ଜାତି, ଜାଗୃତି ଓ ପ୍ରଗତି/ଓସ୍କାର ଔଷଧ

ଉଇକିପାଠାଗାର‌ରୁ
ଜାତି, ଜାଗୃତି ଓ ପ୍ରଗତି  (୨୦୧୩)  ଲେଖକ/କବି: ସୁବ୍ରତ କୁମାର ପୃଷ୍ଟି
ଓସ୍କାର ଔଷଧ

୧୧୨ / ଜାତି, ଜାଗୃତି ଓ ପ୍ରଗତି

ଓସ୍କାର ଔଷଧ

ଆଧୁନିକ ଶିଳ୍ପର ବ୍ୟାପକ ପ୍ରସାର ଫଳରେ ଏହାକୁ କେନ୍ଦ୍ରକରି ଯେଉଁସବୁ ସହର ଗଢ଼ିଉଠିଛି, ସେଥିମଧ୍ୟରୁ ଭାରତର ମୁମ୍ବାଇ ଅନ୍ୟତମ । ଏହି ସହରରେ ଅବସ୍ଥିତ ବିଶ୍ୱର ସବୁଠାରୁ ବଡ଼ ବସ୍ତି- ଧାରବୀ । ଆଉ ଏହି ବସ୍ତିରେ ଯେଉଁ ଏକକୋଟିରୁ ଊର୍ଦ୍ଧ୍ୱ ଲୋକ ବାସ କରି ମୁମ୍ବାଇ ସହରର ଅଭିଜାତବର୍ଗଙ୍କୁ ବିଭିନ୍ନ ସେବା ଯୋଗାଇ ଦେଉଛନ୍ତି; ସେମାନଙ୍କ ଜୀବନଧାରଣ ଜଣେ ବୁଲା କୁକୁରଠାରୁ ହୀନ । ନାଳନର୍ଦମାର ପୁତିଗନ୍ଧମୟ ପରିବେଶ ଭିତରେ ବଞ୍ଚୁଥିବା ଏହି ମଣିଷ ସମାଜର ଭବିଷ୍ୟତ ବଂଶଧରଙ୍କ ସ୍ଥିତି ଆହୁରି ଦୟନୀୟ ।

ମାତ୍ର ସବୁ ଅଭାବକୁ ଅତିକମ୍ର କରି ଯଦି ଏହିି ଅଞ୍ଚଳର ପିଲାଟିଏ ସଫଳତାର ସିଡ଼ି ଚଢ଼ିବାକୁ ଲାଗିଲା, ତେବେ ତାହାର ପ୍ରଥମ ବାଧକ ହୁଅନ୍ତି ସହରର ଏହି ଉଚ୍ଚ ସମ୍ଭ୍ରାନ୍ତଶ୍ରେଣୀ, ସରକାରୀ କର୍ମଚାରୀ ଓ ପୋଲିସ, ନ୍ୟାୟାଳୟ ଇତ୍ୟାଦି ଇତ୍ୟାଦି । ସେମାନେ ବସ୍ତି ପିଲାର ପ୍ରତିଷ୍ଠାକୁ ସହଜରେ ଗ୍ରହଣ କରିପାରନ୍ତିନାହିଁ । ତେଣୁ ନିଜର ପାରିଲାପଣିଆକୁ ଦେଖାଇବାକୁ ଯାଇ ସମାଜର ସବୁପ୍ରକାର ବାଧାବନ୍ଧନକୁ ଆଣି ସେହି ଅଗ୍ରଗାମୀ ବସ୍ତିପିଲା ସମ୍ମୁଖରେ ଠିଆ କରେଇ, ତା’ର ଗତିରୋଧ କରିବାକୁ ଚେଷ୍ଟା କରନ୍ତି । ତଥାପି ପିଲାଟି ନିଜର ଆନ୍ତରିକ, ସାଧୁ ଉଦ୍ୟମଦ୍ୱାରା ସମସ୍ତ ପ୍ରତିବନ୍ଧକକୁ ଅତିକ୍ରାନ୍ତ କରି ଯେତେବେଳେ ସଫଳତାର ଶୀର୍ଷରେ ପହଞ୍ଚିଯାଏ, ସେତେବେଳେ ତାହାକୁ ସମସ୍ତେ ଗ୍ରହଣ କରିନେବାକୁ ବାଧ୍ୟ ହୁଅନ୍ତି ।

ଏହା ହେଉଛି ନିକଟରେ ଆନ୍ତର୍ଜାତୀୟ ଫିଲ୍ମ ମହୋତ୍ସବର ୪ଟି ଗୋଲଡେନ୍ ଗ୍ଲୋବ, ୭ଟି ବାଫ୍‌ଟା ଓ ୮ଟି ଓସ୍କାର ପୁରସ୍କାର ବିଜେତା “ସ୍ଲମ୍ ଡଗ୍ ମିଲେନିୟମ୍” ଚଳଚ୍ଚିତ୍ରର ବାର୍ତ୍ତା । ଟି.ଭି.ର ଲୋକପ୍ରିୟ ଧାରାବାହିକ ‘କୌନ୍ ବନେଗା କରୋଡପତି’ରେ


ଜାତି, ଜାଗୃତି ଓ ପ୍ରଗତି / ୧୧୩
ଅଂଶଗ୍ରହଣ କରିବାକୁ ଆସିଥିବା ଧାରବୀ ବସ୍ତିର ଏକ ଗରିବ ବାଳକର ଜୀବନରେ ଘଟିଯାଇଥିବା ବିଭିନ୍ନ ଘଟଣା ସହିତ ଏଠାରେ ପଚରା ଯାଉଥିବା ପ୍ରଶ୍ନଗୁଡ଼ିକର ସହ ସାମଞ୍ଜସ୍ୟ ଥିବାରୁ, ସଠିକ୍ ଉତ୍ତର ପ୍ରଦାନ‌ଦ୍ୱାରା ଯେତେବେଳେ ସେହି ବାଳକଟି ଏକକୋଟି ଟଙ୍କାର ମାଲିକ ହେବାକୁ ଯାଉଛି; ସେତେବେଳେ ସହ୍ୟ କରିପାରିନାହିଁ ଆମ ସମାଜର ଉଚ୍ଚବର୍ଗ । ଫଳରେ ତା’ର ଗୋଡ଼ ଟାଣିବାକୁ ପ୍ରାଣପଣେ ପ୍ରୟାସ କରିଛନ୍ତି । ମାତ୍ର ଆମ ସମାଜରେ ଭଲ ଲୋକ ମଧ୍ୟ ବହୁତ ଅଛନ୍ତି । ଶେଷରେ ସେ ଜିତେ ଆଉ ଜିତେ । ଏପରିକି ଫିଲ୍ମାଙ୍କନ ପରେ ମଧ୍ୟ ଚଳଚ୍ଚିତ୍ର ରୂପରେ ସମଗ୍ର ବିଶ୍ୱବାସୀଙ୍କ ମନ ଜିଣିପାରିଥିବାରୁ ଏହା ଖୁବ୍ ଅଳ୍ପଦିନ ମଧ୍ୟରେ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ପାଇପାରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆମ ସମାଜରେ ଜାତି ଓ ଅର୍ଥନୀତି ଦୃଷ୍ଟିରୁ ନିମ୍ନଭାଗରେ ଜୀବନଧାରଣ କରୁଥିବା ବ୍ୟକ୍ତିଙ୍କ ସଫଳତାକୁ ଉଚ୍ଚଜାତି ବା ଧନୀକଗଣ ସହଜରେ ଗ୍ରହଣ କରିପାରନ୍ତିନାହିଁ । ଫଳରେ ନିଜର ଜ୍ଞାନଗାରିମା ଥିଲେ ମଧ୍ୟ ଏହି ନିମ୍ନଶ୍ରେଣୀର ଅବୋଧ ବାଳକମାନଙ୍କର ସ୍ୱପ୍ନ ପୂରଣ ହୋଇପାରେନାହିଁ । ଏହାର ଦୃଷ୍ଟାନ୍ତ କେବଳ ମୁମ୍ବାଇର ଧାରବୀ ବସ୍ତି ନୁହେଁ, ବରଂ ଭାରତର ଛୋଟବଡ଼ ସହରମାନଙ୍କରେ ଗଢ଼ିଉଠିଥିବା ଗ୍ରାମ୍ୟ ସଭ୍ୟତା (ଆଧୁନିକ ଅର୍ଥରେ କହିଲେ ବସ୍ତି’)ରେ ଦେଖିବାକୁ ମିଳିବ । ଆମ ଓଡ଼ିଶାରେ ମଧ୍ୟ ଏହିଭଳି ଏକ ପ୍ରତିଭାକୁ ନିକଟରେ ହତ୍ୟା କରାଯାଇଛି । ଭୁବନେଶ୍ୱରସ୍ଥ ସାଲିଆସାହି ବସ୍ତିରେ ବାସ କରୁଥିବା ଏକ ଆଦିବାସୀ ପୁଅ ବୁଦ୍ଧିଆ ସିଂହ ସମଗ୍ର ବିଶ୍ୱରେ ଚର୍ଚ୍ଚିତ ହୋଇଯାଇଥିଲା ନିଜର ଏହି ଅଲୌକିକ ପ୍ରତିଭା ଯୋଗୁଁ । ମାତ୍ର ଖୁବ୍ ଅଳ୍ପଦିନ ଭିତରେ ଏହି ପ୍ରତିଭାକୁ ହତ୍ୟା କରନ୍ତି ଆମ ସମାଜର ମଙ୍ଗୁଆଳଗଣ । ଦୁଇବର୍ଷ ବିତିଗଲା, ଆଉ ଚର୍ଚ୍ଚାକୁ ଆସୁନାହିଁ ବୁଦ୍ଧିଆ ସିଂହ, ଚର୍ଚ୍ଚିତ ହେଉନାହିଁ ଓଡ଼ିଶା ।

ଏହିଭଳି ଦୈନିକ ଅସଂଖ୍ୟ ବୁଦ୍ଧିଆ ଭଳି ପ୍ରତିଭା ଅକାଳରେ ଝରିପଡୁଛନ୍ତି । ସେମାନେ ବାଧ୍ୟ ହେଉଛନ୍ତି ଜରି ଗୋଟାଇବାକୁ, ଚାହାଗ୍ଲାସ୍ ଧୋଇବାକୁ, ହୋଟେଲର ଅଇଁଠା ଖାଦ୍ୟ ଖାଇବାକୁ କିମ୍ବା ନିଜ ମାଆଭଉଣୀଙ୍କ ଦେହବିକ୍ରିରେ ଦଲାଲ ସାଜିବାକୁ ।

ଏହାଠାରୁବଳି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଉକ୍ତ ଚଳଚ୍ଚିତ୍ର ପୁରସ୍କାର ପାଇବାପରେ ଏବେ ବିଦେଶରେ ରହୁଥିବା ଭାରତୀୟଙ୍କଠାରେ ଆତ୍ମସମ୍ମାନ ସଂପର୍କରେ ଭାଳେଣି ପଡ଼ିଲାଣି । ଆମେରିକାରେ ପ୍ରତିଷ୍ଠିତ ଭାରତୀୟମାନଙ୍କୁ ସ୍ଲମ୍ ଡଗ୍ ବୋଲି ଡାକିବା ଆରମ୍ଭ କଲେଣି ସେଠାକାର ଆମେରିକୀୟଗଣ । ଏଥିପାଇଁ ଲଜ୍ଜାରେ ମୁଣ୍ଡତଳକୁ କରି ଗାଳି ଶୁଣିବାକୁ ସେମାନେ ବାଧ୍ୟ ହେଉଛନ୍ତି ବୋଲି ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଆଦେଶ ଶ୍ରୀବାସ୍ତବ ଏବଂ ବହୁ ପ୍ରବାସୀ ଭାରତୀୟ କ୍ଷୋଭ ପ୍ରକାଶ କଲେଣି । ଭବିଷ୍ୟତରେ


୧୧୪ / ଜାତି, ଜାଗୃତି ଓ ପ୍ରଗତି
ଏପରି ଆହୁରି ମଧ୍ୟ ଅଭିଯୋଗ ଆସିବ । ଖାଇବାକୁ ପାଉ ନ ଥିବା ତଥା ବୁଲାକୁକୁର ଭଳି ଜୀବନଯାପନ କରୁଥିବା ଭାରତୀୟଙ୍କପାଇଁ ବିଦେଶରେ ଆମର ଏହି ଉଚ୍ଚଶିକ୍ଷିତଙ୍କୁ ଅପମାନିତ କରାଯିବା ଯେକୌଣସି ସଭ୍ୟ ରାଷ୍ଟ୍ରପାଇଁ ଅଶୋଭନୀୟ । ମାତ୍ର ଅନ୍ୟ ଦୃଷ୍ଟିକୋଣରୁ ଦେଖିଲେ, ଏହି ପ୍ରବାସୀ ଭାରତୀୟଙ୍କୁ ଅପମାନିତ କରିବା ଉଚିତ ମଧ୍ୟ । କାରଣ ଏହି ଗୋଷ୍ଠୀ କୌଣସି ବସ୍ତି ବା ଗ୍ରାମାଞ୍ଚଳର ଗରିବ ପରିବାରରୁ ଆସିନାହାନ୍ତି । ଏମାନେ ହେଉଛନ୍ତି ଗ୍ରାମ ତଥା ସହରର ପ୍ରତିଷ୍ଠିତ ଧନୀମାନଙ୍କର ଅଲିଅଳ ସନ୍ତାନ । ଯେଉଁମାନଙ୍କ ପିତାମାତା ଏହି ଗରିବମାନଙ୍କ ଧନକୁ ଶୋଷଣ କରି ବିଳାସ ଓ ଉଚ୍ଚଶିକ୍ଷା ନାମରେ ନିଜର ଅଲିଅଳ ସନ୍ତାନମାନଙ୍କୁ ବିଦେଶକୁ ପଠାନ୍ତି । ଆଉ କେତେକ ମେଧାବୀ ଡାକ୍ତର, ଇଂଜିନିୟର, ବୈଜ୍ଞାନିକଗଣ ନିଜ ଜ୍ଞାନ ଗାରିମାକୁ ପ୍ରୟୋଗ କରି ଭାରତର ଗୌରବ ବୃଦ୍ଧି କରିବା ପରିବର୍ତ୍ତେ ଅର୍ଥଲାଳସାରେ ସ୍ୱଭୂମିକୁ ଛାଡ଼ି ବିଦେଶକୁ ଚାଲିଯାଆନ୍ତି । ଆଉ ପଛକୁ ଫେରିଚାହାନ୍ତି ନାହିଁ । ଏମାନେ ଗଲାବେଳେ ଚିନ୍ତା କରନ୍ତିନାହିଁ ଯେ, ଯେଉଁ ଦେଶର ଅସଂଖ୍ୟ ଗରିବ ନିରନ୍ନ-ଜନତାଙ୍କ ପ୍ରଦତ୍ତ କରରୁ ସରକାର ଜଣପିଛା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରି ଡାକ୍ତର, ଇଂଜିନିୟର କିମ୍ବା ବୈଜ୍ଞାନିକଟିଏ କରି ଗଢ଼ି ତୋଳିଛି, ସେହି ଦେଶର ଭୋକ-ରୋଗରେ ଆଉଟୁପାଉଟୁ ହେଉଥିବା ଅଭାବୀ ମଣିଷର ସେବା କରିବାପାଇଁ; ସେମାନେ କିନ୍ତୁ ଦେଶର ଏହି ମହାନ୍ ମନ୍ତ୍ରକୁ ଆଡ଼ଆଖି କରିଦେଇ ବିଦେଶକୁ ଚାଲିଯାଆନ୍ତି । ସେଠାରେ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ବଞ୍ଚିରହି ଧଳାଚମଡ଼ାଧାରୀଙ୍କ ଗୁହମୂତ ସଫା କରିବାସହ ଆକାଶକୁ ଛୁଇଁଥିବା ବିଶାଳ କୋଠାଘରର ଶୀତତାପ ନିୟନ୍ତ୍ରିତ ଘରେ ସେମାନଙ୍କ ଶଯ୍ୟାସଙ୍ଗିନୀ ହେବାକୁ ଗୌରବ ବୋଲି ମନେ କରନ୍ତି । ଏପରିକି ଗତବର୍ଷ ପ୍ରାୟ ୨୦୦୦ ଡାକ୍ତରଙ୍କୁ ବ୍ରିଟିଶ୍ ସରକାର ତଡ଼ି ବାହାର କରିଦେଲେ ମଧ୍ୟ ଏମାନେ କୁକୁରଙ୍କ ଭଳି ପ୍ରବାସୀ ଭାରତୀୟଙ୍କ ଦାନରେ ଚଳୁଥିବା ମନ୍ଦିରମାନଙ୍କରେ ଦୀର୍ଘଦୀନ ଧରି ବ୍ରିଟିଶବାସୀଙ୍କ ଅନୁଗ୍ରହ ପାଇବାପାଇଁ ପଡ଼ି ରହିଥିଲେ । ଅଥଚ ଭାରତଭୂଇଁଙ୍କୁ ଫେରିଆସି ଗରିବ ଅସହାୟଙ୍କ ଚିକିତ୍ସା କରିବାକୁ ଆଗ୍ରହୀ ହେଲେନାହିଁ । ଯେଉଁ ଦେଶର ସନ୍ତାନଗଣଙ୍କୁ “ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାପି ଗରିୟସୀ” ଶିକ୍ଷା ପିଲାଟିବେଳୁ ଦିଆଯାଇ ‘ମାଆ ଓ ମାଟି’ ପ୍ରତି ନିଜ କର୍ତ୍ତବ୍ୟବୋଧକୁ ସୂଚାଇ ଦିଆଯାଉଛି, ସେହି ମାଟିର ଉଚ୍ଚଶିକ୍ଷିତ ସନ୍ତାନଙ୍କର ଏଭଳି ମାନସିକତା ଗୋଟିଏ ଜାତିର ଅଧଃପତନକୁ ହିଁ ସୂଚାଇଥାଏ । ନିଜ ଦେଶରେ ରାଜା ହେବା ଅପେକ୍ଷା ଅନ୍ୟ ଦେଶରେ ଶ୍ରମିକ ହେବାକୁ ଭଲପାଉଥିବା ଏହି ଉଚ୍ଚଶିକ୍ଷିତବର୍ଗ ଏପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି ଯେ, ସ୍ୱାଧୀନତାର ୬୦ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରାକୃତିକ ସଂପଦଭରା ଭାରତବର୍ଷରେ ଆଜି କାହିଁକି ଏଭଳି ବଡ଼ବଡ଼ ବସ୍ତି ଗଢ଼ି ଉଠିଛି? କାହିଁକି ଭାରତର ଆତ୍ମାଥିବା ଗ୍ରାମାଞ୍ଚଳର


ଜାତି, ଜାଗୃତି ଓ ପ୍ରଗତି / ୧୧୫
ବିକାଶ ହୋଇପାରିନାହିଁ? କାହିଁକି ଆଜି ଭାରତଭଳି ଏକ ଐତିହ୍ୟ ସଂପନ୍ନ ଦେଶ ୨ଟି ନାଁ-“ଅନ୍ଧକାରର ଦେଶ ଭାରତ ଓ ଆଲୋକର ଦେଶ ଇଣ୍ଡିଆ” ଭାବେ ପରିଚିତ ହେଉଛି? ପରମାଣୁ ବୋମାମାଡ଼ରେ ଧ୍ୱଂସ ହୋଇଥିବା ତଥା ଜମି, ଜଳ, ଜଙ୍ଗଲ ଓ ଖଣି ନ ଥିବା ଟାଙ୍ଗରାଭୂଇଁ ଦ୍ୱୀପାଞ୍ଚଳ ଜାପାନ ମାତ୍ର ୩୦ ବର୍ଷ ଭିତରେ ପୁଣିଥରେ ନିଜ ଘରକୁ ସଜାଡ଼ି ବିଶ୍ୱର ଶ୍ରେଷ୍ଠ ଧନୀରାଷ୍ଟ୍ର ଭାବେ ପରିଚୟ ତିଆରି କରିଥିବାବେଳେ, ଆମେ କାହିଁକି ଆଜି ବିକାଶଶୀଳ ରାଷ୍ଟ୍ର ନାମରେ ଚିହ୍ନିତ ହେଉଛୁ ! ଗ୍ରାମାଞ୍ଚଳ ଗରିବଙ୍କୁ ଆଣି ସହରରେ ଥଇଥାନ କରିବା ବଦଳରେ ସହର ଉପାନ୍ତର ଅଳିଆ ଆବର୍ଜନାପୂର୍ଣ୍ଣ ଅଞ୍ଚଳରେ ବସ୍ତି ଗଢ଼େଇ ସେମାନଙ୍କ ସ୍ୱାଭାବିକ ଜୀବନଧାରଣକୁ ଧ୍ୱଂସ କରିଦେଉଛୁ?

ଯେ ପର୍ଯ୍ୟନ୍ତ ଏହି କଥା ଆମ ଡଲାର ଲୋଭୀ ନୀଳବର୍ଣ୍ଣଶୃଗାଳରୂପୀ-ପ୍ରବାସୀ ଭାରତୀୟଗଣ ଚିନ୍ତା ନ କରିଛନ୍ତି, ସେ ପର୍ଯ୍ୟନ୍ତ ଆଶ୍ରିତ ରାଷ୍ଟ୍ରର ଅଧିବାସୀଙ୍କ ଦୃଷ୍ଟିରେ କୁକୁରର ଆଖ୍ୟା ପାଉଥିବେ ଏବଂ ସେମାନଙ୍କଦ୍ୱାରା ସର୍ବସାଧାରଣରେ ନିନ୍ଦିତ ହେଉଥିବେ । ‘ସ୍ଲମ୍‌ଡଗ୍ ମିଲେନିୟମ୍’ ଭଳି ଆହୁରି ଅସଂଖ୍ୟ ଚଳଚ୍ଚିତ୍ର ନିର୍ମାଣ ହୋଇ ସେମାନଙ୍କ ଅସଲ ମୁଖା ଯେତେବେଳେ ସମଗ୍ର ବିଶ୍ୱବାସୀଙ୍କ ଆଗରେ ଖୋଲି ହୋଇଯିବ, ସେତେବେଳେ ସେମାନେ ଜାବୁଡି ଧରିଥିବା ଉଚ୍ଚଶିକ୍ଷାର ପ୍ରମାଣପତ୍ର ତଥା ସାରାଜୀବନ ନିଜକୁ, ନିଜ ମାନବିକତାକୁ ବିକ୍ରିକରି ରୋଜଗାର କରିଥିବା ଅସଂଖ୍ୟ ଡଲାର ଏମାନଙ୍କ ଆତ୍ମସମ୍ମାନକୁ ବଞ୍ଚାଇ ରଖି ପାରିବତ?
ଦେଶଦ୍ରୋହୀ, ଜାତିଦ୍ରୋହୀ ଏହି ଅର୍ଥଲିପ୍ସୁ ବ୍ୟକ୍ତିଗଣଙ୍କୁ ‘ସ୍ଲମ୍‌ଡଗ୍’ଠାରୁ ବଡ଼ ଉପାଧି ଆଉ କ’ଣ ଦିଆଯାଇପାରେ!


***