ବର୍ତ୍ତମାନ ଭାଷାରେ ଯେଉଁସବୁ ଧ୍ୱନି ବ୍ୟବହୃତ ହେଉଅଛି, ଆଦିମ ଯୁଗରୁ ଯେ ସେ ସମସ୍ତ ଧ୍ୱନି ବ୍ୟବହୃତ ହେଉଥିଲା, ତାହା ମଧ୍ୟ ନୁହେଁ । ଓଡ଼ିଆରେ 'ଲ','ଳ' ମଧ୍ୟରେ ପାର୍ଥକ୍ୟ ଲକ୍ଷିତ ହୁଏ, 'ଡ଼' ଓ 'ଢ଼' ର ବ୍ୟବହାର ଦେଖାଯାଏ । ଅନେକ ଭାଷାତତ୍ତ୍ୱବିଦଙ୍କ ମତରେ ପ୍ରାଚୀନ ସଂସ୍କୃତରେ ଏହି ଧ୍ୱନିମାନଙ୍କର ବିଭିନ୍ନତାସୂଚକ କୌଣସି ବର୍ଣ୍ଣର ବ୍ୟବହାର ନ ଥିଲା ଓ ବୌଦିକ ସଂସ୍କତର ପୂର୍ବବର୍ତ୍ତୀ କାଳରେ 'ଶ' ଓ 'ଷ'ର ବ୍ୟବହାର ମଧ୍ୟ ଭାଷାରେ ପ୍ରଚଳିତ ନ ଥିଲା, ଏହି ଧ୍ୱନିଗୁଡ଼ିକ ପରବର୍ତ୍ତୀ କାଳରେ ଦ୍ରାବିଡ଼ ଓ ଅନ୍ୟାନ୍ୟ ଭାଷାର ପ୍ରଭାବରୁ ସଂସ୍କୃତ ଭାଷାରେ ସ୍ୱୀକୃତ ହୋଇଅଛି । ଭାଷାତତ୍ତ୍ୱ ଏ ବିଷୟରେ ମଧ୍ୟ ଅନୁମାନ ଉପରେ ପ୍ରତିଷ୍ଠିତ । ଏହାର ବିଶଦ ଆଲୋଚନା ଏଠାରେ ସମ୍ଭବ ନୁହେଁ । ଧ୍ୱନିମାନଙ୍କର ବିକାର ସାଧାରଣତଃ ସ୍ୱାଧୀନଭାବରେ ସାଧିତ ନ ହୋଇ ଅନେକ ସମୟରେ ଅନ୍ୟାନ୍ୟ ଧ୍ୱନିର ଅପେକ୍ଷା ରଖୁଥିବାରୁ ଏହାର ସଂକ୍ଷିପ୍ତ ଆଲୋଚନା ଶବ୍ଦର ରୂପଗତ ବିକାର ଆଲୋଚନା ସମୟରେ କରାଯିବ ।
ଅକ୍ଷରମାନଙ୍କର ନିର୍ଦ୍ଦିଷ୍ଟ ଧ୍ୱନି ଥିଲେହେଁ ଅନେକ କ୍ଷେତ୍ରରେ ବ୍ୟବହାର ପଦ୍ଧତିଦ୍ୱାରା ସେଥିର ବିକାର ସାଧିତ ହୋଇଥାଏ । ଓଡ଼ିଆରେ କ୍ଷ ଓ ହ୍ୟ ଏଥିର ପ୍ରକୃଷ୍ଟ ଉଦାହରଣ । ଦକ୍ଷିଣ ପ୍ରଦେଶରେ 'କ୍ଷ' କୁ 'କ୍ଷ' ରୂପେ ଉଚ୍ଚାରଣ କରାଯାଉଥଲେ ମଧ୍ୟ ଓଡ଼ିଆରେ ଏହାର ଧ୍ୱନି 'ଖ୍ୟ' ଓ 'ହ୍ୟ'ର ଧ୍ୱନି 'ଝ୍ୟ' । ଏହିପରି ଆମ୍ଭେମାନେ 'ଉଦ୍ୟୋଗ'କୁ 'ଉଯ୍ଯୋଗ' ଉଚ୍ଚାରଣ କରିଥାଉଁ, 'ଉତ୍ସବ'କୁ 'ଉଚ୍ଛବ'ରେ ପରିଣତ କରିଥାଉଁ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ଏପ୍ରକାର ଉଚ୍ଚାରଣ ଏତେ ପରିଚିତ ଯେ, ଲିଖିତ ବର୍ଣ୍ଣ ଓ ଉଚ୍ଚାରିତ ଧ୍ୱନି ମଧ୍ୟରେ ନାନା ପାର୍ଥକ୍ୟ ଭାଷାରେ ଅହରହ ଦୃଷ୍ଟିଗୋଚର ହୋଇଥାଏ । ଏହି ପାର୍ଥକ୍ୟ ଅନୁସରଣ କରି ଲିଖିତ ଭାଷାରେ 'ଆଜ୍ଞା' ସ୍ଥଳରେ 'ଆଗ୍ୟାଁ' ମଧ୍ୟ ଲେଖା ହୋଇଥାଏ ।
ଏହି ଉଚ୍ଚାରଣ ଗତ ଭ୍ରାନ୍ତି ଯେ କେବଳ ଆଧୂନିକ ଅଜ୍ଞତା ବା ଆଳସ୍ୟର ଫଳ ତାହା ନୁହେଁ, ପ୍ରାଚୀନ ସଂସ୍କୃତରେ ମଧ୍ୟ ଏହାର ଉଦାହରଣ ଦେଖାଯାଇଥାଏ । ଏହି କାରଣରୁ 'ଦ୍ୟୁତି' ଶବ୍ଦର ବିକୃତ ରୂପ 'ଜ୍ୟୁତି' ଶବ୍ଦ ବେଦରେ ବ୍ୟବହୃତ ଅର୍ଥାତ୍ ବୈଦିକ ଯୁଗରେ ମଧ୍ୟ 'ଦ୍ୟ' କୁ 'ଜ୍ୟ' ରୂପରେ ଉଚ୍ଚାରଣ କରିବାର ରୀତି ପ୍ରଚଳିତ ହୋଇଥିଲା ।
କେତେକ ବର୍ଣ୍ଣର ଉଚ୍ଚାରଣ ସହଜ, କେତେକର ଉଚ୍ଚାରଣ ଅପେକ୍ଷାକୃତ କଷ୍ଟକର ଓ ଅଧିକ ପ୍ରୟାସସାପେକ୍ଷ, ପୁଣି କେତେଗୁଡ଼ିଏ ବର୍ଣ୍ଣର ଉଚ୍ଚାରଣରୁ ପରବର୍ତ୍ତୀ ବର୍ଣ୍ଣର ଉଚ୍ଚାରଣକୁ ଗତି କରିବା ସମୟରେ ଅଧିକ ପ୍ରୟାସର