ପ୍ରଥମ ପୁରୁଷ/ଶେଷ ସୀମାନ୍ତ
←ଝରକା | ପ୍ରଥମ ପୁରୁଷ ଲେଖକ/କବି: ଶେଷ ସୀମାନ୍ତ |
ଶେଷ ସୀମାନ୍ତ
ରାତ୍ରିର ବୟସ ନାହିଁ ସମୟର ନାଁ ନାହିଁ
ଆକାଶକୁ ଛୁଇଁ ହୁଏ ଆସ୍ଥାର ସହିତ
ଅନେକ ତାରାଙ୍କୁ ଯାଇ ଚୁପ ଚୁପ କଥା କହି ହୁଏ
ଗୋପନୀୟ ତଥ୍ୟମାନ
ବିନିମୟ କରି ହୁଏ ଅନ୍ଧାର ସହିତ
ସମୁଦ୍ରର ଝଲମଲ ଚଟାଣରେ ଶୋଇଯାଇ ହୁଏ
ସକାଳର ଖରା ଯାଇ
ପରିଚିତ ରୋଗିଣୀର ବିଛଣାରେ ଇତସ୍ତତଃ ହେଲା
ରତିମଗ୍ନ ପୁରୁଷ ଓ ନାରୀମାନେ
କଫିନ ଭିତରେ ଥାଇ ବ୍ୟତିବ୍ୟସ୍ତ ହେଲେ
ଅପହଞ୍ଚ ପ୍ରେମର ଭୟରେ
ଝରକାର କାଚ ଡେଇଁ
ଛାଇ ସବୁ ଭରିଗଲେ ଶୁନ୍ୟ କୋଠରୀରେ
ଏଇ ସମୟରେ :
ସହର ଲୁଣ୍ଠିତ ହେଲା
ପଦାତିକ ସୈନ୍ୟମାନେ ଘେରିଗଲେ ଚାରି ସୀମାନାରୁ
ସାତଟି ଘୋଡାର ରଥ
ଗଡ଼ିଗଲା ସହରର ଗଳିରୁ ଗଳିକୁ
ନଗରୀର ସମସ୍ତ ପ୍ରହରୀ
ବିଶ୍ୱାସଘାତକ ହୋଇ ଅସ୍ତ୍ର ରଖିଦେଲେ
ଚନ୍ଦ୍ରାହତ ଯୁବକ କେତୋଟି
ଏ କଥାର ପ୍ରତିବାଦ କରି ଖାଲି ପ୍ରସ୍ତାବ ଲେଖିଲେ
ସଜାଗ ରହିଚି ଦେଖ
ଏତେବେଳେ ନିର୍ଜନତା କିଭଳି ଭାବରେ
ମଧାହ୍ନର ରୂପ ନେଇ ସମୟର ଦୁଇ ସୀମାନ୍ତରେ
କାହିଁ ମୋର ତୀର ଦିଅ ଢ଼ାଲ ଦିଆ ତରବାରୀ ଦିଅ
ହେ ସୈନ୍ୟ ସାମନ୍ତ ସବୁ
ଆସ ମୋ ସହିତ ଆସ ଶେଷ ସୀମାନ୍ତକୁ
ମୋ ମଥାରେ ଟାଣି ଦିଅ
ଚନ୍ଦନ ଓ ସିନ୍ଦୂରର ଗାର
ମନ୍ତ୍ର ପଢ଼ କାହିଁ ଅଛି ଗ୍ରହବିପ୍ର
ମତେ କୁହ ମଙ୍ଗଳ ମୁହୂର୍ତ୍ତ
କାହିଁ ଗଲେ ମୋର ସବୁ ସହଚର
ଏ ରାସ୍ତାରେ କେହି ନାହିଁ
ପଳାତକ ମୋ ସେନାବାହିନୀ
ମନ୍ଦିର ପଡ଼ିଛି ଖାଲି
କିଏ ନେଲା ସୁନାର ବିଗ୍ରହ
ରତ୍ନ ସିଂହାସନ କାହିଁ
କାହିଁଗଲା ପୁରୋହିତ
ମୋ ହାତ କାକର ହେଲା କାହିଁକି କାହିଁକି
କିଏ ଅଛ ମୋ ହାତରେ ଭରା ଦିଅ
ଆଣ ଗଙ୍ଗା ଜଳ
ସହରଟା ମଶାଣି ହେଲାଣି
ସିନ୍ଦୁକରେ ଅନେକ କଙ୍କାଳ
ପ୍ରାର୍ଥନା କରିବା ଆସ ଆଜି ଆମେ
ମୁକ୍ତି ପାଇଁ ସେମାନଙ୍କ ଅତୃପ୍ତ ଆତ୍ମାର
ଅନ୍ଧାରର ଆଖି ନାହିଁ
ସମୟରେ ଛାଇ ନାହିଁ
ଅନେକ ପାଦର ଚିହ୍ନ ସମୁଦ୍ର ବାଲିରେ
ହଠାତ୍ ସକାଳ ହୁଏ
ପୁଣି ଏକ ରାତ୍ରିର ପ୍ରତୀକ୍ଷା