Jump to content

କଥାଲହରୀ/ଅଜଗରସାପ କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ଅଜଗରସାପ କଥା

ଗୋଟିଏ ରଜାଟିଏ ଯେ ତାର ଦୁଇ ଭାରିଯା, ସାନ ରାଣୀର ଗୋଟିଏ ଝିଅ, ବଡ଼ରାଣୀର ଗୋଟିଏ ଝିଅ । ରଜା ସାନରାଣୀକି ବଡ଼ ଦେଖି ପାରନ୍ତି, ବଡ଼ରାଣୀକି ଜମା ଦେଖି ପାରନ୍ତି ନାହିଁ । ବଡ଼ରାଣୀକି ଗୋଟିଏ ଅଲଗା ଘର ତୋଳି ଦେଇଥାନ୍ତି, ତାକୁ ରୋଜ୍ ହାତଟେକିୟା କରି ପଡ଼ି ଦେଉଥାନ୍ତି । ତା ଝିଅକୁ ଧାନଖେତ ଜଗିବାକୁ ପଠାନ୍ତି, ବାୟା [] ଖାଇଯିବେ ବୋଲି । ଝିଅ ନିତି ଯାଏ କହେ ହୋରେ ବାୟା ହୋ । ଆର ଦେଶର ରଜା ପୁଅ ଶାପରେ [] ଅଜଗର ସାପ ହୋଇ ସେହି ବନସ୍ତରେ ଥାଏ । ରଜାଝିଅ ଯେତେବେଳେ 'ହୋରେ ବାୟା ହୋ' କହି ବାୟା ହୁରୁଡ଼ାଏ, ରଜାପୁଅ ତେତେବେଳେ ଅଜଗର ସାପ ଭିତରେ ଥାଇ କହେ, 'ମାକୁ କହ ଯା ମୁଁ ତମକୁ ବିଭା ହୋ' । ରଜାଝିଅ ସବୁଦିନ । ଏହିପରି ଶୁଣେ । ଦିନକର ବଡ଼ରାଣୀଙ୍କ ଆଗେ କହିଲା ବୋଉ, ମୁଁ ନିତି ହୋରେ ବାୟା ହୋ, ଏହା କହି ବାୟା ହୁରୁଡ଼େଇଲାବେଳକୁ ବଣଭିତରୁ କିଏ ଗୋଟାଏ କହେ 'ମାକୁ କହ ଯା ମୁଁ ତମକୁ ବିଭା ହୋ ।' ବଡ଼ ରାଣୀ ଶିଖାଇଦେଲା, ଆଜି ଯେତେବେଲେ ସେ ଏହା କହିବ, ତାକୁ କହିବୁ, 'ତମେ ଯଦି ଆମକୁ ବିଭାଁ ହୋ, କାଲି ସକାଳୁ ଆମ ଦାଣ୍ଡଦୁଆରେ ଠିଆ ହୋ ।' ଏତ ଆଉ ଜାଣେ ନା ଅଜଗର ସାପ ବୋଲି, ମା ଯେମନ୍ତି କହିଥିଲା ସେହିପରି କହିଲା ତାକୁ । ତହିଁ ଆରଦିନ ରାତି ପାଇନାହିଁ ଅଜଗର ସାପ ଆସି ଦାଣ୍ଡଦୁଆରେ ଗର୍ଜନ ଛାଡ଼ୁଛି । ସମସ୍ତେ କହିଲେ ଏ କଅଣ ଏ କଅଣ ଅଜଗର ସାପୁଟାଏ କାହିଁକି ଏମନ୍ତ ଦାଣ୍ଡରେ ଗରଜୁଛି । ବୁଝୁ ୨ ବଡ଼ରାଣୀ କହିଲା ଏମନ୍ତି ୨ ମୋ ଝିଅକୁ ବିଭା ହେବାକୁ ଆସିଛି । ସମସ୍ତେ ବଡ଼ ଦୁଃଖିତ ହେଲେ, କହିଲେ ସେଡ଼େ ସୁନ୍ଦର ଝିଅକୁ ଅଜଗର ମୁହଁରେ ଦେବ । ସାନରାଣୀ କହିଲା କହିଚିତ ବିଭା କରିବ ନାହିଁ କଣ ? ଆଉ କଣ ଅଜଗରକୁ ଫେରାଇ ଦେବ ? ରାଜାବି ସେଇଆ କହିଲେ । ବଡ଼ରାଣୀ ଆଉ ତା ଝିଅ କାନ୍ଦୁଥାନ୍ତି, ବିଭାଘରର ସବୁ ଆୟୋଜନା ହେଲା, ବେଦୀ, ତୋଳାହେଲା ସବୁଠାରୁ ସବୁ ହେଲା । ପୁରୋହିତ ଆସିଲେ, ଭଣ୍ଡାରୁଣୀ ଆସିଲା, ଅଜଗର ସାପକୁ ଧରିଆଣି ବେଦୀ ଖୁମ୍ବରେ ବାନ୍ଧିଦେଲେ, ପୁରୋହିତ ମନ୍ତ୍ର ପଢ଼ି ବିଭାଘର କରିଦେଲେ । ସବୁ ସରିଲା, ଚତୁର୍ଥୀଦିନ ରାତିରେ ମଧୁଶଯ୍ୟାଘରେ ବିଛଣା କରିଦେଲେ, ଝିଅକୁ ଖଟ ଉପରେ ଶୁଆଇଦେଲେ, ଅଜଗର ସାପକୁ ଖଟ ଗୋଡ଼ରେ ବାନ୍ଧିଦେଲେ, ଆସିଲେ ସମସ୍ତେ ଶୋଇଲେ । ନିଃଶବ୍ଦ ହେଲା ଯେଉଠୁ, ଏ ରାଜାପୁଅ ସାପ-ଖୋଳରୁ ବାହାରିଲା, ବାହାରକୁ ଗଲା । ରଜାଝିଅକୁତ ଆଉ ନିଦ ନ ଥାଏ, ରଜାପୁଅ ବାହାରିଗଲା ଯେମନ୍ତି ଖୋଳକୁ ଛାଡ଼ି, ଏ କଅଣ କଲା ଖୋଳଟିକି ନିଆଁ ଲଗାଇ ପୋଡ଼ିଦେଲା । ରଜାପୁଅ ତେଣୁ ଆସି ଦେଖେ ଯେ ଖୋଳ ପୋଡ଼ିଗଲାଣି କହିଲା କିକଲ ୨ ମୋ ଖୋଳ ପୋଡ଼ି ଦେଲ, ମୋ ଦେହ ପୋଡ଼ୁଚି । ଏ କହିଲା ସେଠାରେ ଚୁଆ ଚନ୍ଦନ ଥୁଆ ହେଇଚି ବୋଳି ହୋଇପଡ଼, ଦେହ ପୋଡ଼ିବ ନାହିଁ । ରଜାପୁଅ ଚୁଆଚନ୍ଦନରେ ଦେହ ଶୀତଳ କରି ରଜାଝିଅ ସାଙ୍ଗରେ ଖଟଉପରେ ବସିଲା, କଥାବାର୍ତ୍ତା ହେଲେ । ରଜାଝିଅ ପଚାରିଲା ତମେ କାହିଁକି ଅଜଗର ସାପ ହୋଇଥିଲ? ରଜାପୁଅ କହିଲା ଆମେ ସବୁ ପିଲା ହୋଇଥିଲୁଁ, ଦିନେ ଖେଳୁ ଖେଳୁ ଗୋଟିଏ ବୁଢ଼ୀ ସାଙ୍ଗେ ଟାପରା ଲଗାଇଲୁଁ, ସେ ମୋତେ ଶାପ ଦେଲା କି ତୁ ଅଜଗର ସାପ ହେଇ ଯା । ମୁଁ ତାକୁ ଯେତେ ନେହୁରା ହେଲି, କେଭେଁ ମୁକ୍ତ କଲାନାହିଁ, କହିଲା, ଆରଦେଶ ରଜାଝିଅ ଆସିବ ଧାନ ଜଗି, ତୁ ତାକୁ ବିଭାହେବୁ, ସେ ତୋ ଖୋଳକୁ ପୋଡ଼ିଦେଲେ ତୁ ଯାଇଁ ମୁକ୍ତ ହେବୁ । ଏହିପରି କଥାବାର୍ତ୍ତା ହେଉ ୨ ତାରି ପାହା ୨ ହେଲା, ନିଦ ଲାଗିଲା ଶୋଇପଡ଼ିଲେ ଦିନ ପ୍ରହରେ ହେଇଗଲାଣି, ଆଉ କବାଟ ଫିଟିଲା ନାହିଁ, କବାଟ ତାଡ଼ି ଫିଟାଇଲା ବେଳକୁ ୟାଙ୍କ ନିଦ ଭାଙ୍ଗି ଗଲା, ରଜାପୁଅ ଲାଜରେ ଦାଣ୍ଡକୁ ପଲାଇଲା, ଝିଅ କବାଟ କଣକୁ ଗଲା ବାହାରି । ସମସ୍ତେ କହିଲେ ଦେଖ ବଡ଼ରାଣୀ ଝିଅ ଅଜଗର ସାପ ବିଭା ହୋଇଥିଲା, ତା ଭିତରୁ କେମନ୍ତ ସୁନ୍ଦର ରଜାପୁଅ ବାହାରିଲା । ସମସ୍ତେ ଯୋଉଠୁ ଏପରି କହିଲେ ସାନରାଣୀ ଝିଅ କହିଲା ମୁଁ ଅଜଗର ସାପ ବିଭା ହେବି । ରଜା ନାହିଁ ୨ ହେଉଥାନ୍ତି, ସାନରାଣୀ କହିଲା ମୋ ଝିଅ ଅଜଗରସାପକୁ ବିଭା ହେବ ତ । ରଜା ନାଚାର ହୋଇ ହଁ ଭରିଲେ, ଗଣ୍ଡାଏ କି ପାଞ୍ଚଟା ମଣିଷ ପାହାଡ଼କୁ ଗଲେ, ଗୋଟାଏ ଅଜଗର ସାପ ଧରି ଆଣିଲେ । ସେ ଗର୍ଜନ ଛାଡ଼ୁଥାଏ ଯେ ଘରଦ୍ୱାର ଭାଙ୍ଗୁଥାଏ । ତାକୁ ବେଦୀ ଖମ୍ବରେ ବାନ୍ଧିଦେଲେ, ଲଣ୍ଡ ଭଣ୍ଡ କରି ବିଭା କରିଦେଇ ପୁରୋହିତ ଗଲେ ବାହାରି । ଗତିକି ଖଟ ଉପରେ ବିଛଣା କରି ଆଣି ଝିଅକୁ ଶୁଆଇଦେଲେ, ଅଜଗରକୁ ଖଟ ଗୋଡ଼ରେ ବାନ୍ଧିଦେଇ ଆସିଲେ । ଧାଈ ଆର ପାଖ ଘରେ ଶୋଇଥାଏ, ରାତି ଅଧ ହେଲାଣି ଅଜଗର ସେ ଖଟ ଗୋଡ଼ରୁ ବାହାରିଲା, ଖଟଉପରକୁ ଯାଇ ସାନରାଣୀ ଝିଅକୁ ଗୋଡ଼ଆଡ଼ୁ ଗିଳିଲା । ଏ ଡାକିଲା ଧାଈ ଗୋଡ଼ ଗଲା, ଧାଈ ଆରଘରୁ କହୁଥାଏ ଜୋଇଁ ଗୋଡ଼ରେ ବଳା ପାହୁଡ଼ ଲଗାଇ ଦେଉଛନ୍ତି, ପାଟି କରୁଚୁ କାହିଁକି? ଏ କହିଲା ମୋ ଅଣ୍ଟା ଗଲା, ଧାଈ କହିଲା ଚନ୍ଦ୍ରହାର ଲଗାଇ ଦେଉଛନ୍ତି ନା, ଏ କହିଲା ମୋ ହାତ ଗଲା, ଧାଇ କହିଲା ଜୋଇଁ ଚୁଡ଼ୀ ଖଡ଼ୁ ଲଗାଉଛନ୍ତି, ଏ କହିଲା ମୋ ବେଳ ଗଲା ଧାଈ କହିଲା ଜୋଇଁ ଚାପସରୀ ପିନ୍ଧାଇ ଦେଉଛନ୍ତି । ଏହିପରି ସାପ ଗୋଟିକଯାକ ଗିଳିଦେଇ ଖଟଉପରେ ଥିରି ହୋଇ ଶୋଇଲା । ରାତି ପାହିଲା, ଦିନ ଦିପହର ହେଲାଣି, ଆଉ କବାଟ ଫିଟିଲା ନାହିଁ । ସାନରାଣୀ ଖାଲି ଛଟପଟ ହେଉଥାଏ, କେମନ୍ତି ବଡ଼ରାଣୀ ପରି ଗୋଟିଏ ସୁନ୍ଦର ଜୁଆଁଇ ଦେଖିବ । ବେଳ ଗଡ଼ିଗଲା ଯୋଉଠୁ କବାଟ ଭାଙ୍ଗି ଘରେ ପଶିଲେ, ଦେଖିଲାବେଳକୁ ଝିଅ ନାହିଁ, ଅଜଗର ସାପ ପଡ଼ିଚି ଝିଅକୁ ଗିଳିଦେଇ କରି । ଯୋଉଠୁ ସମସ୍ତେ ଗଦା ହୋଇ ପଡ଼ିଲେ ଦେଖିବାକୁ ଅଜଗର ସାପ ଗୋଟାଏ ଗର୍ଜନ ଛାଡ଼ି ସମସ୍ତଙ୍କୁ ମାଡ଼ିଦେଇ ପାହାଡ଼କୁ ପଲାଇଲା । ସାନରାଣୀ କାନ୍ଦି ବୋବାଇ ରହିଲା । ବଡ଼ରାଣୀ ଝିଅଜୋଇଁ ଘେନି ସୁଖରେ ହସିଖେଳି ଘରଦୁଆର କଲା, ମୁଁ ଗଲାରୁ କଥା କହିଲା ନାହିଁ । ମୋ କଥା ସରିଲା ଇତ୍ୟାଦି ।

  1. ଏକପ୍ରକାର ଶସ୍ୟହାରୀ ପକ୍ଷୀ
  2. ଅଭିଶାପ ଦ୍ୱାରା