ପୃଷ୍ଠା:ସ୍ୱାମୀ ବିବେକାନନ୍ଦ ବାଣୀ ଓ ରଚନା, ଖଣ୍ଡ ୧.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୪୫ ଧର୍ମ-ସମନ୍ଵୟର ମହାସମ୍ମଳନ (୨୪ ସେପ୍ଟେମ୍ବର, ୧୮୯୩, ‘Chicago Sunday Herald’ ପତ୍ରିକାରେ ପ୍ରକାଶିତ ସ୍ଵାମୀଜୀଙ୍କର ବକ୍ତୃତାର ସଂକ୍ଷିପ୍ତ ବିବରଣୀ ) ଏହି ଧର୍ମମହାସଭାରେ ପ୍ରଦତ୍ତ ବକ୍ତୃତା ଗୁଡ଼ିକର ସାଧାରଣ ସିଦ୍ଧାନ୍ତ ହେଉଛି—ମାନବ – ଭ୍ରାତୃତ୍ଵ ହିଁ ଆମର ବହୁ ଆକାଙକ୍ଷିତ ଉଦ୍ଦେଶ୍ୟ । ଏହି ଭ୍ରାତୃତ୍ଵ ଗୋଟିଏ ସ୍ଵାଭାବିକ ଅବସ୍ଥା, କାରଣ ଆମେ ସମସ୍ତେ ଈଶ୍ବରଙ୍କର ସନ୍ତାନ । ଏହି ବିଷୟରେ ଆହୁରି ଅନେକ କଥା କୁହା ହୋଇଛି । ଏପରି ଅନେକ ସମ୍ପ୍ରଦାୟ ଅଛନ୍ତି, ଯେଉଁମାନେ ଈଶ୍ବରଙ୍କର ଅସ୍ତିତ୍ବକୁ ଅର୍ଥାତ୍ ବ୍ୟକ୍ତି – ସ୍ଵରୂପ ଈଶ୍ଵରଙ୍କୁ ସ୍ଵୀକାର କରନ୍ତି ନାହିଁ । ଯଦି ଆମେ ଏହି ସମ୍ପ୍ରଦାୟଗୁଡ଼ିକୁ ଉପେକ୍ଷା କରି ଅଲଗା ରଖୁବାକୁ ଚାହୁଁ, ତେବେ ଆମମାନଙ୍କର ସାର୍ବଜନୀନ ଭ୍ରାତୃତ୍ଵ କେବେହେଲେ ସମ୍ଭବ ହେବ ନାହିଁ । ତେଣୁ ସମଗ୍ର ମାନବଜାତିକୁ ସମ୍ମିଳିତ କରିବା ପାଇଁ ଆତ୍ମା ସହିତ ଆତ୍ମାର ମିଳନଭୂମିକୁ ଆହୁରି ପ୍ରଶସ୍ତ କରିବାକୁ ହେବ । ଏହି ଧର୍ମମହାସଭାରେ ଏହା ମଧ୍ୟ କୁହାଯାଇଛି ଯେ, ମାନବ ଜାତିର କଲ୍ୟାଣ ସାଧନା କରିବା ହିଁ ଆମର କର୍ତ୍ତବ୍ୟ, କାରଣ ପ୍ରତ୍ୟେକ ଅସତ୍ ଓ ହୀନ କାର୍ଯ୍ୟର ପ୍ରତିକ୍ରିୟା ଅଛି । ମୋ ମତରେ, ଆମେ ପ୍ରଥମେ, ତା’ପରେ ଆମ ଭାଇମାନେ ଏହା ହିଁ ହେଉଛି ବ୍ୟବସାୟୀ ମନୋଭାବ । ମୁଁ ମନେକରେ, ଈଶ୍ବରଙ୍କ ସାର୍ବଜନୀନ ପିତୃତ୍ଵରେ ଆମେ ବିଶ୍ଵାସ କରୁ ବା ନକରୁ, ଆମ ଭାଇମାନଙ୍କୁ ଭଲ ପାଇବା ଆମର ଅବଶ୍ୟ କର୍ତ୍ତବ୍ୟ; କାରଣ ପ୍ରତ୍ୟେକ ଧର୍ମ ଓ ପ୍ରତ୍ୟେକ ମତବାଦ ମନୁଷ୍ୟର ଦିବ୍ୟଭାବ ସ୍ବୀକାର କରେ । ତେଣୁ କାହାରି ହେଲେ ଅନିଷ୍ଟ କର ନାହିଁ, କାରଣ ଏହା ଦ୍ବାରା ତାହାର ଅନ୍ତରସ୍ଥ ଦିବ୍ୟ ଭାବକୁ କ୍ଷୁଣ୍ଣ କରାହେବ । ଭଗବତ୍ ପ୍ରେମ (୨୫ ସେପ୍ଟେମ୍ବର, ୧୮୯୩, ‘Chicago Herald’ ପତ୍ରିକାରେ ପ୍ରକାଶିତ ସ୍ଵାମୀଜୀଙ୍କ ଗୋଟିଏ ବକ୍ତୃତାର ସଂକ୍ଷିପ୍ତ ବିବରଣୀ) ଲାଫ୍‌ଲିନ୍‌ ଓ ମନ୍‌ରୋ ଷ୍ଟ୍ରୀରେ ତୃତୀୟ ଇଉନିଟାରିୟାନ୍ ଚର୍ଚ୍ଚର ବକ୍ତୃତା ଗୃହରେ ସମବେତ ଶ୍ରୋତୃମଣ୍ଡଳୀ ଗତ କାଲି ସକାଳେ ସ୍ଵାମୀ ବିବେକାନନ୍ଦଙ୍କ ବକ୍ତୃତା ଶ୍ରବଣ କରିଛନ୍ତି । ତାଙ୍କ ବକ୍ତୃତାର ବିଷୟ ଥିଲା ଭଗବତ୍ ପ୍ରେମ; ଆଲୋଚନା ବାଗ୍ନିତାପୂର୍ଣ୍ଣ ଓ ଅତି ସୁନ୍ଦର ହୋଇଥିଲା । ସେ କହିଲେ: ଈଶ୍ବର ସର୍ବତ୍ର ପୂଜିତ ହୁଅନ୍ତି, କିନ୍ତୁ ବିଭିନ୍ନ ନାମ ଓ ଉପାୟ ଦ୍ବାରା । ମହାନ୍ତି ଓ ସୁନ୍ଦର ଈଶ୍ବରଙ୍କୁ ଉପାସନା କରିବା ଆମପକ୍ଷରେ ସ୍ଵାଭାବିକ୍ ଏବଂ ଧର୍ମ ମଣିଷର ପ୍ରକୃତିଗତ । ସମସ୍ତେ ଈଶ୍ବରଙ୍କ ପ୍ରୟୋଜନୀୟତା ଅନୁଭବ କରନ୍ତି ଏବଂ ଈଶ୍ବରଙ୍କ ପ୍ରତି ପ୍ରେମ ହିଁ ମାନବକୁ ଦାନ, ଦୟା, ନ୍ୟାୟପରାୟଣତା ପ୍ରଭୃତି ସତ୍‌କାର୍ଯ୍ୟରେ ନିୟୋଜିତ କରେ । ସମସ୍ତେ ଈଶ୍ବରଙ୍କୁ