ପୃଷ୍ଠା:Sarala Bhashatattwa.pdf/19

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଥିବାରୁ ଓ ଏମାନଙ୍କର ସମ୍ପୂର୍ଣ୍ଣ ଶ୍ରେଣୀବିଭାଗ ସମ୍ଭବପର ନ ଥିବାରୁ ଏମାନଙ୍କୁ ଅବର୍ଗ୍ୟ ବର୍ଣ୍ଣ ବୋଲାଯାଏ । ସଂସ୍କୃତରେ ବର୍ଣ୍ଣମାନଙ୍କର ଧ୍ୱନିଗତ ଶ୍ରେଣୀବିଭାଗ ହୋଇଥିବାରୁ ଓ ସେମାନଙ୍କର ସମ୍ପର୍କ ଯଥାଯଥଭାବରେ ସୂଚିତ ହୋଇଥିବାରୁ ଏହାର ବର୍ଣ୍ଣମାଳାର ଶ୍ରେଷ୍ଠତ୍ୱ ସର୍ବଦା ସ୍ୱୀକୃତ ହୁଏ ।

କିନ୍ତୁ ଧ୍ୱନିମାନଙ୍କର ଉଚ୍ଚାରଣ ସବୁ କ୍ଷେତ୍ରରେ ସ୍ଥିର ରହେ ନାହିଁ ଓ ଏହି ସବୁ କାରଣରୁ ଭାଷାରେ ବ୍ୟବହୃତ ପଦମାନଙ୍କର ଧ୍ୱନିଗତ ବିକୃତି ଲକ୍ଷିତ ହୋଇଥାଏ । ଓଡ଼ିଆରେ ସାଧାରଣତଃ ଅଜ୍ଞ ଲୋକମାନେ 'ନ' ଓ 'ଳ', 'ଲ' 'ଳ' ଓ 'ର' ମଧ୍ୟରେ ପାର୍ଥକ୍ୟ ଉପଲବ୍ଧି କରି ପାରନ୍ତି ନାହିଁ; ଏଣୁ 'ନବୀନ' ସ୍ଥାନରେ 'ଲବୀନ' ଉଚ୍ଚାରଣ କରନ୍ତି ଓ 'ଚାଉଳ' ବଦଳରେ 'ଚାଉର' କହନ୍ତି । ଅଜ୍ଞତାନିବନ୍ଧନ ଏହି ବିକାର ବର୍ତ୍ତମାନ ଭାଷାରେ ଅନେକ କ୍ଷେତ୍ରରେ ସ୍ଥାୟୀ ରୂପ ପାଇଅଛି ଏବଂ ସଂସ୍କୃତ 'ନବନୀତ' ଶବ୍ଦ ଓଡ଼ିଆରେ 'ଲହୁଣି' ଆକାରରେ ବ୍ୟବହୃତ ହେଉଅଛି । କିନ୍ତୁ ଅପର ପକ୍ଷରେ 'ଲବଣ' 'ନୂଣ'ରେ ପର୍ଯ୍ୟବସିତ ହୋଇଅଛି ।

ଏହା ଯେ କେବଳ ଓଡ଼ିଆରେ ହୋଇଅଛି, ତାହା ନୁହେଁ; ଇଂରାଜୀରେ ମଧ୍ୟ ଆମ୍ଭେମାନେ ଯେଉଁ 'lunch' ଶବ୍ଦ ବ୍ୟବହାର କରୁଁ, ତାହା 'Noon' ସହିତ ବିଶେଷଭାବରେ ସମ୍ପୃକ୍ତ । 'ନିଲାମ' ଏହି ପୋର୍ଟୁଗିଜ ଶବ୍ଦଟି ମୂଳତଃ 'ଲିଲାମ' ରୂପରେ ବ୍ୟବହୃତ ହେଉଥିଲା ଓ ଏହାର ମୂଳରେ ଆରବ 'ଇଲମ' ଶବ୍ଦ ବିଦ୍ୟମାନ । ଅର୍ଥାତ୍ ଏସବୁ ଶବ୍ଦରେ ମଧ୍ୟ 'ଲ' ଓ 'ନ' ମଧ୍ୟରେ ପାର୍ଥକ୍ୟ ରକ୍ଷିତ ହୋଇ ନାହିଁ ।

ଚୀନଦେଶର ଲୋକମାନେ 'ର' ଉଚ୍ଚାରଣ କରି ପାରୁ ନ ଥିଲେ ବୋଲି ଇଂରାଜୀରେ ଏକ ଶବ୍ଦରୁ ଜାତ ଦୁଇ ବିଭିନ୍ନ silk ଓ serge ଶବ୍ଦର ପ୍ରଚଳନ ଦେଖାଯାଏ । ଅର୍ଥାତ୍ ଚୀନମାନଙ୍କୁ ଗ୍ରୀକ୍ ଭାଷାରେ 'Seres' ନାମ ଦିଆଯାଇଥିଲା । ଏମାନଙ୍କ ମଧ୍ୟରେ ବହୁଳ ପ୍ରଚଳିତ ରେଶମ ଲୁଗାକୁ ଲାଟିନ ଭାଷାରେ Sericum ଏହି ଆଖ୍ୟା ଦିଆଯାଇଥିଲା, ଏହି ଶବ୍ଦରୁ ଇଂରାଜୀ serge ଶବ୍ଦ ଉତ୍ପନ୍ନ ହୋଇଅଛି । ପୁଣି ଚୀନ ଦେଶବାସୀମାନେ 'ର' ଉଚ୍ଚାରଣ କରି ପାରୁ ନ ଥିବାରୁ 'serge' ଶବ୍ଦ ସେମାନଙ୍କ ମୁଖରେ ବିକୃତ ହୋଇ silk ରେ ରୂପାନ୍ତରିତ ହୋଇଅଛି ଓ ଏହି ଶବ୍ଦ ଇଂରାଜୀ, ସ୍ୱିଡିଶ ଓ ଡାନିଶ ଭାଷାମାନଙ୍କରେ ପ୍ରଚଳିତ ହୋଇଅଛି । ଇଂରାଜୀରେ serge ଓ silk ଏହି ଦୁଇଗୋଟି ଶବ୍ଦ ପ୍ରଚଳିତ ହେବାରୁ କାଳକ୍ରମେ ସେମାନଙ୍କର ଅର୍ଥରେ ପ୍ରାର୍ଥକ୍ୟ ଘଟିଅଛି । ଉଭୟ ଶବ୍ଦ ଏକ ଶବ୍ଦରୁ ଜାତ ହୋଇଥିଲେହେଁ ବର୍ତ୍ତମାନ silk ଅର୍ଥ ଯାହା, serge ର ଅର୍ଥ ତାହାଠାରୁ ସମ୍ପୂର୍ଣ୍ଣରୂପେ ଭିନ୍ନ ।