କଥାଲହରୀ/ଶ୍ୱେତବସନ୍ତ କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ଶ୍ୱେତବସନ୍ତ କଥା

ଶ୍ୱେତ ବସନ୍ତ କଥା

ଗୋଟିଏ ମାଳିଟିଏ, ସେ ଭାରୀ ଦୁଃଖିଟିଏ । ଏ ମାଳିର ଦୁଇ ପୁଅ, ବଡ଼ପୁଅ ନାଁ ଶ୍ୱେତ, ସାନ ପୁଅ ନା ବସନ୍ତ । ଦୁଇ ଭାଇ ଏହିପରି

ଦୁଃଖ ପାଇ ରହିଥାନ୍ତି, ମାଳି ତା ଭାରିଯା ଦୁହେଁଯାକ ମରିଗଲେ ଆଉତ କେହି ଆଶ୍ରା ନାହିଁ, ଏ ଦିହେଁ ଦାଦିଘରେ କାମ ଦାମ କରି ଚଳୁଥାନ୍ତି । ଦିନେ ଦାଦିର ସୁନା ମୁଦି ଚୋରିଗଲା, ଦାଦି ଏ ଦୁହିଁକି ଧରିଲା । ଏ ଦୁହେଁ କହିଲେ ଆମେ ନେଇ ନାହୁଁ । ଦାଦି ଏମାନଙ୍କ କଥା ସତ ନ କରି ଏ ଦୁହିଁକି ତଡ଼ିଦେଲା । ଏ ଦୁହେଁ କାନ୍ଦି ବୋବେଇ ଘରୁ ବାହାରି ଗଲେ, ଯାଇଁ ଗୋଟାଏ ବନସ୍ତରେ ପହଞ୍ଚିଲେ । ସେ ବନସ୍ତରେ ଗୋଟିଏ ଶୁଆଟିଏ ଗୋଟିଏ ସାରୀଟିଏ ଗଛରେ ବସି କ‌ହି ହେଉଚନ୍ତି-ଶୁଆ କହୁଚି ମତେ ଯେ ଧରିବ ସେ ରଜାହେବ, ସାରୀ କହୁଛି ମତେ ଯେ ଧରିବ ସେ ଚାଲିଲେ ପଦ୍ମ ଉକୁଟିବ, କାନ୍ଦିଲେ ମୁକୁତା ଝଡ଼ିବ । ଏହିପରି କୁହାକୁହି ହଉଥାନ୍ତ, ଏ ଦୁଇ ଭାଇ ଶୁଣିଲେ ଧରିବାକୁ ଗଲେ । ଶ୍ୱେତ ଧରିଲା ଶୁଆଟିକି, ବସନ୍ତ ଧରିଲା ସାରୀକି । ଧରି କରି ଆଣି ଭୋକ ବିକଳରେ ଦୁହେଁ ଦୋଟିଯାକ ଖାଇ ଦେଲେ । ଖାଇ ସାରି ବସନ୍ତ କହିଲା ମୋତେ ଶୋଷ କରୁଛି; ପାଣି କେଉଁଠି ମିଳିବ ? ଶ୍ୱେତ କହିଲା, ତୁ ଏଇଠି ବସିଥା ମୁଁ ପାଣି ଆଣେ; ଏହା କହି ପାଣି ଖୋଜିବାକୁ ଗଲା । ସେ ଗାଡ଼ିଆକୂଳେ ହୋଇଚି, ସେ ଦେଶର ରାଜା ମରି ଯାଇଛି ଯେ ହାତୀ କଳସ ଘେନି ବୁଲୁଚି, ଯାହାକୁ ମନ କରିବ ତା ଉପରେ କଳଶ ଢାଳି ଦେବ; ଶ୍ୱେତକୁ ଦେଖି ତା ଉପରେ କଳଶ ଢାଳି ଦେଲା । ପାତ୍ର ମନ୍ତ୍ରୀ ସମସ୍ତେ ଶ୍ୱେତକୁ ହାତୀରେ ବସାଇ ନେଇ ଗଲେ; ରାଜା କଲେ । ଶ୍ୱେତ ରାଜା ହୋଇ ସବୁ ବୁଝିଲା, ଖାଲି ବସନ୍ତ ପାଇଁ ଭାବି ହେଉଥାଏ ମନେ ମନେ । ଏଣେ ବସନ୍ତ ଭାଇକି ଅନାଇଁ ଅନାଇଁ ଆଉ ଭାଇ ଆସିଲା ନାହଁ ଯେଉଠୁଁ; କାନ୍ଦି କାନ୍ଦି ବନସ୍ତଭିତରକୁ ବାହାରିଲା । ବାଟରେ କାନ୍ଦିଲାକ୍ଷଣି ମୁକ୍ତା ଝଡ଼ୁଥାଏ, ପାଦ ପକାଇଲାରୁ ପଦ୍ମ ଫୁଟୁଥାଏ ଏହିପରି ବାଟଯାକ ହେଇ ଯାଉଥାଏ । ବସନ୍ତ ମୁକ୍ତାତକ ଗୋଟେଇ ରଖୁଥାଏ, ବାଟ ଚାଲୁଥାଏ । ଭାଇକି ତ ପାଇଲା ନାହିଁ

ବୁଲି ବୁଲି ସେ ଯୋଉ ଗାଁରେ ରଜା ହୋଇଛି ସେହି ଗାଁରେ ଗୋଟିଏ କୁମ୍ଭାର ଘରେ ରହିଲା । ଲୁଗାପଟା ତ ନଥାଏ, ଖଣ୍ଡିଏ ଚିରାଲୁଗାରେ ସେ ମୁକ୍ତାତକ ବାନ୍ଧି କୁମ୍ଭାର ଘରେ ଗଣ୍ଡିଏ ୨ ଖାଇ କାମଦାମ କରୁଥାଏ । ଏହିପରେ କେତେଦିନ ଗଲା, ରାଜା ଚୋର ଜଗିବାକୁ ମନିଷ ଦରକାର ହେଲେ, ଗ୍ରାମରେ ଯେତେ ଘର ସମସ୍ତଙ୍କ ଘରୁ ଜଣେ ଜଣେ ଜଗିବାକୁ ଗଲେ । କୁମ୍ଭାରଘରୁ ବସନ୍ତ ଚୋର ଜଗିବାକୁ ଗଲା । ଦିନେ ବସନ୍ତ ନ ଥିଲାବେଳେ କୁମ୍ଭାର ତାର ଲୁଗାପଟା ଫିଟାଇ ଦେଖେ ଯେ, ମୁକ୍ତା ସବୁ ଜକ ଜକ ଦିଶୁଛି । ମୁକ୍ତାଗୁଡ଼ିକ ସେଥିରୁ ନେଇଗଲା, ଭାତଗୁଡ଼ିଏ ବାନ୍ଧି ଦେଲା । ବସନ୍ତ ଆସି ଦେଖେ ଯେ ମୁକ୍ତାତକ ନାହିଁ । କୁମ୍ଭାରକୁ ପଚାରିଲାରୁ କୁମ୍ଭାର ନାହିଁକରି ମାରି ଗୋଡ଼ାଇଲା । ବସନ୍ତ ଆଉ କଣ କରିବ, ତୁନି ହୋଇ ରହିଲା । ନିତି ରାତିକି ବସନ୍ତ ଚୋର ଜଗିବାକୁ ଯାଏ, ସେଠେଇ ସମସ୍ତେ ସମସ୍ତଙ୍କ ଦୁଃଖ ସୁଖ କଥାବାର୍ତ୍ତା ହୁଅନ୍ତି । ଦିନେ କଥା ପଡ଼ୁ ପଡ଼ୁ ବସନ୍ତର କଥା ସମସ୍ତେ ପଚାରିଲେ । ବସନ୍ତ କ‌ହିଲା ଦୁଃଖ କ‌ହିବି କି ସୁଖ କ‌ହିବି; ଯାହା ଅଙ୍ଗେ ନିଭେଇଚି ତାହା କ‌ହିବି । ତା ଜୀବନର ସବୁ ଘଟଣା କ‌ହିଗଲା । ଯେମନ୍ତ ସେ ଦୁଇଭାଇ ଥିଲେ ବାପ ମା କେମିତି ମରିଯିବାରୁ ଦାଦି ଘରେ ଥିଲେ, ଦାଦିର ମୁଦି ଚୋରିଯିବାରୁ ଦାଦି ଯେମତି ତଡ଼ି ଦେଲା, ବନସ୍ଥରେ ଶୁଆ ସାରୀ ଯାହା ଯାହା କ‌ହିଥିଲେ; ଶ୍ୱେତ ପାଣି ପାଇଁ ଯାଇ ଯେମିତି କୁଆଡ଼େ ରହିଲା, ଏ କୁମ୍ଭାରଘରେ ରହିଥିଲା; ଏହାର ମୁକ୍ତାତକ ଯେମନ୍ତ କୁମ୍ଭାର ନେଇଗଲା; ସବୁ କଥା ସେମାନଙ୍କୁ କ‌ହିଗଲା । ଏମାନେ ଶୁଣି ବଡ଼ ବ୍ୟସ୍ତ ହେଲେ, ଯାଇ ରାଜାଙ୍କୁ ସବୁ କଥା କ‌ହିଲେ । ରାଜା ବସନ୍ତକୁ କୁମ୍ଭାର ଘରୁ ଡକାଇ ଆଣିଲେ, ତାକୁ ତାର ପରିଚୟ ପଚାରିଲେ । ବସନ୍ତ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କ‌ହିଗଲା ଶ୍ୱେତ ବସନ୍ତ ଦିହେଁ ଯାକ ଚିହ୍ନାଚିହ୍ନି

ହେଲେ, କେତେ କାନ୍ଦିଲେ । ଶ୍ୱେତ ବସନ୍ତକୁ ଖିଅର କରାଇ ଆଣିଲା । ପଞ୍ଚତୀର୍ଥ ପାଣିରେ ଗାଧୋଇଦେଇ ଭଲ ଲୁଗାପଟା ପିନ୍ଧାଇଲା । ପାତ୍ର ମନ୍ତ୍ରିଙ୍କି ଡକାଇ ତାକୁ ଯୁବରାଜ କରିବାର ହୁକୁମ ହେଲା । ମନ୍ତ୍ରୀ ହେରିକା ଛତ୍ର ଚାମର ଧରିଲେ, ସିଂହାସନ ଉପରେ ବସନ୍ତ ବସିଲା, ହାତୀ ସୁବର୍ଣ୍ଣ କଳଶ ଢ଼ାଳି ତାକୁ ଅଭିଷେକ କଲା । ବସନ୍ତ ଯୁବରାଜ ହେଲା; ଶ୍ୱେତ ବସନ୍ତ ଦୁହେଁ ଯାକ ପରଜାଙ୍କୁ ବଡ଼ସୁଖରେ ପାଳିଲେ । ବାହାଚୋରା ହୋଇ ସୁଖରେ ରହିଲେ । ମୁଁ ଗଲାରୁ କଥା ନ କ‌ହିଲେ । ମୋ କଥାଟି ସରିଲା ଇତ୍ୟାଦି।