ହରିବଂଶ/ତୃତୀୟ ଖଣ୍ଡ
←ଦ୍ୱିତୀୟ ଖଣ୍ଡ | ହରିବଂଶ ଲେଖକ/କବି: ତୃତୀୟ ଖଣ୍ଡ |
ଚତୁର୍ଥ ଖଣ୍ଡ→ |
ମଙ୍ଗଳାଚରଣ
[ସମ୍ପାଦନା]ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟମୁଦୀରୟେତ୍।।
ନିଗମକଳ୍ପତରୋର୍ଗଳିତଂ ଫଳଂ
ଶୁକମୁଖାଦମୃତଦ୍ରବସଂଯୁତଂ
ପିବତଂ ଭାଗବତଂ ରସମାଳୟଂ
ମୁହୁରହୋ ରସିକା ଭୁବି ଭଶ୍ରାବୁକାଃ
ଯଂ ବ୍ରହ୍ମାବରୁଣୋନ୍ଦ୍ର ରୁଦ୍ରମରୁତସ୍ତୁନ୍ୱନ୍ତି ଦିବୈସ୍ତିବୈ-
ର୍ବେଦୈଃସାଙ୍ଗପଦକ୍ର ମୋପନିଷଦୈର୍ଗାୟନ୍ତି ଯଂ ସାମଗାଃ
ଧ୍ୟାନବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଯଂ ଯୋଗିନୋ,
ଯସ୍ୟାନ୍ତଂ ନ ବିଦୁଃ ସୁରାସୁରଗଣା ଦେବାୟ ତସ୍ମୈ ନମଃ
ଦୂତିକାଠାରୁ ପୂର୍ବ ବୃତ୍ତାନ୍ତ ଶୁଣି ଶ୍ରୀକୃଷ୍ଣଙ୍କର ରାସଲୀଳାର ଉଦ୍ୟମ
[ସମ୍ପାଦନା]ଜୟ ଜୟ ରାମକୃଷ୍ଣ ବସୁଦେବ ସୁତ
ଜୟ ହଳୀ ବନମାଳୀ ଅନାଦି ଅଚ୍ୟୁତ ।
କଂସକେଶୀ ବିମର୍ଦ୍ଦନ ଭକ୍ତଜନ ବିନ୍ଧୁ
ରାଧିକାହୃଦୟହାର କୃପାଜଳ ସିନ୍ଧୁ ।
ଶରଣ ସୋଦର ନାଥ ବାରେ ଦୟାକର
ମୋ ହୃଦରୁ ଦୂରେ ହେଉ ଅଜ୍ଞାନ ତିମିର ।
ଏଥୁ ଅନନ୍ତରେ ପୁଣି ପରୀକ୍ଷିତ ରାଜା
ଶୁକମୁନି ଚରଣରେ କଲେ ଦିବ୍ୟପୂଜା ।
ଲକ୍ଷେକ ମାଢ଼ ସୁବର୍ଣ୍ଣ ପାଦତଳେ ଥୋଇ
ଧୂପ ଦୀପ ନଇବେଦ୍ୟ ଛାମୁରେଣ ଦେଇ ।
କୃତାଞ୍ଜଳି ହୋଇ ପୁଣି ବୋଲେ କୁରୁମଣି
ଶ୍ରୀକୃଷ୍ଣର ରାସକ୍ରୀଡ଼ା ନାନାରସ ଭଣି ।
ଭୋ ମୁନି କହି ଫେଡ଼ିବା ମୋର ମନଭ୍ରାନ୍ତି
ତୁମ୍ଭ ମୁଖୁଁ ଶୁଣି ମୋର ମନ ହେବ ଶାନ୍ତି ।
ଗୁପତରେ ରାମ କୃଷ୍ଣ ଗୋପପୁରେ ରହି
ଗୋପସ୍ତିରୀମାନଙ୍କୁ ସେ କାମରୂପେ ମୋହି ।
ଏହି ଅକର୍ମ କେମନ୍ତେ କଲେ ଦେବହରି
ବାଳପୁତ୍ରରେ କେମନ୍ତେ ରମି ଗୋପନାରୀ ।
ନିଲକ୍ଷଣ ଗୋପାଳୁଣୀ ପୁଣି ହୀନ ଜାତି
ଜାଣୁ ଜାଣୁ କଲେ ପୁଣି ଏମନ୍ତ ଅନୀତି ।
ପ୍ରତ୍ୟକ୍ଷ ଜାଣନ୍ତି ରହି କୃଷ୍ଣ ଜନ୍ମଦିନ
ଦେଖୁ ଦେଖୁଁ କେମନ୍ତେ ସେ ହୋଇଲେ ଅଜ୍ଞାନ ।
ଉଠିଆରି ଅନ୍ତୁଡ଼ିରେ କାଟି ଯାର ଲାହି
ରାସରଙ୍ଗେ ଭର୍ତ୍ତା ତେଜ୍ୟା କଲେ ପୁଣି ସେହି ।
ନିଲକ୍ଷଣ ଗଉଡ଼ୁଣୀମାନେ ନୀଚ ଜାତି
କେମନ୍ତେ ରସି ପୀରତି କଲେ ଶିରୀପତି ।
ବିଡ଼ନ୍ୱନ କଥା ଏହି କହି ନ ଯୋଗାଇ
ବାଳପୁଅ ସଙ୍ଗେ ନବ ଯୁବତୀ ରସଇ ।
ଶାଶୁ ଶ୍ୱଶୁର ଦିଅର ଗୃହସ୍ଥ ଦେଖନ୍ତେ
ବନସ୍ତରେ ବୁଲୁଥାନ୍ତି ବେଶ୍ୟାଙ୍କର ମତେ ।
ବିବିଧ ବନ୍ଧରେ ପୁଣି କରାଇଲେ ରତି
ଏକା ପୁରୁଷରେ ବଶ ସମସ୍ତ ଯୁବତୀ ।
ବତିଶ ଯେ ଆଲିଙ୍ଗନ ଷୋଳକଳା ରତି
ଚଉଷଠି ବନ୍ଧ କାମଶାସ୍ତ୍ରର ଯେ ରୀତି ।
ବିଧାତା ବାଣ୍ଟିଲା ଏହା ଷୋଳଭାଗ କରି
ସ୍ତିରୀଙ୍କି ଦ୍ୱାଦଶଭାଗ ପୁରୁଷଙ୍କୁ ଚାରି ।
ଏକ ସ୍ତିରୀକି ଯେ ଏକ ପୁରୁଷ ସଂସାରେ
ଆଗହୁଁ ଧାତା ନିର୍ମାଣିଅଛି ଏ ପ୍ରକାରେ ।
ଷୋଳସହସ୍ର ଅଟନ୍ତି ବଜ୍ରପୁର ନାରୀ
କେମନ୍ତେ ବିହାର କଲେ ଏକା ଦେବହରି ।
କେ ପିଉସୀ ମାଉସୀ ଖୁଡ଼ା ଯେ ଜେଠେଈ
ଏଡ଼େ ଅନୀତି କିପାଇଁ କରିଲେ ମାଧୋଇ ।
ଗୋପାଳୁଣୀମାନେ କିପାଁ ଅଜ୍ଞାନୀ ହୋଇଲେ
ଅଲଘିଂ ତହିଁ ଲଘିଂଲେ ଲାଜ ନ ପାଇଲେ ।
କେମନ୍ତେ ଏଡ଼େକ କର୍ମ କଲେକ ଶ୍ରୀବତ୍ସି
ଏ କଥାମାନ ସନ୍ଦେହ ମୋତେ ଲାଗୁଅଛି ।
ସେ ଯେ ନାରାୟଣ ସ୍ୱାମୀ ସେହି ସିନା ଧର୍ମ
ଜାଣୁ ଜାଣୁ କିପାଁ ସେହି କଲେକ ଅକର୍ମ ।
ସେ ବା ପ୍ରଭୁପଣେ କଲେ ଏସନ ଗାରିମା
ଏହା କେମନ୍ତେ କଲେ ସେ ଗୋପପୁର ବାମା ।
ଜଗତ କରତା ସଙ୍ଗେ ଅଙ୍ଗସଙ୍ଗ କଲେ
ଏ ବଡ଼ କଥାକୁ ଲାଜ ଭୟ ନ ପାଇଲେ ।
ଏ କଥା ସଂକ୍ଷେପି ମୋତେ କହ ତପୋନିଷ୍ଠି
ଭାଗବତ ଶୁଣି ଯାଉ ମୋ ସଂଶୟ ଫିଟି ।
ରାଜା ବଚନେ ବୋଲନ୍ତି ଶୁକ ତପଚାରୀ
ସାବଧାନେ ଶୁଣ ସୋମବଂଶ ଅଧିକାରୀ ।
ପବିତ୍ର ବିଷ୍ଣୁପୁରାଣ ଗଙ୍ଗାଜଳମୟ
ଶୁଣନ୍ତେ ପାପାଧିପାପମାନ ଯିବ କ୍ଷୟ ।
ଅଷ୍ଟାଦଶ ପୁରାଣ ଯେ ନବ ବ୍ୟାକରଣ
ଆଗମ ନିଗମ ଆଦି ଅଛି ଏଥେଁ ଜାଣ ।
କାବ୍ୟ ମହାନାଟକ ଯେ ବେଦହିଁ ବେଦାଙ୍ଗ
କଉତୁକ କଲେ ହରି କାମିନୀଙ୍କ ସଙ୍ଗ ।
ନାନା ରଙ୍ଗେ କ୍ରୀଡ଼ା କଲେ ଜଗତର ନାଥ
ଝାଞ୍ଜ ମୃଦଙ୍ଗ ଯେ ବୀଣା ମର୍ଦ୍ଦଳ ସଙ୍ଗୀତ ।
ଓକଟ ଡାକି ବଜାନ୍ତି ପଖାଉଜ ଯନ୍ତ୍ରେ
ତାଳି ବଜାଇ ନାଚନ୍ତି ଗାପୀଙ୍କ ସଙ୍ଗତେ ।
ଏହି ପ୍ରକାରେ କୀର୍ତ୍ତନ କରନ୍ତି ଶ୍ରୀହରି
ଗୋପୀମାନଙ୍କ ସଙ୍ଗତେ ରାସକ୍ରୀଡ଼ା କରି ।
ପୂର୍ବେ ଯେ ଷୋଳ ସହସ୍ର ମୁନି ବାଳଖିଲ୍ୟା
ମୁକ୍ତ ହେବାର ନିମନ୍ତେ ହେଲେ ଗୋପବାଳା ।
ଅତି ରଙ୍ଗେ ଗୋବିନ୍ଦର ସଙ୍ଗେ କଲେ କେଳି
କର୍ଣ୍ଣେ ଶୁଣନ୍ତେ ଅମୃତ ରସବିନ୍ଦୁ ଗଳି ।
ସୁଜ୍ଞଜନମାନେ ଏହା ଶୁଣ ଡେରି କର୍ଣ୍ଣ
ସ୍ୱର୍ଗ ଭକ୍ତି ଯୋଗ ଯେ ଚୌରାଶୀ ସସ୍ର ଜ୍ଞାନ ।
ଲୟକଲେ ଧର୍ମବୁଦ୍ଧି କାର୍ଯ୍ୟ ସିଦ୍ଧିମାନ
ସଂକ୍ଷେପି ଶୁଣିଲେ ଏଥେ ଅଛିଟି ଏମାନ ।
ଜ୍ଞାନଶାସ୍ତ୍ର ନୀତିଶାସ୍ତ୍ର ଧର୍ମଶାସ୍ତ୍ର ତିନି
ତିନି ଶାସ୍ତ୍ରେ ଆତଯାତ ହେଉଛି ମେଦିନୀ ।
ଯେବଣ ନାମ ଗୋପୀଏ କରନ୍ତି ଯେ ଧ୍ୟାନ
ଯେଉଁ ନାମଗୋଟି କରେ ପାତକ ଦହନ ।
ସେ ହରିଙ୍କି ପଟାନ୍ତର କିସ ଦେବା କାହା
ଗୋପସ୍ତିରୀ ହରି ଘେନି କଲେ ଯାହା ଯାହା ।
ହିମ ଆଦି ଯେଉଁ ଷଡ଼ଋତୁ ସୁବିଖ୍ୟାତ
ଏ ଷଡ଼ଋତୁଙ୍କୁ ଘେନି ଷଡ଼ ବନ ସ୍ଥିତ ।
ମଧୁବନ ବୃନ୍ଦାବନ ନିକୁଞ୍ଜକାନନ
ଅମ୍ୱିକା ରୁଦ୍ର ତମାଳ ନାମେ ବିଦ୍ୟମାନ ।
ଏ ଷଡ଼ ବନରେ ଷଡ଼ଋତୁ ରହିଥାନ୍ତି
ଯେ ଯାହା ଋତୁରେ ବନେ ପଲ୍ଲବି ଉଠନ୍ତି ।
ମୃଗ ପକ୍ଷୀ ଆଦି କରି ଜୀବଜନ୍ତୁ ଯେତେ
ଯେଝାଋତୁ ପାଇ ମତ୍ତ ହୁଅନ୍ତି ସମସ୍ତେ ।
ଯେବଣ ଋତୁରେ ଯେଉଁ ପୁଷ୍ପ ପରିମଳ
ଯେବଣ ଋତୁରେ ପକ୍ୱ ହୁଏ ଯେଉଁ ଫଳ ।
ଗୋବିନ୍ଦ ଗୋପରେ ବିଜେ କରିବାର ପାଇଁ
ଆବହୁଁ ବିଧାତା ରଖି ଅଛନ୍ତି ନିର୍ଭାଇ ।
ଧନ୍ୟ ସେ କଦମ୍ୱତରୁ କାଳିନ୍ଦୀର କୂ
ପବିତ୍ର ନିର୍ମଳ ସ୍ୱାଦୁ ଯମୁନାର ଜଳ ।
ଗୋମତ ପର୍ବତଠାରୁ ଚିତ୍ରକୂଟ ଯାଏ
ଦ୍ୱାଦଶ ଯୋଜନଯାକ ସବୁ ଗୋରୁମୟେ ।
ଉତ୍ତର ଦକ୍ଷିଣ ପାଞ୍ଚ ଯୋଜନେକ ବେଢ଼ି
ଚଳନ୍ତି ଗୋପାଳେ ବନ ପରବତ ମାଡ଼ି ।
ଗୋମତ ପର୍ବତ ତଳେ ଗୋପନଗ୍ର ଶୋଭା
କୁବେରପୁର ଅଳକା ଅଟଇ କି ଅବା ।
ନବଲକ୍ଷ ଘର ତହିଁ ବସେ ଅପ୍ରମିତ
ଧନଧାନ୍ୟ ଗାଈଗୋରୁ ବିଭୂତି ବହୁତ ।
ବୃଦ୍ଧ ଯେତେକ ସମସ୍ତେ ଅଶୀବରଷିଆ
ଯୁବା ସକଳ ସୁନ୍ଦର ଚାରୁ ସଳଖିଆ ।
ପରମାନନ୍ଦ ସ୍ୱାମୀ ଅବ୍ୟକ୍ତ ନିରଞ୍ଜନ
ପ୍ରକାଶ ତୁମ୍ଭ ରୂପ ଯେ ଏ ତିନି ଭୁବନ ।
କୀଟ ପତଙ୍ଗ ଆଦି ସବୁହିଁ ଅଛି ପୂରି
ରୋମାଗ୍ରେ କୋଟି ବ୍ରହ୍ମାଣ୍ଡ ସ୍ୱାମୀ ଅଛି ଧରି ।
ଏ ଅସମ୍ଭବ କଥା କି ଆନ ବଳେ ହୁଏ
ବାଳ ବୃଦ୍ଧ ଯୁବା ଏକା ବୟସ ପରାୟେ ।
ଆପେ ପୁଣି ହରି କଲେ ଯେଉଁ ଯେଉଁ ରୀତି
ଏ ହରିବଂଶ ପୁରାଣ ଶ୍ରୀବିଷ୍ଣୁ କୀରତି ।
ସୁଜ୍ଞଜନେ ଶୁଣ ଭାଗବତ ରସବାଣୀ
ନରଦେହେ କେ କହିବ ଏହା ପରିମାଣି ।
ଏ ଯେ ହରିବଂଶ ସର୍ବଜନ ମଉଷଧି
ଯାହା ଶୁଣନ୍ତେ ଦୁର୍ଗତି ପକାଇବ ଛେଦି ।
ତପ ବ୍ରତ ଆଦି କରି ଯାଗ ଯଜ୍ଞଯାଏ
ଭକ୍ତଜନମାନେ ଏହି ରୂପ କରି ଲୟେ ।
ଅପୂର୍ବ ମୋହନରୂପ ଧରି ଗୋପୀନାଥ
କଦମ୍ୱମୂଳରେ ବିଜେ କଲେ ବେଣୁହସ୍ତ ।
ବିଚିତ୍ର ରସରେ କୃଷ୍ଣ କରି ବାଳକେଳି
ନବ ଅଙ୍ଗ ସଙ୍ଗ କଲେ ଦେବ ବନମାଳୀ ।
ଆଦ୍ୟରସ ରାସକ୍ରୀଡ଼ା କରି ଦେବସ୍ୱାମୀ
ମାୟା କରିଣ ଗୋପୀଙ୍କ ସଙ୍ଗତରେ ରମି ।
ଏଡ଼େ ବିପରୀତ ବେଣୁ ବାଇ ଦେବହରି
ଅବହେଳେ ବଶ ହେଲେ ଗୋପପୁର ନାରୀ ।
ଗାନ୍ଧାର ରାଗେ କଦମ୍ୱ ଡାଳେ ବସି ଗାଇ
ଯୁବତୀମାନେ ଶୁଣିଣ କାମେ ହେଲେ ବାଇ ।
ବଂଶୀ ଶୁଣି ସୁତବିତ୍ତ ଛାଡ଼ି ଗୋପାଙ୍ଗନା
ଭଜିଲେ ସମସ୍ତ ତେଜ୍ୟା କରି ନନ୍ଦକହ୍ନା ।
ଯେ ଯାହାର ଅନୁରୂପେ ପାଶେ ଥାନ୍ତି ଖଟି
କେ ଅବା କୋଳେ ଧରନ୍ତି ଆନନ୍ଦରେ ଲୋଟି ।
କେବଣ ଗୋପୀ କୃଷ୍ଣଙ୍କୁ ଧ୍ୟାନରେ ଚିନ୍ତନ୍ତି
କେବଣ ଗୋପୀ କୃଷଙ୍କୁ ଦେଖି ନିସ୍ତରନ୍ତି ।
କେବଣ ଗୋପୀ ଯଶୋଦା ଆଗେ ଯାଇ କହି
ଆମ୍ଭେ ଶ୍ରୀକୃଷ୍ଣର ଦାସୀ ଶୁଣ ପ୍ରାଣସହି ।
କେବଣ ଗୋପୀ ବୋଲନ୍ତି ଶୁଣ ଚାନ୍ଦମୁହିଁ
ନିତ୍ୟେ ପରିବାରୀ ହେବି କୃଷ୍ଣ ମୁଖ ଚାହିଁ ।
ନବଲକ୍ଷ ଗୃହ ଜାଣ ବସେ ଗୋପପୁରେ
ସମସ୍ତେ ଯାଇ ଦେଖନ୍ତି କୃଷ୍ଣ ଯେ ଯାହାରେ ।
ସେ କୃଷ୍ଣଚନ୍ଦ୍ରଙ୍କୁ କିସ ପଟାନ୍ତର ଦେବା
କୃଷ୍ଣପାଦକୁ କନ୍ଦର୍ପ କୋଟି ନୋହେ ଶୋଭା ।
ଯେ ନାମ ଚିନ୍ତି ପରମଆତ୍ମା ହୋଏ ତୋଷ
ସେ ଜଗମୋହନ ସ୍ୱାମୀ ରୂପରେ ଅଶେଷ ।
ଦୃଷ୍ଟ ଅସୁର ଅଛନ୍ତି ଯେତେକ ଏ ମହୀ
ତାଙ୍କୁ ନାଶିବା ନିମନ୍ତେ ସେ ମାନବଦେହୀ ।
ଏଥୁ ଅନନ୍ତରେ ପୁଣି କେତେଦିନ ଯାଏ
କୁମାର ପୂର୍ଣ୍ଣିମା ଦିନ ମାସ ଶେଷ ହୁଏ ।
ଆଶ୍ୱିନ ଶୁକଳପକ୍ଷ ଶେଷ ଚନ୍ଦ୍ରବାର
ଆଶ୍ୱିନୀନକ୍ଷତ୍ର ପୂରା ଭୋଗ ସେ ଦିନର ।
ଆଶ୍ୱିନ ମାସର ଅନ୍ତ ଶରଦ ଯେ ଋତୁ
ନିର୍ମଳ ଆକାଶ ତାରାଗଣ ଚନ୍ଦ୍ର କେତୁ ।
ପଲ୍ଲବିତ ବନ ତରୁ ଫଳ ପୁଷ୍ପ ସୃଷ୍ଟି
ଧରଣୀ ସୁନ୍ଦର ଦିଶେ ନ ହେବାରୁ ବୃଷ୍ଟି ।
ଭାଦ୍ରବ କୃଷ୍ଣ ଅଷ୍ଟମୀ ବୁଧବାର ଦିନ
ନନ୍ଦଘରେ ଜନମିଲେ ଦେବ ଭଗବାନ ।
ନନ୍ଦଗୃହେ ପ୍ରବେଶିଲେ ହଳୀ ଚକ୍ରପାଣି
ଗହନ ପଦ୍ମ ମଧ୍ୟେ କି ରାଜହଂସ ଜାଣି ।
ଶରୀର ପୁଷ୍ଟ ସୁନ୍ଦର ଦିଶେ ଦିନେ ଦିନେ
ମଧ୍ୟାହ୍ନ ଆଦିତ୍ୟ ପ୍ରାୟ ତେଜକାନ୍ତି ବର୍ଣ୍ଣେ ।
ଏଥୁ ଅନନ୍ତରେ ପୁଣ କଶ୍ୟପର ଶିଷ୍ୟ
ମେରୁର ଉହାଡ଼େ ଯାଇ ହୁଅନ୍ତେ ପ୍ରବେଶ ।
ଦିଗ ନିର୍ମଳ କୁମାର ପୂର୍ଣ୍ଣମୀର ଅନ୍ତେ
ଘରେ ଘରେ ଗୋପୀମାନେ ଥାନ୍ତି ନିତ୍ୟେ ନିତ୍ୟେ ।
ନୂଆ ବସ୍ତ୍ର ପିନ୍ଧି ଅଙ୍ଗେ ଚନ୍ଦନ ଲେପନ୍ତି
କର୍ପୂର କସ୍ତୁରୀ ଆଣି ଦେହରେ ଘଷନ୍ତି ।
କଦଳୀ ନଡ଼ିଆ ଖଣ୍ଡ ଶାକର ସଜାଡ଼ି
ବନ୍ଧୁ ସୁହୃଦଙ୍କ କରେ ଦିଅନ୍ତି ଅଜାଡ଼ି ।
ତିନି ଭୁବନ ମଣ୍ଡଳେ ବସନ୍ତି ଯେ ଜନ
କୀରତି ନିମନ୍ତେ ଯାତ୍ରା କଲେ ଉତପନ୍ନ ।
ଏମନ୍ତେ ତହିଁ ଯାତ୍ରାଏ ରଚିଲେକ ମାସେ
ଶୁଣ ପରୀକ୍ଷ କହନ୍ତି ବ୍ୟାସମୁନି ଶିଷ୍ୟେ ।
ନନ୍ଦଘର ଆନନ୍ଦ କେ ମୁଖେ କହିପାରି
ପ୍ରତ୍ୟକ୍ଷେ ଶ୍ରୀ ନାରାୟଣ ତହିଁ ଅବତରି ।
ଛଦ୍ରମେ ବାଳରୂପକୁ ଧରି ହେଲେ ଜାତ
ପରମାନନ୍ଦ ସ୍ୱାମୀ ଯେ ନିରଞ୍ଜନ ବ୍ୟକ୍ତ ।
କୀଟ ପତଙ୍ଗ ସକଳ ଦେହେ ଛନ୍ତି ପୂରି
ରୋମକେ କୋଟି ବ୍ରହ୍ମାଣ୍ଡ ସ୍ୱାମୀ ଅଛି ଧରି ।
ଗଜଦନ୍ତ ପଲଙ୍କରେ ହୀରା କମଶ୍ରେଣୀ
ନାନରତ୍ନେ ସୁଘଟଣ ଝଟକନ୍ତି ମଣି ।
ଦିବ୍ୟ ସୁପାତି ହଂସୁଲି ତୂଳୀଶେଯ ସାଜେ
ହିଙ୍ଗୁଳ ହୀରା ପଗଡ଼େ ସୁବର୍ଣ୍ଣ ବିରାଜେ ।
ରସାଣ ପାନପାତ୍ରରେ ମରକତ ଝଳି
ତଥିପରେ ମରକତ ଚନ୍ଦ୍ରାତପ ଝଳି ।
ନାନରତ୍ନର ତୋରଣ ଲମ୍ୱେ ଖମ୍ୱେ ଖମ୍ୱେ
ନାନାରତ୍ନ ମଣିମାନ ଶୋଭିତ ଆରମ୍ଭେ ।
ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ସୂଚିକମ ଶୋଭା
ଗଗନର ଆର୍ଦ୍ରାବଳୀ ଜିଣି ଜ୍ୟୋତିପ୍ରଭା ।
ଏସନକ ପଲ୍ୟଙ୍କେ ଶ୍ରୀକୃଷ୍ଣ ଛନ୍ତି ଶୋଇ
ଖଟଦୋଳି ପହୁଞ୍ଚାନ୍ତି ଗୋପୀ ଠିଆ ହୋଇ ।
କେହୁଛତ୍ର ଚାମର କେ ଧୂପ ଦୀପ ଧରି
କୁଙ୍କୁମ ହରିଦ୍ରା କରେ ଚତୁଃସମ ଭରି ।
ଧନ ବସନ ଘେନିଣ ମନ୍ଦିରେ ମିଳନ୍ତି
ଗନ୍ଧ ଚନ୍ଦନ କର୍ପୂର ଆଦରେ ସିଞ୍ଚନ୍ତି ।
ବ୍ରାହ୍ମଣ ଋଷି ଯେ ଆଦି ଚାଣ୍ଡାଳ ସହିତେ
କୁମାର କୁମାରୀ ଯେତେ ଅଛନ୍ତି ସମସ୍ତେ ।
ପୁତ୍ରକୁ ଦେଖି ପରମାନନ୍ଦ ନନ୍ଦ ହୁଏ
ଦୁଃଖୀ ଦରିଦ୍ରମାନଙ୍କୁ ବଧାଇ ସେ ଦିଏ ।
ନଟ ଭାଟ ଜଉତିଷ ଯୋଗୀ ଦେଶାନ୍ତରୀ
ବଧାଇ ଦିଅନ୍ତି ନନ୍ଦ ଏକ ଏକ କରି ।
ଗୁଣେ ବ୍ୟୟ କଲେ ଦ୍ରବ୍ୟ ସସ୍ରଗୁଣେ ପୂରି
ଏ ସମୟେ ମିଳେ ଆସି ଦୂତିକା ନାଗରୀ ।
ନାନାବର୍ଣ୍ଣର ବସନ ଦିଶେ ପରିମଳ
ନାନାଅଳଙ୍କାର ପୁଣ କର୍ଣ୍ଣରେ କୁଣ୍ଡଳ ।
ଶ୍ୟାମଳ ବରନ ତନୁ ବୟସେ ବିହ୍ଵଳ
ପାକୁଆ ମୁଖ ପାଚଲା ଲମ୍ବ କେଶବାଳ ।
ହସ୍ତେ ମୁଦି କଙ୍କଣ ଯେ ସୁବର୍ଣ୍ଣର ବାହି
ସିହାଣୀ ନାଗରୀପଣେ ଅଟେ ଗୁଣଗ୍ରାହୀ ।
ସ୍ତମ୍ଭନ ମୋହନ ବଶ୍ୟ ଉଚ୍ଚାଟନ ନାନା
ନାଗର ନାଗରୀମୂଳେ ଗୋଟିଏ ଅଙ୍ଗନା ।
ଅଷ୍ଟବର୍ଗ ଋଦ୍ଧି ସିଦ୍ଧି ଜାଣଇ ଆପଣ
ସବୁ ନରନାରୀଙ୍କର ପୀରତି ଭଜନ ।
ନବନାଟକ ବିଦ୍ୟାକୁ ପାରଇ ସେ କହି
ବ୍ୟଗ୍ରମତି ଗଜଗତି ଅଟଇ ସୁମୁହିଁ ।
ନୃତ୍ୟ ଗୀତରଙ୍ଗ ବିଦ୍ୟା ଜାଣେ ନାନାରଙ୍ଗେ
ସଙ୍ଗ ତାର ବାଳବୃଦ୍ଧ ତରୁଣଙ୍କ ସଙ୍ଗେ ।
ଗୋପପୁର ନରନାରୀ ଯଶୋଦା ବୋଲନ୍ତି
ଏମାନେ ଅଜା ଆଈ ଗୋ ତୁମ୍ଭର ଅଟନ୍ତି ।
ଢଗଢମାଳି ବୋଲନ୍ତି କୃଷ୍ଣ ଅଙ୍ଗ ସଙ୍ଗେ
ଟାହିଟାପରା କରନ୍ତି ନାଚି ନାନାରଙ୍ଗେ ।
କର୍ଣ୍ଣେ କାପ ଗୋପୀଙ୍କର ନାକେ ନାକଚଣା
କବରୀ ଭାର ଉପରେ ଚଉଁରୀ ଘଟଣା ।
ପାଦେ ଅଳତା ଝୁଣ୍ଟିଆ ବାଜେ ରୁଣଝୁଣ
ନୂପୁର ଯୋଡ଼ାକୁ ଯୋଡ଼ା ସବୁରି ଭୂଷଣ ।
କଣ୍ଠ ଆଭରଣ ପୁଣ ନାନା ରତ୍ନହାର
ନାସାକୁ ଯେ ନାକଚଣା ଦିଶଇ ସୁନ୍ଦର ।
ଗନ୍ଧଚନ୍ଦ୍ନ ଚତୁଃସମ ହୃଦୟରେ ବୋଳି
ଅତହିଁ ସୁସଞ୍ଚ ଶାଢ଼ୀ ପିନ୍ଧି ବନମାଳୀ ।
ଜଗଜ୍ଜିଣା ତରୁଣୀ ସେ କେଳିରସେ ଜିଣା
ଅନ୍ତଃପୁର ମଣ୍ଡପରେ ତାହାଙ୍କର ଠଣା ।
ଲାଗି ଅଲାଗି ଯେ ଦଣ୍ଡ ନାହିଁ ତାଙ୍କୁ କିଛି
ବିଧାତା ରଖିଛି ତହିଁ ତାଙ୍କୁ ବାଛି ବାଛି ।
ଯୋଗୀଜନଙ୍କର ଚିତ୍ତ ପାରନ୍ତି ସେ ଭାଜି
ସୁନ୍ଦରୀ ନାରୀଏ ଦେଖି ଦେଉଥାନ୍ତି ଗଞ୍ଜି ।
ରତିକଳାରେ ସେ ଷୋଳସସ୍ର ନିବାଡ଼ିଲା
ସାଧୁ ସନ୍ଥ ଦୁଷ୍ଟ ତହିଁ ସବୁଙ୍କରି ମେଳା ।
ନଟ ଭାଟ ବହୁରୂପା ତାଳ ଗୀତ ସାର
ଦୂତିକା ଜାଣଇ ଭୂତ ଭବିଷ୍ୟ ବିଚାର ।
କଥା ବେଭାରେ ସବୁରି ସଙ୍ଗେ କରେ ଗୋଷ୍ଠୀ
କାହିଁରେ ସେ ନ ଭୁଲଇ ଅଟେ ବଡ଼ ନଷ୍ଟୀ ।
ବୟସେ ବୃଦ୍ଧା ସେ ରୂପଗୁଣେ ଜଗଜ୍ଜିଣା
ଗୋପନବରେ ସବୁରି ଘରେ ତାର ଠଣା ।
ସମସ୍ତଙ୍କ ସଙ୍ଗେ ବସି ଭାଳେ ଗୁପ୍ତକଥା
ସମସ୍ତଙ୍କ ଘରେ ଦୂତୀ ଅଟଇ ଦେବତା ।
ଗୋବିନ୍ଦଙ୍କର ମଧ୍ୟସ୍ଥ ରାସଲୀଳା ପାଇଁ
ଯତନେ ବିଧାତା ତାକୁ ଅଛଇ ନିର୍ଭାଇ ।
ତାହାର ସୁନ୍ଦରପଣ କହିବାକୁ କିସ
ରୂପରେ ଦୂତିକା ମୋହିପାରେ ଦଶଦିଶ ।
ଯେତେକ ଅଛନ୍ତି ଗୋପପୁର ଗୋପାଳୁଣୀ
କେହି ଲଘିଂ ନ ପାରନ୍ତି ଦୂତିକାର ବାଣୀ ।
ରାଧିକା ମାଧବଙ୍କର ରଙ୍ଗ ରସଭାବ
ପୂର୍ବଜନ୍ମ ବାସନାରୁ ଦୂତୀ ଜାଣେ ସର୍ବ ।
କୁମାର ଉତ୍ସବ ପୁଣି ନନ୍ଦର ମନ୍ଦିରେ
ବସ୍ତ୍ର କାଞ୍ଚନ ବଧାଇ ନ୍ୟସ୍ତି ଯେ ଯାହାରେ ।
ନିରନ୍ତରେ ନନ୍ଦଘରେ ବିଳସନ୍ତି ଆଏ
ହେଳେ ଘେନୁଅଛି ଗିରି ଗୋମତର ଯାଏ ।
ବାରତା ପାଇ ଗମଇ ଦୂତୀ ଅତି ବେଗେ
ଦରହସିତ ବଦନେ ମିଳେ ନନ୍ଦ ଆଗେ ।
ବଧାଇ ମାଗି ଯଶୋଦା ଘରେ ପଶେ ବଳେ
ତୁରିତେ ପ୍ରବେଶ ଯାଇ କୃଷ୍ଣ ଖଟତଳେ ।
ଉତ୍ତାନଶାୟୀ ପହୁଡ଼ିଛନ୍ତି ଦେବହରି
ପୂର୍ଣ୍ଣମାଚନ୍ଦ୍ର ଉଦେ କି ତୁଟଇ ତିମିରି ।
ଚାରିପାଶେ ବେଢ଼ିଛନ୍ତି ପରିବାରୀ ବୃନ୍ଦ
ରତ୍ନପଲ୍ୟଙ୍କ ଉପରେ ବିଜୟ ଗୋବିନ୍ଦ ।
ଶ୍ରୀଛାମୁରେ ଯଶୋବନ୍ତୀ ଧାଈଗଣ ମେଳେ
ଖଟନ୍ତି ଦୋଳିକି ଧରି ଉଭା ଯେ ଯାହାରେ ।
ଚନ୍ଦ୍ରଙ୍କୁ ନକ୍ଷତ୍ରପନ୍ତି ଯେହ୍ନେ ବେଢ଼ିଥାନ୍ତି
କୃଷ୍ଣଙ୍କୁ ବେଢ଼ି ଗୋପିଏ ତେସନ ଦିଶନ୍ତି ।
ବିକଚ ପଦ୍ମବନେ କି ରାଜହଂସ ଲୀଳା
ତେସନ ଦିଶେ ମନ୍ଦିରେ ଯଶୋଦାର ବଳା ।
ଜାଜ୍ଜ୍ୱଲ୍ୟମାନ ଦିଶଇ ତେଜ ଅତି ସଞ୍ଚ
ନାହିଁ ପଟାନ୍ତର ସ୍ୱର୍ଗ ପାତାଳ କି ମଞ୍ଚ ।
ଯୋଗୀମାନେ ଯେ ପାଦକୁ କରିଥାନ୍ତି ଲୟେ
ସେ ସ୍ୱାମୀ ଦେହବନ୍ତରେ ହୋଇଛି ଉଦୟେ ।
ଦେବାଧିଦେବ ଉପରେ ଅଟଇ ପ୍ରଧାନ
ତହିଁ କିବା ପଟାନ୍ତର ଦେବା ଆମ୍ଭେ ଆନ ।
କୋଟି କନ୍ଦର୍ପ ନୁହଇ ଯା ପାଦକୁ ସରି
ନିରଞ୍ଜନ ନିରାକାର ନରଦେହ ଧାରୀ ।
ଧନ୍ୟ ଧନ୍ୟ ସେହି ଗୋପୀ ଗୋପାଳ ଜୀବନ
ସଦଭାବେ ଭେଟ ପାଇ ପ୍ରଭୁ ଭଗବାନ ।
ସମସ୍ତେ ଏକ ଦୃଷ୍ଟିରେ କୃଷ୍ଣଙ୍କୁ ଦେଖନ୍ତି
ଚକ୍ଷୁ ପିଛାଡ଼ିବା ଯାଏ ମୂର୍ଚ୍ଛି ନ ପାରନ୍ତି ।
ଜଗତ୍ବନ୍ଦନ ନାଥ ଯେ ସ୍ୱୟଂ ଅନ୍ତର୍ଯ୍ୟମୀ
ଛଦ୍ରମେ ବାଳକରୂପ ଧରି ଦେବସ୍ୱାମୀ ।
ଏ ଅବକାଶେ ଦର୍ଶନ କଲ ଯାଇ ଦୂତୀ
ଖଣ୍ଡେ ଦୁରୁଁ ଦେଖି ତାକୁ ଜାଣିଲେ ଶ୍ରୀପତି ।
କରପତ୍ର ଯୋଡ଼ି ଦୂତୀ ଉଭାହେଲା ଯାଇ
କୃଷ୍ଣ ତୋଷହେଲେ ସହଚରୀ ମୁଖ ଚାହିଁ ।
ଉଭୟେ ଯେ ଚାରିଚକ୍ଷୁ ହେଲେ ଭେଟାଭେଟି
ଶଶଧର ଉଦେ ଯେହ୍ନେ କୁମୁଦ ପ୍ରକଟି ।
ଶ୍ରୀକୃଷ୍ଣଙ୍କ ଦେଖି ଦୂତୀ ହରଷ ହୋଇଲା
ବୋଲେ ତୁମ୍ଭଙ୍କୁ ଦେଖି ମୋ ପାପ କ୍ଷୟଗଲା ।
ତୁମ୍ଭେ ଦେବାଧିଦେବଙ୍କ ପରେ ଅଟ ରାଜା
ବ୍ରହ୍ମା ଇନ୍ଦ୍ର ଗଙ୍ଗାଧର କରେ ପାଦପୂଜା ।
ନିରାକାର ପୁରୁଷ ତୁ ଶୂନ୍ୟ ଜ୍ୟୋତିର୍ମୟ
ଦୁଷ୍ଟ ନିବାରିବା ଅର୍ଥେ ହୋଇଛୁ ଉଦୟ ।
ରାମ ଅବତାରେ ତୁମ୍ଭେ ପାଇଅଛ କଷ୍ଟ
ଯୁବାବୟସର ବେଳେ ହୋଇ ରାଜ୍ୟଭ୍ରଷ୍ଟ ।
ରାଜାଚ୍ୟୁତ ହୋଇ ପୁଣ ବନବାସ କଲ
ପରମ ବ୍ରହ୍ମ ହୋଇଣ ତପସ୍ୱୀ ହୋଇଲ ।
ମଥାରେ ଜଟା ପାଉଁଶ ବୋଳିହୋଇ ମୁଖେ
ଏଡ଼େ ବଡ଼ ପ୍ରଭୁ ହୋଇ ରହି ଏଡ଼େ ଦୁଃଖେ ।
ନେତପତନୀ ତେଜିଣ ପିନ୍ଧିଲ ବକଳ
ଉତ୍ତମ ମଣୋହି ଛାଡ଼ି ଖାଇ କନ୍ଦମୂଳ ।
ରାଜ୍ୟ ସିଂହାସନ ଛାଡ଼ି କଲ ବନବାସ
ରୁଦ୍ରାକ୍ଷମାଳ ତୁଳସୀ ବସ୍ତ୍ର କଷାବାସ ।
ତହିଁକି ଦୁର୍ଦ୍ଦଶା ଜାଣି ଦେଲା ମୁଖଚାରି
ଦଣ୍ଡକ ଅରଣ୍ୟେ ଥିଲ ସୀତା ନେଲା ହରି ।
ରାମ ଅବତାରେ ଦଣ୍ଡେମାତ୍ର ସୁସ୍ଥ ନାହିଁ
ଘରଦ୍ୱାର ଛାଡ଼ି ଘୋର ବନସ୍ତରେ ରହି ।
ଘୋର ବିପତ୍ତିମାନ ଯେ ଦିନେ ଦିନେ ପଡ଼ି
ମାୟାମୃଗ ମାରି ତୁଚ୍ଛା ପର୍ଣ୍ଣକୁଟୀ ଛାଡ଼ି ।
ମଇତ୍ରଛଳେ ବାଳିକି ବଧିଲ ଶ୍ରୀହରି
ଜାନକୀ ଛଳେ ସବଂଶେ ରାବଣକୁ ମାରି ।
ଅଗ୍ନି ପରୀକ୍ଷା କରିଲ ତହୁଁ ବଇଦେହୀ
ତୁମ୍ଭରେ ଭୋ ନାଥ ଏତେ ଦୁଃଖ ହୁଏ ସହି ।
ବିଭୀଷଣେ ରାଜ୍ୟ ଦେଇ ଅଯୋଧ୍ୟା ଅଇଲ
ଏତେ କାର୍ଯ୍ୟ ସାରି ହରି ଅଭିଷେକ ହେଲ ।
ଥୋକେ ଦିନ ରାଜଭୋଗ କଲ ଘେନି ସତୀ
ନିର୍ଦ୍ଦଷେ ଦୋଷ ଲଗାଇ ତେଜି ସୀତାସତୀ ।
ସୁବର୍ଣ୍ଣ ପ୍ରତିମା ଗଢ଼ି ସୀତା ରୂପେ ଥୋଇ
ସନ୍ନ୍ୟାସୀବେଶ ଧଇଲ ପୁତ୍ରେ ରାଜ୍ୟ ଦେଇ ।
ସୀତା ପାତାଳକୁ ଗଲେ ଫାଟୁ ବସୁନ୍ଧରୀ
ଏ ଦେହେ ଏତେ ଅବସ୍ଥା ପାଇ ଦେବହରି ।
ରାମାବତାରେ ତୁମ୍ଭର ଦଣ୍ଡେ ସୁସ୍ଥ ନାହିଁ
ଏମନ୍ତ ଦୁଃଖ ପାଇଛ ତୁମ୍ଭେ ଭାବଗ୍ରାହୀ ।
ଏ ଉତ୍ତାରେ ପାଇଅଛ ତୁମ୍ଭେ ମହାଦୁଃଖ
ସର୍ବ ଦେବତା ତୁମ୍ଭର ନ ଚାହିଁଲେ ମୁଖ ।
ତେଣୁ ଭୋ ଦେବ ପାଇଲ ତହିଁ ବଡ଼ ଲଜ୍ଜା
ମୁହିଁ ମାଡ଼ିଣ ଶୋଇଲ ଶେଷକରି ଶଯ୍ୟା ।
ସୀତା ଆସି ଲକ୍ଷ୍ମୀରୂପେ ଚରଣ ଚାପିଲେ
ଏହିରୂପେ ତହିଁ ପୁଣ ସମୟ କାଟିଲେ ।
ପାତାଳ ବୈକୁଣ୍ଠ ପୁରେ ଅନନ୍ତ ଶଯ୍ୟାରେ
ଅଷ୍ଟାଙ୍ଗ ଯୋଗ ନିଦ୍ରାକୁ ଗଲ ନିଶ୍ଚିନ୍ତରେ ।
ଏବେ ଯେ ବିଧାତା ପୁଣି ଅଛଇ ନିର୍ଭାଇ
ଏଥିର ନିମନ୍ତେ ମୋତେ ପେଷେ ଆଗହୋଇ ।
ଷୋଳ ସହସ୍ର ନାୟକ ହେବ ଦେହବହି
ସହଚରୀ ବାକ୍ୟେ କୃଷ୍ଣ ଆନନ୍ଦିତ ହୋଇ ।
ଷଡ଼ଋତୁରେ ବିଳାସ ରଚି ନାନାରଙ୍ଗେ
ଲଭିଲ ଉତ୍ତମ ରୂପ ଗୋପାଳୁଣୀ ସଙ୍ଗେ ।
ପରମ ପୁରୁଷ ଲୀଳା ପାସୋରିଛ ତାହା
ଛାମୁରେ ମୁଁ ଜଣାଇଛି ମୋର ବଡ଼ ସ୍ପୃହା ।
ଜନ୍ମେ ଜନ୍ମେ ପରିବାରୀ ମୁଁ ତୋର ଅଟଇ
ରଙ୍ଗାଅବତାରେ ପାଦତଳେ ମୁଁ ଖଟଇ ।
ଏତେ ବୋଲି ଦୂତୀ ଦେଲେ ମସ୍ତକରେ କର
ହସିଲେ ଦୂତୀର କଥା ଶୁଣି ଚକ୍ରଧର ।
ଦୂତୀ ବୋଇଲା ଏସନ ପଉରୁଷବାଣୀ
ବିଷ୍ଣୁର ମାୟାରେ ଭ୍ରମ ଜାଣ ସର୍ବ ପ୍ରାଣୀ ।
ଘାରିଲାକ ନିଦ୍ରାବତୀ ମୋହିତ ସକଳ
ବିଷ୍ଣୁର ମାୟାରେ ଭ୍ରମ ଗୋପୀ ଯେ ଗୋପାଳ ।
ମଦନ ମୋହନ ରୂପ ଧରି ଦେବହରି
ପଲ୍ୟଙ୍କ ଉପରେ ମାୟା କଲେ ଦେହ ଧରି ।
ସୁର ସିଦ୍ଧ ମୁନିଙ୍କି ଯେ ଅଗୋଚର ତନୁ
ଦେବଗଣ ନ ପାନ୍ତି ଯେ ରୂପ ପାଦରେଣୁ ।
ଲଲାଟେ କସ୍ତୁରୀ ଚିତା ଶିରେ ଦିବ୍ୟ ଚୂଳ
ବାହୁଟି କଙ୍କଣ ବିଦ ମୁଦି ରତ୍ନମାଳ ।
ନାସା ଶ୍ରବଣେ ଖଞ୍ଜିତ ଦିବ୍ୟ ଜ୍ୟୋତିମୋତି
କି ଶୋଭା ପାଉଛି ତାଙ୍କୁ ସେ ଅପୂର୍ବ ଜ୍ୟୋତି ।
କଟୀରେ ବସନ ପାଦେ ପାଦୁକା ଶୋଭନ
ପୂର୍ଣ୍ଣମୀ ଚନ୍ଦ୍ରମା ପ୍ରାୟ ବିରାଜେ ବଦନ ।
କାମ ଅକାମ ନିଧି ସେ ବାଞ୍ଛା ଶିରୋମଣି
କୋଟି କୋଟି ବ୍ରହ୍ମାଣ୍ଡର ଅଟଇ କାରେଣି ।
ବ୍ରହ୍ମାଣ୍ଡେ ଯା ଅଗୋଚର ବିଶ୍ୱକୁଟ ମାୟା
କଳ୍ପନା କାମ ବାହନ ଖଗେଶ୍ୱର ଜାୟା ।
ଅନ୍ତର୍ଯ୍ୟାମୀ ନାରାୟଣ ଶେଷ ସର୍ବରୂପୀ
ଜଳ ସ୍ଥଳ ଅନଳେ ଯେ ସବୁଠାରେ ବ୍ୟାପୀ ।
ଗୋପୀ ଗୋପାଳେ ପାରୁଶେ ଅଛନ୍ତି ତ ରହି
ନନ୍ଦ ଯଶୋଦା ଏ ଆଦି ନ ଜାଣନ୍ତି କେହି ।
ଦୂତିକାକୁ ସୁପ୍ରସନ୍ନ ହେଲେ ଅନ୍ତର୍ଯ୍ୟାମୀ
ଅତୁଳାୟିତ ପୁରୁଷ ଗୋପୀନାଥ ସ୍ୱାମୀ ।
ସୁରଙ୍ଗ ବିମ୍ୱ ଅଧର ଭ୍ରୂଲତା କି ଧନୁ
ବିକଚ ନେତ୍ର କି ରମ୍ଭାତରୁ ବେନି ଜାନୁ ।
ଐରାବତ ହସ୍ତୀଶୁଣ୍ଢ ପ୍ରାୟ ବେନି ଭୁଜ
ଦ୍ୱିତୀୟ ସୂର୍ଯ୍ୟ ପରାୟ ବିରାଜଇ ତେଜ ।
କର୍ଣ୍ଣର ମୂଳେ କୁଣ୍ଡଳ ବିରାଜଇ ହନୁ
ଆକାଶେ ପୂର୍ବେ ପଶ୍ଚିମେ ଯେହ୍ନେ ଇନ୍ଦ୍ରଧନୁ ।
ଲାବଣ୍ୟ କୋଟିନିଧି ସେ ଜଗଜ୍ଜନ ମୋହେ
ଦେଖି ପରମ ସନ୍ତୋଷ ଦୂତୀ ମନ ହୁଏ ।
ବିନ୍ଧଇ ଯେ କାମବାଣ ଯୁବତୀଙ୍କ ଅଙ୍ଗେ
ଅମୃତ ଦୃଷ୍ଟିରେ ସ୍ୱାମୀ ଚାହାନ୍ତି ଅପାଙ୍ଗେ ।
ଦୂତିକା ବୋଇଲେ ମୁହିଁ ନିସ୍ତରିଲି ଆଜ
ଦେଖିଲି ଏ ନଟବର ରୂପ ଦେବରାଜ ।
ଏତେ ବୋଲିଣ ଦୂତିକା କରପତ୍ର ଯୋଡ଼ି
ସାଷ୍ଟାଙ୍ଗେ ଛାମୁରେ ପଡ଼େ ଆସି ଶିର ମାଡ଼ି ।
ବୋଲେ ନାରାୟଣ ତୁମ୍ଭେ ପୂର୍ବକଥା ସ୍ମର
ଗୋପନାରୀ ସଙ୍ଗେ ତୁମ୍ଭେ କଉତୁକ କର ।
ବ୍ରହ୍ମାଙ୍କର ପୁତ୍ର ଷୋଳ ସହସ୍ର ଯେ ମୁନି
ଗୁପତେ ତୁମ୍ଭ ନିମନ୍ତେ ଛନ୍ତି ରୂପ ଘେନି ।
ତୋ ପଦ୍ମହସ୍ତ ଲାଗିବ ଯାହାଙ୍କର ଅଙ୍ଗେ
ତେବେ ମୁକ୍ତ ହେବେ ବସି ବ୍ରହ୍ମଲୋକ ସଙ୍ଗେ ।
ନବରଙ୍ଗେ ବିହରିବେ ବସି ତପଧ୍ୟାନେ
ଷୋଳ ସହସ୍ର ଗୋପୀଏ ସ୍ୱାମୀ ବୃନ୍ଦାବନେ ।
ଭୋ ଦେବ ସକଳ କଥା ଜାଣନ୍ତି ଆପଣ
ଆମ୍ଭେ ପରିଚାରୀ ଅଟୁଁ ତୁମ୍ଭର ଚରଣ ।
ସ୍ୱର୍ଗଭୋଗ ବନଭୋଗ ପୁଣ୍ୟ ଥିଲେ ପାଇ
ରାଧିକା ମହାଲକ୍ଷ୍ମୀଙ୍କି ଛାଡ଼ି ନ ଯୋଗାଇ ।
ଯହିଁର ନିମନ୍ତେ ଗୋପେ ଜନମିଲ ଆସି
ରଙ୍ଗାବତାର ରୂପକୁ ଧରି ବ୍ରହ୍ମରାଶି ।
ଦିନ ଗଣୁ ଗଣୁ ତୁମ୍ଭ ଦେହ ବର୍ଦ୍ଧମାନ
ଦେଖୁ ଦେଖୁ ଆଠବର୍ଷ ସରିଯିବ ଜାଣ ।
ବିଧାତା ଜନ୍ମ ଦେଇଛି ମୋତେ ଯହିଁପାଇଁ
ତୁମ୍ଭେ ପାସୋରିଲ ମନେ ରଖିଅଛି ମୁହିଁ ।
ଦିବ୍ୟରୂପ ନ ଧରିବ ଯେବେ ଦେବରାୟେ
ପୃଥ୍ୱୀର ଭାରାଭର କି ଆନେ ହୋଏ କ୍ଷୟେ ।
ଗୋବିନ୍ଦ ବୋଇଲେ ଦୂତୀ କହିବି ମୁଁ କିସ
ଭୂତ ଭବିଷ୍ୟତ ବର୍ତ୍ତମାନ ତୋତେ ଦୃଶ୍ୟ ।
ତୁମ୍ଭେ ଆମ୍ଭର ବିଶ୍ୱସ୍ତ ପ୍ରାଣର କାରେଣି
ଆମ୍ଭର ନିମନ୍ତେ ଧାତା ଜାତ କଲା ଆଣି ।
ସବୁ ଅବତାରେ ଆମ୍ଭ ସଙ୍ଗତରେ ଥାଉ
ଆମ୍ଭ କଥା ଅଗୋଚର ତୁମ୍ଭଙ୍କୁ ବା କାହୁଁ ।
ଭଗବନ୍ତ ଦୀକ୍ଷା ସିନା ଗୋପାଙ୍ଗନା ବହି
ସତ୍ୟଯୁଗେ ଦିନେ ସ୍ତିରୀଲିଙ୍ଗ ସ୍ପର୍ଶ ନାହିଁ ।
ତ୍ରେତା ଯୁଗରୁ ତ ଆମ୍ଭେ ମୂରୁଛିଛୁ ମନେ
ଘେନିଲୁ ସନ୍ନ୍ୟାସଦୀକ୍ଷା ରହି ଘୋରବନେ ।
ଆମ୍ଭେ ଇନ୍ଦ୍ରିୟ ମୁରୁଛି ରହିଛୁ ବିକଳେ
ପାସୋରିଲା କଥା ତୁମ୍ଭେ କହିଲ ଏ ବେଳେ ।
ତୁମ୍ଭେ ଗୋ ଦୂତିକା ଅଟ ଆମ୍ଭ ପ୍ରାଣ ସରି
ତୁମ୍ଭ ଆଗରେ ମିଥ୍ୟା କି କେହି କହିପାରି ।
ତ୍ରେତା ବାରଲକ୍ଷ ଛୟାଳିଶ ସସ୍ର ବର୍ଷ
ଦ୍ୱାପର ଯେ ଆଠଲକ୍ଷ ଛୟାଣୋଇ ଶେଷ ।
ଏତେ କାଳ ପରିଯନ୍ତେ ପାସୋରିଲୁ ତାହା
ପଞ୍ଚଇନ୍ଦ୍ରିୟରେ ଭୋଗ କରିବା ଯେ ଏହା ।
ତୁମ୍ଭେ ଯେ ସ୍ମରଣ କଲ ପୂର୍ବ ଜନ୍ମ ରୀତି
ପାଇଲୁ ସନ୍ଦେଶ ଏବେ ବଳିବ ଯେ ପ୍ରୀତି ।
କହୁଁ କହୁଁ ଲାଗିଲା ତା ଅଙ୍ଗେ କାମବାଧା
ଗୋପୀମାନଙ୍କୁ ଲାଗିଲା ପୁଣ ବଡ଼ ଶ୍ରଦ୍ଧା ।
ଅନେକ କାଳରୁ ଆମ୍ଭେ ପାସୋରିଲୁ ତାହା
ସନ୍ଦେହ ଗଲା ମନରେ ବଳିଲା ଉତ୍ସାହା ।
ସର୍ବଗୁଣେ ଚତୁରୀ ତ ତୁମ୍ଭେ ଗୋ ସିହାଣୀ
ଅଘଟଣକୁ ଘଟାଇ ପାର ତୁମ୍ଭେ ଆଣି ।
ମୂଳ ମନ୍ତ୍ର ମଉଷଧି ଆଦି ସର୍ବ ବାଟ
ଉପାୟମାନ ରଚିଣ କରାଇବ ଭେଟ ।
କାମବାଣ ବାଧା ସଖି କ୍ଷଣେ ନୋହେ ସହି
ମଦନ ବାଧାରେ ସଖି କ୍ଷୀଣ ହୋଏ ଦେହୀ ।
କହୁ କହୁ ଅସାଷ୍ଟମ ପ୍ରଭୁ ନାରାୟଣ
ରୋମେ ରୋମେ ଭେଦିଗଲା କାମ ପଞ୍ଚବାଣ ।
ଦୂତିକାର ହସ୍ତ ଧରି ପ୍ରଭୁ ଦେବରାୟ
ବୋଇଲେ ଭିଆଅ ରାଧାସଙ୍ଗରେ ଉପାୟ ।
ଦୂତୀ ବୋଇଲେ ତ ତୁହି ଜଗତର ଚକ୍ଷୁ
ଆପଣେ କିସ ନ ଜାଣୁ ମୋତେ ପୁଣ ପୁଚ୍ଛୁ ।
ପ୍ରତ୍ୟକ୍ଷେ ଏ ଗୋପଗାଈଯାକ ତୁମ୍ଭ ଦେହୀ
ତୁମ୍ଭ ଆଜ୍ଞା ଭାଙ୍ଗିବାକୁ କ୍ଷମ ନୋହେ କେହି ।
ତୁମ୍ଭର ନିମନ୍ତେ ଆମ୍ଭେ ହୋଇଅଛୁ ଜାତ
ବାଞ୍ଛା ଫଳହିଁ ତାଙ୍କର ହେଲା ସମାପତ ।
ଶ୍ରୀକୃଷ୍ଣ ବୋଇଲେ ଦୂତୀ ଅପରଚ ନାରୀ
କେମନ୍ତେ କରିବ ପ୍ରୀତି ରାଧିକା ଚତୁରୀ ।
ଦୂତିକା ବୋଇଲା ଶୁଣ ସ୍ୱାମୀ ଦଇତ୍ୟାରି
ଆପଣାର କାର୍ଯ୍ୟ ସିନା ଆପେ ଆପେ କରି ।
ଏ କଥାଯାକ ଜାଣିଛ ତୁମ୍ଭେ ଯେ ଆଗହୁଁ
ଷଡ଼କାନେ ମନ୍ତ୍ରଭେଦ ହେବ କହୁଁ କହୁଁ ।
ଅଲଘିଂତ କଥା ନାଥ କହି ତ କେ ପାରି
ପରଦାର ଚୋରା ପ୍ରୀତି ଜୀବନ ବଇରୀ ।
ଆପଣାର କାର୍ଯମାନ ଆପଣେ କରିବ
ଆପେ ନ କଲେ ବିଶ୍ୱାସୀ ଜନ ବରଗିବ ।
ତୁମ୍ଭେ ତ ସର୍ବଜ୍ଞ ନାଥ ଜାଣ ସର୍ବସିଦ୍ଧି
ତୁମ୍ଭେ ସିନା ଅଟ ନାଥ ବିଧାତାର ବୁଦ୍ଧି ।
ଷୋଳସସ୍ର ଗୋପୀ ମୂଳେ ଚଉଷଠି ନାରୀ
ସମସ୍ତେ ପ୍ରାଣବଲ୍ଲଭୀ ଅଟନ୍ତି ତୋହରି ।
ଏକୁ ଏକ ରୂପବତୀ ଅଟନ୍ତି ଉଗୁଳି
ସବୁରି ପରେ ଅଧିକ ରାଧା ଚନ୍ଦ୍ରାବଳୀ ।
ତାହାଙ୍କ ପୁରକୁ ତୁମ୍ଭେ ବିଜେକର ନିଶି
ନବଯୁବତୀ ସୁନ୍ଦରୀ ଅଟେ ଶୁଭ୍ରକେଶୀ ।
ସକଳ ଗୋପୀନାରୀଏ ଛନ୍ତି ବାଟ ଚାହିଁ
ପୁରୁଷ ଜଣେ ମାତ୍ରକ ସଙ୍ଗତରେ ନାହିଁ ।
ଏତେ କହି ଦୂତିକା ଯେ ହୋଇଲେ ମଉନ
ବାହୁଡ଼ି ବାଳକ ରୂପ ଧରି ଭଗବାନ ।
ସହଚରୀ ସଙ୍ଗେ ହରି ହେଲେ ଯେତେ କଥା
ଗୋପୀ ଗୋପାଳଙ୍କୁଜଣା ନୋହେ ସେହି ବାର୍ତ୍ତା ।
ବିଶ୍ୱକୂଟ ମାୟାରେ ଯେ ସର୍ବେ ମୋହମାନ
କରାଇଅଛନ୍ତି ସ୍ୱାମୀ ଦେବ ଭଗବାନ ।
ଏମନ୍ତେ ମୋହ କରାଇ ହୃଷୀକେଶ ହସି
କେହି ନ ଜାଣନ୍ତି କୃଷ୍ଣ ଦୂତୀରସ ଭାଷି ।
ବାଳରୂପ ଧରିଛନ୍ତି ପ୍ରଭୁ ଦେବରାୟ
ଉତ୍ତାନଶାୟୀ ହୋଇଣ ପଲ୍ୟଙ୍କେ ବିଜୟ ।
ଧାଈ ପୋଇଲି ଆବର ଯେତେ ପରିବାରୀ
ବେଢ଼ି ବସିଲେ କେଶବ ଅଗ୍ରତେ ଚତୁରୀ ।
ବଧାଇ ଘେନି ଚଳଇ ଦୂତୀ ନିଜ ପୁର
ନଗ୍ର ନରନାରୀ ଗଲେ ଯେ ଯାହାର ଘର ।
ବ୍ୟାପାର ଛାଡ଼ି ଘରକୁ ଗଲେ ନନ୍ଦ ଉଠି
ଅନେକ ଧନ ରତ୍ନରେ ଲୋକ କରି ତୁଷ୍ଟି ।
ଗୁଣେ ବ୍ୟୟ କଲେ ବଢ଼େ ଦୁଇଗୁଣ ବିତ୍ତ
ଧନପତି କୁବେର ଯେ ଯାର ବଶୀଭୂତ ।
ପୁତ୍ରକୁ ଶୁଆଇ ମାତା ଘରଧନ୍ଦାକଲେ
କେବଣ ଉପାୟେ ଯିବି ମନରେ ଭାଳିଲେ ।
କ୍ଷଣକ୍ଷଣକେ ଘାରୁଛି କାମ ପଞ୍ଚବାଣ
ଅସାଷ୍ଟମ ହେଲେ ପ୍ରଭୁ ବପୁ ହେଲା କ୍ଷୀଣ ।
ଭାଙ୍ଗିଗଲା ଯୋଗନିଦ୍ରା ଲାଗୁଁ କାମବାଧା
ଉଛୁଳିଲା ଧାତୁପୁଣ ଉନ୍ମତ୍ତ ପ୍ରସିଦ୍ଧା ।
ଉଦଗମ ରୋମାବଳି ଗଳେ ଶ୍ରମଝାଳ
କ୍ରୋଟଅଗ୍ନି ପ୍ରାୟ ଚିତ୍ତ ଦହେ ଅନ୍ତରାଳ ।
ଓଷ୍ଠ କଣ୍ଠ ତାଳୁ କାହିଁ ଶୁଖି ନବନାଡ଼ୀ
ଉପରେ କି ପରବତ ପଡ଼ୁଅଛି ମାଡ଼ି ।
ନୟନରୁ ଅଶ୍ରୁ ଜଳ ପଡ଼େ ଘନ ଘନ
କର ଚରଣ ନ ଚଳେ ଆକୁଳ ଯେ ମନ ।
କାମବାଧା ଆସି ତହିଁ ହେଲା ପରାପତ
ଅନ୍ତରାଳ ହୋଇଲା ଯେ ଗୋବିନ୍ଦଙ୍କ ଚିତ୍ତ ।
ସତ୍ୟ ତ୍ରେତା ଯୁଗଠାରୁ ଏ ଦ୍ୱାପର ଯାଏ
ଯୋଗନିଦ୍ରାରେ ସନ୍ନ୍ୟାସୀ ପ୍ରଭୁ ଦେବରାୟେ ।
ପ୍ରିୟା ତ୍ୟଜ୍ୟା କଲାଠାରୁ ସ୍ତିରୀସଙ୍ଗ ନାହିଁ
ଆଣ୍ଟେ ଧାତୁକୁ ଅଛନ୍ତି ହୃଦପଦ୍ମେ ବହି ।
ସମୟେ ସୁବର୍ଣ୍ଣ ସୀତା ଘେନି ଭୋଗ କଲେ
ଲବ କୁଶେ ରାଜ୍ୟ ଦେଇ ଭଗବନ୍ତ ହେଲେ ।
ଅନନ୍ତ ଶଯ୍ୟାରେ ପ୍ରଭୁ ଶୋଇଲେକ ଯାଇ
ଯୋଗନିଦ୍ରା ଭାଙ୍ଗିଦେଲେ ବାଣୀ ବୀଣାବାଇ ।
ଯୋଗନିଦ୍ରାରେ ଅନିଦ୍ରା ପ୍ରଭୁ ଦେବରାୟେ
ପରମହଂସ ଦୀକ୍ଷାକୁ ଘେନନ୍ତି ସମୟେ ।
ଦ୍ୱାପର ଯୁଗର ଶେଷ ଭାରତ ନିମନ୍ତେ
ଗୋପପୁରେ ବିଜେ ହରି ଭକତଙ୍କ ହିତେ ।
ମାନବ ଦେହ ବହିଲେ ଭାରା ନାଶପାଇଁ
ମଦନ ବାଧାରେ ଆର୍ତ୍ତ ହୁଅନ୍ତି ମାଧୋଇ ।
ସେଥି ନିମନ୍ତେ ଗୋପରେ ଆସି ବିଳସନ୍ତି
ରଙ୍ଗାବତାରେ ଗୋପୀଏ ତାଙ୍କର ଯୁବତୀ ।
ସମୟେ ପାସୋରିଥିଲେ କାମ କ୍ରୋଧ ଖେଦ
ଆପଣେ ନିର୍ମାଣ କରିଛନ୍ତି ନାନା ଭେଦ ।
ମହାଯୋଗ ଶରୀରେ ତା ଥିଲେକ ପାସୋରି
ଦୂତିକା କହିଲାଠାରୁ ଜାଣି ତଥ୍ୟ କରି ।
ରକତ ମାଂସ ଦେହୀ ତ ପ୍ରଭୁ ଭଗବାନ
ଲାଗନ୍ତେ ମଦନବାଧା ହୋଇଲେ କାରୁଣ୍ୟ ।
ସେ କୃଷ୍ଣଙ୍କ ପାଦ ପଦ୍ମେ ନିବେଶି ମାନସ
କହଇ ଅଚ୍ୟୁତାନନ୍ଦ ଗୀତେ ହରିବଂଶ ।
ମୁକ୍ତିମାର୍ଗ ଦେଖାଇଲି ସାଧୁଜନ ହିତେ
ବୈକୁଣ୍ଠପୁରକୁ ଜନେ ଯାଅ ଏହି ପଥେ ।
ଶ୍ରୀକୃଷ୍ଣଙ୍କର ରାଧିକା ପୁରେ ପ୍ରବେଶ ଓ କୃଷ୍ଣଙ୍କ ପ୍ରତି ରାଧିକାର ଭର୍ତ୍ସନା
[ସମ୍ପାଦନା]ଏଥୁ ଅନନ୍ତରେ ଶୁକମୁନି ଯେ ବୋଲନ୍ତି
ସାବଧାନ ହୋଇ ଶୁଣ ପରୀକ୍ଷ ନୃପତି ।
ଆଶ୍ୱିନ ମାସ ଯେ ପୁଣ ଶରଦର ଋତୁ
ନିର୍ମଳ ଚନ୍ଦ୍ରର ଜ୍ୟୋତି ଗଣିତ ଯେ ଧାତୁ ।
ଦିନକର ଜ୍ୟୋତିରେ ତ ଶୁଖିଲା ଧରଣୀ
ଖରା ବରଷା ଶୀତ ତ ନ ହୁଅଇ ଜାଣି ।
କୁମାର ପୂର୍ଣ୍ଣମୀ ଯାତ୍ରା ସାରି ସର୍ବେ ଭଲେ
ଥୋକାଏ ଜାଗର ଜାଳି ଉଜାଗର ହେଲେ ।
ଥୋକାଏ ଜୁଆ ଖେଳନ୍ତି ଆନନ୍ଦିତ ମନେ
କପଟପଶା ଖେଳନ୍ତି ମିଳି ଥୋକେ ଜନେ ।
ଏମନ୍ତ ଉତ୍ସବ ଘରେ ଘରେ ସବୁଙ୍କରି
ପହୁଡ଼ନ୍ତି ପଲ୍ୟଙ୍କରେ ଦେବ ଚକ୍ରଧାରୀ ।
କେମନ୍ତେ ଉପାୟ କରି ଯିବେ ଦେବହରି
ବାରମ୍ୱାର ମଦନରେ ତନୁ ହୁଏ ଘାରି ।
ଅନୁବ୍ରତେ କାମଦେବ ଅଙ୍ଗେ ଦିଏ ଖେଦ
ତେଣୁ ଗୋବିନ୍ଦଙ୍କ ମନେ ସର୍ବଦା ବିଷାଦ ।
ମାୟାରେ ମୋହିଲେ କହୁଁ ପ୍ରଭୁ ନରହରି
ଯଶୋଦା ପ୍ରଭୃତି ସର୍ବନେତ୍ରେ ନିଦ୍ରା ଘାରି ।
ଉତ୍ତାନଭାବେ ପଲ୍ୟଙ୍କେ ଥିଲେ ସେ ପହୁଡ଼ି
ନିଦ୍ରା ଭାଜନ୍ତେ ଶ୍ରୀହରି ଦେଲେ ଘୋରରଡ଼ି ।
ନିଦ୍ରାରେ ଅଚେଷ୍ଟ ଗୋପପୁରେ ସର୍ବଜନ
ତ୍ରିଭଙ୍ଗି ମୂରତି ପ୍ରଭୁ ହେଲେ ତତକ୍ଷଣ ।
ଶିରେ ସୁକୁଞ୍ଚିତ କେଶ ଅପୂର୍ବ ଦିଶଇ
ଲାବଣ୍ୟ ମୂରତି ତିନିଭୁବନ ମୋହଇ ।
କୋଟିଏ କନ୍ଦର୍ପ ରୂପ ନୁହେ ତାକୁ ସରି
କାମିନୀ ଚିତ୍ତରଞ୍ଜନ ପ୍ରଭୁ ଦଇତ୍ୟାରି ।
ସନାତନ ପୁରୁଷ ସେ ବିଶ୍ୱ ଅଧିକାରୀ
ଯେବଣ ରୂପକୁ ଇଚ୍ଛା ସେ ରୂପକୁ ଧରି ।
ଯାହାର ବଚନେ ଆତଯାତ ନବସୃଷ୍ଟି
ଯେ ସ୍ୱାମୀ ଗୋପୀଙ୍କ ପାଇଁ ହ୍ୱନ୍ତି ବହୁକଷ୍ଟୀ ।
ପଲ୍ୟଙ୍କ ତେଜିଣ ସ୍ୱାମୀ ଚାଳନ୍ତେ ଧରାରେ
ମନ ରହିଛି କେବଳ ଗୋପୀଙ୍କ ଉପରେ ।
ରାତ୍ର ସାତଘଡ଼ିଠାରେ ଉଠି ଯଦୁନାଥ
ଚନ୍ଦ୍ରାବଳୀ ପୁରେ ଯାଇ ମିଳିଲେ ତୁରିତ ।
ସୁକୁମାରୀ ସୁଲକ୍ଷଣୀ ଅଟଇ ସେ ବାମା
ଚନ୍ଦ୍ରସେଣା ଗଉଡ଼ର ଅଟେ ମନୋରମା ।
ଷୋଳସସ୍ର ଗୋପୀଙ୍କର ପରେ ମୌଡ଼ମଣି
ସାକ୍ଷାତେ ପାର୍ବତୀ କିବା ରତି କମଳିନୀ ।
ରଙ୍ଗାବତାରେ ବିଷ୍ଣୁଙ୍କ ମନ ନେବାପାଇଁ
ଯତନେ ବିଧାତା ତାହା ଅଛି ଯେ ରଖାଇ ।
ଅପୂର୍ବ ମନ୍ଦିରେ ଦେଇ କବାଟ କିଳିଣି
ପଲ୍ୟଙ୍କ ଉପରେ ଶୋଇଅଛି ଗୋପାଳୁଣୀ ।
ଚନ୍ଦ୍ରସେଣା ଭଗିନୀ ଯେ ତିଳୋତ୍ତମା ନାରୀ
ରାଧିକାର ନଣନ୍ଦ ଯେ ଅଟଇ ସୁନ୍ଦରୀ ।
ନଣନ୍ଦ ଭାଉଜ ବେନି ଏକସଙ୍ଗ ହୋଇ
ପଲ୍ୟଙ୍କ ଉପରେ ଘୋର ନିଦେ ଛନ୍ତି ଶୋଇ ।
ଏସନ ସମୟେ ତହିଁ ମିଳିଲେ ଅଚ୍ୟୁତ
ବାରମ୍ୱାର ଅଙ୍ଗେ ପୀଡ଼ା ଦିଅଇ ମନ୍ମଥ ।
ନିବିଡ଼ ପାଷାଣ କାନ୍ଥ ବେନିହାତ ଢଳି
ଝିଙ୍କର ଛାଏଣି ଘର ପିମ୍ପୁଡ଼ି ନ ଗଳି ।
ଦେଖିଣ ମାଧବ ମନେ ପାଇଲେକ ତ୍ରାସ
ଚାରିପାଖ ବୁଲନ୍ତି ଯେ ରାଧିକା ଉଆସ ।
ଆଡ଼ ଉହାଡ଼ରେ କାହିଁ ବାଙ୍କ ତିଳେ ନାହିଁ
ବିସ୍ମୟ ହୋଇଲେ ହରି ମନେ ତାହା ଚାହିଁ ।
ଲୁହାର କିଳଣି ବଜ୍ରଠାରୁ ଯେ କଠିନ
ତିଳେ ବାଟ ନାହିଁ ତହିଁ ଯିବାକୁ ପବନ ।
ବାହାରେ ଉଭା ହୋଇଣ ଭାଳନ୍ତି ଶ୍ରୀହରି
ଏଡ଼େ ବଜ୍ର କବାଟ ତ ଫିଟିବ କିପରି ।
ବେଳକୁବେଳ କନ୍ଦର୍ପ ବାଧା ଯେ ହୁଅଇ
ମନ ଛନ୍ନଛନ୍ନ ତନୁ ଥରଥର ହୋଇ ।
ଫିଟିଲା କେଶ ବସନ ହେଲେ ଅସମ୍ଭାଳ
ଅନେକରୂପେ କବାଟ ଝିଙ୍କି ନନ୍ଦବାଳ ।
କବାଟର ଲୁହାକଣ୍ଟା ମାନ ତିକ୍ଷ୍ଣ ମୁନା
ଆଣ୍ଟରେ ପେଲନ୍ତେ ବାଜେ ଗୋବିନ୍ଦ ମୂର୍ଦ୍ଧନା ।
ମୂଷଳ ଧାରାରେ ରକ୍ତ ବହିପଡ଼େ ତଳ
ରୁଧିରରେ ଜର ଜର ହୋଇଲା ଅଞ୍ଚଳ ।
ଶ୍ରୀକରେ ବସନ ଘେନି ପୋଛନ୍ତେ ମୁରାରି
ଭୂମିରେ ପଡ଼ଇ ତହୁଁ ଥୋକାଏ ଉବୁରି ।
ଧନ୍ୟ ସେହି କାମଦେବ ସବୁ ପାରେ ଜିଣି
ଜଗନ୍ନାଥଙ୍କୁ ବିଟାଳ କରେ ଯେହ୍ନେ ଆଣି ।
ଅଶେଷ କୋଟି ବ୍ରହ୍ମାଣ୍ଡେ ଅଧିକାରୀ ଯେହି
କାମଦେବ ପଦ ଅନ୍ୟଠାରେ ପାରେ ଦେଇ ।
ସେ ଯଣୁଟି ସଂସାରରେ ଦେହବନ୍ତ ହେଲା
ନିର୍ଦ୍ଦୟ କାମଦେବତା ତାଙ୍କୁ କଟାଳିଲା ।
ରକତ ମାଂସ ଶରୀର ବହିବଟି ଯିଏ
କାମଦେବ ପାଲେ ନିଶ୍ଚେଁ ପଡ଼ିବଟି ସିଏ ।
ଈଶ୍ୱର ପରି ଦେବତା ମାତାକୁ ହରିଲେ
ବ୍ରହ୍ମାଭଳି ଲୋକ ଦୁହିତାରେ ରତ ହେଲେ ।
ଚନ୍ଦ୍ର ଦେବତା ଯେ ଗୁରୁପତ୍ନୀ ହରିଅଛି
ଆବର ସଂସାରେ କେହୁ ପାରେ ତାକୁ ମୂର୍ଚ୍ଛି ।
ସର୍ବଲୋକଙ୍କ ଠାକୁର ଯେଉଁ ନରହରି
ଗୋପୀଙ୍କ ନିମନ୍ତେ ଗୋପୀନାଥ ରୂପ ଧରି ।
ରାଧିକା ବିରହେ ସ୍ୱାମୀ ହୁଅନ୍ତି ଉଚ୍ଚାଟ
ଅନେକରୂପେ ଝିଙ୍କନ୍ତେ ନ ଫିଟେ କବାଟ ।
ଅଧର କାମୁଡ଼ି ଆଣ୍ଟେ ମାରନ୍ତେଣ ମୁଷ୍ଟି
ବେନି ଫାଳରେ କବାଟ ମଧ୍ୟୁ ଗଲା ଫାଟି ।
ଗମ୍ଭୀରି ମଧ୍ୟେ ପ୍ରବେଶ ସ୍ୱାମୀ ହେଲେ ଯାଇ
ଦେଖିଲେ ରତ୍ନପଲ୍ୟଙ୍କେ ରାଧା ଅଛି ଶୋଇ ।
ନଣନ୍ଦ ଭାଉଜ ଶୋଇଛନ୍ତି ଏକସ୍ଥାନେ
କୋମଳ ଶେଯେ ନିଶ୍ଚିନ୍ତେ ନିଦ୍ରିତ ଦିଜଣେ ।
ଉପରେ ଚାନ୍ଦୁଆ ଲାଗିଅଛି ଦୋପୁଚିଆ
ଦେବାଙ୍ଗ ଝୀନବସନ ସୂଚିକମ ନୂଆ ।
ମାଣିକ୍ୟର ଦୀପାବଳି ଜଳେ ଚାରିପାଶେ
ମଧ୍ୟାହ୍ନ ଆଦିତ୍ୟ ପ୍ରାୟ ତେଜ ପରକାଶ ।
ଗନ୍ଧ ଚନ୍ଦନ କସ୍ତୁରୀ ଅଙ୍ଗେ ବୋଳି ହୋଇ
ଅଗୁରୁ ଧୂପରେ ଗୃହ ଚହଟି ଉଠଇ ।
ସୁକୋମଳ ମୁଚୁଳାକୁ ଦେଇ ସୀମସ୍ଥାନ
ବେନି ନାରୀ ଶୋଇଛନ୍ତି ଖଟେ ଅଚେତନ ।
ରାଧିକା ରୂପ ଦେଖିଣ ପ୍ରଭୁ ଗୋପୀନାଥ
ଧନ୍ୟ ଧନ୍ୟ ନାୟିକା ତୁ ବୋଲନ୍ତି ଅଚ୍ୟୁତ ।
ଖସି ପଡ଼ିଛି କି ଶଶୀ ଅବା ଆକାଶରୁ
ନେତ୍ରେ ଦେଖିଲା ତ ନାହିଁ ଏମନ୍ତ ରମ୍ଭୋରୁ ।
ସୁଲକ୍ଷଣୀ ନାୟିକା ଏ ଅଟେ ନବଯୁବା
ଲାବଣ୍ୟ ଗୁଣନିଧି କି ଶୋଇଅଛି ଅବା ।
ନବରତ୍ନମାଳା କଣ୍ଠେ ଦିଶେ କି ସୁନ୍ଦର
କରୀକୁମ୍ଭ ଜିଣି ଶୋହେ ପୀନ ପୟୋଧର ।
କର୍ଣ୍ଣରେ ମୁକୁତା କାପ ଦିଶେ ଜକ ଜକ
ଅନ୍ଧାର ଘରକୁ ସେହି କରଇ ଆଲୋକ ।
ସୁସଞ୍ଚ ଚାରୁ ନାସିକା ତିଳପୁଷ୍ପ ଜିଣି
ମାରାଗ ହିରାରେ ଗଢ଼ା ନାସିକା ବସଣି ।
ବିମ୍ୱଅଧର ବଧୂଲି କୁସୁମକୁ ବଳି
ଅମୀୟ ସୁଧା ତହିଁରୁ ପଡ଼ୁଅଛି ଗଳି ।
ଧୀରେ ଧୀରେ ଦଇତ୍ୟାରି କହମନ୍ତି ବଚନ
ବାରେ ଆରେ ବିମ୍ୱାଧରି ଟେକ ତୋ ବଦନ ।
ଦରହସିତ ବଦନେ କହ ପଦେ କଥା
ମୋର ମନରୁ ଛଡ଼ାଇ ଦିଅ କାମବ୍ୟଥା ।
କମଳନୟନ ତୁ ରେ ବାରେ ମୋତେ ଚାହାଁ
ବିରହାନଳରେ ପୋଡ଼ି ଯାଉଛି ମୋ କାୟା ।
ଭ୍ରୂଲତା ତୋ କାମଧନୁ ଶର ତୀକ୍ଷ୍ଣ ଦୃଷ୍ଟି
ପକାଅ ମୋ ଦୂରବସ୍ଥା ଯାଉ ଅଙ୍ଗୁ ତୁଟି ।
ନିର୍ମଳ ଚନ୍ଦ୍ରମା ତୁଲ୍ୟ ତୋହର ବଦନ
ଦେଖି ତପୀ ଯୋଗୀଙ୍କର ଭୁଲିଯିବ ମନ ।
ପାଦରେ ନୁପୂର ତୋର ଦିଶେ କି ସୁନ୍ଦର
କଣ୍ଠେ ରତ୍ନ ଆଭରଣ ଗଜମୋତି ହାର ।
ଅଙ୍ଗୁଷ୍ଠି ମାନଙ୍କୁ ରତ୍ନମୁଦ୍ରିକା ତୋ ରାଜେ
ରସାଣିଲା ସ୍ୱର୍ଣ୍ଣ ପ୍ରାୟ କାନ୍ତି ତୋ ବିରାଜେ ।
ସିନ୍ଦୁରରେ ସୁମଣ୍ଡିତ ଲଲାଟ ତୋହରି
ସରୁକଟିକୁ ଡମ୍ୱରୁ ମାନିଯିବ ହାରି ।
ସୁଲଳିତ ବେନି ଜାନୁ ରମ୍ଭାତରୁ ପରି
ନାହିଁ ନଥିବ ତୋ ପରି ଜଗତେ ସୁନ୍ଦରୀ ।
ଜଗତଜନମୋହିନୀ ତୁ ପଦ୍ମିନୀ ଜାତି
କେତେ ନିଦ୍ରା ଯାଇଅଛୁ ଚାହିଁ କିନା ଚେତି ।
ମଦନ ଜ୍ୱାଳାରେ ମୁହିଁ ହେଉଅଛି ଘାରି
ଅମୀୟ ବଚନ ପଦେ ଭାଷରେ ସୁନ୍ଦରୀ ।
ଗଙ୍ଗାସାଗରରେ ଯେହୁ ଦେଇଥିବ ଝାସ
କୋଟିଏ ଜନ୍ମରେ ପୂଜିଥିବ ଯେ ମହେଶ ।
ସେ ତୋର ଭର୍ତ୍ତା ହୋଇବ ଆରେ ହେମ ଗୋରି
ଏରୂପେ ଅନେକ ଚାଟୁବଚନ ଉଚ୍ଚାରି ।
ନ ଶୁଣଇ ରାଧିକା ତା ନିଦେ ଅଛି ଶୋଇ
ଶ୍ରୀକୃଷ୍ଣଙ୍କର ବଚନ କର୍ଣ୍ଣେ ନ ପଶଇ ।
ଆରତରେ ଦାମୋଦର ପଲ୍ୟଙ୍କେ ବସିଲେ
ଦକ୍ଷିଣ କରରେ ରାଧା ଦେହ ଆଉଁଷିଲେ ।
ନିଦ୍ରାତେଜି ଉଠିଲାକ ତହୁଁ ଗୋପନାରୀ
ଦେଖିଲା ପଲ୍ୟଙ୍କେ ବିଜେ ଦେବ ଦଇତ୍ୟାରି ।
ରାଧିକା ବୋଇଲେ କାହୁଁ ଅଇଲୁରେ ଚୋର
ମୋ ପୁରେ ପଶିଲୁ ପାଇ ଭରସା କାହାର ।
ନିବିଡ଼ ପାଷାଣ କାନ୍ଥ ବେନି ହାତ ତଳି
ଲୁହାର କବାଟ ପୁଣି ବିଷମ ଅର୍ଗଳି ।
ତାହା ଭାଙ୍ଗି କେମନ୍ତେ ତୁ ଅଇଲୁ ପାମର
ଜୀବନରେ ଆଶା କିବା ନାହିଁ କିରେ ତୋର ।
ଧାତିକାରେ ଏହିଠାରୁ ଯାଅ ତୁହି ଭଲେ
କଟୁଆଳ ଜାଣିଲେ ତୁ ନାଶଯିବୁ ହେଳେ ।
ଶ୍ରୀକୃଷ୍ଣ ବୋଇଲେ ମାଈଁ ଚୋର ନୁହେଁ ମୁହିଁ
ନନ୍ଦ ଯଶୋଦା ପୁଅ ମୋ ନାମ ଯେ କହ୍ନାଇ ।
ଏ ତୋର ବିରହେ ସହି ହୋଇଛି ମୁଁ ଦୁଃଖୀ
କାମସମୁଦ୍ରୁ ଉଦ୍ଧର ଆରେ ଚନ୍ଦ୍ରମୁଖୀ ।
ଆବର ଅଧିକ ମୁହିଁ କହିବି କି ତୋତେ
କାମଦେବ ବାଧା ସଖି ଲାଗିଅଛି ମୋତେ ।
ବାରେ ପ୍ରତିକାର କର ଆରେ ପ୍ରାଣସହି
ତୋ ରୂପ ଲାବଣ୍ୟ ଦେଖି ବିହ୍ୱଳ ହେଲଇଁ ।
ରାଧିକା ବୋଲେ ବାଳୁତ ଛେଉଣ୍ଡ ତ ତୁହି
ଏଡ଼େ କଥା କହୁ ମୁଖେ ଲାଜ ମାଡ଼େ ନାହିଁ ।
ବିଡ଼ମ୍ୱନ କଥା ଆସି କହୁ ମୋର ଆଗେ
ଜୀବନରେ ଆଶା ଥିଲେ ପଳାଅରେ ବେଗେ ।
ଯେବଣ କଥା ତୁଣ୍ଡରେ ଧରି ନ ଯୋଗାଇ
ତାହା କହୁ କେମନ୍ତେରେ ମୁଁ ପରା ତୋ ମାଈଁ ।
କେ ନନ୍ଦ କେଉଁ ଯଶୋଦା କିଏ ସେ ଜାଣଇଁ
କାଲି ସକାଳେ ତାଙ୍କଠୁ ଜନମିଛୁ ତୁହି ।
ବଳାତ୍କାରେ ମୋ ଭୁବନେ ପଶିଲୁ ଝସାଇ
ପୁଣି ବଦନେ ଅକଥାଗୁଡ଼ା ଆସି କହି ।
ମିଛରେ ବୋଲୁ ମୁଁ ଅଟେ ଯଶୋଦା କୁମର
ନିଶ୍ଚେ ମୁଁ ଜାଣିଲି ତୁହି ଚୋରଙ୍କ ସର୍ଦ୍ଦାର ।
ରାଧିକା ବଚନ ଶୁଣି ବୋଲନ୍ତି ଅଚ୍ୟୁତ
ନୁହେ ମୁଁ ତସ୍କର ଚୋର ରେ ପ୍ରାଣ ସଙ୍ଗାତ ।
ଏ ତୋର ସ୍ୱରୂପ ଦେଖି ହେଲି ମୁହିଁ ବାଇ
କାମ ସାଗରୁ ଉଦ୍ଧର ଆରେ ଚନ୍ଦ୍ରମୁହିଁ ।
ଶ୍ରୀକୃଷ୍ଣ କହନ୍ତି ମୁହିଁ ନ କହଇ ମିଛ
ମୂର୍ତ୍ତିମନ୍ତ ନାରାୟଣ ଜାଣ ତୁ ପ୍ରତ୍ୟକ୍ଷ ।
ରଙ୍ଗ ଅବତାର ଆମ୍ଭେ ଭାରାଭର ଅର୍ଥେ
ଗୋପେ ବିଜେକଲୁ ଗୋପୀଗୋପାଳ ନିମନ୍ତେ ।
ସହଚରୀ ଦୂତିକା ଯେ କହିଲା ତୋ କଥା
ତେଣୁ ଏଠାକୁ ଅଇଲି ଜାଣ ଗୋ ସର୍ବଥା ।
ଶରୀରରେ କାମବାଧା ଦିଏ ଅବିରତେ
ସୁଦୟା ମୋଠାରେ କର ସଖି ଗୋ କିଞ୍ଚିତେ ।
ମଦନ ବିଷରେ ଅଙ୍ଗ ମୋର କମ୍ପମାନ
ରକ୍ଷାକର ପ୍ରାଣବନ୍ଧୁ କହି ସୁବଚନ ।
କହୁ କହୁ ବିକାଶିଲେ ସ୍ୱାମୀ ବିଶ୍ୱତେଜ
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିଭୁଜ ।
କିରୀଟ ମୁକୁଟ ଶିରେ ଶୋହେ ସପ୍ତଫେଣୀ
ବାହେ କଙ୍କଣ ରତନ ବଳା ପାଦେ ବେନି ।
କଣ୍ଠେ କଉସ୍ତୁଭ ହୃଦେ ତୁଳସୀର ମାଳ
କଟୀତଟେ ପୀତାମ୍ୱର ଦିଶେ କି ସୁଢ଼ଳ ।
ନୀଳେନ୍ଦ୍ରିଦଳ ପରାୟେ ଶୋହେ ଦିବ୍ୟଜ୍ୟୋତି
ନିର୍ମଳ ଗଗନେ ଯେହ୍ନେ ରାଜେ ଚନ୍ଦ୍ରକାନ୍ତି ।
ରାଧିକା ପଲ୍ୟଙ୍କେ ହରି ବିଜେ କଲେ ଯାଇଁ
ଦେଖି ଚନ୍ଦ୍ର ବଦନୀ ଯେ ମହାଭୟ ପାଇ ।
କଦଳୀ ପତ୍ର ପରାୟେ ଅଙ୍ଗ କମ୍ପମାନ
କି କରିବି କେଣେ ଯିବି ମତି ଛନ୍ନ ଛନ୍ନ ।
ଏକେତ ଅବଳା ଭୟଙ୍କର ରୂପ ଦେଖି
କ୍ଷଣକେ ଚାହିଁଇ ପୁଣ କ୍ଷଣେ ବୁଜେ ଆଖି ।
ଅଦୃଷ୍ଟ ଅସମ୍ଭବ ଯା ଶୁଣିନାହିଁ କର୍ଣ୍ଣେ
ଜଗଦ୍ ବନ୍ଦନ ପୁରୁଷ ଦେଖ ବିଦ୍ୟମାନେ ।
ଆରତେ କାତର ରାଈ ହୋଇ ଭୀତମନ
ନଣନ୍ଦକୁ ତୋଳେ ଯାଇ କରକୁ ଧରିଣ ।
ନିଶ୍ଚେଷ୍ଟ ସେ ପଲ୍ୟଙ୍କରେ ନିଦେ ଅଛି ଶୋଇ
ବିଷ୍ଣୁ ମାୟା ଘୋଟିଅଛି ଅଙ୍ଗେ ଜ୍ଞାନନାହିଁ ।
ଶ୍ରୀକୃଷ୍ଣ ବୋଇଲେ ସଖି ମାଡ଼ିଲାକି ଡର
ଦନ୍ତେ ତିରଣ ଧରୁଛି ଉଦ୍ଧାରିଣ ଧର ।
ଫଳିଲାର ବୃକ୍ଷକୁ ଗୋ ସମସ୍ତଙ୍କ ଆଖି
ତୋଠାରେ ଅନେକ ଆଶା କରିଅଛି ସଖି ।
ଆବର ବିଶେଷେ ମୋର ବାଳୁତ ଯେ ମତି
ନ ଜାଣଇ ପାପ ପୁଣ୍ୟ ଅଟଇ କେମତି ।
ରାଧିକା ବୋଇଲେ ମୁହିଁ ଅବୋଧ ଯୁବତୀ
ନିଜ ଭର୍ତ୍ତା ବିନା ଆନ ପୁଂସେ ନାହିଁ ମତି ।
ତୋହରେ ମୋହର ବାବୁ କିଛି କାର୍ଯ୍ୟନାହିଁ
ଅକାରଣେ ଏ ଜଞ୍ଜାଳ କରୁ କାହିଁପାଇଁ ।
ନିତାନ୍ତ ବାଳକ ତୁହି ନାହିଁ ତୋର ଜ୍ଞାନ
କହୁଅଛୁ ଭଣ୍ଡପଣେ ଅବଚନମାନ ।
ଯାହାକି ବୋଇଲୁ ତୁହି ନନ୍ଦର କୁମର
ନୃପତିନନ୍ଦନ ହୋଇ ଏଡ଼େ ଅବିଚାର ।
ନଣନ୍ଦ ଯଶୋଦା ମୋର ଅଟଇ ଯୁକତେ
ଲେଖାରେ ମାଈଁ ତୋହର ମୁହିଁ ଶାସ୍ତ୍ରମତେ ।
ପାପଭୟ ନାହିଁ ତୋର କହୁ ଏଡ଼େ କଥା
ଶୁଣିଲେ କିସ ବୋଲିବେ କହ ତୋର ମାତା ।
ରଜନୀ ପାହିଲେ ଏହି କଥା ବୁଝିବାନା
ତୋହଯୋଗେ ଗୋପପୁର ନାଶଯିବା ସିନା ।
ରାଜାଧିରାଜେଶ୍ୱର ତ ଅଟେ ଦୁଷ୍ଟ କଂସ
ଅନୀତି କଥା ଶୁଣିଲେ କରିବ ବିନାଶ ।
ଗୋପ ନଗରେ ପଡ଼ିବ ନିଶ୍ଚୟ ପ୍ରମାଦ
ତୋର ଯୋଗେ ନାଶଯିବ ସବୁରି ସମ୍ପଦ ।
ନୃପତି ଯଦ୍ୟପି ଶୁଣି କରିବଟି ରୋଷ
ତୋ କ୍ରୋଧ ସମ୍ଭାଳିବାକୁ ଅଛି କେ ମନୁଷ୍ୟ ।
ନଣନ୍ଦ ଶୋଇଛି ଏଥେ ଭାଙ୍ଗିଯିବ ନିଦ
ବୋଲିବ ରାଧିକା ଅଟେ କେଡ଼େବଡ଼ ମନ୍ଦ ।
ଶାଶୁ ଶ୍ୱଶୁରଙ୍କ ଆଗେ କହିବ ସକଳ
ବୃଥାରେ ହାଟ ବଜାରେ ହେବ ପୁଣି ଗୋଳ ।
ମହତ ସରିବ ମୋର ଜାତିକୁଳୁଁ ଯିବି
କୁଳଟାପବାଦ କାଳ କାଳକୁ ବହିବି ।
ଏହା କହିଣ ରାଧିକା ଶୁଏ ମୁହିଁ ମାଡ଼ି
ଶ୍ରୀକୃଷ୍ଣ କହନ୍ତି ତହୁଁ କରଯୁଗ ଯୋଡ଼ି ।
ମଦନ ବାଣରେ ସହି ଗଲି ମୁହିଁ ସରି
ତୋହବିନା ଏ ବିପଦୁ କେ ନେବ ଉଦ୍ଧରି ।
ଭାସିଗଲି କାମଜଳେ ଏଥୁ ପାରିକର
ନୋହିଲେ ପୁରୁଷହତ୍ୟା ଦୋଷ ହେବ ତୋର ।
ଅନେକ ପ୍ରତିଆଶାରେ ଆସିଛି ତୋ ପାଶ
ଜୀବ ଥିବାଯାଏ ସଖି ହେବି ତୋର ଦାସ ।
ଚାକର ପରାୟେ ସେବା କରୁଥିବି ନିତି
ବଚନ ନ ଲଘିଂ ତୋର ହେବି ବଶବର୍ତ୍ତୀ ।
ଲକ୍ଷ ଲକ୍ଷ କରି ତୋତେ ଆଣିଦେବି ଧନ
ନୃତ୍ୟରଙ୍ଗ ଆସେ ତୋଷ କରିବି ତୋ ମନ ।
ଏତେ ବୋଲିଣ ଚରଣ ଧରନ୍ତେ ସେ ଯାଇ
କ୍ରୋଧଭରେ ଗୋପାଳୁଣୀ ଦେଲା ଫୋପଡ଼ାଇ ।
ଗୋବିନ୍ଦଙ୍କ ବକ୍ଷସ୍ଥଳେ ଲାଗନ୍ତେ ସେ ପାଦ
ଅସମ୍ଭାଳ ହୋଇ ଦୂରେ ପଡ଼ିଲେ ଗୋବିନ୍ଦ ।
ମଦନ ଆରତେ ତାହା ନ ଜାଣିଲେ କିଛି
ପଲ୍ୟଙ୍କେ ବସିଲେ ପୁଣି ଆସି ଶିରୀବତ୍ସି ।
ହସି ବଚନ ବୋଲନ୍ତି ପ୍ରଭୁ ପୀତବାସ
ସଖି ତୋ ପାଦ ବାଜିଲେ ହେବ ମୋର କିସ ।
ବଜ୍ରହୁଁ ଶତଗୁଣରେ ଆଣ୍ଟ ମୋର ଅଙ୍ଗ
ମେରୁ ମନ୍ଦର ବାଜିଲେ ହୋଇଯିବ ଭଙ୍ଗ ।
ସୁନ୍ଦର ସୁକୁମାର ତ ତୁମ୍ଭର ପୟର
ତାହା ମୋତେ ଲାଗିଲା ଯେ କୁସୁମ ପ୍ରକାର ।
କୋମଳ ପାଦରେ ବ୍ୟଥା ହେବରେ ସଙ୍ଗାତ
କେଉଁ ହେତୁରୁ ନିରାଶ କରୁଅଛୁ ତୁତ ।
ପ୍ରାପ୍ତନିଧି କେଉଁପରି ପାଦେ ଦେଉ ଠେଲି
ରକ୍ଷାକର ରକ୍ଷାକର ଶରଣ ମୁଁ ଗଲି ।
ଏତେ ବୋଲି ଜଗନ୍ନାଥ ମଦନ ଆତୁରେ
ପଦ୍ମକର ପକାଇଲେ ରାଧିକା ଉପରେ ।
ଚନ୍ଦ୍ରବଦନୀ ବୋଲେ ତୁ ବଡ଼ଇ ନିର୍ଲ୍ଲଜ
ପ୍ରାଣ ଘେନି ଏହିଠାରୁ ପଳାରେ ବେହିଜ ।
ଚୋର ହୋଇ ଏଡ଼େ ବଡ଼ ଗର୍ବ ମନେ ବହୁ
ନାସ୍ତି କରିଲେ ଯେ ପୁଣି ତାହିଁ ତାହିଁ କହୁ ।
ପରଗୃହେ ପଶି ଏଡ଼େ ଅନୀତି ଆଚରୁ
ଅମହତ ଲୋକ ତୁରେ ଯାଅ ମୋ ପାଶରୁ ।
ଗୋପନଗରେ ଏମନ୍ତ କେହି ଜଣେ ନାହିଁ
ବାରମ୍ୱାର କଟାଳୁଛୁ ମୋତେ କିସପାଇଁ ।
ଜଳନ୍ଧର ବିଦ୍ୟା ଜାଣି ଧରୁ ନାନରୂପ
ଇହଲୋକେ ନାଶଯିବୁ ଅର୍ଜି ମହାପାପ ।
ମୁହିଁ କୁଳବଧୂ ନୋହେ ଅସତୀ ରମଣୀ
ପହରେ ହେଲା କହୁଛୁ ଆସି ଭଣ୍ଡବାଣୀ ।
ଆବର ମୋହର ପାଶେ ଶୋଇଛି ନଣନ୍ଦ
ଝିଟୁଆ ଏଡ଼ିକି ତୁହି ଅତିଶୟ ମନ୍ଦ ।
ନା ଜାଣୁ କି ପରସ୍ତିରୀ ହରଣେ ଯେ ଦୋଷ
ପରସ୍ତ୍ରୀ ହରଣେ ମଲା ବିଶ୍ରବାର ଶିଷ୍ୟ ।
ସମୁଦ୍ର ଭିତରେ ତାର ସୁବର୍ଣ୍ଣ ନଗରୀ
ଛପନଗଣ୍ଡା ଯୁଗକୁ ଆୟୁଷ ତାହାରି ।
ପୁତ୍ର ନାତି ପଣନାତି ତାର ଅଗଣିତ
ଗୋତ୍ର ସହିତେ ସମୂଳେ ହେଲା ସେ ନିହତ ।
ଇନ୍ଦ୍ର ଦେବତା ହରିଲା ଗୋତମ ଭାରିଯା
ଦେହଯାକ ସସ୍ରଯୋନି ବହିଲା ବିଡ଼ୋଜା ।
ତାରାକୁ ହରିଣ ଚନ୍ଦ୍ର ହେଲେ ମହାପାପୀ
ପକ୍ଷେ କ୍ଷୟ ପକ୍ଷେ ବୃଦ୍ଧି ହୁଅନ୍ତି ଅଦ୍ୟାପି ।
ସୁଗ୍ରୀବ ଭାରିଯା ବାଳି ହରିଲାକ ବଳେ
ରାମ କରେ ମରଣ ଯେ ଲଭିଲା ଅକାଳେ ।
ତୁ ଯେ ଧର୍ମ ଲଘିଂ ପରସ୍ତ୍ରୀକୁ କଲୁ ଆଶ
ଜଣା ପଡ଼ିଲେ ଏକ୍ଷଣି ହୋଇବୁ ବିନାଶ ।
ଏହିକ୍ଷଣି ଚୋରାବୋଲି ଦେବଇଁ ବୋବାଳି
ଏହା କହି ମହାକ୍ରୋଧେ ବୃଷଭାନୁ ବାଳୀ ।
ଚାପୋଡ଼େ ମାଇଲା ନେଇ ନଣନ୍ଦ ଜଘଂରେ
ପିନ୍ଧିଲା ବସନ ଧରି ରାଗରେ ଓଟାରେ ।
ବୋଲେ କବାଟ ଭାଙ୍ଗିଣ ଘରେ ପଶେ ଚୋର
ବିଡ଼ମ୍ୱନ କଥାମାନ କହଇ ଅପାର ।
ତୋତେ ଦେଖି ଲୁଚେ ଖଣ୍ଟ ଉହାଡ଼ରେ ଯାଇ
କରେ ଦୀପାବଳୀ ଘେନି ଦେଖ କିନା ତୁହି ।
ବିଶ୍ୱକୂଟ ମାୟାରେ ସେ ନଣନ୍ଦ ଶୋଇଛି
ଏଥେ କଥା ହେବାର ସେ ନ ଜାଣଇ କିଛି ।
ଏରୂପେ ନିରାଶ ବାଣୀ ରାଈଠାରୁ ଶୁଣି
ମନେ ମନେ ଭାଳେଣି ସେ କଲେ ଚକ୍ରପାଣି ।
ମଦନର ପଞ୍ଚଶର ହୃଦରେ ଘାରୁଛି
ରାଧିକାପୁରୁ ବାହାର ହୋଇଲେ ଶ୍ରୀବତ୍ସି ।
ଆତ୍ମା ବଇକୁଲ୍ୟ ତାଙ୍କ ହୁଏ ଅବିରତ
କ୍ରୋଟରାନଳ ପରାୟେ ଦହେ ପଞ୍ଚଭୂତ ।
ବେଳୁଁ ବେଳ କାମ ପଞ୍ଚପରାଣ ଦହିଲା
ଜଗବନ୍ଧୁ ନାଥଙ୍କୁ ଯଏ ଅତି କଟାଳିଲା ।
ପାହିବାକୁ ଅଛଇ ପଞ୍ଚଦଶ ଦଣ୍ଡ ରାତି
କୁଞ୍ଜବନେ ପ୍ରବେଶିଲେ ଯାଇ ଯଦୁପତି ।
ପବିତ୍ର ପୁଣ୍ୟକ୍ଷେତ୍ର ସେ କାଳିନ୍ଦୀର ତୀର
ତହିଁରେ ଅଛି କଦମ୍ୱ ନାମେ ତରୁବର ।
ଗୋପୀଙ୍କୁ ଘେନିଣ କ୍ରୀଡ଼ା କରିବାର ପାଇଁ
ଆଗରୁ ବିଧାତା ତାହା ଅଛି ଯେ ନିର୍ଭାଇ ।
ଗୋମତ ପର୍ବତଠଆରୁ ଚିତ୍ରକୂଟ ଯାଏ
ଦ୍ୱାଦଶ ଯୋଜନ ଭୂମି ଅତି ପୁଣ୍ୟମୟେ ।
ଆଙ୍ଗୁଳେକ ଯାଗ କଲେ ଧର୍ମ ତହିଁ ମିଳେ
ଗୋମାତା ସେଠାରେ ପୁଣି ସମୟେକ ଥିଲେ ।
ସହସ୍ର ବତ୍ସା ସେଠାରୁ ଛାଡ଼ି ଯାଇଥିଲେ
ଶତମୁଖ ବ୍ରହ୍ମା ପୁଣି ସମୟେ ରହିଲେ ।
ସେ କପିଳାର କୁଟୁମ୍ୱ ହେଲେ ବର୍ଦ୍ଧମାନ
ଅକଳିତ ଧେନୁ ବତ୍ସା କେ କରେ ଗଣନ ।
ଏମାନଙ୍କ ମଳ ମୂତ୍ର କ୍ଷୀର ଅସ୍ଥି ଚର୍ମ
ପଡ଼ିଣ ସେ ଭୂମିଗୋଟି ଅତି ପୁଣ୍ୟତମ ।
ଜନକ ବଶିଷ୍ଠ ଭୃଗୁ ବିଶ୍ୱାମିତ୍ର ଋଷି
ସନକ ସନାତନ ଯେ ଦକ୍ଷ ପ୍ରଜାପତି ।
ସମସ୍ତେ ତପ କରନ୍ତି ନଦୀକୂଳେ ବସି
ଅଙ୍ଗିରସ ପଉଲସ୍ତ୍ୟ ପ୍ରଚେତା ଅଗସ୍ତି ।
ବିଧାତା ଦିକ୍ପାଳ ଦୁଆଦଶ ବିଶ୍ୱଦେବା
ଧ୍ରୁବ ପ୍ରହାଲାଦ ସେହି ଭୂମି କରି ସେବା ।
ବ୍ରହ୍ମାଙ୍କ ଦିବସେ ହରି ଧରି ବାରମୂର୍ତ୍ତି
ସମସ୍ତ ଅବତାର ସେ ହୋନ୍ତି ପ୍ରତିମୂର୍ତ୍ତି ।
ବ୍ରହ୍ମାଙ୍କ ବଚନେ ଭୂମି ହୁଏ କାଳେ ନାଶ
ଅନନ୍ତଙ୍କର ସେ ଭୂମି ସଦା ଅଟେ ବାସ ।
ଆପେ ଜଗନ୍ନାଥ ସେହିଠାରେ ଅବତାର
କୋଟି ବାରସ୍ୱତୀ ତାକୁ ନୁହେ ପଟାନ୍ତର ।
ନନ୍ଦନ ବନ ଭିତରେ ଯେତେ ତରୁ ଥିଲା
ଆପେ ବିଡ଼ୋଜା ଆଣିଣ ତା ସବୁ ରୋପିଲା ।
ସହସ୍ରେ ଯୋଜନ ଲମ୍ୱ ଏ ପ୍ରତି ଓସାର
ଯହିଁରେ କେଳି କରିବେ ଦେବ ଦାମୋଦର ।
ଅନେକ ସୁସ୍ୱାଦୁ ଫଳ ଅଉଷଧି ଆଦି
ବୃନ୍ଦବନେ ରୋପିଅଛି ଆଣି ଜମ୍ଭଭେଦି ।
ନାନା ଜୀବଜନ୍ତୁମାନେ ଭକ୍ଷି ସ୍ୱାଦୁଫଳ
ଅବସନ୍ତରେ ବସନ୍ତ ବହେ ସୁଶୀତଳ ।
ସକଳ ବୃକ୍ଷମୂଳରେ ସୁବର୍ଣ୍ଣ ବେଦିକା
ଦେଖିଲା ଲୋକର ମନ ହୋଇବ ତାଟକା ।
କଣ୍ଟାତୃଣ ବିବର୍ଜ୍ଜିତ ଭୂମି ଅତି ଶୋଭା
ବୃଦ୍ଧ ସେ ଭୂମି ମାଡ଼ିଲେ ହେବେ ନବଯୁବା ।
ଫଳମୂଳ ତରୁମାନେ ଅତି ଶୋଭାପାନ୍ତି
ଧାଡ଼ି ଧାଡ଼ି ପୁଞ୍ଜି ପୁଞ୍ଜି ଲତା ବିରାଜନ୍ତି ।
ସୁଶୀତଳ ଗନ୍ଧବହ ବହେ ନିତି ନିତି
ପ୍ରକଟଇ କୁସୁମର ଆମୋଦ ଚୌକତି ।
ଦକ୍ଷିଣେ ଯମୁନାନଦୀ ଅତ୍ୟନ୍ତ ନିର୍ମଳ
ଉତ୍ତରେ ମାଧବୀଲତା ଅତି ପରିମଳ ।
ବିଶାଳ କଦମ୍ୱ ତରୁ କୁଞ୍ଜବନ ଲାଗେ
କାଳିନ୍ଦୀ ନାମରେ ନଦୀ ପଶ୍ଚିମ ଦିଗ୍ଭାଗେ ।
ବାସୁକୀ ନାଗରାଜାର ଅଟେ ସାନଭାଇ
କାଳୀୟ ନାମରେ ନାଗ ଅଛି ତହିଁ ରହି ।
ଦୁଇ କୋଶଯାଏ ବିଷ ବର୍ଷେ ନିରନ୍ତରେ
କୂଳେ ଥିବା ବୃକ୍ଷେ ଜଳିଯାଆନ୍ତି ତେଜରେ ।
ଉପରେ ଉଡ଼ନ୍ତେ ପକ୍ଷୀ ପଡ଼ିଯାନ୍ତି ଢଳି
କେହି ଲୋକ ସେହି ପଥେ ନ ଯାଅନ୍ତି ବଳି ।
କେଡ଼େ ବଡ଼ ପୁଣ୍ୟଜଳ ଅଖ୍ୟାଦ୍ୟ ଅଟଇ
ଭୟେ ଜନ ଜନ୍ତୁ ପାନ ନ କରନ୍ତି କେହି ।
ତା ପାଶେ ଅଛି ଭଣ୍ଡୀର ନାମେ ମହାବଟ
ଗୋମତ ପର୍ବତ ତଳେ ତାହାର ଯେ ଘାଟ ।
ଅନେକ କାଳର ତରୁ ସିଦ୍ଧ ତାର ଶାଖା
ବିଷ୍ଣୁ ଲୋକ ପରିଯନ୍ତେ ଲାଗିଛି ତା ଶିଖା ।
ଅନାଦି ଗୋମାତା ତହିଁ ଥିଲେ ପୂର୍ବକାଳେ
ସଦାଶିବ ବ୍ରହ୍ମଜ୍ଞାନ ସାଧିଲେ ତା ତଳେ ।
କହିଲେ ନ ସରଇ ସେ ବଟର ମହିମା
ଆପଣେ ଆରୋପିଅଛି ତାକୁ ବେଦବ୍ରହ୍ମା ।
ସବୁକାଳେ ଯମୁନା ତା ବହେ ପରିମଳ
ଯାହା ନ ପାଆନ୍ତି ସୁର ସିଦ୍ଧ ମୁନିକୁଳ ।
ତହିଁର ନିକଟେ ଅଛି ଦିବ୍ୟ ଗୋପପୁର
ବାରସ୍ୱତୀପୁର ତାକୁ ନୁହେ ପଟାନ୍ତର ।
ଭୂଲୋକ ଯେ ଭୁବଲୋକ ସ୍ୱର୍ଲୋକ ସହିତେ
ତିନିପୁରେ ପୁଣ୍ୟଭୂମି ଅଛି ଯହିଁ ଯେତେ ।
ହିମବନ୍ତ ମାଲ୍ୟବାନ କପିଳାସ ଗିରି
ଗୋପନଗରକୁ କେହି ନୁହନ୍ତିଟି ସରି ।
ଅନ୍ୟ ପଟାନ୍ତର ତହିଁ କିସ ଦେବା ତାହା
ବିଧାତା ବସି ନିର୍ମାଣ କରିଅଛି ଯାହା ।
ପରୀକ୍ଷ ଆଗେ କହନ୍ତି ଶୁକ ମହାଯତି
ଇତି ଶ୍ରୀପୁଣ୍ୟ ପୁରାଣ ହରିବଂଶ କୀର୍ତ୍ତି ।
ଶ୍ରବଣେ ଶୁଣିଲେ ହୁଏ ମହାପାପ ଧ୍ୱଂସ
ଅଚ୍ୟୁତ ଦାସର ରାମକୃଷ୍ଣ ପଦେ ଆଶ ।
ଶ୍ରୀକୃଷ୍ଣଙ୍କର କୁଞ୍ଜବନେ ପ୍ରବେଶ ଓ ମୋହନବଂଶୀ ପ୍ରାପ୍ତି
[ସମ୍ପାଦନା]ବଦୟନ୍ତି ଶୁକମୁନି ଶୁଣ ମହାରାୟେ
ଶ୍ରୀକୃଷଙ୍କ ଲୀଳା ଶୁଣି ପାପ କର କ୍ଷୟେ ।
ବିରସ ମନେ ଶ୍ରୀକୃଷ୍ଣ ସେଠାରୁ ଚଳିଲେ
କୁଞ୍ଜବନ ମଧ୍ୟେ ଯାଇ ପ୍ରବେଶ ହୋଇଲେ ।
ମଦନର ଅନୁତାପ ଲାଗିଅଛି ଅଙ୍ଗ
କେଉଁପରି ଲଭିବି ମୁଁ ରାଧିକାର ସଙ୍ଗ ।
କଉଣସି ପରକାରେ ନୋହିଲା ତ କାର୍ଯ୍ୟ
କି ଉପାୟ କରିବଇଁ ଭାଳି ଦେବରାଜ ।
ଚିନ୍ତାଭରେ ଭାଳିଲେକ ବସି ଦେବ ସ୍ୱାମୀ
ଧାତାଙ୍କୁ ସ୍ମରିଲେ ଅନ୍ତର୍ଗତେ ଅନ୍ତର୍ଯ୍ୟାମୀ ।
ଏକଲୟରେ ଚିନ୍ତିଲେ ଯହୁଁ ଭଗବାନ
ଟଳମଳ ହୋଇ କମ୍ପେ ବ୍ରହ୍ମାଙ୍କ ଆସନ ।
ଧ୍ୟାନରେ ଜାଣି ପାରିଲେ ତାହା ବେଦବର
ଗୋପରେ ଚିନ୍ତା କରନ୍ତି ପ୍ରଭୁ ଚକ୍ରଧର ।
ରଙ୍ଗାଅବତାରେ ପ୍ରଭୁ କାମେ ବଳେ ଶ୍ରଦ୍ଧା
ଦୂତିକା ବଚନ ଶୁଣି ଲାଗେ କାମବାଧା ।
ଅଜ୍ଞାନୀପଣେ ଗୋପିଏ ନ ଜାଣନ୍ତି ତାହା
ତାହାଙ୍କ ନିମନ୍ତେ ତହିଁ ବିଜେ ଚଉାବାହା ।
ଏମନ୍ତ ବିଚାରି ଧାତା ତହୁଁ ବିଜେକଲେ
ମରାଳବାହାନେ ବସି ଗୋପରେ ମିଳିଲେ ।
ଯେଣବ ସ୍ଥାନେ ଅଛନ୍ତି ପ୍ରଭୁ ଦାମୋଦର
ସୁମରି ସୁମରି ବ୍ରହ୍ମା ମିଳିଲେ ଛାମୁର ।
ହସ୍ତେ ଦଣ୍ଡ କମଣ୍ଡଳୁ ଆଉ କୁଶବିଡ଼ା
ଧୋତି ଉତ୍ତରୀ ଆବର ଛତା ସ୍ୱର୍ଣ୍ଣପୀଢ଼ା ।
ତୁଳସୀ ରୁଦ୍ରାକ୍ଷମାଳ ବିଭୂଷଣ କଣ୍ଠେ
ପବିତ୍ର ତମ୍ୱା କୁଣ୍ଡଳ ଶୋହେ କର୍ଣ୍ଣପୁଟେ ।
ଲମ୍ୱିତ ଜୂଡ଼ା କୈଷେୟ ବସ୍ତ୍ର କଟିତଟେ
ଏମନ୍ତ ସ୍ୱରୂପେ ବିଜେ ପ୍ରଭୁଙ୍କ ନିକଟେ ।
ପୃଥୁଳ କଳେବର ଯେ ପାଏ ଅତି ଶୋଭା
ଜାଜ୍ଜ୍ୱଲ୍ୟମାନେ ଯେସନେ ଦିନକର ପ୍ରଭା ।
ଏସନେକ ଦିବ୍ୟରୂପ ଧରି ବେଦବର
ଧାତିକାରେ ପ୍ରବେଶିଲେ ନିକୁଞ୍ଜ ମଧ୍ୟର ।
ମରାଳ ଉପରୁ ଧାତା ଉତୁରିଣ ତହିଁ
ଗୋବିନ୍ଦଙ୍କ ଚରଣରେ ପ୍ରଣମିଲେ ଯାଇ ।
ଏକାସନେ ଶ୍ରୀହରିଙ୍କ ପାଶରେ ବସିଲେ
କି ହେତୁ ସ୍ମରିଲେ ସ୍ୱାମୀ ବୋଲି ପଚାରିଲେ ।
ଗୋବିନ୍ଦ ବୋଇଲେ ତୁମ୍ଭେ ସୃଷ୍ଟିର କରତା
ତୁମ୍ଭଙ୍କୁ ଅଜଣା କିବା ଅଛି କେଉଁ କଥା ।
ଯେ ନିମନ୍ତେ ମୋତେ ଜନ୍ମ କରାଇଲ ଆଣି
ତାହା ସବୁ ମିଥ୍ୟା ହୁଏ ତେବେ କୁଶପାଣି ।
ଯହିଁ ପାଇଁକି ଧଇଲି ମାନବ ଶରୀର
ତାହା ଏବେ ବୃଥା ସବୁ ହୋଇଲା ମୋହର ।
ଅକାରଣେ ମର୍ତ୍ତପୁରେ କାହିଁପାଇଁ ଥିବି
ବୈକୁଣ୍ଠପୁରକୁ ନିଶ୍ଚେ ବିଜୟ କରିବି ।
ସମ୍ଭାଳ ସୃଷ୍ଟି ତୋହର ନାହିଁ ମୋର କାର୍ଯ୍ୟ
ଏତେ ବୋଲି ଉଠିଲେକ ପ୍ରଭୁ ଦେବରାଜ ।
ବ୍ରହ୍ମାଏ ବୋଲନ୍ତି ଦେବ ତୁମ୍ଭପରି ଲୋକ
ଧଇର୍ଯ୍ୟ ନ ଧରି ଏବେ ଛାଡ଼ିଲ ବିବେକ ।
ଅଶେଷ ବ୍ରହ୍ମାଣ୍ଡ ତୁମ୍ଭ ହେତୁ ମୁଁ ସୃଜଇ
ବୃଥାରେ ଏପରି ନାଥ କହୁ କାହିଁ ପାଇଁ ।
ଲକ୍ଷ୍ମୀ ସରସ୍ୱତୀ ତବ ଅଟନ୍ତି ଯେ ନାରୀ
ତାହାଙ୍କୁ କି ଗୋପାଳୁଣୀ ହେବ ସ୍ୱାମୀ ସରି ।
ଛାର ଗୋପନାରୀ ପାଇଁ ଏଡ଼େକ ଭାବନା
ଯାହାଙ୍କ ଆଜ୍ଞାରେ ନବସୃଷ୍ଟିର ରଚନା ।
ନାରାୟଣ ବୋଇଲେକ ହେ ବିହି ପୁରୁଷ
ପ୍ରଳୟ ଅନ୍ତେ ଭିଆଅ ତୁମ୍ଭେ ଦଶଦିଗ ।
ନିହନ୍ତା ବିହନ୍ତା ତୁମ୍ଭେ ଅଟ ମୋକ୍ଷଦାତା
ତୁମ୍ଭଙ୍କୁ ଲାଗଇ ସବୁ ହାନି ଲାଭ କଥା ।
ଗଦାଧର ଆଦି ଆମ୍ଭେ ସକଳ ଅମର
ତୁମ୍ଭଯୋଗେ ଆତଯାତ ଆହେ କୁଶଧର ।
ଭୋ ପିତାମହ ମଦନ ପୀଡ଼ା ଦିଏ ମୋତେ
ଗୋପୀଙ୍କ ସଙ୍ଗ ନୋହିଲା ଆଜ ପରିଯନ୍ତେ ।
ତୁମ୍ଭେ ବୋଲିଥିଲ ମୁହିଁ ଭିଆଇଲି ସର୍ବ
ଗୋପୀଙ୍କ ସଙ୍ଗେ ଗୋପରେ କ୍ରୀଡ଼ା ଯେ କରିବ ।
ସେ କଥାମାନ ନୋହିଲା ଆହେ କୁଶପାଣି
ବାହୁଡ଼ି ଅନନ୍ତ ଶଯ୍ୟା କରିବଇଁ ପୁଣି ।
ବଇକୁଣ୍ଠେ ବିଳାସିବି ନାନାବିଧ ଭୋଗ
ଏତେ ଦୁଃଖ ସହିବାର କିପାଇଁ ସରାଗ ।
ରାମ ଅବତାର ଦୁଃଖ ପାସୋରିବା ପାଇଁ
ମର୍ତ୍ତ୍ୟଭୁବନେ ଜନମ ସିନା ହୋଇଲଇଁ ।
ତାହା ଯେବେ ବିପରୀତ ହୋଇଲା ମୋହର
କେଉଁପରି ଉଶ୍ୱାସିବି ଏ ଅବନୀ ଭାର ।
ଚନ୍ଦ୍ରବଦନୀ ରାଧିକା ଦେଲା ବଡ଼ ଲାଜ
ଅନେକ କଷ୍ଟ ପାଇଲି ନ ହୋଇଲା କାର୍ଯ୍ୟ ।
କାମବେଦ ବାଧା ମୁହିଁ ନ ପାରଇ ସହି
ଦିନୁ ଦିନୁ କ୍ଷୀଣ ଆସି ହୋଇଲାଣି ଦେହି ।
ଭୋଦେବ କୁଶକେତୁ ହେ ମୋତେ ତ୍ରାହିକର
କାମଜଳଧିରୁ ମୋତେ ବାରେକ ଉଦ୍ଧର ।
ବିଧାତା ବୋଇଲେ ତୁମ୍ଭେ ଅଟ ଦେବରାଜା
ଅନାଦି ପୁରୁଷ ସବୁଠାରେ ପାଅ ପୂଜା ।
ଜଳ ସ୍ଥଳ ଅନଳରେ ଅଛ ସର୍ବ ବ୍ୟାପୀ
ଅଶେଷ କୋଟି ଜନ୍ମରେ ତୁମ୍ଭେ ଜୀବରୂପୀ ।
ନ ଜାଣିଣ ଗୋପାଙ୍ଗନା ହୋଇଲେ ଅଜ୍ଞାନୀ
ପରପୁରୁଷ ବୋଲିଣ ନ ପାରିଲେ ଚିହ୍ନି ।
ଅଭିଶାପେ ଜନମିଲେ ଆସି ଗୋପଭୂଇଁ
ରାସରଙ୍ଗ କରିବେ ସେ ତୁମ୍ଭ ସଙ୍ଗ ପାଇ ।
ମର୍ତ୍ତ୍ୟପୁରେ ଅବତୀର୍ଣ୍ଣ ହେଲେ ତୁମ୍ଭଅର୍ଥେ
ପାସୋରିଣ ପକାଇଲେ ତାହା ମୂଢ଼ମତେ ।
ତୁମ୍ଭେ ଜନ୍ମ ନୋହିଥିଲେ ନୁହନ୍ତେ ସେ ଜାତ
ଏପରି କଥା ଅଛଇ ଆହେ ଗୋପୀନାଥ ।
ଯେ ପର୍ଯ୍ୟନ୍ତ ତୁମ୍ଭ ସଙ୍ଗ ନୋହିଛି ହୋ ହରି
ଯୁବାବସ୍ଥା ନ ହୋଇଛି ସେ ଯାଏ କାହାରି ।
ଏବେ ପାକାସ୍ପରଶ ନ ହେବେ ଗୋପାଳୁଣୀ
ତୁମ୍ଭେ ଅବତାର ଯେଣୁ ହେଲ ଚକ୍ରପାଣି ।
ଏବେ ଯେପରି ଗୋପୀଏ ହେବେ ବଶୀଭୂତ
ସେ ଉପାୟ ତୁମ୍ଭଙ୍କୁ ଯେ କହିବା ଅଚ୍ୟୁତ ।
ମଦନମୋହନ ବେଣୁ ଯେଉଁଠାରେ ଅଛି
ତାହା ତୁମ୍ଭେ ଚିନ୍ତାକର ଆହେ ଶିରୀବତ୍ସି ।
ଗାନ୍ଧାର ରାଗରେ ଗୀତ ଗାଇ ତ ବାଇଲେ
ଗୋପୀଏ ମୋହିତ ହେବେ ସେ ଶବ୍ଦ ଶୁଣିଲେ ।
ଯା ନାମ ଧରି ଡାକିବ ସେ ବିରହବଂଶୀ
ତତକ୍ଷଣେ ସେହି ନାରୀ ପ୍ରବେଶିବ ଆସି ।
ତୁମ୍ଭ ବେଣୁ ଶୁଣି ଗୋପୀ ମୋହିତ ହୋଇବେ
ଘର ଦ୍ୱାର ତେଜି ତୁମ୍ଭ ନିକଟେ ମିଳିବେ ।
ଜାଣୁ ଜାଣୁ ଆପଣ ତ ହେଉଅଛ ବଣା
ସାଧିବ ସକଳ କାର୍ଯ୍ୟ ବଂଶୀ ଏବେ ଅଣା ।
ଯତନେ ରଖିଛି ତାକୁ ବରୁଣ ନୃପତି
ଗନ୍ଧ ପୁଷ୍ପ ଦେଇ ହସ୍ତେ ପୂଜା କରେ ନିତି ।
ବରୁଣକୁ ସୁମରଣା କର ଚକ୍ରପାଣି
ମୋହନବଂଶୀ ଘେନିଣ ଆସିବ ଏକ୍ଷଣି ।
କୃଷ୍ଣଙ୍କର ଏହା ବୋଲି ଜାଣେ ସେ ନିଶ୍ଚୟେ
ଯତ୍ନେ ସାଇତିଛି ତେଣୁ ବହୁଯୁଗ ଯାଏ ।
ବଂଶୀ ମହିମା ବରୁଣ ଶୁଣିଅଛି ଯେଣୁ
ଭକ୍ତି ସହକାରେ ପୂଜା କରଇ ଯେ ତେଣୁ ।
ବ୍ରହ୍ମା ବଚନ ଶୁଣିଣ ପ୍ରଭୁ ହେଲେ ତୋଷ
ବରୁଣକୁ ସୁମରଣା କଲେ ଜଗଦୀଶ ।
ଜୟ ହେ ବରୁଣ ତବ ପୁଣ୍ୟମୟ ଜଳ
ଅଶେଷ ବାରାନିଧିର ଅଟ ଅଧିପାଳ ।
ସର୍ବଦା କାଳେ ତୁମ୍ଭେ ତ ଅଟେ ପୁଣ୍ୟମୟ
ଅଣ୍ଡକୋଷ ଫୁଟାଇଣ ହୋଇଛ ଉଦୟ ।
ଭୂଲୋକ ଯେ ଭୂବଲୋକ ସ୍ୱର୍ଲୋକକୁ ଜିଣି
ଜନଲୋକ ତପଲୋକ ସତ୍ୟ ଯେ ବଖାଣି ।
ସୂର୍ଯ୍ୟଲୋକ ଚନ୍ଦ୍ରଲୋକ ଯେ ନକ୍ଷତ୍ର ଲୋକ
ଧର୍ମଲୋକ ଧ୍ରୁବଲୋକ ଏ ଆଦି ଯେତେକ ।
ପୁଣ୍ୟଲୋକ ଶୁଭୋଲୋକ ଜାତଲୋକ ମୂଳେ
ଜୀବଲୋକ ତ୍ରଇଲୋକ ମୃତ୍ୟୁଲୋକ ତୁଲେ ।
ସିଦ୍ଧଲୋକ ବ୍ରହ୍ମଲୋକ ଏମନ୍ତ ପ୍ରମାଣି
ଏତେ ଲୋକମାନଙ୍କର ପୂଜ୍ୟ ଯେହୁ ପୁଣି ।
ଏହିରୂପେ ପୂଜାପାଅ ଚତୁର୍ଦ୍ଦଶ ପୁରେ
ଅକ୍ଷୁର୍ଣ୍ଣ ହୋଇଣ ତୁମ୍ଭେ ଥାଅ ସବୁଠାରେ ।
ଘଡ଼ିକ ମଧ୍ୟେ ଭିଆଇ ପାର ନବସୃଷ୍ଟି
ତୁମ୍ଭ ସମାନରେ କେହୁ ଜଗତେ ଅଛିଟି ।
ତୁମ୍ଭଘେନି ଧର୍ମଭାବ ସଂସାରେ ପୂରିଛି
ତୁମ୍ଭେ ଯହିଁ ନ ଥାଅ ସେ ଭୂମି ନୁହେଁ କିଛି ।
ରେଚକ ପୂରକ ବାୟୁ ଆବର କୁମ୍ଭକ
ଏମାନଙ୍କର ମଧ୍ୟରେ ଅଟ ତ ନାୟକ ।
ତୁମ୍ଭେ ଦୟାଳୁ ପୁରୁଷ ତୁମ୍ଭେ ଜ୍ଞାନବାନ
ସମସ୍ତଙ୍କ ହୃଦଭାବ ଅଟ ତ ଆପଣ ।
ଷଡ଼ ନିଃଶ୍ୱାସରେ ଭବେ ଲିତା ଯେ ବୋଲାଇ
ବେନିଖଣ୍ଡରେ ଘଡ଼ିଏ ଜଗତରେ ହୋଇ ।
ଚାରିଘଡ଼ିରେ ଯେ ପୁଣ ପ୍ରହରେ ନିର୍ମାଣ
ଏପରି ଚାରିପ୍ରହରେ ଦିନେକ ପ୍ରମାଣ ।
ରଜନୀ ଚାରି ପ୍ରହର ଗଣନା ଯେ କରି
ଯଜୁର୍ବେଦକୁ ତହିଁରୁ କାଢ଼ି ବେଦଧାରୀ ।
ଷାଠିଏଦଣ୍ଡ ରଜନୀ ଦିବସ ଗଣିତା
ତହିଁରେ ତୁମ୍ଭେ କେବଳ ଅଟ ତ କରତା ।
ସାତବାର ଶତାଇଶ ନକ୍ଷତ୍ରର ମୂଳେ
ତୁମ୍ଭହେତୁ ଯେଝା ଭୋଗ ଭୋଗନ୍ତି ସକଳେ ।
ଅମୃତ ଜାତ ହୋଇଲା ତୁମ୍ଭର କୃପାରୁ
ସବୁ ସରଜନା କର ତୁମ୍ଭେ ବୁଦ୍ଧିବଳୁ ।
ଚାରିବେଦ ଷଡ଼ଶାସ୍ତ୍ର ପୁରାଣାଦି କରି
ବେଦାନ୍ତ ଆଦି କରିଣ ଜ୍ୟୋତିଷାଦି ଧରି ।
ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ଯେତେ
ଭରହର ରସ କାବ୍ୟ ନାଟକ ସହିତେ ।
ଧର୍ମଶାସ୍ତ୍ର କାମଶାସ୍ତ୍ର ଯୋଗଶାସ୍ତ୍ର ଆଦି
ପଞ୍ଚାଶ ଅକ୍ଷର ବାର ମାତ୍ର ଯେ ପ୍ରସିଦ୍ଧି ।
ସ୍ୟମନ୍ତକ ମଣି ରତ୍ନ ଚାମର ଯେ ମାନ
ଉଚ୍ଚୈଃଶ୍ରବା ଅଶ୍ୱ ଐରାବତ ନାମ ପୁଣ ।
ପାରିଜାତ ପୁଷ୍ପ ଆଉ ଗନ୍ଧରବଗଣ
କିନ୍ନରୀ ବିଦ୍ୟାଧରୀ ଯେ କିନ୍ନର ଚାରଣ ।
ଧନ୍ୱନ୍ତରୀ ଆଦି ଯେତେ ଅପୂରୁବ ଦ୍ରବ୍ୟ
ତୁମ୍ଭର ଗର୍ଭଭିତରୁ ଉପୁଜିଲେ ସର୍ବ ।
ଅନାଦି ପୁରୁଷ ତୁମ୍ଭେ ଅଟ ଆଦିମୂଳ
ଜାତ ଅନ୍ତ ନାଥ ତୁମ୍ଭେ କର ଯେ ସକଳ ।
ଅଜୀବର ଜୀବ ତୁମ୍ଭେ ପ୍ରାଣୀଙ୍କର ପ୍ରାଣ
ଏପରି ସର୍ବଜୀବଙ୍କ ନାଥ ତ ଆପଣ ।
ବିଧାତା ରୁଦ୍ର କୁବେର ସର୍ବ ତୁମ୍ଭ ତଳେ
ତୁମ୍ଭେ ଦେବଙ୍କୁ ଯେ ରଖ ପ୍ରଳୟ ସଲିଳେ ।
ସ୍ୱାମୀ ଅନଙ୍ଗବାଣେ ମୋ ଦହୁଅଛି ଦେହ
କୃପାକର ମୋହଠାରେ ଆହେ ଦୟାମୟ ।
ବିହର ବଂଶୀ ଆଣିଣ ଦିଅ ଦୟାକରି
ମୋହଠାରେ ବଶଯେହ୍ନେ ହେବେ ଗୋପନାରୀ ।
ତୁମ୍ଭଙ୍କୁ ତ ଜଣା ଦେବ କାମ ବାଧା ଯେତେ
ରଙ୍ଗା ଅବତାର ହେଲି ଯହିଁର ନିମନ୍ତେ ।
ବିଧାତା କହି ଦେବାରୁ କରିଲି ସ୍ମରଣ
ବିରହ ମୂରଲୀ ଦେଇ କର ପରିତ୍ରାଣ ।
ବୃଥାରେ ଏ ମର୍ତ୍ତ୍ୟପୁରେ ରହିବି କିପାଇଁ
ଭୋଦେବ ରତ୍ନାକର ହେ କର ମୋତେ ତ୍ରାହି ।
ତୁମ୍ଭେ ଯେବେ ସେ ମୂରଲୀ ଆଣିଦେବ ଆଜ
ମହୀଭାରା ନାଶି କରିବଇଁ ଦେବକାର୍ଯ୍ୟ ।
ଏହିମତେ ସ୍ତୁତି କଲେ ଯହୁଁ ଚକ୍ରପାଣି
ଜଳେ ଥାଇ ଜାଣିଲେ ତା ବରୁଣ ନୃମଣି ।
ରତ୍ନପଲ୍ୟଙ୍କ ଉପରେ ବିଜେ କରିଥିଲେ
ଗୋବିନ୍ଦ ସୁମରନ୍ତେଣ ତହିଁ ସେ ଜାଣିଲେ ।
ମଗର ବାହନ ଚଢ଼ି ଅଇଲେକ ହାଦେ
ନମସ୍କାର କଲେ ଆସି ବ୍ରହ୍ମା ବିଷ୍ଣୁ ପଦେ ।
ଦୁହେଁଯାକ ବସିଛନ୍ତି ଏକାସନ ହୋଇ
ଏକାଳେ ଦର୍ଶନ କଲେ ଜଳପତି ଯାଇ ।
ନିଊନଭାବ ବହିଣ ଅଗ୍ରେ ଉଭା ହୋଇ
ବିନୟ ଭାବରେ ଶିରେ ବେନିକର ଦେଇ ।
ବ୍ରହ୍ମା ବୋଇଲେ ବରୁଣ ଶୁଣ ଆମ୍ଭ ବାଣୀ
ବଇଁଶୀ ନିମନ୍ତେ ସୁମରିଲେ ଚକ୍ରପାଣି ।
ବ୍ରହ୍ମପ୍ରଳୟ ହୋଇଲା ଜାଣ ଯେଉଁକାଳେ
ଯାବତ ସଚରାଚରେ ପ୍ରାଣୀ ନାଶଗଲେ ।
ଜନଜନ୍ତୁ ପୃଥିବୀରେ ନ ରହିଲେ କେହି
ବ୍ରହ୍ମଲୋକ ରୁଦ୍ରଲୋକେ ସବୁ ନଷ୍ଟ ହୋଇ ।
ସମସ୍ତ ପ୍ରଳୟ ହେଲା ବ୍ରହ୍ମ ପ୍ରଳୟରେ
କିନ୍ତୁ ବଂଶୀଗୋଟି ଭାସୁଥିଲା ସେ ଜଳରେ ।
ଅବିନାଶୀ ବଂଶୀ ସେହି କେବେ ନୁହେଁ ହତ
ସେ ବଂଶୀର ମହିମା ତ ଅଟେ ଅପ୍ରମିତ ।
ଜଳେ ନ ବୁଡ଼େ ଅନଳ ମଧ୍ୟେ ନ ପୋଡ଼ଇ
ଅନିବାରଣ ବଂଶୀ ସେ ଖଡ଼୍ଗେ ନ ଛିଡ଼ଇ ।
କଳ୍ପ ପରିଯନ୍ତେ ଥାଏ ଅକ୍ଷୂର୍ଣ୍ଣ ଭାବରେ
ତାହାର ମହିମା କେହି ବର୍ଣ୍ଣିବା ମୁଖରେ ।
ସମୟେ ଶୁଖିଲା ଯହୁଁ ସେ ପ୍ରଳୟ ପାଣି
ଦେଖିଲା ସେ ବଂଶୀଗୋଟି ଭାସୁଥାଏ ପୁଣି ।
ଜଳଚରମାନେ ତାକୁ ନେତ୍ରରେ ଦେଖିଲେ
ଅନେକ ଶ୍ରଦ୍ଧାରେ ଆଣି ଛାମୁରେ ମୋ ଦେଲେ ।
ଦେବଙ୍କ ବଚନେ ଆମ୍ଭେ ସମୟେ ରଖିଲୁ
କେତେଦିନ ଅନ୍ତେ ପୁଣି ଆମ୍ଭେ ନାଶଗଲୁ ।
ତେବେ ସେହି ବଂଶୀଗୋଟି ନ ହୋଇଲାକ୍ଷୟେ
ଅଖଣ୍ଡ ଭାବରେ ରହିଅଛି ଆଜଯାଏ ।
ଏବେ ସେ ବଂଶୀଲୋଡ଼ିଲେ ଯେବେ ହୃଷୀକେଶ
ଗୋବିନ୍ଦ ଆୟୁଧ ଆଣିଦିଅ ତାଙ୍କ ପାଶ ।
ବରୁଣ ବୋଇଲେ ତାହା ଭଲେ ମୁହିଁ ଜାଣି
ତେଣୁ ସଙ୍ଗତରେ ବଂଶୀ ଅଛଇ ତ ଆଣି ।
କଶ୍ୟପ ଋଷିଙ୍କଠାରୁ ଥିଲି ବାର୍ତ୍ତାପାଇ
ତିଥି ବାର ଗଣି ବାଟ ରହିଥିଲି ଚାହିଁ ।
ମଣିମୟ ଭଣ୍ଡାରରେ ରଖଇ ଯତନେ
ଧୂପ ଦୀପ ନଇବେଦ୍ୟେ ପୂଜେ ପ୍ରତିଦିନେ ।
ଭୋ ଦେବ ନାରାୟଣ ହେ ସର୍ବ ଅନ୍ତର୍ଯ୍ୟାମୀ
ଦେବାଧିଦେବଙ୍କ ପରେ ତୁମ୍ଭେ ଅଟ ସ୍ୱାମୀ ।
ବ୍ରହ୍ମାର ଦିବସେ ରଙ୍ଗ ଅବତାର ଧରୁ
ବିରହ ବଂଶୀ ବଜାଇ ଗୋପୀ ମନ ହରୁ ।
ଏବେ ତୁମ୍ଭ ଆୟୁଧକୁ ନିଅ ଦେବସ୍ୱାମୀ
ବେଣୁ ଦେଇଣ ବରୁଣ ହେଲେ ପରଣାମି ।
ଶୁକମୁନି ବୋଇଲେକ ଶୁଣ ନୃପନିଧି
ହରିବଂଶ ଶୁଣନ୍ତେଣ ଖଣ୍ଡେ ପାପ ବ୍ୟାଧି ।
ବ୍ରହ୍ମା ବିଷ୍ଣୁ ବରୁଣ ଏ ହେଲେ ଯେତେ କଥା
ମଞ୍ଚ ମଣ୍ଡଳର କେହି ନ ଜାଣେ ସେ ବାର୍ତ୍ତା ।
ଯା ବିଶ୍ୱକୂଟ ମାୟାରେ ମୁଗ୍ଧ ସର୍ବପ୍ରାଣୀ
ନନ୍ଦ ଯଶୋଦା ପ୍ରଭୃତି ସର୍ବ ଗୋପାଳୁଣୀ ।
କୁଞ୍ଜବନରେ ରହିଲେ ଏକା ବନମାଳୀ
କୁଶବଟୁ ଭୁବନକୁ ବ୍ରହ୍ମା ଗଲେ ଚଳି ।
ରତ୍ନାକର କଟକରେ ମିଳିଲେ ବରୁଣ
କି ଉପାୟ କରିବଇଁ ଭାଳି ନାରାୟଣ ।
ଅନଙ୍ଗର ପଞ୍ଚଶର ଅଙ୍ଗେ ଘାରୁଅଛି
ରାଧିକାରେ ମନଦେଇ ଅଛନ୍ତି ଶ୍ରୀବତ୍ସି ।
ହସ୍ତରେ ପ୍ରବେଶ ଆସି ବିରହ ମୂରଲୀ
ଦେଖିଣ ସନ୍ତୋଷ ହେଲେ ଦେବ ବନମାଳୀ ।
ସେ ବେଣୁଧରଙ୍କ ପାଦେ ଲୁଳୁମୋର ମାଥ
ଦୀନ ଅଚ୍ୟୁତଦାସକୁ ରଖ ଗୋପୀନାଥ ।
ଶୁକବ୍ରହ୍ମା ବୋଇଲେ ହେ ଶୁଣ ପରୀକ୍ଷିତ
ପବିତ୍ର ଗଙ୍ଗାଜଳ ଏ ଶ୍ରୀହରି ଚରିତ ।
ଜଗତେ ଦୁର୍ଲ୍ଲଭ ରାଧା କୃଷ୍ଣଙ୍କ ମିଳନ
ଶୁଣିଲେ ଅଙ୍ଗରୁ ହେବ କଳୁଷ ଦହନ ।
ଶ୍ରୀକରେ ସେ ବଂଶୀଗୋଟି ଧରି ଚକ୍ରପାଣି
ନମସ୍କାର କରି ଶିରେ ଲଗାଇଲେ ଆଣି ।
ଅଷ୍ଟରତ୍ନେ ନିର୍ମାଣ ସେ ଅତ୍ୟନ୍ତ ଉତ୍ତମ
ଜ୍ୟୋତିରେ କୋଟିଏ ଦିବାକର ହେବେ ନ୍ୟୂନ ।
ଇନ୍ଦ୍ର ବରୁଣ ଭୁବନେ ଯେତେ ଦ୍ରବ୍ୟ ଥିଲା
ବାଛିଣ ବିଧାତା ଆଣି ବେଣୁରେ ଖଞ୍ଜିଲା ।
ବେଣୁର ଶରୀରଯାକ ମର୍କତରେ ଜଡ଼ି
ଇନ୍ଦ୍ର ନୀଳମେଘେ ଯେହ୍ନେ ଶୋଭଇ ବିଜୁଳି ।
ନାରାୟଣଙ୍କ ଅଧର ତାର କ୍ରୀଡ଼ାସ୍ଥାନ
ବିଧାତା ପୂର୍ବରୁ ଯାହା କରିଛି ନିର୍ମାଣ ।
ରଙ୍ଗା ଅବତାର ହରି ବୋଇଲେ ତା ଧରି
ସୁପ୍ରସନ୍ନା ହୋଇବେ ଯେ ସର୍ବ ଗୋପନାରୀ ।
ଯୁଗ ପ୍ରଳୟ କାଳରେ ଯେହୁ ନୋହେ ନାଶ
ଚୌରାଅଶୀ ଜୀବଜନ୍ତୁ ଯା ଶୁଣିଣ ବଶ ।
ସେ ବେଣୁ ହସ୍ତରେ ଧରି ଦେବ ଚକ୍ରଧର
ବିକ୍ରମି ବସିଲେ ଯାଇ କଦମ୍ୱ ଡାଳର ।
କୁମାର ପୌର୍ଣ୍ଣମୀ ଜହ୍ନ ପଡ଼ିଛି ସମ୍ପୂର୍ଣ୍ଣ
ଦିବସ ପରାୟେ ଦିଶେ ସେ କୁଞ୍ଜ କାନନ ।
ଅଦଭୂତେ ଦିବ୍ୟ ରୂପ ଧଇଲେ ଶ୍ରୀହରି
ସେ ରୂପକୁ ପଟାନ୍ତର ନାହିଁ ତିନିପୁରୀ ।
ସର୍ବ ଅଳଙ୍କାର ଅଙ୍ଗେ ହୋଇଲେ ଭୂଷଣ
ତ୍ରିଭଙ୍ଗିମା ରୂପଧରି ଦେବ ଜନାର୍ଦ୍ଦନ ।
ଦକ୍ଷିଣ କର୍ଣ୍ଣମୂଳରେ ପଦ୍ମପୁଷ୍ପ ଶୋହେ
କଦମ୍ୱ ଡାଳେ ଆଉଜି ବସିଲେକ ସ୍ନେହେ ।
ମନବଚନ ଚୈତନ୍ୟ ଅନ୍ତର୍ଗତେ କ୍ଷେପି
ସୁରଙ୍ଗ ଅଧରେ ବେଣୁ ଧୀରେ ଧୀରେ ଚାପି ।
ସୁସଞ୍ଚ ଓଷ୍ଟପୁଟରେ ଫୁଙ୍କନ୍ତେ ଶ୍ରୀହରି
ସୁଲଳିତ ପଞ୍ଚସ୍ୱରେ ରାଗିଣୀ ଉଙ୍କାରି ।
ସେ ଅପୂର୍ବ ଶବଦ ଯେ ଶୁଭେ ତିନିପୁରେ
ଧ୍ୱନି ସମ୍ଭାଇଲା ଯାଇ ଜନ୍ତୁଙ୍କ କର୍ଣ୍ଣରେ ।
ସ୍ୱର୍ଗକୁ ଆଦି କରିଣ ବ୍ରହ୍ମଲୋକ ଯାଏ
ସର୍ବଭୂତେ ବେଣୁସ୍ୱନ ଯାଇଣ ସମ୍ଭାଏ ।
କୋକିଳ ପଞ୍ଚମସ୍ୱରେ ମୂରଲୀ ଶୁଭଇ
କୋଟିଏ ନାରଦ କିବା ବୀଣା ଯନ୍ତ୍ର ବାଇ ।
ଦୁନ୍ଦିଭି ବାଦ୍ୟ ଯେସନେ ଶୁଭେ ସ୍ୱର୍ଗପୁରେ
ସେହିପରି ଶୁଭିଲାକ ଅତି ଉଚ୍ଚାଟରେ ।
ନାହିଁ ତାକୁ ପଟାନ୍ତର ଅଶେଷ ମହିମା
ସାମବେଦ ଗାଆନ୍ତି କି କୋଟି କୋଟି ବ୍ରହ୍ମା ।
ହା ହା ହୁ ହୁ ଗନ୍ଧରବ ଓଙ୍କାରିଲେ ଧ୍ୱନି
ଆନନ୍ଦେ ଶିଂଘା ବାଇଲେ ସଦାନନ୍ଦ ସ୍ୱାମୀ ।
ଅପୂର୍ବ ଶପବ ଯହୁଁ ଜଗତେ ପୂରିଲା
ବିନା ମେଘ ଆଚ୍ଛାଦନେ ମୟୂର ନାଚିଲା ।
ସମ୍ପୂର୍ଣ୍ଣରେ ବେଣୁ ଧ୍ୱନି ଶୁଭିଲାକ ଯହୁଁ
କୀଟପଚଙ୍ଗାଦି ଜୀବେ ମୁଗ୍ଧ ହେଲେ ତହୁଁ ।
ପଲ୍ଲବିଣ ଉଠିଲେ ଯେ ଶୁଷ୍କ ତରୁ ଡାଳ
ଫଳ କୁସୁମେ ପୂରିତ ପାଦପ ସକଳ ।
ଅବସନ୍ତରେ ବସନ୍ତ ବହେ ଘନ ଘନ
ଉଚ୍ଛନ୍ନ ହୋଇଲା ମୁନିମାନଙ୍କର ମନ ।
ଝିଙ୍କ ଶୁକ ପିକ କଲେ କୋଳାହଳ ବାଣୀ
ଶବ୍ଦ ଶୁଣି ମୁହ୍ୟମାନ ସକଳ ପରାଣୀ ।
ମୁନିମାଙ୍କର ଭାଙ୍ଗିଗଲା ଯୋଗମୁଦ୍ରା
ବ୍ୟାଘ୍ର ଭାଲୁ ମେଷଙ୍କର ଏକତ୍ରରେ ନିଦ୍ରା ।
ହସ୍ତୀ ସଙ୍ଗତରେ ସିଂହ ଉନମତ୍ତ ହୁଏ
ବକ ସଙ୍ଗତରେ ମୀନ ଖେଳଇ ଉତ୍ସାହେ ।
ମାର୍ଜାରୀ ତୁଲରେ କ୍ରୀଡ଼ା କରଇ ଯେ ମୂଷା
ଶାର୍ଦ୍ଦୁଳ ପଲରେ ପୁଣି ବିହରଇ ଶଶା ।
ଜଳକୁ ତେଜିଣ ମୀନ ଉପରରେ ପଡ଼ି
ଗିରିଶିଖରେ ଫୁଟଇ ପଦ୍ମପୁଷ୍ପ କଢ଼ି ।
ପାଷାଣ ବହିଲା ତୋୟ ଆକୃତି ପରାୟେ
ଜୀବଜନ୍ତୁମାନେ ବାଇ ହୋଇଲେ ବିରହେ ।
ଯମୁନା ନଦୀରେ ପାଣି ଉଜାଣି ବହିଲା
ବେଣୁନାଦ ଶୁଣି ଜଳ ସ୍ତମ୍ଭୀଭୂତ ହେଲା ।
ନବମାଳତୀ କୁସୁମ ପଲ୍ଲବି ଉଠିଲା
ସୁଗନ୍ଧ ବାୟୁରେ ଚତୁର୍ଦ୍ଦିଗ ଘୋଟିଗଲା ।
ସେ ସ୍ୱାମୀ ରଚି ଅଛନ୍ତି ଚତୁର୍ଦ୍ଦଶପୁର
ତାଙ୍କର ବେଣୁଧ୍ୱନି କି କିସ ପଟାନ୍ତର ।
ଯହୁଁ ବେଣୁଧ୍ୱନି ପ୍ରଭୁ କଲେ ମହାରବେ
ସଚରାଚର ପ୍ରାଣୀଏ ମୁଗ୍ଧ ହେଲେ ସର୍ବେ ।
ଗୋପନାରୀ ଛାର ସେତ କେତେକ ମାତର
ଶୁଣି ଚନ୍ଦ୍ରମୁଖୀ ରାଧା ହୋଇଲା ତତ୍ପର ।
ରତ୍ନପଲ୍ୟଙ୍କ ଉପରେ ନିଦ୍ରା ଯାଇଥିଲା
ବେଣୁର ଶବଦ ଯହିଁ କର୍ଣ୍ଣ ସମ୍ଭାଇଲା ।
ଭାଙ୍ଗିଗଲା ତେଡ଼େ ନିଦ୍ରା ବିରହେ ବ୍ୟାକୁଳ
ପଲ୍ୟଙ୍କ ଉପରେ ବସି ଉଠଇ କେବଳ ।
ସୁସ୍ୱରେ ପଞ୍ଚମସ୍ୱରେ ଶୁଭେ ବେଣୁନାଦ
ଆତ୍ମା ଅସ୍ଥିର ହୁଅଇ ଶୁଣନ୍ତେ ସେ ଶବ୍ଦ ।
ଚିତ୍ତ ଛନ୍ନ ଛନ୍ନ ନେତ୍ରେ ନିଦ୍ରା ନ ମାଡ଼ଇ
ଅଙ୍ଗ ଥରଥର ଲୋମ ଟାଙ୍କୁରି ଉଠଇ ।
ରାଧେ ରାଧେ ବୋଲି ବେଣୁ କରଇ ଶବଦ
ସେ ଶବ୍ଦ ଶୁଣିଲାକ୍ଷଣି ଶରୀର ସ୍ତବଧ ।
ବାତୁଳ ପରାୟ ହୋଇ ଭ୍ରମେ ପଞ୍ଚମନ
ଶ୍ରମଝାଳ ସର୍ବଙ୍ଗରୁ ହୁଅଇ ପତନ ।
ରକତ କୁମୁଦ ପ୍ରାୟେ ବିରାଜଇ ଡୋଳା
ବେଳୁଁ ବେଳ ବେଣୁନାଦ କରଇ ବାଉଳା ।
ଘନ ଘନ ଦୀର୍ଘହୋଇ ମାରେ ଶୁଭ୍ରକେଶୀ
ଶରୀରେ ଅନଙ୍ଗଶର ପ୍ରବେଶିଲା ଆସି ।
ଗନ୍ଧ ଚନ୍ଦନ କର୍ପୂର ଲାଗେ ସବୁ ପିତା
କ୍ଷଣେ ବସେ କ୍ଷଣେ ଉଠେ ସେ ଗୋପ ବନିତା ।
କ୍ଷଣେ ହସେ କ୍ଷଣେ କାନ୍ଦେ କ୍ଷଣେ ତୁନିହୋଇ
କ୍ଷଣକେ ଚେତନା ଅଙ୍ଗୁ ତାର ହଜିଯାଇ ।
ସୁପାତି ଶଯ୍ୟାକୁ ତେଜି ଲୋଟଇ ମହୀରେ
ଚନ୍ଦନ ତେଜିଣ ପଙ୍କ ବୋଳଇ ଶରୀରେ ।
ତୁଟିଲା ହାର କଙ୍କଣ ନୁହଇ ସୁବେଶ
କେଶବାସ ଅସମ୍ଭାଳେ ଲୁଟଇ ନାରୀଶ ।
ନୟନ ଯୁଗଳୁଁ ତାର ବହେ ଅଶ୍ରୁଜଳ
କ୍ରୋଟରାନଳ ଜାଣିଣ ବହେ ଅନ୍ତରାଳ ।
ପାନ ଭୋଜନ ବିଷୟେ ନ ରହେ ଆଦର
ଓଷ୍ଠ କଣ୍ଠ ତାଳୁକା ଯେ ଶୁଖଇ ଅଧର ।
କାଳସର୍ପ ବିଷ ଦେହେ ଚଢ଼ଇ ଯେପରି
କହୁଁ କହୁଁ ଅସମ୍ଭାଳ ରାଧିକା ସୁନ୍ଦରୀ ।
ରସାଣିଲା ସ୍ୱର୍ଣ୍ଣପ୍ରାୟେ ଦିଶେ ଯେଉଁ ଅଙ୍ଗ
ତୁଟିଲା ବଳବପୁ ଯେ ହୋଇଲା ବିଭଙ୍ଗ ।
କ୍ଷଣେ କ୍ଷଣେ ବେଣୁଧ୍ୱନି ସମ୍ଭାଏ କର୍ଣ୍ଣରେ
ତାହା ବ୍ୟତିରେକେ ଚିତ୍ତ ନ ବଳେ ଆନରେ ।
ଘରଦ୍ୱାର ବିଷପିତା ମଣଇ ଯେ ବାଳି
ମନ୍ଦିରକୁ ବାହାରିଲା ତହୁଁ ଚନ୍ଦ୍ରାବଳୀ ।
ରାଧିକା ପାଶେ ନଣନ୍ଦ ତାର ଶୋଇଥିଲା
ବିଷ୍ଣୁ ମାୟା କଲେ ନିଦେ ଅଚେତନ ହେଲା ।
ରଜନୀ ପନ୍ଦର ଦଣ୍ଡ ହୋଇଛି ଉଗୁଳି
ଏକାଳେ ବାହାରେ ପୁରମଧ୍ୟୁ ଚନ୍ଦ୍ରାବଳୀ ।
ଶୁଖିଛି ଚନ୍ଦ୍ରବଦନ ମନେ ନାହିଁ ସୁଖ
ଧୀରେ ଧୀରେ ଯାଏ ଚିତ୍ତ ହୁଏ ଦକ ଦକ ।
ବିରହବଂଶୀ ଶବଦ ଶୁଭେ ଘନ ଘନ
ତହିଁରେ ଲୟ କରିଛି ଦେଇ ପଞ୍ଚମନ ।
ଦୁର୍ଗାମାଧବ ସୁମରି ଚଳିଯାଏ ଧୀରେ
ପ୍ରବେଶ ହୋଇଲା ଯାଇ ଦୂତୀ ଉଆସରେ ।
ରାଧିକା ବୋଲଇ ଆଗୋ ଶୁଣ କିନା ସହି
ପୁରମଧ୍ୟୁ ବାହାରିଣ ଆସ ବେଗହୋଇ ।
କବାଟ କିଳି ଦୂତିକା ନିଦେ ଶୋଇଥିଲା
ରାଧିକା ଡାକ ଶୁଣିଣ ବାହାରି ଅଇଲା ।
କବାଟ ଫେଡ଼ି ଦୂତିକା ଆସେ ବେଗକରି
ଆସ ଆସ ବୋଲି କର ଧରିଣ ଚତୁରୀ ।
ନିଜ ପଲ୍ୟଙ୍କ ଉପରେ ନେଇ ବସାଇଲା
ଆଶ୍ୱାସନାବାକ୍ୟ କହି ସନ୍ତୋଷ କରିଲା ।
ରାଧିକା ମନରେ ଟିକେ ମାତ୍ର ସୁଖ ନାହିଁ
ଦୂତୀ ଚିନ୍ତାଭର ହେଲା ରାଈ ମୁଖ ଚାହିଁ ।
ବୋଲେ ଏତେ ରାତ୍ରେ କିପାଂ ଅଇଲ ମୋପୁରେ
ଗୋପନ ନ କରି ତାହା ପ୍ରକାଶ ସତ୍ୱରେ ।
ଏକେ ତ ଅଟ ଯେ ପୁଣି କୁଳ ଭୁଆସୁଣୀ
ସୁଲକ୍ଷଣୀ ସୁକୁମାରୀ ନାରୀ ଶିରୋମଣି ।
ଲକ୍ଷ୍ମୀ ଅଂଶରେ ହୋଇଛ ଭବେ ଅବତାର
ମୁଦିକରି ଥୋଇଲା କି ମଦନ ଭଣ୍ଡାର ।
ଅପାଙ୍ଗ ଲୋଚନେ ଦେବୁ ତୁ ଯାହକୁ ଦୁଷ୍ଟି
ପାଷାଣ ହେଲେ ନ ସହି ଯିବ ନିଶ୍ଚେଁ ଫାଟି ।
ସମ୍ପୂର୍ଣ୍ଣ ଷୋଡ଼ଶୀ ତୋର କୁମାରୀ ବୟସ
ଦରବିକଶିତ ପଦ୍ମ ହୋଇଛି ପ୍ରକାଶ ।
ନିଜ ଭର୍ତ୍ତାଠାରେ ତୋର ନ ବଳଇ ମତି
କାମଭଣ୍ଡାର ଧ୍ୱଂସିନୀ ତୁ ପଦ୍ମିନୀ ଜାତି ।
ତାହାର ମହିମା ମାଗୋ କହିବଇଁ କେତେ
ଅନେକ ଯତ୍ନରେ ଧାତା ଗଢ଼ିଅଛି ତୋତେ ।
ପ୍ରୟାଗ ଗଙ୍ଗାସାଗରେ ଝାସିଥିବ ଯେହୁ
ତୋ ପରି ନାରୀ ଲଭିବ କି କହିବି ଆଉ ।
ଏକାକୀ ଅଇଲୁ ସଙ୍ଗେ କେହି ଜଣେ ନାହିଁ
ଏଥିର କାରଣ ମୋତେ କହ ପ୍ରାଣ ସହି ।
ବଡ଼ଲୋକ ବୋହୁ ବଡ଼ଲୋକର ଦୁହିତା
ଏତେ ରାତ୍ରେ ଆସିବାର ଅଛି କେଉଁ କଥା ।
ଶାଶୁ ଶ୍ୱଶୁରଙ୍କର ତ ବଡ଼ାଇ ଆକଟ
ଅନୁକ୍ଷଣେ ଜଗିଥାନ୍ତି ତୋ ଚାଲିବା ବାଟ ।
କେମନ୍ତେ ଚାଲି ଅଇଲୁ କହ ଏତେଦୂର
ପଥମଧ୍ୟେ ତୁମ୍ଭଙ୍କୁ ତ ନ ମାଡ଼ିଲା ଡର ।
ଏବେ ମୋର ବୋଲେ ପୁରେ ବାହୁଡ଼ିଣ ଯାଅ
ରତ୍ନପଲ୍ୟଙ୍କ ଉପରେ ନିଶ୍ଚିନ୍ତରେ ଶୁଅ ।
ଏହି କଥାଗୋଟି ଯେହ୍ନେ ନ ଜାଣିବେ କେହି
ପ୍ରଘଟ ହେଲେ ମରିବ ଆଗୋ ଚାନ୍ଦମୁହିଁ ।
ରାତି ନ ପାହୁଣୁ ବେଗେ ଘରକୁ ବାହୁଡ଼
ଜାଣିଛୁ ତ କଂସରାଜା ଅଟେ କେଡ଼େ ରାଢ଼ ।
ଗୋଟି ଗୋଟି କରି କାଲି ଧରାଇଣ ନେବ
ଲୋକଙ୍କ ହାତରେ ନାନ ଶାସ୍ତି ଭିଆଇବ ।
ରାଧିକା ବୋଇଲେ ସଖି ନ କହ ତୁ କିଛି
ପ୍ରତିକାର କର ଯେବେ ମୋରେ କାର୍ଯ୍ୟ ଅଛି ।
ଆଗୋ ସଖି ବେଣୁଶବ୍ଦ ବାଜିଲା ମୋ କାନେ
ନାହିଁ ତାକୁ ପଟାନ୍ତର ଚଉଦ ଭୁବନେ ।
ତାହା ଶୁଣିଲାବେଳରୁ ବ୍ୟାକୁଳ ମୋ ଦେହୀ
ମୋର ନାମ ଧରି ବାରମ୍ୱାର ସେ ଡାକଇ ।
ସେ ଶବ୍ଦ ଶୁଣିଲେ କିଏ ଧଇର୍ଯ୍ୟ ଧରିବ
ପାଷାଣ ହୋଇଲେ ମଧ୍ୟ ତରଳି ସେ ଯିବ ।
ତୁମ୍ଭଠାରୁ ମୋର କେହି ନାହିଁ ନା ବିଶ୍ୱାସୀ
ପ୍ରତିକାର କର ମୋତେ ଆଗେ ଶୁଭ୍ରକେଶି ।
କିଏ କେଉଁଠାବେ ବସି ବଜାଏ ମୂରଲୀ
ସେ ଶବ୍ଦ ଶୁଣିଲାବେଳୁ ଧୈର୍ଯ୍ୟ ହରାଇଲି ।
ଜାତି କୁଳ ମହତ ଗୋ ତେଜିଲି ସଜନି
କି କରିବି ବୁଦ୍ଧି ମୋତେ ନ ଦିଶଇ ପୁଣି ।
କହୁଁ କହୁଁ ରାଧିକା ଯେ ଭାସେ ଶୋକଜଳେ
ସାଷ୍ଟାଙ୍ଗରେ ଶୁତିଲା ସେ ଦୂତୀ ପାଦତଳେଳ ।
ଏହି ସମୟେ ଶୁଭିଲା ପୁଣି ବେଣୁଧ୍ୱନି
ଚନ୍ଦ୍ରବଦନୀ ବୋଇଲେ ଶୁଣ ସଙ୍ଗାତୁଣୀ ।
ଜୀବ ନ ରହିବ ପିଣ୍ଡେ ଆଉ ଗୋ ମୋହର
କି ଉପାୟ ଥିଲେ ଭାଷ ବିଳମ୍ୱ ନ କର ।
ଯେ ଲୋକ ବେଣୁ ବାଉଛି ତାକୁ ଭେଟା ମୋତେ
ତେବେ ମନ ସ୍ଥିର ହେବ କହିଲଇଁ ତୋତେ ।
ମନର କଥା ରାଧିକା ବୋଇଲା ସେକ୍ଷଣି
ମନେ ମନେ ଦୂତିକା ଯେ କରଇ ଭାଳେଣି ।
ସିଆଣୀ ଚତୁରୀ ସେ ତ ଜାଣେ ସବୁବୁଦ୍ଧି
ଅନ୍ତର୍ଗତେ ଭାଳେ କୃଷ୍ଣକାର୍ଯ୍ୟ ହେଲା ସିଦ୍ଧି ।
ଯାହା ମନେ ବିଚାରିଣ ଥିଲେ ଦେବରାୟେ
ବିଧାତା ଆଣିଣ ସେହି କଥା ତ ଭେଟାଏ ।
ମୁଁ ତାଙ୍କ ସେବା ନିମନ୍ତେ ହୋଇଅଛଇ ଜାତ
ଏବେ ଜନମ ସଫଳ ହେଲି ମୁଁ କୃତାର୍ଥ ।
ଏହିରୂପେ ଅନ୍ତର୍ଗତେ ଅନେକ ଭାଳିଲା
କୂଟ କପଟେ ରାଈଙ୍କୁ ତହୁଁ ତିଆରିଲା ।
ଭୋ ସଖି ରାଧିକା ତୁହି ହେଲୁ କିପାଁ ବାଇ
ଅସମ୍ଭବ କଥା ମୋତେ କହୁ କାଇଁପାଇଁ ।
କେଉଁ ପୁରୁଷରେ ମନ ବଳିଛି ତୋହର
ତାହା ମୋତେ ଫେଡ଼ିକରି କହ ରାମାବର ।
ସ୍ତିରୀଙ୍କର ମନ ଆଉ ପୁରୁଷଙ୍କ ଦଶା
ଜାଣି ନ ପାରଇ କେହି ମେଘର ବରଷା ।
ବୃକ୍ଷଙ୍କର ଫଳ ବୁଦ୍ଧିମନ୍ତର ଯେ ବଳ
ଗଗନରେ ଅବଶେଷ ବାରିଧିର କୂଳ ।
ରାଜାଙ୍କର ହୃଦ ଆଉ କବିଙ୍କର ପଦ
ଦେବ ଦାନବେ ମାନବେ ଏ କଥା ଦୁର୍ବୋଧ୍ୟ ।
ରାଧିକା ବୋଇଲେ ତାହା ଜାଣିବି କେମନ୍ତ
ଅନୁମାନ ଜାଣୁଅଛି ହେବ ନନ୍ଦସୁତ ।
କୁଞ୍ଜବନରେ ମୂରଲୀ ବସି ବଜାଉଛି
ମୋର ନାମ ଧରି ବେଣୁ ସର୍ବଦା ଡାକୁଛି ।
ଦୂତିକା ବୋଲେ ଏ ଅସମ୍ଭବ ତ ଅଟଇ
କଅଁଳାପୁଅ ସେ ନନ୍ଦକୁମର ମାଧୋଇ ।
ସେ କିପାଇଁ କୁଞ୍ଜବନେ ବାଇବ ବଇଁଶୀ
ସ୍ୱପନ ପ୍ରାୟେ ମଣୁ କି ଆରେ ମଦାଳସି ।
ସୂର୍ଯ୍ୟକୁ ହସ୍ତ ବଢ଼ାଇ ଲୋଡ଼ି ତୁହି ଧରୁ
ପାଶରେ ପବନ ବନ୍ଦି ମନରେ ବିଚାରୁ ।
କୋଇଲି ସୂତାରେ କାହିଁ ଗଜଇ ବନ୍ଧନ
ନିଶୁଣି ବାନ୍ଧି ସ୍ୱର୍ଗକୁ ଯାଇଛି କେ ପୁଣ ।
କଦଳୀ ଭେଳାରେ କେହୁ ସମୁଦ୍ର ତରଇ
କଅଁଳା ପୁଅରଠାରେ ତୋ ମନ ରସଇ ।
ସୁନ୍ଦରୀ ସୁଲକ୍ଷଣୀ ତୁ ନାରୀମଧ୍ୟେ ହୀରା
ବାତୁଳୀ ପରାୟେ କିପାଁ ହେଉଛୁ ଅଧୀରା ।
ଏ ଗୋପନଗରେ କେଉଁ ପୁରୁଷ ବା ନାହିଁ
ନନ୍ଦସୁତଠାରେ ଶ୍ରଦ୍ଧା ଏଡ଼େ ତୋ କିପାଇଁ ।
ନ କହ ନ କହ ଆରେ ଆଉ ତୁ ଏପରି
ଲୋକହସା କଥା ଏ ତ ଅଟଇ ସୁନ୍ଦରୀ ।
ତୁମ୍ଭେ ତ ଜାମ ଯଶୋଦା ପୂର୍ବର କାହାଣୀ
ଅନେକ ଦୁଃଖେ ତାହାକୁ ପାଳିଅଛି ଆଣି ।
ବାଳୁତ ବୟସ ତାର କିସ ଅବା ଜ୍ଞାନ
ବୃଥା କଥାରେ କିପାଇଁ ବଳାଇଲୁ ମନ ।
ରାଧିକା ବୋଇଲେ ସଖି ଶୁଣ ସାବଧାନେ
ନନ୍ଦକୁମାର ଶ୍ରୀକୃଷ୍ଣ ବୋଲି ମୁଁ ନ ଜାଣେ ।
ଜାଣି ତ ନୁହଇ ଆଗୋ ଦେବଙ୍କର ମାୟା
କେଉଁ ଦେବତା କପଟେ ଧରିଅଛି କାୟା ।
ଜନ୍ମହେଲା ଦିନୁ ତାର ଆଲୋକିତ କଥା
ସାମାନ୍ୟ ଲୋକ ସେ ନୁହେଁ ଜାଣଗୋ ସର୍ବଥା ।
ଅନ୍ତୁଡ଼ିଶାଳେ ପୂତନା ପ୍ରାଣ କଲା ନାଶ
ତୃଣାବର୍ତ୍ତ ରାକ୍ଷସକୁ କରିଲା ବିନାଶ ।
ପାଦ ହଲାଇ ଶକଟାସୁରକୁ ମାଇଲା
ମାନବ ହୋଇଣ ଏଡ଼େ କର୍ମ କିଏ କଲା ।
ଯେଉଁଦିନ ପ୍ରବେଶିଲା ଆସି ନନ୍ଦଘରେ
ଅଚଳାଚଳ ସମ୍ପତ୍ତି ହେଲା ଗୋପପୁରେ ।
କହୁଁ କହୁଁ ଧରଇ ସେ ଆନୁ ଆନ ମୂର୍ତ୍ତି
ଜାଣିଲି ନିଶ୍ଚୟ ସେହି ଅଟଇ ଶ୍ରୀପତି ।
ଜଗତରେ ଅତୁଲାଇ ପୁରୁଷ ତ ସେହି
ତା ରୂପ ଦେଖିଲାଦିନୁ କ୍ଷୀଣ ମୋର ଦେହୀ ।
ଶୁଣ ଆଗୋ ସଖି ଏକ ଦିନର ଖବର
ଗୁପତରେ ମୋର ପୁରେ ବିଜେ ଚକ୍ରଧର ।
ଅନେକ ଚାଟୁବଚନ କହିଲେକ ମୋତେ
ଭର୍ତ୍ସନା ବାକ୍ୟ ତାହାଙ୍କୁ କହିଲି ମୁଁ କେତେ ।
ମୁହିଁ ନିଲକ୍ଷଣୀ ତାଙ୍କୁ ଚିହ୍ନି ନ ପାରିଲି
ପ୍ରାପ୍ତ ନିଧିକି ଜାଣିଣ ପାଦେ ଫିଙ୍ଗି ଦେଲି ।
ଏହିକ୍ଷଣି ସେ କଥା ତ ହେଲା ବିପରୀତ
ଏବେ ତାର ପ୍ରତିକାର କର ଗୋ ସଙ୍ଗାତ ।
ଦୂତିକା ବୋଇଲା ଏ ତ ଉପହାସ କଥା
ଲାଜ ମାଡ଼ଇ ଶୁଣିଲେ ଏସନ ବାରତା ।
ଆତୁର ହୋଇଲୁ ଯେବେ ମଦନ ଆରତେ
ମୁଁ ଏଥକୁ ଉପାୟ ଗୋ କରିବି କେମନ୍ତେ ।
କଅଁଳା ପୁଅକୁ ମୁହିଁ ପାରିବି କି ବୋଧି
ରୋଗକୁ କି ଆକର୍ଷଣ କରଇ ଔଷଧି ।
ରାଧିକା କହିଲା ସଖି ନ କହ ଭୁଲାଇ
ଜୀବନ ମୋ ଛାଡ଼ିଯିବ ନନ୍ଦସୁତ ପାଇଁ ।
ଛାଡ଼ିଲଇଁ ଲଜ୍ଜା ପଛେ ତେଜିବି ଭରତା
ଯେ ଯାହା ବୋଲୁ ପଛକେ ନାହିଁ ମୋର ଚିନ୍ତା ।
ଏକା ନୟନ ପିତୁଳା ମୋର ନନ୍ଦ ସୁତ
ତାକୁ ଶୀଘ୍ର ଦିଅ ଆଣି କହୁଛି ସଙ୍ଗାତ ।
ଯଦ୍ୟପି ଆଣି ନ ଦେବ ତାହାକୁଟି ମୋତେ
ମୁହିଁ ମଲେ ନିଶ୍ଚେଁ ହତ୍ୟା ଲାଗିବଟି ତୋତେ ।
ବୋଲୁ ତୁ ବାଳୁତ ଅଟେ ନନ୍ଦର ନନ୍ଦନ
ବାଳୁତ କରଇ କାହିଁ ବଇଁଶୀର ସ୍ୱନ ।
ଯେଉଁଦିନ ଜନ୍ମ ହେଲା ନନ୍ଦର ମନ୍ଦିରେ
ପ୍ରତ୍ୟକ୍ଷେ ଦେଖିଲି ମୁହିଁ ଅନ୍ତୁଡ଼ି ଶାଳରେ ।
କମଳ ଲୋଚନ ମୋତେ ଅପାଙ୍ଗେ ଚାହଁଇ
ସେହିଦିନୁ ଶ୍ରଦ୍ଧା ମୋର ବଳିଲା ତା ଠାଇଁ ।
ଶ୍ରୀକୃଷ୍ଣ ନାମକୁ ସେହିକାଳୁ ଗୁଣୁଅଛି
ସ୍ୱପନରେ ତାର ରୂପ ପ୍ରତ୍ୟହ ଦେଖୁଛି ।
ସେ ପ୍ରଭୁର ନାଭିପଦ୍ମୁ ଜାତ ଚତୁର୍ମୁଖ
ତତକ୍ଷଣେ ଜାଣିଲେ ସେ ଆତ୍ମା ଭେଦଯାକ ।
ବ୍ୟାସଦେବଙ୍କ ନନ୍ଦନ ଶୁକ ମହାଯତି
ମାତାଗର୍ଭେ ଥାଇଁ ବ୍ରହ୍ମବିଦ୍ୟା ସେ ଜାଣନ୍ତି ।
ବଶିଷ୍ଠ ଯେ ବିଶ୍ୱାମିତ୍ର ଋଷି ସନାତନ
ସନକ କପିଳ ଭୃଗୁ ଆଦି କେତେ ପୁଣ ।
ଏକେ ଏକେ କହିବଇଁ କେତେ ନାମ ଧରି
ବାଳୁତ କାଳେ କି କୃତ୍ୟ ନାହାନ୍ତି ସେ କରି ।
ପାର୍ବତୀଙ୍କର ଗର୍ଭରୁ କାର୍ତ୍ତିକ ଜନ୍ମିଲେ
ତିନିଦିନେ କିପରି ସେ ତାରକା ମାଇଲେ ।
ପଉଲସ୍ତି ଜାତ ହେଲେ ବ୍ରହ୍ମାଙ୍କର ତହୁଁ
କୋଟି ନାଗୁଣୀ ଭାରିଯା ବିଳସିଲେ ସେହୁ ।
ପୂର୍ବେ ଥିଲା କୁରୁବଂଶେ ଶମ୍ଭୁ ଏକ ରାଜା
ସାତଦିନ ପୁତ୍ର ତାର ସହସ୍ରେ ଭାରିଯା ।
ସେ ବାଳକ ସେମାନଙ୍କ ସହ ବିଳସିଲା
ତୁମ୍ଭେ ଭଣ୍ଡୁଅଛ ମୋତେ କହିକରି ପିଲା ।
ଉତ୍ତମ ଲୋକର କଥା ଜାଣି ତା ନ ପାରି
ସାମାନ୍ୟ ପୁରୁଷ ସେତ ନୋହେ ଦେବହରି ।
କୀଟଠାରୁ ବ୍ରହ୍ମଲୋକ ଜଳ ସ୍ଥଳ ଯାଏ
ସମସ୍ତରୂପ ଧରନ୍ତି ସେହି ଦେବରାୟେ ।
ଅସମ୍ଭବ ସମ୍ପଦ ଏ ଗୋପପୁରେ ଅଛି
କଂସାସୁର ଉପଦ୍ରବ ନାହିଁ ଏଥେଁ କିଛି ।
ଷୋଳସସ୍ର ନାୟିକା ଯେ ଚଉଷଠି ବାଳୀ
ଏକୁଁ ଏକ ସୁନ୍ଦରୀ ତ ଗୋପର ଗୁଆଳୀ ।
ପବିତ୍ର କୁଞ୍ଜବନ ଯେ କାଳନ୍ଦୀର ଜଳ
ମନ୍ଦମନ୍ଦରେ ବହଇ ମଳୟ ଅନିଳ ।
ଏହା ଲୋଡ଼ିଲେ କି ସବୁ ଏକତ୍ରେ ମିଳଇ
ଏଥୁ ଜଣାଯାଏ ଏଥେ ବିଜେ ଭାବଗ୍ରାହୀ ।
ଏତେକାଳେ ଗୋପର ଯେ ଭାଗ୍ୟ ତ ଦିଶିଲା
ପରମବ୍ରହ୍ମ ଏଠାରେ ଯେଣୁ ବିଜେକଲା ।
ବିଷ୍ଣୁର ମାୟା ଦେବତା ଜାଣି ତ ନ ପାରି
ଆମ୍ଭେ କାହୁଁ ଜାଣିବୁ ଗୋ ହୋଇ ଛାରନାରୀ ।
ଗଉଡ଼ ବାଉଡ଼ ତାହା ଜାଣିବା ବା କାହୁଁ
ନିଶ୍ଚୟେ ଅବତରିଲେ ଏଥେ ମହାବାହୁ ।
ପ୍ରତ୍ୟକ୍ଷରେ ପ୍ରତେ ମୋର ହୁଅଇ ମନରେ
ପରଂବ୍ରହ୍ମ ସନାତନ ବିଜେ ଗୋପପୁରେ ।
ଭୋ ସଖୀ ଦୂତିକା ମୋତେ ପ୍ରତିକାର କର
ଶ୍ରୀକୃଷ୍ଣ ଭେଟାଇ ମୋର ଆତ୍ମାକୁ ଉଦ୍ଧାର ।
ଦୂତିକା ବୋଇଲା ତୁ ଗୋ ଚତୁରୀ ସିହାଣି
ସ୍ତିରୀଙ୍କର ହୃଦୟକୁ ଧାତାହିଁ ନ ଜାଣି ।
ଗୁଆଳୀ ହୋଇଣ ତୁହି ଜାଣୁ ଏତେ କଥା
ଏବେ ଜାଣିଲୁ ପ୍ରତ୍ୟକ୍ଷେ ସେ ବିଷ୍ଣୁ ଦେବତା ।
ରଙ୍ଗାବତାରେ ଶ୍ରୀକୃଷ୍ଣ ସ୍ୱରୂପକୁ ଧରି
ଗୋପଯୁବତୀଙ୍କ ସଙ୍ଗେ ରଙ୍ଗରେ ବିହରି ।
ପୁଣି ବଇକୁଣ୍ଠେ ଯିବେ ଏହା ଜାଣେ ମୁହିଁ
ଶ୍ରୀକୃଷ୍ଣ ଅନେକ କଷ୍ଟ ପାନ୍ତି ଏଥିପାଇଁ ।
ଗୋପନଗରେ ଅଛନ୍ତି ଯେତେକ ଯୁବତୀ
ଜନ୍ମଜନ୍ମାନ୍ତରେ କୃଷ୍ଣ ସମସ୍ତଙ୍କ ପତି ।
ତୁମ୍ଭର ନିମନ୍ତେ ମୁହିଁ ଏହିକ୍ଷଣି ଯିବି
ସମସ୍ତ ବେଦନା ଯାକ କୃଷ୍ଣେ ଜଣାଇବି ।
ମୋର ଦୂତୀପଣେ ନିଶ୍ଚେଁ ହେବ କାର୍ଯ୍ୟସିଦ୍ଧି
ଭେଟାଇବି ଯୋଗେଶ୍ୱର ପୁଂସ ଗୁଣନିଧି ।
ଏ ମୋହର ଲେଉଟିଣ ଆସିବାର ଯାଏ
ଘଡ଼ିଏ ପଲ୍ୟଙ୍କେ ରହିଥିବୁ ତୁ ଏଠାଏଁ ।
ରାଧିକା ବୋଇଲା ସଖି ବିଳମ୍ୱ ନ କର
ଯେତେ ଶୀଘ୍ର ପାର କାର୍ଯ୍ୟ ସାଧ ଗୋ ସତ୍ୱର ।
ଅନୁକ୍ଷଣେ ପୋଡ଼ଇ ଯେ ମୋର ପଞ୍ଚମନ
ଗୋବିନ୍ଦ ବିନୁ ମୋ ଚିତ୍ତ ନ ବଳଇ ଆନ ।
ଶୁଣିଣ ଦୂତିକା ତହୁଁ ମଙ୍ଗଳ ସୁମରି
ଧାତିକାରେ ଉଠିଲା ସେ ଚତୁରୀ ନାଗରୀ ।
ବଂଶାଧ୍ୱନି ଅନୁସରି ଚଳଇ ସେ ବେଗେ
ଯାଇଣ ମିଳିଲା କୁଞ୍ଜକାନନର ଲାଗେ ।
ରାତ୍ର ଅବସାନେ ଯାଇ ମିଳିଲା ଦୂତିକା
ସଙ୍ଗତରେ କେହି ନାହିଁ ଯାଉଅଛି ଏକା ।
ପୌର୍ଣ୍ଣମୀ ଜହ୍ନ ପଡ଼ିଛି ଦିବସ ପରାୟେ
କଦମ୍ୱ ମୂଳରେ କାହ୍ନୁ ବେଣୁ ଧରି ବାଏ ।
ଖଣ୍ଡେ ଦୂରୁ ଅନାଇଁଣ ରହିଲାକ ଦୂତୀ
ଦେଖି ପରମ ସାନନ୍ଦ ଅବ୍ୟକ୍ତ ମୂରତି ।
ସନ୍ନିଧିରେ ଦୂତୀ ଯାଇ ହୋଇଲା ପ୍ରଣମି
ବାମପାଖେ ଦୃଷ୍ଟି ପାତି ହେଲେ ଜଗତ୍ସ୍ୱାମୀ ।
ଦେଖିଲେ ଦୂତୀ ପଡ଼ିଛି ଚରଣ ତଳରେ
ତହୁଁ ଶ୍ରୀକୃଷ୍ଣ ବୋଲନ୍ତି ସଧୀରେ ସଧୀରେ ।
କି ଗୋ ଦୂତିକା ବିଶ୍ୱାସୀ ଅଟୁ ତୁ ଆମ୍ଭର
ମହାନିଶାରେ ଅଇଲ କେହ୍ନେ ଏତେଦୂର ।
ଗଣ୍ଡା ଗୟଳ ଭାଲୁଙ୍କ ବାସସ୍ଥାନ ଏଥେଁ
ଏ ବନ ଭିତରେ ଚରୁଥାଆନ୍ତି ସେ ନିତ୍ୟେ ।
ସେମାନ ଦେଖିଣ ମନେ ନ କଲ ଗୋ ଭ୍ରାନ୍ତି
କି ନିମନ୍ତେ ଆସିଲା ଗୋ କହ ଏତେ ରାତି ।
ଝାଳରେ କର୍ଦ୍ଦମ ପୁଣ ହୋଇଛି ଶରୀର
ଘନ ଘନ ନିଃଶ୍ୱାସ ତ ବହେ ପରଖର ।
ଆମ୍ଭେ ଏଥେ ଅଛୁ ବୋଲି ଜାଣିଲ କେମନ୍ତେ
ଏକାକେ ଆସିଲ କେହି ନାହିଁ ତ ସଙ୍ଗତେ ।
ଦୂତିକା ବୋଇଲା ତୁମ୍ଭେ ନାଗରଙ୍କ ଗୁରୁ
ଗରବଗଞ୍ଜନବାନା କି କରି ନ ପାରୁ ।
ସର୍ବ ଅନ୍ତର୍ଯ୍ୟାମୀ ନାଥ ଦେବ ପୀତବାସ
ଭବିଷ୍ୟତ ବର୍ତ୍ତମାନ ତୁମ୍ଭଙ୍କୁ ତ ଦୃଶ୍ୟ ।
ଆରତଭଞ୍ଜନ ବାନା ବହୁ ସବୁକାଳେ
ରକ୍ଷାକରୁ ପ୍ରାଣୀଙ୍କୁ ତୁ ସଙ୍କଟର ବେଳେ ।
ଏ ତୋର ବେଣୁ ଶୁଣିଣ ପାଇ ବଡ଼ ବାଧା
ବିରହ ଯୋଗରେ ପ୍ରାଣ ଛାଡ଼ୁଅଛି ରାଧା ।
ଘର ବର ଆଦିକରି ଛାଡ଼ିଲାଣି ଲଜ୍ଜା
ତୁମ୍ଭ ସଙ୍ଗ ନ ହୋଇଲେ ହେବ ପ୍ରାଣତ୍ୟଜ୍ୟା ।
ମତି ଛନ୍ନ ଛନ୍ନ ତାର ଶରୀର ବ୍ୟାକୁଳ
ନୟନରୁ ନିରନ୍ତରେ ବହେ ଅଶ୍ରୁଜଳ ।
ଚନ୍ଦ୍ର କିରଣ ମରଣ ଅନଳ ପରାୟେ
ନିଃଶ୍ୱାସ ତେଜଇ ଖର ଅନିଳର ପ୍ରାୟେ ।
ତୁମ୍ଭେ ରକ୍ଷା ନ କରିଲେ ମଲା ଗୋପନାରୀ
ଲୟ ଲଗାଇଛି ସଦା ତୁମ୍ଭର ଉପରି ।
ଦୂତିକା ବଚନ ଶୁଣି କହନ୍ତି ଅଚ୍ୟୁତ
କିସ କିସ ବୋଲୁଅଛ ଜାଣି ନ ପାରେ ତ ।
କିଏ ସେ ରାଧିକା ଅଟେ କାହାର ସେ ନାରୀ
ଢମାଳି କଥା କହଛ ମୋ ଆଗେ ଚତୁରୀ ।
ତାହାର ସଙ୍ଗରେ ମୋର ଦିନେ ଦେଖାନାହିଁ
ମାଗଣା କଥାରେ ଏତେ ଗୋଳ କାହିଁପାଇଁ ।
ବୃଥାରେ ଆସିଲ ତୁମ୍ଭେ ନ ଜାଣିବା ପଣେ
ବାହୁଡ଼ି ଯାଅ ପୁରକୁ ଉଠିଣ ବହନେ ।
ଦୂତିକା ବୋଇଲା ତୁମ୍ଭେ ଅଟ ମାୟାଧାରୀ
ଚନ୍ଦ୍ରାବଳୀ ରାଧା ଅଟେ ଚନ୍ଦ୍ରସେଣା ନାରୀ ।
ସୁନ୍ଦର ପଣରେ ରତି ଉମା ହାରିଯିବେ
ତୁମ୍ଭଙ୍କୁ ମୁଁ ସେହି କଥା କହିଥିଲି ପୂର୍ବେ ।
ନହୁଲୀ ବୟସୀ ରୂପେ ପଟାନ୍ତର ନାହିଁ
ଗୋପପୁରେ ଜନମିଛି ଆସି ତୁମ୍ଭପାଇଁ ।
ବିରହ ବଂଶୀ ବାଇଲ ଯେଣୁ କୁଞ୍ଜବନେ
ଚତୁର୍ଦ୍ଦଶ ଭୁବନକୁ ମୋହିଲ ସେ ସ୍ୱନେ ।
ପଲ୍ୟଙ୍କ ଉପରେ ରାଈ ନିଦ୍ରା ଯାଇଥିଲା
ଏ ତୁମ୍ଭ ବେଣୁଧ୍ୱନି ତା କର୍ଣ୍ଣେ ସମ୍ଭାଇଲା ।
ଶବଦ ଶୁଣିଣ ମୋହ ହେଲା ବରାଙ୍ଗନା
ତେତେବେଳରୁ ଶରୀରେ ନାହିଁ ତା ଚେତନା ।
ତୁମ୍ଭର ତହିଁକି ମୋତେ ପେଷିଲା ସରାଗେ
ବିଳମ୍ୱ ନ କର କାହ୍ନୁ ଚାଲ ଯିବା ବେଗେ ।
ଶ୍ରୀକୃଷ୍ଣ ବୋଲନ୍ତି ଦୂତୀ ଶୁଣ ମୋର ବାଣୀ
ଚତୁରୀଙ୍କ ଶିରୋମଣି ଏକେ ତ ସିହାଣୀ ।
ଗଉଡ଼ ବାଉଡ଼ ଆମ୍ଭେ ଜାଣୁ ଅବା କିସ
ଆମ୍ଭର ଆଗରେ ବୃଥା ବାଣୀ ଆସି ଭାଷ ।
ତୁମ୍ଭେ ବୋଇଲ ରାଧିକା ଅତି ସୁକୁମାରୀ
ସୁଲକ୍ଷଣୀ ନାୟିକା ସେ ଚତୁରୀ ନାଗରୀ ।
ତାହାର ସଙ୍ଗେ ଆମ୍ଭରି କାହୁଁ ହେବ ମେଳ
ବିଳମ୍ୱ ନ କରି ଏଥୁ ବେଗହୋଇ ଚଳ ।
ଦୂତିକା ବୋଇଲା ଏହା ନ ବୋଲ ହେ ବାବୁ
ତୁମ୍ଭର କଥାମାନ ତ ଜାଣିଛି ମୁଁ ସବୁ ।
ବ୍ରହ୍ମା ରୁଦ୍ର ରୁଦ୍ରଙ୍କୁ ଯା ମାୟା ଅଗୋଚର
ତାହା କି ଜାଣି ପାରିବି ହୋଇ ନାରୀ ଛାର ।
ଯେ ତୋହରମାୟା ଥୋକେ ଜାଣେ ତଥ୍ୟକରି
ବିକାରଶୂନ୍ୟ ସେ ବ୍ୟକ୍ତି ଅଟେ ଆହେ ହରି ।
ମୁଁ ପରା ତୁମ୍ଭ ନିମନ୍ତେ ଅଛି ଜାତହୋଇ
ମୋତେ ଛଳନା ବଚନ କହ କାହିଁପାଇଁ ।
ସୃଷ୍ଟି କରତା ବିଧାତା କରେ ତୁମ୍ଭ ପୂଜା
ଦେବାଧିଦେବଙ୍କ ପରେ ତୁମ୍ଭେ ଅଟ ରାଜା ।
ଶ୍ରୀକୃଷ୍ଣ ବୋଇଲେ ଦୂତୀ ସାବଧାନେ ଶୁଣ
ଗତ ହୋଇଲାଣି ଥିଲା ଆମ୍ଭର ଯେ ଗୁଣ ।
ପୂର୍ବର କଥାମାନ ଗୋ ଗଲାଣି ଆମ୍ଭର
ଲୋଡ଼ିଲେ ଆଉ ପାଇବା କାହୁଁ ନାରୀବର ।
ଗଉଡ଼ ବାଉଡ଼ ଆମ୍ଭେ ହାଉଡ଼ ବୋଲାଉ
ବିଲ ପଡ଼ିଆରେ ସଦା ଗାଈ ରଖିଥାଉଁ ।
ମୂଲିଆ ଘରେ ତ ପୁଣି ଆସି ଜନମିଲୁ
ଯାହା ଗୁଣ ଥିଲା ତାହା ସବୁ ପାସୋରିଲୁ ।
ଦୂତିକା ବୋଲେ ତୁ ସୃଷ୍ଟି କରତା ପୁରୁଷ
ଗତ ଆଗତ ବାରତା ସବୁ ତୋତେ ଦୃଶ୍ୟ ।
ଠୁଳ ଶୂନ୍ୟ ପୁରୁଷ ତୋ ରୂପ ରେଖ ନାହିଁ
ଅବ୍ୟକତ ପୂର୍ଣ୍ଣାନନ୍ଦ ପୁରୁଷ ତ ତୁହି ।
ସନାତନ ଅବ୍ୟୟ ତୁ ସବୁରି ଦେବତା
କିପାଇଁ କହୁ ତୁ ମୋର ଆଗେ ଏହି କଥା ।
ସର୍ବ ଅନ୍ତର୍ଯ୍ୟମୀ ତୋର ପରଂହଂସ ଦୀକ୍ଷା
ତୁମ୍ଭେ ନ ରଖିଲେ ଭବେ କେ କରିବ ରକ୍ଷା ।
ରୁଦ୍ରପ୍ରଳୟ ଯେକାଳେ ହେଲା ଦେବରାୟେ
ଘୋଟିଗଲା ମହାଜଳ ବ୍ରହ୍ମଲୋକ ଯାଏ ।
ମେରୁ ମନ୍ଦର ପ୍ରଭୃତି ସବୁ ଗଲେ ନାଶ
ଅସ୍ତଗିରି ସହିତରେ ବୁଡ଼େ କପିଳାସ ।
ଅକ୍ଷୟ ଅଜ୍ରାମରତ ପ୍ରଭୁ ଦେବ କାଶୀ
ପ୍ରଳୟ ମହାଜଳରେ ଯାଉଛନ୍ତି ଭାସି ।
ସହସ୍ରେ ମନୁ ପର୍ଯ୍ୟନ୍ତେ ପହିଁରିଲେ ଫୁଟି
ଆର୍ତ୍ତେ ସୁମରିଲେ ଶିବ ତବ ନାମଗୋଟି ।
ବ୍ରହ୍ମବିଦ୍ୟା ପାସୋରିଲେ ପ୍ରଭୁ ଲିଙ୍ଗରାଜା
ପାର୍ବତୀଙ୍କ ଆଦି କରି କଲେ ପରିତ୍ୟଜ୍ୟା ।
ତ୍ରାହି ନାରାୟଣ ବୋଲି ଡାକିଲେ ଉଚ୍ଚରେ
ସେ ଶବ୍ଦ ସମ୍ଭାଏ ଯାଇ ତୁମ୍ଭର କର୍ଣ୍ଣରେ ।
ଆସ ଆସ ବୋଲି ଗର୍ଭେ ଦେଲ ନେଇ ଠାବ
ଅଠାଣୋଇ କଳ୍ପ ତହିଁ ରହିଲେକ ଶିବ ।
ରୁଦ୍ରପଦ ପରିଯନ୍ତେ ନାହିଁ ତାଙ୍କ ମନେ
ନିଶ୍ଚିନ୍ତେ ରହିଲେ ତବ ଜଠର ସଦନେ ।
ଚଉରାଶୀ ଯୋଗଖଣ୍ଡ ଅଷ୍ଟାଙ୍ଗ ଯେ ବିଧି
ଅଣଅଭ୍ୟାସେ ପାସୋରିଗଲା ଋଦ୍ଧି ସିଦ୍ଧି ।
ଇତର ଜନ ପରାୟେ ହୋଇଲେ ଈଶାନ
ଆମ୍ଭେ ଈଶାନ ବୋଲିଣ ନ ଜାଣିଲେ ପୁଣ ।
କୀଟୁଁ ବ୍ରହ୍ମ ପରିଯନ୍ତେ ଯେତେ ଜୀବପନ୍ତି
ଉଦର ମଧ୍ୟରେ ସବୁ ପାସୋରି ପକାନ୍ତି ।
ପୁଣିହିଁ ଶିବଙ୍କୁ ଗର୍ଭୁ ବାହାର ତୁ କଲୁ
ପୂର୍ବପରି ତାହାଙ୍କର ଶିବନାମ ଦେଲୁ ।
ଏସନ ପ୍ରକାରେ ଅଟେ ତୁମ୍ଭ ମହିମାଟି
ତୁମ୍ଭେ ବୋଲୁଛ ଏବେ ମୁଁ ବାଳୁତ ପୁଅଟି ।
ବାଳ ବୃଦ୍ଧ ତରୁଣ ତୁ ସବୁ ରୂପ ଧରୁ
ଏମନ୍ତ ମହିମା ତୋର କିଏ କହିପାରୁ ।
ମତ୍ସ୍ୟ କଚ୍ଛପ ବରାହ ନରସିଂହ ତୁହି
ମାନବରେ ଅଗୋଚର ତୋ ରୂପ ଅଟଇ ।
ଭାରା ନିବାରଣେ ନାନରୂପ ଧରୁ ଦେବ
ଜାଣି ନ ପାରଇ ତୋର ମାୟା ସଦାଶିବ ।
ଦୂତୀ ବଚନରେ ତହୁଁ ହସି ଚକ୍ରପାଣି
ବୋଇଲେ ଦୂତିକା ତୁମ୍ଭେ ବଡ଼ଇ ସିହାଣୀ ।
କଥାରେ ଜିଣିବା ପାଇଁ ତୋତେ କେ ଭାଜନ
ନିଶ୍ଚୟ ରାଧାକୁ ମୋର ନ ବଳଇ ମନ ।
ମନଗୋଟି ମହାପ୍ରଭୁ ହରତା କରତା
ମନ ଭାଙ୍ଗିଗଲେ ଆଉ ଅଛି କେଉଁ କଥା ।
ଦୂତିକା ବୋଲେ ଶରଣ ପଞ୍ଜର ତୋ ବାନା
ଆତଙ୍କି ଲୋକର ତୁହି ଅଟୁ ବଜ୍ରସେହ୍ନା ।
ରାଧିକା ତୁମ୍ଭର ପ୍ରଭୁ ଅର୍ଦ୍ଧାଙ୍ଗ ଯୁକତେ
ପଚାରେ ମାତ୍ର ସନ୍ଦେହ ନିବାରଣ ଅର୍ଥେ ।
ତୁମ୍ଭେ ନ ଗଲେ ଅବଶ୍ୟ ମରିବ କାମିନୀ
ରଙ୍ଗା ଅବତାର ବୃଥା ହେବ ବେଣୁପାଣି ।
ଶ୍ରୀକୃଷ୍ଣ ବୋଇଲେ ଚନ୍ଦ୍ରସେଣାକୁ ମୁଁ ଡରେ
ତେଣୁ ଯାଇ ନ ପାରଇ ଜାଣ ତାର ପୁରେ ।
ମତୁଆଳ ଗଉଡ଼ ସେ ନାହିଁ ତାର ଜ୍ଞାନ
ନ ପୁଣ ପ୍ରହାର ମୋତେ କରେ ସେ ରାଗେଣ ।
କା ଆଗେ କହିବି ଯାଇ ହେବ ବଡ଼ ଲାଜ
ତେଣୁକରି ରାଧାଠାରେ ନାହିଁ ମୋର କାର୍ଯ୍ୟ ।
ଦୂତିକା ବୋଇଲା ପ୍ରଭୁ ହିରଣ୍ୟ ଅସୁର
ତାହାକୁ ମାରିଲ ହୋଇ ନୃସିଂହାବତାର ।
ବ୍ରହ୍ମଲୋକ ପରିଯନ୍ତେ ଘୋଟିଗଲା କାୟ
ଦେଖିଣ ଶଙ୍କା କରିଲେ ବିବୁଧ ସମୂହ ।
ଚୌରାଶୀ ଯୋଜନ ଉଚ୍ଚ ହିରଣ୍ୟର କାୟ
ତୁମ୍ଭ ନଖକୋଣେ ଲୁଚିଗଲା ଦେବରାୟ ।
ନଖେ ବିଦାରଣ କଲ ପ୍ରଭୁ ତାକୁ ହେଳେ
ଗଉଡ଼ ବାଉଡ଼ ଏବେ ବୋଲ କଥାଛଳେ ।
ତୁମ୍ଭେ ଯେ ବୋଇଲ ପୁଣି ଲୋକେକରଶଙ୍କା
ବିଭୀଷଣ ରାକ୍ଷସକୁ କେହ୍ନେ ଦେଲ ଲଙ୍କା ।
ସତୀବ୍ରତ ପାଳିଥିଲେ ଯେଉଁ ମନ୍ଦୋଦରୀ
ତାହାକୁ ତ ବିଭୀଷଣେ ଦେଲ ଦଇତ୍ୟାରି ।
ଶୁଭାଶୁଭର କରତା ଅଟନ୍ତି ଆପଣ
ଆପଣଙ୍କୁ କେଉଁକଥା ଅଟେ ବା ଅଜାଣ ।
ଗୋବିନ୍ଦ ବୋଇଲେ ସଖି ଶୁଭାଶୁଭ ବେନି
ମେଦିନୀରେ ଆତଯାତ ହେଉଅଛି ପୁଣି ।
ପରସ୍ତିରୀ ପରଧନେ କରେ ଯେହୁ ଆଶ
ଯଶ ଶ୍ରୀ ସମ୍ପଦ ତାର ତୁଟଇ ଅବଶ୍ୟ ।
ଆବର ବିଶେଷ ସେ ତ ମାନନୀୟା ମୋର
ଚନ୍ଦ୍ରସେଣାର ଭାରିଯା ମାଈଁ ଯେ ଆମ୍ଭର ।
ସେହି ସିନା ନ ଜାଣଇ ଏଥେଁ ଭଲମନ୍ଦ
ମାତା ଯଶୋବନ୍ତୀ ମୋର ଜନକ ଯେ ନନ୍ଦ ।
ଜାଣୁ ଜାଣୁ କେଉପରି କରିବି ଅକର୍ମ
ନିଶ୍ଚୟ ବିନାଶ ହେବ ବଂଶର ଯେ ଧର୍ମ ।
ଅକର୍ମ କର୍ମ କେତେକ ଦିନ ଅବା ରହେ
କ୍ରମେ କ୍ରମେ ଦିନୁ ଦିନୁ କରେ କୁଳକ୍ଷୟେ ।
ଦୂତିକା ବୋଇଲା ସବୁ ଜାଣେ ତଥ୍ୟକରି
ସ୍ୱରୂପ କହିଲେ କୋପ କରିବ ମୁରାରି ।
ରାମ ଅବତାର ଦୁଃଖ ପାସୋରିବା ଅର୍ଥେ
ଗୋପପୁରେ ଉପୁଜିଲ ସିନା ଗୋପୀନାଥେ ।
ଷୋଳ ସହସ୍ର ଚୌଷଠି ଛନ୍ତି ଗୋପନାରୀ
ଏ ସିନା ପୂର୍ବରୁ ସବୁ ତୁମ୍ଭ ମନୋହାରୀ ।
ଏମାନଙ୍କ ସଙ୍ଗତରେ କରିବ ହେ ରଙ୍ଗ
ଆଦ୍ୟରୁ ଧାତା ଘଟାଇଅଛି ଏହି ଯୋଗ ।
ଏଥକୁ ତୁମ୍ଭେ ମନରେ ନ କର ଯେ ଭୀତି
ଯାହାକୁ ଯିଏ ଘଟାଇଅଛି ପ୍ରଜାପତି ।
ଏମାନେ ଗୋପପୁରରେ ଜାତ ତୁମ୍ଭପାଇଁ
ନିଜ ଭରତା ସଙ୍ଗରେ ଅଙ୍ଗ ସଙ୍ଗ ନାହିଁ ।
ସ୍ୱର୍ଗ ଅପସରା ପ୍ରାୟ ସୁନ୍ଦରୀ ଅଟନ୍ତି
ଉପମା ଦେବାକୁ ତାଙ୍କୁ ନାହିଁ କେହି କ୍ଷିତି ।
ଯେତେ ଗୋପାଳ ଅଛନ୍ତି ଏ ଗୋପ ନଗରେ
ନପୁଂସକ ଅଟନ୍ତି ତ ସକଳେ ବେଭାରେ ।
କେବଳ ଲୋକ ଆଚାରେ ହୋଇଛନ୍ତି ବାହା
ତୁହି କି ନ ଜାଣୁ ସେହି କଥା ଚଉବାହା ।
ମିଛେ ମିଛେ ବୋଲୁଅଛୁ ପରନାରୀ ବୋଲି
ବାଟ ଚାହିଁ ବସିଛନ୍ତି ସକଳ ଗୁଆଳୀ ।
ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ଗୋ ଚତୁରି
କଥାଏ କହିବା ତୁମ୍ଭ ଆଗେ ସତ୍ୟକରି ।
ଯେତେ ଅପମାନ ମୋତେ ଦେଇଅଛି ରାଈ
ତାହା ତୁମ୍ଭ ଆଗେ ମୁହିଁ କିସ ବର୍ଣ୍ଣବଇଁ ।
ଚରଣରେ ଠେଲିଦେଲା ପଡ଼ିଲି ଅଚେତେ
ସେହିଦିନୁ ତାହାଠାରେ କୋପ ମୋର ଚିତ୍ତେ ।
ବିଧାତା କହିବାରୁ ଏ ମୂରଲୀ ପାଇଲି
ନିରାଶ ହୋଇଣ ଏଥେ ବସି ବାଉଥିଲି ।
ଏ କୁଞ୍ଜବନ ଅଟଇ ରମଣୀୟ ସ୍ଥାନ
ତେଣୁ ଏଠାରେ ବସିଛି ହୋଇ ତୋଷମନ ।
ତୁମ୍ଭେ ଯେଣୁ ବିଶ୍ୱାସୀ ଗୋ ଅଟ ତ ମୋହର
ତେଣୁ କହିଲଇଁ ମୁହିଁ ସବୁ ସମାଚାର ।
ଯାହା ଅପମାନ ଦେଲା ଛାର ଗଉଡ଼ୁଣୀ
ଲୋକେ ଶୁଣିଲେ ହସିବେ ଏହିକଥା ଶୁଣି ।
ଏଡ଼େ ଜୋରରେ କରିଛି ସେହୁ ପଦାଘାତ
ଏତେବେଳଯାଏ ରକ୍ତ ବୋହୁଛି ସଙ୍ଗାତ ।
ଦୂତିକା ବୋଇଲା ହରି ମୋତେ ତା ନ କହ
ବଜ୍ରଠାରୁ କଠିନ ତ ଅଟେ ଯାର ଦେହ ।
କୂର୍ମରୂପ ଧରି ଯେହୁ ବିସ୍ତାରିଲା କାୟ
ଅଶେଷ ବ୍ରହ୍ମାଣ୍ଡ ଯାକୁ ତିଳମନ୍ଦା ପ୍ରାୟ ।
ମୟଦାନବ ମାଇଲା ନେଇ ବଜ୍ରଦଣ୍ଡ
ଯା ଦେହରେ ବାଜି ବଜ୍ର ହେଲା ବେନିଖଣ୍ଡ ।
ରାଧିକା ନାତରେ ତାର ଦେହୁ ବହେ ରକ୍ତ
ଏ ଲାଞ୍ଛନା କଥା କିପାଁ କହ ହେ ଅଚ୍ୟୁତ ।
ସେ ତୁମ୍ଭର ନିଜ ପତ୍ନୀ ତୁମ୍ଭେ ସ୍ୱାମୀ ତାର
ତୁମ୍ଭଠାରେ ସାନବଡ଼ ଅଛିକି ବିଚାର ।
ତୁମ୍ଭର ଶରୀରୁ ତମ ହୋଇଣ ସଂଜାତ
ଏହିପରି ହୃଦୟକୁ କରେ ବ୍ୟାକୁଳିତ ।
ଆବର ଗୋଟିଏ କଥା କହୁଛି ତୁମ୍ଭଙ୍କୁ
ହୃଦୟରୁ ତେଜିଦିଅ ସେ ଅଭିମାନକୁ ।
ସର୍ବ ଭୋଗୀ ପୁରୁଷ ତ ଜାଣ ସର୍ବ ପୁଣ
ରାଧିକା ଉପରୁ କୋପ ତେଜ ନାରାୟଣ ।
ବିଳମ୍ୱ ନ କରି କୃଷ୍ଣ ଚାଲ ଯିବା ଚଳି
ବାଟ ଚାହିଁ ବସିଥିବେ ତେଣେ ଚନ୍ଦ୍ରାବଳୀ ।
ମୁଁ କିସ କହିବି ଧାତା ଏହା ଘଟାଇଲା
ମାଗିଲା ମାତ୍ରେ ବିରହ ବଂଶୀ ଆଣି ଦେଲା ।
ସ୍ୱର୍ଗ ମଞ୍ଚ ପାତଳରେ ଏହା ନ ମିଳଇ
ଶୁଣିଲା ମାତ୍ରକେ ମନ ଉଲୁସି ଉଠଇ ।
ରାଧିକା ବୋଲିଣ ସିନା ଅଛି ପ୍ରାଣ ଘେନି
ଆବର ଗୁଆଳୀ ପ୍ରାଣେ ନ ଥିବେଟି ପୁଣି ।
ଏତେ ବୋଲିଣ ଦୂତିକା ସତ୍ୱର ଉଠିଲା
ଶ୍ରୀକୃଷ୍ଣଙ୍କ ପାଦତଳେ ଯାଇଣ ପଡ଼ିଲା ।
ଭୋଦେବ ଗୋପୀନାଥ ହେ ଶୀଘ୍ର ଚାଲିଯିବା
ରାଧିକା ଜୀବନେ ଅଛି ନାହିଁ କି ଦେଖିବା ।
ପୃଥିବୀର ଭାରାଭର ଏବେ କ୍ଷୟ ଯାଉ
ମୋର ଯଶ ରହୁ ଗୋପୀଙ୍କର କାର୍ଯ୍ୟ ହେଉ ।
ଅନେକ ରୂପରେ ଯହୁଁ ବୋଧିଲା ଚତୁରୀ
ଶୁଣି ସନ୍ତୋଷ ହୋଇଲେ ଦେବ ମଧୁହାରୀ ।
ଦୂତିକାକୁ ବୋଲନ୍ତି ଯେ ପ୍ରଭୁ ଚକ୍ରଧର
କୋଇଲି ସୂତାରେ ମତ୍ତଗଜ ବାନ୍ଧିପାର ।
ଚତୁରୀଙ୍କ ଶିରୋମଣି କେତେ ଜାଣ କୂଟ
ସ୍ତମ୍ଭନ ମୋହନ ବିଦ୍ୟା ବଶ୍ୟ ଯେ ଉଚ୍ଚାଟ ।
ଅବୋଧ ଜନକୁ ତୁମ୍ଭେ ବୋଧିପାର ଭଲେ
ଅସାଧ୍ୟ ସାଧନ ହୋଇପାରେ ତୁମ୍ଭ ବଳେ ।
ସୂତା ତାର ନିଶୁଣିରେ ସ୍ୱର୍ଗେ ପାର ଯାଇ
କରପତ୍ରେ ସମୁଦ୍ରକୁ ପାର ଯେ ଶୁଖାଇ ।
ଗଙ୍ଗାବାଲି ଗଣିପାର ତୁମ୍ଭର ଉପାୟେ
ଏକାପାଦେ ଗମିପାର ବ୍ରହ୍ମଲୋକ ଯାଏ ।
ସକଳ ବିଦ୍ୟାରେ ପରିପୂର୍ଣ୍ଣ ଗୋ ସିହାଣି
ତୁମ୍ଭପରି ନାହିଁ ଜଣେ ଜଗତେ ତରୁଣୀ ।
ବ୍ରହ୍ମ ବିଦ୍ୟାରୁ ଆରମ୍ଭି କାମବିଦ୍ୟା ଯାଏ
ସମସ୍ତ ସିଦ୍ଧ ହୋଇଛି ତୁମ୍ଭରି ଉପାୟେ ।
ତୁମ୍ଭର ବଚନ ଆମ୍ଭେ ଲଘିଂ କି ପାରିବୁ
ଯେ କଥା ବୋଲିବ ତାହା ନିଶ୍ଚୟ କରିବୁ ।
ଦୂତିକା ବୋଇଲା ମୁହିଁ ନ ମାଗଇ ଆନ
ରାଧିକାକୁ ପ୍ରାଣଦାନ ଦିଅ ଜନାର୍ଦ୍ଦନ ।
ତାହାକୁ ରକ୍ଷା କରିଲେ ହେବ ବଡ଼ କାର୍ଯ୍ୟ
ତା ଶୁଣି ଉଠିଲେ ଧାତିକାରେ ଦେବରାଜ ।
ଆସ ଦୂତୀ ବୋଲି କୃଷ୍ଣ କଢ଼ାଇଲେ ପଥ
ଆଗହୁଁ ସେହି କଥାରେ ମନ ଉଲ୍ଲସିତ ।
ଯାହା ବାଞ୍ଛୁଥିଲେ ତାହା ପ୍ରବେଶ ହୋଇଲା
ଲୋଡ଼ୁଥିବା ମଳୁକୁ ଯେ ଖାଦ୍ୟ ବୈଦ୍ୟଦେଲା ।
ସର୍ବମଙ୍ଗଳା ସୁମରି ଗଲେ ଧାତିକାରେ
ପ୍ରବେଶ ହୋଇଲେ ଯାଇ ରାଧିକା ପାଶରେ ।
ଅପୂର୍ବ ମନ୍ଦିର ମଧ୍ୟେ ଉଜାଗର ହୋଇ
ଏକ ଲୟେ ବସିଅଛି ରାଧା ବାଟ ଚାହିଁ ।
ଏହି ସମୟେ ଦୁଆରେ ଡାକି ଦେଲା ଦୂତୀ
ଶୁଣିଲା ମାତ୍ରକେ ରାଈ ବାହାରେ ତଡ଼ତି ।
ଅଷ୍ଟ ରତନ ଝରିରେ ସଲିଳ ପୂରାଇ
ଗୋବିନ୍ଦଙ୍କ ପାଦପଦ୍ମେ ପଖାଳିଲା ନେଇ ।
ଦୂତିକା ବୋଇଲା ସଖି ଶୁଣ ମୋର ବାଣୀ
ପୁରୁଷ ଉତ୍ତମ ଏହି ଦେବ ଚକ୍ରପାଣି ।
ଏହାଙ୍କ ସଙ୍ଗତେ ତୁହି କଟାଅ ସମୟ
ଅଖିଳ ଲୋକଈଶ୍ୱର ଏତ ଦେବରାୟ ।
ତୁ ଏହାର ଭାବିନୀ ଗୋ ଏ ତୋହର କାନ୍ତ
ପୂର୍ବରୁ ଘଟାଇଅଛି ଦେବ ଚଉମାଥ ।
ଏକାନ୍ତେ ଭେଟାଇ ଦେଲି ତୋତେ ଗୁଣମଣି
ମୋହର ମନ୍ଦିରକୁ ଗୋ ଯାଉଛି ମିତଣି ।
ମନ ଜାଣି କୃଷ୍ଣଙ୍କୁ ତୁ କରିବୁ ତୃପତି
ପୁରୁଷେ ଅଟନ୍ତି ସଦାକାଳେ ଭୃଙ୍ଗମତି ।
ଫୁଟିଲା ଫୁଲରେ ବସି ଘେନୁଥାନ୍ତି ବାସ
ମଳିନ ହୋଇଲେ ଛାଡ଼ିଯାନ୍ତି ତାର ପାଶ ।
ନ ପୁଣ ଏହାଙ୍କୁ ସାନ ବୋଲି ମନେ ମଣୁ
ସିହାଣୀ ନାଗରୀ ତୁ ତ ସବୁକଥା ଜାଣୁ ।
ଏତେ କହି ଦୂତି ଚଳିଗଲା ନିଜବାସ
ରାଧା ସଙ୍ଗେ ପହୁଡ଼ିଲେ ପ୍ରଭୁ ପୀତବାସ ।
ଉଭୟ ମତେ ବଢ଼ିଲା ରତିରସ ଶ୍ରଦ୍ଧା
ବିବିଧ ବିନୋଦେ କେଳି କଲେ କୃଷ୍ଣ ରାଧା ।
ଭୁଜେ ଭୁଜ ଭିଡ଼ି ମୁଖେ ଦିଅନ୍ତି ଚୁମ୍ୱନ
ନଖ ଦନ୍ତ ଘାତେ ଅଙ୍ଗ ହେଲା ଭିନ୍ନ ଭିନ୍ନ ।
ରାଜ୍ୟରତି ପ୍ରେମ୍ୟରତି ପ୍ରେମ୍ୟରତିବନ୍ଧ
ହାସ୍ୟରତି ଲାସ୍ୟରତି ଗ୍ରାମ୍ୟରତି ଛନ୍ଦ ।
ବତିଶ ଯେ ଆଳିଙ୍ଗନ ଷୋଳଚନ୍ଦ୍ର କଳା
ଚଉଷଠିବନ୍ଧ ବିଧି ମଦନର ଲୀଳା ।
ଦହନ ଶୋଷଣ ଆପ୍ଳାବନ ପଞ୍ଚଶରେ
ବନ୍ଧନ ଭେଦନ ମୁଦ୍ରା ଅନଙ୍ଗ ସମରେ ।
ଭୂଜଚାପ ଆଙ୍ଗଭେଦ ଦ୍ୱାଦଶ ଚାହାଣୀ
ଅପାଙ୍ଗୀ ସାୟକ ଚାଟୁ ସରସ ଯେ ବାଣୀ ।
ଧରଣ ଧାରଣ ତ୍ରାସ ଜାରଣ ମାରଣ
ଏମନ୍ତ ଯେତେକ ରତିଶାସ୍ତ୍ରର ବିଧାନ ।
ସ୍ଥାବର ଜଙ୍ଗମକୀଟ ଆଦି ସର୍ବ ପ୍ରାଣୀ
ଯେଝା ଅନୁରୂପେ ଏହା ଜାଣନ୍ତି ପ୍ରମାଣି ।
ଯେବଣ ବିଷ୍ଣୁ ଭିଆଣ କଲେ ସର୍ବ ସୃଷ୍ଟି
ରାଧା ବିନା ହୋଇଥିଲେ ସେ ମଦନକଷ୍ଟୀ ।
ଚନ୍ଦ୍ରାବଳୀ ଯାହା ଶ୍ରଦ୍ଧା କରିଥିଲା ମନେ
ତା ପାଇ ପରମ ତୋଷ ହେଲେ ବେନିଜନେ ।
ଆଠଖଣ୍ଡ ପରିଯନ୍ତେ ପଡ଼ିଲା ମୁହାଁସ
ହାରିଲେ ରାଧିକା ଜୟ କଲେ ପୀତବାସ ।
କାମବାଣ ଭୟ ରାଧା ଅଙ୍ଗୁଗଲା ଛାଡ଼ି
ଗାଢ଼େ ଆଲିଙ୍ଗନ କଲେ ଶ୍ରୀକୃଷ୍ଣଙ୍କୁ ଭିଡ଼ି ।
ପ୍ରେମରସେ ବୁଡ଼ି ରାଧା ଦିଅନ୍ତେ ଚୁମ୍ୱନ
ରାଧାଙ୍କର ବଶ ହେଲେ ପ୍ରଭୁ ଭଗବାନ ।
ଅଧର ବିରସ ବହି ପଡ଼ିଲା କଜ୍ଜ୍ୱଳ
ଗଳାରୁ ଛିଡ଼ିଣ ତଳେ ପଡ଼େ ପୁଷ୍ପମାଳ ।
ପାଦରୁ ନୂପୁର ହସ୍ତ କଙ୍କଣ ହସିଲା
ଦିବସ ଶଶାଙ୍କ ପ୍ରାୟେ ବଦନ ଦିଶିଲା ।
ଘନ ଘନ ହୋଇବହେ ନିଃଶ୍ୱାସ ପବନ
ମାସ ଉପବାସୀ ପ୍ରାୟେ ଶୁଭିଲା ବଚନ ।
ତାମ୍ୱୁଳ ବୋଳରେ ଆରକତ ଗଣ୍ଡସ୍ଥଳୀ
ନିର୍ମଳ ମେଘରେ ଯେହ୍ନେ ଉଦେ ଆର୍ଦ୍ରାବଳୀ ।
ଭାଙ୍ଗିଲା ବନ୍ଧନ ମୁଦ୍ରା ଖସି ବ୍ରହ୍ମବୀର୍ଯ୍ୟ
ସମ୍ପୂର୍ଣ୍ଣ ରତିରେ ଶ୍ରାନ୍ତ ହେଲେ ଦେବରାଜ ।
ଚନ୍ଦ୍ରାବଳୀ ଅଙ୍ଗ ରାଗ ଅଙ୍ଗ ଦିଶେ ଶୋଭା
ନୀଳଘନେ ଉଦେ ହେଲା ଇନ୍ଦ୍ରଧନୁ ଅବା ।
ସରିଲା ଶୃଙ୍ଗାର ରସ ମନୁ ଗଲା ଖେଦ
ପରିଶ୍ରମେ ନୟନକୁ ଆକର୍ଷିଲା ନିଦ ।
କର୍ପୂର ତାମ୍ୱୁଳ ଭୁଞ୍ଜି ବସନ ସମ୍ଭାଳି
ପଲ୍ୟଙ୍କେ ଶୁତିଲେ କୃଷ୍ଣ ଘେନି ଚନ୍ଦ୍ରାବଳୀ ।
ନିକଟରେ ରାଧାଙ୍କର ନଣନ୍ଦ ଶୋଇଛି
ଅଚେତ ନିଦ୍ରାରେ ବାମା ନ ଜାଣଇ କିଛି ।
ଯଶୋଦାଙ୍କୁ ଆଦିକରି ତେଣେ ଧାଈମାନେ
କୃଷ୍ଣ ଘେନି ଶୋଇଥିଲେ ନନ୍ଦର ସଦନେ ।
ଏକା ପଲ୍ୟଙ୍କରେ ଶୋଇଛନ୍ତି ହଳଧାରୀ
ଚଉପାଶେ ଜଗିଛନ୍ତି ଦାସୀ ପରିବାରୀ ।
କେହି ନ ଜାଣନ୍ତି କୃଷ୍ଣ କଲେ ଯେତେ ରୀତି
ସମସ୍ତଙ୍କୁ ମୋହ କରାଇଲେ ଲକ୍ଷ୍ମୀପତି ।
ରାଧିକା କୋଳରେ ହରି ଚନ୍ଦ୍ର ସେଣାପୁରେ
ରତିଶ୍ରମେ ନିଦ୍ରା ଗଲେ ପଲ୍ୟଙ୍କ ଉପରେ ।
ବେନି ପାରୁଶରେ ଶୋଇଛନ୍ତି ବେନି ବାଳୀ
ଦୁହିଙ୍କ ମଧ୍ୟରେ ନିଦ୍ରା ଗଲେ ବନମାଳୀ ।
ସେ ରାଧା ମାଧବ ପାଦେ ସଦା ମୋର ସେବା
ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।
ଚନ୍ଦ୍ରସେଣାର ରାଧାଙ୍କ ନିକଟରେ କୃଷ୍ଣଙ୍କୁ ଶୋଇଥିବାର ଦେଖି ମନରେ ପ୍ରଚଣ୍ଡ ଆକ୍ରୋଶ, ଏତଦ୍ଦର୍ଶନରେ କୃଷ୍ଣଙ୍କର ବାଳରୂପ ଧାରଣ
[ସମ୍ପାଦନା]ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜ
ଆନନ୍ଦରେ ଗଦଗଦ ହୋଇ ନୃପବର
ପୁଣି ପଚାରିଲେ ଶିରେ ଯୋଡ଼ି ବେନିକର ।
ରାଧାକୃଷ୍ଣ ମିଳନ ଏ ଦିବ୍ୟ ଜ୍ଞାନବାଣୀ
କୃତାର୍ଥ ହୋଇଲି ମୁନି ତବମୁଖୁଁ ଶୁଣି ।
ଚନ୍ଦ୍ରାବଳୀ ପୁରେ ଶୋଇଥିଲେ ଭଗବାନ
ତହିଁପରେ କିସହେଲା କହ ତପୋଧନ ।
ରାଜାର ବଚନ ଶୁଣି ଶୁକ ମହାଯତି
ବୋଇଲେ କହିବା ଶୁଣ ପଣ୍ଡୁ ପଣନାତି ।
କ୍ରମେ ସେ ରଜନୀ ଗୋଟି ଯହୁଁ ଶେଷ ହେଲା
ତାମ୍ରଚୂଡ଼ କହୁ କହୁ ଧ୍ୱନିରେ ରାବିଲା ।
ଦେବତାଙ୍କ ଆଲୟରେ ଶୁଭେ ଶଙ୍ଖଧ୍ୱନି
ନିଶି ଅବଶେଷେ ହେଲା ପାହିଲା ରଜନୀ ।
ବାୟସ କୁମ୍ଭାଟୁଆ ସେ ରାବନ୍ତି ଉଚ୍ଚରେ
ନିତ୍ୟ କର୍ମରେ ଲାଗିଲେ ନଗ୍ର ନାରୀ ନରେ ।
ପ୍ରଭାତୁଁ ଦଧି ମନ୍ଥନ କଲେ ଗୋପାଳୁଣୀ
ସମୁଦ୍ର ଗର୍ଜ୍ଜନ ପ୍ରାୟ ଶୁଭେ ଖୁଆ ଧ୍ୱନି ।
ନବଲକ୍ଷ ମନ୍ଦିର ଯେ ବସେ ଗୋପପୁରେ
ଦଶବିଂଶ ଖୁଆ ତହିଁ ବୁଲେ ସବୁ ଘରେ ।
ଗାଈଙ୍କର ହମ୍ୱାରାବ ବାଛୁରୀଙ୍କ ଧାଡ଼ି
ନର ନାରୀ ଗହଳରେ ଶୁଭେ ମୁଖ ରଡ଼ି ।
ଏହିରୂପେ ପାହିଲାକ ଯହୁଁ ସେ ରଜନୀ
ଗଗନରେ ଉଦେ ହେଲେ ପ୍ରଭୁ ଦିନମଣି ।
ଦିନକରୁ ଚନ୍ଦ୍ରସେଣା ଗୋଗୋଷ୍ଠରେ ଥିଲା
ଦୁଧଭାରି ଘେନି ଆସି ଗୃହରେ ମିଳିଲା ।
ପ୍ରାଙ୍ଗଣରେ ଉଭାରି ସେ ଭାର ଘେନି ଫୁଟି
ରାଧା ରାଧା ବୋଲି ଉଚ୍ଚେ ଡାକଇ କୁହାଟି ।
ଦଶବିଂଶ ବେଳଯାଏ ଦେଲା ଉଚ୍ଚେ ଡାକ
କେବେହେଁ ନ ଶୁଣେ ରାଧା ଚନ୍ଦ୍ରସେଣା ଡାକ ।
ଡାକି ଡାକି ନିରସ୍ତରେ ହେଲା ଅନ୍ତରାଳ
ଭାରବୁହା ପରିଶ୍ରମେ ବହିଯାଏ ଝାଳ ।
ପୁଣି ବିଚାରିଲା ଅବା ଘରେ କେହି ନାହିଁ
କବାଟ କିଳି ବେପାରେ ରାଧା ଅଛି ଯାଇ ।
ଏତେ ବୋଲି ହସ୍ତରେ ସେ ଘେନି କେନ୍ଦୁବାଡ଼ି
କବାଟ ପାଖରେ ଉଭା ହୋଇଲା ବାହୁଡ଼ି ।
ଧୀର କରିଣ ଖିଡ଼ିକି ବାଟେ ଦେଲା ଚାହିଁ
ଦେଖିଲା ଚନ୍ଦ୍ର ବଦନୀ ଖଟେ ଅଛି ଶୋଇ ।
ନିଚେଷ୍ଟେ ନିଦ୍ରା ଯାଇଣଛନ୍ତି ବେନିବାଳୀ
ଦୁହିଙ୍କ ମଧ୍ୟରେ ଶୋଇଛନ୍ତି ବନମାଳୀ ।
ଜଗମୋହନ ସ୍ୱରୂପ ଧରି ନାରାୟଣ
ପଲ୍ୟଙ୍କ ଉପରେ କି ଅଛନ୍ତି ଶୟନ ।
ନୀଳେନ୍ଦ୍ରୀଦଳ ପରାୟେ ଦିଶେ ଦିବ୍ୟ ବପୁ
ମହାସୁଖେ ନିଦ୍ରା ଯାଇଛନ୍ତି କଂସରିପୁ ।
ଦେଖି କରିଣ ଗଉଡ଼ ହେଲା ସ୍ତମ୍ଭୀଭୂତ
ବୋଲଇ ରାଧା ମୋହର କଲା ମନ୍ଦ କୃତ୍ୟ ।
ପୁଣି ବିଚାରଇ ଏତେ ଅଜ୍ଞାନ ଯୁବତୀ
ଜାଣୁ ଜାଣୁ ମନ୍ଦକର୍ମେ ବଳାଇଲା ମତି ।
ନଣନ୍ଦ ଭାଉଜ ବେନି ହେଲେ ନିଶ୍ଚେଁ ବାଇ
ଏ ଅଲୋକିତ କରମ କାହିଁ ଦେଖାନାହିଁ ।
ଏତେ ବିଚାର ଗୋପାଳ ଚାହେଁ ପୁଣି ପୁଣି
ଶୋଇ ଅଛନ୍ତି ପଲ୍ୟଙ୍କେ ତିନିଗୋଟି ପ୍ରାଣୀ ।
ବିଚାରୁ ବିଚାରୁ ବେଳ ହେଲା ତିନିଘଡ଼ି
ଦେଖିକରି ଚନ୍ଦ୍ରସେଣା ହୁଏ ତଡ଼ ବଡ଼ି ।
ରୋମ ଟଙ୍କୁରଇ ଝାଳ ସର୍ବାଙ୍ଗରୁ ବହେ
କୋପରେ ଗର୍ଜ୍ଜଇ ମହାକାଳ ସର୍ପ ପ୍ରାୟେ ।
ନିଶ ଫୁଲାଇଣ ଆଖି କରି ଡିମା ଡିମା
ବୋଲଇ ଆଲୋ ରାଧିକା ତୋ କଥା ଜାଣିମା ।
କହୁଁ କହୁଁ ଚନ୍ଦ୍ରସେଣା କ୍ରୋଧରେ ପ୍ରଜ୍ଜ୍ଵଳି
ତିନିଙ୍କି ମାରିଣ ଆଜି ଦେବି ବିଷାବଳି ।
ଏଡ଼େ ବଡ଼ ଅନୀତି ତ କେହୁ ସହି ପାରି
ଛାମୁରେ ପଡ଼ିଛୁ ଆଜ ଦୋଚାରୀ ମୋହରି ।
ଜାଣୁ ଜାଣୁ ଏ କଥା କି ଛାଡ଼ିଦେବି ସତେ
ଆଖିରେ ଦେଖିଲି କିପାଁ ନ ଯିବି ପରତେ ।
ପୁଣିହିଁ ପ୍ରତିଜ୍ଞାମାନ କରେ ବଢ଼ି ବଢ଼ି
ଓଷ୍ଠେ ଦନ୍ତ ଚାପି କରେ ଧରିଣ ଲଉଡ଼ି ।
ଏରୁଣ୍ଡି ମାଡ଼ି ବସିଛି ଅତ୍ୟନ୍ତ ନିର୍ଭରେ
ଆଣ୍ଠୁ ଭାରାରେ କବାଟ ପେଲେ ଅତି ଜୋରେ ।
ଅନେକ ପ୍ରତିଜ୍ଞା କରି ଦିଏ ବହୁ ଗାଳି
ଆଜି ନାସିକା ଛେଦିବି ତୋର ଚନ୍ଦ୍ରାବଳି ।
ଛାଡ଼ିଲୁ ତୁ ଜାତି କୁଳ ମହତ ଯେ ଲଜ୍ଜା
ଚୂନ କଳାଦେଇ ତୋତେ କରିବଇ ତେଜ୍ୟା ।
ତୂଳା ପ୍ରମାଣେ ତୋହର କାଟିବି ମାଉଁସ
ଦେଖୁ ଦେଖୁ କଲୁ ତୁହି ଏତେବଡ଼ ଦୋଷ ।
ମୁହିଁ ତୋହର ଭରତା ମୋ ପାଶେ ନ ଆସୁ
ଏଡ଼େ ଭରସା ତୋହର ପର ପୁଂସେ ରସୁ ।
ଶାଶୁ ଶ୍ୱଶୁର ଦିଅର ସମସ୍ତେ ଦେଖନ୍ତେ
ଏଡ଼େ ବଡ଼ ଭରସା ତୋ ହୋଇଲା କେମନ୍ତେ ।
ସ୍ତିରୀ ନିଲକ୍ଷଣୀ ତୋର ଚଞ୍ଚଳ ପ୍ରକୃତି
ଅଜ୍ଞାନ ବେଳରୁ ପୁଣି ଏଡ଼େକ ଅନୀତି ।
ମୁଁ ଅବା ନ ଜାଣି ତୋତେ କରିଲଇଁ ଦୟା
ତୋହର ହୃଦୟ ମୋତେ କଲୁ ଏଡ଼େମାୟା ।
ଆନ ଭାରିଯା କରି ମୁଁ ଘେନିବି ତୋ ପ୍ରାଣ
ଏହା ନ କରଇ ଯେବେ ପିତା ମାତା ରାଣ ।
ଭଉଣୀ ଏଡ଼ିକି ମୋର ଅଟଇ ପାପିଷ୍ଠା
ତୋର ସଙ୍ଗେ ପଡ଼ି ଆଜ ସେହି ହେଲା ନଷ୍ଟା ।
ପର ପୁରୁଷ ସଙ୍ଗରେ ପ୍ରୀତି ବଢ଼ାଇଲ
କୁଳ କୁଟୁମ୍ୱ ବୁଡ଼ାଇ ଆପେ ନାଶ ଗଲ ।
ଜାଣୁ ଜାଣୁ ଲାଜ ଭୟ ସଂକୋଚ ତେଜିଲ
ବିଷ ଦଉଡ଼ିରେ ପ୍ରାଣ ହରାଇ ନ ଦେଲ ।
ମାତା ପିତା ଦାରା ଯେବେ ହୁଅନ୍ତି ବଇରୀ
ଧର୍ମ ଶାସ୍ତ୍ର ପ୍ରମାଣରେ ୟାଙ୍କୁ ନାଶ କରି ।
ଘରେ ପଶିଅଛି ମୋର କେବଣ ପାପିଷ୍ଠ
ନିଶ୍ଚେ କହୁଛି କରିବି ତାର ମୁଣ୍ଡ କାଟ ।
ଦେଖିବା କେବଣ ବାପ ରକ୍ଷା କରେ ଆସି
ହାଡ଼ ରକତ ସହିତେ ମାଂସ ଦେବି ପେଷି ।
ପଳାଇଯିବାକୁ ପୁଣି ନାହିଁ କାହିଁ ଦ୍ୱାର
ଜାଣିବା କିରୂପେ ପୁରୁଁ ହୋଇବ ବାହାର ।
ପିତା ମାତାଙ୍କୁ କ୍ରୋଧରେ ଡକାଇ ଆଣିଲା
ଆଖି ରଙ୍ଗ ରଙ୍ଗ କରି ଏରୂପେ ବୋଇଲା ।
ଦେଖ ଦେଖ ଝିଅ ବୋହୂ ଦୁହିଙ୍କର ଗୁଣ
ଶୋଇଛନ୍ତି ଖଟେ ପରପୁରୁଷ ସଙ୍ଗେଣ ।
ରକତ ମାଂସ ଦେହେ କି ଏହା ହୋଏ ସହି
ବେଳ ପ୍ରହରେ ହେଲାଣି ନିଦ ଭାଙ୍ଗୁନାହିଁ ।
ପ୍ରତ୍ୟହ କରନ୍ତି ଏହିରୂପେ ଅନାଚାର
ତୁମ୍ଭେ ତ କେହି ନ ଜାଣ ଏହି ସମାଚାର ।
ସନ୍ଧ୍ୟାରେ ମୁଁ ଗୋଷ୍ଠେଯାଏ ସକାଳରେ ଆସେ
କେବଳ ଭୁଞ୍ଜିବା ପାଇଁ ଘରେ ଦଣ୍ଡେ ପଶେ ।
ଯେବଣ ଦିନ ଗୋଷ୍ଠକୁ ଅଳସେ ନ ଯାଇ
ଛନ୍ଦିଣ ବନ୍ଧଣି ଦିଏଁ ମଣ୍ଡପରେ ଶୋଇ ।
ତୁମ୍ଭେ ଘରେ ଥାଅ କିପାଁ ନ କର ଆକଟ
ଦେଖୁ ଦେଖୁ ଝିଅ ବୋହୁ ଗଲେ ମନ୍ଦବାଟ ।
କୁଳକୁ କଳଙ୍କ କଥା ଶୁଣିବାକୁ ଲଜ୍ଜା
ନିଶ୍ଚୟ ରାଧାକୁ ମୁହିଁ କରିବଇଁ ତ୍ୟଜ୍ୟା ।
ଏତେ ବୋଲି ପୁଣି ତାକୁ ହାଙ୍କି ଦିଏ ଡାକ
ଏ କଥା ଶୁଣି ମିଳିଲେ ଆସି ବହୁଲୋକ ।
ଚନ୍ଦ୍ରସେଣା ବସିଅଛି ଏରୁଣ୍ଡି ବନ୍ଧରେ
ଆକର୍ଷଣ କେନ୍ଦୁ ବାଡ଼ି ପିଟଇ ଭୂମିରେ ।
ଜଳା କବାଟରେ ତହୁଁ ସର୍ବେ ଅନାଇଲେ
ତିନିଜଣ ଏକତ୍ରରେ ଶୋଇବା ଦେଖିଲେ ।
ନଣନ୍ଦ ଭାଉଜ ବେନି ଛନ୍ତି ଦୁଇପାଶ
ମଧ୍ୟରେ ଶୋଇଅଛନ୍ତି ପ୍ରଭୁ ପୀତବାସ ।
ନିଶ୍ଚିନ୍ତରେ ପଲ୍ୟଙ୍କରେ ଶୋଇଛନ୍ତି ତିନି
ଏହା ଦେଖିଲେ ଗୋପାଳ ସବୁ ଗୋପାଳୁଣୀ ।
କବାଟ ଭାଙ୍ଗ ବୋଲିଣ ବୋଇଲେ ଗୋପାଳେ
କେ ବୋଲେ ପେଚା ବସିଲା ଏହାଙ୍କ କପାଳେ ।
କେ ବୋଲଇ ମନୁଷ୍ୟ କି ନୋହେ ଚିହ୍ନି ଆସ
ଆଜି ନେଇ ଦେବା ୟାକୁ କଂସରାଜା ପାଶ ।
କେ ବୋଲେ ଦାରାବୈରୀକି ରଖି ନ ଯୋଗାଇ
କେ ବୋଲେ କେହ୍ନେ ପଶିଲାକ ବାଟକୁ ଫେଇ ।
ଏମନ୍ତ କହି ସକଳେ ଚାହିଁ ଜଳା କତି
ନୀଳେନ୍ଦ୍ରି ଦଳ ପରାୟେ ଦିଶେ ପ୍ରଭୁ କାନ୍ତି ।
ଜାଜ୍ୱଲମାନ ଶରୀର ଦିଶେ ଅତି ସଞ୍ଚ
ନାହିଁ ପଟାନ୍ତର ସ୍ୱର୍ଗ ପାତାଳୁ ଯେ ମଞ୍ଚ ।
ଦେବାଧିଦେବ ଅଟନ୍ତି ଯେଉଁ ନରହରି
କୋଟିଏ ରୂପ ଯାହାକୁ ନୁହେ ସମସରି ।
ଜଗମୋହନ ରୂପକୁ ଧରି ପୀତବାସ
ସୁକୁମାର ସୁନ୍ଦର ଯେ ନବୀନ ବୟସ ।
ନିର୍ମଳକାଶେ ଯେସନେ ଉଦେ ଚନ୍ଦ୍ରକାନ୍ତି
ତେସନ ରୂପରେ ପ୍ରଭୁ ଖଟେ ପହୁଡ଼ନ୍ତି ।
ଦେଖି ପୁରଜନମାନେ ଚମତ୍କାର ହେଲେ
କାହିଁର ମନୁଷ୍ୟ ବୋଲି ଚିହ୍ନି ନ ପାରିଲେ ।
କେ ବୋଲଇ ଏ ପୁରୁଷ ନୁହଇ ତ ଚିହ୍ନି
ଏଡ଼େ ବଡ଼ ଭରସା ତ ଭୟ ନାହିଁ ଶୁଣି ।
କେ ବୋଲଇ ପରଘରବୁଡ଼ା ଏ ପାମର
ଏ କଥା କହିବା ଚାଲ କଂସର ଆଗର ।
କେ ବୋଲେ କବାଟଭାଙ୍ଗି ମୋ ଛାମୁକୁ ଆଣ
କିଳା ବାଡ଼ି ପିଟି ତାର ଘେନିବି ପରାଣ ।
ଏସନକ ଗୋଳ ଯହୁଁ କଲେ ଗୋପବୃନ୍ଦ
ହୃଦୟ ମଧ୍ୟରେ ତାହା ଜାଣିଲେ ଗୋବିନ୍ଦ ।
ରାଧା ପଲ୍ୟଙ୍କ ଉପରେ ଥିଲେ ନିଦ୍ରା ଯାଇ
ସକଳ ବୃତାନ୍ତ ପ୍ରଭୁ ଜାଣିଲେ ଚିଆଇଁ ।
ଶୁକ ମୁନି ବୋଇଲେକ ଶୁଣ ଦଣ୍ଡଧାରି
ବିଷ୍ଣୁର ଏ ରାସଲୀଳା କେହୁ କହିପାରି ।
ଭାଜିଗଲା ନିଦ୍ରା ଯହୁଁ ଜାଗିଲେ ମାଧୋଇ
ଅଚେତନେ ଚନ୍ଦ୍ରାବଳୀ ଖଟେ ଅଛି ଶୋଇ ।
ନଣନ୍ଦ ଶୋଇଛି ମଧ୍ୟ ନିଶ୍ଚେଷ୍ଟ ଭାବରେ
ଜଣା ନାହିଁ କିଛି କଥା ଶ୍ରୀହରି ମାୟାରେ ।
ସମସ୍ତ ଗୋପାଳମାନେ କରୁଛନ୍ତି ଗୋଳ
ଏ କଥା ନୟନେ ଦେଖି ଦେବକୀ ଦୁଲାଳ ।
ଜନରଞ୍ଜନ ନିମନ୍ତେ ହରି କଲେ ମାୟା
ସେହି ପଲ୍ୟଙ୍କେ ଧଇଲେ ବାଳୁତର କାୟା ।
ବାହେ ବାନ୍ଧେଣି ତାଳୁରେ ଶୋହେ ଦିବ୍ୟଚୂଳ
କଣ୍ଠତଟେ ବାଘନଖ ହରିଡ଼ାର ମାଳ ।
କଟୀରେ ରତ୍ନ ମୁକୁତା ଭୁଜରେ କଙ୍କଣ
ବେନିପୟରେ ନୂପୁର ବାଜେ ରୁଣୁଝୁଣୁ ।
ନାସାରେ ମୁକୁତା ଗୁଣା ତହିଁ ଗଜମୋତି
ନିର୍ମଳ ଆକାଶେ ଯେହ୍ନେ ଦିଶେ ଚନ୍ଦ୍ରକାନ୍ତି ।
ନୀଳେନ୍ଦ୍ରିଦଳ ପରାୟ ଶରୀର ଶୋଭନ
କୁନ୍ଦିଲା ମର୍କତ ପ୍ରାୟେ ଦିଶଇ ବଦନ ।
ଏସନକ ସ୍ୱରୂପରେ ବାଳରୂପଧରି
ରାଧିକା ଖଟ ଉପରେ ବିଜୟେ ଶ୍ରୀହରି ।
କଞ୍ଚି ଘେନି ଚନ୍ଦ୍ରସେଣା କବାଟକୁ ଫେଡ଼ି
ପଶିଗଲେ ଗଉଡ଼ ଯେ ହୋଇ ଧାଡ଼ି ଧାଡ଼ି ।
ଚନ୍ଦ୍ରସେଣା କେନ୍ଦୁବାଡ଼ି ଧରିଅଛି କରେ
ତିନିଙ୍କି ଏକାବେଳେ ପିଟିବ ବିଚାରେ ।
ଏକଦୃଷ୍ଟିରେ ସେ ରୂପ ଦ୍ୟନ୍ତେ ସେହି ଚାହିଁ
ଦେଖିଲା ବାଳମୁକୁନ୍ଦ ଜଗତ ଗୋସାଇଁ ।
ଭଉଣୀ ଭାରିଯା ଦୁହେଁ ଛନ୍ତି ବେନିଆଡ଼େ
ନିର୍ଭରେ କଳାକାହ୍ନୁ ତା ମଧ୍ୟେ ପହୁଡ଼େ ।
ଦେଖିକରି ଚନ୍ଦ୍ରସେଣା ହୋଇଲା ସ୍ତବଧ
ନ ଜାଣିଣ ଏହିକ୍ଷଣି କରୁଥିଲି ଦ୍ୱନ୍ଦ୍ୱ ।
ଭାବିଲା ଏ କେଉଁ ମାୟା ଜାଣି ନ ପାରିଲି
ଉଞ୍ଚାଇଥିଲି ଲଉଡ଼ି ଭଲା ନ ମାଇଲି ।
ନ ଜାଣି ବାଳକହତ୍ୟା ପାପ ଅର୍ଜ୍ଜୁଥିଲି
ଭୂଇଁ କର୍ଣ୍ଣ ଛୁଇଁ ମୁଖେ ହରି ହରି ବୋଲି ।
କ୍ରୋଧାନ୍ଧରେ ବାଳହତ୍ୟା କରୁଥିଲି ଆଜ
କଅଁଳା ପୁଅ ସହନ୍ତା କାହୁଁ ଲୌଡ଼ି ତେଜ ।
ଯେବଣ ଲଉଡ଼ି ବାଜି ବୃକ୍ଷେ ହୋନ୍ତି ଚୂନା
କାହୁଁ ତା ସହି ପାରନ୍ତା ମୋହର ଅଙ୍ଗନା ।
ବାଳହତ୍ୟା ସ୍ତିରୀହତ୍ୟା କରିଥାନ୍ତି ଆଜ
ପରଲୋକେ ନର୍କଗତି ଇହଲୋକେ ଲାଜ ।
କରମ ସୁଭାଗ୍ୟ ମୋର ଅଟଇ ତ ଭଲା
ଦଇବ ମୋତେ ତ ଆସି ସପକ୍ଷ ହୋଇଲା ।
ମୁଁ ଅବା କାହାର ମୁଖ ଚାହିନ୍ତି ଲୋକିତେ
ନଗ୍ର ନରନାରୀ କିସ ବୋଲିଥାନ୍ତେ ମୋତେ ।
ବୋଲନ୍ତେ ବାତୁଳ ପ୍ରାୟ ହେଲା ଜ୍ଞାନଧ୍ୱଂସ
ବାହାର କରି ଦିଅନ୍ତା ରାଜ୍ୟୁ ମୋତେ କଂସ ।
ଯେତେ ଲୋକ ଆସିଥିଲେ ଦେଖିବାର ପାଇଁ
ବାଳକ ମୂରତି ସେହୁ ନୟନରେ ଚାହିଁ ।
ଉପହାସ କରି ଚନ୍ଦ୍ରସେଣାକୁ ବୋଇଲେ
ୟାପରି ପାଗଳ ଲୋକ ନାହିଁ ଭୂମଣ୍ଡଳେ ।
କେ ବୋଲେ କାଲି ଗଞ୍ଜାଇ ଏହି ଖାଇଥିଲା
ବାସି ନିଶା ଝୁଙ୍କ ଆଜି ମୁଣ୍ଡକୁ ଉଠିଲା ।
କେ ବୋଲେ ଏହାକୁ କଲା ନିଶ୍ଚେ ପିତ୍ତବ୍ୟାଧି
କେବଣ ଦଇବ ଦେଲା ୟାକୁ ଏହି ବୁଦ୍ଧି ।
କେବୋଲେ ପାଗଳନିଶ୍ଚେଁ ହୋଇଲାଟି ସେହି
କେ ବୋଲେ ଭୂତଲାଗିଛି ଗୋଷ୍ଠେଥିଲା ଯାଇ ।
ଏହିରୂପେ ଉପହାସ କରିଲେ ଗୋପାଳେ
ମିଛ କଥା ବୋଲିକରି ମଣିଲେ ସକଳେ ।
ରାଧିକା କାତର ହୋଇ ଆଖି ମଳି ପୁଣି
କୃଷ୍ଣଙ୍କୁ ଚାପୋଡ଼େ ମାରି ବୋଲଇ ତରୁଣୀ ।
ଯଶୋଦା ନଗରେ ଯାଇଥିଲି ଆଜି ମୁହିଁ
ଧାଈଗଣ ସହିତରେ ସୁଖେ ନିଦ୍ରା ଯାଇ ।
ପରିହାସେ କୃଷ୍ଣଙ୍କୁ ମୁଁ ଆଣିଲି ଚୋରାଇ
ପ୍ରବେଶମାତ୍ରକେ ମାଗେ ଖାଇବାର ପାଇଁ ।
ଛେନା ଗୋଟିକା ଲବଣୀ ଦୁଧ ଯେ ଶାକର
ସମସ୍ତ ଭୁଞ୍ଜାଇ ଆଣି ଶୁଆଏଁ କୋଡ଼ର ।
ଗନ୍ଧ ଚନ୍ଦନ କୁଙ୍କୁମ ଶରୀରେ ଘଷି
ତେଣୁକରି କୃଷ୍ଣ ଅଙ୍ଗ ଶୋଭା ଅତି ଦିଶି ।
ଏସନକ ସମାଚାର ଦେଖିଲ ପ୍ରତ୍ୟକ୍ଷ
ମନକୁ ନ ଗଲେ ପ୍ରତେ ଭଉଣୀକୁ ପୁଚ୍ଛ ।
କାହିଁକି ବୃଥାରେ ଘରେ କର ଏଡ଼େ ଗୋଳ
କୃଷ୍ଣଙ୍କୁ ସମର୍ପ ନେଇ ଯଶୋଦାର କୋଳ ।
ତହୁଁ ସେହି ଚନ୍ଦ୍ରସେଣା କାଖରେ ବସାଇ
ଯଶୋଦାଙ୍କ ନିକଟରେ ପ୍ରବେଶିଲା ଯାଇ ।
ଭଉଣୀକି ଦେଖିକରି କଲା ନମସ୍କାର
ପୁଣ ପୁଣ ଚରଣରେ ପଡ଼େ ଶତେବାର ।
ଯଶୋଦା କଲ୍ୟାଣ କଲେ ସେ ଚନ୍ଦ୍ରସେଣାକୁ
ପରମାୟୁ ବୃଦ୍ଧି ହେଉ ତୋ କାଳକାଳକୁ ।
ଚନ୍ଦ୍ରସେଣା ବୋଲେ ତୁମ୍ଭେ ନିଦ୍ରା ଯାଇଥିଲ
ରାଧିକା କୃଷ୍ଣଙ୍କୁ ନେଲା କେହି ନ ଜାଣିଲ ।
ଯଶୋଦା ବୋଇଲେ ତୁହୋ ଶୁଣ ମୋର ବାଣୀ
ରମକୃଷ୍ଣ ବେନି ମୋର ନୟନର ମଣି ।
ଅନେକ ପୁଣ୍ୟରେ ମୁହିଁ ୟାଙ୍କୁ ପାଇଅଛି
ଦଣ୍ଡେ ଘଡ଼ିଏ ପ୍ରହରେ ନ ପାରଇ ମୂର୍ଚ୍ଛି ।
ଦଣ୍ଡେ ଅନ୍ତର ହୋଇଲେ ଯୁଗର ସମାନ
ଅନ୍ଧର ଲଉଡ଼ି ମୋର ଦରିଦ୍ରର ଧନ ।
ତୁ କିସ ନ ଜାଣୁ ବାବୁ କହିବି ବା କେତେ
ବୃଦ୍ଧକାଳେ ଧାତା ଆଣି ୟାଙ୍କୁ ଦେଲା ମୋତେ ।
କେତେ କେତେ ଅରିଷ୍ଟରୁ ତରି ନାହିଁ ଅବା
ତୁ ତ ସବୁ ଜାଣୁ ତୋତେ ବେଶି କି କହିବା ।
ରିପୁ ରାଜା ଦେବ ଆଉଦୈତ୍ୟ ଉପଦ୍ରବ
ଦଇବ ବଳରୁ ଏହା ପାର ଯାଇ ସର୍ବ ।
ତୁ ମୋର ଭାଇ ଭାଉଜ ଅଟେ ଚନ୍ଦ୍ରାବଳୀ
ଆହାଲ୍ଲାଦ ମୋହଠାରୁ ତୁମ୍ଭର ଉଗୁଳି ।
ସେ ଯଦ୍ୟପି ନେଇଥିଲା ଦୁର୍ଲ୍ଲଭ ଏ କଥା
ତୁହି ନ ଆସୁଣୁ ମୁହିଁ ପାଇଥିଲି ବାର୍ତ୍ତା ।
ଏସନକ ବୋଲିଣ ସେ ନନ୍ଦରାଜା ରାଣୀ
ଆପଣାର କୋଳେ ପୁତ୍ର ଧରେ ବେଗେ ଆଣି ।
ମୁଖରେ ଚୁମ୍ୱନ ଦେଇ ଆଶ୍ୱାସଇ କାୟେ
ଅଧରେ ସ୍ତନ୍ୟ ପିଆଏ କୋଳେ ଧରି ମାଏ ।
କେତେହେଁକ ବେଳ କୃଷ୍ଣ ହୋଇଲେକ ଶାନ୍ତି
ବେନି ନୟନକୁ ଆସି ଘାରେ ନିଦ୍ରାବତୀ ।
ଗନ୍ଧ ଚନ୍ଦନ ଶ୍ରୀଅଙ୍ଗ ଯାକେ ବୋଳିଦେଇ
ପଲ୍ୟଙ୍କ ଉପରେ ମାଏ ଶୁଆଇଲେ ନେଇ ।
ନନ୍ଦର ଭୁବନେ ବିଜେ ଦେବ ଦେବ ସ୍ୱାମୀ
ନିଶ୍ଚିନ୍ତରେ ନିଦ୍ରାଗଲେ ପ୍ରଭୁ ଅନ୍ତର୍ଯ୍ୟାମୀ ।
ତହିଁ ସନ୍ନିଧିରେ ବଳରାମ ଶୋଇଥିଲେ
ରଜନୀର ଅବଶେଷେ ଉଠିଣ ବସିଲେ ।
ଗଜପଲ୍ୟଙ୍କେ ଯେ ମାଏ ଶୁଆଇଲେ ନେଇ
ନନ୍ଦ ବାରସ୍ୱତୀପୁରେ ବିଜେ ଭାବଗ୍ରାହୀ ।
ବାଳୁତଙ୍କ ବେଭାରେ ସାରିଲେ ଅବକାଶ
ଧାଈ ମୁଦୁସୁଲୀମାନେ ହୁଅନ୍ତି ହରଷ ।
ଛେନା ଯେ ଗୋଗିକା ସର ଅଧାମ ଲବଣୀ
ସମ୍ପୂର୍ଣ୍ଣ ଭୋଜନ ଯେ ସାରିଲେ ହଳପାଣି ।
ଭୋଜନର ଉତ୍ତାରେ ଯେ ଆଚମନ ସାରି
ସମସ୍ତ ନାରୀଏ ଯେ ଅଛନ୍ତି ସେବାକରି ।
ଜାଣି ନ ପାରିଲେ ତାହା ଗୋପନରନାରୀ
ଯଶୋଦା ପୁଅ ବୋଲିଣ ଛନ୍ତି ମନେ ଧରି ।
କାହାକୁ ଗୋଚର ନୁହେ ପ୍ରଭୁଙ୍କର ମାୟା
ଛଦ୍ରମେ ଧରି ଅଛନ୍ତି ବାଳୁତର କାୟା ।
ପୃଥ୍ୱୀଭାରାଭର ପ୍ରଭୁ ଉଦ୍ଧାରିବା ପାଇଁ
ଦ୍ୱାପରରେ ଅବତାର ନରଦେହ ବହି ।
ଦେବକୀ ଗର୍ଭରୁ ଜାତ ବସୁଦେବ ସୁତ
ଉଗ୍ରସେନ ରାଜା ଜାଣେ ଏହି କଥା ମାତ୍ର ।
ଯୋଗବଳରେ ଜାଣନ୍ତି ଗାର୍ଗ୍ୟ ମହାମୁନି
ଆଉ କେହି ନ ଜାଣନ୍ତି ସେହି କଥା ପୁଣି ।
ବନ୍ଦିରେ ଥାଇ ଦେବକୀ ପୁତ୍ର ଜାତ କଲେ
ଫୁଲ ପଡ଼ିବା କାଳରେ ଅଚେତ ହୋଇଲେ ।
ଯଶୋଦା ଏଣେ ବିଜୁଳି କନ୍ୟା କଲେ ଜାତ
ସେ ମଧ୍ୟ ପ୍ରସବ କରି ହେଲେ ମୋହଗତ ।
ଦେବଦୂତ ବଚନରେ ବସୁଦେବ ନେଲା
ଅର୍ଦ୍ଧନିଃଶ୍ୱାସ ମାତ୍ରକେ ପାଲଟି ଆଣିଲା ।
ଯଶୋଦାଙ୍କ ଫୁଲ ତହିଁ ପଡ଼ିଲା ମହୀରେ
ବିଜୁଳି କନ୍ୟକୁ କଂସ ମାଇଲା ଶିଳାରେ ।
ଏମନ୍ତ ପ୍ରକାର ଅଟେ ବିଧାତାର କୂଟ
ଜାଣି ନ ପାରନ୍ତି କେହି ସେ ଛନ୍ଦ କପଟ ।
ଗୋପନରେ ଅଛନ୍ତି ଯେତେକ ନରନାରୀ
ନୟନେ ଦେଖନ୍ତି ମାତ୍ର ଚିହ୍ନି ଯେ ନ ପାରି ।
ଧନ୍ୟ ସେ ଯଶୋଦା ଦେବୀ କେଉଁ ତପ କଲେ
ପରମାନନ୍ଦ ପୁରୁଷ କୋଳରେ ଧଇଲେ ।
ଯେଉଁ ପଦ୍ମପାଦ ଲାଗି ହନୁ ଅଜ୍ରାମର
ଯେବଣ ପାଦଧୂଳିରେ ଶ୍ରୀମନ୍ତ କୁବେର ।
ଯେଉଁ ପାଦଧୂଳି ଲାଗି ଲକ୍ଷ୍ମୀ ଜଗଜ୍ଜିତା
ଯେ ପାଦ ଲାଗି ମୁକତ ଗୋତମ ବନିତା ।
ଯେ ପାଦପଦ୍ମରେ ବଳି ପାତାଳକୁ ଗଲା
ଯେ ପାଦ ଲାଗିଲା ବିହି ଧାତା ବୋଲାଇଲା ।
ଯେ ପାଦପଦ୍ମ ସେବିଣ ସୁଗ୍ରୀ ହେଲା ରାଜା
ଯେଉଁ ପାଦପଦ୍ମ ହେତୁ ହନୁ ଉଗ୍ରତେଜା ।
ଯେ ପାଦପଦ୍ମରେ ଲୟ ଲଗାଇ କୁକ୍କୁଟ
ମଥାରେ ବହିଛି ଦେଖ ଅପୂର୍ବ ମୁକୁଟ ।
ଯେବଣ ପଦ୍ମପାଦରେ କିଞ୍ଚିତ ପ୍ରକାର
ଲୁଚିଗଲା ସପ୍ତଦ୍ୱୀପ ସପତ ସାଗର ।
ଯେଉଁ ପାଦପଦ୍ମ ମରଦିଲା କାଳୀନାଗ
ଯେ ପାଦପଦ୍ମ ଲାଗିଛି ଦିବି ଭୁବି ସ୍ୱର୍ଗ ।
ଯୋଗୀଜନେ ଯେ ପାଦକୁ କରିଛନ୍ତି ଲୟେ
ଯେଉଁ ପଦ୍ମପାଦ କୋଣୁ ଗଙ୍ଗାଝର ବହେ ।
ଅଷ୍ଟାଙ୍ଗ ଯୋଗୀ ଯେ ଚୌରାଅଶୀ ଖଣ୍ଡଜ୍ଞାନ
ଯେବଣ ପାଦପଦ୍ମକୁ କ୍ଷରିଛି ଏମାନ ।
ଯେବଣ ପାଦପଦ୍ମକୁ ଶିବ ଧରି ଶିରେ
ଗୋହତ୍ୟା ମହାପାତକ ନାଶି ଅକ୍ଳେଶରେ ।
ଜପ ତପ ପ୍ରଣବ ଯେ ଧ୍ୟାନ ଧାରଣାଦି
ଯେବଣ ପାଦପଦ୍ମରୁ ଏମାନ ସମ୍ପାଦି ।
ସାଯୁଜ୍ୟ ମୁକତି ନିର୍ବାଣ ମୁକତି
ଯେବଣ ପଦପଦ୍ମରୁ ସମ୍ଭବି ଅଛନ୍ତି ।
କାଳାନ୍ତକ ଯୁଗାନ୍ତକ ଯେ ପ୍ରଳାୟାନ୍ତକ
ଯେବଣ ପାଦପଦ୍ମରୁ ଝରିଛି ଏତେକ ।
ଭଗବନ୍ତ ସନାତନ ଆଉ ଯୋଗଧାରୀ
ଏକଦଣ୍ଡୀ ତ୍ରିଦଣ୍ଡୀ ଯେ ନିତ୍ୟ ବ୍ରତାଚାରୀ ।
ପରଂହଂସ ଦୀକ୍ଷା ଯାର ନାସ୍ତିକ ଯେ ମୁନି
ବଡ଼ ବୈଷ୍ଣବ ସାବିତ୍ରୀ ଦୀକ୍ଷାକୁ ଯେ ଘେନି ।
ମନ ପବନ ସଂଯମୀ ଯେହୁ ଊର୍ଦ୍ଧ୍ୱରେତା
ଏମାନେ ଯେଉଁ ପାଦକୁ କରୁଥାନ୍ତି ଚିନ୍ତା ।
ସେ ସ୍ୱାମୀ ପରମାନନ୍ଦ ନରଦେହ ବହି
ଛଦ୍ରମେ ବାଳୁତ ରୂପ ଜଗତ ଗୋସାଇଁ ।
ଅନାଥ ଲୋକର ବନ୍ଧୁ କରୁଣାସାଗର
ଗୋପପୁରେ ବୋଲାଇଲେ ନନ୍ଦର କୁମର ।
ଧନ୍ୟ ଯେ ଗୋପନଗର ନର ନାରୀ ଯେତେ
ବିଷ୍ଣୁଙ୍କ ରୂପ ଦେଖିଲେ ସଦା ଚର୍ମନେତ୍ରେ ।
କୃଷ୍ଣଙ୍କ ସଙ୍ଗେ କ୍ରୀଡ଼ନ୍ତି ନାନ ରସରଙ୍ଗେ
ଅଣାକାର ପୁରୁଷକୁ ଲଭିଲେ ସୁଯୋଗେ ।
ସ୍ତନ ଦୁହିଁଣ ଗୋପୀଏ ମୁଖେ କ୍ଷୀର ଦ୍ୟନ୍ତି
ଖଟ ଦୋଳିରେ ଶୁଆଇ ଗୀତ ସେ ଗାବନ୍ତି ।
ମୁଖ ଦେଖି ଗୋପୀଙ୍କର କୋଟି ଦୁଃଖଯାଏ
ସର୍ବଗୁଣେ ପରିପୂର୍ଣ୍ଣ ପ୍ରଭୁ ଦେବରାୟେ ।
ନିରାକାର ନିରଞ୍ଜନ ଦେବ ଠୁଳ ଶୂନ୍ୟ
ଅବ୍ୟକ୍ତ ଅନନ୍ତ ଦେବ ଦେବ ଭଗବାନ ।
ସେ ଦେବଙ୍କ ପଦ୍ମପାଦେ ନିତ୍ୟ ମୋର ସେବା
ଇତି ଶ୍ରୀ ଦଶମସ୍କନ୍ଧ ପୁରାଣର ବାଣୀ
ରାଧାମାଧବ ସମ୍ୱାଦ ଅପୂର୍ବ କାହାଣୀ ।
ଏଥୁଅନ୍ତରେ ପରୀକ୍ଷ ନାମେ ମହାରାଜା
ଶୁକମୁନିଙ୍କ ଚରଣେ କଲେ ଦିବ୍ୟପୂଜା ।
ଅନେକ ଧୂପ ଦୀପ ଯେ ନଇବେଦ୍ୟ ଦେଇ
ପାଦପଦ୍ମ ସେବାକରି ବିନୟେ ଜଣାଇ ।
ଭୋ ମୁନି ଅପୂର୍ବ କଥା ତବ ମୁଖୁ ଶୁଣି
ହୋଇଲି ପବିତ୍ର ମୁହିଁ ଗଙ୍ଗାଜଳ ଜାଣି ।
ବିଷ୍ଣୁର ପରମ ଲୀଳା ଅସଂଖ୍ୟ ତ ମୁନି
ସମସ୍ତଙ୍କୁ ମାୟା ଚକ୍ରେ ଭ୍ରମାନ୍ତି ଯେ ପୁଣି ।
ନାରାୟଣ ପୁରୁଷର ଅଗୋଚର ମାୟା
ମାନବେ କାହୁଁ ଜାଣିବେ ବିଷ୍ଣୁକୂଟ ଯାହା ।
ଗୁପତରେ ରାମକୃଷ୍ଣ ରହି ନନ୍ଦଘରେ
ବାଳୁତ ରୂପରେ କ୍ରୀଡ଼ା କଲେ ହରଷରେ ।
ତଦପରେ କିସ କଥା କଲେ ଯଦୁନାଥ
କହିବା ହେଉ ମୋତେ ତା ଆହେ ତପୋବନ୍ତ ।
ଶୁଣ ପରୀକ୍ଷ ବଦନ୍ତି ଶୁକ ମହାଯତି
ଏ ଅଟେ ଶ୍ରୀଭାଗବତ ପୁରାଣର କୀର୍ତ୍ତି ।
ଗୀତଗୋବିନ୍ଦ ଆଖ୍ୟାନ ଦଶମର ବାଣୀ
ଧନ ଧାନ୍ୟ ଧର୍ମଦୀକ୍ଷା ପ୍ରାପ୍ତ ହେବ ଶୁଣି ।
ରସେ ରାସକ୍ରୀଡ଼ା ଭାଗବତ ରସାମୃତ
ହରିବଂଶ ପୁରାଣ ଏ ସାମବେଦୁଁ ଜାତ ।
ଷାଠିଏ ଲକ୍ଷ ଗ୍ରନ୍ଥ ଯେ ବ୍ୟାସମୁନି କଲା
ତା ମଧ୍ୟୁ ହରିବଂଶକୁ ପ୍ରଧାନ କରିଲା ।
ହରିବଂଶ ମଧ୍ୟୁ ଛାଙ୍କେ ବିଚାରି ଏକାନ୍ତେ
ଗୋବିନ୍ଦର ରାସକ୍ରୀଡ଼ା ଗୋପୀଙ୍କର ଯେତେ ।
ଧନ୍ୟ ଧନ୍ୟ ଜ୍ଞାନ ଜପ ତପ ଯେ ସମାଧି
ଚତୁର୍ବର୍ଗ ବାଞ୍ଛା ଏଥେଁ ହୁଅଇ ଯେ ସିଦ୍ଧି ।
ଲୟ ଲଗାଇ ଏକାନ୍ତେ ଶୁଣ ନରନାଥ
ବେଦବ୍ୟାସ ମହର୍ଷି ଯା କରିଲେ ଭକତ ।
ଏତେ ବୋଲିଣ ପୁସ୍ତକ ଫେଡ଼ି ମହାମୁନି
ଓଁକାର ପ୍ରକାଶ କଲେ ଶ୍ରୀହରି କାହାଣୀ ।
ଫାଲଗୁନ ଶୁକ୍ଳପକ୍ଷ ପଉର୍ଣ୍ଣମୀ ତିଥି
ପୂର୍ବାଫାଲ୍ଗୁନୀ ନକ୍ଷତ୍ର ଅଟଇ ଯୁକତି ।
ସେହିଦିନ ଯାତ୍ରା ଏକ ଗୋପରେ ହୁଅଇ
ତେଣୁ ସେଦିନ ଗୋପାଳେ ବନ୍ଦାନ୍ତି ଯେ ଗାଈ ।
ନବଲକ୍ଷ ଗୃହ ବସେ ସେ ଗୋପନଗରେ
ଅପ୍ରମିତ ଧନ ଜନ କେହୁ କହିପାରେ ।
ପ୍ରତ୍ୟକ୍ଷେ ଶ୍ରୀହରି ଜାତ ହୋଇଛନ୍ତି ଯହିଁ
କୋଟିପାଦେ କମଳିନୀ ବିଜେକଲେ ତହିଁ ।
ଗୋପୀ ଗୋପାଳମାନେ ଯେ ସର୍ବେ ନବଯୁବା
ଏକୁ ଆରେକ ଦିଶନ୍ତି ଆନୁ ଆନ ଶୋଭା ।
କୁବେର ନଗର କିବା ବରୁଣର ପୁର
ବାରସ୍ୱତୀପୁର ଯାକୁ ନୋହେ ପଟାନ୍ତର ।
କି ଅବା ଅଟଇ ସେହୁ ବ୍ରହ୍ମା କୁଶସ୍ଥଳୀ
କୋଇଲି ବୈକୁଣ୍ଠ ତାକୁ ନହେଁ ସମସରି ।
କଂସ ନୃପତିର ତେଜ ନ ଲାଗେ ଯହିଁକି
ଆନ କିସ ପଟାନ୍ତର ଦେବା ବା କାହିଁକି ।
ମତ୍ତେ ମତୁଆଳ ସର୍ବେ ଧନେ ଧନବନ୍ତା
ଜନମ ମରଣକୁ ତ ନାହିଁ ତାଙ୍କ ଚିନ୍ତା ।
ରାମକୃଷ୍ଣ ଲାଗି ସର୍ବେ ମହା ତେଜୋମୟ
ପରମାନନ୍ଦ ପୁରୁଷ ଯାହାକୁ ସଦୟ ।
ଗ୍ରହରୋଗ ବ୍ୟାଧିମାନ ନ ଜାଣଇ କେହି
ପାପାଧି ପାତକମାନ ଅଙ୍ଗୁକ୍ଷୟ ପାଇ ।
ସମସ୍ତ ଗୁଆଳୀ ତହିଁ ଏକୁ ଏକ ଶୋଭା
ବାଳବୃଦ୍ଧ କେହି ନାହିଁ ସର୍ବେ ନବଯୁବା ।
ଯୋଗୀଜନମାନେ ଯାକୁ କରୁଥାନ୍ତି ଲୟେ
ପରମାନନ୍ଦ ପୁରୁଷ ଯେହୁ ଦେବରାୟେ ।
ତାହାଙ୍କୁ ପାଇ ଶରୀରେ କିସ ଅବା ପାପ
ବସି କେବଳ ଭୂମିରେ କଲେ କେଉଁ ତପ ।
ସ୍ୱର୍ଗସୁଖ ମର୍ତ୍ତ୍ୟପୁରେ ଭୋଗନ୍ତି ସକଳେ
ପରମ ସନ୍ତୁଷ୍ଟେ ଥାନ୍ତି ଗୋପିକା ଗୋପାଳେ ।
ଗାଈ ବନ୍ଦାଣ ଉତ୍ସବ ପ୍ରତି ଘରେ ଘରେ
ଆନନ୍ଦରେ ମତୁଆଳ ସର୍ବେ ଯେ ଯାହାରେ ।
ନେତ ପାଟ ପତନି କେ ପିନ୍ଧିଛି ଦୋଷରା
ମନ୍ଦାର ମାଳ କା ଗଳେ ଦିଶେ ଅତି ତୋରା ।
ଅପୂର୍ବ ଝୀନ ବସନ ପିନ୍ଧିଛି କେ ଅଙ୍ଗେ
ଯଷ୍ଟି ବୁଲାଇଁ ବାଟ ଚାଳଇ କେ ରଙ୍ଗେ ।
ଗୋପିକାମାନେ ଅଙ୍ଗରେ ଘେନି ଅଳଙ୍କାର
ପୌର୍ଣ୍ଣମୀ ଉତ୍ସବେ ସର୍ବେ ହ୍ୱନ୍ତି ତତପର ।
କେଉଁ ଗୋପାଳ କାନ୍ଧରେ ଦୁଧଭାର ଶୋହେ
ଲଉଡ଼ି ବୁଲାଇ କେହୁ ବେଗେ ବେଗେ ଧାଏଁ ।
ଛନ୍ଦଣୀ ବନ୍ଧଣୀ କେଉଁ ଗୋପାଳ ଘେନଇ
ପଘା ଦୋମୁହାଁ ଘେନି କେ ବତ୍ସାନ୍ତ ଅଡ଼ାଇ ।
ରତନ କୁଣ୍ଡଳ ଶୋଭାପାଏ କାର କର୍ଣ୍ଣେ
ପ୍ରଚଣ୍ଡ ଆଦିତ୍ୟ ଯେହ୍ନେ ଉଦୟ ମିଥୁନେ ।
ଗନ୍ଧ ଚନ୍ଦନ କସ୍ତୁରୀ ବୋଳି କେ ଅଙ୍ଗରେ
ମାତିଅଛି ମତୁଆଳା ଉତ୍ସବେ ହର୍ଷରେ ।
ମଲ୍ଲୀ ମାଳତୀ ସେବତୀ ଚମ୍ପକ ବକୁଳ
କେତକୀ ଯେ ଛୁରୀଅନା ପୁଷ୍ପ ଶତଦଳ ।
ଉତ୍ତମ ସୂତାରେ ଗୁନ୍ଥି ଲମ୍ୱାନ୍ତି କଣ୍ଠରେ
ରାଗ ରାଗିଣୀରେ ଗୀତ ଗାଆନ୍ତି ସୁସ୍ୱରେ ।
କର୍ପୂର ମିଶା ତାମ୍ୱୁଳ କେହୁ ଭୂଞ୍ଜି ଅଛି
କାଦମ୍ୱରୀ ପାନେ ମତ୍ତ କେହୁ ବା ହୋଇଛି ।
ନନ୍ଦ ଉପନନ୍ଦ ବସୁନନ୍ଦ ଆଦିକରି
ଏ ତିନି ଭାଇ ଅଟନ୍ତି ଗୋପେ ଅଧିକାରୀ ।
ଏ ତିନି ମଧ୍ୟେ ଉତ୍ତମ ଅଟେ ନନ୍ଦରାୟେ
ଭାରିଯା ନାମ ଯଶୋଦା ଦେବୀ ଯେ ବୋଲାଏ ।
ରାମ କୃଷ୍ଣଙ୍କର ମାତା ଅଟଇ ଦେବକୀ
ସଦା ବ୍ୟାକୁଳ ତା ଚିତ୍ତ ପୁତ୍ରଙ୍କୁ ଉପେକ୍ଷି ।
ପଞ୍ଚଭୂତ ଆତ୍ମାରେ ସେ ଶୁଭ ବାଞ୍ଛାକରେ
କୁଶଳେ ଥାଆନ୍ତୁ ସୁତେ ଗୋପ ନଗରରେ ।
ଏଣେ ଯାତ୍ରା ଚରଚାରେ ସକଳେ ଉତ୍ସୁକ
ସଜବାସ ହୋଇ ଯାନ୍ତି ନନ୍ଦରାଜା ପାଖ ।
ଗାଈ ବନ୍ଦାଣକୁ ଯେତେ ଉପହାସ ଦ୍ରବ୍ୟ
ଦୂର୍ବାକ୍ଷତ ନଟିକାଳ ଘେନି କରେ ସର୍ବ ।
ଧୂପ ଦୀପ ନଇବେଦ୍ୟ ପିଠା ମଧୁରସ
ଖଣ୍ଡ ଶାକର ଲବଣୀ ଇକ୍ଷୁ ଯେ ଗୋରସ ।
ଲକ୍ଷେ କୋଟିଭାର ସଜାଡ଼ିଣ ଯେ ଯାହାରେ
ନନ୍ଦକୁ ଆଜ୍ଞା ମାଗିଣ ବାହାରନ୍ତି ଖରେ ।
ଗୋପପୁରକୁ ଗୋଗୋଷ୍ଠ ପାଞ୍ଚକୋଶ ଛଡ଼ା
ଯମୁନାକୂଳରେ ବାଟ ପଡ଼ିଛି ଗୋମଡ଼ା ।
ବୈକୁଣ୍ଠ ପୁରକୁ କିବା ଖୋଲା ଅଛି ପଥ
ଅତି ରମଣୀୟ ଦିଶେ ସେ ମାର୍ଗ ତେମନ୍ତ ।
ଏକୁ ଏକ ଗୋପାଳେ ଯେ ଧରି ଭାରମାନ
ସେହି ପଥଦେଇ ସର୍ବେ କରନ୍ତି ଗମନ ।
କଡ଼ା ମର୍ଦ୍ଦଳ ଘୁମୁରା ଶିଙ୍ଗା ଭେରୀ ତୂର
ଚାଙ୍ଗୁ ଯାଉଁଳି ବାଜା ଯେ ଶୁଭେ ଭୟଙ୍କର ।
ଏକୁ ଏକ କାହାଳୀ ଯେ ଅଟେ ଅପ୍ରମାଣ
ଶଙ୍ଖ ମହୁରୀ ଶବଦ ଶୁଭେ ଘନ ଘନ ।
ଖେମଟ ନୃତ୍ୟରେ ସର୍ବ ଗୋପାଳ ମତ୍ୱାଳ
କଟୀତଟେ ଶୋଭାବନ ଘାଗୁଡ଼ିର ମାଳ ।
କାହାର ଗୁଞ୍ଜରାମାଳି କେ ଚାମର ଧରି
ରତନ କଠାଉ ପୁଣି ପୟରେ କେ ଭରି ।
ନଟିତାଳ ନୂଆବସ୍ତ୍ରେ ପାଉଛି କେ ଶୋଭା
କାମଦେବ ପରାୟେକ ସର୍ବେ ନବଯୁବା ।
ଡାକହାକ ଶବଦରେ ଉଛୁଳେ ତ୍ରିପୁର
ମନ ମଧ୍ୟରେ କାହାକୁ ନାହିଁ ତିଳେ ଡର ।
ଏସନ ସମୟେ ଆସି ପ୍ରବେଶ ରଜନୀ
ନିର୍ମଳ ଗଗନେ ଉଦେ ହେଲେ ନିଶାମଣି ।
ଗୋପନଗ୍ରଯାକ ସବୁ ଦିଶେ ପରିମଳ
ତା ଦେଖି ମନ ଉଲ୍ଲାସ କରନ୍ତି ଗୋପାଳ ।
ଦକ୍ଷିଣ ମଳୟ ବାୟୁ ବହେ ଘନ ଘନ
କୋକିଳ ବସି କରନ୍ତି କୁହୁ କୁହୁ ସ୍ୱନ ।
ନବ ପଲ୍ଲବରେ ଶୋଭାପାଏ ତରୁରାଜି
ପୁଷ୍ପ ଫଳରେ ସକଳ ଜନ ମନ ରଞ୍ଜି ।
ଧାମନ୍ତି ଗୋପାଳେ କନ୍ଧେ ଭାରମାନ ଘେନି
ଚାଲନ୍ତେଣ ଶୋଭା ପାଉ ଅଛଇ ମେଦିନୀ ।
ଗୋପନଗରରୁ ଜାଣ ଗୋଗୋଷ୍ଠ ପର୍ଯ୍ୟନ୍ତେ
ଖାଇବା ପଦାର୍ଥମାନ ରହିଅଛି କେତେ ।
ଠାବେ ଠାବେ ପୁରମାନ ହୋଇଛି ତିଆରି
ରହିଯାନ୍ତି କେତେ ତହିଁ ଶ୍ରମ ପାଇକରି ।
ସବୁଙ୍କରି ପଛେ ପଛେ ଯାଏ ନନ୍ଦରାୟେ
ମନରେ ଶଙ୍କା ତାହାର ନାହିଁ ଯେ ତିଳେହେଁ ।
ଯାନ ବାହାନ ତେଜିଣ ଯାଏ ବଜ୍ରପତି
ଯେ ଯାହାର ଲୋକ ଘେନି ଚଳନ୍ତି ପଦାତି ।
ଛାମୁରେ ଯେ ଦଧିଭାର ପୂର୍ଣ୍ଣ କୁମ୍ଭଯାଏ
ଶୁଭବେଳା ଧରି ନନ୍ଦ ଗୋଗୋଷ୍ଠେ ବିଜୟେ ।
ଯଶୋଦା ଚଳଇ ନନ୍ଦରାଜା ପଛେ ପଛ
ଏ କଥା ତହୁଁ ଜାଣିଲେ ପ୍ରଭୁ ଶିରୀବତ୍ସ ।
ଖଣ୍ଡେ ଦୂରରୁ ଚାହିଁଲେ ଶ୍ରୀହରି ଅପାଙ୍ଗେ
ଦେଖିଲେକ ମାତା ପିତା ଯାନ୍ତି ଏକସଙ୍ଗେ ।
ଛଦ୍ରମେ ବାଳୁତରୂପ ଧରି ଦେବ ସ୍ୱାମୀ
ରୋଦନ କରି ଧାମନ୍ତି ଦେବ ଅନ୍ତର୍ଯ୍ୟମୀ ।
ଅଣ୍ଡିର କୋକିଳ ପରି ଶୁଭେ ମୁଖ ଧ୍ୱନି
ସାମ ଗାୟନ କରନ୍ତି କିବା ସିଦ୍ଧ ମୁନି ।
କୁମରର ରୋଦନକୁ ଜାଣି ତତକ୍ଷଣି
ନ ଯାଇ ସ୍ଥିର ରହିଲେ ଯଶୋବନ୍ତୀ ରାଣୀ ।
ଧାଇଁ ଯାଇଣ କୃଷ୍ଣଙ୍କୁ କୋଳରେ ସେ ଧରି
ମୁଖରେ ଚୁମ୍ୱନ ଦେଇ ପୁଚ୍ଛେ ନନ୍ଦନାରୀ ।
କାହିଁପାଇଁ ରୋଦନ ତୁ କରୁ ଆରେ ବାପ
ସେ କଥା ମୋତେ ଫିଟାଇ କହ ଯେ ସ୍ୱରୂପ ।
ସକ ସକ ହୋଇ କୃଷ୍ଣ ବୋଲନ୍ତି ଏମନ୍ତ
କେଉଁଠାକୁ ଯାଉଅଛି କହ ତାତ ମାତ ।
ଯଶୋଦା ବୋଇଲେ ବାବୁ ଶୁଣରେ ଆତ୍ମଜ
ଗାଈମାନଙ୍କ ବନ୍ଦାଣ ଅଟେ ଆମ୍ଭ ଆଜ ।
ଗୋମାତାଙ୍କ ଜନ୍ମଦିନ ଅଟଇ ଯୁକତେ
ତେଣୁକରି ଗୋପଲୋକେ ଗମନ୍ତି ଉଷତେ ।
ରାତ୍ର ପାହିଲେ ଉତ୍ସବ ହେବ ବନମାଳୀ
ଆଗ ହୋଇଣ ଗୋପାଳେ ଯାଉଛନ୍ତି ଚଳି ।
ନନ୍ଦ ଯାଉଛନ୍ତି ଗାଈ ବନ୍ଦାଇବାପାଇଁ
ଦେଖିବାପାଇଁକି ସଙ୍ଗେ ମୁଁ ମଧ୍ୟ ଗମଇଁ ।
ଶ୍ରୀକୃଷ୍ଣ ବୋଲନ୍ତି ମାଗୋ ସଙ୍ଗେ ମୁହିଁ ଯିବି
ଗାଈ ବନ୍ଦାଣ କେମନ୍ତ ବିଧି ମୁଁ ଦେଖିବି ।
ଏତେ ବୋଲିଣ କାଖରୁ ଓହ୍ଲାଇ ମାଧୋଇ
ଅତିବେଗେ ଧାମନ୍ତି ସେ ଗେହ୍ଲାଇ ଗେହ୍ଲାଇ ।
ଯେବଣ ବାଟରେ ନନ୍ଦ ଯାଉଛନ୍ତି ବେଗେ
ଅନ୍ତର୍ଯ୍ୟାମୀ ନାରାୟଣ ଓଗାଳନ୍ତି ଆଗେ ।
ଅବଲୀଳେ ଗେଲ ହୋଇ ପ୍ରଭୁ ନରହରି
ପିତାଙ୍କର ଛାମୁରୁ ସେ ଯାନ୍ତି ଆଗସରି ।
ଦେଖିଣ ନନ୍ଦ ରାଜାଙ୍କୁ ସ୍ଫୁରଇ କିଛି
ବୋଲଇ କେଣିକି ଯାଉ ରହରେ ଶ୍ରୀବତ୍ସି ।
ଆଜକ ରହି ଆସିବି ନିଶ୍ଚେଁ ମୁହିଁ କାଲି
ଅପାର ଦୂର ପଥ ତୁ ନ ପାରିବୁ ଚାଲି ।
ଗୋରୁ ଗାଈ ବାଛୁରୀ ଯେତେହେଁ ଅପ୍ରମିତ
ଜନ ଗହଳରେ ପୁଣି ନ ମିଳଇ ପଥ ।
ତାଙ୍କ ନାତରେ ପାଷାଣ ହୋଇଥାଏ ଚୂନା
ଏତେକ ପ୍ରମାଦ ବାବୁ ସେହିଠାରେ ସିନା ।
ରହ ରହ ବୋଲି କୃଷ୍ଣ ଡାକଇ ସେ ନନ୍ଦ
ମୁହିଁ ସଙ୍ଗେ ଯିବି ବୋଲି ବୋଲନ୍ତି ଗୋବିନ୍ଦ ।
ଦେଖିବି କିପରି ଯାତ୍ରା କିଣିବି କୁଣ୍ଢେଇ
ଫେରି ଆସିବି ଜନନୀ କୋଳେ କାଖ ହୋଇ ।
ସାଙ୍ଗ ପିଲାମାନେ ସବୁ ଯାଆନ୍ତି କେମନ୍ତେ
ମୁହିଁ ଗଲାକୁ ବୋଇଲୁ ମୋତେ ଯେ ଏମନ୍ତେ ।
ଏତେ ବୋଲିଣ ଉଚ୍ଚରେ ରୋଦନକୁ କରି
କମଳନୟନୁ ବହି ପଡ଼େ ଅଶ୍ରୁବାରି ।
ଏହିରୂପେ ବେନିଖଣ୍ଡ ହୋଇଲା ରଜନୀ
ଦେଖିକରି ସ୍ତମ୍ଭୀଭୂତ ପିଅର ଜନନୀ ।
ଶ୍ରୀକୃଷ୍ଣ ରୋଦନ ଶୁଣି ଯଶୋବନ୍ତୀ ଧାଏଁ
ଆସ ଆସ ବାପ ବୋଲି କୋଳରେ ବସାଏ ।
କାହିଁକି କାନ୍ଦୁଛୁ ମୋର ଆରେ ବାପ ଭାଇ
ବହୁତ ଦୂର ପଥ ଯେ ଅଗମ୍ୟ ଅଟଇ ।
ବାଘ ଭାଲୁ ଅରଣ୍ୟରେ କରୁଥାନ୍ତି ବାସ
କେମନ୍ତେ ଯିବାକୁ କହୁ ଆରେ ବାଳଶିଷ୍ୟ ।
ଫେରିଯାଅ ପୁର ମଧ୍ୟେ ନିଶ୍ଚିନ୍ତରେ ଥାଅ
କାଲି ଆମ୍ଭେ ତ ଆସିବୁ ନ କର ସନ୍ଦେହ ।
ମୁଁ ଯିବି ବୋଲିଣ କୃଷ୍ଣ କରନ୍ତି ଯେ ଅଳି
ମାୟାଧର ଫାନ୍ଦରୁ କେ ଯିବଟି ଉଗୁଳି ।
ଯଶୋଦା ନନ୍ଦକୁ ଚାହିଁ ବୋଲନ୍ତି ଏସନ
ଗୋଗୋଷ୍ଠକୁ ଯିବାପାଇଁ ଗୋବିନ୍ଦର ମନ ।
ଭୋ ଭୋ କରି ରଡ଼ି ଛାଡ଼େ ନ ହୁଅଇ ସ୍ଥିର
ଗାଈବନ୍ଦାଣ ଯାତ୍ରା ମୋ ଦେଖିବ କୁମର ।
ମୁଁ ପଛେ ଫେରିଯାଉଛି ତୁମ୍ଭେ ଥାଅ ଘେନି
ଦଣ୍ଡେ ପାଶରୁ ଅନ୍ତର ନ କରିବ ପୁଣି ।
କାଖରେ ବସାଇ ତୁମ୍ଭେ ପୁତ୍ରକୁ ହୋ ନିଅ
ବନସ୍ତ ମଧ୍ୟରେ ବଣା ଯେମନ୍ତଟି ନୁହ ।
କାର୍ପଣ୍ୟ ବଚନମାନ କହି ନନ୍ଦନାରୀ
ମୁଖେ ଚୁମ୍ୱଦେଇ ମାତା କୃଷ୍ଣକୁ ତିଆରି ।
ଦୁଃଖୀଧନ ଯାତ୍ରା ବେଗେ ଦେଖି ଆସ ଯାଇ
ଏହା କହି ନନ୍ଦକୋଳେ ପୁତ୍ର ଦେଲା ନେଇ ।
ଚୁମ୍ୱନ ଦେଇଣ ମୁଖେ ଥୁଥୁ ପକାଇଲା
ଚରଣ ଧୂଳି କପାଳେ ନେଇ ବୋଳିଦେଲା ।
ନନ୍ଦକୋଳେ ବସି କୃଷ୍ଣ ହୋଇଲେକ ତୁନି
ବାହୁଡ଼ି ନବରେ ଗଲେ ଯଶୋଦା କାମିନୀ ।
ଏହିରୂପେ କହୁଁ କହୁଁ ପ୍ରହରେ ରଜନୀ
ଗୋଗୋଷ୍ଠକୁ ଚଳିଯାନ୍ତି ପିତା ପୁତ୍ର ବେନି ।
ଗୋପରୁ ବାହାର ହୋଇ ଗଲେ କିଛିଦୂର
ତହିଁକି ଦୁଇକ୍ରୋଶ ଯେ ଗୋଧିକା ଅନ୍ତର ।
ଗୋମାତା ସରଜିଅଛି ଗୋଧିକା ଯେ ଘାଟ
ବଇକୁଣ୍ଠ ଭୁବନକୁ ପଡ଼ିଛି କି ବାଟ ।
ନନ୍ଦକାଖେ ବିଜେ କରିଅଛନ୍ତି ଶ୍ରୀହରି
ଯାତ୍ରା ଉତ୍ସବେ ଉସତ ପ୍ରଭୁ ଦଇତ୍ୟାରି ।
ଏହି ସମୟରେ ହେଲା ବିପରୀତ ବାଣୀ
ଅସଂଖ୍ୟ ବିଷ୍ଣୁର ମାୟା କେହୁ ପାରେ ଜାଣି ।
ଚନ୍ଦ୍ରମୁଖୀ ରାଧା ନଦୀଘୋଟୁଁ ଆସୁଅଛି
ମନମଧ୍ୟେ ସେହିକଥା ଜାଣିଲେ ଶ୍ରୀବତ୍ସି ।
ମେଘମାନ ରାଇ ଆଜ୍ଞାଦେଲେ ଦେବରାଜ
ବରଷା କରି ଅନ୍ଧାର କର ତୁମ୍ଭେ ଆଜ ।
ଗୋପ ନରନାରୀ ଯେହ୍ନେ କରନ୍ତିଟି ଭୀତି
ତେସନ ପ୍ରକାର ଜଳ ବରଷ ଝଟତି ।
ସ୍ୱାମୀଙ୍କର ଆଜ୍ଞାପାଇ ତହୁଁ ମେଘମାଳ
ଦେଖୁ ଦେଖୁ ଘୋଟିଗଲେ ଆକାଶ ମଣ୍ଡଳ ।
ଆବର୍ତ୍ତନ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କର
ଯେ ଯାହା ସଇନ୍ୟ ଘେନି ଧାଇଁଲେ ସତ୍ୱର ।
ପ୍ରଖର ପବନ ବହେ ଟଳଟଳ ନାଦେ
ଘଡ଼ଘଡ଼ି ମାରଇ ଯେ ଭୟଙ୍କର ଶବ୍ଦେ ।
ଝଟ ଝଟରେ ବିଜୁଳି ମାରେ ଚଉକତି
ବନ ପର୍ବତ ନ ଦିଶେ ଅନ୍ଧକାର ଅତି ।
ହୁଁକାର ଶବ୍ଦେ ପବନ ବହେ ଗଳଗାଜି
ଶାଳ ଶିଳ କନ୍ଦର ଯେ ପଡ଼ୁଅଛି ଭାଜି ।
ମହାପ୍ରଳୟ ପରାୟେ ଦିଶେ ସାରା ସୃଷ୍ଟି
ଟୋପି ଟୋପି କରିଣ ଯେ କରେ ଜଳବୃଷ୍ଟି ।
ଜଳ ସଙ୍ଗରେ ପବନ ବହଇ ପ୍ରଖରେ
ମହା ମହା ବୃକ୍ଷମାନ ଲୋଟନ୍ତି ମହୀରେ ।
ଦେଖିକରି ନନ୍ଦ ମନେ ପାଏ ମହାଭୟ
ବାତେ ଥରଥର ହୋଇ କମ୍ପେ ତାର କାୟ ।
ଆପଣାର ଅନ୍ତର୍ଗତେ ଭାଳଇ ସେ ପୁଣି
ବୋଲେ ଭେଳା ବୁଡ଼ାଇଲି କୃଷ୍ଣସଙ୍ଗେ ଆଣି ।
ଶୁଣ ପରୀକ୍ଷ କହନ୍ତି ଶୁକ ମହାଯତି
ତେଣେ ଗୋପରେ ଗୁଆଳୀ ଆକୁଳ ହୁଅନ୍ତି ।
ବେଳୁଁ ବେଳ ଅନ୍ଧକାର ଦଶଦିଗ ଘୋଟି
ଗରଜନ୍ତି ମେଘମାନେ ବରଷନ୍ତି ଛାଟି ।
ନନ୍ଦର କୋଳେ ବିଜୟ ଦେବ ଜନାର୍ଦ୍ଦନ
ହୃଦୟ ଫୁଟାଇ ନନ୍ଦ କରଇ ରୋଦନ ।
ଅଥୟ ହୋଇଲା ଯେଣୁ ନନ୍ଦ ନୃପମଣି
ବୁକୁକୁ ସେ ଆଉଯାଏ ଗୋବିନ୍ଦକୁ ଆଣି ।
ଧର୍ମଦେବତା ସୁମରି ବସେ ଗଛପାଖେ
ବୋଲଇ ତୋ ଲାଗି ପ୍ରାଣ ଯାଉ ମୋ ପଛକେ ।
ଏସନକ ସମୟରେ ଗୋପର ସୁନ୍ଦରୀ
ରାଧିକା ନାମେଣ ବାମା ଚନ୍ଦ୍ରସେଣା ନାରୀ ।
କାଖରେ ନୀରକୁମ୍ଭକୁ ଘେନି ସୁଲକ୍ଷଣୀ
ଯମୁନା ନଦୀକୁ ଯାଇଥିଲା ପାଣି ଆଣି ।
ନଦୀର ଲେଉଟାଣି ସେ ବିଜୁଳିର ତେଜେ
ବାଟବଣା ହୋଇଯାଏ କୃଷ୍ଣ ଯହିଁ ବିଜେ ।
ନନ୍ଦ ଦେଖିଲାକ ଯହୁଁ ରାଧିକାକୁ ପାଶେ
ଭାଳଇ କେମନ୍ତ କାହୁଁ ଏତେ ରାତ୍ରେ ଆସେ ।
ନନ୍ଦ ବୋଲେ ରାଧିକା ଏ ଦଇବର ଗତି
ଜ୍ଞାନଧ୍ୱଂସ ହେଲା ମୋର ବୁଡ଼ିଲା ବିଭୂତି ।
ମୂର୍ଖପଣେ ପଦାକୁ ମୁଁ ଆଣିଲି ନ ଜାଣି
ଏବେ ଦେଖ ମେଘ କେହ୍ନେ ବରଷୁଛି ପାଣି ।
ସଙ୍ଗ ଲୋକମାନେ ମୋତେ ପଳାଇଲେ ଛାଡ଼ି
ହଟକରି ଇନ୍ଦ୍ରରାଜା ଦିଏ ବର୍ଷାଧାଡ଼ି ।
ପ୍ରମାଦ ପଡ଼ିବ ବୋଲି ଜାଣି ତ ନ ଥିଲି
ଯଶୋଦାଙ୍କ ବୋଲେ ମୁହିଁ କୃଷ୍ଣଙ୍କୁ ଆଣିଲି ।
ଭୋ ରାଧିକା ଏବେ ତୁହି ଶୁଣ ମୋର ବାଣୀ
ଧାତିକାରେ କୃଷ୍ଣ ଘେନି ଚଳେ ଏହିକ୍ଷଣି ।
ଯଶୋଦା ଗୋଚରେ ନେଇ ପୁତ୍ରକୁ ତୁ ଦିଅ
ଅନ୍ଧର ଲଉଡ଼ି ମୋର ଏ ବାଳୁତ ପୁଅ ।
ଅନେକ ରୂପରେ ନନ୍ଦ କାର୍ପଣ୍ୟ ହୋଇଲା
ସମ୍ଭାଳି ଘେନି ପୁତ୍ରକୁ ଯାଅସି ବୋଇଲା ।
ଏହା ଶୁଣିଣ ରାଧିକା ବୋଲଇ ବଚନ
ଆଣ ଆଣ ଦିଅ ମୋତେ ଶ୍ରୀକୃଷ୍ଣ ବହନ ।
ରାଧିକା ଗୋଚରେ ନନ୍ଦ କୃଷ୍ଣ ଦେଲେ ନେଇ
ବରଜପତି ଯେ ତହୁଁ ଗୋଗୋଷ୍ଠେ ଚଳଇ ।
ବରଷା ଛାଡ଼ିଲା ଭାଙ୍ଗିଗଲେ ମେଘମାଳ
ଅତି ନିର୍ମଳ ଦିଶିଲା ଆକାଶ ମଣ୍ଡଳ ।
ପାଞ୍ଚଘଡ଼ି ପରବେଶ ହୋଇଲା ରଜନୀ
କୁଞ୍ଜବନରେ ମିଳିଲେ ରାଧାକୃଷ୍ଣ ବେନି ।
ପୁଣି ନବଯୁବା ରୂପ ଧରି ଶିରୀଧର
କୁଞ୍ଜବନର ମଧ୍ୟରେ କରନ୍ତି ବିହାର ।
ବିଶେଷରେ କୁମ୍ଭମାସ ବସନ୍ତର ଋତୁ
ନିର୍ମଳ ମଳୟ ଗନ୍ଧବହ ବହେ ତତ୍ତୁ ।
ଉଭୟ ମତରେ ଦୁହେଁ କଲେ କ୍ରୀଡ଼ା ରସ
ଚଉଷଠି ପରିବନ୍ଧେ ମନ କରି ତୋଷ ।
ଭାଜିଲା ମଦନ ବାଧା ତୁଟି କାମଜ୍ୱର
ସନ୍ତୋଷ ହୋଇଲେ ରାଧା ମଦନସୁନ୍ଦର ।
ଦେଢ଼ ପ୍ରହର ରଜନୀ ହୋଇଲାକ ଯହୁଁ
ବାହୁଡ଼ି ଗୃହେ ପ୍ରବେଶ ରାଧା କୃଷ୍ଣ ତହୁଁ ।
ପୁଣି ବୋଳଭାବେ କୃଷ୍ଣ ରାଧା କାଖେ ଚଳି
ଯଶୋଦା ପାଶେ ମିଳିଲା ଯାଇ ଚନ୍ଦ୍ରାବଳୀ ।
ନିଅ ନିଅ ନଣନ୍ଦ ଗୋ ତୁମ୍ଭ ପୁଅଗୋଟି
ବାଟରେ ଆଜି ଅନେକ ପଡ଼ିଲା ଅରିଷ୍ଟି ।
ନିଶ୍ଚୟ ଜାଣିଲି ତୁମ୍ଭେ ହୋଇଲ ତ ବାଇ
ମହା ନିଶାକାଳେ ପୁଅ ଦିଅ ଗୋ ପଠାଇ ।
ଦୁସ୍ତର ବରଷା କଲା ଅପନ୍ତରା ବନେ
ପ୍ରଚଣ୍ଡ ପବନ ବହି ବର୍ଷେ ଅନୁକ୍ଷଣେ ।
ନନ୍ଦକୁ ଛାଡ଼ି ପଳାଇଗଲେ ସଙ୍ଗଲୋକେ
ଡରେ ବୃକ୍ଷକୁ ଆଉଜି ରହିଗଲେ ଥୋକେ ।
ବରଷା ଖାଇଣ ସର୍ବେ ତରସ୍ତ ହୋଇଲେ
ବିକଳରେ ପ୍ରାଣ ଘେନି କୁଆଡ଼େ କେ ଗଲେ ।
ପଥ ନ ଦିଶଇ ଘୋର ଅନ୍ଧକାର ରାତି
ପବନ ଘାତରେ ଗିରି ବୃକ୍ଷାଦି ଲୋଟନ୍ତି ।
ପ୍ରଳୟ ପରାୟେ ମେଘମାନଙ୍କର ଧ୍ୱନି
ସେ ଶବ୍ଦ ଶୁଣିଲେ ହୃଦେ ଭୟ ଜନ୍ମେ ପୁଣି ।
ବିଜୁଳି ମାରଇ ଘନ ଘନ ଆକାଶରେ
ଏପରି ବରଷା ଦେଖି ନାହିଁ ମୁଁ ନେତ୍ରରେ ।
ଅକସ୍ମାତ ଯମୁନାକୁ ଯାଇଥିଲି ମୁହିଁ
କାଖରେ କୁମ୍ଭ ଘେନିଣ ଲେଉଟି ଆସଇ ।
ଏକାଳେ ପଥରେ ଘୋର ବରଷା ହୋଇଲା
ଧରମବଳରୁ ମୋର ଜୀବ ଗୋ ରହିଲା ।
ଆସୁ ଆସୁ ବାଟରେ ମୁଁ ଭେଟିଲି ଏହାଙ୍କୁ
ନନ୍ଦ ବୋଇଲେ ନେଇ ଯା ଗୃହେ ଏ କୃଷ୍ଣଙ୍କୁ ।
ତେଣୁ ଆଣିଲଇଁ ସାହା ହେଲା ଧର୍ମଦେବ
ଏପରି କର୍ମ ଗୋ ଆଉ ଦିନେ ନ କରିବ ।
ଛେଉଣ୍ଡ ପୁଅଙ୍କୁ ତୁମ୍ଭେ ଗୋଗୋଷ୍ଠେ ପଠାଅ
ଦଇବ ବଳରୁ ସିନା ଉବୁରିଲା ପୁଅ ।
ଏତେ କହି ଗୋବିନ୍ଦଙ୍କୁ ଦେଇ ଚନ୍ଦ୍ରାବଳୀ
ବାହୁଡ଼ି ଆପଣା ପୁରେ ଗଲା ତହୁଁ ଚଳି ।
ରାଧିକାର ବଚନରେ ନନ୍ଦରାଜା ରାଣୀ
ମରିଯାଇକିନା ବୋଲି କୃଷ୍ଣଙ୍କୁ ସେ ଆଣି ।
ଅଗୁରୁ ଚନ୍ଦନ ଚତୁଃସମ ଯେ କସ୍ତୁରୀ
କୁଙ୍କୁମ କର୍ପୂର କୃଷ୍ଣ ଅଙ୍ଗେ ବୋଳିକରି ।
ନୟନେ କଜ୍ଜ୍ୱଳ ଦେଲା କପୋଳରେ ଚିତା
ଯେବଣ ରୂପକୁ ଧ୍ୟାନ କରେ ଲକ୍ଷ୍ମୀମାତା ।
ନିର୍ମଳ ଗଗନେ ଯେହ୍ନେ ଶୋହେ ଶଶଧର
ତେସନ ଶୋଭା ପାଇଲେ ଦେବ ଚକ୍ରଧର ।
ଯାହା ପାଦେ ଖଟିଥାନ୍ତି କୋଟି ଅପସରା
ଅଶୀକୋଟି ଗନ୍ଧରବ କିଙ୍କରଙ୍କ ପରା ।
ବିଦ୍ୟାଧରୀ ସହିତରେ ଯେତେ ଦେବବୃନ୍ଦ
ରୂପ ଦେଖିବା ପାଇଁକି ହୁଅନ୍ତି ଆନନ୍ଦ ।
ଯା ପାଦପଦ୍ମକୁ ସେବା କରନ୍ତି ଶଙ୍କର
ଅନାଦି ଅନନ୍ତ ଯେଉଁ ଦେବ ନିରାକାର ।
ସେହି ପ୍ରଭୁ ଦେହବନ୍ତ ଜଗଜ୍ଜନ ହିତେ
ଗୋପାଳ ମେଳେ ବଢ଼ନ୍ତି ଉପୁଜିଣ ମର୍ତ୍ତ୍ୟେ ।
ଅରିଷ୍ଟ ପଡ଼ିଲା ବୋଲି କରି ନନ୍ଦରାଣୀ
ବେଦଜ୍ଞ ଉତ୍ତମ ବିପ୍ର ଡକାଇ ସେ ଆଣି ।
ସହସ୍ରେକ ଗୋରୁଦାନ ଦକ୍ଷିଣା ସହିତେ
ଅର୍ପିଲା ଦ୍ୱିଜଙ୍କ କରେ ଗ୍ରହଶାନ୍ତି ଅର୍ଥେ ।
ଦେବୀଙ୍କୁ ମେଷ ମହିଷ ବଳିଦାନ ଦେଇ
ଦରିଦ୍ରେ ଅନ୍ନ ବସନ ପୁଣି ସେ ଅର୍ପଇ ।
ବୋଲେ ମୋ ଏକଇ ବଳା ନୟନ ପିତୁଳା
ସର୍ବଶୁଭେ ରଖିଥାନ୍ତୁ ଜନନୀ ମଙ୍ଗଳା ।
ଆହେ ହରିହର ମୋତେ ସହାପକ୍ଷ ହୁଅ
କୁଶଳରେ ରହିଥାଉ ମୋ ବାଳୁତ ପୁଅ ।
କହନ୍ତି ଯେ ଶୁକମୁନି ଶୁଣ ପରୀକ୍ଷିତ
ସ୍ୱାମୀଙ୍କର କାର୍ଯ୍ୟମାନ ଅଟେ ଅଲୋକିତ ।
ଏଥୁ ଅନନ୍ତରେ ପୁଣି ପାହିଲା ରଜନୀ
ସରିଲା ଚାଚେରି ଯାତ୍ରା ଯଥାବିଧି ମତେ
କାଦମ୍ୱରୀ ପାନେ ମତ୍ତ ଗୋପାଳ ସମସ୍ତେ ।
ଏଣେ ବିଶ୍ୱକର୍ମା ରାଇ ବୋଲେ ବେଦବର
ବୃନ୍ଦାବନ ମଧ୍ୟେ ଦୋଳ ମଣ୍ଡପେକ କର ।
ଶ୍ରୀହରି ଦୋଳି ଖେଳିବେ ସେହି ମଣ୍ଡପରେ
ପବିତ୍ର ହୋଇବ ଦେଖିକରି ତା ନେତ୍ରରେ ।
ଚଳଇ ବିଶ୍ୱାକର୍ମା ଯେ ବ୍ରହ୍ମା ବଚନରେ
ଅନେକ ବିନ୍ଧାଣିମାନ ଘେନି ସଙ୍ଗତରେ ।
ବୃନ୍ଦାବନର ଭିତରେ ଯାଇ ପ୍ରବେଶିଲେ
କାଳିନ୍ଦୀନଦୀର ତୀରେ ମଣ୍ଡପେକ କଲେ ।
ପରିମାଣ ଅଟେ ତାର ଶତେ ହାତ ସ୍ଥଳୀ
ସାତତାଳ ଉଚ୍ଚ ସେ ଯେ ନୁହଇ ତା କଳି ।
ହୀରା ମାଣିକ୍ୟ ବିରାଜେ ତାର ଚଉକତି
ମାରାଗର ଖମ୍ୱମାନ ଶୋଭା ପାନ୍ତି ଅତି ।
ବୈଡ଼ୁର୍ଯ୍ୟ ମାଣିକ୍ୟ ମୁକ୍ତା ଲମ୍ୱେ ମାଳ ମାଳ
ଉପରରେ ଚାନ୍ଦୁଆ ଯେ ଅତି ପରିମଳ ।
ଛାୟାମଣ୍ଡପରେ ଅଟେ ଆନୁ ଆନ ମୂର୍ତ୍ତି
ଯହିଁ ବିଜୟ କରିବେ ପ୍ରଭୁ ଶିରୀପତି ।
ତାକୁ ଉପମା ଦେବାକୁ ନାହିଁ ତ୍ରିଜଗତେ
ବସନ୍ତ ପବନ ତହିଁ ବହେ ଅନୁବ୍ରତେ ।
ନନ୍ଦନ କାନନ ମଧ୍ୟେ ଯେତେ ତରୁ ଥିଲା
ଆଗରୁ ବିଧାତା ଆଣି ତହିଁ ରୋପିଥିଲା ।
ଧାଡ଼ି ଧାଡ଼ି ପୁଞ୍ଜି ପୁଞ୍ଜି ହୋଇ ବୃକ୍ଷଗଣ
ଫଳପୁଷ୍ପଭରେ ସବୁ ଅତି ସୁଶୋଭନ ।
ଆମ୍ୱ ନଟକାଳ ଗୁଆ ପଣସ କଦଳୀ
ଜାମୁ ଜମ୍ୱିକ ଜେଉଟ କଇଥ ବର୍କୋଳି ।
କେତକୀ ଛୁରୀଅନା ଯେ ପୁନ୍ନାଗ ପାଟଳି
ମାଳତୀ ତଗର କିଆ ମଲ୍ଲୀ କୁରୁବୋଲି ।
କାଞ୍ଚନ ମନ୍ଦାର ଚମ୍ପା ଗେଣ୍ଡୁ ନାଗେଶ୍ୱର
ଅଏଁଳା କାଠ ତରାଟ କୁନ୍ଦ କନିଅର ।
ଧାତୁକୀ ତୁଳସୀ ବଣମଲ୍ଲୀ ଦେବଦାରୁ
ଅଶୋକ ମାଧବୀ ବଟରାଜ କଳ୍ପତରୁ ।
ଶାଳ ପ୍ୟାଶାଳ ତାଳ ଚନ୍ଦନ ପାଳଧୁଆ
ଟଭା ନାରଙ୍ଗ କମଳା କେନ୍ଦୁ ସାନଗୁଆ ।
ଏକେ ଏକେ ତରୁମାନେ ଅତ୍ୟନ୍ତ ସୁସଞ୍ଚ
ବୃନ୍ଦାବନ ତୁଲ୍ୟ ବନ ନାହିଁ ସ୍ୱର୍ଗମଞ୍ଚ ।
କହନ୍ତେ ନ ସରେ ବୃନ୍ଦାବନର ମହିମା
ନିର୍ମାଣ କରିଛି ଆପେ ଯାହା ବିଶ୍ୱକର୍ମା ।
ଅନ୍ତର୍ଯ୍ୟାମୀଙ୍କର ଯେହୁ ଅଟେ କ୍ରୀଡ଼ାସ୍ଥାନ
ତହିଁକି ବା ପଟାନ୍ତର ଦେବା ମନେ ଆନ ।
ପୁଷ୍ପଙ୍କର ଗନ୍ଧବାସ କୋକିଳଙ୍କ ଧ୍ୱନି
ଶୁଣିଲେ ଉନ୍ମତ୍ତ ହେବେ ସୁରସିଦ୍ଧ ମୁନି ।
ଶୀତଳ ପବନ ଆଉ ବୃକ୍ଷଙ୍କର ଛାୟା
ପାଇଲେ ପୁଲକି ଉଠେ ପ୍ରାଣୀଙ୍କର କାୟା ।
ଧନ୍ୟ ସେ କାଳିନ୍ଦୀ ନଦୀ ଧନ୍ୟ ବୃନ୍ଦାବନ
ଧନ୍ୟ ସେ ଗୋପନାୟିକା ମାନଙ୍କର ଗୁଣ ।
ଭୋଜନ ଶୟନ ଆଦି ଯେତେ ନିତ୍ୟକର୍ମ
କରନ୍ତି ଜଗଜ୍ଜୀବନେ ଘେନି ଅବିଶ୍ରାମ ।
ତହିଁ ବସି ପୂର୍ବେ କେତେ କରିଥିଲେ ତପ
ଶ୍ରୀହରିଙ୍କର ସଙ୍ଗତେ କରିଲେ ଆଳାପ ।
ଶୁକ ବୋଲନ୍ତି ହୋ ଶୁଣ ପରୀକ୍ଷିତ ରାୟେ
ମଣ୍ଡପ ଦେଖିବାପାଇଁ ସର୍ବ ଦେବତାଏ ।
ଯେଝା ବାହନ ଚଢ଼ିଣ ମିଳିଲେକ ତହିଁ
ଅଇରାବତ ଆରୋହି ଆସେ ଶଚୀସାଇଁ ।
ଛୟାଣୋଇ ଗନ୍ଧରବ ଯକ୍ଷଗଣ ଯେତେ
ଅଶୀକୋଟି ଅପସରା କିନ୍ନର ସହିତେ ।
ସାଧ୍ୟସିଦ୍ଧଗଣ ଆଉ ବିଦ୍ୟାଧର ଗଣ
ବିଦ୍ୟାଧରୀ ସହିତରେ ଅଇଲେକ ପୁଣ ।
ହଂସବାହନେ ଅଇଲେ ବ୍ରହ୍ମା ପଦ୍ମଯୋନି
ସମସ୍ତ ମହର୍ଷି ସେହି ସଙ୍ଗେ ଛନ୍ତି ଘେନି ।
ସନକ ଯେ ସନାତନ ସନ୍ଦନ ନାରଦ
ଦକ୍ଷ ବ୍ରହ୍ମା ଅଙ୍ଗିରା ଯେ ମୁନି ଅଷ୍ଟପାଦ ।
ଭୃଗୁ ଭାର୍ଗବ ଗୌତମ ବିଭାଣ୍ଡକ ମୁନି
ବଶିଷ୍ଠ ଜାବାଳି କଶ୍ୟପ ଯେ ତପୋଧନୀ ।
ପବନ ବଇଶ୍ୱାନର ବରୁଣ କୁବେର
କେତୁ ମଙ୍ଗଳ ବୁଧ ଯେ ବୃହସ୍ପତି ଆର ।
ଦେବଲୋକ ନରଲୋକ ଏସନ ସମେତେ
ଯାନ ବାହନ ଆରୋହି ଅଇଲେ ସମସ୍ତେ ।
ଗୋବିନ୍ଦର ଦୋଳଯାତ୍ରା ଦେଖିବାର ପାଇଁ
ବୃନ୍ଦାବନର ସୀମାରେ ଯେ ଅନ୍ତରୀକ୍ଷେ ରହି ।
କପିଳାସ ଗିରି ତେଜି ଦେବ ସଦାଶିବ
ଧାତିକାରେ ଆରୋହିଲେ କପିଳା ବୃଷଭ ।
ନନ୍ଦି ଭୃକୁଟି ସହିତେ ଯେତେ ରୁଦ୍ରଗଣ
ବିନାୟକ କାର୍ତ୍ତିକେୟ ଆଉ ନାଗାର୍ଜ୍ଜୁନ ।
ୟାଙ୍କ ମୂଳେ ଛୟାଣୋଇ କୋଟିଏ ନନ୍ଦନ
ଘେନି କରି ବିଜେ କଲେ ଦେବ ପଞ୍ଚାନନ ।
ଶିବଗଣ ଘେନି ଶିବ ଆକାଶେ ରହିଲେ
ବୃନ୍ଦାବନ ସୀମାରେ ସେ ଦୋଳିକି ଚାହିଁଲେ ।
ଏଥୁ ଅନନ୍ତରେ ତହୁଁ ରଜନୀ ପ୍ରଭାତେ
ରାମକୃଷ୍ଣଙ୍କୁ ଡାକିଲେ ଖେଳି ସଖା ସୁତେ ।
କେ ବୋଲଇ କେଶବ ହେ କେ ବୋଲେ ମୁରାରି
କେ ବୋଲଇ ସଙ୍କର୍ଷଣ କେହୁ ହଳଧାରୀ ।
କେ ବୋଲେ ଗୋପୀନାଥ ହେ କେ ବୋଲେ ମାଧବ
କେ ବୋଲେ କାମପାଳ କେ ବୋଲେ ବଳଦେବ ।
କେ ବୋଲେ ଅଚ୍ୟୁତ ଆହେ କେ ବୋଲେ ମୁକୁନ୍ଦ
କେ ବୋଲେ ରେବତୀପତି କେହୁ ସଦାନନ୍ଦ ।
ଏମନ୍ତ ନାମ ଧରିଣ ଡାକନ୍ତି ସଖାଏ
ଭିତରେ ଥାଇ ଶୁଣିଲେ ହଳୀ ଦେବରାୟେ ।
ପଲ୍ୟଙ୍କ ଉପରେ ଦେବ ପହୁଡ଼ିଣ ଥିଲେ
ପୁଅଙ୍କର ଡାକ ଶୁଣି ଉଠିଣ ବସିଲେ ।
ବଦନ ଧୋଇ ପୁରରୁ ହୋଇଲେ ବାହାର
ପୁଅଙ୍କ ପାଶେ ମିଳିଲେ ହଳୀ ଚକ୍ରଧର ।
ପଦ୍ମବନ ମଧ୍ୟେ ଯେହ୍ନେ ରାଜହଂସ ଚାଲି
ତେସନ ଗତି କରନ୍ତି ରାମ ବନମାଳୀ ।
ନକ୍ଷତ୍ରଙ୍କ ମଧ୍ୟେ ଯେହ୍ନେ ଉଦେ ନିଶାମଣି
ରାମ କୃଷ୍ଣଙ୍କର ରୂପ ତେସନକ ଜାଣି ।
ଖେଳ ଖେଳିବା ପାଇଁକି ଯାନ୍ତି ଅବଲୀଳେ
ପୁଅମାନେ ଘେନି ବିଜେ କାଳନ୍ଦୀର କୂଳେ ।
ଦେଖିଲେ ବୃନ୍ଦାବନରେ ମଣ୍ଡପେକ ଅଛି
କୋଟିଏ ଚନ୍ଦ୍ର ଏକତ୍ରେ କି ଅବା ଉଇଁଛି ।
ଅମର ସିଂହାସନ କି ଅବା ବାରସ୍ଵତୀ
ବିଷ୍ଣୁର ବୈକୁଣ୍ଠ ପ୍ରାୟ ବିରାଜଇ ଜ୍ୟୋତି ।
ସାତ ତାଳ ଉଚ୍ଚ ଅଟେ ସେ ମଣ୍ଡପ ଗୋଟି
ଉପରକୁ ପିମ୍ପୁଡ଼ି ଯେ ନ ପାରିବ ଉଠି ।
କଳସ ଉପରେ ନେତ ଝୀନବାସ ଉଡ଼େ
ଆକାଶୁ ବିଜୁଳି କିବା ତଳେ ଖସିପଡ଼େ ।
ଦେଖି ତା ଗୋପାଳ ପୁଏ ଅପୂରୁବ ମଣି
କେମନ୍ତ ମାୟା ଏ ବୋଲି ନ ପାରନ୍ତି ଜାଣି ।
କେ ବୋଲେ ମଣ୍ଡପ ଗୋଟି ସୁରମ୍ୟ ଦିଶୁଛି
କେ ବୋଲେ ଦେଖ ଆକାଶପଥେ ଏ ଲାଗିଛି ।
କିମ୍ଭୂତ ମୟାମଣ୍ଡପ ଆଣି କିଏ କଲା
କେ ବୋଲେ ଏହା ତ ଏଥେଁ ଆଗରୁ ନ ଥିଲା ।
କେ ବୋଲେ ଏପରି କାହିଁ ଦେଖିଲା ତ ନାହିଁ
କେ ବୋଲେ ନେତ୍ର ପବିତ୍ର ହେଲା ୟାକୁ ଚାହିଁ ।
ମଣ୍ଡପ ପରେ ଆକାଶ ମଣି ପାଏ ଶୋଭା
ଗଗନର ଆର୍ଦ୍ରାବଳୀ ମନୋହର କିବା ।
ସୁବର୍ଣ୍ଣାଦି ଅଷ୍ଟରତ୍ନ ହୋଇଛି ଖଞ୍ଜିତ
ସୁପାତି ଶେଯ ତା ମଧ୍ୟେ ଅଛି ଶତ ଶତ ।
କେବଣ ଦେବତା ଏଥେଁ ବିଜେ କରିବ ବା
ତେଣୁ ଏ ମଣ୍ଡପ ଏଥେଁ ବିରାଜଇ ଅବା ।
କୃଷ୍ଣ ବୋଇଲେ ଉପରେ ଉଠିବା କେମନ୍ତେ
କେ ବୋଲଇ ବାଟ ୟାର ନ ଦେଖଇ ନେତ୍ରେ ।
ତାହା ଶୁଣି ଚାରିକତି ବୁଲି ନନ୍ଦଚାଟ
ସାତତାଳ ଉଚ୍ଚ ଦୋଳମଣ୍ଡପ ଯେ ଶ୍ରେଷ୍ଠ ।
ଅତି କଷ୍ଟରେ ପିମ୍ପୁଡ଼ି ଉଠି ନ ପାରଇ
ମୁଗୁନିପଥରେ ଯାହା ବିହି ଅଛି ଲିହି ।
ଦେଖିକରି ନାରାୟଣ ଆନନ୍ଦିତ ମତି
ନୃସିଂହ ବିକ୍ରମ ରୂପ ଧଇଲେ ଶ୍ରୀପତି ।
ଅବହେଳେ ପାଦପଦ୍ମ ଦେଲେକ ବଢ଼ାଇ
ମଣ୍ଡପ ଉପରେ ବେଗେ ବିଜେକଲେ ଯାଇ ।
ରତ୍ନପଲ୍ୟଙ୍କ ଉପରେ ତୂଳିକାରଶଯ୍ୟା
ତହିଁ ଉପରେ ବିଜୟ କଲେ ଦେବରାଜା ।
ଶୁକମୁନି ବୋଇଲକ ଶୁଣ ନୃପମଣି
ଅସମ୍ଭବ ବିଷ୍ଣୁ ମାୟା କେହୁ ପାରେ ଜାଣି ।
ଦୋଳମଣ୍ଡପରେ ବିଜେ ସେ ଦେବାଧିରାୟେ
ଛାମୁରେ ଦର୍ଶନ ଆସି କଲେ ଦେବତାଏ ।
ଇନ୍ଦ୍ର ଚନ୍ଦ୍ର କୁବେର ଯେ ଆବର ବରୁଣ
ଗନ୍ଧରବ ବିଦ୍ୟାଧର ସିଦ୍ଧ ସାଧ୍ୟଗଣ ।
ଦେବଋଷି ନରଋଷି ରାଜର୍ଷି ବ୍ରହ୍ମର୍ଷି
ଗୋବିନ୍ଦ ଦୋଳମଣ୍ଡପେ ବିଜେକଲେ ଆସି ।
ସତ୍ୟ ଦ୍ୱାପର କଳି ଯେ ତ୍ରେତାଯୁଗ ଚାରି
ଷଡ଼ଋତୁ ସହିତରେ ଅୟନାଦି କରି ।
ଅଷ୍ଟଚଣ୍ଡୀ ଗ୍ରହ ଆଉ ଦିକ୍ପାଳ ସହିତେ
ସାତବାର ଯୋଗ ଆଦି ନକ୍ଷତ୍ର ସମେତେ ।
ପାତାଳ ପୁରେ ବାସୁକି ନାମେ ନାଗରାଜା
ଦୋଳ ମଣ୍ଡପେ କୃଷ୍ଣଙ୍କୁ କଲେ ଯାଇ ପୂଜା ।
ପାର୍ବତୀଙ୍କ ପିଅର ଯେ ହିମବନ୍ତ ଗିରି
ସ୍ୱକୁଟମ୍ୱ ସହିତରେ ତହିଁ ବିଜେକରି ।
ମେରୁ ମନ୍ଦର ପ୍ରଭୃତି ଥିଲେ ଗିରି ଯେତେ
ସେ ସମସ୍ତ ମିଳିଲେକ କୃଷ୍ଣ ଦର୍ଶନାଥେ ।
ମନପବନ ଚଢ଼ିଣ ନାରଦ ଯେ ମୁନି
ଗୋବିନ୍ଦ ଛାମୁରେ ମିଳି କଲେ ବେଦଧ୍ୱନି ।
ଭୂଲୋକ ଯେ ଭୂବଲୋକ ସ୍ୱର୍ଗଲୋକ ତିନି
ମହଲ୍ଲୋକ ଜନଲୋକ ତପଲୋକ ଘେନି ।
ସତ୍ୟଲୋକ ତାରାଲୋକ ଚନ୍ଦ୍ରଲୋକ ଯାଏ
କର୍ମଲୋକ ଧର୍ମଲୋକ ଧ୍ରୁବଲୋକ ଆଏ ।
ବ୍ରହ୍ମଲୋକ ସିଦ୍ଧଲୋକ ସାଧ୍ୟଲୋକ ଯେତେ
ଗୋବିନ୍ଦ ଦୋଳମଣ୍ଡପେ ମଳିଲେ ସମସ୍ତେ ।
ଯାନ ବାହନ ତେଜିଣ ସର୍ବେ ଉଭା ହୋଇ
ଯେଝାରେ ସ୍ତୁତି କରନ୍ତି ଶ୍ରୀଛାମୁକୁ ଚାହିଁ ।
ଜୟ ମୋହନ ମୂରତି ଦେବ ଗୋପୀନାଥ
ସଂସାର ମୋହନ ବେଣୁ ଶୋହେ ତବ ହସ୍ତ ।
ଅପୂର୍ବ କଳେବର ତୋ ପଦ୍ମପୁଷ୍ପ ଜାଣି
ତାଳୁପରେ ଦିବ୍ୟଚୂଳ ବର୍ହିପୁଚ୍ଛା ବେଣୀ ।
ଅପୂର୍ବ ଦିବ୍ୟକୁଣ୍ଡଳ ଝଲକନ୍ତି କର୍ଣ୍ଣେ
ଦଶନପନ୍ତି ଡାଳିମ୍ୱ କଳିକା ଯେସନେ ।
ସୁଲଳିତ ବେନିଭୁଜ ଆଜାନୁ ପର୍ଯ୍ୟନ୍ତ
ମଧୁର ବିମ୍ୱଅଧର ବଧୂଲି ସଂଜାତ ।
ଭ୍ରୂଲତା ଯେ କାମଧେନୁ ଅପାଙ୍ଗ ଚାହାଣି
ଅଣ୍ଡିର କୋକିଳ ସମ ସୁଲଳିତ ବାଣୀ ।
ବିକ୍ରମସିଂହ ପରାୟେ ଚାଲିବାର ଠାଣି
ଅନେକ ଯତ୍ନେ ବିଧାତା ଗଢ଼ିଅଛି ଆଣି ।
ହୃଦରେ ଶ୍ରୀବତ୍ସ ଚିହ୍ନ କଉସ୍ତୁଭ ସାଜେ
ପାଦପଦ୍ମରେ ନୂପୁର ରୁଣୁଝୁଣୁ ବାଜେ ।
କ୍ଷଣକେ ବାଳୁତ ରୂପ କ୍ଷଣେ ନବଯୁବା
କଳପନା କାମନିଧି ତୁ ଦେବାଧିଦେବା ।
କାମିନୀଙ୍କ ମନସିଜ କାମ କଳ୍ପତରୁ
ଏକ ନିମିଷକେ କୋଟି କୋଟି ରୂପ ଧରୁ ।
ପଞ୍ଚଭୂତ ପଞ୍ଚତତ୍ତ୍ୱ ପଚିଶ ପ୍ରକୃତି
ତୁମ୍ଭଠାରୁ ଏହିମାନେ ସମ୍ଭବି ଅଛନ୍ତି ।
ସନକ ପ୍ରଭୃତି ମୁନି ଯା ମାୟାରେ ଭ୍ରମ
ଆବର ସଂସାରେ କେହୁ ଜାଣିବାକୁ କ୍ଷମ ।
ଅଶେଷ ମାୟାଧାରୀ ତୁ ସବୁ ହୋଇପାରୁ
ଉଦାସୀ ଜନ ତାରନ୍ତା ଜ୍ଞାନଦୀକ୍ଷା ଗୁରୁ ।
ପୃଥ୍ୱୀଭାର ନିବାରଣ କରିବାର ପାଇଁ
ଅବନୀରେ ନନ୍ଦଘରେ ଅଛୁ ଗୁପ୍ତେ ରହି ।
କେତେ ତପ କରିଥିଲେ ପୂର୍ବେ ଗୋପନାରୀ
ଏ ଅବତାରେ ତୁମ୍ଭର ହେଲେ ମନୋହାରୀ ।
ପଣ୍ଡୁକୁମାରମାନଙ୍କୁ ସଙ୍ଗତରେ ଘେନି
ଅସୁର ମାରି କରିବ ଉଶ୍ୱାସ ମେଦିନୀ ।
ମୋହିତ କରିବ ଗୀତ ଗାଇ ଗୋପୀବୃନ୍ଦ
ଦେବତାଙ୍କୁ ନିସ୍ତାରିବ ଭୟରୁ ଗୋବିନ୍ଦ ।
ଅପାର ମହିମା ତବ କେ କରିବ ଅନ୍ତ
କିସ ଅବା ଲେଖିବଇଁ ମୁଁ ମାନବ ମାତ୍ର ।
କୋଟିଏ ବଦନେ ବ୍ରହ୍ମା ପୂର୍ବେ ଏକ ଥିଲା
ସେ ତୁମ୍ଭର ଯଶ କୀର୍ତ୍ତି ବର୍ଣ୍ଣି ନ ପାରିଲା ।
ସହସ୍ରେ ଭୁଜ ବହିଲା ଧରି ବିଶ୍ୱମୂର୍ତ୍ତି
ତଥାପି ସେ ନ ପାରିଲା ଲେଖି ତୁମ୍ଭ କୀର୍ତ୍ତି ।
ବ୍ରହ୍ମା ବସି ବିଚାରିଲା ସସ୍ରେବର୍ଷ ଯାଏ
ତୁମ୍ଭର କୀର୍ତ୍ତିର ଅନ୍ତ ଯେଣୁ ସେ ନ ପାଏ ।
ଅନେକ ଲଜ୍ଜା ପାଇଣ ରହେ ମୁଖ ପୋତି
ତାଙ୍କଠାରୁ ଅଧିକ କି ମୋହର ଶକତି ।
ଅନନ୍ତ ନାଗ ବାସୁକି ଅଟେ ମହଜ୍ଞାତା
କହି ନ ପାରିଲା ସସ୍ରମୁଖେ ତୁମ୍ଭ ଗାଥା ।
ଆଠକୋଟି କଳ୍ପଯାଏ କହିଲା ତଦନ୍ତ
ତଥାପି ସେ ନ ପାଇଲା ତୁମ୍ଭ କୀର୍ତ୍ତି ଅନ୍ତ ।
ଏଡ଼େ ମହିମା ତୁମ୍ଭର ନ ଜାଣନ୍ତି କେହି
ପିମ୍ପୁଡ଼ି ପରାକ୍ରମେ କି ଗିରି ହୁଏ ବହି ।
କରରେ ବାହିଲେ ବାରାନିଧି କି ଶୁଖଇ
ଗଙ୍ଗାବାଲି ଗଣିବାକୁ କା ଶକ୍ତି ଅଛଇ ।
ନିଶୁଣି ବାନ୍ଧିଲେ କେହି ସ୍ୱର୍ଗେ ଯାଇପାରେ
ଭେଳା ବାନ୍ଧିଣ ସମୁଦ୍ରେ କିଏ ଅବା ତରେ ।
ଅଗୋଚର ବିଷ୍ଣୁ ମାୟା ନାହିଁ ତାର ଅନ୍ତ
ବାମନ ହୋଇ ମୁଁ ଧରି ଇଚ୍ଛେ ନିଶାନାଥ ।
ଏ ହରିବଂଶ ପୁରାଣ ଅତ୍ୟନ୍ତ ଗହନ
ମାନବ ହୋଇ ମୁଁ କିସ ଲେଖିବଇଁ ପୁଣ ।
ଭୋ ସ୍ୱାମୀ ଗୋପୀନାଥହେ ମୋତେ ଆଜ୍ଞାଦେବା
ତବ କୀର୍ତ୍ତି ଉଚ୍ଚାରନ୍ତେ ବୁଦ୍ଧି ପ୍ରସରିବା ।
ଅତି ଭାଗ୍ୟ ଭାଗବତ ଶୁଣି ବିଜ୍ଞପ୍ରାଣୀ
ସୁଜନଙ୍କ ହିତେ ମୁହିଁ ବଖାଣଇ ଆଣି ।
ମୋତେ ଅଗୋଚର ଅଟେ ଶ୍ରୀହରିଙ୍କ ପଦ
କୋକିଳ କାହୁଁ ଜାଣିବ ନଟିକାଳ ସ୍ୱାଦ ।
ନ ଜାଣେ କାବ୍ୟ ପଢ଼ି ତ ନାହିଁ ମୁଁ ପୁରାଣ
ଭରହ ବିଦ୍ୟା ଆଦିରେ ନାହିଁ ମୋର ଜ୍ଞାନ ।
ଜନ୍ମହୁଁ ମୂରୁଖ ମୋର ଚଞ୍ଚଳ ପ୍ରକୃତି
ସଜ୍ଜନଙ୍କ ଗୋଷ୍ଠିରେ ମୋ ନାହିଁତ ବସତି ।
ଅନ୍ତର୍ଯ୍ୟାମୀ ଗୋପୀନାଥ ଜଗତ ଗୋସାଇଁ
ସେ ମୋତେ ଯାହା କହନ୍ତି ମୁଁ ତାହା ଲେଖଇ ।
ପଣ୍ଡିତମାନଙ୍କର ମୁଁ ଅଟେ ସଦା ଦାସ
ମୁକତ ହୋଇବ ସର୍ବେ ହରିନାମ ଘୋଷ ।
ବଦୟନ୍ତି ଶୁକମୁନି ଶୁଣ ପରୀକ୍ଷିତ
ଶ୍ରୀହରିବଂଶ ଚରିତ ଅତ୍ୟନ୍ତ ପବିତ୍ର ।
ଏରୂପେ ସ୍ତୁତି କରନ୍ତି ତହିଁ ଦେବବୃନ୍ଦ
ଦୋଳମଣ୍ଡପରେ ବିଜେ ସେ ପରମାନନ୍ଦ ।
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜ
ସମ୍ପୂର୍ଣ୍ଣ ଶାନ୍ତବଦନ ଅତିଅନ୍ତ ତେଜ ।
କିରୀଟ ମୁକୁଟ ଶିରେ ଶୋହେ ସପ୍ତଶିଖା
ହୃଦୟସ୍ଥଳେ ବିରାଜେ ଶ୍ରୀବତ୍ସର ରେଖା ।
ଦିବ୍ୟ ବସନ ଯେ କଣ୍ଠେ କଉସ୍ତୁଭମଣି
ଜାଜ୍ୱାଲମାନ ତେଜ ଯେ ହେମ ସମ ଜାଣି ।
ବେନି କର୍ଣ୍ଣେ ଶୋହେ ନବରତନ କୁଣ୍ଡଳ
ମଧ୍ୟାହ୍ନ କାଳରେ ଯେହ୍ନେ ଆଦିତ୍ୟ ମଣ୍ଡଳ ।
ସ୍ୱର୍ଣ୍ଣ ସିଂହାସନ ବିଜେ ପ୍ରଭୁ ଦେବରାୟେ
କରପତ୍ର ଯୋଡ଼ି ଆଗେ ଉଭା ଦେବତାଏ ।
ଅମର ଦୁନ୍ଦୁଭି ବାଦ୍ୟ ଶୁଭେ ଘନ ଘନ
ଅପାଙ୍ଗ ଶଙ୍ଖ ମହୁରୀ ଅଳାବେଣୀ ସ୍ୱନ ।
ବିଦ୍ୟାଧରୀମାନେ ତାଳେ ଗାଉଛନ୍ତି ଗୀତ
କେବଣ ନାୟିକା ଅଗ୍ରେ କରୁଛନ୍ତି ନୃତ୍ୟ ।
ଚାଙ୍ଗୁ ମରଦଳ ବୀଣା ବାଜେ ଭେରୀ ତୂରୀ
ଚାମର ଧରିଛି କେହୁ କେବା ଛତ୍ରଧାରୀ ।
ବିଲମ୍ୱ ପାଟଛତ୍ର ଯେ ଅତିଅନ୍ତ ଶୋଭା
ଆଲମ୍ୱ ଏକଲକ୍ଷ ଯେ ଏକୁଁ ଏକ ପ୍ରଭା ।
ଶ୍ୱେତ ଚାମର ଛାମୁରେ ପତନୀର ଝିଲି
ନବୀନ ମେଘରେ ଯେହ୍ନେ ଶୋହେଆର୍ଦ୍ରାବଳୀ ।
ଏମନ୍ତେ ଦେଖନ୍ତେ ନେତ୍ରେ ଗୋପାଳଙ୍କ ପୋଏ
ବୁଦ୍ଧି ନ ଦିଶଇ ତାଙ୍କୁ ସ୍ତମ୍ଭୀଭୂତ ପ୍ରାୟେ ।
ଚାହାନ୍ତି ସ୍ୱପନ ପ୍ରାୟ ମଣି ଧୀରେ ଧୀରେ
ବିଜେ କରିଛନ୍ତି ପ୍ରଭୁ ଦୋଳ ମଣ୍ଡପରେ ।
ଅତି ହରଷେ ବିଜୟେ ସେ ପରମାନନ୍ଦ
ପୋଏମାନେ ଦେଖିକରି ହୋଇଲେ ସାନନ୍ଦ ।
ଏକକୁ ଆରେକ ପୋଏ ହୁଅନ୍ତି ଆଶ୍ଚର୍ଯ୍ୟ
ଅସମ୍ଭବ ମାୟା ଆମ୍ଭେ ଦେଖିଲୁ ଯେ ଆଜ ।
ଅଦୃଷ୍ଟି ଅଶ୍ରୁତି ପୁଣି ଅଗୋଚର ବିଧି
ରତ୍ନାକର କଟକ କି ଅମର ପ୍ରସିଦ୍ଧି ।
ଏମନ୍ତ ବିଚାରୁଁ ଘଡ଼ିଏକ ବେଳ ହେଲା
ଗୋପନଗ୍ରେ ହାଲହୁଳି ଚହଳ ଶୁଭିଲା ।
ଦୋଳଯାତ୍ରା ବାର୍ତ୍ତା ଶୁଣି ଯେତେ ନରନାରୀ
ଆନନ୍ଦେ ଧାଆନ୍ତି ହୋଇ ଉବୁରା ଉବୁରି ।
ଗୋପୀଗୋପାଳେ ସମସ୍ତେ ହେଲେ ଉନମିତ୍ତା
କୁହାକୁହି ହୁଅନ୍ତି ସେ ମଣ୍ଡପର କଥା ।
ଦିନକ ପୂର୍ବରୁ ନନ୍ଦ ଗୋଷ୍ଠେ ଯାଇଥିଲେ
ସୁରଭି ବନ୍ଦାଇ ନିଜ ଭୁବନେ ଅଇଲେ ।
ଏ ସମୟେ ଗୋପପୁଏ ଧାଇଁ ଯାଇକରି
ନନ୍ଦଆଗେ କହିଲେ ସେ ସମସ୍ତ ବିସ୍ତାରି ।
ତାହାଶୁଣି ନନ୍ଦ ବୃନ୍ଦାବନକୁ ଚଳିଲେ
ଦୋଳ ମଣ୍ଡପ ଦେଖିବା ପାଇଁକି ଧାଇଁଲେ ।
କଡ଼ାମରଦଳ ଢୋଲ ଦମାଲୁ ବଜାଇ
ନାଚନ୍ତି ଧେମଟା ନାଟ ରଙ୍ଗେ ଗୀତଗାଇ ।
ଲଉଡ଼ି ଧରିଣ କେହୁ ହୁଏ ଆଗଭର
ନବଲକ୍ଷ ସଦନ ଯେ ବସେ ଗୋପପୁର ।
ସକଳ ଗୋପୀ ଗୋପାଳ ହୋଇଣ ଉସତ
ଦୋଳ ଦେଖିବା ପାଇଁକି ଯାନ୍ତି ଯୂଥ ଯୂଥ ।
ଧାମନ୍ତି ଯେ ନାରୀମାନେ ଲଜ୍ଜା ପରିହରି
ସ୍ୱାମୀ ଦିଅର କଥାକୁ ଅଖାତର କରି ।
କେଉଁ ନାରୀ ବସି ଗୃହେ ଭାତ ରାନ୍ଧୁଥିଲା
ଦୋଳଯାତ୍ରା କଥା ଯହୁଁ କର୍ଣ୍ଣରେ ଶୁଣିଲା ।
ରନ୍ଧାବଢ଼ା ଛାଡ଼ି କାହା କଥାକୁ ନ ମାନି
କେଶ ବାସ ଅସମ୍ଭାଳେ ଧାମଇଁ ସେ ପୁଣି ।
କେଉଁ ରାମା ଭାଣ୍ଡେ ଦହି ଖୁଆକୁ ପକାଇ
ତରତରେ ଧାମଇ ସେ ଅସମ୍ଭାଳ ହୋଇ ।
କେଉଁନାରୀ ଗେରସ୍ତକୁ ଦେଉଥିଲା ଭାତ
ତିଉଣ ନ ଦେଇ ଧାଏଁ ହୋଇଣ ଉସତ ।
କେଉଁ ନାରୀ ଦର୍ପଣରେ ମୁଖ ଦେଖୁଥିଲା
ଦର୍ପଣମୁଖୀ ଦର୍ପଣ ଘେନି ପଳାଇଲା ।
କେଉଁନାରୀ କଙ୍କତିକା ଧରି ପ୍ରମୋଦରେ
କେଶ କୁଣ୍ଡାଉ କୁଣ୍ତାଇ ଧାମଇ ବେଗରେ ।
ଯହିଁ ବିଜେ କରିଛନ୍ତି ଦେବ ବନମାଳୀ
ସେଠାରେ ମିଳିଲେ ଯାଇ ସକଳ ଗୁଆଳୀ ।
ସ୍ୱପ୍ନ ପରାୟ ମଣିଲେ ସର୍ବ ଗୋପବାସୀ
ଦେଖି ଦୋଳ ମଣ୍ଡପରେ ପ୍ରଭୁ ହୃଷୀକେଶୀ ।
ନନ୍ଦ ଉପନନ୍ଦ ବସୁନନ୍ଦର ସହିତେ
ସମସ୍ତେ ଭୋଳ ହୋଇଲେ ଦେଖି ଯେଝାମତେ ।
ଆମ୍ୱ ପଣସ କଦଳୀ ଗୁଆ ନଟିକାଳ
ଡାଳିମ୍ୱ ଟଭା ଜେଉଟ ଲେମ୍ୱୁ ବୃନ୍ଦାହୋଳ ।
ନାନାଦି ଫଳମାନଙ୍କୁ ଘେନି ପୁରବାସୀ
ଫଗୁ ଦୋଳମଣ୍ଡପରେ ବିଜେ କଲେ ଆସି ।
ଅପୂର୍ବ ମଣଡପ ସେତ ଅତିଅନ୍ତ ଉଚ୍ଚ
ଦୀର୍ଘ ପ୍ରତି ସମାନ ସେ ଅତିଶୟ ସଞ୍ଚ ।
ଦେବତା ହୋଇଲେ ମଧ୍ୟ ଉଠି ନ ପାରଇ
ଦେଖନ୍ତି ସକଳ ଗୋପବାସୀ ତଳେ ଥାଇ ।
ଅନ୍ତରୀକ୍ଷ ମାର୍ଗରେ ଯେ ଉଭା ଦେବତାଏ
ସୁର ସିଦ୍ଧ ମୁନି କରୁଛନ୍ତି ଜୟେ ଜୟେ ।
ସନକ ଯେ ସନାତନ ନାରଦ ମହର୍ଷି
ବିଧାତା ସହିତେ ଚାରିବେଦକୁ ସେ ଘୋଷି ।
ବିଧାତା ପ୍ରବେଶ ହେଲେ ପ୍ରଥମ ଦୋଳିରେ
ସଦାଶିବ ମିଳିଲେକ ଯାଇ ଦ୍ୱିତୀୟରେ ।
ତୃତୀୟ ଦୋଳିରେ ପୁଣି କୁବେର ବାସବ
ଏପରି ତିନି ଦୋଳିରେ ମିଳିଲେ ସେ ଦେବ ।
ନାନ ମଣିଗଣ ଆଉ ଉପହାର ଦ୍ରବ୍ୟ
ଗୋବିନ୍ଦଙ୍କ ପାଦପଦ୍ମେ କୁଢ଼ାଇଲେ ସର୍ବ ।
ଶତେ ଦଣ୍ଡ ପ୍ରଣିପାତ ହୋଇ ଯେ ଯାହାରେ
ଶ୍ରୀକୃଷ୍ଣ ରୂପ ଦେଖନ୍ତି ଅତି ଉଲ୍ଲାସରେ ।
ଶୁଣ ହେ ପରୀକ୍ଷରାଜା ବିଷ୍ଣୁ ମାୟା କୂଟ
ନିମିଷକେ ସମସ୍ତଙ୍କୁ କଲେ ସେ ଉଚ୍ଚାଟ ।
ଆଦି ଅନ୍ତ ମଧ୍ୟ ଯାର ଅବଶେଷ ନାହିଁ
ତାହାର ମାୟାକୁ କେହୁ ଜାଣି ବା ପାରଇ ।
ଗୋପୀ ଗୋପାଳମାନେ ତ ସନ୍ନିଧିରେ ଥାନ୍ତି
କେହି ସେ କଥାକୁ ପୁଣି ଜାଣି ନ ପାରନ୍ତି ।
କେବଳ ଦେଖିବା କଥା ଦେଖୁଥାନ୍ତି ସତ
ମଣନ୍ତି ଗୋପୀ ଗୋପାଳେ ତାହା ସ୍ୱପ୍ନବତ ।
ଦେଖିଲା ଉତ୍ତାରୁ ପୁଣି ପକାନ୍ତି ପାସୋରି
ସୁମହତ ସ୍ନେହକୁ ସେ ହୃଦେ ଥାନ୍ତି ଧରି ।
ଗୋପୀ ଗୋପାଳ ସହିତେ ନନ୍ଦ ଆଦି ଯେତେ
ମୋହିତ ହୁଅନ୍ତି କୃଷ୍ଣ ମାୟାରେ ସମସ୍ତେ ।
ବାହୁଡ଼ି ଯେଝାପୁରକୁ ଗଲେ ଦେବଗଣ
ଗୋପାଳଙ୍କର ଶରୀରେ ବସିଲାକ ଜ୍ଞାନ ।
ମଣ୍ଡପ ତଳରେ ସର୍ବେ ଛନ୍ତି ଉଭା ହୋଇ
ଦୋଳି ପରେ ବିଜୟେ ବ୍ରହ୍ମାଣ୍ଡ ଗୋସାଇଁ ।
ଯାହା କି ବିଶ୍ୱକରମା କରିଛି ଗଠନ
ତାହାକୁ ବା ପଟାନ୍ତର ଦେବା କିସ ଆନ ।
ଦେଖିକରି ଆଚମ୍ୱିତ ହେଉଛନ୍ତି ନନ୍ଦ
ଅପୂର୍ବ ମଣ୍ଡପେ ବିଜେ ଦେବ ଆଦିକନ୍ଦ ।
ନନ୍ଦ ପଚାରିଲା ବାଳପୁଅଙ୍କୁ ଡକାଇ
କୃଷ୍ଣ ମୋର ଏହି ଦୋଳି ପାଇଲାକ କାହିଁ ।
ଗୋପାଳପୁଏ ବୋଇଲେ ଶୁଣ ନନ୍ଦରାଣ
ଅସମ୍ଭବ କଥାମାନ କରେ ନାରାୟଣ ।
ସମସ୍ତ ପୁଏ ଆମ୍ଭେ ଯେ ପ୍ରଭାତରୁ ମେଳି
ହୋଇ ଯମୁନା କୁଳକୁ ଅଇଲୁଁ ତ ଖେଳି ।
ପ୍ରବେଶ ହୋଇଲୁଁ ଆସି କଦମ୍ୱର ମୂଳ
ଦେଖିଲୁଁ ଏ ବୃନ୍ଦାବନ ଦିଶେ ପରିମଳ ।
ଅପୂର୍ବ ତରୁମାନ ଯା ଦେଖା ନାହିଁ ନେତ୍ରେ
ସୁମଧୁର ଫଳ ସବୁ ଭକ୍ଷିଲୁ ଯେ ଏଥେଁ ।
ବସନ୍ତ ପବନ ବହେ ସୁଶୀତଳ ହୋଇ
କୃଷ୍ଣ ରାମ ସଙ୍ଗତରେ ସର୍ବେ ମେଳି ହୋଇ ।
ବୃନ୍ଦାବନ ମଧ୍ୟେ ବୁଲୁଁ ବୁଲୁ ଏ ସମୟେ
ଦେଖିଲୁ ଦିବ୍ୟ ମଣ୍ଡପ ଏକ ଦେଖାଯାଏ ।
ଅତି ସୁସଞ୍ଚ ମଣ୍ଡପ ଅତିଶୟ ଉଚ୍ଚ
ନାହିଁ ପଟାନ୍ତର ତାକୁ ସ୍ୱର୍ଗ ଆଦି ମଞ୍ଚ ।
ଉପରକୁ ଉଠିବାକୁ ନୋହିଲେ କେ କ୍ଷମ
ଦେଖିକରି ତାଟକା ଯେ ହେଲେ ବଳରାମ ।
ପିମ୍ପୁଡ଼ି ଯିବାକୁ ତହିଁ ନ ମିଳଇ ବାଟ
ଆକାଶକୁ ଲାଗିଅଛି ତାହାର ମୁକୁଟ ।
ହେ ନନ୍ଦ କୃଷ୍ଣ ତୋହର ବଡ଼ ବଳୀୟାର
ଅବହେଳେ ବସିଲାକ ଦୋଳିର ଉପର ।
ପଲ୍ୟଙ୍କରେ ବସିଅଛି ନିଃଶଙ୍କ ଭାବରେ
ସତ କି ମିଥ୍ୟା ତୁ ତାହା ଦେଖ ପ୍ରତ୍ୟକ୍ଷରେ ।
ଶୁଣିକରି ନନ୍ଦ ଏକ ଦୃଷ୍ଟିରେ ଅନାଇଁ
ଖଟ ଦୋଳିରେ ବିଜୟେ ପ୍ରଭୁ ଭାବଗ୍ରାହୀ ।
ଶଙ୍ଖ ଚକ୍ର ଗଦାପଦ୍ମ ଶୋହେ ଚାରିଭୁଜ
କିରୀଟ ମୁକୁଟ ଶିରେ ଅତିଶୟ ତେଜ ।
କଟୀତଟେ ପୀତାମ୍ୱର ମୂରଲୀ ହସ୍ତରେ
ବାମେ ସରସ୍ୱତୀ ଲକ୍ଷ୍ମୀ ଦକ୍ଷିଣ ପାଖରେ ।
ହୃଦରେ ଶ୍ରୀବତ୍ସ ଚିହ୍ନ କଣ୍ଠେ ମୋତିମାଳ
ମୋହନ ସ୍ୱରୂପେ ବିଜେ ପ୍ରଭୁ ଆଦିମୂଳ ।
ଦେଖିକରି ନନ୍ଦରାଜା ହେଲା କୃତକୃତ୍ୟ
ପରମାନନ୍ଦ ପୁରୁଷ ଦେଖି ମୁଗ୍ଧ ଚିତ୍ତ ।
ନନ୍ଦ ସଙ୍ଗତରେ ଯେତେ ଗୋପଗଣ ଥିଲେ
ସମସ୍ତେ ଏ ରୂପ ଦେଖି ମୋହିତ ହୋଇଲେ ।
ବଳଦେବ ସହିତରେ ସର୍ବେ ତଳେ ଉଭା
ଏକା ଗୋବିନ୍ଦ ଦୋଳିରେ ପାଉଛନ୍ତି ଶୋଭା ।
ଯେଉଁ ମାୟାଧର ମାୟା ଅଟଇ ଅନନ୍ତ
ସେରୂପେ ଦେଖି କିଏ ବା ନୋହିବ ଉସତ ।
ସବୁଙ୍କର ମନ ଭ୍ରମ କରାଇଲେ ହରି
ଖଟ ଦୋଳିରେ ପହୁଞ୍ଚି ହୁଅନ୍ତି ମୁରାରି ।
ନନ୍ଦକୁ ଦେଖି ବୋଲନ୍ତି ପ୍ରଭୁ ପୀତବାସ
ଆସ ଆସ ପିତା ତୁମ୍ଭେ ମୋ ନିକଟେ ଆସ ।
ଦେଖ କେମନ୍ତେ ସୁନ୍ଦର ଏ ମଣ୍ଡପ ଗୋଟି
ଆସ ଆସ ପିତା ତୁମ୍ଭେ ବେଗେ ଆସ ଉଠି ।
ନନ୍ଦ ବୋଇଲେ ଶ୍ରୀକୃଷ୍ଣ ବଦନକୁ ଚାହିଁ
କିରୂପେ ଦୋଳି ଉପରେ ଉଠିବଇଁ ମୁହିଁ ।
ମାରାଗରେ ଏ ମଣ୍ଡପ ହୋଇଛି ଗଠନ
ତହିଁ ଉଠିବାକୁ କେହ୍ନେ ହୋଇବି ଭାଜନ ।
ଆବର ବିଶେଷେ ଏହୁ ଅଟେ ଅତି ଉଚ୍ଚ
ନାହିଁ ନ ଥିବ ଏପରି ସ୍ୱର୍ଗ ଆଦି ମଞ୍ଚ ।
ବାବୁ ଉଠିବା ଭରସା ନାହିଁ ତ ମୋହର
ଅଗୋତର ଚରିତ ତ ଅଟଇ ତୋହର ।
କେଉଁ ବ୍ୟକ୍ତି ତୋତେ ଅବା ଏଥେଁ ବସାଇଲା
ଅଗାଧ ସାଗରେ ମୋର ଭେଳା ବୁଡ଼ାଇଲା ।
ଅସାଧ୍ୟ ସ୍ଥାନରେ ବାବୁ ଚଢ଼ିଅଛୁ ତୁହି
କେଉଁପରି ତୋତେ ବାପ ମୁହିଁ ଆଣିବଇଁ ।
ଏତେ କହି ଲଲାଟରେ କରକୁ ତାଡ଼ଇ
ବୋଲଇ ହେ ଧର୍ମଦେବ କର ଏଥୁ ତ୍ରାହି ।
ନନ୍ଦର ଏସନ ରୀତି ଦେଖିଣ ଗୋବିନ୍ଦ
ଦରହସିତେ ବୋଲନ୍ତି ସେ ପରମାନନ୍ଦ ।
ଆହେ ପିତା ଅଧଇର୍ଯ୍ୟ ହେଉଛ କିପାଇଁ
କର ବଢ଼ାଇଣ ଦିଅ ସେହଠାରେ ଥାଇ ।
ଶୁଣିଣ ନନ୍ଦ ହସ୍ତକୁ ଦେଲାକ ବଢ଼ାଇ
ପବନ ଆଘାତେ ସ୍ୱାମୀ ପଡ଼ିଲେକ ଡେଇଁ ।
ସେବତୀ ପାଖୁଡ଼ା ଯେହ୍ନେ ଶିରୁ ପଡ଼େ ଖସି
ସେହିରୂପେ ନନ୍ଦକୋଳେ ବିଜେ କଲେ ଆସି ।
ଦୋଳଯାତ୍ରା ଶେଷ କଲେ ଜଗତଚ ଗୋସାଇଁ
ଉସତ ହୋଇଲେ ତହୁଁ ପୁରେ ଯିବାପାଇଁ ।
ସମସ୍ତ ଗୋପାଳ ଗଲେ ଯେ ଯାହା ମନ୍ଦିରେ
ଦୋଳଯାତ୍ରା କଥା ଭାଳି ଭାଳି ହୃଦୟରେ ।
ରାମ କୃଷ୍ଣ କୋଳେ ଘେନି ନନ୍ଦ ବ୍ରଜପତି
ମହା ଆନନ୍ଦ ମନରେ ପୁରେ ବଳିଯାନ୍ତି ।
ଯଶୋଦା ଆଗେ ମିଳିଲେ ଯାଇ ଅତିବେଗେ
ସମସ୍ତ ବୃତ୍ତାନ୍ତ ତାଙ୍କୁ କହିଲେ ସରାଗେ ।
ଶ୍ରୀଭାଗବତ ଦଶମସ୍କନ୍ଧର ଏ ବିଧି
ଶୁଣନ୍ତେ ଯେ ଧନ ଧର୍ମ ବାଞ୍ଛାହେବ ସିଦ୍ଧି ।
ପବିତ୍ର ଗଙ୍ଗାଜଳ ଏ ଅତି ପୁଣ୍ୟମୟେ
ଇଦଂ ଚଉବିଂଶ ଅଧ୍ୟା ସମାପତ ହୋଏ ।
ଶ୍ରବଣେ ଶୁଣିଲେ ସର୍ବ ପାପ ଯାଏ କ୍ଷୟ
ଧନ ଧାନ୍ୟ ପୁତ୍ର ପୌତ୍ର ବଢ଼ଇ ନିଶ୍ଚୟ ।
କହଇ ଅଚ୍ୟୁତାନନ୍ଦ ଦାସ ଏ ଚରିତ
ପଢ଼ି ଶୁଣି ପ୍ରାଣୀମାନେ ହୋଇବ ମୁକତ ।
ଶୁଣ ହେ ପରୀକ୍ଷ ରାଜା କହେ ଶୁକଯତି
ଏ ହରିବଂଶ ପୁରାଣ ପୁଣ୍ୟମୟ କୀର୍ତ୍ତି ।
ଧନସନ୍ତାନପ୍ରଦ ଏ ଅଟେ କାଳେ କାଳେ
ଏଥୁ ଅନନ୍ତରେ କିଛିଦିନେ ଗୋପବାଳେ ।
କୃଷ୍ଣଙ୍କ ସମୀପେ ମିଳି ବୋଇଲେ ଏମନ୍ତ
କାନନକୁ ବୁଲିଯିବା ଆସ ଗୋପୀନାଥ ।
ବାଛୁରୀମାନଙ୍କୁ ନେଇଯିବା ହେ ସକଳେ
ନାନଦି କ୍ରୀଡ଼ା କରିବା ବନେ ସଖା ମେଳେ ।
ଶ୍ରୀକୃଷ୍ଣ ସେ କଥା ଶୁଣି ହୋଇଲେ ବାହାର
ଗୋପ ପୁଅଙ୍କ ସଙ୍ଗରେ ଗଲେ ଚକ୍ରଧର ।
କାନନ ମଧ୍ୟରେ ଯାଇ ଚରାନ୍ତି ବାଛୁରୀ
ସମସ୍ତହୁଁ ସୁନ୍ଦର ତ ପ୍ରଭୁ ନରହରି ।
ହସନ୍ତି କ୍ରୀଡ଼ନ୍ତି ଖେଳା କରି ନାନାରଙ୍ଗେ
ରାତ୍ର ଦିବା ବିହରନ୍ତି ପୁଅଙ୍କର ସଙ୍ଗେ ।
ବଂଶୀ ସୁସ୍ୱରେ ବଜାଇ ମାରି କରତାଳି
ଧାମନ୍ତି ଯେ ଅତିବେଗେ ଛାଡ଼ନ୍ତି ବୋବାଳି ।
ଫୁତ୍କାରିଣ ଅଡ଼ାନ୍ତି ସେ ବାଛୁରୀଙ୍କୁ ଯାଇ
ଆଗ ବଳିଗଲେ ତହୁଁ ଧରନ୍ତି ଗୋଡ଼ାଇ ।
କା ହସ୍ତେ ଛନ୍ଦଣି କାହା ହସ୍ତରେ ଲଉଡ଼ି
କା ହସ୍ତରେ ପଘା କାର ହସ୍ତେ କେନ୍ଦୁବାଡ଼ି ।
କାଇଞ୍ଚମାଳା ଲମ୍ୱାଇଅଛି କେ କଣ୍ଠରେ
ମୟୂରପକ୍ଷୀ ଖୋସିଛି କେବା ମସ୍ତକରେ ।
କଦମ୍ୱ ପୁଷ୍ପ ଶୋହଇ ମସ୍ତକେ କାହାର
ଡାକହାକ ଶବଦରେ କମ୍ପେ ତିନିପୁର ।
ଗନ୍ଧର୍ବ ସମାନ ଦେଖାଯାନ୍ତି ଗୋପବାଳେ
କୃଷ୍ଣଙ୍କ ହେତୁରୁ ମନେ ଭୟ ନାହିଁ ତିଳେ ।
ନାନାବିଧ ଖେଳ ଆଉ କଉତୁକ ରସେ
ମଜ୍ଜିଲେ ଗୋପାଳପୁଏ ହାସ ପରିହାସେ ।
ବୁଲି ବୁଲି ବନ ବିଲ ପରବତମାନ
ବାଛୁରୀ ଚରାନ୍ତି ସୁଖେ କରି ଗୀତଗାନ ।
ଅନୁକ୍ଷଣ ପୀତବାସ ଥାଆନ୍ତି ସଙ୍ଗତେ
ବାଛୁରୀ ଚରାନ୍ତି ମଧ୍ୟ ପ୍ରଭୁ ସେହିମତେ ।
ଆଷାଢ଼ମାସ ଶୁକଳାଷ୍ଟମୀ ଅର୍କବାର
ମଗା ନକ୍ଷତ୍ର ଯେ ଶୁଭ ଅଟେ ସେ ଦିନର ।
ବିଷ୍ଟିନାମରେ କରଣ ଅତିଗଣ୍ଡ ଯୋଗ
ମିଥୁନ ସଂକ୍ରାନ୍ତି ଏକାଦଶ ଦିନ ଭୋଗ ।
ଏସନ ସମୟ ପୁଣ ପାଞ୍ଚଘଡ଼ି ବେଳ
ଖେଳରସେ ପ୍ରବେଶିଲେ ଗୋମତର ତଳ ।
ଗୋମାତା ରଚିଅଛଇ ଗୋଧିକା ଯେ ଘାଟ
କାଳିନ୍ଦୀ ନଦୀକି ବୋଲି ଫିଟିଅଛି ବାଟ ।
ସଙ୍ଗରେ ଗୋଡ଼ାଇଛନ୍ତି ଗୋପଶିଶୁଗଣ
ସେ ସ୍ଥାନରେ ପ୍ରବେଶିଲେ ଦେବ ଜନାର୍ଦ୍ଦନ ।
ତହୁଁ ପୁଣ ଥୋକାଏକ ଧାମନ୍ତେ ଧସାଇ
କେହି କେହି ବୋଲନ୍ତି ଯେ କୃଷ୍ଣଙ୍କୁ ଅନାଇଁ ।
ଭୋ ଦେବ ସାବଧାନେ ହେ ଶୁଣ ବନମାଳି
ମାଏ ଜାଣିଲେ ଆମ୍ଭଙ୍କୁ ନିଶ୍ଚେ ଦେବେ ଗାଳି ।
ପ୍ରମାଦ ଭୂମି ଯେ ଏଥେଁ ଜନଜନ୍ତୁ ନାହିଁ
ଏହିଠାରୁ ବତ୍ସାମାନ ନେବା ଲେଉଟାଇ ।
ଅଗମ୍ୟ କନ୍ଦର ବନ ଲତାରେ ଆଚ୍ଛନ୍ନ
ସିଂହ ବ୍ୟାଘ୍ର ହସ୍ତୀ ଭାଲୁକାମାନଙ୍କର ସ୍ଥାନ ।
ହିଂସ୍ରଜନ୍ତୁମାନେ ଏଥେଁ ପୂର୍ବରୁ ଅଛନ୍ତି
ମନୁଷ୍ୟ ଦେଖିଲେ ସେହୁ ଗୋଡ଼ାଇ ଖାଆନ୍ତି ।
ଏ ଅଟେ କାଳିନ୍ଦୀନଦୀ ବିଷମୟ ଜଳ
କାଳୀୟ ରହିଛି ଏଥେଁ ଘେନି ଦଳବଳ ।
କଦ୍ରୂର ନନ୍ଦନ ସେ ତ ବାସୁକିର ଭାଇ
ନ ପାରନ୍ତି ୟାର ବିଷ ସୁର ମୁନି ସହି ।
ପାଞ୍ଚ ଯୋଜନ ଦୀର୍ଘ ଯେ କୋଶେକ ଓସାର
ଏମନ୍ତ ପଦ୍ମବନରେ ଥାଏ ନିରନ୍ତର ।
ଯୋଜନ ପର୍ଯ୍ୟନ୍ତ ବିଷଜ୍ଜ୍ୱାଳା ତା ବ୍ୟାପଇ
ମହା ମହା ବୃକ୍ଷସବୁ ଯାନ୍ତି ଭସ୍ମ ହୋଇ ।
ଆକାଶରେ ପକ୍ଷୀମାନେ ଉଡ଼ି ନ ପାରନ୍ତି
ଦେବତା ହୋଇଲେ ମଧ୍ୟ ତା ନାମେ ଡରନ୍ତି ।
ତେଣୁ ଭରସି କରି କେ ନ ଚାଲନ୍ତି ବାଟ
ଗଲେ ନିଶ୍ଚୟ ପଡ଼ିବ ବିଷମ ସଙ୍କଟ ।
ଅଖାଦ୍ୟ ହୋଇଲା ତେଣୁ ଏଡ଼େ ପୁଣ୍ୟଜଳ
କାଳୀୟ ନାଗ ନିରତେ ଛାଡ଼ଇ ଗରଳ ।
ଶୁଣିଣ ଗୋପପୁଅଙ୍କ ମୁଖରୁ ଏସନ
ଅଳପ ଅଳପ ହସି ପ୍ରଭୁ ଭଗବାନ ।
ବୋଇଲେ କେଉଁଠି ଅଛି ସେ କାଳୀୟ ନାଗ
ଅତିବେଗେ ଦେଖାଇଣ ଦିଅ ମୋତେ ଆଗ ।
ପୋଏ ବୋଇଲେ ଆମ୍ଭେ ଯେ ସଙ୍ଗତରେ ଯିବୁ
କିପରି କାଳୀୟ ନାଗ ତାହାକୁ ଦେଖିବୁ ।
ଶ୍ରୀକୃଷ୍ଣ ବୋଇଲେ ପଛେ ପଛେ ମୋର ଆସ
ୟା କହି ବେଗେ ଧାଇଁଲେ ଜଗତ ନିବାସ ।
କାଳନ୍ଦୀର ନିକଟରେ ପ୍ରବେଶିଲେ ଯାଇ
ଦେଖି ବାଳକେ ବୋଲନ୍ତି ମନେ ଭୟ ପାଇ ।
ଆହେ କୃଷ୍ଣ ସେହିଠାରୁ ଲେଉଟିଣ ଆସ
ଜଗଜ୍ଜନ ମୋହନ ତୁ ଅଟୁ ପୀତବାସ ।
ଅନାଥବାନ୍ଧବ ନାଥ ଏକଇର ବଳା
ଅତି ଅଗୋଚର କାଳୀୟର ବିଷଜ୍ଜ୍ୱଳା ।
ସାହାସ କରିଣ ଏଥେ ଆସିଲୁ ଯେ ଧାଇଁ
ଆମ୍ଭର ପାଟି ଶୁଣିଣ ନ ପୁଣ ଆସଇ ।
ବହନ ଚାଲ ଏଠାରୁ ଯିବା ହୋ ପଳାଇ
ନିମିଷେ କୋଟି ବ୍ରହ୍ମାଣ୍ଡେ ଘୋଟିପାରେ ସେହି ।
କର୍କୋଟକ ମହାପଦ୍ମ ଶଙ୍ଖ କାଳାନଳ
କୁଣ୍ଡଳୀ କପାଳ କଣ୍ଠନାଦ କଣ୍ଠବଳ ।
କପିଳାନ୍ତକ କଳ୍ପାନ୍ତ ନାଗ ଆଦି କରି
ଏକାଦଶ ସର୍ପେ ଥାନ୍ତି କାଳୀୟ ଆବୋରି ।
ଏକେ ଏକେ ବ୍ରହ୍ମାଣ୍ଡକୁ ପାରନ୍ତି ସେ ଦହି
କାଳୀୟ ସଙ୍ଗେ ଥାଆନ୍ତି ଅନେକା ଯେ ଅହି ।
ଏ କାଳୀୟ ନାଗ ପୂର୍ବେ ବୈକୁଣ୍ଠରେ ଥିଲା
ଗରୁଡ଼ ଭୟରେ ତହିଁ ରହି ନ ପାରିଲା ।
ପୂର୍ବ ଶାପରୁ ଗରୁଡ଼ ଏଠାକୁ ନ ଆସେ
କାଳିନ୍ଦୀରେ ରହିଅଛି ନିଶ୍ଚିନ୍ତେ ତେଣୁ ସେ ।
ତୋତେ ଆମ୍ଭର ଶପଥ ଫେର ଗୋପୀନାଥ
ଜୀବନେ କି ରହିବେ ୟା ଶୁଣି ତାତ ମାତ ।
ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ନ ହୁଅ କାତର
ଦେଖିବା କାଳୀୟର ତ କେତେକ ଚାତର ।
ଏଡ଼େ ପବିତ୍ର ଭୂମିକି କଲା ଅପବିତ୍ର
ତାର ଭୟେ ଲୋକମାନେ ନ ଚାଲନ୍ତି ପଥ ।
ନିଶ୍ଚୟ କହୁଛି ତାର ନାଶିବି ଗରବ
କାଳ କାଳକୁ ଏ କଥା ଗୋଟା ରହିଥିବ ।
ନୋହିଲେ ତାହାକୁ ଜଳୁଁ ଦେବି ଘଉଡ଼ାଇ
ଏଡ଼େ ପାପିଷ୍ଠ ଜନ୍ତୁ ଏ ଥିବ କାହିଁପାଇଁ ।
ଏଡ଼େ ପ୍ରମାଦ ଏଠାରେ ଆଉ ଯେ ନ ଥାଉ
କୁଟୁମ୍ୱଙ୍କୁ ଘେନି ଏଥୁ ବେଗେ ସେ ପଳାଉ ।
ନୋହିଲେ ସବୁରି ଆଜ କରିବଇଁ ନାଶ
ଶ୍ରୀମୁଖେ ଏମନ୍ତ ଆଜ୍ଞା ଦ୍ୟନ୍ତେ ହୃଷୀକେଶ ।
ଶୁଣିକରି ଗୋପପୁଏ ମଣିଲେ ତା ଟାହି
ବୋଇଲେ ବାଳୁତ ଅଟେ ନିଶ୍ଚୟ କହ୍ନାଇ ।
ଚାଲ ଏଥୁଁ ବହନ ହୋ ଯିବା ଆମ୍ଭେ ଭଲେ
ସମସ୍ତେ ବିନାଶ ହେବା ନାମ ୟା ଜାଣିଲେ ।
ବଳଦେବ ଆଦିକରି ସଙ୍ଗରେ କେ ନାହିଁ
କେବଣ ଦଇବ ଏଥେ ଆଣିଲା କଢ଼ାଇ ।
କିସ କରିବୁ ଆମ୍ଭେ ହୋ କହ ଦେବରାୟେ
ତୋ ଯୋଗୁଁ ଅଇଲୁ ସିନା ଏତେ ଦୂରଯାଏ ।
ଶ୍ରୀକୃଷ୍ଣ ବଇଲେ ତୁମ୍ଭେ ଅଧଇର୍ଯ୍ୟ ନୁହ
କାଳୀୟ ଦର୍ପ ଦଳିବି ସର୍ବେ ଦେଖୁଥାଅ ।
କେବଣଠାରେ ରହିଛି ସେ କାଳିଅ ଅହି
ବୃକ୍ଷରେ ଉଠିଣ ସ୍ଥିର କରେ ମୁହିଁ ଯାଇ ।
ତୁମ୍ଭେମାନେ ତଳେ ଥାଅ ନିଶ୍ଚିନ୍ତ ଭାବରେ
ଠିଆ ହୋଇଥିବ ଭୟ ନ କରି ମନରେ ।
ଏତେ ବୋଲି ସଜବାଜ ହୋଇ ଦେବରାୟେ
ବୃକ୍ଷ ଉପରେ ଉଠିଲେ ଚାହିଁଛନ୍ତି ପୋଏ ।
ସେ କଦମ୍ୱତରୁ ଗୋଟି ଅତ୍ୟନ୍ତ ସୁସଞ୍ଚ
କୃଷ୍ଣଙ୍କ ଆଜ୍ଞାରେ ବୃକ୍ଷ ହୋଇଗଲା ଉଚ୍ଚ ।
ନୂତନ ପତ୍ର ପୁଷ୍ପରେ ଦିଶେ ମନୋହର
ଆଗରୁ ରୋପିଛି ତାକୁ ଆଣି ବେଦବର ।
ଶୁଣ ହୋ ପରୀକ୍ଷ ରାଜା କହେ ଶୁକବ୍ରହ୍ମା
କହନ୍ତେ ନ ସରଇ ସେ କଦମ୍ୱ ମହିମା ।
ତହିଁ ଉପରେ ଉଠିଲେ ପ୍ରଭୁ ଦେବରାୟେ
ତଳେ ଥାଇଣ ଦେଖନ୍ତି ସର୍ବ ଗୋପପୋଏ ।
ଅଶେଷ କୋଟି ବ୍ରହ୍ମାଣ୍ଡେ ଯାର ଅଧିକାର
ତାହାଙ୍କୁ କାଳିଆ ନାଗ କେତେକ ମାତର ।
ମନ କଲେ ଯେଉଁ ପ୍ରଭୁ ସୃଷ୍ଟି ନାଶିପାରେ
ପୁଣି ସରଜି ପାରଇ କ୍ଷଣକ ମଧ୍ୟରେ ।
ତାହାଙ୍କୁ ଅଛପାହୋଇ ଅଛି କେଉଁକଥା
ସଚରାଚର ବ୍ରହ୍ମାଣ୍ଡେ ଯେ ପ୍ରଭୁ କରତା ।
କଦମ୍ୱ ତରୁ ଡାଳରେ ବସନ୍ତେ ଶ୍ରୀହରି
ଚାହୁଁ ଚାହୁଁ ବଢ଼ିଗଲା ଶାଖାକୁ ବିସ୍ତାରି ।
ବରଷାକାଳେ ଆଚ୍ଛାଦେ ଯେହ୍ନେ ମେଘମାଳ
ତେସନ ପ୍ରାୟେ ବଢ଼ିଲା କଦମ୍ୱର ଡାଳ ।
ଦେଖିକରି ନାଗମାନେ ଚାହାନ୍ତି ତରାଟି
ଦେଖିଲେ ଡାଳେ ବସିଛି ଶିଶୁପୁଅ ଗୋଟି ।
ନିର୍ମଳ ଇନ୍ଦୁ ପରାୟେ ବିରାଜଇ ତନୁ
ନିର୍ମଳ ଗଗନେ ଯେହ୍ନେ ଶୋହେ ଇନ୍ଦ୍ରଧନୁ ।
ଅପୂର୍ବ ପରାୟେ ମଣି ଚାହାନ୍ତି ସେ ନାଗେ
ନିଶ୍ଚିନ୍ତରେ ବସିଛନ୍ତି ପ୍ରଭୁ ତରୁଭାଗେ ।
ତାହାଙ୍କୁ ଦେଖିଣ ଦେବ ହୋଇଲେ ଉଷତ
ଡାଳେକ ଭାଙ୍ଗିଣ ତହୁଁ ପ୍ରଭୁ ଯଦୁନାଥ ।
ପଦ୍ମବନ ଉପରକୁ ପଡ଼ିଲେକ ଡେଇଁ
ବିକ୍ରମ କେଶରୀ ଶୂନ୍ୟୁ ଖସି କି ପଡ଼ଇ ।
ପାଦ ଲାଗନ୍ତେ ଦଳିତ ହେଲା ପଦ୍ମବନ
ସୁବାସ ଚହଟି ଉଠେ ତହୁଁ ଘନ ଘନ ।
ବିହରନ୍ତେ ପଦ୍ମବନେ ଦେବ ହୃଷୀକେଶି
ସସ୍ରେପୁର କରି ନାଗେ ବେଢ଼ିଗଲେ ଆସି ।
ଶ୍ରୀହସ୍ତେ କଦମ୍ୱ ଡାଳ ଘେନି ଯଦୁସାଇଁ
ଅଚିନ୍ତଭାବରେ ତହିଁ ଛନ୍ତି ଉଭାହୋଇ ।
ଫୁଫୁକାର ଧ୍ୱନି କରି ଗରଜନ୍ତି ସର୍ପେ
ଖର ନିଃଶ୍ୱାସ ତେଜନ୍ତି ଅତିଶୟ ଦର୍ପେ ।
ପ୍ରଳୟ ପରାୟେ ସର୍ବେ ଛାଡ଼ନ୍ତି ଗର୍ଜନ
ଲହ ଲହ ଜିହ୍ୱା କରି ଟେକି ଫଣାମାନ ।
କାହାର ମୁଖ ବାଟରୁ ଧୂମ୍ର ବାହାରଇ
ବିଜୁଳି ପରାୟେ କେହି ମୁଖକୁ ହଲାଇ ।
ଶଙ୍ଖ ଗୋକ୍ଷୀର କାଳିଆ ଧଳା ରଙ୍ଗ ଜାତି
ନାନବର୍ଣ୍ଣେ ନାଗମାନେ ଶୋଭାପାଉଛନ୍ତି ।
କୋଶେ ଯୋଜନ ଅଟଇ ନାଗଙ୍କର କାୟେ
ବିଶ୍ୱରୂପ ଧରି ଦେଖାଯାନ୍ତି ଗିରିପ୍ରାୟେ ।
ରଟମଟ ଦନ୍ତପନ୍ତି ବିକ୍ରମ ମୂରତି
ଚକ୍ର ପରାୟେ ନୟନମାନଙ୍କୁ ବୁଲାନ୍ତି ।
ଲକ୍ଷେ କୋଟିଏ ସରପ ମିଳି ଅକଳନା
ପଦ୍ମବନକୁ ଭାଙ୍ଗିଣ କଲେ ସବୁ ଚୂନା ।
ପାତାଳଭେଦି ଯହିଁରୁ ବାହାରୁଛି ଜଳ
କ୍ଷୀର ପରାୟେ ଅଟଇ ସେ ଅତି ନିର୍ମଳ ।
ବିଷଜ୍ୱଳାରେ ସେ ସବୁ ହେଲା କୃଷ୍ଣବର୍ଣ୍ଣ
ଗରଳ ତେଜନ୍ତି ଅନୁକ୍ଷଣେ ସର୍ପଗଣ ।
ମହାପ୍ରଳୟରେ ଯେହ୍ନେ ଗରଜନ୍ତି ମେଘେ
ସର୍ପଙ୍କର ଫୁଫୁକାର ଶବଦ ସେ ବାଗେ ।
ହେଳେଣ କମ୍ପି ଉଠଇ ସ୍ୱର୍ଗଆଦି ମଞ୍ଚ
ନିଶ୍ଚିନ୍ତରେ ରହିଛନ୍ତି ପ୍ରଭୁ ଶିରୀବତ୍ସ ।
ଏମନ୍ତ ରୀତି ତାଙ୍କର ଦେଖି ବନମାଳୀ
କଦମ୍ୱ ଡାଳ ବୁଲାଇ ଧାମନ୍ତି କୁରୁଳି ।
ହୁଂକାର ଶବଦ କରି ଦେବ ରୋଷଭରେ
ଧାତିକାରେ ପିଟିଲେକ ସର୍ପଙ୍କ ଉପରେ ।
ବାମ ଡାହାଣେ ବୁଲାଇ ସେ ଡାଳକୁ ପିଟି
ମରି ପଡ଼ିଗଲେ ସର୍ପ ତହିଁ କୋଟି କୋଟି ।
କାହାକୁ ଚାପୋଡ଼େ ମାରି କାହାକୁ ବା ନାତେ
କାହାକୁ ବଜ୍ର ବିଧାଏ ମାରନ୍ତି ନିର୍ଘାତେ ।
ପଦ୍ମନାଡ଼େକ ଘେନିଣ କାହା ପରେ ପିଟି
କୋଟି କୋଟି ହୋଇ ସର୍ପ ମରନ୍ତି ଲେଉଟି ।
କେତେ ତହୁଁ ପଳାଇଲେ ଜୀବନ ବିକଳେ
କାଳୀୟ ଆଗେ ଗୁହାରି କରନ୍ତି ଆକୁଳେ ।
ସାବଧାନେ ହୋଇ ତୁମ୍ଭେ ଶୁଣ ନାଗପତି
ଅଖଡ଼ରେ ନାଶଗଲା ତୁମ୍ଭର ସମ୍ପତ୍ତି ।
ବାଳକପୁତ୍ର କାହୁଁ ଯେ ଅଇଲା ସରାଗେ
କାଳିନ୍ଦୀନଦୀ କୂଳରେ ପହଞ୍ଚିଲା ବେଗେ ।
କରେ କଦମ୍ୱ ଡାଳେକ ଧରିଣ ଧାଇଁଲା
ପାଦରେ ପଦ୍ମବନକୁ ଦଳି ପକାଇଲା ।
ସହସ୍ରେ ପୁର କରିଣ ବେଢ଼ିଲୁ ତା ଦେଖି
ଆମ୍ଭଙ୍କୁ ଦେଖି ବାଳକ ନ ଗଲା ଉପେକ୍ଷି ।
ଏକା ହନୁମନ୍ତ ଯେହ୍ନେ ଲଙ୍କା କଲା ଜୟ
ସେହି ରୂପେ ନାଗଙ୍କୁ ସେ କରିଦେଲା କ୍ଷୟ ।
ଏକାକେ ଛଡ଼ା ତାହାର ସଙ୍ଗେ କେହି ନାହିଁ
ପାରିଲେ ନାଗକୁଳକୁ ରକ୍ଷା କର ଯାଇ ।
ପର୍ବତ ପରାୟେ ନାଗ ମଲେ କୋଟି କୋଟି
ବିଚାରିଲେ ନିର୍ମୂଳ ସେ କରିପାରେ ସୃଷ୍ଟି ।
ଏକା ବାଳୁତପୁଅ ସେ ଏଡ଼େ କର୍ମ କଲା
ଶୁଣିଣ କାଳୀୟନାଗ ସ୍ତମ୍ଭୀଭୂତ ହେଲା ।
ଏମନ୍ତ ସମୟେ ଆସି ଅନ୍ୟ ନାଗେ କହି
ଭୋ ଦେବ ଶୁଣିମା ହେଉ ଆମ୍ଭେ ବାକ୍ୟ ତୁହି ।
କାହୁଁ ଗୋଟାଏ ମାନବ ପଦ୍ମବନେ ପଶି
ଏକାଳେ ନାଗବଳଙ୍କୁ ପକାଇଲା ଧ୍ୱଂସି ।
ଏବେ ପାରିଲେ ଭୋ ସ୍ୱାମୀ ଯାଇ ରକ୍ଷା କର
ନୋହିଲେ ଯାହା କର୍ତ୍ତବ୍ୟ କର ତା ବିଚାର ।
ଶୁଣିଣ କାଳୀୟ ହେଲା କୋପାନଳ ମୂର୍ତ୍ତି
ନିର୍ଧୂମ ଅନଳ ପ୍ରାୟେ ବିକାଶିଲା ଜ୍ୟୋତି ।
ଆକାଶ ମଣ୍ଡଳେ ଫଣା ଲାଗିଲାକ ଯାଇ
ଏକାବେଳେ ଗର୍ଭପାତ କରିବ କି ମହୀ ।
ମେଘ ଗରଜନ ପ୍ରାୟେ କରେ ଗରଜନ
ଦେଖିକରି ଦେବଗଣେ ଭୟେ ଛନ୍ନଛନ୍ନ ।
ପ୍ରଚଣ୍ଡ ଅନଳ ପ୍ରାୟେ ନୟନର ଜ୍ୟୋତି
ନିଃଶ୍ୱାସ ତେଜଇ ଯେହ୍ନେ ଅଣଚାଶ ମୂର୍ତ୍ତି ।
ଗରଜନ ଶବ୍ଦେ କମ୍ପି ଉଠେ ତିନିପୁର
ମୁଖ ବିସ୍ତାରି ଧାମଇ କରି ଫୁଫୁକାର ।
ମହୀ ପ୍ରଳୟ ହୋଇବ କିବା ଅକସ୍ମାତେ
ଭାଙ୍ଗି ପଡ଼ୁଛନ୍ତି ମେରୁ ମନ୍ଦର ସହିତେ ।
ସ୍ୱର୍ଗେ ଏକଫାଳ ପାଟି ମଞ୍ଚେ ଏକଫାଳ
ଧାମଇ ସେ ଗଳଗାଜି ହୋଇ କୋପନଳ ।
ଭୟଙ୍କର ମୁଖ ତାର ବିକଟ ଦଶନ
ଯୋଜନ ପର୍ଯ୍ୟନ୍ତ ବିଷ କରେ ବରଷଣ ।
ଶ୍ରାବଣ ବରଷା ଯେହ୍ନେ ବର୍ଷେ ଗଳଗାଜି
ତେସନେ କାଳୀୟ ମୁଖୁଁ ଗରଳ ଉପୁଜି ।
ଜୁଳୁଜୁଶା ପୋକ ପ୍ରାୟେ ଦିଶେ ତେଜଶ୍ରେଣୀ
ଆକାଶେ ଦେଖା ନ ଗଲେ ଭୟେ ଦିନମଣି ।
ଗୋପପୁଏ ଦେଖିଲେ ତା ଦୂରେ ରହିକରି
ବରଡ଼ା ପତର ପ୍ରାୟେ ଦେହ ଉଠେ ଥରି ।
ଭୟଙ୍କର ରୂପ ଦେଖି ରହି ନ ପାରିଲେ
ପ୍ରାଣର ବିକଳେ ତହୁଁ ସର୍ବେ ପଳାଇଲେ ।
ଆତଙ୍କରେ ପୁଅମାନେ ପଳାନ୍ତି ଯେ ଉଠି
ପଛକୁ ଚାହୁଁ ଅଛନ୍ତି ଭୟରେ ଲେଉଟି ।
କେଶବାସ ଅସମ୍ଭାଳେ ପ୍ରବେଶିଲେ ପୁରେ
କହିଲେ ସେ କଥା ନନ୍ଦ ଯଶୋଦା ଆଗରେ ।
ଭୋ ନାଥ ସାବଧାନେ ତୁ ଶୁଣ ବ୍ରଜନାହା
ପ୍ରତ୍ୟକ୍ଷ ବାରତା ଶୁଣ ଦେଖିଲୁଟି ଯାହା ।
ସମସ୍ତେ ଗୋପାଳପୁଏ ବତ୍ସା ରଖିଥିଲୁ
କଦମ୍ୱ ତରୁତଳରେ ଯାଇ ପ୍ରବେଶିଲୁ ।
ଗୋମତ ପର୍ବତ ତଳେ ଗୋଧିକା ଯେ ଘାଟ
କାଳିନ୍ଦୀ ନଦୀକୁ ତହିଁ ଫିଟିଅଛି ବାଟ ।
ଗେଲ ଗେଲ ହୋଇ ତହୁଁ ଖଣ୍ଡେଦୂର ଗଲୁ
କାଳିନ୍ଦୀନଦୀ ନିକଟେ ପ୍ରବେଶ ହୋଇଲୁ ।
କୃଷ୍ଣଙ୍କୁ ସକଳ କଥା କହିଲୁ ବୁଝାଇ
କାଳୀୟନାଗ ଏଠାରେ ପୂର୍ବୁରୁ ଅଛଇ ।
ଆସ ଆସ ଫେରିଯିବା ଆହେ ବନମାଳୀ
ଶୁଣିଲେ ଯେ ପିତାମାତା ଦେବେ ବହୁଗାଳି ।
ଆମ୍ଭର ବଚନ ସେହୁ ତିଳେ ନ ମାନିଲା
ଆମ୍ଭଙ୍କୁ ତିଆରି ସେହିଠାକୁ ଘେନିଗଲା ।
ବୋଇଲା ତୁମ୍ଭେ ଏଠାରେ ଥାଅ ନିର୍ଭୟରେ
ଏତେ କହି ଚଢ଼ିଗଲା କଦମ୍ୱ ବୃକ୍ଷରେ ।
ହସ୍ତରେ ଡାଳେକ ଘେନି ଜଳେ ଡେଇଁପଡ଼ି
ଦେଖିକରି ନାଗଗଣେ ଅଇଲେ ଦଉଡ଼ି ।
ସହସ୍ରେପୁର କରିଣ କୃଷ୍ଣଙ୍କୁ ବେଢ଼ିଲେ
କୃଷ୍ଣ ତାହାଙ୍କୁ କ୍ଷଣକେ ବିନାଶ କରିଲେ ।
କେତେକ ତହୁଁ ଉବୁରି ପକାଇଲେ ଡରେ
ବାରତା କହିଲେ ଯାଇ କାଳୀୟ ଆଗରେ ।
କୋପରେ କାଳୀୟ ନାଗ ଉଠିଲା ପ୍ରଜ୍ଜ୍ୱଳି
ଚତୁର୍ଦ୍ଦଶ ବ୍ରହ୍ମାଣ୍ଡକୁ ଦେବ କିବା ଗିଳି ।
ସୂର୍ଯ୍ୟମଣ୍ଡଳର ପ୍ରାୟେ ବିକାଶିଲା ଜ୍ୟୋତି
ମହାବିଶ୍ୱରୂପେ ଧାଏଁ ହୋଇ କୋପମୂର୍ତ୍ତି ।
ଚଉଦାଢ଼େ ବିଷ ତାର ଅଟେ ମହାବଳୀ
କୃଷ୍ଣ ସମୀପରେ ଯହୁଁ ଆସିଗଲା ମିଳି ।
ପ୍ରାଣ ବିକଳରେ ଆମ୍ଭେ ଅଇଲୁ ପଳାଇ
ତାହାର ନିକଟେ କେହି ଜଣେ ମାତ୍ର ନାହିଁ ।
ପ୍ରତ୍ୟକ୍ଷେ ଦେଖି ଅଇଲୁ ନାହିଁ ମିଥ୍ୟା ଏଥେ
ତାହା ମୁଖରୁ ଶ୍ରୀକୃଷ୍ଣ ବର୍ତ୍ତିବ କି ସତେ ।
ପୁଅଙ୍କ ବଦନୁ ନନ୍ଦ ଏ ବଚନ ଶୁଣି
ଢଳିପଡ଼େ ମୂର୍ଚ୍ଛାଗତ ହୋଇଣ ଧରଣୀ ।
ଆହା ଆହା ପୁତ୍ର ବୋଲି ଭୂତଳରେ ଗଡ଼େ
ବେନି ନୟନରୁ ତାର ଲୁହ ବହିପଡ଼େ ।
ଗୋବିନ୍ଦଙ୍କ ରୂପ ଗୁଣ ବାହୁନେ ବସିଣ
କ୍ରୋଟ ଅନଳ ପରାୟେ ଦହେ ପଞ୍ଚମନ ।
କେବଣ ଦେବତା ମୋତେ ଏତେ କୃତ୍ୟ କଲା
ଅଗାଧ ସମୁଦ୍ରେ ମୋର ଭେଳା ବୁଡ଼ାଇଲା ।
ବୃଦ୍ଧାକାଳେ ବେନିପୁତ୍ର ପାଇଥିଲି ଭାଗ୍ୟେ
ଅଖଡ଼ରେ ହରାଇଲି କର୍ମର ଅଯୋଗେ ।
କାହାର ଆଗେ କହିବି ହୃଦର ବେଦନା
ଭୋ ଧର୍ମଦେବତା ମୋତେ ଉଦ୍ଧରୁ ତୁ କିନା ।
ଯାବତ ସୁଖ ମୋହର ରାମକୃଷ୍ଣ ଥିଲେ
ରାମ କୃଷ୍ଣ ଅଭାବରେ ବଞ୍ଚିବି କି ଭଲେ ।
ଏମନ୍ତ ବୋଲିଣ ନନ୍ଦ ହୁଅଇ କୁହାଟି
ମୂର୍ଦ୍ଧନା ମୋର ଏକ୍ଷଣି ଯାଉ ପଛେ ଫାଟି ।
ଧନ ଜନ ସମ୍ପଦରେ ନାହିଁ ପ୍ରୟୋଜନ
ଧିକ ଧିକ ନ ଯାଏ ଯାଏ ନିର୍ଲ୍ଲଜ ପ୍ରାଣ ।
କି କରିବି ଚତୁର୍ଦ୍ଦିଗ ଅନ୍ଧାର ଦିଶଇ
ଭୋ ଧର୍ମଦେବତା ପୁତ୍ରେ କର ବାରେ ତ୍ରାହି ।
ଆରେ ଆରେ କହ୍ନାଇଁ ତୁ କାହିଁପାଇଁ ଗଲୁ
ଅଖଡ଼ରେ ପଡ଼ି ଏବେ ବୁଦ୍ଧି ହରାଇଲୁ ।
ଆରେ ବାପଧନ ତୋତେ ରଖନ୍ତୁ ଶ୍ରୀହରି
ତ୍ରାହି କରନ୍ତୁ ବିପଦୁଁ ତୋତେ ଦିଗମ୍ୱରୀ ।
ଏମନ୍ତ ବୋଲିଣ ବସି ଗୁଣ ବାହୁନଇ
ମସ୍ତକରେ ବେନି କର ଦେଇଣ ତାଡ଼ଇ ।
ଯଶୋଦା ବିକଳ ମୁଖେ କେହୁ କହିପାରେ
କେଶ ବାସ ଅସମ୍ଭାଳ ଲୋଟଇ ମହୀରେ ।
ଆହା ବାବୁ କହ୍ନାଇରେ ମୋ ନେତ୍ରପିତୁଳା
ଜାଣୁ ଜାଣୁ କେଉଁପରି କାଟିଲୁ ତୁ ଗଳା ।
ଦୁଃଖୀଧନ ଗୁଣମଣି ମୋ କଳାମାଣିକ
ଆଜିଠାରୁ ବୁଡ଼ାଇଲୁ ମୋ ସଂସାର ସୁଖ ।
କିଏ ଆଉ ମାଆ ମାଆ ବୋଲି ଡାକଦେବ
କିଏ ମୋ ପଣନ୍ତ ଧରି ଅଳି ବା କରିବ ।
ଦୁଧ ଲବଣୀ କିଏ ସେ ଖାଇବରେ ଆଉ
ଅଗାଧ ସିନ୍ଧୁରେ ଭେଳା ବୁଡ଼ାଇଲା କେହୁ ।
ବୁଢ଼ାକାଳେ ପାଇଥିଲି ତୋତେ ଆରେ ଧନ
କେମନ୍ତେ ମୂରୁଛି ଦେଉ ମୋତେରେ ନନ୍ଦନ ।
କାହାର ବା କେଉଁ ଦୋଷ କରିଥିଲି ପୂର୍ବେ
ହରାଇ ବସିଲି ଅସମୟେ ତୋତେ ଏବେ ।
ଧିକ ଧିକ ଏ ଜୀବନେ ନାହିଁ ପ୍ରୟୋଜନ
ଗରଳ ଖାଇ ମୁଁ ତ୍ୟାଗ କରିବି ଜୀବନ ।
ରାଜ୍ୟ ବାଡ଼ି ଧନ ଆଦି ପଛେ କେ ନିଅନ୍ତା
ଏହିକ୍ଷଣି ତୋତେ ଆଣି ମୋ ପାଶେ କେ ଦ୍ୟନ୍ତା ।
କେଉଁଠି ଅଛି ନନ୍ଦନ ନେଇଯାଅ ମୋତେ
ବାରେ ମାତ୍ର କୁମରକୁ ଦେଖିଥାଏଁ ନେତ୍ରେ ।
ଏ ନନ୍ଦବୁଢ଼ା କାହାର କେଉଁ ଦୋଷ କଲା
ତେଣୁକରି କୁମର ମୋ ବିପଦେ ପଡ଼ିଲା ।
ଏତେ କହି ଅଚେତନେ ପଡ଼ିଲା ଭୂତଳେ
ଚେତି ଶିରେ କର ତାଡ଼େ ହୃଦୟ ବ୍ୟାକୁଳେ ।
ଗୋପ ଗୋପାଳୁଣୀ ସର୍ବେ ବାହୁନନ୍ତି ବସି
ରାଧିକା ସହିତେ ଯେତେ ବାମା ଚାରୁହାସୀ ।
ବସୁନନ୍ଦ ସୁନନ୍ଦ ଯେ ଚନ୍ଦ୍ରସେଣା ସହ
ଗୁଣ ବାହୁନି କାନ୍ଦନ୍ତି ବହିଯାଏ ଲୁହ ।
ବଳଦେବ ବୋଇଲେକ ନନ୍ଦ ମୁଖ ଚାହିଁ
ଭୋ ପିତା ଏଡ଼େ ବ୍ୟାକୁଳେ କାନ୍ଦୁ କାହିଁପାଇଁ ।
ଗୁଣବନ୍ତ ପୁତ୍ର ତୋର ଅଟଇ ଶ୍ରୀବତ୍ସି
ସେହି ପୁତ୍ରକୁ ପ୍ରମାଦ କାହିଁ ଅବା ଅଛି ।
ବୃଥାରେ ଶୋକ କରୁଛ ବସି ତାତ ମାତ
ତା ପକ୍ଷେ କାଳୀୟନାଗ କେତେ ଅବା ମାତ୍ର ।
ଏବେ ଚାଲ ସମସ୍ତହିଁ ସେହିଠାକୁ ଯିବା
କେମନ୍ତେ ଅଛଇ କୃଷ୍ଣ ନୟନେ ଦେଖିବା ।
ଏହା ଶୁଣିଣ ଗୋପାଳ ସବୁ ସଜ ହେଲେ
ନନ୍ଦ ଉପନନ୍ଦ ବସୁନନ୍ଦ ଯେତେ ଥିଲେ ।
ବଳଦେବ ଆଦିକରି ମାତା ଯଶୋବନ୍ତୀ
ଭାଇ ବନ୍ଧୁ ଜ୍ଞାତି ମିତ୍ର ସମସ୍ତେ ଧାମନ୍ତି ।
ଗୋପପୁଅମାନ ପଥ କଢ଼ାନ୍ତି ଯେ ତହିଁ
ତାହାଙ୍କ ପଛରେ ସର୍ବେ ଅଛନ୍ତି ଗୋଡ଼ାଇ ।
ସତ୍ୱରେ ମିଳିଲେ ଯାଇ କାଳନ୍ଦୀର କୂଳେ
ଦେଖନ୍ତି ଭୁଜଙ୍ଗମାନେ ଭାସୁଥାନ୍ତି ଜଳେ ।
ଖଣ୍ଡଦୂରେ ଦେଖାଯାଏ କାଳୀୟର କାୟେ
ଫଣା ଲାଗିଅଛି ତାର ମଞ୍ଚୁ ସ୍ୱର୍ଗଯାଏ ।
ଆକାଶରେ ଏକ ପାଟି ମଞ୍ଚେ ଏକେ ପାଟି
ଗର୍ଜନେ ବ୍ରହ୍ମାଣ୍ଡ କିବା ପଡ଼ିବ ଲେଉଟି ।
ଝର ଝର ବଦନରୁ ବହଇ ଗରଳ
ଏକାବେଳେ ମହୀକୁ କି କରିବ କବଳ ।
ନାଗବଳମାନେ ଛନ୍ତି ଚଉପାସେ ବେଢ଼ି
ଫୁଫୁକାର ଶବଦରେ ଦ୍ୟନ୍ତି ଘୋରରଡ଼ି ।
ଦେଖିଣ ଶଙ୍କା କରିଲେ ସର୍ବଗୋପବୃନ୍ଦ
ଯମୁନା କୂଳେ ଯାଇଣ ଉଭାହେଲେ ନନ୍ଦ ।
କେହି କେହି ବୃକ୍ଷପରେ ଯାଇଣ ଚଢ଼ନ୍ତି
ଅପଲକେ କାଳୀୟକୁ ନିରେଖି ଚାହାନ୍ତି ।
ଜଳର ଭିତରେ ଶବ୍ଦ ଶୁଭଇ ଉଛୁଳି
ପ୍ରତିଜ୍ଞା କରି କୃଷ୍ଣଙ୍କୁ ଦିଏ ବହୁଗାଳି ।
କାଳୀୟ ବୋଲେ ବାଳକ ଏଡ଼େ ତୋ ଭରସା
ଶୋଇଥିବା ବ୍ୟାଘ୍ରକୁ କି ଖର ଦିଏ ଶଶା ।
ମୋର ମହିମା କି ତୋର କର୍ଣ୍ଣେ ଶୁଣା ନାହିଁ
ଅକାରଣେ ନାଗବଳ ମାଇଲୁ କିପାଇଁ ।
ଆରେରେ ଅଜ୍ଞାନ ତୋତେ କଲା କେହୁ ବାଇ
ନ ଜାଣି ମୋହର ହ୍ରଦେ ପଶିଲୁ ଝସାଇ ।
ଦେବ ଦାନବେ କରନ୍ତି ମୋତେ ଆରେ ଭୀତି
ଅବହେଳେ ଦହିପାରେ ଚରାଚର ପୃଥ୍ୱୀ ।
ମାନବ ହୋଇଣ ଆସି କଲୁ ଏଡ଼େ କର୍ମ
ତୋତେ ବିନାଶ କରିଲେ ନୋହିବ ଅଧର୍ମ ।
ବାଳକ ବଧ କରିଲେ ଯଶ କିଛି ନାହିଁ
ତଥାପି ମୋର ପରମ ବଇରୀରେ ତୁହି ।
ଛାର ବାଳୁତ ହଇଣ ଏଡ଼େକ ଗାରିମା
ବ୍ରହ୍ମା ରୁଦ୍ର ହେଲେ ଯାର ନ ଲଘଂନ୍ତି ସୀମା ।
ଏଡ଼େ ଅକୀର୍ତ୍ତି କରିଣ କି ଫଳ ପାଇଲୁ
ଏ କୋମଳ ଅଙ୍ଗ ଅକାରଣେ ହରାଇଲୁ ।
ମୋ ଲାଙ୍ଗୁଳ ଦନ୍ତ ଲାଗି ଗିରି ହୁଏ ପାଣି
ଚଉଦାଢ଼ ବିଷଦନ୍ତେ ଦଂଶିବି ଏକ୍ଷଣି ।
ନିଃଶ୍ୱାସ ଘାତେ ପାଉଁଶ କରିବି ତୋ ଦେହ
କେବଳ ସୁନ୍ଦର ରୂପ ଅଟଇ ତୋ କାୟ ।
ତେଣୁକରି ଆରେ ଶିଶୁ ନ ବଳଇ ଚିତ୍ତ
ସଉନ୍ଦର୍ଯ୍ୟ ରୂପ ଦେଖି ହୋଇ ବିମୋହିତ ।
କେତେକାଳ ବିହି ତୋତେ ଗଢ଼ିଥିଲା ବସି
ଅକଥନୀୟ ଅଟଇ ତୋର ରୂପରାଶି ।
ବାଇ ବାଳୁତ ଏ ବେନି ଅଟନ୍ତି ସେ ଏକ
ତେଣୁ ଦୋଷ ନ ଧରନ୍ତି ତାଙ୍କୁ ବିଜ୍ଞଲୋକ ।
ଏସନ ବଚନ ଯହୁଁ ବୋଇଲା କାଳିଆ
ଶୁଣ ଦର୍ହସିତ ହେଲେ କାଇଁଞ୍ଚମାଳିଆ ।
ପୁଣି କ୍ରୋଧଭରେ କହେ ସେ କାଳୀୟ ନାଗ
ଆରେ ରେ ବାଳକ ଦୋଷ କଲୁ ଜାଣି ଆଗ ।
ଆରେ ବାଳକ କାହାର ପାଇଛୁ ଭରସା
ଏହି ପୃଥିବୀ ମଧ୍ୟରୁ ତେଜ ଜୀବ ଆଶା ।
ଆରେ ରେ ବାଳକ ତୁହି ମରିବୁ ଏକ୍ଷଣି
ଆରେ ରେ ବାଳକ ତୋର ପିତା କେ ଜନନୀ ।
ଆରେ ରେ ବାଳକ ଚିହ୍ନି ନାହୁଁକିରେ ମୋତେ
ବାପ ମାଆ ଜାଣୁ ଜାଣୁ ଛାଡ଼ିଲେ କେମନ୍ତେ ।
ନିଶ୍ଚୟ ମରିବୁ ପୁତା ନ ଯିବୁରେ ବର୍ତ୍ତି
ସୁମର ସୁମର ଇଷ୍ଟଦେବ ତୋର ମତି ।
ଏମନ୍ତ ପ୍ରତିଜ୍ଞା ଯହୁଁ କରିଲା ଅପାର
ହସି ବୋଲନ୍ତି ତାହାକୁ ଦେବ ଚକ୍ରଧର ।
ମୁଁ ଯେଉଁ ବଚନ କହେ ଶୁଣ ରେ କାଳିଆ
ବ୍ରହ୍ମାଣ୍ଡେ କେ ଅବିବେକ ନାହିଁ ତୋ ଭଳିଆ ।
ନିଶ୍ଚୟ ଜାଣିଲି ତୁ ତ ହୋଇଲୁ ଯେ ବାଇ
ମିଞ୍ଜାସ ହୀନ କି ଅବା ଖାଇଛୁ ଗଞ୍ଜାଇ ।
ଏକେ ଗରଳଜ୍ୱଳାରେ ତୋ ଦେହ ଅସ୍ଥିର
ବୃଥାରେ ବଡ଼ିମା କିପାଁ କରୁ ବାରମ୍ୱାର ।
ଜାଣିଥା କାଳିଆ ଏହା ନିରାଧାର ବାଣୀ
ପବିତ୍ର ଅଟେ କାଳିନ୍ଦୀ ନଦୀରେ ଯେ ପାଣି ।
କୋଟି ମନୁ ବସି ବ୍ରହ୍ମା ଅଛି ଯା ସମ୍ପାଦି
ଅଗାଧ ଗଭୀର ଅଟେ ଏହି ମହାନଦୀ ।
ଗଣ୍ଡୁଷମାତ୍ର ଭକ୍ଷିଲେ ପାପ କ୍ଷୟ ଯାଏ
ଏଡ଼େ ବଡ଼ ପୁଣ୍ୟତୀର୍ଥ କଲୁ ବିଷମୟେ ।
ଏଥିରୁ ବହନ ତୁହି ବାହୁଡ଼ିଣ ଯା ଯା
ଲେଉଟି ଏ ଜଳ ପାଉ ପୂର୍ବରୂପେ ପୂଜା ।
ତୁ ଏବେ ଜାଣିନାହୁଁ କି ଏ କଥା ଅଦ୍ୟାପି
ଧର୍ମ ତୀର୍ଥ ଲଘିଂ ପ୍ରାଣୀ ହୋନ୍ତି ମହାପାପୀ ।
ଜାଣୁ ଜାଣୁ ଅନ୍ୟାୟ ତୁ କରୁ ଅବିଚାରେ
ମହାତୀର୍ଥ ନାଶି ଦୋଷୀ ହୋଇଲୁ ସଂସାରେ ।
ଜୀବନର ଆଶା ଥିଲେ ବାହାରିଣ ଯାସି
ଏହିରୂପେ ଆଜ୍ଞାଦ୍ୟନ୍ତେ ପ୍ରଭୁ ହୃଷିକେଶୀ ।
ଶୁଣିଣ କାଳୀୟ ନାଗ କୋପେ ଅନ୍ତରାଳ
ବୋଇଲା ଆରେ ବାଳକ ପୂରିଲା ତୋ କାଳ ।
ଲାବଣ୍ୟରୂପ ଦେଖି ମୁଁ କରୁଥିଲି ଦୟା
କାଳ ସମାପତ ହେଲା ଦଇବ ଦୋରେହା ।
ଲେଉଟି ନିନ୍ଦା ବଚନ ବୋଲୁଛି ତୁ ମୋତେ
ସ୍ୱର୍ଗ ମର୍ତ୍ତ୍ୟ ପାତାଳେ କେ ରଖୁ ଆଜ ତୋତେ ।
ଏକ ନିଃଶ୍ୱାସକେ ତୋତେ ଭସ୍ମ କରିଦେବି
ସକଳ ନାଗମାନଙ୍କ କଷ୍ଟ ପାସୋରିବି ।
ଶ୍ରୀକୃଷ୍ଣ ବୋଇଲେ ତୁ ନ ପାରୁ ମୋତେ ଦଂଶି
ଜୀବନର ଆଶା ଥିଲେ ବାହାରି ତୁ ଯାସି ।
ଅଖାଦ୍ୟ ହୋଇଲା ଏଡ଼େ ପୁଣ୍ୟଜଳ ଢାଳେ
କ୍ରୀଡ଼ା କିରବୁଁ ଏଥିରେ ଗୋପାଳଙ୍କ ମେଳେ ।
ସ୍ୱରୂପ କହିଲି ଏଥେ ନାହିଁ ମୋର ଦୋଷ
ନ ଗଲେ ଭଲେ ଜୀବନ ନାଶିବି ଅବଶ୍ୟ ।
ଶୁଣିଣ କାଳିଆ ନାଗ କଲା ଅତି ରୋଷ
ବୋଇଲା ମାନବ ତୋରା ଏଡ଼ିକି ସାହସ ।
ସମ୍ଭାଳ ବୋଲି ଉପରେ ପଡ଼ଇ ସେ ମାଡ଼ି
କାଳାନ୍ତକ କାଳେ ଯେହ୍ନେ କୃତାନ୍ତକ ଧାଡ଼ି ।
ଝରଝର ହୋଇ ତୁଣ୍ଡୁ ବହଇ ଗରଳ
ବୁଲାଏ ସେ ଲହଲହ ଜିହ୍ୱା ଅନ୍ତରାଳ ।
କୋପେ କୋପାନଳ ହୋଇ ଧାଏଁ ଅତି ରାଗେ
ଲାଙ୍ଗୁଡ଼ରେ କୃଷ୍ଣଙ୍କୁ ଯେ ଗୁଡ଼ାଇଲା ବେଗେ ।
ଗୋପାଳେ ଭାବିଲେ କୃଷ୍ଣ ଗଲା ଏବେ ନାଶ
କାଳସର୍ପ ବଦନରେ ଏଡ଼େକ ସାହସ ।
ସେ ସର୍ପକୁ ସ୍ୱର୍ଗେ ଦେବେ କରୁଥାନ୍ତି ସ୍ତୁତି
ତା ଘାଉଡ଼ି ଲାଗନ୍ତେ କି ଶିଶୁପୁଅ ବର୍ତ୍ତି ।
ସପତାଙ୍ଗେ ଗୋପଲକ୍ଷ୍ମୀ ଆଜୁଁ ଗଲା ନାଶ
ନନ୍ଦ ଯଶୋଦା ବୋଇଲେ ଆମ୍ଭେ ଦେବୁ ଝାସ ।
ଗୋବିନ୍ଦ ପରାୟେ ପୁତ୍ର ପାଇବୁ ବା କାହୁଁ
ଆମ୍ଭର ଜୀବନେ ଆଶା ନାହିଁ ତିଳେ ଆଉ ।
ଆହା ଆହା ପୁତ୍ର ବୋଲି କରନ୍ତେ ରୋଦନ
ନୟନରୁ ଅଶ୍ରୁଜଳ ବହେ ଘନ ଘନ ।
କେଶବାସ ଅସମ୍ଭାଳେ କାନ୍ଦନ୍ତି ସେ ଲୋଟି
ଅନାଥ ବାନ୍ଧବ ଗୁଣବନ୍ତ ପୁତ୍ର ତୁ ଟି ।
କାହାର ଆଗେ କହିବୁ ହୃଦରେ ବେଦନା
ଭୋ ଧର୍ମଦେବ ସହାୟ ଆସି ହୁଅ କିନା ।
ନନ୍ଦ ଯଶୋଦା ବିକଳେ ଗୋପାଳ ସକଳ
କପାଳେ କର ତାଡ଼ିଣ ହୁଅନ୍ତି ବ୍ୟାକୁଳ ।
ଗୋବିନ୍ଦର ରୂପ ଗୁଣ ବାହୁନନ୍ତି ବସି
ସମୁଦ୍ରେ ଭେଲା ବୁଡ଼ାଇଦେଲୁ ହୃଷୀକେଶୀ ।
ଆମ୍ଭଙ୍କୁ ଛାଡ଼ିବାପାଇଁ କେହ୍ନେ ହେଲା ଚିତ୍ତ
ପ୍ରତ୍ୟେକ୍ଷେ ହୋଇଲୁ ବାବୁ ପଥୁକୀର ମତ ।
ସମୁଦ୍ର ପରାୟେ କରିଥିଲୁ ଯେ ଭରସା
କୁସୁମ ପରାୟେ ଆମ୍ଭେ ବୁଡ଼ାଇଲୁ ଆଶା ।
ତୋହର ବିହୁନେ ଦିନ ବଞ୍ଚବୁ କେସନେ
ନ ରହିବୁ ଗୋପନଗ୍ରେ ତୋହର ବିହୁନେ ।
ହାର ଚିକୁର ଛିଣ୍ଡାଇ କାନ୍ଦନ୍ତି ଗୋପିକା
ଆମ୍ଭଙ୍କୁ ତେଜିଣ କୃଷ୍ଣ ଚାଲିଗଲୁ ଏକା ।
ତୋର ପାଇଁ ତ୍ୟାଗ କଲୁ ଜାତି କୁଳ ଲଜ୍ଜା
ଘର ବର କୁଟୁମ୍ୱଙ୍କୁ କଲୁ ପରିତ୍ୟଜ୍ୟା ।
ତୁମ୍ଭେ ଆମ୍ଭଙ୍କୁ ନିରାଶ କରିଲ ଶ୍ରୀବତ୍ସି
ନଷ୍ଫଳ ହୋଇଲା କାର୍ଯ୍ୟ ନୋହିଲା ତ କିଛି ।
ଏପରି ବ୍ୟାକୁଳ ହ୍ୱନ୍ତି ସର୍ବ ଗୋପାଙ୍ଗନା
ଶରୀରରେ କାହାର ଯେ ନ ରହେ ଚେତନା ।
ଗୋପରେ ସ୍ତିରୀ ପୁରୁଷ ବସନ୍ତି ଯେ ଜନ
ହୃଦୟ ଫଟାଇ ସର୍ବେ କରନ୍ତି ରୋଦନ ।
କୃଷ୍ଣଙ୍କ ଦେହେ କାଳୀୟ ହୋଇଛି ଗୁଡ଼ାଇ
ନିଶ୍ଚିନ୍ତେ ଉଭା ସଲିଳ ମଧ୍ୟରେ କହ୍ନାଇ ।
ଏ ସମୟେ ପାଶେ ଯାଇ ବିଜେ କାମପାଳ
ସ୍ଫଟିକ ପରାୟେ ତନୁ ଅତ୍ୟନ୍ତ ନିର୍ମଳ ।
ମସ୍ତକ ଉପରେ ଶୋଭାପାଏ ସପ୍ତଫଣି
ପିଙ୍ଗଳ ବରନ ଜଟା ଯେହ୍ନେ ଶୂଳପାଣି ।
ହଳମୂଷଳ ଅଙ୍କିତ ହସ୍ତେ ପଦ୍ମ ଶୋଭା
ଯୋଗାନନ୍ଦ ପୁରୁଷ ସେ ସଦା ନବଯୁବା ।
କଟିତଟେ ଶୋଭାପାଏ ନୀଳ ଝୀନବାସ
ରକତବର୍ଣ୍ଣ ଲୋଚନ ଦିନକର ତ୍ରାସ ।
ନାନ ମଣି ରତନରେ ବିରାଜଇ ତନୁ
ପୂର୍ବ ପଶ୍ଚିମରେ ଯେହ୍ନେ ଉଦେ ଇନ୍ଦ୍ରଧନୁ ।
ଯୋଗୀଜନମାନେ ତାକୁ କରୁଥାନ୍ତି ଲୟେ
ନିରଞ୍ଜନ ଆସ୍ୟ ବଳଦେବ ରୂପୀ ହୁଏ ।
ପୃଥ୍ୱୀ ଭାରାଭର ନାଶଅର୍ଥେ ବ୍ରହ୍ମରାଶି
ଗୋପନଗରେ ବଢ଼ନ୍ତି ସ୍ୱଲୀଳା ପ୍ରକାଶି ।
ଏମନ୍ତ ସେ କାମପାଳ ଶ୍ରୀକୃଷ୍ଣଙ୍କ ପାଶେ
ବିଜୟ କରିଲେ ଯାଇ ଅତ୍ୟନ୍ତ ହରଷେ ।
ନିଦାଘକାଳ ଆଦିତ୍ୟ ତେଜର ସମାନ
ଅତିଶୟ ତେଜୀୟାନ ପ୍ରଭୁ ସଂକର୍ଷଣ ।
କାଳୀୟ ନାଗର ଦେଖି ଦୌରାତ୍ମ୍ୟ ନୟନେ
ଜ୍ୱଳନ୍ତା ଅନଳ ପ୍ରାୟେ ଚାହାନ୍ତି ସଘନେ ।
ବଳରାମ ଯିବା ଦେଖି ଗୋପାଳେ ଧାମନ୍ତି
ନିଜ ନିଜ କରେ କେନ୍ଦୁବାଡ଼ି ଧରିଛନ୍ତି ।
ଚନ୍ଦ୍ରମା ନିକଟେ ଯେହ୍ନେ ଶୋଭା ତାରାପନ୍ତି
ତାହାଙ୍କ ସଙ୍ଗରେ ତେହ୍ନେ ପୋଏ ଶୋଭାପାନ୍ତି ।
ଗୋପାଳଙ୍କ କୋପ ଦେଖି ରାମ କ୍ରୋଧଭର
ଭୟରେ କାଳୀୟ କୃଷ୍ଣେ ଛାଡ଼େ ଧାତିକାର ।
କାମପାଳ ମୂର୍ତ୍ତି ଦେଖି ମହାଭୟ ପାଇ
ଅପସରି ଖଣ୍ଡେଦୂରେ ଉଭା ହେଲା ଯାଇ ।
ବିଷର ଜ୍ୱାଳା ଲାଗିଣ ସ୍ୱାମୀ ଶିରୀରଙ୍ଗ
ନିଃଶ୍ୱାସ ମାତ୍ର ବହଇ ଜ୍ଞାନ ନାହିଁ ଅଙ୍ଗ ।
ଗୋପାଳଙ୍କ ସଙ୍ଗେ ତହିଁ ପ୍ରବେଶିଲେ ହଳୀ
ଦେଖୁ ଦେଖୁ ନାରାୟଣ ପଡ଼ିଲେକ ଢଳି ।
ମଧୁ କଇଟଭ ଦୈତ୍ୟ ନାଶିବା କାଳରେ
ବିଷ୍ଣୁ ଯେହ୍ନେ ଶୋଇଥିଲେ ଅନନ୍ତ ଶଯ୍ୟାରେ ।
ସନକାଦି ଋଷିମାନେ କରୁଥିଲେ ସ୍ତୁତି
ତେସନ ପଦ୍ମବନରେ ଢଳିଣ ପଡ଼ନ୍ତି ।
ପ୍ରଳୟ କାଳରେ ଯେହ୍ନେ ବଟପୁଟେ ହରି
ତେସନ ଶୋଭା ପାଆନ୍ତି ସେ ମୁରଲୀଧାରୀ ।
କୋଇଲି ବୈକୁଣ୍ଠେ ପ୍ରଭୁ ଗଲେ କିବା ନିଦ୍ରା
ଅନନ୍ତ ଶଯ୍ୟାରେ କିବା ଲାଗେ ଯୋଗମୁଦ୍ରା ।
ତେସନ ପ୍ରକାରେ ଦେବ ହେଲେ ମୋହମାନ
କାଠର ପିତୁଳା ପ୍ରାୟ ହେଲେ ଅଚେତନ ।
ଦେଖିକରି ବଳରାମ ଚିନ୍ତାଭର ଅତି
କି କରିବି ବୋଲିକରି ମନରେ ଭାଳନ୍ତି ।
କୃଷ୍ଣଙ୍କୁ କୋଳରେ ଧରି ସିଞ୍ଚନ୍ତି ସେ ପାଣି
ଏକାନ୍ତେ କର୍ଣ୍ଣରେ ଦେବ କହନ୍ତି ଏ ବାଣୀ ।
କିରେ କହ୍ନାଇ ହୋଇଲୁ ଏଥେ ଜ୍ଞାନଧ୍ୱଂସ
ତୁ ଏମନ୍ତ ହେଲେ କେହ୍ନେ ମରିବଟି କଂସ ।
ଛିଦ୍ର ପାଇକରି ଶତ୍ରୁ ଦାଉ ଯେ ସାଧିବ
ସାମାନ୍ୟରେ ଅଚେତନ ହୋଇଲୁ ମାଧବ ।
ଏ ସମୟେ ପ୍ରବେଶିଲେ ଦୁର୍ବାସା ମହର୍ଷି
ଦେଖିଲେକ ଶ୍ରୀକୃଷ୍ଣଙ୍କୁ କାଳସର୍ପ ଦଂଶି ।
ଜଇମିନି ସୁମନ୍ତକ ଭରଦ୍ୱାଜ ମୁନି
ଗାର୍ଗବ ଗଉତମ ଯେ ବିଭାଣ୍ଡକ ଜ୍ଞାନୀ ।
ବଇଶମ୍ପାୟନ ଭୃଗୁ ଭାର୍ଗବ ଅଗସ୍ତି
କ୍ରମରେ ମିଳିଲେ ଆସି ଶ୍ରୀକୃଷ୍ଣଙ୍କ କତି ।
ଦୂରରେ ଥାଇଣ ବଳଦେବଙ୍କୁ କହନ୍ତି
ଗାରେଡ଼ି ମନ୍ତ୍ର ସୁମର ହେ ରେବତୀ ପତି ।
ପୂର୍ବେ ଶିବ କାଳକୂଟ ଭକ୍ଷିଲେ ଯେକାଳେ
ଜଳି ଯାଉଥିଲା ସେହି ବିଷ ଦାବାନଳେ ।
ଗାରେଡ଼ିମନ୍ତ୍ରେ ଝାଡ଼ନ୍ତେ ଦେବ କୁଶକେତୁ
ତକ୍ଷଣେ ପାଇଲେ ସଦାଶିବ ପୂର୍ବହେତୁ ।
ନଳକୁ ଯେକାଳେ ସର୍ପ ଦଂଶିଲା କାନନେ
ସେ ମନ୍ତ୍ର ସୁମରି ସେହୁ ବଞ୍ଚେ ବିଦ୍ୟମାନେ ।
ହେ ସ୍ୱାମୀ ସେହି ମନ୍ତ୍ରକୁ ସୁମରଣା କର
ଆରୋଗ୍ୟା ଲଭିବେ ନିଶ୍ଚେଁ ଦେବ ଚକ୍ରଧର ।
ଶୁଣିଣ ସେ ବଳଦେବ କଲେ ପୂର୍ବହେତୁ
ଶ୍ରୀକୃଷ୍ଣ କର୍ଣ୍ଣେ କହିଲେ ମନ୍ତ୍ରରାଜ ତତ୍ତ୍ୱୁ ।
ବାମଭାଗେ ମହେଶ୍ୱର ଦକ୍ଷିଣରେ ବ୍ରହ୍ମା
ଗାରେଡ଼ି ମହାମନ୍ତ୍ରକୁ ଉଚ୍ଚାରନ୍ତି ଉମା ।
ଘୋଟିଗଲା ମହାବିଷ ତ୍ରିପୁରେ ଉଚ୍ଚାଟ
ଉଠ ଉଠ ବିଷ୍ଣୁ ଆହେ ପରଂହଂସ ଉଠ ।
ଚେତା ହୁଅ ପରମାତ୍ମା ଚଇତନେ ଚାହାଁ
ବଳଦେବ ମନ୍ତ୍ରେ ଡାକେ ବିଷ ଝଡ଼ିଯାଆ ।
ଗାରେଡ଼ି ବୋଇଲା ଆରେ ଶୁଣ ତୁ କାଳିଆ
ମୋହର ଫୁଙ୍କନ୍ତେ ବିଷ ମଜ୍ଜାଗତୁ ଯାଆ ।
ଈଶ୍ୱର ଭଣି କାଳିଆ ତୁତ ବଡ଼ଦୁଷ୍ଟ
ଏ ଘାଉଡ଼ି ମୁଖୁ ବିଷ ହୋଇଯାଅ ନଷ୍ଟ ।
ଉମା ବୋଇଲେ କାଳିଆ ଏଡ଼େ ପାପୀ ଅଟୁ
ଜାଣୁ ଜାଣୁ କେଉଁପରି ମୋ ରାଣକୁ ମେଣ୍ଟୁ ।
ଏ ଗାରେଡ଼ିମନ୍ତ୍ରେ ଝାଡ଼ିଦ୍ୟନ୍ତେ ହଳପାଣି
ଶ୍ରୀକୃଷ୍ଣ ନୟନ ମଳି ଉଠିଲେ ତକ୍ଷଣି ।
ତକ୍ଷଣେ ଚେତନା ପାଇ ଉଠିଲେ ମାଧୋଇ
ଦ୍ରର୍ହସିତ ବଦନରେ ସମସ୍ତଙ୍କୁ ଚାହିଁ ।
ଗୋପାଳମାନେ କରନ୍ତି ଦେଖି ଜୟେ ଜୟେ
କୁସୁମବୃଷ୍ଟି କରିଲେ ସର୍ବ ଦେବତାଏ ।
ଆନନ୍ଦେ ନନ୍ଦ ଯଶୋଦା ନେତ୍ରୁଜଳ ବହେ
ଉପନନ୍ଦ ସୁନନ୍ଦାଦି ସର୍ବେ ହର୍ଷମୟେ ।
ହସ୍ତ ଧରାଧରି ହୋଇ ବେନିଭାଇ ଉଭା
ସପତ ବ୍ରହ୍ମାଣ୍ଡଯାକ ପାଉଅଛି ଶୋଭା ।
ଅବ୍ୟକତ ବିଶ୍ୱରୂପ ଜଗଜ୍ଜନ ମୋହି
ସେ ପରମ ନିରଞ୍ଜନ ଛନ୍ତି ଉଭାହୋଇ ।
ଧଳା କଳା ସ୍ୱରୂପରେ ଭବେ ଅବତାର
ଦୁଷ୍ଟ ନାଶି ବିନାଶିବେ ଅବନୀର ଭାର ।
ଦେଖିଣ କାଳୀୟ ନାଗ ବିଚାରଇ ଚିତ୍ତେ
ନ ଜାଣି ଦ୍ରୋହ ଅର୍ଜିଲି ପ୍ରଭୁ ପାଦଗତେ ।
ଦ୍ୱାପର ଯୁଗର ଭାରା ନିବାରଣ ପାଇଁ
ନାରାୟଣ ଅବତାର କଳା ଶୁକ୍ଳ ହୋଇ ।
ପ୍ରତ୍ୟକ୍ଷରେ ଦିବ୍ୟରୂପ ଦେଖିଲା ନୟନ
ନୋହିଲେ ମୋହର ଦନ୍ତ ସହି କେ ଭାଜନ ।
ଏମନ୍ତ ଭାଳି କାଳୀୟ କରେ ବହୁ ସ୍ତୁତି
ଜୟ ତୁମ୍ଭେ ରାମ କୃଷ୍ଣ କଳା ଧଳା ମୂର୍ତ୍ତି ।
ଜୟ ତୁମ୍ଭେ ନାରାୟଣ ଯଶୋଦାଙ୍କ ବାଳ
ଜୟ ରାମକୃଷ୍ଣ ଦୈତ୍ୟକୁଳ ଦାବାନଳ ।
ଜୟ ଶରଣପଞ୍ଜର ବାନା ଦଇତ୍ୟାରି
ଜୟ ରାମକୃଷ୍ଣ ବଜ୍ରସ୍ନେହା ହେ ମୁରାରି ।
ଜୟ ଅକର୍ମ କରମଦାତା ଆହେ ହରି
ଜୟ ଜୟ ହେ ଅଷ୍ଟାଙ୍ଗ ଯୋଗ ଅବଧାରି ।
ଜୟ ରାମକୃଷ୍ଣ ଆହେ ଜଗତ ପିତାମାତା
ଜୟ ଆହେ ରାମକୃଷ୍ଣ ବ୍ରହ୍ମାଣ୍ଡ କରତା ।
ଜୟ ରାମକୃଷ୍ଣ ତୁମ୍ଭେ ଦୁଃଖୀଜନ ବନ୍ଧୁ
ଜୟ ଜୟ ରାମକୃଷ୍ଣ ହେ କରୁଣାସିନ୍ଧୁ ।
ଜୟ ଜୟ ରାମକୃଷ୍ଣ ଅଟ ଗୋପୀନାଥ
ଜୟ ତୁମ୍ଭେ ରାମକୃଷ୍ଣ ହେ ଚତୁର ହସ୍ତ ।
ସ୍ୱାମୀ ତୁମ୍ଭର ମାୟାକୁ କେହୁ ପାରେ ଜାଣି
ଛାର କଂସ ଜାଣିବ ବା କାହୁଁ ଯଦୁମଣି ।
ଏମନ୍ତ ରୂପେ କାଳୀୟ ବୋଲନ୍ତେ ବଚନ
ଉତ୍ତର ଦିଅନ୍ତି ତାକୁ ଦେବ ଜନାର୍ଦ୍ଦନ ।
ଲୁଟେ କହିଲେ କାଳୀୟ ନୋହୁଁ ଆମ୍ଭେଦୋଷୀ
ତୋତେ କହୁଛୁ ପ୍ରକୃତ କଥା ଶୁଣ ଆସି ।
ରଙ୍ଗା ଅବତାରେ ଅଛୁ ଗୋପପୁରେ ରହି
ଏ ପୃଥିବୀ ମହୀଭାରା ଉଦ୍ଧରିବା ପାଇଁ ।
ଅନେକ ଗୋପୀ ଗୋପାଳ ଆମ୍ଭ ସଙ୍ଗେ ଥିବେ
ଏ ସ୍ଥାନମାନଙ୍କେ ବିହରିବୁ ନାନାରଙ୍ଗେ ।
କାଳେ କାଳେ ଅଟ ତୁମ୍ଭେ ନାଗଙ୍କର ରାଜା
ମୋ ବେଲ ରମ୍ୟକଦ୍ୱୀପେ ବହନ ହୋଇଯା ।
କାଳୀୟ ବୋଲେ ହେ ଦେବ ତୁମ୍ଭ ଆଜ୍ଞାଘେନି
ନାଗବଳାଙ୍କୁ ଘଉଡ଼ି ଦେବଇଁ ଏକ୍ଷଣି ।
ଏକ କଥା ପ୍ରଭୁ ତୁମ୍ଭ ଛାମୁରେ କହୁଛି
ଅବଧାନ ହୋଇ ଏବେ ଶୁଣିମା ଶ୍ରୀବତ୍ସି ।
ଦିତି ଅଦିତି ପ୍ରଭୃତି ବିନତା ସହିତେ
କଶ୍ୟପଙ୍କ ତେର ଭାର୍ଯ୍ୟା ଅଟନ୍ତି ଯୁକତେ ।
ଦିନେ କଦ୍ରୁ ବିନତା ଯେ କଳହ କରିଲେ
ବିରଞ୍ଚି ଅଶ୍ୱର ପାଇଁ ଦୁହେଁ ପୀଢ଼ କଲେ ।
ବିନତା ବୋଲେ ବିରଞ୍ଚି ଅଶ୍ୱ ସପ୍ତ ଶ୍ୱେତ
କଦ୍ରୁ ବୋଲେ ନୀଳବର୍ଣ୍ଣ ଅଟନ୍ତି ସେହି ତ ।
ଏପରି ଦ୍ୱନ୍ଦୁ କରିଲେ ବେନି ସପତଣୀ
ହୁଡ଼ କରିଣ ପରିଜା କଲେ ପୁଣି ପୁଣି ।
କଶ୍ୟପ ଏ କଥା ଶୁଣି ବିସ୍ମୟ ହୋଇଲେ
ସମାଧାନ କରି ତାଙ୍କୁ ଏପରି କହିଲେ ।
ଯେ ହୁଡ଼େ ହାରିବ ସେହୁ ହେବ ପରିଚାରୀ
ଅଶ୍ୱଙ୍କର ବର୍ଣ୍ଣ ଆମ୍ଭେ କହିବା ବିଚାରି ।
କ୍ଷୀର ସମୁଦ୍ରରୁ ଯେଣୁ ସେ ଅଶ୍ୱ ସଂଜାତ
ତେଣୁକରି ଶ୍ୱେତବର୍ଣ୍ଣ ଅଟନ୍ତି ସେହୁ ତ ।
କଦ୍ରୁଦେବୀ ତେଣୁକରି ହୁଡ଼ରେ ହାରିଲେ
ବିନତାକୁ ପରିଚାରୀପଣରେ ସେବିଲେ ।
ଏହିପରି କେତେଦିନ ଗଲା ଯହୁଁ ବହିଁ
ମାତାକୁ ପୁଚ୍ଛିଲେ ଅଷ୍ଟକୁଳା ନାଗେ ଯାଇ ।
ପୁତ୍ରଙ୍କ ଆଗେ କହିଲା କଦ୍ରୁ ପୂର୍ବ ବାଣୀ
ପୁତ୍ରେ ବୋଇଲେ ଅଶ୍ୱଙ୍କୁ ଦଂଶିବୁ ଏକ୍ଷଣି ।
ତିନିଲୋକ ଦହି ପାରେ ଆମ୍ଭେ ବିଷଜ୍ୱାଳା
ଦଂଶିଲାକ୍ଷଣି ସେ ଅଶ୍ୱ ହୋଇଯିବେ କଳା ।
ଏତେ ବୋଲି ନାଗମାନେ କ୍ରୋଧଭର ହୋଇ
ବିରଞ୍ଚି ଅଶ୍ୱମାନଙ୍କୁ ଦଂଶିଲା ସେ ଯାଇ ।
ପ୍ରଚଣ୍ଡ ସେ କାଳାନଳ ଘୋଟେ ଜ୍ୱାଳାବଳି
ଚାହୁଁ ଚାହୁଁ ଅଶ୍ୱମାନେ ହୋଇଗଲେ କାଳି ।
ପୁଣି ବେନି ସପତଣୀ ପଚାରିଲେ ଆସି
ଏକଲୟେ ଜାଣିଲେ ତା କଶ୍ୟପ ମହର୍ଷି ।
କଶ୍ୟପ ବୋଇଲେ ଅଶ୍ୱ ହୋଇଥିଲେ ଧଳା
ଏବେ କଳା ହେଲେ ଲାଗି ସର୍ପବିଷଜ୍ୱଳା ।
ତତକ୍ଷଣେ ଅଦିତିଙ୍କି କଦ୍ରୁ ସାକ୍ଷ୍ୟ କରି
ଲେଉଟି ବିନତା ହେଲେ ତାରା ପରିଚାରୀ ।
ଏରୂପେ ଅନେକ ଦିନଗଲା ତହୁଁ ବହି
ମାତାର ନାମ ରଖିଲେ ସେ ନାଗତନୟୀ ।
କାଳକ୍ରମେ ବିନତା ଯେ ହେଲେ ଗର୍ଭବତୀ
ଦ୍ୱିଗୋଟି ଡ଼ିମ୍ୱ ପ୍ରସବ କରିଲେ ଯୁବତୀ ।
କିନ୍ତୁ ପରିଚାରୀପଣେ କଦ୍ରୁକୁ ଖଟନ୍ତି
ଯତ ସତ ରକ୍ଷା କରି କଷ୍ଟେ ଦିନ ଦ୍ୟନ୍ତି ।
ଏଥୁ ଅନନ୍ତରେ କେତେ ଦିବସ ଯାଆନ୍ତେ
ଡିମ୍ୱଗୋଟି ଭାଙ୍ଗି ସେହୁ ପକାଏ ସ୍ୱହସ୍ତେ ।
ନଖ ମୁଖ ନାସିକା ତା କରପାଦ ସଞ୍ଚା
ଅରୁଣବରନ ତାର ଦେହଗୋଟି କଞ୍ଚା ।
ଦେଖିକରି କଶ୍ୟପ ଯେ କଲେ ମହାକୋପ
ବୋଇଲେ ବାଳକ ହତ୍ୟା କଲେ ମହାପାପ ।
ଅକ୍ଷୟ ଅଜରାମର ଗୁଣବନ୍ତ ପୁତ୍ର
ଦେଖୁ ଦେଖୁ ନିକଟରେ ବିନାଶିଲୁ ତୁତ ।
ବେନିସସ୍ର ବର୍ଷେ ଡିମ୍ୱ ଯେବେ ଫାଟିଥାନ୍ତା
ତେବେ ସେ କୁଳକୁ ମୋର କାରେଣି ହୁଅନ୍ତା ।
କଶ୍ୟପ ଆଜ୍ଞା ଦେଲେକ ଆଦିତ୍ୟଙ୍କୁ ରାଇ
ତୋହର ରଥରେ ୟାକୁ ସମ୍ଭାଳ ହେ ନେଇ ।
ଶୀତଯୋଗେ ୟାର ଦେହ କମ୍ପେ ଅପ୍ରମିତ
ତୋ ତେଜ ଲାଗନ୍ତେ ଛାଡ଼ୁ ଏହାର ଯେ ଶୀତ ।
ଅରୁଣକୁ ସାଇତିଲେ ତହୁଁ ଦିନମଣି
ବେନି ସସ୍ର ବର୍ଷେ ଆର ଡିମ୍ୱ ଫୁଟେ ପୁଣି ।
କାଳିଆ ନାଗ ବୋଇଲା ଶୁଣ ଭଗବାନ
ସେହି ଡିମ୍ୱରୁ ଗରୁଡ଼ ହୋଇଲା ଉତ୍ପନ୍ନ ।
ଗରୁଡ଼ ପୁଚ୍ଛଇ ଦିନେ ମାତାକୁ ଏମନ୍ତ
କି କାରଣେ କର ପରିଚାରୀପଣ ମାତ ।
ବିନତା ବୋଲେ ବିରଞ୍ଚି ସପ୍ତ ଅଶ୍ୱ ପାଇଁ
ବେନି ସପତଣୀ ବାଦ କଲୁରେ ତନୟି ।
ମୁଁ ବୋଇଲି ଅଶ୍ୱମାନେ ଅଟନ୍ତି ଯେ ଶ୍ୱେତ
କଦ୍ରୁ ବୋଇଲାକ କୃଷ୍ଣବର୍ଣ୍ଣ ସେ ନିୟତ ।
ଏହିପରି କଳି କରି ପୁଚ୍ଛିଲେ ସ୍ୱାମୀଙ୍କୁ
ଶ୍ୱେତବର୍ଣ୍ଣ ବୋଲି ସେହୁ କହିଲେ ଆମ୍ଭଙ୍କୁ ।
ପରିଚାରୀପଣେ ଖଟୁଥିଲା ମୋର ସେ ତ
ଦଂଶି ତାଙ୍କୁ କୃଷ୍ଣବର୍ଣ୍ଣ କଲେ ତାର ପୁତ୍ର ।
ତେଣୁ ପରିଚାରୀପଣେ ତାକୁ ମୁଁ ଖଟଇ
ଋଷିପତ୍ନୀ ହୋଇ ଏଡ଼େ କଷ୍ଟ ରହିଛଇଁ ।
ଭାଗ୍ୟବନ୍ତ ତନୟ ସେ ଗର୍ଭୁ ଜାତ କଲା
ତାହାଙ୍କର ହେତୁ ମହାସୁଖରେ ରହିଲା ।
ମାତା ବଚନେ ଗରୁଡ଼ କୋପେ କାଳାନଳ
ସେହିଦିନୁ ଗୋଡ଼ାଇଣ ଖାଏ ନାଗବଳ ।
ସ୍ୱର୍ଗ ମଞ୍ଚ ପାତାଳରେ ରହିଥିଲେ ଯେତେ
ଗରୁଡ଼ ନାମ ଧରନ୍ତେ ଭୟ ତାଙ୍କ ଚିତ୍ତେ ।
ଭୋ ଦେବ ତୁ ନାରାୟଣ ଅଟୁ ଭାବଗ୍ରାହୀ
ବାସୁକିର ଭାଇ ପୁଣି ଅଟଇ ଯେ ମୁହିଁ ।
ବାସୁକି କୋପେ ପାତାଳପୁରରୁ ଅଇଲି
ଗରୁଡ଼ର ଭୟେ ଆସି ଏଥେ ପଶିଥିଲି ।
ପୂର୍ବ ଅଭିଶାପ ଦେଇଅଛନ୍ତି ଦୁର୍ବାସା
ଏଥେ ପଶିବାକୁ ସେହି ନ କରେ ଭରସା ।
ପବିତ୍ର ପୁଣ୍ୟଜଳ ଏ କରେ ପାପ କ୍ଷୟେ
ଅନେକ କାଳୁ ଏଥିରେ ଅଛି ଦେବରାୟେ ।
ବୃନ୍ଦାବନ ରକ୍ଷାକାରୀ ଅଟଇ ଯେ ମୁହିଁ
ବାରସ୍ୱତୀପୁର ୟାକୁ ସମତୁଲ ନୋହି ।
ମଳୟା ପିଙ୍ଗଳ ବ୍ରହ୍ମା ହଂସ ଆଦି ଚାରି
ଏଚାରି ବ୍ରହ୍ମା ସମୟେ ହୋଇ ଦେହଧାରୀ ।
ଅନୁବ୍ରତେ ଏ ଭୂମିକୁ ସୁସଞ୍ଚ କରନ୍ତି
କ୍ଷଣକରେ ଧରଇ ସେ ଆନୁ ଆନ ମୂର୍ତ୍ତି ।
ନ ରହିବି ଯେବେ ଏଥେଁ ଆହେ ହୃଷୀକେଶୀ
ମୋତେ ରହିବାକୁ ଠାବ ବିଚାରି ଦିଅସି ।
ଖଗେଶ୍ୱର ଦେଖିବଟି ଯେବେ ସ୍ୱାମୀ ମୋତେ
ବଳେ ଧରିଣ ଭକ୍ଷିବ କହିଲଇଁ ତୋତେ ।
ଶରଣପଞ୍ଜର ନାଥ ବାଞ୍ଛା ଗୁଣନିଧି
ଶୁଭାଶୁଭ କର୍ମଦାତା ନାମ ତୋ ପ୍ରସିଦ୍ଧି ।
ଜଳ ସ୍ଥଳ ଅନଳରେ ଅଛୁ ସ୍ୱାମୀ ପୂରି
ଅନନ୍ତ ମାୟାଧର ତୁ ମର୍ତ୍ତ୍ୟେ ଦେହଧାରୀ ।
ବାଲି ପକାଇଲେ କାହୁଁ ସିନ୍ଧୁ ହୋଏ ପୋତା
ପିମ୍ପୁଡ଼ି ପରାକ୍ରମେ କି ଜିଣେ ମଦମତ୍ତା ।
ଟେଳାରେ ପର୍ବତ କାହୁଁ ଭାଙ୍ଗି ଅବା ପାରି
ହାତେ ଚନ୍ଦ୍ର ସୂର୍ଯ୍ୟ କେହୁ ଅବା ପାରେ ଧରି ।
ଅଙ୍ଗୁଳି ମାପେ ବ୍ରହ୍ମାଣ୍ଡେ ହୋଏ କିବା କଳି
ଜୁଳୁଜୁଳା ପୋକରେ କି ଘର ଯାଏ ଜଳି ।
ମୁହିଁ ପାମର ନ ଜାଣି କଲି ତୋର ଦ୍ରୋହ
ଭକତବତ୍ସଳନାଥ ତାହା ବାରେ ସହ ।
ତୁମ୍ଭ କୋପରେ ସଂସାର କାହୁଁ ହେବ ରକ୍ଷା
କରମ କରତା ଦୋଷ କରିବା ଉପେକ୍ଷା ।
ଏତେ ବୋଲିଣ କାଳୀୟ ପାଦରେ ପ୍ରଣମି
ତ୍ରାହିକର ତ୍ରାହିକର ଆହେ ଦେବ ସ୍ୱାମୀ ।
ସବୁନାଗେ ପଡ଼ିଲେକ ଯାଇ ପାଦତଳେ
କୂଳେ ଥାଇଣ ଦେଖନ୍ତି ସମସ୍ତ ଗୋପାଳେ ।
ମୁହିଁ ତୁମ୍ଭଙ୍କୁ ଦେଖିଲି ଏହି ଚର୍ମଡୋଳେ
ଭବଜଳୁ ପାର ହେଲି ମୋର ଭାଗ୍ୟବଳେ ।
ନ ଜାଣି ଦ୍ରୋହ ଅର୍ଜିଲି ତୁମ୍ଭର ପୟରେ
କ୍ଷମାଗୁଣେ ତାହା କ୍ଷମା କରିବା ହେ ବାରେ ।
ଶ୍ରୀକୃଷ୍ଣ ବୋଇଲେ ତୁହି ଏଡ଼େ ଜ୍ଞାନୀ ହୋଇ
ଏତେ କଟାଳ ଆମ୍ଭଙ୍କୁ କଲୁ କାହିଁପାଇଁ ।
କାଳୀୟ ବୋଇଲା ସ୍ୱାମୀ ଏହା କିପାଁ କହୁ
ଶତ୍ରୁ ମିତ୍ରଠାରେ ନାଥ ସମ ଜ୍ଞାନ ବହୁ ।
ବ୍ରହ୍ମା ରୁଦ୍ର ଇନ୍ଦ୍ର ହେଲେ ଭ୍ରମ କରିପାରୁ
ତୋହର ଆଜ୍ଞାରେ ପ୍ରଭୁ ଦୂବ ହୋଏ ଦାରୁ ।
ଗୋପାଳ ମେଳରେ ତୁହି କରୁ ଖେଳଘର
ତାହା କିପରି ଜାଣିବି ମୁଁ ଭୁଜଙ୍ଗ ଛାର ।
ଦେଖିଲେ ଅଯାତ୍ରା ଯାକୁ ଛୁଇଁଲେ ଅଳ୍ପାୟୁ
କାମୁଡ଼ିଲେ ପ୍ରାଣୀଙ୍କର ପ୍ରାଣ ହରେ ଯେହୁ ।
ଗୋ ବ୍ରାହ୍ମଣ ଋଷିଙ୍କର ମୁହିଁ ଦୋଷକାରୀ
ଭଲ ମନ୍ଦ ବିଚାର ମୋ ହୋଇବ କିପରି ।
ଏମନ୍ତ ଜନମ ମୋତେ ଦେଲେ ଜଗନ୍ନାଥ
କାର୍ଯ୍ୟାକାର୍ଯ୍ୟ ବିଚାର ମୋ ହୋଇବ କେମନ୍ତ ।
ତୁମ୍ଭ ଲୀଳା ଜାଣିବାକୁ ମୋର କି ଉପାୟେ
ବ୍ରହ୍ମା ରୁଦ୍ର ଇନ୍ଦ୍ର ଯାହା ଖୋଜିଣ ନ ପାଏ ।
କାଳୀୟ ବଚନେ ଦେବ ହୋଇଲେ ସନ୍ତୋଷ
ମସ୍ତକେ ରତ୍ନକଠାଉ ଦେଲେ ହୃଷୀକେଶ ।
ନନ୍ଦ ଯଶୋଦା ପ୍ରଭୃତି ଦେଖୁଛନ୍ତି ରହି
ଗୋପୀ ରୋଗାଳ ସମସ୍ତେ ଆଚମ୍ୱିତେ ଚାହିଁ ।
କାଳୀୟ ମସ୍ତକେ ପ୍ରଭୁ ଦେଇ ପଦ୍ମପାଦ
ଆନନ୍ଦେ ମୂରଲୀ ଧ୍ୱନି କରନ୍ତି ଗୋବିନ୍ଦ ।
ପଦ୍ମଚରଣ ଲଗାଇ କାଳୀୟ ଶିରରେ
ଯାଅ ଏଥୁଁ ବୋଲି ଆଜ୍ଞା ଦେଲେ ତଦନ୍ତରେ ।
ଗରୁଡ଼କୁ ମନମଧ୍ୟେ କରନ୍ତେ ସେ ଚିନ୍ତା
ରମ୍ୟକଦ୍ୱୀପେ ଜାଣିଲା ପକ୍ଷୀ ବଳବନ୍ତା ।
ସୁମରଣ କଲେ ମୋତେ ଦେବ ଚକ୍ରଧର
ପବନହୁଁ ବେଗେ ଆସି ମିଳିଲା ଛାମୁର ।
ଗରୁଡ଼ ଦେଖି କାଳୀୟ ମନେ ଭଲ କରି
ଥୋକେ ଦୂରରେ ରହିଲା ତହୁଁ ଅପସରି ।
ଗୋବିନ୍ଦଙ୍କ ଆଗେ ଆସି ମିଳି ଖଗବର
ପୁଣ ପୁଣ ପାଦତଳେ ପଡ଼େ ଶତବାର ।
ଶ୍ରୀମୁଖକୁ ଚାହିଁ ବହୁ ସ୍ତୁତିମାନ କରି
ଖଣ୍ଡେଦୂରେ ଉଭା ହେଲା ଆଜ୍ଞା ଅବଧାରି ।
ଶ୍ରୀମୁଖରେ ଆଜ୍ଞାଦେଲେ ପ୍ରଭୁ ଗୋପୀନାଥ
ନ ଧରିବୁ କାଳୀୟରେ ତୁ ବିଦ୍ରୋହ ଚିତ୍ତ ।
ଯେତେ ନାଗବଳ ଏଥେ ଛନ୍ତି ମୃତ୍ୟୁ ପାଇ
ସମସ୍ତଙ୍କୁ ଜୀଆଅ ତୁ ଅମୃତ ଖୁଆଇ ।
ଆଜ୍ଞା ପାଇଣ ଗରୁଡ଼ ସୁଧାକଲା ବୃଷ୍ଟି
ମଲା ନାଗମାନେ ସବୁ ଜୀବ ପାଇ ଉଠି ।
ହରି ଆଜ୍ଞା ଦେଲେ ୟାଙ୍କୁ ପାଶେ ଠାବ ଦିଅ
ଅଚିନ୍ତରେ ରହିଥାନ୍ତୁ ଏହି ନାଗଚୟ ।
ଏହାଶୁଣି ଗରୁଡ଼କୁ ଯେ ହେଲା ତୋଷମତି
ପିଠିରେ ବସାଏ ନେଇ ସେ ନାଗ ସବୁନ୍ତି ।
ରମ୍ୟକ ଦ୍ୱୀପକୁ ତହୁଁ ଶୀଘ୍ର ଚଳିଗଲା
ଆପଣା ନିକଟେ ତାଙ୍କୁ ସ୍ଥାନମାନ ଦେଲା ।
ଯେଉଁ ଗରୁଡ଼ ଅଟଇ ନାଗଙ୍କ ବଇରୀ
ପ୍ରଭୁଙ୍କ ଆଜ୍ଞାରେ ତାଙ୍କୁ ନିଏ ବହିକରି ।
ହିଂସା ଭାବ ଛାଡ଼ି ତାଙ୍କୁ ସଦା ସ୍ନେହ
ଯାହାଙ୍କଠାରେ ପ୍ରଭୁଙ୍କ ହୁଏ ଅନୁଗ୍ରହ ।
ଏହିପରି ଘଟନା ଯେ ଘଟଇ ଅବଶ୍ୟ
ଏଥିରେ ସନ୍ଦେହ ନାହିଁ ଆହେ ନୃପଈଶ ।
ଅଦ୍ୟାପି ପ୍ରଭୁଙ୍କର ସେ ପାପପଦ୍ମ ଚିହ୍ନ
ପୁରୁଷାନୁଯାୟୀ ବଢୁଛନ୍ତି ନାଗମାନ ।
ଗରୁଡ଼ ରମ୍ୟକ ଦ୍ୱୀପେ ଗଲା ଯହୁଁ ଚଳି
ମାୟା ବିରଚିଲେ ତହୁଁ ଦେବ ବନମାଳୀ ।
ଗୋପାଳେ ସେ ରହିଥିଲେ କାଳିନ୍ଦୀର କୂଳେ
ଏକଲୟ କରିଣ ସେ ଚାହାନ୍ତି ସକଳେ ।
ଦେଖୁ ଦେଖୁ ଭ୍ରମଜାତ କରାଇଲେ ହରି
ପାଶରେ ମିଳିଲେ ଆସି ହସି ହସି କରି ।
ଦେଖିଣ ନନ୍ଦ ଯଶୋଦା ପରମ ଆନନ୍ଦ
ନୟନ ପାଇଲା କିବା ଆଜନମ ଅନ୍ଧ ।
ପୁତ୍ରଙ୍କୁ କୋଳେ ବସାଇ ଜନନୀ ପିଅର
କୃତକୃତ୍ୟ ହୋଇଲେ ଯେ ଅରାରୁ ଅପାର ।
ରାମକୃଷ୍ଣ ସହିତରେ ଗଲେ ଗୋପପୁରେ
ଗୀତମାନ ଗାଇ ଗାଇ ଯାଆନ୍ତି ପଥରେ ।
ଇତି ଶ୍ରୀ ଦଶମସ୍କନ୍ଧ ଭାଗବତ ରସ
ପାପାଦି ପାତକମାନ ହୋଏ ଏଥେ ଧ୍ୱଂସ ।
ପବିତ୍ର ବିଷ୍ଣୁ ପୁରାଣ ଗଙ୍ଗାଜଳ ପ୍ରାୟେ
ଇଦଂ ପଞ୍ଚବିଂଶ ଅଧ୍ୟା ସମାପତ ହୁଏ ।
ଷଣ୍ଢା ଓ ବକାସୁର ବଧ
[ସମ୍ପାଦନା]ଏଥୁ ଅନ୍ତରେ କହନ୍ତି ଶୁକ ବ୍ରହ୍ମଯତି
ସାବଧାନେ ହୋଇ ଶୁଣ ସୁଭଦ୍ରାର ନାତି ।
ଗହନ ହରିବଂଶ ଏ ଅଗୋଚର ଗ୍ରନ୍ଥ
ଲେଖି ନ ସରେ କହନ୍ତେ କେ ପାଇବ ଅନ୍ତ ।
ଯହିଁ ଯେତେ କୃତ୍ୟକଲେ ଦେବ ଚକ୍ରଧର
ଆଦ୍ୟମୂଳେ କହିବାକୁ ଭରସା କାହାର ।
କେବଳ ପଦ ପଦକେ ସୁଜନଙ୍କ ହିତେ
ଜନ ରଞ୍ଜନ ନିମନ୍ତେ ବଖାଣଇ ଗୀତେ ।
ସାବଧାନେ ହୋଇ ତୁମ୍ଭେ ଶୁଣ ନରନାଥ
ଗୁପତରେ ବୁଲୁଥିଲେ କଂସାସୁର ଦୂତ ।
ସକଳ ସନ୍ଦେଶ ଘେନି ଗଲେ ଅତି ବେଗେ
ବାର୍ତ୍ତା ଜଣାଇଲେ ଯାଇ କଂସାସୁର ଆଗେ ।
ଭୋଦେବ ସାବଧାନେ ତୁ ଶୁଣ ନୃପମଣି
ନନ୍ଦ ଗୋପନଗରରେ ଥିଲୁ ଆମ୍ଭେ ପୁଣି ।
ଅସମ୍ଭବ କଥା ସ୍ୱାମୀ ଦେଖିଲୁ ସେଠାରେ
ଯାହା ହୋଇ ନ ପାରଇ ଦେବାସୁର ନରେ ।
କାଳିନ୍ଦୀ ମଧ୍ୟେ କାଳୀୟ ନାଗ ରହିଥିଲା
ଚଉଦାଢ଼େ ବିଷ ଘେନି କୃଷ୍ଣଙ୍କୁ ଦଂଶିଲା ।
ଘାଏ ଘୁମାଇଲେ ତହିଁ ସେ ନନ୍ଦରବଳା
ନବଦ୍ୱାରେ ଘୋଟିଗଲା ତାର ବିଷଜ୍ୱାଳା ।
ଜଳର ଭିତରେ ଢଳି ପଡ଼ିଲା କହ୍ନାଇ
ଗରୁଡ଼ ଆସି ତା ଆଗେ ମିଳିଲା ଗୋସାଇଁ ।
ଛଣବିଡ଼ା ପରାୟେକ ଭାସୁଥିଲା ସେହି
ସମସ୍ତେ ଦେଖିଲେ ତାର ଦେହେ ପ୍ରାଣନାହିଁ ।
ବଳରାମ ନାମେ ତାର ଜ୍ୟେଷ୍ଠ ସହୋଦର
ଗାରେଡ଼ିମନ୍ତ୍ରେ ଝାଡ଼ିଲା ଯାଇଁ ତା ପାଶର ।
ଧଡ଼ପଡ଼େ ଉଠିଲା ସେ ଜୀବନକୁ ପାଇ
ଏଡ଼େ ଅସମ୍ଭବ କଥା ଦେଖା ନାହିଁ କାହିଁ ।
କାଳୀୟ ନାଗ ସହିତେ ଯେତେ ସର୍ପଥିଲେ
ଗରୁଡ଼ ଭୟରେ ସର୍ବେ ପଳାଇଣ ଗଲେ ।
ଆନନ୍ଦ ହୋଇଣ ତହୁଁ ରାମକୃଷ୍ଣ ଦୁଇ
ଗୋପପୁରେ ପ୍ରବେଶିଲେ ଆହେ ଭୋଜସାଇଁ ।
ତୁମ୍ଭ ମନକୁ ଯା ଆସେ କର ତା ବିଚାର
ଏତେ ବୋଲି ଦୂତମାନେ ହୋଇଲେ ଅନ୍ତର ।
ଶୁଣିଣ କଂସାସୁରକୁ ଲାଗେ ମହାଭୟେ
ବୋଇଲା ଏମନ୍ତ କୂଟ କଲେ ଦେବତାଏ ।
ଦେବଙ୍କ ହେତୁ ମୋହର ସକଳ ସରିଲା
ଏକା ନନ୍ଦପୁଅ ମୋତେ କୃତାନ୍ତକ ହେଲା ।
ସ୍ୱର୍ଗ ମଞ୍ଚ ପାତାଳ ମୁଁ ଜିଣିଲଇଁ ହେଳେ
ସେ ପାମର ନନ୍ଦପୁଅ ପକାଏ କନ୍ଦଳେ ।
କାହା ଆଗେ କହିବଇଁ ହୃଦର ବେଦନା
ଅସମୟ କାଳେ କେବା ହେବ ବଜ୍ରସେହ୍ନା ।
ବିଜୁଳି କନ୍ୟାର କଥା ହୋଇଲାକ ସତ
ହୃଦୟକୁ ଶଲ ମୋର ହେଲା ନନ୍ଦସୁତ ।
ଯଦ୍ୟପି କି ରାମକୃଷ୍ଣ କିଏ ଧରି ଦ୍ୟନ୍ତା
ଅଥବା ଜୀବନ୍ତେ ତାଙ୍କୁ ବିନାଶ କରନ୍ତା ।
ଏ ମୋର କଟକେ ତାକୁ କରନ୍ତି ଯେ ମନ୍ତ୍ରୀ
ଦେବତା ପରାୟେ ପୂଜା ପାଉଥାନ୍ତା ନିତି ।
କି କରିବି କେଣେ ଯିବି ଦିଶୁନାହିଁ ବୁଦ୍ଧି
ନନ୍ଦର ନନ୍ଦନ ମୋର ହେଲେ ମହାବ୍ୟାଧି ।
ଏତେ ବୋଲି କଂସରାଜା ହୋଇଲା ବ୍ୟାକୁଳ
ବେନି ନୟନରୁ ତାର ବହେ ଅଶ୍ରୁଜଳ ।
ଏଡ଼େ ସମ୍ପଦ ଅର୍ଜିଲି ମୋର ଭୁଜବଳେ
ଅଖଡ଼େ ନାଶ ଯାଉଛି ପୂର୍ବ ପାପଫଳେ ।
ଏମନ୍ତ ଆକୁଳ ହୋନ୍ତେ କଂସ ଦଣ୍ଡଧର
କରପତ୍ର ଯୋଡ଼ି ବୋଲେ ଦୈତ୍ୟ ଷଣ୍ଢାସୁର ।
ଭୋ ଦେବ ସାବଧାନେ ହୋ ଶୁଣ ମହାରାୟେ
ଛାର ଗଉଡ଼ ଟୋକାଙ୍କୁ ଏଡ଼େ ତୋର ଭୟେ ।
କର ଲେଉଟାଇଲେ ଯେ ହେବ ମସୀଗୁଣ୍ଡା
ଏଡ଼େକ ଦିମାକ ତାର ସେ ଶିଶୁ ଛେଉଣ୍ଡା ।
ମନ କଲେ ବ୍ରହ୍ମା ମୁଁ ଓଲଟାଇ ପାରେ
ରଣେ କିଏ ଠିଆହେବ ମୋର ସମ୍ମୁଖରେ ।
ଯମର ହୋଇଲେ ମଧ୍ୟ ପୂରାଇବି କାଳ
ଏକାଳେ ମୁଁ ବଳେ ଭାଙ୍ଗିପାରେ ସ୍ୱର୍ଗଆଳ ।
ଦେବାସୁର ନାଗଙ୍କୁ ମୁଁ ମଣେ ଛେଳିପରି
କାଲି ସଂହାରିବି ନିଶ୍ଚେଁ ତୋହର ବଇରୀ ।
ନିଶ୍ଚିନ୍ତରେ ଭୋଗକର ଅଚଳା ବିଭୂତି
ଯାର ନାମେ କମ୍ପମାନ ହୁଏ ବସୁମତୀ ।
ତାହାକୁ ଗଉଡ଼ଟୋକା କେତେକ ମାତର
ଏଡ଼େ ବୋଲି ଖଡ଼୍ଗ ଧରି ଉଠେ ମହାବୀର ।
ନିଶରେ ହସ୍ତ ଦେଇଣ ବାହାସ୍ଫୋଟ ମାରେ
ପୃଥ୍ୱୀ ଦଲଦଲ ହୁଏ ତାର ପାଦଭରେ ।
ଦେଖି ତାହା କଂସାସୁର ହେଲା ଆନନ୍ଦିତ
ରତ୍ନମାଳା ନେଇ ଗଳେ ଲମ୍ୱାଏ ତ୍ୱରିତ ।
ଶାଢ଼ୀ ସୁନାବଳା ଦେଇ ବିନୟେ ବୋଲଇ
ମୋହର ଜୀବନ ଦାତା ଅଟୁ ବୀର ତୁହି ।
ତୋର ବଳ ପରାକ୍ରମ ଜାଣଇ ମୁଁ ଭଲେ
ବ୍ରହ୍ମାଣ୍ଡକୁ ଜିଣିପାରୁ ବାବୁ ମନ କଲେ ।
ଏ ଶୋକସାଗରୁ ମୋତେ କର ବାରେ ପାରି
ତୋର ବାହୁ ଆଶ୍ରା ସିନା ଅଟଇ ମୋହରି ।
କଳ କଉଶଳେ ନନ୍ଦପୁଅଙ୍କୁ ବିନାଶ
ତେବେ ଜଗତରେ ବାବୁ ରହିବ ମୋ ଯଶ ।
ନ ମାରି ପାରିଲେ ତାଙ୍କୁ ଆଣ ବଳେ ଧରି
ମସ୍ତକ ମୁଁ ଛେଦିବଇଁ ଧରିଣ କଟାରି ।
ରଖ ରଖ ମୋର ମାନ ଆରେ ଷଣ୍ଢାସୁର
ଜୟମଙ୍ଗଳା ସୁମରି ହୁଅ ତୁ ବାହାର ।
ଏହିରୂପେ ଆଜ୍ଞାଦ୍ୟନ୍ତେ ବୀର ଶିରୋମଣି
ବକାସୁର ପାଶେ ଆସେ ମିଳିଲା ତକ୍ଷଣି ।
କରପତ୍ର ଯୋଡ଼ି ବୋଲେ ଆହେ ଭୋଜପତି
ମୋତେ ଯିବାପାଇଁ ଏବେ ଦିଅ ଅନୁମତି ।
ସାମାନ୍ୟ ନୁହନ୍ତି ସେହି ନନ୍ଦର କୁମର
କି କରି ପାରିବ ଏକା ଯାଇ ଷଣ୍ଢାସୁର ।
ଅସମ୍ଭବ କଥା ସେହୁ କରନ୍ତି ଗୋପରେ
ଶକଟା ଯାମଳା ଆଦି ନାଶିଲେ ଅଳ୍ପରେ ।
କାଳୀୟ ନାଗକୁ ବଳେ ଦେଲେ ଘଉଡ଼ାଇ
ସାମାନ୍ୟ ଲୋକ କି ଏହା କରି ଯେ ପାରଇ ।
ଦିଅ ଆଜ୍ଞା ଆମ୍ଭେ ଦୁହେଁ ଯିବୁ ସାଙ୍ଗ ହୋଇ
ଦୁହିଙ୍କ ସଙ୍ଗେ ଯୁଝିବୁ ଶଉର୍ଯ୍ୟ ଦେଖାଇ ।
ଶୁଣି କରି କଂସାସୁର ହେଲା ଆନନ୍ଦିତ
ବକାସୁରକୁ କୋଳ ସେ କରିଲା ତୁରିତ ।
ଶ୍ରୀହସ୍ତେ ଶାଢ଼ୀ ଦେଇଣ ଗଉରବ କଲା
ରତନମାଳାଏ ଆଣି ଗଳେ ଲମ୍ୱାଇଲା ।
ବୋଇଲା ତୁମ୍ଭର ହେତୁ ମୁହିଁ ସିନା ରାଜା
ସଚରାଚର ବ୍ରହ୍ମାଣ୍ତେ ପାଇଲଇଁ ପୂଜା ।
ମନ କଲେ ବାବୁ ତୁହି ମେରୁ ପାରୁ ଟାଳି
ଦେବତା ଭୟ କରନ୍ତି ଦେଖି ତୋ ଶାବେଳି ।
ଉଦ୍ଧର ମୋତେ ବିପଦସାଗରୁ ହେ ବୀର
ତୁମ୍ଭେ କେବଳ ମୋହର ସଖା ସହୋଦର ।
ଗଉଡ଼ଟୋକ ହୋଇଲେ ଜୀଇଣ କଣ୍ଟକ
ତାଙ୍କୁ ନାଶି କୀର୍ତ୍ତିଧ୍ୱଜା ଜଗତରେ ଟେକ ।
ରଖ ରଖ ମାନ ମୋର ହେ ବୀରଶାର୍ଦ୍ଦୁଳ
ଜୟ ମଙ୍ଗଳା ସୁମରି ବେଗ ହୋଇ ଚଳ ।
ଭୋଜପତି ଆଜ୍ଞାପାଇ ବେନି ମହାବଳୀ
ଖଡ଼ଗ ଶାବେଳି ଧରି ଯାଆନ୍ତି ଯେ ଚଳି ।
ଅସୁର କାମରୂପୀ ସେ ନାନା ରୂପ ଧରି
ଦଣ୍ଡକେ ଭ୍ରମି ପାରନ୍ତି ଚତୁର୍ଦ୍ଦଶ ପୁରୀ ।
ଉଲୁକ ମନ୍ତ୍ର ପଢ଼ିଣ ଦେହ କଲେ ଗୋପ୍ୟ
ଯମୁନାନଦୀ ପାଶରେ ମିଳିଲେ କୌଣପ ।
ବକରୂପେ ବକ ରହେ ଯମୁନା ତୀରରେ
ଷଣ୍ଢରୂପେ ଷଣ୍ଢା ପଶେ ଯାଇଣ ଗୋଷ୍ଠରେ ।
ଶୁଣ ହୋ ପରୀକ୍ଷ ରାଜା କହେ ଶୁକମୁନି
ମାୟା ସ୍ୱରୂପେ ରହିଲେ ସେହି ଦୈତ୍ୟବେନି ।
ଅନ୍ତର୍ଯ୍ୟାମୀ ନାରାୟଣ ଜାଣନ୍ତି ସେ କଥା
ଗୋପାଳେ କାହିଁ ଜାଣିବେ ଅବା ସେ ବାରତା ।
ମାୟାରୂପ ଧରି ଷଣ୍ଢା ଗୋଷ୍ଠେ ରହିଥାଏ
ବନ ପର୍ବତେ ଗୋରୁଙ୍କ ସଙ୍ଗେ ବୁଲିଯାଏ ।
ବକ ରୂପେ ବକାସୁର ଜଗିଥାଏ ବାଟ
ଏକାକେ ସେ ରାମକୃଷ୍ଣ କେବେହେବେ ଭେଟ ।
ଏକଦିନେ ଗୋପପୁଏ ସଙ୍ଗତରେ ନେଇ
ଗୋରୁ ଚରାଇବାପାଇଁ ଚଳିଲେ ମାଧୋଇ ।
ଗୋମତ ପର୍ବତ ତଳେ ପାଷାଣ ପାବଚ୍ଛ
ସେଠାରେ ଖେଳ ଖେଳିଲେ ପ୍ରଭୁ ନନ୍ଦବତ୍ସ ।
ସନ୍ନିଧରେ କୁଞ୍ଜବନ ବୃନ୍ଦାବନମାନ
ଅମ୍ୱିକା ଆଦି କରିଣ ଦ୍ୱାଦଶ କାନନ ।
ଯେବଣ କାନନ ନିଜେ ନିର୍ମାଣିଛି ଧାତା
ତହିଁରେ ଖେଳା କରିବେ ଜଗତ କରତା ।
ଅମୂଲ୍ୟ କାନନ ତାକୁ ପଟାନ୍ତର ନାହିଁ
ବୃଦ୍ଧବ୍ୟକ୍ତି ହେଲେ ତହିଁ ଯୁବକ ହୁଅଇ ।
ଫଳ କୁସୁମେ ପୂରିତ ଅପୂର୍ବ ଉଦ୍ୟାନ ।
ବିଷ୍ଣୁର ବୈକୁଣ୍ଠ ପ୍ରାୟ ଶୋଭାକୁ ସେ ଧରେ
ସେ ଭୂମିକୁ ପଟାନ୍ତର ନାହିଁ ତିନିପୁରେ ।
ଗୋମତ ଆଶ୍ରମ ତାକୁ ତୁଳନା ବା କିସ
ଅଙ୍ଗୁଳିରେ ଅଶ୍ୱମେଧ ଫଳ ତ ଅବଶ୍ୟ ।
ଗୋମତ ପର୍ବତ ତଳେ କାଳନ୍ଦୀ ଯେ ନଦୀ
ଗଭୀରତାରେ ପାତାଳପୁରକୁ ସେ ଭେଦି ।
ଯମୁନା ନଦୀ ଦକ୍ଷିଣ ଭାଗରେ ତା ଅଛି
ଗୋରୁ ଅଡ଼ାଇ ସେଠାରେ ମିଳି ଗୋପବତ୍ସି ।
ନଦୀରେ ପାଣି ଖୁଆଇ ଉପରକୁ ଆଣି
ନିଜ ନିଜ ପୁରକୁ ସେ ବାହୁଡ଼ିଲେ ପୁଣି ।
ଏହିରୂପେ ପ୍ରତିଦିନ କରନ୍ତି ଗୋପାଳେ
ଶ୍ରୀକୃଷ୍ଣଙ୍କ ହେତୁ ଚିତ୍ତେ ଭୟ ନାହିଁ ତିଳେ ।
ଯେଉଁ ପ୍ରଭୁ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ଈଶ୍ୱର
ଗୋପରେ ମାନବରୂପେ କରି ଖେଳଘର ।
ସମସ୍ତ ଗୋପାଳ ପରେ ଅଧିପତି ନନ୍ଦ
ସ୍ୱଛନ୍ଦରେ ରହିଥାନ୍ତି ତହିଁ ଆଦିକନ୍ଦ ।
ଏଥୁ ଅନନ୍ତରେ ପୁଣ କେତେ ଦିନ ଗଲା
ଡକାଡକି ହୋଇକରି ସବୁ ଗୋପପିଲା ।
ଗୁହାଳରୁ ଗାଈମାନେ ଦେଲେ ସେ ଫିଟାଇ
ରାମକୃଷ୍ଣଙ୍କୁ ଡାକିଲେ ଖେଳିବାର ପାଇଁ ।
ଆସ ଆସ ରାମ ହରି ଯିବା କାନନକୁ
ଚରାଇବା ପେଟଭରି ଗାଈ ବାଛୁରୀଙ୍କୁ ।
ନାନା ବନ ଉପବନ ପ୍ରଭୃତି ବୁଲିବା
ସନ୍ଧ୍ୟା ହେଲେ ପୁଣି ନିଜ ସଦନେ ଫେରିବା ।
ହେଉ ବୋଲି ବାହାରିଲେ ସଙ୍ଗେ ରାମ ହରି
ଗୋଷ୍ଠରୁ ଫିଟାଇଲେ ସେ ଗାଈ ବତ୍ସାତରୀ ।
ହସ୍ତେ କେନ୍ଦୁବାଡ଼ି ଧରି ହୋଇଲେ ବାହାର
ନିର୍ଭୟରେ ଚଳିଯାନ୍ତି ବନସ୍ତ ଭିତର ।
ଗୋପଶିଶୁ ସଙ୍ଗତରେ ଗାଈନାମ ଧରି
ଡାକନ୍ତି ଉଚ୍ଚସ୍ୱରରେ ପ୍ରଭୁ ଦଇତ୍ୟାରି ।
ବଉଳି ଶ୍ୟାମଳ ଆଗୋ ଧବଳି ଗୋ କାଳି
ଧୀରେ ଧୀରେ ଚାଲ ତୁମ୍ଭେ ଅମଡ଼ା ନ ମାଡ଼ି ।
ନକ୍ଷତ୍ର ପରାୟ ଗାଈ ବୃନ୍ଦାବନ ଯାନ୍ତି
କେ କରତାଳି ମାରଇ କେ ଗୀତ ଗାବନ୍ତି ।
ଚାଙ୍ଗୁ ଘୁମୁରା ମର୍ଦ୍ଦଳ କେ ବାଏ ହରଷେ
ଶଙ୍ଖ ମହୁରୀ ବୀଣା କେ ବଜାଏ ସରସେ ।
ଶ୍ରୀକୃଷ୍ଣ ମୂରଳୀ ସ୍ୱନ କରନ୍ତି ଆନନ୍ଦେ
ଗୀତ ଗାଈ ବସଇ କେ ଯାଇ କାର କନ୍ଧେ ।
ଜାମୁଡାଳ ଖୋସିଅଛି କେହି ମସ୍ତକରେ
ଚମ୍ପକ କୁସୁମ ଶୋହେ କା ବେନି କର୍ଣ୍ଣରେ ।
ମନ୍ଦାର କୁସୁମମାଳା ଲମ୍ୱାଏ କେ ଗଳେ
ମହାମତ୍ତେ ମତୁଆଳ ସକଳ ଗୋପାଳେ ।
କାର୍ତ୍ତିକ ଶୁକ୍ଳ ପଞ୍ଚମୀ ଗୁରୁବାର ଦିନ
ପୁଷ୍ୟା ନାମରେ ନକ୍ଷତ୍ର ଅଟଇ ଯେ ପୁଣ ।
ଶୁଭିନାମେ ଯୋଗ ପୁଣି ବାୟବ୍ୟ କରଣ
ଗୋପଶିଶୁ ସଙ୍ଗତରେ ଘେନି ନାରାୟଣ ।
କାନନ ମଧ୍ୟେ ପଶିଲେ ଅତି ଉତ୍ସାହରେ
ପ୍ରବେଶ ହୋଇଲେ ଯାଇ ଯମୁନାର ତୀରେ ।
ମାୟା ବିରଚିଲେ ତହିଁ ପ୍ରଭୁ ବନମାଳୀ
ନିମିଷକେ ଗଲେ ପାଞ୍ଚ ଯୋଜନ ସେ ଚଳି ।
ଅସମ୍ଭବ ବିଷ୍ଣୁ ମାୟା ନ ଜାଣନ୍ତି କେହି
ସର୍ବେ ମନେ ମଣୁଥାନ୍ତି କୁଞ୍ଜବନ ଏହି ।
ଅନେକ ଦୂରେ ଦେଖିଲେ ଯାଇ ଏକ ଗ୍ରାମ
ବେଦପୁର ବୋଲିଣ ସେ ଶାସନର ନାମ ।
ପଦ୍ମନାଭପୁର ପାଶେ ବେଦମତୀ ନଦୀ
ମନ୍ଦର ପର୍ବତୁଁ ଫୁଟି ବହେ ଦକ୍ଷଭେଦି ।
ତା ଦକ୍ଷିଣଭାଗେ ବେଦପୁର ଯେ ପାଟଣା
ଦଶସହସ୍ର ପାଟଣା ଏକୁଁ ଏକ ଜିଣା ।
ବଶିଷ୍ଠ ବସାଇଥିଲେ ସେ ଦିବ୍ୟଶାସନ
ବସନ୍ତି ଯେ ନାନାଦେବୀ ସହସ୍ରେ ବ୍ରାହ୍ମଣ ।
ଆବର ଅନେକ ଜାତି ଅଛନ୍ତି ସେଠାରେ
ଧନ ଜନ ପରିପୂର୍ଣ୍ଣ ସକଳ ଗୃହରେ ।
ସେ ନଗ୍ର ଭିତରେ ଯାଇ ମିଳିଲେକ ହରି
ସବୁ ଗୋପପୁଅ ଛନ୍ତି ରାମ ଆଦିକରି ।
ସେ ଦିନ ବ୍ରାହ୍ମଣମାନେ ହୋଇ ଏକରୁଣ୍ଡ
ବେଦବତୀ ନଦୀତୀରେ କରି ଯାଗ କୁଣ୍ଡ ।
ମନ୍ତ୍ର ପଢ଼ିଣ ଆହୁତି ଦ୍ୟନ୍ତି ବୈଶ୍ୱାନରେ
ତିଳ ତଣ୍ଡୁଳ ଯବାଦି ଘେନି ନିଜକରେ ।
ପଲାଶ ଉଦୁମ୍ୱର ଯେ ଆଦି କ୍ଷୀରକାଠ
ଭଇଞ୍ଚ ଜାମୁ ଜମ୍ୱିକ ଏ ସମିଧ ଅଷ୍ଟ ।
ବ୍ରହ୍ମା ବରଣ ସେଠାରେ ସହସ୍ରେ ବ୍ରାହ୍ମଣ
ଯଜ୍ଞେ ଯାଗନିକ କରେ ଅଗ୍ନି ଆରୋପଣ ।
ଋକ ଯଜୁ ସାମାଥର୍ବ ଏହି ବେଦ ଚାରି
ଅନବରତରେ ବିପ୍ରେ ପଢ଼ନ୍ତି ଉଚ୍ଚାରି ।
ଜ୍ୟୋତିର୍ବିଦ ଆୟୁର୍ବେଦୀ ବଇଆକରଣୀ
ଗ୍ରାମଦେବତା ପୂଜନ୍ତି କରି ମନ୍ତ୍ରଧ୍ୱନି ।
ବ୍ରହ୍ମା ବିଷ୍ଣୁ ଶିବ ଦୁର୍ଗା ଦିକ୍ପାଳ ଦେବତା
ଯଜ୍ଞେ ପୂଜା କରନ୍ତି ସେ ହୋଇ ଶୁଦ୍ଧଚେତା ।
ଗ୍ରହଗଣ ତିଥି ବାର ନକ୍ଷତ୍ର ସହିତେ
ଏକେ ଏକେ ପୂଜନ୍ତି ସେ ଯଥା ବିଧିମତେ ।
ମନ୍ତ୍ରାଧୀନ ଦେବତାଏ ଯେଝା ଯାନେ ବସି
ଯଜ୍ଞ ନିକଟରେ ସର୍ବେ ପ୍ରବେଶନ୍ତି ଆସି ।
ଏ ସମୟେ ମାୟା କଲେ ପ୍ରଭୁ ମାୟାଧର
ସକଳ ପୁଅଙ୍କୁ କ୍ଷୁଧା ଲାଗିଲା ଅପାର ।
କୃଷ୍ଣଙ୍କୁ ବୋଇଲେ ଚାଲ ଗୃହେ ଫେରିଯିବା
ଯେଝା ଘରେ ଅନ୍ନ ଭୁଞ୍ଜି ପୁଣିହିଁ ଆସିବା ।
ବତ୍ସାମାନଙ୍କୁ ଲୋଡ଼ିଣ ଦେବା ନେଇ ପାଣି
ବାହୁଡ଼ିଣ ପୁନରପି ଚରାଇବା ଆଣି ।
କୃଷ୍ଣ ବୋଇଲେ ଏଠାକୁ ଘର ଆମ୍ଭେ ଦୂର
ଅକସ୍ମାତେ ମିଳିଲେକ ଆସି ଏହି ପୁର ।
ପଞ୍ଚାଶ ଯୋଜନ ଆସିଗଲେ କହୁଁ କହୁଁ
ବଡ଼କ୍ଷୁଧା ଲାଗିବଟି ଗୃହେ ଫେରିଯାଉଁ ।
ଏହି ଶାସନେ ମାଗିଣ ଅନ୍ନ ଯେ ଭୁଞ୍ଜିବା
ବ୍ରାହ୍ମଣଙ୍କ ଯଜ୍ଞ ଦେଖି ବାହୁଡ଼ିଣ ଯିବା ।
ପ୍ରତ୍ୟକ୍ଷରେ ବୈଶ୍ୱାନର ସେଠାରେ ଅଛନ୍ତି
ମୂର୍ତ୍ତିମନ୍ତେ ସର୍ବଦେବ ଚରୁକୁ ଭୁଞ୍ଜନ୍ତି ।
ଏତେଦୂର ଆସିଥାଇ ନ ଦେଖିଲେ ତାହା
କେଉଁପରି ଫେରିଯିବା କହୁଅଛ ଏହା ।
ଏତେ ବୋଲି ପଶିଲେକ ସର୍ବେ ତହିଁ ଯାଇ
ଆଗପଛେ ଗୋପବାଳେ ଅଛନ୍ତି ଗୋଡ଼ାଇ ।
ଗଗନୁ ଖସି ପଡ଼ଲେ କିବା ତାରାପନ୍ତି
ତହିଁ ମଧ୍ୟରେ ଉଦୟ ଅବା ଚନ୍ଦ୍ରଜ୍ୟୋତି ।
କାହ୍ନୁ ସଂକର୍ଷଣ ତେହ୍ନେ ପାଉଛନ୍ତି ଶୋଭା
ଲାବଣ୍ୟ କୋଟିନିଧିକୁ କାମଦେବ ପ୍ରଭା ।
ନୀଳେନ୍ଦୀ ଦଳ ପରାୟେ ବିକାଶଇ ତନୁ
ନୀଳମେଘରେ ଯେସନ ଶୋହେ ଇନ୍ଦ୍ରଧନୁ ।
ବରହିପୁଚ୍ଛ ପରାୟ ତାଳୁପରେ ଚୂଳ
ଆଜାନୁ ଭୁଜ ବିସ୍ତାର ଅଟେ ବକ୍ଷସ୍ଥଳ ।
କର୍ଣ୍ଣରେ କୁଣ୍ଡଳ ବେନି ଢଳଢଳ ଲୁଳେ
କଟିରେ ଝୀନବସନ କଠାଉ ପୟରେ ।
ଅପାଙ୍ଗ ଲୋଚନ ଡୋଳା ଚଞ୍ଚଳ ଚାହାଣି
ଅଣ୍ଡିର କୋକିଳ ସମ ଉଚ୍ଚାରିବା ବାଣୀ ।
ବିମ୍ୱଫଳକୁ ଜିଣିଣ ଶୋହଇ ଅଧର
ଭ୍ରୁଲତା କି ଅବା କାମଦେବ ପଞ୍ଚଶର ।
ପଦ୍ମବନ ମଧ୍ୟେ ଯେହ୍ନେ ରାଜହଂସ ମେଳା
ତେସନ ଶୋଭା ପାଆନ୍ତ ଯଶୋଦାଙ୍କ ବଳା ।
ବ୍ରାହ୍ମଣମାନେ ସମସ୍ତେ ଯଜ୍ଞେ ଛନ୍ତି ରହି
ଅନ୍ନାଦି ରାନ୍ଧି ବ୍ରାହ୍ମଣୀ ଛନ୍ତି ପଥ ଚାହିଁ ।
ଏକାଳେ ଶାସନ ମଧ୍ୟେ ପଶିଲେ ଶ୍ରୀହରି
ସମସ୍ତେ ଚାହିଁ ଅଛନ୍ତି ଏକଦୃଷ୍ଟି କରି ।
କେ ବୋଲେ ଅମର ତେଜି ଆସେ ମଘବାନ
କିବା ଅଇଲେ ବୈକୁଣ୍ଠ ତେଜି ଭଗବାନ ।
କେହୁ ବୋଇଲେ ଦେବତା ପଶୁପତି କିବା
କେ ବୋଲେ ଗନ୍ଧର୍ବରାଜ ଅଇଲା କି ଅବା ।
ଯମ କୁବେର ବରୁଣ ଧରି ବାଳମୂର୍ତ୍ତି
ସୁନ୍ଦର ସୁସଞ୍ଚରୂପେ ଆସି ବିଜେ କ୍ଷିତି ।
ହର କୋପାନଳେ କାମ ଥିଲା ଦଗ୍ଧ ହୋଇ
ମୂର୍ତ୍ତିମନ୍ତ ହୋଇ କିବା ପୁଣି ସେ ଆସଇ ।
କେ ବୋଲେ ଚନ୍ଦ୍ରଦେବତା ରୋହିଣୀର କାନ୍ତ
ନରରୂପେ ମର୍ତ୍ତ୍ୟପୁରେ କି ଅବା ଆଗତ ।
କେହୁ ବୋଲେ ଏହୁ ପୁରେ ପୁଣ୍ୟ ବିକାଶିଲା
କଳପନା କାମନିଧି ଏଠାକୁ ଆସିଲା ।
କେ ବୋଲେ ମୋହର ଘରବରେ ନାହିଁ କାର୍ଯ୍ୟ
ଯେ ଯାହା ବୋଲିବ ମୋତେ ବୋଲୁପଛେ ଆଜ ।
ଛାଡ଼ିବଇଁ କୁଳଲଜ୍ଜା ହେବି ୟାର ଦାସୀ
ଏଥିପାଇଁ ପଛେ ମୋତେ କରୁଥାନ୍ତୁ ଦୋଷୀ ।
କେଉଁ ବ୍ରାହ୍ମଣୀ ବୋଲଇ ମୋର ପୁଣ୍ୟ ନାହିଁ
ଅନୁକ୍ଷଣେ ଦେଖୁଥାନ୍ତି ୟାର ମୁଖ ମୁହିଁ ।
କୋଟିଏ ଯୁଗ ଦୁଷ୍କୃତ କରନ୍ତି ବିନାଶ
କୌଣସି ଦେବତା ଏହି ନୁହଇ ମନୁଷ୍ୟ ।
କେ ବୋଲେ ଏମନ୍ତ ରୂପ ଦେଖିଲା ତ ନାହିଁ
କେବୋଲେ କାହୁଁ ଅଇଲେ ପଚାହର ଗୋ ଯାଇ ।
କେବଣ ଜାତି ଗୋ କେଉଁ ନାମ ଏହାଙ୍କର
କି ନିମନ୍ତେ ଅଇଲେ ଗୋ କାହିଁ ୟାଙ୍କ ଘର ।
ସଙ୍ଗରେ ପୋଏ ଅଛନ୍ତି ତାଙ୍କ ପୁଣ୍ୟ ଭଲା
କେତେକାଳ ବସି ଧାତା ଅବା ଗଢ଼ିଥିଲା ।
ଧବଳ ରୂପକୁ କଳାରୂପ ଗୋ ବଳଇ
ୟାଙ୍କ ରୂପ ଦେଖି ନେତ୍ରେ କୃତାର୍ଥ ହେଲାଇଁ ।
ଜଟାମୁକୁଟ ମସ୍ତକେ ଶୋହେ ଦିବ୍ୟମଣି
ଶିରେ ମଉଳି ମଣ୍ଡିତ ନାଗ ସପ୍ତଫେଣି ।
କଣ୍ଠତଟେ ଶୋଭାପାଏ କୁସୁମର ମାଳା
ୟାଙ୍କରୂପ ଦେଖି କେବା ନୋହିବ ବାଉଳା ।
ଏତେ ବୋଲି ବ୍ରାହ୍ମଣୀଏ ହୋଇ ଧରାଧରି
ରାମକୃଷ୍ଣ ପାଶେ ମିଳି ପୁଚ୍ଛନ୍ତି ଏପରି ।
କେବଣ ନାମ ତୁମ୍ଭର କେଉଁଠାରେ ଘର
କିଏ ସେ ତୁମ୍ଭର କହ ଜନନୀ ପିଅର ।
କି ନିମନ୍ତେ ଏହିଠାକୁ ଆସିଅଛ ଅବା
ଏଥିର ବାରତା କହି ସଂଶୟ ଫେଡ଼ିବା ।
ଶ୍ରୀହରି ବୋଲନ୍ତି ତାଙ୍କୁ ଶୁଣ ଶୁଭ୍ରକେଶି
ଗୋପପୁରେ ଘର ଆମ୍ଭେ ନନ୍ଦଙ୍କର ଶିଷି ।
ବାଛୁରୀ ଚରାଉଁ ଆମ୍ଭେ ପଥ ହେଲୁ ବଣା
କେତେଦୂର ଅଈଲୁଣି ନ ପାଉ କଳନା ।
ଏଠାରେ ପ୍ରବେଶ ଆମ୍ଭେ ହୋଇଲୁଁ ନ ଜାଣି
ଏତେବେଳେଯାଏ ଆମ୍ଭ ନାହିଁ ଅନ୍ନପାଣି ।
ଶୁଣିଣ ବ୍ରାହ୍ମଣୀମାନେ ହୋଇଲେ ଉସତ
ନିଜ ନିଜ ଘରୁ ସବୁ ଆଣିଦେଲେ ଭାତ ।
ଗୋପପୁଅଙ୍କ ସଙ୍ଗତେ ରାମ ଶିରୀଧର
ଆନନ୍ଦେ ଖାଇ ସନ୍ତୋଷ କରିଲେ ଉଦର ।
ତତକ୍ଷଣେ ଅନ୍ତର୍ଦ୍ଧାନ ହୋଇଗଲେ ତହୁଁ
ପ୍ରବେଶ ହୋଇଲେ ଆସିଥିଲେ ପୂର୍ବୁ ଯହୁଁ ।
ଯାହାଙ୍କର ମାୟା ଦେବାସୁରେ ଅଗୋଚର
ତାହାଙ୍କୁ ଚିହ୍ନିବେ ଅବା କାହୁଁ ସ୍ତିରୀ ଛାର ।
ଯାଗଶାଳରୁ ବ୍ରାହ୍ମଣେ ଗଲେ ଯେ ଯାହାରେ
ପ୍ରବେଶ ହୋଇଲେ ଯାଇ ଆପଣା ମନ୍ଦିରେ ।
ଭର୍ତ୍ତାମାନଙ୍କୁ ବୋଇଲେ ଆସି ବିପ୍ରନାରୀ
ନନ୍ଦନନ୍ଦନ ସେ ଆଣିଥିଲେ ଆମ୍ଭ ପୁରୀ ।
ଗୃହେ ଗୃହେ ମାଗି ଅନ୍ନ ଭୁଞ୍ଜିକରି ଗଲେ
ନବଘନ ରୂପ ଆମ୍ଭେ ଦେଖିଲୁଁ ବୋଇଲେ ।
ଶୁଣିଣ ବ୍ରାହ୍ମଣମାନେ କରିଲେ ବିଚାର
ଅଖିଳ ବ୍ରହ୍ମାଣ୍ଡନାଥ ସେ ନନ୍ଦକୁମର ।
କଳ୍ପଯାଏ ଯୋଗୀ ଯାକୁ କରୁଥାନ୍ତି ଲୟେ
ପୁରୁଷଙ୍କର ଉତ୍ତମ ପ୍ରଭୁ ଦେବରାୟେ ।
ଧନ୍ୟ ତୁମ୍ଭେ ନାରୀମାନେ ଧନ୍ୟ ତୁମ୍ଭ ତପ
ଚର୍ମ ନୟନେ ଦେଖିଲ ସେ ପରମ ତପ ।
ତୁମ୍ଭଙ୍କୁ ଦେଖିଲୁଁ ଆମ୍ଭେ ଧନ୍ୟ ଆମ୍ଭ ଜନ୍ମ
ଏତେ ବୋଲି ପତ୍ନୀଗଣେ କଲେ ମାନ୍ୟ ଧର୍ମ ।
ଏଥୁ ଅନନ୍ତରେ ରାମ ସଙ୍ଗେ ଜନାର୍ଦ୍ଦନ
ଗୋପାଳପୁଅଙ୍କୁ ଘେନି ବିହରନ୍ତି ବନ ।
ଧେନୁ ବରଡ଼ିଆ ବତ୍ସା ଅଣ୍ଡିର ଯେ ମାଈ
ନନ୍ଦ ନୃପତିର ଗାଈ କଳନା ନ ଯାଇ ।
ସେ ସମସ୍ତଙ୍କୁ ଉତ୍ତମ ଘାସ ଜାଗା ଦେଖି
ଚରାଅନ୍ତି ଗୋପବାଳେ ହୋଇ ଡକାଡକି ।
ଚରାଉଁ ଚରାଉଁ ବେଳ ହେଲା ଅବସାନ
ଏକତ୍ର ହୋଇଣ ତହୁଁ ଗୋପ ଶିଶୁଗଣ ।
ବନ ପରବତୁ ଗାଈ ଅଡ଼ାଇ ଆଣିଲେ
ନଦୀରେ ପାଣି ପିଆଇ ପୁରେ ବାହୁଡ଼ିଲେ ।
ଶୁକମୁନି ବୋଇଲେ ହେ ଶୁଣ ନୃପବର
ଗୁପତରେ ରହିଥିଲେ ଷଣ୍ଢା ବକାସୁର ।
ଦୁହେଁ ଯାକ ବିଚାରିଲେ ଏକମନ ହୋଇ
କଂସ ପଠାଇଲେ ଶତ୍ରୁ ମାରିବାର ପାଇଁ ।
ଆଜି ପର୍ଯ୍ୟନ୍ତ ତାହାର ନ କଲେ ତ କାର୍ଯ୍ୟ
କିସ ବୋଲିବ ଆମ୍ଭଙ୍କୁ ବୀର ଭୋଜରାଜ ।
କଳେ କଉଶଳେ ଆମ୍ଭେ ଶତ୍ରୁ ସଂହାରିବା
ତେବେ ସିନା ଲୋକମୁଖେ ପୌରୁଷ ପାଇବା ।
ଏତେ ବିଚାରି ସେ ଦୁହେଁ ଧରି ଏକମୂର୍ତ୍ତି
ରାମକୃଷ୍ଣଙ୍କୁ ଏକତ୍ରେ ଝାମ୍ପିଲେ ଝଟତି ।
ଆକାଶମାର୍ଗେ ତାଙ୍କର ଶିର ଲାଗେ ଯାଇ
ଗର୍ଜ୍ଜଇ ଯେ ଷଣ୍ଢାସୁର ବାହାନାଦ ଦେଇ ।
ଖୁରାଘାତେ କମ୍ପୁଅଛି ଚଉଦ ବ୍ରହ୍ମାଣ୍ଡ
ନିଃଶ୍ୱାସ ବାତ କି ଅବା ଅଣଞ୍ଚାଶ ଖଣ୍ଡ ।
ପ୍ରଫୁଲ୍ଲିତ ରୋମାବଳି ବଙ୍କିମ ଚାହାଣୀ
ଲାଙ୍ଗୁଡ଼ ପୁଚ୍ଛେ ଉହାଡ଼ି ହେଲେ ଦିନମଣି ।
ଶଗଡ଼ଚକ ପରାୟେ ଦିଶେ ନେତ୍ର ବେନି
ଅଛିଦ୍ରେ ପୂରିଲା ଚରାଚର ଯେ ମେଦିନୀ ।
କଂସ ସମାନେ ଅଟନ୍ତି ସେହି ବେନି ବୀର
ପୃଥିବୀ ନ ସହିପାରେ ଯାହାଙ୍କର ଭାର ।
କଂସର ଆଜ୍ଞା ପାଇ ସେ ଛନ୍ତି ପରିଘାଇ
ଆସିଛନ୍ତି ରାମକୃଷ୍ଣ ସଂହାରିବା ପାଇଁ ।
ଅପାର ଦିନୁ ସେ ଥିଲେ କ୍ଷୁଦ୍ରରୂପ ହୋଇ
ଆସିଣ ସମର କଲେ ବେଳକାଳ ପାଇ ।
ଅସୁରଙ୍କର ସ୍ୱରୂପ ଦେଖି ତେଜୋମୟ
ସ୍ୱର୍ଗେ ଦେବତାମାନଙ୍କୁ ଲାଗେ ବଡ଼ ଭୟ ।
ବୃହସ୍ପତିଙ୍କୁ ପୁଚ୍ଛଇ ଦେବ ମଘବାନ
ଷଣ୍ଢା ବକା କେତେବେଳେ ହୋଇବେ ନିଧନ ।
ବଡ଼ ପ୍ରତାପୀ ଦଇତେ ମାୟାରୂପ ଧାରୀ
ନ ପୁଣ ସ୍ୱର୍ଗ ଭୁବନ କରନ୍ତି ସେ ଜୁରି ।
କଂସର ସମାନ ବଳ ଧରନ୍ତି ଶରୀରେ
ଦେଖି ବଡ଼ ଭୟ ମୋର ଜନ୍ମଇ ହୃଦରେ ।
ବୃହସ୍ପତି ବୋଇଲେକ ଶୁଣ ଶଚୀପତି
ଷଣ୍ଢା ବକା ଏହିକ୍ଷଣି ହେବେ ବିନଶ୍ୟତି ।
ଶ୍ରୀହରିଙ୍କର କରରେ ହୋଇବେ ବିନାଶ
ହୃଦୟରୁ ଚିନ୍ତା ତେଜ ଆହେ ଦେବଈଶ ।
ଏଣେ ସେ ଦଇତ ବେନି ହୋଇ କୋପାନଳ
ରାମ କୃଷ୍ଣଙ୍କ ଉପରେ ହେଲେ ଅନ୍ତରାଳ ।
କହୁଁ କହୁଁ ଉପରକୁ ପଡ଼ିଲେକ ମାଡ଼ି
ଯେସନେ ବେନି ପର୍ବତ ଏକତ୍ରରେ ପଡ଼ି ।
ଖଣ୍ଡେ ଦୂରରେ ଦେଖିଲେ ଥାଇ ଗୋପବାଳେ
ପଛକୁ ନ ଚାହିଁ ସର୍ବେ ପଳାନ୍ତି ସକଳେ ।
କେହୁ ବନ ଲତା ମଧ୍ୟ ଲୁଚିଲେକ ଯାଇ
କେହୁ ପର୍ବତ ଉପରେ ଉଠେ ଭୟ ପାଇ ।
କେ ବୃନ୍ଦାବନେ ପଶିଲେ କେ ପଶିଲେ ଜଳେ
ଘରକୁ ପଳାଇଗଲେ ଥୋକାଏ ଗୋପାଳେ ।
ଏକା ରାମକୃଷ୍ଣ ଛନ୍ତି କାଳିନ୍ଦୀର ତଟେ
କହୁଁ କହୁଁ ଦଇତେ ଯେ ମିଳିଲେ ନିକଟେ ।
ମହା ବିକରାଳ ରୂପ ଧରି ବକାସୁର
ଥଣ୍ଟ ପ୍ରହାରିଲା ନେଇ ରାମଙ୍କ ଉପର ।
ପର୍ବତହୁଁ ଆଣ୍ଟ ବକାସୁର ଥଣ୍ଟଗୋଟି
କିଞ୍ଚିତରେ ପ୍ରହାରିଲେ ମେରୁ ଯିବ ଫାଟି ।
ସେ ଥଣ୍ଟ ବାଜନ୍ତେ ବଳଦେବ ବକ୍ଷସ୍ଥଳେ
ଉଠିଲା ପ୍ରଚଣ୍ଡ ବହ୍ନି ତେଜ ଅନ୍ତରାଳେ ।
ବକ୍ଷସ୍ଥଳେ ବାଜନ୍ତେଣ ନୋହିଲାକ କିଛି
ସ୍ତମ୍ଭୀଭୂତରେ ଅସୁର ମନେ ମନେ ପାଞ୍ଚି ।
ପୁଣି ଆରବେଳ ଥଣ୍ଟ ମାରେ ଲେଉଟାଇ
ଦେଖି ବଳରାମ ଅଙ୍ଗ ପାତିଦେଲେ ନେଇ ।
ବାରମ୍ୱାର ଥଣ୍ଟ ନେଇ ପ୍ରହାରଇ କିନା
ଗଳଗାଜି ଯୁଦ୍ଧକଲା ବକାସୁର ଜେନା ।
ଥଣ୍ଟଘାତେ ବିଦାରଇ ରାମ ବକ୍ଷସ୍ଥଳ
ଦେଖିକରି କୋପାନଳ ହେଲେ କାମପାଳ ।
ଦକ୍ଷିଣ କରରେ ଧରି ମାରି ବଜ୍ର ମୁଷ୍ଟି
ବାମକରେ ଧଇଲେକ ତଚାର ଥଣ୍ଟଗୋଟି ।
ଦୁଇ ହାତେ ଦୁଇ ଥଣ୍ଟ ଧରି ହଳଧାରୀ
ଦୁଇଫାଳ କରି ତାକୁ ପକାଇଲେ ଚିରି ।
ଯେମନ୍ତେ ଜୀର୍ଣ୍ଣ ବସ୍ତ୍ରକୁ ଚିରଇ ରଜକ
ସେହିମତ କରି ହଳୀ ଚିରିଲେକ ବକ ।
ପଡ଼ିଲା ବକାସୁର ସେ ବେନିଫାଳ ହୋଇ
ଲୁଚି ପୋଏ ଦେଖୁଥାନ୍ତି ଖଣ୍ଡେଦୂରେ ରହି ।
ବକା ପଡ଼ିବାର ଦେଖି ଷଣ୍ଢା ବେଗେ ଗର୍ଜି
ଶ୍ରୀକୃଷ୍ଣ ଉପରେ ଦୈତ୍ୟ ପଡ଼େ ଗଳଗାଜି ।
ବୁଲାଇଣ ବେନିଶୃଙ୍ଗ ପ୍ରହାରିଲା ଆଣି
ଆଗରୁ ଶ୍ରୀକୃଷ୍ଣ ଥିଲେ ସେହି କଥା ଜାଣି ।
ହାବୋଡ଼ନ୍ତେ ମାଇଲେକ ଆଣ୍ଟେ ବଜ୍ରନାତ
ଜାନୁଭଗ୍ନ ହୋଇକରି ପଡ଼ିଲା ଦଇତ ।
ପଡ଼ୁ ପଡ଼ୁ ତାକୁ ସ୍ୱାମୀ ଧଇଲେକ ତୋଳି
ପୁଚ୍ଛ ଧରି ଗିରିପରେ ପିଟି ବନମାଳୀ ।
ଅନ୍ତରୀକ୍ଷେ ବୁଲାଇଣ ଦେଲେ ଫୋପଡ଼ାଇ
ସମୁଦ୍ର ମଧ୍ୟରେ ଦୈତ୍ୟ ପଡ଼ିଲାକ ଯାଇ ।
ଗୋବିନ୍ଦଙ୍କ କରେ ବଧ ହେଲା ଦୈତ୍ୟଷଣ୍ଢ
ସମୁଦ୍ରେ ପଡ଼ିଲା ଯହୁଁ ତାର ମୃତପିଣ୍ଡ ।
ଦେଖିକରି ଦେବଗଣେ କଲେ ଜୟେ ଜୟେ
ଆଶ୍ଚର୍ଯ୍ୟ ହୋଇଲେ ତାହା ଦେଖି ଗୋପପୁଏ ।
ଗିରି ପ୍ରମାଣେ ଉତ୍ସର୍ଗ ଅସୁରର ପିଣ୍ଡ
ଟେଳା ପରି ସାଗରରେ ପଡ଼େ ଗଣ୍ଡିମୁଣ୍ଡ ।
ହରି ବଳରାମ ହସ୍ତେ ଦୁହେଁ ଗଲେ ନାଶ
ଅନାୟାସରେ ଲଭିଲେ ଯାଇ ସ୍ୱର୍ଗବାସ ।
ପୁଷ୍ପକ ବିମାନ ପରେ ବସିଣ ସେ ଦୁହେଁ
ଅମର ପୁରକୁ ଗଲେ ଦେଖନ୍ତି ସଭିଏଁ ।
ଏହା ଶୁଣି ନରପତି ପରୀକ୍ଷ ପଚାରି
ବଡ଼ ଅସମ୍ଭବ କଥା କହ ତପଚାରି ।
ବକା ଷଣ୍ଢାସୁର ଦୁହେଁ ମହାପାପୀ ଥିଲେ
ଏଡ଼େ ବଡ଼ ପୁଣ୍ୟ ସେହୁ କେହ୍ନେ ଅରଜିଲେ ।
ପାଇଲେ ଅମର ପୁର ଖଣ୍ଡି ମହାପାପ
ଶୁଣିବାକୁ ଇଚ୍ଛା ମୋର କହ ସେ ସ୍ୱରୂପ ।
ଦୁହିଁଙ୍କ ଚରିତ ମୋତେ କହ ମହାମୁନି
ଖଣ୍ଡିବ ମହାପାତକ ଶୁଣି ପୁଣ୍ୟବାଣୀ ।
ରାଜାବଚନେ କହନ୍ତି ଶୁକଦେବ ଯତି
ସାବଧାନେ ହୋଇ ଶୁଣ ଆହେ ନରପତି ।
ଅତି ଗହନ କଥାଏ ପଚାରିଲ ଆଣି
କହୁଅଛୁ ଏବେ ଶୁଣ ପୁଣ୍ୟତମ ବାଣୀ ।
ଏକ ଦିନକରେ ଦଣ୍ଡ କମଣ୍ଡଳୁ ଧରି
ରତ୍ନାକର ଭୁବନରେ ବିଜେ ମୁଖଚାରି ।
ବରୁଣ ରାଜାର ଥିଲେ ଦୁଇଗୋଟି ସୁତ
ହନ୍ତକ ସରଣୀ ବୋଲି ଜହତେ ବିଖ୍ୟାତ ।
କୁମାର ବୟସ ତାଙ୍କ ନ ଜାଣନ୍ତି କିଛି
ନୟନରେ ଦେଖିଲେକ ସେ ଦେବବିରଞ୍ଚି ।
ବ୍ରହ୍ମାଙ୍କର ରୂପ ଦେଖି କଲେ ଉପହାସ
ବୋଇଲେ ଦେଖା ତ ନାହିଁ ଏ ରୂପ ଭବିଷ୍ୟ ।
ତିନି ଭୁବନେ ଏମନ୍ତ ରୂପ ଦେଖାନାହିଁ
ଏକକାନ୍ଧେ ଚାରିଗୋଟା ମୁଣ୍ଡ ଅଛି ବହି ।
ପୃଥୁଳ କଳେବର ସେ ମସ୍ତକ ଟାଙ୍ଗରା
ଦାଢ଼ି ଲମ୍ୱିଅଛି ଆଣ୍ଠୁଯାଏ କେରା କେରା ।
ଏତେ ବୋଲିଣ କୁମର ବ୍ରହ୍ମା ମୁଖ ଚାହିଁ
ଉପହାସ କରିଲେ ଯେ କରତାଳି ଦେଇ ।
ଦେଖି ପିତାମହ ତାଙ୍କୁ କଲେ ଗୁରୁକୋପ
ବୋଇଲେକ ଆରେ ଆରେ ଏଡ଼େ ତୁମ୍ଭ ଦର୍ପ ।
ଆମ୍ଭ ପରା ଲୋକକୁ ରେ କଲ ଉପହାସ
ଯଶଶିରୀ ନାଶିକରି ଅରଜିଲ ଦୋଷ ।
ନ ଜାଣି ମୂଢ଼ପଣରେ କଲ ଦୁଷ୍ଟବୁଦ୍ଧି
ଅସୁର କୁଳରେ ଜାତ ହୁଅରେ ଦୁର୍ବୁଦ୍ଧି ।
ଶତଜନ୍ମ ପରିଯନ୍ତେ ଦଇତ ବୋଲାଅ
ମାଂସ ରକତ ଖାଇଣ ସମୟ କଟାଅ ।
ତାହା ଶୁଣି କୁମରେ ଯେ ବିଷାଦିତ ହୋଇ
ବରୁଣକୁ ସେହି କଥା ଜଣାଇଲେ ଯାଇ ।
ବରୁଣ ସେଠାରୁ ଆସି ମିଳି ବ୍ରହ୍ମାପାଶେ
ପୁତ୍ରଙ୍କର ନିମନ୍ତରେ ବହୁ ସ୍ତୁତି ଭାଷେ ।
ନିର୍ମଳ ଚିତ୍ତ ତାଙ୍କର ଦେଖି ପରମେଷ୍ଠୀ
ସଦୟମନେ ସନ୍ତୋଷ ବଚନ ପ୍ରକଟି ।
ବରୁଣକୁ ବୋଲନ୍ତି ଯେ ଦେବ ବେଦପତି
ଦୋଷ ଅନୁକ୍ରମେ ପୁତ୍ରେ ଦେଲୁ ଆମ୍ଭେ ଶାସ୍ତି ।
ତୁମ୍ଭର ଭକ୍ତି ଦେଖିଣ ହୋଇଲି ସନ୍ତୋଷ
ଅଳ୍ପେ ନାଶ ଯିବ ତୁମ୍ଭ ପୁତ୍ରଙ୍କର ଦୋଷ ।
ସତ୍ୟ ତ୍ରେତା ପରେ ହେବ ଦୁଆପର ଯୁଗ
କୃଷ୍ଣ ଅବତାର ହେବେ ଦେବକୀର ଗର୍ଭ ।
ହରି ହଳୀ ଏକଆତ୍ମା କଳା ଧଳା ରୂପେ
ଦେବକୀଗର୍ଭରେ ଜନ୍ମି ବଢ଼ିବେ ସେ ଗୋପେ ।
ବାଳଲୀଳା କରିବେ ତ ବୁଲି କାନନରେ
ଏ ସମୟେ ଭେଟ ହେବେ ଏହି ବେନି ବୀରେ ।
ଷଣ୍ଢା ବକା ନାମେ ହେବେ କଂସ ସେନାପତି
ରାମ କୃଷ୍ଣଙ୍କ ହସ୍ତରେ ହେବେ ବିନଶ୍ୟତି ।
ତେବେ ଯାଇ ଏହାଙ୍କର ଖଣ୍ଡିବଟି ଦୋଷ
ଆମ୍ଭ ଅଭିଶାପ ତାଙ୍କୁ ଫଳିବ ଅବଶ୍ୟ ।
ଶତ ଜନ୍ମୁ ଏକ ଜନ୍ମ ଭୋଗବେଟି ସେହି
ଏହି କଥାଗୋଟି ମନେ ରଖ ଜଳସାଇଁ ।
ତୁମ୍ଭେ ଯେଣୁ ଆମ୍ଭଠାରେ କରିଲ ଭକତି
ତେଣୁ ସ୍ୱରୂପ କହିଲୁ ଆହେ ଜଳପତି ।
ଏତେ କହି ଅନ୍ତର୍ଦ୍ଧାନ ହେଲେ ଚତୁର୍ମୁଖ
ଷଣ୍ଢା ବକା ପୂର୍ବ ଜନ୍ମ ଶୁଣିଲ ପ୍ରତ୍ୟକ୍ଷ ।
ଶ୍ରୀହରିଙ୍କ ହସ୍ତେ ମରି ମୋକ୍ଷ ହୋଇଗଲେ
ତେଣୁସେ ଅମରପୁରେ ଯାଇଣ ରହିଲେ ।
ବିଷ୍ଣୁଙ୍କର ମାୟା କଥା କେ ପାରିବ ଜାଣି
କରେ କେହୁ ବୋହିପାରେ ସପ୍ତସିନ୍ଧୁ ପାଣି ।
ପୁଣ୍ୟ ଭାଗବତ ବାଣୀ ଭକ୍ତଜନେ ଘୋଷ
ଲଭିବ ଧନ କଳତ୍ର ହେବ ମହାଯଶ ।
ବ୍ରହ୍ମବଧ ପରଦାରା ହରଣ ଯେ ପାପ
ହରିବଂଶ ଶୁଣନ୍ତେଣ ହୋଇଯାଏ ଲୋପ ।
ଅତି ରଙ୍ଗେ ରଙ୍ଗା ଅବତାର ଏହୁ ବାଣୀ
ସୁଜନଜନଙ୍କ ହିତେ ବଖାଣଇ ଆଣି ।
ମୁହିଁ ଏକା କହିବାକୁ ନୁହଇ ସମର୍ଥ
ବିଧାତାଙ୍କୁ ଅଗୋଚର ହରିବଂଶ ଅର୍ଥ ।
ଆପେ ଗୋପୀନାଥ ମୋତେ ଯାହାଦ୍ୟନ୍ତି କହି
ଲେଖନ ପତର ଧରି ତାହା ମୁଁ ଲେଖଇ ।
ଏ ଅଟେ ଦଶମସ୍କନ୍ଧ ଭାଗବତ ଅର୍ଥ
ଅଷ୍ଟବିଂଶ ଅଧ୍ୟା ଏଥେ ହେଲା ସମାପତ ।
ଶୁକ ବୋଇଲେ ହେ ଶୁଣ ପରୀକ୍ଷିତ ରାୟେ
ଆଦିତ୍ୟ ଅସ୍ତେ ରଜନୀ ପରବେଶ ହୁଏ ।
ରାମ କୃଷ୍ଣ ସଙ୍ଗେ ପୁତ୍ର ପୁରେ ଗଲେ ଚଳି
ଯଶୋଦା ପାଶେ ମିଳିଲେ ହଳୀ ବନମାଳୀ ।
ପୁତ୍ରଙ୍କୁ ଦେଖିଣ ମାଏ ହୋଇଲେ ହରଷ
କୋଳେ ବସାଇ ଭୁଞ୍ଜାନ୍ତି ଅନେକ ଗୋରସ ।
ଖଣ୍ଡ ଶାକର ପଇଡ଼ ଇକ୍ଷୁରସ ପଣା
ଷଡ଼ରସ ପରକାରେ ସେ ବିଧି ରାନ୍ଧଣା ।
ଭୁଞ୍ଜିଣ ସେ ବେନିଭାଇ ହୋଇଲେ ତୃପତି
ରତ୍ନପଲ୍ୟଙ୍କେ ଶୋଇଲେ ପାତିଣ ସୁପାତି ।
ଏ ସମୟେ ରାତ୍ରଗୋଟି ହୁଅନ୍ତେ ପ୍ରଭାତ
ପୂର୍ବଦିଗରେ ଉଦୟ ଛାୟାଦେବୀ କାନ୍ତ ।
ନନ୍ଦ ଯଶୋଦା ଯେ ଚନ୍ଦ୍ରସେଣା ଆଦିକରି
ପ୍ରଭାତରୁ ଯେଝା ନିତ୍ୟକର୍ମମାନ ସାରି ।
ନିଜ ନିଜ କାର୍ଯ୍ୟରେ ସେ ହୋଇଲେକ ରତ
କ୍ରମେ ନିଦ୍ରା ତ୍ୟାଗ କଲେ ରାମ ଗୋପୀନାଥ ।
ଏଥୁ ଅନନ୍ତରେ ତେଣେ କଂସରାଜା ଦୂତ
ଷଣ୍ଢା ବକା ବାର୍ତ୍ତା ଘେନି ଚଳିଲା ତୁରିତ ।
ଅସୁରେ ବଡ଼ ମାୟାବୀ ଚଳନ୍ତି ସେ ବେଗେ
ନିମିଷକେ ମିଳିଲେକ କଂସରାଜା ଆଗେ ।
ରାତ୍ର ବେନିଘଡ଼ି ରାଜା ଆସ୍ଥାନରେ ବିଜେ
ବେନି ପଟୁଆର ଚତୁରଙ୍ଗ ବଳ ସାଜେ ।
ପାଞ୍ଚ ଅର୍ବୁଦ ରଥୀ ଯେ ଦଶାର୍ବୁଦ ହସ୍ତୀ
ତିନି ବୃନ୍ଦ ଅଶ୍ୱ ବୃନ୍ଦ ଯେ ପଦାତି ।
ଉଦଣ୍ଡ ପାଟଛତ୍ର ଯେ ଏକକୋଟି ଲକ୍ଷ
ନେତ୍ରର ପତନିମାନ ଉଡ଼ଇ ପ୍ରତ୍ୟକ୍ଷ ।
ସହସ୍ରେ ଚାମର ଗୁଗ୍ଗୁଳର ଧୂପ କାଠି
ଅନେକ ପ୍ରକାରେ ବାଜାବାଜେ କୋଟି କୋଟି ।
ମଣିମା ମଣିମା ଡାକ ନିରତେ ପଡ଼ଇ
ପଟୁଆରେ ଦେବଗଣେ ଅଛନ୍ତି ଯେ ରହି ।
ବସ ବୋଲି ତାହାଙ୍କୁ ସେ ନ ବୋଲଇ କ୍ଷଣେ
ଛାମୁରେ ଲକ୍ଷେ ଦିହୁଡ଼ି ଜଳେ ପ୍ରତିଦିନେ ।
ଗଣିକା ଗୀତ ଗାବନ୍ତି ଭାଟେ କରି ସ୍ତୁତି
ସିଂହାସନେ ବସିଛନ୍ତି ଅସୁର ଦୁର୍ମତି ।
ସର୍ବ ଅମନାତ୍ୟେ ହୋଇଛନ୍ତି ଅବଧାନ
ସଭାରେ ବିଜେ କରିଛି ପୁଣି ଉଗ୍ରସେନ ।
ଭୟଙ୍କର ରୂପ ଦିଶେ ରକ୍ତ ବର୍ଣ୍ଣ ନେତ୍ର
ନିଶରେ ହାତ ପକାଇ ବସିଛି ଦଇତ ।
ଚୌରାଶୀକୋଟି ଯାଦବେ ହସ୍ତେ ଖଣ୍ଡା ଘେନି
ସର୍ବେ ଉଭା ହୋଇଛନ୍ତି ରାଜା ଆଜ୍ଞା ମାନି ।
ଅକ୍ରୂର ଅନାଧୃଷ୍ଟ ଯେ ସାତ୍ୟକି ଉଦ୍ଧବ
ଆବର କୃପବ୍ରହ୍ମା ଯେ ବୀର ବାସୁଦେବ ।
ଏହିମାନେ ହୋଇ ମନ୍ତ୍ରୀ ରାଜାକୁ କାରେଣୀ
କଂସ ଲଘିଂ ନ ପାରଇ ଏମନାଙ୍କ ବାଣୀ ।
ଏମାନେ ବସି ଅଛନ୍ତି ଖଣ୍ଡେ ଖଣ୍ଡେ ଦୂରେ
ଯେଝା ଖଟଣିରେ ଛନ୍ତି ରାଜାଙ୍କ ଛାମୁରେ ।
ଯାଠାରେ ଦିଅଇ କଂସ ଭ୍ରୁଭଙ୍ଗିର ଦୃଷ୍ଟି
ନିଉଛାଳି ଚରଣେ ସେ କୋଟିବାର ଲୋଟି ।
ଚାଣୁର ମୁଷ୍ଟିକ ଆଉ କୁବଳୟା ଗଜ
ଏମାନେ ସର୍ବଦା ଥାନ୍ତି ହୋଇ ସଜବାଜ ।
ଏସନକ ସମୟରେ ପ୍ରବେଶିଲେ ଦୂତ
ଛାମୁରେ ସେ କୋଟିବାର ହୋଇ ପ୍ରଣିପାତ ।
ବୋଇଲେ ଭୋ ସାବଧାନେ ଶୁଣ ନୃପମଣି
ଗୋପ ନଗର ବାରତା ଆସିଅଛୁ ଶୁଣି ।
ଭୋ ଦେବ ତୁମ୍ଭ ଆଜ୍ଞାରେ ଷଣ୍ଢାବକା ଗଲେ
ଛଦ୍ରମେ ଯାଇଣ ଗୋପେ ଗୁପତେ ରହିଲେ ।
ଏହିରୂପେ କେତେଦିନ ହୋଇଲା ଅତୀତ
ଏକଦିନେ ଭେଟହେଲେ ସେ ନନ୍ଦର ସୁତ ।
ଆଦିତ୍ୟ ଅସ୍ତ ହୁଅନ୍ତେ କାଳିନ୍ଦୀର କୂଳେ
ଦୁହେଁ ବିକରାଳ ରୂପ ଧରି ଏକ ବେଳେ ।
ରାମ କୃଷ୍ଣ ସଙ୍ଗତରେ ବହୁ ଯୁଦ୍ଧକଲେ
ଅଗୋଚରେ ଅଖଡ଼ରେ ଦୁହେଁ ନାଶଗଲେ ।
ଏରୂପେ ଦୂତଙ୍କ ମୁଖୁ ଶୁଣି ମହାବଳୀ
ସିଂହାସନ ଉପରେ ସେ ପଡ଼ିଲାକ ଢଳି ।
ପୁଣି ଚେତନା ପାଇଣ ରୋଦେ ଉଚ୍ଚସ୍ୱରେ
ବେନି କରକୁ ତାଡ଼ଇ ନେଇ ନିଜ ଶିରେ ।
ଆହା ଦଇବ ବୋଲିଣ ବୋଲେ ଦୈତ୍ୟନାଥ
ମହା ବଳିଷ୍ଠ ସେନା ମୋ ହୋଇଲେ ନିହତ ।
ଆତ୍ମା ସୋଦର ଅଟନ୍ତି ମୋର ଅଷ୍ଟମଲ୍ଲ
ତାହାଙ୍କର ଅଭାବରେ କାହିଁ ମୋତେ ଭଲ ।
ଆହା ଆହା ଷଣ୍ଢା ଆରେ କେଣେ ଗଲୁ ତୁହି
ଆହା ଆହା ବକା ମୋର ରହିଲୁ ତୁ କାହିଁ ।
ଦକ୍ଷବାହୁ ହୋଇଥିଲେ ମୋର ସବୁକାଳେ
ଗଉଡ଼ ଟୋକା ମାଇଲେ କେମନ୍ତେ ଅଖଡ଼େ ।
ଜାଣିଲି ସେ ମହାବୀର ଜଗତ ମଧ୍ୟରେ
ଗଉଡ଼ ବୋଲି ମୁଁ ତାଙ୍କୁ ନ ଆଣେ ନଜରେ ।
ଦେବତା ହୋଇଲେ ମଧ୍ୟ ପାର ତୁମ୍ଭେ ଜିଣି
ଯାହାଙ୍କର ପାଦଭାରା ନ ସହେ ଧରଣୀ ।
ମେରୁଗିରି ଚୂରିପାର କ୍ଷଣକ ମଧ୍ୟରେ
ଏଡ଼େ ବଡ଼ ବୀର ହୋଇ ମଲ ଅଖଡ଼ରେ ।
ନନ୍ଦସୁତେ ହୋଇଲେ ଯେ ମହାଶତ୍ରୁ ମୋର
ଉଜାଡ଼ି ନଷ୍ଟ କରିବି ଭାଙ୍ଗି ଗୋପପୁର ।
ମୋର ଭଳି ଲୋକ ପୁଣି ପାଏ ଉପହାସ
ନିସତ ହୋଇଲେ ଅବା ହୋଇବଟି କିସ ।
ସାଜ ସାଜ ସୈନ୍ୟ ମୋର ସାଜରେ ତୂରିତ
ଗୋପନଗର କରିବି ଆଜି ଭସ୍ମସାତ ।
ଖଣ୍ଡାରେ ଗୋପାଳଙ୍କର ଛେଦିବଇଁ ମୁଣ୍ଡ
ଅନଳରେ ପୋଡ଼ିବଇଁ କରି ଖଣ୍ଡ ଖଣ୍ଡ ।
ଦହିଦୁଧବିକାଙ୍କର ଏଡ଼େକ ଦିମାକ
ଏତେ ବୋଲି ଗରଜଇ ଅସୁରତିଳକ ।
ଏ ସମୟେ କର ଯୋଡ଼ି ବୋଲେ କେଶୀବୀର
ଭୋ ଦେବ ସମୟେ ନୋହେ କୋପକୁ ସଂହର ।
ହାତୀ କାହୁଁ ମୂଷା ସଙ୍ଗେ କରିବ ସମର
ସିଂହ ହୋଇଣ ଶୃଗାଳ ସଙ୍ଗେ ଯୁଦ୍ଧ ଘୋର ।
ଲୋକେ ଉପହାସ କଥା ସମାଜରେ ଲାଜ
ଅତଏବ ବୃଥା କୋପ ହୃଦୟରୁ ତେଜ ।
ଗୋପନଗ୍ରଯାକ ଆମ୍ଭ ନୁହନ୍ତି ବଇରୀ
କେତେ ପାପ ଅର୍ଜିବା ବା ନିର୍ଦ୍ଦୋଷୀଙ୍କି ମାରି ।
ଏକା ନନ୍ଦପୁଅ ରାମ କୃଷ୍ଣ ବେନିଗୋଟି
ତାହାଙ୍କୁ ନାଶ କରିଲେ ସରିବ ଅରିଷ୍ଟି ।
ତୃଣ ପରାୟ ସେ କଥା ଲାଗଇ ନା ମୋତେ
ଜୀବନ୍ତା ବାନ୍ଧିଆଣିଣ ଦେବି ତୋ ଅଗ୍ରତେ ।
ଉତ୍କଣ୍ଠା ନୁହ ସମୟ ଯାଉ ଏଭେ ଗଡ଼ି
ପାସୋରିଲେ ଉପାୟ ତ କରିବା ବାହୁଡ଼ି ।
ସାମାନ୍ୟ ଶତ୍ରୁର ସଙ୍ଗେ ପଟୁଆର କରି
କି ଯଶ ପାଇବା ଭାବ ହେ ବୀରକେଶରୀ ।
ତୁମ୍ଭେ ମନେ କଲେ ପ୍ରଜା ସୃଷ୍ଟି ନାଶିପାର
ଛାର ଗଉଡ଼ବାଉଡ଼ କେତେକ ମାତର ।
ଯାହାର ନାମ ଶୁଣନ୍ତେ ପିଳେହି ଯେ ପାଣି
ଯାହାର ନାମେ ଗଭୁରି ପକାନ୍ତି ଗର୍ଭିଣୀ ।
ଯାହାର ନାମେ ଅମର ହ୍ୱନ୍ତି ଥରହର
ମୂର୍ଖ ଗଉଡ଼େ ତାହାଙ୍କୁ କେତେକ ମାତର ।
ସ୍ଥିର ହୁଅ ଧୈର୍ଯ୍ୟ ଧର ଆହେ ମହାରାଜ
ସମୟ ପାଇ ସାଧିବା ଆପଣାର କାର୍ଯ୍ୟ ।
କେଶୀର ବଚନ ଶୁଣିଲ କଂସ ହେଲା ତୋଷ
ଆସ୍ଥାନ ମଉଳି ଗୃହେ ଚଳିଲା ରାକ୍ଷସ ।
ସମସ୍ତ ଯାଦବମାନେ ଗଲେ ଯେଝାପୁର
ଶୁକମୁନି ବୋଲୁଛନ୍ତି ପରୀକ୍ଷ ଆଗର ।
ରାମକୃଷ୍ଣ ବେନିଭାଇ ବିଜେ ନନ୍ଦଘରେ
ଅଚ୍ୟୁତ ଦାସ ଗୋଡ଼ାଇଅଛି ଯେ ପଛରେ ।
ଭୂତକେଳି
[ସମ୍ପାଦନା]ଶୁକମୁନି ବୋଇଲେକ ଶୁଣ ପରୀକ୍ଷିତ
ପବିତ୍ର ଅଟଇ ହରିବଂଶର ଚରିତ ।
ସେ ଦିନ ରଜନୀ ଯହୁଁ ହୋଇଲା ପ୍ରବେଶ
ମାୟା ବିରଚିଲେ ତହୁଁ ପ୍ରଭୁ ଜଗଦୀଶ ।
କେହି ନ ଜାଣନ୍ତି ଏକା କୁଞ୍ଜବନେ ଗଲେ
ଶ୍ରୀହସ୍ତେ ବିରହ ବଂଶୀ ଧରିଣ ଚଳିଲେ ।
କଦମ୍ୱମୂଳରେ ଯାଇ ହୋଇଲେ ପ୍ରବେଶ
କାମଦେବ ପ୍ରାୟେ ରୂପ ଧରି ପୀତବାସ ।
ଧୀରେ ବେଣୁ ବଜାଇଲେ ଗାନ୍ଧାର ଉଚ୍ଚାରି
ମଦନେ ଆରତ ଯେଣୁ ହେଲେ ଦେବହରି ।
ରାଧାନାମ ଧରିଣ ସେ ବାଇଲେ ମୂରଲୀ
ସେ ମୂରଲୀଧ୍ୱନି ରାଧା ଶୁଣେ କର୍ଣ୍ଣ ଡେରି ।
ପୁଣ ପୁଣ ରାଧାନାମେ ଡାକନ୍ତେ ଉଚ୍ଚରେ
ପୁଲକିତ ଚନ୍ଦ୍ରାବଳୀ ବିରହୀ ବଂଶୀରେ ।
ହାଇ ଘନ ଘନ ଉଠେ ଚାହେଁ ଦଶଦିଶ
ବେଣୁ ଶୁଣି ରାଧିକାର ଉଡ଼ିଲା ସାହସ ।
ଶ୍ରୀକୃଷ୍ଣଙ୍କଠାରେ ମନ ଦେଇ ଗୋପନାରୀ
ମନ୍ଦିରୁ ବାହାର ହେଲା ମଙ୍ଗଳା ସୁମରି ।
ବଇଁଶୀ ଧ୍ୱନି ବାରିଣ ଚଳେ ପୂର୍ବଦିଗେ
ପ୍ରବେଶ ହୋଇଲା ଯାଇ କୁଞ୍ଜବନ ଭାଗେ ।
ଯେବଣ ସ୍ଥାନେ ଗୋବିନ୍ଦ ଛନ୍ତି ବିଜେକରି
ସେହିଠାରେ ପରବେଶ ହେଲା ଗୋପନାରୀ ।
ଦେଖିକରି ଗୋପୀନାଥ ହେଲେ ଆନନ୍ଦିତ
ଆଜନମ ଦୁଃଖୀ କିବା ହେଲା ନିଧି ପ୍ରାପ୍ତ ।
ତେସନ ରାଧିକା ସଙ୍ଗେ ହେବ ମଧୁହାରୀ
କୁଞ୍ଜବନେ ପୁହାଇଲେ ସେ ଦିନ ଶର୍ବରୀ ।
ଏ ସମୟେ ରାତ୍ର ଯାଇ ହୋଇଲା ପ୍ରଭାତ
ଦରହସିତେ ବୋଲନ୍ତି ବସୁଦେବ ସୁତ ।
କି ଉପାୟେ ଆଜି ଘରେ ଯିବ ହେ ମିତଣି
କହୁଁ କହୁଁ ଉଦେହେଲେ ନଭେ ଦିନମଣି ।
ଶାଶୁ ନଣନ୍ଦ ତ ତୋତେ ଦେବେ ନିଶ୍ଚେଁ ଗାଳି
ମିଛ କଥା ବୋଲୁଥାନ୍ତି ଦାଣ୍ଡେ ହାଟେ ବୁଲି ।
କି ଉପାୟେ ଆଜି ଘରେ ପଶିବ ଯେ ଯାଇ
ଶୁଣି କୃଷ୍ଣଙ୍କୁ ବୋଇଲେ ହସି ହସି ରାଈ ।
ଏ ଛାର କଥାକୁ ତୁମ୍ଭେ କରୁଛ ଭାଳେଣି
ବୃଦ୍ଧି ଥିଲେ ସବୁ କଥା ସାଧ୍ୟ ହୁଏ ପୁଣି ।
ମୁହିଁ ଘରେ ଯାଉଅଛି ତୁମ୍ଭେ ଏଥେ ଥାଅ
ଉତ୍ତମ ଦ୍ରବ୍ୟ ପଠାଇ ଦେବି ଦେବରାୟ ।
ମନ୍ଦିରେ ପ୍ରବେଶ ମୁହିଁ ହେବି ଯେତେବେଳେ
ଘୁମାଇଣ ନିଦ୍ରା ଯିବ ସଖୀଙ୍କର ମେଳେ ।
ପ୍ରଚଣ୍ଡ ଅବତାର ମୁଁ ହେବି ଅକସ୍ମାତେ
ବୋଲିବଇଁ ବ୍ରହ୍ମଦୈତ୍ୟ ଲାଗିଅଛି ମୋତେ ।
କୁଞ୍ଜବନେ ରହିଥାଅ ଆହେ ଦେବହରି
ଷଡ଼ରସଦ୍ରବ୍ୟ ଗୋପାଳେ ଦେବେ ଆଣିକରି ।
ଏମନ୍ତ କହିଲା ଯହୁଁ ଚନ୍ଦ୍ରାବଳୀ ବାଳୀ
ଶୁଣିକରି ଦୁର୍ହସିତ ହେଲେ ବନମାଳୀ ।
ବୋଇଲେ ସ୍ତିରୀଙ୍କର ତ ଅଟେ କେଡ଼େ ବୁଦ୍ଧି
ପ୍ରମଦା ନାମ ତେଣୁଟି ଜଗତେ ପ୍ରସିଦ୍ଧି ।
ସ୍ତିରୀଙ୍କର ମାୟା ଆନେ ନୁହଇ ତ ଜାଣି
ବ୍ରହ୍ମା ଭଳି ଲୋକ ଯାକୁ ନ ପାରିଲା ଜିଣି ।
ସ୍ତିରୀଯୋଗେ ଏ ସଂସାର ହୁଏ ଆତ ଯାତ
ସ୍ତିରୀ ବଡ଼ ବୁଦ୍ଧିମତୀ ଜଗତେ ବିଖ୍ୟାତ ।
ଦେବତା ହୋଇଲେ ମଧ୍ୟ ସ୍ତିରୀଠାରେ ବଶ
ସ୍ତିରୀଙ୍କ ଦାଢୁ ଉବୁରି ଯିବ କେ ମନୁଷ୍ୟ ।
ସ୍ତିରୀ ଗୃହଲକ୍ଷ୍ମୀ ବୋଲି ବୋଲନ୍ତି ସଂସାରେ
ସ୍ତିରୀଲାଗି ଜନମିଲି ଆସି ମୁଁ ମର୍ତ୍ତ୍ୟରେ ।
ଏତେ ବୋଲି ରାଧିକାଙ୍କୁ ଆଜ୍ଞା ଦେଲେ ହରି
ଯାଅ ଯାଅ ନିଜପୁରେ ଯାଅ ଗୋ ସୁନ୍ଦରୀ ।
ଚଳଇ ସେ ଚନ୍ଦ୍ରବଳୀ ଶ୍ରୀକୃଷ୍ଣଙ୍କୁ ଛାଡ଼ି
ଖଣ୍ଡେଦୂରେ ଯାଇକରି ଦେଲା ଘୋର ରଡ଼ି ।
ଚାମର କେଶ ତାହାର ପଡ଼ିଅଛି ଫିଟି
ନେତର ପଣନ୍ତ ଯାଏ ଭୂମିପରେ ଲୋଟି ।
ନେତ୍ରବାଙ୍କ କରି ମୁଖ କରେ ବିକରାଳ
ସକଳେ ବୋଲନ୍ତି ରାଧା ହୋଇଲା ପାଗଳ ।
ଆପେ ଆପେ ବୋଲୁଅଛି ଯିବୁ କାହିଁ ରାଈ
ତୋହର ଜୀବନ ନିଶ୍ଚେଁ ଆଜି ଘେନିବଇଁ ।
ଭ୍ରମଣ ବେଳରେ ତୁ ଗୋ ପଡ଼ିଲୁ ମୋ ମୁଖେ
ସୁରା ସଙ୍ଗତେ ତୋ ମାଂସ ଭୁଞ୍ଜିବି ମୁଁ ସୁଖେ ।
ହସ୍ତ ହଲାଇଣ କରେ ଦନ୍ତ ରଟମଟ
ସୁନ୍ଦର ବଦନ ତାର ଦିଶଇ ବିକଟ ।
ଶୁମ୍ଭ ନିଶୁମ୍ଭ ବଧରେ ଯେହ୍ନେ ଚଣ୍ଡୀରୂପ
ପ୍ରତ୍ୟକ୍ଷରେ ଚନ୍ଦ୍ରାବଳୀ ଦିଶଇ ସେ ରୂପ ।
ଟହ ଟହ ହସଇ ସେ କାନ୍ଦେ ପୁଣ ପୁଣ
ଟାକରା ମାରଇ ପୁଣି ତରାଟେ ନୟନ ।
କିଳିକିଳା ରାବେ ପଡ଼େ ଉପରକୁ ମାଡ଼ି
ଦେଖିଲା ଲୋକେ ପଳାଇଯାନ୍ତି ବାଟଛାଡ଼ି ।
ଶୀଘ୍ର ଧାମଇଁ ପ୍ରଚଣ୍ଡ ସ୍ୱରୂପରେ ବାଳୀ
ଆପଣା ଗୃହ ମଧ୍ୟରେ ମିଳେ ଚନ୍ଦ୍ରାବଳୀ ।
ଗୃହେ ପଶି ବେଗେ ବାଳୀ ପଲ୍ୟଙ୍କେ ବସିଲା
ମହା ପ୍ରଚଣ୍ଡ ରୂପରେ ରାବ ଏକ ଦେଲା ।
ଶୁଣିଣ ଶଙ୍କା ପାଇଲେ ମନେ ସର୍ବଲୋକେ
କୂରୁମ ଉଛୁଳିପଡ଼େ ଚନ୍ଦ୍ରାବଳୀ ଡାକେ ।
ଦେଖିଣ ଧାଇଁଲେ ସର୍ବ ଗୋପ ନରନାରୀ
ରାଧାକୁ ବେଢ଼ିଲେ ଯାଇଁ ଶତେ ପୁର କରି ।
ଶାଶୁ ଶ୍ୱଶୁର ଦିଅର ନଣନ୍ଦ ଯେମାନେ
ରାଧିକାର ବ୍ୟାକୁଳକୁ ଦେଖନ୍ତି ନୟନେ ।
ଏକକୁ ଆରେକ ତହିଁ ପୁଚ୍ଛନ୍ତି ବାରତା
ସମସ୍ତେ ଜାଣିଲେ ରାଧା ଭୂତ ଲାଗିକଥା ।
ମନ୍ତ୍ର ପଢ଼ି ମୁଖେ କେହୁ ମାରନ୍ତି ଯେ ପାଣି
ବାଳ ଚିରି ମୁଦ୍ରା କେହୁ ବାନ୍ଧେ ବସି ପୁଣି ।
କେହୁ ମଇଁଷି ଛାଗଳ ଗୋରୁ ବଳି ଦ୍ୟନ୍ତି
ମଦିରା ଆଣି ଛାମୁରେ କେହୁ ବା ଢାଳନ୍ତି ।
ମଣ୍ଡଳ କାଟି ପଢ଼ନ୍ତି କେ ବିରଜା ମନ୍ତ୍ର
ମହାମୁଦ୍ରା ମାନ ସ୍ଥାପି ଦ୍ୟନ୍ତି ଔଷଧନ୍ତ ।
ନଗ୍ରଲୋକମାନେ ସର୍ବେ ହେଲେ ଏକମେଳି
ବେଳୁବେଳୁ କୋପମନ ହୁଏ ଚନ୍ଦ୍ରାବଳୀ ।
ବୋଲଇରେ ବଜ୍ରପୁଏ ହୋଇଲ କି ବାଇ
ଅଣ୍ଡିରାଚଣ୍ଡୀ ମୋ ନାମ ବଣେ ରହିଥାଇ ।
କଦମ୍ୱ ତରୁ ଶିଖରେ ମୋର ନିଜ ବାସ
ଆଠଗୋଟା ବ୍ରହ୍ମଦୈତ୍ୟ ଥାଆନ୍ତି ମୋ ପାଶ ।
କୁଞ୍ଜବନ ମଧ୍ୟେ ଆମ୍ଭେ ସର୍ବେ ବୁଲୁଥିଲୁ
ବାଟ ମଧ୍ୟେ ଆସୁ ଆସୁ ରାଧାଙ୍କୁ ଭେଟିଲୁ ।
ସର୍ବ ବ୍ରହ୍ମଦୈତ୍ୟ ଆମ୍ଭେ ଏହାଙ୍କୁ ଆବୋରି
କାଲି ଏହାକୁ ବାଣ୍ଟିବୁ ସସ୍ର ଭାଗ କରି ।
ପେଟରେ ପଶିଣ ମାଂସ ଖାଇବୁ ଯେ ଖୋଳି
ଅନ୍ତ ମିଳାଇଲେ ମରିଯିବ ଚନ୍ଦ୍ରାବଳୀ ।
ଏହାକୁ ରକ୍ଷା କରିବ କେଉଁ ଦେବ ଛାର
ଏହା କହି ରାଧିକା ଯେ ଗର୍ଜେ ବାରମ୍ୱାର ।
ପୋଏ ବୋଇଲେ ଗାରେଡ଼ି ମନ୍ତ୍ର ଅଛୁ ସାଧି
ଅଣ୍ଡିରାଚଣ୍ଡୀ ଭୂତକୁ ନାହିଁ ଆମ୍ଭ ବୁଦ୍ଧି ।
ଏହା ମାୟାକଥା ବୋଲି ଜାଣି ନ ପାରିଲେ
ବଡ଼ ବଡ଼ ରାଉଳିଆ ଆସି ଫେରିଗଲେ ।
କାନ୍ଦଇ ଚନ୍ଦ୍ରସେଣା ଯେ ରାଧା କୋଳେ ଘେନି
ଝର ଝର ଅଶ୍ରୁଜଳ ପଡ଼ଇ ମେଦିନୀ ।
ଶାଶୁ ଶ୍ୱଶୁର ଦିଅର ଆଦି ଯେତେ ଜନ
ରାଧିକା ମୁଖକୁ ଚାହିଁ କରନ୍ତି ରୋଦନ ।
ମନ୍ତ୍ର ଔଷଧି କାହିଁରେ ଆରୋଗ୍ୟ ସେ ନୁହେଁ
ସମସ୍ତେ ବୋଇଲେ ରାଧା ଏ ଘାନ୍ତି ଏ ଜୀଏଁ ।
ଅନେକ ଉପାୟ କଲୁ ମନ୍ତ୍ର ମହୌଷଧି
ଅଣ୍ଡିରାଚଣ୍ଡୀକୁ କାର ଅଛି କିବା ବୁଦ୍ଧି ।
ଯାହା ମାଗିବ ତା ପଛେ ଏହିକ୍ଷଣି ଦେବା
ଚନ୍ଦ୍ରାବଳୀ ପଛେ ତାର କରୁଥିବ ସେବା ।
ଏହିପରି ସୁଲକ୍ଷଣୀ ଅଳ୍ପେ ଯାଏ ନାଶ
ଭୋ ଅଣ୍ଡିରାଚଣ୍ଡୀ ବାରେ କ୍ଷମା କର ଦୋଷ ।
ଚନ୍ଦ୍ରସେଣା ରାଧିକାକୁ କୋଳେ ଧରିଥିଲା
ଆଶ୍ୱାସନା କରି ତାକୁ ବହୁତ ବୋଇଲା ।
ଛାଡ଼ିଦିଅ କୃପାକରି ଗୋ ଅଣ୍ଡିରାଚଣ୍ଡୀ
ଅକିଞ୍ଚନେ ଦୟା କର ମା ଭୀଷଣମୁଣ୍ଡୀ ।
ସର୍ବସୁଲକ୍ଷଣା ମୋର ରାଧିକା ସୁନ୍ଦରୀ
କେଉଁ କାରଣେ ତାଠାରେ କୋପୁ ବନନାରୀ ।
ରକ୍ଷାକର ରକ୍ଷାକର ବାରେ ରକ୍ଷାକର
ନୋହିଲେ ଜାଣିବା ମୋର ବୁଡ଼ିଲା ସଂସାର ।
ଏମନ୍ତ ବଚନ ଯହୁଁ ଶୁଣେ ଚନ୍ଦ୍ରାବଳୀ
ଚନ୍ଦ୍ରସେଣା ପରେ କୋପ ଦ୍ୱିଗୁଣ ଉଗୁଳି ।
ରଟମଟ ଦନ୍ତ କଲା ଚକ୍ଷୁ ରଙ୍ଗବର୍ଣ୍ଣ
କାମୁଡ଼ିବ ବୋଲି ମୁଖ କରିଲା ବ୍ୟାଦାନ ।
ଚନ୍ଦ୍ରସେଣା ଉପରକୁ ବକ୍ରଦୃଷ୍ଟି ଦେଲା
ରୂପ ଦେଖିକରି ସେହୁ ତରସ୍ତ ହୋଇଲା ।
ଜୀବନର ବିକଳରେ ତହୁଁ ପଳାଇଲା
ଅସମ୍ଭାଳ ହୋଇ ରାଧା ଉଲଗ୍ନ ହୋଇଲା ।
ପଡ଼ିଉଠି ଚନ୍ଦ୍ରସେଣା ପଳାଏ ଅଜ୍ଞାନେ
ପିତୃମାତୃ ନାମ ଭୟେ ସୁମରଇ ମନେ ।
ଯାଉଁ ଯାଉଁ ପଡ଼ିଗଲା ବାଟେ ଆଣ୍ଠୁମାଡ଼ି
ରକ୍ତଧାରା ବହିଯାଏ ଆଣ୍ଠୁଗଣ୍ଠି ଛିଡ଼ି ।
ଉଠିବସି ପଛକୁ ସେ ନ ଚାହେଁ ଲେଉଟି
ଖନଖନ ବାଜିଯାଏ ଭୟେ ଦନ୍ତ ପାଟି ।
ଏସନ ଅବସ୍ଥା ଦେଖି ସେ ଚନ୍ଦ୍ରସେଣାର
ଗୋପ ନରନାରୀମାନେ ହୋଇଲେ କାତର ।
ଏକମୁଖେ ବ୍ରହ୍ମଦୈତ୍ୟ ସ୍ତୁତି ଯେ କରିଲେ
ଶିରେ କରଦେଇ କେହୁ ତ୍ରାହି ତ୍ରାହି ବୋଲେ ।
ନମସ୍ତେ ଭୋ ବ୍ରହ୍ମଦୈତ୍ୟ ଅଲେଖ ପୁରୁଷ
ସଚରାଚର ଜୀବଙ୍କୁ କରିପାରୁ ଗ୍ରାସ ।
ଠୁଳ ଶୂନ୍ୟରୂପୀ ତବ ମହିମା କେ ବର୍ଣ୍ଣି
ନିମିଷକେ ଘୋଟିପାରେ ସକଳ ମେଦିନୀ ।
ଅବଳାର ବଳ କଳପନା କାମରୂପୀ
ଦଶଯୋଜନ ଘଡ଼ିକେ ପାର ତୁମ୍ଭେ ବ୍ୟାପି ।
ଗନ୍ଧର୍ବ ଯକ୍ଷ କିନ୍ନର ପାର ସାଧ୍ୟକରି
କାଳାନ୍ତର ପୁରୁଷ ହେ ସର୍ବରୂପ ଧାରୀ ।
ପ୍ରଚଣ୍ଡ ଘୋର ମୂରତି ଅତି ବିକରାଳ
ଯେ ମୁଖେ ପଡ଼େ ତାହାର ପୂରେ ନିଶ୍ଚେଁ କାଳ ।
ଶ୍ମଶାନ ଭୂମିରେ ସଦା ଖେଳ କୁତୂହଳୀ
ମଦିରା ମାଂସରେ ଯାର ଅନୁବ୍ରପତେ କେଳି ।
ଚାମୁଣ୍ଡା ଚଣ୍ଡୀ ଚାଚିକା ଡାକିନୀ ଶାକିନୀ
ସଙ୍ଗତରେ ଭ୍ରମୁଥାନ୍ତି ବହୁ ପିଶାଚୁଣୀ ।
ଏମନ୍ତେ ସ୍ତୁତି ବଚନ ବହୁତ ସେ ଶୁଣି
ବୋଲଇ ତୁମ୍ଭ କଥାରେ ତୋଷ ହେଲି ପୁଣି ।
ମୁହିଁ ଯେବେ ରାଧାକାକୁ ଯିବି ଆଜ ଛାଡ଼ି
ଭୂରି ଭୋଜନ ଦେବଟି କୁଞ୍ଜବନେ ବାଢ଼ି ।
ଚନ୍ଦ୍ରସେଣା ବୋଲେ ଭୂରିଭୋଜନ ମୁଁ ଦେବି
ଜୀବ ଥିବାଯାଏ ପାଦେ ସେବା କରୁଥିବି ।
ନନ୍ଦ ବୋଇଲା ଭୋଜନ ଅଣ୍ଟିବଟି କେତେ
ସ୍ୱରୂପ କହିଲେ ତାହା ଯିବୁ ନା ପରତେ ।
ଏରୂପେ ଦେଖି ଗୋପାଳମାନଙ୍କ ଆରତ
ବୋଲେ ଶଏଭାର ଅନ୍ନ ବ୍ୟଞ୍ଜନ ଯେ ସାତ ।
ପିଷ୍ଟକ ଯେ ଶଏଭାର ସୁପକ୍ୱ ରାନ୍ଧଣା
ଘୃତରେ ଯେ ପରିପକ୍ୱ ଏକୁଁ ଏକ ଜିଣା ।
ଛେନା ଗୋଟିକା ଲବଣି ସର ଯେ ଅଧାମ
ସଙ୍ଗତରେ ଥିବ ଛତ୍ର ଚାମର ବିମାନ ।
ପଟ୍ଟବସ୍ତ୍ର ଚାନ୍ଦୁଆ ଯେ ନବ ସପ୍ତମୂଳେ
ସମସ୍ତ ଥୋଇବ ନେଇ କଦମ୍ୱର ତଳେ ।
ସସ୍ରେ ଫୁଲଭାର ଚମ୍ପା ବକୁଳ ସେବତୀ
ସମସ୍ତ ନେଇ ଥୋଇ କଦମ୍ୱର କତି ।
ନୋହିଲେ ସମସ୍ତଙ୍କୁ ମୁଁ କରିବି ବିଭ୍ରାଟ
ବେଳ ବୁଡ଼ିଲେ ନ ଯିବେ କେହି ନଦୀଘାଟ ।
ମୋର ଆଜ୍ଞାକୁ ଯେ ଅବା ଅବଜ୍ଞା କରିବ
ତାହାକୁ ଲାଗିବ ସେହି ନିଶ୍ଚେ ନାଶଯିବ ।
ଆଜିଠାରୁ ଏ କଥାକୁ ଥିବ ମୋର ମାନି
ସମସ୍ତ ପଦାର୍ଥମାନ ଭିଆଅ ଏକ୍ଷଣି ।
ଚନ୍ଦ୍ରସେଣା ଆଦିକରି ଭଲଲୋକ ଯେତେ ।
ଯେ ଯାହାର ଭାର ସର୍ବେ କନ୍ଧେ ଥିବ ଘେନି
କଦମ୍ୱ ତଳେ ବାଢ଼ିବ ରାତ୍ର ଦଣ୍ଡ ତିନି ।
ପ୍ରଥମରୁ ବିଧିମତେ ଦେବ ଭୂତବଳି
ଅନ୍ଧାର ରାତିରେ ଯିବ କୁଞ୍ଜବନେ ଚଳି ।
କେହି ନ ଦେଖିବେ ତହିଁ ବାହୁଡ଼ି ଆସିବ
କେତେବେଳେ ଲେଉଟିଣ ପଛେ ନ ଚାହିଁବ ।
ପୁଣି ପ୍ରମାଦ ପଡ଼ିଲେ ନ କହିବ ମୋତେ
ଏହି କଥାଗୋଟି ଦୃଢ଼େ ଧରିଥାଅ ଚିତ୍ତେ ।
ବିଳମ୍ୱ ନ କରି ଶୀଘ୍ର କୁଞ୍ଜବନେ ଯାଅ
ବୋଝ ଭାର ନେଇ ତରୁତଳେ ଥୋଇଦିଅ ।
ଶୁଣିଣ ସମସ୍ତେ ତାହା ସନମତ କଲେ
ଭୂତବଳି ପ୍ରଥମରେ ବିଧିମତେ ଦେଲେ ।
ତଦୁତ୍ତାରେ ସବୁଦ୍ରବ୍ୟ ଭିଆଇ ତୁରିତେ
ଚଳିଲେ ବନକୁ ଭୂତକଥା ଭାବି ଚିତ୍ତେ ।
ଶୁଣ ପରୀକ୍ଷିତ ରାୟେ ବଦୟନ୍ତି ଯତି
ଶ୍ରୀବିଷ୍ଣୁଙ୍କ ବାଲ୍ୟଲୀଳା ଅତୁଲାଇ କୀର୍ତ୍ତି ।
ଭୂତ ଲାଗିଛି ବୋଲିଣ ସର୍ବେ ବିହ୍ୱଳିତ
ସେ ଦିନ ଦିବସ ଗୋଟେ ହୋଇଲା ଅତୀତ ।
ରଜନୀ ହୋଇଛି ପୁଣି ଆସି ତିନିଘଡ଼ି
ସମସ୍ତ ଗୋପାଳମାନେ ଭାରନ୍ତ ସଜାଡ଼ି ।
ଛେନା ଗୋଟିକା ଲବଣୀ ଈକ୍ଷୁ ଦୁଧସର
ଖଣ୍ଡ କ୍ଷୀର କ୍ଷୀରିସାଦି ପଇଡ଼ ସାକର ।
ଗନ୍ଧ ଚନ୍ଦନ କସ୍ତୁରୀ ବାସ ପୁଷ୍ପମାନ
ଖଟ ଚାନ୍ଦୁଆ ନୂତନ ସୁଝୀନ ବସନ ।
ଅନ୍ନ ବ୍ୟଞ୍ଜନାଦି କରି ଉପହାସ ଯେତେ
ଏକ ଏକନାମ ଧରି କହିବା ତା କେତେ ।
ସମସ୍ତ ଭାର ବହିଣ ଯେ ଯାହାର କନ୍ଧ
ଚଳିଲେ କୁଞ୍ଜବନକୁ ନନ୍ଦ ଉପନନ୍ଦ ।
ଚନ୍ଦ୍ରସେଣା ସହିତରେ ସକଳେ ମିଳିଲେ
ସେ କଥାଗୋଟି ଶ୍ରୀକୃଷ୍ଣ ଦୂରରୁ ଜାଣିଲେ ।
କଦମ୍ୱବୃକ୍ଷ ଉପରେ ରହିଲେ ଗୋପନେ
ତଳେ ଥାଇ ଚନ୍ଦ୍ରସେଣା ବୋଲଇ ଏସନେ ।
ଭୋ ଦେବୀ ଅଣ୍ଡିରାଚଣ୍ଡୀ ଶୁଣ ମୋର ବାଣୀ
ଯେବଣ ଯେ ଜନେ ଶ୍ରଦ୍ଧା ବଳେ ହାଦେ ପୁଣି ।
ସେମାନେ ଭୁଞ୍ଜି ରାଧାକୁ ମୋର ରକ୍ଷାକର
ତୋର ଚରଣେ ପ୍ରଣାମ କରେ ବାରମ୍ୱାର ।
ଏତେ କହିଣ ଗୋପାଳେ ଅଇଲେ ପଳାଇ
ଭୂତର ବଚନ ମାନି ପୁଛକୁ ନ ଚାହିଁ ।
ଏହା ଦେଖିଣ ଗୋବିନ୍ଦ ଟହଟହ ହସି
ନନ୍ଦ ବୋଲେ ଭୂତ କେହ୍ନେ ହସେ ଶୁଣ ବସି ।
ଯେବେ ଅନ୍ନ ବ୍ୟଞ୍ଜନାଦି ପାଇ ସେ ନ ଥାନ୍ତା
ସତେ କି ରାଧାସୁନ୍ଦରୀ ଜୀବନରେ ଥାନ୍ତା ।
ଖାଦ୍ୟଦ୍ରବ୍ୟ ପାଇ ଏବେ ହୋଇଲା ସନ୍ତୋଷ
ପଛକୁ ନ ଚାହିଁ କେହି ପଳାଇଣ ଆସ ।
ରାତ୍ର ହେଲେ କୁଞ୍ଜବନେ କେହି ନ ଆସିବ
ଯେ ଆସିବ ଜାଣ ସେହି ପ୍ରାଣେ ନାଶଯିବ ।
ଏତେ ବୋଲି ତରତରେ ଅଇଲେ ପଳାଇ
ଯେ ଯାହା ମନ୍ଦିରେ ମଧ୍ୟେ ପ୍ରବେଶିଲେ ଯାଇ ।
ଏଣେ କଦମ୍ୱ ବୃକ୍ଷରୁ ଓହ୍ଲାଇ ଅଚ୍ୟୁତ
ପେଟ ଭରି କେତେ ତହୁଁ ଖାଇଲେ ଅନନ୍ତ ।
ରାଧିକାକୁ ପରଶଂସା କଲେ ଚକ୍ରପାଣି
ଏଥୁଅନ୍ତେ ପ୍ରହରେକ ହୁଅନ୍ତେ ରଜନୀ ।
କଦମ୍ୱ ଡାଳରେ ପୁଣି ବସି ମଧୁହାରୀ
ସୁସ୍ୱରରେ ବେଣୁନାଦ କରିଲେ ମୁରାରି ।
ସମ୍ଭାଇଲେ ସେହି ନାଦ ଗୋପୀଙ୍କ କର୍ଣ୍ଣରେ
ଗୋଟି ଗୋଟି ନାମ ଧରି ଡାକେ ଉଚ୍ଚ ସ୍ୱରେ ।
ରାଧା ସୁମେଧା କମଳା ଆସ ଚନ୍ଦ୍ରକାନ୍ତି
ତିଳୋତ୍ତମା ହରିଣାକ୍ଷି ବିମଳା ସୁଦନ୍ତି ।
ଶ୍ରୀୟା ସତ୍ୟବାଦୀ ମୀନନେତ୍ରା ଚାରୁହାସି
ଚନ୍ଦନା କସ୍ତୁରୀକା ଗୋ କମଳା ସୁକେଶୀ ।
ରେଣୁକା ରତ୍ନାବଳି ଗୋ ହେମଗୋରି ନାରୀ
ସୁରେଖା ରତ୍ନରେଖା ଗୋ ଅପର୍ଣ୍ଣା ସୁନ୍ଦରୀ ।
ଜୟା ଆବର ବିଜୟା ପୀନସ୍ତନୀ ବାମା
କୁନ୍ତଳୀ ସୁଭୂରୁ ଗୋପଯୁବତୀ ଉତ୍ତମା ।
ବାସନ୍ତୀ ମାଧବୀ ମଧୁମତୀ ମହନିକା
ପଦ୍ମିନୀ ଶଙ୍ଖିନୀ ଆଦି ଯେତେକ ନାୟିକା ।
ଏହିରୂପେ ଗୋପପୁରେ ଯେତେ ଅଛ ନାରୀ
କୁଞ୍ଜବନେ ଅତିଶୀଘ୍ରେ ଆସ ଗୋ ବାହାରି ।
ଏହିପରି ନାମ ଧରି ଡାକନ୍ତେ ମୁରଲୀ
ଅତି ଉତ୍ସୁକେ ଧାଇଁଲେ ସର୍ବ ଗୋପବାଳୀ ।
ଠିକେ ଠିକେ ଥୋକେ ନାମ ବଖାଣିଲି ଏଥେଁ
ସୁକୁମାରୀ ସୁଲକ୍ଷଣୀ ରମଣୀ ସମସ୍ତେ ।
ଗୋବିନ୍ଦଙ୍କ ଅଙ୍ଗସଙ୍ଗ ପାଇବାର ପାଇଁ
ଗୋପିକା ରୂପେ ଗୋପରେ ଛନ୍ତି ଜାତ ହୋଇ ।
ତାଙ୍କୁ କିସ ପଟାନ୍ତର ଦେବା ଅବା ନେଇ
ରୂପଗୁଣେ ଜଗତରେ ତୁଳନା ତ ନାହିଁ ।
କଦମ୍ୱାଡାଳେ ବଇଁଶୀ ବଜାନ୍ତେ ମୁରାରୀ
ଶୁଣି ମୋହମାନ ହେଲେ ସର୍ବ ଗୋପନାରୀ ।
ଗୋବିନ୍ଦର ଅଙ୍ଗ ସଙ୍ଗ ଲଭିବାର ପାଇଁ
କେଶ ବାସ ଅସମ୍ଭାଳେ ଧାଇଁଲେକ ଗୋଈ ।
ଯେବଣ ସ୍ଥାନେ ବିଜୟ ପ୍ରଭୁ ଗୋପୀନାଥ
ଚଳିଲେ ଗୁଆଳୀମାନେ ଅନୁସରି ପଥ ।
କଦମ୍ୱତଳେ ଯାଇଣ ମିଳି ଗୋପାଙ୍ଗନା
ଦେଖିଲେ ବସିଅଛନ୍ତି ବୃକ୍ଷେ ନନ୍ଦକହ୍ନା ।
ମୋହନ ସ୍ୱରୂପ ଧରିଛନ୍ତି ହୃଷୀକେଶୀ
ସମସ୍ତ ନାୟିକାମାନେ ଦେଖିଣ ପ୍ରଶଂସି ।
କରେ ଛତ୍ର ଚାମର ଯେ ଧୂପକାଠି ଘେନି
ତଳେ ଉଭା ରହୋଇଛନ୍ତି ସକଳ କାମିନୀ ।
ଦେଖିକରି ଆନନ୍ଦିତ ହେଲେ ବଂଶୀଧାରୀ
ମୁରଲୀ ଘେନି କଦମ୍ୱ ବୃକ୍ଷରୁ ଉତୁରି ।
ଗୋପୀଙ୍କର ସମୀପରେ ପ୍ରବେଶ ହୋଇଲେ
ହାସ ପରିହାସେ ତାଙ୍କ ମନକୁ ମୋହିଲେ ।
ଷୋଳସସ୍ର ନାୟିକାଙ୍କୁ ଷୋଳସସ୍ର ମୂର୍ତ୍ତି
ଧରି ଚିତ୍ତ ରଞ୍ଜାଇଲେ ଭାବେ ଯଦୁପତି ।
ଏକର କଥା ଅପର ନାୟିକା ନ ଜାଣେ
ଏକ କୃଷ୍ଣ ବୋଲି ସର୍ବେ ମଣିଛନ୍ତି ମନେ ।
ଦେବାସୁର ଅଗୋଚର ଯାହାଙ୍କର ମାୟା
କାହୁଁ ଜାଣିବେ ସେ କଥା ଧରି ନାରୀକାୟା ।
ଶୁକ ବୋଇଲେକ ଶୁଣ ପରୀକ୍ଷିତ ରାୟେ
ଯେଝା ଭୁବନକୁ ତହୁଁ ଚଳିଲେ ଗୋପୀଏ ।
ଶାଶୁ ଶ୍ୱଶୁର ଦିଅର ଭର୍ତ୍ତାଙ୍କ ସହିତେ
ସମସ୍ତେ ଶୋଇଲେ ଯାଇ ଯେ ଯାହାର ମତେ ।
ପ୍ରତ୍ୟକ୍ଷରେ ଦେଖନ୍ତି ସେ ଯୁବତୀଙ୍କ ରୀତି
ବିଷ୍ଣୁର ମାୟାରେ କିଛି ବୋଲି ନ ପାରନ୍ତି ।
ବାଳକ ମୂରତି ଧରି ଏଥୁ ଅନନ୍ତରେ
ଗୋପୀନାଥ ପରବେଶ ଆପଣା ମନ୍ଦିରେ ।
ପୁତ୍ରକୁ ଦେଖି ଯଶୋଦା ଆନନ୍ଦିତ ମନ
କୋଳରେ ବସାଇ ମୁଖେ ଦିଅନ୍ତି ଚୁମ୍ୱନ ।
ଖଣ୍ଡ କ୍ଷୀରି କ୍ଷୀରିସାଦି ଗୋଟିକା ଭୁଞ୍ଜାଇ
ପଲ୍ୟଙ୍କରେ ଶୁଆଇଲେ ଦୋଳିଗୀତ ଗାଇ ।
ଏହିରୂପେ ବାରମ୍ୱାର ପ୍ରଭୁ ଗୋପୀନାଥ
ରାସଲୀଳା କରନ୍ତି ସେ ଗୋପୀଙ୍କ ସହିତ ।
ଜନନୀ ପିଅର ଭାଇ ନ ଜାଣନ୍ତି ତାହା
ମାୟାଜାଲ ପାତିଥାନ୍ତି ପ୍ରଭୁ ଚଉବାହା ।
ବୃନ୍ଦବାତୀ ଚରିତ
ଏକ ଦିନକର କଥା ଶୁଣ ପରୀକ୍ଷିତ
ପୁଣି ମନେ ବିଚାରିଲେ ଦେବ ଜଗନ୍ନାଥ ।
ଆଜି କୁଞ୍ଜବନେ ଯିବା ନ ଜାଣିବେ କେହି
ଗୋପଯୁବତୀ ସର୍ବଦା ଥାନ୍ତି ବାଟ ଚାହିଁ ।
ମୋର ପାଇଁ ସେମାନେ ତ ଏଥେଁ ଜନମିଲେ
କେତେ ତପସ୍ୟା କରିଣ ମୋ ସଙ୍ଗ ଲଭିଲେ ।
ତାହାଙ୍କର ମନୋରଥ କରିବା ପୂରଣ
ଏତେ ଭାଳି କୁଞ୍ଜବନେ ଗଲେ ଏକଦିନ ।
ବୃନ୍ଦାବତୀ ବୋଲି ଏକ ଗୋପର ଗୁଆଳୀ
କୃଷ୍ଣଙ୍କର ନାମ ସଦା ହୃଦମଧ୍ୟେ ଭାଳି ।
ଶୟନେ ଭୋଜନେ ସ୍ୱପ୍ନେ ଜାଗ୍ରତେ ଭଜଇ
ଗତଜନ୍ମେ ହରିଙ୍କି ସେ ତପରେ ମନାଇ ।
ପତି କରିବା ସକାଶେ କଲା ବହୁ ତପ
ତା ତପେ ସନ୍ତୋଷ ହେଲେ ପ୍ରଭୁ ପରନ୍ତପ ।
ଏବେ ସେ ଗୋପନଗରେ ଜନମ ହୋଇଲା
କୁଞ୍ଜବନେ ବାସଗୃହ ଏକ ନିର୍ମାଣିଲା ।
ବାଲି ଶଯ୍ୟାରେ କୋମଳ ଚୂତପତ୍ର ପାଡ଼ି
ସୀମସ୍ଥାନେ ଦେଇ ପୁଣି ଏକ ପତ୍ରପୁଡ଼ି ।
ବିବିଧ ପୁଷ୍ପଗୁଡ଼ାଏ ବିଛାଇଣ ବାଳୀ
ଶ୍ରୀକୃଷ୍ଣ ନାମ ବସି ହୃଦଗତେ ଭାଳି ।
ଅନ୍ତର୍ଯ୍ୟାମୀ ସର୍ବଜ୍ଞ ଯେ ପ୍ରଭୁ ଭଗବାନ
ବାଞ୍ଛା କଳ୍ପତରୁ ନାଥ ଭକତ ଜୀବନ ।
ଭାବବିନୋଦିଆ ତୋତେ ବୋଲନ୍ତି ଜଗତେ
ଭକତଜନେ ସୁଦୟା କର ଅନୁବ୍ରତେ ।
ଅଭାବକୁ ଦୂର ନାଥ ଭାବକୁ ନିକଟ
ଆରତଭଞ୍ଜନ ସ୍ୱାମୀ ଫେଡ଼ ତୁ ସଙ୍କଟ ।
ଗଜ ଆତଙ୍କ ଫେଡ଼ିଲେ ଅଗାଧ ସଲିଳେ
ଚକ୍ରେ କୁମ୍ଭୀର ବିନାଶ କଲ ଅବହେଳେ ।
ସଙ୍କଟେ ଦ୍ରୌପଦୀ ତୋତେ କରୁ ସୁମରଣ
କୋଟି ବସ୍ତ୍ର ଦେଇ ଲଜ୍ଜା କଲେ ନିବାରଣ ।
ପ୍ରହଲାଦ ଛଳେ ହେଲ ସ୍ତମ୍ଭୁ ଅବତୀର୍ଣ୍ଣ
ନୃସିଂହ ରୂପେ ମାଇଲ ଦର୍ପିଷ୍ଠ ହିରଣ୍ୟ ।
ଭକତଜନ ବତ୍ସଳ କରୁଣା ସାଗର
ଦୁଃଖୀଜନ ନିସ୍ତାରଣ ଆହେ ଦାମୋଦର ।
ବ୍ରହ୍ମ ଚାଣ୍ଡାଳ ପର୍ଯ୍ୟନ୍ତେ ଯେତେ ଜୀବ ଛନ୍ତି
ସମସ୍ତଙ୍କ ହୃଦପଦ୍ମେ ତୋହର ବସତି ।
ନାହିଁ ତୋର ପରାପର ନାହିଁ ପ୍ରିୟାପ୍ରିୟ
ଭକତ ଅଧୀନ ସ୍ୱାମୀ ପ୍ରଭୋ ଦୟାମୟ ।
ଏମନ୍ତେ ଯୋଗଲୟରେ କରନ୍ତେ ସେ ସ୍ତୁତି
ଅନ୍ତର୍ଯ୍ୟାମୀ ନାଥ ତାର ଜାଣିଲେ ଭକତି ।
ବୃନ୍ଦାବତୀ କୁଞ୍ଜଗୃହେ ବିଜେକଲେ ହରି
ଦେଖି ବୃନ୍ଦାବତୀ ପାଦେ ପ୍ରଣିପାତ କରି ।
ଆଶ୍ୱାସନାବାକ୍ୟେ ବୋଧ ଦ୍ୟନ୍ତି ଦାମୋଦର
ଆଗୋ ବୃନ୍ଦାବତୀ ପଞ୍ଚଆତ୍ମା ତୁ ମୋହର ।
ଏତେ ବୋଲି ତୋ ପ୍ରେମରେ ବନ୍ଧା ଯଦୁନାଥ
ଏକ ଦିନେ ବୃନ୍ଦାବତୀ ବୋଇଲା ଏମନ୍ତ ।
ଆହେ ହରି ତୁମ୍ଭେ ମୋର ଅଟ ପ୍ରାଣସଖା
କାଳେ କାଳେ ମୁଁ ତୁମ୍ଭର ଅଟଇ ନାୟିକା ।
କହୁଅଛି ତୁମ୍ଭଆଗେ ଶୁଣ ପ୍ରାଣନାଥ
ପାଦଶ୍ରମେ ବ୍ୟାକୁଳିତ ହୋଇଲା ମୋ ଚିତ୍ତ ।
ଶ୍ରୀକୃଷ୍ଣ ବୋଲନ୍ତି ଯେବେ ନ ପାରୁଛୁ ଚାଲି
କାନ୍ଧରେ ବସାଇ ତୋତେ ନେବଇଁ ଗୁଆଳି ।
ବୋଲଇ ଯେ ବୃନ୍ଦାବତୀ ଶୁଣ ଆହେ ସ୍ୱାମୀ
ଦାସୀଜନ ଅଟେ ମୁହିଁ ତୁମ୍ଭେ ଅନ୍ତର୍ଯ୍ୟାମୀ ।
କେମନ୍ତେ ଶ୍ରୀଅଙ୍ଗେ ମୁହିଁ କରିବି ବିଶ୍ରାମ
ପ୍ରତ୍ୟକ୍ଷରେ ବିଷ୍ଣୁ ତୁମ୍ଭେ ପୁରୁଷ ଉତ୍ତମ ।
ବୋଲନ୍ତି ଶ୍ରୀକୃଷ୍ଣ ପ୍ରିୟେ ନୁହେ ତୁମ୍ଭେ ଭିନ୍ନ
ତୁମ୍ଭେ ମୋର ପ୍ରାଣ ମୁହିଁ ତୁମ୍ଭର ଜୀବନ ।
ଏ କଥାକୁ ଆନ ମନେ ନ କର ଗୋ ଚିତ୍ତେ
ଭିନ୍ନାଭିନ୍ନ ଗଙ୍ଗା ଗୟା ନୋହେ କଦାଚିତେ ।
ସ୍ତିରୀ ହୀନବୁଦ୍ଧି ତହୁଁ କଲା ସନମତ
ହେତୁ ନ କଲା ସେ କୃଷ୍ଣ ମାୟାର ବୃତ୍ତାନ୍ତ ।
ହଟିଆନାଗର କୃଷ୍ଣ ଭାବ ବିନୋଦିଆ
ବୃନ୍ଦାବତୀକି ହସ୍ତାନ୍ତି ଜାଣି ତାର ହିୟା ।
ଉତ୍ସର୍ଗରେ ଠିଆଠାଣି ହେଲା ବୃନ୍ଦାବତୀ
ତଳ ପଟ ଥାନ ଦେଖି ବସିଲେ ଶ୍ରୀପତି ।
ଯେଉଁ କାନ୍ଧେ ଧରିଛନ୍ତି ଚରାଚର ମହୀ
ବୃନ୍ଦାବନ ପାଦ ତୋଳି ଦିଅନ୍ତେ ବଢ଼ାଇ ।
କିମ୍ଭୂତ ମାୟାରେ ପ୍ରଭୁ ହୋଇଲେ ଅନ୍ତର
ବିଷ୍ଣୁଙ୍କୁ ନ ଦେଖି ବୃନ୍ଦା ପଡ଼ିଲା ଭୂମିର ।
ହା ହା ପ୍ରାଣନାଥ ତୋରେ ହେଲି ଅପରାଧୀ
ସ୍ତିରୀ ନାରୀ ସ୍ୱଭାବରେ ଅଟେ ପାପବୁଦ୍ଧି ।
ବିଧାତା ପୁରୁଷ ମୋତେ ଦେଲା ସ୍ତିରୀଜନ୍ମ
କେବଣ ଭାଗ୍ୟରୁ ଅର୍ଜିଥିଲି ଶୁଭକର୍ମ ।
କୃଷ୍ଣ ଅଙ୍ଗ ସ୍ପରଶରେ କର୍ମ ମୋର ଭଲ
ହୋଇଥିଲା ଏବେ ତାହା ହୋଇଲା ନିଷ୍ଫଳ ।
ପୂର୍ବଜନ୍ମ ଦୋଷ ଏ ଯେ ମେଣ୍ଟିଣ ନ ଗଲା
ଆଣ୍ଠୁ ଗଣ୍ଠି ଛିଡ଼ି ଅଙ୍ଗୁ ରୁଧିର ବହିଲା ।
କଉଣସି ଜନ୍ମରେ ମୁଁ ସ୍ତିରୀହତ୍ୟା କଲି
କେବଣ ଜନ୍ମରେ ମୁହିଁ କି ପାପ ଅର୍ଜିଲି ।
କେବଣ ଜନ୍ମରେ ଅବା ସୁରା କଲି ପାନ
କେବଣ ଜନ୍ମରେ ଅବା ବଧିଲି ବ୍ରାହ୍ମଣ ।
କେବଣ ଜନ୍ମରେ କଲି ଉଗ୍ର ପାପମାନ
କେବଣ ଜନ୍ମେ ବା ବୃତ୍ତି କରିଲି ଛେଦନ ।
କେବଣ ଜନ୍ମରେ ଋଷି ମୁନିଙ୍କି ପୀଡ଼ିଲି
କେବଣ ଦୋଷରୁ ଏବେ ସ୍ତିରୀଜନ୍ମ ହେଲି ।
ପୋଡ଼ୁ ପୋଡ଼ୁ ସ୍ତିରୀଜନ୍ମ ଅଟେ ବଡ଼ ମନ୍ଦ
ପଶୁ ଆଉ ସ୍ତିରୀଙ୍କର ନାହିଁ ଭେଦାଭେଦ ।
ପଞ୍ଚାମୃତ ଛାଡ଼ି ଶ୍ୱାନ ଭକ୍ଷଇ ଉଚ୍ଛିଷ୍ଟ
ତେମନ୍ତ ପ୍ରକୃତି ଜାଣ ସ୍ତିରୀ ଜାତି ନଷ୍ଟ ।
ପର୍ବତ ଶିଖରୁ ଜଳ ଯେହ୍ନେ ଖସି ପଡ଼ି
ତେମନ୍ତ ଉଚ୍ଚ ନୀଚ ନ ଜାଣେ ସ୍ତିରୀ ମୋଢ଼ୀ ।
ଧର୍ମ ମାର୍ଗ ତେଜି ସଦା ଅଧର୍ମରେ ମତି
ଏଣୁ ସ୍ତିରୀଜନ୍ମ ଗୋଟା ନିନ୍ଦନୀୟ ଅତି ।
ଆହାରେ ଦଇବ ମୋତେ କଲୁ ଅକାରଣ
ସ୍ତୀରିଜନ୍ମ ଲଭିଲି ମୁଁ କେବଣ କାରଣ ।
ସ୍ତିରୀଜନ୍ମ ବ୍ରତ ମୋର ନୋହିଲାକ ସିଦ୍ଧି
କୃଷ୍ଣ ପଦ୍ମପାଦେ ଯେଣୁ ହେଲି ଅପରାଧୀ ।
ଅପରାଧ କ୍ଷମମୋର ଆହେ ଦୟାନିଧି
କେତେ ଦୋଷ ସହିଅଛି କରୁଣା ବାରିଧି ।
ଅଇରି ମିତ୍ର ତୁମ୍ଭର ନାହିଁ ପରାପର
ଯେ ବଇରି ସେହି ମିତ୍ର ଅଟଇ ନକର ।
ଶ୍ରୀବତ୍ସ ବ୍ରାହ୍ମଣ ପରା ତୁମ୍ଭ ଦୋଷକାରୀ
ତାହାର ପାଦ ବହିଛ କେମନ୍ତେ ହେ ହରି ।
ଶରଣପଞ୍ଜର ନାଥ ଆରତ ଭଞ୍ଜନ
ତ୍ରେତୟାର ଦାରାବୈରୀ ଅଟେ ତୋ ରାବଣ ।
କିପରି ତାହାକୁ ଗତି ମୁକ୍ତି ଦେଲ ନାଥ
ବିଭୀଷଣେ ରାଜ୍ୟ ଦେଲ ହୋଇ ତୋଷଚିତ୍ତ ।
ଶ୍ରୀଅଙ୍ଗେ ଦ୍ରୋହ ଅର୍ଜିଲା ଅନ୍ଧର ନନ୍ଦନ
ସନ୍ତୋଷରେ ଦେଲ ତାକୁ ଉତ୍ତମ ନୟନ ।
ତ୍ରେତାରେ ବାୟସ ପରା ଦ୍ରୋହ ଅରଜିଲା
ଭୂଷଣ୍ଡ କାକ କେମନ୍ତେ ଅମର ହୋଇଲା ।
ବାଳି ଅଟଇ ତୁମ୍ଭର ପରା ମିତ୍ରବୈରୀ
ତା ପୁତ୍ରକୁ ଛାଡ଼ିଦେଲ କେହ୍ନେ ଦୟା କରି ।
ଦାରାବୈରୀ ରାବଣର ମାମୁଁ ଜମ୍ୱୁମାଳୀ
ବିଭୀଷଣ ହେତୁ ତାକୁ ରଖିଲ କିପରି ।
ଅପରାଧୀ ତୁମ୍ଭ ପାଦେ ଦୁର୍ଯ୍ୟୋଧନ ମଲ୍ଲ
ଖୁଡ଼ୁତା ପୁଅ ଭାଇଙ୍କୁ କିପରି ରଖିଲ ।
କାଳୀ ନାଗୁଣୀ ଶ୍ରୀଅଙ୍ଗେ ଦ୍ରୋହକର୍ମ କରି
ଶରଣ ପଶନ୍ତେ ତାକୁ ରଖିଲ କିପରି ।
ପବନପୁତ୍ରେ କିପରି ଅମର କରିଲ
ଆରତେ ଡାକିଲା ଗଜ ତା ଡାକ ଶୁଣିଲ ।
ମୃଗୁଣୀ ଆରତ ଫେଡ଼ିଅଛ ପରା ନାଥ
ଦ୍ରୌପଦୀ ମାନ ରଖିଲ ଦେଇ କୋଟି ବସ୍ତ୍ର ।
ମହା ମହା ବିପଦରୁ ପାଣ୍ଡବେ ତାରିଲ
ଜରା ମାରି ରାଜାଗଣେ ଜୀବଦାନ ଦେଲ ।
ଧ୍ରୁବ ଅଭିମାନ ତୁମ୍ଭେ ରଖିଲ ଶ୍ରୀହରି
ପ୍ରହଲାଦେ ରକ୍ଷା କଲ ବିପଦ ନିବାରି ।
ନୃସିଂହାବତାର ହୋଇ ମାରିଲ ହରିଣ୍ୟ
ହିରଣ୍ୟାକ୍ଷେ ନାଶ କଲ ଶୂକର ହୋଇଣ ।
ଶିବ କୋପାନଳେ ନାଶ ଗଲା କାମଦେବ
ଭସ୍ମରୁ ଉଦ୍ଧାର ତାକୁ କରିଲ ମାଧବ ।
ମହାସଙ୍କଟୁଁ ତାରିଲ ଅଭିମନ୍ୟୁ ସୁତେ
ଏରୂପେ ମହିମା ତବ ଗାଇବି ମୁଁ କେତେ ।
ଶରଣ ରକ୍ଷଣ ନାଥ ଦୁଃଖୀର ସୋଦର
ଏ ସ୍ତିରୀ ଜନ୍ମରୁ ମୋତେ ଏବେ ପାରିକର ।
ହା ହା କୃଷ୍ଣ ବୋଲିକରି ବୃନ୍ଦାବତୀ ଲୋଟେ
ବେନି କରକୁ ନେଇଣ ତାଡ଼ଇ ଲଲାଟେ ।
ହା ହା କୃଷ୍ଣଚନ୍ଦ୍ର ମୋତେ କେଣେଗଲ ଛାଡ଼ି
ନିମିଷକେ ଯୁଗ ପ୍ରାୟ ପଡ଼ୁଅଛି ମାଡ଼ି ।
ହା ହା କୃଷ୍ଣଚନ୍ଦ୍ର ଆହା ଦୁଃଖୀର ସଙ୍ଗାତ
କେଣେ ଛାଡ଼ିଗଲ ମୋତେ କରିଣ ଅନାଥ ।
ହା ହା ପ୍ରଭୁ କୃଷ୍ଣଚନ୍ଦ୍ର ତ୍ରୈଲୋକ୍ୟ ନାୟକ
ହା ହା କୃଷ୍ଣଚନ୍ଦ୍ର ମୋର ପ୍ରାଣ ପଞ୍ଚାତ୍ମକ ।
ହା ହା କୃଷ୍ଣଚନ୍ଦ୍ର କେତେ କରିଥିଲି ଆଶ
ହା ହା କୃଷ୍ଣଚନ୍ଦ୍ର ମୋତେ କରିଲ ନିରାଶ ।
ହା ହା କୃଷ୍ଣ ତୁମ୍ଭଙ୍କୁ ମୁଁ ନ ଦେଖିଣ ଆଗ
ନିଶ୍ଚୟ କହୁଛି ପ୍ରାଣ କରିବଇଁ ତ୍ୟାଗ ।
ହା ହା କୃଷ୍ଣଚନ୍ଦ୍ର ମୋର ପ୍ରାଣର ବଲ୍ଲଭ
ହା ହା କୃଷ୍ଣ ଛାଡ଼ିଗଲ କେଣେ ପଦ୍ମନାଭ ।
ହା ହା କୃଷ୍ଣ ବୋଲିକରି କାନ୍ଦେ ବୃନ୍ଦାବତୀ
କେଶବାସ ଅସମ୍ଭାଳେ ପଡ଼ିଅଛି କ୍ଷିତି ।
କୃଷ୍ଣଙ୍କ ମାୟାରେ ଏଣେ ଷୋଳସସ୍ର ଗୋପୀ
କୁଞ୍ଜବନେ ମିଳିଲେ ସେ କୃଷ୍ଣଙ୍କୁ ନିରୋପି ।
ଯାଉଁ ଯାଉଁ ପଥମଧ୍ୟେ ବୃନ୍ଦାକୁ ଭେଟିଲେ
କିମର୍ଥେ କାରୁଣ୍ୟ ତୁମ୍ଭେ କରୁଛ ପୁଚ୍ଛିଲେ ।
ବୋଲେ ସେ ବୃନ୍ଦା ମୋହର ଦୁଃଖ ଅଗୋଚର
କହିଲେ ନ ସରିବ ଯେ ଅଟେ ମହାଘୋର ।
କୃଷ୍ଣଙ୍କ ସଙ୍ଗରେ ମୁହିଁ ରହିଥିଲି ଏଥେଁ
ଏକାଳେ ତେଜିଣଗଲେ ମୋତେ ଜଗନ୍ନାଥେ ।
ମୋତେ ଘେନି କୁଞ୍ଜ ପୁଷ୍ପ ତୋଳନ୍ତି ଅଚ୍ୟୁତ
ଏକଦିନେ ସ୍ନେହେ ମୋତେ ବୋଇଲେ ଏମନ୍ତ ।
ମୋ କାନ୍ଧ ଉପରେ ବସ ଗୋ ପ୍ରାଣ ସଙ୍ଗାତ
ଶ୍ରମ ବାଧା ତୋତେ ଆଉ ନେହିବ କିଞ୍ଚିତ ।
ଶୁଣି ସନମତ କଲି ହୀନ ମୋର ବୁଦ୍ଧି
ଉଚ୍ଚଠାରେ ଠିଆ ମୋତେ କଲେ ଦୟାନିଧି ।
ଗଭୀର ଭୂମି ଭାଗରେ ବସିଲେ ମୁରାରି
ପାଦ ଟେକି ପସନ୍ତେ ମୁଁ କନ୍ଧେ ଧୀର କରି ।
ଅଦଭୂତେ ମାୟା କରି କୃଷ୍ଣ ଗଲେ ଛାଡ଼ି
ନ ଦେଖିଣ କୃଷ୍ଣଙ୍କୁ ମୁଁ କାନ୍ଦେ ମୁଣ୍ଡ କୋଡ଼ି ।
ବୃନ୍ଦାବତୀ ମୁଖୁଁ ଶୁଣି ଏହା ସର୍ବ ଗୋଈ
ଏକାବେଳେ ଷୋଳସସ୍ର ଉଠିଲେ ତୁହାଇ ।
କି ଲୋ ପାମରି ମୂଢ଼ୀ ତୁ ଏଡ଼େ ନିଲକ୍ଷଣୀ
ଜଗତନାଥଙ୍କ କନ୍ଧେ ପାଦ ଦେଲୁ ପୁଣି ।
ସେ ଅପମାନେ ଶ୍ରୀହରି ଚାଲିଗଲେ କାହିଁ
ଆଉ କି ପାଇବୁ ଆମ୍ଭେ ସେ ନନ୍ଦ କହ୍ନାଇ ।
ମାଛି କାହୁଁ ଜାଣିବ କି ମୃଗନାଭି ବାସ
କାଷ୍ଠ ପିତୁଳୀ ଜାଣିବ କି ଚନ୍ଦନ ବାସ ।
ମାର୍ଜ୍ଜରୀ ଅମୃତ ସ୍ୱାଦ ପାରଇ କି କଳି
ଅଗାଧ ସମୁଦ୍ରେ କାହିଁ ସ୍ଥଳକୂଳ ମିଳି ।
ଶ୍ୱାନକୁ ଅମୃତ ଦେଲେ ଉଚ୍ଛିଷ୍ଟହିଁ ଭକ୍ଷି
ଦୁଗ୍ଧ ଦେଲେ ବିଛୁଆତି ଗଲୁ ନୁହଇ କି ।
କ୍ଷଣକରେ ସର୍ବନାଶ କଲୁ ବୃନ୍ଦାବତୀ
ତୋର ସକାଶରୁ ଛାଡ଼ିଗଲେ ଶିରୀପତି ।
ତୋର ଯୋଗୁଁ ଦିବ୍ୟରତ୍ନ ହରାଇ ବସିଲୁ
ଅଗାଧ ସାଗରେ ଆମ୍ଭ ଭେଳା ବୁଡ଼ାଇଲୁ ।
ଆଜି ଯେବେ ଶ୍ରୀକୃଷ୍ଣଙ୍କୁ ଲୋଡ଼ି ନ ପାଇବୁ
ନିଶ୍ଚୟ କହୁଛୁ ତୋର ବେକକୁ ମୋଡ଼ିବୁ ।
ନିଶ୍ଚେଁ ବୃନ୍ଦାବତୀ ଆଜି ଯିବୁ ତୁ ବିନାଶ
ରଖି ନ ପାରିବେ ତୋତେ ଆସିଲେ ମହେଶ ।
ପରମ ଶତ୍ରୁ ଆମ୍ଭର ଅଟୁ ଲୋ ପାମରି
ନିଶ୍ଚୟ କହୁଛୁ ତୋତେ ପକାଇବୁ ମାରି ।
ବୃନ୍ଦାବତୀ ଅପକୀର୍ତ୍ତି ଦ୍ୟନ୍ତେ ସର୍ବ ଗୋଈ
ଅନ୍ତର୍ଯ୍ୟାମୀ ନାଥ ତାହା ଜାଣିଲେ ଚିତୋଇ ।
ହସ୍ତରେ ବିରହ ବଂଶୀ ପୟରେ କଠାଉ
ମସ୍ତକରେ ଚୂଳଗୋଟି ଦିଶେ ଦାଉ ଦାଉ ।
ଗୋପୀମାନଙ୍କ ଆଗରେ ଆସି ହେଲେ ଠିଆ
ସୁସ୍ୱରେ ବେଣୁ ବଜାନ୍ତି ଭାବ ବିନୋଦିଆ ।
ଦେଖିକରି ସର୍ବ ଗୋପୀ ହୋଇଲେ ଉସତ
କୁମୁଦ ବିକାଶେ ଯେହ୍ନେ ଆସିଲେ ବସନ୍ତ ।
ସୂର୍ଯ୍ୟଙ୍କୁ ଦେଖି ଯେସନେ ବିକଶେ କମଳ
ଚାତକ ହୁଅଇ ଯେହ୍ନେ ପାଇ ମେଘ ଜଳ ।
ଧନ ପାଇ ଦୁଃଖୀ ଯେହ୍ନେ ହୁଅଇ ଉଲ୍ଲାସ
କ୍ଷୁଧାର୍ତ୍ତ ଲୋକକୁ ଯେହ୍ନେ ରୁଚେ ଅନ୍ନ ଗ୍ରାସ ।
ବିଚ୍ଛେଦ ପତିକି ଲଭି ଯେହ୍ନେ ସ୍ତ୍ରୀ ଆନନ୍ଦ
ତେସନ ଉସତ ଗୋପୀ ପାଇଣ ଗୋବିନ୍ଦ ।
ସମ୍ଭର୍ବେ କୃଷ୍ଣଙ୍କୁ ସ୍ତୁତି କରିଲେ ଗୁଆଳୀ
ଭେଲାରେ ବସାଇ କାହିଁଗଲ ବନମାଳୀ ।
ଗଛରେ ଚଢ଼ାଇ ନାଥ କାଢ଼ିଲ ନିଶୁଣୀ
ଅଣସାହସ ପ୍ରଭୁ ହେ କଲ ଚକ୍ରପାଣି ।
ଆମ୍ଭେ ଷୋଳସସ୍ର ଗୋପୀ ତୁମ୍ଭରେ ଶରଣ
ତୁମ୍ଭ ବିନୁ ଅନ୍ୟଗତି ନାହିଁ ନାରାୟଣ ।
ସର୍ବ ସମ୍ପଦ ବିପଦ ତୁମ୍ଭ ପଦ୍ମପାଦ
କୃଷ୍ଣ ନାମଗୋଟି ତାର ଅଟେ ବ୍ରହ୍ମପଦ ।
ଭାବକୁ ନିକଟ ଭେଟ ଅଭାବରେ ନାହିଁ
ଭାବ ବିନୋଦିଆ ନାଥ ଅଟେ ଭାବଗ୍ରାହୀ ।
ବୋଲନ୍ତି ଶ୍ରୀକୃଷ୍ଣ ତୁମ୍ଭେ ଶୁଣ ସର୍ବ ଗୋଈ
କୁସୁମ ତୋଳିବାପାଇଁ ଥିଲୁଁ ବନେ ଯାଇ ।
ତୁମ୍ଭର ଆସିବା ଜାଣି ଅଇଲୁ ବେଗରେ
ଯେଣୁ ତୁମ୍ଭ ଚିତ୍ତ ସଦା ଥାଏ ମୋ ଉପରେ ।
ମୋର ଆଜ୍ଞା ମାନି ତୁମ୍ଭେ ଚଳ ଗୋ ସତ୍ୱର
ଯେଝା ମନ୍ଦିରକୁ ଯାଅ ଆଗୋ ରାମାବର ।
ଏମନ୍ତ ଆଜ୍ଞା ଦିଅନ୍ତେ ପ୍ରଭୁ ବନମାଳୀ
ଯେଝା ମନ୍ଦିରେ ଚଳିଲେ ସକଳ ଗୁଆଳୀ ।
ସେ ଗୋପୀନାଥଙ୍କ ପାଦପଦ୍ମେ ମୋର ଆଶ
ଅଚ୍ୟୁତଦାସ କବିକି ରଖ ପୀତବାସ ।
ରାଧିକାର ମାନଭଞ୍ଜନ ଓ ଚନ୍ଦ୍ରସେଣାର ଅପମାନ
[ସମ୍ପାଦନା]ଶୁକମୁନି ବୋଲନ୍ତି ହେ ଶୁଣ ପରୀକ୍ଷିତ
ଭକ୍ତି ମୁକ୍ତଦାୟକ ଏ ଶ୍ରୀହରି ଚରିତ ।
ଏଥୁ ଅନନ୍ତରେ କୃଷ୍ଣ ମନ୍ଦିରେ ପ୍ରବେଶ
ଯଶୋଦା ପାଶେ ମିଳିଲେ ଯାଇ ହୃଷୀକେଶ ।
ମାଏ ବୋଇଲେ ତୁ ଶୋଇପଡ଼ ଆରେ ହରି
ଭାଇ ସଙ୍ଗତରେ ଶୁଅ ଖଟର ଉପରି ।
ମାତା ଆଜ୍ଞାପାଇ ହରି ସୁଖେ ନିଦ୍ରା ଗଲେ
ବଳରାମଙ୍କ ସହିତେ ପଲ୍ୟଙ୍କେ ଶୋଇଲେ ।
ଏଥୁ ଅନନ୍ତରେ ହେଲା ନିଶି ଅବଶେଷ
ଚରଣାୟୁଧ ରଟନ୍ତି ଶୁଭେ କାକଘୋଷ ।
ହେମା ରାବ ଶବଦ ଯେ କରନ୍ତି ବାଛୁରୀ
ଯଶୋଦା ଉଠି ଡାକନ୍ତି ଉଠ ରାମ ହରି ।
ଉଛୁର ହୋଇଲା ବେଳ ଉଦେ ହେଲେ ଭାନୁ
ଉଠ ଉଠ ଗୋଷ୍ଠେ ଚଳ ବାବୁ ରାମ କାହ୍ନୁ ।
ମାତା ଡାକ ଶୁଣି ଶଯ୍ୟା ତେଜି ବେନି ଭାଇ
ସୁବାସ ନୀରେ ବଦନ ପଖାଳିଲେ ଯାଇ ।
କୁଙ୍କୁମ ଚନ୍ଦନ ଅଙ୍ଗେ ବୋଳିଣ ଜନନୀ
ଅମୃତ ଭୋଜନ ଆଣି କରାଇଲେ ପୁଣି ।
କ୍ଷୀରି କ୍ଷୀରିସା ଶାକର କରିଣ ଭୋଜନ
ସ୍ନାନଆଦି କ୍ରିୟାମାନ କରି ସମାପନ ।
ଗୋପାଳପୁଅଙ୍କୁ ଘେନି ଗୋଷ୍ଠରେ ବିଜୟେ
କହନ୍ତି ଯେ ଶୁକମୁନି ଶୁଣ ନୃପରାୟେ ।
ଗୋଗୋଷ୍ଠେ ଚରଚାମାନ ସାରି ବନମାଳୀ
ଏକା ହୋଇ ବିଜେ କୁଞ୍ଜେ ଧରିଣ ମୁରଲୀ ।
ସୁସ୍ୱରରେ ବେଣୁନାଦ କରନ୍ତେ ମୁରାରି
ଜଣେ ଜଣେ ହୋଇ ଗେଲ କୁଞ୍ଜେ ଗୋପନାରୀ ।
ନିରେଖଣ ଶ୍ରୀକୃଷ୍ଣଙ୍କୁ କଲେ ଦରଶନ
ରାଧାକୁ ନ ଦେଖି ବୋଇଲେକ ଭଗବାନ ।
ସମସ୍ତେ ଅଇଲ କିପାଁ ନ ଅଇଲା ରାଈ
ତାହା ଶୁଣି ବୋଇଲେକ ସର୍ବ ଗୋପଗୋଈ ।
ଆମ୍ଭେ କେମନ୍ତେ ଜାଣିବୁ ରାଧିକାର ମନ
କାଲି ବୃନ୍ଦାବତୀ ହେତୁ କରି ଅଭିମାନ ।
ମଉନରେ ଶୋଇଥିଲା ପଲ୍ୟଙ୍କ ଉପରେ
ବଡ଼ କ୍ରୋଧ ଜନ୍ମିଅଛି ତାହାର ମନରେ ।
ଦୂତିକାକୁ ଡାକି ଆଜ୍ଞା ଦେଲେ ଚକ୍ରପାଣି
ଯାଅ ଦୂତୀ ରାଧିକାକୁ ଆଣିବୁ ଏକ୍ଷଣି ।
ଆମ୍ଭ ରାଣେ ବୋଲି ଦୂତୀ ରାଧାକୁ କହିବୁ
ନାନାମତେ କହିକରି କଢ଼ାଇ ଆଣିବୁ ।
ବୃନ୍ଦାବତୀ ମୁଖ ମୁହିଁ ନ ଚାହିଁବି ଆଉ
ବୃଥା ଅଭିମାନ କିପାଁ କରିଅଛି ସେହୁ ।
ରାଧିକାକୁ ଦୃଢ଼ କରି ବୋଲିବୁ ଏମନ୍ତ
ରାଧିକା ଅଟଇ ମୋର ପ୍ରାଣ ପଞ୍ଚଭୂତ ।
କେବଳ ସେ ପତ୍ନୀ ମୋର ରାଧିକା ସୁନ୍ଦରୀ
ଶାଖା ଅଟନ୍ତି ସିନା ଏ ସର୍ବ ଗୋପନାରୀ ।
ନୟନ ସମାନେ କାହୁଁ ହେବ କି ଶ୍ରବଣ
ବାମଭୁଜ କି ଡାହାଣ ଭୁଜର ସମାନ ।
ପେଟର ସମାନ କାହୁଁ ହୋଇବ ବା ପିଠି
ବୃନ୍ଦାବତୀଠାରୁ ରାଧା ବଡ଼ ତେମନ୍ତଟି ।
ଏହିରୂପେ ଦୂତିକାକୁ ବୁଝାଇ ଅଚ୍ୟୁତ
ରାଧା ପାଶେ ପଠାଇଲେ ହୋଇ ଉତ୍କଣ୍ଠିତ ।
ତକ୍ଷଣେ ଦୂତିକା ଯାଇ ମିଳେ ରାଧାପୁରୀ
ଦେଖିଲା ଶୋଇଅଛଇ ରାଧିକା ସୁନ୍ଦରୀ ।
ଦୂତିକା ବୋଇଲା ସହି କେତେ ଅଛୁ ଶୋଇ
ମୂରଲୀନାଦ ତୋର କି କାନେ ପଶୁ ନାହିଁ ।
ଷୋଳସସ୍ର ଗୋପୀମାନେ କୁଞ୍ଜବନେ ଗଲେ
ଶ୍ରୀକୃଷ୍ଣ ଅଛଇ ତହିଁ ତାହାଙ୍କର ତୁଲେ ।
ମୋତେ ପଠାଇଲେ ତୋତେ ଡାକିବାର ପାଇଁ
ଉଛୁର ନ କରି ବେଗେ ଉଠ ଆଗେ ସହି ।
ଆସ ଆସ କୁଞ୍ଜବନେ ଶ୍ରୀକୃଷ୍ଣ ଭେଟିବା
ଆଉ କି ଅନ୍ୟ ଜନମେ ଏରୂପ ପାଇବା ।
ରାଧିକା ବୋଇଲେ ତୁମ୍ଭେ କେତେ ବକୁଅଛ
ବାଇଆଣୀ ପ୍ରାୟେ କଥା ଗୁଡ଼ାଏ କହୁଛ ।
ନ ଜାଣେ କି ବୃନ୍ଦାବତୀ କୃଷ୍ଣ ମନୋହାରୀ
ମୁଁ ଯାଇ କିସ କରିବି ତହିଁ ସହଚରୀ ।
ନାହିଁ ମୋର କୃଷ୍ଣଚନ୍ଦ୍ରେ ଆଉ ସେ ବିଶ୍ୱାସ
ଜାଣିଥା ଜୀବନ ମୁହିଁ ତେଜିବି ଅବଶ୍ୟ ।
ବୃନ୍ଦାବତୀ ନାରୀ ତାଙ୍କ ଏଡ଼େ ପ୍ରିୟ ହେଲା
କାନ୍ଧରେ ବସିଣ କୁଞ୍ଜବନରେ ବୁଲିଲା ।
ଯାଅ ଯାଅ ଦୂତୀ ତୁମ୍ଭେ ଏଥୁଁ ବେଗେ ଯାଅ
ଯିବି ନାହିଁ ବୋଲି ଏହା କୃଷ୍ଣଚନ୍ଦ୍ରେ କହ ।
ଏତେ କହି ରାଧିକା ଯେ ହେଲା ମୌନବତୀ
ଶ୍ରୀକୃଷ୍ଣଙ୍କ ପାଶେ ଯାଇ ପ୍ରବେଶିଣ ଦୂତୀ ।
କରପତ୍ର ଯୋଡ଼ି କହେ ରାଧିକା ସନ୍ଦେଶ
ନଇଲା ରାଧିକା ଦେବୀ ବୋଇଲା ଏ ଭାଷ ।
ମୋହର କୁଞ୍ଜବନରେ କିସ ପ୍ରୟୋଜନ
ବୃନ୍ଦାବତୀ ନାରୀ ସିନା କୃଷ୍ଣ ପ୍ରାଣଧନ ।
କୃଷ୍ଣଙ୍କ ମୁଖ ମୁଁ ଆଉ ନ ଚାହିଁବି କେବେ
ଯାଅ ଦୂତି ଏହି କଥା କହ ବାସୁଦେବେ ।
ଦୂତିକା ମୁଖରୁ ଏହା ଶୁଣି ବନମାଳୀ
ଘନ ଘନ ବଜାଇଲେ ବିରହ ମୁରଲୀ ।
ତଥାପି ସେ ନ ଅଇଲା ରାଧିକା ସୁନ୍ଦରୀ
ତହୁଁ ଅତିବ୍ୟସ୍ତେ ଗୋପୀଗଣେ ଚାହିଁ ହରି ।
ବୋଇଲେ ତୁମ୍ଭେ ସକଳେ ଯାଅ ନିଜ ପୁରେ
ମୁହିଁ ଯାଉଅଛି ଏବେ ରାଧିକା ମନ୍ଦିରେ ।
ଆଜ୍ଞାପାଇ ଗୋପୀଗଣ ଗଲେ ଯେଝାବାସେ
ଶ୍ରୀକୃଷ୍ଣ ଚଳିଲେ ରାଧା ନିକଟେ ହରଷେ ।
ବୃନ୍ଦାବତୀ କଥା ଲାଗି ରାଧାର ଯେମାନ
ଧୀରେ ଧୀରେ ଡାକ ଦ୍ୟନ୍ତି ଦ୍ୱାରେ ଭଗବାନ ।
କବାଟରେ ହାତମାରି ବୋସନ୍ତିରେ ସହି
ମୋହଠାରେ ବୃଥା ଅଭିମାନ ତୋ କିପାଇଁ ।
ଫିଟାଇ କବାଟ ମୋର ବ୍ୟାକୁଳ ପରାଣ
କ୍ରୋଧଭରେ ରାଧିକା ଯେ ବୋଲଇ ଏସନ ।
କବାଟ ଠୁକଇ କିଏ ତାର ଭୟ ନାହିଁ
ଶ୍ରୀକୃଷ୍ଣ ବୋଲନ୍ତି ଆମ୍ଭେ ଅଟୁ ଗୋ ମାଧୋଇ ।
ରାଧା ବୋଲନ୍ତି ମାଧବ ଅଟଇ ବସନ୍ତ
ଆମ୍ଭ ନାମ ଚକ୍ରଧର ବୋଇଲେ ଅନନ୍ତ ।
ରାଧିକା ବୋଇଲେ ଚକ୍ରୀ କୁରାଳ କି ତୁହି
କୃଷ୍ଣ ବୋଇଲେ ଧରଣୀଧର ଅଟେ ମୁହିଁ ।
ରାଧା ବୋଇଲେ ବାସୁକି ଅଟ ତେବେ ତୁମ୍ଭେ
ଶ୍ରୀକୃଷ୍ଣ ଶୁଣି ବୋଇଲେ ହରି ଅଟୁ ଆମ୍ଭେ ।
ରାଧିକା ବୋଇଲେ ହରି ମର୍କଟର ନାମ
ଶ୍ରୀକୃଷ୍ଣ ବୋଇଲେ ଆମ୍ଭେ ଫଣୀନ୍ଦ୍ର ଆସନ ।
ରାଧିକା ବୋଇଲେ ତେବେ ଗରୁଡ଼ କି ତୁମ୍ଭେ
ଶ୍ରୀକୃଷ୍ଣ ବୋଇଲେ ତାର ପ୍ରଭୁ ଅଟୁ ଆମ୍ଭେ ।
ବୃନ୍ଦାବନଚନ୍ଦ୍ର ଆମ୍ଭେ ନାମ ବନମାଳୀ
ନ ଜାଣୁ କି ରାଧା ପାଦେ ମର୍ଦ୍ଦିଥିଲୁ କାଳୀ ।
ଏ କଥା ଶୁଣିଣ ରାଈ ଫେଡ଼ିଲା କବଟ
ଶ୍ରୀକଷ୍ଣ ରାଧିକା ଦୁହେଁ ହେଲେ ତହୁଁ ଭେଟ ।
ମାନଭରେ ରାଧିକା ଯେ ଖଟେ ପଡ଼େ ଶୋଇ
ଅଭିମାନେ କୃଷ୍ଣଙ୍କୁ ସେ ବଚନ ନ କହି ।
ବିନୟରେ ରାଧିକାକୁ ବୋଲନ୍ତି ଅନନ୍ତ
ବୃଥା ଅଭିମାନ କିପାଁ କରୁ ଗୋ ସଙ୍ଗାତ ।
ପ୍ରାଣର ବଲ୍ଲଭୀ ମୋତେ ବାରେ କଥା କହ
ଦୋଷୀ ଯେବେ ଯଥୋଚିତ ଦଣ୍ଡ ଏବେ ଦିଅ ।
ଚନ୍ଦ୍ରାବଳୀ ବୋଲେ ତୁମ୍ଭେ ବଡ଼ ଅବିଶ୍ୱାସୀ
ବୃନ୍ଦାବତୀ ଅଟେ ପରା ତୁମ୍ଭର ପ୍ରେୟସା ।
ତାକୁ ଘେନି କୁଞ୍ଜବନେ ରହ ଘର କରି
ମୋର ନିକଟେ ଆସିଲ ଭୁଲି କି ମୁରାରି ।
ଭ୍ରମର ପରାୟ ତୁମ୍ଭ ପ୍ରକୃତି ଅଟଇ
ମିଛେ ମିଛେ ମୋତେ ଆସି ଭଣ୍ଡୁଛି କି ପାଇଁ ।
ଷୋଳସହସ୍ର ନାରୀପରେ ମୁଁ ସିନା ନାୟିକା
କିପରି ବୃନ୍ଦା ହୋଇଲା ତୁମ୍ଭ ପ୍ରାଣ ସଖା ।
ଯାଅ ଯାଅ ତୁମ୍ଭଙ୍କୁ ସେ ଥିବ ବାଟ ଚାହିଁ
ପାସୋରି ମୋପୁରେ କେହ୍ନେ ଅଇଲ ମାଧୋଇ ।
ବୋଲନ୍ତି ଶ୍ରୀକୃଷ୍ଣ ଏବେ ଶୁଣରେ ସଙ୍ଗାତ
ବୃନ୍ଦାବତୀକି ଆଜହୁଁ ତେଜିଲି ନିୟତ ।
ତୁହି ସିନା ପ୍ରିୟ ମୋର ଅଟୁ ଜନ୍ମେ ଜନ୍ମେ
ତୋର ତହୁଁ ଆନ ସଖୀ ନାହିଁ ମୋର ମନେ ।
ପ୍ରତ୍ୟକ୍ଷରେ ଲକ୍ଷ୍ମୀତୁ ଗୋ ନାରାୟଣ ମୁହିଁ
ଏହି କଥା ଅନ୍ୟ ଲୋକେ ନ ଜାଣନ୍ତି କେହି ।
ଜଳ ମଧ୍ୟରୁ ବୁଦ୍ବୁଦ ଯେହ୍ନେ ଉପୁଜଇ
ଉତ୍ପତ୍ତି ପ୍ରଳୟ ତାର ସଙ୍ଗେ ସଙ୍ଗେ ହୋଇ ।
ସେହିପରି ଅଟନ୍ତି ତ ଷୋଳସସ୍ର ନାରୀ
ସମୟରେ ପ୍ରଳୟ ଯେ ହୋଇବ ତାଙ୍କରି ।
ତୁ ପ୍ରାଣବଲ୍ଲଭୀ ମୋର ଅଟୁ ପଞ୍ଚଭୂତ
ଏହି କଥା ଜାଣନ୍ତି ତ ଭଲେ ଲୋକତାତ ।
ଏତେ ବୋଲି ଗଳାରୁ ସେ କାଢ଼ି ରତ୍ନମାଳି
ରାଧିକାଗଳେ ଲମ୍ୱାଇଦେଲେ ବନମାଳୀ ।
ବ୍ୟାକୁଳ ଚିତ୍ତେ ପାଦରେ ଦ୍ୟନ୍ତେ ନେଇ ଶିର
ରାଧିକା ବୋଇଲେ ତହୁଁ ଏମନ୍ତ ପ୍ରକାର ।
କି କର୍ମ କରିଲି ହରି ମୁଁ ଅଟେ ପାମରୀ
ମୋର ପାଦେ ତୁମ୍ଭେ ଶିର ଲଗାଅ କିପରି ।
ଏଡ଼େ ବଡ଼ ପ୍ରଭୁ ଶିରେ ଲାଗିଲା ମୋ ପାଦ
ନିଶ୍ଚୟ ଜାଣିଲି ମୋତେ ଘଟିବ ପ୍ରମାଦ ।
ପତ୍ନୀ ଅଭିମାନେ ଯେବେ ଓଳଗଇ ପତି
ଶତେ ଜନ୍ମଯାଏ ନାରୀ ନର୍କେ ପଡ଼ିଥାନ୍ତି ।
ଶିଷ୍ୟ ଅଭିମାନେ ଯେବେ ଓଳଗିବ ଗୁରୁ
ଶତେ ଥର ଉପୁଜେ ସେ ଶ୍ୱାନର ଉଦରୁ ।
ପୁତ୍ର ଅଭିମାନେ ଯେବେ ଓଳଗଇ ତାତ
ଶତେ ଜନ୍ମ ପରିଯନ୍ତେ ଅନାଗର୍ଭେ ଜାତ ।
ବଧୂ ଅଭିମାନେ ଯେବେ ଓଳଗଇ ଶାଶୁ
ପାତକ ହୋଇ ଅନଳ ମଧ୍ୟରେ ସେ ପଶୁ ।
କନ୍ୟା ଅଭିମାନେ ଯେବେ ଓଳଗେ ଜନନୀ
ଶତେ ଜନ୍ମ ଶିରଶ୍ଥେଦ ହୁଏ ତାର ପୁଣି ।
ବୟୋଽଧିକ କରେ ଯେବେ ସାନକୁ ପ୍ରଣାମ
ଅଦୋଷରେ ଶିରଶ୍ଛେଦ ହୁଏ ତା ପ୍ରମାଣ ।
ତୁମ୍ଭେ ଜଗନ୍ନାଥ ଅଟ ତ୍ରୈଲୋକ୍ୟ କରତା
ଦେବ ଦାନବ ମାନବ ଉପରେ ଦେବତା ।
ତୁମ୍ଭଯୋଗେ ସୃଷ୍ଟି ନାଥ କରେ ପିତାମହ
ତୁମ୍ଭଯୋଗେ ଆତଯାତ ସିନା ଜଗତ୍ତାୟ ।
ତୁମ୍ଭ ଶିରକମଳରେ ଲାଗିଲା ମୋ ପାଦ
ପାପିଷ୍ଠୀ ଆତ୍ମା ମୁଁ ନିଶ୍ଚେଁ କରିବି ଦଗଧ ।
ଆଉ କି ବର୍ତ୍ତିବି ସ୍ୱାମୀ ଅପରାଧୀ ହୋଇ
ଜୀବନ ମୁଁ ବିସର୍ଜ୍ଜିବି ଜଳେ ଝାସଦେଇ ।
ପୋଡ଼ା କାମଦେବ ସିନା କରିଲା ଏମନ୍ତ
ତୁମ୍ଭପରା ପ୍ରଭୁଙ୍କୁ ସେ କଲା ବିଚଳିତ ।
ଯଦ୍ୟପି ଏ କାମଦେବ ସଂସାରୁ ଯାଆନ୍ତା
ସଚରାଚର ଜଗତ ସୁସ୍ଥିର ହୁଅନ୍ତା ।
ଭଲ କରିଥିଲେ ଶିବ କାମଦେବ ମାରି
ତାହାଠାରୁ ବଳି ପାପୀ ନାହିଁ ବସୁନ୍ଧରୀ ।
ଯଦି ସତୀ ଜଗତରେ ରହିବେ କିପରି
ମରିଯାଆନ୍ତା କି ପୁଣି ସେହି ଦୂରାଚାରୀ ।
ଅପରାଧୀ କରାଇଲା ମୋତେ ପଦ୍ମପାଦେ
ଏତେ ବୋଲି ରାଈ ଉଠି ବସେ ମନ ଖେଦେ ।
ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ଚନ୍ଦ୍ରାବଳୀ
ଅନିମିତ୍ତେ କାହିଁପାଇଁ ହୁଅ ଗୋ ବିକଳି ।
ତୁମ୍ଭର ମୋହର ନାହିଁ ଭିନ୍ନାଭିନ୍ନ କାୟା
ଏକଇ ଆତ୍ମା ଆମ୍ଭର ଜାଣ ପ୍ରାଣପ୍ରିୟା ।
ସକଳ ଜୀବ ହୃଦରେ ରହିଥାଏ ମୁହିଁ
ସ୍ଥାବର ଜଙ୍ଗମ ଆଦି ସଚରାଚରହିଁ ।
ଚାଣ୍ଡାଳୁଁ ବ୍ରହ୍ମ ପର୍ଯ୍ୟନ୍ତେ ଯେତେ ଛନ୍ତି ପ୍ରାଣୀ
ସମସ୍ତଙ୍କ ହୃଦୟରେ ଥାଏ ମୁଁ ସଜନି ।
ଭ୍ରାନ୍ତି ଘେନି ଭାବେ ପ୍ରାଣୀ ହେଉଛନ୍ତି କ୍ଷୟେ
ଭ୍ରାନ୍ତିଗୋଟି ପାତକକୁ ସଦା ଉପୁଜାଏ ।
ତୁମ୍ଭେ ଗୋ ନ ଜାଣି ନିନ୍ଦାକଲ କାମଦେବ
ଅନେକ ପାତକ ଏଣୁ ଅର୍ଜିଲ ଗୋ ଧ୍ରୁବ ।
ଅନିମିତ୍ତେ ପରକୁ ଯେ ଦ୍ୟନ୍ତି ଅପକୀର୍ତ୍ତି
ଶତେଜନ୍ମ ଯାଏ ଶିବଆଳେ ସର୍ପ ହ୍ୱନ୍ତି ।
ଅକସ୍ମାତେ ପରମାଦ ଚିତ୍ତେ ଯେଉଁ ଜନ
ବ୍ରହ୍ମହତ୍ୟା ପାତକ ସେ ଲଭଇଟି ଜାଣ ।
ଯେବଣ ଜନ ଚିନ୍ତଇ ସଦା ପର ମନ୍ଦ
ବିଧାଚା ଅବଶ୍ୟ ତାର ଛେଦ କରେ କନ୍ଧ ।
ପଛରେ ପରର ନିନ୍ଦା କରଇ ଯେ ପୁଣ
ମାତୃହରଣ ଦୋଷ ସେ ଲଭଇଟି ଜାଣ ।
ତୁହି ତ ରାଧିକା ସବୁ ଜାଣ ପାପ ପୁଣ୍ୟ
କେମନ୍ତେ ପରକୁ ନିନ୍ଦା କରିଲୁଟି ପୁଣ ।
ମଦନ ବୋଲିଣ ଯେହୁ ଅଟେ ମୋର ସୁତ
ତାହାଠାରେ ଏଡ଼େ କିପାଁ ତୋର କୋପଚିତ୍ତ ।
ଭିନ୍ନ କରି ମଣୁ କିପାଁ ମୋତେ ପ୍ରାଣସହି
ତୋ ଅଙ୍ଗ ମୋହର ଅଙ୍ଗ ସମାନ ଅଟଇ ।
ଆପଣକୁ ତେଣୁ ଆପେ କଲଇଁ ସମ୍ମାନ
ଏଥକୁ ବିସ୍ମୟ ତୁହି ନ କର ଗୋ ମନ ।
ଶ୍ରୀବତ୍ସ ବ୍ରାହ୍ମଣ ପୂର୍ବେ ମାଇଲା ଯେ ନାତ
ହୃଦରେ ସେ ପାଦଚିହ୍ନ ବହୁଛି ସଙ୍ଗାତ ।
ଧୂଳିଖେଳେ ମାଇଲାକ ମୋତେ ଅନ୍ଧସୁତ
ପରମପଦ ତାହାକୁ ଦେଲି ଆଗୋ ମିତ ।
ଦାରା ବଇରି ଯେ ଦଶବଦନ ଅନୁଜ
ଶରଣ ପଶନ୍ତେ ତାକୁ ଦେଲି ଲଙ୍କାରାଜ୍ୟ ।
ସୀତା ଯେବେ ଦେଇଥାନ୍ତା ମୋତେ ଦଶାନନ
ଅଯୋଧ୍ୟା ନଗରେ କରିଥାଆନ୍ତି ରାଜନ ।
ଅଇରି ମିତ୍ର ମୋହର ନାହିଁ ଭିନ୍ନାଭିନ୍ନ
ତୁ କିପାଇଁ ସଖି ଆରେ କରୁ ମୋତେ ଭିନ୍ନ ।
ତୋର ବିନା ମୋହର ତ ଆନ ଗତି ନାହିଁ
କାଳେ କାଳେ ପ୍ରିୟତମା ଅଟୁ ମୋର ତୁହି ।
ଜଗତେ ଦାନବ ଯେଣୁ କଲେ ଉତପାତ
ତେଣୁମର୍ତ୍ତ୍ୟେ ଦେବଗଣେ କଲେ ମୋତେ ଜାତ ।
ତ୍ରେତୟାରେ ରାମ ମୁହିଁ ତୁମ୍ଭେ ତ ବୈଦେହୀ
କାଳେ କାଳେ ଅବତାର ମୋର ହିତପାଇଁ ।
କଳକୀ ବଉଦ୍ଧ ରୂପେ ପୁଣି ହେବୁ ଜାତ
ତୁମ୍ଭେ ଅବତାର ହେବ ଏ କଥା ନିୟତ ।
ଭୀଷ୍ମକ ରାଜାର ଘରେ ନାମ ଯେ ରୁକ୍ମିଣୀ
ଷୋଳସସ୍ର ନାୟିକାରେ ଅଟୁ ପାଟରାଣୀ ।
କାମଦେବକୁ ନିନ୍ଦିଲୁ ଯେଣୁ ପ୍ରାଣସହି
ତେଣୁ ଶାପ ଯେ ବିହିଲା ତୋତେ ରତିସାଇଁ ।
ନିଶ୍ଚେଁ ବିଡ଼ମ୍ୱଣ ତୋତେ କରିବ ମଦନ
ପୁତ୍ରରୂପେ କାମଦେବ ଜାତ ଗୋ ଗର୍ଭେଣ ।
ତହିଁରେ ସଙ୍କଟ ହେବ ଦ୍ୱାଦଶ ବରଷ
ମଦନର ଅଭିଷାପ ଫଳିବ ଅବଶ୍ୟ ।
ଦ୍ୱାଦଶ ବରଷଯାଏ ହେବୁ ବିଡ଼ମ୍ୱଣ
ସପତଣୀ ଯୋଗୁ ତୋତେ ପଡ଼ିବ କଷଣ ।
ପୁଣି ସେହି କାମଦେବ ହୁଅନ୍ତେ ପ୍ରସନ୍ନ
ସପତୀଣ କଷ୍ଟ ତୋର ଯିବ ଆଗୋ ଜାଣ ।
ଏହିରୂପେ କହନ୍ତେଣ ପ୍ରଭୁ ଜଗନ୍ନାଥ
ରାଧିକା ସୁନ୍ଦରୀ ତହୁଁ ହୋଇଲା ଉସତ ।
ତଦନ୍ତେ ରାଧା ମାଧବ ଭେଟ ଯେ ହୋଇଲା
ଏହିକାଳେ ଚନ୍ଦ୍ରସେଣା ଦ୍ୱାରେ ପ୍ରବେଶିଲା ।
ଡାକ ଦିଅଇ ଉଚ୍ଚରେ ରାଧା ରାଧା ବୋଲି
କବାଟରେ ହାତ ମାରି ଛାଡ଼ଇ ବୋବାଳି ।
କିଲୋ ସହି ବଧିର କି ହୋଇଲୁ ବା ତୁହି
କବାଟ ତୁ ନ ଫିଟାଉ କାହା ସାହା ପାଇ ।
ଏଡ଼ିକି ଦିମାକ ତୋର ନ ଶୁଣୁ ମୋ ଡାକ
ଦେଖିବା ଆଜି ତୋତେ କେ ହେବ ସାହାପକ୍ଷ ।
ଲଉଡ଼ିର ଘାତେ ତୋର ପିଞ୍ଜିବଇଁ ହାଡ଼
କି ଲୋ ରାଈ ମୁଲାଉକି ନିର୍ଘାତିଆ ମାଡ଼ ।
ଦୁଧ ଭାର ତଳେ ଥୋଇ କବାଟେ ପିଟନ୍ତେ
ସେ କଥାଗୋଟି ଜାଣିଲେ ଦେବ ଜଗନ୍ନାଥେ ।
କେଉଁପରି ଯିବା ବୋଲି ବିଚାରନ୍ତି ମନେ
ପାଚେରି ଡେଇଁଣ ପ୍ରଭୁ ଚାଲିଗଲେ ଶୂନ୍ୟେ ।
ଚନ୍ଦ୍ରସେଣା ସେହି କଥା ଜାଣି ନ ପାରିଲା
ରାଈ ରାଈ ବୋଲି ଉଚ୍ଚେ ଡାକ ସେ ଛାଡ଼ିଲା ।
ତରବରେ ରାଧିକା ଯେ ଫଟାଏ କବାର୍ଟ
ଭୟ ପାଇ ଶୁଖିଯାଏ ତା ତାଳୁକା ଓଷ୍ଠ ।
ଚନ୍ଦ୍ରସେଣାକୁ ବୋଲଇ ଆହେ ପ୍ରାଣନାଥ
ଅଚେତନ ହୋଇ ଶୋଇ ପଡ଼ିଥିଲି ମୁଁ ତ ।
ଦୋଷ କ୍ଷମାକର ମୁହିଁ ଜାତିରେ ଅବଳା
ତୁମ୍ଭେ ମୋର ଅଟ ନାଥ ନୟନ ପିତୁଳା ।
ଏତେବୋଲି ରାଧିକା ଯେ ଧୋଏ ପାଦବେନି
ଚନ୍ଦ୍ରସେଣା ଦେଖି ତାହା ଶାନ୍ତହେଲା ପୁଣି ।
ଗୃହଭିତରକୁ ଗଲା ଦୁଧଭାର ନେଇ
ଦିବ୍ୟ ଆସନେ ବସିଲା ଭାର ଥୋଇଦେଇ ।
କ୍ଷୀର କ୍ଷୀରିସାଦି ମହା ସନ୍ତୋଷେ ଭୁଞ୍ଜିଲା
ବିବିଧ ବର୍ଣ୍ଣରେ ପକ୍ୱ ପିଷ୍ଟକ ଖାଇଲା ।
ଜଳ ପିଇ ଉଦରକୁ କରିଲା ସନ୍ତୋଷ
ପାନ ବିଡ଼ି ଖଆଇ ଗୌଡ଼ ହେଲା ମହାତୋଷ ।
ମୁଖଟେକି ରାଧିକାକୁ ଚାହାନ୍ତେ ନିରେଖି
ଦେଖିଲା ରାଈର ମୁଖ ଯାଇଅଛି ଶୁଖି ।
ଚିତ୍ତ ବିଚଳିତ ନେତ୍ର କରେ ଛନ୍ନ ଛନ୍ନ
ପ୍ରଖର ନିଶ୍ୱାସ ବହେ ଶରୀର ମଳିନ ।
କଜ୍ଜ୍ୱଳ ରେଖାର ଗାର ଯାଇଅଛି ଲିଭି
ଏହା ସବୁ ଦେଖି ଚନ୍ଦ୍ରସେଣା ମନେ ଭାବି ।
ନିଶ୍ଚୟ କୃଷ୍ଣ ସଙ୍ଗରେ ବିସିଛି ସୁନ୍ଦରୀ
କପଟ ବଚନେ ମୋତେ ଦିଏ ବୋଧ କରି ।
କିପରି ଜାଣିବି ଅବା ନ ଥାଏ ମୁଁ ଘରେ
ନୋହିଲେ ଅଙ୍ଗ କିପାଇଁ ଦିଶେ ଏ ରୂପରେ ।
ଏତେ ଭାଳି ବୋଲେ କିଲୋ ଦୋଚାରୁଣୀର ରାଈ
କାହା ସଙ୍ଗତରେ ଆଜି ମାତିଥିଲୁ ତୁହି ।
ନିତିଦିନ ଭଣ୍ଡୁଅଛୁ ମୋତେ ଲୋ ପାମରି
ଧରା ପଡ଼ିଲୁ ଆଜି ତୁ ଯିବୁ କାହିଁ ନାରୀ ।
ମିଛେ ମିଛେ ଚାଟୁ କହି ଭୁଲାଉ ମୋ ମନ
ନିଶ୍ଚୟ ଆଜ ତୋ ନାସା କରିବି ଛେଦନ ।
କେ ରକ୍ଷା କରିବ ଆଜି ତୋତେ ମୋର କରୁ
ନିଶ୍ଚୟ ବାହାର କରି ଦେବଇଁ ଲୋ ଘରୁ ।
ସାତବେଣ୍ଟି କରି ତୋତେ ମାରିବଇଁ ମାଡ଼
ଏ କେନ୍ଦୁ ବାଡିରେ ତୋର ପିଞ୍ଜିବଇଁ ହାଡ଼ ।
ଚନ୍ଦ୍ରସେଣା ବାଣୀ ଶୁଣି ରାଧିକା ଡାକଇ
ସାହି ପଡ଼ିଶା ନାନିଏ ଆସ ବେଗେ ଧାଇଁ ।
ଆସ ଆସ ବଉଳ ଗୋ ଆସ ତୁ ସଙ୍ଗାତ
ଚିତ୍କାରେ ଡକାଇ ରାଈ ହୋଇଣ ଆରତ ।
ଡାକଶୁଣି ପଡ଼ିଶାଏ ଅଇଲେକ ଧାଇଁ
ତାଙ୍କ ଆଗେ ଚନ୍ଦ୍ରାବଳୀ କାନ୍ଦିଣ କହଇ ।
ଶୁଣ ଶୁଣ ଅପା ଆଗୋ ଶୁଣ ମୋର ନାନି
ଶୁଣ ଶୁଣ ସଙ୍ଗାତ ଗୋ ଶୁଣ ଗଙ୍ଗାପାଣି ।
ମଉଳାଣୀ ସଙ୍ଗେ କାହିଁ ଭଣଜାର ପ୍ରୀତି
ଯେଉଁକଥା ଶୁଣା ନାହିଁ ବୋଲେ ଏ କେମନ୍ତି ।
ଅଘଟଣା ଘଟାଏ ଯେ ମିଛେ ମିଛେ ଆଣି
ଏହି କଥା ତୁମ୍ଭେମାନେ ଅଛ ଅବା ଶୁଣି ।
ଯେ କଥା ଧଇଲେ ତୁଣ୍ଡେ ହୁଅଇ ପାତକ
ସେ କଥାକୁ କାହୁଁ ଆଣି ଘଟାଏ ଏ ମୂର୍ଖ ।
କାହିଁ କୃଷ୍ଣ କେଉଁଠାରେ ତାର ମୋର ଭେଟ
ଅନିମିତ୍ତେ ଦୂଷଣ ଏ ଦିଅଇ ପାପିଷ୍ଠ ।
ଅଦୋଷେ ଗଞ୍ଜଣା ୟାର ସହିବଇଁ କେତେ
ୟାରପାଇଁ ମରିବଇଁ ନିଶ୍ଚେଁ ଆତ୍ମାଘାତେ ।
କେଉଁ ମହାପାପେ ଏ ଗୋ ହେଲା ନପୁଂସକ
ଏବେ ସ୍ତିରୀହତ୍ୟା ଲଭୁ ଭୋଗୁ ଏ ପାତକ ।
ସାହି ପଡ଼ୁଶୁଣୀ ତୁମ୍ଭେ ସାକ୍ଷୀ ରହିଥାଅ
ପିତାମାତା ଭାଇବନ୍ଧୁ ଆଗେ ଏବେ କହ ।
ଏତେ ବୋଲି ରାଧା ବେଗେ ଲଗାଏ ଦଉଡ଼ି
ଚାଳରେ ଉକୁଚି ଉଚ୍ଚେ ଛାଡ଼େ ଦୀର୍ଘରଡ଼ି ।
ଆରେ ଚନ୍ଦ୍ରସେଣା ହତ୍ୟା ଲଭସି ମୋହର
କାଳକ ତ ଅନିମିତ୍ତେ ଗଞ୍ଜୁରେ ପାମର ।
ଏତେ ବୋଲିକରି ତୁନି ହୋଇଲା ରାଧିକା
ଚନ୍ଦ୍ରସେଣା ଭାଳଇ ଯେ ହେଲା ମୋତେ ଡକା ।
ଧାଇଁ ଆସ ମାଏ ବୋଲି ପାଡ଼ଇ ବୋବାଳି
ଚାଳେ ଉକୁଚି ମରୁଛି ମୋର ଚନ୍ଦ୍ରବଳୀ ।
ଉପହାସେ ବୋଇଲି ମୁଁ ମଣିଲା ଏ ସତ
ମିଛ କଥାକୁ ମୋଠାରେ ହେଲା ରାଗାନ୍ୱିତ ।
ଏତେ ବୋଲି ତରତରେ ଗଲା ସେହୁ ଧାଇଁ
ରାଧିକା ବେକରୁ ରଜ୍ଜୁ ଦେଲାକ ଛିଣ୍ଡାଇ ।
ସାତ ପାଞ୍ଚ ମିଳିକରି କରାନ୍ତି ଚେତନ
କିଏ କାନ ଫୁଙ୍କେ କେହୁ କରଇ ବ୍ୟଜନ ।
କିଏ ବଦନରେ ଆଣି ସଲିଳ ସିଞ୍ଚଇ
କିଏ ରାଧା ରାଧା ବୋଲି ଉଚ୍ଚରେ ଡାକଇ ।
ଚାଟୁ ବଚନ କହନ୍ତି ସାହୀ ପଡ଼ିଶାଏ
ଚନ୍ଦ୍ରସେଣା କାରୁଣ୍ୟରେ ପ୍ରିୟବାକ୍ୟ କହେ ।
ହାସ୍ୟ କଥାକୁ ସଖି ତୁ କର ଏଡ଼େ ରୋଷ
ଜାଣିଲି ତୋହର ତିଳେ ମାତ୍ରା ନାହିଁ ଦୋଷ ।
ଆଉବେଳେ ସଖି ତୋତେ ନ ବୋଲିବି କିଛି
ନିଉଁଛିଣ ଯାଇ ଆରେ ଶରଚ୍ଚନ୍ଦ୍ର ମୁଖି ।
ନିଜର ବଲ୍ଲଭୀ ମୋର ପ୍ରାଣର ସଙ୍ଗାତ
ତୋର ତହୁଁ ଆନ ପ୍ରିୟା ଆଉ ମୋ ନାହିଁ ତ ।
ବିନୟେ ଚାଟୁବଚନ କହି ସେ ଗଉଡ଼
ବସି ଧୀରେ ଧୀରେ ଚାପେ ରାଧିକାର ଗୋଡ଼ ।
ପଡ଼ିଶାଏ ବହୁରୂପେ କରନ୍ତି ଧିକ୍କାର
ଧିକ ଧିକ ଚନ୍ଦ୍ରସେଣା ତୁମ୍ଭ ସମାଚାର ।
ଏକା କି ତୁମ୍ଭେ ଏ ନଗ୍ରେ କରିଅଛ ଘର
ତୁମ୍ଭ କଳିକଥା କିଏ ବୁଝେ ବାରମ୍ୱାର ।
ଲାଜ ମାଡ଼ୁ ନାହିଁ ମୁଖେ ପତି ପତ୍ନୀ କଳି
ଲଗାଇଛ ତୁମ୍ଭପରି ନାହିଁ ବାରୁଆଳୀ ।
ଏତେ କହି ପଡ଼ିଶାଏ ଗଲେ ଯେଝା ଘରେ
ରାଈ ଘେନି ଚନ୍ଦ୍ରସେଣା ରହିଲା ପୁରରେ ।
ଯଶୋଦାଙ୍କୁ ରାଧିକାର ରତ୍ନମାଳ ପ୍ରଦାନ ଓ ବତ୍ସା ହରଣ
କିଏ ସେ ଜାଣି ନ ପାରିବ ନାରୀଙ୍କ ଚରିତ ।
ଏଥୁଅନନ୍ତରେ ଗୋବିନ୍ଦ ଗଲେ ନିଜ ପୁରେ
ବାଳକ ମୂରତି ଧରି ମିଳିଲେ ଗୃହରେ ।
ଚଉବିଂଶ ଦଣ୍ଡ ପୁଣି ହୋଇଛି ରଜନୀ
ବାଟ ଚାହିଁ ବସିଛନ୍ତି ଜନକ ଜନନୀ ।
ଏ ସମୟେ ଶ୍ରୀକୃଷ୍ଣ ଯେ ହେଲେ ପରବେଶ
ଦେଖିକରି ପିତାମାତା କଲେ ମହାରୋଷ ।
ବୋଲନ୍ତି ନନ୍ଦରାଜନ ଶୁଣରେ କହ୍ନାଇ
ତୋରଯୋଗୁ ଆମ୍ଭେ ଦୁହେଁ ମରିବୁ ନିଶ୍ଚେ ହିଁ ।
ତୋତେ ନ ଦେଖି ଆମ୍ଭର ମନ ଦକଦକ
ମୀନ ଟାକି ରହିଥାଏ ଯେମନ୍ତେ ରେ ବକ ।
ପଥ ନିରୋପି ଆଖିରୁ ମରିଲାଣି ଜଳ
ଟିକିଏ ଦୟା ତୋହର ନାହିଁ ଆରେ ବାଳ ।
ଆମ୍ଭ ତିଆରିବା କଥା ପାଶେ ନାହିଁ କାନେ
ତୋପରି ଦୁଷ୍ଟବାଳକ ନାହିଁ ଏ ଭୁବନେ ।
ତିଆରିବା କଥା କେହ୍ନେ ନ ଶୁଣୁ କହ୍ନାଇ
ସବୁବେଳେ ଦୁଷ୍ଟପଣ କରୁରେ ମାଧୋଇ ।
ରାମ ତୋର ସଙ୍ଗତରେ ଥାଏ ବନମାଳି
ଏଡ଼େ ଦୁଷ୍ଟ ନୁହଇ ତ ସେହୁ ତୋର ଭଳି ।
ରାଗେ ଯଶୋଦା ଛାଟେକ ନେଇ ପ୍ରହାରନ୍ତେ
ଧାଇଁଯାଇ ନନ୍ଦରାୟେ କଲେ କୋଳାଗ୍ରତେ ।
ବୋଲେ ଆଉ ବେଳେ ଦୁଷ୍ଟ ନୋହିବୁ ମାଧୋଇ
ଖେଳିବାକୁ ଗଲେ ବେଗେ ଫେରୁବୁଟି ତୁହି ।
ନିଶାରେ ବୁଲିବା ବାବୁ ନୁହଇ ଉଚିତ
ଡାଏଣୀ ପିଶାଚୁଣୀ ଯେ ଥାନ୍ତି ପ୍ରେତଭୂତ ।
ବ୍ୟାଘ୍ର ଭଲୁ କ ଶୃଗାଳ ଚୋର ଖଣ୍ଟମାନେ
ଭ୍ରମଣ କରନ୍ତି ବାବୁ ରାତ୍ରରେ ଏମାନେ ।
କଂସ ଦଇତ ବଇରୀ ଅଟଇ ଆମ୍ଭର
ନିଶାରେ ବୁଲୁଥାଆନ୍ତି ତାର ଗୁପ୍ତ ଚାର ।
ଦେଖିଲେ ଧରି ସେ ନେବେ ଆଗେ ଚାପଧନ
ବଡ଼ ନିଷ୍ଠୁର ଅଟଇ ସେ କଂସ ରାଜନ ।
ତା ଯୋଗୁ ଆମ୍ଭେ କି ଆଉ ରହିବୁ ଜୀବନେ
ରଜନୀରେ ନ ବୁଲିବୁ ବାବୁ ଆଉ ଦିନେ ।
ଶ୍ରୀକୃଷ୍ଣ ବୋଲନ୍ତି ପିତା ଶୁଣ ମୋ ବଚନ
ଦଇବର କୃତ୍ୟ କେହି କରିବଟି ଆନ ।
ଖେଳୁ ଖେଳୁ ରତ୍ନହାର ହଜିଲା ମୋହର
ଲୋଡ଼ୁ ଲୋଡ଼ୁ ପିତା ତାହା ହୋଇଲା ଉଛୁର ।
ମାତା ମାରିବେ ବୋଲିଣ ନ ଆସିଲି ଘର
ଏଥିରେ ମୋହର ଦୋଷ ନାହିଁ ହେ ପିଅର ।
ତୁମ୍ଭର ବ୍ୟାକୁଳ ହେବା ଜାଣିପାରି ମୁହିଁ
ତେଣୁ ଘରେ ଧାଇଁଅଛି ତରତର ହୋଇ ।
ନନ୍ଦ ବୋଲେ ଚଉସରି ମାଣିକ୍ୟର ମାଳି
ଯେ ନେଲା ତୋ ଆପଦ ସେ ଘେନୁ ବନମାଳି ।
ଗ୍ରହ ଊଣା ହୋଇବାରୁ ହଜିଲା ସେ ଆଜ
ତହିଁରେ ଆମ୍ଭର ଆଉ ନାହିଁ କିଛି କାର୍ଯ୍ୟ ।
ତହିଁକି ଶୋଚନା ବାପ ନ କରରେ ତୁହି
କାଲି ବଣିଆ ଡକାଇ ଦେବି ମୁଁ ଗଢ଼ାଇ ।
ତୋହଠାରୁ ରତ୍ନହାର ନୋହେ ମୋ ଅଧିକ
ଆସ ଆସ ଏବେ ବାବୁ କରୁଥିବ ଭୋକ ।
ଏରୂପେ ତିଆରି କୃଷ୍ଣେ ମଣୋହିରେ ବିଜେ
ରାମକୃଷ୍ଣଙ୍କୁ ସଙ୍ଗରେ ଘେନି ନନ୍ଦରାଜେ ।
ବିବଧ ଅନ୍ନ ବ୍ୟଞ୍ଜନ ପରଷନ୍ତି ମାଏ
ଖାଇଣ ସନ୍ତୋଷ ହେଲେ ତାହା ବାପପୋଏ ।
ମଣୋହି ସାରିଣ ହରି ରାମ ପହୁଡ଼ିଲେ
ମାତା ପିତା ନିଶ୍ଚିନ୍ତରେ ପଲ୍ୟଙ୍କେ ଶୋଇଲେ ।
ଏ ସମୟେ ସେ ରଜନୀ ହୋଇଲା ଅତୀତ
ପୂର୍ବ ଦିଗରେ ଉଦୟ ହୋଇଲେ ଆଦିତ୍ୟ ।
କ୍ରମେ ଯେଝା କାର୍ଯ୍ୟ ରତ ସର୍ବ ନରନାରୀ
ଏଣେ ମନମଧ୍ୟେ ଭାଳେ ରାଧିକା ସୁନ୍ଦରୀ ।
ହାର କଥା ଜାଣିଲେଟି ସେ ନନ୍ଦ ରାଜନ
ପ୍ରଘଟ ହୋଇବ ସିନା ସବୁ କଥାମାନ ।
ବୋଲିବେ ରାଧିକା ଅଟେ ଏଡ଼ିକି ଦୋଚାରୀ
ପିଲା ଭଣ୍ଡାଇଣ ହାର ନିଏ ଚୋରିକରି ।
ଜଗତରେ ଅପକୀର୍ତ୍ତି ପାଇବି ବହୁତ
ଚନ୍ଦ୍ରସେଣା କହିବାର କଥା ହେବ ସତ ।
ସାହୀପଡ଼ୁଶୁଣୀ ଖୁଣ୍ଟା ଯିବ ଏଥୁଁ ବଳି
ଯଶୋଦା ହାତରେ ନେଇ ଦେବି ରତ୍ନମାଳି ।
ଏତେ ବୋଲି ରାଧା ଗୋଈ ହାର ଧରି କରେ
ନନ୍ଦ ଗୃହକୁ ଚଳିଲା ଅତି ତରତରେ ।
ନନ୍ଦର ମନ୍ଦିରେ ଯାଇ ହୋଇଲା ପ୍ରବେଶ
ଯଶୋଦା ପାଦେ ନମଇଁ ଯାଇ ନାରୀଈଶ ।
କଲ୍ୟାଣ କରି ଯଶୋଦା ବୋଲଇ ଏମନ୍ତ
ଅବେଳରେ କି କାରଣେ ଅଇଲୁ ଗୋ ତୁ ତ ।
ବିପରୀତ କଥା ତୋର ଦେଖିଲି ତ ଆଜ
ପ୍ରଭାତକାଳୁଁ ଅଇସୁ କିସ ତୋର କାର୍ଯ୍ୟ ।
ଗୃହର ବ୍ୟାପାର ତୋର ଅଟଇ ବହୁତ
ଦଧିମନ୍ଥନକୁ ତୋତେ ଲୋଡ଼ିବେ ଶାଶୁ ତ ।
ଚନ୍ଦ୍ରସେଣା ଗୋଷ୍ଠକୁ ଲୋ ଯିବ ପରା ତେଣେ
ତୋତେ ନ ଦେଖି ସେ ବିରକତ ହେବ ମନେ ।
ଯମୁନାରୁ ନୀର ତୁହି ଆଣିବୁଟି ପରା
ଏଡ଼େ ସକାଳୁ ଅଇଲୁ କିପାଁ ହୋଇ ତୋରା ।
ଭାଇକି ମୋହର ହରକତ କରୁ ଗୋଈ
ତାର ମାତାକୁ ଭର୍ତ୍ସନା ବାକ୍ୟ ବୋଲୁ ତୁହି ।
ଜାଣିଲି ତୋହର ଅଚେ ବଡ଼ ମନ୍ଦପଣ
ତିଳେମାତ୍ର ଭୟ ତୁହି ନ କରୁ ଗୋ ମନ ।
ବିଟପୀପଣ ଜାଣିଲି ଅଟଇ ତୋହର
କିଞ୍ଚିତ କଥାକୁ ଘରୁ ହେଉ ତୁ ବାହାର ।
କୁଳବଧୁ ହୋଇ ତୋର ଏଡ଼େ ଅବିଚାର
ଚାହିଁ ନ ଯୋଗଇ କେବେ ବଦନ ତୋହର ।
ପୁରୁଷକୁ କଥା ଯେହୁ କହଇ ଯୁକତେ
ବିଟପୀ ଯୁବତୀ ତାକୁ ବୋଲନ୍ତି ଜଗତେ ।
ପର ପୁରୁଷ ସଙ୍ଗତେ କହଇ ଯେ କଥା
ଦରହସିତ ବଦନେ ନ ଢାଙ୍କଇ ମଥା ।
ଉପରକୁ ମଥା ଟେକି ଚାଲେ ନିରନ୍ତର
ସାହୀ ପଡ଼ିଶା ଘରକୁ ଗମେ ବାରମ୍ୱାର ।
କର କର ହୋଇ ହସେ ନ ଶୁଣଇ କଥା
ବିଟପୀ ଯୁବତୀ ତାକୁ ଜାଣିବ ସର୍ବଥା ।
ଯଶୋଦା ବଚନେ ରାଧା କହଇ ତୁହାଇ
ତୁମ୍ଭ କାର୍ଯ୍ୟେ ଏଥେ ସିନା ଅଇଲଇଁ ମୁହିଁ ।
ଯମୁନାକୁ ପାଣି ଆଣି ଯାଇଥିଲି କାଲି
ଅସମ୍ଭବ କଥା ଏକ ଆସିଣ ଦେଖିଲି ।
କୃଷ୍ଣଚନ୍ଦ୍ର ପଶି ଧରେ ଭକ୍ଷଇ ଲବଣୀ
ଅଧାମ ଗୋଟିକା ସର ଖାଏ ବସି ପୁଣି ।
କୋପକରି ଡାକ ଦେଲି ଆରେରେ ଅଜ୍ଞାନ
ଏରୂପେ ଦୁଧ ଲବଣୀ ଖାଉ ପ୍ରତିଦିନ ।
ଆଜି ଧରି ନେବି ତୋତେ ଯଶୋଦାଙ୍କ ପାଶ
ମୋର ଦୁଧ ଦହି ନିତି ତୁହି କରୁ ନାଶ ।
ଛାଟ ପିଟାଇବି ନନ୍ଦ ନିକଟରେ କହି
ଏଡ଼ିକି ଦୁଷ୍ଟପଣ ତୁ କରୁଛୁ କିପାଇଁ ।
ଏମନ୍ତ କହିଣ କୃଷ୍ଣ ଡରାଇଲି ମୁହିଁ
ମୋର ପାଦତଳେ ଆସି ପଡ଼ଲିା ମାଧୋଇ ।
ମାଣିକ୍ୟାର ମାଳ ଗୋଟି ଦେଇ ମୋ ହସ୍ତରେ
ବୋଲେ ମାଈଁ ନ କହିବୁ ଜନନୀ ଆଗରେ ।
ଆଉ ବେଳେମାଈଁ ତୋର ଘରେ ନ ଆସିବି
ଲବଣୀ ଦୁଧସର ମଉଁ ଆଉ ନ ଖାଇବି ।
ଏମନ୍ତ କହିଣ କୃଷ୍ଣ ଅଇଲା ପଳାଇ
ମାଣିକ୍ୟ ମାଳା ଆଣିଛି ଦେଖ ଦେବା ପାଇଁ ।
ଯଶୋଦାର କରେ ମାଳ ନେଇ ଦେଲେ ରାଈ
ଆଉ ତୁମ୍ଭେ ନ ମାରିବ ଧରିଣ ମାଧୋଇ ।
ଚନ୍ଦ୍ରସେଣାର ଶପଥ ନନ୍ଦରାଜା ରାଣ
ଦୋଷ ନ ଧରିବ ସେ ଯେ ବାଳୁତ ନନ୍ଦନ ।
କାଲି ଅକାରଣେ ମୋତେ ତୁମ୍ଭର ଯେ ଭାଇ
ନ ବୁଝି ନ ଶୁଝି କେତେ ଛନ୍ତି ମାଡ଼ ଦେଇ ।
ଖାଇ ନାହିଁ ଅନ୍ନ ମୁହିଁ ଅଛି ଉପବାସେ
ଜ୍ୟେଷ୍ଠ ନଣନ୍ଦ ବୋଲିଣ କହିବଇଁ ପାଶେ ।
ମନର କଥା ତୁମ୍ଭଙ୍କୁ କହିଲି ସକଳ
ବଡ଼ ଦୁଷ୍ଟ ଅଟେ ତୁମ୍ଭ ଭାଇ ଗୋ କେବଳ ।
ବିନା ଅପରାଧେ ମୋତେ ମାଡ଼ ସେ ମାରଇ
ଅଘଟଣା କଥାମାନ ଘଟଣା କରଇ ।
ଜ୍ୟେଷ୍ଠ ନଣନ୍ଦ ତୁମ୍ଭେ ମୋ ଅଟ ମାତାସରି
ଦୋଷାଦୋଷ ଏଥେଁ କାର କୁହ ତ ବିଚାରି ।
ଯଶୋଦା ବୋଇଲେ ରାଧା ଥାଅ ମୋର ଘର
କି ବୁଦ୍ଧି କରଇ ଏବେ ଚନ୍ଦ୍ରସେଣା ତାର ।
ଏତେ ବୋଲି ଅନ୍ତଃପୁରେ ଗଲେ ନନ୍ଦରାଣୀ
ରାମକୃଷ୍ଣ ପାଶେ ମିଳି ବୋଲନ୍ତି ଏ ବାଣୀ ।
ଉଠ ଉଠ ଆରେ ବାବା ରାମ ଦାମୋଦର
କେତେ ଶୋଇଛ ଉଦୟ ହେଲେ ଦିନକର ।
ଚରାନ୍ତେ ବାଛୁରୀ ବନେ ପାଉଅଛ ଦୁଃଖ
ଶ୍ରମ ହେତୁ ଶୋଇପଡ଼ ହୋଇଣ ବିମୁଖ ।
ଆନ ରଖିଆଳ ପଛେ ପଠାଇବି କାଲି
ବହୁଦୁଃଖ ପାଇଲ ତ ବନେ ବୁଲି ବୁଲି ।
ପୁଣି ଉଚ୍ଚେ ଡାକ ଦ୍ୟନ୍ତେ ଉଠ ଉଠ କାହ୍ନୁ
ଉଛୁର ହୋଇଲା ଉଦେ ହୋଇଲେଣି ଭାନୁ ।
ପ୍ରାତଃକାଳେ ନିଦ୍ରା ଯିବା ନୁହଇ ଉଚିତ
ଅଇଶ୍ୱର୍ଯ୍ୟ କ୍ଷୟ ହୋଏ ଶିରୀ ହୋଏ ହତ ।
ଯଶୋଦାର ବଚନରେ ଉଠିଲେ ମୁରାରି
ପଲ୍ୟଙ୍କରେ ବସିଲେକ ଆଖି ମଳିକରି ।
ଶ୍ରୀମୁଖ ପଖାଳି ସ୍ନାନ ମାର୍ଜ୍ଜନା ସାରିଲେ
ଭାଇ ସଙ୍ଗତରେ ମିଷ୍ଟ ଅନ୍ନାଦି ଭୁଞ୍ଜିଲେ ।
ଆଚମନ ସାରି ହରି ଗୋଷ୍ଠରେ ବିଜୟେ
ଶ୍ରୀକୃଷ୍ଣ ପାଶେ ମିଳିଲେ ଆସି ଗୋପପୋଏ ।
ଆସ ହରି ବନେ ଯିବା ହେଉଛି ଉଛୁର
ଏତେବୋଲି ଗାଈ ଘେନି ହୋଇଲେ ବାହାର ।
ପଘା ଛନ୍ଦମାନ ଧରି ନିଜ ନିଜ କରେ
ଗୀତଗାଇ ଚଳନ୍ତି ଯେ ଆନନ୍ଦ ମନରେ ।
ବଜାନ୍ତି କଡ଼ା ଘୁମୁରା ମତୁଆଳ ହୋଇ
କେ ନଳ କାହାଳି ଧରି ସୁସ୍ୱରେ ଫୁଙ୍କଇ ।
କେ କାଇଁଞ୍ଚମାଳା ଗୋଟି ଲମ୍ୱାଇ ଗଳାରେ
କେହୁ ହସଇ ଖେଳଇ ଧାଏଁ କେ ଆଗରେ ।
ଧାତୁରା କୁସୁମେ କେହୁ ବାନ୍ଧିଅଛି ଗଭା
ପଲାଶ ପାଳଧୂଆ କା ମସ୍ତକରେ ଶୋଭା ।
କେ ବା ରଙ୍ଗମାଟି ନେଇ ଶିରରେ ବୋଳନ୍ତି
ପୋଖରୀ ଭିତରୁ କେହୁ ସରୋଜ ତୋଳନ୍ତି ।
ନାନବର୍ଣ୍ଣ ପୁଷ୍ପ ତୋଳି କେ ଗୁନ୍ଥଇ ମାଳ
କାହା କଣ୍ଠେ ଆଭରଣ କଦମ୍ୱର ହାର ।
ବରହି ଚନ୍ଦିକା ପୁଚ୍ଛ କୁଞ୍ଚି କୁଞ୍ଚି ଗୁନ୍ଥା
ରଙ୍ଗ କୁମୁଦ ତୋଳଇ କିବା ହୋଇ ମତ୍ତା ।
ମୁକୁଟ କାହାର ଶିରେ ଶୋଭାପାଏ ଅତି
ତାଳିମାରି କେହୁ ଅବା ଗଡ଼ିଯାଏ କ୍ଷିତି ।
ସମସ୍ତେ ଏକ ବୟସ ଲାଗେ ପରିହାସ
ଏକକୁ ଆରେକ ସର୍ବେ କନ୍ଦର୍ପ ସଦୃଶ ।
ରାମ କୃଷ୍ଣଙ୍କୁ ସମସ୍ତେ ମାନ୍ୟ ଯେ କରନ୍ତି
କେ ଗୋପୀନାଥ କେ ଅବା ଅଚ୍ୟୁତ ବୋଲନ୍ତି ।
କୋ ବୋଲଇ କେଶବ କେ ଅବା ଯେ ମାଧବ
କୋ ବୋଲେ ଦାମୋଦର କେ ବୋଲେ ପଦ୍ମନାଭ ।
କେ ବୋଲେ ବଳରାମ ହେ କେ ବୋଲଇ ହଳୀ
କେ ବୋଲଇ ସଂକର୍ଷଣ ଆସ ଆସ ଚଳି ।
ଏହିରୂପେ ନାମମାନ ଧରିଣ ଗୋପାଳେ
ଚଳିଯାନ୍ତେ ଗାଈ ଘେନି ଅତି କୁତୂହଳେ ।
କେତେ ତପ କରିଥିଲେ ମୂଢ଼ ଗୌଡ଼ଜାତି
ଜଗତନାଥଙ୍କର ସେ ନାମକୁ ଧରନ୍ତି ।
ଯାହାଙ୍କର ଆଦିଅନ୍ତ ନ ପାଇଲେ ବିହି
ସେ ପ୍ରଭୁ ମୂଢ଼ଙ୍କ ସଙ୍ଗେ ଚରାବନ୍ତି ଗାଈ ।
ଆଦ୍ୟହୁଁ ଧାତାଙ୍କ ସୁତେ ବହୁତପ କଲେ
ଯୁବତୀ ହୋଇ ଶ୍ରୀହରି ମନକୁ ମୋହିଲେ ।
ଗୋପପୋଏ ଛେନାମାନ ଘରୁଥିଲେ ନେଇ
ଶ୍ରୀହରିଙ୍କ ହସ୍ତେ ତାହା ଦିଅନ୍ତି ବଢ଼ାଇ ।
କେ ଆଣିଥିଲେ ପିଷ୍ଟକ କେହି ବା ନଡ଼ିଆ
ସେ ସର ଲବଣୀ କେବା ନବାତ ପୁଡ଼ିଆ ।
କେ ଆଣିଥିଲା ଯେ ଅନ୍ନ ବ୍ୟଞ୍ଜନ ଶାକର
କେ ଅବା ଲବଣ କେବା ଗୁଡ଼ ଯେ ଆବର ।
ଶ୍ରୀକୃଷ୍ଣଙ୍କ ପାଶେ ଆଣି ସବୁ ଥୋଇଦେଲେ
ଏମାନ ଭୁଞ୍ଜିବା ବସି ବୋଲିଣ କହିଲେ ।
ସକଳ ପୁଅଙ୍କୁ ଘେନି ପ୍ରଭୁ ବିଶ୍ୱବାସୀ
କଦମ୍ୱତରୁ ମୂଳରେ ଏକସ୍ଥାନେ ବସି ।
ପୁଅଙ୍କୁ ସଙ୍ଗରେ ଘେନି କରନ୍ତି ଭୋଜନ
ନାନା ହାସ ପରିହାସ ଲଗାଇଣ ପୁଣ ।
ଏମନ୍ତ ସମୟେ ବ୍ରହ୍ମା ମରାଳରେ ବସି
ଭ୍ରମି ଭ୍ରମି ଶୂନ୍ୟପୁରୁ ପ୍ରବେଶିଲେ ଆସି ।
କୁଞ୍ଜବନ ଭିତରେ ସେ ହୋଇଲେ ପ୍ରବେଶ
ମରାଳ ପିଠିରୁ ଉତୁରିଣ ଲୋକଈଶ ।
ଦେଖିଲେ ରାମକୃଷ୍ଣ ଯେ ତରୁମୂଳେ ବସି
ଗୋପାଳ ପୁଅଙ୍କ ସଙ୍ଗେ ହୋଇ ମହାଖୁସି ।
ଅନ୍ନ ବ୍ୟଞ୍ଜନ ଏକତ୍ରେ କରନ୍ତି ଭୋଜନ
ବାଳଲୀଲା ବନଭୋଜି ହୁଅଇ ଯେସନ ।
ଦେଖିକରି ବିଧାତା ଯେ ମନେ ମନେ ହେଜି
ଭାଳଇ ଅପୂର୍ବ କଥା ଦେଖିଲି ମୁଁ ଆଜି ।
ଧର୍ମ ସୁମରିଣ ଧାତା କର୍ଣ୍ଣ ଦେଲା କର
ବୋଇଲା ଏମନ୍ତ ରୀତି କିପାଇଁ ତୁମ୍ଭର ।
ଖୋଜିଲେ ସମସ୍ତ କଥା ସମୟେ ମିଳଇ
ଜାତିଗଲେ ତାହାକୁ ତ କଦାପି ନ ପାଇ ।
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆମ୍ଭେ ପୁତ୍ର ତିନି
ଏକ ଜନନୀ ଉଦରୁ ଜନମିଲୁ ପୁଣି ।
ଏଡ଼େ ବଡ଼ଲୋକ ହୋଇ ହୋଇଲ ଅଜ୍ଞାନ
ଛାର ଗୋପାଳପୁଅଙ୍କ ସଙ୍ଗତେ ଭୋଜନ ।
ଅଇଁଠା ଭୁଜନ୍ତି ବସି ଗଉଡ଼ଙ୍କ ସଙ୍ଗେ
ବିଷ୍ଣୁ ତେଜ ଥିବ କିମ୍ପା ଆଉ ୟାଙ୍କ ଅଙ୍ଗେ ।
ଏଡ଼େବଡ଼ ଲୋକକେହ୍ନେ ହେଲେ ଅନାଚାରୀ
କେମନ୍ତେ ଭାରା ଉଶ୍ୱାସ ହେବ ବସୁନ୍ଧରୀ ।
କୁଳଧର୍ମ ନାଶ ଗଲା ନୋହିଲା ତ କାର୍ଯ୍ୟ
ଅସୁରଙ୍କ ତେଜେ ସୃଷ୍ଟି ହୋଇବ ଦହିର୍ଯ୍ୟ ।
ଏଥର କଂସ ଅସୁର ସ୍ୱର୍ଗ ଉଜାଡ଼ିବ
ଆଜିର ଦେବଗଣଙ୍କୁ କାହିଁ ନ ଥୋଇବ ।
ପୁଣି ବିଚାରଇ ମନେ ନୁହେ କିବା ହରି
କେବଣ ଅସୁର ଅଛି ମାୟାରୂପ ଧରି ।
ଏମନ୍ତ ବିଚାରି ମନେ ନିରେଖିଣ ଚାହେଁ
ସନ୍ଦିଗ୍ଧ ଚିତ୍ତରେ ତାର ମହାଶଙ୍କା ହୁଏ ।
ଦେଖିଲା ହରିଙ୍କ ହୃଦେ ଶ୍ରୀବତ୍ସଲାଞ୍ଛନ
ବଳଦେବଙ୍କ ଶିରରେ ସପ୍ତଫଣୀ ପୁଣ ।
କୋଟି ସୂର୍ଯ୍ୟ ପରାୟେକ ଦିଶୁଅଛି ତେଜ
ଅତିଅନ୍ତ ଶୋଭାମାନେ ଚାରିଗୋଟି ଭୁଜ ।
ଏହା ଦେଖନ୍ତେ ପ୍ରତୀତ ହୋଇଲା ମନର
ନିଶ୍ଚୟ ଏ ଭାଗବାନ ପ୍ରଭୁ ନୀଳାମ୍ୱର ।
ମାୟାରେ ପଡ଼ି ସକଳ କଥା ଭୁଲିଗଲେ
ଗୋପନଗ୍ରେ ଜାତିପତି ସବୁ ବୁଡ଼ାଇଲେ ।
ଦେଖିବା କେମନ୍ତେ ଅଛି ୟାଙ୍କ କରାମତ
ତେବେ ତ ଜାଣିବା ସିନା ଅଛଇ ମହତ୍ତ୍ୱ ।
ଏତେ ଭାଳି ବିଧାତା ଯେ ବାଇ ବ୍ରହ୍ମବେଣୀ
ସକଳ ବତ୍ସାମାନ ଯେ ଅଇଲେ ତା ଶୁଣି ।
ଗୋପାଳ ପୁଅଙ୍କ ସଙ୍ଗେ ପ୍ରଭୁ ରାମହରି
ବନଭୋଜି କରନ୍ତି ତା ନ ପାରିଲେ ହେରି ।
ବିଧାତା ସେ ବତ୍ସାମାନ କମଣ୍ଡଳେ ଭରି
ଆନନ୍ଦରେ ଚଳିଗଲେ କୁଶବଟୁ ପୁରୀ ।
ଅବଲୀଳେ ବନଭୋଜୀ ସାରିଣ ଅଚ୍ୟୁତ
ଯମୁନା ନଦୀ କୂଳରେ ହେଲେ ଉପସ୍ଥିତ ।
ଗୋପାଳପୁଅଙ୍କ ସଙ୍ଗେ ମୁଖ ପଖାଳିଲେ
ସକଳ ବାଳକ ତହୁଁ ଏକାଠି ହୋଇଲେ ।
ଏକକୁ ଆରେକ ପୋଏ ଦିଶନ୍ତି ଯେ ଶୋଭା
ରୂପଗୁଣେ ତାଙ୍କୁ କିବା ପଟାନ୍ତର ଦେବା ।
ଏକଦୃଷ୍ଟି କରି ପୋଏ ଦେଲେ ତହୁଁ ଚାହିଁ
କୌଣସି ଆଡ଼ରେ ବତ୍ସା ଏକ ଦିଶୁ ନାହିଁ ।
ବତ୍ସା ନ ଦେଖିଣ ପୋଏ ହୁଅନ୍ତି କୁହାଟି
କେହୁ ଚାହାନ୍ତି ଯାଇଣ ବୃକ୍ଷପରେ ଉଠି ।
ନଦୀ ବିଲ ଖାଲ ଗିରି ଲୋଡ଼ନ୍ତି ସେ ଯାଇ
କୌଣସି ସ୍ଥାନରେ ବତ୍ସା ଏକ ଦିଶୁନାହିଁ ।
କେ ବୋଲଇ ବତ୍ସାମାନ ବ୍ୟାଘ୍ର କି ଖାଇଲେ
କେ ବୋଇଲା ଗୁହାଳକୁ ଲେଉଟି ବା ଗଲେ ।
ଥୋକାଏ ବୋଲୁ ଅଛନ୍ତି ବତ୍ସାମାନେ କେତେ
ଏତେ ବତ୍ସାମାନ ବ୍ୟାଘ୍ର ଖାଇଲେ କେମନ୍ତେ ।
କେହୁ ବୋଲେ ଚୋରଅବା ନେଲେ ଚୋରିକରି
କେହୁ ବୋଲେ ଏତେ ବତ୍ସା ରଖିତ କେ ପାରି ।
ଅଡ଼ାଇ ନେଲେ ଥାଆନ୍ତା ପାଦଚିହ୍ନ ପଡ଼ି
ଅନ୍ତର୍ଦ୍ଧାନ ହୋଇ ବତ୍ସା କେଣେ ଗଲେ ଉଡ଼ି ।
ସମସ୍ତେ ମେଳି ହୋଇଣ କୃଷ୍ଣ ଦୋଷ ଦେଲେ
ଏ କୃଷ୍ଣ ଦୋଷୁ ଏ ବତ୍ସା ହଜିଲେ ବୋଇଲେ ।
ପିତାମାତା ଆମ୍ଭଙ୍କୁ ଯେ ଦେବେ ନିଶ୍ଚେଁ ଗାଳି
ବାଛୁରୀ ନ ପାଇ ଗାଈ ହୋଇଲେ ହମ୍ୱାଳି ।
କେ ବୋଇଲେ ଦୁଧ କେହ୍ନେ ଦୁହାଁହେବ ଅବା
ବତ୍ସା ନ ପାଇଲେ ମାଡ଼ ମାରିବ ମୋ ବାବା ।
ରାମ କୃଷ୍ଣଙ୍କୁ କାନ୍ଦିଣ ସକଳେ କହିଲେ
ବତ୍ସା ହଜିଲେ ବୋଲିଣ ବଇକୁଲ୍ୟ ହେଲେ ।
ପୁଅଙ୍କର ବିକଳକୁ ଦେଖିଣ ମୁରାରି
ଧ୍ୟାନରେ ଜାଣିଲେ ଧାତା ନେଇଅଛି ହରି ।
ତତକ୍ଷଣେ ନାରାୟଣ ମାୟା ଭିଆଇଲେ
କଦମ୍ୱ ତରୁ ମୂଳରେ କାୟା ବିସ୍ତାରିଲେ ।
ବିରାଟ ସ୍ୱରୂପ ଧରି ପ୍ରଭୁ ଭଗବାନ
କୋଟି କୋଟି ବତ୍ସା ଅଙ୍ଗୁ କରିଲେ ଉତ୍ପନ୍ନ ।
ଯେଉଁ ରୂପେ ବତ୍ସାମାନ ଧାତା ହରିଥିଲେ
ସେହିରୂପ ବତ୍ସା ଅଙ୍ଗୁଜାତ ସେ କରିଲେ ।
ଯେବଣ ଗାଈର ଯେଉଁପରି ବତ୍ସା ଗୋଟି
ପୂର୍ବ ପରି ହୋଇ ବତ୍ସା ଚରିଲେ ଲେଉଟି ।
ଦେଖିକରି ଗୋପସୁତେ ହେଲେ ଆନନ୍ଦିତ
ଦରିଦ୍ର ପାଇଲା କିବା ହଜାଇବା ବିତ୍ତ ।
ରାମ କୃଷ୍ଣ ସଙ୍ଗେ ବତ୍ସାମାନଙ୍କୁ ଅଡ଼ାଇ
ଯେ ଯାହାର ଭୁବନରେ ପ୍ରବେଶିଲେ ଯାଇ ।
ଏହି ପରକାରେ ତହୁଁ କେତେଦିନ ଗଲା
ତିନିଭୁବନେ କେ ତାହା ଜାଣନ୍ତା ନୋହିଲା ।
ବ୍ରହ୍ମା ବିଷ୍ଣୁ ବଳରାମ ଜାଣନ୍ତି ଏ ତିନି
ଆନ କେ ଜାଣି ପାରିବ ବିଷ୍ଣୁ ମାୟା ପୁଣି ।
କହୁଁ କହୁଁ ଚଉବିଂଶ ଦିନ ବହିଗଲା
ବିଧାତାର ମନକୁ ଯେ ଉଚ୍ଚାଟ ଲାଗିଲା ।
ବିଶେଷେ ବତ୍ସାମାନେ ତ ହୀନ ପଶୁ ଜାତି
କମଣ୍ଡଳେ ପୂରାଇଛି ତାଙ୍କୁ ବେଦପତି ।
ମନ ବିଚଳିତ ହୋନ୍ତେ ମରାଳରେ ବସି
ଗୋପନଗରେ ମିଳିଲେ ବିଧାତା ଯେ ଆସି ।
ଦେଖିଲେ ଗୋଷ୍ଠମାନଙ୍କେ ଘେନି ବତ୍ସାଗାଈ
ପାକୁଳି କରି ନିଶ୍ଚିନ୍ତେ ଅଛନ୍ତି ଯେ ଶୋଇ ।
ଏସନକ ମାୟା କଲେ ପ୍ରଭୁ ନରହରି
ପୂର୍ବ ପରାୟେ ଦିଶନ୍ତି ସକଳ ବାଛୁରୀ ।
ଯେତେ ବାଳପୋଏ ଥିଲେ ବତ୍ସାନ୍ତ ଆବୋରି
ନାନା କ୍ରୀଡ଼ା କରୁଛନ୍ତି ସେ ଗୋପ ନଗରୀ ।
ବ୍ରହ୍ମାଏ ବୋଇଲେ ମୁହିଁ ମନ୍ଦକୃତ୍ୟ କଲି
ଜଗନ୍ନାଥଙ୍କର ଠାରେ ଅପରାଧୀ ହେଲି ।
ଏ ଯେ ଆଦିମୂଳ ଦେବ ଦେବ ନିରାକାର
କୁଗତି ସୁଗତିଦାତା ଅନାଦି ଈଶ୍ୱର ।
ତେତିଶ କୋଟି ଦେବତା ଯାର ଆଜ୍ଞାକାରୀ
ଜାତି ଅଜାତି ସମସ୍ତ ଏକ ସମ କରି ।
ଚାରିଖାନୀ ଚୌରାଅଶୀ ଯେତେ ଜୀବଜନ୍ତୁ
ଉତ୍ପତ୍ତି ପ୍ରଳୟ ହ୍ୱନ୍ତି ଯାହାଙ୍କର ହେତୁ ।
ଆପଣେ ନିର୍ମାଣ କରେ ଆପେ ସଂହାରଇ
ଯେବଣ ପ୍ରଭୁର ପୁଣି ପରାପର ନାହିଁ ।
ଅକର୍ମା କର୍ମଦାନୀ ଯେ ଅଟନ୍ତି ସଂସାରେ
ମୁହିଁ ଜାଣୁ ଜାଣୁ ଦୋଷୀ ହେଲି ତା ପୟରେ ।
ଏତେ ଭାଳି ବିଧାତା ଯେ କମଣ୍ଡଳୁ ଘେନି
ଗୋପନଗ୍ରେ ଚାଲୁଛନ୍ତି କରି ବେଦଧ୍ୱନି ।
ଯେତେ ନରନାରୀ ସର୍ବେ ଦେଖନ୍ତି ନୟନେ
ପିତାମହ ଲଜ୍ଜିତ ଯେ ହେଲେ ମନେ ମନେ ।
ଗୋବିନ୍ଦ ଛାମୁରେ ବତ୍ସା ସମର୍ପିଲେ ନେଇ
କରପତ୍ର ଯୋଡ଼ି ଅଗ୍ରେ ସ୍ତୁତି ଆରମ୍ଭଇ ।
ଜୟ ଜୟ ଅନନ୍ତ ହେ ଜୟ ବିଶ୍ୱମୂର୍ତ୍ତି
ଜୟ ଜୟ ଅଚ୍ୟୁତ ହେ ଜୟ ବିଶ୍ୱପତି ।
ଜୟ ଜଗତ ଈଶ୍ୱର ଅକରମାଦାନୀ
ଜୟ ତୁ ଜଗତେଶ୍ୱର ବୁଝୁ ଲାଭ ହାନି ।
ଜୟ ତୁ ଜଗତେଶ୍ୱର ପରଂବ୍ରହ୍ମମୟେ
ଜୟ ତୁ ଜଗତେଶ୍ୱର ଶିବ ତୋତେ ଧ୍ୟାୟେ ।
ଜୟ ତୁ ପରମେଶ୍ୱର ଲକ୍ଷ୍ମୀ ପ୍ରାଣମଣି
ଜୟ ତୁ ପରମେଶ୍ୱର ଶୁଭାଶୁଭଦାନୀ ।
ଜୟ ତୁ ପରମେଶ୍ୱର ହେ ଦେବାଧିରାଜ
ଜୟ ତୁ ପରମେଶ୍ୱର ଶଙ୍ଖ ଚକ୍ର ଭୁଜ ।
ସ୍ୱାମୀ ନା ଜାଣି ଦୋଷ ମୁଁ କଲି ମୂଢ଼ପଣେ
ଅନୁଗ୍ରହେ ସାନରେ ହେ କ୍ଷମ କ୍ଷମାଗୁଣେ ।
ସ୍ୱାମୀ ଅର୍ଜିଲା ତୋହର ଚରାଚର ସୃଷ୍ଟି
ତୁମ୍ଭେ ରକ୍ଷାକଲେ ମୋତେ କିଏ ଦଣ୍ଡବଟି ।
ଏସନକ ସ୍ତୁତି ଯହୁଁ କଲା ବେଦବର
ଶୁଣି ସନ୍ତୋଷ ହୋଇଲେ ସ୍ୱାମୀ ଦାମୋଦର ।
ପ୍ରସନ୍ନ ହୋଇ ବୋଲନ୍ତି ପ୍ରଭୁ ଶିରୀପତି
କି କାରଣେ ବ୍ରହ୍ମା ତୁମ୍ଭେ ପାଅ ମନେ ଭ୍ରାନ୍ତି ।
ମୁହିଁ ଭିଆଇଛି ସିନା ଏ ସଚରାଚର
ଭକତିରେ ବଶ ମୁହିଁ ଆହେ ବେଦବର ।
ନ ଜାଣିଣ ଦୋଷ ତୁମ୍ଭେ ଅର୍ଜିଥିଲ ଯାହା
କ୍ଷମାଗୁଣେ କ୍ଷମା ମୁହିଁ କରିବଇଁ ତାହା ।
ତୁମ୍ଭେ ଯା ହୃଦଗତରେ କରିଛ ବିଚାର
ସେ ସମସ୍ତେ କଥା ମୋତେ ଅଟଇ ଗୋଚର ।
ଏବେ ତୁମ୍ଭେ ଭୁବନକୁ ବେଗେ ଚଳିଯାଅ
ବୃନ୍ଦାରକ ମେଳରେ ହେ ନିଶ୍ଚିନ୍ତରେ ଥାଅ ।
ଶୁଣିକରି ଚତୁର୍ମୁଖ ସନ୍ତୋଷ ହୋଇଲେ
ଶ୍ରୀହରିଙ୍କ ପାଦେ ନମି ପୁରକୁ ଚଳିଲେ ।
ବିଧାତା ଯେବଣ ବତ୍ସମାନ ଥିଲେ ନେଇ
ଶ୍ରୀହରି ସେ ସବୁ ଅଙ୍ଗେ ବିଲୀନ କରାଇ ।
ଆପଣେ ଅଙ୍ଗୁ ଉତ୍ପନ୍ନ କରିଥିଲେ ଯାହା
ଗୋପାଳମାନେ ରହିଲେ ଘେନିଣ ଯେ ତାହା ।
ପୁଣି ମାୟା ବିରଚିଲେ ପ୍ରଭୁ ଚକ୍ରପାଣି
ଗୋପାଳମେଳେ ଖେଳିଲେ ଦେବ ବେଣୁପାଣି ।
ଇତି ଶିରୀ ଭାଗବତ ଦଶମର ବାଣୀ
ଅନେର ଜନ୍ମର ପାପ କ୍ଷୟକର ଶୁଣି ।
ଇଦଂ ସପ୍ତବିଂଶ ଅଧ୍ୟା ସମାପତ ହୋଏ ।
ଜୟ ଜୟ ଜଗନ୍ନାଥ ଜଗତପାଳକ
ଜୟ ଜୟ ଜଗନ୍ନାଥ ତ୍ରିଦଶନାୟକ ।
ଜୟ ଜୟ ଜଗନ୍ନାଥ ଜୟ ଚତୁର୍ଭୁଜ
ଜୟ ଜୟ ଜଗନ୍ନାଥ ଜୟ ଜୟ ଅଜ ।
ତୋ ପାଦେ ମୋ ମତି ରହୁ ଆହେ ଦେବହରି
ଅଚ୍ୟୁତାନନ୍ଦ ଦାସ ତୋ ପାଦ ସେବାକାରୀ ।
ଅଘା ଓ ବତ୍ସାସୁର ବଧ
[ସମ୍ପାଦନା]ଏଥୁଅନ୍ତରେ ପରୀକ୍ଷ ନାମେ ମହାରାଜା
ଶୁକମୁନି ଚରଣରେ କରେ ଦିବ୍ୟପୂଜା ।
ଧୂପ ଦୀପ ନଇବେଦ୍ୟ ପାଦତଳେ ଥୋଇ
କର ଯୋଡ଼ି ବିନୟରେ ଏମନ୍ତ ପୁଚ୍ଛଇ ।
କହ ମୁନି ହରିବାଣୀ ମୋତେ ଦୟା କରି
ଭବଜଳଧିରୁ ଯେହ୍ନେ ଯିବଇଁ ମୁଁ ତରି ।
ରାଜାର ବଚନ ଶୁଣି କହନ୍ତି ଯେ ଶୁକ
ଏକମନେ ଶୁଣ ଏବେ ହେ ନୃପନାୟକ ।
କୃଷ୍ଣଙ୍କର କଥାମାନ ଶୁଣି ଭୋଜସାଇଁ
ପାତ୍ର ମନ୍ତ୍ରୀଙ୍କୁ ବସାଇ ବିଚାର କରଇ ।
ପରମଶତ୍ରୁ ହୋଇଲେ ଗୋପାଳ କୁମରେ
ତାଙ୍କ ହାତେ ମଲେ ମୋର ମହା ମହାବୀରେ ।
ସାମାନ୍ୟ ପରାୟେ ତାଙ୍କୁ ଭାବିଥିଲି ମୁହିଁ
ଜାଣିଲି ଗରିଷ୍ଠ ଶତ୍ରୁ ଅଟନ୍ତି ସେ ଦୁଇ ।
କିଏ ମୋତେ ମାରି ଦେବ ନନ୍ଦର ନନ୍ଦନ
ମନ୍ତ୍ରୀ ତାହାଙ୍କୁ କିରିବ ଏ ମୋର ପ୍ରମାଣ ।
ଧିକ ମୋର ବଳବୀର୍ଯ୍ୟ ଧିକ ମୋର ଗଦା
ଧିକ ମୋର ସମରାଟ ପଣ ତ ସର୍ବଦା ।
ଆଉ କାହିଁକି ମନରେ ଡରିବେ ହେ ମୋତେ
ରାଜାମାନେ ଭୟ କିପାଁ କରିବେଟି ଚିତ୍ତେ ।
ଯାହା ଶୁଣା ନ ଥିଲା ମୁଁ ଶୁଣିଲି କାନରେ
ଅସୁର ମରୁଅଛନ୍ତି ଗଉଡ଼ ହାତରେ ।
ହାତୀ ସଙ୍ଗେ ମଶାଲାଗି ନେଉଛନ୍ତି ଯଶ
କା ଆଗେ କହିବି ମୁହିଁ ମୋ କପାଳଦୋଷ ।
ଏତେ ବୋଲି ମଉନରେ ବସନ୍ତେ ନୃପତି
ଅଘା ବତ୍ସା ବେନି ବୀରେ ଉଠିଲେ ତଡ଼ତି ।
କରଯୋଡ଼ି ବୋଇଲେକ ମହାରାଜ ଶୁଣ
ଆପଣଙ୍କର ଶତ୍ରୁଙ୍କୁ କରିବୁ ନିଧନ ।
କେଡ଼େ ଗଉଡ଼ ଟୋକାଙ୍କୁ କରୁଅଛ ଭୀତି
ବାହୁବଳେ ଲେଉଟାଉ ପାରୁଁ ଆମ୍ଭେ କ୍ଷିତି ।
ବିଧାଘାତେ ମେରୁଗିରି କରିପାରୁ ଚୂର
ଶୁଖାଇ ପାରିବୁ ଆମ୍ଭେ ସପତ ସାଗର ।
ବଳେ ଯମ ଅଧିକାର କରିବାରୁ କ୍ଷୟ
ଛାର ଗଉଡ଼ ଟୋକା କି ହୋଇପାରେ ଥୟ ।
ନିଶ୍ଚିନ୍ତରେ ପୁରମଧ୍ୟେ ଥାଅ ନରପତି
ତୁମ୍ଭର ଶତ୍ରୁଙ୍କୁ କାଲି ଦେବୁ ଯେ ନିପାତି ।
ଶୁଣି କଂସ ବୋଲେ ମୋତେ ଲାଗେ ବିପରୀତ
ଦେଖୁ ଦେଖୁ ଷଣ୍ଢା ବକା ହେଲେ ମୃତ୍ୟୁପାତ୍ର ।
ମୋହର ପରତେ ନାହିଁ ଗୋପାଳ ପୁଅଙ୍କୁ
ଯେବେ ବୋଲୁଅଛ ତେବେ ଯାଅ ହେ ସେଠାକୁ ।
ଶତ୍ରୁମାରିଲେ ନିଶ୍ଚିନ୍ତେ ରହିବି ମୁଁ ଏଥେ
ଏତେବୋଲି ଶାଢ଼ୀଆଣି ବାନ୍ଧେ ତାଙ୍କ ମାଥେ ।
ତୁମ୍ଭର ବାହାକୁ ଆଶ୍ରା ନେଲଇଁରେ ମୁହିଁ
ଏ ମହାବିପଦୁଁ ମୋତେ କର ବେଗେ ତ୍ରାହି ।
ଏତେବୋଲି ଅନ୍ତଃପୁରେ ଚଳିଲେ ରାଜନ
ଶାଢ଼ୀ ବଳା ପାଇ ଦୈତ୍ୟେ କରିଲେ ଗମନ ।
ଉଲ୍ଲୁକ ମନ୍ତ୍ରରେ ନିଜ କାୟା ଗୋପ୍ୟ କଲେ
ଅସୁରଙ୍କ ମାୟା କେହୁ ଜାଣି ନ ପାରିଲେ ।
ଶୁଣ ହେ ପରୀକ୍ଷରାଜା ବଦୟନ୍ତି ମୁନି
ପାତକ ଖଣ୍ଡନ କର ଶୁଣି ହରିବାଣୀ ।
ଚଇତ୍ର ଶୁକ୍ଳ ଚତୁର୍ଥୀ ତିଥି ଗୁରୁବାର
ହସ୍ତାନକ୍ଷତ୍ର ଅଟଇ ସେହି ଦିବସର ।
ବସନ୍ତ ଋତୁ ହେତୁରୁ ନାନାପୁଷ୍ପ ଫୁଟି
ସଉରଭ ଗନ୍ଧ ଚତୁର୍ଦ୍ଦିଗରେ ପ୍ରକଟି ।
ଦକ୍ଷିଣା ମଳୟବାତ ବହେ ଘନ ଘନ
ବୃକ୍ଷରେ ବସି କୋକିଳ କରେ ମୃଦୁସ୍ୱନ ।
ଫଳଭରେ ତରୁମାନ ଶୋଭାକୁ ପାଆନ୍ତି
ଦେଖିଣ ମନେ ଭାଳନ୍ତି ଦେବ ଶିରୀପତି ।
କାନନକୁ ଯିବା ପୁଣି ବତ୍ସାନ୍ତ ଚରାଇ
ଅଘା ବତ୍ସା ବେନିଦୈତ୍ୟ ଗୁପ୍ତେ ଛନ୍ତି ରହି ।
କଂସ ନୃପତିର ଯେହୁ ବଡ଼ ସେନାପତି
ଆମ୍ଭଙ୍କୁ ମାରିବା ପାଇଁ ଦୁଷ୍ଟେ ଆସିଛନ୍ତି ।
ଦେଖିବା କିପରି ତାଙ୍କ ବାହୁବଳ ବୀର୍ଯ୍ୟ
ଏମନ୍ତ ମନରେ ଭାଳି ପ୍ରଭୁ ଦେବରାଜ ।
ଗୋପାଳ ପୁଅଙ୍କୁ ଘେନି ବତ୍ସାନ୍ତ ଅଡ଼ାଇ
ମହାଅରଣ୍ୟ ଭିତରେ ପ୍ରବେଶିଲେ ଯାଇ ।
ଗୋପାଳ କୁମରେ କେନ୍ଦୁବାଡ଼ି ଧରିଛନ୍ତି
ଗଉଡ଼ିଆ ଗୀତ ଗାଇ ଆନନ୍ଦେ ଧାମନ୍ତି ।
ଗୋମତ ପର୍ବତ ଜିଣି ଥୋକେଦୂର ଗଲେ
ଜମ୍ୱୁଦ୍ୱୀପ ମଧ୍ୟରେ ସେ ପ୍ରବେଶ ହୋଇଲେ ।
ବତ୍ସାମାନେ ସମସ୍ତେ ଯେ ଚଳିଗଲେ ଦୂରେ
କାନନେ ପଶିଣ ଖେଳ ଖେଳନ୍ତି ଯେଝାରେ ।
ଏସନକ ସମୟରେ ଦଇବର କୃତ୍ୟ
ପ୍ରଚଣ୍ଡ ଅଗ୍ନି ମାଡ଼ିଣ ଆସେ ଅକସ୍ମାତ ।
ହରିଣ ବାହୁଟିଆ ଯେ ଯୂଥ ଯୂଥ ହୋଇ
ତରତରେ ପଳାଅନ୍ତି ପଛକୁ ନ ଚାହିଁ ।
ହସ୍ତୀ ଘୋଡ଼ା ଗୟଳ ଯେ ମଇଁଷି ଶାର୍ଦ୍ଦୁଳ
ଶଶା ସିଂହ ଭାଲୁଆଦି ହୋଇ ଦଳ ଦଳ ।
ଜୀବନ ବିକଳେ ସର୍ବେ ପଳାନ୍ତି କାତରେ
ମାଡ଼ି ଆସଇ ଅନଳ ପ୍ରଚଣ୍ଡ ରୂପରେ ।
ରାଜହଂସ କାକ ଚିଲ ବଣି ଶୁଆ ସାରୀ
କିଳିକିଳା ଶବ୍ଦକରି ଯାଆନ୍ତି ବାହାରି ।
ଅନଳର ଶିଖା ଯାଇ ଆକାଶେ ଲାଗଇ
ଦେଖି ସବୁ ଜୀବଜନ୍ତୁ ପଳାନ୍ତି ନ ରହି ।
ଅନଳର ତେଜଭୟେ ପଳାଇଲେ ଗାଈ
ହମ୍ୱାରାବ ଶବଦରେ ପୃଥିବୀ କମ୍ପାଇ ।
ଦେଖି ତାହା ଗୋପପୁଏ ମହାଭୟ କରି
କୃଷ୍ଣଙ୍କ ନିକଟେ ଯାଇ ଏମନ୍ତ ବିଚାରି ।
କିହୋ ହରି କେଣେ ଯିବା ପଥ ନ ଦିଶଇ
ଏଥେ ରହିଲେ ମରିବା ସର୍ବେ ଦହି ହୋଇ ।
ଶ୍ରୀକୃଷ୍ଣ ବୋଇଲେ ସବୁ ବତ୍ସାନ୍ତ ଅଡ଼ାଅ
ଏହି ବାଟେ ପଳାଇବା ଅଥୟ ନ ହୁଅ ।
ଶୁଣିକରି ଅଡ଼ାଇଲେ ପୋଏ ବତ୍ସାପଲ
ଏକୁ ଆରେକ ବୋଲନ୍ତି ବେଗେ ବେଗେ ଚାଲ ।
ଦଇବେ ବସନ୍ତଋତୁ ତ୍ରିଂଶଦଣ୍ଡ ବେଳ
ଚାରିପାଖ ବନପୋଡ଼ି ଆସଇ ଅନଳ ।
ଧୁମ୍ରବର୍ଣ୍ଣ ଚାରିଦିଗେ ଦିଶେ ଅନ୍ଧକାର
ଝୁଲ ଆସି ପଡ଼ୁଅଛି ପୁଅଙ୍କ ଉପର ।
ଜୀବନ ବିକଳେ କେହି ପଛକୁ ନ ଚାହିଁ
ଚଳନ୍ତି ଗୋପାଳ ପୋଏ ବତ୍ସାନ୍ତ ଅଡ଼ାଇ ।
ବିଚାରନ୍ତି ଏଥେ ସର୍ବେ ଆଜି ହେବା ନାଶ
ଆରତେ ଡାକନ୍ତି ରକ୍ଷାକର ଲୋକଈଶ ।
ପୂର୍ବଜନ୍ମେ ଅବା କରିଥିଲୁଁ କେଉଁ ପାପ
ଅସ୍ଥାନେ ମରିଲୁଁ ନ ଦେଖିଲେ ମାଆ ବାପ ।
ହେ ଦୁର୍ଗେ ରକ୍ଷାକର ଗୋ ଆମ୍ଭଙ୍କୁ ବିପଦୁ
ରକ୍ଷାକର ରାମ ହରି ଏ ମହାଆପଦୁଁ ।
ନିର୍ଜ୍ଜନ ବନ କନ୍ଦର କେଣେ ବାଟ ନାହିଁ
କୁଆଡ଼େ ଯିବୁ ଆମ୍ଭଙ୍କୁ ବୁଦ୍ଧି ନ ଦିଶଇ ।
ଅନାଥ ହୋଇଲୁ ଏବେ ରଖ ଭଗବାନ
ଏତେ ବୋଲି ଉଚ୍ଚସ୍ୱରେ କରନ୍ତି ରୋଦନ ।
ଚିତ୍ରଧାରା ବୋଲିକରି ଏକ ନଦୀ ଗୋଟି
ଆଡ଼ମ୍ୱର ପର୍ବତୁ ସେ ଆସୁଅଛି ଫୁଟି ।
ମହେନ୍ଦ୍ର ନାମେ ପର୍ବତ ତାର ନିକଟରେ
ମସ୍ତକ ଲାଗଇ ତାର ଆକାଶ ମାର୍ଗରେ ।
ତା ସମାନ ଗିରିଗୋଟା ପୃଥିବୀରେ ନାହିଁ
ଅଘା ବତ୍ସା ବେନି ବୀରେ ଥିଲେ ତହିଁ ରହି ।
ଷଣ୍ଢଙ୍କର ମୁଖଧ୍ୱନି ପୁତ୍ରଙ୍କ ତଡ଼୍ବଡ଼ି ।
ଏହିପରି ଶବ୍ଦ ଯହୁଁ ଶୁଭେ ଭୟଙ୍କର
ଦୂରେ ଥାଇଣ ଜାଣିଲା ତାହା ଅଘାସୁର ।
ଖଣ୍ଡେଦୂରୁ ଦେଖେ ଆସୁଛନ୍ତି ବତ୍ସାପଲ
ଦାନବ ଭାଳଇ ଏବେ ହୋଇଲା ତ ଭଲ ।
ଉଦର ପୂରାଇ ଭୁଞ୍ଜିବଇଁ ମନ ଇଚ୍ଛା
ପୂର୍ଣ୍ଣ ହୋଇଲା ଅନେକ କାଳ ମନୋବାଞ୍ଛା ।
କହୁଁ କହୁଁ ଅସୁର ଯେ ମୁଖ ବିସ୍ତାରିଲା
ସ୍ୱର୍ଗ ମର୍ତ୍ତ୍ୟ ବେନିପଥେ ଘୋଟି ଆଚ୍ଛାଦିଲା ।
ଶାବଳ ପରାୟ ତାର ଦିଶେ ଦନ୍ତପନ୍ତି
ବିକରାଳ ବଦନ ଯେ ଦିନକର ଜ୍ୟୋତି ।
ଦେହ ଦିଶୁଅଛି ପୁଣି ମହାଗିରି ପ୍ରାୟେ
କୁରାଳଚକ୍ର ପରାୟ ନୟନ ବୁଲାଏ ।
ବିକଟାଳରୂପେ ଦଇତ ଅଛି ଆଁ କରି
ପୁଅଙ୍କ ସହିତେ ତହିଁ ପଶିଲେ ବାଛୁରୀ ।
ପାତାଳ ପରାୟେ ତାର ଉଦର ଗଭୀର
ରାମ କୃଷ୍ଣ ସହିତରେ ପଶିଲେ ତହିଁର ।
ପାଟି ପକାଇବ ବୋଲି କରନ୍ତେ ବିଚାର
ସେହି କଥା ଗୋଟି ଜାଣିପାରି ଚକ୍ରଧର ।
ମୁଥମାରି ବାହାରିଲେ ମୂର୍ଦ୍ଧନା ବିଦାରି
ଗୋପପୁଅଙ୍କ ସଙ୍ଗରେ ବାହାରିଲେ ହରି ।
ଧେନୁ ବରଡ଼ିଆ ଗାଈ ବାଛୁରୀ ଯେତେକ
କେହି ନ ରହି ବାହାର ହୋଇଲେ ପ୍ରତ୍ୟକ୍ଷ ।
ଚାହୁଁ ଚାହୁଁ ପିଣ୍ଡୁତାର ପ୍ରାଣ ହେଲା ଗତ
କଉତୁକେ ବିନାଶିଲେ ଦୁର୍ବାର ଦଇତ ।
ତହୁଁ ଥୋକାଏକ ଦୂର ଯାଆନ୍ତେ ପଳାଇ
ବତ୍ସାସୁର ଛାମୁରେ ସେ ପଡ଼ିଲେକ ଯାଇ ।
ଅଘାପରି ବତ୍ସା ମଧ୍ୟ ରହିଅଛି ତହିଁ
ସବୁଙ୍କୁ ଗିଳିବ ବୋଲି ବାଟ ଥିଲା ଚାହିଁ ।
ଯେସନେ ପ୍ରମତ୍ତ ଭାଲୁଭକ୍ଷେ ପୋକ ଝିଣ୍ଟି
ତେସନେ ଗାଈ ବାଛୁରୀ ଭକ୍ଷଇ ସାଉଣ୍ଟିଁ ।
ଅସୁର କାମରୂପୀ ଯେ ଧରେ ନାନାରୂପ
କ୍ଷଣେ ଦୃଶ୍ୟ ହୁଏ ପୁଣି କ୍ଷଣେ ହୁଏ ଗୋପ୍ୟ ।
ଦେଖିକରି ବଳଦେବ ଧାଇଁଲେ କୋପରେ
ଚାପୋଡ଼େ ମାଇଲେ ନେଇ ବତ୍ସା ମସ୍ତକରେ ।
ଯେବଣ ଚାପୋଡ଼ା ବାଜି ମେରୁ ହୁଏ ଚୂର
ସେ ଚାପୋଡ଼ା ବାଜନ୍ତେ କି ଜୀଇଁବ ଅସୁର ।
ଘାଏ ଘୁମାଇଣ ସେହୁ ପଡ଼େ ମହାବଳୀ
ମୂର୍ଦ୍ଧନା ଫାଟିଣ ମଲା ନ ପାରିଣ ଚଳି ।
ଶୁଣ ପରୀକ୍ଷିତ ରାଜା ବଦୟନ୍ତି ମୁନି
ଅସମ୍ଭବ ଅଟଇ ସେ ଭାଗବତ ବାଣୀ ।
ମାୟାଧର ପୁରୁଷ ସେ ମାୟା ରଚିଥିଲେ
ଦଇତ ମରିବା ପାଇଁ ବନେ ଯାଇଥିଲେ ।
ପୁଣି ଥୋକାଏକ ଦୂରେ ଦେଖିଲେ କୁମର
ଆଗଆଡ଼େ ବନପୋଡ଼ି ହୁଅଇ ପ୍ରଖର ।
ଦେଖିକରି ସମସ୍ତେ ଯେ ସ୍ତମ୍ଭୀଭୂତେ ରହି
ଚୌଦିଗେ ବେଢ଼ିଛି ଅଗ୍ନି କାହିଁ ପଥ ନାହିଁ ।
କେ ବୋଲେ ପାଣିର ପଶି ଜୀବନ ରଖିବା
ଅଗ୍ନି ଲଭିଗଲେ ପୁଣି ଗୃହେ ଫେରିଯିବା ।
କେ ବୋଲେ ଆମ୍ଭେ ସିନା ତ ରଖିବା ଜୀବନ
ବତ୍ସା ପୋଡ଼ିମଲେ ଧର୍ମ ନାଶ ହେବ ଜାଣ ।
ଏତେ ବୋଲି ପୁଣି ସର୍ବେ ଚକିତରେ ରହି
ମହାଭୟକଲେ ବନ ଅନଳକୁ ଚାହିଁ ।
ଏକ ଦୃଷ୍ଟିରେ ଅନାଇ ଗୋବିନ୍ଦଙ୍କ ମୁଖ
ବୋଇଲେକ ତୁମ୍ଭେ ଥାଉଁ ଆମ୍ଭର ଏ ଦୁଃଖ ।
ଅନେକ ବିପଦୁଁ ରକ୍ଷା କରିଅଛୁ ହରି
ଅଘା ବତ୍ସା ପେଟୁଁ ଆମ୍ଭେ ଥାନ୍ତୁ କି ଉବୁରି ।
ତୋହର ଯୋଗରୁ ସିନା ରହିଲା ଜୀବନ
ତୁହି ଆମ୍ଭେ ଭାଇ ବନ୍ଧୁ ପିଣ୍ଡର କାରଣ ।
ପୁଅମାନଙ୍କ ବିକଳ ଦେଖି ଦେବରାଜ
ବୋଇଲେ ତୁମ୍ଭେ ସକଳେ ଚକ୍ଷୁମାନ ବୁଜ ।
ଏହିକ୍ଷଣି ଶାନ୍ତ ହେବ ଏହି ବୈଶ୍ୱାନର
ଏମନ୍ତ ଆଜ୍ଞା ବିହିଲେ ଯେଣୁ ଦାମୋଦର ।
ଶୁଣିକରି ସକଳେ ଯେ ବୁଜିଲେ ନୟନ
ପୁଣି ଚକ୍ଷୁ ଫେଡ଼ିଦ୍ୟନ୍ତେ ଦେଖିଲେ ଏସନ ।
ନାହିଁ ହୁତାଶନ ନାହିଁ ଆଉ ବନଦାହ
ସ୍ୱପନ ପ୍ରାୟ ମଣିଲେ ସର୍ବ ଗୋପପୁଅ ।
ଆନନ୍ଦରେ ରାମ ହରି ସଙ୍ଗେ ସଙ୍ଗୀ ହୋଇ
ଯେ ଯାହାର ବତ୍ସମାନ ଚିହ୍ନିଣ ଅଡ଼ାଇ ।
ପାଣି ପିଆଇ ନଦୀରେ ଫେରିଲେ ସମସ୍ତେ
ଯେ ଯାହାର ପୁରେ ଯାଇ ମିଳିଲେ ତଦନ୍ତେ ।
ମେରୁ ଉହାଡ଼କୁ ଗଲେ ପ୍ରଭୁ ଦିନମଣି
ସନ୍ଧ୍ୟା ସମୟେ ମିଳିଲେ ଘରେ ସର୍ବେ ପୁଣି ।
ରାମ ହରି ମାତାପାଶେ ହୋଇଲେ ପ୍ରବେଶ
ଅଧାମ ଲବଣୀ ସର କରିଲେକ ଗ୍ରାସ ।
ଏଥୁଅନନ୍ତରେ ହେଲା ପ୍ରହରେ ରଜନୀ
ପଲ୍ୟଙ୍କରେ ନିଦ୍ରାଗଲେ ପ୍ରଭୁ ଚକ୍ରପାଣି ।
ବିଶ୍ୱକୂଟ ମାୟା ବିରଚିଲେ ଯଦୁପତି ।
ନନ୍ଦ ବସୁନନ୍ଦ ଉପନନ୍ଦର ସହିତେ
ଯେ ଯାହାର ପୁରମଧ୍ୟେ ଅଛନ୍ତି ନିଶ୍ଚିନ୍ତେ ।
ଏହି ସମୟେ ଗୋଷ୍ଠରେ ଶୁଭେ ମହାଗୋଳ
ଗାଈମାନେ ବ୍ୟାଘ୍ରନେଲା ଶୁଭିଲା ଚହଳ ।
ଠାବେ ଠାବେ ବୁଲୁଛନ୍ତି ବ୍ୟାଘ୍ର ପଲ ପଲ
କେ ବୋଲଇ ଏ କଥା ତ ନୁହେଁ କିଛି ଭଲ ।
ଅରିଷ୍ଟି ଉତପାତ ଯେ ହେଲା ଗୋପପୁରେ
ଭକ୍ଷନ୍ତି ଗୋରୁ ମନୁଷ୍ୟ ବୁଲି ଦ୍ୱାରେ ଦ୍ୱାରେ ।
ଏମନ୍ତ ବାରତା ଯହୁଁ ଜାଣିଲେ ଅଚ୍ୟୁତ
କୋକୁଆ ଜୀବ ଗୋଟିଏ ଅଙ୍ଗୁ କଲେ ଜାତ ।
ସକଳ ଗୋପାଳଙ୍କୁ ସେ ଆଜ୍ଞାଦେଲେ ରାଇ
କୋକୁଆ ଜୀବ ବୋଲିଣ ଏ ଜନ୍ତୁ ଅଟଇ ।
ଅତିଶୟ କରାମତ ଏହାର ଅଟେ ତ
ଏହାକୁ ସ୍ମରଣ କଲେ ବ୍ୟାଘ୍ର ହେବେ ହତ ।
ଶୁଣି ଗୋପାଳେ କୋକୁଆ ନାମ ସୁମରିଲେ
ତକ୍ଷଣେ କୋକୁଆ ବ୍ୟାଘ୍ରମାନଙ୍କୁ ଖାଇଲେ ।
ଏହିରୂପେ ଗୋପେ ମାୟା କଲେ ମାୟାଧର
ଯାହାଙ୍କର ମାୟା ଦେବାସୁରେ ଅଗୋଚର ।
ମନୁଷ୍ୟ ହୋଇଣ ତାହା କାହୁଁ ବା ଜାଣିବ
ଶୁଣ ତୁ ପରୀକ୍ଷ ବଦୟନ୍ତି ଶୁକଦେବ ।
ଅସମ୍ଭବ ଚରିତ ଏ ହରିବଂଶ ଲୀଳା
ଭବସାଗର ତରିବାପାଇଁ ଦିବ୍ୟ ଭେଳା ।
ଏଥୁ ଅନନ୍ତରେ କଂସ ନୃପତିର ଚାର
ଯାଇ ଜଣାଇଲା ଅଘା ବତ୍ସା ସମାଚାର ।
ଭୋଦେବ ଭୋଜସାଇଁ ହେ ଶୁଣ ସାବଧାନେ
ଅଘା ବତ୍ସା ବେନି ବୀର ଗଲେ ଯେଉଁଦିନେ ।
ଉଲ୍ଲୁକ ମନ୍ତ୍ରରେ କାୟା କରିଲେ ଗୋପନ
ରାମ କୃଷ୍ଣଙ୍କୁ ସେ ଖୋଜୁଥାନ୍ତି ଅନୁକ୍ଷଣ ।
ଦଇବେ ଗୋପାଳପୁଅ ସଙ୍ଗତରେ ଘେନି
ବତ୍ସା ଚରାଇ ଅଇଲେ ନନ୍ଦପୁଅ ବେନି ।
ଏ ସମୟେ ଅଘା ବତ୍ସା ବିଚାରି କରିଲେ
ଅସୁର କାୟା ଧରିଣ ତାଙ୍କୁ ଓଗାଳିଲେ ।
ମୁଖକୁ ବିସ୍ତାର କରି ଧରି ଗୋପବାଳ
ନନ୍ଦପୁଅ ସହିତରେ କରିଲେ କବଳ ।
କିପରି ତାହାଙ୍କୁ ନାଶ କଲେ ବେନିସୁତ
ଗର୍ଭ ଭିତରୁ ବାହାରି ଆସିଲେ ତୁରିତ ।
ପର୍ବତ ପରାୟେ ପଡ଼ିଛନ୍ତି ବେନି ବୀରେ
ଦେଖିଣ ଅଇଲୁ ସ୍ୱାମୀ ଆମ୍ଭେ ୟା ନେତ୍ରରେ ।
ଶୁଣିକରି କଂସାସୁର ହୋଇଲା ଚକିତ
କି ବୋଲ କି ବୋଲ ଦୂତ କହଇ ଏମନ୍ତ ।
କେଉଁପରି ଏଡ଼େ ବୀରେ ମରିଲେ ଅଖଡ଼େ
କେହ୍ନେ ମାରିଲେ ତାହାଙ୍କୁ ସେ ଛାର ଗଉଡ଼େ ।
ଅସମ୍ଭବ କଥା ଏ ତ ଆଜ ଶୁଣାଗଲା
ଏତେ ବୋଲି କର ବେନି ମସ୍ତକେ ତାଡ଼ିଲା ।
ଆହା ମୋର ଅଘା ଆରେ ଆରେ ବତ୍ସାସୁର
ଗଉଡ଼ଙ୍କ ହାତେ କେହ୍ନେ ଗଲ ଯମପୁର ।
ସିଂହ ହୋଇ ଶୃଗାଳଙ୍କ କରରେ ମରିଲ
ମାର୍ଜ୍ଜାର ହୋଇ ମୂଷିକ ହାତେ ପ୍ରାଣ ଦେଲ ।
ସରପ ହୋଇ ଗରୁଡ଼େ କରିଲେ ବିନାଶ
କା ଆଗେ କହିବି ଏହା ମୋ କପାଳ ଦୋଷ ।
କିଏ ମୋତେ ମାରି ଦେବ ରାମ କୃଷ୍ଣ ଦୁଇ
ମନ୍ତ୍ରୀପଦ ତାହାକୁ ଏ କଟକେ ଦେବଇଁ ।
ଜାଣିଲି ଦେବତାଙ୍କ ଅଟଇ ଏ କୂଟ
ନୋହିଲେ ଦୈତ୍ୟ ନାଶି କି ଛାର ଗୋପଚାଟ ।
ମାୟାରେ କେଉଁଦେବତା ଅଛି ଅବତରି
କିଏ ମୋତେ ବେନିଶିଶୁ ଦ୍ୟନ୍ତାଯେବେ ଧରି ।
ଟିକି ଟିକି କରି ତାଙ୍କ କାଟନ୍ତି ମାଉଁସ
ସଂସାରରେ ରଖନ୍ତି କି ଗୋପାଳଙ୍କ ବଂଶ ।
ଦହି ଦୁଧ ବିକାଙ୍କର ଏଡ଼େକ ଦିମାକ
ମୋ ସଙ୍ଗେ ଶତ୍ରୁ ହୁଅନ୍ତି ହୋଇ ପ୍ରଜାଲୋକ ।
ଆହେ ପାତ୍ର ମନ୍ତ୍ରୀ ତୁମ୍ଭେ ଶୁଣ ମୋ ବଚନ
ଗୋପପୁର ପଦାଘାତେ କରିବଇଁ ଚୂର୍ଣ୍ଣ ।
ଅଗୋପାଳ କରିବି ଏ ଚଉଦ ବ୍ରହ୍ମାଣ୍ଡ
ମୋର ପରାକ୍ରମ ଜାଣି ନାହାନ୍ତି କି ଭାଣ୍ଡ ।
ଜଗତ ମଧ୍ୟରେ ଯେହୁ ଅଟେ ଏକବୀର
ଯା ନାମେ ଚମକ ପଡ଼େ ଅମର ନଗର ।
ବିଛୁଆତି ଗଛରେ ସେ ହୁଅନ୍ତି କୁଣ୍ଡାଇ
ଏତେ ବୋଲି ଦୀର୍ଘରଡ଼ି ଛାଡ଼େ ଭୋଜସାଇଁ ।
କ୍ରୋଧଭରେ ଗଦାବର ପିଟେ ନେଇ ତଳେ
ପୃଥିବୀ କି ରସାତଳେ ଯିବ ଏକାବେଳେ ।
ରଡ଼ିଘାତରେ ଆକାଶ ପଡ଼ିବ କି ଛିଡ଼ି
ନିଶମୋଡ଼ି ଠିଆ ହେଲା ଦାନ୍ତକୁ ରଗଡ଼ି ।
ମୁଁ ଯେବେ ଉଗ୍ରସେନର ଅଟଇ କୁମର
ସାଗରେ ମାଡ଼ିବି ନିଶ୍ଚେଁ ନେଇ ଗୋପପୁର ।
କଂସର ଉଗ୍ରମୂରତି ଦେଖି କେସୀ ଦୈତ୍ୟ
କରଯୋଡ଼ି ବୋଲେ ସ୍ୱାମୀ କୋପ କର ଶାନ୍ତ ।
ଛାର ଗଉଡ଼ ଟୋକାଙ୍କୁ ଯିବ ତୁମ୍ଭେ ମାରି
ମନ କଲେ କ୍ଷଣକରେ ଆଣିଦେବି ଧରି ।
ଚୂଚୁନ୍ଦ୍ରାଙ୍କୁ ମାଇଲେ ଯେ ହାତ ଗନ୍ଧାଇବ
ଯାହାର ସମରେ କ୍ଷମ ନୁହଇ ବାସବ ।
ଯା ନାମେ ଗର୍ଭିଣୀ ନାରୀ ବାଟ ଛାଡ଼ିଯାଏ
ଯମ କାଳଦଣ୍ଡ ଯେହୁ କରିଅଛି କ୍ଷୟେ ।
ସେ ପୁଣି ଗଉଡ଼ ସଙ୍ଗେ କରିବ ବିବାଦ
ଶୁଣିଲେ ଲୋକ ସମାଜେ ହେବ ଅପବାଦ ।
କ୍ରୋଧ ଶାନ୍ତକର ଦେବ ରୁହ ନିଶ୍ଚିନ୍ତରେ
ନନ୍ଦପୁଅଙ୍କୁ ମାରିବା କଳ କୌଶଳରେ ।
ପିମ୍ପୁଡ଼ି ମାରିବାପାଇଁ କେତେକ ମାତର
କ୍ଷଣକରେ ପେଷିଦେବି ମୁହିଁ ଯମପୁର ।
କେଶୀର ମୁଖରୁ ଏହା ଶୁଣି ଭୋଜପତି
ଆସ୍ଥାନ ମଉଳି ଗଲା ହୋଇ ଶାନ୍ତମୂର୍ତ୍ତି ।
ଜୟ ତୁ ରାଧିକେ ମାଗୋ ଜଗତ ମୋହିନୀ
ଚିଦାନନ୍ଦ ସ୍ୱରୂପ ତୁ ବିଷ୍ଣୁ ବିଳାସିନୀ ।
ରାସେଶ୍ୱରୀ ଅଟୁତୁହି ଜଗତର ମାତ
ତୋ ମାୟାରେ ଚରାଚର ପ୍ରାଣୀ ବିମୋହିତ ।
ଜଗତନାଥଙ୍କୁ ବଶ କଲୁ ଅବହେଳେ
ନମଇଁ ଅଚ୍ୟୁତଦାସ ତୋ ପାଦ କମଳେ ।
ଭୋ ମୁନି ଅପୂର୍ବ କଥା କହିଲଇଁ ମୁହିଁ
ଏ ଦେହରେ ମୋକ୍ଷ ହେବି ହରିପାଦ ଧ୍ୟାୟି ।
ବିଷ୍ଣୁଙ୍କୁ ଅପୂର୍ବ ଲୀଳା ଶିରୀ ଭାଗବତ
ଅମୀୟ ରସ ଏହା ତ ପଞ୍ଚଦେବ ଅର୍ଥ ।
ଶୁଣାଇଲ ମୋତେ ଆଣି କରି ଅନୁଗ୍ରହ
ଏତେ ବୋଲି ପ୍ରଣିପାତ କରି ନରରାୟ ।
ପଚାରେ ଭୋ ମୁନି ଅଘା ବତ୍ସା ଦୁହେଁ ମଲେ
ପୂର୍ବ ଜନ୍ମେ କାହିଁ ସେହୁ ତପ କରିଥିଲେ ।
ରାମକୃଷ୍ଣଙ୍କ ହସ୍ତରେ ହୋଇଲେ ନିଧନ
ଏହା ଶୁଣିବାକୁ ମୋର ବଳଇ ଯେ ମନ ।
ସଂକ୍ଷେପି ମୋତେ କହିବା ଆହେ ତପଚାରୀ
ଏତେ କହି ବାରମ୍ବାର ନମେ ଦଣ୍ଡଧାରୀ ।
ରାଜାର ବଚନ ଶୁଣି ବୋଲନ୍ତି ବ୍ରହ୍ମର୍ଷି
ଶୁଣ ସାବଧାନେ ଏବେ ଅଭିମନ୍ୟୁ ଶିଷି ।
ତ୍ରିଶୂଳ ବୋଲିଣ ସତ୍ୟଯୁଗେ ଏକ ରାଜା
ପୁତ୍ର ପରାୟ କରିଣ ପାଳୁଥାଏ ପ୍ରଜା ।
ବଡ଼ ଧାର୍ମିକ ନୃପତି ଅବନୀ ମଣ୍ଡଳେ
ଯାଗଯଜ୍ଞ ବହୁ କଲା ରହି ରବିତଳେ ।
ସମୟେ ତାହାର ଏକ ପୁତ୍ର ଉପୁଜିଲା
ସମବିନ୍ଦୁ ବୋଲି ରାଜା ତାର ନାମଦେଲା ।
କ୍ରମେ କ୍ରମେ ବର୍ଦ୍ଧିତ ଯେ ହୋଇଲା କୁମର
ଯୁବା ବୟସ ହୁଅନ୍ତେ ଦେଖିଣ ପିଅର ।
ରାଜ୍ୟଭାର ଦେଇ ତାକୁ ଗଲା ସ୍ୱର୍ଗପୁରେ
ମନ ଦେଇ ଶୁଣ ରାଜା ଏଥୁ ଅନନ୍ତରେ ।
ସମବିନ୍ଦୁ ବିଚାରଇ ଏକାନ୍ତରେ ବସି
ଅଶ୍ୱମେଧ ଯାଗକରି ହେବି ସ୍ୱର୍ଗବାସୀ ।
ଏତେ ଭାବି ଋଷି ମୁନି ଡକାଇ ଆଣିଲା
ଇନ୍ଦ୍ର କୁବେରଙ୍କ ମତେ ଯାଗ ଆରମ୍ଭିଲା ।
ଅଶ୍ୱମେଧ ଯାଗ ଗୋଟି କଲା ଅବିଘ୍ନରେ
ସେ ଧର୍ମ ବଳରୁ ଗଲା ଅମର ନଗରେ ।
ଦେଖିକରି ବ୍ରହ୍ମପୁତ୍ରେ ଉପହାସ କଲେ
ଅମର ପୁରେ ଅଇଲୁ କିପରି ବୋଇଲେ ।
ସମବିନ୍ଦୁ ବୋଲେ ଅଶ୍ୱମେଧ ମୁହିଁ କଲି
ଆହୁତି ଦେଇଣ ଦେବଗଣଙ୍କୁ ତୋଷିଲି ।
ବ୍ରହ୍ମପୁତ୍ରେ ବୋଇଲେ ତୁ ମହାଯାଗ ଗଲୁ
ଆମ୍ଭଙ୍କୁ ସେବି ଯାଗରେ ବରଣ ନ କଲୁ ।
ତୁହି ତ ଜାଣୁ ଆମ୍ଭେ ତ ବେଦ ଅଧିକାରୀ
ଚାରିବେଦ ଷଡ଼ଶାସ୍ତ୍ର ପୁରାଣାଦି କରି ।
ଆମ୍ଭଭଳି ଲୋକମାନେ ନ ପାଇଲୁ ପୂଜା
ଅପ୍ରୟୋଜନ ଯଜ୍ଞ ତୋ ହେଲା ମହାରାଜା ।
କେବଣ ଯାଜ୍ଞିକ ତୋର କରାଇଲା ଯାଗ
ଏକଥ ତଥ୍ୟ କରିଣ କହ ଆମ୍ଭ ଆଗ ।
ମୁଖ ନ ଚାହିଁ ତୁହି ତ ପାତକୀ ପରାଣୀ
ନ କହିଲେ ଅଭିଶାପ ପାଇବୁ ଏକ୍ଷଣି ।
ସମବିନ୍ଦୁ କହେ ଇନ୍ଦ୍ର ବରୁଣ ଏ ବେନି
ଅଶ୍ୱମେଧ କରାଇଲେ ଦୁର୍ବାସାଙ୍କୁ ଘେନି ।
ଆକାଶଗଙ୍ଗା କୂଳରେ କରି ଯାଗକୁଣ୍ଡ
ଆହୁତି ଦିଆଇଲେ ସେ ହୋଇ ଏକ ରୁଣ୍ଡ ।
ମୁହିଁ ନ ଜାଣେ କିପରି ଯାଗର ଯେ ବିଧି
ଇନ୍ଦ୍ର ବରୁଣ ଏ କାର୍ଯ୍ୟ କରାଇଲେ ସିଦ୍ଧି ।
ଶୁଣି ବ୍ରହ୍ମପୁତ୍ରମାନେ କଲେ ମହାକୋପ
ଆରେ ଇନ୍ଦ୍ର ବରୁଣରେ ଏଡ଼େ ତୁମ୍ଭ ଦର୍ପ ।
ଅଶ୍ୱମେଧ ଯାଗକଲା ସମବିନ୍ଦୁ ରାଜ
ତୁମ୍ଭେ ଯାଗନିକ ଆମ୍ଭେ ହୋଇଲୁ ଅପୂଜ୍ୟ ।
ପ୍ରତ୍ୟକ୍ଷେ ବ୍ରହ୍ମନିନ୍ଦୁକ ହୋଇବଟି ଯେଣୁ
ଅନେକ ପାତକମାନ ଅରଜିଲ ତେଣୁ ।
ଦୋଷ ଅନୁକ୍ରମେ ଦେଇ ତୁମ୍ଭଙ୍କୁ ଯେ ଶାସ୍ତି
ଅସୁର ରୂପରେ ତୁମ୍ଭେ ଜାତ ହୁଅ କ୍ଷିତି ।
ଅଘା ବତ୍ସା ନାମ ବହିଥିବା ମେଦିନୀରେ
ଭକ୍ଷିବ ଗୋରୁ ବ୍ରାହ୍ମଣ ଋଷି ମୁନି ନରେ ।
ଦୁର୍ବାର ଦଇତ ତୁମ୍ଭେ ହେବ ଅନର୍ଗଳ
ଏହିରୂପ ଧରି ତୁମ୍ଭେ ଥିବ ବହୁକାଳ ।
ଶୁଣିଣ ଇନ୍ଦ୍ର ବରୁଣ ମହାଭୟ କଲେ
ଶାପ ମୁକତି କାରଣ ବିନୟେ ପୁଚ୍ଛିଲେ ।
ବ୍ରହ୍ମପୁତ୍ରେ ଦୟା କରି ବୋଇଲେ ଏମନ୍ତ
ଗୋବିନ୍ଦ ରଙ୍ଗାବତାରେ ହେବ ତୁମ୍ଭେ ମୁକ୍ତ ।
କଂସ ସେନାପତି ହୋଇ କୃଷ୍ଣେ ମାରିଯିବ
ବନଦଗ୍ଧ ସମୟରେ ତାହାଙ୍କୁ ଭେଟିବ ।
ପାଟି ବିସ୍ତାରି ଗିଳିବ ଗୋପାଳ ପୁଅଙ୍କୁ
ରାମ ହରି ବିନାଶିବେ ସେକାଳେ ତୁମ୍ଭଙ୍କୁ ।
ଶ୍ରୀକରେ ବଧ ହୋଇଲେ ଶାପୁଁ ହେବ ମୁକ୍ତ
ଏମନ୍ତ ରୂପେ କହିଲେ ତାଙ୍କୁ ବ୍ରହ୍ମସୁତ ।
ଅଭିଶାପ ପାଇ ସେହୁ ଦୈତ୍ୟ ହୋଇଥିଲେ
ଏବେ ରାମକୃଷ୍ଣ ହସ୍ତେ ମରି ସ୍ୱର୍ଗେ ଗଲେ ।
ଶୁଣି ପରୀକ୍ଷ ନୃପତି ହୋଇଲେ ସନ୍ତୋଷ
ବୋଇଲା ଭୋ ମୁନି ଦେଲ ଧର୍ମ ଉପଦେଶ ।
ଶୁଣି ମୁଁ କୃତାର୍ଥ ହେଲି ପିଣ୍ଡକୁ ତାରିଲି
ହରିବଂଶ ବାଣୀ କର୍ଣ୍ଣପୁଟରେ ଶୁଣିଲି ।
ଏଥୁ ଅନନ୍ତରେ କିସ କଲେ ଜନାର୍ଦ୍ଦନ
ତାହା ମୋତେ ସଂକ୍ଷେପିଣ କହ ତପୋଧନ ।
ବଦୟନ୍ତି ଶୁକ ମୁନି ଶୁଣ ତୁମ୍ଭେ ରାୟେ
ଏଥୁ ଅନନ୍ତରେ କେତେଦିନ ଗତ ହୁଏ ।
ଏକଦିନେ ବୃନ୍ଦାବନେ ଗଲେ ବନମାଳୀ
ହାତରେ ଧରିଅଛନ୍ତି ବିରହ ମୂଲଲୀ ।
ତାଳୁପରେ ଦିବ୍ୟଚୂଳ ଅତି ଶୋଭାପାଏ
ଦକ୍ଷିଣ ଭୁଜରେ ଯଷ୍ଟି ଏକଖଣ୍ଡି ଶୋହେ ।
ପାଦରେ ରତ୍ନକଠାଉ କଟୀତଟେ ବାସ
କର୍ଣ୍ଣରେ ରତ୍ନକୁଣ୍ଡଳ ଦିନକର ତ୍ରାସ ।
କଣ୍ଠତଟେ ବ୍ୟାଘ୍ରନଖ ହରିଡ଼ାର ମାଳ
ଶରୀର ଦିଶଇ ଯେହ୍ନେ ନୀଳଇନ୍ଦି ଦଳ ।
କୋଟିଏ କନ୍ଦର୍ପ ରୂପ ଧରି ଦେବରାୟେ
କୁଞ୍ଜବନ ଭିତରେ ସେ କରିଲେ ବିଜୟେ ।
ଏକାଳେ କଦମ୍ୱ ମୂଳେ ବିଜେ କଲେ ହରି
ମୋହନ ମୂରତି ଧରି ପ୍ରଭୁ ନରହରି ।
ଏସନ ସମୟେ ତହୁଁ ସର୍ବ ଗୋପବାଳୀ
ପସରାମାନ ଘେନିଣ ଯାଆନ୍ତି ସେ ଚଳି ।
ପ୍ରତ୍ୟହ ଛେନା ଗୋଟିକା ଅଧାମ ଯେ ଘେନି
ରାଜା କଟକେ ବିକନ୍ତି ନେଇ ଗୋପାଳୁଣୀ ।
ଘୃତ ଦୁଗ୍ଧ ଦହି ଘେନି ଛେନାର କାକରା
ଗମନ୍ତି ଧରିଣ ନବଲକ୍ଷ ଯେ ପସରା ।
ସମସ୍ତେ ପସରା ନେଇ ବିକନ୍ତି ଯେ ହାଟେ
ଗୋପପୁର ମଥୁରାକୁ ଅଛି ଏକ ବାଟେ ।
ମଥାରେ ପସରା ବହି ଯାନ୍ତି ବେଗେ ଚଳି
ରୁହ ରୁହ ବୋଲି ଆଗେ ଶ୍ରୀହରି ଓଗାଳି ।
ଗୋପୀନାଥ ବୋଲନ୍ତିରେ ବାବୁ କିସ ପାଇଁ
ଶ୍ରୀକୃଷ୍ଣ ବୋଇଲେ ଯିବ ଘାଟ ଦାନ ଦେଇ ।
ବିଡ଼ିଆ ଲାଗି ରାଜାଙ୍କ ପଡ଼ିଛି କଉଡ଼ି
ପସରାକେ କଡ଼ାଏ ଯେ କରମାନ ଚଢ଼ି ।
କାଲି ଏ କଥା ନୂତନ କରି ଭିଆଇଲେ
ବେପାରିବିଶୋଇପଣେ ମୋତେ ଶାଢ଼ୀ ଦେଲେ ।
ବୋଝକେ ଚିନାଏ ଭାରେ ମାଢ଼ ଏକ ହୋଏ
ଏମନ୍ତ ଘାଟ ଦାନ ଯେ ହୋଇଛି ଉପାୟେ ।
ଗୋପୀଏ ବୋଇଲେ ବାବୁ ଶୁଣ ଚକ୍ରପାଣି
କଅଁଳା ପୁଅ ତୁ କହ ଅସମ୍ଭବ ବାଣୀ ।
ଚାହୁଁ ଚାହୁଁ କଥା ବାବୁ କହୁ ଏଡ଼େ ଆଣ୍ଟ
କେବଣଠାରୁ ଆଣିଣ ଦେବୁ ଆମ୍ଭ ଘାଟ ।
ଗୋବିନ୍ଦ ବୋଇଲେ ଆଗେ ଶୁଣ ଗୋପାଙ୍ଗନା
ତୁମ୍ଭର ପାଦ ନୂପୁର ସସ୍ରେ ମାଢ଼ ସିନା ।
ବିଦ ମୁଦି କଙ୍କଣ ଯେ ନାସାମଣି ଝଟ
ଏସବୁ ଲେଖନ୍ତି ହେବ ବେନିମାଢ଼ ଘାଟ ।
ନାସା ନାକଚଣା ଆଉ କଣ୍ଠ ମୁକ୍ତାମାଳି
ଏଥକୁ ଲେଖିଲେ ଯିବ ମାଢ଼େକ ଉଗୁଳି ।
କର୍ଣ୍ଣେ କର୍ଣ୍ଣପତ୍ର ଆଉ ମୁକୁତା ତଡ଼କୀ
ଏଥକୁ ଘାଟ ଯେ ପୁଣି ସସ୍ରମାଢ଼ ଲେଖି ।
କଟୀତଟରେ ଯେ ଶୋଭାପାଏ ରତ୍ନହାର
ଏଥକୁ ଲେଖିଲେ ହେବ ଘାଟ ଯେ ଅପାର ।
ନେତ ପତନି ସିନ୍ଧୁଆ ପିନ୍ଧିଅଛ ଭିଡ଼ି
ଶତେ ମାଢ଼ ସୁନା ଏକା ଏହୁ ପାଟ ଶାଢ଼ୀ ।
ନୟନରେ ତୁମ୍ଭର ଯା ବିରାଜେ କଜ୍ଜ୍ୱଳି
ଏଥକୁ ଲେଖିଲେ ତିନି ମାଢ଼ ଯେ ଉଗୁଳି ।
ସୁକୁମାରୀ ସୁଲକ୍ଷଣୀ ଅଟ ନବଯୁବା
ତ୍ରୈଲୋକ୍ୟ ମୋହିନୀ ରୂପ ଅତିଶୟ ଶୋଭା ।
ମୁଖରେ ତାମ୍ୱୁଳ ପୁଣି ଚରଣେ ଅଳତା
ଅଣ୍ଡିର କୋକିଳ ପ୍ରାୟ ସୁଲଳିତ କଥା ।
ସମ୍ପୂର୍ଣ୍ଣ ଚନ୍ଦ୍ରବଦନ ଦିଶେ ଝଟ ଝଟ
ଏଥେ ଲେଖିଲେ ଅପାର ହୋଇବ ତ ଘାଟ ।
ସମସ୍ତ ଘାଟ ଲେଖନ୍ତେ ମନେ ଖଙ୍ଖ ପାଅ
ଏତେ ଦ୍ରବ୍ୟ ଘେନି ତୁମ୍ଭେ ଚୋରଣାରେ ଯାଅ ।
ଗୋବିନ୍ଦ ବଚନ ଶୁଣି ଗୋପୀ ସ୍ତମ୍ଭୀଭୂତ
ଏକୁଁ ଆରେକ ଚାହିଁଣ ହୋଇଲେ ଚକିତ ।
ମୁଖରେ ହସ୍ତ ଦେଇଣ ହସନ୍ତି ଗୁଆଳୀ
ବୋଇଲେ ବାଳୁତ ହୋଇ କରଇ ଢମାଳି ।
ଅନ୍ତୁଡ଼ିଶାଳେ ତୋହର କାଟିଅଛୁ ଲାହି
କଅଁଳା ପୁଅ ହୋଇଣ ଏଡ଼େ ତୋର ଚାହି ।
ତୁଚ୍ଛା ଅନର୍ଥରେ ଆସି ମାଗୁଅଛୁ ଘାଟ
ଲେଖାରେ କେ ଖୁଡ଼ୀ ମଉଳାଣୀ ନନ୍ଦଚାଟ ।
ଗୁରୁ ଗୌରବୀମାନଙ୍କୁ ଏ ରୂପରେ ବୋଲୁ
ଜାଣୁ ଜାଣୁ ଯଶ ଶିରୀ କ୍ଷୟ ତୁ କରିଲୁ ।
ଶ୍ରୀକୃଷ୍ଣ ବୋଇଲେ ଆଉ ନ କୁହ ଏମାନ
ଯିବାକୁ ଇଚ୍ଛା ଥିଲେ ତ ଲେଖି ଦିଅ ଦାନ ।
ଉଚିତ ପ୍ରମାଣେ ଦାନ ଯାର ଯେତେ ହୋଇ
ଯେ ଯାହାରେ ଦାନ ଦେଖି ଦେଇଯାଅ ଗୋଈ ।
ଗୋପୀ ବୋଇଲେ ଆମ୍ଭଙ୍କୁ ବନେଦେଖି ଏକା
ବନସ୍ତ ଭିତରେ ପଶି କରୁଅଛୁ ଡକା ।
ଗୋପାଳେ ଜାଣିଲେ ତୋତେ ବୋଲିବେଟି ମନ୍ଦ
ବିଛୁଆତି ଘେନି ପିତା ପିଟିବଟି ନନ୍ଦ ।
ଯଶୋଦା ଆଗରେ ଆମ୍ଭେ କହିଲେଟି ଯାଇ
ଘରୁ ବାହାର କରିଣ ଦେବ ଘଉଡ଼ାଇ ।
ଏ କଥା ଜାଣିବ ଯେବେ କଂସରାଜା ବାବୁ
ଅଖଡ଼ରେ ଅକାଳରେ ମରଣ ଲଭିବୁ ।
ଏକୋଇର ବଳା ତୁ ଯେ ଅଟୁ ହୃଷୀକେଶ
ପାତକ କରିଲେ କ୍ଷୟ ହୋଇବ ଅଯଶ ।
ଧର୍ମରେ ହୋଇବ ହାନି ଲୋକରେ ଅକୀର୍ତ୍ତି
ଆଉ ବାରେ ବଦନରେ ନ ବୋଲ ଏମନ୍ତି ।
କୃଷ୍ଣ ବୋଇଲେ କଂସକୁ ନାହିଁ ମୋର ଡର
ରାଜାଙ୍କ ବିଡ଼ିଆ ଲାଗି ସାଧୁଅଛି କର ।
ଅନ୍ୟାୟ କହିସେ ସିନା ହୋଇବ ଅଯଶ
ରାଜାଙ୍କର ଆଦେଶ ମୁଁ କରିବଇଁ କିସ ।
ବାଳକ ଦେଖିଣ ମୋତେ ଭୁଲାଇ ଲୋଡ଼ୁଛ
ବେଭାରେ ପସରାଇତି କରୁଅଛ ମିଛ ।
ତୁମ୍ଭର ଚରିତ ମୁହିଁ ଜାଣଇ ଗୁଆଳୀ
ହାଟ ହାଟୁଆଣୀ ତୁମ୍ଭେ ବାଟ ବାରୁଆଳୀ ।
ସେ କଥାମାନ ପଛକୁ ପକାଇଣ ଦିଅ
ଯେଝା ବଡ଼ପଣ ଥୋଇ କୌଡ଼ି ଗଣି ଯାଅ ।
ତୁମ୍ଭର ଗୁହାରିକି ଯେ ନାହିଁ ମୋର ଡର
ଅନ୍ୟାୟ କଲେ ମୋ ଦୋଷ ହେବ ନା ସଂସାର ।
ବିଶୋଇ ପଣରେ ମୁଁ ତ ପାଇଅଛି ଶାଢ଼ୀ
ତେଣୁ ଉଚିତେ ସାଧଇ ବସିଣ କଉଡ଼ି ।
କୃଷ୍ଣଙ୍କ ବଚନ ଶୁଣି ବୋଲନ୍ତି ଗୁଆଳୀ
ଅସମ୍ଭବ କଥା କିପାଁ କହୁ ବନମାଳୀ ।
କଅଁଳାପୁଅ କଥାରେ ନୋହେ ତୋତେ ଜିଣି
ଦାନ ମାଗିଲେ ନିଶ୍ଚୟ ଦେବୁ ଲେଉଟାଣି ।
ଏବେ ଆମ୍ଭମାନେ ଜାଣ କୌଡ଼ି ଆଣିନାହୁଁ
ହରକତ ନ କର ତୁ ଆଣିବା ନା କାହୁଁ ।
ଏ ବେଳକ ପ୍ରତେ କରି ଛାଡ଼ ହୃଷୀକେଶ
ଅପରତେ କରୁ ଯେବେ ରଖ ତୁ ଜିନିଷ ।
ଆମ୍ୱିଳ ହେବ ଗୋରସ ବିକିବୁ ନା ଯାଇ
ଲେଉଟାଣି ବେଳେ ବନ୍ଧା ନେବୁ ମୁକୁଳାଇ ।
କୃଷ୍ଣ ବୋଇଲେ ଆଜି ମୋ ଅନୁକୂଳ କୌଡ଼ି
ଏକ୍ଷଣି ନ ପାଇଲେ ମୁଁ ଦେବଇଁ ଛାଡ଼ି ।
ଗୋପୀଏ ବୋଇଲେ ଆମ୍ଭେ ଗୃହେ ଫେରିଯିବୁ
ଉଚିତ ହୋଇଲେ ଏହିକ୍ଷଣି ଆଣିଦେବୁ ।
ଗୋବିନ୍ଦ ବୋଇଲେ ଗୋପୀହେଲକିବା ବାଇ
ହସ୍ତୁ ଫିଟିଲେ ଭେଟ କି ତୁମ୍ଭର ବା ପାଇଁ ।
ପ୍ରଥମେ ପଡ଼ିଆ କଲେ ନ ହୋଇବ କାର୍ଯ୍ୟ
ଘାଟ ନ ପାଇଲେ କିଏ ଛାଡ଼ୁଅଛି ଆଜ ।
କହୁଁ କହୁଁ ବେଳ ହେଲା ପ୍ରହର ଯେ ତିନି
କ୍ଷୁଧାରେ ବ୍ୟାକୁଳ ହେଲେ ସକଳ କାମିନୀ ।
ପସରା ଗୋରସମାନ ରଖି ଯେ ଯାହାରେ
ତହୁଁ ଗୋପୀଏ ବୋଲନ୍ତି ଅତି କୋପଭରେ ।
କେତେ ଜଞ୍ଜାଳ ଆମ୍ଭଙ୍କୁ କରୁ ଦାମୋଦର
ବେଳ ଉଛୁର ହୋଇଲା ଝଗଡ଼ା ନ କର ।
ଛାଡ଼ିଦିଅ ବାଟ ବାବୁ ଯିବା ମଧୁପୁର
ପ୍ରହରକ ମଧ୍ୟରେ ଯେ ଫେରିବୁ ସତ୍ୱର ।
ଆହେ ଗୋପୀନାଥ ମାନ ଆମ୍ଭର ଯେ ବୋଲ
ଖଣ୍ଟପଣ କରିବାର ନୋହେ କିଛି ଭଲ ।
ଆମ୍ଭେ କୁଳବଧୂ ଅଟୁ ଷୋଳସସ୍ର ବାଳୀ
ଆମ୍ଭ ସଙ୍ଗତରେ କିପାଁ କରୁ ଖଣ୍ଡିଆଳି ।
ତୁମ୍ଭେ ଆମ୍ଭଙ୍କୁ ତ ଜାଣ ଆମ୍ଭେତୋତେ ଜାଣୁ
ମାଗଣା କଥାରେ ଗଞ୍ଜୁଅଛୁ ଜାଣୁ ଜାଣୁ ।
ବାବୁ କଉଣସି କାଳେ ନାହିଁ ଏଥେ ଘାଟ
ତୁଚ୍ଛାକୁ ଗୋଳ ଲଗାଉ ଆରେ ନନ୍ଦଚାଟ ।
ଆଉ ଦୁଃଖ ନ ଦିଅ ଯେ ବେଗେ ଦିଅ ଛାଡ଼ି
ଯେଝା ମନ୍ଦିରକୁ ଆମ୍ଭେ ଯିବୁରେ ବାହୁଡ଼ି ।
ଅପାର ବୋଲଣା ଆସି ହେଲା ଅଲୋକିତ
ଜାଣନ୍ତା ହେଲେ ଗୋପାଳେ କରିବୁ କେମନ୍ତ ।
ଶ୍ରୀକୃଷ୍ଣ ବୋଇଲେ ଯେବେ ଲୋଡ଼ୁଅଛ ଯାଇ
କଥାଏ ମାଗିବି ତୁମ୍ଭେ ପାରିବ କି ଦେଇ ।
ଗୋପୀଏ ବୋଲନ୍ତି ତୁହି ମାଗିବୁରେ ଯାହା
ତ୍ରିବାର ସତ୍ୟ ଆମ୍ଭର ଦେବୁ ନିଶ୍ଚେଁ ତାହା ।
ଗୋପୀଙ୍କର ନିଷ୍ଠା ବାକ୍ୟ ଶୁଣି ଭଗବାନ
ବୋଇଲେ ପ୍ରୀତିଦାନରେ ମୋର ପ୍ରୟୋଜନ ।
ସର୍ବଦା ରହିବ ତୁମ୍ଭ ଆମ୍ଭର ପୀରତି
କଉଡ଼ିରେ କାର୍ଯ୍ୟ ନାହିଁ ମୋର ରୂପବତୀ ।
ଗୋପିକା ଭାଳିଲେ ଯାହା କର୍ଣ୍ଣେ ଶୁଣାନାହିଁ
ବାଳ କଅଁଳା ପୁଅର ସଙ୍ଗେ ସଙ୍ଗ କାହିଁ ।
ଶୁଣିବାକୁ ବିଡ଼ମ୍ୱନ କହନ୍ତେ ଭବିଷ୍ୟ
ଅଜ୍ଞାନ ବାଳୁତ ପୁଅ ବୋଲେ ଯିସ ତିସ ।
ତ୍ରିଦଶ ଦେବତା ପ୍ରାୟେ ଦିଶଇ ଯା ଅଙ୍ଗ
କେ ଜାଣି ଗୋପରେ ଜାତ ହୋଇଛି ଅନଙ୍ଗ ।
ଗୋବିନ୍ଦ ବୋଇଲେ ତୁମ୍ଭେ କି କଥା ବିଚାର
ତୁମ୍ଭର ପାଇଁକି ସିନା ମୋର ଅବତାର ।
ସ୍ତମ୍ଭୀଭୂତ ହେଲେ ଗୋପୀ କୃଷ୍ଣବାକ୍ୟ ଶୁଣି
ଏକଇ ବଦନ ଚାହିଁ ଆରେକ ଯେ ଭଣି ।
ଉପହାସ କଥା ଏ ଗୋ କିସ ଯେ କରିବା
ଯଶୋଦାର ମୁଖ ଆଉ କେମନ୍ତେ ଚାହିଁବା ।
ଲୋକେ ଶୁଣିଲେ ଆମ୍ଭଙ୍କୁ ହେବ ଉପହାସ
ବାତୁଳ ପ୍ରାୟ ବାଳୁତ ବୋଲେ ଯିସ ତିସ ।
ଥୋକାଏ ବୋଇଲେ ଆଉ କେତେ ହେବା ଦହି
କ୍ଷୁଧାରେ ବଇକୁଲ୍ୟ ତ ହେଲା ଆମ୍ଭ ଦେହୀ ।
ମାଗଣା କଥାରେ କେତେ ଦହ୍ୟ ହେବା ଆଜ
ସମ୍ମତ କରି ଭଣ୍ଡିବା ତେବେ ହେବ କାର୍ଯ୍ୟ ।
ବାଳୁତ ବାଇକୁ ଅଳପକେ ଭଣ୍ଡିପାରି
ସମ୍ମତ କରିଣ ଗୃହେ ଯିବା ଗୋ ବାହାରି ।
ଏକା ଜଣେ ଆମ୍ଭର ଗୋ କିସ କରିପାରି
ଆମ୍ଭେ ନବସସ୍ର ବାଳୀ ଧରଷି ନ ପାରି ।
ଯେବେ ଧରପଗଡ଼ ଗୋ କରେ ବଳାତ୍କାରେ
ଗାଲ ଭାଙ୍ଗିଦେବା ତାର ବିଧା କହୁଣୀରେ ।
ଖଡ଼ୁମୁଷା ମାରି ତାର ପିଠି ଭାଙ୍ଗିଦେବା
ଯାଇଣ ନନ୍ଦରାଜାକୁ ସକଳ କହିବା ।
ଏମନ୍ତ ବିଚାରି ସର୍ବେ ହ୍ୱନ୍ତେ ମହାରୋଷ
ମାୟାରେ ମୋହିଲେ ହରି ଗୋପୀଙ୍କ ମାନସ ।
କିଛି କହିଣ ଗୋପୀ ସନମତ କଲେ
ଶ୍ରୀକୃଷ୍ଣଙ୍କୁ ଘେନି କୁଞ୍ଜବନରେ ମିଳିଲେ ।
ଷୋଳସସ୍ର ନାୟିକା ସେ ସର୍ବେ ଗୋପବାଳୀ
ଆପଣେ ତେତେ ସ୍ୱରୂପ ଧରି ବନମାଳୀ ।
ମଦନମୋହନ ରୂପ ଧଇଲେ ମୁରାରି
ଦେଖିଣ ମୋହ ହୋଇଲେ ସର୍ବ ଗୋପନାରୀ ।
କୃଷ୍ଣ ଗୋପୀଙ୍କର ତହିଁ ଏକତ୍ରେ ମିଳନ
ନୀର କ୍ଷୀର ପରାୟେକ ହୋଇଲା ଅଭିନ୍ନ ।
ତଦପରେ ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ଚାହିଁ
ବୋଇଲେ କିସ କହିବୁ ବେଶୀ ଭାବଗ୍ରାହୀ ।
ତୁମ୍ଭେ ଛାଡ଼ିଲେ ଆମ୍ଭଙ୍କୁ ନ ଛାଡ଼ୁ ତୁମ୍ଭଙ୍କୁ
ଅନୁଗ୍ରହ କରିଥିବ ସର୍ବଦା ଆମ୍ଭଙ୍କୁ ।
ଶ୍ରୀକୃଷ୍ଣ ବୋଇଲେ ତୁମ୍ଭେ ଶୁଣ ଗୋପୀମାନେ
ତୁମ୍ଭପାଇଁ ଜନ୍ମିଲି ମୁଁ ଏ ଗୋପଭୁବନେ ।
ତୁମ୍ଭପରି ନାୟିକା ତ ବଡ଼ ଭାଗ୍ୟେ ପାଇ
ତୁମ୍ଭଛଡ଼ା ମୋହର ତ ଅନ୍ୟ ନାରୀ ନାହିଁ ।
ଏହିରୂପେ କହି ବୋଧ ଦେଲେ ଭଗବାନ
ଶୁଣିଣ ସନ୍ତୋଷ ହେଲେ ସର୍ବ ଗୋପୀଗଣ ।
ଯେଝାର ପସରାମାନ ଧରି ଯେଝା ଶିରେ
ହରଷରେ ଚଳିଗଲେ ନିଜ ନିଜ ପୁରେ ।
ଗୋବିନ୍ଦ ମଧ୍ୟ ଆପଣା ଗୃହକୁ ଚଲିଲେ
ଯାଇ ମାତା ନିକଟରେ ପ୍ରବେଶ ହୋଇଲେ ।
ଦୁଧ ସର ଲବଣୀ ଯେ କରିଲେ ଭୋଜନ
ଘାଟସଧା ଏହିଠାରେ ହୋଇଲା ସମ୍ପୂର୍ଣ୍ଣ ।
ଗୋପୀ ଗୋବିନ୍ଦଙ୍କର ଏ ରାସକ୍ରୀଡ଼ା ବାଣୀ
ପରୀକ୍ଷ ଆଗେ କହିଲେ ଶୁକ ମହାମୁନି ।
ଦଶମସ୍କନ୍ଧର ଏହୁ ଅଟଇ ଚରିତ
ଇଦଂ ଅଷ୍ଟାବିଂଶ ଅଧ୍ୟା ହେଲା ସମାପତ ।
ସେ ଗୋପୀନାଥଙ୍କ ପାଦେ ସଦା ମୋର ସେବା
ଅଚ୍ୟୁତ ଦାସ କବିକି ଗତି ମୁକ୍ତି ଦେବା ।
ରାଧା କୃଷ୍ଣଙ୍କର ନାବକେଳି
[ସମ୍ପାଦନା]ଏଥୁଅନ୍ତେ ପରୀକ୍ଷିତ ନାମେ ମହାରାଜା
ଶୁକମୁନି ଚରଣରେ କଲେ ଦିବ୍ୟପୂଜା ।
ଭୋ ମୁନି ଅପୂର୍ବ କଥା ଶୁଣି ତବ ମୁଖୁ
ଏ ଦେହରେ ମୁକତ ମୁଁ ହେବି ଦେଖୁ ଦେଖୁ ।
ଶ୍ରୀକୃଷ୍ଣଙ୍କ ବାଳଲୀଳା ବିଚିତ୍ର ଚରିତ
କର୍ଣ୍ଣକୁ ଅମୀୟରସ ପଞ୍ଚଦେବ ଅର୍ଥ ।
ଯେଉଁ ନାରାୟଣ ସ୍ୱାମୀ ଖଣ୍ଡିଲେ ଭୂଭାର
ତାଙ୍କ କୀର୍ତ୍ତି ଏହି ଭାଗବତ ଗ୍ରନ୍ଥସାର ।
ତବ ଶ୍ରୀମୁଖରୁ ଶୁଣି ହୋଇବି ମୁକତ
ପୁଣି କୃଷ୍ଣ କିସ କଲେ କହ ସେ ଚରିତ ।
ରାଜାର ବିନୟ ବାଣୀ ଶୁଣି ଶୁକମୁନି
ବୋଲନ୍ତି ଯେ ସାବଧାନେ ଶୁଣ ନୃପମଣି ।
ଏ ହରିବଂଶ ଚରିତ ଅତ୍ୟନ୍ତ ପବିତ୍ର
ଶୁଣି ଶୁଆଇବା ଲୋକେ ହୁଅନ୍ତି ମୁକତ ।
ଏ ଅନ୍ତେ ମକର ଶୁକ୍ଳ ପ୍ରତିପଦା ଦିନ
ମଘା ନକ୍ଷତ୍ର ସମ୍ପୂର୍ଣ୍ଣ ଭୋଗ ପୁଣି ଜାଣ ।
ସପତାଙ୍ଗ ଯୋଗ ପୁଣି ପବିତ୍ର ଯେ ତାର
ସେହିଦିନ ସଖୀ ଘେନି ରାଧିକା ବାହାର ।
ମଥାରେ ଦଧି ପସରା ଘେନି ଯେ ଯାହାରେ
ବିକିବା ପାଇଁକି ଯାନ୍ତି ମଥୁରା ନଗରେ ।
ରବି ଉଦୟ ବେଳରେ ସର୍ବେ ସଜ ହୋଇ
ଯେ ଯାହାରେ ବାହାରିଲେ ଚିତ୍ତେ ହର୍ଷ ବହି ।
ପାଟ ମୁଚୁଳିରେ ନେତ ପତନୀକୁ ମଣ୍ଡି
ଯତନରେ ତା ଉପରେ ଥୋଇ ଦଧିହାଣ୍ଡି ।
ନାନାବିଧ ଗୋରସ ଯେ ତହିଁର ପାରୁଶେ
ଘୃତ ଗୋଟିକା ସଜାଇ ଅତ୍ୟନ୍ତ ସରସେ ।
ଏସନ ପ୍ରକାରେ ସର୍ବେ ସଜବାଜ କରି
ଦଧି ବିକିବାପାଇଁକି ଗଲେ ଗୋପନାରୀ ।
ଯମୁନାନଦୀ ଦକ୍ଷିଣ କୂଳ ଯାନ୍ତି ମାଡ଼ି
ଚଳନ୍ତି ଗୋପରମଣୀ ପସରା ସଜାଡ଼ି ।
କୁଞ୍ଜବନ ମଧ୍ୟେ ପଶି ଥୋକେଦୂର ଗଲେ
ଗୋଧିଘାଟ ନିକଟରେ ପ୍ରବେଶ ହୋଇଲେ ।
କଦମ୍ୱ ତଳେ ମାଧବୀଲତା ପରିମଳ
କୁସୁମ ଭାରେ ଲୋଟୁଛି ସେ ଅବନୀ ତଳ ।
ଅଣ୍ଡିର କୋକିଳ ବାଣୀ ଶୁଭେ ଅନୁବ୍ରତେ
ଅମର ବାରସ୍ୱତୀ କି ଅଟଇ ସାକ୍ଷାତେ ।
କହନ୍ତେ ନ ସରେ ତାର ସଉନ୍ଦର୍ଯ୍ୟ ବିଧି
ଅନୁବ୍ରତେ ଅଛି ନବରତ୍ନ ଅଷ୍ଟନିଧି ।
ସୁଲଳିତରେ ପବନ ବହଇ ସଧୀରେ
ଅବସନ୍ତରେ ବସନ୍ତ ବହେ ଚୌପାଶରେ ।
ବାରମାସେ ଆନୁମାନ ଧରଇ ସେ ଶୋଭା
ସେ ଭୂମି ମାଡ଼ିଲେ ବୃଦ୍ଧ ହେବ ନବଯୁବା ।
ଜନ୍ମ ମରଣ ବର୍ଜିତ ଯେଉଁ ଯାଗଭୂମି
ସ୍ୱୟଂ ବିଜେ କରିଛନ୍ତି ନାରାୟଣ ସ୍ୱାମୀ ।
ଦିଗପାଳ ଦେବତାଏ ବୃକ୍ଷ ସ୍ୱରୂପରେ
ବିଜୟ କରିଅଛନ୍ତି ଯେ କୁଞ୍ଜବନରେ ।
ତେଣୁକରି ସେ ସୁସଞ୍ଚ ଅତିଶୟ ଶୋଭା
ନାହିଁ ପଟାନ୍ତର ବନ ତିନିପୁରେ ଦେବା ।
ସେ ବନ ଜିଣିଣ ଗଲେ ସକଳ କାମିନୀ
ଷୋଡ଼ଶ ବୟସୀ ସର୍ବେ ପସରାନ୍ତ ଘେନି ।
ଗାବନ୍ତି ଗୀତ ଢମାଳି ଟାହି ଢଗ ମେଲି
ଠାଣିରେ ଚାଲୁଅଛନ୍ତି ମତ୍ତଗଜ ଚାଲି ।
ଗମନ୍ତେ ମିଳିଲେ ଯାଇ ଯମୁନାର କୂଳ
ଦୁଇକୂଳ ମାଡ଼ି ତହିଁ ବହଇ ସଲିଳ ।
ଅତ୍ୟନ୍ତ ଗଭୀର କେହୁ ଅନ୍ତ କରିପାରି
ଚକ୍ରାବର୍ତ୍ତ ହୋଇ ତହିଁ ଦିଅଇ ଭଉଁରୀ ।
ମେଞ୍ଚା ମେଞ୍ଚା ହୋଇକରି ଭାସେ ଫେଣମାନ
ପ୍ରଚଣ୍ଡ ସ୍ରୋତ ବହଇ ଢେଉ ଘନ ଘନ ।
ଉତ୍ତାନ ହୋଇ ଭାସନ୍ତି କୁମ୍ଭୀରାଦିମାନେ
ଦେଖି ଗୋପୀଗଣେ ମହାଭୟ କଲେ ମନେ ।
କୂଳ ବୁଡ଼ିଣ ସଲିଳ ଆସୁଅଛି ମାଡ଼ି
ଠାବେ ଠାବେ ଖାଇ ଯାଉଅଛଇ ଅତଡ଼ି ।
ଗୋପାଳୁଣୀମାନେ କୂଳ ବନ୍ଧପରେ ଉଭା
ଦେଖିଲେକ ଭୟାନକ ଦିଶେ ଜଳପ୍ରଭା ।
ସମସ୍ତଙ୍କର ମନକୁ ଲାଗେ ବଡ଼ ବ୍ୟଥା
କେ ଗୋପୀ ବୋଲେ ଏ ଅଟେ ବିପରୀତ କଥା ।
ଅଦିନେ ଏ ନଈବଢ଼ି ବିପରୀତ କାଳ
ଅଗାଧ ଗଭୀର ୟାର ନାହିଁ ଥଳ କୂଳ ।
ବିଶେଷେ ଅବଳା ଆମ୍ଭେ କୁଳବଧୂ ନାରୀ
ମଥା ପସରା ଆମ୍ଭର ହୋଇଅଛି ଭାରୀ ।
ବୁଦ୍ଧି ଦିଶୁନାହିଁ ଏବେ କିସ ଗୋ କରିବା
କେମନ୍ତ ଯମୁନା ନଦୀ ପାର ହୋଇ ଯିବା ।
ନାବ ଖଣ୍ଡିଏ ମାତ୍ରକେ ଏଥେଁ ଦେଖାନାହିଁ
କାହାକୁ ପୁଚ୍ଛିବା ଅବା କିଏ ଦେବ କହି ।
ଲେଉଟି ଗଲେ ଘରକୁ ବୋଲଣା ପାଇବା
ପଇସା କଉଡ଼ି କାହୁଁ ଅବା ଗୋ ଦେଖିବା ।
ଖରଚ ବାରଚ ପାଇଁ ହେବା ହରକତ
କେ ବୋଲଇ କାଲିଠାରୁ ନାହିଁ ଘରେ ଭାତ ।
କେ ବୋଲେ ଲୁଣ ବିହୀନେ ଅଲଣା ଖାଉଛୁ
କେ ବୋଲେ ତଇଳ ବିନା ଲୁଖୁରା ପଡ଼ିଛୁ ।
ଦହି ଦୁଧ ବିକା ହେଲେ ହେବ ଘର ଖର୍ଚ୍ଚ
ଏ ରୂପେ ଗୋପାଳୁଣୀଏ କରୁ କରୁଁ ପାଞ୍ଚ ।
ବେଳେ ଆସିଣ ପ୍ରହରେ ହୋଇଲାକ ତହିଁ
ପୁଣି ବିଚାର କରନ୍ତି ସର୍ବ ଗୋପଗାଈ ।
ଚାଲ ଏହିଠାରୁ ସର୍ବ ଲେଉଟିବା ଘର
ବୃଥା ନାଶ ଯିବ କିପାଁ ଛେନା ଦୁଧସର ।
ଶାଶୁ ଶ୍ୱଶୁର ଦିଅର ଦେବେ ନିଶ୍ଚେଁ ଗାଳି
କେ ବୋଲଇ ଚାଲ ଆଜି ଯିବା ପଛେ କାଲି ।
କେ ବୋଲଇ ଦେଖ ନାବ କୂଳେ କୂଳେ ଚଳି
ଭେଳାଡଙ୍ଗା ମିଳେ ଅବା ପାରହେବା ଜଳ ।
ଦୁଧ ଦହି ବିକିବା ଗୋ ହାଟ ମଧ୍ୟେ ପଶି
ଲେଉଟାଣି ଆସିବା ଗୋ ସେ ନାବରେ ବସି ।
ଏହା ଶୁଣିକରି ତହିଁ ବୋଲେ ଚନ୍ଦ୍ରାବଳୀ
ଏଠାକୁ ଅଯୋଗେ ନିକି ଆସେ ବନମାଳୀ ।
ଘାଟ ମାଗିଣ ଅନର୍ଥ କରଇ ମାଧୋଇ
ଜଞ୍ଜାଳ ଲଗାଇଲେ ଗୋ ନ ପାରିବା ଯାଇ ।
ଥୋକେ ବୋଇଲେ କୃଷ୍ଣଙ୍କୁ କିପାଇଁ ଗୋ ଡର
ନନ୍ଦର ନନ୍ଦନ ସେ ଯେ ବାଳୁତ କୁମର ।
ତାହାକୁ ଡରିଲେ ହେବ ଆମ୍ଭର ଗୋ କିସ
ଏହା କହି କେଉଁ ଗୋପୀ ମନରେ ହରଷ ।
କେ ବୋଲେ ତାହାର ଗୁରୁ ଗଉରବୀ ନାହିଁ
ସମସ୍ତଙ୍କୁ ପରିହାସେ କରଇ ସେ ଟାହି ।
କେ ବୋଲଇ ଯିସତିସ କହଇ ନ ଜାଣି
ଅନୁଚିତ କଥା ବୋଲେ ତାକୁ ଗୋ ନ ଜିଣି ।
କେ ବୋଲଇ କହେ ବଡ଼ ଅଗୋଚର କଥା
କେ ବୋଲେ ଅଟଇ ସେହୁ କେବଣ ଦେବତା ।
କେ ବୋଲେ ସକଳ ଗୁଣ ତାହାଠାରେ ଥାଇ
ଅପାଙ୍ଗରେ ସର୍ବ ମନ ପାରଇ ସେ ମୋହି ।
କେ ବୋଲେ ଜାଣଇ ସେହୁ କେବଣ ମନ୍ତର
ମୋହର ମନରୁ ଦଣ୍ଡେ ନୁହଇ ଅନ୍ତର ।
ଆସନ ଶୟନ ଆଉ ଗମନ ଭୋଜନେ
ବ୍ରହ୍ମଜ୍ଞାନ ପ୍ରାୟ ନେତ୍ରେ ନାଚେ ଅନୁକ୍ଷଣେ ।
ଏହିରୂପେ ବିଚାରନ୍ତି ସର୍ବ ଗୋପନାରୀ
ଶୁକମୁନି ବୋଲନ୍ତି ହେ ଶୁଣ ଦଣ୍ଡଧାରୀ ।
ଶ୍ରୀହରି ଜାଣି ପାରିଲେ ଗୋପୀଙ୍କର ମନ
କଇବର୍ତ୍ତ ରୂପେ ତହିଁ ମିଳିଲେ ତକ୍ଷଣ ।
ନାବ ଉପରେ ବସିଣ ଡଙ୍ଗାକୁ ବାହିଲେ
ବ୍ରଜନାରୀମାନଙ୍କର ମନକୁ ମୋହିଲେ ।
ପଛ ମଙ୍ଗେ ବସିଛନ୍ତି କାନ୍ଧେ ହାତ ରଖି
ମଥାରେ ଖୋସି ଅଛନ୍ତି ମୟୂରର ପକ୍ଷୀ ।
କାଇଞ୍ଚ କଙ୍କଣ ଶୋଭା ପାଏ କରସ୍ଥଳ
ହସ୍ତରେ ବେଣ୍ଟୁଆ କର୍ଣ୍ଣମୂଳେ ମଲ୍ଲୀଫୁଲ ।
ଏପରି ସ୍ୱରୂପ ଧରି ଆପେ ଦେବ ହରି
ନାବର ପଛମଙ୍ଗରେ ଛନ୍ତି ବିଜେକରି ।
ଖଣ୍ଡଦୂରରୁ ଦେଖିଲେ ସକଳ ଗୁଆଳି
ନାବ ଦେଖିଣ ସମସ୍ତେ ହୁଅନ୍ତେ କୁରୁଳି ।
ସମସ୍ତଙ୍କ ଦୃଷ୍ଟି ଯାଇ ପଡ଼ିଲା ନାବରେ
ଏକକୁ ଆରେକ ପୁଣ ଧାମେ ଅତି ଖରେ ।
ନାବର ପାଶେ ସକଳେ ମିଳିଲେକ ଯାଇ
ବୋଇଲେ ପାରିକର ହୋ କଇବର୍ତ୍ତ ଭାଇ ।
ଏଠାର ବେଳ ଏକେ ତ ହେଲାଣି ଉଛୁର
ମଥୁରାକୁ ଯିବାପାଇଁ ପଥ ବହୁଦୂର ।
କୈବର୍ତ୍ତ ବୋଲେ ମୋହର ନାବ ଯେ ଦଦରା
ସହି ନ ପାରିବ ଜାଣ ଏତେ ଲୋକ ଭରା ।
ଜଣ ଜଣ ହୋଇ ତୁମ୍ଭେ ନାବପରେ ବସ
ସୁଖେ ପାରି କରିଦେବି ଯିବ ଆର ପାଶ ।
ଗୋପୀଏ ବୋଇଲେ ଶୁଣ କଇବର୍ତ୍ତ ନନା
ଦୁଇଜଣ ଲେଖା ପାରି କରିଦିଅ କିନା ।
ନାବିକ ବୋଇଲେ ନଦୀ ଅକାଳେ ବଢ଼ିଛି
ଅନୁବ୍ରତେ ପରଚଣ୍ଡ ଲହରୀ ମାରୁଛି ।
ଅତି ପୁରାତନ ଏ ତ ଦଦରା ଅଟଇ
ଦ୍ୱିଗୁଣ ଭାର ପାଇଲେ କାଲେ ଫାଟିଯାଇ ।
ନାନଦି ହୋରସେ ତୁମ୍ଭେ ପୂରିଛି ପସରା
ଏଣୁକରି ସହଜରେ ହୋଇଅଛି ଭରା ।
ସମସ୍ତେ ଅଳଙ୍କାର ତ ଭୂଷଣ ହୋଇଛ
ବିଚାରିଲେ ଅଧଜଣକର ସମକଚ୍ଛ ।
ସୁବାସ କୁସୁମେ ଗଭା ବାନ୍ଧିଛ ଆବର
ତାହା ତ ଗରୁ ହୋଇବ ଅଧ ଜଣକର ।
କର୍ପୂର କସ୍ତୁରୀ ଅଙ୍ଗେ ହୋଇଛ ଯା ବୋଳି
ବିଚାରିଲେ ସବୁଠାରୁ ତାହା ତ ଉଗୁଳି ।
ଇଚ୍ଛା ହେଲେ ଜଣେ ଜଣେ ହୋଇ ପାରିହୁଅ
ନୋହିଲେ ଇଚ୍ଛାସୁଖରେ ଗୃହେ ଫେରିଯାଅ ।
ଗୋପିକା ବୋଇଲା ତାହା ସମ୍ମତ ଆମ୍ଭର
ଧାତିକାରେ ଜଣେ ଜଣେ ଧରି ପାରିକର ।
ଜଣକରେ ପଦିକାଏ ମୂଲ ଦେବୁ ତୋତେ
ଲେଉଟାଣି ବେଳେ ପାରି କରିବୁ ଏମନ୍ତେ ।
ଧୀରେ ନାବ ଲଗାଇଲେ କୂଳେ ବନମାଳୀ
ପ୍ରଥମେ ନାବେ ବସିଲା ଯାଇ ଚନ୍ଦ୍ରାବଳୀ ।
ନାବ ପଟାରେ ପସରା ରଖି ଦୃଢ଼କରି
ଆପଣେ ପସରା ପାଶେ ବସିଲା ସୁନ୍ଦରୀ ।
ଧାତିକାରେ ନାବ ବାହା ବୋଲୁଁ ଚନ୍ଦ୍ରାବଳୀ
ଧୀରେ ପେଲିଦେଲେ ନାବ ତହୁଁ ବନମାଳୀ ।
ପଛମଙ୍ଗେ ବସି ନାବ ବାହାନ୍ତି ଶ୍ରୀହରି
ପଟାର ଉପରେ ବସିଅଛି ଗୋପନାରୀ ।
ଅଧା ନଦୀରେ ନାବ ଯେ ହୋଇଲେ ପ୍ରବେଶ
ଘୋର ଅନ୍ଧକାର ତହୁଁ ଘୋଟେ ଦଶଦିଶ ।
ସେହିଠାରେ ନାବ ଗୋଟି ରହେ ଥିର ହୋଇ
ରାଧିକା ମନ ମଧ୍ୟରେ ଏରୂପେ ଭାବଇ ।
ଅକାଳରେ କାହୁଁ ମାଡ଼ିଆସିଲା କୁହୁଡ଼ି
ବିଧାତା ପୁରୁଷ କରେ ଅଦିନରେ ବଢ଼ି ।
ମୁଁ ଆଗ ନାବେ ବସିଲି ନ ବୁଝି ନ ଜାଣି
ଦଇବର କୃତ୍ୟ ଏହା ନ ପାରିଲି ଜାଣି ।
ଏତେ ଭାଳି ରାଧିକା ଯେ ଧର୍ମ ସୁମରଇ
ଅକଳିତ ଗଭୀର ତ ଏ ନଦୀ ଅଟଇ ।
ଅବଳା ଯୁବତୀ ମୁହିଁ ନାବେ ଅଛି ଏକା
ସହୋଦର ହୋଇ ମୋର ଜଣେ ନାହିଁ ସଖା ।
କହୁ କହୁ ନାବେ ହେଲା ଆଣ୍ଠୁଯାଏ ପାଣି
ଭାବେ ଏ ନାବଗୋଟି ତ ବୁଡ଼ିବ ଏକ୍ଷଣି ।
ପ୍ରଖର ସୁଅ ଏଥେରେ ଥଳକୁଳ ନାହିଁ
କୈବର୍ତ୍ତର ନାମ ଧରି ଉଚ୍ଚରେ ଡାକଇ ।
ପାଞ୍ଚବେଳ ରାବଦେଲା ନ ଶୁଣିଲେ କେହି
ଡରେ ଥରହର କମ୍ପେ ରାଧିକାର ଦେହୀ ।
ଆହେ କଇବର୍ତ୍ତ ବୋଲି ପୁଣ ପୁଣ ଡାକି
କରମ ଆଦରି ବାମା ଧର୍ମେ ଦିଏ ସାକ୍ଷୀ ।
ପୁଣି ବିଚାରେ କୈବର୍ତ୍ତ ଅବା ବୁଡ଼ିମଲା
ପୁଣି ବିଚାରେ କୁମ୍ଭୀର କି ଅବା ଖାଇଲା ।
ପୁଣି ବିଚାରେ ନାବରୁ ଖସି କି ପଡ଼ିଲା
ଅଯୋଗରେ କଇବର୍ତ୍ତ ଗୋଟି ନାଶ ହେଲା ।
ନୋହିଲେ ନାବ କିପାଇଁ ହ୍ୱନ୍ତା ସ୍ତମ୍ଭୀଭୂତ
ନିଶ୍ଚୟେ ତ ବିଡ଼ମ୍ୱନ ଦଇବର କୃତ୍ୟ ।
ଏହିରୂପେ ବ୍ୟାକୁଳିତ ହ୍ୱନ୍ତେ ଚନ୍ଦ୍ରାବଳୀ
ମଦନ ମୋହନ ରୂପ ଧରି ବନମାଳୀ ।
ରାଧାମାଧବ ସେଠାରେ ହେଲେ ଏକ ସଙ୍ଗ
ବଢ଼ିଲା କୌତୁକ ରସେ ନାନ କେଳି ରଙ୍ଗ ।
ନାବ ଉପରେ ବିଚିତ୍ର ମନ୍ଦିର ରଚନା
ରତ୍ନ ପଲ୍ୟଙ୍କରେ ବିଜେ କୃଷ୍ଣ ଗୋପାଙ୍ଗନା ।
ଷୋଳକଳା ରତି ଯେ ବତିଶ ଆଲିଙ୍ଗନ
ଚୌଷଠି ବନ୍ଧେ ଶୃଙ୍ଗାର ବିଧାତା ଭିଆଣ ।
ଉଭୟଙ୍କର ଅନୁମତେ ବଢ଼ିଲା ପୀରତି
ଯେତେ ନାରୀ ଥିଲେ କୃଷ୍ଣ ହେଲେ ତେତେମୂର୍ତ୍ତି ।
ତହୁଁ ସେପାରେ ଛାଡ଼ିଣ ରାଧିକା ଗୁଆଳୀ
ପୁଣି ନାବ ଆଣିଦେଲେ ଯେ ଦେବ ବନମାଳୀ ।
ଏହିରୂପେ ଏକ ଏକ ଗୋପିକାଙ୍କୁ ନେଇ
ଆରପାଖେ ଛାଡ଼ନ୍ତି ଯେ ଜଗତ ଗୋସାଇଁ ।
ନାବକେଳି କରୁ କରୁ ବେଳ ପାଞ୍ଚଘଡ଼ି
ଆଦିତ୍ୟ ତେଜ ଲାଗିଣ ଛାଡ଼ିଲା କୁହୁଡ଼ି ।
ନଦୀ ଶୁଖିଗଲା ପାଣି ହେଲା ଆଣ୍ଠୁଆଣି
ମାୟା କରିଥିଲେ ସିନା ଦେବ ବେଣୁପାଣି ।
ପସରାମାନ ସଜାଡ଼ି ସର୍ବ ଗୋପନାରୀ
ଦେଖିଲେ ତହିଁରେ ରତ୍ନମାଳ ଅଛି ପୂରି ।
ମଥୁରାରେ ବିକିଲେ ସେ ଯାଇ ଯେତେ ଦ୍ରବ୍ୟ
ଦ୍ୱିଗୁଣ କରି ଟୋକାଇ ପୂରିଅଛି ସର୍ବ ।
ତା ଦେଖିଣ ଗୋପୀମାନେ ହୋଇଲେ ହରଷ
ସେଠାବରୁ ଲେଉଟିଣ ଗଲେ ଯେଝା ବାସ ।
ଗୋପନଗରେ ପ୍ରବେଶହେଲେ ଯେ ଯାହାରେ
ପସରା ଦେଖାନ୍ତି ନେଇ ସାଶୁ ନଣନ୍ଦରେ ।
ଏଥୁ ଅନନନ୍ତରେ ନାବକେଳି ଶେଷ କରି
ବାଳକ ରୂପେ ଗୃହରେ ମିଳିଲେ ମୁରାରି ।
ଏହିରୂପେ କେତେଦିନ ତହୁଁ ଗତ ହୁଏ
ଶୁକମୁନି ବୋଇଲେକ ଶୁଣ ମହାରାୟେ ।
ବିଚିତ୍ର କ୍ରୀଡ଼ାରସ ଏ ଭାଗବତ ବାଣୀ
ପାପାଧି ପାତକମାନ ଧ୍ୱଂସ ହେବ ଶୁଣି ।
ନହୁଲି ବୟସେ ତାଙ୍କ କ୍ରୀଡ଼ାର ବ୍ୟବସ୍ଥା
ବେଦବ୍ୟାସ ନନ୍ଦନ ଯେ ଜାଣନ୍ତି ସେ କଥା ।
ସପତ ସମୁଦ୍ର କରପତ୍ରେ କେ ବାହିବ
ସୁଜ୍ଞାନୀ ହୋଇଣ ହରିବଂଶକୁ କହିବ ।
କାଠି ବଢ଼ାଇ ଆକାଶ ପାରିବକି କଳି
ସୂଚିମୁନେ ପର୍ବତ କେ ପାରିବ ବା ଟାଳି ।
ମାନବ ମାତ୍ର ଭରସା ମୋର ଏଡ଼େ କାହିଁ
ବାମନ ହୋଇ ଚନ୍ଦ୍ରଙ୍କୁ ଧରିବା ଇଚ୍ଛଇ ।
ମଦ ମତ୍ସରାଦି ମୋର ଦେହେ ଅଛି ଜଡ଼ି
ଲୋଭ କାମ ହିଂସାରେ ମୁଁ ସିନା ଥାଏ ଜଡ଼ି ।
କେବଳ ଚୈତନ୍ୟ ପାଇଲଇଁ ପୂର୍ବହେତୁ
ହରିନାମ ଦ୍ୱିଅକ୍ଷର କେବଳ ତୋ ତତ୍ତ୍ୱ ।
ବେଦ ବେଦାନ୍ତ ସାର ଏ ଅର୍ଥେ ଅବଗାହି
ହରିନାମ ବିନୁ ଆଉ ଧର୍ମ ମୋର ନାହିଁ ।
ସ୍ନାନ ଦାନ ଜପ ତପ ଧର୍ମ ଉପବାସ
ସବୁ ପଛକରି ନରେ ହରିନାମ ଘୋଷ ।
ଅଚ୍ୟୁତାନନ୍ଦ ଦାସ ତା ଅଛି ମାଳ କରି
ଜନ୍ମେ ଜନ୍ମେ ହରିନାମ ଦୀକ୍ଷା ହେ ମୋହରି ।
ଇତି ଶ୍ରୀ ଭାଗବତର ଦଶମ ଚରିତ
ଇଦଂ ଦଶବିଂଶ ଅଧ୍ୟା ହେଲା ସମାପତ ।
ସୁଭଦ୍ରା ଜନ୍ମ
[ସମ୍ପାଦନା]କହନ୍ତି ଯେ ଶୁକମୁନି ଶୁଣ ପରୀକ୍ଷିତ
ଭାଗବତ ବାଣୀ ଶୁଣି ବିନାଶ ଦୂରିତ ।
ଏଥୁ ଅନନ୍ତରେ ତହୁଁ କେତେଦିନ ଗଲା
ଗ୍ରୀଷମ ଋତୁ ଆସିଣ ପ୍ରବେଶ ହୋଇଲା ।
ଦକ୍ଷିଣ କରେ ଲଉଡ଼ି ବାମେ ଏକ ମୁନା
ଝଲକନ୍ତି ହୀରୀ ନୀଳା ମାଣିକ୍ୟ ଯେ ସୁନା ।
ପାଦରେ ରତ୍ନ କଠାଉ କାନ୍ଧେ ବଡ଼ ଛତା
ସିନ୍ଧୁଆ ପାଗ ଶିରରେ ହସ୍ତରେ ଖଣତା ।
ଅନେକ ଗୋପାଳ କନ୍ଧେ ଘେନି ସଞ୍ଚାଭାର
ସନ୍ଧ୍ୟାବେଳେ ଗୋପନଗ୍ରୁ ହୋଇଲା ବାହାର ।
ଗୋଗୋଷ୍ଠେ ପ୍ରବେଶ ହେଲେ କେତେ ସମୟରେ
ନିତ୍ୟକର୍ମ ବେଭାରରେ ଲାଗି ଯେ ଯାହାରେ ।
ଏଣେ ରାମକୃଷ୍ଣ ଘେନି ଦେବୀ ଯଶୋବନ୍ତୀ
ଅନେକ ପରିବାରୀ ତା ସଙ୍ଗରେ ଅଛନ୍ତି ।
ରାତ୍ର ପାଞ୍ଚଘଡ଼ିରେ ସେ ଶୋଇ ପଲ୍ୟଙ୍କରେ
କାହ୍ନୁ ସଂକର୍ଷଣ ଶୋଇଅଛନ୍ତି ପାଖରେ ।
ମାଣିକ୍ୟର ଦୀପାବଳି ଜଳଇ ଚୌକତି
ଘେନି ଶୋଇଛନ୍ତି ପାଶେ ଅନେକ ଯୁବତୀ ।
ନାନବିଧ ରତନରେ ଶୋଭାପାଏ ପୁର
ଅମର ବାରସ୍ୱତୀ ଯେ ନୋହେ ପଟାନ୍ତର ।
ଗଜଦନ୍ତ ପଲ୍ୟଙ୍କରେ ଦିବ୍ୟ ପାଟଶେଯ
କୋଟିଏ ଚନ୍ଦ୍ରମା ପ୍ରାୟ ବିରାଜଇ ତେଜ ।
ବେନି ହସ୍ତ ବେନି ପୁତ୍ର ସୀମସ୍ଥାନେ ଦେଇ
ମଧ୍ୟରେ ଯଶୋଦା ଦେବୀଛନ୍ତି ନିଦ୍ରାଯାଇ ।
ନିରେଖି ଚାହିଁଲେ ଏହିରୂପେ ଦିଶେ ଶୋଭା
ହରିହର ଘେନି ବିଜେ ଆଦିମାତା କିବା ।
ସନାତନ ଲୋକ ଦେଖି କରନ୍ତି ବିଚାର
ବୋଲନ୍ତି ଧନ୍ୟ ଜୀବନ ଅଟଇ ଏହାର ।
ସୁରସଦ୍ଧି ମୁନି ଯାକୁ କରୁଥାନ୍ତି ଚିନ୍ତା
ସେ ୟାକୋଳେ ଶୋଇଛନ୍ତି ହୋଇ ଦେହବନ୍ତା ।
ନିସ୍ତରିଲୁ ଯଶୋଦା ଗୋ କେତେ କଲୁ ପୁଣ୍ୟ
ଦେବାଧି ଦେବ ହୋଇଲେ ତୋହର ନନ୍ଦନ ।
କାହିଁ ଅବା ବସି ତୁହି କରିଲୁ କି ତପ
ପୁତ୍ରରୂପେ ପାଳୁଅଛୁ ପ୍ରଭୁ ପରଂତପ ।
ରାମଙ୍କର ଭାରା ମହୀ ନ ପାରଇ ସହି
ଅବହେଳେ କୋଳେ ତାଙ୍କୁ ଘେନିଅଛୁ ତୁହି ।
ପୁଣି ପୁଣି ପରଶଂସା କରନ୍ତି ଯେଝାରେ
ନ ଜାଣେ ଯଶୋଦା ଦେବୀ ଶୋଇଛି ନିଦରେ ।
କ୍ରମେ ଅତୀତ ହୋଇଲା ଚୌଦଘଡ଼ି ରାତ୍ର
କେବଳ ଛାୟା ନିଦ୍ରା ଯେ ମାଡ଼ିଅଛି ନେତ୍ର ।
ଏହି ସମୟରେ ଦୁର୍ଗା ହିଙ୍ଗୁଳା ରୂପରେ
ବିଜୟ କରିଲେ ନନ୍ଦରାଣୀ ସମୀପରେ ।
ହସ୍ତେ ଶଙ୍ଖଚକ୍ର ଖଡ଼୍ଗ ଡମ୍ୱରୁ ତ୍ରିଶୂଳ
କାତି ଖର୍ପର ଖଣ୍ଡା ଯେ ବର୍ଚ୍ଛା ଶିରମାଳ ।
ଆଢ଼ଣ ନାଗପାଶ ଯେ ପରଶୁ କୁଠାର
ଅପ୍ରମିତ ଆୟୁଧରେ ଭୁଜ ଶୋଭାକର ।
ଗଦା ମୃଦୁଗର ବାମକରେ ଯମଦାଢ଼
କାଳଦଣ୍ଡ ବଜ୍ରାଙ୍କୁଶ ପ୍ରୋକ୍ଷଣୀ ଯେ ପୀଢ଼ ।
ଯେମନ୍ତେ ଅନେକ ଭୁଜେ ଅନେକ ନାରାଜ
ପ୍ରଚଣ୍ଡ ଦାବାନଳର ପରାୟେକ ତେଜ ।
ସିଂହ ବାହନରେ ବିଜେ ଦେବୀ ମହାମାୟା
ରସାଣିଲା ସ୍ୱର୍ଣ୍ଣ ପ୍ରାୟ ଦିଶେ ତାଙ୍କ କାୟା ।
ସଙ୍ଗତେ ଚଣ୍ଡୀ ଚାମୁଣ୍ଡା ଅନେକ ଅଛନ୍ତି
ସିଂହ ଶାର୍ଦ୍ଦୂଳ ବାହନେ ସର୍ବେ ବସିଛନ୍ତି ।
ଗଳାରେ ମୁଣ୍ଡମାଳା ଯେ ସବୁଙ୍କରି ଶୋହେ
କୃଷ୍ଣବର୍ଣ୍ଣ ଦେଖାଯାଏ କାହାର ଯେ କାୟେ ।
ଯଶୋଦା ନିଦେ ଶୋଇଛି ଜାଣି ମହାମାୟୀ
ସୀମସ୍ଥାନ ପରେ ତାର ବିଜେକଲେ ଯାଇ ।
ଦର୍ହସିତେ ବୋଲୁଛନ୍ତି ଦୁର୍ଗତି ତାରିଣୀ
ସାବଧାନେ ଶୁଣ ତୁଗୋ ନନ୍ଦର ଘରଣୀ ।
ଅନାଦି ଶକ୍ତି ଆମ୍ଭେ ତ ଅଟୁ ଜଗନ୍ମାତ
ତୋହର ଗର୍ଭରୁ ଆମ୍ଭେ ହୋଇବୁ ସମ୍ଭୂତ ।
ତୁମ୍ଭର ଉଦରେ ମୋତେ ଦିଅସି ଗୋ ଠାବ
ଏ ତୁମ୍ଭର କୀରତି ଗୋ ଯୁଗେ ଯୁଗେ ଥିବ ।
ଯଶୋଦା ବୋଇଲେ ତୁହି ଅଯୋନି ସମ୍ଭୂତ
ଜଗତମାତା କିପରି ହେବୁ ଯୋନି ଜାତ ।
ସ୍ଥାବର ଜଙ୍ଗମକୀଟ ପତଙ୍ଗାଦି କରି
ଏ ତୁମ୍ଭ କଳପନାରୁ ଛନ୍ତି ଅବତାରି ।
ଈଶ୍ୱରଦେବ ଅଟନ୍ତି ସ୍ୱାମୀ ଯାହାଙ୍କର
ମନେକଲେ ପୃଥ୍ୱବୀ ଯେ କରନ୍ତି ସଂହାର ।
ତୁ କେମନ୍ତ ଅସମ୍ଭବ କଥା କହୁ ହସି
ତାହା ଶୁଣି ଦୁର୍ଗାଦେବୀ ବୋଇଲେକ ଆସି ।
ଏକ ଦିନକର କଥା ଶୁଣ ମନ ଦେଇ
ତେବେ ସିନା ତୁମ୍ଭରଗୋ ହୃଦେ ପ୍ରତେ ଯାଇ ।
ଦିନେ ମରୀଚି ମହର୍ଷିଛନ୍ତି ଯୋଗଧ୍ୟାନେ
ପରମହଂସ ଦୀକ୍ଷା ସେ ଲୟ କରି ମନେ ।
ରୁଦ୍ରାକ୍ଷର ମାଳାଗୋଟି ଶୋଭାପାଏ କରେ
ଚୌବିଂଶ ଅକ୍ଷରେ ମନ୍ତ୍ର ଜପନ୍ତି ହୃଦରେ ।
ଏକଲୟ କରିଣ ସେ ସମାଧିରେ ବସି
ବେଦମାତା ଗାୟତିରୀ ବିଜେକଲେ ହସି ।
ମୁନି ନ ଜାଣନ୍ତି ଏଥେଁ ଗାୟତ୍ରୀ ଅଇଲା
ଏହିରୂପେ ପଞ୍ଚାଣୋଇ ବର୍ଷ ବହିଗଲା ।
ଦିନେ ଆମ୍ଭେ ଯାଇଥିଲୁ ଭ୍ରମଣ କାରଣେ
ଅକସ୍ମାତେ ମିଳିଗଲୁ ଯାଇଣ ସେ ସ୍ଥାନେ ।
ଦେଖିଲୁ ଆମ୍ଭେ ଗାୟତ୍ରୀ ବସିଛି ସଂପୁଟେ
ଉଭା ହୋଇଲୁ ଯାଇଣ ତାହାର ନିକଟେ ।
ମରୀଚି ମହର୍ଷିଛନ୍ତି ମୌନବ୍ରତ ହୋଇ
ସମାଧିରେ ବସିଛନ୍ତି ମୂଳମନ୍ତ୍ର ଧ୍ୟାୟି ।
ଗାୟତ୍ରୀକି ବୋଇଲୁ ତୁ ବସିଛୁ କିମର୍ଥେ
ସେ କହିଲା ବସେ ଏଥେଁ ଋଷିଙ୍କର ଅର୍ଥେ ।
ପଞ୍ଚାଣୋଇ ବର୍ଷ ଆସି ହୋଇଲା ଅତୀତ
ତଥାପି ଋଷିଙ୍କ ସଙ୍ଗେ ନୁହଇ ସାକ୍ଷାତ ।
ଉପହାସେ ବୋଇଲୁ ଯେ ଆମ୍ଭେ ତାଙ୍କୁ ହସି
କାଳେ କାଳେ ନିର୍ଲଜ୍ଜ ତ ଅଟନ୍ତି ମହର୍ଷି ।
ଅନେକ କାଳ ହେଲା ତ ହୋଇଛି ସମାଧି
ପରମ ଆତ୍ମାରେ ଲୟ ତାରମାନ ବୁଦ୍ଧି ।
ତାହାର ଭେଟ ତୁମ୍ଭେ ଗୋ ପାଇବ ବା କାହିଁ
ତୁମ୍ଭେ ଆସିଛ ବୋଲିଣ ଋଷି ଜାଣେ ନାହିଁ ।
ମାଗଣା କଥାକୁ ତୁମ୍ଭେ ନୁହ ହୀନିମାନୀ
ତୁମ୍ଭସଙ୍ଗେ କଥା କେହ୍ନେ ହେବେ ମହାଜ୍ଞାନୀ ।
ଆମ୍ଭେ ଦୁହେଁ କଥାବାର୍ତ୍ତା ହୁଅନ୍ତେ ଏମନ୍ତେ
ସମାଧି ଭାଙ୍ଗିଲା ମୁନି ଚାହିଁଲେକ ନେତ୍ରେ ।
ବୋଇଲେ ତୁମ୍ଭେ ତ୍ରୈଲୋକ୍ୟ ଠାକୁରାଣୀ ହୋଇ
ଅନୁଚିତ କଥାମାନ କହିଲ କିପାଇଁ ।
ଜାଣି ଶୁଣି ଯେଣୁ ତୁମ୍ଭେ ଦୋଷ ଅରଜିଲ
ତେଣୁ ଅଭିଶାପ ଯୋଗ୍ୟା ନିଶ୍ଚୟ ହୋଇଲ ।
ଏତେ ବୋଲି ମହାମୁନି ଆରକ୍ତ ନୟନ
କ୍ରୋଧଭରେ ମୋତେ ଚାହିଁ ବୋଇଲେ ଏସନ ।
ମାନବ ଯୋନିରେ ଜନ୍ମ ପାଅ ଶତେ ବାର
ମିଥ୍ୟା ନୋହିବଟି କେଭେ ଆମ୍ଭର ଏ ଗିର ।
ଯେଣୁ ତୁମ୍ଭର ଗର୍ଭରୁ ହେବୁ ଆମ୍ଭେ ଜାତ
ହସିଣ ଏହା ବୋଇଲେ ଜଗତର ମାତ ।
ହୁତାଶନ ମଧ୍ୟୁ ଆମ୍ଭେ ହୋଇଲୁଁ ବାହାର
ଦୁର୍ଗାରୂପେ ମହିଷାକୁ କରିଲୁ ସଂହାର ।
ଶୁମ୍ଭ ନିଶୁମ୍ଭ ଯେ ଚଣ୍ଡ ମୁଣ୍ଡ ଦୈତ୍ୟ ତୁଲେ
ଅନେକ ଦୁଷ୍ଟ ଦନୁଜ ଥିଲେ ରବିତଳେ ।
ରକ୍ତବୀର୍ଯ୍ୟ କାନ୍ତିମାଳା ଯମଘଣ୍ଟ ବୀର
ସମୂଳରେ ଏମାନଙ୍କୁ କରିଲୁ ସଂହାର ।
ଆବର ଜାତ ହୋଇଲୁ ହିମାଳୟ ଘରେ
ପାର୍ବତୀ ରୂପେ ରହିଲୁ କୈଳାସ କନ୍ଦରେ ।
ଏବେ ଅବତାର ଆମ୍ଭେ ହେବୁ ତୁମ୍ଭତହିଁ
ନନ୍ଦଗୃହେ ଜନମିବୁ ମୁନି ଥିଲେ କହି ।
ଏଥକୁ ଆନ ମନେ ଗୋ ନ ଧର ଯଶୋଦା
ନିଶ୍ଚୟ ଖଣ୍ଡିବୁ ତୋ ଯାବତ ରୋଗ ବାଧା ।
ଯଶୋଦା ବୋଇଲାମାଗୋ ଯେ ତୋର ମନୀଷା
ତାହା ନାହିଁ କରିବାକୁ ମୋର କି ଭରସା ।
କହୁଁ କହୁଁ ଦେବୀ ତହୁଁ ହେଲେ ଅନ୍ତର୍ଦ୍ଧାନ
ଭାଙ୍ଗନ୍ତେ ନିଦ୍ରା ଯଶୋଦା ପାଇ ଦିବ୍ୟଜ୍ଞାନ ।
ଅନ୍ତର୍ଗତେ ଚିତୋଇଲେ ସକଳ ବୃତ୍ତାନ୍ତ
କା ଆଗେ ନ କହି ତାହା ରଖିଲେ ଗୁପତ ।
ଏଥୁ ଅନନ୍ତରେ ଯହୁଁ ପାହିଲା ରଜନୀ
ଗଗନରେ ଉଦେ ହେଲେ ଦେବ ଦିନମଣି ।
ସନ୍ଧ୍ୟାବେଳରୁ ଯେ ନନ୍ଦ ଗୋଷ୍ଠେ ଯାଇଥିଲା
ପ୍ରଭାତେ ଗୋରସ ଘେନି ଗୃହରେ ମିଳିଲା ।
ଏକାନ୍ତରେ ଯଶୋଦା ଯେ ନନ୍ଦ ପାଶେ ଯାଇ
ସ୍ୱପନ କଥା ସମସ୍ତ କହିଲା ମଣାଇ ।
ଶୁଣି ନନ୍ଦ ମହାଖୁଡ଼ା ହେଲା ଅତି ତୋଷ
ବୋଲେ ବିଧାତା ପୁରୁଷ ଭିଆଇଛି ଯିସ ।
ଏକା ରାମ କୃଷ୍ଣ ମୋର ସର୍ବଶୁଭେ ଥାନ୍ତେ
ଚଉବର୍ଗ ମୁକ୍ତି ମୋତେ ମିଳିବ ଜୀବନ୍ତେ ।
ଏଥୁଅନ୍ତେ କେତେ ଦିନ ହୁଅନ୍ତେ ଅତୀତ
ଯଶୋଦା ଦେବୀର ଶୁଦ୍ଧ ସ୍ନାନ ବେଳାପ୍ରାପ୍ତ ।
ମହାମାୟା ଜ୍ୟୋତିରୂପେ ରହିଲେ ଗର୍ଭର
ଦଶମାସ ଚାହୁଁ ଚାହୁଁ ଅତୀତ କ୍ରମର ।
କୁମ୍ଭ ଶୁକଳ ଦଶମୀ ତିଥି ଗୁରୁବାର
ପୁଷ୍ୟା ନାମରେ ନକ୍ଷତ୍ର ଅଟେ ସେ ଦିନର ।
କଉସ୍ତୁଭ ନାମେ ଯୋଗ ଶୁଭ ଯେ କରଣ
ରାତ୍ର ବାର ଦଣ୍ଡେ ମୀନ ଲଗନରେ ପୁଣ ।
ଯଶୋଦା ଦେବୀ ଗର୍ଭରୁ ସୁଭଦ୍ରା ସଂଜାତ
ଜନମ କରି ଯଶୋଦା ହେଲେ ମୂର୍ଚ୍ଛାଗତ ।
କିଛିକ୍ଷଣେ ଚେତା ପାଇ ଉଠିଲେ ସୁନ୍ଦରୀ
ଅନ୍ତୁଡ଼ିକି ସଜାଡ଼ିଲୋ ଧାଈ ପରିବାରୀ ।
ଦୁହିତାର ଜନ୍ମ ଶୁଣି ନନ୍ଦ ନୃପରାଣ
ପରମ ସାନନ୍ଦେ ଦିନ କରିଲେ ଯାପନ ।
ଲକ୍ଷେକ ଯେ ଗୋଦୋହନ ଶିବ ଆଳେକଲେ
ନୃସିଂହ କବଚ ଚଣ୍ଡୀ ଆଦି ଗୁଣାଇଲେ ।
ମେଷ ମଇଁଷି ଦେବୀଙ୍କ ଆଗେ ଦେଲେ ବଳି
ଶ୍ରଦ୍ଧାରେ ଦେଖି ଧାଇଁଲେ ସକଳ ଗୁଆଳୀ ।
ପଞ୍ଚୁଆତି ମାସିକିଆ ଆଦି ଯେତେ ବିଧି
କରିଲେ ନନ୍ଦ ଡକାଇ ପଣ୍ଡିତ ସୁବୁଦ୍ଧି ।
ସୁଭଦ୍ରା ବୋଲିଣ ନାମ ଦେଲେ ହରଷରେ
ଦିନୁ ଦିନ ବଢ଼ଇ ସେ ଚନ୍ଦ୍ରମା ପ୍ରକାରେ ।
ଅନେକା ଶ୍ରଦ୍ଧା କରିଲେ ହଳୀ ଚକ୍ରଧର
ଭଉଣୀ ପାଇ ଚିତ୍ତରେ ହରଷ ଅପାର ।
ବେନି ପୁତ୍ର ଏକକନ୍ୟା ଦେଖିକରି ନନ୍ଦ
ମନେ ମନେ ଅତିଶୟ ହୁଅଇ ଆନନ୍ଦ ।
ଶୁକମୁନି ବୋଇଲେକ ଶୁଣ ନୃପମଣି
ଇତି ଶ୍ରୀ ଏଥେଁ ସୁଭଦ୍ରା ଜନମର ବାଣୀ ।
ଅପୂର୍ବ ଚରିତ ଏହୁ ପାପ ନାଶକାରୀ
ମୂଢ଼ ଅଚ୍ୟୁତ ଲେଖଇ ଶ୍ରୀହରି ସୁମରି ।
ଶ୍ରୀକୃଷ୍ଣଙ୍କ ରାସୋତ୍ସବ
[ସମ୍ପାଦନା]ଏଥୁ ଅନ୍ତରେ ପରୀକ୍ଷ ନୃପତି ପୁଚ୍ଛଇ
ହରିବଂଶ କୁହ ମୋତେ ହେ ମୁନି ଗୋସାଇଁ ।
ତୁମ୍ଭର ବଦନୁ ଶୁଣି ହୋଇବି ପବିତ୍ର
ପୁଣି ଶୁଣାଇବା ଲୋକେ ହେବେ ମୋକ୍ଷପ୍ରାପ୍ତ ।
ବଦୟନ୍ତି ମହାମୁନି ଶୁଣ ଦଣ୍ଡଧର
ଶ୍ରୀହରି ଲୀଳା ଅଟଇ ଅତି ଅଗୋଚର ।
ଏଥୁ ଅନନ୍ତରେ ତହୁଁ କେତେ ଦିନ ଗଲା
ଶରତ ଋତୁ ଆସିଣ ପ୍ରବେଶ ହୋଇଲା ।
ଆଶ୍ୱିନ ଶୁକ୍ଳ ପୌର୍ଣ୍ଣମୀ ଅଟେ ଗୁରୁବାର
ଅଶ୍ୱିନୀ ନାମେ ନକ୍ଷତ୍ର ଅଟେ ସେ ଦିନର ।
ଧାତୁ ମାତୁ ଘେନି ନବ ପଲ୍ଲବିତ ବନ
ଗାବନ୍ତି ଶୁକ ପିକାଦି ବସି ଘନ ଘନ ।
ଜାଈ ଯୂଈ ମଲ୍ଲୀ କୁନ୍ଦ ମାଳତୀ ସେବତୀ
ପ୍ରସ୍ଫୁଟିତ ହୋଇବାରୁ ବାସେ ଚଉକତି ।
ଆଦିତ୍ୟ ଅସ୍ତେ ପଡ଼ିଲା ପୂର୍ଣ୍ଣିମାର ଜହ୍ନ
ଚନ୍ଦ୍ରମାର ତେଜ ଦିଶେ ଅତି ତେଜୀୟାନ ।
ଚଉଦିଗେ ପରିମଳ ଜାଜ୍ଜ୍ୱଲ୍ୟ ଯେ ଜ୍ୟୋତି
ଦିବସର ପରାୟେକ ବିରାଜଇ ରାତି ।
ଦକ୍ଷିଣ ମଳୟବାୟୁ ବହେ ଘନ ଘନ
ଅବହେଳେ ମୋହୁଅଛି ଲୋକଙ୍କର ମନ ।
ରାତ୍ର ବେନି ଘଡ଼ି ଅନ୍ତେ ସ୍ୱାମୀ ଦେବରାୟେ
ମୋହନ ରୂପ ଧରିଣ କୁଞ୍ଜରେ ବିଜୟେ ।
ଯମୁନା ଉତ୍ତର କୂଳେ ଗୋଧିକାର ଘାଟ
ଗୋବର୍ଦ୍ଧନ ପରବତ ତହିଁକି ନିକଟ ।
ତା ପାଶରେ ଶୋଭାବନ ଯେ କଦମ୍ୱ ତରୁ
ବିସ୍ତାର ଅତି ଉଚ୍ଚ ତା କହି ତା କେ ପାରୁ ।
ସେ ବୃକ୍ଷ ମୂଳରେ ଯାଇ ମିଳି ଦେବହରି
ଗହନ ଗାନ୍ଧାର ରାଗେ ବଂଶୀ ଧ୍ୱନି କରି ।
ମଧୁର ଶୁଭଇ ସେହୁ ପଞ୍ଚସ୍ୱର ନାଦ
ବ୍ରହ୍ମଲୋକ ପରିଯନ୍ତେ ଶୁଭଇ ଶବଦ ।
କୋଟି ନାରଦ ବୋଇଲେ କିବା ବ୍ରହ୍ମବୀଣା
ଅମର ଦୁନ୍ଦୁଭିଠାରୁ ସସ୍ରେ ଗୁଣେ ଜିଣା ।
ସୁଧାକର ଶବଦ କି ଶୁଭଇ ସୁସଞ୍ଚ
ସ୍ଥାବର ଜଙ୍ଗମ କୀଟ ପତଙ୍ଗାଦି କରି
ସମସ୍ତେ ମୋହ ହୋଇଲେ ଶବ୍ଦଯାନ୍ତେ ପୂରି ।
ପାଷାଣ ତରଳି ବହିଯାଏ ପାଣି ପ୍ରାୟେ
ଧାତୁମାତୁ ବର୍ଦ୍ଧମାନ ହେଲା ସର୍ବକାୟେ ।
ସମସ୍ତଙ୍କୁ ଲାଗିଲା ଯେ ବିରହର ବାଧା
ଗୃହରେ ଥାଇ ଶୁଣିଲା ସେ ଧ୍ୱନିକୁ ରାଧା ।
ରୋମ ଟାଙ୍କୁରାଇ କହେ ଗଦଗଦ ବାଣୀ
ବାତୁଳ ପ୍ରାୟ ହୁଅଇ କ୍ଷଣେ ପୁଣି ପୁଣି ।
ଓଷ୍ଠଜିହ୍ୱା ତାଳୁକା ଯେ ଶୁଖେ କଣ୍ଠତଟ
କର୍ଣ୍ଣକୁ ନ ଶୁଭେ ଚକ୍ଷୁ କରେ ରଟମଟ ।
କେଶବାସ ଅସମ୍ଭାଳ ଅଙ୍ଗୁଗଳେ ସ୍ୱେଦ
ପ୍ରଖର ନିଃଶ୍ୱାସ ବହେ ହୋଇ ମନ୍ଦ ମନ୍ଦ ।
ବିରହରେ ଅସମ୍ଭାଳ ହେଲା ଗୋପବାଳୀ
କ୍ଷଣକେ ମୂର୍ଚ୍ଛାଗତ ଯେ ମୁଖ ଦିଶେ କାଳି ।
ଗନ୍ଧ ଚନ୍ଦନ ପନୀର କର୍ପୂର କସ୍ତୁରୀ
ଦେବୀଙ୍କ ଝୀନ ବସନ କଙ୍କଣାଦି କରି ।
ସବୁ ତେଜ୍ୟା କରି ବାଳା ହୋଇଲା ବିହ୍ୱଳ
ଯିସତିସ ଭାଷଇ ସେ ହୋଇ ମତି ଭୋଳ ।
ଜାତି କୁଳ ମର୍ଯ୍ୟାଦାକୁ ସବୁ କଲା ତେଜ୍ୟା
କାହାରିକୁ ମନେ ତାର ତିଳେ ନାହିଁ ଲଜ୍ଜା ।
ବିରହରେ ବିହ୍ୱଳିତା ହୋଇ ଚନ୍ଦ୍ରାବଳୀ
ରାତ୍ର ତିନି ଘଡ଼ିରେ ସେ ଦୂତୀ ପାଶେ ମିଳି ।
ଖଣ୍ଡେ ଦୂରରୁ ଡାକଇ ରଖ ଗୋ ମିତଣୀ
ଦେହ ଅସ୍ଥିର ମୋହର କର୍ଣ୍ଣ ବେଣୁ ଶୁଣି ।
ଏକେତ ମୋହନ ବଂଶୀ ଗାନ୍ଧାରରେ ଗୀତ
ବିହ୍ୱଳ ନ ହେବ ଶୁଣି କାହାର ବା ଚିତ୍ତ ।
ରାଜୀବଲୋଚନ ତାର ଚଞ୍ଚଳ ଚାହାଁଣୀ
ନୀଳ କୁନ୍ତଳ ମସ୍ତକେ ଶୋଭାପାଏ ବେଣୀ ।
ଲମ୍ୱିତ ବାହୁ ଯୁଗଳ ନାସା ମନୋହର
ସର୍ବଗୁଣେ ସୁନ୍ଦର ଗୋ ଯଶୋଦା କୁମର ।
କହନ୍ତେଣ ନ ସରଇ ତାର ଯେଉଁ କଥା
ରୂପ ବାହୁନିଲେ ଲାଗେ ମନକୁ ଗୋ ବ୍ୟଥା ।
ସର୍ବାଙ୍ଗ ସୁନ୍ଦର ନୀଳବରନ ଗୋ ଅଙ୍ଗ
ପିନ୍ଧିଅଛି କଟିଭାଗେ ଝୀନବାସ ରଙ୍ଗ ।
ଏକ ଏକ କରି କେତେ ବର୍ଣ୍ଣିବଇଁ ଗୁଣ
ଅତିଯତ୍ନେ ଧାତା ତାକୁ କରିଛି ଗଠନ ।
ଭୋ ସଖି ଦୂତିକା ତୁ ଗୋ ଏହିକ୍ଷଣି ଯିବୁ
ଏ ମୋହର ଅବସ୍ଥା ଗୋ କୃଷ୍ଣଙ୍କୁ କହିବୁ ।
ତୋହର ସଙ୍ଗରେ ନିଶ୍ଚେଁ ଆସିବେ ଏକ୍ଷଣି
ନୋହିଲେ ସ୍ତ୍ରୀ ହତ୍ୟା ଦୋଷ ହୋଇବ କାରେଣୀ ।
ତୋରଠାରୁ ଅତିପ୍ରିୟ ମୋର କେହି ନାହିଁ
ତେଣୁ ହୃଦୟ କଥା ଗୋ କହିଲି ଫିଟାଇ ।
ଭେଟିବା ଯାଏ ଗୋ ମୋତେ ଲାଗିଛି ଉଚ୍ଚାଟ
ନିରନ୍ତରେ ଚାହୁଁଥିବି ତୋ ଆସିବା ବାଟ ।
ତୁ ମୋହର ହିତୈଷିଣୀ ଆତ୍ମାର କାରେଣୀ
ବିଳମ୍ୱ ନ କରି ସଖି ଚଳ ଏହିକ୍ଷଣି ।
ତୁହି ତ କୁମନ୍ତ୍ର ସଖି ଜାଣୁ ସର୍ବବିଧି
ନାନ ଉପାୟ କରିଣ ଆଣ ଗୁଣନିଧି ।
ଏତେ ବୋଲିଣ ରାଧିକା ଦୂତୀ ହସ୍ତ ଧରି
ଦନ୍ତେ ତିରଣ ଘେନିଣ ବିନୟ ସେ କରି ।
ନାନା ଉପାୟ କରିଣ କୃଷ୍ଣେ ଘେନି ଆସ
ନୋହିଲେ ଜାଣିଥାଅ ଗୋ ଗଲି ଆଜୁ ନାଶ ।
ଏତେ କହିଣ ରାଧିକା ଆତଙ୍କ ହୋଇଲା
ଆପଣାର ରତ୍ନମାଳ ଦୂତୀ କଣ୍ଠେ ଦେଲା ।
ବିଦ ମୁଦ୍ରିକା କଙ୍କଣ ଆଦି ରତ୍ନଚୂଡ଼ୀ
ତଡ଼କୀ ବେଣ୍ଟୁଲା ଯେତେ ସବୁ ଦେଲା କାଢ଼ି ।
ପାଦର ନୂପୁର ଆଉ ଶିରୁ ମଥାମଣି
କଟିସୂତା ସହିତରେ ଓହ୍ଲାଇ ତକ୍ଷଣି ।
ଦୂତୀଅଙ୍ଗେ ପିନ୍ଧାଇଲା ଅତି ଯତ୍ନେ କରି
ରାଧିକା ପରାୟେ ଦୂତୀ ଦିଶଇ ସୁନ୍ଦରୀ ।
ଆଳୀ ଅଳଙ୍କାର ମାନ ପିନ୍ଧି ଯତନରେ
ଯିବାପାଇଁ ଅଙ୍ଗୀକାର କଲା ତଦନ୍ତରେ ।
ଶୁଣ ପରୀକ୍ଷ ନୃପତି କହେ ଶୁକମୁନି
ବିଚିତ୍ର ରାହାସ କ୍ରୀଡ଼ା ଭାଗବତ ବାଣୀ ।
ରାଧିକାର ଅଳଙ୍କାର ଘେନି କରି ଦୂତୀ
ଅପୂର୍ବ ବେଶରେ ଚଳିଯାଏ କୃଷ୍ଣ କତି ।
କୁଞ୍ଜବନର ଭିତରେ ହୋଇଲା ପ୍ରବେଶ
ବୃକ୍ଷଙ୍କ ଛାଇରେ ପଥ ହୋଇଛି ଅଦୃଶ୍ୟ ।
ପ୍ରହରେକ ଆସି ପୁଣି ହୋଇଅଛି ରାତି
କୃଷ୍ଣଙ୍କୁ କାନନ ମଧ୍ୟେ ଲୋଡ଼ଇ ସେ ଦୂତୀ ।
ଆଡ଼ ଉହାଡ଼ ଗୋପ୍ୟାନ ଯେତେ ଭୂମିଖଣ୍ଡି
ସକଳ ଆଡ଼େ ଦୂତିକା ଖୋଜଇ ଦରାଣ୍ଡି ।
ବେଣୁ ଶବ୍ଦ ଅନୁସରି ଥୋକେ ଦୂର ଗଲା
କଦମ୍ୱ ତଳରେ ଯାଇ ପ୍ରବେଶ ହୋଇଲା ।
ରାଧିକା ଆସିବ ବୋଲି କୃଷ୍ଣଛନ୍ତି ଚାହିଁ
ଏ ସମୟେ ଦୂତୀ ମିଳେ ନିକଟରେ ଯାଇ ।
ଖଣ୍ଡେ ଦୂରରୁ ଶୁଭଇ ରୁଣୁ ଝୁଣୁ ଶବ୍ଦ
ରାଧିକା ଅଇଲା ବୋଲି ବୁଝିଲେ ଗୋବିନ୍ଦ ।
ମଦନ ପଞ୍ଚଶରରେ ଅଛି ତନୁ ଘାରି
ତେଣୁକରି କିଛି ସ୍ୱାମୀ ନ ପାରିଲେ ବାରି ।
ରାଧିକା ଆସିବ ବୋଲି ମଣିଥିଲେ ଯେଣୁ
ଥୋକାଏ ଦୂର ପାଛୋଟି ଅଇଲେକ ତେଣୁ ।
ମଦନ ଅନ୍ଧାରେ ଚକ୍ଷୁ ହୋଇଛି ଭ୍ରମଣ
ଦୂତୀକି ରାଧିକା ପ୍ରାୟ ମଣି ନାରାୟଣ ।
ଏକେ ଦୂତୀ ରାଧିକାର ବସନ ପିନ୍ଧିଛି
ବିଦ ମୁଦି କଙ୍କଣାଦି ଅଙ୍ଗରେ ଘେନିଛି ।
ଯୁକତେ ରଜନୀକାଳ ବୃକ୍ଷଙ୍କ ଗହଳ
ଆକାଶ ଦେଖା ନ ଯାଏ ପୁତ୍ରଙ୍କ ବହଳ ।
ବିରହ ହେତୁରୁ ହରି ନ ପାରିଲେ ଚିହ୍ନି
ରାଧିକା ବୋଲି ଦୂତୀକା ନିଜ ଅଙ୍କେ ଘେନି ।
ଅନେକ ରଙ୍ଗେ ଶୃଙ୍ଗାର କଲେ ଦେବରାୟେ
ଶ୍ରୀକୃଷ୍ଣଙ୍କୁ ସମର୍ପିଲା ଦୂତୀ ନିଜ କାୟେ ।
ଚତୁରୀ ସିହାଣୀ ଦୂତୀ ଜାଣେ ନାନା ଛନ୍ଦ
ମଦନ ଶାସ୍ତ୍ରର ବିଧି ଚଉଷଠି ବନ୍ଧ ।
ନାନାମତେ ଭେଦମୁଦ୍ରା ଜାରଣ ମାରଣ
ନଖ ଦନ୍ତ ଛେଦନ ଯେ ନିବିଡ଼ ବନ୍ଧନ ।
ଆପଣେ ଶ୍ରୀକୃଷ୍ଣ ଏହା ଜାଣନ୍ତି ସମସ୍ତ
ଦୂତୀ କାହିଁ ଜାଣଇ ଯେ ବୟସେ ପଣ୍ଡିତ ।
ନାନା ପରିବନ୍ଧେ କୃଷ୍ଣ ରତିରଙ୍ଗ କଲେ
ଶୁଣ ହୋ ପରୀକ୍ଷ ରାଜା ଶୁକମୁନି ବୋଲେ ।
ରତିବନ୍ଧେ ପରିତୋଷ ହୁଅନ୍ତେ ଶ୍ରୀପତି
ଢଳିଲାକ ବ୍ରହ୍ମବୀର୍ଯ୍ୟ ଗର୍ଭ ହେଲା ଦୂତୀ ।
କର୍ଣ୍ଣ ତଡ଼ତି ଝଟକେ ଦୂତୀ ମୁଖ ଦିଶି
ଚିହ୍ନିଣ ଲଜ୍ଜିତ ହେଲେ ଦେବ ହୃଷୀକେଶୀ ।
କ୍ରୀଡ଼ାକାଳେ ବିବସନ ଦୁହେଁ ହୋଇଥିଲେ
ଦୂତିକା ବସନ ହରି ଭ୍ରମରେ ପିନ୍ଧିଲେ ।
ଶ୍ରୀକୃଷ୍ଣଙ୍କ ବସନକୁ ପିନ୍ଧେ ସହଚରୀ
ଶୁକ ମୁନି ବୋଇଲେକ ଶୁଣ ଦଣ୍ଡଧାରି ।
କୃଷ୍ଣଙ୍କୁ ରୁହାଇ ତରତରେ ଚଳିଗଲା
ଚନ୍ଦ୍ରାବଳୀ ନିକଟରେ ପ୍ରବେଶ ହୋଇଲା ।
ରାଧା ବୋଲେ ସହି ତୋର ଏସନ ଭବିଷ୍ୟ
କାହାର ତୁ ପିନ୍ଧିଅଛୁ କହ ଏହି ବାସ ।
ଆବର ଫିଟି ପଡ଼ିଛି କାହିଁକି କବରୀ
ଦୁଇ ଲୋଚନକୁ ତୋର ବହିଯାଏ ବାରି ।
ଶରୀରରୁ ଶ୍ରମଝାଳ ବହେ ଘନ ଘନ
ପ୍ରଖର ନିଃଶ୍ୱାସ ପୁଣି ଛାଡ଼ୁ ଅନୁକ୍ଷଣ ।
ଗଣ୍ଡସ୍ଥଳେ ହୋଇଅଛି କିପାଁ ନଖ ଘାତ
ଏ ସବୁ ତୋହର ଏବେ ଦେଖେ ବିପରୀତ ।
ଏହିକ୍ଷଣି ଆସିବାକୁ ମୋତେ କହିଗଲୁ
କି କାରଣେ ସଖି ଆଗୋ ବିଳମ୍ୱ କରିଲୁ ।
ରାଧାଠାରୁ ଦୂତିକା ଯେ ଏରୂପରେ ଶୁଣି
ସିହାଣୀ ଭଳି କହଇ କୋମଳରେ ବାଣୀ ।
ସାବଧାନ ହୋଇ ଶୁଣ ଗୋ ଚନ୍ଦ୍ରମୁଖୀ
ତୋହର ନିମନ୍ତେ ସିନା ହେଲି ଏତେ ଦୁଃଖୀ ।
ଅଶେଷ କୋଟି ବ୍ରହ୍ମାଣ୍ଡେ ଠାକୁର ଯେ ହରି
ତାହାର ମହିମା କେହୁ ମୁଖେ କହପାରି ।
ତୁମ୍ଭର ଆରତ ଦେଖି ଧାତିକାରେ ଗଲି
କୁଞ୍ଜବନେ ବୁଲି ବୁଲି ସ୍ଥକିତ ହୋଇଲି ।
ନିର୍ଜ୍ଜନ କାନନ ସେତ ଏକେ ରାତ୍ରିକାଳ
ବିଶେଷେ ଲତା ବୃକ୍ଷରେ ହୋଇଛି ଗହଳ ।
ସବୁ ସ୍ଥାନରେ ଖୋଜିଲି ଦେବ ହୃଷିକେଶୀ
ଦେଖିଲି ମାଧବୀ ଲତା ତଳେ ଛନ୍ତି ବସି ।
ମୂରଲୀ ଅନୁସରି ମୁଁ କରିଲଇଁ ଠାବ
ଅନେକ ସ୍ତୁତି ବଚନେ ଦେଖାଇ ସଦ୍ଭାବ ।
କଉଣସିମତେ ତୋଷ ନୋହିଲା ତ ମନ
ତୁଣ୍ଡ ଘାଗଡ଼ ହୋଇଲା କହନ୍ତେ ବଚନ ।
ଓଷ୍ଠ କଣ୍ଠ ଘଣ୍ଟିକା ମୋ ଶୁଖିଲା ଅଧର
କଉଣସିମତେ ଦୟା ନ ବସେ ତାହାର ।
ରାଧିକା ବୋଇଲା ତୋର ନୟନ କଜ୍ଜ୍ୱଳ
କାହିଁପାଇଁ ଲାଗିଅଛି ଆସି ଗଣ୍ଡସ୍ଥଳ ।
ଦୂତିକା ବୋଲେ ସଖିରେ ତୋ ଆତଙ୍କ ଦେଖି
ଅନେକ ରୋଦନ କରି କହିଲି ରେ ସଖି ।
ମୁଖ ମୋ ନ ଚାହେଁ କେତେବେଳେ ନନ୍ଦବାଳ
ଲୋତକ ସଙ୍ଗେ ବହିଣ ପଡ଼ିଛି କଜ୍ଜ୍ୱଳ ।
ରାଧିକା ବୋଇଲା ତୁ ଗୋ ଶୁଣସି ଚତୁରୀ
ବିଚଳିତ ହେଲା କିପାଁ ତୋ ମଥା କବରୀ ।
କର୍ଣ୍ଣ ଅଷ୍ଟରତ୍ନ କିପାଁ ହୋଇଛି ବାଙ୍କ
ପ୍ରସନ୍ନ ବଦନ ଗୋଟି ହୋଇଛି ବିମୁଖ ।
ଏଥିର କାରଣ ମୋତେ କହ ତଥ୍ୟକରି
ବିପରୀତ କଥାମାନ ଦିଶେ ସହଚରି ।
ଦୂତିକା ବୋଲେ ତୋଲାଗି ଶିରେ କରଦେଇ
ପ୍ରଣମିଲେ ବହୁବାର ପାଦତଳେ ସହି ।
ବଡ଼ାଇ ନିଷ୍ଠୁର ସେହି ଅଟେ ଯଦୁସାଇଁ
ଲେଉଟି ନ ଚାହିଁ ବସିଲାକ ପିଠିଦେଇ ।
ତେଣୁକରି ସଖି ଆଗୋ ଫିଟିଛି ମୋ ଖୋସା
ତଡ଼କି କର୍ଣ୍ଣାଞ୍ଚଳ ଗୋ ଦିଶୁଅଛି ବଙ୍କା ।
ରାଧିକା ବୋଇଲା ହାର କଙ୍କଣ ଗୋ ଚୂଡ଼ୀ
ପିଠି ପାଟଝୁମ୍ପା କିପାଁ ଆଗେ ଅଛି ପଡ଼ି ।
ଦୂତିକା ବୋଲେ ବଡ଼ାଇ ନିଷ୍ଠୁର ମାଧୋଇ
ନାତେକ ମାରିଣ ମୋତେ ଦେଲା ଫୋପଡ଼ାଇ ।
ସମ୍ଭାଳି ନ ପାରି ମୁହିଁ ଆଉଜିଲି ଗଛେ
ପଞ୍ଜରା ସହିତେ ଘଷି ହେଲା ମୋ ପ୍ରତ୍ୟକ୍ଷେ ।
ସେ ହେତୁରୁ ପାଟଝୁମ୍ପା ଆଗକୁ ମୋ ପଡ଼ି
ରାଧିକାକୁ ଭଣ୍ଡାଇ ଯେ ଦୂତୀ କରଯୋଡ଼ି ।
ଚନ୍ଦ୍ରାବଳୀ ବୋଲେ ଆଉ କଥା ଏକ କହ
ଚିରିହୋଇ ଯାଇଅଛି କିପାଁ ତୋର ଦେହ ।
ଦୂତିକା ବୋଲେ ଅନେକ ବିନୟୀ ମୁଁ ହେଲି
କୌଣସି ରୂପରେ ଦୟା ତାର ନ ଦେଖିଲି ।
ଅନେକ ସ୍ତୁତି ବଚନ ପୁଣିହିଁ ବୋଇଲି
ଆଣ୍ଟକରି ପାଦ ଧରି ଚରଣେ ଲୋଟିଲି ।
ଛାଡ଼ ଛାଡ଼ ବୋଲିଣ ସେ ବୋଇଲାକ ବେଗେ
ନ ଛାଡ଼ନ୍ତେ ପାଦେ ପେଲିଦେଲା ଅତି ବେଗେ ।
ଖଣ୍ଡଦୂରେ ଯାଇ କଣ୍ଟାବାଡ଼େ ମୁଁ ପଡ଼ିଲି
ତୁମ୍ଭର ଯୋଗୁଁ ମୁଁ ସିନା ଏ କଷ୍ଟ ପାଇଲି ।
ତେଣୁକରି ଶରୀର ମୋ ଯାଇଅଛି ଚିରି
ସ୍ୱରୂପ କଥା କହିଲି ତୋତେରେ ସୁନ୍ଦରୀ ।
ରାଧିକା ବୋଇଲା ତୁହି ଯେତେବେଳେ ଗଲୁ
ମୋର ବସ୍ତ୍ର ଅଙ୍ଗେ ପିନ୍ଧି ବାହାର ହୋଇଲୁ ।
ସେ ଅମଳାନ ବସ୍ତ୍ର ଗୋ ପକାଇଲୁ କାହିଁ
ପୁରୁଷ ବସ୍ତ୍ର ଗୋଟି ତ ପିନ୍ଧିଅଛୁ ସହି ।
ଦୂତିକା ବୋଇଲା ତୁ ଗୋ ଶୁଣ ଚନ୍ଦ୍ରାବଳି
ସର୍ବଗୁଣେ ପରିପୂର୍ଣ୍ଣ ଅଟେ ବନମାଳୀ ।
ମୋହର ସଙ୍ଗେ ଆସିବ ବୋଲି କହୁଥିଲା
କି ବିଚାରି ପୁଣି ନାସ୍ତି ହାଦେ ସେହୁ କଲା ।
ଏକାନ୍ତେ କହିଲେ ମୋତେ ଡାକି ବନମାଳୀ
ବୋଇଲା ଲଜ୍ଜା ମୋତେ ତ ଦେଲା ଚନ୍ଦ୍ରାବଳୀ ।
ତାର ତହିଁକି ମୋହର ଯାଇ ମନ ନାହିଁ
ଏହି ସ୍ଥାନକୁ ତାହାକୁ ଆଣସି ଗୋ ଯାଇ ।
ମୁଁ ବୋଇଲି ତେବେ ମୋତେ ସଙ୍କେତ ଦିଅସି
ତେବେ ପ୍ରତ୍ୟୟ କରିବ ରାଧା ଶୁଭ୍ରକେଶୀ ।
ଶୁଣି ସନମତ କରି ଦର୍ହସିତ ହେଲେ
ଆପଣା ପାଲଟା ବସ୍ତ୍ର ଫେଇକରି ଦେଲେ ।
ସିହାଣୀ ଦୂତିକା ଜାଣେ ସକଳ କରମ
କଥାବାଗେ ରାଧିକାକୁ କରାଇଲା ଭ୍ରମ ।
ରାଧିକା ହିଁ ପ୍ରତେ ଗଲା କହିଲାର ଭାବେ
ବେନି ସଖୀ ସଙ୍ଗ ହୋଇ ଗଲେ ତହୁଁ ଜବେ ।
ସାତ ଘଡ଼ି ସମ୍ପୂର୍ଣ୍ଣ ଯେ ହୋଇଛି ରଜନୀ
ଗୋପୁଁ ବାହାର ରାଧିକା ଦୂତିକାକୁ ଘେନି ।
କୌତୁକେ ମିଳିଲେ ଯାଇ ଯମୁନାର କୂଳେ
ଅପୂର୍ବ ରମ୍ୟ ଭୂମି ସେ ଦିଶେ ନିଶାକାଳେ ।
କୁମାର ପୂର୍ଣ୍ଣିମା ଦିଶି ଦିବସ ପରାୟେ
ଅଭିସାରିକା ହୋଇଣ ଗମନ୍ତି ସେ ଦୁହେଁ ।
ଫଳ ପୁଷ୍ପେ ତରୁଗଣେ ଶୋଭାପାନ୍ତି ବନ
ଦେଖିଲେ ମୋହ ହୋଇବ ମୁନିଙ୍କର ମନ ।
ଦିକ୍ପାଳ ଦେବତାମାନେ ତରୁରୂପ ଧରି
ଗୋପନରେ ରହିଛନ୍ତି କୁଞ୍ଜବନେ ପୂରି ।
ଧାଡ଼ି ଧାଡ଼ି ରେଖ ରେଖ ହୋଇ ବିରାଜନ୍ତି
ଚନ୍ଦ୍ର କିରଣ ପରାୟେ ଦିଶେ ତାଙ୍କ ଜ୍ୟୋତି ।
ସେପରି କାନନ ନାହିଁ ଚଉଦ ଭୁବନ ।
ଯେଉଁ ଋତୁରେ ଯେ ଫଳ ଫଳେ ସର୍ବକାଳ
ପାରୁଶେ କାଳିନ୍ଦୀ ଜଳ ବହେ କଳ କଳ ।
ସାତତାଳ ଅକଳିତ ଗଭୀର ସେ ନଦୀ
କାଳିଞ୍ଜନ ଗିରିଠାରୁ ଯମୁନାକୁ ଭେଦି ।
କାଳୀୟ ନାମରେ ନାଗ ବାସୁକୀର ଭାଇ
ସେ ସରୋବରେ ଅନେକ କାଳୁ ଥିଲା ରହି ।
ତାହାକୁ ଘଉଡ଼ି ଯହୁଁ ଦେଲେ ଭଗବାନ
ସେ ଦିନୁ ଅତ୍ୟନ୍ତ ଶୋଭା ସେ କୁଞ୍ଜ କାନନ ।
ରାବନ୍ତି ଯେ ପିକକୁଳ କୁମ୍ଭାଟୁଆ ବାଣୀ
କୋଳାହଳ ଝିଙ୍କାରିଙ୍କ ମୃଦୁ ମୃଦୁ ଧ୍ୱନି ।
ବୃକ୍ଷଙ୍କ ମୂଳରେ ବନ୍ଧା ମାଣିକ୍ୟ ଚଉଁରା
ଦୂରରୁ ସେ ଦେଖାଯାନ୍ତି ଅତିଶୟ ତୋରା ।
ଝଟାକଣ୍ଟା ବିବର୍ଜିତ ନାହିଁ ଲତା ବୁଦା
ସ୍ଥାନେ ସ୍ଥାନେ ଦେଖାଯାଏ ଅତିଅନ୍ତ ପଦା ।
ସୁବର୍ଣ୍ଣ ବିମ୍ୱ ପରାୟେ ଦିଶେ ନଦୀବାଲି
ପାଦକୁ କୋମଳ ଲାଗେ ଯେସନେକ ଧୂଳି ।
ଶତେ ଦିହୁଡ଼ି ଯେସନେ ଜଳେ ଚଉପାଶେ
ତେସନ ସେ ବନଶୋଭା ତେଜିୟାନ ଦିଶେ ।
ବିଷ୍ଣୁଙ୍କ ପ୍ରିୟ ଅର୍ଥରେ ଦୁର୍ବାସା ମହର୍ଷି
ସୁନାକାଠ ସମ୍ମାର୍ଜନ୍ତି ନିତି ପ୍ରତି ବସି ।
ବୃକ୍ଷ ପାଳନେ ଥାଆନ୍ତି ପ୍ରତିଦିନ ବନେ
ଗୋବିନ୍ଦଙ୍କ ରାସକ୍ରୀଡ଼ା ଦେଖନ୍ତି ନୟନେ ।
ଶୁଣ ପରୀକ୍ଷିତ ଶୁକ ମୁନି ଯେ ବୋଇଲେ
ରାଧା ଦୂତୀ ଦୁହେଁ କୁଞ୍ଜବନରେ ମିଳିଲେ ।
ଯେଉଁଠାରେ ବିଜେ କରିଛନ୍ତି ଦେବ ହରି
ସେଠାରେ ପ୍ରବେଶ ହେଲେ ଯାଇ ବେନିନାରୀ ।
ଆଗରୁ ଶ୍ରୀକୃଷ୍ଣ ତାଙ୍କୁ ଥିଲେ ବାଟଚାହିଁ
ଏ ସମୟେ ମିଳିଲେକ ବେନି ବାମା ଯାଇ ।
ଚାତକ ପକ୍ଷୀ ପାଇଲା କିବା ମେଘ ଜଳ
ଅତି ବୃଦ୍ଧ ବ୍ୟକ୍ତି କିବା ପାଇଲା ଦୁଲାଳ ।
ଆଜନମ ଅନ୍ଧ କିବା ପାଇଲା ନୟନ
ଦରିଦ୍ର ଲୋକକୁ କିବା ମିଳେ ବହୁ ଧନ ।
ଚିରରୋଗରୁ ରୋଗୀ କି ହୋଇଲା ମୁକତ
ତେହ୍ନେ ରାଧିକାକୁ ଦେଖି ହରି ଆନନ୍ଦିତ ।
ଆନନ୍ଦ ମନରେ ରାଧାକୃଷ୍ଣ ଭେଟ ହେଲେ
ଦୂତିକା ଯାଇ ରହିଲା ବୃକ୍ଷଙ୍କ ଗହଳେ ।
ଅପୂର୍ବ କୁଞ୍ଜରେ ଦୁହେଁ କଲେ ନାନା କେଳି
ମୋହିଲେ କୃଷ୍ଣଙ୍କ ମନ ଭାବେ ଚନ୍ଦ୍ରାବଳୀ ।
ପାଇଲେ ପରମ ସୁଖ ଗଲା ରତି ଶ୍ରଦ୍ଧା
ଢଳିଲାକ ବ୍ରହ୍ମବୀର୍ଯ୍ୟ ଗର୍ଭ ହେଲେ ରାଧା ।
ଦୂତିକା ସେ ଦିନ ଆଗୁଁ ଥିଲେ ଗର୍ଭଧାରୀ
କୁଞ୍ଜବନେ ପହୁଡ଼ିଲେ ରାଧିକା ଶ୍ରୀହରି ।
ଅନ୍ୟ କାହାରିକୁ ଏହି କଥା ଜଣାନାହିଁ
ମାୟା ବିରଚିଲେ ଯହୁଁ ଜଗତ ଗୋସାଇଁ ।
ରାତ୍ର ଘଡ଼ି ଏକ ଥାଉଁ ଗଲେ ଯେଝାବାସେ
ଶ୍ରୀକୃଷ୍ଣ ମିଳିଲେ ଯାଇ ନନ୍ଦର ଆବାସେ ।
ପଲ୍ୟଙ୍କ ଉପରେ ମିଛେ ପଡ଼ିଲେକ ଯାଇ
ଦୂତିକା ଘେନି ରାଧିକା ଗୋପରେ ମିଳଇ ।
ପରଦିନ ପ୍ରାତଃକାଳୁ ଉଠି ଯେ ଯାହାରେ
ଆପଣାର ନିତ୍ୟକର୍ମ କଲେ ଲୋକଚାରେ ।
ଏଥୁ ଅନନ୍ତରେ ତହୁଁ କେତେଦିନ ଅନ୍ତେ
ଦୂତିକା ଗର୍ଭରୁ ଜାତ ହୋଇଲାକ ପୁତ୍ରେ ।
ଶଲ୍ୟକାର ନାମ ତାର ଲୋକରେ ବିଦିତ
ବେନିପାଦ ଚରଲଗ୍ନେ ହେଲା ପୁତ୍ର ଜାତ ।
ରାଧାଙ୍କଠାରୁ ସେପରି ପୁତ୍ର ଜନମିଲେ
ମାରୁଚି ମାହେନ୍ଦ୍ର ନାମେ ଯାଆଁଳା କୁମରେ ।
ଅତି ଗୁପ୍ତକଥା ଏହା ନ ଜାଣନ୍ତି ଆନ
ଦିନୁ ଦିନୁ କୁମରେ ଯେ ହେଲେ ବର୍ଦ୍ଧମାନ ।
ସର୍ବଗୁଣେ ସୁଲକ୍ଷଣ ନାରାୟଣ ସମ
ତାଙ୍କ ସ୍ୱରୂପ ଦିଶଇ ଯେହ୍ନେ କୋଟି କାମ ।
ସକଳ ପୁତ୍ରଙ୍କ ମଧ୍ୟେ ବୋଲାଇଲେ ଶ୍ରେଷ୍ଠ
ପୃଥିବୀରେ ହୋଇଲେ ସେ ଅତ୍ୟନ୍ତ ବଳିଷ୍ଠ ।
ଜୟ ଜୟ ନାରାୟଣ ବ୍ରହ୍ମାଣ୍ଡ କରତା
ତୋ ମହିମା ଲେଖିବାକୁ ମୁହିଁ କି ଶକତା ।
ନ ଜାଣଇ ପାଠ ଶାଠ ନାହିଁ ମୋର ଜ୍ଞାନ
ତୋ ଲୀଳା ଲେଖିବାପାଇଁ ବଳାଇଛି ମନ ।
ହେ ହରି ସୁଦୟା କର ଦୀନଜନ ପ୍ରତି
ତୋ ପାଦ ସେବକ ସିନା ଏ ଦାସ ଅଚ୍ୟୁତି ।
ଏଥୁ ଅନ୍ତରେ ପରୀକ୍ଷ ନାମେ ଦଣ୍ଡଧର
ପ୍ରଣାମ କରଇ ଶୁକ ମୁନିଙ୍କ ପୟର ।
ବେନିକର ଯୋଡ଼ି ପୁଣି ବୋଲଇ ଏମନ୍ତ
କୃଷ୍ଣଲୀଳା ଶୁଣି ମୁନି ହୋଇଲି କୃତାର୍ଥ ।
ତଦଅନ୍ତେ କିସ କଲେ ଦେବ ଜନାର୍ଦ୍ଦନ
ସଂକ୍ଷେପି କହିବା ମୋତେ ଆହେ ତପୋଧନ ।
ବଦୟନ୍ତି ଶୁକମୁନି ଶୁଣ ଦଣ୍ଡଧର
ଗୋପପୁରେ ବିହରନ୍ତି ପ୍ରଭୁ ଚକ୍ରଧର ।
ଅଶେଷ ମାୟାଧର ସେ ଲକ୍ଷ୍ମୀଦେବୀସାଇଁ
ଯାହାଙ୍କ ମାୟା ଦେବଙ୍କୁ ଗୋଚର ନୁହଇ ।
ଏକ ଦିନକର କଥା ଶୁଣ ମହାରାୟେ
ପୁଣି କୁଞ୍ଜବନେ ବିଜେ କଲେ ଦେବରାୟେ ।
ମୋହନ ମୂରଲୀ ଧରି ବାଇଲେ ସୁସ୍ୱରେ
ଗୋଟି ଗୋଟୁ ନାମ ଧରି ଡାକନ୍ତି ମଧୁରେ ।
ଆସ ଆସ ଗୋପୀଗଣେ ଆସ ଗୋ ସତ୍ୱର
ତୁମ୍ଭଙ୍କୁ ଦେଖିବା ପାଇଁ ଚିତ୍ତ ମୋ ଅସ୍ଥିର ।
ସେ ଶବଦ ଶୁଭେ ଯାଇ ଗୋପୀଙ୍କ କର୍ଣ୍ଣରେ
ଗୃହକର୍ମ ଛାଡ଼ି ସର୍ବେ ଧାମନ୍ତି ବେଗରେ ।
ଶାଶୁ ଶ୍ୱଶୁର ଏ କଥା ଜାଣି ନ ପାରନ୍ତି
ଶ୍ରୀକୃଷ୍ଣ ମାୟାରେ ସର୍ବେ ମୋହିତ ହୁଅନ୍ତି ।
ଗୋପୀଏ ମିଳିଲେ ଯାଇ ସେ କୁଞ୍ଜକାନନେ
କଦମ୍ୱ ମୂଳେ କୃଷ୍ଣଙ୍କୁ ଦେଖିଲେ ନୟନେ ।
ସକଳ ଗୋପୀଏ ତହୁଁ ହୋଇ ଏକତ୍ରିତ
କୃଷ୍ଣଙ୍କୁ ରାଜା କରିବା ପାଞ୍ଚିଲେ ସେ ଚିତ୍ତ ।
କଦମ୍ୱ ସିଂହାସନରେ କୃଷ୍ଣଙ୍କୁ ବସାଇ
ପର୍ବତର ରଙ୍ଗ ମାଟି ବୋଳନ୍ତି ସେ ଗୋଈ ।
ନାନାବର୍ଣ୍ଣର କୁସୁମ ବନୁ ତୋଳି ଆଣି
ଶ୍ରୀହରିଙ୍କ ଶରୀରରେ କରିଲେ ମଣ୍ଡଣି ।
କେ ପାତ୍ର ହୋଇଲା କେହୁ ଖୁଣ୍ଟିଆ ହୋଇଲା
ପଢ଼ିହାରୀ କଏବାର କିଏ ବୋଲାଇଲା ।
ମନ୍ତ୍ରୀ ପଦରେ ନିଯୁକ୍ତ ହୋଇଲା କେ ନାରୀ
ମଣିମା ମଣିମା ଡାକ ଦ୍ୟନ୍ତି କେ ସୁନ୍ଦରୀ ।
ଏହିରୂପେ ସର୍ବେ ପଦ ପାଇ ଜଣେ ଜଣେ
ଶ୍ରୀକୃଷ୍ଣଙ୍କୁ ରାଜା ତହିଁ କଲେ ଗୋପୀଗଣେ ।
କେ ପହଣ୍ଡ ମଣାନ୍ତି କେ ଥାଏ ସନ୍ନିଧାନେ
ପତ୍ର ଚାମର କରି କେ ପକାଏ ଯତନେ ।
ଏହିରୂପେ ବନମଧ୍ୟେ ନାନ କ୍ରୀଡ଼ା କରି
ଗୋପୀଙ୍କ ମନ ମୋହନ୍ତି ନାନା କ୍ରୀଡ଼ାକରି ।
ତହୁଁ ପୁଣି ଶିଶୁ ରୂପେ ମାତାପାଶେ ମିଳି
ପଣନ୍ତ ଧରି କରନ୍ତି ଖାଇବାକୁ ଅଳି ।
ସେ ଦିନ ଗୋପୀଙ୍କ ମନ ମୋହିଲେ ଅଚ୍ୟୁତ
ଗୋପୀକେ କୃଷ୍ଣ ଗୋଟିଏ ହେଲେ ଜଗଦ୍ଭୂତ ।
ଗୋପୀଙ୍କ ଚିତ୍ତ ରଞ୍ଜାଇ ମିଳିଲେ ସଦନେ
ଗୋପଗୋଈମାନେ ଗଲେ ଯେଝା ନିକେତନେ ।
ଏଥୁ ଅନନ୍ତରେ ରାଜା ଶୁଣ ପରୀକ୍ଷିତ
ଏକ ଦିନକର କଥା ଅତ୍ୟନ୍ତ ବିଚିତ୍ର ।
ସର ଲବଣୀ ଖାଇଣ ଦିନେ ଭଗବାନ
ପଲ୍ୟଙ୍କ ଉପରେ କରିଥିଲେ ସେ ଶୟନ ।
ପ୍ରହରେକ ରାତ୍ର ଯହୁଁ ହୋଇଲା ଅତୀତ
ମନ ମଧ୍ୟରେ ଭାବିଲେ ଦେବ ଜଗନ୍ନାଥ ।
ରାଧିକା ସଙ୍ଗରେ ଆଜି ହୋଇବ ମିଳନ
ମୋହଠାରେ ଶ୍ରଦ୍ଧାକରେ ବିଶେଷେ ସେ ପୁଣ ।
ତା ପରି ନାୟିକା ଜଣେ ଗୋପନଗ୍ରେ ନାହିଁ
ମୋହ ପାଇଁ ଜନ୍ମିଅଛି ସିନା ଗୋପଗୋଈ ।
ଏତେ ଭାଳିଣ ପଲ୍ୟଙ୍କ ତେଜି ଜନାର୍ଦ୍ଦନ
ରାଧିକା ପୁରରେ ଯାଇ ମିଳିଲେ ତକ୍ଷଣ ।
କବାଟ କିଳିଣ ଶୋଇଥିଲା ଚନ୍ଦ୍ରାବଳୀ
ରାଈ ରାଈ ବୋଲି ଡାକ ଦ୍ୟନ୍ତି ବନମାଳୀ ।
ସେ ଡାକ ଶୁଣିଣ ରାଧା ହୋଇ ତର ତର
କବାଟରୁ ଫିଟାଇଲେ ଯାଇଣ ସତ୍ୱର ।
ରାଧାକୃଷ୍ଣ ଏକସଙ୍ଗେ ହୋଇଲେ ମିଳନ
ଶୋଇ ପଡ଼ିଲେକ ତହିଁ ପ୍ରଭୁ ଭଗବାନ ।
ଏ ସମୟେ ରାତ୍ରଗୋଟି ହୋଇଲା ପ୍ରଭାତ
ଯେ ଯାହାର ନିତ୍ୟକର୍ମେ ଲାଗିଲେ ସମସ୍ତ ।
ଏସନ ଚରିତ ଆନ ନ ଜାଣନ୍ତି କେହି
ମାୟାଧର ମାୟଜାଲ ଅଛନ୍ତି ମେଲାଇ ।
ରଜନୀ ପାହାନ୍ତେ ବେଳ ଘଡ଼ିଏ ହୋଇଲା
ଦେବଆଳମାନଙ୍କରେ ଶଙ୍ଖଧ୍ୱନି ହେଲା ।
ଗୋପାଳେ ଉଠିଣ ଯେଝା କାର୍ଯ୍ୟରେ ମାତିଲେ
ଗୋପାଳୁଣୀ ଶଯ୍ୟା ତେଜି ପାଇଟି କରିଲେ ।
ଏ ସମୟେ ଚନ୍ଦ୍ରସେଣା ଗୋଷ୍ଠେ ଯାଇଥିଲା
ଦୁଧଭାର ଘେନି ଗୃହେ ପ୍ରବେଶ ହୋଇଲା ।
ରୁଞ୍ଜ ଗୁଞ୍ଜ ମାଳି କଣ୍ଠେ ହସ୍ତରେ ଛନ୍ଦଣି
ପଘା ଦାଉଣ୍ଡି ଘାଗୁଡ଼ି କଟୀତଟେ ପୁଣି ।
ଶରୀରୁ ତ୍ରିପଣ୍ଡ ଝାଳ ପଡ଼ୁଅଛି ଖସି
ଦୁଧଭାର ଘେନି ଧାଏଁ ଅଣନିଶୁଆସି ।
ଆପଣା ମନ୍ଦିରେ ଆସି ପ୍ରବେଶ ହୋଇଲା
ଥିର କରି ଭାର ନେଇ ଗୃହରେ ଥୋଇଲା ।
ଏକ ଦୃଷ୍ଟି କରି ଗୃହମଧ୍ୟେ ଦେଲା ଚାହିଁ
ରାଧା ମାଧବ ପଲ୍ୟଙ୍କେ ଅଛନ୍ତି ଯେ ଶୋଇ ।
ଦେଖି ଚନ୍ଦ୍ରସେଣା କମ୍ପେ ଅତି କ୍ରଧୋଭରେ
କାହିଁଯିବ ବଧିବଇଁ ଆଜି ମୁଁ ତୁମ୍ଭରେ ।
ଚୋର ଘରେ ସବୁଦିନେ ଥାଏ କି ଆଲୁଅ
ଏହିପରି ପ୍ରତିଦିନ ଏକତ୍ରରେ ଶୁଅ ।
ନ ଜାଣି ରାଧିକାକୁ ମୁଁ ଭଲ ବୋଲି କହେ
ଦୋଚାରୁଣୀ କେହି ନାହିଁ ଏହାର ପରାୟେ ।
ନନ୍ଦପୁଅର ଏଡ଼ିକି ସାହସକୁ ଦେଖ
ଚୋରିବୃତ୍ତି ନ ଗଲା ତ ଏହାର କାଳକ ।
କ୍ରୋଧ ଭରେ ଗୋପାଳ ଯେ କାମୁଡ଼େ ଦଶନ
କାଳସର୍ପ ପ୍ରାୟ ଗର୍ଜ୍ଜେ ପୁଣି ଘନ ଘନ ।
ମୁଣ୍ଡ ଛେଚିବି ବୋଲିଣ ହସ୍ତେ ଧରେ ବାଡ଼ି
ହାତ ଗୋଡ଼ ଭାଙ୍ଗିଦେବି ଜୀବନ୍ତାରେ ଛାଡ଼ି ।
ପୁଣି ବିଚାରଇ ମନେ ଏମନ୍ତ ପ୍ରକାର
ନାମ ଏହାର କିସ ଯେ କାହିଁ ୟାର ଘର ।
ଏତେବୋଲି ଚାହିଁଲାକ ନେତ୍ର ମେଲିକରି
ବୋଲେ ଏ ଯଶୋଦା ସୁତ ନିଶ୍ଚେଁ ଦେବହରି ।
ଏହାର ତ ଚୋରିପଣ ବିକାଶଇ ବାଟେ
ଅକଳରେ ଆସି ଆଜି ପଡ଼ିଲା ମୋ ଭେଟେ ।
ମୁଁ ଏବେ ମାଇଲେ କିଛି ପ୍ରୟୋଜନ ନାହିଁ
ନନ୍ଦ ଯଶୋଦାଙ୍କୁ ଆଗ ଆଣିବଇଁ ଯାଇ ।
ଏତେ ବୋଲିଣା ଗୋପାଳ କବାଟକୁ ଦେଇ
କେନ୍ଦୁବାଡ଼ି ଧରି ତହୁଁ ବେଗରେ ଧାମଇଁ ।
ଲୋକଙ୍କ ଆଗରେ ଯେବେ ବୋଲଇ ସେ କଥା
ପୂର୍ବକଥା ଭାବି ସର୍ବେ ବୋଲନ୍ତି ଏ ମିଥ୍ୟା ।
ମନେ ମନେ ଭାଳେ ଆଜି ଖୁଆଇବି ମାଡ଼
ନ ବୁଝିଲେ ଭାଙ୍ଗି ଦେବି ନିଶ୍ଚେଁ ହାଡ଼ଗୋଡ଼ ।
ନାନା ଅନୀତି ଏହାର ସହିବା ବା କେତେ
ଗୋପନଗ୍ରେ ଆନ କେହୁ କରନ୍ତା ଏମନ୍ତେ ।
ଦୁଧ ଲବଣୀ ସକଳ ଚୋରାଇ ଖାଇଲା
କିଛି ନ କହିବାରୁ ୟା ମନ ବଢ଼ିଗଲା ।
ଏତେ ବିଚାରିଣ ସେହୁ ଚଳେ ଅତି ବେଗେ
ଧାତିକାରେ ମିଳିଲାକ ଯାଇ ନନ୍ଦ ଆଗେ ।
ଖଣ୍ଡେ ଦୂରରୁ ଦେଖଇ ଅସମ୍ଭବ ରୀତି
ବଳଦେବ ସହିତରେ ବିଜେ ଯଦୁପତି ।
ଚନ୍ଦ୍ରସେଣାକୁ ବୋଲନ୍ତି ପ୍ରଭୁ ବନମାଳୀ
ମାମୁଁ କାଲି ଭଣ୍ଡିଗଲ ଆଣିଛ କି କୋଳି ।
ଶୁଣି ତାହା ଚନ୍ଦ୍ରସେଣା ହୋଇଲା ଲଜ୍ଜିତ
ଭାଳଇ ଏହା ତ ମୋତେ ଲାଗେ ଆଚମ୍ୱିତ ।
ରାଧାସଙ୍ଗେ ରହିଥିଲା ମୋ ପୁରେ ଶ୍ରୀହରି
ଏହିଠାକୁ ଏବେ ଏହୁ ଆସିଲା କିପରି ।
କିଛି ନ କହିଣ ତହୁଁ ଲେଉଟିଣ ଗଲା
ଆପଣା ପୁରରେ ଯାଇ ପ୍ରବେଶ ହୋଇଲା ।
ଦେଖିଲା ପଲ୍ୟଙ୍କେ ରାଈ ନିଦେ ଅଛି ଶୋଇ
ଲଜ୍ଜା ପାଇ ରହିଲା ସେ ସ୍ତମ୍ଭୀଭୂତ ହୋଇ ।
ଉଠ ଉଠ ଚନ୍ଦ୍ରାବଳୀ ଡାକ ଦିଏ ପୁଣି
ଭାଙ୍ଗି ଯାନ୍ତେ ନିଦ୍ରା ଉଠି ବସେ ଗୋପାଳୁଣୀ ।
ଚନ୍ଦ୍ରସେଣା ବୋଲେ ରାଧା ଥିଲୁ ନିଦ୍ରା ଯାଇ
ଆଉ ଜଣେ ତୋର ପାଶେ କିଏ ଥିଲା ଶୋଇ ।
ରାଧିକା ବୋଲେ ଦୂରହୁଁ ଆସିଥିଲୁ ଚାଲି
ଦଉଡ଼ ଧାପରେ ଦେଖାଗଲା ସେହି ଭଳି ।
ପିତ୍ତଚେଷ୍ଟା ହେଲା କିବା ଧରେ ଆମବାତ
କିବା କାଦମ୍ୱରୀ ପାନେ ହେଲ ତୁମ୍ଭେ ମତ୍ତ ।
କି ଅବା ଉତ୍କଟ ବ୍ୟାଧି ଉପୁଜିଲା କାୟେ
ନୋହିଲେ ତୁମ୍ଭଙ୍କୁ କେହ୍ନେ ଦିଶନ୍ତା ଏ ପ୍ରାୟେ ।
ଲାଜପାଇ ଚନ୍ଦ୍ରସେଣା ହୋଇଲାକ ତୁନି
କଉତୁକେ ଭର୍ତ୍ତାକୁ ଯେ ଭଣ୍ଡିଲା କାମିନୀ ।
ଅଚ୍ୟୁତ ପାଦୁକା ଭଜି ବୋଲଇ ଅଚ୍ୟୁତ
ନାରୀଙ୍କି ବିଶ୍ୱାସ ଯିବା ନୁହଇ ଉଚିତ ।
ଶୁକ ବୋଇଲେକ ଶୁଣ ଆହେ ନୃପମଣି
ଗୋବିନ୍ଦଙ୍କ ବାଳଲୀଳା ହରିବଂଶ ବାଣୀ ।
ଏଥୁଅନ୍ତେ କିଛିଦିନ ହୋଇଲା ଅତୀତ
ଦିନେ କୁଞ୍ଜବନେ ଯାଇ ମିଳିଲେ ଅଚ୍ୟୁତ ।
ଶ୍ରୀକରେ ବିରହବଂଶୀ ମାଥେ ଦିବ୍ୟଚୁଳ
ପୟରେ କଠାଉ କଣ୍ଠେ କଦମ୍ୱର ମାଳ ।
ବାହେ ବାଜୁବନ୍ଧ କଟୀତଟରେ ଘାଗୁଡ଼ି
କସ୍ତୁରୀ ବାସିଚନ୍ଦନ ଅଙ୍ଗେ ଅଛି ଜଡ଼ି ।
ଅପୂର୍ବ କଳେବର ଯେ ନୀଳେନ୍ଦ୍ରି ପରାୟେ
ମାଧବୀ ଲତା ତଳରେ ବିଜେ ଦେବରାୟେ ।
ସମସ୍ତ ବାଳଗୋପାଳ ବେଢ଼ିଛନ୍ତି ସଙ୍ଗେ
ଯେ ଯାହାମତେ କ୍ରୀଡ଼ନ୍ତି ତହିଁ ନାନାରଙ୍ଗେ ।
ଗୋବିନ୍ଦଙ୍କ ଆହାଲାଦେ ସର୍ବ ପୁଣ୍ୟମୟେ
ଶ୍ରୀକୃଷ୍ଣ ସଙ୍ଗରେ ଥାନ୍ତେ କାହାକୁ ବା ଭୟେ ।
ଭୋଜନ ଶୟନେ ସଦା ସଙ୍ଗେ ସଙ୍ଗେ ଥାନ୍ତି
ଗୋପପୁଅଙ୍କୁ ଶ୍ରୀହରି ତେଜି ନ ପାରନ୍ତି ।
କୁଞ୍ଜବନ ମଧୁବନ ନନ୍ଦନକାନନ
ବୃନ୍ଦାବନ ଅମ୍ୱିକା ଯେ ରୁଦ୍ରବନ ପୁଣ ।
ଏ ଷଡ଼ବନେ ଶ୍ରୀକୃଷ୍ଣ କାଟି ଷଡ଼ଋତୁ
ଯେଉଁ ବନରେ ଯେବଣ ଅଟେ ଧାତୁମାତୁ ।
ମଧୁବନରେ ବସନ୍ତ ଋତୁ ଭୋଗ କଲେ
ଗୋପୀ ଅଙ୍ଗସଙ୍ଗେ ପ୍ରଭୁ ନଟ ଭିଆଇଲେ ।
ସେ ବନେ ଫଳ ପୁଷ୍ପରେ ଶୋଭାପାଏ ଲତା
ବୃକ୍ଷମାନଙ୍କୁ କେହୁ ବା କରିବ ଗଣିତା ।
ଚମ୍ପା ମଲ୍ଲୀ ନାଗେଶ୍ୱର ବକୁଳ କରୁଣା
ତଗର ତରାଟ କନିଅର ଛୁରିଅନା ।
ଗଙ୍ଗଶିଉଳୀ ଆବର ମାଳତୀ କେତକୀ
ଏସନକ ପୁଷ୍ପବୃକ୍ଷ କେ କରେ ଗଣତି ।
କାଳିନ୍ଦୀର ତଟେ ସେହି କାନନ ବିଶାଳ
ମୟୂର କୁମ୍ଭାଟୁଆଙ୍କ ଶୁଭେ କୋଳାହଳ ।
କୋକିଳ କାରଣ୍ଡବ ଯେ ଉଡ଼ନ୍ତି ଚୌକତି
ପୂର୍ବରୁ ବିଧାତା ଯାହା ସମ୍ପାଦି ଅଛନ୍ତି ।
ସବୁ ବୃକ୍ଷଙ୍କ ମୂଳରେ ସୁବର୍ଣ୍ଣ ଚଉରା
ଦୂରରୁ ଦେଖିଲେ ତାହା ଦିଶେ ଅତି ତୋରା ।
ଗୋଧିକା ନାମରେ ଘାଟ ଗୋବର୍ଦ୍ଧନ ତଳ
ସେ ପର୍ବତୁ ଝରୁଅଛି ପୁଣ୍ୟମୟ ଜଳ ।
ତେଣୁକରି ଶୋଭାବନ ଦିଶେ ମଧୁବନ
ବିହରନ୍ତି ସେ ବନରେ ଦେବ ଜନାର୍ଦ୍ଦନ ।
ତଦନ୍ତେ ଗ୍ରୀଷମ ଋତୁ ହୁଅନ୍ତେ ପ୍ରବେଶ
ନନ୍ଦନବନେ କ୍ରୀଡ଼ନ୍ତି ପ୍ରଭୁ ହୃଷୀକେଶ ।
ସେ ବନର କଥା କେହି ମୁଖେ କହିପାରି
ନାନା ତରୁଲତାରେ ସେ ବନ ଅଛି ପୂରି ।
ଆମ୍ୱ ନିମ୍ୱ ପଣସ ଯେ ଟଭା ନଟୀକାଳ
ନାରଙ୍ଗ କର୍ମଙ୍ଗା ଓ୍ୱାଉ କଦଳୀ ତମାଳ ।
ଅପୂରୁବ ବୃକ୍ଷମାନେ ଫଳଭରେ ଗରୁ
ଜନ ମନକୁ ହରଇ ଦେଖିଲେ ଦୂରରୁ ।
ଚମ୍ପା ନାଗେଶ୍ୱର କିଆ କରୁଣା କେତକୀ
ମରୁଆ ମାଧବୀ ତହିଁ କଞ୍ଚନ ଧାତୁକୀ ।
ମଲ୍ଲୀ ମାଳତୀ ଆବର କୁନ୍ଦ ଜାଈ ଯୂଈ
ଦୟଣା କୁରୁବଲୀ ଯେ ଅଗଣିତେ ଥାଇ ।
ପୁଷ୍ପମାନଙ୍କରେ ସେହୁ ଶୋଭାକୁ ପାଆନ୍ତି
ଧାଡ଼ି ଧାଡ଼ି ନାରିକେଳ ବୃକ୍ଷ ବିରାଜନ୍ତି ।
କ୍ରୀଡ଼ନ୍ତି ନାନା ପକ୍ଷୀଏ ଝିଙ୍କାରିଙ୍କ ନାଦ
ପଦ୍ମ କୁମୁଦ କଦମ୍ୱ ତହିଁ ଛନ୍ତି ମଧ୍ୟ ।
କଦମ୍ୱ ବୃକ୍ଷଙ୍କ ଶୋଭା ଅତ୍ୟନ୍ତ ସୁସଞ୍ଚ
କାହିଁ ପଟାନ୍ତର ତାକୁ ସ୍ୱର୍ଗ ଆଦି ମଞ୍ଚ ।
ଆପେ ବିଶ୍ୱକର୍ମା ବସି ନିର୍ମାଣିଲେ ଯାହା
ଯହିଁ ବିନୋଦ କରନ୍ତି ଦେବ ଚଉବାହା ।
ଏକ ବୃକ୍ଷର ମହିମା ଅଟେ କୋଟି କୋଟି
ମଞ୍ଚରେ ମୂଳ ଆକାଶେ ଡାଳ ଅଛି ଘୋଟି ।
ଏସନ ସଞ୍ଜାତ ଯେହୁ ନନ୍ଦନ କାନନ
ଧର୍ମ ଅର୍ଥ କାମ ମୋକ୍ଷ ମିଳେ ଯହିଁ ପୁଣ ।
ଗୋମତ ଗିରିର ତଳେ ସେ କାନନ ଶୋଭା
ଆପଣେ ବିଜୟ ଯହିଁ ଶ୍ରୀ ଦେବାଧିଦେବା ।
ଆମୋଦଇ ସୁବାସିତ ପୁଷ୍ପେ ଚଉଦିଗ
ଜଳ ଆହ୍ଲାଦେ ଉଲୁସି ଉଠେ ହୃଦଭାବ ।
ବାରମାସରେ ବସନ୍ତ ବହେ ଅନୁକ୍ଷଣ
ଗ୍ରୀଷ୍ମ ଋତୁରେ କ୍ରୀଡ଼ନ୍ତି ତହିଁ ଭଗବାନ ।
ତଦନ୍ତେ ବରଷା ଋତୁ ପ୍ରବେଶ ହୁଅନ୍ତେ
ରୁଦ୍ରବନେ କ୍ରୀଡ଼ାମାନ କରନ୍ତି ଅଚ୍ୟୁତେ ।
ବିଜୁଳୀ ଆଚ୍ଛାଦନରେ ସଦା ବର୍ଷେ ଘନ
ଘଡ଼ଘଡ଼ିରେ ମେଦିନୀ ହୁଏ କମ୍ପମାନ ।
ଜାଈ ଯୂଈ କେତକୀ ଯେ ଫୁଟେ ବଣମଲ୍ଲୀ
କୁମୁଦ କନିଅର ଯେ ଆବର କୁର୍ବେଲୀ ।
ପୁନାଙ୍ଗ ଯେ କୋକନଦ ନୀଳୋତ୍ପଳ ମୂଳେ
ଅନେକ ପୁଷ୍ପ ବିକାଶେ ବରଷାର କାଳେ ।
ମୃଗ ଶୂକର କେଶରୀ ବ୍ୟାଘ୍ର ପଲ ପଲ
ସେ ବନରେ ବୁଲୁଥାନ୍ତି ହୋଇ ଦଳ ଦଳ ।
କଜ୍ଜ୍ୱଳପାତି ଡାହୁକ କୁମ୍ଭାଟୁଆ ଧ୍ୱନି
ବଣି ଶୁକ ଶାରୀ ଶବ୍ଦ ଶୁଭେ ଅନୁକ୍ଷଣି ।
ଗିରିବର ଶିଖରରେ ମୟୂରେ ନାଚନ୍ତି
ଆନନ୍ଦରେ ଗୋପୀନାଥ ତହିଁ ବିହରନ୍ତି ।
ତଦନ୍ତେ ଶରଦ ଋତୁ ହୁଅନ୍ତେ ପ୍ରବେଶ
କୁଞ୍ଜବନରେ କ୍ରୀଡ଼ନ୍ତି ଦେବ ହୃଷୀକେଶ ।
ଯମୁନା କୂଳରେ ସେହି ବିଚିତ୍ର କାନନ
ସୁନ୍ଦର ସୁସଞ୍ଚ ମନ କରଇ ହରଣ ।
ଐଶ୍ୱାନ୍ୟ ପବନ ଲାଗି ପୁଲକିତ କାୟେ
ତହିଁ କ୍ରୀଡ଼ା କରନ୍ତି ଯେ ପ୍ରଭୁ ଦେବରାୟେ ।
ନାନା ସ୍ୱାଦୁଫଳ ତହିଁ ରହିଅଛି ପୂରି
ଗୋବିନ୍ଦ ସଙ୍ଗେ କ୍ରୀଡ଼ନ୍ତି ଯହିଁ ଗୋପନାରୀ ।
ଦିବସେ ପ୍ରଚଣ୍ଡ ହୋଇ ବିରାଜଇ ଭାନୁ
ରାତ୍ରରେ ଚନ୍ଦ୍ର କିରଣ ପୁଲକଇ ତନୁ ।
କି ମହିମା ବର୍ଣ୍ଣିବଇଁ ସେ କୁଞ୍ଜବନର
ନାହିଁ ପଟାନ୍ତର ତାକୁ ସ୍ୱର୍ଗ ମଞ୍ଚ ପୁର ।
ଏମନ୍ତ ବନେ କ୍ରୀଡ଼ନ୍ତି ଦେବ ବଂଶୀଧାରୀ
ଗୋପଯୁବତୀଙ୍କ ସଙ୍ଗେ ନାନ ରଙ୍ଗ କରି ।
ତତ୍ପରେ ହେମନ୍ତ ଋତୁ ପ୍ରବେଶନ୍ତେ ଆସି
ଦିନ ହରନ୍ତି ଅମ୍ୱିକା ବନେ ହରି ପଶି ।
ମନ୍ଦର ପର୍ବତ ତଳେ ଅମ୍ୱିକା କାନନ
ବିଶ୍ୱକର୍ମା ଗଠିତ ସେ ବୈକୁଣ୍ଠ ଭୁବନ ।
ଅପୂର୍ବ ତରୁବର ଯେ ତହିଁ ବିତପନ
ଏକ ଏକ ତରୁ ଧରେ ସହସ୍ର ବରନ ।
ଆମ୍ୱ ପଣସ କଦଳୀ ଗୁଆ ନଟୀକାଳ
ତାଳ ଫଳ ତମାଳ ଯେ ଟଭା ନାରିକେଳ ।
ଏହିରୂପେ କେତେ କେତେ ତରୁ ତହିଁ ପୂରି
ଫଳମାନଙ୍କରେ ଚିତ୍ତ ନେଉଛନ୍ତି ହରି ।
ମଲ୍ଲୀ ଚମ୍ପକ ବକୁଳ ସେବତୀ ମନ୍ଦାର
ଜାଈ ଯୂଈ ମାଳତୀ ଯେ କିଆ କନିଅର ।
ଏମାନେ କୁସୁମଭରେ ଶୋଭାକୁ ପାଆନ୍ତି
ବିଶ୍ୱକର୍ମା ଗଢ଼ିଅଛି ଯେ ଅକ୍ଷୟ କୀର୍ତ୍ତି ।
ତାହାକୁ କି ପଟାନ୍ତର ଦେବା ଅନ୍ୟଠାରେ
ନାହିଁ ନ ଥିବ ସେପରି ତିନି ଭୁବନରେ ।
ତହିଁ ମଧ୍ୟେ ଶ୍ରେଷ୍ଠ ଅଛି ଏକ ତରୁବର
କଳପ କଦମ୍ୱ ନାମ ଅଟଇ ତାହାର ।
ସେ ବୃକ୍ଷର ମହିମା କେ ମୁଖେ କହିପାରି
ଅନନ୍ତ ବାସୁକି ତାର ଅଟଇ ସିକଡ଼
ଅଷ୍ଟକୁଳା ପରବତ ତାର ମଝିଗଡ଼ ।
ଚନ୍ଦ୍ରସୂର୍ଯ୍ୟ ଅଗ୍ନି ଆଦି ଦଶଦିଗପାଳ
ହୋଇଅଛନ୍ତି ସେ ତରୁବରର ଯେ ଡାଳ ।
ଏରୂପେ ସେ ତରୁଗୋଟି ଅତ୍ୟନ୍ତ ବିଶାଳ
ସେ ବୃକ୍ଷମୂଳେ ବସିଲେ ନ ପୂରଇ କାଳ ।
ନାନବର୍ଣ୍ଣେ ଫଳମାନ ଫଳିଅଛି ତହିଁ
ନାନା ବର୍ଣ୍ଣ କୁସୁମରେ ଦିଗ ଆମୋଦଇ ।
ଶିବ ଆଦି ଦେବଗଣେ ରହିଛନ୍ତି ତହିଁ
ଅତି ସୁସଞ୍ଚ ସୁରମ୍ୟ ସେ ଭୂମିଅଟଇ ।
ଗନ୍ଧର୍ବ କିନ୍ନର ସୁର ସିଦ୍ଧ ମୁନି ଯତି
ଯେ ବନକୁ ଜଗିଥାନ୍ତି ସଦା ଦିନ ରାତି ।
ସେ ଅମ୍ୱିକା ବନେ ହରି ବିହରନ୍ତି ହର୍ଷେ
ନଟ ନୃତ୍ୟ ଗୀତ ବାଦ୍ୟ ନାନରଙ୍ଗେ ରସେ ।
ଏରୂପେ ଷଡ଼ ବନରେ ଋତୁ ଭୋଗକରି
ଆନନ୍ଦରେ ଗୋପନଗ୍ରେ କ୍ରୀଡ଼ନ୍ତି ଶ୍ରୀହରି ।
ଶୁକମୁନି ବୋଇଲେକ ଆହେ ମହୀପତି
ଏକ ଦିନକର କଥା ଶୁଣ ଦେଇ ମତି ।
ସେ ଗୋପନଗର ମଧ୍ୟେ ନାୟିକା ଉତ୍ତମ
ମଦନା ଯେ ବୃନ୍ଦାବତୀ ଦୁହିଙ୍କର ନାମ ।
ଏକଦିନେ ବସି ଦୁହେଁ ପରୀକ୍ଷା କରିଲେ
ଶ୍ରୀକୃଷ୍ଣ ମୋହର ବୋଲି ବୃନ୍ଦାବତୀ ବୋଲେ ।
ମଦନା ବୋଲେ ରେ ସଖି ହୋଇଲୁ କି ବାଇ
ମୋହର ମନ୍ଦିରେ କୃଷ୍ଣ ଥାନ୍ତି ନିତି ରହି ।
ବାଲ୍ୟକାଳୁ ମୋ ଉପରେ କରିଥାନ୍ତି ଦୟା
ମନକୁ ରଞ୍ଜାନ୍ତି ମୋର ନ କରନ୍ତି ମାୟା ।
ମୁଁ ତାଙ୍କର ବଶ ସହୀ ସେ ମୋହର ବଶ
ନ ଜାଣି ନ ଶୁଣି କିପାଁ କହୁ ବୃଥା ଭାଷ ।
ବୃନ୍ଦାବତୀ ବୋଲେ ଏହା କେମନ୍ତେ ଜାଣିବା
ମଦନା ବୋଲେ ସଖି ତା ପରୀକ୍ଷା କରିବା ।
ଯାହା ମନ୍ଦିରକୁ ଆଗ ଆସିବ ଶ୍ରୀହରି
ତାର ବଶୀଭୂତ କୃଷ୍ଣ ଜାଣ ସହଚରୀ ।
ଏହା କହି ଦୁଇ ସଖୀ ସୁବେଶ ହୋଇଲେ
ବାଟ ଚାହିଁ ପଲ୍ୟଙ୍କରେ ଯାଇଣ ବସିଲେ ।
ଗନ୍ଧ ଚନ୍ଦନ କର୍ପୂର ଆଦି ଚତୁଃସମ
ସର ଗୋଟିକା ଅଧାମ ରଖି ଅନୁପମ ।
ପାନ ଫୁଲ ଆଦି ପଲ୍ୟଙ୍କର ତଳେ ଥୋଇ
ସୁବେଶେ ବେନି ସଖୀଏ ବସିଲେକ ଚାହିଁ ।
ଏହିରୂପେ ସୂର୍ଯ୍ୟ ଅସ୍ତ ପ୍ରବେଶ ରଜନୀ
ଗଗନରେ ଉଦୟ ଯେ ହେଲେ ନିଶାମଣି ।
ନିଭରେ ବେନି ସଖୀଏ ରହିଛନ୍ତି ବସି
କହୁଁ କହୁଁ ସତଘଡ଼ି ହୋଇଲାକ ନିଶି ।
ନାରାୟଣ ଜାଣିଲେକ ବେନିଙ୍କ ପରିଯା
ଗର୍ବୀ ଗରବ ଗଞ୍ଜନ ପ୍ରଭୁ ଦେବରାଜା ।
ଷୋଳସସ୍ର ନାୟିକା ଚୌଷଠିସସ୍ର ବାଳୀ
ସମସ୍ତଙ୍କ ପୁରେ ବିଜେ ତହୁଁ ବନମାଳୀ ।
ମଦନା ନାମରେ କନ୍ୟା କଲା ଗର୍ବ ମନ
ତେଣୁ ତା ପୁରେ ନ ଗଲେ ଦେବ ଭଗବାନ ।
ବୃନ୍ଦାବତୀ ପୁରେ ତହୁଁ ଗଲେ ତତକ୍ଷଣ
ନାନାବିଧ କଉତୁକେ ରଞ୍ଜିଲେ ତା ମନ ।
ମଦନା ପୁରକୁ ହରି ନ କଲେ ଶରଧା
କ୍ଷଣୁ କ୍ଷଣ ମଦନାକୁ ଲାଗେ କାମବାଧା ।
ଚକ୍ଷୁସ୍ଥିର କରି ଚାହେଁ ଗବାକ୍ଷ ଫିଟାଇ
ଶ୍ରୀକୃଷ୍ଣ ଆସିବାକୁ ସେ ବାଟ ଅଛି ଚାହିଁ ।
ଏମନ୍ତେ ଅନିଦ୍ରେ ତିନି ପ୍ରହର ରଜନୀ
ଅଚେତ ହୁଅଇ ବାଳୀ ହରିଗୁଣ ଗୁଣି ।
ଆବର ବିଶେଷେ ସଖୀ ପରିଯା କରିଛି
ଏତେ ରାତି ହେଲା ବିଜେ ନ କଲେ ଶ୍ରୀବତ୍ସି ।
ଅତିଅନ୍ତ ସୁଲକ୍ଷଣୀ ସୁନ୍ଦରୀ ସେ ନାରୀ
ବିରହ ବାଧାରେ ତାର ତନୁ ହୁଏ ଘାରି ।
ସର୍ବାଙ୍ଗ ରୋମମୂଳରୁ ଗଳେ ଶ୍ରମଝାଳ
କ୍ରୋଟରାଗ୍ନି ପ୍ରାୟ ଦହେ ଦହେ ଅନ୍ତରାଳ ।
କେଶବାସ ଅସମ୍ଭାଳେ ପଡ଼େ ମହୀସ୍ଥଳୀ
କ୍ଷଣକେ ଚେତନା କ୍ଷଣେ ମୂର୍ଚ୍ଛାଯାଏ ବାଳୀ ।
ଏସନକ ସମୟରେ ରାତ୍ର ଅବଶେଷ
ମଦନା ପୁରେ ନ ଗଲେ ଦେବ ହୃଷୀକେଶ ।
ବାରତା ପାଇଲା ଯହୁଁ ମଦନା ସୁନ୍ଦରୀ
ପଞ୍ଚଭୂତ ଆତ୍ମା ତାର ହୋଇଲାକ ଘାରି ।
ହା କୃଷ୍ଣ ହା କୃଷ୍ଣ ବୋଲି ରଟନ୍ତେ ବଦନ
ପିଣ୍ଡରୁ ପରାଣ ତାର ହେଲା ବିସର୍ଜ୍ଜନ ।
ଶୁକମୁନି ବୋଇଲେକ ଶୁଣ ମହାରାୟେ
ଶ୍ରୀଭାଗବତ ଶୁଣିଣ ପାପ କର କ୍ଷୟେ ।
ଯହୁଁ ମଦନା ସୁନ୍ଦରୀ ପ୍ରାଣ ବିସର୍ଜିଲା
ନାରାୟଣ ସୁମରି ସେ ମୁକତି ହୋଇଲା ।
ଶଚୀପତି ଆଜ୍ଞାଦେଲେ ଗନ୍ଧର୍ବଙ୍କୁ ରାଇ
ମଦନାକୁ ପୁଷ୍ପଯାନେ ଘେନିଆସ ଯାଇ ।
ବ୍ରହ୍ମାଙ୍କର ନନ୍ଦନ ଯେ ବାଳଖିଲ୍ୟା ମୂର୍ତ୍ତି
ବିଷ୍ଣୁଙ୍କୁ ନିମନ୍ତେ ହୋଇଥିଲା ସେ ଯୁବତୀ ।
ଏବେ କୃଷ୍ଣ ସୁମରିଣ ହେଲା ପ୍ରାଣେ ନାଶ
ପାଇଲା ପରମ ଗତି ଲଭି ସ୍ୱର୍ଗବାସ ।
ଇନ୍ଦ୍ରଙ୍କର ଆଜ୍ଞା ପାଇ ବିମାନେ ସେ ନେଲେ
ମଦନାକୁ ନେଇ ବ୍ରହ୍ମାପୁରେ ଠାବ ଦେଲେ ।
ଅସମ୍ଭବ ଅଗୋଚର ଶ୍ରୀହରି ଚରିତ
ସାଧୁଜନ ହିତେ ଏହା ଲେଖଇ ଅଚ୍ୟୁତ ।
ଭୋ ମୁନି କହିବା ମୋତେ ଶ୍ରୀକୃଷ୍ଣ ଚରିତ
ତବମୁଖୁ ଶୁଣିକରି ହୋଇବି କୃତାର୍ଥ ।
ତଦଅନ୍ତେ କିସ କଲେ ଦେବ ନରହରି
ତାହା ମୋତେ ସଂକ୍ଷେପିଣ କୁହ ତପଚାରି ।
ରାଜାର ବଚନ ଶୁଣି କହନ୍ତି ସେ ଶୁକ
ଏକମନ ହୋଇ ଏବେ ଶୁଣ ପୁଣ୍ୟଶ୍ଳୋକ ।
ବୈଶାଖ ଶୁକ୍ଳ ପଞ୍ଚମୀ ପଣ୍ଡିତ ବାସରେ
ରୋହିଣୀମାନେ ନକ୍ଷତ୍ର ଅଟେ ସେ ଦିନରେ ।
ବାଣିଜ୍ୟ ନାମେ କରଣ ଶୁଭ ନାମେ ଯୋଗ
ମେଷ ସଂକ୍ରାନ୍ତିର ଏକବିଂଶ ଦିନ ଭୋଗ ।
ବେଳ ସାତ ଘଡ଼ିମାନେ ସର୍ବ ଗୋପବାଳୀ
ନଦୀରେ ଗାଧୋଇବାକୁ ଏକ ଆରେ ଭାଳି ।
ତିଳ ଅଏଁଳା ହଳଦି କୁଙ୍କୁମାଦି ଘେନି
କର୍ପୂର ଘେନି କେ ଯାଏ କେ ଝୀନପତନୀ ।
ପାଦରେ ଅଳତା କେହୁ ପିନ୍ଧିଲା ଯତନେ
ମଥା କୁଣ୍ଡିଆଇ କେବା ଗମଇ ସଘନେ ।
ଯେଝା ଅନୁରୂପେ ସଜ ହୋଇ ଗୋପନାରୀ
ସ୍ନାହାନ କରିବାପାଇଁ ଗମନ୍ତି ସୁନ୍ଦରୀ ।
ଏକକୁ ଆରେକ ତହିଁ ଡାକନ୍ତି ତୁହାଇ
ରହ ରହ ବୋଲି ଆଗ ପଛକେ ଧାମଇଁ ।
କେ ବୋଲଇ ସଖି ଆଗୋ ବାହାରିଣ ଆସ
ଧାପ ଧାଉଡ଼ିମାନ ଯେ ନାନା ପରିହାସ ।
ଷୋଳ ସହସ୍ର ନାୟିକା ଚଉଷଠି ବାଳୀ
ସୁକୁମାରୀ ସୁଲକ୍ଷଣୀ ଏକୁ ଏକ ବଳି ।
ତୁଲାଇ ତ ନାହିଁ କେହି ତିନି ଭୁବନରେ
ଦେଖାଯାନ୍ତି ସର୍ବେ ବିଦ୍ୟାଧରୀ ପରକାରେ ।
ଗୋବିନ୍ଦଙ୍କ ଅର୍ଥେ ସର୍ବେ ଜାତ ଗୋପପୁରେ
ସନକାଦି ଲୋକମାନେ ଉପୁଜି ମହୀରେ ।
ହସ୍ତିନୀ ଶଙ୍ଖିନୀ ନାହିଁ ସମସ୍ତେ ପଦ୍ମିନୀ
ଦିଶନ୍ତି ଅପୂର୍ବ ଶୋଭା ହାଟକ ବରନୀ ।
ଗୋପପୁରକୁ ଯମୁନା ଅର୍ଦ୍ଧକୋଶ ପଥ
ଡକାଡକି ହୋଇ କରି ଚଳନ୍ତି ତୁରିତ ।
କରେ ଦନ୍ତକାଠି ଜଳ ଘଟ ଅଛି କାଖେ
ଚଳିଯାନ୍ତେ ହରଷରେ ଏକକୁ ଆରକେ ।
ଅପୂର୍ବ ଶବଦ କରେ ହସ୍ତର କଙ୍କଣ
ଚରଣେ ନୂପୁରମାନେ ବାଜେ ରୁଣୁଝୁଣ ।
ଢଗଢମାଳୀ କେ ପରିହାସେ ଗୀତ ଗାଇ
ହାଟହାଟୁଆଣୀ ଦାଣ୍ଡେ ଯାଆନ୍ତି ଗାଧୋଇ ।
ଏକ କଥାକୁ ବାଛନ୍ତି ସହସ୍ରେକ କଥା
କାହାରିକି ଭୀତି ମନେ ନ ଥାଇ ସର୍ବଥା ।
ଜଣ ଜଣକରେ ସର୍ବେ ଆନୁ ଆନ ବର୍ଣ୍ଣ
ଦେଖାଯାଆନ୍ତି ସକଳ ଦେବସ୍ତ୍ରୀ ସମାନ ।
ଯମୁନା ନଦୀକି ସର୍ବେ ଗଲେ ପଥବାହି
ସମସ୍ତେ ନାୟିକା ପୁଂସ ଜଣେ କେହି ନାହିଁ ।
ଗାଧୋଇଯିବା କଥାତ କିଛି ନୋହେ ମନ୍ଦ
କାହିଁକି କିସ ବୋଲିବେ ଶାଶୁ ଯେ ନଣନ୍ଦ ।
ଗୋପାଳମାନେ ଅଛନ୍ତି ଗୋଗୋଷ୍ଠକୁ ଯାଇ
ପ୍ରହରକେ ଆସିବେ ସେ କିଛି ଭୟ ନାହିଁ ।
ଯମୁନାକୂଳେ ପ୍ରବେଶ ହୋଇଲେ ସେ ଯାଇ
ବସ୍ତ୍ର ଅଳଙ୍କାରମାନ ନଦୀକୂଳେ ଥୋଇ ।
ପବିତ୍ର ଯମୁନାଜଳ ଅତି ପରିମଳ
ସ୍ନାନ କଲେ ଯହିଁ ନାଶ ପାତକ ସକଳ ।
ଉଲଗ୍ନ ହୋଇଣ ଜଳେ ପଶିଲେ ଝସାଇ
କୃଷ୍ଣ ମାୟାରେ ଉନ୍ମତ୍ତ ସେ ସକଳ ଗୋଈ ।
ପାଣି ଭିତରେ କରନ୍ତି ପଶି ଜଳକ୍ରୀଡ଼ା
ଏକାନ୍ତ ସ୍ଥାନ ଦେଖିଣ ଉପେକ୍ଷିଲେ ବ୍ରୀଡ଼ା ।
କେ ବୁଡ଼ି କାହାକୁ ପୁଣି ପକାଅନ୍ତି ବାଲି
ବାଲୁକୁଦେ ଉଠିବାକୁ ଦିଏ କେହୁ ପେଲି ।
ଜଳବୃଷ୍ଟି ପ୍ରାୟ କେହୁ ପକାଅନ୍ତି ପାଣି
ଖେଳନ୍ତି ସେ ବୁଡ଼ି ବୁଡ଼ି ଖେଳ ଗୋପାଳୁଣୀ ।
ଖେଳୁ ଖେଳୁ ଗୋପୀ ତହିଁ ହେଲେ ମତୁଆଳ
ଘରଦ୍ୱାର ଚରଚା ସେ ପାସୋରି ସକଳ ।
ବସ୍ତ୍ର ଅଳଙ୍କାର ମାନ କୂଳେ ଛନ୍ତି ଥୋଇ
ତାହା ପାସୋରିଲେ ସବୁଖେଳେ ଭୋଳହୋଇ ।
ଜଳ ମଧ୍ୟରେ କ୍ରୀଡ଼ନ୍ତି ସେ ଗୋପକାମିନୀ
କୂର୍ମ ଉଛୁଳିଲା ପ୍ରାୟ ଶୁଭେ ମୁଖଧ୍ୱନି ।
ଆଗରୁ କୃଷ୍ଣ ସେଠାରେ ଥିଲେ ଉପସ୍ଥିତ ।
କଦମ୍ୱତରୁ ମୂଳରେ ହର୍ଷେ ବସିଥିଲେ
ନଦୀ ମଧ୍ୟେ କିସ ଗୋଳ ବୋଲି ବିଚାରିଲେ ।
ତହୁଁ ଉଠିଲେ ଶ୍ରୀହରି ସନ୍ନିଧକୁ ଯାଇ
ନିରେଖିଣ ଚାହାନ୍ତି ସେ ଖଣ୍ଡେ ଦୂରେଥାଇ ।
ଏକଦୃଷ୍ଟିରେ ଦେଖନ୍ତି ପ୍ରଭୁ ବନମାଳୀ
ଗୋପୀମାନେ କରୁଛନ୍ତି ଜଳେ ଜଳକେଳି ।
ପିନ୍ଧିଲା ବସନ ଆୟ ଅଳଙ୍କାରମାନ
ହାର ନୂପୁରାଦି କୂଳେ ଥୋଇଛନ୍ତି ପୁଣ ।
ଜଳ ହାନ୍ଦୋଳରେ ଗୋଈ ସ୍ନାହାନ କରନ୍ତି
ଉଲଗ୍ନ ହୋଇଣ ସର୍ବେ ଜଳରେ କ୍ରୀଡ଼ନ୍ତି ।
ଏମନ୍ତ କଥା ଦେଖିଣ ହସି ଦେବରାଜ
ବିଚାର କରନ୍ତି ଆଜି ହେବ ବହୁକାର୍ଯ୍ୟ ।
ଜଣେ ଜଣେ କରି ୟାଙ୍କୁ ଲୋଡ଼ିଲେ ନ ପାଇ
ସର୍ବେ ରୁଣ୍ଡ ହୋଇ ଆସି ଅଛନ୍ତି ଗାଧୋଇ ।
କେଡ଼େ ସୁଯୋଗରେ ଆଜ ହୋଇଅଛି ଭେଟ
ଏହା ଭାଳି ଅନ୍ତର୍ଦ୍ଧାନ ତହୁଁ ନନ୍ଦଚାଟ ।
ଖେଳ ବିନୋଦେ ଲାଗିଣଛନ୍ତି ଗୋପାଳୁଣୀ
ବସ୍ତ୍ର ଅଳଙ୍କାର ମାନ ନେଲେ ଚକ୍ରପାଣି ।
ବିଦ ମୁଦି କଙ୍କଣାଦି କେୟୂର ସହିତେ
ଆପଣେ ସେ ନାରାୟଣ ଘେନି ପଦ୍ମହସ୍ତେ ।
କଦମ୍ୱର ଶିଖେ ନେଇ ସବୁ କଲେ ଠୁଳ
ଥୋକାଏ କଲେ ଆଲମ୍ବ ଥୋକାଏ ଚିରାଳ ।
ଥୋକାଏ ତୋରଣା କଲେ ଥୋକାଏ ଯେ ଦୋଳି
ଥୋକାଏ ନିଜେ ଘେନିଲେ ପ୍ରଭୁ ବନମାଳୀ ।
ଥୋକେ ରତନ କଦମ୍ୱ ଡାଳରେ ମଣ୍ଡିଲେ
ଥୋକାଏ ଗୁପତ ସ୍ଥାନ ନେଇ ରଖିଦେଲେ ।
ପବନକୁ ଆଜ୍ଞାଦେଲେ ଜଗତ ଗୋସାଇଁ
ପାଲଟା ବସନ ଲଟାମଧ୍ୟେ ଲୁଚା ନେଇ ।
ଶୁଣି ପବନ ପାଲଟା ବସ୍ତ୍ର ଘେନିଗଲା
ଲଟା ମଧ୍ୟରେ ନେଇଣ ଯତନେ ଥୋଇଲା ।
ତହୁଁ ଥୋକାଏକ ନେଇ ଯଶୋବନ୍ତୀ ସୁତ
କଦମ୍ୱ ଡୋଳରେ ଦୋଳି ଉକୁଚାଇ ସେତ ।
ବେଣୁ ବଜାଇ ଗାନ୍ଧାର ରାଗେ ଗୀତ ଗାଇ
ଆନନ୍ଦରେ ଦେହ ରୋମମାନ ଟାଙ୍କୁରଇ ।
ଚରଣ ଲମ୍ୱାଇ ଦୋଳି ଖେଲଇ ଶ୍ରୀହରି
ଆଜି କି କରିବେ ଗୋପୀ ମନରେ ବିଚାରି ।
ଏକ ଜଣକରେ ଦୁଇ ତିନିଖଣ୍ଡ ଶାଢ଼ୀ
ଏଣେ ତେଣେ କରି ଡାଳେ ଅଛନ୍ତି ସେ ଭିଡ଼ି ।
ଏଥୁ ଅନନ୍ତରେ ତହୁଁ କେତେହେଁକ ବେଳେ
ଏକ ଗୋପୀଏ କୂଳକୁ ଚାହିଁଲା ନିରୋଳେ ।
ଦେଖେ ବସ୍ତ୍ର ଅଳଙ୍କାର କିଛି କୂଳଏ ନାହିଁ
ଅନେକ ଚିନ୍ତାଭର ସେ ହେଲା ତାହା ଚାହିଁ ।
ଆରେକ ସୁଖୀକି ବୋଲେ ଶୁଣ ବିପରୀତ
କୂଳେ ନାହିଁ ଗୋ ଆମ୍ଭର ଅଳଙ୍କାର ବସ୍ତ୍ର ।
ଏକକୁ କହୁ ଆରେକ ଜାଣିଲେ ସକଳ
କୂଳକୁ ଚାହିଁ ସମସ୍ତେ ହୁଅନ୍ତି ଆକୁଳ ।
କୋ ବୋଲନ୍ତି ଏହା ଆମ୍ଭେ ଜାଣିତ ନ ପାରି
ବହିନେଲେ କେତେବେଳେ ଶାଢ଼ୀ ଆସିକରି ।
କେ ବୋଲଇ ଏହାଯେବେ ଚୋରନେଇଥାନ୍ତା
ଖଣ୍ଡେ ଅଧେ ଅବଶ୍ୟ ତ ପଥରେ ପଡ଼ନ୍ତା ।
ଆମ୍ଭେ ଅନେକ ନାୟିକା ଅଛୁ ଗୋପନାରୀ
ଦୁଇ ତିନିଖଣ୍ଡ ଶାଢ଼ୀ ଏକେ ଏକେ କରି ।
କେତେ ଲୋକ ଆସିଣ ବା ଏତେ ବସ୍ତ୍ରନେଲେ
ରୁଣ୍ଡକରି ବାନ୍ଧନ୍ତେ ତା କେହି ନ ଦେଖିଲେ ।
ଅନ୍ୟ ଲୋକରେ ଭରସା କାହିଁ ଗୋ ଏସନ
ଏତେବୋଲି ଗୋପିକାଏ ହେଲେ ଅନ୍ୟୋଅନ୍ୟ ।
କେହୁ ବୋଲନ୍ତି ପବନେ ଏହା ଉଡ଼ିଗଲା
କେ ବୋଲେ ସହିଗୋ ଶୋହତିତେ ଭାସିଗଲା ।
କଦାପି ମନୁଷ୍ୟର ତ ନୁହେଁ ଏଡ଼େ କୃତ୍ୟ
କେଉଁପରି ଏତେ ବସ୍ତ୍ର ହେଲା ଅନ୍ତର୍ହିତ ।
କେ ବୋଲେ ଚାଲ ଦେଖିବା ବନସ୍ତରେ ଯାଇ
କିଅବା ପବନ ନେଇଥିବା ଗୋ ଉଡ଼ାଇ ।
ଏତେ ବୋଲିଣ ଗୋପୀଏ ଜଳରୁ ବାହାର
ବନ ଭିତରେ ଲୋଡ଼ନ୍ତି ବସ୍ତ୍ର ଯେ ଯାହାର ।
ବସ୍ତ୍ର ଅଳଙ୍କାର ଲୋଡ଼ି ମନେ ଚିନ୍ତାପାଇ
ସକଳେ ଉଲଗ୍ନ ବସ୍ତ୍ର କାହାରି ତ ନାହିଁ ।
କେତେହେଁ ଦୂରେ ଦେଖିଲେ କଦମ୍ୱଡାଳରେ
ଦୋଳି ଖେଳୁଛନ୍ତି କୃଷ୍ଣ ଆନନ୍ଦ ମନରେ ।
ଏକ ଆରେକକୁ କହେ ଦେଖ ଦେଖ ମିତ
ବସନଚୋର ଏଠାରେ ରହିଛି ସଙ୍ଗାତ ।
ଏତେ କଥା ଆମ୍ଭେମାନେ ଭାଳୁଥିଲୁ ବୃଥା
ଆମ୍ଭ ବସ୍ତ୍ର ନେବାପାଇଁ ଅନ୍ୟ କେ ଶକତା ।
ବଡ଼ ହଟହଟା କଲା ଏ ନନ୍ଦ କହ୍ନାଇ
କାହାଆଗେ ଏହି କଥା କହିବା ଗୋ ଯାଇ ।
ଚାଲ ସର୍ବେ ଏକତ୍ରରେ କୃଷ୍ଣଙ୍କୁ ମାରିବା
ବଳାତ୍କାରେ ବସ୍ତ୍ରମାନ ଛଡ଼ାଇ ଆଣିବା ।
ନିଶ୍ଚୟ ନନ୍ଦ ଆଗରେ କହିବା ଏ କଥା
ଦିନୁଦିନ ନନ୍ଦସୁତ ଦେଲାକ ଅବସ୍ଥା ।
ନୋହିଲେ କଂସ ଆଗରେ କହିବା ତ ଯାଇ
ନନ୍ଦସୁତ ଲାଗି ଗୋପେ ନ ପାରିବୁ ରହି ।
କେ ବୋଲଇ ବିନୟରେ କହିବା ଗୋ ଚାଲ
ଆମ୍ଭର କରମ ଦଶା ଅନ୍ୟକୁ କି ବୋଲ ।
କେ ବୋଲଇ ଅସମ୍ଭବ ୟା ଚରିତମାନ
କେ ବୋଲଇ ନୁହେଁ କିବା ନନ୍ଦର ନନ୍ଦନ ।
କେ ବୋଲଇ ମୁହିଁ ଆଗେ ଚିହ୍ନିଲି ସେହି ତ
ତାହା ଛଡ଼ା ଅପରର କି ଗୋ ଏଡ଼ୋ କୃତ୍ୟ ।
ଆନର ବଳେ ଏମନ୍ତ ନୁହଇ ନା କରି
ଅନେକ ମାୟା ଜାଣଇ ସେ ମୂରଲୀଧାରୀ ।
କେ ବୋଲଇ ଏତେ ଲୁଗା କେଉଁପରି ନେଲା
ବାନ୍ଧିକରି ନେଲାବେଳେ କେହି ନ ଦେଖିଲା ।
ଏତେ ଭଳି ଲଜ୍ଜାଭରେ ସକଳ ଗୁଆଳୀ
ଜଳ ମଧ୍ୟରେ ପଶିଲେ ହୋଇ ଠେଲାଠେଲି ।
ଶ୍ରୀକୃଷ୍ଣଙ୍କ ମୁଖକୁ ଚାହିଁ ବୋଲନ୍ତି ସକଳେ
ଏଡ଼େ ଅନ୍ୟାୟ କିପାଇଁ କଲ ନନ୍ଦବାଳେ ।
ଆମ୍ଭେ ଖୁଡ଼େଇ ଜେଠେ କେହେବୁ ବା ମାଈଁ
ଆମ୍ଭଙ୍କୁ ଏଡ଼େ କଟାଳ କରୁ କିସପାଇଁ ।
ଆମ୍ଭ ବସ୍ତ୍ର ଅଳଙ୍କାରମାନ ଦିଅ ବାବୁ
ବୋଲଣା ନ ପାଉ ସର୍ବେ ଘରକୁହିଁ ଯିବୁ ।
ଶାଶୁ ନଣନ୍ଦ ଦିଅର ଆମ୍ଭର ତ ମନ୍ଦ
ବୃଥା କଥାକୁ ଲଗାଉ ଥାଆନ୍ତି ସେ ଦ୍ୱନ୍ଦ୍ୱ ।
ବିଶେଷରେ ଅଟୁ ଆମ୍ଭେ କୁଳ ଭୁଆସୁଣୀ
ଆମ୍ଭଙ୍କୁ ଏଡ଼େ କଟାଳ ନ ଯୋଗଇ ପୁଣି ।
ଜଳଘାଟେ ଖଣ୍ଟପରି ନ କର ତ ଡକା
ବସ୍ତ୍ର ଅଳଙ୍କାରମାନ ତଳକୁ ତୁ ପକା ।
ଯେବେ କି ମୂର୍ଖ ଗଉଡ଼େ ଜାଣିବେ ଏମନ୍ତି
ଅବଶ୍ୟ ନିସ୍ତୁକ ମାଡ଼ ଦେବେଟି ଶ୍ରୀପତି ।
ରାଜାର ଅହନ୍ତା ଅଛି ତୁମ୍ଭଙ୍କୁ ବହୁତ
ଧରାଇ ନେଇଣ ଦଣ୍ଡ ଦେବ ସେ ଦଇତ ।
ନନ୍ଦ ଯଶୋଦାଙ୍କର ତୁ ଏକଇର ବଳା
ତୋର ମନ୍ଦପଣ ସବୁ ନାଶଯିବ ଭଲା ।
ନ ଜାଣିଣ ଦୋଷ ଯେବେ କଲୁ ପୀତବାସ
ବସ୍ତ୍ର ଅଳଙ୍କାର ଦିଅ କ୍ଷମିଲୁ ସେ ଦୋଷ ।
ଶ୍ରୀକୃଷ୍ଣ ବୋଲନ୍ତି ଆଲୋ ଗଉଡୁଣୀ ଛାର
ତୁମ୍ଭେ ସର୍ବେ ସାଧୁ ଆମ୍ଭେ ଅଟୁ ସିନା ଚୋର ।
ଆମ୍ଭ କରମରେ ଆମ୍ଭେ ଉତ୍ତମରେ ଥାଉ
ବାଛୁରୀଗୁଡ଼ାଏ ରଖି ନିତି କାଳ ନେଉ ।
ଏ କଦମ୍ୱଡାଳେ ଆମ୍ଭେ ବସି ବଂଶୀ ବାଉ
ଏହି କଥା ଗୋଟି ଅବା ନ ଜାଣଇ କେହୁ ।
କାଳକ ତୁମ୍ଭେ ଏଠାରେ ଆସି ସ୍ନାନକର
ଆମ୍ଭଙ୍କୁ କିପାଇଁ ବୃଥା ବୋଲ ଚୋର ଚୋର ।
ତୁମ୍ଭେ ଦୋଷଦେଲେ ହେବ ଆମ୍ଭର ଗୋ କିସ
ବିହି ଲିହିଛି ଆମ୍ଭର ଏପରି ଭବିଷ୍ୟ ।
ଶ୍ରୀକୃଷ୍ଣ ମୁଖରୁ ଗୋପୀ ଏସନକ ଶୁଣି
ସ୍ତମ୍ଭୀଭୂତ ହୋଇ ସର୍ବେ କହୁଛନ୍ତି ବାଣୀ ।
ଗୋପୀବୋଲନ୍ତି ନିଷ୍ଠୁର ଏଟେ ତୋର ହିଆ
ତେଣୁକରି ଅଟଇ ଯେ ଅତିଶୟ ମାୟା ।
ତେତୋ ବା କିସ ବୋଲିବା ଯଶୋଦା ତ ନଷ୍ଟୀ
ପୁତ୍ର ପରାୟେ ମଣିଲା ଯେଣୁ ସେ ପାପିଷ୍ଠୀ ।
କୁଳକଳଙ୍କ ଏପରି ଜଣେ କେହି ନାହିଁ
କୁପୁତ୍ର ହେତୁରୁ ମାତା ନର୍କରେ ପଡ଼ଇ ।
ଏତେବୋଲି ଗୋପୀମାନେ ରାଗେଦେଲେ ଗାଳି
ଅକାଳ ମୃତ୍ୟୁ ତୋତେରେ ହେଉ ବନମାଳୀ ।
ଅକାଳରେ ଘଡ଼ଘଡ଼ି ପଡ଼ି ତୋର ମାଥ
କାଳ ବିକାଳ ଆସିଣ ନିଅନ୍ତୁ ତୁରିତ ।
କେ ବୋଲଇ ଯଶୋଦା ଯେ ଆଣ୍ଠୁକୁଢ଼ୀ ହେଉ
ତୁହି ମରିଲେ ଗୋପରୁ ସଲ ଏବେ ଯାଉ ।
ରାଜାର ବିଶ୍ୱମୂରତି ପଡ଼ୁ ତା ଉପରେ
ନୋହିଲେ ବିନାଶ ତୋତେ କରନ୍ତୁ ତା ଚାରେ ।
କେ ବୋଲେ ଚଡ଼କ ବାଡ଼ି ତୋତେ ଆସି ଖାଉ
କେ ବୋଲେ ଶୋଇଲାଠାରେ ତୋର ପ୍ରାଣଯାଉ ।
କେ ବୋଲେ ତୋହର ମୁହେଁ ଲାଗୁ ଆରେ ନିଆଁ
କେ ବୋଲେବାଘ ଭାଲୁଙ୍କ ମୁଖେ ତୁରେ ଯାଆ ।
ଆମ୍ଭର ଏ ଅଭିଶାପ ତୋ ଉପରେ ପଡ଼ୁ
କେବୋଲେ ଆକାଶଗୋଟି ୟା ଉପରେ ଛିଡ଼ୁ ।
କେ ବୋଲେ ବୈରୀ ଆମ୍ଭର ଏ କଦମ୍ୱ ଗୋଟା
ବୃକ୍ଷରେ ଥାଇ ଆମ୍ଭଙ୍କୁ କରେ ହଟହଟା ।
ଏ ବୃକ୍ଷ କାଟିଲେ ସରୁ କୃଷ୍ଣର ଆର୍ଦ୍ଦୋଳି
ନୋହିଲେ ଡାଳ ଭାଙ୍ଗିଲେ ମରୁ ବନମାଳୀ ।
ଏତେ ବୋଲିଣ ଗୋପୀଏ ଦେଲେ ବହୁଗାଳି
ସମସ୍ତେ ବୋଇଲେ ବୃକ୍ଷୁଁ ପଡ଼ୁ ବନମାଳୀ ।
ଆମ୍ଭର ଦେଖନ୍ତେ ପଡ଼ି ପ୍ରାଣ ଛାଡ଼ିଯାଉ
ଆମ୍ଭର ଏ ଅଭିଶାପ ଅନ୍ୟଥା ନ ହେଉ ।
ଗୋପୀମାନଙ୍କର ଗାଳି ଶୁଣି ଜଗନ୍ନାଥ
କଦମ୍ୱ ବୃକ୍ଷରୁ ଡାଳେ ଭାଙ୍ଗିଲେ ତ୍ୱରିତ ।
ଡାଳ ସହିତରେ ତଳେ କୃଷ୍ଣ ପଡ଼ିଗଲେ
ମିଛରେ ଆଖି ବୁଜିଣ ମୃତ ପ୍ରାୟ ହେଲେ ।
ଜଳ ଭିତରେ ଥାଇଣ ସର୍ବେ ଗୋପନାରୀ
ଦେଖିଲେ ବୃକ୍ଷ ଉପରୁ ପଡ଼ିଲେ ଶ୍ରୀହରି ।
ଥୋକାଏ ହର୍ଷ ଥୋକାଏ ବିରସ ହୋଇଲେ
କୃଷ୍ଣେ ଆମ୍ଭ ଅଭିଶାପ ପଡ଼ିଲା ବୋଇଲେ ।
କ୍ରୋଧ ଆମ୍ଭର କ୍ଷଣେ ତ ନ ଗଲା ଗୋ ଗଡ଼ି
ବୋଇଲା ମାତ୍ରେ ଶ୍ରୀକୃଷ୍ଣ ବୃକ୍ଷୁ ଗଲା ପଡ଼ି ।
ଏତେ ବୋଲି ନଦୀ ମଧ୍ୟୁ ବାହାରି ସୁନ୍ଦରୀ
ଗୋବିନ୍ଦଙ୍କୁ ବେଢ଼ିଲେ ଯେ ଶତେପୁର କରି ।
ନିଶ୍ଚେଷ୍ଟେ ପଡ଼ି ଅଛନ୍ତି ପ୍ରଭୁ ଦେବରାୟେ
ଛଦ୍ରମେ ଶୋଇଅଛନ୍ତି ମୃତ ଶବ ପ୍ରାୟେ ।
ଧୀରେ ନିଃଶ୍ୱାସ ବହଇ ମୁଖୁଁ ଲାଳ ଗଳି
ଉତ୍ତାନଶାୟୀରେ ପଡ଼ିଛନ୍ତି ବନମାଳୀ ।
ଦେଖିକରି ଗୋପୀମାନେ ହୋଇଲେ କାତର
ବୋଇଲେ ବୁଡ଼ିଲା ନିଶ୍ଚେଁ ନନ୍ଦରଜା ଘର ।
ଏକଇ ବଳା ନନ୍ଦର ଗଲା ଏବେ ନାଶ
ଜନମୁଖେ ଅପବାଦ ହେବ ବଡ଼ ଦୋଷ ।
କେ ବୋଲେ ନନ୍ଦ ଆମ୍ଭଙ୍କୁ ନିଶ୍ଚୟ ଦଣ୍ଡିବ
କେ ବୋଲେ ଯଶୋଦା ଆଉ ପ୍ରାଣେ କି ରହିବ ।
କେ ବୋଲେ କିସ ହୋଇଲା ଏହି ଗୋ ମରିଲେ
ଏହା ଦୁଷ୍ଟପଣ ସର୍ବେ ଜାଣନ୍ତି ନା ଭଲେ ।
କେ ବୋଲଇ ସଖି ଆଗୋ ୟା ବଦନ ଦେଖ
ନିଷ୍କଳଙ୍କ ଚନ୍ଦ୍ରପ୍ରାୟ ଦିଶଇ ଶ୍ରୀମୁଖ ।
ଅଶେଷ ଗୁଣବନ୍ତ ଏ ଅଟେ ବାରାନିଧି
ଏ ନାଶ ଗଲେ ସରିଲା ଗୋପର ସମୃଦ୍ଧି ।
କେ ବୋଲେ କଂସର ଆଜୁଁ ଶତ୍ରୁ ଗଲା ନାଶ
ଚାରମୁଖୁଁ ଶୁଣିଲେ ସେ ହୋଇବ ହରଷ ।
କେ ବୋଲେ ମୁହିଁ ଆଗ ଗୋ ବାର୍ତ୍ତାପଠାଇବି
କଂସରଠାରୁ ଅନେକ ସମ୍ପଦ ପାଇବି ।
ନ ଜାଣି ଏଡ଼େ କରମ କରିଲା ଦଇବ
ସପତାଙ୍ଗେ ନାଶ ଗଲା ଗୋପର ବିଭବ ।
କେତେବେଳେ ଗୁଣ ତୋର ବାହୁନିବା ହରି
ଦିନ ଦିନ କଥା ମନୁ ନ ଯିବ ପାସୋରି ।
ନବଲକ୍ଷ ଗୃହ ଗୋପ ନଗରେ ଅଛଇ
ସମସ୍ତଙ୍କୁ ମାୟା ମୋହେ ଥିଲୁ ତୁ ଭୁଲାଇ ।
ଥୋକାଏ ବିକଳ ହ୍ୱନ୍ତି ଗୁଣମାନ ଗୁଣି
ବେନି ନୟନରୁ ଜଳ ବହିଯାଏ ପୁଣି ।
ଥୋକାଏ ବଦନ ଚାହିଁ କରନ୍ତି ରୋଦନ
ଥୋକାଏ ବୋଲନ୍ତି ଛାଡ଼ିଗଲୁ ନନ୍ଦନାନ ।
କିଏ ଆଉ ଗୋପପୁରେ ଲୀଳା ଲଗାଇବ
କିଏ ବା ଦୁଧ ଲବଣୀ ଗୁଟିକା ଖାଇବ ।
କିଏ ପୁଅଙ୍କ ସଙ୍ଗରେ ରଖିବ ବାଛୁରୀ
କିଏ ବଜାଇବ ଆଉ ଧରିଣ ବାଂଶରୀ ।
କେତେ କେତେ ଆପଦରୁ ଉବୁରିଣ ଗଲା
ଶକଟା ଯାମଳା ଦୈତ୍ୟ ହେଳେଣ ମାଇଲା ।
ଷଣ୍ଢା ବକା ବତ୍ସା ଅଘା ନାଶି କୁତୂହଳେ
ପୁଅମାନଙ୍କୁ ରଖିଲା ବିପଦର କାଳେ ।
ଏବେ ଅଖଡ଼ରେ ବୃକ୍ଷପରୁ ପଡ଼ି ମଲା
ଜାଣିଲୁ ଦଇବ ସିନା ଏ ଦଣ୍ଡ ବିହିଲା ।
କେ ବୋଲଇ ବୃଥାଶୋକ କରିଲେ କି ହେବ
ଆଉ ଶ୍ରୀକୃଷ୍ଣ ସତେ କି ଜୀବନ ପାଇବ ।
ଚାଲ ସର୍ବେ ବୃକ୍ଷରୁ ଗୋ ଆଣିବା ବସନ
ଯେ ଯାହାର ପିନ୍ଧି ସର୍ବେ ଯିବା ଗୋ ବହନ ।
ବାର୍ତ୍ତା କହିବା ଯାଇଣ ନନ୍ଦ ଯଶୋଦାଙ୍କୁ
ବେଳାବେଳି କରି ଚାଲ ଯିବା ଗୋ ପୁରକୁ ।
ଆମ୍ଭେ ମାଇଲୁ ବୋଲିଣ ଦୋଷ ଗୋ ପାଇବା
ଆଗହୁଁ ତାହାରି ସିନା ଉପାୟ କରିବା ।
ଏତେ ବୋଲିଣ ଗୋପୀଏ ଶ୍ରୀକୃଷ୍ଣଙ୍କୁ ଛାଡ଼ି
ବସ୍ତ୍ର ଅଳଙ୍କାରକୁ ସେ ଚାହିଁଲେ ବାହୁଡ଼ି ।
ବେଭାରେ ଉଲଗ୍ନ ହୋଇଛନ୍ତି ଗୋପନାରୀ
ତେଣୁକରି ଲଜ୍ଜାଭରେ ଚାଲନ୍ତି ସୁନ୍ଦରୀ ।
ଆବର ବିଶେଷେ ନାହିଁ ଅଳଙ୍କାରମାନ
ତାହା ଛାଡ଼ିଣ ଯିବାକୁ ନ ବଳଇ ମନ ।
ବେଭାର ସେ କୁଳବଧୂ ଗୋପର ତରୁଣୀ
ବେଳ ଏଣେ ଅବସାନ ଅଛି ଘଡ଼ି ତିନି ।
ଶରୀର କମ୍ପୁଅଛଇ ଲାଗିବାରୁ କ୍ଷୁଧା
କୃଷ୍ଣ ମୋହେ ପଡ଼ିଛନ୍ତି ମନେ ବଡ଼ ବାଧା ।
ବୃକ୍ଷକୁ କୁଣ୍ଡାଇ କେହି ଉପରକୁ ଉଠି
ଖଣ୍ଡେ ଦୂର ଯାଇ ପୁଣି ଆସଇ ଲେଉଟି ।
ଚରଣେ ଫାଶ ଦେଇ କେ ଖଣ୍ଡେଦୂର ଯାନ୍ତି
ମୁଣ୍ଡ ବୁଲାନ୍ତେଣ ପୁଣି ତଳରେ ପଡ଼ନ୍ତି ।
ଏହିପରି ଗୋପୀମାନେ କରନ୍ତେ ଉପାୟେ
ବିଷ୍ଣୁଙ୍କ ଆଜ୍ଞାରେ ତରୁ ବିସ୍ତାରିଲା କାୟେ ।
ଆକାଶ ମାର୍ଗରେ ଯାଇ ଲାଗିଲ ତା ଶିଖା
ମେରୁ କନ୍ଦର ପରାୟେ ସେ ବୃକ୍ଷ ଅଲେଖା ।
ଗୋପୀଙ୍କର କଥା ହରି ମନେ ମନେ ଭାଳି
ତେଜିୟାନ ହୋଇ ଉଠିଲେକ ବନମାଳୀ ।
କରେ କଦମ୍ୱ ଡାଳରୁ ଖଣ୍ଡିଏ ଧଇଲେ
ଧୂଳି ଧୂସର ହୋଇଣ ଗରଜି ଉଠିଲେ ।
ରଟମଟ ଦନ୍ତ ଧରି ବିକଟାଳ ମୂର୍ତ୍ତି
ଗୋପୀଙ୍କ ମଧ୍ୟରେ ହିର ଯାଇଣ ପଶନ୍ତି ।
ଆଲୋ ଆଲୋ ଗୋପୀମାନେ ଯିବ ଆଜ କାହିଁ
ମୋର ଛାମୁରୁ ଆଜ ଗୋ ନ ବର୍ତ୍ତିବ କେହି ।
ତୁମ୍ଭମାନଙ୍କ ଶାପରୁ ବୃକ୍ଷରୁ ପଡ଼ିଲି
ଦଇବ ଯୋଗରୁ ଆସି ଭୂତ ମୁଁ ହୋଇଲି ।
ଏତେ କହି ଚଢିଲେକ କଦମ୍ୱରେ ଯାଇ
ବାହୁଡ଼ି ଦୋଳି ଖେଳିଲେ ଜଗତ ଗୋସାଇଁ ।
ହସ୍ତରେ ବିରହ ବେଣୁ ଧରିଣ ଚୁମ୍ୱିଲେ
ପଞ୍ଚମ ସ୍ୱରରେ ଗୀତ ବସିଣ ଗାଇଲେ ।
ଦେଖିକରି ଗୋପୀମାନେ ହେଲେ ସ୍ତମ୍ଭୀଭୂତ
ଚକିତରେ ଶ୍ରୀକୃଷ୍ଣଙ୍କୁ ଚାହିଁଲେ ସମସ୍ତ ।
ଲଜ୍ଜାଭରେ ନୂଆଇଁଣ ଯେ ଯାହାର ଶିର
ଧାଇଁଯାଇଁ ଜଳମଧ୍ୟେ ପଶିଲେ ସତ୍ୱର ।
ବିନୟ ଭାବରେ ତହୁଁ କରନ୍ତି ଦଇନୀ
ଏଡ଼େ ମାୟାଧର ତୁମ୍ଭେ ଅଟ ଚକ୍ରପାଣି ।
ଭୋ କୃଷ୍ଣ ଆମ୍ଭର ଏବେ ଶୁଣ ଯେ ବଚନ
କାହିଁପାଇଁ ହଟହଟା କରୁ ଜନାର୍ଦ୍ଦନ ।
କରଯୋଡ଼ି ଜଣାଉଛି ଦିଅ ଯେଝାବସ୍ତ୍ର
ଏତେ ହର୍କତ କରିବା ନୁହଇ ଉଚିତ ।
କୃଷ୍ଣ ବୋଇଲେ ଆମ୍ଭେ ତ ଚୋରି ନ କରିଲୁ
ବୃକ୍ଷପରେ ଲାଗିଅଛି ଆସନ୍ତେ ଦେଖିଲୁ ।
ତୁମ୍ଭର କି କାହାର ବା ନ ଜାଣୁ ତ କିଛି
ବସ୍ତ୍ର ଅଳଙ୍କାର ସବୁ ଡାଳେ ଲାଗିଅଛି ।
ଆମ୍ଭ ତ ନ ଜାଣୁ ଏହା କାହାର କିସ ବା
ପରର ପଦାର୍ଥ ଆମ୍ଭ କାହାକୁ ଗୋ ଦେବା ।
ତୁମ୍ଭର ହୋଇଲେ ବେଗେ ଚିହ୍ନି ନିଅ ଆସି
ନୋହିଲୋ ସନ୍ଧ୍ୟା ପର୍ଯ୍ୟନ୍ତେ ଜଳେ ଥାଅ ପଶି ।
ଆମ୍ଭେ କାହାର ବେଠିଆ ନୋହୁ ନା ଚାକର
ବସ୍ତ୍ର ଅଳଙ୍କାର ଦେବୁ ନେଇ ଯାଚି କର ।
ତୁମ୍ଭର ବାକ୍ୟେ ପାଇଲୁ ଆମ୍ଭେ ବଡ଼ ଦୁଃଖ
ବୃକ୍ଷ ଉପରୁ ପଡ଼ିଲୁ ଭାଙ୍ଗିଲାକ ବେକ ।
ଦଇବେ ଏଥୁଁ ବର୍ତ୍ତିଲୁ ଲାଜ ମାଡ଼ୁନାହିଁ
ଗ୍ରାମଯାକ ସ୍ତିରୀ ତୁମ୍ଭେ ଆସିଛ ଗାଧୋଇ ।
ତୁମ୍ଭେ ବୋଲୁଛ ପୁଣି ତ ଆମ୍ଭେ କୁଳନାରୀ
ଶାଶୁ ଶ୍ୱଶୁରଙ୍କୁ ଭୟ ନାହିଁ ତ କାହାରି ।
କୁଳବଧୂ ଉଲଗ୍ନକି ହୋଇଛନ୍ତି କାହିଁ
ଆହୁରି ବଢ଼ି କହୁଛ ଲାଜ ମାଡ଼ୁ ନାହିଁ ।
ଏଡ଼ିକି ନିର୍ଲ୍ଲଜୀ ତୁମ୍ଭେ ଅଟ ଗୋପାଳୁଣୀ
ସାହି ସାହି ବିକ ବୁଲି ଦୁଧ ଦହି ଘେନି ।
ତୁମ୍ଭର କଥା ତୁମ୍ଭଙ୍କୁ ବିଚାର ଗୋ କିନା
ଶୁଣି ବିଷାଦିତ ହେଲେ ସର୍ବ ଗୋପାଙ୍ଗନା ।
ଗୋପୀମାନେ ବୋଇଲେ ଯେ ଶୁଣସିରେ ବାବୁ
ଯେତେ କହିଲ ଆମ୍ଭର ଦୋଷ ସିନା ସବୁ ।
ବେଶି କହିଲେ ଆମ୍ଭଙ୍କୁ ହୋଇବ ତା କିସ
ଦିଅ ବସ୍ତ୍ର ଅଳଙ୍କାର କ୍ଷମାକର ଦୋଷ ।
କୃଷ୍ଣ ବୋଇଲେ ଯେବେ କି ଦେବୁ ବସ୍ତ୍ର ଆମ୍ଭେ
ଆମ୍ଭଙ୍କୁ କିସ ଦେବ ଗୋ କୁହତ ସଭିଏଁ ।
ଗୋପୀଏ ବୋଇଲେ ତୁମ୍ଭେ ମାଗିବ ଯା ଦେବୁ
ଏ ତୋହର ଆଗେ ସତ୍ୟ କହିଲୁରେ ବାବୁ ।
କୃଷ୍ଣ ବୋଇଲେ ଯା ଦେବ ଅତିଶୀଘ୍ର ଦେବ
ବିଳମ୍ୱ କଲେ ଧର୍ମରେ ହାନି ଗୋ ହୋଇବ ।
ଯାହା ଦେବାର ହୋଇବ ଦେବ ତତକ୍ଷଣି
ଧର୍ମଶାସ୍ତ୍ରେ ମୁନି ଏହା ଅଛନ୍ତି ବଖାଣି ।
ଗୋପୀଏ ବୋଇଲେ ଆମ୍ଭେ ହସ୍ତେ ଧନ ନାହିଁ
ବସ୍ତ୍ର ଅଳଙ୍କାରମାନ ଅଛି ତୁମ୍ଭ ତହିଁ ।
ତୁମ୍ଭର ଇଚ୍ଛା ସୁଖରେ ଯାହା ନେବ ଘେନ
ଆଉ ଯେବେ ହେବ ଫେରିଦିଅ ଭଗବାନ ।
ଶ୍ରୀକୃଷ୍ଣ ବୋଇଲେ ଧନେ ଆମ୍ଭେ କାର୍ଯ୍ୟ ନାହିଁ
ମନକଥା ମାଗିବୁ ଯେ ନ କରିବ ନାହିଁ ।
କୃଷ୍ଣ ବୋଇଲେ ନ ହେବ ତୁମ୍ଭେ ଧନକ୍ଷୟେ
ବଚନରେ ପ୍ରୀତି ଥିବ ଜୀବ ଥିବାଯାଏ ।
ଗୋପୀଏ ବୋଇଲେ ଯେବେ ଧନେକାର୍ଯ୍ୟ ନାହିଁ
ଯାହା ମାଗିବୁ କିପାଁ ନ କହୁ ଭାବଗ୍ରୀହୀ ।
ଗୋବିନ୍ଦ ବୋଇଲେ ଏହା ଯେବେ ଦୃଢ଼ବାଣୀ
ପଛକୁ ନାସ୍ତି କେବେ ତ ନ କରିବ ପୁଣି ।
ଗୋପୀ ବୋଇଲେ ଆମ୍ଭର ତିନିବାର ସତ୍ୟ
ଯାହା ମାଗିବ ତ ଦେବୁ ଆହେ ଗୋପୀନାଥ ।
କୃଷ୍ଣ ବୋଇଲେ ଆମ୍ଭର ଧନେ ନାହିଁ ମତି
ବସ୍ତ୍ର ଅଳଙ୍କାର ନିଅ ଥାଉ ଗୋ ପୀରତି ।
ଶୁଣି ଗୋପାଙ୍ଗନା ଲାଜେ ପୋତିଲେକ ମଥା
ବୋଇଲେ ମାଧବ କେହ୍ନେ ବୋଲୁ ଦୁଷ୍ଟକଥା ।
କଅଁଳାପୁଅ ତୁହି ତ ଯେଣୁ ଶିରୀବତ୍ସି
ପାପ ପୁଣ୍ୟକୁ ଭୟ ତୋ ନାହିଁ ତେଣୁ କିଛି ।
ଜାଣୁ ଜାଣୁ ଆମ୍ଭେ କେହ୍ନେ କରିବୁ ଏ କର୍ମ
ନିଶ୍ଚୟ ନାଶଯିବୁଟି ସଂସାରର ଧର୍ମ ।
ନଣନ୍ଦେଇ ଆମ୍ଭ ନନ୍ଦ ଯଶୋଦା ନଣନ୍ଦ
ତୁମ୍ଭେ ଆମ୍ଭର ଭଣଜା କେହ୍ନେ ବୋଲ ମନ୍ଦ ।
ବାବୁ ଅନ୍ତୁଡ଼ି ଉଠାଇ କାଟିଲୁ ତୋ ନାହି
କାଳ ବିପରୀତକୁ ରେ କରୁ ଏତେ ଟାହି ।
ଗନ୍ଧ ଚନ୍ଦନ କସ୍ତୁରୀ ଘଷି ତୋର ଅଙ୍ଗେ
ଦୋଳିରେ ବସାଇ ଗୀତ ଗାଇ ନାନାରଙ୍ଗେ ।
ଗୋପୀଙ୍କ ବଚନ ଶୁଣି ବୋଲନ୍ତି ଶ୍ରୀହରି
ତୁମ୍ଭର ସତ୍ୟ ତୁମ୍ଭେ ତ ହାରୁଛ ସୁନ୍ଦରୀ ।
ଇଷ୍ଟବନ୍ଧୁ କୁଟୁମ୍ୱ ଯେ କେତେକାଳେ ଆନ
ଉଭୟଲୋକର ହାସ୍ୟ ଅସତ୍ୟ ବଚନ ।
ନିଶ୍ଚୟ ତୁମ୍ଭର ଆମ୍ଭେ ବାନ୍ଧିବ ଗୋ ଯେବେ
ଯାହା ଶ୍ରଦ୍ଧାକଲୁ ତାହା ଦିଅକିନା ଜବେ ।
ଆବର ଆମ୍ଭେ କରିବୁ ତୁମ୍ଭେ ଉପକାର
କଦମ୍ୱ ବୃକ୍ଷରୁ ଦେବୁ ବସ୍ତ୍ର ଅଳଙ୍କାର ।
ତାହା ପିନ୍ଧିଲେ ତୁମ୍ଭର ମର୍ଯ୍ୟାଦା ରହିବ
ଗୃହେ ଯାଇ ଗାଳିମନ୍ଦ ଆଉ ନ ଶୁଣିବ ।
ଏହାଠାରୁ ବଳି ଆଉ ଅଛି କିବା ଭାଗ୍ୟ
ଆଉ ନ ପାଇବ ତୁମ୍ଭେ ଏପରି ସୁଯୋଗ ।
ଅପାଙ୍ଗ ନୟନ ତୁମ୍ଭ କାମ ପଞ୍ଚବାଣ
ଭ୍ରୂଲତା ମନମଥର ଅଟେ ଚାପ ପୁଣ ।
ପକ୍ୱ ବିମ୍ୱାଧର କଣ୍ଠ ପଦ୍ମନାଡ଼ ଜିଣି
ଯାହା ଦେଖି ଭୁଲିଯିବେ ସୁରସିଦ୍ଧି ମୁନି ।
ଉଲଟ ରମ୍ଭା ପରାୟେ ଜାନୁ କଟି ଶୋଭା
ସୁକୁମାରୀ ସୁଲକ୍ଷଣୀ ଏକେ ନବଯୁବା ।
ଗୋପୀଏ ଶୁଣି ବୋଇଲେ କହ ବିପରୀତ
କଅଁଳାପୁଅ କେମନ୍ତେ ଜାଣିଲା ଏମନ୍ତ ।
କୌଣସିମତେ ଉପାୟେ ନାହିଁ ନା ଏହାକୁ
ଏତେ ବୋଲି ଚାହାଁଚାହିଁ ଏକ ଯେ ଆରକୁ ।
କେ ବୋଲେ ଆଉ ମନରେ କି ଅବା ବିଚାର
ବଡ଼ ହଟହଟା କଲା ନନ୍ଦର କୁମର ।
କେ ବୋଲେ ୟାକୁ ଉହାଡ଼େ ନେବାଚାଲ ଧରି
ଭାଙ୍ଗିଦେବା ଦାନ୍ତପାଟି ବହୁମାଡ଼ ମାରି ।
କେହୁ ବୋଲନ୍ତି ଆମ୍ଭେ ଗୋ ଅନେକ ନାୟିକା
ଶ୍ରୀକୃଷ୍ଣ କଅଁଳାପୁଅ ଅଟେ ସିନା ଏକା ।
ଏତେ ଲୋକଙ୍କର କିସ ପାରିବ ସେ କରି
ଆବର ଅଶେଷ ନୁହେଁ ବୟସରେ ସରି ।
ବାତୁଳ ବାଳପୁଅଙ୍କୁ ଏକକରି ଲେଖି
ଥୋକାଏ ବୋଲନ୍ତି କଥାଏକ କରିବା କି ।
ଭଣ୍ଡିକରି ତାହାକୁ ଗୋ ଯିବା ତ ପଳାଇ
କିସ କରିବ ଆମ୍ଭର ସେ ବାଳତନୟି ।
ଦେଖିବା ବୃଦ୍ଧି ତାହାର କେଡ଼େ ବଡ଼ ଅଟେ
ହଟହଟା କରେ ଗୌଡ଼ଟୋକା ହାଟେ ବାଟେ ।
ଏଥର ଦେବା ଧରିଣ ମନଇଚ୍ଛା ମାଡ଼
ଭାଙ୍ଗି ପକାଇଣ ଦେବା ପଞ୍ଜରାର ହାଡ଼ ।
ବଡ଼ଲୋକ ପୁଅ ହୋଇ କହେ ମନ୍ଦବାଣୀ
କେତେ ଏହାର ଅନ୍ୟାୟ ସହିବା ଗୋ ପୁଣି ।
ଦେଖ ଏବେ ବେଳ ଆସି ହୋଇଲାଣି ଶେଷ
ସମସ୍ତେ ସମ୍ମତ କର ହେଉ ସେ ସନ୍ତୋଷ ।
ଆୟ ଅଳଙ୍କାରମାନ ପାଇଲେ ସରବେ
ତରତରେ ପଳାଇବା ଯେଝାପୁରେ ଜବେ ।
ଏହା ବିଚାରିଣ ସର୍ବେ କଲେ ସନମତ
ଶୁଣି ସନ୍ତୋଷ ହୋଇଲେ ପ୍ରଭୁ ଗୋପୀନାଥ ।
କଦମ୍ୱ ଶିଖୁ ଓହ୍ଲାନ୍ତେ ପ୍ରଭୁ ଦେବରାୟେ
ଯମୁନାରୁ ବାହାରିଲେ ସକଳ ଗୋପୀଏ ।
ଅଶେଷ ବିଶ୍ୱମୂରତି ଧଇଲେ ଶ୍ରୀହରି
ଯେତେ ସ୍ତିରୀତେତେରୂପ ହେଲେ ବଂଶୀଧାରୀ ।
ସର୍ବସଙ୍ଗେ ଅଙ୍ଗ ସଙ୍ଗ ହେଲେ କୁଞ୍ଜବନେ
ଏକର କଥାକୁ ପୁଣି ନ ଜାଣଇ ଆନେ ।
ଯେତେ ଜାତିରେ ନାୟିକା ତେତେ ଜାତ ପୁଂସ
ହୋଇ ତହିଁ ବିଳସିଲେ ଦେବ ପୀତବାସ ।
ତଦନ୍ତେ ବସ୍ତ୍ରାଳାଙ୍କାର ଦେଲେ ନରହରି
ଗୋପୀଗଣେ ବାଛିନେଲେ ଚିହ୍ନି ଯେ ଯାହାରି ।
ସମ୍ପୂର୍ଣ୍ଣରେ ତେରଘଡ଼ି ହେଲା ଯହୁଁ ବେଳ
ଆପଣା ପୂରକୁ ତହୁଁ ଗଲେ ନନ୍ଦବାଳ ।
ବତ୍ସାନ୍ତ ପାଣି ପିଆଇ ଗୁହାଳରେ ଭରି
ଯଶୋଦା ଛାମୁରେ ଯାଇ ମିଳିଲେ ମୁରାରି ।
ଷଡ଼ରସ ପରକାରେ କରିଲେ ଆହାର
ବାଳମୂରତି ଧରିଣ ପ୍ରଭୁ ଚକ୍ରଧର ।
ଯଶୋଦା ନ ଜାଣେ ତାହା ନନ୍ଦ ନ ଜାଣଇ
ବଳରାମ ସହିତରେ ନ ଜାଣନ୍ତି କେହି ।
ଯେଝାବାସ ପିନ୍ଧି ତେଣେ ସର୍ବ ଗୋପୀଗଣ
ନିଜ ନିଜ ମନ୍ଦିରକୁ କରିଲେ ଗମନ ।
ଶାଶୁ ନଣନ୍ଦ ବୋଇଲେ ଥିଲ ତୁମ୍ଭେ କାହିଁ
ଏତେବେଳେ ଆସ ଗୃହେ ଲାଜ ମୁଖେ ନାହିଁ ।
କୁଳ ଭୁଆସୁଣୀ ହୋଇ ଟିକେ ନାହିଁ ଡର
ହାଟ ବାଉରାଣୀ ପରି କର ଗୋ ବେଭାର ।
ଗୋପୀଏ ବୋଇଲେ ସର୍ବେ ଏକତ୍ରରେ ଥିଲୁ
ଯୁକତେ ଅକ୍ଷତୃତୀୟା ଓଷା କରିଥିଲୁ ।
ଆଦିତ୍ୟ ଅସ୍ତ ପର୍ଯ୍ୟନ୍ତେ ଅନାହାରେ ଥିବୁ
ନକ୍ଷତ୍ର ଦେଖିଲେ ଯାଇ ଆହାର କରିବୁ ।
ଏତେ ବୋଲିଣ ଗୋପୀଏ ଭଣ୍ଡି ଯେ ଯାହାରେ
ପ୍ରତୀକି କଲେ ସରବେ ତାହାଙ୍କ କଥାରେ ।
ବିଷ୍ଣୁ ମାୟାରେ ମୋହିତ ସକଳ ପରାଣୀ
ପ୍ରତ୍ୟକ୍ଷରେ ଦେଖିକରି ନ ପାରନ୍ତି ଜାଣି ।
ଶୁକମୁନି ବୋଲନ୍ତି ହେ ଶୁଣ ନୃପରାୟେ
ଏ ଅଟେ ଶ୍ରୀଭାଗବତ ଅତି ପୁଣ୍ୟମୟେ ।
ପବିତ୍ର ଗଙ୍ଗାଜଳ ଏ ଗ୍ରନ୍ଥ ଗୋଟି ଜାଣ
ଦଶମସ୍କନ୍ଧ ଦ୍ୱାଦଶ ଅଧ୍ୟା ଏଥେ ପୂର୍ଣ୍ଣ ।
ଜୟ ନବଘନ ଶ୍ୟାମ ମୋହନ ମୂରତି
ଗୋପୀଜନ ଚିତ୍ତଚୋରା ରାଧା ପ୍ରାଣପତି ।
ପୂତନା ଶକଟା ତୃଣାବର୍ତ୍ତ ନିସୂଦନ
ଗୋବର୍ଦ୍ଧନ ଗିରିଧାରୀ କାଳୀୟ ଦଳନ ।
ତବ ଶ୍ରୀଚରଣ ତଳେ ସଦା ମୋର ଭକ୍ତି
ଅଚ୍ୟୁତ ଦାସ କବିକୁ ଦିଅ ସଦଗତି ।
ଯଶୋଦା ନିକଟରେ ଗୋପୀମାନଙ୍କର ଗୁହାରି ଓ ଅନ୍ଧ-ଦ୍ୱିଜର ଚକ୍ଷୁ ପ୍ରାପ୍ତି
[ସମ୍ପାଦନା]ଏଥୁଅନ୍ତରେ ପରୀକ୍ଷ ନାମେ ମହୀପତି
ଶୁକମୁନି ଚରଣରେ କରି ଦିବ୍ୟଭକ୍ତି ।
କରଯୋଡ଼ି ପୁଚ୍ଛାକରେ ବିନୟ ଭାବରେ
କିସ କଥା କଲେ ପ୍ରଭୁ ଏଥୁ ଅନନ୍ତରେ ।
ତାହା ମୋତେ ସଂକ୍ଷେପିଣ କୁହ ତପୋଧନ
ତବ ମୁଖୁଁ ଶୁଣି ତୃପ୍ତହେଉ ମୋ ପରାଣ ।
ବଦୟନ୍ତି ଶୁକଋଷି ଶୁଣ ପରୀକ୍ଷିତ
ଶ୍ରୀକୃଷ୍ଣଙ୍କ ବାଳଲୀଳା ଅପୂର୍ବ ଚରିତ ।
ଦିନେ ଗୋପାଳ ପୁଅଙ୍କୁ ଘେନି ବନମାଳୀ
ଖେଳ ଖେଳନ୍ତି ଦାଣ୍ଡରେ ହୋଇ କୁତୁହଳୀ ।
କଅଁଳା ପୁଅ ସମସ୍ତେ ବାଳୁତର ମତି
ସମସ୍ତେ ଏକ ବୟସ ସର୍ବେ ଏକଜାତି ।
ଶ୍ରୀକୃଷ୍ଣଙ୍କ ଆହାଲାଦେ କିଛି ନାହିଁ ଚିନ୍ତା
ଏକକୁ ଆରେକ ସର୍ବେ ବଳେ ବଳବନ୍ତା ।
କିଏ କାହାକୁ ଛାଟେକ ଘେନିଣ ପିଟଇ
କିଏ କାହାକୁ ବସନ ଧରିଣ ଚିରଇ ।
କିଏ ଧୂଳି ପକାଏ କେ କେଶ ଧରି ଝିଙ୍କେ
କିଏ କାହାର ଗାଲରେ ମାରିଦିଏ ମୁଥେ ।
କିଏ ମିଛେ ମିଛେ ଧୁଳିଘର ବସି କରେ
କିଏ ସେହି ଘରଗୋଟି ଭାଙ୍ଗଇ ଗେଲରେ ।
କିଏ ଧୂଳିଭାତ କରି ଧୂଳିର ତିଉଣ
କିଏ ଡାକଦିଏ ଆସ ଖାଇବ ମୋହନ ।
ଏରୂପେ ଖେଳ ଖେଳନ୍ତି ପ୍ରଭୁ ଦଇତ୍ୟାରି
ଏଣେ ମେଳି ହୋଇକରି ସର୍ବ ଗୋପନାରୀ ।
ଯଶୋଦା ପାଶରେ ମିଳି ବୋଲନ୍ତି ଏମନ୍ତ
ତୁମ୍ଭେ ପୁତ୍ରପାଇଁ ଆମ୍ଭେ ହେଲୁ ହନ୍ତସନ୍ତ ।
କିଏ ବୋଲଇ ଗୋ ରାଣୀ କି କହିବୁ ତୋତେ
ତୁମ୍ଭ ପୁତ୍ରପରି ଦୃଷ୍ଟ ନାହିଁ ତ୍ରିଜଗତେ ।
କାହାକୁ ମାରିଣ ଚିରି-ପକାଏ କା ବାସ
କାହା ବାଛୁରୀ ଫିଟାଇ ଦୁଧ କରେ ନାଶ ।
ପିଢ଼ା କଣାକରି ସବୁ ଖାଏ ଦୁଧ ଦହି
କାହାର ଦୁଧ ଆଟିକା ବାଡ଼ିରେ ଭାଙ୍ଗଇ ।
କହିଲେ ସେ ଅନୁଚିତ ବାକ୍ୟମାନ ଭାଷେ
ପାଣିଭାଣ୍ଡେ କୁଳୁକୁଞ୍ଚା ପକାଏ ସେ ରୋଷେ ।
କାହାର ଭାତହାଣ୍ଡିରେ ମାଟିନେଇ ଭରେ
କାହାର ଧାନ ଚାଉଳ ବୁଣଇ ଦାଣ୍ଡରେ ।
ଏକା ଜଣକୁ ଆମ୍ଭେ ତ ସର୍ବେ କଲୁ ଭୟେ
ତୁମ୍ଭର ଡରେ କିଛି ନ ବୋଲୁ ଆଗୋ ମାୟେ ।
କଅଁଳାପୁଅ ହୋଇଣ ଏଡ଼େ ଦୁଷ୍ଟମତି
ପୁଅଙ୍କ ଭିତରେ ସେ ତ ଖଣ୍ଡେ ବିଛୁଆତି ।
ଚାଲିଗଲା ଶଗଡ଼ରେ ପୂରାଏ ସେ ହାତ
ମଛି କୁହନାହୁଁ ଏହା ପଚାରି ବୁଝତ ।
ଯେବେ ଆକଟ ତାହାକୁ ନ କରିବ ମାୟେ
ଗୋପନଗ୍ର ଛାଡ଼ିଯିବୁ କହୁଛୁ ସଭିଏଁ ।
ଅତିଶୟ ଅନୀତି ତ କଲା ଦିନୁଦିନ
ଏବେ ତୁମ୍ଭ ପୁତ୍ରକୁ ଗୋ ତିଆର ବହନ ।
କିଏ ହୋଇବ ଜେଠେଈ କିଏ ସେ ଖୁଡ଼େଈ
କିଏ ମାଉସୀ ପିଉସୀ ନାନୀ କେ ଅଟଇ ।
ଅସଙ୍ଗତ କଥାମାନ କହେ ଥଟ୍ଟାକରି
ଜାତି ମହତ ସକଳ ସାରିଲା ଆମ୍ଭରି ।
ଏତେ କହି ଗୋପୀମାନେ ହୋଇଲକେ ତୁନି
ରାଗେ ଜର ଜର ହେଲା ଶୁଣି ନନ୍ଦରାଣୀ ।
ଛାଟେକ ଧରି ବୋଇଲା ଏତେ ତା ଦିମାକ
ଘରେ ପୂରାଏ ଆଣିଣ ଦାଣ୍ଡ କଳିଯାକ ।
କେତେ ବୋଲଣା ଶୁଣାଏ ହୋଇଣ ଛେଉଣ୍ଡା
ମାଡ଼ମାରି ଆଜି ତାରି ଭାଙ୍ଗିଦେବି ଦଣ୍ଡା ।
ମାନିତା ନାରୀଙ୍କୁ ବୋଲେ ଅନୀତି ବଚନ
ଜାଣୁ ଜାଣୁ କ୍ଷୟ କରାଉଛି ଆୟୁମାନ ।
ତାର ଯୋଗେ ଏତେ ସିନା ସହୁଅଛି ମୁହିଁ
ଜାଣିଲି ସେ ବିଟାଳିଆ ଅଟଇ କହ୍ନାଇ ।
ଏତେ ଭାଳି ଯଶୋଦା ଯେ ରାଗେ ତମ ତମ
ସେ କଥାମାନ ଜାଣିଲେ ଶ୍ରୀପୁରୁଷୋତ୍ତମ ।
ଛାର ଗଉଡ଼ୁଣୀମାନେ ମିଛ ସତ କହି
ମାତାଙ୍କ ହୃଦରେ କ୍ରୋଧ ଅଛନ୍ତି ଜନ୍ମାଇ ।
ଏତେ ବୋଲି ଗୋପୀନାଥ କାନ୍ଦ କାନ୍ଦ ହୋଇ
ମାତା ନିକଟେ ମିଳିଲେ ଜଗତଗୋସାଇଁ ।
ରାଜୀବନୟନୁ ଅଶ୍ରୁଜଳ ପଡ଼େ ଗଳି
ମାତା ମାତା ବୋଲିଣ ସେ ଛାଡ଼ିନ୍ତି ବୋବାଳି ।
ନୀଳେନ୍ଦୀଦଳ ପରାୟେ କଳେବର ଗୋଟି
ତ୍ରିପଣ୍ଡ ଧୂଳିରେ ମଣ୍ଡି ଭୂମିପରେ ଲୋଟି ।
କାନ ନାକୁ ଝାଳ ଗଳିପଡ଼େ ବକ୍ଷସ୍ଥଳେ
ବେଣୀଗୋଟି ଫିଟିଯାଇ ଲୋଟୁଅଛି ତଳେ ।
ହାତରେ ପାଦରେ ପୁଣି ନାହିଁ ସୁନାବଳା
ଚନ୍ଦ୍ରମା ବଦନ ଗୋଟି ଦିଶୁଅଛି କଳା ।
କଣ୍ଠେ ନାହିଁ ବାଘନଖ ଆଉ ସୁନାମାଳି
ଏମନ୍ତ ବେଶେ ମିଳିଲେ ଦେବ ବନମାଳୀ ।
ଚକ୍ଷୁର କଜ୍ଜ୍ୱଳ ଲାଗି ହାତ କଳା ଦିଶେ
ରଡ଼ି ଛାଡ଼ିଣ ମିଳିଲେ ଆଶି ମାତା ପାଶେ ।
ଗୋପୀଙ୍କ ବାକ୍ୟେ ଯଶୋଦା ଥିଲେ କୋପକରି
ପୁତ୍ରକୁ ଦେଖି ଚକିତ ହେଲେ ନନ୍ଦନାରୀ ।
ଛାଟ ପକାଇ କୋଳରେ ଧଇଲେକ ତୋଳି
ଅଞ୍ଚଳେ ଲୁହ ପୋଛିଲେ ବାପଧନ ବୋଲି ।
କାହିଁପାଇଁ କାନ୍ଦୁଅଛୁ ଆରେ ଧନମାଳି
ଅନ୍ଧର ଲଉଡ଼ି ମୋର ନୟନ ପିତୁଳୀ ।
କାହିଁପାଇଁ କାନ୍ଦୁ ବାବୁ ଦେଇଣ କୁହାଟି
କେଶବସନ ତୋହର ତଳେ ଯାଏ ଲୋଟି ।
ତୋ ଆପଦ ଘେନେ ବାପ କହ ତଥ୍ୟକରି
କହୁଛି ନିଶ୍ଚେଁ ଘେନିବି ଆଜ ତାର ଶିରୀ ।
କୃଷ୍ଣ ବୋଇଲେ ମାତ ଗୋ ଯମୁନାର କୂଳେ
ବତ୍ସା ରଖିଥିଲୁ ଆମ୍ଭେ ଗୋପାଳଙ୍କ ମେଳେ ।
ଆମ୍ଭର ଇଚ୍ଛାରେ ଆମ୍ଭେ ଖେଳୁଥିଲୁ ବନେ
ଆମ୍ଭ ସଙ୍ଗରେ ଲାଗିଲେ ଆସି ଗୋପୀମାନେ ।
ଆମ୍ଭ ତ କଅଁଳାପୁଅ ଏତ ଯୁବନାରୀ
ଆମ୍ଭ ଏମାନଙ୍କ ସଙ୍ଗେ ହୋଇବୁ କି ସରି ।
ପାଞ୍ଚଗୋଟି ଶିଶୁଆମ୍ଭେ ଖେଳୁଥିଲୁ ଏକା
ତୁମ୍ଭେ ତ ଦେଖୁଅଛ ଏ ଅନେକ ନାୟିକା ।
ଏକତ୍ର ହୋଇଣ ସର୍ବେ ମାଇଲେକ ବେଢ଼ି
ଆମ୍ଭର ହସ୍ତରୁ ନଟୁ ନେଲେକ ଉଛୁଡ଼ି ।
ଖଡ଼ୁ ନୋଳି କଣ୍ଠତଟୁ ହାର ବ୍ୟାଘ୍ରନଖ
ଭୂଜର ବାନ୍ଧେଣୀ ନେଲେ ପ୍ରତ୍ୟକ୍ଷରେ ଦେଖ ।
ଧୂଳିରେ ଘୋଷରାଇଣ ମାଇଲେ ବହୁତ
କାହାକୁ କହିବୁ ଆମ୍ଭେ ଅଟୁ ତ ବାଳୁତ ।
ମୋର ବଚନରେ ଯେବେ ପ୍ରତେ ହେଉନାହିଁ
ପ୍ରତ୍ୟକ୍ଷେ ଦେଖ ମାତ ଗୋ ଅଣ୍ଟିମାନ ଫେଇ ।
ଶୁଣିଣ ଯଶୋଦା ମନେ କଲା ଗୁରୁତାପ
ବୋଇଲା ଗୋପୀ ଅସଲୋ କେଡ଼େ ତୁମ୍ଭଦର୍ପ ।
କିଲୋ ପାମରି କଅଁଳାପୁଅ ବେଢ଼ିମାର
ଆବର ଗୁହାରି ସର୍ବେ ଆସି ମୋତେ କର ।
ହାଟ ହାଟୁଆଣୀ ତୁମ୍ଭେ ପରତଣ୍ଟି କାଟ
ସିହାଣୀ ଚତୁରୀ ପୁଣି ଥେଣ୍ଟପରେ ଥେଣ୍ଟ ।
କଅଁଳାପୁଅକୁ ମୋର ମାଇଲେ କିପାଇଁ
ନାଟ ନଟୁମାନ ପୁଣି ନେଲ ତ ଛଡ଼ାଇ ।
ଏଡ଼େ ସାହାସୀ ତୁମ୍ଭେ ଲୋ ବାଟ ବାଉରାଣୀ
ଫାନ୍ଦକରି ବନାଇଣ କହୁଥିଲ ପୁଣି ।
ଏତେ ବୋଲି ଯଶୋଦା ଯେ ତରତରେ ଗଲେ
ସୁମେଧା ଅଣ୍ଟିରୁ ଛାଟ ନଟୁକୁ ପାଇଲେ ।
ଉମା ନାମରେ କନ୍ୟାର ଫେଇଲେ ଅଞ୍ଚଳ
ତା ପଣନ୍ତେ ଥିଲା ବ୍ୟାଘ୍ରନଖ କଣ୍ଠିମାଳ ।
ତିଳୋତ୍ତମା ଚିତ୍ରରେଖା ଅଣ୍ଟି ଉଣ୍ଡାଳିଲେ
ପାଦରେ ନୂପୁର ହସ୍ତ କଙ୍କଣ ପାଇଲେ ।
ଦେଖିକରି ଯଶୋଦା ଯେ ଜଳିଉଠେ ରାଗେ
ବୋଇଲା ମିଛ ଲୋ କହୁଥିଲ ମୋର ଆଗେ ।
ଏକାନ୍ତ ଦେଖିଣ କିଲୋ କଲ ଏହିପରି
ପ୍ରତ୍ୟକ୍ଷେ ବିଚାର ଦୋଷ ହୋଇଲା କାହାରି ।
କଅଁଳା ପୁଅକୁ ବୃଥା ଦିଅ ଆସି ଦୋଷ
ଆଲୋ ପାମରି ତୁମ୍ଭଙ୍କୁ ବୋଲିବି ମୁଁ କିସ ।
ଦେଖି ଗୋପାଳୁଣୀମାନେ ହୋଇଲେ ଦୁଃଖିତ
ବିନୟେ ଧଇଲେ ଯାଇ ଯଶୋଦାର ହସ୍ତ ।
ତାଙ୍କର ବିନୟ ଦେଖି ନନ୍ଦରାଣୀ ତୋଷ
ଗୋପାଳୁଣୀମାନେ ଗଲେ ଯେ ଯାହା ଆବାସ ।
ଗୋବିନ୍ଦ ବିଜୟ କଲେ ନନ୍ଦର ମନ୍ଦିରେ
ବେନିଭାଇ ବସି ସୁଧା ମଣୋହି କରିଲେ ।
ତହୁଁ ପୁଣି ଗୋପପୁଅ ସଙ୍ଗତରେ ଘେନି
ଖେଳିବାକୁ ବାହାରିଲେ ପ୍ରଭୁ ବେଣୁପାଣି ।
ନଗର ଭିତରେ ପଶି ଥୋକେଦୂର ଗଲେ
ମଦନରେଖା ପୁରରେ ଯାଇ ପ୍ରବେଶିଲେ ।
ଦେଖିଲେ ତ ତାହାର ଯେ ଘରେ କେହି ନାହିଁ
ନଦୀକୁ ଯାଇଛି ଘରେ କବାଟକୁ ଦେଇ ।
ତୁଚ୍ଛାଘର ମଧ୍ୟେ ଯାଇ ପଶିଲେ ମୁରାରି
ଦେଖିଲେ ନିରୂତା ଦୁଧ ଶିକାରେ ତାହାରି ।
ହାତ ନ ପାଇବ ବୋଲି ତଳେ ଥୋଇ ପିଢ଼ା
ଶିକାଧରି ତା ଉପରେ ହୋଇଲେକ ଛିଡ଼ା ।
ବଇଁଶୀ ଅଗରେ ତାର ହାଣ୍ଡି କଣାକରି
ପେଟ ପୂରାଇଣ ଦୁଧ ପିଅନ୍ତି ଶ୍ରୀହରି ।
ଏସନ ସମୟେ ଆସି ମିଳେ ଗୋପନାରୀ
ଦେଖିଣ ହରି ପଳାନ୍ତି ମୁହିଁ ଲୁଚାକରି ।
ଗୋବିନ୍ଦର ଏହି କୃତ୍ୟ ଜାଣିଲା ଗୁଆଳୀ
ଚୋର ଚୋର ବୋଲି ଉଚ୍ଚେ ଛାଡ଼ିଲା ବୋବାଳି ।
ଚୂଲିପଶା ଖଣ୍ଡିଆରେ ବୋଲି ଗାଳିଦିଏ
ଅଧିକେ ହସନ୍ତି ଶୁଣି ପ୍ରଭୁ ଦେବରାୟେ ।
ତହୁଁ କେତେଦୂର ଯାଇ ଖେଳିଲେ ସେ ଖେଳ
ସଙ୍ଗତେ ଅଛନ୍ତି ଗୋପକୁମର ସକଳ ।
ଦଣ୍ଡକେ ପ୍ରଭୁ କରନ୍ତି କେତେ କେତେ କୃତ୍ୟ
ଲେଖନ୍ତେ ନ ସରିବ ସେ ଗୋବିନ୍ଦ ଚରିତ ।
ବେଦବ୍ୟାସ ନ ଜାଣନ୍ତି ଏଥିର ଯେ ବିଧି
ଧର୍ମ ଅର୍ଥ କାମ ମୋକ୍ଷ ହୁଏ ସର୍ବସିଦ୍ଧି ।
ଏସନ ଖେଳ ଖେଳନ୍ତି ପ୍ରଭୁ ନାନରଙ୍ଗେ
ଅନ୍ଧ ବ୍ରାହ୍ମଣ କୁମର ମିଳେ ଦୈବଯୋଗେ ।
ଗୌରବ ନାମରେ ବିପ୍ର ଭିକ୍ଷୁକ ବ୍ରାହ୍ମଣ
ଜନମ କାଳରୁ ଅନ୍ଧ ନାହିଁ ତା ନୟନ ।
କେବଳ ଭିକ୍ଷା ମାଗିଣ ବଞ୍ଚେ ପ୍ରତିଦିନ
ଏକେ ଅତି ବୃଦ୍ଧ ପୁଣି ଦୁଜେ ଚକ୍ଷୁହୀନ ।
ହସ୍ତକା ନାମେ ବ୍ରାହ୍ମଣୀ ପତ୍ନୀ ଯେ ତାହାରି
ଚିତ୍ରଧ୍ୱଜ ନାମେ ପୁତ୍ର ତାର ଅବତାରି ।
ପୁତ୍ରଙ୍କୁ ଘେନିଣ ଖେଳୁଛନ୍ତି ଦେବରାୟେ
ସନ୍ନିଧ୍ୟେ ମିଳିଲା ଆସି ଅନ୍ଧର ତନୟେ ।
ଗୋପାଳ ପୁଏ ବୋଇଲେ କାହାର ଏ ପୁତ୍ର
ଚିତ୍ରଧ୍ୱଜ ବୋଇଲା ମୁଁ ଗୌରବର ସୁତ ।
ପୁତ୍ର ବୋଇଲେ କେହିତ ତୋତେ ଜାଣେନାହିଁ
ବହନ ଆମ୍ଭ ଛାମୁରୁ ଯାଅ ଯା ପଳାଇ ।
ଭଲେ ନ ଗଲେ ପାଇବୁ ତହିଁକି ଯେ ଦଣ୍ଡ
କହୁଁ କହୁଁ ପୁଅମାନେ ରାଗରେ ପ୍ରଚଣ୍ଡ ।
ଶୁଣିଣ ସେ ଚିତ୍ରଧ୍ୱଜ ହେଲା ବିକରାଳି
ବୋଇଲା ଗଉଡ଼େ ମୋତେ କିପାଁ ଦିଅଗାଳି ।
ମୁହିଁ ତୁମ୍ଭର କିଛି ତ ନ କଲଇ ଦୋଷ
ବୃଥାରେ ବ୍ରହ୍ମନିନ୍ଦୁକ ହୋଇଲ ଅବଶ୍ୟ ।
ପୁଅମାନେ ବୋଇଲେରେ ଶୁଣ ତୁ ଭିକ୍ଷୁକ
କର୍ମଚଣ୍ଡାଳ ମୂଢ଼ ନ ଚାହିଁ ତୋର ମୁଖ ।
ବାପବୁଢ଼ା ଅନ୍ଧ ତୋର ମାଆ ବୁଢ଼ୀ ଟେରୀ
ତୁ ମୂଢ଼ କେଉଁ ଗୁଣରେ ହେବୁ ଆମ୍ଭ ସରି ।
ମୁଠି ଭିକ୍ଷା ମାର୍ଗ ଖାଅ ବୁଲି ଘରେ ଘରେ
ଅନ୍ନ ଶାସ୍ତିରେ ମରିବା ତୁ ଏଥି ରହିଲେ ।
ଆରେ ନିଲକ୍ଷଣ ତୁହି ଭିକ୍ଷୁଜନ୍ମ ପାଇ
ଆମ୍ଭର ଦୋଷ ବାରୁଛୁ ଆମ୍ଭ ଦେଶେ ଥାଇ ।
ଗ୍ରାମୁ ବାହାର କରିଣ ଦେବୁ ଡେଙ୍ଗୁରାଇ
ଏମନ୍ତ ବୋଲିଣ ପୋଏ ଉଠିଲେ ତୁହାଇ ।
ଦେଖି ଶୁଣି ଗୌରପୁଅ ହେଲା ବିକରାଳି
ଦୁଇହସ୍ତେ ଦୁଇମୁଠା ଧଇଲା ସେ ଧୂଳି ।
ଅଧର ପୁଷ୍ଟ କରିଣ ଧାଏଁ ଅତି ବେଗେ
ଦେଖି ସର୍ବ ପୋଏ ମିଳି ଘେରି ତାର ଆଗେ ।
ସମସ୍ତେ ରୁଣ୍ଡ ହୋଇଣ ତାହାକୁ ଧଇଲେ
ଦାଣ୍ଡଧୂଳି ସାଉଣ୍ଟି ତା ପରେ ପକାଇଲେ ।
ନାନରୂପେ ମାଡ଼ ମାରି କରିଲେ କଦର୍ଯ୍ୟା
ବୋଇଲେ ମୂଢ଼ ତୋ ବାପ ଆଗରେ କହ ଯା ।
ଅପମାନ ପାଇ ଦ୍ୱିଜଶିଶୁ ବେଗେ ଗଲା
ପିତା ଆଗରେ ଯାଇଣ କାନ୍ଦି ସେ କହିଲା ।
ଶୁଣିକରି ଅନ୍ଧ କୋପେ ହେଲା କୋପାନଳ
ବୋଲେ ଗୋପଲୋକଙ୍କର ପୂରିଲା ତ କାଳ ।
କେବଣ ଭରସାରେ ମୋ ପୁତ୍ରକୁ ମାଇଲେ
ଗଉଡ଼େ କି ରାଜା ହେଲେ ଏହି ରବିତଳେ ।
ନନ୍ଦପୁଅର ଅନ୍ୟାୟ ବଢ଼େ ଦିନୁଦିନ
ନ ଜାଣି କୋପ କରିଛି କି ସେ କଂସରାଣ ।
ତାହାର ଯେତେ ଅନୀତି କହିଲେ ନ ସରେ
ଦୁଧ ଲବଣୀ ଭକ୍ଷଇ ପଶି ଘରେ ଘରେ ।
ଷଣ୍ଢା ଯାମଳା ଅର୍ଜ୍ଜୁନ କରିଲା ବିନାଶ
ବକା ବତ୍ସା ଅକାରଣେ କରିଲା ସେ ଧ୍ୱଂସ ।
ସେ ଦିନୁ ଅଧିକେ ତାର ବଢ଼ିଗଲା ମନ
ଗଉଡ଼ ହୋଇ ବ୍ରାହ୍ମଣେ ଦିଏ ଅପମାନ ।
ରାଜା ଆଗରେ କହିଣ ଖୁଆଇବି ମାଡ଼
ଏକାବେଳେ ଫିଙ୍ଗି ଦେବି ତାର ହାଡ଼ ଗୋଡ଼ ।
ତାହାର ମୋହର ଆଜି ହେବ ସମକଚ୍ଛ
ବ୍ରାହ୍ମଣୀକୁ ବୋଇଲା ତୁ ଆସ ମୋର ପଛ ।
ତିନିହେଁ କହିବା ଯାଇ ରାଜା ନିକଟରେ
ଉଚ୍ଚ ନୀଚଜାତି କିପାଁ ରହିବ ସଂସାରେ ।
ଅତି ଉପଦ୍ରବ କଲା ନନ୍ଦର କୁମର
ପାପପୁଣ୍ୟ ବିଚାର ତ ନାହିଁ ସେ ମୂର୍ଖର ।
ଆଜିଠାରୁ ଜାଣିବା ତା କେଡ଼େ ବଡ଼ପଣ
ଏତେ ବୋଲି ବାହାରିଲା ସେ ଅନ୍ଧ ବ୍ରାହ୍ମଣ ।
ପୁତ୍ରର କନ୍ଧରେ ହସ୍ତ ଦେଇଣ ନିର୍ଭରେ
ଯିବାପାଇଁ ଉଦ୍ୟମ ସେ କରଇ ସଧୀରେ ।
ଏଥୁ ଅନନ୍ତରେ ତହୁଁ ପ୍ରଭୁ ନରହରି
ଅନ୍ଧର ପୁରକୁ ବିଜେ କରିଲେ ମୁରାରି ।
ସମସ୍ତ ପୋଏ ପଛରେ ଅଛନ୍ତି ଗୋଡ଼ାଇ
ଗୌରବ ଛାମୁରେ କୃଷ୍ଣ ମିଳିଲେକ ଯାଇ ।
ଦେଖିକରି ଚିତ୍ରଧ୍ୱଜ ପିତାକୁ କହିଲା
ପୁଅଙ୍କୁ ଘେନିଣ କୃଷ୍ଣ ମୋ ପାଶେ ଅଇଲା ।
ସୁତ ବଚନ ଶୁଣିଣ ଗୌରବ ଯେ ଭାଷି
ଏଡ଼େ ଭରସା କୃଷ୍ଣର ଆମ୍ଭ ପୁରେ ଆସି ।
କେଉଁଠାରେ ହେଲା ମୋତେ ଭେଟାତଥ୍ୟକରି
ତାର ପାଖେ ମରିବି ମୁଁ ମୋର ମୁଣ୍ଡ କୋଡ଼ି ।
ଏକାଳେ ପାଶେ ମିଳନ୍ତେ ଆସି ଚକ୍ରଧର
କ୍ରୋଧଭରେ ବାକ୍ୟ ତାଙ୍କୁ କହେ ବିପ୍ରବର ।
ଗଉଡ଼ ବାଉଡ଼ ତୁମ୍ଭେ ହାଉଡ଼ ବୋଲାଅ
ତୁମ୍ଭ ବଡ଼ପଣ ଆମ୍ଭ ଆଗରେ ଦେଖାଅ ।
ବାଛୁରୀ ଚରାଅ କାଦମ୍ୱରୀ ପାନ କର
କ୍ଷୀର ମଧ୍ୟରେ ଲୁଚାଇ ପାଣି ତୁମ୍ଭେ ଭର ।
ରାତ୍ର ପ୍ରଭାତୁ ନ ଚାହୁଁ ଆମ୍ଭେ ତୁମ୍ଭ ମୁଖ
ଧ୍ୱଂସିବି ଗୋପ ନଗର ପ୍ରତ୍ୟକ୍ଷରେ ଦେଖ ।
ଏତେ ବୋଲିଣ ଅନ୍ଧ ଯେ କୋପଭର ହୋଇ
ଅନେକ ମତେ କୃଷ୍ଣଙ୍କୁ ମର୍ମକଥା କହି ।
ଅନ୍ଧର ବଚନ ଶୁଣି ପ୍ରଭୁ ଦେବରାଜ
ଧୀରେ ଉତ୍ତର ଦିଅନ୍ତି ନ କରି ପହିଜ ।
ଶୁଣ ଆହୋ ଅନ୍ଧ ତୁମ୍ଭେ ମୋହର ବଚନ
ନ ଜାଣିଣ ମନ୍ଦକଥା କହ ଅକାରଣ ।
ଆମ୍ଭେ ବାଳକ ନ ଜାଣି କଲୁ ସିନା କଳି
ଏଡ଼େ ନିର୍ଦ୍ଦୟ ଭାବରେ ଦିଅ ତୁମ୍ଭେ ଗାଳି ।
ପୁତ୍ର କଥା ନ ଜାଣିଣ କର କିପାଁ କୋପ
ମଧ୍ୟସ୍ଥ ପଣରେ ପୁଣି ଲଗାଉଛ ଧାପ ।
ତୁମ୍ଭର ନନ୍ଦନ ଦେହେ ପକାଇଲା ଧୂଳି
ଲେଉଟିଣ ଆମ୍ଭଙ୍କୁ ସେ ଦେଲା ପୁଣି ଗାଳି ।
ଦେଖ ଆମ୍ଭର ଶରୀର ହୋଇଲା କର୍ଦ୍ଦମ
ଏସନକ ଆଜ୍ଞା ଯହୁଁ ଦେଲେ ଜନାର୍ଦ୍ଦନ ।
ଅକର୍ମ କର୍ମ କରତା ଅଟନ୍ତି ଅଚ୍ୟୁତ
ତତକ୍ଷଣେ ଦେଖାଗଲା ତାର ଦୁଇ ନେତ୍ର ।
ସନ୍ତୋଷ ହୋଇଲା ବିପ୍ର ହରି ମୁଖ ଚାହିଁ
ପାପ କ୍ଷୟ ଗଲା ବେନି ନେତ୍ରେ ଦୃଶ୍ୟ ହୋଇ ।
ଅବ୍ୟକ୍ତ ବିଷ୍ଣୁରୂପ ସେ ଦେଖିଲା ନୟନେ
ଯେଉଁ ରୂପ ଧ୍ୟାନ କରୁଥାନ୍ତି ଯୋଗୀଜନେ ।
ବ୍ରାହ୍ମଣକୁ ଦେଖାଇଲେ ପ୍ରଭୁ ବିଷ୍ଣୁ ତେଜ ।
ତ୍ରାହି ତ୍ରାହି ବୋଲି ଦ୍ୱିଜ ସ୍ତୁତି ପାଠ କରେ
ଦେଖି ଆଶ୍ଚର୍ଯ୍ୟ ହୋଇଲେ ଗୋପାଳ କୁମରେ ।
ଅଦୃଷ୍ଟ ଅଶ୍ରୁତ ଅଟେ ପ୍ରଭୁଙ୍କ ଚରିତ
ଗୋପ ନରନାରୀ ଶୁଣି ହେଲେ ଆନନ୍ଦିତ ।
ଚକ୍ଷୁପାଇ ବିପ୍ର ତହୁଁ ଗଲା ନିଜ ପୁରେ
ଗୋପାଳ ପୋଏ ଚଳିଲେ ଯେ ଯାହାର ଘରେ ।
ବଳରାମ ସହିତରେ ଦେବ ଭଗବାନ
ହରଷେ ମିଳିଲେ ଯାଇ ନନ୍ଦ ନିକେତନ ।
ଦେଖିକରି ପୁତ୍ର କୋଳେ ଧରି ଯଶୋବନ୍ତୀ
ଅଧାମ ଗୋଟିକା ସର ଆଣିଣ ଖୁଆନ୍ତି ।
ଏଥୁ ଅନନ୍ତରେ ହେଲା ଘଡ଼ିଏ ରଜନୀ
ପ୍ରାଙ୍ଗଣେ ବୁଲୁ ଯଶୋଦା ହରିକୋଳେ ଘେନି ।
ଅନେକ ଧାଈଗଣେ ଯେ ରହିଛନ୍ତି ପାଖେ
ବିଜୟ ଶ୍ରୀଭଗବାନ ଜନନୀର କାଖେ ।
ଆକାଶ ମଣ୍ଡଳେ ଚାହିଁଦେଲେ ଶିରୀପତି
ଦେଖିଲେ ପୂର୍ବ ଦିଗରେ ଉଦେ ନିଶାପତି ।
ମାତାଙ୍କର ମୁଖ ଚାହିଁ ବୋଲନ୍ତି ଗୋବିନ୍ଦ
ବଡ଼ାଇ ଶ୍ରଦ୍ଧା ମୋହର ଦିଅ ମୋତେ ଚାନ୍ଦ ।
ଏତେ ବୋଲିଣ ହସ୍ତକୁ ପାତି ଦେବରାୟେ
ଗୋବିନ୍ଦ ବଚନ ଶୁଣି ବୋଲୁଛନ୍ତି ମାଏ ।
ଆସ ଆସ ଜହ୍ନମାମୁଁ ବୋଲି ଡାକ ଦ୍ୟନ୍ତି
ତୁମ୍ଭଙ୍କୁ ହସ୍ତରେ ଘେନି ଖେଳିବ ଶ୍ରୀପତି ।
ଆଜ ଆସ ଜହ୍ନମାମୁଁ ବେଗେ ଖସିପଡ଼
ତୁମ୍ଭ ସଙ୍ଗରେ କହ୍ନାଇ ଖେଳିବ ସେ ଖେଳ ।
ଏହି ସମୟରେ ନନ୍ଦ ଗୋଠରୁ ପ୍ରବେଶି
ଗୋବିନ୍ଦ ବୋଇଲେ ପିତା ଚନ୍ଦ୍ରମା ଦିଅସି ।
ନନ୍ଦରାଜା ବୋଇଲେକ ଶୁଣରେ ଶ୍ରୀବତ୍ସି
ଏ ଚନ୍ଦ୍ର ବେନି ଯୋଜନ ଦୂରେ ଯାଇ ଅଛି ।
ସକଳ ପ୍ରାଣୀଙ୍କର ଯେ ଅଟେ ସୁଖଦାତା
ଅତ୍ରିଋଷି ପିତା ତାଙ୍କ ଅନୁସୂୟା ମାତା ।
ବ୍ରହ୍ମାଙ୍କର ନାତି ସେ ଯେ ଅଜ୍ରାମର ଦେହୀ
ଦେବମାନଙ୍କ ଉପରେ ଶ୍ରେଷ୍ଠ ସେ ବୋଲାଇ ।
ମୁଁ ଛାର ମାନବ ତାକୁ କେଉଁ ଗୁଣେ ସରି
ସେ କିପାଁ ଆସିବେ ମୋର ବୋଲ ମାନିକରି ।
ଅସମ୍ଭବ କଥା ତୁ ତ ବୋଲୁ ମୋର ଆଗେ
ଚନ୍ଦ୍ରଛାଡ଼ି ଯା ମାଗିବୁ ଦେବି ତାହା ବେଗେ ।
ଗୋବିନ୍ଦ ବୋଇଲେ ମୁଁ କି ମାଗିବଇଁ ଆନ
ଏହିକ୍ଷଣି ପିତା ମୋତେ ଆଣିଦିଅ ଜହ୍ନ ।
ୟା ବୋଲି ଅଳି କରନ୍ତି ପ୍ରଭୁ ଗୋପୀନାଥ
ଦିଅ ହେ ଚନ୍ଦ୍ରମା ବୋଲି ପ୍ରସାରନ୍ତି ହସ୍ତ ।
କାଖରୁ ଖସିଣ ପ୍ରଭୁ ଭୂମିରେ ଗଡ଼ନ୍ତି
ରୋଦନ୍ତି ଉଚ୍ଚସ୍ୱରରେ ବୁକୁ କୋଡ଼ିହ୍ୱନ୍ତି ।
ନନ୍ଦ ଯଶୋଦା ସହିତେ ଯେତେ ଗୋପନାରୀ
କାହାର ବଚନ ତୁନି ନୁହନ୍ତି ମୁରାରି ।
ଶୋକରେ ସେ ସକ ସକ ହ୍ୱନ୍ତି ବନମାଳୀ
ଗଗନରୁ ଚାନ୍ଦ ଦିଅ କରନ୍ତି ସେ ଅଳି ।
ଶୁଣିଣ ରାଧା କୃଷ୍ଣଙ୍କୁ କାଖେ ଧରେ ଆଣି
ଶ୍ରୀମୁଖ ସମାର୍ଜ୍ଜି କହେ ଆଶ୍ୱାସନା ବାଣୀ ।
ନାନ ଚାଟୁ କଥା କହି କରାଇଲା ତୁନି
ନିଜ ମନ୍ଦିରକୁ ଘେନିଗଲା ଚକ୍ରପାଣି ।
ଗନ୍ଧ ଚନ୍ଦନ କର୍ପୂର ଶ୍ରୀଅଙ୍ଗରେ ବୋଳି
ପଲ୍ୟଙ୍କରେ ବିଜେ କଲେ କୃଷ୍ଣ ଚନ୍ଦ୍ରାବଳୀ ।
ନାନା କଉତୁକ କଥା କୁହାକୁହି ହେଲେ
ମୋହନ ମୂରତି ରୂପ ଶ୍ରୀକୃଷ୍ଣ ଧଇଲେ ।
ରାଧିକାରେ ବଶୀଭୂତ ପ୍ରଭୁ ବନମାଳୀ
ଲକ୍ଷ୍ମୀନାରାୟଣ କିବା ଏକସଙ୍ଗେ ମିଳି ।
ପଲ୍ୟଙ୍କ ଉପରେ ପହୁଡ଼ିଲେ ହୃଷିକେଶୀ
ସୁଖେ ନିଦ୍ରା ଗଲେ ପାଦ ମଞ୍ଚାଳେ ସୁକେଶୀ ।
ଅପୂର୍ବ ମନ୍ଦିର ସେ କି ଜାଣି ବାରସ୍ୱତୀ
ମାଣିକ୍ୟରେ ଦୀପାବଳି ଜଳଇ ଚୌକତି ।
କାନ୍ଥମାନଙ୍କେ ହୋଇଛି ନାନା କାରୁକମ
ଅପୂର୍ବ ପଲ୍ୟଙ୍କେ ବିଜେ ପୁରୁଷଉତ୍ତମ ।
ଦେବାଙ୍ଗ ଝୀନବସନ ତ୍ରୋଣାମାନ ଲମ୍ୱେ
ନାନ ମଣିରତ୍ନ ବିରାଜଇ ଖମ୍ୱେ ଖମ୍ୱେ ।
ପାଟପତନୀ ପଡ଼ୁଛି ଶେଯର ଉପରେ
ସୁବାସିତ ଫୁଲମାଳ ଅଛି ସେ ଗୃହରେ ।
ଯହିଁରେ ଶ୍ରୀହରି କ୍ରୀଡ଼ା କରନ୍ତି ସତତ
ନିମିଷକେ କଳ୍ପନାରୁ କୋଟି କୋଟି ଜାତ ।
ଗୋପୀ ଗୋବିନ୍ଦ କ୍ରୀଡ଼ନ୍ତି ଯେବଣ ମନ୍ଦିରେ
ତାର ରୂପ ମହିମା କେ ଅବା ବର୍ଣ୍ଣିପାରେ ।
ପଲ୍ୟଙ୍କେ ଶୋଇଅଛନ୍ତି ପ୍ରଭୁ ଦେବହରି
ପାଦ ମଞ୍ଚାଳଇ ଧୀରେ ରାଧିକା ସୁନ୍ଦରୀ ।
ଅନନ୍ତ ଶଯ୍ୟାରେ ବିଜେ କିବା ଭଗବାନ
ମହାଲକ୍ଷ୍ମୀ ମଞ୍ଚାଳନ୍ତି ବସି କି ଚରଣ ।
ତେସନ ପରାୟେ ତହିଁ ପାଏ ଦିବ୍ୟଶୋଭା
ମନୁଷ୍ୟ ହୋଇଣ ମୁଖେ କିସ କହିବି ବା ।
ମଦନ ମୋହନ ବଂଶୀ ସୀମସ୍ଥାନେ ଦେଇ
ନିର୍ଭରେ ଶୋଇ ଅଛନ୍ତି ଜଗତ ଗୋସାଇଁ ।
ଚାହୁଁ ଚାହୁଁ ହେଲା ସାତଘଡ଼ି ଯେ ରଜନୀ
ଗୋଷ୍ଠୁ ଚନ୍ଦ୍ରସେଣା ଆସେ ଦୁଧଭାର ଘେନି ।
କାନ୍ଧପରୁ ଦୁଧଭାର ଅଗଣାରେ ଥୋଇ
ଉଠ ଉଠ ଚନ୍ଦ୍ରାବଳି ବୋଲିଣ ଡାକଇ ।
ଗୋବିନ୍ଦ ଶୋଇଥିଲେ ସେ ରାଧା ଚେଇଁଥିଲା
ଗୋପାଳ ଡାକନ୍ତେ ରାଧା ଚମକି ପଡ଼ିଲା ।
ଶ୍ରୀକୃଷ୍ଣଙ୍କୁ ହଲାଇଣ ବୋଲଇ ସୁନ୍ଦରୀ
ଗୋପାଳ ବାହାରେ ଡାକେ କି କରିବା ହରି ।
ଦୁଃସହ ସଙ୍କଟ ଆସି ପଡ଼ିଲାକ ମୋତେ
ଦୁହେଁ ନାଶ ହେବା ନିଶ୍ଚେଁ ତରିବା କେମନ୍ତେ ।
ଏମନ୍ତ ଭାଳୁଁ ଗୋପାଳ ଡାକେ ଶୁଣି ପୁଣି
ନିଶ୍ଚିନ୍ତରେ କେତେ ନିଦ୍ରାଯାଉ ଗୋପାଳୁଣୀ ।
ଅନେକ ଦୂରୁଁ ଅଇଲି ମୁଁ ତ ପଥ ବାହି
ଆଜି ମୋହର ସକାଳୁ ଜଳାହାର ନାହିଁ ।
ଏତେ ବୋଲି ଚନ୍ଦ୍ରସେଣା କୋପଭର ହୋଇ
ଉଚ୍ଚସ୍ୱରେ ଡାକଦିଏ ତୁହାଇ ତୁହାଇ ।
କେତେ ଭଙ୍ଗ ଡାକ ଡାକି ହୋଇଲାକ ତୁନି
ସଧୀରେ ବୋଲଇ ତହୁଁ ଚନ୍ଦ୍ରମା ବଦନୀ ।
କିପାଁ ଏତେ ଡାକ ଡାକୁ କୁହାଟିଆ ହୋଇ
ଉନ୍ନିଦ୍ର ଥିବାରୁ ନିଦେ ପଡ଼ିଗଲି ଶୋଇ ।
ଜ୍ୟେଷ୍ଠ ଭଉଣୀ ଆସିଛି ଆଜି ଆମ୍ଭ ପୁରେ
ବସି କଥାବାର୍ତ୍ତା ହେଲୁ ଆମ୍ଭେ ପରସ୍ପରେ ।
ତେଣୁ ରାତି ବେଶୀହେଲା ନିଦ ନାହିଁ ମୋତେ
କିପାଇଁ ତୁହାଇ ତୁମ୍ଭେ ଡାକ ହେ ଏମନ୍ତେ ।
ଏହିକ୍ଷଣି ତୁମ୍ଭ ଡାକ କର୍ଣ୍ଣେ ମୋ ସମ୍ଭାଇ
ନିଦେ ଡାକ ଶୁଣୁଅଛି ହେତୁ ମୋର ନାହିଁ ।
ପିତା ଘରକୁ ମୁଁ ଯିବି ଆଜ ଜଣାଇଲି
ନେଇ ଆସିଛି ନାନୀ ନିମତା ହେବ ବୋଲି ।
ଭଉଣୀ ମୋ ଶୋଇଅଛି ଖଟର ଉପରେ
ଭିତରେ ନ ପଶି ଥାଅ ତୁମ୍ଭେ ଯେ ସେଠାରେ ।
ସେ ତୁମ୍ଭ ମାନତି ଲୋକ ଅଟେ ଦେଢ଼ଶାଶୁ
ନୋହିଲେ ବାହରେ ଯାଅ ଆଡ଼ହୋଇ ବସୁ ।
ଚନ୍ଦ୍ରସେଣା ବୋଲେ ସେ ଗୋ ବାଟ ଚାଲିଫୁଟି
ପଥଶ୍ରମେ ଶୋଇଛନ୍ତି ନ ବୋଲସି ଉଠି ।
ଦୁଇଦିନ କ୍ଷୁଧାର୍ତ୍ତ ଯେ ହୋଇଅଛି ମୁହିଁ
ଏହିଠାରେ ଅନ୍ନପାଣି ଦିଅ ଆଣି ତୁହି ।
ଶିକାସହ ଦୁଧଭାର ଘରେ ନେଇ ଥୁଅ
ପୟର ପଖାଳିବି ମୁଁ ନୀର ଆଣିଦିଅ ।
ଶୁଣିଣ ରାଧା କବାଟ ଦେଲା ତହୁଁ ଫେଇ
ଶିକାସହ ଦୁଧଭାର ଥୋଏ ଘରେ ନେଇ ।
ମୁଖ ପଖାଳି ଗୁହାଳ ପିଣ୍ଡାପରେ ବସି
ସୁପକ୍ୱ ଅନ୍ନ ବ୍ୟଞ୍ଜନ ପର୍ଷେ ଶୁଭ୍ରକେଶୀ ।
ଅଧାମ ଲବଣୀ ଆଉ ଗୋଟିକା ଯେ ସର
କେବଣ ପଦାର୍ଥ ନାହିଁ ଚୁନ୍ଦ୍ରସେଣା ଘର ।
ଅମୃତ ଆହାରେ ଚନ୍ଦ୍ରସେଣା ମନ ରଞ୍ଜି
ଆଚମନ ସାରିଣ ଯେ ତାମ୍ବୁଳାଦି ଭୁଞ୍ଜି ।
ଚନ୍ଦ୍ରସେଣା ବୋଲେ ଶୋଇଅଛି ମୁଁ ପିଣ୍ଡାରେ
ଦୁଇ ଭଉଣୀ ତୁମ୍ଭେ ଲୋ ଶୁଅ ନିଶ୍ଚିନ୍ତରେ ।
ରାଧା ବୋଲେ ଭଉଣୀ ମୋ ରାତ୍ରରେ ନଥିବ
ରାତ୍ର ଏକଘଡ଼ି ଥାଉଁ ମୋତେ ଘେନିଯିବ ।
ଗୁଆଳ ବୋଲେ ମୋହର ଘରେ ତୋ ଭଗିନୀ
ଦିନାକେତେ ରହିଥାନ୍ତୁ ଲୋକ ଯିବେ ଘେନି ।
ଅପାର କାଳରେ ଆମ୍ଭ ଗୃହେ ଆସିଛନ୍ତି
କିପରି ପଠାଇ ଦେବା ତାଙ୍କୁ ରାତାରାତି ।
ରାଧିକା ବୋଲଇ ତାଙ୍କ ଘରେ ବିଭାକାର୍ଯ୍ୟ
କେମନ୍ତେ ସେ ଆମ୍ଭଘରେ ରହିବଟି ଆଜ ।
ତକ୍ଷଣେ ସେ ଯାଉଥିଲେ ଘରକୁ ଲେଉଟି
ବହୁତ କରି ତାହାଙ୍କୁ ରଖାଇ ଅଛିଟି ।
କହୁଁ କହୁଁ ଗୁଆଳକୁ ଘୂମ ଯେ ଲାଗିଲା
ପାଛୁଡ଼ା କାନି ପାରିଣ ତହିଁ ନିଦ୍ରାଗଲା ।
ମିଛକଥା କହି ରାଧା ସ୍ୱାମୀଙ୍କୁ ଠକିଲା
ବାଡ଼ି ସୀମସ୍ଥାନେ ଦେଇ ଗୋପାଳ ଶୋଇଲା ।
ରାଧା ମାଧବ ପଲ୍ୟଙ୍କେ ପୁଣି ବିଜେ କଲେ
ହାସ ପରିହାସେ ତହିଁ ରଜନୀ ବଞ୍ଚିଲେ ।
ରାତ୍ରା ଘଡ଼ିଏକ ଥାଉଁ ତ୍ରିଦଶର ସାଇଁ
ବାହାରେ ବାହାରେ ଗୋଷ୍ଠେ ବିଜେକଲେ ଯାଇ ।
ଦେବଆଳମାନଙ୍କରେ ଶଙ୍ଖଧ୍ୱନି ହେଲା
ରାତି ଥାଉଁ ଚନ୍ଦ୍ରସେଣା ଗୋଷ୍ଠେ ପୁଣି ଗଲା ।
ଅନ୍ୟାନ୍ୟ ଗୋପାଳମାନେ ନିଦ୍ରା ପରିହରି
ଖୁଣ୍ଟରେ ବାନ୍ଧନ୍ତି ନେଇ ଗାଈ ଯେ ବାଛୁରୀ ।
ଅପ୍ରମିତ ବରଡ଼ିଆ ଧେନୁବତ୍ସା ଗାଈ
ଗୋମାତା କୁଟୁମ୍ୱ କେତେ କଳନା ନ ଯାଇ ।
କହିଲେ ଯେ ନ ସରଇ ଶବ୍ଦ ଅପ୍ରମାଣ
ଶଙ୍ଖ ପଦ୍ମନିଧି ଯହିଁ ବିଜେ ନାରାୟଣ ।
ବିଷ୍ଣୁ ତେଜ ଲାଗି ସର୍ବେ ବଳେ ବଳବନ୍ତ
ଧନ ଧାନ୍ୟ ଲକ୍ଷ୍ମୀ ପୁଣି ଅଛି ଅପ୍ରମିତ ।
ବିଷ୍ଣୁତେଜ ଲାଗି ତହିଁ ସର୍ବେ ତେଜମୟେ
ଦେବାସୁରଙ୍କୁ ତାଙ୍କର ତିଳେ ନାହିଁ ଭୟେ ।
ଶୁଣ ପରୀକ୍ଷିତ ରାଜା ବଦୟନ୍ତି ଯତି
ଏ ଅଟେ ଶ୍ରୀଭାଗବତ ପୁଣ୍ୟମୟ କୀର୍ତ୍ତି ।
ଇଦଂ ଦଶମସ୍କନ୍ଧର ପବିତ୍ର ଚରିତ
ଶୁଣି ଶୁଣାଇବା ପ୍ରାଣୀ ହୋଇବେ ମୁକତ ।
ଜୟ ଜୟ ମାୟାଧର ଅନନ୍ତ ମୂରତି
ତୋ ମହିଁମା ବର୍ଣ୍ଣିବାକୁ କାହାର ଶକତି ।
ଜନ୍ମରୁ ମୂରୁଖ ମୁହିଁ ନାହିଁ ମୋର ଜ୍ଞାନ
ହରିବଂଶ ଲେଖିବାକୁ ମୁଁ ନୁହେଁ ଭାଜନ ।
କିଞ୍ଚିତେ ସୁଦୟା ମୋତେ କର ପୀତବାସ
ମୁଁ ଦୀନ ଅଚ୍ୟୁତ ତବ ଦାସର ଯେ ଦାସ ।
ନନ୍ଦର ଇନ୍ଦ୍ର ପୂଜା ଓ ଶ୍ରୀକୃଷ୍ଣଙ୍କର ମନ୍ଦର ଗିରି ଧାରଣ
[ସମ୍ପାଦନା]ଶୁକମୁନି ଚରଣରେ ଲଗାଇଣ ଲୟ
ବିନୟରେ ପୁଚ୍ଛାକଲେ ପରୀକ୍ଷିତ ରାୟ ।
ହେ ମୁନି କହିବା ମୋତେ ଶ୍ରୀହରି ଚରିତ
ତଦପରେ କିସ କୃତ୍ୟ କଲେ ଗୋପୀନାଥ ।
ତାହା ସଂକ୍ଷେପି କହିବା ଆହେ ତପୋଧନ
ଏତେ ବୋଲି ଚରଣରେ ନମେ ପୁନଃପୁନଃ ।
ରାଜାର ଭକ୍ତିରେ ବଶ ହୋଇ ଶୁକମୁନି
ବୋଲନ୍ତି ଶୁଣିମା ଏବେ ନୃପ ଶିରୋମଣି ।
ଏଥୁ ଅନନ୍ତରେ କେତେଦିନ ହେଲା ଶେଷ
ନନ୍ଦ ଇନ୍ଦ୍ରୋତ୍ସବ ଯାତ୍ରା ପଡ଼େ ସିଂହମାସ ।
ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ବୁଧବାର
ଶ୍ରବଣା ନକ୍ଷତ୍ର ଜାଣ ଅଟେ ସେ ଦିନର ।
ବାଣିଜ୍ୟ ନାମେ କରଣ ବିଷ୍କୁମ୍ଭ ଯେ ଯୋଗ
ସଙ୍କରାନ୍ତିକୁ ଅଠର ଦିବସ ଯେ ଭୋଗ ।
ସେହି ଦିନ ଇନ୍ଦ୍ରପୂଜା କରନ୍ତି ଗୋପରେ
ମଣ୍ଡିଲେ ମଣ୍ଡପମାନ ମିଳି ଯେ ଯାହାରେ ।
ତଳେ ଶୁକଳ ବସନ ପାଡ଼ିଲେ ପାଏଡ଼ା
ହାଟ ବାଟରେ ଦେଲେକ ଚନ୍ଦନର ଛେରା ।
ଦେଶେ ଦେଶେ ନିମନ୍ତ୍ରଣ ଦେଲେକ ପଠାଇ
ବନ୍ଧୁ ବାନ୍ଧବମାନଙ୍କୁ ଗୁଆ ଚାଳିଦେଇ ।
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଚାରିଜାତି
ଯାହା ଦେଖିବାପାଇଁ କି ସକଳେ ଆସନ୍ତି ।
ଦେବାଙ୍ଗ ବସନମାନ ପିନ୍ଧି ନରନାରୀ
ବଜାନ୍ତି କଡ଼ା ମର୍ଦ୍ଦଳ ଘୁମୁରା କାହାଳି ।
ଟମକ ନିଶାଣ ବାଦ୍ୟେ ଚମକଇ ପୁର
ଶଙ୍ଖ ମହୁରୀ ଚାଙ୍ଗୁ ଯେ ବାଜେ ଘୋରତର ।
ଘଣ୍ଟା ବୀରତୂର ବାଦ୍ୟ ଉଛୁଳେ ଆକାଶ
ମୂରଲୀ ମର୍ଦ୍ଦଳ ଆଦି ବାଜେ ବିଜିଘୋଷ ।
ହାଟୁଆମାନେ ବସିଲେ ପସରା ସଜାଡ଼ି
କର୍ପୂର କସ୍ତୁରୀ ବିକା ହୁଏ ଧାଡ଼ି ଧାଡ଼ି ।
ମିଷ୍ଟାନ୍ନ ସାମଗ୍ରୀମାନ ବିକନ୍ତି ଯେ ଥୋକେ
ଗଜା ମୁଆଁ ଲିଆ ଚଣା କିଏ ବସି ବିଜେ ।
କଟିରେ ଘଣ୍ଟ ଘାଗୁଡ଼ି ଆନନ୍ଦେ କେ ବାନ୍ଧି
ନେତର ପତନୀମାନେ ଯତନେ କେ ପିନ୍ଧି ।
ନାଚନ୍ତି ଖେମଟା ନାଟ ଗୀତ ଗାଇ ରଙ୍ଗେ
ସ୍ତିରୀ ପୁରୁଷ ମିଳିଲେ ତହିଁ ଏକସଙ୍ଗେ ।
ସ୍ୱଦେଶୀ ବିଦେଶୀ ବୋଲି ନ ଗଲେ ବାରଣ
ଜଣ ଜଣକେ ଯେ ବେଶ ଏକୁଁ ଆରକେଣ ।
ଅପ୍ରମିତ ଇନ୍ଦ୍ରୋତ୍ସବ ଗୋପପୁରେ କରି
ଧାମନ୍ତି ନର ନାରୀଏ ଉବୁରା ଉବୁରି ।
ନୃତ୍ୟ ଗୀତ କଉତୁକ ଦେଖାନ୍ତି ସକଳେ
ଏକମନ ହୋଇ ସର୍ବେ ମାତି କୃତୂହଳେ ।
ଏଥୁ ଅନନ୍ତରେ ବେଳ ପାଞ୍ଚଘଡ଼ି ହେଲା
ଉତ୍ତମ ବେଳା ଏ ବୋଲି ଜ୍ୟୋତିଷ କହିଲା ।
ଗମ୍ଭୀରି ଭିତରେ ନନ୍ଦ ପଶିଲା ଝସାଇ
ସୁବର୍ଣ୍ଣର ସିଂହାସନ ଉତ୍ତମେ ସଜାଇ ।
ତା ପରେ ସୁବର୍ଣ୍ଣ ଇନ୍ଦ୍ର ପ୍ରତିମା ବସାଏ
ଐରାବତେ ଚଢ଼ିଛନ୍ତି ବଜ୍ର କରେ ଶୋହେ ।
ଏମନ୍ତ ଦେବତା ନନ୍ଦ ସିଂହାସନେ ସ୍ଥାପି
ଧୂପ ଦୀପ ନଇବେଦ୍ୟେ ପୂଜଇ ନିରୋପି ।
ଜାଈ ଯୂଈ ମରୁଆ ଯେ ସେବତୀ ବକୁଳେ
ଉତ୍ତମ ହାର ଗୁନ୍ଥିଣ ଦିଏ ନେଇ ଗଲେ ।
ଇକ୍ଷୁ ପଇଡ଼ ମିଷ୍ଟାନ୍ନ ଖଣ୍ଡ ଗଜା ପଣା
ଦହି ଦୁଧ ଗୋଟିକା ଯେ ଏକୁ ଏକ ଜିଣା ।
ଭକତିରେ ମନ୍ତ୍ର ପଢ଼ି ନେଇ ସମର୍ପଇ
ବିନୟେ ସାଷ୍ଟାଙ୍ଗ ହୋଇ ପ୍ରଣାମ କରଇ ।
ଉଦ୍ଦଣ୍ଡ ଲକ୍ଷେ ଯେ ଦୁଇଲକ୍ଷ ପାଟଛତ୍ରୀ
ଝୀନବାସ ଉଉପାଶେ ଲମ୍ୱେ ପନ୍ତି ପନ୍ତି ।
ନନ୍ଦ ମନ୍ଦିରରେ ଇନ୍ଦ୍ର ଉତ୍ସବ ଯେ କରି
ପ୍ରତ୍ୟକ୍ଷେ ପୂଜା ଘେନନ୍ତି ତହିଁ ବଜ୍ରଧାରୀ ।
ମନେ ବାଞ୍ଛା କରି ଯାହା ପ୍ରାପ୍ତି ହୋଇ ସର୍ବ
ରାମ କୃଷ୍ଣ ଥାଆନ୍ତେଣ କିସ ଅପୁରୁବ ।
ସହସ୍ରପାଦେ କମଳା ଯହିଁ ବିଜେ କରି
ଗୁଣେ ବ୍ୟୟ କଲେ ଦ୍ରବ୍ୟ ଶତେଗୁଣେ ପୂରି ।
ଏମନ୍ତ ପ୍ରକାରେ ନନ୍ଦ ପୂଜଇ ଦେବତା
କାଳନ୍ଦୀ କୂଳରେ କୃଷ୍ଣ ପାଇଲେ ସେ ବାର୍ତ୍ତା ।
ନାନା ରଙ୍ଗ ଖେଳମାନ ଛାଡ଼ି ଦେବହରି
ଘରକୁ ବୋଲି ଧାଇଁଲେ ଅତି ବେଗ କରି ।
ଝାଳରେ ତ୍ରିପଣ୍ଡ ଅଙ୍ଗ ଲାଳେ ଜର ଜର
ନିଃଶ୍ୱାସ ବହଇ ତାଙ୍କର ହୋଇଣ ପ୍ରଖର ।
ଧାତିକାରେ ପଶିଲେ ସେ ଘର ମଧ୍ୟେ ପେଲି
ଗମ୍ଭୀରି ଘରେ ପଶିଲେ ପୂଜାସ୍ଥାନେ ବୋଲି ।
ଯେବଣ ସ୍ଥାନରେ ନନ୍ଦ ଇନ୍ଦ୍ର କରେ ପୂଜା
ସେଠାରେ ଯାଇ ପ୍ରବେଶ ପ୍ରଭୁ ଦେବରାଜା ।
ମାତାଙ୍କର ବଦନକୁ ଚାହିଁ ଅବଲୀଳେ
ଦର୍ହସିତେ ବସିଲେକ ଯାଇ ନନ୍ଦକୋଳେ ।
ପିତା ଦାଢ଼ି ଧରି ପୁଚ୍ଛା କରନ୍ତି ରମେଶ
ଭୋ ପିତା ଆମ୍ଭର ଘରେ ଏ ଉତ୍ସବ କିସ ।
ଗନ୍ଧ ଚନ୍ଦନ କସ୍ତୁରୀ ଚତୁଃସମ ଆଦି
କିପାଇଁ ଥୋଇଛ ପିତା ଏଠାରେ ସମ୍ପାଦି ।
ଇକ୍ଷୁପଡ଼େ ଗଜା ଯେ ଖଣ୍ଡ ଦ୍ରାକ୍ଷାଫଳ
ସର ଲବଣୀ ଗୋଟିକା ଆଦି ଏ ସକଳ ।
ଛେନାମଣ୍ଡା ଅଧାମ ଯେ ନାରଙ୍ଗ କଦଳୀ
ଏତେ ଦ୍ରବ୍ୟ ଅଛି ତାତ କିପାଁ ଭଳି ଭଳି ।
ଏ ସବୁ ପଦାର୍ଥମାନ କିଏ ସେ ଖାଇବ
ମନ୍ତ୍ର ପଢ଼ି ପୂଜା କର ବସି କେଉଁ ଦେବ ।
ଗୋବିନ୍ଦ ବଚନ ଶୁଣି ବୋଇଲେକ ନନ୍ଦ
ଆମ୍ଭର ଇଷ୍ଟଦେବତା ପୂଜୁ ଦେବଇନ୍ଦ୍ର ।
ସାବଧାନ ହୋଇ ଶୁଣ ବାବୁ ହୃଷୀକେଶ
ଇନ୍ଦ୍ରଦେବତା ମହିମା ଅଟଇ ବିଶେଷ ।
ଏ ପୂଜାରେ ବହୁ ଲକ୍ଷ୍ମୀହେଲା ଗୋପପୁରେ
ଯାବତ ସୁଖ ଭୁଞ୍ଜିଲେ ମୁଁ ୟାଙ୍କ କୃପାରେ ।
ଏହାଙ୍କ ହେତୁ ଗଗନୁ ବରଷଇ ଜଳ
ୟାଙ୍କ ଯୋଗୁ ଉପୁଜୁଛି ସିନା ଶସ୍ୟଫଳ ।
ଏହାଙ୍କ ହେତୁରୁ ଗାଈମାନେ ତୃଣ ଖାଇ
ଏହାଙ୍କର ପ୍ରସାଦରେ ସୁସ୍ଥ ସିନା ମହୀ ।
ଏହାଙ୍କ ପ୍ରସାଦେ ବ୍ୟାଘ୍ର ଭୟ ନାହିଁ ବନେ
ଗାଭୀଏ ଅନେକ ଦୁଗ୍ଧ ଦ୍ୟନ୍ତି ତୋଷମନେ ।
ଗ୍ରହପୀଡ଼ା ରୋଗ ଆଦି ଅରିଷ୍ଟ ଉତ୍ପାତ
ଏହାଙ୍କର ହେତୁ ସିନା ସବୁ ହୁଏ ହତ ।
ଆବର ବଚନ ଶୁଣ ବାବୁ ଭାବଗ୍ରାହୀ
ଏହାଙ୍କୁ ପୂଜି ତୁମ୍ଭଙ୍କୁ ପୁତ୍ର କରି ପାଇ ।
ତୁମ୍ଭେ ଏବେ ଏହିଠାରେ ପ୍ରଣାମକୁ କର
ସାଷ୍ଟାଙ୍ଗେ ନମିଲେ ତେବେ ଏ ଅଭୟ ବର ।
ପିତାଙ୍କର ବଚନକୁ ଶୁଣି ଲକ୍ଷ୍ମୀପତି
ଟହ ଟହ ହୋଇ ବସି କରତାଳି ଦ୍ୟନ୍ତି ।
କ୍ଷଣେ ତୁନିହୋଇ ପୁଣି ଭଣି ଦେବରାଜା
ଭୋ ପିତା ଏରୂପେ କେହ୍ନେ ହୁଏ ଦେବପୂଜା ।
ଦେବତା କାହିଁ ଏକେତ ଭୋଗମାନ ପାଇ
ଫୁଲ ଚନ୍ଦନ ନୈବେଦ୍ୟ ଅଛି ଥୁଆ ହୋଇ ।
ଅଦୃଶ୍ୟ ଦେବତା ତାର ନାହିଁ ପାଦ କର
କି ରୂପେ ଖାଇବ ଏତେ ପଦାର୍ଥ ପିଅର ।
ଏତେକ ସୁଯୋଗ ମୁହିଁ ଛାଡ଼ିବି କେମନ୍ତେ
କିଛି ନ ବିଚାରି ପିତା ପୂଜାକର ମୋତେ ।
ଏତେ ବୋଲିଣ ସ୍ୱାମୀ ଯେ ହେଲେ ହସହସ
ନନ୍ଦକୋଳରୁ ଖସିଣ ପଡ଼ିଲେ ରମେଶ ।
ସୁବର୍ଣ୍ଣ ଇନ୍ଦ୍ର ପ୍ରତିମା ଦେଲେ ଫୋପଡ଼ାଇ
ଆପେ ଖଟୁଳି ଉପରେ ବସିଲେକ ଯାଇ ।
ଭୋ ପିଅର ମୋତେ ପୂଜ ବୋଲିଣ ଡାକନ୍ତି
ଯେତେ ଉପକରଣ ତା ଶ୍ରଦ୍ଧାରେ ଭୁଞ୍ଜନ୍ତି ।
ଥୋକେ ଉପହାର ଦ୍ରବ୍ୟ କୁଢ଼ କୁଢ଼ କରି
ସଙ୍ଗ ଶିଶୁଙ୍କୁ ଦିଅନ୍ତି ନାମମାନ ଧରି ।
ଏପରି କରମ ଯହୁଁ କଲେ ଦେବରାୟେ
ଦେଖି ନନ୍ଦରାଜା କଲା ମନେ ବଡ଼ ଭୟେ ।
ସ୍ତମ୍ଭୀଭୂତେ ରହେ ନେତ୍ରୁ ବହେ ଅଶ୍ରୁଜଳ
ନିଶ୍ଚେ ନାଶ ହେଲା ଗୋପ ନଗର ସକଳ ।
ଏ ମହାଦୁଷ୍ଟ ତନୟ ଭାଙ୍ଗେ ଦେବପୂଜା
ବାର୍ତ୍ତା ପାଇଲେ ଦଣ୍ଡିବ ନିଶ୍ଚେ ଦେବରାଜା ।
ଦେବତା ବ୍ରାହ୍ମଣ ଆଉ ଋଷି ବ୍ରହ୍ମଚାରୀ
ଏହାଙ୍କୁ ନ ମାନିଲେ ତ ଆୟୁଥାଉଁ ମରି ।
ବେନି ପୁତ୍ର ପାଇଲି ମୁଁ ଅତି ବୃଦ୍ଧକାଳେ
ଏହିକି ମୋତେ ପ୍ରାପତ ନୋହିବ ବା ଢାଳେ ।
ଗଉଡ଼ ବାଉଡ଼ ଆମ୍ଭେ ହାଉଡ଼ ବୋଲାଉଁ
ଆବର ବିଶେଷେ ଆମ୍ଭେ ଦାଣ୍ଡରେ ନ ଥାଉ ।
ବନସ୍ତେ ଥାଉଁ ନ ଜାଣୁ କିସ ପାପ ପୁଣ୍ୟ
ପାମର ହୀନ ଜାତି ଯେ ପ୍ରକୃତି ତ ସାନ ।
ବିଶେଷେ କଂସ ରାଜାର ନିଯୋଗ ଯୋଗାଉଁ
ପ୍ରତ୍ୟହ ସହସ୍ରେ ଭାର ଦୁଧ ଦହି ଦେଉଁ ।
ପାଟଛତ୍ର ଦଣ୍ଡମାନ ସମସ୍ତ ଆକଟ
ଗଉଡ଼ଙ୍କ ପରେ ଈର୍ଷା ବହଇ ପାପିଷ୍ଠ ।
ଏମନ୍ତ ବିଚାରି ନନ୍ଦ କୋପେ ଡାକ ଦ୍ୟନ୍ତି
ପୁତ୍ରର ଚରିତ୍ର ଆସି ଦେଖ ଯଶୋବନ୍ତି ।
ଗୋପପୁର ସମ୍ପଦ ତ ଗଲା କୃଷ୍ଣ ଯୋଗେ
ଶୁଣି କରି ଯଶୋବନ୍ତୀ ଧାଏଁ ଅତିବେଗେ ।
ମାଉସୀ ପିଉସୀ ଖୁଡ଼େଇ ଯେ ମଉଳାଣୀ
ଉବୁରା ଉବୁରି ହୋଇ ଧାମନ୍ତି ତରୁଣୀ ।
ଦେଖିଲେ କୃଷ୍ଣ ବସିଛି ଖଟୁଲିକି ମାଡ଼ି
ସୁବର୍ଣ୍ଣ ପ୍ରତିମା ଗଣ୍ଡେଦୂରେ ଅଛି ପଡ଼ି ।
ତା ଦେଖି ମନରେ ଶଙ୍କା ଲାଗେ ଯା ଯାହାରେ
ପ୍ରତିମା ପଡ଼ିଛି ତାକୁ ଦେଖିଲେ ଦୁଆରେ ।
ଅନୀତି କଥା ଯହିଁ ସେ ଦେଖିଲେ ନୟନେ
ଘରଛାଡ଼ି ପଳାଇବା ଭାଳିଲେକ ମନେ ।
ସମସ୍ତେ ବୋଇଲେ ହେଲା ଆସି ଏବେ ମନ୍ଦ
ନିଶ୍ଚୟ ବିନାଶ ହେବ ଏ ଗୋପ ନରେନ୍ଦ୍ର ।
ପାମରୀ ଯଶୋବନ୍ତୀ ଯେ ଅଟେ ବଡ଼ ନଷ୍ଟୀ
ଦୁଷ୍ଟ ପୁତ୍ର ଜାତ କରି ଅର୍ଜିଲା ଅରିଷ୍ଟି ।
ଅଳପ କଥା କି ୟାର କହୁଁ ନ ସରଇ
ଏପରି ଦୁଷ୍ଟ ତନୟ ଗୋପପୁରେ ନାହିଁ ।
ଜନ୍ମ ହେଲା ଦିନୁ ହେଲା ରାଜାଙ୍କ ଦୋରେହା
ତେଣୁ ବିଧାତା କି ଆଣି ଘଟାଇଲା ଏହା ।
ପ୍ରଥମେ ଅନ୍ତୁଡ଼ିଶାଳେ ସ୍ତିରୀଏ ମାଇଲା
ଷଣ୍ଢା ଶକଟା ଦଇତ୍ୟ ଛଟକେ ନାଶିଲା ।
ବତ୍ସା ବକା ଦଇତ୍ୟକୁ ମାଇଲା ବନରେ
ଆବର ଜନ୍ତୁଙ୍କୁ ହତ୍ୟା କେହୁ କହିପାରେ ।
ପିଢ଼ାମାନ କଣାକରି ପଶି ଘରେ ଘରେ
ଶିକାରୁ ଦୁଧ ଲବଣୀମାନ ଚୋରିକରେ ।
ହାଟ ବସାଣ ଘାଟ ସେ ମାଗଇ ତରକେ
ୟାପରି ନିର୍ଲ୍ଲଜ ଶିଶୁ ନାହିଁ ତିନିଲୋକେ ।
ଗୁରୁ ଗୌରବୀ ଏହାର କିଛି ମାତ୍ର ନାହିଁ
ଏ ଗୋପ ନଗ୍ରକୁ ଏତ କଣ୍ଟା ହୋଇଛଇଁ ।
ଅବଶ୍ୟ ନାଶ ଏଥର ହୋଇବ ପାପିଷ୍ଠ
କେତେ କେତେ ଆପଦରୁ ମେଣ୍ଟିଲା ଏ ଦୁଷ୍ଟ ।
କାଳୀୟ ନାଗକୁ ବଳେ ଘଉଡ଼ିଣ ଦେଲା
ବସ୍ତ୍ର ଆୟ ଅଳଙ୍କାର ଚୋରି କରିଥିଲା ।
ରକ୍ତମାଂସ ଦେହବହି କେତେ ୟା ସହିବା
ରାମ କୃଷ୍ଣ ଲାଗି ଗୋପପୁର ଛାଡ଼ିଯିବା ।
ଏହିରୂପେ ବ୍ୟାକୁଳିତ ଗୋପେ ନରନାରୀ
ମାୟା ବିରଚିଲେ ତହିଁ ପ୍ରଭୁ ଦଇତ୍ୟାରି ।
ଅତି ଅଗୋଚର ଅଟେ ଯାହାଙ୍କ ମହିମା
ବ୍ରହ୍ମା ପୁରନ୍ଦର ହର ନ ଜାଣନ୍ତି ଉମା ।
ଯକ୍ଷ ରକ୍ଷ ଗନ୍ଧର୍ବଙ୍କୁ ଜଣା ଯା ନୁହଇ
ଛାଉ ଗଉଡ଼େ ସେ ମାୟା ଜାଣିବେ ବା କାହିଁ ।
କାଦମ୍ୱରୀ ପାନେ ସର୍ବ ହେଲେ ଉନମନା
ମୂଢ଼ ଗୋପାଳ ବୋଇଲେ କି କରୁ ଯେ କହ୍ନା ।
କେବଣ ଗୋପାଳ ଭୁଜ ଧରି ଓଟାରନ୍ତି
କେବଣ ଗୁଆଳ ଯାଇ କୃଷ୍ଣେ ପେଲିଦ୍ୟନ୍ତି ।
ଏସନକ କୃତ୍ୟମାନ କରନ୍ତି ଗୋପାଳ
ଦୁଃଖେ ତାଙ୍କର ନୟନୁ ବହିଯାଏ ଜଳ ।
ସବୁଙ୍କରି ମନକଥା ଜାଣି ଜଗଜ୍ଜ୍ୟୋତି
ସିଂହାସନ ପରେ ଧଇଲେକ ବିଶ୍ୱମୂର୍ତ୍ତି ।
ଯେବଣ ରୂପକୁ ଚିନ୍ତୁଥାନ୍ତି ଯୋଗୀମାନେ
ଅପୂର୍ବ ରୂପ ପ୍ରକାଶ କଲେ ତତକ୍ଷଣେ ।
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚାରିହସ୍ତ
ପାଶ ଅଙ୍କୁଶ କରରେ ଶୋଭା ଅତିଅନ୍ତ ।
ସୁବର୍ଣ୍ଣ ପରାୟେ ତନୁ ଦିଶେ ଦାଉ ଦାଉ
ବେନି କର୍ଣ୍ଣରେ କୁଣ୍ଡଳ ଶୋଭା କେବା କହୁ ।
ବିଦ ମୁଦ୍ରିକା କଙ୍କଣ ବଳୟ ବାହୁଟି
ମଣି ମାଣିକ୍ୟ ଅଙ୍ଗରେ ରାଜେ କୋଟି କୋଟି ।
ଶିର ଉପରେ ମୁକୁଟ ସପ୍ତମଣି ଶିଖା
ଅତି ସୁନ୍ଦର ଦିଶଇ ପାଦପଦ୍ମ ରେଖା ।
କଟିତଟରେ ମେଖଳା ଝୀନବାସ ସାଜେ
ଧଇଲେ ବୈକୁଣ୍ଠନାଥ ରୂପ ଦେବରାଜେ ।
ନବରତ୍ନ ସିଂହାସନେ ହଂସୁଲି ତ ପଡ଼ି
ପଦ୍ମାସନେ ବସିଲେକ ବନ୍ଧମୁଦ୍ରା ଭିଡ଼ି ।
ବାମ ପାଶରେ ଶାରଦା ଦକ୍ଷେ କମଳିନୀ
ଜାଜ୍ଜ୍ୱଲ୍ୟମାନ ଦିଶନ୍ତି ତେଜେ ଚକ୍ରପାଣି ।
କରପତ୍ର ଯୋଡ଼ି ଆଗେ ଖଗେଶ୍ୱର ଉଭା
ଜଗତ ବନ୍ଦନନାଥ ପାଉଛନ୍ତି ଶୋଭା ।
ମହକି ଉଠେ ଚନ୍ଦନ କର୍ପୂର ସୁବାସ
ମତ୍ତଭରେ ଭୃଙ୍ଗଗଣେ ଉଡ଼ି ଚଉପାଶ ।
ବ୍ରହ୍ମା ହରି ଯେ ରୂପକୁ ପାଇ ହୋନ୍ତି ମୋକ୍ଷ
ଗୋପ ଗୁଆଳେ ସେ ରୂପ ଦେଖିଲେ ପ୍ରତ୍ୟକ୍ଷ ।
କହୁ କହୁ ସବୁଚିତ୍ତ ମୋହିଲେ ଶ୍ରୀହରି
ଦେଖି କରି ମୋହମାନ ଗୋପ ନରନାରୀ ।
ଇନ୍ଦ୍ରପୂଜା ଅର୍ଘ୍ୟସବୁ ଧରି ନାରୀ କରେ
ଶ୍ରୀକୃଷ୍ଣଙ୍କୁ ବନ୍ଦାଇଲେ ଅତି ଆନନ୍ଦରେ ।
ଦୁର୍ବା ଅକ୍ଷତ ତଣ୍ଡୁଳ ଧରି ଯେ ଯାହାରେ
ଘଣ୍ଟା ଧୂପମାନ ଦ୍ୟନ୍ତି ସନ୍ତୋଷ ଚିତ୍ତରେ ।
ହୁଳହୁଳି ଶବଦରେ ନାନାଗୀତ ଗାଇ
ଗୋବିନ୍ଦଙ୍କ ଶିରେ ଅର୍ଘ୍ୟ ବନ୍ଦାଅନ୍ତି ନେଇ ।
ଆହୋ ପ୍ରାଣନାଥ ବୋଲି ଆଲଟ କେ ବିଞ୍ଚେ
ମଣିମା ମଣିମା ବୋଲି ପାଣି କେହୁ ସିଞ୍ଚେ ।
ଥୋକେ ପାଏଡ଼ା ପାଡ଼ିଣ କରି ପୁଷ୍ପବୃଷ୍ଟି
ଅତିଶୟ ଶୋଭାପାଏ ଚରାଚର ସୃଷ୍ଟି ।
ନଗ୍ର ନରନାରୀମାନେ ସକଳେ ମୋହିତ
ଯେ ଯାହାମତେ ସନ୍ତୋଷେ ପୂଜନ୍ତି ଅଚ୍ୟୁତ ।
ପାଠ ପଠନ ଯେ ମନ୍ତ୍ର ସ୍ତୁତି ସ୍ତୋତ୍ରଆଦି
ସହସ୍ର ଦଣ୍ଡ ପ୍ରଣାମ କଲେ ଯଥାବିଧି ।
ଧନ୍ୟ ଗୋପନଗ୍ର ଲୋକେ ତପ କଲେନାହିଁ
ମାନବ ହୋଇ ପୂଜନ୍ତି ଦେବ ଭାବଗ୍ରାହୀ ।
ହସ୍ତେ ପୁଣି ଅର୍ଘ୍ୟ ବନ୍ଦାଇଲେ ବିଦ୍ୟମାନେ
ଖଣ୍ଡକ୍ଷୀର ପଞ୍ଚାମୃତ ଭୁଞ୍ଜାଇ ଯତନେ ।
ଯେବଣ ନାମ ଧରନ୍ତେ ସର୍ବପାପ କ୍ଷୟେ
ବ୍ରହ୍ମଲୋକ ପରିଯନ୍ତେ ବିକାଶେ ଯା ଜ୍ୟୋତି
କୋଟି କନ୍ଦର୍ପ ସ୍ୱରୂପ ଦୈତ୍ୟହନ୍ତା ମୂର୍ତ୍ତି ।
ସାକ୍ଷାତରେ ତାଙ୍କ ସଙ୍ଗେ କଥାବାର୍ତ୍ତା ହ୍ୱନ୍ତି
ଏଥିରୁ ଅଧିକ ଭାଗ୍ୟ ଅଛଇ କି କ୍ଷିତି ।
ଶୁକମୁନି ବୋଇଲେକ ଆହେ ନୃପମଣି
ବିଷ୍ଣୁବାଳଲୀଳା ଏତ ଅପୂର୍ବ କାହାଣୀ ।
ଏଥୁ ଅନନ୍ତରେ ତହୁଁ କେତେବେଳ ଯାଏ
ପୁଣି ସମସ୍ତଙ୍କୁ ଭ୍ରମ କଲେ ଦେବରାୟେ ।
ଅନ୍ତର୍ଯ୍ୟାମୀ ନାରାୟଣ ବିରଚିଲେ ମାୟା
କ୍ଷଣକେ ଧଇଲେ ବାଳଗୋପାଳର କାୟା ।
ସିଂହାସନ ପରେ ବସି ଟହ ଟହ ହସି
ବେଳୁବେଳ ଆନୁଆନ ରୂପ ବ୍ରହ୍ମରାଶି ।
କଣ୍ଠତଟେ ଶୋଭାପାଏ ମୁକୁତାର ମାଳ
ବାହୁରେ ବାହୁଟି ଶିରପରେ ଦିବ୍ୟକୂଳ ।
ବାଳ ଗୋପାଳ ସ୍ୱରୂପ ଧଇଲେ ମୋହନ
ସର୍ବେ ବଶ ହେଲେ ଦେଖି ସେ ପଦ୍ମଲୋଚନ ।
ନନ୍ଦକୁ ଚାହିଁ ବୋଲନ୍ତି ପ୍ରଭୁ ଦେବରାୟେ
କି କଥା ବିଚାର କର ବସି ପିତା ଆହେ ।
ଅଦୃଶ୍ୟ ଦେବତା କାହିଁ ଭୋଗକୁ ଖାଇବ
ଅଭୟ ବର କାହୁଁ ବା ସେହୁ ପୁଣି ଦେବ ।
ବୃଥା କଥାରେ ଭାଳେଣି ନ କର ହେ ତାତ
ଗୋପନଗ୍ରେ ରହିଥାଅ ହୋଇଣ ନିଶ୍ଚିନ୍ତ ।
ଏରୂପେ କହି ଶ୍ରୀହରି ଆନନ୍ଦ ବଦନ
ଚାରିପାଖେ ଘେରିଛନ୍ତି ଗୋପାଳ ନନ୍ଦନ ।
ସ୍ୱର୍ଣ୍ଣ ପ୍ରତିମା ପଡ଼ିଛି ତହିଁ ଖଣ୍ଡଦୂରେ
ଦେଖି ଭୟ କଲେ ପୁଣି ସର୍ବ ନାରୀ ନରେ ।
ପ୍ରତ୍ୟକ୍ଷରେ ଗୋପୀମାନେ ଯାହା ଦେଖୁଥିଲେ
ଗୋବିନ୍ଦଙ୍କର ମାୟାରେ ସବୁ ପାସୋରିଲେ ।
ନନ୍ଦ ବୋଲେ ବେନିପୁତ୍ର ପ୍ରଭୁ ଦେଲେ ଆଣି
ନାନା ଉପଦ୍ରବ କାହୁଁ ଘଟାଏ ଏ ପୁଣି ।
ବିଶେଷେ ଦେଖି ନ ପାରେ ଆମ୍ଭଙ୍କୁ ତ କଂସ
ବାରମ୍ୱାର ପଠାଉଛି ଏଠାକୁ ରାକ୍ଷସ ।
ଇନ୍ଦ୍ରପୂଜାରେ ସକଳ ରିଷ୍ଟ ସିନା ଯାଏ
ତାହା ଏବେ ଭାଙ୍ଗିଦେଲା ଏ ଦୁଷ୍ଟ ତନୟେ ।
ଦେବତାଙ୍କୁ ନିନ୍ଦା କଲେ ବଳ ଯାଇ ନାଶ
ରୌରବ ନର୍କରେ ପଡ଼େ ସହସ୍ର ବରଷ ।
ବ୍ରାହ୍ମଣଙ୍କୁ ନିନ୍ଦା କଲେ କୁଳକ୍ଷୟ ହୁଏ
ଭଗବତ ନିନ୍ଦାକଲେ ଅହିନର୍କେ ଯାଏ ।
ରାଜା ନିନ୍ଦା କଲେ ପୁଣି ହ୍ୱନ୍ତି ଶିରଶ୍ଛେଦ
ଅପମୃତ୍ୟୁ ଲଭନ୍ତି ଯେ ନିନ୍ଦାକଲେ ବେଦ ।
ମାତା ନିନ୍ଦାକଲେ ପ୍ରାଣୀ ହ୍ୱନ୍ତି ଜନ୍ମରୋଗୀ
ପିତା ନିନ୍ଦାକଲେ ପ୍ରାଣୀ ହୁଏ ସର୍ପଭୋଗୀ ।
ଗୁରୁନିନ୍ଦା କଲେ ପ୍ରାଣୀ ହୁଏ ବିଦ୍ୟାନାଶ
କୁଳ ନିନ୍ଦା କଲେ ଲାଗେ ଅପମୃତ୍ୟୁ ଦୋଷ ।
ଶାସ୍ତ୍ର ନିନ୍ଦାକଲେ ଜାଣ ଚକ୍ଷୁହୁଏ ଅନ୍ଧ
ଜପ ନିନ୍ଦାକଲେ ପ୍ରାଣୀ ଶିରୀ ହୁଏ ମନ୍ଦ ।
ଭାରିଯାକୁ ନିନ୍ଦା କଲେ ନ ପୁଂସକ ହ୍ୱନ୍ତି
ଜନ୍ମ ଜନ୍ମାନ୍ତରେ ସୁଖ ସେହୁ ନ ପାଆନ୍ତି ।
ଗୋରୁ ନିନ୍ଦାକଲେ ହୁଏ ଅତ୍ୟନ୍ତ ଦରିଦ୍ର
ଗୁଣ ନିନ୍ଦାକଲେ ନିଶ୍ଚେ ନାଶଯାଏ କନ୍ଧ ।
ଏବେ ମୋର ପୁତ୍ର ନିନ୍ଦା କଲା ଦେବତାଙ୍କୁ
କିଏ ସମ୍ଭାଳିବ ଆଜି ଏ ଗୋପଲୋକଙ୍କୁ ।
ନନ୍ଦ ବଚନେ ବୋଲନ୍ତି ଦେବୀ ଯଶୋବନ୍ତୀ
ଦେବତାଏ ବାଳକର ଦୋଷ ନ ଧରନ୍ତି ।
ମାଛି ବାଳୁତ କୁମର ଆବର ମଞ୍ଜାରୀ
ବେଦ ଶାସ୍ତ୍ରମତେ ଦୋଷ ଏହାଙ୍କ ନ ଧରି ।
ଏଥକୁ ଚିନ୍ତା ତୁମ୍ଭେ ତ ନ କର ହୋ ମନ
ଆନ ଯୋଗାଡ଼ ଭିଆଇ ପୂଜ ମଘବାନ ।
ଦେବୀଙ୍କ ଆଗରେ ଦେବା ନେଇ ଛାଗବଳି
ଈଶ୍ୱରଙ୍କ ଶିରେ ସସ୍ର କୁମ୍ଭ ନେଇ ଢାଳି ।
ବ୍ରାହ୍ମଣେ ଭୋଜନ ଦେଇ ତୋଷ କରାଇବା
ଚଣ୍ଡୀ ଅପ୍ରାଜିତା ଦୁର୍ଗାପାଶେ ଚଢ଼ାଇବା ।
ତେବେ ଗ୍ରହଶାନ୍ତି ହେବ ରିଷ୍ଟ ଖଣ୍ଡିବ
ଏଥକୁ ମନରେ ତୁମ୍ଭେ ଅନ୍ୟଥା ନ ଭାବ ।
ଏଥୁ ଅନନ୍ତରେ ଦେବୀ ପୁତ୍ର କାଖେ ଘେନି
ଭିତରେ ବିଜୟ କଲେ ନନ୍ଦର ଘରଣୀ ।
ଭାଙ୍ଗିବାରୁ ମହାଯାତ୍ରା କଲେ ସର୍ବେ ଭୀତି
ସକଳ ଗୋପୀ ଗୋପାଳେ ଯେଝାପୁର ଯାନ୍ତି ।
ବିଦେଶୀ ସ୍ୱଦେଶୀ ଲୋକ ଯେତେ ଥିଲେପୂରି
ବିରସ ମନରେ ସର୍ବେ ଗଲେ ତହୁଁ ଫେରି ।
ଏଥୁ ଅନନ୍ତରେ ଶୁକ ରାଜା ମୁଖ ଚାହିଁ
ବୋଲନ୍ତି ହେ ପୁଣ୍ୟଆତ୍ମା ଶୁଣ ମନଦେଇ ।
ଇନ୍ଦ୍ରପୂଜା ଯେତେବେଳେ ଭାଙ୍ଗିଲେ ଶ୍ରୀହରି
ଗନ୍ଧର୍ବେ ଗଲେ ସେ କଥାମାନ ଦେଖିକରି ।
ସୁଧର୍ମା ସଭାରେ ବିଜେ ଦେବ ସୁରପତି
ତେତିଶକୋଟି ଦେବତା ତହିଁ ବସିଛନ୍ତି ।
ତାର ବାର ନକ୍ଷତ୍ରାଦି ଯୋଗାଦି କରଣ
କିନ୍ନର ବିଦ୍ୟାଧର ଯେ ରହିଛନ୍ତି ପୁଣ ।
ରାହୁ କେତୁ ଶନି ଶୁକ୍ର ବୁଧର ସହିତେ
ଇନ୍ଦ୍ରଦେବତା ପାଶରେ ଛନ୍ତି ଯେଝାମତେ ।
ଦେବଋଷି ରାଜଋଷି ବ୍ରହ୍ମର୍ଷି ସକଳ
ଶମନ କୁବେର ଆଦି ଛନ୍ତି ଦିଗପାଳ ।
ଆବର୍ତ୍ତକ ସମ୍ୱର୍ତ୍ତକ ଦ୍ରୋଣ ଯେ ପୁଷ୍କର
ହୁତାଶନ ନଇର୍ଋତ ଐଶ୍ୱାନ୍ୟ ଆବର ।
ରମ୍ଭା ଉର୍ବଶୀ ମେନକା ଆଉ ତିଳୋତ୍ତମା
ଚଉଷଠି କୋଟି ବିଦ୍ୟାଧରୀ ଯେ ଉତ୍ତମା ।
ଛୟାଣୋଇ କୋଟି ପୁଣି ଗନ୍ଧରବଗଣ
ଅଶୀକୋଟି କିନ୍ନର ଯେ ସିଦ୍ଧାଦି ଚାରଣ ।
ଐରାବତ ଗଜ ଉଚ୍ଚୈଶ୍ରବା ହୟବର
ସର୍ବେ ଉଭା ହୋଇଛନ୍ତି ଆସ୍ଥାନ ତଳର ।
ଏ ସମୟରେ ଗନ୍ଧର୍ବେ ମିଳିଲେକ ଯାଇ
ବୋଇଲେ ମଞ୍ଚରବାଣୀ ଶୁଣିବା ଗୋସାଇଁ ।
ଭୋ ଦେବ ଯମୁନାକୂଳେ ଅଛି ଯେଉଁ ଗ୍ରାମ
ଗୋମତ ଗିରି ନିକଟେ ଗୋପପୁର ନାମ ।
ନବଲକ୍ଷ ଗୋପ ତହିଁ କରନ୍ତି ବସତି
ନନ୍ଦ ନାମେ ଗଉଡ଼ ଯେ ଗ୍ରାମେ ଅଧିପତି ।
ତାର କାହ୍ନୁ ସଙ୍କର୍ଷଣ ନାମେ ବେନିବଳା
ବଡ଼ାଇ ଦୁଷ୍ଟ ସେ ବେନି ଅତି ଅନର୍ଗଳା ।
ଗୋପାଳଙ୍କ ସଙ୍ଗେ ନନ୍ଦ ଅଛନ୍ତି ଉତ୍ସବେ
ଇନ୍ଦ୍ରପୂଜା କରୁଥିଲା ବସି ସମ୍ଭରବେ ।
ଶୁଦ୍ଧ ସୁବର୍ଣ୍ଣର ମୂର୍ତ୍ତି ଖଟୁଲିରେ ଥୋଇ
ସନ୍ତୋଷରେ ପୂଜାକରେ ଧୂପ ଦୀପ ଦେଇ ।
କହ୍ନାଇ ବୋଲି ସେ ପୁତ୍ର ଭାରି ସଇତାନ
ଆପଣେ ସେ ପୂଜାଗୋଟି କରିଲା ଭଗନ ।
ଖଟୁଲୀ ଉପରେ ବସି ଭୋଗକୁ ଖାଇଲା
ସୁବର୍ଣ୍ଣ ପ୍ରତିମା ଗୋଟି ଫୋପାଡ଼ିଣ ଦେଲା ।
ସାକ୍ଷାତେ ଦେଖି ଅଇଲୁ ନାହିଁ ଏଥେ ମିଥ୍ୟା
ଯାହା କରିବାର କର ଆହେ ମହାରଥା ।
ଶୁଣିକରି ଶଚୀପତି କ୍ରୋଧେ ପ୍ରଜ୍ଜ୍ୱଳିତ
ହସ୍ତରେ ବଜ୍ର ଧରିଣ ବୋଲଇ ଏମନ୍ତ ।
ନିଶ୍ଚୟ ଗୋପନଗର ଆଜି ବିଧ୍ୱସିଂବି
ନନ୍ଦ ପୁଅର ଦମାଳ କେତେ ମୁଁ ବୁଝିବି ।
କି ବୋଲି ମୋହର ପୂଜା ଭାଙ୍ଗିଲା ସେ ଦୁଷ୍ଟ
ବାରଣ ନ କଲା କିପାଁ ସେ ନନ୍ଦ ପାପିଷ୍ଠ ।
ତେତିଶକୋଟି ଦେବଙ୍କ ପରେ ମୁଁ ଦେବତା
ମୋ ପୂଜା ଭାଙ୍ଗିବାପାଇଁ କାହାର କ୍ଷମତା ।
ଏହି ବଜ୍ରରେ ଗୋପାଳମାନଙ୍କୁ ନାଶିବି
କେଉଁ ବାପ ରଖିବ ତା ନୟନେ ଦେଖିବି ।
ଏତେ ବୋଲି ମେଘଗଣେ ରାଇ ବଜ୍ରଧର
କ୍ରୋଧରେ ବୋଲଇ ଭାଙ୍ଗ ସେ ଗୋପନଗର ।
ମୂଷଳ ପ୍ରମାଣେ ତହିଁ ପାଣି ବରଷିବ
ଏକଗୋଟି ଘର ତହିଁ ଯେପରି ନ ଥିବ ।
ଘଡ଼ଘଡ଼ି ଚଡ଼ଚଡ଼ି ମାରିବ ନିରତେ
ଅବିଚ୍ଛିନ୍ନେ ବରଷିବ ପଥର ସହିତେ ।
ଅଣଚାଶ ପବନକୁ ପୁଣି ବୋଲେ ରାଇ
ଗୋପନଗର ଉଜାଡ଼ ମେଘ ସଙ୍ଗେ ଥାଇ ।
ପ୍ରଚଣ୍ଡ ପବନ ତୁମ୍ଭେ ବଡ଼ ବିକଟାଳି
ଭାଜି ଗୋପନଗ୍ରଯାକ କରି ଏକସ୍ଥଳି ।
କାଳାନ୍ତ ରକ୍ତାକ୍ଷ ଘୋରସ୍ୱରୂପୀ ପ୍ରଚଣ୍ଡ
ବିଶ୍ୱରୂପୀ ମହାରୂପୀ ଆଉ ଲୋହଦଣ୍ଡ ।
ବେତାଳ ଭୈରବ ଆଦି ଅଷ୍ଟାଦଶ ସେନା
ମେଘଙ୍କ ସାହାଯ୍ୟକାରୀ ଅଟନ୍ତି ଏ କିନା ।
ଇନ୍ଦ୍ରଙ୍କର ଆଜ୍ଞାପାଇଁ ହେଲେ ସର୍ବେ ସଜ
ନଗ୍ର ଉଜାଡ଼ିବୁ ବୋଲି କରନ୍ତି ପହିଜ ।
ଉଠିଲେକ ମେଘମାନେ ସେନା ସୈନ୍ୟ ଘେନି
ମହାଘୋର ଗରଜନେ ଉଛୁଳେ ମେଦିନୀ ।
ଘନ ଘନ ଝଟଝଟ ବିଜୁଳି ମାରଇ
ଅଣଚାଶ ପବନ ଯେ ତା ସଙ୍ଗେ ବହଇ ।
ଦିବସରେ ଅନ୍ଧକାର ଦିଶେ ଦଶଦିଶ
ଏକାବେଳେ ପୃଥିବୀକୁ କରିବେ ବିନାଶ ।
ଘୁଉ ଘୁଉ ଶବଦ ସେ ଶୁଭେ ବିକରାଳ
ବରଷନ୍ତି ଅହର୍ନିଶି ପାଣି ଶାଳ ଶିଳ ।
ଚଡ଼ଚଡ଼ି ବଜ୍ରସୂଚି ତାପରେ ନିର୍ଘାତ
ଦଲ ଦଲ ବସୁନ୍ଧରା ବ୍ରହ୍ମାଣ୍ଡ କମ୍ପିତ ।
ମହାପ୍ରଳୟ ପରାୟେ ବର୍ଷେ ଜଳଧାରା
ସାଗର ସମାନେ ଦେଖାଯାଏ ବସୁନ୍ଧରା ।
ବେଳକୁବେଳ ଯେ ମେଘ ବରଷଇ ଛାଟି
ଘଡ଼ଘଡ଼ିରେ ମହୀ କି ପଡ଼ିବ ଲେଉଟି ।
ଘଡ଼ିକ ଭିତରେ ଗୋପନଗ୍ର ହେଲା ଧ୍ୱଂସ
ମେଢ଼ ମଣ୍ଡପ ଅଟ୍ଟାଳି ସବୁ ଗଲେ ନାଶ ।
ନବଲକ୍ଷ ଗୃହସବୁ ହୋଇଗଲା କ୍ଷୟେ
ନିମଗ୍ନ ହୋଇଲେ କୀଟ ପତଙ୍ଗ ସମୂହେ ।
ଗାଈ ଗୋରୁ ଜୀବଜନ୍ତୁ ଯେତେକ ମନୁଷ୍ୟ
ଭୟଙ୍କର ବରଷାରେ ସର୍ବେ ପାଇ ତ୍ରାସ ।
ଚଡ଼କ ବଜ୍ର ସୂଚିରେ କେହୁ ପଡ଼ି ମଲା
କାନ୍ଥ ବାଡ଼ ଭାଙ୍ଗିଯାଇ କେ ଛୋଟା ହୋଇଲା ।
କେହୁ ପବନରେ ଉଡ଼ି ପଡ଼େ ଖଣ୍ଡଦୂରେ
ବୃକ୍ଷ ଭାଙ୍ଗିଣ ପଡ଼ିଲା କାହାର ଉପରେ ।
ରୋମ ଟାଙ୍କୁରେ କାହାରି ଶୀତେ କମ୍ପେ କାୟ
ବିହି ସୁମରଇ କେହୁ ପାଇ ମହାଭୟ ।
ବିକଳେ ମାତା ପିତାକୁ କେହୁ ସୁମରଇ
କର ଚରଣ ଛନ୍ଦିକେ କୁହାଟି କାନ୍ଦଇ ।
ବୃକ୍ଷର ଉହାଡ଼େ ଲୁଚେ କେ ଜୀବନ ଭୟେ
ଛାଟିପିଟି ପଳାଏ କେ ପଛକୁ ନ ଚାହେଁ ।
ପୁତ୍ରକୁ ଉପେକ୍ଷି ଚାଲିଯାନ୍ତି ମାତା ପିତା
ପ୍ରିୟବତୀ ପତ୍ନୀ ତେଜି ପଳାଏ ଭରତା ।
ଧନ କୁଟୁମ୍ୱ ଭାରିଯା ସବୁ କଲେ ତେଜ୍ୟା
ଓଦାବସ୍ତ୍ର ପିନ୍ଧି କେବା କଲା ଭୂମିଶଯ୍ୟା ।
ବତ୍ସାନ୍ତ ଘେନିଣ ଗାବେ ପଳାନ୍ତି ଆକୁଳେ
ଧଇର୍ଯ୍ୟବନ୍ତ ଯାଇଣ କୃଷ୍ଣ ପାଶେ ମିଳେ ।
କେ ବୋଲଇ ନନା ମୋତେ ଧର ଧର କିନା
କେ ବୋଲେ ଏଠାରେ ପଡ଼ି ମଲି ମୁହିଁ ସିନା ।
କେ ବୋଲେ ନାନି ମୋହର କେଉଁଆଡ଼େ ଗଲୁ
କେ ବୋଲେ ଆମ୍ଭେ ସମସ୍ତେ ଆଜି ନିଶ୍ଚେଁ ମଲୁ ।
କେ ବୋଲେ ବାପ ମୋହର କେଉଁଆଡ଼େ ଗଲା
କେ ବୋଲେ ଶିଶୁକୁମର ମୋହର ମରିଲା ।
କେ ବୋଲେ କାହା ଆଘରେ କହିବା ଏ କଥା
ଏ ବିପଦେ ସାହା ହୁଅ ଭୋ ଧର୍ମଦେବତା ।
ଗୋବିନ୍ଦଙ୍କ ମୁଖ ଚାହିଁ ବୋଲନ୍ତି ଯେ ନଦ
ବାବୁ ତୋହର ଯୋଗରୁ ହେଲା ସିନା ମନ୍ଦ ।
ଇନ୍ଦ୍ର ପୂଜା ନ କରନ୍ତୁ ତୁ ଯେବେ ଭଗନ
କିପାଁ ପଡ଼ନ୍ତା ବାବୁରେ ଏସନ କଷଣ ।
ଅଜ୍ଞାନପଣ ତୁହି ତ କଲୁ ଦେବ ହରି
ତୋରଯୋଗୁ ନାଶଗଲା ସିନା ଗୋପପୁରୀ ।
ସମ୍ପଦ ତ ନାଶଗଲା ଆମ୍ଭର କରମ
ଦେବଇନ୍ଦ୍ର କୋପକୁ କେ ନୋହିବଟି କ୍ଷମ ।
ପ୍ରାଣ ବିକଳେ ଗୋପାଳେ ହେଲେ ଏକମେଳି
ଧର୍ମ ସୁମରିଣ ସର୍ବେ ପାଡ଼ିଲେ ବୋବାଳି ।
ଦେଖ ଦେଖ ଅବିଶ୍ରାନ୍ତ ବରଷା ବରଷେ
କ୍ଷଣେ ଶାନ୍ତ ନୋହିକରି ପୁଣି ମାଡ଼ିଆସେ ।
ଗୃହେ ଗ୍ରାମ ଭାଙ୍ଗିଗଲା ରହିବା ତ କାହିଁ
ଜଳାର୍ଣ୍ଣବ ହେଲା ସବୁ ତିଳେ ସ୍ଥାନ ନାହିଁ ।
ପର୍ବତ ଶିଖରେ ପାଣି ଲାଗି ନହେଁ ତୁଷ୍ଟି
ବେଳକୁ ବେଳ ଏବେ ତ କରେ ଘୋର ବୃଷ୍ଟି ।
ରଜନୀ ଦିବସ କିଛି ନ ହୁଅଇ ବାରି
କା ଆଗେ ଏ କଥା ଯାଇ କରିବା ଗୁହାରି ।
ଏହିରୂପେ କଥାବାର୍ତ୍ତା ହୋଇଣ ଗୋପାଳେ
ରାମ କୃଷ୍ଣଙ୍କ ପାଶକୁ ଗଲେ ତତକାଳେ ।
ଗୋପାଳୁଣୀଙ୍କ ବିକଳ କହି ତ କେ ପାରି
ଉଚ୍ଚସ୍ୱରରେ ରୋଦନ୍ତି ରଖ ଦେବହରି ।
ଏ ତୁମ୍ଭ ଦେଖନ୍ତେ ଆମ୍ଭେ ପାଇଲୁ ଯେ ଦୁଃଖ
ଏ ବିପଦୁଁ ରକ୍ଷାକର ଆହେ ପଦ୍ମମୁଖ ।
ଦୁସ୍ତର ବରଷା ଏ ତ ନ ପାରୁ ଯେ ସହି
ତୁମ୍ଭବିନା ରକ୍ଷାକର୍ତ୍ତା ଆମ୍ଭ କେ ନାହିଁ ।
କେଉଁ ଗୋପାଳେ ଅନାଇଁ କୃଷ୍ଣେ ଦିଏ ଗାଳି
ଇନ୍ଦ୍ରପୂଜା ଭାଙ୍ଗି ଏହା କଲୁ ବନମାଳୀ ।
ଗୋ ବ୍ରାହ୍ମଣ ବାଳ ସ୍ତିରୀ ଯେତେ ଗଲେ ନାଶ
ତୋତେରେ ଲାଗିଲା ଜାଣ ଏହି ହତ୍ୟାଦୋଷ ।
ଅଜ୍ଞାନ ବାଳୁତ ଏ ଯେ ବାଲ୍ୟକାଳୁ ମନ୍ଦ
ଯେଣେ ଯିବ ତେଣେ ୟାର ଲାଗିଥାଏ ଦ୍ୱନ୍ଦ୍ୱ ।
ଏହାଯୋଗୁ ମଲୁ ଆମ୍ଭେ ସକଳ ଗୋପାଳ
ଗୋପନଗ୍ରେ ଜନମିଲା କାହୁଁ ଆସି କାଳ ।
ଶୁଣ ପରୀକ୍ଷ ରାଜନ ବଦୟନ୍ତି ଯତି
ସମସ୍ତଙ୍କର ବିକଳ ଦେଖି ଯଦୁପତି ।
ଅନ୍ତର୍ଯ୍ୟାମୀ ନାରାୟଣ ବିଚାରନ୍ତି ମନେ
ଶଚୀପତିର ଗରବ ଭାଙ୍ଗିବି ଏକ୍ଷଣେ ।
ମୋତେ ସେ ମନୁଷ୍ୟବୋଲି ମଣି ଯେ ଅଛଇ
ଦେଖିବା କେଡ଼େ ଗରବ ଚିତ୍ତେ ଅଛି ବହି ।
ଏତେ ଭାଳି ବାମକରେ ମନ୍ଦରକୁ ଟାଳି
ଅବହେଳେ ଛତ୍ରାକାରେ ଧଇଲେକ ତୋଳି ।
ଦ୍ୱାଦଶ ଯୋଜନ ଅଟେ ସେହି ଗରିବର
ତିଳପ୍ରାୟ ଲାଗିଅଛି ଗୋବିନ୍ଦଙ୍କ କର ।
ତ୍ରିଭଙ୍ଗୀ ରୂପରେ ହରି ହୋଇଛନ୍ତି ଉଭା
ଦକ୍ଷିଣ କରେ ମୂରଲୀ ବାମେ ଗିରି ଶୋଭା ।
ଗୋପ ଗୋପାଙ୍ଗନା ବୃଦ୍ଧ ବାଳକ ସହିତେ
ମନ୍ଦରଗିରି ତଳରେ ରହିଲେ ସମସ୍ତେ ।
ଯଶୋଦାର ସହିତରେ ପ୍ରଭୁ ହଳଧାରୀ ।
ଷଣ୍ଢ ଅଣ୍ଡିର ଆବର ଗୋବତ୍ସାଦି ଯେତେ
ମନ୍ଦର ଗିରି ତଳରେ ରହିଲେ ନିଶ୍ଚିନ୍ତେ ।
ଉପର ଜଳ ବରଷା ହୁଏ ଅବିରଳ
ଅଚିନ୍ତାରେ ଗୋପଲୋକେ ରହି ଗିରିତଳ ।
ଅବହେଳେ ବାମେ ଗିରି ଧରି ଦେବରାୟେ
ନ ପୁଣି ପଡ଼େ ଗୋପାଳେ କଲେ ମନେ ଭୟେ ।
ଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ବୋଲନ୍ତି ସମସ୍ତେ
ଚରଣ ବ୍ୟଥା ତୁମ୍ଭର ହେବ ଗୋପୀନାଥେ ।
ଉତ୍ସର୍ଗ ପାଞ୍ଚ ଯୋଜନ ଏ ଗିରି ଅଟଇ
ଦୀର୍ଘ ପ୍ରତିରେ ତ ଦଶଯୋଜନ ତ ହୋଇ ।
ବାବୁ ଏଡ଼େ ପରବତ ବହୁଛୁ କିପରି
ବ୍ୟଥା ଲାଗୁଥିବ ନିକି ଅଙ୍ଗକୁ ତୋହରି ।
ଆମ୍ଭେ ସର୍ବେ ଲଉଡ଼ିକୁ ଦେଉଅଛୁ ତୋଳି
ଥୋକାଏ ଉଶ୍ୱାସ ତୋତେ ହେବ ବନମାଳି ।
ଏତେବୋଲି ଗୋପାଳେ ଯେ ଟେକିଲେ ଲଉଡ଼ି
ଦର୍ହସିତେ କୃଷ୍ଣ ତହୁଁ ଗିରି ଦେଲେ ଛାଡ଼ି ।
ମାଡ଼ି ପଡ଼ୁ ପଡ଼ୁ ପୁଣି ଧଇଲେ ଗୋବିନ୍ଦ
ଦେଖି ଲଜ୍ଜା ପାଇଲେକ ସର୍ବ ଗୋପବୃନ୍ଦ ।
ଗୋପାଳେ ବୋଇଲେ କୃଷ୍ଣ ତୋ ଜୀବନ ସାଧୁ
ଅତି ବହୁବନ୍ତା ତୁ ତ ଅବଳର ବନ୍ଧୁ ।
ବାଳୁତ ହୋଇ ପର୍ବତ ଧରୁ ବାମକରେ
ସମସ୍ତେ ନିଶ୍ଚିନ୍ତ ହେଲୁ ତୋ ବୁଦ୍ଧି ବଳରେ ।
ବାବୁ ଏଡ଼େ ଆତଙ୍କରେ ହୋଇଲୁ ତୁ ସାହା
ଜୀବନ ଥିବାଯାଏ କି ପାସୋରିବୁ ଏହା ।
ଏଡ଼େ ବଡ଼ ଅରିଷ୍ଟି ତ ମେଣ୍ଟିଲୁ ତୁ ବାବୁ
ଗୋବିନ୍ଦେ ଚାହିଁ ବୋଲନ୍ତି ଗୋପିକାଏ ସବୁ ।
ଧନ୍ୟ ଧନ୍ୟ ଗୋପୀନାଥ ତୋର ପରାକ୍ରମ
ତୋପରି ବଳିଷ୍ଠପଣେ ନୋହିବ କେ କ୍ଷମ ।
ତୋର ବୁଦ୍ଧିବଳେ ଆମ୍ଭ ପ୍ରାଣ ହେଲା ରକ୍ଷା
ଏ ବିପଦେ ଭାଇ ବନ୍ଧୁ ତୁ କେବଳ ଏକା ।
ଯେତେ ବରଷିଲେ ମେଘ ନାହିଁ ଆମ୍ଭ ଡର
ତୋ ବାହକୁ ଆଶ୍ରା କଲୁ ମାର ଅବା ତାର ।
ଏମନ୍ତ ବଚନ ଶୁଣି ଗୋବିନ୍ଦ ଆନନ୍ଦ
ନିଶ୍ଚିନ୍ତ ହୋଇ ରହିଲେ ଗୋପ ଗୋପୀବୃନ୍ଦ ।
ଗାବେ ବଇକୁଲ୍ୟା ହେଲେ ଆହାର ନ ପାଇ
ଗୋକୁଳ ବ୍ୟାକୁଳ ଦେଖି ଜଗତ ଗୋସାଇଁ ।
ମୁଥ ମାରି ମୁଥା ତୃଣ ଜାତ କଲେ ପୁଣି
ବ୍ରହ୍ମାଣ୍ଡ ସ୍ୱାମୀ ଅଟନ୍ତି ଯେଉଁ ଚକ୍ରପାଣି ।
ଶ୍ରୀକୃଷ୍ଣଙ୍କର ମନ୍ଦର ଗିରି ଧାରଣ
ତାହାଙ୍କୁ କି ଅସମ୍ଭବ ଏସନ କରମ
ଜଗତେ ବୋଲାନ୍ତି ସେହୁ ପୁରୁଷଉତ୍ତମ ।
ଅଦଭୂତେ ଘାସ ଯେଣୁ ହରି ଜାତକଲେ
ଗାଈ ଗୋବତ୍ସା ଆନନ୍ଦେ ତାହାକୁ ଖାଇଲେ ।
ଅତ୍ୟନ୍ତ କୋମଳ ଘାସ ନୂତନ କଅଁଳି
ଚରିବା ମାତ୍ରକେ ଷଡ଼ ଅଙ୍ଗୁଳି ଉଗୁଳି ।
ଆପେ ମୂର୍ତ୍ତିମତୀ ହୋଇ ଅନ୍ନପୂର୍ଣ୍ଣା ମାଏ
ଷଡ଼ରସ ବ୍ୟଞ୍ଜନାଦି ଆଣିଣ ଯୋଗାଏ ।
ସାତଦିନ ସାତରାତି ଏହିପରି ଗଲା
ରଜନୀ ଦିବସ ତହିଁ ବାରିଂ ତ ନୋହିଲା ।
ରାତ୍ର ଦିବସ ବରଷେ ମେଘ ଅବିରତ
ତାର ସଙ୍ଗେ ଘନ ଘନ ବହଇ ମରୁତ ।
ଯୁଗାନ୍ତକାଳେ ଯେସନ ଭୟଙ୍କର ମୂର୍ତ୍ତି
ତେସନରୂପେ ବର୍ଷନ୍ତି ଘୋଟି ଚଉକତି ।
ବର୍ଷି ବର୍ଷି ମେଘମାନେ ହୋଇଲେ ସ୍ଥକିତ
ଇନ୍ଦ୍ରଙ୍କ ଆଗେ ଜଣାଏ ବାର୍ତ୍ତା ଯାଇ ଦୂତ ।
ବାରତା ପାଇ ଅଇଲା ଆପେ ବଜ୍ରପାଣି
ଚତୁରଙ୍ଗ ବଳ ସେନା ସୈନ୍ୟ ସଙ୍ଗେ ଘେନି ।
ଐରାବତ ଆରୋହିଣ ଆସେ ସସ୍ରଯୋନି
ଅନ୍ତର୍ଯ୍ୟମୀ ନାଥ ତାହା ହୃଦପଦ୍ମେ ଜାଣି ।
ଗିରିପରେ ଇନ୍ଦ୍ରଆଣି ମାରେ ବଜ୍ରଦଣ୍ଡ
ବଜ୍ରବାଜି ପରବତ ହେବ ମସିଗୁଣ୍ଡ ।
ଗିରିବର ଭାଙ୍ଗନ୍ତେ ଯେ ଗୋପ ହେବ କ୍ଷୟେ
ଏମନ୍ତେ ବିଚାର ସ୍ୱାମୀ କଲେ ଦେବରାୟେ ।
ଗୋପୀ ଗୋପାଳେ ବୋଇଲେ ନିଶ୍ଚିନ୍ତରେ ରୁହ
ତିଳମାତ୍ର ମନେ ତୁମ୍ଭେ ନ କର ଯେ ଭୟ ।
ଏଥେ କହି ଛତ୍ରକାରେ ଟେକିଲେ ପର୍ବତ
ମୁଷ୍ଟି ଦୃଢ଼କରି ଆଣ୍ଟେ ଧଇଲେ ଅଚ୍ୟୁତ ।
ବଜ୍ର ମାରି ମାରି ଇନ୍ଦ୍ର ହୋଇଲେ ନିରସ୍ତ
ପୁଣି ଧାମଇଁ ସେ କୋପେ ହୋଇ ଅସ୍ତବ୍ୟସ୍ତ ।
ଶ୍ରୀହରିଙ୍କ ହସ୍ତେ ନେଇ ବଜ୍ର ପିଟେ ରାଗେ
ଅଧର ପୁଷ୍ଟ କରିଣ ପ୍ରହାରଇ ବେଗେ ।
ଦୂଢ଼େ ଗିରିବର ଧରି ଉଭା ଚକ୍ରଧର
ପ୍ରଭୁଙ୍କ ମୁଷ୍ଟିରେ ଯାଇ ବାଜେ ବଜ୍ରଶର ।
ଅକ୍ଷୟ ଅଜରାମର ଯେଉଁ ଚକ୍ରପାଣି
ଟେଳାପରା ସେ ତାହାକୁ କିଞ୍ଚିତରେ ମଣି ।
ଦେଖିଣ ସୁରପତି ଯେ ପ୍ରଜ୍ଜ୍ୱଳିତ କୋପେ
ପୁଣି ବଜ୍ର ଶକତି ଯେ ମାରେ ପରିତାପେ ।
ଯେଉଁ ବଜ୍ର ଶକତିର ଅସୀମ ଶକତି
ତିଳଚୋପା ପ୍ରାୟ ହରି ତାହାକୁ ମଣନ୍ତି ।
ଏରୂପେ ଇନ୍ଦ୍ର ବଜ୍ରକୁ ପିଟେ ବାରମ୍ୱାର
ପୂଜା ଭାଙ୍ଗିବାରୁ ମନେ ବହି ଅହଙ୍କାର ।
ଯେଉଁ ବଜ୍ର ବାଜନ୍ତେଣ ମେରୁ ହୁଏ ଧୂଳି
ବ୍ରହ୍ମାଣ୍ଡ ନ ସହିପାରେ ଯାହାର ଆର୍ଦ୍ଦୋଳି ।
ପାଞ୍ଚ ସାତ ବେଳଯାଏ ପିଟୁ ବଜ୍ର ଦଣ୍ଡ
ଗୋବିନ୍ଦ ହସ୍ତରେ ବାଜି ହୁଏ ଖଣ୍ଡ ଖଣ୍ଡ ।
ଦେଖିକରି ସୁରପତି ଆଶ୍ଚର୍ଯ୍ୟ ହୋଇଲା
କୋପଭରେ ଆର୍ଦ୍ରାବଳି ବାହୁଡ଼ି ଘେନିଲା ।
ଅମୋଘ ଶକତି ଶର ପୂରାଇ ଝଟତି
ନାରାୟଣ ଉପରକୁ ପେଶେ ଶଚୀପତି ।
ଶ୍ରୀକରେ ନାରାଚ ବାଜି ଭଗ୍ନ ହୋଇଗଲା
ଦେଖିଣ ଇନ୍ଦ୍ର ଦେବତା ଗୁରୁ କୋପକଲା ।
ପୁଣ ପାଞ୍ଚଗୋଯି ଶର ଆକର୍ଣ୍ଣି ଓଟାରି
ଚକ୍ଷୁ ପିଛଡ଼ା ମାତ୍ରକେ ପେକ୍ଷେ ବଜ୍ରଧାରୀ ।
ତା ପଛେ କୁହୁକ ଶର ଗୁଣରେ ଚଢ଼ାଇ
ଗୋବିନ୍ଦଙ୍କ ଉପରକୁ ବିନ୍ଧିଲା ନିଠାଇ ।
ଦେଖୁ ଦେଖୁ ନାରାଚେ ଯେ ଶୂନ୍ୟମାର୍ଗେ ଚଳି
ଗଗନ ପଥେ ଅଦୃଶ୍ୟ ହେଲେ ଅଂଶୁମାଳୀ ।
ବ୍ରହ୍ମଲୋକ ପରିଯନ୍ତେ ଘୋଟିଲା ସେ ଶର
ଦେଖି ଚତୁରବଦନ ହୋଇଲେ କାତର ।
ଅନ୍ତର୍ଗତେ ଜାଣିଲେକ ଦେବ ପଦ୍ମଯୋନି
ନ ଜାଣିଣ ମନ୍ଦପଣ କରେ ବଜ୍ରପାଣି ।
ହୃଦେ ଭାଳିଲେ ଦେବେନ୍ଦ୍ର ହୋଇଲା ତ ବାଇ
କାହାର ସଙ୍ଗତେ ଯାଇ ବିବାଦ କରଇ ।
ଏତେ ଭାଳିଣ ମରାଳ ପିଠିପରେ ବସି
ଇନ୍ଦ୍ର ଗୋବିନ୍ଦ ନିକଟେ ମିଳିଲେକ ଆସି ।
ବିଧାତା ବୋଇଲେ ଇନ୍ଦ୍ର ହେଲୁ ଜ୍ଞାନଧ୍ୱଂସ
କେତେ ଉପଦ୍ରବ କଲା ଦୁଷ୍ଟ ଦୈତ୍ୟ କଂସ ।
ଦେବତାଙ୍କୁ ଝିଙ୍ଗାସିଣ ଭାଙ୍ଗି ସ୍ୱର୍ଗପୁର
ଅଳକାପୁରରେ ପଶି କଲା ନାରଖାର ।
ତାର ପାଦଭାର ପୃଥ୍ୱୀ ନ ପାରଇ ସହି
ଅତି ବ୍ୟାକୁଳେ ଆମ୍ଭଙ୍କୁ ସେ କଥା ଜଣାଇ ।
ଆମ୍ଭେ ଯାଇ ଶ୍ରୀହରିଙ୍କୁ ସେ ବାର୍ତ୍ତା ଦିଅନ୍ତେ
ମାନବ ରୂପରେ ପ୍ରଭୁ ଜନମିଲେ ମର୍ତ୍ତେ ।
ରଙ୍ଗ ଅବତାର ରୂପ ଧଇଲେ ଶ୍ରୀବତ୍ସି
ଏତେକଥା ମନରୁ ତୁ ଦେଲୁ କେହ୍ନେ ଲେଛି ।
ଷଣ୍ଢା ଶକଟା ଯାମଳା ପୂତନା ମାଇଲେ
ବତ୍ସା ଅଘା ବକା ଆଦି ଅଖଡ଼େ ନାଶିଲେ ।
ଗୁପତେ ନନ୍ଦ ଗୃହରେ ଗୁପ୍ତ ହୋଇଛନ୍ତି
ଦୈତ୍ୟଙ୍କୁ ମାରି ଉଶ୍ୱାସ କରିଦେବେ ପୃଥ୍ୱୀ ।
ଆଉ ଅଳପ ଦିନରେ କଂସ ହେବ ନାଶ
ତେବେ ସେ ପୃଥିବୀଭାରା ହୋଇବ ଉଶ୍ୱାସ ।
ଦ୍ୱାପରେ ମହାଭାରତ ସମର ଲାଗିବ
ରୁଣ୍ଡ ହୋଇବେ ସେଠାରେ ଲକ୍ଷେ ରାଜଦେବ ।
କୁରୁ ପାଣ୍ଡବଙ୍କ ତହିଁ ହୋଇବ ସମର
ସାତତାଳ ବହିଯିବ ରଣେ ରକ୍ତଧାର ।
ଶ୍ରୀକୃଷ୍ଣ ପାଣ୍ଡବ ପକ୍ଷ ହୋଇ ଦୁଷ୍ଟନାଶି
ମହୀଭାରା ଉଶ୍ୱାସିବେ ଦେବ ହୃଷୀକେଶୀ ।
ଦେଖୁ ଦେଖୁ ଜାଣି ଶୁଣି ହେଲୁ ଜ୍ଞାନହୀନ
ଚିହ୍ନି ନ ପାରିଲୁ ଭୋଳେ ବିଷ୍ଣୁ ଚିହ୍ନ ବର୍ଣ୍ଣ ।
ଅଶେଷ କୋଟି ବ୍ରହ୍ମାଣ୍ଡ କର୍ତ୍ତା ଯେଉଁ ହରି
ତାଙ୍କ ତୁଲେ ବିବାଦ ତୁ କେଉଁଗୁଣେ କରି ।
ବେଳେ ବେଳେ ବିପଦରୁ କରନ୍ତି ସେ ରକ୍ଷା
ସେବକ ହୋଇ ଠାକୁର ସଙ୍ଗେ କରୁ କକ୍ଷା ।
ଯେବଣ ବଜ୍ର ବାଜନ୍ତେ ମେରୁ ହୋଏ ନାଶ
ଏତେ ପ୍ରହାରିଲୁ ହେଲା ତାହାଙ୍କର କିସ ।
ଶୁଣିକରି ସୁରପତି ହୋଇଲା ଲଜ୍ଜିତ
ବିଚାରଇ କଲି ମୁହିଁ ବଡ଼ ମନ୍ଦକୃତ୍ୟ ।
ବ୍ରହ୍ମାଙ୍କୁ କର ଯୋଡ଼ିଣ ବୋଲେ ପୁରନ୍ଦର
ଭୋ ସ୍ୱାମୀ ଏ ଅପରାଧୁ ମୋତେ ତ୍ରାହିକର ।
ସର୍ବଦାକାଳେ ମୁହିଁ ତ ଗୋବିନ୍ଦ ସେବକ
ଜାଣୁ ଜାଣୁ ଅନ୍ଧ ମୁହିଁ ହୋଇଲି ପ୍ରତ୍ୟକ୍ଷ ।
ସେବକ ହୋଇ ଠାକୁରେ କଲି ମହାଦୋଷ
ଆପଣାର ଯଶକୀର୍ତ୍ତି ଆପେ କଲି ନାଶ ।
ଏ ଦୋଷରୁ ପ୍ରତିକାର କର ବେଦପତି
ତୁମ୍ଭର ପ୍ରସାଦେ ପାର ହେଉ ମୋ ଦୁର୍ଗତି ।
ମୁହିଁ ମହାଦ୍ରୋହ ପିତା କଲଇଁ ନ ଜାଣି
ନ ପୁଣ ମୋ ଅଧିକାର ନ୍ୟନ୍ତି ଚକ୍ରପାଣି ।
ବ୍ରହ୍ମାଏ ବୋଇଲେ ସେ ତ ପରଲୋକବନ୍ଧୁ
ଦୟାର ସାଗର ନାଥ କୃପା ଜଳସିନ୍ଧୁ ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସବୁହିଁ
ଶତ୍ରୁ ମିତ୍ର ଏମାନଙ୍କଠାରେ ଯାର ନାହିଁ ।
ଏହାଙ୍କର ଦୋଷମାନ କରନ୍ତି ଯେ କ୍ଷମା
ଅଗୋଚର ଅଟଇ ଯେ ତାହାଙ୍କ ମହିମା ।
ତୋତେ କିପାଁ କ୍ରୋଧମନ କରିବେ ସେ ହରି
ଯେତେ ଅପରାଧ ତାହା ଦେବା କ୍ଷମାକରି ।
ବ୍ରହ୍ମାଙ୍କର ନିରାଧାର ଶୁଣି ସୁରପତି
ଅଇରାବତ ପିଠିରୁ ଉତୁରି ତଡ଼ତି ।
ତେତିଶ କୋଟି ଦେବତା ଘେନି ସଙ୍ଗତର
ସମସ୍ତେ ମିଳିଲେ ଯାଇଁ ଶ୍ରୀକୃଷ୍ଣ ପାଶର ।
ଦେଖିଲେ ଗୋମତ ଗିରି ଧରି ଚକ୍ରପାଣି
ବିକ୍ରମ ସିଂହ ପରାୟେ ଶୋଭା ଠିଆଠାଣି ।
ଗୋପନଗ୍ରେ ରହିଥିଲେ ଯେତେ ଗାଈ ବତ୍ସା
ସର୍ବେ ବିହରନ୍ତି ଗିରିତଳେ ଯେଝା ଇଚ୍ଛା ।
ଗୋପୀ ଗୋପାଳ ସହିତେ ଅଛନ୍ତି ଯେ ପୂରି
ତିଳେମାତ୍ର ମନେ ଭୟନାହିଁ ଯେ କାହାରି ।
ବାସବର ଆଜ୍ଞାପାଇ ମେଘେ ଗଲେ ଛାଡ଼ି
ପ୍ରଚଣ୍ଡ ଆଦିତ୍ୟ ତେଜ ଲାଗିଲା ବାହୁଡ଼ି ।
ଖଣ୍ଡେ ଦୂରରୁ ବିଧାତା ଦେଖି ଦେବସ୍ୱାମୀ
ମସ୍ତକରେ କରଦେଇ ହୋଇ ପରଣାମି ।
ଇନ୍ଦ୍ର ଆଦି ଦେବତାଏ ହୋଇ ଏକଗୋଷ୍ଠୀ
ଗୋବିନ୍ଦଙ୍କ ପାଦପଦ୍ମେ ଭକ୍ତିଭରେ ଲୋଟି ।
ଉଠି କରପତ୍ର ଯୋଡ଼ି ସ୍ତୁତି ଆରମ୍ଭିଲେ
ଶଚୀପତି ସହିତରେ ବ୍ରହ୍ମା ଆଦି ତୁଲେ ।
ଜୟ ଜୟ ନାରାୟଣ ଚରାଚର ବ୍ୟାପୀ
ଜୟ ଜୟ ନାରାୟଣ ତୁ ବ୍ରହ୍ମସ୍ୱରୂପୀ ।
ଜୟ ଜୟ ନାରାୟଣ ଜଗଜ୍ଜନବନ୍ଧୁ
ଜୟ ଜୟ ନାରାୟଣ କୃପାଜଳ ସିନ୍ଧୁ ।
ଜୟ ଜୟ ନାରାୟଣ ପୁରାଣ ପୁରୁଷ
ଜୟ ଜୟ ନାରୟଣ ଅନାଦି ରମେଶ ।
ଜୟ ଜୟ ନାରାୟଣ ହେ ଦେବାଧିରାଜା
ଜୟ ଜୟ ନାରାୟଣ ହେ ଯାମଳାଭଞ୍ଜା ।
ଜୟ ଜୟ ନାରାୟଣ କ୍ଷୀରୋଦନିବାସୀ
ଜୟ ଜୟ ନାରାୟଣ ପ୍ରଭୁ ହୃଷୀକେଶୀ ।
ଜୟ ଜୟ ନାରାୟଣ ଅଘା ବତ୍ସା ମରା
ଜୟ ଜୟ ନାରାୟଣ ଷଣ୍ଢା ପ୍ରାଣହରା ।
ଜୟ ଜୟ ନାରୟଣ ବିପଦ ଭଞ୍ଜନ
ଅଚ୍ୟୁତ ଦାସକୁ ପ୍ରଭୁ କର ପରିତ୍ରାଣ ।
ଏସନକ ସ୍ତୁତି ଯହୁଁ କରିଲେ ଅମରେ
ତେତିଶକୋଟି ଦେବତା ଇନ୍ଦ୍ର ସହିତରେ ।
ଶୁଣିକରି ତୋଷମତି ହେଲେ ଯଦୁନାଥ
ବାମକରେ ଗିରି ଧରି ହୋଇଛନ୍ତି ସ୍ଥିତ ।
ବ୍ରହ୍ମା କରପତ୍ର ଯୋଡ଼ି ବୋଇଲେ ଏସନ
ଶୁଣିବା ହେ ମହାପ୍ରଭୁ ମୋର ନିବେଦନ ।
ଏ ଇନ୍ଦ୍ର ମୂର୍ଖପଣରେ ଅର୍ଜିଅଛି ଦୋଷ
ତୁମ୍ଭେ କୋପ କରନ୍ତେଣ ନିଶ୍ଚେ ଯିବ ନାଶ ।
ତୁମ୍ଭେ ସିନା ଇନ୍ଦ୍ରପଦ ଦେଇଛ ଏହାକୁ
ଯାହାକୁ ସ୍ଥାପିଛ ଆପେ ନ ନାଶ ତାହାକୁ ।
ନିହନ୍ତା ବିହନ୍ତା ତୁମ୍ଭେ ସୃଷ୍ଟିର କରତା
ତୁମ୍ଭେ କୋପିଲେ ଜଗତେ କେ ତାକୁ ରଖନ୍ତା ।
ଏତେ ବୋଲିଣ ବିଧାତା ମହାମନ୍ତ୍ର ଗୁଣି
ଡାହାଣାବର୍ତ୍ତ ଶଙ୍ଖରେ ପୁରାଇଣ ପାଣି ।
ତିଳ ତୁଳସୀ ସହିତେ ଅଷ୍ଟରତ୍ନ ଯେତେ
ପକାଇଣ ଅଭିଷେକ କରେ ତୋଷ ଚିତ୍ତେ ।
ଜାହ୍ନବୀ ଯେ ଗୋଦାବରୀ ପୁଣ୍ୟତୋୟା ନଦୀ
ସରସ୍ୱତୀ ଭାନୁମତୀ ନର୍ମଦା ପ୍ରସିଦ୍ଧି ।
କୃଷ୍ଣାବେଣୀ ଗଙ୍ଗା ବଦରିକା ଯେ କାବେରୀ
ଏମାନଙ୍କରୁ ଅମରେ ଆଣି ତୀର୍ଥବାରି ।
ସୁବର୍ଣ୍ଣ କୁମ୍ଭେ ପୂରାଇ ତାକୁ ବେଦବର
ଅଭିଷେକ କଲେ ନେଇ ଗୋବିନ୍ଦ ପୟର ।
ସନକ ଯେ ସନାତନ ସନନ୍ଦ ମହର୍ଷି
ବଶିଷ୍ଟ ପ୍ରଚେତା ବାଲମୀକ ବ୍ରହ୍ମଋଷି ।
ଗଉତମ ଭରଦ୍ୱାଜ ଅଙ୍ଗିରା ଅଗସ୍ତି
ବିଭାଣ୍ଡକ ଋଷ୍ୟଶୃଙ୍ଗ ବିଶ୍ରବା ପୌଲସ୍ତି ।
ଭୃଗୁ ଭାର୍ଗବ ଚ୍ୟବନ ଗାର୍ଗବ ନନ୍ଦନ
ଦୁର୍ବାସା ମୁନି କପିଳ କଣ୍ୱ ତପୋଧନ ।
ଅଷ୍ଟବକ୍ର ସହିତରେ ଥିଲେ ଋଷି ଯେତେ
ବାଳଖିଲ୍ୟା ଘେନି ତହିଁ ମିଳିଲେ ସମସ୍ତେ ।
ରାଜଋଷି ନାଗଋଷି ବ୍ରହ୍ମର୍ଷି ଦେବର୍ଷି
ଯିଏ ଯେଉଁଠାରେ ଥିଲେ ମିଳିଲେକ ଆସି ।
ବିଦ୍ୟାଧର ଗନ୍ଧରବେ ଯକ୍ଷ ଯେ କିନ୍ନର
ରବି ମଙ୍ଗଳ ଯେ କେତୁ ଯୋଗ ତାର ବାର ।
ପାର୍ବତୀଙ୍କି କୋଳେ ଘେନି ପ୍ରଭୁ ସଦାଶିବ
ଡମ୍ୱରୁ ହସ୍ତରେ ଧରି ଆରୋହି ବୃଷଭ ।
ରୁଦ୍ରଗଣ ଘେନି ତହିଁ ମଲିଲେକ ଆସି
ଦେଖିଲେ ମନ୍ଦର ଧରି ଉଭା ହୃଷିକେଶୀ ।
ଶ୍ରୀହରିଙ୍କ ମୁଖ ଚାହିଁ ବୋଲନ୍ତି ଶଙ୍କର
ପର୍ବତକୁ ତଳେ ପକା ଆହେ ଚକ୍ରଧର ।
ସାତଦିନ ହେଲା ସ୍ୱାମୀ ଧରିଅଛ ଗିରି
ହସ୍ତ ବ୍ୟଥା ପାଉଥିବ ହେ ମୂରଲୀଧାରି ।
ବୃଥାରେ ଦେହକୁ କ୍ଳେଶ ନ ଦିଅନ୍ତୁ ଆଉ
ଯଥାସ୍ଥାନେ ଗିରି ଥୁଅ ଆହେ ମହାବାହୁ ।
ବ୍ରହ୍ମା ବୋଲେ ଅଟନ୍ତି ସେ ଦେବ ମାୟାଧର
ଅନାଦି ପୁରୁଷ ସେତ ସ୍ୱୟଂ ନିରାକାର ।
ବ୍ରହ୍ମ ପ୍ରଳୟେ କୁରୁମ ସ୍ୱରୂପ ଧଇଲେ
ଅଶେଷ ବ୍ରହ୍ମାଣ୍ଡ ତିଳ ପରାୟେ ବହିଲେ ।
ବରାହ ସ୍ୱରୂପେ ଦନ୍ତେ ଧରି ବସୁନ୍ଧରୀ
ନବଦ୍ୱୀପ ସପ୍ତସିନ୍ଧୁ ମେରୁ ଆଦିକରି ।
ହୟଗ୍ରୀବ ରୂପେ ପୃଥ୍ୱୀ ବହିଥିଲେ ପୁଣି
ସୃଷ୍ଟି ସ୍ଥିତି ପ୍ରଳୟର ଯେ ପ୍ରଭୁ କାରେଣି ।
କୋଟି ବ୍ରହ୍ମାଣ୍ଡ ଯାହାର ଉଦର ମଧ୍ୟରେ
ଅଶେଷ ମହିମାଯାର କହନ୍ତେ ନ ସରେ ।
ଏ କିସ ଭାର ହୋଇବ ସାମାନ୍ୟ ମନ୍ଦର
ବ୍ୟଥା ହେବ ବୋଲି କିପାଁ କହିଲ ଶଙ୍କର ।
ଅଶେଷ ମହିମା ଯାର ଆଦି ଅନ୍ତ ନାହିଁ
ନିମିଷେକ ଆନ ଆନ ରୂପକୁ ଯେ ବହି ।
ମନ୍ଦର ପର୍ବତ ଅବା ଗୁରୁ ତାଙ୍କୁ କେତେ
ବ୍ୟଥା ହେବ ବୋଲି ତୁମ୍ଭେ କହିଲ କେମନ୍ତେ ।
ଏହାଙ୍କ ସେବକ ଅଟେ ବାସୁକି ଯେ ଅହି
ଅଶେଷ ବ୍ରହ୍ମାଣ୍ଡକୁ ସେ ଶିରେ ଅଛି ବହି ।
ଅନନ୍ତ ମାୟାଧର ତ ପ୍ରଭୁ ଦଇତ୍ୟାରି
ତାହାଙ୍କର ମହିମା କେ ପାରେ ଆନ କରି ।
ଏବେ କିପାଁ ବ୍ୟଥା ହେବ ପର୍ବତରୁ ବହି
ଏମନ୍ତେ ବେଦପତି ଯେ ଈଶ୍ୱରଙ୍କୁ କହି ।
ପୁଣି କୃଷ୍ଣଙ୍କୁ ଚାହିଁଣ ବୋଲନ୍ତି ବିଧାତା
ଶିବ ବୋଲନ୍ତି ପର୍ବତ ରଖ ଆହେ ନାଥ ।
ଶୁଣି ହରି ଥୋଇଲେକ ତାକୁ ଯଥାସ୍ଥାନେ
ଅର୍ଘ୍ୟ ବନ୍ଦାଇଲେ ନେଇ ସର୍ବ ଦେବମାନେ ।
ଆପଣେ ମୋହନ ମୂର୍ତ୍ତି ଧରୁ ଦେବରାୟେ
ଯେ ଯାହାରେ ସେବା କଲେ ସର୍ବଦେବତାଏ ।
ବୃହତ ସାମ ଗାୟନ କରନ୍ତି ଯେ ମୁନି
ଈଶ୍ୱର ଦେବତା ତୋଷେ କଲେ ଶିଙ୍ଗାଧ୍ୱନି ।
ଅମର ଦୁନ୍ଦିଭି ବାଦ୍ୟ ବାଜେ ଅପ୍ରମିତ
ଗନ୍ଧର୍ବ ବିଦ୍ୟାଧରୀଏ କଲେ ଆଗେ ନୃତ୍ୟ ।
ଭକତ ଭାବରେ ଇନ୍ଦ୍ର ତୋଷିଲେ ଶ୍ରୀହରି
ଉପେନ୍ଦ୍ର ଦେବତା ନାମ ଦେଲେ ସେ ବିଚାରି ।
ଶ୍ରୀକୃଷ୍ଣ ବୋଇଲେ ଦେବେଯାଅ ଯେ ଯାହାରେ
ଚଳିଲେ ଦେବତାମାନେ ଶ୍ରୀହରି ଆଜ୍ଞାରେ ।
ପୁଣି ବିଷ୍ଣୁ ମାୟା କଲେ ଗୋପାଳ ମୋହିତ
ଯାହା ଦେଖୁଥିଲେ ତାହା ପାସୋରି ସମସ୍ତ ।
ଯେ ଯାହାର ପୁରକୁ ସେ ଗଲେ ସର୍ବେ ଚଳି
ପୂର୍ବପର ଦେଖାଗଲା ସେହି ଗୋପସ୍ଥଳୀ ।
ନନ୍ଦ ଯଶୋଦା ଆନନ୍ଦ କେ ପାରିବ କହି
ରାମକୃଷ୍ଣଙ୍କୁ କାଖରେ ଆଣିଣ ବସାଇ ।
ଗୃହକୁ ସେ ଚଳିଗଲେ ଆନନ୍ଦ ମନରେ
ଶୁକ ବୋଲୁଛନ୍ତି ଏହା ପରୀକ୍ଷ ଆଗରେ ।
କୃଷ୍ଣଙ୍କର ବାଲ୍ୟଲୀଳା ଅପୂର୍ବ ଚରିତ
ଭାଗବତ କୀର୍ତ୍ତି ଏ ତ ପୁଣ୍ୟମୟ ଗ୍ରନ୍ଥ ।
ସେ ମନ୍ଦରଧାରୀ ହରି ହୃଦପଦ୍ମେ ଧ୍ୟାୟି
ଭାଷା ପ୍ରବନ୍ଧେ ଅଚ୍ୟୁତ ଦାସ ଯେ କହଇ ।
ପୁନରପି କରଯୋଡ଼ି ପୁଚ୍ଛେ ଦଣ୍ଡଧର
ଏଥୁଅନ୍ତେ କିସ ହେଲା କୁହ ମୁନିବର ।
ହରିବଂଶ ବାଣୀ କହି କର ମୋତେ ମୋକ୍ଷ
ଆପଣ ଅଟନ୍ତି ମୁନିମାନଙ୍କର ମୃଖ୍ୟ ।
ତେଣୁ ପଚାରଇ ମୋତେ କହ ତପଚାରି
ତବ ମୁଖୁଁ ଶୁଣି ମୁହିଁ ଭବୁଁ ହେବ ପାରି ।
ବଦୟନ୍ତି ତପୋଧନ ଶୁଣ ହେ ରାଜନ
ହରିବଂଶର ଚରିତ ଅସୀମ ତ ଜାଣ ।
ଠିକ ଠିକ କରି କିଛି କହିବା ତୁମ୍ଭଙ୍କୁ
କାଳେ ହିତ ହୋଇବ ସେ ସଂସାର ଲୋକଙ୍କୁ ।
ଏଥୁଅନ୍ତେ କିଛି ଦିନ ଅତିକ୍ରମି ଗଲା
ରାସଲୀଳାରେ କୃଷ୍ଣଙ୍କ ମାନସ ବଳିଲା ।
ଦିନେ ମରଲୀ ଘେନିଣ ପ୍ରଭୁ ଦଇତ୍ୟାରି
କୁଞ୍ଜବନର ଭିତରେ ମିଳିଲେ ମୁରାରି ।
ଯମୁନାନଦୀ ତଟରେ ସେ କୁଞ୍ଜକାନନ
ବୃକ୍ଷରୂପେ ରହିଛନ୍ତି ଯହିଁ ଦେବଗଣ ।
ଅବସନ୍ତରେ ବସନ୍ତ ଯେ ବନେ ବହଇ
ଫଳପୁଷ୍ପେ ତରୁଗଣେ ଯହିଁ ଶୋଭାପାଇ ।
ଖାଣ୍ଡବ ବନ ପରାୟେ ସେ କାନନ ଶୋଭା
ବୃଦ୍ଧ ବ୍ୟକ୍ତି ଯେଉଁଠାରେ ହୁଏ ନବଯୁବା ।
ଅତ୍ୟନ୍ତ ପବିତ୍ର ଭୂମି ନାହିଁ ପଟାନ୍ତର
ବିଶ୍ୱକର୍ମା ଗଢ଼ିଅଛି ଯେ କାନନ ସାର ।
ଯେଉଁଠାରେ ଖେଳରସ କରନ୍ତି ମୁରାରି
ତାର ସଙ୍ଗେ ଅନ୍ୟ ବନ ହୋଇବ କି ସରି ।
ବିଶେଷେ ଯମୁନାତୀରେ କଦମ୍ୱର ମୂଳ
ପବନର ଆହାଲାଦେ ଦିଗ ପରିମଳ ।
ସେ ବୃକ୍ଷ ମୂଳରେ ଉଭା ଯଶୋଦା କୁମର
ବିରହ ମୁରଲୀ ଘେନି ପ୍ରଭୁ ଦକ୍ଷକର ।
ନାନାବାସ ପୁଷ୍ପ ଫୁଟି ଅମୋଦ କରନ୍ତି
ମତ୍ତଭରେ ମଧୁକରେ କୁସୁମେ କ୍ରୀଡ଼ନ୍ତି ।
ଶୁକ ପିକ କୋକିଳଙ୍କ କୋଳାହଳ ବାଣୀ
ଭ୍ରମରଙ୍କର ହୁଅଇ ଗୁଣୁ ଗୁଣୁ ଧ୍ୱନି ।
ସେ ବନେ କଦମ୍ୱମୂଳେ ପ୍ରଭୁ ହୋଇ ଠିଆ
ବିରହ ବଂଶୀ ବଜାନ୍ତି ଭାବ ବିନୋଦିଆ ।
ଶୁଣି ସକଳ ପ୍ରାଣୀଏ ହେଲେ ମୋହମାନ
ଗୋପୀଙ୍କ କର୍ଣ୍ଣରେ ଯାଇ ସମ୍ଭାଏ ସେ ସ୍ୱନ ।
ସସ୍ତଙ୍କୁ ଉଚ୍ଚାଟ ଯେ କଲେ ବନମାଳୀ ।
ଛାଡ଼ିଲେ ଘର ବର ସେ କୁଳକଲେ ତେଜ୍ୟା
ମାତା ପିତା ଭର୍ତ୍ତାଙ୍କୁ ଯେ ନ କରିଲେ ଲଜ୍ଜା ।
କେଶ ବାସ ଅସମ୍ଭାଳେ ଧାଇଁଲେ ଗୁଆଳୀ
ଦୂତୀର ମନ୍ଦିରେ ଯାଇ ମିଳି ସର୍ବ ବାଳୀ ।
ବିରହ ବଂଶୀ ଧ୍ୱନିରେ ଛନ୍ନ ଛନ୍ନ ଚିତ୍ତ
କୋଟରାନଳ ପରାୟେ ଦହେ ପଞ୍ଚଭୂତ ।
ଆରତେ ବୋଲନ୍ତି ତାଙ୍କୁ ସର୍ବ ଗୋପାଳୁଣୀ
ଏ ବିରହ ବାଧାରୁ ଗୋ ରଖ ତୁ ମିତଣି ।
ଶ୍ରବଣ ସ୍ଥିର କରିଣ ଆମ୍ଭ ଗିର ଶୁଣ
କୁଞ୍ଜବନରେ ବଇଁଶୀ ବଜାଏ ମୋହନ ।
ନିଶ୍ଚେଁ ଜାଣିଲୁ ଆମ୍ଭର ପ୍ରାଣେ ଆଶା ନାହିଁ
ସ୍ତିରୀହତ୍ୟା ଦୋଷ ନେବ ମୁରଲୀ ବଜାଇ ।
ତାଡ଼କାସୁରୀ ମାରିଛି ତ୍ରେତୟା ଯୁଗରେ
ପୁତନା ମାଇଲା ଏଥେ ଦେଖିଲୁଁ ନେତ୍ରରେ ।
ପ୍ରତ୍ୟକ୍ଷେ ମଦନାବତୀ ଏହାଯୋଗୁଁ ମଲା
ଏତେ ସ୍ତିରୀହତ୍ୟା ଦୋଷ ନିଶ୍ଚୟ ସେ ନେଲା ।
ଏକେ ସୁନ୍ଦରପଣକୁ ପଟାନ୍ତର ନାହିଁ
ଦ୍ୱିତୀୟେ ବିରହ ବଂଶୀ କୁଞ୍ଜରେ ବଜାଇ ।
ଭୋ ସଖି ଦୂତୀ ଗୋ ଚାଲ ବେଗେ ଏଥୁ ଯିବା
ବୃନ୍ଦାବନ ମଧ୍ୟରେ ଯେ କୃଷ୍ଣଙ୍କୁ ଭେଟିବା ।
ଯାହା ଶ୍ରୀମୁଖ ଦେଖିଲେ ତୁଟେ ସର୍ବବାଧା
ଏତେବୋଲି ବାହାରିଲେ ଘେନି ସଙ୍ଗେ ରାଧା ।
ଦୂତୀର ଭୁଜ ଧରିଣ ରାଧିକା ସୁନ୍ଦରୀ
ଶୀଘ୍ର ଚାଲିଯାଏ ବାମା ସିଂହଠାଣି କରି ।
ରାଧିକା ପଛେ ଯାଆନ୍ତି ସର୍ବ ଗୋପାଳୁଣୀ
ଗୋପୀଏ ଗମନ୍ତେ ଶୋଭା ପାଉଛି ଧରଣୀ ।
ଧାତିକାରେ ମଲିଲେକ କଦମ୍ୱର ତଳେ
କୃଷ୍ଣଙ୍କୁ ଭେଟିଲେ ଯାଇ ମାହେନ୍ଦ୍ରର ବେଳେ ।
ଜଗମୋହନ ସ୍ୱରୂପ ଧରି ଦେବରାୟେ
ନୀଳେନ୍ଦି ଦଳ ପରାୟେ ବିରାଜଇ କାୟେ ।
ଜାଜ୍ୱଲ୍ୟମାନ ତେଜ ଯେ ଅତିଶୟ ଶୋଭା
କନ୍ଦର୍ପ ରୂପ ପରାୟେ ଦିଶେ ଦେହ ଆଭା ।
ଦୂତିକା ଆଦି କରିଣ ସର୍ବ ଗୋପନାରୀ
ଶ୍ରୀକୃଷ୍ଣଙ୍କୁ ବେଢ଼ିଲେ ସେ ଶତେପୁର କରି ।
କେ ବୋଲେ ଶ୍ରୀକୃଷ୍ଣ ଆମ୍ଭ ଅବସ୍ଥାକୁ ଦେଖ
ତୁମ୍ଭ ବେଣୁ ଶବ୍ଦ ଶୁଣି ହୋଇଲୁ ନିରେଖ ।
ତୁମ୍ଭର ବେଣୁ ଶବଦେ ଭସ୍ମ ଅଙ୍କୁରିବ
ଶୁଷ୍କ କାଠର ଭିତରୁ ଗଜା ବାହାରିବ ।
ଅନେକ ବିନୟ କରି କହିଲେ ବହୁତ
ଦୂତିକା ମଧ୍ୟ ବୋଇଲେ ଶୁଣ ଯଦୁନାଥ ।
ସଂକଟ ବେଳେ ଲୋକଙ୍କୁ ହୁଅ ବଜ୍ରସେହ୍ନା
ଆମ୍ଭର ଏ କଷ୍ଟ ପ୍ରଭୁ ବେଗେ ଫେଡ଼ କିନା ।
ମୃଗୁଣୀ ଗଜେନ୍ଦ୍ର ପୂର୍ବକାଳେ ଆର୍ତ୍ତବେଳେ
ଡାକିଲେ ସେ ଡାକ ପ୍ରଭୁ ଶୁଣିଥିଲ ଢାଳେ ।
ଏବେ କାହିଁପାଇଁ ଆମ୍ଭ ଆରତ ନ ଶୁଣ
ପରମଦୟାଳୁ ତୁମ୍ଭେ ଅଟ ନାରାୟଣ ।
ଏହି ସର୍ବ ଗୋପୀମାନେ ତୁମ୍ଭ ମନୋହାରୀ
ଗୋପୀନାଥ ନାମଗୋଟି ବହ ତେଣୁକରି ।
ଚାରିବେଦ ଅଷ୍ଟାଦଶ ପୁରାଣାଦି ଯେତେ
ଗୋପୀଜନବଲ୍ଲଭ ସେ ବୋଲନ୍ତି ସମସ୍ତେ ।
ଏଡ଼େ ବଡ଼ ନାମ ପ୍ରଭୁ ଅକାରଣ ନୋହୁ
ଗୋପୀଗଣେ ଅନୁଗ୍ରହ କର ମହାବାହୁ ।
ଦୂତୀର ବଚନେ ହରି ପ୍ରସନ୍ନ ହୋଇଲେ
ମନ୍ଦ ମନ୍ଦରେ ଅଳପ ଅଳପ ହସିଲେ ।
ଅନନ୍ତରୂପ ପ୍ରକାଶ କଲେ ନରହରି
ଯେତେ ଗୋପୀ ତେତେ ରୂପ ଧରିଲେ ମୁରାରି ।
ସମସ୍ତଙ୍କ ଚିତ୍ତ କୁଞ୍ଜବନେ ମୋହକଲେ
ଗୋପୀକେ ଶ୍ରୀକୃଷ୍ଣ ଏକ ସେଠାରେ ହୋଇଲେ ।
ଅତି ଗହନ କୁଞ୍ଜ ସେ ଯମୁନାର କୂଳ
ଦକ୍ଷିଣା ପବନ ତହିଁ ବହେ ପରିମଳ ।
ଫଳପୁଷ୍ପେ ଦରୁଗଣେ ପାଉଛନ୍ତି ଶୋଭା
ବୃକ୍ଷ ଶିଖକୁ ଚାହିଁଲେ ଖସେ ଶିର ଗଭା ।
ରତ୍ନାକର କଟକ ତି ଅମର ଭୁବନ
କୁବେର ଆଳୟ କିବା ବିଧାତା ସଦନ ।
ଗହନ ବିଶାଳ ନବ ନବ ଲତାମାଳ
ଆକାଶ ମାର୍ଗକୁ ତାଙ୍କ ବ୍ୟାପିଅଛି ଡାଳ ।
ତଳଭୂମିଯାକ ସବୁ ସୂକ୍ଷ୍ମ ବାଲିମୟେ
କର୍ପୂର ଗୁଣ୍ଡି ତହିଁରେ ମଧ୍ୟ ମିଶିଥାଏ ।
ସେ କାନନ ମଧ୍ୟେ ଯେଣୁ ବିହରନ୍ତି ହରି
ତେଣୁକରି ତାଙ୍କ ନାମ ସେ କୁଞ୍ଜବିହାରୀ ।
ଗୋପୀନାଥଙ୍କର ବଶ ସକଳ ଗୁଆଳୀ
ଦୂତିକା ଆଦି କରିଣ ଯେତେ ଗୋପବାଳୀ ।
ଶୁଣ ହୋ ପରୀକ୍ଷ ରାଜା ଶୁକ ଯେ କହିଲେ
ଗୋପୀଘେନି ଗୋପୀନାଥ କୁଞ୍ଜରେ ରହିଲେ ।
ଏସନକ ସମୟରେ ନାରଦ ମହର୍ଷି
କୃଷ୍ଣ ଦେଖିବା ନିମନ୍ତେ ପ୍ରବେଶିଲେ ଆସି ।
ଗୋପରେ ଖୋଜି ମିଳିଲେ ଯମୁନାର କୂଳେ
ମହାମନ୍ତ୍ର ସୁମରିଣ ସ୍ନାନ କଲେ ଜଳେ ।
ସନ୍ଧ୍ୟା ତର୍ପଣାଦି ମୁନି ଆହ୍ନିକାଦି ସାରି
ଜଗନ୍ନାଥ ଦରଶନ କଲେ ବ୍ରହ୍ମଚାରୀ ।
ଆସନ ପାଦାସନାଦି ଅର୍ଘ୍ୟେ ପୂଜା କଲେ
ନାରଦ ଗୌରବ ପାଇ ସନ୍ତୋଷେ ବସିଲେ ।
ଜଗନ୍ନାଥ ବୋଇଲେ କି କାର୍ଯ୍ୟେ ଆଗମନ
ଋଷି ବୋଇଲେ ଆସିଲି ଦର୍ଶନ କାରଣ ।
ଦେବାଧିଦେବ ତୁମ୍ଭେ ତ ଅଟ ଦେବରାଜା
ବ୍ରହ୍ମାଦି ଦେବେ କରନ୍ତି ତବ ପାଦ ପୂଜା ।
ପରମାନନ୍ଦ ପୁରୁଷ ତୁମ୍ଭେ ବିଶ୍ୱରୂପୀ
ଅକ୍ଷୟ ଅବ୍ୟୟ ନାଥ ସର୍ବ ହୃଦବ୍ୟାପୀ ।
କଦମ୍ୱ ତରୁତଳରେ ବିଜେ ଚକ୍ରପାଣି
ଚଉପାଶେ ବେଢ଼ିଛନ୍ତି ଗୋପାଳ ରମଣୀ ।
କେ ଛତ୍ର ଚାମର ଧରିଅଛି ଧୂପକାଠି
କା ହସ୍ତେ ଗନ୍ଧଚନ୍ଦନ ସୁବାସେ ଚହଟି ।
କେବା ଗାନ୍ଧାର ଭାଗରେ ଗାଉଛନ୍ତି ଗୀତ
କେହୁ ଆଗେ ଠିଆ ହୋଇ କରୁଅଛି ନୃତ୍ୟ ।
କର୍ପୂର ତାମ୍ୱୁଳ ଧରିଅଛି କେ ସୁଦନ୍ତୀ
କେ ବୀଣା ବାଦ୍ୟ ବଜାଏ କେହୁ କରେ ସ୍ତୁତି ।
କେ ବିଡ଼ିଆ ଗୁଆପାନ ମୁଖେ ଦ୍ୟନ୍ତି ଆଣି
ଯେ ଯାହା ଲାଗି କରନ୍ତି ଗୋପର ତରୁଣୀ ।
ହାସ ପରିହାସ ନାନା କରତୁକ ରଙ୍ଗେ
ବିହରନ୍ତି ଗୋପିକାଏ କୃଷ୍ଣଙ୍କର ସଙ୍ଗେ ।
ଏ ସମୟରେ ନାରଦ ହେଲେ ଉପସ୍ଥିତ
ଦେଖିକରି ନମସ୍କାର କରିଲେ ଅଚ୍ୟୁତ ।
ତୁମ୍ଭର ସ୍ଥାପନା ପ୍ରଭୁ ଚରାଚର ମହୀ
ତୁମ୍ଭ ବିନୁ ସଂସାରେ କେ ନାହିଁ ଦେହ ବହି ।
କଳ୍ପାନ୍ତ ପୁରୁଷ ତୁମ୍ଭେ କାମି କାମନିଧି
ବାଞ୍ଛା କଳ୍ପତରୁ ନାଥ ବାଞ୍ଛାକର ସିଦ୍ଧି ।
ସର୍ବଜ୍ଞ ପୁରୁଷ ତୁମ୍ଭେ ନାମ ଜଗଦୀଶ
ମୁଁ କିସ କହିବି ତୁମ୍ଭେ ନ ଜାଣ ବା କିସ ।
ମୁହିଁ ତ ବ୍ରହ୍ମାନନ୍ଦନ ଅଟେ ବ୍ରହ୍ମଚାରୀ
ବେଦ ବିଦ୍ୟାରେ ଜ୍ଞାନ ତ ଅଛଇ ମୋହରି ।
ଏବେ ରମଣୀ ଗୋଟିକେ ବଳିଲା ଶରଧା
ତୁମ୍ଭେ ତ ସେଥିରେ ପ୍ରଭୁ ଅଟ ସର୍ବସିଦ୍ଧା ।
ବେଶି କି କହିବି ନାଥ ତୁମ୍ଭେ ସବୁ ଜାଣ
ଯେପରି କାମର ପୀଡ଼ା ଭୋଗିଛି ଆପଣ ।
ଯାହା ମାଗିଲଇଁ ତାହା ଦିଅ ଏବେ ମୋତେ
ଅନ୍ତର୍ଯ୍ୟାମୀ ନାରାୟଣ ଦୟାକରି ଚିତ୍ତେ ।
ବାଛି ବାଛି ଏକଗୋଟି କନ୍ୟା ମୋତେ ଦେବ
ରୂପ ଗୁଣମାନଙ୍କରେ ପରିପୂର୍ଣ୍ଣ ଥିବ ।
ଷୋଳସସ୍ର ନାରୀ ଚଉଷଠିସସ୍ର ବାଳୀ
ସମସ୍ତଙ୍କର ପୁରରେ ବିଜେ ବନମାଳୀ ।
ତହିଁରୁ ଗୋଟି କନ୍ୟା ଦିଅ ବାଛିକରି
ଏତିକି ମାଗୁଣି ମୋର ଆହେ ଦେବହରି ।
ନାରଦ ବଚନ ଶୁଣି ବୋଲନ୍ତି ଅଚ୍ୟୁତ
ତୁମ୍ଭର ଆଜ୍ଞା ଅବଜ୍ଞା କେ କରିପାରେ ତ ।
ତୁମ୍ଭେ ଯେ ନାରୀରେ ମନ ବଳାଇଲ ମୁନି
ତାହାକୁ ନିଶ୍ଚୟ ଆମ୍ଭେ ଦେବୁ ତତକ୍ଷଣି ।
କିନ୍ତୁ କଥା ଗୋଟାଏକ ଅଛି ତପୋଧନ
ଯୁଗଳମୂର୍ତ୍ତି ଯେ ପୁରେ ନ ଦେଖିବ ଜାଣ ।
ସେହି କନ୍ୟାଗୋଟି ତୁମ୍ଭେ ନେବ ନିର୍ଭୟରେ
ଶୁଣିଣ ପରମାନନ୍ଦ ହେଲେ ମୁନିବରେ ।
କୃଷ୍ଣ ଛାଡ଼ି କୁଞ୍ଜବନେ ପଶିଲେ ଝସାଇ
ଏଣେ ମାୟା ବିରଚିଲେ ଜଗତ ଗୋସାଇଁ ।
ନାରଦ ରାଧିକାକୁଞ୍ଜେ ପ୍ରବେଶ ହୋଇଲେ
ସେଠାରେ ଯୁଗଳମୂର୍ତ୍ତି ନୟନେ ଦେଖିଲେ ।
ପଲ୍ୟଙ୍କ ଉପରେ ରାଧାକୃଷ୍ଣ ଶୋଇଛନ୍ତି
ଦେଖି ସଙ୍କୋଚ ମନରେ ମୁନି ବାହୁଡ଼ନ୍ତି ।
ତହୁଁ ଆନ କନ୍ୟାଘରେ ପଶିଲେ ତଡ଼୍ବଡ଼ି
ପଲ୍ୟଙ୍କ ପରେ ଯୁଗଳ ମୂରତି ପହୁଡ଼ି ।
ତହିଁ ଲଜ୍ଜାପାଇ ମୁନି ଶୀଘ୍ର ବାହୁଡ଼ିଲେ
ଆରକନ୍ୟା ଘରେ ଯାଇ ସେଠାରେ ମିଳିଲେ ।
ତହିଁ ଦେଖିଲେ ସେପରି ଯୁଗଳ ମୂରତି
ବିରସ ମନେ ଫେରିଲେ ବିଧାତା ସନ୍ତତି ।
ଆରକନ୍ୟା ଘରେ ଯାଇ ଯେପରି ମିଳିଲେ
ଯୁଗଳ ମୂରତି ଦେଖି ତହୁଁ ବାହୁଡ଼ିଲେ ।
ଏହିରୂପେ ଗୋପୀକରେ ଗୋବିନ୍ଦ ଗୋଟିଏ
ଦେଖି ଦେଖି ଫେରିଯାନ୍ତି ବିଧାତା ତନୟେ ।
ଧାତିକାରେ ଲଜ୍ଜାପାଇ ହୁଅନ୍ତି ବାହାର
ଅନ୍ତର୍ଯ୍ୟାମୀ ନାରାୟଣ ପୂରି ସର୍ବଠାର ।
କାହିଁ ନୃତ୍ୟ ଗୀତ କାହିଁ ବାଜେ ତାଳବେଣି
କେବଣଠାରେ କେ ସେବା ପୂଜାରେ ଖଟଣି ।
ନାରଦ ଭାଳିଲେ ଏତ ଅସମ୍ଭବ ମାୟା
ଏକା ଜଣକ କରିଛି ଏତେ ଏତେ କାୟା ।
ଯେତେଠାରେଦେଖେ କୃଷ୍ଣ ତେତେଠାରେ ପୂରି
ଏହାର ମହିମା ବାକ୍ୟେ ନୁହେଁ ଶେଷକରି ।
ଏଥିର ଭିତରେ କାର୍ଯ୍ୟ କିଛି ନୁହେଁ ସିନା
ଦୂତିକାର ମନ୍ଦିରକୁ ଥରେ ଯାଏ କିନା ।
ବିଶେଷେ ମାନନୀୟା ସେ ବୟସରେ ବୃଦ୍ଧା
ତାଠାରେ କୃଷ୍ଣର ଅବା ନ ଥିବ ଶରଧା ।
ତାହାର ପୁରରେ ଯେବେ ନ ଥିବେଟି ହରି
ବାହାରେ ବାହାରେ ତାକୁ ନେବା ପୁଣି ଧରି ।
ଏତେ ଭାଳି ମହାମୁନି ଚଳିଲେକ ବେଗେ
ତକ୍ଷଣେ ମିଳିଲେ ଯାଇ ଦୂତିକାର ଆଗେ ।
ଦେଖିଲେ ଶ୍ରୀକୃଷ୍ଣ ସଙ୍ଗେ ଦୂତୀ ଅଛି ବସି
କଥାବାର୍ତ୍ତା ହେଉଛନ୍ତି ଦୁହେଁ ଖୁସିବାସି ।
ଆବର ଦେଖିଲେ ଦୁଇପୁତ୍ର ଦୂତୀ କୋଳେ
ନାରଦ ଦେଖଣ ମନ ମଧ୍ୟରେ ୟା ଭାଳେ ।
ଧନ୍ୟ ଧନ୍ୟ ଗୋପୀନାଥ ତୁମ୍ଭ ମାୟାମୋହ
ଦୂତିକା ଉପରେ ତୋର ଏଡ଼େ ବଡ଼ ସ୍ନେହ ।
ଏତେ ଭାଳି ମହାମୁନି ପାଇ ବଡ଼ଲଜ୍ଜା
ସେଠାରୁ କୁଞ୍ଜବନକୁ କଲେ ପରିତ୍ୟଜ୍ୟା ।
ଥୋକାଏ ଦୂର ଯାଇଣ ଭାଳନ୍ତି ସେ ପୁଣି
ଅତିଶୟ ବିଡ଼ମ୍ୱନ କଲେ ଚକ୍ରପାଣି ।
ଏତେ ମତେ ତାହାଙ୍କର ନୋହିଲା ସନ୍ତୋଷ
ଦୂତୀ ଛାର ଦାସୀଠାରେ ପୁଣି ହେଲେ ବଶ ।
ଅତିବୃଦ୍ଧା ତନୁ ବଳ ନାହିଁ ତାର ତିଳେ
ତା ନିକଟେ ବସିଛନ୍ତି କେଉଁରୂପେ ଭୋଳେ ।
ବୃଦ୍ଧା ରମଣୀକୁ ସିନା ଯୋଗ୍ୟ ବୃଦ୍ଧପୁଂସ
ବୃଦ୍ଧାକୁ ବାଳକ ହେଲେ ଲାଗେ ବଡ଼ଦୋଷ ।
ଦୂତୀର ପଚାଶ ବର୍ଷ ବୟସ ଅଟଇ
ଷଡ଼ ବରଷ ପୁଅକୁ କେମନ୍ତେ ରସଇ ।
ବାଳକ ହୋଇଣ କୃଷ୍ଣ ଲାଜ ନାହିଁ ଚିତ୍ତେ
ଦୂତିକା ବୃଦ୍ଧା ସଙ୍ଗତେ ବସିଛି କେମନ୍ତେ ।
ଚଳନ୍ତି ମହାମୁନି ଯେ ଏ କଥା ବିଚାରି
ଅନ୍ତର୍ଯ୍ୟାମୀ ନାରାୟଣ ତାହା ଜାଣିପାରି ।
ସର୍ବଗୁଣେ ପରିପୂର୍ଣ୍ଣ ଲକ୍ଷ୍ମୀଦେବୀ ନାହା
ତାଙ୍କ ପକ୍ଷେ ଅସମ୍ଭବ ନୁହଇ ତ ତାହା ।
ଗରବଗଞ୍ଜନ ବାନା ବହି ଚକ୍ରପାଣି
ଦେଖୁ ଦେଖୁ ବିଷ୍ଣୁ ମାୟା ପ୍ରକାଶିଲେ ଆଣି ।
ନାରଦଙ୍କ ମନକଥା ଜାଣି ଗଦାଧର
ମାୟାପଟଳକୁ ପୁଣି କରିଲେ ବିସ୍ତାର ।
ଛତା ପିଢ଼ା କୃଷ୍ଣାଜିନ କଳିମୁଣି ମୂଳେ
ଘେନି ଯାଉଥିଲେ ମୁନି ଯମୁନାର କୂଳେ ।
ଦେଖିଲେ ଯମୁନା ନୀର ଅତ୍ୟନ୍ତ ନିର୍ମଳ
ବହିଯାଉଅଛଇ ସେ ହୋଇ କଳ କଳ ।
ସ୍ନାହାନ କରିବା ପାଇଁ ହେଲା ତାଙ୍କ ମନ
ବେଦ ପୋଥି କଳିମୁଣି ପିନ୍ଧିବା ବସନ ।
ତୁଳସୀ ରୁଦ୍ରାକ୍ଷମାଳ ଥୋଇଦେଇ କୂଳେ
ଅତି ଆନନ୍ଦେ ପଶିଲେ ଯାଇଁ ନଦୀକୂଳେ ।
ମହାମନ୍ତ୍ର ସୁମରିଣ ପଶିଲେକ ପେଲି
ଜଳେ ସ୍ନାନ କଲେ ଗଙ୍ଗା ନାରାୟଣ ବୋଲି ।
ନଦୀ ମଧ୍ୟରେ ନାରଦ ପଶନ୍ତେ ଝସାଇ ।
ବିଷ୍ଣୁ କାଞ୍ଚି କଟକରେ ମିଳିଲେକ ଯାଇ ।
ବେଦମନ୍ତ୍ର ସନ୍ଧ୍ୟା ଆଦି ପାସୋରିଲେ ପୁଣ
ଚାହୁଁ ଚାହୁଁ ଦିବ୍ୟନାରୀ ହେଲେ ତପୋଧନ ।
ମସ୍ତକେ ସୁସଞ୍ଚ ଖୋସା ହସ୍ତେ ଶଙ୍ଖାବାହି
ନାସିକାରେ ନାକଚଣା ଗୋଟି ଶୋଭାପାଇ ।
ବେନି ନୟନେ କଜ୍ଜ୍ୱଳ ଦିଶେ ଦାଉ ଦାଉ
ଶରୀରରେ ଶୋଭାକଥା ମୁଖେ କେବା କହୁ ।
କଣ୍ଠତଟେ ମୋତିହାର ଅତ୍ୟନ୍ତ ସୁନ୍ଦର
ଦେଖି ମୋହ ହୋଇଯିବେ ସୁର ଆଦି ନର ।
ବିଦ୍ୟାଧରୀ ପ୍ରାୟେ ଦେଖାଯାଏ ସେ ନାୟିକା
ତ୍ରିପଥରେ ବସିକରି କାନ୍ଦିଲା ସେ ଏକା ।
ଶ୍ରୀହରି ମାୟାରେ ମୁନି ହୋଇଲେ ରମଣୀ
ଅନାଥ ହୋଇ କାନ୍ଦିଲେ ପଥେ ବସି ପୁଣି ।
ଅପୂର୍ବ ଲୋଚନ ଫାଟି ବହିଯାଏ ବାରି
ହୃଦୟ ଫଟାଇ ଉଚ୍ଚେ କାନ୍ଦଇ ସୁନ୍ଦରୀ ।
ମାତା ପିତା ଭାଇ ଯେଣୁ କେହି ସାହା ନାହିଁ
ତେଣୁ ସଧୀରେ କାନ୍ଦଇ ତୁହାଇ ତୁହାଇ ।
ଏକାଳେ କୈବର୍ତ୍ତ ଜଣେ ଧରି ଜାଲବିଡ଼ା
ଦିବାକର ନାମ ତାର ଅତିଶୟ ବୁଢ଼ା ।
ଜୀବିକା ଅର୍ଥରେ ଯାଇଥିଲା ଜଳଘଟେ
ପୁରେ ବାହୁଡ଼ି ଆସନ୍ତେ ସୁନ୍ଦରୀକି ଭେଟେ ।
ଏକେ ତ ସୁନ୍ଦରୀ ସେ ତ ଦୂଜେ ନବଯୁବା
ରମ୍ଭା ଉର୍ବଶୀ ମେନକା ପ୍ରାୟ ଦିଶେ ଶୋଭା ।
କନ୍ୟାକୁ ଚାହିଁ କେଉଟ ହେଲା ମହାଖୁସି
ବୋଲେ କାହିଁପାଇଁ କାନ୍ଦୁଅଛ ଶୁଭ୍ରକେଶୀ ।
କେବଣ କୁଳରେ ଜାତ ନାମ ତୋର କିସ
ପିତାମାତା ଅଛି କିନା କେଉଁ ଗ୍ରାମେ ବାସ ।
ଶରଦ ଚନ୍ଦ୍ର ପରାୟେ ଦିଶଇ ତୋ ତନୁ
ନେତ୍ର କାମ ପଞ୍ଚବାଣ ଭ୍ରୁଲତା ତୋ ଧନୁ ।
ଅପଟାନ୍ତର ନାୟିକା ଅଟୁ ସୁଲକ୍ଷଣୀ
ଅଣ୍ଡିର କୋକିଳ ପ୍ରାୟେ ଶୁଭୁଅଛି ବାଣୀ ।
ଅରକ୍ଷିତ ପ୍ରାୟେ କାନ୍ଦୁ କେବଣ ନିମତ୍ତେ
ପ୍ରକୃତ କଥାଯାକ ତୁ କହ କିନା ମୋତେ ।
ଦିବାକରଠାରୁ ଏହି ବଚନକୁ ଶୁଣି
ରୋଦନ ବନ୍ଦ କରିଣ କହେ ସୁଲକ୍ଷଣୀ ।
ଶୁଣ ହେ କେଉଟ ପୁଅ ପଚାରିଲ ଯାହା
କିଏ ମୋର ମାତା ପିତା ନ ଜାଣଇ ଏହା ।
ଏହିପରି ବୁଲୁଛି ମୁଁ ଅପର୍ଥାନି ମତେ
କେମନ୍ତେ ଜୀବ ଧରିବି କୁହ କିନା ମୋତେ ।
ସ୍ତିରୀର ତ ତିନିଦଶା ନିର୍ମାଣିଛି ଧାତା
ବାଳୁତ କାଳେ ପାଳନ କଲେ ପିତାମାତା ।
ତଦନ୍ତେ ଯୌବନକାଳେ ଭରତା ପୋଷଇ
ବୃଦ୍ଧକାଳେ ପୁତ୍ରପୌତ୍ରୀ ଯୋଗେ ସେ ବଞ୍ଚଇ ।
ଏପରି ଧାତା ସ୍ତିରୀଏ ତିନିଦଶା ଦେଲା
ବାଳୁତ କାଳରୁ ଦଶା ମୋତେ ତ ପଡ଼ିଲା ।
ଦେଖୁ ଦେଖୁ ହୋଇଲଇଁ ଏବେ ନବଯୁବା
ଏ ଦଶା ନିଷ୍ଫଳ ହେଲା ହୋଇନାହିଁ ବିଭା ।
ଭରତା ନ ଥିଲେ ପୁତ୍ରପୌତ୍ରୀ ହେବ କାହୁଁ
ଯୁବା ବୟସ ନିଷ୍ଫଳ ହୁଏ ଚାହୁଁ ଚାହୁଁ ।
ଦିବାକରବୋଲେ ତୋର ଯେବେ କେହିନାହିଁ
ଯୋଗାଇଲେ ଥାଅ କିନା ମୋର ଘରେ ରହି ।
ଜାତିରେ କୈବର୍ତ୍ତ ମୁଁ ଯେ ଅଟଇ ଯୁକତେ
ଜୀବ ବଧ କରେ ନିତି ଜଠର ନିମନ୍ତେ ।
ଦୁହିତାଙ୍କ ସଙ୍ଗେ ମୋର ଜଣେ ହୋଇଥିବୁ
ଦୁଃଖ ସୁଖେ ଦିନ ନେବୁ ମାଛ ଗୋ ବିକିବୁ ।
ପୁତ୍ର ଭାରିଯା ମୋହର କେହି ଗୋ ନାହାନ୍ତି
ବୟସରେ ବୃଦ୍ଧ ମୁହି କଇବର୍ତ୍ତ ଜାତି ।
ଯେବେ ତୋହର ମନକୁ ରୁଚେ ସୁବଦନି
ତ୍ରିବାର ସତ୍ୟ ମୋହର ଯିବି ତୋତେ ଘେନି ।
ଜୀବଥିବାଯାଏ ଅନ୍ନ ବସ୍ତ୍ରେ ମୁଁ କାରେଣି
ମୋର ଭାଗ୍ୟବଳେ ଧାତା ଘଟାଇଲା ଆଣି ।
ଗୋରୁ କନ୍ୟା ଧନ ଧାନ୍ୟ ଅତି ଭାଗ୍ୟେ ପାଇ
କର୍ମରେ ନ ଥିଲେ କାହୁଁ ମିଳିବେଟି ଏହି ।
ମୁଁ କୈବର୍ତ୍ତ ଜାତି ବେଳେ କରେ ସୁରାପାନ
ମୋ ସଙ୍ଗେ ଆସ ରୁଚଇ ଯେବେ କି ତୋ ମନ ।
ସୁନ୍ଦରୀ ସ୍ତିରୀ ତୁମ୍ଭେ ତ ଶରଚ୍ଚନ୍ଦ୍ର କାନ୍ତି
ଆସ ମନ୍ଦିରେ ଯିବା ଗୋ ନ କର ଯେ ଭ୍ରାନ୍ତି ।
ପୁଣି ପଚାରଇ ତୁମ୍ଭ ନାମ ଅଟେ କିସ
କୁଳ ମୂଳ ନ ଜାଣିଲେ ଜାତି ହେବ ଧ୍ୱଂସ ।
କନ୍ୟା ବୋଲଇ ମୁହିଁ ତ ଜାତିରେ ଉତ୍ତମ
ବୃହନ୍ନାରଦ ବୋଲିଣ ଅଟେ ମୋର ନାମ ।
ଚାରିବେଦ ବ୍ରହ୍ମଭାଗ ଜାଣିଥିଲି ମୁହିଁ
ଦୈବଯୋଗେ ନାରୀ ଏବେ ଏଥେଁ ହୋଇଲଇଁ ।
ସ୍ତିରୀଜନ୍ମ ଲଭିଲି ମୁଁ ଅତି ପାପ କରି
କା ଆଗେ କହିବି ଏହା କରମ ମୋହରି ।
ସ୍ତିରୀ ଏକା ମୁହିଁ ଏଥେ ପୁଂସ ତୁମ୍ଭେ ହୋଇ
ଇଷ୍ଟ ବନ୍ଧୁ କୁଟୁମ୍ୱ ତ ମୋର କେହି ନାହିଁ ।
କେ ମୋତେ ତୁମ୍ଭ ହସ୍ତରେ କରିବ ପ୍ରଦାନ
କେମନ୍ତେ ଏ ରୂପ ହେଲି ନାହିଁ ମୋର ଜ୍ଞାନ ।
ଯେ ମୋତେ ପୋଷି ପାରିବ ଅନ୍ନ ବସ୍ତ୍ର ଦେଇ
ତାହାର ସଙ୍ଗରେ ମୁହିଁ ନିଶ୍ଚୟ ଯିବଇଁ ।
ମୋର ଜାତି କୁଳେ ଅବା କିସ ପ୍ରିୟୋଜନ
ଚାଣ୍ଡାଳ ହେଲେ ତା ଘରେ ରହିବଇଁ ଜାଣ ।
ଏତେ ବୋଲି କଇବର୍ତ୍ତ ଦକ୍ଷଭୁଜ ଧରି
ତ୍ରିବାର ସତ୍ୟ କରିଲା ହେବି ପରିଚାରୀ ।
ଶୁଣ ପରୀକ୍ଷିତ ରାଜା କହେ ଶୁକମୁନି
ସେ ଦିବାକର ବୋଇଲା ଯିବି ତୋତେ ଘେନି ।
ସମ୍ମତ କରିଣ ଦୁହେଁ ସେଠାରୁ ଚଳିଲେ
କଇବର୍ତ୍ତ ପୁରେ ଯାଇଁ ପ୍ରବେଶ ହୋଇଲେ ।
ପତି ପତ୍ନୀ ରୂପେ ତହିଁ କଟାଇଲେ କାଳ
ବିଷ୍ଣୁଙ୍କର ମାୟାଚକ୍ର ଦେଖ ମହୀପାଳ ।
ତେଡ଼େ ବଡ଼ ମୁନି ହେଲେ କୈବର୍ତ୍ତ ଘରଣୀ
ପଞ୍ଚବିଂଶ ବରଷରେ ଗର୍ଭ ହେଲେ ପୁଣି ।
ସନ୍ତାନ ଗୋଟିଏ ତହୁଁ ହୋଇଲା ସଂଜାତ
ଏହିରୂପେ ଚାରି ପୁତ୍ର ବେନି କନ୍ୟା ଜାତ ।
ସଂସାର ମାୟାରେ ପଡ଼ି ପାଳନା କରିଲେ
କ୍ରମେ କ୍ରମେ ପୁତ୍ର ପୁତ୍ରୀ ବର୍ଦ୍ଧିତ ହୋଇଲେ ।
ଥୋକାଏ ଦିନେ କୈବର୍ତ୍ତ ପ୍ରାଣେ ହେଲା ନାଶ
ପତ୍ନୀ ଭାଳେ ପତି ସଙ୍ଗେ ଦେବଇଁ ମୁଁ ଝାସ ।
ଚାରିପୁତ୍ର ବେନି କନ୍ୟା ଏହାଙ୍କର ପାଇଁ
ପୁତ୍ର କନ୍ୟାମାନଙ୍କରେ କିଛି କାର୍ଯ୍ୟ ନାହିଁ ।
ସ୍ୱାମୀକି ଛାଡ଼ିଣ କିପାଁ ରହିବଇଁ ବୃଥା
ସ୍ୱାମୀ ପତ୍ନୀର ଅଟଇ ଇଷ୍ଟ ଯେ ଦେବତା ।
ସ୍ୱାମୀ ସଙ୍ଗେ ଅନଳରେ ଦିଏ ଯେହୁ ଝାସ
ଉଭୟ କୁଳ ଉଦ୍ଧାରି ସ୍ୱର୍ଗେ କରେ ବାସ ।
ଜଗତ ମଧ୍ୟରେ ସତୀ ସାଧବୀ ବୋଲାଇ
ଏ ସୁଯୋଗ କି ସୁଭଗା ତେଜିଣ ପାରଇ ।
ଆବର କାହାର ସଙ୍ଗେ କରିବି ମୁଁ ଘର
କେଉଁ ସୁଖ ଅଛଇ ବା ଜୀବନେ ମୋହର ।
ପୁତ୍ର ଦୁହିତାଙ୍କୁ ପାଖେ ବସାଇ ତିଆରି
ସ୍ୱାମୀ ସଙ୍ଗେ ଯିବାପାଇଁ ବାହାରେ ସୁନ୍ଦରୀ ।
ଆତ୍ମଘାତ ପାପଭୟେ ବ୍ରାହ୍ମଣଙ୍କ ହସ୍ତେ
ଶଏମାଢ଼ ସୁନା ଦାନ କଲା ତୋଷଚିତ୍ତେ ।
କାବେରୀ କୂଳରେ ଅଗ୍ନି ଆରୋପଣ କରି
ସ୍ୱାମୀକି ପୋଡ଼ିବାପାଇଁ ବସନ୍ତେ ଆବୋରି ।
ଏ ସମୟେ ପତ୍ନୀ ତହୁଁ ତରତରେ ଗଲା
ସ୍ନାନ କରିବାକୁ ଜଳେ ଯାଇଣ ପଶିଲା ।
ଲୋକମାନେ ଚାହିଁଛନ୍ତି ପଶିଲାକ ଜଳେ
ଲେଉଟି ମିଳିଲେ ମୁନି କଦମ୍ୱର ତଳେ ।
ସହସ୍ରେ ଯୋଜନ ପଥ ସେଠାରୁ ଅଟଇ
ମୂହର୍ତ୍ତେକ ମିଳିଲେକ ଯାଇ ମୁନି ତହିଁ ।
କୂଳେ ଅଛି ଦଣ୍ଡ କମଣ୍ଡଳୁ ଧୋତି ପୀଢ଼ା
ରତନ ପାଦୁକା ଛତା ଆଉ କୁଶବିଡ଼ା ।
ସେ ଦିନ ସେହି ମୁହୂର୍ତ୍ତ ସେହି ତାର ବାର
ସେ ସ୍ଥାନ ଦେଖିଣ ମୁନି ହୋଇଲେ କାତର ।
ଗର୍ବ କରିବାରୁ ମୁନି କଲେ ହରି ମାୟା
ଗରବଗଞ୍ଜନ ବାନା ବହନ୍ତି ଚୌବାହା ।
ବୁଡ଼ି ଉଠିବା ମାତ୍ରକେ ଏତେ କୃତ୍ୟ ହେଲା
ନିମିଷକେ ମୁନି ଜନ୍ମ ମରଣ ସାରିଲା ।
ନାରଦ ପରାୟେ ମୁନି ହେଲା ବିହ୍ୱଳିତ
ପ୍ରତ୍ୟକ୍ଷରେ କଇବର୍ତ୍ତ ନାରୀ ହେଲା ସେ ତ ।
ଚାରିପୁତ୍ର ବେନି କନ୍ୟା ଗର୍ଭୁ ଜାତକଲା
ସ୍ୱାମୀ ମରିଲା ବୋଲିଣ ଝାସ ଦେଉଥିଲା ।
କାୟା ବିଶୁଦ୍ଧ ନିମନ୍ତେ ପଶି କାବେରୀରେ
ପୁନରପି ମିଳିଲେକ ଗୋଧିକା ଘାଟରେ ।
ନିମିଷକ ମଣିଲା ସେ ବହୁ ଯୁଗ ସରି
ଏପରି ମାୟାକରନ୍ତି ପ୍ରଭୁ ଦଇତ୍ୟାରି ।
ତାଙ୍କ ମାୟାରୁ କେହି ଉବୁରିଣ ଯିବ
ଶୁଣ ଆହେ ପରୀକ୍ଷିତ କହେ ଶୁକଦେବ ।
ପୁନରପି ମୋହେ ପଡ଼ି ସେ ନାରଦ ମୁନି
ପୁତ୍ର ଦୁହିତାଙ୍କୁ ଲୋଡ଼େ ହୋଇ ମହାଜ୍ଞାନୀ ।
ପୁଣି ବିଚାରଇ ଅବା ଦେଖିଲି ସ୍ୱପନ
ବୁଡ଼ି ଉଠିବା ମାତ୍ରକେ ପୁରୁଷ ଲକ୍ଷଣ ।
ଏତେ ଭାଳି ମୁନି ମନଯାନକୁ ଆରୋହି
ଶବଦାହ ନିକଟରେ ପ୍ରବେଶିଲେ ଯାଇ ।
ଦେଖିଲେ ଲୋକ ସେଠାରେ ହ୍ୱନ୍ତି କଥାବାର୍ତ୍ତା
କେ ବୋଲଇ କେଉଁଆଡ଼େ ଗଲା ସେ ବନିତା ।
କେ ବୋଲଇ ନିଶ୍ଚେଁ ତାକୁ କୁମ୍ଭୀର ଖାଇଲା
କେ ବୋଲଇ ପାଣି ସ୍ରୋତେ ଭାସିଣ ସେ ଗଲା ।
କେ ବୋଲଇ ଏହିକ୍ଷଣି ଉଠିବ ସେ ଭାସି
କେ ବୋଲଇ ଖୋଜିଆଣ ସେହି ଶୁଭ୍ରକେଶୀ ।
ଏହାର ସଙ୍ଗତେ ତାକୁ ଅଗ୍ନିକୁଣ୍ଡେ ଦେବା
ତେବେ ଯାଇ ଯେ ଯାହାର ଗୃହେ ଫେରିଯିବା ।
କାନ୍ଦନ୍ତି କୁଟୁମ୍ୱଯାକ ସ୍ନେହଗୁଣ ଘେନି
ଏସନକ ପ୍ରତ୍ୟକ୍ଷରେ ଦେଖି ମହାମୁନି ।
ମନମଧ୍ୟେ ଅତିଶୟ ପାଇଲେକ ଲାଜ
ବୋଇଲେ ସମସ୍ତ ମାୟା କଲେ ଦେବରାଜ ।
ଏତେ ବୋଲି ମୁନି ତହୁଁ ଲେଉଟି ଅଇଲେ
ଚେତା ପାଇଣ ଶ୍ରୀହରି ପାଶରେ ମିଳିଲେ ।
ମସ୍ତକରେ କରଯୋଡ଼ି କରିଲେ ସେ ସ୍ତୁତି
ଜୟ ଜୟ ଗୋପୀନାଥ ଅନନ୍ତ ମୂରତି ।
ଜୟ ଜୟ ଗୋପୀନାଥ କରୁଣାବାରିଧି
ଜୟ ଜୟ ଗୋପୀନାଥ ଅନନ୍ତ ଅନାଦି ।
ଜୟ ଜୟ ଗୋପୀନାଥ ଗୋପୀ ପଞ୍ଚଭୂତ
ଜୟ ଜୟ ଗୋପୀନାଥ ଅଚ୍ୟୁତ ଅବ୍ୟକ୍ତ ।
ନମସ୍ତେ ନମସ୍ତେ ଗୋପୀନାଥ ରମାଧବ
ନମସ୍ତେ ନମସ୍ତେ ଗୋପୀନାଥ ହେ ମାଧବ ।
ନମୋ ନମୋ ଗୋପୀନାଥ ବିଦ୍ୱଜନ ପ୍ରିୟ
ନାମୋ ନମୋ ଗୋପୀନାଥ ସରଳ ହୃଦୟ ।
ନମୋ ନମୋ ଗୋପୀନାଥ ଆଦ୍ୟନ୍ତ ବିର୍ଜିତ
ନମୋ ନମୋ ଗୋପୀନାଥ ବସୁଦେବ ସୁତ ।
ଅପାର ମହିମା ତବ ଅନ୍ତ ତାର ନାହିଁ
କୀଟରୁ ବ୍ରହ୍ମ ପର୍ଯ୍ୟନ୍ତେ ଅଛ ସର୍ବଦେହୀ ।
ମାୟାଜାଲ ପାତିଅଛି ଏ ଭବସାଗରେ
ସେ ମାୟା ଜାଲରୁ କ୍ଷଣେ କେହି ନ ଉବୁରେ ।
ଏମନ୍ତ ସ୍ତୁତି କରନ୍ତେ ସେ ନାରଦ ମୁନି
ଅଳପ ଅଳପ ହସି ପ୍ରଭୁ ଚକ୍ରପାଣି ।
ବୋଇଲେ ନ ଜାଣି ମୁନି ମନେ ଗର୍ବ କଲ
ତେଣୁକରି ଏହି ଦଣ୍ଡ ତୁମ୍ଭେ ତ ଭୋଗିଲ ।
ଯାଅ ଏବେ ନିଶ୍ଚିନ୍ତରେ ନିଜପୁରେ ଥାଅ
ଏହି ଆଜ୍ଞା ଦ୍ୟନ୍ତେ ତାଙ୍କୁ ପ୍ରଭୁ ଦେବରାୟ ।
ପ୍ରଣାମ କରି ତକ୍ଷଣେ ସେଠାରୁ ସେ ଗଲେ
ଆପଣା ଭୁବନେ ଯାଇ ପ୍ରବେଶ ହୋଇଲେ ।
ଏ ଅଟେ ଶ୍ରୀ ଭଗବତ ପୁଣ୍ୟମୟ ବାଣୀ
ଚଉବର୍ଗ ଲଭ ଜନେ ଏହା ପଢ଼ି ଶୁଣି ।
ଗଙ୍ଗାଜଳ ସମ ଏହି ଶାସ୍ତ୍ର ଯେ ଅଟଇ
ଦଶମ ତେତିଶ ଅଧ୍ୟା ଏଥେଁ ପୂର୍ଣ୍ଣ ହୋଇ ।
ଯା ମାୟାରେ ପଡ଼ି ଭ୍ରମ ହୋଇଲେ ନାରଦ
ଭଜଇ ଅଚ୍ୟୁତ ଦାସ ସେହି ପଦ୍ମପାଦ ।
ନନ୍ଦର ଏକାଦଶୀ ବ୍ରତ ଓ ପୁତ୍ରଠାରେ ବିଶ୍ୱରୂପ ଦର୍ଶନ
[ସମ୍ପାଦନା]ଏଥୁଅନ୍ତେ ପରୀକ୍ଷିତ ହୋଇଣ ହରଷ
ବୋଇଲେ ତଦନ୍ତେ କିସ କଲେ ପୀତବାସ ।
ସେ କଥା ସଂକ୍ଷେପି ମୋତେ କହ ମହାମୁନି
ପବିତ୍ର ହୋଇବି କର୍ଣ୍ଣେ ଶୁଣି ହରିଧ୍ୱନି ।
ରାଜାର ମୁଖୁ ଏସନ ଶୁଣି ତପୋଧନ
କହନ୍ତି ସାବଧାନରେ ଶୁଣ ହେ ରାଜନ ।
କୃଷ୍ଣଙ୍କ ଆଦେଶେ ଗୋପୀଗଣେ ଗୃହେ ଗଲେ
ଶ୍ରୀକୃଷ୍ଣ ଯାଇଣ ନିଜ ମନ୍ଦିରେ ମିଳିଲେ ।
ଭୋଜନାଦି ଶେଷକରି ରହିଲେ ଭବନେ
ନ ଜାଣନ୍ତି ଶ୍ରୀହରିଙ୍କ ମାୟା ଅନ୍ୟ ଜଣେ ।
ଏଥୁ ଅନନ୍ତରେ ହେଲା କେତେଦିନ ଶେଷ
ଦେ ଉଠାଣି ଏକାଦଶୀ ଦିବସ ପ୍ରବେଶ ।
ଦଶମୀ ତିଥିରେ ନନ୍ଦ ହବିଷ୍ୟ ଭୁଞ୍ଜିଲେ
ଯଥାବିଧି ପରକାରେ ଦ୍ୱନ୍ଦ୍ୱାଦି ତେଜିଲେ ।
ଆରଦିନ ଏକାଦଶୀ କାଳ ଯେତେବେଳେ
ସଂକଳ୍ପ କରିଲେ ପ୍ରାତେଃ ପଶି ନଦୀଜଳେ ।
ବିଷ୍ଣୁପ୍ରତିମା ସ୍ଥାପନ ଆଧି କୂଳେ କଲେ
ବିଷ୍ଣୁ ବିଷ୍ଣୁ ସୁମରିଣ ସ୍ନାହାନ ସାରିଲେ ।
ପ୍ରତିମା ପାଶରେ ବସି ଗୁଆଘୃତ କାଳି
ଉପାସନା କରିଲେ ସେ ହୋଇ ଶୁଦ୍ଧଶାଳୀ ।
ପୁରାଣ ପଠନ ଗୀତ ବାଦ୍ୟ ନୃତ୍ୟରଙ୍ଗେ
ବ୍ରତାଚାରୀ ହୋଇଲେ ସେ ବୈଷ୍ଣବଙ୍କ ସଙ୍ଗେ ।
ଦୁର୍ବାକ୍ଷତ ତଣ୍ଡୁଳ ଯେ ଆଉ ନଟିକାଳ
ଜମ୍ୱିଳ କଦଳୀ ଆମ୍ୱ ଜାମୁ ବୃନ୍ଦହୁଳ ।
ସିଂହଡ଼ା କରନ୍ଦା ଫଳ ଆଦି ଇକ୍ଷୁରସ
ବିଷ୍ଣୁଙ୍କର ପ୍ରୀତିଅର୍ଥେ ଥୋଇଲେକ ପାଶ ।
ଖଣ୍ଡ ଖଜା ଶର୍କରା ଯେ ଦୁଧ ଦହି ଛେନା
ଭୋଗ ନିମନ୍ତେ ରଖିଲେ ହୋଇ ଶୁଦ୍ଧମନା ।
ସଙ୍ଗରେ ବହୁତ ଋଷି ଅଛନ୍ତି ଯେ ବସି
ନିଶ୍ଚଳ ମନରେ ନନ୍ଦ ପୂଜେ ହୃଷିକେଶୀ ।
ଏହି ସମୟରେ କୃଷ୍ଣଥିଲେ ନିଦ୍ରାଯାଇ
ଧାତିକାରେ ବାହାରିଲେ ସେହି ବାର୍ତ୍ତା ପାଇ ।
ଯେଉଁଠାରେ ଉଜାଗର ହୋଇଛନ୍ତି ନନ୍ଦ
ପିତାଙ୍କ ଛାମୁରେ ଯାଇ ମିଳିଲେ ଗୋବିନ୍ଦ ।
ନିଦ୍ରା ଅଳସରେ ସ୍ୱାମୀ ନୟନ ଘୂମିତ
ନୀଳେନ୍ଦିଦଳେ ପରାୟେ ବିରାଜଇ ଗାତ୍ର ।
ଶୋଇଥିଲାଠାରୁ ଆସିଅଛନ୍ତି ମାଧୋଇ
ଏ ପାଖ ସେପାଖ ହୋଇ ପଡ଼ନ୍ତି ଢୁଳାଇ ।
ମୃଗନାଭି କସ୍ତୁରୀ ଯେ ଶୋହେ ଲଲାଟରେ
ମୟୂର ପୁଚ୍ଛ ମସ୍ତକେ ଜନମନ ହରେ ।
ରଙ୍ଗପାଟ ବନ୍ଧାହୋଇଅଛି ଭୂଜମୂଳେ
ସୁବର୍ଣ୍ଣ କୁଣ୍ଡଳ ଶୋହେ ଶ୍ରବଣ ଯୁଗଳେ ।
ବ୍ୟାଘ୍ରନଖ ଗଳେ ପାଦେ ସୁବର୍ଣ୍ଣର ବଳା
କଟିତଟରେ ମେଖଳା ଆଉ ଘଣ୍ଟିମାଳା ।
ନାନା ଭୂଷଣମାନଙ୍କେ ଭୂଷିତ ଶରୀର
ଜାଜ୍ୱଲମାନ ତେଜ ଯେ ଅତି ଶୋଭାକର ।
ଏପରି ମାୟା ମୂରତି ପ୍ରଭୁ ଧରିଛନ୍ତି
ପିତାଙ୍କ ଛାମୁରେ ଯାଇ ମିଳିଲେ ତଡ଼ତି ।
ନାରାୟଣଙ୍କୁ ଦେଖିଣ ନନ୍ଦ ଯେ ଉସତ
ଆଶ୍ୱାସନା କରି କୋଳେ ବସାଏ ତୁରିତ ।
ହୃଦରେ ଭିଡ଼ି ମୁଖରେ ଚୁମ୍ୱନ ଦିଅଇ
ଅନେକ ଆଶ୍ୱାସ ବାକ୍ୟମାନ ସେ ବୋଲଇ ।
କଣ୍ଠେ ମାଳା ଲମ୍ୱାଇଣ ଭୁଜେ ପ୍ରେମେ ଭିଡ଼ି
ପଞ୍ଚଆତ୍ମା ପୁଲକିତେ ନ ପାରଇ ଛାଡ଼ି ।
ନୀଳଇନ୍ଦୀବର ପ୍ରାୟ ପ୍ରଭୁଙ୍କର କାୟ
ବିକଚ ପଦ୍ମ କୁସୁମ ସମ ନେତ୍ର ଦ୍ୱୟ ।
ନିର୍ମଳ ଆକାଶେ ଯେହ୍ନେ ନିଶାକର ପ୍ରଭା
ପ୍ରସନ୍ନ ବଦନଗୋଟି ତେସନକ ଶୋଭା ।
କୁନ୍ଦକଳିକା ପରାୟେ ଦିଶେ ଦନ୍ତପନ୍ତି
ବିକ୍ରମସିଂହ ସମାନ ଯାହାଙ୍କର ଗତି ।
ଆଜାନୁକର ଯୁଗଳ ବିସ୍ତାରିତ ହୃଦ
ନାନାଦି ଅଳଙ୍କାରରେ ଭୂଷିତ ଗୋବିନ୍ଦ ।
ଏସନ ପ୍ରକାରେ ନନ୍ଦରାଜା କୋଳେ ବିଜେ
ପିତା ନିଶ ଧରି ପଚାରନ୍ତି ଦେବରାଜେ ।
ଭୋ ପିତା ତୁମ୍ଭେ କାଲିଠୁଁ ଖାଇନାହିଁ ଅନ୍ନ
ଏଥେ ଥୋଇଅଛ କେତେ ନଇବେଦ୍ୟମାନ ।
ରାତ୍ର ଭରି ଉଜାଗରେ ଜାଳି ଦୀପାବଳୀ
କାହିଁପାଇଁ ଆସିଅଛି ପିତା ହେ ଏଭଳି ।
କେବଣ ଦେବତା ସ୍ଥାପି କରୁଅଛ ପୂଜା
ପୁଣି ପୁଣି ପଚାରନ୍ତି ପ୍ରଭୁ ଦେବରାଜା ।
ବିଶେଷେ ଉପାସ ଅଙ୍ଗ ଅଳସ ହେବଣି
କାହିଁପାଇଁ ଏଡ଼େ ପୀଡ଼ା ଦିଅ ଅଙ୍ଗେ ପୁଣି ।
ଧାତିକାରେ ଚାଲ ଯିବା ଭୁଞ୍ଜିବାକ ଅନ୍ନ
ଶରୀର କଦର୍ଥ ପିତା କେବଣ କାରଣ ।
ନନ୍ଦ ବୋଲେ ବାବୁ ଶୁଣ ଆରେ ଗୋପୀନାଥ
ବ୍ରତରାଜ ଏକାଦଶୀ ବିଷ୍ଣୁ ପ୍ରୀତିଅର୍ଥ ।
ଷଡ଼ସ୍ନାନ ଉଜାଗର ଅଷ୍ଟ ଯେ ପ୍ରହର
ହରି ବାସରାଦି ନରେ କରନ୍ତି ବେଭାର ।
ଯଥାଶକ୍ତି ଭାବେ ପ୍ରାଣୀ ଏ ବ୍ରତ ଆଚରି
ପାପାଦି ମହାପାତକ ହୋଇଯାଏ ପାରି ।
ଲଭିଣ ପରମଗତି ପୂତ ହୁଏ ଅଙ୍ଗ
ପ୍ରତ୍ୟକ୍ଷରେ ବିଷ୍ଣୁ ଲୋକଙ୍କର ହୁଏ ସଙ୍ଗ ।
ବାବୁ ଏ ବ୍ରତ ଅଟଇ ସର୍ବ ପୁଣ୍ୟନିଧି
ଧର୍ମ ଅର୍ଥ କାମ ମୋକ୍ଷ ବାଞ୍ଛା ହୋଇ ସିଦ୍ଧି ।
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଅନାଦି ବନ୍ଦନ
ଦଶମୀ ଏକାଦଶୀ ଦ୍ୱାଦଶୀ ତିନିଦିନ ।
ନବମୀ ତିଥିରେ ଥରେ କରିବ ଆହାର
ବ୍ରତାଚାରୀ ହେବ ଅସ୍ତ ହ୍ୱନ୍ତେ ଦିବାକର ।
ରାତ୍ର ପ୍ରକାଶ ହୁଅନ୍ତେ ଦଶମୀ ଯେ ଦିନ
ରାତ୍ର ଘଡ଼ିଏ ଥାଉଣୁ କରିବ ସ୍ନାହାନ ।
ପୂର୍ବରୁ ଏମନ୍ତ ଅଛି ଯେ ବିଧି ବିଧାନ
ଯାହା ମୁଁ କହୁ ଅଛଇ ବାବୁ ତାହା ଶୁଣ ।
ଆଚାର୍ଯ୍ୟ ବରଣ କରି ହୋଇ ଶୁଦ୍ଧମନା
ଶୁଚିମନ୍ତେ କରିବ ଯେ ଦେବ ଉପାସନା ।
ଯାହା ଭୁଞ୍ଜିବାର ହେବ ବାରେକ ଭୁଞ୍ଜିବ
ଗୁଆଘୃତ ଦୀପରେ ଯେ ଦୀପାବଳି ଦେବ ।
ଦଶମୀ ପାହାନ୍ତା ରାତ୍ର ଏକଘଡ଼ି ଥାଉଁ
ସ୍ନାନକରି ବୋଲିବ ମୋ ବ୍ରତଫଳ ହେଉ ।
ପୁଣି ନିତ୍ୟକର୍ମ ସାରି ରବି ଉଦେବେଳେ
ଶୁଚିମନ୍ତରେ ମିଳିବ ଯାଇ ବିଷ୍ଣୁଆଳେ ।
ନିର୍ମାଲ୍ୟ ତୁଳସୀ ଘେନି କହିବ ବିନୟୀ
ଭୋ ଦେବ ଆଜ୍ଞାଦେଲେ ମୁଁ ବ୍ରତ କରିବଇଁ ।
ଏ ବାକ୍ୟ ଜଣାଇ ତହୁଁ ଆସି ନିଜ ପୁରେ
କରିବ ସେ ବ୍ରତରାଜ ଯଥା ନିତ୍ୟାଚାରେ ।
ଶୁଣିବ ବିଷ୍ଣୁ ପୁରାଣେ କହି ବିଷ୍ଣୁ କୀର୍ତ୍ତି
ବିଷ୍ଣୁଠାରେ ଦେଇ ପଞ୍ଚଇନ୍ଦ୍ରିୟ ପ୍ରକୃତି ।
ନେତ୍ର ମନ ଇନ୍ଦ୍ରି କର୍ଣ୍ଣ ଏକାଦଶ ମୂଳେ
ସର୍ବ ସମର୍ପିବ ନେଇ ବିଷ୍ଣୁ ପାଦତଳେ ।
ଅନୁବ୍ରତେ ଶୁଚିମନ୍ତ ହଉଥିବ କାୟା
ସଭାରେ ବସିଲେ କଥା ବୋଲିବ ନିର୍ମାୟା ।
ଏ ବିଧି ରାତ୍ର ଦିବସ ଏକାଦଶୀ ଶେଷେ
ଅଷ୍ଟ ପ୍ରହରେ ହରିଙ୍କୁ ଖଟିବ ହରଷେ ।
ତଦନ୍ତରେ ଦ୍ୱାଦଶୀ ପ୍ରଭାତର କାଳେ
ନିତ୍ୟକର୍ମ ବିଧି ସାରି ଯିବ ଶିବଆଳେ ।
ଶିବଙ୍କୁ ଦର୍ଶନ କରି କହିବ ବିନୟୀ
ପ୍ରଭୋ ଆଜ୍ଞା ଦେଲେ ଦୁଆଦଶୀ କରିବଇଁ ।
ବେଳ ପ୍ରହରକ ଯାଏ ଏ ବ୍ରତ ବିଧାନ
ବିଷ୍ଣୁଙ୍କୁ ସୁମରି ଦେବ ଶକ୍ତିମତେ ଦାନ ।
ଦ୍ୱାଦଶୀ ଦିନ ହବିଷ୍ୟ କରିବ ଯେ ପୁଣି
ଗୋବିନ୍ଦ ଆଗରେ ନନ୍ଦ ଏ ରୂପରେ ଭଣି ।
ଶୁଣ ବାବୁ ତୁରେ ଏକାଦଶୀର ମହିମା
କରନ୍ତି ଏ ବ୍ରତ ସଦାଶିବ ଦେବୀ ଉମା ।
ଶୁକ ଶୌନକ ସନକ କଣ୍ୱ ଆଦି ଯେତେ
ସର୍ବେ ଏ ବ୍ରତ କରନ୍ତି ବିଷ୍ଣୁ ପ୍ରୀତିଅର୍ଥେ ।
ଏହି ବ୍ରତକୁ ଆଚରି ରୁକ୍ମଣ ନୃପତି
ଅର୍ଦ୍ଧ ଆକାଶରେ ଯାଇ କରିଛି ବସତି ।
ଏ ବ୍ରତ ପ୍ରସାଦେ ବ୍ରହ୍ମା ହେଲେ ବେଦବର
ଏ ବ୍ରତ ମହିମା ଏଡ଼େ ଜାଣ ଚକ୍ରଧର ।
ବ୍ରତରାଜ ଏକାଦଶୀ ହୁଅଇ ଏମନ୍ତେ
ପିତା ବଚନ ଶୁଣିଣ ହସିଲେ ଅଚ୍ୟୁତେ ।
ତତକ୍ଷଣେ ବିଷ୍ଣୁମାୟା ବିସ୍ତାରିଣ ହରି
ନନ୍ଦରାଜାକୁ ଦେଖାନ୍ତି ବଦନ ବିସ୍ତାରି ।
ଅନନ୍ତ ଜଠର ସେତ ନାହିଁ ତାର ଅନ୍ତ
ନୟନ ମେଲିଣ ନନ୍ଦ ଦେଖଇ ସମସ୍ତ ।
ସ୍ୱର୍ଗ ମର୍ତ୍ତ୍ୟ ରସାତଳ ପାତାଳ ସୁତଳ
ନଦୀ ଗିରି ପରବତ ସିନ୍ଧୁ ବିଂଝମାଳ ।
ଦିନବାର ନକ୍ଷତ୍ର ଯେ ଗ୍ରହ ଆଦିକରି
ଗୋବିନ୍ଦ ହୃଦ ମଧ୍ୟରେ ସର୍ବେ ଛନ୍ତି ପୂରି ।
ଦେଖିକରି ନନ୍ଦ ତାହା ସ୍ତମ୍ଭୀଭୂତ ହେଲା
କିଂଭୂତ ମାୟା ବୋଲିଣ ମନେ ବିଚାରିଲା ।
ଅନେକ ଦୂର ପର୍ଯ୍ୟନ୍ତ ନିରୀକ୍ଷିଣ ଚାହିଁ
ଅନ୍ତକରି ନ ପାରିଲା ତାର ସେ କିଛିହିଁ ।
ପୁନରପି ମାୟା କଲେ ପ୍ରଭୁ ଚକ୍ରଧର
ଅଲ୍ୟଳ ଶିଶୁ ପରାୟ ବହିଲେ ଶରୀର ।
ବିଷ୍ଣୁ ବିଷ୍ଣୁ ହୃଦଗତେ ସୁମରଇ ନନ୍ଦ
ମୋର କୁମରେ ଆପଦ ଖଣ୍ଡ ହେ ଗୋବିନ୍ଦ ।
ରାତ୍ର ପ୍ରଭାତରୁ ନନ୍ଦ ଯାଏ ସ୍ନାନକରି
ଦ୍ୱାଦଶୀ ପାରଣା କଲା ହୋଇ ଶୁଦ୍ଧାଚାରୀ ।
ଏ ରୂପେ ବ୍ରତ ଗୋଟିକ କରିଲା ସେ ଶେଷ
ଶ୍ରୀହରି ସ୍ମରି ଲେଖେ ଅଚ୍ୟୁତାନନ୍ଦ ଦାସ ।
ଏଥୁ ଅନନ୍ତରେ ପରୀକ୍ଷ ନାମେ ମହାରାଜା
ଶୁକମୁନି ଚରଣରେ କରି ଦିବ୍ୟପୂଜା ।
ବୋଇଲା ଶୁଣିଲି ମୁହିଁ ଶ୍ରୀବିଷ୍ଣୁ ପୁରାଣ
ପାପ ଧ୍ୱଂସ ହେବ ନିଶ୍ଚେଁ ଲଭିବି କାରଣ ।
ଏ ତୁମ୍ଭ ପାଦରେ ମୋର ନିରନ୍ତର ସେବା
ଆବର କଥାଏ ମୋତେ ସଂକ୍ଷେପି କହିବା ।
ଗଉଡ଼ ବାଉଡ଼ ନନ୍ଦ ହାଉଡ଼ ଯେ ଜାତି
ତାହା ପୁତ୍ର କେଉଁପରି ହେଲେ ଲକ୍ଷ୍ମୀପତି ।
ଯାହାଙ୍କର ନାମ ସାଧୁ କରୁଥାନ୍ତି ଲୟେ
ଯା ନାମ ଧରନ୍ତେ ବ୍ରହ୍ମହତ୍ୟା ପାପ କ୍ଷୟେ ।
ସେ ସ୍ୱାମୀ ଗୋପନଗରେ ଆସି ବିଳସିଲେ
ଛଦ୍ରମରେ ବାଳଲୀଳାମାନ ପ୍ରକାଶିଲେ ।
ଧନ୍ୟ ଯଶୋଦା ହୋଇଲା ଶ୍ରୀବିଷ୍ଣୁ ଜନନୀ
ଦୋଳି ପହୁଞ୍ଚାଇଲେ ସେ ତାଙ୍କୁ କୋଳେ ଘେନି ।
କୁଙ୍କୁମ ତଇଳ ଅଙ୍ଗେ ମରଦିଲା ଆଣି
କେବଣ ଭାଗ୍ୟେ ପ୍ରାପତ ହେଲା ବେଣୁପାଣି ।
କେଉଁ ଜନ୍ମ କେତେ ତପ କରିଥିଲା ବସି
ବିଷ୍ଣୁମାତା ବୋଲାଇଲା ଧନ୍ୟ ଶୁଭ୍ରକେଶୀ ।
କ୍ରୋଧରେ ଗାଳି ଦିଅଇ ଅନ୍ୟ ପୁତ୍ରପରି
ତାହାର ଭାଗ୍ୟ ବଦନେ କେବା କହିପାରି ।
ପିଟଇ ଛାଟରେ ପୁଣି ବାନ୍ଧେ ରଜ୍ଜୁଘେନି
ଏଥିର କାରଣ ମୋତେ କହ ତପୀମଣୀ ।
ପୂର୍ବେ ନନ୍ଦ ଯଶୋଦା ଯେ କେଉଁଠାରେ ଥିଲେ
ରାମକୃଷ୍ଣେ ପୁତ୍ରକରି କିପରି ପାଇଲେ ।
ଏହା ଶୁଣିବାକୁ ମୋର ବଡ଼ାଇ ଶରଧା
ତୁମ୍ଭ ମୁଖରୁ ଶୁଣିଣ ଯିବା ପାପବାଧା ।
ରାଜାର ବଚନ ଶୁଣି ବଦୟନ୍ତି ଯତି
ଶୁଣ ଏକମନେ ଜମ୍ୱୁଦ୍ୱୀପ ଅଧିପତି ।
ତ୍ରେତୟା ଯୁଗର କଥା ରାମାୟଣ ବାଣୀ
ବାଲମୀକ ବଦନୁ ମୁଁ ଯାହା ଅଛି ଶୁଣି ।
ରାମାୟଣ ଗ୍ରନ୍ଥଗୋଟି ମହାମନ୍ତ୍ର ଯୋଗେ
ଏକାନ୍ତେ କହିଲେ ଶିବ ପାର୍ବତୀଙ୍କ ଆଗେ ।
ସେହି କଥା ସଂକ୍ଷେପିଣ ଶୁଣ ନୃପନିଧି
କାମନା ଆଦି ତୁମ୍ଭର ହେବ ସର୍ବ ସିଦ୍ଧି ।
ବ୍ରହ୍ମାଙ୍କର ନନ୍ଦନ ଯେ ମରୀଚ ମହର୍ଷି
ମରୀଚି ନନ୍ଦନ ହେଲେ କଶ୍ୟପ ଯେ ଋଷି ।
କଶ୍ୟପ ନନ୍ଦନ ହେଲେ ଆଦିତ୍ୟ ଦେବତା
ଆଦିତ୍ୟ କୁମର ପ୍ରିୟବ୍ରତ ମହାଜ୍ଞାତା ।
ପ୍ରିୟବ୍ରତର କୁମର ଅଗ୍ନିଧ୍ର ନୃପତି
ପ୍ରତାପୀ ବୋଲିଣ ତାର ହୋଇଲା ସନ୍ତତି ।
ତାହାର ନନ୍ଦନ ହେଲା ଯେ ବିନ୍ଦୁ ସାଗର
ତାହାର କୁମର ରଘୁ ନାମେ ମହାବୀର ।
ପ୍ରତାପସେନ ବୋଲିଣ ରଘୁର ତନୟେ
ସେହିଠାରୁ ରଘୁବଂଶ ଜଗତେ ବୋଲାଏ ।
ତାହାର ନନ୍ଦନ ବିଶ୍ୱକେତୁ ନାମେ ବୀର
ପୃଥିବୀରେ ବୋଲାଇଲା ସେହୁ ଧନୁର୍ଦ୍ଧର ।
ବିଶ୍ୱକେତୁର ନନ୍ଦନ ଈକ୍ଷ୍ୱାକୁ ନୃପତି
ଈଶ୍ୱାକୁ କୁମର ହେଲା ଦିବାକର କ୍ଷତ୍ରୀ ।
ଦିବାକରର କୁମର ଦୁଷ୍ମନ୍ତ ସେ ବୀର
ହରିଶ୍ଚନ୍ଦ୍ର ବୋଲିକରି ତାହାର କୁମର ।
ହରିଶ୍ଚନ୍ଦ୍ରର ରୋହିତ ନାମରେ ନନ୍ଦନ
ଋତୁପର୍ଣ୍ଣ ନାମେ ଜାତ ତା ତହୁଁ ଯେ ପୁଣ ।
ଋତୁପର୍ଣ୍ଣର କୁମର ଶମ୍ଭୁଧର ରାଜା
ଶମ୍ଭୁଧ୍ର ନନ୍ଦନ ଶଶଧର ମହାତେଜା ।
ମାନଧାତା ବୋଲିକରି ତାହାର ସନ୍ତତି
ଦିଲୀପ ନାମେ କୁମର ତାଠାରୁ ଉତ୍ପତ୍ତି ।
ଦିଲୀପଙ୍କଠାରୁ ଜାତ ସଗର ରାଜନ
ତାହାଙ୍କ ତନୟ ଭଗୀରଥ ନାମ ଜାଣ ।
ଅଜ ନାମେ ତାଙ୍କ କୁଳେ ହୋଇଲେ କୁମର
ଅଜର ନନ୍ଦନ ଦଶରଥ ମହାବୀର ।
ଏ ବିଧିରେ ସୂର୍ଯ୍ୟବଂଶ ହେଲା ଅକଳନା
ସମସ୍ତେ ତ ମହାରାଜା ଏକୁଁ ଏକ ଜିଣା ।
ନବଦ୍ୱୀପରେ ଅଟନ୍ତି ସର୍ବେ ଦଣ୍ଡଧାରୀ
ନିମିଷକେ ପୃଥିବୀକୁ ସେହୁ ସାଧିପାରି ।
ଦଶରଥଙ୍କର ଯେଣୁ ନୋହିଲା ନନ୍ଦନ
ଭାବନା କରଇ ବସି ରାଜା ପ୍ରତିଦିନ ।
ବିଭାଣ୍ଡକ ସୁତ ଋଷ୍ୟଶୃଙ୍ଗ ମହାଋଷି
ତାହାକୁ ସେ ଅଣାଇଲା ଜରତାକୁ ପେଷି ।
ପୁତ୍ରେଷ୍ଟି ଯାଗ କରାଇ ତାହାଙ୍କ ହସ୍ତରେ
ସିଦ୍ଧଚରୁ ନେଇ ଦେଲା ରାଣୀଙ୍କ ଗୋଚରେ ।
ସାତଶ ପଚାଶ ରାଣୀ ଅଟେ ନୃପତିର
ତା ମଧ୍ୟରେ ତିନିରାଣୀ ଶ୍ରେଷ୍ଠ ଯେ ତାହାର ।
କଉଶଲ୍ୟା କଇକେୟୀ ସୁମିତ୍ରା ଆବର
ଏମାନଙ୍କ କରେ ଚରୁ ଦିଏ ନୃପବର ।
ଭାଗକରି ସେ ଚରୁକୁ ଖାଇଲେ ସେମାନେ
ଚରୁଯୋଗେ ଗର୍ଭବତୀ ହେଲେ କିଛିଦିନେ ।
ତାଙ୍କଠାରୁ ଉପୁଜିଲେ ଚାରୋଟି କୁମର
ଶ୍ରୀରାମ ଲକ୍ଷ୍ମଣ ଭ୍ରତ ଶତ୍ରୁଘନ ବୀର ।
ସର୍ବଗୁଣେ ପରିପୂର୍ଣ୍ଣ ହେଲେ ପୁତ୍ର ଚାରି
ଚାରିଅଂଶେ ଉପୁଜିଲେ ଦେବ ଦଇତ୍ୟାରି ।
ବୁଦ୍ଧିମନ୍ତ ଗୁଣବନ୍ତ ବିଦ୍ୟାବନ୍ତ ପଣେ
ପୃଥିବୀରେ ନୋହିଲେ କେ ତାହାଙ୍କ ସମାନେ ।
ଚାରିଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ରାମଚନ୍ଦ୍ର
ପୁତ୍ରଙ୍କୁ ଦେଖିଣ ରାଜା ହୁଅଇ ଆନନ୍ଦ ।
କୁଳପ୍ରୋହିତ ବଶିଷ୍ଠ ନାମେ ମୁନିବର
ତାଙ୍କଠାରୁ ବ୍ରହ୍ମାବିଦ୍ୟା ଶିଖିଲେ କୁମର ।
ଏହିପରି କିଛିଦିନ ହୁଅନ୍ତେ ଅତୀତ
ଦିନେ ଉପସ୍ଥିତ ହେଲେ ଆସି ବିଶ୍ୱାମିତ୍ର ।
ତାଙ୍କୁ ଦେଖି ଦଶରଥ କଲେ ବହୁମାନ୍ୟ
ବସିବାପାଇଁକି ଦେଲେ ସୁଦିବ୍ୟ ଆସନ ।
ବିନୟରେ କରଯୋଡ଼ି ବୋଲେ ଦଣ୍ଡଧର
କି କାର୍ଯ୍ୟେ ଆଗତ ମୋର ପୁରେ ମୁନିବର ।
ତାହା କହିଲେ ସତ୍ୱର କରିବି ସାଧନ
କୃତାର୍ଥ ହୋଇଲି ଆଜି ଶୁଭ ମୋର ଦିନ ।
ରାଜାର ମୁଖୁଁ ଏମନ୍ତ ଶୁଣି ବିଶ୍ୱାମିତ୍ର
ବୋଇଲେ ତା ସାବଧାନେ ଶୁଣ ନରନାଥ ।
ଆମ୍ଭେମାନେ ଯେତେବେଳେ ଯାଗକର୍ମ କରୁ
ସୁବାହୁ ମାରୀଚ ଦୈତ୍ୟ ଆସି କେଉଁଠାରୁ ।
ରକତ ମାଂସ ବରଷି କରନ୍ତି ତା ନଷ୍ଟ
ଏହିରୂପେ ବାରମ୍ୱାର କରିଲେ ପାପିଷ୍ଠ ।
ତାଙ୍କ ଯୋଗେ ଧର୍ମ କର୍ମ ବିନାଶ ଆମ୍ଭର
ଋଷିଙ୍କୁ ଦେଖିଲେ ପୁଣି କରନ୍ତି ଆହାର ।
ତୁମ୍ଭ କୁଳେ ଦେବ ଦେବ ପ୍ରଭୁ ସନାତନ
ଚାରିଅଂଶେ ଉପୁଜିଲେ ଜାଣି ସେ କାରଣ ।
ତାଙ୍କୁ ନେବାପାଇଁ ଆମ୍ଭେ ଅଇଲୁ ଏଠାକୁ
ରାକ୍ଷସ ବିନାଶି ରକ୍ଷା କରିବେ ଆମ୍ଭଙ୍କୁ ।
ଅତଏବ ହେ ନରେନ୍ଦ୍ର କିଛି ନ ବିଚାରି
ଶୀଘ୍ର ରାମଙ୍କୁ ପଠାଅ ଭୟ ପରିହରି ।
ଏଥିରେ ତୁମ୍ଭର ନିଶ୍ଚେଁ ମଙ୍ଗଳ ହୋଇବ
ତୁମ୍ଭ ପୁତ୍ରଙ୍କର ଯଶ ଭବେ ବିକାଶିବ ।
ମୁନିଙ୍କ ବଦନୁ ଏହା ଶୁଣି ଦଶରଥ
କାଷ୍ଠ ପରାୟ କ୍ଷଣକେ ହୋଇଲେ ସ୍ଥକିତ ।
କିଛିକ୍ଷଣରେ ବୋଇଲେ ଆହେ ମୁନିମଣି
ମୋର ରାମ ଯୁଦ୍ଧବିଦ୍ୟା ନ ଜାଣଇ ପୁଣି ।
ଏକେ ତ ଅତ୍ୟନ୍ତ ଶିଶୁ ଦୈତ୍ୟଙ୍କ ସଙ୍ଗତେ
କିପରି ଯୁଦ୍ଧ କରିବ ଆହେ ମହାମତେ ।
ମୁହିଁ ସଙ୍ଗରେ ସଇନ୍ୟମାନଙ୍କୁ ନେଇଣ
ଆପଣଙ୍କ ଯାଗ ରକ୍ଷାକରିବଇଁ ଜାଣ ।
ଏହା ଶୁଣି ବିଶ୍ୱାମିତ୍ର ବୋଲିନ୍ତି ଏମନ୍ତ
ପ୍ରତ୍ୟକ୍ଷେ ରାମ ପରମାନନ୍ଦ ଜଗତ୍ତାତ ।
ଅକ୍ଷୟ ଅଜ୍ରାମର ସେ ପ୍ରଭୁ ବିଶ୍ୱବାସୀ
ପୁରାଣ ପୁରୁଷୋତ୍ତମ ପରଂବ୍ରହ୍ମରାଶି ।
ଏହାଙ୍କ ମହିମା ତୁମ୍ଭେ କିଛିହିଁ ନ ଜାଣ
ମନୁଷ୍ୟ ରୂପେ ଜନ୍ମିଲେ ପ୍ରଭୁ ନାରାୟଣ ।
ପୃଥିବୀର ଭାରାଭର ନିବାରିବା ପାଇଁ
ତୁମ୍ଭ ଘରେ ଉପୁଜିଲେ ଜଗତ ଗୋସାଇଁ ।
ଆମ୍ଭେ ସର୍ବେ ଋଷିମାନେ ଦେବୁ ହବିର୍ଭାଗ
ଶ୍ରୀରାମ ରଖିବେ ଆମ୍ଭମାନଙ୍କର ଯାଗ ।
ଏଥିରେ ମନେ ତୁମ୍ଭର କିଛି ନ ବିଚାର
ବଶିଷ୍ଠେ ବିଚାରି ଦିଅ ରାମ ନୃପବର ।
ନୋହିଲେ କ୍ରୋଧଅନଳେ ଅଯୋଧ୍ୟା ନାଶିବି
ଚାହୁଁ ଚାହୁଁ କ୍ଷଣକରେ ଭସ୍ମ କରିଦେବି ।
ମୋହର ମହିମା ନାହିଁ ତୁମ୍ଭଙ୍କୁ ଜଣା
କ୍ଷଣକରେ କରିଦେବି ନିଶ୍ଚେଁ ବୁଦ୍ଧିବଣା ।
ମୁନିଙ୍କ ମୁଖରୁ ଏହା ଶୁଣ ଦଣ୍ଡଧାରୀ
ବଶିଷ୍ଠଙ୍କ ସହିତରେ ପରାମର୍ଶ କରି ।
ରାମ ଲକ୍ଷ୍ମଣଙ୍କୁ ଦେଲେ ମୁନିଙ୍କ ଗୋଚରେ
କଉଶିକ ଗଲେ ତହୁଁ ଅତି ଆନନ୍ଦରେ ।
ତୁଙ୍ଗଭଦ୍ରା ନଦୀକୂଳେ ତାଡ଼କାକୁ ମାରି
ଋଷି ତପୋବନେ ମିଳି ପ୍ରଭୁ ଚାପଧାରୀ ।
ଅସୁରମାନଙ୍କୁ ନାଶି ଯାଗ ରକ୍ଷାକଲେ
ବିଶ୍ୱାମିତ୍ରଙ୍କ ସଙ୍ଗରେ ମିଥିଳାକୁ ଗଲେ ।
ପଥେ ଯାଉଁ ଅହଲ୍ୟାକୁ କଲେ ନିସ୍ତାରଣ
ଅଖିଳ ବ୍ରହ୍ମାଣ୍ଡ ନାଥ ଲଗାଇ ଚରଣ ।
ତହୁଁ ମିଥିଳାରେ ମିଳି ଶିବଧନୁ ଭାଙ୍ଗି
ବିବାହ ହୋଇଲେ ତହିଁ ଜାନକୀ ଶୁଭ୍ରାଙ୍ଗୀ ।
ଚାରିଭାଇ ଚାରିକନ୍ୟା ବିବାହ ହୋଇଲେ
ମହା ଉତ୍ସବରେ ରାଜ୍ୟେ ଫେରିଣ ଅଇଲେ ।
ବାଟେ ଆସୁ କଟାଳିଲେ ତାଙ୍କୁ ପର୍ଶୁଧର
ତାଙ୍କ ଗର୍ବ ଖର୍ବ କଲେ ଦେବ ଚାପଧର ।
ଅପମାନ ପାଇ ପର୍ଶୁରାମ ଫେରିଗଲେ
ଅଯୋଧ୍ୟା ନଗରେ ଯାଇ ଶ୍ରୀରାମ ମିଳିଲେ ।
ଏଥୁ ଅନନ୍ତରେ ତହୁଁ ଗଲା କିଛି ଦିନ
ବଶିଷ୍ଠଙ୍କୁ ଡକାଇଣ ଅଯୋଧ୍ୟା ରାଜନ ।
ବୋଇଲେ ଭୋ ଗୁରୁ ମୋର ହେଲା ବୃଦ୍ଧକାଳ
ଦାନ୍ତ ପଡ଼ିଗଲା ଦେଖ ପାଚିଗଲା ବାଳ ।
ରାଜ୍ୟ ଶାସନ ବିଷୟେ ହେଲି ଅପାରଗ
ଧନ ସମ୍ପଦରେ ଆଉ ନାହିଁ ମୋ ସୁଆଗ ।
ବିଚାରିଛି ରାମଚନ୍ଦ୍ରେ ଦେବି ରାଜ୍ୟଭାର
ପ୍ରଜା ପାଳନ ବିଷୟେ ଶକ୍ତି ଅଛି ତାର ।
ଆପଣଙ୍କର ମନକୁ ଆସଇ କିପରି
ତାହା ମୋତେ କହନ୍ତୁ ଯେ ହୃଦରେ ବିଚାରି ।
ବଶିଷ୍ଠ ବୋଇଲେ ଏହା ଅତି ଭଲକଥା
ଶ୍ରୀରାମ ରାଜା ହୋଇବା ମୋହର ତ ଇଚ୍ଛା ।
ଶୁଭଦିନ ଦେଖି ରାଜ୍ୟଭାର ଦିଅ ତାକୁ
ଯୋଗାଇଲା ଏହି କଥା ଗୋଟା ମୋ ମନକୁ ।
ଶୁଣିକରି ଦଶରଥ ହେଲେ ଆନନ୍ଦିତ
ଶୁଭଦିନ ଧରି କଲେ ଯେ ମଙ୍ଗଳକୃତ୍ୟ ।
ଏ ସମୟେ ଦେଖ କେହ୍ନେ ଦଇବର ଗତି
ମନ୍ଥରା ଶୁଣିଲା ରାମ ହୋଇବେ ନୃପତି ।
ତରତରେ ଯାଇ କଇକେୟୀଙ୍କି କହିଲା
କି ଲୋ କଇକେୟୀ ଆସି ସଂସାର ସରିଲା ।
ରାମଚନ୍ଦ୍ର ରାଜା ହେବ କାଲି ଅଯୋଧ୍ୟାରେ
ଏମନ୍ତ ବିଚାର କରୁଛନ୍ତି ନୃପବରେ ।
ଘୋଷଣାପତ୍ର ଶୁଣିଲି ଏହିକ୍ଷଣି ମୁହିଁ
ହାଟବାଟ ଦେଶ ଗ୍ରାମେ ନାଗରା ଶୁଭଇ ।
ମକରମାସ ଶୁକଳ ତ୍ରୟୋଦଶୀ ଦିନ
ଶନିବାର ପୁଷ୍ୟା ନାମେ ନକ୍ଷତ୍ର ଯେ ପୁଣ ।
ପ୍ରୀତି ନାମେ ଯୋଗ ପୁଣି ତୈତିଳ କରଣ
ଶୁଭବେଳାରେ ଶ୍ରୀରାମ ହେବେ ନୃପରାଣ ।
ନଗ୍ରର ଉତ୍ସବମାନ କେବା କହିପାରି
ପ୍ରତିକାର ନ କରିଣ ବସିଛୁ ସୁନ୍ଦରୀ ।
ରାତି ପାହିଲେ ଶ୍ରୀରାମ ନୃପତି ହୋଇବେ
ପାରିଲେ ଉଦ୍ଯୋଗ ତୁମ୍ଭେ କର ଅତି ଜବେ ।
ନୋହିଲେ ମୋହର କଥା ପଛକୁ ଭାଳିବ
କଉଶଲ୍ୟା ରାଣୀ ରାଜମାତା ବୋଲାଇବ ।
ମନ୍ଥରା ମୁଖରୁ ଏହା ଶୁଣିଣ କୈକେୟୀ
ଆନନ୍ଦରେ ଗଳାହାର ଦିଏ ତାକୁ ନେଇ ।
ଏହିପରି କଥାକିପାଁ କହୁ ଲୋ ମନ୍ଥରି
ଏହାଠାରୁ ବଳି ସୁଖ ଅଛି କି ଆମ୍ଭରି ।
ରାଜ୍ୟକୁ କାରେଣି ସିନା ଅଟେ ରାମଚନ୍ଦ୍ର
ସେ ରାଜା ହୋଇଲେ ମୋର ଅଛି କିସ ମନ୍ଦ ।
ରାଜାଙ୍କର ଜ୍ୟେଷ୍ଠପୁତ୍ର ବୁଦ୍ଧିରେ ପ୍ରବୀଣ
ସୂର୍ଯ୍ୟବଂଶେ ରାମ ଏକା କୁଳର ମଣ୍ଡନ ।
କୌଶଲ୍ୟାଠାରୁ ଅଧିକ ଭକ୍ତି ମୋତେ କରେ
ତା ସମାନ ପୁତ୍ର ନାହିଁ ଜଗତ ମଧ୍ୟରେ ।
କ୍ଷମା ଆଉ ଦୟା ଧର୍ମ ବୀର ଶୂରପଣେ
ଏକମାତ୍ର ରାମଚନ୍ଦ୍ର ଭଲରୂପେ ଜାଣେ ।
ଆଉ ଦିନେ ଏହିପରି କଥା ନ କହିବ
କହିଲେ ମୋହରଠାରୁ ପ୍ରାଭବ ପାଇବ ।
ଶୁଣି କୈକେୟୀ ମୁଖରୁ ଏସନକ ବାଣୀ
ମନ୍ଥରା ଅତି କ୍ରୋଧରେ କହେ ଶିରଝୁଣି ।
କିଲୋ କଇକେୟି ତୁହି ହୋଇଲି କି ବାଇ
ଜାଣିଲି ତୋହର ଟିକେ ମାତ୍ର ବୁଦ୍ଧି ନାହିଁ ।
ଆଜିଯାଏ ପିଲାବୁଦ୍ଧି ଯାଇନାହିଁ ତୋର
ତେଣୁ ତୁହି କହୁଅଛୁ ଏମନ୍ତ ପ୍ରକାର ।
ଆପଣାର ଅଧିକାର ପରକୁ ତୁ ଦେଉ
ତୋ ପରି ଅଭାଗା ନାରୀ ଭବେ ନାହିଁ କେହୁ ।
କାଲି ସଉତୁଣୀ ପୁଅ ହେବ ପରା ରାଜା
ଅଯୋଧ୍ୟା ନଗରଯାକ ବାଜୁଅଛି ବାଜା ।
କାଳେ ହୋଇବଟି ସିନା ତୋତେ ସେହି ଶଲ
ସାବତ ଜନନୀ ପୁଅ କେଭେ ନୋହେ ଭଲ ।
ଆବର ଦୃଷ୍ଟାନ୍ତ କଥା ଶୁଣ ନାରୀଈଶ
ସରପକୁ ଦୁଗ୍ଧ ଦେଲେ କରେ କାଳେ ନାଶ ।
ସବୁକାଳେ ସବୁ ଘରେ ସିନା ଏହିମତେ
ଭାଇ ଭଗାରି ବୋଲିଣ ବୋଲନ୍ତି ଜଗତେ ।
ସଉତୁଣୀ ବୋଲାଇବ ନିଶ୍ଚେଁ ରାଜମାତା
ତୋର କପାଳେ ଅଛଇ ଅନେକ ଅବସ୍ଥା ।
ଶୁଣ ପରୀକ୍ଷିତ ରାଜା ବଦୟନ୍ତି ଶୁକ
ଏ ସମୟେ କୂଟ କଲେ ସ୍ୱର୍ଗେ ଦେବଲୋକ ।
ତତକ୍ଷଣେ କଇକେୟୀ ବୋଲନ୍ତି ଏସନ
କିଲୋ କେମନ୍ତେ ମୋ ପୁତ୍ର ହୋଇବ ରାଜନ ।
ତାହାରି ଉପାୟ ମୋତେ ବେଗେ କହୁ କିନା
ବେଳ ଗଡ଼ିଗଲେ କାର୍ଯ୍ୟ ବୃଥା ହେବ ସିନା ।
ଶୁଣି ମନ୍ଥରା ବୋଲଇ ଅଛି ତ ଉପାୟ
ବର ଯାଚିଥିଲେ ପୂର୍ବେ ତୋତେ ମହାରାୟ ।
ଏଥକୁ ମନରେ ଭ୍ରାନ୍ତି ନ କର ସୁକେଶୀ
ରାଜାଙ୍କର ସନ୍ନିଧକୁ ବହନ ତୁ ଯାସି ।
କରଯୋଡ଼ି ବୋଲିବୁ ତୁ ଆହେ ନରନାଥ
ଯେଉଁବର ଦେବା ପାଇଁ କରିଥଲ ସତ୍ୟ ।
ତା ଏବେ ମୋହର ଲୋଡ଼ା ଶୀଘ୍ର ମୋତେ ଦିଅ
ଏକବରେ ରାଜା ହେଉ ରାଜ୍ୟେ ମୋର ପୁଅ ।
ଦ୍ୱିତୀୟ ବରରେ ରାମ କରୁ ବନବାସ
ଫଳମୂଳ ଖାଇ ରହୁ ଚଉଦ ବରଷ ।
ଏହା ଶୁଣ କଇକେୟୀ ହେଲା ଆନନ୍ଦିତା
ଧନ୍ୟ ଲୋ ମନ୍ଥରା ତୋର ବୁଦ୍ଧି ଅପ୍ରମିତା ।
ଏହା କହି ତହୁଁ ଗଲା କେକୟ ଦୁଲଣୀ
ନୃପତିଙ୍କ ପାଶେ ମିଳି ବୋଇଲେ ଏ ବାଣୀ ।
ଆହେ ରାଜା ସାବଧାନେ ଶୁଣ ମୋ ବଚନ
ପୂର୍ବେ ଯେଉଁବର ଯାଚିଥିଲଟି ଆପଣ ।
ତାହା ଏବେ ମୋର ଲୋଡ଼ା ଦିଅନ୍ତୁ ସତ୍ୱର
ଶୁଣି ଦଶରଥ ରାଜା ଆନନ୍ଦ ଅପାର ।
ନୃପତି ବୋଲନ୍ତି ଆଗୋ ଶୁଣ ଶଶିହାସି
ଯାହା ମାଗିବୁରେ ତାହା ଦେବଇଁ ସୁକେଶୀ ।
ଆତଙ୍କ କାଳରେ ସାହା ହୋଇଅଛୁ ମୋତେ
ଯାହା ମାଗିବୁରେ ତାହା ଦେବଇଁ ନିଶ୍ଚିନ୍ତେ ।
ଯେ ତୋହର ଇଚ୍ଛା ସୁଖେ ମାଗି ଘେନ ବର
ତିନିବାର ସତ୍ୟ ସତ୍ୟ ସତ୍ୟଟି ମୋହର ।
ମହତ ଲୋକର ବାକ୍ୟ ନ ହୁଅଇ ଆନ
ବିଳମ୍ୱ ନ କରି ସହି ଅତି ଶୀଘ୍ର ଘେନ ।
କୈକେୟୀ ବୋଲନ୍ତି ରାଜା ଦେବ ସତ୍ୟଟିକି
ଅଷ୍ଟଦିଗପାଳ ଧର୍ମ ଏଥକୁ ହେ ସାକ୍ଷୀ ।
ଆହେ ଇନ୍ଦ୍ର ସୂର୍ଯ୍ୟ ତୁମ୍ଭେ ଏହା ଶୁଣିଥାଅ
ବର ଦେବେ ଆଜି ମୋତେ ଅଯୋଧ୍ୟାର ରାୟ ।
ରାଜା ବୋଲନ୍ତିରେ ସଖି କଟାଳୁ ତୁ କେତେ
ଯାହା ମାଗିବୁରେ ତାହା ଦେବଇଁ ଯୁକତେ ।
କୈକେୟୀ ବୋଇଲା ଏବେ ଶୁଣ ନୃପବର
ଏକ ବରେ ରାଜା ହେଉ ମୋହର କୁମର ।
ଚୌଦ ବର୍ଷ ବୁଲି କରୁ କନ୍ଦମୂଳ ଗ୍ରାସ ।
କୈକେୟୀ ମୁଖରୁ ଶୁଣି ଏ ନିଷ୍ଠୁରବାଣୀ
ମୂର୍ଚ୍ଛାଗତ ହୋଇ ରାଜା ପଡ଼ିଲେ ଧରଣୀ ।
ମୂଳ କାଟିଦେଲେ ତରୁ ଯେହ୍ନେ ଯାଏ ପଡ଼ି
ଗତ ଆତ୍ମା ପ୍ରାୟ ରାଜା ଭୂତଳରେ ଗଡ଼ି ।
ରାଜାର ଅଚେଷ୍ଟା ଦେଖି କୈକେୟୀ ଦୁଲଣୀ
ହା ହା ସ୍ୱାମୀ ବୋଲି ଉଚ୍ଚେ ରୋଦଇ ତରୁଣୀ ।
ସେ ବାର୍ତ୍ତା ଯାଇଣ ଅନ୍ତଃପୁରେ ପ୍ରବେଶିଲା
ନବରଯାକ ଶୋକରେ ପରିପୂର୍ଣ୍ଣ ହେଲା ।
ଏସନକ ବାରତାକୁ ପାଇ ରଘୁପତି
ପିତାଙ୍କ ଛାମୁରେ ଆସି ମିଳିଲେ ଝଟତି ।
ଶ୍ରୀରାମ ବୋଇଲେ ପିତା କିପାଁ କର ଚିନ୍ତା
ନୃପତି କହିଲେ ସବୁ କୈକେୟୀ ବାରତା ।
କଇକେୟୀ ଯୋଗୁଁ ମୋର ସରିଲା ସମ୍ପତ୍ତି
ବୃଦ୍ଧକାଳେ ଧାତା ଆଣି ଦେଲା ଏ ବିପତ୍ତି ।
ରାତି ପାହିଲେ ବାପରେ ନ୍ୟନ୍ତୁ ରାଜ୍ୟଭାର
ଏ ଅଯୋଧ୍ୟାରାଜ୍ୟେ ତୁହି ହ୍ୱନ୍ତୁ ନୃପବର ।
ବଶିଷ୍ଠ ମହର୍ଷି ଦେଇଥିଲେ ଅନୁକୂଳ
ଏଡ଼େ ବଡ଼ ଅନୁକୂଳ ହୋଇଲା ନିଷ୍ଫଳ ।
ବାବୁ ମୋର ଜ୍ୟେଷ୍ଠ ପୁତ୍ର କୂଳର ମଣ୍ଡନ
କାନନେ ରହି କେମନ୍ତେ କାଟିବୁ ତୁ ଦିନ ।
ଚୌଦବର୍ଷ ବନେ କେହ୍ନେ କରିବୁରେ ବାସ
ତୋ ବିହୁନେ ନିଶ୍ଚେଁ ମୁହିଁ ଖାଇବଇଁ ବିଷ ।
ବୋଲନ୍ତି କ୍ରୋଧ ହୋଇଣ ପୁଣି ମହାରାଜା
ସତ୍ୟଭଗ୍ନ ହେବି ନିଶ୍ଚେ ବନକୁ ତୁ ନ ଯା ।
କଇକେୟୀସୁତ ପଛେ କରୁ ରାଜ୍ୟଭୋଗ
ସେ କଥାରେ ତିଳେ ମାତ୍ର ନ କରେ ମୁଁ ରାଗ ।
ଏ ଅଯୋଧ୍ୟାପୁରେ ରହି ସୁଖେ କାଟ କାଳ
ଏତେ ବୋଲି ନରପତି ହୁଅନ୍ତି ବିକଳ ।
ପିତାଙ୍କ ବଚନ ଶୁଣି ରଘୁକୁଳସ୍ୱାମୀ
ବୋଲନ୍ତି ନିଶ୍ଚେଁ ମୁଁ ତାତ ହେବ ବନଗାମୀ ।
କଇକେୟୀ ଅଟନ୍ତି ତ ଜନନୀ ଆମ୍ଭରି
ତାଙ୍କ ବଚନ ଅବଜ୍ଞା କେ ବା କରିପାରି ।
ଭରତ ରାଜା ହୋଇଲେ ହେବ କିସ ମନ୍ଦ
ଏତେ ବୋଲି ପ୍ରବୋଧିଲେ ପ୍ରଭୁ ରାମଚନ୍ଦ୍ର ।
ରାମଙ୍କ ଦୃଢ଼ ପ୍ରତିଜ୍ଞା ଜାଣି ଦଶରଥ
ସୁମନ୍ତ୍ର ମନ୍ତ୍ରୀବରକୁ ଡକାଇ ତୁରିତ ।
ବୋଇଲେ ରାମଙ୍କୁ ମୋର ରଥରେ ବସାଇ
କାନନ ମଧ୍ୟରେ ମନ୍ତ୍ରୀଛାଡ଼ି ଆସ ଯାଇ ।
ଯେ ଆଜ୍ଞା କହିଣ ମନ୍ତ୍ରୀ ରଥ ସଜାଡ଼ିଲା
ଶ୍ରୀରାମଙ୍କ ପାଶେ ଯାଇ ପ୍ରବେଶ ହୋଇଲା ।
ରାଜପରିଚ୍ଛଦ ତେଜି ଦଶରଥ ଶିଷ୍ୟ
ଅଙ୍ଗରେ ବିଭୂତି ବୋଳି ଧରି ମୁନିବେଶ ।
ବନକୁ ଯିବାପାଇଁକି ହୋଇଲେ ବାହାର
ସେ କଥା ଶୁଣି ଲକ୍ଷ୍ମଣ ମିଳିଲେ ସେଠାରେ ।
ଜାନକୀ ମଧ୍ୟ ମିଳିଲେ ଆସି ତାଙ୍କ ପାଶେ
ତିନିହେଁ ବସିଲେ ପଥେ ଯାଇଣ ହରଷେ ।
ସୁମନ୍ତ୍ର ସେ ରଥଗୋଟି ବାହି ତହୁଁ ନେଲା
କାନନ ମଧ୍ୟରେ ଯାଇ ପ୍ରବେଶ ହୋଇଲା ।
ତହୁଁ ଅଯୋଧ୍ୟାର ଲୋକ ହେଲେ ବ୍ୟାକୁଳିତ
କୌଶଲ୍ୟା ସୁମିତ୍ରା ଶୋକ କେ କହିପାରେ ତ ।
ପୁତ୍ରଙ୍କ ଗୁଣ ସୁମରି କାନ୍ଦନ୍ତି ତରୁଣୀ
ସୁମନ୍ତ୍ର ଫେରିଲା ବନେ ଛାଡ଼ି ରଘୁମଣି ।
ଦଶରଥଙ୍କୁ କହିଲା ସକଳ ବୃତ୍ତାନ୍ତ
ଶୁଣି ରାଜା ମୂର୍ଚ୍ଛାଗତେ ହୋଇଲେ ପତିତ ।
ପିଣ୍ଡରୁ ପରାଣପକ୍ଷୀ ଗଲା ତାଙ୍କ ଉଡ଼ି
ସାତଶ ପଞ୍ଚାଶ ରାଣୀ ଦେଲେ ତହୁଁ ରଡ଼ି ।
ସେ କଥା ଶୁଣି ମିଳିଲେ ବଶିଷ୍ଠ ମହର୍ଷି
ରାଣୀମାନଙ୍କୁ ପ୍ରବୋଧ ବାକ୍ୟରେ ଆଶ୍ୱାସି ।
ମାତୁଳ ଗୁହୁଁ ଅଣାଇ ଶତ୍ରୁଘ୍ନ ଭରତ
ବିଧିମତରେ ସଂସ୍କାର କରାଇଲେ ପ୍ରେତ ।
ତଦନ୍ତେ ମହର୍ଷି ବେନିଭାଇ ସଙ୍ଗେ ଘେନି
ରାମଙ୍କ ପାଶେ ମିଳିଲେ କିଛିଦିନେ ପୁଣି ।
ଅନେକ ମତେ ବୁଝାଇ କହିଲେ ଭରତ
ଅଯୋଧ୍ୟାରେ ଚାଲ ପ୍ରଭୁ ହେବ ଅଭିଷିକ୍ତ ।
ଜନନୀର ଦୋଷ ମୋର ନ ଧରନ୍ତୁ ମନେ
ତୁମ୍ଭର ସେବକ ସିନା ମୁହିଁ ସବୁଦିନେ ।
ଜ୍ୟେଷ୍ଠ ଥାଉଁଣୁ କନିଷ୍ଠ ହୁଏ କି ରାଜନ
କୌଣସି ଶାସ୍ତ୍ରରେ ନାହି ଏମନ୍ତ ବିଧାନ ।
ଏମନ୍ତ ଶୁଣି ଶ୍ରୀରାମ ବୋଇଲେ ଉତ୍ତର
କିଛିମାତ୍ର ଦୋଷ ନାହିଁ ଏଥେ ଜନନୀର ।
ତୁମ୍ଭର ପ୍ରକୃତି ମୁହିଁ ଜାଣେ ଭଲକରି
ପିତାସତ୍ୟ ପାଳନା ତ କର୍ତ୍ତବ୍ୟ ଆମ୍ଭରି ।
ଯାଅ ଭାଇ ଏଥେ ଆଉ ନ ବଳାଅ ମୋତେ
ଅଯୋଧ୍ୟା ପାଳନ କର ଫେରିବା ପର୍ଯ୍ୟନ୍ତେ ।
ଚତୁର୍ଦ୍ଦଶ ବର୍ଷପରେ ହୋଇବି ରାଜନ
ଏତେ କହି ପାଦୁକାକୁ କରିଲେ ପ୍ରଦାନ ।
ଭରତ ନେଇଣ ତାହା ନନ୍ଦିଗ୍ରାମେ ଥୋଇ
ରାଜ୍ୟ ଶାସନ କରିଲେ ସେବକ ପରାୟି ।
ଏଥୁଅନ୍ତେ ରାମ ଆଉ ଲକ୍ଷ୍ମଣ ଜାନକୀ
କାନନେ ଭ୍ରମଣ କଲେ ହୋଇ ମହାସୁଖୀ ।
ଦଣ୍ଡକାରଣ୍ୟରେ ଯାଇ କରିଲେ ନିବାସ
ଖର ଦୂଷଣ ତ୍ରିଶିରା କଲେ ତହିଁ ନାଶ ।
ସୂର୍ପଣଖା ନାକ କାନ କାଟନ୍ତେ ସେ ଯାଇ
ରାବଣ ଆଗରେ ସବୁ କହିଲା ବୁଝାଇ ।
ମାରୀଚକୁ ସଙ୍ଗେ ଘେନି ଅଇଲା ରାବଣ
ମାୟାମୃଗ ଦେଖାଇଣ ଦୁଷ୍ଟ ଦଶାନନ ।
ରାମ ଲକ୍ଷ୍ମଣ ଯାଆନ୍ତେ ସୀତା ହରିନେଲା
ଅଶୋକ ବନରେ ନେଇ ତାହାଙ୍କୁ ରଖିଲା ।
ମାୟାମୃଗ ମାରି ରାମ ଲକ୍ଷ୍ମଣ ଦ୍ୱିଭାଇ
କୁଟୀରେ ଦେଖିଲେ ନାହିଁ ଜାନକୀ ସୁମୁହୀଁ ।
ଉଚ୍ଚ ସ୍ୱରରେ ରୋଦନ କଲେ ରଘୁନାଥ
ଆହା ଜନକ ନନ୍ଦିନୀ କେଣେ ଗଲୁ ତୁ ତ ।
କିଏ ତୋତେ ହରିନେଲା ଦେଖି ଏକାକରି
କେଉଁଠାରେ ଲୁଚିଅଛୁ ଆସ ତୁ ବାହାରି ।
ହା ସୀତା ହା ସୀତା ବୋଲି କାନ୍ଦନ୍ତି ଶ୍ରୀରାମ
ନୟନରୁ ଅଶ୍ରୁଜଳ ବହେ ଅବିରାମ ।
କନ୍ଦମୂଳାଦି ଲକ୍ଷ୍ମଣ ଦେଲେ ବନୁ ଆଣି
ଆହାର ନ କଲେ ଚିନ୍ତାଭରେ ରଘୁମଣି ।
ବାତୁଳ ପରାଏ ମନ ହୁଏ ଛନ୍ନ ଛନ୍ନ
କେଉଁଆଡ଼େ ଚାଲିଗଲୁ ମୋ ଜୀବନ ଧନ ।
ସଙ୍ଗେ ଆଣୁ ନ ଥିଲି ମଉଁ ଅଇଲୁ ଗୋଡ଼ାଇ
ବିଧାତା ଏବେ ତୋତେ ତ ନ ପାରିଲା ସହି ।
ଲକ୍ଷେ ରାଜାଙ୍କ ମଧ୍ୟରେ ବରିଥିଲୁ ମୋତେ
ହରାଇ ବସିଲି ଏବେ ସଜନୀ ଗୋ ତୋତେ ।
ଆରେ ଲକ୍ଷ୍ମଣ ଏପରି ବୁଦ୍ଧି କିପାଁ କଲୁ
ଏକାକେ ମୋ ଗଳାହାର ଛାଡ଼ି କେହ୍ନେ ଗଲୁ ।
ଧିକ ଧିକ ଜୀବନେ ମୋ ନାହିଁ ପ୍ରୟୋଜନ
ଅଯୋଧ୍ୟାକୁ ଯାଅ ବାବୁ ତେଜିବି ଜୀବନ ।
ଏରୂପେ ପ୍ରଳାପ ବାଣୀ କହି ଚାପଧାରୀ
ବନ ଗିରି ଲତାଙ୍କୁ ସେ ଚାହିଁଣ ପଚାରି ।
କିଏ ଦେଖିଅଛ ମୋର ଜନକ ଦୁଲଣୀ
ଜାଣିଥିଲେ କହିଦିଅ ବୃକ୍ଷ ଲତା ଶ୍ରେଣୀ ।
ଚକ୍ରବାକ କୁକ୍କୁଟାଦି ପକ୍ଷୀଙ୍କୁ ପୁଚ୍ଛନ୍ତି
କାହିଁ ଗଲା ସୀତା ମୋର ଦଗ୍ଧହେମଗାତ୍ରୀ ।
କିଛିଦୂରେ ଦେଖିଲେକ ସେ ଜଟାୟୁ ପକ୍ଷୀ
ମଲା ପ୍ରାୟ ପଡ଼ିଅଛି ହୋଇ ନିରୀମାଖି ।
ତାହାକୁ ପୁଚ୍ଛନ୍ତେ ସେହୁ ବୋଇଲା ଏମନ୍ତ
ଜାନକୀଙ୍କୁ ହରିନେଲା ଦୈତ୍ୟ ଦଶମାଥ ।
ତା ସଙ୍ଗେ ଅନେ ମୁହିଁ କରିଲି ସମର
ଖଡ଼ଗେ ଛେଦିଣ ଦେଲା ପକ୍ଷକୁ ମୋହର ।
ମଲା ପ୍ରାୟ ପଡ଼ିଲି ମୁଁ ଆହେ ରଘୁସାଇଁ
କେବଳ ଜୀବନ ଥିଲା ବାର୍ତ୍ତା ଦେବପାଇଁ ।
ଏହା କହି ପ୍ରାଣ ତାର ତେଜିଲା ତକ୍ଷଣି
ସେଠାରେ ସଂସ୍କାର ତାକୁ କଲେ ରଘୁମଣି ।
ପିତା ତୁଲ୍ୟ ମନେ କରି ଦେଲେ ଜଳ ତିଳ
ଉପବାସରେ ରହିଲେ ପ୍ରଭୁ ରଘୁବାଳ ।
ତହୁଁ ଯାଇଁ ପ୍ରବେଶିଲେ କୋଳାହଳ ବନେ
ସୀତାଙ୍କ ବିଚ୍ଛେଦ ହେତୁ ସୁଖନାହିଁ ମନେ ।
କାବେରୀ ନାମରେ ନଦୀ ତା ନିକଟେ ଅଛି
ଶୃଭାଙ୍ଗ ପର୍ବତଠାରୁ ବହି ଯେ ଆସୁଛି ।
ସେହି ନଦୀରେ ମିଳିଲେ ଯାଇ ଭାଇ ବେନି
ଏକେତ ଗ୍ରୀଷ୍ମ ଋତୁ ବେଳ ଘଡ଼ି ତିନି ।
ସୀତା ହଜିଲା ଦିନରୁ ନାହିଁ ତ ଆହାର
କ୍ଷୁଧାରେ ଅଶକ୍ତ ହେଲେ ପ୍ରଭୁ ଚାପଧର ।
ପ୍ରଖର ରବି କିରଣେ ଦେହ କରେ ଜ୍ୱାଳା
ବାଟଚଲା ପରିଶ୍ରମ ପାଇ ରଘୁବଳା ।
ଅର୍ଦ୍ଧନଦୀ ଭିତରେ ସେ ପ୍ରବେଶିଲେ ଯାଇ
ସେ ନଦୀରେ ଜଳ ମଧ୍ୟ ବିନ୍ଦୁ ମାତ୍ର ନାହିଁ ।
କ୍ରୋଶେ ପର୍ଯ୍ୟନ୍ତେ ବାଲିରେ ବାହିଗଲେ ପଥ
କ୍ଷୁଦା ତୃଷା ଲାଗିବାରୁ ହେଲେ ସ୍ତମ୍ଭୀଭୂତ ।
ଲକ୍ଷ୍ମଣେ ଚାହିଁ ବୋଇଲେ ଅତ୍ୟନ୍ତ କାତରେ
ଦେଖ ଭାଇ କୂଳ ୟାର ଦିଶେ କେଉଁଠାରେ ।
କ୍ଷୁଧା ତୃଷାରେ ଆତୁର ହେଲା ମୋ ଶରୀର
କାହିଁ ଦେଖାଯାଉ ନାହିଁ ବିନ୍ଦୁ ଏକ ନୀର ।
ଝୁଲାରେ ଦେଖ ଅଛିକି ଭାଇ କନ୍ଦମୂଳ
କମଣ୍ଡଳରୁ ଅଛି କି ଦେଖରେ ସଲିଳ ।
ଅର୍ଦ୍ଧଜୀବନ ହେଲାଣି ନ ପାରଇ ଚାଲି
ଏକେତ ଗ୍ରୀଷମ ଋତୁ ତାତିଅଛି ବାଲି ।
ଲକ୍ଷ୍ମଣ ବୋଇଲେ ସ୍ୱାମୀ କିଛିମାତ୍ର ନାହିଁ
ଜଟାୟୁ ଦହନ କାଳେ ଦେଲି ଫୋପାଡ଼ାଇ ।
କମଣ୍ଡଳୁରେ ସଲିଳ ଟିକେ ମାତ୍ର ନାହିଁ
ଏଥେଁ ଅବା ଫଳ ମୂଳ ମିଳିବଟି କାହିଁ ।
ଶ୍ରୀରାମ ବୋଇଲେ ବାବୁ ଆଉ ନାହିଁ ଶକ୍ତି
ଏ ଦୁସ୍ତର ବାଲିକୁରେ ତରିବା କେମନ୍ତି ।
ଯିସ ତିସ ନ ପାଇଲେ ଯିବଟି ଜୀବନ
କିସ କରିବା ଏଠାରେ କହ ବିଚାରିଣ ।
ବାଲିକୁଦେ ଉଠି ବାବୁ ଚଉଦିଗେ ଚାହିଁ
କେତେଦୂରେ ଘର ଅଛି ବେଗକରି କହ ।
ଆଜ୍ଞାପ୍ରମାଣେ ଲକ୍ଷ୍ମଣ ବାଲିକୁଦେ ଉଠି
ନିରୀକ୍ଷି କରି ଚାହିଁଲେ କରି ଏକ ଦୃଷ୍ଟି ।
ଚୌଦିଗେ ଦେଖିଲେ ଗ୍ରାମ ଦେଶ ନାହିଁ କିଛି
କେବଳ ଗୋଟିଏ ଗୋଷ୍ଠ ଦେଖାଯାଉଅଛି ।
ଗାଈ ବାଛୁରୀ ଅନେକ ଦିଶନ୍ତି ତାହାର
ଦେଖିକରି ସଉମିତ୍ରି ଆନନ୍ଦ ଅପାର ।
ପ୍ରଭାକର ନାମ ତାର ସେ ଗୋପାଳ ଶ୍ରେଷ୍ଠ
ସର୍ବଦା କାଳରେ ସେହୁ କରେ ତହିଁ ଗୋଷ୍ଠ ।
ଦିବସେ ଚରାନ୍ତି ଗାଈ ପର୍ବତର ତଳ
ବୃକ୍ଷ ଆଶ୍ରା ଦେଖି ତହିଁ ରହନ୍ତି ଗୋପାଳ ।
ଗାଈ ରଖିବାକୁ ସର୍ବ ଗୌଡ଼ ଥିଲେ ଯାଇ
ବତ୍ସା ଜଗିବାକୁ ପ୍ରଭାକର ଥିଲା ରହି ।
ଲକ୍ଷ୍ମଣ ଦେଖିଲେ ତାହା ଥାଇ ଖଣ୍ଡେଦୂରେ
ଏ ସବୁ କଥା କହିଲେ ପ୍ରଭୁଙ୍କ ଆଗରେ ।
ଲକ୍ଷ୍ମଣ ବୋଇଲେ ଦେବ ନ ଦେଖିଲି କିଛି
ଖଣ୍ଡେଦୂରେ ଗୋରୁ ଗୋଷ୍ଠ ଗୋଟାଏ ଦିଶୁଛି ।
ଗାଈବାଛୁରୀ ଗୁଡ଼ାଏ ଚରନ୍ତି ସେଠାରେ
ବୃଦ୍ଧ ଗୋଟିଏ ବସିଛି ପର୍ଣ୍ଣକୁଟୀ ଦ୍ୱାରେ ।
ରାମଚନ୍ଦ୍ର ବୋଇଲେକ ମିଳିବ ଗୋରସ
ମଣି ବନ୍ଧାଦେଇ ଭାଇ ଦୁଗ୍ଧ ଘେନିଆସ ।
ଆଜ୍ଞା ପାଇଣ ଲକ୍ଷ୍ମଣ ମଣି ଘେନିଗଲେ
ଗୋପାଳ ପାଶରେ ଯାଇ ପ୍ରବେଶ ହୋଇଲେ ।
ହେ ଗୋପାଳ ଏହି ମଣି ତୁମ୍ଭେ ଏବେ ନିଅ
ରାମଚନ୍ଦ୍ରଙ୍କର ଲୋଡ଼ା କିଛି ଦୁଧ ଦିଅ ।
କ୍ଷୁଧାରେ ଅଶକ୍ତି ପ୍ରଭୁ ହେଲେ ରାମରାୟେ
ତୁମ୍ଭ ଦୁଗ୍ଧ ଖାଇ ତୋଷହେବ ତାଙ୍କ କାୟେ ।
ପ୍ରଭାକର ବୋଲେ ମୋର ବିକା ନୁହେଁ ଦୁଧ
ସେ ପଦାର୍ଥ ଘେନିବାକୁ ନାହିଁ ମୋର ଶଧ ।
ଲକ୍ଷ୍ମଣ ବୋଇଲେ ଏ ଯେ ଅମୂଲ୍ୟ ରତନ
ଦେବତା ଗନ୍ଧର୍ବ ୟାଙ୍କୁ ଘେନନ୍ତିଟି ଜାଣ ।
କିଛିଦିନ ଯାଏ ଆମ୍ଭେ ବନ୍ଧାରୂପେ ଥୋଇ
ତୁମ୍ଭ ଦୁଗ୍ଧ ମୂଲ୍ୟ ଦେଲେ ନେବୁଁ ମୁକୁଳାଇ ।
ପ୍ରଭାକର ବୋଲେ ତୁମ୍ଭେ ଦୁଗ୍ଧନେବ କେତେ
ବିଚାରି କହ ସଂପ୍ରତେ ହେଉ ମୋର ଚିତ୍ତେ ।
ପୁନରପି ବୋଲେ ତୁମ୍ଭେ କୌଡ଼ି ଆଣି ନିଅ
ବିଚାରେ ଯେ ଗାଇଲେତ ଦୁଗ୍ଧ ନେଇ ଯାଅ ।
ଶୁଣି ସୌମିତ୍ରୀ ଭାଳିଲେ କଲା ଉପହାସ
ଶ୍ରୀରାମଙ୍କୁ ନ କହିଲେ ନ ଦେବ ଗୋ ରସ ।
ଏତେ ବିଚାରି ମିଳିଲେ ଶ୍ରୀରାମଙ୍କ ପାଶେ
ହାତଯୋଡ଼ି ଜଣାଇଲେ ମନର ବିରସେ ।
ବୋଇଲେ ଦେବ ଗୁଆଳ ଅଟେ ଅତି ମୂଢ଼
ପାପ ପୁଣ୍ୟ ବିଚାର ତା ନାହିଁ ବଡ଼ ରାଢ଼ ।
ଅନେକ ବୁଝାଇଲି ନ କଲା ସନମତ
ବୋଇଲା ଏ ମଣି ଆମ୍ଭ କରିବୁଁ କିସ ତ ।
କୌଡ଼ି ଦେଲେ ଦୁଧ ଦେବି ଏହା ନିରାଧାର
ନୋହିଲେ ଦ୍ୱିଚଳା ନିଅ ହେଲେ ଦରକାର ।
ଶ୍ରୀରାମ ବୋଇଲେ ବାବୁ ଶୀଘ୍ର ଯାଇ ଆଣ
ଚଳୁଏ ଖାଇଲେ ମଧ୍ୟ ରହିବ ଜୀବନ ।
ଶରୀରରୁ ପ୍ରାଣ ଗଲେ ସରିଲା ସକଳ
ଲକ୍ଷେ ସୁନା ରୂପା ଥିଲେ ସବୁ ତ ବିଫଳ ।
ବହନ ତୁ ଆଣ ଯାଇ ଆରେ ସଉମିତ୍ରି
ତାହା ଖାଇଣ ସନ୍ତୋଷ କରିବଇଁ ମତି ।
ଆଜ୍ଞା ପାଇଣ ଲକ୍ଷ୍ମଣ ଗଲେ ତହୁଁ ଧାଇଁ
ଦୁଇ ଚଳା ଆଣିଲେ ସେ ମଣି ବନ୍ଧା ଦେଇ ।
ଦୁଗ୍ଧ ପିଇଣ ତୃପତ ହେଲେ ରଘୁମଣି
ପ୍ରଶଂସା କରନ୍ତି ଗୋପାଳକୁ ପୁଣି ପୁଣି ।
ବୋଇଲେ ଗୋପାଳଯୋଗୁଁ ରହିଲା ମୋ ପ୍ରାଣ
ସୁଦଶା ବେଳେ ଶୁଝିବା ତାହାଙ୍କର ଋଣ ।
ଏତେ ବୋଲି ସେହିଠାରୁ ଚଳିଲେ ଚଞ୍ଚଳେ
ପ୍ରବେଶ ହୋଇଲେ ଯାଇ ଚିତ୍ରକୂଟ ତଳେ ।
ରାତ୍ର କଟାଇଲେ ତହିଁ ପର୍ବତରେ ଉଠି
ପ୍ରଭାତ ହୁଅନ୍ତେ ତହୁଁ ଚଳିଲେ ଲେଉଟି ।
କିଷ୍କିନ୍ଧ୍ୟା ବନେ ପ୍ରବେଶ ହୋଇଲେକ ଯାଇ
ସୁଗ୍ରୀବ ସହିତେ ସେହିଠାରେ ମିତ୍ର ହୋଇ ।
ଦୁନ୍ଦିଭି ଅସ୍ଥିକୁ ଫିଙ୍ଗି ସପ୍ତଶାଳ ଛେଦି
ତୀକ୍ଷ୍ଣମୁନା ନାରାଚରେ ବାଳି ବୀର ବଧି ।
ମଇତ୍ରକୁ କିଷ୍କିନ୍ଧ୍ୟାରେ କରିଲେ ରାଜନ
ସହାୟ ହୋଇଲେ ତାଙ୍କୁ ଋକ୍ଷ କପିସୈନ୍ୟ ।
ବନ୍ୟପଶୁ ରାମଙ୍କର ହେଲେ ବଶବର୍ତ୍ତୀ
ଚାରିଦିଗେ ଦୂତ ପେଷି ସେ ବାନରପତି ।
ପୂର୍ବ ଉତ୍ତର ପଶ୍ଚିମ ଦୂତ ଲେଉଟିଲେ
ଖୋଜି ଖୋଜି ଜାନକୀଙ୍କୁ କାହିଁ ନ ପାଇଲେ ।
ଦକ୍ଷିଣକୁ ଯେଉଁ ଦୂତମାନେ ଯାଇଥିଲେ
ସେ ମଧ୍ୟ ସେହିରୂପରେ ଅନେକ ଖୋଜିଲେ ।
ସମ୍ପାତି ମୁଖରୁ ବାର୍ତ୍ତା ପାଇ ବୀରଗଣ
ହନୁମାନକୁ ପେଷିଲେ ସେ ଲଙ୍କାଭୁବନ ।
ରତ୍ନମୁଦି ଦେଇଥିଲେ ରାମ ହନୁ ହାତେ
ସେ ମୁଦି ପ୍ରସାଦେ ସିନ୍ଧୁ ତରିଲା କିଞ୍ଚିତେ ।
ସନ୍ଧ୍ୟାକାଳେ ଲଙ୍କାଗଡ଼େ ହୋଇଲା ପ୍ରବେଶ
ମାର୍ଜାର ରୂପରେ ସୀତା ଖୋଜେ ବାୟୁଶିଷ୍ୟ ।
ଅଶୋକ କାନନେ ଯାଇ ଭେଟିଲା ତାହାଙ୍କୁ
ଆଦ୍ୟ ପ୍ରାନ୍ତ ବାର୍ତ୍ତାସବୁ ଜାଣାଇ ସୀତାଙ୍କୁ ।
ରତ୍ନମୁଦି ଦେଇ ମଥାମଣିକୁ ଆଣିଲା
ଅକ୍ଷୟ ମୂଳେ ଅନେକ ଅସୁର ମାଇଲା ।
ଇନ୍ଦ୍ରଜିତ ହସ୍ତେ ଶେଷେ ହୋଇଲା ବନ୍ଧନ
ଦେଖା କରିବା ପାଇଁକି ଦୁଷ୍ଟ ଦଶାନନ ।
ବହୁତରୂପେ କହନ୍ତେ ଉପଦେଶ ବାଣୀ
ଅଗ୍ନିରେ ପୋଡ଼ିପକାଅ ବୋଲେ ବିଂଶପାଣି ।
ଶୁଣି ରକ୍ଷଗଣେ ତହୁଁ ଧାଇଁଗେଲ ଖରେ
ବହୁତ ବସ୍ତ୍ର ଆଣିଲେ ଗୁଡ଼ାଇ ଲାଞ୍ଜରେ ।
ତଇଳ ଢାଳି ଅନଳ ଲଗାଇ ଦିଅନ୍ତେ
ଲଙ୍କା ପୋଡ଼ିଦେଲା ହନୁ ରାବଣ ସାକ୍ଷାତେ ।
ତହୁଁ ଜାନକୀଙ୍କ ପାଶୁଁ ହୋଇଣ ମେଲାଣି
ଶ୍ରୀରାମ ସୁମରି ସିନ୍ଧୁ ଢେଇଁଗଲା ପୁଣି ।
ଶ୍ରୀରାମଙ୍କ ପାଶେ ଯାଇ କହିଲା ସମସ୍ତ
ବାରତା ପାଇଣ ରାମ ହେଲେ ଆନନ୍ଦିତ ।
ଋକ୍ଷ କପି ସୈନ୍ୟଘେନି ସୁଗ୍ରୀବ ସଙ୍ଗରେ
ଯାଇଣ ପ୍ରବେଶ ହେଲେ ସାଗର ତୀରରେ ।
କପିଙ୍କ ହାତେ ବନ୍ଧାଇ ତହିଁ ସେତୁବନ୍ଧ
ଲଙ୍କାରେ ମିଳିଲେ ଯାଇ ପ୍ରଭୁ ରାମଚନ୍ଦ୍ର ।
ବାର୍ତ୍ତାପାଇ ଲଙ୍କପତି କିଳିଲା କବାଟ
ରାମଙ୍କ ଆଜ୍ଞାରେ ଗଲେ ଋକ୍ଷକପି ଥାଟ ।
କିଳିକିଳା ନାଦକରି ପାଚେରୀକୁ ଡେଇଁ
ଲଙ୍କାଗଡ଼ରେ ପଶିଲେ ସମସ୍ତେ ଧସାଇ ।
ଅଶୀପଦ୍ମ ଗୋଲାଙ୍ଗୁଡ଼ା ପଦ୍ମେ କାଳିମୁଖା
ଷଷ୍ଠପଦ୍ମ ଦଧିମୁଖ ଶଙ୍ଖେ ନୀଳମୁଖା ।
ପଞ୍ଚାବନ ଖର୍ବ ବୀର ଭାଲୁ ଅପ୍ରମିତ
ସମସ୍ତେ ଯେ ଏକୁ ଏକ ମହା ବଳବନ୍ତ ।
ମନ କଲେ ଲଙ୍କାପୁର ଉପାଡ଼ି ପାରନ୍ତି
ଦୈତ୍ୟଙ୍କ ସଙ୍ଗେ ସମର କଲେ ଯାଇ ଧାତି ।
ଶିଳାବୃକ୍ଷ ଉପାଡ଼ିଣ ମାରନ୍ତି ରୋଷରେ
ଛିନ୍ନଭିନ୍ନ ହୋଇ ଦୈତ୍ୟେ ପଳାନ୍ତି କାତରେ ।
ସୁଗ୍ରୀବ ଯେ ନଳ ନୀଳ ଅଙ୍ଗଦ ସୁଷେଣ
ଗବୟ ଗବାକ୍ଷ ଆଉ କପି କାଳିଞ୍ଜନ ।
ଜାମ୍ୱବନ୍ତ ସୁରଜିତ ଯେ ଗନ୍ଧମାଦନ
ମହୀଜିତ ଦ୍ୱିବିନ୍ଦ ଯେ ଶତବାଳି ପୁଣ ।
ମେଘବର୍ଣ୍ଣ ଆର୍ଦ୍ରାବଳି ମାଳି ଚନ୍ଦ୍ରକାନ୍ତି
ପ୍ରବୀର ପ୍ରଭୁତି ପଞ୍ଚାଶତ ଯୂଥପତି ।
ମହା ରୋଷଭରେ ତହିଁ କରିଲେ ସମର
ପେଷିଦେଲେ କୋଟି କୋଟି ଦୈତ୍ୟ ଯମପୁର ।
ଦିବସ ଶେଷ ହୁଅନ୍ତେ ଅଇଲେ ଲେଉଟି
ସୁବଳ ପର୍ବତେ ଯାଇ ରାମଚନ୍ଦ୍ର ଭେଟି ।
ଦେଖି ତାହା ଦଶାନନ ହୋଇଲା ଚିନ୍ତିତ
ସମରକୁ ପେଷିଦେଲା ପୁଣି ସେ ଦଇତ ।
ନରାନ୍ତକ ଦେବାନ୍ତକ ମହାକାୟ ମୂଳେ
ଯମଘଣ୍ଟ କାଳଘଣ୍ଟ ମହୋଦର ତୁଲେ ।
ଏରୂପେ ଗଡ଼ୁଁ ସେନାଏ ହୋଇଲେ ବାହାର
ଋକ୍ଷ କପିଙ୍କ ସଙ୍ଗରେ କରିଲେ ସମର ।
ଲାଗିଲା ବିଷମଯୁଦ୍ଧ ଦୁଇ ବଳଙ୍କର
ଶେଷେ ରାମଙ୍କ ବାଣରେ ହୋଇଲେ ସଂହାର ।
ରାବଣର ଦୁଷ୍ଟବୁଦ୍ଧି ଦେଖି ବିଭୀଷଣ
ରାମଙ୍କ ପାଦରେ ଯାଇ ପଶିଲା ଶରଣ ।
ଯେତେ ବୀର ମହାବୀର ଥିଲେ ଲଙ୍କାପୁରେ
ରାମ ଲକ୍ଷ୍ମଣ ଦ୍ୱିଭାଇ ନାଶିଲେ ସମରେ ।
ଏହା ଦେଖି ଇନ୍ଦ୍ରିଜିତ ମହାକୋପ ବହି
ଅନେକ ସଇନ ଘେନି ସମରେ ପଶଇ ।
ନାଗପାଶ ବାଣଘେନି ରାବଣ ନନ୍ଦନ
ରାମ ଲକ୍ଷ୍ମଣ ଆଦିଙ୍କୁ କଲା ଅଚେତନ ।
ଋକ୍ଷ ବାନର ଗୋଟିଏ ନ ରହିଲେ କେହି
ଅଚେତନ ହୋଇ ସର୍ବେ ସମରରେ ଶୋଇ ।
ରଣ ଜୟ କରିଗଲା ଇନ୍ଦ୍ରର ଅରାତି
ଶୁଣି ଦଶମୁଖ ହେଲା ଆନନ୍ଦିତ ଅତି ।
ଗରୁଡ଼ ଆସନ୍ତେ ନାଗପାଶ କେଣେ ଗଲା
ଶ୍ରୀରାମଙ୍କ ଦେହେ ପୂର୍ବପରି ଶକ୍ତି ହେଲା ।
ନିଦ୍ରାରୁ ଉଠିଲା ପରି ଉଠିଲେ ସକଳେ
ବାର୍ତ୍ତା ପାଇଣ ରାବଣ ମନ ମଧ୍ୟେ ଭାଳେ ।
ଭାଇ ମୋର କୁମ୍ଭକର୍ଣ୍ଣ ଶୋଇଲା ନିଶ୍ଚିନ୍ତେ
ରାଜ୍ୟ ହାନିଲାଭ ତାକୁ ନ ଲାଗେ କିଞ୍ଚିତେ ।
ଯାଅ ଆହେ ବୀରମାନେ ଉଠାଅ ତାହାକୁ
ସମରରେ ମାରୁ ଯାଇ ରାମ ଲକ୍ଷ୍ମଣଙ୍କୁ ।
ଦଶାନନ ଆଜ୍ଞାପାଇ ଧାଇଁଲେ ଅସୁରେ
କୁମ୍ଭକର୍ଣ୍ଣ ପାଶେ ଯାଇ ମିଳିଲେ ସତ୍ୱରେ ।
ଅନେକ ଯତନ କରି ଉଠାଇଲେ ତାକୁ
ମଦ ମାଂସ ଆଣି ପୁଣି ଦେଲେ ଖାଇବାକୁ ।
ଗଦା କାନ୍ଧେ ପକାଇଣ ମିଳେ ଭାଇ ପାଶେ
ନମସ୍କାର କରି ଶିରେ କରଯୋଡ଼ି ଭାଷେ ।
କାହିଁପାଇ ଉଠାଇଲ ମୋତେ ଦୈତ୍ୟନାଥ
କି ବିପଦ ହୋଇଅଛି ଆଲି ଉପଗତ ।
ତାହା କହିଲେ ଏକ୍ଷଣି କରିବଇଁ ଶାନ୍ତି
ଶୁଣି ତାକୁ ବୋଲଇ ଯେ ଋକ୍ଷକୁଳପତି ।
କି କହିବି ଭାଇ ତୋତେ ଅସମ୍ଭବ କଥା
କହିବାକୁ ଲଜ୍ଜା ବୋଧ ହୁଅଇ ସର୍ବଥା ।
ଅଯୋଧ୍ୟା ରାଜ୍ୟରେ ଦଶରଥ ନାମେ ରାଜ
ରାମ ଲକ୍ଷ୍ମଣ ବୋଲିଣ ତାହାର ଆତ୍ମଜ ।
ପିତା ଅଯୋଗ୍ୟ ଦେଖିଣ ତଡ଼ିଦେଲା ତାଙ୍କୁ
କାନନେ ରହିଲେ ସଙ୍ଗେ ଘେନିଣ ଭାର୍ଯ୍ୟାକୁ ।
ଅଦୋଷରେ ସୂର୍ପଣଖା ନାକ କାନ କାଟି
ଅଦୋଷରେ ବିନାଶିଲେ ଦୈତ୍ୟ ଚୌଦକୋଟି ।
ଖର ତ୍ରିଶିରା ଦୂଷଣ ହୁଅନ୍ତେ ନିଧନ
ସୂର୍ପଣଖା ଆସି ମୋତେ କହିଲା ତକ୍ଷଣ ।
ମାରୀଚକୁ ମାୟାମୃଗ କରି ମୁହିଁ ନେଲି
ରାମ ଲକ୍ଷ୍ମଣେ ଭୁଲାଇ ଜାନକୀ ଆଣିଲି ।
ଖୋଜି ଖୋଜି ଦୁଇଭାଇ ମିଳି ଋଷ୍ୟମୁକେ
ସୁଗ୍ରୀବ ସଙ୍ଗରେ ମିତ୍ର ହୋଇଣ ଉତ୍ସୁକେ ।
ଋକ୍ଷ କପିସୈନ୍ୟ ଘେନି ସେତୁବନ୍ଧ ବାନ୍ଧି
ଲଙ୍କାପୁରେ ପଶି ଦୈତ୍ୟବଳ ଦେଲେ ଛେଦି ।
ନର ବାନର ଆମ୍ଭର ଅଟନ୍ତି ଆହାର
ସେ ପୁଣି ରାକ୍ଷସବଂଶ କରନ୍ତି ସଂହାର ।
ସେମାନଙ୍କୁ ନାଶି ରଣେ ରଖ ମୋର ଟାଣ
ଏହାଶୁଣି ଧାଇଁଲା ସେ କ୍ରୋଧେ କୁମ୍ଭକର୍ଣ୍ଣ ।
ରଣେ ପଶି ଋକ୍ଷକପି ଗୋଟି ଗୋଟି ଧରି
ଗର୍ଭକୁ ସେ କ୍ଷେପିଦିଏ ଝିଣ୍ଟିକାର ପରି ।
ତାହା ଦେଖି ରାମଚନ୍ଦ୍ର ହେଲେ କୋପାନ୍ୱିତ
ଆଶୁଗ ପେଷିଣ ତାକୁ କଲେ ଅସ୍ତବ୍ୟସ୍ତ ।
ଶେଷେ ତାକୁ ସମରରେ କରିଲେ ବିନାଶ
ବାର୍ତ୍ତାପାଇ ଶୋକେ କରେ ବସି ରକ୍ଷଈଶ ।
ଆହା ଭାଇ କୁମ୍ଭକର୍ଣ୍ଣ କେଣେ ଗଲୁ ତୁହି
ତୋହର ବାହୁକୁ ଆଶ୍ରା କରିଥିଲି ମୁହିଁ ।
ଛାର ନର ବାନରଙ୍କ ହାତେ ପ୍ରାଣ ଦେଲୁ
ଆଜିଠାରୁ ଲଙ୍କାପୁର ବୀରଶୂନ୍ୟ କଲୁ ।
ଏମନ୍ତ କାନ୍ଦଇ ବସି ଭାଇ ଗୁଣ ସ୍ମରି
ଏକାଳେ ଆସି ମିଳିଲା ସେଠାରେ ଇନ୍ଦ୍ରାରି ।
ବୋଇଲା ହେ ତାତ କିପାଁ କରୁଛ ରୋଦନ
ଇନ୍ଦ୍ରଜିତ ପିଣ୍ଡେ ପ୍ରାଣ ଅଛି ଯେତେଦିନ ।
କି ଚିନ୍ତା ତୁମ୍ଭରି ଏବେ ହୁଅନ୍ତୁ ନିଶ୍ଚିନ୍ତ
ନିଶ୍ଚେଁ ବିନାଶିବି ରଣେ ସେହି ବେନିଭ୍ରାତ ।
ଏତେ କହି ପିତାପାଦେ ପ୍ରଣାମ ସେ କରି
ନିକୁମ୍ଭିଲା ବଟମୂଳେ ମିଳେ ଇନ୍ଦ୍ରଅରି ।
ଛାଗଳ ରକତେ ବସି ଆରମ୍ଭିଲା ହୋମ
ଚତୁର୍ଦ୍ଦିଗ ଆକାଶକୁ ବ୍ୟାପିଗଲା ଧୂମ ।
ଚାରମୁଖୁଁ ବାର୍ତ୍ତାପାଇ ବୀର ବିଭୀଷଣ
ଶ୍ରୀରାମଙ୍କୁ ଚାହିଁକରି ବୋଲଇ ବଚନ ।
ହେ ପ୍ରଭୋ ହୋମ କରଇ ରାବଣ ସନ୍ତତି
ହୋମ ଶେଷେ ରଥ ଯେବେ ହୋଇବ ଉତ୍ପତ୍ତି ।
ତହିଁ ବସି ରଣ କଲେ ତ୍ରିପୁର ଅଜୟ
ହୋଇବ ଏଥିରେ ତିଳେ ନାହିଁଟି ସନ୍ଦେହ ।
ଅତଏବ ସୈମିତ୍ରୀଙ୍କୁ ସଙ୍ଗେ ମୁହିଁ ନେଇ
ବିଚାରେ ନିଶ୍ଚେଁ ନାଶିବୁ ରାବଣ ତନୟି ।
ହେଉ ଯାଅ ବୋଲି ଯହୁଁ ଆଜ୍ଞା ସେ ବିହିଲେ
ଲକ୍ଷ୍ମଣଙ୍କୁ ସଙ୍ଗେ ନେଇ ସେଠାରୁ ଚଳିଲେ ।
ଇନ୍ଦ୍ରଜିତ ପାଶେ ଯାଇ ହୋଇଲେ ପ୍ରବେଶ
ତୀକ୍ଷ୍ଣ ଶର ମାରି ତାକୁ କରିଲେ ବିନାଶ ।
ପୁତ୍ରର ମରଣ ଶୁଣି ରାବଣ ଧାଇଲା
କ୍ରୋଧଭରେ ଶକତିଏ ଲକ୍ଷ୍ମଣେ ପେଷିଲା ।
ସେ ଶକ୍ତି ଆଘାତେ ମୂର୍ଚ୍ଛା ହେଲେ ସଉମିତ୍ରି
ବିଶଲ୍ୟକରଣି ଯାଇ ଆଣିଲା ମାରୁତି ।
ତା ଯୋଗେ ଲକ୍ଷ୍ମଣଙ୍କର ହୋଇଲା ଚେତନା
ଦେଖି ରାମଚନ୍ଦ୍ର ହେଲେ ଆନନ୍ଦିତ ମନା ।
ସାତଦିନ ସାତରାତି ରାବଣ ସଙ୍ଗରେ
ଯୁଦ୍ଧକରି ପେଷିଦେଲେ ତାକୁ ଯମପୁରେ ।
ବିଭୀଷଣେ ରାଜ୍ୟଭାର କରିଲେ ଅର୍ପଣ
ସୀତାଙ୍କୁ ପରୀକ୍ଷା କରି ପ୍ରଭୁ ରଘୁରାଣ ।
ପୁଷ୍ପକଯାନ ଉପରେ ସବୁଙ୍କୁ ବସାଇ
ଅଯୋଧ୍ୟାକୁ ବାହୁଡ଼ିଲେ ପ୍ରଭୁ ରଘୁସାଇଁ ।
ବାଟେ ଯାଉଁ ପ୍ରଭାକର ଗୋପାଳ ଭେଟିଲେ
ବନ୍ଧୁବାନ୍ଧବ ସହିତେ ସଙ୍ଗେ ତାକୁ ନେଲେ ।
ନିଜ ରାଜ୍ୟରେ ଶ୍ରୀରାମ ପ୍ରବେଶିଲେ ଯାଇ
ବିଧିମତେ ଅଭିଷେକ ହେଲେ ରଘୁସାଇଁ ।
ବଶିଷ୍ଠେ ଚାହିଁ କହନ୍ତି ପ୍ରଭୁ ଚାପଧାରୀ
ଏ ପ୍ରଭାକର ଗୋପାଳ ଦଶରଥ ସରି ।
ଏ ଯେବେ ଆମ୍ଭଙ୍କୁ ଦୁଧ ଦେଇଣ ନ ଥାନ୍ତା
ଆଜାଯାଏ ଆମ୍ଭର କି ଜୀବନ ଥାଆନ୍ତା ।
ଏହାର ଗୁଣକୁ ମୁହିଁ ପାସୋରିବି ନାହିଁ
ଏ ମହାତ୍ମା ପ୍ରାଣଦାନ ମୋତେ ଅଛି ଦେଇ ।
ଏ ଜନମେ ଉପକାର ଶୁଝି ନ ପାରେ ତ
ଦ୍ୱାପରେ ରଙ୍ଗାବତାର ହୋଇବି ମୁହିଁ ତ ।
ଏ ପତି ପତ୍ନୀ ହୋଇବେ ଆମ୍ଭ ମାତା ପିତା
କାହ୍ନୁ ସଂକର୍ଷଣ ନାମ ଆମ୍ଭର ଜାଣିଥା ।
ନନ୍ଦ ଯଶୋଦା ରୂପେ ଏ ଗୋପେହେଲେ ଜାତ
ମଥୁରାରେ ଜନ୍ମି ଗୋପେ ଯାଇ ବଢ଼ିବୁ ତ ।
ଶ୍ରୀରାମଙ୍କ କଥା ଶୁଣି ବଶିଷ୍ଠ ଯେ ଭଣି
ପ୍ରଭାକର ବଂଶ ରଥା ଶୁଣ ଚାପପାଣି ।
ବେଦଗର୍ଭ ବୋଲିକରି ବିଧାତାଏ ଥିଲା
ବ୍ରହ୍ମାୟଣୀ ଘେନି ସେହୁ ବୈକୁଣ୍ଠକୁ ଗଲା ।
ଗୋମାତା ଥିଲେ ଆକାଶ ଗଙ୍ଗାର କୂଳରେ
ଯୋଗେ ଭେଟ ପଡ଼ିଲେ ଏ ଯିବା ସମୟରେ ।
ମାଈ ଅଣ୍ଡିର ଦୁଇଟି ବତ୍ସା ତହିଁ ଥିଲେ
ଚରନ୍ତି ସେ ଘାସମାନ ଗୋମାତାର ତୁଲେ ।
ଗାଈର ନାମ ସୁରଭୀ ଜାଣ ଆହେ ରାମ
ତାହାକୁ ଦେଖିଣ ବ୍ରହ୍ମା ବହି ମନେ ତମ ।
ବୋଇଲେ ଆମ୍ଭଙ୍କୁ ତୁମ୍ଭେ ଛାଡ଼ିଦିଅ ବାଟ
ନୋହିଲେ ଖାଇବ ଆମ୍ଭଠାରୁ ନିଶ୍ଚେ ଛାଟ ।
ବତ୍ସାଏ ବୋଇଲେ ଆମ୍ଭେ ସୁଖେ ଚରୁଥାଉ
ଘାସ ଖାଇ ପାଣି ପିଇ ସମୟ କଟାଉ ।
ପଶୁଜନ୍ତୁ ଆମ୍ଭେ ବାଟ ଓଗାଳି ନାହୁଁ ନା
ବିଚାରିଣ ଏବେ ବାଟ ଭାଙ୍ଗି ଯାଅ କିନା ।
ଶୁଣିଣ ବିଧାତା ରାଗେ ହୋଇଲା ପ୍ରଚଣ୍ଡ
ସୁରଭୀ ଉପରେ ନେଇ ପିଟିଲାକ ଦଣ୍ଡ ।
ସେ ଆଘାତେ ସୁରଭୀ ଯେ ପଡ଼ି ମୂର୍ଚ୍ଛାଗଲା
ଘଡ଼ିକ ଉତ୍ତାରେ ପୁଣି ଚେତନା ପାଇଲା ।
ଗୋମାତା ବୋଇଲେ ତୁମ୍ଭେ ଜଗତରପିତା
ଭୂତ ଭବିଷ୍ୟତ ଆଦି ତିନିକାଳଜ୍ଞାତା ।
ତୁମ୍ଭଭଳି ଲୋକ ଯେବେ କଲ ଏଡ଼େ କର୍ମ
ସଂପୁଟରେ ନାଶହେଲା ସଂସାରରେ ଧର୍ମ ।
ଗୋ ବ୍ରାହ୍ମଣ ଦେବତା ଯେ ଅବଧ୍ୟ ପରାଣୀ
ଦେଖୁ ଦେଖୁ ଏ ଅନ୍ୟାୟ କଲ କେହ୍ନେ ପୁଣି ।
ଦୋଷ ଅନୁରୂପେ ଏବେ ଶାପଦେବା ଘେନ
ଗୋହତ୍ୟା ବହିଥାଆନ୍ତ ହୋଇଣ ଅଜ୍ଞାନ ।
ଦୋଷ ଦେଖି ଶାପଦେବା ଆମ୍ଭର ଉଚିତ
ଶତେଜନ୍ମ ଯାଏ ମର୍ତ୍ତ୍ୟେ ହୁଏ ତୁମ୍ଭେ ଜାତ ।
ବିଶେଷେ ବର୍ଣ୍ଣ ଶୂଦ୍ର ଯେ ହେବ ଅତି ମୂଢ଼
ବୋଲିବେ ତୁମ୍ଭଙ୍କୁ ଜନେ ଗଉଡ଼ ବାଉଡ଼ ।
ଶୁଣିଣ ବ୍ରହ୍ମା ସେ ବାଣୀ କଲେ ମନେ ଭୟେ
ଶାପକୁ ସେ ପ୍ରତିକାର ମାଗିଲେ ବିନୟେ ।
ଗୋମାତା ସେ ବୋଇଲେ ଶତେ ଜନମ ଅନ୍ତରେ
ନନ୍ଦ ନାମେ ଗୋପାଳ ଯେ ହେବ ଗୋପପୁରେ ।
ନାରାୟଣ ପୁତ୍ରରୂପେ କରିବ ପାଳନା
ତେବେ ଯାଇ ନିଜ ଭୂଇଁ ପାଇବଟି ସିନା ।
ବଶିଷ୍ଠ ବୋଇଲେ ତୁମ୍ଭେ ଶୁଣ ଚାପଧର
ସାମାନ୍ୟ ଜଣେ ନୁହେଁ ଏ ଗୌଡ଼ ପ୍ରଭାକର ।
ଶୁକମୁନି ବୋଇଲେକ ଆହେ ପରୀକ୍ଷିତ
ଏସନ ନନ୍ଦ ଯଶୋଦା ଜନମ ବୃତ୍ତାନ୍ତ ।
ତେଣୁ ଯଶୋଦା ଛାଟରେ କୃଷ୍ଣଙ୍କୁ ପିଟଇ
ହଳଦୀ ତଇଳ ନେଇ ଦେହେ ବୋଳିଦେଇ ।
ଶୟନ ଭୋଜନ ବେଳେ କରଇ ଆକଟ
ସବୁବେଳେ ମଣିଥାଏ ଯେହ୍ନେ ନିଜ ଚାଟ ।
ଦୋଳିରେ ବସାଇ ପୁଣି ଦୋଳିଗୀତ ଗାଏ
ଅନ୍ୟାୟ ଦେଖିଲେ କେତେବେଳେ ଗାଳିଦିଏ ।
ନନ୍ଦ ମଧ୍ୟ ସେହିପରି ଆକଟ କରଇ
ଚରଣରେ ନମସ୍କାର କରନ୍ତି ମାଧୋଇ ।
ସାମାନ୍ୟ ଲୋକ ତାହା କି କରନ୍ତାଟି ପାର
ଏ ରୂପେ ଅଟଇ ନନ୍ଦ ଗୌଡ଼ ସମାଚାର ।
ଅବଶ୍ୟ ଏହାକୁ ମୋକ୍ଷ କରିବେ ଅଚ୍ୟୁତ
ସମୟେକ ବ୍ରହ୍ମପଦ ଦେବେ ଜଗନ୍ନାଥ ।
ଇତି ଶ୍ରୀ ଭାଗବତର ପୁଣ୍ୟତମ ଧ୍ୱନି
କୋଟିତୀର୍ଥ ସ୍ନାନଫଳ ଏଥେ ଅଛି ପୁଣି ।
ସଂସ୍କୃତରୁ ଭାଷାକରି ହରିବଂଶ ବାଣୀ
ପଦ ପଦକେ ଅମୃତ ପୂରାଇଛି ଆଣି ।
ଅପୁତ୍ରକେ ପୁତ୍ର ପାନ୍ତି ରଙ୍କ ପାଏ ଧନ
ହରିକୀର୍ତ୍ତି ଶୁଣି ହୁଏ ପାତକ ଦହନ ।
ହରିନାମ ସୁମରିଲେ ଯାଏ ସର୍ବ ଭୀତି
ଜୀବନ୍ତେ ପୂରଇ ବାଞ୍ଛା ମଲେ ମୋକ୍ଷଗତି ।
ଚାଣ୍ଡାଳ ଯଦ୍ୟପି ମୁଖେ ହରିନାମ କହି
ଶୁଣିଲେ କାରଣ ଏହାର ବେଦଶାସ୍ତ୍ର ଲିହି ।
ତେଣୁ ହରିନାମ ଜନେ ସୁମର ହୋ ନିତ୍ୟେ
ଶ୍ରୀହରି ଚରିତ ମୁହିଁ ଲେଖିଲଇଁ ଗୀତେ ।
ସୁଜନଜନମାନଙ୍କ ମୁଁ ଦାସର ଦାସ
ବାଳୁତ ବୁଦ୍ଧି ମୋହର ନ ଘେନିବ ଦୋଷ ।
ଅଚ୍ୟୁତଦାସ କବି ଯେ ଏ ଗୀତରେ ଭଣି
ଜନ୍ମେ ଜନ୍ମେ ପ୍ରଭୁ ମୋର ସେହି ଚକ୍ରପାଣି ।
ଜୟ ଜୟ ଜଗନ୍ନାଥ ଶଙ୍ଖ ଚକ୍ରଧାରୀ
ନୀଳ ସିଂହାସନେ ବିଜେ ମହିମା ବିସ୍ତାରି ।
ଜୟ କଳ୍ପବୃକ୍ଷରୂପୀ ପୁରୁଷ ପ୍ରବର
ତୁମ୍ଭର ମହିମା ପ୍ରଭୁ ଦେବେ ଅଗୋଚର ।
କୋଇଲି ବୈକୁଣ୍ଠେ ପୁରୁଷୋତ୍ତମ ପାଟଣା
ଯାହାର ଦର୍ଶନେ ପୂର୍ଣ୍ଣ ହୁଅଇ କାମନା ।
କୋଣାର୍କ ତୀର୍ଥେ ମହିମା କେବା ଅନ୍ତକରି
ତ୍ରୈଲୋକ୍ୟନାଥ ବିରଞ୍ଚି ଯହିଁ ବିଜେକରି ।
ଚନ୍ଦ୍ରଭାଗା ତୀର୍ଥରାଜ ବ୍ରହ୍ମା ବିରଚିଲା
ସେଠାରେ ବ୍ରହ୍ମାର ବ୍ରହ୍ମହତ୍ୟା ପାରଗଲା ।
ଏକବାର ସ୍ନାନ କଲେ ଚନ୍ଦ୍ରଭାଗା ଜଳେ
ଜନ୍ମ ଜନ୍ମାନ୍ତର ପାପ ଖଣ୍ଡଇ ତତ୍କାଳେ ।
ତଦନ୍ତରେ ଅଛଇ ଯେ ଏକାମ୍ରକ ଭୂମି
ତହିଁ ବିଜେ କରିଛନ୍ତି ଲିଙ୍ଗରାଜ ସ୍ୱାମୀ ।
ଶ୍ରୀଅନନ୍ତ ବାସୁଦେବ ରୂପେ ବହି ନାମ
କ୍ଷେତ୍ରାଧିପ ହୋଇଛନ୍ତି ପୁରୁଷ ଉତ୍ତମ ।
ତା ମଧ୍ୟେ ବିନ୍ଦୁ ସାଗର ତୀର୍ଥଙ୍କ ପ୍ରଧାନ
ଖଣ୍ଡଇ ସକଳ ପାପ ବାରେ କଲେ ସ୍ନାନ ।
ଏକାମ୍ର ବନରେ କାମଦେବ ହେଲା ଦହି
ସେ ଭୂମି ମହିମା ହାଦେ କେ ପାରିବ କହି ।
କୋଟିଲିଙ୍ଗ ଘେନି ଯହିଁ ବିଜେ ଦେବକାଶୀ
ଦର୍ଶନ ମାତ୍ରକେ ଧ୍ୱଂସ ହୁଏ ପାପରାଶି ।
କାର୍ତ୍ତିକେଶ୍ୱର ଜନମ ହେଲେ ଯେଉଁସ୍ଥାନେ
ସମର୍ଥ ହୋଇବ କେବା ସେ ତୀର୍ଥ ବର୍ଣ୍ଣନେ ।
ମର୍ତ୍ତ୍ୟପୁରେ କ୍ଷେତ୍ରବର ବୈତରଣୀ ତଟେ
ଅଖଣ୍ଡେଶ୍ୱର ବିରଜା ଦେବୀଙ୍କ ନିକଟେ ।
ଆପେ ବ୍ରହ୍ମା ବସାଇଣ ଥିଲେ ସେହିଗ୍ରାମ
ଯାଜନରୁ ଜାତକରି ଯାଜପୁର ନାମ ।
ପବିତ୍ର ଗଙ୍ଗା ବୋଲିଣ ବ୍ରହ୍ମା ନାଭିସ୍ଥାନ
କେଦାର ହେମକୁଣ୍ଡ ଯେ ସୁତୀର୍ଥ ଗୋକର୍ଣ୍ଣ ।
ପ୍ରୟାଗବଟ ପାବଚ୍ଛ ଦଶାଶ୍ୱ ଯେ ଘାଟ
ଯେବଣ ସ୍ଥାନକୁ ସ୍ୱର୍ଗ ଅଟଇ ନିକଟ ।
କୋଟି ବିଷ୍ଣୁଗଣ ଘେନି ହରି ନିଜେ ତହିଁ
ଚାମଣ୍ଡା ବିଜୟେ କୋଟିଯୋଗ୍ନୀ ସଙ୍ଗେ ନେଇ ।
ଚୌରାଶୀ କ୍ଷଉଣୀ ରୁଦ୍ରଗଣ ଘେନି ସଙ୍ଗେ
ସଦାଶିବ ଦେବ ଯହିଁ ବିଜେ ନାନାରଙ୍ଗେ ।
ପବିତ୍ର ସେ ବୈତରଣୀ ନଦୀ ବେନିକୁଳ
ପଞ୍ଚକ୍ରୋଶ ଆୟତନ କ୍ଷେତ୍ର ପରିମଳ ।
ଆବର ଅନେକ ଦେବଦେବୀ ଛନ୍ତି ତହିଁ
ଏକ ଏକ କରି କେତେ ପାରିବା ତା କହି ।
ସେ ଭୂମିରେ ଏକନିଶି ହେଲେ ଉଜାଗର
ଶତେ ଜନ୍ମ କଳୁଷରୁ ନିଶ୍ଚେଁ ହେବାପାର ।
ଗଣ୍ଡୁଷକେ ପାନ କଲେ ବୈତରଣୀ ଜଳ
ଖଣ୍ଡନ ହୁଅଇ ଅଙ୍ଗୁ ଦୂରିତ ସକଳ ।
ଦଶାଶ୍ୱମେଧ ଯଜ୍ଞରେ ଫଳ ହୁଏ ଯେତେ
ଦଶାଶ୍ୱ ଘାଟରେ ସ୍ନାନ କଲେ ଫଳ ତେତେ ।
ନଗ୍ରମାନଙ୍କର ରାଜା ଯାଜପୁର କହି
ଅନ୍ୟ ଦେଶ ଗ୍ରାମ ତାକୁ ସମାନ ନୁହଇ ।
ଦ୍ୱାଦଶ ଯୋଜନେ ଚାରିକ୍ଷେତ୍ର ଅଛି ଯହୁଁ
ଚଉକ୍ଷେତ୍ର ବୋଲି ନାମ ବହଇ ସେ ତହୁଁ ।
ଗୋମୁଖ କେଶବ ଲୋକନାଥ ପାରେଶ୍ୱର
ଗ୍ରାହିତା ମାଧବ ଅଷ୍ଟଶମ୍ଭୁ ଯେ ଆବର ।
ଅମରେଶ୍ୱର ଧବଳେଶ୍ୱର ମନ୍ତ୍ରେଶ୍ୱର
ବିଶ୍ୱେଶ୍ୱର ସ୍ୱପ୍ନେଶ୍ୱର ଆଉ ମତ୍ସ୍ୟେଶ୍ୱର ।
ଜଳେଶ୍ୱର ବିଲ୍ୱେଶ୍ୱର ଯେ ବାଲୁକେଶ୍ୱର
ହଟେଶ୍ୱର ହଂସେଶ୍ୱର ଶମ୍ୱୁ କ୍ଷେମେଶ୍ୱର ।
ଖଣ୍ଡେଶ୍ୱର ବୁଧ୍ୱେଶ୍ୱର ପୁଣି ସିଦ୍ଧେଶ୍ୱର
ରାମେଶ୍ୱର ଚାଟେଶ୍ୱର ଦେବ ମୁକ୍ତେଶ୍ୱର ।
ଶିଶିରେଶ୍ୱର ପୁଣି ଯେ ନୀଳକଣ୍ଠେଶ୍ୱର
ଅମ୍ୱିକେଶ୍ୱର କୁକୁଟେଶ୍ୱର ମେଘେଶ୍ୱର ।
ଯୋଗେଶ୍ୱର ଭୋଗେଶ୍ୱର ପର୍ଶୁରାମେଶ୍ୱର
ଲୋକେଶ୍ୱର ଶୃଙ୍ଗେଶ୍ୱର ଦାବାନଳେଶ୍ୱର ।
ପାତାଳେଶ୍ୱର ଈଶାନେଶ୍ୱର ଇନ୍ଦ୍ରେଶ୍ୱର
ଅଲାବୁକେଶ୍ୱର ଭୀମଶ୍ୱର ଯମେଶ୍ୱର ।
ଏମନ୍ତ ଦ୍ୱାଦଶଯୂଣ ମଧ୍ୟେ ଶମ୍ଭୁ ଯେତେ
ଏକ ଏକ ନାମ ଧରି କହିବଇଁ କେତେ ।
ଲେଖନ୍ତେ ତା ଅନ୍ତ କରି ନ ପାରଇ ମୁହିଁ
ଗହନ ବିଷ୍ଣୁ ପୁରାଣ ଆଦି ଅନ୍ତ ନାହିଁ ।
ସରସ୍ୱତୀ କରୁଣାରୁ ସାଧୁଜନ ହିତେ
ଠିକଠିକ ପଦ ବାଛି କହିଗଲି କେତେ ।
ସଂକ୍ଷେପି ବର୍ଣ୍ଣନା କଲି କୃଷ୍ଣଲୀଳାରସ
ସାରଦା ପ୍ରସାଦେ କବି ମୁଁ ଅଚ୍ୟୁତ ଦାସ ।
ଶୁକ ବୋଇଲେ ହେ ଶୁଣ ପରୀକ୍ଷ ନୃମଣି
ନନ୍ଦ ଯଶୋଦାର ପୂର୍ବ ଚରିତ ଏ ବାଣୀ ।
ସୁରଭି ଶାପରୁ ବ୍ରହ୍ମା ଗୋପାଳ ହୋଇଲେ
ନନ୍ଦନାମ ବହି ରାମକୃଷ୍ଣଙ୍କୁ ପାଳିଲେ ।
ମହତ ଲୋକେ ଘେନନ୍ତି କଲେ ଅଳ୍ପ ଗୁଣ
ତେଣୁ ନନ୍ଦପୁତ୍ର ହେଲେ ଶ୍ରୀରାମ ଲକ୍ଷ୍ମଣ ।
ଯେ ସେ ଲକ୍ଷ୍ମଣ ଯେ ବଳରାମ ରୂପେ ଜାତ
କୃଷ୍ଣ ହୋଇ ହୋଇଛନ୍ତି ଆପେ ରଘୁନାଥ ।
ରାମ ଅବତାରେ କଷ୍ଟ ପାଇଲେ ଲକ୍ଷ୍ମଣ
ବାରବର୍ଷ ଛାଡ଼ି ନିଦ୍ରା ମୈଥୁନ ଭୋଜନ ।
ପ୍ରତ୍ୟକ୍ଷରେ ଦେଖି ରାମ ତାଙ୍କ କଷ୍ଟ ଜାଣି
ଦ୍ୱାପରରେ ଜ୍ୟେଷ୍ଠଭ୍ରାତା କରାଇଲେ ଆଣି ।
ପରୀକ୍ଷ ବୋଇଲେ ମୁନି ଶୁଣିଲି ଏ ରସ
ଏଥି ଉତ୍ତାରୁ ଯେ ପୁଣି ହେଲା କହ କିସ ।
ତାହା ସଂକ୍ଷେପିଣ ମୋତେ କହିବା ହେ ମୁନି
ଲଭିବି ପୁଣ୍ୟଗତି ମୁଁ ହରିବଂଶ ଶୁଣି ।
ଏତେ ବୋଲି ନରପତି ପ୍ରଣିପାତ କଲେ
ଆସନାଦି ଦେଇ ଯଥାବିଧିରେ ପୂଜିଲେ ।
ଲକ୍ଷେ ସ୍ୱର୍ଣ୍ଣମୁଦ୍ରା ନେଇ ଥୋଇ ପାଦତଳେ
ପ୍ରଣିପାତ ହୋଇ ରାଜା ପୟରେ ଶୁତିଲେ ।
ରାଜାଙ୍କର ଭକ୍ତିଭାବ ଦେଖି ମୁନିବର
ପୁସ୍ତକକୁ ଫେଡ଼ି ତହୁଁ ବୋଲନ୍ତି ଏ ଗିର ।
ଶୁଣ ତୁହୋ ସାବଧାନେ ସୁଭଦ୍ରାର ନାତି
ଗୁପତେ ଗୋପନଗରେ ବିଜେ ଶିରୀପତି ।
ଅନେକ ଗୋପାଳ ମେଳେ ହୋଇଥାନ୍ତି ମେଳି
ବୃନ୍ଦାବନେ ବତ୍ସା ରଖି ରାମ ବନମାଳୀ ।
ଗୋପନଗ୍ରେ କ୍ରୀଡ଼ା ସ୍ୱାମୀ କରି ଅବଲୀଳେ
ବିହରନ୍ତି ଅନୁକ୍ଷଣେ ଗୋପଶିଶୁ ତୁଲେ ।
ନବଲକ୍ଷ ଗୃହ ଅଛି ସେହି ଗୋପପୁରେ
ଅଚଳାଚଳ ସମ୍ପଦ ସବୁଙ୍କରି ଘରେ ।
ରତ୍ନାକର କଟକ କି କୁବେର ନଗର
ଅମର ନଗର କିବା ବଇକୁଣ୍ଠ ପୁର ।
ପ୍ରତ୍ୟକ୍ଷରେ ନାରାୟଣ ବିଜେକରି ଯହିଁ
ପଟାନ୍ତର ତାହାଙ୍କୁ ଯେ ଚୌଦପୁରେ ନାହିଁ ।
ଏକ ଏକ ଘରେ ଅଟେ ଦଶ ବିଂଶ ଖୁଆ
ସମୁଦ୍ର ଗର୍ଜନ ପ୍ରାୟ ଶୁଭେ ଦହିମୁହାଁ ।
ଅପ୍ରମିତ ଅଗଣିତ କେତେ ଗାଈ ତହିଁ
ବରଡ଼ିଆ ଷଣ୍ଢ କେତେ ତାର ସଂଖ୍ୟା ନାହିଁ ।
ଯମୁନା କୂଳରେ ପାଞ୍ଚ ଯୋଜନକୁ ମାଡ଼ି
ଚରନ୍ତି ଗୋଧନ ବନ ପର୍ବତରେ ଚଢ଼ି ।
ଅପ୍ରମିତେ ଗୃହାଳ ଯେ ସଂଖ୍ୟା କେ କରିବ
ଗୋଷ୍ଠମାନଙ୍କର ସଂଖ୍ୟା ମୁଖେ କେ କହିବ ।
ଯେତେବେଳେ ଗାଈମାନ ପ୍ରଭାତୁଁ ଦୁହନ୍ତି
ପ୍ରଥମ କ୍ଷୀର ବସୁଧା ଉପରେ ପକାନ୍ତି ।
ସେ ଚିତ୍ତ ଦୁଧ ଅମୃତ ପରାୟେକ ହୋଇ
ପାଞ୍ଚଘଡ଼ି ପରିଯନ୍ତେ ନଦୀରୂପେ ବହି ।
ଗୋକ୍ଷୀରେ ମିଶଇ ଯାଇ ଯମୁନାର ଜଳେ
ଅଗମ୍ୟ ନଦୀ ସେହି ତ ବହେ ସବୁକାଳେ ।
ନଦୀ ବେନିକୁଳ ଅତି ପବିତ୍ର ଯେ ସ୍ଥାନ
ତାକୁ ପଟାନ୍ତର ନାହିଁ ଚଉଦ ଭୁବନ ।
ନନ୍ଦନନ୍ଦନ ଯେ କୁଞ୍ଜବନ ରୁଦ୍ରବନ
ଅମ୍ୱିକା ବନ ଯେ ମଧୁବନ ତାଳବନ ।
ଏ ଷଡ଼ ବନ ମଧ୍ୟରେ କ୍ରୀଡ଼ନ୍ତି ଶ୍ରୀହରି
ଗୋପବାଳ ବତ୍ସା ଆଦି ବିହରନ୍ତି ହେରି ।
ଏକେ ତ ପ୍ରଭୁ ଧରନ୍ତି ଅନେକ ମୂରତି
ଯେମନ୍ତ ଯେ ଲୋଡ଼େ ଯାକୁ ତେମନ୍ତେ ଦିଶନ୍ତି ।
ନନ୍ଦ ଯଶୋଦା ମଣନ୍ତି ସାତବର୍ଷ ପ୍ରାୟେ
ଗୋପପୁଅଙ୍କୁ ଦିଶନ୍ତି ଖେଳଶିଶୁ କି ଏ ।
ଗୋପୀମାନଙ୍କୁ ଦିଶନ୍ତି ଅଭିନବ ମୂର୍ତ୍ତି
ସାକ୍ଷାତେ କି କାମଦେବ ରୂପେ ବିରାଜନ୍ତି ।
ଭକତକୁ ଦେଖାଯାନ୍ତି ଭକ୍ତି ବଜ୍ରସେହ୍ନା
ଉଦାସୀ ଲୋକଙ୍କୁ ଦିଶି ମାୟାମୂର୍ତ୍ତି ନାନା ।
ଦେବତାଙ୍କୁ ଦେଖାଯାନ୍ତି ପ୍ରଭୁ ଚତୁର୍ଭୁଜ
ଅସୁରଙ୍କୁ ଦେଖାଯାନ୍ତି କାଳଯମ ତେଜ ।
ଯୋଗୀଜନେ ଦେଖାଯାନ୍ତି ମନ୍ତ୍ରର ସମାନ
ବେଦାନ୍ତି ପ୍ରାୟେ ମଣନ୍ତି ସର୍ବ ବିପ୍ରଗଣ ।
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାରିଖାନି
ଚଉରାଶୀ କୋଟି ଜନ୍ତୁ ଯେତେ ଛନ୍ତି ପୁଣି ।
ଅନ୍ତର୍ଯ୍ୟାମୀ ନାରାୟଣ ସବୁ ମନ ଜାଣି
ଯାହାକୁ ଯେମନ୍ତେ ଦୃଶ୍ୟ ହୁଅନ୍ତିଟି ପୁଣି ।
ଜଳ ସ୍ଥଳ ଅନଳ ଯେ ବାୟବ୍ୟାଦି କରି
ସବୁଠାରେ ମହାପ୍ରଭୁ ଥାଆନ୍ତି ଯେ ପୂରି ।
ଅସମ୍ଭବଲୀଳା ପ୍ରଭୁ କରନ୍ତି ତହିଁ ତ ।
ଏଥୁ ଅନନ୍ତରେ କିଛିଦିନ ଗତ ହେଲା
ମନଦେଇ ଶୁଣ ଏବେ ଅଭିମନ୍ୟୁ ବଳା ।
ବିଛାମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି
ଜ୍ୟେଷ୍ଠା ନାମରେ ନକ୍ଷତ୍ର ଅଟଇ ଯୁକତି ।
ବାଳବ ନାମେ କରଣ ମାହେନ୍ଦ୍ର ଯେ ଯୋଗ
ତାର ଚନ୍ଦ୍ର ବେଳା ଯେ ରୋହିଣୀ ଘରେଭୋଗ ।
ସେଦିନ ଗୋପର ଲୋକେ ହେଲେ ସର୍ବେମେଳ
ଗୋପପୁରେ ଯାତ୍ରା ବୋଲି ପଡ଼ିଲା ଚହଳ ।
ନନ୍ଦର ମନ୍ଦିରେ ଯାଇ ହେଲେ ସର୍ବେ ମେଳି
ହସ୍ତେ ଘେନି କେନ୍ଦୁବାଡ଼ି ମତ୍ତେ ମତୁଆଳୀ ।
ଗୁଞ୍ଜରାମାଳ ଗଳାରେ ବର୍ହିପୁଚ୍ଛ ଚୂଳ
ଏକକୁ ଆରେକ ବଳି ଧାମନ୍ତି ଗୁଆଳ ।
କାଠର ବନ୍ଦିଆ କାହା କାନେ ସାଲକଢ଼ି
କାଇଁଚ କଙ୍କଣ ହସ୍ତେ ଧରିଛି କେ ବାଡ଼ି ।
ପର୍ବତର ରଙ୍ଗମାଟି ଲେପା କାହାଅଙ୍ଗେ
ଦଶ ପଞ୍ଚାଶ ମେଳରେ ଧାମନ୍ତି ସରାଗେ ।
ଢଗ ଢମାଳି ଗାଇଣ କରନ୍ତି ସେ ନାଟ
ବଣିକ ପସରା ଜୁରି ଭାଙ୍ଗଦ୍ୟନ୍ତି ହାଟ ।
ଗନ୍ଧ ଚନ୍ଦନ କସ୍ତୁରୀ ଗଦନ୍ଧ ଫୁଲ ଯେତେ
ଆନନ୍ଦରେ ଘେନନ୍ତି ଯେ ଛାଡ଼ଇ ସମସ୍ତେ ।
ଶଙ୍କ ମର୍ଦ୍ଦଳ ମହୁରି ଉପାଙ୍ଗ ଦୋସରି
ନାନା ବାଦ୍ୟ ବାଜିବାରେ କମ୍ପେ ଗୋପପୁରୀ ।
କେହୁ ନେତ ପତନୀ କେ ସିନ୍ଧୁଆକୁ ପିନ୍ଧି
ଧାମଇଁ କଟିରେ ଘଣ୍ଟି ଘାଗୁଡ଼ିକୁ ବାନ୍ଧି ।
ମେଘାଡମ୍ୱରୁ କେହୁ ବା ଶ୍ୱେତ ପାଟଛତ୍ରୀ
ଧରି ଛୁରି ଯମଦାଢ଼ ଆଗପଛ ହ୍ୱନ୍ତି ।
କେ ରାଉତ କେ ମାହୁନ୍ତ ରୂପେ ହେଲେ ସଜ
କେ ଅଶ୍ୱ ଉପରେ ବସେ କେହି ଚଢ଼େ ଗଜ ।
କେ ଖୁଣ୍ଟିଆ ପଡ଼ିହାରୀ କେହୁ ଜନ ପ୍ରଜା
ସର୍ବ ବିଚାରରେ କୃଷ୍ଣଚନ୍ଦ୍ର କଲେ ରାଜା ।
ଆଗରେ ଚହଟଇ ଅଗୁରୁ ଧୂପକାଠି
ଟମକ ନିଶାଣ ତହିଁ ବାଜେ କୋଟି କୋଟି ।
ଛାମୁରେ ମଣିମା ଡାକ ଶୁଭେ ଅନୁକ୍ଷଣ
ଆନନ୍ଦରେ କରେ କେବା ସ୍ତବାଦି ପଠନ ।
ହୁଳହୁଳି ଶବଦରେ ପୃଥିବୀ ଲେଉଟି
ଅପୂର୍ବ ଶୋଭାବନ ଯେ ଦିଶେ ନବସୃଷ୍ଟି ।
ମଙ୍ଗଳ ଗାୟନ ତହିଁ କରନ୍ତି ଯେ ଭାଟ
ସୁଖାସନେ ବିଜେକଲେ ନନ୍ଦ ବେନିଚାଟ ।
କେ ବୀଣା ବଇଁଶୀ ବାଏ କେବା ଯନ୍ତ୍ରବେଣୀ
ଏମନ୍ତ ବେଶେ ବୁଲନ୍ତି ଗୋପେ ଚକ୍ରପାଣି ।
ଗୋପାଳେ ଦେଖି ହୋଇଲେ ଆନନ୍ଦିତ ମନ
ଅନଙ୍ଗ ଶରେ ଆରତ ହେଲେ ଗୋପୀଗଣ ।
ଗୋପସୁତ ଦେଖୁଛନ୍ତି ନିରେଖି ନୟନେ
ଦେଖ ଭାଇ ରାମକୃଷ୍ଣ ଦିଶନ୍ତି କେସନେ ।
ଧାଡ଼ିଧାଡ଼ି ପଟୁଆର ମଧ୍ୟରେ ଶ୍ରୀହରି
କେହୁ କରେ ବେତ ଘେନି ଲୋକନ୍ତ ନିବାରି ।
ନନ୍ଦ ଉପନନ୍ଦ ଆଉ ବସୁନନ୍ଦ ମୂଳେ
ପଛ ପଟୁଆରେ ଛନ୍ତି ଅତି କୁତୂହଳେ ।
ଗୋବିନ୍ଦ ଏପରି ବିଜେ ବାର୍ତ୍ତା ଇନ୍ଦ୍ରପାଇ
ଐରାବତ ଆରୋହିଣ ଅଇଲେକ ଧାଇଁ ।
ଅନେକ ବିଦ୍ୟାଧର ଯେ ସଙ୍ଗତରେ ଘେନି
ଗୋବିନ୍ଦଙ୍କ ଶିରେ ପୁଷ୍ପ ବରଷିଲେ ଆଣି ।
ନବଲକ୍ଷ ଡମ୍ୱରୁ ଯେ ବଜାଇଣ କାଶୀ
ବୃଷଭ ଆରୋହି ବିଜେ କଲେ ତହିଁ ଆସି ।
ଅନେକ ରୁଦ୍ରଗଣ ଯେ ରହିଛନ୍ତି ସଙ୍ଗେ
ଗଙ୍ଗାଦେବୀ ଗଉରୀ ଯେ ବିଜୟେ ଅର୍ଦ୍ଧାଙ୍ଗେ ।
ନନ୍ଦୀ ଭୃକୁଟୀ ଏ ବାମ ଡାହାଣେ ଅଛନ୍ତି
ଜୟନ୍ତ ଅଜୟନ୍ତ ଏ ସଙ୍ଗେ ସଙ୍ଗେ ଛନ୍ତି ।
ନାଗାର୍ଜ୍ଜୁନ ବିନାୟକ କାର୍ତ୍ତିକ ଆବର
ଚଉଷଠି ସିଦ୍ଧ ସାଧ୍ୟ ଗନ୍ଧର୍ବ କୁମର ।
ଏମାନଙ୍କ ସହିତରେ ମିଳି ଶୂଳପାଣି
ଆକାଶେ ଥାଇ ବାଇଲେ ଶିଙ୍ଗା ଆଉ ବେଣୀ ।
କୁଶବଟୁ ଭୁବନରୁ ବ୍ରହ୍ମା ବିଜେ କଲେ
ଗୋବିନ୍ଦ ଉତ୍ସବ ବାର୍ତ୍ତା ତେଣୁ ସେ ପାଇଲେ ।
ସର୍ବ ବ୍ରହ୍ମଚାରୀମାନେ ଘେନିଣ ସଙ୍ଗର
ମରାଳ ବାହନେ ବସି ମିଳି ବେଦବର ।
ବାରତା ପାଇ ଅଇଲେ କୁବେର ଦେବତା
ବରୁଣ ଯେ ନିଶାକର ଆବର ସବିତା ।
ଏରୂପେ ତେତିଶ କୋଟି ଦେବତା ଅଇଲେ
ଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ସ୍ତୁତିମାନ କଲେ ।
ଗୋପୀ ଗୋପାଳ ଯେ ରାମକୃଷ୍ଣ ଘେନି ସଙ୍ଗେ
ଗୋପ ନଗରେ ବୁଲନ୍ତି ନାନାବିଧ ରଙ୍ଗେ ।
ସୁବର୍ଣ୍ଣ ଥାଳିମାନଙ୍କେ ଅଷ୍ଟରତ୍ନ ଭରି
କାହ୍ନୁ ରାମେ ବନ୍ଦାବନ୍ତି ସର୍ବ ଗୋପନାରୀ ।
ମର୍ତ୍ତେ ମତୁଆଳ ହୋଇ ସର୍ବ ଗୋପଗୋଈ
ସୁଲଳିତ ହୁଳହୁଳି ପଞ୍ଚମରେ ଦେଇ ।
ଏହିରୂପେ ଯାତ୍ରା ଗୋଟି ହୋଇଗଲା ଶେଷ
ରାମକୃଷ୍ଣ ଲେଉଟିଣ ମନ୍ଦିରେ ପ୍ରବେଶ ।
ଗୋପୀ ଗୋପାଳ ସକଳେ ଗୃହେ ଫେରିଗଲେ
ଦେବତାମାନେ ଅମର ଭୁବନେ ଚଳିଲେ ।
ଯେଝାର ନିତ୍ୟକର୍ମରେ ଲାଗିଲେ ସମସ୍ତେ
ଅଚ୍ୟୁତାନନ୍ଦ ଭଜିଲା ହରିନାମ ଚିତ୍ତେ ।
କେଶୀ ଓ କଦମ୍ବାସୁର ବଧ
[ସମ୍ପାଦନା]ଶୁଣ ପରୀକ୍ଷିତ ରାଜା ବୋଲେ ମୁନିବର
ଗୋପନଗ୍ରେ ବୁଲୁଥିଲେ କଂସର ଡଗର ।
ବାରତା ଘେନିଣ ତହୁଁ ଧାତିକାରେ ଗଲେ
କଂସର ଛାମୁରେ ଯାଇ ତୁରିତେ ମିଳିଲେ ।
କରଯୋଡ଼ି ବୋଇଲେକ ଆଗେ ଉଭାହୋଇ
ସାବଧାନେ ଶୁଣିବା ହେ ଭୋଜ ନରସାଇଁ ।
ଅତି ଅସମ୍ଭବ ଅଟେ ଗୋପନଗ୍ର ବାର୍ତ୍ତା
କହନ୍ତେଣ ନ ସରଇ ରାମକୃଷ୍ଣ କଥା ।
ପ୍ରୋହିଣୀ ତ କ୍ଷୀର ଦେବା କାଳରେ ମରିଲା
ବାଳପୁଅଙ୍କୁ ହାତରେ ତୃଣାବର୍ତ୍ତ ମଲା ।
ଅନେକ କାଳୁ ଯାମଳା ହୋଇଥିଲା ବୃକ୍ଷ
ଦଉଡ଼ିଲେ ନନ୍ଦନାରୀ ବାନ୍ଧିଲା ପ୍ରତ୍ୟକ୍ଷ ।
ପାଦ ଚାଳନାରେ ତାକୁ ବିନାଶ କରିଲେ
ଦେଖୁ ଦେଖୁ ଶକଟାର ପ୍ରାଣକୁ ଘେନିଲେ ।
କାଳୀୟ ନାଗ କାଳିନ୍ଦୀହ୍ରଦେ ଥିଲା ରହି
ପାଦେ ମର୍ଦ୍ଦି ତାକୁ ତହିଁ ଦେଲେ ଘଉଡ଼ାଇ ।
ବନଦାହ କାଳେ ବତ୍ସା ଅଘା ବିନାଶିଲେ
ଷଣ୍ଢା ବକାର ଜୀବନ କ୍ଷଣକେ ହରିଲେ ।
ବଳାତ୍କାରେ ଇନ୍ଦ୍ରପୂଜା କରିଲେ ଭଗନ
ବଜ୍ରମାରି ଥକିଗଲା ସେ ଇନ୍ଦ୍ର ରାଜନ ।
ବାମକରେ ଗୋବର୍ଦ୍ଧନ ଧଇଲେକ ଟେକି
ସାମାନ୍ୟ ଲୋକେ ଏ କଥା କରି ପାରଇ କି ।
ଦେବକୂଟେ ଗୋପେ ଜାତହେଲେ ନରହରି
ବଡ଼ ଅସମ୍ଭବ କଥା କହିତ କେ ପାରି ।
ଯାବତ ଅସାଧ୍ୟ ସାଧ୍ୟ କରନ୍ତି ଯୁକତେ
ତାଙ୍କ ସମ ଜଣେ କେହି ନାହିଁ ଏ ଜଗତେ ।
ଶୁରି କଂସରାଜାକୁ ଯେ ଲାଗେ ବଡ଼ ଭୟେ
ଅସାଷ୍ଟମ ହୋଇ ରାଜା ପଡ଼ି ମୂର୍ଚ୍ଛାଯାଏ ।
ପ୍ରଖର ନିଃଶ୍ୱାସ ତାର ବହେ ଘନ ଘନ
ବନାନଳ ପରାୟେକ ପୋଡ଼େ ପଞ୍ଚମନ ।
ସାଷ୍ଟମ ହୋଇଣ ଉଠି ବସି ମହୀପାଳ
ହା ଦଇବ ବୋଲି କର ତାଡ଼ଇ କପାଳ ।
ବାଳକ ଭାବେ କହଇ ଇନ୍ଦୁମତୀ ବଳା
ବେନି ନୟନରୁ ଅଶ୍ରୁ ବହେ ଅସଙ୍ଖଳା ।
ମନ ଛନ୍ନ ଛନ୍ନ ନ ଦିଶଇ ଦଶଦିଶ
କେଶୀ ମୁଖ ଚାହିଁ ବୋଲେ କରିବା ହୋ କିସ ।
ଏଡ଼େ ସମ୍ପଦ ଅଖଡ଼େ ଏବେ ନାଶଗଲା
କର୍ମ ଅବଳକୁ ଆସି ଏ କଥା ଘଟିଲା ।
ମହା ମହାବୀରମାନେ ଥିଲେ ମୋର ରହି
ସାମାନ୍ୟ ଶିଶୁ ହାତରେ ପ୍ରାଣ ଦେଲେ ସେହି ।
ସ୍ୱର୍ଗମଞ୍ଚ ପାତାଳ ମୁଁ କ୍ଷଣେ ପାରେ ସାଧି
ଗୋପପୁର ଭାଙ୍ଗିବାକୁ ନ ଖଟଇ ବୁଦ୍ଧି ।
ମୁହିଁ ଗୋପପୁରକୁ ତ ନ ପାରଇ ଯାଇ
ଆପଣାର କାର୍ଯ୍ୟ କାହିଁ ପରହାତେ ହୋଇ ।
କାହ୍ନୁ ସଂକର୍ଷଣେ ଯେହୁ ଦ୍ୟନ୍ତା ଆଣିଧରି
ଏ ପୁରେ କରନ୍ତି ମୁହିଁ ତାଙ୍କୁ ଅଧିକାରୀ ।
ପିତା ମୋର ଉଗ୍ରସେନ ମାତା ଇନ୍ଦୁମତୀ
ଦିକ୍ପାଳ ଚୂଡ଼ାମଣି ମୁଁ ଭବେ ଚକ୍ରବର୍ତ୍ତୀ ।
କେଉଁ ପାତକରୁ ମୋତେ ଗୋପାଳେ ଗଞ୍ଜିଲେ
ସେ କଥାଗୋଟା ମୁଁ ଜାଣି ନ ପାରଇ ଭଲେ ।
ନଗ୍ରେ ଛନ୍ତି ମୋର ଚୌରାଅଶୀ କୋଟିବୀର
ରଥୀ ମହାରଥୀ ଏକେ ଏକେ ଧନୁର୍ଦ୍ଧର ।
ଏମାନେ ଥାନ୍ତେ ବିପଦ ପଡ଼ୁଅଛି ମୋତେ
ଏଥିରୁ ଅଧିକ ଅବା ଅର୍ଜିବଇଁ କେତେ ।
ଏସନକ ବ୍ୟାକୁଳ ସେ ହ୍ୱନ୍ତି ନୃପମଣି
କରଯୋଡ଼ି କେଶୀ ଦୈତ୍ୟ ପହିଜରେ ଭଣି ।
ହୃଦୟରୁ ଚିନ୍ତା ଏବେ ଛାଡ଼ ଦେବରାୟେ
ମୁହିଁ ଥାଆନ୍ତେ ତୁମ୍ଭର କାହାକୁ ବା ଭୟେ ।
ନାନାରଙ୍ଗେ ସମର ମୁଁ ଜାଣେ ବହୁମାୟା
ଜଳେ ବୁଡ଼ି ନମରେ ମୁଁ ନପୋଡ଼େ ମୋକାୟା ।
ଦେବାସୁର ହେଲେ ମଧ୍ୟ ସାଧ୍ୟ କରିପାରି
ଛାର ଗଉଡ଼କୁ ମୁହିଁ ମଣେ ତୃଣ ପରି ।
ଆଜଯାଏ ଗୋପପୁରେ ନ ପେଷିଲ ମୋତେ
ରାମ କୃଷ୍ଣ ଆଣିଦ୍ୟନ୍ତି ଯାଇଣ କିଞ୍ଚିତେ ।
ବୃଦ୍ଧି ହରାଉଛି ରାଜା କାଳ ଅବଶେଷେ
ଆଜ୍ଞାଧାରୀ ହୋଇ ଦାସ ରହିଅଛି ପାଶେ ।
ଯାଅ ବୋଲି ଆଜ୍ଞା ମୋତେ ନ ଦିଅ କିଞ୍ଚିତେ
ଜାଣୁ ଜାଣୁ ସଖାମାନେ ମଲେ ଗୌଡ଼ହାତେ ।
ସଂଗ୍ରାମର ଭେଦମୁଦ୍ରା ନ ଜାଣନ୍ତି କେହି
ବୁଦ୍ଧିବଳ ହରାଇଣ ନାଶ ହେଲେ ସେହି ।
ଗତ କଥାରେ ଶୋଚନା କରିଲେ କି ହେବ
ଅନୁଗ୍ରହେ ଆଜ୍ଞା ମୋତେ ଦିଅନ୍ତୁ ଭୋଦେବ ।
ଝିଣ୍ଟିକା ପରାୟେ ରାମ କୃଷ୍ଣେ ଦେବି ଆଣି
ନିଶ୍ଚିନ୍ତରେ ଥାଅ ଏବେ ଭୋଜ ନୃପମଣି ।
ଅବଶ୍ୟ ତୁମ୍ଭର କାର୍ଯ୍ୟ କରିବ ସାଧନ
ଅନ୍ୟଥା ନୁହଇ କେଭେ କେଶୀର ବଚନ ।
ସେ ଗୋପ ନଗରଯାକ ଦେବି ଭସ୍ମକରି
ଭେଡ଼ିଙ୍କ ବେକ ମୋଡ଼ିବି ଗୋଟି ଗୋଟି କରି ।
କେଶୀର ଟାଣ ବଚନ ଶୁଣି ଦୈତ୍ୟରାଣ
ପୁଲକିତ ରୋମାବଳି ଆନନ୍ଦିତ ମନ ।
ତତକ୍ଷଣେ ସିଂହାସନୁ ପଡ଼ିଲାକ ଡେଇଁ
ଅନେକ ଚାଟୁ କହଇ କେଶୀକି କୁଣ୍ଢାଇ ।
ଶାଢ଼ୀ ନେଇ ମସ୍ତକରେ ବାନ୍ଧେ ନିଜ କରେ
କର୍ପୂର ଚନ୍ଦନ ପାନ ଦେଲା ସମାଦରେ ।
ହାତ ଧରି ବିନୟରେ ବୋଲେ ଦଣ୍ଡଧାରୀ
ଏ ଶୋକ ସାଗରୁ ମୋତେ କର ବାରେ ପାରି ।
ଆଉ ଅଧିକ ବିଷୟ କି କହିବି ତୋତେ
ଆଶାକରି ବସିଥିବି ଚାତକର ମତେ ।
ଶତ୍ରୁ ମାରି ମାନ ରଖ ଆରେ ବୀରମଣି
ତୋ ବାହାକୁ ଆଶ୍ରା ଏବେ କରିଲଇଁ ପୁଣି ।
ରାଜା ଆଶ୍ୱାସନା ବାକ୍ୟ ଶୁଣି କେଶୀବୀର
ନମସ୍କାର କରି ପାଶୁଁ ଗଲା ତତପର ।
ଏକମୁଖା ହୋଇକରି ଚଳେ ଗୋପପଥେ
ନୀଳବର୍ଣ୍ଣ ମଞ୍ଜରୀକି ଦେଖଇ ଅଦ୍ଭୂତେ ।
ବାମ ନାସା ସ୍ଫୁରେ ଡିଏଁ ପୁଣି ବାମ ଆଖି
ଆକାଶ ପଥରେ ଉଡ଼ା ଦିଏ ଗୃଧ୍ରପକ୍ଷୀ ।
ଶୁକମୁନି ବୋଇଲେକ ପୀରୀକ୍ଷ ଆଗର
ଏ ଶକୁନ ଦେଖି କେଶୀ ହୋଇଲା ବାହାର ।
ଅସୁର କାମରୂପୀ ସେ ଜାଣେ ବାହୁମାୟା
ଉଲୁକ ମନ୍ତ୍ର ସୁମରି ଗୁପ୍ତ କଲା କାୟା ।
ମତି ଉଦ୍ବେଗରେ ବୀର ଚଳିଲା ବହନ
ଗୋମତ ଗିରିର ତଳେ ମିଳିଲା ଯାଇଣ ।
ଅପଟାନ୍ତର ଭୂମି ଯେ କାଳିନ୍ଦୀର କୂଳ
ବିଚିତ୍ର କୁଞ୍ଜବନେ ଯେ ଦିଶେ ପରିମଳ ।
ବାରମାସରେ ବସନ୍ତ ବହେ ଘନ ଘନ
ମନ୍ଦେ ମନ୍ଦେ ବହେ ତହିଁ ଦକ୍ଷିଣା ପବନ ।
ଦେଖିଣ ସେ ସ୍ଥାନ କେଶୀ ଆନନ୍ଦିତ ହୋଇ
ବହୁତ ପ୍ରଶଂସା କରି ରହିଲାକ ତହିଁ ।
ରାମକୃଷ୍ଣ ଆସିବାକୁ ପଥ ଅନୁସରି
ଲତା ଅଭ୍ୟନ୍ତରେ ରହେ କାୟା ଗୋପ୍ୟ କରି ।
ପରିଘାଇ ଆସିଅଛି କଂସ ରାଜା ଛଳେ
ରାମ କୃଷ୍ଣ ଧରିନେବ ତା ଭୁଜ ଯୁଗଳେ ।
ଏଥୁ ଅନନ୍ତରେ ତହୁଁ କେତେଦିନ ପରେ
ରାମକୃଷ୍ଣ ଗୋପବାଳ ଘେନି ସଙ୍ଗତରେ ।
ବସ୍ତ୍ରାଙ୍କୁ ଅଡ଼ାଇ ସର୍ବେ ପଶିଲେ କାନନେ
ବନ ପର୍ବତେ ଚରନ୍ତି ଗାଈ ବତ୍ସାମାନେ ।
ରଙ୍ଗ ଶୁକ୍ଳ କୃଷ୍ଣ ବତ୍ସା ଅଣ୍ଡିରା ଯେ ମାଈ
କହରା କଷରା କେହୁ ପାଟଳିଆ ହୋଇ ।
ଆନନ୍ଦରେ ଘାସମାନ ଚରନ୍ତି ବନରେ
ରାମକୃଷ୍ଣ ଜଗିଛନ୍ତି ତାଙ୍କୁ ଆକଟରେ ।
କାଳିନ୍ଦୀର ପାଖେ ଅଛି ଗିରି ଚିତ୍ରକୂଟ
ଗୋଧିକା ଘାଟକୁ ସେହି ଅଟଇ ନିକଟ ।
ଗୋମତ ଚିତ୍ରକୂଟର ଦୁହିଙ୍କର ମଧ୍ୟେ
ଗୋଷ୍ଠୀ କରୁଥିଲେ ତହିଁ ପୂର୍ବେ ଦେବବୃନ୍ଦେ ।
ଯମୁନା କୂଳକୁ ଏକ କ୍ରୋଶ ଛଡ଼ା ସେହି
ତା ପାଞ୍ଚକୋଶେ ଭାଣ୍ଡୀର ବନ ଯେ ଅଟଇ ।
ସେ ବନ ମଧ୍ୟେ ପଶିଲେ ସର୍ବେ ଯାଇକରି
ଗୋପାଳପୁଏ ଗୋବତ୍ସା ଅଛନ୍ତି ଆବୋରି ।
କେଶୀ ସେହି ବନେ ଅଛି ଗୁପ୍ତଭାବେ ରହି
ରାମ କୃଷ୍ଣ ଦୁହିଙ୍କି ସେ ଅଛି ବାଟ ଚାହିଁ ।
ଅସୁର କାମରୂପୀ ଯେ ନାନ ରୂପ ଧରି
ବିଚାରେ ଏଠାକୁ କେବେ ଆସିବ ଶ୍ରୀହରି ।
ଯୋଗେ ଭେଟିଲେ ମୁଁ କାର୍ଯ୍ୟସାଧିବି ଏଠାର
ପ୍ରତିଜ୍ଞା କରି ଅଛଇ ନୃପତି ଛାମୁର ।
ପର୍ବତ ଉପରେ ଉଠି ଦୈତ୍ୟ ଚାହୁଁଥିଲା
ମୁଖରଡ଼ି ଖଣ୍ଡେ ଦୂରୁ ତାହାକୁ ଶୁଭିଲା ।
ବିଚାରଇ ରାମକୃଷ୍ଣ ଏବେ ଅଇଲେ କି
ପର୍ବତ ଉପରେ ଥାଇ ଅସୁର ନିରୀକ୍ଷି ।
ଗିରି ଉପରକୁ ବତ୍ସାମାନେ ଗଲେ ଚରି
ଥୋକେ ଗୋପପୁଅ ଘେନି ତଳେ ରହି ହରି ।
ଥୋକେ ପୁଅ ଲାଗିଲା ଯେ ଖେଳ କୁତୂହଳେ
ବୃକ୍ଷରେ ଚଢ଼ିଲେ ଯାଇ ତହୁଁ କେତେବାଳେ ।
ଫଳ ଫୁଲ ଆନନ୍ଦରେ ତୋଳନ୍ତି କେତେକ
ଯମୁନା ଜଳରେ ପଶେ ହୋଇ କେ ଉତ୍ସୁକ ।
କେହୁ ବା ନାଚନ୍ତି କେହୁ ଗାଉଥାନ୍ତି ଗୀତ
କେ ବୋଲେ ସଙ୍ଗାତ କେହୁ ବୋଲେ ଆସ ମିତ ।
କେ ବୋଲଇ ଭାଇ କେହୁ ବୋଲୁଅଛି ନନା
କେହୁବୋଲେ ଗୋପୀନାଥ କେବୋଲଇ କହ୍ନା ।
କେ ବୋଲେ ହରି ତୋହର ଏଡ଼େକ ଦିମାକ
ମନେ ଗର୍ବ ବହି ଶୁଣୁନାହୁଁ ମୋର ଡାକ ।
ଭାଣ୍ଡୀର ବନ ମଧ୍ୟରେ ଏସନକ ପ୍ରାୟେ
ଯେ ଯାହା ଅନୁରୂପରେ ଖେଳନ୍ତି ଯେ ପୋଏ ।
ବୃକ୍ଷ ଉପରକୁ ପୁଣି ଚଢ଼ିଲେ ଶ୍ରୀହରି
ଆଉ ଗୋପାଳ ପୋଏ ଯେ ଖେଳନ୍ତି ଯେଝାରି ।
ଶୁକମୁନି ବୋଇଲେକ ଶୁଣ ତୁହୋ ରାୟେ
ହରିବଂଶ ଶୁଣିକରି ପାପ କର କ୍ଷୟେ ।
ଶ୍ରୀକୃଷ୍ଣଙ୍କ ବାଳଲୀଳା ପବିତ୍ର କାହାଣୀ
ଯମଦଣ୍ଡ ନ ବାଧିବ ଯା ଶୁଣିଲେ ପ୍ରାଣୀ ।
ପର୍ବତ ଉପରେ ରହିଥିଲା ବୀର କେଶୀ
କଦମ୍ୱାସୁର ଏକାଳେ ତା ପାଶେ ପ୍ରବେଶି ।
ଖଣ୍ଡ ଦୂରରୁ କେଶୀକି ନମସ୍କାର କଲା
ଉଚ୍ଚସ୍ୱରେ କାନ୍ଦି କେଶୀ ଆଗରେ କହିଲା ।
ବୋଲେ ମଧୁକୈଟଭର ଅଟେ ପଣନାତି
ବୈଲୋଚନୀ ମୋର ମାତା ଜାଣ ମହାମତି ।
ଗୋମତ ପର୍ବତ ମୋର ପିତାମହ ଭୂଇଁ
ରାମ କୃଷ୍ଣ ଭୟେ ଏଥେ ରହି ନ ପାରଇ ।
ମୁଁ ତୋତେ ବିନୟ କରି କହୁଛି ଏତିକି
କିପରି ଶତ୍ରୁ ମୋହର ହୋଇବେ ନିପାତି ।
ସ୍ଥାନଭ୍ରଷ୍ଟ ହୋଇଣ ମୁଁ ବୁଲୁଅଛି ଏକା
ଇଷ୍ଟବନ୍ଧୁ ସୋଦର ମୋ କେହି ନାହିଁ ସଖା ।
ମଧ୍ୟଭୁବନ କଟକେ ତୁମ୍ଭେ ଅଧୀକାରୀ
ବଳବନ୍ତପଣେ ପୁଣି କେହି ନୋହେ ସରି ।
ତୁମ୍ଭର ଚରଣେ ମୁହିଁ କରୁଅଛି ସେବା
ପିତା ଭୂମି ଲାଗି ରାମ କୃଷ୍ଣଙ୍କୁ ମାରିବା ।
କଦମ୍ୱାର ବାଣୀ ଶୁଣି କେଶୀ ଅଳ୍ପହସି
ବୋଇଲା ମୁହିଁ ତ ସେଥିପାଇଁ ଅଛି ଆସି ।
ରାଜାଙ୍କ ଆଗେ ଆସିଛି ପ୍ରତିଜ୍ଞା ମୁଁ କରି
ତେଣୁ ଏତ୍ରିଛକ ପଥ ବସିଛି ଆବୋରି ।
ଏ ରୂପେ ଆଜ୍ଞା ଦେଇଛି କଂସ ଦଣ୍ଡଧାରୀ
ଜୀବନ୍ତା ରାମକୃଷ୍ଣଙ୍କୁ ନେବି ମୁହିଁ ଧରି ।
ଅନେକ କାଳରୁ ତେଣୁ ଏଥେଁ ଅଛି ବସି
କିପରି ଭେଟ ପଡ଼ିବେ ସେ ଗଉଡ଼ ଶିଷି ।
ସନ୍ଧାନ ନ ପାଇ ବହୁଦିନ ଗଲା ଗଢ଼ି
ଆଜ ତ କାହିଁକି ଯିବ ଅଛି ଭେଟ ପଡ଼ି ।
କଂସ ନୃପତିର ପୁଣ୍ୟ ଆଜ ବିକାଶିଲା
ଏହା କହି କେଶୀଦୈତ୍ୟ ନିଶେ ହାତ ଦେଲା ।
କଦମ୍ୱା ବୋଲେ ମୁଁ ଆନ ନ ଲୋଡ଼ଇ କାହା
କେବଳ ମାତ୍ରକ ମୋତେ ହୋଇଥିବ ସାହା ।
ତୁମ୍ଭ ବଳବନ୍ତ ପଣ ଅଛି ମୋତେ ଜଣା
ଯମ ଦେବତାର କରିପାର ବୁଦ୍ଧିବଣା ।
ଛାର ଗଉଡ଼ ଟୋକାଏ କେତେକ ମାତର
ମନ କଲେ ମେରୁ ଗିରି କରିପାର ଚୂର ।
ଦୁଇଜଣ ହେଲେ ପୁଣି ମାଲ ମଧ୍ୟ ହାରି
କେଶୀବୋଲେ ଜଣେ ତୁ ପାରିବୁ ଆବୋରି ।
ସେହୁ ବୋଲେ ଜଣେ ତେବେ ରହିଲା ମୋ ଭାଗେ
ଯାହାକୁ ଇଚ୍ଛା ତୁମ୍ଭର ଦିଅ ମୋତେ ବେଗେ ।
ଶୁଣିଣ ସନ୍ତୋଷ ତହୁଁ ହେଲା ବୀର କେଶୀ
ବୋଲେ ବଳରାମ ତୁଲେ ତୋର କସାକସି ।
ବଡ଼ଇ ମାୟାଧର ଯେ ଅଟଇ ଶ୍ରୀହରି
ମାୟାବଳେ ତାକୁ ମୁହିଁ ସାଧ୍ୟ କରିପାରି ।
କାଦମ୍ୱରୀ ପାନେ ରାମ ଅଛି ମତ୍ତ ହୋଇ
କଦମ୍ୱତରୁ ତଳରେ ସୁଖେ ଅଛି ଶୋଇ ।
ଏପରିବେଳେ କେବେ କି ତାକୁ ପାରୁ ମାରି
କଂସ ରାଜ୍ୟେ କରିବଇଁ ତୋତେ ଅଧିକାରୀ ।
ତୋ ନିଜ ଭୁଜବଳେ ତୁ ଶତ୍ରୁକର ସାଧ୍ୟ
କେତେ ବଳ ବା ତାଙ୍କର ଏକେତ ନିର୍ବୋଧ ।
କଳ କଉଶଳେ ଯେବେ କରିବା ବିନାଶ
କଂସ ରାଜା ଶୁଣି ନିଶ୍ଚେଁ କରିବ ପୌରୁଷ ।
ଏଥିରୁ ଭଲ ସମୟେ ପାଇବା ତ କାହିଁ
ମାରି ନ ପାରିଲେ ଭାଇ ଆବୋରିଥା ରହି ।
ନିଶ୍ଚୟ ମୁହିଁ ଶତ୍ରୁଙ୍କୁ କରିଣ ବିନାଶ
ପୁନରପି ପାଇବୁ ତୁ ତୋର ନିଜ ବାସ ।
ଏତେ କହି କଦମ୍ୱାକୁ ରାମଠାକୁ ପେଷି
ଅଶ୍ୱରୂପେ କୃଷ୍ଣପରେ ମାଡ଼ିବସେ କେଶୀ ।
ବିକଟାଳ ହୋଇ ରୂପ ଦିଶେ ଭୟଙ୍କର
ଆକାଶ ମଣ୍ଡଳେ ଯାଇ ଲାଗିଅଛି ଶିର ।
ଭୂମିରେ ଚାରି ଚରଣ ଅତ୍ୟନ୍ତ ବିଶାଳ
ପ୍ରଚଣ୍ଡ ଆଦିତ୍ୟ ପ୍ରାୟ ଚକ୍ଷୁ ଅନ୍ତରାଳ ।
ମେରୁ ସମାନରେ ବିରାଜଇ ରୋମାବଳି
ପ୍ରଚଣ୍ଡ ନିଃଶ୍ୱାସ ଛାଡ଼େ ଦୀର୍ଘେ ମହାବଳୀ ।
ଦେଖିକରି ଦେବତାଏ ମହାଭୟ କଲେ
ଅମରପୁର ତେଜିଣ ମେରୁରେ ଲୁଚିଲେ ।
କୃଷ୍ଣ ଉପରକୁ ମାଡ଼ି ପଡ଼େ ରଣ ରଙ୍କା
ବସୁଧା ମାତା ଦେଖିଣ ପାଏ ମନେ ଶଙ୍କା ।
ଏସନକ ବିଶ୍ୱରୂପ ଗୋପ ପୋଏ ଦେଖି
ଯେ ଯାହାର ପଳାଇଲେ କୃଷ୍ଣଙ୍କୁ ଉପେକ୍ଷି ।
ଘୋର ରାବ କରି ଦୈତ୍ୟ ଧାଏଁ ଅତି ରାଗେ
ଆଗେ ଯେ ପଡ଼ଇ ତାକୁ କ୍ଷେପିଦିଏ ଗର୍ଭେ ।
ଘୋର ଗର୍ଜନ ଘାତରେ କମ୍ପେ ତ୍ରିଭୁବନ
ପୃଥିବୀକି ଗିଳିଦେବ କିବା ଦୈତ୍ୟ ରାଣ ।
ରଟମଟ ଦନ୍ତ କରି କଟମଟ ଆଖି
ଉସତ ମନରେ ଧାଏଁ କୃଷ୍ଣଙ୍କୁ ସେ ଦେଖି ।
ପିମ୍ପୁଡ଼ି ଉପରେ ଯେହ୍ନେ ଗିରି ପଡ଼େ ମାଡ଼ି
ସେହିରୂପେ କେଶୀ ଦୈତ୍ୟ କୃଷ୍ଣେ ଦିଏ ଧାଡ଼ି ।
କେଶୀର ବିଶ୍ୱମୂରତି ଦେଖି ଦେବରାୟେ
ବିଚାରନ୍ତି କେଉଁପରି ଦୈତ୍ୟ ଯିବ କ୍ଷୟେ ।
ନୃସିଂହ ସ୍ୱରୂପ ତହୁଁ ଧରି ନରହରି
କେଶୀର ତୁଣ୍ଡ ଭିତରେ ହସ୍ତ ନେଇ ଭରି ।
ପଞ୍ଚଦଶ ଯୁଣଯାଏ ବଢ଼ିଲାକ ଭୁଜ
ଭୟଙ୍କର ସ୍ୱରୂପକୁ ଧରି ଦେବରାଜ ।
ମୂଷଳ ପଶିଲା କିବା ଦଇତ୍ୟ ଗର୍ଭରେ
ତେମନ୍ତ ମଣି ରଡ଼ିଏ ଦେଲା ଉଚ୍ଚସ୍ୱରେ ।
ରୁଧିର ଉଦ୍ଗାରି ବୀର ପଡ଼ିଲାକ ଢଳି
ଶତେ ଭେଡ଼ା ପାତାଳେ ଯେ ପଶେ ମହୀସ୍ଥଳୀ ।
ପ୍ରାଣ ଯାଆନ୍ତେ ଅସୁର ଛାଡ଼େ ଘୋର ରଡ଼ି
ମେରୁ ମନ୍ଦର ଗିରି କି ପଡ଼ିବ ଉପୁଡ଼ି ।
ଦେଖି ପୋଏ ପଳାନ୍ତି ଯେ ମହାଭୟ ପାଇ
କେ ଗିରି ବାହାରେ ଲୁଚେ କେ ବନରେ ଯାଇ ।
ଏରୂପେ କେଶୀକି ପ୍ରଭୁ କରନ୍ତେ ସଂହାର
ଆନନ୍ଦରେ ପୁଷ୍ପବୃଷ୍ଟି କରିଲେ ଅମର ।
ଶୁକମୁନି ବୋଇଲେକ ଶୁଣ ନୃପସାଇଁ
ନିଶ୍ଚେଷ୍ଟେ କଦମ୍ବ ତଳେ ରାମ ଥିଲେ ଶୋଇ ।
କଦମ୍ୱା ଧାଇଁଲା ବଳଦେବ ସନ୍ନିଧ୍ୟାନେ
ଦେଖିଣ ଶଙ୍କା କରିଲେ ବୁବୁଧାଦିମାନେ ।
ମୁକୁଳିତ କେଶ ରଟମଟ ଦନ୍ତପନ୍ତି
ନିର୍ଧୂମ ଅନଳ ପ୍ରାୟେ ବିରାଜଇ ଜ୍ୟୋତି ।
ଲହ ଲହ ଜିହ୍ୱା କରି ଧାଏଁ ଅନ୍ତରାଳେ
ଚରଣ ଭୂମିରେ ମୁଣ୍ଡ ଆକାଶ ମଣ୍ଡଳେ ।
ପ୍ରଳୟ କାଳ ପରାୟେ ଦୀର୍ଘରଡ଼ି ଦେଇ
ମହାକୋପେ ରାମ ଉପଲକ୍ଷିଣ ଧାମଇଁ ।
ହସ୍ତେ ଗଦା ଏକ ଘେନି ଦୈତ୍ୟ ମହାବଳୀ
ରାମଙ୍କ ଉପରେ ପିଟେ କ୍ରୋଧେ ପରଜ୍ୱଳି ।
ଅଚେତନେ ଶୋଇଥିଲେ ପ୍ରଭୁ ହଳଧାରୀ
ଗଦା ବାଜିବାରୁ ନିଦ୍ରା ଭାଙ୍ଗିଲା ତାଙ୍କରି ।
ପଚାରନ୍ତି ବେନିଚକ୍ଷୁ ମଳି ଉଠି ବସି
କିଏ ରେ ଗଦା ପ୍ରହାର କରୁ ମୋତେ ଆସି ।
ତକ୍ଷଣେ ବସନ ପ୍ରଭୁ ଭିଡ଼ି ମାଲବନ୍ଧେ
ଧୂଳିକରେ ଘଷି ଉଭା ହୋଇଲେ ଆନନ୍ଦେ ।
ରେରେକାର କରି ଉଚ୍ଚେ ବେନିବାହା ମୋଡ଼ି
ନୟନ ତରାଟି ଦନ୍ତମାନଙ୍କୁ ରଗଡ଼ି ।
ଧାଇଁଣ କଦମ୍ଵାସୁରେ ଧଇଲେକ ଯାଇ
ବିରାଡ଼ି ମୂଷାକୁ ପାଇ ଯେରୂପେ ହୁଅଇ ।
ଯେହ୍ନେ ଭୁଜେ ଭୁଜ ଭିଡ଼ି ମୁଣ୍ଡେ ମୁଣ୍ଡ କୋଡ଼ି
ପାଦରେ ପାଦକୁ ଛନ୍ଦି ବୁକେ ବୁକୁ ଭିଡ଼ି ।
ପଡ଼ି ଉଠି ଭୂତଳରେ ଦ୍ୟନ୍ତି ଲଟକାଳି
ଏରୂପେ କଦମ୍ୱା ସଙ୍ଗେ ଯୁଝନ୍ତି ଯେ ହଳୀ ।
କେ ତଳେ ପଡ଼ଇ କେହୁ ବସଇ ଉପରେ
ମହାକ୍ରୋଧେ ବଜ୍ରମୁଷ୍ଟି ମାରେ କେ ଛାତିରେ ।
ଦୁହେଁ ତ ମହାବଳିଷ୍ଠ ନୁହନ୍ତି କେ ଊଣା
ଦେଖିକରି ଦେବତାଙ୍କ ବୁଦ୍ଧି ହେଲା ବଣା ।
ପାଦଭରେ କମ୍ପମାନ ହୁଏ ମହୀସ୍ଥଳୀ
ବେନି ଷଣ୍ଢ ମାଲବନ୍ଧେ କରନ୍ତି କି କଳି ।
ବେଳୁବେଳ ସମର ଯେ ହେଲା ଗୁରୁଟାଣ
ଖାଲ ଉଚ୍ଚ ଭୂମିସବୁ ହୋଇଲା ସମାନ ।
ବଡ଼ସିରେ ଲାଗି ମୀନ ଯେସନେ ଖେଳଇ
ତେସନେ ରାମଙ୍କ ସଙ୍ଗେ କଦମ୍ୱା ଲଢ଼ଇ ।
ଏହିପରି ଘଡ଼ିଏକ ଲାଗିଲା ସମର
ଘାଏ କାମପାଳ ସ୍ୱାମୀ ହୋଇ କୋପଭର ।
ଅବହେଳେ ଅସୁରକୁ ତଳରେ କଚାଡ଼ି
ବିଜ୍ରମସିଂହ ପରାୟେ ବସିଲେକ ମାଡ଼ି ।
ବକର ଉପରେ ଯେହ୍ନେ ବସଇ ଶ୍ୟାମଳ
ବାମ ଆଣ୍ଠୁରେ ମାଡ଼ିଲେ ଦୈତ୍ୟ ବକ୍ଷସ୍ଥଳ ।
ଆକ୍ରୋଶି ଉପାଡ଼ିଦେଲେ ତାର ଭୁଜଦଣ୍ଡ
ମୋଡ଼ି ପକାଇଲେ ତହୁଁ କଦମ୍ୱାର ମୁଣ୍ଡ ।
ଦୀର୍ଘରଡ଼ି ଦେଇ ଦୈତ୍ୟ ଛାଡ଼ିଲା ଜୀବନ
ବଳରାମ କରେ ମରି ପାଇଲା କାରଣ ।
ସର୍ବ ଦେବମାନେ ଥିଲେ ଅଧାସ୍ୱର୍ଗେ ରହି
ଅଦ୍ଭୁତେ ବେନି ପୁରୁଷ ବିମାନ ଆରୋହି ।
ସ୍ୱର୍ଗେ ପ୍ରବେଶ ହୋଇଲେ ଅତି ଉତ୍ସାହରେ
ପୂଜା ପାଇଲେକ ବସି ଦେବଙ୍କ ପାଶରେ ।
ଏହିରୂପେ ବୈନିଦୈତ୍ୟ ହୁଅନ୍ତେ ବିନାଶ
ଗୋଟି ଗୋଟି ମିଳିଲେକ ଆସି ଗୋପଶିଷ୍ୟ ।
ଦେଖିଲେ ପର୍ବତ ପ୍ରାୟେ ପଡ଼ିଛନ୍ତି ଦୈତ୍ୟ
ଭୟପାଇ ରାମ କୃଷ୍ଣେ ପୁଚ୍ଛନ୍ତି ଏମନ୍ତ ।
ଆଉ ଏ ବନକୁ ଆମ୍ଭେ ଆସିବା ତ ନାହିଁ
ଅସୁରଙ୍କ ଉପଦ୍ରବେ କେ ପାରିବ ରହି ।
କେ ବୋଲଇ ଦୈତ୍ୟମୋତେ ଆଜି ଖାଇଥାନ୍ତା
କେ ବୋଲଇ ଆମ୍ଭ ପ୍ରାଣ ରଖିଲା ବିଧାତା ।
କେ ବୋଲଇ କଂସାସୁର କରିଅଛି ରୋଷ
ରାମକୃଷ୍ଣ ଲାଗି ଆମ୍ଭେ ହୋଇବା ବିନାଶ ।
ପିଲାକାଳୁଁ ଏ ଦୁହେଁ ତ ହେଲେ ମହାଦୁଷ୍ଟ
ନନ୍ଦରାଜା ଏହାଙ୍କୁ ତ ନ କଲା ଆକଟ ।
ଚାଲ ଆଜି ଏହି କଥା କହିବା ନନ୍ଦଙ୍କୁ
ସମ୍ଭାଳି ରଖନ୍ତୁ ଘରେ ଏ ଦୁଇ ପୁଅଙ୍କୁ ।
ୟାଙ୍କ ଯୋଗେ ଆମ୍ଭେ କିପାଁ ଯିବା ଦୈତ୍ୟମୁଖେ
ଏହିରୂପେ କଥାବାର୍ତ୍ତା ହ୍ୱନ୍ତି ଏକେ ଏକେ ।
ଶୁଣି ରାମକୃଷ୍ଣ ତାହା ଅଳ୍ପେ ଅଳ୍ପେ ହସି
ପ୍ରବୋଧ ବଚନେ ଗୋପଶିଶୁଙ୍କୁ ଆଶ୍ୱାସି ।
ବତ୍ସାନ୍ତ ବନରୁ ଖୋଜି ଆଣିଲେ ଅଡ଼ାଇ
ପାଣି ପେଇ ଯେ ଯାହାର ପୁରେ ଲେଉଟାଇ ।
ଆନନ୍ଦରେ ଗୋପପୁରେ ହୋଇଲେ ପ୍ରବେଶ
ଏଥୁ ଅନନ୍ତରେ ରାଜା ଶୁଣ ଆନରସ ।
ଯେତେବେଳେ ଦୈତ୍ୟଦୁଇ ବିନାଶ ହୋଇଲେ
କଂସର ଡଗରା ତାହା ଲୁଚି ଦେଖୁଥିଲେ ।
ଦୁଃଖିତ ମନରେ ତହୁଁ ଗଲେ ସେ ଲେଉଟି
ଯାଇ କଂସ ନୃପତିକୁ ଆସ୍ଥାନରେ ଭେଟି ।
ପାତ୍ର ମନ୍ତ୍ରୀ ଘେନି ରାଜା ବସିଛି ସଭାରେ
ମଣିମା ମଣିମା ଡାକ ଶୁଭେ ନିରନ୍ତରେ ।
ବୀର ମହାବୀରମାନେ ଆୟୁଧକୁ ଧରି
ବସିଛନ୍ତି ପଟୁଆରେ ସର୍ବେ ବେଢ଼ିକରି ।
ଗହ ଗହ ଶବଦରେ ପୂରିଅଛି ସଭା
ତାହାକୁ କି ପଟାନ୍ତର ଆନ ସଙ୍ଗେ ଦେବା ।
ଚଉଦ ଭୁବନ ରାଜା ଯେଉଁ କଂସାସୁର
ଯାହାର ନାମ ଶୁଣିଲେ କମ୍ପେ ବଜ୍ରଧର ।
ତା ସଭା ମହିମା ମୁଖେ ବର୍ଣ୍ଣି କେବା ପାରେ
ଡଗରା ମିଳିଲେ ଯାଇ ଏମନ୍ତ ବେଳରେ ।
ଶିରେ କରଯୋଡ଼ି ଖଣ୍ଡଦୂରେ ଉଭା ହୋଇ
ବୋଇଲା ଶୁଣିମା ହେଉ ଭୋଜ ନରସାଇଁ ।
ଗୋରପୁରର ବାରତା ଅତି ଶୋଚନୀୟ
ଆପଣଙ୍କ ପାଶୁଁ କେଶୀ ହୋଇଲା ବିଦାୟ ।
ଉଲୁକ ମନ୍ତ୍ରରେ ନିଜ କାୟା ଗୋପ୍ୟକରି
ଗୁପତେ ରହିଲା ଯାଇ ସେ ଗୋମତ କରି ।
ରାମକୃଷ୍ଣେ ମନେ ମନେ ଲୋଡ଼ୁଥାଏ ନିତ୍ୟ
ଏକାଳେ ମିଳିଲା ଆସି କଦମ୍ୱା ଦଇତ୍ୟ ।
ବୋଇଲା ସେ ରାମକୃଷ୍ଣ ମୋହର ବଇରି
ନିଶ୍ଚେଁ ତାଙ୍କୁ ବିନାଶିବା ଦୁହେଁ ମିଳିକରି ।
ଏମନ୍ତ କହିଣ ସେହୁ ରହିଲା ତା ପାଶେ
ସେ ମଧ୍ୟ କାୟାକୁ ଗୁପ୍ତ କଲା ମନ୍ତ୍ରବଶେ ।
କିଛିଦିନ ପରେ ରାମକୃଷ୍ଣ ବେନି ଭାଇ
କୁଞ୍ଜବନକୁ ଅଇଲେ ବାଛୁରୀ ଚରାଇ ।
ଗୋପାଳ ପୁଅଙ୍କୁ ଘେନି କାନନେ ବିହରି
କେଶୀ କଦମ୍ୱା ଧାଇଁଲେ ତାଙ୍କୁ ଦେଖିକରି ।
ରାମକୃଷ୍ଣ ସଙ୍ଗତରେ କରିଲେ ସମର
ଶେଷେ ଯମପୁରେ ଗଲେ ତେଡ଼େବଡ଼ ବୀର ।
କି କହିଲ କି କହିଲ ବୋଲି କଂସରାଣ
ଆସ୍ଥାନୁ ଢଳି ପଡ଼ିଲା ହୋଇ ଅଚେତନ ।
ମୂର୍ଚ୍ଛାଗତ ହୋଇ ତଳେ ପଡ଼େ ବୀରମଣି
ଉଗ୍ରସେନ ଧାଇଁଯାଇ କୋଳେ ଧରିଆଣି ।
ମୁଖରେ ନୀର ସିଞ୍ଚିଣ କରିଲେ ସଚେତ
ଘଡ଼ିକ ପରେ ଚେତନା ପାଇଲା ଦଇତ୍ୟ ।
କେଶି କେଶି ବୋଲି ଉଚ୍ଚେ ରୋଦନ କରଇ
ତୋହପରି ସଖା ମୁଁ ରେ ପାଇବଇଁ କାହିଁ ।
ସବୁ ବୀରମାନେ ମୋର ଦେଖୁ ଦେଖୁ ଗଲେ
କାହାକୁ ଘେନିଣ ରାଜ୍ୟ କରିବଇଁ ଭଲେ ।
ଗୋପାଳ କୁମରେ ମୋର ହୋଇଲେ କଣ୍ଟକ
ଏହା ସିନା ଭିଆଇଲେ ମିଳି ଦେବଲୋକ ।
ନୋହିଲେ କି ଶଶାହାତେ ସିଂହ ନାଶଯାନ୍ତି
ଯେଉଁ ଦଇତ୍ୟେ ମନୁଷ୍ୟମାନଙ୍କୁ ଖାଆନ୍ତି ।
ସେ ପୁଣ ରାକ୍ଷସବଳ କରନ୍ତି ସଂହାର
କା ଆଗେ କହିବି ଏହା କର୍ମଦୋଷ ମୋର ।
କାହାକୁ ଘେନିଣ ଏବେ କରିବଇଁ ସଭା
କେ ମୋତେ ସଦୁପଦେଶ ଦେବ ଆଉ ଅବା ।
ବଡ଼ଲୋକ ହାତେ ଯେବେ ପାଆନ୍ତି ପ୍ରାଭବ
ସେଥିକି ଶୋଚନା ମନେ ନୁହନ୍ତା ଯେ ଲବ ।
ଛେଳିଙ୍କ ହାତରେ ଏବେ ପ୍ରାଭବ ପାଇଲି
ଯାହାଙ୍କୁ କୋପେ ଚାହିଁଲା ମାତ୍ରେ ଯିବେ ଜଳି ।
ଗଉଡ଼ ବାଉଡ଼ ସେହୁ ହାଉଡ଼ିଆ ଜାତି
ବନରେ ବୁଲିଣ ସଦା ଗାଈ ରଖିଥାନ୍ତି ।
ଦୁଧ ଦହିବିକାଙ୍କର ଏଡ଼ିକି ସାହସ
ଦେଖୁ ଦେଖୁ ଅଷ୍ଟମଲ୍ଲ ମୋର କଲେ ନାଶ ।
କହିଲେ ଏ କଥା ମୋତେ ଲଜ୍ଜା ଉପୁଜଇ
ଏତେ ବୋଲି କପାଳରେ କର ମାରେ ନେଇ ।
ରାଜାର ବିମୁଖ ଦେଖି କହେ ଉଗ୍ରସେନ
କିପାଇଁ ବୃଥା ଭାବନା କରୁରେ ନନ୍ଦନ ।
ତୋର ସମ ବୀର ନାହିଁ ଚଉଦ ଭୁବନ
ନାମ ଶୁଣି ଭୟ ପାଏ ସହସ୍ର ନୟନ ।
ମନ କଲେ ପୃଥିବୀକୁ କ୍ଷଣେ ସାଧିପାରୁ
ଛାର ଗଉଡ଼ଙ୍କ ପାଇଁ ଏତେ ଚିନ୍ତା କରୁ ।
ବୀର ମହାବୀରମାନେ ରହିଛନ୍ତି ଏଥେ
ଯାହାକୁ ଆଜ୍ଞାଦେବୁ ସେ ଧରିଦେବେ ତୋତେ ।
ସମସ୍ତ ଯାଦବମାନେ କହନ୍ତି ଆଶ୍ୱାସି
ଇନ୍ଦୁମତୀ ରାଣୀ ମଧ୍ୟ ବୋଧଦିଏ ଆସି ।
ଉଗ୍ରସେନ ବୋଲେ ପୁତ୍ର ଶୁଣ ମୋର ବାଣୀ
ଗୋପପୁରକୁ ଯାଆନ୍ତୁ ଦୂତ ଏହିକ୍ଷଣି ।
ଅକ୍ରୁରକୁ ପଠାଇବା ଯାଉ ଲେଖା ଘେନି
ଧନୁଯାତ୍ରା ଉତ୍ସବେକ ଭିଆଇବା ପୁଣି ।
ସେ ଯାତ୍ରା ଦେଖିବାପାଇଁ ଆଣୁ ରାମହରି
ଆୟତ୍ତ ହେଲେ ମାରିବା ତାଙ୍କୁ ଘେରିକରି ।
ଏମନ୍ତ କହି କଂସକୁ କରାଇଲେ ତୋଷ
ଶୁଣିଣ ଆନନ୍ଦମନା ହୋଇଲା ରାକ୍ଷସ ।
ଆସ୍ଥାନ ମଉଳି ତହୁଁ ଅନ୍ତଃପୁରେ ଗଲା
ଏ ଅଟଇ ବିଷ୍ଣୁଙ୍କର ବାଲ୍ୟକାଳ ଲୀଳା ।
ପଦ ପଦକେ ଅମୃତ ଅଛି ଏଥେ ପୂରି
ପାନକରି ସଂସାରରୁ ତର ନରନାରୀ ।
ଆହେ ବିଜ୍ଞଜନେ ମୋର ନ ଧରିବ ଦୋଷ
ଦୀନ ଅଚ୍ୟୁତ ଶ୍ରୀହରି ପାଦତଳେ ଦାସ ।
ଏହା ଶୁଣି ପରୀକ୍ଷିତ ଶୁକଙ୍କୁ ପଚାରି
କହିଲ ବଡ଼ ରହସ୍ୟ କଥା ତପଚାରୀ ।
ଭୋ ମୁନି ସେ ଦୈତ୍ୟ ରାମ କୃଷ୍ଣ ହସ୍ତେ ମଲେ
ବିମାନ ଆରୋହି କିପାଁ ସ୍ୱର୍ଗପୁରେ ଗଲେ ।
କେଉଁ ଅଭିଶାପେ ଲଭିଥିଲେ ଦୈତ୍ୟଅଙ୍ଗ
ପୁନରପି କେଉଁ ଭାଗ୍ୟେ ପାଇଲେ ସେ ସ୍ୱର୍ଗ ।
ଏହା ସଂକ୍ଷେପିଣ ମୋତେ କହ ମହାଜ୍ଞାତା
ପାଇବଇଁ ମୋକ୍ଷଗତି ଶୁଣିଣ ସେ କଥା ।
ଅନେକ କାଳର କଥା ପୁରାତନ ବାଣୀ
ଯାହା ମୁନିଙ୍କ ବଦନୁ ଥିଲି ମୁହିଁ ଶୁଣି ।
ଶାନ୍ତିନାମେ ସତ୍ୟଯୁଗେ ପୁରନ୍ଦର ଇନ୍ଦ୍ର
ଶୌରି ନାମେ ସୂର୍ଯ୍ୟ ନିଶାକର ନାମେ ଚନ୍ଦ୍ର ।
ଶିବନାମେ ଶୁକ୍ର ବୁଧ ନାମ ବୃହସ୍ପତି
ଏସନକ ଦେବଗଣ ନାମକୁ ବହନ୍ତି ।
ଦକ୍ଷ ପ୍ରଜାପତିଙ୍କର ଅଶ୍ୱିନୀ କୁମାରୀ
ଚନ୍ଦ୍ରଦେବଙ୍କର ସେହୁ ଅଟେ ମନୋହାରୀ ।
ସତାଇଶ ଭାର୍ଯ୍ୟାପରେ ଶ୍ରେଷ୍ଠ ସେ ବୋଲାଇ
ଆଦ୍ୟ ନକ୍ଷତ୍ର ଅଶ୍ୱିନୀ ଜ୍ୟୋତିଃଶାସ୍ତ୍ର କହି ।
ଦକ୍ଷପ୍ରଜାପତିଙ୍କର ସହସ୍ରେ କୁମାରୀ
ସର୍ବେ ପିତାଘରେ ଥାନ୍ତି ଅବିହାରୀ ନାରୀ ।
ମେଳ ହୋଇ ଖେଳନ୍ତି ସେ ସର୍ବେ ପିତାଘରେ
ଇଚ୍ଛାସୁଖେ ବିହରନ୍ତି ଆନନ୍ଦ ମନରେ ।
ବ୍ରହ୍ମାଙ୍କ ନାତୁଣୀ ଦକ୍ଷପ୍ରଜାପତି ଜେମା
କୁମାରୀ ସୁଲକ୍ଷଣୀ ସେ ନାହିଁ ନା ଉପମା ।
ବେଭାରେ ତ ଅବିବାହୀ ତରୁଣ ବୟସୀ
ସମ୍ପୂର୍ଣ୍ଣ ଚନ୍ଦ୍ରମା ପ୍ରାୟ ମୁଖ ତାଙ୍କ ଦିଶି ।
ଖେଳନ୍ତି କନ୍ୟାଏ ପ୍ରତିଦିନ ଅବଲୀଳେ
ଦିନେଯାଇ ମିଳିଲେକ ସର୍ବେ ଗଙ୍ଗାକୂଳେ ।
ଧୂଳି ଧୂସର ହୋଇଣ ଖେଳନ୍ତି ସେ ଘାଟେ
ବସ୍ତ୍ର ଅଳଙ୍କାରମାନ ଥୋଇ ଗଙ୍ଗାତଟେ ।
କଣ୍ଢେଇ କୁଲେଇ ଘଟଘଟି ଖୋଳି ଚୁଲୀ
ପିନ୍ଧିଲା ବସ୍ତ୍ର ପାଲଟି ଥୋଇଦେଇ ବାଳୀ ।
ଚଉଁରୀ ଫରୁଆ ଆଦି ରଖିଦେଇ କୂଳେ
ଧରାଧରି ହୋଇ ସର୍ବେ ପଶିଲେକ ଜଳେ ।
ତିଳ ତଇଳ କୁଙ୍କୁମ ହୋଇ ଦେହେ ବୋଳି
ଉଲଗ୍ନ ହୋଇ ନଦୀରେ ପଶି ସବୁବାଳୀ ।
ପଡ଼ନ୍ତି ଉଠନ୍ତି ପାଣି ପକାନ୍ତି ଉପରେ
କେହୁ କାହା ହାତ ଧରି ପଶଇ ଭିତରେ ।
କେହୁ ବୁଡ଼ି ଜଳେ କାହା ଗୋଡ଼ ଉଛୁଡ଼ନ୍ତି
ଏହିପରି କନ୍ୟାମାନେ ଜଳରେ କ୍ରୀଡ଼ନ୍ତି ।
ଯୁକତରେ ରାଜଜେମା ଅଲ୍ୟଳ କୁମାରୀ
ଏକୁଁ ଏକ ଅଧିକାରେ ଅତ୍ୟନ୍ତ ସୁନ୍ଦରୀ ।
ବିଶୁଦ୍ଧ ସୁବର୍ଣ୍ଣ ପ୍ରାୟ ବିରାଜଇ ତନୁ
ଓଲଟ ରମ୍ଭା ସମାନ ବିରଜାଇ ଜାନୁ ।
ସମ୍ପୂର୍ଣ୍ଣ ଚନ୍ଦ୍ରମା ପ୍ରାୟ ଦିଶଇ ବଦନ
ମନ୍ଦହାସରେ ସେ ପୁଣି ହୋଇଅଛି ପୂର୍ଣ୍ଣ ।
କୋକିଳ ପରାୟ ତାଙ୍କ କହିବାର ବାଣୀ
ସଂକୀର୍ଣ୍ଣ ମଝା ଶଙ୍କର ଡମ୍ୱରକୁ ଜିଣି ।
ଭ୍ରୁଲତା କାମଧନୁ ଯେ ଦିବ୍ୟ ବିମ୍ୱାଧର
ଭୁଜଦଣ୍ଡ ହସ୍ତୀଥୋର ପରାୟେ ସୁନ୍ଦର ।
ଚମ୍ପାକଢ଼କୁ ଜିଣିଣ କରଇ ଅଙ୍ଗୁଳି
ଝଟଝଟ ନଖତେଜ ଯେସନେ ବିଜୁଳି ।
ସିନ୍ଦୂର ମଣ୍ଡିତ ମୁଣ୍ଡ ମୁକ୍ତାପରି ଦନ୍ତ
ଘନକେଶ ମସ୍ତକରେ ଅତି ଦୀପ୍ତମନ୍ତ ।
ଅନେକ ଯତ୍ନେ ବିଧାତା ତାଙ୍କୁ ଗଢ଼ିଅଛି
ମୋହିନୀ କନ୍ୟା ପରାୟେ ସ୍ୱରୂପ ଦିଶୁଛି ।
ଜଳରେ ପଶି କ୍ରୀଡ଼ନ୍ତି ସର୍ବେ କୁତୂହଳେ
ନାହିଁ ପଟାନ୍ତର ତାଙ୍କୁ ସ୍ୱର୍ଗ ମଞ୍ଚାଆଳେ ।
ଏସନକ ସମୟରେ ଦୈବୀ ବିପରୀତ
ସେ ଜଳରେ ସ୍ନାନ କରୁଥିଲା ମୟଦୈତ୍ୟ ।
ଖଣ୍ଡେଦୂରେ ଥାଇ କୁମାରୀଙ୍କ କ୍ରୀଡ଼ା ଦେଖି
ସନ୍ନିଧିକୁ ଅଇଲା ସେ ଲଜ୍ଜାକୁ ଉପେକ୍ଷି ।
ଦେଖିଲା ସେ କନ୍ୟାଙ୍କର ହାବଭାବମାନ
ଧଇର୍ଯ୍ୟ ବୁଡ଼ିଲା ତାର ଚିତ୍ତ ଛନ୍ନ ଛନ୍ନ ।
ଘୂତଭାଣ୍ଡେ ଅଗ୍ନିଲାଗି ଯେସନେ ତରଳେ
ଅଜ୍ଞାନ ହୋଇ ଯେସନେ ପଶଇ ସଲିଳେ ।
ଅକ୍ଷୟରେତ ଅଙ୍ଗରୁ ଗଲା ତାର ବହି
ସେ କଥାକୁ ଦୈତ୍ୟପତି ଜାଣି ନ ପାରଇ ।
ପ୍ରଖର ସ୍ରୋତରେ ପଡ଼ି ଭାସି ସେ ଅଇଲା
ଅଶ୍ୱିନୀ କନ୍ୟା ଗର୍ଭରେ ଠାବଯାଇ କଲା ।
ମନୁ ଖେଦ ଯାନ୍ତେ ଦୈତ୍ୟଗଲା ଯେ ଲେଉଟି
ଦକ୍ଷନନ୍ଦିନୀ ଘରକୁ ସର୍ବେ ଗଲେ ଉଠି ।
ଏହିପରି କେତେଦିନ ଅତୀତ ହୋଇଲା
ଦଇବ ଯୋଗେ ଅଶ୍ୱିନୀ ଗର୍ଭବତୀ ହେଲା ।
ଦିନକୁଦିନ ଉଦର ବର୍ଦ୍ଧମାନ ତାର
ଗର୍ଭକୁ ଦେଖି ଲଜ୍ଜା ସେ ପାଇଲା ଅପାର ।
ବେନିମାସ ପରିଯନ୍ତେ ବହିଲା ସୁନ୍ଦରୀ
ସହି ନ ପାରି ପକାଇ ଦେଲା ତା ଉଦ୍ଗାରି ।
କଉଶିକୀ ଲତାତଳେ ପକାଏ ଯୁଗତେ
କାହାକୁ ସେ କଥାଗୋଟି ନ ବୋଲେ କିଞ୍ଚିତେ ।
ଏଥୁ ଅନ୍ତରେ ନାରଦ ମହାବ୍ରହ୍ମଜ୍ଞାନୀ
ମୟଦଇତ୍ୟ ଆଗରେ ଏସନକ ଭଣି ।
ଆହୋ ଦାନବ ଜଗତେ ତୁ ମହାବଳିଷ୍ଠ
ଜ୍ଞାନବନ୍ତ ହୋଇ କିପାଁ ହେଲୁ ମତିଭ୍ରଷ୍ଟ ।
ପୁତ୍ର ଜଗତେ କାରେଣି ପୁତ୍ର ଦିଏ ମୁକ୍ତି
ପୁତ୍ର ବିହୁନରେ ପ୍ରାଣୀ ପାଏ ନର୍କଗତି ।
ତୁମ୍ଭେ ଯେ ଉତ୍ତମକୁଳେ କଲ ପୁତ୍ର ଜାତ
ତୁମ୍ଭେ ହେଳାକଲେ ପୁତ୍ର ହୋଇବ ନିହତ ।
ଅଙ୍ଗାରପନ୍ନଗ ନାମେ ଗନ୍ଧର୍ବେକ ଥିଲା
ଶଚୀକୁ ହରିବାପାଇଁ ମନ ସେ କରିଲା ।
ତାହା ଜାଣିପାରି ଇନ୍ଦ୍ର ଅଭିଶାପ ଦେଲେ
ଦଇତ ଶରୀର ବହ ଯାଇ ରବିତଳେ ।
ସେ ହେତୁରୁ ତୁମ୍ଭ ବୀର୍ଯ୍ୟେ ଉପୁଜିଲା ସେ ତ
ସସାଗର ପୃଥିବୀକୁ କରିବ ଆୟତ୍ତ ।
ବହୁକାଳ ପରିଯନ୍ତେ ଥିବ ଦେହ ଘେନି
ସଂଗ୍ରାମେ ସାଧ୍ୟ କରିବ ସକଳ ପରାଣୀ ।
ତାହାପରି ପୁତ୍ରଗୋଟା କେବେ ନୋହୁ ନାଶ
ଯତ୍ନ ସହକାରେ ସେହି ପୁତ୍ରଗୋଟି ପୋଷ ।
ଆବର ବଚନ ତୋତେ କହିଥିବା ଅଦ୍ୟ
ଶ୍ରୀକୃଷ୍ଣ ହସ୍ତରେ ପୁତ୍ରଗୋଟି ହେବ ବଧ ।
କଂସ ଉପଦ୍ରବ ପାଇଁ ପ୍ରଭୁ ଚକ୍ରପାଣି
ଦ୍ୱାପରଯୁଗେ ଜନ୍ମିବେ ନରତନୁ ଘେନି ।
ତାଙ୍କ ହସ୍ତରେ ମରିଣ ହୋଇବ ମୁକତ
କେଶୀ ନାମକୁ ବହିବ ତୋର ଏହି ସୁତ ।
କଂସଠାରୁ ପରାକ୍ରମ ତାହାର ଉଗୁଳି
ଭାଣ୍ଡୀର ବନେ ମାରିବେ ତାକୁ ବନମାଳୀ ।
ମୟ ଦଇତ ଶୁଣନ୍ତେ ଏସନକ ବାଣୀ
କୌଶିକୀଲତା ତଳରୁ ପୁତ୍ର ଯାଇ ଆଣି ।
ସଞ୍ଜୀବନୀ ନାମେ ତାର ଭାର୍ଯ୍ୟା ରୂପବତୀ
ତାହାର ଗୋଚରେ ପୁତ୍ର ଦେଲା ଦୈତ୍ୟପତି ।
ନାରଦଙ୍କ ବାକ୍ୟେ କେଶୀ ନାମ ଦେଲା ତାର
ଶ୍ରୀକୃଷ୍ଣ ହସ୍ତରେ ମରି ପାଇଲା ଉଦ୍ଧାର ।
ଅଙ୍ଗାରପନ୍ନଗ ରୀତି ଶୁଣ ମହାରାଜ
କେଶୀ ନାମ ମହାବଳୀ ଦଇତ ତନୁଜ ।
ହଳଧର ହସ୍ତେ ସେ କଦମ୍ୱାସୁର ମଲା
ମନସିଜ ଗନ୍ଧରବ ମେନକା ଲୋଭିଲା ।
ସୁଧର୍ମା ସଭାରେ ହରି ଲୋଡ଼ିଲାକ ବେଳେ
କୋପେ ଶାପଦେଲେ ତାକୁ ଦେବ ଆଖଣ୍ଡଳେ ।
କଦମ୍ୱାସୁରର କଥା ଶୁଣ ଏବେ ଭଲା
ମନସିଜ ନାମେ ସ୍ୱର୍ଗେ ଗନ୍ଧର୍ବେକ ଥିଲା ।
ମେନକାକୁ ହରି ଲୋଡୁ ବଳାତ୍କାର କରି
କୋପେ ଅଭିଶାପ ତାକୁ ଦେଲେ ବଜ୍ରଧାରୀ ।
କ୍ରୋଧଭରେ କହନ୍ତି ଯେ ତାକୁ ଜମ୍ଭଭେଦୀ
ଆରେ ମନସିଜ ତୁହି କଲୁ ଦୁଷ୍ଟବୁଦ୍ଧି ।
ସ୍ୱର୍ଗର ଦେବତା ତୁହି ରୂପେ କାମ ଜିଣି
ଏଡ଼େ ବଡ଼ ଅନ୍ୟାୟକୁ ଆଚରିଲୁ ଆଣି ।
ତୁ ଆମ୍ଭର ପୁତ୍ର ଆମ୍ଭେ ତୋର ପିତାମାତା
ଜାଣୁ ଜାଣୁ କେଉଁପରି ଆଚରୁ ଏ କଥା ।
ଏଣୁ ଆମ୍ଭର ବୋଲରେ ଦୈତ୍ୟତନୁ ବହ
ଯମୁନାକୂଳେ ଗୋମତ ପର୍ବତରେ ଥାଅ ।
ବଳରାମଙ୍କର ସଙ୍ଗେ ସମର କରିବୁ
ତାଙ୍କ ହସ୍ତେ ମରି ତୁହି ମୁକତି ଲଭିବୁ ।
ବାହୁଡ଼ି ପ୍ରାପତ ତୋତେ ହେବ ସ୍ୱର୍ଗପୁର
ଏସନକ ଜାତ ହେଲା କଦମ୍ୱା ଅସୁର ।
ଦୁଇ ଭାଇଙ୍କର ହସ୍ତେ ଦୁଇବୀର ମଲେ
ସଭିଙ୍କ ଆଗରେ ସ୍ୱର୍ଗପୁରୀ ଚଳିଗଲେ ।
ସରବ ଗୋପାଳ ଯେ ଦେଖନ୍ତି ଦେବହରି
ପୁଣି ବିଷ୍ଣୁ ମାୟା ଯେ କରନ୍ତି ଅସୁରାରି ।
ଯେ ଯାହା ଦେଖନ୍ତି ପାସୋରନ୍ତି ତତକ୍ଷଣି
ବତ୍ସାନ୍ତ ଖୋଜି ନଦୀରେ ପିଆଅନ୍ତି ପାଣି ।
ଦିବାଅନ୍ତେ ଅଟେଇରେ ଭରିଲେକ ନେଇ
ଯେ ଯାହା ପୁରେ ପ୍ରବେଶ ହୋଇଲେକ ଯାଇ ।
କାହ୍ନୁ ସଙ୍କର୍ଷଣ ଗଲେ ଯଶୋଦାଙ୍କ ଆଗେ
ମୁଖେ ଚୁମ୍ୱଦେଇ ଆଶ୍ୱାସନ୍ତି ଅତିବେଗେ ।
ସର୍ବ ସୁଲକ୍ଷଣ ପୁତ୍ରେ ନନ୍ଦ ଯଶୋବନ୍ତୀ
ଦେଖି କୋଳେ ଦେଇ ଅତି ଆନନ୍ଦ ହୁଅନ୍ତି ।
ଯଶୋଦାଙ୍କ କୋଳେ ବିଜେ ଦେବ ଚକ୍ରପାଣି
ଉପମା କି ଦେବା ଉଦେ ସତେ ନିଶାମଣି ।
କୌଶଲ୍ୟା କୋଳେ କି ବିଜେ ଅବା ରଘୁନାଥ
ରେଣୁକାଙ୍କ କୋଳେ ବିଜେ ସତେ ପର୍ଶୁହସ୍ତ ।
ସାତ କଳ୍ପଯାଏ ଥିଲେ ବ୍ରହ୍ମ ପ୍ରଳୟରେ
କଦାଏ ମହର୍ଷି କୋଳେ ଅବା ସେ ଶୁତିଲେ ।
ପୃଥ୍ୱୀପରେ ବିଜେ କିବା ମହାମେରୁ ଗିରି
ସ୍ୱର୍ଣ୍ଣାଦ୍ରି ବିହାରେ ରତ ସତେ ଶୂଳଧାରୀ ।
ବ୍ରହ୍ମା ବିଷ୍ଣୁ ମହେଶ୍ୱର ଅପର୍ଣ୍ଣାର କୋଳେ
ନୀଳଚନ୍ଦ୍ର ଉଦେ କିବା ଆକାଶ ମଣ୍ଡଳେ ।
ଗାୟତ୍ରୀଙ୍କ କୋଳେ ଶୁତି ଅବା ବେଦଚାରୀ
ନିରଞ୍ଜନ ଦେବ କି ମହାଶୂନ୍ୟଧାରୀ ।
ଏସନକ ଅଟଇ ସେ ଦୈତ୍ୟଙ୍କ ଚରିତ
ତେଣୁ ବିମାନରେ ଚଢି ହେଲେ ସ୍ୱର୍ଗପ୍ରାପ୍ତ ।
ସମସ୍ତେ ଦେଖନ୍ତେ ସ୍ୱର୍ଗ ଭୁବନକୁ ଗଲେ
ପରୀକ୍ଷ ଆଗରେ ଶୁକମୁନି ଯେ କହିଲେ ।
ହରିବଂଶର ଚରିତ ଅତି ଅଗୋଚର
ସଂକ୍ଷେପେ ଲେଖଇ ତାହା ଅଚ୍ୟୁତ ପାମର ।
ଆହେ ସାଧୁଜନ ମୋର ନ ଧରିବ ଦୋଷ
ବାତୁଳ ପରାୟେ ବସି ଲେଖେ ହରିବଂଶ ।
କଂସର ଧନୁଯାତ୍ରା
[ସମ୍ପାଦନା]ଏଥୁଅନ୍ତରେ ପରୀକ୍ଷ ନାମେ ମହାରାଜା
ଶୁକମୁନି ଚରଣରେ କରି ଦିବ୍ୟପୂଜା ।
ବୋଇଲେ ଭୋ ମୁନି କହ ଭାଗବତ ଧ୍ୱନି
ଲଭିବି ସକଳ ଧର୍ମ ଶୁଣି ହରିବାଣୀ ।
ଏଥୁଅନ୍ତରେ କେବଣ ଚରିତ କି ବିଧି
ସଂକ୍ଷେପରେ କହ ମୋତେ ଆହେ ତପୋନିଧି ।
କେଶୀ ବଧ ପରେ କଂସ କେଉଁ କୃତ୍ୟ କଲା
ଗୋପପୁରକୁ ଅକ୍ରୂର ଗଲା କି ନ ଗଲା ।
ତାହା ଶୁଣିବାକୁ ମୋର ବଳିଅଛି ମନ
ଦୟାକରି କହ ମୋତେ ହେ ଋଷିପ୍ରଧାନ ।
ରାଜାର ନିର୍ମଳ ଚିତ୍ତ ଭକ୍ତଭାବ ଦେଖି
କହନ୍ତି ଯେ ଶୁକ ଯାହା ଶାସ୍ତ୍ରେ ଅଛି ଲେଖି ।
ଶୁଣ ତୁହୋ ସାବଧାନେ ନୃପ ଚୂଡ଼ାମଣି
ବିଷ୍ଣୁର ବାଳଲୀଳା ଏ କଉତୁକ ବାଣୀ ।
ବୈଶାଖ ଶୁକ୍ଳ ସପ୍ତମୀ ତିଥି ଗୁରୁବାର
ମଥୁରା କଟକେ ଧନୁଯାତ୍ରା ସେ ଦିନର ।
ଗର ନାମେଣ କରଣ ମାହେନ୍ଦ୍ର ଯେ ଯୋଗ
ମେଷ ସଂକ୍ରାନ୍ତିକି ପୁଣି ଚୌଦଦିନ ଭୋଗ ।
ସେ ଦିନ କପଟ ଯାତ୍ରା ଏକ କଲା କଂସ
ବିଚାରଇ ରାମ କୃଷ୍ଣ କରିବ ବିନାଶ ।
ସମ୍ଭର୍ବେ ଆସ୍ଥାନ ପରେ ବସି ନୃପସାଇଁ
ପାତ୍ର ମନ୍ତ୍ରୀ ପ୍ରୋହିତାଦି ଆଣେ ହକରାଇ ।
ସାତବଂଶ ଯାଦବଙ୍କୁ ଡକାଇଣ ପାଶେ
ନିମନ୍ତ୍ରଣ ଗୁଆଦେଇ ପେଷେ ଦେଶେ ଦେଶେ ।
ବୋଲଇ ଏପରି ତୁମ୍ଭେ କହିବ ରାଜାଙ୍କୁ
କଂସନୃପ ପେଷିଛନ୍ତି ତୁମ୍ଭର ପାଶକୁ ।
ଯେ ଯାହାର କୁଟୁମ୍ୱାଦି ଘେନିଣ ସମସ୍ତେ
ଧନୁଯାତ୍ରା ଦେଖିବାକୁ ଆସ ହେ ତୁରିତେ ।
ରାଜାଙ୍କର ଆଜ୍ଞାକୁ ଯେ କରିବ ଅବଜ୍ଞା
ନିଶ୍ଚୟ ସାରିବେ ରାଜା ତାହାର ଯେ ପ୍ରଜ୍ଞା ।
ବସିଲା ଠାବରୁ ସର୍ବେ ବେଗେ ଉଠିଆସ
ଯାତ୍ରା ଦେଖି ବାହୁଡ଼ିବ ପୁଣି ଯେଝା ଦେଶ ।
ଏତେ କହି ଯାଦବଙ୍କୁ ପଠାଇ ନୃପତି
ନଗ୍ରେ ଉତ୍ସବ କରାଅ ଆହେ ପାତ୍ର ମନ୍ତ୍ରୀ ।
ଯେ ଆଜ୍ଞା କହିଣ ସର୍ବେ ପୁର ମଣ୍ଡାଇଲେ
ହାଟ ବାଟ ଦାଣ୍ଡସବୁ ପରିଷ୍କାର କଲେ ।
ଠାବେ ଠାବେ ପୂର୍ଣ୍ଣକୁମ୍ଭେ ଗୁଆ ନାରିକେଳ
ଥୋଇଣ ଦ୍ୱାରେ ବାନ୍ଧିଲେ ତ୍ରୋଣା ମାଳମାଳ ।
କାନ୍ଥ ବାଡ଼ରେ ବିଚିତ୍ର କାରୁକାର୍ଯ୍ୟ କଲେ
ରାଜାର ଉଆସମାନ ଯତନେ ମଣ୍ଡିଲେ ।
ନେତ ପାଟ ପତନି ଯେ ବାନ୍ଧି ଚଉକତି
ପୁରେଁ ପୁରେ ଚନ୍ଦ୍ରାତପମାନ ସେ ଟାଙ୍ଗନ୍ତି ।
ପ୍ରତିଘରେ ପକାଇଲେ ଦନ୍ତୀର ପଲ୍ୟଙ୍କ
ହାତୀଶାଳ ଘୋଡ଼ାଶାଳ ମଣ୍ଡାଇଲେ ଲୋକ ।
ନାନବିଧିରେ ଦୋକାନ ବସେ ଠାବେ ଠାବେ
ଲାଗିଲେ ଯେ ଯାହା ନିଯୋଗରେ ଲୋକସର୍ବେ ।
ଏକ ଏକ କରି ତାହା କହିବି ବା କେତେ
ପୋଥି ଗୋଟାଏ ହୋଇବ ତା ବସି ଲେଖନ୍ତେ ।
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ଯେ ଏକାଙ୍ଗ ରାଜା
ଦେବାସୁରେ କରନ୍ତି ଯା ପାଦତଳେ ପୂଜା ।
ଦ୍ୱାପର ନପତି ଷଣ୍ଢ କଂସ ନୃପମଣି
ବାସୁକୀ ଫଣା ନ ଟେକେ ଯାହା ନାମ ଶୁଣି ।
ଭାରା ନ ସହି ବସୁଧା କରେ ରକ୍ତବାନ୍ତି
ସନ୍ନିଧିରେ ରହିଛନ୍ତି ମହା ମହାରଥୀ ।
ଦେବଭଣ୍ଡାରେ ଯେତେକ ଦ୍ରବ୍ୟମାନ ଥିଲା
ଲୁଟିଆଣି ମଥୁରାରେ ଯେ ବୀର ରଖିଲା ।
ଏବେ ଧନୁ ଉତ୍ସବ ସେ ଯାତ୍ରା ଏକ କରେ
ତାହାକୁ କି ପଟାନ୍ତର ଦେବା ବା ଆନରେ ।
ସ୍ୱର୍ଗପୁରଠାରୁ ବଳି ଦିଶଇ ସୁନ୍ଦର
ବାଣ ନିଶାଣ ଶବ୍ଦରେ କମ୍ପେ ତିନିପୁର ।
ଠାବେ ଠାବେ ନୃତ୍ୟକାରୀ କରୁଛନ୍ତି ନୃତ୍ୟ
ଢୋଲ ଦମା ନାଗରାରେ ଉଛୁଳେ ଜଗତ ।
କେ ବର୍ଣ୍ଣି ପାରିବ ଅବା ସେ କାଳର ଶୋଭା
ପୃଥିବୀପତିର ଯାତ୍ରା ମୁଖେ କି କହିବା ।
ରାଜାର ଆଜ୍ଞା ଘେନିଣ ଯଦୁଗଣ ଗଲେ
ଦେଶ ବିଦେଶରେ ବୁଲି ରାଜାଙ୍କୁ କହିଲେ ।
ଶୁଣି ସର୍ବେ ଭୟକରି ହୋଇଲେ ବାହାର
ଦେଖା ଦରଶନି ଘେନି ମିଳିଲେ ଛାମୁର ।
ସେମାନଙ୍କୁ ଚାହିଁ ରାଜା ଲୋକଙ୍କୁ ବୋଲଇ
ଉତ୍ତମ ସ୍ଥାନ ଏହାଙ୍କୁ ଦିଅ ଏବେ ନେଇ ।
ଲୋକମାନେ ନେଇ ତାଙ୍କୁ ବସାଘର ଦେଲେ
ଉତ୍ତମ ସାମଗ୍ରୀମାନ ଆଣି ଯୋଗାଇଲେ ।
ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମର ରାଜା
ସମସ୍ତେ କଂସର ଆସି କଲେ ପାଦପୂଜା ।
ମଧୁବନ କଟକରେ ସର୍ବେ ହେଲେ ରୁଣ୍ଡ
ଅଶ୍ୱ ଗଜ ପଦାତିକ ବହୁ ପାରଦଣ୍ଡ ।
ଚୌରାଶୀ କୋଟି ଯାଦବେ ରଥୀ ମହାରଥୀ
ଉତ୍ତମରୂପେ ତାଙ୍କର ରଚନା କରନ୍ତି ।
ମୁଖରାବର ଚହଳ ଅତ୍ୟନ୍ତ ଗହଳ
ସମୁଦ୍ର ଗର୍ଜନ ପ୍ରାୟ ଶୁଭଇ ଚହଳ ।
ଦେଶୀ ବିଦେଶୀ ଆସିଣ ମିଳିଲେ ସମସ୍ତେ
ଅସ୍ତ୍ର ଧରି ବିହରନ୍ତି ଯେଝାରେ ରାଉତେ ।
ଗନ୍ଧ ଚନ୍ଦନ ପୁଷ୍ପରେ ସର୍ବେ ହେଲେ ମଣ୍ଡି
ଘନ ଘନ ବାଜୁଅଛି ଟମକ ଦାଉଣ୍ଡି ।
ହାଟୁଆ ବାଟୁଆ ଦାଣ୍ଡେ ପସରା ସଜାଡ଼ି
ନାନସ୍ୱାଦୁ ସାମଗ୍ରୀ ସେ ଚାଙ୍ଗୁଡ଼ାରେ ବାଢ଼ି ।
କେ କିଣନ୍ତି କେ ବିକନ୍ତି କେବା ଲାଭ ମୂଳେ
ଖେଳଇ ହସଇ କେହୁ ନାଚେ କୁତୂହଳେ ।
ସାତ୍ୟକି କୃପବ୍ରହ୍ମା ସେ ଉଦ୍ଧବ ଅକ୍ରୁର
ବସୁଦେବ ସଙ୍କୋଚନ ସହସ୍ରାକ୍ଷ ବୀର ।
ଏରୂପେ ଚୌରାଣୀ କୋଟି ଯଦୁଗଣମାନେ
ରହିଛନ୍ତି ଆଜ୍ଞାକାରୀ ହୋଇ ସାବଧାନେ ।
ଅକଳିତ ବଳ ତାଙ୍କ କଳନା ନ ଯାଇ
ନାମ ଧରି କେତେ ଅବା କହିବଇଁ ମୁହିଁ ।
କଂସର କନିଷ୍ଠ ଭାଇ ସୁନାସ ଯେ ବୀର
ରାଜ୍ୟେ ଅଧିକାରୀ ସେହି କଂସର ସୋଦର ।
ହଂସ ଡ଼ିମ୍ୱ ନାମରେ ଯେ କଂସରାଜା ବଳା
ବୟସରେ ସାନ କିନ୍ତୁ ତେଜେ ଅନର୍ଗଳା ।
ଗାର୍ଗ୍ୟ ନାମରେ ପ୍ରୋହିତ କୁଳକୁ କାରେଣି
ପିତା ଉଗ୍ରସେନ ମାତା ଇନ୍ଦୁମତୀ ରାଣୀ ।
ତେହି ପ୍ରହେତି ବୋଲିଣ ଜରାସନ୍ଧ ପୁତ୍ରୀ
କଂସ ନୃପତିର ସେହି ଅତି ପ୍ରିୟବତୀ ।
ଏହାଙ୍କ ମୂଳେ ଚୌରାଶୀ ସହସ୍ର ତରୁଣୀ
ଅପୂର୍ବ ନବଯୁବତୀ ସର୍ବେ ସୁଲକ୍ଷଣୀ ।
ସମସ୍ତଙ୍କ ମନ ବଳେ ଯାତ୍ରା ଦେଖିବାକୁ
ପ୍ରଶଂସା କରନ୍ତି ସର୍ବେ କଂସ ନୃପତିଙ୍କୁ ।
ନବର ଭିତରେ ଆଉ ନ ମିଳଇ ବାଟ
ଆସ୍ଥାନରେ ବସିଅଛି ପୃଥିବୀ ସମ୍ରାଟ ।
ବ୍ରାହ୍ମଣଙ୍କ ଦେବପାଠ ଅଶ୍ୱଙ୍କର ରାବ
ଭାଟଙ୍କର ସ୍ତୁତିପାଠ ନୃତ୍ୟ ଠାବ ଠାବ ।
ଅଶ୍ୱଯୁଦ୍ଧ ମାଲଯୁଦ୍ଧ ଗଜଯୁଦ୍ଧ ରଙ୍ଗେ
ଖେଳ କୁତୂହଳେ କେହୁ ମାତେ କାର ସଙ୍ଗେ ।
ଚିତ୍ରକୂଟ ଗିରିଠାରୁ ମଧୁପୁର ଯାଏ
ଏ ଏକାଦଶ ଯୋଜନେ ଯାତ୍ରା ଗୋଟି ହୋଏ ।
ଯମୁନା ନଦୀ ଯେ ପାଞ୍ଚଯୋଜନ ଓସାର
ତାର ବେନିକୂଳେ ଗୃହ ହୋଇଛି ଅପାର ।
ରାଜା ମହାରାଜା ତହିଁ ବାସ କରିଛନ୍ତି
ଗଣି କେ ପାରିବ ତହିଁ ଯେତେ ନୃପପତି ।
କଂସ ରାଜାର କୋପକୁ ତିନିପୁରେ ଡରି
ଆଜ୍ଞା ଯେ ଭାଙ୍ଗିବ ତାକୁ ପକାଇବ ମାରି ।
ସେ ପୁର ଅଟେ ଦ୍ୱାଦଶ ଯୋଜନ ଯେ ସ୍ଥଳୀ
ବାରସ୍ୱତୀପୁରଠାରୁ ଶୋଭାରେ ଉଗୁଳି ।
ଗୋଧିକା ପାଟଣା ତହିଁ ଗୋମାତା ସର୍ଜିଲା
ନବକୋଟି ବତ୍ସା ଘେନି ସୁରଭି ଯେ ଥିଲା ।
ମଧୁନାମେ ନଗର ଯେ ଭ୍ୟାଇଲା ଯତନେ
ବିଶ୍ୱକର୍ମା ନିର୍ମାଣିଛି ଯା ଅଷ୍ଟରତନେ ।
କହନ୍ତେ ନ ସରଇ ଯେ ମଥୁରାର ବିଧି
କିବା ସ୍ୱର୍ଗପୁର କିବା ଅଳକା ପ୍ରସିଦ୍ଧି ।
ଅତି ଯତ୍ନେ ଧନୁଘର ମଣ୍ଡନ ହୋଇଛି
ନିଶେ ହାତ ଦେଇ ରାଜା ଆସ୍ଥାନେ ବସିଛି ।
ଚୌରାଶୀ କୋଟି ଯାଦବେ ହୋଇଛନ୍ତି ଉଭା
ଶତେ ଇନ୍ଦ୍ରପଦ କି ସେ ମଞ୍ଚପୁରେ ଶୋଭା ।
ସ୍ୱର୍ଗର ଦୁନ୍ଦୁଭି ବାଦ୍ୟ ଘେନି ଗନ୍ଧରବେ
ବଜାନ୍ତି ଆନନ୍ଦ ମନେ ସେ ମହା ଉତ୍ସବେ ।
କେ ଛତ୍ର ଚାମର କେବା ଆଲଟ ଧରିଛି
ମଣିମା ମଣିମା ଡାକ ନିରତେ ପଡ଼ିଛି ।
କେ ପାନ ଯୋଗାଏ କେହୁଁ ମୁଖେ ଦିଏ ବିଡ଼ି
କାହାର ମସ୍ତକେ ରାଜା ବାନ୍ଧିଦିଏ ଶାଢ଼ୀ ।
ସମସ୍ତଙ୍କୁ ଆକଟ ସେ କରେ ଜଣେ ଜଣେ
ଯେଝି ନିଯୋଗରେ ଲାଗି ଯାଇ ଜଣେ ଜଣେ ।
ଅପୂର୍ବ ମଣ୍ଡପମାନ ଠାବେ ଠାବେ ଶୋହେ
କଂସରାଜାର ଉତ୍ସବ ବର୍ଣ୍ଣିବ ବା କିଏ ।
ରତ୍ନ ସିଂହାସନେ ରାଜା ବସିଅଛି ମାଡ଼ି
ଦେବ ଦଳନ ଖଣ୍ଡା ତ ଆଗେ ଅଛି ପଡ଼ି ।
ପାତ୍ର ସାମନ୍ତମାନେ ଯେ କାଖେ ହାତଦେଇ
ସାବଧାନେ ଉଭା ନୃପ ଆଜ୍ଞାକୁ ଅନାଇ ।
ଆସନର ତଳେ ବେନି ଧାଡ଼ି ପଟୁଆର
ହାତୀ ରଥୀ ପଦାତି ଯେ ଅଛନ୍ତି ଅପାର ।
ହେଳାରେ ଯେ ଦିଗେ ରାଜା ଦିଏ ପୁଣି ଦୃଷ୍ଟି
ନିଉଛାଳି ନମସ୍କାର ପଡ଼େ କୋଟି କୋଟି ।
ଋଷି ମହାଋଷି ଆଦି ତହିଁ ଛନ୍ତି ପୂରି
ସେମାନଙ୍କୁ ମାନ୍ୟବିଧି କରେ ଦଣ୍ଡଧାରୀ ।
ନବଦିନ ଯାତ୍ରା ତହିଁ କଲା କଂସରାୟେ
ସ୍ୱର୍ଗ ତେଜି ଅଇଲେକ ସବୁ ଦେବତାଏ ।
ରାତିଦିନ ଲାଗିଅଛି ତହୁଁ ଗଜହୁଳା
ମଧ୍ୟାହ୍ନ ସୂର୍ଯ୍ୟର ଯେହ୍ନେ ଲାଗେ ଜ୍ୟୋତିଜ୍ୱଳା ।
ଚନ୍ଦ୍ର ଉଦିଆ ହାବେଳି ଚମ୍ପା ଆଦି ବାଣ
ଫୁଟିବାରେ ଚଉଦିଗ ଆଲୋକରେ ପୂର୍ଣ୍ଣ ।
ରଜନୀ ଦିବସ କେହୁ ବାରି ତ ନ ପାରି
ଯାତ୍ରା ଦେଖି ଧାଇଁଛନ୍ତି ପଡ଼ି ଉଠି କରି ।
ରାଜାମାନଙ୍କୁ ଯୋଗାଡ଼ ଯେତେକ ସାମଗ୍ରୀ
ପଡ଼ିହାରୀମାନେ ତାହା ଯୋଗାନ୍ତି ହେ ବେଗି ।
ଭଣ୍ଡାରମାନରୁ ଧନ ବହିଲେ ନ ସରେ
ଗୁଣେ ବ୍ୟୟ କଲେ ଦଶଗୁଣରେ ସେ ପୁରେ ।
ପୂର୍ବେ ସେହିବଂଶେ ଥିଲେ ଅନେକ ଯେ ରାଜା
କଂସର ସମାନେ କେହି ନ ପାଇଛି ପୂଜା ।
ଦିଗପାଳ ଚୂଡ଼ାମଣି ପ୍ରତିଜ୍ଞା ସାମର୍ଥା
ଅଷ୍ଟାଦଶ ପୁରାଣରେ ପଡ଼େ ଯାର କଥା ।
ଯାହାର ନିମନ୍ତେ ରଙ୍ଗାବତାର ଶ୍ରୀହରି
ଚଉଦଭୁବନେ ଯେହୁ ଅଟେ ଅଧିକାରୀ ।
ଉଚ୍ଚକୁଳେ ଜାତ ଇନ୍ଦୁମତୀ ଯାର ମାତା
ଯଦୁବଂଶ ଶିରୋମଣି ଉଗ୍ରସେନ ପିତା ।
ଚୌରାଶୀ କୋଟି ଯାଦବ ପରେ ମୌଡ଼ମଣି
ମେରୁ ପ୍ରଦକ୍ଷିଣ ଯେହୁ ସୃଷ୍ଟି ଅଛି ଜିଣି ।
ଯାର ପାଦଭାରା ସହି ନ ପାରେ ବସୁଧା
ଶମନ ଭୟ କରଇ ଦେଖି ଯାର ଗଦା ।
ଦେବତାଏ ଖଟିଥାନ୍ତି ଯାହାର ଚରଣେ
ପୃଥିବୀ ଭିତରେ ବୀର ଏକା ସେହୁ ଜଣେ ।
ବଳବନ୍ତ କୁଳବନ୍ତ ଧନବନ୍ତ ତିନି
ଗୁଣରେ ଯେ ପରିପୂର୍ଣ୍ଣ ଅଶେଷ ମେଦିନୀ ।
ମନମଧ୍ୟେ ତିଳେମାତ୍ର କରେ ନାହିଁ ଭୟ
ଏକା ରାମକୃଷ୍ଣ ଲାଗି ଚିନ୍ତିତ ହୃଦୟ ।
ଫେଡ଼ି ନ କହେ କାହାକୁ ମନରେ ଯେ ଖେଦ
ଆପଣେ ଜାଣଇ ସିନା ନିଜ ମୃତ୍ୟୁଭେଦ ।
ବିଜୁଳି କନ୍ୟା ମୁଖରୁ ଯାହା ଶୁଣିଥିଲା
ସେହିକଥାମାନ ସବୁ ପ୍ରତ୍ୟକ୍ଷ ଘଟିଲା ।
ଦେଖିୁ ଦେଖୁ ଅଷ୍ଟସେନା ହୋଇଲେ ବିନାଶ
ଅନୁକ୍ଷଣେ ସେ କଥାକୁ ଭାଳେ ଦୈତ୍ୟଈଶ ।
କପଟରେ ରାମକୃଷ୍ଣ ସଂହାରିବା ପାଇଁ
କପଟରେ ଧନୁଯାତ୍ରା ଅଛି ଯେ ଭିଆଇ ।
ଅଭିଶାପ ହେତୁ ଗୋପେ ଯାଇ ସେ ନ ପାରେ
ମାରିବ ବୋଲି ଭାବିଛି ତେଣୁ ଉପାୟରେ ।
ଅବଶ୍ୟ ରାମ କୃଷ୍ଣ ଯେ ଯିବେ ସେହିଠାକୁ
ମରିବ କଂସ ନୃପତି ଦେଖିଣ ତାହାଙ୍କୁ ।
ଅକ୍ରୂର ହାତରେ ତାଙ୍କୁ ଆଣିଲେ ହକାରି
ତେବେ ଯାଇଣ ଉଶ୍ୱାସ ହେବ ବସୁନ୍ଧରୀ ।
ଦଇବ ଘଟାଏ ନେଇ ଯାକୁ ଯାହା ଯୋଗ
ସମୟ ହୋଇଲେ ସିନା ହୁଏ ତାହା ଭୋଗ ।
ଅଜ୍ଞାନ ପଣରେ କଂସ ବିଚାରଇ ବସି
ନିଶ୍ଚେ ବିନାଶିବି ଏଥେ ରାମ ହୃଷୀକେଶୀ ।
ଏମନ୍ତ ବିଚାରି ମନେ କରିଅଛି ଆଣ୍ଟ
ସଭାକୁ ଚାହିଁ ବୋଇଲେ ହଲାଇ ମୁକୁଟ ।
କେଉଁ ରାଜା ମୋର ଆଜ୍ଞା ମେଣ୍ଟିଣ ରହିଲେ
ଏହି ବାର୍ତ୍ତା କିଏ ଜାଣ କହ ତାହା ଭଲେ ।
ଆସ୍ଥାନ ଉପରେ ବସି ପୁଚ୍ଛେ ବାରମ୍ୱାର
କରପତ୍ର ଯୋଡ଼ି ତହୁଁ କହନ୍ତି ଡଗର ।
ଶୁଣିବା ଭୋ ସାବଧାନେ ଭୋଜ ନରପତି
ଆପଣଙ୍କର ଖଣ୍ଡାକୁ ନାହିଁ କାର ଭୀତି ।
ଦେବଗଣ ଋଷିଗଣ ନାଗଲୋକ ମୂଳେ
ଚାରିଦିଗର ନୃପତି ଅଇଲେ ସକଳେ ।
ଭୋ ଦେବ ଚିତ୍ରକୂଟରୁ ମଧୁବନଯାଏ
ଦ୍ୱାଦଶଯୋଜନ ଭୂମି ପରିପୂର୍ଣ୍ଣ ହୋଏ ।
ହସ୍ତୀ ରଥୀ ପଦାତି ଯେ ଅଶ୍ୱ କୋଟି କୋଟି
ଯମୁନାର ବେନିକୂଳଯାକ ଛନ୍ତି ଘୋଟି ।
ସାହୁ ବଣିଜାର ଧନୀ ଦରିଦ୍ରାଦି ଯେତେ
ଯାତ୍ରାକୁ ଆସିଅଛନ୍ତି ଯେ ଯାହାର ମତେ ।
ଅଗୋଚର ସମ୍ପଦ ତ କହିଲେ ନ ସରେ
ପୂର୍ବେ ନହୁଷ ପ୍ରଭୃତି ଥିଲେ ଏ ମହୀରେ ।
ଏପରି ଉତ୍ସବ କେବେ କେହି କରିନାହିଁ
ଇନ୍ଦ୍ରର ସମ୍ପଦ ଏଥୁ ଅଧିକ ନୁହଇ ।
ଧନ୍ୟ ଯଦୁବଂଶେ ଆସି ପୁଣ୍ୟ ବିକାଶିଲା
ଶୂରବନ୍ତ ଗୁଣବନ୍ତେ ରାଜା ଏ ହୋଇଲା ।
ଯଯାତି ନହୁଷ ପୁରୁରବା ଆଦି ଯେତେ
ଏକ ଚକ୍ରବର୍ତ୍ତୀ ହୋଇଥିଲେ ଏ ଜଗତେ ।
କିନ୍ତୁ ଏପରି କୀରତି କେହି କରିନାହିଁ
ଆଉ ଅଧିକ କହିବୁ କିସ ଭୋଜସାଇଁ ।
ଡଗରଙ୍କ ମୁଖୁ ଏହି ବଚନକୁ ଶୁଣି
ନିଶକୁ ମୋଡ଼େ ଆନନ୍ଦେ କଂସ ନୃପମଣି ।
ଏସନ ସମୟେ ଆସି ମିଳେ ଏକ ଚାରେ
ଗୋପର ବାରତା ଆଣି ଜଣାଏ ଛାମୁରେ ।
ଭୋଦେବ ସାବଧାନରେ ଶୁଣ ନୃପରାଣ
ଗୋପନଗରକୁ ମୁହିଁ ଅଇଲି ଏକ୍ଷଣ ।
ନନ୍ଦ ଗଉଡ଼କୁ ତହିଁ ନିମନ୍ତ୍ରବା ପାଇଁ
ଶ୍ରୀଛାମୁଙ୍କ ଆଜ୍ଞା ଗୋଟି କହିଲି ବୁଝାଇ ।
ଆଜ୍ଞାକୁ ମେଣ୍ଟିଣ ସେହୁ କଲା ଉପହାସ
ବୋଇଲା ନ ଯିବି ମୋର କି କରିବ କଂସ ।
ଖାତର ନ କରି ପୁଣି ବୋଲେ ହେଉ ହେଉ
ପୁତ୍ରଙ୍କ ପାଇଁ ଗରବ ବହିଅଛି ସେହୁ ।
ଗୌଡ଼ ହାଉଡ଼ ବାଉଡ଼ ମତୁଆଲ ମୂର୍ଖ
ନ ଜାଣଇ ଭଲ ମନ୍ଦ ହାନି ଦୁଃଖ ସୁଖ ।
ରାଜାଙ୍କ ଆଜ୍ଞାକୁ ମେଣ୍ଟି କଲା ଅମାନନା
ସର ଗୋଟିକା ଅଧାମ ନ ଦେଲା ତ ଛେନା ।
ଆଉ ସମସ୍ତେ ଅନେକ ବୁଝାଇ କହିଲେ
ସେ କଥାକୁ ନଜରରେ ନ ଆଣିଲା ତିଳେ ।
ଚାରର ମୁଖରୁ ଏହା ଶୁଣି ଭୋଜସାଇଁ
ଅନଳ ପରାୟେ କ୍ରୋଧେ ଜଳି ସେ ଉଠଇ ।
କି କହିଲା କି କହିଲା କିରେ ସେ ଗଉଡ଼
ଗଦାଘାତେ ପିଞ୍ଜିଦେବି ତାର ହାଡ଼ ଗୋଡ଼ ।
ନ ଜାଣେ କି ମୋହର ସେ ବଳବପୁ କେତେ
ଦେବଦଳନ ଖଣ୍ଡାକୁ ଭୟ ନାହିଁ ଚିତ୍ତେ ।
ଗଉଡ଼ ବାଉଡ଼ ହୋଇ ଏଡ଼େ ତା ଗରବ
ମୋହରି ଆଜ୍ଞା ମେଣ୍ଟିଲା କେଉଁଠି ରହିବ ।
ନ ଜାଣେ କି ମୋର ନାମ ଅଟେ କଂସାସୁର
କ୍ଷଣକରେ ଉଜାଡ଼ିଣ ଦେବି ଗୋପପୁର ।
କିରେ ଗଞ୍ଜାଇ ଖାଇଣ ଥିଲା କି ପାଗଳ
ନିଶ୍ଚୟ ଜାଣିଲି ଏବେ ପୂରିଲା ତା କାଳ ।
ମୂଷାହୋଇ ମାର୍ଜ୍ଜାରକୁ ଭୟ ନାହିଁ ଚିତ୍ତେ
ଗରୁଡ଼କୁ ସାପ ହୋଇ କହିଲା କେମନ୍ତେ ।
ସିଂହର ଆଗରେ ଶଶା ଦେଖାଏ ଚାତର
ଏତେ କହି ନିଶ ମୋଡ଼ି ଗର୍ଜେ କଂସାସୁର ।
ବିକରାଳ ମୂର୍ତ୍ତି ରଟମଟ ଦନ୍ତପନ୍ତି
ନୟନ ତରାଟି ସେହୁ ଚାହେଁ ଚଉକତି ।
କିରେ ସେ ଗଉଡ଼ କେତେ କଥା ତ ନ କଲା
ଏହା କହି ଦୀର୍ଘରଡ଼ି ଗୋଟିଏ ଛାଡ଼ିଲା ।
ସେ ଶବଦେ ଆକାଶ କି ଛିଡ଼ି ବା ପଡ଼ିବ
ପୃଥିବୀ ଦେବୀ କି ଅବା ରସାତଳେ ଯିବ ।
କାଳସର୍ପ ପ୍ରାୟ ବୀର ଗର୍ଜେ ଘନଘନ
ଦେଖିକରି ସୁର ନରେ ହେଲେ ଛନ୍ନ ଛନ୍ନ ।
ସାଜ ସାଜ ସମଦଣ୍ଡ ମୋରରେ ରାଉତ
ଭାଙ୍ଗିବଇଁ ଗୋପପୁର କରିବି ଧୂମାନ୍ତ ।
ଉପ୍ରୋଧ କରି ସହିଲି ସିନା ଏତେ ଦିନ
ଜାତି ପାମର ଗଉଡ଼ ନିଲକ୍ଷଣ ହୀନ ।
ତାହାନ୍ତ ମାଇଲେ କିଛି ପଉରୁଷ ନାହିଁ
ଦେଖି ନ ଦେଖିଲାପରି ବସିଥିଲା ସହି ।
ପ୍ରତ୍ୟକ୍ଷେ କରନ୍ତି ମୂଢ଼େ ନିତି ସୁରାପାନ
ବନପଶୁ ସମାନରେ ତାହାଙ୍କ ଜୀବନ ।
ତାହାଙ୍କୁ ନାଶିଲେ କିଛି ପାପ ହେବ ନାହିଁ
ଗୋପାଳଶୂନ୍ୟ କରିବି ସସାଗରା ମହୀ ।
ଏତେ କହି ଆସ୍ଥାନରୁ ଉଠେ ନୃପମଣି
ସାରଥିକୁ କହେ ରଥ ଦିଅ ସାଜିଆଣି ।
ଆଜି ନନ୍ଦ ଗଉଡ଼ରେ ଘେନିବି ଜୀବନ
ଗଉଡ଼ ନାମ ଜଗତେ ନ ରଖିବ ଜାଣ ।
ମାଂସକାଟି ରୁଧିରରେ ତର୍ପଣ କରିବି
ତେବେ ଅଷ୍ଟମଲଙ୍କର କଷ୍ଟ ପାସୋରିବି ।
ନୋହିଲେ ଶରୀରୁ ମୋର ସନ୍ତାପ ନ ଛାଡ଼ି
ଆସ ବୀରେ ଗୋପନଗ୍ର ଦେବା ଯେ ଉଜାଡ଼ି ।
ଯେଉଁ ରାଜାଙ୍କର ଅଛି ରଥାଦି ସଇନି
ସେମାନେ ସଜ ହୁଅନ୍ତୁ ନାନାଶସ୍ତ୍ର ଘେନି ।
କହୁଁ କହୁଁ କୋପ ବେଳୁଁବେଳ ତା ବଢ଼ିଲା
ନୟନ ବେନି ତରାଟି ଘୋରରଡ଼ି ଦେଲା ।
ଉଗ୍ରସେନ ବୋଲେ ବାପ କିପାଁ ଏଡ଼େ ତମ
ନୃପ ଶିରୋମଣି ତୁହି ଲୋକପାଳ ସମ ।
ତୁ ଯାହାକୁ ନ ରଖିବୁ ତାକୁ କେ ରଖିବ
ବିରାଡ଼ି ଆଗରେ କାହୁଁ ମୂଷିକ ରହିବ ।
ମଣ୍ଡୁକୀ ସଙ୍ଗତେ କାହିଁ କାଳସର୍ପ ରଣ
ଛାଗଳ କି ହୋଇପାରେ ସିଂହର ସମାନ ।
ଛାରଗଉଡ଼ ପ୍ରଡା ତ ଦାସର ସେ ଦାସ
ତାହାର ଉପରେ ପୁଣି ଏଡ଼େ ଅମରଷ ।
ଦେବେ ପରିଚାରପଣେ ଖଟିଛନ୍ତି ତୋତେ
ଗୋରୁ ରଖୁଆଳଙ୍କର ବଳ ଅବା କେତେ ।
ମୂର୍ଖବୁଦ୍ଧିପଣେ ସିନା ଅରଜିଲା ଦୋଷ
ତାହାଙ୍କୁ ଜିଣିଲେ କିଛି ନାହିଁ ପଉରୁଷ ।
ବାବୁ ତୁନହି ଅଟୁ ଦିଗପାଳ ଚୂଡ଼ାମଣି
ଛୋଟ ଲୋକଙ୍କ ଉପରେ ଏଡ଼େକ ପଲାଣି ।
ଧୈର୍ଯ୍ୟ ଧରିଣ ବିଚାର ଆପଣାର ବୁଦ୍ଧି
ଯେସନ ପ୍ରକାରେ ଶତ୍ରୁ ହୁଏ ପୁଣି ସାଧି ।
ବୃଥାରେ ତମ କରିଲେ ବହୁ ହାନି ପାଇ
ବଡ଼ ଭୋକିଲା ହେଲେ କି ବେନି କରେ ଖାଇ ।
କ୍ରୋଧ ସମ୍ୱରଣ କର ବରଗିବା ଦୂତ
ତେବେ ସିନା ଜାଣିବାଟି କଥାରେ ତଦନ୍ତ ।
ଏ ଘାନ୍ତି ପୁଅଙ୍କୁ ଘେନି ଯେବେ ନ ଆସଇ
ତେବେ ଯାଇ ତାର ସଙ୍ଗେ କରିବା ଲଢ଼ାଇ ।
ସାମାନ୍ୟ ଶତ୍ରୁ ନୁହେଁ ତ ସେହି ଦେବହରି
ଦେଖୁଁ ଦେଖୁଁ ଅଷ୍ଟମଲ୍ଲ ପକାଇଲା ମାରି ।
ଜଣେ ବର୍ତ୍ତି ନ ଅଇଲା ସର୍ବେ ତହିଁ ମଲେ
ଷଣ୍ଢ ତୃଣା ବକ କେଶୀ ଯାମଳାର ତୁଲେ ।
ଜଣେ ଜଣେ ସୃଷ୍ଟି ଜିଣି ପାରନ୍ତି ସେ ଏକା
ଦେଖୁଁ ଦେଖୁଁ ନାଶକଲା ସେ ଗଉଡ଼ଟୋକା ।
ତୁହିକି ନ ଜାଣୁ ବାବୁ କହିବି ମୁଁ କିସ
ଡକାଇ ଆଣି ଏଠାରେ ଦେବା ତାଙ୍କୁ ବିଷ ।
ଏ ରୂପେ କହନ୍ତେ ଉଗ୍ରସେନ ହିତବାଣୀ
ସନ୍ତୋଷ ହୋଇଲା ବୀର ପିତା ବୋଲ ଶୁଣି ।
ବାହୁଡ଼ି ଆସନ ମାଡ଼ି ବସେ ସିଂହାସନେ
କି ଉପାୟ କରିବଇଁ ଭାଳେ ପଞ୍ଚମନେ ।
ଏଡ଼େ ଯାତ୍ରା ଭିଆଇଲି ଯାହାର ନିମନ୍ତେ
ନିସତ ହୋଇଲି କାର୍ଯ୍ୟ ନୋହିଲା କିଞ୍ଚିତେ ।
ଶୂନ୍ୟକୁ ଚାହିଁ ନିଶ୍ୱାସ ଛାଡ଼େ ଦଣ୍ଡଧାରୀ
କ୍ରୋଧରେ ନୟନ ଫାଟି ବହେ ଅଶ୍ରୁବାରି ।
ମନ ଛନ୍ନଛନ୍ନ ତାର ହୁଏ ନିରନ୍ତର
ରାମ କୃଷ୍ଣ ଚିନ୍ତାବିଷ ଘାରଇ ଶରୀର ।
ଜୟ ନୀଳାଚଳବାସୀ ଆହେ ଜନାର୍ଦ୍ଦନ
ଜୟ ଜୟ ଦାମୋଦର ପତିତପାବନ ।
ଜୟ ଜୟ ଜଗନ୍ନାଥ ଅଘାସୁର ବୈରି
ଜୟ ଜୟ ଜଗନ୍ନାଥ ଗୋପୀମନୋହାରୀ ।
ଜୟ ଜୟ ଜଗନ୍ନାଥ ଶରଣ ସୋଦର
ଅଚ୍ୟୁତାନନ୍ଦ ଦାସ ତୋ ପାଦରେ କିଙ୍କର ।
କଂସର ଆଜ୍ଞା ଘେନି ଅକ୍ରୂରର ଗୋପପୁରକୁ ଗମନ ଓ ରାମ କୃଷ୍ଣଙ୍କ ସହିତ ସାକ୍ଷାତ
[ସମ୍ପାଦନା]ଏଥୁଅନ୍ତେ ପରୀକ୍ଷିତ ରାଜା ପଚାରଇ
ତଦଅନ୍ତେ କିସ କଲା ଭୋଜ ନରସାଇଁ ।
ଶୁକମୁନି ବୋଇଲେକ ଅକ୍ରୂରକୁ ଡାକି
ନିଜେ ବୀରମଣି ତାର କରେ ପତ୍ର ଲେଖି ।
ଗୋପପୁରେ ପଠାଇଲା ହୋଇ ଆନନ୍ଦିତ
କହୁଅଛି ଶୁଣ ଏବେ ସେ ପତ୍ର ଯେମନ୍ତ ।
ପ୍ରଥମେ ସ୍ୱସ୍ତି ଶ୍ରୀଭୋଜନୃପ ବୀରବର
ମନକର୍ଣ୍ଣ ଦେଇ ଶୁଣରେ ନନ୍ଦ ଗୁଆଁର ।
ପବିତ୍ରକୁଳରେ ଜାତ ଉଗ୍ରସେନ ରାଜା
ତାହାଙ୍କ ଜ୍ୟେଷ୍ଠ କୁମର କଂସ ମହାତେଜା ।
ଚଉଦ ଭୁବନେ ଯାର ବୁଲଇ ଶାବେଳି
ବାହୁବଳେ ପୃଥିବୀ ଯେ ବାରଗର୍ବେ ଦଳି ।
ଦେବତାମାନେ ଖଟନ୍ତି ଯେ ବୀର ପାଦରେ
ଚୌରାଶୀ କୋଟି ଯାଦବ ଛନ୍ତି ପଟୁଆରେ ।
ରାଜା ମହାରାଜାଗଣ ଯାହାଙ୍କ କିଙ୍କର
ଯା ନାମେ ଚମକ ପଡ଼େ ଚତୁର୍ଦ୍ଦଶ ପୁର ।
ଗର୍ଭିଣୀ ବାଟ ଛାଡ଼ଇ ଯାହା ନାମ ଶୁଣି
ଦିଗପାଳ ସମାନରେ ଯାହାର କରଣୀ ।
ଇନ୍ଦୁମତୀ ମାତା ଯାର ଅଟଇ ଯୁକତେ
ଯେବଣ ଲୋକକୁ ଚାହିଁ ଦେବେ କୋପ ନେତ୍ରେ ।
ତାହାକୁ କିଏ ରଖିବ ତିନି ଭୁବନରେ
ସେ ଏବେ ପତ୍ର ଲେଖନ୍ତି ତୋର ନିକଟରେ ।
ଧନୁଯାତ୍ରା ଆମ୍ଭେ ଏକ କରିଛୁ ଭିଆଣ
ରାଜା ମହାରାଜାମାନେ ଆସିଛନ୍ତି ଜାଣ ।
ଦେବତା ଋଷି ବ୍ରାହ୍ମଣ ଅଛନ୍ତି ଯେ ପୂରି
ନବଦିନ ଯାଏ ଯାତ୍ରା ହୋଇବ ଆମ୍ଭରି ।
ରାମ କୃଷ୍ଣ ନାମେ ତୋର ଯେ ବେନି ଚନ୍ଦନ
ତାହାଙ୍କୁ ଘେନିଣ ସଙ୍ଗେ ଆସ ତୁ ବହନ ।
ଦୁଧ ଦହିମାନ ଶୀଘ୍ର ଦେବୁ ପଠିଆଇ
ପଛେ ପୁତ୍ରଙ୍କୁ ଘେନିଣ ଆସିବୁଟି ତୁହି ।
ଆମ୍ଭର ଆଜ୍ଞା ଅବଜ୍ଞା କରିବୁ ତୁ ଯେବେ
ଗୋପନଗ୍ର ମାଡ଼ିବଇଁ ନେଇ ସିନ୍ଧୁଗର୍ଭେ ।
ଗଉଡ଼ ନାମ ଜଗତେ ନ ରଖିବି ଜାଣ
ବଂଶ ସହିତରେ ତୋତେ କରିବି ନିଧନ ।
କଦାପି ମୋର ଆଗରୁ ନ ଯିବୁରେ ବର୍ତ୍ତି
ବସିଲା ଥାନରୁ ଉଠି ଆସ ତୁହି ଇତି ।
ଏ ରୂପେ ପତ୍ର ଲେଖାଇ ଅକ୍ରୂରକୁ ଦେଲା
ବହୁତରୂପେ ତାହାକୁ ତିଆରି କହିଲା ।
ତୁହିଁ ଅଟୁ ମୋହର ଏ ରାଜ୍ୟକୁ କାରେଣି
ଏ ଯଦୁବଂଶରେ ତୁହି ଅଟୁ ଚୂଡ଼ାମଣି ।
ଯଦ୍ୟପି କି ଅନୁଗ୍ରହ ଅଛି ମୋ ଉପରେ
ଏହିକ୍ଷଣି ଯିବ ତୁମ୍ଭେ ସେ ଗୋପନଗରେ ।
ଶ୍ରୀମୁଖ ଦେଇ କହିବୁ ନନ୍ଦ ଗୌଡ଼ ଆଗେ
ରାମ କୃଷ୍ଣ ସଙ୍ଗେ ଘେନି ଆସୁ ଅତି ବେଗେ ।
ବହୁତରୂପେ କହିବ ଦେଖାଇଣ ଟାଣ
ସଦ୍ଭାବେ ନଇଲେ ଦେବ ମୋହର ଯେ ରାଣ ।
ତୁମ୍ଭେ ମୋର ମହାମନ୍ତ୍ରୀ ରାଜ୍ୟକୁ କାରେଣି
ଉପାୟ କରିଣ ରାମ କୃଷ୍ଣେ ଭେଟା ଆଣି ।
ବିଳମ୍ୱ ନ କରି ମନ୍ତ୍ରୀ ଏହିକ୍ଷଣି ଚଳ
କଲ୍ୟାଣ କରୁଛି କାର୍ଯ୍ୟ ହେଉ ସୁମଙ୍ଗଳ ।
ଏତେ ବୋଲି ରାଜା ଶାଢ଼ୀ ଗୁଆ ପାନ ଦେଲା
ସିଂହାସନୁ ଉଠିଯାଇ କୋଳ ତାକୁ କଲା ।
ଆପଣା ଗଳାରୁ କାଢ଼ି ପୁଣି ରତ୍ନହାର
ଅକ୍ରୂର କଣ୍ଠେ ଲମ୍ୱାଏ କରି ସମାଦର ।
ରତ୍ନ ମାଣିକ୍ୟ ମୁକୁଟ ବାନ୍ଧେ ନେଇ ମାଥେ
ଚୂଆ ଚନ୍ଦନ ଅତର ଲେପେ ନିଜହସ୍ତେ ।
ପ୍ରବୋଧ ବଚନମାନକହେ ପୁଣି ପୁଣି
ଯେରୂପେ ରାମ କୃଷ୍ଣଙ୍କୁ ଦିଅ ମୋତେ ଆଣି ।
ଅକ୍ରୁର ବୋଇଲା ଗଉରବ କରୁ କେତେ
ଅବଶ୍ୟ ରାମ କୃଷ୍ଣଙ୍କୁ ଆଣି ଦେବି ତୋତେ ।
କଳ କଉଶଳେ ଆଣି ଭେଟାଇବି ତାଙ୍କୁ
ମନରେ ଶୋଚନା ରାୟେ ନ କର ଏଥକୁ ।
ଅନେକ ବାଳ ଗୋପାଳ ଆସିବେ ସଙ୍ଗରେ
ଦ୍ୱନ୍ଦ୍ୱ ଯଦ୍ୟପି କରନ୍ତି ତୁମ୍ଭ ସହିତରେ ।
ତେବେ ମୋର ଦୋଷ ପ୍ରଭୁ ପଛେ ନ ବାଛିବ
ତେତେବେଳେ ଯେ ଉପାୟ ସେ କଥା କରିବ ।
ବିଜୁଳି କନ୍ୟାର କଥା ଫଳିଲା ଯୁକତେ
କେଉଁ ଦେବତା ଗୋପରେ ଜନ୍ମିଛି ଗୁପତେ ।
ଅନ୍ତୁଡ଼ିଶାଳରେ ଯେହୁ ପୂତନା ମାଇଲା
ପାଦ ଲାଗନ୍ତେ ଶକଟା ଜୀବ ବିସର୍ଜିଲା ।
ଅଘାସୁରକୁ ମାଇଲା ବୃନ୍ଦାବନେ ପଶି
ତୃଣାବର୍ତ୍ତ ବକ୍ଷସ୍ଥଳ ବିଦାରି ଆକର୍ଷି ।
କପଟରେ ଷଣ୍ଢା ଥିଲା ଗୋରୁଙ୍କର ମେଳେ
ଶୃଙ୍ଗ ଉପାଡ଼ି ନାଶିଲା ତାକୁ ଅବହେଳେ ।
କାଳୀୟ ନାଗର ଗର୍ବ ପାଦରେ ଦଳିଲା
ବିଷଜଳକୁ ଯେ ପୁଣି ନିର୍ବିଷ କରିଲା ।
କେଶୀକି ସଂହାର କଲା ମୁଖେ କର ଭରି
ଇନ୍ଦ୍ର ବିବାଦ କରିଣ ଗଲା ଯାକୁ ହାରି ।
ଦ୍ୱାଦଶ ଯୋଜନ ଯେଉଁ ଗିରି ଦୀର୍ଘ ପ୍ରତି
ଦ୍ୱାଦଶ ଦିବସ ଯାଏ କରେ ଯାର ସ୍ଥିତି ।
କୋପେଣ ବଜ୍ର ମାଇଲା ଦେବ ପୁରନ୍ଦର
ଶ୍ରୀକରେ ବାଜିଣ ହୋଇଗଲା ଶତେ ଚୂର ।
ଲାଜ ପାଇ ଦେବ ଇନ୍ଦ୍ର କରି ପାଦପୂଜା
ଉପେନ୍ଦ୍ର ବୋଲିଣ ନାମ ଦେଲା ସୁରରାଜା ।
ଗୋବତ୍ସାମାନଙ୍କୁ ବ୍ରହ୍ମା ଗୋପନରେ ହରି
କୁଶବଟୁ ଭବନରେ ରଖେ ଯତ୍ନକରି ।
ଏସନ ମାୟା ଜାଣଇ ସେ ନନ୍ଦନନ୍ଦନ
ଯେ ଯେଉଁ ରୂପରେ ବତ୍ସା ଭିଆଏ ତକ୍ଷଣ ।
ବରଷକ ଯାଏ କେହି ଜାଣି ନ ପାରିଲା
ଲାଜପାଇ ପିତାମହ ବାହୁଡ଼ାଇ ଦେଲା ।
କହନ୍ତେ ନ ସରଇ ସେ ନନ୍ଦସୁତ କଥା
ମନୁଷ୍ୟ ନୁହଇ ସେ ତ କେବଣ ଦେବତା ।
କଂସ ବୋଇଲା ହେ ମନ୍ତ୍ରୀ ଭୁଲାଇ ନ କହ
ସେ କଥା ଶୁଣନ୍ତେ ମୋର କମ୍ପୁଅଛି ଦେହ ।
ମୋର ବାହୁବଳେ ମୁହିଁ ଜଗତ ଜିଣିଲି
ଦେବଭଣ୍ଡାର ସବୁ ତ ମଥୁରା ଆଣିଲି ।
ରାଜା ମହାରାଜା ଦୈତ୍ୟ ଦେବତାଙ୍କୁ ହେଳେ
ସାଧ୍ୟକରି ଖଟାଇଲି ଆଣି ପାଦତଳେ ।
ଗଉଡ଼ ବାଉଡ଼ ସେ ତ ହାଉଡ଼ିଆ ଜାତି
ତାହାଙ୍କୁ ମୋହର କିସ ଭୟ ଆହେ ମନ୍ତ୍ରୀ ।
ଅକ୍ରୂର ବୋଇଲା ପ୍ରଭୁ ତୁମ୍ଭର ଯେ ଆଜ୍ଞା
ସେବକ ହୋଇ ଭାଙ୍ଗି କି ପାରେ ସ୍ୱାମୀ ପ୍ରଜ୍ଞା ।
ଏହା କହି ଧାତିକାରେ ଆରୋହିଲା ଯାନ
ରାତି ତିନିଘଡ଼ି ଥାଉଁ ଗୋପକୁ ଗମନ ।
ସାରଥିକି ଆଜ୍ଞାଦେଲା ପଦ୍ମାବତୀ ସୁତ
ନିମିଷକେ ଗୋପନଗ୍ରେ ପ୍ରବେଶାଅ ରଥ ।
ଶୁଣିଣ ସାରଥି ରଥ ବାହଇ ହାମ୍ପୋଳି
ପକ୍ଷୀ ପ୍ରାୟ ଅଶ୍ୱ ଗଣେ ଯାଉଛନ୍ତି ଚଳି ।
ମନ ପବନ ପରାୟେ ଉଡ଼ି ଶୂନ୍ୟମାର୍ଗେ
ଦେଖିକରି ଦେବଗଣ ବିଚାରନ୍ତି ସ୍ୱର୍ଗେ ।
ବୃହସ୍ପତିଙ୍କି ରାଇଣ ବୋଲେ ସୁରରାୟେ
ଅର୍ଦ୍ଧ ଆକାଶେ ଉଡ଼ଇ ରଥ ଯେ ଗୋଟାଏ ।
ଆଦିତ୍ୟ ଦେବତା ପ୍ରାୟ ବିରାଜଇ ଜ୍ୟୋତି
ମଥୁରାକୁ ବାହାରେ ସେ ପଶ୍ଚିମ ମୂରତି ।
ବୃହସ୍ପତି ବୋଇଲେ ହୋ ଶୁଣ ସୁନାସୀର
ଗୋପକୁ ଦୂତପଣରେ ଯାଉଛି ଅକ୍ରୁର ।
କଂସର ଶ୍ରୀହସ୍ତ ପତ୍ର ନନ୍ଦେ ଦେବ ନେଇ
ମଥୁରାକୁ ଆସିବେ ଯେ ପ୍ରଭୁ ଭାବଗ୍ରାହୀ ।
ରଜନୀ ପାହିଲେ କାଲି ହେବ ବହୁକାର୍ଯ୍ୟ
ଆକାଶେ ଥାଇ ଦେଖିବା ଆହେ ସୁରରାଜ ।
ଆଦିତ୍ୟ ଅସ୍ତ ସମୟେ କଂସ ଯିବ କ୍ଷୟେ
ଦେଖିବା ଯେ ନିରଞ୍ଜନ ପ୍ରଭୁ ଦେବରାୟେ ।
ପୃଥିବୀର ଭାରାଭର ହୋଇବ ଉଶ୍ୱାସ
ବଇକୁଣ୍ଠବାସୀ ନିଶ୍ଚେଁ ଏହୁ ବିଶ୍ୱବାସ ।
ମଧ୍ୟସ୍ଥପଣେ ଅକ୍ରୂର ନେଉଅଛି ରଥ
ରାମ କୃଷ୍ଣେ ନେବ କାଲି ଆହେ ପୁରୁହୂତ ।
କାଲିଠାରୁ ଗୋପନଗ୍ର ଛାଡ଼ି ଦେବହରି
ମଥୁରାରେ ରହିବେ ସେ ଭାଇ ସଙ୍ଗେ ଧରି ।
ବୃହସ୍ପତିଙ୍କ ବଦନୁ ଏ ରୂପରେ ଶୁଣି
ଅନେକ ସାନନ୍ଦ ହେଲା ଦେବ ବଜ୍ରପାଣି ।
ଏଥୁ ଅନନ୍ତରେ ଶୁଣ ପରୀକ୍ଷ ନୃବର
ରହୁବର ଆରୋହିଣ ଚଳଇ ଅକ୍ରୁର ।
କହୁ କହୁ ବିମାନ ଯେ ଚଳେ ଅତିବେଗେ
ତୁରିତେ ମିଳିଲା ଯାଇ ଗୋପପୁର ଭାଗେ ।
ରଜନୀ ଶେଷ ହୁଅନ୍ତେ ହୋଇଲା ପ୍ରଭାତ
ରଟିଲେ ଯେ ତାମ୍ରଚୂଡ଼ ହୋଇ ଆନନ୍ଦିତ ।
ଦେବଆଳେ ଶଙ୍ଖଧ୍ୱନି ବୃକ୍ଷେ ଡାକେ କାକ
କବାଟ ଫେଡ଼ି ଦାଣ୍ଡକୁ ବାହାରନ୍ତି ଲୋକ ।
ଏକାଳେ ଅକ୍ରୂର ହେଲା ଯମୁନାକୁ ପାରି
ନଦୀତୀରେ ରଥ ଚଳେ ଧୀର ଧୀର କରି ।
ଗୋଧିକା ଘାଟ ନିକଟେ ଅଛି କୁଞ୍ଜବନ
ଅତି ପବିତ୍ର ଭୂମି ସେ ହରି କ୍ରୀଡ଼ାସ୍ଥାନ ।
ଅବସନ୍ତରେ ବସନ୍ତ ବହେ ଅନୁକ୍ଷଣେ
ପୁଷ୍ପଫଳେ ଶୋଭାପାନ୍ତି ଲତା ତରୁଗଣେ ।
ଯେ ଭୂମି ଦେଖିଲେ ମୁଗ୍ଧ ହ୍ୱନ୍ତି ସୁରମୁନି
ଅତି ପୁଣ୍ୟମୟ ଭୂମି ନାହିଁ ପୁର ତିନି ।
ଜାଇ ଯୂଥିକା କାଞ୍ଚନ ମଲ୍ଲିକା ମାଳତୀ
ଚମ୍ପକ କେତକୀ କୁରୁବେଲି ଯେ ସେବତୀ ।
ବୃନ୍ଦାହୁଳ କନିଅର କିଆ ଗନ୍ଧବେଣା
ପୁନ୍ନାଗ ପାଟଳି ଆଉ ଅଶୋକ ଦୟଣା ।
କୁନ୍ଦ ଛୁରିଅନା ଆଦି ନାନା ପୁଷ୍ପ ତରୁ
ପୂରିବାରୁ ସେହି ଭୂମି ଦିଶେ ଅତି ଚାରୁ ।
ଯଦ୍ୟପି ଶୁଖିଲା ପତ୍ର ବୃକ୍ଷୁଁ ପଡ଼େ ଝଡ଼ି
ପବନ ବହନ୍ତେ ପତ୍ର ଯାଏ ସବୁ ଉଡ଼ି ।
ତୃଣ ବିବର୍ଜିତ ହେତୁ ଦିଶେ ଶୋଭାବନ୍ତ
ଦେଖିଲେ ମନ ନୟନ ହେବ ସ୍ତମ୍ଭୀଭୂତ ।
ଝଣ୍ଟା କଣ୍ଟା ବିବର୍ଜିତ ନିଗମ କାନନ
ନବପଲ୍ଲବମାନଙ୍କେ ଦିଶେ ଆନୁଆନ ।
ଫଳ ଲମ୍ୱିବାରୁ ବୃକ୍ଷେ ଦିଶନ୍ତି ସୁସଞ୍ଚ
ନାହିଁ ପଟାନ୍ତର ଯାକୁ ସ୍ୱର୍ଗ ଆଦି ମଞ୍ଚ ।
ବୃକ୍ଷମୂଳେ ସ୍ୱର୍ଣ୍ଣ ଚୌରା ଦିଶଏ ବିତପନ
ନବରକୁ ପୀଢ଼ ଅତିଶୟ ଶୋଭାବନ ।
ତଦନ୍ତେ କଦମ୍ୱ ତରୁ ଦିଶନ୍ତି ଯେ ଶୋଭା
ବସନ୍ତ ବାୟୁର ତହିଁ ବାରମାସ ପ୍ରଭା ।
ଅହର୍ନିଶି ହରି କ୍ରୀଡ଼ା କରନ୍ତି ତା ତୁଲେ
ସୁଗନ୍ଧ ପବନ ବହୁଥାଏ ସୁଶୀତଳେ ।
ନନ୍ଦନବନୁ ଅଧିକେ କୋଟିଗୁଣେ ଶୋଭା
ବୃଦ୍ଧଲୋକ ହେଲେ ହୁଏ ଯହିଁ ନବଯୁବା ।
କାଳିନ୍ଦୀ ନାମରେ ହ୍ରଦ ସଙ୍ଗମ ସେଠାରେ
ତାହାର ସଲିଳ ସିଦ୍ଧ ସାଧୁ ମନ ହରେ ।
ଯହିଁ ଗୋପୀଘେନି କ୍ରୀଡ଼ା କରନ୍ତି ଶ୍ରୀହରି
ତହିଁର ମହିମା କେବା ମୁଖେ କହିପାରି ।
କେଟିରୂପ ବହିଣ ଯେ ଆପେ ବିଶ୍ୱକର୍ମା
ଅନୁକ୍ଷଣେ ନିର୍ମାଣିଛି ଯେ ଭୂମିର ସୀମା ।
ତେତିଶ କୋଟି ଦେବତା ମୂର୍ତ୍ତିମନ୍ତ ହୋଇ
ଗୁପତେ ସ୍ଥାବରରୂପେ ଛନ୍ତି ଯହିଁ ରହି ।
ଶଶା ଶାଳେହା ଆବର ଯୁଆଦ ଯେ ଗଣ୍ଡା
ମୃଗ ହରିଣ ବାହୁଟି ବରେହା ଭେରଣ୍ଡା ।
ବ୍ୟାଘ୍ର ଭଲ୍ଲୁକ ମୂଷିଳ ହସ୍ତୀ ଆଦି ଯେତେ
ହିଂସା ନ ବହିଣ ରହିଥାନ୍ତି ଅନୁବ୍ରତେ ।
ଅଗାଧ ଗଭୀର ସେହି କାଳିନ୍ଦୀର ଜଳ
ବାରମାସ ପଦ୍ମ ଫୁଟେ ନୀର ସୁଶୀତଳ ।
ଖରା ବରଷା ସେଠାରେ ନ ହୁଅଇ ବାଧା
ଯତ୍ନେ ନିର୍ମାଣିଛି ଧାତା ମନେ ବହି ଶ୍ରଦ୍ଧା ।
ଦେଖି ତାହା ଅକ୍ରୂରର ଆନନ୍ଦିତ ମତି
ପୁଲକିତ ରୋମାବଳି ଚାହେଁ ଚଉକତି ।
ଏକକୁ ଆରେକ ଶୋଭା ଅତିଶୟ ଦିଶେ
ବେଳୁବେଳ ମନ ତାର ଅଧିକ ଉଲ୍ଲାସେ ।
ଅକ୍ରୂର ଭାଳଇ ମୁହିଁ ନିସ୍ତରିଲି ଆଜ
ଚର୍ମଲୋଚନେ ଦେଖିବି ପ୍ରଭୁ ଦେବରାଜ ।
ପ୍ରତ୍ୟେକ୍ଷେ ପରମାନନ୍ଦ ବିଶ୍ୱରୂପ କାୟେ ।
ଅଶେଷ କୋଟି ବ୍ରହ୍ମାଣ୍ଡେ ପୂରିଛି ଯା ମାୟା
ଭାରା ନିବାରଣ ପାଇଁ ଧରି ନରକାୟା ।
ଏହି କୁଞ୍ଜବନେ ସେହି ଗୋପୀଙ୍କର ସଙ୍ଗେ
ବିବିଧ କ୍ରୀଡ଼ା କରନ୍ତି ବୁଲି ନାନା ରଙ୍ଗେ ।
ଧନ୍ୟ ଏହି ତରୁମାନେ ଧନ୍ୟ ପୁଷ୍ପଲତା
ନିଶ୍ଚୟେ ଗୁପତେ ଏହୁ ଅଟନ୍ତି ଦେବତା ।
ନୋହିଲେ କି ୟାଙ୍କ ତଳେ ଉଭା ଦେବହରି
ବଇକୁଣ୍ଠ ବାଞ୍ଛାବଟ ନୁହେଁ ୟାଙ୍କ ସରି ।
ମଞ୍ଚାଳନ୍ତି ଯେଉଁ ପଦ୍ମପାଦ ଲକ୍ଷ୍ମୀଦେବୀ
ଯେ ପାଦେ ଭକ୍ତି କରିଲେ ଗତିମୁକ୍ତି ଲଭି ।
ଯେଉଁ ପାଦପଦ୍ମ ଲାଗି ହନୁ ମହାଜ୍ଞାତା
ଯେଉଁ ପାଦପଦ୍ମ ଲାଗି ପଥର ବନିତା ।
ଯେଉଁ ପଦ୍ମପାଦ ଚିନ୍ତି ପ୍ରହ୍ଲାଦର ମୁକ୍ତି
ଯେ ପାଦହେତୁ ଧ୍ରୁବର ଧ୍ରବୁଲୋକେ ସ୍ଥିତି ।
ଯେଉଁ ପାଦ ଆଶ୍ରାକରି ବ୍ରହ୍ମା ସୃଷ୍ଟି କଲା
ଯେଉଁ ପାଦଲାଗି ବିଭୀଷଣ ରାଜା ହେଲା ।
ଯେଉଁ ପାଦପଦ୍ମ ଲାଗି ଦୁନ୍ଦୁଭିର ମୁକ୍ତି
ଯେଉଁ ପାଦେ ପିଣ୍ଡଦାନ ଗୟାରେ ଦିଅନ୍ତି ।
ସେହି ପାଦପଦ୍ମେ ହରି ଏହିଠାରେ ଚାଲି
ଗୋଟିଏ ଗୋଟିଏ ଶମ୍ଭୁ ଅଟନ୍ତି ଏ ବାଲି ।
ଏଠାରେ ରାଧିକା ସଙ୍ଗେ ବିହରନ୍ତି ରଙ୍ଗେ
ନାନା ବିନୋଦ କରନ୍ତି ବାଳକଙ୍କ ସଙ୍ଗେ ।
ଷଣ୍ଢା ଶକଟା ଯାମଳା ବକା ଆଦିକରି
ସବୁଙ୍କୁ ଏହି ବନରେ ମାଇଲେ ଶ୍ରୀହରି ।
ଧନ୍ୟ ଏ କାଳିନ୍ଦୀ ଜଳ ଅତି ପରିମଳ
ଦଳପଙ୍କ ବିବର୍ଜିତ ଅତ୍ୟନ୍ତ ଶୀତଳ ।
ଶ୍ରୀକୃଷ୍ଣ କରନ୍ତି ଏହିଠାରେ ନାନାକେଳି
କାଣ୍ଡାରୀ ରୂପରେ ନାବ ବାହି ବନମାଳୀ ।
ବତ୍ସାଙ୍କୁ ପାଣି ଦିଅନ୍ତି ଗୋପାଳଙ୍କ ମେଳେ
ବସନ୍ତ ଉତ୍ସବ ଯାତ୍ରାକରି ରଙ୍ଗଭୋଳେ ।
କୌତୁକେ ଗୋପୀଙ୍କ ବସ୍ତ୍ର ଚୋରାଇଣ ନେଲେ
ଏ କଦମ୍ୱବୃକ୍ଷେ ନେଇ ଦୋଳି ଉକୁଚିଲେ ।
ଏ କଦମ୍ୱ ଡାଳେ ବସି ବଇଁଶୀ ବଜାଇ
ଗୋପୀଙ୍କୁ ମୋହିଲେ ଗୀତ ଗାନ୍ଧାରରେ ଗାଇ ।
କହୁଁ କହୁଁ ଅକ୍ରୂରର କଣ୍ଠ ଗଦ ଗଦ
ଭକତ ଜାଣଇ ସିନା ଭାବର ଯେ ସ୍ୱାଦ ।
ରଥୁ ଓହ୍ଲାଇ କଦମ୍ୱ ବୃକ୍ଷ ପାଶେ ଗଲେ
ବୃକ୍ଷେ ପ୍ରଦକ୍ଷିଣ କରି ନମସ୍କାର କଲେ ।
ବୃକ୍ଷମୂଳୁଁ ଧୂଳି ଆଣି ଦେହେ ହେଲେ ବୋଳି
ଥୋକେରେଣୁ ଗର୍ଭେ ଥୋକେ ମୁଣ୍ଡେବୋଳି ଧୂଳି ।
ଅନେକ ବିନୟ ଭାବେ ସ୍ତୁତି ପାଠକରି
ନିସ୍ତରିଲି ବୋଲି ହୃଦ ମଧ୍ୟରେ ବିଚାରି ।
ଏଥୁ ଅନ୍ତରେ ପରୀକ୍ଷ ଶୁଣ ଆନବାଣୀ
ଗୋପ ନଗର ଭିତରେ ପ୍ରବେଶ ଅକ୍ରୂର
ସାରଥି ଯେ ରଥଗୋଟି ବାହେ ଧୀର ଧୀର ।
କାଖରେ ହସ୍ତ ଭରିଣ ଚଳଇ ଅକ୍ରୂର
ପ୍ରତ୍ୟେକ୍ଷେ ଅଳକା ପରି ଦିଶେ ସେ ନଗର ।
କୋଟିପାଦେ କମଳିନୀ ବିଜେକରି ଯହିଁ
ରଙ୍ଗାବତାର ହୋଇଲେ ଯହିଁ ଭାବଗ୍ରାହୀ ।
କହନ୍ତେ ଦୁର୍ଲ୍ଲଭ ଦେଖିବାକୁ ଦିବ୍ୟଶୋଭା
ଅତିବୃଦ୍ଧ ପଶି ଯହିଁ ହ୍ୱନ୍ତି ନବଯୁବା ।
ଗୋବିନ୍ଦ ପ୍ରସନ୍ନେ ଅଙ୍ଗେ କାର ନାହିଁ ପାପ
ସୁକୁମାର ସୁଲକ୍ଷଣ ସମସ୍ତଙ୍କ ରୂପ ।
ଶୁକ ଜନକ ସନକ ବିଶ୍ୱାମିତ୍ର ଯହିଁ
ଗୁପତେ ଗୋବିନ୍ଦ ସଙ୍ଗେ ଛନ୍ତି ଦେହବହି ।
ଖୁଡ଼ ମହାଖୁଡ଼ ଦାସ ପଲେଇ ଯେ ଭୋଇ
ସେନାପତି ମଲ୍ଲ ଆଉ ମହାମଲ୍ଲ ଥାଇ ।
ସେମାନଙ୍କର ଅଟନ୍ତି ଗୋରୁ ଅପ୍ରମିତା
ସୁରଭୀଙ୍କର ବତ୍ସା କେ କରିବ ଗଣିତା ।
ଲକ୍ଷେକୋଟି ଅରବୁଦ ସସ୍ରେଭାର ଘୃତ
ପ୍ରତିଦିନ ଯେଉଁପୁରେ ହୁଅଇ ଉଦ୍ଭୁତ ।
ରୋଗ ଶୋକ ବିବର୍ଜିତ ସର୍ବେ ପୁଣ୍ୟମୟେ
ଅକାଳ ମରଣ ନାହିଁ ନାହିଁ ଶତ୍ରୁଭୟେ ।
ଆନ କିସ ପଟାନ୍ତର ଦେବା ଯେ ତହିଁକି ।
ନବଲକ୍ଷ ଗୃହ ବସେ ଯେଉଁ ଗୋପପୁରେ
ଦଶ ବିଂଶ ଖୁଆ ବୁଲେ ଏକ ଏକ ଘରେ ।
ରାତି ପାହାନ୍ତାରୁ ବେଳ ପହରେକ ଯାଏ
ଦଧି ମନ୍ଥନ ଶୁଭଇ ସିନ୍ଧୁ ଘୋଷ ପ୍ରାୟେ ।
ସୁନ୍ଦରୀ ସୁକୁମାରୀ ଯେ ସୁଲକ୍ଷଣୀ ନାରୀ
ନିତ୍ୟକର୍ମରେ ଲାଗନ୍ତି ସର୍ବେ ଯେ ଯାହାରି ।
ଅକ୍ରୂର ଆସନ୍ତେ ଦେଖି ସର୍ବ ଗୋପଗୋଈ
ମନ ମଧ୍ୟେ ବିଚାରନ୍ତି ଏହିରୂପେ ତହିଁ ।
କେହୁ ବୋଲଇ ଏ ଅଟେ କଂସରାଜା ଲୋକ
କେ ବୋଲଇ ଧରିନେବ ଗୋପପୁର ଯାକ ।
କେ ବୋଲେ ଏହାକୁ ଅବା କଂସ କୋପ କଲା
ସମ୍ପଦ ନେଇ ରାଜ୍ୟରୁ ତଡ଼ି ଅବା ଦେଲା ।
କେ ବୋଲେ କଂସର ଲାଗି ହେବ ସବୁ କ୍ଷୟ
ଗୋପପୁରକୁ କେବଳ କରେ ସିନା ଭୟ ।
ଏବେ ଏହାକୁ ପଠାଇଅଛି କି ବିଚାରି
ଅସୁରଙ୍କର ମାୟାକୁ କେବା ଜାଣିପାରି ।
କେ ବୋଲେ ଏହାର ସଙ୍ଗେ କରିବା ସଦ୍ଭାବ
କେ ବୋଲେ ବାଛିଣ ଦେବା ଭଲ ଭଲ ଦ୍ରବ୍ୟ ।
କେ ବୋଲେ ମନରେ ମହାଭୟ ତ ଲାଗୁଛି
ଶ୍ରୀମୁଖ ଗୋଟାଏ ଗଳଦେଶେ ଲମ୍ୱିଅଛି ।
ଏସନକ ବିଚାରନ୍ତି ଗୋପୀ ଗୋପଲୋକ
ଅକ୍ରୂର ଗମଇ ଧୀରେ ଭଳି ପଦ୍ମମୁଖ ।
ପଛେ ଗୋଡ଼ାଇ ଅଛନ୍ତି ଗୋପ ନରନାରୀ
ଆଗରେ ଚଳେ ଅକ୍ରୂର ଭଜି ରାମହରି ।
ନଗ୍ର ଉପାନ୍ତେ ଗୋମତ ପର୍ବତର ତଳେ
କଦମ୍ୱ ବନ ନିକଟେ ଗୋଷ୍ଠ ବୋଲାଉଳେ ।
ଗୋପାଳେ ତହିଁ ଯାଇଣ ଦୁହନ୍ତି ଯେ ଗାଈ
ଛନ୍ଦଣି ଠେକିମାନ ସେ ଯା ଯାହାରେ ନେଇ ।
ଅକ୍ରୂର ଆସିବା କଥା ଜାଣି ଦେବହରି
ବଳରାମଙ୍କ ସଙ୍ଗରେ ଯାନ୍ତି ଠେକି ଧରି ।
ଗୋପାଳଙ୍କ ବେଶ ଧରି ତହିଁ ବେନି ଭାଇ
ମୋହନ ମୂରଲୀରୂପେ ଦୁହିଁଲେକ ଗାଈ ।
ବାଛୁରୀ ମେଲି ଦେଇଣ ଦୁହନ୍ତି ସେ କ୍ଷୀର
ମୟୂରପୁଚ୍ଛ ଶୋଭଇ ତାଳୁକା ଉପର ।
ଗଳାରେ ହେମକଣ୍ଠି ଯେ ମାଳ ବ୍ୟାଘ୍ରନଖ
ତା ସଙ୍ଗେ ବିରାଜେ ପୁଣି ରତନ ପଦକ ।
ହସ୍ତରେ କଙ୍କଣ ଶୋଭେ ଅଙ୍ଗୁଷ୍ଠିରେ ମୁଦି
ଅଣ୍ଟାରେ ବିରହବେଣୁ ଦୁହୁଣିକୁ ଛନ୍ଦି ।
ଅଶେଷ ବିଶ୍ୱସଂସାର ଯାର ଗର୍ଭଗତେ
ସେ ପ୍ରଭୁ ଗାଈ ଦୁହିଁନ୍ତି ଗୌଡ଼ଙ୍କ ସଙ୍ଗତେ ।
ଶତଦଳ କମଳକୁ ଜିଣି ଯାର କାନ୍ତି
ସମୂର୍ଣ୍ଣ ଚନ୍ଦ୍ରମା ପ୍ରାୟ ବିରାଜଇ ଜ୍ୟୋତି ।
ପ୍ରତ୍ୟକ୍ଷେ ବ୍ରହ୍ମାଣ୍ଡନାଥ ମାନବାବତାର
ରତନ ପାଦୁକା ଶୋହେ ଯୁଗଳ ପୟର ।
ଖଣ୍ଡେଦୂରକୁ ଅକ୍ରୂର ଦେଖି ଦିବ୍ୟମୂର୍ତ୍ତି
ମସ୍ତକରେ କରଦେଇ କରେ ଦିବ୍ୟସ୍ତୁତି ।
ନମସ୍ତେ ନମସ୍ତେ ହରି ମଦନଗୋପାଳ
ଅକ୍ଷୟ ଅବ୍ୟୟ ନିରାକାର ଆଦିମୂଳ ।
ନମସ୍ତେ ହେ ବିଶ୍ୱମୂର୍ତ୍ତି ସଂସାର ଧାରଣ
ନମସ୍ତେ ହେ ଆଦିକନ୍ଦ ସ୍ୱାମୀ ନିରଞ୍ଜନ ।
ଭାରା ଉଶ୍ୱାସ ନିମନ୍ତେ ନରରୂପ ଧରି
ପୃଥିବୀରେ ମହାପ୍ରଭୁ ଅଛ ଅବତରି ।
ଜୟ ଆହେ ନାରାୟଣ ଜଗଜ୍ଜନବନ୍ଧୁ
ଅପାର କରୁଣା ତୋର ହେ କରୁଣା ସିନ୍ଧୁ ।
ଜୟ ଜୟ ନାରାୟଣ ଲକ୍ଷ୍ମୀଦେବୀ ନାହା
ଜୟ ନାରାୟଣ ହୁଅ ଅରକ୍ଷିତେ ସାହା ।
ଜୟ ଆହେ ନାରାୟଣ ଭକ୍ତ ପ୍ରାଣଧନ
ଜୟ ଆହେ ନାରାୟଣ ବିପଦ ଖଣ୍ଡନ ।
ସ୍ଥାବର ଜଙ୍ଗମ କୀଟଆଦି ଚାରିଖାନି
ସର୍ବହୃଦେ ପୂରିଅଛି ପ୍ରଭୁ ଚକ୍ରପାଣି ।
ଅଶେଷ ମହିମା ତବ କେ କରିବ ଅନ୍ତ
ପାଦପଦ୍ମ ଦେଖି ଆଜି ହୋଇଲି କୃତାର୍ଥ ।
ପୁଣ ପୁଣ ପ୍ରଣାମ ଯେ କରେ ପଢ଼ି ସ୍ତୁତି
ପୁଲକିତ ରୋମାବଳି ଆନନ୍ଦିତ ମତି ।
ନିଶ୍ଚେଁ ଜାଣିଲି ପାତକ ହେଲା ମୋର କ୍ଷୟେ
ଭେଟିଲଇଁ ପାଦପଦ୍ମେ ଯେଣୁ ଦେବରାୟେ ।
ଭୋ ଦେବ ପାପୀ ଅସୁର କଂସ ନାଶଯିବ
ପୃଥିବୀର ଭାରାଭର ଉଶ୍ୱାସ ହୋଇବ ।
ତୁମ୍ଭେ ଜନ୍ମ ହେଲ ଆସି ଏବେ ମର୍ତ୍ତ୍ୟଗତେ
ବସୁଧାର କଷ୍ଟ ସ୍ୱାମୀ ଫେଡ଼ିବା ନିମନ୍ତେ ।
ମୁଁ କିସ କହିବି ତୁମ୍ଭେ ନ ଜାଣ ବା କିସ
ନିହନ୍ତା ବିହନ୍ତା ସ୍ୱାମୀ ଅଟ ଜଗଦୀଶ ।
କଂସ ଆଜ୍ଞାପତ୍ର ଭୟେ ଘେନିଣ ଅଇଲି
ଏଠାରେ ଆସିଣ ତବ ଦର୍ଶନ ପାଇଲି ।
ଆକଟ କରିଣ ମୋତେ ଦେଇଅଛି ଲେଖା
ବିଚାରି କାର୍ଯ୍ୟ କରିବା ଯେ ତୁମ୍ଭର କକ୍ଷା ।
ଏସନକ ସ୍ତୁତି ତହିଁ କରନ୍ତେ ଅକ୍ରୁର
ପରମ ସାନନ୍ଦ ହେଲେ କୃଷ୍ଣ ହଳଧର ।
ଆସ ଆସ ବୋଲି ପ୍ରଭୁ ନିକଟେ ହକାରି
ତୁମ୍ଭେ ଆମ୍ଭେ ପଞ୍ଚଭୂତ ଆତ୍ମାସମ ସରି ।
ଶ୍ରୀହସ୍ତରେ ଆଉଁଷିଲେ ଅକ୍ରୂରର ଅଙ୍ଗ
ସବୁ ଅବତାରେ ତୁମ୍ଭେ ଅଟ ଆମ୍ଭ ସଙ୍ଗ ।
ଦେବ କାର୍ଯଅର୍ଥେ ଦୂତପଣରେ ଅଇଲ
ଆମ୍ଭପାଇଁ ତୁମ୍ଭେ ବହୁଶ୍ରମ ତ ପାଇଲ ।
ଯେ ଆଜ୍ଞା ଦେଇଅଛନ୍ତି କଂସ ନରନାହା
ଗୋପାଳଙ୍କୁ ମନାଇଣ କହ ସବୁ ତାହା ।
ତେବେ ଯାଇ କାର୍ଯ୍ୟସିନା ହୋଇବ ସାଧନ
ଶୁଣକରି ଅକ୍ରୂରର ହରଷିତ ମନ ।
ସେ ହରି ପାଦପଦ୍ମରେ ଥାଉ ମୋର ଚିତ୍ତ
ଅଚ୍ୟୁତ ପାଦୁକା ଭଜି ବୋଲଇ ଅଚ୍ୟୁତ ।
ଶୁକମୁନି କହୁଛନ୍ତି ପରୀକ୍ଷ ଆଗର
ସ୍ୱାମୀ ଆଜ୍ଞାପାଇ ତହୁଁ ଚଳିଲା ଅକ୍ରୁର ।
ନନ୍ଦର ଗୃହରେ ଯାଇ ହୁଅନ୍ତେ ପ୍ରବେଶ
ଦେଖି ନନ୍ଦ ସମାଦର କରିଲା ଅଶେଷ ।
ଅକ୍ରୂର ବୋଇଲା ନନ୍ଦ କଂସ ଆଜ୍ଞା ଘେନ
ଗୋପାଳଙ୍କୁ ବସାଇଣ କର ୟା ପଠନ ।
ଶ୍ରୀମୁଖକୁ ମସ୍ତକରେ ଲଗାଅ ହେ ନେଇ
ଏତେବୋଲି ଲେଖାଗୋଟି ଦେଲା ସେ ବଢ଼ାଇ ।
ତାହା ଧରି ନନ୍ଦଗୌଡ଼ ଚମିକ ପଡ଼ିଲା
କିସ ଲେଖା ବୋଲି ମନ ମଧ୍ୟରେ ଭାଳିଲା ।
ତତକ୍ଷଣେ ଲୋକ ପେଷି ଗୋପାଳନ୍ତ ଭାଇ
କଂସ ଲେଖା ବୋଲି ସର୍ବେ ଅଇଲେକ ଧାଇଁ ।
କୃଷ୍ଣ ମହାକୁଞ୍ଜ ଦାସ ପରିଡ଼ା ବେହେରା
ସେନାପତି ବାରିକ ପଲେଇ ରାଉତରା ।
ପଧାନ ନାୟକ ଜେନା ବିଶୋଇ କରଣ
ପ୍ରବେଶିଲେ ଆସି ସର୍ବେ ନନ୍ଦ ନିକେତନ ।
ବାଳ ବୃଦ୍ଧ ତରୁଣାଦି ଅଇଲେ ସମସ୍ତେ
ଗୋପଶିଶୁ ସଙ୍ଗେ ରାମକୃଷ୍ଣଙ୍କ ସମେତେ ।
ଯଶୋଦା ସହିତେ ଯେତେ ଗୋପର ତରୁଣୀ
ରୁଣ୍ଡ ହେଲେ କଂସ ଆଜ୍ଞା କିସ ବୋଲି ଶୁଣି ।
ଅକ୍ରୂର ବଦନ ଚାହିଁ ପ୍ରଭୁ ଦଇତ୍ୟାରି
ବୋଇଲେ କି ଆଜ୍ଞା କହ ପତ୍ର ଫେଡ଼ିକରି ।
ଅକ୍ରୂର ବୋଲଇ ସର୍ବେ ଶୁଣ ମନଦେଇ
ରାଜା ଆଜ୍ଞା ପ୍ରମାଣରେ ଅଇଲଇଁ ମୁହିଁ ।
ଧନୁ ଉତ୍ସବ ଯାତ୍ରା ଯେ ହୁଏ ମଥୁରାରେ
ସବୁ ଦେଶୁଁ ଅଇଲେଣି ରାଜାଏ ଯେଝାରେ ।
ବୀର ମହାବୀର ଆଉ ରଥୀ ମହାରଥୀ
ଦେବତା ଋଷି ବ୍ରାହ୍ମଣ ଏଥେ ଆସୁଛନ୍ତି ।
ଯେହୁ ନ ଆସିବ ତାର ହେବ ମୁଣ୍ଡ କାଟ
ଏ ଆଜ୍ଞା କରିଛି ଆପେ କଂସ ରକ୍ଷଚାଟ ।
ଆରେ ନନ୍ଦ ତୁହି ତୋର ପୁତ୍ରଙ୍କୁ ଘେନିଣ
ଯାତ୍ରା ଦେଖିବା ପାଇଁକି ଆସିବୁ ବହନ ।
ଗୋଟି ଗୋଟିକରି ମୁଣ୍ଡ କାଟିବଇଁ ତେବେ ।
ଏତେ ବୋଲି ଗାର କାଟେ କଂସ ରାଜାରାଣ
ପାଏଡ଼ା ପାରିଣ ନନ୍ଦ ଧରି ହୋ ବହନ ।
ଆହେ ନନ୍ଦ ହୃଦୟରୁ ସବୁଚିନ୍ତା ଛାଡ଼ି
ଏ ଅନୁକୂଳେ ବାହାର ହୁଅ ତଡ଼ବଡ଼ି ।
ଅକ୍ରୂର ବଚନେ ନନ୍ଦ ତରତରେ ଉଠି
ପାଏଡ଼ା ପାଡ଼ି ମସ୍ତକେ ଲଗାଏ ଯେ ଚିଠି ।
ଏ ସମୟେ ପ୍ରବେଶିଲେ ଗାର୍ଗ୍ୟ ମହାମୁନି
ସହସ୍ରେ ଶିଷ୍ୟ ଘେନିଣ ମିଳି ତତକ୍ଷଣି ।
ନନ୍ଦ ବୋଲେ ନିସ୍ତରିଲି ଏବେ ମୁଁ ମୁନି ହେ
ପଡ଼ିଅଛି ମୁହିଁ ସ୍ୱାମୀ ଅତ୍ୟନ୍ତ ସନ୍ଦେହେ ।
ଅକ୍ରୂର ଦୂତପଣରେ ଶ୍ରୀମୁଖ ଆଣିଛି
ତାହା ଶୁଣିଣ ମୋହର ଚେତା ଉଡ଼ୁଅଛି ।
ସେ ପତ୍ରକୁ ପଢ଼ି ଯତ୍ନେ ମସ୍ତକେ ଲଗାଇ
ମହାଭୟେ ମୁନିଙ୍କର ହସ୍ତେ ଦିଏ ନେଇ ।
ଦର୍ହସିତେ ମୁନି ତାହା ଫିଟାଇ ପଢ଼ନ୍ତି
ଏକମନ ହୋଇ ଗୋପୀ ଗୋପାଳେ ଶୁଣନ୍ତି ।
ଭୋଜବଂଶର ତିଳକ କଂସ ମହାମଲ୍ଲ
ଯେବଣ ବୀର ଅଟଇ ଐରୀ ଊର ଶଲ ।
ମହାପ୍ରତାପୀ ଯେ ଇନ୍ଦୁମତୀର ନନ୍ଦନ
ତିନିପୁରେ ପୂଜାପାଏ ଏକାଙ୍ଗ ରାଜନ ।
ଅମର ଭୁବନେ ଯାର ନାମ ପଡ଼େ ନିତି
ଚରଣେ ଖଟନ୍ତି ଯାର ସକଳ ନୃପତି ।
ଚିରକାଳ ବର୍ତ୍ତନ୍ତା ଯେ ପୃଥିବୀ ସମ୍ରାଟ
କୃତାନ୍ତ ହୋଇଲେ କରି ପାରେ ମୁଣ୍ଡକାଟ ।
ଯମର ଉପରେ ଯେହୁ ଅଟେ ଦ୍ୱିତୀଯମ
ଗର୍ଭିଣୀ ବାଟ ଛାଡ଼ଇ ଶୁଣି ଯାର ନାମ ।
ଶୂରବନ୍ତ ବୁଦ୍ଧିମନ୍ତ ଶ୍ରୀମନ୍ତ ଆବର
ଠାକୁର ଉପରେ ଯେହୁ ବୋଲାଏ ଠାକୁର ।
ସେ ପ୍ରଭୁ କଂସାସୁରର ଆଜ୍ଞା ପରମାଣ
ଗୋପପୁରକୁ ଚିଟାଉ ହେଲା ଆଜଦିନ ।
ଆରେ ନନ୍ଦ ମହାଖୁଡ଼ ହୋଇ ସାବଧାନ
କାହ୍ନୁ ସଙ୍କର୍ଷଣ ନାମେ ତୋ ବେନି ନନ୍ଦନ ।
ଦେଖା ଦରଶନୀ ଧନ ଘେନି ସଙ୍ଗତରେ
ବସିଲା ଠାବରୁ ଉଠି ଆସ ତୁ ସତ୍ୱରେ ।
ହାଟୁଆ ବାଟୁଆ ଥିବେ ଯେତେ ତହିଁ ପ୍ରଜା
ବେଗହୋଇ ଆସ ସର୍ବେ ଘେନି ସାଜସଜା ।
ଧନୁ ଉତ୍ସବ ଯାତ୍ରାକୁ ଦେଖିବ ଆମ୍ଭର
ସମ୍ମାନ ପାଇଣ ପୁଣ ଯିବ ଯେଝା ଘର ।
ମୋହର ଏ ଆଜ୍ଞାଗୋଟି ଯଦ୍ୟପି ମେଣ୍ଟିବ
ନିଶ୍ଚୟ କହୁଛି ଗୋପନଗ୍ର ନ ରହିବ ।
ଗାର୍ଗ୍ୟମୁନି ଆଜ୍ଞାପତ୍ର ପଢ଼ନ୍ତେ ଏପରି
ଶୁଣି ମହାଭୟ କଲେ ସବୁ ନରନାରୀ ।
ଅକ୍ରୂର ବୋଲଇ ଆଉ ଭାଳୁଅଛ କିସ
ସ୍ୱହସ୍ତେ ଏ ପତ୍ର ଲେଖିଅଛି ବୀରକଂସ ।
ଏହି ସମୟରେ ନନ୍ଦ ହୁଅ ହେ ବାହାର
କିଏ ଲଘିଂ ପାରିବକି କଂସରାଜା ଗିର ।
ବେନି ପୁତ୍ର ସଙ୍ଗେ ଘେନି ବାହାର ହେ ବେଗେ
କେହି ବରତିବ ନାହିଁ କଂସ ଯେବେ ରାଗେ ।
ବିଳମ୍ୱ କରିବାପାଇଁ ମୋତେ କହିନାହିଁ
କହିଛି ଦେଖିଲା ମାତ୍ରେ ଆଣିବୁ କଢ଼ାଇ ।
ଯେବେ ଭଲଦଶା ଅଛି ବାଲ ହୋ ବହନ
ତୁମ୍ଭେ ନ ଗଲେ ମୁଁ ନେବି କାହ୍ନୁ ସଙ୍କର୍ଷଣ ।
କାହାର ଶକତି ଅଛି ମନା କେ କରିବ
ଯେଉଁ କଂସର ପ୍ରତାପ ନ ସହନ୍ତି ଦେବ ।
ଦୁହାଇ ଦୁହାଇ କଂସ ରାଜାର ଦୁହାଇ
ଏ ବିଷୟ କେହି କିଛି ଆଉ ବୋଲ ନାହିଁ ।
ଅକ୍ରୂର ଆକଟ ଦେଖି ସର୍ବେ ସ୍ତମ୍ଭୀଭୂତ
ଗାର୍ଗ୍ୟ ବୋଇଲେ ହେ ନନ୍ଦ ପଠା ବେନିସୁତ ।
ତୁମ୍ଭେ ତାଙ୍କ ସଙ୍ଗତରେ ଯାଅ ସଜ ହୋଇ
ଏଥିରେ କୌଣସି ମାତ୍ର ଭୟକଥା ନାହିଁ ।
କହୁଁ କହୁଁ ମିଳିଲା ଯେ ପାଶେ ଆସି ରଥ
ଦେଖିଣ ତାଟକା ହେଲେ ସର୍ବ ଗୋପଯୁଥ ।
କେ ବୋଲଇ ଗୋପପୁରୁଁ ଲକ୍ଷ୍ମୀ ଛାଡ଼ିଗଲା
କେ ବୋଲେ ନନ୍ଦର ଆଝୁଁ ସମ୍ପଦ ସରିଲା ।
ରାମକୃଷ୍ଣ ନ ଥିଲେ କି ଶୋଭା ଗୋପପୁର
ଦଇବ ଛଡ଼ାଇ ନିଏ ବଳ ତ କାହାର ।
କେ ବୋଲେ ଅକ୍ରୁର ଲାଗି ଏ କଷ୍ଟ ଭୋଗିବା
କେ ବୋଲେ କଂସର ରାଜ୍ୟେ ଆଉ ନ ରହିବା ।
କେ ବୋଲେ କଂସର ଭୟ ସବୁଠାରେ ଅଛି
କେ ବୋଲେ ତାହାକୁ ଅବା ଦଇବ ଛାଡ଼ୁଛି ।
ଅକ୍ରୂର ବଦନୁ ଶୁଣି ନିଦାରୁଣ ବାଣୀ
ନନ୍ଦ ଯଶୋଦା ମୂର୍ଚ୍ଛିତେ ପଡ଼ିଲେ ଧରଣୀ ।
ଘଡ଼ିଏ ଚେତନା ପାଇ ବୋଲନ୍ତି ଆକୁଳେ
ମହାପର୍ବତ ଭାଙ୍ଗି କି ପଡ଼େ ବକ୍ଷସ୍ଥଳେ ।
ଭୋ ଦେବ ପୁରୁଷ ତୁହି କଲୁ ଏହା ଆଣି
ବୃଦ୍ଧକାଳେ ପୁତ୍ରକଷ୍ଟ ଘଟାଉଛୁ ପୁଣି ।
କେତେ ମହାବିପଦରୁ ବଞ୍ଚିଲେ ମୋ ସୁତେ
ଦିନେ ପୂତନା ମିଳିଲା ଆସି ଅକସ୍ମାତେ ।
ସ୍ତନରେ ବିଷ ଭରିଣ ଦୁଗ୍ଧ ଖୁଆଇଲା
ଦଇବବଳରୁ ସେ ତ ଆପେ ନାଶ ହେଲା ।
ପୁଣି ଗୋଟିଏ ଶଗଡ଼ ପଡ଼େ ଆସି ମାଡ଼ି
ଧର୍ମ ସାହାପକ୍ଷ ଯୋଗୁଁ ଗଲା ସେ ତ ଉଡ଼ି ।
ଯାମଳା ଅର୍ଜ୍ଜୁନ ଦୈତ୍ୟ ବୃକ୍ଷରୂପେ ଥିଲା
ସର୍ବେ ଦେଖୁ ଦେଖୁ ସେ ତ ଉପୁଡ଼ି ପଡ଼ିଲା ।
ତେଡ଼େବଡ଼ ପ୍ରମାଦରୁ ବଞ୍ଚାଇଲେ ହରି
ମହାବଳୀ ଷଣ୍ଢା ଆପେ ଆପେ ଗଲା ମରି ।
କାଳୀୟନାଗ ମୁଖରୁ ଉଭାରିଲେ ପୁତ୍ରେ
ତଥାପି କଂସର ଦୟା ନାହିଁ ତିଳେମାତ୍ରେ ।
ଦେହେ ପ୍ରାଣ ଥିଲେ କୃଷ୍ଣ ନ ପାରଇ ଛାଡ଼ି
ଏତେ ବୋଲି ନନ୍ଦ କାନ୍ଦେ ଶିରେ କରତାଡ଼ି ।
ଯଶୋଦା ରୋଦନ ମୁଖେ କେହୁ ପାରେ କହି
କେଶବାସ ଅସମ୍ଭାଳ ଦେହେ ଜ୍ଞାନ ନାହିଁ ।
ଭୋ ଦୈବପୁରୁଷ ଏବେ କରିବା କାରଣ
ରାମକୃଷ୍ଣ ଅଭାବରେ ନ ରହିବ ପ୍ରାଣ ।
ଅନାଥ ବାନ୍ଧବ ମୋର ଅନ୍ଧର ଲଉଡ଼ି
କେତେବେଳେ ତୋତେ ମୁହିଁ ନ ପାରଇ ଛାଡ଼ି ।
ଏତେ କହିଣ ଯଶୋଦା ଦେବୀ ଯାଏ ମୂର୍ଚ୍ଛା
ଚେତି ପୁଣି ବୋଲେ ଦୁର୍ଗା ମୋତେ କର ରକ୍ଷା ।
ବଂଶକୁ କାରଣ ମୋର ଦୁଃଖୀର ସଙ୍ଖାଳି
ସର୍ବଶୁଭେ ଥାନ୍ତୁ ମୋର ରାମ ବନମାଳୀ ।
ସୁନ୍ଦର ସୁଲକ୍ଷଣେ ତ ସର୍ବଗୁଣେ ପୂର୍ଣ୍ଣ
କେଉଁତପେ ପାଇଥିଲି ଏପରି ନନ୍ଦନ ।
ଆଉ ଯେତେ ଗୁଣ ମୁହିଁ ବାହୁନିବି କିସ
ମୁଖ ଦେଖିଲେ ଯାହାର ଭୋକ ଶୋକ ନାଶ ।
ଯତ୍ନେ ପ୍ରତିପାଳିଥିଲି ବହୁକଷ୍ଟ ପାଇ
ଦଶମାସ ପରିଯନ୍ତେ ଗର୍ଭେ ଥିଲି ବହି ।
ଦେବତା ସମାନେ ଦେଖାଯାନ୍ତି ମୋ କୁମରେ
କ୍ଷଣେ ନ ଦେଖିଲେ କୋଟିଯୁଗ ମନେକରେ ।
କେଉଁ ଦେବତାର ଅବା କଲି କେଉଁ ଦୋଷ
କିପାଇଁ କରନ୍ତି ମୋତେ ଏଡ଼େକ ଝିଙ୍ଗାସ ।
କଦାପି ପୁତ୍ରଙ୍କୁ ମୁହିଁ ଛାଡ଼ି ନ ପାରିବି
ତାଙ୍କ ଅଭାବେ ନିଶ୍ଚୟ ଜୀବନ ତେଜିବି ।
ସର୍ବ ମଙ୍ଗଳା ସୁଦୟା କର ଏବେ ମୋରେ
ସର୍ବ ଶୁଭେ ରହିଥାନ୍ତୁ ମୋହର କୁମରେ ।
ଏତେ ବୋଲିଣ ଚିତ୍ତରେ ଭୋଗ ମନାସନ୍ତି
ଲକ୍ଷେ ଛାଗଳ ଦେବଇଁ ଆଗେ ଭଗବତୀ ।
କରିବି କୋଟିଏ ଗୋଦୋହନ ଶିବ ଶିରେ
ଲକ୍ଷେ ଭୋଜନ ଦେବଇଁ ଦ୍ୱିଜ ବୈଷ୍ଣବରେ ।
ଦୁଃଖୀ ଦରିଦ୍ରଙ୍କୁ ଦେବି ବହୁତ ମୁଁ ଧନ
ସର୍ବଶୁଭେ ରହିଥାନ୍ତୁ ମୋ ବେନି ନନ୍ଦନ ।
ଗୋପୀମାନେ କାନ୍ଦନ୍ତି ଯେ ଭୂମି ଲୋଟଗାଳି
ସତେ କି ଆମ୍ଭଙ୍କୁ ଛାଡ଼ିଯିବ ବନମାଳୀ ।
ତୁମ୍ଭଲାଗି ପରା ଆମ୍ଭେ ଛାଡ଼ି ପତି ପୁତ୍ର
ଦାସୀପ୍ରାୟେ ଖଟିଥାଉଁ ପାଦେ ଅନୁବ୍ରତ ।
ଏସନକ ବିଡ଼ମ୍ୱନ କରୁଛି ଦଇବ
ଆମ୍ଭଙ୍କୁ ତେଜିଣ କେହ୍ନେ ଯିବ ହେ ମାଧବ ।
କେ ଗୋପୀ ବୋଲଇ ମୋରଘରେ କାର୍ଯ୍ୟ ନାହିଁ
ଶ୍ରୀକୃଷ୍ଣଙ୍କ ସଙ୍ଗେ ମୁହିଁ ଯିବଇଁ ଗୋଡ଼ାଇଁ ।
କେ ବୋଲଇ ହରି ଯେବେ ଗୋପ ଛାଡ଼ିଯିବେ
ଆମ୍ଭେମାନେ ଏଥେ କିପାଁ ରହିବା ଗୋ ତେବେ ।
କେ ବୋଲଇ ମୁହିଁ ନିଶ୍ଚେଁ ଆଗ ହୋଇଥିବି
ରାମ କୃଷ୍ଣ ଗଲେ ପଛେ ପଛେ ଗୋଡ଼ାଇବି ।
ପୋଡ଼ୁ ପୋଡ଼ୁ ଘରବଇ ପୋଡ଼ୁ ଅର୍ଥମାନ
ଶ୍ରୀକୃଷ୍ଣଙ୍କ ସଙ୍ଗେ ଥାଇ କଟାଇବି ଦିନ ।
ଦାସୀପଣେ ଖଟିଥିବି ପାଦରେ ତାଙ୍କରି
ଏତେ ବୋଲି ସଜହୁଏ କେବଣ ସୁନ୍ଦରୀ ।
କେବଣ ନାୟିକା ଯାଇ ଧରଇ ଲଉଡ଼ି
କେବୋଲେ ଗୋପୀନାଥ କି ଯିବେ ସତେଛାଡ଼ି ।
କଦମ୍ୱ ଡାଳରେ କେହୁ ବଂସୀ ବଜାଇବ
କୁଞ୍ଜବନରେ ଆଉ କେ ବାଛୁରୀ ରଖିବ ।
କେ ବୋଲେ ଚନ୍ଦ୍ରମା ପ୍ରାୟ ଦିଶଇ ବଦନ
ଅପୂର୍ବ ସୁସଞ୍ଚ ନାସା କି ସୁନ୍ଦର କର୍ଣ୍ଣ ।
ଡାଳିମ୍ୱ କଢ଼ ପରାୟେ ଦିଶେ ଦନ୍ତପନ୍ତି
ହୀରାରୁ ଅଧିକ ପୁଣି ଶରୀରରେ ଜ୍ୟୋତି ।
କଣ୍ଠତଟେ ମୁକ୍ତା ଆଉ ବ୍ୟାଘ୍ରନଖ ଲମ୍ୱେ
ମଥାରେ କୁସୁମ ଖୋଷା ମଧୁକର ଚୁମ୍ୱେ ।
କେଉଁଠାରେ କେଉଁଗୁଣ ବର୍ଣ୍ଣିବୁ ବା ଯାହା
କେମନ୍ତେ ଆମ୍ଭଙ୍କୁ ଛାଡ଼ିଯିବ ଚଉବାହା ।
ଏତେବୋଲି ବାମାଗଣ ଉଚ୍ଚେ ଶୋକ କରି
ବଇକୁଲ୍ୟା ହେଉଛନ୍ତି ରାମ ହରି ସ୍ମରି ।
ଗୋପସୁତେ ବୋଲୁଛନ୍ତି ବିକଳେ ଏମନ୍ତ
ସତେ କି ଆମ୍ଭଙ୍କୁ ଛାଡ଼ିଯିବ ଜଗନ୍ନାଥ ।
ଯେବେ ରାମ କୃଷ୍ଣ ଆଜି ଗୋପପୁରୁ ଯିବେ
ଆମ୍ଭାମାନେ କାହିଁପାଇଁ ଥିବା ଏଥେ ଏବେ ।
ଅନେକ ଉପଦ୍ରବରୁ ରଖିଛ ଆମ୍ଭଙ୍କୁ
ତୋର ହେତୁ ନ ଡରୁ ଯେ କଂସ ନୃପତିକୁ ।
ଅଯୋଗରେ ପଡ଼ିଥିଲୁ ମଣିଚୁଳ ଆଗେ
ଗାଈ ବତ୍ସା ରଖୁଆଳ ଭରିଥିଲା ଗର୍ଭେ ।
ପାଦେ ମରଦି ତାହାକୁ ଆହେ ଦେବହରି
ସେ ଆପଦୁଁ ଆମ୍ଭଙ୍କୁ ତୁ ନେଇଥିଲୁ ତାରି ।
ଭାଲୁ ବ୍ୟାଘ୍ର କୁମ୍ଭୀରଙ୍କ ଯେତେ ଉପଦ୍ରବ
ଗ୍ରହ ଭୂତ ପୀଡ଼ା ଆଉ ପିଶାଚାଦି ସର୍ବ ।
ରାକ୍ଷସଙ୍କ ଉପଦ୍ରବ ଇନ୍ଦ୍ରର ଗରବ
ତୁମ୍ଭ ଯୋଗୁ ଉବୁରିଲୁ ସିନା ହେ ମାଧବ ।
ଯେତେବେଳେ ଯାହା ଲୋଡ଼ା ତେତେବେଳେ ପାଉ
ନିରନ୍ତରେ ସଙ୍ଗ ହୋଇ ବାଛୁରୀ ଚରାଉଁ ।
ଏବେ ତୁମ୍ଭଙ୍କୁ ଛାଡ଼ିଣ କିପରି ରହିବୁ
ଦୁଃଖସୁଖ କଥା ଆଉ କା ସଙ୍ଗେ କହିବୁ ।
ଏତେ ବୋଲି ଗୋପପୁଏ ହୋଇଲେ ଉଦ୍ବେଗ
ଧନୁଯାତ୍ରା ଦେଖିବାକୁ ବାହାରିଲେ ଆଗ ।
ରାମକୃଷ୍ଣ ସଙ୍ଗେ ଥିଲେ କାହାକୁ ବା ଭୟେ
ଏତେ ବୋଲି ବାହାରିଲେ ସବୁ ଗୋପପୁଏ ।
ନଗର ଭିତରେ ପଡ଼ିଲାକ ହାଲହୋଳି
ନାଶଗଲା ଗୋପପୁର ପାଡ଼ନ୍ତି ବୋବାଳି ।
ବାଳ ବୃଦ୍ଧ ତରୁଣାଦି ସାଧୁ ଦୁଷ୍ଟନର
କୃଷ୍ଣ ଯିବା ଶୁଣି ସର୍ବେ ହୁଅନ୍ତି କାତର ।
ଜୀବଗଲେ ଦେହ ହୁଏ ଅକାରଣ ଯେହ୍ନେ
ରାମକୃଷ୍ଣ ବିହୀନରେ ଗୋପାଳେ ତେସନେ ।
ଜନ୍ମ ହେଲାକାଳୁଁ ଗୋପେ ବର୍ଦ୍ଧମାନ ଶିରୀ
ନିଶ୍ଚିନ୍ତେ ଐଶ୍ୱର୍ଯ୍ୟ ଭୋଗ ନରନାରୀ କରି ।
ଗୋପପୁରେ ଦେଖି କଂସ ରାଜାର ଡଗର
ଭୟ ପାଇଣ ସକଳେ ହୁଅନ୍ତି କାତର ।
ଏ ଗୁଣବନ୍ତ କୁମାର ରାଜା ପାଶେ ଗଲେ
ସନ୍ଦେହ ହୁଅଇ ମନେ ନ ବର୍ତ୍ତିବେ ଭଲେ ।
କେ ବୋଲଇ କୃଷ୍ଣ କିପାଁ ଆଗେହେଲେ ଉଭା
ନ ପାଇ ଅକ୍ରୂର ଫେରିଯାଇଥାନ୍ତା ଅବା ।
ଅଖଡ଼େ ଛାମୁରେ ପଡ଼ି ହୁଏ ହନ୍ତସନ୍ତ
ମୃତ୍ୟୁକାଳେ ନିଦ୍ରାଗଲେ ଛାଡ଼େ କି କୃତାନ୍ତ ।
କେ ବୋଲଇ ଅକ୍ରୁରକୁ ଦେବା ବାହୁଡ଼ାଇ
କଂସରାଜା ଛାମୁରେ ଏ କହୁ ପଛେ ଯାଇ ।
କେଉଁ ଦେବତା ଧରିଛି ମାନବର କାୟା
କେଡ଼େ ବିପଦୁଁ ତାରିଲା ହୋଇ ଆମ୍ଭ ସାହା ।
ଚାଲ ସର୍ବେ ଅକ୍ରୂରକୁ ପିଟି କେନ୍ଦୁବାଡ଼ି
ଖୁଆଡ଼ିହ ମାରି ତାକୁ ଦେବା ଯେ ଘଉଡ଼ି ।
ରଥୀ ସାରଥି ସହିତେ ପକାଇବା ପିଟି
ଅକ୍ରୂର ନାମଟି ବହି ଏଡ଼େ ସେ କ୍ରୂରଟି ।
କେ ବୋଲେ ଆମ୍ଭର ପଞ୍ଚଭୂତ ନନ୍ଦକହ୍ନା
ଏହାର ପାଇଁ ସର୍ବସ୍ୱ ଯାଉ ମୋର କିନା ।
କେ ବୋଲଇ ଏହା ଗୁଣମାନଙ୍କୁ ସୁମରି
କେମନ୍ତେ ଦେହ ଧରିବା ମୂର୍ଚ୍ଛିଦେଇ କରି ।
କେହୁ ବୋଲଇ ଏହାର ଅସମ୍ଭବ ମାୟା
ଗୁପତେ ଜନ୍ମିଛି କେଉଁ ଦେବ ଧରି କାୟା ।
ଏହାର ଶଉର୍ଯ୍ୟପଣ ପ୍ରତ୍ୟକ୍ଷରେ ଜାଣୁ
ପୂତନାକୁ ନାଶ କଲା ଶିଶୁକାଳେ ଯେଣୁ ।
ଷଣ୍ଢା ଶକଟା ଯାମଳା ଅର୍ଜ୍ଜୁନ ମାଇଲା
ଅଘାସୁର ତୃଣାବର୍ତ୍ତ ଆଦି ବିନାଶିଲା ।
ବୃଦ୍ଧି ଅକଳିତ ୟାର ପରାକ୍ରମ ଅତି
କହି ବସିଲେ ହୋଇବ ଏକଗୋଟା ପୋଥି ।
ଅକ୍ରୂର ବାହୁଡ଼ି ଗଲେ ହୋଇବ ତ କିସ
କଂସ ପଚ୍ଛେ ଲୁଟିନେଉ ଆମ୍ଭର ସର୍ବସ୍ୱ ।
ଦୂତିକା ବୋଇଲା ଆମ୍ଭେ ନ ଦେବା ତ ଛାଡ଼ି
ଆମ୍ଭମାନେ ମିଳି ଦେବୁ ଅକ୍ରୂରେ ଘଉଡ଼ି ।
ହେ ହରି ତୁମ୍ଭର ବିନୁ ନ ରହେ ଜୀବନ
କେଉଁ ଅପରାଧ କଲୁ ଆମ୍ଭେ ଗୋପୀଗଣ ।
ଏ ଗୋପନଗରେ ଅବା କେଉଁ କଥା ନାହିଁ
କାହିଁପାଇଁ ମଥୁରାକୁ ଯାଉଛ ମାଧୋଇ ।
ଏହାକୁ ଛାଡ଼ିଣ ତୁମ୍ଭେ କିପାଇଁ ଯାଉଛ
କୋଚିଲା ଫଳକୁ ଦେଖି ଦ୍ରାକ୍ଷାକୁ ତେଜୁଛ ।
ଅଶେଷ ଗୋପାଙ୍ଗନାଏ କାମନାର ନିଧି
ଏହାଙ୍କୁ ତେଜି ଯିବାର ଅଟଇ ଅବିଧି ।
କେତେ ତପସ୍ୟାରେ ଥିଲୁ ତୁମ୍ଭଙ୍କୁ ଯେ ପାଇ
ନିରାଶ କରିଣ ଏବେ ଯାଉଛ ମାଧୋଇ ।
ଏସନ ଆକୁଳ ହ୍ୱନ୍ତି ସକଳ ପରାଣୀ
ନବଲକ୍ଷ ଗୃହେ ପୂରେ ହାହାକାର ଧ୍ୱନି ।
ଗୋପନଗ୍ରବାସୀ ସର୍ବେ ହୋଇଲେକ ରୁଣ୍ଡ
ଜନଗହଳରେ ପୁଣି ଫାଟିଯାଏ ଦାଣ୍ଡ ।
ସମସ୍ତଙ୍କର ନୟନୁ ବହେ ଅଶ୍ରୁଜଳ
ଚନ୍ଦ୍ରଙ୍କୁ ନକ୍ଷତ୍ର ପ୍ରାୟେ ବେଢ଼ନ୍ତି ସକଳ ।
ମଧ୍ୟରେ ସାରଥି ରଖ ଅଛଇ ଆବୋରି
ପ୍ରାଙ୍ଗଣେ ରାମ ଅକ୍ରୂର ଛନ୍ତି ଦେବହରି ।
ଅନ୍ତର୍ଯ୍ୟାମୀ ନାରାୟଣ ଜାଣି ସବୁ ମନ
ବିଚାରନ୍ତି ଏମାନେ ତ ମୋର ପରିଜନ ।
ଶେଷେ ମୋର ଅଙ୍ଗେଲୀନ ହୋଇବେ ସମସ୍ତେ
ସଜୀବ ଦେବତା ପରି ଥାନ୍ତୁ ଦିନାକେତେ ।
କୋଟି ପାଦେ ଲକ୍ଷ୍ମୀଦେବୀ ସଦାକାଳେ ଥାଉ
କଉଣସି ଉପଦ୍ରବ ଏହାଙ୍କୁ ଯେ ନୋହୁ ।
ଦେବତା ବ୍ରାହ୍ମଣ ୟାଙ୍କ ହାତୁ ନେବେ ନୀର
କାଳେ କାଳେ ରହିଥିବ ମୋ କହିବା ଗିର ।
ବେଳ ତିନି ଦଣ୍ଡ ଏଣେ ହୁଅନ୍ତେଣ ଆସି
ନନ୍ଦ ଯଶୋଦାଙ୍କୁ ଚାହିଁ ହୃଷିକେଶ ଭାଷି ।
କିଛି ଚିନ୍ତା ମନରେ ନ କର ବାପମାୟେ
ଅବଶ୍ୟ ଯିବୁ ତ ଆମ୍ଭେ ମଧୁପୁର ଯାଏ ।
ଦେଖିବୁ ଧନୁ ଉତ୍ସବ ଯାତ୍ରା ପରିମଳ
ଏ ବିଷୟେ ତୁମ୍ଭେ ଆଉ ନ କର କଟାଳ ।
ମାତା ପିତାଙ୍କୁ ପ୍ରବୋଧି ହୋଇଲେ ମେଲାଣି
ଗୋପୀଙ୍କୁ ଚାହିଁ ବୋଲନ୍ତି ପ୍ରଭୁ ଚକ୍ରପାଣି ।
ଦିନାକେତେ ରହିଥାଅ ଏ ଗୋପନଗରେ
ଯାତ୍ରା ଦେଖି ବାହୁଡ଼ିବୁ ଆମ୍ଭେ ଅଚିରରେ ।
ତୁମ୍ଭର ସଙ୍ଗ ଛାଡ଼ିଣ ନ ରହିବି କାହିଁ
ନିଶ୍ଚିନ୍ତରେ ରହିଥାଅ ସର୍ବ ଗୋପଗୋଈ ।
ଜଣେ ଜଣେ ପ୍ରବୋଧିଣ ସ୍ୱାମୀ ଏ ରୂପରେ
ବଳରାମଙ୍କ ସବିତେ ବସିଲେ ରଥରେ ।
ଅଚ୍ୟୁତ ଦାସ ସେଠାରେ ଉଭା ହୋଇଥିଲା
ପ୍ରଭୁଙ୍କୁ ଦେଖିବା ପାଇଁ ପଛେ ଗୋଡ଼ାଇଲା ।
ଅକ୍ରୂର ପବନ ବେଗେ ରଥ ନେଲା ବାହି
ଆଜିଯାଏ ପ୍ରଭୁଙ୍କୁ ସେ ଭେଟ ପାଇ ନାହିଁ ।
ରାମ କୃଷ୍ଣଙ୍କର ମଥୁରା ଗମନ ଓ ଅକ୍ରୂରର ବିଶ୍ୱରୂପ ଦର୍ଶନ
ଶୁକମୁନି ବୋଲନ୍ତି ସେ ଶୁଣ ଦଣ୍ଡଧର
ମାହେନ୍ଦ୍ର ବେଳାରେ ରଥେ ବିଜେ ଚକ୍ରଧର ।
ଶୋଭାପାଏ ଗୋପପୁର ଚଳିଯାନ୍ତେ ଯାନ
ପଛରେ ଗୋଡ଼ାଇଛନ୍ତି ନର ନାରୀଗଣ ।
ସବୁଙ୍କୁ ପ୍ରବୋଧ ଦ୍ୟନ୍ତି ପ୍ରଭୁ ଭାବଗ୍ରାହୀ
ଥୋକାଏ ଦୂରରୁ ରଥ ସାରଥି ଚଳଇ ।
ଗୋଡ଼ାଇ ଗୋଡ଼ାଇ କେହୁ ଥକାହୋଇ ରହେ
ନିସତ ହୋଇଣ କେବା ପଛେ ପଛେ ଧାଏଁ ।
ନନ୍ଦ ଆଜ୍ଞାଦେଲା ସର୍ବେ ଆସ ସଜହୋଇ
କଂସ ଆଜ୍ଞା ମେଣ୍ଟି ଆମ୍ଭେ ପାରିବା କି ରହି ।
ଯେ ଯାହାର ଭେଟିଦ୍ରବ୍ୟମାନ ସଙ୍ଗେ ଘେନ
ଧନୁଯାତ୍ରା ଦେଖି ସର୍ବେ ଆସିବା ଫେରିଣ ।
ଏରୂପେ କହିଣ ନନ୍ଦ ଗୋପାଳ ସହିତେ
ଯିବାପାଇଁ ସଜ ହେଲେ ଯେ ଯାହାର ମତେ ।
ଘୃତ ଲବଣୀ ଗୋଟିକା ଦୁଧ ଦହି ସର
ଗୋପାଳମାନେନେଲେ ଯେ କୋଟିକୋଟି ଭାର ।
ବେନିପୁତ୍ର ଘେନି ନନ୍ଦ ରଥରେ ବସିଲା
ଛାମୁରେ ଅକ୍ରୂର ଉଭା ହୋଇଣ ରହିଲା ।
ଚାହୁଁ ଚାହୁଁ ବୃନ୍ଦାବନ ଚଳିଗଲା ରଥ
କଦମ୍ୱବୃକ୍ଷେ ନିରୀକ୍ଷ ଚାହାନ୍ତି ଅଚ୍ୟୁତ ।
ତହୁଁ ଗୋମତ ପର୍ବତ ତଳେ ଯାଇଁ ମିଳି
ଏକୁ ଆରେକ ଗୋପାଳ ଆଗହୋଇ ଚଳି ।
ଏସନ ମାୟା ସେଠାରେ କଲେ ଦେବରାଜ
ଗୋପାଳମାନଙ୍କ ଆଙ୍ଗେ ଦେଲେ ନିଜ ତେଜ ।
ଖେମଟା ନାଚନ୍ତି ସର୍ବେ ମାରି କରତାଳି
ଭୟଙ୍କର ରୂପ ବିକରାଳ ମହାବଳୀ ।
ଷଡ଼ବନ ଜିଣି ତହୁଁ ରଥ ଚଳିଗଲା
ଯମୁନା ନଦୀତୀରରେ ପ୍ରବେଶ ହୋଇଲା ।
ଗୋଧିକା ଘାଟ ସେଠାରେ ପୂର୍ବୁ ଅଛି ରହି
ପୂର୍ବେ ତହିଁ ବସି ତପ କଲେ ବେଦସାଇଁ ।
ବଶିଷ୍ଠ ଆଦି କରିଣ ଯେତେ ମହାଋଷି
ପ୍ରାତଃସ୍ନାନ କରନ୍ତି ସେ ଘାଟେ ନିତ୍ୟ ଆସି ।
ଇନ୍ଦ୍ରାଦି ସହିତେ ଯେତେ ଦେବଗଣମାନେ
ପ୍ରତ୍ୟହ ସ୍ନାନ କରନ୍ତି ଆସିଣ ସେ ସ୍ଥାନେ ।
ଗଙ୍ଗା କାବେରୀ ଯେ ଗୋଦାବରୀ ସରସ୍ୱତୀ
ତୁଙ୍ଗଭଦ୍ରା ଭାନୁମତୀ ଆବର ଗୋମତୀ ।
ଯେତେକ ତୀର୍ଥ ଅଛନ୍ତି ଏ ମଞ୍ଚଭୁବନେ
କେହି ସମ ନୁହଁନ୍ତି ଯେ ତାହାର ସମାନେ ।
ବାରେକ ଯେବଣ ନର ସ୍ନାନକରେ ପଶି
ଅକ୍ଳେଶରେ ସେହି ପ୍ରାଣୀ ହୁଏ ସ୍ୱର୍ଗବାସୀ ।
ପଞ୍ଚଦଶ ଯୋଜନ ଯେ ବେନିକୂଳ ମାଡ଼ି
ଗୋରୁ ମଳ ମୂତ୍ର ତହିଁ ସବୁକାଳେ ପଡ଼ି ।
ଆପେ ବିଶ୍ୱକର୍ମା ସରଜିଛି ସେହି ଭୂମି
ପାର୍ବତୀ ସହିତେ ଶିବ ସେ ଭୂମିରେ ଭ୍ରମି ।
ଶୁଣ ପରୀକ୍ଷିତ ରାଜା କହେ ଶୁକ ବ୍ରହ୍ମା
କହନ୍ତେ ନ ସରଇ ସେ ଭୂମିରେ ମହିମା ।
ଅକ୍ରୂର କି ସର୍ବଜ୍ଞାତା ଜାଣେ ସବୁ ବୁଦ୍ଧି
ପ୍ରଣାମ କରି ବୋଲଇ ଆହେ ଦୟାନିଧି ।
ତୁମ୍ଭେ କି ନ ଜାଣ ମୁହିଁ କହିବଇଁ କିସ
ଗଉଡ଼ଙ୍କ ହେତୁ ମୋର ସବୁ ଗଲା ନାଶ ।
ବିଷ୍ଣୁ ପାଦୋଦକ ସମ ଯମୁନାର ନୀର
ପାପାଦି ମହାପାତକ ଖଣ୍ଡିବି ଏଠାର ।
ଶୁଦ୍ଧ ପବିତ୍ର ଜଳ ଏ ଅତି ପୁଣ୍ୟମୟ
ସ୍ନାହାନ କରିଲେ ଏଥେଁ ପାପ ଯିବ କ୍ଷୟ ।
ଦୁର୍ବାସାଙ୍କର ଆଶ୍ରମ ଏଠାପେ ଅଛଇ
ସସ୍ରେ ବାଳଖିଲ୍ୟା ଶିଷ୍ୟ ଯାହାଙ୍କର ଥାଇ ।
କୁଶ ଯୁବାକ୍ଷତ ଯେ ତୁଳସୀ ପତ୍ରବିଧି
ଯାବତ କରମେ ଅଛି ସ୍ଥାନର ପ୍ରସିଦ୍ଧି ।
କପିଳା ମଳମୂତ୍ରରେ କରଦମ ମାଟି
ସ୍ୱର୍ଗପୁରଠାରୁ ବଳିକରି ଏ ଭୂମିଟି ।
ଏ ନଦୀ ଆପଣଙ୍କର ଅଟେ କ୍ରୀଡ଼ାସ୍ଥାନ
କ୍ଷଣକେ ରହନ୍ତୁ ଏଥେଁ କରିବି ମୁଁ ସ୍ନାନ ।
ଏ ନଦୀରେ ସ୍ନାନ କଲେ ଯିବ ସବୁ ଦୁଃଖ
ଖଣ୍ଡିବଇଁ ଶରୀରରୁ ଯେ ମହାପାତକ ।
ଏତେ ବୋଲିଣ ସାଷ୍ଟାଙ୍ଗେ ନମସ୍କାର କଲା
କିଙ୍କର ପରାୟେ ଆଗେ ଉଭା ସେ ହୋଇଲା ।
ଅକ୍ରୂର ବଚନ ଶୁଣି ହରି ରଖି ରଥ
କର ହୋ ସ୍ନାହାନ ବୋଲି ବୋଇଲେ ଅଚ୍ୟୁତ ।
ଧାଇଁ ଯାଇଣ ଅକ୍ରୂର ମିଳେ ନଦୀକୂଳେ
ଗୋବିନ୍ଦ ନାମ ସୁମରି ପଶିଲା ସେ ଜଳେ ।
ଲେଉଟି ଅକ୍ରୂର ରଥପରେ ଦୃଷ୍ଟି ଦେଲା
ଚତୁର୍ଭୁଜେ ମହାପ୍ରଭୁ ବିଜୟ ଦେଖିଲା ।
ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ହସ୍ତେ
ଅନ୍ତର୍ଯ୍ୟାମୀ ନାରୟଣ ଜଗଜ୍ଜନ ହିତେ ।
ଶିରରେ ମୁକୁଟ ଗଳେ କଉସ୍ତୁଭ ମଣି
ବାମେ ସରସ୍ୱତୀ ଦକ୍ଷିଣରେ କମଳିନୀ ।
ପାଶେ ଶିବ ବସିଛନ୍ତି ବୃଷଭ ଉପରେ
ପିନାକି ପାଶୁପତ ଯେ ଶୋହେ ତାଙ୍କ କରେ ।
ଶିରରେ ସପତ ଫଣା ବହି ଅହିବର
ଫୁଫୁକାର ଧ୍ୱନି କରି ଗର୍ଜ୍ଜେ ମହାଘୋର ।
ଜାଜ୍ୱଲ୍ୟମାନ ସ୍ୱରୂପ ଧରି ଦେବହରି
ଆନନ୍ଦରେ ବସିଛନ୍ତି ରଥର ଉପରି ।
ଏମନ୍ତ ଦେଖି ଅକ୍ରୂର ଜଳରେ ବୁଡ଼ିଲା
ନନ୍ଦ ଆଦିକରି ପୁଣି ସେଠାରେ ଦେଖିଲା ।
ଯେଉଁରୂପେ ଦେଖି ଥିଲା ରଥର ଉପରେ
ତାହା ସମସ୍ତ ଦେଖଇ ସଲିଳ ମଧ୍ୟରେ ।
ଏସନକ ବିଷ୍ଣୁମାୟା କେହି ନ ଜାଣନ୍ତି
ଭକତବତ୍ସଳ ଦେବ ପ୍ରଭୁ ଶିରୀପତି ।
କଉତୁକେ ମାୟାଗୋଟି କରିଲେ ବିସ୍ତାର
କାତର ହୋଇ ଅକ୍ରୂର ଭାଳିଲା ଜଳର ।
ଅଦୃଶ୍ୟ ହୋଇଲା ପିଣ୍ଡ ବୁଡ଼ି ରସାତଳେ
ଗୋଟି ଗୋଟି ଦେଖେ ସବୁ ବିଷ୍ଣୁ ମାୟାବଳେ ।
ସେହି ଯମୁନା ନଦୀ ଯେ ସେହି କୁଞ୍ଜବନ
ସେହି ନନ୍ଦିଘୋଷ ରଥ ସେହି ଭଗବାନ ।
ପୁଣି ଧାତିକାରେ ପାଣି ଭିତରୁ ଉଠିଲା
ସେହିପରି ଅଚ୍ୟୁତଙ୍କୁ ରଥରେ ଦେଖିଲା ।
ପୁଣି ବୁଡ଼େ ପୁଣି ଉଠେ ଏକଶତ ବାର
ଉପରେ ଦେଖଇ ଯାହା ତା ଦେଖି ଜଳର ।
ଅଶେଷ କୋଟି ବ୍ରହ୍ମାଣ୍ଡେ ଯେଉଁ ଦେବ ପୂରି
ତାହାଙ୍କର ମାୟା କେ ବା କହିବ ବିସ୍ତାରି ।
ଉପରକୁ ଉଠିଆସି ରଥରେ ବସିଲା
ଶ୍ରୀକୃଷ୍ଣଙ୍କ ମୁଖ ଚାହିଁ ସ୍ତୁତି ଆରମ୍ଭିଲା ।
ଜୟ ତୁମ୍ଭେ ନାରାୟଣ ଅବ୍ୟକ୍ତ ମୂରତି
ପୃଥ୍ୱୀଭାରା ନିବାରଣ ପାଇଁ ମଞ୍ଚେ ସ୍ଥିତି ।
କଂସ ଆଦି ଅଷ୍ଟମଲ୍ଲ ଜରାସନ୍ଧ ବୀର
ଗୋସିଂହ କାଳଦମନ ଜପା ଧପାସୁର ।
ବାଣ ଆଉ ବଜ୍ରନାଭ ଏହାଙ୍କର ମୂଳେ
ମହା ମହା ଦୁଷ୍ଟମାନେ ଛନ୍ତି ରବିତଳେ ।
ସେମାନଙ୍କ ନାଶ ପାଇଁ ମାନବ ଶରୀର
ଧରି ମର୍ତ୍ତ୍ୟେ ଜନମିଲ ଆହେ ଚକ୍ରଧର ।
ଜୟ ଜୟ ନାରାୟଣ ସର୍ବ ଚିନ୍ତାମଣି
ପୂରି ରହିଛ ସ୍ଥାବର କୀଟ ଚାରିଖାନି ।
ଜଳ ସ୍ଥଳ ପର୍ବତରେ ବିରାଜେ ଶ୍ରୀରୂପ
ସମୂଳେ ବିନାଶ କର ଦେଖିଲେ କୌଣପ ।
ନମସ୍ତେ ହେ ହରି ନିରଞ୍ଜନ ଭାବଗ୍ରାହୀ
ସହସ୍ରେ ବାର ପ୍ରଣାମ କରେ କର ତ୍ରାହି ।
ତୁମ୍ଭର ମାୟାରୁ କେହୁ ଯିବ ବା ଉବୁରି
ଏ ମୋହର ଦୋଷ କ୍ଷମା କର ଦଇତ୍ୟାରି ।
ଏମନ୍ତେ ଅକ୍ରୂର ସ୍ତୁତି କରେ କରଯୋଡ଼ି
କେହି ଜାଣି ନ ପାରନ୍ତି ମାୟା ମୋହେ ପଡ଼ି ।
ଗୋପାଳ ନନ୍ଦ ପ୍ରଭୃତି ଅଛନ୍ତି ସମସ୍ତେ
ଗୋବିନ୍ଦ ମାୟାରେ କେହି ନ ଜାଣି କିଞ୍ଚିତେ ।
ଅକ୍ରୂର ବୋଇଲା ନନ୍ଦ ଜୀବନ ତୋ ଧନ୍ୟ
ପୁତ୍ର କରି ପାଇଲୁ ତୁ ପ୍ରଭୁ ନିରଞ୍ଜନ ।
ଏହାଙ୍କ ଥାଆନ୍ତେ ତୋର ଶଙ୍କା ନାହିଁ କିଛି
ଏ ପୁତ୍ର ଥିଲେ କେବେହେଁ ଆପଦ ନ ଗଚ୍ଛି ।
ପ୍ରତ୍ୟକ୍ଷରେ ପ୍ରାପ୍ତ ତୁହି ହେଲୁ ସବୁ ଧର୍ମ
ଏ ନନ୍ଦିଘୋଷ ରଥରେ ବସିବାକୁ କ୍ଷମ ।
ବ୍ରହ୍ମା ରୁଦ୍ର ଇନ୍ଦ୍ର ଯାକୁ କରୁଥାନ୍ତି ଲୟେ
ସାକ୍ଷାତରେ ହୋଇଲେ ସେ ତୁମ୍ଭର ତନୟେ ।
ଏତେ କହି ବଳରାମ ଚରଣରେ ନମି
ନମସ୍ତେ ହେ କାମପାଳ ଚରାଚର ସ୍ୱାମୀ ।
ନମସ୍ତେ ହେ କାମପାଳ କାଦମ୍ୱରୀ ଭୋଗୀ
ନମସ୍ତେ ହେ କାମପାଳ ସଦାନନ୍ଦ ଯୋଗୀ ।
ନମସ୍ତେ ହେ କାମପାଳ ଯୋଗେଶ୍ୱର ମୂର୍ତ୍ତି
ନମସ୍ତେ ହେ କାମପାଳ ଅବ୍ୟକ୍ତ ମୂରତି ।
ନମସ୍ତେ ହେ କାମପାଳ କରୁଣାବାରିଧି
ନମସ୍ତେ ହେ କାମପାଳ ସର୍ବ ଗୁଣନିଧି ।
ଅଭିନ୍ନ ପୁରୁଷ ତୁମ୍ଭେ ଅଟ ବେନିଭାଇ
ସଂସାରର ଭାର ଅର୍ଥେ ଅଛ ଜାତହୋଇ ।
ଏ ତୁମ୍ଭ ମାୟାକୁ ବେଦବ୍ରହ୍ମା କରେ ଭୀତି
ଦେଖିଲି ମୁଁ ଦିବ୍ୟରୂପ ଅବ୍ୟକ୍ତ ମୂରତି ।
ନମୋ କାହ୍ନୁ ସଂକର୍ଷଣ ଅଟୁ ଏକା ଆତ୍ମା
ନମୋ କାହ୍ନୁ ସଂକର୍ଷଣ ଅଭେଦ ମହାତ୍ମା ।
ନମୋ କାହ୍ନୁ ସଂକର୍ଷଣ ଧଳା କଳା ତନୁ
ନମୋ କାହ୍ନୁ ସଂକର୍ଷଣ କଳ୍ପାନ୍ତକ ମନୁ ।
ଦୁଷ୍ଟ କଂସ ତୁମ୍ଭଠାରେ କରିଅଛି ରୋଷ
ତୁମ୍ଭଙ୍କୁ ଆପଦ ଚିନ୍ତି ହୋଇବ ସେ ନାଶ ।
ନମସ୍ତେ ହଳମୂଷଳ ଶଙ୍ଖଚକ୍ରଧାରୀ
ଅବିରତେ ବାହନ ଯା ଯକ୍ଷୀ ନାଗଅରି ।
ଯୁଗେ ଯୁଗେ ପୃଥିବୀରୁ ଦୁଷ୍ଟଙ୍କୁ ସଂହାର
ଦାସବତ୍ସଳ ବାନାକୁ ବହ ଚକ୍ରଧର ।
ଏହିରୂପେ ବହୁ ସ୍ତୁତି ଅକ୍ରୂର କରନ୍ତେ
ଶୁଣି ସନ୍ତୋଷ ହୋଇଲେ ରାମ ଗୋପୀନାଥେ ।
ଦୀନ ଅଚ୍ୟୁତ ସେ ପାଦେ ପଶଇ ଶରଣ
ଭବ ଜଳଧିରୁ ମୋତେ କରିବା କାରଣ ।
ଶୁକମୁନି ବୋଲନ୍ତି ଯେ ଶୁଣ ନୃପରାୟେ
ଇଦଂ ପଞ୍ଚତ୍ରିଂଶ ଅଧ୍ୟା ସମାପତ ହୋଏ ।
ଇଦଂ ଭାଗବତ ଲୀଳା ଶ୍ରୀହରି କୀରତି ।
ସଂକ୍ଷେପେ ଜାଣନ୍ତି ତାହା ଶୁକ ମହାଯତି ।
ଦଶମସ୍କନ୍ଧର କଥା ମହାପୁଣ୍ୟ ଗ୍ରନ୍ଥ
ପିବନ୍ତେ ଗଙ୍ଗାଜଳ ଏ ଶୁଣନ୍ତେ ମୁକତ ।
ମହା ଗହନ ଗ୍ରନ୍ଥ ଏ ୟାର ଅନ୍ତ ନାହିଁ
ଗଣପତି ଉପୁଜିଲେ କୋଟି ମୁଖ ବହି ।
ମୁଖେକ ବେନିଭୁଜ ସେ ବହିଲେ ଜଗତେ
ଏତେ ଭୁଜେ ଭାଗବତ ଲିହି ଅନୁବ୍ରତେ ।
ମୁଖେ ସ୍ମରି ଭୁଜେ ଯହୁଁ ହେଲା ବହୁକାଳ
ମୁଣ୍ଡା ହେଲା କୋଟି କୋଟି ଲେଖନ କେବଳ ।
ତଥାପି ଏ ମହାଗ୍ରନ୍ଥ ଲେଖି ସେ ନ ପାରି
ଶୁକଦେବରୂପେ ପୁଣି ମଞ୍ଚେ ଅବତରି ।
ମାନବ ଦେହରେ କେହୁ କହିବ ବା ତାହା
ଯୋଗୀଜନମାନେ ମୂଳମନ୍ତ୍ରେ ଜପି ଯାହା ।
ଅତିଭାଗ୍ୟେ ଭାଗବତ ଲୀଳା ପୁଣ୍ୟମୟ
ରୋଗ ଶୋକ ଅରିଷ୍ଟ ଯେ ଖଣ୍ଡେ ସବୁଭୟ ।
ଅପୁତ୍ରକ ପୁତ୍ର ପାଏ ନିର୍ଦ୍ଧନ ଯେ ଧନ
ଭବିଷ୍ୟତ ବକ୍ତା ହୋଇ ହୁଏ ମାନ୍ୟବାନ ।
ହରିନାମ ମହାରସ ଭବସିନ୍ଧୁ ନାବ
ପଣ୍ଡିତ ଜନ ଏ ଗ୍ରନ୍ଥେ କରିପାରେ ଭାବ ।
ଜନମରୁ ମୂର୍ଖ ମୁହିଁ ନ ପଢ଼ିଛି ପାଠ
ଲେଖନର ଲେଖା ମୁଁ ଯେ ନ ଜାଣଇ ବାଟ ।
ଆପଣେ ଶ୍ରୀଗୋପୀନାଥ ହେଲେ ମୋତେ ସଖା
ଶାରଦାଙ୍କୁ ଆଜ୍ଞାଦେଲେ ଭାଗବତ ଲେଖା ।
ଆଜ୍ଞା ପ୍ରମାଣେ ବାଗ୍ଦେବୀ କହେ ମୋତେଯାହା
ମନେ ରଖି ପୁସ୍ତକରେ ଲେଖଇ ମୁଁ ତାହା ।
ଦଶବିଂଶ ସହସ୍ର ଯେ ପାଞ୍ଚଶତ ଧାଡ଼ି
କେବଳ ଠିକେ ଠିକେ ମୁଁ ପଦମାନ ଯୋଡ଼ି ।
ପଣ୍ଡିତ ଜନମାନେ ହେ ନ ଧରିବ ଦୋଷ
ଜନ୍ମେ ଜନ୍ମେ ମୂର୍ଖମୁହିଁ ନାହିଁ ବିଦ୍ୟାଭ୍ୟାସ ।
ପାପ –ପଙ୍କରେ ମୋହର ତନୁ ଅଛି ବୁଡ଼ି
ଉଦ୍ଧାର ପାଇଁକି ତେଣୁ ଧରେ ହରିବାଡ଼ି ।
ବ୍ରହ୍ମା ରୁଦ୍ର ଇନ୍ଦ୍ରଆଦି ନ ପାନ୍ତି ଯା ଅନ୍ତ
ସେ ପ୍ରଭୁ ମହିମା ମୁହିଁ ଲେଖି କି ସମର୍ଥ ।
ସଂସାର ଜଳଧି ୟାର ଅକଳିତ ପାଣି
ଶ୍ରୀହରି ନାମେ ତହିଁକି ଅଟଇ ତରଣୀ ।
ଅଚ୍ୟୁତ ବୋଲଇ ସେହି ନାବ ଆଶ୍ରେକରି
ସଂସାରୁ ତରିବା ମୁଖେ ବୋଲ ହରି ହରି ।
ଗୋପାଳଙ୍କ ଦ୍ୱାରା ରଜକମାନଙ୍କର ବସ୍ତ୍ରହରଣ ଏବଂ ରାମ କୃଷ୍ଣାଦିଙ୍କର ମଥୁରାରେ ପ୍ରବେଶ
[ସମ୍ପାଦନା]ହରିଲୀଳା ଶୁଣି ଭବସାଗରୁ ନିସ୍ତର ।
କରପତ୍ର ଯୋଡ଼ି ଆଗେ ଅକ୍ରୂର ଯେ ଉଭା
ହଳୀ ବୋଇଲେ ହେ ହରି ଦେଖ ୟାର ସେବା ।
ଗୋବିନ୍ଦ ବୋଇଲେ ସ୍ୱାମୀ ଅଟେ ଏ ପୁଣ୍ୟାତ୍ମା
ଆମ୍ଭ ହିତେ ରହିଥାଏ ସଦା ଏ ମହାତ୍ମା ।
ଅକ୍ରୂର ଯୋଗେ ଆମ୍ଭର ହେବ ସବୁକାର୍ଯ୍ୟ
ଶ୍ରୀମୁଖେ ଏମନ୍ତ ଆଜ୍ଞା ଦେଲେ ଦେବରାଜ ।
ଆହେ ଅକ୍ରୂର ତୁମ୍ଭେ ତ ଅଟ ପୁଣ୍ୟଦେହା
ଚର୍ମ ନୟନେ ଦେଖିଲ ଆମ୍ଭର ଯେ ମାୟା ।
ଯୋଗୀମାନଙ୍କୁ ଦୁର୍ଲ୍ଲଭ ଆମ୍ଭର ମୂରତି
ପୁଣ୍ୟାତ୍ମା ହେତୁ ଦେଖିଲ ଆହେ ବିଜ୍ଞମତି ।
ଆସ ହୋ ଅକ୍ରୁର ବୋଲି ଗଉରବ କଲେ
କୋଳ ସମ୍ଭାଷଣ କରି ପାଶେ ବସାଇଲେ ।
ପ୍ରସନ୍ନେ ସ୍ୱାମୀ ତାହାକୁ ବର ପୁଣି ଯାଚି
ଯେବଣ ବରରେ ଇଚ୍ଛା ମାଗ ତାହା ବାଛି ।
ଅକ୍ରୂର ବୋଇଲା ତୁମ୍ଭେ ଶୁଭାଶୁଭ କର୍ତ୍ତା
ଯେ ତୁମ୍ଭର ମନ ଇଚ୍ଛା ବିଚାରି ଦିଅ ତା ।
ମୁହିଁ ବର ମାଗିବାକୁ ଅଟେ କି ଭାଜନ
ନିହନ୍ତା ବିହନ୍ତା ସ୍ୱାମୀ ଅଟ ଜନାର୍ଦ୍ଦନ ।
ତୁମ୍ଭେ ଯେବେ ସୁପ୍ରସନ୍ନ ହେବ ଜଗଦୀଶ
ତ୍ରୈଲୋକ୍ୟ ଭିତରେ ମୋତେ ଅପୂର୍ବ ବା କିସ ।
ଗୋବିନ୍ଦ ବୋଇଲା ମୋର ପାଦେ ଥାଉ ଭକ୍ତି
ଅନ୍ତିମରେ ଲଭ ତୁମ୍ଭେ ନିର୍ବାଣ ମୁକତି ।
ଆମ୍ଭ ଅଙ୍ଗରେ ବିଲୀନ ହେବ ତୋର ତନୁ
ସାତ୍ତ୍ୱିକ ଭକତି ତୁମ୍ଭେ କରିଲ ହେ ଯେଣୁ ।
ଯାବତ ରବି ଚନ୍ଦ୍ରମା ଥିବେ ମେଦିନୀରେ
ଦରିଦ୍ର ନ ହେବେ କେହି ତୁମ୍ଭର ବଂଶରେ ।
ଧନ ସମ୍ପଦରେ ଗୃହ ପରିପୂର୍ଣ୍ଣ ହେଉ
ଏହିରୂପେ ବର ଦେଲେ ତାକୁ ମହାବାହୁ ।
ଏମନ୍ତ କଥାମାନ ଯେ ନ ଜାଣନ୍ତି ଆନ
ଯେଝାରେ ଚାଲୁଅଛନ୍ତି ଗୋପବାସୀ ଜନ ।
ଯମୁନା କୂଳରୁ ରଥ ଗଲା ବେଗି ବେଗି
ଗୋଡ଼ାଇଣ ବାଳପୋଏ ପଛେ ପଛେ ଲାଗି ।
ଖେମଟା ନାଚରେ ସର୍ବେ ହ୍ୱନ୍ତି ମତୁଆଳ
ଘୋର ଭୟଙ୍କରରୂପ ମହା ବିକରାଳ ।
ସମସ୍ତଙ୍କୁ ବିଷ୍ଣୁତେଜ ଦେଇଛନ୍ତି ହରି
ଏକୁଁ ଏକ ଦେଖାଯାନ୍ତି କୋଟିକାମ ପରି ।
କଡ଼ା ଘୁମୁରା ବଜାଇ ଚଳନ୍ତି ସକଳ
ସମୁଦ୍ର ଗର୍ଜନ ପ୍ରାୟ ମୁଖରାବ ଗୋଳ ।
ନଦୀ ପାରହୋଇ ତହୁଁ ଥୋକେଦୂର ଗଲେ
ଧାଇଁ ଝପଟି ଗୋପାଳେ ଆଗକୁ ଧାଇଁଲେ ।
ପରିମଳ ଦେଖାଯାଏ ନଦୀ ବେନିତଟ
ଦୂରରୁ ଚାହାଁନ୍ତେ ଦେଖାଗଲା ଧୋବାତୁଠ ।
ସମୁଦ୍ର ଲହରୀ ପ୍ରାୟ ଦିଶେ ବସ୍ତ୍ରମାନ
ବଗପକ୍ଷୀ ସମାନରେ ସବୁ ଶୁକ୍ଳବର୍ଣ୍ଣ ।
ରଙ୍ଗ ସିନ୍ଧୁଆ ମଠା ଯେ ପାଟ ଆଦିକରି
କେତେ ବସ୍ତ୍ର ଅଛି କେହୁ କରିବ ସୁମାରି ।
ପାଟରଜ୍ଜୁରେ ବସନ ଉଡ଼େ ମାଳ ମାଳ
କଂସରାଜାର ସେ ସବୁ ଅଟଇ ଦୂକୁଳ ।
ଦେବତାଙ୍କର ବସନ କରି ସବୁ ଜୁର
ବଳାତ୍କାରେ ଆଣିଥିଲା ସେ କଂସ ଅସୁର ।
ସେ ବସ୍ତ୍ରମାନଙ୍କୁ ସବୁ ସଫାକରି ଦେଇ
ଯତନ ସହକାରରେ ଅଛନ୍ତି ଖୁଆଇ ।
ପବନ ଆଘାତେ ବସ୍ତ୍ର ଉଡ଼େ ଫରହର
ଝଟକ ବିଜୁଳି ପ୍ରାୟ ତା ଜ୍ୟୋତି ପ୍ରଖର ।
ଖଣ୍ଡ ଦୂରରୁ ସେ ତୁଠ ଦେଖାଗଲା ଆଗେ
ଦେଖିଣ ଗୋପାଳପୋଏ ଧାଇଁଲେକ ବେଗେ ।
ରେରେକାର କରି କରେ ଲଉଡ଼ି ବୁଲାଇ
ଉବୁରା ଉବୁରି ହୋଇ ପଶିଲେ ଝସାଇ ।
ଅପୂର୍ବ ଝୀନବସନ ଦିଶେ ଆନୁଆନ
ତାହା ଦେଖି ଗୋପପୋଏ ହୋଇ ସ୍ନେହମନ ।
ଧାମନ୍ତି ଅତିବେଗରେ ମାରି ଗାଲତୁରୀ
ଘେନିଲେ ଉଛୁଡ଼ି ବସ୍ତ୍ର କରି ହୁରିଜୁରି ।
ଯାହାର ମନକୁ ଯେଉଁ ବସ୍ତ୍ରମାନ ରୁଚି
ପିନ୍ଧନ୍ତି ପାଲଟି ଖଣ୍ଡେ ଖଣ୍ଡେ ତହୁଁ ବାଛି ।
ଇନ୍ଦ୍ର ଗୋବିନ୍ଦ କେହୁ ବା ପିନ୍ଧେ ନେଇ ନେତ
ସିନ୍ଧୁଆ ଯୋଡ଼ା ପିନ୍ଧି କେ ହୁଏ ଆନନ୍ଦିତ ।
ଅପୂର୍ବ ବସନମାନ ମୁଣ୍ଡେ ଠେକା ବାନ୍ଧି
ନେତ ପତନି କେହୁ ବା ବାହେ ନେଇ ଛନ୍ଦି ।
କେହି କୌତୁକେ ବସନ ଟିକିଟିକି କରେ
କେହି ନେଇ ମେଲିଦିଏ ନଦୀର ସ୍ରୋତରେ ।
ଏରୂପେ ବସନଯାକ କରିଦେଇ ଧ୍ୱଂସ
ଦେଖି ତା ରଜକମାନେ ପାଇ ମନେ ତ୍ରାସ ।
ବୋଇଲେ ଆରେ ଗଉଡ଼େ ଏଡ଼େକ ଭରସା
ସିଂହ ସଙ୍ଗେ ଖଣ୍ଡିଆଳି କର ହୋଇ ଶଶା ।
କଂସ ରାଜାର ମହିମା ଶୁଣିଲ କି ନାହିଁ
ଜାଣୁ ଜାଣୁ ଏଡ଼େକର୍ମ କଲ କିସପାଇଁ ।
ରାଜାର ଶ୍ରୀଅଙ୍ଗଲାଗି ସବୁ ମଢ଼ିଆଳ
ପାଞ୍ଚସହସ୍ର ରଜକ ଯହିଁ ରଖୁଆଳ ।
ଯହିଁରେ କି ଦେବତାଙ୍କ ଦୃଷ୍ଟି ପଡ଼େନାହିଁ
ଏଡ଼େ ଦିମାକ ତୁମ୍ଭର କାହା ସାହା ପାଇ ।
ସପ୍ତାଙ୍ଗରେ ନାଶଗଲ ହୋଇ ରାଜାଦ୍ରୋହୀ
ବୁଡ଼ାଇଲ ଗୋପନଗ୍ର ବାମ ହେଲା ବିହି ।
କି ଅବା ତୁମ୍ଭଙ୍କୁ ଲାଗିଅଛି କିରେ ଭୂତ
ନିଶ୍ଚୟ ତୁମ୍ଭେରେ ସବୁ ହେବ ଭସ୍ମସାତ ।
କିବା ଗଞ୍ଜାଇ ଝୁଙ୍କ କି ଧରିଛି ମୁଣ୍ଡକୁ
ତେଣୁ ଆସି ବଳାତ୍କାରେ ନିଅ ବସନକୁ ।
ଧର୍ମପଥ ଲଘିଂଲରେ ରାଜବସ୍ତ୍ର ନେଇ
ଆରେ ଆରେ ଗୌଡ଼େତୁମ୍ଭେ ଯିବ କେଉଁଠାଇଁ ।
ଅବସାନ କାଳ ଆସି ହୋଇଲା ପ୍ରବେଶ
ଏକାବେଳରେ ସକଳେ ହୋଇବ ବିନାଶ ।
ଏତେ ବୋଲି ଧୋବା ଭାର କୀଳାମାନ ଧରି
ମାରିବାକୁ ଧାଇଁଲେ ସେ ମେଳି ହୋଇକରି ।
ଅନଳ ଦେଖି ପତଙ୍ଗ ଯେସନକ ଧାଇଁ
ଧାମନ୍ତି ରଜକମାନେ ସେହିରୂପ ହୋଇ ।
କହୁଁ କହୁଁ ନନ୍ଦିଘୋଷ ମିଳେ ଆସି ଆଗେ
ଧୋବାଙ୍କ ଝପଟ ଦେଖି ବୋଲନ୍ତି ଶ୍ରୀରଙ୍ଗେ ।
ପିଟି ସର୍ବେ ଧୋବାଙ୍କୁ ଯେ ଅସ୍ତବ୍ୟସ୍ତ କରି
ପରାଣେ ନ ନାଶି ତାଙ୍କୁ ତଡ଼ ଧକ୍କା ମାରି ।
ଆଜ୍ଞା ପାଇଣ ଗୋପାଳେ ଧରି କେନ୍ଦୁବାଡ଼ି
ଧାଇଁଲେ ସେ ରେରେ କାର କରି ଦେଇରଡ଼ି ।
ଭାର ଥୋଇଦେଲେ କୀଳା ବାଉଙ୍ଗି କେ ଧରି
ଆକ୍ରୋଶି ନେଇ ପିଟନ୍ତି ଧୋବାଙ୍ଗ ଉପରି ।
ବିଧା ମାରେ କେହୁ କ୍ରୋଧେ ଭାଙ୍ଗିଦିଏ ଦନ୍ତ
ଜାନୁଭଗ୍ନ ହୋଇ କେବା ହୁଏ ମୂର୍ଚ୍ଛାପ୍ରାପ୍ତ ।
କାହା ଆଣ୍ଠୁ ଭାଙ୍ଗିଯାଏ କାର ଫାଟେ ମାଥ
ଦନ୍ତରେ ତିରଣ ଧରି ହୁଏ କେ ନିସତ ।
ବେକା ଲୁଗାମାନ ଦିଏ ଭୟେ ଆଣି ଯାଚି
ବୋଲଇ ଗୋସାଇଁ ନିଅ ଏବେ ବାଛି ବାଛି ।
ଏ କଥା ଶୁଣି ବୋଲନ୍ତି ପ୍ରଭୁ ନାରାୟଣ
କଂସ ସେବାକାରୀ ବୋଲି ଗର୍ବ ଅପ୍ରମାଣ ।
ଏ ଛାର ସେବକମାନେ ଜାତିରେ ଯେ ନୀଚ
ହେ ପୋଏ ତାଙ୍କ ଉପରୁ କ୍ରୋଧ ଏବେ ମୁଞ୍ଚ ।
ଯେତେ ଦଣ୍ଡ ପାଇଲେ ସେ ତୁଣ୍ଡେ ନୁହେଁ କହି
ତହୁଁ ପୋଏ ନିବର୍ତ୍ତିଲେ ପ୍ରଭୁ ଆଜ୍ଞାପାଇ ।
ଭାଙ୍ଗିଲା ଧୋବାତୁଠ ଯେ ହେଲା ଛାରଖାର
ଗୋପାଳେ ବସ୍ତ୍ର ପିନ୍ଧିଣ ଆନନ୍ଦ ଅପାର ।
ବସନ୍ତ ମାଧବୀ ପାଟ ମଠାଆଦି କରି
ସକଳ ଜୂର କରିଲେ କଂସକୁ ନ ଡରି ।
କଡ଼ା ଘୁମୁରା ବଜାଇ ଆନନ୍ଦିତ ମନ
କୋଟି ଦଣ୍ଡପାଟ ତେଜ ଏକ ଏକ ଜାଣ ।
ସୀମା ନ ମାଡ଼ୁଣୁ ଧୋବା ତୁଠ ଜୂର କଲେ
ଏ କଥା ଶୁଣିଣ ଲୋକେ ଭୟକୁ ପାଇଲେ ।
ମଥୁରା ପାଞ୍ଚକୋଶରେ ପୂରିଛନ୍ତି ଲୋକ
ଗୋପାଳମାନଙ୍କୁ ଦେଖି ହୁଅନ୍ତି ଅବାକ ।
ଝସାଇ ପଶିଲେ ସର୍ବେ ନଗର ଭିତରେ
ନନ୍ଦିଘୋଷୁଁ ଉତ୍ତୁରିଲେ ରାମ ଦାମୋଦରେ ।
ତାଙ୍କ ପଛେ ଓହ୍ଲାଇଲେ ନନ୍ଦ ଯେ ଅକ୍ରୁର
ପାଦେ ଗମନ କରନ୍ତି ହୋଇ ଧୀର ଧୀର ।
ବଳରାମ ବୋଇଲେକ ହେ ଅକ୍ରୂର ଯା ଯା
ରାଜା ଆଗେ ଜଣାଇବ ଅଇଲେ ଭଣଜା ।
ଆଗରେ ଗଲେ ଅକ୍ରୂର ପ୍ରଭୁ ଆଜ୍ଞା ଘେନି
ତାହାର ପଛେ ଯାଆନ୍ତି ଧୀରେ ଭାଇ ବେନି ।
ବେନିଧାଡ଼ି ପଟୁଆର ରୂପରେ ଚଳିଲେ
କୋଶେକ ଓସାର ମଧ୍ୟେ କେହି ନ ରହିଲେ ।
ଆଗହୁଁ ଦାଣ୍ଡବାଟ ଯେ ହୋଇଛି ପହଁରା
ଯେ ଯାହାର ଦାଣ୍ଡମାନ ଦିଶେ ଅତିତୋରା ।
କେ ଫୁଲ ତୋରଣା କରି ବାନ୍ଧିଅଛି ଚାଳେ
ଚାମର ପାଟଝୁମ୍ପା ଯେ ଲମ୍ୱେ ମାଳେ ମାଳେ ।
ଆଲମ୍ୱ ଲକ୍ଷ ଲକ୍ଷ ଯେ ବାନ୍ଧିଛନ୍ତି ପୁଣି
ଧନୁଯାତ୍ରା ଉତ୍ସବର କଥା କେ ବଖାଣି ।
କଂସ ରାଜାର ବଡ଼ିମାପଣ ବଳିୟାର
ତ୍ରିଭୁବନ ଲୋକେ ଯାର ପାଦରେ କିଙ୍କର ।
ମେରୁ ପ୍ରଦକ୍ଷିଣ କରି ସ୍ୱର୍ଗେ ଦେଲା ଧାଡ଼ି
ଅମରେ ବସିଲା ଇନ୍ଦ୍ର ଦେବତା ଘଉଡ଼ି ।
ଯାହାର ଗଦାକୁ ଭୟ କରେ ମଘବାନ
ଯାହାର ପାଦରେ ପୃଥ୍ୱୀ ହୁଏ କମ୍ପାନ ।
ସେ ପୁଣି ଯେଉଁ ଯାତ୍ରାକୁ ଆପେ ଭିଆଇଛି
ତହିଁକି କି ପଟାନ୍ତର ଦେବା ଅବା ବାଛି ।
ଗୋବିନ୍ଦ ଆସିବା ଜାଣି ବିଶ୍ୱକର୍ମା ପୁଣି
କୋଟିଗୁଣେ ନଗରକୁ କରିଛି ମଣ୍ଡଣି ।
ନିମନ୍ତ୍ରଣେ ଆସିଛନ୍ତି ପୃଥ୍ୱୀ ରାଜାଗଣ
ମୁଖରାବ ଶବଦରେ ପୂରିଛି ଗଗନ ।
ବିକନ୍ତି ନାନଦି ଦ୍ରବ୍ୟ ବେପାରିଏ ବସି
ପସରାମାନ ଦେଖିଲେ ମନ ହୁଏ ଖୁସି ।
ପାନ ଫୁଲ ଚନ୍ଦନାଦି କସ୍ତୁରୀ ଏମାନ
ଧାଡ଼ି ଧାଡ଼ି ଦୋକାନରେ ହୋଇଅଛି ପୂର୍ଣ୍ଣ ।
ଖଜା ମୁଆଁ ଚଣା ରମ୍ଭା ଆମ୍ୱ ନଟିକାଳ
ପଣସ ଆତ ଯେ ବେଲ ଲେମ୍ୱୁ ବୃନ୍ଦାହୁଳ ।
ଠାବେ ଠାବେ ବିକା ହୁଏ ଆନୁମାନ ହୋଇ
ଯେଝା ପଦାର୍ଥ ବିକନ୍ତି ପସରା ମେଲାଇ ।
କେ ରନ୍ଧନ କେ ଭୋଜନ କରନ୍ତି ଯେ ଘରେ
ବୃକ୍ଷମୂଳରେ ପସରା ଥୋଇ କେ ନିର୍ଭରେ ।
ତଣ୍ଡୁଳ ଆଦି କରିଣ ଯେତେ ଯେତେ ଦ୍ରବ୍ୟ
କୋଟି ମାଣିକ୍ୟ ଲୋଡ଼ିଲେ ଠାବ କେ ପାଇବ ।
ଏପରି ସମ୍ଭର୍ବେ ଯାତ୍ରା କରେ କଂସରାୟେ
ରେରେକାର କରି ପଶିଗଲେ ବ୍ରଜପୋଏ ।
ସମରାଜ୍ୟେ ହୁରି ଜୁରି ପଡ଼ିଲା ଅଦ୍ଭୂତେ
ଛନ୍ନ ଛନ୍ନ ହୋଇ ତାଙ୍କୁ ଚାହାନ୍ତି ସମସ୍ତେ ।
ଏକକୁ ଦେଖି ଆରେକ ପଚାରନ୍ତି ବାଣୀ
ହୁରି ପଡ଼ିବା କଥା କେ ଅଛ ତଥ୍ୟ ଜାଣି ।
ଏତେ ବଡ଼ ମହାରାଜ୍ୟ କମ୍ପିଲା ଅଦ୍ଭୂତେ
ଧନ ଦ୍ରବ୍ୟ ତେଜି ଲୋକେ ପଳାନ୍ତି କିମର୍ଥେ ।
କେ ବୋଲେ ଏ ରାଜ୍ୟକୁ ତ ଭଲ ଦିଶୁନାହିଁ
କେ ବୋଲଇ କାଳଚକ୍ର ଅଇଲା କି ବାହି ।
ନୋହିଲେ ତ ହାଲହୋଳି ପଡ଼ନ୍ତା କି ଦେଶ
ଉତ୍ତମ ଜଣେ ତ ଏଥେଁ ହୋଇବ ବିନାଶ ।
କେ ବୋଲଇ ଦୃଢ଼ କଥା ବୁଝିଆସ ଯାଇ
କେଉଁ ଲୋକମାନେ ପୁଣି ଆସୁଛନ୍ତି ଧାଇଁ ।
ହାଟୁଆ ବାଟୁଆ ଲେଙ୍କା ପଡ଼ିହାରୀ ଜନ
ସେମାନେ ଥୟ କରିଣ ବୋଲନ୍ତି ବଚନ ।
ବାଟେ ଗଲା ଲୋକେ ବୋଲୁଛନ୍ତି ଭୟ ନାହିଁ
ଗୋପାଳେ ଆସନ୍ତି ଯାତ୍ରା ଦେଖିବାର ପାଇଁ ।
କେହି ବୋଲନ୍ତି ତାଙ୍କର କଥା ଅଗୋଚର
ପ୍ରଥମେ ରଜକ ତୁଠ କରିଲେ ଯେ ଜୂର ।
ହାଟ ପେଣ୍ଠ ପାଟଣାକୁ ଭାଙ୍ଗିଦେଲେ ବଳେ
କଂସ ରାଜ୍ୟ ଭାଙ୍ଗନ୍ତା କେ ଅଛି ରବିତଳେ ।
ଗୋପପୁର ଲୋକଙ୍କର ଗାରିମା ଏ ନୋହେ
ତାଙ୍କ ସଙ୍ଗେ ସୁମହତ ଲୋକ ଅଛି କିଏ ।
କେହୁ ବୋଲନ୍ତି ଗଉଡ଼େ ନିଶ୍ଚେ ଯିବେ ନାଶ
ବାଜିକର କେଳା ପ୍ରାୟେ କରନ୍ତି ସାହସ ।
ଯଦ୍ୟପି ହରି ବ୍ରହ୍ମାଦି ହୋଇଥିବେ ସେହି
ନୃପତି ଆଗରେ କେହୁ ନ ପାରିବେ ରହି ।
ନାନା ଅପକାର ଆଗୁ ଅଛନ୍ତି ସେ କରି
ଛାଗଳ ପ୍ରାୟେ ମୋଡ଼ିବ ଗୋଟି ଗୋଟି କରି ।
କେ ବୋଲଇ ଏ କଥା ତ ଲାଗେ ଚମତ୍କାର
ସର୍ପ ଆଗରେ ମଣ୍ଡୁକେ ଦେଖାନ୍ତି ଚାତର ।
ବିପରୀତ କାଳ ଏବେ ହୋଇଲା କି ଆସି
ନୋହିଲେ ଶଶା ନାଚନ୍ତି ସିଂହଘରେ ପଶି ।
ଏସନ ଭାଳନ୍ତି ସର୍ବ ନଗ୍ରବାସୀ ଜନ
ମଥୁରା ଦାଣ୍ଡରେ ବିଜେ ଜଗତଜୀବନ ।
ଅନେକ ବାଳଗୋପାଳ ଅଛନ୍ତି ସଙ୍ଗରେ
ନାଚନ୍ତି ଖେମଟା ନାଟ ଅତ୍ୟନ୍ତ ରଙ୍ଗରେ ।
ନୀଳେନ୍ଦି ଦଳି ପରାୟେ ବିରାଜନ୍ତି ତନୁ
ଗଗନେ ଉଦୟ ହୋଇ ଆସଇ କି ଭାନୁ ।
ଚାଚର ଚିକୁର କେଶେ ଶୋଭାପାଏ ଚୂଳ
ସୁସଞ୍ଚ ସୁନ୍ଦର ବେଣୀ ଲୁଳେ ତାଳୁମୂଳ ।
ଭ୍ରୁଲତା ଯେ କାମଧନୁ ଅପାଙ୍ଗ ଲୋଚନ
ବିସ୍ତାରିତ ବକ୍ଷସ୍ଥଳ ମଝା ଅତିକ୍ଷୀଣ ।
ଡାଳିମ୍ୱ କୁସୁମ ପ୍ରାୟେ ଶୋହେ ଦନ୍ତପତି
ଚନ୍ଦନ ଟୋପା ମସ୍ତକେ ତୋରା ଦିଶେ ଅତି ।
ମତ୍ତରେ ମାତଙ୍ଗ ଯେହ୍ନେ ଚାଲେ ଧୀରେ ଧୀରେ
ମଥୁରା ଦାଣ୍ଡେ ଯାଆନ୍ତି ପ୍ରଭୁ ସେ ପ୍ରକାରେ ।
ଏକଦୃଷ୍ଟି କରି ଚାହିଁଛନ୍ତି ସର୍ବଜନ
ଜଗମୋହନ ନାଥ ଯେ ମୋହି ସର୍ବମନ ।
ଯାତ୍ରା ନାଟ ଛାଡ଼ିକରି ସକଳେ ଧାଇଁଲେ
ରାମ କୃଷ୍ଣଙ୍କ ରୂପକୁ ନିରୀକ୍ଷି ଚାହିଁଲେ ।
ପଦ୍ମବନ ଭିତରେ କି ରାଜହଂସ ଆସି
ତାରାଗଣ ମଧ୍ୟେ ଯେହ୍ନେ ଶୋଭାପାଏ ଶଶୀ ।
ଅବିବାହୀ କନ୍ୟାମେଳେ ବର କି ମିଳିଲା
କୁମୁଦବନେ ଚନ୍ଦ୍ର କି ଆସି ଉଦେ ହେଲା ।
ତେସନ ରୂପ ବିକାଶି ପ୍ରଭୁ ଜଗଜ୍ଜ୍ୟୋତି
ବାଳକମାନଙ୍କ ରୂପ ଦିଶେ ସେହିମତି ।
କେ ବୋଲଇ ଏହାଙ୍କର ମାତାପିତା ଧନ୍ୟ
ପ୍ରତ୍ୟକ୍ଷେ ଦେବତା ପ୍ରାୟେ ଦେଖାଯାନ୍ତି ପୁଣ ।
କେତେକାଳ ଧାତା ୟାଙ୍କୁ ଗଢ଼ିଲାକ ବସି
କେ ବୋଲଇ ଉଦେ ହେଲେ କିବା ରବି ଶଶୀ ।
ଏସନକ ରୂପ ଆଗୁଁ ଦେଖିଲା ତ ନାହିଁ
କେ ବୋଲେ ନିର୍ମଳ ନେତ୍ର ହେଲା ୟାଙ୍କୁଚାହିଁ ।
କେଉଁ ପୁଣ୍ୟବତୀ ଗର୍ଭେ ଧଇଲା ଏହାଙ୍କୁ
ମୋହିତ କରନ୍ତି ଦେଖି ସଂସାର ଯାକକୁ ।
କେବୁ ବୋଲଇ ତୁମ୍ଭେ ତ ପୁଚ୍ଛିଆସ ଯାଇଁ
କେବଣ ନାମ ତାଙ୍କର କି ଜାତି ଅଟଇ ।
କେ ବୋଲଇ ଏହିମାନେ ଗୋପରୁ ଅଇଲେ
କେହୁ ବୋଲନ୍ତି ଏ ପରା ପୂତନା ମାଇଲେ ।
କେହୁ ବୋଲେ ଏହିପରା ଷଣ୍ଢା ମାରି ଅଛି
ନଗ୍ରଲୋକ କହନ୍ତି ଯେ ଏହିରୂପେ ବାଛି ।
ଏବେ କଂସରାଜା ୟାଙ୍କୁ ଆଣିଛି ଡକାଇ
ପୁଣି କେଉଁ କଥା ଦୈବ ଅଛିକି ଘଟାଇ ।
ଧନ୍ୟ କଳାଧଳା ରୂପ ଅତ୍ୟନ୍ତ ସୁସଞ୍ଚ
ନାହିଁ ୟାଙ୍କୁ ପଟାନ୍ତର ସ୍ୱର୍ଗଆଦି ମଞ୍ଚ ।
ଯେତେକ ବାଳଗୋପାଳ ଦିଶନ୍ତି ସୁନ୍ଦର
ସ୍ୱର୍ଗ ମଞ୍ଚ ପାତାଳରେ ନାହିଁ ପଟାନ୍ତର ।
ଅପୂର୍ବ ରୂପ ଦେଖିଣ ସର୍ବେ ହେଲେ ମୋହି
ବାଳଗୋପାଳ ସ୍ୱରୂପ ଧରି ବେନିଭାଇ ।
ଗୋପାଳପୋଏ ଗୋଡ଼ାଇ ତାଙ୍କ ସଙ୍ଗେ ସଙ୍ଗେ
କରେ ଲଉଡ଼ି ବୁଲାଇ ଧାମନ୍ତି ସେ ରଙ୍ଗେ ।
ହାଟ ବାଟ ପେଣ୍ଠ ଆଦି କଲେ ସବୁ ଜୁର
କିଳିକିଳା ରାବଦେଇ ପଶି ଘର ଘର ।
ଯେ ପଦାର୍ଥ ଦେଖନ୍ତି ତା ହରିନ୍ୟନ୍ତି ବଳେ
ଆଣ୍ଟ ମେଳିଆ ଦେଖିଲେ ମାରନ୍ତି ଯେ ରୋଜେ ।
କମ୍ପଇ ମଥୁରାପୁର ପଡ଼େ ହାଲୋହୋଳି
ଘରେ ଘରେ ଘଡ଼ିକରେ ପଡ଼ଇ ବୋବାଳି ।
ଆଣ୍ଟ ଦେଖାଇ ପକାଏ ଯେହୁ ରାଜାରାଣ
ନିସ୍ତୁକ ମାଡ଼ ମାରନ୍ତି ଧରି ତାକୁ ପୁଣ ।
ଏହିରୂପେ ମାୟାଦର ମାୟାକୁ ବିସ୍ତାରି
କଟକଯାକେ ଗୋପାଳେ ଅଛନ୍ତି ଯେ ପୂରି ।
ଯମୁନା କୂଳରୁ ପୁଣି ମଧୁପୁର ଯାଏ
ଯେଣେ ଚାହିଁ ତେଣେ ଦେଖାଯାନ୍ତି ଗୋପପୋଏ ।
ସେ ବାଳଗୋପାଳ ପାଦେ ରହୁ ମୋର ମତି
ଦୀନ ଅଚ୍ୟୁତ ଦାସ ୟା ଭାଳେ ଦିବାରାତି ।
କୁବୁଜାର ମୋକ୍ଷଣ
[ସମ୍ପାଦନା]ପଚାରନ୍ତି ପରୀକ୍ଷିତ ଆହେ ମୁନିବର
ଏଥୁ ଅନ୍ତରେ ହୋଇଲା କିସ ସମାଚାର ।
ତାହା ମୋତେ କହିବା ଯେ ହେଉ ବିଜ୍ଞମତି
ଭାଗ୍ୟବଳେ ଭେଟିଅଛି ତୁମ୍ଭପରା ଯତି ।
ବଦୟନ୍ତି ମହାମୁନି ଶୁଣ ପୁଣ୍ୟଦେହା
ଭବାର୍ଣ୍ଣବ ତରିବାକୁ ହରିବଂଶ ନାହା ।
ବେଳ ସାତଘଡ଼ି ଯହୁଁ ହୋଇଲାକ ଆସି
ସିଂହଦ୍ୱାର ନିକଟରେ ସକଳେ ପ୍ରବେଶି ।
ଏକାଳେ ନରପତିର ସୁଗନ୍ଧ ନିଯୋଗ
ଘେନିଣ କୁବୁଜା ଯାଉଅଛି ବେଗ ବେଗ ।
ଇନ୍ଦ୍ର ଗୋବିନ୍ଦ ପାଟ ଯେ କରେ ଅଛି ଘେନି
ଚାଲିଲାର ଠାଣି ତାର କି କହିବା ପୁଣି ।
ଗନ୍ଧ ଚନ୍ଦନ କର୍ପୂର ଆଦି ପରିମଳ
କଂସର ଶ୍ରୀଅଙ୍ଗେ ଲାଗି କରଇ ଶୀତଳ ।
ଅନେକ ଯତନେ ନାରୀ ଗନ୍ଧଫେଡ଼ି ଘେନି
ଅପୂର୍ବ ବେଶ ହୋଇଣ ଗମଇ କାମିନୀ ।
ସେ ରୂପ ଦେଖିଣ ପୋଏ କଥାବାର୍ତ୍ତା ହ୍ୱନ୍ତି
ଦେଖିନାହୁଁ ଆଜିଯାଏ ଏ ପ୍ରପଞ୍ଚ ମୂର୍ତ୍ତି ।
ବିଶେଷରେ କୁବ୍ଜା ଅଙ୍ଗ ଚାଲେ ଲଇଁ ଲଇଁ
ପେଡ଼ି ଗୋଟାଏ ହାତରେ ପୁଣି ଘେନିଛଇଁ ।
ସେହି ପଥଦେଇ କୁଜୀ ଚାଲେ ଧୀରେ ଧୀରେ
ବସନକୁ ବାନ୍ଧିଅଛି ଯତନେ ଅଣ୍ଟାରେ ।
କାହ୍ନୁ ସଙ୍କର୍ଷଣ ବିଜେ କରିଛନ୍ତି ଆଗେ
ତ୍ରିପଥ ପଥେ ଭେଟିଲା ଅତ୍ୟନ୍ତ ସୁଯୋଗେ ।
ଖଣ୍ଡେ ଦୂରକୁ କୁବୁଜା ଚାହେଁ ଅବଗାହି
ବୋଇଲା ଏମନ୍ତ ରୂପ ଦେଖିଲା ମୋ ନାହିଁ ।
ହରିହର ବ୍ରହ୍ମା କିବା ଅଟନ୍ତି କୁବେର
କିଏ ଯମ ବରୁଣ ବା ବାୟୁ ବୈଶ୍ୱାନର ।
କିଏ ଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର କିବା ବିଶ୍ୱଦେବା
ବଇକୁଣ୍ଠ ତେଜି ବିଷ୍ଣୁବିଜେ କଲେ ଅବା ।
ନୀଳ ଧବଳ ମୂରତି ଦିଶେ ଶୋଭାବନ
କ୍ଷଣେ କ୍ଷଣେ ରୂପ ପୁଣ ଦିଶେ ଆନୁଆନ ।
ନୁହନ୍ତି ସାମାନ୍ୟ ଏ ତ ନିଶ୍ଚେଁ ବଡ଼ଜଣ
ସର୍ବଗୁଣ ସୁଲକ୍ଷଣ ଅତି ବିଚକ୍ଷଣ ।
ସୁଯୋଗରେ କଂସ ଧନୁଯାତ୍ରା ଭିଆଇଲା
ଏତେବେଳେ ଯାତ୍ରାରେ ଯେ ସୁଭାଗ୍ୟ ଦିଶିଲା ।
ପୂର୍ବହେତୁ ଦୃଶ୍ୟ ମୋତେ ହୁଏ ଯୋଗବଳେ
ମିଳିଲେ କି କଂସରାଜା ସମାପତି କାଳେ ।
ଦୁର୍ବାସା ମହର୍ଷି ମୋତେ କହିଥିଲେ ଯାହା
ବୋଇଲେ ନିକଟେ ତୁମ୍ଭେ ଦେଖିବ ଚୌବାହା ।
ନର ପ୍ରାୟେ ନ ଦିଶନ୍ତି ମୋତେ ଭାଇ ବେନି
ନିଶ୍ଚେଁ ନାରାୟଣ ବିଜେ କୋଟିଲକ୍ଷ୍ମୀ ଘେନି ।
ଗନ୍ଧ ଚନ୍ଦନ ଯେ ପୁଷ୍ପ ଦେବାଙ୍ଗ ବସନ
ଲକ୍ଷ୍ମୀଧର ପ୍ରାଣୀଙ୍କୁ ତ ମିଳଇ ଏମାନ ।
ଏଥିରୁ ସୁଲଭ ଯୋଗ ପାଇବଇଁ କାହିଁ
ରାଜାର ଗନ୍ଧଚନ୍ଦନ ଯୋଗାଇବି ନେଇ ।
ଏତେ ବୋଲିଣ କୁବୁଜୀ ଚଳେବେଗେ ବେଗେ
ଗନ୍ଧ ଯୋଗାଇଲା ନେଇ ରାମକୃଷ୍ଣ ଅଙ୍ଗେ ।
ସାଷ୍ଟାଙ୍ଗ ହୋଇଣ ଆଗେ ଶୋଏ ଗଡ଼ଘାଲି
ଭକ୍ତିଭାବେ କହେ ତୁମ୍ଭେ ପ୍ରାଣବନ୍ଧୁ ବୋଲି ।
ଆହେ ଦେବ ଗୋପୀନାଥ ପ୍ରଭୁ ବିଶ୍ୱବାସୀ
ଶ୍ରୀଅଙ୍ଗ ଶୋଭୁ ସୁଗନ୍ଧ ଲାଗିଣ ହୁଅସି ।
ନୀଳେନ୍ଦୀ ଦଳ ପରାୟେ ଅଙ୍ଗ ଦିଶେ ଶୋଭା
ଶ୍ରୀମୁଖ ଦିଶେ ଶରଦ ଚନ୍ଦ୍ରମାର ଆଭା ।
ଦେବାଙ୍ଗ ଝୀନବସନ କଟିରେ କାଛେଣୀ
ମଉଳି ଉପରେ ଚୂଳ ଶିଖିପୁଚ୍ଛ ବେଣୀ ।
ବାମହସ୍ତେ କେନ୍ଦୁସର ଧରି ବେଣୁପାଣି
ସୁସଞ୍ଚ ରଙ୍ଗପାଟ ଯେ ବାହାରେ ବନ୍ଧଣି ।
ନାସାରେ ବର୍ତ୍ତୁଳ ମୁକ୍ତା ଶୁଦ୍ଧ ସ୍ୱର୍ଣ୍ଣଗୁଣା
ଗଜମୁକୁତା ଥୋପ ପଡ଼ଇ ଜଗଜ୍ଜିଣା ।
ସର୍ବାଙ୍ଗେ ଶୋଭା ଉକୁଟେ କହିବଇଁ କେତେ
ବ୍ରହ୍ମା ଇନ୍ଦ୍ର ହେଲେ ସୁଦ୍ଧା ବର୍ଣ୍ଣି ନ ପାରନ୍ତେ ।
ସର୍ବାଙ୍ଗ ଯାକର ପ୍ରଭୁ ଶୋଭାଗୁଣ ଯେତେ
ଏକେ ଏକେ ବାହୁନିଣ କହିବଇଁ କେତେ ।
ଲକ୍ଷ୍ମୀ ପରିବାରୀପଣେ ଯାହାକୁ ଖଟନ୍ତି
ପଟାନ୍ତର ଦେବାପାଇଁ କିସ ତାଙ୍କୁ କ୍ଷିତି ।
ଶରଣପଞ୍ଜର ବାନା ଭକ୍ତ ଭାବଗ୍ରାହୀ
ଯେ ପ୍ରଭୁ ପାଇଣ ହେଲେ ଗୋପୀମାନେ ତ୍ରାହି ।
ମୋର ଛାର ସ୍ତୁତି ଅବା କରିବଇଁ କେତେ
ଯୋଗବଳେ ଦୃଶ୍ୟ ସ୍ୱାମୀ ହୋଇଲାକ ମୋତେ ।
ଭୋ ଦେବ ପୃଥିବୀ ଭାରା ଖଣ୍ଡିବାର ପାଇଁ
କୋଇଲି ବୈକୁଣ୍ଠ ତେଜି ମଞ୍ଚେ ଜାତହୋଇ ।
ସୁଯୋଗ ବେଳାରେ ଏବେ ଆସି ଭେଟିଲଇଁ
ସୁରେଖା ନାମେ ସ୍ୱର୍ଗର ଅପସରୀ ମୁହିଁ ।
ବସନ୍ତ ଉତ୍ସବ ଯାତ୍ରା ଇନ୍ଦ୍ର ଦେଖୁଥିଲେ
ନୃତ୍ୟେ ହୁଡ଼ଲାରୁ ମୋତେ ଅଭିଶାପ ଦେଲେ ।
ତେଣୁ ମାନବୀ ଜନମ ଲଭିଲଇଁ ଏଥେଁ
ଭେଟ ନ ହୁଅଇ ମୋର ପୁରୁଷ ସଙ୍ଗତେ ।
ଏ ମୋହର ବିରୂପକୁ ଦେଖିକରି କେହି
ବିଭା ନ ହୋଇଲେ ମୋତେ ଆହେ ଭାବଗ୍ରାହୀ ।
ତେଣୁକରି ପବିତ୍ର ମୋ ଅଟଇ ଶରୀର
ଗନ୍ଧଘରେ ଅଧିକାର କଲେ ଦଣ୍ଡଧର ।
ଅବକାଶ ସମୟରେ ଖଟେ ଗନ୍ଧ ଘେନି
ନୁହଇ ପୁରୁଷ ମୁଁ ଯେ ନୁହଇ କାମିନୀ ।
ତୁ ଦେବ ଅଶେଷ କୋଟି ବ୍ରହ୍ମାଣ୍ଡର ନାହା
ସର୍ବହୃଦେ ପୂରିଅଛୁ ନ ଜାଣୁ ବା କାହା ।
ଆନନ୍ଦ ଗଦଗଦରେ କୁବୁଜା ବୋଇଲା
କଂସର କାଳ ଆସିଣ ସମାପତ ହେଲା ।
ଏହିପରି ସ୍ତୁତି ତହିଁ କୁବୁଜା କରନ୍ତେ
ଶୁଣିଣ ସାନନ୍ଦ ହେଲେ ପ୍ରଭୁ ଜଗନ୍ନାଥେ ।
ଆସ ଆସ କୁବୁଜି ଗୋ ସନ୍ନିଧେ ହକାରି
ଶ୍ରୀକରେ ଆଉଁଷି ଦେଲେ କୁଜକୁ ତାହାରି ।
ସ୍ୱାମୀ ଶ୍ରୀହସ୍ତ କୁବୁଜା ଦେହରେ ଲାଗିଲା
ତକ୍ଷଣେ ସୌଭାଗୀ ହୋଇ ଶାପୁଁ ପାରହେଲା ।
ଆଜନ୍ମ ଅନ୍ଧ ଯେପରି ଲଭଇ ନୟନ
ତେସନ କୁଜ ଯାଇଣ ଅତି ଶୋଭମାନ ।
ଉଲଟ ରମ୍ଭା ପରାୟେ ଜାନୁ ଜଘଂ ଜିଣି
ହସ୍ତୀ ଥୋରହସ୍ତ ପ୍ରାୟେ ହେଲା ବେନିପାଣି ।
ସିଂହର କଟି ପରାୟେ କଟି ଅତି ଶୋଭା
ବୃଦ୍ଧ ତନୁ ପାଲଟିଣ ଦିଶେ ନବଯୁବା ।
ଚାରୁ ସୁକୁମାରୀ ସୁଲକ୍ଷଣୀ ସେ ନାୟିକା
ଦେଖିକରି ଗୋପପୋଏ ହୋଇଲେ ତାଟକା ।
ଯାତ୍ରୀଲୋକମାନେ ଦେଖି ହୋଇଲେ ଚକିତ
ବୋଇଲେ ଏ କଥା ଗୋଟା ଅତ୍ୟନ୍ତ ବିଚିତ୍ର ।
ଏକ୍ଷଣି କୁବୁଜା ଅପର୍ଚ୍ଛନା ହୋଇଥିଲା
ଏହାଙ୍କର ହସ୍ତ ଲାଗି ଦିବ୍ୟରୂପ ହେଲା ।
କେହୁ ବୋଲଇ ବୁଝି ନ ପାରୁଛ ଏ କଥା
ଧନୁଯାତ୍ରା କରିଅଛି କଂସ ମହାରଥା ।
କାହୁଁ କେତେ ଲୋକ ଆସିଅଛି ଯାତ୍ରା ଦେଖି
କାର କେତେ ଗୁଣ ତାହା କେ ଜାଣି ପାରେକି ।
ଏହିପରି ବିଚାରନନ୍ତେ ଏକେ ଏକେ ଜନ
କହୁଁ କହୁଁ କୁବ୍ଜା ରୂପ ଦିଶେ ଆନୁଆନ ।
ହସ୍ତରେ ଚତୁଃସମକୁ ଘେନି ବିଦ୍ୟାଧରି
ରାମକୃଷ୍ଣ ଅଙ୍ଗେ ଗନ୍ଧ ଲେପନ ଯେ କରି ।
ତିଳକ ଗନ୍ଧ କସ୍ତୁରୀ ଦିବ୍ୟ ମୃଗନାଭ
ଶ୍ରୀକରେ ଲେପନ ସ୍ୱାମୀ ହେଲେ ବଳଦେବ ।
ଧବଳ ଦେହରେ କଲା କସ୍ତୁରୀ ଲାଗନ୍ତେ
ନୀଲମେଘ ଉଦେ ଯେହ୍ନେ ହିମ ପରବତେ ।
ସର୍ବାଙ୍ଗେ ଚନ୍ଦନ କୃଷ୍ଣ ଲେପନ କରନ୍ତି
କଳାମେଘେ ଚନ୍ଦ୍ରମା କି ଉଦୟ ହୁଅନ୍ତି ।
ସ୍ୱାମୀଙ୍କ ସଙ୍ଗରେ ଯେତେ ପୋଏ ଆସିଥିଲେ
ଏକେ ଏକେ ଡାକି ସ୍ୱାମୀ ଚନ୍ଦନ ଲେପିଲେ ।
ଏକାଳେ ପୁଷ୍ପକ ଯାନ ଆସେ ଶୂନ୍ୟପଥେ
ମାତିଛନ୍ତି ଗନ୍ଧରବେ ନୃତ୍ୟରଙ୍ଗେ ଗୀତେ ।
ଛତ୍ରଚାମର ତହିଁରେ ଅଛଇ ଯେ ପୂରି
ଆକାଶରୁ ଖସିଆସେ ପକ୍ଷୀପ୍ରାୟ କରି ।
ଆସ ଗୋ ସୁରେଖା ବୋଲି ଡାକିଲା ମାତଳି
ଇନ୍ଦ୍ର ପେଷିଛନ୍ତି ମୋତେ ଆସ ବେଳାବେଳି ।
ସ୍ୱର୍ଗ ଶୋଭା ନ ପାଉଛି ତୁମ୍ଭର ଅଭାବେ
ବିମାନେ ବିଜୟ କର ଯିବା ଅତି ଜବେ ।
ବାସବଙ୍କ ଶାପେ ତୁମ୍ଭେ ମର୍ତ୍ତେ ଜନ୍ମିଥିଲ
ରାମକୃଷ୍ଣ ଦରଶନେ ମୁକତ ହୋଇଲ ।
ଏବେ ନାରାୟର ହସ୍ତ ଲାଗି ତୁମ୍ଭ ତହିଁ
ମାନୁଷୀ ଶରୀର ତେଜି ଦେବ ଅଙ୍ଗ ବହି ।
ସୁରେଖା ନାମ ତୁମ୍ଭର ସ୍ୱର୍ଗପୁରେ ଭଣି
ବିଦ୍ୟାଧରୀଙ୍କ ଉପରେ ଅଟ ଶିରୋମଣି ।
ମାତଳି ବାକ୍ୟରେ କୁଜୀ ସନ୍ତୋଷ ହୋଇଲା
ରାମକୃଷ୍ଣଙ୍କ ପାଦରେ ଭକ୍ତିରେ ନମିଲା ।
କରପତ୍ର ଯୋଡ଼ି କୁଜୀ ଆଜ୍ଞା ପରମାଣ
ଅବଧାନ ହୋଇଥିବା ମୋତେ ନାରାୟଣ ।
ଏଥୁ ଯାଇ ଲଭିବଇଁ ଯେହ୍ନେ ନିଜପଦ
ପାଇଲେ ପରମ ପଦ ଛାଡ଼ି ମନଖେଦ ।
ଆଦିତ୍ୟ ଅସ୍ତମାନେ ଯେ କଂସ ହେବ କ୍ଷୟେ
ଆଜହୁଁ ସ୍ୱର୍ଗ ଭୋଗିବେ ସବୁ ଦେବତାଏ ।
ଚାଣୁର ମୁଷ୍ଟିକ କୁବଳାୟା ନାମେ ଗଜ
ଏ ତୁମ୍ଭ କରେ ମରିବେ ଆଜି ଦେବରାଜ ।
ପୃଥ୍ୱୀ ଭାରାଭର ଆଜୁଁ ହୋଇବ ବିନାଶ
ଅମର କଣ୍ଟକ କଂସ ଯିବ ପ୍ରାଣେ ନାଶ ।
ଏତେ ବୋଲି ରାମକୃଷ୍ଣେ ପ୍ରଦକ୍ଷିଣ କରି
ବିମାନ ଆରୋହି ତହୁଁ ଚଳିଲା ସୁନ୍ଦରୀ ।
ଦେଖୁ ଦେଖୁ ବିମାନ ଯେ ଚଳିଗଲା ବେଗେ
କ୍ଷଣକରେ ପ୍ରବେଶିଲା ଅମର ସ୍ୱରଗେ ।
ସୁଧର୍ମା ସଭାରେ ବିଜେ ଦେବ ବ୍ରଜଧାରୀ
ବିମାନରୁ ଉତୁରିଣ ନମସ୍କାର କରି ।
ଦେଖିଣ ସୁରପତି ଯେ ସନ୍ତୋଷ ହୋଇଲେ
ଶାଢ଼ୀ ଚନ୍ଦନ ଦେଇଣ ଆଶ୍ୱାସନା କଲେ ।
ପୂର୍ବ ଅଧିକାର ପୁଣି ପାଇଲା ଅପ୍ସରୀ
କୁବୁଜାକୁ ମୁକତ ଯେ କଲେ ଦେବହରି ।
ପୁରାଣ ଫେଡ଼ିଣ ଶୁକ ମହାମୁନି କହି
ଶୁଣ ଆହେ ପରୀକ୍ଷିତ ରାଜା ପୁଣ୍ୟଦେବୀ ।
ଯାତ୍ରୀ ଲୋକମାନେ ଦେଖି ଚକିତ ହୋଇଲେ
ଏକୁ ଆରେକ ସମସ୍ତେ ଜାଣିଲେ ଶୁଣିଲେ ।
ଯାହାଙ୍କ ଶ୍ରୀକର ଲାଗି ମୋକ୍ଷ ହେଲା କୁବ୍ଜୀ
କହଇ ଅଚ୍ୟୁତ କବି ସେ ପ୍ରଭୁଙ୍କୁ ଭଜି ।
ସୁଧର୍ମା ନାମରେ ଥିଲା ଏକ ମାଳାକାର ।
ଯାତ୍ରାରେ ବସିଥିଲା ଯେ ଫୁଲଡାଲା ଧରି
ନାନା ରକମର ଫୁଲମାନ ତହିଁ ଭରି ।
ଚମ୍ପକ ମଲ୍ଲୀମାଳତୀ କିଆ ଛୁରୀଅନା
ପାଟଳୀ ପୁନ୍ନାଗ ଜବା ନାଗେଶ୍ୱର ନାନା ।
କୁନ୍ଦ କାମୋଦ ବକୁଳ ଅଶୋକ ସେବତୀ
ସୁଗନ୍ଧ କୁସୁମ ମାଳ ଅଛି ନାନା ଜାତି ।
ଗଇଶ ବେଲପତ୍ରୀ ଯେ ତୁଳସୀର ମାଳ
ପଲାଶ ପାରିଜାତକ ଆଦି ନୀଳୋତ୍ପଳ ।
କଂସରାଜା ମଣ୍ଡିହୁଏ ସେ ମାଳି ପୁଷ୍ପରେ
ତାହା ଧରି ବସିଥିଲା ଅତି ଯତନରେ ।
ଧନ୍ୟ ସେ କଂସ ନୃପର ବଡ଼ିମା ଯେ ପଣ
ଏହିରୂପେ ପୁଷ୍ପଗଭା ବହେ ଦିନୁଦିନ ।
ଯେଉଁଦିନ ଯେତେ ଇଚ୍ଛା ତେତେ ଲାଗିହୋଇ
ବାସି ହୋଇଲେ କୁସୁମ ଦିଏ ଫୋପଡ଼ାଇ ।
ପ୍ରତ୍ୟକ୍ଷେ ଦେଖିଲା ମାଳୀ କୁବ୍ଜା ସ୍ୱର୍ଗେ ଗଲା
କୁସୁମ ଚାଙ୍ଗଡ଼ା ଘେନି ତକ୍ଷଣେ ଉଠିଲା ।
ଭକତିରେ ଥୋଇଦିଏ ରାମକୃଷ୍ଣ ଆଗେ
ପୁଷ୍ପଦେଖି ବେନିଭାଇ ଲାଗିହେଲେ ବେଗେ ।
ଭକତବତସଳ ସ୍ୱାମୀ ହଳୀ ବନମାଳୀ
ସକଳ ଗୋପପୁଅଙ୍କୁ ପୁଷ୍ପ ଦେଲେ ତୋଳି ।
କୁସୁମରେ ବାନ୍ଧିରେ ସେ ନିଜ ନିଜ ଗଭା
କୃଷ୍ଣ ଆହାଲାଦେ ପୋଏ ଦିଶିଲେକ ଶୋଭା ।
ଏକମାଳୀ ପସରାକେ ପୁଷ୍ପ ସମତୁଲ
ଯେ ଯାହାର ଇଚ୍ଛାମତେ ଘେନିଲେ ସେ ଫୁଲ ।
କେ ହାତରେ ବାନ୍ଧେ କେହି ଘେନଇ କାନରେ
କେ ଲଉଡ଼ି ଉପରେ କେ ବାନ୍ଧେ ଚୂଳପରେ ।
ଅମୃତ ନୟନେ ପ୍ରଭୁ ସେ ମାଳୀକୁ ଚାହିଁ
ବୋଲନ୍ତି ତୋଠାରୁ ପୁଣ୍ୟବନ୍ତ ନାହିଁ କେହି ।
ଭକତିରେ ଆମ୍ଭଙ୍କୁ ତୁ କଲୁ ଯେଣୁ ସେବା
ଯେ ତୋହର ଇଚ୍ଛା ବର ମାଗ ଆମ୍ଭେ ଦେବା ।
ମାଳାକାର ବୋଲେ ପ୍ରଭୁ ତୁମ୍ଭେ ସର୍ବଆତ୍ମା
ତୁମ୍ଭଙ୍କୁ ଅଜଣା ଅବା ଅଟେ କେଉଁ କଥା ।
ସୁରସିନ୍ଧ ମୁନି ଯାକୁ କରୁଥାନ୍ତି ଲୟେ
ସେ ପୁରୁଷ ଦେଖି ମୋର ପାପ ହେଲା କ୍ଷୟେ ।
ଚର୍ମନୟନେ ଦେଖିଲି ପୁଣ୍ୟତ୍ମା ପୁରୁଷ
ଏଥିରୁ ଅଧିକ ଭାଗ୍ୟ ଅଛି ଅବା କିସ ।
ଆବର ତ କେଉଁ ବର ଦେବ ଅବା ମୋତେ
ଏ ତୁମ୍ଭ ଶରୀରେ ଲୀନ କର ଜଗଦ୍ଭୂତେ ।
ଯେ ପର୍ଯ୍ୟନ୍ତ ପୃଥିବୀରେ ଥିବେ ଚନ୍ଦ୍ର ସୂର୍ଯ୍ୟ
ସେ ପର୍ଯ୍ୟନ୍ତ ତୁମ୍ଭ ଅଙ୍ଗେ ଥିବ ଦେବରାଜ ।
ଏମନ୍ତ ଆଜ୍ଞାକୁ ମୋତେ ଦେବାଟି ଶ୍ରୀହରି
ସବୁ ପାତକ ଖଣ୍ଡିଲି ଦେଖି ଦଇତ୍ୟାରି ।
ଆବର ଆନ ବରରେ ନାହିଁ ମୋର କାର୍ଯ୍ୟ
ତୁମ୍ଭ ନାମ ଗୋଟି ହୃଦେ ଥାଉ ଚତୁର୍ଭୁଜ ।
ରାମକୃଷ୍ଣ ବୋଇଲେକ ମାଗିଲ ହେ ଯାହା
ପ୍ରସନ୍ନ ହୋଇ ତୁମ୍ଭଙ୍କୁ ଯାଚିଦେଲୁ ତାହା ।
ଏମନ୍ତ କହନ୍ତେ ମିଳେ ଆସି ପୁଷ୍ପରଥ
ବିଷ୍ଣୁଗଣେ ବୋଇଲେକ ଆସ ହେ ତୁରିତ ।
ଅଣାକାର ପୁରୁଷଙ୍କୁ ଲଭିଲଟି ଯେଣୁ
ସ୍ୱଦେହରେ ବୈକୁଣ୍ଠକୁ ଯିବ ତୁମ୍ଭେ ତେଣୁ ।
ତୁମ୍ଭର ଇଚ୍ଛା ସୁଖରେ ରହ ତହିଁ ଯାଇ
ମାଳାକାର ଚଳେ ତହୁଁ ଆନନ୍ଦିତ ହୋଇ ।
ଚାହୁଁ ଚାହୁଁ ଚଳିଗଲା ସେ ପୁଷ୍ପକଯାନ
ତକ୍ଷଣେ ମିଳିଲା ଯାଇ ବୈକୁଣ୍ଠଭୁବନ ।
ରତ୍ନସିଂହାସନେ ମାଡ଼ି ବସିଲାକ ଯାଇଁ
ବସିକରି ବଦନରେ ବୃହତ୍ସାମ ଗାଇ ।
ଋକ ଯଜୁ ଅଥର୍ବକୁ କରିଲା ଗାୟନ
କୃଷ୍ଣ ଦରଶନ ହେତୁ ଲଭେ ଏତେ ପୁଣ୍ୟ ।
ଏହାଶୁଣି ପରୀକ୍ଷିତ ରାଜା ପଚାରଇ
ଭୋ ମୁନି ଏକଥା ମୋତେ ଆଶ୍ଚର୍ଯ୍ୟ ଲାଗଇ ।
ମଥୁରାର ମାଳା ସେ ତ କଂସେ ଦିଏ ଫୁଲ
ସେ ଯାଇଁ କେସନେ ହେଲା ବିଷ୍ଣୁଲୋକେ ତୁଲ ।
ବେଦଶାସ୍ତ୍ରର ଚରିତ କିପରି ପାଇଲା
ଏଥିର ତଦନ୍ତ ମୁନି କହ ମୋତେ ଭଲା ।
ହାଳୀ ମାଳୀ ତାମ୍ୱିଳୀଏ ସିନା ନୀଚଜାତ
ଏଡ଼େ ବଡ଼ ଅଧିକାର ପାଇଲା କେମନ୍ତ ।
ଏହା କହି ରାଜା ହୁଏ ପାଦରେ ପ୍ରଣମି
ଏ କଥା ବିଚାରି ମୋତେ କହିବା ଯେ ସ୍ୱାମୀ ।
ରାଜାବାକ୍ୟ ଶୁଣି କହୁଛନ୍ତି ତପୋଧନ
ଶୁଣ ଏବେ ପରୀକ୍ଷିତ ଉତ୍ତରା ନନ୍ଦନ ।
ଅନେକ କାଳରେ ଏତ ପୁରାତନ ବାଣୀ
ଅଗସ୍ତି ମୁଖରୁ ଆମ୍ଭେ ପୂର୍ବେ ଥିଲୁ ଶୁଣି ।
ସ୍ୱରୋଚିଷ ମନୁ ବୋଲି ଯୁଗ ଭୋଗ ଯାନ୍ତେ
ବସୁନାମେ ସତ୍ୟଯୁଗ ହୋଇଲା ତଦନ୍ତେ ।
କୋଟିବଦନ ବ୍ରହ୍ମାଙ୍କୁ ଚୌରାଶୀ ବରଷ
ବିଷ୍ଣୁନାମେ ସମ୍ୱତ୍ସର ହୋଇଛି ପ୍ରବେଶ ।
କାର୍ତ୍ତିକ ଶୁକଳ ପଉର୍ଣ୍ଣମୀ ରବିବାର
କୃତ୍ତିକାନାମେ ନକ୍ଷତ୍ର ଅଟେ ସେ ଦିନର ।
ବୈଧୃତି ନାମରେ ଯୋଗ ବିଷ୍ଟି ଯେ କରଣ
ଗୋମାତା ଚରୁଥିଲେ ଯା ଗନ୍ଧର୍ବୀ ତୀରେଣ ।
କପିଳା ଆଦି କରିଣ ପଞ୍ଚାଣୋଇ ବତ୍ସା
ମହାନନ୍ଦେ ଚରୁଥାନ୍ତି ଆପଣାର ଇଚ୍ଛା ।
ଘେନିଣ ତୃଣପାଣି ସେ ବିହରନ୍ତି କୂଳେ
ରାତ୍ରେ ବିଶ୍ରାମ କରନ୍ତି ବାଞ୍ଚା ବଟ ତଳେ ।
ଏସନ କାଳେ ପ୍ରଚେତା ନାମେ ମହାମୁନି
ସ୍ନାନ କରିବାକୁ ଗଲେ ଶିଷ୍ୟ ସଙ୍ଗେ ଘେନି ।
ଧୋତି ଉତ୍ତରୀ ଗଡ଼ୁ ଯେ ଥୋଇ ନଦୀକୂଳେ
ମହାବାକ୍ୟ ସ୍ମରି ମୁନି ପଶିଲେ ସଲିଳେ ।
ଫଳମମୂଳ ତଣ୍ଡୁଳାଦି ରଖିଣ ସଜାଡ଼ି
ବ୍ରହ୍ମଦଣ୍ଡ ସହିତରେ ଥୋଇ କୁଶବିଡ଼ି ।
ଶ୍ରୀହରି ନାମ ସୁମରି କରିଲେ ସ୍ନାହାନ
ଏଥୁଅନ୍ତେ ଯାହା ହେଲା ଶୁଣ ନୃରାଣ ।
କପିଳା ଆଦି କରିଣ ସବୁ ବତ୍ସାମାନେ
ଚରୁ ଚରୁ ସେ ସମସ୍ତ ଭକ୍ଷିଲେ ଅଜ୍ଞାନେ ।
ବତିଶ ବାଳଖିଲ୍ୟାଙ୍କ ଯେତେ ପୂଜାଦ୍ରବ୍ୟ
ଫଳମୂଳ କୁଶଆଦି ଭକ୍ଷିଲେକ ସର୍ବ ।
ନିତ୍ୟକର୍ମ ସାରି ଋକ୍ଷ କୂଳକୁ ଚାହାନ୍ତେ
ରଖିଥିବା ଦ୍ରବ୍ୟମାନ ନାହିଁ ଯେ କିଞ୍ଚିତେ ।
ତୁଳସୀ ରୁଦ୍ରାକ୍ଷମାଳା ସ୍ରୁବ ଆଦିକରି
ଖଣ୍ଡେଦୂରରେ ପଡ଼ିଛି ଦେଖି ତପଚାରୀ ।
ଅନଳ ପରାୟେ ତହୁଁ ଜଳିଣ ଉଠିଲେ
ପ୍ରଚେତାକୁ ଚାହିଁ ଶିଷ୍ୟେ ଏମନ୍ତ ବୋଇଲେ ।
ଗାଈଙ୍କର ଉପଦ୍ରବ ଏସବୁ ଅଟଇ
ତିଳ କୁଶ ଆଦିକରି ଦେଲେ ସବୁ ଖାଇ ।
ଈଶ୍ୱର ଦେବଙ୍କ ପୂଜା କରିବୁ ବୋଲିଣ
ବାଲି କୁଢ଼ାଇଣ ଥିଲୁ ତୁଠ ସମ୍ମାର୍ଜିଣ ।
ଖୁରର ବିଘାତେ ସବୁ କଲେ ଛାରଖାର
ଦଣ୍ଡ କମଣ୍ଡଳ ଆଦି ଭାଙ୍ଗିଲେ ଆବର ।
ଶିଷ୍ୟେ କହିଲେକ ଯହୁଁ ଏସନକ ବାଣୀ
କ୍ରୋଧଭର ହେଲେ ତହୁଁ ସେ ପ୍ରଚେତା ମୁନି ।
ଗୋମାତା ବଦନ ଚାହିଁ ରାଗେ ଜର୍ଜ୍ଜରିତ
ବୋଲନ୍ତି ଗୋମାତା ତୋର ପ୍ରକୃତି ଏମନ୍ତ ।
ଗାଈ ବୋଇଲୋକ ସର୍ପ ଆଉ ବାଳଶିଷ୍ୟ
ଅବିଶ୍ୱାସୀ କରନ୍ତି ଏ ସବୁକଥା ନାଶ ।
ବାଳୁତ ନ ଜାଣେ ସିନା କାହିଁ କିସ ହୋଇ
ତୁମ୍ଭେ ଏବେ ଜାଣୁ ଜାଣୁ କେହ୍ନେହେଲ ବାଇ ।
ଦେବତା ପୂଜାଦ୍ରବ୍ୟନ୍ତ ନ ଥୋଇଲ କିଛି
ତୁମ୍ଭର ଶରୀରେ ଆଉ କେଉଁ ପୁଣ୍ୟ ଅଛି ।
ନ ଜାଣି ସେବା ତୁମ୍ଭଙ୍କୁ କରୁଥାନ୍ତି ଲୋକେ
ବୁଲୁଥାଅ ଚତୁର୍ଦ୍ଦିଗେ ସବୁବେଳେ ଭୋକେ ।
ମାଇଲେ ନ ଜାଣ ତୁମ୍ଭେ ଖାଇ ଶାନ୍ତି ନୋହି
ଏପରି ଅବିଗୁଣ ଯେ ତୁମ୍ଭଠି ଅଛଇ ।
ଜାତିଗୁଣ ତୁମ୍ଭର ଯେ ଏଥେ ଦେଖାଇଲ
ଆମ୍ଭର ପଦାର୍ଥ ବୋଲି ଭୀତି ନ କରିଲ ।
ଏମନ୍ତ ଝିଙ୍ଗାସ କରୁଁ ବ୍ରହ୍ମାଙ୍କର ବଳା
ଶୁଣି କୋପ କରିଲେ ଯେ ଗୋମାତା କପିଳା ।
ପ୍ରଚେତାଙ୍କୁ ଚାହିଁ ବୋଇଲେକ ମହାମାୟୀ
ଆମ୍ଭେ ତ ଅଜ୍ଞାନୀ ଜନ୍ତୁ ଜ୍ଞାନ ଆମ୍ଭ ନାହିଁ ।
ତୁମ୍ଭେ ଅଟ ପରା ପୁଣି ବ୍ରହ୍ମାଙ୍କର ଶିଷ୍ୟ
ଜାଣୁ ଜାଣୁ କଲ କିପାଁ ଆମ୍ଭଠାରେ ରୋଷ ।
ଏହାଙ୍କର ପାଇଁ ମୋତେ ବହୁତ ନିନ୍ଦିଲ
ଜାଣୁ ଜାଣୁ କେଉଁପରି ଅଜ୍ଞାନୀ ହୋଇଲ ।
ଗୋରୁଙ୍କୁ ନିନ୍ଦା କରିଲେ ଧର୍ମ ହୁଏ କ୍ଷୟେ
ଦେବତା ନିନ୍ଦା କରିଲେ ବଂଶ ନାଶଯାଏ ।
ବ୍ରାହ୍ମଣ ନିନ୍ଦା କରିଲେ ପୁତ୍ରେ ହୁଏ ହାନି
ଗୁରୁନିନ୍ଦା କରିଲେ ଯେ ହୁଅନ୍ତି ଅଜ୍ଞାନୀ ।
ମାତାକୁ ନିନ୍ଦାକରିଲେ ହୁଏ ମହାକ୍ଳେଶୀ
ପିତାକୁ ନିନ୍ଦା କରିଲେ ପୁତ୍ର ହୁଏ ଧ୍ୱଂସି ।
ଔଷଧ ନିନ୍ଦା କରିଲେ ହୁଏ ରୋଗ ବୃଦ୍ଧି
ବୈଦ୍ୟକୁ ନିନ୍ଦା କରିଲେ ନ ତୁଟଇ ବ୍ୟାଧି ।
ମଇତ୍ରକୁ ନିନ୍ଦାକଲେ ହୁଏ ମହାକ୍ରୋଧୀ
ତପୀ ନିନ୍ଦିଲେ ଅଙ୍ଗରେ ହୁଏ କୁଷ୍ଠବ୍ୟାଧି ।
ରତନ ନିନ୍ଦିଲେ ହୁଏ ଦରିଦ୍ରର ବାଧା
ଅନ୍ନ ନିନ୍ଦା କଲେ ଦେହେ ଲାଗେ ବଡ଼କ୍ଷୁଧା ।
ସୁଜନ ନିନ୍ଦା କରିଲେ ହୁଏ ଅସ୍ତ୍ରାଘାତ
ତୀର୍ଥ ନିନ୍ଦା କଲେ ଅଙ୍ଗେ ବଢ଼ଇ ଦୁଷ୍କୃତ ।
ପୁତ୍ର ନିନ୍ଦା କଲେ ପ୍ରାଣୀ ପାଇ ନର୍କଗତି
ଅକ୍ଷର ନିନ୍ଦା କରିଲେ ହୁଏ ମୁଖମତି ।
ଜଳ ନିନ୍ଦା କଲେ ପ୍ରାଣୀ ନ ପାଏ ସଲିଳ
ଏ ସବୁଙ୍କୁ ନିନ୍ଦାକଲେ ଏତେ ଏତେ ଫଳ ।
ତୁମ୍ଭେ ପୁଣି ମହାଜ୍ଞାନୀ ନ ଜାଣ ବା କିସ
ଭୂତ ଭବିଷ୍ୟାଦି ବାର୍ତ୍ତା ତୁମ୍ଭଙ୍କୁ ତ ଦୃଶ୍ୟ ।
ତୁମ୍ଭେ ତ ହୁଡ଼ିଲ ପୁଣି ଜ୍ଞାନବନ୍ତ ହୋଇ
ଯୁକତିରେ ଗାଈ ଆମ୍ଭେ ବୁଦ୍ଧି ଆମ୍ଭ ନାହିଁ ।
ମୁହିଁ ଅବା ତାଙ୍କୁ ଗର୍ଭୁ କରିଛି ସଂଜାତ
ଦୁଷ୍ଟପଣ କରୁଥାନ୍ତି ନୁହନ୍ତି ଆୟତ୍ତ ।
ଧର୍ମ ପ୍ରମାଣରେ ଦୋଷୀ ତୁମ୍ଭେ ତ ହୋଇଲ
ଏଣୁକରି ଅଭିଶାପ ଯୋଗ୍ୟ ଏବେ ହେଲ ।
କୋଟିଏ ଜନ୍ମ ତୁମ୍ଭର ହେବ ନୀଚ ସଙ୍ଗେ
ହାଳୀ ମାଳୀ ତାମିଳୀ ଯେ ତେଲୀ ନାନରଙ୍ଗେ ।
ନାଟ ଭାଟ ଜୀବିକାରେ କାଟ ଦିନରାତି
ଆମ୍ଭବାକ୍ୟ ଅପୁତ୍ରକ ହେବ ମନ୍ଦଜାତି ।
କଡ଼ା ଗଣ୍ଡା କ୍ରାନ୍ତେ ବୋଡ଼ିକର ନେବୁ ଧନ
ନଟକାର ପ୍ରାୟ ଅଳ୍ପେ ତୋଷିବୁ ଯେ ମନ ।
ଏସନକ ଅଭିଶାପ ପ୍ରାପ୍ତ ହେଉ ତୋତେ
ତୁହି ଯେଣୁ ମୁନିବର ନିନ୍ଦା କଲୁ ମୋତେ ।
ଗୋମାତାଙ୍କ ଅଭିଶାପ ଗୁରୁତର ଶୁଣି
ବିନୟେ କହନ୍ତି ତାଙ୍କୁ ସେ ପ୍ରଚେତା ମୁନି ।
ଅଳପ ଦୋଷକୁ ଏଡ଼େ ଅଭିଶାପ ଦେଲ
ଶାପୁଁ ମୁକ୍ତହେବା କଥା ଦୟାକରି ବୋଲ ।
ଗୋମାତା ବୋଲନ୍ତି ତହୁଁ ଶୁଣ ତପୀମଣି
ଯେଉଁପରି ମୁକ୍ତ ହେବ କହିବା ସେ ବାଣୀ ।
କିଛିଦିନ ଅନ୍ତେ ସ୍ୱାରୋଚିଷ ମନୁ ଯିବ
ତହୁଁ ବୈବସ୍ୱତ ମନୁ ଭୋଗ ଯେ କରିବ ।
ପୁରନ୍ଦର ନାମେ ଇନ୍ଦ୍ର ବସିଥିବେ ସ୍ୱର୍ଗେ
ବିଷ୍ଣୁ ଅବତାର ହେବେ ସେ ଦ୍ୱାପରଯୁଗେ ।
କଂସ ନିଧନ ନିମନ୍ତେ ଜନ୍ମିବେ ଶ୍ରୀହରି
ଅନେକ ଗୋପାଳବାଳ ଥିବେ ସଙ୍ଗେ ଧରି ।
ମଥୁରା କଟକେ ତୁମ୍ଭେ ମାଳୀ ହୋଇଥିବ
ପ୍ରତ୍ୟକ୍ଷେ ନିରଞ୍ଜନକୁ ସେଠାରେ ଭେଟିବ ।
ପୁଷ୍ପଲାଗି କରନ୍ତେଣ ଯିବ ପାପମାନ
ହରିହର ବେନିମୂର୍ତ୍ତି ଦେଖିବ ନୟନ ।
ତୁମ୍ଭ ଗୁନ୍ଥାଫୁଲ ଲାଗିହେବେ ଦେବହରି
ବାଳ ଗୋପାଳ ଘେନିବେ ତାହା ଶ୍ରଦ୍ଧାକରି ।
ମହତ୍ତ୍ୱ ନିନ୍ଦିବା ପାପ ତେବେ ଯିବ ପାର
ଏହା କହିଣ ଗୋମାତା ଗଲେ ବନଘୋର ।
ପ୍ରଚେତା ଋଷି ଏରୂପେ ଶାପ ପାଇଥିଲେ
ଅଭିଶାପ ପାରଯାନ୍ତେ ବିଷ୍ଣୁଲୋକେ ଗଲେ ।
ଶ୍ରୀଅଙ୍ଗେ ଲୀନ ହୋଇଲେ କିଛିଦିନ ଅନ୍ତେ
ପୂର୍ବଜନ୍ମ କଥାଗୋଟି ଅଟଇ ଏମନ୍ତେ ।
ଭାଗବତର ପରମ ଚରିତ ଅଟେ ଏ
ଦଶମସ୍କନ୍ଧ ଚୌତ୍ରିଂଶ ଅଧ୍ୟା ଶେଷହୋଏ ।
ଜୟ ଜୟ ଗୋପୀନାଥ ଗୋପେ ଅବତାର
ବିଶ୍ୱକୂଟ ମାୟା ପ୍ରଭୁ ଅଟଇ ତୁମ୍ଭର ।
ଯୋଗୀଜନମାନଙ୍କର ଅଟ ମୂଳମନ୍ତ୍ର
ଅଦଭୂତେ ଘଟଣ ଯେ କରିଛି ଜଗତ ।
କଦମ୍ୱତରୁ ଶିଖରେ ବଇଁଶୀ ବଜାଇ
ଗୋପୀଙ୍କୁ ମୋହିଲ ତୁମ୍ଭେ ପ୍ରଭୁ ଭାବଗ୍ରାହୀ ।
ପୂତନା ଶକଟା ଷଣ୍ଢାସୁରେ କଲ ନାଶ
କାଳିନ୍ଦୀର ଜଳ ଯାଇ କରିଲ ନିର୍ବିଷ ।
ଅଷ୍ଟମଲ୍ଲ ଆଦିକରି କେଶୀ ନିସୂଦନ
ବାଳୁତ ରୂପରେ ବତ୍ସା ଚରାଇଲ ବନ ।
ନୀଳେନ୍ଦୀଦଳ ପରାୟେ ଶୋହେ ଯାର ତନୁ
ଯୋଗୀଜନମାନଙ୍କର ହୃଦେ ପୂର୍ଣ୍ଣ ଭାନୁ ।
ଉଶ୍ୱାସିଲ ପୃଥ୍ୱୀଭାରା ନବରୂପ ଧରି
ସ୍ଥାବର ଜଙ୍ଗମ କୀଟ ସବୁଠାରେ ପୂରି ।
ପୃଥ୍ୱୀ ଆପ ତେଜ ବାୟୁ ଆକାଶ ବିଶେଷ
ସବୁସ୍ଥାନେ ତୁମ୍ଭେ ପ୍ରଭୁ କରିଅଛ ବାସ ।
ଅହଙ୍କାର ବିବର୍ଜ୍ଜିତ ଅଟେ ତୁମ୍ଭ କାୟ
ଅକ୍ଷୟ ଅମର ତୁମ୍ଭେ ପ୍ରଭୁ ଦେବରାୟ ।
ତୁମ୍ଭେ ଦେବ ଆଦି ପୁଣି ଅଟ ଯେ ଅନାଦି
ଧାତୁବାଦ୍ୟ ପୁରୁଷ ତୁ ସବୁ ପାରୁ ସାଧି ।
ଏଣୁକରି ସୁଘଟନ ଅଟେ ତୁମ୍ଭ ତନୁ
ବାଞ୍ଚା କଳ୍ପତରୁ ପ୍ରଭୁ ଯେହ୍ନେ କାମଧେନୁ ।
ଜନ୍ମ ମୃତ୍ୟୁ ବିବର୍ଜିତ ଅଟେ ତୁମ୍ଭ କାୟା
ବ୍ରହ୍ମା ରୁଦ୍ର ଇନ୍ଦ୍ରଙ୍କୁ ଯା ଅଗୋଚର ମାୟା ।
ଆଦ୍ୟ ଅନ୍ତ ମଧ୍ୟ ନାହିଁ ନାହିଁ ତୁମ୍ଭ ସଖା
ସଂସାରରେ ମହାଯୋଗୀ ଅଟ ତୁମ୍ଭେ ଏକା ।
ଯାହା ତୁମ୍ଭେ ନ କରିବ ସେ କିଛି ନୋହିବ
ଯାହା ତୁମ୍ଭେ କରିବ ସେ ନିଶ୍ଚୟ ହୋଇବ ।
ନମସ୍ତେ ହେ ଗୋପୀନାଥ ସଂସାର କାରେଣି
ନମସ୍ତେ ହେ ଗୋପୀନାଥ ସର୍ବ ଚିନ୍ତାମଣି ।
ନମସ୍ତେ ହେ ଗୋପୀନାଥ ଗୋପୀହୃଦ ଇନ୍ଦୁ
ନମସ୍ତେ ହେ ଗୋପୀନାଥ କୃପାଜଳ ସିନ୍ଧୁ ।
ନମସ୍ତେ ହେ ଗୋପୀନାଥ ଗୋବର୍ଦ୍ଧନଧାରୀ
ନମସ୍ତେ ହେ ଗୋପୀନାଥ ଗୋପୀ ମନୋହାରୀ ।
ନମସ୍ତେ ହେ ଗୋପୀନାଥ ଅକରମ ଦାନୀ
ନମସ୍ତେ ହେ ଗୋପୀନାଥ ସର୍ବ ଅନ୍ତର୍ଯ୍ୟାମୀ ।
ନମସ୍ତେ ହେ ଗୋପୀନାଥ ତ୍ରିଭଙ୍ଗ ମୂରତି
ନମସ୍ତେ ହେ ଗୋପୀନାଥ ଦେବକୀ ସନ୍ତତି ।
ନମସ୍ତେ ହେ ଗୋପୀନାଥ ଶଙ୍ଖଚକ୍ରପାଣି
ନମସ୍ତେ ହେ ଗୋପୀନାଥ ଶିଖିପୁଚ୍ଛ ବେନି ।
ନମସ୍ତେ ହେ ଗୋପୀନାଥ ବୃନ୍ଦାବନ ପତି
ନମସ୍ତେ ହେ ଗୋପୀନାଥ ନଟବର ମୂର୍ତ୍ତି ।
ନମସ୍ତେ ହେ ଗୋପୀନାଥ ଶ୍ରୀରାମ ସୋଦର
ନମସ୍ତେ ହେ ଗୋପୀନାଥ କାଳୀଦର୍ପ ହର ।
ନମସ୍ତେ ହେ ଗୋପୀନାଥ ଜଗଜ୍ଜନବନ୍ଧୁ
ନମସ୍ତେ ହେ ଗୋପୀନାଥ ନନ୍ଦହୃଦଇନ୍ଦୁ ।
ଯଦୁକୁଳ ଚନ୍ଦ୍ରମା ହେ ଲକ୍ଷ୍ମୀଦେବୀ ପତି
ଭୃତ୍ୟଙ୍କର ଅଭିମାନେ ଧର ନାନାମୂର୍ତ୍ତି ।
ଦକ୍ଷିଣ ସିନ୍ଧୁତଟରେ ଯେଉଁ ନୀଳଗିରି
ଚତୁର୍ଦ୍ଧା ମୂର୍ତ୍ତିରେ ତହିଁ ଅଛ ବିଜେକରି ।
ରେଖ ରୂପ ଚିହ୍ନ ବର୍ଣ୍ଣ ଭେଦ ଯାର ନାହିଁ
କପଟେ ଦାରୁରୂପେ ରହିଛ ଦେହ ବହି ।
ବିଚିତ୍ର ଚରିତ ନାଥ ଅଟେ ଅକଳନା
ପରାପର ନାହିଁ ତୋର ସକଳ ଆପଣା ।
ଭକ୍ତଜନଙ୍କର ବାଞ୍ଛା କରୁଅଛ ପୂର୍ଣ୍ଣ
କପଟରେ ଦାରୁରୂପେ ବିଜୟ ଆପଣ ।
ଶତ ଶତ କୋଟି କୋଟି ମହାପାପୀମାନେ
ପୁଣ୍ୟାତ୍ମା ହୁଅନ୍ତି ପ୍ରଭୁ ତବ ଦରଶନେ ।
ଅକ୍ଷୟ ବଟମୂଳରେ ରତ୍ନ ସିଂହାସନ
ଶତେଚନ୍ଦ୍ର ଜିଣି ରୂପ ଦିଶଇ ଶୋଭନ ।
ଦକ୍ଷିଣରେ ବଳଭଦ୍ର ମଧ୍ୟରେ ସୁଭଦ୍ରା
ଯୋଗ ଆସନରେ ପ୍ରଭୁ ଛେଦ ଭେଦ ମୁଦ୍ରା ।
ଯେଉଁ ପ୍ରଭୁ ଦରଶନେ ସର୍ବପାପ ଧ୍ୱଂସ
ଝଲମଲ ଦିବ୍ୟଜ୍ୟୋତି ସୁବର୍ଣ୍ଣ ସଦୃଶ ।
ସେ ଦେବ ପାଦରେ ରହୁ ସର୍ବଦା ମୋ ସେବା
କବି ଅଚ୍ୟୁତ ଦାସକୁ ଗତି ମୁକ୍ତି ଦେବା ।
ରାମ କୃଷ୍ଣଙ୍କ ଆସିବା ଶୁଣି କଂସର ଭୟ
ଏଥୁ ଅନ୍ତରେ ପରୀକ୍ଷ ନୃପତିର ଆଗେ
କହନ୍ତି ଯେ ଶୁକମୁନି କଥାର ପ୍ରସଙ୍ଗେ ।
ଶୁଣ ତୁମ୍ଭେ ସାବଧାନେ ପଣ୍ଡୁ ପଣନାତି
ସୋମବଂଶର ଅଧିପ ମହାବିଜ୍ଞମତି ।
ବିଷ୍ଣୁର ବାଲ୍ୟଲୀଳା ଏ କଉତୁକ ବାଣୀ
ଅନେକ ଜନ୍ମର ପାପ ଧ୍ୱଂସ ଏହା ଶୁଣି ।
କୋଟିଯଜ୍ଞ କୋଟିତୀର୍ଥ କୋଟିଦାନ ଯେତେ
ଗୋବିନ୍ଦ ନାମ ଧରନ୍ତେ ମିଳେ ତା ତୁରିତେ ।
ଏ ଅଟେ ଶ୍ରୀଭାଗବତ ଗୋବିନ୍ଦଙ୍କ କୀର୍ତ୍ତି
ସଂକଳ୍ପ କରି ଶୁଣିଲେ ନିର୍ବାଣ ମୁକତି ।
ଧନ ଧାନ୍ୟ ପୁତ୍ର ଦାରା ମିଳଇ ସମ୍ପଦ
ଶତ୍ରୁ ଉପଦ୍ରବ ନୁହେଁ ଅପମୃତ୍ୟୁ ଭେଦ ।
ରାଜା ଅଗ୍ନି ଚୌର୍ଯ୍ୟ ପୁଣି ଗ୍ରହପୀଡ଼ା ଯେତେ
ଏମାନ ନ ବାଧେ ହରିବଂଶକୁ ଶୁଣନ୍ତେ ।
ପବିତ୍ର ଆଖ୍ୟାନ ବ୍ୟାସ ବଦନୁ ନିଃସୃତ
ତୁମ୍ଭର ଆଗେ କହୁଛି ଶୁଣ ଦେଇ ଚିତ୍ତ ।
ରାମକୃଷ୍ଣ ଆଜ୍ଞାପାଇ ଅକ୍ରୂର ଚଳିଲେ
କଂସ ନିକଟରେ ଯାଇ ପ୍ରବେଶ ହୋଇଲେ ।
ଆସ୍ଥାନେ ବିଜୟ ବୀର ଉଗ୍ରସେନ ଚାଟ
ସୁନାସ ଅଛଇ ତହିଁ କଂସର କନିଷ୍ଠ ।
ସକଳ ଯାଦବମାନେ ଆୟୁଧକୁ ଧରି
ତଳ ପାବଚ୍ଛରେ ଠିଆ ଆଜ୍ଞା ଅବଧାରୀ ।
ହଂସ ଡିମ୍ୱ ବୋଲିକରି କଂସ ପୁତ୍ର ଦୁଇ
ରାଜାର ବେନି ପାରୁଶେ ଛନ୍ତି ଉଭା ହୋଇ ।
ସାତ୍ୟକି ଉଦ୍ଧବ ଅନାଧୃଷ୍ଟ ଆଦି ଯେତେ
ପ୍ରାଙ୍ଗଣରେ ଉଭା ସର୍ବେ ଯେ ଯାହାର ମତେ ।
ସହସ୍ରେ ଶିଷ୍ୟ ଘେନିଣ ଗାର୍ଗ୍ୟ ମହାମୁନି
କଂସର ଛାମୁରେ ଉଭାକରେ ଶସ୍ତ୍ର ଘେନି ।
କୃପବ୍ରହ୍ମା ଶକ୍ରାଜିତ ଆଦି ପୁରୁରବା
ଭାରତୀ ଭୀମନାଦ ଏ ଯେତେକ ଯାଦବା ।
ପାତ୍ରମନ୍ତ୍ରୀ ଅମନାତ୍ୟ ଲମ୍ୱହତା ଘେନି
ରାଜାର ପାରୁଶେ ଛନ୍ତି ସକଳ ସଇନି ।
ଆସ୍ଥାନ ମଞ୍ଚପରେ ଯେ ଚନ୍ଦ୍ରାତପ ଟଣା
ସୁବର୍ଣ୍ଣର ଖମ୍ୱମାନ ଅତି ସୁଘଟଣା ।
ଅପୂର୍ବ ଝୀନବସନ ରାଜେ ଖମ୍ୱେ ଖମ୍ୱେ
କେବଣ ଖମ୍ୱରେ ମୁକ୍ତା ହୀରାମାଳ ଲମ୍ୱେ ।
ଇନ୍ଦ୍ରଗୋବିନ୍ଦ ଚାନ୍ଦୁଆ ଅତି ମନୋରମ
ସୁଗନ୍ଧ କୁସୁମ ମାଳମାନ ଲମ୍ୱେ ସମ ।
ଯେବଣ କଂସ ନୃପତି ତ୍ରିଭୁବନେ ରାଜା
ଦେବାସୁର କରନ୍ତି ଯା ପାଦତଳେ ପୂଜା ।
ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ଜିଣିଲା ଯେ ହେଳେ
ଦେବ ଭଣ୍ଡାର ପୂରିଲା ନିଜ ଭୁଜବଳେ ।
ତିନି ଭୁବନେ ପଡ଼ଇ ତା ନାମେ ଚମକ
ଅନୁକ୍ଷଣେ ବାଜେ ବୀର ମର୍ଦ୍ଦଳ ଟମକ ।
ଯାର ପାଦଭାରା ସହି ନ ପାରଇ ମହୀ
ତିନିପୁର କଣ୍ଟକ ଯେ ଦେବାରି ଅଟଇ ।
ବାରିନିଧି ତୁଲ୍ୟ ଯେହୁ ବୀର ଚୂଡ଼ାମଣି
ତାହାକୁ ଅପୂର୍ବ ଅବା କିସ ଦ୍ରବ୍ୟପୁଣି ।
କଂସ ସଭାରେ ଅଛନ୍ତି ଅନେକ ଯେ ଲୋକ ।
ରାତ୍ର ପ୍ରହରେକ ଥାଉଁ ବିଜେ ନରସାଇଁ
ଅକ୍ରୂର ଆସିବାକୁ ସେ ପଥ ଅଛି ଚାହିଁ ।
ବାମେ ଯମଦାଢ଼ ଦକ୍ଷିଣରେ ପାଟଖଣ୍ଡା
ତୁଳିକା ଶେଯରେ ବସି ଅଛଇ ପ୍ରଚଣ୍ଡା ।
ଦେବଦଳନ ଖଡ଼ଗ ଅମୋହ ଯେ ଗଦା
ଶତ୍ରୁମାନଙ୍କୁ ଯହିଁରେ କରିଦିଏ ପଦା ।
ସେ ମଧ୍ୟ ପାଖେ ଅଛଇ ଯତ୍ନ ସହକାରେ
ମଣିମା ମଣିମା ଡାକ ପଡ଼େ ନିରନ୍ତରେ ।
ଚୌରାଶୀ କୋଟି ଯାଦବ ସାତବଂଶ ଲୋକ
ଏକେ ଏକେ ନାମ ଧରି କହିବି କେତେକ ।
ପଞ୍ଚାଣୋଇ ସସ୍ର ରାଜା ପଞ୍ଚାଶ ଉଗୁଳି
ଛତ୍ର ଚାମରାଦି ଅଛି ଭଳିକି ଯେ ଭଳି ।
ହାତୀ ରଥୀ ଅଶ୍ୱ ତହିଁ କେ କରେ ଗଣନା
ନିଶାଣ ଟମକ ଆଦି ବାଜେ ଅକଳନା ।
ଶଙ୍ଖ ମହୁରୀ ଭେରୀ ସେ ଉପାଙ୍ଗ କାହାଳୀ
ଦାଉଣ୍ଡି ଯେ ବିଜିଘୋଷ ବାଜେ କରତାଳି ।
ଯମୁନାର ବେନିକୂଳେ ରାଜାଙ୍କ ସଇନି
ଯେ ଯାହାରେ ରହିଛନ୍ତି ସମ୍ଭାରାଦି ଘେନି ।
ଅମର ବିଳାସିନୀଏ କରୁଛନ୍ତି ନୃତ୍ୟ
ତାଳଲୟେ ସୁସ୍ୱରରେ ଗାଉଛନ୍ତି ଗୀତ ।
ଭାଟ କୟେବାର ଆଦି ମଙ୍ଗଳାଷ୍ଟ ପଢ଼ି
ରାଜା ଆଗେ ଉଭା କେହୁ ବେନି କରଯୋଡ଼ି ।
କୋପନୟନେ ନୃପତି ଦିଏ ଯେବେ ଦୃଷ୍ଟି
ନିଉଛାଳି ଓଳଗି ଯେ ପଡ଼େ କୋଟି କୋଟି ।
ସ୍ୱର୍ଗପୁର ପରି ସଭା ପାଉଅଛି ଶୋଭା
ବିଜୟେ କରିଛି ରାଜା ଯେସନେ ମଘବା ।
ଶତେନଳ ଆୟତନ ସୁବର୍ଣ୍ଣ ମଣ୍ଡପ
ତହିଁ ବିଜେ କରିଅଛି କଂସ ନରାଧିପ ।
ଧନ୍ୟ ସେହି କଂସରାଜା ଯାହା ଯାହା କଲା
ଉପରେ ହେବ କି ନାହିଁ ତଳେ ନ ଦେଖିଲା ।
ଜାନୁଘଣ୍ଟ ପୁରୁରବା ନହୁଷାଦି କରି
ଏପରି କରଣୀ କେବେ ନ ଥିଲା କାହାରି ।
ଖୁଣ୍ଟିଆ ଚୂହାଣ ଆଉ ଲମ୍ୱହତା ଲେଙ୍କା
ସଭାରେ ବସି ଅଛନ୍ତି ବହୁ ରଣରଙ୍କା ।
ଏ ସମୟରେ ଅକ୍ରୂର ମିଳିଲାକ ଯାଇ
ଖଣ୍ଡଦୂରୁ ଅକ୍ରୁରକୁ କଂସ ଦେଲା ଚାହିଁ ।
ଆସ ଆସ ଅକ୍ରୁର ହୋ ମୋ ପ୍ରାଣର ହିତ
ଯହିଁଙ୍କି ଯାଇଥିଲ ତା କଲେ ହେ କେମନ୍ତ ।
ପଞ୍ଚଭୂତ ଆତ୍ମା ମୋର ଶୁଣି ହେଉ ଶାନ୍ତି
ଧାତିକାରେ କହ ମୋର ଫିଟୁ ମନୋଭ୍ରାନ୍ତି ।
ଚାତକ ପକ୍ଷୀ ପରାୟ ବସିଅଛି ମୁହିଁ
ତୁମ୍ଭର ଆସିବା ପାଇଁ ପଥ ଅଛି ଚାହିଁ ।
ଅକ୍ରୁର ବୋଇଲା ମୁଁ ଯେ ଧାତିକାରେ ଗଲି
ରାତ୍ର ଦଣ୍ଡେ ଥାଉଁ ଗୋପେ ପ୍ରବେଶ ହୋଇଲି ।
ଅଯୋଗେ ଦେଖିଲି ରାମ କୃଷ୍ଣ ବେନିଭାଇ
ଗୋଗୋଷ୍ଠ ଭିତରେ ଦୁହେଁ ଦୁହିଁଥିଲେ ଗାଈ ।
ମୋତେ ଦେଖିଣ ଗୋପାଳେ ରୁଣ୍ଡହେଲେ ଆସି
କହନ୍ତେ ଶ୍ରୀମୁଖ ନେଇ ମଥାରେ ନିବେଶି ।
ତୁମ୍ଭର ବଚନ ଦେବ ପାଳନ କରିଲେ
ଶୁଣିମା ମାତ୍ରକେ ମୋର ସଙ୍ଗରେ ଅଇଲେ ।
ଯେଉଁ ରୂପରେ ଦୋହନ କରୁଥିଲେ ଗାଈ
ସେହି ସଜେ ବାହାରିଲେ ସଙ୍ଗେ ବେନିଭାଇ ।
ଗୋରସ ଘେନିଣ ଆସିଛନ୍ତି ଗୋପବୃନ୍ଦ
ଆପଣେ ସଜ ହୋଇଣ ଆସୁଅଛି ନନ୍ଦ ।
ସତ୍ୟକଥା ଜଣାଇଲି ଆସି ପ୍ରଭୁ ଆଗେ
ସେମାନେ ଆସୁଅଛନ୍ତି ମିଳିବେ ଏ ଲାଗେ ।
ଏହିପରି କଥା ଶୁଣି କଂସ ହର୍ଷ ହୁଏ
ପୁଲକିତ ରୋମାବଳି ଉତ୍କଣ୍ଠିତ କାୟେ ।
ବିଚାରି ବୋଇଲା ଏବେ କାର୍ଯ୍ୟ ହେଲା ସିଦ୍ଧି
ଆଗହୁଁ ଯା ନ କରିଲି ଏ ପ୍ରକାରେ ବୁଦ୍ଧି ।
ଅଖଡ଼ରେ ମହା ମହା ସେନା ମରାଇଲି
ଦଇବ ବଳରୁ ପ୍ରତିଭ୍ରମରେ ପଡ଼ିଲି ।
ଆଗହୁଁ ଏ ବୁଦ୍ଧି ମୋତେ ନ ଦେଲା ତ କେହି
ଅକ୍ରୂର ସକାଶେ ମୋର ପ୍ରାଣ ରହିଲାଇଁ ।
ଏହାର ହେତୁରୁ ମୁହିଁ ଲଭିଲି କାରଣ
ଜୀବ ଥିବାଯାଏ ୟାର ଶୁଝିବି କି ଋଣ ।
ଅଷ୍ଟମଲ୍ଲଙ୍କର କଷ୍ଟ ଯିବଟି ଆଜହୁଁ
ଅଦଦ୍ଭୂତେ କୋପ ବଢ଼ି ଉଠେ ଚାହୁଁ ଚାହୁଁ ।
କେତେ ଦୂରେ ଛାଡ଼ି ତାଙ୍କୁ ଅଇଲ ଅକ୍ରୁର
ସଙ୍ଗେ ସଙ୍ଗେ ନ ଆଣିଲ କିପାଇଁ ହେ ବୀର ।
ନ ପୁଣ ଅଧବାଟରୁ ପଳାବନ୍ତି ଡରେ
ଅନେକ କାର୍ଯ୍ୟ ଅଛଇ ତାହାଙ୍କ ଯୋଗରେ ।
ଏସନକ ଅକ୍ରୁରକୁ କହୁଛି ନୃପତି
ଏକାଳେ ମିଳିଲା ଆସି ଚାରେକ ତଡ଼ତି ।
କରପତ୍ର ଯୋଡ଼ି ଶିରେ ବଚନ ପ୍ରକାଶି
ଶୁଣ ସାବଧନେ ଦେବ ନୃପ ଭୋଜବଂଶି ।
ଗୋପାଳଙ୍କ ସଙ୍ଗେ କାହ୍ନୁ ଶ୍ରୀରାମ ଅଇଲେ
ବସ୍ତ୍ରମାନ ବଳାତ୍କାରେ ଧୋବା ତୁଠୁଁ ନେଲେ ।
ରାଜାଙ୍କର ମଢ଼ିଆଳ ନେଲେ ଛୋଟଜାତି
ହାଟ ବାଟ ପସରାନ୍ତ ଭାଙ୍ଗିଲେ ବିକୋତି ।
ଡଗରା ମୁଖରୁ କଂସ ଏ ବଚନ ଶୁଣି
ଉପହାସ କଥା ପରି ମଣେ ନୃପମଣି ।
ନିଶେ ହାତ ଦେଇ ମନେ ଗର୍ବ ବହି ତାର
ବୋଲେ ମୃତ୍ୟୁକାଳେ ପ୍ରାଣୀକରେ ଏ ବେଭାର ।
ଏହି କଥା କଲେ କିବା ହୋଏ ଲୋକେ ଯଶ
ମଲା ପ୍ରାଣୀଙ୍କର ଆଉ କି ଘେନିବା ଦୋଷ ।
ଅନେକ ପ୍ରସ୍ତାବେ ନୃପ କହେ କଥା ଯୋଗେ
କେଉଁ ଭାଗ୍ୟେ ମିଳିଲେ ଯେ ଆସି ମୋର ଆଗେ ।
ଅଖଡ଼େ ନାଶିଲେ କେଡ଼େକେଡ଼େ ମୋ ସେନାଙ୍କୁ
ଶଲ୍ୟପରି ହୋଇଛନ୍ତି ମୋ ହୃଦସ୍ଥଳକୁ ।
କେହି କିଛି ନ ବୋଲ ସେ ହୁରୁଡ଼ିଣ ଯିବେ
ଶତ୍ରୁକୁ ମୁହିଁ ତ ସାଧି ନ ପାରିବି କେବେ ।
ଏସନ କାଳେ ମିଳିଲା ଅନ୍ୟ ଡଗରାଏ
ମସ୍ତକରେ କରଯୋଡ଼ି ରାଜାଙ୍କୁ ଜଣାଏ ।
ଭୋ ଦେବ ମିଳିଲେ ନନ୍ଦ ଗଉଡ଼ କୁମର
ତାଙ୍କ କଥା ଅସମ୍ଭବ ଲୋକେ ଅଗୋଚର ।
ଗଉଡ଼ ବାଉଡ଼ ସେହୁ ଅରକ୍ଷିତ ପ୍ରଜା
ଅନେକ ସେ ଉପଦ୍ରବ କରନ୍ତି ହେ ରାଜା ।
ନିଷ୍କଣ୍ଟକ ରାଜ୍ୟଯାକ କଲେ ନାରଖାର
ହାଟ ବାଟ ପାଟଣାକୁ ଏବେ ରକ୍ଷାକର ।
ପ୍ରଥମେ ସୀମା ନ ମାଡୁ ବସ୍ତ୍ର ଜୂର କଲେ
ଭୟଙ୍କର ରୂପ ଧରି ରାଜ୍ୟରେ ପଶିଲେ ।
ଏକ ଏକ ଗଉଡ଼ଙ୍କ କୋଟି ସ୍ୱର୍ଯ୍ୟତେଜ
ଦେଖିଲେକ ମହାଭୟ ଲାଗେ ମହାରାଜ ।
ଗନ୍ଧ ନିଯୋଗ ଘେନିଣ କୁବୁଜା ଆସନ୍ତେ
କାହ୍ନୁ ସଂକର୍ଷଣ ଦେଖି ସିଂହଦ୍ୱାର ପଥେ ।
ଚନ୍ଦନ ଛଡ଼ାଇ ବୋଳି ହୋଇଲେ ସେ କାୟେ
ତକ୍ଷଣେ ମିଳିଲା ଆସି ବିମାନ ଗୋଟାଏ ।
କୁବୁଜା ରୂପକୁ ତେଜି ବିଦ୍ୟାଧରୀ ହେଲା
ବିମାନରେ ବସିକରି ସ୍ୱର୍ଗପୁରେ ଗଲା ।
ଯାତ୍ରୀମାନେ ଚକିତ ଯେ ହେଲେ ତାହାଦେଖି
ଥୋକାଏ ବୋଇଲେ ଏହୁ ସ୍ୱୟଂ ଶ୍ରୀବିଷ୍ଣୁ କି ।
ସୁଧର୍ମାମାଳୀ ନେଇଣ ପୁଷ୍ପ ଯୋଗାଇଲା
ସୁବର୍ଣ୍ଣ ରଥ ଚଢ଼ିଣ ସ୍ୱର୍ଗକୁ ସେ ଗଲା ।
ଜଗମୋହନ ସ୍ୱରୂପ ଧରିଛନ୍ତି ବେନି
ମନୁଷ୍ୟ ନୁହନ୍ତି କେବେ ସେ ତ ନୃପମଣି ।
ସମସ୍ତ ଲୋକକୁ ସେହୁ କରନ୍ତି ଉଚ୍ଚାଟ
ସବୁଆଡ଼େ ତାହାଙ୍କର ପୂରିଅଛି ଥାଟ ।
ଏଥକୁ ଉପାୟ ଶୀଘ୍ର କର ନୃପନିଧି
ନାଶଗଲା ଆଜୁଁ ତୁମ୍ଭ ମଥୁରା ସମୃଦ୍ଧି ।
ନ ହୁଅନ୍ତି ଲୋକମାନେ ପଥେ ଆତଯାତ
କବାଟ କିଳିଣ ଭୟେ ପଶିଲେ ସମସ୍ତ ।
ବଜାନ୍ତି କଡ଼ା ଘୁମୁରା ନାଚନ୍ତି ଖେମଟା
ମତ୍ତେ ମତୁଆଳ ଗୌଡ଼େ ମାରି ଆଖିଛଟା ।
କାହାକୁ ଧରି ତା ମୁଣ୍ଡେ ପିଟୁଛନ୍ତି ବାଡ଼ି
ବିକଳେ ପଳାଉଛନ୍ତି ପସରାନ୍ତ ଛାଡ଼ି ।
ଯେବଣ ପୁରରେ ପୁଣି ଯମଦଣ୍ଡ ନାହିଁ
କାଳରୂପେ ଗଉଡ଼େ ଯ ପ୍ରବେଶିଲେ ତହିଁ ।
ଯେବଣ ପୁରରେ ରବି କିରଣ ନ ପଡ଼େ
ଯେବଣ ପୁରେ ପାଷାଣ ବାଡ଼ମାନ ବେଢ଼େ ।
ସଦା ବସନ୍ତ ପବନ ବହେ ଧୀର ଧୀର
ସ୍ୱର୍ଗଠାରୁ ଶତଗୁଣେ ବଳି ଯେଉଁ ପୁର ।
ସେ ପୁରରେ ପଶି ଏହା କରନ୍ତି ଗୋପାଳେ
ଏହି କଥା ଶୁଣାଗଲା ଆସି ଦୈବବଳେ ।
ଏହା ହନୁମନ୍ତ ଯେହ୍ନେ ବିଧ୍ୱଂସିଲା ଲଙ୍କା
ସେପରି ଲାଗୁଛି ମୋତେ ଗଉଡ଼କୁ ଶଙ୍କା ।
ବେନିପୁତ୍ର ଆଗକରି ଚଳାଇଛି ନନ୍ଦ
ପଛେ ଗୋଡ଼ାଇ ଅଛନ୍ତି ସର୍ବ ଗୋପବୃନ୍ଦ ।
କହୁଁ କହୁଁ ସିଂହଦ୍ୱାରେ ପ୍ରବେଶିଲେ ଆସି
ବିଚାରିଣ କାର୍ଯ୍ୟକର ଆହେ ନୃପଶଶି ।
ନ ପୁଣ ନବରେ ଦେବ ପଶନ୍ତି ନ ପେଲି
ବିଚାରିଣ କାର୍ଯ୍ୟକର ସମସ୍ତ କହିଲି ।
ମାନବ ପରାୟେ ମୋତେ ନ ଦିଶନ୍ତି କେହି
ଜଣେ ଜଣେ ଅଟନ୍ତି ସେ ନିଶ୍ଚେଁ ପୁଣ୍ୟଦେହୀ ।
ସାମାନ୍ୟ ଭରସା ଏଥେଁ କରନ୍ତି ସେ ଡକା
ସେବକ ହୋଇ ପ୍ରଭୁଙ୍କୁ ମାରୁଛନ୍ତି ଟେକା ।
ଅନେକ ପ୍ରମାଦମାନ ପୂର୍ବୁଛନ୍ତି କରି
ତେଣୁକରି ତାଙ୍କ ନାମ ଶୁଣି ସର୍ବେ ଡରି ।
ଷଣ୍ଢା ଶକଟା ପୂତନା ଯାମଳା ମାଇଲେ
ଏହାଙ୍କର ଯୋଗୁଁ ସିନା କେଶୀ ନାଶଗଲେ ।
ତୁମ୍ଭ କି ନ ଜାଣ ମୁହିଁ କହିବିଇଁ କିସ
ଏହାଙ୍କର ଯୋଗୁଁ ଆମ୍ଭେ ସର୍ବେ ଯିବା ନାଶ ।
ଆଗରୁ ତାର ଉପାୟ କର ନୃପଈଶ
ଶୁଣି ଶୁଣି ବୀର କଂସ ଛାଡ଼ଇ ନିଃଶ୍ୱାସ ।
ଆସିବା କଥା ଶୁଣିଣ ସନ୍ତୋଷ ସେ ଥିଲା
ଡଗରା କହନ୍ତେ ମନେ ମହାଭୟ କଲା ।
ଦକ୍ଷିଣ କରରୁ ଖଡ଼୍ଗ ପଡ଼ିଲାକ ଖସି
ବାମଚକ୍ଷୁସ୍ଫୁରେ ଆଗେ ପେଚା ରାବେ ବସି ।
ଛାମୁରେ ମାର୍ଜ୍ଜାର ଯୁଦ୍ଧ କରେ ପୁଣି ଆସି
ଶିରରୁ ମୁକୁଟ ଅଦଭୂତେ ପଡ଼େ ଖସି ।
ଚଞ୍ଚଳ ଚିତ୍ତେ ରାଜାର ଛନ୍ନ ଛନ୍ନ ମତି
ଇନ୍ଦ୍ରଜାଲ ବିଦ୍ୟା ଯେହ୍ନେ ଘୋଟେ ଚଉକତି ।
ମନହିଁ ଜାଣଇଁ ସିନା କରମର ବାଟ
ମୃତ୍ୟୁ ନିକଟେ ପ୍ରାଣୀଙ୍କି ଲାଗଇ ଉଚ୍ଚାଟ ।
ବୃଦ୍ଧିହତ ହ୍ୱନ୍ତେ ରାଜା ହେଲା ଅଚେତନ
ମନ ବୁଦ୍ଧି ଆଦି ତାର ସବୁ ହେଲା ଆନ ।
ପୁଣି ସାଷ୍ଟାମ ହୋଇଣ ବସେ ନୃପମଣି
ବୋଲେ ତାତ ଶୁଣିଲ କି ଗଉଡ଼ଙ୍କ ବାଣୀ ।
ଶୁଣି ନ ଶୁଣିଲା ପରି ବସିଅଛ ପିତା
ଏବେ ତୋର ସମ୍ପଦ ତ ହେଲା ଆସି ବୃଥା ।
ଉଗ୍ରସେନ ବୋଲେ ବାବୁ ସବୁ ତ ଜାଣଇଁ
ତୋ ଛାମୁରେ କହିବାକୁ ଭୟ ତ ଲାଗଇ ।
ତୋ ଛାମୁରେ ସତ କହି ରହିବ କେ ପରା
ଯେସନେ ପୋରୁହ ହଳେ ଆପେ ହ୍ୱନ୍ତି ସାରା ।
କଂସ ବୋଇଲା ତୁ ମୋର ଅଟୁ ପରଂଗୁରୁ
ଯେବେ ବେଳେକ ଆପଦୁଁ ଉଦ୍ଧରି ତୁ ପାରୁ ।
ତେବେ ମୋହର ସକଳ ହୋଇବ ସାଧନ
ନିଶ୍ଚିନ୍ତେ ଭୋଗ କରିବି ମଥୁରା ଭୁବନ ।
ବିଜୁଳି ମୁଖରୁ ଶୁଣିଥିଲି ଯେଉଁ ବାଣୀ
ପ୍ରତ୍ୟକ୍ଷରେ ଘଟଣା ତା ଧାତା କଲା ଆଣି ।
ଯହିଁକି ଡରଇ ଧାତା ତାହା ଘଟାଇଲା
ଲାଭ ପାଖେ ପାଖେ ପୁଣି ହାନି ଉପୁଜିଲା ।
ଦିଗପାଳ ଚୂଡ଼ାମଣି ହେଲି ରବିତଳେ ।
ଦେବଙ୍କୁ ଜିଣିଲି ବଳେ ସ୍ୱର୍ଗ କଲି ଜୂର
ରାଜାଙ୍କୁ ଜିଣିଣ ଧନ ଆଣିଲି ଅପାର ।
ଏଡ଼େ ସମ୍ପଦ ଅର୍ଜିଲି ତାତ ତବ ପୁଣ୍ୟେ
ଦେବ ବିଡ଼ମ୍ୱନା ଆସି କରେ ଏତେ ଦିନେ ।
ଅନେକ ଭୟ ଜନମ ହେଉଛି ମୋ ମନେ
ହୃଦୟ କଥା କହିଲି ତୋର ସନ୍ନିଧାନେ ।
ଉଗ୍ରସେନ ବୋଲେ ବାବୁ ନ ଭାଳ ତୁ କିଛି
ଉପାୟ କରିଣ ଶତ୍ରୁ କବଳରୁ ବଞ୍ଚି ।
ଚିନ୍ତା କଲେ ଶରୀରରେ ଲାଗେ ପୁଣି ପ୍ରାସ
ଶରୀରେ ପ୍ରାସ ଲାଗିଲେ ବୃଦ୍ଧି ହୁଏ ନାଶ ।
ଆପଣେ ଯାହା ଅର୍ଜିବ କର୍ମବୋଲି ତାହା
ତୁହି ମହାପଣ୍ଡିତ ତ ନ ଜାଣୁ ବା କାହା ।
ଶୁଣିଲା କଥାରେ କିପାଁ ଏଡ଼େକ କାତର
କୋଟି ଇନ୍ଦ୍ରପଦ ୟାକୁ ଈଷତ ମାତର ।
ବୀରହୁଁ ମହାବୀର ତୁ ଅଟୁ ଜଗଜ୍ଜିଣା
ଦେବତାମାନଙ୍କ ବୁଦ୍ଧି କରିଦେଲୁ ବଣା ।
ନୁହସି କାତର ବାବୁ ହିଆ ଦୃଢ଼ କର
ତିନିପୁରରେ ଅଛଇ କାହାକୁ ତୋ ଡର ।
ଏସନକ ବିଚାରନ୍ତି ପିତାପୁତ୍ର ବେନି
ପୁଣି ଏକ ଡଗରା ଯେ ବାର୍ତ୍ତାଦିଏ ଆଣି ।
ଭୋ ଦେବ ରାଜାଧିରାଜ ବୀରବର ରାୟେ
ଗଡ଼ଦ୍ୱାରେ ମିଳିଲେକ ଆସି ଗୋପପୋଏ ।
ଏହିକ୍ଷଣି ନଗ୍ରମଧ୍ୟେ ପଶିବେ ଝସାଇ
ରହ ବୋଲିଣ ବୋଲନ୍ତା ଜଣେ କେହି ନାହିଁ ।
କହନ୍ତେ ନ ସରଇ ସେ ଗୋପାଳଙ୍କ କଥା
ଚାଟୁ ବଚନ ବୋଲନ୍ତେ ମାରନ୍ତି ଗଳଥା ।
ଯାହାଠାରେ ଯା ଦେଖନ୍ତି ଘେନନ୍ତି ଉଛୁଡ଼ି
ରାଜାଗଣ ପଳାଇଲେ ପିଟନ୍ତି ସେ ବାଡ଼ି ।
କଂସ ବୋଲେ ପିତା ମୋତେ ହେଲାବଡ଼ ଭୟେ
ପ୍ରତିକାର କହ କିସ କରିବା ଉପାୟେ ।
ଛାତି ଦକ ଦକ ହୁଏ ନେତ୍ରୁ ବହେ ନୀର
ବଞ୍ଚିବା ଉପାୟ ବେଗେ କହ ହେ ପିଅର ।
ଏହା କହି କପାଳରେ ମାରେ ବେନି ହାତ
ଶ୍ରୀହରି ସୁମରି ଏହା ଲେଖଇ ଅଚ୍ୟୁତ ।
ପରୀକ୍ଷିତ ପଚାରଇ ଶୁକ ମୁଖ ଚାହିଁ
ଏଥୁଅନ୍ତେ କିସ ହେଲା କହ ହେ ଗୋସାଇଁ ।
ବଦୟନ୍ତି ଶୁକମୁନି ଶୁଣ ନୃପବର
ଅନେକ ଭାବନା କରି କଂସ ମହାବୀର ।
ଚାଣୁର ମୁଷ୍ଟିକ କୁବଳୟାକୁ ହକାରି
ଶ୍ରୀଛାମୁରେ ଆଜ୍ଞା ତାଙ୍କୁ ଦିଏ ଦଣ୍ଡଧାରୀ ।
ତୁମ୍ଭେମାନେ ପ୍ରାଣସଖା କହିବଇଁ କିସ
କର୍ମରେ ଅଛି ମୋହର ଏଡ଼େକ ଭବିଷ୍ୟ ।
ନ ଜାଣି ଅକ୍ରୂର ପେଷି ଆପେ କଲି ମନ୍ଦ
ଧାତା ଆୟତ୍ତ କଥା ଏ ଉପୁଜିଲା ଦ୍ୱନ୍ଦ୍ୱ ।
ଯଷ୍ଟିରେ ଉଠାଇଲି ମୁଁ ଶୋଇଥିବା ସର୍ପ
ଜ୍ୱଳନ୍ତାନଳେ ଝାସିଲି ଏଡ଼େ ବଡ଼ ତପ ।
ଜାଣୁ ଜାଣୁ କାନିରେ ମୁଁ ନିଆଁକୁ ବାନ୍ଧିଲି
ଭେଳାରେ ସିନ୍ଧୁକୁ ପାର ହେବା ବିଚାରିଲି ।
କଉତୁକେ ଦୂତ ମୁହିଁ ପେଶିଲଇଁ ରଙ୍ଗେ
ବାର୍ତ୍ତା ପ୍ରବେଶ ମାତ୍ରକେ ଧାଇଁଲେ ସେ ବେଗେ ।
କାହାକୁ କହିବି ଏହା ଆପେ ଅରଜିଛି
ଜାଣୁ ଜାଣୁ କାଳକୁ ମୁଁ ଡକାଇ ଆଣିଛି ।
କାହା ଆଗେ କହିବଇଁ ମୋ ହୃଦ ବେଦନା
ତୁମ୍ଭେମାନେ ମୋ ଆତ୍ମାକୁ ଅଟ ବଜ୍ରସେହ୍ନା ।
ପାରିଲେ ରଖ ହେ ବୀରେ ବୁଦ୍ଧିବଳ ଥିଲେ
ସର୍ବେ ନାଶଯିବା ରାମ ଅଚ୍ୟୁଚ ଅଇଲେ ।
ନଗ୍ର ଭିତରକୁ ତାଙ୍କୁ ନ ଦିଅ ଯେ ଛାଡ଼ି
ବାହାର ଯାତ୍ରା ଦେଖିଣ ଯାଆନ୍ତୁ ବାହୁଡ଼ି ।
ସମୟେ କୌଶଳ କରି ମାରିବା ଉପାୟେ
ଏବେ କିରୂପେ ବଞ୍ଚିବା ଲାଗେ ବଡ଼ିଭୟେ ।
ତୁହୋ କୁବଳୟା ଅଟୁ ମୋର ପ୍ରାଣସଖା
ଅନେକ ପ୍ରାକର୍ମ ତୋର କେ କରିବ ସଂଖ୍ୟା ।
ଦଶ ଅରବୁଦ ରଥୀ ନେଇ ତୋର ତୁଲେ
ନବରର ସିଂହଦ୍ୱାରେ ଆବୋରି ଥା ଭଲେ ।
ପାଞ୍ଚମେବଚ୍ଛ ଯେ ଅଶ୍ୱ ମେବଚ୍ଛେକ ହସ୍ତୀ
ସଙ୍ଗେ ରହିଥିବେ ଦଶଖର୍ବର ପଦାତି ।
ଯେବେ କି ତୁହି ମୋହର ପ୍ରାଣକୁ କାରେଣି
ନଗରର ସିଂହଦ୍ୱାରେ ଆବୋରି ଏକ୍ଷଣି ।
ଆଣ୍ଟରେ କବାଟ ପାଡ଼ି ଜଗିଥିବ ଦ୍ୱାର
କାହାରିକୁ ପଶିବାକୁ ନ ଦେବ ଭିତର ।
ଯଦ୍ୟପି ସେ ବ୍ରହ୍ମା ବିଷ୍ଣୁ ପୁରନ୍ଦର ହେବ
ଅବଜ୍ଞା କରି ପଶିଲେ ମାରି ପକାଇବ ।
କେବେ ନ ଛାଡ଼ିବ ତୁମ୍ଭେ ମୋହର ଶପଥ
ଏସନକ ଆଜ୍ଞା ତାଙ୍କୁ ଦେଇ ନରନାଥ ।
ପୁନରପି ଶ୍ରୀଚନ୍ଦନ ମାଳ ଆଦି ଦେଲା
ସେ ଚାଣୁର ମୁଷ୍ଟିକକୁ ବୁଝାଇ କହିଲା ।
ପାରୁଶେ ବସାଇ କୋଳ ସମ୍ଭାଷଣ କରି
ବିନୟ ବଚନ ତାଙ୍କୁ ବୋଲେ ଦଣ୍ଡଧାରୀ ।
ଦଇବ ବିପକ୍ଷ ମୋର ହେଲା ଏତେକାଳେ
କିଏ ମୋତେ ନ ଡରଇ ଅବା ଭୂମଣ୍ଡଳେ ।
ବିଜୁଳିକନ୍ୟା ବଚନ ଫଳିଲାକ ଆସି
ପିମ୍ପୁଡ଼ିମାନେ କରୀକୁ ବଳାତ୍କାରେ ଗ୍ରାସି ।
ସ୍ୱର୍ଗ ମଞ୍ଚ ପାତାଳାଦି ସବୁ କଲି ଜୟେ
ଗୋରୁ ରଖୁଆଳେ ଦେଖାଯାନ୍ତି ଯମପ୍ରାୟେ ।
କାହାକୁ କହିବି ଏହା ମୋ କପାଳ ମନ୍ଦ
ଅକ୍ରୂରକୁ ପଠାଇଣ ଆରମ୍ଭିଲି ଦ୍ୱନ୍ଦ୍ୱ ।
ଜାଣୁ ଜାଣୁ କାଳଫାଶ ଗଳାରେ ଭରିଲି
ପୀୟୁଷ ପରାୟ ମଣି ଗରଳ ଭକ୍ଷିଲି ।
ଅକ୍ରୂର ନ ପେଷିଥିଲେ ନୁହନ୍ତା ଏ ଗୋଳ
ଶୁଣିବା ମାତ୍ରକେ ଧାଇଁ ଅଇଲେ ଗୋପାଳ ।
ଏ ଗୋପାଳେ ମୋତେ ପୁଣି କରିଛନ୍ତି ଯାହା
ସେ କଥା ମୁଁ କି କହିବି ଶୁଣିଛ କି ତାହା ।
ଅସମ୍ଭବ ପରାକ୍ରମ ବହନ୍ତି ତ ପୁଣି
କାଳ ଅବଳକୁ ଧାତା ଭେଟାଇଲା ଆଣି ।
ଏଥିପାଇଁ ମୋର ମନେ ଉପୁଜଇ ଭୟ
ବିଜୁଳିକନ୍ୟା ବଚନ ଘଟିବ ନିଶ୍ଚୟ ।
ନବର ମଝିଦୁଆର ଥିବ ରକ୍ଷାକରି
ଚଉଷଠି ମାଲେ ଥିବେ ସଙ୍ଗତେ ତୁମ୍ଭରି ।
ଅନେକ ନିର୍ବନ୍ଧେ ଥିବ କବାଟକୁ ପାଡ଼ି
ଆବୋରିଣ ବସିଥିବ ଦ୍ୱାରବନ୍ଧ ମାଡ଼ି ।
ତୁମ୍ଭଙ୍କୁ ଅବଜ୍ଞା କରି ବଳେ ଯେ ପଶିବ
ଉପ୍ରୋଧ ନ କରି ତାକୁ ମାରି ପକାଇବ ।
ଉଗ୍ରସେନକୁ ବୋଇଲେ ଯାଅ ଆହେ ତାତ
ବୁଝାଇ ଫେରାଇ ଦିଅ ଗୋପାଳ ପୁଅନ୍ତ ।
ଚୌରାଶୀକୋଟି ଯାଦବେ ଏକ ଏକ କରି
ବିଶ୍ୱାସରେ ବିନୟରେ ସବୁଙ୍କୁ ତିଆରି ।
ତୁମ୍ଭେମାନେ ମୋହର ଯେ ଅଙ୍ଗବଳ ସୈନି
ନବରକୁ ଜଗିଥିବ କରେ ଶସ୍ତ୍ରଘେନି ।
କାହାରିକୁ ଜଣେ ଭିତରକୁ ନ ଛାଡ଼ିବ
ଦୂରଦେଶୀ ଦେଖି ଦୂରୁଁ ବାହୁଡ଼ାଇ ଦେବ ।
ପାହାରୀମାନଙ୍କୁ ଡାକି ବୋଲଇ ଏମନ୍ତ
ନିର୍ବନ୍ଧରେ ଜଗିଥିବ ମୋ ପୁର ସମସ୍ତ ।
ଏହିରୂପେ ଆଜ୍ଞାଦେଇ ଭୋଜ ନରପତି
ଭୟପାଇ ଭିତରରେ ପଶଇ ଝଟତି ।
ଭିତର ଜଗତୀପରେ ବିଜେକଲା ଯାଇ
ପଲ୍ୟଙ୍କ ପରେ ପହୁଡ଼େ ଚିନ୍ତାନ୍ୱିତ ହୋଇ ।
ଇନ୍ଦ୍ରା ଗୋବିନ୍ଦ ଚାନ୍ଦୁଆ ଉପରରେ
ଜ୍ୟୋତି ପ୍ରକାଶେ ମଧ୍ୟାହ୍ନ ଆଦିତ୍ୟ ପ୍ରକାରେ ।
ଅପୁରୁବ ପାଟଝୁମ୍ପା ଲମ୍ୱେ ମାଳ ମାଳ
ଜାଈ ଯୂଈ ମାଳତୀ ଯେ ସେବତୀ ବକୁଳ ।
ସୁବାସିତ ପୁଷ୍ପହାର କେ କରିବ ଲେଖା
ଆକାଶ ଯାଏ ଲାଗିଛି ଜଗତୀର ଶିଖା ।
ଆପଣେ ବିଶ୍ୱକର୍ମା ଯା ନିର୍ମାଣ କରିଛି
ତ୍ରିପୁର ଉପମା ତାକୁ କିଏ ଅବା ଅଛି ।
ଅମର ସିଂହାସନରେ ଯେସନେ ବିଜୋଡ଼ା
ତେସନ ରୂପେ ବିଜୟ କଂସ ମହାରାଜା ।
ଚାରିପାଶେ ଖଟିଛନ୍ତି ଲକ୍ଷେ ବିଳାସିନୀ
ପାଶେ ରହିଛନ୍ତି ହେତୀ ପ୍ରହେତୀ ଏ ବେନି ।
ମନେ ଭୟକରି ଜଳାକବାଟକୁ ଫେଇ
ନିରେଖିଣ ଦୈତ୍ୟପତି ସମସ୍ତ ଦେଖଇ ।
ଏଥୁ ଅନନ୍ତରେ କୁବଳୟା ନାମେ ଗଜ
ଦଶଅର୍ବୁଦ ହସ୍ତୀ ଯେ ଘେନି ହେଲା ସଜ ।
ସିଂହଦୁଆର ଯାଇଣ ରହିଲା ଆବୋରି
ଗଜଙ୍କ ପରେ ମାହୁନ୍ତେ ଯାଇ ବିଜେକରି ।
ପାଇକ ରାଉତ ଆଦି ଲମ୍ୱହତା ଜେନା
ଯେ ଯାହାରେ ରହିଲେ ସେ ଧରୀ ତୀକ୍ଷ୍ଣମୁନା ।
ଅନେକ ରଥ ପଦାତି ବଳ ଅପ୍ରମିତା
ରହିଲେ ସେ ଯେ ଯାହାରେ ଏକୁ ଆରେ ଜିତା ।
କଂସ ରାଜାର ଆଜ୍ଞା ତ ଅଟଇ ଅଟଳ
ପ୍ରଥମ ଦ୍ୱାର ଆବୋରି ରହିଲେ ସକଳ ।
ଯେବଣ ନାଗେ ଦିଶନ୍ତି ପର୍ବତ ପରାୟେ
ନିମିଷକେ ଗମନ୍ତି ଯେ ସସ୍ରଯୁଣ ଯାଏ ।
କଂସଠାରୁ ମହାବଳୀ ଯେଉଁ ଗଜମାନେ
ଦ୍ୱାର ଆବୋରି ରହିଲେ ସେ ନିର୍ଭୟ ମନେ ।
ରେରେକାର କରି ସୈନ୍ୟ ରହିଲେ ଯେଝାରେ
ପୃଥ୍ୱୀ ଦଲ ଦଲ ହୁଏ ଚରଣ ଭାରାରେ ।
ମଝି ଦ୍ୱାରରେ ରହିଲେ ଚାଣୁର ମୁଷ୍ଟିକ
ଚଉଷଠି ମହାମଲ୍ଲ ପ୍ରତିଜ୍ଞା ସାର୍ଥକ ।
କରେ ଅସ୍ତ ଶସ୍ତ୍ର ଘେନି ନିଶକୁ ଫୁଲାଇ
ବାହା ମୋଡ଼ି ରହିଲେ ସେ ମନେ ଗର୍ବ ବହି ।
ଭୟ ପାଇ ପୁରବାସୀ କବାଟ କିଳିଲେ
ଯେ ଯାହାର କୁଟୁମ୍ୱଙ୍କୁ ଜଗିଣ ରହିଲେ ।
ଚୌରାଶୀ କୋଟି ଯାଦବେ ଏକୁଏକ ବଳୀ
ଯେ ଯାହାରେ ରହିଲେ ସେ ଶସ୍ତ୍ରମାନ ତୋଳି ।
ସାତତାଳରେ ଉତ୍ସର୍ଗ ଗଡ଼ର ପାଚେରୀ
ଯମଦେବ ହେଲେ ତହିଁ ପଶି ଯେ ନ ପାରି ।
ଜଳାକବାଟି ଫେଇଣ କଂସ ନରପତି
ଭୟେ ଚାହୁଁଅଛି ନେତ୍ର ବୁଲାଇ ଚୌକତି ।
ଅପଲକ ଭାବେ ରାଜା ଦେଇଅଛି ଦୃଷ୍ଟି
ଗୋପାଳେ ପୂରି ଅଛନ୍ତି ଚରାଚର ସୃଷ୍ଟି ।
ହରିବଂଶ କଥା ଶୁଣି ହୁଅ ପୁଣ୍ୟବନ୍ତ ।
ଏଥୁ ଅନନ୍ତରେ ହଳୀସହ ବନମାଳୀ
ଗୋପପୁଅମେଳେ ରଙ୍ଗ ସଭାତଳେ ମିଳି ।
ଦେଖନ୍ତି ସେ ରଙ୍ଗସଭା ଅତି ଶୋଭାପାଏ
ଅଳକା ଭୁବନ ପ୍ରାୟ ଦିଶେ ତେଜୋମୟେ ।
ଚଉଦ ଭୁବନେ ନାହିଁ ତାକୁ ପଟାନ୍ତର
ଦେଖିଣ ସନ୍ତୋଷ ହେଲେ କୃଷ୍ଣ ହଳଧର ।
ନବରତନେ ନିର୍ମିତ ରହିଅଛି ଧନୁ
ଦେଖିଲେ ଭୟ କରନ୍ତି ବିବୁଧାଦି ମନୁ ।
ଉଗ୍ରସେନ ରାଜା ଯାତ୍ରା କରାଉଣ ଥିଲେ
ରାମ କୃଷ୍ଣ ଆସିବାର ନୟନେ ଦେଖିଲେ ।
ଆସ୍ଥାନ ତେଜି ଉଠିଲେ ଅତି ତ୍ୱରାହୋଇ
ମନେ ମନେ ଆନନ୍ଦିତ ହୋଏ ରୂପ ଚାହିଁ ।
ଶ୍ରୀଜଗବନ୍ଦନ ନାଥ ଅବ୍ୟକ୍ତ ସ୍ୱରୂପ
ଅଶେଷ କୋଟି ବ୍ରହ୍ମାଣ୍ଡେ ଯାହାଙ୍କର ଧାପ ।
ରେଖାରୂପ ବର୍ଣ୍ଣମାନ ଯାହାଙ୍କର ନାହିଁ
ଦେହବନ୍ତ ହୋଇଛନ୍ତି ଭୃତ୍ୟଜନ ପାଇଁ ।
ବାଳଗୋପାଳ ସ୍ୱରୂପ ଧରି ଦେବସ୍ୱାମୀ
ସଭାତଳରେ ମିଳିଲେ ଯାଇଁ ଅନ୍ତର୍ଯ୍ୟାମୀ ।
ପୃଥିବୀ ଉପରେ କିବା ବିଜେ ନିଶାକର
ତେସନ ଶୋଭା ଦିଶନ୍ତି ରାମ ଦାମୋଦର ।
ବିଶ୍ୱରୂପ ପ୍ରକାଶିଲେ ପ୍ରଭୁ ଦେବରାୟେ
ସଙ୍ଗତରେ ରହିଛନ୍ତି ସର୍ବ ଗୋପପୋଏ ।
ଅଶେଷ କାମରୂପୀ ଯେ ପ୍ରଭୁ ବିଶ୍ୱବାସୀ
ଯେ ଯେଉଁ ରୂପ ଭାବଇ ତାକୁ ତେହ୍ନେ ଦିଶି ।
ଜଳସ୍ଥଳ ପାତାଳାଦି ଅନଳରେ ପୂରି
ଯେଉଁରୂପେ ଭାବିବ ସେ ଦିଶନ୍ତି ସେପରି ।
ସବୁରି ମନ ଭିତରେ ଛନ୍ତି ନାରାୟଣ
ଜଣ ଜଣକୁ ଦିଶନ୍ତି ମୂର୍ତ୍ତି ଆନୁଆନ ।
କୁଶବଟୁ ଭୁବନରେ ଧାତା ରହିଥିଲେ
ଗୋବିନ୍ଦ ମଥୁରା ବିଜେ ଧ୍ୟାନରେ ଜାଣିଲେ ।
ତକ୍ଷଣେ ହଂସ ବାହାନେ ବସି ପଦ୍ମଯୋନି
ଅର୍ଦ୍ଧଆକାଶେ ବିଜୟ କଲେ ଶିଷ୍ୟ ଘେନି ।
ଶିଷ୍ୟ ଗୋଟିକେ ଅର୍ବୁଦେ ବାଳଖିଲ୍ୟା ଖଟି
ବାଳଖିଲ୍ୟା ଗୋଟିକେ ଯେ ବ୍ରହ୍ମବେତ୍ତାକୋଟି ।
ଏକ ବ୍ରହ୍ମାବେତ୍ତା ସଙ୍ଗେ ସହସ୍ରେକ ଋଷି
ତାଙ୍କ ସଙ୍ଗେ ମିଳିଲେକ କେତେ ମହାଋଷି ।
ଅଗସ୍ତି ଅଙ୍ଗିରା ଆଦି ବଶିଷ୍ଠ ପ୍ରଚେତା
ମରୀଚି ଋଷି ତୁଲରେ ବହୁ ବ୍ରହ୍ମବେତ୍ତା ।
ଭୃଗୁ ଭାର୍ଗବ ଯେ ବିଭାଣ୍ଡକ ତପୋଧନ
ଶୁକ ସନଳ ଜନକ ବିଶ୍ୱାମିତ୍ର ପୁଣ ।
ଜୈମିନି ସୁମନ୍ତ୍ରକ ଯେ ନାରଦ ପ୍ରଭୃତି
ଏହିପରି ମିଳିଲେକ ଆସି କେତେ ଯତି ।
ଭରଦ୍ୱାଜ ଗଉତମ ବାଲମୀକ ମୁନି
ପଉଲସ୍ତି କଉଶିକ ପରାଶର ଘେନି ।
ନାମ ଧରି ଏକେ ଏକେ କହିବଇଁ କେତେ
ଅର୍ଦ୍ଧ ଆକାଶେ ରହିଲେ ଆସିଣ ସମସ୍ତେ ।
ଦେଖନ୍ତି ଯେ ବିଶ୍ୱରୂପ ମହାତେଜ କାୟେ
ଅଶେଷକୋଟି ସୂର୍ଯ୍ୟ କି ମଞ୍ଚରେ ଉଦୟେ ।
ନିର୍ମଳ ନିର୍ବିକଳ୍ପ ଯେ ପ୍ରଭୁ ନିରଞ୍ଜନ
ନିରାକାର ଜ୍ୟୋତି ପରକାଶ ତ୍ରିଭୁବନ ।
ଆଦିଅନ୍ତ ମଧ୍ୟ ପୁଣି ଯାହାଙ୍କର ନାହିଁ
ବ୍ରହ୍ମଲୋକ ପରିଯନ୍ତେ ତେଜ ବିକାଶଇ ।
ଦେଖି କରି ପିତାମହ କଲେ ବେଦଧ୍ୱନି
ଆନନ୍ଦରେ ସ୍ତବପାଠ କରନ୍ତି ଯେ ମୁନି ।
ଗୋବିନ୍ଦ ମଥୁରା ବିଜେ କରନ୍ତି ସରାଗେ
ବୃହସ୍ପତି ଜଣାଇଲେ ପୁରନ୍ଦର ଆଗେ ।
ଭୋ ଦେବ ହେ ଶଚୀପତି ସାବଧାନେ ଶୁଣ
ମଥୁରାରେ ବିଜେକଲେ ଦେବ ନାରାୟଣ ।
ଅଶ୍ରୁତି ଅଦୃଷ୍ଟି ଅଟେ ଯାହାଙ୍କର କାୟେ
ମ୍ଳେଚ୍ଛ ସଂହାର କରିବେ ଯେଉଁ ଦେବରାୟେ ।
ରଙ୍ଗସଭାତଳେ ଉଭା ସେ ପ୍ରଭୁ ଗୋବିନ୍ଦ
ବଳଦେବ ଆଦି ସଙ୍ଗେ ଛନ୍ତି ଗୋପବୃନ୍ଦ ।
ପୃଥ୍ୱୀଭାରାଭର ଆଜୁଁ ହୋଇବ ଉଶ୍ୱାସ
ଏହିଦିନ ଅସ୍ତ ବେଳେ କଂସ ଯିବ ନାଶ ।
ହବିର୍ଭାଗ ପାଇବଟି ଆଜି ବୈଶ୍ୱାନର
ଟଳମଳ ବସୁନ୍ଧରା ଆଜୁଁ ହେବ ସ୍ଥିର ।
ଆଜିଠାରୁ ଗୋପପୁର ଛାଡ଼ିଲେ ଶ୍ରୀହରି
ଗୋପୀମାନଙ୍କ ଉପରେ ଥିଲେ ଶ୍ରଦ୍ଧାକରି ।
ଗୋପାଳଙ୍କ ସଙ୍ଗେ ଗାଈ ଚରାଉଣ ଥିଲେ
ଏକାବେଳେ ମନୁ ତାଙ୍କୁ ମୁରୁଛିଣ ଦେଲେ ।
ଆଜହୁଁ ହୋଇବେ ହରି ଶଙ୍ଖ ଚକ୍ରଧାରୀ
କହନ୍ତି ଯେ ବୃହସ୍ପତି ଇନ୍ଦ୍ରଙ୍କୁ ହକାରି ।
ଶୁଣିଣ ଆନନ୍ଦ ହେଲେ ବିଡ଼ୋଜାଦି ଦେବା
ବୋଇଲେ ବିଷ୍ଣୁଙ୍କୁ ଯାଇ ଦର୍ଶନ କରିବା ।
ତତକ୍ଷଣେ ଆରୋହିଣ ଯେ ଯାହା ବାହନ
ଦେବ ଗନ୍ଧର୍ବ କିନ୍ନର ଅପସରାଗଣ ।
ଦିଗପାଳ ସହିତରେ ସଜବାଜ ହୋଇ
ଅଧାସ୍ୱର୍ଗେ ମିଳିକରି ଦେଖନ୍ତି ମାଧୋଇ ।
ଗନ୍ଧରବେ ନାନା ଗୀତ ଗାଆନ୍ତି ସୁସ୍ୱରେ
ନାନା ଯସ୍ତ୍ର ଅଳାବେଣୀ ବଜାଇ ଯେଝାରେ ।
କଂସାଳ ବାଇ ଆନନ୍ଦେ ଗାଇଲେକ ଗୀତ
ଦୁନ୍ଦୁଭିର ଶବ୍ଦ ପୁଣି ଶୁଭେ ଅପ୍ରମିତ ।
ଢାଳନ୍ତି ଚାମରମାନ କରି ପୁଷ୍ପ ବୃଷ୍ଟି
ଅପୂରୁହ ଶୋଭାବନ ଦିଶେ ନବସୃଷ୍ଟି ।
ଚିରାଳ ଯେ ଏକଲକ୍ଷ ଲମ୍ୱେ ମାଳ ମାଳ
ଆନନ୍ଦରେ ହରିଧ୍ୱନି କରନ୍ତି ସକଳ ।
ଗୋବିନ୍ଦ ଲୀଳା କୌତୁକ ଦେଖିବାର ପାଇଁ
ଅନେକ ସମ୍ଭର୍ବେ ବିଜେକଲେ ସୁରସାଇଁ ।
ଅନ୍ତର୍ଦ୍ଧାନ ହୋଇ ରହିଲେକ କିଛି ଦୂରେ
ଈଶ୍ୱର ବାର୍ତ୍ତା ପାଇଣ କୌଳାସକନ୍ଦରେ ।
ଏକାଦଶ ରୁଦ୍ରମୂଳେ ନନ୍ଦୀ ଯେ ଭ୍ରୂକୁଟୀ
ଗିରିଲିଙ୍ଗ ଅଷ୍ଟଶମ୍ଭୁ ଚଉଷଠି କୋଟି ।
ଜୟନ୍ତ ଅଜୟନ୍ତ ଯେ କାର୍ତ୍ତିକ ଗଣେଶ
ଯେ ଯାହା ବାହନ ଚଢ଼ି ରହିଲେ ଆକାଶ ।
ଗଙ୍ଗା ଗିରିଜା ବାରାହୀ ଦେବୀ ବସୁମତୀ
ଏ ଚାରି ଭାରିଯା ଛନ୍ତି ଈଶ୍ୱରଙ୍କ କତି ।
ବୃଷଭ ପିଠିରେ ବିଜେ କରିଲେ କପାଳୀ
ଅନ୍ତରୀକ୍ଷରେ ଦେଖନ୍ତି ରାମକୃଷ୍ଣ କେଳି ।
ଦେଖାଇଲେ ବିଶ୍ୱରୂପ ତାଙ୍କୁ ଦେବରାୟେ
ସାନନ୍ଦରେ ସଦାନନ୍ଦ କଲେ ଜୟେ ଜୟେ ।
ଇନ୍ଦ୍ର ପଚାରନ୍ତି ବୃହସ୍ପତି ମୁଖ ଚାହିଁ
ବ୍ରହ୍ମା ବିଷ୍ଣୁ ରୁଦ୍ର ମିଳିଲେକ ଏକଠାଇଁ ।
ପୂର୍ବରେ ଅନେକ ପୁଣ୍ୟ ଯେହୁ ଅର୍ଜିଥାଇ
ଏ ତିନି ଦେବଙ୍କୁ ଏକଠାବରେ ଦେଖଇ ।
କୋଟି ଆଦିତ୍ୟରୁ ବଳି ଦେଖାଯାଏ ତେଜ ।
ଶିରରେ ମୁକୁଟ ହୃଦେ କଉସ୍ତୁଭମାଳା
ବିଦମୁଦୀ କରେ ଶୋହେ ପାଦେ ଜଗଦ୍ବଳା ।
ବାମେ ସରସ୍ୱତୀ ଦକ୍ଷିଣରେ କମଳିନୀ
ଶ୍ରୀବତ୍ସଲାଞ୍ଛନ ହୃଦେ ଶୋଭାପାଏ ପୁଣି ।
ସୁବର୍ଣ୍ଣର ଜ୍ୟୋତି ପ୍ରାୟ କଳେବର କାନ୍ତି
ବଇକୁଣ୍ଠ ନାରାୟଣ ରୂପକୁ ଦେଖାନ୍ତି ।
ଆବର ଯେତେ ଦେବତା ଭିନ୍ନେ ଭିନ୍ନେ ଚାହିଁ
ଜଣେ ଜଣେ ରୂପ ଦେଖି ହୁଅନ୍ତି ଯେ ମୋହି ।
ଯାତ୍ରାରେ ଥିବା ଲୋକ ଯେ ମନେ ବିଚାରନ୍ତି
ଦେଖିନାହୁଁ କେଉଁଠାରେ ଏସନକ ମୂର୍ତ୍ତି ।
ଆକାଶୁ ଖସି ପଡ଼ିଲେ କିବା ରବି ଶଶୀ
କାମଦେବ ମର୍ତ୍ତ୍ୟରେ କି ବିଜେକଲା ଆସି ।
କୋଟି କନ୍ଦର୍ପ ସ୍ୱରୂପ ହେଲା କିବା ଠୁଳ
ତେସନ ଦେଖା ଯାଆନ୍ତି ଏ ଗୋପାଳବାଳ ।
କେତେକାଳେ ଧାତା ୟାଙ୍କୁ ଗଢ଼ିଥିଲା ବସି
ପୁରୁଷ ଉତ୍ତମ ଏ ତ ରୂପ ଗୁଣ ରାଶି ।
କେଉଁ ରମଣୀ ଏହାଙ୍କୁ ଗର୍ଭୁ ଜାତ କଲା
ଅନାଦି ଅପର୍ଣ୍ଣା ନିଶ୍ଚେଁ ଅଟଇ ସେ ଭଲା ।
କୁମୁଦବନ ମଧ୍ୟେ କି ଚନ୍ଦ୍ର ବିକାଶିଲା
ଆଜି ଏହି ଯାତ୍ରାଗୋଟି ଶୋଭାକୁ ପାଇଲା ।
କି କରି ବର୍ଣ୍ଣିବା ପୁଣି ଏହାଙ୍କର ଗୁଣ
ଈଶ୍ୱର କି ପୁରନ୍ଦର କିବା ନାରାୟଣ ।
ମାନବ ପ୍ରାୟ ତ ଦେଖା ନ ଯାନ୍ତି ଏ ବେନି
ଏହିରୂପେ ଲୋକମାନେ ଭାଳନ୍ତି ସେ ପୁଣି ।
ଜାଣିବା ଲୋକେ ବୋଇଲେ କାହ୍ନୁ ସଙ୍କର୍ଷଣ
ଯଶୋଦା କୋଳେ ଜାତ ଏ ନନ୍ଦର ନନ୍ଦନ ।
ଗୋପପୁରେ ବଢ଼ିଲେ ଏ ଗୋପାଳଙ୍କ ସଙ୍ଗେ
ଅନେକ ଗୁଣ ଅଛଇ ଏହାଙ୍କର ଅଙ୍ଗେ ।
ଅକ୍ରୂର ଶ୍ରୀମୁଖ ଘେନି ଯାଇଥିଲା ଆଣି
ରାଜା ଆଜ୍ଞା ପ୍ରମାଣରେ ଅଇଲେ ଏକ୍ଷଣି ।
ଥୋକେ ବୋଲନ୍ତି ରାଜାଙ୍କୁ କହିବା ଯେ ଏହା
ଥୋକେ ବୋଲନ୍ତି ଅଟନ୍ତି ରାଜାଙ୍କ ଦୋରେହା ।
ନାନା ଉପଦ୍ରବ କରୁଥିଲେ ଗୋପେ ଥାଇ
ସେ ଘାନ୍ତି ଉବୁରି ଥିଲେ ଏଥୁ ଯିବେ କାହିଁ ।
କାଳବେଳ ଜାଣି ଦୈବ ଆଣିଛି କଢ଼ାଇ
ନଗ୍ର ନର ନାରୀମାନେ ବିଚାରନ୍ତି ରହି ।
ଥୋକାଏ ଦେଖିଣ ମନେ ପାଇଲେକ ବ୍ୟଥା
ଏହାଙ୍କୁ ରକ୍ଷା କରନ୍ତୁ ତ୍ରୈଲୋକ୍ୟ କରତା ।
କଂସର କଣ୍ଠରେ ଯାଇ ସରସ୍ୱତୀ ବସୁ
ପାପ କ୍ଷୟ ଯାଉ ତାର ଗୁଣ ପରକାଶୁ ।
ଏମନ୍ତ କେତେକ ଲୋକ ମନରେ ବିଚାରି
କେଶବାସ ଅସମ୍ଭାଳେ ଧାଇଁଲେକ ନାରୀ ।
ଏକ ରମଣୀ କହଇ ଆରେକକୁ ଚାହିଁ
ସେ ଅପୂର୍ବ ପୁରୁଷ ତ ଦେଖିଲା ଗୋ ନାହିଁ ।
ବିସ୍ତାରିତ ବକ୍ଷସ୍ଥଳେ ଲମ୍ୱ ଭୁଜଦଣ୍ଡ
ଭ୍ରୁଲତା ତ କାମଧନୁ ମୁଖ ଇନ୍ଦୁଖଣ୍ଡ ।
କୋଟି ଚନ୍ଦ୍ରମା ପରାୟ ବିରାଜଇ ଜ୍ୟୋତି
ଅରୁଣ ଅଧରଗୋଟି ଶୋଭାବନ୍ତ ଅତି ।
ନିର୍ମଳ ଆକାଶେ କିବା ଉଦେ ହେଲେ ଭାନୁ
ଶୁକ୍ଳ କଳାରୂପେ ପରକାଶେ ଦିବ୍ୟତନୁ ।
ଚାଚର ଚିକୁର କେଶ ଅତ୍ୟନ୍ତ ସୁନ୍ଦର
କଟିରେ ଶୋଭା ଦିଶଇ ଦିବ୍ୟ ପୀତାମ୍ୱର ।
ନାନା ବର୍ଣ୍ଣରେ କୁଣ୍ଡଳ ଶ୍ରବଣେ ଲୁଳନ୍ତି
ମୂରଲୀ ଗୋଟିଏ ବାମକରେ ଧରିଛନ୍ତି ।
ହସ୍ତୀ ଥୋରହସ୍ତ ପ୍ରାୟ ଦିଶେ ଭୁଜ ବେନି
ଏମନ୍ତ ସ୍ୱରୂପ ଦେଖା ନାହିଁ ପୁର ତିନି ।
ଗଙ୍ଗାସାଗରେ ଯେବଣ ନାରୀ ଝାସିଥିବ
କୋଟି କୋଟି ଶିବଲିଙ୍ଗ ଯେହୁ ପୂଜିଥିବ ।
ସେ ନାରୀ ହୋଇବ ୟାଙ୍କ ପାଦତଳ ଦାସୀ
ସମାନ ବୟସ ଏ ତ ରୂପ ଗୁଣରାଶି ।
କେ ବୋଲଇ ଦେଖି ମନ ହୁଅଇ ଆନନ୍ଦ
ଜଗମୋହନ ପୁରୁଷ ଏ ତ ଆଦିକନ୍ଦ ।
ମନ ଚକ୍ଷୁ ଜୀବନ ଗୋ ସବୁ ବନ୍ଦ ହେଲା
ଅଣ୍ଡିର କୋକିଳ ବାଣୀ ଶୁଣି ୟାଙ୍କ ଭଲା ।
କଳାରୂପ ପାଶେ ଯେଉଁ ଶୁକଳ ଶରୀର
କେତେ ଗୁଣ ବସିଣ ଗୋ ବାହୁନିବା ତାର ।
ତାର ନାମ ହଳଧର ଶୋଭାବନ୍ତ ଅତି
ସବୁକାଳେ ସଦାନନ୍ଦ ପୁରୁଷ ବୋଲାନ୍ତି ।
ଜଟା ଶିରେ ଶୋଭାପାଏ ପିଙ୍ଗଳ ସୁବେଣୀ
ଫୁଫୁକାର ଶବ୍ଦ କରେ ଶିରେ ସପ୍ତଫେଣି ।
କଳପାଧିପୁରୁଷ ସେ କାମୀ କାମପାଳ
ଯୁବତୀଙ୍କ ମନଚୋରା ଏ ବାଳ ଗୋପାଳ ।
ଏମନ୍ତେ କେତେ ବିଚାର କରି ନରନାରୀ
ଶ୍ରୀମୁଖକୁ ଚାହାନ୍ତି ସେ ଧୀର ଧୀର କରି ।
ଇଷ୍ଟବନ୍ଧୁ କୁଟୁମ୍ୱ ଯେ ସୋଦରାଦି ଜନ
ସବୁ ତେଜି ଦେଖନ୍ତି ସେ ରାମ କୃଷ୍ଣ ବର୍ଣ୍ଣ ।
ଦେଖିବାପାଇଁ ଧାଆନ୍ତି ଅଣନିଶୁଆସେ
ସବୁଙ୍କୁ ବଶ କରିଲେ ରାମ ଜଗଦୀଶେ ।
ଯେ ଯେମନ୍ତେ ଭାବେ ତାଙ୍କୁ ଦିଶନ୍ତି ତେମନ୍ତ
ଅସୁରଙ୍କୁ ଦେଖାଯାନ୍ତି ଯେସନେ କୃତାନ୍ତ ।
ଧ୍ରୁବମଣ୍ଡଳେ ଲାଗିଲା ପରି ଦିଶେ ଶିର
ସମଗ୍ର ପୃଥ୍ୱୀରେ ପୂରିଅଛି କଳେବର ।
ଅନନ୍ତପାଦ ଅନନ୍ତଭୁଜ ଆଉ ଶିର
ଅନନ୍ତ ଆୟୁଧମାନେ ଘେନିଛନ୍ତି କର ।
ଦେଖି ଅସୁରମାନେ ଯେ କଲେ ମହାଭୀତି
ଆତ୍ମାକୁ ଭୟ ଲାଗିଲା ଦେଖି ବିଶ୍ୱମୂର୍ତ୍ତି ।
ରଙ୍ଗସଭା ମଧେ ଯାଇ ମିଳିଲେ ଶ୍ରୀହରି
କଂସକୁ ପ୍ରଶଂସା ମନମଧ୍ୟରେ ଯେ କରି ।
ଉଗ୍ରସେନକୁ ପ୍ରଣାମ କଲେ ଦେବସ୍ଵାମୀ
ରାମଙ୍କୁ ଚାହିଁ ବୋଲନ୍ତି ତହୁଁ ଅନ୍ତର୍ଯ୍ୟାମୀ ।
ଧନୁଯାତ୍ରା ଆମ୍ଭଲାଗି ମାମୁଁ ଯେ କରିଛି
ଚାଲ ଧନୁ ଦେଖିବା ହୋ କେମନ୍ତେ ହୋଇଛି ।
ଏତେ କହି ବିଜେ କଲେ ପ୍ରଭୁ ଧନୁଘର
ଧନୁ ବସାଇଲେ ପାଦଅଙ୍ଗୁଳି ଉପର ।
ମତ୍ତସିଂହ ପ୍ରାୟେ ତାକୁ ଆଣନ୍ତେ ଓଟାରି
ବେନିଖଣ୍ଡ ହେଲା ରଡ଼ମଡ଼ ଧ୍ୱନିକରି ।
ବ୍ରହ୍ମଲୋକ ପରିଯନ୍ତେ ଶୁଭିଲା ସେ ନାଦ
ଏକଦୃଷ୍ଟି କରି ଚାହିଁ ଅଛନ୍ତି ବିବୁଧ ।
ଧନୁର ଭଗ୍ନ ଶବଦ ବ୍ରହ୍ମାଣ୍ଡରେ ପୂରି
ଭୟେ ଛନ୍ନ ଛନ୍ନ ହେଲେ ଶୁଣି ନରନାରୀ ।
ସ୍ୱର୍ଗମର୍ତ୍ତ ପାତାଳ ଯେ ତ୍ରିପୁର କମ୍ପିଲା
ତେଡ଼େବଡ଼ ସଭାଗୋଟା ନିସ୍ତବ୍ଧ ହୋଇଲା ।
ଭଗ୍ନ ଧନୁ ଭୂତଳରେ ହୁଅନ୍ତେ ପତିତ
ତହିଁରୁ ପୁରୁଷ ଏକ ହୋଇଲା ସଂଜାତ ।
ସମସ୍ତେ ଦେଖୁଅଛନ୍ତି ଗଲା ଶୂନ୍ୟମାର୍ଗେ
ତକ୍ଷଣେ ପ୍ରବେଶ ହେଲା ଯେ ଅମର ସ୍ୱର୍ଗେ ।
ଶୁଣିଲ ତ ପରୀକ୍ଷିତ ଧନୁଭଗ୍ନ କଥା
ଅଚ୍ୟୁତ ଦାସ ଲେଖଇ ହରିବଂଶ କଥା ।
ପଢ଼ି ଶୁଣି ନରନାରୀ ପାଅ ମୋକ୍ଷଗତି
ହରି କୃପାବଳୁଁ ଲେଖେ ହରିବଂଶ କୀର୍ତ୍ତି ।
ଶୁକ ବ୍ରହ୍ମାଙ୍କ ମୁଖରୁ ଏହି ବାଣୀ ଶୁଣି
କରପତ୍ର ଯୋଡ଼ି ପୁଚ୍ଛା କରେ ନୃପମଣି ।
ଭୋ ମୁନି ଶୁଷ୍କ ବାଉଁଶ ଧନୁ ହୋଇଥିଲା
ଏଡ଼େ ବଡ଼ ଯାତ୍ରା କଂସ କାହିଁପାଇଁ କଲା ।
ଦେବକାର୍ଯ୍ୟ ନିମିତ୍ତରେ ଭାଙ୍ଗିଲେ ଶ୍ରୀହରି
କେଉଁ ପୁରୁଷ ତହିଁରୁ ଜାତ ଦେହ ଧରି ।
ଏଥିର ତଦନ୍ତ ମୁନି କହ ମୋର ଆଗେ
ଏ ବିଷୟେ ସନ୍ଦେହ ମୋ ଲାଗିଅଛି ଅଙ୍ଗେ ।
ରାଜାର ବଚନ ଶୁଣି ବୋଲେ ବ୍ରହ୍ମବେତ୍ତା
ଶୁଣ ତାହା ସାବଧାନେ ଆହେ ମହାରଥା ।
ଏକ ଦିନକରେ ଅଷ୍ଟବକ୍ର ମହାଋଷି
ପ୍ରାତଃସ୍ନାନ କରି ମଣିକର୍ଣ୍ଣିକାରେ ପଶି ।
ଧୋତି ଛତା ଦଣ୍ଡ ଆଉ ତୁଳସୀର ମାଳ
ଶ୍ରୁବ ସ୍ରୁଚ ପ୍ରୋକ୍ଷଣି ଯେ ପିଢ଼ା କମଣ୍ଡଳ ।
ସକଳ ତୀରେ ଥୋଇଣ ପଶିଲେ ସେ ଜଳେ
ତୀର୍ଥସ୍ନାନ କଲେ ମୁନି ମହାମନ୍ତ୍ର ବଳେ ।
ସ୍ନାନସାରି ତରପଣେ ପିତୃଗଣ ତୋଷି
ପନ୍ନଗ ଗନ୍ଧର୍ବ ସେଥି ମିଳିଲାକ ଆସି ।
ନଦୀକୂଳରେ ଅଛଇ ମୁନିଙ୍କର ଦ୍ରବ୍ୟ
ଖଣ୍ଡେଦୂରେ ଥାଇ ତାହା ଦେଖିଲା ଗନ୍ଧର୍ବ ।
ସନ୍ନିଧେ ମଳିଲା ଆସି ମତ୍ତଗର୍ବ ରଙ୍ଗେ
ବ୍ରହ୍ମଦଣ୍ଡ ଗୋଟି ଗୋଡ଼େ ଫିଙ୍ଗିଦେଲା ବେଗେ ।
ଗଭୀର ଜଳରେ ଯାଇ ସେ ଦଣ୍ଡ ପଡ଼ିଲା
ମୁନି ନ ଜାଣନ୍ତି ସେହି ସୋହତିରେ ଗଲା ।
ସମୁଦ୍ର ଭିତରେ ଯାଇ ପଡ଼େ ଦଣ୍ଡଗୋଟି
ନିତ୍ୟକର୍ମ ସାରି ମୁନି କୂଳେ ଗଲେ ଉଠି ।
ରଖିଥିବା ଦ୍ରବ୍ୟମାନ ଦେଖିଲେକ ଯାଇ
ସମସ୍ତ ପଦାର୍ଥ ଅଛି ଦଣ୍ଡଗୋଟି ନାହିଁ ।
ଧନୁ ଚକ୍ର ଜାଣି ମୁନି ଏ ଦଣ୍ଡ ଧରନ୍ତି
ସେ ଦଣ୍ଡ ବିହୀନେ କିଛି ସାଧି ନ ପାରନ୍ତି ।
ଦଣ୍ଡ କମଣ୍ଡଳୁ ତେଣୁ ସନ୍ୟାସୀଙ୍କ ଧର୍ମ
କରି ନ ପାରନ୍ତି ତାର ବିନେ କିଛି କର୍ମ ।
କର୍ମହୀନ ହେବି ହରାଇଲେ ଦଣ୍ଡଗୋଟି
ଏତେ ଭାଳି ମୁନି ତହିଁ ହୋଇଲେ କୁହାଟି ।
ବେନି ଚକ୍ଷୁ ଫୁଟି ଲୁହ ପଡ଼େ ଭୂମିତଳ
ଅଜ୍ଞାନେ ଲୋଟନ୍ତି ମୁନି ହୋଇଣ ଆକୁଳ ।
ଅସ୍ଥି ଚର୍ମ ଗଳିତ ଯେ ଶ୍ଳଥ ଭୁଜଦଣ୍ଡ
ଅଣ୍ଟାଠାରୁ ଭାଙ୍ଗିପଡ଼େ ହୋଇ ବେନି ଖଣ୍ଡ ।
ଗରୁଡ଼ ପ୍ରାୟ ନାସିକା ବକ ପ୍ରାୟ ଗୋଡ଼
ମଥାରେ କେଶ ବର୍ଜିତ ଭୂମେ ଲୋଟେ ଥୋଡ଼ ।
ଆଣ୍ଟେ କହନ୍ତେ ଶୁଭଇ କିଣିକିଣି ଧ୍ୱନି
ଅତିକ୍ଷୀଣ ଶରୀର ହେ ଭଗବନ୍ତ ପ୍ରାଣୀ ।
ଜଳ ପବନ ଆହାରେ ଧରନ୍ତି ଜୀବନ
ମହାଯୋଗ ପୁରୁଷ ସେ ବେଦରେ ପ୍ରବୀଣ ।
ଅନେକ କାଳର ବୃଦ୍ଧ ଦୁର୍ବଳ ଯେ ତନୁ
ଏ ଦେହେ ଭୋଗ କଲେଣି ବହୁକଳ୍ପ ମନୁ ।
ଦଣ୍ଡ ନ ଦେଖିଣ ମୁନି ଚିନ୍ତିତ ହୃଦୟେ
ଭୂମିରେ ଲୋଟନ୍ତି ପୁଣି ଅସାଷ୍ଟମ ଦେହେ ।
କର ଯୋଡ଼ିଣ ମୁନିଙ୍କି କହେ ବସୁମତୀ
ଅକାରଣେ ଶୋକ କିପାଁ କର ମହାଯତି ।
ଇନ୍ଦ୍ରଦେବ ଜ୍ୟେଷ୍ଠସୁତ ପନ୍ନଗ ଗନ୍ଧର୍ବ
ଯୁକତେ ରାଜକୁମାର ତେଣୁ ମନେ ଗର୍ବ ।
ବାଳୁତ କୁମର ଜ୍ଞାନ ନାହିଁ ପାପ ପୁଣ୍ୟ
ଯାଉଁ ଯାଉଁ ଦେଖିଲା ସେ ତୁମ୍ଭ ଦ୍ରବ୍ୟମାନ ।
ତୁମ୍ଭର ତ୍ରିଦଣ୍ଡିକି ସେ ଜଳେ ଫିଙ୍ଗିଦେଲା
ଗଭୀର ଜଳରେ ପଡ଼ି ଭାସିଣ ସେ ଗଲା ।
ସମୁଦ୍ର ଜଳରେ ଯାଇଁ ଭାସେ ତୁମ୍ଭ ଦଣ୍ଡ
ଶୁଣି ମହାମୁନି ହେଲେ କୋପେ ପରଚଣ୍ଡ ।
ବୋଇଲେ ପନ୍ନଗ ତୁରେ ଇନ୍ଦ୍ରପୁତ୍ର ହୋଇ
ଆମ୍ଭ ଦ୍ରବ୍ୟେ ଉପଦ୍ରବ କଲୁ କାହିଁପାଇଁ ।
ଆମ୍ଭ ବ୍ରହ୍ମଦଣ୍ଡ ହରି ଅର୍ଜିଲୁ ତୁ ପାପ
ବେଣୁ ବୃକ୍ଷ ହୋଇଥାଅ ଏଣୁ ସାତକଳ୍ପ ।
ବରୁଣକୁ ଚାହିଁ କ୍ରୋଧେ ବୋଲନ୍ତି ସେ ମୁନି
ମୋ ତ୍ରିଦଣ୍ଡ ସୋହତିରେ ଗଲ ତୁମ୍ଭ ଘେନି ।
ସମୁଦ୍ର ଜଳରେ ନେଇ ରଖିଛ ଲୁଚାଇ
ମଙ୍ଗଳ ଥିଲେ ମୋ ଦ୍ରବ୍ୟ ଦିଅ ତ ଅଣାଇ ।
ବରୁଣ ବୋଲେ ସ୍ୱାମୀ ଏ କଥା ଆଗୁଁ ଜାଣି
ତ୍ରିଦଣ୍ଡ ଗୋଟି ଛାମୁକୁ ଅଛି ଏବେ ଆଣି ।
ମୋର ବଳେ କାହିଁ ରଖି ହୋଇବ ବା ତାହା
ଇନ୍ଦ୍ର କୁମର ପାଇଁକି ଘଟିଲାଟି ଏହା ।
ଏତେ ବୋଲି ବରୁଣ ଯେ ମୁନିଙ୍କର ଆଗେ
ଦଣ୍ଡ ଥୋଇ ପାୟେ ପଡ଼ି ଶୋଏ ଅତିବେଗେ ।
ତ୍ରିଦଣ୍ଡ ପାଇଣ ମୁନି ହେଲେ ମହାତୋଷ
ପନ୍ନଗ ଯେ ଶାପ ଶୁଣି ବୋଲେ କ୍ଷମ ଦୋଷ ।
ମୁନି ବୋଇଲେ ଅଜାଣେ ଅରଜିଲୁ ପାପ
ତୋତେ ଆମ୍ଭେ ଅନ୍ତର୍ଗତେ ଦୟାଥାଏ ବାପ ।
ତୁହି ଆମ୍ଭଠାରେ ଭକ୍ତି କରୁ ଯେଣୁ ବତ୍ସ
ତେଣୁ କରି ଦୟା ହୁଏ ଆମ୍ଭରଟି ସ୍ୱଚ୍ଛ ।
ଦେଇବର ଆୟତରୁ ହେଲା ଏତେଦୂର
ତୋର ଅଭିଶାପ ବାବା ଅଳ୍ପେ ହେବ ପାର ।
ବ୍ରହ୍ମାଙ୍କ ଦିବସେ ଦୁଆଦଶ ଦିନଯାଏ
ବିନ୍ଧ୍ୟଗିରିରେ ହୋଇବୁ ବେଣୁ ବୃକ୍ଷଟାଏ ।
ପୁରୁରବା ରାଜା ମୃଗୟାର୍ଥେ ବନେ ଯିବ
ସେ ବଣୁବୃକ୍ଷକୁ ଯତ୍ନେ କଟାଇ ଆଣିବ ।
ମୂଳ ଖଣ୍ଡିକରେ ତାର କରିଣ କାର୍ମୁକ
ସେ ଧନୁ ଘେନି ଜିଣିବ ମର୍ତ୍ତ୍ୟପୁର ଯାକ ।
ମାନ୍ଧତା ନାମରେ ପୁତ୍ର ହେବେ ତାହାଙ୍କର
ପୁରୁରବା ଅନ୍ତେ ଧନୁ ବହିବ ସେ କର ।
ମାନ୍ଧାତା ସୁତ ନହୁଷ ନାମେ ମହାରାୟେ
ଇନ୍ଦ୍ରାଦି ଦେବେ କମ୍ପିବେ ସ୍ୱର୍ଗେ ତାର ଭୟେ ।
ସେ ଧନୁକୁ ପୂଜିବ ସେ ନଗ୍ରେ ଯାତ୍ରାକରି
ଯଯାତି ନାମରେ ପୁତ୍ର ହୋଇବ ତାହାରି ।
ପିତା ଆଜ୍ଞାରେ ଧନୁ ସେ ବହିଥିବ ଭଲେ
ଭଣ୍ଡାରେ ରହିବ ଧନୁସ୍ୱର୍ଗକୁ ସେ ଗଲେ ।
ସେଠାରୁ ଧନୁକୁ ଆଉ ନ ବହିବେ କେହି
ପିତାର୍ଜିତ ବୋଲି ଯତ୍ନେ ରଥିଥିବେ ଥୋଇ ।
ସୋ ଭୋଜବଂଶରେ କଂସ ହେବ ପୁଣି ଜାତ
ସେକାଳେ ସେ ଧନୁଗୋଟି ହୋଇବ ଉଦିତ ।
କଂସ ବଳବନ୍ତପଣେ ଧନୁ କରେ ବହି
ଉତ୍ସବ ଯାତ୍ରା କରିବ ସେ ଧନୁର ପାଇଁ ।
ଗୋପପୁର ଗୋବିନ୍ଦ ଯେ ଯିବେ ସେହିଠାକୁ
ଅବହେଳେ ଦେଖିକରି ଭାଙ୍ଗିବେ ତାହାକୁ ।
ତେବେ ଯାଇ ଅଭିଶାପୁ ହୋଇବୁ ମୁକତି
ଗୋବିନ୍ଦଙ୍କ କର ଲାଗି ହେବୁ ସ୍ୱର୍ଗପ୍ରାପ୍ତି ।
ଶୁଣ ଆହେ ପରୀକ୍ଷିତ ବଦୟନ୍ତି ମୁନି
ଏସନ ଅଟଇ ସେହି ଧନୁର କାହାଣୀ ।
ଇନ୍ଦ୍ରସୁତ ଧନୁରୂପେ ତହିଁ ରହିଥିଲା
ଗୋବିନ୍ଦଙ୍କ କର ଲାଗି ଶାପୁ ମୁକ୍ତ ହେଲା ।
ସେ ଗୋବିନ୍ଦ ପାଦତଳେ ରଖି ଦୃଢ଼ମତି
ଗୀତରେ ଲେଖିଲା ଏହା ଅଜ୍ଞାନୀ ଅଚ୍ୟୁତ ।
କୁବଳୟା ସୁନାସ ବଧ
[ସମ୍ପାଦନା]ବୋଲନ୍ତି ଯେ ଶୁକମୁନି ଶୁଣ ଦଣ୍ଡଧର
ଏଥୁ ଅନନ୍ତରେ ରଙ୍ଗ ସଭାର ବିଚାର ।
ଧନୁ ଭଗ୍ନ କରି ବିଜେ କାହ୍ନୁ ସଂକର୍ଷଣ
ସଙ୍ଗତରେ ରହିଛନ୍ତି ଗୋପଶିଶୁଗଣ ।
ଯାତ୍ରାଲୋକେ ଚକିତ ଯେ ହେଲେ ତାହା ଦେଖି
ଶ୍ରବଣ ଛୁଇଁଣ ସର୍ବେ ବୁଜିଲେକ ଆଖି ।
କଂସ ଆଶ୍ରିତ ଯେତେକ ଦୈତ୍ୟରାଜା ଥିଲେ
ଶ୍ରୀକୃଷ୍ଣ ଆସିବା ଶୁଣି ମନେ ଭୟ କଲେ ।
ଧନୁଭଗ୍ନ ହୋଇବାର ଦେଖି ମହୀପାଳେ
ପ୍ରାଣଭୟେ ପଳାଇଲେ ନ କହି ସେ ସ୍ଥଳେ ।
ଭାଳିଲା ମହାଯାତ୍ରା ଯେ ହେଲା ରଣଭଣ
ବେପାରି ପଳାଇଗଲେ ହୋଇ ଛନ୍ନ ଛନ୍ନ ।
ସାମ୍ରାଜ୍ୟରେ ହୁରି ଜୁରି ଲାଗିଗଲା ଗୋଳ
ନଗ୍ର ଉଜାଡ଼ିଲେ ବୋଲି ଗୋପାଳ ସକଳ ।
ଚାରମୁଖୁ ଏସନକ ବାର୍ତ୍ତାମାନ ପାଇ
ସେବକମାନେ କଂସକୁ ଜଣାଇଲେ ଯାଇ ।
ଭୋ ଦେବ ସାବଧାନେ ହେ ଶୁଣ ଭୋଜପତି
ଧନୁଗୋଟି ଭାଙ୍ଗି ଦେଲେ ସେ ନନ୍ଦସନ୍ତତି ।
ଶୁଣିକରି କଂସରାଜା ମୂର୍ଚ୍ଛାଗତ ହେଲା
ଚେତି ଉଠି ପୁନରପି ମନରେ ଭାଳିଲା ।
ସପ୍ତଦ୍ୱୀପ ପୃଥିବୀକି ସାଧିଲଇଁ ରୋଳେ
ବାଳକ ଶତ୍ରୁ ନ ଜିଣି କର୍ମରେ ଅବଳେ ।
ପାଞ୍ଚଲକ୍ଷ ବଳଧନୁ ଭାଙ୍ଗିଲା କେମନ୍ତେ
ମାନବ ନୁହଇ ସେହୁ ଜାଣିଲି ନିଶ୍ଚିତେ ।
ବାଳକର କାହୁଁ ହେବ ଏଡ଼େକ ସାହସ
ଦେଖୁ ଦେଖୁ କରିଲା ସେ ମୋର ସର୍ବନାଶ ।
କେଉଁଠାରେ ଗୋପ୍ୟ ହୋଇ ରଖିବି ମୋ ଦେହୀ
ତ୍ରିଭୁବନ ମଧ୍ୟେ ମୋତେ ରଖନ୍ତା କେ ନାହିଁ ।
ପୁଣି ବିଚାରଇ ମନେ ଅବଶ୍ୟ ମରିବି
ଅଙ୍ଗଭଙ୍ଗ ହେଉ ପଛେ ସଂଗ୍ରାମ କରିବି ।
କ୍ଷତ୍ରୀ ହୋଇ ମରଣକୁ କିପାଇଁ ନିସତ
ଯାହା ଯୋଗ ଥିବ ତାହା ହୋଇବ ନିୟତ ।
ଛାର ଗଉଡ଼ ଟୋକାଙ୍କୁ କିପାଇଁ ମୋ ଡର
ସିଂହ ସଙ୍ଗେ ଯୁଝିପାରେ କାହୁଁ ଶଶା ଛାର ।
ସାନଲୋକ ସଙ୍ଗେ ପୁଣି ସଂଗ୍ରାମ କରିଲେ
ଯଶ ନ ମିଳଇ କୋଟିବାର ତ ଜିଣିଲେ ।
ଏକାବେଳେ ମାଇଲେ ତ ସେ ସାନଲୋକଙ୍କୁ
ମରଣୁ ଅଧିକ ଲାଜ ହେବ ଜଗତକୁ ।
ଏହି କଥାମାନ ମୁହିଁ ମନରେ ବିଚାରି
ଏତେକ ଦୂରେ ରହିଲା ଆସି ଅପସରି ।
ଏଥକୁ ବିଧାତା ମୋତେ କରୁଛି କଟାଳ
ଏତେ ଭାଳି ହୃଦମଧ୍ୟେ ହୁଅଇ ବିକଳ ।
ସେବକଙ୍କୁ ବୋଲେ ତୁମ୍ଭେ ଯାଅ ଏହିକ୍ଷଣି
କୁବଳୟା ଆଗେ କହ ମୋ କହିବା ବାଣୀ ।
ତାର ଯେତେ ପରାକ୍ରମ ଅଛଇ ମୁଁ ଜାଣି
ସେ ଅଟେ ମୋହର ପଞ୍ଚଭୂତର କାରେଣି ।
ମୋର ଦୋଷୁଁ ନାଶ ଜାଣ ଗଲେ ଅଷ୍ଟସଖା
କେବଳ ତାକୁ ଆଶ୍ରୟ କରିଛି ମୁଁ ଏକା ।
ପ୍ରାଣସମ କରି ପୁର ଆବୋରିଣ ଥାଉ
ଉପାୟ କରି ଗୋପାଳ ଗୋପକୁ ପଠାଉ ।
ଏ ଆଜ୍ଞା ଦେଇ ଜଗତୀ ଉପରେଣ ଥାଇ
ତଳେ ଅନାଇଲା ଜଳା କବାଟିକି ଫେଇ ।
ଗୋପାଳେ ଅଛନ୍ତି କନ୍ଦି ବିକନ୍ଦିରେ ପୂରି
ବିଷ୍ଣୁ ମାୟାଜାଲ ଗୋଟି ଅଛନ୍ତି ବିଚାରି ।
ଆଦ୍ୟରୁ ମନରେ ଶଙ୍କା ରାଜା ଅଛି ଘେନି
ଦେଖି ଭୟେ କବାଟକୁ କିଳେ ଉଗ୍ରସେନୀ ।
ଚିତ୍ତ ଛନ୍ନ ଛନ୍ନ ତାର ଭୟେ ଅନ୍ତାରାଳ
ପଞ୍ଚଭୂତ ଆତ୍ମାଗୋଟି ହୁଅଇ ବ୍ୟାକୁଳ ।
ଘନ ଘନ ନିଃଶ୍ୱାସ ତା ଅଣଚାଶ ଜାଣି
ନର୍ଘାତ ଶବଦ ପ୍ରାୟ କଣ୍ଠତଟ ବାଣୀ ।
ଏଥୁ ଅନନ୍ତରେ ତହୁଁ କୃଷ୍ଣ ହଳଧର
ଧନୁ ଭାଙ୍ଗି ସେ ସ୍ଥାନରୁ ହୋଇଲେ ବାହାର ।
ଅବନୀରେ ଲୀଳା ଗତି କରି ଦେବସ୍ୱାମୀ
କୁବଳୟା ନିକଟରେ ମିଳି ଅନ୍ତର୍ଯ୍ୟାମୀ ।
ଅତିଅନ୍ତ କ୍ରୋଧବହି ହେଲେ ମହାତେଜ
ସିଂହଦ୍ୱାର ଆବୋରିଣ ରହିଅଛି ଗଜ ।
ଅସୁର ସ୍ୱରୂପ ସେ ତ ଜାଣେ ମହାମାୟା
ମେରୁ ମନ୍ଦର ପରାୟ ବିକାଶିଛି କାୟା ।
ଭୟଙ୍କର ରୂପ ଧରି ଉଭା ହୋଇଅଛି
ଆକାଶମାର୍ଗରେ ଶିର ଯାଇ ତା ଲାଗୁଛି ।
ହେଠମାଥ ହୋଇଣ ଯେ ଗର୍ଜେ ମହାବଳ
ଚକ୍ରପ୍ରାୟ ଥୋରହସ୍ତ ଭ୍ରମେ ଅନ୍ତରାଳ ।
ଦମଦମ ହୃଦୟ ତା ନିଃଶ୍ୱାସ ବହଇ
କି ଜାଣି ବାତବେଦନା ଉପସ୍ଥିତି ହୋଇ ।
ପୁଣି ଗର୍ଜି ଭୂତଳରେ କରେ ପଦାଘାତ
କମ୍ପଇ ବ୍ରହ୍ମାଣ୍ଡଯାକ ରତ୍ନାକର ସାତ ।
ଅତି ବିକରାଳ ତାର ଦିଶେ ଦନ୍ତବେନି
ଅବହେଳେ ଟାଳିପାରେ ସମଗ୍ର ମେଦିନୀ ।
ହସ୍ତୀପରେ ନେତା ସାଜେ ତା ପରେ ମାହୁନ୍ତ
ହସ୍ତରେ ସେ ଧରିଅଛି ନବନିଶି କୁନ୍ତ ।
ସକଳ ଶସ୍ତ୍ରମାନଙ୍କୁ ରଖିଣ ସଜାଡ଼ି
ସୁନାସ ବୀର ବସିଛି କରେ ନିଶ ମୋଡ଼ି ।
ଉଗ୍ରସେନ ନନ୍ଦନ ସେ କଂସ ସାନଭାଇ
ଦେବତାଙ୍କୁ ମଧ୍ୟ ତାର ମନେ ଭୟ ନାହିଁ ।
କୁବଳୟା କନ୍ଧପରେ ଅଛି ବିଜେକରି
ବୀରବେଶ ହୋଇ କରେ କମାଣକୁ ଧରି ।
ବେନି ପାରୁଶେ ଅଛନ୍ତି ଅର୍ବୁଦେକ ଗଜ
ସର୍ବେ ରଣଦୀକ୍ଷାରେ ସେ ହୋଇଛନ୍ତି ସଜ ।
କଂସ ଆଜ୍ଞା ଭାଙ୍ଗିବ କେ ମର୍ତ୍ତ୍ୟେ ଦେହବହି
ଆପଣେ ସୁନାସବୀର ବସିଣ ଅଛଇ ।
ସିଂହଦ୍ୱାର କବାଟକୁ ଦେଇ ବୀର ଷଣ୍ଢା
ଗଜ ଆବୋରି ବସିଛି କରେ ଧରି ଖଣ୍ଡା ।
ଇନ୍ଦ୍ର ବସିଛି କି ଐରାବତକୁ ଆରୋହି
ସେହିରୂପେ ଶୋଭାପାଏ କଂସ ସାନଭାଇ ।
ଚତୁରଙ୍ଗ ବଳ ସଙ୍ଗେ ଅଛନ୍ତି ତାହାର
କରେ ଅସ୍ତ୍ରଶସ୍ତ୍ର ଧରି କରି ରେରେକାର ।
ତହୁଁ କିଛିଦୂରେ ଅଛି କଂସ ମହାରାୟେ
ରଙ୍ଗସଭା ଲାଗିଅଛି ସିଂହଦ୍ୱାର ଯାଏ ।
ତା ମଧ୍ୟରେ ପଶିବାକୁ ବୀର କେହି ନାହିଁ
ସ୍ୱର୍ଗପ୍ରାୟ ଦିଶୁଅଛି ନେତ୍ରେ ଦେଲେ ଚାହିଁ ।
ଉପରେ ଛାୟାମଣ୍ଡପ ସାତତାଳ ଉଚ୍ଚ
ନାନା ଝୀନବସ୍ତ୍ର ଶୋଭା ଅତ୍ୟନ୍ତ ସୁସଞ୍ଚ ।
ମୁକୁତାମାଳ ଲମ୍ୱଇ ହୋଇ ପନ୍ତି ପନ୍ତି
ପୋହଳା ପାନପତ୍ରି ଯେ ଶୋଭାପାନ୍ତି ଅତି ।
ବେଭାରେ କଂସ ଅଛଇ ଧନୁଯାତ୍ରା କରି
ବିଶ୍ୱକର୍ମା ଜାଣେ ଏଥେ ଆସିବେ ଶ୍ରୀହରି ।
ତେଣୁ ସଭା ଦିଶୁଅଛି ଅତ୍ୟନ୍ତ ସୁସଞ୍ଚ
ନାହିଁ ପଟାନ୍ତର ତାକୁ ସ୍ୱର୍ଗଆଦି ମଞ୍ଚ ।
ବାଳଲୀଳା ସ୍ୱରୂପରେ ଗୋପାଳନ୍ତ ଘେନି
ମଥୁରା ପହଣ୍ଡି ବିଜେ ରାମକୃଷ୍ଣ ବେନି ।
ବେଡ଼ିଣ ଚାହାନ୍ତି ଲୋକ ହୋଇଣ ଆନନ୍ଦ
ପୁତ୍ରକୁ ଆଗେ ଚଳାଇ ପଛେ ଚାଲେ ନନ୍ଦ ।
ଭୟ ପାଏ ନନ୍ଦ ମହାଉପଦ୍ରବ ଦେଖି
ମନେ ମନେ କରୁଥାଏ ଧର୍ମକୁ ସେ ସାକ୍ଷୀ ।
ମଥୁରା ବିଜେ ଗୋବିନ୍ଦ ପୃଥ୍ୱୀଦେବୀ ଶୋଭା
ଗୁଣ୍ଡିଚା ପହଣ୍ଡେ ବିଜେ ଜଗନ୍ନାଥ କିବା ।
ଶ୍ରୀପୟରେ ବିଜେ ସ୍ୱାମୀ ଅତିଅନ୍ତ ବେଗେ
ଧାତିକାରେ ପ୍ରବେଶିଲେ ସିଂହଦ୍ୱାର ଲାଗେ ।
ବେନି ପର୍ବତ ଏକତ୍ରେ ହେଲେ କିବା ଭେଟ
ଐରାବତ ମିଳିଲା କି ବିନ୍ଧ୍ୟାଦି ନିକଟ ।
ଦେଖିଣ ସୁନାସବୀର ଧୂଆଇଁଲା ହସ୍ତୀ
ରାମକୃଷ୍ଣଙ୍କର ଛାମୁରେ ମିଳିଲା ତଡ଼ତି ।
ଆରେ ଆରେ ଗଉଡ଼େ ରେ ଆଜ ଯିବ କାହିଁ
ବ୍ରହ୍ମା ଇନ୍ଦ୍ର ରୁଦ୍ର ହେଲେ ରଖନ୍ତା କେ ନାହିଁ ।
ଖଣ୍ଡ ଖଣ୍ଡ ଚିରାଇବି ହସ୍ତୀଥୋର ହସ୍ତେ
ଦେଖୁ ଦେଖୁ ଭିତରକୁ ପଶରେ କେମନ୍ତେ ।
ପ୍ରାଣେ ଆଶା ଥିଲେ ଫେର ରାଜାଙ୍କର ରାଣ
ଆଣ୍ଟପଣ କଲେ ନିଶ୍ଚେଁ ଯିବଟି ପରାଣ ।
ଏତେ ବୋଲି ହସ୍ତୀଟେକି ଧୀରେ ଧୀରେ ଚାଲି
ଧାଇଁ ହସ୍ତୀର ଦନ୍ତକୁ ଧରି ବନମାଳୀ ।
ଅଶେଷ ବଳବନ୍ତା ଯେ ଅଟନ୍ତି ଅଚ୍ୟୁତ
ଆଣ୍ଟେ ଜାକିଣ ଧରିଲେ ହସ୍ତୀ ଦୁଇଦନ୍ତ ।
ଗଳଗାଜି କୁବଳୟା ପଡ଼ିଲାକ ତଳେ
ବଳଦେବ ଧଇଲେକ ସୁନାସକୁ ବଳେ ।
ଚକ୍ରପ୍ରାୟ ଫିଙ୍ଗିଦ୍ୟନ୍ତେ ଉଡ଼ିଲା ଶୂନ୍ୟରେ
ଭ୍ରମି ଭ୍ରମି ପଡ଼ିଲା ସେ ସମୁଦ୍ର ମଧ୍ୟରେ ।
ତପତ ସିନ୍ଧୁରେ ପଡ଼ି ଝଡ଼ିଲା ତା ଅଙ୍ଗ
ହସ୍ତୀକୁ ନାତେ ପୁଣି ସେ ମାଇଲେ ଶ୍ରୀରଙ୍ଗ ।
କୁମ୍ଭସ୍ଥଳେ ନାତ ବାଜି ମୂର୍ଦ୍ଧାଗଲା ଫାଟି
ତତକ୍ଷଣେ କୁବଳୟା ପଡ଼େ ମହୀ ଲୋଟି ।
ଯାତ୍ରୀଲୋକେ ଦେଖିକରି ହେଲେ ଚମତ୍କାର
ଅଦ୍ଭୂତ ପୁରୁଷେ ତହୁଁ ହୋଇଲା ବାହାର ।
ସୁବର୍ଣ୍ଣ ବିମାନେ ବସି ଗଲା ଶୂନ୍ୟମାର୍ଗେ
ଦେଖୁ ଦେଖୁ ମିଳିଲାକ ଯାଇକରି ସ୍ୱର୍ଗେ ।
କୁବଳୟା ହତ ଦେଖି ସର୍ବ ଯୋଦ୍ଧାମାନେ
ଯେ ଯାହାରେ ପଳାଇଲେ ଅତି ଭୀତମନେ ।
ରଥ ତେଜି ରଥୀମାନେ ହେଲେ ପାଦଗାମୀ
ଗଜ ଛାଡ଼ିଣ ମାହୁନ୍ତେ ପଳାଇଲେ ଭୂମି ।
ରାମକୃଷ୍ଣ ଆସିବାର ପଡ଼ିଗଲା ହୁରି
ଅଚ୍ୟୁତ ଦାସକୁ ରଖ ଆହେ କଂସଅରି ।
କୁବଳୟା ଓ ସୁନାସର ପୂର୍ବଜନ୍ମ ବୃତ୍ତାନ୍ତ
[ସମ୍ପାଦନା]ଏହା ଶୁଣି ପରୀକ୍ଷିତ ନୃପତି ପୁଚ୍ଛଇ
ବଡ଼ ଅସମ୍ଭବ କଥା କହିଲ ଗୋସାଇଁ ।
କୁବଳୟା ଗଜ ହରି ହସ୍ତରେ ମରିଲା
କେବଣ ପୁରୁଷ ତହୁଁ ବାହାର ହୋଇଲା ।
ସମୁଦ୍ର ଭିତରେ ଯାଇ ସୁନାସ ପଡ଼ିଲା
ତପ୍ତଜଳ ଲାଗି ଅସ୍ଥି ଚର୍ମ ମିଳାଇଲା ।
ଏଥିର ତଦନ୍ତ ମୋତେ କହ ମହାଗୁରୁ
ଭାଗବତ ଶୁଣି ଭ୍ରାନ୍ତି ତୁଟିବ ମନରୁ ।
ରାଜା ବଚନ ଶୁଣିଣ କହନ୍ତି ଯେ ଶୁକ
ଏକମନେ ଶୁଣ ସୋମବଂଶର ତିଳକ ।
ମତ୍ସ୍ୟ ପୁରାଣରେ ଉକ୍ତ ଏ ପବିତ୍ର ବାଣୀ
ଶୁଣ ତୁମ୍ଭେ ସାବଧାନେ ନୃପ ଶିରୋମଣି ।
ବସୁ ବାସୁକୀର ଚୌରାଅଶୀ କୋଟି ଫଣା
ଫଣାକେ ବ୍ରହ୍ମାଣ୍ଡ ଭାରା ବହେ ଅକଳନା ।
ଏହିରୂପେ ବହିଯାଏ ଅବନୀର ଭାର
କଳ୍ପନାରୁ ଅଷ୍ଟପୁତ୍ର ହୋଇଲେ ବାହାର ।
ସାଧକ ଅନନ୍ତ ଆଉ କର୍କୋଟ ତକ୍ଷକ
ନୀଳ ମହାନୀଳ ଶଙ୍ଖ ଆବର ପଦ୍ମକ ।
ଅନନ୍ତ ବୋଲି କରିଣ ଯେଉଁ ପୁତ୍ରଗୋଟି
ସପ୍ତଦ୍ୱୀପ ସପ୍ତସିନ୍ଧୁ ବହିପାରେ ସେଟି ।
ପାତାଳ ବୈକୁଣ୍ଠେ ଅଟେ ତାର ବାସସ୍ଥାନ
ଗୋଲୋକ ପଦ୍ମ ନାମରେ ତା ବେନି ନନ୍ଦନ ।
ତାଙ୍କ ପୁରେ ଦିନେ ବିଜେ କପିଳା ମହର୍ଷି
ହସ୍ତେ ପଦ୍ମଦଣ୍ଡ ଶିରେ ଜଟା ଶୋଭା ଦିଶି ।
ଅଙ୍ଗରେ ହୋଇ ଅଛନ୍ତି ଭସ୍ମ ବିଲେପନ
ଅନଳ ପରାୟେ ଋଷି ଅତି ତେଜୀୟାନ ।
କର୍ଣ୍ଣରେ ତମ୍ୱା କୁଣ୍ଡଳ ରୁଦ୍ରାକ୍ଷ ତୁଳସୀ
ଏରୂପେ ମୁନି ମିଳିଲେ ହରିନାମ ଘୋଷି ।
ମୁନିଙ୍କୁ ଦେଖି କୁମରେ ଉପହାସ କଲେ
ଆସନ ପାଦାସନାଦି କିଛିହିଁ ନ ଦେଲେ ।
ବସ ବୋଲି ନ ବୋଇଲେ ମତ୍ତଗର୍ବ ବହି
ମୁନି ମହାକୋପ କଲେ ତାଙ୍କ ମୁଖ ଚାହିଁ ।
ସେ ମୁନି ସିଦ୍ଧପୁରୁଷ ମହାବ୍ରହ୍ମବେତ୍ତା
ଯୋଗବଳରେ ଜାଣନ୍ତି ତିନିପରୁ ବାର୍ତ୍ତା ।
ତାଙ୍କ ତୁଲ୍ୟ ଋଷି ଜଣେ ନାହିଁ ତିନିପୁରେ
ଉପହାସ କରିବାରୁ ସେ ବେନି କୁମରେ ।
କୋପଭର ହୋଇଲେକ ସେ କପିଳ ଯତି
ବୋଇଲେରେ ସୁତେ ତୁମ୍ଭେ ଅଟ ମନ୍ଦମତି ।
ମତ୍ତଗର୍ବ ବହି କଲ ଯେଣୁ ଉପହାସ
ସେଥିଯୋଗୁ ଯିବ ତୁମ୍ଭେ ସଂପୁଟରେ ନାଶ ।
ଗୁରୁ ପରେ ମହାଗୁରୁ ପରଂଗୁରୁ ଆମ୍ଭେ
ଜାଣୁ ଜାଣୁ ଜ୍ଞାନଧ୍ୱଂସ ହୋଇଲରେ ତୁମ୍ଭେ ।
ଜାଣି ଶୁଣି ତୁମ୍ଭେ ଯେଣୁ କଲ ଦୁଷ୍ଟବୁଦ୍ଧି
ଅସୁର ରୂପରେ ଜାତ ହୁଅରେ ଦୁର୍ବୁଦ୍ଧି ।
ଗଜବପଦନ ତୁମ୍ଭର ହେବରେ ପାମର
ମର୍ତ୍ତ୍ୟେ ଜାତ ହୁଅ ଗଜରୂପେ ଶତେବାର ।
ଶୁଣି ମହାଭୟ କଲେ ସେ ନାଗର ଶିଷ୍ୟ
ଶାପର କାରଣ କହ ଆହେ ମୁନିଈଶ ।
ମହତ ପୁରୁଷ ତୁମ୍ଭେ ପୃଥ୍ୱୀ ପ୍ରଳେକାରୀ
ଏ ତୁମ୍ଭ ଶାପ ସ୍ୱାମୀ କେ ଆନପାରେ କରି ।
ମୁନି ବୋଇଲେ ଯଦ୍ୟପି ମାଗିଲ କାରଣ
ଶାପ ପାର ଯିବ ଯେହ୍ନେ ଶୁଣ ସେ ବଚନ ।
ଦ୍ୱାପରେ କଂସ ନୃପତି ହେବ ରବିତଳେ
ତାର ପାଶେ ରହିଥିବ ତୁମ୍ଭେ ବେନି ବାଳେ ।
କୁବଳୟା ସୁନାସ ଏ ନାମ ଦୁଇ ବହି
ଅସୁରରୂପେ ରହିବ ଜାଣ ବେନି ଭାଇ ।
କଂସର ଦର୍ପକୁ ସହି ନ ପାରନ୍ତେ ପୃଥ୍ୱୀ
ମର୍ତ୍ତ୍ୟରେ ଜନମ ହେବେ ପ୍ରଭୁ ଜଗଜ୍ୟୋତି ।
ରାମକୃଷ୍ଣରୂପେ ଥିବେ ଗୋପ ଭୁବନରେ
କିଛିଦିନେ ମିଳିବେ ସେ ମଥୁରା ନଗରେ ।
ତାଙ୍କ କରେ ମରି ତୁମ୍ଭ ହେବ ମୋକ୍ଷପ୍ରାପ୍ତ
ଶାପକୁ କାରଣ ଏହା କହିଲୁ ତୁମ୍ଭନ୍ତ ।
ଏସନକ ଶାପଦେଇ ଚଳିଗଲେ ମୁନି
ଦୈତ୍ୟରୂପେ ଜନମିଲେ ସେ ଦିନୁ ବେନି ।
ରାମକୃଷ୍ଣ କରେ ଦୁହେଁ ହୋଇଲେ ବିନାଶ
ଅଭିଶାପ ପାର ଗଲା ଲଭି ସ୍ୱର୍ଗବାସ ।
ହରିବଂଶ ଚରିତ ଏ ଅତି ପୁଣ୍ୟଧ୍ୱନି ।
ତୁମ୍ଭ ଆଗେ କହିଲଇଁ ଯେ ତଥ୍ୟ ବଚନ
ଅଚ୍ୟୁତ ଦାସ ଭଜଇ ପ୍ରଭୁ ଭଗବାନ ।
ଚାଣୂର ମୁଷ୍ଟିକ ବଧ
[ସମ୍ପାଦନା]କହନ୍ତି ଯେ ଶୁକମୁନି ଶୁଣ ଦଣ୍ଡଧାରି
କବାଟ ଭାଙ୍ଗି ପଶିଲେ ତହୁଁ ରାମ ହରି ।
ଭାଙ୍ଗି ଦେବ ହାଟ ବାଟ ସବୁ କଲେ ଜୁର
ଦେଖିକରି ନଗ୍ରଲୋକେ ଭୟେ ଥରହର ।
ସିଂହନାଦ ଜିଣି ଚଳିଗଲେ ଗୋପୀନାଥ
ଶ୍ରୀହସ୍ତରେ ଶୋଭାବନ କୁବଳୟା ଦନ୍ତ ।
ନିର୍ମଳ ନୀଳେନ୍ଦ୍ରି ଦଳ ପରି ଶୋବା ଦିଶେ
ପ୍ରାତଃକାଳେ ଶୋଭେ ରବି ଯେସନେ ଆକାଶେ ।
ସମ୍ପୂର୍ଣ୍ଣ ଚନ୍ଦ୍ରମା ପରି ଦିଶେ ମୁଖଗୋଟି
କପାଳେ ଚନ୍ଦନ ବିନ୍ଦୁମାନ ପରକଟି ।
କୁବୁଜା ଚନ୍ଦନ ଅଙ୍ଗେ ହୋଇଛନ୍ତି ଲେପି
ତଥିପରେ ପଡ଼ିଅଛି ରକ୍ତ ଟୋପି ଟୋପି ।
ବିସ୍ତାର ବକ୍ଷସ୍ଥଳ ଯେ ଦିଶେ ଅତି ଶୋଭା
ଯେସନେ ମାଣିକ୍ୟ ହୀରା ମାରାଗର ଆଭା ।
ମସ୍ତକ ଶୋଭାବନ ଯେ ବର୍ହିପୁଚ୍ଛ ଚୂଳ
ତେହ୍ନେ ଶୋଭା ଦେଖାଯାନ୍ତି ଦେବ କାମପାଳ ।
ଗଣ୍ଡସ୍ଥଳେ ଲୁଳେ ସ୍ୱର୍ଣ୍ଣ କୁଣ୍ଡଳ ଯେ ବେନି
ଗୁରୁ ଶୁକ୍ର ବିଜେ କିବା ତାରାଗଣ ଘେନି ।
ଦେବତା ପରାୟେ ରାମ କୃଷ୍ଣ ବେନି ଦିଶି
ଅନ୍ଧକ ବିବାଦେ ଯେହ୍ନେ ଦେଖାଯାନ୍ତି କାଶୀ ।
ସେ ଦେବ ସ୍ୱରୂପ କେବା ବର୍ଣ୍ଣିବ ବଦନେ
କବାଟ ଭାଙ୍ଗି ଭିତରେ ପଶିଲେ ତକ୍ଷଣେ ।
ତ୍ରିଶୂଳ କାଠ କିଳଣୀ ଆଦି ଲୌହଦଣ୍ଡ
ବଳରାମ ପାଦ ଲାଗି ହେଲା ଖଣ୍ଡ ଖଣ୍ଡ ।
କୋଟି ସିଂହ ପରାକ୍ରମ ଯାହାଙ୍କର ବଳ
ଯେ ଦେବ ପାଦରେ ଚୂର୍ଣ୍ଣ ହୁଅଇ ଅଚଳ ।
କବାଟ ଭାଙ୍ଗନ୍ତେ ଶବ୍ଦ ଶୁଭଇ ପ୍ରଚଣ୍ଡ
ଶୁଣିକରି ନରନାରୀ ଭୟେ ଲଣ୍ଡଭଣ୍ଡ ।
ଅଇଲେ ଅଇଲେ ବୋଲି ଚହଳ ପଡ଼ିଲା
ମୁଦୁସୁଲୀ ଆଗେ ଚାର ବାର୍ତ୍ତା ଜଣାଇଲା ।
ରାଜାଙ୍କୁ ଜଣାଅ ଶତ୍ରୁ ଭିତରେ ପଶିଲେ
କୁବଳୟା ସୁନାସ ଯେ ଯମପୁରେ ଗଲେ ।
ବଳରାମ ସୁନାସଙ୍କୁ ଧରି ଫିଙ୍ଗିଦେଲା
କେଣେ ସେ ପଡ଼ିଲେ କେହି ଜାଣି ନ ପାରିଲା ।
କବାଟ ଭାଙ୍ଗି ଭିତରେ ଆସୁଛନ୍ତି ପଶି
ରହ ରହ ବୋଲି କେହି ନ କହେ ଭରସି ।
ଶୁଣିକରି ମୁଦୁସୁଲୀ ତରତରେ ଗଲା
ରାଜାର ଛାମୁରେ ଯାଇ ବାର୍ତ୍ତା ଜଣାଇଲା ।
ଡଗରା ମୁଖରୁ ଯାହା ଶୁଣିଲା ପ୍ରମାଣି
ରାଜ୍ୟର ବାରତା ଯାଇ ରାଜା ଆଗେ ଭଣି ।
ସକଳ ବୃତ୍ତାନ୍ତ ଜଣାନ୍ତେଣ ରାଜା ଆଗେ
ଶୁଣି ସେ ବିଷାଦ ପାଇ ଚାହେଁ ଶୂନ୍ୟମାର୍ଗେ ।
ମାତା ଇନ୍ଦୁମତୀକି ସେ ସନ୍ନିଧେ ହକାରି
ବିକଳରେ ବୋଲେ ରାଜା ନମସ୍କାର କରି ।
ତୁ ମୋହର ଜନନୀ ଲୋ କଲୁ ମୋତେ ଜାତ
ତୁହି ମୋ ପରମଗୁରୁ ଅଟୁ ବୃଦ୍ଧମାତ ।
ମାଗୋ ମୁଁ ତୋ ପୁତ୍ର ହୋଇ କଲି ଏଡ଼େ ଯଶ
ମଥୁରାକୁ କଲି ସ୍ୱର୍ଗଭୁବନ ସଦୃଶ ।
ସ୍ୱର୍ଗ ମଞ୍ଚ ପାତାଳ ମୁଁ ଜିଣିଲଇ ବଳେ
କର୍ମ ଅବଳକୁ ଏବେ ଦେଖ ଗୋ ଭବିଷ୍ୟ
ବିକ୍ରମ ସିଂହକୁ ଶଶା କରୁଅଛି ନାଶ ।
ତାଙ୍କ ଯୋଗୁଁ ମୋତେ ଆସି ପଡ଼ିଲା ବିପତ୍ତି ।
କାହାକୁ କହିବି ଏହା ମୋ ଅର୍ଜିତ କର୍ମ
କପାଳରେ ଲେଖିଥିବ ଯାହା ମୋର ଧର୍ମ ।
ନ ଜାଣି ଭଣଜାମାନ କରିଲି ବିନାଶ
ସପତାଙ୍ଗେ ପାପ ମୋତେ ଲାଗିଲା ଅବଶ୍ୟ ।
କେଣେଗଲା ବୃଦ୍ଧିବଳ ହେଲି କାଠପରି
ଜଣାଯାଏ ହୁଦୁଁ ପ୍ରାଣ ଯିବ ମୋ ବାହାରି ।
ଏତେ ବୋଲି ଅଙ୍ଗବଳେ ହକାରିଣ ପାଶ
ବୋଲେ ଦୁର୍ଭାଗ୍ୟ ବଳରୁ ଗଲି ଏବେନାଶ ।
ତୁମ୍ଭେ ସମସ୍ତେ ଏବେ ତ ଯେ ଯାହାରେ ଯାଅ
ମୋହର ନିକଟେ ଆଉ ଜଣେ କେ ନ ଥାଅ ।
ସମସ୍ତେ ମିଳିଣ ମୋତେ ବିପଦୁଁ ଉଦ୍ଧାର
ହରି ବଳରାମ ମାରି କଷ୍ଟୁ ପାରିକର ।
ଏତେ ବୋଲିଣ ନିଃଶ୍ୱାସ ଛାଡ଼େ ମହାରାଜା
ମହାଭୟ ଚିତ୍ତେ ହେଲା ଛନ୍ନଛନ୍ନ ମଜ୍ଜା ।
କାହାକୁ କିଛି ନ କହି ଶୁଏ ମୁହିଁ ମାଡ଼ି
ସେଠାରୁ ସକଳ ଲୋକ ଅଇଲେ ବାହୁଡ଼ି ।
ଜରାସନ୍ଧର ଦୁହିତା ହେତୀ ଯେ ପ୍ରହେତୀ
ହା ନାଥ ହା ନାଥ କହି ଭୂତଳେ ଲୋଟନ୍ତି ।
ମାତା ଇନ୍ଦୁମତୀ ଆଉ ପରିବାରୀ ଯେତେ
ଯେ ଯାହାରେ ରାଜାପାଶୁ ଅଇଲେ ସମସ୍ତେ ।
ଏକାନ୍ତରେ ରହେ ଜଗତୀ ଉପରେ
ନୟନରୁ ଅଶ୍ରୁଜଳ ବହେ ଶୋକଭରେ ।
କ୍ରୋଟରାଗ୍ନି ପ୍ରାୟ ଚିତ୍ତେ ଦହେ ଅନ୍ତରାଳ
କ୍ଷଣ କ୍ଷଣକେ ମୂର୍ଚ୍ଛିତ ଇନ୍ଦୁମତୀ ବାଳ ।
ଏଥୁ ଅନନ୍ତରେ କାହ୍ନୁ ସଂକର୍ଷଣ ବେନି
ଅବନୀରେ ଗମନ୍ତି ସେ ଗୋପାଳଙ୍କୁ ଘେନି ।
କଂସ କଟକରେ ଯେତେ ଥିଲେ ଶସ୍ତ୍ରଧାରୀ
ଶସ୍ତ୍ରାନ୍ତ ପକାଇ ଦେଇ ହୋଇଲେ ଉଭାରି ।
ଏକଦୃଷ୍ଟି କରି ସର୍ବେ ଦେଖନ୍ତି କୌତୁକ
ଦେବଲୋକ ସିଦ୍ଧ ଋଷି ମହର୍ଷି ଯେତେକ ।
ମଝିଦ୍ୱାରେ ମିଳିଲେକ ଯାଇ ବ୍ରହ୍ମରାଶି
ଚାଣୁର ମୁଷ୍ଟିକ ଦୁହେଁ ଦ୍ୱାର ମାଡ଼ିବସି ।
ମେଘନାଦ ପାଚେରୀ ଯେ ସାତତାଳ ଉଚ୍ଚ
ଶତେ ବଖରା ଉପରେ ଅଟ୍ଟାଳିକା ସଞ୍ଚ ।
ଯାଦବେ ଚାରିପାଶରେ ଛନ୍ତି ଘର ତୋଳି
ମୁଗୁନି ପାଷାଣ ପୀଢ଼ ଶଙ୍ଖ ଚୂନେ ଝଳି ।
ଅନେକ ମାଲମାନଙ୍କୁ ଘେନି ସଙ୍ଗତରେ
ଦ୍ୱାର ମାଡ଼ି ବସିଛନ୍ତି ସେହି ବେନି ବୀରେ ।
ସର୍ବାଙ୍ଗେ ଘଷିଅଛନ୍ତି ସେହୁ ରଙ୍ଗମାଟି
ପୃଥୁଳ କଳେବର ଯେ ନୟନ ତରାଟି ।
ଅଷ୍ଟମଲ୍ଲଙ୍କ ଉପରେ ସେ ତ ଅଗ୍ରଲେଖା
ତ୍ରିଭୁବନ ମଧ୍ୟରେ ଯେ କାରେ ନାହିଁ ଶଙ୍କା ।
ଅଙ୍ଗଭରା ଦେଇ ଦ୍ୱାର ଅଛନ୍ତି ଆବୋରି
ବାହାସ୍ଫୋଟ ମାରନ୍ତି ସେ ନିଶ ମୋଡ଼ିକରି ।
ରାଜାର ପରମ ମିତ୍ର ପାଶେ ସଦା ଥାନ୍ତି
ଏକାଳେ ପ୍ରବେଶ ହେଲେ ରାମ ଶିରୀପତି ।
ଦେଖିକରି ଚାଣୁର ଯେ ରହ ରହ ବୋଲି
କାହିଁକି ଗଉଡ଼େ ତୁମ୍ଭେ ଆସୁଅଛ ପେଲି ।
କିରେ କଂସ ପରାକ୍ରମ ଶୁଣିଲ କି ନାହିଁ
ଜଣେ ଏଥୁ ପ୍ରାଣ ଘେନି ଯିବ କିରେ କେହି ।
ସମସ୍ତ ମାଇଲା ପରି ମଣ କି ରେ ବାଇ
ଜାଣୁ ଜାଣୁ ସ୍ୱହସ୍ତରେ ଲୋଡ଼ ବିଷ ଖାଇ ।
ରାଜା ଦୋରେହା ହୋଇଣ କେତେକାଳ ଥିବ
ଜଣକର ଦୋଷ ପାଇଁ ସର୍ବେ ନାଶଯିବ ।
ଏତେ ବୋଲିଣ ଚାଣୁର ମୁଷ୍ଟିକ ଏ ବୀର
ମାଡ଼ି ପଡ଼ିଲେ ସେ ରାମ କୃଷ୍ଣଙ୍କ ଉପର ।
ଅନଳକୁ ଦେଖି ଯେହ୍ନେ ପତଙ୍ଗ ଧାମଇଁ
ମାଡ଼ି ପଡ଼ିଲେ ସେ ସେହିମତି ବେନି ଯାଇ ।
ପ୍ରଳୟ କାଳରେ ଯେହ୍ନେ ମେଘ ଗଳଗାଛି
ମେରୁ ମନ୍ଦର କି ଅବା ପଡ଼ୁଅଛି ଭାଜି ।
ଆକାଶ ମଣ୍ଡଳେ ଶିର ଲାଗୁଅଛି ଯାଇ
ରେରେକାର କରି ବୀରେ ଅଇଲେକ ଧାଇଁ ।
ଦେଖିକରି ସୁରଗଣେ ଭୟେ ପଳାଇଲେ
ଶ୍ରୀହରି ବଳରାମଙ୍କୁ ଚାହିଁଣ ବୋଇଲେ ।
ଦେଖ ଦୈତ୍ୟ କାମରୂପୀ ବିସ୍ତାରନ୍ତି ମାୟା
ବଡ଼ ଦୁଷ୍ଟ ଦାନବେ ଏ ଧରି ନାନ କାୟା ।
ନ ମାଇଲେ ୟାଙ୍କୁ ପୃଥ୍ୱୀଭାର ନୋହେ କ୍ଷୟେ
ଏହାଙ୍କୁ ମାଇଲେ ସୁସ୍ଥ ହେବେ ସୁରଚୟେ ।
ସାମାନ୍ୟ ଶତ୍ରୁ ବୋଲିଣ ଏହାଙ୍କୁ ନ ମଣ
ଶୁଣି କୋପଭରେ ହେଲେ ପ୍ରଭୁ ସଂକର୍ଷଣ ।
କୃଷ୍ଣଙ୍କୁ ବୋଇଲେ ରାମ ଚାଣୁର ତୁ ମାର
ଆମ୍ଭର ଭାଗେ ରହିଲା ମୁଷ୍ଟିକ ପାମର ।
ଏତେ ବୋଲି ବଳରାମ ଧାଇଁଲେକ ବେଗେ
ତ୍ୱରିତେ ମିଳିଲେ ଯାଇ ମୁଷ୍ଟିକର ଆଗେ ।
ଆକାଶମାର୍ଗକୁ ଘୋଟିଅଛି ମହାବଳୀ
ଆପଣେ ଯେ କାମରୂପୀ ହେଲେ ଦେବ ହଳୀ ।
ପ୍ରଜ୍ଜ୍ୱଳିତ ଅଗ୍ନି ପ୍ରାୟ ଦିଶଇ ନୟନ
ଚାହୁଁ ଚାହୁଁ ବିଶ୍ୱମୂର୍ତ୍ତି ହେଲେ ସଂକର୍ଷଣ ।
ମସ୍ତକରେ ସପ୍ତଫେଣୀ ଦିଶେ ଭୟଙ୍କର
କଟୀତଟେ ନୀଳବାସ ଅତ୍ୟନ୍ତ ସୁନ୍ଦର ।
ଦକ୍ଷିଣରେ ସଉନନ୍ଦ ବାମରେ ମୂଷଳ
ମହାବିଶ୍ୱରୂପ ହେଲେ ପ୍ରଭୁ କାମପାଳ ।
ନିଃଶ୍ୱାସ ବହଇ ତାଙ୍କ ଅଣଚାଶ ଜାଣି
ଅନନ୍ତ କୋଟି ବ୍ରହ୍ମାଣ୍ଡେ ତେଜ ଲାଗେ ପୁଣି ।
ନାଗଙ୍କ ମୁଖରୁ ବିଷ ବହେ ଅନ୍ତରାଳ
ଫୁଫୁକାର ଗରଜନେ କମ୍ପେ ଭୂମଣ୍ଡଳ ।
ଧବଳ ବର୍ଣ୍ଣ ସୁଚାରୁ ଅତି ଶୁଦ୍ଧ ତନୁ
କି ଅବା ଏକତ୍ର ହେଲେ ମଞ୍ଚେ କୋଟିଭାନୁ ।
ଏସନକ ସ୍ୱରୂପକୁ ଧରି କାମପାଳ
ମୁଷ୍ଟିକ ଉପରେ ମାଡ଼ି ପଡ଼ିଲେ ତତ୍କାଳ ।
ଦେଖିକରି ମୁଷ୍ଟିକ ଯେ ମନେ କଲା ଭ୍ରାନ୍ତି
ବୋଲେ ସପତାଙ୍ଗେ ନାଶ ଗଲି ମୁଁ ଏ ଘାନ୍ତି ।
ଏହାର ମୁଖୁଁ ଉବୁରି ଯିବଇଁ କେମନ୍ତେ
ପ୍ରାଣ ଘେନି ଯିବା ପରି ଦିଶୁନାହିଁ ମୋତେ ।
କୁବଳୟା ମଲାବେଳେ ପଳାଇ ମୁଁ ଥିଲେ
ପ୍ରାଣ ଘେନି ରହିଥାନ୍ତି ଦିନାକେତେ ଭଲେ ।
ଏସନକ ବିଚାର ସେ କରେ ମହାବଳୀ
ଦେଖି କାମପାଳ ହେଲେ କୋପେ ଅନ୍ତରାଳି ।
ବୁଲାଇ ବୁଲାଇ ନେଇ ପିଟନ୍ତେ ଲଙ୍ଗଳ
ହୃଦୟରେ ମହାଭୟ କଲା ମହାବଳ ।
ମୁଷ୍ଟିକର ମାଥେ ମହାଲଙ୍ଗଳ ଯେ ବାଜି
ପର୍ବତ ଭାଙ୍ଗିଲା ପ୍ରାୟ ପଡ଼େ ଗଳଗାଜି ।
ଗିରିବର ସମାନରେ ଦିଶେ ତାର ତନୁ
ଦେଖିଣ ଅନନ୍ଦ ହେଲେ ବିବୁଧାଦି ମନୁ ।
ସକଳ ଦେବତା ଘେନି ଆସେ ପରମେଷ୍ଟି
ଅର୍ଦ୍ଧ ଆକାଶେ ଥାଇଣ କଲେ ପୁଷ୍ଟବୃଷ୍ଟି ।
ଅପୂର୍ବ ପରାୟ କରି ଦେଖନ୍ତି ସମସ୍ତେ
ଶ୍ରୀହରି ମିଳିଲେ ତେଣେ ଚାଣୁର ଅଗ୍ରତେ ।
ମହାଗର୍ବ ବହିଛି ସେ ରାଜା ଆଜ୍ଞା ପାଇ
ରେରେକାର କରି ବୀର ଉଠିଲା ତୁହାଇ ।
ପ୍ରଚଣ୍ଡ ବାତେ ଯେସନେ ଗିରି ଯାଏ ଉଡ଼ି
ସେରୂପେ ଶ୍ରୀକୃଷ୍ଣ ପରେ ଚାଣୁର ଯେ ପଡ଼ି ।
ଦେଖି ଦେଖଣାହାରୀଏ ହାହାକାର କଲେ
ଶ୍ରୀକୃଷ୍ଣ ବିଶ୍ୱମୂରତି ତକ୍ଷଣେ ଧଇଲେ ।
ଜାଳନ୍ଧର ବିଦ୍ୟା ତହିଁ କାଢ଼ିଲେ ଶ୍ରୀବତ୍ସି
ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ କାୟା ପୂରିଅଛି ।
ସହସ୍ର ବାବୁ ସହସ୍ର ଚରଣ ମସ୍ତକ
ଦେଖିକରି ଜୟ ଜୟ କଲେ ଦେବଲୋକ ।
ଧ୍ରୁବମଣ୍ଡଳ ପର୍ଯ୍ୟନ୍ତେ ଲାଗିଅଛି କାୟ
ଜଳେସ୍ଥଳେ ପୂରିଛନ୍ତି ପ୍ରଭୁ ଦେବରାୟ ।
କର୍ଣ୍ଣେ ମର୍କତ କୁଣ୍ଡଳ ପୀତାମ୍ୱରଧାରୀ
କରରେ ସେ ନାନା ଶସ୍ତ୍ରମାନ ଛନ୍ତି ଧରି ।
ଏସନକ ମୂରତିକୁ ଦେଖି ସୁର ମୁନି
ବ୍ରହ୍ମା ଆଦି ସହିତରେ କଲେ ବେଦଧ୍ୱନି ।
ଗନ୍ଧର୍ବଗଣ ସହିତେ ବିଦ୍ୟାଧରୀ ବୃନ୍ଦ
କରନ୍ତି ନୃତ୍ୟଗୀତ ସେ ହୋଇଣ ଆନନ୍ଦ ।
ବୃହସ୍ପତି ବୋଇଲେକ ଇନ୍ଦ୍ରମୁଖ ଚାହିଁ
ଶୁଣ ତୁମ୍ଭେ ସାବଧାନେ ଶଚୀଦେବୀ ସାଇଁ ।
ବିଷ୍ଣୁମୂରତି ଧରିଣ ଛନ୍ତି ଭଗବାନ
ନିକଟ ହୋଇଲା ଆସି କଂସର ମରଣ ।
ମୁଷ୍ଟିକକୁ ବଳରାମ କରିଲେ ବିନାଶ
ଶ୍ରୀହରି କରେ ଚାଣୁର ଯିବ ଏବେ ନାଶ ।
ଶୁଣିକରି ଶଚୀପତି ହେଲେ ଆନନ୍ଦିତ
ଅଧାସ୍ୱର୍ଗେ ଥାଇକରି ଦେଖନ୍ତି ସମସ୍ତ ।
ସିଂହକୁ ଦେଖିଣ ଯେହ୍ନେ ମତ୍ତଗଜ ହୁଏ
ବୈନତେୟ ଦେଖି ଯେହ୍ନେ କମ୍ପେ ନାଗରାୟେ ।
ବଜ୍ରଦେଖି ବଳୀଦେହ ଯେସନେ କମ୍ପଇ
ଅରୁଣ ଉଦୟେ ଯେହ୍ନେ ତିମିର ତୁଟଇ ।
ତେସନ ରୂପେ କୃଷ୍ଣଙ୍କ ବିଶ୍ୱମୂର୍ତ୍ତି ଦେଖି
ଭୟ ପାଇଣ ଚାଣୁର ବୁଜେ ବେନି ଆଖି ।
ନିମିଷକେ ଲଘିଂପାରେ ଯେହୁ ଦେବାସୁର
ବିଷ୍ଣୁଙ୍କ ସ୍ୱରୂପ ଦେଖି ହୋଇଲା କାତର ।
ମନେ ଭାଳେ କଂସ ଲାଗି ଗଲା ମୋ ଜୀବନ
ଏହା ଛାମୁରୁ ଯିବାକୁ କେ ହେବ ଭାଜନ ।
କରିବଇଁ ସଂଗ୍ରାମକୁ ନୃପତିର ପାଇଁ
ମୃତ୍ୟୁକାଳେ ନିଦ୍ରାଗଲେ ଯମ କି ଛାଡ଼ଇ ।
ଏତେ ଭାଳି ଚାଣୁର ସେ ଗଳଗାଜି ଉଠି
ଗୋବିନ୍ଦଙ୍କ ପାପପଦ୍ମ ଧରିଲା ସାଉଁଟି ।
ବେନି ଅର୍ବୁଦ ସଇନ୍ୟ ସଙ୍ଗେ ତାର ଥିଲେ
ଯେ ଯାହାର ଅନୁରୂପେ ଚରଣ ଧରିଲେ ।
ଗୁଡ଼କୁ ଦେଖି ଯେସନେ ପିମ୍ପୁଡ଼ି ବେଢ଼ନ୍ତି
ପଦ୍ମପାଦେ ମଲ୍ଲମାନେ ତେସନେ ଦିଶନ୍ତି ।
ଯେ ଦେବ ଅଟନ୍ତି ତିନିଭୁବନର ପତି
ଜୋକପରି ଲାଗିଥିଲେ ସେ ମଲ୍ଲ ସବୁନ୍ତି ।
ଶ୍ରୀଚରଣ ସିଞ୍ଚାଡ଼ନ୍ତେ ରୋମ ଟାଙ୍କୁରାଇ
ଗଗନେ ଉଡ଼ିଲେ ସର୍ବେ ପକ୍ଷୀପ୍ରାୟ ହୋଇ ।
କଟ ସଲ ତୋଷଲାଦି ଯେତେ ମହାମଲ୍ଲ
ଶ୍ରୀହରିଙ୍କ ନିକଟରେ ଜାଣି ଛେଳିପଲ ।
ବେନି ଅର୍ବୁଦ ମଲ୍ଲ ଯେ ଚାଣୁର ସହିତେ
ଶିମିଳା ତୂଳା ପରାୟେ ଉଡ଼ିଲେ ସମସ୍ତେ ।
କିଏ କେଉଁଠାରେ ପଡ଼ି ଜୀବନ ତେଜିଲା
ଏକଜଣ ତହିଁରୁ ଯେ ଉବୁରି ନ ଗଲା ।
ସେ ବିଶ୍ୱମୂରତି ଧରି ଶ୍ରୀରଙ୍ଗାଚରଣ
ଅଚ୍ୟୁତ ଦାସ ଭାଳଇ ବସି ରାତିଦିନ ।
କଂସ ବଧ
[ସମ୍ପାଦନା]ଏଥୁ ଅନ୍ତେ ପରୀକ୍ଷିତ ନାମେ ମହାରାଜା
ଶୁକମୁନି ଚରଣରେ କରି ଦିବ୍ୟ ପୂଜା ।
ବୋଇଲେ ହୋ ମୁନି ମୋତେ କହ ତଥ୍ୟ କରି
ତଦନ୍ତେ କିସ କରିଲେ ରାମ ଦଇତ୍ୟାରି ।
ରାଜା ମୁଖରୁ ଏସନ ଶୁଣି ତପିବର
ବୋଲନ୍ତି ସାବଧାନେ ହୋ ଶୁଣ ଦଣ୍ଡଧର ।
ଚାଣୁର ମୁଷ୍ଟିକ ବୀର ଅଖଡ଼େ ମରିଲେ
ବେନି ଅରବୁଦ ମାଲ କେଣେ ଉଡ଼ିଗଲେ ।
ଦେଖିକରି ଗୋପସୁତେ ହୁଅନ୍ତି ଆଶ୍ଚର୍ଯ୍ୟ
ବୃହସ୍ପତି ବୋଇଲେକ ଶୁଣ ଦେବରାଜ ।
ମୁଷ୍ଟିକ ବଳରାମଙ୍କ ହସ୍ତେ ନାଶଗଲା
ଶ୍ରୀହରି କରେ ଚାଣୁର ଜୀବନ ତେଜିଲା ।
ମଲ୍ଲଗଣେ ଅନ୍ତରୀକ୍ଷେ ଗଲେ ପୁଣି ଉଡ଼ି
ଜୀବନ ତେଜିଲେ କିଏ କେଉଁଠାରେ ପଡ଼ି ।
ଏହିକ୍ଷଣି କଂସକୁ ଯେ ମାରିବେ ଶ୍ରୀହରି
ତାହାଲାଗି ବିଶ୍ୱରୂପ ଧରିଛନ୍ତି ହରି ।
ଏସନକ ବିଚାରନ୍ତି ଇନ୍ଦ୍ର ବୃହସ୍ପତି
ତକ୍ଷଣେ ମିଳିଲେ ହରି କଂସରାଜା କତି ।
ନାଗଲୋକଠାରୁ ପୁଣି ବ୍ରହ୍ମଲୋକ ଯାଏ
ଜଳସ୍ଥଳ ଅନଳରେ ଘୋଟିଅଛି କାୟେ ।
କଂସ ରାଜାର ଜଗତି ଶତେ ତାଳ ଉଚ୍ଚ
ସ୍ୱର୍ଗୁ ଅଧିକ ସୁନ୍ଦର ଅଟଇ ସୁସଞ୍ଚ ।
କୃଷ୍ଣଙ୍କୁ ଭୟ କରିଣ ବୀର ଚୂଡ଼ାମଣି
ମୁଖମାଡ଼ି ଶୋଇଅଛି ପଲ୍ୟଙ୍କରେ ପୁଣି ।
ଏକାନ୍ତ ଗଭୀର ତହିଁ କେହି ଜଣେ ନାହିଁ
ମୁହଁମାଡ଼ି ଶୋଇଅଛି କାଷ୍ଠପରି ହୋଇ ।
ଚାଣୁର ମୁଷ୍ଟିକ ମଲେ ନ ଜାଣେ ସେ କିଛି
ଅନ୍ତରେ ଶ୍ରୀକୃଷ୍ଣ କଥା ଭାବାନା କରୁଛି ।
ଯେଉଁ ବୀର ତ୍ରିଭୁବନ କରିଥିଲା ଜୟ
ବୁଦ୍ଧିବଳ କେଣେ ଗଲା ହେଲା ମଲାପ୍ରାୟ ।
ଅନନ୍ତ ମାୟାଧର ଯେ ବିଶ୍ୱରୂପ ଧରି
ଧାଇଁ ପଡ଼ିଲେକ ଯାଇ କଂସର ଉପରି ।
ଆକ୍ରୋଶି ଧଇଲେ ଦେବ କଂସରାଜା କେଶ
ନିଶ୍ଚେନ୍ତେ ଶୋଇଛି ବୀର ହୋଇ ଜ୍ଞାନଧ୍ୱଂସ ।
ପ୍ରାଣୀକି ଯେତେବେଳରେ ଆକର୍ଷଇ କାଳ
ବୁଦ୍ଧି ବିଦ୍ୟା କେଣେଯାଏ ହୁଏ ସେ ଦୁର୍ବଳ ।
କାଳନିଦ୍ରା ଆସି ଯେଣୁ ତାହାକୁ ଘାରୁଛି
ତେଣୁ କିଛି କଥା ସେହୁ ଜାଣି ନ ପାରୁଛି ।
ଯେଉଁ ବୀର ବାହୁବଳେ ପୃଥ୍ୱୀ ସାଧିଥିଲା
କାଳ କବଳରେ ପଡ଼ି ଏ ରୂପ ହୋଇଲା ।
ଯା ନାମ ଶୁଣି ଦେବତା ବାଟ ଛାଡ଼ୁଥିଲେ
ଶତ୍ରୁ ଶଙ୍କା କରେ ଯାର ମୂରତି ଦେଖିଲେ ।
ଦେଖ ସେ କାଳକବଳେ ପଡ଼ି ହେଲା ଜଡ଼
କାଳଠାରୁ ଜଗତରେ ନାହିଁ କେହି ବଡ଼ ।
ପବନ ବିଘାତେ ତାକୁ ଅନ୍ତରୀକ୍ଷେ ନେଲେ
କର୍ଣ୍ଣାଞ୍ଚଳ ପରବତେ ନେଇ କଚାଡ଼ିଲେ ।
ଅଶୀ ଯୋଜନ ଉତ୍ସର୍ଗ ଅଟଇ ସେ ଗିରି
କଂସକୁ ପିଟିଲେ ତହିଁ ନେଇ ଦଇତ୍ୟାରି ।
ଶତେ ଯୋଜନ ଯାଏ ସେ ତଳକୁ ବସିଲା
ପ୍ରଳୟ ଘୋର ଗର୍ଜ୍ଜନ ଛାଡ଼ି କଂସ ମଲା ।
ଅନ୍ତରୀକ୍ଷେ ଥାଇ ଦେଖୁଛନ୍ତି ଦେବତାଏ
ତା ମୃତପିଣ୍ଡ ଉଡ଼ାଇ ଆଣି ଦେବରାୟେ ।
ନିମିଷକେ ପକାଇଲେ ଜଗତୀର ତଳ
ଦେଖି ଚକିତ ହୋଇଲେ ସୁରସିଦ୍ଧ କୁଳ ।
ଦେବତାଙ୍କୁ ଦେଖାଯାନ୍ତି ପ୍ରଭୁ ବିଶ୍ୱରୂପ
ମଞ୍ଚଲୋକଙ୍କୁ ଦିଶନ୍ତି ବାଳକ ସ୍ୱରୂପ ।
ଚମତ୍କାର ମାରେଣି ଯେ ମାଇଲେ ମୁରାରି
ମଥୁରା ନଗରେ ପଡ଼ିଗଲା ହାଲହୁରି ।
ଉତ୍ତାନଶାୟୀ ହୋଇଣ ପଡ଼ିଅଛି କଂସ
କଂସ ମରିବାରୁ ପୃଥ୍ୱୀ ହୋଇଲା ଉଶ୍ୱାସ ।
ଦେଖିକରି ଦେବତାଏ କଲେ ସ୍ତୁତିପାଠ
ଆନନ୍ଦରେ ବିଦ୍ୟାଧରୀମାନେ କଲେ ନାଟ ।
ଜୟ ଜୟ କହି ଦେବ ଗଲେ ଯେଝାପୁରେ
ଲୋକେ ଜଣାଇଲେ ବାର୍ତ୍ତା ଯାଇ ଅନ୍ତଃପୁରେ ।
ଶୁଣି ଇନ୍ଦୁମତୀ ରାଣୀ କଲା ବହୁ ଶୋକ
ଉଗ୍ରସେନ ନୟନରୁ ବହଇ ଲୋତକ ।
ଆହାରେ ପୁତ୍ର ମୋହର ବୀର ଚୂଡ଼ାମଣି
ଦେବତାଙ୍କୁ ଖଟାଇଲୁ ପାଦତଳେ ଆଣି ।
ସସାଗରା ପୃଥିବୀରେ ହେଲୁ ଚକ୍ରବର୍ତ୍ତୀ
ତୋ ଯୋଗୁ ଭୋଗ କରିଲୁ ଅମର ବିଭୂତି ।
ଯା ନାମ ଶୁଣିଲେ ସୁରାସୁର ଭୟକରି
ଅଖଡ଼ରେ ମଲୁ ବାବୁ ହୋଇ କୃଷ୍ଣବୈରୀ ।
ଜାଣି ନ ପାରିଲୁ ବାବୁ ଦେବତାଙ୍କ ଛନ୍ଦ
ତୋରଯୋଗୁ ଜାତହେଲେ ମର୍ତ୍ତ୍ୟରେ ଗୋବିନ୍ଦ ।
ଭଣଜା ହାତରେ ତୋର ମୃତ୍ୟୁ ଲେଖାଥିଲା
ଦଇବର ଗାର ଅନ୍ୟ କେ କରିବ ଭଲା ।
କାହାରି କଥାକୁ ବାପ ନ ମାନିଲୁ ଢାଳେ
ଏତେବୋଲି ପିତାମାତା ରୋଦନ୍ତି ବିକଳେ ।
ସ୍ୱାମୀ ଗୁଣମାନ ଗୁଣି କରନ୍ତି ରୋଦନ
କ୍ରନ୍ଦନ ଧ୍ୱନିରେ ପୂର୍ଣ୍ଣ ହେଲା ସେ ଭୁବନ ।
ଦାସୀ ପରିବାରୀ ମିଳି ଶୋକ ଶାନ୍ତି କଲେ
କଂସ ମୃତଶବ ନେଇ ଶ୍ମଶାନେ ଦହିଲେ ।
କୃଷ୍ଣକରେ ମରି କଂସ ହେଲା ମୋକ୍ଷପ୍ରାପ୍ତ ।
ରାମକୃଷ୍ଣ ସଙ୍ଗେ ବାଳ ଗୋପାଳ ଯେ ଥିଲେ
କଂସ ମୃତ୍ୟୁ ଦେଖି କିଳିକିଳା ରାବ ଦେଲେ ।
କଡ଼ା ଘୁମୁରା ବଜାଇ ମାରି ଗାଲତୁରୀ
ଭଣ୍ଡାର ମୁଦ ଭାଙ୍ଗିଣ କଲେ ହୁରିଜୁରି ।
ନାଚନ୍ତି ଖେମଟା ନାଟ ଗୀତମାନ ଗାଇ
ଧାମନ୍ତି ଗୋପାଳେ କେନ୍ଦୁ ଲଉଡ଼ି ବୁଲାଇ ।
ରାମକୃଷ୍ଣ ସାହା ପାଇ ନାହିଁ କାରେ ଭୀତି
ଧନୁଭଗ୍ନ ହେଲା ମଲା କୁବଳୟା ହସ୍ତୀ ।
ସୁନାସ ମଲା ରଜକ ତୁଠ ଜୁର ହେଲା
ଦେଖୁ ଦେଖୁ କଂସରାଜା ଯମପୁରେ ଗଲା ।
ଏ ସକଳ ଭାଳି ମନେ ହୁଅନ୍ତି ଆନନ୍ଦ
ବାଳଗୋପାଳ ମୂରତି ଧଇଲେ ଗୋବିନ୍ଦ ।
ନନ୍ଦ ଆଦିକରି ସର୍ବେ ଅଛନ୍ତି ସଙ୍ଗରେ
ସେ କାଳରେ ଶୋଭା କେହୁ ମୁଖେ ବର୍ଣ୍ଣିପାରେ ।
ଇତି ଶ୍ରୀଭାଗବତର ପୁଣ୍ୟତମ ବାଣୀ
ପବିତ୍ର ଗଙ୍ଗାଜଳ ଏ ମୁକ୍ତ ହୁଅ ପ୍ରାଣୀ ।
ଦଶମସ୍କନ୍ଧର ବାଣୀ ଅତ୍ୟନ୍ତି ପବିତ୍ର
ପାତକ ତୂଳରାଶିକି ହୁତାଶନ ମତ ।
ଜୟ ଜୟ ନାରାୟଣ ଅନନ୍ତ ସ୍ୱରୂପୀ
ଜଳ ସ୍ଥଳ ଅନଳରେ ରହିଅଛି ବ୍ୟାପି ।
ରେଖ ରୂପ ନାହିଁ ନିରଞ୍ଜନ ନିରାକାର
ପରମପୁରୁଷ ସ୍ୱାମୀ ମହିମା ଅପାର ।
କଉତୁକେ ପୃଥ୍ୱୀଭାର ନିବାରିବା ପାଇଁ
ଆପେ ଅବତାର ହେଉ ନରତନୁ ବହି ।
ବାଳ ଗୋପାଳ ସ୍ୱରୂପ ଗୋରୁ ରଖି ବନେ
ଗୋପୀଙ୍କି ମୋହିତ କଲ ମୂରଲୀ ନିଃସ୍ୱନେ ।
କଦମ୍ୱ ବୃକ୍ଷରେ ବସି ବସ୍ତ୍ର ଚୋରିକଲ
ପୂତନାକୁ ଆଦି କେତେ ଦୁଷ୍ଟ ସଂହାରିଲ ।
ବେଳେ ବେଳେ ଅବତରି ପୃଥ୍ୱୀ ରକ୍ଷାକର
ମତ୍ସ୍ୟ କଚ୍ଛପ ବରାହ ମୂର୍ତ୍ତି ତୁମ୍ଭେ ଧର ।
ସିଦ୍ଧ ଯୋଗୀଜନ ଯାକୁ ଦେଖୁଥାନ୍ତି ଧ୍ୟାନେ
ତାହାକୁ ଦେଖିଲେ ଏବେ ମର୍ତ୍ତ୍ୟପୁର ଜନେ ।
ଧନ୍ୟ ଏ ଦ୍ୱାପର ଲୋକେ ଧନ୍ୟ ୟାଙ୍କ ଜନ୍ମ
ସାକ୍ଷାତେ ଦେଖିଲେ ତେଣୁ କୃଷ୍ଣ ବଳରାମ ।
ଅସମ୍ଭବ ମାୟାଧର ପ୍ରଭୁ ଦେବରାଜେ
ଦକ୍ଷିଣ ସାଗର କୂଳ ନୀଳାଚଳେ ବିଜେ ।
ଶ୍ରୀନୀଳଗିରି ଶିଖର ଶତେ ତାଳ ଉଚ୍ଚ
ତହିଁ ଉପରେ ପ୍ରାସାଦ ଅପୂର୍ବ ସୁସଞ୍ଚ ।
ଶିଖା ଗୋଟି ରହିଅଛି ଶୂନ୍ୟପଥ ଯାଏ
ଯାହାର ଦର୍ଶନେ ସର୍ବ ପାପଯାଇ କ୍ଷୟେ ।
ବୃକ୍ଷ ପକ୍ଷୀ ତୀର୍ଥ ଦେବରୂପେ ପାଇ ପୂଜା
ଚତୁର୍ଦ୍ଧାମୂରତି ଧରି ବିଜେ ଦେବରାଜା ।
ଦାରୁବ୍ରହ୍ମ ସ୍ୱରୂପରେ ବିଜୟେ ପ୍ରତ୍ୟକ୍ଷ
ଦର୍ଶନ ମାତ୍ରକେ ପ୍ରାଣୀ ଲାଭକରେ ମୋକ୍ଷ ।
ଜଗନ୍ନାଥ ଶ୍ରୀଚରଣେ ସଦା ମୋର ଭକ୍ତି
ଅଚ୍ୟୁତ ଦାସ କବିକି ଦିଅ ସଦଗତି ।
ଜନ୍ମରୁ ମୁରୁଖ ମୁହିଁ ଅଜ୍ଞାନ ପୁରୁଷ
କୃପାକରି ସାଧୁଜନେ କ୍ଷମାକର ଦୋଷ ।
ତୃତୀୟ ଖଣ୍ଡେ ଶ୍ରୀହରିବଂଶ ଏ ଚରିତ
କଂସ ବଧାଖ୍ୟାନ ଏଥି ହେଲା ସମାପତ ।
ଭକ୍ତି ମୁକ୍ତି ଜ୍ଞାନପ୍ରଦ ଗ୍ରନ୍ଥ ଅଟେ ଏହି
ହରିବଂଶ ପଢ଼ ଜନେ ହରିନାମ ଗାଇ ।