଷ୍ଠା ହରାଇଥିବା ରାମଚନ୍ଦ୍ର ଦେବ ମୋଗଲବନ୍ଦି ଓଡ଼ିଶାର କିଛି ଅଂଶ ଅଧିକାର କରିନେଇ କ୍ଷତି ପୂରଣ କରିବାକୁ ଚେଷ୍ଟା କଲେ । ମାତ୍ର ଏଥିରେ ମଧ୍ୟ ସେ ସଫଳ ହେଲେ ନାହିଁ । ଅର୍ଥାତ୍‍ ତକି ଖାଁଙ୍କ ସହିତ ତାଙ୍କର ଶତ୍ରୁତା ବୃଦ୍ଧି ପାଇଲା । ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି ତକି ଖାଁ କଟକ ଦୁର୍ଗରେ ରଖିଲେ । କଟକରେ ବନ୍ଦୀ ଜୀବନ କାଳରେ ରାମଚନ୍ଦ୍ରଦେବ ଇସଲାମ ଧର୍ମରେ ଦୀକ୍ଷିତ ହେଲେ ।

ରାମଚନ୍ଦ୍ରଦେବଙ୍କ ଇସ୍‍ଲାମ୍‍ ଧର୍ମ ଗ୍ରହଣ ସମ୍ୱନ୍ଧରେ ମାଦଳା ପାଞ୍ଜିରେ ଉଲ୍ଲେଖ ଅଛି ଯେ ମୁସଲିମ୍‍ ରାଜକନ୍ୟାଙ୍କ ପ୍ରେମରେ ପଡ଼ି ଖୋର୍ଦ୍ଧା ରାଜା ଧର୍ମ ପରିବର୍ତ୍ତନ କରିଥିଲେ । ମାତ୍ର ଧର୍ମ ପରିବର୍ତ୍ତନ ପରେ ମଧ୍ୟ ସେ ନାମ ପରିବର୍ତ୍ତନ କରି ନଥିଲେ ଏବଂ ଜଗନ୍ନାଥଙ୍କ ମନ୍ଦିରର ସୁରକ୍ଷାପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ । ପରେ ମନ୍ଦିରରେ ତାଙ୍କ ପ୍ରବେଶକୁ ପଣ୍ତାମାନେ ମଧ୍ୟ ସ୍ୱାଗତ କରିଥିଲେ । ଏହି ଆଧାରରେ କୁହାଯାଏ ଯେ, ସେ ବାଧ୍ୟହୋଇ ଇସ୍‍ଲାମ ଧର୍ମରେ ଦୀକ୍ଷିତ ହୋଇଥିଲେ ଏବଂ ତାଙ୍କ ଧର୍ମ ପରିବର୍ତ୍ତନ ଦ୍ୱାରା ନାଏବ ନଜିମ୍‍ଙ୍କୁ ତୁଷ୍ଟ କରିପାରିଲେ ଜଗନ୍ନାଥ ମନ୍ଦିର ପୁନର୍ବାର ମୁସଲମାନ ଅଧିକାରଭୁକ୍ତ ହେବାରୁ ରକ୍ଷା ପାଇବ ବୋଲି ସେ ହୁଏତ ଆଶା ରଖିଥିଲେ । ମନ୍ଦିର ଉପରେ ତାଙ୍କ ଅଧିକାରକୁ ଏହା ପ୍ରକାରାନ୍ତରେ ସାବ୍ୟସ୍ତ କରିବ ବୋଲି ସେ ମନେ କରିଥିଲେ ।   ରାମଚନ୍ଦ୍ର ଦେବ କଟକରେ ବନ୍ଦୀ ଥିବା ସମୟରେ ଖୋର୍ଦ୍ଧାରେ ତକି ଖାଁଙ୍କ ବିରୁଦ୍ଧରେ ବିଦ୍ରୋହ ହେଲା । ରାମଚନ୍ଦ୍ରଦେବଙ୍କ ପୁତ୍ରମାନଙ୍କ ସହିତ ଆଠଗଡ଼ (ଗଞ୍ଜାମ) ରାଜା ଏହାର ନେତୃତ୍ୱ ନେଇଥିଲେ । ମାତ୍ର ତକି ଖାଁ ବିଦ୍ରୋହୀମାନଙ୍କୁ ପରାଜିତ କଲେ । ଏହା ପରେ ତକି ଖାଁ ରାମଚନ୍ଦ୍ରଦେବଙ୍କୁ କଟକରୁ ମୁକ୍ତ କରି ଖୋର୍ଦ୍ଧାରେ ରହିବାକୁ ଅନୁମତି ଦେଲେ ।

ଏହି ସମୟରେ ପୁରୀ ଉପରେ ତକି ଖାଁଙ୍କ ପ୍ରତ୍ୟକ୍ଷ ନିୟନ୍ତ୍ରଣ ଥିଲା । କାଳେ ସେ ମନ୍ଦିର ଆକ୍ରମଣ କରି ବିଗ୍ରହମାନଙ୍କୁ ନଷ୍ଟ କରିବେ, ସେହି ଆଶଙ୍କାରେ ରାମଚନ୍ଦ୍ରଦେବ ଜଗନ୍ନାଥ ବିଗ୍ରହଙ୍କୁ ନେଇ ବାଣପୁର ପଳାୟନ କଲେ ।ଏଥିରେ ତକି ଖାଁ କ୍ଷୁବ୍ଧ ହେଲେ । କାରଣ ବିଗ୍ରହ ବିନା ମନ୍ଦିର ତୀର୍ଥଯାତ୍ରୀ ହରାଇଲା ଏବଂ ନାଏବ ନଜିମ୍‍ ପୁରୀରୁ ଆଶା ଅନୁରୂପ ତୀର୍ଥଯାତ୍ରୀ କର ଅସୁଲ କରି ପାରିଲେ ନାହିଁ । ସେ ଖୋର୍ଦ୍ଧା ଆକ୍ରମଣ କଲେ । ଉଦ୍ଦେଶ୍ୟ ଥିଲା, ରାମଚନ୍ଦ୍ରଦେବଙ୍କର କ୍ଷତିସାଧନ କରିବା । ଭୟରେ ରାମଚନ୍ଦ୍ରଦେବ ପ୍ରଥମେ ନୟାଗଡ଼ ଓ ଖଣ୍ତାପଡ଼ା ଏବଂ ଶେଷରେ ବୋଲଗଡ଼ରେ ଯାଇ ଲୁଚି ରହିଲେ । ଜଗନ୍ନାଥଙ୍କ ବିଗ୍ରହ ବାଣପୁରରୁ ଟିକିଲି ଏବଂ ସେଠାରୁ ଖଲିକୋଟରେ ଲୁଚା ହୋଇ ରହିଲେ । ଯେହେତୁ ଦକ୍ଷିଣ ଓଡ଼ିଶାରେ ଖଲିକୋଟ ଉପରୁ ତକି ଖାଁଙ୍କ ଅଧିକାର ଲୋପ ପାଇଥିଲା, ବିଗ୍ରହକୁ ତାଙ୍କ ଆକ୍ରମଣରୁ ରକ୍ଷା କରିବାପାଇଁ ତାହା ଉପଯୁକ୍ତ ସ୍ଥାନ ବିବେଚିତ ହେଲା । ମନ୍ଦିରରେ ବିଗ୍ରହ ନଥିବାରୁ ତୀର୍ଥଯାତ୍ରୀଙ୍କ ସଂଖ୍ୟା ହ୍ରାସପାଇଲା ଏବଂ ତକି ଖାଁ ମନ୍ଦିରର ଆୟବୃଦ୍ଧି କରିବାପାଇଁ ଶେଷରେ ବିଗ୍ରହ ପ୍ରତିଷ୍ଠାରେ ବାଧା ଦେଲେ ନାହିଁ । ତକି ଖାଁଙ୍କ ମୃତ୍ୟୁ (ମେ ୧୭୩୫) ପୂର୍ବରୁ ଜଗନ୍ନାଥ ମନ୍ଦିରରେ ବିଗ୍ରହଙ୍କୁ ପୁନଃପ୍ରତିଷ୍ଠା କରାଗଲା । ଯଥା ସମୟରେ ନବକଳେବର ମଧ୍ୟ ସମାପନ ହେଲା । ସର୍ବମୋଟ ୨୮ ମାସ ଧରି ମନ୍ଦିରରେ ବିଗ୍ରହ ନଥିଲେ । ମନ୍ଦିର ବନ୍ଦ ରହିଥିଲା ।

ତକି ଖାଁ ଶେଷରେ ଅନୁଭବ କଲେ ଯେ, ଖୋର୍ଦ୍ଧା ରାଜାଙ୍କ ନିୟନ୍ତ୍ରଣରେ ମନ୍ଦିରର ପରିଚାଳନା ରହିବାରେ ହିଁ ଆଶାମତେ ପୁରୀରେ ତୀର୍ଥଯାତ୍ରୀ ସମାଗମ ହେବେ । ଫଳରେ ରାଜ୍ୟ ଆଶାନୁରୂପ ତୀର୍ଥଯାତ୍ରୀ କର ଅସୁଲ କରିପାରିବ । ଗଜପତି, ମନ୍ଦିର ପଣ୍ତା ଓ ବ୍ରାହ୍ମଣମାନେ ମନ୍ଦିରରେ ବହିଃଶକ୍ତିର ଅନୁପ୍ରବେଶକୁ ନିରନ୍ତର ବିରୋଧ କରି ମନ୍ଦିରର ପାରମ୍ପରିକ ସାର୍ବଭୌମତ୍ୱ ପ୍ରତିପାଦନ କଲେ । ଆଜି ଏକବିଂଶ ଶତାବ୍ଦୀର ଆରମ୍ଭରେ ମଧ୍ୟ ପରମ୍ପରାରୁ ପ୍ରାପ୍ତ ମନ୍ଦିରର ସାର୍ବଭୌମତ୍ୱ ଅକ୍ଷୁଣ୍ଣ ରହିଛି ।

୧୭୩୫ରେ ତକି ଖାଁଙ୍କ ମୃତ୍ୟୁ ପରେ ଦ୍ୱିତୀୟ ମୁର୍ସିଦ୍‍ କୁଲି ଖାଁ ଓଡ଼ିଶାର ନାଏବ ନଜିମ୍‍ ନିଯୁକ୍ତ ହେଲେ । ମୀର୍‍ ହବିବ୍‍ ନାମରେ ଜଣେ ସୁଦକ୍ଷ ଅଧିକାରୀ ଥିଲେ ତାଙ୍କର ଏକାନ୍ତ ସହଯୋଗୀ । ଉଭୟ ନାଏବ ନଜିମ୍‍ ଓ ମୀର୍‍ ହବିବ୍‍ ଦୃଢ଼ ଭାବେ ଅନୁଭବ କଲେ ଯେ ମନ୍ଦିର ଗଜପତିଙ୍କ ପରିଚାଳନାରେ ରହିଲେ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଲାଭହେବ । ଏଣିକି ପୁରୀରେ ବିଗ୍ରହ ଶାନ୍ତିରେ ରହିଲେ । ମାତ୍ର ମୀର୍‍ ହବିବ୍‍ ରାଜା ରାମଚନ୍ଦ୍ରଦେବଙ୍କ ଖୋର୍ଦ୍ଧା ସିଂହାସନ ଦାବିକୁ ପ୍ରତ୍ୟାଖ୍ୟାନ କଲେ ଏବଂ ପଦ୍ମନାଭ ଦେବଙ୍କୁ ୧୭୩୬ରେ ଖୋର୍ଦ୍ଧାର ରାଜା ଘୋଷଣା କଲେ । ରାମଚନ୍ଦ୍ରଦେବ ଭଗ୍ନ ମନୋରଥ ହୋଇ ନରସିଂହପୁର ରାଜାଙ୍କ ପାଖରେ ଯାଇ ଆଶ୍ରୟ ନେଲେ । ଅଗଷ୍ଟ ୧୭୩୭ରେ ତାଙ୍କର ସେଠାରେ ମୃତ୍ୟୁ ହେଲା । ମନ୍ଦିରର ଓ ବିଗ୍ରହଙ୍କର ସୁରକ୍ଷାପାଇଁ ସେ ଏପରିକି ଧର୍ମତ୍ୟାଗ କରିଥିଲେ ବୋଲି ଓଡ଼ିଶା ଇତିହାସରେ ତଥା ସାହିତ୍ୟରେ ତାଙ୍କୁ ନେଇ ଖୁବ୍‍ ଚର୍ଚ୍ଚା ଦେଖିବାକୁ ମିଳେ ।   ପଦ୍ମନାଭ ଦେବ (୧୭୩୬-୧୭୩୯) ଭୁବନେଶ୍ୱର ନିକଟସ୍ଥ ପଟିଆର ରାଜା ଥିଲେ । ଖୋର୍ଦ୍ଧା ରାଜବଂଶଜ ନହେବା ସତ୍ତ୍ୱେ ମୀର୍‍ ହବିବ୍‍ଙ୍କ ସହାୟତାରେ ସେ ଖୋର୍ଦ୍ଧାର ରାଜା ଏବଂ ଓଡ଼ିଶାର ଗଜପତି ପଦବୀ ଧାରଣ କରିଥିଲେ । ଏଥିପାଇଁ ତାଙ୍କୁ ଖୋର୍ଦ୍ଧା ରାଜକୁମାର ବୀରକିଶୋର ଦେବଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ପଣ୍ତା ଓ ବ୍ରାହ୍ମଣମାନଙ୍କର ମଧ୍ୟ ତାଙ୍କ ପ୍ରତି ସମର୍ଥନ ନଥିଲା । ତାଙ୍କର ଗଜପତି ପଦବୀ ଧାରଣକୁ ଲୋକେ ସହଜରେ ଗ୍ରହଣ କରି ପାରିଲେ ନାହିଁ । ଅନ୍ୟ ପକ୍ଷରେ ବୀରକିଶୋର ନାଏବ ନଜିମ୍‍ ଦ୍ୱିତୀୟ ମୁର୍ସିଦ୍‍ କୁଲି ଖାଁଙ୍କୁ ସମସ୍ତ ବକେୟା ତୀର୍ଥଯାତ୍ରୀ କର ପୈଠ କରିବାକୁ ପ୍ରତିଶ୍ରୁତି ଦେଲେ । ଏହି ଆଧାରରେ ତାଙ୍କୁ ୧୭୩୯ରେ ଖୋର୍ଦ୍ଧା ରାଜା ଘୋଷଣା କରାଗଲା । ଦୀର୍ଘ ୪୨ବର୍ଷ ଧରି (୧୭୩୯- ୧୭୮୧) ସେ ଗଜପତି ରହିଲେ । ତାଙ୍କ ସମୟରେ ହିଁ ୧୭୫୧ରେ ବଙ୍ଗର ନଜିମ୍‍ଙ୍କ ଅଧୀନରୁ ଯାଇ ଓଡ଼ିଶା ମରାଠାମାନଙ୍କ ଅଧିକାରଭୁକ୍ତ ହେଲା ।

୧୫୬୮ରୁ ୧୭୫୧ ପର୍ଯ୍ୟନ୍ତ କାଳାଂଶକୁ ଓଡ଼ିଶା ଇତିହାସରେ ମୋଗଲ ଶାସନର ସମୟ ବୋଲି କୁହାଯାଏ । ମାତ୍ର ପ୍ରକୃତରେ ମୋଗଲମାନଙ୍କ ବ୍ୟତୀତ ଏହି ସମୟରେ ଆଫଗାନ୍‍ ଓ ବଙ୍ଗର ନଜିମ୍‍ମାନେ ମଧ୍ୟ ଓଡ଼ିଶାକୁ ଶାସନ କରିଥିଲେ । ଦ୍ୱିତୀୟତଃ, ମୋଗଲ ସମୟରେ ପ୍ରବର୍ତ୍ତିିତ ପ୍ରାଶାସନିକ ଓ ରାଜସ୍ୱ ବ୍ୟବସ୍ଥା ନଜିମ୍‍ଙ୍କ ସମୟରେ ମଧ୍ୟ ଅପରିବର୍ତ୍ତିିତ ରହିଥିଲା । ତେଣୁ ମୋଗଲ ସାମ୍ରାଜ୍ୟର ପତନ ପରେ ସୁଦ୍ଧା ନଜିମ୍‍ଙ୍କ ମାଧ୍ୟମରେ ବଙ୍ଗରେ ଓ ଓଡ଼ିଶାରେ ମୋଗଲ ଶାସନ ଅବ୍ୟାହତ ରହିଥିଲା । ମୋଗଲ ଶାସନ ବେଳେ ଖୋର୍ଦ୍ଧା ଏକ ପ୍ରମୁଖ ରାଜନୈତିକ କେନ୍ଦ୍ର ହେଲା । କାରଣ ତା'ର ରାଜା ଗଜପତି ବା ଓଡ଼ିଶାର ରାଜା ଭାବରେ ସମ୍ମାନ ପାଇଥିଲେ । ଗଜପତି ରୂପେ ପୁରୀ ଓ ଜଗନ୍ନାଥ ମନ୍ଦିର ଉପରେ ତାଙ୍କର ନିୟନ୍ତ୍ରଣ ଥିଲା । ଆଫଗାନ, ମୋଗଲ ଓ ନଜିମ୍‍ ବାରମ୍ୱାର ଜଗନ୍ନାଥ ମନ୍ଦିର ଆକ୍ରମଣ କରି ଅଧିକରୁ ଅଧିକ ରାଜସ୍ୱ ଆଦାୟ କରିବାକୁ ପ୍ରୟାସ କରୁଥିଲେ । ସେମାନେ ଅଧିକ ଆର୍ଥିକ ଆୟ ଲୋଭରେ ମନ୍ଦିର ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ରଖିବାକୁ ମଧ୍ୟ ବାରମ୍ୱାର ପ୍ରୟାସ କରୁଥିଲେ । ମାତ୍ର ଏହା ଫଳରେ ମନ୍ଦିରରେ ଅରାଜକତା ସୃଷ୍ଟି ହୋଇ ତୀର୍ଥଯାତ୍ରୀ ସଂଖ୍ୟା ହ୍ରାସ ପାଉଥିଲା । କର ଅସୁଲି ମଧ୍ୟ ଊଣା ହେବାରେ ଲାଗିଥିଲା । ବିଗ୍ରହଙ୍କ ବିନା ଜଗନ୍ନାଥ ମନ୍ଦିର ଆକର୍ଷଣ ଓ ରାଜସ୍ୱ ହରାଉଥିବାରୁ ଅଧିକାଂଶ ମୁସଲିମ ଶାସକ ବିଗ୍ରହ ଧ୍ୱଂସକୁ ପ୍ରମୁଖତା ଦେଉ ନଥିଲେ । ଅନ୍ୟ ଶବ୍ଦରେ କହିଲେ, ମନ୍ଦିରରୁ ନିୟମିତ କର ପାଇବାପାଇଁ ଗଜପତିଙ୍କ ହାତରେ ନିୟନ୍ତ୍ରଣ ରହିବା ଆବଶ୍ୟକ ଥିଲା । ଏହା ସାମରିକ ଦୃଷ୍ଟିରୁ ହୀନବଳ ଗଜପତିଙ୍କୁ କ୍ଷମତାର ଏକ ପ୍ରମୁଖ କେନ୍ଦ୍ର ହେବାରେ ସାହାଯ୍ୟ କରୁଥିଲା । ଗଜପତି ମନ୍ଦିର ଉପରେ ନିଜ ଅଧିକାର ଜାହିର କରିବାକୁ ପ୍ରୟାସ କରି କଟକଠାରେ ଅବସ୍ଥାପିତ ମୋଗଲ ଶକ୍ତିର ଶତ୍ରୁ ସାଜୁଥିଲେ । କଟକ ମୋଗଲ ଶାସନର ରାଜଧାନୀ ଥିଲା ଏବଂ ଖୋର୍ଦ୍ଧା ଥିଲା ଗଜପତି ରାଜାଙ୍କର ରାଜଧାନୀ । ଦୁହେଁ ଦୁହିଁଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ । ଫଳରେ ଅନେକ ଥର ଖୋର୍ଦ୍ଧା ଓ କଟକ ମଧ୍ୟରେ ଏହି ସମୟରେ କଳହ ହୋଇଥିଲା । ଓଡ଼ିଶାର ଅନ୍ୟ ରାଜ୍ୟମାନେ ଯଥା ମୟୂରଭଞ୍ଜ, କେନ୍ଦୁଝର, କନିକା ଓ ଖଲିକୋଟ ରାଜା ମଧ୍ୟ ମୋଗଲଙ୍କ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି । ଅନେକ ସମୟରେ ସେମାନେ ବିଦ୍ରୋହୀ ଖୋର୍ଦ୍ଧା ରାଜାଙ୍କୁ ସାହାଯ୍ୟ ମଧ୍ୟ କରିଛନ୍ତି ।   ମୋଗଲ ଶାସନ ସମୟରେ ଓଡ଼ିଶାର ଅନେକ ରାଜା, ବିଶେଷକରି ଗଡ଼ଜାତ ରାଜାମାନେ ଅର୍ଦ୍ଧ-ସ୍ୱାଧୀନ ଭାବରେ ପ୍ରଶାସନ ପରିଚାଳନା କରୁଥିଲେ । ବାର୍ଷିକ ଦେୟ ମୋଗଲ ରାଜକୋଷରେ ଜମା କରିବା ପରେ ସେମାନଙ୍କ ମୋଗଲ ଶାସନ ସହ ଅନ୍ୟ କୌଣସି ବିଶେଷ ସମ୍ୱନ୍ଧ ରହୁ ନଥିଲା । ଏହି କାରଣରୁ କଟକରେ ମୋଗଲ ଶାସନ ରହିବା ସତ୍ତ୍ୱେ, ଅଭ୍ୟନ୍ତରରେ ସ୍ଥାନୀୟ ରାଜାମାନଙ୍କର ପୂର୍ବବତ୍‍ ପ୍ରଭୁତ୍ୱ ରହିଥିଲା । ଏହି ଦୃଷ୍ଟିରୁ ଓଡ଼ିଶାର ମୋଗଲ ଶାସନକୁ ମୁସଲମାନ ଯୁଗ ଓ ପରାଧୀନତାର ଯୁଗ ଭାବେ ଆଖ୍ୟାୟିତ କରିବାର କୌଣସି ଯଥାର୍ଥତା ନାହିଁ । ଅନେକଥର ମୋଗଲମାନଙ୍କ ହିନ୍ଦୁ ଅଧିକାରୀମାନେ ମଧ୍ୟ ଜଗନ୍ନାଥ ମନ୍ଦିର ଆକମ୍ରଣ କରିଛନ୍ତି ଅଥବା ଆକ୍ରମଣ କରିବାପାଇଁ ଧମକ ଦେଇଛନ୍ତି । ବିଧର୍ମୀଙ୍କ ପରି ଲୁଟତରାଜ ମଧ୍ୟ କରିଛନ୍ତି ।

ମୋଗଲ ଶାସନ ସମୟରେ ଓଡ଼ିଶା ଯଥେଷ୍ଟ ମାତ୍ରାରେ ବାଣିଜ୍ୟ କାରବାରରେ ଲିପ୍ତ ରହିଥିଲା । ଓଡ଼ିଶାର ବଣିକମାନେ ପୂର୍ବରୁ ଚଳି ଆସୁଥିବା ବାଣିଜ୍ୟ କାରବାରର ବିକାଶ କରିଥିଲେ । ଏଥିପାଇଁ ଓଡ଼ିଶାର ବିସ୍ତୃତ ଉପକୂଳ ସହାୟକ ହେଉଥିଲା । ଏହି କାରଣରୁ ୟୁରୋପୀୟମାନେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀରେ ଭାରତରେ ପ୍ରବେଶ କରିବା ପରେ ଓଡ଼ିଶାରେ ନିଜ ନିଜର ବାଣିଜ୍ୟ କେନ୍ଦ୍ର ଖୋଲିଥିଲେ । କେବଳ ବାଲେଶ୍ୱର ସହରରେ ଫରାସୀ, ଇଂରେଜ, ପର୍ତ୍ତୁଗୀଜ, ଦିନାମାର୍‍ ଆଦି ସମସ୍ତ ୟୁରୋପୀୟଙ୍କ ବାଣିଜ୍ୟ କେନ୍ଦ୍ର ରହିଥିଲା । ବାଲେଶ୍ୱର ବ୍ୟତୀତ ପିପିଲି, ଚାନ୍ଦବାଲି, ପୁରୀ ଆଦି ସେ ବେଳର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଥିଲା ।

ଦୀର୍ଘ ଦୁଇ ଶତାବ୍ଦୀର ମୋଗଲ ଶାସନ ସମୟରେ ଧର୍ମାନ୍ତରୀକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇ ନଥିଲା । ଅନ୍ୟଥା ଦୁଇ ଶତାବ୍ଦୀ ଧରି ମୋଗଲ ରାଜତ୍ୱ ସତ୍ତ୍ୱେ ଓଡ଼ିଶାରେ ଏତେ କମ୍‍ ସଂଖ୍ୟକ ମୁସଲମାନ ନଥାନ୍ତେ । ଯେଉଁ ଅଳ୍ପ କିଛି ଧର୍ମାନ୍ତରୀକରଣ ହୋଇଛି, ତା' ପଛରେ କାରଣ ସର୍ବଦା ବଳପ୍ରୟୋଗ ବୋଲି କୁହାଯାଇ ନପାରେ । ଜାତିଭେଦଯୋଗୁଁ ହିନ୍ଦୁ ସମାଜରେ ରହିଥିବା ବୈଷମ୍ୟ ଅନେକଙ୍କୁ ଧର୍ମାନ୍ତରଣପାଇଁ ପ୍ରୋତ୍ସାହିତ କରିଥିଲା । ଭଦ୍ରକ, କଟକ ଆଦି ଯେଉଁଠି କିଛି ମୁସଲମାନ ଥିଲେ ସେଇଠି ପଡେ଼ାଶୀ ହିନ୍ଦୁମାନଙ୍କ ସହ ସେମାନଙ୍କ ସାମ୍ପ୍ରଦାୟିକ ସଦ୍‍ଭାବ କଦାପି ଊଣା ନଥିଲା । କଦମ ରସୁଲ୍‍, କାଇପଦର ଆଦି ପୀଠର ପ୍ରତିଷ୍ଠାରୁ ମନେହୁଏ ଯେ, ଲୌକିକ ସ୍ତରରେ ଉଭୟ ସଂପ୍ରଦାୟ ମଧ୍ୟରେ ଯଥେଷ୍ଟ ସଂହତି ଓ ସଦ୍‍ଭାବ ରହିଥିଲା । ଅନେକ ଆରବିକ, ପାର୍ସୀ ଓ ଉର୍ଦ୍ଦୁ ଶବ୍ଦର ଓଡ଼ିଆରେ ପ୍ରୟୋଗଯୋଗୁଁ ଓଡ଼ିଆ ଭାଷା ସାହିତ୍ୟ ଏହି ସମୟରେ ଋଦ୍ଧିମନ୍ତ ହୋଇଥିଲା ।   ପ୍ରାଚୀନ କାଳରେ ମୌର୍ଯ୍ୟ ସାମ୍ରାଜ୍ୟ ପରି ମଧ୍ୟ କାଳରେ ମୋଗଲ ସାମ୍ରାଜ୍ୟ ସମଗ୍ର ଭାରତବର୍ଷର ପ୍ରତିିଧିତ୍ୱ କରୁଥିଲା । ଓଡିଶା ଏହାର କର୍ତ୍ତୃତ୍ୱାଧୀନ ହୋଇ ଭାରତର ସାମଗ୍ରିକ ସମାଜ, ସଂସ୍କୃତି, ରୀତି, ନୀତି, ପରମ୍ପରା ଆଦି ସହିତ ଜଡ଼ିତ ହେଲାା ଏମିତିରେ ବି ଭାରତର ବହୁ ଅଞ୍ଚଳ ମୋଗଲ ସାମ୍ରାଜ୍ୟର ଅଧୀନରେ ରହି ସେହି ପ୍ରଭାବକୁ ଅନୁଭବ କରିଛନ୍ତି ଏବଂ ଏକ ସର୍ବଭାରତୀୟ ପରମ୍ପରା ସହ ସମନ୍ୱିତ ହୋଇଛନ୍ତିା ତା' ସହିତ ସ୍ୱାଧୀନ ଓ ଅର୍ଦ୍ଧ ସ୍ୱାଧୀନ ରାଜ୍ୟଗୁଡ଼ିକର ବିକାଶ ଯୋଗୁଁ ଆଞ୍ଚଳିକ ବୈଶିଷ୍ଟ୍ୟ ଊଣା ହୋଇ ନାହିଁ । ଏହି ଦୃଷ୍ଟିରୁ ଦେଖିଲେ ସ୍ଥାନୀୟ ସ୍ୱାଭିମାନ ରକ୍ଷାଲାଗି ମୋଗଲ ସାମ୍ରାଜ୍ୟର ବିରୁଦ୍ଧାଚରଣ କରିବା ନିଶ୍ଚୟ ଗୌରବାବହ । ତା' ସହିତ ମୋଗଲ ସାମ୍ରାଜ୍ୟ ଭଳି ଏକ ମହାଭାରତୀୟ ଦୃଷ୍ଟିକୋଣ ସହିତ ମଧ୍ୟଯୁଗରେ ପରିଚିତ ହେବା ମଧ୍ୟ ଏକା ମାତ୍ରାରେ ଗୌରବାବହ ।

...

ଓଡ଼ିଶାରେ ମରହଟ୍ଟା ଶାସନ


  ୧୭୦୭ରେ ଆଉରଙ୍ଗଜେବଙ୍କ ମୃତ୍ୟୁ ପରେ ମୋଗଲ ସାମ୍ରାଜ୍ୟର ଦ୍ରୁତ ପତନ ହେଲା । ଦୀର୍ଘ କାଳ ଧରି ପ୍ରାୟ ସମଗ୍ର ଭାରତବର୍ଷକୁ ଗୋଟିଏ ସାମ୍ରାଜ୍ୟରେ ଏକୀକୃତ କରିଥିବା ମୋଗଲ ଶକ୍ତିର ପତନ ପରେ ହାଇଦ୍ରାବାଦ, ବଙ୍ଗ, ଅଯୋଧ୍ୟା, କର୍ଣ୍ଣାଟକ ଏବଂ ସର୍ବୋପରି ମରାଠା ଆଦି ଆଞ୍ଚଳିକ ଶକ୍ତିମାନଙ୍କର ଅଭ୍ୟୁତ୍‍ଥାନ ହେଲା । ଅବସୋସର ବିଷୟ ଯେ, ଏହି ସମୟରେ ଓଡ଼ିଶାର କୌଣସି ସ୍ଥାନୀୟ ଶକ୍ତି ପ୍ରଭୁତ୍ୱ ବିସ୍ତାର କରିପାରିଲେ ନାହିଁ । ବରଂ ଓଡ଼ିଶାକୁ ବଙ୍ଗ ରାଜ୍ୟର କର୍ତ୍ତୃତ୍ୱାଧୀନ ହୋଇ ରହିବାକୁ ପଡ଼ିଲା । ଫଳରେ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ସୀମାନ୍ତକୁ ଲାଗି ରହିଥିବା ନିଜାମ ଓ ମରାଠାମାନେ ବଙ୍ଗ କର୍ତ୍ତୃତ୍ୱରୁ ଓଡ଼ିଶାକୁ ଅଧିକାର କରିନେବାକୁ ସାମରିକ ଉଦ୍ୟମମାନ ଆରମ୍ଭ କଲେ । ଦକ୍ଷିଣ ସୀମାକୁ ଲାଗିଥିବା ଅଞ୍ଚଳ ନିଜାମ ଅଧିକାର କରିନେବାରୁ ଓଡ଼ିଶାପାଇଁ ଚିଲିକା ସୀମାନ୍ତ ହେଲା । ଅନ୍ୟ ପକ୍ଷରେ ପଶ୍ଚିମ ଓଡ଼ିଶା ଆଡୁ ମରାଠାମାନେ ମାଡ଼ି ଆସିବାକୁ ଉଦ୍ୟମ କଲେ । ଏହା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗ ବେଳକୁ ଯୁଦ୍ଧ, ଲୁଣ୍ଠନ, ଆତଙ୍କ ଓ ଆକ୍ରମଣର ରୂପ ନେଲା ।

ଏହି ସମୟର ଅନ୍ୟ ଏକ ରାଜନୀତିକ ବାସ୍ତବତା ହେଲା, ଇଂରେଜ ଓ ଫରାସୀଙ୍କ ପରି ବିଦେଶୀ ବଣିକ ଗୋଷ୍ଠୀର ଭାରତର ରାଜନୀତିରେ ଅନୁପ୍ରବେଶ । ଏହି ବଣିକ ଗୋଷ୍ଠୀ ବାଣିଜ୍ୟରେ ସୀମିତ ନ ରହି ନୂତନ ଭାବେ ମୁଣ୍ତ ଟେକିଥିବା ଆଞ୍ଚଳିକ ଶକ୍ତିମାନଙ୍କ ମାଧ୍ୟମରେ ନିଜ ପ୍ରଭୁତ୍ୱ ବିସ୍ତାର କରିବାକୁ ଲାଗିଲେ । ସେମାନେ କୌଣସି ଗୋଟିଏ ଭାରତୀୟ ଶକ୍ତିକୁ ପ୍ରୋତ୍ସାହିତ କରି ଅନ୍ୟ ଉପରେ ଦାଉ ସାଧିବାକୁ ଉଦ୍ୟମ କଲେ । ଫଳରେ ବାରମ୍ୱାର ଯୁଦ୍ଧ ସଂଘଟିତ ହେଲା । ମାତ୍ର ତା'ଠାରୁ ବଡ଼ କଥା ଯେ, ଯୁଦ୍ଧରେ ଇଉରୋପରୁ ଆମଦାନୀ କରାଯାଇଥିବା ଆଧୁନିକ ଓ ମହଙ୍ଗା ଅସ୍ତ୍ରଶସ୍ତ୍ରର ବ୍ୟବହାର ହେଲା । ଏହା ଯୁଦ୍ଧକୁ ଖର୍ଚ୍ଚବହୁଳ କରିଦେଲା । ସେତେବେଳେ ଖର୍ଚ୍ଚ ତୁଲାଇବାପାଇଁ ରାଜାମାନେ ଭୂ-ରାଜସ୍ୱ ଉପରେ ପୂର୍ଣ୍ଣତଃ ଆଶ୍ରିତ ଥିଲେ । ପୁଣି ନିଜ ପ୍ରଜାଙ୍କଠାରୁ ଅଧିକ ଭୂ-ରାଜସ୍ୱ ଆଦାୟ କରିବାର ସଂଭାବନା ନଥିଲା । କାରଣ କୃଷିର ବିକାଶ ହୋଇ ନଥିଲା; ଉତ୍ପାଦନ ବୃଦ୍ଧି ପାଇ ନଥିଲା । ତେଣୁ ଅନ୍ୟ ରାଜ୍ୟ ଉପରେ ଆକ୍ରମଣ ଓ ଅଧିକାର ନୂତନ ଭାବେ ଗଢ଼ି ଉଠୁଥିବା ପ୍ରତ୍ୟେକ ଆଞ୍ଚଳିକ ଶକ୍ତିପାଇଁ ଆବଶ୍ୟକ ହୋଇପଡ଼ିଲା । ଯୁଦ୍ଧ ବିନା ସେମାନଙ୍କ ଅସ୍ତିତ୍ୱ ସଙ୍କଟାପନ୍ନ ହୋଇ ରହିଲା । ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ପ୍ରବର୍ତ୍ତମାନ ଏଭଳି ଏକ ରାଜନୀତିକ ଓ ସାମାଜିକ ପୃଷ୍ଠଭୂମିରେ ବଙ୍ଗ କବଳରୁ ମରାଠାମାନଙ୍କର ଓଡ଼ିଶା ଅଧିକାର ପ୍ରସଙ୍ଗକୁ ଦେଖିହେବ ।   ମରାଠାମାନେ ସେତେବେଳେ ଏକାଧିକ କ୍ଷୁଦ୍ରଶକ୍ତିରେ ପରିଣତ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରେ ଅନ୍ତର୍ବିବାଦ ଥିଲା, କିନ୍ତୁ ଆବଶ୍ୟକ ସମୟରେ ସେମାନେ ଏକଜୁଟ ହୋଇ ଯାଉଥିଲେ । ସେମାନଙ୍କର ବଡ଼ ଶକ୍ତି ଥିଲା ଗରିଲା ଯୁଦ୍ଧ ପ୍ରଣାଳୀ, ଯାହା ଫଳରେ ସେମାନେ ଅନ୍ୟ ଭାରତୀୟ ଶକ୍ତିଙ୍କ ଅପେକ୍ଷା ସାମରିକ ଦୃଷ୍ଟିରୁ ଯଥେଷ୍ଟ ଆଗରେ ଥିଲେ । ନିରନ୍ତର ଗରିଲା ପ୍ରଣାଳୀରେ ସେମାନେ ଆକ୍ରମଣ କରି ପଡେ଼ାଶୀ ରାଜାମାନଙ୍କୁ ତଥା ସେଠାର ସାଧାରଣ ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଉଥିଲେ । ଫଳରେ ପଡେ଼ାଶୀ ରାଜାମାନେ ତାଙ୍କୁ ସୁରକ୍ଷା କର ବା ଚୌଥ ଏବଂ ସରଦେଶମୁଖୀ ଦେବାକୁ ବାଧ୍ୟ ହେଉଥିଲେ । ଅନେକ ସମୟରେ ଆକ୍ରମଣର କେବଳ ଧମକ ଦେଇ ମରାଠାମାନେ ବହୁ ପରିମାଣର କର ଅସୁଲ କରି ନେଉଥିଲେ ।

ମରାଠାମାନଙ୍କ ମଧ୍ୟରୁ ନାଗପୁରର ଭୋଁସଲେ ରାଜା ସଦାଶିବ ରାଓ ସେତେବେଳେ ଓଡ଼ିଶା ଅଧିକାର କରିବାକୁ ପ୍ରସ୍ତୁତି କରି ସଫଳ ହୋଇଥିଲେ । ୧୭୫୧ରୁ ୧୮୦୩ ଯାଏ ଭୋଁସଲେ ବଂଶର ରାଜତ୍ୱ ଓଡ଼ିଶାରେ ଚାଲିଲା । ଏହା ପଛରେ ଅନ୍ୟାନ୍ୟ କାରଣ ମଧ୍ୟରେ ବଙ୍ଗ ପ୍ରଶାସନ ମଧ୍ୟରେ ଲାଗି ରହିଥିବା ଅନ୍ତର୍ବିବାଦ ପ୍ରଧାନ ଥିଲା ।

୧୭୩୯ରେ ନାଜିମ୍‍ ନବାବ ସୁଜାଉଦ୍ଦିନ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସରଫରାଜ ନୂଆ ନଜିମ୍‍ ହେଲେ । ନୂଆ ନଜିମ୍‍ଙ୍କ ଦୁର୍ବଳତାର ସୁଯୋଗ ନେଇ ସୁଜାଉଦ୍ଦିନ୍‌ଙ୍କ ସମୟର ପ୍ରମୁଖ ଅଧିକାରୀ ଭାବରେ କାମ କରିଥିବା ଅଲିବର୍ଦ୍ଦି ଖାଁ ୧୭୪୦ରେ ସରଫ୍‍ରାଜଙ୍କୁ ହତ୍ୟା କଲେ ଏବଂ ନିଜେ ବଙ୍ଗର ନୂଆ ନବାବ ହେଲେ । ଅଲିବର୍ଦ୍ଦି ଓଡ଼ିଶାର ନାଏବ ନଜିମ୍‍ ଭାବରେ ନିଜ ପୁତୁରା ସୟଦ୍‍ ଅହମ୍ମଦ ଖାଁଙ୍କୁ ନିଯୁକ୍ତ କଲେ । ଏହାର ପ୍ରତିବାଦ କରି ପୂର୍ବରୁ ଅବସ୍ଥାପିତ ନାଏବ ନଜିମ୍‍ ମୁର୍ସିଦ୍‍ କୁଲି ଖାଁ ବିଦ୍ରୋହ କଲେ । ମାତ୍ର ଆଲିବର୍ଦ୍ଦି ଖାଁଙ୍କ ସେନା ହାତରେ ସେ ଫୁଲଓ୍ୱାରିଠାରେ (ବାଲେଶ୍ୱର ନିକଟସ୍ଥ ଫୁଲାଡ଼ି) ପରାସ୍ତ ହେଲେ । ଏହା ପରେ ଯଦିଓ ମୁର୍ସିଦ୍‍ ଖୋର୍ଦ୍ଧା ରାଜାଙ୍କ ପାଖରେ ଆଶ୍ରା ନେଇ ରହିଲେ, ତାଙ୍କ ବିଶ୍ୱସ୍ତ ସହଯୋଗୀ ମୀର୍‍ ହବିବ୍‍ ବଙ୍ଗ ନବାବଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ । ସେ ଏଥିପାଇଁ ନାଗପୁର ଭୋଁସଲେ ରାଜାଙ୍କଠାରୁ ସହଯୋଗ ନେଲେ । ଅନ୍ୟ ପକ୍ଷରେ ଓଡ଼ିଶା ଅଧିକାରପାଇଁ ଯୋଜନା କରୁଥିବା ଭୋଁସଲେ ମୀର ହବିବ୍‍ଙ୍କ ସହଯୋଗକୁ ସୁବର୍ଣ୍ଣ ସୁଯୋଗ ରୂପେ ଗ୍ରହଣ କଲେ । ଏହାର ପରିଣାମ ସ୍ୱରୂପ ୧୯ ଏପ୍ରିଲ୍‍ ୧୭୪୨ରେ ମୀର୍‍ ହବିବ୍‍ଙ୍କ ନେତୃତ୍ୱରେ ମରାଠା ସେନା କଟକ ଅଧିକାର କରିନେଲେ । ପଶ୍ଚିମ ଓଡ଼ିଶା ଦେଇ ସେମାନେ କଟକ ଆସିବା ବେଳେ ରାସ୍ତାରେ ଲୁଣ୍ଠନ ଓ ଆକ୍ରମଣ ଜାରି ରଖିଥିଲେ । ୧୭୪୨ରୁ ୧୭୫୧ ମଧ୍ୟରେ ମରାଠା ଓ ବଙ୍ଗ ନବାବଙ୍କ ମଧ୍ୟରେ ଓଡ଼ିଶା ଅଧିକାରପାଇଁ ଛକାପଞ୍ଝା ଚାଲିଲା । କେତେବେଳେ ଅଲିବର୍ଦ୍ଦି ପରାସ୍ତ ହେଲେ ତ ଆଉ କେତେବେଳେ ସାମୟିକ ଭାବେ ମରାଠାମାନେ ପରାସ୍ତ ହେଲେ । ନ୍ୟାୟ ପାଇବା ନିମନ୍ତେ ଅଲିବର୍ଦ୍ଦି ନାମମାତ୍ର ମୋଗଲ ସମ୍ରାଟ ମହମ୍ମଦ ଶାହ ଓ ମରାଠା ପ୍ରମୁଖ ପେଶଓ୍ୱାଙ୍କଠାରେ ମଧ୍ୟ ଫେରାଦ ହେଲେ । ହାଇଦ୍ରାବାଦର ନିଜାମ ମରାଠା ଆକ୍ରମଣରୁ ତ୍ରାହି ପାଇବା ସକାଶେ ମରାଠାମାନଙ୍କର ବଙ୍ଗ ଆକ୍ରମଣକୁ ପରୋକ୍ଷରେ ସମର୍ଥନ କଲେ । ପ୍ରତିଥର ମରାଠାମାନେ ନାଗପୁରରୁ ପଶ୍ଚିମ ଓଡ଼ିଶା ଦେଇ କଟକ, ବାଲେଶ୍ୱର ଓ ଆଗକୁ ମେଦିିନିପୁର ପର୍ଯ୍ୟନ୍ତ ସୈନ୍ୟ ଚାଳନା କରୁଥିଲେ । ରାସ୍ତାରେ ଗାଁ ଗଣ୍ତା ଲୁଟ୍‍ କରିବା, ଲୋକଙ୍କ ଉପରେ ଅତ୍ୟାଚାର କରିବା, ହାଣ-କାଟ କରିବା, ଧନରତ୍ନ ଲୁଣ୍ଠନ କରିବା ଆଦି ସେମାନଙ୍କର ପ୍ରମୁଖ କାମ ହେଲା । ଏହାକୁ ଲୌକିକ ଭାଷାରେ ପଶ୍ଚିମ ଓଡ଼ିଶାରେ 'ଗଣ୍ତମାରୁ' ବୋଲି କୁହାଯାଏ, କାରଣ ମରାଠା ସେନାରେ ଅନେକ ସଂଖ୍ୟାରେ ଗଣ୍ତ ଆଦିବାସୀ ସଂପ୍ରଦାୟର ସୈନିକ ଥିଲେ । ସେମାନେ ରାଜକୋଷ ମଧ୍ୟ ଲୁଟି ନେଉଥିଲେ । ସେମାନଙ୍କ ଗରିଲା ଆକ୍ରମଣରୁ ତ୍ରାହି ପାଇବାଲାଗି ବଙ୍ଗ ନବାବ ଅନେକ ଥର ବହୁ ପରିମାଣର ଅର୍ଥ ଦେବାକୁ ବାଧ୍ୟ ହେଉଥିଲେ ।   ୧୭୫୧ରେ ଅଲିବର୍ଦ୍ଦି ଖାଁ ସମସ୍ୟାର ଏକ ସ୍ଥାୟୀ ସମାଧାନପାଇଁ ରଘୁଜୀ ଭୋଁସଲେଙ୍କ ସହିତ ଚୁକ୍ତି ସ୍ୱାକ୍ଷର କଲେ । ଚୁକ୍ତି ଅନୁଯାୟୀ ଓଡ଼ିଶାର ଅଧିକାର ମରାଠାମାନଙ୍କ ହାତକୁ ଗଲା । ମୀର୍‍ ହବିବ୍‍ ନାଏବ ନାଜିମ୍‍ ନିଯୁକ୍ତ ହେଲେ । ଯଦିଓ ଓଡ଼ିଶାର ଅଧିକାର ଭୋଁସଲେଙ୍କ ହାତରେ ରହିଲା, ଅଲିବର୍ଦ୍ଦି ଖାଁ ବଙ୍ଗର ନବାବ ଭାବରେ ଏହାର ନାମମାତ୍ର ନବାବ ରହିଲେ । ମାତ୍ର ଯୁଦ୍ଧ କ୍ଷତିପୁରଣ ବାବଦକୁ ଓଡ଼ିଶାର ରାଜସ୍ୱ ଭୋଁସଲେ ରାଜକୋଷକୁ ଯିବ ବୋଲି ସ୍ଥିର ହେଲା । ଏହା ବ୍ୟତୀତ ବଙ୍ଗକ୍ଷେତ୍ର ଉପରେ ମରାଠା ଆକ୍ରମଣରୁ ନିବୃତ୍ତି ପାଇବାଲାଗି ଅଲିବର୍ଦ୍ଦି ବାର୍ଷିକ ୧୨ ଲକ୍ଷ ଟଙ୍କା ଚୌଥକର ଦେବେ ବୋଲି ସହମତ ହେଲେ । ଏହା ବ୍ୟତୀତ ମରାଠା ଓ ବଙ୍ଗ ମଧ୍ୟରେ ସୁବର୍ଣ୍ଣରେଖା ନଦୀକୁ ସୀମାରେଖା ରୂପେ ମାନିନେବାକୁ ଉଭୟ ପକ୍ଷ ରାଜି ହେଲେ ।

ଓଡ଼ିଶାରେ ମରାଠା ଶାସନ ୧୭୫୧ରୁ ୧୮୦୩ ପର୍ଯ୍ୟନ୍ତ ଅର୍ଥାତ୍‍ ଅର୍ଦ୍ଧଶତାବ୍ଦୀରୁ ସାମାନ୍ୟ ଅଧିକ କାଳ ଧରି ଚାଲିଥିଲା । କଟକର ବାରବାଟୀ ଦୁର୍ଗ ଥିଲା ଓଡ଼ିଶା ସୁବା ବା ପ୍ରଦେଶର ରାଜଧାନୀ । ସୁବାଦାର ଥିଲେ ଏହାର ଶାସକ । ପରିସୀମା ଦୃଷ୍ଟିରୁ ଏହାର ସୀମାନ୍ତ ଦକ୍ଷିଣରେ ଚିଲିକା, ଉତ୍ତରରେ ବାଲେଶ୍ୱର ଏବଂ ପଶ୍ଚିମରେ ସମ୍ୱଲପୁର ଜିଲ୍ଲା ଯାଏ ବ୍ୟାପି ଥିଲା । ଓଡ଼ିଶା ସୁବାକୁ ମୋଗଲମାନେ ମୋଗଲବନ୍ଦି ଓ ଗଡଜାତ ଭାବରେ ଦୁଇଭାଗରେ ବିଭକ୍ତ କରିଥିଲେ, ଯାହା ମରାଠାମାନଙ୍କ ସମୟରେ ମଧ୍ୟ ଅବ୍ୟାହତ ରହିଲା । ମୋଗଲବନ୍ଦି ଅଂଚଳରେ ମରାଠାମାନଙ୍କର ପ୍ରତ୍ୟକ୍ଷ ଶାସନ ଚାଲିଥିଲା । ଗଡ଼ଜାତରେ ରାଜାମାନେ ବାର୍ଷିକ ଦେୟ ଜମା କଲା ପରେ ସ୍ୱାଧୀନ ଭାବେ ପ୍ରଶାସନ ପରିଚାଳନା କରୁଥିଲେ । ସେତେବେଳେ ମୋଟ ୨୪ଟି ଗଡ଼ଜାତ ରହିଥିଲେ । ମୋଗଲବନ୍ଦି ଅଂଚଳରେ ନିୟମିତ ଜମି ବନ୍ଦୋବସ୍ତ କରାଯାଉଥିଲା ଏବଂ ଜମିଦାରମାନଙ୍କ ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରାଯାଉଥିଲା ।

ମରାଠା ଶାସନ ସମୟରେ ଭୂ-ରାଜସ୍ୱ ଓ ବଙ୍ଗ ନବାବଙ୍କଠାରୁ ଚୌଥ ବା ଚୌଠ କର ଆଦାୟ ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା । ତୀର୍ଥଯାତ୍ରୀ କର ଅସୁଲିପାଇଁ ମରାଠା ପ୍ରଶାସକମାନେ ଜଗନ୍ନାଥ ମନ୍ଦିର ଉପରେ ନିୟନ୍ତ୍ରଣକୁ ମଧ୍ୟ ଖୁବ୍‍ ମହତ୍ତ୍ୱ ଦେଉଥିଲେ । ପୁରୀରେ ତୀର୍ଥଯାତ୍ରୀ ସମାଗମକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କିଛି ରାସ୍ତାଘାଟର ନିର୍ମାଣପାଇଁ ମଧ୍ୟ ଉଦ୍ୟମ କରିଥିଲେ ।   ମରାଠା ଶାସନ ସମୟରେ ନାଗପୁରସ୍ଥିତ ଭୋଁସଲେ ଯଦିଓ ଓଡ଼ିଆ ସୁବାର ସର୍ବେସର୍ବା ଥିଲେ, ଦୂରତ୍ୱ ଓ ଗମନାଗମନର ଅସୁବିଧାଯୋଗୁଁ ସୁବାଦାର ଥିଲେ ରାଜ୍ୟର ପ୍ରକୃତ ଶାସକ । ତାଙ୍କର ମୁଖ୍ୟ କାମ ଥିଲା, ଧାର୍ଯ୍ୟମତେ ଭୂ-ରାଜସ୍ୱ ଓ ବଙ୍ଗ ନବାବଙ୍କଠାରୁ ଚୌଠ ଆଦାୟ କରି ଭୋଁସଲେଙ୍କ ରାଜକୋଷରେ ପଇଠ କରିବା । ମାତ୍ର ଧାର୍ଯ୍ୟମତେ ଭୂ-ରାଜସ୍ୱ ଆଦାୟ ହୋଇ ପାରୁ ନଥିବାରୁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଥିଲା ଏବଂ ସୁବାଦାର ପଦରୁ ବହିଷ୍କାର କରି ଦିଆଯାଉଥିଲା । ନୂଆ ସୁବାଦାର ନିଯୁକ୍ତ ହେଉଥିଲେ । ଅନ୍ୟ ପକ୍ଷରେ ମୋଗଲବନ୍ଦି ଅଞ୍ଚଳରେ ନିୟମିତ ଜମି ବନ୍ଦୋବସ୍ତ କରି ଜମିଦାର ଓ ପ୍ରଜାଙ୍କ ଉପରେ ବାରମ୍ୱାର ଖଜଣା ବୃଦ୍ଧି କରାଯାଉଥିଲା । ଯେହେତୁ ଭୋସଲେଁଙ୍କ ଦାବି ପରିମାଣ ଖୁବ୍‍ ଅଧିକ ଥିଲା, ବହିଷ୍କାରର ଆଶଙ୍କା ସତ୍ତ୍ୱେ ସୁବାଦାର ଧାର୍ଯ୍ୟମତେ ରାଜସ୍ୱ ଅସୁଲ କରି ପାରୁ ନଥିଲେ । ନିୟମିତ ଖଜଣା ବୃଦ୍ଧି ହେଉଥିବାରୁ ମରାଠାମାନଙ୍କ ବିରୁଦ୍ଧରେ ବିଦ୍ରୋହ ମଧ୍ୟ ହେଉଥିଲା । ରାଜସ୍ୱ ପଇଠ କରିବାକୁ ମରାଠା ଅଧିକାରୀମାନେ ନିଜ ପ୍ରଜା ଓ ଜମିଦାରଙ୍କୁ ଲୁଣ୍ଠନ କରୁଥିଲେ ।

ମାତ୍ର ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଓଡ଼ିଶା ସୁବାରେ ମୋଟ ଦଶଜଣ ସୁବାଦାର ନିଯୁକ୍ତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ମୀର୍‍ ହବିବ୍‍ (୧୭୫୧-୧୭୫୨) ଓ ମିର୍ଜା ସାଲେ (୧୭୫୨-୧୭୫୯)ଥିଲେ ମୁସଲମାନ । ଉଭୟେ ବଙ୍ଗଶାସକ ଅଲିବର୍ଦ୍ଦି ଖାଁ ଓ ଭୋଁସଲେ ରାଜା ରଘୁଜୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ନିଯୁକ୍ତି ପାଇଥିଲେ । ଅନ୍ୟ ଆଠଜଣ ସୁବାଦାର ଥିଲେ ମରହଟ୍ଟା । ସେମାନେ ହେଲେ- ଶେଓ ଭଟ୍ଟ ସାଠେ (୧୭୬୦-୧୭୬୪), ଭବାନୀ ପଣ୍ତିତ (୧୭୬୪-୬୮), ଶମ୍ଭାଜୀ ଗଣେଶ (୧୭୬୮-୧୭୭୦) । ବାବୁଜୀ ନାଏକ(୧୭୭୧-୧୭୭୩), ମାଧୋଜୀ ହରି (୧୭୭୩-୧୭୭୭), ରାଜାରାମ ପଣ୍ତିତ (୧୭୭୮-୧୭୯୩) ଏବଂ ସଦାଶିବ ରାଓ (୧୭୯୩-୧୮୦୩) । ଏମାନଙ୍କ ବ୍ୟତୀତ ସାମୟିକ ଭାବେ ଆଉ କେତେ ଜଣ ମଧ୍ୟ ସୁବାଦାର ପଦରେ ନିଯୁକ୍ତ ହୋଇଥିଲେ । ଅଧିକାଂଶ ସୁବାଦାର ଦାବିମତେ ଖଜଣା ଅସୁଲ କରି ନ ପାରି ପଦରୁ ବରଖାସ୍ତ ହେଉଥିଲେ ।

ମୀର୍‍ ହବିବ୍‍ ଥିଲେ ଓଡ଼ିଶାର ପ୍ରଥମ ମରାଠା ସୁବାଦାର । ତାଙ୍କର ପ୍ରକୃତ ନାମ ଥିଲା ମୀର୍‍ ହବିବୁଲ୍ଲା । ପାରସ୍ୟରୁ ସେ ଭାରତ ଆସି ବଙ୍ଗ ନବାବଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ । ମାତ୍ର ଅଲିବର୍ଦ୍ଦି ଖାଁ ନବାବ ପଦ ଅଧିକାର କରିନେବା ପରେ ସେ ଓଡ଼ିଶାରେ ପୂର୍ବରୁ ନିଯୁକ୍ତ ନାଏବ ନବାବ ମୁର୍ସିଦ୍‍ କୁଲି ଖାଁଙ୍କ ସହ ମିଶି ନବାବଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ପରାଜିତ ହେଲା ପରେ ଓଡ଼ିଶା ଉପରେ ମରାଠା ଆକ୍ରମଣପାଇଁ ସହଯୋଗ କଲେ ।୧୭୫୧ରେ ଅଲବର୍ଦ୍ଦି ଓ ଭୋଁସଲେଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ପଛରେ ମୀର ହବିବ୍‍ଙ୍କ ବଡ଼ ଭୂମିକା ରହିଥିଲା । ସେ ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ ଏବଂ ଓଡ଼ିଶାର ରାଜସ୍ୱ ଆଦାୟ କରିବାର ପ୍ରତିଶ୍ରୁତି ଦେଲେ । ଚୁକ୍ତିର ସର୍ତ୍ତ ଅନୁଯାୟୀ ଅଲିବର୍ଦ୍ଦିଙ୍କ ବଙ୍ଗ ଅଧୀନରେ ଓଡ଼ିଶା ରହିବ, ମାତ୍ର ରାଜସ୍ୱ ଜମା ହେବ ଭୋଁସଲେଙ୍କ ରାଜକୋଷରେ । ମୀର ହବିବ୍‍ ଅଲିବର୍ଦ୍ଦିଙ୍କଠାରୁ ଚୌଠ କର ଆଦାୟ କରି ନାଗପୁର ପଠାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ । ମାତ୍ର ରାଜସ୍ୱ ଅସୁଲିରେ ସେ ବିଫଳ ହେଲେ । ଚୌଠ ଆଦାୟ ମଧ୍ୟ କରି ପାରିଲେ ନାହିଁ । ଅନ୍ୟ ପକ୍ଷରେ ସେ ରାଜକୋଷର ଅର୍ଥ ତୋସରପାତ କରିଥିବାର ଅଭିଯୋଗ ନାଗପୁରରେ ପହଞ୍ଚିଲା । ରଘୁଜୀ ଭୋଁସଲେଙ୍କ ପୁତ୍ର ଜାନୁଜୀ ତଦନ୍ତପାଇଁ କଟକ ଆସିଥିବା ସମୟରେ ମୀର୍‍ ହବିବ୍‍ଙ୍କର ମୃତ୍ୟୁ ହେଲା ।   ଦ୍ୱିତୀୟ ସୁବାଦାର ମିର୍ଜା ସାଲେ (୧୭୫୨-୫୯) ସାତ ବର୍ଷ ଧରି ଓଡ଼ିଶାରେ ଶାସନ କଲେ । ମୀର୍‍ ହବିବ୍‍ଙ୍କ ସହଯୋଗୀ ଭାବରେ ସେ ଓଡ଼ିଶାର ଭୂଗୋଳ ଓ ରାଜନୀତି ସହିତ ପରିଚିତ ଥିଲେ । ପୂର୍ବରୁ ଧାର୍ଯ୍ୟମତେ ଭୂ-ରାଜସ୍ୱ ଓ ଅଲିବର୍ଦ୍ଦିଙ୍କଠାରୁ ଚୌଠ କର ସହିତ ଅଧିକ ଚାରି ଲକ୍ଷ ଟଙ୍କା ଜମା କରିବାକୁ ତାଙ୍କୁ ଆଦେଶ ଦିଆଗଲା । ଅଲିବର୍ଦ୍ଦିଙ୍କଠାରୁ ସେ ଏହି ବଳକା ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲେ । ଅଲିବର୍ଦ୍ଦି ଚୌଠ ଦେବାକୁ ମନା କରିବାରୁ ମିର୍ଜା ସାଲେ ଓଡ଼ିଶାର ଜମିଦାରମାନଙ୍କଠାରୁ ତାହା ବଳପୂର୍ବକ ଆଦାୟ କରିବାକୁ ପ୍ରୟାସ କଲେ । ମାତ୍ର ତାଙ୍କୁ ଆଶାନୁରୂପ ସଫଳତା ମିଳି ପାରିଲା ନାହିଁ । ଅନ୍ୟ ପକ୍ଷରେ ମରାଠାଶାସନ ଅଧିକରୁ ଅଧିକ ଅପ୍ରିୟ ହେଲା । ରାଜସ୍ୱ ଜମା କରି ନପାରିବାରୁ ତାଙ୍କୁ ୧୭୫୯ରେ ଭୋଁସଲେ ରାଜା ଓଡ଼ିଶା ସୁବାଦାର ପଦବୀରୁ ବରଖାସ୍ତ କଲେ ।

ମିର୍ଜା ସାଲେ ଧାର୍ଯ୍ୟ ରାଜସ୍ୱ ରାଜକୋଷରେ ଜମା କରି ଭୋଁସଲେଙ୍କ ପ୍ରିୟଭାଜନ ହେବାକୁ ନାନା ଉପାୟ କରିଥିଲେ । ତାଙ୍କ ସମୟରେ ସିରାଜ ଉଦ୍ଦୌଲା ଓ ଇଂରେଜମାନଙ୍କ ମଧ୍ୟରେ ପଲାସୀ ଯୁଦ୍ଧ (୧୭୫୭) ସଂଘଟିତ ହେଲା । ସେ ଇଂରେଜମାନଙ୍କ ପକ୍ଷ ନେଇ ଯୁଦ୍ଧରେ ଜିଣିଲା ପରେ ସହଜରେ ଚୌଠ ଆଦାୟ କରିବେ ବୋଲି ଆଶା ରଖିଥିଲେ । ଏ ନେଇ ଏକ ପ୍ରତିଶ୍ରୁତି ମଧ୍ୟ ସେ ଇଂରେଜମାନଙ୍କ ପାଖରୁ ହାସଲ କରିଥିଲେ । ମାତ୍ର ପଲାସୀ ଯୁଦ୍ଧରେ ଜିଣିଲା ପରେ ଇଂରେଜମାନଙ୍କ ଶକ୍ତି ବୃଦ୍ଧି ପାଇଲା । ୧୭୬୪ରେ ବକ୍ସର ଯୁଦ୍ଧରେ ବିଜୟ ହାସଲ କଲା ପରେ ସେମାନେ ବଙ୍ଗ, ବିହାର ଓ ଓଡ଼ିଶାର ଦିଓ୍ୱାନୀ କ୍ଷମତା ହାସଲ କଲେ, ଯାହା ଫଳରେ ପ୍ରତିଶ୍ରୁତି ଭଙ୍ଗ କରିବା ସେମାନଙ୍କପାଇଁ ସହଜ ହେଲା । ଏମିତିରେ ବି ଇଂରେଜ ଇଷ୍ଟ ଇଣ୍ତିଆ କମ୍ପାନୀର ସାମ୍ରାଜ୍ୟବାଦୀ ଚରିତ୍ରକୁ ଯଦି ମିର୍ଜା ସାଲେ ବା ତତ୍‍କାଳୀନ ଅନ୍ୟ ଭାରତୀୟ ଶକ୍ତିମାନେ ବୁଝି ପାରିଥାନ୍ତେ, ପ୍ରତିଶ୍ରୁତି ହାସଲ କରିବା ଅମୂଳକ ବୋଲି ଜାଣି ପାରିଥାନ୍ତେ ।

୧୭୫୫ରେ ରଘୁଜୀ ଭୋଁସଲେଙ୍କ ମୃତ୍ୟୁ ହେଲା । ଏହାକୁ ସୁଯୋଗ ମନେକରି ବାରମ୍ୱାର ମରାଠା ଆକ୍ରମଣରେ ତ୍ରସ୍ତ ଓଡ଼ିଶାର କେତେକ ଜମିଦାର ବିଦ୍ରୋହ ଆରମ୍ଭ କଲେ । ଏହା ଫଳରେ ମିର୍ଜା ସାଲେ ସୁବାଦାର ଭାବରେ ଅଧିକ ଅପଦସ୍ତ ହେଲେ । ତାଙ୍କ ପଦଚ୍ୟୁତି ପରେ (୧୭୫୯ରେ) ଶେଓ ଭଟ୍ଟ ସାଠେ (୧୭୬୦-୧୭୬୪) ଓଡ଼ିଶାର ସୁବାଦାର ନିଯୁକ୍ତ ହେଲେ ।

ଶେଓ ଭଟ୍ଟ ସାଠେ ସୁବାଦାର ନିଯୁକ୍ତ ହେବା ପୂର୍ବରୁ ଓଡିଶାରେ ବ୍ୟାପିଥିବା ଅରାଜକତାକୁ ଦୂର କରିବାଲାଗି ସୈନ୍ୟ ଚାଳନା ମଧ୍ୟ କରିଥିଲେ । ଏପରିକି ବାରବାଟୀ ଦୁର୍ଗର ଫୌଜଦାର (ରକ୍ଷକ) ଫତେହ ଖାନ୍‍ଙ୍କ ସହ ମଧ୍ୟ ତାଙ୍କୁ ଯୁଦ୍ଧ କରିବାକୁ ପଡ଼ିଥିଲା । ଅରାଜକତାକୁ ଦୂରକରି ମରାଠା ଶାସନ ପୁନର୍ପ୍ରତିଷ୍ଠା କରିବାରେ ସଫଳ ହୋଇଥିବାରୁ ଶେଓ ଭଟ୍ଟଙ୍କ ଉପରେ ନୂତନ ଭୋଁସଲେ ରାଜା ଜାନୁଜୀଙ୍କର ଅଗାଧ ବିଶ୍ୱାସ ଥିଲା । ମାତ୍ର ବଙ୍ଗର ନୂତନ ନବାବ ମୀର୍‍ ଜାଫର ଏବଂ ତାଙ୍କ ପରେ ମୀର୍‍ କାଶିମ୍‍ଙ୍କ ପାଖରୁ ସେ ବକେୟା ଚୌଠ ଅସୁଲ କରି ପାରିଲୋହିଁ । ୧୭୬୩ରେ ସେ ବଙ୍ଗର ନବାବ ମୀର୍‍ କାଶିମ୍‍ଙ୍କଠାରୁ ବକେୟା ଚୌଠ ଆଦାୟ କରିବାକୁ ଜଳେଶ୍ୱର ଓ ମେଦିନିପୁର ଅଧିକାର କରିନେଲେ । ଇଂରେଜମାନେ ଏହା ଚାହୁଁ ନଥିଲେ । ସେମାନେ ଭୋଁସଲେଙ୍କୁ ଚୌଠ ପ୍ରଦାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଲେ ଏବଂ ପ୍ରତିବଦଳରେ ମରାଠାମାନେ ଯୁଦ୍ଧ ପରିସ୍ଥିତିରେ ମୀର୍‍ କାଶିମ୍‍ଙ୍କୁ ସହଯୋଗ କରିବେ ନାହିଁ ବୋଲି ଚୁକ୍ତି ହେଲା । ମାତ୍ର ବକ୍ସର ଯୁଦ୍ଧରେ ଜିଣିଲା ପରେ ଇଂରେଜମାନେ ପ୍ରତିଶ୍ରୁତିକୁ ଉପେକ୍ଷା କଲେ ଏବଂ ମରାଠାମାନଙ୍କ ବିରୁଦ୍ଧରେ ଲଢ଼ିବାପାଇଁ ଶକ୍ତି ସଂଚୟ କଲେ । ସେ ଯାହା ହେଉ, ଶେଓ ଭଟ୍ଟ ରାଜସ୍ୱ ଦାବିପୂରଣ କରି ନ ପାରିବାରୁ ୧୭୬୪ରେ ଗିରଫ ହେଲେ ଏବଂ ତାଙ୍କୁ ନାଗପୁରକୁ ପଠାଇ ଦିଆଗଲା ।

  ୧୭୬୪ରେ ଭବାନୀ ପଣ୍ଡିତ ଓଡ଼ିଶାର ସୁବାଦାର ନିଯୁକ୍ତ ହୋଇ ୧୭୬୮ରେ ଚୌଠ ଆଦାୟ କରି ନ ପାରିବା ଅପରାଧରେ ପଦଚ୍ୟୁତ ହେଲେ । ବଳପୂର୍ବକ ବର୍ଦ୍ଧିତ ରାଜସ୍ୱ ଆଦାୟ କରିବାପାଇଁ ସେ ଜମିମାଲିକମାନଙ୍କ ଉପରେ ବାରମ୍ୱାର ଆକ୍ରମଣ କରିଥିଲେ । ଏହା ମରାଠା ପ୍ରଶାସନକୁ ଓଡ଼ିଶାରେ ଅଧିକ ବଦନାମ କଲା । ଭବାନୀ ପଣ୍ଡିତଙ୍କ ପରେ ଶମ୍ଭାଜୀ ଗଣେଶ (୧୭୬୮-୭୦) ଦୁଇ ବର୍ଷ ସୁବାଦାର ପଦରେ ରହିଲେ । ୧୭୭୦ରେ ତାଙ୍କର ମୃତ୍ୟୁ ହେବା ପରେ ଅସ୍ଥାୟୀ ଭାବେ ରାଜାରାମ ପଣ୍ଡିତ କିଛି କାଳ ଓଡ଼ିଶାର ସୁବାଦାର ଦାୟିତ୍ୱ ନେଲେ । ତା' ପରେ ୧୭୭୧ରେ ବାବୁଜୀ ନାୟକ ସୁବାଦାର ନିଯୁକ୍ତ ହେଲେ ।

  ୧୭୭୩ରେ ମାଧୋଜୀ ହରି ସୁବାଦାର ପଦରେ ନିଯୁକ୍ତ ହୋଇ ୧୭୭୭ ପର୍ଯ୍ୟନ୍ତ ପଦବୀରେ ରହିଲେ । ମାଧୋଜୀଙ୍କ ସମୟରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ଜଳଦସ୍ୟୁମାନଙ୍କର ଉତ୍ପାତ ବୃଦ୍ଧି ପାଇଲା । ଏହାଦ୍ୱାରା ଇଂରେଜ ବଣିକମାନେ ବିଶେଷ କ୍ଷତିଗ୍ରସ୍ତ ହେଲେ । ମରାଠା ସୁବାଦାର ଜଳଦସ୍ୟୁମାନଙ୍କ ପ୍ରତି ବା ସେମାନଙ୍କ ଉତ୍ପାତପାଇଁ ଦାୟୀ ମନେ କରାଯାଉଥିବା ଜମିଦାରମାନଙ୍କ ପ୍ରତି ବିଶେଷ କଠୋର ହୋଇପାରି ନଥିଲେ । କାରଣ ଜଳଦସ୍ୟୁମାନଙ୍କ ଉପରେ ଉକ୍ତ ଜମିଦାରମାନଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ନଥିଲା । ଇଂରେଜମାନେ ଭୋଁସଲେଙ୍କ ପାଖରେ ଯାଇ ମାଧୋଜୀଙ୍କ ବିରୁଦ୍ଧରେ ଫେରାଦ ହେଲେ । ଇଂରେଜମାନଙ୍କ କ୍ରମବର୍ଦ୍ଧିଷ୍ଣୁ ଶକ୍ତିର ଅନୁମାନ କରି ଭୋଁସଲେ ମାଧୋଜୀ ହରିଙ୍କୁ ଓଡ଼ିଶାରୁ ପ୍ରତ୍ୟାହାର କରିନେଲେ । ଏଣିକି ଭାରତରେ ଏକ ବିଶାଳ ଶକ୍ତି ଭାବରେ ଇଂରେଜମାନଙ୍କର ଉଦୟ ହେଲା । ସେମାନଙ୍କୁ ଅବହେଳା କରିବା କଥା ମରାଠାମାନେ ଚିନ୍ତା ବି କରିପାରିଲେ ନାହିଁ ।

ରାଜାରାମ ପଣ୍ଡିତ କେବଳ ସୁବାଦାର ପଦରେ (୧୭୭୮-୧୭୯୩) ଅଧିକ କାଳ ରହି ନଥିଲେ, ତା' ସହିତ ଇଂରେଜମାନଙ୍କ ସହ ବୁଝାମଣା କରି ସେ ସୂଚାରୁ ରୂପେ ଓଡ଼ିଶାରେ ମରାଠା ପ୍ରଶାସନ ମଧ୍ୟ ପରିଚାଳନା କରିଥିଲେ । ଜଣେ ଦକ୍ଷ କୂଟନୀତିଜ୍ଞ ଭାବରେ ରାଜାରାମ ପଣ୍ଡିତ ଅନୁଭବ କଲେ ଯେ, ଇଂରେଜମାନଙ୍କ ସହ ବନ୍ଧୁତାପୂର୍ଣ୍ଣ ସଂପର୍କ ରକ୍ଷାକରି ଓଡ଼ିଶାର ମରାଠା ଶକ୍ତିକୁ ଦୃଢ଼ କରାଯାଇ ପାରିବ । ଏହି ସମୟରେ କର୍ଣ୍ଣାଟକର ହାଇଦର ଅଲ୍ଲିଙ୍କ ବିରୁଦ୍ଧରେ ସୈନ୍ୟ ଚାଳନା କରିବା ଲାଗି ଇଂରେଜମାନେ ଓଡ଼ିଶାର ସହଯୋଗ ଲୋଡୁଥିଲେ । ଇଂରେଜ ସେନାଙ୍କୁ ବଙ୍ଗ ପ୍ରେସିଡେନ୍‍ସିରୁ ମାଡ୍ରାସ୍‍ ପ୍ରେସିଡେନ୍‍ସିକୁ ସ୍ଥଳପଥରେ ଓଡ଼ିଶା ଉପକୂଳ ଦେଇ ଯିବାକୁ ହେବ । ଏଥିପାଇଁ ଇଂରେଜ ମରାଠା ସୁବାଦାରଙ୍କ ଅନୁମତି ଲୋଡ଼ିଥିଲେ । ବଙ୍ଗ ଅଧିକାର ପରେ ଦକ୍ଷିଣକୁ ସାମ୍ରାଜ୍ୟ ବିସ୍ତାର ଲାଗି ଓଡ଼ିଶା ଅଧିକାର କରିବା ଇଂରେଜମାନଙ୍କ ପକ୍ଷେ ଏକ ଆବଶ୍ୟକତା ଥିଲା । ମାତ୍ର ଆରମ୍ଭରେ ସେମାନେ ଓଡ଼ିଶା ଅଧିକାର ନକରି ଅନୁମତି ଲୋଡ଼ିଥିଲେ । ଏହାର ସୁଯୋଗ ନେଇ ରାଜାରାମ ବଙ୍ଗ ନବାବଙ୍କଠାରୁ ମିଳିବାକୁ ଥିବା ବକେୟା ଦୁଇ କୋଟି ଟଙ୍କା ଚୌଠ କର ଇଂରେଜମାନଙ୍କଠାରୁ ଦାବି କଲେ । ଇଂରେଜମାନେ ପ୍ରଥମେ ୧୨ ଲକ୍ଷ ଟଙ୍କା ଏବଂ ବୁଝାମଣା ପରେ ଅଧିକ ୧୩ ଲକ୍ଷ ଟଙ୍କା ଦେବାକୁ ରାଜି ହେଲେ । ପ୍ରତିବଦଳରେ ରାଜାରାମ ଓଡ଼ିଶା ମଧ୍ୟ ଦେଇ ଇଂରେଜ ସେନାଙ୍କୁ ବଙ୍ଗରୁ ମାଡ଼୍ରାସ୍‍ ପ୍ରେସିଡେନ୍‌ସି ଯିବାଲାଗି ଅନୁମତି ଦେଲେ । ବୁଝାମଣାପାଇଁ ଇଂରେଜମାନଙ୍କ ପକ୍ଷରୁ ଏଣ୍ଡରସନ୍‍ ନାମକ ଜଣେ ପ୍ରତିିନିଧି ଦୁଇଥର କଟକ ଆସିଥିଲେ । ଅନୁମତି ପ୍ରଦାନ କଲା ପରେ ରାଜାରାମ ନିଜର କେତେକ ଅଧିକାରୀଙ୍କୁ ମଧ୍ୟ ଦଣ୍ଡଦେବାକୁ ହେଳା କରି ନଥିଲେ । କାରଣ ସେମାନେ ଇଂରେଜ ସେନାର ଯିବାରେ ବାଧକ ହୋଇଥିଲେ । ବାଲେଶ୍ୱରର ଫୌଜଦାର ଭବାନୀ ଦାସ ଚୌଧୁରୀଙ୍କୁ ମଧ୍ୟ ସେ ବରଖାସ୍ତ କରି ତାଙ୍କ ସ୍ଥାନରେ ମୁରାରି ପଣ୍ଡିତଙ୍କୁ ନିଯୁକ୍ତ କଲେ । ଭବାନୀ ଦାସଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସେ ଇଂରେଜ ବଣିକମାନଙ୍କୁ ହଇରାଣ କରୁଥିଲେ । ଗଞ୍ଜାମର ଜଣେ ଜମିଦାର ବଳରାମ ମହାରଥା ଇଂରେଜମାନଙ୍କୁ ବିରୋଧ କରୁଥିଲେ ଏବଂ ଖୋର୍ଦ୍ଧା ରାଜା ବୀରକିଶୋର (ପାଠାନ୍ତରେ ବୀରକିଶୋରୀ)ଦେବ ତାଙ୍କୁ ଆଶ୍ରୟ ଦେଇଥିଲେ ବୋଲି ସେ ରାଜାଙ୍କ ଉପରେ ଦଶ ହଜାର ଟଙ୍କା ଜୋରିମାନା କଲେ ।


ରାଜାରାମ ପଣ୍ଡିତ ପୁରୀ, ଜଗନ୍ନାଥ ମନ୍ଦିର ଓ ଖୋର୍ଦ୍ଧା ଉପରେ ମଧ୍ୟ ପ୍ରତ୍ୟକ୍ଷ ନିୟନ୍ତ୍ରଣ ରଖିଥିଲେ । ଏହା ତାଙ୍କ ରାଜସ୍ୱ ବୃଦ୍ଧିରେ ସହାୟକ ହେଉଥିଲା । ୧୭୬୦ରେ ପାରଳାଖେମୁଣ୍ଡିର ରାଜା ଜଗନ୍ନାଥ ନାରାୟଣ ଦେବ ଖୋର୍ଦ୍ଧା ଆକ୍ରମଣ କଲେ ଏବଂ ପୁରୀ ଓ ଜଗନ୍ନାଥ ମନ୍ଦିର ଅଧିକାର କରିନେଲେ । ଗଙ୍ଗ ବଂଶର ଦାୟାଦ ଭାବରେ ସେ ମଧ୍ୟ ନିଜକୁ ଗଜପତି ବୋଲି ଦାବି କରୁଥିଲେ ଏବଂ ପୁରୀ ଅଧିକାର କରି ଏହା ପ୍ରମାଣ ମଧ୍ୟ କରିଥିଲେ । ଖୋର୍ଦ୍ଧାରାଜା ବୀରକିଶୋର ଦେବ ମରାଠା ସେନାର ସହାୟତା ନେଇ ପୁନଶ୍ଚ ପୁରୀ ଅଧିକାର କଲେ । ଏଥିପାଇଁ ସେ ମରାଠା ସୁବାଦାରଙ୍କୁ ଲକ୍ଷେ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଲେ । ମାତ୍ର ଟଙ୍କା ଦେଇ ନ ପାରିବାରୁ ମରାଠାମାନେ ପୁରୀ, ଲେମ୍ୱାଇ ଓ ରାହାଙ୍ଗର ରାଜସ୍ୱ ଅସୁଲ କରିବେ ବୋଲି କଥା ଛିଣ୍ଡିଲା । ଏହା ସହିତ ଆକବରଙ୍କ ସମୟରୁ ଖୋର୍ଦ୍ଧା ରାଜା ଅସୁଲ କରୁଥିବା ୧୪ଟି ଗଡ଼ଜାତର ବାର୍ଷିକ ଦେୟ ମଧ୍ୟ ମରାଠା ସୁବାଦାରଙ୍କ ହାତକୁ ଗଲା । ପୁରୀ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଓ ରାଜସ୍ୱ ହାତରୁ ଗଲା ପରେ ଅପମାନରେ ବୀରକିଶୋର ଦେବ ପାଗଳ ହୋଇ ନିଜ ପୁତ୍ରମାନଙ୍କୁ ହତ୍ୟା କଲେ । ପରିଣାମ ସ୍ୱରୂପ, ମରାଠା ସୁବାଦାର ତାଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ (୧୭୯୩) ବନ୍ଦୀ କରି କଟକ ଦୁର୍ଗରେ ରଖିଲେ । ମୋଟ କଥା ହେଲା, ରାଜାରାମ ପଣ୍ଡିତଙ୍କ ସମୟରେ ଜଗନ୍ନାଥ ମନ୍ଦିର ଉପରେ ମରାଠାମାନଙ୍କର ପୂର୍ଣ୍ଣ କର୍ତ୍ତୃତ୍ୱ ପ୍ରତିଷ୍ଠିତ ହୋଇ ସାରିଥିଲା । ରାଜାରାମ ମନ୍ଦିରର ସୁପରିଚାଳନା ନିମନ୍ତେ କେତେକ ପଦକ୍ଷେପ ନେଇଥିଲେ । ଏହା ପଛରେ ନିଶ୍ଚିତ ଭାବରେ ତାଙ୍କର ହିନ୍ଦୁ ଧର୍ମଭାବ ଥିଲା । ମାତ୍ର ତା' ସହିତ ଯାତ୍ରୀ ସମାଗମ ବୃଦ୍ଧିପାଇ ମନ୍ଦିରରୁ ଆୟ ଅଧିକ ହେବାର ବି ସମ୍ଭାବନା ଥିଲା । ଭୂ-ରାଜସ୍ୱ ଆଦାୟକୁ କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ସେ ବଡ଼ ଚାଷୀ ଓ ଗ୍ରାମ ମୁଖିଆମାନଙ୍କୁ ଅନେକ ଅଧିକାର ଦେଇଥିଲେ । ଜଗନ୍ନାଥ ମନ୍ଦିରର ସରକାରୀ ଖର୍ଚ୍ଚ ଊଣା କରିବା ଉଦ୍ଦେଶ୍ୟରେ ସେ ଧନୀ ଲୋକମାନଙ୍କୁ ଦାନ କରିବାକୁ ଚାପ ପ୍ରୟୋଗ କରୁଥିଲେ ।

୧୭୯୩ରେ ରାଜାରାମ ପଣ୍ଡିତଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସଦାଶିବ ରାଓ ଓଡ଼ିଶାର ସୁବାଦାର ହେଲେ । ପିତାଙ୍କ ସମୟରେ ସେ ଓଡ଼ିଶାର ଉପ-ସୁବାଦାର ଭାବରେ କାର୍ଯ୍ୟ କରିଥିଲେ । ସ୍ଥାନୀୟ ରୀତି ନୀତି ସହିତ ସୁପରିଚିତ ଥିଲେ । ଇଂରେଜମାନଙ୍କୁ ସହଯୋଗ କରିବାରେ ମଧ୍ୟ ଊଣା କରିନଥିଲେ । ଏହା ସତ୍ତ୍ୱେ ୧୮୦୩ରେ ଇଂରେଜମାନେ ତାଙ୍କ ସମୟରେ ଓଡ଼ିଶା ଅଧିକାର କରିନେଲେ, କାରଣ ଇଂରେଜ ସାମ୍ରାଜ୍ୟ ବିସ୍ତାର ଲାଗି ଏହା ଅତ୍ୟନ୍ତ ଆବଶ୍ୟକ ଥିଲା । ଅକ୍ଟୋବର ୧୮୦୩ରେ ଯେତେବେଳେ ଇଂରେଜସେନା କଟକ ଅଧିକାର କଲେ, ସେତେବେଳେ ସଦାଶିବ ରାଓ ଓଡ଼ିଶାରେ ନଥିଲେ । ତାଙ୍କ ପ୍ରତିନିଧି ଏକଜୀ ସୁଖଦେଓଙ୍କ ପ୍ରତିରୋଧରେ ବିଶେଷ ଶକ୍ତି ନଥିଲା । ରାଜସ୍ୱ ଅସୁଲି ଉପରେ ମରାଠାମାନେ ଅଧିକ ଗୁରୁତ୍ୱ ଦେଉଥିବାରୁ ଓଡ଼ିଶାର ସାମନ୍ତ ରାଜା ଓ ଜମିଦାରମାନଙ୍କର ମଧ୍ୟ ସେମାନଙ୍କ ପ୍ରତି କୌଣସି ସମର୍ଥନ ନଥିଲା । ଫଳସ୍ୱରୂପ ଇଂରେଜମାନେ ଓଡ଼ିଶା ଅଧିକାର ବେଳେ କେତେକ ରାଜା- ଜମିଦାରଙ୍କ ସହଯୋଗ ମଧ୍ୟ ଲାଭ କରିଥିଲେ । ଓଡ଼ିଶା ଅଧିକାର କରିବାନିମିତ୍ତ ସେମାନଙ୍କୁ ବିଶେଷ କଷ୍ଟ ସ୍ୱୀକାର କରିବାକୁ ପଡ଼ିନଥିଲା । ୧୭୫୭ର ପଲାସୀ ବିଜୟ ପରେ ଇଂରେଜମାନଙ୍କର ସମଗ୍ର ଭାରତବର୍ଷକୁ ଅଧିକାର କରିନେବା ଲାଗି ମହାତ୍ତ୍ୱାକାଂକ୍ଷା ଯେତେ ମାତ୍ରାରେ ବୃଦ୍ଧି ପାଇଥିଲା, ତହିଁରେ ଓଡ଼ିଶା ଭଳି କ୍ଷେତ୍ରଗୁଡ଼ିକର ଇଂରେଜ ସାମ୍ରାଜ୍ୟରେ ସାମିଲ ହେବା ଏକ ତାର୍କିକ ପରିଣାମ ସଦୃଶ ଥିଲା ।

ମରାଠା ପ୍ରାଶାସନିକ ବ୍ୟବସ୍ଥା

ଦୀର୍ଘ ଅର୍ଦ୍ଧଶତାବ୍ଦୀର ଶାସନ (୧୭୫୧-୧୮୦୩) କାଳ ମଧ୍ୟରେ ନାଗପୁରର ଭୋଁସଲେ ରାଜା ଓଡ଼ିଶାରେ ଯେଉଁ ପ୍ରାଶାସନିକ ବ୍ୟବସ୍ଥାର ପ୍ରବର୍ତ୍ତନ କରିଥିଲେ, ତାକୁ ମରାଠା ବା ମରହଟ୍ଟା ପ୍ରଶାସନ ବୋଲି ନାମିତ କରାଯାଇଥାଏ । ବିଭିନ୍ନ ସୂତ୍ରରୁ ରାଜସ୍ୱ ଆଦାୟ ଥିଲା ତତ୍‍କାଳୀନ ପ୍ରଶାସନର ପ୍ରମୁଖ ଉଦ୍ଦେଶ୍ୟ । ଏହା କେବଳ ଭୋଁସଲେ ରାଜା କାହିଁକି, ଅନ୍ୟ ଭାରତୀୟ ରାଜାମାନଙ୍କ ଶାସନରେ ମଧ୍ୟ ପରିଲକ୍ଷିତ ହେଉଥିଲା । ଅଷ୍ଟାଦଶ ଶତାବ୍ଦୀରେ ରାଜାମାନେ ହୁଏତ ବିଦେଶୀ ପ୍ରରୋଚନାରେ ପଡ଼ି ଆପୋସରେ କଳହ କରୁଥିଲେ ଅଥବା ବିଦେଶୀ (ଇଂରେଜ ଓ ଫରାସୀ) ଶକ୍ତିର ମୁକାବିଲା କରିବାକୁ ବାଧ୍ୟ ହେଉଥିଲେ । ଅର୍ଥାତ୍‍ ସେମାନେ ଅଧିକରୁ ଅଧିକ ମାତ୍ରାରେ ଯୁଦ୍ଧରେ ଜଡ଼ିତ ରହୁଥିବାରୁ ସର୍ବଦା ଅର୍ଥର ଆବଶ୍ୟକତା ରହୁଥିଲା । ତାହା ପାଇଁ ପ୍ରମୁଖ ଉତ୍ସ ଥିଲା ଚାଷ ଜମିରୁ ଆଦାୟ ହେଉଥିବା ଜମିକର । ଏହା ବାହାରେ ବି ରାଜସ୍ୱର ଅନ୍ୟ ଉତ୍ସ ଯଥା: ବାଣିଜ୍ୟ କର, ଯାତ୍ରୀ କର, ପଥ କର, ଲୁଣ କର ଆଦିକୁ ପ୍ରଶାସନ ହାତଛଡ଼ା କରିବାକୁ ଚାହୁଁ ନଥିଲା । ଶାନ୍ତି ଶୃଙ୍ଖଳା ବ୍ୟାହତ ହେଲେ କର ଆଦାୟର ପଥ ସୁଗମ ହୋଇ ପାରିବ ନାହିଁ । ତେଣୁ ପ୍ରଶାସନ ଅଧିକାରୀ ଓ କର୍ମଚାରୀଗଣ ରାଜସ୍ୱ ଆଦାୟ ସହିତ ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାପାଇଁ ଯତ୍ନ ନେଉଥିଲେ । ରାସ୍ତାଘାଟର ସୁବିଧା ଓ ମନ୍ଦିରଗୁଡ଼ିକର ରକ୍ଷଣାବେକ୍ଷଣ ପଛରେ ମଧ୍ୟ ରାଜସ୍ୱ ପ୍ରଶ୍ନକୁ ଦେଖିହେବ । ଅନ୍ୟଥା ତୀର୍ଥଯାତ୍ରୀ ସଂଖ୍ୟା ଓ ତହିଁରୁ ମିଳୁଥିବା ତୀର୍ଥଯାତ୍ରୀ କର ବୃଦ୍ଧି ହୋଇ ନପାରେ । ଏହା ସତ୍ତ୍ୱେ ଜନସାଧାରଣ ସର୍ବଦା ମାତ୍ରାଧିକ ଅତ୍ୟାଚାର ଓ ଶୋଷଣର ଶିକାର ହେଉଥିଲେ ବୋଲି କୁହାଯାଇ ପାରିବ ନାହିଁ । କାରଣ ଲୋକଙ୍କ ଆର୍ଥିକ ସମ୍ପନ୍ନତା ଓ ସାଧାରଣ ସୁରକ୍ଷା ବିନା କର ଆଦାୟ ପ୍ରକ୍ରିୟା ସୁଗମ ହୋଇ ପାରିବ ନାହିଁ । ଅତ୍ୟାଚାର ବା କରଭାର ଅସହ୍ୟ ହେଲେ ପ୍ରଜା ରାଜ୍ୟ ଛାଡ଼ି ପଳାୟନ କରୁଥିଲେ । ଫଳରେ ରାଜ୍ୟର ରାଜସ୍ୱ ହ୍ରାସ ପାଇବାର ଆଶଙ୍କା ରହୁଥିଲା । ଏହି ସାଧାରଣ ସ୍ଥିତି ବାହାରେ କେତେକ ରାଜା ଓ ରାଜାଧିକାରୀ ଅଧିକ ସ୍ୱେଚ୍ଛାଚାରୀ, ଅତ୍ୟାଚାରୀ ଓ ଶୋଷଣକାରୀ ହେବାର ନଜିର ଯେମିତି ରହିଥିଲା, ସେମିତି କେତେକ ରାଜାଙ୍କ ଦୟାଶୀଳତା, ଲୋକପ୍ରିୟତା ଓ ମାନବିକତାର ଉଦାହରଣ ମଧ୍ୟ ରହିଥିଲା । ଓଡ଼ିଶାରେ ମୋଗଲ ପ୍ରଶାସନ ଓ ତା'ର ଉତ୍ତରାଧିକାରୀ ରୂପେ ଉତ୍‍ଥାନ ଲାଭ କରିଥିବା ମରହଟ୍ଟା ପ୍ରଶାସନକୁ ମଧ୍ୟ ସେହି ପରିପ୍ରେକ୍ଷୀରେ ଦେଖିହେବ ।

ମୋଗଲ ଶାସନ ସମୟରେ ରହିଥିବା ବ୍ୟବସ୍ଥାକୁ ଓଡ଼ିଶାରେ ମରହଟ୍ଟାମାନେ ବିଶେଷ ପରିବର୍ତ୍ତନ କରି ନଥିଲେ, କାରଣ ମୋଗଲମାନେ ମଧ୍ୟ ରାଜସ୍ୱ ଆଦାୟ ପ୍ରଣାଳୀକୁ ସୁଗମ କରିବା ଲକ୍ଷ୍ୟରେ ପ୍ରଶାସନକୁ ପରିଚାଳନା କରିଥିଲେ । ମୋଟ ଓଡ଼ିଶା ପ୍ରଦେଶକୁ ମୋଗଲମାନେ ଦୁଇ ଭାଗରେ ବିଭକ୍ତ କରିଥିଲେ । ମୋଗଲବନ୍ଦି ଓ ଗଡ଼ଜାତ । ଏହା ମରହଟ୍ଟା ସମୟରେ ଏବଂ ପରେ ଇଂରେଜ ଅମଳରେ ମଧ୍ୟ ଅବ୍ୟାହତ ରହିଲା । ଗଡ଼ଜାତ ଗମନାଗମନ ଦୃଷ୍ଟିରୁ ଦୁର୍ଗମ ଥିଲା ଏବଂ ସେଠାରେ ରାଜା ଆଭ୍ୟନ୍ତରୀଣ ପ୍ରଶାସନ ପରିଚାଳନା ଓ ରାଜସ୍ୱ ଆଦାୟ କରୁଥିଲେ । ମରହଟ୍ଟାମାନେ ତାଙ୍କଠାରୁ ବାର୍ଷିକ ଦେୟ ଅସୁଲ କରୁଥିଲେ । ଦେୟ ଦେଲା ପରେ ଗଡ଼ଜାତ ରାଜା ପ୍ରାୟତଃ ସ୍ୱାଧୀନ ଭାବେ ନିଜ ରାଜ୍ୟରେ ରାଜତ୍ୱ କରୁଥିଲେ । ତାଙ୍କର ଅନ୍ୟ ଗଡ଼ଜାତ ସହ କଳହ ହେଲେ କିମ୍ୱା ମୋଗଲବନ୍ଦି ପ୍ରଜାଙ୍କ ସହ ସମସ୍ୟା ଉପୁଜିଲେ ମରହଟ୍ଟାମାନେ ହସ୍ତକ୍ଷେପ କରୁଥିଲେ । ଗଡ଼ଜାତ ରାଜା ଓ ପ୍ରଜାଙ୍କ ମଧ୍ୟରେ କିମ୍ୱା ଗଡ଼ଜାତ ପ୍ରଜାମାନଙ୍କ ଭିତରେ ଉପୁଜୁଥିବା ପାରସ୍ପରିକ ବିବାଦରେ ସଂଭବତଃ କୌଣସି ପ୍ରକାରର ମରହଟ୍ଟା ହସ୍ତକ୍ଷେପ ରହୁଥିଲା । ବହିଃ ଶତ୍ରୁ ଆକ୍ରମଣ ବେଳେ ଗଡ଼ଜାତମାନେ ଭୋଁସଲେ ରାଜାଙ୍କଠାରୁ ସାମରିକ ସହଯୋଗ ଲାଭ କରୁଥିଲେ । ଗଡ଼ଜାତଗୁଡ଼ିକ ଉପରେ ଧାର୍ଯ୍ୟ କର ପରିମାଣ ସମାନ ନଥିଲା । ମୟୂରଭଞ୍ଜ ଏକ ବଡ଼ ଗଡ଼ଜାତ ହେବା ସତ୍ତ୍ୱେ ତା'ର ରାଜାଙ୍କୁ ବାର୍ଷିକ ୬ ହଜାର ଟଙ୍କା କର ଦେବାକୁ ପଡୁଥିଲା । ନୀଳଗିରି ଏକ କ୍ଷୁଦ୍ର ରାଜ୍ୟ ହେବା ସତ୍ତ୍ୱେ ତାକୁ ୩୦ ହଜାର ଟଙ୍କା ବାର୍ଷିକ ଦେୟ ଦେବାକୁ ପଡ଼ୁଥିଲା । ଦଶପଲ୍ଲା ରାଜ୍ୟକୁ ଆଦୌ ଦେୟ ଦେବାକୁ ପଡୁ ନଥିଲା ଏବଂ ଖୋର୍ଦ୍ଧାକୁ ୧୦ ହଜାର ଟଙ୍କା ଦେବାକୁ ପଡୁଥିଲା । ଏଭଳି ପୃଥକ୍‍ କର ନିର୍ଦ୍ଧାରଣ ପଛରେ ଅନେକ କାରଣ ରହିଥିଲା । ଖୋର୍ଦ୍ଧାରୁ ବାର୍ଷିକ ୧୦ହଜାର ଟଙ୍କା ଦେୟ ନେବା ପରେ ଜଗନ୍ନାଥ ମନ୍ଦିରରୁ ଅଲଗା ଭାବେ ମରହଟ୍ଟାମାନେ ତୀର୍ଥଯାତ୍ରୀ କର ଅସୁଲ କରୁଥିଲେ । ସେହିଭଳି ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ଓ ମୟୂରଭଞ୍ଜ ଆଦି ରାଜ୍ୟରୁ ମରହଟ୍ଟାମାନେ ଅନେକ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିଲେ । ଅନେକ ସମୟରେ ଧାର୍ଯ୍ୟ ଦେୟ ଓ ଆଦାୟ ହେଉଥିବା ଦେୟ ମଧ୍ୟରେ ଅନେକ ପାର୍ଥକ୍ୟ ରହୁଥିଲା । ଭୋଁସଲେ ରାଜାଙ୍କ ଶକ୍ତି ହ୍ରାସ ପାଉଥିବାର ଆଶା କରି କେତେକ ଗଡ଼ଜାତ ଦେୟ ଦେବାରେ ଅବହେଳା କରୁଥିଲେ । ସେମାନଙ୍କ ଉପରେ ମରହଟ୍ଟାମାନେ ଚାପ ପ୍ରୟୋଗ କରୁଥିଲେ । ବିଦ୍ରୋହ ଦମନପାଇଁ ମଧ୍ୟ ମରହଟ୍ଟା ପ୍ରଶାସନ ପ୍ରୟାସ କରୁଥିଲେ ।

ମୋଟ ଓଡ଼ିଶାର ମରାଠା ଶାସନ ମୁଖ୍ୟ ଥିଲେ ସୁବାଦାର । ମୋଗଲବନ୍ଦି ବ୍ୟତୀତ ଗଡ଼ଜାତରେ ରାଜସ୍ୱ ଆଦାୟ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ଏହା ଛଡ଼ା ବଙ୍ଗ ନବାବଙ୍କଠାରୁ ଚୌଠ ବା ମରାଠା ସୁରକ୍ଷା କର ମଧ୍ୟ ତାଙ୍କୁ ଆଦାୟ କରିବାକୁ ପଡ଼ୁଥିଲା । କର ପରିମାଣ ଖୁବ୍‍ ଅଧିକ ଥିବାରୁ ତାଙ୍କ ପକ୍ଷରେ ସମସ୍ତ କର ଅସୁଲ କରିବା କଷ୍ଟକର ଥିଲା । ଏହାର ପରିଣାମ ସ୍ୱରୂପ, ତାଙ୍କୁ ଅନେକ ସମୟରେ ପଦଚ୍ୟୁତ ହେବାକୁ ପଡ଼ୁଥିଲା (ଯାହା ପୂର୍ବରୁ ଉଲ୍ଲିଖିତ) । ଧାର୍ଯ୍ୟମତେ କର ଆଦାୟ କରି ଭୋଁସଲେ ରାଜାଙ୍କ ପ୍ରିୟଭାଜନ ହେବାକୁ ସେ ନାନା ପ୍ରୟାସ ମଧ୍ୟ କରୁଥଲୋ ଉଦାହରଣ ସ୍ୱରୂପ, ରାଜାରାମ ପଣ୍ଡିତ ସୁବାଦାର ଥିବା ସମୟରେ ଜମିଦାରମାନଙ୍କୁ ମଧ୍ୟସ୍ଥି ରୂପେ ନ ରଖି ସିଧାସଳଖ ସମ୍ପନ୍ନ ପ୍ରଜାଙ୍କଠାରୁ କର ଆଦାୟ କରିବାର ବ୍ୟବସ୍ଥା କରିଥିଲେ ।

ଭୂ-ରାଜସ୍ୱ ଅସୁଲପାଇଁ ମୋଗଲବନ୍ଦିକୁ ଏକଶହ ପଚାଶଟି ପ୍ରଗଣାରେ ବିଭକ୍ତ କରାଯାଇଥିଲା । ରାଜସ୍ୱ ଅସୁଲପାଇଁ ସୁବାଦାରଙ୍କ ଅଧୀନରେ ଚୌଧୁରୀ, କାନୁନ୍‌ଗୋ ଓ ତାଲୁକ୍‍ଦାର ଆଦି କର୍ମଚାରୀ ଥିଲେ । ମାସିକ ବେତନ ପରିବର୍ତ୍ତେ ସେମାନେ ଭୂ-ସମ୍ପତ୍ତି ଲାଭ କରିଥିଲେ । ଅସୁଲ ହୋଇଥିବା ରାଜସ୍ୱର କିୟଦଂଶ କମିଶନ ଆକାରରେ ମଧ୍ୟ ସେମାନଙ୍କୁ ମିଳୁଥିଲା ।

ଭୂ-ରାଜସ୍ୱ ଯେହେତୁ ରାଜକୋଷର ମୁଖ୍ୟ ଆୟ ଥିଲା, କୃଷିର ଉନ୍ନତିପାଇଁ ତକାବି ଋଣ ମଧ୍ୟ ଚାଷୀମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିଲା । ମକଦ୍ଦମମାନେ ଗ୍ରାମର ଚାଷୀଠାରୁ ଖଜଣା ଆଦାୟ କରି ତାଲୁକ ଦାୟିତ୍ୱରେ ଥିବା ତାଲୁକ୍‍ଦାରଙ୍କ ନିକଟରେ ଜମା କରୁଥିଲେ । କେତେକ କ୍ଷେତ୍ରରେ ତାଲୁକ୍‍ଦାର୍‍ ସିଧାସଳଖ ଚାଷୀଠାରୁ ଖଜଣା ଅସୁଲ କରିବାର ବ୍ୟବସ୍ଥା ମଧ୍ୟ ରହିଥିଲା । ସମସ୍ତ ଖର୍ଚ୍ଚ ବାଦ୍‍ ଦେଲା ପରେ ସୁବାଦାର ଓଡ଼ିଶାରୁ ବାର୍ଷିକ ଚାରି ଲକ୍ଷ ଟଙ୍କା ଭୂ-ରାଜସ୍ୱ ନାଗପୁରକୁ ପଠାଉଥିବାର ଉଦାହରଣ ରହିଛି ।   ଭୂ-ରାଜସ୍ୱ ବ୍ୟତୀତ ଯାତ୍ରୀ କର, ବାଣିଜ୍ୟ କର, ଲୁଣ କର ଓ ହାଟବଜାରର ନିଲାମ ଆଦିରୁ ମଧ୍ୟ ରାଜକୋଷକୁ ଅର୍ଥ ଯାଉଥିଲା । କେବଳ ଯାତ୍ରୀ କର ବାବଦକୁ ପୁରୀରୁ ବାର୍ଷିକ ଦୁଇରୁ ପାଞ୍ଚ ଲକ୍ଷ ଟଙ୍କା ଆଦାୟ ହେଉଥିଲା । ରାଜ୍ୟରେ ଅନେକ ଲୁଣ ଆରଙ୍ଗ ବା ପ୍ରସ୍ତୁତି କେନ୍ଦ୍ର ଥିଲା । ତହିଁରୁ ରାଜ୍ୟକୁ କିଛି ରାଜସ୍ୱ ମିଳୁଥିଲା । ଉଦାହରଣ ସ୍ୱରୂପ, କେବଳ ଚିଲିକା ଲୁଣ ଆରଙ୍ଗରୁ ରାଜ୍ୟ ବାର୍ଷିକ ୪୫୦୦ଟଙ୍କା ଆଦାୟ କରୁଥିଲା । ବାରମ୍ୱାର ଯୁଦ୍ଧରେ ଜଡ଼ିତ ହୋଇ ଭୋଁସଲେ ରାଜାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲା । ତେଣୁ ସୁବାଦାରମାନଙ୍କୁ ଧାର୍ଯ୍ୟମତେ ଖଜଣା ଅସୁଲ କରିବାକୁ ରାଜା ବାଧ୍ୟ କରୁଥିଲେ । ଏହା ସତ୍ତ୍ୱେ ରାଜାଙ୍କ ଆର୍ଥିକ ଅବସ୍ଥା ଭଲ ରହୁ ନଥିବାରୁ ମରାଠାମାନେ ନିଜ ପ୍ରଜାଙ୍କୁ ଲୁଣ୍ଠନ ମଧ୍ୟ କରୁଥିଲେ ।

ମରହଟ୍ଟା ଶାସନ ସମୟରେ ରାଜଧାନୀ କଟକ ବାହାରେ ବାଲେଶ୍ୱର, ସୋରୋ, ପଦ୍ମପୁର, ଯାଜପୁର, ନରସିଂହପୁର, ରାମଚନ୍ଦ୍ରପୁର, ମୟୂରଭଞ୍ଜ ଆଦି ସ୍ଥାନରେ ସେନା ଛାଉଣିମାନ ରହିଥିଲା । ନିୟମିତ ଅଶ୍ୱାରୋହୀଙ୍କ ସଂଖ୍ୟା ପ୍ରାୟ ୨୦୦ ଥିଲା । ପଦାତିକ ସୈନ୍ୟଙ୍କ ସଂଖ୍ୟା ଖୁବ୍‍ ଅଧିକ ଥିଲା । ସାମରିକ ଦୃଷ୍ଟିରୁ ମରାଠାମାନେ ଖୁବ୍‍ ବଳଶାଳୀ ନଥିଲେ । ଗରିଲା ଯୁଦ୍ଧରେ ସେମାନେ ପାରଙ୍ଗମ ଥିଲେ । ମାତ୍ର ମରାଠା ରାଜ୍ୟ ପ୍ରତିଷ୍ଠା ପରେ ଗରିଲା ବାହିନୀର ବିଶେଷ ଆବଶ୍ୟକତା ନଥିଲା । ଇଂରେଜ ତୁଳନାରେ ମରାଠା ସେନାର ପାରମ୍ପରିକ ଯୁଦ୍ଧ ପ୍ରଣାଳୀ ଖୁବ୍‍ ନଗଣ୍ୟ ଥିଲା । ଏହି କାରଣରୁ ଇଂରେଜ ଶକ୍ତି ହାତରେ ସେମାନେ ପରାଜିତ ହେବା ଆଦୌ ଆଶ୍ଚର୍ଯ୍ୟଜନକ ନଥିଲା ।

କଟକ ବାରବାଟୀ ଦୁର୍ଗର ସୁରକ୍ଷା ଦାୟିତ୍ୱ ଜଣେ କିଲାଦାର୍‍ଙ୍କ ହାତରେ ନ୍ୟସ୍ତ ଥିଲା । ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଆଇନର ସୁରକ୍ଷାପାଇଁ ଫୌଜଦାରମାନେ ନିଯୁକ୍ତ ହୋଇଥିଲେ । ସ୍ଥାନୀୟ ସ୍ତରରେ ଆଇନ୍‍ କାନୁନ, ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଉଭୟ ଦେବାନୀ ଓ ଫୌଜଦାରୀ ମାମଲାଗୁଡ଼ିକର ବିଚାର ଦାୟିତ୍ୱ ସେମାନଙ୍କ ହାତରେ ରହିଥିଲା । ଫୌଜଦାରକୁ ସହାୟତା କରିବାପାଇଁ ଜମିଦାରମାନେ ରହିଥିଲେ । ସେମାନଙ୍କ ପଦବୀ ପୁରୁଷାନୁକ୍ରମିକ ଥିଲା । ପ୍ରଜାଙ୍କଠାରୁ ଖଜଣା ଆଦାୟ କରିବା, ଜମିଦାରୀରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ତଥା ଉଭୟ ଦେବାନୀ ଓ ଫୌଜଦାରୀ ମାମଲାର ବିଚାର କରିବା ମଧ୍ୟ ସେମାନଙ୍କ ଦାୟିତ୍ୱରେ ଥିଲା । ଫୌଜଦାର ଏବଂ ସର୍ବୋପରି ସୁବାଦାରଙ୍କଠାରେ ସେମାନେ ଉତ୍ତରଦାୟୀ ଥିଲେ । ଭୋଁସଲେ ରାଜା ସବୁ ମାମଲାରେ ସୁବାଦାରଙ୍କର ସର୍ବୋଚ୍ଚ ଅଧିକାରୀ ଥିଲେ ।

ମରହଟ୍ଟା ପ୍ରଶାସନରେ ନ୍ୟାୟିକ ବ୍ୟବସ୍ଥା ଖୁବ୍‍ ସରଳ ଥିଲା । ମୋଗଲ ସମୟରେ ପ୍ରଚଳିତ ଥିବା କାଜି ଓ ସାରିୟତ୍‍ ବିଧି ବ୍ୟବସ୍ଥାକୁ ମରହଟ୍ଟାମାନେ ପ୍ରୋତ୍ସାହିତ କରି ନଥିଲେ । ଗ୍ରାମ ସ୍ତରରେ ପଞ୍ଚାୟତଗୁଡ଼ିକ ସବୁ ମାମଲାର ସମାଧାନ କରୁଥିଲେ । ପାରମ୍ପରିକ ରୀତିନୀତି ଅନୁସାରେ ମାମଲାର ବିଚାର ହେଉଥିଲା । ତା'ପାଇଁ ଅଧିକ ସମୟ ବା ଖର୍ଚ୍ଚର ଆବଶ୍ୟକତା ପଡୁଥିଲା । ରାଜ୍ୟରେ ଅମିଲ୍‍ ନାମରେ ଜଣେ ନ୍ୟାୟ ଅଧିକାରୀ ମଧ୍ୟ ରହିଥିଲେ । କେତୋଟି ପରଗଣାକୁ ନେଇ ଗଠିତ ମଣ୍ଡଳ ସ୍ତରରେ ଅମିଲମାନେ ନିଯୁକ୍ତ ଥିଲେ । ନ୍ୟାୟିକ ଅଧିକାର ବ୍ୟତୀତ ବଂଶାନୁକ୍ରମିକ ଭାବେ ଖଜଣା ଆଦାୟ କରୁଥିବା ଚୌଧୁରୀ, କାନୁନ୍‌ଗୋ ଏବଂ ତାଲୁକ୍‍ଦାରଙ୍କ ଉପରେ ମଧ୍ୟ ତାଙ୍କର ନିୟନ୍ତ୍ରଣ ରହୁଥିଲା ।   ଇଂରେଜ ଐତିହାସିକମାନେ ମରାଠା ପ୍ରଶାସନକୁ ଖୁବ୍‍ ଅରାଜକତାପୂର୍ଣ୍ଣ, ଅତ୍ୟାଚାରୀ, ଶୋଷଣକାରୀ ଏବଂ ଅମାନବୀୟ ବୋଲି ବର୍ଣ୍ଣନା କରିଛନ୍ତି । ଏହା କେତେକାଂଶରେ ସତ ହୋଇଥିଲେ ମଧ୍ୟ ସମସାମୟିକ ଅନ୍ୟ ଶାସନଗୁଡ଼ିକଠାରୁ ଖୁବ୍‍ ପୃଥକ୍‍ ବୋଲି କୁହାଯାଇ ନପାରେ । ବିଶେଷକରି ମରାଠାଶାସନକୁ ପରବର୍ତ୍ତୀ ଇଂରେଜ ଶାସନ ତୁଳନାରେ ମଧ୍ୟ ଖୁବ୍‍ ଅଧିକ ନିରଙ୍କୁଶ, ଅରାଜକତାପୂର୍ଣ୍ଣ କିମ୍ୱା ଅଧିକ ଶୋଷଣକାରୀ ବୋଲି ପରିଭାଷିତ କରାଯାଇପାରିବ ନାହିଁ । ଭୂ-ରାଜସ୍ୱ ଅସୁଲପାଇଁ କଠୋର ନିୟମ ପ୍ରବର୍ତ୍ତନ କରିବାରେ ଇଂରେଜମାନେ କାହାରିଠାରୁ କମ୍‍ ନଥିଲେ । ପାର୍ଥକ୍ୟ ଏତିକି ଯେ, ମରାଠା ଅଧିକାରୀମାନେ ତା'ପାଇଁ ନିଜ ଅଧୀନରେ ନିଯୁକ୍ତ ଅସୁଲକାରୀ ଉପରେ ଶାରୀରିକ ଦଣ୍ଡ ଦେବାକୁ ହେଳା କରୁ ନଥିଲେ ଏବଂ ଇଂରେଜମାନେ ଶାରୀରିକ ଦଣ୍ଡ ନଦେଇ କୋର୍ଟ କଚେରିରେ ତାକୁ ପେଷି ଦେଉଥିଲେ ବା ତା'ର ଜମି ବାଜ୍ୟାପ୍ତ କରୁଥିଲେ । ମରାଠା ଏବଂ ତାଙ୍କ ପୂର୍ବରୁ ମୋଗଲ ପ୍ରଶାସନରେ ଜମି ଅଧିକାରରୁ ଚାଷୀ ବା ତା' ଉପରେ ରହିଥିବା ଜମିଦାରଙ୍କୁ ବଞ୍ଚିତ କରିବାର ପରମ୍ପରା ନଥିଲା । କାରଣ ସେ କ୍ଷେତ୍ରରେ ଚାଷ ଜମି ଅନୁପଯୋଗୀ ହେବାର ଆଶଙ୍କା ଥିଲା । ମାତ୍ର ଇଂରେଜ ରାଜତ୍ୱରେ ବାଜ୍ୟାପ୍ତ ଜମି ପଣ୍ୟ ବସ୍ତୁ ଭଳି ନୂଆ ମାଲିକ ହାତକୁ ଚାଲିଯାଉଥିଲା ।

କର ଅସୁଲପାଇଁ କୃଷି ଉତ୍ପାଦନ ବୃଦ୍ଧି ହେବା ଏକ ଆବଶ୍ୟକତା ଥିଲା । ବନ୍ୟା ନିୟନ୍ତ୍ରଣକୁ ଏକ ଦାୟିତ୍ୱ ଭାବରେ ମରାଠା ସରକାର ଗ୍ରହଣ କରିଥିଲେ । ସେଥିଯୋଗୁଁ ନଦୀ ତଟ ବନ୍ଧଗୁଡ଼ିକୁ ସୁଦୃଢ଼ କରିବାପାଇଁ ରାଜକୋଷରୁ ଅର୍ଥ ସାହାଯ୍ୟ ଦେଉଥିଲେ । ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେମାନେ ଋଣ ରିହାତି ମଧ୍ୟ ଦେଉଥିଲେ । ଚାଷୀମାନଙ୍କୁ ଜମିଦାର ଶସ୍ୟ ଋଣ ମଧ୍ୟ ଦେଉଥିଲେ, ଯଦିଓ ଏଥିପାଇଁ ଚାଷୀଙ୍କୁ ସୁଧ ଦେବାକୁ ପଡ଼ୁଥିଲା । ଦୁର୍ଭିିକ୍ଷ ବ୍ୟତୀତ ଅନ୍ୟ ସମୟରେ କୃଷିଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ଉପଲବ୍ଧ ଥିଲା ।

ଅଷ୍ଟାଦଶ ଶତାବ୍ଦୀ ବେଳକୁ ଓଡ଼ିଶାର ନଦୀଗୁଡ଼ିକ ଉପରେ ସ୍ଥାୟୀ ପୋଲ ନଥିଲା । ଫଳରେ ଗମନାଗମନ କ୍ଷେତ୍ରରେ ବିଶେଷ ଅସୁବିଧା ହେଉଥିଲା । ପ୍ରଧାନ ରାସ୍ତା ମଧ୍ୟରେ ଥିଲା ଜଗନ୍ନାଥ ସଡ଼କ, ଯାହା ବିଭିନ୍ନ ସ୍ଥାନରୁ ପୁରୀକୁ ସଂଯୋଗ କରୁଥିଲା । ଗୋଟିଏ ଜଗନ୍ନାଥ ସଡ଼କ ବଙ୍ଗଳାରୁ ମେଦିନୀପୁର, ଜଳେଶ୍ୱର, ବାଲେଶ୍ୱର, ଭଦ୍ରକ ଓ କଟକ ଦେଇ ପୁରୀ ପର୍ଯ୍ୟନ୍ତ ଯାଇଥିଲା । ଅନ୍ୟ ଏକ ଜଗନ୍ନାଥ ସଡ଼କ ନାଗପୁରରୁ ସୋନପୁର, ବୌଦ୍ଧ, କଣ୍ଟିଲୋ, ବାଙ୍କୀ ଓ କଟକ ଦେଇ ପୁରୀକୁ ସଂଯୋଗ କରୁଥିଲା । କଟକରୁ ମାଡ଼୍ରାସକୁ ମଧ୍ୟ ରାସ୍ତା ରହିଥିଲା । ସ୍ଥଳ ପଥରେ ପଥିକମାନଙ୍କ ଆଶ୍ରୟପାଇଁ ବୃକ୍ଷରୋପଣ କରାଯାଇଥିଲା । ସରକାରଙ୍କ ପକ୍ଷରୁ ସ୍ଥାନୀୟ ଜମିଦାରମାନେ ଏହା କରିଥିଲେ । ଯାତ୍ରୀ ବିଶ୍ରାମାଗାର ମଧ୍ୟ ରାସ୍ତାକଡ଼ରେ ରହିଥିଲା । ବିଶ୍ରାମାଗାର ପାଖରେ ଯାତ୍ରୀଙ୍କୁ ରସଦ ଯୋଗାଣର ବ୍ୟବସ୍ଥା ମଧ୍ୟ ରହିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏ ସବୁ ବ୍ୟବସ୍ଥା ମରାଠାମାନଙ୍କ ପୂର୍ବରୁ ଚଳି ଆସୁଥିଲା । ମରାଠା ସମୟରେ କେବଳ ତାର ପ୍ରଚଳନ ଅବ୍ୟାହତ ରହିଥିଲା । ତା' ସହିତ ସମୟକ୍ରମେ ତହିଁରେ ସାମାନ୍ୟ ଉନ୍ନତି ମଧ୍ୟ ଦେଖିବାକୁ ମିଳିଥିଲା । ଦ୍ୱିତୀୟ କଥା ହେଲା ଯେ, ଏହି ବ୍ୟବସ୍ଥାକୁ ସୂଚାରୁ ରୂପେ ପରିଚାଳନା କରିବାରେ କେନ୍ଦ୍ରୀୟ ଭୋଁସଲେ ସରକାର ସିଧାସଳଖ ସଂପୃକ୍ତ ନହେଲେ ସୁଦ୍ଧା, ସ୍ଥାନୀୟ ସ୍ତରରେ ତାଙ୍କ ଅଧିକାରୀମାନେ ଅନେକ ସମୟରେ ଅଲିଖିତ ଭାବେ ଦାୟିତ୍ୱ ନେଉଥିଲେ । ସ୍ଥାନୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଏହାର ସଫଳତା ଅନେକାଂଶରେ ନିର୍ଭର କରୁଥିଲା । ଅର୍ଥାତ୍‍ ମରାଠାଶାସିତ ଓଡ଼ିଶାର ଗୋଟିଏ ଅଂଚଳରେ ଏହି ବ୍ୟବସ୍ଥାମାନ ସୂଚାରୁ ରୂପେ ପରିଚାଳିତ ହେବା ସମୟରେ ଅନ୍ୟ କେଉଁ ଅଞ୍ଚଳରେ ସ୍ଥାନୀୟ ଜମିଦାର ଓ ଗଡ଼ଜାତ ରାଜା କିମ୍ୱା ଅଧିକାରୀଙ୍କ ଅନାଗ୍ରହ ଓ ଅପାରଗତା ହେତୁ ତାହା ବିପର୍ଯ୍ୟସ୍ତ ହେବା ଅସମ୍ଭବ ନଥିଲା । ଭୋଁସଲେ ରାଜା ଅନ୍ୟ ସମସାମୟିକ ରାଜାମାନଙ୍କ ଭଳି ଅଧିକ ସମୟ ଯୁଦ୍ଧରେ ଜଡ଼ିତ ରହୁଥିଲେ । ତେଣୁ ଜନକଲ୍ୟାଣକାରୀ କାର୍ଯ୍ୟଗୁଡ଼ିକ ଉପରେ ସେ ଯଥେଷ୍ଟ ଧ୍ୟାନ ଦେଇପାରୁଥିଲେ । ଆଶାନୁରୂପ କର ଅସୁଲ ନହେଲେ ହୁଏତ ସେ ଅଧିକାରୀମାନଙ୍କୁ କଠୋର ହେବାକୁ ନିର୍ଦ୍ଦେଶ ଦେଉଥିଲେ ଅଥବା କୃଷି ଓ ବାଣିଜ୍ୟର ଉନ୍ନତି ପ୍ରତି ଧ୍ୟାନ ଦେବାକୁ ବାଧ୍ୟ ହେଉଥିଲେ ।   ସ୍ଥଳପଥ ବ୍ୟତୀତ ମରହଟ୍ଟାକାଳୀନ ଓଡ଼ିଶାରେ ଅନେକ ଜଳପଥ ରହିଥିଲା । ଜଳପଥ ଦେଇ ନିୟମିତ ବାଣିଜ୍ୟିକ ସାମଗ୍ରୀ ପରିବହନ କରାଯାଉଥିଲା । ପୁରୀକୁ ଓଡ଼ିଶା ବାହାରୁ ତୀର୍ଥଯାତ୍ରୀ ମଧ୍ୟ ଅନେକ ସମୟରେ ଜଳପଥ ଦେଇ ଆସୁଥିଲେ । କଟକଠାରୁ ମହାନଦୀରେ ପଶ୍ଚିମ ଓଡ଼ିଶା ଓ ମଧ୍ୟ ଭାରତକୁ ଏକ ଜଳପଥ ରହିଥିଲା । ଏହି ପଥରେ ବର୍ଷା ଋତୁରେ ଆଭ୍ୟନ୍ତରୀଣ ଓଡ଼ିଶାରୁ ଲୁଣ, ଶୁଖୁଆ ଆଦି ସାମଗ୍ରୀ ଯାଉଥିଲା ଏବଂ କଟକ ଅଞ୍ଚଳକୁ ଚାଉଳ ଓ ବିଭିନ୍ନ ବନଜାତ ଦ୍ରବ୍ୟ ଆସୁଥିଲା । କଟକରୁ ପଟାମୁଣ୍ଡାଇ ଦେଇ ଧାମରା ପର୍ଯ୍ୟନ୍ତ ଏକ ନଦୀପଥ ମଧ୍ୟ ରହିଥିଲା । ସେହିଭଳି ବାଲେଶ୍ୱରରୁ ବଙ୍ଗକୁ ମଧ୍ୟ ଜଳପଥରେ ନାନା ଦ୍ରବ୍ୟ ପରିବହନ କରାଯାଉଥିଲା ।

ମରହଟ୍ଟାମାନଙ୍କ ସମୟରେ ପୂର୍ବ ତୁଳନାରେ ବାଣିଜ୍ୟ କାରବାର ବୃଦ୍ଧି ପାଇଥିଲା । ଏହି ବୃଦ୍ଧି ପଛରେ ଅନ୍ୟତମ କାରଣ ଥିଲା ତତ୍‍କାଳୀନ ଘାଟ ବ୍ୟବସ୍ଥା । ନଦୀ ଉପରେ ପୋଲ ନଥିବାରୁ ଯାତାୟାତ ଓ ମାଲ ପରିବହନପାଇଁ ନଦୀର ଉଭୟ ପାର୍ଶ୍ୱରେ ଘାଟମାନ ରହିଥିଲା । ଘାଟରୁ ଅବକାରୀ ଓ ଯାତ୍ରୀକର ଅସୁଲ କରିବା ସକାଶେ ରାହଦାର, ଗୁଜରବନ ଓ ମୁସ୍ତାଫିଜାନ ଆଦି କର୍ମଚାରୀମାନେ ନିଯୁକ୍ତ ଥିଲେ । ସରକାରୀ କର୍ମଚାରୀଙ୍କ ଯାତାୟାତ ଓ ସରକାରୀ ସାମଗ୍ରୀ ପରିବହନପାଇଁ ଶୁଳ୍କ ଛାଡ଼ ଥିଲା । ଘାଟରୁ ମରାଠାମାନେ ଯଥେଷ୍ଟ ରାଜସ୍ୱ ଆଦାୟ କରୁଥିଲେ । ତେଣୁ ଘାଟର ଉନ୍ନତିପାଇଁ ଯଥାସମ୍ଭବ ପଦକ୍ଷେପମାନ ନେଉଥିଲେ । କେତେକ ଘାଟରେ ଡଙ୍ଗାଗୁଡ଼ିକର ଆକାର ଏତେ ବଡ଼ ଥିଲା ଯେ, ତହିଁରେ ଏକାଧିକ ହାତୀ ମଧ୍ୟ ପାର ହେଉଥିଲେ । ଏତେ ବଡ ଡଙ୍ଗା ତିଆରିପାଇଁ ଆବଶ୍ୟକ ପୁଞ୍ଜି ଯେ ସାଧାରଣ ନାବିକ ଖଟାଇ ପାରିବ ନାହିଁ ଏହା ସୁସ୍ପଷ୍ଟ ଥିଲା । ସେ କ୍ଷେତ୍ରରେ ଜମିଦାର ଓ ଧନୀ ବ୍ୟକ୍ତିମାନେ ଡଙ୍ଗା ନିର୍ମାଣପାଇଁ ପୁଞ୍ଜି ବିିଯୋଗ କରୁଥିବାର ଅନୁମାନ କରିହୁଏ ।   ଓଡ଼ିଶାର ସମୁଦ୍ର ଉପକୂଳରେ ପ୍ରଚୁର ମାଛ ଓ ଲୁଣ ମରାଯାଉଥିଲା । ସ୍ଥାନୀୟ ବଜାରରେ ଲୁଣ ଖୁବ୍‍ ଶସ୍ତାରେ ମିଳୁଥିଲା । କେବଳ ବେରାର୍‍କୁ ବାର୍ଷିକ ତିିନିଲକ୍ଷ ମହଣ ଲୁଣ ରପ୍ତାନି ହେଉଥିଲା । ଲୁଣ ମରା ଓ ପରିବହନକୁ ନେଇ ଅନେକ ଲୋକ ନିଯୁକ୍ତ ହୋଇଥିଲେ । ଇଂରେଜମାନେ ଓଡ଼ିଶା ଅଧିକାର କରିବାର ଅବ୍ୟବହିତ ପୂର୍ବରୁ, ଓଡ଼ିଶା ବଙ୍ଗକୁ ଲୁଣ ବିକ୍ରୀ କରି ବାର୍ଷିକ ଦୁଇ ଲକ୍ଷ ଟଙ୍କା ଆୟ କରୁଥିବା ଅନୁମାନ କରାଯାଏ ।

ତାରକସି କାମ, କଂସା ବାସନ ଓ ହସ୍ତତନ୍ତ ପ୍ରସ୍ତୁତ ଲୁଗା ରପ୍ତାନି କରିବାରେ ମଧ୍ୟ ଓଡ଼ିଶାର ସେତେବେଳେ ପ୍ରସିଦ୍ଧି ଥିଲା । ସାରା ଓଡ଼ିଶାରେ ଲୁଗା ବୁଣା ଯାଉଥିଲାା ଭଦ୍ରକ ଓ ପଦ୍ମପୁରରେ ଉଚ୍ଚମାନର ଲୁଗା ବୁଣା ଯାଉଥିଲା । ଇଂଲଣ୍ଡ, ହଲାଣ୍ଡ, ଫ୍ରାନ୍‍ସ ଓ ମାଲଡିଭ୍‌ସରେ ମଧ୍ୟ ଓଡ଼ିଶା ଲୁଗାର ଖୁବ୍‍ ଚାହିଦା ଥିଲା ।

ମୋଟ ଉପରେ କହିବାକୁ ଗଲେ, କେବଳ ମାତ୍ର ଅର୍ଦ୍ଧ-ଶତାବ୍ଦୀର ମରହଟ୍ଟା ଶାସନଯୋଗୁଁ ଓଡ଼ିଶାର ଆର୍ଥିକ ଓ ବାଣିଜ୍ୟିକ ସ୍ଥିତି ବିଗିଡ଼ିଗଲା ବୋଲି କହିବା ବୋଧହୁଏ ଅଯୌକ୍ତିକ ହେବ । ପୂର୍ବରୁ ଚଳି ଆସିଥିବା ଶାସନ ଓ ବାଣିଜ୍ୟ ବ୍ୟବସ୍ଥାକୁ ମରହଟ୍ଟାମାନେ କେବଳ ପରିଚାଳନା କରିଥିଲେ । ତତ୍‍କାଳୀନ ଅନ୍ୟ ଶାସକମାନଙ୍କ ପରି ସେମାନେ ମଧ୍ୟ ଅଧିକରୁ ଅଧିକ କର ଓ ଭୂ-ରାଜସ୍ୱ ଅସୁଲ କରିବାକୁ ପ୍ରୟାସ କରୁଥିଲେ । ଅଷ୍ଟାଦଶ ଶତାବ୍ଦୀରେ ପ୍ରଶାସନିକ ବ୍ୟୟ ବୃଦ୍ଧି ପାଇଥିଲା । ମାତ୍ର ସେହି ଅନୁପାତରେ ଆୟର ସ୍ରୋତ ବୃଦ୍ଧି ପାଉନଥିଲା । ତେଣୁ ଯାହା କିଛି ଆୟର ଉତ୍ସ ଥିଲା, ତହିଁରୁ ଅଧିକରୁ ଅଧିକ ଅସୁଲ କରିବାକୁ ମରାଠାମାନେ ଉଦ୍ୟମ କରିଥିଲେ ଏବଂ ସେହି ଅନୁସାରେ ପ୍ରଶାସନିକ ଅଧିକାରୀ ନିଯୁକ୍ତ କରିଥିଲେ । ଯେଉଁ ଅଧିକାରୀ କର ଓ ଭୂ-ରାଜସ୍ୱ ଆଦି ଅସୁଲ କରିବାରେ ଅସମର୍ଥ ହେଉଥିଲେ, ତାଙ୍କ ଉପରେ ଉପରିସ୍ଥ ଅଧିକାରୀ ବଳ ପ୍ରୟୋଗ କରୁଥିଲେ । କାରଣ ଏହି ବିଫଳତାପାଇଁ ନିଜ ଉପର ଅଧିକାରୀଙ୍କ ପାଖରେ ତାଙ୍କୁ ଉତ୍ତରଦାୟୀ ହେବାକୁ ପଡୁଥିଲାା ଏହି ବ୍ୟବସ୍ଥାରେ ସ୍ୱୟଂ ସୁବାଦାର ମଧ୍ୟ ଦୋଷୀ ସାବ୍ୟସ୍ତ ହେବାର ଭୟ ରହିଥିଲା । ଇଂରେଜ ଅଧିକାର ପରେ ନିଜର କାର୍ଯ୍ୟକୁ ଯୁକ୍ତି ସଙ୍ଗତ ପ୍ରତିପାଦନ କରିବା ଲକ୍ଷ୍ୟରେ ଇଂରେଜମାନେ ମରାଠା ଶାସନକୁ ଖୁବ୍‍ ଅରାଜକତାପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛନ୍ତି ।

ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ସମାଜ ଓ ସଂସ୍କୃତି   ଅଷ୍ଟାଦଶ ଶତାବ୍ଦୀରେ ଓଡ଼ିଶାରେ ଏକ ନୂତନ ସାମନ୍ତ ଶ୍ରେଣୀର ଉତ୍‍ଥାନ ଦେଖିବାକୁ ମିଳିଥିଲା । ବାଣିଜ୍ୟ କାରବାର ବୃଦ୍ଧି ପାଇବା ସଙ୍ଗେସଙ୍ଗେ ବଜାରରେ ବିଳାସ ସାମଗ୍ରୀ ଉପଲବ୍ଧ ହେଲା । ମୋଗଲ ଓ ମରାଠା ସମୟରେ ସୁବାଦାରଙ୍କୁ ପ୍ରଶାସନରେ ତଥା ରାଜସ୍ୱ ଅସୁଲରେ ସାହାଯ୍ୟ କରିବାଲାଗି ଅନେକ ଅଧିକାରୀ ନିଯୁକ୍ତ ହୋଇଥିଲେ । ସେମାନଙ୍କ ପଦପଦବୀ ଅନେକ କ୍ଷେତ୍ରରେ ବଂଶାନୁକ୍ରମିକ ଥିଲା ଏବଂ ପାଉଣା ଆକାରରେ ସେମାନଙ୍କୁ ବିପୁଳ ପରିମାଣର ଜାଗିରମାନ ମିଳିଥିଲା । ଅନେକ ସମୟରେ ବଳ ପ୍ରୟୋଗ କରି ସେମାନେ ସାଧାରଣ ପ୍ରଜାଙ୍କଠାରୁ ବିନା ମୂଲ୍ୟରେ ଶ୍ରମ ନେଉଥିଲେ । ଏହା ସେମାନଙ୍କୁ (ଅଧିକାରୀ ବର୍ଗକୁ) ଧନ ସଞ୍ଚୟ କରିବାରେ ସାହାଯ୍ୟ କଲା । ସାମନ୍ତ ବା ସମ୍ଭ୍ରାନ୍ତ ଶ୍ରେଣୀର ଉତ୍‍ଥାନ ପରେ ସମାଜରେ ସଭ୍ୟତା ଓ ସଂସ୍କୃତି ନାମରେ ଅନେକ ନୂଆ ନୂଆ କଥା ଦେଖିବାକୁ ମିଳିଲା । ମୋଗଲ ଓ ମରହଟ୍ଟା ପ୍ରଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଏହି ସମ୍ଭ୍ରାନ୍ତ ଶ୍ରେଣୀ ସହଯୋଗ କଲା ଏବଂ ପ୍ରତିଦାନରେ ସ୍ୱ-ଅଭିବୃଦ୍ଧି ନିମନ୍ତେ ସହଯୋଗ ପାଇଲା ।   ସେତେବେଳେ ଧନୀ ତଥା ଉଚ୍ଚ ପଦ ପଦବୀଧାରୀ ଲୋକେ ଯାତାୟାତପାଇଁ ଘୋଡ଼ା ଓ ଘୋଡ଼ାଗାଡ଼ିର ବ୍ୟବହାର କରୁଥିଲେ । କ୍ରମଶଃ ଘୋଡ଼ାର ବ୍ୟବହାର ସମାଜରେ ମର୍ଯ୍ୟାଦା ଓ ରୁଚିର ପ୍ରତୀକ ହେଲା । ଘୋଡା ପିଠିରେ ଚଢ଼ୁଥିବା ଲୋକମାନଙ୍କୁ ଅନ୍ୟମାନେ ଭୟ ଓ ସମ୍ମାନର ସହିତ ଦେଖିଲେ । ସଂଭ୍ରାନ୍ତ ବର୍ଗର ଲୋକେ ପାଲିଙ୍କି ବ୍ୟବହାର କରୁଥିଲେ । ନିମ୍ନ ଶ୍ରେଣୀର ଲୋକଙ୍କପାଇଁ ଏହାର ବ୍ୟବହାର ବାରଣ ଥିଲା । ଏଥିପାଇଁ କୌଣସି ଲିଖିତ ଆଇନ ନଥିଲେ ସୁଦ୍ଧା ସ୍ଥାନୀୟ ଅଧିକାରୀ ଓ ଜମିଦାରମାନେ ତା'ର କ୍ରିୟାନ୍ୱୟନ ଦିଗରେ ବିଶେଷ ଧ୍ୟାନ ଦେଉଥିଲେ ।

ସେ ସମୟରେ କୌଣସି ବ୍ୟକ୍ତି ବା ଅଧିକାରୀ ନିଜଠାରୁ ଅଧିକ କ୍ଷମତାସଂପନ୍ନ ଅନ୍ୟ କୌଣସି ଅଧିକାରୀଙ୍କ ପାଖକୁ ସାକ୍ଷାତପାଇଁ ଗଲେ ମର୍ଯ୍ୟାଦା ଓ ପଦବୀ ଅନୁସାରେ ଭେଟି ନେଇ ଯାଉଥିଲେ । ସୁବାଦାର ଯେତେବେଳେ ନାଗପୁର ରାଜାଙ୍କୁ ଭେଟିବାକୁ ଯାଉଥିଲେ, ତାଙ୍କୁ ମଧ୍ୟ ଭେଟି ଦେବାକୁ ପଡୁଥିଲା । ଓଡ଼ିଶାର ଗଡ଼ଜାତରେ ମଧ୍ୟ ଏହି ଭେଟି ବ୍ୟବସ୍ଥା ରହିଥିଲା ।

ଅତିଥିମାନଙ୍କୁ ଗଦି ପକାଇ ସାଦର ଅଭ୍ୟର୍ଥନା କରିବା ଏକ ସାଧାରଣ ପରମ୍ପରା ଥିଲା । ଅତି ସଂଭ୍ରାନ୍ତ ଅତିଥି ନିମନ୍ତେ ଅଭ୍ୟର୍ଥନା ବେଳେ ଗାଲିଚା ପଡ଼ୁଥିଲା । ଅତିଥିମାନେ ବସିବା ମାତ୍ରେ ପାନ ଓ ଅତର ପ୍ରଦାନ କରାଯାଉଥିଲା । ଉପର ଶ୍ରେଣୀର ଲୋକଙ୍କପାଇଁ ଚିତ୍ତବିନୋଦନର ଏକ ପ୍ରମୁଖ ମାଧ୍ୟମ ଥିଲା ମୃଗୟା ବା ଶିକାର । ଏଥିପାଇଁ ଅନେକ ଲୋକ ସାଙ୍ଗରେ ଯାଉଥିଲେ ଏବଂ ଶିକାର ନିମନ୍ତେ ଆବଶ୍ୟକୀୟ ସୁବିଧା ସୃଷ୍ଟି କରୁଥିଲେ । ରାଜା, ଜମିଦାର ବା ସଂଭ୍ରାନ୍ତ ବ୍ୟକ୍ତି ଯେଉଁ ବନ୍ୟଜନ୍ତୁ ଶିକାର କରୁଥିଲେ, ତା' ପଛରେ ଅନେକ ସାଧାରଣ ଲୋକଙ୍କ ପରିଶ୍ରମ ଥିଲା ।

ଲୋକମାନେ ସାଧାରଣତଃ ପାନ ଖାଉଥିଲେ । କାରଣ ଓଡ଼ିଶାରେ ପ୍ରଚୁର ପାନ ଉତ୍ପାଦନ ହେଉଥିଲା । ସଂଭ୍ରାନ୍ତ ବର୍ଗର ଲୋକେ ମନୋରଞ୍ଜନର ମାଧ୍ୟମ ରୂପେ ସଂଗୀତ ଓ ନୃତ୍ୟର ପୃଷ୍ଠପୋଷକତା କରୁଥିଲେ । ଗ୍ରାମାଞ୍ଚଳରେ ମନୋରଞ୍ଜନ ଭାବରେ ସୁଆଙ୍ଗ, କୃଷ୍ଣଲୀଳା ଓ ରାମଲୀଳା ପ୍ରଚଳିତ ଥିଲା । ଅଧିକାଂଶ ଗ୍ରାମରେ ବ୍ୟାୟାମଶାଳା ଥିଲା । ସେଠାରେ ଶରୀରଗଠନ ଲାଗି ଭାର ଉତ୍ତୋଳନ ଆଦି କରାଯାଉଥିଲା । ଗଡ଼ମାନଙ୍କରେ ବ୍ୟାୟାମକୁ ଖୁବ୍‍ ପ୍ରୋତ୍ସାହିତ କରାଯାଉଥିଲା । ଯୁଦ୍ଧରେ ଯୋଗ ଦେଉଥିବା ସୈନିକପାଇଁ ବ୍ୟାୟାମ ଏକ ପ୍ରକାରର ପ୍ରଶିକ୍ଷଣ ଥିଲା । ଅବସର ବିନୋଦନପାଇଁ ତାସ୍‍ ଖେଳର ପ୍ରଚଳନ ଥିଲା । ବାଳିକାମାନଙ୍କ ମଧ୍ୟରେ କଉଡ଼ି ଖେଳର ପ୍ରସାର ରହିଥିଲା ।   ମୋଗଲ ସମୟରେ ସରକାରୀ ନଥିପତ୍ରରେ ପାର୍ସୀ ଭାଷାର ବ୍ୟବହାର ହେଉଥିଲା । ମରାଠାମାନେ ପାର୍ସୀ ସହିତ ମରାଠୀ ଭାଷାକୁ ମଧ୍ୟ ସରକାରୀ ଭାଷା ଭାବରେ ବ୍ୟବହାର କଲେ । କିଛି ପୁସ୍ତକ ଓଡ଼ିଆ ଭାଷାରେ ମଧ୍ୟ ଲେଖାଯାଇଥିଲା । ମରହଟ୍ଟାମାନେ ସରକାରୀ ସ୍ତରରେ କାଗଜ ବ୍ୟବହାର କରୁଥିଲେ । ବୌଦ୍ଧିକ ଲୋକ କାଗଜ ସ୍ଥାନରେ ତାଳପତ୍ରର ବ୍ୟବହାର କରୁଥିଲେ । ତାଳପତ୍ରରେ ଲିଖିତ ପାଠ ଦୀର୍ଘସ୍ଥାୟୀ ହେବ ବୋଲି ଆଶା କରାଯାଉଥିଲା । ଉଚ୍ଚ ଜାତିର ଲୋକେ କାଗଜର ଲେଖା କାର୍ଯ୍ୟକୁ ଅଶୁଦ୍ଧ ବୋଲି ମନେ କରୁଥିଲେ । ବୌଦ୍ଧିକ ଭାଷା ରୂପେ ସଂସ୍କୃତର ଆଦର ଅଷ୍ଟାଦଶ ଶତାବ୍ଦୀରେ ମଧ୍ୟ ଊଣା ହୋଇ ନଥିଲା ।

ଅଷ୍ଟାଦଶ ଶତାବ୍ଦୀରେ ଉଭୟ ସଂସ୍କୃତ ଓ ଓଡ଼ିଆରେ ଅନେକ କାବ୍ୟ କବିତା ରଚିତ ହୋଇଥିଲା । ଗଡ଼ଜାତ ରାଜାମାନେ କବି ଓ ଲେଖକମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରି ସାହିତ୍ୟ ଓ ସଂସ୍କୃତି ପ୍ରତି ନିଜର ଅନୁରାଗ ପ୍ରଦର୍ଶନ କରୁଥିଲେ । ଚଇନି ଚନ୍ଦ୍ରଶେଖର ରାଜଗୁରୁଙ୍କ 'ନୈଷଧୀୟ ମହାକାବ୍ୟମ୍‍' ଓ 'ଊଷାନିରୁଦ୍ଧ ନାଟକମ୍‍', ରାଜଗୁରୁ ବାସୁଦେବ ରଥ ସମାଜୀଙ୍କର 'ଗଙ୍ଗବଂଶାନୁଚରିତମ୍‍', ମହାମହୋପାଧ୍ୟାୟ ନରହରି ପଣ୍ଡାଙ୍କର 'ମୃଚ୍ଛକଟିକମ୍‍' ଓ 'ମେଘଦୂତମ୍‍', କବିବର ନୀଳକଣ୍ଠ ମିଶ୍ରଙ୍କର 'ବ୍ରଜଯୁବ ବିଳାସ' ଓ 'ଭାଗବତ ଲୀଳା ଚିନ୍ତାମଣି' ଆଦି ଏହି ସମୟର କେତୋଟି ପ୍ରମୁଖ କାବ୍ୟ । 'ମୃଚ୍ଛକଟିକମ୍‍' ଓ 'ମେଘଦୂତମ୍‍' ଆଦି ରଚନାକୁ ଲେଖକ ପୁନଃରଚନା କରି ତହିଁରେ ନିଜ ସୃଜନଶୀଳତାର ନିଦର୍ଶନ ଦେଇଥିଲେ । ଅନ୍ୟ କାବ୍ୟଗୁଡ଼ିକ ମଧ୍ୟ ପୌରାଣିକ କାହାଣୀର ଅବଲମ୍ୱନରେ ଲିଖିତ ହୋଇଥିଲା । ସାମାଜିକ ପ୍ରସଙ୍ଗଗୁଡ଼ିକ ଉପରେ କାବ୍ୟ-କବିତା ରଚନାର ବିଶେଷ ପରମ୍ପରା ସଂସ୍କୃତରେ ପ୍ରାୟ ନଥିଲା । ଗୋବିନ୍ଦ ବଳବନ୍ତରାୟଙ୍କ 'ସୁସୁବର୍ଣ୍ଣମ୍‍' ଓ ବ୍ରଜସୁନ୍ଦର ପଟ୍ଟନାୟକଙ୍କ 'ସୁଲୋଚନା ମାଧବ କାବ୍ୟ' ମଧ୍ୟ ସେ ସମୟର ଦୁଇଟି ପ୍ରମୁଖ ଗ୍ରନ୍ଥ ।

ଓଡ଼ିଆ ସାହିତ୍ୟରେ ଏହି ସମୟରେ ବ୍ରଜନାଥ ବଡ଼ଜେନାଙ୍କ 'ସମର ତରଙ୍ଗ' ଓ 'ଚତୁର ବିନୋଦ', ଶ୍ରୀଧର ଦାସଙ୍କ 'ହିତୋପଦେଶ'ର ଓଡ଼ିଆ ଅନୁବାଦ, ପୁରୁଷୋତ୍ତମ ଦାସଙ୍କ 'କାଞ୍ଚି କାବେରୀ' ମଧ୍ୟ ଖୁବ୍‍ ଚର୍ଚ୍ଚିତ ଥିଲା । ଓଡ଼ିଆରେ ସଂସ୍କୃତରୁ ବିଭିନ୍ନ ଗ୍ରନ୍ଥର ଅନୁବାଦ ମଧ୍ୟ ଏହି ସମୟରେ ହୋଇଥିଲା । ଅନୁବାଦକଙ୍କ ମଧ୍ୟରେ କାଶ୍ମୀର ସିଂ, କବି ଗୋପାଳ, ଜୟସିଂହ, ମଧୁସୂଦନ ଜଗଦ୍ଦେବ, ବଳଭଦ୍ର ମଙ୍ଗରାଜ, ଦୀନବନ୍ଧୁ ଖାଡ଼ଙ୍ଗା ଓ କେଶବ ଚନ୍ଦ୍ର ପଟ୍ଟନାୟକ ଅଷ୍ଟାଦଶ ଶତାବ୍ଦୀର କେତେ ଜଣ ଚର୍ଚ୍ଚିତ ଲେଖକ ଓ କବି । ଏହା ବ୍ୟତୀତ 'ଦାର୍ଢ଼୍ୟତା ଭକ୍ତି'ର ରଚୟିତା ରାମ ଦାସ, 'ବୈଦେହୀଶ ବିଳାସ' ଆଦି ଅନେକ କାବ୍ୟର କବି ଉପେନ୍ଦ୍ର ଭଞ୍ଜ, ଧରାକୋଟର ରାଜା କୃଷ୍ଣ ସିଂହ, ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଓ 'ପ୍ରେମଚିନ୍ତାମଣି'ର କବି ଅଭିମନ୍ୟୁ ସାମନ୍ତସିଂହାର ଆଦି ଅନେକ ରସୋତ୍ତୀର୍ଣ୍ଣ ରଚନା ଛାଡ଼ି ଯାଇଛନ୍ତି । ଅଷ୍ଟାଦଶ ଶତାବ୍ଦୀର ବୌଦ୍ଧିକ ପରମ୍ପରାରେ ସଂସ୍କୃତର ମଧ୍ୟ ବହୁତ ଆଦର ଥିଲା । ମାତ୍ର ଏହି କବିମାନେ ଓଡ଼ିଆରେ ଲେଖି ଦୁଃସାହସର ପରିଚୟ ଦେଇଥିଲେ । ବିଶେଷକରି ଅବ୍ରାହ୍ମଣ ସଂପ୍ରଦାୟର ସର୍ଜନାକାରମାନେ ଏହି ସମୟରେ ଆଞ୍ଚଳିକ ଓଡ଼ିଆ ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ଜଣାଯାଏ । ସଂସ୍କୃତର ବିକଳ୍ପ ଭାଷା ରୂପେ ଓଡ଼ିଆକୁ ସ୍ଥାପିତ କଲାବେଳେ ସେମାନେ ଦମ୍ଭ ଦେଖାଇବାକୁ ମଧ୍ୟ ଆଦୌ ହେଳା କରୁ ନଥିଲେ । ଉଦାହରଣ ସ୍ୱରୂପ, ତତ୍‍କାଳୀନ କବି ଉପେନ୍ଦ୍ର ଭଞ୍ଜ ନିଜକୁ 'କବିକୁଳ ଚନ୍ଦ୍ର' ବୋଲି କହୁଥିଲେ । ଏହା ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷାପାଇଁ ଉଦ୍ଦିଷ୍ଟ ଥିଲା ।   ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ବା ମରାଠା ପ୍ରଶାସନ ଶିକ୍ଷାର ପ୍ରସାରକୁ ନିଜ ଦାୟିତ୍ୱ ଭାବରେ ଗ୍ରହଣ କରି ନଥିଲା । ଧର୍ମାନୁଷ୍ଠାନମାନଙ୍କର ପାରମ୍ପରିକ ଶିକ୍ଷାକେନ୍ଦ୍ରମାନ ରହିଥିଲା । ଗ୍ରାମାଞ୍ଚଳରେ ଲୋକେ ନିଜ ଉଦ୍ୟମରେ 'ଚାଟଶାଳୀ' ଶିକ୍ଷାକୁ ପ୍ରୋତ୍ସାହିତ କରୁଥିଲେ । ଶିକ୍ଷା ବିଶେଷ ଖର୍ଚ୍ଚବହୁଳ ନଥିଲା । ଉଦାହରଣ ସ୍ୱରୂପ, ବିଦ୍ୟାଳୟ ନାମରେ ଘର ନଥିଲା । ସଂଭ୍ରାନ୍ତ ବ୍ୟକ୍ତିଙ୍କ ଘରେ ବା ଅଗଣାରେ ଶିକ୍ଷା ଦାନ ହେଉଥିଲା । ଧନିକ ବର୍ଗର ଲୋକେ ଘରୋଇ ଶିକ୍ଷକ ନିଯୁକ୍ତ କରୁଥିଲେ । ନାରୀ ଶିକ୍ଷାପାଇଁ କୌଣସି ବ୍ୟବସ୍ଥା ନଥିଲା । 'ତଳ' ଜାତିର ଲୋକଙ୍କ ସନ୍ତାନ ମଧ୍ୟ ଶିକ୍ଷାରୁ ବଂଚିତ ଥିଲେ ।

ମରହଟ୍ଟା ଶାସନର ଇତିକଥା   ଅଷ୍ଟାଦଶ ଶତାବ୍ଦୀ ଶେଷ ହେବା ବେଳକୁ ଓଡ଼ିଶାରେ ମରହଟ୍ଟା ଶାସନର ମଧ୍ୟ ଅବସାନ ହେଲା ଏବଂ ତା' ସ୍ଥାନରେ ଇଂରେଜ ଶାସନ ଆରମ୍ଭ ହେଲା । ବ୍ରିଟିଶ୍‍ ସାମ୍ରାଜ୍ୟବାଦର ଉତ୍‍ଥାନ ହିଁ ମରାଠା ଶାସନର ଅନ୍ତର କାରଣ ହେଲା । ୧୮୦୩ରେ ମୋଗଲବନ୍ଦି ଓ ଗଡ଼ଜାତ ଓଡ଼ିଶାକୁ ଇଂରେଜମାନେ ଅଧିକାର କଲେ । ଏହାର କେତେ ବର୍ଷ ପୂର୍ବରୁ ମାଡ଼୍ରାସ୍‍ ପ୍ରେସିଡେନ୍‍ସି ଅଧୀନରେ ଥିବା ଦକ୍ଷିଣ ଓଡ଼ିଶା ଉପରେ ଇଂରେଜ ଅଧିକାର ସାବ୍ୟସ୍ତ ହୋଇ ସାରିଥିଲା । ରାଜନୈତିକ ଅଧିକାର ଜାହିର୍‍ କରିବାର ବହୁ ପୂର୍ବରୁ ଇଂରେଜଶକ୍ତି ଓଡ଼ିଶାରେ ନିଜର ଉପସ୍ଥାନ ଘୋଷଣା କରିଥିଲେ । ଓଡ଼ିଶାରେ ରାଜନୈତିକ ଅଧିକାର ସାବ୍ୟସ୍ତ ହେବାର ବହୁ ପୂର୍ବରୁ ୧୬୩୩ରେ କଟକ ଜିଲ୍ଲାର ହରିହରପୁରଠାରେ ଏକ କାରଖାନା ଇଂରେଜମାନେ ସ୍ଥାପନ କରିଥିଲେ । ଏହା ପରେ ବାଲେଶ୍ୱର ଓ ପିପିଲିଠାରେ ମଧ୍ୟ ନଦୀ କୂଳରେ ସେମାନଙ୍କର କାରଖାନା ସ୍ଥାପିତ ହେଲା । ଏହି କାରଖାନା ବା 'ଫେକ୍‍ଟ୍ରି' ଗୁଡ଼ିକରେ କୌଣସି ଉତ୍ପାଦନ କାର୍ଯ୍ୟ ହେଉ ନଥିଲା । କେବଳ ନଦୀ କୂଳରେ ଏକ ଭଣ୍ଡାର ଘର ରୂପେ ଏହା କାର୍ଯ୍ୟ କରୁଥିଲାା 'ଫେକ୍‍ଟ୍ରି' ଅଂଚଳରେ ଇଂରେଜମାନେ ନିଜ ନୀତି ନିୟମ ପ୍ରଚଳନ କରୁଥିଲେ । ରାଜନୈତିକ ଶକ୍ତି ସ୍ଥାନୀୟ ସ୍ତରରେ ଦୁର୍ବଳ ହେବାରୁ ଫେକ୍ଟ୍ରିପାଇଁ ଇଂରେଜମାନେ ସ୍ଥାନୀୟ ଅଧିକାରୀଙ୍କୁ କର ସୁଦ୍ଧା ଦେବାକୁ ଇଚ୍ଛା କରୁ ନଥିଲେ । ଏହି ପ୍ରକ୍ରିୟାରେ ସେମାନେ ବହୁ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରି ଦେଇଥିଲେ ।   ୧୭୫୭ର ପଲାସୀ ଯୁଦ୍ଧର ସଫଳତା ପରେ ଇଂରେଜ ଇଷ୍ଟ ଇଣ୍ଡିଆ କମ୍ପାନୀ ବଙ୍ଗ, ବିହାର ଓ ଓଡ଼ିଶାର ଦେବାନୀ ଲାଭ କଲା । ମାତ୍ର ଏହି କ୍ଷେତ୍ରରେ ଓଡ଼ିଶାର ଅର୍ଥ ଥିଲା କେବଳ ମେଦିନିପୁରର କିଛି ଅଂଶ, ଯାହା ବଙ୍ଗ ନବାବଙ୍କ ଅଧୀନରେ ରହିଥିଲା । ମାତ୍ର ଏହା ପରେ ଇଂରେଜମାନେ ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଲେ ଏବଂ ଓଡ଼ିଶା ଅଧିକାରର ଆବଶ୍ୟକତା ତୀବ୍ର ଭାବରେ ଅନୁଭବ କଲେ । ବଙ୍ଗ ଓ ମାଡ୍ରାସ୍‍ ପ୍ରେସିଡେନ୍‍ସି ମଧ୍ୟରେ ସ୍ଥଳପଥରେ ଯୋଗାଯୋଗପାଇଁ ଓଡ଼ିଶା ଦେଇ ଯିବାକୁ ପଡୁଥିଲା । ମରାଠା ଶକ୍ତିର ଦୁର୍ବଳତାର ସୁଯୋଗ ନେଇ ଓଡ଼ିଶାକୁ କବ୍‍ଜା କରିବାପାଇଁ ଇଂରେଜମାନେ ଯୋଜନା କଲେ । ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ଓଡ଼ିଶା ଅଧିକାରପାଇଁ ଭୋଁସ୍‍ଲେ ରାଜାଙ୍କୁ ସାମନ୍ତ ସନ୍ଧି ଗ୍ରହଣ କରିବାକୁ ଇଂରେଜମାନେ ପ୍ରସ୍ତାବ ଦେଲୋ ପ୍ରସ୍ତାବ ସ୍ୱୀକୃତ ନ ହେବାରୁ, ୧୮୦୩ରେ ଯୁଦ୍ଧରେ ଭୋଁସଲେମାନଙ୍କୁ ପରାସ୍ତ କରି ସେମାନେ ଓଡ଼ିଶା ଅଧିକାର କରିନେଲେ । ମରାଠାମାନେ ପ୍ରତିରୋଧ କରିପାରିଲେ ନାହିଁ । ଓଡ଼ିଶାର ସ୍ଥାନୀୟ ରାଜା ଓ ଜମିଦାରମାନେ ମଧ୍ୟ ସେମାନଙ୍କୁ କୌଣସି ସମର୍ଥନ ଦେଇ ନଥିଲେ କି ଇଂରେଜମାନଙ୍କୁ ପ୍ରତିରୋଧ କରି ନଥିଲେ; ବରଂ ଖୋର୍ଦ୍ଧାର ରାଜା ଇଂରେଜମାନଙ୍କୁ ସୈନ୍ୟ ସାହାଯ୍ୟ କରିଥିଲେ । ଏହିଭଳି ଭାବେ ଅକ୍ଟୋବର ୧୪, ୧୮୦୩ରେ ମରାଠାମାନଙ୍କ ସ୍ଥାନରେ ଇଂରେଜମାନେ ବାରବାଟୀ ଦୁର୍ଗ ଅଧିକାର କଲେ । ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ଅଧିକାର କରିବାକୁ ଯଦିଓ ଇଂରେଜମାନେ ଅଧିକ କିଛି ସମୟ ନେଇଥିଲେ, ବାରବାଟୀରେ ମରାଠାଙ୍କ ପରାଜୟ ପରେ ଓଡ଼ିଶାରେ ମରହଟ୍ଟା ଶାସନର ଯବନିକା ପଡ଼ିଲା ବୋଲି ବୁଝିବାକୁ ହେବ ।

...

ଇଂରେଜମାନଙ୍କ ଓଡ଼ିଶା ଦଖଲ

  ନିଜାମ ଓ ମରାଠାମାନଙ୍କ ପାଖରୁ ଇଂରେଜମାନେ ତିନୋଟି ପର୍ଯ୍ୟାୟରେ ଓଡ଼ିଶାକୁ ଦଖଲ କରିଥିଲେ । ପ୍ରଥମେ ନିଜାମଶାସିତ ଦକ୍ଷିଣ-ଓଡ଼ିଶା, ତତ୍‍ପରେ ଭୋଁସଲେ ଶାସିତ ଉତ୍ତର- ଓଡ଼ିଶା (ବାଲେଶ୍ୱର, କଟକ ଓ ପୁରୀ ଜିଲ୍ଲା) ଓ ତୃତୀୟ ପର୍ଯ୍ୟାୟରେ ପଶ୍ଚିମ-ଓଡ଼ିଶା ସେମାନଙ୍କ ଦଖଲକୁ ଆସିଥିଲା । ଦଖଲ ଅନୁସାରେ ଦକ୍ଷିଣ-ଓଡ଼ିଶାକୁ ମାଡ଼୍ରାସ୍‍ ପ୍ରେସିଡେନ୍‍ସିରେ ଏବଂ ଉତ୍ତର-ଓଡ଼ିଶାକୁ ବଙ୍ଗ ପ୍ରେସିଡେନ୍‍ସି ସହିତ ସଂଲଗ୍ନ କରାଗଲା । ପଶ୍ଚିମ ଓଡ଼ିଶା ରହିଲା କେନ୍ଦ୍ର ପ୍ରଦେଶରେ । ୧୯୦୫ରେ ପଶ୍ଚିମ ଓଡ଼ିଶା ବଙ୍ଗ ସହିତ ସଂଯୋଜିତ ହେଲା । ଓଡ଼ିଶା ୧୯୩୬ରେ ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହେବା ପର୍ଯ୍ୟନ୍ତ ଏହି ପ୍ରାଶାସନିକ ବିଭକ୍ତୀକରଣ ପ୍ରାୟ ଅବ୍ୟାହତ ରହିଲା । ଓଡ଼ିଶାର ଏକତ୍ରୀକରଣ ପ୍ରକ୍ରିୟାରେ ଆଧୁନିକ ଓଡ଼ିଶାର ରାଜନୈତିକ ଆନ୍ଦୋଳନ ଉତ୍‍ଥାନ ଲାଭ କଲା । ଓଡ଼ିଶାରେ ଜାତୀୟତା ଆନ୍ଦୋଳନର ମୂଳ, ଇଂରେଜମାନଙ୍କଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ପ୍ରଦେଶର ଦଖଲ ପ୍ରଶ୍ନ ସହ ସଂଯୋଜିତ ।

ଦକ୍ଷିଣ ଓଡ଼ିଶା ଦଖଲ   ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ସାମ୍ରାଜ୍ୟର ପତନ ପରେ ମଧ୍ୟ ଓଡ଼ିଶାରେ ଆଞ୍ଚଳିକ ଶକ୍ତିର ବିକାଶ ଘଟି ନଥିଲା । ଫଳରେ ବଙ୍ଗର ନବାବ ଓ ହାଇଦ୍ରାବାଦର ନିଜାମଙ୍କ ହାତକୁ ଏହା ଚାଲିଗଲା । ସେମାନେ ପରସ୍ପର ମଧ୍ୟରେ ଓଡ଼ିଶାକୁ ବାଣ୍ଟିନେଲେ ବୋଲି କହିଲେ ଭୁଲ ହେବ ନାହିଁ । ସେହି ପ୍ରକ୍ରିୟାରେ ଦକ୍ଷିଣ-ଓଡ଼ିଶା ନିଜାମଙ୍କ ହାତକୁ ଗଲା; ଉତ୍ତର-ଓଡ଼ିଶା ଗଲା ବଂଗ ନବାବଙ୍କ ହାତକୁ । ଗଡ଼ଜାତରେ ପୂର୍ଣ୍ଣ ପଶ୍ଚିମ ଓଡ଼ିଶା ନିଜର ସ୍ୱତନ୍ତ୍ର ଭୌଗୋଳିକ ଅବସ୍ଥିତିଯୋଗୁଁ ଏକ ରକମର ଭିନ୍ନ ହୋଇ ରହିଲା ।   ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗ ବେଳକୁ ଦକ୍ଷିଣ ଭାରତରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ପ୍ରତିପତ୍ତି ବିସ୍ତାରଲାଗି ପ୍ରବଳ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା । ଏହି ଦୁଇ ୟୁରୋପୀୟ ବାଣିଜ୍ୟିକ ଶକ୍ତି ଆର୍କଟ, କର୍ଣ୍ଣାଟକ ଓ ହାଇଦ୍ରାବାଦ ଦେଶୀୟ ରାଜ୍ୟର ଆଭ୍ୟନ୍ତରୀଣ କନ୍ଦଳରେ ହସ୍ତକ୍ଷେପ କରି ନିଜ ନିଜ ସ୍ତରରେ ରାଜନୈତିକ ଶକ୍ତି ହେବାକୁ ଉଦ୍ୟମ କରୁଥିଲେ ।

ନିଜାମଙ୍କ ରାଜ୍ୟରେ ସେତେବେଳେ ଦକ୍ଷିଣ- ଓଡ଼ିଶାକୁ ଲୋକେ 'ଉତ୍ତର ସରକାର' ନାମରେ ଜାଣୁଥିଲେ । କାରଣ ଏହା ରାଜ୍ୟର ଉତ୍ତରରେ ଅବସ୍ଥିତ ଥିଲା । ୧୭୫୭ ବେଳକୁ ଏଠାରେ ଫରାସୀମାନଙ୍କ ଆଧିପତ୍ୟ ରହିଥିଲା । ନିଜାମ ଫରାସୀମାନଙ୍କ ସମର୍ଥନରେ ମରାଠାମାନଙ୍କଠାରୁ ସୁରକ୍ଷା ପାଇଥିଲେ । ସେହି ସୂତ୍ରରେ, ବିଜୟନଗରମ୍‍ ଓ ଉତ୍ତର ସରକାରକୁ ନିଜାମଙ୍କଠାରୁ ଫରାସୀମାନେ ଲାଭ କରିଥିଲେ । ମାତ୍ର ୧୭୫୯ରେ ନିଜାମ୍‍ ସଲାବତ୍‍ ଜଙ୍ଗଙ୍କୁ ତାଙ୍କ ଭାଇ ନିଜାମ୍‍ ଅଲି ହତ୍ୟା କରି ନିଜେ ନିଜାମ୍‍ ହେଲେ । ତାଙ୍କୁ ଇଂରେଜମାନେ ସାହାଯ୍ୟ କରୁଥିଲେ । ତେଣୁ ପ୍ରତିଦାନରେ ୧୭୬୫ ଅଗଷ୍ଟ ମାସରେ ଇଂରେଜମାନଙ୍କ ହାତରେ ସେ ଉତ୍ତର ସରକାରକୁ ସମର୍ପଣ କଲେ । ନାମ ମାତ୍ର ମୋଗଲ ସମ୍ରାଟ ଶାହ ଆଲାମ ଏକ ଫର୍ମାନ୍‍ ବା ରାଜାଦେଶ ଜାରି କରି ଉତ୍ତର ସରକାରକୁ ଇଷ୍ଟ ଇଣ୍ଡିଆ କମ୍ପାନି ହାତରେ ଟେକିଦେଲେ । ଫଳରେ ଗଞ୍ଜାମ ଓ କୋରାପୁଟ ଅଞ୍ଚଳ ଇଂରେଜ କର୍ତ୍ତୃତ୍ୱକୁ ଆସିଲା । ୧୭୬୮ ଡିସେମ୍ୱର ୨ ତାରିଖରେ କମ୍ପାନୀ ଆଦେଶ ବଳରେ କଟ୍‍ସଫୋର୍ଡ଼ ନାମକ ଜଣେ ଇଞ୍ଜିନିୟର ଗଞ୍ଜାମର ପ୍ରଥମ ରେସିଡେଣ୍ଟ ହେଲେ ବୋଲି ବିଜ୍ଞପ୍ତି ବାହାରିଲା । ସେହିଦିନଠାରୁ ଗଞ୍ଜାମ ମାଡ଼୍ରାସ୍‍ ପ୍ରେସିଡେନ୍‍ସିର ଅଙ୍ଗ ହେଲା । ଏହା ପୂର୍ବରୁ ୧୭୬୬ ନଭେମ୍ୱରରେ ନିଜାମ ଅଲି ଓ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେହି ଅନୁଯାୟୀ, ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର ସାର୍ବଭୌମତ୍ୱ ସ୍ୱୀକାର କରିନେବାକୁ ଜମିଦାରମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହି ପ୍ରକ୍ରିୟାରେ ଦକ୍ଷିଣ-ଓଡ଼ିଶାର ଗଞ୍ଜାମ, ପାରଳାଖେମୁଣ୍ଡି, ଇଚ୍ଛାପୁର, ଜୟପୁର, କୋରାପୁଟ ଆଦି ମାଡ଼୍ରାସ୍‍ ପ୍ରେସିଡେନ୍‍ସିରେ ସାମିଲ୍‍ ହେଲେ । ସେଗୁଡ଼ିକ ଦଖଲ କରିବାଲାଗି ଇଂରେଜମାନଙ୍କୁ କୌଣସି ଯୁଦ୍ଧ କରିବାକୁ ପଡ଼ିଲା ନାହିଁ । ସମ୍ଭବତଃ, ଏହି କ୍ଷୁଦ୍ର ରାଜ୍ୟଗୁଡ଼ିକର ରାଜାମାନେ ଭାବିଥିଲେ ଯେ, ନାମମାତ୍ର ମୋଗଲ ବଦଳରେ ଏବେ କମ୍ପାନୀ ନାମମାତ୍ର ସାର୍ବଭୌମ ଅଧିକାର ଲାଭ କରିବେ । ସ୍ଥାନୀୟ ରାଜା ହିଁ ରାଜ୍ୟର ପ୍ରକୃତ ଶାସକ ହେବେ । ତେଣୁ ସେମାନେ ବିରୋଧ କଲେ ନାହିଁ । ମାତ୍ର ଇଂରେଜମାନଙ୍କ ଆସିବା ପରେ ସେମାନେ ନିଜ ଭୁଲ ବୁଝି ପାରିଲେ । ପରିଣାମ ସ୍ୱରୂପ ୧୭୬୮ ମେ' ମାସରେ ପାରଳାର ରାଜା ନାରାୟଣ ଦେବ ଇଂରେଜମାନଙ୍କୁ ବିରୋଧ କଲେ । ତାଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ କର୍ଣ୍ଣେଲ୍‍ ପିଚ୍‍ ଦାୟିତ୍ୱ ନେଲେ । ପାରଳା ରାଜା ପରାସ୍ତ ହେବା ପରେ ଗଞ୍ଜାମରେ ଇଂରେଜ ଶାସନ ସୁଦୃଢ଼ ହେଲା । ରେସିଡେଣ୍ଟ ଭାବରେ କଟ୍‍ସଫୋର୍ଡ଼ ୧୭୬୮ ଜୁଲାଇରୁ ଗଞ୍ଜାମରେ ଅବସ୍ଥାପିତ ହେଲେ, ଯଦିଓ ଏ ନେଇ ବିଜ୍ଞପ୍ତି ସେହି ବର୍ଷ ଡିସେମ୍ୱରରେ ପ୍ରକାଶିତ ହେଲା । ଉତ୍ତର ଓଡ଼ିଶା ଦଖଲ

  କଟକ, ପୁରୀ ଓ ବାଲେଶ୍ୱରର ସାମରିକ ମହତ୍ତ୍ୱଯୋଗୁଁ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଓ୍ୱେଲେସ୍‍ଲି ଉତ୍ତର ଓଡ଼ିଶାକୁ ଅଧିକାର କରିବାଲାଗି ଯୋଜନା କଲେ । ଏହା ପୂର୍ବରୁ ଜେମ୍‍ସ୍‍ ରେନେଲ ଓ ବ୍ଲଣ୍ଟ ନାମକ ଦୁଇଜଣ ଇଂରେଜ ଅଧିକାରୀ ଉତ୍ତର ଓଡ଼ିଶାକୁ ସର୍ଭେ କରିଥିଲେ । ୧୭୬୬ରେ ଲଡର଼୍ କ୍ଲାଇବ୍‍ଙ୍କ ପରାମର୍ଶରେ ଟମାସ ମୋଟ (Thomas Motte)ନାମକ ଜଣେ କମ୍ପାନୀ କର୍ମଚାରୀଙ୍କୁ ସମ୍ୱଲପୁର ପଠାଯାଇଥିଲା । ଉଦ୍ଦେଶ୍ୟ ଥିଲା, ହୀରା ବ୍ୟାପାରର ସମ୍ଭାବନାକୁ ପରଖିବା । କାରଣ ମହାନଦୀ ବାଲିରେ ସମ୍ୱଲପୁର ନିକଟରେ ହୀରା ମିଳୁଥିବାର ସମାଚାର ଇଂରେଜମାନଙ୍କୁ ଜଣାଥିଲା । ଟମାସ ମୋଟ ନିଜ ଗସ୍ତ ସମୟରେ ମରହଟ୍ଟା ସୁବାଦାର ଭବାନୀ ପଣ୍ତିତଙ୍କ ସହ ସାକ୍ଷାତ୍‍ କରି ଉପରୋକ୍ତ ତିନୋଟି ଜିଲ୍ଲାକୁ କମ୍ପାନୀକୁ ବିକ୍ରୀ କରିଦେବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ସୁବାଦାର ଏହାକୁ ଅସ୍ୱୀକାର କଲେ । ପରେ ତିିନି ବର୍ଷର ଚୌଠ ଆଗତୁରା ପ୍ରଦାନ କରି ତିନିଟି ଜିଲ୍ଲାକୁ ମରାଠାମାନଙ୍କ ହାତରୁ ନେଇଯିବାକୁ ମଧ୍ୟ କମ୍ପାନୀ ପ୍ରସ୍ତାବ ଦେଇଥିଲା । ମାତ୍ର ଏଥିରେ ମଧ୍ୟ ଭୋଁସଲେ ରାଜା ସମ୍ମତ ହୋଇ ନଥିଲେ ।

୧୭୮୧ରେ ଏବଂ ଦ୍ୱିତୀୟ ଥର ୧୭୯୦ରେ ବଙ୍ଗରୁ ଇଂରେଜ ସେନା ଓଡ଼ିଶା ମଧ୍ୟ ଦେଇ ମାଡ଼୍ରାସ୍‍ ଯାଇଥିଲେ । ଏଥିପାଇଁ ଇଂରେଜମାନଙ୍କୁ ଭୋଁସଲେ ରାଜାଙ୍କଠାରୁ ଆବଶ୍ୟକୀୟ ଅନୁମତି ସାଙ୍ଗକୁ ଅନେକ ଟଙ୍କା ମଧ୍ୟ ଦେବାକୁ ପଡ଼ିଥିଲା । ଉଦାହରଣ ସ୍ୱରୂପ, ୧୭୮୧ରେ ମୁଧୋଜୀ ଭୋଁସଲେ ଅନୁମତି ଦେବା ସକାଶେ ତେର ଲକ୍ଷ ଟଙ୍କା ଚୌଠ ଓ ୧୦ ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ । ଇଂରେଜମାନଙ୍କପାଇଁ ଏହି ମୂଲ୍ୟ ଅପବ୍ୟୟ ଥିଲା । କିନ୍ତୁ ଭୋଁସଲେ ରାଜାଙ୍କ ମତରେ ଏହା ଥିଲା ଯୁକ୍ତିଯୁକ୍ତ, କାରଣ ଇଂରେଜଙ୍କ ପୂର୍ବରୁ ବଙ୍ଗର ନବାବ ନିୟମିତ ମରାଠାମାନଙ୍କୁ ଚୌଠ କର ପ୍ରଦାନ କରୁଥିଲେ । ଏଭଳି ଅପବ୍ୟୟ ରୋକିବାକୁ ଉତ୍ତର ଓଡ଼ିଶା ଦଖଲ ଇଂରେଜମାନଙ୍କପାଇଁ ଆବଶ୍ୟକ ହୋଇପଡ଼ିଲା ।

୧୮୦୨ରେ ମରହଟ୍ଟାମାନଙ୍କର ନାମମାତ୍ର ପେଶବା ଦ୍ୱିତୀୟ ବାଜିରାଓ ଅନ୍ୟ ଏକ ମରାଠା ଶକ୍ତି ଇନ୍ଦୋରର ହୋଲ୍‍କାରଙ୍କ ହାତରେ ପରାସ୍ତ ହୋଇ ଇଂରେଜମାନଙ୍କର ଶରଣାପନ୍ନ ହେଲେ । ଇଂରେଜଙ୍କ ଚାପରେ ତାଙ୍କୁ ସାମନ୍ତସନ୍ଧିରେ ସ୍ୱାକ୍ଷର କରିବାକୁ ପଡ଼ିଲା । ଫଳରେ ପେଶବା ଇଂରେଜଙ୍କ ସାର୍ବଭୌମତ୍ୱକୁ ସ୍ୱୀକାର କରିବା ସହିତ ସେମାନଙ୍କର ସାମନ୍ତ ହେବାକୁ ସମ୍ମତ ହେଲେ । ମାତ୍ର ଗ୍ୱାଲିଅରର ସିନ୍ଧିଆ ଓ ନାଗପୁରର ଭୋଁସଲେ ସାମନ୍ତସନ୍ଧିକୁ ଗ୍ରହଣ ନ କରିବାରୁ ଯୁଦ୍ଧକରିି ସେମାନଙ୍କୁ ପରାସ୍ତ କରାଗଲା ।

୧୮୦୩ ଅଗଷ୍ଟ ୩ ତାରିଖରେ ଇଂରେଜ ଗଭର୍ଣ୍ଣର ଜେନେରାଲ ଲର୍ଡ଼ ଓ୍ୱେଲେସ୍‍ଲି ମରହଟ୍ଟାମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଓଡ଼ିଶାକୁ ସୈନ୍ୟ ପ୍ରେରଣ କରିବା ପୂର୍ବରୁ ପୁରୀର ପଣ୍ତା, ଜଗନ୍ନାଥ ମନ୍ଦିର ଓ ତୀର୍ଥଯାତ୍ରୀମାନଙ୍କୁ ଯଥୋଚିତ ସମ୍ମାନ ଦେବେ ବୋଲି ଇଂରେଜ ବାହିନୀର ମୁଖ୍ୟ ଲେଫ୍‍ଟନାଣ୍ଟ କର୍ଣ୍ଣେଲ୍‍ କ୍ୟାମ୍ପବେଲ୍‍ ସନ୍ଦେଶ ପଠାଇଲେ । ଇଂରେଜମାନଙ୍କ ଏହି ପ୍ରତିଶ୍ରୁତି ପୁରୀର ପଣ୍ତାମାନଙ୍କୁ ପ୍ରଲୋଭିତ କଲା । ଇଂରେଜମାନଙ୍କ ଉତ୍‍ଥାନ ଓ ମରାଠା ଶକ୍ତିର ପତନକୁ ଅନୁମାନ କରି ସେମାନଙ୍କୁ ବିରୋଧ ନ କରିବାକୁ ପଣ୍ତାମାନେ ସ୍ଥିର କଲେ ଏବଂ ଗଡ଼ଜାତମାନଙ୍କୁ ପତ୍ର ଲେଖି ଜଣାଇଦେଲେ ଯେ, ଇଂରେଜ ରାଜତ୍ୱରେ ଜଗନ୍ନାଥ ଆନନ୍ଦରେ ରହିବେ । ଓ୍ୱେଲେସ୍‍ଲି ମଧ୍ୟ ଗଡ଼ଜାତମାନଙ୍କୁ ଜଣାଇଲେ ଯେ, ମରାଠା ଅତ୍ୟାଚାରରୁ ଲୋକଙ୍କୁ ରକ୍ଷା କରିବାପାଇଁ ସେମାନେ ଓଡ଼ିଶା ଦଖଲ କରିବାକୁ ଚାହାନ୍ତି । ଓଡ଼ିଶାରେ ଇଂରେଜ ସେନା ପ୍ରବେଶ କରିବାର ଅବ୍ୟବହିତ ପୂର୍ବରୁ ସେପ୍ଟେମ୍ୱର ୧୪ ତାରିଖ ଦିନ ଜଣେ ବଙ୍ଗୀୟ ପଣ୍ତିତ ପୁରୀ ମନ୍ଦିରର ପୂଜକଙ୍କ ପାଖକୁ ଇଂରେଜମାନଙ୍କ ଧାର୍ମିକ ସହିଷ୍ଣୁତା ଓ ନ୍ୟାୟପୂର୍ଣ୍ଣ ପ୍ରଶାସନକୁ ପ୍ରଶଂସା କରି ଏକ ପତ୍ର ଲେଖିଥିଲେ । ଇଂରେଜମାନେ ଉତ୍କୋଚ ଦେଇ ଏଭଳି ପତ୍ର ଲେଖିବାକୁ କହିଥିବା ମନେ କରାଯାଏ । ମୋଟ କଥା ହେଲା ଯେ, ଇଂରେଜମାନେ ଓଡ଼ିଶାକୁ ମରାଠାମାନଙ୍କ ବିରୁଦ୍ଧରେ ସୈନ୍ୟ ପ୍ରେରଣ କରିବା ପୂର୍ବରୁ ଯଥେଷ୍ଟ ପ୍ରସ୍ତୁତି କରିଥିଲେ । ସେମାନେ ମାନସିକ ସ୍ତରରେ ନିଜ ସପକ୍ଷରେ ଏବଂ ଶତ୍ରୁ ବିପକ୍ଷରେ ଏକ ପରିବେଶ ସୃଷ୍ଟି କରିଥିଲେ । ଯୁଦ୍ଧରେ ବିଜୟପାଇଁ ଏହା ଖୁବ୍‍ ସହାୟକ ସିଦ୍ଧ ହେଲା ।   ଉତ୍ତର ବା ଉପକୂଳ ଓଡ଼ିଶାକୁ ଦଖଲ କରିବା ସକାଶେ ଇଂରେଜମାନେ ତିନି ପଟରୁ ଆକ୍ରମଣ କରିବାକୁ ଯୋଜନା କରିଥିଲେ । ଦକ୍ଷିଣ ପଟରୁ ମାଡ଼୍ରାସ ପ୍ରେସିଡେନ୍‍ସିର ୭୪ତମ ରେଜିମେଣ୍ଟର ସେନାନାୟକ କ୍ୟାମ୍ପବେଲ୍‍ ପ୍ରଥମେ ପୁରୀ ଓ ସେଠାରୁ ଯାଇ କଟକ ଆକ୍ରମଣ କରିବା ସ୍ଥିର ହେଲା । ଉତ୍ତର ପଟୁ ବଙ୍ଗରୁ ଏକ ସେନାବାହିନୀ ଜଳେଶ୍ୱର ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରିବେ ଏବଂ ସମୁଦ୍ର ପଟରୁ ଏକ ବାହିନୀ ବାଲେଶ୍ୱରକୁ ଦଖଲ କରିବେ ବୋଲି ଯୋଜନା ହେଲା । ଦକ୍ଷିଣପଟୁ ସେପ୍ଟେମ୍ୱର ୮ରେ ସାମରିକ ଅଭିଯାନ ଆରମ୍ଭ ହେଲା । କ୍ୟାମ୍ପବେଲ୍‍ଙ୍କ ସ୍ଥାନରେ କର୍ଣ୍ଣେଲ୍‍ ଜର୍ଜ ହାରକୋର୍ଟ (George Harcourt) ଅଭିଯାନର ଦାୟିତ୍ୱ ନେଲେ । ମାଣିକ ପାଟଣାଠାରେ ହାରକୋର୍ଟ ଫାଙ୍କା ଗୁଳି ଫୁଟାଇ ମରହଟ୍ଟାମାନଙ୍କୁ ଘଉଡାଇ ଦେଲେ । ମାଲୁଦର ଫୌଜଦାର ଟଙ୍କା ନେଇ ଇଂରେଜଙ୍କ ପକ୍ଷଭୁକ୍ତ ହୋଇଗଲେ । ପୁରୀକୁ ପ୍ରବେଶ କରିବାଲାଗି ସେନାକୁ ଖୋର୍ଦ୍ଧା ଦେଇ ଯିବା ଜରୁରୀ ଥିଲା । ଖୋର୍ଦ୍ଧା ରାଜା ଦ୍ୱିତୀୟ ମୁକୁନ୍ଦ ଦେବ ଏମିତିରେ ମରାଠାମାନଙ୍କ କର୍ତ୍ତୃତ୍ୱକୁ ସ୍ୱୀକାର କରି ନେଇଥିଲେ । ପୁରୀ ଓ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ମଧ୍ୟ ମରାଠାମାନଙ୍କ ହାତରେ ରହିଥିଲା । ଉପସ୍ଥିତ ପରିସ୍ଥିତିରେ ଇଂରେଜମାନେ ତାଙ୍କୁ ଲକ୍ଷେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଲେ ଏବଂ ପ୍ରତିଦାନରେ ଖୋର୍ଦ୍ଧା ଦେଇ ଇଂରେଜସେନାଙ୍କୁ ଯାତ୍ରାପାଇଁ ଅନୁମତି ଲୋଡିଲେ । ଖୋର୍ଦ୍ଧା ରାଜା ମରାଠାମାନଙ୍କ ବିରୁଦ୍ଧରେ ଇଂରେଜମାନଙ୍କୁ ସୈନ୍ୟ ସହଯୋଗ ଦେବାକୁ ମଧ୍ୟ ପ୍ରତିଶ୍ରୁତିଦେଲେ । ସେପ୍ଟେମ୍ୱର ୧୮ ତାରିଖ ଦିନ ଇଂରେଜ ସେନା ଯେତେବେଳେ ପୁରୀରେ ପ୍ରବେଶ କଲେ, ଜଗନ୍ନାଥ ମନ୍ଦିରର ପଣ୍ତାମାନେ ସେମାନଙ୍କୁ ସ୍ୱାଗତ କରିଥିଲେ ।

ପୁରୀରୁ ଇଂରେଜ ବାହିନୀ କଟକ ଅଭିମୁଖେ ଯାତ୍ରା କଲେ । ବାଟରେ ଅହମ୍ମଦପୁର ଓ ମୁକୁନ୍ଦପୁରରେ ସେମାନଙ୍କୁ ମରାଠାମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ମାତ୍ର ବିରୋଧର ମାତ୍ରା ଅଧିକ ନଥିଲା । ୧୮୦୩ ଅକ୍ଟୋବର ୮ ତାରିଖ ଦିନ ହାରକୋର୍ଟଙ୍କ ନେତୃତ୍ୱରେ ଇଂରେଜ ସେନା କଟକରେ ପହଞ୍ଚି ପ୍ରଥମେ ଲାଲବାଗ ଦୁର୍ଗ କବ୍‍ଜା କରିନେଲେ । ବାରବାଟୀ ଦୁର୍ଗ ଅଧିକାର କରିବା ପୂର୍ବରୁ ମରହଟ୍ଟା ଫୌଜଦାରଙ୍କୁ ସେମାନେ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ ବିନା ପ୍ରତିରୋଧରେ ଦୁର୍ଗ ଦଖଲ କରିବାକୁ ଚାହିଁଲେ । ଏହି ଉଦ୍ୟମ ବିଫଳ ହେବାରୁ ଅକ୍ଟୋବର ୧୩ ତାରିଖ ଦିନ ଇଂରେଜ ବାହିନୀ ବାରବାଟୀ ଦୁର୍ଗ ଅବରୋଧ କଲେ । ଦୁର୍ଗ ଦଖଲ କରିବା ପୂର୍ବରୁ ମରହଟ୍ଟା ସେନାପତି ଶିବପ୍ରସାଦଙ୍କୁ ସେମାନେ ନିଜ ପକ୍ଷଭୁକ୍ତ କରିନେଲେ । ବାରବାଟୀ ଦୁର୍ଗ ଦଖଲ ହେଲା । ଦୁର୍ଗ ଅବରୋଧ ସମୟରେ ଖଣ୍ତ ଯୁଦ୍ଧରେ ମୋଟ ଦୁଇଜଣ ଇଂରେଜ ସୈନ୍ୟ ଓ ତିିନିଜଣ ଭାରତୀୟ ସୈନ୍ୟଙ୍କର ପ୍ରାଣ ଗଲା । ଅନ୍ୟ କ୍ଷୟକ୍ଷତି ମଧ୍ୟରେ କଟକ ଅଧିକାର ସମୟରେ ମାତ୍ର ୧୬ ଜଣ ଇଂରେଜ ଓ ୧୩ ଜଣ ଭାରତୀୟ ସିପାହି ଆହତ ହୋଇଥିଲେ । ଯୁଦ୍ଧରେ ପରାସ୍ତ ହୋଇ ଭୋଁସଲେ ରାଜାଙ୍କ ସେନା ଛତ୍ରଭଂଗ ଦେଲେ । କଟକ କର୍ଣ୍ଣେଲ୍‍ ହାରକୋର୍ଟଙ୍କ ଅଧୀନସ୍ଥ ହେଲା ।   ବାଲେଶ୍ୱର ମଧ୍ୟ ଏକା ଉପାୟରେ ଇଂରେଜମାନଙ୍କ ଅଧିକାରଭୁକ୍ତ ହେଲା । ସେପ୍ଟେମ୍ୱର ୨୧ରେ କ୍ୟାପ୍‍ଟେନ୍‍ ମର୍ଗାନ୍‍ (Captain Morgan)ସମୁଦ୍ର ପଥରେ ଏକ ସେନା ବାହିନୀ ନେଇ ବାଲେଶ୍ୱରରେ ପହଞ୍ଚିଲେ । ବାଲେଶ୍ୱର ଦଖଲ ହେବା ପୂର୍ବରୁ ମରାଠା ଫୌଜଦାରଙ୍କୁ ଲାଞ୍ଚ ଦେଇ ବିନା ଯୁଦ୍ଧରେ ଇଂରେଜମାନେ କ୍ଷେତ୍ରଟିକୁ ଅଧିକାର କରିନେବାକୁ ଉଦ୍ୟମ କଲେ । ଫୌଜଦାରଙ୍କ ମଧ୍ୟ ଏଥିରେ ଅସହମତି ନଥିଲା । ମାତ୍ର ମରାଠା ସୈନ୍ୟମାନେ ଚକ୍ରାନ୍ତଟିକୁ ବୁଝିପାରି ଫୌଜଦାରକୁ ଗିରଫ କଲେ ଏବଂ ଇଂରେଜଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ମାତ୍ର ଗୋଟାଏ ଦିନର ଯୁଦ୍ଧରେ ବାଲେଶ୍ୱର ଅଧିକୃତ ହେଲା ।

ଉତ୍ତର ପଟୁ ଏକ ଇଂରେଜ ବାହିନୀ କର୍ଣ୍ଣେଲ୍‍ ଫର୍ଗୁସନଙ୍କ ନେତୃତ୍ୱରେ ଜଳେଶ୍ୱର ଦେଇ କଟକ ଯାତ୍ରା କଲେ । ସେମାନେ କଟକ ପହଞ୍ଚିବା ପୂର୍ବରୁ ହାରକୋର୍ଟଙ୍କ ବାହିନୀ କଟକ ଅଧିକାର କରି ସାରିଥିଲେ । ଏହା ପରେ ଗ୍ରାମାଞ୍ଚଳର ଜମିଦାରମାନଙ୍କୁ ଇଂରେଜ କର୍ତ୍ତୃତ୍ୱାଧୀନ କରିବା ସକାଶେ କର୍ଣ୍ଣେଲ ଫେନ୍‍ଓ୍ୱିକ୍‍ଙ୍କୁ (Colonel Fenwick) ଦାୟିତ୍ୱ ଦିଆଗଲା । ଫେନ୍‍ଓ୍ୱିକ୍‍ ପ୍ରଥମେ ଶାନ୍ତିପୂର୍ଣ୍ଣ ଉପାୟରେ ନିଜ କାର୍ଯ୍ୟ ହାସଲପାଇଁ ଉଦ୍ୟମ କଲେ । ଯେଉଁଠି ଆବଶ୍ୟକ ପଡ଼ିଲା ଶକ୍ତି ମଧ୍ୟ ପ୍ରୟୋଗ କଲେ ।

ପ୍ରଥମେ ବାଲେଶ୍ୱର ଏବଂ ତତ୍‍ ପରେ ପୁରୀ ଓ କଟକ ନିଜ କର୍ତ୍ତୃତ୍ୱକୁ ଆସିବା ପରେ ଲର୍ଡ଼ ଓ୍ୱେଲେସଲିଙ୍କ ରାଜ୍ୟ ବିସ୍ତାର ନୀତି ଖୁବ୍‍ ସଫଳତା ପାଇଲା । ବାରବାଟୀ ଦୁର୍ଗ ଦଖଲ ପରେ ଶାସନ ପରିଚାଳନା ଏବଂ ଅନ୍ୟ ଗଡ଼ଜାତମାନଙ୍କ ଉପରେ ଆଧିପତ୍ୟ ବିସ୍ତାରଲାଗି ଲର୍ଡ଼ ଓ୍ୱେଲେସଲି ଏକ କମିଟି ଗଠନ କଲେ । ହାରକୋର୍ଟଙ୍କ ବ୍ୟତୀତ ତହିଁରେ ଜେ.ମେଲଭିଲ (J. Melville)ଏବଂ ଟି.ଏଚ୍‍. ଆର୍ଣ୍ଣେଷ୍ଟ (T.H. Ernst) ସଭ୍ୟ ଥିଲେ । ଏହି କମିଟିର ଚାପରେ ଖୋର୍ଦ୍ଧା, ମୟୂରଭଞ୍ଜ, ଅନୁଗୋଳ, ହିନ୍ଦୋଳ, ଦଶପଲ୍ଲା, ଆଳି, କୁଜଙ୍ଗ, ହରିଶପୁର, ଦର୍ପଣି, ସୁକିନ୍ଦା, ମଧୁପୁର, ମରିଚପୁର, ବିଷ୍ଣୁପୁର ଓ କନିକା ଇଂରେଜ ସରକାରଙ୍କ ପ୍ରଭୁତ୍ୱ ସ୍ୱୀକାର କରିବାକୁ ରାଜିହେଲେ । ଏହା ସହିତ ସେଗୁଡ଼ିକ ବାର୍ଷିକ କର ବା ପେଶକସ୍‍ ଦେବାକୁ ମଧ୍ୟ ସମ୍ମତି ପ୍ରଦାନ କଲେ । ୧୮୦୩ ଡିସେମ୍ୱର ୧୭ ତାରିଖରେ ରଘୁଜୀ ଭୋଁସଲେ ମହାରାଷ୍ଟ୍ରର ଦେଓଗାଁଠାରେ ଇଷ୍ଟ ଇଣ୍ତିଆ କମ୍ପାନୀ ସହିତ ବୁଝାମଣା କଲେ । ସେହି ଅନୁଯାୟୀ, ଭୋଁସଲେ ଇଂରେଜମାନଙ୍କର କଟକ, ପୁରୀ ଓ ବାଲେଶ୍ୱର ଉପରେ ସାର୍ବଭୌମତ୍ୱକୁ ସ୍ୱୀକାର କଲେ । ଗଡ଼ଜାତମାନଙ୍କ ସହ ଇଂରେଜମାନେ କରିଥିବା ଚୁକ୍ତିକୁ ମଧ୍ୟ ସ୍ୱୀକୃତି ଦିଆଗଲା । ୧୮୦୪ ମସିହା ଜାନୁଆରି ୯ ତାରିଖ ଦିନ ସପରିଷଦ ଗଭର୍ଣ୍ଣର ଜେନେରାଲ୍‍ (Governor General in Council)ଦେଓଗାଁଓ ବୁଝାମଣାକୁ ଅନୁମୋଦନ କଲେ ।

ସମ୍ୱଲପୁର ଦଖଲ   ଅଷ୍ଟାଦଶ ଶତାବ୍ଦୀରେ ସମ୍ୱଲପୁରରେ ଚୌହାନ ବଂଶ ରାଜୁତି କରୁଥିଲେ । କିମ୍ୱଦନ୍ତୀ ଅନୁଯାୟୀ ସେମାନେ ପୃଥ୍ୱୀରାଜ ଚୌହାନଙ୍କ ବଂଶଧର ଥିଲେ । ୧୧୯୨ରେ ମହମ୍ମଦ ଘୋରୀଙ୍କ ହାତରେ ପୃଥ୍ୱୀରାଜ ଚୌହାନଙ୍କ ପରାଜୟ ପରେ ସେହି ବଂଶର ଜଣେ ରାଣୀ ଉତ୍ତର ପ୍ରଦେଶର ମୈନପୁରୀ ଦେଇ ପାଟଣାଗଡ଼ (ଆଧୁନିକ ବଲାଙ୍ଗିର ଜିଲ୍ଲା)ରେ ଆଶ୍ରୟ ନେଇଥିଲେ । ତାଙ୍କ ପୁତ୍ର ରମାଇଦେବ ପାଟଣାଗଡ଼ ରାଜ୍ୟର ଶାସକ ହେଲେ । ତତ୍‍କାଳୀନ ଗଙ୍ଗବଂଶର ସାର୍ବଭୌମତ୍ୱକୁ ସେ ଅସ୍ୱୀକାର କରି ନଥିଲେ । ତେଣୁ ତାଙ୍କୁ ବିଶେଷ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିନଥିଲା ।

ଷୋଡ଼ଶ ଶତାବ୍ଦୀର ଶେଷ ଆଡ଼କୁ ପାଟଣାଗଡ଼ ରାଜ୍ୟର ଦ୍ରୁତ ପତନ ଘଟିଲା । ଏହାର ସୁଯୋଗ ନେଇ ବଳରାମ ଦେବ ସମ୍ୱଲପୁର ରାଜ୍ୟ ପ୍ରତିଷ୍ଠା କଲେ । ସେତେବେଳ ପର୍ଯ୍ୟନ୍ତ ସମ୍ୱଲପୁର ପାଟଣାଗଡ଼ ରାଜ୍ୟର ଅଂଶ ହୋଇ ରହିଥିଲା । ବଳରାମ ଦେବ ରାଜା ହେଲା ପରେ ପାଟଣାଗଡ଼ର ପ୍ରଭୁତ୍ୱକୁ ଅସ୍ୱୀକାର କରି ନଥିଲେ । ବରଂ ପାଟଣାଗଡ଼ର ରାଜା ନରସିଂହଦେବଙ୍କ ପାଖରୁ ଦାନ ସୂତ୍ରରେ ତାଙ୍କୁ ସମ୍ୱଲପୁର ପ୍ରାପ୍ତ ହୋଇଛି ବୋଲି ସେ ଦାବି କରିଥିଲେ । ତା' ସହିତ ନିଜର ସ୍ୱାଧୀନତାକୁ ପ୍ରଦର୍ଶନ କରିବା ସକାଶେ ସମ୍ୱଲପୁରରେ ସମଲାଇ ଦେବୀଙ୍କୁ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ରୂପେ ପୁନଃପ୍ରତିଷ୍ଠା ଦେଲେ । ସେତେବେଳେ ସ୍ଥାନୀୟ ସ୍ୱାଭିମାନକୁ ଜାହିର କରିବାନିମନ୍ତେ ରାଜ୍ୟମାନଙ୍କରେ ଏକ ଅଧିଷ୍ଠାତ୍ରୀ ଦେବୀ ପ୍ରତିଷ୍ଠା କରିବାର ପରଂପରା ରହିଥିଲା । ରମାଇଦେବ ମଧ୍ୟ ପାଟଣାଗଡ଼ରେ ପାଟଣେଶ୍ୱରୀ ଦେବୀଙ୍କ ମନ୍ଦିର ନିର୍ମାଣ କରି ଏହି ପରଂପରାକୁ ପାଳନ କରିଥିଲେ । ସମ୍ଭବତଃ ରାଜ୍ୟ ପ୍ରତିଷ୍ଠା ପୂର୍ବରୁ ଉକ୍ତ ଦେବୀମାନଙ୍କର ପୂଜା ପରଂପରା ରହିଥିଲା । ରାଜ ପୃଷ୍ଠପୋଷକତା ଦେବୀଙ୍କୁ ପ୍ରସିଦ୍ଧି ଦେଲା ତଥା ରାଜାଙ୍କ ନିମନ୍ତେ ସ୍ଥାନୀୟ ଲୋକ ସମର୍ଥନ ଆଣିଦେଲା ।

ସପ୍ତଦଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ବଳିଆରଦେବଙ୍କ ରାଜତ୍ୱ କାଳରେ (୧୬୫୦-୧୬୮୮) ସମ୍ୱଲପୁର ପଶ୍ଚିମ ଓଡ଼ିଶାର ପ୍ରମୁଖ ରାଜ୍ୟ ହେବାର ଗୌରବ ଲାଭ କଲା । କେବଳ ପାଟଣାଗଡ଼ ନୁହେଁ, ତା' ସାଙ୍ଗକୁ ପ୍ରାଚୀନ କାଳରେ କୋଶଳ ନାମରେ ପରିଚିତ ସମଗ୍ର କ୍ଷେତ୍ରର କେନ୍ଦ୍ର ଭାବରେ ତାକୁ ପରିଚିତି ମିଳିଲା । ଅଠରଟି ରାଜ୍ୟର ମୁଖ୍ୟ ଭାବରେ ସମ୍ୱଲପୁର ରାଜା 'ଅଠରଗଡ଼ ମଉଡ଼ମଣି' ଉପାଧି ଧାରଣ କଲେ । ଏହି ଅଠରଟି ରାଜ୍ୟ ହେଲେ : ସମ୍ୱଲପୁର, ପାଟଣା (ପାଟଣାଗଡ଼), ସୋନପୁର, ବଉଦ, ଆଠମଲ୍ଲିକ୍‍, ଖରିଆର, ରେଢ଼ାଖୋଲ, ବାମଣ୍ତା, ଗାଙ୍ଗପୁର, ବଣାଇ, ରାୟଗଡ଼, ବରଗଡ଼, ସାରଙ୍ଗଡ଼, ଶକ୍ତି, ଫୁଲଝର, ଚନ୍ଦ୍ରପୁର, ବିନ୍ଦ୍ରା-ନୂଆଗଡ଼ ଓ ସରଗୁଜା । ଅର୍ଥାତ୍‍ ଆଧୁନିକ ଓଡ଼ିଶାର ସମ୍ୱଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ବଲାଙ୍ଗୀର, ସୋନପୁର, କଳାହାଣ୍ତି, ନୂଆପଡ଼ା ଜିଲ୍ଲା ସମେତ ଛତିଶଗଡ଼ର ରାୟଗଡ଼, ବିଳାସପୁର, ସାରଙ୍ଗଡ଼ ଆଦି କ୍ଷେତ୍ରର ରାଜନୀତିକ କେନ୍ଦ୍ର ଭାବରେ ସମ୍ୱଲପୁରକୁ ଲୋକେ ଜାଣିଲେ । ଏହି ବିସ୍ତୃତ କ୍ଷେତ୍ରର ଭାଷା, ସଂସ୍କୃତିରେ ସ୍ୱାତନ୍ତ୍ର୍ୟ ଅନୁମାନ କରି ଏବଂ କ୍ଷେତ୍ର ମଧ୍ୟସ୍ଥ ରାଜ୍ୟଗୁଡ଼ିକର ଭାଷା, ସଂସ୍କୃତି, ପରଂପରାରେ ସମାନତାକୁ ହୃଦୟଙ୍ଗମ କରି ବାହାରେ ଏହି ସମଗ୍ର କ୍ଷେତ୍ରକୁ ଏକ ରାଜ୍ୟ ବୋଲି ମନେ କରାଯାଉଥିଲା । ଏହାକୁ କୋଶଳ ନାମରେ ଅଭିହିତ କରି ସୋନପୁରର ଗଙ୍ଗାଧର ମିଶ୍ର ନାମରେ ଜଣେ କବି ସେହି ସମୟରେ 'କୋଶଳାନନ୍ଦ କାବ୍ୟ' ଶୀର୍ଷକରେ ଏକ ସଂସ୍କୃତ କାବ୍ୟ ମଧ୍ୟ ରଚନା କରିଥିଲେ ।   ଅଷ୍ଟାଦଶ ଶତାବ୍ଦୀର ମଧ୍ୟ ଭାଗରେ (୧୭୫୧) ମରାଠାମାନେ କଟକ ଅଧିକାର କଲେ । ନାଗପୁରରୁ ସେମାନେ ସମ୍ବଲପୁର ଦେଇ କଟକ ଯାଇଥିଲେ ଏବଂ ବାଟରେ ବାରମ୍ୱାର ସମ୍ୱଲପୁର ରାଜ୍ୟର ଗାଁ ଗଣ୍ତା ଉପରେ ଆକ୍ରମଣ କରିଥିଲେ । ଏସବୁ ସତ୍ତ୍ୱେ ସେମାନେ ଅନେକ ଦିନ ପର୍ଯ୍ୟନ୍ତ ସମ୍ୱଲପୁର ଅଧିକାର କରି ପାରି ନଥିଲେ । ଏହାର ଏକାଧିକ କାରଣ ମଧ୍ୟରୁ ଗୋଟାଏ ହେଲା ଯେ, କଟକରେ ପ୍ରତିଷ୍ଠିତ ହେଲା ପରେ ସେମାନେ ସମ୍ୱଲପୁର ପ୍ରତି ଧ୍ୟାନ ଦେବାକୁ ମନସ୍ଥ କରିଥିଲେ, କାରଣ ବଙ୍ଗ ଦଖଲ ସେମାନଙ୍କର ଲକ୍ଷ୍ୟ ଥିଲା ଏବଂ ସେଥିପାଇଁ କଟକ ଓ ବାଲେଶ୍ୱରକୁ ଆଧାର ଭାବରେ ସେମାନେ ବିଚାର କରୁଥିଲେ । ଅନ୍ୟ ଏକ ପ୍ରମୁଖ କାରଣ ହେଲା, ସମ୍ୱଲପୁର ରାଜା ମଧ୍ୟ ସାମରିକ ଦୃଷ୍ଟିରୁ ଯଥେଷ୍ଟ ବଳଶାଳୀ ଥିଲେ । ଦୁଇଥର ଖଣ୍ତ ଯୁଦ୍ଧରେ ମରାଠା ସେନାକୁ ସମ୍ୱଲପୁର ରାଜା ପରାସ୍ତ କରିଥିଲେ ।

ଅଷ୍ଟାଦଶ ଶତାବ୍ଦୀର ଶେଷ ଆଡ଼କୁ ସମ୍ୱଲପୁର ରାଜବଂଶର ଦ୍ରୁତ ପତନ ହେଲା । ଚୌହାନ ରାଜା ଅଭୟ ସିଂହ ଓ ଦେଓ୍ୱାନ୍‍ ଆକବର ରାୟଙ୍କ ମଧ୍ୟରେ କଳହଯୋଗୁଁ ରାଜ୍ୟରେ ଗୃହଯୁଦ୍ଧପ୍ରାୟ ସ୍ଥିତି ଉପୁଜିଲା । ଦେଓ୍ୱାନ୍‍ଙ୍କୁ ରାଜା ବରଖାସ୍ତ କରି ତାଙ୍କ ସ୍ଥାନରେ କୃଷ୍ଣ ବଡ଼ମଲ୍ଲିକଙ୍କୁ ଦେଓ୍ୱାନ୍‍ ପଦରେ ନିଯୁକ୍ତ କଲା ପରେ ୧୭୬୬ ଜୁନ୍ ୧୭ ତାରିଖ ଦିନ ବରଖାସ୍ତ ଦେଓ୍ୱାନ୍‍ ଆକବର ରାୟ, ରାଜା ଅଭୟ ସିଂହ ଓ ନୂତନ ଦେଓ୍ୱାନଙ୍କୁ ବନ୍ଦୀ କଲେ ଏବଂ ପ୍ରାୟ ୩୦୦ ରାଜା ସମର୍ଥକଙ୍କୁ ହତ୍ୟା କଲେ । ଏହା ପରେ ସେ ନିଜେ ଶାସନଗାଦି ଅଧିକାର କରି ସମ୍ୱଲପୁରର ରାଜା ହେଲେ । ଏହା ପରେ ଅଭୟ ସିଂହଙ୍କ ଭାଇ ଜୟନ୍ତ ସିଂହ ସାରଙ୍ଗଡ଼ ତଥା ଅନ୍ୟ କେତେକ ସାମନ୍ତ ରାଜ୍ୟର ସାହାଯ୍ୟରେ ସମ୍ୱଲପୁର ଆକ୍ରମଣ କଲେ । ଏହି ପରିସ୍ଥିତିରେ ଆକବର ରାୟ ଜୟନ୍ତ ସିଂହଙ୍କ ସହ ସନ୍ଧି କରି ତାଙ୍କୁ ରାଜା ଭାବରେ ସ୍ୱୀକୃତି ଦେଲେ । ଅନ୍ୟ ପକ୍ଷରେ ମରାଠା ସେନାପତି ଚିମନଜୀ ମଧ୍ୟ ସମ୍ୱଲପୁର ଅଧିକାର ପ୍ରତି ବିଶେଷ ମହତ୍ତ୍ୱ ନ ଦେଇ ନାଗପୁର ପ୍ରତ୍ୟାବର୍ତ୍ତନ କଲେ ।   ମରାଠା ସେନାର ନାଗପୁରରୁ କଟକ ଯିବା ଆସିବା ସମୟରେ ମୁଖ୍ୟ ଲକ୍ଷ୍ୟ ଥିଲା, ସମ୍ୱଲପୁର ଓ ରାସ୍ତାକଡ଼ର ଅନ୍ୟ ଗାଁ ଗଣ୍ତାରେ ଲୁଣ୍ଠନ । ମରାଠା ସୈନ୍ୟ ଆବଶ୍ୟକୀୟ ଖାଦ୍ୟ ପାନୀୟ ଗାଁଗଣ୍ତାରୁ ଲୁଣ୍ଠନ କରି ସଂଗ୍ରହ କରୁଥିଲେ । ସେହି ପ୍ରକ୍ରିୟାରେ ଧନରତ୍ନ ଲୁଣ୍ଠନ କରିବାକୁ ତଥା ପ୍ରତିରୋଧକାରୀଙ୍କ ଉପରେ ଅତ୍ୟାଚାର କରିବାକୁ ସେମାନେ ହେଳା କରୁ ନଥିଲେ । ସମ୍ୱଲପୁରର ରାଜା ହେଲା ପରେ ଜୟନ୍ତ ସିଂହ ଭୋଁସଲେ ସେନାପତିଙ୍କ ସଙ୍ଗେ ବୁଝାମଣା କରି ଏହି ସମସ୍ୟାର ସମାଧାନ ଆଣିଲେ । ୧୭୯୩ରେ ସେ ବାର୍ଷିକ ୩୨,୦୦୦ ସ୍ଥାନୀୟ ସମ୍ୱଲପୁରୀ ଟଙ୍କା, ଯାହାର ବଜାର ମୂଲ୍ୟ ଥିଲା ପ୍ରାୟ ୧୬,୦୦୦ ସ୍ୱର୍ଣ୍ଣ ମୁଦ୍ରା, ଭୋଁସଲେ ରାଜାଙ୍କୁ କର ରୂପେ ଦେବାକୁ ସମ୍ମତ ହେଲେ । ଏହାର ଅର୍ଥ ହେଲା, ସମ୍ୱଲପୁର ରାଜ୍ୟ ନାଗପୁରର ଭୋଁସଲେ ରାଜାଙ୍କ ସାର୍ବଭୌମତ୍ୱକୁ ଗ୍ରହଣ କରିନେଲା । ଅନ୍ୟ ପକ୍ଷରେ ସମ୍ୱଲପୁରର ଆଭ୍ୟନ୍ତରୀଣ ପ୍ରଶାସନ ଚୌହାନ ରାଜାଙ୍କ ହାତରେ ରହିଲା । ଏହି ବ୍ୟବସ୍ଥା ୧୮୦୦ ମସିହା ପର୍ଯ୍ୟନ୍ତ ଚାଲୁ ରହିଲା ।

୧୮୦୦ ମସିହାରେ ଭୋଁସଲେ ରାଜା ସମ୍ୱଲପୁରକୁ ପ୍ରତ୍ୟକ୍ଷ ଶାସନାଧୀନ କରିବାକୁ ଚାହିଁଲେ । ଏହାଦ୍ୱାରା ଅଧିକ ରାଜସ୍ୱ ଆଦାୟ ହେବାର ତଥା ନାଗପୁରରୁ କଟକ ଯିବା ଆସିବା ରାସ୍ତାରେ ମରାଠା ଅଧିକାରୀଙ୍କୁ ଅଧିକ ସହଯୋଗ ମିଳିବାର ସଂଭାବନା ଥିଲା । ଭୂପସିଂହ ନାମକ ଜଣେ ସେନା ଅଧିକାରୀଙ୍କ ନେତୃତ୍ୱରେ ନାଗପୁର ରାଜା ଦ୍ୱିତୀୟ ରଘୁଜୀ ଏକ ସୈନ୍ୟ ବାହିନୀ ପ୍ରେରଣ କଲେ ଏବଂ ସମ୍ୱଲପୁର, ସୋନପୁର ଓ ବଉଦର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ବନ୍ଦୀ କରିନେଲେ । ସମ୍ୱଲପୁର ଦଖଲ ହେଲା ପରେ ଭୂପସିଂହ ମରାଠା ପ୍ରଶାସକ ନିଯୁକ୍ତ ହେଲେ । ମାତ୍ର ଧାର୍ଯ୍ୟ ମତେ ଭୂ-ରାଜସ୍ୱ ଅସୁଲ କରି ନାଗପୁର ପ୍ରେରଣ କରିବାରେ ଅସଫଳ ହେବାରୁ ଭୋଁସଲେ ରାଜା ଭୂପସିଂହଙ୍କ ସ୍ଥାନରେ ତାନ୍ତିଆ ଫଡ଼ନାବିସଙ୍କୁ ସମ୍ୱଲପୁରର ପ୍ରଶାସକ ନିଯୁକ୍ତ କଲେ । ୧୮୦୪ରେ ଇଂରେଜ ସେନା ସମ୍ୱଲପୁର ଦଖଲପାଇଁ ଉଦ୍ୟମ କଲାବେଳେ ତାନ୍ତିଆ ଥିଲେ ତା'ର ପ୍ରଶାସକ ।

ଇଂରେଜ ସେନା ଜର୍ଜ ହାରକୋର୍ଟଙ୍କ ନେତୃତ୍ୱରେ ଅକ୍ଟୋବର ୧୮୦୩ରେ କଟକ ଅଧିକାର କଲା ପରେ କୂଟନୀତି ପ୍ରୟୋଗ କରି ସମ୍ୱଲପୁର ଅର୍ଥାତ୍‍ ପଶ୍ଚିମ ଓଡ଼ିଶାକୁ ନିଜ ଅଧୀନକୁ ଆଣିବାକୁ ଉଦ୍ୟମ କଲେ । ସମ୍ୱଲପୁର, ସୋନପୁର ଓ ବଉଦ ରାଜାଙ୍କୁ ପତ୍ର ଲେଖି ହାରକୋର୍ଟ ଜଣାଇଦେଲେ ଯେ, ସେମାନେ ଯଦି ଇଂରେଜମାନଙ୍କର ବଶ୍ୟତା ସ୍ୱୀକାର କରନ୍ତି, ମରାଠା କର୍ତ୍ତୃତ୍ୱରୁ ମୁକ୍ତ ହେବେ । ଅର୍ଥାତ୍‍ ସେମାନଙ୍କୁ ଭବିଷ୍ୟତରେ ମରାଠାମାନଙ୍କୁ ବାର୍ଷିକ ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ ଇଂରେଜ ସରକାର ପ୍ରତ୍ୟେକ ରାଜାଙ୍କଠାରୁ ମାତ୍ର ପାଞ୍ଚଟି ସ୍ୱର୍ଣ୍ଣ ମୋହର ପେଶକସ ନେବେ । ଯେହେତୁ ଉକ୍ତ ତିନି ରାଜା ମରାଠାମାନଙ୍କ ହାତରେ ବନ୍ଦୀ ଥିଲେ, ସେମାନଙ୍କ ରାଣୀ ଯଥା ସମ୍ୱଲପୁରର ରାଣୀ ରତନ କୁମାରୀ, ସୋନପୁର ରାଣୀ ଲକ୍ଷ୍ମୀପ୍ରିୟା ଏବଂ ବଉଦର ରାଣୀ ଜଗଦୀଶ୍ୱରୀ ଦେଓ ଇଂରେଜମାନଙ୍କ ସହ ୧୮୦୪ ଜାନୁଆରି ୪ ତାରିଖ ଦିନ ଏ ନେଇ ଚୁକ୍ତିନାମା ସ୍ୱାକ୍ଷର କଲେ । ଫଳରେ ମେଜର ବ୍ରାଉଟନ୍‍ ସମ୍ୱଲପୁରର ମରାଠା ପ୍ରଶାସକ ତାନ୍ତିଆ ଫଡ଼ନାବିସଙ୍କୁ ତଡ଼ି ନିଜେ ସେଠାରେ ଇଂରେଜ ପ୍ରଶାସନ କଥା ବୁଝିଲେ । ଏହା ପରେ ରାୟଗଡ଼, ସାରଙ୍ଗଡ଼, ରେଢ଼ାଖୋଲ, ଗାଙ୍ଗପୁର, ବାମଣ୍ତା, ବଣାଇ, ଶକ୍ତି ଓ ବରଗଡ଼ର ରାଜା, ଜମିଦାରମାନେ ମଧ୍ୟ ବ୍ରାଉଟନ୍‍ଙ୍କ ସହ ସ୍ୱେଚ୍ଛାରେ ଚୁକ୍ତି କଲେ, ଯାହାର ଉଦ୍ଦେଶ୍ୟ ହେଲା ମରାଠା କର୍ତ୍ତୃତ୍ୱରୁ ମୁକ୍ତି ପାଇବା ।   ୧୮୦୫ରେ ଗଭର୍ଣ୍ଣର ଜେନେରାଲ୍‍ ପଦରୁ ଲର୍ଡ଼ ଓ୍ୱେଲେସଲି ଅବ୍ୟାହତି ପାଇଲେ । ତାଙ୍କ ରାଜ୍ୟ ବିସ୍ତାର ଓ ଯୁଦ୍ଧଖୋର ନୀତିଯୋଗୁଁ ଇଷ୍ଟ ଇଣ୍ତିଆ କମ୍ପାନୀର ଋଣ ପରିମାଣ ୧୭୯୯ରେ ୧୭୦ ଲକ୍ଷ ପାଉଣ୍ତରୁ ୧୮୦୬ ବେଳକୁ ୩୧୦ ଲକ୍ଷ ପାଉଣ୍ତରେ ପହଞ୍ଚିଲା । ଯୁଦ୍ଧ ଖର୍ଚ୍ଚ ତୁଲାଇବା କମ୍ପାନୀପାଇଁ ଭାରି ପଡ଼ିଲା । ୟୁରୋପରେ ନେପୋଲିୟନ୍‌ଙ୍କ ରାଜନୀତିକ ଓ ସାମରିକ ଆବିର୍ଭାବଯୋଗୁଁ ଇଂଲଣ୍ତପାଇଁ ବିପଦର ମାତ୍ରା ବୃଦ୍ଧି ପାଇଲା । ଯୁଦ୍ଧ ଇଂଲଣ୍ତକୁ ବିପର୍ଯ୍ୟସ୍ତ କରି ପକାଇଲା । ଏହି ସ୍ଥିତିରେ ପାର୍ଲାମେଣ୍ଟରେ ତଥା କମ୍ପାନୀର ନିର୍ଦ୍ଦେଶକ ମଣ୍ତଳୀରେ ଭାରତରେ ଇଂରେଜର ଯୁଦ୍ଧ ନୀତିକୁ ସମାଲୋଚନା କରାଗଲା । ଲର୍ଡ଼ ଓ୍ୱେଲେସ୍‍ଲିଙ୍କ ସ୍ଥାନରେ ଗଭର୍ଣ୍ଣର ଜେନେରାଲ୍‍ ପଦରେ ନିଯୁକ୍ତ ହୋଇଥିବା ଜି.ଏଚ୍‍.ବାର୍ଲୋ ଶାନ୍ତି ନୀତି ଅବଲମ୍ୱନ କରି ସମ୍ୱଲପୁର ଓ ପାଟଣାକୁ ମରହଟ୍ଟାମାନଙ୍କୁ ଫେରାଇଦେଲେ । ଏଥିପାଇଁ ୧୮୦୬ ମସିହା ଅଗଷ୍ଟ ୨୪ ତାରିଖ ଦିନ ଭୋଁସଲେ ରାଜା ଓ ଇଂରେଜଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହେଲା ।

ଶାନ୍ତି ନୀତି ଆଚରଣ କରି ଇଂରେଜମାନେ ସମ୍ୱଲପୁରକୁ ଭୋଁସଲେ ରାଜାଙ୍କ ହାତକୁ ଫେରାଇ ଦେଲେ, ମାତ୍ର ଅନ୍ୟ ରାଜ୍ୟଗୁଡ଼ିକୁ ନିଜ କର୍ତ୍ତୃତ୍ୱରେ ରଖିଲେ । ଦ୍ୱିତୀୟତଃ, ସମ୍ୱଲପୁରର ରାଣୀ ରତନ କୁମାରୀ ଏବଂ ଅନ୍ୟ ଜମିଦାରମାନଙ୍କୁ ମରହଟ୍ଟାମାନଙ୍କର ବିରୋଧ କରିବା ସକାଶେ ଗୋପନ ସମର୍ଥନ ଦେଲେ । ଅର୍ଥାତ୍‍ ଶାନ୍ତି ନୀତି ପ୍ରତି ସେମାନଙ୍କର ଆନ୍ତରିକତା ନଥିଲା । ଅନ୍ୟ ପକ୍ଷରେ, ମରାଠାମାନେ ସମ୍ୱଲପୁର ଆକ୍ରମଣ କରି ଅଧିକାର କରିନେଲେ । ସେମାନଙ୍କ ଲୁଣ୍ଠନ ମଧ୍ୟ ଚାଲିଲା । ରାଣୀ ବାଧ୍ୟ ହୋଇ ଇଂରେଜ ସରକାରଙ୍କ ଆଶ୍ରୟ ନେଲେ । ଇଂରେଜମାନଙ୍କଠାରୁ ମାସିକ ଛଅ ଶହ ଟଙ୍କା ଭତ୍ତା ପାଇ ସେ ଶେଷ ଜୀବନ ପର୍ଯ୍ୟନ୍ତ (୧୮୧୬) କଟକରେ ରହିଲେ । କାଶୀ ତୀର୍ଥଯାତ୍ରା କାଳରେ ତାଙ୍କର ଦେହାନ୍ତ ହେଲା ।

୧୮୧୭ ମସିହାରେ ତୃତୀୟ ଇଂରେଜ-ମରହଟ୍ଟା ଯୁଦ୍ଧ ସଂଘଟିତ ହେଲା । ପୁନାର ପେଶବା, ନାଗପୁରର ଭୋଁସଲେ ଓ ଇନ୍ଦୋରର ହୋଲକାରଙ୍କ ସମ୍ମିଳିତ ଶକ୍ତିକୁ ଇଂରେଜମାନେ ପରାସ୍ତ କଲେ । ପୂର୍ବରୁ ଗ୍ୱାଲିଅରର ସିନ୍ଧିଆଙ୍କୁ ଗଭର୍ଣ୍ଣର ଜେନେରାଲ୍‍ ଲର୍ଡ଼ ହେଷ୍ଟିଙ୍ଗ୍‍ସ ଇଂରେଜମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ବାଧ୍ୟ କରି ସାରିଥିଲେ । ଫଳରେ ସେ ଏହି ଯୁଦ୍ଧରେ ଭାଗ ନେଇ ପାରିଲେ ନାହିଁ । ଯୁଦ୍ଧ ପରେ ଭୋଁସଲେ ଓ ହୋଲକାର ସାମନ୍ତସନ୍ଧିରେ ସ୍ୱାକ୍ଷର କରିବାକୁ ବାଧ୍ୟ ହେଲେ । ଏହାର ପରିଣାମ ସ୍ୱରୂପ, ୧୮୧୭ ନଭେମ୍ୱର ୨୭ ତାରିଖରେ ଇଂରେଜମାନେ ସମ୍ୱଲପୁରରୁ ମରାଠାମାନଙ୍କୁ ତଡ଼ି ତାକୁ ନିଜ କର୍ତ୍ତୃତ୍ୱାଧୀନ କଲେ । ୧୮୦୪ରୁ ମରାଠାମାନଙ୍କ ହାତରେ ବନ୍ଦୀ ଥିବା ସମ୍ୱଲପୁରର ରାଜା ଜୟନ୍ତ ସିଂହ ଓ ତାଙ୍କପୁତ୍ର ମହାରାଜ ସାଏ ମୁକ୍ତି ପାଇଲେ । ଜୟନ୍ତ ସିଂହ ସମ୍ୱଲପୁରର ରାଜା ଘୋଷିତ ହେଲେ । ଏକ ସାମନ୍ତ ରାଜ୍ୟ ଭାବରେ ସମ୍ୱଲପୁର ଇଂରେଜ ସାମ୍ରାଜ୍ୟାଧୀନ ହେଲା ।   ଇଂରେଜମାନଙ୍କର ଓଡ଼ିଶା ଦଖଲ ପ୍ରସଙ୍ଗକୁ ଯଦି ବ୍ୟାଖ୍ୟା କରାଯାଏ, ତେବେ ଜଣାଯିବ ଯେ, ଇଂରେଜ ସାମ୍ରାଜ୍ୟବାଦୀ ନୀତିର ଏକ ବ୍ୟାପକ ପରିଧିରେ ଏହା ସମାହିତ ହୋଇଥିଲା । ଭାରତରେ ଇଂରେଜ ସାମ୍ରାଜ୍ୟର ବିସ୍ତାରଲାଗି ଓଡ଼ିଶାକୁ ଦଖଲ କରିବା ଏକ ଆବଶ୍ୟକତା ଥିଲା, କାରଣ ବଂଗ ଓ ମାଡ଼୍ରାସ ପ୍ରେସିଡେନ୍‍ସି ମଧ୍ୟରେ ସ୍ଥଳପଥରେ ଏହା ସଂଯୋଗ ସ୍ଥାପନ କରୁଥିଲା । ଏହା ସତ୍ତ୍ୱେ, ଇଂରେଜମାନେ ୟୁରୋପ ରାଜନୀତିକୁ ଦୃଷ୍ଟିରେ ରଖି ଯୁଦ୍ଧଖୋର ନୀତି ଅବଲମ୍ୱନ କରିବେ ନା ନାହିଁ- ତାହା ସ୍ଥିର କରୁଥିଲେ । ସେହି ଅନୁସାରେ ଗଭର୍ଣ୍ଣର ଜେନେରାଲ ଭାରତରେ ରାଜ୍ୟ ବିସ୍ତାର କଥା ଚିନ୍ତା କରୁଥିଲେ । ୧୮୦୪ରେ ମରାଠା କବଳରୁ ସମ୍ୱଲପୁରକୁ ଦଖଲ କଲା ପରେ ସୁଦ୍ଧା ୧୮୦୬ରେ ପୁଣି ଫେରାଇ ଦିଆଗଲା, କାରଣ ୟୁରୋପରେ ନେପୋଲିୟ‌ନ୍‌ଙ୍କ ପକ୍ଷରୁ ଇଂରେଜମାନଙ୍କ ପ୍ରତି ବିପଦର ଆଶଙ୍କା ବୃଦ୍ଧି ପାଇଥିଲା ଏବଂ ଯୁଦ୍ଧ ବ୍ୟୟଯୋଗୁଁ ଇଷ୍ଟଇଣ୍ତିଆ କମ୍ପାନୀ ଇଂଲଣ୍ତରେ ତୀବ୍ର ସମାଲୋଚନାର ଶିକାର ହୋଇଥିଲା । ଅନ୍ୟ ଶବ୍ଦରେ କହିଲେ, ଇଂରେଜମାନଙ୍କ ଆଗମନ ଉତ୍ତାରୁ ଓଡ଼ିଶା ଭଳି ଭାରତର କୋଣ ଅନୁକୋଣ ବିଶ୍ୱ ରାଜନୀତି ଓ ଅର୍ଥନୀତି ସହ ଓତପ୍ରୋତଃ ଭାବେ ସଂଲଗ୍ନୀକୃତ ହେଲେ; ଗୋଟାକର ପ୍ରଭାବ ଅନ୍ୟ ଉପରେ ଅଧିକରୁ ଅଧିକ ସୁସ୍ପଷ୍ଟ ହେଲା ।

ଓଡ଼ିଶା ଦଖଲ ବେଳେ ମରାଠାମାନଙ୍କ ଅପେକ୍ଷା ଇଂରେଜମାନଙ୍କ ପାଖରେ ଖୁବ୍‍ ଅଧିକ ସାମରିକ ଶକ୍ତି ଥିଲା । ଏକ ଅନୁମାନ ଅନୁଯାୟୀ, ସେତେବେଳେ ଓଡ଼ିଶାରେ ନିୟୋଜିତ ଥିବା ଇଂରେଜ ବାହିନୀରେ ଉଭୟ ଭାରତୀୟ ଓ ଇଂରେଜ ସୈନ୍ୟଙ୍କ ମୋଟ ସଂଖ୍ୟା ଥିଲା ୪୮୦୦ ପ୍ରାୟ । ଏହି ସମୟରେ ମରହଟ୍ଟା ବାହିନୀରେ ମାତ୍ର ୧୫୦୦ ଅଶ୍ୱାରୋହୀ ଓ ୧୦୦୦ ପଦାତିକ ସୈନ୍ୟ ଥିଲେ । ଇଂରେଜ ସେନାପତି ସେହି ଏକା ସମୟରେ ନାଗପୁର ଭୋଁସଲେଙ୍କ ଉପରେ ଆକ୍ରମଣ କରିଥିବାରୁ ନାଗପୁରରୁ ମରାଠା ସୈନ୍ୟ ଓଡ଼ିଶାକୁ ରକ୍ଷା କରିବାଲାଗି ଆସି ପାରିଲେ ନାହିଁ । ଦ୍ୱିତୀୟତଃ, ଇଂରେଜ ବାହିନୀ ତୁଳନାରେ ମରାଠା ବାହିନୀ ପ୍ରଶିକ୍ଷିତ ନଥିଲେ । ଆଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ଯେଉଁ ପରିମାଣରେ ଇଂରେଜମାନଙ୍କଠାରେ ମହଜୁଦ୍‍ ଥିଲା, ସେହି ପରିମାଣରେ ମରାଠାମାନଙ୍କ ପାଖରେ ନଥିଲା । ତେଣୁ, ସମ୍ମୁଖ ସମରରେ ଇଂରେଜମାନଙ୍କ ହାତରେ ମରାଠାମାନଙ୍କ ପାରଂପରିକ ସୈନ୍ୟବାହିନୀ ପରାଜିତ ହେବା ଏକ ରକମର ନିଶ୍ଚିତ ଥିଲା ।

ସୈନ୍ୟବଳ ଅଧିକ ହେବା ସହିତ ମରାଠା ଶକ୍ତି ବିରୁଦ୍ଧରେ କୂଟନୀତି ପ୍ରୟୋଗ କରି ସ୍ୱ-ବିଜୟକୁ ଇଂରେଜମାନେ ଖୁବ୍‍ ସହଜ କରିଦେଲେ । ଇଂରେଜମାନେ ନିଜେ ବିଦେଶୀ ହେବା ସତ୍ତ୍ୱେ ଓଡ଼ିଶାରେ ମରାଠାମାନଙ୍କୁ ଏକ ଅତ୍ୟାଚାରୀ ଶୋଷଣକାରୀ ବହିଃଶତ୍ରୁ ଓ ଅରାଜକ ଶକ୍ତି ଭାବରେ ପ୍ରଚାର କଲେ । ସ୍ଥାନୀୟ ରାଜାମାନଙ୍କୁ ମରାଠା ଦାଉରୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ସେମାନେ ଓଡ଼ିଶାରେ ମରାଠାମାନଙ୍କୁ ମିତ୍ରଶୂନ୍ୟ କରିଦେଲେ । ସ୍ଥାନୀୟ ରାଜାମାନଙ୍କ ସହଯୋଗ ପାଇବାଲାଗି ସେମାନଙ୍କୁ ଅର୍ଥ ଦେବା ମଧ୍ୟ ଆରମ୍ଭ କଲେ । ଉଦାହରଣ ସ୍ୱରୂପ ଖୋର୍ଦ୍ଧା ରାଜାଙ୍କୁ ଲକ୍ଷେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ଇଂରେଜମାନେ ତାଙ୍କଠାରୁ ମରାଠା ବିରୁଦ୍ଧରେ ପାଇକ ସେନାର ସହାୟତା ପାଇଲେ । ସମ୍ୱଲପୁର, ସୋନପୁର ଆଦି ରାଜପରିବାର ଓ ଇଂରେଜମାନଙ୍କୁ ନିଜ ରାଜ୍ୟକୁ ଆମନ୍ତ୍ରଣ ଜଣାଇଥିଲେ । ପୁରୀ ଜଗନ୍ନାଥ ମନ୍ଦିରର ଓଡ଼ିଶାର ସାମାଜିକ ଜୀବନରେ ଖୁବ୍‍ ପ୍ରଭାବ ରହିଛି ଜାଣି, ସେମାନେ (ଇଂରେଜମାନେ) ପୁରୀ ପୂଜକ ପଣ୍ତା ବର୍ଗକୁ ମଧ୍ୟ ନିଜ ସପକ୍ଷରେ ବ୍ୟବହାର କରିଥିଲେ । ଏ ସବୁକୁ ବାଦଦେଲେ, ସେମାନେ ମରାଠା ଅଧିକାରୀମାନଙ୍କୁ ମଧ୍ୟ ଅର୍ଥ ବଳରେ ହାତ କରିବାକୁ ଉଦ୍ୟମ କରିଥିଲେ ।   ଅଷ୍ଟାଦଶ ଶତାବ୍ଦୀର ଶେଷ ବେଳକୁ ଭୋଁସଲେ ଶକ୍ତି ଦ୍ରୁତ ପତନର ସମ୍ମୁଖୀନ ହୋଇଥିଲା । ବାରମ୍ୱାର ଯୁଦ୍ଧଯୋଗୁଁ ରାଜ୍ୟର ଆର୍ଥିକ ସ୍ଥିତି ବିପନ୍ନାବସ୍ଥାରେ ଥିଲା । ଆର୍ଥିକ ସ୍ଥିତି ସୁଧାରିବାକୁ ରାଜା ରାଜ୍ୟରେ ଅଧିକ କର ଅସୁଲିପାଇଁ ନିଜ ଅଧିକାରୀମାନଙ୍କୁ ବାଧ୍ୟ କରୁଥିଲେ । ଏହା ଫଳରେ ପ୍ରଜାମାନେ ଲୁଣ୍ଠନ ଓ ଅତ୍ୟାଚାରର ଶିକାର ହେଉଥିଲେ । ଅଧିକାରୀମାନେ ମଧ୍ୟ ଭୋଁସଲେ ରାଜାଙ୍କ ସନ୍ଦେହର ଶିକାର ହେଉଥିଲେ । ଓଡ଼ିଶା ଭଳି ବିଜିତ ରାଜ୍ୟର ସ୍ଥାନୀୟ ରାଜସ୍ୱ ଅସୁଲକାରୀ ବର୍ଗ (ଯଥା: ରାଜା, ଜମିଦାର ଏବଂ କଦାଚିତ ଏପରିକି ସୁବାଦାର) ଓ ଲୋକେ ଭୋଁସଲେ ରାଜାଙ୍କୁ ଶତ୍ରୁ ମଣୁଥିଲେ । ଇଂରେଜମାନଙ୍କ ଓଡ଼ିଶା ଦଖଲକୁ ସେମାନେ ମରାଠା ଶକ୍ତିର ପରାଜୟ ରୂପରେ ଦେଖୁଥିଲେ । ବିଂଶ ଶତାବ୍ଦୀରେ ରାଷ୍ଟ୍ରୀୟତାର ପ୍ରଭାବରେ ଇଂରେଜ ଶକ୍ତିର ବିରୋଧ କରିବା; ତ୍ୟାଗ, ବୀରତ୍ୱ, ଦେଶପ୍ରେମ ଓ ଗୌରବର ପ୍ରତୀକ ହେଲା । ଅଷ୍ଟାଦଶ ଶତାବ୍ଦୀର ଶେଷ ଓ ଊନବିଂଶ ଶତାବ୍ଦୀର ଆରମ୍ଭ ଦଶକରେ ତାହା ସେପରି ନଥିଲା । ଓଡ଼ିଶା ଦଖଲ ବେଳେ ଇଂରେଜ ଶକ୍ତି ପ୍ରତି ଖୋଲା ବା ମୌନ ସମର୍ଥନକୁ ସେତେବେଳେ ଦେଶ ପ୍ରତି ପ୍ରତାରଣା, ବିଶ୍ୱାସଘାତକତା ବୋଲି ମନେ କରାଯାଉ ନଥିଲା । ଏହା ଇଂରେଜମାନଙ୍କର ଓଡ଼ିଶା ଦଖଲକୁ ସହଜ ଓ ସରଳ କରିଦେଲା । ବିଭିନ୍ନ କ୍ଷେତ୍ରରେ କୂଟନୀତି ପ୍ରୟୋଗ ହେତୁ ସ୍ଥାନୀୟ ସହଯୋଗରେ ଓ ବିନା ଅଧିକ ରକ୍ତପାତରେ ଇଂରେଜମାନେ ଓଡ଼ିଶାକୁ ଅଧିକାର କରିନେଲେ । ଏହା ସହିତ ଓଡିଶାର ଇତିହାସ ଏକ ନୂତନ ପର୍ଯ୍ୟାୟରେ ଅବତୀର୍ଣ୍ଣ ହେଲା ।

ଇଂରେଜ ପ୍ରାଶାସନିକ ବ୍ୟବସ୍ଥା   ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ପ୍ରଶାସନରେ ଆମୂଳ ପରିବର୍ତ୍ତନ ଦେଖିବାକୁ ମିଳିଲା । ଇଂରେଜ ଔପନିବେଶିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅଣାଯାଇଥିବା ଏହି ପରିବର୍ତ୍ତନ ଓଡ଼ିଶାର ସାମଗ୍ରିକ ହିତ ଦୃଷ୍ଟିରୁ ବାଧକ ପ୍ରତିପାଦିତ ହେଲା । ତାହା ଯେତେବେଳେ ଲୋକ ଅନୁଭବ କଲେ, ଇଂରେଜ ଉପନିବେଶବାଦ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଲା, ଯାହାକୁ ଆମେ ଉପନିବେଶବାଦବିରୋଧୀ ସଂଗ୍ରାମ ବା ଜାତୀୟତା ଆନ୍ଦୋଳନ ବୋଲି ଅଭିହିତ କରିଥାଉଁ ।

୧୮୦୩ ଅକ୍ଟୋବରରେ ରାଜ୍ୟକୁ ଦଖଲ କଲା ପରେ କମ୍ପାନୀ ଏହାର ଶାସନଭାର କର୍ଣ୍ଣେଲ୍‍ ହାରକୋର୍ଟ ଓ ଜନ୍‍ ମେଲଭିଲଙ୍କ ଉପରେ ନ୍ୟସ୍ତ କରିଥିଲେ । ୧୮୦୪ ଜୁନ୍ ମାସରେ ଓଡ଼ିଶାକୁ ପ୍ରାଶାସନିକ ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଓଡ଼ିଶା ଦଖଲରେ ଇଂରେଜ ସେନାର ନେତୃତ୍ୱ ନେଇଥିବା ଏହି ଦୁଇ ଅଫିସର ତହିଁରେ କମିସନର ନିଯୁକ୍ତ ହେଲେ । କଟକ ଅଧିକାରରେ ମୁଖ୍ୟ ସେନାପତିର କାର୍ଯ୍ୟ କରିଥିବା ହାରକୋର୍ଟଙ୍କୁ କଟକର କମିସନର ନିଯୁକ୍ତ କରାଗଲା । ମେଲଭିଲ୍‍ ବାଲେଶ୍ୱରର କମିସନ୍‍ର ନିଯୁକ୍ତ ହେଲେ । ଉଭୟ କମିସନରଙ୍କ ହାତରେ ଅବାଧ କ୍ଷମତା ରହିଲା । କଟକ, ପୁରୀ, ଖୋର୍ଦ୍ଧା ଓ ବାଲେଶ୍ୱର ଆଦି କେତେକ କେନ୍ଦ୍ରସ୍ଥଳୀରେ କେବଳ କିଛି ସୈନ୍ୟ ଅବସ୍ଥାପିତ ହେଲେ । ଅନ୍ୟ ସୈନ୍ୟମାନେ ଛାଉଣିକୁ ଫେରିଗଲେ । ସୈନ୍ୟ ପ୍ରତ୍ୟାବର୍ତ୍ତନ ପରେ ଯୁଦ୍ଧସ୍ଥିତି ଶେଷ ହେଲା ଭଳି ପରିବେଶ ସୃଷ୍ଟି ହେଲା । ଓଡ଼ିଶା ଦଖଲ ବେଳେ ମୁଖ୍ୟ ସେନାପତି ଭାବରେ କାର୍ଯ୍ୟ କରିଥିବା ହାରକୋର୍ଟ ଏଣିକି ନାଗରିକ ପ୍ରଶାସନକୁ ସୁବ୍ୟବସ୍ଥିତ କରିବାରେ ପ୍ରଭୂତ ଭୂମିକା ନିର୍ବାହ କଲେ ।   ଆରମ୍ଭରେ ମରାଠା ସମୟରୁ ଚଳି ଆସୁଥିବା ପ୍ରାଶାସନିକ ଓ ରାଜସ୍ୱ ବ୍ୟବସ୍ଥାକୁ ଇଂରେଜମାନେ କିଛି ମାସପାଇଁ ଅବ୍ୟାହତ ରଖିଲେ, କାରଣ ସେମାନେ ବ୍ୟବସ୍ଥାକୁ ବୁଝିବାପାଇଁ କିଛି ସମୟ ନେଲେ । ଫଳରେ ମରାଠା ପ୍ରଶାସନରେ ନିଯୁକ୍ତ ଥିବା ଅମିନମାନେ ଉଭୟ ରାଜସ୍ୱ ଓ ନ୍ୟାୟିକ କ୍ଷମତା ଉପଭୋଗ କଲେ । ସେମାନଙ୍କ ପଛରେ ଇଂରେଜଙ୍କ ସୁରକ୍ଷା ଥିବାରୁ ପ୍ରଶାସନରେ ମାତ୍ରାଧିକ ର୍ଦୁନୀତି ଦେଖାଗଲା । ବିଭିନ୍ନ ରାଜସ୍ୱ ମାମଲାଗୁଡ଼ିକୁ ସେମାନେ ଲାଞ୍ଚ ନେଇ ଦଫାରଫା କରିଦେଲେ, ଯାହା ଫଳରେ ରାଜସ୍ୱ କ୍ଷତି ହେଲା ଏବଂ ତା' ସାଙ୍ଗକୁ ସାଧାରଣ ଲୋକେ ମଧ୍ୟ ଖୁବ୍‍ ହଇରାଣରେ ପଡ଼ିଲେ ।

୧୮୦୫ରେ କମିସନର ପଦ ଦୁଇଟିକୁ ଉଚ୍ଛେଦ କରାଗଲା ଏବଂ ତା' ସ୍ଥାନରେ କଟକ, ପୁରୀ ଓ ବାଲେଶ୍ୱରକୁ ଜିଲ୍ଲା ଘୋଷଣା କରାଗଲା । ରବର୍ଟ କେର ହେଲେ ବାଲେଶ୍ୱରର ପ୍ରଥମ କଲେକ୍ଟର (ରାଜସ୍ୱ ସଂଗ୍ରାହକ) ଓ ମାଜିଷ୍ଟ୍ରେଟ୍‍ । ପୁରୀର ପ୍ରଥମ କଲେକ୍ଟର ଓ ମାଜିଷ୍ଟ୍ରେଟ୍‍ ହେଲେ ଚାର୍ଲସ୍‍ ଗୋୟମ୍‍ । ୧୮୦୫ ଜୁନ୍ ମାସରେ ତିନୋଟି ଜିଲ୍ଲାକୁ ଜଣେ କଲେକ୍ଟରଙ୍କ ଅଧୀନରେ ରଖାଗଲା । କଲେକ୍ଟର ଜଗନ୍ନାଥ ପୁରୀରୁ କାର୍ଯ୍ୟ ପରିଚାଳନା କଲେ । ଚାର୍ଲସ ଗୋୟମ୍‍ ଏବଂ ତାଙ୍କ ପରେ ଜର୍ଜ ଓ୍ୱେବ୍‍ ନୂତନ କଲେକ୍ଟର ହେଲେ, ରବର୍ଟ କେର ହେଲେ ମାଜିଷ୍ଟ୍ରେଟ୍‍ । ତାଙ୍କ ଉପରେ ଗଡ଼ଜାତ ମହଲର ଅଧ୍ୟକ୍ଷ ଦାୟିତ୍ୱ ରହିଲା ।

ଆରମ୍ଭରେ ପୁରୀ ଥିଲା ବ୍ରିଟିଶ୍‍ ଓଡ଼ିଶାର ରାଜଧାନୀ । ମାତ୍ର ଏହା ରାଜ୍ୟର ମଧ୍ୟ ସ୍ଥଳରେ ନଥିଲା । ରହଣି ମଧ୍ୟ ଏଠାରେ ବ୍ୟୟସାପେକ୍ଷ ଥିଲା । ରାଜସ୍ୱ ଜମାସକାଶେ ଅନେକ ସମୟରେ ଜମିଦାରମାନେ ମହାଜନମାନଙ୍କଠାରୁ ଋଣ ଆଣୁଥିଲେ । ମାତ୍ର ପୁରୀରେ ବଡ଼ ମହାଜନ ନ ଥିବାରୁ ରାଜକୋଷରେ ଠିକ୍‍ ସମୟରେ ରାଜସ୍ୱ ଜମା କରିବା ଏକ ସମସ୍ୟା ହେଲା । ତେଣୁ ଓଡ଼ିଶାର ରାଜଧାନୀକୁ ପ୍ରଥମେ ଯାଜପୁରକୁ ସ୍ଥାନାନ୍ତରିତ କରିବାକୁ ଯୋଜନା କରାଗଲା । ମାତ୍ର ଶେଷରେ ଯାଜପୁର ସ୍ଥାନରେ କଟକକୁ ରାଜଧାନୀ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହେଲା । ୧୮୧୪ରେ ସାମୟିକ ଭାବେ ସରକାରଙ୍କ କେତୋଟି ବିଭାଗ କଟକରୁ କାର୍ଯ୍ୟ କଲା । ଏହି ଅନୁଭୂତି ସଫଳ ହେବାରୁ, ୧୮୧୬ରେ କଟକକୁ ଓଡ଼ିଶାର ଏକମାତ୍ର କଲେକ୍ଟରଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାଗଲା । ସେହି ଦିନଠାରୁ ୧୯୪୭ରେ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ କଟକ ଓଡ଼ିଶାର ରାଜଧାନୀ ହୋଇ ରହିଲା । ଅର୍ଥାତ୍‍ ମୋଗଲ ଓ ମରାଠା ସମୟରେ ରାଜଧାନୀ ରହି ଆସିଥିବା କଟକ ଇଂରେଜ ରାଜତ୍ୱରେ ମଧ୍ୟ ରାଜ୍ୟର ରାଜଧାନୀ ହେଲା । ୧୮୧୮ରେ ଓଡ଼ିଶାପାଇଁ ଏକ କମିସନର ପଦ ସୃଷ୍ଟି କରାଗଲା । ଓଡ଼ିଶା ଡିଭିଜନର କମିସନର ଭାବରେ ସେ କଟକରେ ଅବସ୍ଥାପିତ ହେଲେ । ତାଙ୍କ ହାତରେ ରାଜସ୍ୱ ବୋର୍ଡ଼, ବାଣିଜ୍ୟ ବୋର୍ଡ଼, ପ୍ରାଦେଶିକ ଅପିଲ୍‍ ଓ ଭ୍ରମଣଶୀଳ ବିଚାରାଳୟର କ୍ଷମତା ରହିଲା । ଗୋଟାଏ ଦୃଷ୍ଟିରୁ ଦେଖିଲେ, ତାଙ୍କୁ ମୋଗଲ ଓ ମରାଠାକାଳୀନ ସର୍ବାଧିକାରପ୍ରାପ୍ତ ସୁବାଦାରଙ୍କ ସହ ତୁଳନା କରିହେବ । ୧୮୨୮ରେ ଓଡ଼ିଶାକୁ ତିନୋଟି ଜିଲ୍ଲା (କଟକ, ପୁରୀ ଓ ବାଲେଶ୍ୱର)ରେ ବିଭକ୍ତ କରାଗଲା ଏବଂ ପ୍ରତ୍ୟେକ ଜିଲ୍ଲାପାଇଁ ଜଣେ କଲେକ୍ଟର ଓ ଜଣେ ମାଜିଷ୍ଟ୍ରେଟ୍‍ ନିଯୁକ୍ତ ହେଲେ । ୧୮୨୯ରେ ମେଦିନୀପୁର, ନୂଆଗାଁ ଓ ହିଞ୍ଜିଳି ଅଞ୍ଚଳକୁ ଓଡ଼ିଶାରେ ଯୋଡ଼ି ଦିଆଗଲା ଏବଂ ଓଡ଼ିଶା ଡିଭିଜନକୁ ବଙ୍ଗପ୍ରେସିଡେନ୍‍ସିର ଊନବିଂଶତ୍ତମ କମିସନରଶାସିତ ଡିଭିଜନ ଘୋଷଣା କରାଗଲା ।

ରାଜସ୍ୱ ନୀତି   ଇଂରେଜମାନେ ଓଡ଼ିଶା ଅଧିକାର କଲା ପରେ ଭୂ-ରାଜସ୍ୱ ଆଦାୟ ଉପରେ ଅଧିକ ଗୁରୁତ୍ୱ ଦେଉଥିଲେ । କାରଣ, ଓଡ଼ିଶା ପରି ଏକ କୃଷିଭିତ୍ତିକ ଅର୍ଥନୀତିରେ ଏହା ଆୟର ମୁଖ୍ୟ ଉତ୍ସ ଥିଲା । ମୋଗଲ ଶାସନ କାଳରେ ରାଜସ୍ୱ ଓ ପ୍ରାଶାସନିକ ସୁବିଧାପାଇଁ ରାଜ୍ୟକୁ ମୋଗଲବନ୍ଦି ଓ ଗଡ଼ଜାତ ଭଳି ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ମରାଠାମାନଙ୍କ ପରି ଇଂରେଜମାନେ ମଧ୍ୟ ଏହି ବ୍ୟବସ୍ଥାକୁ ବଳବତ୍ତର ରଖିଲେ । ମୋଗଲବନ୍ଦି କ୍ଷେତ୍ର ପ୍ରତ୍ୟକ୍ଷ ଶାସନାଧୀନ ହେଲା; ଗଡ଼ଜାତ ରାଜାମାନଙ୍କ ଦାୟିତ୍ୱରେ ରହିଲା । ଗଡ଼ଜାତ ରାଜା ପ୍ରଜାଙ୍କଠାରୁ ଖଜଣା ଅସୁଲ କରି ନିର୍ଦ୍ଧାରିତ ବାର୍ଷିକ ଦେୟ ଇଂରେଜ ରାଜକୋଷରେ ଜମା କରୁଥିଲେ । ମୋଗଲବନ୍ଦିରେ ନିୟମିତ ବ୍ୟବଧାନରେ ଜମିଜମା ବନ୍ଦୋବସ୍ତ କରାଯାଉଥିଲା ଏବଂ ପ୍ରଜାଙ୍କ ଉପରେ ମାଲଗୁଜାରୀ ନିର୍ଦ୍ଧାରିତ ହେଉଥିଲା । ପ୍ରତି ବନ୍ଦୋବସ୍ତ ପରେ ପ୍ରଜାଙ୍କ ଉପରେ ମାଲଗୁଜାରୀ ବୃଦ୍ଧିପାଇବାରେ ଲାଗିଲା । ପୂର୍ବର ସମସ୍ତ ଶାସନ ତୁଳନାରେ ଇଂରେଜ ଶାସନ କାଳରେ ରାଜସ୍ୱ ଆଦାୟଲାଗି ଅଧିକ କଠୋର ନୀତି ଆଚରଣ କରାଯାଉଥିଲା । ଏହି କଠୋରତା ଇଂରେଜ ଶାସନକୁ ଦୁର୍ବିସହ କରିଦେଲା । ଇଂରେଜମାନେ ଆଦାୟ କରୁଥିବା ରାଜସ୍ୱକୁ ସାମ୍ରାଜ୍ୟ ବିସ୍ତାର ନିମନ୍ତେ ଆବଶ୍ୟକ ଯୁଦ୍ଧଖର୍ଚ୍ଚରେ ବିନିଯୋଗ କରିବାକୁ ପ୍ରୟାସ କରୁଥିଲେ । ଭାରତରୁ ହସ୍ତଶିଳ୍ପଜାତ ସାମଗ୍ରୀର ରପ୍ତାନିଲାଗି ଆବଶ୍ୟକ ପୁଞ୍ଜି ମଧ୍ୟ କମ୍ପାନି ସରକାର ମୁଖ୍ୟତଃ ମାଲଗୁଜାରୀରୁ ଭରଣା କରିବାକୁ ଚେଷ୍ଟା କରୁଥିଲେ ।

ଓଡ଼ିଶା ଦଖଲ ସମୟରେ ବଙ୍ଗରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳିତ ଥିଲା । ତଦନୁଯାୟୀ ସ୍ଥିରୀକୃତ ରାଜସ୍ୱକୁ ଜମିଦାର ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ରାଜକୋଷରେ ଜମା କରି ପାରିଲେ ଜମିଦାରୀ ଉପରେ ତାଙ୍କର ମାଲିକାନା କାୟମ ରହିବାର ବ୍ୟବସ୍ଥା ଥିଲା । ମାତ୍ର ଓଡ଼ିଶାରେ ଜମିଦାରୀ ବା ଚିରସ୍ଥାୟୀ ବ୍ୟବସ୍ଥାକୁ ପୂର୍ଣ୍ଣତଃ ଲାଗୁ କରାଗଲା ନାହିଁ । ୧୮୦୫ରେ ତହିଁରେ ଆଂଶିକ ପରିବର୍ତ୍ତନ କରି ଅନୁଦେଶ ଜାରି ହେଲା ଯେ, ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପମିଆଦୀ ଭୂ-ବନ୍ଦୋବସ୍ତ ଲାଗୁ ହେବ । ତଦନୁସାରେ ୧୮୦୫ରେ ଏକ ବର୍ଷିଆ, ୧୮୦୬ରୁ ୧୮୦୯ ପର୍ଯ୍ୟନ୍ତ ତିିନି ବର୍ଷିଆ, ୧୮୦୯ରୁ ୧୮୧୩ ପର୍ଯ୍ୟନ୍ତ ଚାରିବର୍ଷିଆ ଓ ୧୮୧୩ରୁ ୧୮୧୫ ପର୍ଯ୍ୟନ୍ତ ପୁଣି ତିିନି ବର୍ଷିଆ ବନ୍ଦୋବସ୍ତ କାର୍ଯ୍ୟକାରୀ କରିବାକୁ ଇସ୍ତାହାର ପ୍ରକାଶ ପାଇଲା । ୧୮୧୫ର ବନ୍ଦୋବସ୍ତ ବେଳକୁ ଯେଉଁ ଜମିରେ ଉନ୍ନତି ସାଧିତ ହୋଇଥିବ, ସେଠାରେ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ ହେବ ବୋଲି ପ୍ରତିଶ୍ରୁତି ଦିଆଗଲା । ଏହି ପ୍ରତିଶ୍ରୁତି ପାଇ ପ୍ରଜା ଓ ଜମିଦାରମାନେ ଜମିର ଉନ୍ନତି କରିବେ ବୋଲି ସରକାର ଆଶା କରୁଥିଲେ ।   ୧୮୦୫ରେ ଓଡ଼ିଶାର ଭୂ-ରାଜସ୍ୱ ୧୩,୧୪,୮୨୫ଟଙ୍କା ଧାର୍ଯ୍ୟ ହୋଇଥିଲା । ମରାଠାମାନେ ଯାହା ଧାର୍ଯ୍ୟ କରିଥିଲେ, ତହିଁରୁ ଏହା ଊଣା ନଥିଲା । ୧୮୦୬-୧୮୦୯ର ତିିନିବର୍ଷିଆ ବନ୍ଦୋବସ୍ତ ଅନୁସାରେ ଏହା ବୃଦ୍ଧିପାଇ ୧୪, ୩୫, ୩୫୪ ଟଙ୍କା ସ୍ଥିର ହେଲା । ତା'ପରେ ମଧ୍ୟ ପ୍ରତି ଥର ଭୂ-ବନ୍ଦୋବସ୍ତ ବେଳେ ମାଲଗୁଜାରୀ ବୃଦ୍ଧି ପାଇଲା । କୃଷିର ଉତ୍ପାଦନ ଓ ରୟତ ବା ଚାଷୀର ସ୍ୱାର୍ଥକୁ ଦୃଷ୍ଟିରେ ନ ରଖି ପ୍ରାୟତଃ ଏହି ଜମା ବୃଦ୍ଧି କରାଯାଉଥିଲା । ତା'ଠାରୁ ବଡ଼ କଥା, ମାଲଗୁଜାରୀକୁ କଡ଼ାକଡ଼ି ଭାବେ ଅସୁଲ କରାଯାଉଥିଲା । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଖଜଣା ଛାଡ଼ କଥା କଦାଚିତ ବିଚାରକୁ ନିଆଯାଉ ନଥିଲା । ଭୂ-ବନ୍ଦୋବସ୍ତର ଏହି କୁପରିଣାମ ସମ୍ୱନ୍ଧରେ ମନ୍ତବ୍ୟ ଦେଇ ପରବର୍ତ୍ତୀ କାଳରେ ବନ୍ଦୋବସ୍ତ ଅଧିକାରୀ ଏସ୍‍.ଏଲ୍‍. ମେଡକ୍ସ କହିଥିଲେ "ସଠିକ୍‍ ଭାବରେ ଅନୁସନ୍ଧାନ ନ କରି ରାଜସ୍ୱ ନିର୍ଦ୍ଧାରଣ କରାଯାଉଥିଲା ଏବଂ ବର୍ଦ୍ଧିତ ରାଜସ୍ୱକୁ କଠୋର ଭାବରେ ଆଦାୟ କରାଯାଉଥିଲା ।"

ବନ୍ୟା, ବାତ୍ୟା ବା ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ମରାଠା ଅମଳର ରୟତକୁ ରାଜସ୍ୱ ରିହାତି ମିଳୁଥିଲା, ଯାହା ଇଂରେଜ ଶାସନକାଳରେ ଦୁଃସ୍ୱପ୍ନ ହେଲା । ଫଳରେ, ଖଜଣା ସଂଗ୍ରହ କରି ନପାରି ଅନେକ ଜମିଦାର ଜମିଦାରୀ ହରାଇଥିଲେ ଏବଂ ସେମାନଙ୍କ ଜମିଦାରୀ କଲିକତାର ଫୋର୍ଟ ଉଇଲିୟମ୍‍ରେ ନିଲାମ ହୋଇଥିଲା । ଏହି ଜମିଦାରୀଗୁଡ଼ିକୁ ବଙ୍ଗାଳୀ ଅମଲାମାନେ, ଯେଉଁମାନେ ନିଲାମ ବେଳେ ଉପସ୍ଥିତ ଥିଲେ, କିଣୁଥିଲେ । ୧୮୦୭ରେ ଓଡ଼ିଶାର ୨୬୬ଟି ଜମିଦାରୀ ନିଲାମ ହୋଇଥିଲା, କାରଣ ସେଗୁଡ଼ିକର ଜମା ମୋଟ ତିନି ଲକ୍ଷ ଟଙ୍କାରୁ ଅଧିକ ପୈଠ ହୋଇ ନଥିଲା । ସ୍ୱଳ୍ପ ମିଆଦୀ ବନ୍ଦୋବସ୍ତରେ କ୍ଷତିଗ୍ରସ୍ତ ହୋଇ ୧୮୧୬-୧୮୧୭ ବେଳକୁ ଅନେକ ଜମିଦାର ପୁଣି ସ୍ୱତଃପ୍ରବୃତ୍ତ ଭାବରେ ଜମିଦାରୀ ସ୍ୱତ୍ୱାଧିକାର ତ୍ୟାଗ କରିଥିଲେ । ସେମାନଙ୍କ ଜମିଦାରୀ ମଧ୍ୟ ବଙ୍ଗାଳୀ ଅମଲାମାନଙ୍କ ହାତକୁ ଯାଇଥିଲା । ନୂତନ ଜମିଦାର ପାଲଟିଥିବା ବଙ୍ଗାଳୀ ଅମଲାମାନେ ପ୍ରାୟତଃ ଓଡ଼ିଶାରେ ବସବାସ କରୁନଥିଲେ । କେବଳ ଜମିଦାରୀରେ ଖଜଣା ଆଦାୟପାଇଁ ନିଯୁକ୍ତ ଅମଲାମାନଙ୍କ ମାଧ୍ୟମରେ ଖଜଣା ଆଦାୟ କରୁଥିଲେ । ଜମିଦାରଙ୍କ ପ୍ରତ୍ୟକ୍ଷ ନିଘା ରହୁ ନଥିବାରୁ ଅମଲାମାନେ ରୟତମାନଙ୍କଠାରୁ ଖଜଣା ବ୍ୟତୀତ ନାନା ବେଆଇନ୍‍ ପାଉଣା ମଧ୍ୟ ଆଦାୟ କରୁଥିଲେ ।

ଇଂରେଜ ଭୂ-ରାଜସ୍ୱ ନୀତିର ଏକ ବଡ଼ କୁପରିଣାମ ହେଲା ସାହୁକାର ଓ ମହାଜନମାନଙ୍କ କାରବାର ବୃଦ୍ଧି । ଏକ ନିର୍ଦ୍ଦିଷ୍ଟ ଦିନର ସୂର୍ଯ୍ୟାସ୍ତ ପୂର୍ବରୁ ଜମିଦାରମାନେ କଲିକତାର ରାଜକୋଷରେ ମାଲଗୁଜାରୀ ଜମା କରିବାକୁ ବାଧ୍ୟ ହେଉଥିଲେ । ଅନ୍ୟଥା ଜମିଦାରୀ ସ୍ୱତ୍ୱ ହରାଇବାର ଆଶଙ୍କା ଥିଲା । ତେଣୁ ସେମାନେ ମହାଜନ ଓ ସାହୁକାରମାନଙ୍କଠାରେ ଜମିଦାରୀ ବନ୍ଧା ଦେଇ ଅଧିକ ସୁଧରେ ଋଣ ଆଣୁଥିଲେ । ରାଜସ୍ୱ ଜମାରେ ମହାଜନଙ୍କ ମହତ୍ତ୍ୱ ଏତେ ଅଧିକ ଥିଲା ଯେ, ପୁରୀରୁ କଟକକୁ ଓଡ଼ିଶାର ରାଜଧାନୀ ସ୍ଥାନାନ୍ତରିତ ହୋଇଥିଲା । କାରଣ ପୁରୀରେ ବଡ଼ ମହାଜନର ଅଭାବ ରହିଥିଲା । ଏହି ମହାଜନମାନେ ମଧ୍ୟ ପରେ ବନ୍ଧା ପଡ଼ିଥିବା ଜମିଦାରୀକୁ ବ୍ୟାଜ୍ୟାପ୍ତ କରୁଥିଲେ । ଗ୍ରାମାଞ୍ଚଳରେ ସାହୁକାର ରୟତ ବା ଚାଷୀକୁ ଅଧିକ ସୁଧରେ ଋଣ ଦେଇ ଋଣ ପରିଶୋଧ କରି ନପାରିବା ଅଭିଯୋଗରେ ଜମି ବାଜ୍ୟାପ୍ତ କରୁଥିଲେ ଓ ଜମିମାଲିକ ହେଉଥିଲେ । ଇଂରେଜମାନଙ୍କ ସମୟରେ ଜମି ହସ୍ତାନ୍ତର ହେବା, ସାହୁକାର ଓ ମହାଜନ ଶ୍ରେଣୀର ଉତ୍ଥାନ ହେବା, ଏକ ନୂଆ ଜମିଦାର ଶ୍ରେଣୀ ସୃଷ୍ଟି ହେବା ତଥା ଅନେକ ଜମିମାଲିକ ହାତରୁ ଜମିର ସ୍ୱତ୍ତ୍ୱ ଚାଲିଯିବା ଏକ ନିୟମିତ ଘଟଣା ହେଲା । ଅର୍ଥାତ୍‍ ଏଣିକି କୃଷିଜମି ପଣ୍ୟ ବସ୍ତୁ ଭଳି କିଣା ବିକା ହେଲା ।

ଲବଣ ନୀତି   ଓଡ଼ିଶାରେ ବିସ୍ତୃତ ସମୁଦ୍ର ଉପକୂଳ ରହିଥିବାରୁ ଲବଣ ଉତ୍ପାଦନ ହେଉଛି ଏଠାକାର ଏକ ପାରମ୍ପରିକ ଶିଳ୍ପ । ଲବଣ ଉତ୍ପାଦନ ଓ ଯୋଗାଣରେ ସହସ୍ର ସଂଖ୍ୟାରେ ଲୋକ ଏଠି ନିୟୋଜିତ । ସେହି ଆଧାରରେ ଇଂରେଜମାନେ ଲୁଣ ଉତ୍ପାଦକ ଓ ବ୍ୟବସାୟୀମାନଙ୍କଠାରୁ ଶୁଳ୍କ ଆଦାୟକୁ ମହତ୍ତ୍ୱ ଦେଇ ତାକୁ ରାଜସ୍ୱର ଏକ ପ୍ରମୁଖ ଉତ୍ସ କଲେ । ମରହଟ୍ଟା ଶାସନ କାଳରେ ଲବଣ ଉତ୍ପାଦନରେ ନିୟୋଜିତ ମଲାଙ୍ଗିମାନଙ୍କଠାରୁ କୌଣସି କର ଆଦାୟ ହେଉ ନଥିଲା । କେବଳ ଲୁଣ ବ୍ୟବସାୟୀମାନଙ୍କଠାରୁ ଶୁଳ୍କ ଆଦାୟ ହେଉଥିଲା । ମାତ୍ର ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ମରାଠାକାଳୀନ ଲବଣ ନୀତିକୁ ପରିବର୍ତ୍ତନ କଲେ । ୧୮୦୪ରେ ଓଡ଼ିଶାରେ ଇଷ୍ଟ ଇଣ୍ତିଆ କମ୍ପାନୀ ଲବଣ ଉତ୍ପାଦନ ଓ ବ୍ୟବସାୟ ଉପରେ ଏକଚାଟିଆ ଅଧିକାର ଜାହିର କଲେ ।

୧୮୦୪ରେ ସରକାର ପ୍ରଥମେ ଲବଣରୁ ଶୁଳ୍କ ଆଦାୟକୁ ସୁନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ଲବଣ କାରବାରକୁ ବଙ୍ଗର ଲବଣ ବିଭାଗ ଅଧୀନରେ ରଖିଲେ ଏବଂ ଓଡ଼ିଶାପାଇଁ ଜଣେ ଲବଣ ଏଜେଣ୍ଟ ନିଯୁକ୍ତ କଲେ । ଜେମ୍‍ସ କିଙ୍ଗ୍‍ ହେଲେ ଓଡ଼ିଶାର ପ୍ରଥମ ଲବଣ ଏଜେଣ୍ଟ । ସରକାରଙ୍କ ଏକଚାଟିଆ ବ୍ୟବସ୍ଥା ଅନୁସାରେ କର୍ତ୍ତୃପକ୍ଷଙ୍କ ବିନାନୁମତିରେ ଲୁଣ ଉତ୍ପାଦନ ନିଷିଦ୍ଧ ହେଲା । ୧୮୧୪ରେ ଘରୋଇ ବ୍ୟବହାରପାଇଁ ମଧ୍ୟ ଉପକୂଳରେ ଲୋକ ଲୁଣ ମାରିପାରିବେ ନାହିଁ ବୋଲି ଆଦେଶ ଜାରି ହେଲା । ଆଦେଶକୁ ଲାଗୁ କରିବାସକାଶେ ସ୍ଥାନେ ସ୍ଥାନେ ଲବଣ ଏଜେଣ୍ଟଙ୍କଦ୍ୱାରା କର୍ମଚାରୀ ନିଯୁକ୍ତ ହେଲେ । 'ବେନିୟମ୍‍' ଲୁଣମରା ବନ୍ଦ ହେଲେ ସରକାର ଲବଣରୁ ପ୍ରଚୁର ରାଜସ୍ୱ ଆଦାୟ କରିପାରିବେ ବୋଲି ଆଶା ବାନ୍ଧିଲେ । ଏମିତିରେ ବି ୧୮୧୮ର ଏକ ହିସାବ ଅନୁଯାୟୀ, କମ୍ପାନୀ ସରକାର ଭୂ-ରାଜସ୍ୱଠାରୁ ଅଧିକ ଅର୍ଥ ଲବଣ ବ୍ୟବସାୟରୁ ଲାଭ କରୁଥିଲେ । କମ୍ପାନୀ ଶାସନର ଶେଷ ବେଳକୁ (୧୮୫୮) ଲବଣ ବିକ୍ରୀରୁ କମ୍ପାନୀ ବାର୍ଷିକ ୩୯ ଲକ୍ଷ ଟଙ୍କା ଉପାର୍ଜନ କରୁଥିଲେ । ଏହା ଭୂ-ରାଜସ୍ୱରୁ ଉପାର୍ଜିତ ଅର୍ଥର ଦୁଇଗୁଣରୁ ଅଧିକ ଥିଲା ।   ଓଡ଼ିଶାରେ ସେତେବେଳେ ଦୁଇ ପ୍ରକାର ଲୁଣ ଉତ୍ପାଦନ ହେଉଥିଲା । ବାଲେଶ୍ୱର ଓ କଟକ ଉପକୂଳରେ ଲବଣାକ୍ତ ପାଣିକୁ ଫୁଟାଇ ଲୁଣ ଉତ୍ପାଦନ କରାଯାଉଥିଲା । ଏହାକୁ ପଙ୍ଗା ଲୁଣ କୁହାଯାଉଥିଲା । ଏଥିରେ ଖର୍ଚ୍ଚ ଅଧିକ, କାରଣ ଲୁଣ ମାରିବାପାଇଁ ଜାଳେଣିର ଆବଶ୍ୟକତା ପଡୁଥିଲା । ଚିଲିକା, ହୁମା ଓ ଗଞ୍ଜାମର ଅନ୍ୟାନ୍ୟ ଉପକୂଳରେ ଲବଣାକ୍ତ ପାଣିକୁ ସୂର୍ଯ୍ୟ ତାପରେ ଶୁଖାଇ ଲୁଣ ଉତ୍ପାଦନ କରାଯାଉଥିଲା । ଏହାକୁ କର୍କଚ ଲୁଣ କୁହାଯାଉଥିଲା । ଏଥିରେ ପଙ୍ଗା ଲୁଣ ତୁଳନାରେ ଖର୍ଚ୍ଚ କମ୍‍ । ସେତେବେଳେ ମାଡ଼୍ରାସ୍‍ ଲବଣ ବିଭାଗରେ ବଙ୍ଗ ଅପେକ୍ଷା ଲବଣ ଶୁଳ୍କ ଖୁବ୍‍ କମ୍‍ (ଅଧାଅଧି) ଥିଲା । ସରକାର ଲବଣରୁ ଅଧିକ କର ଅସୁଲ କରିବା ଅଭିପ୍ରାୟରେ ଓଡ଼ିଶାର ଲବଣ କାରବାରକୁ ବଙ୍ଗ ଅଧୀନସ୍ଥ କରି ରଖିଲେ ଏବଂ ଉତ୍ପାଦନ ଖର୍ଚ୍ଚ ଊଣା କରିବା ସକାଶେ ସବୁଠି ପଙ୍ଗା ବଦଳରେ କର୍କଚ୍‍ ପଦ୍ଧତିରେ ଲୁଣ ମାରିବାକୁ ନିର୍ଦ୍ଦେଶ ଦେଲେ । ଜଳବାୟୁ ଦୃଷ୍ଟିରୁ ଏହା ସମ୍ଭବପର ହେଲା ନାହିଁ । ଫଳରେ ଲୁଣ ଉତ୍ପାଦକ ମଲାଙ୍ଗିମାନେ ବିଶେଷ କ୍ଷତିର ସମ୍ମୁଖୀନ ହେଲେ । ସେମାନେ ଆଗୁଆ ଅର୍ଥ ନେଇ ଏଜେଣ୍ଟ ବା କମ୍ପାନୀପାଇଁ ଲୁଣ ମାରୁଥିଲେ । ଏଥିରେ ସେମାନଙ୍କୁ ଅଳ୍ପ ପାରିଶ୍ରମିକ ମିଳୁଥିଲା । ପାରିଶ୍ରମିକ ବ୍ୟତୀତ ବ୍ୟକ୍ତିଗତ ବ୍ୟବହାରପାଇଁ ସେମାନଙ୍କୁ ଖୋରାକି ଲୁଣ ଯୋଗାଇ ଦିଆଯାଉଥିଲା । ବ୍ୟବହାର ବାହାରେ ବଳକା ଲୁଣକୁ ସେମାନେ ବଜାରରେ ବିକ୍ରୀ କରି ଯତ୍‍‌କିଞ୍ଚିତ୍‍ ଲାଭ ପାଉଥିଲେ । ଲୁଣ ଆଇନ୍‍ କଠୋର ନଥିଲା ବେଳେ କିଛି ଅଧିକ ଲୁଣ ମଧ୍ୟ ସେମାନେ ଉତ୍ପାଦନ କରି 'ଚୋରାରେ' ବଜାରରେ ବିକ୍ରୀ କରୁଥିଲେ ।

୧୮୩୬ରେ ମଲାଙ୍ଗିମାନଙ୍କୁ ଦିଆଯାଉଥିବା ଖୋରାକି ଲୁଣ ବନ୍ଦ କରି ଦିଆଗଲା; ୧୮୩୮ରେ ସେମାନଙ୍କର ମହଣ ପିଛା ପାରିଶ୍ରମିକକୁ ମଧ୍ୟ ହ୍ରାସ କରିଦିଆଗଲା । ଲିଭରପୁଲ୍‍ରୁ ଆମଦାନୀ ହେଉଥିବା ଲୁଣର ପ୍ରସାରପାଇଁ ଏହା କରାଯାଉଥିଲା । ଏହା ଫଳରେ ଦେଶୀ ଲୁଣ ତୁଳନାରେ ବିଦେଶୀ ଲୁଣ ବଜାରରେ ଶସ୍ତାରେ ଉପଲବ୍ଧ ହେଲା । ଆରମ୍ଭରେ ବିଦେଶୀ ଲୁଣ ବ୍ୟବହାରକୁ ନେଇ ସାମାଜିକ ବାରଣ ରହିଥିଲା । ମାତ୍ର ଶସ୍ତାରେ ମିଳିବାଯୋଗୁଁ ୧୮୬୦ ମସିହା ବେଳକୁ ଏହା ଓଡ଼ିଶାରେ ବହୁତ ପରିମାଣରେ ବିକ୍ରୀ ହେଲା । ଦେଶୀ ପଙ୍ଗା ଓ କର୍କଚ୍‍ ଲୁଣ ବିରୁଦ୍ଧରେ ଯୁକ୍ତି କରାଗଲା ଯେ, ଏହା ବିଦେଶୀ ଲୁଣ ତୁଳନାରେ ନିମ୍ନ ମାନର ଓ ସ୍ୱାସ୍ଥ୍ୟପାଇଁ ଅହିତକର । ମାତ୍ର ୧୮୨୨ରେ ଓଡ଼ିଶାର କମିସନର ଷ୍ଟର୍ଲିିଂ ସାହେବ ଦେଶୀ ଲୁଣର ପ୍ରଶଂସା କରି ଲେଖିଥିଲେ "ଅସ୍ୱାସ୍ଥ୍ୟକର ପରିବେଶ ହେବା ସତ୍ତ୍ୱେ ଏଠାରେ (ଓଡ଼ିଶାରେ) ଭାରତର ସର୍ବୋତ୍କୃଷ୍ଟ ଲୁଣ ସରକାରଙ୍କ ଏକଚାଟିଆ ବ୍ୟବସ୍ଥା ମାଧ୍ୟମରେ ଉତ୍ପାଦିତ ହୋଇଥାଏ । ଏଥିରୁ ବାର୍ଷିକ ପାଖାପାଖି ୧୮ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୁଏ ।"  ଲିଭରପୁଲ୍‍ରୁ ଆମଦାନୀ ହେଉଥିବା ଲୁଣକୁ ଅଧିକ ପ୍ରୋତ୍ସାହନ ମିଳିବାଯୋଗୁଁ ତଥା ପଙ୍ଗା ଲୁଣ ଉତ୍ପାଦନ ପ୍ରତି ସରକାରଙ୍କ ବୈମାତୃକ ମନୋଭାବଯୋଗୁଁ ୧୮୮୦ରେ ବଙ୍ଗ ପ୍ରେସିଡେନ୍‍ସିର ଲୁଣ ବିଭାଗ ବନ୍ଦ ହେଲା; ପଙ୍ଗା ଲୁଣ ଉତ୍ପାଦନ ପ୍ରାୟ ନିଶ୍ଚିହ୍ନ ହେଲା। ଏହା ଫଳରେ ପ୍ରାୟ ୨୬,୦୦୦ ମଲାଙ୍ଗି ଜୀବିକାର୍ଜନର ପନ୍ଥା ହରାଇଲେ। ଏମାନଙ୍କୁ ବାଦ୍‍ଦେଲେ ଲୁଣ ଉତ୍ପାଦନ ଶିଳ୍ପ ଓ ଲୁଣ ବ୍ୟବସାୟ ଉପରେ ଆଶ୍ରିତ ଅନେକ ଲୋକ (ଯଥା: ଜାଳେଣି ସଂଗ୍ରହକାରୀ, ମାଲ୍‍ବାହୀ ଶଗଡ଼ିଆ ଆଦି) ଜୀବିକା ହରାଇଲେ। ଏମାନେ ସମସ୍ତେ ଥିଲେ ଛୋଟ ଚାଷୀ ବା କୃଷି ଶ୍ରମିକ। ବନ୍ୟା, ବାତ୍ୟା ବେଳେ ଫସଲ ନଷ୍ଟ ହେଲେ ଲୁଣ ଉତ୍ପାଦନକୁ ଆଶ୍ରାକରି ସେମାନେ ଚଳି ଯାଉଥିଲେ। ଲୁଣ ଉତ୍ପାଦନ ବନ୍ଦ ହେବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ବର୍ମା ଓ ଆସାମର ଚା' ବଗିଚାକୁ ଶ୍ରମିକ ଭାବରେ କାମ କରିବାପାଇଁ ଚାଲିଗଲେ, ଯଦିଓ ସେଠାରେ ନା ସେମାନଙ୍କୁ ଅଧିକ ପାରିଶ୍ରମିକ ମିଳୁଥିଲା ନା ପରିବେଶ ସୁଖକର ଥିଲା।

 ୧୮୯୧ରେ ଓଡ଼ିଶାରେ ଦେଶୀ ଲୁଣ ଉତ୍ପାଦନ-ଶିଳ୍ପର ପୁନରୁଦ୍ଧାରଲାଗି ସରକାର ଏଠାକାର ଲୁଣ କାରବାରକୁ ବଙ୍ଗରୁ ମାଡ଼୍ରାସ୍‍ ଲୁଣ ବିଭାଗକୁ ସ୍ଥାନାନ୍ତର କଲେ। ଏକଚାଟିଆ ନୀତିରେ ପୁଣି ଥରେ ଓଡିଶାରେ ସରକାର ଲୁଣ ଉତ୍ପାଦନ ଆରମ୍ଭ କଲେ। ଉତ୍ପାଦନଖର୍ଚ୍ଚ ହ୍ରାସ ପାଇଁ ଏଥର ମାଡ଼୍ରାସରେ ପ୍ରଚଳିତ କର୍କଚ ପଦ୍ଧତିରେ ଅର୍ଥାତ୍‍ ଲବଣାକ୍ତ ଜଳକୁ ଖରାରେ ଶୁଖାଇ ଲୁଣ ଉତ୍ପାଦନ କରିବାପାଇଁ ମଲାଙ୍ଗିମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ଜଳବାୟୁ ଦୃଷ୍ଟିରୁ ଏହା ଅସଫଳ ହେଲା ଓ ମଲାଙ୍ଗିମାନେ ଅପୂରଣୀୟ କ୍ଷତି ସହିଲେ। ୧୯୦୨ରେ ଓଡ଼ିଶାରେ ସ୍ଥାନୀୟ ଲୁଣ ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ ଥିଲା। ରେଳର ପ୍ରଚଳନ ଫଳରେ ମାଡ୍ରାସ୍‍ ଓ ଲିଭରପୁଲରୁ ଲୁଣ ଆସି ଓଡ଼ିଶାରେ ବିକ୍ରୀ ହେଲା। ଏହିପରି ଭାବେ ଇଂରେଜ ଶାସନ କାଳରେ ଏକ ସ୍ଥାନୀୟ ପାରମ୍ପରିକ ଉଦ୍ୟୋଗ ଅଧୋପତନର ଶିକାର ହେଲା।

ଅବକାରୀ ଓ ବାଣିଜ୍ୟ ନୀତି

 ଭୂ-ରାଜସ୍ୱ ଓ ଲବଣ ବ୍ୟବସାୟ ବ୍ୟତୀତ ଇଂରେଜ ସରକାର ଅବକାରୀ ଦ୍ରବ୍ୟ ଉତ୍ପାଦନ ଓ ବାଣିଜ୍ୟରୁ (ରପ୍ତାନି, ଆମଦାନୀ ଓ ଆଭ୍ୟନ୍ତରୀଣ ବାଣିଜ୍ୟ) ମଧ୍ୟ ରାଜସ୍ୱ ଆଦାୟ କରିବାକୁ ଲାଗିଲେ। ମରହଟ୍ଟା ଶାସନ କାଳରେ ଓଡ଼ିଶାରେ ବିନା କଟକଣାରେ ବିଭିନ୍ନ ପ୍ରକାର ମଦ ଉତ୍ପାଦନ ଓ ଅଫିମ କାରବାର ଚାଲିଥିଲା। ଲୋକେ ତାକୁ ବିଶେଷକରି ଘରୋଇ ଭାବେ ଉତ୍ପାଦନ ଓ ବ୍ୟବହାର କରୁଥିଲେ। ଆଦିବାସୀ ଓ ଗ୍ରାମୀଣ କ୍ଷେତ୍ରରେ ଦେଶୀ ମଦର ବ୍ୟବହାର ଥିଲେ ମଧ୍ୟ ବ୍ୟବସାୟ ଭାବରେ ତା'ର ବିଶେଷ ପ୍ରଚଳନ ନଥିଲା। ଏହି କାରଣରୁ ମରହଟ୍ଟାମାନେ ଏବଂ ତାଙ୍କ ପୂର୍ବରୁ ମୋଗଲମାନେ ତା' ଉପରେ ଶୁଳ୍କ ବସାଇ ନ ଥିଲେ। ଇଂରେଜମାନଙ୍କ ପାଇଁ ଏହା ଆୟର ଏକ ସ୍ରୋତ ହେଲା। ଆରମ୍ଭରେ ଏହାର କାରବାରକୁ ନିୟନ୍ତ୍ରଣ କରିବା ସହଜ ନଥିଲା। ତଥାପି କାଳକ୍ରମେ ଏଥିରୁ ସରକାରୀ ରାଜସ୍ୱ ବୃଦ୍ଧି ପାଇବାକୁ ଲାଗିଲା। ୧୮୧୪-୧୫ ମସିହାରେ ଇଂରେଜ ସରକାରଙ୍କ ଅବକାରୀ ଆୟ ଥିଲା ବାର୍ଷିକ ୧୫,୦୦୦ଟଙ୍କା। ଏହା ୧୮୫୭-୫୮ବେଳକୁ ଅର୍ଥାତ୍‍ କମ୍ପାନୀର ଉଚ୍ଛେଦ ହେଲା ବେଳକୁ ବୃଦ୍ଧିପାଇ ହେଲା ୯୩,୬୬୭ ଟଙ୍କା। କାଳକ୍ରମେ ଅବକାରୀ ଦ୍ରବ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ବୃଦ୍ଧି ପାଇଲା। ବଜାରକୁ ବିଦେଶୀ ମାଦକ ଦ୍ରବ୍ୟ ମଧ୍ୟ ଆମଦାନୀ ହେଲା। ଏହା ଫଳରେ ସରକାରଙ୍କ ଅବକାରୀ ଆୟ ଦ୍ରୁତ ଗତିରେ ବୃଦ୍ଧି ପାଇଲା। ୧୯୧୩-୧୪ ବେଳକୁ ଏହା ଭୂ-ରାଜସ୍ୱରୁ ତିନି ଲକ୍ଷ ଟଙ୍କା ଊଣା ଥିଲା ବେଳେ ୧୯୧୯-୨୦ ବେଳକୁ ବୃଦ୍ଧିପାଇ ଭୂରାଜସ୍ୱଠାରୁ ପାଞ୍ଚ ଲକ୍ଷ ଟଙ୍କା ଅଧିକ ହେଲା।

ମୁଦ୍ରା ନୀତି

 ମରହଟ୍ଟା ଶାସନ କାଳରେ ଓଡ଼ିଶାରେ କଉଡ଼ି ମୁଦ୍ରାର ପ୍ରଚଳନ ଥିଲା। ୧୮୧୧ରେ ସରକାର ରୌପ୍ୟ ମୁଦ୍ରାରେ ରାଜସ୍ୱ ଆଦାୟ କଲେ। ଏହି କାରଣରୁ କଉଡ଼ିର ମୂଲ୍ୟରେ ପତନ ଘଟିଲା। ଲୋକେ କଉଡ଼ି ବିନିମୟରେ ରୌପ୍ୟ ମୁଦ୍ରା ସଂଗ୍ରହ କରିବାକୁ ପ୍ରୟାସ କରି ମୁଦ୍ରା ବିନିମୟକାରୀଦ୍ୱାରା ଶୋଷିତ ହେଲେ। ସରକାର ସ୍ଥିର କରିଥିଲେ, ଟଙ୍କାକୁ ଚାରି କାହାଣ କଉଡ଼ି, ମାତ୍ର ଅସଲି ବଜାରରେ ବିନିମୟ ମୂଲ୍ୟ ହେଲା ଟଙ୍କାକୁ ଛଅରୁ ସାତ କାହାଣ କଉଡ଼ି। ଅର୍ଥାତ୍‍ ଯେଉଁ ଜମିଦାର ପାଞ୍ଚ ହଜାର ଟଙ୍କା ରାଜସ୍ୱ ଦେବାପାଇଁ ୨୦,୦୦୦ କଉଡ଼ି ଦେଉଥିଲେ, ଏବେ ଅବମୂଲ୍ୟାୟନ ପରେ ଦେବେ ୩୦,୦୦୦ ବା ତା'ଠାରୁ ଊର୍ଦ୍ଧ୍ୱ କଉଡ଼ି। ଏହାକୁ ଭରଣା କରିବାସକାଶେ ଜମିଦାରମାନେ ଅଧିକ କଠୋର ଭାବେ ରୟତ ପ୍ରଜାଠାରୁ ଅଧିକ କଉଡ଼ି ଦେୟ ମାଗିଲେ। କଉଡ଼ି ଯେହେତୁ ବିଶେଷକରି ଗରିବ ତଳ ସ୍ତରର ଲୋକ ଅଧିକ ବ୍ୟବହାର କରୁଥିଲେ, ସେମାନଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିଲା। କ୍ରୟ ବିକ୍ରୟ ବେଳେ ସେମାନଙ୍କ ପାଖରେ ଥିବା କଉଡ଼ିକୁ ରୌପ୍ୟମୁଦ୍ରାରେ ବିନିମୟ କରାଯିବାରୁ ସେମାନେ ଶୋଷଣର ଶିକାର ହେଲେ ଏବଂ ବଜାରରେ ରୌପ୍ୟ ମୁଦ୍ରାର କୃତ୍ରିମ ଅଭାବ ସୃଷ୍ଟି ହେଲା। ଏଥିରେ ମୁଦ୍ରାବିନିମୟକାରୀ ସାହୁକାର ମହାଜନମାନେ ଖୁବ୍‍ ଲାଭ ପାଇଲେ।

ଜଗନ୍ନାଥ ମନ୍ଦିର ପରିଚାଳନା

 ଇଂରେଜମାନଙ୍କର ଓଡ଼ିଶା ଦଖଲ ବେଳେ ମରହଟ୍ଟାମାନଙ୍କ ହାତରେ ଜଗନ୍ନାଥ ମନ୍ଦିର ପରିଚାଳନା ଭାର ରହିଥିଲା। ଖୋର୍ଦ୍ଧା ରାଜା ପ୍ରତିଶ୍ରୁତି ମତେ ଲକ୍ଷେ ଟଙ୍କା ଦେଇ ପାରି ନଥିବାରୁ ମରହଟ୍ଟାମାନେ ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ଖୋର୍ଦ୍ଧା ରାଜାଙ୍କଠାରୁ କାଢ଼ି ନେଇ ନିଜ ଅଧୀନରେ ରଖିଲେ। ଇଂରେଜମାନେ ମରାଠାମାନଙ୍କୁ ପରାଜିତ କରି ସେହି ଅଧିକାର ନିଜ ହାତକୁ ନେଲେ। ଏଥିପାଇଁ ଉଭୟ ଖୋର୍ଦ୍ଧା ରାଜା ଓ ତାଙ୍କ ସମଥର୍କ ବ୍ରାହ୍ମଣ ଗୋଷ୍ଠୀ ଏବଂ ଖ୍ରୀଷ୍ଟିଆନ୍‍ ମିସନାରୀ ଗୋଷ୍ଠୀଦ୍ୱାରା ସରକାର ତୀବ୍ର ସମାଲୋଚନାର ଶିକାର ହେଲେ। ମିଶନାରୀମାନଙ୍କ ଅଭିଯୋଗ ହେଲା ଯେ, ସରକାର ଜଗନ୍ନାଥ ମନ୍ଦିରର କର୍ତ୍ତୃତ୍ୱ ହାତକୁ ନେଇ ମୂର୍ତ୍ତିି ପୂଜାକୁ ମାନ୍ୟତା ଦେଉଛନ୍ତି। ଏହା ସତ୍ତ୍ୱେ ମନ୍ଦିରର ପରିଚାଳନା ଓ ନିୟନ୍ତ୍ରଣକୁ ସରକାର ହାତଛଡ଼ା କରି ନଥିଲେ। ଏହା ପଛରେ ପ୍ରମୁଖ କାରଣ ଥିଲା ମନ୍ଦିରରୁ ଆଦାୟ ହେଉଥିବା ରାଜସ୍ୱ।

  ୧୮୦୩ରେ ଓଡ଼ିଶା ଦଖଲ ବେଳେ ଇଂରେଜମାନେ ଜଗନ୍ନାଥ ମନ୍ଦିରର ପରଂପରା ଓ ନୀତିନିୟମକୁ ସୁରକ୍ଷିତ ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପଣ୍ତାମାନଙ୍କ ମାଧ୍ୟମରେ କୁହାଯାଇଥିଲା ଯେ, ଇଂରେଜ ରାଜତ୍ୱରେ ଜଗନ୍ନାଥ ସୁରକ୍ଷିତ ରହିବେ। ଜଗନ୍ନାଥଙ୍କ ସଂରକ୍ଷକ ଭୂମିକା ଗ୍ରହଣ କରିବା ପରେ ଇଂରେଜମାନଙ୍କୁ ସ୍ଥାନୀୟ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ି ନଥିଲା। ଏହି ପ୍ରତିଶ୍ରୁତିକୁ ସରକାର ଦୁଇ ବର୍ଷପାଇଁ ପାଳନ ମଧ୍ୟ କଲେ। ଅସଲରେ ଓଡ଼ିଶା ଦଖଲ କଲା ପରେ ମନ୍ଦିର ପରିଚାଳନା ସମ୍ୱନ୍ଧରେ ନିଷ୍ପତ୍ତି ନେବା ପୂର୍ବରୁ ସେମାନେ କିଛି ସମୟ ଚାହୁଁଥିଲେ।

୧୮୦୬ରେ ଇଂରେଜ ସରକାର ମରାଠାମାନଙ୍କ ପରି ତୀର୍ଥଯାତ୍ରୀ କର ଲାଗୁ କଲେ। କାରଣ ମନ୍ଦିର ପରିଚାଳନାପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଭରଣା ହେବା କଥା! କର ଆଦାୟପାଇଁ ଜଣେ କଲେକ୍ଟର ନିଯୁକ୍ତ ହେଲେ। ଜେମ୍‍ସ ହଣ୍ଟର ଥିଲେ ପୁରୀ ଜଗନ୍ନାଥ ମନ୍ଦିରର ପ୍ରଥମ କଲେକ୍ଟର। ହଣ୍ଟର ମନ୍ଦିରର ବିଧି ପରିଚାଳନା ଭାର ବ୍ରାହ୍ମଣ ପଣ୍ତିତମାନଙ୍କର ଏକ ସମିତି ଉପରେ ନ୍ୟସ୍ତ କଲେ। କଲେକ୍ଟରଙ୍କ ସୁପାରିଶ ଅନୁସାରେ ସରକାର ବ୍ରାହ୍ମଣମାନଙ୍କୁ ସମିତିର ସଦସ୍ୟ ନିଯୁକ୍ତ କରୁଥିଲେ। ପରେ ମନ୍ଦିରରେ ସଂପୃକ୍ତ ବ୍ୟକ୍ତିମାନଙ୍କଦ୍ୱାରା ଏହି ସଦସ୍ୟମାନେ ନିର୍ବାଚିତ ହେବେ ବୋଲି ବ୍ୟବସ୍ଥା ହେଲା।

୧୮୦୭ରେ ଜର୍ଜ ଓ୍ୱେବ୍‍ସ ମନ୍ଦିରର କଲେକ୍ଟର ନିଯୁକ୍ତ ହେଲେ। ମନ୍ଦିର ପରିଚାଳନା ସମ୍ୱନ୍ଧରେ ସଂପୂର୍ଣ୍ଣ ଅନୁସନ୍ଧାନ କରି ସେ ସରକାରଙ୍କୁ ଏକ ରିପୋର୍ଟ ଦେଇଥିଲେ। ଏଥିରେ ସେ ମନ୍ଦିରର ବ୍ୟବସ୍ଥାନିମନ୍ତେ ଦୁଇଟି ପ୍ରସ୍ତାବ ଦେଇଥିଲେ। ପ୍ରଥମ- ଜଗନ୍ନାଥ ମନ୍ଦିରକୁ ମିଳିଥିବା ଜମିର ଖଜଣା ସରକାର ଅସୁଲ କରି ସେ ଅର୍ଥରେ ମନ୍ଦିର ଖର୍ଚ୍ଚ ପୂରଣ କରନ୍ତୁ। ଦ୍ୱିତୀୟ- ମନ୍ଦିରର ଅନାବଶ୍ୟକ ଖର୍ଚ୍ଚକୁ କାଟ କରାଯାଉ। ସରକାର ଦୁଇଟିଯାକ ପ୍ରସ୍ତାବକୁ ମାନିନେଲେ। ୧୮୦୯ରେ ମନ୍ଦିର ପରିଚାଳନା ଭାର ଖୋର୍ଦ୍ଧା ରାଜାଙ୍କୁ ବଂଶାନୁକ୍ରମିକ ଭାବେ ଦିଆଗଲା। କାରଣ, ବିଦେଶୀ ଭାବରେ ସରକାର ମନ୍ଦିରର ଦୈନନ୍ଦିନ ପରିଚାଳନାରେ ଅସୁବିଧା ଅନୁଭବ କରୁଥିଲେ। ଦ୍ୱିତୀୟତଃ, ଔପନିବେଶିକ ସ୍ୱାର୍ଥ ଦୃଷ୍ଟିରୁ ମନ୍ଦିର ପରିଚାଳନାର କୌଣସି ବିଶେଷ ତାତ୍ପର୍ଯ୍ୟ ସରକାର ଦେଖି ପାରୁ ନଥିଲେ। ତୃତୀୟତଃ, ମନ୍ଦିର ପରିଚାଳନାରେ ସରକାର ହସ୍ତକ୍ଷେପ କରିବାଦ୍ୱାରା ଖ୍ରୀଷ୍ଟିଆନ୍‍ ଧାର୍ମିକ ଗୋଷ୍ଠୀର କଟୁ ସମାଲୋଚନା ସହ୍ୟ କରିବାକୁ ପଡ଼ୁଥିଲା। ଅଧିକ ସମାଲୋଚନାର ଶରବ୍ୟ ନ ହେବାପାଇଁ ସରକାର ତୀର୍ଥଯାତ୍ରୀମାନଙ୍କଠାରୁ ଅସୁଲ ହେଉଥିବା କରକୁ ମନ୍ଦିର ସଂପର୍କୀୟ ବ୍ୟାପାରରେ ଖର୍ଚ୍ଚ କରୁଥିଲେ। ଉଦାହରଣ ସ୍ୱରୂପ, ୧୮୨୫ରେ ମନ୍ଦିରର ରାଜସ୍ୱ ଓ ତୀର୍ଥଯାତ୍ରୀ କରକୁ ଉପଯୋଗ କରି ଜଗନ୍ନାଥ ସଡ଼କର ପୁନଃନିର୍ମାଣ କାର୍ଯ୍ୟ କରାଯାଇଥିଲା।   ଜଗନ୍ନାଥ ମନ୍ଦିରର ନିୟନ୍ତ୍ରଣ ହାତକୁ ନେଇ କମ୍ପାନୀ ସରକାର ଖ୍ରୀଷ୍ଟିଆନ୍‍ ମିଶନାରୀମାନଙ୍କର ତୀବ୍ର ବିରୋଧର ସମ୍ମୁଖୀନ ହୋଇଥିଲେ । ଏହାଦ୍ୱାରା ସରକାର ମୂର୍ତ୍ତିିପୂଜାକୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଅଭିଯୋଗ ହେଉଥିଲା । ସେତେବେଳେ ରଥଯାତ୍ରା ସମୟରେ ଅନେକ ଲୋକ ରଥଚକ ତଳେ ମୃତ୍ୟୁବରଣ କରୁଥିଲେ । ସରକାରଙ୍କ ବିରୋଧୀ ମିଶନାରୀମାନଙ୍କ ମତରେ ଏହି ଅମାନୁଷିକ ନରହତ୍ୟାକୁ କମ୍ପାନୀ ପ୍ରୋତ୍ସାହିତ କରୁଛନ୍ତି । ମନ୍ଦିର ପରିଚାଳନାପାଇଁ ସରକାର ନିୟମିତ ଅର୍ଥ ସାହାଯ୍ୟ କରୁଥିଲେ । ଏହାକୁ ଖ୍ରୀଷ୍ଟିଆନ୍‍ ବିରୋଧୀ କାର୍ଯ୍ୟ ବୋଲି ମିଶନାରୀମାନେ ଅଭିଯୋଗ କରୁଥିଲେ ।

ମନ୍ଦିର କାର୍ଯ୍ୟରେ ସଂପୃକ୍ତି ନେଇ ସରକାରଙ୍କ ସମାଲୋଚନା ଇଂଲଣ୍ତରେ ମଧ୍ୟ ଶୁଣାଗଲା । କମ୍ପାନୀର ନିୟନ୍ତ୍ରଣ ବୋର୍ଡ଼୍ (Board of Control) ମଧ୍ୟ ସରକାରର ଧାର୍ମିକ ହସ୍ତକ୍ଷେପକୁ ନାପସନ୍ଦ କଲେ । ୧୮୩୩ରେ କମ୍ପାନୀର ନିର୍ଦ୍ଦେଶକମଣ୍ତଳୀ (Board of Directors) କମ୍ପାନୀ ସରକାରକୁ ମନ୍ଦିର ପରିଚାଳନାରେ ସଂପୃକ୍ତ ନହେବାପାଇଁ ତଥା ତୀର୍ଥଯାତ୍ରୀ କରକୁ ଉଚ୍ଛେଦ କରିବାକୁ ପ୍ରବଳ ଚାପ ପ୍ରୟୋଗ କଲେ । ସରକାରଙ୍କୁ ଇଙ୍ଗିତ କରି ମଣ୍ତଳୀ ମନ୍ତବ୍ୟ ଦେଲେ, "ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନର ଶାନ୍ତି ରକ୍ଷକ ହେବାର ବାହାନାରେ ଆମ୍ଭେମାନେ ମୂର୍ତ୍ତିପୂଜା ପୀଠଗୁଡ଼ିକର ପ୍ରମୁଖ ରକ୍ଷାକର୍ତ୍ତା ସାଜିଛୁ ।" ୧୮୩୮ରେ ନିର୍ଦ୍ଦେଶକମଣ୍ତଳୀ ପୁଣି ଥରେ ମନ୍ଦିର ପରିଚାଳନାରୁ ଦୂରେଇ ରହିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ । ୧୮୪୦ ଏପ୍ରିଲ୍‍ ମାସରେ ଏକ ନିୟମ ଅନୁସାରେ ତୀର୍ଥସ୍ଥାନମାନଙ୍କରେ ତୀର୍ଥଯାତ୍ରୀକର ଉଚ୍ଛେଦ କରାଯିବା ନେଇ ନିର୍ଦ୍ଦେଶ ଜାରି ହେଲା । ସେହି ଅନୁସାରେ ପୁରୀ ମନ୍ଦିରରୁ ମଧ୍ୟ ତୀର୍ଥଯାତ୍ରୀ କର ଆଦାୟ ବନ୍ଦ ହେଲା ।

ଏହା ପରେ ମିଶନାରୀମାନେ ମନ୍ଦିରକୁ ଆର୍ଥିକ ଅନୁଦାନ ନ ଦେବାକୁ ସରକାରଙ୍କୁ ବାଧ୍ୟ କଲେ । ୧୮୫୦ ମସିହାରେ ଏ ନେଇ ଇଂଲଣ୍ତର କମ୍ପାନୀ ନିର୍ଦ୍ଦେଶକମଣ୍ତଳୀ ପାଖରେ ଦାବିପତ୍ର ପେଶ୍‍ କରାଗଲା । ଏହାର ଉତ୍ତରରେ କଟକ କମିସନର ଏ.ଜେ.ଏମ୍‍. ମିଲ୍‍ସ ଅନୁଦାନ କୌଣସି ବ୍ୟକ୍ତିଗତ ପୂଜକପାଇଁ ନୁହେଁ, ବରଂ ଏକ ସାର୍ବଜନୀନ ଅନୁଷ୍ଠାନର ସାଧାରଣ ହିତପାଇଁ ବୋଲି ଯୁକ୍ତି କଲେ । ଏହାର ଅବମାନନା କଲେ ମରାଠା ସମୟରୁ ରହିଥିବା ପରମ୍ପରା ଭଙ୍ଗ ହେବ ଓ ଜନ ଅସନ୍ତୋଷ ବୃଦ୍ଧି ପାଇବ ବୋଲି ସେ ଜଣାଇଲେ । ୧୮୬୩ ମସିହାରୁ ସରକାରଙ୍କ ତରଫରୁ ମନ୍ଦିରକୁ ପ୍ରତ୍ୟକ୍ଷ ଆର୍ଥିକ ଅନୁଦାନ ଦେବାର ବିଧି ପୂର୍ଣ୍ଣତଃ ବନ୍ଦ ହେଲା । ତା' ସ୍ଥାନରେ ମନ୍ଦିର ନାମରେ ଦେବୋତ୍ତର ଜମିର ଆୟକୁ ବ୍ୟବହାର କରାଗଲା । ଉକ୍ତ ଜମି ଖୋର୍ଦ୍ଧା ଗଜପତିଙ୍କୁ ଦିଆଗଲା । କହିବା ବାହୁଲ୍ୟ ଯେ, ଦେବୋତ୍ତର ଜମିର ଆୟ, ପୂର୍ବରୁ ମିଳୁଥିବା ସରକାରୀ ମଂଜୁରୀର ସମତୁଲ୍ୟ ଥିଲା ।

ଗଡ଼ଜାତ ନୀତି   ମୋଗଲ ଓ ମରହଟ୍ଟା ଶାସନ କାଳରେ ଓଡ଼ିଶାରେ ଅନେକଗୁଡ଼ିଏ କରଦ ରାଜ୍ୟ ରହିଥିଲେ । ଘନ ଜଙ୍ଗଲ ଓ ମାଳଭୂମିପରିପୂର୍ଣ୍ଣ ଏହି ରାଜ୍ୟଗୁଡ଼ିକ ଗମନାଗମନ ଓ ଯୋଗାଯୋଗ ଦୃଷ୍ଟିରୁ ସମତଳ କ୍ଷେତ୍ରର ଶାସକମାନଙ୍କପାଇଁ ଅପହଞ୍ଚ ମନେ ହେଉଥିଲା । ତେଣୁ ମୋଗଲ ଓ ପରେ ମରହଟ୍ଟାମାନେ ଏହି ରାଜ୍ୟଗୁଡ଼ିକରେ ପ୍ରତ୍ୟକ୍ଷ ଶାସନ ପ୍ରବର୍ତ୍ତନ କରି ପାରି ନଥିଲେ । ଅର୍ଥାତ୍‍ ସଂପୃକ୍ତ ରାଜାମାନେ ପ୍ରଭୁତ୍ୱ ସ୍ୱୀକାର କରି ବାର୍ଷିକ କର ଦେଉଥିଲେ ଏବଂ ଆଭ୍ୟନ୍ତରୀଣ ବ୍ୟାପାରରେ ସ୍ୱାଧୀନତା ପାଇଥିଲେ । ନିର୍ଦ୍ଧାରିତ କର ଅସୁଲି ପରେ ମୋଗଲ ଓ ମରହଟ୍ଟାମାନେ ଏହି କରଦ ରାଜ୍ୟଗୁଡ଼ିକର ଆଭ୍ୟନ୍ତରୀଣ ପ୍ରଶାସନରେ ହସ୍ତକ୍ଷେପ କରୁ ନଥିଲେ । ଏହି ରାଜ୍ୟଗୁଡ଼ିକୁ ଗଡ଼ଜାତ କୁହାଯାଉଥିଲା । ଗଡ଼ଜାତ ବାହାରେ ରହଥିବା ପ୍ରତ୍ୟକ୍ଷ ଶାସନାଧୀନ କ୍ଷେତ୍ରକୁ ମୋଗଲବନ୍ଦି କୁହାଯାଉଥିଲା । ମୋଗଲମାନଙ୍କଦ୍ୱାରା ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ମରହଟ୍ଟାମାନେ କାୟମ ରଖିଥିଲେ । ମୋଗଲ ବା ମରହଟ୍ଟା ଆଇନ କାନୁନ, ପୋଲିସ୍‍ , ସାଧାରଣ ପ୍ରାଶାସନିକ ବ୍ୟବସ୍ଥା, ଅର୍ଥ ବ୍ୟବସ୍ଥା ଇତ୍ୟାଦି କଥା ଯାହା ଆଲୋଚନାକୁ ଆସେ, ତାହା ମୋଗଲବନ୍ଦି କ୍ଷେତ୍ରରେ ସୀମିତ ରହୁଥିଲା; ଗଡ଼ଜାତରେ ତା'ର ସିଧା ପ୍ରବର୍ତ୍ତନ ହେଉ ନଥିଲା ।   ଇଂରେଜମାନେ କଟକ ଦଖଲ କଲାବେଳେ ଉପକୂଳ ଓ କେନ୍ଦ୍ର ଓଡ଼ିଶାରେ ଅନେକ ଗଡ଼ଜାତ ରହିଥିଲା । ଏହା ବାହାରେ ଦକ୍ଷିଣ ଓଡ଼ିଶା, ଯାହା ଗଞ୍ଜାମ ଏଜେନ୍‍ସି ନାମରେ ମାଡ଼୍ରାସ୍‍ ପ୍ରେସିଡେନ୍‍ସି ସହିତ ମିଶି ରହିଥିଲା, ତହିଁରେ ମଧ୍ୟ ଏଭଳି କେତୋଟି ରାଜ୍ୟ ଥିଲା । ପୁଣି ସମ୍ୱଲପୁରକୁ କେନ୍ଦ୍ର କରି ପଶ୍ଚିମ ଓଡ଼ିଶା ଓ ଆଧୁିନିକ ଛତିଶଗଡ଼ର ୧୮ଟି କ୍ଷୁଦ୍ର ରାଜ୍ୟ ରହିଥିଲେ । ୧୮୦୩ରେ ଇଂରେଜ ଓ ମରହଟ୍ଟାମାନଙ୍କ ମଧ୍ୟରେ ଦେଓଗାଁ ଚୁକ୍ତି ସ୍ୱାକ୍ଷରିତ ହେବା ବେଳକୁ ଏ ମଧ୍ୟରୁ ଅନେକ ରାଜା ଇଂରେଜମାନଙ୍କ ପ୍ରଭୁତ୍ୱ ସ୍ୱୀକାର କରି ସାରିଥିଲେ । ୧୮୦୫ ଶେଷ ସୁଦ୍ଧା ସମସ୍ତ ଗଡ଼ଜାତ ଇଂରେଜମାନଙ୍କ କର୍ତ୍ତୃତ୍ୱ ସ୍ୱୀକାର କରି ସାରିଥିଲେ ।

ଇଂରେଜ ଶାସନ କାଳରେ ମଧ୍ୟ ପୂର୍ବରୁ ଚଳି ଆସୁଥିବା ଗଡ଼ଜାତ ବ୍ୟବସ୍ଥା ଅବ୍ୟାହତ ରହିଲା । ଏହାର ଅର୍ଥ ହେଲା ଯେ ଇଂରେଜମାନେ ପ୍ରଜାଙ୍କ ମଙ୍ଗଳକୁ ଗୌଣ କରି କର ଅସୁଲକୁ ପ୍ରମୁଖତା ଦେଉଥିଲେ ।୧୮୦୪-୦୫ରେ ଯେତେବେଳେ ମୋଗଲବନ୍ଦିର ଭୂ-ରାଜସ୍ୱ ଥିଲା ୧୩,୬୩,୬୬୮ଟଙ୍କା, ୨୯ଟି ଗଡ଼ଜାତର ଭୂ-ରାଜସ୍ୱ ଥିଲା ୧,୧୮,୬୮୭ ଟଙ୍କା । ଏହି ଟଙ୍କା ଗଡ଼ଜାତମାନେ ସରକାରଙ୍କ ରାଜକୋଷରେ ଜମା କରୁଥିଲେ । ମାତ୍ର ସରକାରଙ୍କ ମୋଟାମୋଟି ହିସାବ ଅନୁଯାୟୀ, ସେମାନେ ପ୍ରଜାଙ୍କଠାରୁ ଆଦାୟ କରୁଥିଲେ ପ୍ରାୟ ୬୫୦,୦୦୦ଟଙ୍କା । ଏହା ବାହାରେ ମଧ୍ୟ ଅନେକ କର ସେଠାକାର ପ୍ରଜା ଦେଉଥିଲେ । ଯଦି ମୋଗଲ, ମରାଠା ଓ ଇଂରେଜମାନଙ୍କଦ୍ୱାରା ଆଦାୟ ହେଉଥିବା ଓଡ଼ିଶାର ଭୂ-ରାଜସ୍ୱକୁ ତୁଳନା କରାଯାଏ, ତେବେ ଜଣାଯିବ ଯେ (ଷ୍ଟର୍ଲିିଂଙ୍କ ହିସାବ ଅନୁଯାୟୀ) ମୋଗଲ ସମୟରେ ଏହା ଥିଲା ୧୫,୮୯,୭୩୨ଟଙ୍କା; ମରାଠା ସମୟରେ ୧୪,୪୦୦୦୦ଟଙ୍କା ଏବଂ ଇଂରେଜ ସମୟରେ (୧୮୦୪-୧୮୦୫) ୧୩,୬୩,୬୬୮ ଟଙ୍କା । ଯଦିଓ ମୋଗଲ ଓ ମରାଠା ସମୟରେ ଧାର୍ଯ୍ୟ ଭୂ-ରାଜସ୍ୱ ଅଧିକ ଥିଲା, ପ୍ରକୃତରେ ୧୨ ଲକ୍ଷ ଟଙ୍କାରୁ ଅଧିକ ସଂଗ୍ରହ ହେଉ ନଥିଲା । ଅନ୍ୟ ପକ୍ଷରେ, କଠୋର ନିୟମଯୋଗୁଁ ଇଂରେଜ ସମୟରେ ଧାର୍ଯ୍ୟ ଭୂ-ରାଜସ୍ୱ ପ୍ରକୃତରେ ସଂଗ୍ରହ ମଧ୍ୟ ହେଉଥିଲା । ଦ୍ୱିତୀୟତଃ, ଯେଉଁ କଠୋରତାର ସହିତ ଜମିଦାର ଓ ରାଜାମାନଙ୍କଠାରୁ କର ଅସୁଲ କରାଯାଉଥିଲା, ତତୋଽଧିକ କଠୋରତା ସହ ଏହି ଅସୁଲକାରୀମାନେ ପ୍ରଜାଙ୍କଠାରୁ ଖଜଣା ଅସୁଲ କରୁଥିଲେ । ଏହା ପ୍ରଜାଙ୍କ ଦୁଃଖକୁ ଖୁବ୍‍ ଅଧିକ ମାତ୍ରାରେ ବୃଦ୍ଧି କରୁଥିଲା ।   ଓଡ଼ିଶାରେ ଇଂରେଜ ଶାସନ ସମୟରେ ଜମିଦାରମାନେ ଏକ ନୂଆ ସାମାଜିକ ଶ୍ରେଣୀ ଭାବରେ ଉଭୟ ଗଡ଼ଜାତ ଓ ମୋଗଲବନ୍ଦି କ୍ଷେତ୍ରରେ ବିକାଶ ଲାଭ କଲେ । ମୋଗଲ ଓ ମରାଠା ସମୟରେ ଚୌଧୁରୀ, କାନୁନ୍‌ଗୋ, ମକଦ୍ଦମ, ଅମିଲ ଆଦି ରାଜକର୍ମଚାରୀମାନେ ବଂଶାନୁକ୍ରମିକ ଭାବେ ରାଜସ୍ୱ ଅସୁଲ ତଥା ଆହୁରି ଅନେକ ସାଧାରଣ କାମପାଇଁ ନିଯୁକ୍ତ ହୋଇଥିଲେ । ଏଥିପାଇଁ ସେମାନେ ମାସିକ ବେତନ ବଦଳରେ ଜମି ପାଇଥିଲେ । ଇଂରେଜମାନେ ସେ ସମସ୍ତଙ୍କୁ 'ଜମିଦାର' ଘୋଷଣା କରିଦେଲେ, କାରଣ ଏହି ସଂପନ୍ନବର୍ଗ ହାତରେ ଜମି ରହିଲେ କୃଷିର ଉନ୍ନତି ହେବ ବୋଲି ସେମାନେ ଆଶା କରୁଥିଲେ । ଇଂଲଣ୍ତରେ ଜମି ବଡ଼ ବଡ଼ ଭୂମିମାଲିକଙ୍କ ହାତକୁ ଗଲା ପରେ ଉତ୍ପାଦନରେ ବୃଦ୍ଧି ଘଟିଥିଲା, ଯାହା ପୁଞ୍ଜିବାଦୀ ବିକାଶକୁ ସାହାଯ୍ୟ କରିଥିଲା । ଏକ ଭୂମିମାଲିକ ବା ଜମିଦାରବର୍ଗ ସୃଷ୍ଟି କରି ଭାରତରେ ଏବଂ ବିଶେଷକରି ଓଡ଼ିଶାରେ ପୁଞ୍ଜିବାଦୀ କୃଷି ବିକାଶ କରାଯାଇ ପାରିବ ବୋଲି ସେମାନେ ମନେ କରିଥିଲେ । ବଙ୍ଗରେ ଚିରସ୍ଥାୟୀ ବନ୍ଦୋବସ୍ତ ମାଧ୍ୟମରେ ଏହି ଜମିଦାରବର୍ଗ ସୃଷ୍ଟି ହୋଇଥିଲା । ଓଡ଼ିଶାରେ ଭୂ-ବନ୍ଦୋବସ୍ତକୁ ଚିରସ୍ଥାୟୀ କରାଗଲା ନାହିଁ, କାରଣ ଉତ୍ପାଦନ ଊଣା ରହୁଥିବାରୁ ରାଜସ୍ୱକୁ ସ୍ଥାୟୀ ଭାବରେ ସରକାର ଧାର୍ଯ୍ୟ କରିବାକୁ ଚାହୁଁ ନଥିଲେ । ଭବିଷ୍ୟତରେ ଓଡ଼ିଶାରେ ଉତ୍ପାଦନ ବୃଦ୍ଧିପାଇଲେ ବନ୍ଦୋବସ୍ତ ଚିରସ୍ଥାୟୀ ହେବ ବୋଲି କେବଳ ପ୍ରତିଶ୍ରୁତି ଦିଆଗଲା ।

ଆରମ୍ଭରେ ଗଡ଼ଜାତମାନଙ୍କୁ ଆଭ୍ୟନ୍ତରୀଣ ସ୍ୱାଧୀନତା ମିଳିଥିଲା । ୧୮୦୪ରେ ସମ୍ୱଲପୁର ଓ ଗଞ୍ଜାମ ଏଜେନ୍‍ସିକୁ ବାଦ ଦେଇ ଯେଉଁ କଟକ ଡିଭିଜନ ରହିଥିଲା, ତହିଁରେ ଥିଲା ମୋଟ ୩୦ଟି ଗଡ଼ଜାତ । ତନ୍ମଧ୍ୟରୁ ୧୮୦୪ରେ ବିଦ୍ରୋହ କରି ବିଫଳ ହେଲା ପରେ ଖୋର୍ଦ୍ଧାକୁ ଖାସମାହାଲରେ ପରିଣତ କରି ଦିଆଗଲା । ବାକି ୨୯ଟି ଗଡ଼ଜାତରୁ ୧୪ଟିରେ ସିଧାସିଧା ବ୍ରିଟିଶ୍‍ ନିୟମ ଲାଗୁ ହେଉ ନଥିଲା । ଏହା ପରୋକ୍ଷରେ ଲାଗୁ ହେଉଥିଲା । ପରେ କଟକ, ସମ୍ୱଲପୁର ଓ ଗଞ୍ଜାମ ଏଜେନ୍‍ସି ବା ପ୍ରାକୃତିକ ଓଡ଼ିଶାରେ ମୋଟ ୨୬ଟି ଗଡ଼ଜାତ ରହିଲେ । ଅନ୍ୟଗୁଡ଼ିକ ହୁଏତ ଜମିଦାରୀ ଭାବରେ ଗଣାହେଲେ, ନୋହିଲେ ମୋଗଲବନ୍ଦିରେ ସେଗୁଡିକୁ ସାମିଲ୍‍ କରି ଦିଆଗଲା। ଏହି ଗଡ଼ଜାତମାନଙ୍କରେ ଖୁବ୍‍ ପ୍ରଜା ଉତ୍ପୀଡ଼ନ ଥିଲା;ମୋଗଲବନ୍ଦି ତୁଳନାରେ ଶିକ୍ଷା, ସଂସ୍କୃତି, ବାଣିଜ୍ୟ, ଯୋଗାଯୋଗ ଆଦି ସବୁ କ୍ଷେତ୍ରରେ ସେଗୁଡ଼ିକ ପଛରେ ରହିଥିଲେ । ଲୋକେ ଗଡ଼ଜାତକୁ ଅନ୍ଧାରୀ ଶାସନ ବୋଲି କହୁଥିଲେ । ନାଗରିକ ଅଧିକାରର ସେଠାରେ ନାମଗନ୍ଧ ନ ଥିଲା । ଇଂରେଜ ସରକାର ନିଜକୁ ଗଣତନ୍ତ୍ର,ବ୍ୟକ୍ତି ସ୍ୱାଧୀନତା ଓ ଆଧୁନିକତାର ଜନ୍ମଦାତା ବୋଲି ଦାବି କରୁଥିଲେ ମଧ୍ୟ ଗଡ଼ଜାତର ଅଂଧାରୀ ଶାସନକୁ ପ୍ରଶ୍ରୟ ଦେଉଥିଲେ । ଏହା ପଛରେ କାରଣ ହେଲା ଯେ, ଗଡ଼ଜାତର ରାଜାମାନେ ଇଂରେଜ ସରକାରକୁ ଶେଷ ପର୍ଯ୍ୟନ୍ତ ଅଂଧ ସମର୍ଥନ ଦେଇ ଆସିଥିଲେ । ଗଡ଼ଜାତଗୁଡ଼ିକ ହେଲେ-

ଛବିଶଟି ଗଡ଼ଜାତ
ରାଜ୍ୟ ଆୟତନ (ବର୍ଗମାଇଲ)
ଢେଙ୍କାନାଳ ୧୪୮୬
ନୀଳଗିରି ୨୮୪
ତାଳଚେର ୩୯୯
ରେଢ଼ାଖୋଲ(ରାଇରଖୋଲ) ୮୩୩
ନୟାଗଡ଼ ୫୯୦
ଆଠଗଡ଼ ୧୬୮
ପାଲଲହଡ଼ା (ରା) ୪୫୨
ଗାଙ୍ଗପୁର ୨୪୯୨
ରଣପୁର ୨୦୩
ହିନ୍ଦୋଳ ୩୧୨
ବାମଣ୍ତା (ବାମରା) ୧୨୮୮
ଦଶପଲ୍ଲା ୫୬୮
ସୋନପୁର ୯୦୬
ଖଣ୍ତପଡ଼ା ୨୪୪
ଆଠମଲ୍ଲିକ ୭୩୦
ବଣାଇ ୧୨୯୬
ବଉଦ ୧୨୬୪
ବଡ଼ମ୍ୱା ୧୪୨
ନରସିଂହପୁର ୧୯୯
କଳାହାଣ୍ତି ୩୭୪୫
ତିଗିରିଆ ୪୬
କେନ୍ଦୁଝର ୩୦୯୬
ପାଟଣା ୨୫୧୧
ମୟୂରଭଞ୍ଜ ୪୨୪୩
ଷଢେ଼ଇକଳା ୪୯୯
ଖରସୁଆଁ ୧୫୩

  ୧୮୦୩ରେ ଓଡ଼ିଶା ଅଧିକାର କଲାବେଳେ ଇଂରେଜମାନେ ଭାରତର ସର୍ବୋଚ୍ଚ ଶକ୍ତି ହୋଇ ନଥିଲେ । ଗଡ଼ଜାତ ଓ ଜମିଦାରୀର ସମର୍ଥନ ବିନା ସେମାନେ ସର୍ବୋଚ୍ଚ ଶକ୍ତି ହୋଇପାରିବେ ନାହିଁ ବୋଲି ମନେ କରୁଥିଲେ । ତେଣୁ ଆଭ୍ୟନ୍ତରୀଣ ସ୍ୱାଧୀନତା ଦେଇ ତଥା ନାମମାତ୍ର ଦେୟ ଧାର୍ଯ୍ୟ କରି ପ୍ରତିବଦଳରେ ସେମାନଙ୍କଠାରୁ ପୂର୍ଣ୍ଣ ସମର୍ଥନ ଲାଭ କରିବାକୁ ପ୍ରୟାସ କରୁଥିଲେ । ମାତ୍ର ଦଶବର୍ଷ ପରେ ଇଂରେଜମାନେ ଆଉ ଦେଶୀୟ ରାଜ୍ୟ ଓ ଗଡ଼ଜାତର ସମର୍ଥନ ଦରକାର କରୁ ନଥିଲେ । ଭାରତରେ ସର୍ବୋଚ୍ଚ ଶକ୍ତି ହେବା ପରେ ଗଡ଼ଜାତମାନଙ୍କର କ୍ଷମତା କ୍ଷୁଣ୍ଣ କରିବାକୁ ସେମାନେ ପ୍ରୟାସ କଲେ । ଏହି ଲକ୍ଷ୍ୟରେ ୧୮୧୪ରେ ଗଡ଼ଜାତମାନଙ୍କୁ ଟ୍ରିବ୍ୟୁଟାରୀ ମାହାଲ ଅଧୀନରେ ରଖାଗଲା । ମାହାଲର ମୁଖ୍ୟ ଭାବରେ ଜଣେ ଅଧୀକ୍ଷକ ବା ସୁପରିନ୍‌ଟେେଣ୍ତଣ୍ଟଙ୍କୁ ନିଯୁକ୍ତ କରାଗଲା । ଗଡ଼ଜାତଗୁଡ଼ିକ ମଧ୍ୟରେ ବା ଗଡ଼ଜାତ ଓ ମୋଗଲବନ୍ଦି ମଧ୍ୟରେ ଅଥବା ଗଡ଼ଜାତ ରାଜା କିଛି ଗହନ ଅପରାଧ କଲେ, ତାକୁ ବୁଝିବାପାଇଁ ମାହାଲ ଗଠନ ହୋଇଥିଲା । ଜିଲ୍ଲା ମାଜିଷ୍ଟ୍ରେଟ୍‍ମାନେ ଆବଶ୍ୟକ ପଡ଼ିଲେ ଅଧୀକ୍ଷକଙ୍କୁ ସହଯୋଗ କରିବେ ବୋଲି ନିୟମ ରହିଲା । ଗଡ଼ଜାତର ରାଜା ଯଦି ନାବାଳକ, ତାଙ୍କ କାର୍ଯ୍ୟ ପରିଚାଳନାପାଇଁ ଜଣେ ତହସିଲଦାର ରହିବେ ବୋଲି ଆଇନରେ ଉଲ୍ଲେଖ ରହିଲା । ଏହା ପ୍ରକାରାନ୍ତରେ ଗଡ଼ଜାତ ଉପରେ ଇଂରେଜର କର୍ତ୍ତୃତ୍ୱ ଜାହିର କରିବାଲାଗି ବାଟ ଖୋଲି ଦେଲା ।

ଏତେ ସବୁ ପରିବର୍ତ୍ତନ ହେଲା, ଅଥଚ ଗଡ଼ଜାତର ପ୍ରଜାବିରୋଧୀ ଶାସନକୁ ନିୟନ୍ତ୍ରଣ କରିବାକୁ ସରକାର କୌଣସି ବିଶେଷ ପଦକ୍ଷେପ ନେଲେ ନାହିଁ । କେବଳ ହତ୍ୟା ଭଳି ଗୁରୁତର ଅପରାଧ କରିଥିବା ରାଜାଙ୍କୁ ସମୟେ ସମୟେ ଦଣ୍ତ ଦିଆଗଲା । ଅନେକ ସମୟରେ ନରହତ୍ୟା ସମେତ ଅନେକ ଅପରାଧ କରି ସୁଦ୍ଧା ଗଡ଼ଜାତ ରାଜାମାନେ ଆଦୌ କୌଣସି ଦଣ୍ତ ପାଇଲେ ନାହିଁ । ପ୍ରଥମେ ୧୮୨୧ରେ ଏବଂ ପରେ ୧୮୩୯ରେ ଓଡ଼ିଶାର ଗଡ଼ଜାତ ଅଧୀକ୍ଷକ ଗଡ଼ଜାତ ରାଜାମାନଙ୍କୁ କଠୋର ଆଇନ ମଧ୍ୟରେ ଆଣିବାକୁ ପ୍ରସ୍ତାବ ଦେଲେ । ମାତ୍ର ସରକାର ପ୍ରସ୍ତାବଗୁଡ଼ିକୁ ଅଗ୍ରାହ୍ୟ କରିଦେଲେ । ଏହି ପ୍ରକ୍ରିୟାରେ ଇଂରେଜର ଛତ୍ରଛାୟା ତଳେ ଗଡ଼ଜାତରେ ଅମାନବୀୟ ଅତ୍ୟାଚାର ରାଜାମାନଙ୍କ ନେତୃତ୍ୱରେ ସଂପନ୍ନ ହେଲା ଏବଂ ଇଂରେଜମାନେ ଚାରିଆଡେ଼ ଗଣତନ୍ତ୍ର, ବିଧି ସମ୍ମତ ଆଇନ, ବ୍ୟକ୍ତି ସ୍ୱାଧୀନତା, ଆଧୁନିକ ବିକାଶର ପକ୍ଷଧର ବୋଲି ନିଜକୁ ଗର୍ବ କରି ପ୍ରଚାର କଲେ । ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିରେ (୧୯୦୬) ସମସ୍ତ ଗଡ଼ଜାତପାଇଁ ଜଣେ ପଲିଟିକାଲ୍‍ ଏଜେଣ୍ଟ ନିଯୁକ୍ତ ହେଲେ । ଯଦିଓ ପଲିଟିକାଲ୍‍ ଏଜେଣ୍ଟ ଗଡ଼ଜାତ ରାଜାଙ୍କୁ ଉପଦେଶ, ପରାମର୍ଶ ଏବଂ ଆବଶ୍ୟକ ପଡ଼ିଲେ ଆଦେଶ ଦେବେ ବୋଲି କଥା ରହିଲା, ପ୍ରକୃତରେ ଦେଖିବାକୁ ଗଲେ, ଅନେକ ସମୟରେ ରାଜାପକ୍ଷ ପଲିଟିକାଲ୍‍ ଏଜେଣ୍ଟଙ୍କୁ ନାନା ଉପାୟରେ ପ୍ରଭାବିତ କରି ରଖୁଥିଲେ । ବରଂ ଅନେକ କ୍ଷେତ୍ରରେ ପଲିଟିକାଲ୍‍ ଏଜେଣ୍ଟଙ୍କୁ ଅତ୍ୟାଚାରିତ ପ୍ରଜାମାନେ ରାଜପକ୍ଷ ବ୍ୟକ୍ତି ବୋଲି ମନେ କରୁଥିଲେ । ଏହାର ଫଳ ସ୍ୱରୂପ ୧୯୩୯ରେ ରଣପୁରରେ ରାଜା-ବିରୋଧୀ ଗଣ ଆନ୍ଦୋଳନରେ ତତ୍କାଳୀନ ପଲିଟିକଲ୍‍ ଏଜେଣ୍ଟ ବେଜେଲଗେଟ୍‍ଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଶିକ୍ଷା ନୀତି

  ଇଂରେଜମାନେ ଓଡ଼ିଶା ଦଖଲ କରିବା ଦିନଠାରୁ ଶିକ୍ଷାକୁ କେବଳ ଚାକିରି ସାଙ୍ଗରେ ଯୋଡ଼ି ଦେଖୁଥିଲେ । ଇଂରେଜ ପ୍ରାଶାସନିକ ବ୍ୟବସ୍ଥାରେ ଅଧସ୍ତନ କର୍ମଚାରୀ ଭାବରେ ଓଡ଼ିଆଙ୍କର ଯେହେତୁ ବିଶେଷ ଉପସ୍ଥିତି ନଥିଲା; ଓଡ଼ିଶାକୁ ଅଶିକ୍ଷିତ, ନିରକ୍ଷର ଲୋକବହୁଳ ଦେଶ ବୋଲି ସେମାନେ ମାନି ନେଇଥିଲେ । ସେହି ସୂତ୍ରରେ ଶିକ୍ଷାର ବିକାଶପାଇଁ ସେମାନେ ଯେଉଁ କେତେକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ, ସେଥିରେ, ଅଧସ୍ତନ କର୍ମଚାରୀ ରୂପରେ ଓଡିଆଙ୍କୁ ଅଧିକରୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେଇ ଦୟାଭାବ ଦେଖାଇବା ଉପରେ ଗୁରୁତ୍ୱ ଆରୋପ କରୁଥିଲେ । ବଙ୍ଗାଳୀ ଓ ମୁସଲମାନ କିରାଣିଙ୍କର ସେତେବେଳେ ଅଧସ୍ତନ କର୍ମଚାରୀ ଭାବେ ସଂଖ୍ୟା ଦୃଷ୍ଟିରୁ ମହତ୍ତ୍ୱ ରହିଥିଲା । କର୍ମଚାରୀ ଭାବରେ ଓଡ଼ିଆମାନଙ୍କ ସଂଖ୍ୟା ନ୍ୟୂନତାକୁ ଅନୁଭବ କରି ତଥା ଓଡ଼ିଆମାନଙ୍କ ପ୍ରତି ଦୟାଭାବ ଦେଖାଇ ୧୮୨୧ରେ କଟକ ମାଜିଷ୍ଟ୍ରେଟ୍‍ ଲେଖିଥିଲେ- "ମାସକୁ ଦଶ ଟଙ୍କା ବେତନ ପାଉଥିବା ଜଣେ ବି ଓଡ଼ିଆ ମିଳିବା କାଠିକର । ସାଧାରଣତଃ ବଙ୍ଗାଳୀ ଓ ମୁସଲମାନ ହିଁ ଉଚ୍ଚ ପଦପଦବୀରେ ରହିଛନ୍ତି । ସର୍ବଦା ମୁଁ ଓଡ଼ିଆ ଲୋକଙ୍କୁ ନିଯୁକ୍ତି ଦେବାକୁ ପ୍ରାଥମିକତା ଦିଏ, ମାତ୍ର ସ୍ଥିତି ଏମିତି ଯେ, ସାଧାରଣ ମୋହରିର କାମପାଇଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତାଧାରୀ ଜଣେ ଓଡ଼ିଆ ମିଳିବା କଷ୍ଟ ।"

ଓଡ଼ିଆ ଲୋକ ଯେ ପାରଂପରିକ ଶିକ୍ଷାରୁ ବଞ୍ଚିତ ଥିଲେ ତା' ନୁହେଁ । ସଂସ୍କୃତରେ ଏବଂ ଓଡ଼ିଆରେ ପ୍ରଗାଢ଼ ଜ୍ଞାନ ଥିବା ଓଡ଼ିଆଙ୍କ ସଂଖ୍ୟା ଊଣା ନଥିଲା । ମାତ୍ର ପ୍ରାଶାସନିକ ନିଯୁକ୍ତିପାଇଁ ୧୮୦୩-୦୪ରେ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳ ପାର୍ସୀ ଭାଷା ଜ୍ଞାନ ଜରୁରୀ ଥିଲା । ଓଡ଼ିଆ ମାନେ ତହିଁରେ ଦକ୍ଷ ନଥିଲେ । ୧୮୦୫ରେ, ପାର୍ସୀ ସହିତ ଓଡ଼ିଆରେ ବି ସରକାରଙ୍କୁ ଦରଖାସ୍ତ ଦିଆଯାଇ ପାରିବ ତଥା ଅନ୍ୟାନ୍ୟ ସରକାରୀ କାମପାଇଁ ଓଡ଼ିଆଙ୍କୁ ବାରଣ କରାଯିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଲେ । ତା' ସତ୍ତ୍ୱେ ଓଡ଼ିଆ ଲୋକ ଚାକିରି କ୍ଷେତ୍ରରେ ବଙ୍ଗାଳୀମାନଙ୍କ ଅପେକ୍ଷା ଖୁବ୍‍ ପଛରେ ରହିଗଲେ । କାରଣ ଓଡ଼ିଆ ଶିକ୍ଷିତ ବର୍ଗ ତାଳପତ୍ରରେ ଏବଂ ଲୌହ ଲେଖନୀ ମାଧ୍ୟମରେ ଲେଖିବା ଜାଣିଥିଲେ । କାଗଜ ଓ କଲମରେ ଲେଖିବାକୁ ସେତେବେଳେ ଅଶୁଭ ମନେ କରାଯାଉଥିଲା । ସରକାରୀ କାର୍ଯ୍ୟାଳୟରେ ଏବଂ ବିଶେଷକରି କୋର୍ଟ କଚେରିରେ ସ୍ଥାନୀୟ ଓଡ଼ିଆ ଲୋକ ବଙ୍ଗାଳୀ ଓ ମୁସଲମାନ୍‍ କିରାଣି ଆଦିଙ୍କ ହାତରେ ପେଷି ହୋଇଯାଉଥିଲେ । ଦରଖାସ୍ତ ଲେଖିବାପାଇଁ, ଅଧିକାରୀଙ୍କ ସହ ଯୋଗାଯୋଗ ସ୍ଥାପନ କରିବାପାଇଁ, ଅଣ-ଓଡ଼ିଆ କର୍ମଚାରୀମାନେ ଖୁବ୍‍ ଲାଞ୍ଚ ନେଉଥିଲେ । ତଳସ୍ତର କର୍ମଚାରୀଙ୍କ ମଧ୍ୟରେ ଦୁର୍ନୀତି, ଠକାମି, ଶଠତା ଆଦି ଭର୍ତ୍ତିି ହୋଇ ରହିଥିଲା । ଓଡ଼ିଆ ଲୋକ ନିଯୁକ୍ତି ପାଇଲେ ଦୁର୍ନୀତି କାଳେ ବନ୍ଦ ହେବ ବୋଲି ଉଚ୍ଚପଦାଧିକାରୀମାନେ ଭାବୁଥିଲେ । ୧୮୨୮ରେ ଭଦ୍ରକ ଓ ପଟ୍ଟାମୁଣ୍ତାଇର ମୁନସଫ୍‍ମାନେ ଦୁର୍ନୀତି ଓ ଅନ୍ୟାନ୍ୟ ଅପରାଧରେ ଲିପ୍ତ ଥିବାର ପ୍ରମାଣ ମିଳିଥିଲା । ଏହି ସବୁ ବ୍ୟବସ୍ଥାଗତ ସମସ୍ୟାକୁ ସୁଧାରିବାକୁ ହେଲେ ସ୍ଥାନୀୟ ଲୋକଙ୍କୁ ଶିକ୍ଷିତ କରି ଅଫିସ୍‍ ଦପ୍ତରରେ ନିଯୁକ୍ତି ଦେବାକୁ ହେବ ବୋଲି ସରକାର ଚିନ୍ତା କରୁଥିଲେ ।   ଶିକ୍ଷା ଓ ଚାକିରି କ୍ଷେତ୍ରରେ ପଛେଇ ଯାଇଥିବା ଓଡ଼ିଶାର ସ୍ଥାନୀୟ ଲୋକଙ୍କ ଦୁରବସ୍ଥା ପ୍ରତି ଏତେ ମାତ୍ରାରେ ସରକାର ଦୟାଭାବ ପ୍ରଦର୍ଶନ କରିବା ସତ୍ତ୍ୱେ, ୧୮୩୮ ଯାଏ କେତୋଟି ମାତ୍ର ମିଶନାରୀ ସ୍କୁଲ୍‍କୁ ବାଦ୍‍ ଦେଲେ ଓଡ଼ିଶାରେ ସ୍କୁଲ୍‍ ପ୍ରତିଷ୍ଠିତ ହୋଇ ନଥିଲା ବୋଲି କହିଲେ ଭୁଲ ହେବ ନାହିଁ । ୧୮୩୫ରେ ଲର୍ଡ଼ ବେଣ୍ଟିକ୍‍ଙ୍କ ସମୟରେ ସ୍କୁଲ୍‍ମାନଙ୍କରେ ଇଂରାଜୀ ଶିକ୍ଷା ଦିଆଯିବ ବୋଲି ସ୍ଥିର ହେଲା । ମାତ୍ର ଏହାର ପ୍ରତିଫଳ ଓଡ଼ିଶାରେ ଦୃଷ୍ଟିଗୋଚର ହେଲା ନାହିଁ । ୧୮୩୫ରୁ ୧୮୫୪ (ଉଡ଼୍‍ଙ୍କ ଡେସ୍ପାଚ୍‍)ମଧ୍ୟରେ ସରକାର କେବଳ ଯତ୍‍ କିଞ୍ଚିତ୍‍ ବଙ୍ଗ ପ୍ରଦେଶର ଶିକ୍ଷା ପ୍ରତି ଧ୍ୟାନ ଦେଲେ । ଓଡ଼ିଶା କଥା ତାଙ୍କ ଧ୍ୟାନକୁ ଗଲା ନାହିଁ । ତାଙ୍କ ଧ୍ୟାନ ଆକର୍ଷଣ କରିବାସକାଶେ କେହି ଉଚ୍ଚ ଶିକ୍ଷିତ ଓଡ଼ିଆ ବ୍ୟକ୍ତି ବି ନଥିଲେ । ସମ୍ଭବତଃ ୧୮୩୮ରେ ପ୍ରଥମେ ସରକାରୀ ଉଦ୍ୟମରେ ପୁରୀରେ ଗୋଟାଏ ଇଂରାଜୀ ଏବଂ ଗୋଟାଏ ସଂସ୍କୃତ ସ୍କୁଲ୍‍ ସ୍ଥାପିତ ହେଲା । ଏହାର ତିନିବର୍ଷ ପରେ ୧୮୪୧ରେ କଟକରେ ଓ ୧୮୫୩ରେ ବାଲେଶ୍ୱରରେ ଜିଲ୍ଲା ସ୍କୁଲ୍‍ ସ୍ଥାପନ ହେଲା । ଗ୍ରାମୀଣ କ୍ଷେତ୍ରରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ପାରମ୍ପରିକ ପଦ୍ଧତିରେ ଚାଲିଥିବା ପାଠଶାଳାରୁ ଉତ୍ତୀର୍ଣ୍ଣ ଛାତ୍ର ଜିଲ୍ଲା ସ୍କୁଲ୍‍ରେ ନାମଲେଖାଇବାର ନିର୍ଦ୍ଦେଶ ରହିଲା । ୧୮୪୫ ଓ ୧୮୪୮ରେ ମାତ୍ର ଦୁଇଟି ଭର୍ଣ୍ଣାକୁଲାର ସ୍କୁଲ୍‍ ସରକାର ଓଡ଼ିଶାରେ ପ୍ରତିଷ୍ଠା କଲେ । ୧୮୫୪ରେ ଯେତେବେଳେ 'ଉଡ଼୍‍ଙ୍କ ଡେସ୍‍ପାଚ୍‍' ମାଧ୍ୟମରେ ସରକାର ଗଣ ଶିକ୍ଷାଦାନକୁ ସରକାରୀ ଦାୟିତ୍ୱ ଓ ତା'ପାଇଁ ପ୍ରାଥମିକ ସ୍କୁଲ୍‍ ସ୍ଥାପନକୁ ନୈତିକ କର୍ତ୍ତବ୍ୟ ବୋଲି କହିଲେ, ସେତେବେଳେ ଓଡ଼ିଶାରେ ପ୍ରାଥମିକ ପାଠପାଇଁ ଆଠଟି ମାତ୍ର ଶିକ୍ଷାନୁଷ୍ଠାନ ରହିଥିଲା । ଏହାର ଚାରି ବର୍ଷ ପରେ ୧୮୫୮ରେ କଟକ ଜିଲ୍ଲାରେ ୧୪ଟି (ଛାତ୍ର ସଂଖ୍ୟା: ୪୫୩), ବାଲେଶ୍ୱରରେ ୬ଟି (ଛାତ୍ର ସଂଖ୍ୟା:୧୮୪) ଓ ପୁରୀ ଜିଲ୍ଲାରେ ମାତ୍ର ୯ଟି (ଛାତ୍ର ସଂଖ୍ୟା: ୩୪୯) ଶିକ୍ଷାନୁଷ୍ଠାନ ରହିଥିଲା ।

୧୮୬୬ର ନ'ଅଙ୍କ ଦୁର୍ଭିିକ୍ଷ ପରେ ଶିକ୍ଷା ପ୍ରତି ସରକାରଙ୍କ ଧ୍ୟାନ ସାମାନ୍ୟ ବୃଦ୍ଧି ପାଇଲା । ଲୋକେ ଶିକ୍ଷିତ ହୋଇଥିଲେ ସେମାନେ ଅଧସ୍ତନ କର୍ମଚାରୀ ଭାବେ ଚାକିରି କରିଥାନ୍ତେ, ନିଜର ଅଭାବ ଅସୁବିଧାକୁ ଭାଷା ଦେଇ ଅଭିବ୍ୟକ୍ତ କରି ପାରିଥାନ୍ତେ ଏବଂ ଅମାନବୀୟ ସ୍ଥିତିରେ ମଶାମାଛି ଭଳି ଦୁର୍ଭିିକ୍ଷରେ ମୃତ୍ୟୁବରଣ କରି ନଥାନ୍ତେ- ଏହା ଓଡ଼ିଶାର ସରକାର ବି ଅନୁଭବ କଲେ । ଦୁର୍ଭିିକ୍ଷର ଅବ୍ୟବହିତ ପୂର୍ବରୁ ବଙ୍ଗ ପ୍ରେସିଡେନ୍‍ସି, ଦକ୍ଷିଣ-ପଶ୍ଚିମ କ୍ଷେତ୍ରର ସ୍କୁଲ୍‍ ନିରୀକ୍ଷକ ତାଙ୍କ ରିପୋର୍ଟରେ ଲେଖିଥିଲେ, "ଏକ ସାନ ଜିଲ୍ଲା ହାବଡ଼ାର କ୍ଷେତ୍ରଫଳ ୮୦୦ ବର୍ଗ ମାଇଲ ଓ ଲୋକସଂଖ୍ୟା ୭,୫୦,୦୦୦ । ଅନ୍ୟ ପକ୍ଷରେ ଓଡ଼ିଶାର କ୍ଷେତ୍ରଫଳ ୫୨,୯୯୫ ବର୍ଗ ମାଇଲ୍‍ ଏବଂ ଲୋକସଂଖ୍ୟା ୪,୫୩୪,୮୧୩ । ମାତ୍ର ହାବଡ଼ା ତୁଳନାରେ ଓଡ଼ିଶାରେ ଶିକ୍ଷାପାଇଁ କମ୍‍ ବ୍ୟୟବରାଦ ହୁଏ ... ।" ସେ ଯାହାହେଉ ୧୮୬୭ ବେଳକୁ ସ୍କୁଲ୍‍ ସଂଖ୍ୟା ବୃଦ୍ଧିପାଇ ମୋଟ ୭୭ ଓ ଛାତ୍ର ସଂଖ୍ୟା ୩୫୩୬ ହେଲା । ଏହା ପରେ ପାଠଶାଳା ଓ ସ୍ଥାନୀୟ ସ୍ତରରେ ସ୍ଥାପିତ ସ୍କୁଲ୍‍ଗୁଡ଼ିକୁ ମଧ୍ୟ ଯତ୍‍ କିଞ୍ଚିତ୍‍ ଅନୁଦାନ ଦେଇ ସରକାର ଶିକ୍ଷା ଦାୟିତ୍ୱ ନିର୍ବାହ କରୁଛନ୍ତି ବୋଲି ଦାବି କଲେ । ଏହା ଫଳରେ ସ୍କୁଲ୍‍ ସଂଖ୍ୟା ଆଶାନୁପାତିକ ଭାବେ ବୃଦ୍ଧିପାଇଲା । ଏହା ସତ୍ତ୍ୱେ ସରକାର ପ୍ରାଥମିକ ଶିକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଉଥିଲେ ବୋଲି କୁହାଯାଇପାରିବ ନାହିଁ ।   ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାର ଓଡ଼ିଶାକୁ ଆଗେଇ ନେଇ ପାରି ନଥିଲେ । ୧୮୮୨ରେ ବଂଗ ଅନ୍ତର୍ଗତ ଓଡ଼ିଶା ଡିଭିଜନରେ ମାତ୍ର ୬ଟି ହାଇସ୍କୁଲ୍‍ ସ୍ଥାପିତ ହୋଇଥିଲା । ତନ୍ମଧ୍ୟରୁ କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲା ସ୍କୁଲ୍‍ କେବଳ ସରକାରୀ ପ୍ରତିଷ୍ଠାନ ଥିଲା । ବାକି ତିନୋଟିରୁ କଟକ ୟୁରୋପିଆନ୍‍ ସ୍କୁଲ୍‍ ଓ ଲୋକନାଥ ସ୍କୁଲ୍‍କୁ ସରକାର କିଛି ଅନୁଦାନ ମାତ୍ର ଦେଉଥିଲେ ଏବଂ କଟକ ଏକାଡେମୀ ଘରୋଇ ଉଦ୍ୟମରେ ଚାଲିଥିଲା । ମଧ୍ୟ-ଇଂରାଜୀ ସ୍କୁଲ୍‍ର ମୋଟ ସଂଖ୍ୟା ଥିଲା ୨୩ ଓ ଛାତ୍ର ସଂଖ୍ୟା ୧୪୦୦ ପ୍ରାୟ । ସବୁଠାରୁ ବଡ଼ କଥା ହେଉଛି, ଉପକୂଳର ତିନୋଟି ବଡ଼ ସହରକୁ ବାଦ ଦେଲେ, ଅନ୍ୟ ଆଡେ଼ ହାଇସ୍କୁଲ୍‍ ଶିକ୍ଷାପାଇଁ ଅନୁଷ୍ଠାନ ନଥିଲା । ଓଡ଼ିଶାର ଅଧା ପ୍ରାୟ କ୍ଷେତ୍ର ଥିଲା ଗଡ଼ଜାତ ଅଧୀନରେ, ଯେଉଁଠି ଅନେକ ଦିନ ଯାଏଁ ଗୋଟିଏ ବି ହାଇସ୍କୁଲ୍‍ ସ୍ଥାପିତ ହୋଇ ନଥିଲା । ସେହିଭଳି ମୋଟ ୨୩ଟି ମଧ୍ୟ ଇଂରାଜୀ ସ୍କୁଲ୍‍ରୁ ୧୯ଟି ଥିଲା ଅନୁଦାନପ୍ରାପ୍ତ ଓ ଚାରୋଟି ଘରୋଇ ସ୍କୁଲ୍‍ । ୧୮୬୮ରେ ପ୍ରଥମ କରି କଟକ ହାଇସ୍କୁଲ୍‍ରେ ପ୍ରଥମ ବର୍ଷର କଲେଜ ପାଠ ପଢ଼ାହେଲା । ୧୮୬୯ରେ ସେଠାରେ ଆଇନ ଅଧ୍ୟୟନ ମଧ୍ୟ ଆରମ୍ଭ ହେଲା । ୧୮୭୫ରେ କଟକରେ ପ୍ରଥମ କରି ମେଡ଼ିକାଲ ସ୍କୁଲ୍‍ ସ୍ଥାପନାପାଇଁ ମଞ୍ଜୁରି ମିଳିଲା । ଏସବୁ ଉଦ୍ୟମ ଶିକ୍ଷା କ୍ଷେତ୍ରରେ ଯେ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ, ଏଥିରେ ଦ୍ୱିରୁକ୍ତି ନାହିଁ ।

ପୋଲିସ୍‍ ଓ ନ୍ୟାୟିକ ବ୍ୟବସ୍ଥା   ମୋଗଲ ଓ ମରାଠା ଶାସନରେ ଅମିଲ ବିଚାରକ ଓ ପୋଲିସ ଅଧୀକ୍ଷକ ଭାବରେ କାମ କରୁଥିଲେ । ତାଙ୍କ ପାଖରେ ନରହତ୍ୟା ଭଳି ଗୁରୁତର ଅପରାଧର ମଧ୍ୟ ବିଚାର ହୋଇ ପାରୁଥିଲା । ଧର୍ମ ଭଳି ବିଚାର ବେଳେ ଜାତିକୁ ମଧ୍ୟ ମହତ୍ତ୍ୱ ଦିଆଯାଉଥିଲା । ଜମିଦାର ଓ ଅହଦାଦାର ଥିଲେ ଅମିଲ ତଳକୁ ନ୍ୟାୟ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଅଧିକାରୀ । ସବା ତଳେ ଥିଲା ପଞ୍ଚାୟତ, ଯାହା ଗ୍ରାମ ତଥା ଜାତି ଓ ଧର୍ମ ଭିତ୍ତିରେ କାର୍ଯ୍ୟ କରୁଥିଲା । ଅର୍ଥାତ୍‍ ଯଦି ମୁଦେଇ ଓ ମୁଦାଲା ଗୋଟିଏ ନିର୍ଦ୍ଦିଷ୍ଟ ଜାତିର ହୋଇଥାନ୍ତି, ତେବେ ଜାତି ପଞ୍ଚାୟତରେ ବିଚାର ହେଉଥିଲା । ପଞ୍ଚାୟତପାଇଁ ଉଭୟ ପକ୍ଷ ସଭ୍ୟ ମନୋନୀତ କରୁଥିଲେ । ଅର୍ଥାତ୍‍ ସେମାନଙ୍କ ନିଷ୍ପତ୍ତି ସ୍ୱୀକାର୍ଯ୍ୟ ହେବ ବୋଲି ପ୍ରତିଶ୍ରୁତି ଦିଆଯାଉଥିଲା । ପଞ୍ଚାୟତର ଏହା ହିଁ ଥିଲା ଏକ ବଡ଼ ଅସ୍ତ୍ର । ନିଷ୍ପତ୍ତିକୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିବା ଉଭୟ ପକ୍ଷ ମାନି ନେଉଥିଲେ । ଅନେକ ଫୌଜଦାରି ଓ ଦେଓ୍ୱାନୀ ମାମଲା ପଞ୍ଚାୟତ ସ୍ତରରେ ଫଇସଲା ହୋଇଯାଉଥିଲା । ତୁରନ୍ତ ନ୍ୟାୟ ମଧ୍ୟ ମିଳୁଥିଲା, କାରଣ ତତ୍‍କାଳୀନ ନ୍ୟାୟିକ ବ୍ୟବସ୍ଥା ସହଜ ଓ ସରଳ ଥିଲା ।   ଶାନ୍ତି ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣପାଇଁ ଥାନା ରହିଥିଲା ଏବଂ ତହିଁରେ ଜଣେ କୋଟଓ୍ୱାଲ୍‍ ନିଯୁକ୍ତ ଥିଲେ । ତାଙ୍କ ତଳକୁ ଖଣ୍ତାୟତ, ପାଇକ ଓ ଗ୍ରାମ ଚୌକିଦାର ଆଦି ରହିଥିଲେ । ଆବଶ୍ୟକ ହେଲେ କୋଟଓ୍ୱାଲ୍‍ ଭୂ-ରାଜସ୍ୱ ଆଦାୟ ବେଳେ ସହଯୋଗ କରୁଥିଲେ ।

ଇଂରେଜ ସମୟରେ ମରାଠାକାଳୀନ ଥାନା ବ୍ୟବସ୍ଥା ଅବ୍ୟାହତ ରହିଲା । ଥାନା ଅଧିକାରୀଙ୍କୁ ଦାରୋଗା କୁହାଗଲା । ଦାରୋଗାଙ୍କ ତଳକୁ ଖଣ୍ତାୟତ ଓ ପାଇକମାନେ ରହିଲେ । ଗାଁ ଚୌକିଦାରମାନେ ମଧ୍ୟ ଥାନା ବ୍ୟବସ୍ଥାରେ କିଛି ଜାଗିର ଜମି ପାଇ ଦାରୋଗାଙ୍କୁ ସାହାଯ୍ୟ କଲେ ।

ଗଡ଼ଜାତ ମହଲରେ ଜଣେ ଅଧୀକ୍ଷକ ବା ସୁପରିଣ୍ଟେଣ୍ତେଣ୍ଟ୍‍ ଥିଲେ । ତାଙ୍କ ହାତରେ ଉଭୟ ଦେଓ୍ୱାନୀ ଓ ଫୌଜଦାରି ଅଧିକାର ରହିଥିଲା । ଯେତେବେଳେ ଗଡ଼ଜାତ ରାଜାମାନେ ନିଜେ ଶାନ୍ତି ଶୃଙ୍ଖଳା ରକ୍ଷାନିମନ୍ତେ ବାଧକ ହେଲେ ଏବଂ ଇଂରେଜ ସୁରକ୍ଷା ପାଇ ନିର୍ଦ୍ଦୟ ଭାବରେ ନରହତ୍ୟା କରିବାକୁ ମଧ୍ୟ ପଛାଇଲେ ନାହିଁ, ସରକାର ଅଧୀକ୍ଷକ ପଦ ସୃଷ୍ଟି କଲେ । ମାତ୍ର ଅଧିକାଂଶ କ୍ଷେତ୍ରରେ ଗଡ଼ଜାତ ରାଜାମାନେ ଇଂରେଜ ଅଧୀକ୍ଷକଙ୍କ ସହ ମିଳାମିଶା କରି ଇଂରେଜ ବ୍ୟବସ୍ଥାକୁ ନିଜ ସପକ୍ଷରେ ବ୍ୟବହାର କଲେ ।

୧୮୦୬ରେ ମୋଗଲବନ୍ଦି ଓଡ଼ିଶାରେ ୧୬ଟି ଥାନା ରହିଥିଲା । ସେଗୁଡ଼ିକ ହେଲା: ବସ୍ତା, ବାଲେଶ୍ୱର, ସୋରୋ, ଭଦ୍ରକ, ଯାଜପୁର, ଅରକପୁର, ଅସୁରେଶ୍ୱର, ମୋଟୁ, କଟକ, ପିପିଲି, ଗୋପ, ତିରଣ, ହରିହରପୁର, ପ୍ରହରାଜପୁର ଓ ଖୋର୍ଦ୍ଧା । ପରେ ବାଲେଶ୍ୱରର ଚୁରାମନ ଓ ଖୋର୍ଦ୍ଧାର ବାଣପୁରରେ ଥାନା ପ୍ରତିଷ୍ଠିତ ହେଲା ।

ଥାନାର ସର୍ବୋଚ୍ଚ ଅଧିକାରୀ ଦାରୋଗା ହେଲାବେଳେ ସବୁଠାରୁ ତଳେ ରହିଥିଲେ ବରକନ୍ଦାଜ (ସିପାହୀ)ମାନେ । ଗୋଟିଏ ଥାନାରେ ଦାରୋଗାଙ୍କ ବ୍ୟତୀତ ପ୍ରାୟ ଦଶ ଜଣ ବରକନ୍ଦାଜ, ଜଣେ ମୋହରିର ଓ ଜଣେ ଜମାଦାର ରହୁଥିଲେ । ୧୮୧୬ରେ ଦାରୋଗାଙ୍କ ମାସିକ ଦରମା ଥିଲା ୨୫ଟଙ୍କା ଓ ବରକନ୍ଦାଜଙ୍କ ଦରମା ଥିଲା କେବଳ ଚାରିଟଙ୍କା । ଦାରୋଗା ପାଖରେ ପ୍ରଭୂତ କ୍ଷମତା ରହୁଥିଲା । ତାଙ୍କ ଉପରେ ଥିବା ସଂଯୁକ୍ତ ମାଜିଷ୍ଟ୍ରେଟ୍‍ ଥରେ ୧୮୧୫ରେ ବାଲେଶ୍ୱରର ଦାରୋଗାଙ୍କୁ ଉତ୍କୋଚ ନେବା ଅପରାଧରେ ବରଖାସ୍ତ କରିବାକୁ ଯାଇ ଉଚ୍ଚ ଅଧିକାରୀଙ୍କ ପାଖରୁ ଭର୍ତ୍ସନା ଶୁଣିଥିଲେ । ମୋଟ ଉପରେ କହିଲେ, ଲୋକଙ୍କୁ ପାଟି ଖୋଲିବାକୁ ଦେଉ ନଥିବାଯୋଗୁଁ ଦାରୋଗାଙ୍କର ସରକାରୀ ସ୍ତରରେ ଖୁବ୍‍ ଗୁରୁତ୍ୱ ରହିଥିଲା । ପୋଲିସ ଦାରୋଗା ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କୁ ହଇରାଣ କରୁଥିବାରୁ ଲୋକ ପୋଲିସ୍‍ ପାଖକୁ ଯିବାକୁ ମଧ୍ୟ ସାହସ କରୁ ନଥିଲେ । ଇଂରେଜ ଅଧିକାରୀ ଜି.ଟୟନବୀ, ଯିଏ ଗଡ଼ଜାତ ମହଲ ଅଧୀକ୍ଷକ ଥିଲେ ଏବଂ ୧୮୦୩ରୁ ୧୮୨୮ ମଧ୍ୟରେ ଘଟିତ ଓଡ଼ିଶା ଇତିହାସକୁ ଲିପିବଦ୍ଧ କରିଥିଲେ; ତାଙ୍କ ମତରେ, "ଫୌଜଦାରି କେଶ୍‍ଟିଏ ଆସିଲା ମାନେ ଦାରୋଗାର ଆୟ ବୃଦ୍ଧି ପାଇଲା । ଦୌରାରେ ଗଲାବେଳେ ସେ ସ୍ଥାନୀୟ ଲୋକଙ୍କ ଖର୍ଚ୍ଚରେ ଭୋଜନ କରୁଥିଲେ, ରୟତମାନେ ତାଙ୍କର ଜିିନିଷପତ୍ର ବୋହୁଥିଲେ ଏବଂ ଗ୍ରାମବାସୀଙ୍କଠାରୁ ବାଧ୍ୟକରି ଭାରି ମାତ୍ରାରେ ମାଗଣା ରସଦ ମଧ୍ୟ ସଂଗ୍ରହ କରୁଥିଲେ । ସିପାହୀ, ଅମଲା ଓ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀ ମଧ୍ୟ ଏହି ନିୟମରେ ଚଳୁଥିଲେ । ରାସ୍ତାକଡ଼ର ଗାଁକୁ ଗାଁ ଲୋକେ ଛାଡ଼ି ଚାଲି ଯାଉଥିବା ପଛରେ ଏହା ହିଁ ଥିଲା ପ୍ରମୁଖ କାରଣ ।"   ଊନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶନ୍ଧିରେ ପୋଲିସ୍‍ ନଜରକୁ ଆସିଥିବା କେତୋଟି ସତୀଦାହ ଘଟଣା ଟୟନବୀ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି । ୧୮୧୨ରେ କନିକା ରାଜାଙ୍କ ମୃତ୍ୟୁ ପରେ ଏକା ସାଙ୍ଗରେ ତାଙ୍କର ୯ ଜଣ ବିଧବା ରାଣୀ ସତୀ ହୋଇଥିଲେ । ୧୮୧୫ରେ ମୋଟ ୮ଜଣ, ୧୮୧୬ରେ ୯ଜଣ, ୧୮୧୭ ଓ ୧୮୧୮ରେ ୧୪ ଜଣ ଲେଖାଏ ସତୀ ଦାହ ହୋଇଥିବାର ପୋଲିସ ଦାରୋଗାଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିଲା ।

୧୮୨୫, ୧୮୨୬ ଓ ୧୮୨୭ରେ ଯଥାକ୍ରମେ ମୋଗଲବନ୍ଦି ଓଡ଼ିଶାର ମୋଟ ୧୬୬୯, ୧୯୨୫ ଓ ୧୬୪୮ଟି ଚୋରି ଓ ରାହାଜାନି ଘଟଣା ଥାନାରେ ରିପୋର୍ଟ ହୋଇଥିଲା । ତନ୍ମଧ୍ୟରୁ ଯଥାକ୍ରମେ ୩.୫୫, ୭.୧୩ ଏବଂ ୧୩.୦୨ ପ୍ରତିଶତ ଘଟଣାରେ ଦୋଷୀକୁ ଦଣ୍ତ ମିଳିଥିଲା । ବାକି ସବୁ ଘଟଣାରେ ନ୍ୟାୟ ମିଳି ନଥିଲା । ଏହି କାରଣରୁ ମଧ୍ୟ ଲୋକ ଚୋରି ବା ରାହାଜାନି ଘଟଣା ପୋଲିସ୍‍ ଦାରୋଗାଙ୍କ ନଜରକୁ ଆଣୁ ନଥିଲେ । ଏହି ସୂତ୍ରରେ କୁହାଯାଇପାରେ ଯେ, ମରାଠା ସମୟକୁ ଅରାଜକ ମୁଲକ କୁହାଯାଉଥିଲେ ସୁଦ୍ଧା, ଇଂରେଜ ରାଜତ୍ୱରେ ଓଡ଼ିଶା କମ୍‍ ଅରାଜକତାପୂର୍ଣ୍ଣ ନଥିଲା । ସମାଜରେ ଚୋର ଓ ଡକାୟତ ତ ଥିଲେ, କିନ୍ତୁ ଲୋକଙ୍କ ଦୃଷ୍ଟିରେ ପୋଲିସ ମଧ୍ୟ କୌଣସି ଚୋର-ଡକାୟତ ଅପେକ୍ଷା କମ୍‍ ଉପଦ୍ରବୀ ନଥିଲା ।

ସେତେବେଳେ (ଊନବିଂଶ ଶତାବ୍ଦୀର ଆରମ୍ଭରେ) ଓଡ଼ିଶାର ତିନୋଟି ପ୍ରମୁଖ ସହର ହେଲା କଟକ, ପୁରୀ ଓ ବାଲେଶ୍ୱର । ୧୮୦୮ରୁ ୧୮୧୩ରେ ଏହି ସହରରେ ଲାଗି ରହିଥିବା ଚୋରି ଡକାୟତି ପଛରେ ମୁଖ୍ୟ କାରପଟଦାର୍‍ ଥିଲେ ରାତି ଜଗୁଆଳି ଭାବେ କାମ କରୁଥିବା ସିପାହୀମାନେ । ଯଦି ଦାରୋଗା ଏଭଳି କୌଣସି ଉପଦ୍ରବୀ ସିପାହୀକୁ ଗିରଫ କରନ୍ତି, ଗିରଫ ସିପାହୀଙ୍କ ସହଯୋଗୀମାନେ ଆସି ଦାରୋଗାଙ୍କ ସହ ମାଡ଼ଗୋଳ କରୁଥିଲେ । ଫଳରେ ସହରରେ ଦାରୋଗାଙ୍କୁ ଆକ୍ରମଣରୁ ରକ୍ଷା କରିବା ସକାଶେ ନୂଆ ଜଗୁଆଳି ସିପାହୀର ଆବଶ୍ୟକତା ପଡ଼ୁଥିଲା । ଏହା ୧୮୨୧ ପର୍ଯ୍ୟନ୍ତ ଚାଲିଥିଲା ବୋଲି ଟୟନବୀ ଉଲ୍ଲେଖ କରିଛନ୍ତି ।

କଟକରେ ଅବସ୍ଥାପିତ ଜିଲ୍ଲା ଜଜ୍‍ ଥିଲେ ସମଗ୍ର ଓଡ଼ିଶାର ସର୍ବୋଚ୍ଚ ନ୍ୟାୟ ଅଧିକାରୀ । ତାଙ୍କ ତଳେ ରହିଥିବା ସଦର ଅମିନ ଓ ମୁନିସିଫ୍‍ ନିଜ ନିଜ କଚେରିରେ କାର୍ଯ୍ୟ ପରିଚାଳନା କରୁଥିଲେ । ମୋଗଲବନ୍ଦିରେ ମୋଟ ୫ଟି ମୁନସିଫ୍‍ କୋର୍ଟ୍ ଥିଲା । ସେଗୁଡ଼ିକ କଟକ, ବାଲେଶ୍ୱର, ପୁରୀ, କେନ୍ଦ୍ରାପଡ଼ା ଓ ଧାମନଗରରେ ଅବସ୍ଥିତ ଥିଲା । ଶୁଣାଣି ବେଳେ ବିଚାରକମାନେ ସରକାରୀ ଆଇନ, ହିନ୍ଦୁ ଓ ମୁସଲିମ୍‍ ଆଇନକୁ ଦୃଷ୍ଟିରେ ରଖି ବିଚାର କରୁଥିଲେ ।

୧୮୨୮ରେ ଟୟନବୀ ଓଡ଼ିଶାର ଦାରିଦ୍ର୍ୟକୁ ବର୍ଣ୍ଣନାକରି ଲେଖିଛନ୍ତି, "ଏଠାରେ(ଓଡ଼ିଶାରେ) ରୟତ ଚାଷୀମାନେ ଅତ୍ୟନ୍ତ ଦରିଦ୍ର; ସେମାନଙ୍କୁ ନିଜ ବାସଭୂମିରେ ବିକା କିଣା କରାଯାଏ । ପ୍ରାୟତଃ ସେମାନେ ଦାସ ସ୍ଥିତିରେ ।" ଓଡ଼ିଶାର ସାଧାରଣ ବ୍ୟକ୍ତିର ଭୋଜନ ସଂପର୍କରେ ସେ ଲେଖିଛନ୍ତି, "ସେମାନଙ୍କ ମୁଖ୍ୟ ଭୋଜନରେ ଭାତ ସହିତ ଜଙ୍ଗଲରୁ ପ୍ରାପ୍ତ କିଛି ଶାଗ ଓ ଲୁଣ ବ୍ୟତୀତ ଅନ୍ୟ କିଛି ନଥାଏ ।" ରୟତ ଚାଷୀ ଉପରେ ଜମିଦାରର ଅତ୍ୟାଚାରକୁ ବର୍ଣ୍ଣନା କରି ସେ କହିଛନ୍ତି, "ଜମିଦାର ଲାଗୁ କରୁଥିବା ଅଧିକାଂଶ ଦାବି (କର) ଅଯୌକ୍ତିକ । ନିଜ ପିଅନମାନଙ୍କୁ ଧରି ସେ (ଜମିଦାର) ରୟତ ପାଖରୁ ଦେୟ ଅସୁଲ କରନ୍ତି । ଜଣେ ବି ଜମିଦାର ତା' ରୟତ ହାତରେ ଜମିର ପଟ୍ଟା ଦିଏ ନାହିଁ । ରୟତ ଋଣଭାରରେ ଅତିଶୟ ଆକ୍ରାନ୍ତ । ସେ ଉଭୟ ଜମିମାଲିକ ଓ ଗାଁ ମହାଜନଠାରୁ ଖୁବ୍‍ ଋଣ କରିଥାଏ ।" ନିଷ୍କର ଜମି ଭୋଗ କରୁଥିବା ସାମାଜିକ ବର୍ଗକୁ ବାଦ୍‍ ଦେଲେ ଓଡ଼ିଶାର କେହି ଚାଷୀ ଜମିର ଉନ୍ନତିପାଇଁ ପୁଞ୍ଜି ଲଗାଇ ପାରିବା ସ୍ଥିତିରେ ନଥିଲେ । ଏଥିରୁ ମନେହୁଏ ଯେ, ମରାଠାମାନଙ୍କ ଶାସନ ତୁଳନାରେ ଇଂରେଜ ଶାସନ ସମୟରେ ପ୍ରଜା କମ୍‍ ଦାରିଦ୍ର୍ୟର ସମ୍ମୁଖୀନ ହୋଇ ନଥିଲେ; କର ଭାର ଊଣା ନଥିଲା । ୧୮୬୬ର ନ'ଅଙ୍କ ଦୁର୍ଭିିକ୍ଷରେ ଯେତେବେଳେ ଦଶ ଲକ୍ଷରୁ ଅଧିକ ଲୋକଙ୍କର ଅନାହାରରେ ପ୍ରାଣଗଲା, ତହିଁରୁ ଇଂରେଜ ରାଜତ୍ୱରେ ଚାଷୀର ଆର୍ଥିକ ସ୍ଥିତିକୁ ଅନୁମାନ କରି ହୁଏ । ଏହି ଦାରିଦ୍ର୍ୟ ପଛରେ ପ୍ରମୁଖ କାରଣ ହେଉଛି, କଠୋର ନିୟମରେ ସଂଗୃହୀତ ମାଲଗୁଜାରୀ । ଅନ୍ୟଥା ନିଷ୍କର ଜମି ଉପଭୋଗ କରୁଥିବା ବର୍ଗଙ୍କ ବ୍ୟତୀତ ଅନ୍ୟମାନେ ବି ଜମିରେ ପୁଞ୍ଜି ଲଗାଇବାପାଇଁ ଆର୍ଥିକ ଦୃଷ୍ଟିରୁ କ'ଣ ସମ୍ପନ୍ନ ହୁଅନ୍ତେ ନାହିଁ ?


...

ଔପନିବେଶିକ ଶାସନ ବିରୋଧରେ ଅସନ୍ତୋଷ ଓ ବିଦ୍ରୋହ


  ଇଂରେଜମାନେ ଓଡ଼ିଶା ଦଖଲ କଲା ପରେ ଯେଉଁ ନୂତନ ପ୍ରାଶାସନିକ ବ୍ୟବସ୍ଥା ପ୍ରଚଳନ କଲେ, ତାହା ଖୁବ୍‍ ଶୀଘ୍ର ଲୋକଙ୍କୁ ଇଂରେଜ ବିରୋଧୀ କରିଦେଲା । ଖଜଣା ଆଦାୟ ଲାଗି କଠୋର ନୀତି ଗ୍ରହଣ କରାଯିବାରୁ ପ୍ରଜା ଉଚିତ ସମୟରେ ଖଜଣା ଦେବାପାଇଁ ଅତିରିକ୍ତ ସୁଧରେ ଋଣ କଲା; ଏଥିପାଇଁ ତାକୁ ଜମିଦାର ବା ସାହୁକାରଠାରେ ଜମି ବନ୍ଧା ଦେବାକୁ ପଡ଼ିଲା । ମାତ୍ର ଋଣ ପରିଶୋଧ କରି ନ ପାରବାରୁ ତାକୁ ଜମି ହରାଇବାକୁ ପଡିଲା । ଜମିଦାରମାନେ ମଧ୍ୟ ଉଚିତ ସମୟରେ ଭୂ-ରାଜସ୍ୱ ଜମା କରି ନ ପାରି ଜମିଦାରୀ ହରାଇଲେ । ଔପନିବେଶିକ ଆର୍ଥିକ ଶୋଷଣଯୋଗୁଁ ବିଭିନ୍ନ ହସ୍ତଶିଳ୍ପରେ ଆଶ୍ରିତବର୍ଗ କୃଷି ଉପରେ ନିର୍ଭର କରିବାକୁ ବାଧ୍ୟ ହେଲେ । ନୂତନ କୋର୍ଟ କଚେରି ଆସିବା ପରେ ସାହୁକାର ଓ ମହାଜନଙ୍କୁ ବାଦ୍‍ ଦେଇ ସବୁ ବର୍ଗର ଲୋକ ହଇରାଣ ହେଲେ । ଇଂରେଜ ଔପନିବେଶିକ ଶାସନ ବ୍ୟବସ୍ଥାର ଜଟିଳତା ଓ କଠୋରତା ଲୋକଙ୍କୁ କ୍ଷୁବ୍ଧ କଲା । ଫଳରେ, ସ୍ଥାନୀୟ ରାଜା ଓ ଜମିଦାର ବର୍ଗର ନେତୃତ୍ୱରେ ଲୋକ ଇଂରେଜମାନଙ୍କ ବିରୋଧରେ ସ୍ୱତଃସ୍ଫୂର୍ତ୍ତ ଭାବେ ବିଦ୍ରୋହ ଆରମ୍ଭ କଲେ । ଇଂରେଜଙ୍କ ଶକ୍ତି ସଂପର୍କରେ ସେମାନଙ୍କର ସଠିକ୍‍ ଧାରଣା ନଥିଲା । ତେଣୁ ବିଦ୍ରୋହପାଇଁ ବିଶେଷ ଯୋଜନା ଓ ସଂଗଠନ ନ କରି ସେମାନେ ଯୁଦ୍ଧ ଆରମ୍ଭ କଲେ । ତେଣୁ ଅଶେଷ ଦମନର ଶିକାର ହେଲେ ଓ ନିର୍ଯ୍ୟାତନା ଭୋଗିଲେ । ବିଭିନ୍ନ ସ୍ଥାନରେ ଏକା ସମୟରେ ଅନେକଗୁଡ଼ିଏ ବିଦ୍ରୋହ ଆରମ୍ଭ ହୋଇଥିଲେ ସୁଦ୍ଧା ସେଗୁଡିକ ମଧ୍ୟରେ ସମନ୍ୱୟ ନ ଥିଲା । ଏଭଳି ଅନେକ ବିଦ୍ରୋହ ସେତେବେଳେ ଦେଖିବାକୁ ମିଳିଥିଲା । ଦକ୍ଷିଣ ଓଡ଼ିଶା

  ବଙ୍ଗରେ ମିଶିଥିବା ଓଡ଼ିଶା ଡିଭିଜନ ବା କଟକ, ପୁରୀ, ବାଲେଶ୍ୱର ଅଞ୍ଚଳକୁ ଇଂରେଜମାନେ ଦଖଲ କରିବା ପୂର୍ବରୁ ମାଡ଼୍ରାସ୍‍ ପ୍ରେସିଡେନ୍‍ସି ଅନ୍ତର୍ଗତ ଗଞ୍ଜାମ ଏଜେନ୍‍ସିକୁ ଅଷ୍ଟାଦଶ ଶତକର ସପ୍ତମ ଦଶକ(୧୭୭୦) ବେଳକୁ ଦଖଲ କରି ସାରିଥିଲେ । ତେଣୁ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ଇଂରେଜବିରୋଧୀ ବିଦ୍ରୋହ ଆରମ୍ଭ ହେଲା । ଏଥିରେ ସ୍ଥାନୀୟ ରାଜା, ଜମିଦାର, ପାଇକ ଓ ସର୍ଦ୍ଦାର (ଯଥା : ବିଶୋୟୀ, ଦୋରା ଓ ଦୋରତ୍ନମ୍‍) ଆଦି ବିଶେଷ ଭାବେ ନେତୃତ୍ୱ ଗ୍ରହଣ କରିଥିଲେ ।

ପାରଳାଖେମୁଣ୍ତି: ୧୭୬୭-୬୮ରେ ପାରଳାଖେମୁଣ୍ତିର ରାଜା ଜଗନ୍ନାଥ ନାରାୟଣ ଦେବ ତାଙ୍କ ରାଜ୍ୟରୁ ଇଂରେଜମାନଙ୍କୁ ହଟାଇବାକୁ ଉଦ୍ୟମ କଲେ । ଏଥିପାଇଁ ସେ କଟକସ୍ଥିତ ମରହଟ୍ଟା ସରକାରଠାରୁ ସହଯୋଗ କାମନା କରି ବିଫଳ ହେବାରୁ ପଡେ଼ାଶୀ ବିଜୟନଗରମ୍‍ ଓ ବଡ଼ଖେମୁଣ୍ତିର ରାଜାଙ୍କ ସାହାଯ୍ୟ ନେଇ ଯୁଦ୍ଧ କରିଥିଲେ । ସ୍ଥାନୀୟ ଜମିଦାରମାନଙ୍କଠାରୁ ମଧ୍ୟ ତାଙ୍କୁ ସହଯୋଗ ମିଳିଥିଲା । ବଙ୍ଗ ଓ ମାଡ଼୍ରାସ୍‍ ମଧ୍ୟରେ ଇଂରେଜମାନଙ୍କ ଡାକ ବ୍ୟବସ୍ଥାକୁ ବ୍ୟାହତ କରି ସେ ବିଦ୍ରୋହ ଆରମ୍ଭ କରିଥିଲେ । ୧୭୬୮ରେ କର୍ଣ୍ଣେଲ୍‍ ପିଚ୍‍ଙ୍କ ନେତୃତ୍ୱରେ ଇଂରେଜ ସେନା ନାରାୟଣ ଦେବଙ୍କୁ ଜେଲମୁରଠାରେ ପରାସ୍ତ କଲେ । ଏହା ପରେ ରାଜା ଗାଦିଚ୍ୟୁତ ହେଲେ । ମାତ୍ର ରାଜ୍ୟରେ ତାଙ୍କ ପ୍ରଭାବ ଅବ୍ୟାହତ ରହିଲା । ନିଜ ସମର୍ଥକମାନଙ୍କ ସହଯୋଗରେ ନାରାୟଣ ଦେବ ପାରଳାଖେମୁଣ୍ତିରେ ଇଂରେଜମାନଙ୍କୁ ଖଜଣା ଆଦାୟ କରିବାକୁ ଦେଲେ ନାହିଁ । ଶେଷରେ ୧୭୭୦ରେ ତାଙ୍କର ମୃତ୍ୟୁ ପରେ ଗଜପତି ଦେବଙ୍କୁ (ନାରାୟଣ ଦେବଙ୍କ ପୁତ୍ର) ଇଂରେଜମାନେ ରାଜ୍ୟର ରାଜା ଭାବରେ ସ୍ୱୀକୃତି ଦେଲେ ।

ଗଜପତି ଦେବ ନିଜକୁ ସ୍ୱାଧୀନ ମନେ କରୁଥିଲେ । ମାତ୍ର ଇଂରେଜମାନେ ରାଜ୍ୟରେ ହସ୍ତକ୍ଷେପ କରିବା ଫଳରେ ଉଭୟଙ୍କ ମଧ୍ୟରେ ସମ୍ୱନ୍ଧ ତିକ୍ତ ହେଲା । ୧୭୭୪ରେ ଗଜପତି ଦେବଙ୍କୁ ବନ୍ଦୀ କରି ବିଶାଖାପାଟନାରେ ରଖାଗଲା । ଏହାର ପ୍ରତିକ୍ରିୟା ସ୍ୱରୂପ ଆଦିବାସୀ ସର୍ଦ୍ଦାର ବିଶୋୟୀ ଓ ଦୋରାମାନେ ବିଦ୍ରୋହ କଲେ । ୧୭୮୦ ବେଳକୁ ବିଦ୍ରୋହ ବୃଦ୍ଧି ପାଇବାରୁ ୧୭୮୧ରେ ଇଂରେଜମାନେ ଗଜପତି ଦେବଙ୍କୁ ମୁକ୍ତ କରି ରାଜପଦ ଦେବାକୁ ବାଧ୍ୟ ହେଲେ । ଏହା ପରେ ୧୭୯୯ରେ ପୁଣି ବିଦ୍ରୋହ ହେବାରୁ ଗଜପତି ଦେବ ଏବଂ ତାଙ୍କ ପୁତ୍ରଙ୍କୁ ବନ୍ଦୀ କରି ମସୁଲିପଟନମ୍‍ରେ ରଖାଗଲା ।

ଇଂରେଜ ଶାସନର ଏକ କ୍ରୂର ପରିଣାମ ଭାବରେ ପାରଳାଖେମୁଣ୍ତିର ଦୁର୍ଭିିକ୍ଷକୁ ଦେଖାଯାଇପାରେ । ଇଂରେଜମାନେ କଠୋର ଭାବେ ଖଜଣା ଆଦାୟ କରିବାରୁ ପ୍ରଜାଙ୍କ ଆର୍ଥିକ ମେରୁଦଣ୍ତ ଭାଙ୍ଗିଗଲା । ଫଳରେ ଅନାବୃଷ୍ଟି, ଦୁର୍ଭିିକ୍ଷ ଓ ଅନାହାର ମୃତ୍ୟୁର ରୂପ ନେଲା । ବାଧ୍ୟ ହୋଇ ଲୋକେ ପାରଳାଖେମୁଣ୍ତିରୁ ଜୟପୁର ଓ କଳାହାଣ୍ତି ଆଦି ରାଜ୍ୟକୁ ପଳାଇ ଗଲେ । ତିିନି   ବର୍ଷ ଧରି କ୍ରମାଗତ ଦୁର୍ଭିିକ୍ଷ ପଡ଼ିବାଯୋଗୁଁ ପାରଳାଖେମୁଣ୍ତିର ପ୍ରଜା କେବଳ ନିଃସ୍ୱ ହେଲେ ନାହିଁ, ଇଂରେଜଙ୍କ ବିରୋଧରେ ବିଦ୍ରୋହ କରିବାକୁ ମଧ୍ୟ ଶକ୍ତି ହରାଇଲେ । ଅନ୍ୟ ଶବ୍ଦରେ କହିଲେ ସାମୟିକ ଭାବେ ପାରଳାଖେମୁଣ୍ତିରେ ବିଦ୍ରୋହ ପ୍ରଶମିତ ହେଲା ।

୧୮୩୦ରେ ପୁଣି ଥରେ ପାରଳାଖେମୁଣ୍ତିରେ ବିଦ୍ରୋହ ଦେଖାଦେଲା । ଏଥର ଜମିଦାରୀର ମେନେଜର ପଦ୍ମନାଭ ଦେବଙ୍କ ଉପରେ ବିଦ୍ରୋହୀମାନେ ଲକ୍ଷ୍ୟ ରଖିଥିଲେ । ଅତ୍ୟାଚାରୀ ପଦ୍ମନାଭ ଦେବଙ୍କ ବାସଗୃହ ଓ ଅନ୍ୟାନ୍ୟ କେତେକ ଜମିଦାରୀ କଚେରି ଗୃହକୁ ସେମାନେ ପୋଡ଼ିଦେଲେ । ୧୮୩୨ରେ ମାଡ୍ରାସ୍‍ ସରକାର ଜର୍ଜ ଏଡ଼୍‍ଓ୍ୱାଡ଼୍‍ ରସେଲ୍‍ଙ୍କୁ (Edward Russel) ବିଦ୍ରୋହ ଦମନପାଇଁ ପଠାଇଲେ । ରସେଲ ସାହେବ ବିଦ୍ରୋହକୁ ଦୃଢ଼ ହସ୍ତରେ ଦମନ କରିବା ପ୍ରକ୍ରିୟାରେ କେତେ ଜଣ ବିଦ୍ରୋହୀ ବିଶୋୟୀଙ୍କୁ ପ୍ରାଣଦଣ୍ତରେ ଦଣ୍ତିତ କଲେ । ଶେଷରେ ସାମୟିକ ଭାବେ ପାରଳାଖେମୁଣ୍ତିରେ ବିଦ୍ରୋହ ଅବଦମିତ ହେଲା; ଆଇନ ଶୃଙ୍ଖଳା ବ୍ୟବସ୍ଥା ପୁଃସ୍ଥାପିତ ହେଲା ।

୧୮୫୬-୫୭ରେ ସିପାହୀ ଗଣବିଦ୍ରୋହ ସହ ତାଳ ଦେଇ ପାରଳାଖେମୁଣ୍ତିରେ ପୁଣି ଥରେ ବିଦ୍ରୋହ ହେଲା । ଶବରମାନଙ୍କ ଏହି ବିଦ୍ରୋହର ନେତା ଥିଲେ ରାଧାକୃଷ୍ଣ ଦଣ୍ତସେନା । ଶବରମାନେ ସମତଳ ଅଞ୍ଚଳର ଲୋକଙ୍କୁ ଶତ୍ରୁ ମନେକରି ଅନେକ ଘର ପୋଡ଼ିଦେଲେ ଏବଂ ଲୁଟ୍‍ତରାଜ କଲେ । ବିଦ୍ରୋହ ଦମନପାଇଁ କେପ୍‍ଟେନ୍‍ ଉଇଲ୍‍ସନ୍‍ (Captain Wilson) ଅନେକ ଶବର ଗ୍ରାମ ପୋଡ଼ିଦେଲେ ଏବଂ ସେମାନଙ୍କ ଫସଲ ନଷ୍ଟ କଲେ । ଶେଷରେ ବିଦ୍ରୋହୀ ନେତା ରାଧାକୃଷ୍ଣ ଦଣ୍ତସେନା ଓ ଅନ୍ୟ କେତେକ ବିଦ୍ରୋହୀ ଧରା ପଡ଼ିଲେ । ସେମାନଙ୍କୁ ପ୍ରାଣଦଣ୍ତ ଦିଆଗଲା ।

ଘୁମୁସର: ପାରଳାଖେମୁଣ୍ତି ପରି ଦକ୍ଷିଣ ଓଡ଼ିଶାର ଘୁମୁସରରେ କନ୍ଧମାନେ ଦୀର୍ଘ କାଳ ଧରି ବିଦ୍ରୋହ କରିଥିଲେ । ସ୍ଥାନୀୟ ରାଜା ଧନଞ୍ଜୟ ଭଞ୍ଜଙ୍କୁ ଇଂରେଜମାନେ ଗାଦିଚ୍ୟୁତ କରିବା ପରେ ୧୮୩୫ରେ ବିଦ୍ରୋହ ଆରମ୍ଭ ହେଲା । ପୂର୍ବରୁ ଧନଞ୍ଜୟ ଭଞ୍ଜଙ୍କ ପିତା ଶ୍ରୀକର ଭଞ୍ଜ ଧାର୍ଯ୍ୟମତେ ରାଜସ୍ୱ ଜମା କରି ନ ପାରିବାରୁ ଗାଦିଚ୍ୟୁତ ହୋଇଥିଲେ । ମାତ୍ର ଧନଞ୍ଜୟ ନିୟମିତ ରାଜସ୍ୱ ଜମା କରିବାକୁ ପ୍ରତିଶ୍ରୁତି ଦେବାରୁ ତାଙ୍କୁ ୧୮୩୨ରେ ରାଜପଦ ଦିଆଗଲା । କିନ୍ତୁ ସେ ସମୟାନୁସାରେ ଏବଂ ଧାର୍ଯ୍ୟ ମତେ ରାଜସ୍ୱ ଜମା କରିବାରେ ବିଫଳ ହେଲେ । ଫଳରେ ତାଙ୍କୁ ୧୮୩୫ରେ ଗାଦିଚ୍ୟୁତ କରାଗଲା । ଏହା ପରେ ସାର୍‍ ହେନେରି ଟେଲର (Sir Henry Taylor)ଙ୍କ ନେତୃତ୍ୱରେ ଏକ ଇଂରେଜ ବାହିନୀ ଘୁମୁସର ଦଖଲ କଲେ । ଧନଞ୍ଜୟ ଜଙ୍ଗଲକୁ ପଳାଇଲେ ଏବଂ କନ୍ଧମାନଙ୍କ ସାହାଯ୍ୟ ଭିକ୍ଷା କଲେ । ଆରମ୍ଭ ହେଲା କନ୍ଧ ବିଦ୍ରୋହ ।

କନ୍ଧ ସର୍ଦ୍ଦାର ବା ବିଶୋୟୀ କମଳଲୋଚନ ଥିଲେ ଏହି ବିଦ୍ରୋହର ମୁଖ୍ୟ ନେତା । ସେ ଥିଲେ ଦୋରା ବିଶୋୟୀ ବା ମୁଖ୍ୟ ସର୍ଦ୍ଦାର । ଇଂରେଜମାନଙ୍କ କଠୋର ରାଜସ୍ୱ ନୀତି ଓ ଜଙ୍ଗଲ ନୀତିଯୋଗୁଁ କନ୍ଧମାନେ ସେମାନଙ୍କ ପାରମ୍ପରିକ ଅଧିକାର ହରାଇଥିଲେ । କନ୍ଧମାନଙ୍କ ମଧ୍ୟରେ ମେରିଆ ପ୍ରଥା ବା ନରବଳି ପ୍ରଥା ରହିଥିଲା । ଧରଣୀ ପେନୁ ବା ଧରଣୀ ମାତାଠାରୁ ମିଳୁଥିବା   ଶସ୍ୟର ପ୍ରତିଦାନରେ ବଳି ଦେବାର ପ୍ରଥା ରହିଥିଲା । ମୁଖ୍ୟତଃ ଘୁମୁସର, କନ୍ଧମାଳ, ଫୁଲବାଣୀ ଆଦି ଅଞ୍ଚଳରେ ରହୁଥିବା କନ୍ଧମାନେ ଏହା ପାଳନ କରୁଥିଲେ । ବିଶେଷତଃ ନିଜ ସଂପ୍ରଦାୟ ବାହାରୁ କାହାକୁ ବଳିପାଇଁ ଠିକଣା କରାଯାଉଥିଲା । ଏହି ପ୍ରଥାକୁ ଉଚ୍ଛେଦ କରିବାପାଇଁ ଦକ୍ଷିଣ ଓଡ଼ିଶାରେ ନିଯୁକ୍ତ ରସେଲ୍‍ ସାହେବ କଡ଼ାକଡ଼ି ନିୟମ ପ୍ରବର୍ତ୍ତନ କଲେ । ଏହାକୁ ପରମ୍ପରା ଉପରେ ଆକ୍ରମଣ ମନେକରି କନ୍ଧମାନେ ତା'ର ବିରୋଧ କଲେ । ଘୁମୁସର ରାଜାଙ୍କୁ ସେମାନେ ରକ୍ଷକ ବୋଲି ବିଚାର କରୁଥିଲେ । ଜମିରୁ ଖଜଣା ଆଦାୟ ବେଳେ ଯଥା ସମ୍ଭବ କଠୋର ନ ହେବାକୁ ପ୍ରୟାସ କରି ଭଞ୍ଜ ରାଜାମାନେ ଗାଦିଚ୍ୟୁତ ହେଲେ । ତେଣୁ ବିତାଡ଼ିତ ଘୁମୁସର ରାଜା ଧନଞ୍ଜୟଙ୍କୁ କନ୍ଧମାନଙ୍କ ସମର୍ଥନ ମିଳିବାରେ ବିଶେଷ ଅସୁବିଧା ହେଲା ନାହିଁ । ବିଦ୍ରୋହ ଆରମ୍ଭ ହେବାର ଅଳ୍ପ ଦିନ ପରେ ଧନଞ୍ଜୟଙ୍କର ଅବଶ୍ୟ ମୃତ୍ୟୁ ହେଲା । ମାତ୍ର ଦୋରା ବିଶୋୟୀଙ୍କ ନେତୃତ୍ୱରେ ବିଦ୍ରୋହ ଅବ୍ୟାହତ ରହିଲା ।

ଏହି ବିଦ୍ରୋହରେ କନ୍ଧମାନେ ଦୁଇଜଣ ରାଜକର୍ମଚାରୀ ଓ ୪୮ ଜଣ ସିପାହୀଙ୍କୁ ହତ୍ୟା କରିଥିଲେ । ଅନ୍ୟ ପକ୍ଷରେ ବିଦ୍ରୋହ ଦମନପାଇଁ ନିଯୁକ୍ତ ରସେଲ୍‍ ସାହେବ କନ୍ଧ ନେତାମାନଙ୍କୁ ନିର୍ମମ ଭାବରେ ହତ୍ୟା କଲେ । କାରଣ କନ୍ଧମାନଙ୍କ ମଧ୍ୟରେ ଭୟ ସଂଚାର କରି ଇଂରେଜମାନେ ବିଦ୍ରୋହ ଦମନ କରିବାକୁ ପ୍ରୟାସ କରୁଥିଲେ । କମଳ ଲୋଚନ ଦୋରା ବିଶୋୟୀ ଅନୁଗୋଳରେ ଆତ୍ମଗୋପନ କରିଥିବା ବେଳେ ସେଠାକାର ରାଜା ସୋମନାଥ ସିଂହ ତାଙ୍କୁ ଧରାଇ ଦେଇ ଇଂରେଜମାନଙ୍କ ହାତରେ ସମର୍ପଣ କଲେ । ଦୋରା ବିଶୋୟୀ ମୃତ୍ୟୁ ପର୍ଯ୍ୟନ୍ତ ମାଡ୍ରାସ୍‍ ନିକଟସ୍ଥ ଗୁଟିରେ କାରାରୁଦ୍ଧ ରହିଲେ ।

ଦୋରା ବିଶୋୟୀ ଗିରଫ୍‍ ହେବା ପରେ ମଧ୍ୟ କନ୍ଧ ମେଳି ବନ୍ଦ ହୋଇ ନଥିଲା । ୧୮୪୬ରେ ଏହାର ମୁଖ୍ୟ ସର୍ଦ୍ଦାର ଥିଲେ ଦୋରା ବିଶୋୟୀଙ୍କ ପୁତୁରା ଚକ୍ରା ବିଶୋୟୀ । ସେ ମୃତ ଧନଞ୍ଜୟଙ୍କ ପୁତ୍ର ପୀତାମ୍ୱର ଭଞ୍ଜଙ୍କୁ ଘୁମୁସରର ରାଜା ଘୋଷଣା କରି ବିଦ୍ରୋହକୁ ଏକ ବଳିଷ୍ଠ ରୂପ ଦେଇଥିଲେ । ତାଙ୍କ ପ୍ରତି ମୁଖ୍ୟତଃ ବେଣୀୟା କନ୍ଧ, ପାଇକ ଓ ବୌଦ୍ଧ ଅଞ୍ଚଳର କନ୍ଧମାନଙ୍କ ସମର୍ଥନ ରହିଥିଲା । ଘୁମୁସର ମାଳ ଅଞ୍ଚଳର କନ୍ଧମାନେ ଚକ୍ରା ବିଶୋୟୀଙ୍କୁ ସମର୍ଥଦେଇ ନ ଥିଲେ ।

କନ୍ଧ ବିଦ୍ରୋହରେ ସମତଳ ଅଞ୍ଚଳର ଲୋକଙ୍କ ଫସଲ ଓ ଗ୍ରାମଗୁଡ଼ିକ ଉପରେ ଆକ୍ରମଣ ହୋଇଥିଲା । ଏହାର କାରଣ ହେଲା, ଯେଉଁସବୁ ଔପନିବେଶିକ ପରିବର୍ତ୍ତଯୋଗୁଁ କନ୍ଧମାନେ କଷ୍ଟ ପାଉଥିଲେ, ତା'ର କିଛି ଲାଭ ସମତଳ ଅଞ୍ଚଳର ଲୋକଙ୍କୁ ମିଳୁଥିଲା । ଉଦାହରଣ ସ୍ୱରୂପ, ଜମି ହରାଉଥିବା କନ୍ଧର ଜମି ସମତଳ ଅଞ୍ଚଳରେ ବାସ କରୁଥିବା ସାହୁକାର ଓ ମହାଜନ ହାତକୁ ହସ୍ତାନ୍ତର ହେଉଥିଲା ।

ଏହି ସମୟରେ (୧୮୪୬-୫୪) କନ୍ଧ ବିଦ୍ରୋହର ମୁକାବିଲାପାଇଁ ପ୍ରଥମେ କେପଟେନ୍‍ ମେକଫରସନ୍‍ (Captain Mcpherson) ଓ ପରେ ବ୍ରିଗେଡ଼ିଅର୍‍ ଜେନେରାଲ୍‍ ଡାଇସ୍‍(Brigadier General Dice) ନିଯୁକ୍ତ ହୋଇଥିଲେ । ଇଂରେଜ ଦମନ ନୀତିଯୋଗୁଁ   ନବଘନ କୋହେନ୍‍ ନାମକ ଜଣେ କନ୍ଧ ସର୍ଦ୍ଦାର ୧୮୪୭ରେ ଆତ୍ମସମର୍ପଣ କଲେ । ମୁଖ୍ୟ ସର୍ଦ୍ଦାର ଚକ୍ରା ବିଶୋୟୀଙ୍କୁ ଧରାଇ ଦେବାପାଇଁ ସରକାର ୩୦୦୦ଟଙ୍କା ପୁରସ୍କାର ଘୋଷଣା କଲେ । ୧୮୫୪ ଓ ୧୮୫୫ରେ ଘୁମୁସର ଓ କଳାହାଣ୍ତିରେ କନ୍ଧମାନେ ଗ୍ରାମରେ ପଶି ଲୁଟତରାଜ କଲେ । ଏହା ପଛରେ ଚକ୍ରା ବିଶୋୟୀ ଅଛନ୍ତିି ବୋଲି ଇଂରେଜମାନେ ସନ୍ଦେହ କଲେ ସିନା, ବିଶୋୟୀଙ୍କୁ ଧରି ପାରିଲେ ନାହିଁ । ଚକ୍ରା ବିଶୋୟୀ ମୃତ୍ୟୁ ପର୍ଯ୍ୟନ୍ତ ଆତ୍ମସମର୍ପଣ ସୁଦ୍ଧା କରି ନଥିଲେ ।

ଉଭୟ ପାରଳାଖେମୁଣ୍ତି ଓ ଘୁମୁସର ବିଦ୍ରୋହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ,ଏଥିରେ ଆଦିବାସୀମାନଙ୍କର ଭୂମିକା ମୁଖ୍ୟ ଥିଲା । ଅବଶ୍ୟ ରାଜାଙ୍କ ହାତରେ ନେତୃତ୍ୱ ରହିଥିଲା, କାରଣ ପାରମ୍ପରିକ ଭାବରେ ସେ ଲୋକଙ୍କ ସ୍ୱାଭାବିକ ନେତା ଥିଲେ । ମାତ୍ର ଅସଲ ଦାୟିତ୍ୱ ରହିଥିଲା ଆଦିବାସୀ ସର୍ଦ୍ଦାରମାନଙ୍କ ହାତରେ । ଦୀର୍ଘ କାଳ ଧରି ଚାଲିଥିବା ଏହି ବିଦ୍ରୋହରେ ପାରମ୍ପରିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ହୋଇଥିଲା । ଆଦିବାସୀମାନେ ନିଜ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ ଇଂରେଜ ପ୍ରଶାସନର ବିଭିନ୍ନ ପ୍ରତୀକ ଓ ହିତାଧିକାରୀଙ୍କ ଉପରେ ଆକ୍ରମଣ କରୁଥିଲେ । ସମତଳ ଅଞ୍ଚଳସ୍ଥିତ ଘର ଓ ଫସଲ ମଧ୍ୟ ନଷ୍ଟ କରୁଥିଲେ । ଅନ୍ୟ ପକ୍ଷରେ, ସଭ୍ୟ ବୋଲାଉଥିବା ଇଂରେଜମାନେ ମଧ୍ୟ ଆଦିବାସୀଙ୍କ ମନରେ ଭୟ ସଂଚାରପାଇଁ ବିଦ୍ରୋହୀମାନଙ୍କୁ ନିର୍ମମ ଭାବରେ ହତ୍ୟା କରୁଥିଲେ ଏବଂ ଆଦିବାସୀ କନ୍ଧମାନଙ୍କ ଚାଷ ଜମିକୁ ପୋଡ଼ି ଦେଉଥିଲେ । ୧୮୦୩ରେ ଉତ୍ତର ସରକାର ବା ଉପକୂଳ ଓଡ଼ିଶା ଅଧିକୃତ ହେବା ପୂର୍ବରୁ ପାରଳାଖେମୁଣ୍ତିରେ ବିଦ୍ରୋହ ଆରମ୍ଭ ହୋଇ ସାରିଥିଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଇଂରେଜମାନେ ଯେଉଁ ଅଞ୍ଚଳକୁ ପ୍ରଥମେ ଦଖଲ କଲେ, ସେଠି ପ୍ରଥମେ ଇଂରେଜବିରୋଧୀ ବିଦ୍ରୋହ ଆରମ୍ଭ ହେଲା । ଇଂରେଜମାନଙ୍କ ଉପରେ ଲୋକଙ୍କର କ୍ଷୋଭ ପଛରେ ବଡ଼ କାରଣ ହେଲା, ଔପନିବେଶିକ ଦ୍ରୁତ ସାମାଜିକ ଓ ଆର୍ଥିକ ପରିବର୍ତ୍ତନ । ପରିବର୍ତ୍ତନ ଯୋଗୁଁ କ୍ଷତି ସହିଥିବା ଗୋଷ୍ଠୀ ବିଦ୍ରୋହ କରି ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିଲେ ।

ଖୋର୍ଦ୍ଧା, କନିକା ଓ କୁଜଙ୍ଗରେ ବିଦ୍ରୋହ   ୧୮୦୩ରେ ଇଂରେଜ ହାତକୁ ମୁଖ୍ୟ ଓଡ଼ିଶା ଆସିଗଲା ପରେ ଇଂରେଜବିରୋଧୀ ବିଦ୍ରୋହ ସମଗ୍ର ରାଜ୍ୟକୁ ବ୍ୟାପିଗଲା । ବିଦ୍ରୋହର ଯେଉଁ ପରମ୍ପରା ପାରଳାଖେମୁଣ୍ତି ଓ ଘୁମୁସରରେ ସୃଷ୍ଟି ହୋଇଥିଲା, ତାହା ଏବେ ଭିନ୍ନ ଭିନ୍ନ ଅଞ୍ଚଳକୁ ବିସ୍ତାରିତ ହେଲା । ଓଡ଼ିଶା ଦଖଲ କରିବା ବେଳେ ଯେଉଁ ଉତ୍ସାହରେ ରାଜା ଜମିଦାରମାନେ କମ୍ପାନୀକୁ ସ୍ୱାଗତ କରିଥିଲେ, ତାହା ଅଳ୍ପ ଦିନ ପରେ ତୀବ୍ର ଅସନ୍ତୋଷ ଓ ବିଦ୍ରୋହରେ ପରିଣତ ହେଲା ।

୧୮୦୪ରେ ପ୍ରଥମେ ଖୋର୍ଦ୍ଧାରେ ବିଦ୍ରୋହ ଆରମ୍ଭ ହେଲା ଏବଂ ତହିଁରେ କନିକା ଓ କୁଜଙ୍ଗ ରାଜ୍ୟର ସମର୍ଥନ ଦେଖିବାକୁ ମିଳିଥିଲା । ସେତେବେଳେ ଦ୍ୱିତୀୟ ମୁକୁନ୍ଦଦେବ ଖୋର୍ଦ୍ଧାର ରାଜା ଥିଲେ ଏବଂ ତାଙ୍କର ପରାମର୍ଶଦାତା ଜୟୀ ରାଜଗୁରୁଙ୍କ ହାତରେ ବିଦ୍ରୋହର ନେତୃତ୍ୱ ରହିଥିଲା । ବିଦ୍ରୋହ ଦମନ ପରେ ଯଦିଓ ରାଜା ବନ୍ଦୀ ହେଲେ, ତାଙ୍କୁ ପରେ ମୁକ୍ତ କରି ଦିଆଗଲା ଏବଂ କେତେକ ସର୍ତ୍ତ ସହିତ ପେନ୍‍ସନ୍‍ ଦେଇ ପୁରୀରେ ଅବସ୍ଥାନ କରିବାକୁ ବ୍ୟବସ୍ଥା କରାଗଲା । ଜୟୀ ରାଜଗୁରୁଙ୍କୁ ମେଦିନୀପୁର ଜେଲ୍‍ରେ ୧୮୦୬ରେ ପ୍ରାଣଦଣ୍ତ ଦିଆଗଲା । ଏଥିରୁ ଜୟୀ ରାଜଗୁରୁଙ୍କ ଇଂରେଜବିରୋଧୀ ଭୂମିକାକୁ ସ୍ପଷ୍ଟ ବୁଝି ହୁଏ ।   ୧୮୦୩ ସେପ୍ଟେମ୍ୱର ମାସରେ ଇଂରେଜ ବାହିନୀ ଯେତେବେଳେ ଓଡ଼ିଶା ଦଖଲପାଇଁ ଗଞ୍ଜାମ ଦେଇ ପୁରୀ ଆସିଲେ, ସେତେବେଳେ ଇଂରେଜ ବାହିନୀର ଅଧିନାୟକ ହାରକୋର୍ଟଙ୍କର ମୁକୁନ୍ଦଦେବଙ୍କ ସହ ଏକ ଚୁକ୍ତି ହୋଇଥିଲା । ଚୁକ୍ତି ଅନୁଯାୟୀ, ଖୋର୍ଦ୍ଧା ରାଜ୍ୟ ମଧ୍ୟରେ ଇଂରେଜ ବାହିନୀର ଗତାଗତପାଇଁ ରାଜା ଅନୁମତି ଦେଲେ ଏବଂ ପ୍ରତିବଦଳରେ ହାର୍‍କୋର୍ଟଙ୍କଠାରୁ ଲକ୍ଷେ ଟଙ୍କା ପାଇବାର ପ୍ରତିଶ୍ରୁତି ପାଇଲେ। ମରାଠାମାନଙ୍କ ବିରୁଦ୍ଧରେ ଯୁଦ୍ଧ ବେଳେ ଖୋର୍ଦ୍ଧାର ପାଇକସେନା ସହଯୋଗ କରିବେ ବୋଲି କଥା ତୁଟିଲା । ପୂର୍ବରୁ ଗଜପତିଙ୍କ ସହ ଯୁଦ୍ଧ ବେଳେ ଖୋର୍ଦ୍ଧା ରାଜା ମରାଠା ସହାୟତା ନେଇଥିଲେ ଏବଂ ପ୍ରତିବଦଳରେ ଚବିଶକୁଦ, ରାହାଙ୍ଗ, ଲେମ୍ୱାଇ ଓ ପୁରୁଷୋତ୍ତମ କ୍ଷେତ୍ର (ପୁରୀ) ମରାଠାମାନଙ୍କୁ ଦେବାକୁ ବାଧ୍ୟ ହୋଇଥିଲେ । ଫଳରେ ୧୮୦୩ ବେଳକୁ ଖୋର୍ଦ୍ଧା ରାଜାଙ୍କ କର୍ତ୍ତୃତ୍ୱରେ ପୁରୀ ଜଗନ୍ନାଥ ମନ୍ଦିର ଓ ଏହି ତିନୋଟି ପ୍ରଗଣା ନଥିଲା; ମରାଠାମାନଙ୍କ ହାତକୁ ଚାଲି ଯାଇଥିଲା । ଜଗନ୍ନାଥ ମନ୍ଦିରର କର୍ତ୍ତୃତ୍ୱକୁ ଫେରିପାଇବାପାଇଁ ରାଜା ଇଂରେଜମାନଙ୍କୁ ସହଯୋଗ କରିଥିଲେ । ତାଙ୍କର ଧାରଣା ଥିଲା, ଇଂରେଜମାନେ ଯେହେତୁ ଅଣହିନ୍ଦୁ,ମନ୍ଦିର ଅଧିକାର କଲା ପରେ ରାଜାଙ୍କୁ (ଖୋର୍ଦ୍ଧା ରାଜାଙ୍କୁ) ତା'ର ପରିଚାଳନା ଭାର ଫେରାଇଦେବେ । ମରାଠାମାନେ ବିତାଡ଼ିତ ହେଲା ପରେ ବନ୍ଧା ପଡ଼ିଥିବା ଅନ୍ୟ ପ୍ରଗଣାଗୁଡ଼ିକ ମଧ୍ୟ ରାଜା ଫେରିପାଇବେ । ଏସବୁ ବ୍ୟତୀତ ଖୋର୍ଦ୍ଧା ରାଜା କିଛି ଟଙ୍କା ମଧ୍ୟ ପାଇବେ ବୋଲି ଆଶା ରଖିଥିଲେ ।

ମୁକୁନ୍ଦ ଦେବଙ୍କ ଏହି ଚୁକ୍ତି ଓ ଆଶାକୁ ନେଇ ସମ୍ଭବତଃ ତାଙ୍କ ପରାମର୍ଶଦାତା ଜୟୀ ରାଜଗୁରୁ ସନ୍ତୁଷ୍ଟ ନଥିଲେ । ଆଧୁନିକ ଶିକ୍ଷିତ ନହେଲେ ବି ସେ ପାରମ୍ପରିକ ଶିକ୍ଷା ପାଇଥିଲେ ଏବଂ ଇଂରେଜ ଦଖଲ ପରେ ଆସନ୍ନ ବିପଦକୁ ସେ ବୁଝି ପାରିଥିଲେ । ମାତ୍ର ତାଙ୍କ ପରାମର୍ଶକୁ ଅଣଦେଖା କରି ଖୋର୍ଦ୍ଧା ଇଂରେଜମାନଙ୍କ ଓଡ଼ିଶା ଦଖଲରେ ସହଯୋଗ କଲା ।

ଓଡ଼ିଶା ଦଖଲ ବେଳେ ଇଂରେଜମାନଙ୍କୁ ଖୋର୍ଦ୍ଧା ପାଇକ ସେନାର ଆବଶ୍ୟକତା ପଡ଼ିଲା ନାହିଁ । ଇଂରେଜ ବାହିନୀ ନିଜ ବଳରେ ମରାଠାମାନଙ୍କୁ ପରାସ୍ତ କଲେ । ତେଣୁ ହାରକୋର୍ଟ ଚୁକ୍ତି ମତେ ଏକ ଲକ୍ଷ ଟଙ୍କାରୁ ପଚାଶ ହଜାର ଟଙ୍କା ମାତ୍ର ଦେଇ ଅବଶିଷ୍ଟ ଟଙ୍କା ଦେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ମାତ୍ର ଖୋର୍ଦ୍ଧା ରାଜା ଇଂରେଜମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଏକଜୁଟ କରିଥିବା ପାଇକମାନଙ୍କୁ ପ୍ରାପ୍ୟ ଦେବେ । ଖୋର୍ଦ୍ଧା ରାଜାଙ୍କ ବାର୍ଷିକ ପେଶକସ୍‍ ମଧ୍ୟ ଇଂରେଜମାନେ ଊଣା ଭାବରେ ଧାର୍ଯ୍ୟ କରିବା କଥା । କାରଣ ଓଡ଼ିଶା ଦଖଲ ବେଳେ ଉଭୟଙ୍କ ମଧ୍ୟରେ ମେଣ୍ଟ ଥିଲା । ମାତ୍ର ଓଡ଼ିଶା ଦଖଲ ପରେ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳି ଥିଲା । ଯେଉଁ ଚାରୋଟି ପ୍ରଗଣା ମିଳିବ ବୋଲି ଆଶା ଥିଲା ତା ବି ହାରକୋର୍ଟ ଦେବାକୁ ସମ୍ମତ ନ ଥିଲେ । ଅସଲରେ ଓଡ଼ିଶା ଦଖଲ ବେଳେ ଇଂରେଜମାନେ ବିଶେଷ ପ୍ରତିରୋଧର ସମ୍ମୁଖୀନ ନ ହେବାଯୋଗୁଁ ସେମାନଙ୍କର ଓଡ଼ିଶା ରାଜାମାନଙ୍କ ପ୍ରତି ଉପେକ୍ଷାଭାବ ବୃଦ୍ଧିପାଇଲା । ଯାହାର ଆଶୁ ପରିଣାମ ଥିଲା ଖୋର୍ଦ୍ଧାର ବିଦ୍ରୋହ ।   ମାର୍ଚ୍ଚ ୧୮୦୪ରେ ଜୟୀ ରାଜଗୁରୁ ୨୦୦୦ ପାଇକଙ୍କୁ ସାଙ୍ଗରେ ନେଇ ହାରକୋର୍ଟଙ୍କୁ କଟକରେ ଖୋର୍ଦ୍ଧାର ଦାବି ଜଣାଇଲେ । ମାତ୍ର ଅବଶିଷ୍ଟ ଟଙ୍କାରୁ ୨୦୦୦୦ ଟଙ୍କା ଦେବା ବ୍ୟତୀତ ଅନ୍ୟ ଦାବିଗୁଡ଼ିକୁ ହାରକୋର୍ଟ ପ୍ରତ୍ୟାଖ୍ୟାନ କଲେ । ଏହିଭଳି ଭାବେ ଅପମାନିତ ହୋଇ ଜୟୀ ରାଜଗୁରୁ କଟକରୁ ଫେରିଲେ ଏବଂ ଇଂରେଜମାନଙ୍କ ବିରୋଧରେ ବିଦ୍ରୋହପାଇଁ ବ୍ୟାପକ ପ୍ରସ୍ତୁତି କଲେ । ସ୍ମରଣଯୋଗ୍ୟ ଯେ, ହାରକୋର୍ଟ ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କ ଅପେକ୍ଷା ଜୟୀ ରାଜଗୁରୁଙ୍କୁ ବଡ଼ ଶତ୍ରୁ ମଣୁଥିଲେ ।

୧୮୦୪ର ଉତ୍ତରାର୍ଦ୍ଧରେ ଖୋର୍ଦ୍ଧାରେ ବିଦ୍ରୋହ ତେଜିଲା, ଯେତେବେଳେ ଇଂରେଜ ଅଧିକାରୀ କେପ୍‍ଟେନ୍‍ ବ୍ଲଣ୍ଟଙ୍କୁ ରାଜଗୁରୁଙ୍କ ପରାମର୍ଶରେ ରାଜା ସାକ୍ଷାତ୍‍ କରିବାକୁ ସୁଦ୍ଧା ମନା କଲେ । ଅନ୍ୟ ପକ୍ଷରେ, ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବାଲାଗି ରାଜଗୁରୁ କୁଜଙ୍ଗ, କନିକା, ମରିଚପୁର ଓ କିଶନପୁରର ରାଜା ଓ ଜମିଦାରଙ୍କ ସହ ମେଣ୍ଟ କଲେ । ମରାଠାମାନଙ୍କଠାରୁ ସମର୍ଥନ ପାଇବା ଆଶାରେ ନାଗପୁରର ଭୋଁସଲେ ରାଜାଙ୍କ ସହ ଯୋଗାଯୋଗ କରିବାକୁ ମଧ୍ୟ ପ୍ରୟାସ କଲେ । ଏଥିରୁ ମନେହୁଏ ଯେ, ଜୟୀ ରାଜଗୁରୁ ଇଂରେଜମାନଙ୍କୁ ଏକ କ୍ଷୁଦ୍ର ଶକ୍ତି ବୋଲି ମନେ କରୁ ନଥିଲେ । ରାହାଙ୍ଗ, ଚବିଶକୁଦ, ଲେମ୍ୱାଇ ଆଦି ପ୍ରଗଣାକୁ ଦଖଲ କରିବା ସକାଶେ ଖୋର୍ଦ୍ଧାରୁ ୨୫୦ ଅଶ୍ୱାରୋହୀ ଓ ପ୍ରାୟ ୨୦୦ ବରକନ୍ଦାଜ ବା ସିପାହୀଙ୍କୁ ପ୍ରେରଣ କରାଗଲା । ଖୋର୍ଦ୍ଧା ଅଧିକାରପାଇଁ ଆସିଥିବା କେପ୍‍ଟେନ୍‍ ହିକ୍‍ଲାଣ୍ତ ପିପିଲି ଫେରୁଥିବା ବେଳେ ୨୨ ନଭେମ୍ୱରରେ ଖୋର୍ଦ୍ଧା ସୈନ୍ୟ କେବଳ ତାଙ୍କ ଉପରେ ଆକ୍ରମଣ କଲେ ନାହିଁ, ଅନେକ ଇଂରେଜ ସିପାହୀଙ୍କୁ ହତାହତ ମଧ୍ୟ କଲେ । ଏହା ପରେ ହାରକୋର୍ଟ ଏକ ବିରାଟ ବାହିନୀକୁ ନେଇ ୫ ଡିସେମ୍ୱର ୧୮୦୪ରେ ଖୋର୍ଦ୍ଧାର ଦୁର୍ଗ ଅଧିକାର କରିନେଲେ । ରାଜା ନିଜର କେତେକ ବିଶ୍ୱସ୍ତ ସର୍ଦ୍ଦାରଙ୍କ ସହିତ ବରୁଣେଇ ଜଙ୍ଗଲକୁ ପଳାଇଲେ । ୩ ଜାନୁଆରି ୧୮୦୫ରେ ରାଜା ଓ ରାଜଗୁରୁଙ୍କୁ ବନ୍ଦି କରି ପ୍ରଥମେ କଟକରେ ଏବଂ ପରେ ମେଦିନୀପୁର ଜେଲରେ ରଖାଗଲା । ଏହା ପରେ ବିଦ୍ରୋହ ଦମନ ହେଲା । ୧୮୦୭ରେ ବାର୍ଷିକ ୨୦୦୦ଟଙ୍କା ପେନସନ୍‍ ଦେଇ ମୁକୁନ୍ଦଦେବଙ୍କୁ ପୁରୀରେ ରଖିବାକୁ ସ୍ଥିର ହେଲା; ତା ପୂର୍ବରୁ ୬ ଡିସେମ୍ୱର ୧୮୦୬ରେ ଜୟୀ ରାଜଗୁରୁଙ୍କୁ ମେଦିନୀପୁରରେ ଫାଶୀ ଦିଆଗଲା । ଶେଷ ପର୍ଯ୍ୟନ୍ତ ଜୟୀ ରାଜଗୁରୁ ଇଂରେଜମାନଙ୍କଠାରେ କ୍ଷମା ଭିକ୍ଷା କରି ନଥିଲେ ।

ଖୋର୍ଦ୍ଧାରେ ଜୟୀ ରାଜଗୁରୁଙ୍କ ବିଦ୍ରୋହକୁ ଅନୁଧ୍ୟାନ କଲେ ଜଣାଯାଏ ଯେ, ଓଡ଼ିଶା ଦଖଲରେ ଇଂରେଜମାନଙ୍କୁ ସହଯୋଗ କରି ଖୋର୍ଦ୍ଧା ରାଜା ଯେଉଁ ଭୁଲ କରିଥିଲେ, ତା'ର ଭରଣାଲାଗି ଯେମିତି ଏହା ଉଦ୍ଦିଷ୍ଟ ଥିଲା । ଏଥିରେ ଖୋର୍ଦ୍ଧା ରାଜାଙ୍କ ଅପେକ୍ଷା ତାଙ୍କ ପରାମର୍ଶଦାତା ଓ ପାଇକମାନେ ଅଧିକ ସକ୍ରିୟ ଥିଲେ । ଅଳ୍ପ ଅବଧିପାଇଁ ହେଉ ପଛେ, ଏହା ଓଡ଼ିଶାରେ ନୂଆ କରି ପ୍ରତିଷ୍ଠା ହୋଇଥିବା ଇଂରେଜ ଶାସନକୁ ଥରହର କରି ଦେଇଥିଲା । ସେହି ଅନୁସାରେ ବିଦ୍ରୋହୀମାନଙ୍କୁ ଦଣ୍ତ ମଧ୍ୟ ଦିଆଯାଇଥିଲା ।   ଖୋର୍ଦ୍ଧାର ପତନ ପରେ କନିକା ଓ କୁଜଙ୍ଗର ରାଜା ସମ୍ମୁଖ ସମରପାଇଁ ପ୍ରସ୍ତୁତ ହେଲେ ନାହିଁ, ଯଦିଓ ସେମାନେ ଖୋର୍ଦ୍ଧାକୁ ସମର୍ଥନ କରୁଥିଲେ । ହାରକୋର୍ଟ ମହାନଦୀ ପାରହୋଇ କୁଜଙ୍ଗ ପହଞ୍ଚିବା ପୂର୍ବରୁ ରାଜା ଚନ୍ଦ୍ରଧ୍ୱଜ ଷେଣ୍ଢ ପଳାୟନ କଲେ । ୧୮୦୫ ମସିହା ମେ ମାସରେ ତାଙ୍କୁ ଗିରଫ କରାଗଲା । ତାଙ୍କ ସ୍ଥାନରେ ତାଙ୍କ ଭାଇ ମଧୁସୂଦନ ଷେଣ୍ଢଙ୍କୁ ରାଜା ଘୋଷଣା କରାଗଲା । କୁଜଙ୍ଗ ରାଜା ଇଂରେଜ ଜାହାଜଗୁଡ଼ିକୁ ଲୋକ ଲଗାଇ ଲୁଟ କରୁଥିଲେ ବୋଲି ଅଭିଯୋଗ ରହିଥିଲା । ନୂତନ ରାଜା ଜାହାଜରୁ ଲୁଟ ହୋଇଥିବା ସମ୍ପତ୍ତିର ଭରଣା କରିବେ ତଥା ଇଂରେଜମାନଙ୍କ ପ୍ରତି ଅନୁଗତ ରହିବେ ବୋଲି ପ୍ରତିଶ୍ରୁତି ଦେଲେ ।

କୁଜଙ୍ଗକୁ ନିୟନ୍ତ୍ରଣକୁ ଆଣିବା ପରେ ହାରକୋର୍ଟ କନିକା ରାଜାଙ୍କୁ ବନ୍ଦି କଲେ । ବନ୍ଦି ରାଜାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ ମେଦିନୀପୁର ଜେଲରେ ରଖାଗଲା । ରାଜା ବନ୍ଦି ହେବା ପରେ କନିକାର ଦେଓ୍ୱାନ୍‍ଙ୍କ ନେତୃତ୍ୱରେ ବିଦ୍ରୋହ ଆରମ୍ଭ ହେଲା । ଇଂରେଜ ତରଫରୁ ସୁବାଦାର ଶିବପ୍ରସାଦ ବିଦ୍ରୋହ ଦମନ କଲେ ଏବଂ ବିଦ୍ରୋହୀମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କଲେ । ଖୋର୍ଦ୍ଧା, କୁଜଙ୍ଗ ଓ କନିକା ରାଜାଙ୍କ ବିଦ୍ରୋହ ପରେ ତିନୋଟିଯାକ ରାଜ୍ୟକୁ ଇଂରେଜ ସରକାରଙ୍କ ଖାସ ମାହାଲ ବା ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରଖାଗଲା । ଖାସମାହାଲରେ ରଖିବା ପଛରେ ଏକ ବଡ଼ କାରଣ ହେଲା ଯେ, ସେଠାରେ ଜମି ଉର୍ବର ଓ ଜମିଜମା ବନ୍ଦୋବସ୍ତ ଦ୍ୱାରା ନିୟମିତ ବ୍ୟବଧାନରେ ଅଧିକରୁ ଅଧିକ କର ଅସୁଲ କରିବାର ସଂଭାବନା ଥିଲା । ଗଡ଼ଜାତ ରାଜ୍ୟଗୁଡ଼ିକ ପରି ସେଠାରେ ଭୂ-ରାଜସ୍ୱ ଯଦି ବାର୍ଷିକ ପେଶକସ୍‍ ଆକାରରେ ଅସୁଲି ହୋଇଥାନ୍ତା, ସରକାର ଆଶା ମୁତାବକ କର ଅସୁଲ କରି ପାରିନଥାନ୍ତେ । ଖାସମାହାଲରେ ପରିଣତ ହେଲା ପରେ ଏହି କ୍ଷେତ୍ରରେ ଔପନିବେଶିକ ପରିବର୍ତ୍ତର ମାତ୍ରା ତୀବ୍ର ହେଲା, ଯାହାର ପରିଣାମ ସ୍ୱରୂପ ବାରମ୍ୱାର ସେଠାରେ ଜନ ଅସନ୍ତୋଷ ଓ ବିଦ୍ରୋହମାନ ଦେଖାଗଲା ।

ଖୋର୍ଦ୍ଧା ବିଦ୍ରୋହ : ୧୮୧୭   ଖୋର୍ଦ୍ଧା ଖାସମାହାଲରେ ପରିଣତ ହେଲା ପରେ ୧୮୧୭ରେ ସେଠାରେ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ଏକ ବଡ଼ ଧରଣର ବିଦ୍ରୋହ ସଂଘଟିତ ହୋଇଥିଲା । ଏହି ବିଦ୍ରୋହରେ ଯଦିଓ ବକ୍ସି ଜଗବନ୍ଧୁଙ୍କ ହାତରେ ନେତୃତ୍ୱ ରହିଥିଲା,ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ରାଜ୍ୟର ପାଇକ ବା ପାରମ୍ପରିକ ସିପାହୀମାନେ । ତେଣୁ ସରକାରୀ ନଥିପତ୍ରରେ ଏହାକୁ ପାଇକ ବିଦ୍ରୋହ ବୋଲି କୁହାଯାଏ । ଇଂରେଜ ଶାସନର ତ୍ରୁଟି ଓ ଶୋଷଣଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ପାଇକମାନେ ପ୍ରାକ୍‍-ଇଂରେଜ କାଳରୁ ସୈନିକ ଭାବରେ ରାଜାଙ୍କପାଇଁ କାମ କରୁଥିଲେ । ଏହି ଦାୟିତ୍ୱ ନିର୍ବାହ କରିବା ସକାଶେ ସେମାନଙ୍କୁ କୃଷିଯୋଗ୍ୟ ଜମି ମିଳିଥିଲା । ଜମି ଚାଷ କରି ସେମାନେ ଉଭୟ କୃଷକ ଓ ସୈନିକର ଭୂମିକା ପାଳନ କରୁଥିଲେ । ମାତ୍ର ଖୋର୍ଦ୍ଧା ଇଂରେଜ ଶାସନାଧୀନ ହେବା ପରେ ବାରମ୍ୱାର ଭୂମି କର ବୃଦ୍ଧିପାଇଲା ଓ ସାହୁକାର ମହାଜନ ଗୋଷ୍ଠୀ ହାତକୁ ଜମି ହସ୍ତାନ୍ତର ହେବାକୁ ଲାଗିଲା । ଏହାର କୁଫଳ ଏହି ପାଇକମାନଙ୍କୁ ମଧ୍ୟ ଭୋଗ କରିବାକୁ ପଡ଼ିଲା । ପରିଣାମ ସ୍ୱରୂପ ସେମାନେ ଇଂରେଜ ବିରୁଦ୍ଧରେ ଅସ୍ତ୍ରଧାରଣ କରିବାକୁ ବାଧ୍ୟ ହେଲେ । କୌଳିକ ବୃତ୍ତି ଯୁଦ୍ଧ ହୋଇଥିବାରୁ,ପାଇକମାନେ ଅନ୍ୟମାନଙ୍କ ଅପେକ୍ଷା ଆଗତୁରା ସଶସ୍ତ୍ର ବିଦ୍ରୋହ କରିବାକୁ ସାହସ ପାଇଲେ । ଏହି ବିଦ୍ରୋହରେ ଅନ୍ୟ ବର୍ଗର ଲୋକେ ମଧ୍ୟ ସାମିଲ୍‍ ହୋଇଥିଲେ ।   ସ୍ୱଳ୍ପ ମିଆଦୀ ବନ୍ଦୋବସ୍ତ, ଅତିରିକ୍ତ ଖଜଣା ବୃଦ୍ଧି ଓ ଶସ୍ୟ ହାନି ସତ୍ତ୍ୱେ କଡ଼ାକଡ଼ି ଭାବେ ଖଜଣା ଆଦାୟ ହେବାଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ଆଇନର ଜଟିଳତାଯୋଗୁଁ ଲୋକେ ସେଗୁଡ଼ିକୁ ସହଜରେ ବୁଝି ପାରୁ ନଥିଲେ । ଲୋକଙ୍କ ସରଳତା ଓ ଅଜ୍ଞତାର ସୁଯୋଗ ନେଇ ଅମଲା, ଦାରୋଗା ଆଦି ସରକାରୀ କର୍ମଚାରୀମାନେ ଅତ୍ୟାଚାର ଓ ଶୋଷଣ କରୁଥିଲେ । ଇଂରେଜ ସରକାରଙ୍କ ଭୂ-ରାଜସ୍ୱ ନୀତି ସ୍ଥାନୀୟ ଜମିଦାର ଓ ରୟତମାନଙ୍କ ସ୍ୱାର୍ଥରେ ଆଞ୍ଚ ଆଣିଥିଲା । ଯେଉଁ ଜମିଦାରମାନେ ବିଳମ୍ୱରେ ଅସୁଲି ହେବା କାରଣରୁ ଠିକ୍‍ ସମୟରେ ରାଜସ୍ୱ ଜମା କରିପାରୁ ନଥିଲେ, ସେମାନଙ୍କ ଜମିଦାରୀ କଲିକତାରେ ନିଲାମ ହେଉଥିଲା । ଏହା ଅଣ-ଓଡ଼ିଆ, ବିଶେଷକରି ବଙ୍ଗୀୟ ଲୋକଙ୍କ ହାତକୁ ଚାଲି ଯାଉଥିଲା । ଇଂରେଜ ଶାସନ ପ୍ରତିଷ୍ଠିତ ହେଲା ପରେ ୧୮୦୫-୧୮୦୬ ପ୍ରଥମ ବନ୍ଦୋବସ୍ତରେ ମୋଟ ୨୩୪୦ ଜଣ ଓଡ଼ିଆ ଜମିଦାରଙ୍କ ନାମ ପଞ୍ଜୀକୃତ ହୋଇଥିଲା । ତନ୍ମଧ୍ୟରୁ ୧୮୦୭ରେ ୨୬୬ ଜଣଙ୍କ ଜମିଦାରୀ ନିଲାମ ହେଲା । ୧୮୧୬ ମସିହା ଶେଷ ସୁଦ୍ଧା ୯୦୧ ଜଣ ଜମିଦାର ନିଜ ଜମିଦାରୀ ହରାଇ ସାରିଥିଲେ । ନୂତନ ଜମିଦାରମାନେ ଓଡ଼ିଶାରେ ବାସ କରୁନଥିଲେ ଏବଂ ସେମାନଙ୍କର ସ୍ଥାନୀୟ ରୟତମାନଙ୍କ ପ୍ରତି ସମ୍ୱେଦନା ନଥିଲା । ନିଲାମଯୋଗୁଁ ଜମିଦାରୀ ହରାଇଥିବା ଜମିଦାର ଓ ରୟତମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଲା ଏବଂ ଉଭୟେ ମିଶି ବିଦ୍ରୋହପାଇଁ ପ୍ରସ୍ତୁତି କଲେ ।

୧୮୦୫ରେ ଖୋର୍ଦ୍ଧା ରାଜା ଦ୍ୱିତୀୟ ମୁକୁନ୍ଦଦେବ ଗାଦିଚ୍ୟୁତ ହେଲେ ଓ ଖୋର୍ଦ୍ଧା ଖାସମାହାଲରେ ପରିଣତ ହେଲା । ମେଜର ଫ୍ଲେଚରଙ୍କ ନିର୍ଦ୍ଦେଶରେ ସେଠାରେ ଯେଉଁ ବନ୍ଦୋବସ୍ତ ହେଲା, ତା' ଅନୁଯାୟୀ ପାଇକମାନେ ବଂଶାନୁକ୍ରମିକ ଭାବରେ ଭୋଗ କରୁଥିବା ନିଷ୍କର ଜମି ହରାଇଲେ । ସ୍ୱଳ୍ପମିଆଦୀ ବନ୍ଦୋବସ୍ତରେ ରୟତମାନଙ୍କର ଖଜଣା ବୃଦ୍ଧି ପାଇଲା । ୧୮୦୬-୦୭ରେ ଭୟଙ୍କର ମରୁଡ଼ି ପଡ଼ିଲା; ପର ବର୍ଷ ଖୁବ୍‍ ବନ୍ୟା ହେଲା । ଖଜଣା ଉଚିତ ସମୟରେ ଜମା କରିବା ସକାଶେ ରୟତମାନେ ସାହୁକାରମାନଙ୍କ ପାଖରୁ ଋଣ ସୁଦ୍ଧା ପାଇ ପାରିଲେ ନାହିଁ, କାରଣ ବନ୍ଧା ଦେବାଲାଗି ବିଲରେ ଫସଲ ନଥିଲା । ପାଇକମାନେ ଆଗରୁ ନିଷ୍କର ଜମି ଭୋଗ କରୁଥିଲେ । ବର୍ତ୍ତମାନ ସ୍ଥିତିରେ ସେମାନଙ୍କର ଅବସ୍ଥା ଖୁବ୍‍ ଶୋଚନୀୟ ହୋଇ ପଡ଼ିଲା । ଦୁର୍ନୀତିଗ୍ରସ୍ତ ଅମଲା ଓ ଅତ୍ୟାଚାରୀ ପୋଲିସ୍‍ଯୋଗୁଁ ସେମାନଙ୍କ କଷ୍ଟର ସୀମା ରହିଲା ନାହିଁ । ଏଭଳି ସ୍ଥିତିରେ ପାଇକମାନେ ବିଦ୍ରୋହ ସକାଶେ ଜଣେ ନେତାର ଅନ୍ୱେଷଣରେ ରହିଲେ ।   ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଥିଲେ ସେହିଭଳି ଜଣେ ନେତା । ୧୮୧୭ ପାଇକ ବିଦ୍ରୋହକୁ ସେ ନେତୃତ୍ୱ ପ୍ରଦାନ କରିଥିଲେ । ଖୋର୍ଦ୍ଧା ଖାସ୍‍ମାହାଲରେ ପରିଣତ ହେବା ପୂର୍ବରୁ ସେ ଖୋର୍ଦ୍ଧା ଗଜପତିଙ୍କ ବକ୍ସି ବା ସେନା ଅଧିନାୟକ ପଦରେ ପୁରୁଷାନୁକ୍ରମିକ ଭାବେ ନିଯୁକ୍ତ ଥିଲେ । ତାଙ୍କୁ ରୋଡଙ୍ଗ ଜମିଦାରୀ ମିଳିଥିଲା । ମାତ୍ର ଖୋର୍ଦ୍ଧା ଖାସମାହାଲ ହେବା ପରେ ଜମିଦାରୀର ଖଜଣା ଜମା କରିବାକୁ ପଡ଼ିଲା । ଏନେଇ ତାଙ୍କ ମନରେ ଅସନ୍ତୋଷ ଥିଲେ ସୁଦ୍ଧା ସେ ଜମିକର ଦେଉଥିଲେ । ମନେହୁଏ, କୃ