Jump to content

କଥାଲହରୀ/ନେଉଳଭାଇ କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ନେଉଳଭାଇ କଥା

ଗୋଟିଏ ସାଧବ ଥାଏ ଯେ ତାର ସାତ ପୁଅ । ସାତବୋହୂ ସାତ ଯାଆ ଯାକ ଗର୍ଭ ହୋଇଥାନ୍ତି, ଆମ୍ବକ ସମୟ ହୋଇଚି, ବାରିକି ଗଲେ ଛ ଯାଆ ଛଅଟି ଭଲ ଆମ୍ବ ପାଇଲେ, ସବା ସାନ ଯା ଗୋଟିଏ ଖଣ୍ଡିଆ ଆମ୍ବ ପାଇଲା । ଯେଝା ଆମ୍ବ ଯେଝା ଖାଇଲେ, ସାନଯା ଆମ୍ବଟି ନେଉଳ ଖାଇଥିଲା; ସାନ ଯା ସେହି ନେଉଳଖଣ୍ଡିଆଟି ଖାଇଲା । ସମସ୍ତଙ୍କର ଦଶ ମାସ ହେଲା, ସମସ୍ତେ କଷ୍ଟ ପାଇଲେ, ପୁଅ ଜନ୍ମ କଲେ, ସାନ ଯା ଗୋଟିଏ ନେଉଳ ଜନ୍ମ କଲା । ସାନ ଯାଟି କାନ୍ଦୁଣୀ ମାନ୍ଦୁଣୀ ହେଉଥାଏ । ସମସ୍ତେ କହିଲେ ଏ କାହିଁକି ନେଉଳ ଜନ୍ମ କଲା ? ଛଅଯା ଯାକ କହିଲେ ଆମେ ସବୁ ଆମ୍ବଗଛ ମୂଳକୁ ଯାଇଥିଲୁଁ, ଆମେ ଛଅଟି ଭଲ ଆମ୍ବ ପାଇ ଖାଇଲୁ, ସେ ଗୋଟିଏ ଖଣ୍ଡିଆ ଆମ୍ବ ପାଇ ଖାଇଲା । ତାକୁ ନେଉଳ ଖାଇଥିଲା, ଏ ସେହି ନେଉଳ ଜନ୍ମ କଲା । ଷଠୀ ପଞ୍ଚୁଆତି ସାତପଣି ବୁଡ଼ ସବୁ ସରିଲା । ଗଲା କିଛିଦିନ, ପୁଅମାନେ ପାଠ ପଢ଼ିଲେ, ଘୋଡ଼ା ଚଢ଼ି ଶିଖିଲେ, ସବୁ କଲେ, ନେଉଳଟି ଆଉ କଣ କରିବ ? ତା ମା ପାଖରେ ଥାଏ । ଛଭାଇଯାକ କହିଲେ, ହେ ଆମର ଚାଲ ବିଦେଶ କରିଯିବା, ସବୁ ଦିନେ କଣ ଘରେ ବସିଥିବା ? ମା ମାନଙ୍କୁ କହିଲେ, ଘୋଡ଼ାରେ ଚଢ଼ିଗଲେ । ନେଉଳ କହିଲା ଆଲୋ ମା ମୁଁ ଯାନ୍ତି ଭାଇ ମାନଙ୍କ ସଙ୍ଗେ ? ମା କହିଲା ତୁ କୋଉଠିକି ଯିବୁ ? ତୋତେ କିଏ ମାଡ଼ି ପକାଇବ କି କଅଣ କରିବ, ତୁ କୋଉଠିକି ଯିବୁ ? ନେଉଳ କହିଲା ନାହିଁ ମା ମୁଁ ଯିବି, ମା କହିଲା ହଉ ଯା, ବୁଝି କାହାରି ସଙ୍ଗେ ଖଳବ ଲଗାଇବୁ ନାହିଁ । ମା ହଳଦୀ ଟିକିଏ ତେଲଟିକିଏ ଲଗାଇ ଦେଲା, ଲୁଗା ଖଣ୍ଡେ ଅଣ୍ଟାରେ ଗୁଡ଼ାଇଦେଲା, ଛାଡ଼ିଦେଲା । ସେ ଛ ଭାଇଯାକ ଘୋଡ଼ାରେ ଯାଉଥାନ୍ତି, ନେଉଁ କଣେ୨ ଯାଉଥାଏ । ବାଟରେ ଗୋଟାଏ ଆମ୍ବଗଛ ଦେଖିଲେ, ତହିଁରେ ଖୁବ୍ ସୁନ୍ଦର ଆମ୍ବ ପାଚିଚି । ଛ ଭାଇଯାକ କହିଲେ ଆହା । ନେଉଳ ଭାଇକି ସାଙ୍ଗରେ ଆଣି ଥାନ୍ତେଇଁ କି, ଆମ ପାରି ଦେଇଥାନ୍ତା, ଖାଇଥାନ୍ତେଇଁ ସମସ୍ତେ । ନେଉଳ ବଣଭିତରୁ ବାହାରି ପଡ଼ି କହୁଚି, ଆରେ ଭାଇ ! ମୁଁ ଆସିଚି ମଁ । ଏସବୁ କହିଲେ ଆରେ ନେଉଳ ଭାଇତ ଆସିଚି । ଦେ ଗଛରେ ଚଢ, ଆମ୍ବ ପାର, ଆମକୁ ଦେ । ନେଉଳ ଗଛରେ ଚଢ଼ିଲା, ସବୁ ପାକଲା ଭଲ ଆମ୍ବଯାକ ଖାଉଥାଏ, ୟାଙ୍କପାଇଁ ସବୁ କଞ୍ଚା ଆମ୍ବଯାକ ପକାଉଥାଏ । ଏମାନେ କହୁଥାନ୍ତି ନେଉଳଭାଇ ଦେ ମଁ ଆମକୁ ଭଲ ଆମ୍ବ ? ଏ ଦେଉ ନ ଥାଏ । ଏ ସବୁକ‌ହିଲେ ହଉ ରହ, ତୁ ତଳକୁ ଆ କି ତୋହର ରଙ୍ଗ ବୁଝାଯିବ । ନେଉଳ ସବୁ ଗଛକ‌ଯାକ ଆମ୍ବ ଖାଇଲା, ୟାଙ୍କୁ ଆଉ ଦେଲା ନାହିଁ କି ତଳକୁ ଆସିଲା ନାହିଁ । ଏମାନେ ଠିଆ ହୋଇଥାନ୍ତି, ନେଉଳ ତଳକୁ ଆସିଲେ ତାକୁ ମାରିବେ ବୋଲି । ନେଉଳ ଗଛରେ ବସି ୨ କେତେବେଳକେ ତଳକୁ ଆସିଲା । ଏମାନେ କଣ କଲେ ତାକୁ ଗୁଡ଼ାଏ ମାରିଲେ, ସେ ଗଛରେ ବାନ୍ଧିଦେଲେ, ଗଲେ । ନେଉଳ ଓଟାରି ଓଟାରି ହୋଇ ସେଥିରୁ ଫିଟିଲା, ତାଙ୍କରି ସାଙ୍ଗେ ୨ ବଣେ ୨ ଗଲା । ସେମାନେ ବାଟରେ ଗୋଟାଏ ତାଳଗଛ ଦେଖିଲେ, କ‌ହିଲେ ନେଉଳଭାଇକି ଛାଡ଼ି ଅଇଲେଇଁ, ଆଣି ଥାଆନ୍ତେଇଁ, କି ପାଚିଲା ତାଳ ଖାଇ ଥାନ୍ତେଇଁ । ଏହା କ‌ହିଲାକ୍ଷଣି ଲେଉଳ ସେହିପରି ବାହାରି ପଡ଼ିଲା କ‌ହିଲା ଭାଇ! ମୁଁ ଆସିଚି । ନେଉଳ ସେହିପରି ଗଛରେ ଚଢି ରସଯାକ ଖାଉଥାଏ, ମଞ୍ଜିତକ ଫୋପାଡ଼ୁଥାଏ । ସେମାନେ ସେହିପରି ଚଦିଲେ, ତଳକୁ ଆସିଲାକ୍ଷଣି ନେଉଳକୁ ଗୁଡ଼ାଏ ବାଡ଼େଇଲେ, ସେ ଗଛରେ ବାନ୍ଧିଦେଇ ଚାଲିଗଲେ । ଏହିପରି ବାଟରେ ଯୋଉଠି ଗଛ ଦେଖନ୍ତି ସେହିପରି ହୁଅନ୍ତି, ନେଉଳକୁ ଖୋଜନ୍ତି । ନେଉଳ ଯାଏ, ଫେର ନେଉଳ ସେହିପରି କଲାବେଳକୁ ଗଛରେ ତାକୁ ବାନ୍ଧି ଦିଅନ୍ତି,ଯାଅନ୍ତି । ଏହିପର ଯାଇ ୨ ଆରଦେଶ ରଜାଗାଁରେ ପ‌ହଞ୍ଚିଲେ । ରଜାଘରେ ଏ ଛ ଭାଇଯାକ ରହିଲେ, ନେଉଳଟି ଗୋଟିଏ ରାଣ୍ତି ବ୍ରାହ୍ମଣୀ ଘରେ ରହିଲା । ରାଣ୍ତୀ ବ୍ରାହ୍ମଣୀର କେହି ନ ଥାନ୍ତି, ଖାଲି ଦିଇ ବର୍ଷର ପୁଅଟିଏ ଥାଏ । ନେଉଳ କହିଲା ମାଉସି, ମୁଁ ତୋ ଘରେ ଚାକରି ରହନ୍ତି ? ରାଣ୍ତୀ ବ୍ରାହ୍ମଣୀ କ‌ହିଲା ତୁ ଗୋଟାଏ କଣ ଚାକରି କରିବୁ ? ନେଉଳ କ‌ହିଲା, ମୁଁ ତୋର ସବୁ କାମ କରିବି, ତୁ ମତେ ରଖ । ରାଣ୍ତୀ ବ୍ରାହ୍ମଣୀ କ‌ହିଲା ହଉ ତେବେ ରହ । ନେଉଳ ରହିଲା, ସବୁ କାମ କରୁଥାଏ, ସେ ପୁଅକୁ ଯେତେବେଳେ ହଗେଇ ନିଏ, ଏ ତେତେବେଳେ କଣ କରେ ପୁଅ ଗାଣ୍ଡିକି କାମୁଡିଦିଏ ଯେ ପୁଅ କାନ୍ଦେ । କାନ୍ଦେ ଯୋଉଠୁ ନେଉଳଭାଇ କ‌ହେ କାହିଁକି କାନ୍ଦୁଚୁ ? ପୁଅ କହେ ତୁ ମତେ କାମୁଡ଼ୁଚୁ । ନେଉଳଭାଇ କହେ ମୁଁ ତ‌ତେ ଆଉ କାମୁଡ଼ିବି ନାହିଁ, ତୁ କହେ ମତେ, ତୋ ମା କେଉଁଠି ଟଙ୍କା ରଖିଚି । ପୁଅ କ‌ହିଲା ଚୁଲୀମୁଣ୍ଡେ ପୋତିଚି । ନେଉଳଭାଇ କଣ କରେ ରାତିରେ ତାକୁ ଖୋଳେ, ସେ ଟଙ୍କାତକ ନିଏ । ରାଣ୍ଡୀ ବ୍ରାହ୍ମଣୀର ଗୋଟିଏ ବୁଢ଼ି ମେଣ୍ଢା ଥାଏ ଯେ ତାକୁ ଗିଳାଉଥାଏ, କାଳେ ହଗି ପକେଇବ ବୋଲି ଗାଣ୍ଡିରେ ଖଣ୍ତେ ଶୋଲ ମାରି ଦେଇଥାଏ । ସେହିପରି ସବୁଦିନେ କରେ । ରାଣ୍ଡୀ ବ୍ରାହ୍ମଣୀର ଯେତେ ଟଙ୍କା ଥିଲା, ସବୁ ତା ପୁଅକୁ ପଚାରି ଖୋଳି ସେ ମେଣ୍ଢାକୁ ଗିଳାଇ ଥାଏ । ଯେଉଁଦିନ ସେ ଛ ଭାଇ ଘରକୁ ବାହାରିଲେ, ଏ କ‌ହିଲା, ମାଉସି । ମୁଁ ଯାଉଚି ଘରକୁ, ରାଣ୍ତୀବ୍ରାହ୍ମଣୀ କ‌ହିଲା, ତୁ ଏତେଦିନ ଥିଲୁ ମୋ ଘରେ, କଣ ନେବୁ କହ । ନେଉଳ ଭାଇ କହିଲା ମୁଁ କିଛି ନେବି ନାହିଁ, ମତେ ଏ ବୁଢ଼ୀ ମେଣ୍ଢାଟି ଦିଅ । ରାଣ୍ତୀ ବ୍ରାହ୍ମଣୀ କହିଲା ହଉ ନେ । ନେଉଳଭାଇ ସେ ବୁଢ଼ୀ ମେଣ୍ଢା ଉପରେ ବସିଲା, ଗଲା । ଏ ଛ ଭାଇ ଯାଉଥାନ୍ତି ଘୋଡ଼ାରେ ଚଢ଼ି, ନେଉଳ ଯାଉଥାଏ ମେଣ୍ଢାରେ ଚଢ଼ି । ଏ ଛ ଭାଇ କହିଲେ କି ରେ ନେଉଳ ଭାଇ ! ଆସିଲୁ କି ? କଣ ଆଣିଚୁ ? ନେଉଳ କ‌ହିଲା ମୁଁ ଏହି ବୁଢ଼ୀ ମେଣ୍ଢାଟି ନେଉଁଚି, ତମେ ସବୁ କଣ ଆଣିଲ ? ଏମାନେ କହିଲେ ଆମେ କିଛି ଆଣିନାହୁଁ । ଏ ଛ ଭାଇ ଘରେ ଆଗରେ ପହଞ୍ଚିଲେ, ନେଉଳର ମା କ‌ହିଲା ମୋ ନେଉଳକୁ ଦେଖିଚ ? ଏ ସବୁ ବାଦରେ କହିଲେ, ନାହିଁ ଆମେ ଦେଖି ନାହୁଁ । ଏ ସବୁ ଘରେ ଖାଇପିଇ ଶୋଇଛନ୍ତି, ନେଉଳ ଆସି ପ‌ହଞ୍ଚିଲା, ଡ଼ାକିଲା ମାଲୋ । କବାଟ ଫିଟା । ମା ଧଡ଼ପଡ଼କରି କବାଟ ଫିଟାଇ ଦେଲା, ଏ ବୁଢ଼ୀ ମେଣ୍ଢାଟି ନେଇ ଘରେ ପଶିଲା, ମାକୁ କ‌ହିଲା କୁଲାଟାଏ ଆଣିବୁଟି । ଏ କୁଲାଟାଏ ଆଣିଲା । ନେଉଳଭାଇ କଣକଲା ମେଣ୍ଢା ଗାଣ୍ଡିରୁ ଶୋଲ ଖଣ୍ଡ ଫିଟାଇ ଦେଲା; ମେଣ୍ଢା ସବୁ ଟଙ୍କାତକ ଗାଳି ପକାଇଲା । ନେଉଳ ଭାଇ ଗୋଟିଏ ଟଙ୍କା ସେ ମେଣ୍ଢାକୁ ଫେର୍ ଗିଳାଇ ଦେଲା, ଆଉ ଟଙ୍କା ସବୁ ମାକୁ ଦେଲା, କହିଲା ମାଲୋ ମା, ନେ, ୟାକୁ ଗାଡ଼ିଆରେ ଧୋଇଆଣି ରଖି ଦେ । ଏ ଧୋଇଧାଇ ରଖି ଦେଲା, ସକାଳୁ ସେ ଛଭାଇଯାକ କ‌ହିଲେ, ହଇରେ ନେଉଳଭାଇ ! ତୁ ଏତେଟଙ୍କା କେଉଠୁଁ ଆଣିଲୁ ? ନେଉଳ କ‌ହିଲା ମୋ ବୁଢ଼ୀ ମେଣ୍ଢା ହଗିଲା । ଏ କ‌ହିଲେ ହେ, ଆମକୁ ସେ ମେଣ୍ଢାଟିକି ଦିଅନ୍ତୁ ଟଙ୍କା ନିଅନ୍ତୁ, ନେଉଳଭାଇ କହିଲା, ହଉ ନିଅ, ମତେ ଟଙ୍କା ଦିଅ, ନେଉଳଭାଇ ଟଙ୍କା ଆଣିଲା, ତାଙ୍କୁ ମେଣ୍ଢାଟିକି ଦେଲା । ଏ ନେଇ ସେ ମେଣ୍ଢାକୁ ବାଡ଼େଇଲେ, ବାଡ଼େଇ ୨ ମେଣ୍ଢା ଗୋଟିଏ ଟଙ୍କା ହଗିଲା, ଆଉ ହଗିଲା ନାହିଁ, ମରିଗଲା । ଏ ଛଭାଇ କ‌ହିଲେ ରହ ରହ ନେଉଳ ଭାଇ ! ତୋ ଘର ଯେବେ ଆମ ପୋଡି ନାହୁଁ, ତୁ ଆମକୁ ଠକି ଦେଲୁ । ନେଉଳଭାଇ ତ ଶୁଣିଥାଏ ଏ ଘର ପୋଡ଼ିଦେବେ ବୋଲି ସବୁ ଜିନିସତକ କୂଅରେ ପକାଇଦେଲା । ତୁନିହୋଇ ମା ପୁଅ ଦିହେଁ ଲୁଚିକରି ଏଆଡ଼େ ରହିଲେ । ଏ ଛ ଭାଇ କଣ କଲେ ତା ଘରେ ନିଆଁ ଲଗାଇଦେଲେ । ନେଉଳଭାଇ କଣ କରିବ ଲିଭେଇତ ପାରିବ ନାହିଁ, ଘର ପୋଡ଼ି ଯେଉଠୁ ଛାଡ଼ି ପଡ଼ିଲା ନିଆଁରେ ପାଣି ପକାଇ ଲିଭାଇଲା । ଅଙ୍ଗାରତକ ବାଛିଲା, ବଳଦିଆ ବସ୍ତାଟାଏ ଆଣିଲା, ତାକୁସବୁ ତହିଁରେ ପୂରାଇଲା, ବଳଦଉପରେ ନଦିଲା, ନେଇ କରି ଗଲା ବିକିବାକୁ । ଯାଉଚି, ତେଣୁ ବଳଦିଆ ସାତୁଟା ଆସୁଛନ୍ତି ସର୍କାର ଖଜଣାଟଙ୍କା ଘେନି । ନେଉଳଭାଇକି କହିଲେ, କିରେ କିରେ କଣ ନେଉଚୁ କି? ନେଉଳ କହିଲା ତମେ କଣ ନେଉଚ ? ଏ ସବୁ କହିଲେ ଆମେ ଟଙ୍କା ବଳଦ ନେଉଚୁ । ନେଉଳ ଭାଇ ମିଛରେ କହିଲା ମୁଁ ସେହି ଟଙ୍କାବଳଦ ନେଉଚି । ନେଉଳ କହିଲା ତମେ କୋଉଠିକି ଯାଉଚ? ଏ ସବୁ କହିଲେ ଆମେ ସର୍କାରକୁ ଯାଉଚୁ । ରାତି ହେଲା ଯୋଉଠୁ ବଳଦିଆଯାକ କହିଲେ ସମସ୍ତେତ ଏକାଠାକୁ ଯିବା, ଏଇଠି ଏକାଠେଇଁ ସମସ୍ତେ ରହିଯିବା । ନେଉଳଭାଇ କହିଲା ହଉ ତେବେ ଭଲ ହେବ । ସମସ୍ତେ ରହିଲେ, ରୋଷେଇବାସ କଲେ, ଖାଇଲେ ପିଇଲେ ଶୋଇଲେ । ଏ ସବୁଙ୍କୁ ଯେଉଠୁ ନିଦ ଲାଗିଲା ନେଉଳଭାଇ ଉଠିଲା, ୟାଙ୍କୁ ସବୁ ଡ଼ାକେ ୨ ମାରିଦେଲା । ଏ ସବୁ କହିଲେ ଆମେ ଆଇଛିକା ଯିବୁ ନାହିଁ, ତୁ ନଇଲେ ଆଗରେ ବାହାରି ଯା । ନେଉଳ କଣ କଲା ଅଙ୍ଗାର ପଟକ ସେମାନଙ୍କର ଗୋଟାଏ ବଳଦ ଉପରେ ଲଦିଦେଲା, ଟଙ୍କା ପଟକ ତା ବଳଦଉପରେ ଲଦିଲା, ଘେନି କରି ବାହାରି ଆସିଲା । ଘରକୁ ଆସି କବାଟରେ ମାରିଲା, ମା କବାଟ ଫିଟାଇଲା, ମା ପୁଅ ଦିହେଁ ଟଙ୍କା ପଟକୁ ଧରାଧରି କରି ନେଇ ଥୋଇଦେଲେ । ନେଉଳଭାଇ ଘରେ ଶୋଇଥାଏ, ଏଣେ ଏ ବଳଦିୟାଏ ଉଠିଲେ, ପଟ ବଳଦଉପରେ ନଦିଲାବେଳକୁ ଅଙ୍ଗାରପଟ ଉଶ୍ୱାସ ଲାଗିଲା । ଏମାନେ କହିଲେ ଆରେ ଆରେ ଆମକୁ ନେଉଳ ଠକି ଦେଇ ଗଲା । ବାଡ଼େଇ କଚାଡ଼ି ହେଲେ ରହିଲେ, ଆଉ ନେଉଳକୁ ପାଇଲେ ନାହିଁ । ରାତି ପାହିଲା, ଏ ଛ ଭାଇ ଉଠିଲେ, କହିଲେ, କିରେ ନେଉଳଭାଇ! କଣ ଆଣିଲୁ ? ନେଉଳଭାଇ କ‌ହିଲା ଅଙ୍ଗାରପଟକୁ ଟଙ୍କା ପଟେ ଆଣିଲି । ଏ ଛ ଭାଇ କ‌ହିଲେ ଆମ ଘର ଆମେ ପୋଡ଼ି ଦେବା କି ଟଙ୍କା ଆଣିବା, ନେଉଳଭାଇ କ‌ହିଲା ପୋଡ଼, ମୁଁ କଣ ତମକୁ ନାହିଁ କରୁଚି? ଏମାନେ ନିଜ ଘର ସବୁ ପୋଡ଼ିଦେଲେ, ଅଙ୍ଗାର ବାଛି ଛ ପଟ ସିଲେଇ କଲେ; ବଳଦ ଉପରେ ଲଦିଲେ, ନେଇକରି ଗଲେ । ନେଉଳଭାଇକି ପଚାରିଲେ ନେଉଳଭାଇ, ତୁ କଣ ଡାକିକରି ବିକ୍ରୀ କଲୁ ? ନେଉଳଭାଇ ମିଛରେ କ‌ହିଲା, ମୁଁ କ‌ହିଲି ଅଙ୍ଗାର ପଟ କିଏ ନେବରେ, ଟଙ୍କା ପଣ କିଏ ଦେବ ରେ? ଏମାନେ ନେଇ ସେଇଆ ଡାକିଲେ । କିଏ କାହିଁକି ଅଙ୍ଗାର ଗୁଡ଼ାକ ନେବ । ଦିଅଣା ଅଣାକର କିଏ କେମନ୍ତି କିଣିଲା, ଆଉ କେହି ନେଲେ ନାହିଁ । ଏମାନେ ଚାରି ଛ ଦିନ ରହି ଫେରି ଆସିଲେ । ନେଉଳଭାଇ କୋଠା ତୋଳି ଦେଉଳ ତୋଳି ବସିଚି । ଏ ଛ ଭାଇଯାକ କ‌ହିଲେ ରହ ରହ, ଆଜି ନେଉଳଭାଇକି ପଟରେ ସିଲେଇ କରି ପାଣିକି ପକେଇଦେବା ଯେ ଏକାନଟକେ ଯିବ । ନେଉଳକୁ ଡାକ ନେଲେ, ଗୋଟାଏ ପଟ ଆଣିଲେ, କ‌ହିଲେ ଏଥିରେ ପଶିଲୁ, ଦେଖିବୁ କେତେ ଧାନ ସମେଇବ ? ନେଉଳ ପଶିଲା, ଏମାନେ କଣ କଲେ, ନେଉଳଭାଇ ଯୋଉଠୁ ପଶିଗଲା, ପଟକୁ ସିଲେଇ କରିଦେଲେ, ନଈକି ଫୋପାଡ଼ି ଦେଲେ । ସେଠାରେ ଗୋଟିଏ ଗଉଡ଼ ଗାଈ ଜଗିଥାଏ, ତାକୁ ଡାକି ନେଉଳଭାଇ କ‌ହିଲା, ହେ ମୋତେ ମୋ ଭାଇମାନେ ବିଭା କରିବାକୁ ନେଇ ଯାଉଛନ୍ତି, ମୁଁ ଅଇଛିକା ବିଭା ହେବିନାହିଁ । ତୁ ମତେ ଏଥିରୁ ବାହାର କରି ଦେ, ତୁ ପଶ ଯେ ତୁ ବିଭା ହେବୁ । ଗଉଡ଼ ଆଉ ଏତେ କଥା ଜାଣିଚି, ଗଉଡ଼ ବାହାର କରିଦେଲା ନେଉଳଭାଇକି, ସେଥିରେ ନିଜେ ପଶିଲା । ନେଉଳ କଣ କଲା ଗଉଡ଼କୁ ନଈକି ଫୋପାଡ଼ି ଦେଲା, ତାର ଗାଈ ପଳକ ଘିତିଲା, ଘରକୁ ଆସିଲା । ଏ ଛଅ ଭାଇଯାକ ଦେଖି କାବା ହୋଇଗଲେ; ପଚାରିଲେ, ହଇରେ ତୁ ଏ ଗାଈ କୋଉଠୁ ଆଣିଲୁ ? ନେଉଳଭାଇ କ‌ହିଲା, ତେମେତ ମତେ ପାଖରେ ପକେଇଦେଇ ଆସିଲ, ବ‌ହୁତ ଦୂରରେ ପକାଇ ଦେଇଥିଲେ ବେଶି ଗାଈ ଆଣିଥାନ୍ତି । ଏମାନେ କ‌ହିଲେ ହେ ନେଉଳଭାଇ । ଆମକୁ ତୁ ପଟରେ ପୂରାଇ ନଈକି ଫୋପାଡ଼ି ଦିଅନ୍ତୁ; ନେଉଳଭାଇ କ‌ହିଲା ହଉ ପଶ, ମୁଁ କଣ ମନା କରୁଚି ? ଏ ଛଅ ଭାଇ ଛ'ଟା ପଟରେ ପଶିଲେ, ନେଉଳଭାଇ ପଟମୁହ ସିଲେଇ କରିଦେଲା, ନଈରେ ଖୁବ୍ ଦୂରରେ ଫୋପାଡ଼ି ଦେଲା । ଆସି ଏ ଛ ମା ଯାକ‌ଙ୍କୁ ନେଇ ଘରେ ରଖିଲା, ବିଭା ହେଲା, ଘର ଦୁଆର କଲା ଖୁବ୍ ସୁଖରେ ରହିଲା, ମୁଁ ଗଲାରୁ କଥା ନ କ‌ହିଲା । ମୋ କଥାଟି ସରିଲା ଇତ୍ୟାଦି ।