କଥାଲହରୀ/ଅନନ୍ତା କଥା

ଉଇକିପାଠାଗାର‌ରୁ
କଥାଲହରୀ (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ଅନନ୍ତା କଥା

ଗୋଟିଏ ଚଷା ଘରେ ମା, ବାପ, ପୁଅଝିଅ ଚାରୋଟିଏ ଲୋକ ଥା'ନ୍ତି । ଝିଅଟି ବିଭା ହୋଇଗଲା ଗୋଟିଏ ଖୁବ୍ ଧନବନ୍ତ ଘରେ, ବାପଟି ମରି ଗଲା । ଏ ମା ପୁଅ ଦୋଟିଏ ଭାରୀ କଷ୍ଟରେ ଥାନ୍ତି, ରୋଜିନା ଚାରି ସେର ମୂଲ ଆଣି ଚଳନ୍ତି । ପୁଅଟି ନା ଅନନ୍ତା । ଭଉଣୀଘରେ ବିଭାଘର ହେଉଥିଲା ଅନନ୍ତା କହଲା, ମା ! ନାନୀଘରେ ବିଭାଘର ହେଉଚି, ମୁଁ ଯାନ୍ତି ଦେଖିବାକୁ ? ମା କହିଲା ହେଉ ଯା । ଅନନ୍ତା ଗଲା ଭଉଣୀ ଘରକୁ, ଯାଇ ସନ୍ଧ୍ୟାବେଳେ ପହଞ୍ଚିଲା । ଭିଣେଇ ଦେଖିଲା, କହିଲା ଅନନ୍ତ ଆସିଚ କି ? ହଉ ତେବେ ଏ ଖଲିପତ୍ର ଦିଖଣ୍ଡ ସିଇଁ ଦିଅ । ଏହା କହି ଦିବୋଝ ପତର ଦେଇଗଲା ଖଲି ସିଇଁବାକୁ । ଅନନ୍ତା ଖଲିପତ୍ର ସିଉଁ ୨ ରାତି ପାହାନ୍ତିଆ ହେଲା, ସମସ୍ତେ ରାତିରେ ଖାଇପିଇ ଶୋଇବେଣି, ଭଉଣୀର ମନେ ପଡ଼ିଲା ଅନନ୍ତାତ ଆସିଚି ଖାଇ ନାହିଁ । ଏହା କହି ହାଣ୍ଡିଶାଳରେ ହାଣ୍ଡି ଦେଖିଲାବେଳକୁ ହାଣ୍ଡିରେ କିଛି ନାହିଁ, ପେଜମିଶା ହୋଇ ଭାତ ଗଣ୍ଡିଏ ରହିଚି । ଡାକିଲା, ଅନନ୍ତା ! ପେଜ ପିଇବୁ ? ଅନନ୍ତା କହିଲା ନାହିଁ ନାନି, କାଲି ସକାଳଯାଏ, ରାତିପାହିଗଲାଣି କାଲି ସକାଳେ ଖାଇବି । ଭଉଣୀ ଫେରିଗଲା ଘରକୁ । କେତେ ସମୟ ପରେ ରାତି ପାହିଲା । ଭିଣୋଇ ଘରୁ ଉଠି ଆସି ଦେଖେ ଯେ ଅନନ୍ତା ପିଣ୍ଡାରେ ବସିଚି, କହିଲା ଆନନ୍ତ ! ଏ ଦାଆଖଣ୍ଡି ନେବଟି, ଘୋଡ଼ାପାଇଁ ଘାସ କେରାଏ ଆଣିବ, ଅନନ୍ତା ଦାଆକୁ ଆଣିଲା, ଆସିଲା । ମନେ ୨ ଭାବିଲା, ମୁଁ ସିନା ଦୁଃଖୀଟିଏ ବୋଲି ମତେ ଏମନ୍ତି କହୁଛନ୍ତି ବାଟରେ ଦାଆକୁ ଫୋପାଡ଼ି ଦେଲା, ଆପଣା ଘରକୁ ଫେରି ଆସିଲା । ଆସୁଚି, ବାଟରେ ଗୋଟାଏ ମଲା ନାଗସାପ ଦେଖିଲା, କହିଲା ବଞ୍ଚିଛି ବୋଲି ସିନା ଏତେ ଅପମାନ, ଯାଉଚି ଏ ମଲା ସାପକୁ ନେଇ ସିଝେଇ ଖାଇବି ଯେ ମରିବି । ଏହା କହି ସାପଟି ନେଇ ଘରକୁ ଆସିଲା, ମାକୁ କହିଲା, ମା ! ୟାକୁ ସିଝା, ଖାଇବା । ମା ସାପକୁ କାଟିକୁଟି ରାନ୍ଧି ରଖିଲା । ଅନନ୍ତା ଗାଧୋଇ ଆସିଲା, ମା ଗଲା ଅନନ୍ତାକୁ ଖାଇବାକୁ ଦେବାକୁ । ହାଣ୍ଡି ଦେଖିବେଳକୁ ସାପସିଝା ନାହିଁ । ସୁନା ମୁଣ୍ଡା ହୋଇ ହାଣ୍ଡିରେ ରହିଚି । ମା ଦେଖି କାବା ହୋଇ ଗଲା, ପୁଅକୁ ଦେଖାଇଲା । ପୁଅ କହିଲା ମା ଆମ କପାଳ ଝଡ଼ିଲା । ମା ସବୁ ସୁନାଯାକ ରଖିଦେଲା । ଅନନ୍ତା ସେଥିରୁ ଖଣ୍ଡେ ନେଇ ଗଲା, ହାଟରେ ବିକିକରି ସବୁ ସରଞ୍ଜାମ ଆଣିଲା । ମା ପୁଅଦିହେଁ ଖାଇ ପିଇ ସୁଖରେ ରହିଲା । ଅନନ୍ତା ଖୁବ୍ ଘରଦ୍ୱାର କଲା । ଗୋଟାଏ ହାତୀ କିଣିଲା, ଭଉଣୀପାଇଁ ସାଜେ ଅଳଙ୍କାର କଲା, ଦିଟା ସୁନାମୁଦି ରୂପାମୁଦି ତା ପାଇଁ ଗଢ଼ାଇଲା । ଯୋଡ଼ାଏ ଘଣ୍ଟି ଗଢ଼ାଇଲା, ଗୋଟାଏ ଘଣ୍ଟି କହୁଥାଏ, 'ଅନନ୍ତା ପେଜ ପିଇବୁ ଆ' ଆଉ ଗୋଟାଏ କହେ 'ନାହିଁ ନାନି କାଲି ସକାଳ ଯାଏ' । ଏହିପରି ସବୁକରି ସାରିଲା । ମାକୁ କହିଲା ମା ମୁଁ ଯାଉଚି ନାନୀଘରକୁ । ଅନନ୍ତା ହାତୀ ଉପରେ ବସି, ଅଳଙ୍କାରପେଡ଼ି ସାଙ୍ଗରେ ନେଲା, ସୁନାମୁଦି ରୂପା ମୁଦି ନେଲା, ଘଣ୍ଟି ଯୋଡ଼ିକି ହାତୀବେକରେ ପକାଦେଲା । ଗୋଟାଏଘଣ୍ଟି କହୁଥାଏ 'ଅନନ୍ତା ପେଜ ପିଇବୁ ଆ' ଆଉ ଗୋଟାଏ କହୁଥାଏ 'ନାହିଁ ନାନି କାଲି ସକାଳ ଯାଏ' ଏହିପରି ସେ ଘଣ୍ଟିଯୋଡ଼ାକ ବାଜୁଥାଏ । ଗାଁ ଲୋକେ ଶୁଣି କହିଲେ, ଭଉଣୀ ଭାଇକି ଏହା କହୁଥିଲା ବୋଲି ପରା ଭାଇ ଏପରି ଘଣ୍ଟି ବଜାଇ ଆସୁଛି । ଅନନ୍ତ ଭଉଣୀ ଦୁଆରେ ପହଞ୍ଚିଲାବେଳକୁ କିଏ ପାଣିନୋଟା ଧରି ଛିଡ଼ା ହୋଇଚି, କିଏ ହାତଧରି ନେବାକୁ ବସିଚି, କିଏ ବିଛଣା କରି ଦେଉଚି, ଏହିପରି ସବୁ ହାଜର ଅଛନ୍ତି । ଗୋଡ଼ା ଧୋ ଘର ଭିତରକୁ ଗଲାବେଳକୁ ଘରେ ଭାତ ବଢ଼ା ହୋଇଚି, ଭଉଣୀ ଠିଆହୋଇଚି । ଅନନ୍ତା ଅଳଙ୍କାର ପେଡ଼ିଟି ଭଉଣୀ ଆଗରେ ଥୋଇଦେଲା, ଠା ପାଖକୁ ଯାଇ ବସିଲା, କହିଲା ଆଉଥରେ ଆସିଥିଲେ ଯେ ଭିଣୋଇ କହିଲେ ଖଲିପତ୍ର ସିଁ ! ଭଉଣୀ କହିଲା ପେଜ ପିଇବୁ ଆ ! ଏଥର ସିନା ଧନଦରବ ଆଣିଚି ବୋଲି ଏତେ ଆଦର, ଏହାକହି ସୁନାମୁଦି ରୂପାମୁଦିକି ଭାତରେ ପୋତିଦେଲା କହିଲା 'ଭୁଞ୍ଜ ସୁନା ଭୁଞ୍ଜ ରୂପା' ମୁଁ ଖାଇବି ନାହିଁ । ଏହା କହି ଥାଳୀ ପାଖରୁ ଉଠି ଆସିଲା, ଭଉଣୀକି କହିଲା ତୁ ଏ ଆଡ଼େ ମୁଁ ସେ ଆଡ଼େ; ଏହା କହି ହାତୀରେ ଚଢ଼ି ବାହାରି ଆସିଲା, ଘରେ ପହଞ୍ଚି ସୁଖରେ ଘରଦୁଆର କଲା, ଭଉଣୀକି ଆସି ପଚାରିଲା ନାହିଁ, ମୁଁ ଗଲାରୁ ମତେ କଥା କହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।