ପ୍ରଥମ ପୁରୁଷ

ଉଇକିପାଠାଗାର ରୁ
Jump to navigation Jump to search
ପ୍ରଥମ ପୁରୁଷ
ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ

ପୃଷ୍ଠା:Pratham Purush.pdf/୧ ପୃଷ୍ଠା:Pratham Purush.pdf/୨ ପୃଷ୍ଠା:Pratham Purush.pdf/୩ ପୃଷ୍ଠା:Pratham Purush.pdf/୪ ପୃଷ୍ଠା:Pratham Purush.pdf/୫ ପୃଷ୍ଠା:Pratham Purush.pdf/୬


କବଚ

କେବେ କେବେ ଇଚ୍ଛା ହୁଏ
ଏ ମୋର ଜୀବନ ଯେଉଁ ପରିଧିର କେନ୍ଦ୍ର
ସେ ପରିଧି ବାହାରକୁ ଯାଇ ମୁଁ ଦେଖିବି
କିଭଳି ସେ ଦେଶ
ଆଉ ମୁଁ ସଂକଳ୍ପ ନେଇ
ସେ ବୃତ୍ତର ବାହାରକୁ ଯାଏ
ଗାଡ଼ିର କବାଟ ଖୋଲି
ସନ୍ତର୍ପଣେ ତଳକୁ ଓହ୍ଲାଏ

ସେ ଏକ ଅଦ୍ଭୂତ ଦେଶ
ଶୂନ୍ୟ ମହାଶୂନ୍ୟ
ଯେପରି ମୋ ଜୀବନର ବିଫଳ
ଆକାଶରେ ବୁଲୁଥିଲେ ଛାଇ ସବୁ
ସୂର୍ଯ୍ୟ ଭଳି ଚନ୍ଦ୍ର ଭଳି ନିର୍ଦ୍ଧିଷ୍ଟ ନିଶ୍ଚିତ
ସମୟ ସଂକୀର୍ଣ୍ଣ ହୋଇ
ହୋଇଗଲା ଗୋଟିଏ ମୁହୂର୍ତ୍ତ

ମୁଁ ଦେଖିଲି ନୁଆ କରି ବ୍ୟବଧାନ
ସୂର୍ଯ୍ୟର ଉଦୟ ଏବଂ ସୂର୍ଯ୍ୟାସ୍ତ ଭିତରେ
ଯେଉଁପରି ବ୍ୟବଧାନ ଅଛି
ଭଲ ପାଇବା ଓ ଭୁଲିଯିବା
ଦେଖିବା ଓ ଥିବାର ମଧ୍ୟରେ

ମୁଁ ଦେଖିଲି ଅନେକ ଆଲୋକ
ସେମାନେ ସମସ୍ତେ ମତେ ଘେରିଗଲେ
ଶରବିଦ୍ଧ କଲେ ମତେ
ଲୋହିତ ଓ କମଳା ରଙ୍ଗରେ
କଳା କଳା ଛାଇ ସବୁ
ଯେତେଥିଲେ ଅନ୍ତରୀକ୍ଷ ଘେରି
ସେମାନେ ନିହତ ହେଲେ
ପୁଣି ସେଇ ଶୂନ୍ୟତାରେ ଅନ୍ତର୍ହିତ ହେଲେ

ପ୍ରଥମ ଥରକ ପାଇଁ ମୁ ନିଜକୁ ପ୍ରଶ୍ନ କଲି
ମୁଁ କିଏ ରାସ୍ତା ମୋର କୁଆଡେ ଯାଇଛି
ଏ ପାହାଚ ତଳକୁ ନ ଉପରକୁ
ସାକ୍ଷୀ କିଏ ମୁକୁଟ କେଉଁଠି
ବୁଝିବାକୁ ଚେଷ୍ଟା କଲି
ଆକାଶରେ ତାରାଙ୍କର ଚୁପ୍ ଚୁପ୍ କଥା
ପବନର ହାତରେ ଯେ ରେଖା ସବୁ
ତାଙ୍କର ତାତ୍ପର୍ଯ୍ୟ
କି ବାର୍ତ୍ତା ରହିଛି ପୁଣି
ସମୁଦ୍ରର ବାଲିରେ ଯେ ଚିତ୍ରଲିପି ତହିଁର
ଓ ମୋ ଦେହର ପଞ୍ଜୁରୀରେ
ପକ୍ଷୀ ଟି ଯେ ଚିତ୍କାର କରୁଛି ତାର ଅର୍ଥ କଣ

ଅନେକ ଅନେକ ବନ୍ଧ୍ୟା ଅନ୍ତରୀକ୍ଷ ଆସି
ମୋ ଭିତରେ ଆଶ୍ରୟ ଖୋଜିଲେ
ମୋର ମନ ଭରିଗଲା ମହା ଶୂନ୍ୟତାରେ

ମୋ ନିଜର ଛାଇ ସବୁ ଦୀର୍ଘତର ହେଲେ
ସେମାନେ ନଥିଲେ ପ୍ରେତ
ତଥାପି ମୁଁ ସେମାନଙ୍କୁ ଭୟ କଲି
ପଛକୁ ଫେରିଲି
ଅତି ସନ୍ତର୍ପଣେ ମୋର
ଗାଡି କବାଟ କୁ ବନ୍ଦ କଲି
କାଚ ଆଉ ଇସ୍ପାତର ପାଚେରୀରେ
ଦୁରକଲି ସେମାନଙ୍କୁ
ଆକାଶ ପବନ ଆଉ ସମୁଦ୍ରର ବାଲି
ଅନେକ ପ୍ରଶ୍ନଙ୍କୁ

ପୁଣି ମୋର କବଚ ଖୋଜିଲି
ଖବରକାଗଜ ସିଗାରେଟ ଟିଣ
ଆଉ ରେଜା ପଇସାରେ

ଗୋଟିଏ ଫୁଲର ନାଁ


ମୋ ଦେହର ପାଚେରୀରେ ଫୁଲସବୁ ମରିଗଲେ
ଅସଂଖ୍ୟ କାଗଜ ଫୁଲ
ମୁଠା ମୁଠା ପତ୍ର ହୋଇ ଉଡିଗଲେ
ଦିଗନ୍ତରେ ଧାଡି ଧାଡି ନାମହୀନ ପକ୍ଷୀ
ଲୁଚିଗଲେ ପବନର ପଣତରେ ପାରିଲିନି ରଖି

ବହୁ ବନ୍ଧୁ ବାନ୍ଧବୀ ଓ ଶୁଭକାଂକ୍ଷୀ ଆସିଥିଲେ
ସେମାନେ ପ୍ରହରୀ ଥିଲେ
ବନ୍ଧୁତାର ନୁହେଁ
ଛଳନାର ହସ ହସୁଥିଲେ
ସେମାନେ ସମସ୍ତେ ମତେ ମନ୍ତ୍ର ପଢାଇଲେ
ନୀତିବାକ୍ୟମାନ ମୋର କବଚରେ ବାନ୍ଧିଦେଲେ
ମତେ ଏକ ତାପସ୍ୟାର ଆସନରେ ରଖି ଚାଲିଗଲେ

ସେମାନେ ବିଦାୟ ନେଲେ
ଆକାଶର ବିଛଣାରେ ରୁଗ୍ଣ ଖରା ଶୋଇଗଲା
କବଚ ମୁଁ ଖୋଲି ରଖିଦେଲି
ମୋ ଦେହର ଫାସିକାଠ ଉପରୁ ମୁଁ
ତଳକୁ ଆଣିଲି ମୋର ଅର୍ଦ୍ଧମୃତ ଯୌବନକୁ
ସେମାନଙ୍କୁ ଖୋଜିନେଲି ସନ୍ଧ୍ୟାର ଶୀତରେ
ସେମାନେ ସମସ୍ତେ ମୋର ବତୀଘର
ଅଥବା ସମୁଦ୍ର ଚାରିପାଖେ ଢେଉ

ପରେ ଢେଉ ପରେ ଢେଉ
ତା ପରେ ବିଲୟ
ସେମାନେ ପୁନଶ୍ଚ ରାତ୍ରି
ଅବସନ୍ନ ଦେହର ଆଶ୍ରୟ

ଵିଷର୍ଣ ସନ୍ଧ୍ୟାରେ ଆଜି ମୁଁ ଭାବୁଛି
ହୁଏତ ମୁଁ ମରିଯିବି ପ୍ରତିଶ୍ରୁତି ସବୁ ମୋର
ପୂରା ହେବା ଅନେକ ଆଗରୁ
ମୁଁ ଭାବୁଛି ଗୋଟିଏ ଫୁଲର ନାଁ
ଜଣେ କେହି ଶୁଭକାଂକ୍ଷି
କେହି ବି ନାହାନ୍ତି
କବାଟ ବି ହଜିଗଲା
ମୁଁ ଖୋଜୁଛି ଅକସ୍ମାତ ଦେଖିଥିବା ମୁହଁ
ମୋର ଯେତେ ଅନୁଭୂତି ସବୁ ମୋ ନିଜର
ମୋର ପ୍ରିୟ ବେଶ୍ୟାମାନେ
ମୋର ଏକ ନିଜର ସାମ୍ରାଜ୍ୟ
ରାସ୍ତା ଦେହ ବିଛଣାର
ମୁଁ ଭାବୁଛି ସେମାନଙ୍କ ଦେହର ଉତ୍ତାପ ନେଇ
ଆଉ ଏକ ଜୀବନ ବଞ୍ଚିବି

ଫୁଲ ବି ଫୁଟିବ


ଦର୍ପଣ

କେବେ ସୂର୍ଯ୍ୟ ଆସି ଛୁଏଁ ମତେ
ଅଧାଖୋଲା ଝରକାକୁ ଡେଇଁ
ମୋର ଅର୍ଦ୍ଧ ଚେତନାର ଶେଷ ପ୍ରହରରେ
ସ୍ୱପ୍ନ ସବୁ ବିବ୍ରତ ହୁଅନ୍ତି
ଆଖି ଖୋଲି ଦେଖେ
ମତେ ଜଣାନାହିଁ କାହାର ପଲଙ୍କ
ଶୋଇବି ମୁଁ କେଉଁଠି କିପରି
ମୋ ପାଖରେ ସେ ନାରୀ ଅପରିଚିତା
ସେ କୋଠରୀ ଅଜ୍ଞାତ କୋଠରୀ

ଖୋଲି ଦିଏ ମୋ ଗଳାରୁ
ଦୁଇ ନଗ୍ନ ବାହୁର ଶିକୁଳୀ
ତା ଦେହର ପୁଞ୍ଜିଭୁତ ଉତ୍ତାପର
ଘେରରୁ ମୁଁ ଚାଲିଆସେ
ମୁଁ ତାକୁ ଚିହ୍ନିବା ପାଇଁ ଚେଷ୍ଟା କରେ
ସେ କି ମୋର ଜୀବନ ସଙ୍ଗିନୀ
ଅଥବା ସେ ଅକସ୍ମାତ ବନ୍ଧୁ ମୋର
ସେ ଦିନ ସନ୍ଧ୍ୟାର
ମୁଁ ତା ଦେହର ବାର୍ତ୍ତା ପଢିବାକୁ ଖୋଜେ
ସେ କି ଖାଲି ମାଂସ ଆଉ କାମନାର
ଅବା ମୋର ରୋଗଗ୍ରସ୍ତ ମନର ବିକାର

ଦୁଆର ଖୋଲି ମୁଁ ଆସେ ବାହାରକୁ
ମୋ ଆଗରେ ଦେଖେ
ଅନେକ ଅପରିଚିତ ରାସ୍ତାର ଗୋଲାକଧନ୍ଦା
ସକାଳର ସୁର୍ଯାସ୍ନାତ ଅଚିହ୍ନ ସହର
ପରିଚୟହୀନତାର ରାସ୍ତାସରା
ଅର୍ଥ ହୀନ କୋଳାହଳ
ବଜାରରେ ଭିଡ଼
ଅନେକ ଲୋକଙ୍କ ମେଳ
ଖୋଲିଯାଏ ଅନେକ ଝରକା
ସେମାନଙ୍କ କଥା କିନ୍ତୁ ଅତୀବ ଦୁର୍ବୋଧ
ସେମାନେ ଅପରିଚିତ
ସେମାନଙ୍କ ମୁହଁ ସବୁ ମୁଖା

ଏଇଭଳି ମୁଖା ମୁହଁ ନାଟକର
ମନେହୁଏ ମୁଁ ଏକା ଦର୍ଶକ
ସେ ସବୁ କି ଅଭିନୟ
ନାଟକର ଶେଷ ଅଙ୍କ ପରେ ବି ସେ କି
ଏକଜୁଟ ହେବା ସବୁ କଳାକାରଙ୍କର
ବିଦାୟ ସୂଚକ

ମୁଁ ଆସେ ମୋ କୋଠରୀର ଆଶ୍ରୟକୁ
ଦର୍ପଣରେ ନିଜକୁ ଅନାଏ
ସେ ମୁହଁ ବି ମୁଖା
ସ୍ଵସ୍ତିର ନିଶ୍ୱାସ ନେଇ
ଝରକା ବାହାରେ ଦେଖେ




ଅନେକ ଲୋକଙ୍କ ଭିଡ଼
କୋଳାହଳ ଅନେକ ଦର୍ଶକ
ପଲଙ୍କ ଓ ଶୀକୁଳିର ନିରାପଦ ଆଶ୍ରୟରୁ
ଆବିଷ୍କାର କରେ ଏଥରକ
ସେମାନଙ୍କ କଥାସବୁ ମୋ କଥାର ପ୍ରତିଧ୍ୱନି
ଆମେମାନେ ସବୁ ଏକା ଲୋକ

ମୁଖା

ମୁଁ ଅନେକ ମୁଖା ରଖିଥାଏ
ଦିନ ରାତି ସଂଜବେଳ ପାଇଁ
କ୍ଷଣିକ ଆନନ୍ଦ ପାଇଁ
ବିଯୋଗାନ୍ତ ନାଟକର ଶେଷ ଅଙ୍କ ପାଇଁ
ଅତିଥି ଓ ସହାଯାତ୍ରୀ ଏକଦା ପ୍ରେୟସୀ
ଏବଂ ତାର ସ୍ୱାମୀ ପାଇଁ
ସମ୍ରାଟ ସୈନିକ ବେଶ୍ୟା ଯାଦୁକର
ମଲାଲୋକ ଶୋଭାଯାତ୍ରା ପାଇଁ
ନିର୍ବାସିତ ଆକାଶ ଓ ଆବାକ୍ ସକାଳ
ପ୍ରେମ ପାଇଁ ପ୍ରତିରକ୍ଷା ପ୍ରତାରଣା ପାଇଁ
ବହୁବିଧ ମୁଖା ରଖି ଆଖି ପଲକରେ
ଭଳି ଭଳି ଛଦ୍ମବେଶ ନେଇଥାଏ
ଜୀବନର ପ୍ରଟି ପର୍ଯ୍ୟାୟରେ

ମୁଁ ଏମିତି ମୁଖା ଖୋଜୁଥିଲି
ତା ଆଖିର ଈଷତ ନୀଳରେ
ଯେତେକ କୁଆଁରୀ ଝିଅ
ସବୁ ମୋର ବଶୀଭୂତ ହେବେ
ମୋ ଓଠର ସାମାନ୍ୟ ଦୃଢ଼ତା ଦେଖି
ଶତ୍ରୁ ମାନେ ହାର ମାନିନେବେ
ଏକମାତ୍ର କଟାକ୍ଷରେ


ଆକାଶର ପକ୍ଷୀ ସବୁ ଆସିବେ ମୋ ପଞ୍ଜୁରୀକୁ
ମୁଁ କହିବି ରାତି ଏବଂ ସୂର୍ଯ୍ୟ ଅସ୍ତ ଯିବ

ସେ ମୁଖା ମିଳିଲା ନାହିଁ
ମୋର ମୁଖା ସବୁ
ଛୋଟ ଛୋଟ ବିସ୍ମୟ କେବଳ
ନିତାନ୍ତ ମାମୁଲି ହସ
ଉଦାସୀନ ଆନନ୍ଦ ଓ କ୍ଳୀବ ଅଭିମାନ
ଅତି କ୍ଷୀଣ ଆର୍ତ୍ତନାଦ ଓ ନପୁଂସକ ରୋଷ
ମୋର ମୁଖା ସାମାନ୍ୟ ପ୍ରେମ
ଓ ଅତି ସାଧାରଣ ବିରହ ସକଳ

ସେ ମୁଖା ମୁହଁରେ ପିନ୍ଧି
ଅତିଥି ସତ୍କାର କରେ ମନ୍ତ୍ର ପଢେ
ପତ୍ନୀ ଓ ପ୍ରେମୀକାକୁ ପ୍ରେମ କରେ
ଆକାଶକୁ କେବେ କେବେ କଥା କହେ
ତାରାଙ୍କୁ ଆନାଏ
ମଣିଷଙ୍କ ଗହଳିରେ ହଜିଯାଏ ଅତି ସହଜରେ

ମୋ ବୟସ ବଢିଯାଏ
ଗୋଟିଏ ମୁଖାରୁ ପୁଣି ଅନ୍ୟ ମୁଖାକୁ ଯାଏ
ଗୋଟିଏ ଛଳନା ରୁ ଅନ୍ୟ ଏକ ଛଳନାକୁ
ଛଦ୍ମବେଶ ଉହାଡରୁ
କେହି କେହି ଚେଷ୍ଟା କରିଥାନ୍ତି

<poem> ମତେ ଚିହ୍ନିବାକୁ ଆଉ କେହି ଚିହ୍ନି ପୁଣି ଅଜଣା ହୁଅନ୍ତି କେବେ କେବେ ଯଦି ମୋର ମନେହୁଏ ପରିଚୟ ପତ୍ର ହଜିଗଲା ମୁଁ ନିଜକୁ ଦେଖିବାକୁ ଚେଷ୍ଟା କରେ କାନ୍ଥକୁ ଅନାଏ ଧାଡି ଧାଡି ମୁଖା ଏବଂ ଇତସ୍ଥତ ଭଙ୍ଗା କାଚ ଖାଲି

ଦର୍ପଣକୁ ପ୍ରଶ୍ନ କରି ଲାଭ ନାହିଁ ପ୍ରଥମ ପ୍ରେମ <poem> ଅନେକ ପୁରୁଣା ମୁହଁ ବିସ୍ମୃତିର କୁହୁଡ଼ିରେ ପହଁରି ପହଁରି ମୋ ପାଖେ ଏକାଠି ହେଲେ ପୁଣି କେଉଁ ଯାଦୁକର କ୍ରୁର ଇଙ୍ଗିତରେ ସେମାନେ ସମସ୍ତେ ଗଲେ ପଥର ପାଲଟି ମତେ ଆସି ବନ୍ଦୀ କଲେ ବାହୁର ଘେରାରେ

ମୁଁ ଭାବୁଛି ସରିଗଲା କିପରି ମୋ ପ୍ରଥମ ଯୌବନ କିଞ୍ଚିତ ସମୟ ଗଲା ଅସଂଲଗ୍ନ କଥା କହିବାରେ ଖାପଛଡ଼ା କଥା ବୁଝିବାରେ ମାନ ଭାଙ୍ଗିବାରେ ହାତ ଧରି ସ୍ୱପ୍ନ ଦେଖିବାରେ କିଛି ହସ କିଛି କାନ୍ଦ କେତୋଟି ମୁହୂର୍ତ୍ତ ପୁଣି ଚୁପଚାପ ଭୁଲ ବୁଝା: ମତେ କର ଆଦର ନଚେତ କେତେ ଚୋରା ଚାହାଣୀର ଆମନ୍ତ୍ରଣ କିଛି ପୁଣି ହାତରେ ନିଷେଧ କିଞ୍ଚିତ ସମୟ ଗଲା ଯୌବନକୁ ବୁଝିବାର ନିଷ୍ଫଳ ଚେଷ୍ଟାରେ <poem> ହିସାବ କରୁଛି ଆଜି ମୋ ଜୀବନ କେଉଁଭଳି ନିରର୍ଥକ ଗଲା ଅସଂପୂର୍ଣ୍ଣ ଦିନ ଏବଂ ଅଶାନ୍ତ ରାତିରେ ସତ୍ତା ମୋର ହରାଇଲି କିଭଳି ମୁଁ ଦୁଇଗୋଟି ଦର୍ପଣର ପରିଧି ଭିତରେ ମୁଁ କିପରି ମନ୍ତ୍ର ମୁଗ୍ଧ ହେଲି ମୋର ନିଜ ଛାଇ ଦେଖି ସୀମାହୀନ ବିସ୍ମୟରେ ମୁଁ କିପରି ଶୋଇଗଲି ଶୀତନିଦ୍ରା ସମୟର ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ

ଆଜି ମୁଁ ପଢୁଛି ମନ୍ତ୍ର ମନ୍ଦିରର ପ୍ରାଙ୍ଗଣରେ ବସି ପଥରକୁ ଜୀବନ ଦେବାର ଅନେକ ପଥର ମୁହଁ ଚାରିପାଖ ନିର୍ବାକ ନିସ୍ପନ୍ଦ ସେମାନେ ସମସ୍ତେ ଯଦି ଜୀବନ୍ୟାସ ନେଇ ଥରେ ମୋ ସ୍ୱପ୍ନରେ ଆସନ୍ତେ ଶବ



ପଡିଛି କାହାର ଶବ ମଝି ସଡ଼କରେ
ସେ ପାଖରେ ଲୋକଙ୍କ ଭିଡ
ପାଖ କାଟି ଚାଲିଗଲେ କେତେ କିଏ
କେତେ କିଏ ପାରିଲେନି ଦେଖି
କାହା ପଦ ରହିଗଲା କିଏ ଚୁପ୍ ହେଲା
ଦେଖି ପୁଣି କିଏ ଜଣେ ବୁଜିଦେଲା ଆଖି

ସେ ରାସ୍ତାରେ ମନ୍ତ୍ର ପଢି ଚାଲିଗଲା ଜଣେ
ଫୁଳ ତୋଳେ ଏ ଶିଶୁ କାହାର
ସେଠାରେ ହସିଲା କିଏ
କିଏ ହାତ ବଢାଇଲା
ସମୟ କୁ ବନ୍ଦ କରିବାକୁ
ନିର୍ଜନ ରାସ୍ତାରେ ପୁଣି
ହଜିଗଲା କାହାର ଚିତ୍କାର

ଆଲୁଅର ଉଜାଣିରେ
ସେ ରାସ୍ତାରେ ହଜିଗଲା ଜଣେ
ମନର ଅନେକ ସ୍ୱପ୍ନ
ଜାଳିଦେଇ ଦୀର୍ଘ ନିଶ୍ଵାସରେ
କେ କହିଲା ଆହା
କିଏ ତାର ଜୀବନକୁ ମାପ କଲା
ଜଳୁଥିବା ମହାମବତୀରେ

<poem>

କିଏ ପୁଣି ରାସ୍ତା ତାର ଖୋଜିନେଲା ଅଧା ଆଲୁଅରେ

ଲୋକସବୁ ଚାଲିଗଲେ ସଡକ ନିଝୁମ୍ ହେଲା ହସ ଲିଭିଗଲା ଅନନ୍ତ ଶୂନ୍ୟରେ ପଡିଚି ତଥାପି ଶବ ମଝି ସଡକରେ

ମୁ ଶୋଇଚି ନିର୍ଜନ ଦ୍ଵୀପରେ ପ୍ରତୀକ୍ଷା

ସେମାନେ ଆସନ୍ତି ନାହିଁ ଆଜି ଆଉ
ମୋ ଘରର ଝାରକାକୁ ଡେଇଁ
ଲୁଚି ଲୁଚି ଅଧା ଆଲୁଅରେ
ମୁଠା ମୁଠା ଆକାଶ
ମୋ କୋଠରୀରେ ବିଞ୍ଚି ଦେଇ
ସେମାନଙ୍କ ଈଷତ ହସରେ
ଅନେକ ପୁରୁଣା ଏବଂ ଭୁଲିଯିବା ସଂଗୀତର
ଢେଉ ତୋଳି ଅଳସ ପାଦରେ
ସେମାନେ ଆସନ୍ତି ନାହିଁ ଆଜି ଆଉ
ମୋ ଘରକୁ ସକାଳର ପକ୍ଷୀ ଭଳି
ଗୋପନୀୟ ଚିଠି ନେଇ
କମ୍ପିତ ହାତରେ

ଅନ୍ଧାରକୁ ବୁଝି ହୁଏ
ଅନୁଭୂତିହୀନ ଶୂନ୍ୟତାରେ
ଅନେକ ଯନ୍ତ୍ରଣା ମିଶି
ପ୍ରେମୀକାର ମୁହଁ ହୋଇଯାନ୍ତି
ସେମାନଙ୍କୁ ସହି ହୁଏ
ଅନେକ ଜୀବନମାନ ବଞ୍ଚି ହୁଏ
ପ୍ରତ୍ୟେକଟି ପ୍ରେମ ପାଇଁ
ସେ ସବୁକୁ ମାପି ହୁଏ
କିନ୍ତୁ କେଉଁପରି

<poem>

ସମୟକୁ ବନ୍ଦ କରି ରଖି ହବ ଖାଲି କୋଠରୀରେ


ଛାଇମାନେ ଚାଲିଗଲେ ସକାଳର ତାରା ମାନେ ଶୋଇଯିବା ପରେ ନୀଳ ଆଖି ନରମ ହାତ ଓ ଇତସ୍ତତ କବରୀର ନରମ ଚଟାଣ ଉପରେ ଅଳସ ଭାଙ୍ଗି ଝିଅମାନେ ସ୍ୱପ୍ନ ବି ଦେଖିଲେ ସେମାନେ ହୁଏତ ଏଇ ସଜାଗ ସତର୍କ ପ୍ରହରୀର ଭିଡ଼ ଭାଙ୍ଗି ଦୁର୍ଗ ଭିତରକୁ ଯିବା ପାଇଁ ଭୟ କରୁଥିଲେ ଆଉ ସେଥିପାଇଁ ସ୍ୱପ୍ନ ଦେଖୁଥିଲେ କିନ୍ତି କି ଲାଭ ସେ ସ୍ୱପ୍ନ ଦେଖିବାରେ କି ଲାଭ ଚିତ୍କାର କରି ଝଡ ଭଳି ଏକା ଏକା କେହି ଯଦି ଯାଏ ନାହିଁ ସେ ଶୂନ୍ୟ ରାସ୍ତାରେ

ମୁଁ ଭାବୁଛି ଏ ଜୀବନ ଅନ୍ୟ ଭଳି ହୋଇଥାନ୍ତା ମୋର ବିମର୍ଷ ଅତୀତ ଏବଂ ସବୁ ବନ୍ଧ୍ୟା ଭବିଷ୍ୟତ ରୂପାନ୍ତର ନେଇ ଏକରଙ୍ଗ ହୋଇଯାନ୍ତେ <poem>

ସେ ରଙ୍ଗ ଆଖିରେ ଦେଇ
ମୁଁ ଦେଖନ୍ତି ବହୁବିଧ ସ୍ଵପ୍ନ
ମୋର ନିରର୍ଥକ ମୁହୂର୍ତ୍ତ ସବୁରେ
ରହିଥାନ୍ତି ଅପେକ୍ଷାରେ
ଝିଅମାନେ ହସିବେ ଓ
ସତର୍କ ପ୍ରହରୀମାନେ ଶୋଇଗଲେ
ସେମାନେ ଆସିବେ <poem>

ପ୍ରିୟତମା ତମକୁ

ପ୍ରିୟତମା ତମକୁ ମୁଁ ଦେଇଯିବି
ଆଜି ମୋର ସମସ୍ତ ଜୀବନ
ପ୍ରେମ ଆଉ ହତାଶାର ଅପବ୍ୟୟ ଖାତାମାନ
ଵ୍ୟର୍ଥତାର ଯେତେ ଚିଠି ଲେଖାହେଲା
ଯେତେ କଥା ପ୍ରତିଧ୍ଵନି ହୋଇ ସବୁ
ମିଶିଗଲେ ଆକାଶରେ
ମୋ ହାତ ମୁଠାରେ ଯେତେ
ଅତୀତର ଦିନ ଧରା ଦେଲେ

ମୋ ଆଖିକୁ ଦେଖ
ଝିଲମିଲ ଶୂନ୍ୟତାରେ
ସ୍ମୃତିର ଭଉଁରୀ ସବୁ ବୁଲିବୁଲି ଥକିଗଲେ
ମୋ ଆଖିର ଦର୍ପଣରେ
ତମେ ପୁଣି ନିଜକୁ ଦେଖିବ
ମୋ ହାତକୁ ଛୁଅଁ
ନିଆଁ ସବୁ ଜଳି ଜଳି
ଖାଲି ତମ ଦେହର ଉତ୍ତାପ
ରହିଯିବ ବାକି
ମତେ ଧରି ରଖ ଦି' ହାତରେ
ସ୍ଵପ୍ନ ସବୁ ସରିଗଲେ
ପୁଣି ହେବ ନିଃସଙ୍ଗ ଏକାକୀ <poem>
ଦେଖ ଆଜି ତମ ପାଇଁ
କିପରି ଏ ସକାଳ ଜଳିଲା
ଆକାଶରେ ପାଦଚିହ୍ନ ଲିଭିଗଲା
ଅବସନ୍ନ ରାତି ଶୋଇଗଲା
ଅନନ୍ତ ଶୂନ୍ୟକୁ ଦେଖ ଚାଲିଗଲେ
ଯେତେ ସବୁ ଛାଇ
ପଥରର ଅହଲ୍ୟା ବି
ବନ୍ଦ ହେଲା ନିଜ ଜଡ଼ତାରେ
ରାଜପୁତ୍ର ଚାଲିଗଲା
ଅତିପ୍ରିୟ ବନବାସ ପାଇଁ
ସମୟର ଚୋରା ବାଲି ଉପରେ
ମୋ ସ୍ମୃତି କେଉଁପରି
ସତର୍କ ପାଦରେ ଦେଖ ଖୋଜିବୁଲେ ଆଜି
ହଜି ଯାଇଥିବା କେତେ ଛୋଟ ଛୋଟ
ମୁହୂର୍ତ୍ତର ଭଙ୍ଗା ଖେଳନା ଓ
ଅନ୍ତରଙ୍ଗ ରାତିର ଶାମୁକା
ତମକୁ ମୁଁ ସବୁ ଦେଇଯିବି
ଯଦି ଖାଲି ଖୋଜିପାଏ
ଗୋଟିଏ ସଫଳ ପ୍ରେମ:ସମସ୍ତ ଜୀବନ <poem>

ପ୍ରହରୀ

ତାକୁ ମୁଁ ପହରା ଦିଏ
ତା ଦେହର ଚାରିପାଖେ ଗାର କାଟି
କଳାଗାର ଧଳାଗାର ଦିନରାତି ଆଠଟି ପ୍ରହର
ସବୁ ରତୁ ସବୁ ଅନୁଭବ 
ଏକତ୍ରିତ କରି ସବୁ ଅଶାନ୍ତ ମୌସୁମୀ 
ଏବଂ ଶେଷ ବସନ୍ତର ସମସ୍ତ ମୁହୂର୍ତ୍ତ 
ରହିଥାଏ ଏକାଗ୍ର ମନରେ 
ଆଖିରେ ପଲକ ନାହିଁ ମୋ ହାତରେ ଛୁରୀ
ମୁଁ ବସେ ଉଦ୍‌ଗ୍ରୀବ ହୋଇ 
ଆଶଙ୍କର ନିଝୁମ ପ୍ରହରେ
ଅକସ୍ମାତ ଝଡ ଉଠେ ମେଘର ରଥରେ 
କଳାଘୋଡା ଧଳାଘୋଡା ଉଚ୍ଚାଟ ହୁଅନ୍ତି 
ଭାଙ୍ଗିଯାଏ ଆକାଶର ଇନ୍ଦ୍ରଜାଲ 
ଝଡର ଡେଣାରେ
ଜଂଗଲର ଚଟାଣରେ ବିଞ୍ଚିଯାଏ ମୁଠା ମୁଠା 
ଅବଶେଷ ଶେଷ ଆଲୁଅର 
ସବୁ ପୁଣି ଲିଭି ଲିଭି ଯାଏ 
କଳାମୁଖା କିଏ ଯାଇ ବାନ୍ଧିଦିଏ
ଆକାଶ ମୁହଁରେ 
ମୁଁ ଦେଖେ ଦୁଇଟି ଆଖି 
କାହାର ଏ ଆଖି

କାହାର ଏ ପଦଧ୍ୱନି
କିଏ ମେଘ କେଉଁଠି ଆକାଶ
ଚଞ୍ଚଳ ହୁଏ ମୁଁ ପୁଣି
ପ୍ରତିଧ୍ୱନି ଶୁଣି ସେ ଝଡର
ଆଖିର ମୁନରେ ମୋର
ଚିରିବାକୁ ଚେଷ୍ଟା କରେ ସବୁ ଅନ୍ଧକାର

ଅନ୍ଧାରର କାନ୍ଦ ଶୁଭେ ରହି ରହି
ଦୂରରୁ ଚିତ୍କାର ଶୁଭେ ଆଦିମ ଜୀବର
ଶୁଭେ ପୁଣି ଲିଭିଯାଏ
ଝାଉଁବଣ ଦୀର୍ଘଶ୍ୱାସ ନିଏ
ଦଳ ଦଳ ଛାଇଙ୍କର ଶୋଭାଯାତ୍ରା ସରି ଆସେ
ଛପି ଛପି ପାଦଶବ୍ଦ
ଚୁପ ଚୁପ କଥାର ଉହାଡେ

ମୁଁ ପୁଣି ସତର୍କ ହୁଏ
ମଲା ଦେହ ଚାରିପାଖେ ଗାର କାଟି ଦିଏ

ଘର ବାହୁଡା
ଘର ଛାଡ଼ି ବାହାରିବା ବେଳେ
ପ୍ରଥମରେ ଭାବିଥିଲି ଆକାଶରୁ ନେବି କିଛି
ରଙ୍ଗ ଓ ଆଲୁଅ
ସୂର୍ଯ୍ୟରୁ ଉତ୍ତାପ କିଛି ମେଘରୁ ଚିତ୍କାର
ଅରଣ୍ୟରୁ ରୋମାଞ୍ଚ
ଓ ଶୂନ୍ୟତାରୁ ଅଭିଜ୍ଞତା କିଛି

ନ ପାଇ ଭାବିଲି ତେଣୁ
ଆକାଶରୁ ଆଶା କିଛି ନେବି
ସୂର୍ଯ୍ୟରୁ ଶପଥ ଏବଂ
ମେଘ ଠାରୁ ସ୍ୱପ୍ନର ସାମଗ୍ରୀ
ଶୂନ୍ୟତାରୁ ମାଗିନେବି ସାମାନ୍ୟ ବିସ୍ମୟ
ପବନ ମୋ ପାଇଁ ଦେବ
ରାସ୍ତା ପାଇଁ ସମସ୍ତ ପାଥେୟ

ହଜିଗଲା ରାସ୍ତା ମୋର
ନିରୁପାୟ ପ୍ରତ୍ୟାବର୍ତ୍ତନରେ
ଏବେ ମୁଁ ଭାବୁଛି ବସି
ଅନ୍ୟାୟ ଓ ଅବିଚାର ଅଦୃଷ୍ଟର କଥା
ଆଜି ମୋର ପାପୁଲିର ଗାରକୁ ଅନାଇ
ଗୋଟିଏ ନିରାଶା ଏବଂ
ଅନ୍ୟଟିର ମାପୁଛି ଦୂରତା

ବଞ୍ଚିବାର ସୀମାବଦ୍ଧ ଯୋଜନାରେ
ସୂର୍ଯ୍ୟ ଏବଂ ଆକାଶର ସ୍ଥାନ ନାହିଁ
ପ୍ରତୀକ ଓ ଅର୍ଥ ତାର ପଥ ଓ ପାଥେୟ
ହୋଇଗଲେ ଏକାକାର ଜୀବନର ସହଜ ସୂତ୍ରରେ
ସମୟ ଓ ବୟସ ସହିତ
ପ୍ରାତ୍ୟହିକ ଲେଖାପଢ଼ା ହେଲା ଅସୁମାରି
ଲଢ଼ିବା ଓ ହାରିବାର ମୁହୁର୍ଭ ବି ଗଲାଣି ପାଶୋରି

ଆଜି ଯଦି କେବେ କେବେ ମୁହଁସଂଜ ବେଳେ
ସେ ପୁରୁଣା ଇଚ୍ଛା ମୋର
ଉଙ୍କି ମାରେ ଅକସ୍ମାତ
ଆମେ ଦୁହେଁ ଘରକୁ ବାହୁଡ଼ି ଆସୁ
କଳା ଏବଂ ଗୋପନୀୟ ସତ୍ୟ ଭଳି
ପ୍ରିୟ ମୋର କୁକୁର ଓ ମୁଁ
ସ୍ଵସ୍ତିର ନିଶ୍ଵାସ ନେଇ କବାଟ ମୁଁ ଖୋଲେ
ହାଇ ମାରି ଅନାସକ୍ତ ସମ୍ମତିରେ
କୁକୁର ତା ମୁହଁକୁ ହଲାଏ

ଚଉମୁହାଣି
ମତେ ସେ କହିଲା ହଁ
ଏଇଟା ହିଁ ଠିକ ରାସ୍ତା
ନିର୍ବିଘ୍ନରେ ଯିବା ପାଇଁ ପାଖ ସହରକୁ
ଏ ରାସ୍ତାରେ କିଛି ବାଟ ଯିବା ପରେ
ତମେ ଏକ ମନ୍ଦିର ଦେଖିବା
ଚୂଡ଼ା ତାର ଭାଙ୍ଗିଲାଣି ତଥାପି ସେଠାରେ
କେବେ କେବେ ଲୋକଙ୍କର ଭିଡ ହୁଏ
କାର୍ତ୍ତିକ ଓ ମାର୍ଗଶିର ମାସେ
ପୁରୋହିତମାନେ ଆସି ପୂଜାପାଠ କରିଥାନ୍ତି
ଦଶମାସ ବ୍ୟବଧାନ ପରେ
ତମେ ଯେଣୁ ତୀର୍ଥଯାତ୍ରୀ ନୁହଁ
ଏବଂ ଇଏ ମାଘ ମାସ
ସେଠାରେ ନ ରହି ତମେ ଅଶ୍ଵତ୍‌ଥ ପାଖକୁ ଯାଅ
ସେ ଗଛରେ ଚନ୍ଦନ ଓ ସିଦୂରର ଦାଗ ଦେଖି
ମନ୍ଦିରର ଭ୍ରମ ହୋଇପାରେ
ସିଏ କିନ୍ତୁ ନିହାତି ମାମୁଲି ଗଛ
ତା ଡାଳରେ ଶଂଖଚକ୍ର ଚିହ୍ନ ନାହିଁ
ସେ ଗଛର ଆଖପାଖେ ହୁଙ୍କା ନାହିଁ
କିଛି କ୍ଷଣ ପାଇଁ ଯାହା ପକ୍ଷୀମାନେ
ଆସିଥାନ୍ତି ସେ ଗଛକୁ ସଂଜବେଳେ
ତମେ ତାର ଦକ୍ଷିଣ ରାସ୍ତାରେ ଯିବ
ସନ୍ଧ୍ୟା ହେବା ଆଗରୁ ନିଶ୍ଚୟ

ସେ ରାସ୍ତାରେ ମଶାଣି ପଡ଼ିବ
ଯଦିଓ ସେ ଅତି ସାଧାରଣ
ମଣିଷଙ୍କ ପୋଡା ହେବା ଜାଗା
ସେଠାରେ ନାହାନ୍ତି କେହି ଭୂତ ପ୍ରେତ ଆଦି
ସେଠାରେ ଡାହାଣୀ ବୁଢ଼ୀ ନିଆଁ ଜାଳେ ନାହିଁ
ତମେ କିନ୍ତୁ ନୂଆ ଲୋକ ସେ ସବୁ ନ ଦେଖି
ଚାଲିଯିବ ଆହୁରି ଆଗକୁ ସିଧା ସେଇ ସଡକରେ
କିଛି ବାଟ ବାଁ ପାଖେ ଯିବା ପରେ
ତମେ ପୁଣି ପହଞ୍ଚିବା ଚଉମୁହାଣିରେ
ଏଥର ଆଶ୍ଵସ୍ତ ହୁଅ
ଲେଖା ଅଛି ଚାରିଟି ରାସ୍ତାର ନାଁ
ଆଉ ସେଇ ଛକରୁ ଯାଇଛି ରାସ୍ତା
ସିଧା ତମ ନିଜ ସହରକୁ

ସେ ରାସ୍ତାରେ କିଛିବାଟ ଆସିଯିବା ପରେ
ମନେ ହେଲା ଜାଣିଶୁଣି ହୁଏତ ନିଶ୍ଚିତ
ମନେ ସିଏ ପଥଭ୍ରଷ୍ଟ କଲା
ଅଥବା ନ ଜାଣି ମତେ
ଭୂଲ ରାସ୍ତା ଦେଖାଇଲା
ପୁଣି ମନେହେଲା
ଆଳି ଯଦି ଭୁଲ କରି ଚଉମୁହାଣିରେ
ଲକ୍ଷ୍ୟଭ୍ରଷ୍ଟ ଅନ୍ୟ ଏକ ସହରରେ
ପହଞ୍ଚେ ତଥାପି
ସମ୍ଭବତଃ କିଛି କ୍ଷତି ନାହିଁ

ହୁଏତ ମୁଁ ଜାଣେ ନାହିଁ
ନିଜେ ମୋର ଲକ୍ଷ୍ୟ କିଏ
ଅଥବା ମୁଁ ସ‌ହରକୁ ନୁହେଁ
ସେଇ ଛକ‌କୁ ହିଁ ରାସ୍ତା ଖୋଜୁଥିଲି

<poem>

କୋଠରୀ

ମୋ ଶୋଇବା ଘର ଏକ ଜଉ ଘର ଭଳି
ଅନେକ ଇଚ୍ଛାର ନିଆଁ ଦପ୍ ଦପ୍
ଜଳୁଛି ଲିଭୁଛି ଜଳୁଛି ଲିଭୁଛି <poem>
କେବେ କେବେ ଦେହର ତାତିରେ
ସ୍ୱପ୍ନର ବିଜୁଳି ଆସି
ଆଘାତ କରନ୍ତି ମୋର ଆତ୍ମବିଶ୍ଵାସକୁ
ମୋ ଦେହର ସାମର୍ଥ୍ୟକୁ
ମୁଁ ନିଜେ ସନ୍ଦେହ କରେ
କିଛି କିଛି ବୁଭୁକ୍ଷାରେ
ମରିଯାଏ ଟିକି ଟିକି ହୋଇ
ମତେ ଚାହିଁ ହସେ
ମୋର ବିଛଣାର ନିଷ୍ପାପ ଶୁଭ୍ରତା
ଅତୀତର ଅସଫଳ ସକଳ ମୁହୂର୍ତ୍ତ
ମତେ କରନ୍ତି ବିବ୍ରତ
ମୋ ନିଜର ଘର ମତେକରେ ଭୟଭୀତ
ଶ୍ୱାସରୁଦ୍ଧ ହୋଇ ଯେବେ
ମୁକ୍ତି ଚାହେଁ ସେ ଘର ଭିତରୁ
ମୁହଁ ଦେହ ଇଚ୍ଛା ସବୁ
କାନ୍ଥ ହୋଇ ମତେ ଘେରିଯାନ୍ତି

ବିଜେତା
ଯେଉଁମାନେ ଆସିଥିଲେ ମୋ ଘରକୁ
କେହି କେହି ଏଭଳି ମଧ୍ୟାହ୍ନ ଦେଖି
ଚମକି ପଡ଼ିଲେ
ହଠାତ ପବନ ଲାଗି ଗୁଡ଼ିର ସୂତା ଓ
ସେମାନଙ୍କ ଭାବନାର ଖିଅ ଛିଣ୍ତିଗଲା
ଛାଇ ଭଳି ଛୋଟ ହୋଇ
ଦି'ପ‌ହର ହୋଇଗଲା
କେବଳ ମୁଠାଏ ଧୂସର ଶୂନ୍ୟତା
ସ୍ମୃତି ସବୁ ପକ୍ଷୀ ହୋଇ ଉଡ଼ିଗଲେ
ପ୍ରତିଧ୍ୱନିହୀନ ଅନ୍ତରୀକ୍ଷ ସନ୍ଧାନରେ
ଝାଉଁଗଛ ଚୁପ୍ ହେଲେ
ମଲା ଲୋକ ସେମାନଙ୍କ କାନ୍ଦ ବନ୍ଦ କଲେ
ପୁନ‌ର୍ଜନ୍ମ ନେବାର ଆଶାରେ
ଆକାଶର ଅପନ୍ତରା ଅସମ୍ଭବ ଫିକା ଦେଖାଗଲା
ଏସବୁ ଅଶୁଭ ଦେଖି
ଅନେକେ ଆଶ୍ଚର୍ଯ୍ୟ ହେଲେ ପୁଣି ଭୟଭୀତ
ଏବଂ ଏଇ ଅହେତୁକ ମୁହୂର୍ତ୍ତରେ ମତେ
ଏକା ଏକା ଛାଡ଼ିଦେଇ
ଚାଲିଗଲେ ସେମାନେ ସମସ୍ତେ
ଏଇଭଳି ଅସ୍ତବ୍ୟସ୍ତ ଖରାବେଳେ
ମୁଁ ବସେ ଖେଳିବା ପାଇଁ

ନିଜ ସହ ଛକ ଶୂନ ଖେଳ
ନିଜେ ନିଜ ପ୍ରତିଦ୍ୱନ୍ଦୀ ହୋଇ
ମୁଁ ସ୍ଵୟଂସଂପୂର୍ଣ୍ଣ ହୋଇ
ଯେଉଁପରି ଥରେ ଥରେ ମୋ ନିଜ ଦେହକୁ
ବ୍ୟତିବ୍ୟସ୍ତ କରିଥାଏ ଆତ୍ମରତି ପାଇଁ
ସମୟକୁ ଗାର କାଟି ଭାଗ କରି ଅନେକ ପ୍ରକାରେ
କେଉଁଠାରେ ଛକ ଦିଏ ପୌରୁଷର ପୁନରାବୃଭିରେ
ଏବଂ ପୁଣି କେଉଁଠାରେ ଶୂନ ଦେଇଯାଏ
ଅତୀତର ଅଗଣିତ ନିର୍ବାର୍ଯ୍ୟ ପ୍ରେମର
କାତର ଓ ଭୀରୁ ସ୍ମରଣରେ

ଖରାବେଳ ବେଶି ବେଶି ନିଛାଟିଆ ହୋଇଗଲେ
ମୋ ହାତରେ କାଟିଥିବା ଅସଂଖ୍ୟ ଚିହ୍ନଟମାନେ
କ୍ରମେ କ୍ରମେ ଏକାଠି ହୁଅନ୍ତି
ସେମାନେ ସମସ୍ତେ ପୁଣି ମିଶିଯାନ୍ତି ଅନ୍ତରଙ୍ଗ ହୋଇ
ଖେଳ ଯଦି ଏଇପରି ସରିଯାଏ
ଅସ୍ପଷ୍ଟ ଭାବରେ ବିନା ନିଷ୍ପରିରେ
ଜଣେ କିଏ ହାରିବା ଆଗରୁ
ମୁଁ ସବୁ ଲିଭାଇ ଦିଏ
ସବୁ ଚିହ୍ନ ସବୁ ସଂକେତକୁ
ଆଉ ଥରେ ଗାର କାଟି ଦାଗ ଦିଏ
ମୁଁ ନୂଆ ହରଫ ଲେଖେ ଅତି ସ୍ପଷ୍ଟ ଭାବେ
ନିଃସଂଶୟ ନିଃଶଙ୍କ ହାତରେ
ଆଉ ତାର ଯୋଗଫଳ ଦେଖେ

ହିସାବରେ ମତେ ଯଦି
ଶୂନ ସବୁ ବେଶୀ ଜଣାଯାନ୍ତି
ବିଶେଷତଃ ଶେଷ ସମୟକୁ
ନିଃସନ୍ଦେହ ହାରିବାର ଭୟ
ଏବଂ କିଛି ଆତ୍ମରକ୍ଷାର ଚେଷ୍ଟାରେ
ମୁଁ ନିଜକୁ ପ୍ରତାରଣା କରେ
କିଛି ଛକ କିଛି ଶୂନ ଅଦଳବଦଳ କରି
କିଛି ଚିହ୍ନ ଲିଭାଇ ଓ ଆଉ କିଛି ଚିହ୍ନ ଲେଖି
ଗଣିବାରେ ଜାଣି ଜାଣି ଭୁଲ କରି
ମୁଁ ନିଜକୁ ପରାଜିତ କରେ
ସଂପୂର୍ଣ୍ଣ ଓ ଚୂଡାନ୍ତ ଭାବରେ

ଆଉ ଶୂନଶାନ ମଧ୍ୟାହ୍ନକୁ କହେ
ସମସ୍ତଙ୍କୁ କହିଦିଅ
ଚନ୍ଦ୍ର ସୂର୍ଯ୍ୟ ତାରା ମେଘ ଆକାଶଙ୍କୁ
ଆଜିର ଖେଳରେ
ମୁଁ ଜିତିଛି ନିଶ୍ଚିତ ଭାବରେ

ଗୋପନୀୟ ସତ୍ୟ
ମୋର ଯେତେ ଗୋପନୀୟ ସତ୍ୟ ସବୁ
ଚାଲିଗଲେ ମୋ ପାଖରୁ
ସକାଳର କୁହୁଡ଼ିରେ ମିଶିଯିବା ପାଇଁ
ମୋର ପ୍ରିୟ ବତୀଘର ଶେଷ ପାହାଚରୁ
ଶୂନ୍ୟତାର ସିଡ଼ିରେ ଓହ୍ଲାଇ
ସେମାନେ ସମସ୍ତେ ଯାଇ
ସମୁଦ୍ରରେ ଝାସ ଦେଲେ ମତେ ଛାଡ଼ି ଦେଇ

ସେମାନେ ଅନେକ ନାଁ
ସେମାନେ ଅନେକ ମୁହଁ ଅନେକ ସମୟ
ଛୋଟ ଛୋଟ କେତେ କଥା
କେତେ ସ୍ପର୍ଶ ହାତ ଓ ଓଠର
କେତେ ପୁଣି ହସ
କେତେକ ହଠାତ ଦେଖା
କେତେ ରାତି କେତୋଟି ସକାଳ
ପୁଣି ଦୀର୍ଘଶ୍ୱାସ

ସେମାନେ ସମସ୍ତେ ମୋର
ଅନିଶ୍ଚିତ ମନ ଥିଲେ
ଅସ୍ତବ୍ୟସ୍ତ ଜୀବନର ମୁହୂର୍ତ୍ତ ସକଳ
ଅଜଣା ଛକରେ ବସି
କାପାଳିକ ପ୍ରଶ୍ନ କରୁଥଲା

କାହିଁ ପଥ କାହିଁ ଲକ୍ଷ୍ୟ ସ୍ଥଳ
ତା ଲାଗି ଉତ୍ତର ଥିଲା
ମୋ ପାଖରେ ହତବାକ ବିସ୍ମୟ କେବଳ

ଆଜି ଆଉ ମୋ ମନରେ ସନ୍ଦିହାନ ନାହିଁ
ଅଙ୍କ ସବୁ କଷା ହୋଇଗଲା
ସମାଧାନ ମିଳିଗଲା ସମସ୍ତ ପ୍ରଶ୍ନର
ଜ୍ୟାମିତିକ ଗାର କଟା ରାସ୍ତା ସବୁ
ନିଶ୍ଚିତ ଓ ନିଃସଂଶୟ
ସେ ରାସ୍ତାରେ ଛକ ନାହିଁ
କାପାଳିକ ଅନ୍ତର୍ଦ୍ଧାନ ହୋଇଗଲା
ମୁହାଁମୁହିଁ କେହି ନାହିଁ ମୋର
ଏବେ ମୋର ଏକମାତ୍ର ଲକ୍ଷ୍ୟସ୍ଥଳ
ନିଦ୍ଦିଷ୍ଟ ବୃତ୍ତର ବିନ୍ଦୁ ଶରସନ୍ଧାନୀର

ଅନେକେ ଆସନ୍ତି ଆଜି ମୋ ପାଖକୁ
ମୋ ଓଠରେ ଓଠ ମିଶେ
ମୋ ଦେହରେ ଦେହ
ଅନେକ କଥା ଓ ହସ ସକାଳ ସନ୍ଧ୍ୟାରେ
ଅନେକ ପୁନରାବୃରି ଅନ୍ୟ ଅତୀତର
ଆଳି ଯଦି ମୋ କାନରେ ଓଠ ଦେଇ
ଚୁପ ଚୁପ କଥା କିଏ କହେ
ସେ ଖାଲି କେତୋଟି ଶବ୍ଦ
ଗୋପନୀୟ କିଛି ନାହିଁ
ମୋ ମନରେ ପ୍ରତିଧ୍ୱନି ନାହିଁ ସେ କଥାର

ସେ ଓଠ କେବଳ ଓଠ
ସେ କେବଳ ଦେହ
ଗୋପନୀୟ ସତ୍ୟ ନୁହେଁ
ସେ ନୁହେଁ ମୋ ଏକାନ୍ତ ଆତ୍ନୀୟ

ସେ ମୁହଁ କେବଳ ମୁହଁ : ମୁଖା
ସେମାନଙ୍କ ନାଁ ଖାଲି ନାଁ : ଛଦ୍ମନାମ
ସେମାନଙ୍କ କଥା ଖାଲି କଥା : ଅଭିନୟ
ସେମାନେ କେବଳ
ଓଠ ଦେହ ବରଫ ପଥର

ମୁଁ ଦେଖୁଛି ମୋର ଯେତେ
ଗୋପନୀୟ ସତ୍ୟ ସବୁ ବୟସ୍କ ହୁଅନ୍ତି
ଏବଂ ମତେ ଛାଡ଼ି ଦେଇ
ଆଶ୍ରୟ ନିଅନ୍ତି ଏକ ଅନ୍ୟ ସମୁଦ୍ରର
ସେମାନେ ହୁଏତ ଖୋଜି ବୁଲୁଛନ୍ତି
କେଉଁ ଏକ ନୂଆ ବତୀଘର

ରାସ୍ତା
ଅନେକ ବିବ୍ରତ ଦିନ ଓ ଅଧା ଅନୁଭବକୁ
ମୋର ଚେତନାର ସିନ୍ଦୁକରେ ଚାବି ବନ୍ଦ କରି
ଅନେକ ମୁହଁ ଓ ଦେହ ଚିହ୍ନା ଓ ଅଚିହ୍ନା
ଲୋକମାନଙ୍କର କଥାକୁ ନ ମାନି
କାନ୍ଥର ଲେଖାକୁ ପଢ଼ିବାକୁ ମନା କରିଦେଇ
ଆଖିମାନଙ୍କର ନିମନ୍ତ୍ରଣ ନ ରଖି
ପଂଜୁରୀରେ ବନ୍ଦ ପକ୍ଷୀଟିର ଚିତ୍କାର ନ ଶୁଣି
ମୁଁ ଏକ ସିଧା ଓ ସହଜ ରାସ୍ତା ଖୋଜିନେଲି
ଆଉ ଚକମାନଙ୍କ ସହିତ ଅଶି ମାଇଲର
ଗୀତ ଗାଇ ଗାଇ ମୁଁ ଭାବିଲି :

ମୁଁ ଦେଖିବି ହ୍ରଦରେ ଫୁଲ
ଓ ଫୁଲର ପ୍ରତିବିମ୍ବ ସବୁ ଏକ ହେବେ
ମନ୍ଦିରର ଜାଉଁଳି କାବଟ ଖୋଲିଯିବ
ପୁରୋହିତ ଯାଦୁକର ହେବ
ସଡକରେ ମରି ପଡ଼ିଥିବା ସୂର୍ଯ୍ୟକୁ
ସେ ଜୀବନ୍ୟାସ ଦେବ
ନିର୍ବାକ ପ୍ରହରୀ ଗୀତ ଗାଇବେ
ଓ ଅପରାହ୍ନର ରଙ୍ଗରେ
ପତ୍ର ସବୁ ପକ୍ଷୀ ହେବେ
ରାତିରେ ସେମାନେ ପୁଣି ଅନ୍ତର୍ଦ୍ଧାନ ହେବେ
ପ୍ରତିଧ୍ୱନିମାନେ ମୋ ପାଖକୁ ଫେରି ଆସିବେ
ଓ ମୋ ଦେହର ସ୍ନାୟୁ ସବୁ ରାସ୍ତା ହୋଇଯିବେ

ସେ ରାସ୍ତାରେ
ଗୋଟିଏ ଖପୁରୀ ଓ ଦୁଇଟି ହାଡ଼ର ପ୍ରତିରୋଧ
ଘଣ୍ଟାର ମୁହଁରେ ଥାଇ
ରାକ୍ଷସ ପାଲଟି ଯାଏ ସମୟ
ମୁଁ ନିଜକୁ କ‌ହେ : ଆଗରେ ମୃତ୍ୟୁ
କିଛି ଏ କଥାକୁ ବିଶ୍ୱାସ କରେ
କିଛି ପୁଣି ଅସ୍ୱୀକାର କରେ
ନୀରବତା ଏ ପାଖରେ ମୁଁ ଟିକିଏ ହସେ
ମଲା ଲୋକମାନେ ମୋ ହସରେ
ତାଳ ଦେଇ ସଙ୍ଗୀତ ଗାଆନ୍ତି

ସହର
ମୋ ସୀମାନା ବାହାରେ
ଓ ମୋ କଥାର ପ୍ରତିଧ୍ୱନି ଆର ପାଖେ
ଯେଉଁ ଏକ ସହର ରହିଛି
ସେ ସହର ଦିନେ ମୋର ଏକାନ୍ତ ନିଜର ଥିଲା
ଛୋଟ ଛୋଟ କୋଠରୀରେ ଆମେ ବନ୍ଦ ଥିଲୁ
ପରିପୂର୍ଣ୍ଣ ଥିଲୁ ଆମେ
ନିଜ ନିଜ ଛୋଟ ପରିଧିରେ

ଇସ୍ପାତର ଗଛମାନଙ୍କରେ
ନିଅନର ଫୁଲ ଫୁଟୁଥିଲେ
ଆମର ମନର ସବୁ ମିନି ବସ୍‌ମାନେ
ଲୁଚୁକାଳି ଖେଳୁଥିଲେ କଂକ୍ରିଟର ଗୋଲକଧନ୍ଦାରେ
ରାସ୍ତା ସବୁ ସମୁଦ୍ରର ରଂଗୀନ ଚଟାଣ ଥିଲେ
ବତୀଖୁଣ୍ଟମାନ ତାର ଲହରୀର ଅସଂଖ୍ୟ ଭଉଁରୀ
ଆମର ଯେତେକ ସ୍ଵପ୍ନ
ସେମାନଙ୍କୁ ଦେଇଥିଲା ଅଭୟ ଆଶ୍ରୟ
ଆମର ଏ ଅତିପ୍ରିୟ ନିଷିଦ୍ଧ ନଗରୀ

କାନ୍ଥମାନଙ୍କରେ ଆମେ ଲେଖି ରଖି
ଯୌବନର ଅନେକ ମୁହୁର୍ଭ
ସକାଳର ସୁର୍ଯ୍ୟ
ଏବଂ ସାରାରାତି ତାରାଙ୍କର ଆଲୁଅକୁ

ବାନ୍ଧି ରଖି ଝରକା କାଚରେ
ଅନେକ ନିଷେଧ ଚିହ୍ନମାନଙ୍କର ସଂକେତ ନ ମାନି
ଆମେ ବି ଦେଖିଲୁ
ଆମ ଜୀବନର ବହୁବର୍ଣ୍ଣ ଚଳଚିତ୍ର
ସକାଳ ସଂଧ୍ୟାରେ
ଆଦିମ ରହସ୍ୟ ଭରା ଆମ ନିଜ ବନ୍ଦ କୋଠରୀରେ

ଆମେ ବଡ଼ ହେଲୁ
ପୁଣି ନିଜ ନିଜ ରାସ୍ତା ଖୋଜିନେଲୁ
ହଜିଗଲେ କେତେ କିଏ କେଉଁଠାରେ
କିଏ ଯଦି ମାନିନେଲା ଆଖିଠାର ସବୁଜ ବତୀର
ଲାଲ ଆଲୁଅରେ ପୁଣି କାହାର ବି ଗତିରୋଧ ହେଲା
କିଏ ଯାଇ ମିଶିଗଲା
କାଚ ଆଉ ଇସ୍ପାତର ଅନନ୍ତ ସ୍ରୋତରେ
ଇତସ୍ତତଃ ହେଲା ପୁଣି କିଏ ଯାଇ
ଅନାତ୍ମୀୟ ବିଦେଶର କେଉଁ ଭଡା ଘରେ

ସେ ସହର ଆଜି ଆଉ ଚିହ୍ନି ହୁଏ ନାହିଁ
ନେଲାଣି ସେ ନୂଆ କଳେବର
ରାସ୍ତାଙ୍କର ନୂଆ ନାଁ
ଘର ସବୁ ହେଲେଣି ନିଲାମ
ଠିକଣାରେ ଅଦଳବଦଳ
ପୁରୁଣା କାହାକୁ ଆଉ ଚିହ୍ନି ହୁଏ ନାହିଁ
ରବିବାର ସହରର ଛକ ଆଜି ଚୁପଚାପ
ଶେଷ ବସ୍ ଚାଲିଗଲା ସବୁ ଶୂନଶାନ

ମଝିରାତି
ହଠାତ ମୁଁ ଉଠିବସେ କାହାର ଚିତ୍କାର ଶୁଣି
ସେ କି ଶିଶୁ ଜନ୍ମ ନେଲା
ଅଥବା ସେ ଥିଲା ମଝି ରାତିର କାନ୍ଦଣା
ସେ କି ମୋ ଅତୀତ ଥିଲା
ଆସିଥିଲା ଶାସ୍ତି ଦେବା ପାଇଁ
କି ଭଳି ମୋ ଅପରାଧ ମତେ ନାହିଁ ଜଣା

ଅନେକ ଦୂରରୁ ମତେ କିଏ ଡାକେ
ସମୟର ଅସରନ୍ତି ପାହାଚରେ ମୁଁ ଯାଏ ଓହ୍ଲାଇ
ବିସ୍ମୃତିର ଚୋରାବାଲି ଉପରେ ମୁଁ ଆଙ୍କିଯାଏ
ମୋ ପାଦର ମାନଚିତ୍ର ଅନେକ କ୍ଷତର
କବରଖାନାର ଭଙ୍ଗା ଦୁଆର ମୁଁ ଖୋଲେ
ମୁଁ ପହଞ୍ଚେ ଗୋପନୀୟ ରାସ୍ତାରେ ନିଜର

ସେ ରାସ୍ତାରେ କେହି ନାହିଁ
ସେ ଏକ ଅପରିଚିତ ମରୁଭୂମି
ଆକସ୍ମିକ ଦେଖାର ଅପେକ୍ଷା
ସେ ବାଲିରେ ପାଦଚିହ୍ନ ନାହିଁ
ସବୁ ଲିଭିଗଲା ଝଡର ହାୱ୍ୱାରେ
ନିଜର ଘେରରେ ପୁଣି
ହଜିଲା ସେ ଝଡ ଏକା ଏକା

ମାଇଲ ମାଇଲ ଧରି ମଲା ଦେହ
ପଥରର ଚଟାଣ ଭିତରେ
ସେମାନଙ୍କୁ ଖୋଜୁଛି ମୁଁ
ସେମାନେ ମୋ ବ୍ୟର୍ଥ ମନୋରଥ
ଅସଂପୂର୍ଣ୍ଣ ପ୍ରେମ
ଏବଂ ନିରର୍ଥକ ଅନେକ ପ୍ରୟାସ
ସେମାନେ ମୋ ଜୀବନର
ହତୋତ୍ସାହ ପ୍ରତିଟି ମୁହୁର୍ଭ
ସେମାନେ ସମସ୍ତେ ନାରୀ
ଦେଖିଥିଲି ସ୍ୱପ୍ନରେ ଯାହାଙ୍କୁ
କାମନାର ଗଦା ଗଦା ପାଉଁଶ
ଓ ଭଙ୍ଗାରୁଜା ଘର
ଲିଭିଲା ମହମବତୀ ଖୋଲା ପଂଜୁରୀ
ଓ ଅସଫଳ ଚେଷ୍ଟାମାନ ଶିଥିଳ ଦେହର

ଅଙ୍କାବଙ୍କା ରାସ୍ତାମାନ ପାରି ହୋଇ
ଡେଇଁ ଡେଇଁ ପଥରର ଅନେକ ଚଟାଣ
ମୁଁ ପହଞ୍ଚେ ମୋର ଏକ ନିଜସ୍ୱ ଛକରେ
ସୃତିସ୍ତମ୍ଭ ଉପରେ ମୁଁ ସ୍ଥାଣୁ ହୋଇ
ରହିଯାଏ ସେ ମୂର୍ତ୍ତିର ପଥର ଦେହରେ
ମୁଁ ଦେଖେ ପଲକହୀନ ଆଖି ଦେଇ ତାର
ପହଞ୍ଚିଛି ଅନ୍ୟ ଦେଶ ଅନ୍ୟ ସହରରେ

କେବେ କେବେ କେସ ଦେଶର ସୀମାନ୍ତରେ
ରଙ୍ଗ ଲାଗେ

ଅତର୍କିତେ ବିଜୁଳି ଓ ବକ୍ର ଆସି
ଭାଙ୍ଗିଦିଏ ଆକାଶକୁ ଖଣ୍ଡ ଖଣ୍ଡ କରି
କବରଖାନା ବି ତାର ନିଦ ଭାଙ୍ଗେ
କଡ଼ ଲେଉଟାଏ
ସେମାନେ ଜାଗ୍ରତ କିନ୍ତୁ
ଅଥର୍ବ ମୁଁ ରହିଯାଏ ସେ ସୃତିସ୍ତମ୍ଭରେ
କହିବାକୁ ଯାହା ଥିଲା
ବନ୍ଦ ହୋଇ ରହିଯାଏ ପଥର ଓଠରେ

କେବେ କେବେ ଉଠି ବସେ
ହଠାତ ମୁଁ କାହାର ଚିତ୍କାର ଶୁଣି
ସେ କି ଥିଲା ଆର୍ତ୍ତନାଦ
କେଉଁ ଏକ ପଥର ମୂର୍ତ୍ତିର

ସ୍ୱପ୍ନ
ରାତିରେ ମୁଁ ସ୍ଵପ୍ନ ଦେଖିଲି
ଗୋଟିଏ କପୋତ ଆସି
ମୋ ହାତରେ ରଙ୍ଗୀନ ଫୁଲଟିଏ ଦେଇଗଲା

ମୋ ବିଛଣା ଚାରିପାଖେ ଶୋଇଥିଲେ
ଜାକିଜୁକି ମୋ ମନର ଅସରନ୍ତି ଇଚ୍ଛା ସବୁ
ଧାଡ଼ି ଧାଡ଼ି ଝିଅ ଭଳି
ସେମାନେ ଉଠିଲେ ପୁଣି ଶୋଇଗଲେ
ରାତି ହେଲା ଆହୁରି ଜମାଟ
ଝଙ୍କାଳିଆ ପତ୍ର ଗହଳରେ ପେଚାର ଆଖିରେ

ସେ ଗଛର ଅନ୍ୟ ଏକ ଡାଳରୁ ଯେ ପକ୍ଷୀ
ଦେଖ ମୋ ଆଡକୁ ଅନାଇଛି
ମୁଁ ଭାବୁଛି ସେ ପକ୍ଷୀଟି ଆଚମ୍ବିତେ ବଡ ହେବ
ସେ ପୁଣି ଗରୁଡ ହୋଇ
ଖୁମ୍ପିନେବ ମୋ ଆଖିର ଦୁଇଟି ଡୋଳାକୁ

ଚନ୍ଦ୍ରକୁ ଖୋଜିଲି ତେଣୁ
ପାହାଡ଼ ପଛରେ ଅନେକ ପାହାଡ଼
ମୋଡ଼ି ହୋଇ ଭାଙ୍ଗି ହୋଇ
ଗଛର ଗହଳ ପତ୍ର ଭଙ୍ଗା ପଥର
ଓ ମନ୍ଦିରର ଚୂଡ଼ା ଡେଇଁ

ଅନେକ ଗ୍ରୀଷ୍ମର ସ୍ଥିର ରାତି
ଶତାବ୍ଦୀର ନୀରବତା ପାର ହୋଇ
ରଙ୍ଗହୀନ ଆକାଶରେ ଚନ୍ଦ୍ର ସତେ ଛୁରୀ
ସକାଳର ତାରାମାନେ ଯେଉଁଠାରେ
ଆତ୍ମହତ୍ୟା କରୁଛନ୍ତି ଜଣ କଣ କରି

ମୁଁ ପୁଣି ଦେଖିଲି ଏକ ଫୁଲବଣ
ସାପ ଭଳି ଲତା
ଫୁଲର ପାଖୁଡା ସବୁ ଜିଭ ଭଳି
ମାଡ଼ି ମାଡ଼ି ପଡେ ନିର୍ଜନତା
ରାତିର ଟିକିଏ ଯାହା ଆଲୁଅ
ସେମାନେ ଯାଇ ପଶିଗଲେ ଅନେକ ଗାତରେ
କଳା କଳା ଫୁଲ ଏବଂ ପ୍ରଜାପତିମାନେ
ସବୁକିଛି ମୃତ ଏବଂ ଶୂନଶାନ

ହାତ ସବୁ ଫୁଲ ହୋଇ ଫୁଟୁଛନ୍ତି
ଚାରିଆଡେ ପକ୍ଷୀଙ୍କ ଭିଡରେ
ସାରା ରାତି ଖୋଜୁଛି ମୁଁ
ମୋ ନିଜକୁ ଅନ୍ୟର ସ୍ଵପ୍ନରେ

ପୂର୍ବ ପୁରୁଷ

ମୋ ନାଁ ସେ ଲେଖିଦେଲା
ହାତରେ ସେ ସଜାଡ଼ିଲା
ସେ ନାଁର ପ୍ରତିଟି ଅକ୍ଷର
ସେ ତାକୁ ବି ଜୀବନ୍ୟାସ ଦେଲା
ମୋର ଜନ୍ମପତ୍ରିକାରେ ସଜାଡ଼ିଲା
ରାଶି ଓ ନକ୍ଷତ୍ର ବୟସ ସମୟ
ସେ ଦେଲା ହାତରେ ମୋର
ଭବିଷ୍ୟତ ପଥ ଓ ପାଥେୟ

ତା ଆଦେଶ ମାନି ଆଜି ମନ୍ଦିରକୁ ଯାଏ
ପାଦ ଛୁଏଁ ମଥା ମୁଁ ନୁଆଁଏ
ମନ୍ତ୍ର ପଢ଼େ ପ୍ରହେଳିକା ସହସ୍ର ନାମର
ମୁଁ ତିଳ ତର୍ପଣ କରେ ଆଞ୍ଜୁଳାରେ ପାଣି ଦିଏ
ମାନି ନିଏ ସବୁ ବିଧି ସବୁ ଉପଚାର

ପଛକୁ ମୁଁ ଫେରିଯାଏ ଥରେ ଥରେ
ମୁଁ ତାର ହାତକୁ ଧରି ଚାଲିବାକୁ ଚେଷ୍ଟା କରେ
ଚାରିଆଡେ ଅନ୍ଧକାର
ମୁଁ ଖୋଜେ ଗୋଟିଏ ତାରା
ସେ ତାରା ବି ସିଏ
ସେ ପୁଣି ନକ୍ଷତ୍ର ହୋଇ ମତେ ଜାଳିଦିଏ
ମତେ ଦୃଷ୍ଟିହୀନ କରେ

ଅଗ୍ନିପ୍ରଭା ଆଲୋକରେ ତାର
ତାକୁ ଧରି ରଖିବାକୁ ହାତ ମୁଁ ବଢ଼ାଏ
ମୋ ହାତ ଶୁନ୍ୟକୁ ଛୁଏଁ
ପ୍ରତିଧ୍ୱନି ହୋଇଯାଏ ମୋ କ୍ଷୀଣ ଚିତ୍କାର

ଧୀରେ ଧୀରେ ଫୁଲି ଫୁଲି ସମୁଦ୍ର ଉତ୍ତାଳ ହେଲେ
ମୁଁ ନିଏ ଶପଥ ତାକୁ ହତ୍ୟା କରିବାର
ହାତରେ ମୁଁ ମୁଖାଗ୍ନିର ନିଆଁ ହୁଳା ନେଇ
ଖୋଜିବୁଲେ ତାକୁ ଯାଇ ପଥେ ଓ ପ୍ରାନ୍ତରେ
ଆକାଶରେ ଯୌବନର ବ୍ୟର୍ଥ ସୀମାନ୍ତରେ
ନପୁଂସକ କ୍ରୋଧର କୋଟରେ

ହଠାତ ସେ ଦେଖାଦିଏ ଆକାଶରୁ ବଡ
ଦାନବ ସେ ସୂର୍ଯ୍ୟ ତାର ଆଖି
ସେ ମତେ ଆବୃତ କରେ
ଗ୍ରାସ କରେ ସର୍ବାଙ୍ଗକୁ ମୋର
ହାତ ମୋର ଥମିଯାଏ ସମୁଦ୍ରର ପାଣି ଯାଏ ଶୁଖି

ସେ ପୁଣି କୋଠରୀ ହୋଇ ବନ୍ଦ କରେ ମତେ
ମୁଁ ତାର ପାଦକୁ ଛୁଏଁ ମନ୍ତ୍ର ପଢ଼େ ତିଳ ଦିଏ
ପୁଣି ସେଇ ନିଆଁ ହୁଳା ଦେଇ
ନିଜକୁ ମୁଁ ଜାଳିଦିଏ
ତାର ସେଇ ବନ୍ଦ କୋଠରୀରେ

ଦେବୀ

ତମେ ଆବିର୍ଭାବ ହୁଅ ନିଶାର୍ଦ୍ଧର ଶୂନ୍ୟ ମୁହୁର୍ଭରେ
ଅଧିଷ୍ଠାତ୍ରୀ ଦେବୀ ତମେ
ମୋର ଯେତେ ଗୋପନୀୟ କାମନା
ଓ ମୋ ଦେହର ରକ୍ତମାଂସ ସ୍ନାୟୁମାନଙ୍କର
ତମ ସିଂହାସନ ମୋର ନିରୁପାୟ ଇଚ୍ଛା
ଆଉ ତମର ମନ୍ଦିର
ସ୍ମୃତିସ୍ତମ୍ଭ, ମୋର ଯେତେ ପ୍ରତିହତ ଆଶାମାନଙ୍କର

ତମର ସ୍ଥାପନା ହୁଏ
ଦୁଃସ୍ୱପ୍ନର କେଉଁ ଏକ ଭୟାର୍ତ୍ତ କ୍ଷଣରେ
ତମ ପୂଜା ହୋଇଥାଏ ସହରର ନିଷିଦ୍ଧ ଗଳିରେ
ତମର ସମସ୍ତ ସ୍ତବ ପ୍ରତିଧ୍ୱନି ହୋଇ ଶୁଭେ
କ୍ରୀତଦାସ ବଜାରର ନିଲାମ ଡାକରେ

ଆକି ତମ ପ୍ରତୀକ୍ଷାର ଶେଷ ରାତ୍ରି
ନାଟକର ଶେଷ ଅଙ୍କେ ନାୟକ ନିହତ ହେଲା
ତମର ଯେତେକ ଥିଲେ ଚିହ୍ନିତ ପ୍ରେମିକ
ସବୁ ପଳାତକ ହେଲେ
ମନ୍ଦିରରେ ପୂଜକ ନାହାନ୍ତି
ସମୁଦ୍ରରେ ଢେଉ ନାହିଁ
ଆକାଶରେ ହସ ଏବଂ ଜହ୍ନ ରାତି
କିଛି ଆଉ ଅବଶିଷ୍ଟ ନାହିଁ

ମନ୍ଦିରର ବେଢ଼ା ଖାଲି ସବୁ ଆଜି ଶୂନଶାନ
ଏ ରାତିରେ କେହି ଆଉ ନାହିଁ
ତମ ଅପେକ୍ଷାରେ ତମ ପ୍ରତ୍ୟକ୍ଷର
ସିଂହଦ୍ଵାର ପହରା ଦେଉଛି
ଏଠାର ଏକାକୀ ଦେଖ
ମୁଁ ତମର ଶେଷ ସାମୁରାଇ

ମଲା ଲୋକମାନଙ୍କ ସହିତ ତମ ମନ୍ତ୍ରଣାର ଶେଷ ହେଉ
ତମେ ଆସ ଛମ ଛମ
ରୁପାର ଘୁଙ୍ଗୁର ପିନ୍ଧି ଆଜି ମୋ ସ୍ଵପ୍ନରେ
ଆଜି ସବୁ ଲିଭିଯାଉ ଏ ମନ୍ଦିର ଧୂଳିସାତ ହେଉ
ରାତି ସବୁ ଜଳିଯାଉ ଦେହର ଦାହରେ
ସମସ୍ତ ଆବୃତ କରୁ ରୂପ ବର୍ଣ୍ଣ ସ୍ଵରର ଅନ୍ଧାର
ତମ ହାତ ଅକ୍ଟୋପସ ହୋଇ ମତେ ନିଷ୍ପେଷିତ କରୁ
ତମ ପାଦ ଯୂପକାଠ ହୋଇ ମତେ ବନ୍ଦ କରୁ
ଚିରିଯାଉ ମୋ ହାତର ଦଶଟି ପାଖୁଡା
ତମ ସ୍ତନର କ୍ୟାକଟସ୍ ଲାଗି
ତମ ଦେହ ଚୋରାବାଲି ହୋଇଯାଉ ମତେ ଗ୍ରାସ କରୁ

ଠିକଣା

ସେ କିପରି ଦିନ ଥିଲା
ସମ୍ଭାବନାହୀନ ଆକାଶରେ
ମେଘର ବିବର୍ଣ୍ଣ ଶବ
ନଦୀମାନେ ପ୍ରତିଶ୍ରୁତିହୀନ
ସମୁଦ୍ରରେ ଭାସମାନ ଦୁଃସ୍ୱପ୍ନର ଭଙ୍ଗା ଭଙ୍ଗା ଛାଇ
ବ୍ୟକ୍ତିଗତ ରାତି ସବୁ ନିର୍ଜନ ଓ ନିଦ୍ରାହୀନ
ଅଧିଷ୍ଠାତ୍ରୀ ଦେବୀଙ୍କର କୁଣ୍ଠିତ କାମନାମାନ
ହଜିଗଲେ ଭୟାର୍ତ୍ତ ସ୍ୱପ୍ନରେ
ଛୋଟ ଛୋଟ ଅସହାୟ ମୁହଁ ଆସି
ଭାସି ଭାସି ସକାଳର ସଜ ଆକାଶରେ
କ୍ରମଶଃ ନିଶ୍ଚିହ୍ନ ହେଲେ
ବଞ୍ଚିବାର ବ୍ୟର୍ଥ ପ୍ରୟାସରେ
ନିଃସଙ୍ଗ ପକ୍ଷୀଟି ଏକା
ଉଡି ବୁଲେ ଖାଲି ଦୋତାଲାରେ

ଏଠାରେ ବସନ୍ତ ନାହିଁ ଏ ଏକ ନିର୍ଜନ ଦ୍ୱୀପ
ନିର୍ବାସିତ ଲୋକଙ୍କର ଏ ସବୁ ଇଲାକା
ଏଠାରେ ଏ ଘର ଖାଲି ଆୟତନ ଚାରିଟି କାନ୍ଥର
ବିଛଣାରେ ମଲା ଦେହ
ଅବସନ୍ନ ଇନ୍ଦ୍ରିୟରେ ବିକୃତ ଆକାଂକ୍ଷା
ଅସଂଗତ କୃତ୍ରିମ ରତିର
କିମ୍ବା ସ୍ଵପ୍ନ ଭଳି

ସବୁ କିଛି ଅସ୍ପଷ୍ଟ ଓ ଅନିଶ୍ଚିତ
ଇତସ୍ତତଃ ଜୀବନର ସନ୍ଦିଗ୍ଧ ସନ୍ଧ୍ୟାରେ
ପ୍ରେମପତ୍ର କାହା ପାଇଁ
ଚିଠିରେ ଏ ଠିକଣା କାହାର
ଏ ସବୁ ନିଶ୍ଚିତ ଭାବେ ବୁଦ୍ଧିଜୀବୀମାନଙ୍କର ଖେଳ
ମଲା ଲୋକମାନଙ୍କର ଆତ୍ମପ୍ରବଞ୍ଚନା
ଆତ୍ମା ସବୁ ପ୍ରତ୍ୟାହୃତ
ନିରୁଦ୍ଦିଷ୍ଟ ଦିନ ଏବଂ ନିର୍ବାସିତ ମୁହୂର୍ତ୍ତ ସବୁରେ
ଦୁଇଟି ବଢ଼ିଲା ହାତ ରହିଯାଏ ଅଧା ପାହାନ୍ତାରେ
ପ୍ରେତାତ୍ମାଙ୍କ ସମବେତ କଣ୍ଠସ୍ଵର
ଭରିଦିଏ ଶୁନ୍ୟତାର ଖାଲି ଜାଗା ସବୁ
ଏଠାରେ ଡାକିବ କିଏ
କିଏ ତାର ଉତ୍ତର ବା ଦେବ

ଅନ୍ୟ ଦିନ

ଦିନ ସବୁ ଉଡ଼ିଗଲେ
ଧାଡ଼ି ଧାଡ଼ି ପକ୍ଷୀଙ୍କ ଡେଣାରେ
ମରିଗଲେ ରାତି ସବୁ
ପାହାଡରେ ମଥା ପିଟି ପିଟି
ଆଲୁଅ ମିଶିଲା ଯାଇ
ଚିକିମିକି ତାରାଙ୍କ ମେଳରେ
ପଛକୁ ଅନାଇ ଆଜି ଏତେବେଳେ
ସମୟର ଚଉମୁହାଣିରେ
ମାପୁଛି ମୁଁ ଅତୀତକୁ
ମୋର ଏଇ ଖାଲି ଗିଲାସରେ

ବାନ୍ଧି ମୁଁ ରଖିଲି ମୋର ଯୌବନକୁ
ମୋ ଦେହର କାଚଘର ଚାରିଟି କାନ୍ଥରେ
ପଥର ପାଚେରୀମାନ
ଘେରାଇଲି ମୋ ମନର ଚାରିପାଖେ
ମୋ ଚଞ୍ଚଳ ଜୀବନକୁ ବନ୍ଦ କରି
ପଂଜୁରୀରେ ତାକୁ
ସଯତ୍ନେ ରଖିଲି ନେଇ ସମୁଦ୍ର ଭିତରେ

ସମୁଦ୍ରରେ ଝଡ ହୋଇ ଥମିଗଲା
ବାଲିର ସ୍ତୁପରେ ପୁଣି ଜମା ହେଲା ବାଲି
ଆକାଶର ରଙ୍ଗ ସବୁ ମିଶିଯାଇ ଇନ୍ଦ୍ରଧନୁ ହେଲେ

ଅନେକ ମୁହୁର୍ତ୍ତମାନ ମରି ପୁଣି ଜନ୍ମାନ୍ତର ନେଲେ
ସମୟର ଏଇପରି ଚକା ଭଉଁରୀରେ
ନିଜକୁ ମୁଁ ହଜାଇଲି ମଣିଷଙ୍କ ଭରା ବଜାରରେ

ମୋ କାନରେ ଚୁପଚୁପ
କଥା କିଏ କହିଲା ହଠାତ
ମତେ କେ ଛୁଇଁଲା ଆସି
ମୋ ହାତରେ ହାତ ଦେଲା କିଏ
ମୋର ସବୁ ମନ୍ତ୍ର ପଢ଼ା ବନ୍ଦ ହେଲା
ମୁଁ ଦେଖିଲି ମୋ ନିଜକୁ
ଆଉ ଥରେ ନୂଆ ବିସ୍ମୟରେ
ଭଙ୍ଗା କାଚ ଖୋଲା ଘର ଶୁଖିଲା ବାଲିରେ

ଆଜି ମୁଁ ରକ୍ତାକ୍ତ ହୋଇ
ପଡ଼ିଛି ଏ ସମୁଦ୍ର ସୀମାରେ
ସେ ଦିନ ବି ନାହିଁ ଆଉ
ମୋ ହାତରେ ମୁଠା ମୁଠା ଅବାକ ଶୁନ୍ୟତା
ଆକାଶରେ ଛାଇ ନାହିଁ
ସବୁ କିଛି ନିସ୍ତବ୍ଧ ଓ ଶୂନଶାନ
ରକ୍ତ ଖାଲି ଜମିଯାଏ କାଚ ବାଲି ପଥର ଉପରେ

ଝରକା

ଆହୁରି ଗୋଟିଏ ଦିନ ଚାଲିଗଲା
ଏକାକୀ ରାସ୍ତାରେ
ଦି ପାଖର ଝରକାରେ
ମୁଁ ଖୋଜୁଚି ଚିହ୍ନ ମୁହଁ
ସେମାନେ କାହାନ୍ତି ସବୁ
ଯେଉଁମାନେ ଶୂନଶାନ ସିଡ଼ି ଘରେ
ସମୁଦ୍ରକୂଳରେ ଏବଂ ନିର୍ଜନ ଗଳିରେ
ସେମାନଙ୍କ ନୂଆ ନୂଆ ବୟସର ରହସ୍ୟ ସବୁକୁ
ବୁଝିବାକୁ ଆସୁଥିଲେ ମୋ ପାଖକୁ ଛପି ଛପି
ସକାଳ ସନ୍ଧ୍ୟାରେ
ଅନେକ ସନ୍ଧାନୀ ଆଖି ପାଖ ଘରେ ହସକୁ ନ ମାନି
ସ୍ଵପ୍ନର ଅଞ୍ଜନ ନେଇ ସେମାନଙ୍କ ଅବାକ ଆଖିରେ
ପଞ୍ଜୁରୀରେ ବନ୍ଦ କରି
ପକ୍ଷୀ ଭଳି ସେମାନଙ୍କ କୁମାରୀ ମନକୁ
ଯେଉଁମାନେ କେବେ ଦିନେ
ନିଜକୁ ବି ମୋ ପାଖରେ ସମର୍ପଣ କଲେ

ଗୋଟିଏ ଅଧ୍ୟାୟ ଗଲା
ହଜିଗଲେ ସେମାନେ ସମସ୍ତେ
ଇନ୍ଦ୍ରଜାଲ ସରିଗଲା
ପରୀମାନେ ଅନ୍ତର୍ଦ୍ଧାନ ହେଲେ
ଯେତେକ କୁଆଁରୀ ଝିଅ ପାଦରେ ଅଳତା ଦେଇ

ଚାଲିଗଲେ ବିବାହ ବେଦୀକୁ
ସେମାନେ ସମସ୍ତେ ଯାଇ ହଜିଗଲେ ଘର ସଂସାରରେ
କୁହୁକ ବି ବ୍ୟର୍ଥ ହେଲା
ଅତୀତ ଓ ଭବିଷ୍ୟତ ସବୁ ଲିଭିଗଲା
ଭୟପାଇ ପକ୍ଷୀମାନେ ଚାଲିଗଲେ ଅନ୍ୟ ଆକାଶକୁ
ପ୍ରେମର ତିନୋଟିଯାକ ଶପଥ ବି ହେଲା ନାହିଁ ପୂରା

ମୋ ରାସ୍ତା ଯାଉଚି ସରି
ଝରକାର ମୁହଁମାନେ ଗୁଡ଼ି ହୋଇ ଭାସୁଛନ୍ତି
କୋଠରୀର ଛୋଟ ଆକାଶରେ
ଆଖିମାନେ ତାରା ହୋଇ ଜଳୁଛନ୍ତି
ହସ ସବୁ ଭାଙ୍ଗି ଭାଙ୍ଗି ଚଟାଣରେ ଜମି ଯାଉଛନ୍ତି
ମଲା ଲୋକ ଶୋଇଛନ୍ତି ସେ ଘରର ଏକା ବିଛଣାରେ
ଅନେକ ଅଚିହ୍ନା ଏବଂ ଅନ୍ଧ ଲୋକ ଝରକାକୁ ଚାହିଁ
ମୋ ପାଖରେ ଠିଆ ହୋଇ ଏକା ଭଳି ସ୍ଵପ୍ନ ଦେଖୁଛନ୍ତି

ଏ ରାସ୍ତା ସରିବ ଏବଂ ସମୟ ବି ସୀମାବଦ୍ଧ ହେବ
ମୋର ପ୍ରିୟ ଡାଏରୀର ଫୁଲ ସବୁ
ମରିଯିବେ ଅତି ଉପେକ୍ଷାରେ
ଦେହର ଦୋକାନମାନ ବନ୍ଦ ହେବେ
ପ୍ରେମ ବି ମିଳିବ ନାହିଁ ମତେ ଆଉ ସହଜ କିସ୍ତିରେ
ଏ ଅନ୍ଧାର ଚଟାଣରେ କେହି ହେଲେ ଥିବେ ନାହିଁ ଆଉ
ଦି ପାଖ ଝରକା ସବୁ ଗୋଟି ଗୋଟି ବନ୍ଦ ହୋଇଯିବ
ଆହୁରି ଗୋଟିଏ ଦିନ ଏହିପରି ଚାଲିଯିବ ଯାଉ

ଶେଷ ସୀମାନ୍ତ

ରାତ୍ରିର ବୟସ ନାହିଁ ସମୟର ନାଁ ନାହିଁ
ଆକାଶକୁ ଛୁଇଁ ହୁଏ ଆସ୍ଥାର ସହିତ
ଅନେକ ତାରାଙ୍କୁ ଯାଇ ଚୁପ ଚୁପ କଥା କହି ହୁଏ
ଗୋପନୀୟ ତଥ୍ୟମାନ
ବିନିମୟ କରି ହୁଏ ଅନ୍ଧାର ସହିତ
ସମୁଦ୍ରର ଝଲମଲ ଚଟାଣରେ ଶୋଇଯାଇ ହୁଏ

ସକାଳର ଖରା ଯାଇ
ପରିଚିତ ରୋଗିଣୀର ବିଛଣାରେ ଇତସ୍ତତଃ ହେଲା
ରତିମଗ୍ନ ପୁରୁଷ ଓ ନାରୀମାନେ
କଫିନ ଭିତରେ ଥାଇ ବ୍ୟତିବ୍ୟସ୍ତ ହେଲେ
ଅପହଞ୍ଚ ପ୍ରେମର ଭୟରେ
ଝରକାର କାଚ ଡେଇଁ
ଛାଇ ସବୁ ଭରିଗଲେ ଶୁନ୍ୟ କୋଠରୀରେ
ଏଇ ସମୟରେ :

ସହର ଲୁଣ୍ଠିତ ହେଲା
ପଦାତିକ ସୈନ୍ୟମାନେ ଘେରିଗଲେ ଚାରି ସୀମାନାରୁ
ସାତଟି ଘୋଡାର ରଥ
ଗଡ଼ିଗଲା ସହରର ଗଳିରୁ ଗଳିକୁ
ନଗରୀର ସମସ୍ତ ପ୍ରହରୀ
ବିଶ୍ଵାସଘାତକ ହୋଇ ଅସ୍ତ୍ର ରଖିଦେଲେ

ଚନ୍ଦ୍ରାହତ ଯୁବକ କେତୋଟି
ଏ କଥାର ପ୍ରତିବାଦ କରି ଖାଲି ପ୍ରସ୍ତାବ ଲେଖିଲେ

ସଜାଗ ରହିଚି ଦେଖ
ଏତେବେଳେ ନିର୍ଜନତା କିଭଳି ଭାବରେ
ମଧାହ୍ନର ରୂପ ନେଇ ସମୟର ଦୁଇ ସୀମାନ୍ତରେ

କାହିଁ ମୋର ତୀର ଦିଅ ଢ଼ାଲ ଦିଆ ତରବାରୀ ଦିଅ
ହେ ସୈନ୍ୟ ସାମନ୍ତ ସବୁ
ଆସ ମୋ ସହିତ ଆସ ଶେଷ ସୀମାନ୍ତକୁ
ମୋ ମଥାରେ ଟାଣି ଦି
ଚନ୍ଦନ ଓ ସିନ୍ଦୂରର ଗାର
ମନ୍ତ୍ର ପଢ଼ କାହିଁ ଅଛି ଗ୍ରହବିପ୍ର
ମତେ କୁହ ମଙ୍ଗଳ ମୁହୂର୍ତ୍ତ

କାହିଁ ଗଲେ ମୋର ସବୁ ସହଚର
ଏ ରାସ୍ତାରେ କେହି ନାହିଁ
ପଳାତକ ମୋ ସେନାବାହିନୀ
ମନ୍ଦିର ପଡ଼ିଛି ଖାଲି
କିଏ ନେଲା ସୁନାର ବିଗ୍ରହ
ରତ୍ନ ସିଂହାସନ କାହିଁ
କାନ୍ଦିଗଲା ପୁରୋହିତ
ମୋ ହାତ କାକର ହେଲା କାହିଁକି କାହିଁକି
କିଏ ଅଛ ମୋ ହାତରେ ଭରା ଦିଅ
ଆଣ ଗଙ୍ଗା ଜଳ

ସହରଟା ମଶାଣି ହେଲାଣି
ସିନ୍ଦୁକରେ ଅନେକ କଙ୍କାଳ
ପ୍ରାର୍ଥନା କରିବା ଆସ ଆଜି ଆମେ
ମୁକ୍ତି ପାଇଁ ସେମାନଙ୍କ ଅତୃପ୍ତ ଆତ୍ମାର

ଅନ୍ଧାରର ଆଖି ନାହିଁ
ସମୟରେ ଛାଇ ନାହିଁ
ଅନେକ ପାଦର ଚିହ୍ନ ସମୁଦ୍ର ବାଲିରେ
ହଠାତ୍ ସକାଳ ହୁଏ
ପୁଣି ଏକ ରାତ୍ରିର ପ୍ରତୀକ୍ଷା

ଦଶକାନ୍ତ ବିଚାର

ପ୍ରକାଶିତ ପ୍ରଥମ କୃତିକୁ ନେଇ କୌଣସି କଳାକାରର ସାଫଲ୍ୟ-ବୈଫଲ୍ୟର ମୂଲ୍ୟାୟନ କରିବା ନ୍ୟାୟ ସଙ୍ଗତ ନୁହେଁ । ମାତ୍ର କବି ଶ୍ରୀ ଜଗନ୍ନାଥ ପ୍ରସାଦ ଦାସଙ୍କ ‘ପ୍ରଥମ ପୁରୁଷ’ ଏ ନିୟମର ବ୍ୟତିକ୍ରମ । ଦୀର୍ଘ ପନ୍ଦର ବର୍ଷ କାଳର ଆତ୍ମନିର୍ବାସନ ପରେ କବିତା-ପ୍ରେୟସୀଙ୍କ ପାଖକୁ ଶ୍ରୀ ଦାସଙ୍କର ବିସ୍ମୟକର ପ୍ରତ୍ୟାବର୍ତ୍ତନ, ସଂକଳନ ଆକାରରେ ‘ପ୍ରଥମ ପୁରୁଷ’ ନାମଧରି ପୁସ୍ତକ ପ୍ରକାଶନ, ସର୍ବୋପରି ଗୋଟିଏ ଦଶକ ପରେ ନୂତନ ନାମ ଓ କଳେବର ଧରି ପୁସ୍ତକର ପୁନଃମୁଦ୍ରଣ ଇତ୍ୟାଦି ବିଷୟକୁ ବିଚାରକୁ ନେଇ ଦେଖିଲେ ଏ ପୁସ୍ତକଟି ସବୁଦିଗରୁ ଅଭିନବ ଓ ଏହାର ସାଫଲ୍ୟ ବୈଫଲ୍ୟ ନିରୂପଣର ଏକାନ୍ତ ଆବଶ୍ୟକତା ରହିଛି । ‘ପ୍ରଥମ ପୁରୁଷ’ର ପ୍ରକାଶନ କାଳ ଓଡ଼ିଆ କବିତା ରଚନା କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ ସମୟ । ଏ ସମୟରେ ଓଡ଼ିଆ କବିତା କ୍ଷେତ୍ରରେ ଅଗଣନ କବିଙ୍କର ଆବିର୍ଭାବ ଘଟିଥିଲେ ହେଁ ଉଭୟ ଭାବ ଓ ପ୍ରକରଣର ପରାକାଷ୍ଠା ଦୃଷ୍ଟିରୁ ଯେଉଁ କେତେଜଣ ହାତଗଣନ୍ତା କବି ପ୍ରକୃତ କବିତ୍ୱର ଯଶ ଓ ପ୍ରତିଷ୍ଠା ଅର୍ଜନ କରି ପାରିଛନ୍ତି, ଜଗନ୍ନାଥ ପ୍ରସାଦ ତନ୍ମଧ୍ୟରୁ ଅନ୍ୟତମ । ନଚେତ୍ ଏସମୟର ଅଧିକାଂଶ କବି ଅଗ୍ରଜ ସଚ୍ଚିଦାନନ୍ଦ, ଗୁରୁପ୍ରସାଦ ବା ସମସାମୟିକ ରମାକାନ୍ତଙ୍କ ପ୍ରଭାବରେ ଆଚ୍ଛନ୍ନ ହୋଇ ନିଜର ସ୍ଵତନ୍ତ ଭାବ ଓ ପ୍ରକରଣ ସୃଷ୍ଟିର ପଥ ହରାଇ ବସିଛନ୍ତି । ଏପରି ସମୟରେ ଓଡ଼ିଆ କବିତାର ପ୍ରାଙ୍ଗଣରେ କବି ଜଗନ୍ନାଥ ପ୍ରସାଦଙ୍କର ସ୍ଵାତନ୍ତ୍ର୍ୟ ମଣ୍ଡିତ ଆବିର୍ଭାବ ନିଃସନ୍ଦେହରେ ଗୁରୁତ୍ଵପୁର୍ଣ ଓ ଚାଞ୍ଚଲ୍ୟକର । ଚାଞ୍ଚଲ୍ୟର ଅନ୍ୟ ଏକ କାରଣ ହେଲା ସଂକଳନ ‘ପ୍ରଥମ ପୁରୁଷ’ର ବହିରଙ୍ଗର ଅଭିନବ ଠାଣିମାଣି - ଏହାର ଆୟତନ, ପ୍ରଚ୍ଛଦପଟରେ ଶ୍ରୀ ସତ୍ୟଜିତ ରାୟଙ୍କ ଅନବଦ୍ୟ ସ୍ଵାକ୍ଷର, ପୃଷ୍ଠାଙ୍କ ବର୍ଜନ, ବିରାମ ଚିହ୍ନର ବର୍ଜନ ଇତ୍ୟାଦି- ସବୁ ମିଶି ଓଡ଼ିଆ କବିତାରେ ଏପୁସ୍ତକ ଯଥାର୍ଥରେ ଏକ ‘ପ୍ରଥମ ପୁରୁଷ’ର ଆବିର୍ଭାବ । କବି ଜଗନ୍ନାଥ ପ୍ରସାଦଙ୍କ କବିତାର ସ୍ଵାତନ୍ତ୍ର୍ୟ ଓ ସାଫଲ୍ୟ ବିଚାର କାଳରେ ବଙ୍ଗୀୟ କବି ଶ୍ରୀ ଜୀବନାନନ୍ଦ ଦାସଙ୍କ କଥା ସ୍ଵତଃ ମନକୁ ଆସିଥାଏ । ରବୀନ୍ଦ୍ର ପ୍ରତିଭାର ଆଧିପତ୍ୟ କାଳରେ ଆବିର୍ଭୁତ ହୁଅନ୍ତି ଜୀବନାନନ୍ଦ; ସଂପୂର୍ଣ୍ଣ ସ୍ୱତନ୍ତ୍ର ରୂପ ଧରି ସଂପୂର୍ଣ୍ଣ ନୂତନ ବକ୍ତବ୍ୟ ଓ ପ୍ରକରଣରେ ପ୍ରସ୍ତୁତ-ସଜ୍ଜିତ ହୋଇ । କବିଗୁରୁଙ୍କୁ ମହାନ ବୋଲି ସ୍ଵୀକାର କରି, ତାଙ୍କୁ ଅନୁସରଣ କରିବା ପରିବର୍ତ୍ତେ ତାଙ୍କୁ ସଶ୍ରଦ୍ଧ ପାଠ ପୂର୍ବକ ବିନମ୍ର ପ୍ରଣାମ ଜଣାଇ କବିତା ସୃଷ୍ଟି ପାଇଁ ନିଜର ସ୍ଵତନ୍ତ୍ର ପଥ ଜୀବନାନନ୍ଦ ସଜ୍ଞାନରେ ବାଛି ନେଲାପରି ଜଗନ୍ନାଥ ପ୍ରସାଦ ମଧ୍ୟ ସମକାଳୀୟ ଓ ପୂର୍ବବର୍ତ୍ତୀ କବିବୃନ୍ଦଙ୍କୁ ସଶ୍ରଦ୍ଧ ପାଠପୂର୍ବକ, ସେମାନଙ୍କୁ ଅନୁସରଣ କରିବା ପରିବର୍ତ୍ତେ ସେମାନଙ୍କଠାରୁ ଅନୁପ୍ରେରଣା ଗ୍ରହଣ କରି ନିକର ସ୍ଵତନ୍ତ୍ର ପଥ ତିଆରି କରିନେଇଛନ୍ତି । ତାଙ୍କଠାରେ ସଚ୍ଚିଦାନନ୍ଦୀୟ ଭାବସ୍ଵାଚ୍ଛନ୍ଦ୍ୟ, ଚିତ୍ରକଳ୍ପ ଓ ପ୍ରତୀକର ସୃଷ୍ଟି ଓ ପ୍ରୟୋଗ ନୈପୁଣ୍ୟ ସହ ଗୁରୁପ୍ରସାଦୀୟ ବକ୍ତବ୍ୟ ଓ ଛନ୍ଦ-ସ୍ଵାଚ୍ଛନ୍ଦ୍ୟ, ସମୟ ସମୟ ବିଶେଷରେ ରମାକାନ୍ତୀୟ Quasi-mystical search ଇତ୍ୟାଦି ଲକ୍ଷିତ ହେଉଥିଲେ ହେଁ ଏମାନଙ୍କ ମଧ୍ୟରୁ କାହାରି ପ୍ରଭାବରେ ସେ ଆଚ୍ଛନ୍ନ ହୋଇନାହାନ୍ତି; ବରଂ ତାଙ୍କର କବିତା ସମୂହ ଏମାନଙ୍କ କବିତାର ସମଶ୍ରେଣୀୟ ଓ ସମକକ୍ଷ । ଯଦିବା କିଛି ସାମ୍ୟ ଲକ୍ଷିତ ତାହା କେବଳ ଯୁଗଧର୍ମଗତ ଓ ସମକାଳୀନତାଗତ ସାମ୍ୟ ମାତ୍ର । 'ପ୍ରଥମ ପୁରୁଷ’ର କବିତାଗୁଡ଼ିକ ବ୍ୟକ୍ତିଗତ କବିତା – ଯେଉଁଠି ସମଷ୍ଟି ଅପେକ୍ଷା ବ୍ୟକ୍ତିର ଅନୁଭବସିଦ୍ଧ ଘଟଣାର ଗୁରୁତ୍ଵ ଅଧିକ । କବିତାଗୁଡ଼ିକର କେନ୍ଦ୍ର ସତ୍ତା ମୁଁ– ପ୍ରଥମ ପୁରୁଷ - ନିଜେ କବି-ବ୍ୟକ୍ତି । ସେ ବ୍ୟକ୍ତି ଏଲିୟଟୀୟ J.Alfred Prufrockର ସମତୁଲ । ସେ ଅପାରଗ,ଭୀରୁ, କାପୁରୁଷ, କ୍ଳୀବ ପୌରୁଷର ଅଧିକାରୀ - ଅତୀତକୁ ଖାଲି ଗିଲାସରେ ମାପୁଛି । ତା ଜୀବନର ନଙ୍ଗର ଉଠାଇ ସେ ଦୂରକୁ ଯାଇପାରୁନାହିଁ, ଦିଗନ୍ତର ପିପାସା ସତ୍ତ୍ୱେ ବାରମ୍ବାର କେନ୍ଦ୍ରକୁ, ଅର୍ଥାତ ସ୍ୱମଧ୍ୟକୁ ଫେରୁଛି । ନିଜ ଜୀବନର ଟ୍ରାଜେଡ଼ିକୁ ଭୁଲିବା ପାଇଁ ‘କବଚ' ପିନ୍ଧୁଛି ସେ । ସେ ପ୍ରଚଣ୍ଡ ଦେହବାଦୀ, କାମାର୍ତ୍ତ ପୁରୁଷ ; କିନ୍ତୁ ନିଜ ପୌରୁଷରେ ତାର ବିଶ୍ଵାସ ନାହିଁ । ସେ ସନ୍ଦେହ କରେ ନିଜର ଦେହର ସାମର୍ଥ୍ୟକୁ । ଜୀବନର ‘ଚଉମୁହାଣୀ'କୁ ସେ ଡରେ, କାରଣ ସେ ଜାଣେ ନାହିଁ କେଉଁ ରାସ୍ତା ତାର ‘ଲକ୍ଷ୍ୟ’ ।

ପ୍ରଚଳିତ ସମୟରେ ବ୍ୟକ୍ତି ଦୟନୀୟ ଭାବେ ନିଃସଙ୍ଗ-ଉଭୟ ବାହାରେ ଓ ଭିତରେ । ତାର ସ୍ଥିତି ଏକ ‘ଶବ’ର ସ୍ଥିତି । ସେ ବନ୍ଧୁହୀନ ଅନିକେତ ଶରଣାର୍ଥୀତୁଲ୍ୟ । ତାର ଜୀଇଁ ଥିବା ସମୟତକ କର୍ମ ପାଇଁ, ବନ୍ଧୁତା-ସମ୍ପ୍ରୀତି ପାଇଁ, ଏପରିକି ପ୍ରେମ ବା ଜୀଇଁ ରହିବା ପାଇଁ ସୁଦ୍ଧା ଅନୁକୂଳ ନୁହେଁ । ସେ ସମସ୍ତଙ୍କୁ ସନ୍ଦେହ କରେ, ଏପରିକି ତାରି ଶଯ୍ୟରେ ଶାୟିତା ତାର ସଙ୍ଗିନୀକୁ ମଧ୍ୟ -

ସେ କି ମୋର ଜୀବନ ସଙ୍ଗିନୀ
ଅଥବା ସେ ଅକସ୍ମାତ ବନ୍ଧୁ ମୋର
ସେଦିନ ସନ୍ଧ୍ୟାର
ମୁଁ ତାର ଦେହର ବାର୍ତ୍ତା ପଢ଼ିବାକୁ ଖୋଜେ
ସେ କି ଖାଲି ମାଂସ ଆଉ କାମନାର
ଅବା ମୋର ରୋଗଗ୍ରସ୍ତ ମନର ବିକାର

ଆଧୁନିକ ମଣିଷ ନିଳକୁ ଢାଙ୍କିବା ପାଇଁ 'ମୁଖା' ଖୋଜେ, ଯେଉଁ ମୁଖାର ଆଢୁଆଳରେ ତାର ପୌରୁଷର ସମସ୍ତ ଖର୍ବତା ଲୁଚିଯିବ ଓ ସେ ଛଦ୍ମ ପୌରୁଷ ଜାହିର କରିପାରିବ-

ମୁଁ ଏମିତି ମୁଖା ଖୋଜୁଥିଲି
ତା ଆଖିର ଇଷତ ନୀଳରେ
ଯେତେକ କୁଆଁରୀ ଝିଅ
ସବୁ ମୋର ବଶୀଭୂତ ହେବେ
ମୁଁ କହିବି ରାତି ଏବଂ ସୂର୍ଯ୍ୟ ଅସ୍ତ ଯିବ
ମୋ ବୟସ ବଢ଼ିଯାଏ
ଗୋଟିଏ ମୁଖାରୁ ଖାଲି ଅନ୍ୟ ମୁଖାଯାଏ
ଗୋଟିଏ ଛଳନାଠାରୁ ଅନ୍ୟ ଛଳନାକୁ

ତାର ମୁଖା ସର୍ବସ୍ୱ ବିଭକ୍ତ ବ୍ୟକ୍ତିତ୍ୱ (Split Personality) ସେ ନିଜେବି ଚିହ୍ନି ପାରେ ନାହିଁ ଏବଂ ଆତ୍ମ ପ୍ରତାରଣାରତ ହୋଇ ନିଜକୁ ସାନ୍ତ୍ୱନା ଦିଏ । ମଣିଷର ଅସହାୟତାର କାରଣ ବହୁବିଧ - ଭାଗ୍ୟ, ପରମ୍ପରା, ପୂର୍ବପୁରୁଷ, ପରିବେଶ ଇତ୍ୟାଦି । ଏ ସଭିଙ୍କ ଘେରରେ ବ୍ୟକ୍ତି ନିରୂପାୟ, ଅସହାୟ । ଏମାନେ ତାର ‘ବତୀଘର', 'ଅବସନ୍ନ ଦେହର ଆଶ୍ରୟ' । ଏମାନଙ୍କୁ ଛାଡ଼ି ତାର ସ୍ଵତନ୍ତ୍ର କିଛି ପରିଚୟ ନାହିଁ । ଏମାନଙ୍କର ପ୍ରଭାବ-ପରାକ୍ରମ ଆଗରେ ସେ ଅସହାୟ, କାକୁସ୍ଥ - ବିଶ୍ଵରୂପ ଦର୍ଶନ କାଳରେ ଗାଣ୍ଡିବୀ ତୁଲ୍ୟ - ସେ ମୋତେ ଆବୃତ୍ତ କରେ ଗ୍ରାସ କରେ ସର୍ବାଙ୍ଗକୁ ମୋର, ହାତ ମୋର ଥମି ଯାଏ ତାର ଚତୁର୍ପାଶ୍ଵର ମଣିଷ ବିଶ୍ୱାସଘାତକ, ସେ ନିଜେ ଅପାରଗ, ଅକ୍ଷମ, ଅସହାୟତା ହାତରେ ମୃତ । ‘ପ୍ରଥମ ପୁରୁଷ’ର କବିତାଗୁଡ଼ିକ ମୁଖ୍ୟତଃ ବ୍ୟକ୍ତିର ବିଫଳତାରୁ ଉତ୍ସାରିତ ଓ ଏ ବିଫଳତାର ଅନେକ କାରଣ ମଧ୍ୟରୁ ପ୍ରେମଜନିତ ବିଫଳତା ଅନ୍ୟତମ । ବ୍ୟକ୍ତି ଜାଣେ ଯେ 'ଗୋଟିଏ ସଫଳ ପ୍ରେମ ସମସ୍ତ ଜୀବନ’; ତଥାପି ସେ ସାଫଲ୍ୟ ହାସଲ କରି ପାରେ ନାହିଁ । ତାର ଚେତନାରେ ପ୍ରେମ ଆସକ୍ତ ଦେହକୈନ୍ଦ୍ରିକ, ଦେହହୀନ ନିରାସକ୍ତ ନୁହଁ । ଜୀବନର ମୌଳପ୍ରବୃତ୍ତିକୁ କବିତାଗୁଡ଼ିକରେ ସ୍ୱୀକାର କରିବାର ଅସାଧାରଣ ସାଧାରଣତ୍ୱରେ ଉଜ୍ଜଳ ଏଠାରେ ବ୍ୟକ୍ତିର ବ୍ୟକ୍ତିତ୍ଵ । ଇନ୍ଦ୍ରିୟ ଭୋଗର ପୁନଃ ପୁନଃ ଆକାଂକ୍ଷାରେ ଉନ୍ମନ ବ୍ୟକ୍ତିର ସତ୍ତା । ପ୍ରେମର ଦେହଜ ଭୋଗର ଅନିବାର୍ଯ୍ୟତାକୁ ଆଧୁନିକ ଓଡ଼ିଆ ସାହିତ୍ୟରେ କବି ମାୟଧର ସାହସର ସହିତ ସ୍ୱୀକାର କରିଥିଲେ । ତେବେ ମାୟାଧରୀୟ ପ୍ରେମର ରୋମାଣ୍ଟିକ ଚଟୁଳତା ଅବଶ୍ୟ ‘ପ୍ରଥମ ପୁରୁଷ’ରେ ନାହିଁ । ତଥାପି ଏକଥା ସ୍ୱୀକାର୍ଯ୍ୟ ଯେ ମାୟାଧର-ଉତ୍ତର କାଳରେ ପ୍ରେମର ଇନ୍ଦ୍ରିୟ-ଭୋଗୀ ସ୍ୱରୂପକୁ ଏତେ ସ୍ପଷ୍ଟ ଭାବରେ କେବଳ ‘ପ୍ରଥମ ପୁରୁଷ’ରେ ହିଁ ସ୍ୱୀକାର କରାଯାଇଛି । ପୂର୍ବସୁରୀ ଗୁରୁପ୍ରସାଦଙ୍କ କବିତାରେ ଦେହସର୍ବସ୍ୱତା ପ୍ରତି ଯେଉଁ ବ୍ୟଞ୍ଜନାମୟ କଟାକ୍ଷ ଓ ବ୍ୟାଜସ୍ତୁତି ଲକ୍ଷିତ, ‘ପ୍ରଥମ ପୁରୁଷ’ରେ ତାହା ମଧ୍ୟ ଅନୁପସ୍ଥିତ । ‘ପ୍ରଥମ ପୁରୁଷ’ର ପ୍ରେମ ଏକ ସହଜ ସୁନ୍ଦର ପ୍ରେମ । ଅତୀନ୍ଦ୍ରିୟର ବନ୍ଧନ ନାହିଁ । ଦେହକୁ ଲଜ୍ଜାକର ମନେ କରିବାର ଅଭୀପ୍‌ସା ନାହିଁ । ବରଂ ପ୍ରେମ ପାଇଁ ବ୍ୟାକୁଳ ହେଉଥିବା, ଅଥଚ ପାଇ ପାରୁନଥିବା, ବ୍ୟକ୍ତିତ୍ୱହୀନ କକ୍ଷଚ୍ୟୁତ ବିବିକ୍ତ ଶୂନ୍ୟତା ମଧ୍ୟରେ ଘାଣ୍ଟି ହେଉଥିବା ଏକ ବ୍ୟକ୍ତିତ୍ଵର ସତ୍ତା ଏଠାରେ ଉଦ୍‌ଭାସିତ । ଏବଂବିଧ ଗୋଟିଏ ସଫଳ ପ୍ରେମ ଏଠାରେ ଗୋଟିଏ ସମଗ୍ର ଜୀବନର ପରିମାପକ । ଅବଶ୍ୟ ପରବର୍ତ୍ତୀ କାଳରେ ଜୀବନକୁ ପ୍ରେମ ଦେଇ ମାପୁଥିବା କବି ଜଗନ୍ନାଥ ପ୍ରସାଦ ମନେ କରିଛନ୍ତି 'ପ୍ରତ୍ୟେକଟି ପ୍ରେମ ଗୋଟିଏ ଗୋଟିଏ ମୃତ୍ୟୁ ।' କିନ୍ତୁ ଏହି ପରବର୍ତ୍ତୀ କାଳର ଚେତନା ମଧ୍ୟରେ ବ୍ୟକ୍ତିର ପ୍ରେମ ବ୍ୟକ୍ତିତ୍ୱର ଗଣ୍ଡି ଡେଇଁ ବିଚ୍ଛୁରିତ ହୋଇଛି ବହୁର ଜଗତରେ । ‘ପ୍ରଥମ ପୁରୁଷ’ର ପ୍ରେମ କିନ୍ତୁ ବ୍ୟକ୍ତିଗତ, ଦେହସିଦ୍ଧ, ବିଫଳତା-ପାକ । କ୍ରମ ଅପସୃୟମାନ ଯୌବନ ପାଇଁ ହା ହା କାର କରୁଛି ବ୍ୟକ୍ତି ନବଯଯାତି ତୁଲ୍ୟ- ମୋ ଦେହର ପାଚେରୀରେ ଫୁଲ ସବୁ ମରିଗଲେ ଉଡ଼ିଗଲେ ଦିଗନ୍ତରେ ଧାଡ଼ି ଧାଡ଼ି ନାମହୀନ ପକ୍ଷୀ ଲୁଚିଗଲେ ପବନର ପଣତରେ ପାରିଲିନି ରଖି ସମୟକୁ କିପରି ‘ବନ୍ଦ କରି ହେବ ଏକ ଖାଲି କୋଠରୀରେ' - ତାହା ବ୍ୟକ୍ତି ଜାଣେ ନାହିଁ । ଫାଶୀ ପାଏ, ରକ୍ତାକ୍ତ ହୁଏ, ତାର ଯୌବନ ସମୟ ହାତରେ । ତା ହାତରେ ଅବଶିଷ୍ଟ ରହେ ‘ମୁଠା ମୁଠା ଶୂନ୍ୟତା’ ଏବଂ ‘ଅନେକ ଯନ୍ତ୍ରଣା ମିଶି ପ୍ରେମିକାର ମୁହଁ ହୋଇଯାଏ ।’ ‘ଗୋଟିଏ ସଫଳ ପ୍ରେମ : ସମସ୍ତ ଜୀବନ' ସେ ଖୋଜି ପାଏ ନାହିଁ; କେବଳ ନିଜର ବ୍ୟର୍ଥତାର ନିର୍ଜନତାରେ ନିଜେ ବନ୍ଦୀ ହୁଏ । ପରବର୍ତ୍ତୀ କାଳରେ ଜଗନ୍ନାଥଙ୍କ ଚିନ୍ତା-ଚେତନାରେ ଭିନ୍ନ ଉତ୍ତରଣ ସୁସ୍ପଷ୍ଟ । ‘ପ୍ରଥମ ପୁରୁଷ’ର ବ୍ୟକ୍ତି ସ୍ଵକେନ୍ଦ୍ରରେ ଘୂର୍ଣ୍ଣିତ, କିନ୍ତୁ ପରବର୍ତ୍ତୀ ରଚନା ‘ଅନ୍ୟ ସବୁ ମୃତ୍ୟୁ ଓ ଅନ୍ୟାନ୍ୟ କବିତା’ ଏବଂ ‘ଯେ ଯାହାର ନିର୍ଜନତା'ରେ ବ୍ୟକ୍ତି ଏହି ଆତ୍ମକୈନ୍ଦ୍ରିକତା, କ୍ଳୀବତା ଓ ଭୀରୁତାରୁ ବାହାରି ଆସିଛି ବାହାରକୁ ଦୃଢ଼ ପାଦରେ, ନିଜର ସ୍ଥିତିକୁ ଜାହିର କରିଛି- ଜିଣିବା ଓ ହାରିବାର ପ୍ରଶ୍ନ ନାହିଁ ଯୁଦ୍ଧର ପ୍ରସ୍ତୁତି ଓ ଆଧିପତ୍ୟ ନିଜକୁ ପ୍ରତାରଣା ସମୟକୁ ନୁହେଁ ମନେରଖ ପ୍ରେମ ସମୟର ଏକମାତ୍ର ନିର୍ଣ୍ଣାୟକ ସମୟ କୌଣସି ସମ୍ବେଦନା ମାଗେ ନାହିଁ ‘ପ୍ରଥମ ପୁରୁଷ’ରେ କବିର ଚେତନାରେ ଦୁଇଟି ସ୍ଵରର ସମାନ୍ତରାଳ ସ୍ଥିତି ଲକ୍ଷଣୀୟ । ପ୍ରଥମଟି ହେଉଛି ବ୍ୟକ୍ତିର ନିଜ ସ୍ଥିତିର ବ୍ୟାକୁଳ ସନ୍ଧାନ ଓ ବ୍ୟକ୍ତି ଜୀବନରେ ବ୍ୟର୍ଥତା-ଅତୃପ୍ତି-ଜନିତ ବିବିକ୍ତ ଶୂନ୍ୟତା । ଦ୍ୱିତୀୟଟି ହେଲା ଗୋଟିଏ ସଫଳ ପ୍ରେମକୁ ଜୀବନ ଜୀଇଁବାର ପରିମାପକ ଭାବେ ଉପଲବ୍ଧି କରିବା । ଏହି ସବୁ ଭାବ ଓ ଚେତନାକୁ ରୂପ ଦେବା ପାଇଁ କବି ନିଜସ୍ଵ ଅଭିନବ ଶିଳ୍ପବିଧି ପ୍ରୟୋଗ କରିଛନ୍ତି । ଏ ପ୍ରୟୋଗ ବିଧି, କହିବା ବାହୁଲ୍ୟ, ଜଗନ୍ନାଥ ପ୍ରସାଦଙ୍କୁ କବି ଭାବରେ ସ୍ଵତନ୍ତ୍ର କରି ଚିହ୍ନିତ କରିଛି । ପରବର୍ତ୍ତୀ ଦୁଇ କବିତା ସଂକଳନ ଅପେକ୍ଷା କବିଙ୍କର ଏହି ପ୍ରଥମ ମାନସ କବିତାଟି ଅଧିକ ମନୋହାରୀ । ଏଥିରେ ଜଗନ୍ନାଥ ପ୍ରସାଦଙ୍କ ପରବର୍ତ୍ତୀ ଅନ୍ୟାନ୍ୟ ସଂକଳନରେ ଲକ୍ଷିତ ନିଟୋଳ ଗଦ୍ୟଛନ୍ଦର କଠିନ ଗୁରୁଭାବ ଅପ୍ରକଟ । ଏ କବିତାର ଛନ୍ଦ-ବନ୍ଧରେ ଭାଷା ସାରଲ୍ୟ ସହ ଶ୍ରୁତି ମାଧୁର୍ଯ୍ୟ ନିବିଡ଼ ହୋଇ ଯାଇଥିବାରୁ ପଠନ କାଳରେ ଅର୍ଥବୋଧରେ ବାଧାବନ୍ଧନ ସୃଷ୍ଟି ହେଉନାହିଁ । ସ୍ଥଳ ବିଶେଷରେ ଅର୍ଥବୋଧ ହେଉ ନ ହେଉଣୁ ଛନ୍ଦ ଆନ୍ଦୋଳନ ହୃଦୟ ସ୍ପର୍ଶ କରି ପାରୁଛି । ‘ପ୍ରଥମ ପୁରୁଷ’ର ପ୍ରକରଣରେ ଦେଖାଦେଇଥିବା ବୈଶିଷ୍ଟ୍ୟଗୁଡ଼ିକୁ ନିମ୍ନମନ୍ତେ ସଜାଇ ଦିଆଯାଇପାରେ- କ) ବାକ୍‌ରୀତି ସହ କାବ୍ୟରୀତିର ମିଶ୍ରଣ ଖ) ଗଦ୍ୟର ଭାଷା, କଥ୍ୟ ଭାଷା ଓ ନୂତନ ଶବ୍ଦଗଠନ ଏବଂ ଏମାନଙ୍କ ପ୍ରୟୋଗ କାଳରେ 'ବେଦର ବିଚାର' ପରିହାର ଗ) ଶବ୍ଦ ପ୍ରୟୋଗରେ ମିତବ୍ୟୟିତା ଓ ବ୍ୟକ୍ତିଗତ ତଥା ସର୍ବଜନୀନ ପ୍ରତୀକର ବ୍ୟବହାର ଘ) ଚିତ୍ରକଳ୍ପ ସୃଷ୍ଟି ତଥା ଚିତ୍ରକଳ୍ପରୁ ଚିତ୍ରକଳ୍ପକୁ ଉଲ୍ଲମ୍ପଂନ ଙ) ଆବେଗଗ୍ରଥିତ ପାରସ୍ପର୍ଯ୍ୟ ଉପରେ ଗୁରୁତ୍ୱ ଚ) ଭାବନାକୁ ଚିତ୍ର ସ୍ତରକୁ ଏବଂ ଚିତ୍ରକୁ ଭାବନା ସ୍ତରକୁ ଉନ୍ନୀତ କରିବାର ଉଦ୍ୟମ ଛ) ନିରାକାର ଭାବକୁ ଏକ ସାକାରୀଭୂତ ରୂପ(Physical Form) ଦେବାର ଉଦ୍ୟମ ଜ) ବାକ୍ୟରେ ଅବ୍ୟୟର ବହୁଳ ବ୍ୟବହାର ଝ) ପୂର୍ଣ୍ଣଚ୍ଛେଦ, କମା ଇତ୍ୟାଦି ବିରାମ ଚିହ୍ନର ବିରଳ ବ୍ୟବହାର ଞ) ପୁସ୍ତକରେ ପୃଷ୍ଠାଙ୍କ ବ୍ୟବହାର ବର୍ଜନ ବସ୍ତୁତଃ ଏହି ସବୁ ସମୀକ୍ଷା ଓ ନିରୀକ୍ଷାରୁ ଏହା ପ୍ରତିଭାତ ହୁଏ ଯେ ଶ୍ରୀ ଦାସଙ୍କ କବିପ୍ରତିଭା ଦେଶ-କାଳ-ପାତ୍ର ନିରପେକ୍ଷ ଭାବରେ ସ୍ୱୀକୃତ । ଓଡ଼ିଆ କବିତାର ଦ୍ଵାରରେ ଦଶବର୍ଷ ତଳେ ମହାର୍ଘ କାବ୍ୟ-ଉପଢ଼ୌକନ ଘେନି ଉପସ୍ଥିତ ହୋଇଥିଲା ତାଙ୍କର ପ୍ରଥମ କବିତା ସଂକଳନ 'ପ୍ରଥମ ପୁରୁଷ’ । ଅନ୍ତୀରଣ ବିଗତ ଦଶ ବର୍ଷ ମଧ୍ୟରେ ସେ ଯେ ଅନେକ ଆଗନ୍ତୁକ କାବ୍ୟ-ପୁରୁଷର ଆମନ୍ତ୍ରକ ହୋଇଛି, ଏହା ହିଁ ତାର ଏକ ବିଶେଷ ସିଦ୍ଧି । କବି ଜୀବନର କାବ୍ୟର ଏଇ ପ୍ରବହମାନତା ନିୟତ ହେଉ – ‘ପ୍ରଥମ ପୁରୁଷ'ର ପ୍ରଥମ ଦଶନ୍ଧି ପୂର୍ତ୍ତି କାଳରେ ଓଡ଼ିଆ କବିତାର ଜଣେ ସଶ୍ରଦ୍ଧ ପାଠକ ଭାବରେ ଏଇ ଆଶା ପୋଷଣ କରୁଛି । ଗିରିବାଳା ମହାନ୍ତି ଶାନ୍ତିନିକେତନ ୧୦-୧୦-୧୯୮୧ ପରିଶିଷ୍ଟ ୨ ସମୀକ୍ଷା ‘ପ୍ରଥମ ପୁରୁଷ’କୁ କେନ୍ଦ୍ରକରି ଓଡ଼ିଆ ତଥା ଅଣଓଡ଼ିଆ ବହୁ କବି ଓ ସମାଲୋଚକ ବହୁ ମହାର୍ହ ମତ ପ୍ରଦାନ କରିଛନ୍ତି । ‘ପ୍ରଥମ ପୁରୁଷ’ର ଦଶନ୍ଧି ପୂର୍ତ୍ତି କାଳରେ ସେସବୁ ମତ ସଂପର୍କରେ ସୂଚନା ଦେବା ପ୍ରାସଙ୍ଗିକ ହେବ ଏବଂ ଏଇସବୁ ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀର ସୂଚନା ନ ଦେଲେ ଏ ପରିକ୍ରମା ଅସଂପୂର୍ଣ୍ଣ ରହିଯିବ । ଏ ପୁସ୍ତକ ପ୍ରକାଶ ଓ ଏହାର ଅନ୍ୟାନ୍ୟ ଭାଷାନ୍ତର ସଚେତନ ପାଠକର ଦୃଷ୍ଟି ଆକର୍ଷଣ କରି କି ପ୍ରକାର ଭାବାନ୍ତର ସୃଜିଛି ଏ ସୂଚନାରୁ ତାହା ସ୍ପଷ୍ଟ ହୋଇଉଠିବ । ‘ପ୍ରଥମ ପୁରୁଷ’ ହିନ୍ଦୀ, ଇଂରାଜୀ, ଉର୍ଦ୍ଦୁଭାଷାରେ ଅନୂଦିତ । ଏହାର ହିନ୍ଦୀ ରୂପାନ୍ତର କରିଛନ୍ତି ଶ୍ରୀ ଶଙ୍କରଲାଲ ପୁରୋହିତ, ଇଂରାଜୀ ଭାଷାନ୍ତର କରିଛନ୍ତି ଶ୍ରୀ ଦେବପ୍ରସାଦ ପଟ୍ଟନାୟକ ଏବଂ ଉର୍ଦ୍ଦୁ ଅନୁବାଦ କରିଛନ୍ତି ଶ୍ରୀମତୀ ଶହିଦା ସୟଦ । ଓଡ଼ିଆ ହିନ୍ଦୀ ଓ ଇଂରାଜୀରେ ଅନ୍ୟୁନ ସତେଇଶଟି ସମୀକ୍ଷା ଓ ମୂଲ୍ୟାୟନ ପ୍ରକାଶ ପାଇଛି । ଅଧିକାଂଶ ସମୀକ୍ଷାରେ କବିତାଗୁଡ଼ିକର ଭାବୈଶ୍ଵର୍ଯ୍ୟ ତଥା ପ୍ରକରଣବନ୍ଧର ନୈପୁଣ୍ୟ ନେଇ ବିସ୍ମୟ ପ୍ରକାଶ ପାଇଛି । ଏଗୁଡ଼ିକ ଯେ 'ବ୍ୟକ୍ତିଗତ କବିତା’ ଏବଂ କାବ୍ୟିକ ପ୍ରତିନ୍ତ୍ରିୟା ଦୃଷ୍ଟିରୁ ଏ ସକଳ କବିତା ଯେ ଗୋଟିଏ ବଡ଼ କବିତାର ଅଂଶ - ଏହା ସ୍ୱୀକାର କରାଯାଇଛି । ଓଡ଼ିଶାର ପ୍ରଖ୍ୟାତ କବି ଶ୍ରୀ ହରପ୍ରସାଦ ଦାସ ଏ ସଂକଳନର ସମୀକ୍ଷାକାଳରେ କହିଛନ୍ତି - "କାବ୍ୟିକ ପ୍ରତିକ୍ରିୟା ଦିଗରୁ ଏ ସମସ୍ତ କବିତା ବୋଧହୁଏ ଗୋଟିଏ ବଡ଼ କବିତାର ଅଂଶମାନ ! ...ଏ ସମସ୍ତ କବିତା ଏକପ୍ରକାର ‘ବ୍ୟକ୍ତିଗତ କବିତା’ ପର୍ଯ୍ୟାୟର । ... ‘ପ୍ରଥମ ପୁରୁଷ' ମୁଁ । ବହିର୍ଜଗତ ପ୍ରତି ବ୍ୟକ୍ତିର ପ୍ରତିକ୍ରିୟା ଏଭଳି ଏକ କାବ୍ୟିକ ସଂଜ୍ଞା ଲାଭ କରିଛି ଯେ ବେଳେବେଳେ ମନେହୁଏ ଏ ସମସ୍ତ କବିତା ଯେପରି ଏକ ବିରାଟ ସ୍ଵଗତ ନାଟକ । ବ୍ୟକ୍ତିଗତ ଜୀବନର କ୍ଷୟ-କ୍ଷତିର ଉର୍ଦ୍ଧ୍ୱରେ ଯେ ଏକ ଜଗତ ଅଛି ଓ ତାହା କାମ୍ୟ ଏ ବିଶ୍ଵାସ ଏହି କବିଙ୍କର ନାହିଁ । କବି ବିଶ୍ୱାସ କରନ୍ତି ଯେ ଏହି କ୍ଷୟକ୍ଷତି ହିଁ ଜୀବନ ଓ ଏହି ଜୀବନକୁ ସାମ୍ନା କରି ଠିଆ ହେଲେ ଯେଉଁ ପ୍ରତିଚ୍ଛବି ମିଳେ ତାହା ତାଙ୍କର ନିଜର । “ଜଗନ୍ନାଥପ୍ରସାଦ ଦାସଙ୍କ ସ୍ଵାତନ୍ତ୍ର୍ୟ ତାଙ୍କର ସ୍ଵଚ୍ଛ କାବ୍ୟରୀତି । ଏହି ସ୍ୱଚ୍ଛତାର କାରଣ ହୁଏତ ତାଙ୍କର ନିର୍ମଳ କାବ୍ୟଚେତନା... "ଶୈଳୀ ମୁଖ୍ୟତଃ ଗୀତିମୟତା ଓ ଧ୍ୱନିଚେତନାକୁ ଆଶ୍ରୟ କରି ଗଢ଼ିଉଠିଛି... । "ତାଙ୍କ କବିତାରେ ଭାଷା ଭାରାନ୍ତ୍ରାନ୍ତ ନୁହେଁ ଓ ଭାଷାର ବହମାନତା ଉପରେ ଯଥେଷ୍ଟ ଗୁରୁତ୍ଵ ଆରୋପ କରାଯାଇଛି । ଏ ଧରଣର କବିତା ବର୍ତ୍ତମାନ ପ୍ରାୟ ବିରଳ । ... ଜଗନ୍ନାଥପ୍ରସାଦ ଦାସ କବିତା- ପାଠକର ଏକ ବଡ଼ ଆବଶ୍ୟକତା ପୂରଣ କଲେ । "ଏ ସଂକଳନରେ ସେ ଯେଉଁ ପ୍ରତିଶ୍ରୁତି ଓ ପରିଚୟ ଆରମ୍ଭ କରିଛନ୍ତି ତାର ପରିଣତି, ଓଡ଼ିଆ କାବ୍ୟ ପରଂପରାର ସହାୟକ ହେବ ।" ଆଧୁନିକ ଓଡ଼ିଆ କବିତାର ପିତୃତୁଲ୍ୟ କବି ଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ ଏ ପୁସ୍ତକର ସମୀକ୍ଷା କରି କେତେକ ଗୁରୁତ୍ଵପୂର୍ଣ୍ଣ ମତ ବ୍ୟକ୍ତ କରିଛନ୍ତି- “ସବୁଠାରୁ ଯାହା ଆଖିରେ ପଡ଼େ ତାହା ହେଉଛି ତାଙ୍କର ବକ୍ତବ୍ୟର ପରିଚ୍ଛନ୍ନତା । ଗଦ୍ୟର ପରିଚ୍ଛନ୍ନତା ସଂଗେ କାବ୍ୟର ଆବେଗ-ସଂଚାରୀ ସ୍ୱଭାବର ଏକ ସମ୍ମିଶ୍ରଣ ତାଙ୍କ କବିତାଗୁଡ଼ିକରେ ଦେଖିବାକୁ ମିଳେ ।... ତାଙ୍କ କବିତାର ମନୋଗତ ଗୁଣ ଦୃଶ୍ୟଗତ ଗୁଣକୁ (visual image) ଅସ୍ପଷ୍ଟ ବା ଧୂଆଁଳିଆ କରିନାଇଁ । "କବି ଜଗନ୍ନାଥପ୍ରସାଦ ଦାସ କବିତାରେ ସଂହତି ଓ ମିତଃ ପ୍ରକାଶ ପୁନଃପ୍ରତିଷ୍ଠା କରିବା ଦିଗରେ ସଚେତନ ଥିବା ବାସ୍ତବିକ ଆନନ୍ଦର ବିଷୟ । ".. ଗୃହୀତ ପ୍ରଥା ବଦଳରେ ଚିତ୍ରମାଧ୍ୟମରେ ଭାବ ବ୍ୟକ୍ତ କରାଯାଇଛି । ତେଣୁ ପାଠକର ‘ପ୍ରସ୍ତୁତ ଉବ୍ଦୀପନା’ ଭାଙ୍ଗିବା ଦିଗରେ ତାଙ୍କର ସଚେତନ ଉଦ୍ୟମ ପ୍ରଶଂସନୀୟ... । କବିତାଗୁଡ଼ିକ ସଂହତ, ସପ୍ରତିଭ ଏବଂ ଚିତ୍ରଧର୍ମୀ ହେଲେ ମଧ୍ୟ ଦୂର୍ବୋଧ୍ୟ ନୁହେଁ ।" ଶ୍ରୀ ବିବେକାନନ୍ଦ ଜେନାଙ୍କର ‘ପ୍ରଥମ ପୁରୁଷ: ଏକ ବ୍ୟକ୍ତିଗତ ଦୃଷ୍ଟିପାତ' ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ । ଶ୍ରୀ ଜେନା ନିଜେ କବି ହୋଇଥିବାରୁ ଏବଂ 'ପ୍ରଥମ ପୁରୁଷ' ର କବିଙ୍କୁ ନିକଟରୁ ଦେଖିଥିବାରୁ ତାଙ୍କର ‘ଦୃଷ୍ଟିପାତ’ ଯଥାର୍ଥରେ ‘ବ୍ୟକ୍ତିଗତ' । ତାଙ୍କର ମତ ନିରପେକ୍ଷ ଓ 'କବିବନ୍ଧୁଙ୍କ କବିତାରୁ କିଛି ଖରାପ ନ ୧। ପ୍ରଜାତନ୍ତ୍ର, ୨୦-୦୧-୧୯୭୨

୨। ଝଙ୍କାର, ଫେବୃଆରୀ ୧୯୭୨ ଦେଖି କେବଳ ଭଲକୁ ଦେଖିବି' ସଦୃଶ ସସ୍ନେହ ଦୃଷ୍ଟି ମଧ୍ୟରେ ରୂପ ପାଇଛି । “ତାଙ୍କ ଜୀବନରେ କୌଣସି କାର୍ଯ୍ୟ ଅସୁନ୍ଦର ବା ସାଧାରଣ ଭାବରେ କରିବା ସପକ୍ଷରେ ଜଗନ୍ନାଥ ପ୍ରସାଦ କେବେ ନଥିଲେ । .... ଏହି କବିତା ସଂକଳନର ମୁଦ୍ରଣଠାରୁ ଆରମ୍ଭ କରି ପ୍ରଚ୍ଛଦ ପର୍ଯ୍ୟନ୍ତ ସବୁଠି ଜିନିଷ ନିଷ୍ଠାର ସହିତ ଓ ସୁନ୍ଦର ଭାବେ କରିବାର ଆଗ୍ରହ ଛଡ଼ା ଆଉ କିଛି ନାହିଁ ବୋଲି ମୋର ଅଭିମତ । “ବହୁତ ଅଳ୍ପ ଲୋକ ଜାଣନ୍ତି ଯେ ଏକ କାଳରେ ଜଗନ୍ନାଥପ୍ରସାଦ ତାଙ୍କର ଜଣେ ସମସାମୟିକ ତରୁଣ କବି ରମାକାନ୍ତ ରଥଙ୍କଠାରୁ ବେଶୀ ପ୍ରତିଭାଶାଳୀ କବି ଅଲେ ବୋଲି ଅନେକଙ୍କ ଧାରଣା । "ଅନେକ ଦିନ ନିରବ ରହିବା ପରେ ପୁଣି ଥରେ କବିତାକୁ ଫେରିବା ଯେତେଟା ସହଜ ମନେହୁଏ ସେତେ ସହଜ ପ୍ରକୃତ ପକ୍ଷରେ ନୁହେଁ । ....ତାଙ୍କର ପ୍ରତ୍ୟାବର୍ତ୍ତନ ..ଏକ ଘରବାହୁଡ଼ା... "ଏକ କଥାରେ କହିବାକୁ ପଡ଼ିବ ଯେ ଅନେକ ଅଳ୍ପ କବି ପ୍ରଥମ ସଂକଳନରେ ଏତେ ସମ୍ଭ୍ରାନ୍ତ କବିତା ଲେଖି ପାରନ୍ତି । ..ଓଡ଼ିଆ କାବ୍ୟ ଭାଷାରେ ସମ୍ଭ୍ରାନ୍ତ୍ୟ ଏକ ଅତ୍ୟାବଶ୍ୟକୀୟ ଓ ଦୁର୍ଲଭ ବସ୍ତୁ ଅଟଇ । ଜଗନ୍ନାଥପ୍ରସାଦ ..ସେଇ ଦୁର୍ଲଭ ବସ୍ତୁରେ ବ୍ୟବସାୟ କରିଅଛନ୍ତି ।" ପ୍ରଖ୍ୟାତ ଗାଳ୍ପିକ ଶ୍ରୀ ଅଖିଳମୋହନ ପଟ୍ଟନାୟକ, 'ବହିର ପ୍ରଚ୍ଛଦପଟ' ଓ 'ପରମ୍ପରାମୁକ୍ତ ବନ୍ଧେଇ ସାଇଜ୍' ଠାରୁ ଆରମ୍ଭ କରି କବିତାର ଆତ୍ମା ଓ ଅଙ୍ଗ ପର୍ଯ୍ୟନ୍ତ ବିସ୍ତୃତ ଉପାଦାନର ବିଶ୍ଳେଷଣ କରିଛନ୍ତି । ତାଙ୍କ ମତରେ କବିତାଗୁଡ଼ିକ କବିଙ୍କର ନିଜସ୍ଵ 'ଆଶା, ନିରାଶା, ଦ୍ଵନ୍ଦକୁ ନେଇ ରଚିତ’ ଏବଂ ଆଙ୍ଗିକ ଦୃଷ୍ଟିରୁ ଶ୍ରୀଦାସ 'ଅତ୍ୟନ୍ତ ସଫଳ' ହୋଇଛନ୍ତି- "ଶ୍ରୀଦାସ କବିତା ଲେଖିବାକୁ ଯାଇ ଗୋଟାଏ ବିରାଟ ଭୁୟୋ-ଦର୍ଶନର ଅବତାରଣା କରିବାର ଛଳନା କରିନାହାନ୍ତି । “ତାଙ୍କର ପ୍ରଥମ ପ୍ରେମକୁ ଗୋପନୀୟ ସତ୍ୟକୁ ଓ ତାଙ୍କର ଶବକୁ ଯେ କବିତା ପରିପାରିଛନ୍ତି ତାହା ତାଙ୍କର ସ୍ପର୍ଶକାତର କବି ମାନସର ପରିଚୟ ଦିଏ... । "ଏହି ପ୍ରତିଭାବାନ ଆଗନ୍ତୁକଙ୍କର ଅନ୍ୟ ଏକ ବିଶେଷତ୍ଵ ହେଲା ତାଙ୍କର କବିତାଗୁଡ଼ିକ ପ୍ରତିଷ୍ଠିତ କବିମାନଙ୍କର ପ୍ରଭାବରୁ ସମ୍ପୁର୍ଣ୍ଣ ଭାବରେ ମୁକ୍ତ । ସାହିତ୍ୟ - ରାଜ୍ୟର ଏକ କ୍ଷୁଦ୍ର ଅଳିନ୍ଦ ଦେଇ ସେ ଆକସ୍ମିକ ଭାବରେ ପଶି ଆସିଛନ୍ତି ଚୈତ୍ର

ର ସୁରଭିତ ମଳୟ ପରି ଓ କହିଛନ୍ତି ‘ମୁଁ ଜଗନ୍ନାଥପ୍ରସାଦ ଦାସ ଆସିଛି- ମୁଁ କିଛି କବିତା ଲେଖୁଛି' ବାସ୍ ଏତିକି । ପ୍ରବେଶ ଆକସ୍ମିକ ହେଲେ ମଧ୍ୟ ତାହା ସଂପୂର୍ଣ୍ଣ ନିରାଡ଼ମ୍ବର ଓ ଅହଙ୍କାରମୁକ୍ତ । ୪

ଓଡ଼ିଶୀର ବୟୋଜ୍ୟେଷ୍ଠ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଅଭିମତ ଅତ୍ୟନ୍ତ ତାପୂର୍ଯ୍ୟପୂର୍ଣ୍ଣ । କବି ଶ୍ରୀଦାସଙ୍କର ଦ୍ୱିତୀୟ କବିତା ସଙ୍କଳନ 'ଅନ୍ୟ ସବୁ ମୃତ୍ୟୁ ଏବଂ ଅନ୍ୟାନ୍ୟ କବିତା’ର ଦେହଳୀରେ ଶ୍ରୀଯୁକ୍ତ ମହାନ୍ତିଙ୍କର ମହାର୍ଘ ମତାମତର କିୟଦଂଶ ବିଧୃତ । ତାଙ୍କ ମତରେ ‘ପ୍ରଥମ ପୁରୁଷ’ ସମ୍ପ୍ରତିକ ଓଡ଼ିଆ କବିତା କାକଳିରେ 'ଏକ ନୂତନ ସ୍ୱର’ ଓ ଏ ସ୍ୱର ଶୁଦ୍ଧ କବିତାର । ସେ ମନେ କରିଛନ୍ତି -

"ପ୍ରଥମ ପୁରୁଷର ଗୋଟିଏ ସ୍ଵର ବ୍ୟାକୁଳ ସନ୍ଧାନର ଓ ଗଭୀର ଉପଲବଧିର, ଅନ୍ୟ ସ୍ଵରଟି ଶୂନ୍ୟତାର, ବ୍ୟର୍ଥତାର, ଅତୃପ୍ତିର । ପ୍ରଥମୋକ୍ତ କବିତାଗୁଡ଼ିକରେ ଭାରତୀୟ ଆଧ୍ୟାତ୍ମିକ କବିତାର ଧାରା ଯେପରି ନିରବିଚ୍ଛିନ୍ନ ରହିପାରିଛି, ଆଧୁନିକ ଓଡ଼ିଆ କବିତାର ତାହା ଏକ ନୂତନ ଐଶ୍ଵର୍ଯ୍ୟ କହିଲେ ଅତ୍ୟୁକ୍ତି ହେବ ନାଇଁ ।

"ଷଷ୍ଠ ଦଶକର ଆୟାସଲବ୍‌ଧ କ୍ଳିଷ୍ଟତା ଅକାବ୍ୟିକ ଅଶ୍ଳୀଳତା... ‘ଆର୍ଚ୍ଚିଟାଇପ’ର ନିଷ୍ଫଳ ଗବେଷଣା ପରିବର୍ତ୍ତେ ଶୁଦ୍ଧ କବିତାର ନିରଭିମାନ ସ୍ଵର ଏହି କବିତାଗୁଡ଼ିକରେ ସ୍ପଷ୍ଟ ହୋଇପାରିଛି ।୫

‘ଡ଼ଗର'ର ସଂପାଦକ ଶ୍ରୀ ନିତ୍ୟାନନ୍ଦ ମହାପାତ୍ରଙ୍କ ଦୃଷ୍ଟିରେ "ଆଧୁନିକ କବିତାର ଅନେକ ବିଫଳତା ଭିତରେ ଆମ୍ଭର ନିବିଡ଼ ପରିଚୟ ‘ପ୍ରଥମ ପୁରୁଷ’ର ଏକ ନିର୍ଘାତ ଧର୍ମ !" ୬

‘ମାତୃଭୂମି’ ମତ ଦେଇଛନ୍ତି ଏ କବିତାଗୁଡ଼ିକ “ଆଶାବାଦ, ଉଦାରତା, ଦାର୍ଶନିକ ଅନାସକ୍ତି ଓ ଜୀବନ- ଜିଜ୍ଞାସାର ଭାବବୈଚିତ୍ର୍ୟ ।"୭

'ସମାଜ' ମତରେ "ଭାରତୀୟ ଆଧାତ୍ମିକ ଭାବବାଦୀ କବିତାର ନିରବିଚ୍ଛିନ୍ନ ଧାରା’ ଏ କବିତାଗୁଡ଼ିକ ।" ୮


୪। ସମାବେଶ, ମାର୍ଚ୍ଚ-ଏପ୍ରିଲ ୧୯୭୨ (ପୃଷ୍ଠା ୧୦୩-୧୦୮) ୫। ସମାବେଶ, ମାର୍ଚ୍ଚ-ଏପ୍ରିଲ ୧୯୭୨ (ପୃଷ୍ଠା ୧୦୧-୧୦୨) ୬। ଡ଼ଗର, ଜୁନ୍ ୧୯୭୨ ୭। ମାତୃଭୂମି, ୭-୨-୧୯୭୨ ୮। ସମାଜ, ୨୦-୨-୧୯୭୨


‘କଳିଙ୍ଗ' ମତ ଦିଅନ୍ତି ଯେ କବିତାଗୁଡ଼ିକ "ଦୁର୍ବୋଧ୍ୟତାରୁ ସଂପୂର୍ଣ୍ଣ ମୁକ୍ତ ଏବଂ କବିମାନସର ସରଳ ଓ ସ୍ପଷ୍ଟ ବହିଃପ୍ରକାଶ ।"୯

'ଆକାଶବାଣୀ', କଟକର ପୁସ୍ତକ ଆଲୋଚନା କ୍ରମରେ ଆଲୋଚକ ଶ୍ରୀ ପଠାଣି ପଟ୍ଟନାୟକ ମନେକରିଛନ୍ତି ଏ କବିତାଗୁଡ଼ିକ "ସମସ୍ତଙ୍କର କବିତା ।"୧୦

ହିନ୍ଦୀ ମାସିକ ‘ସଂଚେତନା’ରେ ‘ପ୍ରଥମ ପୁରୁଷ’ର ହିନ୍ଦୀ ରୂପାନ୍ତର ସମୀକ୍ଷା କରି ସମୀକ୍ଷକ ଶ୍ରୀ ବିଷ୍ଣୁ ସ୍ୱରୂପ ସାକ୍‌ସେନା କହିଛନ୍ତି, "ଏ କବିତାଗୁଡ଼ିକରେ କବି ଏକ ସର୍ଜନର ନିର୍ମମତା ଓ ଏକ ମନୋଚିକିତ୍ସକର ଗଭୀରତା ନେଇ ନିଜର ଅନ୍ତର୍ମନର ପରଦା ଉଠାଇଛନ୍ତି । ତାଙ୍କ ମତରେ କେବଳ କାବ୍ୟଗତ ସୌନ୍ଦର୍ଯ୍ୟ ନୁହଁ, କବିତାଗୁଡ଼ିକରେ ଏକ ଅଦ୍ଭୁତ ଆଲୌକିକ ବାତାବରଣ ସୃଷ୍ଟି ଲକ୍ଷ୍ୟ କରାଯାଇପାରେ ।"୧୧

ଡଃ ଲକ୍ଷ୍ମୀନାରାୟଣ ଗର୍ଗଙ୍କ ଉକ୍ତିରେ, "ଏ କବିତାର ଭାବନା ଅନିଶ୍ଚିତତା ମଧରେ ଝୁଲୁଥୁବା ଜୀବନର ଏକ ବୃତ୍ତ ଚିତ୍ର ।"୧୨

ହିନ୍ଦୀର ‘କାଦମ୍ବିନୀ' ପତ୍ରିକା ନୂତନ କୃତିର ମୂଲ୍ୟାୟନ କାଳରେ ‘ପ୍ରଥମ ପୁରୁଷ’ର ସମୀକ୍ଷା କରି କହିଛନ୍ତି- “ପ୍ରଥମ ପୁରୁଷର କବିତାଗୁଡ଼ିକ ବିଚାରପ୍ରଧାନ କବିତା । ଏଥୁରେ ଆଧୁନିକ ଯୁଗର ଯନ୍ତ୍ରଣା ଓ ଏକାକୀତ୍ୱବୋଧର ଚିତ୍ର ସମଧିକ ।"

ଦିଲ୍ଲୀର ଓଡ଼ିଆ ସାହିତ୍ୟାନୁଷ୍ଠାନ 'ମହାନଦୀବୃତ୍ତର'ର ଏକ ସ୍ଵତନ୍ତ୍ର ଅଧିବେଶନରେ ୧୭-୪-୧୯୭୮ରେ ‘ପ୍ରଥମ ପୁରୁଷ’ର ହିନ୍ଦୀ ରୂପାନ୍ତର ଉଦ୍‌ଘାଟିତ ହୋଇଥଲା । ଏଥିରେ ଉଭୟ ଓଡ଼ିଆ ଓ ଅଣଓଡ଼ିଆ ବହୁ ସାହିତ୍ୟପ୍ରେମୀ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ । ଏ କ୍ଷେତ୍ରରେ ଡ଼ଃ ଅଜିତ୍‌କୁମାରଙ୍କର ମନ୍ତବ୍ୟ ସ୍ମର୍ତ୍ତବ୍ୟ । ତାଙ୍କ ଦୃଷ୍ଟିରେ କବି ଶ୍ରୀଦାସ ‘ଏକ ବର୍ଦ୍ଧମାନ ଭାଷାର କବି' (ଏ କ୍ଷେତ୍ରରେ ଓଡ଼ିଆ ଭାଷା) ଏବଂ ଏ କବିତା ଗୁଡ଼ିକରେ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ଏକ ପ୍ରଶ୍ନମୟତା, ପ୍ରବହମାନ ଜୀବନପ୍ରତି ଆସକ୍ତି ଲକ୍ଷିତ ହୁଏ । ତାଙ୍କ ମତରେ 'ପ୍ରଥମ ପୁରୁଷ' ଅର୍ଥ ଉଭୟ 'The First Man' ଏବଂ 'The First Person' ଏଥିରେ 'ଆଜିର ମନୁଷ୍ୟ ଅପେକ୍ଷା ଆଜିର ପୁରୁଷର


୯। କଳିଙ୍ଗ, ୭-୫-୧୯୭୨ ୧୦। ଆକାଶବାଣୀ, ୨୭-୧-୧୯୭୨ ୧୧। ସଂଚେତନା, ଜୁନ୍ ୧୯୭୮ ୧୨। ପ୍ରକର, ଜୁଲାଇ ୧୯୭୪

ଚେହେରା ଅଧିକ ଦୃଶ୍ୟବାନ ।'

ସୂଚିତ ଯେ 'ପ୍ରଥମ ପୁରୁଷ’ର ଇଂରାଜୀ ଭାଷାନ୍ତର କରିଛନ୍ତି ଶ୍ରୀ ଦେବପ୍ରସାଦ ପଟ୍ଟନାୟକ ।" ଏ ପୁସ୍ତକ ସଂପର୍କରେ ଡ଼ଃ ମୁଲକରାଜ ଆନନ୍ଦଙ୍କର ଅଭିମତ ଉଦ୍ଧାର ଏକାନ୍ତ ବାଞ୍ଚନୀୟ -

"Come to my dreams, sings Jagannath Prasad Das, the young Oriya poet. And he reveals himself to himself, and others from the underlayers of a poignant sensibility in delicate nuances of feelings. The feelings are, however, not all imperceptible, but cognisable reveries, fantasies and dreams of a lyrical 'first person' in intense being-in-situations. This is authentic poetic expression in new metaphors."

A.K. Verma ଭୁବନେଶ୍ୱରର ‘Probitas'ରେ ଲେଖିଛନ୍ତି ଯେ କବିତାଗୁଡିକର ଭାବ ଅବବୋଧରେ ଭାଷା ପ୍ରତିବନ୍ଧକ ନୁହେଁ । ତାଙ୍କ ନିଜ ଭାଷାରେ-

"His imagery draws its force from the poet's awareness of life's absurdity and the observation of the world around.”

The Eastern Times ରେ ଓଡ଼ିଶାରେ ପ୍ରଖ୍ୟାତ କବି ଶ୍ରୀ ସୌଭାଗ୍ୟ କୁମାର ମିଶ୍ର ‘ପ୍ରଥମ ପୁରୁଷ’ର ସମୀକ୍ଷା କାଳରେ କବି ଶ୍ରୀ ଜଗନ୍ନାଥ ପ୍ରସାଦ ଦାସଙ୍କୁ ଜଣେ 'ନିରବ ସାଧକ'(Quietly ruminating) ବୋଲି କ‌ହିବା ସଙ୍ଗେ ସଙ୍ଗେ ତାଙ୍କ କବିତାର ବକ୍ତବ୍ୟ ପ୍ରତ୍ୟକ୍ଷ ଏବଂ ବୌଦ୍ଧିକ ଛଳନାଶୂନ୍ୟ ବୋଲି ମତ ଦେଇଛନ୍ତି ।୧୪

ଶ୍ରୀ ଦୁର୍ଗାପ୍ରସାଦ ମୁଖୋପାଧ୍ୟାୟ ‘ପ୍ରଥମ ପୁରୁଷ’ରେ ଭାରତୀୟ ଚେତନାର ପ୍ରକାଶକୁ ସ୍ୱୀକାର କରିଛନ୍ତି ଏବଂ କହିଛନ୍ତି:

"Those who are interested in serious, meaningful poetry must ponder over this elegantly produced collection."୧୫


୧୩। Probitas, ଏପ୍ରିଲ୍ ୧୯୬୯ ୧୪। The Eastern Times, ୯-୨-୧୯୭୨ ୧୫। Minimax, ଜାନୁଆରୀ ୧୯୭୮

Sunday Standard ଏ ପୁସ୍ତକ ସମୀକ୍ଷାର ଶିରୋନାମା ରଖିଛନ୍ତି 'No alien Stuff.' ଏହାର ସମୀକ୍ଷକଙ୍କ ଦୃଷ୍ଟିରେ -

"...it is refreshing to come across a Volume of poems by Jagannth Prasad Das, a noted Oriya pote and painter, Which evoke spontaneous responses from us, thanks to the familiarity of idiom and imagery."୧୬

ମାଡ୍ରାସର 'Hindu' ପତ୍ରିକାରେ L.C.Richardoଙ୍କ ସମୀକ୍ଷା ସଂକ୍ଷିପ୍ତ ହେଲେ ହେଁ ତାତ୍ପର୍ଯ୍ୟପୂର୍ଣ୍ଣ -

The poems are replete with poetic substance, the Indianness is captivating... The simplicity of thought and feeling is so refreshing."୧୭

India Todayରେ ସମୀକ୍ଷକ ଅମନନାଥ କବିତାର ଚିତ୍ରକଳ୍ପ ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ଜଣେ non-commercial poetର ସଂକଳନ ପ୍ରକାଶ କରିଥିବା ହେତୁ ଇଂରାଜୀ ସଂକଳନର ପ୍ରକାଶକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।୧୮ Indian Book Chronicleରେ ଶ୍ରୀମତୀ ଜ୍ୟୋତ୍ସ୍ନା ଅଗ୍ନିହୋତ୍ରୀ କବିତାଗୁଡ଼ିକ 'Genuine Poetry' ବୋଲି ମତ ବ୍ୟକ୍ତ କରି ଏହାର ଛନ୍ଦବୈଚିତ୍ର୍ୟକୁ ପ୍ରଶଂସା କରିଛନ୍ତି ।୧୯

‘ପ୍ରଥମ ପୁରୁଷ’ର ଉର୍ଦ୍ଧୁ ଅନୁବାଦକ ଶାହିଦା ସୟସ । ଏ ପୁସ୍ତକର ସମୀକ୍ଷକ K.K.Khullarଙ୍କ ଭାଷାରେ — “J.P Das' poetry is a procession of shadows and these shadows are reflections of our own experience. Das' sensibility is easily comparable with that of Faiz in Urdu..."୨୦

(ଗିରିବାଳା ମହାନ୍ତିଙ୍କ ସମ୍ପାଦିତ ‘କିଛି ବର୍ଷ କିଛି ରାସ୍ତା କିଛି ନିର୍ଜନତା'ରୁ ଉଦ୍ଧୃତ) --- ୧୬। Sunday Standard, ୨୭-୮-୧୯୭୮ ୧୭। The Hindu, ୧୪-୧୨-୧୯୭୬ ୧୮। India Today, ମାର୍ଚ୍ଚ ୧୫, ୧୯୭୮ ୧୯। India Book Chronicle, ନଭେମ୍ବର ୧, ୧୯୭୭ ୨୦। Link, ମାର୍ଚ୍ଚ ୧୧,୧୯୮୦

ପରିଶିଷ୍ଟ ୩ ସମୟାନୁକ୍ରମ

୧୯୭୦-୭୧ ରଚନାକାଳ

୧୯୭୧ ଡିସେମ୍ୱର 'ପ୍ରଥମ ପୁରୁଷ' ପ୍ରଥମ ପ୍ରକାଶ (ପ୍ରକାଶକ: ଅନନ୍ତ ମହାପାତ୍ର; ପ୍ରଚ୍ଛଦ: ସତ୍ୟଜିତ ରାୟ; ମୂଲ୍ୟ: ଚାରିଟଙ୍କା)

୧୯୭୨ କଲିକତାରେ ପ୍ରଥମ ପୁରୁଷର କବିତା ପାଠ (ବିଶେଷ ଉପସ୍ଥିତି: ଶକ୍ତି ଚଟ୍ଟୋପାଧ୍ୟାୟ)

୧୯୭୪ ହିନ୍ଦୀ ଅନୁବାଦ ପ୍ରକାଶ (ଅନୁବାଦ : ଶଙ୍କରଲାଲ ପୁରୋହିତ; ପ୍ରଚ୍ଛଦ: ଅସିତ ମୁଖାର୍ଜୀ; ପ୍ରକାଶକ: ଲହର ପ୍ରକାଶନ, ଆଲ୍ଲାହାବାଦ; ଭୂମିକା: ଓଁକାର ଶରଦ; ମୂଲ୍ୟ: ଛଅ ଟଙ୍କା)

୧୯୭୬ ଇଂରାଜୀ ଅନୁବାଦ First Person ପ୍ରକାଶିତ ( ଅନୁବାଦ: ଦେବ ପଟ୍ଟନାୟକ; ପ୍ରକାଶକ: Arnold Heinemann; ମୂଲ୍ୟ:ପନ୍ଦର ଟଙ୍କା)

୧୯୭୮ ହିନ୍ଦୀ ‘ପ୍ରଥମ ପୁରୁଷ’ ଆଲୋଚନା ସଭା (ଆୟୋଜନ: ମହାନଦୀ ବୃତ୍ତ; ସଭାପତି: ଡ. ଲକ୍ଷ୍ମୀନାରାୟଣ ଲାଲ; ମୁଖ୍ୟବକ୍ତା: ଅଜିତ କୁମାର; ସଂଯୋଜକ: ଖଗେଶ୍ଵର ମହାପାତ୍ର)

୧୯୭୯ ଉର୍ଦ୍ଧୁ ଅନୁବାଦ ‘ପରଛାଇଓଁ କା ଜୁଲୁସ’ ପ୍ରକାଶିତ (ଅନୁବାଦ: ଶ୍ରୀମତୀ ସାହିଦା ସୟିଦ; ପ୍ରକାଶକ: ମାର୍କକଇ-ମୁଆଶି-ତରକ୍କୀ, ନୂଆଦିଲ୍ଲୀ; ମୂଲ୍ୟ: ଦଶଟଙ୍କା)

୧୯୭୧ ‘ପ୍ରଥମ ପୁରୁଷ’ର ଦଶକାନ୍ତ ସଂସ୍କରଣ ‘କିଛି ବର୍ଷା କିଛି ରାସ୍ତା କିଛି ନିର୍ଜନତା’ ପ୍ରକାଶ (ସଂପାଦନା: ଖଗେଶ୍ଵର ମହାପାତ୍ର; ପ୍ରଦକ୍ଷିଣା; ଗିରିବାଳା ମହାନ୍ତି; ପ୍ରକାଶକ: ଫ୍ରେଣ୍ଡସ୍ ପବ୍ଲିଶର୍ସ; ମୂଲ୍ୟ: ପନ୍ଦର ଟଙ୍କା)

୧୯୯୫ ଜଗନ୍ନାଥ ପ୍ରସାଦ ଦାସଙ୍କ ସମଗ୍ର କବିତା ସଂକଳନ ‘ପୂର୍ବାପର’ରେ ‘ପ୍ରଥମ ପୁରୁଷ’ ଅନ୍ତର୍ଭୁକ୍ତ । ଏଥରେ ସେ କିଛି ପରିବର୍ତ୍ତନ (ତାଙ୍କ ଭାଷାରେ 'ଯତ ସାମାନ୍ୟ') କରିଛନ୍ତି ଏବଂ ବିରାମ ଚିହ୍ନ ରଖିନାହାନ୍ତି ।

୨୦୦୩ ବଙ୍ଗଳା ଅନୁବାଦ ପ୍ରକାଶ (ଅନୁବାଦ: ବିଭୂତି ଭୂଷଣ ଭଟ୍ଟାଚାର୍ଯ୍ୟ; ପ୍ରକାଶକ: ନୟା ଉଦ୍ୟୋଗ, କଲିକତା; ଭୂମିକା: ଗିରିବାଳା ମହାନ୍ତି; ମୂଲ୍ୟ: ତିରିଶ ଟଙ୍କା)

୨୦୧୧ କବିତା ସଂକଳନ 'ସମଗ୍ର କବିତା’ରେ ଅନ୍ତର୍ଭୁକ୍ତ ।