ଅବନା ରସତରଙ୍ଗ/ପ୍ରକଟ ଘନ ସମୟ ଘନ ପଟଳ ଉଦୟ
←ତୃତୀୟ ଛାନ୍ଦ: ଅଜନନ୍ଦନ ନନ୍ଦନ ଭ୍ରମଣବନ | ଅବନା ରସତରଙ୍ଗ ଲେଖକ/କବି: ଚତୁର୍ଥ ଛାନ୍ଦ: ପ୍ରକଟ ଘନ ସମୟ ଘନ ପଟଳ ଉଦୟ |
ପଞ୍ଚମ ଛାନ୍ଦ : ଜଗତ ତମସ ଘନ ଘନ ବଶ→ |
ଚତୁର୍ଥ ଛାନ୍ଦ: ପ୍ରକଟ ଘନ ସମୟ ଘନ ପଟଳ ଉଦୟ
ପ୍ରକଟ ଘନ ସମୟ, ଘନ ପଟଳ ଉଦୟ
ଧନ୍ୟ ରସଜନ୍ୟ ସ୍ଥଳ ଦରଶନର
ରତ ଷଣ୍ଢ ମତ୍ତଭର ନଟନ ଅଚଳପର,
ତପ ଅନ୍ତକ ଅନଙ୍ଗ ମଙ୍ଗଳକର
ଏ ଡର ସମ୍ଭବ ସଉଧ,
ନଗଧବ ତଳତ୍ୟକ୍ତ ଗମନ ଉର୍ଦ୍ଧ୍ୱ ।୧।
କର୍ଣ୍ଣ ଗତ ଘଟ ଘଟ, ଶରଭ ଗର୍ବ ପ୍ରକଟ
ଦନ୍ତ ରଟ ମଟ କର ଉର୍ଦ୍ଧ୍ୱ ନୟନ
ପଥ ଗତ ଜନଙ୍କର, ପ୍ରଭବ ଏମନ୍ତ ଦର,
ତର ସରସ ଭଲ୍ଳକବର ଏ ଘନ
ଏଣ ଶଶ ହୟ ଦର୍ଶନ,
କବଳ କରଇ ଧର ଚନ୍ଦ୍ର ତୃପନ ।୨।
ଜଗତ ତମ ସମୟ, ନଭ ଦରଶନ କ୍ଷୟ,
ଦରଶମତ ସକଳ ଦଣ୍ଡ ସଘନ
ଅହ ହତ ମହଭୟ ଉଦୟ ଚକ୍ର ଉଭୟ
ମହତ ରକ୍ଷକ ସତ ବନଜ ବନ
ତସ୍କର ପ୍ରକର ହରଷ,
ଉପଧବ ପରସଦ୍ମ ଗତ ରଭସ ।୩।
ତଡତ ମଧ୍ୟ ଅକ୍ଷର, ଇବନ୍ତ ଘନ ଉଦର,
ଝଟ ଝଟ ଝଟକଇ ଏସନ ମତ
ସମ୍ଭର ଅନ୍ତକ କର, ଝଡଗ ଝଲକତର,
କମ୍ପନ ସଭୟ ମନ ହନନ ବତ !
ଚମ୍ପକ ଗର୍ଭକ କବର,
ମତ ରଞ୍ଜନ ଧରଇ ନଭ ଉଦର ।୪।
ଅନନ୍ତ ପୟ ପତନ, ପର ନଗରସ୍ଥ ଜନ
ଇତସ୍ତତ ନ ସରଇ ଅନବରତ
ବନ ଧନଞ୍ଜୟ ହତ, ପ୍ରଜ୍ୱଳ ଅନ୍ତର ଗତ,
ଅନଙ୍ଗ ଦଇବ ବଳ କର୍ମ ଏମନ୍ତ
ବହଇ ପ୍ରଖର ପବନ,
ଉଡଇ ଉଦକ କଣ ଜନ୍ମ କମ୍ପନ ।୫।
ପଲବଇ ହତପକ୍ଷ ଏ ଦକ ସହସ୍ର ଅକ୍ଷ,
ବହଇ ଚଡକ ବଶ ଦହଇ ନଗ
ପ୍ରଜ୍ୱଳ ଶଲଭ ଗଣ ଲକ୍ଷକ ଅନଳ କଣ
ଭକ୍ଷ ବଶ ହତ ଚନ୍ଦ୍ରରତ ପତଙ୍ଗ
ବରଷଇ ଘନ ଉପଳ,
ଧରଷଇ ଅଧ୍ୱଗର ଦମ୍ଭ ଚପଳ ।୬।
ରଙ୍ଗ ଜଳମୟ ନଦ ଭଙ୍ଗ ଗର୍ଜନ ଭୟଦ
ଭ୍ରଷ୍ଟ ତଟ ନଗବର୍ଗ ଦରଶନର
ଧବଳ ଛଦ ସମ୍ବଳ, କରକ କମଳ ଦଳ
ଗମନ ସ୍ୱନ ଅବଳ, ସରଉଦର
ଖର୍ବ ପର୍ବତମାନଙ୍କର,
ଉପର ସ୍ଥଳ କର୍ଜ୍ୱର ବହଇ ଝର ।୭।
କର୍ଦ୍ଦମ ସର୍ବ ଅୟନ ତ୍ୟକତ ସର ଶୟନ
ହୟ ପର ଶୟବତ ଜବସ ଘନ
ଗଗନ ମଣ୍ଡକ ବକ- ପ୍ରକର ଉଚ୍ଚ ରବକ
ଅଳମକ ମକମକ ପତନ କର୍ଣ୍ଣ
କଳକଣ୍ଠ ମଉନ ସତ,
ଖଳ କଳହ-ବଶର ସଜ୍ଜନ ମତି ।୮।
ଶକ୍ରଅଗ ଚକ ନବ, ସ୍ତବକବନ୍ତ କଦମ୍ବ
ଗନ୍ଧଭର ମଙ୍ଗ ଅଷ୍ଟପଦ ବରଜ
ଧବ ଅନ୍ତକଜନ, ଅଞ୍ଜନ ଜଳ ରଞ୍ଜନ
ସକଣ୍ଟକ ଗଣ୍ଡବତ ରମ୍ୟ ସହଜ
ସମସ୍ତ ସମୟ ଦର୍ଶନ,
ପ୍ରସବଣଧର ପର ପଦ ନୟନ ।୯।
ଅମରବର ରତନ ବତ ବରନ ଯତନ
ଭରତ ଅଗ୍ରଜ ଜନ ଆରତହର
ଏମନ୍ତ ରମ୍ୟ ସଦନ, ଦର୍ଶନ କ୍ଷଣ ବଦନ
ଉପଯମ ମଦନ ବଶ ସତ୍ୱର
ଅମଳ କମଳ ଈକ୍ଷଣ,
ଅଶରଣ ଶରଣ ଅରକ୍ଷ ରକ୍ଷଣ ।୧୦।
ଖଳ ଦଇବ ବଶର କଦନ ମଦନ ଶର,
କରଇ ଅନବରତ ବଡ ଅପକ୍ଷ
ଶ୍ରବଣ ଘନ ଗର୍ଜ୍ୱନ କ୍ଷଣ ମନ ଛନ ଛନ୍ନ,
ରସ ରତନ ଆକରଚଉର ରକ୍ଷ,
ଆସଇ ଭ୍ରମର ଏମନ୍ତ,
ଖଡଗଧର ଉଟଜ ଚତ୍ୱର ଗତ ।୧୧।
ଦରଶନ ନବଘନ ବକ ପ୍ରକର ଦରଶନ
ଘନ ଘନ ଜଳକଣ ମଦ ପତନ
ଏସନ ଭ୍ରମ ସହଜ, ସୁର ଭବ ଜୟ ସଜ
ଅଞ୍ଜନ ମତ୍ତଗଜର କନ୍ଧ ମଣ୍ଡନ
ଗରଜନ ପଟହସ୍ୱନ
ସଦନ ନନ୍ଦକ ଭଟ ଯଶ କଥନ ।୧୨।
ଷଡବଦନ ସ୍ୟନ୍ଦନ ଚନ୍ଦକ ଛତ୍ରଧରଣ
ଭ୍ରମର ଡଗର ବଜ୍ର ଅସ୍ତ୍ର ଉଜ୍ଜଳ
ଚନ୍ଦ୍ରଶରର ଅଶନ ସତ ତଦ୍ଦ ତରଞ୍ଜନ
ଲକ୍ଷ ଦର ଶବଦ ଚହଳ ଗହଳ
ଏ ସ୍ତବ କଥନ ସତ୍ୱର,
ମମ ଏକଜନ ହର ଭ୍ରମ ନ କର ।୧୩।
ଜନକ ସତ୍ୟ ବତ୍ସଳ, ଗମନ ଗହନସ୍ଥଳ
ଭସ୍ମ ଚର୍ମ ଜଟଧର ନାଗ ଭବନ
ଅନଳ ତଳର ସତ, ଅର୍ଦ୍ଧ ଶଶଧରବତ
ଦଗ୍ଧ ସ୍ୱର୍ଣ୍ଣବତ ଧନ ଦତ୍ତ ବସନ
ତବ ପର ତ୍ରୟନୟନ
ଉରଗ ଅଙ୍ଗଦ ବୃଷଧ୍ୱଜ ଉଲଗ୍ନ ।୧୪।
ଚଳ ଚଳ ମନରଥ, ରଜତପ୍ରସ୍ତ ପ୍ରମଥ
ବର ସଙ୍ଗ ଅନରଥ ସମର୍ଥପଣ
ଏକସ୍ଥ ଦମ୍ଭ ନ ମନ୍ଥ, ଏ ଯଶ ପ୍ରକଟ ବ୍ୟର୍ଥ
ନ ବହ ନ ବହ ଏଣୁ ମଦ ଲକ୍ଷ୍ମଣ
ସର୍ପସମ ପର ଅପର,
ନ କର ନ କର ହତ ପଞ୍ଚମଶର ।୧୫।
ଭସ୍ମ କରଇ ଇନ୍ଧନ, ହତ ଦହନ ବହନ
ମମ ହତ ଅନ୍ତ ତବ ଏସନ ଦଣ୍ଡ
ଅନୁଭବ ଅଛଇ ତ, ଦଗଧ କଷଣ ସତ
ମହଅଯଶ ନମଣ୍ଡ ଏ ମର୍ତ୍ତ୍ୟଖଣ୍ଡ
ଖଳ ଦଣ୍ଡଇ ନତଜନ
ତବ ବଡ ଯଶ ଚକ୍ରଧର ନନ୍ଦନ ।୧୬।
ଏ ଦଶରଥ ନନ୍ଦନ, ଶରଣ ଭୟକ ଜନ
କରଇ ସ୍ତବ ଏମନ୍ତ କର ଏମନ
ତବ ଧନ ହରଣକ ପରମ ସମ୍ବର ଲକ୍ଷକ
ମମ ପର ଦଶକନ୍ଧ ଯତନ
କରଣ ରକ୍ଷଣ ଏ ଘଟ
ରସଜ୍ଞ ଜନନସହ୍ୟ ଅନ୍ତର କଷ୍ଟ ।୧୭।
ଘନ ପ୍ରବଳ ଏମନ୍ତ ଚଇତନ ଉପଗତ
ଜପନ ମଧ୍ୟର ଗତପ୍ରସଙ୍ଗ
ଏ ଜଳଦ ଗରଜନ କର ଶ୍ରବଣ କମ୍ପନ
ତର ତର ଗମନ ମଣ୍ଡଇ ଉତ୍ସଙ୍ଗ
ଶୟନର ଲବ ଅନ୍ତର
ନ କରଇ ଉରଭର ଧନ ଭୟର ।୧୮।
ଏ ଡର ବଡ ଜନନ, ରକ୍ଷ ରକ୍ଷଣ ଏଜନ
ଚନ୍ଦନ ମହ ଉରଗ ରକ୍ଷଣ ମତ
ଅଲକ ଅନ୍ତର କ୍ଷତ, ବରଷ ମଣଇ ସତ
ଏ ଜନ ନବ ପର୍ବତ ଅନ୍ତର ଗତ
କଳ ଐଳନନ୍ଦନ ସମ,
ଦଇବ ବରର କଷ୍ଟ ସକଳ ସମ ।୧୯।
ସ୍ୱଚ୍ଛ ବତ୍ସ ବପ୍ର ସ୍ଥଳ, ଖର କରଜ ଲଙ୍ଗଳ
ବଶର କର୍ଷକ କର ସହଜ ଧନ
ହରଷ ଶସ୍ୟ ସମ୍ପଦ, ବରଧନ ରସପ୍ରଦ
ରକ୍ଷଣ କର ବରଣ ମଧ୍ୟ ସତନ
ଏ ଯତ୍ନ ଭଗନ ରଭସ
କବଳର କଷ୍ଟ ଏଣ ସଫଳ ଶସ୍ୟ ।୨୦।
ଚନ୍ଦ୍ର ଉପଳ ଦ୍ରବଣ, କରଇ ଶଶମଣ୍ଡନ
ତଦବତ ମମ ଦ୍ରବଣ କରଇ ଧନ
ଏ ଅପଘନ ଇନ୍ଧନ, ସତକରଇ ଚନ୍ଦନ
ଦଗଧଇ ସ୍ମର ଜ୍ୱଳନ
ତ୍ୟକ୍ତ ନ କରଇ ବଶ ଗନ୍ଧ ସଦନ ।୨୧।
ଧନ ଶତପତ୍ର ବନ, ମକରନ୍ଦ ପୟ ମନ
ଅନ ରସ ନ ଇଚ୍ଛଇ ସନ୍ତତ ବଶ
ସତ ଛଇଳ ରତନ, ରମ୍ୟ ଅର୍ଣ୍ଣବମଜ୍ଜନ
ଉଚ୍ଚସ୍ତନ ଅମରଧର
ସଙ୍ଗ ସଙ୍ଗ ପତଙ୍ଗ କର କର ।୨୨।
ଧନର ଅଙ୍ଗ ସଙ୍ଗମ ଭଷ୍ମ ସମୟର ରମ୍ୟ
ସତ ମଳୟକ ସମ ତପତ ହର
ଜଡ ସମୟ ଜଡନ ତପନ କର ରଞ୍ଜନ
ଉଭୟ ମତ ରଞ୍ଜନ ଏ ସମୟର
ଏମନ୍ତ ରଙ୍ଗ ନ ଧରଇ
ଶମ, ଚମ, ବ୍ରହ୍ମଚର୍ଯ୍ୟ ଦମ୍ଭ ହରଇ ।୨୩।
ଅଙ୍କଗନ୍ଧ ଚହଟଇ, ପଦ୍ମଗରବ ସରଇ
ଗନ୍ଧଗ୍ରହ ନ ସରଇ ଆନ ଗନ୍ଧର
ପୟର ପତନ ସ୍ଥଳ, ବସଇ ମତ ଭ୍ରସଳ
ଇଚ୍ଛଇ ଏତ କମଳଚୟ ଈଶ୍ୱର
ଏମନ୍ତ ରଞ୍ଜନ ଗମନ,
ଚଳଇ ମନମଥର ସ୍ୱର୍ଣ୍ଣସ୍ୟନ୍ଦନ ।୨୪।
ଭର ଉପର ଶୟନ, ସମୟର ମମ ଧନ
ମହାଉଜ୍ଜଳ କନକ ପଦକ ମତ
ତଡତ ମଧ୍ୟ ଅଧର, ଇବନ୍ତ ଘନ ଉଦର
ଝଟକ ବତ ଛଟକ ବହଇ ସତ!
ନଭସଦ ପଲକ ହର
ମମ ପଲକ ଅନ୍ତର ବଡ ନ କର ।୨୫।
ଧକ ରମ ସ୍ୱର୍ଣ୍ଣସର, ସ୍ୱଚ୍ଛ ଘନ ରସଭର
ସଗନ୍ଦ ଅମଳ ଶତଦଳର ସ୍ଥଳ
ରଚଇ ରସତ ସତ, ଧବଳପକ୍ଷର ମତ
କରମ ଅନ୍ତର ଗତ ମନ ଚଞ୍ଚଳ
ବହୁ ଲୟ ତପସ ମତ
ସର୍ବଦଣ୍ଡ ଏକ ଲୟ ମମ ଏ ସତ ।୨୬।
ଶର୍କର ଲକ୍ଷ ବଚନ, ଏ ପଦ ବହଇ ଧନ
ବଶ ଶ୍ରବଣ ନୟନ ସତ ଏଥର
ଏ ବଡ ଷଡରସର, ଏ ଦ୍ରବ୍ୟ ଅଶନ କର
ସନ୍ତତଜ ନ ରସଇ ଅନ୍ୟ ରସର
କରତ ମନର ଜଳଦ,
ଅଟଇ ଧନ ସକଳ ହରଷ ପ୍ରଦ ।୨୭।
ରସ ଉତ୍ତର ମନ୍ତର, କରଇ ସତ ଅନ୍ତର
ଅନ୍ତରଗତର ସ୍ମର ଉରଗ ଗର
ଉରଜ ଦ୍ୱୟ ଚନ୍ଦନ, ଗହ ହରଇ ବହନ
କ୍ଷତ ପ୍ରଚଣ୍ଡ ଜଳନ ତତପରର
ଅନ୍ତର ଏସନ ଦଣ୍ଡଇ,
ସମ ଦମ ବ୍ରହ୍ମଚର୍ଯ୍ୟ ଦମ୍ଭ ଖଣ୍ଡଇ ।୨୮।
ସ୍ମର ଜ୍ୱର ହର ରସ, ଅଟଇ ଧନର ରସ
ତଦ ଉପକରଣ କରଇ ରଚନ
ଯତନ ବସ୍ତୁର ପର ହରଇ କରଇ କର
ପତନ କରକ ଫଳ ଉନ୍ନତ ସ୍ତନ
ମମ ଅନ୍ଧ ଅବନ ଦଣ୍ଡ,
ଅନ୍ତର ଏଥି ଉପର ଅଛଇ ଦଣ୍ଡ ।୨୯।
ଏ ସମୟ ଝର, ଝର, ବରଷଣ ତର ତର
ପ୍ରବଳ ପ୍ରକଟ ଘଟ ଘଟ ଶବଦ
ପ୍ଲବଗଣ ଭକ ଭକ, ସମଦ ରବକ ବକ
ଖର ଖର ଅନ୍ତକର ପ୍ରଳୟ ପ୍ରଦ
ଲକ୍ଷଣ ରଚଇ ଯତନ
ଉପଇନ୍ଦ୍ର ଭଞ୍ଜର ଏ ରସ ରଚନ ।୩୦।